ଅଭାଗିନୀ
ପଣ୍ଡିତ · ୧୮୮୬–୧୯୫୬
- ପଢ଼ିବା ସମୟ
- ୪୯୦ ମିନିଟ୍
- ଶବ୍ଦ
- ୭୮୪୫୩
- ସ୍ଥିତି
- ସାର୍ବଜନୀନ (Public domain)
ସୁନ୍ଦରପୁର ମଠ
ସନ ୧୨୪୨ ସାଲରେ ବାବାଜି କୃଷ୍ଣଚରଣ ଦାସ ସୁନ୍ଦରପୁର ମଠର ମହନ୍ତ ଗାଦିରେ ବସିଲେ । ସେତେବେଳକୁ ତାଙ୍କ ବୟସ ଅଠଚାଳିଶ ବର୍ଷ । ବାପ ମା ଶ୍ରଦ୍ଧାକରି, ତାଙ୍କୁ ବ୍ରତ ହେବାର ପାଞ୍ଚ ବର୍ଷ ପରେ ଚଉଦବର୍ଷ ବୟସରେ ବିବାହ କରାଇ ଦେଇଥିଲେ । ଅଠର ବର୍ଷ ବୟସବେଳେ କୃଷ୍ଣଙ୍କର ଭାର୍ଯ୍ୟା ଆସିଲେ; କିନ୍ତୁ ବିଧାତା ତାଙ୍କ ଦାମ୍ପତ୍ୟ ଜୀବନ ଉପରେ ଦୀର୍ଘକାଳ ସୁଦୃଷ୍ଟି ପକାଇ ରଖିଲା ନାହିଁ । ଭାର୍ଯ୍ୟା ପହିଲିପାଳି ଆସି, ପୁଣି ଯେ ବାପଘରକୁ ଗଲେ, ସେ ଆଉ ଫେରି ସ୍ୱାମୀ ଗୃହରେ ପାଦ ପକାଇଲେ ନାହିଁ । ସେହିଠାରେ ସେ ଯେଉଁ ଏନ୍ତୁଡ଼ିଶାଳରେ ମାତୃଗର୍ଭରୁ ପଡ଼ିଥିଲେ, ସେହି କୋଠରୀ ମଧ୍ୟରେ, ବସନ୍ତ ରୋଗରେ ତାଙ୍କର ମୃତ୍ୟୁ ଘଟିଲା । ପତ୍ନୀ ବିୟୋଗରେ କୃଷ୍ଣ ନିତାନ୍ତ ଅଧୀର ହୋଇପଡ଼ିଲେ । ସେ ଥରେ ଦୁଇଥର ଆତ୍ମହତ୍ୟା କରିବାକୁ ମଧ୍ୟ ବସିଲେ । ହୃଦୟର ଅମୂଲ୍ୟ-ପ୍ରତିମା-ଶୂନ୍ୟ ନୀରସ ଶୁଷ୍କ ଗୃହରେ ସେ ବିରହ ବେଦନା-ପୀଡ଼ିତ ହୋଇ ରହିବାକୁ ଇଚ୍ଛା ନ କରି, ଶେଷରେ କୌପିନ ପିନ୍ଧି, ଦିନେ ରାତି ଅଧବେଳେ ଘରୁ ବାହାରିଗଲେ । କୃଷ୍ଣଙ୍କର ସେ ଯେ ପାଦଚିହ୍ନ ସେ ଦିନ ଘର ବାହାରକୁ ଭୂ-ପୃଷ୍ଠରେ ଅଙ୍କିତ ହେଲା, ତାହା ପୁଣି ଲେଉଟି ଆଉ ଘର ଭିତରେ ଆଡ଼କୁ ପଡ଼ିଲା ନାହିଁ ।
କୃଷ୍ଣ ବାବାଜି ହୋଇ ଭାରତବର୍ଷର ସମୁଦାୟ ତୀର୍ଥ ବୁଲିବାରେ ଲାଗିଲେ । ବୁଲି ବୁଲି ପାଦ ଯେତେବେଳେ ଥକିଲା ଏବଂ ମୁଣ୍ଡରେ କୃଷ୍ଣ କେଶ କ୍ରମେ ଶୁକ୍ଳ ହେବା ଉପରେ ବସିଲା, ସେତେବେଳେ ସେ ସୁନ୍ଦରପୁର ମଠର ମହନ୍ତ ରାଧାକାନ୍ତ ଦାସଙ୍କର ଚେଲା ହୋଇ ଗୁରୁଙ୍କ ଅନ୍ତେ ନିଜେ ଗାଦିରେ ବସିଲେ । ରାଧାକାନ୍ତ ଦାସଙ୍କର ଶିଷ୍ୟା ହରିପ୍ରିୟା ଗୁରୁଙ୍କ ମୃତ୍ୟୁ ପରେ ମଠର ପ୍ରଧାନ ମାତା ହେଲେ । ତାଙ୍କ ତଳକୁ ଆଉଜଣେ ମାତା ବିଷ୍ଣୁପ୍ରିୟା । ଉଭୟେ ମହନ୍ତ କୃଷ୍ଣଚରଣ ଦାସଙ୍କ ଅପେକ୍ଷା ବୟସରେ ସାନ । ହରିପ୍ରିୟା ପତଳା, ଶ୍ୟାମଳ ବର୍ଣ୍ଣ ଓ ଆକୃତିରେ ସାଧାରଣ ଅପେକ୍ଷା ଟିକିଏ ବେଶି ଉଚ୍ଚ । ଯୌବନରେ ସୁଦ୍ଧା ତାଙ୍କର ଯେ ସେପରି ସୌନ୍ଦର୍ଯ୍ୟ ଥିଲା, ତାହା ନୁହେଁ; କିନ୍ତୁ ଆଜୀବନ ସେ ସତ୍କାର୍ଯ୍ୟଦ୍ୱାରା ଆପଣାକୁ ଶୁଦ୍ଧ ପବିତ୍ର ରଖି ଆସିଛନ୍ତି । ସେଥିପାଇଁ ତାଙ୍କ ମୁଖମଣ୍ଡଳରୁ ଜ୍ୟୋତି ଫୁଟିଉଠେ, ତାଙ୍କୁ ଦେଖିଲେ ମନରେ ସ୍ୱତଃ ଭକ୍ତି ଜାତ ହୁଏ । ବିଷ୍ଣୁପ୍ରିୟା ବର୍ଣ୍ଣରେ ଗୋରା ଓ ମାଂସଳ । ସେ ସର୍ବଦା କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ସୁତରାଂ ତାଙ୍କୁ ବରାବର ଧଇଁସଇଁ ହୋଇ ଯିବା ଆସିବାକୁ ପଡ଼େ । ତା’ପରେ ପୁଣି ତାଙ୍କର ଶ୍ୱାସରୋଗ ମଧ୍ୟ ଥିଲା ।
ବାବାଜି କୃଷ୍ଣଚରଣ ଦାସ ମହନ୍ତ ଗାଦିରେ ବସିଲା ଦିନ ସୁନ୍ଦରପୁର ମଠରେ ମହାଉତ୍ସବ ଲାଗିଲା । ନୂଆ ମହନ୍ତଙ୍କର ଦର୍ଶନ ଲାଭ କରିବାକୁ ଲୋକେ ଆସି ରୁଣ୍ଡ ହେଲେ । ଏପରିକି, ସ୍ୱୟଂ ଜମିଦାର ମଠକୁ ଆସି ବାବାଜିଙ୍କର ଚରଣ ଧୂଳି ନେଇଗଲେ । ମଠଟି ଗୋଟିଏ ପୁରୁଣା ଧରଣର ପକ୍କା ଦୋମହଲା ଘର । ନିକଟରେ ଗୋଟିଏ ଛୋଟିଆ ଏକ ମହଲା ପୁରୁଣା ଦରଭଙ୍ଗା ଘରେ କେତେଗୁଡ଼ିଏ ରୋଗୀ ରହନ୍ତି । ମଠର ଜାଗିରିଖିଆ ବୈଦ୍ୟ ସେମାନଙ୍କୁ ଚିକିତ୍ସା କରନ୍ତି କିନ୍ତୁ ଘରଟା ବାସୋପଯୋଗୀ ନୋହିଥିବାରୁ, ବୈଦ୍ୟଙ୍କର ନାନା ଚିକିତ୍ସା ସତ୍ତ୍ୱେ, ରୋଗୀମାନେ ଆରୋଗ୍ୟ ଲାଭ କରିପାରନ୍ତି ନାହିଁ । ତାହା ଦେଖି ବାବାଜି କୃଷ୍ଣଚରଣ ଦାସ ଗାଦିରେ ବସିବାର ତିନିଦିନ ପରେ, ନିଜେ ମଠ ଛାଡ଼ି ଯାଇ, ଚିକିତ୍ସାଳୟରେ ରହିଲେ ଏବଂ ରୋଗୀମାନଙ୍କୁ ମଠ ଭିତରେ ଆଣି ରଖାଇଲେ ।
ସୁନ୍ଦରପୁର ମଠର ସମ୍ପତ୍ତି ସେପରି ବେଶୀ ନୁହେଁ । ସେ ମଧ୍ୟରୁ ଠାକୁର ଗୋପୀନଥ ଦେବଙ୍କ ସେବା ପୂଜା, ଯାନିଯାତ୍ରା ଓ ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚାରେ ବର୍ଷକର ଯାବତୀୟ ବ୍ୟୟ ବାଦଯାଇ, ମହନ୍ତଙ୍କ ଖାସ ଖର୍ଚ୍ଚ ନିମନ୍ତେ ଅତି ସାମାନ୍ୟ ବଳେ । ସେତିକିରେ ସ୍ୱୟଂ ମହନ୍ତ ଓ ଦୁଇ ମାତାଙ୍କର କୃତ୍ୟ ନିର୍ବାହ କରିବାକୁ ପଡ଼େ । ମାତା ହରିପ୍ରିୟା ଆଡ଼ମ୍ୱର ପ୍ରିୟ ନୁହନ୍ତି । ଶାକାନ୍ନରେ ଯେ ମନୁଷ୍ୟର ଉଦର ପୂର୍ଣ୍ଣ କରାଯାଇପାରେ, ତାହା ସେ ବିଶେଷ ଭାବରେ ହୃଦୟଙ୍ଗମ କରିଥିଲେ-। ସେଥିପାଇଁ ବାବାଜି ପରାର୍ଥେ ଯେ ସବୁ ବ୍ୟୟ କରୁଥିଲେ, ସେଥିରେ ତାଙ୍କର ଆଦୌ ଆପତ୍ତି ନ ଥିଲା । ମହନ୍ତ ରାଧାକାନ୍ତଙ୍କ ସମୟରୁ ଗୁରୁ ଆଦେଶ ମାନିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା । କୃଷ୍ଣଚରଣଙ୍କ ଅଧୀନରେ ରହି ସେ ସେହି ଅଭ୍ୟାସ ଛାଡ଼ିବାକୁ ଇଚ୍ଛା କଲେ ନାହିଁ । ସୁତରାଂ ମହନ୍ତ କୃଷ୍ଣଚରଣ ଦାସଙ୍କ ମୁହଁର କଥାକୁ ସେ ବେଦର ଗାର ବୋଲି ମନେ କରୁଥିଲେ; ତାଙ୍କ ଦାନପୁଣ୍ୟରେ ନିଜେ ଆନନ୍ଦ ଅନୁଭବ କରୁଥିଲେ; କିନ୍ତୁ ବିଷ୍ଣୁପ୍ରିୟାଙ୍କ ସ୍ୱଭାବ ଟିକିଏ ଭିନ୍ନ ରକମର । ଅତିଥି ଅଭ୍ୟାଗତମାନେ ଭଲ ଖାଇଲେ, ତାଙ୍କ ମନରେ ଈର୍ଷା ହୁଏ । ସୁତରାଂ କୃଷ୍ଣଚରଣଙ୍କ ବ୍ୟୟର ପ୍ରଣାଳୀରେ ସେ କଦାପି ଏକମତ ହୁଅନ୍ତି ନାହିଁ ।
ମହନ୍ତ କୃଷ୍ଣଚରଣ ଦାସଙ୍କ କାର୍ଯ୍ୟକଳାପରେ ସୁନ୍ଦରପୁର ମଠର ଖ୍ୟାତି କ୍ରମଶଃ ବଢ଼ିବାକୁ ଲାଗିଲା । ଲୋକେ ତାଙ୍କ ପାଦତଳରେ ମୂଲ୍ୟବାନ ଦର୍ଶନୀମାନ ଥୋଇବାକୁ ମଠକୁ ଆସିଲେ । ମହନ୍ତ ସେ ସବୁରୁ ନିଜେ ପଇସାଟିଏ ନ ଛୁଇଁ, ସମୁଦାୟ ଅତିଥି ଅଭ୍ୟାଗତ ଓ ଦୁଃଖୀ ଭିକାରିଙ୍କ ଚର୍ଚ୍ଚାରେ ଲଗାନ୍ତି । ତାହା ଦେଖି ଭକ୍ତମାନେ କ୍ରମେ ମହନ୍ତଙ୍କ ପ୍ରତି ବିଶେଷ ଆକୃଷ୍ଟ ହୋଇପଡ଼ିଲେ ।
ମହନ୍ତ ମହାରାଜା କଥାବାର୍ତ୍ତାରେ କେତେକ ପରିମାଣରେ ଥଟଲି ଥିଲେ । ମାତା ଦ୍ୱୟଙ୍କ ସହିତ ଗଳ୍ପ କଲାବେଳେ ସେ ଦିନେ ଦିନେ କୌତୁକରେ ହସି ନିତାନ୍ତ ଶିଶୁ ପିଲାଙ୍କ ପରି ଭୂଇଁରେ ଲୋଟିଯାନ୍ତି । ବିଷ୍ଣୁପ୍ରିୟା ତାଙ୍କୁ ବରାବର ‘‘ମହାତ୍ମା’’ ବୋଲି ସମ୍ୱୋଧନ କରୁଥିଲେ । ଦିନେ ମହନ୍ତ ମହାରାଜ ଭାଡ଼ି ଉପରୁ ଖଣ୍ଡିଏ ପୋଥି ଆଣିବାକୁ ହାତ ବଢ଼ାଇ ଦେଖିଲେ ଯେ ତାଙ୍କ ହାତ ପାଇଲା ନାହିଁ । ତହୁଁ ସେ ମାତା ବିଷ୍ଣୁପ୍ରିୟାଙ୍କୁ କହିଲେ, ‘‘ଦେଖ, ମହାତ୍ମାଙ୍କ ହାତ ଭାଡ଼ି ଉପରକୁ ପାଇଲାନାହିଁ । ଗୋଟିଏ ନିଶୁଣି ଅଣାଅ ।’’ ଆଉ ଦିନେ ମହନ୍ତ ମହାରାଜ ଦାନଶୀଳତା ବିଷୟରେ କେତେକ ଧନୀବ୍ୟକ୍ତିଙ୍କ ଆଗରେ ବକ୍ତୃତା ଦେଲା ପରେ ଦେଖାଗଲା ଯେ ଜଣେ ଦଶହଜାରୀ ତେଣିକି ପ୍ରତି ଏକାଦଶୀ ଦିନ ବ୍ରାହ୍ମଣ ହାତରେ ଅଧଲାଟିଏ ଦାନ କଲେ । ତାହା ଦେଖି ମହନ୍ତ ହରିପ୍ରିୟାଙ୍କୁ ସାମାନ୍ୟ ହସି କହିଲେ, ‘‘ଦେଖ, ମାତା ! ମୋହନ ସିଂହ କିପରି ମାସକେ ପଇସାଟିକର ସ୍ୱର୍ଗ କିଣିବାରେ ଲାଗିଛି ।’’
ସୁନ୍ଦରପୁର ଅଞ୍ଚଳରେ ରୋଗୀମାନେ ରୋଗଶଯ୍ୟାରେ ପଡ଼ି ପ୍ରାଣର ଆଶା ଛାଡ଼ିବାବେଳକୁ ମହନ୍ତ କୃଷ୍ଣଚରଣ ଦାସଙ୍କୁ ଡକାଇ ତାଙ୍କ ଆଶୀର୍ବାଦ ଗ୍ରହଣ କରୁଥିଲେ । ସେଥିରେ କେହି କେହି ସମ୍ପୂର୍ଣ୍ଣରୂପେ ରୋଗମୁକ୍ତ ହେବାର ମଧ୍ୟ ଦେଖାଯାଉଥିଲା । ନିଃସହାୟା ବିଧବା ଓ ଛେଉଣ୍ଡ ପିଲାମାନେ ତାଙ୍କଠାରୁ ବରାବର ଅର୍ଥ ସାହାଯ୍ୟ ପାଉଥିଲେ । ଏ ସବୁ କାରଣରୁ ଲୋକେ ସକାଳେ ଉଠି ନାରାୟଣ ସ୍ମରଣ କରିବା ସଙ୍ଗେ ମହନ୍ତ କୃଷ୍ଣଚରଣ ଦାସଙ୍କ ନାମ ଉଚ୍ଚାରଣ କରି, ହାତଯୋଡ଼ି ନମସ୍କାର କରୁଥିଲେ ।
ମହନ୍ତ ମହାରାଜାଙ୍କ ଦୈନନ୍ଦିନ ଜୀବନ ଅନୁଧାବନ କରି ଦେଖିଲେ, ମନରେ ସ୍ୱତଃ ଭକ୍ତି ଜାତ ହେବାର କଥା । ସକାଳୁ ଉଠି ସେ ଧ୍ୟାନରେ ବସୁଥିଲେ । ଧ୍ୟାନ ପରେ ଭକ୍ତମାନଙ୍କ ସହିତ ଭଗବାନଙ୍କ ବିଷୟରେ ଆଲୋଚନା କରୁଥିଲେ । ଦିବା ନିଦ୍ରା ସେ ଜାଣି ନଥିଲେ । ଅନ୍ୟମାନେ କ୍ରୀଡ଼ା କୌତୁକରେ ସମୟ କଟାଇଲାବେଳେ ସେ ପୁସ୍ତକ ଧରି ଅଧ୍ୟୟନରେ ରତ ରହୁଥିଲେ । ରାତିରେ ସେ ଦୀର୍ଘକାଳ ଶୋଉ ନ ଥିଲେ; ମାତ୍ର ଯେତେ ସମୟ ଶୋଉଥିଲେ, ନିଦ୍ରାଦେବୀଙ୍କ କୋଳରେ ଏକାବେଳକେ ଭୋଳହୋଇ ଶୋଇ ପଡ଼ୁଥିଲେ । ରୋଗୀ ସେବା, ଅଧ୍ୟୟନ ଓ ଈଶ୍ୱର ଆରାଧନା ଯାଇ ବାକି ଯେ ସମୟ ବଳୁଥିଲା, ତାହା ସେ ସାଧାରଣ ମୂଲିଆମାନଙ୍କ ପରି କାର୍ଯ୍ୟରେ ଲଗାଉଥିଲେ; କୋଡ଼ି ଧରି ବଗିଚାରେ ନିଜ ହାତରେ ମାଟି ଖୋଳୁଥିଲେ, ଫୁଲ ଗଛରେ ପାଣି ଦେଉଥିଲେ, ଠାକୁରଙ୍କ ନିମନ୍ତେ ଫୁଲ ତୋଳି ରଖୁଥିଲେ । ମହନ୍ତ ମହାରାଜ ଦିନେ ଦିନେ ସୁବିଧା ଦେଖି ପଲ୍ଲୀ ଗ୍ରାମମାନଙ୍କୁ ବୁଲି ଯାଉଥିଲେ । ପଲ୍ଲୀ ଗ୍ରାମର ବାଳକ ବାଳିକାମାନେ ତାଙ୍କୁ ଦୂରରୁ ଦେଖି ଆନନ୍ଦରେ ପାଟିକରି କହୁଥିଲେ, ‘‘ଏଇ ଯେ ବାବାଜି ଆସିଲେ; କୋରା, ଶାକର ଦେବେ ।’’ ମହନ୍ତ ମହାରାଜା ଖାଲି ହାତରେ ଗ୍ରାମର ପିଲାମାନଙ୍କୁ ଭେଟନ୍ତି ନାହିଁ । କୋରା, ଶାକର ଯେପରି ସେମାନଙ୍କୁ ଖାଇବାକୁ ଦିଅନ୍ତି, ସେହିପରି ମଧ୍ୟ ସେମାନଙ୍କ ମୁଣ୍ଡରେ ହାତଦେଇ ଆଶୀର୍ବାଦ କରି କହନ୍ତି, ‘‘ବାପା ! ଭଗବାନ ତୁମ୍ଭମାନଙ୍କୁ ଭଲରେ ରଖନ୍ତୁ ।’’
ରୋଗୀମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲା ପରେ ମଠ ଘର ଖାଲି ହୋଇଗଲା । ସେତେବେଳେ ଚିକିତ୍ସାଳୟର ଭଙ୍ଗା ଦଦରା ଘର ଛାଡ଼ି; ନିଜ ପୀଠରେ ଆସି ରହିବା ନିମନ୍ତେ ଆରୋଗ୍ୟପ୍ରାପ୍ତ ଭକ୍ତମାନେ ମହନ୍ତଙ୍କୁ ବିଶେଷ ଅନୁରୋଧ କଲେ; ସୁତରାଂ ସେ ମଠ ମଧ୍ୟରେ ଆସି ରହିଲେ । ମଠର ତଳ ମହଲାରେ ତିନୋଟି ଏବଂ ଉପର ମହଲାରେ ଆଉ ତିନୋଟି କୋଠରୀ । ଉପର ମହଲାରେ ମାତା ଦୁହେଁ ଏବଂ ତଳ ମହଲାରେ ମହନ୍ତ ନିଜେ ରହନ୍ତି । ଦାଣ୍ଡ ପାଖ କୋଠରୀଟି ମହନ୍ତଙ୍କ ଖାଇବା ଘର । ତା’ ପାଖକୁ ଲାଗି ତାଙ୍କ ଶୟନାଗାର । ତୃତୀୟ କୋଠରୀରେ ମହନ୍ତ ବସି ପୂଜା ଧ୍ୟାନ କରନ୍ତି । ଦାଣ୍ଡରୁ ମହନ୍ତଙ୍କ ଧ୍ୟାନ କରିବା ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ଭୋଜନଶାଳା ଓ ତା’ପରେ ଶୟନାଗାର ଅତିକ୍ରମ କରି ଯିବାକୁ ହୁଏ । ମହନ୍ତଙ୍କ ଉପାସନା କକ୍ଷରେ ଗୋଟିଏ କୋଣରେ ଖଣ୍ଡିଏ ଖଟ ପଡ଼ିଥାଏ । ବାବାଜି ଓ ଭକ୍ତମାନେ ତାଙ୍କ ନିକଟକୁ ଦର୍ଶନ କରିବା ନିମନ୍ତେ ଆସି ରାତିରେ ରହିଲେ, ସେହି ଖଟ ଖଣ୍ଡିକରେ ଶୁଅନ୍ତି ।
ମହନ୍ତଙ୍କ ଶୟନ କକ୍ଷରେ କୌଣସି ପ୍ରକାର ଆଡ଼ମ୍ବର ନ ଥିଲା । ତହିଁରେ ଗୃହର ଆସବାବ ମଧ୍ୟରୁ କିଛି ହେଲେ ରଖାଯାଉ ନଥିଲା । କେବଳ ଗୋଟିଏ ପଥର ପିଣ୍ଡି ଉପରେ ଗେରୁଆ ଶେଯ ଖଣ୍ଡିଏ ପରାହୋଇ ରହିଥାଏ । ସେ ଶେଯରେ କୌଣସି ପ୍ରକାର ମଇଳାର ଚିହ୍ନ ନ ଥାଏ । ମୁଣ୍ଡ ଆଡ଼କୁ ଖଣ୍ଡିଏ ଛୋଟିଆ ମାଣ୍ଡି । ପିଣ୍ଡିଟି ଖଟର କାର୍ଯ୍ୟ କରେ । ପିଣ୍ଡି ତଳକୁ ଗୋଡ଼ ରଖିବା ସ୍ଥାନରେ ଖଣ୍ଡିଏ ବହୁକାଳର ପୁରୁଣା ବାଘଛାଲ ପଡ଼ି ରହିଥାଏ । ସେହି କକ୍ଷର ଗୋଟିଏ କୋଣରେ ଏକ ପୁରୁଣା କାଠ ଆଲମାରି ମଧ୍ୟରେ ମହନ୍ତଙ୍କ ପଢ଼ିବା ପୁସ୍ତକମାନ ଥାଏ । ପଢ଼ିଲାବେଳେ ମହନ୍ତ ମହାରାଜ ଆଲମାରିର ପୁସ୍ତକ ନେଇ ତା’ ନିକଟରେ ପଡ଼ିଥିବା ଖଣ୍ଡିଏ ମୃଗଚର୍ମ ଉପରେ ବସି ପଢ଼ନ୍ତି । ପୋଥି ଉପରେ ପଡ଼ିବା ନିମନ୍ତେ ଗୋଟିଏ ପଞ୍ଜର ବାଟେ ବାହାରରୁ ଆଲୋକ କୋଠରୀ ଭିତରକୁ ଆସେ । ମହନ୍ତ ମହାରାଜ ପିଣ୍ଡିର ଯେଉଁ ପଟକୁ ମୁଣ୍ଡ କରି ଶୁଅନ୍ତି, ସେ ପଟେ ପିଣ୍ଡି ନିକଟରେ ଗୋଟିଏ ସିନ୍ଦୁକ ଥାଏ । ସିନ୍ଦୁକ ଭିତରେ ଅନ୍ୟାନ୍ୟ ଜିନିଷ ମଧ୍ୟରେ ଗୋଟିଏ ରୂପାର ରୁଖା ଏବଂ ତା’ ପାଇଁ ରୂପା ଦୀପ ରଖାଯାଇଥାଏ ।
ମଠର କୌଣସି ଦୁଆରରେ କେବେ ତାଲା ପଡ଼େନାହିଁ । ଭୋଜନଶାଳା କବାଟର ଭିତର ପଟେ ପୂର୍ବେ ଗୋଟିଏ ଶିକୁଳି ଲାଗିଥିବାର ଚିହ୍ନ ଅବଶ୍ୟ ଦେଖାଯାଏ; କିନ୍ତୁ ମହନ୍ତ ମହାରାଜ ଗାଦିରେ ବସିଲା ପରେ ସେ ଶିକୁଳି କେହି କେବେ ଦେଖି ନାହାନ୍ତି । କବାଟଟି ସର୍ବଦା ଆଡ଼ପେଲା ହୋଇ ରହିଥାଏ । ବାହାରରୁ କେହି ମଠ ଭିତରକୁ ଆସିବାକୁ ଇଚ୍ଛାକଲେ, କବାଟ ପେଲି ଫିଟାଇ ଭିତରେ ପଶନ୍ତି । ମଠ ଦ୍ୱାର ଦିବାରାତ୍ର ଉନ୍ମୁକ୍ତ ଥାଏ । ମାତାମାନେ ପ୍ରଥମେ ପ୍ରଥମେ ଏଥିରେ ଆପତ୍ତି କରୁଥିଲେ । ତାହା ଶୁଣି ମହନ୍ତ କହନ୍ତି, ‘‘ହେଉ, ତୁମ ଉପର ମହଲା କୋଠରୀମାନଙ୍କରେ ଶିକୁଳି ଲଗାଇ ତାଲା ପକାଇବ ତ ପକାଅ; ମୋ ଘରଗୁଡ଼ିକ ଏହିପରି ମେଲା ଥିବ ।’’ ମହନ୍ତଙ୍କଠାରୁ ଏପରି ଉତ୍ତର ଶୁଣି ମାତାମାନେ ଲଜ୍ଜିତା ହୁଅନ୍ତି । କ୍ରମେ ସେମାନେ ମହନ୍ତଙ୍କ ଗତିବିଧିରେ ଅଭ୍ୟସ୍ତ ହୋଇଗଲେ; ଆଉ ଦ୍ୱାର ବନ୍ଦ କରିବାକୁ କହିଲେ ନାହିଁ ।
ମହନ୍ତ ମହାରାଜା ଶୟନ କକ୍ଷରେ ଯେ ସାରା ରାତ୍ରି କଟାନ୍ତି; ତାହା ନୁହେଁ । ଶୟନ କକ୍ଷକୁ ଲାଗି ଗୋଟିଏ ଛୋଟିଆ ବଗିଚା । ସେ କକ୍ଷ ମଧ୍ୟରେ ବଗିଚାକୁ ଯିବାକୁ ଗୋଟିଏ ଚୋରୀ ଦ୍ୱାର ଥାଏ । ମହନ୍ତ ମହାରାଜା ଶବ ପରି ଶେଯରେ ଶୋଇ ନ ରହି, ଭଗବାନଙ୍କ ଅନନ୍ତ ଜଗତ ସହିତ ନିଜ କ୍ଷୁଦ୍ର ଆତ୍ମାର ସଂଯୋଗ କରିବା ନିମନ୍ତେ ବଗିଚାର ବଉଳଗଛ ମୂଳେ ମୁକ୍ତ ସମୀରଣରେ ବସି ନୀଳ ଆକାଶକୁ ଚାହିଁ ରହନ୍ତି । ଆକାଶର ଅସଂଖ୍ୟ ଗ୍ରହ ନକ୍ଷତ୍ର ଦେଖି, ତାଙ୍କ ମନରେ ସ୍ୱାଭାବିକ ଈଶ୍ୱର ଭକ୍ତି ଜାତ ହୁଏ । ବଉଳ ଗଛରୁ ଫୁଲ ଝଡ଼ି ତାଙ୍କ ଉପରେ ପଡ଼ୁଥାଏ । ସେଥିରେ ସେ ମନେ କରନ୍ତି ଯେ ସ୍ୱର୍ଗରୁ ଅବା ଅମୃତ ବୃଷ୍ଟି ହେଉଛି । ବାସ୍ତବରେ ସେହି କ୍ଷୁଦ୍ର ବଗିଚା ଖଣ୍ଡିକ ଭିତରେ ନିଜ ହୃଦୟ ମଧ୍ୟରେ ପରମ ପିତା ପରମେଶ୍ୱରଙ୍କ ନିମନ୍ତେ ସେ ଗୋଟିଏ ପବିତ୍ର ଦେବାଳୟ ତୋଳି ରଖିଥିଲେ-। ରାତ୍ରି ଅଧ ସମୟରେ ସେହି ଦେବାଳୟରେ ଭଗବାନଙ୍କୁ ବସାଇ, ମହନ୍ତ ମହାରାଜା ବଗିଚାରୁ ଫେରି, ନିଜ ଶଯ୍ୟାରେ ଶୋଇ, ଗାଢ଼ନିଦ୍ରାରେ ଅଭିଭୂତ ହେଉଥିଲେ । କୁଚିନ୍ତା, କୁସ୍ୱପ୍ନ ତାଙ୍କ ମନରେ ସ୍ଥାନ ପାଉ ନ ଥିଲା । ସତେ ଅବା ପବିତ୍ରତା ମୂର୍ତ୍ତିମୟୀ ହୋଇ ତାଙ୍କ ହୃଦୟରେ ବିରାଜମାନ କରୁଥିଲା ।
✽✽✽
୨
ଠାବ ମିଳିଲା ନାହିଁ
ସନ ୧୨୪୮ ସାଲ ଆଶ୍ୱିନ ମାସର ଦୁର୍ଗା ପୂଜା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଦିନେ ଜଣେ ଅପରିଚିତ ବ୍ୟକ୍ତି ସୁନ୍ଦରପୁର ଗ୍ରାମରେ ପହଞ୍ଚିଲା । ସେତେବେଳେ ଯେଉଁ କେତେଜଣ ଲୋକ ଦାଣ୍ଡରେ ଠିଆ ହୋଇଥିଲେ, ତାକୁ ଦେଖି କେଜାଣି କାହିଁକି ମନେ ମନେ ଚମକିପଡ଼ିଲେ । ଲୋକଟି ବେଶି ଡେଙ୍ଗା ନୁହେଁ କି ଗେଡ଼ା ନୁହେଁ, ବେଶ୍ ମୋଟାମୋଟି, ଦେହରେ ବଳ ପ୍ରଚୁର ଥିଲା ପରି ଜଣା ପଡ଼ୁଥିଲା । ବୟସ ଚାଳିଶ ବର୍ଷ ଟପିଯାଇଛି; କିନ୍ତୁ ପଚାଶକୁ ଧାପ ଦେଇ ନାହିଁ । ତା’ ଦେହରୁ ଝାଳ ବୋହି ଯାଉଥିଲା । ଗୋଡ଼ ଆଣ୍ଠୁ ପର୍ଯ୍ୟନ୍ତ ଧୂଳିରେ ପୂର୍ଣ୍ଣ । କାନ୍ଧରେ ଗୋଟିଏ ଛୋଟିଆ ମଇଳା ଯାଉଁଳି ଥିଲା । ପିନ୍ଧା ଲୁଗା କୁଞ୍ଚ ଅଣ୍ଟାରେ ଖୋଷା ହୋଇଥିଲା । ଫିଟାଇ ଦେଲେ, ତାହା ଆଣ୍ଠୁକୁ ଡେଇଁ ବେଶି ତଳକୁ ପଡ଼ନ୍ତା କି ନାହିଁ ସନ୍ଦେହ । ସେ ଲୁଗା ଖଣ୍ଡି ମଧ୍ୟ ଖୁବ୍ ମୋଟା; ହାତକଟା ସୂତାରେ ବାଉରି ତନ୍ତରେ ବୁଣା ହୋଇଥିବ । ମୁଣ୍ଡରେ ଚୁଟି ନ ଥିଲା । ବାଳଗୁଡ଼ିକ ମୂଳକୁ ଲାଗି କତୁରିରେ କଟା ହୋଇଥିଲା । ଲୋକଟି ଦିନ ସାରା ଚାଲି ଚାଲି ଥକିଗଲା ପରି ଜଣା ପଡ଼ୁଥିଲା । ସେଦିନ ଦୁଇ ପହରେ ସୁନ୍ଦରପୁରର କେତେକ କାଠଗୋଟାଳୀ ସ୍ତ୍ରୀଲୋକ ତାକୁ ବାଟରେ ଗୋଟାଏ ପୋଖରୀରେ ପାଣି ପିଇବାର ଦେଖିଥିଲେ । ହୁଏତ ସମୁଦାୟ ଉପରବେଳା ସେ ଆଉ କେଉଁଠାରେ ତୁଣ୍ଡରେ ଟୋପାଏ ପାଣି ଲଗାଇ ନାହିଁ । ସେଥିପାଇଁ ଶେଷରେ ତା’ ପାଟି ଖନି ମାରିଗଲା ପରି ଜଣା ପଡ଼ୁଥିଲା । ବାଟରେ ଜଣେ ଚଉକିଆକୁ ଦେଖି, ଲୋକଟି ଖୁବ୍ ନଇଁ ଗୋଟାଏ ସଲାମ ପକାଇଲା । ଚଉକିଆ ତା’ର ସଲାମ ଗ୍ରହଣ କରିବାକୁ ନିଜେ ହାତ ନ ଟେକି, ନିତ୍ୟ ଅଭ୍ୟସ୍ତ ରୀତିରେ ପଚାରିଲା, ‘‘କିରେ, ତୁ କୋଠୁ ଆସିଲୁ ?’’ ଏବଂ ଉତ୍ତର ପାଇବାକୁ ଅପେକ୍ଷା ନ କରି ନିଜ କାମରେ ଚାଲିଗଲା !
ସୁନ୍ଦରପୁର ଗ୍ରାମର ଯେଉଁ ମୁଣ୍ଡରେ ଲୋକଟି ଆସି ପହଞ୍ଚିଲା, ସେଠାରେ ଗୋଟାଏ ଚଟିଘର ଥିଲା । ବାଟୋଇମାନେ ପଇସା ଦେଇ ସେ ଚଟିରେ ରହନ୍ତି ଓ ଖାଇବାକୁ ପାଆନ୍ତି । କେହି ଇଚ୍ଛା କଲେ ଚଟିରେ ନ ରହି ମଧ୍ୟ, ଖାଲି ଖାଇ ଚାଲିଯାଇପାରେ । ସେଦିନ ସନ୍ଧ୍ୟାରେ ଚଟିରେ ଭଲ ଖାଇବା ପିଇବା ଆୟୋଜନ ହୋଇଥିଲା । ମହାଷ୍ଟମୀ ବଳିର ମାଂସ ସାରୁ କଖାରୁ ବଡ଼ି ଆଦି ପଡ଼ି ମହୁର ସିଝୁଥିଲା । ଆଉ ଗୋଟିଏ ଚୁଲିରେ ଖେଚେଡ଼ି ବସିଥିଲା । ସେସବୁ ଜିନିଷର ବାସନା ପାଇ, ଆଗନ୍ତୁକ ବ୍ୟକ୍ତି ଦୁଆର ଫିଟାଇ ଚଟିଘରେ ପଶିଲା । ଦ୍ୱାର ଫିଟିବା ଶବ୍ଦ ଶୁଣି ଚଟିଘର ମାଲିକ ପଚାରିଲା, ‘‘କ’ଣ ଦରକାର ?’’
ଆଗନ୍ତୁକ ଜବାବ ଦେଲା, ‘‘ଖାଇବାକୁ ମୁଠାଏ ଭାତ, ଆଉ ଶୋଇବାକୁ ଟିକିଏ ଥାନ ।’’
ମାଲିକ ଉତ୍ତରରେ କହିଲେ, ‘‘ମିଳିବ– ।’’ ମାତ୍ର ମନର ଭାବ ସମ୍ପୂର୍ଣ୍ଣ ପ୍ରକାଶ କରି ନ ସାରି, ଥରେ ଆଗନ୍ତୁକ ବ୍ୟକ୍ତିକୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଚାହିଁଗଲା ଏବଂ ତା’ପରେ ‘‘ପଇସା ଦେଲେ’’–କହି ନିଜର ବକ୍ତବ୍ୟ ଶେଷ କଲା ।
ଆଗନ୍ତୁକ ବ୍ୟକ୍ତି ନିଜ ଯାଉଁଳି ଭିତରୁ ବଟୁଆଟିଏ କାଢ଼ି ଦେଖାଇ କହିଲା, ‘‘ମୋ ପାଖେ ପଇସା ଅଛି ।’’
ମାଲିକ କହିଲା, ‘‘ତେବେ ମିଳିବ ।’’
ଆଗନ୍ତୁକ ବ୍ୟକ୍ତି ବଟୁଆଟି ଯାଉଁଳିରେ ରଖି, ଯାଉଁଳିଟି କାନ୍ଧରୁ ବାହାର କରି ତଳେ ଥୋଇଲା ଏବଂ ନିଜେ ଥକା ମାରି ତା’ ନିକଟରେ ବସିପଡ଼ିଲା । ମାତ୍ର ସେ ବେଶି ସମୟ ତୁନି ହୋଇ ବସି ନ ରହି ପୁଣି ପଚାରିଲା, ‘‘କେତେ ଉଛୁର ହବ ?’’
‘‘ଆଉ ଉଛୁର କ’ଣ ? ହେଲାଣି ।’’
ଆଗନ୍ତୁକ ବ୍ୟକ୍ତି ସେ କଥା ଶୁଣି, ଆନନ୍ଦରେ ଗୋଡ଼ରୁ ଧୂଳି ଝାଡ଼ି, ଦେହରୁ ଝାଳ ପୋଛି, ଟିକିଏ ସୁସ୍ଥ ହୋଇ ବସିବାକୁ ଗଲା । ଚଟିଘର ମାଲିକ ଖଣ୍ଡିଏ ଛୋଟିଆ ବାଲି କାଗଜରେ କ’ଣ ଧାଡ଼ିଏ ଲେଖି, ଚାକର ପିଲାକୁ ଡାକି, ତା’ କାନରେ କ’ଣ କହି, ତା’ପରେ ବଡ଼ ପାଟି କରି କହିଲା, ‘‘ଧାଇଁଯିବୁ, ଧାଇଁଆସିବୁ ।’’ ଆଗନ୍ତୁକ ବ୍ୟକ୍ତି ଏସବୁ କିଛି ଦେଖିଲା ନାହିଁ । ସେ ପୁଣି ପଚାରିଲା, ‘‘କ’ଣ ହେଲା ?’’
ଏ ପ୍ରଶ୍ନର କୌଣସି ଉତ୍ତର ମିଳିଲା ନାହିଁ । କିନ୍ତୁ ପ୍ରଶ୍ନର ଆବୃତ୍ତି ନ କରି ଲୋକଟି ପୁଣି ନୀରବ ଭାବରେ ବସିରହିଲା ଏବଂ କେତେକ ସମୟ ପରେ ପିନ୍ଧା ଲୁଗା କାନି ପକାଇ ଯାଉଁଳିରେ ମୁଣ୍ଡ ଦେଇ ଟିକିଏ ଶୋଇପଡ଼ିଲା । ସେ ବେଶି ସମୟ ଶୋଇ ନାହିଁ, ଚଟିଘର ପିଲାଟି ଧାଇଁ ଫେରିଆସି ପହଞ୍ଚିଲା । ମାଲିକ ତା’ଠାରୁ କାଗଜ ଖଣ୍ଡିକ ନେଇ ପଢ଼ିଲା, ମୁଣ୍ଡ ହଲାଇଲା ଏବଂ ମନେ ମନେ କ’ଣ ଭାବିଲା; ତା’ପରେ ଆଗନ୍ତୁକ ବ୍ୟକ୍ତି ନିକଟକୁ ଯାଇ କହିଲା, ‘‘ଦେଖ ମୁଁ ତୁମକୁ ଜାଗା ଦେଇପାରିବି ନାହିଁ ।’’
‘‘କାହିଁକି ? ତୁମେ କ’ଣ ଭାବୁଚ ମୁଁ ପଇସା ନ ଦେଇ ଠକି ଖାଇ ଚାଲିଯିବି ? ମୁଁ ପରା ଦେଖେଇଲି, ମୋ ପାଖେ ପଇସା ଅଛି ।’’
‘‘ଥାଉ, ମୋର ଯେ ଜାଗା ନାହିଁ ।’’
‘‘ମୁଁ ବାହାରେ ଅଡ଼ଙ୍ଗରେ ଶୋଇପଡ଼ିବି ।’’
‘‘ସେଠି କାଠ ରହିବ ।’’
‘‘ମୋତେ ଗୁହାଳରେ ଟିକିଏ ଜାଗା ଦିଅ ।’’
‘‘ଗୋରୁ କ’ଣ ମେଲାରେ ବନ୍ଧା ହେବେ ?’’
‘‘ଆଚ୍ଛା, ତେବେ ମୁଁ ଖାଇ ଚାଲିଯିବି । ଏଠି ଶୋଇବି ନାହିଁ ।
‘‘ବୃଥା କାହିଁକି ଏତେ ଜିଦ୍ କରୁଚ ? ମୋର ଭାତ ନାହିଁ ।’’
‘‘କ’ଣ ! ମୁଁ ଭୋକରେ ମରୁଚି । ସକାଳେ କୁଆ ବୋବେଇଲାଠୁ ଉଠି ବରାବର ବାଟ ଚାଲି ଆସୁଚି । ତୁମେ କହୁଚ ଯେ ଭାତ ନାହିଁ ? ଏ କ’ଣ ରନ୍ଧା ହୋଇଚି ?’’ –କହି, ଆଗନ୍ତୁକ ବ୍ୟକ୍ତି ଏକ ବିକଟ ହାସ୍ୟରେ ସମଗ୍ର ଚଟିଘର ମୁହୂର୍ତ୍ତକ ପାଇଁ କମ୍ପାଇଦେଲା ।
ଚଟିଘର ମାଲିକ କହିଲା, ‘‘ଏ ଯାହା ଚୁଲିରେ ବସିଚି, ବରାଦ ଅନୁସାରେ ରନ୍ଧାଯାଇଚି-।’’
‘‘କିଏ ବରାଦ କରିଚି ?’’
‘‘ବାଟୋଇ ବେପାରୀମାନେ ।’’
‘‘କେତେଜଣ ? କାହାନ୍ତି ସେମାନେ ?’’
‘‘ଦଶ ଜଣ ।’’
‘‘ଦଶ ଜଣ ? ଏ ତ ଚାଳିଶ ଜଣଙ୍କ ଆହାର ରନ୍ଧା ହୋଇଚି । ମୁଁ ନ ଖାଇଲେ ଏଠୁ ଉଠିବି ନାହିଁ, ସଫା କହୁଚି । ଯେବେ ସନ୍ଦେହ ହେଉଚି, ପଇସା ଆଗେ ନିଅ, ପଛେ ଖାଇବାକୁ ଦିଅ– । ନ ଖାଇ ଓପାସରେ ଯିବି ନାହିଁ ।’’
ଶୁଣି ଚଟିଘର ମାଲିକ ଟିକିଏ ନଇଁପଡ଼ି ସେ ଲୋକ କାନରେ ଧୀରେ ଧୀରେ କ’ଣ କହିଲା । ସେଥିରେ ଲୋକଟି ଚମକି ପଡ଼ିଲା । ମାଲିକ ପୁଣି ପାଟି କରି କହିଲା, ‘‘ଦେଖ, ପାଣୁ ନାଏକ ! ମୋ ସାଙ୍ଗେ ଥଟ୍ଟା ଖେଳନା । ସମସ୍ତେ ଜାଣିଲେ କ’ଣ ଭଲ ହେବ ? ତୋତେ ଦେଖିବା ମାତ୍ରେ ମୋ ମନରେ କିପରି ଗୋଟାଏ ସନ୍ଦେହ ହୋଇଗଲା । ମୁଁ ଫାଣ୍ଡିକୁ ଚିଠି ଲେଖି ଦାରୋଗାବାବୁଙ୍କଠୁ ସବୁ ଖବର ଅଣେଇଚି । ପଢ଼ିପାରୁଚୁ ତ, ଦେଖ୍ ।’’
ଆଗନ୍ତୁକ ବ୍ୟକ୍ତି ଚଟିଘର ମାଲିକ କଥା ଶୁଣି, ଖାଇବାର ଆଶା ଛାଡ଼ି, ସେଠାରେ ଆଉ ମୁହୂର୍ତ୍ତେ ନ ରହି, ଯାଉଁଳିଟି ପୁଣି କାନ୍ଧରେ ପକାଇ, ଯେଉଁ ବାଟେ ଆସିଥିଲା ସେହି ବାଟେ ଦାଣ୍ଡକୁ ଫେରିଗଲା । ଦାଣ୍ଡରେ ଅନିର୍ଦ୍ଦିଷ୍ଟ ଭାବରେ କିଛି ସମୟ ଏଣେତେଣେ ବୁଲିଲା । କ୍ରମେ କ୍ରମେ କ୍ଷୁଧା ପ୍ରବଳ ହୋଇଉଠିଲା । ତହିଁରେ ପୁଣି ରାତି ମାଡ଼ି ଆସୁଥିଲା । ନିତାନ୍ତ ବ୍ୟାକୁଳ ଭାବରେ ସେ କିଛି ବାଟ ଚାଲି, ଗୋଟିଏ ଛୋଟିଆ କୁଡ଼ିଆ ଘରେ ଯାଇ ପହଞ୍ଚିଲା । ତାହା ସୁନ୍ଦରପୁର ଗ୍ରାମର ତାଡ଼ି ଦୋକାନ । ଇଂରେଜ ସରକାରଙ୍କ ରାଜତ୍ୱରେ ତାଡ଼ି ଦୋକାନମାନ ଏ ଦେଶରେ ନୂଆ ହୋଇ ବସିଥାଏ । ବେଶି ଦାମ୍ର ବିଲାତି ମଦ ଆସି ନ ଥାଏ । ସେ ଘରେ କ୍ଷୁଧାର୍ତ୍ତ ଆଗନ୍ତୁକ ପହଞ୍ଚି ଦେଖିଲା ଯେ ଦଳେ ଲୋକ ବସି ତାଡ଼ି ପିଉଛନ୍ତି ଓ ଚାଖଣା ସ୍ୱରୂପ ମାଂସ, ମିଠାଇ ଖାଉଛନ୍ତି । ଆଗନ୍ତୁକ ତାହା ଦେଖି ଆଡ଼ପେଲା କବାଟ ହାତରେ ପେଲି, ଫିଟାଇ ଘର ଭିତରେ ପହଞ୍ଚି, କହିଲା, ‘‘ମୁଁ ମଧ୍ୟ ଖାଇବି ।’’
ପଟାଦାର ଉତ୍ତର ଦେଲା, ‘‘ଭଲ କଥା; ବସ । ଖାଲି ତାଡ଼ି ନା, ଚାଖଣା ମଧ୍ୟ ?’’
‘‘ତାଡ଼ି ତ ନିଶ୍ଚୟ । ଆଉ ସାଙ୍ଗକୁ ଖାଲି ଚାଖଣା ନୁହେଁ । ପେଟପୂରା ଗ୍ରାସେ, ଯାହା ଅଛି ସକାଳୁ ଏଥିରେ କିଛି ପଡ଼ି ନାହିଁ ।’’ ସେ ବାଁ ହାତରେ ନିଜର ପ୍ରକାଣ୍ଡ ଖାଲି ପେଟଟି ଦେଖାଇଲା ।
‘‘ଆଚ୍ଛା, ତେବେ ଟିକିଏ ସତାର କର । ଭାତ ବସିଚି, ମାଂସ ତରକାରୀ ସିଝୁଛି ।’’
ଭାତ ଓ ମାଂସର ନାମ ଶୁଣି ଆଗନ୍ତୁକ ଟିକିଏ ନିଶ୍ଚିନ୍ତରେ ଶୋଇ ପଡ଼ିଲା । ତାକୁ ହଠାତ୍ ସାମାନ୍ୟ ନିଦ ମଧ୍ୟ ଲାଗିଗଲା । ତା’ପରେ ତାଡ଼ି ଖାଉଥିବା ଲୋକଙ୍କ ମଧ୍ୟରୁ ଜଣେ କହିଲା, ‘‘ଏ ଲୋକଟା କିଏ କେଜାଣି ? ନିଶ୍ଚୟ ଗୋଟାଏ ଦାଗୀ ହେବ । ଆଜି ଏଠେଇ ପହଞ୍ଚି, ଆଗେ ଫାଣ୍ଡିକି ଯାଇ, ଦାରୋଗା ବାବୁଙ୍କ ଗୋଡ଼ତଳେ ମୁଣ୍ଡିଆ ମାରି, ଏ ରାତି ରହିବ ବୋଲି ଅନୁମତି ଆଣି ଆସିଲା । ଦାରୋଗା ବାବୁ ଆଗ ନାହିଁ ନାହିଁ କରୁଥିଲେ । ପଛକୁ ଏ ଲକସ୍ତକ ହୋଇ କହିବାରୁ ରାଗି ହଁ କରିଦେଲେ । ମୋ ଭାଇ ହାଜତରେ ଥିବାରୁ ମୁଁ ଫାଣ୍ଡିକି ଯାଇଥିଲି । ତା’ପରେ ଏ ଲୋକ ଯାଇ ଚଟିଘରେ ପହଞ୍ଚିଲା । ଚଟିଘର ମାଲିକ ରାମଚନ୍ଦ୍ର ଫାଣ୍ଡିକି ଚିଠି ଲେଖି ଖବର ଅଣେଇ, ୟାକୁ ଚଟିରେ ରଖିଲା ନାହିଁ । ସେଠୁ ଏଠିକୁ ପଳେଇ ଆସିଛି ।’’
ଶୁଣି ପଟାଦାର ଆଗନ୍ତୁକ ନିକଟକୁ ଯାଇ, ତାକୁ ହାତରେ ହଲାଇ, ନିଦରୁ ଉଠାଇ କହିଲା, ‘‘ତୁ ବେଗେ ଏଠୁ ପଳା ।’’
ଆଗନ୍ତୁକ ଆଖି ମନ୍ଥି ଚକିତ ସ୍ୱରରେ କହିଲା, ‘‘ଆଁ, ତୁମେ ମଧ୍ୟ ଜାଣିଚ ନା କ’ଣ !’’
‘‘ହଁ ।’’
‘‘ମତେ ସେ ଚଟିଘର ମାଲିକ ଯେ ତଡ଼ିଦେଲେ ।’’
‘‘ଏଠୁ ମଧ୍ୟ ତୁ ତଡ଼ା ଖାଇ ଯିବୁ ।’’
‘‘ମୋତେ କୁଆଡ଼େ ଯିବାକୁ କହୁଚ ?’’
‘‘ଯୁଆଡ଼େ ଇଚ୍ଛା; ଖାଲି ଏଠି ନ ରହିଲେ ହେଲା ।’’
ଆଗନ୍ତୁକ ନିରାଶ ଭାବରେ ନିଜର ଯାଉଁଳିଟି କାନ୍ଧରେ ପକାଇ ତାଡ଼ି ଦୋକାନରୁ ବାହାରି ଦାଣ୍ଡକୁ ଗଲା । ଦାଣ୍ଡରେ ପଞ୍ଝାଏ ପିଲା ରୁଣ୍ଡ ହୋଇଥିଲେ । ସେମାନେ କୌତୁକ ଦେଖିବାପାଇଁ ତା’ ଉପରକୁ ଟେକା ଫିଙ୍ଗିଲେ, ଛେପ ପକାଇଲେ, ଧୂଳି ଉଡ଼ାଇଲେ ଏବଂ ତାକୁ ନାନା ଅପଭାଷାରେ ଗାଳି ଦେଲେ । ସେ ହାତରେ ଧରିଥିବା ଠେଙ୍ଗାରେ ସେମାନଙ୍କୁ ପିଟିବାକୁ ଗଲା । ତହୁଁ ପିଲାମାନେ ଚଢ଼େଇ ପଲ ପରି କିଏ କେଉଁଆଡ଼େ ଉଡ଼ି ପଳାଇଲେ ।
ଆଗନ୍ତୁକ ଏହିପରି ଭାବରେ ନାନା ସ୍ଥାନରେ ନିରାଶ ହୋଇ ଦାଣ୍ଡ ଧୂଳିରେ ଶୋଇପଡ଼ିଲା । ଭୋକରେ ତା’ ପେଟ ଜଳୁଛି; ଶୋଷରେ ତଣ୍ଟି ଶୁଖିଯାଉଛି । ମହାନବମୀ ଦିନର ଉତ୍ସବ ଘଣ୍ଟା ଗ୍ରାମ ତମାମ ବାଜୁଛି; କିନ୍ତୁ ସେ ହତଭାଗ୍ୟର ତହିଁରେ ଭାଗ ନାହିଁ । ସେ କେତେ କ’ଣ ମନେ ପକାଇଲା । କିଏ ଆସୁଥିବ ବୋଲି କେତେ କେଉଁଆଡ଼େ ଚାହିଁଲା । ଶେଷରେ ଦେଖିଲା ଜଣେ ବୁଢ଼ୀ ଆସୁଛି ।
ବୁଢୀ ପଚାରିଲା, ‘‘ତୁ କିଏରେ ବାପା, ଏଠି କ’ଣ କରୁଚୁ ?’’
‘‘ମୁଁ କ’ଣ କରୁଚି ! କ’ଣ ଆଖି ନାହିଁ ଯେ ଦେଖିପାରୁନୁ ମାଉସୀ, ପଚାରୁଚୁ ? ଭୋକରେ ପେଟ ବିକଳରେ ଶୋଇବାକୁ ଯାଉଚି ।’’
‘‘ଭୋକରେ ? କାହିଁକି ଚଟିଘରକୁ ଗଲୁ ନାହିଁ ?’’
‘‘ପଇସା କୋଠୁ ପାଇବି ? ପାଜିଏ କ’ଣ ମାଗଣା ଖାଇବାକୁ ଦେବେ ?’’
‘‘ଆହା ! ଉପାସରେ ରହିବୁ ! ମୋ ପାଖରେ ଯୋଡ଼ିଏ ପଇସା ଅଛି । ଏଥିରେ କ’ଣ ପେଟପୂରା ଖାଇବାକୁ ମିଳିବ ?’’
‘‘ହେଲେ, ମାଉସୀ ଦିଅନ୍ତେ ଯେବେ, କିଛିହେଲେ ହୁଅନ୍ତା ।’’
ବୁଢ଼ୀ କରାଟରୁ କାଢ଼ି ପଇସା ଯୋଡ଼ିଏ ତା’ ହାତରେ ଦେଇ କହିଲା, ‘‘ବାପ, ଏ ଦାଣ୍ଡୁଟାରେ ଶୁଅନା, ଆଜି ମହାନଅଇଁ ପରା ଦିନରେ ଉପାସ ରହନା । ମୋ ଘରେ ଆଜି ଚୁଲି ଲାଗୁ ନାହିଁ । ଯା, ଗାଁରେ ତୁଣ୍ଡ ଶୁଣେଇଲେ, ଉତ୍ସବ ଦିନରେ କିଏ କ’ଣ ନିଶ୍ଚୟ ଦେବେ ।’’
‘‘ସବୁ ଦୁଆରେ ବୁଲି ଆସିଲିଣି ।’’
‘‘ତେବେ ?’’
‘‘ସମସ୍ତେ ନାହିଁ କରି ତଡ଼ିଦେଲେ ।’’
ବୁଢୀ ଦୀର୍ଘନିଃଶ୍ୱାସ ପକାଇ, ତା’ ନିକଟକୁ ଆସି ମଠ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲା, ‘‘ବାପା, ତୁ ସେଠାକୁ ଯାଇଥିଲୁ କି ?’’
‘‘ନା ।’’
‘‘ତେବେ ଯା । ସେଠୁ କେହି ନିରାଶ ହୋଇ ଫେରନ୍ତି ନାହିଁ ।’’
✽✽✽
୩