ଊର୍ଦ୍ଧ୍ୱଶ୍ୱାସେ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଊର୍ଦ୍ଧ୍ୱଶ୍ୱାସେ
ସର୍ଦ୍ଦାର ମହାପାତ୍ରଙ୍କୁ ବିଦାୟ ଦେଇ ରୋଗଶଯ୍ୟାରେ ରାଧାକୁ ଦେଖିବା ନିମନ୍ତେ ଦେବାନ ଚିକିତ୍ସାଳୟକୁ ଗଲେ । ରାଧା ଦେଖିବା ମାତ୍ରେ ପଚାରିଲା, ‘‘ମୋ ରମା କାହିଁ ?’’
‘‘ଶୀଘ୍ର ଆସିବ ।’’
ସେଦିନ ରାଧାର ରୋଗ ଟିକିଏ ବଢ଼ିଥିଲା । ଦେବାନଙ୍କ ମୁହଁ ମଧ୍ୟ ଟିକିଏ କଳା ପଡ଼ିଯାଇଥିଲା । ଦେଖି, ଲୋକେ କୁହାକୁହି ହେଲେ, ‘‘ବୋଧହୁଏ ରାଧାର ଅବସ୍ଥା ଖରାପ ହେବାରୁ ଦେବାନ ଚିନ୍ତିତ ଅଛନ୍ତି ।’’ ଦେବାନ ସେଦିନ ରାଧା ପାଖରେ ବେଶି ସମୟ ରହିଲେ ନାହିଁ-। ଦୁଇ ଘଣ୍ଟା ମଧ୍ୟରେ ଦେବାନଙ୍କ ଦ୍ୱାରେ ସବାରି ଗଉଡ଼ ଆସି ପହଞ୍ଚିଲେ । ଦେବାନ ସବାରିରେ ବସି କହିଲେ, ‘‘ଚାଲ, ପବନ ପରି ଉଡ଼ିଯିବଟି । କାଲି ସକାଳୁ ଯାଇ ପହଞ୍ଚିବା ଦରକାର । ରାତି ରାତି ନ ବସି, ନ ଶୋଇ, ଚାଲିବାକୁ ହବ । ବକସିସ୍ ଯାହା କହିବ, ପାଇବ ।’’
ଗଉଡ଼ମାନେ ସବାରି କାନ୍ଧେଇ ଚାଲିବାରେ ଲାଗିଲେ । ସେତେବେଳକୁ ସନ୍ଧ୍ୟା ସମୟ-। ବାଟ ଦେଖାଇବା ନିମନ୍ତେ ଆଗରେ ଦିହୁଡ଼ି ମଶାଲ ଆଦି ଧରି ଚାରି ଜଣ ଲୋକ ଧାଇଁବାରେ ଲାଗିଲେ । ଲୋକେ ଦେଖି ମନେକଲେ ଯେ କାହା ଝିଅ ଶାଶୁଘରକୁ ଯାଉଛି ।
ଦେବାନ ଚାଲିଯିବା ପରେ ରାଧାର ଦେହ ଟିକିଏ ବେଶି ଖରାପ ହେଲା । ଦେବାନ ତା’ ପାଖରେ ରୋଜ ଘଣ୍ଟାଏ ଖଣ୍ଡେ ବସନ୍ତି । ଆଜି ଅଳ୍ପ ସମୟ ମାତ୍ର ବସି ଚାଲିଗଲେ । ସୁତରାଂ ସେ ଦେବାନକୁ ଦେଖିବା ନିମନ୍ତେ ଜିଦ୍ଧରି ବସିଲା । ତା’ପରେ ପୁଣି ରାଜାଙ୍କର ଡାକରା ଆସିଲା । ଫଳରେ ଦେବାନକୁ ଖୋଜା ପଡ଼ିଲା । ଦେବାନ ସୁଆରିରେ ବସି ଘରୁ ବାହାରିଯିବାର ଅବଶ୍ୟ ଅନେକେ ଦେଖିଛନ୍ତି, କିନ୍ତୁ ସେ ଯେ କେଉଁଠାକୁ ଗଲେ, କେହି କହି ପାରିଲେନାହିଁ । ନିଜେ ସୁଆରି ବୋହିବା ଗଉଡ଼ମାନେ ମଧ୍ୟ ତାହା ଜାଣିଥିଲେ କି ନା ସନ୍ଦେହ ।
ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଅନନ୍ତ ଦାସ କଏଦୀ ବିଷୟ କହି ଚାଲିଗଲା ପର ମୁହୂର୍ତ୍ତରୁ ଦେବାନଙ୍କ ମନରେ ଏକ ଭୀଷଣ ସଂଗ୍ରାମ ଚାଲିଛି । ତାହା ତାଙ୍କର ଜୀବନ ମରଣ ସଂଗ୍ରାମ । ସେ ଭାବୁଛନ୍ତି, ‘‘ମୁଁ ବର୍ତ୍ତମାନ ଯେ ବଡ଼ ପାହ୍ୟାରେ ଅଛି, କେତେ ଲୋକଙ୍କର କେତେ ଉପକାର କରିପାରୁଚି । କାରଖାନା ବସାଇ ଜଗତର ଗୋଟାଏ ମସ୍ତ ଉପକାର କରିଚି । ଗେରୁ ମହଣ ଲୋକେ ପଚାଶ ଟଙ୍କାରେ କିଣୁଥିଲେ, ଏବେ ଅଧା ଦାମରେ ପାଉଚନ୍ତି । ତା’ ଛଡ଼ା ଏତେ ଲୋକ ପୋଷି ହୋଉଚନ୍ତି । ମୁଁ ନ ଥିଲେ ୟାଙ୍କ ମଧ୍ୟରୁ ଅନେକ ହୁଏତ ଭୋକରେ ମରନ୍ତେ । ତା’ପରେ ପୁଣି, ରାଜା ତାଙ୍କ ରାଜ୍ୟର ଭାର ମୋ ଉପରେ ଛାଡ଼ି ଦେଇଚନ୍ତି । ମୁଁ ସେ ଭାର ମୁଣ୍ଡେଇ ନ ଥିଲେ, ପୂର୍ବେ ଲୋକେ ଯେପରି ଅନ୍ୟାୟ ଅତ୍ୟାଚାର ଭୋଗୁଥିଲେ, ତାହାହିଁ ହୁଏତ ଭୋଗନ୍ତେ । ତା’ ଛଡ଼ା, ମୁଁ ଏ ରାଧାର ଭାର ନେଇ ବସିଚି । ତା’ ଜୀବନର କଳଙ୍କ ନିମନ୍ତେ ମୁଁ ଦାୟୀ । ତା’ ପିଲାକୁ ଆଣି ତା’ ପାଖେ ଛାଡ଼ିବା ମୋରି କାମ । କେବଳ ସେତିକି ନୁହେଁ, ଟଙ୍କା ପଇସା ଦେଇ ମା ଝିଅ ଦୁହିଙ୍କି ମୋତେ ସୁଖରେ ରଖିବାକୁ ହବ । ନା ମୁଁ ଏ କାର୍ଯ୍ୟ କରିବି ନାହିଁ । ଜୀବନର ଯେ ପନ୍ଥା ଅନୁସରଣ କରି ଆଠବର୍ଷ ଚାଲିଲିଣି, ସେ ପନ୍ଥା ଛାଡ଼ିବି ନାହିଁ । ଅନନ୍ତ ଦାସ ଜଣେ ନଗଣ୍ୟ ଲୋକ । ସେ ଜେଲଖାନାରେ ସଢ଼ିବ, ସଢ଼ୁ । ସେ ମଲେ ବି କାହାରି କିଛି କ୍ଷତି ନାହିଁ । ତା’ ପାଇଁ ଜଣେ କେହି କାନ୍ଦିବ ନାହିଁ । ମୋ ପାଇଁ ଲୁହ ଗଡ଼େଇବାକୁ ସହସ୍ର ସହସ୍ର ଲୋକ-। ନା, ମୁଁ ଏ କାର୍ଯ୍ୟ କରିବି ନାହିଁ । ଭଗବାନ ଯାହା କରିଛନ୍ତି, ମଙ୍ଗଳ ନିମନ୍ତେ କରିଚନ୍ତି-। ମୁଁ ତାଙ୍କ ଇଚ୍ଛା ବିରୁଦ୍ଧରେ ଯିବି ନାହିଁ ।’’
ଏହିପରି ଭାବି, କିଛି ସମୟ ସ୍ଥିର ରହି, ସେ ପୁଣି ନିଜକୁ ନିଜେ କହିଲେ, ‘‘ନା, ଏ ଜୀବନରେ କି କାର୍ଯ୍ୟ ଅଛି ? ମୁଁ ଯେତେବେଳେ ସାରଙ୍ଗଗଡ଼ ଆସି ନ ଥିଲି, ସେତେବେଳେ ଏ ସାରଙ୍ଗଗଡ଼ ଏହିପରି ଥିଲା । ସମଗ୍ର ପୃଥିବୀ ବର୍ତ୍ତମାନ ପରି ରହିଥିଲା । ମୋର କର୍ତ୍ତବ୍ୟ କରିବା ଉଚିତ; ଭଗବାନଙ୍କୁ ଆଗରେ ରଖି ସତ୍ୟ ପଥରେ ଚାଲିବା ଦରକାର । ଅନନ୍ତ ଦାସ କିଏ, ମୁଁ ଜାଣେନା । କିନ୍ତୁ ସେ ଯେ ନିର୍ଦ୍ଦୋଷ, ସେଥିରେ କିଛି ସନ୍ଦେହ ନାହିଁ । ସେ ନିର୍ଦ୍ଦୋଷ ହୋଇ ଦଣ୍ଡ ଭୋଗ କରିବ, କଏଦୀଖାନାରେ ସଢ଼ିବ; ଆଉ ମୁଁ ଦୋଷୀ ହେଇ ରାଜାଧିରାଜ ଆସନରେ ବସିବି, ସୁଖ ଭୋଗ କରିବି, ଲୋକଙ୍କର ସ୍ନେହ ସମ୍ମାନ ପାଇବି ।’’ କହୁ କହୁ ସେ ଆଖି ଆଗରେ ସୁନ୍ଦରପୁର ମହନ୍ତଙ୍କର ଚିତ୍ର ଦେଖିଲେ । ମହନ୍ତ ମରିଯାଇଛନ୍ତି । ତଥାପି ତାଙ୍କ ଜୀବନ୍ତ ମୂର୍ତ୍ତି ଯେପରି ଦେବାନଙ୍କ ସମ୍ମୁଖରେ ଆସି ଠିଆ ହୋଇଗଲା ଏବଂ କହିଲା, ‘‘ତୁମେ ଜଣେ ସାଧୁପୁରୁଷ ହେଇଯିବ ।’’ ସାଧୁପୁରୁଷ ହେବାକୁ ହେଲେ, ନିଜର କର୍ତ୍ତବ୍ୟ କରିବା ଦରକାର ଏବଂ ଅନନ୍ତ ଦାସଙ୍କୁ ନିଷ୍କୃତି ଦେଇ ନିଜେ ତା’ ସ୍ଥାନରେ ରହିବା ହେଉଛି କର୍ତ୍ତବ୍ୟ ।
ଦେବାନ କିଛି ସମୟ ଏହିପରି ଏଣୁ ତେଣୁ ଭାବି, ଘରୁ ସୁଆରିରେ ବସି ବାହାରିବା ପୂର୍ବରୁ କେତେଗୁଡ଼ିଏ ଦଲିଲ ଦସ୍ତାବିଜ ନିଆଁରେ ପକାଇ ପୋଡ଼ିଦେଲେ । ସେଥିରେ ମୁହୂର୍ତ୍ତକ ମଧ୍ୟରେ ତାଙ୍କର ପ୍ରାୟ ଦୁଇ ଲକ୍ଷ ଟଙ୍କା ନଷ୍ଟ ହୋଇଗଲା । ସାରଙ୍ଗଗଡ଼ ସହିତ ବନ୍ଧନଟିମାନ ସେ ଏହିପରି ଗୋଟିଗୋଟି କରି ଛିଣ୍ଡାଇବାକୁ ଲାଗିଲେ; କିନ୍ତୁ ଗୋଟାଏ ବନ୍ଧନ ଛିଡ଼ିଲା ନାହିଁ । ସେ ରାଧା, ଯାହାର କଳଙ୍କର କାରଣ ବୋଲି ସେ ନିଜକୁ ମନେ କରୁଥିଲେ । କହିଲେ, ‘‘ମୁଁ ଆତ୍ମପ୍ରକାଶ କରି ନିଶ୍ଚୟ ମୋ ନିଜ ଆତ୍ମାର ଉପକାର କରିବି । ତେବେ, ସେ ରାଧା କରିବ କ’ଣ ? ସେ ତ ମୋ ଉପରେ ନିର୍ଭର କରି ରହିଚି; କଳଙ୍କ ସମୁଦ୍ରରୁ ଉଠିଆସି ଧର୍ମ ଓ ସତ୍ୟପଥରେ ପାଦ ପକେଇଚି । ସେ କ’ଣ ପୁଣି ସେଇ କଳଙ୍କ ସାଗରରେ ଯାଇ ବୁଡ଼ିବ ? ମୋ ଚାଲିଯିବାର ଫଳ ତାହାହିଁ ତ ହବ । କେବଳ ସେତିକି ନୁହେଁ, ଏ କାରଖାନା ମାଟିରେ ମିଶିଯିବ, ଏ ଲୋକେ ଇତସ୍ତତଃ ହୋଇଯିବେ, ଏ ସମୃଦ୍ଧିଶାଳୀ ନଗର ଧ୍ୱଂସ ପାଇବ । ନା, ମୁଁ ଧନଞ୍ଜୟ ରାଏ ହୋଇ ରହିବି, ସେ କୁତ୍ସିତ ପାଣୁ ନାଏକ ହେବିନାହିଁ । ପାଣୁ ନାଏକ ସେ ଅନନ୍ତ ଦାସ । ମୁଁ ଆଠ ବର୍ଷ ହେଲା ପାଣୁ ନାଏକ ଘଟ ଛାଡ଼ିଚି ।’’
ଏପରି ଅନେକ କଥା ଭାବି, ଧନଞ୍ଜୟ ରାଏ ଗୋଟିଏ କୁଞ୍ଚିକାଠି ବାହାର କଲେ । ତାଙ୍କ ଶୋଇବା ଘରେ, ଗୋଟାଏ କଣରେ, ଅତି ଗୁପ୍ତ ସ୍ଥାନରେ, ଗୋଟିଏ ଛୋଟିଆ ସିନ୍ଦୁକ ଥିଲା । ସେ ତାହା ଫିଟାଇଲେ । ତା’ ମଧ୍ୟରୁ କେତେ ଖଣ୍ଡ ଛିଣ୍ଡା କନା ଓ ଖଣ୍ଡିଏ ଛୋଟିଆ କାଠ ପଟା ବାହାରିଲା । ସେ ପଟାରେ କେତେଗୁଡ଼ିଏ ଅକ୍ଷର ଲେଖା ଥିଲା । ସେହି ସବୁ ସମ୍ପତ୍ତି ଘେନି, ସନ ୧୨୪୮ ସାଲରେ ‘ଧନଞ୍ଜୟ ରାଏ’ ନାମ ଗ୍ରହଣ କରି, ଦେବାନ ପ୍ରଥମେ ସାରଙ୍ଗଗଡ଼ରେ ପ୍ରବେଶ କରିଥିଲେ । ସେ ଘଟଣାର କେତେକ ସମୟ ପୂର୍ବେ ଅବିକଳ ସେହି ସବୁ ସମ୍ପତ୍ତି ଧରି, ପାଣୁ ନାଏକ ସୁନ୍ଦରପୁର ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡ ବୁଲି ବୁଲି, କୌଣସିଠାରେ ସ୍ଥାନ ନ ପାଇ, ଶେଷରେ ମହନ୍ତ କୃଷ୍ଣଚରଣ ଦାସଙ୍କ ମଠରେ ଯାଇ ଆଶ୍ରୟ ନେଇଥିଲା । ଦେବାନ ସେଗୁଡ଼ିକ ନେଇ ନିଆଁରେ ପକାଇ ଦେଇ କହିଲେ, ‘‘ପାଣୁ ନାଏକର ସତ୍ତା ଏବେ ଭସ୍ମ ହୋଇଗଲା । ଆଉ କାହାର ଚାରା ଅଛି ଯେ ସାରା ସାରଙ୍ଗଗଡ଼ରୁ ପାଣୁ ନାଏକକୁ ବାହାର କରିବ ?’’ ତା’ପରେ ସେ ଚାହିଁ ଦେଖିଲେ ଯେ ରୁପା ରୁଖାଟି ଥୁଆ ହୋଇଛି । କହିଲେ, ‘‘ନା, ଏ ବି ଯିବା ଦରକାର ।’’ ତହୁଁ ସେ ରୁଖାଟି ସେହି ନିଆଁରେ ପକାଇଦେଲେ । ରୁଖା ଆଘାତରେ ପୋଡ଼ା କନା ମଧ୍ୟରୁ ଗୋଟାଏ ଦୋ’ଣି ଚକ୍ଚକ୍ ହୋଇ ଖସିପଡ଼ିଲା । ଦେଖି, ଦେବାନ କହିଲେ, ‘‘ଆଃ, ଏଟା ମଧ୍ୟ ଥିଲା । ଯାଉ, ଏ ପାପର ଚିହ୍ନଟା ବି ଜଳିଯାଉ ।’’ କିନ୍ତୁ ସଙ୍ଗେ ସଙ୍ଗେ ଗୋଟାଏ ଶବ୍ଦ ଶୁଣାଗଲା, କିଏ ଯେପରି ଡାକୁଛି, ‘‘ପାଣୁ ନାଏକ, ପାଣୁ ନାଏକ ।’’ ସେ ଚମକିପଡ଼ିଲେ । ତାଙ୍କ ରୋମମାନ ଟାଙ୍କୁରି ଉଠିଲା, ତାଳୁରୁ ତଳିପା ପର୍ଯ୍ୟନ୍ତ ଥରିବାରେ ଲାଗିଲା । ଦେହରୁ ଝାଳ ଗମ୍ଗମ୍ ବୋହିଗଲା । ସେ କିଛି ବୁଝି ନ ପାରି ପଚାରିଲେ, ‘‘କିଏ ଡାକୁଚ ?’’
ସାରା କୋଠରୀ ମଧ୍ୟରେ ଏଣେତେଣେ ଚାହିଁ ସେ କାହାରିକୁ ଦେଖିଲେ ନାହିଁ । ତହୁଁ ସେ ଠୋ ଠୋ ହସିଲେ । କହିଲେ, ‘‘ମୁଁ କି ମୂର୍ଖ, କି ଭୀରୁ ! କିନ୍ତୁ ପର ମୁହୂର୍ତ୍ତରେ ପୁଣି କହିଲେ, ‘‘ନା, ଏ କିଏ ତ ଡାକିଲା । ହଁ, ପାଣୁ ନାଏକ ଘରେ ଅଛି । ଆସ ଆସ । ନା, ଆସନାହିଁ । ସେ ନିଜେ ଯିବ । ଯାଉଛି, ଏଇ ଗଲା ।’’ ସେତିକି ବେଳକୁ ଦାଣ୍ଡରୁ ଶୁଣାଗଲା, ‘‘ହଜୁର, ସବାରି ଆସି ହାଜର ଅଛି ।’’ ସେହି ସବାରିରେ ଦେବାନ, ରାତିରେ ଶଶୁର ଘରକୁ ଯାଉଥିବା ବୋହୂ ପରି, ଆଗରେ ଦିହୁଡ଼ି ଆଲୁଅ ଜାଳି ଯାଉଛନ୍ତି ।
ଅନେକ ସମୟରେ ମନୁଷ୍ୟ ଯେତେବେଳେ ଦୁଇଟା ବିପରୀତ ଫଳବିଶିଷ୍ଟ କାର୍ଯ୍ୟରୁ କେଉଁଟା କରିବ ଠିକ୍ କରିପାରେ ନାହିଁ, ଅନନ୍ତ ପ୍ରତାପଶାଳୀ ପ୍ରକୃତି ଆସି ଦାସାନୁଦାସ ପରି ତା’ ପଥର ସହାୟକ ହୁଏ । ଦେବାନ କେଉଁଠାକୁ ଯିବେ, ସବାରି ବୋହିବା ଗଉଡ଼ଙ୍କୁ କହିନଥିଲେ । ଦିହୁଡ଼ି ଧରିବା ଲୋକଙ୍କ ମଧ୍ୟରୁ ଜଣେ ତାଙ୍କଠାରୁ ଲକ୍ଷ୍ୟ ସ୍ଥାନର ନାମ ଅବଶ୍ୟ ଶୁଣିଥିଲା; କିନ୍ତୁ ଠିକ୍ରୂପେ ଧରିପାରି ନ ଥିଲା । ପଚାରିବାକୁ ତାହାର ସାହସ ହୋଇ ନ ଥିଲା । ଯାହାହେଉ, ରାତି ପ୍ରାୟ ଦୁଇ ପହର ପରେ ସେ ହଠାତ୍ ପାଟି କରି ଉଠିଲା, ‘‘ନା ଏ ବାଟ ନୁହେଁ ।’’ ଅନ୍ୟାନ୍ୟ ଦିହୁଡ଼ି ମଶାଲ ବୋହିବା ଲୋକେ ଦୁମ୍ କରି ରହିଗଲେ । ଗଉଡ଼ମାନେ ଅନେକ ସମୟରୁ ବିଶ୍ରାମ ଲୋଡ଼ି ପାଇନଥିଲେ । ସେମାନେ ମଧ୍ୟ ପାଦ ରୋକି, ପାଟି ମୁଦି ଠିଆହେଲେ ।
ମଞ୍ଚେଶ୍ୱର ଷ୍ଟେସନ ପାଖରୁ ରେଲବାଟ ଛଡ଼ା କଟକ ଯିବାକୁ ବର୍ତ୍ତମାନ ଯେପରି ସୁବିଧା ଚଲାକି ରାସ୍ତା ଅଛି, ଶହେ ଖଣ୍ଡେ ବର୍ଷ ପୂର୍ବେ ସେପରି ନ ଥିଲା । ସେ ଅଞ୍ଚଳ ସାରା ଭୀଷଣ ଜଙ୍ଗଲରେ ପୂରି ରହିଥିଲା । ବାଘ, ଭାଲୁ ଛଡ଼ା, ବନ୍ୟ ହାତୀ ସେଠାରେ ପ୍ରଚୁର ରହୁଥିଲେ-। ଦେବାନଙ୍କ ସବାରିର ପଥପ୍ରଦର୍ଶକ ସେହି ଜଙ୍ଗଲ ମଧ୍ୟରେ ବାଟ ଭୁଲି ଅଣବାଟରେ ଆସୁଥିବା କଥା ହଠାତ୍ ଜାଣିପାରିଲା । ସେ ଜଙ୍ଗଲବାଟେ ଦିନ ବେଳେ କେହି ଏକା ଯିବା ଆସିବା କରନ୍ତି ନାହିଁ । ସନ୍ଧ୍ୟା ହେଲେ ବାଟ ଏକାବେଳକେ ପଡ଼ିଯାଏ । କେବଳ ଦେବାନଙ୍କ ସବାରି ବୋଲି, ଗଉଡ଼ମାନେ ପ୍ରାଣ ବିସର୍ଜନ କରି, ସେଦିନ ଘୋର ଅନ୍ଧାର ରାତିରେ ସେ ବାଟେ ଯିବାକୁ ରାଜି ହୋଇଥିଲେ । ସେମାନେ ମନେ କରିଥିଲେ ଯେ ପ୍ରଥମ ପ୍ରହରରେ ଜଙ୍ଗଲ ପାର ହୋଇ ମୁଣ୍ଡମୁହାଣରେ ଯାଇ ପହଞ୍ଚିବ; କିନ୍ତୁ ଅଧ ରାତି ପର୍ଯ୍ୟନ୍ତ ଜଙ୍ଗଲ ଭିତରୁ ବାହାରି ନ ପାରିବାରୁ ତାଙ୍କ ମନରେ ଦକା ପଶି ଯାଇଥିଲା । ଏବେ ଯେତେବଳେ ଜାଣିଲେ ଯେ ବାଟରୁ ଆସି ଅଣବାଟରେ ଚାଲୁଛନ୍ତି, ସମସ୍ତେ ଏକ ସ୍ୱରରେ କହିଲେ, ‘‘ମା କଟକଚଣ୍ଡୀ, ତୁ ଭରସା । ମଣିମାଙ୍କୁ ଶୁଭରେ ନେଇ ପହଞ୍ଚାଇଦେଲେ, କାଲି ମୁଣ୍ଡେ ବୋଦା ପାଇବୁ ।’’ ସବାରି ଭିତରେ ବସି ଦେବାନ ନିଜେ ମନକୁ ମନ କହିବାକୁ ଲାଗିଲେ, ‘‘ଏ ବୋଧହୁଏ ଈଶ୍ୱରଙ୍କର ଏକ ପ୍ରେରଣା । ସେ ହୁଏତ ଇଚ୍ଛା କରୁଛନ୍ତି ଯେ ସେ ଅନନ୍ତ ଦାସ ହିଁ ପାଣୁ ନାଏକ ହୋଇ ରହୁ । ଭଗବାନଙ୍କର ବାଞ୍ଛାନିଧି ନାମ ଯଥାର୍ଥ ପରା ।’’
ଗଉଡ଼ମାନେ କାନ୍ଧରୁ ସବାରି ଓହ୍ଲାଇ ବସିଚନ୍ତି । ଦିହୁଡ଼ି ମଶାଲଦାରମାନେ ଏଣେତେଣେ ବାଟ ଖୋଜିବାରେ ଲାଗିଛନ୍ତି । ସେତେବେଳେ ହଠାତ୍ ଦୂରରୁ ଲୋକେ କଥାବାର୍ତ୍ତା ହୋଇ ଆସିବା ଶବ୍ଦ ଶୁଣାଗଲା । ସେଦିନ ବାରଙ୍ଗରେ ଜଣେ ମହାଜନ ଦେହ ବିଶେଷ ଖରାପ ହୋଇଥିବାରୁ ଲୋକେ ବୈଦ୍ୟ ଡାକି ଯାଇଥିଲେ । ସେମାନେ ବୈଦ୍ୟକୁ ସଙ୍ଗରେ ଧରି ରାତି ରାତି ଫେରୁଥିଲେ । ନିକଟକୁ ଆସି ଦେବାନଙ୍କ ସବାରି ଦିହୁଡ଼ି ମଶାଲ ଆଲୁଅ ଦେଖି ପଚାରିଲେ, ‘‘କୁଆଡ଼େ ଯିବ ?’’ ଗଉଡ଼ମାନେ କିଛି ନ କହି ଠିଆ ହୋଇ ରହିଲେ । ଦେବାନଙ୍କ ଛାତି ପଡ଼ିଲା ଉଠିଲା । ସେ ଅନେକ ସମୟ ପରେ ରୁଦ୍ଧକଣ୍ଠ ଫିଟାଇ ସବାରି ଭିତରୁ କହିଲେ, ‘‘କଟକ । ଏଇ ବାଟ ତ ?’’
‘‘ନା, ଏଟା ଚନ୍ଦକା ବାଟ । ଏଠୁ ପ୍ରାୟ ଦୁଇ କୋଶ ପଛକୁ ଯିବାକୁ ହବ । ସେଠୁଁ ବାଁ ହାତ ଆଡ଼କୁ ଗୋଟାଏ ବାଟ ପଡ଼ିବ । ସେଇ ବାଟେ ଗଲେ ସିଧା ମୁଣ୍ଡମୁହାଣରେ ଯାଇ ପହଞ୍ଚିବ । ହେଲେ, ଏ ରାତିରେ କାହିଁକି ବାହାରିଚ ? କାଲି ରାତି ଏଠି ହାତୀ ତିନିଟା ଲୋକ ମାରି ଦେଇଛନ୍ତି-। ବାଘ ମଧ୍ୟ ଗୋଟାକୁ ଖାଇଚି । କହି ସେ ଲୋକମାନେ ତରତର ହୋଇ, ବଣ ମଧ୍ୟରେ, ଗୋଟାଏ ଏକପଦୀ ବାଟରେ ମୁହୂର୍ତ୍ତକ ଭିତରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ।
ରାତି ପାହି ଭୋର ହେବା ବେଳକୁ ମଧ୍ୟ ଗଉଡ଼ମାନେ ‘ହୁଁ ମୁରେ ଭାଇରେ’ କହି ସେ ଜଙ୍ଗଲ ମଧ୍ୟରେ ଚାଲିଛନ୍ତି । ଦେବାନ ସବାରି ଭିତରୁ କହୁଛନ୍ତି, ‘‘ବେଗେ ଚାଲ ।’’ କିନ୍ତୁ ହଠାତ୍ ସବାରି କାଠ ଭାଙ୍ଗିପଡ଼ିଲା । ସବାରିଟା ଦୁମ୍କିନି ତଳେ ପଡ଼ିଗଲା । ଦେବାନଙ୍କୁ ଟିକିଏ ନିଦ ଆସିଯାଇଥିଲା । ସେ ଚମକିପଡ଼ି ଉଠି ମନକୁ ମନ କହିଲେ, ‘‘ଦେଖୁଚି ବିଧାତାର ଇଚ୍ଛା ଯେ ପାଣୁ ନାଏକ ଦେବାନ ହେଇ ରହିବ, ଆଉ ନିର୍ଦ୍ଦୋଷ ଅନନ୍ତ ଦାସ ପାଣୁ ନାଏକ ହବ । ନା ନା, ତା’ ହବ ନାହିଁ । ହେଲେ ଉପାୟ କ’ଣ ? ମୁଁ ଠିକ୍ ସମୟକୁ ଯାଇ କିପରି ପହଞ୍ଚିବି ? ଚଣ୍ଡାଳେ ତ ବେଳ ପହରକୁ ଆରମ୍ଭ କରିଦେବେ । କିନ୍ତୁ ଏ କ’ଣ ଭଗବାନଙ୍କ ଇଚ୍ଛା ନୁହେଁ ?’’ ମନେ ମନେ ଏହିପରି ଭାବି ଦେବାନ ପଚାରିଲେ, ‘‘କ’ଣ କାଠିଟା ଯୋଡ଼ିହବ ନାହିଁ ?’’
ଖଣ୍ଡେ ଦୂରରେ ଗୋଟାଏ ଲୋକ ଘୋଡ଼ାରେ ବସି ଆସିବାର ଦେଖାଗଲା । ସେ ନିକଟକୁ ଆସିବାରେ ଦେବାନ ପଚାରିଲେ, ‘‘ଭାଇ କୁଆଡ଼େ ଯିବ ?’’ ସେ ଉତ୍ତର ଦେଲା, ‘‘ମୋ ବାପା ମରି ଯାଇଛନ୍ତି । ଦଶାହ କାଲି । ଘୋଡ଼ାଟି ବିକ୍ରି କଲେ କାର୍ଯ୍ୟ ଚଳିବ ।’’
‘‘ମୋ କାର୍ଯ୍ୟକୁ ତ ଦରକାର ଶହେ ଟଙ୍କା । ହେଲେ, ଶହେ ଟଙ୍କା କ’ଣ ଏ ଘୋଡ଼ା ପାଇଁ କିଏ ଦବ ?’’
‘‘ନ ଦବ କାହିଁକି ?’’ କହି, ଦେବାନ ଶହେ ଟଙ୍କା ଗଣିଦେଇ, ସବାରି ଦିହୁଡ଼ି ମଶାଲବାଲାଙ୍କୁ ଛାଡ଼ି, ଘୋଡ଼ାରେ ବସି ଛାଟ ପିଟିଦେଲେ । ଗଲାବେଳେ ଘୋଡ଼ା ବିକ୍ରି କରିବା ଲୋକକୁ ପଚାରିଲେ, ‘‘ମୁଣ୍ଡମୁହାଣ କେତେ ଦୂର ?’’ ସେ କହିଲା, ‘‘ତିନି କୋଶ ।’’
ଦେବାନ ମୁଣ୍ଡମୁହାଣରେ ପହଞ୍ଚିଲା ବେଳକୁ ବେଳ ପ୍ରାୟ ପାଞ୍ଚଘଡ଼ି । ଆଜିକାଲି ନରାଜ ଆନିକଟ ଯୋଗେ ବର୍ଷାକାଳ ଛଡ଼ା ଅନ୍ୟ ସମୟରେ କାଠଯୋଡ଼ି ପ୍ରାୟ ଶୁଖିଲା ପଡ଼ିଥାଏ । ମାତ୍ର ସେ ସମୟରେ ବୈଶାଖ ମାସରେ ସୁଦ୍ଧା ମୁଣ୍ଡମୁହାଣଠାରୁ କଟକ ପଥରବନ୍ଧ ପର୍ଯ୍ୟନ୍ତ ମଣିଷବୁଡ଼ା ପାଣି ଲାଗି ରହୁଥିଲା । ଦେବାନ ଯେ ଘୋଡ଼ା ଚଢ଼ିଯାଇ କଟକରେ ଶୀଘ୍ର ପହଞ୍ଚିଯିବେ ବୋଲି ଭାବିଥିଲେ, ତାହା ଅସମ୍ଭବ ହୋଇପଡ଼ିଲା । ଘାଟ ନାଆ କୂଳରେ ନ ଥିଲା; ସକାଳୁ କଟକ ଯାଇ, କଟକ ପଟୁ ଫେରୁଥିଲା । ଅପେକ୍ଷା କଲେ ବିଳମ୍ବ ହେବ ଭାବି, ଦେବାନ ଅନ୍ୟ ନୌକା ଖୋଜିଲେ-। ନୌକା ମିଳିଲା ନାହିଁ । ଶେଷରେ ଜଣେ ଲୋକ ଗୋଟାଏ ଭଙ୍ଗା ସାପୁଆ ଡଙ୍ଗା ଆଣି ଦୋବାନଙ୍କ ଗରଜ ବୁଝି, ଦର ବଢ଼ାଇ କହିଲା, ‘‘ଦଶଟଙ୍କା ଦେଲେ ପାର କରିଦେବି ।’’ ଦେବାନ ତା’ ହାତକୁ ଦଶଟଙ୍କା ପକାଇଦେଇ, ଘୋଡ଼ାଛାଡ଼ି ଡଙ୍ଗାରେ ବସିଲେ । ଡଙ୍ଗା ସାଇଁସାଇଁ ଚାଲିଲା । ଦେବାନ ଆଶାକଲେ ଯେ ସେ ଠିକ୍ ସମୟରେ ଯାଇ କଚେରିରେ ପହଞ୍ଚିବେ । ମାତ୍ର ଡଙ୍ଗାଟି ହଠାତ୍ ଲେଉଟି ବୁଡ଼ିଗଲା । ଦେବାନ ପହଁରିବାକୁ ଲାଗିଲେ ।
ମନୁଷ୍ୟ ଯେତେବେଳେ କୌଣସି କାର୍ଯ୍ୟ କରିବାକୁ ଦୃଢ଼ପ୍ରତିଜ୍ଞ ହୋଇ ବସେ, ସଂସାରର ଘଟଣାଚକ୍ର ତା’ର ଇଚ୍ଛା ନିକଟରେ ମୁଣ୍ଡ ନୁଆଁଇ ତାକୁ ସାହାଯ୍ୟ କରିବାକୁ ଲାଗେ । ଦେବାନ ପହଁରି ପହଁରି ଥକିଗଲା ବେଳକୁ ଗୋଟାଏ କାଠଗଡ଼ ଭାସିଆସି ତାଙ୍କ ନିକଟରେ ପହଞ୍ଚିଗଲା । ସେ ତାକୁ ଆଶ୍ରୟ କରି ଚାଲିବାରେ ଲାଗିଲେ । ବାଟରେ କଟକ ଆଡ଼ୁ ଫେରି ଘାଟ ନାଆ ଆସି ପହଞ୍ଚିଲା । ନାଆର ଲୋକେ କହିଲେ, ‘‘ଆରେ ଚଣ୍ଡାଳ, କାଠଗଡ଼ଟା ଧରି ଏପରି ଯାଆନା; କିମ୍ଭୀର ଖାଇଯିବେ ।’’ ଶୁଣି, ଦେବାନ ମନକୁ ମନ କହିଲେ, ‘‘ନା, ପାଣୁ ନାଏକ କିମ୍ଭୀର ପେଟରେ ପଡ଼ିବାର ଜନ୍ତୁ ନୁହେଁ ।’’ କିନ୍ତୁ ନାଆ ଆସି ପାଖରେ ପହଞ୍ଚିବାରୁ ତହିଁରେ ବସିପଡ଼ିଲେ । ନାଉରିକି ପଚାରିଲେ, ‘‘କେତେ ଟଙ୍କା ପାଇଲେ, ତୁ ଏହିଠାରୁ କଟକ ଫେରେଇ ନବୁ ?’’ ଯାତ୍ରୀମାନେ ଏକ ସ୍ୱରରେ କହିଲେ, ‘‘ନା, ଆମକୁ ଆଗ ପାରିକରି ଦେ ।’’ କିନ୍ତୁ ଦେବାନ ହାତ ଯୋଡ଼ି ସେମାନଙ୍କୁ ଅନୁରୋଧ କଲେ, ‘‘ମୋର କଚେରିରେ ଭାରି ଜରୋରି କାମ ଅଛି । ମୋତେ ଟିକିଏ ଆଗ ପହଞ୍ଚେଇଦେବା ଦରକାର ।’’ ନାଉରି ପନ୍ଦର ଟଙ୍କା ନେଇ ନାଆ ଫେରାଇଲା । ମାତ୍ର ନାଆ ଯେ କଚେରି ଘାଟରୁ ଛାଡ଼ିଥିଲା, ଲାଗିଲା ବେଳକୁ କୋଶେ ଦୂରେ ଯାଇ ଖାନ୍ନଗର ପାଖେ ଲାଗିଲା । ଦେବାନ ଓହ୍ଲାଇ ପଡ଼ି ଧାଇଁବାରେ ଲାଗିଲେ । ବାଟରେ ନୂଆ ଲୁଗା କିଣି, ଓଦା ଲୁଗା ବଦଳାଇ, କଚେରି ଆଡ଼କୁ ଧାଇଁଲେ । ରାସ୍ତାରେ ଜଣକୁ ପଚାରିଲେ, ‘‘କଚେରି କ’ଣ ଭାଜିଲାଣି-?’’
‘‘ନା, ଆଜି ଗୋଟାଏ ବଡ଼ ମକଦ୍ଦମା ପଡ଼ିଚି । ସେଇ ତ ଚାଲିଚି ସକାଳୁ ଏପର୍ଯ୍ୟନ୍ତ । ତେବେ ସରିଯିବ ହୁଏତ ଏକ୍ଷଣି । ତୁମେ ଯଦି ସେଇ ମକଦ୍ଦମାକୁ ଯାଉଥାଅ, ତେବେ ଧାଅଁ ।’’