ଶକଟାସୁରର ଗୋପନଗ୍ରେ ପ୍ରବେଶ ଓ ନିଜ କାୟା ଗୋପନ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିନୃତ୍ୟ ଗୀତ ଆଦି ସବୁ ବିଦ୍ୟା ଅଛି ସାଧି ।
କୋଇଲି ସୂତାରେ ପାରେ ହସ୍ତୀକୁ ସେ ବାନ୍ଧି
ରୂପ ଅରୂପରେ ବୁଲେ ସବୁ ଘର କନ୍ଦି ।
ଗୋପୀ ଗୋବିନ୍ଦ ଉଭୟ ବାରତାକୁ ପାଇ
ଯତନେ ବିଧାତା ତାହା ଅଛଇ ଭିଆଇ ।
କହନ୍ତେ ଯେ ନ ସରଇ ଗୋପର ମହିମା
ଅନେକ ଯତନେ ଗଢିଅଛି ବିଶ୍ୱକର୍ମା ।
ସନ୍ନିଧେ ଯମୁନାନଦୀ ପବିତ୍ର ନିର୍ମଳ
ଧ୍ୱଂସଇ ମହାପାତକମାନ ସେହି ଜଳ ।
କହନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକମୁନି
ଶୁଣ ହୋ ପରୀକ୍ଷ ରାଜା ଭାଗବତ ବାଣୀ ।
ଏଥୁ ଅନନ୍ତରେ କଂସରାଜା ସନ୍ନିଧାନେ
କରଯୋଡ଼ି ଜଣାଇଲେ ଦେଶାଉରମାନେ ।
ସାବଧାନେ ଶୁଣ ପ୍ରଭୁ ଦୈତ୍ୟ ଶିରୋମଣି
ଗୋପରୁ ବାରତା ଘେନି ଆସିଲୁ ଏକ୍ଷଣି ।
ଶ୍ରୀକୃଷ୍ଣ ଯେ କାମପାଳ ନନ୍ଦ ବେନିବଳା
ଛଦ୍ରମେ ବାଳୁତରୂପ ତେଜ ଅନର୍ଗଳା ।
ଦୋଳିଶୁଆଣି ବେଳେ ଯେ ଜାଣିଲୁ ଏମନ୍ତି
ଦାନବ କାଳଅନ୍ତକ ସେ ପ୍ରଭୁ ଅଟନ୍ତି ।
ବାଳୁତବେଳୁ ତାଙ୍କର ଏସନ ସାହସ
ପୂତନା ନାମେ ରାକ୍ଷସୀ ହେଳେ କଲେ ନାଶ ।
ଅଦ୍ଭୂତେ ଅଖଡ଼େ ପୁଣି ତୃଣାବର୍ତ୍ତ ମଲା
ତାଙ୍କ ବ୍ୟତିରେକେ ତାକୁ ଆନ କେ ମାଇଲା ।
ବିଚାର କରିଣ କାର୍ଯ୍ୟ କର ବେଗେ ସିଦ୍ଧି
ତା ନୋହିଲେ ନାଶଯିବ ମଥୁରା ସମୃଦ୍ଧି ।
ଚାରମୁଖୁ ଏ ବଚନ ଶୁଣି କଂସାସୁର
ଚକିତେ ଚାହିଁଲା ମୁଖୁ ନ ଆସେ ଉତ୍ତର ।
ହୃଦୟ କମ୍ପିଲା ଅଙ୍ଗୁ ସ୍ରବେ ଶ୍ରମଝାଳ
ଓଷ୍ଠ କଣ୍ଠ ତାଳୁ ଶୁଖି କମ୍ପିଲା କପାଳ ।
ଚିନ୍ତାଭରେ ନିଃଶ୍ୱାସ ଯେ ବହେ ଖରତର
ଛାତି ଦମଦମ ହୋଇ ପଡଇ ତାହାର ।
ବାଳୁତ ପ୍ରାୟ ତାହାର ଛନ୍ନ ଛନ୍ନ ମତି
ଗଗନେ ନିରେଖି ପୁଣି ଚାହିଁ ଚଉକତି ।
ଭୋଧର୍ମ ଦେବତା ମୋତେ ହୋଇଲୁ ଅସାହା
ବୁଡ଼ିଲି ମୁଁ ଚିନ୍ତାଜଳେ କହିବଇଁ କାହା ।
ସ୍ୱର୍ଗ ମଞ୍ଚ ପାତାଳ ମୁଁ ଜିଣିଲଇଁ ହେଳେ
ବାଳୁତ ହସ୍ତେ ମୋ ମୃତ୍ୟୁ କର୍ମର ଅବଳେ ।
କେବଣ ପ୍ରକାରେ ନାଶ କରିବି ମୁଁ ତାହା
ଭୋ ଧର୍ମଦେବତା ମୋତେ ହେଉକିନାସାହା ।
ଶାପ ଦେଇଛି ଗୋମତ ନାମେ ତପୋନିଷ୍ଠୀ
ଗୋପନଗ୍ରେ ମାଡ଼ିଲେ ତୋ ମୂର୍ଦ୍ଧା ଯିବ ଫାଟି ।
ତେଣୁ ଗୋପନଗ୍ରକୁ ମୁଁ ନ ପାରଇ ଯାଇ
ଆପଣା କାର୍ଯ୍ୟେ ତତ୍ପର କରନ୍ତି ନା ମୁହିଁ ।
ଏମନ୍ତ ପ୍ରକାରେ ଶୋକ କରେ ଦଣ୍ଡଧାରୀ
କେ ମୋତେ ଏଥୁ ରଖିବ ହୁଅ ଆଗୁଁ ସରି ।
କରପତ୍ର ଯୋଡ଼ି ବୋଲେ ଶକଟା ଅସୁର
ମାରି ଆଣିଦେବି ନିଶ୍ଚେ ନନ୍ଦର କୁମର ।
କାହିଁକି ତୁ ଏଡ଼େ ଚିନ୍ତା କରୁ ଅକାରଣେ
ମୁହିଁ କି ନ ଯୋଗାଇଲି ଏକା ଭୃତ୍ୟପଣେ ।
କୁବେର ଯେ ନଇର୍ଋତ ଯମ ବୈଶ୍ୱାନର
ଇନ୍ଦ୍ର ଚନ୍ଦ୍ର ଯେ ବରୁଣ ଦେବ ଦିବାକର ।
ସମସ୍ତେ ଯେବେ ଯୁଝିବେ ମୋତେ ପରିଘାଇ
ଅବହେଳେ ସଂଗ୍ରାମ ମୁଁ କରିପାରେ ତହିଁ ।
ପାମର ନନ୍ଦ ଗଉଡ଼ ବାଳପୁତ୍ର ଏକା
ତାହାଙ୍କୁ ମନେ ତୁମ୍ଭର କିପାଁ ଏଡ଼େ ଶଙ୍କା ।
ଦେବ ଇନ୍ଦ୍ର ଆଦି କରି ତୋର ଦଶବର୍ତ୍ତୀ
ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ତୁ ଏକା ଚକ୍ରବର୍ତ୍ତୀ ।
ତୁମ୍ଭେ ଏବେ ଆଜ୍ଞା ମୋତେ ଦିଅ ନୃପମଣି
ନନ୍ଦଗଉଡ଼ ପୁଅକୁ ଧରି ଦେବି ଆଣି ।
ଅନେକ ମାୟା ଜାଣଇ ମୁହିଁ କୂଟବୁଦ୍ଧି
ନାନାଦି ଉପାୟେ କାର୍ଯ୍ୟ କରିବି ତୋ ସିଦ୍ଧି ।
କଂସ ବୋଲେ ତୃଣା ଯୋଗୁ ଲାଗିଲା ଅପ୍ରତେ
ସତେ ନନ୍ଦପୁଅକୁ କେ ମାରିଦେବ ମୋତେ ।
ତେଡ଼େ ମହାବୀର ଗଲା ଅଖଡ଼େ ବିନାଶ
ପୂତନା ତ ଯାଇଥିଲା ସ୍ତନେ ଭରି ବିଷ ।
ଶକଟାସୁର ବୋଇଲା ନ କର ଶୋଚନା
ଜନମ ହେଲେ ଅବଶ୍ୟମ୍ଭାବୀ ମୃତ୍ୟୁ ସିନା ।
ଆବର ବିଶେଷେ ଆମ୍ଭେ ଅଟୁ ଶୁଦ୍ଧଜାତି
ମରଣ ନିସତ ହେଲେ ପାଇ ନର୍କଗତି ।
ତୁମ୍ଭେ ଯେ ବୋଲ ପୂତନା ତୃଣା ଗଲେନାଶ
ଉପାୟ ନ କଲେ ପଛେ ପାଇ ଅପଯଶ ।
ବନ୍ଧଫାଟି ପାଣି ଯେହ୍ନେ ପଡ଼ି ରନ୍ଧ୍ରେ ବହେ
ଝର ବୁଜିଦେଲେ ପୁଣି ଅଧବାଟେ ରହେ ।
ଅଧିକ ହେଲେ ବନ୍ଧକୁ ଭାଙ୍ଗେ ପାଞ୍ଚହାତ
ସେ ବନ୍ଧ ବାନ୍ଧି ନୁହଇ ପଡ଼େ ମହାସ୍ରୋତ ।
ସରିସମ ଲୋକଙ୍କୁ ଯେ କରିବ ଅଗ୍ରଣୀ
ସଂସାରେ ଅନେକ ସାଧୁବାଦ ପାଇ ପୁଣି ।
ନନ୍ଦଗଉଡ଼ ପୁଅକୁ ଜିଣି ଯଶ ନାହିଁ
ହାରିଲେ ସଂସାର ମଧ୍ୟେ କାହା ମୁଖ ଚାହିଁ ।
ନିଶ୍ଚୟ କରିଣ ଯେବେ ପାଇବ ବାରତା
ଆଗହୁଁ ପ୍ରକାଶ କେବେ ନ କର ଏ କଥା ।
ଏବେ ଗୋପନଗ୍ରକୁ ମୁଁ ଯିବଇଁ ଗୁପତେ
ସମୟ ପାଇଣ କାର୍ଯ୍ୟ କରିବି ଯୁକତେ ।
ଶତ୍ରୁ ବଳବୀର୍ଯ୍ୟ ଖୋଜି ସିନା ଶେଷକରି
ତେବେ ଲେଉଟି ଆସିବି ତାକୁ ସିନା ମାରି ।
ଶୁଣି ବହୁତ ପ୍ରଶଂସା କରି ଦଣ୍ଡଧାରୀ
ଶ୍ରୀଭୁଜରେ ବନମାଳ ନେଇ ଗଳେ ଭରି ।
ଅନେକ ରତ୍ନ ଦେଇଣ ବୋଲେ ପୁରଃସରି
ଆସିବୁ ଶୁଭମଙ୍ଗଳ ଯୋଗେ କାର୍ଯ୍ୟକରି ।
ଶୁଣିଣ ଶକଟାସୁର ହେଲା ତୋଷମତି
କଂସକୁ ଯେ ନମସ୍କାର କରଇ ତଡ଼ତି ।
ଅସୁର କାମରୂପୀ ସେ ଜାଣେ ନାନା ମାୟା
ଉଲୁକମନ୍ତ୍ରେ ଗୋପନ କଲା ନିଜ କାୟା ।
ମଥୁରାପୁରୁ ବାହାରି ପଶ୍ଚିମ ଯେ ମାର୍ଗେ
ଗୋପନଗ୍ରେ ପ୍ରବେଶିଲା ଯାଇଁ ଅତିବେଗେ ।
ଗ୍ରାମ ପାଟଣା ଦେଖିଣ ପରଶଂସା କରି
ରତ୍ନାକର କଟକହିଁ ନୋହିବ ତ ସରି ।
ଧନ୍ୟ ଗୋପାଳେ ତୁମ୍ଭର ଜୀବନ ରେ ସାଧୁ
ଅଷ୍ଟମଲ୍ଲଙ୍କ ଗରବଗଞ୍ଜନ ବୀରଧୁ ।
ଅମୂଲ୍ୟ ବାରସ୍ୱତୀ କି ପୁର ରୂପରାଶି
ନୋହିଲେ କଂସ କେସନେ ଏଥେଁ ଅଛିପେଷି ।
ଏହାକୁ ପ୍ରଶଂସା ମୁହିଁ କରିବଇଁ କେତେ
କେବଣ ଦେବତା ଜନ୍ମ ହୋଇଛି ଗୁପତେ ।
ଯେଣିକି ଚାହିଁବ ତେଣେ ଦିଶୁଅଛି ଶୋଭା
ବୃଦ୍ଧହୋଇ ଜଣେ ନାହିଁ ସର୍ବେ ନବଯୁବା ।
ଏଡ଼େ ରୂପବନ୍ତ କେହି ନୋହିବ ଜଗତେ
ଗୋପୀ ଗୋପାଳଙ୍କୁ ଦେଖି ବିଚାରଇ ଚିତ୍ତେ ।
ଏମନ୍ତ ପ୍ରଶଂସା କରି ଶକଟା ଦୁର୍ମତି
ଦେହକୁ ଳୁଚାଇ ଯାଇ ନନ୍ଦ ଗୃହ କତି ।
କୋଳିଆ ଦୁଆରଠାରୁ ଖଣ୍ଡେ ଦୂର ଛାଡ଼ି
ଦଦରା ଶଗଡ଼ ହୋଇ ରହିଲା ସେ ପଡ଼ି ।
ଅଖ ଚକ ଝରାଦଣ୍ଡା ଅର ପାତି ଫଳି
ଗଡ଼ ଗଡ଼ିଆଣି କାଠି ଦୋସାରୀ ବାକୁଲି ।
ତୁମ୍ବ ଧରଣି ସାହାଟା ଲିଙ୍ଗା ଧାରା କାଠି
ଏସନକ ନାନାବର୍ଣ୍ଣେ ସେ ଶଗଡ଼ ଗୋଟି ।
ଦାଣ୍ଡରୁ ଆଡ଼ି ହୋଇ ସେ ପଡ଼ିଲା ଅନ୍ତରେ
କଂସରାଜା କଥା ହେତୁକରି ହୃଦୟରେ ।
ନନ୍ଦର ମନ୍ଦିରେ କରିଅଛି ଦୃଷ୍ଟିପାତ
ନଗ୍ରଲୋକେ ଗତାଗତ ଜାଣୁଛି ସମସ୍ତ ।
କଥାର ସନ୍ଧିମାନଙ୍କୁ ଜାଣିଣ ଦଇତ
ଅସୁର କାମରୂପୀ ଯେ ହୋଇଲା ଗୁପତ ।
କଂସରାଜା ଚାରଗଣ ଗୁପତରେ ଥାନ୍ତି
ପ୍ରତିଦିନ ବାର୍ତ୍ତା ନେଇ ଛାମୁରେ ଦିଅନ୍ତି ।
ନାନା ବ୍ୟଞ୍ଜନ ଗୋଟିକା ଦଧି ଦୁଧ ସର
ମନ ସନ୍ତୋଷେ ଭୋଜନ କରଇ ଅସୁର ।
ଏ ଚରିତ ଗୋପଲୋକେ ନ ଜାଣନ୍ତି ଆନ
ଏକା ମାତ୍ର ଜାଣନ୍ତି ତା ପ୍ରଭୁ ଭଗବାନ ।
ଅନ୍ତର୍ଯ୍ୟାମୀ ଠାକୁର ତା ନାମ ମାୟାଧର
ସଂସାର ସାଗର ରୀତ କୌତୁକ ଯାହାର ।
ଭଗ୍ନ ରୂପରେ ଶକଟା ଦାଣ୍ଡେ ପଡ଼ିଅଛି
ଜାଣନ୍ତି ଏହା ତଦନ୍ତ କରି ନନ୍ଦବତ୍ସି ।
ଶୁକମୁନି ବୋଇଲେ ହୋ ଶୁଣ ନୃପନାହା
ଶ୍ରୀଭାଗବତ ପୁରାଣ ବ୍ୟାସ କହେ ଯାହା ।
ଏଥୁ ଅନନ୍ତରେ ଦିନ କେତେହେଁକ ଯାଏ
କହୁଁ କହୁଁ ବର୍ଦ୍ଧମାନ ହେଲେ ନନ୍ଦପୁଏ ।
ଗୋପୀ ଗୋପାଳ ସମସ୍ତେ ହେଲେ ତାର ବଶ
ସର୍ବେ ରହି ଦେଖୁଥାନ୍ତି ନ ଛାଡନ୍ତି ପାଶ ।
କେହୁ ଅଗୁରୁ ଚନ୍ଦନ ଲେପୁଥାନ୍ତି ଆଣି
ହଳଦୀ ସଙ୍ଗେ ଗୋଳି କେ ପନୀର ଯେ ପାଣି ।
ଗଳାରେ ଶୋହଇ ମାଳ ମୁକୁତାର କଣ୍ଠି
ମୋହିଲେ ଜଗମୋହନ ରୂପେ ନବସୃଷ୍ଟି ।
ଦିବ୍ୟ ବ୍ୟାଘ୍ର ନଖମାନ ଳୁଳେ କଣ୍ଠମାର୍ଗେ
ଦିନକର ପ୍ରକାଶ କି ହେଲେ ନିଶାଭାଗେ ।
ମଥାଗୋଟି ଜର ଜର ହୋଇଛି ତଇଳେ
ବେନି କପୋଳ ଶୋଭିତ କୁଞ୍ଚିତ କୁନ୍ତଳେ ।
ପାଦର ଉପରେ ଦେଇ ସ୍ୱାମୀ ପାଦ ବେନି
ସୁନାର ଦୋଳିରେ ବିଜେ ପ୍ରଭୁ ଶିରୋମଣି ।
ବଖରାକ ଅନ୍ତେ ବଳଦେବ ଛନ୍ତି ଶୋଇ
ଦୁଇଭାଇ ଯୋଗମାର୍ଗେ ଯୋଗନିଦ୍ରା ଯାଇ ।
ସମସ୍ତ ପରିଜନହିଁ ଯଶୋଦା ସୁନ୍ଦରୀ
ଚାରି ପାରୁଶେ ତାଙ୍କର ଅଛନ୍ତି ଆବୋରି ।
ଦୋଳି ପହୁଞ୍ଚାନ୍ତି କେହୁ ଗାଇ ଦୋଳିଗୀତ
ଭୁଞ୍ଜନ୍ତି କେହି ଲବଣୀ ଦୁଧସର ଘୃତ ।
କେହି ଗୋପୀ କୃଷ୍ଣ ଘେନିବୁଲେ ଘରେଘରେ
କେ ଗୋପୀ ନେଇ ବସାନ୍ତି କୁଚର ଉପରେ ।
ମୁଖେ ଚୁମ୍ବଦେଇ କରେ ଅଧରକୁ ପାନ
ପୂର୍ଣ୍ଣଇନ୍ଦୁ ବଦନକୁ ଦେଖି ହତଜ୍ଞାନ ।
କିଏ ଅପାଙ୍ଗ ନୟନ ଶରୀରେ ପକାଇ
ମଦନ ଆରତେ କେହି କୃଷ୍ଣମୁଖ ଚାହିଁ ।
ଉତ୍କଣ୍ଠିତ ରୋମାବଳି କଣ୍ଠ ଗଦଗଦ
ପଞ୍ଚଭୂତ ଆତ୍ମାକୁ ଯେ ନ ମାଡ଼ଇ ନିଦ ।
ନାସିକା ଉଲ୍ଲାସେ ଝିମଝିମ ହୁଏ କର୍ଣ୍ଣ
କନ୍ଧରୁ ଖସି ପଡ଼ଇ ଓଢ଼ଣି ବସନ ।
ହସ୍ତରୁ କଙ୍କଣ ଖସି ପଡ଼ଇ ଯେ ତଳେ
ପିନ୍ଧିଲା ବସନ ତିନ୍ତି ଓଦା ଶ୍ରମଝାଳେ ।
ପ୍ରଖର ନିଃଶ୍ୱାସ ଝଳି ପଡ଼େ ଯେହ୍ନେ ପାଣି
କେଶବାସ ଅସମ୍ଭାଳ ହେଲେ ଗୋପାଳୁଣୀ ।
ଏକୁଁ ଆରେକ ଉଛୁଡି ନିଅନ୍ତି ଯେ ବଳେ
ଅଙ୍ଗ ସମ୍ମାର୍ଜି ଚୁମ୍ବନ ଦେଇ ଗଣ୍ଡସ୍ଥଳେ ।
କେ କାଖରେ ବସାଇ କେ କାନ୍ଧରେ ବସାଇ
କେ ଶ୍ରୀଅଙ୍ଗ ମୁଖ ଚାହିଁ ଚାଟୁ କହୁଥାଇ ।
ଏହି ପ୍ରକାରେ କେତେହେଁ ଦିନ ତହିଁ ଯାଇ
ଦିନଦିନୁ ବର୍ଦ୍ଧମାନ ହେଲେ ପୁଅ ଦୁଇ ।
ଦେଖି ନନ୍ଦ ଯଶୋବନ୍ତୀ ଆନନ୍ଦ ହୁଅନ୍ତି
ଅନେକ ଯତ୍ନେ ପୁତ୍ରଙ୍କୁ ପ୍ରତିପାଳୁଥାନ୍ତି ।
ଶ୍ରୀଭାଗବତ ପୁରାଣ ସାରା ପୁଣ୍ୟ ନିଧି
ଧର୍ମ ଅର୍ଥ କାମ ମୋକ୍ଷ ବାଞ୍ଛା ହୁଏ ସିଦ୍ଧି ।
ହରିବଂଶ ପୁରାଣ ଏ ଅତି ପୁଣ୍ୟମୟେ
ଦଶମସ୍କନ୍ଧରୁ ବିଂଶ ଅଧ୍ୟା ଶେଷ ହୁଏ ।
ଶକଟାସୁର ବଧ
ଏଥୁ ଅନନ୍ତରେ ପୁଣି ଶୁକ ବ୍ରହ୍ମା କହି
ଶୁଣ ତୁ ହେ ପରୀକ୍ଷିତ ରାଜା ପୁଣ୍ୟଦେହୀ ।
ଶ୍ରୀବିଷ୍ଣୁର ବାଳଲୀଳା ରସ ହରିବଂଶ
ଶୁଣନ୍ତେ ଯେ ପଞ୍ଚବିଧ ପାପ ହୁଏ ଧ୍ୱଂସ ।
ଅଶ୍ୱିନୀ ନକ୍ଷତ୍ର ତ୍ରୟୋଦଶୀ ଗୁରୁବାର
ମେଷଚନ୍ଦ୍ର ଚାରିପାଦ ଭୋଗ ସେ ଦିନର ।
ବାଳବ ନାମେ କରଣ ଧୃତି ନାମେ ଯୋଗ
କନ୍ୟା ସଂକରାନ୍ତିର ଯେ ବାରଦିନ ଭୋଗ ।
ସେ ଦିନ ଆନନ୍ଦ ମନେ ନନ୍ଦର ଘରଣୀ
ପଶ୍ଚିମ ମେଲାରେ ଦୋଳି ଉକୁଚିଲେ ଆଣି ।
ସୁପାତି ଶେଯେ କୃଷ୍ଣଙ୍କୁ ନେଇ ଶୁଆଇଲେ
ଦୋଳି ପଞ୍ଚାଇଣ ଗୀତ ସଧୀରେ ଗାଇଲେ ।
ସ୍ତନ ଫୁଲାଇଣ କ୍ଷୀର ମୁଖରେ ଦିଅନ୍ତି
ଭୁଞ୍ଜିସାରି ଗୋପୀନାଥ ସୁଖେ ନିଦ୍ରା ଯାନ୍ତି ।
ଜରଜରିତ ତଇଳେ ଶୋଭଇ ଶରୀର
କୁଙ୍କୁମ ଅଙ୍କିତ ଅଙ୍ଗ ଅତି ମନୋହର ।
ବିକଚ କମଳ ଡୋଳା କଜ୍ଜ୍ୱଳ ସୁରେଖ
ଉତ୍ତାନ ହୋଇ ଅଚେତ ସଂସାରନାୟକ ।
ଜଗତ ତାରଣ ନାଥ ସଂସାର କାରଣ
କେତେବେଳେ ଯୋଗନିଦ୍ରା ଗଲେ ନାରାୟଣ ।
ନିଚେଷ୍ଟ ଶ୍ରୀବଳଦେବ ନିଦ୍ରା ଯାଇ ପୁଣି
ବିଷମ ବିଷଧରର ଶିରେ ସପ୍ତଫେଣି ।
କୁଟିଳ କୁଞ୍ଚିତ କେଶେ ତ୍ରିବନ୍ଧେ ତ୍ରିବେଣୀ
ଧବଳ ଆକାଶେ କଳାମେଘ ଉଦେ ଜାଣି ।
ଗୋକ୍ଷୀର ବର୍ଣ୍ଣ ତା ଦେବ ସଦା ତୋଷମୟ
ଶରଦପୂର୍ଣ୍ଣିମା ଇନ୍ଦୁ ପ୍ରାୟ ଦେବକାୟ ।
ବିରାଜେ ରଙ୍ଗକୁମୁଦ ପ୍ରାୟ ଚକ୍ଷୁ ବେନି
ଚଉଦ ଲୋଚନ ସାତ ନାଗଙ୍କର ଘେନି ।
ଏମନ୍ତ ଷୋଳ ଲୋଚନ ପାଉଅଛି ଶୋଭା
ବୁଧ ଶୁକ୍ର କତିରେ କି ତାରାଗଣ ଆଭା ।
ଆଜାନୁଲମ୍ୱିତ ଭୁଜଦଣ୍ଡେ ହଳରେଖା
ସଦାନନ୍ଦ ସ୍ୱାମୀ ପୁଣି ପୁରୁଷରେ ଲେଖା ।
ଛଦ୍ରମେ ବାଳୁତ ରୂପ ସେ ଦେବାଧିରାୟ
ବେଦାନ୍ତ ବେଦପତିର ଠାକୁର ଉଦୟ ।
ଅଷ୍ଟାଙ୍ଗଯୋଗ ସାଧନେ ସଦା ମତି ଭୋଳ
ଅନନ୍ତ ମୂରତି ସ୍ୱାମୀ ଦେବ କାମପାଳ ।
ପାଦରେ ଉପରେ ପାଦ ଛନ୍ଦି ବଳଭଦ୍ର
କୃଷ୍ଣପାଦେ ଶୋଇ ଜପେ ରାମନାମ ପଦ ।
ବେଳ ପୁଣି ସାତଦଣ୍ଡ ହୋଇଲାକ ଆସି
ଲାଗିଲେ ଯେ ଯାର ନିତ୍ୟାଚାରେ ଗୃହବାସୀ ।
ଶ୍ରୀକୃଷ୍ଣ ବଳରାମଙ୍କୁ ଗୋପପୋଏ ବେଢ଼ି
ଯଶୋଦା ଗଲେ ଧାଈଙ୍କ ପାଶେ ତାଙ୍କୁ ଛାଡ଼ି ।
ବିଶେଷରେ ବେନିଭାଇ ଛନ୍ତି ନିଦ୍ରା ଯାଇ
ଗୁପତେ ଶକଟାସୁର ଦେଖୁଥିଲା ଥାଇ ।
କାମରୂପୀ ଅସୁର ସେ ନାନାମାୟା ଜାଣି
ଅନେକ ଛିଦ୍ର ବିଚାରୁଥିଲା ତହିଁ ପୁଣି ।
କଂସର ଛାମୁରୁ ଆସିଅଛି ପରିଘାଇ
ଦେଖିଲା ସେ ଦୁଇଭାଇ ସୁଖେ ନିଦ୍ରାଯାଇ ।
ସନ୍ନିଧିରେ କେହି ନାହିଁ ବିଶେଷ ଆବର
ନିଦ୍ରା ଦେଖି ଧାଈ ହେଲେ ପାଶରୁ ଅନ୍ତର ।
ଅସୁର ଭାଳେ ଏ ବେଳ ପାଇବି ମୁଁ କାହିଁ
ବହୁତ କାଳ ଏଠାରେ ରହିଲିଣି ମୁହିଁ ।
ନିଶ୍ଚୟ କରିବି ମୁହି କଂସରାଜା କାର୍ଯ୍ୟ
କଂସରାଜାର ଶତ୍ରୁକୁ ସଂହାରିବି ଆଜ ।
ଏ ଦୁହିଁଙ୍କି ହରିନେଇ କରିବି ଦହିଯ୍ୟ
ଶୁଣି କଂସରାଜା ତୋଷେ ଦେବ ମୋତେ ରାଜ୍ୟ ।
ତୃଣା ପୂତନା ମରଣ ଶୋକ ଯିବ ଛାଡ଼ି
ଏତେ ଭାଳି ଗଳଗାଜି ପଡ଼େ ଦୈତ୍ୟ ମାଡ଼ି ।
ଦଦରା ଶଗଡ଼ରୂପେ ଦାଣ୍ଡେ ପଡ଼ିଥିଲା
କହୁଁ କହୁଁ ବିଶ୍ୱମୂର୍ତ୍ତି ସେ ବୀର ହୋଇଲା ।
ଅଖ ଚକ ଦଣ୍ଡା ରୁଣୁଝୁଣୁ ବାଜେ ଫଳୀ
ନିମିଷେକେ ଏକଖଣ୍ଡ ହେଲା ମହାବଳୀ ।
ତାଟିକିଳା ଦଣ୍ଡାଆଦି ଶଗଡ଼ ସହିତେ
ଧଇଲେ ସେ ମହାଘୋର ମୂର୍ତ୍ତି ଯେଝାମତେ ।
ଶଗଡ଼ ଭିତରୁ ବୀର ହୋଇଲା ବାହାର
କାଳାନଳ ରୂପ ତାର ଘୋର ଅନ୍ଧକାର ।
ବ୍ୟାଘ୍ର ଭାଲୁ ହସ୍ତୀ ସିଂହ ନାନାରୂପ ଧରି
ବରାହ ମହିଷ ମେଷଛାଗ ଆଦିକରି ।
ଶଗଡ଼ ମଧ୍ୟୁ ବାହାର ହୋଇଲା ତକ୍ଷଣି
କଉତୁକେ ରୋମାବଳି ଟାଙ୍କୁରଇ ପୁଣି ।
ଘୋର ଗରଜନ ଘାତେ କମ୍ପଇ ବ୍ରହ୍ମାଣ୍ଡ
ଆଦିତ୍ୟ ମଣ୍ଡଳେ ଯାଇ ଲାଗେ ଦୈତ୍ୟମୁଣ୍ଡ ।
ନିଃଶ୍ୱାସ ପବନ ବହେ ଅଣଚାଶ ପ୍ରାୟେ
ଆକାଶ ମାର୍ଗେ ଲାଗିଲା ତାର ଦୈତ୍ୟକାୟେ ।
ପର୍ବତ ପ୍ରାୟ ମୂଷଳ କେଶ ତାର ପୁଣି
ଚାହିଁଲେ କଟାକ୍ଷେ ଦହ୍ୟ ହୋଇବ ଧରଣୀ ।
ଟହ ଟହ ହାସ୍ୟେ ବିକଟାଳ ଦନ୍ତପାଟି
ଶଗଡ଼ ଧାମନ୍ତେ ପୃଥ୍ୱୀ ପଡ଼ୁଛି ଲେଉଟି ।
କାଳଚକ୍ର ପ୍ରାୟେ ଚକ୍ଷୁ ବୁଲେ ଅନ୍ତରାଳ
ମୁଖରୁ ଉଦ୍ଗାରୁ ଅଛି ଯେ କାଳ ଯେ ଅନଳ ।
ଯୁଗାନ୍ତକ ପ୍ରାୟ କରେ ଘେନି ଲୋହବାଡ଼ି
ଚକ୍ର ପରାୟ ବୁଲାଇ ଆସଇ ଦଉଡ଼ି ।
ବ୍ୟାଘ୍ର ଭାଲୁ ସିଂହ ବାନ୍ଧିଅଛି ତାର ଆଗେ
ଧାମନ୍ତି ସେ ଧରାଧରି ହୋଇ ଅତି ବେଗେ ।
ଶଗଡ଼ ଭିତରୁ ଅବତାର ଦିବ୍ୟକାୟେ
ଶିଖା ଲାଗୁଅଛି ଅର୍ଦ୍ଧ ଆକାଶର ଯାଏ ।
ଯେଉଁଠାରେ ରାମକୃଷ୍ଣ ଅଛନ୍ତି ପହୁଡ଼ି
ଶକଟ ଗର୍ଜ୍ଜନ ନାଦକରି ପଡ଼େ ମାଡ଼ି ।
ଅପୂର୍ବ ଘଟଣା ନନ୍ଦ ଦକ୍ଷିଣ ଯେ ମେଲା
ଆପେ ବିଶ୍ୱକର୍ମା ତାହା ଯତ୍ନେ ଗଢ଼ିଥିଲା ।
ତହିଁର ଭିତରେ ଅଛି ରତ୍ନଖଟ ଦୋଳି
ଯୋଗନିଦ୍ରା ଯାଇଛନ୍ତି ରାମ ବନମାଳୀ ।
ଏସନ ସମୟେ ମାଡ଼ି ପଡ଼ିଲା ଅସୁର
ସବୁଖଞ୍ଜା ଭାଙ୍ଗିପଡ଼ି ଭାଙ୍ଗିଲା ମନ୍ଦିର ।
ଧ୍ୟାନରେ ଜାଣିଲେ ତାହା ଦେବ ଦାମୋଦର
ଆମ୍ଭଙ୍କୁ ମାରି ଆସିଛି ଶକଟା ଅସୁର ।
ଆମ୍ଭେ ଅଶେଷ ବ୍ରହ୍ମାଣ୍ଡ ଠାକୁରଙ୍କ ମଣି
ଭୂତ ଭିବଶ୍ୟତ ବର୍ତ୍ତମାନ ଆମ୍ଭେ ଜାଣି ।
ଭାରା ନିବାରଣ ଅର୍ଥେ ଆମ୍ଭେ ବାଳମୂର୍ତ୍ତି
ବ୍ରହ୍ମା ଗଙ୍ଗାଧରକୁ ତ ଅଗୋଚର ଅତି ।
ଯେଉଁଦିନ ଏ ଶକଟା ଆସେ ପରିଘାଇ
ସେ ଦିନୁ ଜାଣନ୍ତି ସେହି ପ୍ରଭୁ ଭାବଗ୍ରାହୀ ।
ଜଗନ୍ମୋହନ ସ୍ୱାମୀ ସେ ଜନରଞ୍ଜନାର୍ଥେ
ଅସୁର ଆସିବା କଥା ଜାଣି ଅନ୍ତର୍ଗତେ ।
ମନ୍ଦିରେ ମାଡ଼ି ବସନ୍ତେ ଯାଇଁ ନାରାୟଣ
ଅବହେଳେ ଚାଳି ଦେଲେ ଦକ୍ଷିଣ ଚରଣ ।
ପାଦ ବିଘାତେ ଉଡ଼ିଲା ଦୈତ୍ୟ ଶୂନ୍ୟ ମାର୍ଗ
ଶତେକ ଯୋଜନ ଉଡ଼ିଲା ସେ ବେଗେ ।
ଭଗ୍ନଘରୁ ଅନ୍ତରୀକ୍ଷେ ଗଲା ପାଦଫୁଟି
ଶକଟାସୁର ଉପରେ ପାଦପଦ୍ମ ଘୋଟି ।
ଶରଦ କାଳରେ ଯେହ୍ନେ ମେଘ ଘଡ଼ଘଡ଼ି
ମନ୍ଦର ପର୍ବତ କିବା ବଜ୍ରେ ପଡ଼େ ଝଡ଼ି ।
ସ୍ୱର୍ଗ ମଣ୍ଡଳଯାକ ସେ ଘୋଟିଲା ଶବଦ
ଶୁଣିଣ ଦେବତାମାନେ ହୋଇଲେ ସ୍ତବଧ ।
ଇନ୍ଦ୍ର ପୁଚ୍ଛା କଲେ ତହିଁ ବୃହସ୍ପତି ଚାହିଁ
ଭୋ ଗୁରୁ ଅଦ୍ଭୁତ ଶବ୍ଦ ଶୁଭେ ପୁଣ କାହିଁ ।
ବୃହସ୍ପତି ବୋଇଲେ ହେ ଶୁଣ ଶଚୀସାଇଁ
ଶ୍ରୀକୃଷ୍ଣ ଜାତ ହୋଇଲେ ମର୍ତ୍ତ୍ୟେ ତୁମ୍ଭପାଇଁ ।
ବେନିଭାଇ ଥିଲେ ନନ୍ଦ ମନ୍ଦିରେ ପହୁଡ଼ି
ଶକଟାସୁର ଦାନବ ପଡ଼େ ଯାଇଁ ମାଡ଼ି ।
ବେନିଶତ ବଖରାକୁ ଭଙ୍ଗି ପଦାଘାତେ
ଲଦିହୋଇ ପଡ଼ନ୍ତେ ଶ୍ରୀକୃଷ୍ଣ ମାରି ନାତେ ।
ମନ୍ଦିର ଛାଡ଼ି ଅନେକ ଦୂରେ ଦୈତ୍ୟ ପଡ଼ି
କୃଷ୍ଣପାଦଘାତେ ନାଶ ଯାଇ ଛାଡ଼େ ରଡ଼ି ।
ଶୁଭିଲା ସେ ପାଦଘାତ ଶବଦ ପ୍ରଚଣ୍ଡ
କମ୍ପିଲା ମେଦିନୀଖଣ୍ଡ ଆବର ବ୍ରହ୍ମାଣ୍ଡ ।
ଶୁଣିଣ ଇନ୍ଦ୍ର ଦେବତା ସନ୍ତୋଷ ହୋଇଲେ
ଉପରେ କୁସୁମ ବୃଷ୍ଟି ସ୍ୱର୍ଗେ ଥାଇ କଲେ ।
ଦାନବର ବକ୍ଷସ୍ଥଳେ କୃଷ୍ଣପାଦ ବାଜି
ମୂର୍ଦ୍ଧନା ଫାଟିଣ ବୀର ପଡ଼ିଲା ଗରଜି ।
ଖଣ୍ଡ ଖଣ୍ଡ ହୋଇ ତହିଁ ପଡ଼ିଲା ଶକଟା
ଭାଙ୍ଗିପଡ଼େ ଅଖ ଚକ ହୋଇ ଗୋଟା ଗୋଟା ।
ରୁଧିର ବହଇ ମୁଖବାଟେ ଖଳଖଳ
ଭୂମିରେ ପଡ଼ିଲା ସେହି ମହାଦୈତ୍ୟବଳ ।
ଶକଟା ଅସୁର ଦେହେ ପୁରୁଷେକ ଥିଲା
ଦିବ୍ୟ ରଥେକ ଆରୋହି ସ୍ୱର୍ଗପୁରେ ଗଲା ।
ଶ୍ରୀକୃଷ୍ଣ ଶ୍ରୀଚରଣକୁ ସଦା କରି ଆଶ
ଲେଖିଲା ଭାଗବତ ଅଚ୍ୟୁତାନନ୍ଦ ଦାସ ।