ଆତ୍ମ ପ୍ରକାଶ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଆତ୍ମ ପ୍ରକାଶ
ଦେବାନ ଆହୁରି ବେଗରେ ଧାଇଁ, ଧଇଁସଇଁ ହୋଇ କଚେରି ଦ୍ୱାରରେ ଯାଇ ପହଞ୍ଚିଲେ-। ପହଞ୍ଚି ଦେଖିଲେ, କଚେରି ଘର ଭିତରେ ଲୋକାରଣ୍ୟ; ପାଦ ପକାଇବାକୁ ସ୍ଥାନ ନାହିଁ-। ସେ ପଶିବାକୁ ଚେଷ୍ଟା କଲାରୁ ଜଗୁଆଳ ତାଙ୍କୁ ଧକା ମାରି ପେଲିଦେଇ କହିଲା, ‘‘କ’ଣ ମଣିଷ, ନା ଗୋରୁ ? ସୋରିଷ ପକାଇବାକୁ ଜାଗା ଅଛି ଯେ ପଶୁଚ ?’’ ଜଣେ ମୁକ୍ତାର ଚପକନ ପିନ୍ଧି, ମୁଣ୍ଡରେ ପଗଡ଼ି ବାନ୍ଧି ଯାଉଥିଲେ । ପୁଣି ଜଗୁଆଳକୁ କହିଲେ; ‘‘କିରେ ତତେ କ’ଣ ମଣିଷ ଦିଶୁ ନାହିଁ ? ଜାଣି ଜାଣି ଭଦ୍ରଲୋକଟାକୁ ଧକା ଦେଉଚୁ ?’’ ସେ ତା’ପରେ ଦେବାନଙ୍କୁ ପଚାରିଲେ, ‘‘ଆପଣ କ’ଣ ଚାହୁଁଚନ୍ତି ?’’
‘‘ମୁଁ ଏ ବିଚାର ଶୁଣିବାକୁ ଘର ଭିତରକୁ ଯିବାକୁ ଇଚ୍ଛାକରେ ।’’
‘‘ସବୁଆଡ଼ ତ ପୂର୍ଣ୍ଣ ଦେଖୁଚନ୍ତି । ହାକିମଙ୍କ ପଛପଟେ ଅଳପ ଟିକିଏ ଜାଗା ଅଛି । ଆପଣ ତାଙ୍କ ପାଖକୁ ଟିକିଏ ଲେଖିପଠାନ୍ତୁ । ମାତ୍ର ଆଶା କମ୍ । ଖୁବ୍ ବଡ଼ବଡ଼ିଆଙ୍କ ଛଡ଼ା ସେଠି କାହାକୁ ଆସନ ମିଳେ ନାହିଁ । ତେବେ, ଚେଷ୍ଟା କରି ଦେଖନ୍ତୁ । କାଳେ ବାଜିଯିବ ।’’
ମୁକ୍ତାରଙ୍କ ପରାମର୍ଶ ଶୁଣି, ଦେବାନ ‘ସାରଙ୍ଗଗଡ଼ ଦେବାନ ଧନଞ୍ଜୟ ରାଏ’ ଲେଖି, ହାକିମଙ୍କ ନିକଟକୁ ଜଣେ ସିପାହୀ ହାତରେ ଲେଖା ପଠାଇଲେ । ତାଙ୍କ ନାମ ତ କୌଣସିଠାରେ ଛପା ନ ଥିଲା । ହାକିମ ଲେଖା ପାଇଲାକ୍ଷଣି, ନିଜ ପାଖରେ ଗୋଟିଏ ସ୍ଥାନ ଠିକ୍ କରି ରଖି, ସିପାହୀକି କହିଲେ, ‘‘ମୋର ସଲାମ ଦେଇ ଡାକିଆଣ ।’’ ସିପାହୀ ଯାଇ ଦେଖିଲା, ଦେବାନ ଯେଉଁଠାରେ ଛିଡ଼ା ହୋଇଥିଲେ, ସେହିଠାରେ ଠିକ୍ ସେହିପରି ଭାବରେ ଦଣ୍ଡାୟମାନ ହୋଇ ରହିଛନ୍ତି । ସେ ମନରେ କ’ଣ ଭାବୁଥିଲେ, ବୁଝିବା ଅସମ୍ଭବ । ସିପାହୀ ଆସି ସଲାମ କରି କହିଲା, ‘‘ହଜୁର, ବିଜେ କରନ୍ତୁ ।’’ ସେ ପ୍ରଥମେ ଆସି ପହଞ୍ଚିଲା ବେଳେ ଯେଉଁ ଜଗୁଆଳ ତାଙ୍କୁ ଧକା ମାରିଥିଲା, ସେ ମଧ୍ୟ ପାଦ ପର୍ଯ୍ୟନ୍ତ ମୁଣ୍ଡ ନୁଆଁଇ ସଲାମ କଲା । ଦେବାନ ଭାବିଲେ, ‘‘ଏ ତ ପାଣୁ ନାଏକ ଜୀବନରେ ଶେଷ ସଲାମ ପାଇବ ।’’ ଭାବି, ସିପାହୀ ପଛେ ପଛେ ହାକିମଙ୍କ ଆଡ଼କୁ ଗଲେ-।
ଦେବାନ ହାକିମଙ୍କ ପଛ ପାଖ ଦ୍ୱାରବାଟେ ଯାଇ ଇଜଲାସରେ ପାଦ ପକାନ୍ତେ, ଲୋକେ ତାଙ୍କ ଆଡ଼କୁ ଅନାଇଲେ । ନିଜେ ହାକିମ ଦେଖି ଅନୁମାନଦ୍ୱାରା ବୁଝିପାରିଲେ ଯେ ସେ ଧନଞ୍ଜୟ ରାଏ । ତହୁଁ ସେ କାର୍ଯ୍ୟ ମଧ୍ୟରେ ଟିକିଏ ହସି, ମୁଣ୍ଡ ନୁଆଁଇ, ଅଭିବାଦନ କରି ବସିବାକୁ ଠାରିଦେଲେ । ଧନଞ୍ଜୟ ରାଏ ବସିଲେ ।
ଇଜଲାସ ମଧ୍ୟରେ ଗୋଟାଏ କାଠର ବାଡ଼ା ଭିତରେ ଜଣେ ଲୋକ ବିମର୍ଷ ମୁଖରେ, ନିରାଶ ନେତ୍ରରେ ଠିଆ ହୋଇଥିଲା । ଦର୍ଶକମାନେ ସମସ୍ତେ ତାହରି ଆଡ଼କୁ ଚାହିଁଥିଲେ । ଧନଞ୍ଜୟ ରାଏ ମଧ୍ୟ ତା’ ଉପରେ ଦୃଷ୍ଟି ନ ପକାଇ ରହିପାରିଲେ ନାହିଁ । ସେ ତାକୁ ଚାହିଁ ମନକୁମନ କହିଲେ, ‘‘ମୋତେ ସେଇଠିକୁ ଯିବାକୁ ହବ ।’’ ତା’ପରେ ସେ ପୁଣି ଟିକିଏ କ’ଣ ଭାବିଲେ ଏବଂ ଆଉଥରେ ମନକୁ ମନ କହିଲେ, ଆହୁରି କିଛି ହେଇନାହିଁ; ବର୍ତ୍ତମାନ ମଧ୍ୟ ସମୟ ଅଛି । ମୁଁ ସେଇ ପୁରୁଣା ପାଣୁ ନାଏକ ହେବି, ନା ଧନଞ୍ଜୟ ରାଏ ହେଇ ଏଇ ଉଚ୍ଚ ପଦରେ ରହିବି ? ନିଷ୍ପତ୍ତି କରିବାକୁ ଆଉ ବିଳମ୍ବ ନାହିଁ ।’’
ଧନଞ୍ଜୟ ରାଏ ଇଜଲାସ ମଧ୍ୟରେ ପ୍ରବେଶ କରିବା ବେଳେ ଅନନ୍ତ ଦାସ ପକ୍ଷର ମୁକ୍ତାର ବକ୍ତୃତା ଆରମ୍ଭ କଲେ । ଅନନ୍ତ ଦାସ ସେତେବେଳେ ମୁହଁକୁ ତଳକୁ ପୋତି ବିଷଣ୍ଣ ଭାବରେ ଠିଆ ହୋଇଥିଲା । ମୁକ୍ତାର କହିଲେ, ‘‘ହଜୁର, ଦେଖନ୍ତୁ । ଏ ଲୋକ ଯେ ନଡ଼ିଆ ଚୋରି କରିଚି, କୋର୍ଟବାବୁ ତା’ର କୌଣସି ପ୍ରମାଣ ଦେଇପାରି ନାହାନ୍ତି । ସେ ଅବଶ୍ୟ ଦାଗୀ, ଆଗରୁ ଊଣିଶ ବର୍ଷ ଜେଲ ଖଟିଚି । ଏହି ଗୋଟାକ ବିଷୟ କେବଳ ତା’ ବିପକ୍ଷରେ ଯାଇପାରେ; କିନ୍ତୁ ତା’ ମଧ୍ୟ ସେ ନିଜେ ଅସ୍ୱୀକାର କରୁଛି । ହଜୁର ତାହା ଅସ୍ୱୀକାର ଏବଂ ଅବିଶ୍ୱାସ କରୁଛନ୍ତି । ମୁଁ ମଧ୍ୟ ତାକୁ ବାରମ୍ବାର ବୁଝାଇଲି; ମାନିଗଲେ, ଫଳ ଭଲ ହେବ ବୋଲି କହିଲି; ମାତ୍ର ସେ ନିଜକୁ ପାଣୁ ନାଏକ ବୋଲି କହିବାକୁ ଏକାବେଳକେ ନାରାଜ । ବୋଧହୁଏ ମାନିଯିବାକୁ ତା’ର ଭୟ ହେଉଛି । ମୁଁ ପ୍ରାର୍ଥନା କରୁଛି, ହଜୁର ତାକୁ ସାମାନ୍ୟ କିଛି ଦଣ୍ଡ ଦେଇ ଛାଡ଼ିଦିଅନ୍ତୁ ।’’
ମୁକ୍ତାର କହିସାରିଲାରୁ ସରକାର ପକ୍ଷରୁ କୋର୍ଟବାବୁ ଉଠିଲେ । ଉଠି ଠିଆ ହୁଅନ୍ତେ ହାକିମଙ୍କ ପଛରେ ଦେବାନଙ୍କ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ଦେବାନଙ୍କୁ ଅନେକ ଘଟଣାରେ ସେ ଆଗରୁ ଜାଣିଥିଲେ । ତାଙ୍କୁ ହଠାତ୍ ଦେଖି, ଟିକିଏ ବିସ୍ମିତ ହୋଇ ନମସ୍କାର କଲେ । ଦେବାନ କିନ୍ତୁ ତାଙ୍କ ଆଡ଼କୁ ଚାହିଁପାରିଲେ ନାହିଁ । ତାଙ୍କ ମନର ସେତେବେଳର ଭାବ ବୁଝିବା ଏକାବେଳେକେ ଅସମ୍ଭବ । କୋର୍ଟବାବୁ କିପରି ବା ବୁଝନ୍ତେ ? ସେ ନିଜ କର୍ତ୍ତବ୍ୟ ଅନୁସରଣରେ କହିଲେ, ‘‘ପ୍ରତିବାଦୀ ପକ୍ଷର ମୁକ୍ତାର ଯାହା କହିଗଲେ, ସେଥିରୁ ପରିଷ୍କାର ଜଣାପଡ଼ୁଛି ଯେ ଏହି ଅନନ୍ତ ଦାସ ହିଁ ପାଣୁ ନାଏକ; କିନ୍ତୁ ସେ ପାଣୁ ନାଏକ କିଏ ? ସେ ମନୁଷ୍ୟ ରୂପରେ ଗୋଟାଏ ରାକ୍ଷସ ମାତ୍ର । ମନୁଷ୍ୟ ସମାଜର ରକ୍ତ ଶୋଷଣ କରିବା ତା’ର କାମ ।’’ ଏହିପରି ଅନେକ କଥା କହି, ସେ ପାଣୁ ନାଏକର ଜୀବନୀ ଆଦ୍ୟ ପ୍ରାନ୍ତ ବର୍ଣ୍ଣନା କରିଗଲେ । କୋର୍ଟବାବୁ ଅଭ୍ୟାସ ଦ୍ୱାରା ନିଜର ବାଗ୍ମିତା ବେଶ୍ ବଢ଼ାଇଥିଲେ । ପାଣୁ ନାଏକର ବିବରଣୀ ତାଙ୍କ ମୁହଁରୁ ଶୁଣି ସମସ୍ତେ ଥରିବାକୁ ଲାଗିଲେ ।
ତା’ପରେ କୋର୍ଟବାବୁ ପୁଣି କହିଲେ, ‘‘ଚଣ୍ଡାଳ ପାଣୁ ନାଏକ କ’ଣ କେବଳ ଏତିକି କରିଛି ? ମଧୁ ବୋଲି ଗୋଟାଏ ଟୋକାଠାରୁ ଦୁଇ ଅଣା ଡକାଏତି କରି ନେଇଯାଇଛି । ତା’ପରେ ପୁଣି, ସୁନ୍ଦରପୁର ମଠ ମହନ୍ତ ବର୍ତ୍ତମାନ ମରି ସ୍ୱର୍ଗପୁରରେ ଅଛନ୍ତି, ଦିନେ ଚଣ୍ଡାଳଟାକୁ ଆଶ୍ରୟ ଦେଇଥିଲେ । ମହନ୍ତ ନିତାନ୍ତ ଅମାୟିକ ଲୋକ; ଅବଶ୍ୟ କହିଲେ ଯେ ପାଣୁ ନାଏକ ଚୋରି କରିନାହିଁ; କିନ୍ତୁ ସେ ତାଙ୍କ ମଠରୁ ଗୋଟାଏ ଦୀପ ରୁଖା ଚୋରେଇ ଆଣିଛି । ତା’ପରେ ଆଉ ଗୋଟାଏ କଥା ଦେଖନ୍ତୁ, ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ୟାକୁ ଚିହ୍ନିଲେ । ୟା ସଙ୍ଗରେ ତିନିଜଣ କଏଦୀ ମଧ୍ୟ ୟାକୁ ଚିହ୍ନି ସାକ୍ଷ୍ୟ ଦେଲେ । ଏ ପାଣୁ ନାଏକ ନୁହେଁ ବୋଲି ନାସ୍ତି କଲେ କ’ଣ ହେବ-? ହଜୁର ନ୍ୟାୟ ବିଚାର କରନ୍ତୁ, ଉପଯୁକ୍ତ ଦଣ୍ଡ ଦିଅନ୍ତୁ ।’’
ବିଚାର ପ୍ରାୟ ଶେଷ ହୋଇ ଆସିଲା । ହାକିମ ଆସାମୀ ଆଡ଼କୁ ଚାହିଁ କହିଲେ, ‘‘ଦେଖ୍, ପାଣୁ ନାଏକ, ତୋ ବିରୁଦ୍ଧରେ ବହୁତ ପ୍ରମାଣ ମିଳିଲା । ମୁଁ ଇଚ୍ଛା କଲେ ତତେ କଳାପାଣି ପଠାଇପାରେ । ତୁ ଠିକ୍ କରି କହ, ନଡ଼ିଆ କିପରି ଚୋରି କଲୁ ? ଆଉ ତୁ ପାଣୁ ନାଏକ ବୋଲି କାହିଁକି ସ୍ୱୀକାର କରୁନାହୁଁ ?’’ ଶୁଣି, ଆସାମୀ କିଛି ଉତ୍ତର ଦେଲା ନାହିଁ । ତହୁଁ କୋର୍ଟବାବୁ ତାକୁ ଭର୍ତ୍ସନା କରି କହିଲେ; ‘‘ତୁ କେଡ଼େ ଖରାପ ଲୋକ, ହାକିମଙ୍କୁ ଉତ୍ତର ଦେଉନାହୁଁ ।’’
କୋର୍ଟବାବୁଙ୍କ କଥା ଶୁଣି ଆସାମୀର ରୁଦ୍ଧକଣ୍ଠ ଏକାବେଳକେ ଫିଟିଗଲା; ସେ କହିଲା, ‘‘ତୁମେ ବଡ଼ ସୟତାନ । ମୁଁ ସେଇ କଥା କହିବାକୁ ଯାଉଥିଲି, ମାତ୍ର ଠିକ୍ କହିପାରୁ ନ ଥିଲି । ମୁଁ କିଛି ଚୋରି କରି ନାହିଁ । ମୁଁ ତ ଦିନକେ ଓଳିଏ ଖାଇବା ଲୋକ । ସେଦିନ ସନ୍ଧ୍ୟାରେ ନଡ଼ିଆ ବଗିଚାବାଟେ ଗଲାବେଳେ ଦେଖିଲି ବାଟରେ ତିନିଚାରିଟା ନଡ଼ିଆ ପଡ଼ିଥିଲା । ରାତିରେ ଖାଇବାକୁ କିଛି ନ ଥିବାରୁ ସେ ନଡ଼ିଆତକ ନେଇ ଆସିଥିଲି । ସେତେବେଳେ କ’ଣ ଜାଣିଥିଲି ଏ ଦଶା ଘଟିବ-? ଏବେ ତିନି ମାସ ହାଜତରେ ରହିଲିଣି । କିଏ କେତେ ଗାଳି ଦେଉଚନ୍ତି । ମୁଁ ସେମାନଙ୍କ ପରି ପଣ୍ଡିତ ନୁହେଁ । ମୁଁ ମୂର୍ଖ, ଦରିଦ୍ର ଜଣେ । ମୁଁ ନଡ଼ିଆତକ ଖାଲି ଗୋଟାଇ ନେଇଥିଲି, ଚୋରି କରିନାହିଁ । ମାତ୍ର ତୁମ୍ଭେମାନେ ତ ଜ୍ଞାନୀ; ମୋ ବାପ ତ ଯାହା କରି ନ ଥିଲା, ତୁମେ କରୁଛ । ମୋତେ ପାଣୁ ନାଏକ ନାଁ ଦେଉଛ । କିଏ ସେ ପାଣୁ ନାଏକ, ଘର କୋଠି, ଜାତି କ’ଣ– ମୁଁ ପୁଣି ହେଲି ସେହି ପାଣୁ ନାଏକ ! ଛି ଛି ଛି । ତୁମେ ସବୁ କାହିଁକି ମୋ ସାଙ୍ଗରେ ଏମିତି ଲାଗିଛ, କହିଲ ଦେଖି ।’’
କୋର୍ଟବାବୁ ଆସାମୀ କଥା ଶୁଣି ହାକିମଙ୍କୁ କହିଲେ, ‘‘ହଜୁର, ଏ କ’ଣ କହିଲା, ଶୁଣିଲେ ତ । ଏବେ ସାକ୍ଷୀମାନଙ୍କୁ ଆଉଥରେ ଡାକି ପଚାରନ୍ତୁ ଦେଖି । ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଅବଶ୍ୟ ଚାଲିଯାଇଛନ୍ତି । ତେବେ, ସେ ଯାହା କହିଛନ୍ତି ସେଥିରେ ତ ଆଉ କାହାରି ହଲଚଲ ହେବାର ଉପାୟ ନାହିଁ । ସେ କହିଛନ୍ତି ‘ଏ ଲୋକର ନାଁ ଅନନ୍ତ ଦାସ ନୁହେଁ, ପାଣୁ ନାଏକ-। ଏ ଊଣିଶ ବର୍ଷ କଇଦୀ ଖଟିଛି । ଆଉ ମୁଁ ଜାଣେ, ମଧୁଆ ବୋଲି ଗୋଟାଏ ଟୋକାର ଦୋ’ଣି ଚୋରିକରିବା ଛଡ଼ା ସୁନ୍ଦରପୁର ମହନ୍ତଙ୍କ ମଠରୁ ମଧ୍ୟ ଚୋରି କରିଛି । ମୁଁ ତାକୁ ବେଶ୍ ଚିହ୍ନି ପାରୁଛି-।’ ଏ ତ ଏପରି କହିଛନ୍ତି । ଏବେ ଆଉ ତିନି ଜଣ ସାକ୍ଷୀଙ୍କି ଡାକି ପଚରାଯାଉ ।’’
ସାକ୍ଷୀ ତିନିଜଣ ଜଣ ଜଣ ହୋଇ ଆସି, ପୂର୍ବରୁ ଯେପରି କହିଥିଲେ, ପୁଣି ସେହି କଥା ଅବିକଳ କହିଗଲେ । ସେମାନେ କହିଲେ ଯେ, ତିନିଜଣଯାକ ସେହି ପାଣୁ ନାଏକକୁ ଭଲରୂପେ ଚିହ୍ନନ୍ତି, ତା’ ସଙ୍ଗରେ ରହି କାମ କରିଛନ୍ତି ଏବଂ ସେ ଯେ ଅନନ୍ତ ଦାସ ନୁହେଁ, ସେ କଥା ପ୍ରମାଣ କରି କହିପାରିବେ । ତା’ପରେ ହାକିମ ଆସାମୀକି ପଚାରିଲେ, ‘‘ଶୁଣିଲୁ ତ; ତୋର ଆଉ କ’ଣ କହିବାର ଅଛି ?’’ ଆସାମୀ ପ୍ରଥମେ କିଛି ନ କହି ଠୋ ଠୋ ହସିଲା ଏବଂ ଶେଷରେ କହିଲା, ‘‘ଧର୍ମାବତାର, ଯାହା ବୁଝିଲେ ତୁ ନାଥ ପରମ ଦୟାଳୁ, ବୁଝିବାକୁ ତୁ ଖମ୍ବଆଳୁ ।’’ ହାକିମ ଅସନ୍ତୁଷ୍ଟ ହୋଇ କହିଲେ, ‘‘ଆଚ୍ଛା ଏବେ ରାୟ ଶୁଣ୍ ।’’
ହଠାତ୍ ହାକିମଙ୍କ ନିକଟରେ ଗୋଟାଏ ଖୁଡ଼୍ଖାଡ଼୍ ଶବ୍ଦ ହେଲା ଏବଂ ଉଚ୍ଚସ୍ୱର ଶୁଣାଗଲା–‘‘ସାକ୍ଷୀମାନେ ଏଆଡ଼େ ଚାହଁ ।’’ ସ୍ୱର ଯେଉଁଠାରୁ ଶୁଣାଗଲା, ସମସ୍ତଙ୍କ ଦୃଷ୍ଟି ସେହି ଆଡ଼କୁ ଆକୃଷ୍ଟ ହେଲା । ଏପରିକି, ଆସାମୀ ଅନନ୍ତ ଦାସ ମଧ୍ୟ ମୁହଁ ଟେକି ଚାହିଁଲା । ଦେବାନ ଧନଞ୍ଜୟ ରାଏଙ୍କୁ ଯେଉଁମାନେ ଚିହ୍ନିଥିଲେ–ବିସ୍ମିତ ହୋଇ ଏକ ସ୍ୱରରେ କହିଲେ, ‘‘କ’ଣ, ଦେବାନ ସାହେବ ।’’
ମୁହୂର୍ତ୍ତକ ମଧ୍ୟରେ ସମସ୍ତଙ୍କ ସନ୍ଦେହ ଭାଜିଗଲା । ସେମାନେ ଦେଖିଲେ ଯେ ପ୍ରକୃତରେ ଦେବାନ ଧନଞ୍ଜୟ ରାଏ ଠିଆ ହୋଇଛନ୍ତି । ତାଙ୍କ ମୁଖମଣ୍ଡଳ ଶାନ୍ତ । ସେ ଯେ ଏପରି ପାଟି କରି ଭୟଙ୍କର ସ୍ୱରରେ କଥା କହିଥିବେ, କାହାରି ବିଶ୍ୱାସ ହେଲାନାହିଁ । କିନ୍ତୁ ମୁହୂର୍ତ୍ତକେ ଅବସ୍ଥା ବଦଳିଗଲା । ଧନଞ୍ଜୟ ରାଏ ସାକ୍ଷୀମାନଙ୍କ ପାଖକୁ ଚାଲିଯାଇ ପଚାରିଲେ, ‘‘ମୋତେ ଚିହ୍ନି ପାରୁଚ-?’’ ସାକ୍ଷୀମାନେ ସ୍ତମ୍ଭୀଭୂତ ହୋଇ ଠିଆ ହେଲେ ଏବଂ ମୁଣ୍ଡ ନାଡ଼ି କହିଲେ ଯେ ସେମାନେ ତାଙ୍କୁ ଚିହ୍ନନ୍ତି ନାହିଁ । ତହୁଁ ସେ ହାକିମଙ୍କ ଆଡ଼କୁ ଚାହିଁ, ହାତ ଯୋଡ଼ି କହିଲେ, ‘‘ହଜୁର, ସେ ନିର୍ଦ୍ଦୋଷ ଆସାମୀକୁ ଛାଡ଼ି, ମୋତେ ଗିରଫଦାର କରନ୍ତୁ । ମୁଁ ପାଣୁ ନାଏକ, ସେ ନୁହେଁ ।’’
ମୁହୂର୍ତ୍ତକ ପାଇଁ ଇଜଲାସ ଘର ନିଶ୍ଚଳ ନିସ୍ତବ୍ଧ ହୋଇ ରହିଲା । ଏପରିକି, ଜଣେ କେହି ନିଃଶ୍ୱାସ ସୁଦ୍ଧା ମାରି ପାରିଲା ନାହିଁ । ଗୋଟାଏ ପ୍ରବଳ ସତ୍ୟ ସମ୍ମୁଖରେ ସମସ୍ତେ ନିଜ ନିଜକୁ ପରାହତ ମଣି ଦାରୁଭୂତ ହୋଇ ଠିଆହେଲେ । କେତେକ ସମୟ ପରେ ହାକିମ ନୀରବତା ଭାଙ୍ଗି କହିଲେ, ‘‘ଦେବନାଙ୍କ ମୁଣ୍ଡ ବିଗିଡ଼ି ଯାଇଚି । ଶୀଘ୍ର ଚିକିତ୍ସକ ଡାକ ।’’
‘‘ମୁଁ ପାଗଳ ନୁହେଁ । ମୁଁ ଯାହା କହୁଚି, ଠିକ୍ କଥା । ଆପଣ ଗୋଟାଏ ମହାପାପ କରିବାକୁ ଯାଉଥିଲେ, ନିରପରାଧକୁ ଦଣ୍ଡ ଦେବାକୁ ବସିଥିଲେ । ମୁଁ ବର୍ତ୍ତମାନ ସତ୍ୟ କହୁଚି, ଆପଣଙ୍କ ଭ୍ରାନ୍ତ ଧାରଣା ସଂଶୋଧନ କରୁଚି ଏବଂ ମୋର କର୍ତ୍ତବ୍ୟ ପାଳନ କରିବାକୁ ଯାଉଚି, ମୁଁ ପାଣୁ ନାଏକ । ଊଣିଶ ବର୍ଷ କାଳ କଏଦୀଖାନାରେ ଥିଲି ମୁଁ । ମୁଁ ମଧୁଆର ଦୋ’ଣି ଚୋରି କରିଥିଲି-। ମୁଁ ସୁନ୍ଦରପୁର ମହନ୍ତଙ୍କର ମଠରୁ ରୁପାର ରୁଖା ଚୋରେଇ ଆଣିଥିଲି । ଯେବେ ସନ୍ଦେହ ହୁଏ; ଯାଇ ସାରଙ୍ଗଗଡ଼ରେ ଦେଖି ଆସିପାରନ୍ତି । ମୁଁ ଦୋଷ ଅପରାଧ ଲୁଚାଇ ନିଜର ଗୌରବ ରକ୍ଷା କରିବାକୁ ଯାଇ, ସେସବୁ ଚୋରି ଜିନିଷ ନିଆଁରେ ପୋଡ଼ିଦେବାକୁ ବସିଥିଲି । ମାତ୍ର ପାପୀର ପାପ କି ଯାଏ ? ନିଆଁ ଲିଭିଗଲା । ସବୁ ପାଉଁଶ ଭିତରେ ପଡ଼ିରହିଚି । ମୁଁ ପ୍ରକୃତରେ ପାଗଳ ନୁହେଁ, ସତ କହୁଚି ! ଏ ସାକ୍ଷୀମାନେ ମୋତେ ଚିହ୍ନିପାରୁ ନାହାନ୍ତି, କି ଆଶ୍ଚର୍ଯ୍ୟ କଥା ।’’
ଦେବାନ ସାକ୍ଷୀମାନଙ୍କ ଆଡ଼କୁ ମୁହଁ ବୁଲାଇ କହିଲେ, ‘‘ଚାହଁ ଦେଖି, ସାକ୍ଷୀମାନେ, ଭଲକରି । ଚିନ୍ତା, ତୁ ଚିହ୍ନିପାରୁ ନାହୁଁ ? ଗଣେଶା, ତୁ କହୁଚୁ, ମୁଁ ପାଣୁ ନାଏକ ନୁହେଁ ? ହାଡ଼ିଆ, ତୋର ଫେରେ ସନ୍ଦେହ ହୋଇଚି ? ଏତେ ଦିନ ଏକାଠି ରହିଲେ, ଖାଇଲେ, ବସିଲେ, କାମ କଲେ । କହିଲୁ ହାଡ଼ିଆ, ତୋର ମୋର ଦିନେ ଲଢ଼େଇ କରି ନ ଥିଲେ ? ତୁ ମୋ କାଖକୁ ଗୋଟିଏ ଛୁରିରେ ଭୁଷିଦେଇ ନ ଥିଲୁ ? ମୁଁ ସିନା ପାଗଲ, ସେ ଘା’ ଚିହ୍ନଟା ମଧ୍ୟ କ’ଣ ପାଗଲ ? ତୁ କହୁଛୁ ଯେ ମୁଁ ପାଣୁ ନାଏକ ନୁହେଁ । ଚିନ୍ତା, ତୋ ଜଙ୍ଘରେ ମୁଁ ନାଁ ଲେଖିଦେଇ ନ ଥିଲି ? ଗଣେଶା, ମୁଁ ତୋ ବାଁ ଗୋଡ଼ କାଣି ଆଙ୍ଗୁଠି କାଟି ଖଣ୍ଡିଆ କରିଦେଇ ନ ଥିଲି ? ସତ କଥା କହ । ହଜୁର ଆପଣଙ୍କର ଯେବେ ସନ୍ଦେହ ହୁଏ, ଦେଖନ୍ତୁ ଏ ସବୁ ଚିହ୍ନ ଅଛି କି ନା । ପ୍ରମାଣ କରନ୍ତୁ, ମୁଁ ପାଣୁ ନାଏକ କି ନୁହେଁ ।’’
ସାକ୍ଷୀମାନେ ଜିଭ କାମୁଡ଼ି, ମୁଣ୍ଡ ପୋତି, ନିଜେ ଅପରାଧୀ ପରି ଠିଆ ହୋଇଥିଲେ । ହାକିମ ପଚାରିଲେ, ‘‘କ’ଣ କହୁଛ, ଏ କ’ଣ ଠିକ୍ ପାଣୁ ନାଏକ ?’’ ସେମାନେ ଏକସ୍ୱରରେ ଉତ୍ତର ଦେଲେ, ‘‘ହଁ, ହଜୁର ।’’ ହାକିମ ଚିନ୍ତା ଜଙ୍ଘରେ; ଗଣେଶାର କାଣିଆଙ୍ଗୁଠିରେ ଓ ଦେବାନଙ୍କର କାଖରେ ନିର୍ଦ୍ଦିଷ୍ଟ ସଙ୍କେତମାନ ପରୀକ୍ଷା କରି ମଧ୍ୟ ଦେଖିଲେ । ତାଙ୍କର ଆଉ ସନ୍ଦେହ ରହିଲା ନାହିଁ-। ସେ ଅନନ୍ତ ଦାସକୁ ଖଲାସ କରିଦେଲେ ।
ପାଣୁ ନାଏକ କହିଲା, ‘‘ମୋର କର୍ତ୍ତବ୍ୟ ସରିଚି । ମୋତେ କେହି ଗିରଫଦାର କରିନାହାନ୍ତି । ମୁଁ ଏଠେଇ ଆଉ କାହିଁକି ରହିବି ? ମୁଁ ଯାଉଛି । ମୋର ଅନେକ କାମ ବାକି ଅଛି, ନା, ଗୋଟାଏ ବଡ଼ କାମ । ସେଟା ମୋତେ ସାରିବାକୁ ହେବ । କୋର୍ଟବାବୁ ଜାଣନ୍ତି; ମୁଁ କେଉଁଠିକୁ ଯିବି-। ସେଠୁ ମୋତେ ବାନ୍ଧି ଆଣିପାରିବେ ।’’ କହି ପାଣୁ ନାଏକ ଜନତା ଭେଦ କରି ଚାଲିଗଲା । ଲୋକେ ଘୁଞ୍ଚିଯାଇ ବାଟ ଛାଡ଼ିଦେଲେ ।
ନ ହେବା କଥା ହେଲା
ଦେବାନ ସେଦିନ ସନ୍ଧ୍ୟାରେ ସାରଙ୍ଗଗଡ଼ ଛାଡ଼ି ଚାଲିଯିବା ପରେ ତାଙ୍କୁ କେହି ଖୋଜି ପାଇଲେ ନାହିଁ । ରାଧା ତାଙ୍କୁ ଦେଖିଲେ ଅବଶ୍ୟ ଖୁସି ହୋଇଥାନ୍ତା, କିନ୍ତୁ ନ ଦେଖି ଆହୁରି ଖୁସି ହେଲା । ସେ ମନକୁ ମନ ଭାବିଲା, ‘‘ମୋ ଗଣ୍ଠିଧନକୁ ଆଣି ଆସିବେ ।’’ ସେଥିରେ ତା’ ହୃଦୟରେ ଆନନ୍ଦ ଉଛୁଳି ଉଠିଲା । ଚିକିତ୍ସକ ନାଡ଼ି ଦେଖି ବୁଝିପାରିଲେ ଯେ, ସେ ଖୁବ୍ ସୁସ୍ଥ ଅଛି । ରାଧା ଶେଯରୁ ଉଠିପାରୁ ନ ଥିଲା । ସେ ଉଠିଲା, ବସିଲା, ବୁଲିଲା, ଆନନ୍ଦରେ ଗୀତ ଗାଇଲା । ପ୍ରଥମ ରାତିଟା ସେ ଖୁବ୍ ଆଶା ଓ ଆହ୍ଲାଦରେ କଟାଇଦେଲା । ମାତ୍ର ଆରଦିନ ଦିନଯାକ ରମା ଆସି ନପହଞ୍ଚିବାରୁ ତା’ ମନର ଉଦ୍ବେଗ ବଢ଼ିବାକୁ ଲାଗିଲା ।
ତୃତୀୟ ଦିନ ଅପରାହ୍ନରେ ଚିକିତ୍ସକ କୌଣସି କାମରେ ଲାଗିଥିଲାବେଳେ, ପଛରେ ପାଦ ଶବ୍ଦ ଶୁଣି ହଠାତ୍ ବୁଲି ଚାହିଁଲେ । ସେ ବିସ୍ମିତ ହୋଇ କହିଲେ, ‘‘ଦେବାନ ହଜୁର, ଆପଣ ନା କ’ଣ ?’’
‘‘ଭଲ ଥିଲା ତ ଖୁବ୍ । ଆଜି ପୁଣି ରୋଗଟା ଟିକିଏ ବଢ଼ିଚି ।’’ କହି, ସେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ । ଅଥଚ, ଗୋଟାଏ ପ୍ରଶ୍ନ ପଚାରିଦେବାକୁ ତାଙ୍କର ସାହସ ହେଲାନାହିଁ । ଦେବାନ ଆପେ କହିଲେ; ‘‘ମୁଁ ତା’ ଝିଅକୁ ଆଣିବାକୁ ଯାଇଥିଲି କହି ଭଲ କରିଚନ୍ତି ।’’
‘‘ଏବେ କରାଯିବ କ’ଣ ? ସେ ଆପଣଙ୍କୁ ଦେଖି ତା’ ଝିଅକୁ ଯେବେ ନ ଦେଖେ, ଆପଣ ତାକୁ କ’ଣ କହି ସାନ୍ତ୍ୱନା ଦେବେ ?’’
ଦେବାନ ଟିକିଏ ବିଚାରି କହିଲେ, ‘‘ଆଚ୍ଛା, ଦେଖାଯିବ ।’’ କହି, ସେ ରାଧା ନିକଟକୁ ଯିବାକୁ ଘରୁ ବାହାରକୁ ବାହାରିଲେ । ଆଲୋକରେ ତାଙ୍କ ମୁହଁ ସଫା ଦେଖାଗଲା । ଚିକିତ୍ସକ ଚମକିପଡ଼ି ପଚାରିଲେ, ‘‘ଆପଣଙ୍କର କ’ଣ ହୋଇଥିଲା କି ? ବାଳଗୁଡ଼ାକ ଯେ ଏକାବେଳକେ ପାଚିଗଲା; ମୁହଁ ମଧ୍ୟ କଳା ପଡ଼ିଯାଇଚି ।’’
‘‘କାହିଁ, କିଛି ନାହିଁ ତ,’’ କହି ଦେବାନ ଆଗକୁ ଗୋଡ଼ ପକାଇଲେ । ଚିକିତ୍ସକ ପଚାରିଲେ, ‘‘ତା’ ଝିଅ କ’ଣ ନଆସିବାର ହେଲା ?’’
‘‘ନା, ଆସିବ ! ମାତ୍ର ଦୁଇ ତିନି ଦିନ ଲାଗିବ ।’’
‘‘ତେବେ, ଆପଣ ତା’ ପାଖକୁ ଯାଆନ୍ତୁ ନାହିଁ । ମୁଁ କହିବି ଯେ ଆପଣ ଫେରିନାହାନ୍ତି । ଏ କଥା ଆଉ ମିଛ କ’ଣ ? ଆମେ ବୈଦ୍ୟମାନେ ରୋଗୀକୁ ସାନ୍ତ୍ୱନା ଦବା ପାଇଁ ଏପରି କରିଥାଉଁ-।’’
‘‘ନା, ମୁଁ ତାକୁ ଦେଖିବାକୁ ଯିବି । ବିଳମ୍ବ ହେଲେ, ତା’ ସହିତ ମୋର ହୁଏତ ଏକାବେଳକେ ଦେଖା ହବନାହିଁ ।’’ କହି, ଦେବାନ ରାଧାର ଶେଯ ପାଖରେ ଯାଇ ଠିଆ ହେଲେ । ରାଧା ନିତାନ୍ତ ଦୁର୍ବଳ ହୋଇ ଶେଯରେ ପଡ଼ିଥିଲା । ଦେବାନ କେତେକ ସମୟ ନିଶ୍ଚଳ ଭାବରେ ଠିଆହେବା ପରେ, ସେ ଆଖି ଫିଟାଇ ତାଙ୍କୁ ଦେଖିଲା ଏବଂ ଟିକିଏ ସାମାନ୍ୟ ହସି ପଚାରିଲା, ‘ଆଉ ରମା ?’ ପ୍ରଶ୍ନଟା ସେ ଏପରି ସ୍ୱରରେ ପଚାରିଲା ଯେ ତହିଁରୁ ବୋଧହେଲା, ଦେବାନ ରମାକୁ ସଙ୍ଗରେ ଆଣି ଫେରିଛନ୍ତି ବୋଲି ସେ ନିଶ୍ଚିତ ରୂପେ ଜାଣିଥିଲା । ଦେବାନ ଅପରାଧୀ ପରି ମୁଣ୍ଡ ନୁଆଁଇ ଠିଆ ହେଲେ ମାତ୍ର । ତହୁଁ ସେ ପୁଣି କହିଲା, ‘‘ତାକୁ ଆଣି ମୋ ପାଖେ ଟିକିଏ ଶୁଆଇ ଦେଲ ନାହିଁ ।’’
ଦେବାନ ଅବଶ୍ୟ ଚିତ୍ରପତ୍ରିମା ପରି ଠିଆ ହୋଇ ଦୁଇ ଚାରି କଥା କ’ଣ କହିଲେ । ମାତ୍ର ତାହା ରାଧା ବୁଝିପାରିଲା ନାହିଁ, କି ଦେବାନ ମଧ୍ୟ ନିଜେ କହିସାରିଲା ପରେ ମନେ ରଖିପାରିଲେ ନାହିଁ । ସେ ଅବସ୍ଥା ଦେଖି ଚିକିତ୍ସକ କହିଲେ, ‘‘ତୁମେ ପିଲାକୁ ଦେଖିବାକୁ ଅଧୀର ହୁଅନାହିଁ ରାଧା-! ତାକୁ ହଠାତ୍ ଦେଖିଲେ, ତୁମ ଦେହ ବେଶି ଖରାପ ହେବ ।’’ ଶୁଣି ରାଧାର ଆଖି ଉଜ୍ଜ୍ୱଳ ହୋଇଆସିଲା, ମୁଖମଣ୍ଡଳରେ ଆହ୍ଲାଦର ଆଭା ଜାଜ୍ଜଲ୍ୟମାନ ଦେଖାଗଲା । ସେ ହାତ ଯୋଡ଼ି କହିଲା, ‘‘ନା, ଏଠୁକୁ ଟିକିଏ ଆଣ ।’’
‘‘ନା, ତୁମ ଦେହ ଆଗ ଭଲ ହେଉ ।’’
‘‘ମୋ ଦେହ ତ ଭଲ ହୋଇଗଲାଣି । ତାକୁ ଦେଖିଲେ ବଞ୍ଚିବି ।’’
‘‘ଏଇ ତ ତୁମର ଦୁଷ୍ଟାମି । ମୁଁ ତୁମକୁ ଠିକ୍ କହିଦେଇଚି, ମୁଁ ଯେତେବେଳେ ଜାଣିମି ଯେ ତୁମ ଦେହ ଭଲ ହେଲାଣି ମୁହୂର୍ତ୍ତେ ବିଳମ୍ବ ନକରି, ରମାକୁ ଆଣି ତୁମ ପାଖେ ଛାଡ଼ିଦେବି । ଆଉ ଗୋଳମାଳ କର ନାହିଁ । କଲେ, ଫଳ ଭଲ ହେବ ନାହିଁ ।’’
ଚିକିତ୍ସକଙ୍କ କଥା ଶୁଣି, ରାଧା ତୁନି ହୋଇ ରହିବାକୁ ଚେଷ୍ଟା କଲା, ମାତ୍ର ତା’ର ସେ ଚେଷ୍ଟା ବିଫଳ ହୋଇଗଲା । ସେ ଦେବାନଙ୍କୁ ନାନା ପ୍ରକାର ପ୍ରଶ୍ନ ପଚାରିବାରେ ଲାଗିଲା, ‘‘ଆପଣ କେତେବେଳେ ଯାଇ ପହଞ୍ଚିଲେ ? ବାଟରେ ତ କିଛି ଅସୁବିଧା ହୋଇ ନାହିଁ ? ଦୀନା ସାହୁ କ’ଣ କହିଲା ? ରମାକୁ ଛାଡ଼ିଲାବେଳେ ଆଉ କ’ଣ କହୁଥିଲା ? ରମା ମୋର ସେମିତି ମୋଟାମୋଟି ଅଛି ନା ? ବାଟରେ କାନ୍ଦି ନାହିଁ ? ତା’ର ମା କଥା ପାସୋରି ଯାଇ ନାହିଁ ତ ? ଆଚ୍ଛା, ଭଲ ଦିଶୁଚି କି ନାହିଁ କହନ୍ତୁ ତ ? ତାକୁ ଟିକିଏ ମୋ ପାଖକୁ ଆଣିମ ନାହିଁ ? ଆପଣ ତ ଦେବାନ, ଏ ସବୁର ମାଲିକ । ଆପଣ ଇଚ୍ଛା କଲେ କ’ଣ ସେ ଆସିପାରିବ ନାହିଁ ?’’
ଦେବାନ ରାଧା ତୁଣ୍ଡରେ ହାତ ଦେଇ କହିଲେ, ‘‘ତୁମେ ତୁନି ହୁଅ । ରମା ଭଲ ଅଛି, କିଛି ସମୟ ଗଲେ ତାକୁ ଦେଖିବ । ବର୍ତ୍ତମାନ ପାଟି କରନାହିଁ । ପାଟି କଲେ କାଶ ହେବ ।’’ ସତକୁ ସତ ହଠାତ୍ ରାଧା କାଶିଉଠିଲା । ବାହାରେ ଅଗଣାରେ ଜଣେ ଶ୍ରମିକର ଝିଅ ଝୁଣୁ ଝୁଣୁ ହୋଇ ଯିବାଆସିବା କରୁଥିଲା । ସେ ଶବ୍ଦ ଶୁଣି ରାଧା ଖୁସି ହୋଇ କହିଲା, ‘‘ମୋ ରମା ତେବେ ନିଶ୍ଚୟ ଆସିଛି । ଏଥର ମୋ ଦେହ ଭଲ ହେଇଯିବ, ମୁଁ ତାକୁ ଧରି ଆନନ୍ଦରେ ଘର କରିବି ।’’
ରାଧା ଆଉ କ’ଣ କହିଥାନ୍ତା, କିନ୍ତୁ ହଠାତ୍ ବନ୍ଦ ହୋଇଗଲା । ତା’ ମୁହଁ କଳା ପଡ଼ିଗଲା-। ସେ ଦ୍ୱାରଆଡ଼କୁ ଏକ ଦୃଷ୍ଟିରେ ନିତାନ୍ତ ଭୟରେ ଚାହିଁରହିଲା । ଦେଖି ଦେବାନ ପଚାରିଲେ, ‘‘କ’ଣ ହେଉଚି ରାଧା ?’’ ‘‘ରାଧା ଉତ୍ତର ଦେଲା ନାହିଁ, କିନ୍ତୁ ଦେବାନଙ୍କୁ ହାତ ଠାରି ଦ୍ୱାରଆଡ଼କୁ ଦେଖାଇଦେଲା । ଦେବାନ ମୁହଁ ବୁଲାଇ ଦେଖିଲେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଠିଆ ହୋଇଛନ୍ତି ।’’
ଦେବାନ କଟକ ଫୌଜଦାରି ଅଦାଲତ ଇଜଲାସରେ ପହଞ୍ଚିବା ପୂର୍ବରୁ ସର୍ଦ୍ଦାର ମହାପାତ୍ରେ ସାକ୍ଷ୍ୟ ଦେଇ ଫେରି ଆସିଥିଲେ । ସୁତରାଂ, ସେ ଚାଲିଆସିବା ପରେ ଅଦାଲତରେ ଯେଉଁ ଅଭିନବ ଘଟଣା ଘଟିଥିଲା, ତା’ର ସନ୍ଧାନ ସେ ପାଇ ନ ଥିଲେ । କୋର୍ଟବାବୁ ଅଦାଲତରେ ବସି ଯେତେବେଳେ ଦେଖିଲେ ଯେ ଅନନ୍ତ ଦାସ ଖଲାସ ହୋଇଗଲା, ସେତେବେଳେ ସେ ଆଉ ଆସାମୀ ଖୋଜି ପାଇଲେ ନାହିଁ । ସୁତରାଂ, ହାକିମଙ୍କ ଅନୁମତି କ୍ରମେ ସେ ପ୍ରକୃତ ପାଣୁ ନାଏକ, ସାରଙ୍ଗଗଡ଼ ଦେବାନଙ୍କ ଉପରେ ଓ୍ୱାରଣ୍ଟ ବାହାର କଲେ । ଓ୍ୱାରଣ୍ଟ ଜାରି କରିବା ନିମନ୍ତେ ସ୍ଥାନୀୟ ପୋଲିସ ବିଭାଗର ହାକିମ ସର୍ଦ୍ଦାରଙ୍କ ନିକଟକୁ ଲେଖିଲେ, ‘‘ସାରଙ୍ଗଗଡ଼ ଦେବାନ ଧନଞ୍ଜୟ ରାଏ ଜେଲଖାନାରୁ ଖଲାସ ହୋଇଥିବା କଏଦୀ ପାଣୁ ନାଏକ ବୋଲି ଆଜି କଚେରିରେ ସାବ୍ୟସ୍ତ ହୋଇଅଛି । ତାଙ୍କୁ ଗିରଫଦାର କରନ୍ତୁ ।’’ ସେହି ଚିଠି ଦେବାନଙ୍କ ପଛେ ପଛେ କଟକରୁ ଆସି ସର୍ଦ୍ଦାରଙ୍କ ହାତରେ ପଡ଼ିଲା । ସେ ସବୁ ଘଟଣା ଜଣାଇଥିବା ସ୍ଥଳେ, ସର୍ଦ୍ଦାର ଚିକିତ୍ସାଳୟକୁ ଆସିବାର ଅଭିପ୍ରାୟ ଘେନି କାହା ମନକୁ ସନ୍ଦେହ ଛୁଇଁବ କାହିଁକି ?
ଧନଞ୍ଜୟ ରାଏଙ୍କ ପ୍ରତି ସର୍ଦ୍ଦାରଙ୍କ ହୃଦୟରେ କି ଭାବ ଥିଲା, ତାହା କଥାରେ କହିବା ନିଷ୍ପ୍ରୟୋଜନ । ଗୋଳିଆପାଣି କିଛି ସମୟ ରହିଗଲେ, ମଇଳା ତଳେ ବସିଯାଇ ଉପର ପାଣି ପରିଷ୍କାର ଦିଶେ । ଦେବାନଙ୍କ ପ୍ରତି ସର୍ଦ୍ଦାରଙ୍କର ସେହି ପରିଷ୍କାର ପାଣି ପରି ସ୍ୱଚ୍ଛ ବ୍ୟବହାର ରହିଥିଲା । ମାତ୍ର ଦେବାନ ଯେତେବେଳେ ତାଙ୍କ ପୁରୁଣା ବେଶରେ ପ୍ରକାଶ ପାଇଲେ, ସର୍ଦ୍ଦାରଙ୍କର ହୃଦୟ ଚହଲିବାକୁ ଲାଗିଲା । ସେଥିରେ ତଳ ପଙ୍କ ଆସି ଉପର ପାଣିରେ ମିଶିଗଲା । ଯେଉଁ ଦେବାନଙ୍କୁ ସେ ଏତେ କାଳ ସନ୍ଦେହ କରି ଆସୁଥିଲେ; ଆଜି ତାଙ୍କୁ ଧରିବାର ସୁଯୋଗ ପାଇ ତାଙ୍କ ଆନନ୍ଦର ସୀମା ରହିଲା ନାହିଁ ।
ଦେବାନ ଯେଉଁ ଦିନ ତାକୁ ଫାଣ୍ଡିରୁ ଖଲାସ କରି ଆଣିଥିଲେ; ସେହି ଦିନୁଁ ରାଧା ସର୍ଦ୍ଦାରଙ୍କୁ ଦେଖି ନ ଥିଲା । ବର୍ତ୍ତମାନ ଦେଖି ସେ ଭାବିଲା ଯେ ତାକୁ ଧରିନେବା ଛଡ଼ା ତାଙ୍କ ଆସିବାର ଆଉ କୌଣସି ଅଭିପ୍ରାୟ ନାହିଁ । ସେଥିପାଇଁ ସେ ଭୟରେ ମୁହଁ ପୋତିଦେଇ କହିଲା, ‘‘ଦେବାନ ବାହାଦୁର, ମୋତେ ରଖନ୍ତୁ ।’’ ଦେବାନ କହିଲେ, ‘‘ଭୟ କରନା ରାଧା ସେ ତୁମକୁ ନେବାକୁ ଆସି ନାହାନ୍ତି’’ ଏବଂ ସର୍ଦ୍ଦାରଙ୍କୁ ଚାହିଁ କହିଲେ, ‘‘ମୁଁ ଜାଣେ ଆପଣ କାହିଁକି ଆସିଚନ୍ତି ।’’
‘‘ଆ, ଜଲ୍ଦି ଆ’’ –କହି, ସର୍ଦ୍ଦାର ଏକଦୃଷ୍ଟିରେ ଘର ଭିତରକୁ ଚାହିଁ ରହିଲେ । ତାଙ୍କ ଆଖି ଦିଓଟା ଦେଖି ରାଧା ଭୟରେ ଥରିବାକୁ ଲାଗିଲା । ସର୍ଦ୍ଦାର ଘର ଭିତରେ ପଶି ବଡ଼ ପାଟିରେ କହିଲେ; ‘‘ଆବେ, ଆସୁଚୁ; ନା ଠିଆ ଠିଆ ହେଇ ରହିଥିବୁ ?’’
ରାଧା ଚାରିଆଡ଼କୁ ଚାହିଁ ଦେଖିଲା କେବଳ ଦେବାନ ଓ ଚିକିତ୍ସାଳୟର ଜଣେ ବୁଢ଼ୀ ଧାଈ ଠିଆ ହୋଇଥିଲେ । ସେ ଦୁହିଙ୍କ ଭିତରୁ କାହାକୁ ତ ସର୍ଦ୍ଦାର ସେପରି କର୍କଶ ସ୍ୱରରେ କହିପାରିଲେ ନାହିଁ । ସୁତରାଂ, ସେ ଧରିନେଲା ଯେ ସେ ତାକୁ ହିଁ ଡାକିଲେ । ସେଥିରେ ତା’ କଲିଜା ପାଣି ହୋଇଗଲା । କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ସେ ଆଖି ଆଗରେ ଗୋଟାଏ ଏପରି ଦୃଶ୍ୟ ଦେଖିଲା, ଯାହାକି ସେ ସ୍ୱପ୍ନରେ ଦେଖିଲେ ମଧ୍ୟ ବିଶ୍ୱାସ କରନ୍ତା ନାହିଁ । ସର୍ଦ୍ଦାର ଦେବାନଙ୍କୁ ତଣ୍ଟିଆ ମାରି, ବାହାରକୁ ନେବାକୁ ଚେଷ୍ଟା କଲେ । ସଂସାରରେ ପ୍ରଳୟ ଘଟିଲା ବୋଲି ରାଧା ମନେକଲା । କହିଲା, ‘‘ଦେବାନ ହଜୁର ।’’
ଶୁଣି, ସର୍ଦ୍ଦାର ବିକଟ ହାସ୍ୟରେ କହିଲେ, ‘‘ଏଠି ଦେବାନ ହଜୁର କେହି ନାହାନ୍ତି । ସକ ସକ ହେଇ କାହାକୁ ଡାକୁଚୁ ? ଏଟା ପାଣୁ ନାଏକ, ଗୋଟାଏ ପୁରୁଣା ଚୋର; ଦାଗୀ, ଖଣ୍ଟ ବଦମାସ ।’’
ପାଣୁ ନାଏକ ସର୍ଦ୍ଦାରଙ୍କ ହାତ ତା’ ବେକରୁ ବାହାର କରିବାକୁ ଚେଷ୍ଟା ନ କରି, କହିଲା, ‘‘ମହାପାତ୍ରେ !’’
‘‘ଆବେ, ମହାପାତ୍ରେ କ’ଣ ? ପାଜି, ଆଗ କଥା କରି ପାଇଛୁ ? କହ; ହଜୁର ସର୍ଦ୍ଦାର ସାହେବ ।’’
‘‘ସର୍ଦ୍ଦାର ସାହେବ, ମୁଁ ଏକାନ୍ତରେ ପଦେ କଥା କହିବି ।’’
‘‘କହ, ଯାହା କହିବୁ ପାଟି କରି । ମୋ ସାଙ୍ଗରେ କେହି ଏକାନ୍ତରେ କଥାବାର୍ତ୍ତା ହୁଅନ୍ତି ନାହିଁ ।’’
‘‘ମୋର ଗୋଟାଏ ମାତ୍ର ଅନୁରୋଧ ଅଛି ।’’
‘‘ମୁଁ ସେ ସବୁ କିଛି ଶୁଣି ପାରିବିନାହିଁ ।’’
‘‘ନା, ଶୁଣନ୍ତୁ । ମୋତେ ତିନି ଦିନ ସମୟ ଦିଅନ୍ତୁ । ମୁଁ ଯାଇ ଏ ହତଭାଗିନୀର ପିଲାଟିକି ଆଣିଦେବି । ଆପଣ ଯାହା କହିବେ, ଦବାକୁ ରାଜି ଅଛି । ଆପଣ ଇଚ୍ଛାକଲେ ମୋ ସାଥିରେ ଯାଇ ମଧ୍ୟ ପାରନ୍ତି ।’’
‘‘ଏ କ’ଣ ଥଟ୍ଟା କରୁଚୁ, ନା କ’ଣ ? ଖସି ପଳେଇଯିବାର ଗୋଟାଏ ଫନ୍ଦି ନା ? ଏ ଫନ୍ଦି ଆଉ କାହାକୁ ଦେଖେଇବୁ ?’’
ରାଧା ଚମକି ପଡ଼ିଲା । କହିଲା, ‘‘ମୋ ପିଲାକୁ ଆଣିବାକୁ ଯିବେ ? ତେବେ ସେ କ’ଣ ଆସିନାହିଁ । ନା, ପିଲାକୁ ମୋ ପାଖକୁ ବେଗେ ଆଣନ୍ତୁ । ନୋହିଲେ ମୁଁ ମଲି ।’’ ଶୁଣି ସର୍ଦ୍ଦାର ରାଗି, ତଳେ ଗୋଇଠା ମାରି କହିଲେ, ‘‘ଚୁପ୍, ରାଣ୍ଡୀ । ଏ ଗୋଟାଏ ଅଧମ ରାଜ୍ୟ, ଯେଉଁଠି କଏଦୀ ଆସି ଦେବାନ ହେଉଛନ୍ତି, ଆଉ ବଜାରୁଣୀଗୁଡ଼ାକ ରାଜା ଝିଅ ପରି ଭୋଗରେ ରହୁଚନ୍ତି । ସବୁ ଭାଙ୍ଗି ଦେଉଛି ମୁଁ ।’’ କହି ସେ ରାଗରେ ଜଳି, ଠିଆ ହେଲେ ।
ରାଧା ଶେଯରୁ ଉଠିଲା । ସେ ପାଣୁ ନାଏକ, ସର୍ଦ୍ଦାର ଓ ଧାଈ, ତିନିଙ୍କୁ ଥର ଥର କରି ଚାହିଁଲା, କିନ୍ତୁ କ’ଣ କହିବାକୁ ଇଚ୍ଛା କରି, କହିପାରିଲା ନାହିଁ । ମୁହୂର୍ତ୍ତକ ମଧ୍ୟରେ ସେ ପୁଣି ପଡ଼ିଗଲା । ତା’ ମୁଣ୍ଡ ତଳେ ବାଜି ଠକ୍ କରି ଗୋଟାଏ ଶବ୍ଦ ହେଲା, ପାଟି ଆଁ ହୋଇଗଲା; ଆଖି ଆଉ ବୁଜି ହେଲା ନାହିଁ । ପାଣୁ ନାଏକ ସର୍ଦ୍ଦାରଙ୍କ ହାତ ତା’ ନିଜ ବେକରୁ ଭିଡ଼ି ବାହାର କରିଦେଇ କହିଲା, ‘‘ଆପଣଙ୍କ ଯୋଗେ ଏ ସ୍ତ୍ରୀ ଲୋକଟି ମଲା ।’’
‘‘ତୋ ଚାଲାକି ବହୁତ ଦେଖିଲିଣି । ଆସିବୁ ତ, ଚାଲିଆ । ନୋହିଲେ ସିପାହୀମାନଙ୍କୁ ଡାକିବି । ଧକ୍କା ଦେଇ ନେବେ ।’’ ସର୍ଦ୍ଦାରଙ୍କ ସହିତ ଫାଣ୍ଡିରୁ ଚାରି ଜଣ ସିପାହୀ ଆସିଥିଲେ । ତାଙ୍କ କଥା ଶୁଣି ପାଣୁ ନାଏକ ଝରକାରୁ ଗୋଟାଏ ମୋଟା ଲୁହାଛଡ଼ ଭିଡ଼ି ବାହାର କରି, ଧୀରେ ଧୀରେ କହିଲା, ଆପଣ ଆଉ ପାଟି ନ କରି ଚାଲିଯାନ୍ତୁ ।’’ ସର୍ଦ୍ଦାର ଭୟରେ ଥରିଲେ । ଭାବିଲେ, ଯାଇ ସିପାହୀମାନଙ୍କୁ ଡାକିଆଣିବେ । କିନ୍ତୁ ସେ ଅବସରରେ କାଳେ ପାଣୁ ନାଏକ ଖସି ଚାଲିଯିବ, ସେଥିପାଇଁ ଘର ଭିତରୁ ଯାଇ ଦ୍ୱାର ପାଖେ ଜଗି ଠିଆ ହେଲେ । ପାଣୁ ନାଏକ ଦୁଃଖରେ ଅଭିଭୂତ ହୋଇ ରାଧା ପାଖେ ବସି ରହିଲା । କିଛି ସମୟ ପରେ କାନ ପାଖେ ମୁହଁ ଦେଇ କ’ଣ କହିଲା । କିନ୍ତୁ ସେ କ’ଣ କହିଲା କେହି ଶୁଣିପାରିଲେ ନାହିଁ । କିନ୍ତୁ ଧାଈ ନିରୀକ୍ଷଣ କରି ଦେଖିଲେ ଯେ ରାଧାର ପାଣ୍ଡୁର ବର୍ଣ୍ଣ ମୁହଁରେ ଟିକିଏ ଆନନ୍ଦର ଦୀପ୍ତି ଦେଖାଗଲା । ମା ସୁପ୍ତ ପିଲା ମୁଣ୍ଡ ତଳୁ ଟେକି ନିଜ କୋଳରେ ଥୋଇଲା ପରି ପାଣୁ ନାଏକ ରାଧା ମୁଣ୍ଡଟି ତକିଆରେ ଟେକି ରଖିଲା । ମୃତ୍ୟୁର ଦ୍ୱାର ପାରି ହେଲେ, ତେଣିକି କେବଳ ଚିର ଶାନ୍ତି ।
ପାଣୁ ନାଏକ ‘‘ନାରାୟଣ, ନାରାୟଣ’’ ଉଚ୍ଚାରଣ କରି ଯାଇ ସର୍ଦ୍ଦାରଙ୍କୁ କହିଲା, ‘‘ମୋ କାମ ସରିଲା; ଚାଲନ୍ତୁ ।’’
ସର୍ଦ୍ଦାର ପାଣୁ ନାଏକକୁ ନେଇ ଫାଣ୍ଡି ହାଜତରେ ରଖିଲେ । ଦେବାନଙ୍କ ଗିରଫଦାର ହେବା ଖବର ପଲକ ମଧ୍ୟରେ ସାରଙ୍ଗଗଡ଼ ସାରା ବ୍ୟାପିଗଲା । ଜଣେ କେହି ତାଙ୍କୁ ପ୍ରଶଂସା କରିବାକୁ କିମ୍ବା ତାଙ୍କ ଉପକାର ସୁମରି ଝୁରିବାକୁ ରହିଲା ନାହିଁ । ଶୁଣି, ସମସ୍ତେ ଛି ଛି କଲେ । କଟକ କଚେରିରେ ତାଙ୍କ ସମ୍ପର୍କରେ ଘଟିଥିବା ଘଟଣା ପୂରା ଜଣାପଡ଼ିବାକୁ ଅନେକ ଦିନ ଲାଗିଲା-। ସମଗ୍ର ସାରଙ୍ଗଗଡ଼ରେ ତିନି ଚାରି ଜଣ ମାତ୍ର ଲୋକ ତାଙ୍କ ପ୍ରତି ପୂର୍ବର ଅନୁରାଗ ରଖିଥିବାର ଦେଖାଗଲା । ଜଣେ ତାଙ୍କ ପୋଇଲୀ । ଦେବାନ ଧରା ହୋଇଗଲା ପରେ କାରଖାନା ବନ୍ଦ ହୋଇଗଲା; ଦୁଆରେ ତାଲା ପଡ଼ିଲା; ବାଟଘାଟ ଶୂନ୍ୟ ହେଲା । ଚିକିତ୍ସାଳୟରେ ରାଧାର ଶବ ଜଗି ଧାଈ ଏକା ବସି ରହିଲେ । ତେଣେ ପୋଇଲୀ ଦୁଃଖରେ ମୁହଁ ମାଡ଼ି ଶୋଇପଡ଼ିଲା । ଦେବାନ ସେଦିନ ସନ୍ଧ୍ୟାରେ ସବାରିରେ ବସି ଯେ ଘରୁ ଚାଲି ଯାଇଥିଲେ, ଲେଉଟି ଆଉ ଘରେ ପାଦ ପକାଇ ନ ଥିଲେ ।
ସେହି ଘରର ଦ୍ୱାର ହଠାତ୍ ଫିଟିଲା । ପୋଇଲୀ ଚାହିଁ ଦେଖିଲା, ଦେବାନ ନିଜେ ଆସି ହାଜର । ସେତେବେଳକୁ ରାତି ପ୍ରାୟ ଛ’ଘଡ଼ି । ପୋଇଲୀ କହିଲା, ‘‘ମୁଁ ଶୁଣି ବିଚାରିଲି–’’
‘‘ତୁ ବିଚାରିଲୁ ଯେ ହାଜତରେ ଅଛି, ନା ? ହଁ, ମୁଁ ହାଜତରେ ଥିଲି । ଗୋଟାଏ ଖିଡ଼ିକି ଭାଙ୍ଗି ପଳେଇ ଆସିଚି । ତୁ ଗୋଟାଏ କାମ କର ତ, ଯାଇ ଚିକିତ୍ସାଳୟରୁ ଧାଈ ମାତାକୁ ଡାକି ଆଣ୍ ।’’
ଘରର ବାହାର ଦ୍ୱାର ଭିତରୁ ବନ୍ଦ ଥିଲା । ସେ ଯେ କିପରି ଘର ଭିତରକୁ ଆସିଲେ, ତାହା ବୁଝାଗଲା ନାହିଁ । ସେ ଆସି ଘର ଭିତରେ ଆଲୁଅ ଜାଳି ବସିଲେ । ପାଉଁଶରୁ ମଧୁଆର ଦୋ’ଣିଟି କାଢ଼ି, ଦେଖାଯିବା ଭଳି ସ୍ଥାନରେ ଥୋଇ, ତା’ ପାଖରେ ଲେଖିଲେ, ‘‘ଏହି ଦୋ’ଣି ଚୋରି କରିଥିବା କଥା ମୁଁ କଚେରିରେ ସ୍ୱୀକାର କରିଚି ।’’ ରୁଖାଟି ମଧ୍ୟ ପାଉଁଶରୁ ଆଣି, ଦୋ’ଣି ପାଖେ ରଖିଲେ ।
ହଠାତ୍ ବାହାର ଦ୍ୱାରେ ଟିପରେ ଠୁକ୍ଠୁକ୍ କରି ମାରିବା ଶବ୍ଦ ଶୁଣାଗଲା । ଚିକିତ୍ସାଳୟର ଧାଈ ଥରି ଥରି ଆସି ପହଞ୍ଚିଲେ । ପାଣୁ ନାଏକ ତାଙ୍କ ହାତକୁ ଖଣ୍ଡିଏ ଲେଖା ବଢ଼ାଇଦେଇ କହିଲା, ‘‘ଏ ଚିଠି ରଜାଙ୍କୁ ଦେବ ।’’ ଚିଠିରେ ଲେଖାଥିଲା, ‘‘ମୋର ସବୁ ସ୍ଥାବର ସମ୍ପତ୍ତି ରଜାଙ୍କ ଜିମା ମୁଁ ଦେଇଗଲି । ମକଦ୍ଦମା ଲଢ଼ିବାରେ ଏବଂ ଆଜି ଚିକିତ୍ସାଳରେ ଯେ ସ୍ତ୍ରୀ ଲୋକଟି ମରିଯାଇଛି ତା’ର ଶୁଦ୍ଧି ଆଦି କ୍ରିୟାରେ ଯାହା ଖର୍ଚ୍ଚ ହେବ, ଏହି ସମ୍ପତ୍ତିରୁ ଦିଆଯିବ । ଅବଶିଷ୍ଟ ସମ୍ପତ୍ତି ଦରିଦ୍ରମାନଙ୍କର ।’’ ଧାଈ ସେ ଲେଖାଟି ପଢ଼ିସାରି ପଚାରିଲେ, ‘‘ଆପଣ କ’ଣ ଆଉ ସେ ବାଳିକାକୁ ଦେଖିବାକୁ ଯିବେ ନାହିଁ ?’’
‘‘ଆଉ ଦେଖିବି କ’ଣ ? ଯାହାକୁ ଦେଖନ୍ତି, ସେ ତ ଯାଇସାରିଚି । ତା’ପରେ ପୁଣି; ମୋ ପିଛା ଲୋକ ଲାଗିଚନ୍ତି । କାମ ସରିବା ପୂର୍ବରୁ ମୁଁ ପୁଣି ଧରା ଦବାକୁ ଇଚ୍ଛା କରେନା ।’’ ପାଣୁ ନାଏକ ଏ କଥା କହିସାରିଲା ବେଳେ ବାହାରେ ଗୋଟାଏ କୋଳାହଳ ଶୁଣାଗଲା । ସେ କୋଳାହଳ ମଧ୍ୟରେ ପୋଇଲୀ କହିଲା, ‘‘ମୋତେ କେତେ ପଚାରୁଚ ? ମୁଁ ତ ଥରେ କହିଲି, ଏଠାକୁ କେହି ଆସିନାହାନ୍ତି ।’’
‘‘ତେବେ, ସେ ଘରେ ଆଲୁଅ ଜଳୁଛି କିପରି ?’’
ପାଣୁ ନାଏକ ବାରିଲା, ତାହା ସର୍ଦ୍ଦାରଙ୍କ ପାଟି । ତହିଁ ସେ ଆଲୁଅ ଲିଭାଇଦେଇ ଗୋଟାଏ କବାଟ କଣରେ ଯାଇ ଲୁଚିପଡ଼ିଲା । ଧାଈ ମାତା ବସି ମାଳି ଗଡ଼ାଇବାରେ ଲାଗିଲେ । ସର୍ଦ୍ଦାର ତାଙ୍କୁ ଦେଖି ହଠାତ୍ ଟିକିଏ ଗୋଳମାଳରେ ପଡ଼ିଗଲେ । ସେ ମାତାଙ୍କୁ ବଡ଼ ଭକ୍ତି କରୁଥିଲେ । ମାତା ସମୟରେ ସାରଙ୍ଗଗଡ଼ ମହନ୍ତଙ୍କର ପ୍ରଧାନ ଶିଷ୍ୟା ଥିଲେ; କିନ୍ତୁ ଧନଞ୍ଜୟ ରାଏ କାରଖାନାରେ ଚିକିତ୍ସାଳୟ ବସାଇବା ପରେ, ସେ ରୋଗୀଙ୍କ ଶୁଶ୍ରୂଷା ଦ୍ୱାରା ମାନବଜାତିର ସେବା କରିବା ନିମନ୍ତେ ମଠ ଛାଡ଼ି ସେଠାରେ ଆସି ରହିଥିଲେ । ରାଧା ଚିକିତ୍ସାଳୟରେ ପଡ଼ିଥିବା ସମୟରେ ସେ ତୀର୍ଥ କରି ଯାଇଥିଲେ । ତୀର୍ଥରୁ ଫେରି ସେ ଯେଉଁଦିନ ସକାଳେ ପହଞ୍ଚିଲେ, ଦେବାନ ଧନଞ୍ଜୟ ରାଏ ପାଣୁ ନାଏକ ରୂପରେ ସେହିଦିନ ଧରା ହେଲେ । ମାତାଙ୍କ ସ୍ୱଭାବ ଅତ୍ୟନ୍ତ ଭଲ । ସେ କେବେ ପଦେ ମିଥ୍ୟା କହିବାର କେହି ଶୁଣି ନାହାନ୍ତି । ସେଥିପାଇଁ ସମସ୍ତେ ଏବଂ ବିଶେଷରେ, ସତ୍ୟପ୍ରିୟ ସର୍ଦ୍ଦାର ମହାପାତ୍ରେ, ତାଙ୍କୁ ଅତ୍ୟନ୍ତ ଭକ୍ତି କରୁଥିଲେ । ସୁତରାଂ, ଭୂତପୂର୍ବ ଦେବାନଙ୍କ ଘରେ ମାତାଙ୍କୁ ଦେଖି ସର୍ଦ୍ଦାର ହଠାତ୍ ପଛଘୁଞ୍ଚା ଦେଇ ଚାଲିଗଲେ । ଖାଲି ପଚାରିଲେ, ‘‘ଏଠି ଆଉ କିଏ ଅଛି ?’’ ମାତା ଆଖି ଫିଟାଇ ମୁଣ୍ଡ ଟେକି ଉତ୍ତର ଦେଲେ, ‘‘ମୁଁ ତ ଏକା ଅଛି ।’’
‘‘ମୋତେ ମାଫ କରିବେ । ମୁଁ ସେ ପାଜି ପାଣୁ ନାଏକଟାକୁ ଖୋଜିବୁଲୁଚି । ସେଟା ଏଠୁକୁ ଆସି ନାହିଁ ତ ?’’
‘‘ନା’’ । ମାତାଙ୍କ ଉତ୍ତରରେ ସର୍ଦ୍ଦାର ନିଃସନ୍ଦେହ ରୂପେ ଧରିନେଲେ ଯେ ପାଣୁ ନାଏକ ସେ ଘରେ ନାହିଁ । ସୁତରାଂ, ସେ ଆସିବା ବେଳେ ଆଲୁଅ କାହିଁକି ଜଳୁଥିଲା ଓ ପରେ ହଠାତ୍ କିଏ ଲିଭାଇଲା, ଏ ସବୁ ପ୍ରଶ୍ନ ତାଙ୍କୁ ଦେଖାଗଲା ନାହିଁ । ସେ ଘଟଣାର ଘଡ଼ିକ ବାଦ୍ ଜଣେ ଲୋକ ସାରଙ୍ଗଗଡ଼ରୁ ବାହାରି, ଦକ୍ଷିଣ ଦିଗକୁ ମୁହଁ କରି ଯାଉଥିବାର ଲୋକେ ଦେଖିଲେ ।
ରାଧାର ଶବ ଚିକିତ୍ସାଳୟରେ ପଡ଼ିଥିଲା । ରାଜା ଭୂତପୂର୍ବ ଦେବାନଙ୍କ ପତ୍ର ପଢ଼ି କହିଲେ, ‘‘ଠିକ୍ କଥା । ଦେବାନଙ୍କ ବିଷୟ ସମ୍ପତ୍ତି ଆମେ ରକ୍ଷା ନ କଲେ, ଆଉ କରିବ କିଏ ? ସମ୍ପତ୍ତି ତ ସେ ଦରିଦ୍ରଙ୍କ ନିମନ୍ତେ ଦେଇ ଯାଇଚନ୍ତି । ଆମ ରାଜକୋଷର ଧନ ସେଇ ଦରିଦ୍ରଙ୍କର । ଦେବାନଙ୍କ ସମ୍ପତ୍ତି ଏଇ ରାଜକୋଷରେ ରହିଲେ ହିଁ ପ୍ରକୃତ ସତ୍କାର୍ଯ୍ୟରେ ଲାଗିବ । ଆଉ ଖର୍ଚ୍ଚ– ଗୋଟାଏ ବଜାରୁଣୀ ମାଇକିନିଆର ପୁଣି ଶୁଦ୍ଧି କାର୍ଯ୍ୟ କ’ଣ ? ସେ କେବଳ କାଠ ଶଗଡ଼କୁ ଅର୍ହ ।’’ ରାଧାର ଶୁଦ୍ଧିକ୍ରିୟା କେବଳ ଦାହରେ ଶେଷ ହେଲା ।
ବାଙ୍କି ମେଳିରେ ଅନେକ ଲୋକ ହାଣ ଖାଇଥିଲେ । ଜଙ୍ଗଲ ମଧ୍ୟରେ ଗୋଟାଏ ପଡ଼ିଆରେ ମୃତ ଏବଂ ମୁମୂର୍ଷୁ ସବୁ ପଡ଼ି ସଢ଼ୁଥିଲେ । ରାତି ଅଧ ବେଳେ ଜଣେ ଲୋକ ସେମାନଙ୍କ ମଧ୍ୟରେ ଏଠାକୁ ସେଠା ବୁଲି ବୁଲି ଯାଉଥିଲା । ହାତରେ ଗୋଟାଏ ପ୍ରକାଣ୍ଡ ମୁଣି ଝୁଲାଇଧରିବା ଛଡ଼ା ତା’ ବେଶଭୂଷାରେ ଆଉ କିଛି ବିଶେଷତ୍ୱ ନ ଥିଲା । ସେ ବେଳେ ବେଳେ ନଇଁପଡ଼ି ତଳୁ ଗୋଟାଏ କିଛି ଗୋଟାଇଆଣି, ମୁଣାରେ ପୂରାଇବାରେ ଲାଗିଥାଏ । ଏହିପରି ଯାଉ ଯାଉ ସେ ଏକ ସ୍ଥାନରେ ପହଞ୍ଚି ଦେଖିଲା, ଜଣେ ଲୋକ ତଳେ ପଡ଼ିଛି ଓ ତା’ ହାତରେ ଗୋଟିଏ ସୁନା ମୁଦି ରହିଛି । ସେ ନଇଁପଡ଼ି ପୁଣି ସିଧା ଠିଆହେଲା । ତା’ପରେ ମୁଦି ସେ ଲୋକ ହାତରେ ଆଉ ଦେଖାଗଲା ନାହିଁ । ରାତ୍ରିଚର ସେଠାରୁ ଚାଲି ଯାଉଥିଲା; ମାତ୍ର ତା’ ଗୋଡ଼କୁ କେହି ଭିଡ଼ି ଧଇଲା । ତହୁଁ ସେ ଚମକି ପଡ଼ି କହିଲା, ‘‘ଏ କ’ଣ ମଣିଷ ନା ଭୂତ ?’’
ରାତ୍ରିଚର ନଇଁ ଦେଖିଲା ଯେ ଗୋଟାଏ ମନୁଷ୍ୟ ହାତ ତା’ ପାଦକୁ ଭିଡ଼ି ଧରିଛି । ମୁଦିଟି ତ ସେ ସେହି ହାତରୁ ନେଇଥିଲା । ତହୁଁ ସେ ପଚାରିଲା, ‘‘ତୁ କ’ଣ ଜିଇଁଚୁ, ଭାଇ ?’’ ମାତ୍ର ସେ ଉତ୍ତର ପାଇଲା ନାହିଁ । ସେହି ଲୋକ ଉପରେ କେତେଗୁଡ଼ିଏ ଶବ ଗଦା ହୋଇ ରହିଥିଲା । ଶବଗୁଡ଼ିକ ସେ ଘୁଞ୍ଚାଇଲାରୁ ଲୋକଟି କେତେକ ସମୟ ପରେ, ବିଶୁଦ୍ଧ ପବନ ପାଇ, ଚୈତନ୍ୟ ଲାଭ କଲା ଏବଂ କହିଲା, ‘‘ତୋ ଯୋଗେ ଏ ପ୍ରାଣ ରହିବ; ଭାଇ’’ ଶୁଣି; ରାତ୍ରିଚର କିଛି କହିଲା ନାହିଁ; କେବଳ ମୂକ ପରି ମୁଣ୍ଡ ନାଡ଼ିଦେଲା । କିଛି ଦୂରରେ ହଠାତ୍ କାହାର ପାଦ ଶବ୍ଦ ଶୁଣାଗଲା । ସେ ଶବ୍ଦ ଶୁଣି ରାତ୍ରିଚର ପଳାଇଯିବାକୁ ବସିଲା ବେଳେ ପ୍ରଶ୍ନ ଶୁଣିଲା; ‘‘କିଏ ଜିଣିଲା ?’’
ରାତ୍ରିଚର ଉତ୍ତର ଦେଲା, ‘‘ଗୋରାମାନେ ।’’ ଅନ୍ୟ ଜଣକ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କ୍ଷୀଣ କଣ୍ଠରେ କହିଲା, ‘‘ଆମେ ଏତେ ଲୋକ ପ୍ରାଣ ଦେଲୁ; ହେଲେ ମେଳ ନ ଥିବାରୁ ଜିଣିପାରିଲୁ ନାହିଁ । ଜିଣିଲେ ସେଇ ବିଦେଶୀ ଗୋରା । ଯାହାହେଉ, ମୁଁ ବଞ୍ଚିଲେ, ପୁଣି ଦେଖିବି । ତୁ, ଭାଇ, ମୋ ପ୍ରାଣ ରଖିଲୁ । ମୋ ଗାଞ୍ଜିଆରେ କୋଡ଼ିଏଟି ମୋହର ଅଛି । ତୁ ଗାଞ୍ଜିଆ ଫିଟେଇ ନେଇ ଯା । ମୁଁ ଆଉ କିପରି ତୋ ଉପକାର ଶୁଝିବି ? ଶୁଣି ରାତ୍ରିଚର ଗାଞ୍ଜିଆ ଖୋଜିଲା; ମାତ୍ର ‘‘ତା’ କିଏ କେତେବେଳେ ନେଇଯାଇଚି ।’’ ରାତ୍ରିଚର ପାଦଶବ୍ଦ ଆହୁରି ନିକଟରେ ଶୁଣି କହିଲା, ‘‘ମୁଁ ଯାଉଚି, ଭାଇ । ଏଣିକି ତୋ ପ୍ରାଣ ତୁ ରଖ୍ ।’’
‘‘ପ୍ରାଣ ଯେ ରଖିଲା; ତା’ ନାଁ ଜାଣିଲେ; ମନେ ପକୋଉଥିବି ।’’
‘‘ଆଚ୍ଛା; ତେବେ ଦୀନା ସାହୁ; ଘର ଜଜାରସିଂହ । ତୋ ପରି ଦରମଲାଙ୍କୁ ସାହାଯ୍ୟ କରିବାକୁ ଆସିଥିଲି । ତୋ ନାଁ ?’’
‘‘ଗୋବିନ୍ଦ ସିଂହ, ବାଙ୍କି ରଜାଙ୍କ ସୈନ୍ୟ ଦଳର ପ୍ରଧାନ ନାଏକ ।’’ ଶୁଣି, ଦୀନା ସାହୁ ମୁହୂର୍ତ୍ତେ ଅପେକ୍ଷା ନ କରି, ଚାଲିଯାଇ ଅଦୃଶ୍ୟ ହୋଇଗଲା । ସେ କିଛିଦୂର ଯାଇ, ମୁଣା ଫିଟାଇ, ଗୋଟାଏ ଗାଞ୍ଜିଆ ବାହାର କରି, ଏକ, ଦୁଇ, ତିନି କରି ମୋହର ଗଣିବାରେ ଲାଗିଲା । କୋଡ଼ିଏଟି ଖାଣ୍ଟି ରାମାଭିଷେକ ମୋହର ପାଇ ସେ ଆନନ୍ଦରେ ନାଚିବାକୁ ଲାଗିଲା ଓ କହିଲା, ‘‘ସେ ଗୋବିନ୍ଦା କେଡ଼େ ଓଲୁ ? ସେ ପୁଣି ଫୌଜଦଳର ନାଏକ ! ୟାରିପରି ଲୋକେ ଲଢ଼େଇ କରି ଏ ଦେଶରୁ ଗୋରାଙ୍କୁ ତଡ଼ିଦେବେ ! ଦେଶ ଉଦ୍ଧାର କରି ପକେଇବେ ।’’
ଏଟା ଗୋଟାଏ ଘଟଣା ମାତ୍ର । ପାଣୁ ନାଏକ ସାରଙ୍ଗଗଡ଼ ଫାଣ୍ଡିରୁ ଯେ ପଳାଇ ଆସିଥିଲା, ପୁଣି ଧରା ପଡ଼ିଲା । ସେ ସମୟରେ ଆଜିକାଲି ପରି ଖବରକାଗଜ ନ ଥିଲା । ମାତ୍ର ସେହି ଘଟଣା ନେଇ ଗୋଟାଏ ଲେଖା ବିଜ୍ଞାପନ ସବୁ ଫାଣ୍ଡିମାନଙ୍କରେ ମାରିଦିଆହେଲା । ସେ ଲେଖାଟି ଏହି– ‘‘ପାଣୁ ନାଏକ ନାମରେ ଗୋଟାଏ ବଡ଼ ଚୋର ଊଣିଶ ବର୍ଷ କଏଦୀଖାନାରେ ରହିବା ପରେ ଖଲାସ ହୋଇ ସାରଙ୍ଗଗଡ଼ରେ ବ୍ୟବସାୟ ଚଳାଇଲା । ସେଥିରେ ସେ ଟଙ୍କାପଇସା ରୋଜଗାର କଲା । ସେ ତା’ ପୁରୁଣା ନାମ ବଦଳାଇ, ଧନଞ୍ଜୟ ରାଏ ନାମ ଧଇଲା । ସାରଙ୍ଗଗଡ଼ ରାଜା ତାକୁ ଦେବାନ ପଦରେ ରଖିଲେ । ମାତ୍ର ପୋଲିସ ବିଭାଗର ଅକ୍ଳାନ୍ତ ଚେଷ୍ଟାରେ ସେ ଧରା ପଡ଼ିଗଲା । ସେ ଯେଉଁ ଗୋଟାଏ ସ୍ତ୍ରୀଲୋକକୁ ରକ୍ଷିତା କରି ରଖିଥିଲା, ସେ ଧରା ପଡ଼ିଲା ବେଳେ ସେହି ସ୍ତ୍ରୀ ଲୋକଟା ଭୟରେ ମରିଗଲା । ପାଣୁ ନାଏକ ଫାଣ୍ଡିରୁ ପୁଣି ଖସି ଚାଲିଯାଇ ବାହାରେ ତିନି ଚାରି ଦିନ ରହିଲା । ସାରଙ୍ଗଗଡ଼ ରାଜାଙ୍କ ଖଜଣାଖାନାରେ ତା’ ନାମରେ ପାଞ୍ଚଲକ୍ଷ ଟଙ୍କା ଜମା ଥିଲା । ସେହି ତିନି ଚାରି ଦିନ ମଧ୍ୟରେ ସେ ସେହି ଟଙ୍କାତକ ଉଠାଇନେଇଛି । ବର୍ତ୍ତମାନ ଟଙ୍କାର ପତ୍ତା ମିଳୁନାହିଁ । କେହି କେହି କହୁଛନ୍ତି, ସେ ତାହା କେଉଁଠାରେ ପୋତି ରଖିଛି । ଟଙ୍କା ଯେ ବାହାର କରିଦେବ ତାକୁ ଉପଯୁକ୍ତ ପୁରସ୍କାର ଦିଆଯିବ । ସେ ଦୁର୍ଜୀବ ଏ ମଧ୍ୟରେ ଜଜାରସିଂହ ପାଖେ ବାଟରେ ଧରା ପଡ଼ିଛି । ବିଚାରରେ ତା’ର ଫାଶୀ ହୁକୁମ ହେଲା । କିନ୍ତୁ କଟକ କମିଶନର ସାହେବ ଦୟା କରି ତା’ ଫାଶୀ ଦଣ୍ଡ କାଟି କଳାପାଣି ଦଣ୍ଡ ବିଧାନ କଲେ । ସନ ୧୨୫୬ ସାଲ ସିଂହ ମାସ ୧୧ ଦିନ ।’’ ବିଜ୍ଞାପନରେ ସରକାରୀ ମୋହର ବସିଥିଲା ।
କଳାପାଣି ଯିବା ପୂର୍ବରୁ ପାଣୁ ନାଏକ କଟକ ଜେଲଖାନାରେ ୪୩୦ ନମ୍ବର କଏଦୀ ରୂପେ ରହିଲା । ଏଣେ ସାରଙ୍ଗଗଡ଼ର ପୂର୍ବ ଐଶ୍ୱର୍ଯ୍ୟ ଦିନ କେତେଟା ମଧ୍ୟରେ ଏକାବେଳକେ ଧ୍ୱଂସ ପାଇଗଲା । କାରଖାନା ବନ୍ଦ ହେଲା; ଶ୍ରମିକମାନେ ଛାଡ଼ିପଳାଇଲେ; ଘରଗୁଡ଼ାକ ଶୂନ୍ୟ ପଡ଼ିଲା; ଦାଣ୍ଡ ରାସ୍ତା ନିର୍ଜନ ହୋଇ ରହିଲା, ଚାରିଆଡ଼ ଗୋଟାଏ ଭୀଷଣ ମରୁଭୂମି ପାଲଟିଗଲା ।
ଫାଣ୍ଡିମାନଙ୍କରେ ଉପରୋକ୍ତ ବିଜ୍ଞାପନ ବାହାରିବାର କେତେକ ଦିନ ପରେ; ଜଜାରସିଂହ ଆଖପାଖ ଜଙ୍ଗଲରେ, ଗୋବର୍ଦ୍ଧନ ପଣ୍ଡା ଗୋଟାଏ କିଛି ଖୋଜୁଥିଲା ପରି ବରାବର ବୁଲୁଥିବାର ଲୋକେ ଦେଖିଲେ । ତା’ ସ୍ୱଭାବ ବିଷୟରେ ଅନେକଙ୍କର ଅନେକ ପ୍ରକାର ସନ୍ଦେହ ଥାଏ । ସେ ଚୋରଙ୍କ ଦଳରେ ମିଶେ ବୋଲି କେହି କେହି ଜାଣନ୍ତି । ସେ ଦିନଯାକ ଘରେ ରହି ରାତିରେ ପଦାକୁ ବାହାରେ ଏବଂ ଭାଙ୍ଗ, ଅଫିମ, ଗୁଲି ପ୍ରଚୁର ଖାଏ ।
ଗୋବର୍ଦ୍ଧନ ପଣ୍ଡା ଗୋଟାଏ ଶାବଳ ନେଇ ପ୍ରତିଦିନ ସନ୍ଧ୍ୟାରେ ଭୂତ ପରି ବରୁଣେଇ ପାହାଡ଼ ଆଡ଼କୁ ଯାଇ ଜଙ୍ଗଲ ମଧ୍ୟରେ ପଶେ । ସେ ନାନା ସ୍ଥାନରେ ଗାତ ଖୋଳେ । ତା’ର ଏପରି କରିବାର କାରଣ କେହି କିଛି ବୁଝିପାରନ୍ତି ନାହିଁ । ଜଜାରସିଂହଯାକ କ୍ରମେ ଚହଳ ପଡ଼ିବାକୁ ଲାଗିଲା । ମାତ୍ର ସବୁଠାରୁ ବେଶି ଚହଳ ପଡ଼ିଲା ଚଟିଘର ମାଲିକ ଦୀନା ସାହୁ ମନରେ । ସେ ମନେ ମନେ ଭାବିଲା, ‘‘କିଛି ଗୋଟାଏ ଲାଭ ନ ଥିଲେ, ଗୋବରା ପଣ୍ଡା କ’ଣ ଏଡ଼େ ଓଲୁ ହେଇଚି, ଯେ ରାତିସାରା ବାଘ ଭାଲୁଙ୍କ ଭିତରେ ଯାଇ ବୁଲନ୍ତା ?’’
ଗୋବର୍ଦ୍ଧନ ପଣ୍ଡା ଯେ ସେପରି କାହିଁକି କରୁଥିଲା, ତା’ର ଗୋଟାଏ କାରଣ ଅଛି । ଦିନେ ସନ୍ଧ୍ୟାବେଳେ ସେ ଦେଖିଲା, ଜଣେ ଲୋକ ଗୋଟିଏ ମସ୍ତବଡ଼ ସିନ୍ଦୁକ ମୁଣ୍ଡରେ ମୁଣ୍ଡାଇ, ହାତରେ ଗୋଟାଏ କୋଡ଼ି ଧରି, ଛପିଛପି ବରୁଣେଇ ଠାକୁରାଣୀଙ୍କ ଆଡ଼କୁ ଯାଉଛି । ତା’ର କୌତୂହଳ ହେବାରୁ, ସେ ସେ ଲୋକର ପଛେ ପଛେ ଗଲା । ମାତ୍ର ଅପରିଚିତ ଲୋକଟା ହଠାତ୍ ବନ ମଧ୍ୟରେ କେଉଁଠାରେ ଅଦୃଶ୍ୟ ହୋଇଗଲା । ଗୋବର୍ଦ୍ଧନ ପଣ୍ଡା ଅନେକ ଖୋଜିଲା; କିନ୍ତୁ ତାକୁ ପାଇଲା ନାହିଁ । ରାତ୍ରି ପ୍ରାୟ ଛ’ଘଡ଼ି ବେଳେ ଲୋକଟା ଜଙ୍ଗଲ ମଧ୍ୟରୁ ଫେରିଲା । ସେତେବେଳେ ତା’ ହାତରେ କୋଡ଼ିଟା ଥିଲା, କିନ୍ତୁ ସିନ୍ଧୁକ ଆଉ ମୁଣ୍ଡରେ ନ ଥିଲା । ସିନ୍ଦୁକଟି ଯେ ସେ ବନ ମଧ୍ୟରେ କେଉଁଠାରେ ପୋତି ଦେଇ ଆସିଛି, ଗୋବର୍ଦ୍ଧନ ମନରେ ଆଉ ସନ୍ଦେହ ରହିଲା ନାହିଁ । ସେହିଦିନଠାରୁ ସିନ୍ଧୁକଟି ଖୋଜି ଗୋବର୍ଦ୍ଧନ ପଣ୍ଡା ରାତି ତମାମ ଜଙ୍ଗଲରେ ଗୋପନରେ ଯାଇ ବୁଲେ । ସେ ଅନେକ ଦିନ ଏପରି ବୁଲିବାରୁ ସେ ବିଷୟରେ ଲୋକଙ୍କର ଆଉ ଆଗ୍ରହ ରହିଲା ନାହିଁ । କିଏ କହିଲା, ‘‘ଗୋବର୍ଦ୍ଧନିଆ ପାଗଲ ହୋଇଗଲାଣି ।’’ ଆଉ କିଏ କହିଲା, ‘‘ନା, ସେ ପରା ଟଙ୍କା ଗରାଏ ପାଇଲା ।’’
ସନ ୧୨୫୬ ସାଲ ସୁନିଆ ସମୟରେ ଧାମରା ବନ୍ଦରରେ ଖଣ୍ଡିଏ ଜାହାଜ ଲାଗିଥିଲା-। ଅତିଶୟ ଝଡ଼ ତୋଫାନ ହେବାରୁ ଶୀଘ୍ର ଚାଲିଯିବା ଜାହାଜଟିକୁ କିଛି ଦିନ ଅଟକି ରହିବାକୁ ପଡ଼ିଲା । ଆଖପାଖ ଗ୍ରାମର ଲୋକେ ଜାହାଜ ଦେଖିବାକୁ ପ୍ରାୟ ରୋଜ ସମୁଦ୍ର କୂଳରେ ଯାଇ ରୁଣ୍ଡ ହେଉଥିଲେ । ତୋଫାନରେ ଜାହାଜର ମାସ୍ତୁଲ ଭାଜିପଡ଼ିଥିଲା । ମରାମତ କରିବାକୁ ମିସ୍ତ୍ରି ମାସ୍ତୁଲ ଉପରେ ଚଢ଼ିଥିଲା । ହଠାତ୍ ଗୋଟାଏ ଦୁର୍ଘଟଣା ଘଟିଗଲା । ମିସ୍ତ୍ରି ଯେଉଁ ଦଉଡ଼ି ଧରି କାମ କରୁଥିଲା, ତାହା ଛିଣ୍ଡିଯିବାରୁ, ମାସ୍ତୁଲ ଗୋଟାଏ ପାଖକୁ ବଙ୍କା ହୋଇ, ଜାହାଜରୁ ବାହାରି, ସମୁଦ୍ର ଉପରକୁ ଢଳି ରହିଲା । ମିସ୍ତ୍ରି ତା’ ଦଉଡ଼ିରୁ ଖସି, ଆଉ ଗୋଟାଏ ଦଉଡ଼ି ଧରି, ସମୁଦ୍ର ଉପରେ ଶୂନ୍ୟେ ଶୂନ୍ୟେ ଝୁଲିଲା । ଦେଖି ଜାହାଜର ଲୋକେ ଏବଂ କୂଳର ଦର୍ଶକମାନେ ହାହାକାର କରିବାକୁ ଲାଗିଲେ । କିନ୍ତୁ ତାକୁ ସାହାଯ୍ୟ କରିବାକୁ କେହି ବାହାରିଲେ ନାହିଁ । ମିସ୍ତ୍ରି ତେଣେ ପାଟି କଲା, ‘‘ମୋ ହାତ ଜଳିଲାଣି । ମୁଁ ଆଉ ଦଉଡ଼ିଟା ମୁଠେଇ ରହିପାରିବି ନାହିଁ । ଛାଡ଼ି ଦେଲି । ଛାଡ଼ି ଦେଲି ।
ଦଳେ କଏଦୀ କଳାପାଣି ଯିବାପାଇଁ ଜାହାଜର ଗୋଟାଏ ପାଖରେ ଜଗୁଆଳଙ୍କ କଟକଣାରେ ବସିରହିଥିଲେ । ତାଙ୍କ ମଧ୍ୟରୁ ଜଣେ ମିସ୍ତ୍ରିର କରୁଣ ଚିତ୍କାର ଶୁଣି ସ୍ଥିରହୋଇ ରହିପାରିଲା ନାହିଁ । ତା’ ଗୋଡ଼ରେ ଲୁହା ଶିକୁଳି ବନ୍ଧା ଯାଇଥିଲା । ମାତ୍ର ସେ ମୁହୂର୍ତ୍ତକେ ତାକୁ ଭଡ଼ଭାଡ଼ ଛିଣ୍ଡାଇ, ଜଗୁଆଳମାନେ ରୋକି ଧରିବା ପୂର୍ବରୁ ଗୋଟାଏ ଦଉଡ଼ି ଆଶ୍ରାରେ ବିଜୁଳି ଝଟକ ପରି ଯାଇ ମିସ୍ତ୍ରି ପାଖେ ପହଞ୍ଚିଲା । ଦେଖିବା ଲୋକଙ୍କ ଆଖି ବୁଜି ହୋଇଗଲା । ସେ ମାସ୍ତୁଲର ଛିଣ୍ଡା ଦଉଡ଼ିରେ ଦୋଳି ତିଆରି କରି ସେଥିରେ ମିସ୍ତ୍ରିକୁ ବସାଇଦେଲା । ମିସ୍ତ୍ରି ନିରାପଦ ହେଲା । କଏଦୀ ଦଳର ଜଗୁଆଳମାନେ ସେ କଏଦୀକୁ ଡାକି କହିଲେ, ‘‘ଆବେ, ବଦମାସ, ଆମ ଚାକିରି ନେବୁ ନା କ’ଣ ? ତୁ ଜଲ୍ଦି ଚାଲିଆ ।’’ କିନ୍ତୁ ଦର୍ଶକମାନେ କହିଲେ, ‘‘ନା, ଏପରା ଲୋକକୁ ପୁଣି ମିଆଦ । ଛାଡ଼ିଦିଅ, ଛାଡ଼ିଦିଅ ।’’
କଏଦୀ ମାସ୍ତୁଲରୁ ଓହ୍ଲାଇବାକୁ ବସିଲା । ସେ ମାଙ୍କଡ଼ଙ୍କ ପରି ଓହଳି, ଦଉଡ଼ିରୁ ଦଉଡ଼ିକୁ ଡେଇଁ ଆସିବାରେ ଲାଗିଲା । ସମସ୍ତଙ୍କର ଦୃଷ୍ଟି ତା’ ଉପରେ ଆବଦ୍ଧ ହୋଇ ରହିଲା । ତେଣେ କ୍ଷଣକ ମଧ୍ୟରେ କଏଦୀ କେଉଁଆଡ଼େ ଅଦୃଶ୍ୟ ହୋଇଗଲା । ଦର୍ଶକମାନେ କୋଳାହଳ କରି ଉଠିଲେ । ସମୁଦ୍ର ଭିତରେ ମସ୍ତ ପଥର ପଡ଼ିଲା ପରି ଶବ୍ଦ ଶୁଭିଲା ଓ ସଙ୍ଗେ ସଙ୍ଗେ ଗୋଟାଏ ଗୋଲାକାର ଲହରୀ ଚାରିଆଡ଼କୁ ମାଡ଼ି ଚାଲିଲା । ଜଗୁଆଳମାନେ ଡଙ୍ଗାରେ ବସି ସେହି ଲହରୀର କେନ୍ଦ୍ରସ୍ଥଳକୁ ଗଲେ; କିନ୍ତୁ କଏଦୀର ଚିହ୍ନବର୍ଣ୍ଣ ଦେଖିଲେ ନାହିଁ । ଦର୍ଶକମାନେ କହିଲେ, ‘‘ମଗର ଖାଇ ଯାଇଥିବ । ଯାହାହେଉ, ସେ କଏଦୀ ଜୀବନରୁ ପାରି ହୋଇଗଲା ।’’ ତା’ ପରଦିନ ଆଖପାଖ ଗ୍ରାମମାନଙ୍କରେ ଧେଣ୍ଡୁରା ଦିଆହେଲା, ‘‘ପାଣୁ ନାଏକ ନାମରେ ଜଣେ କଏଦୀ କଳାପାଣି ଯାଉଥିଲା । ସେ ଜାହାଜରୁ ଡେଇଁପଡ଼ି ସମୁଦ୍ର ପହଁରି, କୂଳକୁ ଯାଇ କେଉଁଆଡ଼େ ପଳାଇଛି । ଲୋକଟା ଲମ୍ୱା, ମୋଟା ଓ ବୟସରେ ବୁଢ଼ାଆସିଆ । ତା’ ଦେହରେ ଭାରି ବଳ । ତାକୁ ଯେ ଧରାଇଦେବ, ଶହେ ଟଙ୍କା ପୁରସ୍କାର ପାଇବ ।’’
କେତେ ଦିନ ଚାଲିଗଲା । ପୁରସ୍କାର କେହି ପାଇପାରିଲେ ନାହିଁ । ଅନେକ ଖୋଜିଲା ପରେ ମଧ୍ୟ ପାଣୁ ନାଏକ ମିଳିଲା ନାହିଁ । ତହିଁ ଗୋଟାଏ ଇସ୍ତାହାର ଜାରି କରାଗଲା । ସେଥିରେ ଲେଖାଥିଲା, ‘‘ପାଣୁ ନାଏକ ନାମକ ଜଣେ ଦାଗୀ କଳାପାଣି ଯାଉଥିଲା, ସେ ଜାହାଜରୁ ପଡ଼ି ସମୁଦ୍ରରେ ବୁଡ଼ିମରିଛି । ଧରିତ୍ରୀ ଗୋଟାଏ ମହାପାପୀର ଭାରାରୁ ମୁକ୍ତ ହୋଇଛି । ୧୨୫୬ ସାଲ, ତୁଳା ମାସ ୧୭ ଦିନ ।’’