ପଳାତକର ଠିକଣା ମିଳିଲା — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଳାତକର ଠିକଣା ମିଳିଲା
ସେଦିନ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଆସାମୀମାନଙ୍କୁ ହାତକଡ଼ି ଦେଇ, ଦଉଡ଼ିରେ ବାନ୍ଧି, ଘର ଭିତରୁ ନେଇ ଚାଲିଗଲେ । ତେଣେ ବନମାଳୀ ସଙ୍ଗେ ସଙ୍ଗେ ବାହାରିଯାଇ ପଦ୍ମନାଭ ବସାରେ ପହଞ୍ଚି କହିଲା, ‘‘ମୁଁ ଆଜି ଏଠେଇ ଶୋଇବି ।’’ ପରଦିନ ସକାଳେ ସେ ଦର୍ଜିକୋଠାକୁ ଆସି, ଘରଭଡ଼ା ଛିଣ୍ଡାଇ ଦେଇ ଏବଂ ଅନ୍ୟାନ୍ୟ ଯାହା ଯାହାର ପାଉଣା ଥିଲା, ସବୁ ତୁଟାଇ ଦେଇ ପକାଇ, ଗୋଟାଏ ଗାଡ଼ିରେ ନିଜର ଯାବତୀୟ ଜିନିଷପତ୍ର ଲଦି, ଚାଲିଗଲା । ଗଲାବେଳେ ସେ ଯେ କେଉଁଠାକୁ ଯାଉଛି, କହି ମଧ୍ୟ ଗଲା ନାହିଁ । ସୁତରାଂ, ଦୁଇ ପହରେ ସର୍ଦ୍ଦାର ମହାପାତ୍ର ଆସି ଯେତେବେଳେ ଶୁଣିଲେ, ‘‘ସେ କୁଆଡ଼େ ଚାଲି ଗଲେଣି’’ ସେ ଅତ୍ୟନ୍ତ ନିରାଶ ହେଲେ । ଯେଉଁ ଚାକିରିଆଣୀ ବନମାଳୀ ବସାରେ କାମ କରୁଥିଲା, ସେ ଘରର ମାଲିକିଆଣୀକୁ ଦେଖି, ଓଠରେ ହାତ ଦେଇ, ବିସ୍ମିତ ସ୍ୱରରେ କହିଲା, ‘‘ମା, କିଏ ଭାବିଥିଲା ଏ କଥା । ମାଇକିନିଆ ଝିଅ ପରି ଥିବା ପିଲାଟିଏ, ତା’ ଦେହରେ ପୁଣି ଏ ଗୁଣ ଥିଲା ? ଏବେ ଧରାପଡ଼ିବା ଭୟରେ କୁଆଡ଼େ ପଳେଇଚି କେଜାଣି ।’’
ବନମାଳୀ ଯେ ଧରାପଡ଼ିବା ଭୟରେ ସେ ଘର ଛାଡ଼ି ଚାଲିଗଲା, ତା’ ନୁହେଁ । ସେଠାରେ ରହିଲେ ତାକୁ ଯେ ଟଣାହୋଇ କଚେରିକି ଯିବାକୁ ପଡ଼ିବ, ସେ ବୁଝିପାରିଥିଲା । ସାକ୍ଷ୍ୟ ଦେବାକୁ ହେଲେ, ତାକୁ ଦୀନା ସାହୁ ବିପକ୍ଷରେ ବହୁତ କଥା କହିବାକୁ ହୋଇଥାନ୍ତା । ପିତାଙ୍କ ଆଦେଶ ମନେରଖି ସେ ତାହା କରିବାକୁ ଇଚ୍ଛା କଲାନାହିଁ । ସର୍ଦ୍ଦାର ମହାପାତ୍ର ଭାବିଲେ, ବନମାଳୀ ଭୟରେ ପଳାଇ ଯାଇଛି । ଦୁଇମାସ ଚାଲିଗଲା । ବନମାଳୀ ତେବେ ସୁଦ୍ଧା ପଦ୍ମନାଭ ଘରେ ବସା କରି ରହିଥିଲା । ସେ ଶୁଣିପାରିଲା, ଦୀନା ସାହୁ ହାଜତରେ ବନ୍ଦୀ ହୋଇ ରହିଛି । ନିଜ ପାଖେ ଟଙ୍କା ନ ଥିବାରୁ ସେ ପଦ୍ମନାଭଠାରୁ ପାଞ୍ଚ ଟଙ୍କା ଉଧାର କରି ଗୋପନରେ ଦୀନା ସାହୁ ପାଖକୁ ପଠାଇଦେଲା । ଧାର କରିବା ସେଥର ତା’ ଜୀବନରେ ପ୍ରଥମ । ପଦ୍ମନାଭ ଅନେକଥର ଅନୁନୟ ବିନୟ କରି ତାକୁ ଯାହା କରାଇପାରି ନ ଥିଲା, ଆଜି ପିତାଙ୍କ ଆଦେଶ ସ୍ମରଣ କରି, କର୍ତ୍ତବ୍ୟ ଅନୁରୋଧରେ ସେ ନିଜେ ତାହା କରିବସିଲା । ସେ ମନକୁ ମନ କହିଲା, ‘‘ଏ ତ କିଛି ଭୋଗବିଳାସ ପାଇଁ ନୁହେଁ, କର୍ତ୍ତବ୍ୟର ଅନୁରୋଧ, ପିତାଙ୍କ ପବିତ୍ର ଆଦେଶ ।’’
ବନମାଳୀ କ୍ରମେ ବେଶି ସନ୍ଦିଗ୍ଧ ଓ ଚିନ୍ତାକୁଳ ହୋଇପଡ଼ିଲା । ମୁହୂର୍ତ୍ତକ ପାଇଁ ସେ ତା’ ହୃଦୟର ଅମୂଲ୍ୟ ପ୍ରତିମା ଅପ୍ସରୀ ରାସମଣିକୁ ସେଦିନ ଦେଖିଥିଲା । ସେ ପୁଣି ମୁହୂର୍ତ୍ତକ ମଧ୍ୟରେ ତା’ ଦୃଷ୍ଟିପଥରୁ ଅତୀତ ହୋଇଗଲା । ବନମାଳୀ ତା’ର ଯେଉଁ କାଳ୍ପନିକ ନାମ ଏତେ ଦିନ ମନ ମଧ୍ୟରେ ଜପୁଥିଲା, ସେ ନାମ ଆଜି ତାକୁ ଅଳୀକ ବୋଧହେଲା । କୁକୁଡ଼ା ତ ଡାକନାମ; କୁମାରୀର ପ୍ରକୃତ ନାମ ସେ ବୁଝିପାରିଲା ନାହିଁ । ସେ ଭାବିଲା, ‘‘ସଦାଶିବ କ’ଣ ସତେ ପୋଲିସକୁ ଡରି ପଳେଇ ଗଲେ ? ତେଲଙ୍ଗାବଜାରରେ ସେଦିନ ମୁଁ ଯେଉଁ ମଜୁରିଆକୁ ଦେଖି ସଦାଶିବ ମହାନ୍ତି ବୋଲି ମନେ କରିଥିଲି, ସେ ପ୍ରକୃତରେ ସଦାଶିବ ମହାନ୍ତି ହବ ।’’ ସେ ଏହିପରି ନାନା କଥା ଭାବି କଛି ଠିକ୍ କରି ପାରିଲା ନାହିଁ; ଅତିଶୟ ସନ୍ଦେହରେ ପଡ଼ିଲା । କିନ୍ତୁ ସବୁସତ୍ତ୍ୱେ, କୁମାରୀ ପ୍ରତି ତା’ ହୃଦୟର ଅନନ୍ତ ପ୍ରେମରୁ ତିଳେ ଊଣା ହେଲାନାହିଁ ।
ଦର୍ଜିକୋଠାର ଧରପଗଡ଼ରେ ସର୍ଦ୍ଦାର ମହାପାତ୍ରଙ୍କ ପ୍ରଶଂସା ସବୁଆଡ଼େ ବ୍ୟାପିଗଲା; କିନ୍ତୁ ସେ ଯେ ସେ ଘରର ବନ୍ଦୀକୁ ଧରି ପାରିଲେ ନାହିଁ, ସେଥିଲାଗି ଆଉ ଯେ ଯାହା କହନ୍ତୁ, ସେ ନିଜ ଜୀବନକୁ ତୁଚ୍ଛ ମଣିଲେ । ତା’ପରେ ପୁଣି ଉତ୍ସବା ଧରା ହୋଇ ବାଟରେ ଆସୁ ଆସୁ ଚମ୍ପାକୁ ଦେଖି ତା’ ସଙ୍ଗେ ଖସି ଚାଲିଗଲା । ଚମ୍ପା ଅବଶ୍ୟ ଧରା ପଡ଼ିଲା, କିନ୍ତୁ ତା’ ବିରୁଦ୍ଧରେ ପ୍ରମାଣ ନ ମିଳିବାରୁ ସେ ଖଲାସ ହୋଇଗଲା । ବାଞ୍ଛା ମଧ୍ୟ ବାଟରେ କୌଣସି ଉପାୟରେ ଖସି ଚାଲିଗଲା । ସେ କଥା ଫାଣ୍ଡିରେ ଯାଇ ଜଣାପଡ଼ିଲା । କେହି କେହି କହିଲେ ‘‘ସିପାହୀମାନେ ତାକୁ ଜାଣି ଛାଡ଼ିଦେଲେ ।’’ ସେ ଯାହାହେଉ, ସର୍ଦ୍ଦାର ମହାପାତ୍ରଙ୍କର ମନର ଦୁଃଖ ମେଣ୍ଟିଲା ନାହିଁ ।
ବନମାଳୀ ଘର ଭିତରୁ ବାହାରି କେଉଁଆଡ଼େ ବିଶେଷ ଯିବା ଆସିବା କଲା ନାହିଁ । କେବଳ ବେଳେ ବେଳେ ସେ ଗଦାଧର ସହିତ ଦେଖା କରିବାକୁ ତା’ ଫୁଲ ବଗିଚାକୁ ଯାଏ । ଗଦାଧରର ଆର୍ଥିକ ଅବସ୍ଥା କ୍ରମେ ନିତାନ୍ତ ହୀନ ହୋଇ ଆସିଥିଲା; ଏପରିକି ଅନେକ ଦିନ ତାକୁ ଉପବାସରେ କଟାଇବାକୁ ପଡ଼ୁଥିଲା । ଦିନେ ସେ ବଗିଚା ମଧ୍ୟରେ ପୋଥି ଖଣ୍ଡିଏ ଧରି ବସି, କିଛି ସମୟ ପଢ଼ି, ତା’ପରେ ଚିନ୍ତାରେ ମଗ୍ନ ହୋଇ ରହିଛି, ସେତେବେଳେ ଶୁଣିଲା, ‘‘ଗଦାନନା, ତୁମ ବଗିଚାରେ ପାଣି ମଡ଼େଇ ଦେବି ?’’ ସଙ୍ଗେ ସଙ୍ଗେ କଣ୍ଟା ବାଡ଼ରେ ଗୋଟାଏ ଖଡ଼୍ଖାଡ଼ ଶବ୍ଦ ହେଲା-। ମନେହେଲା, ଯେପରି ବାର୍ହା କିମ୍ୱା ଘୁଷୁରି ବାଡ଼ ଭାଙ୍ଗି ପଶୁଛି; କିନ୍ତୁ ବାଡ଼ ଭିତରୁ ଗୋଟିଏ ବାଳିକା ବାହାରି ଠିଆ ହେଲା ।
ବାଳିକା ବଗିଚାରେ ପାଣି ଦେଇ ସାରିବା ପରେ ଗଦାଧର ତା’ ନିକଟକୁ ଯାଇ କହିଲା, ‘‘ଝିଅ, ତୁ କେତେ କାମ କଲୁ; ଆହା, ମୋର କ’ଣ ଅଛି ଯେ ତୋତେ ବକସିସ୍ ଦେବି ?’’
‘‘ମୋର ଆଉ କିଛି ଲୋଡ଼ା ନାହିଁ । ମୋତେ ଖାଲି କହିଦିଅ, ବନମାଳୀ ରାଏ ଓକିଲ ଏବେ କୋଠି ରହୁଛନ୍ତି ।’’ ଶୁଣି, ଗଦାଧର କିଛିକ୍ଷଣ ଭାବି ଗୋଟାଏ ସ୍ଥାନର ନାମ କହିଲା । ବାଳିକା ସ୍ୱପ୍ନର ପ୍ରତିମା ପରି ହଠାତ୍ କେଉଁଆଡ଼େ ଉଭେଇ ଗଲା । ଗଦାଧର ମନେ ମନେ ଭାବିଲା, ‘‘ମୋ ବଗିଚାରେ ପାଣି ଦିଆ ହୋଇ ନ ଥିଲେ, ମୁଁ ନିଶ୍ଚୟ ବିଶ୍ୱାସ କରିଥାନ୍ତି ଯେ ଏଟା ଗୋଟାଏ ଭୂତ ଆସିଥିଲା-।’’
ଗଦାଥର ବଗିଚାକୁ ଏ ଭୂତ ଯେଉଁଦିନ ଆସି ଚାଲିଗଲା, ତା’ପରେ ଦିନେ ବନମାଳୀ ଦୀନା ସାହୁ ପାଇଁ ପାଞ୍ଚଟି ଟଙ୍କା ଧରି ଘରୁ ବାହାରି ଆସିଲା । ସେ ପଦ୍ମନାଭଠାରୁ ଯେଉଁ ପାଞ୍ଚ ଟଙ୍କା ଧାର କରିଥିଲା, ଏ ସେହି ଟଙ୍କା । ବନମାଳୀ ଟଙ୍କା ଧରି ଇଦଗାପଡ଼ିଆ ଆଡ଼କୁ ଗଲା । ବାସ୍ତବରେ ପଦ୍ମନାଭ ଘର ଅପେକ୍ଷା ସେହି ପଡ଼ିଆରେ ତା’ର ଅନେକ ସମୟ ଯାଏ । ସେଥିପାଇଁ ଗଦାଧରକୁ ସେ ତା’ର ସେହି ଠିକଣା କହିଥିଲା ।
ଇଦଗାପଡ଼ିଆରେ ବନମାଳୀ ଚିନ୍ତାମଗ୍ନ ହୋଇ ବସିଚି, ଶୁଣିଲା, ‘‘ଆଃ, ଏଇ ତ ସେ ।’’ ତହୁଁ ସେ ଆଖି ଫିଟାଇ ଚାହିଁ ଦେଖିଲା, ଆଗରେ ଚମ୍ପା ଠିଆ ହୋଇଛି । ଚମ୍ପା କହିଲା, ‘‘ଗଦାନନା ଠିକ୍ କହିଥିଲେ ତ । ମୁଁ ତୁମକୁ ଦେଢ଼ମାସ ହେଲା ଖୋଜି ବୁଲୁଚି; ଆଜି ପାଇଲି । ତୁମେ ଆଉ ସେ ଘରେ ନାହଁ ? କୋଉଠି ରହୁଚ କହ ନା ? ମୁହଁ ଶୁଖେଇ କାହିଁକି ବସିଚ ? ମୁଁ ତୁମ ଶୁଖିଲା ମୁହଁକୁ, ଦେଖିବ, ସରସ କରିଦେବି । ମୁଁ ଗାରିଡ଼ି ମନ୍ତ୍ର ଜାଣେ ।’’
ବନମାଳୀ ଚମ୍ପାର ଏତେ ପ୍ରଶ୍ନର ଉତ୍ତର ନଦେଇ ଗମ୍ଭୀର ଭାବରେ ନୀରବ ହୋଇ ବସିଥିଲା; ମାତ୍ର ତା’ର ଶେଷ କଥା ପଦକ ଶୁଣି ପଚାରିଲା, ‘‘କ’ଣ କହୁଚୁ ତୁ ?’’ ଉତ୍ତର ଶୁଣିଲା, ‘‘ମୁଁ ଠିକଣା ପାଇଚି ।’’ ବନମାଳୀ ଶେତା ପଡ଼ିଗଲା । ତା’ ଦେହର ସମୁଦାୟ ରକ୍ତ କ୍ଷଣକ ନିମନ୍ତେ ହୃତ୍ପିଣ୍ଡ ମଧ୍ୟକୁ ବୋହି ଚାଲିଗଲା । ସେ ପଚାରିଲା, ‘‘କି ଠିକଣା ?’’ ଉତ୍ତର ଶୁଣିଲା, ‘‘ଯୋଉ ଠିକଣା ମାଗିଥିଲ ।’’
ବନମାଳୀ ଡେଇଁପଡ଼ି, ଚମ୍ପାର ହାତ ଧରିପକାଇ, କହିଲା ‘‘ମୋତେ ସେଠୁକୁ ନେଇଯାନା । କେଉଁଠି ମୋତେ କହିଦେ । ମତେ ଆଉ ପାଗଳ କରନା ।’’
‘‘ମୋ ସାଙ୍ଗରେ ଆସ, ଦେଖେଇ ଦେବି । ମୁଁ କ’ଣ ଗଳିଫଳିର ନାଁ ଜାଣିଚି ? ଖାଲି ଘରଟା ଚିହ୍ନିଚି ।’’ କହି ଚମ୍ପା ବନମାଳୀ ହାତରୁ ତା’ ହାତ ଖସାଇନେଲା । ମାତ୍ର ବନମାଳୀ ପୁଣି ଚମ୍ପା ହାତ ଧରିପକାଇ କହିଲା, ‘‘ତୁ ମୋ ପାଖେ ସତ୍ୟ କର, ଚମ୍ପା ସେ ଠିକଣା ତୋ ବାପାକୁ କହିବୁ ନାହିଁ ।’’ ଶୁଣି ଚମ୍ପା ଚମକି ପଡ଼ି ପଚାରିଲା, ‘‘ତୁମେ ମୋ ନାଁ କିମିତି ଜାଣିଲ ?’’ ବନମାଳୀ ଚମ୍ପାର ଦୁଇ ବାହୁକୁ ଧରି ପକାଇଲା । ‘‘ତୁ ସତ୍ୟକର, ତୁ ସେ ଠିକଣା ବାପାକୁ କେବେ କହିବୁ ନାହିଁ ।’’
‘‘ମୋତେ ଇମିତି ଧଇଲେ କ’ଣ କହିବି ନାହିଁ ? ଆଚ୍ଛା, କହୁଚି, ସତ୍ୟ କରୁଚି, ବାପାକୁ କହିବି ନାହିଁ; ତ୍ରିବାର ସତ୍ୟ ।’’
‘‘ଆଉ କାହାକୁ ମଧ୍ୟ ନୁହେଁ ।’’
‘‘ଆଚ୍ଛା, ଆଉ କାହାକୁ ମଧ୍ୟ ନୁହେଁ ।’’
‘‘ତେବେ ଚାଲ, ମୋତେ ସେଠୁକୁ ନେଇଯା ।’’
‘‘ଆସ, ଆଃ ଦେଖ, ବନମାଳୀ ବାବୁଙ୍କ ମୁହଁ କିମିତି ପ୍ରସନ୍ନ ହେଇଆସିଲାଣି । ଆଚ୍ଛା, ବନମାଳୀ ବାବୁ, ତୁମେ ମୋତେ କ’ଣ ଦବ ବୋଲି କହିଥିଲ, ମନେ ଅଛି ।’’ ବନମାଳୀ କୁରୁତା ପକେଟରେ ହାତ ପୂରାଇ ଦରାଣ୍ଡି ଦେଖିଲା, ଦୀନା ସାହୁ ପାଇଁ ଯେ ପାଞ୍ଚଟି ଟଙ୍କା ଆଣିଥିଲା, ତା’ ଛଡ଼ା ତା’ ପାଖେ ଆଉ କିଛି ନାହିଁ । ସେ ଟଙ୍କା ପାଞ୍ଚଟି କାଢ଼ି ଚମ୍ପା ହାତରେ ଦେଲା । ଚମ୍ପା ଟଙ୍କାତକ ହାତରୁ ତଳେ ଗଳାଇ ପକାଇ, ନୀରସ ଭାବରେ କହିଲା, ‘‘ମୁଁ ଟଙ୍କା ମାଗି ଆସିଥିଲି ନା-?’’
ପ୍ରେମର ସଞ୍ଚାର
କଟକର ଜଣେ ବଙ୍ଗାଳୀ ମାଜିଷ୍ଟ୍ରେଟ ସାହେବଜାଦା ବଜାରରେ ଗୋଟିଏ ଭଡ଼ାଘରେ ରହିଥିଲେ । ସେ ବଦଳି ହୋଇଯିବା ପରେ, ଜଣେ ବୟସ୍କ ଲୋକ ସେ ଘରଟି ଭଡ଼ା ନେଇ ଜଣେ ଯୁବତୀ ଏବଂ ଜଣେ ବୁଢ଼ୀ ସଙ୍ଗେ ବାସ କରିବାକୁ ଲାଗିଲେ । ତା’ ଆଖପାଖେ ଆଉ କାହାରି ଘର ନଥିଲା । ବୟସ୍କ ଲୋକଟି ପାଣୁ ନାଏକ ଏବଂ ଯୁବତୀଟି ରମା । ବୁଢ଼ୀଟି ପାଣୁ ନାଏକର ଚାକିରିଆଣୀ, ନାମ ମାଣିକ । ଘରଟି ଅଭୟ ଦାସ ନାମରେ ଭଡ଼ା ନିଆ ଯାଇଥିଲା ।
ଦୀନା ସାହୁ ଯେଡ଼େ ସହଜରେ ପାଣୁ ନାଏକକୁ ଚିହ୍ନିପକାଇଲା, ଏପର୍ଯ୍ୟନ୍ତ ଯାହା କୁହାଯାଉଛି, ପାଠକ ସେଥିରୁ ଆହୁରି ସହଜରେ ତାକୁ ଚିହ୍ନି ପାରିଥିବେ । କିନ୍ତୁ ସେ ଯେ କାହିଁକି ମାତାମଠ ଛାଡ଼ି ଚାଲିଆସିଲା; ତା’ର କାରଣ ଜାଣି ନ ଥିବେ । ପାଣୁ ନାଏକ ରମାକୁ ଧରି ମଠ ଭିତରେ ନିଶ୍ଚିତ ହୋଇ ଆନନ୍ଦରେ କାଳ କଟାଉଥିଲା । କିନ୍ତୁ କେତେ ବର୍ଷ ଗଲାପରେ ସେ ଦିନେ ମନେ ମନେ ଭାବିଲା, ‘‘ରମା ପିଲା ଥିଲା, ବଡ଼ ହେଲା । ଏଠେଇ ତ ବିଭା ନ ହୋଇ ରହିବାକୁ ହେବ । ତେବେ ଜୀବନର ସୁଖ ଦୁଃଖ ସେ ଜାଣିମ କ’ଣ ?’’ ଭବିଷ୍ୟତରେ ମୋତେ ସିନା ଦାୟୀ ହବାକୁ ପଡ଼ିବ । ସେ ଭାବନା ତା’ ମନରେ ଯେତିକି ସ୍ଥାୟୀ ହେଲା, ଜୀବନଟା ତାକୁ ସେତିକି ଅସହ୍ୟ ବୋଧହେଲା; ସୁତରାଂ, ସେ ମଠକୁ ଛାଡ଼ିବାକୁ ସ୍ଥିର କଲା ।
ପାଣୁ ନାଏକ ମଠ ଛାଡ଼ିଗଲା ଦିନ ଅନ୍ୟାନ୍ୟ କେତେକ ଜିନିଷ ମଧ୍ୟରେ ଗୋଟିଏ ଛୋଟିଆ ପେଡ଼ି ସଙ୍ଗରେ ନେଲା । ସେହି ପେଡ଼ିଟିର ଚାବି ସେ ନିଜ ପାଖରେ ସର୍ବଦା ରଖିଥାଏ । ତାହା ଦେଖି ରମା ମନରେ କୌତୂହଳ ଜନ୍ମେ । ସେ ପେଡ଼ିର କେବଳ ଗୋଟିଏ ପଦାର୍ଥ ପାଣୁ ନାଏକ ବାହାରେ ରଖିଥିଲା । ତାହା ଖଣ୍ଡିଏ ରୋମାଲ, ପାଣୁ ନାଏକ ଓ ରମାର କୋଠ ସମ୍ପତ୍ତି । ପାଣୁ ନାଏକ ଥଳି ଭିତରେ ଅନେକ ଦିନରୁ ଖଣ୍ଡିଏ ରୋମାଲ ପଡ଼ିଥିଲା । ରମା ମଠରେ ଥିଲାବେଳେ, ଅକ୍ଷର ଲେଖିଶିଖି, ପ୍ରଥମେ ସେହି ରୋମାଲ ଉପର, ‘ଅଭୟ ଦାସ’ର ପ୍ରଥମ ଅକ୍ଷର ଲେଖି ଶିଖି, ପ୍ରଥମେ ସେହି ରୋମାଲ ଉପର, ‘‘ଅଭୟ ଦାସ’’ର ପ୍ରଥମ ଅକ୍ଷର ‘ଅ’ ଏବଂ ରମାର ପ୍ରଥମ ଅକ୍ଷର ‘ଅ’ ଏବଂ ରମାର ପ୍ରଥମ ଅକ୍ଷର ‘ର’ ଲେଖି ଶେଷରେ ଗୋଟିଏ ପୂର୍ଣ୍ଣଚ୍ଛେଦ ଦେଇଥିଲା । ପୂର୍ଣ୍ଣଛେଦଟା ‘ର’ ଦେହରେ ଲାଗି ଯାଇଥିଲା । ରୋମାଲ ଉପରେ ଅକ୍ଷର ଲେଖି ରମା ପାଣୁ ନାଏକକୁ ଆଣି ଦେଲା-। ପାଣୁ ନାଏକ ରୋମାଲଟିକୁ କେତେଦିନ ପେଡ଼ି ଭିତରେ ରଖି, ପୁଣି ଦିନେ ବାହାର କରି ନିଜ ଲୁଗାପଟା ସଙ୍ଗେ ରଖିଲା ।
ପାଣୁ ନାଏକ କେବଳ ଯେ ସାହେବଜାଦା ବଜାରରେ ଖଣ୍ଡିଏ ଘର ଭଡ଼ା ନେଇଥିଲା, ତା’ ନୁହେଁ । ସେ ସଙ୍ଗେ ସଙ୍ଗେ ଖଣ୍ଡିଏ ଘର ଓଡ଼ିଆ ବଜାରରେ ଏବଂ ଆଉ ଖଣ୍ଡିଏ ଘର ତେଲଙ୍ଗା ବଜାରରେ ମଧ୍ୟ ନେଇଥିଲା । ସେ ଗୋଟାଏ ଘରେ ଏକାଦିକ୍ରମେ ଅନେକ ଦିନ ରହିଲେ, କୋଠାରେ ଥିଲାବେଳେ ସର୍ଦ୍ଦାର ମହାପାତ୍ରଙ୍କ ଦୃଷ୍ଟିରେ ପଡ଼ିଲା ପରି, କାଳେ କେତେବେଳେ କାହା ଦୃଷ୍ଟିରେ ପଡ଼ିବ, ସେଥିପାଇଁ ଏକ ସମୟରେ ତିନିଟା ଘର ଭଡ଼ା ନେଇ ପ୍ରତ୍ୟେକ ଘରେ ବର୍ଷର ଚାରିମାସ କଟାଇବାକୁ ସ୍ଥିର କରିଥିଲା । ମାଣିକ ସାହେବଜାଦା ବଜାର ଘରେ ରହେ । ପାଣୁ ନାଏକ ତେଲେଙ୍ଗା ବଜାର କିମ୍ବା ଓଡ଼ିଆ ବଜାର ଘରକୁ ଗଲେ, କେବଳ ରମାକୁ ସାଥିରେ ଧରି ଯାଏ ।
ପ୍ରକୃତ ପକ୍ଷେ କହିବାକୁ ଗଲେ, ସାହେବଜାଦା ବଜାର ଘରଟା ପାଣୁ ନାଏକର ରହିବାର ପ୍ରଧାନ ସ୍ଥାନ । ସେ ଘର ଉପର ମହଲାରେ ରମା ମାଣିକକୁ ଧରି ରାତିରେ ଶୁଏ । ପାଣୁ ନାଏକର ଶୋଇବା ସ୍ଥାନ ତଳ ମହଲା । ଖାଇବା ଏବଂ ବୁଲିବା ବେଳେ ରମା ସହିତ ପାଣୁ ନାଏକର ଦେଖା ସାକ୍ଷାତ ହୁଏ । ରମା ରୂପା ଥାଳିରେ ସରୁ ଚାଉଳ, ଦୁଧ, ଘିଅ ଭୁଞ୍ଜେ; ପାଣୁ ନାଏକ ତା’ ପାଖେ ବସି ଶାଗ ଖରଡ଼ା ସହିତ ବଗଡ଼ା ଚାଉଳ ଭାତ ଖାଏ । ପାଣୁ ନାଏକ ମାଣିକକୁ କହେ, ‘‘ରମା ଏ ଘର ମାଲିକ ।’’ ମାଣିକ ଆଚମ୍ବିତ ହୋଇ ପଚାରେ, ‘‘ଆଉ ତୁମେ ?’’ ସେ ଉତ୍ତର ଶୁଣେ, ‘‘ମୁଁ ମାଲିକଠୋଉ ଆହୁରି ଉପରେ; ତା’ ବାପ ।’’
ସାହେବଜାଦା ବଜାର ଘରେ ହେଉ, ଓଡ଼ିଆ ବଜାର ଘରେ ହେଉ ବା ତେଲେଙ୍ଗା ବଜାର ଘରେ ହେଉ, ଯେଉଁଠାରେ ରହିଲେ ସୁଦ୍ଧା; କିଲ୍ଲାପଡ଼ିଆକୁ ରମାକୁ ଧରି ବୁଲିଯିବାକୁ ପାଣୁ ନାଏକର ଗୋଟାଏ ନିତ୍ୟନୈମିତ୍ତିକ କାର୍ଯ୍ୟ ଥିଲା । ଓଡ଼ିଆବଜାର ଘରେ ରହିଲା ବେଳେ ସେ କଟକଚଣ୍ଡୀ ଦେଉଳକୁ ପ୍ରାୟ ପ୍ରତିଦିନ ଯାଉଥିଲା ଏବଂ ଦେଉଳ ପାଖେ ଦୁଃଖୀ ଭିଖାରିଙ୍କୁ ଟଙ୍କାପଇସା ବାଣ୍ଟୁଥିଲା ।
ରମା ପ୍ରାୟ ତେର ବର୍ଷ ବୟସରେ ମଠ ଛାଡ଼ି ସଂସାରରେ ପାଦ ପକାଇଥିଲା । ସେତେବେଳେ କେବଳ ଆଖି ଦିଓଟି ଛଡ଼ା ତା’ ଦେହରେ ସୌନ୍ଦର୍ଯ୍ୟର ଅନ୍ୟ କୌଣସି ଚିହ୍ନ ନଥିଲା-। ସେ ମଠରେ ଥିଲାବେଳେ ଯାହା ପଢ଼ାଶୁଣା କରିଥିଲା, ମଠରୁ ଆସି ତା’ ଅପେକ୍ଷା ଅନେକ ନୂଆ ନୂଆ ବିଷୟ ପଢ଼ି ଶିଖିଲା ଓ ଜୀବନ ଗଢ଼ିବାକୁ ଚେଷ୍ଟା କଲା ।
ରମା ତା’ ବାପା, ଅର୍ଥାତ୍ ପାଣୁ ନାଏକକୁ ଅତିଶୟ ସ୍ନେହ ଏବଂ ଭକ୍ତି କରୁଥିଲା । ଅନେକ ପରିମାଣରେ ସେ ତାକୁ ନିଜ ମନ୍ତ୍ରଗୁରୁ ପରି ମାନି ଚଳୁଥିଲା । ପାଣୁ ନାଏକ ମଧ୍ୟ ରମାକୁ ଜୀବନର ଅମୂଲ୍ୟ ସମ୍ପଦ ବୋଲି ମନେ କରୁଥିଲା । ଯୌବନରେ ସୁଦ୍ଧା ରମାର କେତେଗୁଡ଼ିଏ ପିଲାଦିନ ଅଭ୍ୟାସ ରହିଥିଲା । ସେ ପ୍ରଜାପତି ଧରିବାକୁ ଧାଇଁ ଧାଇଁ ଶେଷରେ ଆସି କହେ, ‘‘ଓଃ, ମୁଁ ଥକିଲିଣି’’ କହି ପାଣୁ ନାଏକ କୋଳରେ ମୁଣ୍ଡ ଦେଇ ଶୋଇପଡ଼େ । ପାଣୁ ନାଏକ ରମାର କପାଳରେ ଚୁମ୍ବନ ଦେଇ, ଗୋଟାଏ ଦୀର୍ଘନିଃଶ୍ୱାସ ପକାଏ ।
ରମା ପିଲା ହୋଇଥିଲା ବେଳେ ପାଣୁ ନାଏକ ତା’ ମା’ କଥା ତାକୁ ସ୍ୱଚ୍ଛନ୍ଦରେ କହୁଥିଲା; କିନ୍ତୁ ତା’ ବୟସ ସଙ୍ଗେ ବୁଝିବା ଶକ୍ତି ବଢ଼ିବାର ଦେଖି, ସେ ବିଷୟ ଗଳ୍ପ କରିବାକୁ ସେ ଆଉ ସାହସ କଲା ନାହିଁ । ଅବଶ୍ୟ ସେ ବେଳେବେଳେ ଅଭାଗିନୀ ରାଧାର ସ୍ମୃତି ମନେ ପକାଇ ଦୁଃଖରେ ବିହ୍ୱଳ ହୋଇପଡ଼େ । କିନ୍ତୁ ସେତେବେଳେ ସେ ଆଖି ଆଗେ ଗୋଟିଏ ମୂର୍ତ୍ତି ଦେଖେ । ମୂର୍ତ୍ତିଟି ନିଜ ଓଠରେ ଗୋଟିଏ ଆଙ୍ଗୁଠି ଦେଇ ଠିଆ ହୋଇଥିବାର ତାକୁ ଦେଖାଯାଏ । ରମା ବେଳେ ବେଳେ ସେ ଆଙ୍ଗୁଠିଟି ଉଠାଇଦିଏ; ଆସି କହେ, ‘‘ବାପା, ମୁଁ କାଲି ରାତିରେ ମା’କୁ ସ୍ୱପ୍ନରେ ଦେଖିଲି । ସେ ଜଣେ ସ୍ୱର୍ଗର ଦେବୀ; ନା ?’’ ପାଣୁ ନାଏକ ଉତ୍ତର ଦିଏ, ‘‘ହଁ ମା, ତ୍ୟାଗ ବଳରେ ପରା ଦେବୀ ପାଲଟିଚି ।’’
ଦିନେ ରମା ଅକସ୍ମାତ୍ ଦର୍ପଣରେ ନିଜ ମୁହଁ ଦେଖିପକାଇ ଚମକିପଡ଼ି କହିଲା, ‘‘ଆରେ-!’’ ସେ ପର୍ଯ୍ୟନ୍ତ ନିଜ ମୁହଁ ବିଷୟରେ ତା’ର କୌଣସି ଧାରଣା ନ ଥିଲା । ଅବଶ୍ୟ ସେ ଯେ କେବେ ଦର୍ପଣରେ ମୁହଁ ଦେଖି ନ ଥିଲା, ତା’ ନୁହେଁ; କିନ୍ତୁ ମୁହଁର ସୌନ୍ଦର୍ଯ୍ୟ ଉପରେ ତା’ ଦୃଷ୍ଟି କେବେ ପଡ଼ି ନ ଥିଲା । ସେଦିନ ସେ ଦର୍ପଣରେ ସେ ସୌନ୍ଦର୍ଯ୍ୟ ଦେଖିପାରିଲା । ଅନ୍ୟ ଲୋକେ ଯେତେବେଳେ ରମାକୁ କୁତ୍ସିତ କଦର୍ଯ୍ୟ ବୋଲି କହନ୍ତି; ଏକମାତ୍ର ପାଣୁ ନାଏକ ଧୀର ସ୍ୱରରେ କହେ, ‘‘ନା, ନା, ସବୁକଥା ମିଛ ।’’ ତଥାପି ରମା ବୁଝିଥିଲା ଯେ ତା’ର ଆଦୌ ସୌନ୍ଦର୍ଯ୍ୟ ନାହିଁ । କିନ୍ତୁ ସେଦିନ ସେ ଶୁଣିଲା, ପାଣୁ ନାଏକ ବରାବର ଯାହା କହିଆସିଛି, ଦର୍ପଣଟା ମଧ୍ୟ ତାକୁ ସେହି, ‘‘ନା, ନା’’ କହିଲା-। ବାସ୍ତବରେ ରମାର ସୌନ୍ଦର୍ଯ୍ୟ କାଳକ୍ରମେ ଫୁଟି ଉଠିଲା, ତା’ ବର୍ଣ୍ଣର ମଳିନତା ଯାଇ ଚମ୍ପାଫୁଲ ଆଭା ବିକଶିଥିଲା, ବାଳ ପେଣ୍ଡା ଆଣ୍ଠୁ ତଳକୁ ପଡ଼ୁଥିଲା । ମୁହୂର୍ତ୍ତକ ମଧ୍ୟରେ ରମା ନିଜର ସୌନ୍ଦର୍ଯ୍ୟ ଉପଲବ୍ଧି କଲା । ପାଣୁ ନାଏକ ଦିନକୁ ଦିନ ରମାର ଅଙ୍ଗପ୍ରତ୍ୟଙ୍ଗରେ ସୌନ୍ଦର୍ଯ୍ୟର ବିକାଶ ଦେଖି, ଟିକିଏ ସଙ୍କୁଚିତ ବୋଧ କରୁଥିଲା । ସଂକୋଚ କ୍ରମେ ଗୋଟାଏ ଅପରିଜ୍ଞାତ ଭାବନାରେ ପରିଣତ ହେଲା ।
ରମା ଯେଉଁଦିନ ମନେ ମନେ ଭାବିଲା, ‘‘ଆହା, ମୁଁ କେଡ଼େ ସୁନ୍ଦର,’’ ସେହି ଦିନଠାରୁ ସେ ବେଶଭୂଷା ପ୍ରତି ଅଧିକ ଦୃଷ୍ଟି ଦେବାକୁ ଲାଗିଲା । ନିଜ ସୌନ୍ଦର୍ଯ୍ୟରେ ପ୍ରତ୍ୟୟ ଜନ୍ମିବାରୁ ରମଣୀ ସୁଲଭ ଲାଳିତ୍ୟ ତା’ ପ୍ରାଣରେ ଫୁଟିଉଠିଲା । ସେ ଯେତେବେଳେ ଯେ ପ୍ରକାର ବେଶଭୂଷା ବରାଦ କଲା, ପାଣୁ ନାଏକ ଅକାତରେ ତାହା କିଣିଆଣି ଦେଲା । ମାସକ ମଧ୍ୟରେ ରମା କଟକ ସହରରେ ଅପ୍ସରୀ ହୋଇପଡ଼ିଲା । କିନ୍ତୁ ରମଣୀ ଶାସନ ଅଭାବରୁ ବେଶଭୂଷା ବିଷୟରେ ରମାର ବେଳେ ବେଳେ ଭୁଲ ହୋଇଯାଉଥିଲା । ମା ଥିଲେ ତା’ ମୁଣ୍ଡରେ ଯେ ସିନ୍ଦୂରଟୋପି ଲଗାଇ ଦେଉଥାନ୍ତା, ସେ ସେଥିରୁ ବଞ୍ଚିତ ହୋଇ ରହୁଥିଲା । ପୁରୁଷ ବ୍ୟକ୍ତି ଦେଖିଲେ ଲୁଚିବା, ଦାଣ୍ଡକୁ ନ ବାହାରିବା, ପଣତ କାନିରେ ମୁହଁ ଘୋଡ଼ାଇ ରଖିବା ଆଦି ଯୁବତୀ ସୁଲଭ ଗୁଣରେ ସେ ଆଦୌ ଦିନେ ଅଭ୍ୟସ୍ତ ହୋଇ ନ ଥିଲା । ସୁତରାଂ ବୟସ୍କା ସ୍ତ୍ରୀବ୍ୟକ୍ତି ଓ ଗୃହିଣୀମାନେ ତାକୁ ‘ଅଣ୍ଡିରାଚଣ୍ଡୀ’ ବୋଲି ମନେ କରୁଥିଲେ । ଆବାଲ୍ୟରୁ କେବଳ ପୁରୁଷ ଓ ବିଶେଷରେ ପାଣୁ ନାଏକ ପରି ଜଣେ ପୁରୁଷ ସଙ୍ଗରେ ରହି, ରମା ପୁରୁଷସୁଲଭ ଚାଲିଚଳନ ଅନୁକରଣ କରିଥିଲା ।
ଛ’ ମାସର ଅନୁପସ୍ଥିତି ପରେ ବନମାଳୀ କିଲ୍ଲାପଡ଼ିଆରେ ଯେ ରମାକୁ ଭେଟିଲା, ତାହା ରମା ଜୀବନର ସେହି ସମୟରେ ପ୍ରେମ ବିନିମୟ ରାଜ୍ୟରେ ଗୋଟାଏ ସାମାନ୍ୟ ଅପାଙ୍ଗର ଯେ କି ମୂଲ୍ୟ, ତାହା ଲେଖନୀରେ ପ୍ରକାଶ କରିବା ଅସମ୍ଭବ । ବନମାଳୀ ଯେତେବେଳେ ରମାର ସୌନ୍ଦର୍ଯ୍ୟ ଦେଖିବାକୁ ତା’ ନିକଟରେ ବାରମ୍ୱାର ଯାତାୟାତ କରୁଥାଏ, ରମା ଗୋପନରେ କେତେବେଳେ ତା’ ଆଡ଼କୁ କଟାକ୍ଷ ପକାଇଲା, ତାହା ସେ ଜାଣେ; ବନମାଳୀ କୌଣସି ଆଭାସ ପାଇଲା ନାହିଁ; କିନ୍ତୁ ପରେ ସେହି କଟାକ୍ଷ ଯୋଗେ ଉଭୟେ ମଦନଶରର ପୀଡ଼ା ଅନୁଭବ କରିବାକୁ ଲାଗିଲେ । ଅବଶ୍ୟ ବେଳେ ବେଳେ ରମାର ସୌନ୍ଦର୍ଯ୍ୟରେ ସନ୍ଦେହ ଜନ୍ମେ; କିନ୍ତୁ ରମା ବନମାଳୀକୁ ପୁରୁଷସୌନ୍ଦର୍ଯ୍ୟର ଆଦର୍ଶ ବୋଲି ମନେକଲା । ପ୍ରେମ-ରାଜ୍ୟରେ ରମଣୀ ଲଜ୍ଜାଶୀଳା ଏବଂ ପୁରୁଷ ସାହସିକତାର ଦୃଷ୍ଟାନ୍ତ । ବନମାଳୀ ରମା ହୃଦୟର ସ୍ନେହ ଗ୍ରହଣ କରି, କାହିଁକି ଯେ ନିଜ ଆଡ଼ୁ ସ୍ନେହର କିଛି ଆଭାସ ଦେଉନାହିଁ ଭାବି ରମା ବେଳେ ବେଳେ ପ୍ରାଣରେ ବିଷାଦ ଅନୁଭବ କରୁଥିଲା ।
ଯେଉଁଦିନ ବନମାଳୀ ଓ ରମା ମଧ୍ୟରେ ପ୍ରଥମ ଦୃଷ୍ଟିର ଆଦାନ ପ୍ରଦାନ ହେଲା; ସେଦିନ ରମା ଘରକୁ ଫେରିଆସି ଆନନ୍ଦରେ ମଗ୍ନ ହୋଇ ରହିଲା । ଆରଦିନ ରମା ପାଣୁ ନାଏକ ସହିତ କିଲ୍ଲାପଡ଼ିଆକୁ ବୁଲିବାକୁ ଯାଇ ଦେଖିଲା, ବନମାଳୀ ପଡ଼ିଆର ସେପାଖେ କିଛି ଦୂରରେ ବସିଛି; ଉଠି ରମା ଆଡ଼କୁ ଆସିବାର କୌଣସି ଲକ୍ଷଣ ଦେଖାଉନାହିଁ । ପ୍ରେମର ଆଦାନପ୍ରଦାନ ପରେ ନାୟକ ନାୟିକାଙ୍କ ମଧ୍ୟରେ ମନୋଭାବର ଗୋଟାଏ ବିପର୍ଯ୍ୟୟ ଘଟେ । ନାୟକ ଶଙ୍କାରେ ଆନ୍ଦୋଳିତ ହୁଏ; ନାୟିକା ହୃଦୟରେ ସାହସ ଫୁଟିଉଠେ । ବନମାଳୀ ଶଙ୍କିତ ହୋଇ ସେ ଦିନ ଦୂରରେ ବସି ରହିଥିଲା । ଦେଖି, ରମା ପାଣୁ ନାଏକକୁ କହିଲା, ‘‘ବାପା, ଆମେ ସେଆଡ଼େ ବୁଲିବାକୁ ଯିବା ନାହିଁ ?’’ ବନମାଳୀ ରମା ପାଖକୁ ନ ଆସିବାରୁ ରମା ବନମାଳୀ ନିକଟକୁ ଗଲା ।
କ୍ରମେ ବନମାଳୀ ଓ ରମା ମଧ୍ୟରେ ପରସ୍ପର ପ୍ରତି ସ୍ନେହର ମାତ୍ରା ବଢ଼ିବାକୁ ଲାଗିଲା । ରମାକୁ ନ ଦେଖିଲେ, ବନମାଳୀ ବ୍ୟସ୍ତ ହେଲା । ବନମାଳୀକି ନଦେଖି, ରମା ନିଜ ଜୀବନ ତୁଚ୍ଛ ମଣିଲା । ପାଣୁ ନାଏକକୁ ରମା ବରାବର କହିଲା, ‘‘ଆହା, କିଲାପଡ଼ିଆଟା କି ସୁନ୍ଦର ।’’ ବନମାଳୀ ଓ ରମା ମଧ୍ୟରେ ସେପର୍ଯ୍ୟନ୍ତ, ପଦେ ସୁଦ୍ଧା କଥାବାର୍ତ୍ତା ହୋଇନାହିଁ; ସେମାନେ ଆକାଶର ଦୁଇଟି ତାରା ପରି ନୀରବରେ ଚୁହାଁଚୁହିଁ ହେଉଛନ୍ତି ମାତ୍ର । ପ୍ରେମର ସେହି ଚୁହାଁଚୁହିଁରେ ପୂର୍ବର କୁତ୍ସିତା ବାଳିକା ପରମା ସୁନ୍ଦରୀ ଯୁବତୀରେ ପରିଣତ ହେଲା । ପୁଣି ତା’ ସରଳତା ସୌନ୍ଦର୍ଯ୍ୟ ଉପରେ ଲାବଣ୍ୟର ଗୋଟିଏ ଢାଙ୍କୁଣି ଘେରାଇଦେଲା ।