ମା’ର ଅପତ୍ୟ ସ୍ନେହ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ମା’ର ଅପତ୍ୟ ସ୍ନେହ
ରାଧା ଯେଉଁଦିନ ଆସି ପ୍ରଥମେ ଧନଞ୍ଜୟ ରାଏଙ୍କ କାରଖାନାରେ କାମ କରିବାକୁ କହିଲା, ସେ ଦିନର କଥା କାହାରି ମନେ ନାହିଁ । ସେ ଜନାନା ଖୁଆଡ଼ରେ କାମ କଲା ସେଠାରେ ଦରିଦ୍ର ମୂଲିଆଣୀମାନେ ରହିବାକୁ ଘର ଥାଏ । ରାଧା ସେଥିରୁ ଗୋଟିଏ ଘରେ ରହିଲା । ପ୍ରଥମେ ତାକୁ ସାମାନ୍ୟ ମଜୁରି ମିଳିଲା । ମାତ୍ର ସେ କାମ ଭଲ ଶିଖିବା ସଙ୍ଗେ ସଙ୍ଗେ ତା’ ମଜୁରି ବଢ଼ିବାକୁ ଲାଗିଲା । ସେ ତା’ ଉପାର୍ଜିତ ଟଙ୍କାରୁ କିଛି ଖର୍ଚ୍ଚ କରି ଘରର କେତେକ ଆସବାବ କିଣିଲା । ତା’ ମଧ୍ୟରେ ଗୋଟିଏ ବଡ଼ ଦର୍ପଣ କିଣି ପାଖରେ ରଖିଲା । ଦର୍ପଣରେ ସେ ନିଜର ସୌନ୍ଦର୍ଯ୍ୟ ଦେଖି ବେଳେ ବେଳେ ଆନନ୍ଦ ଲାଭ କରେ । ତା’ ବାଳ ପେଣ୍ଡାଟି ବିଶେଷ ସୁନ୍ଦର ଦିଶେ । ସେ ଦର୍ପଣରେ ନିଜ ବାଳ ପେଣ୍ଡା ଓ ମୁକ୍ତା ପରି ଦାନ୍ତଗୁଡ଼ିକ ଦେଖି ଆନନ୍ଦରେ ନାଚିଉଠେ-। କ୍ରମେ ତା’ର ସମସ୍ତ ଦୁଃଖ ପାସୋରିଗଲା । ତା’ର ଏକମାତ୍ର ଚିନ୍ତାର ବିଷୟ ରହିଲା ରମା ।
କିନ୍ତୁ ତା’ କୋଳର ଝିଅ ରମା ଯେ ବିଦେଶରେ ଅଛି, ତାହା ସେ କାହାରି ଆଗେ କହିପାରିଲା ନାହିଁ । ସେ ତ ବିବାହ ହୋଇ ନାହିଁ ବୋଲି ସମସ୍ତଙ୍କୁ କହିଛି । ତା’ର ପୁଣି ପିଲା ଆସିବ କେଉଁଆଡ଼ୁ ? କିନ୍ତୁ ତା’ ପିଲାଟି ବିଷୟ ଲେଖି ଦୀନା ସାହୁ ଦଶ ଆଠ ଦିନରେ ଖଣ୍ଡେ ଖଣ୍ଡେ ଚିଠି ପଠାଏ । ରାଧା ମଧ୍ୟ ଲୁଚାଇ ଚୋରାଇ ସପ୍ତାହରେ ଦୁଇଖଣ୍ଡି ଚିଠି ଦିଏ । ରାଧା ନିଜେ ଚିଠି ଲେଖି ପାରୁଥିଲେ ତା’ର ଧରା ପଡ଼ିବାର ଆଶଙ୍କା ନ ଥାନ୍ତା; କିନ୍ତୁ ସେ ନିଜେ ଲେଖିପାରେ ନାହିଁ । ମୂଲିଆଣୀମାନଙ୍କ ଚିଠି ଲେଖି ପଢ଼ି ଦେବା ନିମନ୍ତେ କାରଖାନା ମାଲିକଙ୍କ ତରଫରୁ ଜଣେ ସ୍ତ୍ରୀ ବ୍ୟକ୍ତି ଥାଏ । ରାଧା ତାହାରି ହାତରେ ଚିଠିଗୁଡ଼ିକ ଲେଖାଏ । ରାଧାର ଗୋଟିଏ ପିଲା ଜଜାରସିଂହରେ ଅଛି ବୋଲି ସେ ସ୍ତ୍ରୀ ବ୍ୟକ୍ତି କ୍ରମେ କ୍ରମେ ଚାରିଆଡ଼େ ରାଷ୍ଟ୍ର କରି ପକାଇଲା ।
ମୂଲିଆଣୀମାନଙ୍କ ମଧ୍ୟରୁ କାହାର କେଉଁଠାରେ କିଏ ଅଛି, ସେ ବିଷୟ ନେଇ ସେମାନଙ୍କ ମଧ୍ୟରେ ବଡ଼ ଘଣ୍ଟାଚକଟା ଲାଗୁଥିଲା । ସେ ବିଭା ହୋଇ ନାହିଁ ଏବଂ ତା’ର ପିଲାଝିଲା କେହି ନାହାନ୍ତି ବୋଲି ରାଧା ବାରମ୍ବାର କହିବାରୁ, ଜଣେ ମୂଲିଆଣୀ ସାତ ଦିନ ଛୁଟି ନେଇ, ହାତରୁ ସାତଟଙ୍କା ଆଠଣା ଖର୍ଚ୍ଚ କରି, ଜଜାରସିଂହ ଯାଇ ରମାକୁ ଦେଖି ଆସିଲା । ଆଉ ରାଧା କି କୌଣସି କଥା ଲୁଚାଇ ରଖିବାରେ ? ମୂଲିଆଣୀମାନଙ୍କ ଉପରେ ଜଣେ ମାଲିକିଆଣୀ ଥାଆନ୍ତି । ମୂଲିଆଣୀମାନଙ୍କ ଚରିତ୍ର କିପରି ବିଶୁଦ୍ଧ ରହିବ, ତାହା ଦେଖିବା ତାଙ୍କର କାମ । ସେ ରାଧାକୁ ଦିନେ ଡାକି କହିଲେ, ‘‘ଦେଖ, ରାଧା, ତୋ ସ୍ୱଭାବ ବଡ଼ ମନ୍ଦ । ମାଲିକ ତୋ କଥା ସବୁ ଶୁଣି ତୋତେ କାମରୁ ବାହାର କରିଦେଇଛନ୍ତି । ତୁ ଏ ପଚାଶ ଟଙ୍କା ନେଇ ଯା ପଳା ।’’ କହି ରାଧାକୁ ପଚାଶଟି ଟଙ୍କା ଦେଲେ । ରାଧା କାରଖାନା ଛାଡ଼ି ଚାଲିଗଲା ।
ରାଧାକୁ ପୁଣି ଅକୂଳ ସାଗରରେ ଭାସିବାକୁ ପଡ଼ିଲା । ରମାର ଖର୍ଚ୍ଚ ପାଇଁ ମାସକୁ ବାର ଟଙ୍କା ପରିବର୍ତ୍ତେ ପନ୍ଦର ଟଙ୍କା ଦେବାକୁ ଯେଉଁ ସମୟରେ ଦୀନା ସାହୁ ଚିଠି ଲେଖିଥିଲା, ଏ ଠିକ୍ ସେହି ସମୟରେ ଘଟଣା । ରାଧା କାର୍ଯ୍ୟରୁ ଚାଲିଯିବାରୁ ଦୀନାସାହୁଠାକୁ ମାସକୁ ମାସ ଟଙ୍କା ପଠାଇ ପାରିଲା ନାହିଁ । ତାକୁ ସବୁ ଅନ୍ଧାର ଦିଶିଗଲା । ସେ କାର୍ଯ୍ୟରୁ ବାହାର ହୋଇ ଏତେ କଷ୍ଟ ପାଉଛି ବୋଲି ମାଲିକ ଜାଣିଲେ ନାହିଁ । ତାଙ୍କ ଅଗୋଚରରେ ମାଲିକିଆଣୀ ତାକୁ ଗୋଟାଏ ଦାତବ୍ୟ ପାଣ୍ଠିରୁ ପଚାଶ ଟଙ୍କା ଦେଇ ବାହାର କରି ଦେଇଥିଲେ ।
ରାଧା ବଜାରରେ ଖଣ୍ଡିଏ କୁଡ଼ିଆଭଡ଼ା ନେଇ ରହି, ଦିନ ମଜୁରିରେ କାମ କରିବାକୁ ଲାଗିଲା; କିନ୍ତୁ ସେ ମଜୁରି ତା’ ପେଟକୁ ଅଣ୍ଟିଲା ନାହିଁ । ଝିଅର ଖର୍ଚ୍ଚ ପାଇଁ ସେ ସେଥିରୁ ଆଉ ପଠାଇବ କ’ଣ ? ଝିଅଟି ପାଖରେ ଥିଲେ, ସେ ତା’ ମୁହଁ ଚାହିଁ ଟିକିଏ ଖୁସି ହେଉଥାନ୍ତା । ଭାବିଲା, ତାକୁ ଯାଇ ନେଇଆସିବ । କିନ୍ତୁ ଯିବା ଆସିବାକୁ ବାଟ ଖର୍ଚ୍ଚ ପାଇବ ବା କେଉଁଆଡ଼ୁ ? ତା’ପରେ ପୁଣି ଦୀନା ସାହୁର ଗୁଡ଼ାଏ ଟଙ୍କା ବାକି ପଡ଼ିଯାଇଥିଲା । ସେ କଥା ଭାବି ସେ କହିଲା, ‘‘ନା ଧନମାଳୀ ଖାଇ ପିଇ ସୁଖରେ ଅଛି; ଥାଉ । ତାକୁ ଆଣି ଏ ଯମଦଣ୍ଡରେ ଘାଣ୍ଟିବି କାହିଁକି ?’’
ରାଧା ଯେ କାରଖାନାରୁ ଦୁଶ୍ଚରିତ୍ରତା ଯୋଗେ ତଡ଼ା ଖାଇ ଆସିଛି, ତାହା ଚାରିଆଡ଼େ, ଅତି ଅଳ୍ପ ସମୟ ମଧ୍ୟରେ, ମଢ଼ର ଦୁର୍ଗନ୍ଧ ପରି ବ୍ୟାପିଗଲା । ସେ ବାଟରେ ଗଲାବେଳେ ଲୋକେ ତା’ ଆଡ଼କୁ ଆଙ୍ଗୁଠି ଦେଖାଇ କଥାବାର୍ତ୍ତା ହେବାକୁ ଲାଗିଲେ । ସେ ପଳାଇ ଅନ୍ୟ କୌଣସିଠାରେ; ଏପରିକି ତା’ ନିଜ ଗ୍ରାମରେ ସୁଦ୍ଧା, ବିଲବାଡ଼ିରେ କାମ କରିବ ବୋଲି ଭାବିଲା; କିନ୍ତୁ ସାରଙ୍ଗଗଡ଼ ଛାଡ଼ି ଯିବ କିପରି ? ସେ ଜଣେ ମହାଜନଠାରୁ କିଛି ଟଙ୍କା ଧାରିଥିଲା । ମହାଜନ କହିଲା, ‘‘ତୁ ଯେବେ ଚାଲିଯିବୁ, ଦେଖ, ତୋତେ ଚୋରିରେ ପୋଲିସରେ ଦେବି ।’’ ସେ ଯେଉଁ ଭଡ଼ାଘରେ ଥିଲା ତା’ର ମାଲିକ କହିଲା, ‘‘କାହିଁକି ? ତୋର ବୟସ ଅଛି, ରୂପ ଅଛି । ରୋଜଗାର କରି ମୋ ଭଡ଼ା ଦେଇ ଯା ।’’ ଶୁଣି ରାଧା ମୁଣ୍ଡ ପୋତି ଦୀର୍ଘନିଃଶ୍ୱାସ ପକାଇଲା । ସେ ଗଡ଼ଯାକ ଘରକୁ ଘର କାମ ଖୋଜି ବୁଲିଲା । କିନ୍ତୁ ସମସ୍ତେ ନାକ ଛିଞ୍ଚାଡ଼ିଲେ; କହିଲେ, ‘‘ତୁ ଟା ନଷ୍ଟ ମାଇକିନିଆଟାଏ । ତୋତେ କିଏ ଘରେ ପୂରେଇବ ?’’ ରାଧା କାନ୍ଦି କାନ୍ଦି, କେତେବେଳେ ଲୁହ ପୋଛି, କେତେବେଳେ ବା ଆଖିର ଲୁହ ଗଡ଼ାଇ ପକାଇ, ଗଡ଼ର ଏ ମୁଣ୍ଡୁ ସେ ମୁଣ୍ଡ ଅନେକ ବୁଲିଲା; କିନ୍ତୁ କୌଣସିଠାରେ କିଛି ଆଶା ଦେଖିଲା ନାହିଁ ।
ମାଘ ମାସ ଶ୍ରୀପଞ୍ଚମୀ ଉତ୍ସବ ଦିନ କାରଖାନା ଭିତରେ ମହୋତ୍ସବ ଲାଗିଥିବା ସମୟକୁ ରାଧାକୁ ବାହାର କରି ଦିଆଯାଇଥିଲା । ତା’ପରେ ଗ୍ରୀଷ୍ମ ଏବଂ ବର୍ଷାଋତୁ ଯାଇ, ପୁଣି ମାଘ ମାସ ଉପସ୍ଥିତ ହେଲା । ସେ ବର୍ଷଯାକ ରାଧାର ଦୁଃଖ, କଷ୍ଟ ଲଜ୍ଜା ଅପମାନ, ନିର୍ଯାତନାର ତ ସୀମା ନାହିଁ-। ତା’ପରେ ପୁଣି ତା’ ଋଣ ବଢ଼ିବାକୁ ଲାଗିଲା । ଦୀନା ସାହୁ ବାରମ୍ବାର ଟଙ୍କା ମାଗି ବେରିଙ୍ଗି ଚିଠି ଲେଖି ପଠାଇଲା । ବେରିଙ୍ଗି ଚିଠି ରଖିବାରେ ରାଧାର ପିନ୍ଧା ଲୁଗା ଖଣ୍ଡି ଛଡ଼ା ବାକି ସବୁ ଉଡ଼ିଗଲା । ଦିନେ ଚିଠି ଆସିଲା ଯେ ରମା ଲୁଗା ଅଭାବରେ ଲଙ୍ଗଳା ହୋଇ ରହିଛି । ରାଧାକୁ ପଇସାଟିଏ ପାଇବାର ଉପାୟ ଦେଖାଗଲା ନାହିଁ । ସେ ସମୟରେ ଚଉରି ତିଆର କରିବାକୁ ଚଉରିଆମାନେ ଖୁବ୍ ବେଶୀ ଦାମରେ ମୁଣ୍ଡବାଳ କିଣି ନେଉଥିଲେ । ରାଧା ଚିଠି ପାଇଲା ପରେ ଦିନଯାକ ଏଠାକୁ ସେଠା ବୁଲି ବୁଲି, ସନ୍ଧ୍ୟାବେଳେ ଜଣେ ଚଉରିଆ ପାଖେ ଯାଇ ପହଞ୍ଚିଲା । ଦେଖି ଚଉରିଆ କହିଲା, ‘‘ଆଃ, ବେଶ୍ ବାଳ ତ !’’
ସେ ପାଞ୍ଚ ଟଙ୍କାରେ ରାଧା ପିଲାପାଇଁ ଲୁଗାପଟା କିଣି ପଠାଇଦେଲା । ତାକୁ ପାଇ, ଦୀନା ସାହୁ ଓ ତା’ ଭାର୍ଯ୍ୟା ରାଗରେ ଜଳିଉଠିଲେ । ତାଙ୍କର ଲୁଗା ଦରକାର ନ ଥିଲା, ଦରକାର ଥିଲା ଟଙ୍କା । ଯାହା ହେଉ ସେମାନେ ସେ ଲୁଗାର ସଦ୍ବ୍ୟବହାର କଲେ, ଚମ୍ପା ଓ ହୀରା ଦୁହିଙ୍କ ଭିତରେ ବାଣ୍ଟି ଦେଲେ । ରମା ମାଘମାସ ଶୀତରେ ପୂର୍ବପରି ଥୁରୁଥୁରୁ ହେବାକୁ ଲାଗିଲା । ଏଣେ ରାଧା ଦର୍ପଣରେ ମୁହଁ ଦେଖି କହିଲା, ‘‘ବାଳ ପେଣ୍ଡାକ ଗଲା, ଯାଉ । ମୋ ଦରିଦ୍ର ପସରା ତ ଲୁଗା ପିନ୍ଧି ଖୁସିରେ ରହିଲା ।’’
ରାଧା ହୃଦୟରେ କ୍ରମେ ବିଷାଦ ପୂରିଗଲା । ତା’ର ସବୁ ଯାଇଥିଲା; ଥିଲା କେବଳ ଟିକିଏ ରୂପ । ବାଳ ପେଣ୍ଡାକ ଯିବାରୁ ତାହା ମଧ୍ୟ ଲୋପ ପାଇଲା । ତହୁଁ ସେ ସମସ୍ତଙ୍କୁ ଘୃଣା କରିବାରେ ଲାଗିଲା । ଧନଞ୍ଜୟ ରାୟ ତା’ର ଦୁଃଖର କାରଣ ବୋଲି ବିଚାରି, ତାଙ୍କ ଉପରେ ରାଗିଲା, ତାଙ୍କୁ ଅଭିଶାପ ଦେଲା । ମୋଟ ଉପରେ ସେ ବାୟାଣୀ ପାଲିଟିଗଲା ବୋଲି କହିଲେ ଚଳେ । ସେ କେତେବେଳେ ହସିଲା, କେତେବେଳେ କାନ୍ଦିଲା, କେତେବେଳେ ବା କହିଲା, ମୋର ସମ୍ପତ୍ତି ବେଶି ହେଲେ ମୋ ଧନମାଳୀ ଆସି ମୋ ପାଖରେ ରହିବ ।’’
ଦିନେ ସେ ଦୀନା ସାହୁଠାରୁ ଏହି ଚିଠିଟି ପାଇଲା । ‘‘ରମାର ନାଳରକ୍ତ ଝାଡ଼ା ହେଉଛି-। ଔଷଧ ଖର୍ଚ୍ଚକୁ ତିରିଶ ଟଙ୍କା ପଠାଅ । ନୋହିଲେ ପିଲା ବଞ୍ଚିବାର ଆଶା ନାହିଁ । ରାଧା ଚିଠି ପଢ଼ି ନ କାନ୍ଦି ଠୋ ଠୋ ହସିଲା ।’’ କହିଲା, ‘‘ଆରେ ମୁଁ ଆଜି ତିରିଶ ଟଙ୍କା ପଠେଇବି ।’’ ସେଦିନଯାକ ସେ ସବୁଦିନ ପରି ଏଣେତେଣେ ବୁଲିଲା । ବାଟରେ ଜଣେ ଦାନ୍ତ ବ୍ୟବସାୟୀ ନିଜ ଦାନ୍ତ ବ୍ୟବସାୟ ବିଷୟରେ ବକ୍ତୃତା କରୁଥିଲା । ଅନେକ ନିଷ୍କର୍ମା ଲୋକ ରୁଣ୍ଡ ହୋଇ ଶୁଣୁଥିଲେ । ରାଧା ସେମାନଙ୍କ ସଙ୍ଗେ ଠିଆ ହୋଇ ଶୁଣିଲା । ଦାନ୍ତ ବ୍ୟବସାୟୀ ହଠାତ୍ ରାଧାର ମୁକ୍ତା ଦାନ୍ତ ଦେଖି କହିଲା, ‘‘ଦେଖ; ଝିଅ, ତୋ ଆଗଦାନ୍ତ ଦିଓଟି ଦବୁ ତ ଯୋଡ଼ିଏ ମୋହର ଦେବି ।’’
‘‘ଏଁ, ମାଗଣା ପଡ଼ିଚି ନା କ’ଣ ?’’
ରାଧା ଡରି ଧାଇଁ ଚାଲିଗଲା । ଯାଇ ତା’ର ପଡ଼ୋଶୀକି କହିଲା, ‘‘ଦେଖ, ମାଉସୀ, ଦିଟା ମୋହର ଦେଇ, ପୁଣି ମୋର ଯୋଡ଼ିଏ ଦାନ୍ତ ନବ । ମୁଁ ପଛକେ କୂଅକୁ ଡେଇଁ ପଡ଼ିବି, ଦାନ୍ତ ମୁଁ ଛାଡ଼ିବି ନାହିଁ ।’’
‘‘ଦୁଇ ମୋହର ହେଲେ ତିରିଶି ଟଙ୍କା ।’’
ତିରିଶି ଟଙ୍କା ନାମ ଶୁଣି, ରାଧା ହଠାତ୍ ଚମକି ପଡ଼ିଲା । ସେ ଦୀନା ସାହୁର ଚିଠି ଖଣ୍ଡିକ କାଢ଼ି ପୁଣି ପଢ଼ିଲା । ପଢ଼ିସାରି ସେ ପଡ଼ୋଶୀକି ଯାଇ ପଚାରିଲା, ‘‘ଆଚ୍ଛା ନାଳରକ୍ତ ହଗା କ’ଣ ଖରାପ ରୋଗ ?’’
‘‘ମରିଯାନ୍ତି ।’’ ରାଧା ଜିଭ କାମୁଡ଼ି ଦେଇ ପଛକୁ ଦୁଇ ପାହୁଣ୍ଡ ଘୁଞ୍ଚିଗଲା । କେତେକ ସମୟ ପରେ ସେ ପୁଣି କହିଲା, ‘‘ଭଲ ହୁଅନ୍ତା କିମିତି ?’’
ରାଧା ପଡ଼ୋଶୀ କଥା ଶୁଣି, ପୁଣି ଥରେ ଚିଠି ଖଣ୍ଡିକ ପଢ଼ିଲା । ରାତି ଭିତରେ ସେ ଥରେ ଦାନ୍ତ ବ୍ୟବସାୟୀ ନିକଟକୁ ଯାଇ ବସାକୁ ଫେରି ଆସିଲା । ଆର ଦିନ ସକାଳେ ପଡ଼ୋଶୀ ଆସି ଦେଖିଲା ଯେ ରାଧା ନିତାନ୍ତ ବୁଢ଼ୀଟା ପରି ଦିଶୁଛି ଏବଂ ଥୁରୁଥୁରୁ ଥରୁଛି । ତହୁଁ ସେ ପଚାରିଲା, ‘‘କିଲୋ, ତୋର କ’ଣ ହେଇଚି କି ।’’
‘‘କିଛି ନାହିଁ; ମୋ ପିଲାଟି ଯେ ନାଳରକ୍ତ ହଗା ଆଉ ଭୋଗିବ ନାହିଁ; ତା’ ପାଇଁ ମୋ ମନରେ ବଡ଼ ଆନନ୍ଦ ହୋଇଚି–’’ କହି, ସେ ଯୋଡ଼ିଏ ମୋହର କରାଟରୁ କାଢ଼ି ଦେଖାଇଲା । ସେତେବେଳେ ତା’ ମୁହଁରେ ଟିକିଏ ହସ ଦେଖାଗଲା । ପ୍ରଭାତର ସୂର୍ଯ୍ୟ କିରଣ ପଡ଼ି ମୁହଁରେ ବିକଟ ଛବି ପ୍ରକଟ କଲା । ପଡ଼ୋଶୀ ଦେଖିଲା ଯେ ତା’ର ଦୁଇ କଳରେ ରକ୍ତ ଲାଗିଛି ଏବଂ ଆଗ ପାଟିରେ ଦୁଇଟି ଦାନ୍ତ ନାହିଁ । ରାଧା ଟଙ୍କା ତିରିଶଟି ଜଜାରସିଂହ ପଠାଇ ଦେଲା । ସେ କିପରି ଜାଣିବ ଯେ ରମାର ଦେହ ପ୍ରକୃତରେ କିଛି ଖରାପ ହୋଇ ନ ଥିଲା ?
ସେଦିନ ରାଧା ତା’ ଦର୍ପଣଟି ଭାଙ୍ଗି ଫୋପାଡ଼ି ଦେଲା । କାରଣ ରଖିଥିଲେ, ସେ ସେଥିରେ କେବଳ ତା’ର ଲଣ୍ଡା ମୁଣ୍ଡ, ପାକୁଆ ତୁଣ୍ଡ ଓ ମଳିନ ବିମର୍ଷ ମୁହଁ ଦେଖିଥାନ୍ତା ।
ଏଣିକି ରାଧା ବଡ଼ କଷ୍ଟରେ ଚଳିଲା । ତାକୁ ପିନ୍ଧିବାକୁ ଲୁଗା ମିଳିଲା ନାହିଁ । ସୁତରାଂ ସେ କନା ଗଇଣ୍ଠେଇ କୌଣସି ପ୍ରକାରେ ଲଜ୍ଜା ନିବାରଣ କଲା । ଦୁଇ ଓଳି ଖାଇବା ଅଭାବରେ ଓଳିଏ ଖାଇଲା । ତଥାପି ସେ ତା’ର କରଜ ଶୁଝିବାକୁ ଏବଂ ଝିଅ ପାଇଁ ପଠାଇବାକୁ କିଛି ସଞ୍ଚୟ କରି ପାରିଲା ନାହିଁ । ଘରର ମାଲିକ ଭଡ଼ା ମାଗି ଆସି ଥରକୁ ଥର କହିଲା, ‘‘ତୋର ବୟସ ଅଛି, ତୁ କାହିଁକି ସାବିତ୍ରୀ ହେଇ ମୋ ଭଡ଼ା ମାଡ଼ି ବସିଚୁ ?’’ ଏ କଥା ବାରମ୍ବାର ଶୁଣି ରାଧା ମନରେ ଗୋଟିଏ ପରିବର୍ତ୍ତନ ଆସିଲା । ଲୁଗା ଦୋକାନରୁ କାଳିରେ ସେ କେତେକ ଲୁଗାପଟା ଓ ଖଣ୍ଡିଏ ପାଟ କିଣି ଆଣିଲା । ମାତ୍ର ତା’ପରେ ତାକୁ ସେ ଘରେ ରହିବାକୁ ଜାଗା ମିଳିଲା ନାହିଁ । ସେ ବସା ବଦଳାଇ ଗଡ଼ର ଏକ ପ୍ରାନ୍ତରେ ସମାନ ଧର୍ମିଣୀ ନାରୀମାନଙ୍କ ସହିତ ଯାଇ ରହିଲା । ତା’ପରେ ତା’ର ପ୍ରତିଦିନ କିଛି କିଛି କଞ୍ଚା ପଇସା ରୋଜଗାର ହେଲା । ସେ ଭୋର ବେଳେ କେଉଁଦିନ ଟଙ୍କାଏ, କେଉଁଦିନ ଦେଢ଼ଟଙ୍କା; କେଉଁଦିନ ବା ଖୁବ୍ କମ୍ରେ ଆଠଅଣା ଗଣି ରଖେ । ଏ ପଇସାରେ ସେ କରଜରୁ କିଛି ଶୁଝିଲା ଏବଂ ଦୀନା ସାହୁଠାରୁ ଚିଠି ନ ପାଇ ସୁଦ୍ଧା, ତା’ ପାଖକୁ କିଛି ପଠାଇଲା ।
ବିଷମ ପରୀକ୍ଷାର ପଥେ
ରାଧା ଯେ ଦିନକ ଭିତରେ ହଠାତ୍ କେତେ ଉଚ୍ଚରୁ କେତେ ତଳକୁ ଖସିଗଲା; ତାହା ବୁଝିପାରି ସେ ଦୁଃଖରେ ବିହ୍ୱଳ ହୋଇପଡ଼ିଲା । ତା’ର ନିଜ ଉପରେ ରାଗ ହେଲା, ସଂସାର ପ୍ରତି ମନରେ ଅଶ୍ରଦ୍ଧା ଜନ୍ମିଲା, ଧନଞ୍ଜୟ ରାଏଙ୍କୁ ସେ ମନେ ମନେ ରାକ୍ଷସ ବୋଲି ଭାବିଲା । ମୋଟ ଉପରେ ସେ ସଂସାରଟାକୁ ଘୃଣାଚକ୍ଷୁରେ ଦେଖିବାକୁ ଲାଗିଲା । ତା’ର ପୂର୍ବ ସ୍ନେହ ଅକ୍ଷୁଣ୍ଣ ରହିଲା କେବଳ ରମା ପ୍ରତି । ସେ ମନକୁମନ କହିଲା, ‘‘ମୁଁ ପଛେ ନର୍କରେ ପଡ଼େ, ମୋ କୋଳର ସଙ୍ଖାଳିଟି ସୁଖରେ ରହୁ ।’’ ସେଦିନ ଦୀନା ସାହୁଠାରୁ ଚିଠି ଆସିଲା ଯେ ରମାର ଦେହ ଭଲ ହୋଇ ନାହିଁ ଏବଂ ଆଉ ପଚାଶ ଟଙ୍କା ଦରକାର ।
ଏ ଘଟଣା ପରେ, ଦିନେ ପୌଷମାସ ରାତିରେ ରାଜାଙ୍କ ଭାୟାଳି ସାଆନ୍ତ ଗୋଷ୍ଠୀର ଜଣେ ଯୁବକ ଗୋଟାଏ ସ୍ତ୍ରୀଲୋକ ସହିତ ବିଚ୍ ଦାଣ୍ଡ ଉପରେ ଥଟ୍ଟା କଉତୁକ କରୁଥିଲେ । ଥଟ୍ଟା କଉତୁକ ବଢ଼ିବଢ଼ି କ୍ରମେ ରାଗରୁଗାରେ ପହଞ୍ଚିଲା । ଯୁବକ କହିଲେ, ‘‘ତୁ ପୋଡ଼ାମୁହୀଁ, ମୋତେ ପୁଣି ଟଙ୍କା ମାଗୁଚୁ ? ଯାହା ଦି’ଟଙ୍କା ଦେଇଚି, ସେତିକି । ମୁଣ୍ଡରେ ବାଳ ନାହିଁ, ପାଟିରେ ଦାନ୍ତ ନାହିଁ, ୟାର ପୁଣି ଦିମାକ ଏଡ଼େ ।’’ ଶୁଣି ସ୍ତ୍ରୀ ଲୋକଟି ଟିକିଏ ରାଗି ଉଠିଲା । ତହୁଁ ଯୁବକ ନାରାୟଣ ସିଂହ ତାକୁ ଗୋଟାଏ ବିଧା ମାରିଦେଲେ । ସେ ନାରାୟଣ ସିଂହଙ୍କ ଲୁଗା ଭିଡ଼ି ଧରିବାରୁ ଲୁଗାଟା ଚିରିଗଲା । ସେତେବେଳେ ଜଣେ ଦୀର୍ଘାକୃତି ଲୋକ ହଠାତ୍ ଆସି ସେଠାରେ ପହଞ୍ଚିଲେ-। ନାରାୟଣ ସିଂହ ମୁହଁ ଲୁଚାଇ ଚାଲିଗଲେ; କିନ୍ତୁ ଆଗନ୍ତୁକ ତାଙ୍କୁ ଚିହ୍ନି ପକାଇଲେ । ତା’ପରେ ସେ ସ୍ତ୍ରୀଲୋକଟିକି ଧରି ଦାଣ୍ଡେ ଦାଣ୍ଡେ ଫାଣ୍ଡିଘର ଆଡ଼କୁ ଚାଲିଲେ । ଲୋକେ ଜହ୍ନ ଆଲୁଅରେ ଦେଖିଲେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ରାଧାକୁ ଟାଣି ଟାଣି ନେଉଛନ୍ତି ।
ଫାଣ୍ଡିରେ ହାଜତ ଘର ଦ୍ୱାର ଫିଟାଇ ସିପାହୀ ରାଧାକୁ ଭିତରେ ଭର୍ତ୍ତି କରିଦେଲା । ସର୍ଦ୍ଦାର ମହାପାତ୍ର କହିଲେ, ‘‘ଦେଖ୍, ରାଣ୍ଡୀ, ମୁଁ ତୋତେ କେତେଥର କହିଲି; ତୁ ଏ ବୃତ୍ତି ଛାଡ଼ିଦେ; ତୋ ହାତରେ ହବ ନାହିଁ । ତୁ ଶୁଣିଲୁ ନାହିଁ । ଫଳରେ ଆଜି ତୁ ନାରାୟଣ ସିଂହଙ୍କ ପରି ଜଣେ ଭଦ୍ରବ୍ୟକ୍ତିଙ୍କ ସଙ୍ଗେ କଳି କରି ତାଙ୍କୁ ଅପମାନ ଦେଲୁ । ତୋତେ ମୁଁ ଛ’ ମାସ ମିଆଦ ଖଟେଇବି ।
ରାଧା ପଞ୍ଜୁରିର ପୋଷା ଶାରୀଟି ପରି ଧୀରେ ଧୀରେ ଉଚ୍ଚାରଣ କଲା, ‘‘ଛ’ ମାସ ମିଆଦ ।’’ ତା’ପରେ ସେ କିଛି ସମୟ ନୀରବ ରହିଲା । ପୁଣି କହିଲା, ‘‘ମୋ ପିଲା କ’ଣ କରିବ, ସର୍ଦ୍ଦାର ସାହେବ ? ମୋର ଯେ ଦୀନା ସାହୁକୁ ପଚାଶ ଟଙ୍କା ପଠାଇବାକୁ ଅଛି ସେ କଥା କ’ଣ ଆପଣ ଜାଣନ୍ତି ନାହିଁ ? ମୋତେ ମାଫ୍ କରନ୍ତୁ । ମୁଁ ଆଉ କେବେ ଏପରି କରିବି ନାହିଁ । ମୋର କିଛି ଦୋଷ ନାହିଁ । ନାରାୟଣ ସିଂହ ମୋତେ ଆଗ ଯାହା ତ ଗାଳି ଦେଲେ, ଦେଲେ; ତା’ପରେ ମୋ ପିଠିରେ ବିଧାଏ ମାରିଲେ । ମୁଁ ଜୀବନରେ ସେପରି ବିଧା କେବେ ଖାଇ ନ ଥିଲି । ଚାଲନ୍ତୁ, ମୁଁ ତାଙ୍କ ଗୋଡ଼ ତଳେ ପଡ଼ିବି; ଦୋଷ ମାଗିନେବି । ମୋ ଗଣ୍ଠିଧନ ପାଇଁ ପରା ମୁଁ ନିଜକୁ ଦାଣ୍ଡରେ ବିକିଚି । ମୋର ଆଉ ଅଛି କ’ଣ ? ତାଠି ଦୟା ବହି, ମୋତେ ଛାଡ଼ି ଦିଅନ୍ତୁ । ମୁଁ ଆପଣଙ୍କ ଗୋଲାମ ।’’ କହି, ରାଧା ସର୍ଦ୍ଦାରଙ୍କ ଗୋଡ଼ ଧରି ପକାଇଲା । ସର୍ଦ୍ଦାର ଗୋଡ଼ ଛଡ଼ାଇନେଇ କହିଲେ, ‘‘ନା, ମୁଁ କିଛି ଶୁଣିବି ନାହିଁ ।’’
ହଠାତ୍ ବାହାରୁ ସ୍ୱର ଶୁଣାଗଲା, ‘‘ଟିକିଏ ସତାର କରନ୍ତୁ ।’’ ମହାପାତ୍ରେ ମୁଣ୍ଡ ଟେକି ଚାହିଁ ଦେଖିଲେ, ନିଜେ ଦେବାନ ଆସି ଉପସ୍ଥିତ । ସେ ସସଂଭ୍ରମେ କହିଲେ, ‘‘ନମସ୍କାର, ଦେବାନ ସାହେବ ।’’ ‘‘ଦେବାନ ସାହେବ’’ ନାମ ଶୁଣି, ରାଧା ତଳୁ ଉଠିପଡ଼ି ଆଗନ୍ତୁକଙ୍କ ପାଖକୁ ଚାଲିଗଲା-। କହିଲା, ‘‘ତୁ ତେବେ ଦେବାନ ।’’ କହି, ଦେବାନଙ୍କ ଉପରେ ଥୁ କରି ଲେଣ୍ଡାଏ ଛେପ ପକାଇଦେଲା-। ଦେବାନ ଛେପ ପୋଛିଦେଇ କହିଲେ, ‘‘ସର୍ଦ୍ଦାର, ୟାକୁ ଛାଡ଼ିଦିଅନ୍ତୁ ।’’
ସର୍ଦ୍ଦାର, ସତେ ଯେପରି ପାଗଳ ହୋଇଗଲେ । ସେ ରହସ୍ୟଟା କିଛି ବୁଝିପାରିଲେ ନାହିଁ । ଗୋଟାଏ ନଗଣ୍ୟ ଗଣିକା ଦେବାନଙ୍କ ମୁହଁରେ ଛେପ ପକାଇବ; ଦେବାନ ଛେପ ପୋଛିଦେଇ କହିବେ, ୟାକୁ ଛାଡ଼ିଦିଅ । ଏ କଥାର ଅର୍ଥ ବୁଝିପାରିଲେ ନାହିଁ ।
ତାକୁ ଛାଡ଼ିଦେବା କଥା ଶୁଣି, ରାଧା ଚାରିଆଡ଼କୁ ଥରେ ଚାହିଁ କହିଲା, ‘‘ମୋତେ ତେବେ ଛାଡ଼ିଦେବେ । ଏକଥା କିଏ କହିଲା ? ଏ ପୋଡ଼ା ଦେବାନ ତ କହି ନ ଥିବ । ଆପଣ କହିଲେ, ସର୍ଦ୍ଦାର ବାହାଦୁର ? ମୋତେ ତେବେ ଛାଡ଼ିଦେବେ ନିଶ୍ଚୟ । ହେଲେ, ମୋ କଥା ଟିକିଏ ଶୁଣିଥାନ୍ତୁ-। ମୁଁ ଯେ ଆଜି ଏଡ଼େ କଳଙ୍କିନୀ ହୋଇଚି, ତା’ର କାରଣ ଏଇ ଆଣ୍ଠୁକୁଡ଼ା ଦେବାନ । ମୁଁ ୟା କାରଖାନାରେ କାମ କରୁଥିଲି । ୟା କାନରେ କିଏ କ’ଣ କହିଲା, ମୋତେ କିଛି ନ ପଚାରି, ଦିନେ ପଚାଶ ଟଙ୍କା ଦେଇ ବାହାର କରିଦେଲା । ମୋର ତ କୋଡ଼ର ଝିଅଟି ଜଜାରସିଂହରେ ଅଛି-। ତାରି ଲାଗି ମୁଁ ଏ କଳଙ୍କ ଆଦରିଲି । ତାକୁ କିଏ ନେଇ ପାଳ । ମୁଁ କାହିଁକି ଏ ପାପରେ ପଡ଼ି ସଢ଼ିବି ?’’
ଧନଞ୍ଜୟ ରାଏ ଏକଧ୍ୟାନରେ ରାଧାର କଥା ଶୁଣୁଥିଲେ । ସେ କହିସାରିବାରେ ପଚାରିଲେ, ‘‘ତୁମର କେତେ ଟଙ୍କା ଏକ୍ଷଣି ଦରକାର ?’’ ରାଧା ସର୍ଦ୍ଦାରଙ୍କୁ ଚାହିଁ କଥା କହୁଥିଲା । ଦେବାନଙ୍କ କଥା ଶୁଣି, ମୁହଁ ବୁଲାଇ ଦେଇ କହିଲା, ‘‘ମୁଁ କ’ଣ ତତେ କହୁଚି ?’’ ତହୁଁ ସେ ସିପାହୀମାନଙ୍କୁ କହିଲା; ‘‘ଦେଖିଲଟିକି, ମୁଁ ୟା ମୁହଁରେ କିମିତି ଛେପ ପକେଇଲି ? ଏ ପୋଡ଼ାମୁହାଁ ମୋ ସାଙ୍ଗେ ସାଙ୍ଗେ ଆସିଚି ମୋତେ ଡରେଇବ ବୋଲି । ମୁଁ ୟାକୁ ଡରି ରହିଚି ? ଡରିଲେ ଡରିବି ସର୍ଦ୍ଦାରଙ୍କୁ । ଆଉ କାହାକୁ କାହିଁକି ଡରିବି ମ ? ମୋତେ ଏଇଥରଟା ଛାଡ଼ିଦିଅ, ମଣିମା ! ମୋତେ ଯେ ମାରନ୍ତୁ, ପିଟନ୍ତୁ, ହାଣନ୍ତୁ; ମୁଁ କାହାକୁ କିଛି କହିବି ନାହିଁ । ଆଉ କ’ଣ ? ମୁଁ ଏବେ ଯାଉଚି ।’’ ରାଧା ଗୋଟିଏ ମୁଣ୍ଡିଆ ମାରି ଯିବାକୁ ବାହାରିଲା ।
ସର୍ଦ୍ଦାର କହିଲେ, ‘‘ସିପାହୀ, ପଳେଇଲା ଯେ । ତାକୁ ଛାଡ଼ିଦବାକୁ ତତେ କିଏ କହିଲା-?’’
ରାଧା ଯେ ଚାଲି ଯାଉଥିଲା, ସର୍ଦ୍ଦାରଙ୍କ କଥା ଶୁଣି ଥରି ଥରି ଠିଆ ହୋଇପଡ଼ିଲା । ତା’ପରେ ସେ ଥରେ ସର୍ଦ୍ଦାରଙ୍କୁ ଓ ଥରେ ଦେବାନଙ୍କୁ ଚାହିଁବାରେ ଲାଗିଲା ।
‘‘ଦେବାନ ସାହେବ ! ସେ କଥା ହବନାହିଁ । ଏ ଚଣ୍ଡାଳୁଣୀ ପରା ଜଣେ ଭଦ୍ରଲୋକଙ୍କୁ ଅପମାନ ଦେଇଚି ।’’
‘‘ସର୍ଦ୍ଦାର, ଆପଣ ମୋ କଥା ଶୁଣନ୍ତୁ । ଆପଣ ଯେତେବେଳେ ଏ ପିଲାକୁ ଫାଣ୍ଡିକୁ ନେଇ ଆସିଲେ, ମୁଁ ପଛେ ପଛେ ଦଳେ ଲୋକଙ୍କ ସଙ୍ଗେ ଆସୁଥିଲି । ମୁଁ ତାଙ୍କୁ ପଚାରି ବୁଝିଛି ଏ ପିଲାର କିଛି ଦୋଷ ନାହିଁ, ଦୋଷ ନାରାୟଣ ସିଂହଙ୍କର ।’’
‘‘ତା’ ହଉ, ମାତ୍ର ଏ ଯେ ବର୍ତ୍ତମାନ ମୋ ଆଖି ଆଗରେ ଖୋଦ୍ ଦେବାନଙ୍କୁ ଅପାମାନ ଦେଲା । କ’ଣ ସମାନ୍ୟ କଥା କଲା ?’’
‘‘ସେ କଥା ମୁଁ ବୁଝିବି । ସେଥିପାଇଁ ତ ମୁଁ ଆପଣଙ୍କ ଆଗେ ଫେରାଦ ହୋଇନାହିଁ ।’’
‘‘କ୍ଷମା କରିବେ । ଏ ଅପମାନ ଆପଣଙ୍କର ନୁହେଁ, ଆଇନର ।’’
‘‘ମୁଁ ସେ କଥା କିଛି ବୁଝେ ନାହିଁ । ମୁଁ ବୁଝେ ନ୍ୟାୟ ଆଉ ଧର୍ମ । ଆପଣ ୟାକୁ ଛାଡ଼ିଦିଅନ୍ତୁ । ମୋ କଥା ରଖନ୍ତୁ ।’’
‘‘ହେଇ ପାରିବ । ଏ ମୋର ହୁକୁମ ।’’
‘‘ମୁଁ ଆଉ ପଦେ କଥା ଶୁଣିମି ନାହିଁ ।’’
ସର୍ଦ୍ଦାର ନମସ୍କାର କରି ଚାଲିଗଲେ । ରାଧା ମନ ମଧ୍ୟରେ ଗୋଟାଏ ଭୀଷଣ ପରିବର୍ତ୍ତନ ଅନୁଭବ କଲା । ଦେବାନ ତାକୁ କହିଲେ, ‘‘ମୁଁ ତୁମ ସବୁ କଥା ଶୁଣିଲି । ତୁମେ ଯେ ମୋ କାରଖାନାରେ କାର୍ଯ୍ୟ କରୁଥିଲ ଏବଂ ପରେ ତୁମକୁ ବାହାର କରି ଦିଆଯାଇଚି, ମୋତେ କିଛି ଜଣା ନାହିଁ । ଗଲା କଥା ଗଲାଣି । ଏଣିକି ମୁଁ ତୁମର ସବୁ ଖର୍ଚ୍ଚ ଚଳେଇବି । ତୁମେ ଏଠି ରହ ବା ପୁରୀଧାମରେ ରହ ବା କଟକ ସହରରେ ରହ; ମୁଁ ତୁମଠାକୁ ମାସକୁ ମାସ ଖର୍ଚ୍ଚ ପାଇଁ ଟଙ୍କା ପଠେଇବି । ତେବେ ତୁମେ ତୁମ ପିଲାଟିକି ଧରି ସୁଖରେ ରହିପାରିବ ।’’
ରାଧା ତା’ ପିଲାଟିକି ଧରି ଯେ ସୁଖରେ କେବେ ରହିପାରିବ, ଏ ଆଶା ତା’ର ନଥିଲା । ସୁତରାଂ, ଦେବାନଙ୍କ କଥା ଶୁଣି ସେ ଆନନ୍ଦରେ ବିହ୍ୱଳ ହୋଇପଡ଼ିଲା । ସେ ଠିଆ ହୋଇ ପାରିଲା ନାହିଁ; ଦେବାନଙ୍କ ହାତକୁ ଧରି ଚୁମ୍ବନ କରି ମୂର୍ଚ୍ଛିତ ହୋଇ ପଡ଼ିଗଲା ।
ରାଧାର ମୂର୍ଚ୍ଛା ଭାଙ୍ଗିଲା ବେଳେ ସେ ଦେଖିଲା ଯେ ସେ ଚିକିତ୍ସାଳୟରେ ଖଟରେ ଶୋଇଛି ଓ ଦେବାନ ବସି ନିଜ ହାତରେ ବିଞ୍ଚୁଛନ୍ତି । ରାଧା ଉଠିବାର ଦେଖି ସେ ପଚାରିଲେ, ତୁମକୁ କ’ଣ ଲାଗୁଚି ?
‘‘ଭଲ ଲାଗୁଚି । ମୋର ଆଉ କିଛି ହବନାହିଁ ଯେ ।’’
ଦେବାନ ସେ ମଧ୍ୟରେ ରାଧା ବିଷୟରେ ନାନା ଭାବରେ ତଦନ୍ତ କରି ସବୁ ବିଷୟ ବୁଝିସାରିଥିଲେ । ସୁତରାଂ ସେ ତାକୁ କହିଲେ, ‘‘ରାଧା, ତୁମେ ଆଉ କିଛି ଭାବନା କର ନାହିଁ । ତୁମ ପାପ କଟିଗଲାଣି । ତୁମେ ଜାଣ, ପାପ ପୁଣ୍ୟ ଗୋଟିଏ ଘରର ଦୁଇଟି କୋଠରୀ ମାତ୍ର । ଦୁହିଙ୍କ ମଧ୍ୟରେ ଗୋଟିଏ ସାନଦ୍ୱାର ଅଛି । ତୁମେ ଏବେ ସେ ଦ୍ୱାରବାଟେ ପାପ କୋଠରୀରୁ ପୁଣ୍ୟ କୋଠରୀକୁ ଆସିସାରିଚ । ତୁମ ପିଲାଟି ଆସିଯିବ । ତୁମେ ତାକୁ ଧରି ସୁଖରେ କାଳ କଟାଇବ । ଆଉ ଚିନ୍ତା କରନାହିଁ ।’’
ଏଣେ ଚିକିତ୍ସାଳୟରେ ଦେବାନ ଓ ରାଧା ଦୁହିଙ୍କ ମଧ୍ୟରେ ଏ କରୁଣ ଦୃଶ୍ୟ ଘଟୁଥିବା ବେଳେ, ସର୍ଦ୍ଦାର ମହାପାତ୍ରେ ପୋଲିସ ବିଭାଗର ପ୍ରଧାନ କର୍ମଚାରୀଙ୍କ ନିକଟକୁ ଏକ ଚିଠି ଲେଖି କଟକ ପଠାଇଲେ । ସେ ଚିଠିର ଲିଖିତ ବିଷୟ କେହି ଜାଣିପାରିଲେ ନାହିଁ । ତାହା ଅତ୍ୟନ୍ତ ଗୋପନୀୟ ରହିଲା । ଦେବାନ ସେ କଥା ଅବଶ୍ୟ ଶୁଣିଲେ; କିନ୍ତୁ କେବଳ ମୁହୂର୍ତ୍ତକ ପାଇଁ ଚମକି ପଡ଼ିବା ଛଡ଼ା ଆଉ କିଛି କଲେ ନାହିଁ । ସେ ତିନିଶହ ଟଙ୍କା ଦୀନା ସାହୁକୁ ପଠାଇ ଚିଠି ଲେଖିଲେ, ‘‘ଏଥିରୁ ତୁମର ସବୁ ପାଉଣା କାଟିନେବ । ବାକି ଯାହା ବଳିବ, ବାଟ ଖର୍ଚ୍ଚ କରି ରମାକୁ ଆଣି ଶୀଘ୍ର ଏଠାରେ ପହଞ୍ଚାଇଦେବ ।’’ ଚିଠି ପାଇ, ଦୀନା ସାହୁ ତା’ ଭାର୍ଯ୍ୟାକୁ କହିଲା, ‘‘ଯାଃ, ଏ ଏକ ମୂର୍ଖ । ଆମେ ପୁଣି ପିଲାଟାକୁ ପାଖରୁ ଛାଡ଼ିଦେବା ? ଏ ଲୋକଟା ବୋଧହୁଏ ୟା ମା’କୁ ରଖିଚି । ନୋହିଲେ ଏତେ ଟଙ୍କା ପାଣି ପରି କାହିଁକି ଖର୍ଚ୍ଚ କରନ୍ତା ?’’ କହି ସେ ପାଞ୍ଚଶହ ଟଙ୍କାର ଏକ ଖର୍ଚ୍ଚ ତାଲିକା ପଠାଇଲା । ସେଥିରୁ ସେ ପାଇଥିବା ତିନିଶହ ଟଙ୍କା, ବାକି ଦୁଇ ଶହ ପଠାଇବାକୁ ଚିଠି ଲେଖିଲା । ଦେବାନ ଦୁଇ ଶହ ଜାଗାରେ ତିନି ଶହ ଟଙ୍କା ପଠାଇ ଲେଖିଲେ, ‘‘ଅତି ଶୀଘ୍ର ରମାକୁ ଧରି ଆସ ।’’
ରାଧା ଚିକିତ୍ସାଳୟରେ ଅନେକ ଦିନ ପଡ଼ିରହିଲା । ତା’ ଦେହ ଭଲ ହେଲା ନାହିଁ । ନାରାୟଣ ସିଂହ ତା’ ପିଠିରେ ଯେ ବିଧାକ ମାରିଥିଲେ, ତା’ ଫଳରେ ତା’ର ଯକ୍ଷ୍ମା ରୋଗ ବାହାରିପଡ଼ିଲା । ଦେବାନ ତାକୁ ଦେଖିବାକୁ ରୋଜ ଦୁଇଥର ଆସନ୍ତି । ସେ ତାଙ୍କୁ ଦେଖିଲା ମାତ୍ରେ ପଚାରେ; ‘‘ମୋ ରମା କେବେ ଆସିବ ?’’ ଶୁଣି ଦେବାନ ଉତ୍ତର ଦିଅନ୍ତି, ‘‘କାହିଁ, ଆଜି ତ ଆସିଲା ନାହିଁ । କାଲି ଆସିବ ପରା ।’’ ଶୁଣି ରାଧାର ମନ ନାଚିଉଠେ ।
ଦିନେ ଚିକିତ୍ସକ ରାଧାର ନାଡ଼ି ଦେଖି; କିଛି ସମୟ କ’ଣ ଭାବି, ଟିକିଏ ମୁଣ୍ଡ ନାଡ଼ିଲେ । ତା’ପରେ ସେ କହିଲେ, ‘‘ଆଚ୍ଛା, ୟାର ପରା ଗୋଟିଏ ଝିଅ କେଉଁଠି ଅଛି ? ତାକୁ ଅଣାନ୍ତୁ ନା ।’’ ରାଧା ଚିକିତ୍ସକଙ୍କ କଥା ବୁଝି ନ ପାରି ଦେବାନଙ୍କୁ ପଚାରିଲା, ‘‘ସେ କ’ଣ କହିଲେ କି ?’’ ଦେବାନଙ୍କ ବୁକୁ ସେତେବେଳେ ଦାଉଁଦାଉଁ ପଡ଼ୁଥିଲା । କିନ୍ତୁ ସେ ଉପରେ ଟିକିଏ ହସି କହିଲେ, ‘‘କହୁଚନ୍ତି, ତୁମ ଝିଅଟି ଆସିଗଲେ, ତୁମ ଦେହ ଭଲ ହେଇଯିବ । ତୁମେ ଝାଡ଼ିଝୁଡ଼ି ହେଇ ଉଠିବ-।’’
‘‘ସେ ଠିକ୍ ବୁଝିଚନ୍ତି । ଦୀନା ସାହୁ ଆଉ କାହିଁକି ଡେରି କରୁଚି ମ ? ମୋ ଧନ ଆସିଲେ, ମୁଁ କୋଳରେ ବସେଇବି; କାଖରେ ଧରି ବୁଲିବି । ସେତେବେଳେ ଆଉ ମୋ ଦେହ ଖରାପ ହବ କିପରି ?’’
ରାଧା ଝିଅକୁ ଦେଖିଲେ ଆରୋଗ୍ୟ ଲାଭ କରିବ ବୋଲି ଏଣେ ମନେ ମନେ ଆଶା କରୁଥିବା ବେଳେ, ତେଣେ ଦୀନା ସାହୁ ଥରକୁ ଥର ଚିଠି ଲେଖିଲା ଯେ, ସେ ରମାକୁ ପଠାଇ ପାରିବନାହିଁ । କେତେବେଳେ ଲେଖିଲା ଯେ ସେ ଅସୁସ୍ଥ, ଆଉ କେତେବେଳେ ଲେଖିଲା ଯେ ତା’ର ଲୁଗାପଟା ନାହିଁ । ଏହିପରି ନାନା ବାହାନାରେ ସେ ରମାକୁ ପଠାଇଲା ନାହିଁ । ମାତ୍ର ସେ କଥା ରାଧାକୁ କେହି କହିପାରନ୍ତି ନାହିଁ । ବିଳମ୍ବ ହେବାରୁ ତା’ ଉତ୍କଣ୍ଠା ଦିନକୁ ଦିନ ବଢ଼ିଲା । ଦେଖି ଦେବାନ କହିଲେ, ‘‘ନା, ମୁଁ ଏଥର ଜଣେ ଲୋକ ପଠେଇବି, ଦରକାର ହେଲେ ମୁଁ ନିଜେ ମଧ୍ୟ ଯିବି-।’’ ସେହିଦିନ ସେ ଖଣ୍ଡିଏ ଚିଠି ଲେଖିଲେ । ତା’ ତଳେ ରାଧା ଦସ୍ତଖତ କରିଦେଲା । ଚିଠି ଖଣ୍ଡିକ ଏହି–
‘‘ଜଜାରସିଂହ ଚଟିଘର ମାଲିକ ଦୀନା ସାହୁ ଜାଣିବ । ଏ ପତ୍ରବାହକ ସଙ୍ଗରେ ରମାକୁ ଛାଡ଼ିଦେବ । ୟାଙ୍କଠାରୁ ତୁମର ପାଉଣା ପତ୍ର ସବୁ ବୁଝିନେବ ।
ଚିଠି ନେଇ କେହି ଜଜାରସିଂହ ଯିବା ପୂର୍ବରୁ ସାରଙ୍ଗଗଡ଼ର ଘଟଣାମୟ ଇତିହାସରେ ଗୋଟାଏ ବିଶେଷ ଘଟଣା ଘଟିଲା । ଦେବାନ ନିଜ କୋଠରୀ ମଧ୍ୟରେ ବସି କାର୍ଯ୍ୟ କରୁଛନ୍ତି; ସେତେବେଳେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଆସି ପହଞ୍ଚି କହିଲେ; ‘‘ମହାଶୟ, ଗୋଟାଏ ବିଶେଷ ଅପରାଧ ହେଇଛି । ଜଣେ ତଳ କର୍ମଚାରୀ ଉପର କର୍ମଚାରୀଙ୍କ ପ୍ରତି ସମ୍ମାନ ଦେଖାଇବାରେ ତ୍ରୁଟି କରିଚି । ମୁଁ ତାହା ହଜୁରଙ୍କୁ ଜଣାଇାକୁ ଆସିଲି । ହଜୁର ଉପଯୁକ୍ତ ଦଣ୍ଡ ବିଧାନ କରନ୍ତୁ ।’’
‘‘ହଜୁର ନିଜେ । ହଜୁର ମୋତେ କାର୍ଯ୍ୟରୁ ବରଖାସ୍ତ କରନ୍ତୁ ।’’
ଦେବାନ ବିସ୍ମିତ ହୋଇ କ’ଣ କହିବାକୁ ଯାଉଥିଲେ; ମାତ୍ର ସର୍ଦ୍ଦାର କହିଲେ, ‘‘ଆପଣ ଦ୍ୱିଧା କରିବେ ନାହିଁ । ମୋର ଦଣ୍ଡ ପାଇବା ଉଚିତ । ଆପଣ ସେଦିନ ବୃଥାରେ ମୋ ଉପରେ ବିରକ୍ତ ହୋଇଥିଲେ । ଆଜି ଆପଣ ମୋ ପ୍ରତି ବିରକ୍ତ ହେଇ ଦଣ୍ଡ ଦବା ଯଥାର୍ଥ ହବ ।’’
‘‘ଆପଣ ଏ ସବୁ କ’ଣ କହୁଛନ୍ତି, ମୁଁ ତ କିଛି ବୁଝିପାରୁନାହିଁ ।’’
‘‘ସେ ଦିନ ସେ ସ୍ତ୍ରୀଲୋକଟାକୁ ନେଇ ଫାଣ୍ଡିରେ ଯେ ଘଟଣା ହେଲା, ସେଥିରେ ମୁଁ ବଡ଼ ଅପମାନିତ ହେଇଥିଲି । ସେଥିଯୋଗେ ମୁଁ ଆପଣଙ୍କ ବିରୋଧରେ କଟକକୁ ପତ୍ର ଲେଖିଥିଲି ।’’
ଦେବାନ ଅତି କମ୍ ହସନ୍ତି; କିନ୍ତୁ ସର୍ଦ୍ଦାରଙ୍କ କଥା ଶୁଣି ଠୋ ଠୋ ନ ହସି ରହିପାରିଲେ ନାହିଁ । ସେ କହିଲେ, ‘‘କ’ଣ ଦେବାନ ଯେ ସେଦିନ ସର୍ଦ୍ଦାରଙ୍କ ଉପରେ ହୁକୁମ ଚଳେଇଲେ ସେ କଥା ?’’
‘‘ଦେବାନ ନୁହନ୍ତି, ଜଣେ ଊଣିଶ ବର୍ଷର କଏଦୀ ।’’
ଦେବାନ କଳାକାଠ ପଡ଼ିଗଲେ; କିନ୍ତୁ ସର୍ଦ୍ଦାର ପୂର୍ବପରି କହିବାକୁ ଲାଗିଲେ, ‘‘ମୋର ଦୋଷ ମାଫ କରିବେ । ମୁଁ ଆପଣଙ୍କୁ ସେଇ କଏଦୀ ବୋଲି ମନେ କରିଥିଲି । ତା’ ସହିତ ଆପଣଙ୍କ ଚେହେରା ମିଳିଯାଇଚି । ମୁଁ ମନେ କରିଥିଲି ଆପଣ ପାଣୁ ନାଏକ । ମୁଁ କୋଡ଼ିଏ ବର୍ଷ ତଳେ ପାଣୁ ନାଏକକୁ ଜେଲଖାନାରେ ଦେଖିଥିଲି । ସେ ଜେଲଖାନାରୁ ବାହାରି ସୁନ୍ଦରପୁର ମଠରୁ ଚୋରି କରିଚି; ଆଉ, ଗୋଟାଏ ଛୋଟ ପିଲାଠୁ ଡକାଏତ କରି ନେଇଚି । ବର୍ତ୍ତମାନ ଆଠ ବର୍ଷ ହେଲା ତା’ର ଆଉ ପତ୍ତା ମିଳୁନାହିଁ ।’’
‘‘ଆଚ୍ଛା, ଆପଣ ଚିଠି ଲେଖି କି ଉତ୍ତର ପାଇଲେ ?’’
‘‘କହିଲେ, ମୁଁ ପାଗଳ । ତା’ ଠିକ୍ । ପାଣୁ ନାଏକ ଧରାପଡ଼ିଚି ।’’
ଦେବାନ ପଢ଼ିବା ନିମନ୍ତେ ହାତରେ ଖଣ୍ଡିଏ ବହି ଧରିଥିଲେ । ତାହା ଖସିପଡ଼ିଲା । ସର୍ଦ୍ଦାର ପୁଣି କହିବାକୁ ଲାଗିଲେ, ‘‘ଗୋଟାଏ ଲୋକ ‘ଅନନ୍ତ ଦାସ’ ନାମ ଧରି ନଡ଼ିଆ ଚୋରି କରିଥିଲା । ସେଥିପାଇଁ ତାକୁ କଟକ ଜେଲଖାନାରେ ହାଜତରେ ରଖାଯାଇଚି । ସେ ଜେଲଖାନାରେ ଦୁଇ ଜଣ କଏଦୀ ଅନନ୍ତ ଦାସକୁ ଚିହ୍ନିଲେ । ସେମାନେ ପୂର୍ବେ ତା’ ସାଙ୍ଗେ କୁଆଡ଼େ ସେଇ ଜେଲଖାନାରେ ଥିଲେ । ତା’ ନାଁ ‘ପାଣୁ ନାଏକ’ ବୋଲି ସେମାନେ କହନ୍ତି । ପାଣୁ ନାଏକ ଅଛି କେଉଁଠି, ଆଉ ମୁଁ କାହାକୁ ପାଣୁ ନାଏକ ବୋଲି ଭାବିଲି ? ମୁଁ ଏ ମଧ୍ୟରେ ଯାଇ ସେ ପାଣୁ ନାଏକକୁ ଦେଖି ମଧ୍ୟ ଆସିଚି । ଦେଖନ୍ତୁ, ମୁଁ କେଡ଼େ ଅପରାଧୀ । ଆପଣ ମୋତେ କ୍ଷମା ଦିଅନ୍ତୁ; ଆଉ ବରଖାସ୍ତ କରନ୍ତୁ ।’’
ଦେବାନ ସର୍ଦ୍ଦାରଙ୍କ କଥା ଶୁଣି ସ୍ତମ୍ଭୀଭୂତ ହୋଇ ରହିଥିଲେ । ପରେ ପଚାରିଲେ, ‘‘ଆଚ୍ଛା, ସେ ଅନନ୍ତ ଦାସ ନିଜେ କ’ଣ କହୁଚନ୍ତି ?’’
‘‘ସେ କହୁଚି, ‘‘ମୁଁ ପାଣୁ ନାଏକ ଫାଣୁ ନାଏକ କିଛି ଜାଣେନା । ମୁଁ ଅନନ୍ତ ଦାସ ।’’ କିନ୍ତୁ ସେ ପ୍ରକୃତରେ ପାଣୁ ନାଏକ । ଅଦାଲତରେ ମକଦ୍ଦମା ବିଚାର ହବ । ମୁଁ ସେଥିରେ ସାକ୍ଷୀ ଅଛି ।’’
ଦେବାନ ପଢ଼ିଲା ପରି ବହିଟା ଭିତରକୁ ଚାହିଁ ରହିଥିଲେ । ଶେଷରେ କହିଲେ, ‘‘ଆଉ ସେ କଥା ପକେଇ ଲାଭ କ’ଣ ? ଆପଣ କହିଲେ ନା ଯେ ତା’ର ବିଚାର ଦଶ ଆଠ ଦିନରେ ହବ-?’’
‘‘ନା, କାଲି ହବ । ମୁଁ ଆଜି ବାହାରି ଯିବି ।’’
‘‘ବିଚାର ତେବେ ସମୟ ଲାଗିବ ?’’
‘‘କାଲି ଦିନକରେ ସରିଯିବ, କି ମକଦ୍ଦମା ଯେ ! ସେ ଯାହା ହେଉ, ମୋତେ ଆପଣ ବରଖାସ୍ତ କରିଦିଅନ୍ତୁ ।’’
ଦେବାନ ସର୍ଦ୍ଦାରଙ୍କ କଥା ଶୁଣି କହିଲେ, ‘‘ନା, ଆପଣ ଜଣେ ଭାରି ଭଲ କର୍ମଚାରୀ । ଆପଣ ଛାଡ଼ିଗଲେ କାର୍ଯ୍ୟ ଚଳିବ ନାହିଁ ।’’
‘‘ଆଚ୍ଛା, ସେ କଥା ମୁଁ ବୁଝିବି ପରେ ।’’
‘‘ନା, ଦେବାନ ସାହେବ, ମୁଁ ନ୍ୟାୟ ଚାହେଁ । ନ୍ୟାୟରେ ମୋର ଦଣ୍ଡ ପାଇବା ଉଚିତ, କଠୋର ଦଣ୍ଡ ।’’
‘‘ଆଚ୍ଛା ଆପଣ ସାକ୍ଷ୍ୟ ଦେଇ ଫେରିଆସନ୍ତୁ; ପରେ ବୁଝିବା ।’’
ସର୍ଦ୍ଦାର ଆଉ କିଛି ନ କହି, ନଇଁ ଜୁହାର କରି, ମୁସଲମାନୀ ରୀତିରେ ପଛାଇ ପଛାଇ ଦେବାନଙ୍କ ନିକଟରୁ ଚାଲିଗଲେ ।