ଶ୍ରୀବିଷ୍ଣୁଙ୍କର ଯୋନି ଜନ୍ମର କାରଣ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଯୁକତେ ଉଲଗ୍ନ ସେହି ଅଟେ ଯୋଗେଶ୍ୱର
ଆଦିମାତାର ସଙ୍ଗତେ କଲେକ ବିହାର ।
ବିଷ୍ଣୁ ଏମନ୍ତ ଦେଖିଣ କଲେ ମହାରୋଷ
ଆହେ ମହେଶ୍ୱର ତୁମ୍ଭେ କଲ ବଡ଼ ଦୋଷ ।
ଏଡ଼େ ବଡ଼ ଅନୀତି ତୁ କଲୁ ମତ୍ତଭୋଳେ
ଜାଣୁ ଜାଣୁ ମାତାକୁ ତୁ ହରିଲୁ ଏକାଳେ ।
ମାତାକୁ ହରଣ କରି ହେଲୁ ମହାପାପୀ
ତୋର ମୁଖ ନ ଚାହିଁବୁ ଆମ୍ଭେ ଯେ କଦାପି ।
ଶ୍ରୀ ବିଷ୍ଣୁ ଦେବତା ମୁଖୁ ଏସନକ ଶୁଣି
ହତଜ୍ଞାନ ହୋଇଲେକ ଦେବ ଶୂଳପାଣି ।
ଛାଡ଼ି ଅଲଗା ହୋଇଲେ ଶିବ ତତକ୍ଷଣ
ଲାଜେ ତଳେ ମଥା ପୋତି ହେଲେ ବିଡ଼ମ୍ୱନ ।
ଖଣ୍ଡଦୂର ଯାଇ ଉଭା ହେଲେ ଶୂଳଧାରୀ
ଦେବତାଙ୍କୁ ନ ଚାହିଁଲେ ମୁଖ ତୋଳିକରି ।
ଏହାଦେଖି ବିଷ୍ଣୁନାଥ ବହି ମହାରୋଷ
ଆଦି ଅପର୍ଣ୍ଣାକୁ ଚାହିଁ ବୋଇଲେ ଏ ଭାଷ ।
ତୁ ମହାମାୟୀ ସବୁରି ଅଟୁ ଠାକୁରାଣୀ
ଏଡ଼େ ଅନୀତି କଥା ତୁ ଆଚରିଲୁ ପୁଣି ।
ବୃଦ୍ଧମାତା ହୋଇ ତୋର ଏଡ଼େକ ଶରଧା
କେମନ୍ତେ ତେଜିଲୁ ତୁହି ଲାଜଭୟ ବାଧା ।
ବାଳୁତ ପୁଅକୁ ଏହିକ୍ଷଣି ଜାତକଲୁ
ସେ ଅଜ୍ଞାନ କେମନ୍ତେ ତୁ ତାକୁ ଦେହ ଦେଲୁ ।
ଅନାଦି ପରା ପତିକି କଲୁ ତୁ ଲୋ ତ୍ୟଜା
କାମଗରବେ ଛାଡ଼ିଲୁ ଜାତି କୁଳ ଲଜ୍ଜା ।
ତେବେକି ବୋଲିବା ତୋର ପ୍ରକୃତିର ଦୋଷ
ଅଯୋଗ୍ୟପଣେ ତୋହର ଧର୍ମ ଗଲା ନାଶ ।
ଯଦ୍ୟପି ଏଯୋନିଗୋଟା ନଥାନ୍ତା ତୋଦେହୀ
ଏତେବଡ଼ ଅନୀତି ତୁ କରନ୍ତୁ କିପାଇଁ ।
ଅନେକ ଝିଙ୍ଗାସ ଯହୁଁ କଲେ ବିଷ୍ଣୁନାଥ
ଶୁଣିଣ ଆଦି ଅପର୍ଣ୍ଣା ଲୁଚାଇଲେ ମାଥ ।
ବିଷ୍ଣୁଙ୍କୁ ବୋଇଲେ ତୁରେ ଜ୍ଞାନବନ୍ତ ହୋଇ
ମୋତେ ଝିଙ୍ଗାସ ବଚନ କହିଲୁ କିପାଇଁ ।
ପ୍ରାଣୀ ଉପରେ ପ୍ରକୃତି ଅଟେ ବଳିୟାର
ଏ ପ୍ରକୃତି କରୁଅଛି ସବୁ ଅନାଚାର ।
ପାପ ପୁଣ୍ୟ ଭୋଗେ ପ୍ରାଣୀ ପ୍ରକୃତିର ବଳେ
ପ୍ରକୃତିକି ବଳି ଆଉ ନାହିଁ ଏ ଶୟଳେ ।
ଏ ମୋର ପ୍ରକୃତି ଯହୁଁ ବଳାଇଲା ମୋତେ
ତେଣୁ ଦୂଷିତା ହୋଇଲି ସିନା ଏ ଜଗତେ ।
ପ୍ରକୃତି କଲା ମୋହର ପୁତ୍ରଠାରେ ଆଶ
ମୁଁ ଅବା ନ ଜାଣିଲି ମୋ ଯୋନିର କିଦୋଷ ।
ତୁ ଯେ ଜ୍ଞାନବନ୍ତ ହୋଇ ପାପ ନ ଜାଣିଲୁ
ଯହୁଁ ଜାତହୋଇ ସେହି ଯୋନିକି ନିନ୍ଦିଲୁ ।
ଯହିଁରୁ ଜାତ ହୁଅନ୍ତି ପ୍ରାଣୀ ଚରାଚର
ତାକୁ ନିନ୍ଦୁ ତହୁଁ ଜାତ ହୁଅ ଲକ୍ଷେବାର ।
ରଜବୀର୍ଯ୍ୟ କୁମ୍ଭୀପାକେ ଦଶମାସ ରହି
ଜନମ ହୁଅ ମାନବ ଦେହ ତୁହି ବହି ।
ଶୁଣ ହୋ କଶ୍ୟପ ତୁମ୍ଭେ ପଚାରିଲ ଯାହା
ସଂକ୍ଷେପି କହିଲୁଁ ଆମ୍ଭେ ତୁମ୍ଭ ଆଗେ ତାହା ।
ସେ ଅନାଦି ଅପର୍ଣ୍ଣାର ପୂର୍ବ ଶାପ ଯୋଗେ
ଶ୍ରୀ ବିଷ୍ଣୁନାଥ ଜନମ ହେବେ ଯୋନିମାର୍ଗେ ।
ଏଥକୁ ଭ୍ରାନ୍ତି ତୁ ମନେ ନ କର ହୋ ମୁନି
କାରଣ ହେବ ମାନବ ଜନ୍ମ ତୁମ୍ଭେ ଘେନି ।
ଆମ୍ଭ ଅଭିଶାପ ତୋତେ ହୋଇବ କାରଣ
ତୁମ୍ଭ ଯୋଗୁଁ ପୃଥ୍ୱୀଭାର ହେବ ନିବାରଣ ।
ଏମନ୍ତ କହିଣ ଦେବୀ ମହାଯୋଗବଳେ
ସାମଧିରେ ନିଦ୍ରାଗଲେ ବାଞ୍ଛାବଟ ତଳେ ।
ଶାପପାଇ କଶ୍ୟପ ଯେ ବାହୁଡ଼ି ଅଇଲେ
ଇନ୍ଦ୍ର ଦେବତାଙ୍କ ଆଗେ ବିଧାତା କହିଲେ ।
ଶୁଣ ସୁଜ୍ଞଜନେ ଏହି ସୁଧାରସ ବାଣୀ
ଅନେକ ଜନ୍ମର ପାପ କ୍ଷୟ ଯିବ ଶୁଣି ।
ଏ ସୁଧର୍ମା ସଭାପର୍ବ ଦିବ୍ୟ ରସମୟେ
ଯାହାର ଶ୍ରବଣ ମାତ୍ରେ ପାପ କ୍ଷୟ ହୁଏ ।
ଗୋହତ୍ୟା ଯେ ବ୍ରହ୍ମହତ୍ୟା ସବୁ ହୁଏ ଧ୍ୱଂସ
ଶ୍ରୀକୃଷ୍ଣ ନାମାମୃତଟି ଯହିଁରେ ପ୍ରକାଶ ।
ମାତୃହରଣର ଦୋଷ ଯାଏ ଏହା ଶୁଣି
ଶ୍ରୀକୃଷ୍ଣ ଚରିତଗାଥା ପୁଣ୍ୟମୟ ବାଣୀ ।
ଏ ପୁଣ୍ୟପୁରାଣ ବେଦ ବେଦାନ୍ତର ଶାଖା
ମୁକତି ମାର୍ଗ ପାଇବ ଶୁଣି ଜନେ ଏକା ।
ପଢ଼ନ୍ତେ ଶୁଣନ୍ତେ ଜନେ ପାଇ ମହାପୁଣ୍ୟ
ଭୁଞ୍ଜିବ ବିପୁଳ ଭୋଗ ପାଇ ସ୍ୱର୍ଗେ ସ୍ଥାନ ।
ଅପୁତ୍ରକ ଜନ ପୁତ୍ର ପାଏ ଏହା ଶୁଣି
ଧନ ସମ୍ପଦ ଅର୍ଜିବ ଦୁଃଖ ଯିବ ଜିଣି ।
ଯେବଣ ପ୍ରାଣୀ ମନରେ ବାଞ୍ଛିବ ଯେ ବିଧି
ଏହି ପୁରାଣ ଶୁଣନ୍ତେ ହେବ କାର୍ଯ୍ୟସିଦ୍ଧି ।
ଜୟ ତୁମ୍ଭେ ଜଗନ୍ନାଥ କାମୀ କାମଦାନୀ
ଅନାଦି ଅଚଳ ତୁମ୍ଭେ ପରଂତତ୍ତ୍ୱଜ୍ଞାନୀ ।
ଦେବାଧିଦେବଙ୍କର ତୁ ଅଟୁ ଅଗ୍ରଲେଖା
ଆଦି ଅନ୍ତ ମଧ୍ୟେ ତୋର ନାହିଁ ପୁଣ୍ୟସଖା ।
କିରୀଟ ମୁକୁଟ ଶିରେ ଶାରଙ୍ଗ ଯେ ଧନୁ
ଅଭେଦ୍ୟ ବଜ୍ରସେହ୍ନା ତୁ ଅକଳିତ ତନୁ ।
ଶୟଳରେ ଲାଭ ହାନି ବିଧାନ କରତା
ଲକ୍ଷ୍ମୀ ସରସ୍ୱତୀଙ୍କର ସ୍ୱାମୀ ଅଟୁ କର୍ତ୍ତା ।
ଶଙ୍ଖ ଚକ୍ର ଗଦା ପଦ୍ମେ ଶୋହେ ଚତୁର୍ଭୁଜ
କରୁଣାନିଧି ଦେବାଧିଦେବଙ୍କର ରାଜ ।
ବ୍ରହ୍ମା ସହିତେ କରନ୍ତି ଦେବେ ଯାକୁ ସ୍ତୁତି
ଅଦେହ ଅଣାକାର ତୁ ଅଗତିର ଗତି ।
ଖେଳ କଉତୁକେ ଯାର ହୋଇଛି ଜଗତ
ଆଜ୍ଞା ପରମାଣେ ଥାଇ ସକଳ ଜୀବିତ ।
ଘଟ ଅଘଟ ଅପୂର୍ବ ଚତୁର୍ଦ୍ଧା ମୂରତି
ବିଜେ ଜଗବନ୍ଧୁ ଯହିଁ ମୁକତି ଦିଅନ୍ତି ।
ଧର୍ମାଧର୍ମ କାମ ମୋକ୍ଷ ଯାକୁ ନୁହେ ସରି
ଶରଣ ରକ୍ଷଣ କଳ୍ପତରୁ ରୂପଧାରୀ ।
ମହୋଦଧି ତୀର ନୀଳସୁନ୍ଦର କନ୍ଦରେ
ବିଜେ ଜଗବନ୍ଧୁ ଯହିଁ ଚତୁର୍ଦ୍ଧାରୂପରେ ।
ତୀର୍ଥରାଜ ପକ୍ଷୀରାଜ ବୃକ୍ଷରାଜ ମୂଳେ
ଗିରିରାଜ ଦେବରାଜ ଯାର ପାଦତଳେ ।
ବାରେ ଦରଶନେ ପୁର ବଇକୁଣ୍ଠ ଲଭି
ପୁନରପି ଜନମ ସେ ନୁହଇ ଏ ଭୁବି ।
ଅପାରୁ ଅପାର ଯାର ମହିମା ଅନନ୍ତ
ମାନବ ଦେହେ ମୁଁ କିସ କରିବି ତଦନ୍ତ ।
ଏ ହରିବଂଶ ମୁଁ ବାକ୍ୟଦେହୀ ପରସନ୍ନେ
ସେ ଯାହା କହଇ ତାହା ଲେଖେ ରଖି ମନେ ।
ମୋତେ ଗୋଚର ନୁହଇ ଏହି ବିଷ୍ଣୁବାଣୀ
ପାଠ ଶାଠ ବେଦ ବିଦ୍ୟା କିଛି ନାହିଁ ଜାଣି ।
ପଣ୍ଡିତ ଗୋଷ୍ଠୀକୁ ମୁହିଁ ନୁହଇ ତ ସରି
ପାଇଲି ପୂର୍ବର ହେତୁ ଶାରଦା ସୁମରି ।
ସୁଜ୍ଞଜନମାନଙ୍କର ଦାସର ମୁଁ ଦାସ
ବାଳୁତମତି ମୋହର ନ ଧରିବ ଦୋଷ ।
ଯେବଣ ଚରିତ ବ୍ରହ୍ମା ଶିବେ ଅଗୋଚର
ସେ ଗ୍ରନ୍ଥ କହିବାମୁଖେ ଭରସା କାହାର ।
କେବଳ ଶ୍ରୀହରି ନାମ ଉଚ୍ଚାର କରନ୍ତେ
ମୁକତି ବାଟ ପାଇବେ ସୁଜନେ ଯେମନ୍ତେ ।
ଯତକିଞ୍ଚିତ ବଚନ ଠିକ ଠିକ କରି
ତାହା ମୁଁ ଲେଖିଲି ହରିନାମ ହୃଦେ ଧରି ।
ଶ୍ରୀଜଗନ୍ନାଥଦେବଙ୍କ ଚରଣେ ମୋ ସେବା
ଦାସ ଅଚ୍ୟୁତ ମାଗଇ ଗତି ମୁକ୍ତି ଦେବା ।
ମହାଦେବଙ୍କର ଅନାଦିଙ୍କଠାରୁ ଶାପପ୍ରତି ପ୍ରାୟଶ୍ଚିତ୍ତ ଶ୍ରବଣ
ଶୁକମୁନି ଚରଣରେ କରି ଦିବ୍ୟପୂଜା
ପୁନରପି ପଚାରନ୍ତି ପରୀକ୍ଷିତ ରାଜା ।
କଶ୍ୟପ ଋଷିକୁ ଦେଲେ ଗୋମାତା ଯେ ଶାପ
ସେହି ମହାଋଷି ପୁଣି କଲେ କିସ ତପ ।
ସେ କଶ୍ୟପ ମହାମୁନି ନରଦେହ ବହି
ମର୍ତ୍ତ୍ୟ ମଣ୍ଡଳରେ ଜାତ ହେଲେ ଅବା କାହିଁ ।
ଈଶ୍ୱର ଦେବତା ନିଜ ମାତାକୁ ହରିଲେ
ଧର୍ମ ଅଧର୍ମ ସେ କିଛି ବିଚାର ନ କଲେ ।
ବିଷମ ସନ୍ଧି ଛଡ଼ାଇ ଦିଅ ମୋର ଶ୍ରଦ୍ଧା
ତବ ମୁଖରୁ ଶୁଣିଲେ ଛାଡ଼ିଯିବ ବାଧା ।
ତହିଁରେ ପ୍ରସ୍ତାବ ମୋତେ କହ ଜ୍ଞାନମୟ
ଅନେକ ଜନ୍ମ ପାତକ ଯାଉ ମୋର କ୍ଷୟ ।
ଏମନ୍ତ ବଚନ ତହୁଁ କହିଲେ ନୃପତି
କହନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକଯତି ।
ଶୁଣ ହେତୁକରି ପଣ୍ଡୁକୁଳ ନରନାହା
କହିବଇଁ ହରିବଂଶ ଶୁଣିଅଛି ଯାହା ।
ଈଶ୍ୱର ମାତା ହରିଲେ ପୀଡ଼ିବାରୁ କାମ
ତେଣୁ ସେ ସିନା ପାଇଲେ ମହେଶ୍ୱର ନାମ ।
ମାତାହରଣେ ଯେ ଦୋଷ ହୋଇଲା ପ୍ରସିଦ୍ଧି
ଦିନେ ଦିନେ ଶଙ୍କରଙ୍କୁ ଘୋଟେ ପାପବ୍ୟାଧି ।
ଏକଦିନେ ସଦାଶିବ ବୃଷଭ ଆରୋହି
ସ୍ୱର୍ଗ ଭୁବେନ ପ୍ରବେଶ ହୋଇଲେକ ଯାଇ ।
ସକଳ ଦେବତା ବସି ଅଛନ୍ତି ଆସ୍ଥାନେ
ତହିଁ ପ୍ରବେଶ ହୋଇଲେ ଯାଇ ପଞ୍ଚାନନେ ।
ସଭା ମଧ୍ୟରେ ବିଜୟ ଦେବ କାଶୀବସୀ
ବସାଇ ନ ଦେଲେ ତାଙ୍କୁ ଦେବତାଏ ମିଶି ।
ହେଠ ବଦନେ ସଭାରେ ବସିଲେ କପାଳୀ
ଈଶ୍ୱରଙ୍କ ମୁଖ କେହି ନ ଚାହିଁଲେ ତୋଳି ।
ଚକ୍ଷୁ ବୁଜିଣ ସମସ୍ତେ ପୋତିଲେକ ମଥା
ଦେଖି ତ୍ରିଅମ୍ୱକ ପାଇ ମନେ ମହାବ୍ୟଥା ।
ସଭାର ମଧ୍ୟରେ ଉଭା ତ୍ରିଦଶର ସାଇଁ
ଦେବଗଣ ବସିଛନ୍ତି ହେଠ ମୁଖ ହୋଇ ।
ନବଘଡ଼ି ପରିଯନ୍ତେ ଶିବ ଉଭାହେଲେ
ବସବୋଲି ଦେବତାଏ ଜଣେ ନ ବୋଇଲେ ।
ଆବର ବିଶେଷେ କେହି ନ ଚାହାନ୍ତି ମୁଖ
ଏହା ଦେଖି ଶୂଳପାଣି ପାଇ ମନେ ଦୁଃଖ ।
ଆପଣାର ଅନ୍ତର୍ଗତେ ବିଚାରିଲେ ବସି
ଦେବତାମାନେ ମୋତେ ନ କହିବେ ଆଶ୍ୱାସି ।
ତେଣୁ ଜାଣିଲେ ମୁହିଁତ ଅଟେ ବଡ଼ଦୋଷୀ
ଏରୂପେ ଭାଳନ୍ତି ମନେ ମନେ କାଶୀବାସୀ ।
ଆବର ବିଶେଷେ ମୁଁ ଯେ ବ୍ରହ୍ମାକୁ ମାଇଲି
ବ୍ରହ୍ମହତ୍ୟା କରି ପୁଣି ମାତାକୁ ହରିଲି ।
ଦକ୍ଷ ପ୍ରଜାପତି ଅଟେ ବ୍ରହ୍ମାର କୁମର
ପାର୍ବତୀର ପିଅର ସେ ମୋହର ଶ୍ୱଶୁର ।
ମହାଯାଗ କରି ମୋତେ ପାଇଲା ବିଖଣ୍ଡ
ଚାପୋଡ଼େ ମାରି ମୁଁ ତାର ଛିଣ୍ଡାଇଲି ମୁଣ୍ଡ ।
ଏତେକ ପାପ ମୁଁ ପୁଣି କରିଅଛି ପୂର୍ବେ
କେମନ୍ତେ ଦେବତା ମୋତେ ପାଶେ ବସାଇବେ ।
ଆବର ବିଶେଷେ ମୁହିଁ ଅଟଇ ଉଲଗ୍ନ
ଏଥେ ଦେବେ କିପାଁ ଉଣା ନ ଧରିବେ ମନ ।
ବିଦ୍ୟାଧରୀ ଗନ୍ଧର୍ବୀ ଯେ ଅପସରୀବୃନ୍ଦ
ଶଚୀ ସହିତରେ ଘେନି ସଭା କରେ ଇନ୍ଦ୍ର ।
ସ୍ତିରୀଙ୍କୁ ଘେନି ଆସ୍ଥାନେ ବସଇ ମଘବା
ଏ ପାପୀକୁ ବସ ବୋଲି କାହିୁଁ ବୋଲିବେ ବା ।
ବିଚାରିଲେ ଦେବତାଏ ନୁହନ୍ତି ତ ଦୋଷୀ
ଏସନକ ମନେ ମନେ ଭାଳି କାଶୀବାସୀ ।
ବିଡ଼ମ୍ୱନ ହୋଇଲା ଏ ବଡ଼ ଲାଜ କଥା
ଏତେ ବିଚାରି ପାଇଲେ ମନେ ବଡ଼ବ୍ୟଥା ।
କେମନ୍ତେ ଏ ଦୋଷମାନ ମୋର ଯିବ କ୍ଷୟେ
ଅନ୍ତର୍ଗତେ ଭାଳନ୍ତି ଯେ ଏହା ଦେବରାୟେ ।
ଏତେକ ବିଚାରି ଶିବ ଧାତିକାରେ ଗଲେ
ଅଲେଖ ଭୁବନେ ଯାଇ ଅନାଦି ଭେଟିଲେ ।
ମହାଶୂନ୍ୟ ଆସନରେ ଛନ୍ତି ବିଜେକରି
ଏମନ୍ତ ସମୟେ ଭେଟ ହେଲେ ତ୍ରିପୁରାରି ।
ଅନ୍ତରୀକ୍ଷରେ ଡମ୍ୱରୁ ବାଜେ କୋଟି କୋଟି
ବାମ ଡାହାଣେ ଅଛନ୍ତି ନନ୍ଦୀ ଯେ ଭ୍ରୁକୁଟି ।
କଟିତଟେ ଚିରକୁଟି ଲେଙ୍ଗୁଟି କାଛଟା
ଦିଗମ୍ୱର ବେଶ ଶିରେ ଜଟା ପାଞ୍ଚଗୋଟା ।
ମନେ ବିଚାରନ୍ତି ସ୍ୱାମୀ ଆଗରେ କହିବି
ପାପପଥେ ପ୍ରାୟଶ୍ଚିତ୍ତ କରିଣ ତରିବି ।
ଜ୍ଞାନ ଅଜ୍ଞାନରେ ପାପ କରନ୍ତି ବା ଯେହୁଁ
ପ୍ରାୟଶ୍ଚିତ୍ତ କଲେ ପୁଣ ଦୋଷ ଯାଏ ତହୁଁ ।
ଏ ଯେ ଜଗତେ ଅଟନ୍ତି ପୂର୍ଣ୍ଣବ୍ରହ୍ମମୟ
ଜାଣନ୍ତି ଯେମନ୍ତେ ଶାପମାନ ଯିବ କ୍ଷୟ ।
ଏମନ୍ତ ବିଚାର କରି ଦେବ ପଶୁପତି
ଅନାଦି ସନ୍ନିଧେ ଯାଇ ମିଳିଲେ ତଡ଼ତି ।
ଗୁରୁଙ୍କୁ ଯେ ନମସ୍କାର କରିଲେ ତୁରିତେ
ଅନାଦି ବୋଲନ୍ତି ଆସିଅଛୁ କି ନିମନ୍ତେ ।
ମନେ ତୋର ମହାଚିନ୍ତା ପାଉଅଛୁ ଖେଦ
ଏଥିର କଥା ତୁ ମୋତେ କହି କର ମୋଦ ।
ଅନାଦି ମୁଖରୁ ଶିବ ଏ ବଚନ ଶୁଣି
ବିନୟ ଭାବେ କହନ୍ତି ପୁଣି ଶୂଳପାଣି ।
ଜଗତ ଈଶ୍ୱର ସ୍ୱାମୀ ନ ଜାଣ କି ତାହା
ମହାପାପ ଅରଜିଲି ହୋଇବ କେ ସାହା ।
ମାତୃହରଣ ଦୋଷ ମୋ ଯିବ କେହ୍ନେ କ୍ଷୟ
କରସି କାରଣ ମୋତେ କହିଣ ଉପାୟ ।
କେମନ୍ତ ପ୍ରକାରେ ସ୍ୱାମୀ ଖଣ୍ଡିବି ଏ ଦୋଷ
କହିଲେ ମୁଁ ପ୍ରାୟଶ୍ଚିତ କରିବି ଅବଶ୍ୟ ।
ଜଗତଧାରଣ ତୋତେ ଶୟଳର ଚିନ୍ତା
ଦେବ ଦାନବ ମାନବ ସବୁରି ତୁ ପିତା ।
ଏଥିର କାରଣ ମୋତେ କହ ବିଶ୍ୱବାସ
ସଞ୍ଚିତ ପାତକ ଯିବ କେମନ୍ତ ମୋ ନାଶ ।
ଈଶ୍ୱର କହିଲେ ଯହୁଁ ଏସନ ଉତ୍ତର
ପ୍ରତିବାକ୍ୟ ଦିଅନ୍ତି ଯେ ପ୍ରଭୁ ନିରାକାର ।
ଶୁଣ ଈଶ୍ୱର କହିବା ତୋତେ ସଦଭାବ
ସଂସାରେ ଜନ୍ମ ହୋଇଲେ ଅଛି ହାନିଲାଭ ।
ପାପ ପୁଣ୍ୟରେ ଜଡ଼ିତ ସର୍ବଦା ଏ କାୟା
ସର୍ବଦା ଘୋଟି ଅଛଇ ସଂସାରକୁ ମାୟା ।
ଅର୍ଥ ଯହିଁ ଅଛି ତହିଁ ଅନର୍ଥହିଁ ଅଛି
ଲାଭ ହୋଇଲେ ଅବଶ୍ୟ ହାନି ହୋଇ କିଛି ।
ଯହିଁ ଗୁଣ ଅବଶ୍ୟ ତ ଦୋଷ ତହିଁ ଥାଇ
ଦୁଃଖ ପାଉଥିଲେ ପୁଣି ସୁଖ ସେହି ପାଇ ।
ଏଥକୁ କିପାଇଁ ଚିନ୍ତା କରୁଛ ହୋ ଶିବ
ପାପକୁ ଯେ ପ୍ରାୟଶ୍ଚିତ୍ତ ଅଛି କଲେ ଯିବ ।
ସାବଧାନେ ଶୁଣ ତୁ ଯେ କହିବା ଉପାୟ
ଯେଡ଼େ ପାପକୁ ଯେତେକ କଲେ ଯିବ କ୍ଷୟ ।
ଅନାଦି ବୋଇଲେ ଶିବ ବ୍ରହ୍ମହତ୍ୟା କଲେ
ସେ ପାପ ଛାଡ଼ଇ କୋଟି ଅଶ୍ୱମେଧ କଲେ ।
ଅନାଦି ବୋଇଲେ ଶିବ ବିଶ୍ୱାସ ଘାତକା
ସେ ପାପକୁ ଅନଳରେ ଜିଭ ପୋଡ଼ିପକା ।
ଅନାଦି ବୋଇଲେ ଶିବ ସୁନା ଚୋରିକଲେ
ସେ ପାପ ଛାଡ଼ଇ କୋଟି ଅଶ୍ୱମେଧ କଲେ ।
ଅନାଦି ବୋଇଲେ ଶିବ ତରୁଚ୍ଛେଦ ପାପ
କ୍ଷୟ ଯିବାପାଇଁ ତରୁ ଶଏ ଏକ ରୋପ ।
ଅନାଦି ବୋଇଲେ ପର ଭୂମିକି ହରିଲେ
ସେ ପାପ ଛାଡ଼ଇ ଅନ୍ୟ ଭୂମି ଦାନ କଲେ ।
ଅନାଦି ବୋଇଲେ ଶିବ ଉତ୍କଟ ଯେ ପାପ
ସେହି କ୍ଷୟ ଯାଇ ରାମ ନାମ କଲେ ଜପ ।
ଅନାଦି ବୋଇଲେ ଶିବ ଗୁରୁ ନିନ୍ଦାକଲେ
ସେ ପାପ ଯାଇ ବିଦେଶେ ତୀର୍ଥ ମାଡ଼ିଗଲେ ।
ଅନାଦି ବୋଇଲେ ଶିବ ଅପୁତ୍ରକ ଜନ
ଦୋଷମାନ କ୍ଷୟଯାଇ କଲେ ତୀର୍ଥ ସ୍ନାନ ।
ଅନାଦି ବୋଇଲେ ଶିବ ତୀର୍ଥଭଗ୍ନ କଲେ
ସେ ପାପ ଯାଇ ଈଶ୍ୱର ଶିରେ ଗୋ ଦୁହିଁଲେ ।
ଅନାଦି ବୋଇଲେ ଶିବ ପୁରାଣ ନିନ୍ଦିଲେ
ସେ ପାପ ଯାଇ ଗୋମୁଖୀ ସୁନା ଦାନ ଦେଲେ ।
ଅନାଦି ବୋଇଲେ ଶିବ ଜନ୍ମକୁ ନିନ୍ଦିଲେ
ସେ ପାପ କ୍ଷୟ ଯାଇଟି ପ୍ରୟାଗେ ଝାସିଲେ ।
ଅନାଦି ବୋଇଲେ ଶିବ କଲେ ପରଦାର
ଅଣ୍ଡ କାଟିଲେ ସେ ପାପ କ୍ଷୟ ଯାଇ ତାର ।
ଅନାଦି ବୋଇଲେ ଶିବ ଜଳ ନିନ୍ଦା କଲେ
ସେ ପାପ କ୍ଷୟ ଯାଇଟି ଜଳ ଦାନ ଦେଲେ ।
ଅନାଦି ବୋଇଲେ ଶିବ କନ୍ୟାକୁ ନିନ୍ଦିଲେ
ସେ ପାପ କ୍ଷୟ ଯାଇଟି କନ୍ୟାଦାନ ଦେଲେ ।
ଅନାଦି ବୋଇଲେ ଶିବ ରାଜା ନିନ୍ଦାକଲେ
ସେହି ପାପ କ୍ଷୟ ଯାଇ ଶିର କାଟିଦେଲେ ।
ଅନାଦି ବୋଇଲେ ଶିବ ଅଭକ୍ଷ ଭକ୍ଷିଲେ
ସେ ପାପ ଯାଇ ଶ୍ରୀବିଷ୍ଣୁ ପାଦୁକା ପିଇଲେ ।
ଅନାଦି ବୋଇଲେ ଶିବ ଗୁପ୍ତ ପାପକଲେ
ସେ ପାପ ଯାଇ ଅଗ୍ନିରେ ମାଂସ କାଟିଦେଲେ ।
ଅନାଦି ବୋଇଲେ ଶିବ ସଦନ ନାଶିଲେ
ସେହି ଦୋଷ କ୍ଷୟ ଯାଇ ପିତୃଶ୍ରାଦ୍ଧ କଲେ ।
ଅନାଦି ବୋଇଲେ ଶିବ ଦରିଦ୍ର ହୋଇଲେ
ସେହି ପାପ କ୍ଷୟ ଯାଇ ବାଲୁକା ପୂଜିଲେ ।
ଅନାଦି ବୋଇଲେ ରଜୋବତୀକି ଛୁଇଁଲେ
ସେ ପାପ ଯାଇ ଈଶ୍ୱରେ ଲକ୍ଷେ ଚମ୍ପା ଦେଲେ ।
ଅନାଦି ବୋଇଲେ ମହାବନ୍ଧକୁ କାଟିଲେ
ସେ ଦୋଷ ଯାଇ ତରାଇପଣ ଜଳେ କଲେ ।
ଅନାଦି ବୋଇଲେ ମିତ୍ର ଦ୍ରୋହକାରୀ ଜନ
ପାପ କ୍ଷୟ ଯାଇ କଲେ ମକର ସ୍ନାହାନ ।
ଅନାଦି ବୋଇଲେ ଶିବ ମାତାକୁ ହରିଲେ
ସେହି ପାପ ଯାଇ ବ୍ରହ୍ମଜ୍ଞାନକୁ ସାଧିଲେ ।
ଅନାଦି ବୋଇଲେ ପାପ ଏକ ଏକ କରି
ପାପର ଯେ ପ୍ରାୟଶ୍ଚିତ କହିଲେ ନ ସରି ।
ଅଜ୍ଞାନେ ଜ୍ଞାନ ନ ଜାଣି ଜାଣି ପାପ କଲେ
ସବୁ କ୍ଷୟ ଯାଇ ହରିବଂଶକୁ ପଢ଼ିଲେ ।
ଶ୍ରୀ ଭାଗବତହୁଁ ପୁଣ୍ୟ ଗ୍ରନ୍ଥ ନାହିଁ ଆନ
ସବୁ ଧର୍ମର ଉପରେ ମୋକ୍ଷ ସେହି ଜାଣ ।
ଯେ ଶୁଣଇ ଶୁଣାଇ ସେ ଭାଗ୍ୟବନ୍ତ ଜନ
ବିଷ୍ଣୁର ଚରିତ ଗଙ୍ଗାଜଳର ସମାନ ।
ସାବଧାନେ ଶୁଣିଲୁ ତ ତୁ ହୋ ତ୍ରିଲୋଚନ
ପାପକୁ ହେ ପ୍ରାୟଶ୍ଚିତ୍ତ ଯେବଣ ବିଧାନ ।
ପୁଣ୍ୟକଥା ଆଚରଣ କର ଯଥାବିଧି
ଆଚାରରୁ ପ୍ରାଣୀଙ୍କର ହୁଏ ସର୍ବସିଦ୍ଧି ।
ତୁହି ଯେଣୁ ମହାପାପୀ ହୋଇଲୁ ଈଶାନ
ସେ ତୋହର କ୍ଷୟ ଯିବ ହେଲେ ସାବଧାନ ।