ପାଣୁ ନାଏକର ଶେଷ ଲଢ଼େଇ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପାଣୁ ନାଏକର ଶେଷ ଲଢ଼େଇ
ବିବାହ ଉତ୍ସବ ଲାଗିଲା । କଟକ ସହର ଦାଣ୍ଡରେ ପଟୁଆର ବୁଲିଲାବେଳେ ଦୁଇଜଣଙ୍କ ମଧ୍ୟରେ ତଳଲିଖିତ କଥାବାର୍ତ୍ତା ଚାଲିବାର ଶୁଣାଗଲା –
‘‘ତୁ ଏ କନ୍ୟାକୁ ଦେଖି ଚିହ୍ନିପାରୁଚୁ ?’’
‘‘ନା ।’’
‘‘ଆଉ ତା’ ସାଥିରେ ଯେ ବୁଢ଼ା ଯାଉଚି, ତାକୁ ?’’
‘‘ନା ।’’
‘‘ତୁ ତେବେ ଗୋଟାଏ କାମ କର; ଏ ପଟୁଆର ସାଥି ସାଥି ଯା । ତୁ ବର କନ୍ୟା, ଆଉ ଏ ବୁଢ଼ା, ସମସ୍ତଙ୍କୁ ଚିହ୍ନି ଆ ।’’
‘‘କାହିଁକି, ତୁ ଯାଉ ନାହୁଁ ?’’
‘‘ମୁଁ ଗଲେ, ମତେ ପୋଲିସ ଦେଖିଲେ, ଆଉ ରଖିବେ ଟିକି ? ଧରି ସିନା ନେଇଯିବେ-। ତୁ ଯା ଖବର ନେଇ ଆସିବୁ ।’’
‘‘ମୁଁ ତ ଯିବି । ଆଜି ମୋତେ ସେଠେଇ ଯାଇ ନାଟ କରିବାକୁ ହବ । ବହିନା ଆଣିସାରିଚି ପରା ?’’
‘‘ତେବେ ତ ଖୁବ୍ ଭଲ କଥା । ତୁ ଠିକ୍ ଠିକ୍ ଖବର ନେଇଆସିବୁ । ତୁ ହୀରା ଓ ଚମ୍ପାଠୁ ଆହୁରି ଚାଲାକ । ତୁ ବିଚାରିଲେ, କୋଉ ଖବରଟା ବାକି ରହିବ ନାହିଁ । ଠିକ୍ ବର କିଏ, କନ୍ୟା କିଏ, ଆଉ ସେ ବୁଢ଼ାଟା– ଦେଖିଲୁନା ସେ ବୁଢ଼ାକୁ ?’’
ବିବାହ ଉତ୍ସବ ପରେ ଶ୍ରୀନିବାସ ଚମ୍ପତିରାଏ ଏବଂ ପାଣୁ ନାଏକ ବର କନ୍ୟାକୁ ଆଶୀର୍ବାଦ କଲେ । ବନ୍ଧୁବାନ୍ଧବ ଭୋଜି ଖାଇ ଫେରିଗଲେ । ଭୋଜିରେ ବିଶ୍ୱେଶ୍ୱର ଉପସ୍ଥିତ ଥିଲା-। ରମା ତାକୁ ଦେଖି ଚିହ୍ନିପାରିଲା ନାହିଁ । ବିଶ୍ୱେଶ୍ୱର ମଧ୍ୟ ଜୀବନରେ ଅସଂଖ୍ୟ ରମଣୀଙ୍କ ସହିତ ପରିଚୟ ଆଳାପ କରିସାରି, ଅନନ୍ତ ଜନତା ମଧ୍ୟରେ ରମାର ପୃଥକ୍ ସତ୍ତା ଅନୁଭବ କରିପାରିଲା ନାହିଁ । ବିବାହ ଉତ୍ସବ ପରେ ବନ୍ଧୁବାନ୍ଧବ ଅତିଥି ଅଭ୍ୟାଗତ ସମସ୍ତେ ବିଦାୟ ନେଇଗଲେ । କିନ୍ତୁ ପାଣୁ ନାଏକ ରହିବାପାଇଁ ଶ୍ରୀନିବାସ ଚମ୍ପତିରାଏଙ୍କ ଉଆସରେ ଗୋଟାଏ ସୁନ୍ଦର ସୁସଜ୍ଜିତ କୋଠରୀ ପ୍ରସ୍ତୁତ କରି ରଖାଗଲା । ରମା ସାରା ବାଲ୍ୟଜୀବନ ପାଣୁ ନାଏକ ଛଡ଼ା ଅନ୍ୟ କାହା ଉପରେ ତା’ ସ୍ନେହଧାରା ବର୍ଷଣ କରି ନ ଥିଲା । ବର୍ତ୍ତମାନ ବନମାଳୀକୁ ପାଇ ମଧ୍ୟ, ପାଣୁ ନାଏକ ପ୍ରତି ତା’ ସ୍ନେହର ମାତ୍ରା ତିଳେ ସୁଦ୍ଧା କମିଲା ନାହିଁ । ସେ ପଚାରିଲା, ‘‘ବାପା, ତୁମେ ଖୁସି ହେଇଚ-?’’
‘‘ହଁ ।’’
‘‘ତେବେ ଟିକଏ ହସୁନାହିଁ କାହିଁକି ?’’ ପାଣୁ ନାଏକ ଚମ୍ପାର ଲେଖା ପାଇ ସାହେବଜାଦାବଜାର ଛାଡ଼ିଗଲା ଦିନଠାରୁ ଥରେ ହେଲେ କେବେ ହସି ନ ଥିଲା । ସେଦିନ ରମା ଅନୁରୋଧରେ ଖୁସି ହୋଇ, ବହୁ ଦିନର ମେଘୁଆ ଆକାଶର ଫାଙ୍କବାଟେ ସୂର୍ଯ୍ୟ କିରଣ ମୁହୂର୍ତ୍ତେ ଫିଟି ବାହାରିଲା ପରି ଟିକିଏ ହସିଲା ।
ସେ ଘଟଣା ପରେ ଶ୍ରୀନିବାସ ଚମ୍ପତ୍ତିରାୟ ଓ ପାଣୁ ନାଏକ ଦୁହିଁଙ୍କ ପାଇଁ ଏକତ୍ର ଠା ହେଲା । ଶ୍ରୀନିବାସ ଆସନରେ ଆସି ବସିଲେ । ପାଣୁ ନାଏକକୁ ଖୋଜା ପଡ଼ିଲା । ଶେଷରେ ଦୁଆର ଜଗୁଆଳ କହିଲା, ‘‘ସେ ମୋତେ କହିଗଲେ, ତାଙ୍କ ଦେହ ଭଲ ଲାଗୁ ନ ଥିବାରୁ ଆଜି ଖାଇବେ ନାହିଁ । ଘରକୁ ଚାଲିଯାଇଛନ୍ତି, କାଲିକି ଆସିବେ । ହଜୁରଙ୍କୁ ଜଣାଇଦବାକୁ ମୋତେ ହୁକୁମ୍ ଦେଇ ଯାଇଚନ୍ତି ।’’
ସେଦିନ ରମା ମନରେ ଗୋଟାଏ ଦୁଃଖର ଛାୟା ପଡ଼ିଗଲା । ଅନ୍ୟାନ୍ୟମାନେ ମଧ୍ୟ ଟିକିଏ ଦୁଃଖିତ ହେଲେ । ପାଣୁ ନାଏକ ତେଲଙ୍ଗାବଜାର ଘରକୁ ଫେରିଯାଇ ପହଞ୍ଚି ଦେଖିଲା ଯେ ସବୁ ନିର୍ଜନ, ଘରମାନ ଅନ୍ଧାର; ଏପରିକି ମାଣିକ ପର୍ଯ୍ୟନ୍ତ ସେଠାରେ ନାହିଁ । ସେ ନିଜ ପାଦଶବ୍ଦରେ ଚମକି ପଡ଼ିବାକୁ ଲାଗିଲା । ସେ ତା’ର ସେହି ଛୋଟିଆ ପେଡ଼ିଟି ଫିଟାଇ, ତା’ ଭିତରୁ ଦୀନା ସାହୁ ଘରେ ରମା ପିନ୍ଧୁଥିବା ଛିଣ୍ଡା କନାଗୁଡ଼ିକ ବାହାର କରି, ତା’ ସହିତ ଦୀନା ସାହୁ ଘରର ସମସ୍ତ ସ୍ମୃତି ସେହି ମୁହୂର୍ତ୍ତରେ ଭସ୍ମ କରିଦେଲା ଓ ତା’ପରେ ରମା ଯେଉଁ ଛୋଟିଆ ଶାଢ଼ି ଖଣ୍ଡିକ ପିନ୍ଧି ଅନେକ ବର୍ଷ ତଳେ ଦୀନା ସାହୁ ଘରୁ ଆସିଥିଲା, ତାକୁ ହାତରେ ଧରି, ରମାର ପିଲା ଦିନ ସୌନ୍ଦର୍ଯ୍ୟ ସୋହାଗ ଦେଖିବାକୁ ଲାଗିଲା । ସେତେବେଳେ ତା’ ମନରେ ଗୋଟାଏ ଦୁଃଖର ଆବରଣ ବର୍ଷାକାଳର ମେଘମାଳ ପରି ଢାଙ୍କିହୋଇ ରହିଲା । ସେ ଦୁଃଖ ପୁଣି ମୁହୂର୍ତ୍ତକ ମଧ୍ୟରେ ପ୍ରବଳ କୋହରେ ପରିଣତ ହେଲା । ତା’ କୋହ ଶୁଣିବାକୁ ସାରା ଘର ମଧ୍ୟରେ ଜଣେ କେହି ନ ଥିଲା । କେବଳ ଘରର କାନ୍ଥ ଛାତ ଓ ବାହାରର ବିଶାଳ ଭୀଷଣ ନିର୍ଜ୍ଜନତାରେ ତାହା ପ୍ରତିଧ୍ୱନିତ ହୋଇ ଆହୁରି ବିକଟ ଶୁଣାଗଲା ।
ସେଦିନ ରାତିସାରା ପାଣୁ ନାଏକ ତା’ ଜୀବନର ଶେଷ ଯୁଦ୍ଧ ଲଢ଼ୁଥିଲା ପରି ଅନୁଭବ କଲା । ବନମାଳୀ ସହିତ ରମାର ସୁଖ ସୌଭାଗ୍ୟ ଦେଖି ତା’ ମନରେ କି ଭାବ ହେବା ଉଚିତ, ସେହି ସମସ୍ୟା ସେ ନିଷ୍ପତ୍ତି କରିବାକୁ ବସିଲା । ରମାକୁ ସେ ନିଜ ହାତରେ ଗଢ଼ିଛି; ସଂସାର ସୁଖରେ ତାକୁ ଭସାଇ ରଖିବାପାଇଁ ସେ ତା’ ନିରାପଦ ବାସସ୍ଥାନ ମାତାମଠ ଭିତରର ଘରଟି ଛାଡ଼ି ଆସିଛି । ରମା ବନମାଳୀକି ପାଇଛି । ବନମାଳୀ ରମାକୁ ପ୍ରଣୟ ସୂତ୍ରରେ ବାନ୍ଧିରଖିଛି । ଇହସଂସାରରେ ଭୋଗବିଳାସରେ ରହିବା ନିମନ୍ତେ ସେମାନଙ୍କର ଅର୍ଥର ମଧ୍ୟ ଅଭାବ ନାହିଁ; କିନ୍ତୁ ସେସବୁ ଭିତରେ ଏକମାତ୍ର କେଁ ସେ ନିଜେ; ସେ କଥା ପାଣୁ ନାଏକ ବେଶ୍ ହୃଦୟଙ୍ଗମ କରିପାରିଲା-। ସେ ରମାର ବାପା ହୋଇ ଯେ ଚଳି ଆସିଲା, ଆଉ ଚଳିବା ଉଚିତ କି ନା, ଭାବିବାକୁ ଲାଗିଲା ।
ପାଣୁ ନାଏକ ସମ୍ମୁଖରେ ଗୋଟାଏ ବିଶାଳ ସମସ୍ୟା ଉପସ୍ଥିତ ହେଲା । ଏକ ଦିଗରେ, ରମା ସହିତ ସମ୍ପର୍କ କାଟିଦେବାଦ୍ୱାରା ତାକୁ ଏକ ଅମାନୁଷିକ ତ୍ୟାଗ କରିବାକୁ ପଡ଼ିବ । ଅପର ଦିଗରେ ରମାର ସୁଖ ସୌଭାଗ୍ୟ । ପାଣୁ ନାଏକ ନିଜ ଘର ଭିତରେ ଏକାନ୍ତରେ ବସି ଜୀବନର ସେହି ଶେଷ ଯୁଦ୍ଧ ଲଢ଼ିବାକୁ ଲାଗିଲା । ସେତେବେଳେ ତାକୁ କେହି ଦେଖିଥିଲେ, ହୁଏତ ମୃତ ବୋଲି ମନେକରନ୍ତା; କିନ୍ତୁ ସେ ଯେ ଜୀବନ୍ତ ନିଜେ ତା’ର ପ୍ରମାଣ ଦେଖାଇଲା; ସମଗ୍ର ରାତି ନିଶ୍ଚଳ ଭାବରେ ପଡ଼ିରହି, ଶେଷରେ ଉଠି, ରମାର ପୁରୁଣା ପିଲାଦିନର ଶାଢ଼ି ଖଣ୍ଡିକ ଧରି ଗୋଟିଏ ଚୁମ୍ବନ ଦେଲା ।
ପାଣୁ ନାଏକର ଆତ୍ମପ୍ରକାଶ
ଆରଦିନ ଖୁବ୍ ସକାଳେ ପାଣୁ ନାଏକ ଶ୍ରୀନିବାସ ଚମ୍ପତିରାଏଙ୍କ ଘରେ ପହଞ୍ଚି ଦେଖିଲା ଯେ କେହି ଆହୁରି ଶେଯରୁ ଉଠି ନାହାନ୍ତି; କେବଳ ଜଗୁଆଳ ସଦର ଦରଜା ପାଖେ, ହାତରେ ଗୋଟାଏ ବନ୍ଧୁକ ଧରି ସାମାନ୍ୟ ଘୁମେଇ ଘୁମେଇ ଏକା ଠିଆହୋଇଛି । ତାକୁ ଦେଖି ଜଗୁଆଳ ଜୁହାର କରି ଆଖି ମନ୍ଥି ମନ୍ଥି ଘର ଭିତରକୁ ଖବର ଦେବାପାଇଁ ଗଲା । ପାଣୁ ନାଏକ କହିଲା, ‘‘ଦେଖ, ମୁଁ ଆସିଚିବୋଲି କହିବ ନାହିଁ; କହିବ, କିଏ ଜଣେ ଆସିଚି ।’’ ଜଗୁଆଳ ବିସ୍ମିତ ହୋଇ ପଚାରିଲା, ‘‘କାହିଁକି, ହଜୁର ?’’ ଉତ୍ତର ଶୁଣିଲା, ‘‘କହନା । ସେଥିରେ କ’ଣ ଅଛି ? ଖାଲି ବନମାଳୀ ବାବୁଙ୍କୁ କହିବ, ମୁଁ ତାଙ୍କ ସଙ୍ଗେ ଏକା ଦେଖା କରିବାକୁ ଚାହେଁ ।’’
ବନମାଳୀ ଆସି ବିସ୍ମିତ ହୋଇ କହିଲା, ‘‘ବାପା ଆପଣ ଆସିଚନ୍ତି ? ମୋତେ ସେ ବୋକା ପାଇକ ଯାଇ କହିଲା, କିଏ ଜଣେ ଆସିଚି । ଆପଣ ଖବର କାହିଁକି ଦେଲେ ? ଦୁଆର ତ ମେଲା ଥିଲା, ଉପରକୁ ସିଧା ସିଧା ଚାଲିଗଲେ ନାହିଁ ?’’ ପ୍ରଶ୍ନର ଯେ କିଛି ଗୋଟାଏ ଉତ୍ତର ଥାଇପାରେ, ପାଣୁ ନାଏକକୁ ଦେଖାଗଲା ନାହିଁ । ବନମାଳୀ ପ୍ରତି ତା’ ମନରେ କେବେ ଭଲ ଭାବ ନ ଥିଲା । ହଠାତ୍ ସେ ‘‘ବାପା’’ ବୋଲି ଡାକିବାରୁ ପାଣୁ ନାଏକ ଆନନ୍ଦରେ ବିହ୍ୱଳ ହୋଇପଡ଼ିଲା । ଅଭୟ ଦାସଙ୍କଠାରୁ କୌଣସି ଉତ୍ତର ନ ପାଇ ବନମାଳୀ ପୁଣି ପଚାରିଲା, ‘‘ଆପଣ କାଲି ନ ଖାଇ କାହିଁକି ଚାଲିଗଲେ ? ଦେହ କିପରି ଅଛି ? ଭଲ ଅଛି ନା ?’’
ପ୍ରଶ୍ନ ସବୁର ଉତ୍ତର ପାଇବାକୁ ଅପେକ୍ଷା ନ କରି, କିମ୍ୱା ପାଇଛି ବୋଲି ମନେକରି, ବନମାଳୀ ପୁଣି କହିଲାଗିଲା, ‘‘ରମା ମୋତେ କହୁଥିଲା, ଆପଣ କାଲି ଚାଲିଯିବାରୁ ତା’ ମନରେ ବଡ଼ ଦୁଃଖ ହେଇଚି । ସେ ଆପଣଙ୍କୁ ଭାରି ସ୍ନେହ କରେ କିନା । ଆପଣ ଆଉ ସେଠାକୁ ଯିବେ ନାହିଁ । ଗଲେ, ରମା କାନ୍ଦିବ । ଆପଣ ଯେବେ ଯିବେ, ତାକୁ ସାଥିରେ ନେଇ ଯିବେ । କାହିଁକି ବା ଯିବେ ? ଆପଣ ତ ଏଠେଇ ରହିବେ । ମୁଁ ମୋ କାମଦାମରେ ଲାଗିବି, ଆପଣ ରମାକୁ ଧରି ବୁଲିବାକୁ ଯିବେ, ଯେପରି ସେ କିଲ୍ଲାପଡ଼ିଆରେ ବୁଲୁଥିଲେ ।’’
‘‘ବନମାଳୀ ବାବୁ, ଆପଣଙ୍କୁ ମୋର ଗୋଟିଏ କଥା କହିବାର ଅଛି । ଆପଣ ଜାଣନ୍ତି ନାହିଁ, ମୁଁ ଜଣେ ପୁରୁଣା କଏଦୀ, ଦାଗୀ ।’’ କେତେଗୁଡ଼ାଏ ବିଷୟ ଅଛି, ଯାହା ଯେତେ କଠିନ ଭାଷାରେ କୁହାଯାଉ ପଛକେ, ବୁଝିବା କଷ୍ଟକର ହୁଏନାହିଁ । କିନ୍ତୁ କଥାଗୁଡ଼ାକ ବିଶ୍ୱାସ କରିବା ସୀମା ପାର ହୋଇଗଲେ, ତେଣିକି ଯେତେ ସହଜ ଭାଷାରେ ପ୍ରକାଶ କରାଗଲେ ସୁଦ୍ଧା, ବୁଝିବା ଅସମ୍ଭବ ହୋଇପଡ଼େ । ଅଭୟ ଦାସଙ୍କ କଥାଗୁଡ଼ିକ ବନମାଳୀ ଯେ ନ ବୁଝିଲା ନୁହେଁ; କିନ୍ତୁ ତା’ କାନରେ ପ୍ରବେଶ କଲା ନାହିଁ । ସେ ଗୋଟାଏ ନିର୍ବୋଧ ପରି ଠିଆହୋଇ ରହିଲା । ପାଣୁ ନାଏକ ପୁଣି କହିଲା, ‘‘କାଲି ମୋ ଦେହ କିଛି ଖରାପ ହୋଇ ନ ଥିଲା ମ । ମୁଁ ଆପଣମାନଙ୍କ ପରି ବଡ଼ଲୋକଙ୍କ ସଙ୍ଗେ ବସି ଖିଆପିଆ କରିବାକୁ ତ ଲାଏକ ନୁହେଁ; ସେଥପାଇଁ ଚାଲିଗଲି । ଆପଣମାନେ ରଜାରାଜୁଡ଼ା ଘର ପୁଅ କିନା ।’’
ବନମାଳୀ ଶୁଣି ଚମକିପଡ଼ି କମ୍ପିତ ସ୍ୱରରେ ପଚାରିଲା, ‘‘ଆପଣଙ୍କର ଏ ସବୁ କଥାର ଅର୍ଥ କ’ଣ ?’’
‘‘ଏଇ ଅର୍ଥ, ବାବୁ ମୁଁ ଜଣେ କଏଦୀ, ଦାଗୀ ଲୋକ ପରା !’’
‘‘ଆପଣ କାହିଁକି ମୋତେ ଏପରି କହୁଚନ୍ତି । ଆପଣଙ୍କ ଦେହ ନିଶ୍ଚୟ କିଛି ଖରାପ ହେଇଚି । କ’ଣ ହେଇଚି, କହନ୍ତୁ ।’’
‘‘ନା ବନମାଳୀବାବୁ ! ମୋ ଦେହ ବେଶ୍ ଭଲ ଅଛି । ମୁଁ ଚୋରିକରି ଥରେ ଊଣିଶ ବର୍ଷ ଜେଲଖାନାରେ ଥିଲି । ତା’ପରେ ଆଉଥରେ ଚୋରି କରି ଆଜୀବନ ଜେଲଦଣ୍ଡ ପାଇଥିଲି । ମୁଁ ଲୁଚି ପଳେଇ ଆସିଚି; ଧରା ପଡ଼ିଲେ ଜେଲଖାନାକୁ ଭିଡ଼ାହୋଇ ଯିବିଟିକି ।’’
ବନମାଳୀ ଭୟରେ ତ୍ରସ୍ତ ହୋଇପଡ଼ିଲା; ତଥାପି ବିଶ୍ୱାସ ନ କରି ରହିପାରିଲା ନାହିଁ । ସେ କ୍ରମେ କ୍ରମେ କଥାଟା ବୁଝିଗଲା ଏବଂ ଯେତେ ବୁଝିଲା ତା’ଠାରୁ ବେଶି ଅନୁମାନ କଲା; ତା’ ଭବିଷ୍ୟତ ଭାଗ୍ୟ ଯେ କିପରି ଅନ୍ଧକାରମୟ ଏବଂ ବିପଦଜଡ଼ିତ, ସେ ଚିତ୍ର ଆଖି ଆଗରେ ଦେଖିବାକୁ ଲାଗିଲା । ତହୁଁ ସେ କହିଲା, ‘‘ଆଉ କ’ଣ ଅଛି, କହନ୍ତୁ । ଆପଣ ରମାର ବାପା ତ ?’’ କହି ସେ ଭୟରେ ପଛକୁ ଦୁଇ ପାଦ ଘୁଞ୍ଚିଗଲା । ପାଣୁ ନାଏକ ମଧ୍ୟ ହଠାତ୍ ଚମକିପଡ଼ି; କହିଲା, ‘‘ମୋ ପରି ଲୋକର ହଲପ ଅଦାଲତ ନବ ନାହିଁ । ତେବେ ମଧ୍ୟ ମୁଁ ହଲପ କରି କହୁଛି, ମୁଁ ତା’ ବାପା ନୁହେଁ । ମୁଁ ଡମପଡ଼ାର ଜଣେ ଦରିଦ୍ର ଚାଷୀ । ମୋ ନାଁ ଅଭୟ ଦାସ ନୁହେଁ, ପାଣୁ ନାଏକ । ରମାର ମୋ ସହିତ କୌଣସି ସମ୍ପର୍କ ନାହିଁ ।
‘‘ମୋତେ ୟା ପ୍ରମାଣ କିଏ ଦବ ?’’
‘‘ମୁଁ ଦେଉଚି ପରା, ମୋ କଥା ବିଶ୍ୱାସ କରନ୍ତୁ ।’’
ବନମାଳୀ ପାଣୁ ନାଏକକୁ ଚାହିଁ ଦେଖିଲା, ତା’ ମୁଖମଣ୍ଡଳ ବେଶ୍ ପ୍ରଶାନ୍ତ । ତହିଁରୁ ଯେ ଗୋଟାଏ ମିଥ୍ୟାକଥା ବାହାରିପାରେ ସେପରି ସମ୍ଭାବନା ଦେଖାଗଲା ନାହିଁ । ତହୁଁ ବନମାଳୀ କହିଲା, ମୁଁ ଆପଣଙ୍କ କଥା ବିଶ୍ୱାସ କରୁଚି ।’’ ଶୁଣି ପାଣୁ ନାଏକ ଆଶ୍ୱସ୍ତ ହେଲା ଏବଂ ପୁନରାୟ କହିଲା, ‘‘ରମା ସହିତ ମୋର କି ସମ୍ପର୍କ ? ମୁଁ ବାଟରେ ଚାଲିଯିବା ଲୋକ । ସେ ଯେ ଜନ୍ମ ହେଇଛି, ଦଶ ବର୍ଷ ଆଗେ ମୁଁ ଜାଣି ନ ଥିଲି । ମୁଁ ଅବଶ୍ୟ ତାକୁ ସ୍ନେହ କରେ । ବୁଢ଼ା ହେଲେ, ସାନ ପିଲାଙ୍କଠେଇ ସମସ୍ତଙ୍କର ସ୍ନେହ ହୁଏ । ତା’ ବାପା ମା’ କେହି ନ ଥିବାରୁ, ମୁଁ ତାକୁ ଆଣି ପାଳିଥିଲି ସିନା; ସେ ଏବେ ଆପଣଙ୍କର । ସେ ଛ ଲକ୍ଷ ଟଙ୍କା କଥା ତ ଆପଣ ମୋତେ କିଛି ପଚାରୁନାହାନ୍ତି-। ତେବେ ଆପଣଙ୍କର ପୂରା ସନ୍ଦେହ ହେଉଥିବ । ସେଟା ଚୋରିମାଲ ନୁହେଁ, କଷ୍ଟ ଉପାର୍ଜିତ ଧନ-।’’ କହି, ପାଣୁ ନାଏକ ବନମାଳୀ ମୁହଁକୁ ଚାହିଁ ରହିଲା ।
ବନମାଳୀ କିଛିକ୍ଷଣ ନୀରବ ରହି, ପରେ ସାମାନ୍ୟ ବିରକ୍ତି ଲୁଚାଇ ରଖି କହିଲା, ‘‘ମୋତେ ଏଗୁଡ଼ାକ ସବୁ କାହିଁକି କହୁଛନ୍ତି ? ମୁଁ କ’ଣ ପଚାରୁଥିଲି ? ଆପଣ ନ କହିଥିଲେ, ଭଲ ହୋଇଥାନ୍ତା । ଆପଣଙ୍କୁ ତ କେହି ଆଉ ଧରିବାକୁ ଖୋଜୁନାହାନ୍ତି ।’’
‘‘ତା ହୋଇପାରେ । ମାତ୍ର ଆପଣ ଭୁଲ ବୁଝିଛନ୍ତି । ମୋତେ ମୁଁ ଧରିବାକୁ ଖୋଜୁଚି ପରା-। ମୁଁ ମୋ ନିଜ ବାଟ ବନ୍ଦ କରିବାକୁ ବସିଚି । ନିଜେ ନିଜକୁ ଧଇଲେ ଆଉ କିଏ ରଖିପାରିବ-? ମନୁଷ୍ୟର ବିବେକ ତା’ର ପ୍ରଧାନ ଶତ୍ରୁ, ବିବେକ ତାକୁ ନର୍କରୁ ସ୍ୱର୍ଗକୁ ଉଠାଇନିଏ । ବନମାଳୀ ବାବୁ, ମୁଁ ଚୋର ଡକାୟତ ହୋଇପାରେ; ମାତ୍ର ମୁଁ ଜଣେ ସଚ୍ଚାଲୋକ । ମୁଁ ନିଜକୁ ଆପଣଙ୍କ ଦୃଷ୍ଟିରେ ତଳକୁ ପକାଇ; ମୋ ନିଜ ଦୃଷ୍ଟିରେ ଉପରକୁ ଟେକୁଚି ।’’
ପାଣୁ ନାଏକ କିଛି ସମୟ ନୀରବ ରହି କଷ୍ଟରେ ଛେପ ଢୋକିଲା; ସତେ ଯେପରି ତା’ ତୁଣ୍ଡ ତାକୁ ପିତା ଲାଗୁଥିଲା ଓ ପୁଣି କହିଲା, ‘‘ଅଭୟ ଦାସ ତା’ ନାଁ ମୋତେ ଧାରଦେଇଛି; ମୁଁ ଧାର ଶୁଝିଦେବା ଦରକାର । ଗୋଟାଏ ଜାଲ ନାଁରେ ମୁଁ କେତେଦିନ ସଂସାରରେ ଚଳିବି ? କେତେଦିନ ପୋଲିସବାଲାଙ୍କୁ ଦେଖି ଡରିବି ? ନିଜର ଛାଇକି ଦେଖି ଚମକିବି ? ନା, ନା, ନା; ଆଉ ନୁହେଁ । ଏ ଅଧ୍ୟାୟ ସାରିଚି । ସେଥିପାଇଁ ଆପଣଙ୍କୁ ସବୁ କହିବାକୁ ଆସିଲି । ଦିନେ ପେଟ ପୋଷିବା ପାଇଁ ମୁଠାଏ ଚାଉଳ ଚୋରିକରିଥିଲି । ଆଜି ଜଗତରେ ବଡ଼ ହେବା ଲାଗି ଜଣକ ନାଁ ଚୋରେଇ ପାରିବି ନାହିଁ ।’’
ଦୁହେଁ ଦୁହିଙ୍କି ଚାହିଁ କିଛି ସମୟ ବସିରହିଲେ । ବନମାଳୀ ପାଟିରୁ କଥା ବାହାରିଲା ନାହିଁ । ପାଣୁ ନାଏକ ପୁଣି କହିଲା, ‘‘ଦେଖନ୍ତୁ, ମୁଁ ଆପଣଙ୍କ ଘରେ ବଡ଼ଲୋକି କରି ଅଭୟ ଦାସ ନାଁରେ ରହିବି, ଆପଣ ମୋତେ ଶ୍ୱଶୁର ବୋଲି ଖାତିରି କରିବେ; ହଠାତ୍ ଦିନେ କିଏ ଆସି କହିବ, ଏଟା ପାଣୁ ନାଏକ, ‘ଗୋଟାଏ ପୁରୁଣା ଦାଗୀ ।’ ପୋଲିସ ଧରପଗଡ଼ କରିବେ, କି କଦର୍ଯ୍ୟ ହବ, କହନ୍ତୁ, ଦେଖି ?’’ ବନମାଳୀର ନୀରବତା ଉତ୍ତର ଦେଲା । ପାଣୁ ନାଏକ ପୁଣି କହିଲା, ‘‘ମୁଁ ଚୁପ୍ ନ ରହି ଭଲ କରିଚି । ମୋ କଥା ଆଉ ଭାବିବେ ନାହିଁ । ମୁଁ ବିଦାୟ ନେଇ ଯାଉଚି ।’’
ବନମାଳୀ ଯାଇ ପାଣୁ ନାଏକର ହାତ ଧରି ପକାଇଲା । ସେ ଦେଖିଲା, ତାହା ଗୋଟାଏ ପଥରର ହାତ ଓ କହିଲା, ‘‘ମୋ ଶ୍ୱଶୁରଙ୍କର କ’ଣ କେହି ଆତ୍ମୀୟସ୍ୱଜନ ନୁହନ୍ତି ? ମୁଁ ହାକିମଙ୍କୁ ଧରି ଆପଣଙ୍କ ଦୋଷ କ୍ଷମା କରେଇଦେବି ।’’
‘‘କିଛି ଫଳ ନାହିଁ, ବନମାଳୀ ବାବୁ; ମୁଁ ମଲିଣି ବୋଲି ଧରିନିଅନ୍ତୁ । କ୍ଷମା ମାଗି ସୁଖରେ ରହିବା କଥା ପଡ଼ି ନାହିଁ । ଏ ଗୋଟିଏ କର୍ତ୍ତବ୍ୟ । ମୋ କର୍ତ୍ତବ୍ୟ ହିଁ ବର୍ତ୍ତମାନ ମୋର ବନ୍ଧନ । ମୁଁ କେବଳ ଗୋଟାଏ କ୍ଷମା ଚାହେଁ– ସେ ମୋ ବିବେକର କ୍ଷମା ।’’
ରମାକୁ ଦେଖିବାକୁ ଅଳି
ପାଣୁ ନାଏକ ଓ ବନମାଳୀ ଦୁହେଁ କଥାବାର୍ତ୍ତା ହେଉଥିବା ବେଳେ ରମା ଆସି ପହଞ୍ଚି କହିଲା, ‘‘ତୁମେ ସବୁ କ’ଣ ବଡ଼ ବଡ଼ ରାଜନୀତି କଥା କହୁଚ ? ବାପା, ତୁମେ ମୋ ପାଖକୁ ନ ଯାଇ ଏଠେଇ ବସି ଏ ବାଜେ କଥାଗୁଡ଼ାକ କାହିଁକି ଗପୁଛ ? ତୁମେ ମୋତେ ମନରୁ ଦୂର କରିଦେଲ ନା କ’ଣ ?’’ ପାଣୁ ନାଏକ ଏବଂ ବନମାଳୀ ଦୁଇ ଜଣ ଅପରାଧୀ ପରି ନୀରବ ହୋଇ ବସିରହିଲେ । ରମା କହିଲା, ‘‘ମୁଁ ଠିକ୍ ଆସି ଧରିଚି । ବାପା, ତୁମେ କ’ଣ ବିବେକ କର୍ତ୍ତବ୍ୟ କଥା ସବୁ କହୁଥିଲ । ଏ ଫେରେ ସେ ଲଢ଼େଇକି ଯିବା କଥା ନା କ’ଣ ? ନା ବାପା, ତୁମେ ଦିହେଁ ଗଲେ, ମୁଁ ପ୍ରାଣ ହରେଇ ଦେବି ।’’
ବନମାଳୀ ଉତ୍ତର ଦେଲା, ‘‘ତୁମେ ଭୁଲ ଶୁଣିଚ, ରମା । ଆମେ ବ୍ୟବସାୟ ବିଷୟରେ କଥାବାର୍ତ୍ତା ହେଉଚୁ । ତୁମ ଛ’ଲକ୍ଷ ଟଙ୍କାରେ କ’ଣ କରିବାକୁ ହେବ, ବିଚାର କରିବାକୁ ବସିଚୁ । ତୁମେ ଯାଅ ନା ।’’
‘‘ତେବେ ମୁଁ ରହିବାକୁ କ’ଣ ମନା ଅଛି ?’’ କହି, ରମା ପାଣୁ ନାଏକ କୋଳକୁ ଗଲା । ପାଣୁ ନାଏକ ଚିତ୍ରପ୍ରତିମା ପରି ବସିରହିଲା; ହଲଚଲ ହେଲା ନାହିଁ । ରମା ଚମକିପଡ଼ି କହିଲା, ‘‘ବାପା, ତୁମେ ବଡ଼ କଳା ଦିଶୁଚ ? ତୁମ ଦେହ କ’ଣ ଏତେ ଖରାପ ଅଛି ?’’
‘‘ରାତିରେ କ’ଣ ଭଲ ନିଦ ହେଇ ନ ଥିଲା ?’’
‘‘ତେବେ ଏମିତି ଦିଶୁଚ କାହିଁକି ? ଦେହ ଭଲ ଅଛି, ରାତିରେ ନିଦ ହେଉଥିଲା, ମନ ଦୁଃଖ ନାହିଁ । ତେବେ ହସୁନାହଁ କାହିଁକି ?’’ ପାଣୁ ନାଏକ ବେତନଭୋଗୀ ଭୃତ୍ୟପରି କଥା ମାନି ହସିଲା । ବନମାଳୀ କହିଲା, ‘‘ରମା, ଏବେ ଯାଅନା ।’’
‘‘ବାପା, ମୁଁ ରହିବି ନାହିଁ ? ମୁଁ ତ ବାପାଙ୍କ ପାଖକୁ ଆସିଚି, ବାପା, କହ ଦେଖି, ମୁଁ ରହିବି କି ନାହିଁ ?’’ ପାଣୁ ନାଏକ ଉତ୍ତର ଦେଲା, ‘‘ନା ।’’ ଶୁଣି ରମା ଚାଲିଗଲା । ବନମାଳୀ କହିଲା, ‘‘ରମା ଏ ସବୁ ଶୁଣିଲେ– ।’’ ପାଣୁ ନାଏକ ଆପାଦମସ୍ତକ ଥରିବାକୁ ଲାଗିଲା ଓ କହିଲା, ‘‘ବନମାଳୀ ବାବୁ ଏତିକି ପ୍ରାର୍ଥନା, ରମାକୁ ଏସବୁ କଥା କିଛି କହିବେ ନାହିଁଟି । ଥରେ ସେ କଏଦୀ ଦଳେ ଦେଖି ରାତିଯାକ ଶୋଇ ନାହିଁ । ମୋର ଏତିକି ମାଗୁଣି ।’’ କହି, ସେ ଦୁଇହାତ ମୁହଁରେ ଦେଇ, କାନ୍ଦିବାକୁ ଲାଗିଲା । ଲୁହଧାରରେ ତା’ ଲୁଗାପଟା ସବୁ ଓଦା ହୋଇଗଲା ।
ବନମାଳୀ କହିଲା, ‘‘ଆପଣ ତୁନି ହୁଅନ୍ତୁ । ମୁଁ ତାକୁ କିଛି କହିବି ନାହିଁ ।’’ କହି ସେ ନୀରବଭାବରେ ବସିରହି ମନେ ମନେ ଅନେକ କଥା ଭାବିଲା ଓ ଶେଷରେ କହିଲା, ‘‘ଦେଖନ୍ତୁ ଛ’ଲକ୍ଷ ଟଙ୍କା ଆପଣଙ୍କ ଜିମା କେହି ଦେଇଯାଇଛି, ଆପଣ ରଖିବା ଠିକ୍ହବ ।’’ ପାଣୁ ନାଏକ କାନ୍ଦିସାରି ଯେପରି ନୀରବ ହୋଇ ବସିଥିଲା, ସେହିପରି ବସିରହିଲା । କେତେକ ସମୟ ପରେ ସେ କହିଲା, ‘‘ସବୁ ସରିଲାଣି । ମୋର ଗୋଟିଏ କଥା ଆଉ ପଚାରିବାକୁ ଅଛି । ରମା ତ ଆପଣଙ୍କର । ମୁଁ ଆଉ ତା’ ସାଙ୍ଗେ ଦେଖା କରିପାରିବି କି ନାହିଁ ?
‘‘ଭଲ କଥା; ତାହାହେଲେ କହିବି ନାହିଁ ।’’ କହି ପାଣୁ ନାଏକ ଦ୍ୱାର ପାଖକୁ ଗଲା । ଶିକୁଳିରେ ହାତ ଦିଅନ୍ତେ ଦ୍ୱାରଟି ଫିଟିଗଲା । ପାଣୁ ନାଏକ ଚାଲିଯାଉଥିଲା; କିନ୍ତୁ ପୁଣି ଦ୍ୱାର ବନ୍ଦ କରି ଆସି ଧୀରସ୍ଥିର ସ୍ୱରରେ କହିଲା, ‘‘ଟିକିଏ ରହନ୍ତୁ । ରମାକୁ ଦେଖିବାକୁ ମୋର ବଡ଼ ଇଚ୍ଛା ହେଉଚି । ଯେବେ କହିବେ, ମୁଁ ବେଳେ ବେଳେ ଆସିବି । ରମାକୁ ଦେଖିବା ଇଚ୍ଛା ହେଉ ନ ଥିଲେ ମୁଁ ତ ଚାଲିଯାଇଥାନ୍ତି । ଆପଣଙ୍କୁ ଆସି ଏସବୁ ମନଯିବା କଥା କାହିଁକି କହନ୍ତି । ଆପଣଙ୍କର ଯେବେ ଆପତ୍ତି ନ ଥାଏ, ମୁଁ କିଛି ସବୁବେଳେ ଆସିବି ନାହିଁ; ଥରକୁ ଥର ଆସି ଆପଣଙ୍କୁ ବିରକ୍ତ କରିବି ନାହିଁ, ଦିନେ ଦିନେ ଆସି ତାକୁ ଦେଖିଯାଉଥିବି । ଆପଣ ଯେତିକି କହିବେ ସେତିକି ଥର ଆସିବି । ଆଉ ଦେଖନ୍ତୁ; ମୁଁ ଏକାବେଳକେ ନ ଆସିଲେ, ଲୋକେ କ’ଣ କହିବେ ?’’
‘‘ଆପଣ ଦିନ୍ ଥରେ ଆସିବେ । ରମା ଆପଣଙ୍କ ଅପେକ୍ଷାରେ ଥିବ ।’’
‘‘ଆପଣଙ୍କର ବଡ଼ ଅନୁଗ୍ରହ । ମୁଁ ଏତିକି ଶୁଣି କୃତକୃତ୍ୟ ହେଲି ।’’ ବନମାଳୀ ପାଣୁ ନାଏକକୁ ନମସ୍କାର କଲା; ଆନନ୍ଦ ଓ ନୈରାଶ୍ୟକୁ ବିଦାୟ ଦେବା ନିମନ୍ତେ ଦ୍ୱାର ପର୍ଯ୍ୟନ୍ତ ଗଲା । ସେହିଠାରେ ବନମାଳୀ ପାଣୁ ନାଏକଠାରୁ ବିଦାୟ ନେଇ ଘରେ ରହିଲା ।