ଦେବକୀର ଗର୍ଭପାତ ଏବଂ ରୋହିଣୀର ଗର୍ଭ ଧାରଣ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଅସୁରଙ୍କ ଭାରେ ପୃଥ୍ୱୀ ଯିବ ରସାତଳେ ।
ଦେବଙ୍କ ଗୁହାରି ଶୁଣି ଚିତ୍ତେ ହେଲା ଦୟା
ତେଣୁ ହରିହର ଦୁହେଁ ଧରି ନରକାୟା ।
ଅସୁରଙ୍କୁ ବଧକରି ରଖିବୁଁ ଜଗତ
ଏ କଥା ପୂର୍ବରୁ ଜାଣ ହୋଇଛି ନିଶ୍ଚିତ ।
କଶ୍ୟପ ଅଦିତି ତୁମ୍ଭେ ପତି ପତ୍ନୀ ବେନି
ମଞ୍ଚପୁରେ ଜନ୍ମିଅଛ ପୂର୍ବ ଶାପ ଘେନି ।
ଗାୟତ୍ରୀ ଦେବୀଙ୍କ ଶାପେ ମାନବ ଶରୀର
ପାଇଅଛ ଆମ୍ଭ ଯୋଗେ କରିବ ନିସ୍ତାର ।
ଏ କଥା ମିଥ୍ୟା ବୋଲି ନ ବିଚାର ଚିତ୍ତେ
ତୋ ଗର୍ଭଗୃହରେ ମାତ ଠାବ ଦିଅ ମୋତେ ।
ଦୟା ମୟ ଶିବଙ୍କର ଦିବ୍ୟରୂପ ଦେଖି
ନିଦ୍ରାରେ ଦେବକୀ ଦେବୀ ଚାହିଁଲେ ନିରେଖି ।
ଅପୂର୍ବ ସୁନ୍ଦର ରୂପ ତେଜରେ ପ୍ରବଳ
ବେନିକର ଶୋଭାପାଏ ଲଙ୍ଗଳ ମୁଷଳ ।
ସାକ୍ଷାତେ ଈଶ୍ୱର ରୂପ ଆଗେ ଦେଖି ରାଣୀ
ବିନୟରେ ଜଣାଇଲା ଯୋଡ଼ି ବେନିପାଣି ।
ଯୋଗାଧି ପୁରୁଷ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
କି କାରଣେ ମୋର ପୁରେ ବିଜେ କଲ ସ୍ୱାମୀ ।
ରାଣୀର ବଚନ ଶୁଣି ପ୍ରଭୁ ବଳରାମ
ବୋଲନ୍ତି ତୋ ଗର୍ଭେ ଆମ୍ଭେ ହୋଇବୁ ଜନମ ।
ଦେବତା ମାନଙ୍କ ହିତେ ମର୍ତ୍ତ୍ୟେ ଅବତରି
ପୃଥ୍ୱୀଯାକ ଉଶ୍ୱାସିବୁ ଅସୁରଙ୍କୁ ମାରି ।
କଂସ ଆଦି ଅଷ୍ଟମଲ୍ଲ କରିବୁ ନିଧନ
ଏ କଥା ତୁ ଜାଣି ମାତ ଗର୍ଭେ ଦିଅ ସ୍ଥାନ ।
ପୁତ୍ରରୂପେ ଜାତ ହୋଇ ଫେଡ଼ିବୁ ତୋ ଦୁଃଖ
ଆଜଠାରୁ ମନେ ଆଉ ନ ହୁଅ ବିମୁଖ ।
ଦେବକୀ ବୋଇଲେ ବାବୁ ତା ମୋତେ ନ କହ
କି ପାଇ ନାଶିବୁ ତୋର ଏ ସୁନ୍ଦର ଦେହ ।
କନ୍ଦର୍ପ ନୁହଇ ସମ ତୋ ରୂପକୁ ତିଳେ
ତୁ କିପାଇଁ ନାଶଯିବୁ ମୋ କର୍ମ ଦୁର୍ବଳେ ।
ପୋଡ଼ୁ ପୋଡ଼ୁ କର୍ମ ମୋର ନ କହ ଏକଥା
ତୋ ଅମୃତ ବଚନରେ ଲାଗୁଅଛି ବ୍ୟଥା ।
ଯେ ମୋ ଗର୍ଭରେ ଜାତହେବୁ ଆପେ ଲୋଡ଼ି
ଜନ୍ମିବା ମାତ୍ରକେ କଂସ ମାରିବ କଚାଡ଼ି ।
ଚାଣ୍ଡାଳ ନିର୍ଦ୍ଦୟ ମୋର ଭାଇ ବଡ଼ ଦୁଷ୍ଟ
ଷଡ଼ପୁତ୍ର ମୋର ବଧ କଲା ସେ ପାପିଷ୍ଠ ।
ଆଉ ବେନି ପୁତ୍ର ଯାଏ ସେ ନିଶ୍ଚେ ମାରିବ
ପଣ କରିଅଛି କଂସ ଅହନ୍ତା ସାଧିବ ।
ମୁହିଁ ଅଭାଗିନୀ ବାବୁ ନ ଲୋଡ଼ଇ ତୋତେ
ବିଧାତା ପୁରୁଷ ଦଣ୍ଡ ଦେଉଅଛି ମୋତେ ।
ଏତେ କହି ଦେବୀ ତହୁଁ ହୋଇଲେ ମଉନ
ଆଶ୍ୱାସି କହନ୍ତି ପୁଣି ତାଙ୍କୁ ବଳରାମ ।
ଶାପ ପାଇଅଛୁ ଆମ୍ଭେ ମର୍ତ୍ତ୍ୟେ ହେବୁ ଜାତ
ଏଣୁ ତୋ ଗର୍ଭରେ ମୋତେ ଠାବଦିଅ ମାତ ।
ଦେବକୀ ବୋଇଲେ ମୋର ସନମତ ନାହିଁ
କଂସ ହସ୍ତେ କିପାଁ ଦେବି ଗର୍ଭକଷ୍ଟ ସହି ।
ଷଡ଼ପୁତ୍ର ଦେଇ ଦୁଃଖ ପାଇଲିଣି ଯେତେ
ସେ କଥାତୋ ଆଗେ ଫେଡ଼ି କହିବି ମୁଁ କେତେ ।
ବଳରାମ ବୋଇଲେ ତୁ ନ ଜାଣୁ ଗୋ ମାତ
ଛାର କଂସାସୁର ବଳେ ମୁଁ ନୁହଇ ହତ ।
କଂସ ଆଦି ଅସୁରଙ୍କ ଭାରା ନ ସହିଣ
ଭୂଦେବୀ ପଶିଲା ବ୍ରହ୍ମା ପାଦରେ ଶରଣ ।
ପୁଣି ଦୁଃଖ ଜଣାଇଲେ ଦେବତା ସକଳେ
ମର୍ତ୍ତ୍ୟପୁରେ ଜନ୍ମହେବୁ ଆମ୍ଭେ ସେହି ଛଳେ ।
ତ୍ରେତା ଯୁଗେ ହୋଇଥିଲୁ ଶ୍ରୀରାମ ଲକ୍ଷ୍ମଣ
ପୃଥ୍ୱୀଭାର ହରିବାକୁ ବଧିଲୁ ରାବଣ ।
ରାବଣକୁ ମାରି ସ୍ୱର୍ଗେ ହେଉ ପରବେଶ
ବ୍ରହ୍ମହତ୍ୟା ଦୋଷ ଦେଲେ ସକଳ ତ୍ରିଦଶ ।
ତେଣୁ ହରିହର ଦୁହେଁ ପାଇ ଅପମାନ
ଅନନ୍ତ ଶଯ୍ୟାରେ ଯାଇ କରିଲୁ ଶୟନ ।
କଳା ଶୁକ୍ଳ ବେନି ରୋମ ଅଟୁ ଜାଣ ଆମ୍ଭେ
ବେନି ଆତ୍ମା ଜାତହେବୁ ଏବେ ତୁମ୍ଭ ଗର୍ଭେ ।
ଅବତାର ଛଳେ ବଧ କରିବୁ ଦାନବ
ପୂର୍ବରୁ ଘଟଣା ଏହା କରିଛି ଦଇବ ।
ଆମ୍ଭଙ୍କୁ ତୁ ପୁତ୍ର ରୂପେ ଧରିବୁ ଯେ କୋଳେ
ଯେଣୁ ଘୋର ତପ କରିଥିଲୁ ପୂର୍ବକାଳେ ।
ଦେବକୀ ବୋଇଲେ ତୁ ଯେ ଅଯୋନି ସମ୍ଭୁତ
ମାନବ ଯୋନିରେ କିପାଁ ମର୍ତ୍ତ୍ୟେହେବୁ ଜାତ ।
କାହାର ଅପ୍ରାଧ ପୂର୍ବେ କଲୁ ଯୋଗେଶ୍ୱର
ମର୍ତ୍ତ୍ୟେ କିପାଁ ହୋଇବୁ ତୁ ମାନବ ଶରୀର ।
ଈଶ୍ୱର ବୋଇଲେ ମାଗୋ ପୂର୍ବ ଘଟସୂତ୍ର
ମେଣ୍ଟଣ ନୋହିଲେ ନିଶ୍ଚେଁ ହେବୁ ତୋର ପୁତ୍ର ।
ମମ ଅର୍ଥେ ଅନ୍ନପୂର୍ଣ୍ଣା ବିଷ୍ଣୁଙ୍କୁ କୋପିଲେ
ମର୍ତ୍ତ୍ୟପୁରେ ଜନ୍ମ ହୁଅ ବୋଲି ଶାପ ଦେଲେ ।
ମୋ ସକାଶେ ନାରାୟଣ ପାଇ ଅଭିଶାପ
ସେହି ମଧ୍ୟ କୋପକରି ଦେଲେ ମୋତେ ଶାପ ।
ବୋଇଲେ ତୁ ମର୍ତ୍ତ୍ୟଲୋକେ ଜନ୍ମିବୁ ଈଶାନ
ଦୁଷ୍ଟଦୈତ୍ୟ ସଂହରିବା ଆମ୍ଭେ ବେନିଜନ ।
ବାରମ୍ବାର ଜନ୍ମ ହେବି ମୁହିଁ ଭୂମିଭାଗେ
ତୁ ମଧ୍ୟ ସହାୟ ହୋଇଥିବୁ ମୋର ସଙ୍ଗେ ।
ତେଣୁ ଆମ୍ଭେ ଦୁହେଁ ହେବୁ ନରରୂପେ ଜାତ
ପ୍ରତିଜନ୍ମେ ହେଉଥିବୁ ତୁ ଆମ୍ଭର ମାତ ।
ଏତେ କହି ରାଣୀ ଆଗେ ପ୍ରଭୁ ହଳପାଣି
ଚାହୁଁ ଚାହୁଁ ଅନ୍ତର୍ଦ୍ଧାନ ହେଲେ ସେହିକ୍ଷଣି ।
ପୁଣି ହିଁ ଦେବକୀ ଦେବୀ ନିଦ୍ରାରେ ମୋହିତ
ଦେଖିବାର କଥାମାନ ଭୁଲିଲା ତୁରିତ ।
ଦଇବ ମାୟାରେ ଦେବୀ ମୋହିତ ଯେ ପୁଣି
ମନ ତାର ଭୁଲାଇଲେ ପ୍ରଭୁ ହଳପାଣି ।
ଯେବଣ ଚରିତ ଦେବୀ ଦେଖିଲା ସ୍ୱପନେ
ଦୈବୀ ମାୟାବଳେ ତାହା ନ ରହିଲା ମନେ ।
କହନ୍ତି ଶ୍ରୀ ଶୁକମୁନି ଶୁଣ ମହାରାଜା
ଆର ଦିନ ପତି ପତ୍ନୀ କଲେ ଏକଶଯ୍ୟା ।
ବିଧାତାର ଘଟସୂତ୍ର ପୂର୍ବର ଲିଖନ
କାଳେ ଆସି ଭୋଗ ହୁଏ ନ ହୁଅଇ ଆନ ।
ନିହନ୍ତା ବିହନ୍ତା ଯାହା ଅଛି ନିକି ଭାଇ
ପୂର୍ବ ସଞ୍ଚିତ କର୍ମ ସେ କେବେ ଆନ ନୋହି ।
ବଢ଼ିଲା ପୀରତି ଦୁହେଁ ହୋଇଲେ ହରଷ
ସେ ଦିନ ଦେବକୀ ଦେବୀ ହେଲେ ଗର୍ଭବାସ ।
ଦିନକୁ ଦିନ ଉଦର ହେଲା ବର୍ଦ୍ଧମାନ
ବେଳୁବେଳ ଅଙ୍ଗଶୋଭା ଦିଶେ ଭିନ୍ନ ଭିନ୍ନ ।
ନୀଳାମ୍ବର ପ୍ରଭୁ ଗର୍ଭେ ବିଜେ କଲେ ଆସି
କୋଟିଏ ବ୍ରହ୍ମାଣ୍ଡ ଶୋଭା ଯାର ରୂପରାଶି ।
ନିରଞ୍ଜନ ସ୍ୱାମୀ ସେ ଯେ ମହାଯୋଗେଶ୍ୱର
କୁନ୍ଦ ଇନ୍ଦୁପରି ଦିଶେ ଶରୀର ଯାହାର ।
ଯା ରୂପକୁ କୋଟି କାମ ନୁହେଁ ସମସରି
ଯାଗ ହୋମ କାର୍ଯ୍ୟେ ଯାକୁ ପ୍ରଥମରୁ ବରି ।
ସେ ସ୍ୱାମୀ ଧରଣୀ ଭାରା ନିବାରଣ ଅର୍ଥେ
ବିଜେକଲେ ଦେବକୀର ଗର୍ଭ ଅନ୍ତର୍ଗତେ ।
ତେଣୁ ସେ ଦେବକୀ ଦେବୀ ଦିଶିଲେ ସୁସଞ୍ଚ
ତୁଳନା ନାହିଁ ସ୍ୱର୍ଗ ଯେ ରସାତଳ ମଞ୍ଚ ।
ଯାର ନାମ କାମପାଳ ଅଟଇ ଯୁକତେ
ଚରାଚର ପୃଥ୍ୱୀ ତୋଳି ପାରଇ କିଞ୍ଚିତେ ।
ଅଙ୍ଗେ ପୂରିଥିବାରୁଟି ବଳପରାକ୍ରମ
ଅତିବଳେ ବଳରାମ ବୋଲି ଯାର ନାମ ।
ସଦାନନ୍ଦ ପୁରୁଷ ଯେ ଯୋଗୀଙ୍କର ଗତି
ସେ ଯହୁଁ ଦେବକୀ ଗର୍ଭେ କଲେ ଅବସ୍ଥିତି ।
ସୁନ୍ଦର ଦିଶିଲା ତେଣୁ ବସୁଦେବ ବାମା
ବେଳୁବେଳ ବୃଦ୍ଧି ହେଲା ଅଙ୍ଗରେ ସୁଷମା ।
ଏଥୁ ଅନନ୍ତରେ ଶୁଣ ପରୀକ୍ଷ ରାଜନ
ପୁଣି ସେ ଦେବକୀ ଦେବୀ ଦେଖିଲା ସ୍ୱପନ ।
ପଲ୍ୟଙ୍କରେ ଶୋଇଥିଲା ନିଶା ଅର୍ଦ୍ଧମାନେ
ବଳରାମ ରୂପ ପୁଣି ଦେଖିଲା ସ୍ୱପନେ ।
କାମପାଳ ରୂପ ଦେଖି ପୂର୍ବର ସ୍ୱପନ
ଚିତ୍ତରେ ଚିତ୍ତୋଇ ବାମା ଉଠିଲା ବହନ ।
ତଦଅନ୍ତେ ବିଚାରିଣ ଦେବୀ ହୃଦଗତେ
ମଣାଇ କହିଲେ ବସୁଦେବଙ୍କ ଅଗ୍ରତେ ।
ସାବଧାନେ ଯେ ଶୁଣିମା ହେଉ ପ୍ରାଣନାହା
ଆଜ ରଜନୀରେ ସ୍ୱପ୍ନ ଦେଖିଲି ମୁଁ ଯାହା ।
ଅଦଭୂତେ ଆକାଶରୁ ଖସିଲା କି ଶଶୀ
ଶୁକାମ୍ବର ଶରୀର ମୋ ଗର୍ଭେ ଗଲେ ପଶି ।
ଯେତେବେଳେ ମୋ ଗର୍ଭରେ ପ୍ରବେଶିଲା ଝାସି
ଉପରେ ପର୍ବତ ମାଡ଼ି ପଡ଼ିଲା ଆକର୍ଷି ।
କ୍ଷଣକ ସମୟ ହେଲା ନ ପାରଇ ସହି
ଅସମ୍ଭାଳ ହୋଇ ନାଥ ଅଇଲି ମୁଁ କହି ।
ବସୁଦେବ କହିଲେ ଗୋ ସ୍ୱପ୍ନ କାହୁଁ ସତ୍ୟ
ହୃଦେ ଚିନ୍ତା ଥିବାରୁ ଗୋ ଦେଖୁଛ ଏମନ୍ତ ।
ଏଥକୁ ଭ୍ରାନ୍ତି ନ କର ଆଗୋ ଶୁଭ୍ରକେଶୀ
ବାହୁଡ଼ି ତୋର ପଲ୍ୟଙ୍କ ଶୁଅ ତୁ ଗୋ ଆସି ।
ବସୁଦେବ ବାଣୀ ଶୁଣି ଦେବକୀ ଯେ ଗଲେ
ଆପଣାର ପଲ୍ୟଙ୍କରେ ଯାଇଁ ପହୁଡ଼ିଲେ ।
ଶୁଣ ପରୀକ୍ଷ ରାଜନ କହେ ଶୁକଯତି
ବଳରାମ ପୁଣ୍ୟକଥା ଶୁଦ୍ଧ ପୁଣ୍ୟକୀର୍ତ୍ତି ।
ଦେବକୀର ଗର୍ଭେ ଦେବ କଲେକ ବିଶ୍ରାମ
ପୃଥ୍ୱୀଭାରା ନିବାରଣ ଅର୍ଥେ ବଳରାମ ।
ଯହୁଁ ଗର୍ଭରେ ରହିଲେ ହେଲା ବେନିମାସ
ଦିନୁଦିନ ଦେବକୀର ଶରୀର ଅଳସ ।
ଆହାର ନ ରୁଚଇ ଯେ ନ ମାଡ଼ଇ ନିଦ
ଛନ୍ନ ଛନ୍ନ ମନ ପୁଣି ବଢ଼ୁଥାଇ ଖେଦ ।
ପ୍ରଖର ନିଃଶ୍ୱାସ ତାର ବହେ ଅହର୍ନିଶି
କ୍ଷଣେହେଁ ସୁସ୍ଥିର ହୋଇ ନ ପାରଇ ବସି ।
ସଖୀଜନମାନ ସଙ୍ଗ ଛାଡ଼ିଲା ସକଳ
ଗର୍ଭର ଭାରା ନ ସହି ଖୋଜଇ ଶୀତଳ ।
ଅଳସରେ ଅସମ୍ଭାଳ ହେଲା ଭୂମିଗତେ
ବିଧାତା ସୁମରି ପୀଡ଼ା ନ ସହି ଆରତେ ।
ଏହିମତି ହୋଇ ପୁଣି କେତେ ଦିନ ଯାନ୍ତେ
ରୋହିଣୀ ଅଗ୍ରତେ ବାଳୀ କହଇ ଏକାନ୍ତେ ।
ଭୋ ପ୍ରାଣସଖି ପାଖକୁ ମୋର ବେଗେ ଆସ
ତୋ ତହୁଁ ଅଧିକ ମୋର ନାହିଁ କେ ବିଶ୍ୱାସ ।
ଏ ତୋର ଛାମୁରେ ମୁହିଁ କହିବି କଥାଏ
ସାବଧାନ ହୋଇ ଶୁଣ ମୋର ବଡ଼ଯାଏ ।
ପୂର୍ବ ଜନମରେ ମୁଁ ଗୋ କଲଇଁ କି ପାପ
କେବଣ ବିଧାତା ମୋତେ ଦେଲା ଅଭିଶାପ ।
ପାପିଷ୍ଠ ସୋଦର ଭାଇ ମୋର ଦୁଷ୍ଟନଷ୍ଟ
ପ୍ରାଣେ ନ ମାରି କିପାଇଁ ଦେଉଅଛି କଷ୍ଟ ।
ରାକ୍ଷସେ ପୁତ୍ରଦେଇ କେ ସହେ ଗର୍ଭ ଶାସ୍ତି
ଭୋ ଧର୍ମ ଦେବତା ମୋର ଫେଡ଼ ମନୋଭ୍ରାନ୍ତି ।
ଆବର ଗୁପତ କରି କହିବି କଥାଏ
ସାବଧାନ ହୋଇ ତାହା ଶୁଣ ବଡ଼ପାଏ ।
ବିଚାରିଣ କହ ଏବେ କି ବୃଦ୍ଧି କରିବି
ଏ ଘାନ୍ତି ଗର୍ଭର ଭାରା ସହି ନ ପାରିବି ।
କେବଣ ପୁରୁଷ ଆସି ମୋତେ ଆଶ୍ରାକଲା
ପ୍ରଥମ ମାସରୁ ଭାରା ଏଡ଼େକ ହୋଇଲା ।
ଏ ଭାରା ସଖି ମୁଁ ପୁଣ ନ ପାରଇ ସହି
ଅତି ଅଶକତ ହେଲା ମୋହର ଏ ଦେହୀ ।
ପିମ୍ପୁଡ଼ି ଉପରେ ଯେହ୍ନେ ଗିରି ପଡ଼େ ମାଡ଼ି
କଣ୍ଠାଗ୍ରତ ହୋଇ ପ୍ରାଣ ଯାଉଅଛି ଛାଡ଼ି ।
ରକ୍ତପିଣ୍ଡ ଦିନୁମୋତେ ଦିଏ ବଡ଼ ଦୁଃଖ
ଏ ପୁତ୍ର ଥାଆନ୍ତେ କିବା ଅଛି ମୋତେ ସୁଖ ।
କେବଣ ପ୍ରକାରେ ପେଟୁ ପକାଇବି କାଢ଼ି
ଏଥକୁ ଉପାୟ ମୋତେ କହ ସର୍ବ ଛାଡ଼ି ।
ଏ ପୁତ୍ରର ଭାରା ମୁହିଁ ସହି ନ ପାରିବି
ସ୍ୱରୂପ କହିଲି ମୁହିଁ ନିଶ୍ଚେ ନାଶଯିବି ।
ଆବର ବଚନ ମୋତେ କହ କରି ବୋଧ
ଜାତ ହୋଇଲେ କରଇ କଂସ ପ୍ରାଣେ ବଧ ।
ଏତେ ଦୁଃଖ ସହିବି ମୁଁ ସିନା ଗର୍ଭଗତେ
ଯେବେ ପ୍ରାପତ ନୋହିବ କାଳେ ଏହି ମୋତେ ।
ଚାଣ୍ଡାଳ ଭାଇ ଯେ ମୋର କଚାଡ଼ିବ ନେଇ
ପ୍ରାପତ ଯେବେ ନୋହିବ କିପାଁ ଦୁଃଖ ସହି ।
ଏତେ ବିଚାରି ଦେବୀ ଗୋ କହ ସାଧ୍ୟ କଥା
କାଢ଼ି ପକାଇବି ସହି ନ ପାରିବି ବ୍ୟଥା ।
ଦେବକୀ ବଚନ ଶୁଣି ବୋଲଇ ରୋହିଣୀ
ଯାହା ବୋଇଲୁ ସ୍ୱରୂପ ଅଟେ ସଙ୍ଗାତୁଣୀ ।
ସୋଦର ଭାଇ ତୋହର ଏଡ଼େକ ଚାଣ୍ଡାଳ
ଶିଳେ ଧରି କଚାଡ଼ଇ ଜାତହେବା ବାଳ ।
ଷଡ଼ଗୋଟା ପୁତ୍ର ତୋର ଏମନ୍ତେ ମାଇଲା
ଏତେକେ ଯେ ମନ ତାର ସନ୍ତୋଷ ନୋହିଲା ।
ଯେବେ ଏହି ପୁତ୍ର ଜନ୍ମ କରୁ ଦୁଃଖ ପାଇ
ଏହାକୁ ଦେଖିଣ କଂସ କଚାଡ଼ିବ ନେଇ ।
ଏତେ ଦୁଃଖ ସହିବାର ନୁହେଁ କାର୍ଯ୍ୟ କିଛି
ଅଷ୍ଟପୁତ୍ର ମାରିବ ସେ ଦୁଷ୍ଟ କହିଅଛି ।
ଦେବକୀ କହିଲେ ସଖୀ ଶୁଣ ମୋର ବାଣୀ
ପ୍ରଥମ ମାସରୁ ଦୁଃଖ ଦେଲାଣି ଏ ଆଣି ।
ଅତି ଅସକତ ସଖି ହେଲା ମୋର କାୟେ
କେମନ୍ତେ ରହିବି ଆଉ ଦଶମାସ ଯାଏ ।
ରୋହଣୀ ବୋଇଲେ ମାଗୋ ଅଛି ମୋର ବୁଦ୍ଧି
ଗର୍ଭୁ ପୁତ୍ର ନାଶକରେ ଜାଣ ମଉଷଧି ।
ନିଶ୍ଚୟ ଅଶ୍ରଦ୍ଧା ଯେବେ ହେଲା ସଙ୍ଗାତୁଣୀ
ମୂଳ ଖଣ୍ଡିଏ ମୁଁ ଖୋଳିଆଣେ ଏହିକ୍ଷଣି ।
ସେ ମୂଳଖଣ୍ଡିଏ ମଥାରେ ଥିବୁ ତୁ ଗୋ ଖୋଷି
ନବ ଦିନରେ ପଡ଼ିବ ଗର୍ଭୁ ପୁତ୍ର ଖସି ।
ତୁ ଯେବେ ଗର୍ଭ ବେଦନା ନ ସହିଲୁ ମାଏ
ଘେନ ଔଷଧି ମୋ ଠାରୁ ଖସିପଡ଼ୁ ପୋଏ ।
ଏତେ ବୋଲି ମୂଳଖଣ୍ଡି ରୋହିଣୀ ଆଣିଲେ
ହାତରେ ଧରି ଦେବକୀ ମଥାରେ ଖୋସିଲେ ।
ଦିନକୁ ଦିନ ଶରୀର ଦୁର୍ବଳ ଦିଶିଲା
ପାଟି ଗନ୍ଧାଇଲା ତାକୁ ଭାତ ନ ରୁଚିଲା ।
ଏଥୁ ଅନନ୍ତରେ ତିନି ଦିବସ ଅନ୍ତରେ
ରୋହିଣୀ ଦେବକୀ ଗଲେ ଯମୁନାର ତୀରେ ।
ନଦୀର ଜଳେ ମିଳିଲେ ଯାଇ ବେନି ନାରୀ
ତକ୍ଷଣେ ଦେବକୀ ଦେବୀ ଗର୍ଭ ହେଲା ଭାରି ।
କେ ଆନ କରିପାରିବ ଦଇବ ଘଟଣ
ସେ ବିଧାତା ବେଳୁବେଳ ଦେଉଛି କଷଣ ।
ନଦୀକୂଳରେ ଦେବକୀ ବସିଲେ ଆକୁଳେ
ରକତ ପିଣ୍ଡୁଳା ଖସି ପଡ଼ିଲାକ ତଳେ ।
ଶୁଦ୍ଧ ସ୍ଫଟିକ ବରନ ପୂର୍ଣ୍ଣ ଜ୍ୟୋତିର୍ମୟ
କୋଟିଏ ଚନ୍ଦ୍ର କି ତହିଁ ହୋଇଛି ଉଦୟ ।
ଯେତେ ବେଳେ ଶଙ୍କର୍ଷଣ ପଡ଼ିଲେ ଭୂତଳେ
ବ୍ରହ୍ମାଣ୍ଡ ଖଣ୍ଡ ଦିଶିଲା ଶୋଭା ସେତେବେଳେ ।
ଜାଜ୍ୱଲ୍ୟମାନରେ ଶୋଭାପାଏ ମହୀତଳ
ପ୍ରକଟିତ ବଦନ ସେ ଦେବ କାମପାଳ ।
ସୁଶୀତଳ ପବନ ସେ ବହିଲା ସୁସଞ୍ଚ
ସାନନ୍ଦ ହେଲେ ପାତାଳପୁର ସ୍ୱର୍ଗ ମଞ୍ଚ ।
ଦେବେ ଦୁନ୍ଦୁଭି ଶବଦ କଲେ ଘନ ଘନ
ସକଳ ଭୁବନେ ପୁଣ ଆନନ୍ଦିତ ମନ ।
ଶୁକମୁନି ବୋଲନ୍ତି ଯେ ଶୁଣ ପରୀକ୍ଷିତ
ଶ୍ରୀଭାଗବତ ଶୁଣିଣ ହୁଅ ତୁମ୍ଭେ ମୁକ୍ତ ।
ଯେତେବେଳେ ପକାଇଲେ ଦେବକୀ ସେ ସୁତ
ରଜବୀର୍ଯ୍ୟ ପିଣ୍ଡ ତୋଳି ଛାଡ଼ନ୍ତେ ବନସ୍ତ ।
ଯମୁନା ଜଳରେ ସ୍ନାନ କରି ଶୌଚ ହେଲେ
ଦିବ୍ୟବେଶ ହୋଇଣ ସେ ବାହୁଡ଼ି ଅଇଲେ ।
ସେଠାରେ ସଙ୍କର୍ଷଣଙ୍କୁ ଗଲେକ ପକାଇ
ପୁଣି ବେନି ସଖୀ ଆସି ମିଳିଲେକ ତହିଁ ।
ରୋହିଣୀ ବୋଇଲେ ସଖି ବିଚାର ହୃଦୟେ
କେମନ୍ତେ ଛାଡ଼ିଯିବା ଗୋ ଏହାପରା ପୋଏ ।
ମୋହର ମନ ମୋହିତ ହେଲା ୟାକୁ ଦେଖି
କେସନେ ମୁରୁଛି ଏହା ଛାଡ଼ିଯିବ ସଖି ।
ଏସନକ ବିଚାରନ୍ତେ ଦେବକୀ ରୋହିଣୀ
ଅଦଭୂତେ ଆକାଶରୁ ଶୁଭିଲା ଏ ବାଣୀ ।
ଆଗୋ ରୋହିଣୀ ଦେବୀ ତୁ ଶୁଣ ସାବଧାନେ
ପୂର୍ବଫଳେ ତୋତେ ଧାତା ଦେଲେ ଏ ବିଧାନେ ।
ଏବେ ଅନ୍ୟ ବିଚାର ଗୋ ନ କର ତୁ କିଛି
ଆମ୍ଭର ବଚନ ମାଗୋ ଶୁଣ ତୁ ମୃଗାକ୍ଷି ।
ଦେବକୀ ଅବା ଛାଡ଼ିଲା ମହାଭାରା ପାଇ
ତୁ ଏହା ନ ଛାଡ଼ ଏଥେ କିଛି ଦୋଷ ନାହିଁ ।
ଏ ପୁତ୍ର ଯୋଗୁ ହୋଇବ ତୋତେ ବଡ଼ ଯଶ
ପୃଥ୍ୱୀର ଭାରାଭାର ଏ କରିବେ ଉଶ୍ୱାସ ।
ଦେବାଧି ଦେବ ଉପରେ ଏହି ଶିରୋମଣି
ଅଶେଷ କୋଟି ବ୍ରହ୍ମାଣ୍ଡେ ଅଟଇ କାରେଣୀ ।
ପରମ ନିରଞ୍ଜନ ଏ ଅଟେ ପୁଣ୍ୟଦେହୀ
ଅକ୍ଷୟ ଅଜରାମର ମହାତମା ଏହି ।
ଯେବେ ୟାକୁ ଉପେକ୍ଷି ନ ଯିବ ତୁମ୍ଭେ ଆଜ
ମୁକତି ଗତି ପାଇବ ହେବ ଦେବକାର୍ଯ୍ୟ ।
ଅଳପ ଦିନେ ଏ କଥା ଦେଖିବ ପ୍ରତ୍ୟକ୍ଷ
ଶୁଭମଙ୍ଗଳ ଯୋଗେ ଏ ପିଣ୍ଡ ଗର୍ଭେ ରଖ ।
ତୁମ୍ଭ ଯୋଗୁ ପୃଥ୍ୱୀଭାରା ହୋଇବଟି କ୍ଷୟେ
ବିଳମ୍ବ ନ କରି ବେଗେ ଘେନସି ଗୋ ମାଏ ।
ଆକାଶୁ ଶୁଭିଲା ଯହୁଁ ଏସନକ ବାଣୀ
ବସୁଦେବ ରୋହିଣୀ ଯେ ତୋଷ ହେଲେ ଶୁଣି ।
ଦେବକୀ ଦେବୀ ଉଦ୍ଗାରି ଯାହା ପକାଇଲେ
ଭୂମିରୁ ସାଉଁଟି ତାହା ରୋହିଣୀ ଘେନିଲେ ।
ବିଧାତା ସୁମରି ଦୃଷ୍ଟି ଆକାଶକୁ ଦେଲେ
ଅମୋଘ ମହାପିଣ୍ଡକୁ ଗର୍ଭେ ସାଇତିଲେ ।
ରୋହିଣୀ ଗର୍ଭରେ କଲେ ବଳରାମ ବିଜେ
ତକ୍ଷଣେ ତାଙ୍କ ଶରୀରୁ ବିରାଜିଲେ ତେଜେ ।
ଦେବକୀ ଦେବୀ ଅପୂର୍ବ ମଣିଲେ ତା ଦେଖି
ବୋଇଲେ ତୁମ୍ଭ ଶରୀର ଚାହିଁ ନୋହେ ସଖି ।
ଜାଜ୍ୱଲ୍ୟମାନ ଦିଶିଲା ଏବେ ଜ୍ୟୋତିର୍ମୟ
ଅନେକ ସୂର୍ଯ୍ୟ କି ଆସି ହୋଇଲେ ଉଦୟ ।
ଦେଖୁ ଦେଖୁ ଶରୀର ଯେ ଦିଶେ ଅତି ଶୋଭା
ତୋତେ ବିଧାତାର ଅନୁରାଗ ହେଲା ଅବା ।
ଏସନ ଅପୂର୍ବ ରୂପ ଦିଶିଲା କିପାଇଁ
ମୋତେ ଅଗୋଚର ହେଲା ତୋର ରୂପ ଚାହିଁ ।
ରୋହିଣୀ ବୋଇଲେ ସଖି ନ ବୋଲ ଗୋ କିଛି
ବିଧାତା ପୁଣି କାହାକୁ କିସ କରୁଅଛି ।
ନିଜ ଭୁବନକୁ ଚାଲ ବାହୁଡ଼ିଣ ଯିବା
ନଦୀର କୂଳରେ ଆଉ କେତେକାଳ ଥିବା ।
ଏମନ୍ତ ବିଚାରି ଦୁହେଁ ନିତ୍ୟକର୍ମ ସାରି
ତକ୍ଷଣେ ତହୁଁ ବାହୁଡ଼ିଲେ ବେନି ନାରୀ ।
ଆପଣା ମନ୍ଦିରେ ଯାଇ ମିଳି ବେନି ସଖୀ
କହିଲେ ବସୁଦେବଙ୍କୁ ବେନିଜନ ଦେଖି ।
ଦେବକୀଦେବୀ ବୋଇଲେ ଶୁଣ ପ୍ରାଣନାହା
ଆଜିର ଯୋଗ ହୋଇଲା ପୁଣ ମୋତେ ଯାହା ।
ସ୍ୱାମୀ ଏ ଋତୁରେ ଥିଲା ଯେଉଁ ପୁତ୍ରଗୋଟି
ପରାକ୍ରମେ ନୋହିବେ ଯେ ସରି ସିଂହକୋଟି ।
ତାହାର ମହାଭାରା ମୁଁ ସହି ନ ପାରିଲି
ଗର୍ଭରୁ ଖସାଇ ଆଣି ତଳେ ପକାଇଲି ।
ପ୍ରଥମ ମାସରୁ ପୀଡ଼ା ହୋଇଲାକ ମୋତେ
ଦଶମାସ ପରିଯନ୍ତେ ସହନ୍ତି ମୁଁ କେତେ ।
ତେଣୁକରି ଗର୍ଭରୁ ମୁଁ ପକାଇଲି କାଢ଼ି
ଯମୁନା ନଦୀର କୂଳେ ଆସୁଥିଲି ଛାଡ଼ି ।
ଅଦଭୂତେ ଆକାଶରୁ ଶୁଭିଲା ଏ ବାଣୀ
ଦେବଙ୍କ ବଚନେ ଗର୍ଭ ଧଇଲେ ରୋହିଣୀ ।
ରୋହିଣୀ ଗର୍ଭରେ ଯାଇ ରହିଲା ସେ ପୁତ୍ର
ବିଧାତାର ଏମନ୍ତ ଯେ ଜାଣ ଘଟସୂତ୍ର ।
ଦେବକୀ ବଚନ ଶୁଣି ବସୁଦେବ ବୀର
ବୋଇଲା ଏ କଥା ଦେବୀ ପ୍ରଘଟ ନକର ।
ଯଦ୍ୟପି କଂସ ରାଜନ ଶୁଣିବ ଏ ଘାନ୍ତି
ଅବଶ୍ୟ ଶିଳେ କଚାଡ଼ି ଦେବ ବହୁ ଶାସ୍ତି ।
ଯେବଣ ପ୍ରକାରେ ହେଲେ ପୁତ୍ର ହେଉ ଆଗ
ସ୍ୱରୂପ ଜାଣିଲେ ପଛେ କରି ବୁଦ୍ଧି ଯୋଗ ।
ରୋହିଣୀ ବୋଇଲେ ରହୁ ପୁତ୍ରର ଯେ ପ୍ରାଣ
ଏ କଥା ସ୍ୱରୂପ ସ୍ୱାମୀ ତଥ୍ୟ କରି ଜାଣ ।
ଏଥୁ ଅନନ୍ତରେ ଦିନେ କଂସର ଆସ୍ଥାନେ
ବାରତା ଜଣାଇ ଯାଇ ମୁଦୁସୁଲୀମାନେ ।
ଭୋ ଦେବ ମହାରାଜା ହେ ସାବଧାନେ ଶୁଣ
ଦେବକୀର ଗର୍ଭୁ ପୁତ୍ର ଗଲା ହୋଇ ଶୂନ୍ୟ ।
ଏକ ମାସକରେ ପୁତ୍ର ହେଲା ଅନର୍ଗଳ
କର ଚରଣ ନାସିକା ହୋଇଲା ସକଳ ।
ଅଦଭୁତେ ପ୍ରକାଶିଲା ତାର ସର୍ବକାୟା
ଯେହ୍ନେ ବଢ଼ିଲା ଛିଡ଼ିଲା ଦୈବ କଲା ମାୟା ।
ନିଶ୍ଚେ ଦେବ ଏହା ଆମ୍ଭେ ଅଇଲୁ ତ ଜାଣି
କଂସ ରାଜନ ହରଷ ହେଲା ଏହା ଶୁଣି ।
ଜାଣିଲି ପୁଣ୍ୟ ମୋହର ଦିଶିଲା ଏ ଘାନ୍ତି
ଯେହୁ ଅଳ୍ପଆୟୁ ସେହି ତତକ୍ଷଣେ ଯାନ୍ତି ।
ତାହା କର୍ମେ ନାଶଗଲା ହତ୍ୟା ନାହିଁ ମୋତେ
ଏମନ୍ତ ବିଚାର ରାଜା କଲା ହୃଦଗତେ ।
ଏବେ ମନରୁ ଭ୍ରାନ୍ତି ଛାଡ଼ିଲା ଥୋକାଏ
ନିଶରେ ହସ୍ତ ଦେଇଣ କହେ କଂସରାୟେ ।
ମୁଁ ଯାହା ମାରନ୍ତି ସେହୁ ଆପେ ନାଶଗଲା
ଜାଣିଲି ସୁକର୍ମଦଶା ମୋହର ପଡ଼ିଲା ।
ମୁଦୁସୁଲୀମାନଙ୍କୁ ସେ ସନ୍ନିଧେ ହକାରି
ଆଚମ୍ବିତ ହୋଇ ତାଙ୍କୁ ବୋଲେ ଦଣ୍ଡଧାରୀ ।
ଦେବକୀ ଆଗରେ କହ ଏସନକ କଥା
ଆବର ପୁତ୍ରେକ ତୋର ମଲେ ଯିବ ବ୍ୟଥା ।
ମାତା ତୁଲ୍ୟ ଅଟେ ମୋର ସେ ଜ୍ୟେଷ୍ଠ ଭଗିନୀ
ଘଟିଲା ଏ କଥାମାନ କର୍ମଦୋଷ ଘେନି ।
ତାହାଙ୍କର ପୁତ୍ର ହସ୍ତେ ମୋର ମୃତ୍ୟୁ ସାଧ୍ୟ
ତେଣୁ ତାଙ୍କ ପୁତ୍ରଙ୍କୁ ମୁଁ କରୁଅଛି ବଧ ।
ମୋ ସମାନ ଭାଇ ଯେବେ ପ୍ରାଣେ ଯିବ ନାଶ
କି କରିବ ଥାଇ ତାକୁ ଯଦୁ ଭୋଜବଂଶ ।
ମୋହର ଜୀବନ୍ତେ ଥିଲେ ତାର ସବୁ ଅଛି
ମୁଁ ଅଭାବ ହେଲେ ସେ ଯେ ନୁହେ ପୁଣ କିଛି ।
ପୂର୍ବେ ସତ୍ୟ କରିଅଛି ଯେ ମୋହର ପାଇଁ
ପୃଥ୍ୱୀକି କାରଣ ହେବ ଅଷ୍ଟପୁତ୍ର ଦେଇ ।
ସେ ମୋର ପରମଗୁରୁ ଆତ୍ମା ସହୋଦର
ଭୃତ୍ୟପ୍ରାୟେ ସେବା ମୁଁ ଯେ କରିବ ତାହାର ।
ଷଡ଼ପୁତ୍ର ସମର୍ପଣ କରିଛି ମୋ ଆଗେ
ଏବେ ଏକପୁତ୍ର ଗର୍ଭୁ ପଡ଼ିଲା ବିଯୋଗେ ।
ଏହିରୂପେ ସାତପୁତ୍ର କଲି ମୁହିଁ ଲେଖା
ଆଉ ଏକ ପୁତ୍ର ଦେଇ ଛଡ଼ାଉ ମୋ ଶଙ୍କା ।
ସେ ମୋହର ଜ୍ୟେଷ୍ଠ ଭଗ୍ନୀ ମାତାର ସମାନ
କର୍ମର ବିଯୋଗେ ପୁଣି ହୋଇଲା ଏସନ ।
ଅନେକ ଯେ ଧନରତ୍ନ ଦେଲା ନୃପସାଇଁ
ଦେବକୀ ଛାମୁରେ ଏହା ବେଗେ ଦିଅ ନେଇ ।
ମୁହିଁ ତ ଜୀବନ୍ତେ ଥିଲେ ତାର କିସ ଚିନ୍ତା
ମୁହିଁ ସିନା ସର୍ବଦୁଃଖ ହରଣକରତା ।
ଏସନ ବାରତା ଘେନି ପରିବାରୀ ଗଲେ
ଦେବକୀ ଦେବୀ ଛାମୁରେ ପ୍ରବେଶ ହୋଇଲେ ।
ଯେତେ ଧନରତ୍ନ କଂସ ଥିଲା ପୁଣ ଦେଇ
ଛାମୁରେ ପ୍ରବେଶ କଲେ ସବୁ ଦ୍ରବ୍ୟ ନେଇ ।
ଦେବକୀ ଦେବୀ ତା ଦେଖି ହୋଇଲେ ମଉନ
ଆହାରେ ଦଇବ ମୋର କର୍ମର ଲିଖନ ।
ମୁହିଁ ଏହା ନ ରଖିଲେ କରି ଅମରିଷ
ନିସତ ହୋଇ ରହିଲେ ଛାଡ଼ିବ କି କଂସ ।
ଏତେ ବୋଲି ଦେବୀ ଖର ନିଃଶ୍ୱାସକୁ ଛାଡ଼ି
ବୋଲଇ ବିଧାତା ଏହା ଅଛୁ ତୁ ନିବାଡ଼ି ।
ଜୟ ଜୟ ଗଣନାଥ ହରପୁତ୍ର ଶ୍ରେଷ୍ଠ
ଅଶେଷ କୋଟି ବିଦ୍ୟାରେ ତୁ ଅଟୁ ଗରିଷ୍ଠ ।
ମାନବ ଶରୀର ତୋର ଗଜମୁଖ ପ୍ରଭା
ସିନ୍ଦୁର ମଣ୍ଡିତ ହୋଇ ଦିଶେ ଅତିଶୋଭା ।
ହସ୍ତରେ ବିନ୍ୟସ୍ତ ଥୋର ପ୍ରଳମ୍ବ ନାସିକା
ତେଜପୁଞ୍ଜ ବିରାଜଇ ଜିଣି ଅଗ୍ନିଶିଖା ।
ବିକଟ ଉଦ୍ଭଟ ମୂର୍ତ୍ତି ଭଗ୍ନ ଏକଦନ୍ତ
ନାହିଁ ତୋର ଜନ୍ମ ମୃତ୍ୟୁ କିବା ଆଦିଅନ୍ତ ।
ଥନ୍ତଲ ଉଦର ନାଥ ସୁଧାରସ ଭୋଗୀ
ଅଷ୍ଟାଙ୍ଗ ସାଧନା କରି ଅଟ ମହାଯୋଗୀ ।
କପୋଳୁ ଅମୃତ ଜଳ ଗଳେ ଝରଝର
ନିରଞ୍ଜନ ସ୍ୱାମୀ ପ୍ରଭୁ ତୁହି ନିରାକାର ।
ପାଶ ଅଙ୍କୁଶ କରେ ଅମୃତ ଲଡ଼ୁ ଶୋହେ
ବରାଭୟ ସହିତରେ ତିନିପୁର ମୋହେ ।
ଅଷ୍ଟରତ୍ନ ମୁକୁଟ ଯେ ଶୋଭାପାଏ ଶିରେ
ଇନ୍ଦୁର ବାହନେ ସ୍ୱାମୀ ଚଳୁ ଧୀରେ ଧୀରେ ।
ଚାଲନ୍ତେ ନୂପୁର ଧ୍ୱନି ଶୁଭେ ରୁଣ ଝୁଣ
ଶ୍ରୀଅଙ୍ଗରେ ବିରାଜଇ ନାନା ଆଭରଣ ।
ସୁନ୍ଦର ମନ୍ଦାର ହାରେ ଶୋଭାପାଏ ଗଳା
ବୁଦ୍ଧି ବିଦ୍ୟା ବିଶାରଦ ଅଟୁ ହରବଳା ।
ବିଘ୍ନମାନଙ୍କର ଯେଣୁ ଅଟୁ ଅଧିପତି
ତେଣୁ ତୋତେ ବିଘ୍ନରାଜ ସକଳେ ବୋଲନ୍ତି ।
ଶୋହଇ ତକ୍ଷକ ନାଗ ତୋର ବାମଭୁଜେ
ଦକ୍ଷିଣେ ଡମ୍ବୁରୁ ଗୋଟି ଡିବି ଡିବି ବାଜେ ।
ଦେବାଧିଦେବଙ୍କ ପରେ ତୁ ଯେ ଦେବରାଜା
ଚତୁର୍ଦ୍ଦଶ ଭୁବନରେ ଆଗ ତୋର ପୂଜା ।
ଅକ୍ଷୟ ଅଜ୍ରାମର ପୁରୁଷ ଜଗଦାନୀ
ନିହନ୍ତା ବିହନ୍ତା ତୁ କରନ୍ତା ଲାଭ ହାନି ।
ତୋ ନାମ ଧରନ୍ତେ ନାଥ ତୁଟେ ଘୋରବ୍ୟାଧି
ଅନାୟାସେ ପରାପତ ହୁଏ ସର୍ବସିଦ୍ଧି ।
ନମସ୍ତେ ନମସ୍ତେ ଗଜାନନ ଲମ୍ବୋଦର
ନମସ୍ତେ ନମସ୍ତେ ସ୍ୱାମୀ ଗିରିଜା କୁମର ।
ନମୋ ନମୋ ଗଣପତି କଳ୍ପରୂପୀ କାଳ
ନମୋ ଦୈତ୍ୟ ବିନାଶନକାରୀ ମହାବଳ ।
ସୁମନେ ପ୍ରସନ୍ନ ମୋତେ ହୁଅ ଗଣନାଥ
ତୋ ପ୍ରସାଦେ ଲେଖୁ ଅଛି ମୁହିଁ ପୁଣ୍ୟଅର୍ଥ ।
କହିବି ଶ୍ରୀହରି କୀର୍ତ୍ତି ସାଧୁଜନ ହିତେ
ଇତି ଶ୍ରୀ ଏ ଭାଗବତ ପୁରାଣ ଚରିତେ ।
ତୁ ନାଥ ସୁଦୟା ମୋତେ ନ କରିବୁ ଯେବେ
ରକ୍ଷା ନ ପାଇବି ନିଶ୍ଚେ ପଡ଼ି ଭବାର୍ଣ୍ଣବେ ।
କହଇ ଅଚ୍ୟୁତ ଦାସ ଆହେ ଗଣନାଥ
ଆଜ୍ଞାଦିଅ ପୂର୍ଣ୍ଣହେଉ ହରିବଂଶ ଗ୍ରନ୍ଥ ।
ବଳରାମଙ୍କର ଜନ୍ମ
ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟରସ
ବୋଲନ୍ତି ଯେ ଅଭିମନ୍ୟୁ ପୁତ୍ରେ ବ୍ୟାସବତ୍ସ ।
ଶ୍ରୀଭାଗବତର ବଳଦେବ ଜନ୍ମବାଣୀ
ପାପାଧିପାପମାନ ତୁ ଦହ ଏହା ଶୁଣି ।
ବସୁଦେବ ପାଟ ରାଣୀ ରୋହିଣୀ ବନିତା
ଦଇବର ଘଟସୁତ୍ରେ ହେଲା ଅନ୍ତଃସତ୍ତ୍ୱା ।
ଦିନୁଦିନେ ପ୍ରଫୁଲ୍ଲିତ ଉଦର ତାହାର
ଜଠରେ ରହିବାକୁ ସେ ପ୍ରଭୁ ନୀଳାମ୍ବର ।
ଦେବଗଣ ପାଇକରି ଏସନ ବାରତା
ଇନ୍ଦ୍ର ଆଗେ ବୃହସ୍ପତି କହନ୍ତି ଏ କଥା ।
ସାବଧାନ ହୋଇ ତୁମ୍ଭେ ଶୁଣ ଶଚୀସାଇଁ
ରୋହିଣୀ ଗର୍ଭରେ ବଳରାମ ବିଜେ ଯାଇ ।
ଦେବକୀ ଗର୍ଭରେ ପ୍ରଭୁ ଦେଢ଼ମାସ ଥିଲେ
ତଦନ୍ତେ ପୁଣି ରୋହିଣୀ ଗର୍ଭକୁ ଅଇଲେ ।
ମହାଭାରା ପାଇ ଗର୍ଭୁ ପକାଇଲେ କାଢ଼ି
ଯମୁନା ନଦୀର କୂଳେ ଆସୁଥିଲେ ଛାଡ଼ି ।
ଶୂନ୍ୟ ଶବଦ ଶୁଭିଲା ଯହୁଁ ଦୈବବାଣୀ
ଦେବକାର୍ଯ୍ୟ ପାଇଁ ଗର୍ଭେ ଧଇଲେ ରୋହିଣୀ ।
ଆଦ୍ୟ ମାର୍ଗଶିର ମାସ ଶୁକ୍ଳପକ୍ଷ ରାତି
ଶୁଭଯୋଗେ ଦେବୀ ହୋଇଥିଲେ ଗର୍ଭବତୀ ।
ପରଂବ୍ରହ୍ମଙ୍କୁ ରୋହିଣୀ ସାଇତି ବାହୁଡ଼ି
ତାର ଗର୍ଭେ ବଳଦେବ ରହି ଏବେ ବଢ଼ି ।
ଦିନୁଦିନ ରୋହିଣୀର ଗର୍ଭେ ବର୍ଦ୍ଧମାନ
ଅକ୍ଷୟ ରୂପ ଗର୍ଭରେ ହୋଇଲା ସମ୍ପୂର୍ଣ୍ଣ ।
ପୃଥିବୀର ଭାରାଭର କରିବେ ଉଶ୍ୱାସ
ଦେବକାର୍ଯ୍ୟ ପାଇଁ ସ୍ୱାମୀ ଗର୍ଭେ କଲେ ବାସ ।
ଧନୁ ମକର ଆବର କୁମ୍ଭ ମୀନ ଅନ୍ତେ
ସମ୍ପୂର୍ଣ୍ଣ ଚାରିମାସ ଯେ ହୋଇଲା ଲେଖନ୍ତେ ।
ମେଷ ବୃଷ ମିଥୁନ ଯେ କକଡ଼ାର ଶେଷ
ମିଶାଇଲେ ଏ ବିଧିରେ ହେଲା ଅଷ୍ଟମାସ ।
ଦେବକୀ ଉଦରେ ପ୍ରଭୁ ଦେଢ଼ମାସ ଥିଲେ
ଛଅମାସ ଏକ ପକ୍ଷ ରୋହିଣୀ ବହିଲେ ।
ଲେଖିବାର ଅଷ୍ଟମାସ ହୋଇଲା ସମାନ
ଶୁଣ ତୁ ହୋ ପୁରନ୍ଦର ଅମର ରାଜନ ।
ଆନ କେହି ନ ଜାଣନ୍ତି ଏସନକ କଥା
କଂସ ଡରେ ଗୋପ୍ୟ କରିଅଛନ୍ତି ସର୍ବଥା ।
ଦେବକୀ ଦେବୀ ଯେ କାଳେ ଗର୍ଭବାସ ହୋନ୍ତି
ତେବେ ଶୁଣି କଂସ ରାଜା ଆକଟ କରନ୍ତି ।
ଯେ ଦିନୁ ରୋହିଣୀ ଦେବୀ ହେଲେ ଗର୍ଭଧାରୀ
ଲିହି ବିହି ପୁରୁଷ ତା ଛନ୍ତି ଗୋପ୍ୟ କରି ।
ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣି
ଅଷ୍ଟମାସ ପୂର୍ଣ୍ଣଯାଏ ବହିଲେ ରୋହିଣୀ ।
ଆଳସ୍ୟରେ ଅସମ୍ଭାଳ ଅଶକତ ଚିତ୍ତ
ନିଦ୍ରା ଆହାର ଭୂଷଣ ତେଜିଲା ସମସ୍ତ ।
ସୁଶୀତଳ ପବନରୁ ସଦା ଖୋଜୁଥାଇ
ଛନ୍ନ ଛନ୍ନ ବେଳେ ବେଳେ ନିଶ୍ଚେଷ୍ଟ ହୁଅଇ ।
କ୍ଷଣକେ ଘୁମାଇ ପୁଣି କ୍ଷଣେ ପଡ଼େ ଲୋଟି
ସୁନ୍ଦର ଦେହ ଭୂମିରେ ପଡ଼ି ହୋଏ ମାଟି ।
ଅନେକ ପରିଜନ ଯେ ଖଟି ମନ ହରି
ବିଞ୍ଚଣୀ ଧରି ବିଞ୍ଚନ୍ତି ଆଲଟ କେ ଧରି ।
ଏଥୁଅନ୍ତେ ଏହିରୂପେ କେତେ ଦିନ ଗଲା
କହୁ କହୁ ରୋହିଣୀର ପେଟ ବ୍ୟଥାକଲା ।
ଶ୍ରାବଣ ଶୁକ୍ଳ ପୂର୍ଣ୍ଣିମାଦିନ ଶୁକ୍ରବାର
ଶ୍ରବଣା ନାମେ ନକ୍ଷତ୍ର ଭୋଗ ସେ ଦିନର ।
ନାଗ ନାମରେ କରଣ ସଉଭାଗ୍ୟ ଯୋଗ
ମକର ଚନ୍ଦ୍ର ଷାଠିଏ ଦଣ୍ଡଯାକେ ଭୋଗ ।
ସିଂହ ସଙ୍କରାନ୍ତି ଦିନ ପଚିଶର ଅନ୍ତେ
ବଳରାମ ଜନମିଲେ ଦିନମାନ ଗତେ ।
ପାଞ୍ଚଦଣ୍ଡ ଅନ୍ତେ ସିଂହଲଗ୍ନ ଉତପତ୍ତି
ଚନ୍ଦ୍ର ବୁଧ ବୃହସ୍ପତି ଭୃଗୁ ଲଗ୍ନେ ସ୍ଥିତି ।
ପଞ୍ଚମ ଘରେ ରାହୁ ନବମେ ଶନୈଶ୍ଚର
ସପ୍ତମ ଘରେ ମଙ୍ଗଳ ଭୂମିର କୁମର ।
ଅଷ୍ଟମ ଘରେ ଆଦିତ୍ୟ ଷଷ୍ଠେ ଚନ୍ଦ୍ର ଅଛି
ସକଳ ଶୁଭ ବିଗୁଣ ନାହିଁ ତହିଁ କିଛି ।
ଏହି ଶୁଭଯୋଗେ ବଳରାମଙ୍କ ଜନମ
ଭାରାଭର ଅର୍ଥେ ଜାତହେଲେ ଦେବ ପୁଣ ।
ଅପୂର୍ବ ସୁନ୍ଦର ରୂପ ଶୁକ୍ଳାମ୍ବର କାୟ
ଅଶେଷ କୋଟି ଚନ୍ଦ୍ରମା ହେଲା କି ଉଦୟ ।
ଶୁଦ୍ଧ ସ୍ଫଟିକ ପରାୟ ଦେହ ଦିଶେ ଫୁଟି
ଦେବାଧି ଦେବଙ୍କ ରାଜା ମାନବେ ପ୍ରକଟି ।
ମହୀନ୍ଦ୍ର ନାମେ ବାସୁକୀ ଶିରେ ସପ୍ତଫେଣି
ଲୋହିତ ପିଙ୍ଗଳ ଜଟା ବିରାଜଇ ବେଣୀ ।
ଅଶେଷ କୋଟି କନ୍ଦର୍ପ ଯାକୁ ନୋହେ ସରି
ନିରଞ୍ଜନ ପୁରୁଷ ସେ ଆଗେ ଦେହଧାରୀ ।
ଅଶ୍ରୁତ ଅବର୍ଣ୍ଣ ପୁଣି ଅଲେଖ ଅଦେହ
ଦେବକାର୍ଯ୍ୟ ପାଇଁ ବହି ମାନବର ଦେହ ।
ଅପୂର୍ବ ଶୋଭା ଶୁକଳ ବର୍ଣ୍ଣ ଦିବ୍ୟକାୟ
କୋଟି ଚନ୍ଦ୍ର ଦେବତା କି ହୋଇଲା ଉଦୟ ।
ଯେତେବେଳେ ଦେବ ପୁଣି ପଡ଼ିଲେ ଭୂମିରେ
ପ୍ରମୋଦିତ ଆନନ୍ଦିତ ମାନବ ଅମରେ ।
ଅଶେଷ ବ୍ରହ୍ମାଣ୍ଡଯାକ ହେଲା ତେଜୋମୟ
ବାସୁକି ଯେ ଫଣା ଟେକି କରେ ଜୟ ଜୟ ।
ଅବସନ୍ତରେ ବସନ୍ତ ବହେ ଘନ ଘନ
ଗନ୍ଧ ଆମୋଦଇ ପୁଣ ଚଉଦଭୁବନ ।
ତପୀମାନଙ୍କର ତପ ହେଲା ସର୍ବ ସିଦ୍ଧି
ଅଶୁଭ ଶୁଭ ହୋଇଲା ଥିଲା ଯଥାବିଧି ।
କଂସରାଜା କଟକରେ ହେଲା ଉତପାତ
ଦିବସେ ତାରା ଉଦୟ ମେଘେ ବଜ୍ରାଘାତ ।
ଜଗତୀ ଉପରେ ଉଡ଼ିବସେ ଗୃଧ୍ରପକ୍ଷୀ
ଶୃଗାଳେ ରାବନ୍ତି ସିଂହଦ୍ୱାରେ ମୁଖ ଟେକି ।
ମେଢ଼ ମଣ୍ଡପ ଜଗତୀ ପଡ଼ିଲାକ ଭାଜି
ଅକାରଣେ ପୃଥିବୀ ଯେ ଉଠିଲା ଗରଜି ।
ଟଳ ଟଳ ହୋଇ ପୁଣି କମ୍ପିଲା ଧରଣୀ
ପାଣ୍ଡୁର ବର୍ଣ୍ଣ ଦିଶିଲା ନଭେ ଦିନମଣି ।
ଗଗନୁ ଅସ୍ଥି ପଞ୍ଜରାମାଂସ ପଡ଼େ ଖସି
ସୁସ୍ୱାଦୁ ପଦାର୍ଥମାନ ତିକ୍ତ ଲାଗେ ବେଶି ।
ଉତ୍ପାତମୟ ଆକାଶ ଦିଶେ ଦଶଦିଶ
ତାହା ଦେଖି ଦଶଦିଗ ଚାହେଁ ରାଜାକଂସ ।
କେଶୀକି ହକାରି ବୋଲେ କରିବା ହୋ କିସ
କି ଉଚ୍ଛନ୍ନ ଆସି ହେଲା ଦେଖ ଏ ଭବିଷ୍ୟ ।
ଏମନ୍ତ ଉତ୍ପାତମାନ ହେଲା କିସ ପାଇଁ
ଅନେକ କାଳରୁ ଏହା ମୁଁ ଦେଖିଲା ନାହିଁ ।
ଦେଖ ମଥୁରାରେ ନିଶ୍ଚେ ପଡ଼ିବ ପ୍ରମାଦ
ଏତେ ବୋଲି କଂସ ମନେ ପାଇଲା ବିଷାଦ ।
କେଶୀ ବୋଇଲା ତୁମ୍ଭେ ତ ରାଜ ରାଜେଶ୍ୱର
ସ୍ୱର୍ଗ ମଞ୍ଚ ପାତାଳରେ ଅଟ ଦଣ୍ଡଧର ।
ଦେବ ଦାନବ ଜିଣିଲ ସଂଗ୍ରାମର ରୋଳେ
ମେରୁ ତାଡ଼ିଲ ଦକ୍ଷିଣକରେ ଭୁଜବଳେ ।
ନୃପ ଶିରୋମଣି ଦେବ ଦାନବଙ୍କ ପ୍ରଭୁ
ଛାର କଥାରେ ବିଷାଦ ପାଇ କିପାଁ ଭାବୁ ।
ରାଜ୍ୟର କାରେଣି ହେଲେ ହୋଏ ନାନା ଦ୍ୱନ୍ଦ୍ୱ
ସମୟେକ ଭଲ ପୁଣି ସମୟେକ ମନ୍ଦ ।
ଏଥକୁ ଶୋଚନା ତୁହୋ ନ କର ନୃପତି
ତୁମ୍ଭ ଅପରାଧୀ ହୋଇ ରହିବ କେ କ୍ଷିତି ।
ଇନ୍ଦ୍ର ବରୁଣ କୁବେର କରି ତୁମ୍ଭ ସେବା
ଏଥେ ଶୋଚନା ତୁମ୍ଭର କି ନିମନ୍ତେ ଅବା ।
ରାଜ୍ୟ ଯେବେ ଆପେ ଆପେ ହୋଇବ ଉଚ୍ଛନ୍ନ
ଋଷି ବ୍ରାହ୍ମଣଙ୍କୁ ବରି ଦେବା ଧନ ଦାନ ।
ଅରିଷ୍ଟ ଶାନ୍ତି ନିମନ୍ତେ କରି କୋଟି ହୋମ
ଖଣ୍ଡିବା ଏ ଉପଦ୍ରବ ଉଦେ ହେବ ଧର୍ମ ।
ଯେତେ ଭାଙ୍ଗିପଡ଼େ ମେଢ଼ ମଣ୍ଡପ ଅଟ୍ଟାଳି
ବିନ୍ଧାଣିଙ୍କି ଆଜ୍ଞାଦିଅ ଦିଅନ୍ତୁ ସେ ତୋଳି ।
ମେଷ ମଇଁଷି ବଳି ଯେ ଦେବୀ ଆଗେ ଦେବା
ଗୋଦୋହନ ଈଶ୍ୱରଙ୍କ ଶିରେ କରାଇବା ।
କେଶୀର ମୁଖୁ ଏସନ ବଚନ ସେ ଶୁଣି
କରାଇଲା ଯେ ଅରିଷ୍ଟି ଶାନ୍ତି ନୃପମଣି ।
ଏଥୁ ଅନ୍ତରେ ଅମର ସ୍ୱର୍ଗ ଭୁବନରେ
ବୃହସ୍ପତି ଜଣାଇଲେ ଇନ୍ଦ୍ରଙ୍କ ଛାମୁରେ ।
ସାବଧାନ ହୋଇ ତୁମ୍ଭେ ଶୁଣ ସୁରରାୟ
ଏବେ ଯେ ସରିଲା ସ୍ୱର୍ଗ ପୁର ମହାଭୟ ।
ରୋହିଣୀ ଗର୍ଭରୁ ଜାତ ହେଲେ ହଳଧର
ପୃଥିବୀ ଦେବୀର କଷ୍ଟ ଆଝୁ ଗଲା ପାର ।
ତ୍ରିଦଶକଣ୍ଟକ କଂସ ଯିବ ପ୍ରାଣେ ନାଶ
ତପୀ ତପ ସିଦ୍ଧ ହେବ ଉପୁଜିବ ଯଶ ।
ଅପ୍ରମିତ ଅସୁରେ ତ ଛନ୍ତି ଅବତରି
ସଂସାର ନଷ୍ଟ କରନ୍ତି ଗୋ ବ୍ରାହ୍ମଣ ମାରି ।
ଦେବତାମାନେ ଯେ ଦୁଃଖ ପାଇଛନ୍ତି ଯେତେ
ସ୍ୱର୍ଗ ଭୋଗ କରିବେ ସେ ଯେ ଯାହାର ମତେ ।
ଆବର ପୁଣି କେତେକ ଦିବସର ଅନ୍ତେ
କୃଷ୍ଣ ଅବତାର ହେବେ ବସୁଦେବ ଗୋତ୍ରେ ।
ଗୋପେ ନନ୍ଦ ଘରେ ବଢ଼ି ଅଷ୍ଟବର୍ଷ ଯାଏ
ମୁନିଜନେ ଦେଖି ମୁକ୍ତ ହେବେ ଦିବ୍ୟକାୟେ ।
ଯମୁନା ନଦୀର କୂଳେ ନିକୁଞ୍ଜ କାନନ
କଦମ୍ବ ବୃକ୍ଷ ତା ପାଖେ ଅତି ଶୋଭାବନ ।
ଦେଖିବା ପୁଣି ହରିର ମାନବ ସ୍ୱରୂପ
ବିହରିବେ ତହିଁ ହୋଇ କୋଟିଏ କନ୍ଦର୍ପ ।
ଗୋପାଳ ପୁଅଙ୍କ ସଙ୍ଗେ ରଖିବେ ବାଛୁରୀ
ବୃନ୍ଦାବନେ ଚରାଇବେ ଗୋରୁପଲ ଘେରି ।
ଅଷ୍ଟମଲ୍ଲଙ୍କ ସହିତେ ନାଶ ଯିବ କଂସ
ଅନେକ ଅସୁର ହରି କରିବେ ବିନାଶ ।
ବୋଲନ୍ତି ଯେ ବୃହସ୍ପତି ଶୁଣନ୍ତି ବାସବ
ଏକେ ଦେଖିଲି ଧବଳ ମୂରତି ମାନବ ।
ଆଉ ଦେବତାମାନେ ନ କର କିଛି ଭୟ
ଏବେ ଯେ କଷ୍ଟ ତୁମ୍ଭର ହୋଇବ ଯେ କ୍ଷୟ ।
କହିଲେ ଯହୁଁ ଏମନ୍ତ କଥା ବୃହସ୍ପତି
ଶୁଣି ତାହା ଦେବଗଣ ହରଷ ହୁଅନ୍ତି ।
ଏଥୁ ଅନନ୍ତରେ ଶୁକ ଯତି ଯେ କହନ୍ତି
ସାବଧାନ ହୋଇ ଶୁଣ ପଣ୍ଡୁ ଅଣନାତି ।
ବଳରାମ ଜନ୍ମକଥା ପୁଣ୍ୟମୟ ବାଣୀ
ଅପୁତ୍ରକ ପୁତ୍ର ଲଭେ କର୍ଣ୍ଣେ ଏହା ଶୁଣି ।
ଜୟ ବଳରାମ ସ୍ୱାମୀ ଜୟ ହଳଧର
ପୃଥ୍ୱୀଭାରା ନିବାରଣେ ହେଲୁ ଅବତାର ।
ମୁଷଳରେ ଟାଳିପାରୁ କ୍ଷଣକେ ଜଗତ
ତୋର କ୍ରୋଧ ଦେଖି ଭୟ କରେ ପୁରୁହୂତ ।
ତୁ ଦେବ ପରମ ଆତ୍ମା ଅନାଦି କାରଣ
ତୋ ପାଦେ ଅଚ୍ୟୁତ ଦାସ ପଶଇ ଶରଣ ।
ବସୁଦେବ ଅଗ୍ରତେ ଗାର୍ଗ୍ୟ ମୁନିଙ୍କର ବଳରାମଙ୍କ ଭବିଷ୍ୟତ କଥନ
ଶୁକ କହୁଛନ୍ତି ତୁହୋ ଶୁଣ ନୃପମଣି
ଯେତେବେଳେ ଜାତ କଲା ପୁତ୍ରକୁ ରୋହିଣୀ ।
ଜାଜ୍ୱଲ୍ୟମାନ ଶରୀର ଅଟେ ଜ୍ୟୋତିର୍ମୟ
କୋଟି କୋଟି ଚନ୍ଦ୍ରମା କି ହୋଇଛି ଉଦୟ ।
ଛଅମାସ ଏକପକ୍ଷ ରୋହିଣୀ ଉଦରେ
ଅବଲୀଳେ ଅବତରି ପଡ଼ିଲେ ଭୂମିରେ ।
ଲାଳେ ଜରଜର ହୋଇ ପ୍ରତିମା ସୁସଞ୍ଚ
ନାଭି ନାଡ଼ଗୋଟି ଲମ୍ବି ଦିଶୁଅଛି କଞ୍ଚ ।
ଧବଳ ସ୍ଫଟିକ ଦେହେ ଅଧରର ପ୍ରଭା
ଅଙ୍ଗୁଷ୍ଠି ଚମ୍ପାକଢ଼ିର ଆକାର ସୁଶୋଭା ।
ସୁଲଳିତ ଗଣ୍ଡସ୍ଥଳ ପ୍ରଲମ୍ବିତ ବାହୁ
ତେଜେ ବଦନ ମଣ୍ଡଳ ଦିଶେ ଦାଉ ଦାଉ ।
ହର ଡମ୍ବରୁ ଆକାର ଶୋଭା ମଝିକଟି
ମଦନ ସିଂହାସନ କି ନିତମ୍ବ ପ୍ରକଟି ।
କହନ୍ତେ ନ ସରଇ ସେ ରାମର ମହିମା
ଆପେ ଘଟନ ତହିଁରେ ପ୍ରଭୁ ବିଶ୍ୱକର୍ମା ।
ପୁରୁଷବର ସୁନ୍ଦର ସେହି ବଳରାମ
କାମଦେବ ଗଞ୍ଜି ରୂପେ ବଳଦାବ ନାମ ।
ପୃଥିବୀର ଭାରାଭର ନିବାରିବା ପାଇଁ
ଦ୍ୱାପରେ ଜାତ ହୋଇଲେ କଳା ଶୁକ୍ଳ ଦୁଇ ।
କର ଚରଣ ହଲାଇ ଭୂମିରେ ଯେ ପଡ଼ି
କୁଆଁ କୁଆଁ ହୋଇ ରାବ ଛାଡ଼ି ଘୋରରଡ଼ି ।
ଅଣ୍ଡିର କୋକିଳ ଯେହ୍ନେ ଭାଷଇ ବସନ୍ତେ
ତେସନ ସଞ୍ଜାତ ରାମ ରୋଦନ କରନ୍ତେ ।
ଧାଈମାନେ ଦେଖି ତହୁଁ ବେଗେ ଧାଇଁଗଲେ
ବସୁଦେବର ଛାମୁରେ ଯାଇ ଜଣାଇଲେ ।
ଭୋ ସ୍ୱାମୀ ବସୁଦେବ ହେ ଶୁଣ ଆମ୍ଭ ବାଣୀ
ରୋହିଣୀ ଗର୍ଭରୁ ପୁତ୍ର ଜାତ ଏହିକ୍ଷଣି ।
ପୁତ୍ରକୁ ତ ତ୍ରିଭୁବନେ ନାହିଁ ପଟାନ୍ତର
କୋଟିଗୁଣେ କାମଠାରୁ ଦିଶଇ ସୁନ୍ଦର ।
ଶୁଣି ବସୁଦେବ କ୍ଷଣେ ରହିଲେ ବିସ୍ମୟେ
ସବୁଙ୍କୁ କୋମଳ କରି କହନ୍ତି ବିନୟେ ।
ଚାଣ୍ଡାଳ କଂସ ମୋଠାରେ କରିଛି ଅମର୍ଷ
ଦେବକୀ ପୁତ୍ର ବୋଲି ନ ପୁଣ କରେ ନାଶ ।
ଏ କଥା ତୁମ୍ଭେ ପ୍ରକାଶ ନ କର କାହାରେ
ପୁତ୍ରଜାତ ହେବା କଥା ନ କହ ବାହାରେ ।
ଯଦ୍ୟପି କଂସରାଜନ ବାରତା ପାଇବ
ରଖନ୍ତା ନୋହିବ କେହି ମାରି ପକାଇବ ।
ଏମନ୍ତ ସେ ବସୁଦେବ ସବୁଙ୍କୁ ତିଆରି
ଅନ୍ତଃପୁରେ ଗଲା ପୁଣି ମନ ବୋଧକରି ।
ଅନ୍ତୁଡ଼ି ଶାଳେ ଦେଖିଲା ଯାଇ ପୁତ୍ରଗୋଟି
ବଦନ ନିରୂପି ଆସି ହୋଇଲାକ ତୁଷ୍ଟି ।
କଂସର ଡରେ ସେ କଥା ପ୍ରଘଟ ନ କଲେ
ଅତି ଯତନେ ଗୁପତ କରି ଲୁଚାଇଲେ ।
କୋଟି ବ୍ରାହ୍ମଣଙ୍କ ହାତେ ସୁନାଦାନ ଦେଲେ
ଈଶ୍ୱର ଆଳେ କୋଟିଏ ଗୋଦାହନ କଲେ ।
ଅପରାଜିତା ନୃସିଂହ କବଚ ଯେ ଚଣ୍ଡୀ
ବରଣ କରାଇ ନାନା ବିଘ୍ନମାନ ଖଣ୍ଡି ।
ଦେବୀଙ୍କୁ ଯେ ବଳି ଦେଲେ ମହିଷ ଛାଗଳ
ଜଉତିଷେ ଶାନ୍ତି କଲେ ତହିଁ ଗ୍ରହକୁଳ ।
ଏକାନ୍ତେ ଗାର୍ଗ୍ୟମୁନିଙ୍କୁ ଡାକି ବସୁଦେବ
କୃତାଞ୍ଜଳି ହୋଇ ଜଣାଇଲେ ସଦଭାବ ।
ଭୋ ମୁନି ଗାର୍ଗବ ତୁମ୍ଭେ ମୋ ଇଷ୍ଟଦେବତା
ତୁମ୍ଭ ଆଗେ ଗୁପତରେ କହିବି ଏ କଥା ।
ମହାବଳୀ କଂସରାଜା ନିରାପକ୍ଷ ହୋଇ
ଷଡ଼ଗୋଟି ପୁତ୍ର ମୋର କଚାଡ଼ିଲା ନେଇ ।
ନୃପତି ଅନ୍ୟାୟ କଲେ କାହାକୁ କହିବା
ଅପଣାକର୍ମକୁ ସିନା ଆପେ ସୁମରିବା ।
ଏବେ ସେ ରୋହିଣୀ ଦେବୀ ହେଲେ ଗର୍ଭବତୀ
ଏକପୁତ୍ର ତାଙ୍କ ଗର୍ଭୁ ହେଲା ଉତପତ୍ତି ।
ତୁମ୍ଭେ ମୋର କୁଳଗୁରୁ ଅଟ ବ୍ରହ୍ମଜ୍ଞାତା
ତେଣୁ ତୁମ୍ଭ ଆଗେ ଗୁପ୍ତ ନାହିଁ ମୋର କଥା ।
ଯେପରି ଏ ପୁତ୍ରଗୋଟି ହେବ ମୋର ରକ୍ଷା
ଭୋ ମୁନି ସେପରି ମୋତେ ଦିଅ ପୁଣ୍ୟଦୀକ୍ଷା ।
ଦେବକୀ ପୁତ୍ରକୁ କଂସ ମାରିଅଛି ଆପେ
ଏ ପୁତ୍ରକୁ ସେହିପରି ସଂହାରିବ କୋପେ ।
ଏତେ ବୋଲି ବସୁଦେବ ଅତ୍ୟନ୍ତ ବିଷାଦେ
ବାରମ୍ବାର ପ୍ରଣମିଲା ଗର୍ଗ୍ୟମୁନି ପାଦେ ।
ରାଜାର ବିକଳ ଦେଖି ଗର୍ଗ୍ୟ ମହାଋଷି
ବୋଇଲେ ହେ ବସୁଦେବ ବିକଳ ନୁହସି ।
ଏ ପୁତ୍ର ଜନ୍ମିବାଠାରୁ ଗଲାଣି ତୋ କଷ୍ଟ
ନିଶ୍ଚିନ୍ତେ କରିବୁ ଭୋଗ ଏବେ ସମରାଷ୍ଟ୍ର ।
ଆହୋ ବସୁଦେବ ତୁ ହୋ ଶୁଣ ତଥ୍ୟ କଥା
ଏ କୁମର ଗୋଟି ଅଟେ ତୋ ଇଷ୍ଟଦେବତା ।
ପନ୍ନଗ ନାରାୟଣ ଏ ସ୍ୱଂୟ ଅବତାର
କିଞ୍ଚିତରେ ନିବାରିବେ ପୃଥ୍ୱୀ ଭାରାଭର ।
ବାହୁବଳେ ଦାନବଙ୍କୁ କରିବେ ଏ ନାଶ
ସ୍ୱର୍ଗରେ ରହିବେ ସୁଖେ ସକଳ ତ୍ରିଦଶ ।
ପରମ ପୁରୁଷ ଏ ଯେ ଅତି ପୁଣ୍ୟମୟ
କଂସକୁ କରିବେ ଅଷ୍ଟମଲ୍ଲ ତୁଲେ କ୍ଷୟ ।
ଅବିନାଶୀ ପୁରୁଷକୁ ନାହିଁ ମୃତ୍ୟୁଯୋଗ
ଅନେକ ସମ୍ପଦ ଏ ଯେ କରିବେ ବୈଭୋଗ ।
କଂସର ବଳେ ଏହାକୁ ବିହି ନୁହେ ନାଶ
ନ ପାଅ ତୁ ବସୁଦେବ ମନେ କିଛି ତ୍ରାସ ।
ବିଶ୍ୱାସ କଥାଏ ଏବେ ତୋତେ ଥିବା କହି
ସେ କଥା କାହାରି ଆଗେ କହିବୁ ତୁ ନାହିଁ ।
ତୋ ବଳରେ ଏ କୁମର ନୁହେଁ ପ୍ରତିପାଳି
ବଳୀଙ୍କ ଉପରେ ଏ ଯେ ଅଟେ ମହାବଳୀ ।
ପୃଥ୍ୱୀ ସହି ନ ପାରିବ ଏହା ପାଦଭାର
ସାକ୍ଷାତରେ ରୁଦ୍ରଦେବ ମଞ୍ଚେ ଅବତାର ।
ପୂର୍ବରୁ ଦେବତା ଏହା କରିଛି ନିର୍ମାଣ
ନନ୍ଦଘରେ ଆଠବର୍ଷ ବଢ଼ିବ ଏ ଜାଣ ।
ଦୁର୍ବାର ବଳବନ୍ତ ଏ କଂସାସୁର ରାଜା
ଦେବଗଣେ କରୁଛନ୍ତି ଯା ପାଦରେ ପୂଜା ।
ତିନିପୁର ଜୟ କଲା ଜିଣି ବାହୁବଳେ
କେ ତାହାକୁ ସମ ଆଉ ଅଛି ରବିତଳେ ।
କେବଳ ସେ ଗୋପପୁର ନ ପାରଇ ପଶି
ପୂର୍ବେ ତାକୁ ଅଭିଶାପ ଦେଇଛନ୍ତି ଋଷି ।
ଗୋମତ ପର୍ବତ ତଳେ ଗୋପନଗ୍ର ନାମ
ସକଳ ଗୁଣରେ ଅଟେ ସ୍ୱର୍ଗ ସଙ୍ଗେ ସମ ।
ସେ ପବିତ୍ର ଭୂମିକୁ ଯେ ପଟାନ୍ତର ନାହିଁ
ଅଙ୍ଗୁଳିକେ ଅଶ୍ୱମେଧ ହୋଇଅଛି ତହିଁ ।
ସିଦ୍ଧଯୋଗୀ ବ୍ରହ୍ମଚାରୀ ତପୀ ମହାଋଷି
କଳ୍ପାନ୍ତ କାଳରୁ ତପ କରୁଛନ୍ତି ବସି ।
ତେଣୁ ସେ ଭୂମିକୁ ମାଡ଼ି ନ ପାରଇ କଂସ
ଯଦ୍ୟପି ମାଡ଼ିବ ଯାଇ ପ୍ରାଣେ ହେବ ନାଶ ।
ଗୋମତ ମହର୍ଷି ତାକୁ ଶାପ ଛନ୍ତି ଦେଇ
ଗୋପନଗ୍ରେ କଂସାସୁର ପଶି ନ ପାରଇ ।
ସେ ଗୋପରେ ତୋ କୁମର ଆଠବର୍ଷ ଥିବେ
ତଦନ୍ତେ ମଥୁରା ଆସି କଂସକୁ ବଧିବେ ।
ଭୃଗୁମୁନି ମୁଖୁଁ ଏହା ପୂର୍ବେ ଥିଲୁ ଶୁଣି
ତୋ ଆଗେ କହିଲୁ ଏବେ ଭବିଷ୍ୟତ ବାଣୀ ।
ଏଥକୁ ମନରେ ଚିନ୍ତା ନ କର ତୁ କିଛି
ପୂର୍ବରୁ ବିଧାତା ଏହା ନିର୍ମାଣ କରିଛି ।
ଧରଣୀ ଭାରାଭର ନିବାରିବା ପାଇଁ
ବ୍ରହ୍ମାଦି ଦେବତାମାନେ ଜନ୍ମିଛନ୍ତି ଭୂଇଁ ।
ଆବର କଥାଏ ଦେବ ଶୁଣ ଦୃଢ଼ବାଣୀ
ଏ କଥାକୁ ନ କହି ତୁ ଆପେ ଥିବୁ ଜାଣି ।
ପ୍ରଳମ୍ବା ନାମରେ ଦୈତ୍ୟ ଚୌର୍ଯ୍ୟପଣ କରି
ତୋର ପୁତ୍ରକୁ ଅବଶ୍ୟ ନେବ ଚୋରିକରି ।
ଆତ୍ମାର ବଇରୀ ବୋଲି ମାରି ତ ଲୋଡ଼ିବ
ତା ମୁଖ ଦେଖି ଯେ ମୋହ ହୋଇଣ ପଡ଼ିବ ।
ଅକ୍ଷୟ ପୁରୁଷ ଏ ଯେ ନୁହେ କେବେ ନାଶ
ଦାନବ ମାତ୍ରକ ୟାକୁ କରିବଟି କିସ ।
ଆକ୍ରୋଶି ଧରିଣ ବଳେ ଫିଙ୍ଗିଦେବ ଦୂରେ
ଏ ପୁତ୍ର ପଡ଼ିବ ଯାଇ ଗୋପ ଗୋଗୋଷ୍ଠରେ ।
ନନ୍ଦନାମେ ମହାଖୁଡ଼ ଗୋପ ଦଣ୍ଡଧାରୀ
ସେ ଦେଖି ପାଳିବ ନେଇ ଅତି ଯତ୍ନକରି ।
ଏସନ ଅଦ୍ଭୂତ କଥା ହୋଇବ ଅବଶ୍ୟ
ତୁ ତହିଁକି ବସୁଦେବ ନୋହିବୁ ବିରସ ।
ବଳବନ୍ତ ପୁତ୍ର ତୋର ବଳେ ଅନୁପମ
ପ୍ରତ୍ୟକ୍ଷେ ଈଶ୍ୱର ଏହୁ ଅଭିନବ କାମ ।
ଆବର ବରଷେ ଯାଏ ରହ ତୁ ସୁସ୍ଥିରେ
ନାରାୟଣ ଜନ୍ମ ହେବେ ଆସି ତୋର ଘରେ ।
ଏ ପୁତ୍ର ନ ଦେଖି ମନେ ନ ପାଇବୁ ତ୍ରାସ
ଅବ୍ୟକ୍ତ ପୁରୁଷ ଏ ଯେ ନୁହେ ପୁଣି ନାଶ ।
ଏତେ କହି ଗାର୍ଗ୍ୟମୁନି ଗଲେ ନିଜ ସ୍ଥାନେ
ବସୁଦେବ ଶୁଣି ଗୃହେ ରହିଲା ମଉନେ ।
ପରୀକ୍ଷ ନୃପତି ଆଗେ ଶୁକ ମହାଯତି
ଶ୍ରୀହରି ଚରିତ କଥା ବିସ୍ତାରି କହନ୍ତି ।
କହଇ ଅଚ୍ୟୁତ ଦାସ ଶୁଣି ଏ ପୁରାଣ
ବୈକୁଣ୍ଠ ସୋପାନେ ସୁଖେ କର ଆରୋହଣ ।
ପ୍ରଳମ୍ବାସୁର ବଳରାମଙ୍କୁ ଫୋପାଡ଼ି ଦେବା ଓ ତାଙ୍କର ଗୋଗୋଷ୍ଠରେ ପ୍ରବେଶ
ପଚାରନ୍ତି ପରୀକ୍ଷିତ କହ ମୁନିବର
ଏଥୁଅନ୍ତେ ବସୁଦେବ କଲେ କି ବିଚାର ।
ଏମନ୍ତ ଶୁଣି ବୋଇଲେ ପୁଣି ଶୁକ ବ୍ରହ୍ମା
ବ୍ରହ୍ମାର ପୁତ୍ର ନାରଦ ମୁନି ମହାତମା ।
ଆପଣାର ହୃଦଗତେ ବିଚାରି ମହର୍ଷି
ତ୍ରିଦଣ୍ଡ ବୁଲାଇ ମୁନି ପ୍ରବେଶିଲେ ଆସି ।
କଳହ ପ୍ରିୟ ସେ ମୁନି ବିଚାରନ୍ତି ମନେ
ଅନେକ ସଂଗ୍ରାମ ଆମ୍ଭେ ଦେଖିବା ନୟନେ ।
ପୃଥିବୀର ଭାରାଭର ହୋଇବ ଉଶ୍ୱାସ
ଦୁଷ୍ଟଦାନବମାନେ ଯେ ଯିବେ ପ୍ରାଣେ ନାଶ ।
ପରମ ନିର୍ବିକାର ସେ ନିରାକାର ସ୍ୱାମୀ
ବାଳୁତ ଭାବରେ ପଡ଼ିଅଛନ୍ତି ମେଦିନୀ ।
ମାୟାମୋହେ ପଡ଼ି ହୋଇଅଛନ୍ତି ଜ୍ଞାନଧ୍ୱଂସ
କେମନ୍ତେ ଫେଡ଼ିବେ ଦୁଃଖ କଂସ କରି ନାଶ ।
ବସୁଦେବ ପୁତ୍ରବୋଲି ଜାଣିଲେ ସେ କଂସ
ଦୁଷ୍ଟ ବୁଦ୍ଧି ତାର ଶିଳେ ପିଟିବ ଅବଶ୍ୟ ।
ଆଜହୁଁ ଅଯଶ ଯେବେ ପାଇବେକ ହଳୀ
ଆବର କି ଘେନି ଆମ୍ଭେ କରାଇବା କଳି ।
ଉପାୟେ ବଳରାମଙ୍କୁ ଏଥୁ ନେବା ଆଜ
ତେବେ ସଂଗ୍ରାମ ଦେଖିବା ହେବ ଦେବକାର୍ଯ୍ୟ ।
ଏତେ ବୋଲି ମୁନିବର ଗଲେ ହାଦେ ଖରେ
ଧାତିକାରେ ପ୍ରବେଶିଲା ମଞ୍ଚ ମଣ୍ଡଳରେ ।
କାଖରେ କଳିଧୂକୁଡ଼ି କରେଣ ତ୍ରିଦଣ୍ଡି
ଶୁକଳ ଧୋତି ଉତ୍ତରୀ ହସ୍ତେ ବେଦକାଣ୍ଡି ।
ମନ ପବନ ଯାନରେ ଯାନ୍ତି ମହାମୁନି
ଓଁକାର ନାଦେ କରନ୍ତି ଉଚ୍ଚେ ବେଦଧ୍ୱନି ।
ଥୋକାଏ ଦୂର ଗମନ କରନ୍ତି ନିକଟେ
ପ୍ରଳମ୍ବା ଦାନବ ମୁନି ଦେଖି ଯାଉଁ ବାଟେ ।
ନାରଦେ ବୋଇଲେ ଯତ୍ନେ ଲୋଡ଼ୁଥିଲୁ ଯାକୁ
ଆମ୍ଭେ ମଣାଇ କହିବା ପ୍ରଳମ୍ବାସୁରକୁ ।
ଯେବଣ ପ୍ରକାରେ ନେବ ଚୋରାଇଣ ପୁତ୍ର
ତେମନ୍ତ କହିବା ଆମ୍ଭେ କରି ଘଟସୂତ୍ର ।
ଏମନ୍ତ ବିଚାର କରି ଗଲେ ମହାମୁନି
ପ୍ରଳମ୍ବା ଛାମୁରେ ଯାଇ କଲେ ବେଦଧ୍ୱନି ।
ନାରଦଙ୍କ ଆଗମନ ଦେଖିଣ ଦଇତ
ଆସନକୁ ତେଜିକରି ଉଠିଲା ତୁରିତ ।
କୃତାଞ୍ଜଳି ହୋଇ ବୀର କଲା ନମସ୍କାର
ପୁଣ ପୁଣ ପ୍ରଣମଇ ପାଦେ ଶତେବାର ।
ପବିତ୍ର ଗଙ୍ଗାଜଳରେ ଚରଣ ପଖାଳି଼
ପାଦ ଉଦକ ଘେନଇ ଶିରେ ମହାବଳୀ ।
ଗନ୍ଧପୁଷ୍ପ ପାଦାସନ ଆବର ଆସନ
ଧୂପ ଦୀପ ନଇବେଦ୍ୟ ଦେଇ କଲା ମାନ୍ୟ ।
ବାରତା ପୁଚ୍ଛେ ଦାନବ ଯୋଡ଼ି କରପତ୍ର
କି ପାଇଁ ଏ ଅନୁରାଗ କହ ତୁ ଯଥାର୍ଥ ।
କେବଣ କାରଣେ ମୁନି କଲ ଅନୁଗ୍ରହ
ସେ କଥା ସଂକ୍ଷେପି କରି ମୋର ଆଗେକହ ।
ମୁନି ବୋଇଲେ ଯେ ଆମ୍ଭେ ସ୍ୱର୍ଗପୁରେ ଥିଲୁ
ଅପୂର୍ବ ବାରତା ତୋତେ କହିଣ ଅଇଲୁ ।
ସଦାକାଳେ ତୁ ଆମ୍ଭଙ୍କୁ କରୁଥାଉ ସେବା
କେମନ୍ତେ ଏଡ଼େକ କଥା ତୋତେ ନ କହିବା ।
ଆମ୍ଭର ହୃଦୟେ ଅଛି ଯେଣୁ ତୋତେ ଦୟା
ଜାଣୁ ଜାଣୁ କରିବା କି ଆମ୍ଭେ ଏଡ଼େ ମାୟା ।
ଦେବସଭା ପରିମୁଖେ ପାଇଲୁ ବାରତା
ଇନ୍ଦ୍ର ଆଗେ ବୃହସ୍ପତି କହୁଥିଲେ ଯଥା ।
ଶୂରବନ୍ତ ଶକତା ତୁ ଅଟୁ ମହାବଳୀ
ଅଖଡ଼େ ନାଶ ଯାଉଛି ବୀର ତୋହ ଭଳି ।
ଦେବ ଦାନବେ ଜିଣନ୍ତା ନାହିଁ ତୋତେରଣେ
ନବଖଣ୍ଡ ମେଦିନୀ ତୁ ସାଧିପାରୁ ଜଣେ ।
ଏତେକାଳେ ପୁଣ ତୋତେ ହୋଇଲା ଅଯଶ
ବସୁଦେବ ପୁତ୍ର ତୋତେ କରିବ ବିନାଶ ।
ଆନପ୍ରକାରେ ତୋହର ନାହିଁ ମୃତ୍ୟୁଯୋଗ
ଏଥୁ ଉତୁରିଲେ ସିନା କରିବୁ ବିଭୋଗ ।
ଉପାୟ କରି ତାହାକୁ ସଂହାର ତୁ ଯାଇ
ବସୁଦେବ ପୁତ୍ର ମଲେ ତୋର ଆନ ନାହିଁ ।
ପୁଣ ଏକାଙ୍ଗେ ଭୋଗ ତୁ କର ବସୁନ୍ଧରୀ
ଏତେ ବୋଲି ଅନ୍ତର୍ଦ୍ଧାନ ହେଲେ ତପଚାରୀ ।
ନାରଦ ମୁଖରୁ ବୀର ଏସନକ ଶୁଣି
ପ୍ରଖର କରି ନିଃଶ୍ୱାସ ଛାଡ଼ିଲାକ ପୁଣି ।
ମହାଭୟ ପାଇ ସେହି ଭାଳେ ହୃଦଗତେ
ଅପମୃତ୍ୟୁ ବାଧାରୁ ମୁଁ ତରିବି କେମନ୍ତେ ।
କେବଣ ଉପାୟ କରି ରଖିବି ଜୀବନ
ଆତ୍ମା ଉତ୍ସର୍ଗ ମୋହର ବିଚଳିତ ମନ ।
ଅକାଳେ ମରଣ ଆସି ନିକଟ ହୋଇଲା
ଧର୍ମଦେବତା ଏଥକୁ ଅଟେ ସାକ୍ଷୀ ଭଲା ।
ପୁଣି ପୁଣି ଅନ୍ତର୍ଗତେ ଭାଳେ ହେତୁ କରି
ଉପାୟ କରି ପୁତ୍ରକୁ ପକାଇବା ମାରି ।
ବସୁଦେବ ଘରେ ଶତ୍ରୁ ଅଛି ଜାତହୋଇ
କପଟେ ନାଶ କରିବି ଆଜ ତାକୁ ଯାଇ ।
ଯଦ୍ୟପି ସେ ବସୁଦେବ କରିବଟି ଯୁଦ୍ଧ
ଯେତେ ଯାଦବ ଆସିବେ କରିବଇଁ ବଧ ।
ଏମନ୍ତେ ବିଚାରନ୍ତେ ଯେ ରଜନୀ ପ୍ରବେଶ
ଭାଳଇ ପ୍ରଳମ୍ବା ଏବେ କରିବଇଁ କିସ ।
ଅସୁର ମହାବଳୀ ସେ ଜାଣେ ନାନା ମାୟା
ଉଲୁକମନ୍ତ୍ର ସୁମରି ଗୁପ୍ତ କଲା କାୟା ।
ଇଷ୍ଟ ଦେବତା ସୁମରି ଗଲା ଧାତିକାରେ
ତୁରିତେ ମିଳିଲା ଯାଇ ବସୁଦେବ ଘରେ ।
ସାତଘଡ଼ି ଯେ ପ୍ରବେଶ ହୋଇଛି ରଜନୀ
ବସୁଦେବ ଘରେ ଆସି ମିଳିଲାକ ପୁଣି ।
ଅନ୍ତୁଢ଼ିଶାଳେ ରୋହିଣୀ ପୁତ୍ର ଘେନି ଶୋଇ
ନିଶ୍ଚେଷ୍ଟ ହୋଇ ଅଛନ୍ତି ଅନ୍ତୁଡ଼ି ଲଗାଇ ।
ଏମନ୍ତ ସମୟେ ଯାଇ ମିଳିଲା ଅସୁର
ଦେଖେ ଅନ୍ତୁଡ଼ିଶାଳରେ ଉତ୍ତମ କୁମର ।
ବଳଦେବଙ୍କୁ ଆକର୍ଷି ଧରେ ମହାବଳୀ
ତିଳେମାତ୍ର ଭୂମିରୁ ସେ ନ ପାରିଲା ଚାଳି ।
ହୁଙ୍କାର ନାଦ କରିଣ ହିଆରେ ଠେଲିଲା
ବେନିହସ୍ତେ ପୁଣି ଧରି ଅସୁର ତୋଳିଲା ।
ବିକ୍ରମି ଦରାଣ୍ଡି ପୁଣ ବାହାନାଦ କରି
ଚରଣ ଦୁଇ ଧରିଣ ଅତି ଆଣ୍ଟେ ତୋଳି ।
ପିମ୍ପୁଡ଼ି ପରାକ୍ରମେ କି ଉଠଇ ପର୍ବତ
ମଶାର ଶଉର୍ଯ୍ୟେ କାହିଁ ଚଳେ ମଦମତ୍ତ ।
ପୁଣ ପୁଣ ଦାନବ ଯେ ଝାମ୍ପେ ଅନ୍ତରାଳେ
ଶରୀରୁ ତ୍ରିପଣ୍ଡ୍ର ହୋଇ ଶ୍ରମଝାଳ ଗଳେ ।
ବାଳଲୀଳାରେ ଭୂମିରେ ଶୋଇଛନ୍ତି ସ୍ୱାମୀ
ମେରୁଠାରୁ ଗରୁ ସେହି ଶୋଇଥିବା ଭୂମି ।
ଆକର୍ଷି ଧରିଣ ରାଗେ ଝାମ୍ପେ ପୁଣ ପୁଣି
ଟଳମଳ ହୋଇଣ ଯେ କମ୍ପଇ ଧରଣୀ ।
କଉଣସିମତେ ଦୈତ୍ୟ ନ ପାରିଲା ତୋଳି
ମୁଖ ନାସିକା ବାଟରେ ରୁଧିର ନିକିଳି ।
ମନେ ମନେ ବିଚାରଇ ଦୈତ୍ୟ ଅନର୍ଗଳ
ବାଳପୁଅ ନୁହେଁ ଏହି ମନ୍ଦର ଶଇଳ ।
ଜାଣିଲି ମୁନିର କଥା ନୁହଇ ତ ଆନ
ନିଶ୍ଚୟ ଏହାର ହାତେ ମୋହର ଜୀବନ ।
ଏମନ୍ତ ଚରିତ ଜାଣି ସକଳ ଦେବତା
ଅନ୍ତର୍ଗତେ ରାମଙ୍କୁ ସେ ଧ୍ୟାନେ କରି ଚିନ୍ତା ।
ଭୋ ଦେବ ବଳଦେବ ତୁ ହୁଅ ଅବହେଳ
ନେଉ ପ୍ରଳମ୍ବା ଅସୁର ଆପେ ଆପେ ଚଳ ।
ଅକ୍ଷୟ ପୁରୁଷ ତୁମ୍ଭେ ଅଟ ବିଶ୍ୱବାସ
ଦାନବ ମାତ୍ର ତୁମ୍ଭର କରିବାକ କିସ ।
ଆମ୍ଭେ ତ୍ରିଦଶ ଦେବତା ବୋଲୁଛୁ ତୁମ୍ଭଙ୍କୁ
ଭୃତ୍ୟପଣେ ସେବା ଆମ୍ଭେ କରୁ ଆପଣଙ୍କୁ ।
ପ୍ରଳମ୍ବା ନାମେ ଦଇତ ଚୌର୍ଯ୍ୟପଣେ ନେଇ
ଚରଣ ଧରି ତୁମ୍ଭଙ୍କୁ ଦେଉ ଫୋପଡ଼ାଇ ।
ନନ୍ଦ ଗୋପନଗ୍ରେ ଯାଇ ହୁଅ ଅବତାର
ତେବେ ସେ ଉଶ୍ୱାସ ହେବ ପୃଥିବୀର ଭାର ।
ଆମ୍ଭେ ସର୍ବଦେବ ଗୋପୀ ଗୋପ ଗୋପେ ହୋଇ
ଜନମ ହୋଇବୁ ଯାଇଁ ତୁମ୍ଭ ସୁଖ ପାଇଁ ।
ତୁମ୍ଭେ ଏବେ ଗୋପନଗ୍ରେ ବିଜେକରି ଯାଅ
ଉଦ୍ଧର ତ୍ରିଦଶ ଦେବେ ରୋହିଣୀ ତନୟ ।
ଏସନକ ସ୍ତୁତି ଯହୁଁ କଲେ ଦେବଗଣ
ଶୁଣି ସାନନ୍ଦ ହୋଇଲେ ପ୍ରଭୁ ସଙ୍କର୍ଷଣ ।
ବୋଲନ୍ତି ଯେ ଶୁକମୁନି ଶୁଣ ତୁ ରାଜନ
ଶ୍ରୀଭାଗବତ ପୁରାଣ ପୁଣ୍ୟତମ ଜାଣ ।
ଅସୁର ପୁଣି ମନରେ କରଇ ବିଚାର
ଦୁର୍ଗାଦେବୀ ଦେଇଛନ୍ତି ମୋତେ ସିନା ବର ।
ତାହାଙ୍କୁ ମନରେ ମୁହିଁ କରେ ସୁମରଣ
ଏମନ୍ତ ଭାଳି କରକୁ ଶିରେ ନିବେଶିଣ ।
ଦୁର୍ଗା ଦୁର୍ଗା ସୁମରନ୍ତେ ହେଲା ବଳବନ୍ତ
ଅସୁର ସାହସ କରି ଉଠିଲା ତୁରିତ ।
ପ୍ରଳମ୍ବା ଅସୁର ରାମ ପାଦ ଦୁଇ ଧରି
ବିକ୍ରମକେଶରୀ ଯେହ୍ନେ ଝାମ୍ପେ ଆଣ୍ଟକରି ।
ସୁର ସିଦ୍ଧ ମୁନି ଧ୍ୟାନେ ଯାହାକୁ ଚିନ୍ତନ୍ତି
ହସ୍ତେ ଧରି ସେ ପାଦକୁ ଝାମ୍ପେ ଦୈତ୍ୟପତି ।
ଭକ୍ତଜନବନ୍ଧୁ ସ୍ୱାମୀ ଅଟେ କଳେବର
ଚରଣ ଧରନ୍ତେ ହେଲେ ଉଶ୍ୱାସ ଶରୀର ।
ବସୁଦେବ ଭୁବନରେ ନ ଜାଣନ୍ତି କେହି
ଉଲ୍ଲୁକ ମନ୍ତ୍ରେ ଲୁଚାଇ ଦାନବର ଦେହୀ ।
ଅଚେଷ୍ଟ ହୋଇ ଅଛନ୍ତି ସର୍ବେ ନିଦ୍ରାଯାଇ
ମୋହିଛି ସେ ନିଦ୍ରାବତୀ କାରେ ଜ୍ଞାନ ନାହିଁ ।
ବିଶେଷରେ ନବଘଡ଼ି ହୋଇଛି ରଜନୀ
ଏସନ ବେଳେ ପ୍ରଳମ୍ବା ପୁତ୍ର କରେ ଘେନି ।
ମଥୁରା କଟକୁ ରାତ୍ରେ ହୋଇଲା ବାହାର
ଯମୁନା ନଦୀର କୂଳେ ମିଳିଲା ସତ୍ୱର ।
ମନ ଉଦବେଗେ ଧାଏଁ ପବନ ବିଘାତେ
ବଳରାମଙ୍କ ଚରଣ ଧରିଅଛି ହାତେ ।
ଶ୍ରୀମୁଖକୁ ଚାହିଁ ଭାଳେ ପ୍ରଳମ୍ବା ଅସୁର
ନାରଦ କହେ ତୋ ହସ୍ତେ ମରଣ ମୋହର ।
ଏହିକ୍ଷଣି ତୋତେ ମୁହିଁ କରିନ୍ତି ଯେ କ୍ଷୟ
ସରନ୍ତା ସିନା ମୋହର ମରଣର ଭୟ ।
କହିଅଛନ୍ତି ଏକାନ୍ତେ ମୋତେ ସେ ନାରଦ
ତୋତେ ନ ମାଇଲେ ମୁହିଁ ହେବି ପ୍ରାଣେବଧ ।
ଏହା ଭାଳି ବଳରାମ ମୁଖକୁ ଚାହିଁଲା
ଅପୂର୍ବ ମୁଖ ଦେଖିଣ ମୋହିତ ହୋଇଲା ।
କୋଟି କନ୍ଦର୍ପ ମୁଖକୁ ନୋହେ ସରିସମ
ଅପୂର୍ବ ସୁନ୍ଦର ସ୍ୱାମୀ ଅଟେ ବଳରାମ ।
ଧବଳ ରୂପ ଦେହକୁ ଦିଶେ ଅତି ଶୋଭା
ଶରଦ ଶରୀର ପ୍ରାୟ ବଦନର ପ୍ରଭା ।
ତାହା ଦେଖିଣ ଦାନବ ହୋଇଲାକ ବଶ
ବିଚାରେ ଏ ପୁରୁଷକୁ କରିବି କି ନାଶ ।
ବାଳୁତ ପୁତ୍ର କେମନ୍ତେ ଉପ୍ରୋଧ ଉପେକ୍ଷି
ମାରିବାକୁ ମନ ମୋର ହେଉଅଛି ଦୁଖୀ ।
ପୁଣି ବିଚାରଇ ମୋତେ କହିଲେ ନାରଦ
ଏହି ବାଳକ ଅଟଇ ମୋର ମୃତ୍ୟୁଭେଦ ।
ଏହାକୁ ନ ମାଇଲେ ମୁଁ ହୋଇବି ବିନାଶ
ଏହାକୁ ଛାଡ଼ିବାରେ ମୋ ପ୍ରୟୋଜନ କିସ ।
ଏହା ହସ୍ତେ ମୃତ୍ୟୁମୋର ଅଟଇ ନିୟତ
ଜୀବନ୍ତେ ଥିଲେ ମାରିବ ଏ ଦୁଷ୍ଟ ବାଳୁତ ।
ଏହିରୂପ ଦେଖି ଏବେ ହୋଇଛି ମୁଁ ବଶ
ଉଭୟ ସଙ୍କଟ ହେଲା କରିବି ଯେ କିସ ।
ଏହାକୁ ନ ମାଇଲେ ମୁଁ ନିଶ୍ଚେଁ ନାଶଯିବି
କେବଣ ପ୍ରକାରେ ଦୁଇ କଥାରୁ ତରିବି ।
ପୁଣ ବିଚାରେ ଏହାକୁ ପ୍ରାଣେ ନ ଥୋଇବି
ହସ୍ତରେ ନ ମାରି ଧରି ଫୋପାଡ଼ାଇ ଦେବି ।
ବିଶେଷ ବାଳୁତ ମୋର ଛାମୁରେ ନ ମରୁ
ଫୋପାଡ଼ିଦେଲେ ଏ ପଡ଼ି ମରୁ ଅବା ତରୁ ।
ଏତେ ବୋଲି ଦୈତ୍ୟ ରାମ ଚରଣକୁ ଧରି
ଆକର୍ଷି ବୁଲାଇଲା ସେ ବାହାନାଦ କରି ।
କୁରାଳ ଚକ୍ର ପରାୟେ ବୁଲାଇ ବୁଲାଇ
ଅନ୍ତରୀକ୍ଷେ ଫିଙ୍ଗିଦେଲା ମହାବଳୀ ସେହି ।
ହୁଙ୍କାର ଶବଦ କରି ଫିଙ୍ଗେ ଉର୍ଦ୍ଧଗତି
ଚରଣ ବାଜି ପ୍ରଳମ୍ବା ପଡ଼ିଲାକ ଧାତି ।
ବଜ୍ରହୁଁ କଠିନ ଅଟେ ପ୍ରଭୁଙ୍କ ଚରଣ
ବାଜନ୍ତେ ପ୍ରଳମ୍ବାସୁର ତେଜିଲା ପରାଣ ।
ଆକାଶରେ ବଳରାମ ବିକାଶିଲେ ଜ୍ୟୋତି
ଗଗନରେ ଉଦେ ହେଲେ କିବା ନିଶାପତି ।
ଯୁକତେ ବଳରାମର ଶୁକ୍ଳାମ୍ବର କାୟ
ଅର୍ଦ୍ଧ ଆକାଶେ ଦିଶିଲେ ପୂର୍ଣ୍ଣଚନ୍ଦ୍ର ପ୍ରାୟ ।
ଏସନ ରୂପ ଦେଖିଣ ଶୂନ୍ୟେ ପରମେଷ୍ଠୀ
ବଳରାମଙ୍କ ଉପରେ କଲେ ପୁଷ୍ପବୃଷ୍ଟି ।
ଛତ୍ର ଚାମର ଧରନ୍ତି ରହି ଯେ ଯାହାରେ
କହୁଛନ୍ତି ବୃହସ୍ପତି ଆଗେ ପୁରନ୍ଦରେ ।
ଏବେ ସ୍ୱର୍ଗ ଭୟ ପୁଣ ସରିଲା ଆମ୍ଭର
ବଳରାମ ଗୋଗୋଷ୍ଠରେ ହେବେ ଅବତାର ।
କଂସ କେଶୀ ସଂହାରିବେ ଗୋପରୂପ ଧରି
ଦେବତାଙ୍କ ହିତେ ଆସି ଗୋପେ ଅବତରି ।
ବୋଇଲେ ଯେ ପବନକୁ ଡାକି ସସ୍ରଯୋନି
ତୁମ୍ଭ ପବନ ଦେବତା ଚଳ ଏହିକ୍ଷଣି ।
ପ୍ରଳମ୍ବ ବଳରାମଙ୍କୁ ଦେଲା ଫୋପାଡ଼ାଇ
ଆକାଶେ ଯାଉଅଛନ୍ତି ପ୍ରଭୁ ଭାବଗ୍ରାହୀ ।
ତୁ ଯାଇଁ କାମପାଳଙ୍କୁ ଧୀରେ ଧୀରେ ନେବୁ
ନନ୍ଦ ଗୋଗୋଷ୍ଠରେ ନେଇ ଛାଡ଼ିଣ ଆସିବୁ ।
ଯେମନ୍ତେ ବଳରାମଙ୍କୁ ନ ଲାଗଇ ପ୍ରାସ
ତେସନ ପ୍ରକାରେ ଗୋପ ନଗ୍ରେ ରଖି ଆସ ।
ଇନ୍ଦ୍ର ବଚନେ ପବନ ଗଲା ବେଗହୋଇ
ଅର୍ଦ୍ଧ ଆକାଶେ ରାମଙ୍କୁ ଓଗାଳିଲା ଯାଇ ।
ଧୀରେ ଧୀରେ କରି ଶୂନ୍ୟ ଗଡ଼ାଇ ଆଣିଲା
ଗୋପ ନଗର ସୀମାରେ ନେଇଣ ଛାଡ଼ିଲା ।
ଏକଦୃଷ୍ଟି କରି ଚାହିଁଛନ୍ତି ଦେବଗଣ
ଗୋଗୋଷ୍ଠେ ପ୍ରବେଶ ଯାଇ ହେଲେ ସଙ୍କର୍ଷଣ ।
ପରମ ପୁରୁଷ ସ୍ୱାମୀ ଠୁଳ ବ୍ରହ୍ମରାଶି
ଗୋଗୋଷ୍ଠ ଭିତରେ ପ୍ରଭୁ ବିଜେ କଲେ ଆସି ।
ପାହିବାକୁ ରାତ୍ର ଆଉ ଅଛି ବେନି ଘଡ଼ି
ବାଳୁତ ଭାବେ ଛାଡ଼ିଲେ ସ୍ୱାମୀ ସିଂହରଡ଼ି ।
ଅଣ୍ଡିର କୋକିଳ ଯେହ୍ନେ ରାବଇ ବସନ୍ତେ
ତେସନେକ ସ୍ୱର ଶୁଭେ ସ୍ୱାମୀ ଯେ କାନ୍ଦନ୍ତେ ।
ଇତି ଶିରୀ ଭାଗବତ ପୁଣ୍ୟମୟ ବାଣୀ
ସଂସାରୁ ମୁକତ ହୁଅ ସାଧୁଜନେ ଶୁଣି ।
ବଳରାମ ପାଦପଦ୍ମେ ନିବେଶିଣ ଚିତ୍ତ
ଲେଖଇ ଏ ହରିବଂଶ ମୁଁ ଦୀନ ଅଚ୍ୟୁତ ।