ଅଭାଗିନୀ
ଗୋଦାବରୀଶ ମିଶ୍ର · ଭାଗ ୯ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
ମାଗିଖିଆ ନା ଅମୀର
ରାତିରେ କାମ ଦାମ ସାରି ରମା ବସି କନ୍ଥା ସିଏଁ । ସେ କନ୍ଥା ସିଇଁବସି ହୀରା ଏବଂ ଚମ୍ପା ଆଡ଼କୁ ବେଳେ ବେଳେ ଚାହୁଁଥିଲା; କିନ୍ତୁ ହୀରା ବା ଚମ୍ପା କେହି ତା’ ପ୍ରତି ଦୃକ୍ପାତ କରୁ ନ ଥିଲେ । ସେମାନେ ଭାବନ୍ତି ରମା ଦାଣ୍ଡର ବୁଲା କୁକୁର, ତାଙ୍କ ପନ୍ଦାଡ଼ରେ ଆସି ଆଶ୍ରୟ ନେଇଛି । ସେ ତିନିଗୋଟି ପିଲାଙ୍କ ମଧ୍ୟରେ, ସମସ୍ତଙ୍କ ମୋଟ ବୟସ ମିଶି, ସୃଷ୍ଟିର ଅନନ୍ତକାଳରୁ ପଚାଶ ବର୍ଷ ସୁଦ୍ଧା ଅତୀତ ହୋଇନାହିଁ । ତଥାପି ଏକ ପାଖରେ ଅସୀମ ଘୃଣା ଓ ଅନ୍ୟ ପାଖରେ ଅପରିମେୟ ଈର୍ଷା ପର୍ବତ ଆକାରରେ ଠିଆହୋଇ ରହିଛି । ରମା କ୍ଷଣକ ପାଇଁ ସିଲେଇ ଛାଡ଼ି, ବାଁ ହାତରେ କନ୍ଥା ଓ ଡାହାଣ ହାତରେ ଛୁଞ୍ଚିଟି ଧରି ବସିରହି, ଚମ୍ପା ଏବଂ ହୀରା ଆଡ଼କୁ ଚାହୁଁଥିଲା । ସାହୁଆଣୀ ହଠାତ୍ ଆସି ପାଟିକଲା, ‘‘ତୁ ଗାତପଶି, ଇମିତି କାମ କରୁଚୁ । ରହ, ତୋତେ ଦଉଚି ।’’ ଶୁଣି ଆଗନ୍ତୁକ କହିଲା, ‘‘ମାଲିକିଆଣି, ଖେଳୁନା, ପିଲାଟା ଟିକିଏ ।’’
କୌଣସି ଥିଲା ଲୋକ ଚଟିଘରେ ରହି ଏପରି ଇଚ୍ଛାପ୍ରକାଶ କରିଥିଲେ, ସାହୁଆଣୀ ହୁଏତ ସହି ନେଇଥାନ୍ତି । କିନ୍ତୁ ଗୋଟାଏ ମାଗିଖିଆ ଲୋକଠାରୁ ଏପ୍ରକାର କଥାଟାଏ ସହିବା ତା’ କୋଷ୍ଠୀରେ ନ ଥିଲା । ସେଥିପାଇଁ ସେ ଉତ୍ତର ଦେଲା, ‘‘ଉଁ, ଖେଳୁ ନା ଟିକିଏ ! ଖେଳ ଫେଳ ଛଡ଼େଇଦେବି । ମୁଁ ତାକୁ ଖେଳିବା ପାଇଁ ପୋଷିଚି ନା ।’’
‘‘ଆଚ୍ଛା, ସେ କି କାମ କରୁଚି କି ?’’ ଶୁଣି, ସାହୁଆଣୀ ଫିଙ୍ଗିଲା ପରି ଉତ୍ତର ଦେଲା, ‘‘ମୋ ପିଲେ ତଳେ ଶୋଉଚନ୍ତି । ଏ ଟୋକୀର ଏଡ଼େ ମଗ୍ଦୁର ଯେ କନ୍ଥା ସିଇଁବସି ଏଆଡ଼େ ସେଆଡ଼େ ଚାହୁଁଛି ।’’
‘‘ଆଚ୍ଛା ସେପରି କନ୍ଥା ଖଣ୍ଡିଏ କିଣିଲେ କେତେ ପଡ଼ିବ ?’’
ଘୃଣା ମିଶ୍ରିତ ସ୍ୱରରେ ସାହୁଆଣୀ ଉତ୍ତର ଦେଲା, ‘‘କିଣିଲେ ଦି ଟଙ୍କା କି ନ’ ସିଉକା ହବ-।’’
‘‘ଆଚ୍ଛା, ତୁମ ଏ ପିଲା ଯେ କନ୍ଥା ଖଣ୍ଡି ସିଉଁଚି, ମୋତେ ବିକି ଦିଅନା । ମୁଁ ନ ସିଉକା କାହିଁକି, ନ ଟଙ୍କା ଦଉଛି ନିଅ ।’’ ତାହା ଶୁଣି ଦୀନା ସାହୁ ନିଜେ ପାଟି ଫିଟାଇବା କର୍ତ୍ତବ୍ୟ ବୋଲି ମନେକଲା । ସେ କହିଲା, ‘‘ବାଟୋଇମାନେ ଯାହା ଯେତେବେଳେ କହିବେ, ଆମେ କ’ଣ ନାହିଁ କରିପାରିବୁ ? ନବ ଯଦି, ନିଅ ନଅ ଟଙ୍କାକୁ । ଆଉ ସେଥିରୁ କମ୍ରେ ହବନାହିଁ ।’’
ସାହୁଆଣୀ ପଚାରିଲା, ‘‘ନଗଦ ଦବନା ?’’ ଶୁଣୁ ଶୁଣୁ, ଆଗନ୍ତୁକ ଅଣ୍ଟାରୁ ନଅ ଟଙ୍କା କାଢ଼ି ଗଣିଦେଲା । ତା’ପରେ ସେ ରମାକୁ କହିଲା, ‘‘ଯାଅ ଲୋ ମା, ଟିକିଏ ଖେଳ୍ ଯା ।’’ ଦୀନା ସାହୁ ଟଙ୍କା ଗଣିନେଲା । ସାହୁଆଣୀ ଖୁସି ଅବଶ୍ୟ ହେଲା; କିନ୍ତୁ ରମା ଯେ ତା’ ନିଜ ପିଲାଙ୍କ ପରି ଖେଳିବାକୁ ସୁବିଧା ପାଇଲା, ସେଥିରେ ତା’ ହୃଦୟ ଜଳିଉଠିଲା । ରମା ଆଗନ୍ତୁକ କଥା ଅନୁସାରେ ଖେଳିବାକୁ ନ ଯାଇ ଥରି ଥରି ସାହୁଆଣୀକି ଯାଇ ପଚାରିଲା, ‘‘ସାଆନ୍ତାଣୀ, ସତେ କ’ଣ ମୁଁ ଖେଳିବାକୁ ଯିବି ?’’ ସାହୁଆଣୀ ଦାନ୍ତ ଚୋବାଇ ଉତ୍ତର ଦେଲା; ‘‘ଖେଳ୍ ।’’
ରମା କାମରୁ ମୁକ୍ତି ପାଇ ଖେଳିବାକୁ ଗଲା । ସାହୁଆଣୀ ଦୀନା ସାହୁ କାନରେ କହିଲା, ‘‘ଏ ମାଗିଖିଆଟା କ’ଣ ଅମୀର ପରି ଟଙ୍କା ଦଉଚି ?’’ ଶୁଣି, ଦୀନା ସାହୁ ଉତ୍ତର ଦେଲା, ‘‘ହଁ, ଇମିତି ଅନେକ ଲୋକ ଅଛନ୍ତି । ନ ଖାଇ, ନ ପିଇ, ଖର୍ଚ୍ଚ ନ କରି, ଟଙ୍କା ଜମେଇ ରଖିଥାନ୍ତି ।’’ ଚମ୍ପା ଏବଂ ହୀରା ଖେଳରେ ଲାଗିଥିଲେ । ସେମାନେ ଯୋଡ଼ିଏ କଣ୍ଢେଇକି ବର ଭାର୍ଯ୍ୟା କରି ବିବାହ କରାଉଥିଲେ; ତାକୁ ଲୁଗା ପିନ୍ଧାଉଥିଲେ, ବସାଉଥିଲେ, ଉଠାଉଥିଲେ, ଶେଯରେ ଶୁଆଉଥିଲେ; ପୁଣି ଉଠାଇ ଖୁଆଉଥିଲେ, କେତେବେଳେ ଗମ୍ଭୀର ଭାବରେ କି ପ୍ରଶ୍ନ ପଚାରୁଥିଲେ, କେତେବେଳେ ବା ଠୋ ଠୋ ହସି ଗଡ଼ିଯାଉଥିଲେ । ଛୋଟ ପିଲାଙ୍କର କଣ୍ଢେଇ ନ ଥିଲେ ସେମାନେ ନିଜକୁ ବଡ଼ ହତଭାଗ୍ୟ ମଣନ୍ତି । ରମା ସେଥିପାଇଁ ତା’ ଛୋଟ ଛୁରିଟିକି କଣ୍ଢେଇ କରିଥିଲା । କାମରୁ ମୁକ୍ତି ପାଇ ସେ ଛୁରି ଧରି ଖେଳିବାକୁ ଲାଗିଲା ।
ରମାକୁ ଖେଳିବାର ଦେଖି ସାହୁଆଣୀ ଦେହ ସହିଲା ନାହିଁ । ସେ ଆଗନ୍ତୁକ ନିକଟକୁ ଆସି କହିଲା, ‘‘ମହାଜନ, ତୁମେ ରମାକୁ ଖେଳିବାକୁ ତ କହିଲ । ହେଲେ, ସେ କାମ ନ କଲେ ଖାଇବ କ’ଣ ?’’
‘‘ତେବେ, ସେ ତୁମ ଝିଅ ନୁହେଁ ?’’
ସାହୁଆଣୀ ଜିଭ କାମୁଡ଼ି କହିଲା, ‘‘ଏ ମା, ସେ ମୋ ଝିଅ କାହିଁକି ହୁଅନ୍ତା ମ ? ମାଗିଖିଆ ପିଲାଟାଏ ସିନା ଆସି ଆମ ଘରେ ରହିଚି । ଆମେ ତାକୁ ଖୁଆଇ ପିଆଇ ରଖିଚୁ । ସେଥିରେ ତୁମେ କହୁଛ କ’ଣ ନା ସେ ମୋ ଝିଅ ! ତୁମ ପସନ୍ଦକୁ ଏ କଥା ଦିଶିଲା ?’’