ଅର୍ଜ୍ଜୁନ ବୃକ୍ଷ ଭଞ୍ଜନେ କଂସର ଭୟ ଓ ମନ୍ତ୍ରଣା — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିମୋ ଜନ୍ମ ସଫଳ ତୁମ୍ଭ ପରା ପାଇ ଶିଷ୍ୟ ।
ଦିଗପାଳ ସମାନ ତୁ ପାଇଲି ମୁଁ ତୋତେ
ରାଜାଧିରାଜାର ମାତା ବୋଲାଇ ଜଗତେ ।
ତୁହି ଯେବେ ସର୍ବଶୁଭେ ବର୍ତ୍ତିଥିବୁ ବାବୁ
ତୁ ଆରୋଗ୍ୟ ଥିଲେ ସିନା ଆମ୍ଭ ଭଲ ସବୁ ।
ସୁନାସ ବୋଲେ ତୁ ଶୁଣ ସାବଧାନେ ରାୟେ
ପରର ମୁଖୁଁ ଶୁଣିଣ କରୁ କେତେ ଭୟେ ।
ମୁଁ ତୋର ସୁହୃଦ ଆଉ ଭାଇ ନାହିଁ ଆନ
ତୁମ୍ଭେ ମୋର ଜ୍ୟେଷ୍ଠଭ୍ରାତା ମୁହିଁ ତୁମ୍ଭ ସାନ ।
ତୁମ୍ଭପାଇଁ ପଛେ ଏହି ଦେହ ବିସର୍ଜିବି
ନିଶ୍ଚୟ ଛାମୁରେ ତୋର ଶତ୍ରୁ ଆଣିଦେବି ।
ପାଦଛୁଇଁ ବୋଲୁଅଛି ଛାଡ଼ ମନୁ ଭୀତି
ସୁନାସ ଯହୁଁ ପ୍ରତିଜ୍ଞା କଲା ଏହିମତି ।
ଅଷ୍ଟମଲ୍ଲ ଆଦି ଥିଲେ ଯାଦବ ଯେତେକ
ଏକେ ଏକେ ଉଠି କଲେ ପ୍ରତିଜ୍ଞା ଅନେକ ।
ତୁମ୍ଭର ଶତ୍ରୁକୁ ଆମ୍ଭେ ମାରିବୁ ବୋଇଲେ
ସେ ଅତି ବାଳୁତ ସେନା ନାହିଁ ତାର ତୁଲେ ।
ପ୍ରତିଜ୍ଞା ଶୁଣିଣ କଂସରାଜା ତୋଷମତି
ପାତ୍ର ମିତ୍ର ଅମାତ୍ୟଙ୍କ ମନୁ ଗଲା ଭୀତି ।
ଏଥୁଅନ୍ତେ ମଉଳିକା ନୃପତି ଆସନ
ଯେ ଯାହାର ମନ୍ଦିରକୁ ଗଲେ ସଭାଜନ ।
କଂସରାଜା ଏହା ଶୁଣି ଭିତରକୁ ଗଲା
ଉଗ୍ରସେନ ଇନ୍ଦୁମତୀ ଉଆସେ ରହିଲା ।
ରାଜାର ସେ ସାନଭାଇ ସୁନାସ ଆବର
ଅଷ୍ଟମଲ୍ଲ ସଙ୍ଗେ ଘେନି ହୋଇଲା ବାହାର ।
ଯେ ଯାହାର ନିତ୍ୟକର୍ମ କଲେ ସର୍ବପ୍ରାଣୀ
ନନ୍ଦର ମନ୍ଦିରେ ବିଜେ ହଳୀ ଚକ୍ରପାଣି ।
ଭକତ ଜନର ବନ୍ଧୁ ଦେବ ଦେବରାଜା
ବ୍ରହ୍ମା ଗଙ୍ଗାଧର ଯାର କରି ପାଦପୂଜା ।
ଦୁଷ୍ଟଜନକୁ ସଂହାରି ସନ୍ଥ ପ୍ରତିପାଳି
ସକଳ ଜନ ଆଶ୍ରିତ ନାମ ବନମାଳି ।
ସେ ଯଶୋଦା ନନ୍ଦଙ୍କର ଅଭୟ ଚରଣ
ଅଚ୍ୟୁତାନନ୍ଦ ସେ ପାଦେ ପଶିଲା ଶରଣ ।
ଶ୍ରୀକୃଷ୍ଣଙ୍କ ମୃତ୍ତିକା ଭକ୍ଷଣ ଓ ଯଶୋଦାଙ୍କର ବିଶ୍ୱରୂପ ଦର୍ଶନ
ଏଥୁ ଅନନ୍ତରେ ପୁଣି କେତେଦିନ ଯାଏ
ରାମକୃଷ୍ଣ ସଙ୍ଗେ ମିଳି ଖେଳିବାର ପୋଏ ।
କେ ବୋଲନ୍ତି ଭାଇ କେହି ବୋଲନ୍ତି ହେ ନନା
କେ ବୋଲନ୍ତି ଗୋପୀନାଥ କେ ବୋଲନ୍ତି କହ୍ନା ।
କେ ବୋଲେ ମାଧବ ମଧୁସୂଦନ ମୁରାରି
କେ ବୋଲନ୍ତି ନାରାୟଣ ପ୍ରଭୁ ଦଇତ୍ୟାରି ।
କେ ବୋଲେ ପୁରୁଷୋତ୍ତମ କେଶବ ଅଚ୍ୟୁତ
କେ ବୋଲଇ ଦାମୋଦର ନୃସିଂହ ଶ୍ରୀକାନ୍ତ ।
ଏରୂପେ ଡାକନ୍ତି ଗୋପେ କୃଷ୍ଣନାମ ଧରି
ମନ୍ଦିରୁ ବାହାରି ବଳରାମ ଚକ୍ରଧାରୀ ।
ଚାରିପାଖେ ବେଢ଼ିଛନ୍ତି ଗୋପାଳଙ୍କ ପୋଏ
ନଗର ପ୍ରାଙ୍ଗଣେ ଖେଳ ଦେବରାୟେ ।
କୁଲାଇ କୁଣ୍ଢାଇ ଖେଳ ନାଚ ପଦ୍ମକରେ
ଖେଳନ୍ତି ଗୋପାନଗରେ ଦାଣ୍ଡେ ଦାମୋଦରେ ।
କେତେହେଁକ ବେଳରେ ସେ ଜଗତ ଗୋସାଇଁ
ଶ୍ରୀମୁଖ ବିସ୍ତାରି ମାଟି ଭକ୍ଷିଲେକ ନେଇ ।
ବଳରାମ ସହିତରେ ଗୋପପୋଏ ଥିଲେ
ଶ୍ରୀକୃଷ୍ଣ ମାଟି ଖାଇବା ସମୟେ ଦେଖିଲେ ।
ବଳରାମ ବୋଲେ କାହ୍ନୁ କରୁଅଛୁ ଡକା
ମାଆଙ୍କୁ ଯାଇ କହିବି ମାଟି ବେଗେ ପକା ।
ମାଟି ଭକ୍ଷିଲେ ଶରୀରେ ବର୍ଦ୍ଧମାନ ରୋଗ
ତୁଣ୍ଡରୁ ମାଟି କାଢ଼ନ୍ତି ରାମ ହୋଇ ବେଗ ।
ପାଞ୍ଚସାତ ବେଳ କଲେ ନିଷେଧ ସେ ହଳୀ
ବଡ଼ ଚଞ୍ଚଳ ମୃତ୍ତିକା ଭକ୍ଷି ବନମାଳୀ ।
ବେଗେଣ କହିଲେ ରାମ ଯାଇ ମାତା ଆଗେ
ଶୁଣିଣ ଯଶୋଦା ବେଗେ ଧାଇଁଗଲେ ରାଗେ ।
କରେ ଧରିଛନ୍ତି ପ୍ରଭୁ ମୃତ୍ତିକା ମୁଠାଏ
କୃଷ୍ଣର ଛାମୁରେ ଯାଇ ମିଳିଲେକ ମାଏ ।
ଦକ୍ଷିଣ ହସ୍ତରେ ଛାଟ ଧରି ନନ୍ଦରାଣୀ
ଶ୍ରୀମୁଖ ଚାହିଁ ଯଶୋଦା ବେଲେ କୋପେ ବାଣୀ ।
ଆରେ ଆରେ କହ୍ନାଇ ମୁଁ ମାରିବଇଁ ତୋତେ
ପ୍ରତିଦିନ ଭକ୍ଷିଲୁ ତୁ ମାଟି ଏହିମତେ ।
ତୋର ଦୁଷ୍ଟପଣ ହାଦେ ନ ଜାଣନ୍ତି ନନ୍ଦ
ତୋପାଇଁ କୁଭାଷା କେତେ ସହିବି ଗୋବିନ୍ଦ ।
ସର ଅଧାମ ଲବଣୀ ଦେଇ ତୋ ତୁଣ୍ଡର
ଅମୀକ୍ଷା ଦୁଗ୍ଧ ଶାକର କଦଳୀ ଅପାର ।
ଷଡ଼ରସ ପ୍ରକାର ତୁ ଯାଚିଲେ ନ ଖାଉ
ତୁଣ୍ଡରେ ଭରିଲେ ଥୁ ଥୁ କରି ତୁ ପକାଉ ।
କେବଣ ସ୍ୱାଦପାଇ ତୁ ଭକ୍ଷିଲୁ ମୃତ୍ତିକା
ପିଞ୍ଜିବି ଅଙ୍ଗ ତୋହର ମାଟି କାଢ଼ିପକା ।
ଗୋବିନ୍ଦ ବୋଇଲେ ମାଗୋ ନ ଭକ୍ଷଇ ମୁହିଁ
ମିଛ ବଳରାମ ଭାଇ ତୁମ୍ଭ ଆଗେ କହି ।
ଯଶୋଦା ବୋଲନ୍ତି ବାବୁ ମାୟା କହୁ ମୋତେ
ଏହିକ୍ଷଣି ମାଟି ଖାଉ ଦେଖିଲେ ସମସ୍ତେ ।
ଗୋଷ୍ଠରୁ ଗୋପାଳ ଆଜ ଅଇଲେ ଜାଣିମା
ଶ୍ରୀକୃଷ୍ଣ ବୋଇଲେ ମୁଖ ଦେଖ କରେ ଆଁ ଆଁ ।
ଏତେକ ବୋଲି ଗୋବିନ୍ଦ ବିସ୍ତାରିଲେ ପାଟି
ଅନାଇ ଯଶୋଦା ଦେବୀ ପଡ଼େ ମହୀ ଲୋଟି ।
ପାତାଳୁଁ ବୈକୁଣ୍ଠ ଯାକେ ଦେଖାଗଲା ତୁଣ୍ଡେ
ଗର୍ଭ ଭିତର ପୂରିଛି ଅଶେଷ ବ୍ରହ୍ମାଣ୍ଡେ ।
ଭୂଲୋକ ଯେ ଭୁବଲୋକ ସ୍ୱର୍ଗଲୋକ ତିନି
ମହଲୋକ ଜନଲୋକ ତପ ଯେ ମେଦିନୀ ।
ସୁତଳ ପାତାଳ ତଳାତଳ ଆଦିକରି
ଭୁବମଣ୍ଡଳ ପର୍ଯ୍ୟନ୍ତ ଗର୍ଭେ ଅଛି ପୂରି ।
ଦେଖି ସ୍ତମ୍ଭୀଭୂତ ହେଲେ ଦେବୀ ଯଶୋବନ୍ତୀ
ନୟନରୁ ସ୍ଥିରକରି ପୁଣିହିଁ ଚାହାନ୍ତି ।
ସଂସାର ଯାତନା ଅଛି ଏ ସଂସାରେ ଯେତେ
ସମସ୍ତ ସଂହରିଛନ୍ତି କୃଷ୍ଣ ଗର୍ଭଗତେ ।
ଯଶୋଦା ବୋଲେ ଦେଖିଲେ ପୃଥ୍ୱୀପରେ ଥାଇ
ଆର ପୃଥ୍ୱୀଗୋଟା କାହୁଁ କୃଷ୍ଣଗର୍ଭେ ହୋଇ ।
କିବା ବାତ ପିତ୍ତବ୍ୟାଧି ହେଲା ମୋର କାୟେ
ନିଶ୍ଚୟ ଜାଣିଲି ଦେବତାର ମାୟା କି ଏ ।
ଏମାନ ପୂର୍ବୁ ମୋହରି ଦିନେ ଦେଖା ନାହିଁ
ଆବର ବେଳେ ତୁଣ୍ଡକୁ ଯଶୋବନ୍ତୀ ଚାହିଁ ।
ଏମନ୍ତେ ଯେ ଦଶବେଳେ ଯଶୋଦା ଦେଖନ୍ତି
ଉତ୍ପାତ ଅରିଷ୍ଟ ବୋଲି ମନେ କଲେ ଭୀତି ।
ମୁଖେ ଥୁଥୁକରି ଛାପ ପକାନ୍ତି ଯେ ମାତା
ପାଦଧୂଳି ନେଇ ଦ୍ୟନ୍ତି ଶିରେ ଠିଆଚିତା ।
ଝୁଣାଛରା ମାରି ମାଏ କୃଷ୍ଣେ କୋଳକରି
ପୃଥ୍ୱୀ ସଙ୍ଗତେ ଜଡ଼ିତ ହୋଇଛନ୍ତି ହରି ।
କୋଟି କୋଟି ମନ୍ଦର କି କୋଟି ବସୁନ୍ଧରୀ
ତହୁଁ ଅଧିକ ଶ୍ରୀକୃଷ୍ଣ ହୋଇଛନ୍ତି ଭାରି ।
ପାଞ୍ଚବେଳ ଯାଏ ତଳୁ ଟେକି ନ ପାରିଲେ
ମେରୁହୁଁ ଗାଢ଼ ଅଧିକ ଶରୀର ମଣିଲେ ।
ଶୁକମୁନି ବୋଲନ୍ତି ଯେ ଶୁଣ ନୃପବର
ଅସମ୍ଭବ ବିଷ୍ଣୁ ମାୟା ଅତି ଅଗୋଚର ।
ଦଣ୍ଡ ଦଣ୍ଡକରେ କୃଷ୍ଣ କେଉଁ କୃତ୍ୟ କଲେ
ତାହା ସେ ସଂକ୍ଷେପି ମୋତେ କହିବା ତ ଭଲେ ।
ସମସ୍ତଙ୍କୁ ମୋହ କରିଛନ୍ତି ନାହିଁ ଜଣେ
ଭ୍ରମୁଛନ୍ତି ବିଷ୍ଣୁ ଚକ୍ରକୂଟ ମାୟାବଣେ ।
ବସୁଦେବ ଉଗ୍ରସେନ ଗାର୍ଗ୍ୟ ତିନିଜଣ
ଦଇବୀ ମାୟା ଏହାଙ୍କୁ ନ ଛାଡ଼ଇ କ୍ଷଣ ।
ଯଶୋଦା ଦେବୀ ପ୍ରସବ କରି ନିଦ୍ରାଗଲା
ତହିଁ ଯେଉଁ କଥା ହେଲା କିଛି ନ ଜାଣିଲା ।
ବସୁଦେବ ଯେ ଆଣିଲା କନ୍ୟା ପାଲଟାଇ
ତେତେବେଳେଫଳଫୁଲେ ଉଠିଲେ ଚିଆଇଁ ।
ଜାଣନ୍ତି ଯଶୋଦା ଦେବୀ କୃଷ୍ଣେ କଲେ ଜାତ
ଦେବକୀ ଦୁହିତା ଜାଣି କଂସ କରି ହତ ।
ଏ କଥା ସଂପ୍ରତେ କରୁଅଛନ୍ତି ସମସ୍ତେ
ନନ୍ଦ ଯଶୋଦାଗୋପାଳ ଗେପୀ ଛନ୍ତି ଯେତେ ।
ଆଣ୍ଟେ କୋଳକରି ଦେବୀ ଲୋଡ଼ି ପୁଣି ତୋଳି
ତିଳେମାତ୍ର ଭୂମିରୁ ନ ପାରିଲେକ ଚାଳି ।
ପିମ୍ପୁଡ଼ି ପରାକ୍ରମେ କି ପର୍ବତ ଚଳଇ
ସୂଚୀର ମୁନରେ କାହିଁ ପର୍ବତ ଟଳଇ ।
ଅନନ୍ତ ମାୟାଧର ସେ ପ୍ରଭୁ ନାରାୟଣ
ପୁଣି ଭ୍ରମ କରାଇଲେ ମାତାଙ୍କୁ ଆପଣ ।
ଦେଖିତାହା ପାସୋରିଲେ ବାଳକଗୋପାଳେ
ସ୍ୱପ୍ନ ପରାୟେ ମଣିଲେ ତାହା ଅନ୍ତରାଳେ ।
ବେନି ପୁତ୍ରଙ୍କୁ ଯେ ମାଏ କାଖରେ ବସାଇ
ନବର ମଧ୍ୟେ ପ୍ରବେଶ ହେଲେ ବେଗେଯାଇ ।
ନାନାଦି ପକ୍ୱଦ୍ରବ୍ୟ ଯେ ଗୋରସ ନାନାଦି
ଯେତେବେଳେ ଯାହା ମାଏ କରୁଥାନ୍ତି ସିଦ୍ଧି ।
ଚତୁଃସମ ଚନ୍ଦନ ଯେ କର୍ପୂର ଲେପନ
ନିର୍ମଳ କଳାମେଘରେ ଉଦୟ କି ଜନ୍ମ ।
ନାହିଁ ପଟାନ୍ତର ସ୍ୱର୍ଗ ପାତାଳ ଯେ ମଞ୍ଚ
ବରହି ଚନ୍ଦ୍ରିକାଚୂଳ ଲଳିତ ସୁସଞ୍ଚ ।
ନାସାରେ ସୁବର୍ଣ୍ଣ ଗୁଣା ଲୁଳେ ଗଜମୋତି
ବୁଧ ଶୁକ୍ରସଙ୍ଗେ କିବା ଉଦେ ବୃହସ୍ପତି ।
ପାଟ ସୁତାରେ ଲମ୍ୱିତ ଗଳା ରତ୍ନହାର
ସୁଧାକର ମୁଖରୁ କି ବହେ ଝରଝର ।
କପାଳେ କସ୍ତୁରୀ ଚିତା କର୍ଣ୍ଣରେ କୁଣ୍ଡଳ
ନୀଳ ଲୋହିତ ପରେ କି ଆଦିତ୍ୟ ମଣ୍ଡଳ ।
କରେ କଙ୍କଣ କଟିରେ କଡ଼ାସୁନା ସୁତା
କଣ୍ଠେ ବାଘନଖ କନ୍ଧେ ସୁବର୍ଣ୍ଣ ପଇତା ।
ବିଦମୁଦି କଙ୍କଣ ଯେ କରେ ରତ୍ନଖଡ଼ୁ
ଅଙ୍ଗ ତଇଲେ ଜର୍ଜ୍ଜର ଅମୃତ ଯେ ଲଡ଼ୁ ।
ବଳଦେବଙ୍କ ଶିରରେ ଶୋହେ ସପ୍ତଫେଣି
କୁଞ୍ଚିତ କୁଣ୍ଡଳ ଚାରୁ କୁନ୍ତଳ ସୁବେଣୀ ।
କର୍ଣ୍ଣେ କୁଣ୍ଡଳ ହସ୍ତରେ ସ୍ଫଟିକର ମୁଦ୍ରା
ଆବର ଶୋଭିତ ହଳ ମୂଷଳ ସୁନନ୍ଦା ।
ନୀଳ ଦୁକୂଳେ ଶୋଭିତ କଟିତଟ ବନ୍ଧ
ଶଙ୍ଖ ଗୋକ୍ଷୀର ପରାୟ ବର୍ଣ୍ଣ ଆଦିକନ୍ଦ ।
ଆଜାନୁଲମ୍ୱିତ ଭୁଜ ବିସ୍ତାରିତ ଛାତି
କର୍ଣ୍ଣମୂଳେ ଲୁଳେ ସୁନାକୁଣ୍ଡଳ ସୁଜ୍ୟୋତି ।
କାମିନୀ କାମପାଳ ସେ କୋଟି କାମମୂର୍ତ୍ତି
ଅଶେଷ କୋଟି ବ୍ରହ୍ମାଣ୍ଡେ ବିରାଜଇ ଜ୍ୟୋତି ।
ରୋହିଣୀନନ୍ଦନ ସ୍ୱାମୀ ଅଷ୍ଟ ଯୋଗେଶ୍ୱର
ନିର୍ମଳ ବଦନ ନିଷ୍କଳଙ୍କ ନିରାକାର ।
ପୃଥିବୀର ଭାରାଭର ନିବାରିବା ପାଇଁ
ଦ୍ୱାପରେ ଜାତ ହୋଇଲେ କଳା ଶୁକ୍ଳ ଦୁଇ ।
ରଙ୍ଗେ ରଙ୍ଗା ଅବତାର ଗୋପାଳ ମୂରତି
ଅଷ୍ଟବର୍ଷ କଉତୁକ କଲେ ଶିରୀପତି ।
ବିହରନ୍ତି କୃଷ୍ଣ ଗୋପୀ ଗୋପାଳଙ୍କ ସଙ୍ଗେ
ଅଷ୍ଟବର୍ଷ ଯାଏ ଗୋପେ ବଢ଼ିବେ ସେ ରଙ୍ଗେ ।
ଏ ଅଷ୍ଟ ବରଷେ ଯାହା କରିବେ ଶ୍ରୀହରି
ଦିନକ କୀରତି ଆଠଯୁଗ ସସ୍ର ସରି ।
ଦଶମସ୍କନ୍ଧ ଶ୍ରୀବିଷ୍ଣୁ ପୁରାଣ ଏ ବାଣୀ
ଅମୃତ ପାନ ପରାୟ ମଣ କର୍ଣ୍ଣେ ଶୁଣି ।
ପବିତ୍ର ନିର୍ମଳ ଗ୍ରନ୍ଥ ଅତି ପୁଣ୍ୟମୟେ
ଇଦଂ ଏକବିଂଶ ଅଧ୍ୟା ସମାପତ ହୁଏ ।
କଳା ଶୁକଳ ମୂରତି ଅଭୟ ଚରଣ
ନିରତେ ଅଚ୍ୟୁତାନନ୍ଦ ମାଗଇ ଶରଣ ।
ଆହେ ସାଧୁଜନେ ମୋର ନ ଧରିବ ଦୋଷ
ହରିବଂଶର ଦ୍ୱିତୀୟଖଣ୍ଡ ହେଲା ଶେଷ ।