କଂସ ସଭା — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିତ୍ରଇଲୋକ ଭିତରେ ତୁ ଏକ ଦଣ୍ଡଧାରୀ ।
ଯେବେ ମୋର ଅନ୍ତର୍ଗତେ ଥିବ ତୋତେମାୟା
ରଉରବ ନରକରେ ପଡ଼ିବ ମୋ କାୟା ।
ବାବୁ ତୋ ଜୀବନ୍ତେ ମୋର ସବୁ ସୁଖ ଅଛି
ତୋର ଅଭାବେ ଆମ୍ଭର କାହିଁ ନାହିଁ କିଛି ।
ପିତାର ଛାମୁରେ ଯେବେ ପୁତ୍ର ହୋଏ ଦକ୍ଷ
ସଂସାର ଭିତରେ ନାହିଁ ତାର ସମକକ୍ଷ ।
କଂସ ବୋଲଇ ଭୋ ତାତ ତବ ପରସାଦେ
ଅନ୍ୟ ପରମାଦ ମୋତେ ନାହିଁ କାହିଁ ହାଦେ ।
ଏକ ମାତ୍ରକ ଏ କଥା ହୋଇଛି ଅସାଧ୍ୟ
ଦେବକୀ ପୁତ୍ର କରିବ ମୋତେ ପ୍ରାଣେ ବଧ ।
ନାରଦ ମହାମୁନି ଯେ କହିଛନ୍ତି ମୋତେ
ଦେବକୀ ଅଷ୍ଟମ ପୁତ୍ର ମାରିବ ଯେ ତୋତେ ।
ତୁମ୍ଭ ବିନା ଆନକୁ ମୋ ପ୍ରତେ ନାହିଁ ତାତ
ତେଣୁ ବିଚାରି ବିଚାର କହଇ ତୁମ୍ଭନ୍ତ ।
ଏବେ ଏ ବେନିପୁତ୍ରଙ୍କୁ ଦୃଢ଼କରି ରଖ
ଏହା ନିବାରି ପାରିଲେ ପ୍ରତିଜ୍ଞା ମୋ ଦେଖ ।
ସକଳ ବ୍ରହ୍ମାଣ୍ଡ ସାଧ୍ୟ କରିବି ସମରେ
ଇନ୍ଦ୍ର ଆଦି ଦିଗପାଳ ନ ଥିବେ ସ୍ୱର୍ଗରେ ।
ସକଳ ଦେବତାଙ୍କୁ ମୁଁ ଦେବଇଁ ଘଉଡ଼ି
ବଳେ ସୁର ସିଂହାସନ ବସିବି ମୁଁ ମାଡ଼ି ।
ଏ ମର୍ତ୍ତ୍ୟମଣ୍ଡଳେ ତାତ ହେବୁ ମହାରାଜା
ଦିଗପାଳ ସମାନେ ତୁ ପାଉଥିବୁ ପୂଜା ।
ଯେବେ ଜାଣ ଏ ବଚନ ଗୋଟା ଲଙ୍ଘିବଇଁ
ଭୋ ପିତା ତୋହର ପାଦେ ଦୋରେହା ହେବଇଁ ।
ଏତେ ବୋଲି ପିତାପାଦେ ନମସ୍କାର କରି
ବାହୁଡ଼ି ଅନ୍ତଃପୁରକୁ ଗଲା ଦଣ୍ଡଧାରୀ ।
କଂସ ଉଠିଯାନ୍ତେ ସଭା ଗୋଟି ମଉଳିଲା
ଯେ ଯାହାର ପୁରକୁ ତ ସୁଖେ ଚଳିଗଲା ।
କଂସର ପ୍ରତାପପଣ ଜଗତେ ବିଖ୍ୟାତ
କହନ୍ତି ଯେ ଶୁକମୁନି ଶୁଣ ପରୀକ୍ଷିତ ।
ଶ୍ରୀହରିବଂଶ ପୁରାଣଯାକ ପୁଣ୍ୟମୟେ
ଦଶମେ ଦଶମ ଅଧ୍ୟା ସମାପତ ହୁଏ ।
ବନ୍ଦଇ ଯେ ବେଦବ୍ୟାସ ପରମ ଈଶ୍ୱର
ଅଠର ଖଣ୍ଡ ପୁରାଣ ଆଜ୍ଞାରେ ଯାହାର ।
ଶୋଭିତ କୃଷ୍ଣ ପିଙ୍ଗଳ ଜଟା ଯାର ମାଥେ
ପଞ୍ଚମୁଦ୍ରା ବ୍ରହ୍ମଦଣ୍ଡ ଶୋଭିତ ଯା ହସ୍ତେ ।
କପିଳାମଳ ବିଭୂତି ଭୂଷଣ ଯା ଅଙ୍ଗ
ଭ୍ରମନ୍ତି ଅନେକ ଶିଷ୍ୟ ସଦା ଯାର ସଙ୍ଗ ।
ମର୍କତ କୁଣ୍ଡଳ ବେନି ଶୋହେ ଗଣ୍ଡସ୍ଥଳେ
ମଧ୍ୟାହ୍ନ ଆଦିତ୍ୟ ଜ୍ୟୋତି ବଦନ ମଣ୍ଡଳେ ।
କଟିତଟେ ଶୋଭାପାଏ ସରୁ ଝୀନବାସ
ଅଶେଷ ବ୍ରହ୍ମାଣ୍ଡ କଥା ଯାର ଗର୍ଭେ ବାସ ।
ପରମ ପଣ୍ଡିତ ସ୍ୱାମୀ ଶୋଭା ଅନୁପମ
ବେଦ ଭାଗକରି ବେଦବ୍ୟାସ ଯାର ନାମ ।
ଅନନ୍ତ କୋଟି ବିଦ୍ୟାର ତହିଁ ଯାହା ବିଧି
ସକଳ ଗ୍ରନ୍ଥମାନଙ୍କୁ ଅଛ ତୁମ୍ଭେ ସାଧି ।
ଷାଠିଏ କୋଟି ଯେ ଗ୍ରନ୍ଥ ମୁଖେ ବଖାଣିଲ
ସକଳ ଶାସ୍ତ୍ର ପୁରାଣ ସ୍ୱଇଚ୍ଛାରେ କଲ ।
ସ୍ୱାମୀ ଯେ ବିଦ୍ୟା ନାଟକ କଲ ଯଥାବିଧି
ଚଉଦ ଲୋକେ ସେ ଗ୍ରନ୍ଥ ହୋଇଲା ପ୍ରସିଦ୍ଧି ।
ସକଳ ବିଦ୍ୟା ତୁମ୍ଭର ଅସାଧନେ ସାଧ୍ୟ
ଅବ୍ୟକ୍ତ ପୁରୁଷ ତୁମ୍ଭେ ଅବୋଧକୁ ବୋଧ୍ୟ ।
ନମୋ କବିକୁଳ ଇନ୍ଦ୍ର ନମୋ ବେଦବ୍ୟାସ
ପଣ୍ଡିତ ଲୋକ ମଣ୍ଡିତ ପରମ ପୁରୁଷ ।
ବିଷ୍ଣୁ କୀର୍ତ୍ତି ବଖାଣିଲ ଦିବ୍ୟମୂର୍ତ୍ତି ଧରି
ତୁମ୍ଭଙ୍କୁ ଏ ସଂସାରରେ ନାହିଁ କେହି ସରି ।
ଓଁକାରେ ତୁ ବର୍ତ୍ତମାନ ଲଜାର ପର୍ଯ୍ୟନ୍ତେ
ଦିବ୍ୟ ଚକ୍ଷୁରେ ପ୍ରସନ୍ନେ ଦୃଷ୍ଟି ଦିଅ ମୋତେ ।
ତୁମ୍ଭେ ମୋତେ ସୁପ୍ରସନ୍ନ ହୁଅ ବିଦ୍ୟାବନ୍ତ
କହିବି ମୁଁ ପୁଣ୍ୟ ଧ୍ୱନି ଶିରୀ ଭାଗବତ ।
ତୁମ୍ଭେ ପୁରାଣ କରିଛ ଯାହା ଶୁଦ୍ଧଚିତ୍ତେ
ମୁଁ ଲେଖଇ ଲୋକମନ ରଞ୍ଜନ ନିମନ୍ତେ ।
ସକଳ ପ୍ରାଣୀ ସଂସାରେ ମୋହେ ଛନ୍ତି ରହି
ପୁଣ୍ୟ ବୋଲି ବିଚାର ତ ନ କରନ୍ତି କେହି ।
ଛାଡ଼ି ପୁଣି ସଦମାର୍ଗ ବୁଡ଼ି ଭବଜଳେ
ଗୋବିନ୍ଦ ନାମ ଗୋଟିକି ପାସୋରି ସକଳେ ।
ଶାରଦାଙ୍କ ଅନୁଗ୍ରହେ ଭାଗବତ ବାଣୀ
ସଂସାର ଜନ ମୁକତ ହେବେ ଏହା ଶୁଣି ।
ଏ ଯେ ହରିବଂଶ ଗ୍ରନ୍ଥ ଅଟେ ପୁଣ୍ୟମୟ
ଶୁଣି ଏ ଗ୍ରନ୍ଥକୁ ଜନେ ପାପ କର କ୍ଷୟ ।
ଜନ୍ମେ ଜନ୍ମେ ଅପୁତ୍ରକ ଅଟଇ ଯେ ପ୍ରାଣୀ
ପାଇବେ ଅବଶ୍ୟ ପୁତ୍ର ଏ ପୁରାଣ ଶୁଣି ।
ଧନ ଜନ ଗୋପଲକ୍ଷ୍ମୀ ଯେ ଯାହାର ଇଚ୍ଛା
ଏ ଗ୍ରନ୍ଥ ଶୁଣି ପୂରିବ ତାଙ୍କ ମନୋବାଞ୍ଛା ।
ଶ୍ରୀକୃଷ୍ଣ ଚରଣ ତଳେ ଦେଇ ନିଜ ମନ
କହଇ ଅଚ୍ୟୁତାନନ୍ଦ ଦାସ ଏ ପୁରାଣ ।
ଦେବକୀର ଶୋକ ଓ ଯମୁନାକୂଳେ ଯଶୋଦା ସଙ୍ଗେ ଭେଟ
ଏଥୁଅନ୍ତେ କହନ୍ତି ଯେ ପୁଣି ଶୁକଯତି
ଶୁଣ ସାବଧାନେ ତୁହୋ ପରୀକ୍ଷ ନୃପତି ।
ଶ୍ରୀଭାଗବତ ପୁରାଣ ସାର ପୁଣ୍ୟନିଧି
ମନୋବାଞ୍ଛା ପୂର୍ଣ୍ଣ କରେ ଦିଏ ସର୍ବସିଦ୍ଧି ।
ସୁଦେବର ପୁତ୍ର ଯେଉଁ ବସୁଦେବ ବୀର
ବଶିଷ୍ଠ ଯେ ପଣ୍ଡିତ ଧାର୍ମିକ ସୁଧୀର ।
ପବିତ୍ର ବିଷ୍ଣୁ ବଂଶଜ ଅତି ଶୁଦ୍ଧଶାଳୀ
ସଂଗ୍ରାମରେ ମହାଜିତା ଅଟେ ମହାବଳୀ ।
ମଧୁବନ କଟକରେ ମନ୍ତ୍ରୀ ଶିରୋମଣି
ଗୋମାତା ଦେବୀର ଶାପେ କଶ୍ୟପ ଯେ ମୁନି ।
ପୃଥ୍ୱୀଭାର ନିବାରଣେ ସେ କଶ୍ୟପ ମୁନି
ବସୁଦେବ ରୂପେ ଜନ୍ମ ହୋଇଛି ଅବନୀ ।
ଯେ ଅଦିତି ସେ ଦେବକୀ ହୋଇଛନ୍ତି ଜାତ
ତା ଗର୍ଭରୁ ନାରାୟଣ ହୋଇବେ ସମ୍ଭୁତ ।
ବସୁଦେବର ଭାରିଯା ପ୍ରିୟବତୀ ଶ୍ରେଷ୍ଠ
କେତେ ଜିଙ୍ଘାସଇ ତାକୁ ଅସୁର ପାପିଷ୍ଠ ।
ଷଡ଼ପୁତ୍ରକୁ ମାଇଲା ଧରି ମହାପାପୀ
ସେ କଥା ଭାଳି ଦେବକୀ ହୁଅଇ ସନ୍ତାପି ।
ଶଏ ସାତ ଭାରିଯାରେ ରୋହିଣୀ ଯେ ଶ୍ରେଷ୍ଠ
ଏତେ କଷ୍ଟ ଦେଲା ମୋତେ ଭାଇ ଯେ ପାପିଷ୍ଠ ।
ସ୍ୱଭାବେ ଜ୍ୟେଷ୍ଠ ଭାରିଯା ଅଟଇ ରୋହିଣୀ
ମୁହିଁ ସଉଭାଗୀ ଯେଣୁ ରାଜାର ଭଉଣୀ ।
ଶଏସାତ ଭାରିଯାରେ ଶ୍ରେଷ୍ଠ ଆମ୍ଭେ ବେନି
ପରୀକ୍ଷ ନୃପତି ଆଗେ କହେ ଶୁକ ମୁନି ।
ଏଥୁ ଅନନ୍ତରେ ପୁଣି କେତେ ଦିନ ଗଲା
ଦେବକୀ ଦେବୀ ଯେ ପାକାସ୍ପରଶ ହୋଇଲା ।
ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ଗୁରୁବାର
ରୋହିଣୀ ନାମେ ନକ୍ଷତ୍ର ଅଟେ ସେ ଦିନର ।
ରୋହିଣୀ ନାମେ ନକ୍ଷତ୍ର ଅଟେ ସେ ଦିନର
ବୃଷଚନ୍ଦ୍ରର ଷାଠିଏ ଦଣ୍ଡ ପରା ଭୋଗ ।
ବୃଷଚନ୍ଦ୍ରର ଷାଠିଏ ଦଣ୍ଡ ତହିଁ ଭୋଗ
ତୈଳିଳ ନାମେ କରଣ ଶିବ ନାମେ ଯୋଗ ।
ସେଦିନ ଦେବକୀ ଦେବୀ ଶୁଦ୍ଧସ୍ନାନ ପାଳି
ଯମୁନା ନଦୀକୁ ଦେବୀ ଗଲେ ସ୍ନାନକରି ।
ରୋହିଣୀ ସଙ୍ଗେ ଅନେକ ପରିବାରୀ ମେଳେ
ବେନି ମହାଦେଈ ରବି ଉଦୟର ବେଳେ ।
ନଦୀର ତୀରେ ପ୍ରବେଶ ହେଲେ ଯାଇ ବାଳୀ
ଜଳର ଭିତରେ ଯାଇ ପଶିଲେ ସୁନ୍ଦରୀ ।
ତଇଳ ଅଏଁଳାମାନ ଅଙ୍ଗେ କରି ଲେପ
ପୁତ୍ରମାନଙ୍କୁ ସୁମରି କଲେ ଗୁରୁତାପ ।
ନଦୀର ଭିତରେ ଦେବୀ ହୋଇଲେ ଏକାନ୍ତ
ଗତକଥା ସୁମରିଣ କାନ୍ଦନ୍ତି ବହୁତ ।
ଲୋକ ବ୍ୟବହାରେ ମୁହିଁ ହେଲି ଯେତେ ଦୁଃଖୀ
ଧର୍ମ ବିନା ଶୁଣିବାକୁ ନାହିଁ ଅନ୍ୟସାକ୍ଷୀ ।
ରୂପବନ୍ତ ଷଡ଼ପୁତ୍ର କଷ୍ଟେ ଜାତ କଲି
ଗର୍ଭରେ ବହିଲି କିନ୍ତୁ କୋଳେ ନ ଧଇଲି ।
ମୋହର କନିଷ୍ଠ ଭାଇ ଅଟେ ଯେଉଁ କଂସ
ବାଳହତ୍ୟା କଲା ତାକୁ ନ ଲାଗଇ ଦୋଷ ।
ପାପକୁ ମନରେ ଭୟ ନ କରି ସେ ରାଜା
ଅଦୋଷରେ କଚାଡ଼ିଲା ଛ ଗୋଟି ଭଣଜା ।
ଏମନ୍ତେ ମନେ ବିଚାରି କରଇ ରୋଦନ
ନୟନରୁ ଅଶ୍ରୁ ଜଳ ବହେ ଘନ ଘନ ।
ପୁତ୍ରଙ୍କ ରୂପ ବାହୁନି କାନ୍ଦେ ରାଜାଜେମା
ଶୋକଭରେ ନଦୀତୀରେ ବସୁଦେବ ବାମା ।
ଆହାରେ ଦଇବ ମୋତେ ଦେଲୁ ପୁତ୍ର କଷ୍ଟ
କେତେ ଘଞ୍ଚାଳ ନ କରେ ଦୁଷ୍ଟ କଂସ ନଷ୍ଟ ।
ଷଡ଼ପୁତ୍ର ଅରଜିଲି ମାଇଲା ସେ ପାପୀ
ସୋଦର ସମ୍ପଦ ମୋର ବିପଦ ସ୍ୱରୂପୀ ।
କେବଣ ପୁରୁଷ ପୂର୍ବେ ଦେଲା ଅଭିଶାପ
ଏତେକାଳେ ମୋତେ ଆସି ଘୋଟିଲା ସେ ପାପ ।
ଭୋ ଧର୍ମଦେବତା ଏବେ ପ୍ରତିକାର କର
ଶୋକଜଳେ ବୁଡ଼ିଲି ମୁଁ ଉଦ୍ଧରିଣ ଧର ।
ପବିତ୍ର ଭୋଜବଂଶରେ ହୋଇଲି ମୁଁ ଜାତ
ଇନ୍ଦୁମତୀ ଦେବୀ ମୋର ଅଟେ ନିଜ ମାତ ।
ନୃପତି ଉଗ୍ରସେନ ଯେ ଅଟେ ମହାବଳୀ
ତାହାର ଜ୍ୟେଷ୍ଠଦୁହିତା ମୁହିଁ ଶୁଦ୍ଧଶାଳୀ ।
ଦେବଦଳନ ଯେ କଂସ ସାନଭାଇ ମୋର
ଦାରୁଣ ଦୁଃଖ ଦେଇଛି ଆପଣା ସୋଦର ।
ଏ ସଂସାର ମଧ୍ୟରେ ମୁଁ ଏକା ମନ୍ଦଭାଗ୍ୟ
ଅପୁତ୍ରକୀ ହେଲି ମୋତେ ଥିଲା ଏହି ଯୋଗ ।
କାହା ଆଗେ କହିବଇଁ ମୋର ଦୁଃଖକଥା
ଭୋ ଧର୍ମଦେବତା ଫେଡ଼ ମୋ ଦୁଃଖ ଅବସ୍ଥା ।
ଏତେ ବୋଲି ଦେବତାଙ୍କୁ ଦେବୀ ସୁମରିଲେ
ଉଚ୍ଚେ ସୁନ୍ଦରୀ ବହୁତ ରୋଦନ ଯେ କଲେ ।
ସପତ ସମୁଦ୍ରେ ପଶି ନ ତିନ୍ତିଲା ପାଦ
ରାଜାର କୁମାରୀ ହୋଇ ନ ଗଲା ମୋ ଖେଦ ।
କେତେ ମୁଁ ସହିବି ଗର୍ଭକଷ୍ଟ ମନ କୋହ
ନିଶ୍ଚୟେ ଅନଳେ ପଶି ତେଜିବି ଏ ଦେହ ।
ନୋହିଲେ ମୋର ତଣ୍ଟି ମୁଁ କାଟିବି କଟାରେ
ହେବି ପଛେ ଆତ୍ମଘାତୀ ଝାସିବି ସାଗରେ ।
ଦେବକୀ ବିକଳ ଦେଖି ରୋହିଣୀ ବକଳ
କମଳ ନୟନ ଫାଟି ବହେ ଅଶ୍ରୁଜଳ ।
ଦେବକୀ ପାରୁଶେ ଯେତେ ପରିବାରୀ ଥିଲେ
ଜେମାଙ୍କ ରୋଦନ ଶୁଣି ରୋଦନ ସେ କଲେ ।
ଏକାଳେ ଯମୁନା ନଦୀ ଦକ୍ଷିଣର କୂଳେ
ଯଶୋଦା ଗୁଆଳୀ ସ୍ନାନ କରୁଥିଲା ଜଳେ ।
ନନ୍ଦନାମେ ଗୋପାଳ ଯେ ଗୋପ ନୃପମଣି
ଯଶୋଦା ନାମେ ତାହାର ଅଟଇ ଘରଣୀ ।
ଅଛନ୍ତି ସେହି ଅନେକ ଗଉଡ଼ୁଣୀ ମେଳେ
ଦଧି ବିକି ଆସି ସ୍ନାନ କରୁଥିଲେ ଜଳେ ।
ଉତ୍ତର କୂଳରେ ରହି କାନ୍ଦନ୍ତି ଦେବକୀ
ସର୍ବ ଗୋପାଳୁଣୀ ମେଳେ ଗଲେ ତାକୁ ଦେଖି ।
ଦେବକୀଙ୍କୁ ବେଢ଼ିଲେ ସେ ଶତେପୁର କରି
ଏକୁଁ ଏକ ପ୍ରବୋଧନ୍ତି ମିଳି ସର୍ବନାରୀ ।
ଯଶୋବନ୍ତୀ ବୋଇଲେ ଗୋ ଶୁଣ ପ୍ରାଣ ସହି
କିପାଁ ସନ୍ତାପ କରୁ ଗୋ ବଥାଇବ ଦେହୀ ।
ଆଗେ ଯାହା ଅର୍ଜିଥାଇ ପଛେ ତାହା ଭୁଞ୍ଜି
ଚିତ୍ରଗୁପ୍ତ ଲେଖିକରି ରଖିଥାନ୍ତି ପାଞ୍ଜି ।
ଯାହା ଅର୍ଜିଅଛ ତୁମ୍ଭେ ଭୁଞ୍ଜିବ ନା ବଳେ
ବିଧାତା ତୁମ୍ଭଙ୍କୁ ଖଞ୍ଜିଅଛି ସଦାକାଳେ ।
ଯାବତ କଥା ତୁମ୍ଭର ଜାଣେ ମୁଁ ସକଳ
ସମ୍ଭାଳ ତୋ ଶୋକମନ ନୁହ ଗୋ ବିକଳ ।
ପ୍ରସ୍ତାବେ କହନ୍ତି ଲୋକେ ଏବେ ତୁମ୍ଭ କଥା
ତାହା ଶୁଣି ମନେ ମୋର ପାଇ ବଡ଼ବ୍ୟଥା ।
ଏକା ପୁତ୍ର ମଲେ ଜାଣ ଗର୍ଭକଷ୍ଟ ଯେତେ
ଗର୍ଭବତୀ ସ୍ତିରୀମାନେ ଜାଣନ୍ତି ସମସ୍ତେ ।
ଷଡ଼ଗୋଟା ପୁତ୍ର ତୋର ଅନିମିତ୍ତେ ଗଲେ
ଏ ବେଦନା କାହା ଆଗେ କି ହେବ କହିଲେ ।
ସୋଦର ଭାଇ ତୁମ୍ଭର ଏଡ଼େକ ନିରାଶ
ସ୍ୱହସ୍ତେ ଭଣଜାମାନ କଲା ସବୁ ନାଶ ।
ଏଡ଼େକ ଅନୀତି କିପାଁ କରେ କଂସରାୟ
ପାପକୁ କି ତାହାର ଗୋ ଚିତ୍ତେ ନାହିଁ ଭୟ ।
ଭାଇ ହୋଇ ତୋତେ କିପାଁ ନ କଲା ସେ ଦୟା
ଏଥକୁ ଚିନ୍ତା ନ କର ତୁ ଗୋ ରାଜଜାୟା ।
ଏ ତୁମ୍ଭ ଅର୍ଜିଲା କର୍ମ ଆନେ ଦୋଷ ନ ଦେ
ଦୁଃଖ ତୁମ୍ଭର ଅଳପ ଦିନେ ଯିବ ହାଦେ ।
ପିତା ପ୍ରସାଦେ ଅପୂର୍ବ ଅଛି ତୋତେ କିସ
ଏ ଛାର କଥାକୁ କିପାଁ ହେଉ ଅସନ୍ତୋଷ ।
ଯେତେକ ଶୋକ କରିବ ଦେହେ ପାଇବ୍ୟଥା
ଗଞ୍ଜିସିନା ହୋଇବ ଗୋ ନ କହିବା କଥା ।
ଏ ମୋର ପ୍ରବୋଧ ଘେନି ହୁଅ ମାତ ତୁନି
ଦେବକୀ ଲୁହ ପୋଛନ୍ତି କରେ ବସ୍ତ୍ର ଘେନି ।
ଦେବକୀ ବୋଇଲେ ସଖି ଦେଖ ମୋର କଷ୍ଟ
ଏତେ ଜିଙ୍ଘାସ କରୁଛି ମୋର ଭାଇ ଦୁଷ୍ଟ ।
ପୁତ୍ରଙ୍କର ଶୋକ ମୁଁ ଗୋ ନ ପାରଇ ସହି
ଯମୁନା ଜଳରେ ଝାସଦେବି ଆଜ ଦେହି ।
କାହିଁଥିଲା ମୋହର ଗୋ ଏହି ଘଟସୂତ୍ର
ଦେଖୁ ଦେଖୁ ମରାଇଲି ଷଡ଼ଗୋଟା ପୁତ୍ର ।
ସ୍ତିରୀ ସଂସାରେ ମୋତେ କି ଏଥୁ ଅଛି ଲଜ୍ଜା
ନିଶ୍ଚୟେ କରିବି ଏହି ଦେହୁ ପ୍ରାଣତ୍ୟଜ୍ୟା ।
ଯଶୋବନ୍ତୀ ବୋଇଲେ ମୁଁ ଭାଳଇ ଗୋ ମନେ
ମୋତେ ଦୃଶ୍ୟ ହେଉଅଛି ଦୁର୍ଲ୍ଲଭ ଶକୁନେ ।
ବାମ ନୟନ ମୋହର ସ୍ଫୁରୁଅଛି ଢାଳେ
ଦେଖ ଆମ୍ଭ ଆଗରେ ଗୋ ଉଡ଼େ ଶଙ୍ଖଚିଲେ ।
ଦଧିମାଛ ପୂର୍ଣ୍ଣକୁମ୍ଭ ସବୁ ଶୁଭ ଦେଖି
ଏବେ ଏ ତୁମ୍ଭର ଆତ୍ମା ସ୍ଥିର କର ସଖି ।
ସକଳ ଦୁଃଖ ଆଜହୁଁ ଯିବ ତୋର କ୍ଷୟେ
ଏସନକ ଦୃଶ୍ୟ ମୋତେ ହୋଇଲା ଗୋ ମାଏ ।
ଷଡ଼ପୁତ୍ର ନାଶକଲେ ନ ଭାଳ ତୁ ମନ
ଶକୁନେ ଜାଣିଲି ତୋର ଦିଶିଲା ଗୋ ପୁଣ୍ୟ ।
ଏ କଥା ପ୍ରତେ ଯେବେ ନ କରୁ ସଙ୍ଗାତୁଣୀ
ମୋହର ପୁତ୍ର ହୋଇଲେ ଦେବି ତୋତେ ରାଣୀ ।
ମୋର ତିନିବାର ସତ୍ୟ ସତ୍ୟ ଏହି କଥା
ଆଉ ସଖି ମନରେ ଗୋ ନ ପାଅ ତୁ ବ୍ୟଥା ।
ବିନୟ କରି ବୋଲୁଛି ତୋତେ ଶୁଭ୍ରକେଶୀ
ବାହୁଡ଼ି ନିଜ ନବରେ ଯାଅ ଘେନି ଦାସୀ ।
ଜଗତ ତାରଣ ପୁତ୍ର ତୁମ୍ଭର ଉଦରେ
ଜାତହେବେ ଦିଶେ ମୋତେ ଏହା ଶକୁନରେ ।
ସବୁକାଳେ ପ୍ରାଣୀଙ୍କର ନ ଥାଇଟି ଦୁଃଖ
ସମୟେ କଷ୍ଟ ପାଇଲେ ସମୟେକ ସୁଖ ।
ରାତ୍ରକ ହୋଇଲେ ପୁଣ ଦିବସେକ ହୋଇ
ଶୁଭ ଥିଲେ ଅଶୁଭ ହିଁ ପାଖେ ପାଖେ ଥାଇ ।
ସ୍ତିରୀ ଏକ ହୋଇଲେ ଯେ ପୁରୁଷେକ ହୋଇ
ଚିନ୍ତା ନ କର ଗୋ ତୁମ୍ଭେ ଆଉ ଏଥିପାଇଁ ।
ଭଲ ମନ୍ଦ ଏକଠାବ ହୁଅଇ ସଂଯୋଗ
ପୁଣ୍ୟ କରିଥିଲେ ମଧ୍ୟ ଥାଇ ପାପ ଯୋଗ ।
ତୁ ରାଜଦୁହିତା ମାଗୋ ଜନ୍ମକାଳୁ ସୁଖୀ
ପ୍ରକାରାନ୍ତେ ଧାତା ସିନା କରୁଅଛି ଦୁଃଖୀ ।
ଏବେ ନିଶ୍ଚୟ ଦିଶିଲା ମାଗୋ ଶୁଭକଥା
ଆଜହୁଁ ମନରୁ ମାଗୋ ଛାଡ଼ ତୋର ବ୍ୟଥା ।
ଅନେକ ପ୍ରକାରେ ପୁଣ୍ୟ ଯଶୋଦା ତିଆରି
ଯମୁନାକୁ ପାରି ହୋଇ ଗଲେ ଯେଝା ପୁରୀ ।
ଦେବକୀକୁ ଯଶୋଦା ଯେ କହି ଆଗବଢ଼ି
ଯଶୋଦା ବଚନେ ଦେବୀ ସବୁ ଚିନ୍ତା ଛାଡ଼ି ।
ବସୁଦେବର ଭବନେ ଦେବକୀ ପ୍ରବେଶ
ଯଶୋଦା ଦେବୀ ଯେ ଗଲେ ଆପଣା ଆବାସ ।
ଯେ ଯାହାର ନିତ୍ୟାଚାରେ ରହିଲେ ସକଳ
ଏକମାତ୍ର ଦେବକୀ ଯା ହୁଅନ୍ତି ବିକଳ ।
ଭୋଜନ ଶୟନ ଗୃହ ଧନ୍ଦାମାନ ଆଦି
ନିତ୍ୟ ଆଚାର ଯେମନ୍ତେ ଥାଇ ଯଥାବିଧି ।
ଜୟ ତୁ ଶାରଦା ମାଗୋ ଝଙ୍କଡ଼ ବାସିନୀ
ବାଣପୁରେ ଭଗବତୀ ନାମ ଅଛୁ ଘେନି ।
ମହୋଦଧି ତୀରେ ନାମ ଅଟଇ ବିମଳା
ଭୈରବୀ ରୂପକୁ ଧରି ବୋଲାଉ ହିଙ୍ଗୁଳା ।
ଯାଜପୁରେ ହୋଇଅଛି ତୋ ନାମ ବିରଜା
ଆଶ୍ୱିନ ମାସରେ ପାଉ ନାନା ବଳିଭୋଜା ।
ସୁକୃତୀମାନଙ୍କ ଗୃହେ ବୋଲାଉ ତୁ ଲକ୍ଷ୍ମୀ
ପାପୀମାନଙ୍କର ଘରେ ତୁ ପୁଣି ଅଲକ୍ଷ୍ମୀ ।
ସାଧୁ ହୃଦେ ଶ୍ରଦ୍ଧା ତୁହି ଜ୍ଞାନୀ ହୃଦେ ଜ୍ଞାନ
କୁଳୀନ ହୃଦରେ ଲଜ୍ଜାରୂପେ ଥାଉ ପୁଣ ।
ତୋ ପାଦରେ ନମସ୍କାର କରୁଅଛି ମୁହିଁ
ଜଗତକୁ ରକ୍ଷା କର ମାଗୋ ମହାମାୟୀ ।
ମୁଁ ମୂର୍ଖ ଅଚ୍ୟୁତ ଦାସ ନ ଜାଣଇ କିଛି
କେବଳ ତୋ ପାଦପଦ୍ମେ ଚିତ୍ତ ରଖିଅଛି ।