ବିପ୍ଳବୀ ଦଳରେ ପାଣୁ ନାଏକ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବିପ୍ଳବୀ ଦଳରେ ପାଣୁ ନାଏକ
କ୍ରମେ ସରକାରୀ ଫୌଜ ମାଡ଼ିଆସିଲେ । ସେମାନଙ୍କୁ ଅବିଳମ୍ବେ ପଛକୁ ହଟାଇ ନ ରଖିଲେ, ସେମାନେ ଯେ ବିପ୍ଳବୀମାନଙ୍କ ଆୟୋଜନ ସବୁ ଭାଙ୍ଗି ଚୂର୍ଣ୍ଣ କରିବେ, ସେଥିରେ କୌଣସି ସନ୍ଦେହ ରହିଲା ନାହିଁ । ସୁତରାଂ ଗୋଟାଏ ଯୁଦ୍ଧର ଯୋଗାଡ଼ ହେଲା । ସେତେବେଳେ ବୈଦ୍ୟନାଥ କହିଲା, ‘‘ଦେଖ, ଭାଇମାନେ ! ତୁମ୍ଭେମାନେ ସମସ୍ତେ ଏ ଯୁଦ୍ଧରେ ଯୋଗଦେବା ମୁଁ ଉଚିତ ମନେ କରୁନାହିଁ । ଏ ଯୁଦ୍ଧରେ ହୁଏତ ପ୍ରାଣ ଦବାକୁ ପଡ଼ିପାରେ । ତୁମ୍ଭେମାନେ ଅବଶ୍ୟ ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇଆସିଚ । ତୁମ ନିଜ ପ୍ରାଣ ଉପରେ ତୁମର ଅଧିକାର ଅଛି, ତୁମେ ଦେଇପାର । କିନ୍ତୁ ତୁମ ମା, ଭାର୍ଯ୍ୟା ଓ ପୁଅଝିଅଙ୍କ ପ୍ରାଣ ନଷ୍ଟ କରିବାକୁ ତୁମର କୌଣସି ଅଧିକାର ନାହିଁ । ତୁମ ମଧ୍ୟରେ ଯେଉଁମାନଙ୍କର ମା, ଭାର୍ଯ୍ୟା ବା ପୁଅଝିଅ ଅଛନ୍ତି, ସେମାନେ ମରିବା ଅର୍ଥ, ସେହି ମା’ ଭାର୍ଯ୍ୟା ଓ ଝିଅମାନଙ୍କୁ ଦାଣ୍ଡକୁ ଠେଲିଦବା । ସେଟା ଗୋଟାଏ ବଡ଼ ଭୀଷଣ ବ୍ୟାପାର । ଅଭାବରେ ପଡ଼ିଲେ, ପୁରୁଷ ଭିକ୍ଷା କରିପାରେ; କିନ୍ତୁ ନାରୀ କରେ ଆତ୍ମବିକ୍ରୟ । ମୁଁ ଆଉଥରେ କହୁଚି, ମା, ଭାର୍ଯ୍ୟା ଆଉ କନ୍ୟା ମୁହଁକୁ ଚାହିଁ ଯେଉଁମାନେ ବଞ୍ଚି ରହିବାକୁ ଇଚ୍ଛା କରୁଚ ଏଠାରୁ ଶୀଘ୍ର ଚାଲିଯାଅ । ସେଥିରେ ତୁମର ସାହସର ଅଭାବ ଜଣାପଡ଼ିବ ନାହିଁ, କର୍ତ୍ତବ୍ୟ ଜ୍ଞାନର ପରିଚୟ ମିଳିବ । ଏ ଯୁଦ୍ଧଭୂମିରେ ପ୍ରାଣଦେଲେ ଅବଶ୍ୟ ଗୌରବ ବଢ଼ିପାରେ; କିନ୍ତୁ ତାହା ଯେ ସ୍ୱାର୍ଥପରତା, ବୁଝି ରଖିବାକୁ ହବ । ଯଶୋଲିପ୍ସା ମଧ୍ୟ ସ୍ୱାର୍ଥପରତା ।
ସମସ୍ତେ ମୁଣ୍ଡ ପୋତି ଠିଆ ହେଲେ । ବନମାଳୀ ଶୁଣି କିଛି ସମୟ ଚିନ୍ତାମଗ୍ନ ରହି ମନେ ମନେ ଭାବିଲା, ‘‘ମୋର ତ କେହି ନାହିଁ । ମୁଁ କାହାପାଇଁ ଫେରିଯିବି ? ମୁଁ ତ ଆସିଚି ମରିବାକୁ । ହେଲେ ବାସ୍ତବରେ ଯାହାଙ୍କର ଜଗତରେ ସ୍ନେହ କରିବାପାଇଁ ଜଣେ କେହି ଅଛି, ସେମାନେ ଏଠେଇ ଆସି ମରିବା ଭୀଷଣ ନିଷ୍ଠୁରତା ।’’ ତା’ପରେ ସେ ଉଚ୍ଚସ୍ୱରରେ କହିଲା, ‘‘ବୈଦ୍ୟନାଥ ଯାହା କହିଚି, ଠିକ୍ । ଯେଉଁମାନେ ମା, ଭାର୍ଯ୍ୟା, ଭଉଣୀ, ପୁଅ, ଝିଅ ଘରେ ଛାଡ଼ି ଆସିଚନ୍ତି, ସେମାନେ ଏ ରକ୍ତପାତରେ ଯୋଗ ଦେବା ଉଚିତ ନୁହେଁ ।’’
କେହି ଚାଲିଯିବାକୁ ବାହାରିଲେ ନାହିଁ । ଶେଷରେ ପାଞ୍ଚଜଣଙ୍କୁ ଖୋଜି ବାହାର କରାଗଲା । ସେମାନଙ୍କର ଫେରିଯିବା ଉଚିତ ବୋଲି ବିପ୍ଳବୀମାନେ ଏକସ୍ୱରରେ କହିଲେ । ବାଧ୍ୟ ହୋଇ ସେମାନେ ଅଲଗା ଠିଆ ହେଲେ, କିନ୍ତୁ ସରକାରୀ ଫୌଜ ଭେଦକରି ଯାଇପାରିଲେ ନାହିଁ । ଅଥଚ ବିଳମ୍ବ ହେଲେ, ସେମାନଙ୍କୁ ମଧ୍ୟ ମୃତ୍ୟୁର ସମ୍ଭୁଖୀନ ହେବାକୁ ପଡ଼ିବ । କୌଣସି ଉପାୟ ଦେଖାଯାଉ ନାହିଁ; ହଠାତ୍ ହରିଆ ଚାରି ସାର ସିପାହୀ ପୋଷାକ ଧରି ଉପସ୍ଥିତ ହେଲା । ସୁତରାଂ ସେହି ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ରହିଯିବା ଦରକାର ପଡ଼ିଲା । ପ୍ରତ୍ୟେକ କହିଲେ, ‘‘ମୁଁ, ମୁଁ, ମୁଁ ।’’ ବନମାଳୀ ଗୋଟାଏ ନିର୍ବୋଧ ପରି ଥରେ ଲୋକମାନଙ୍କୁ ଏବଂ ଥରେ ପୋଷାକଗୁଡ଼ିକ ଆଡ଼କୁ ଚାହିଁବାକୁ ଲାଗିଲା । କିଛି ନିଷ୍ପତ୍ତି ହୋଇପାରିଲା ନାହିଁ । ହଠାତ୍ ଆଉ ସାରେ ପୋଷାକ ଉପରୁ ପଡ଼ିଗଲା । ପାଞ୍ଚଜଣଯାକ ପିନ୍ଧି ଚାଲିଗଲେ । ବନମାଳୀ ମୁଣ୍ଡ ଟେକି ଦେଖିଲା, ତା’ ଅଭୟ ଦାସ ସମ୍ମୁଖରେ ଠିଆ ହୋଇଛନ୍ତି । ପାଣୁ ନାଏକ ସେହି ମୁହୂର୍ତ୍ତରେ ସରକାରୀ ସିପାହୀ ପୋଷାକ ପିନ୍ଧି ଛଦ୍ମବେଶରେ ଆସି ବିପ୍ଳବୀମାନଙ୍କ ସଙ୍ଗେ ଯୋଗ ଦେଇଥିଲା ।
ବୈଦ୍ୟନାଥ ପଚାରିଲା, ‘‘କିଏ ?’’ ପଦ୍ମନାଭ ଉତ୍ତର ଦେଲା, ‘‘ଏପରି ଜଣେ ଯେ କି ପରର ପ୍ରାଣ ରକ୍ଷା କରନ୍ତି ।’’ ବନମାଳୀ ଗମ୍ଭୀର ସ୍ୱରରେ କହିଲା, ‘‘ମୁଁ ୟାଙ୍କୁ ଜାଣେ ।’’ ତଥାପି ବୈଦ୍ୟନାଥ ପଚାରିଲା, ‘‘ଏଠି ପ୍ରାଣ ଦେବାକୁ ହେବ, ଆପଣ ଜାଣନ୍ତି ?’’ ଶୁଣି, ପାଣୁ ନାଏକ କଥାରେ ଅବଶ୍ୟ ଉତ୍ତର ଦେଲା ନାହିଁ; କିନ୍ତୁ ତା’ ଭାବଭଙ୍ଗି ଦେଖି ବୋଧ ହେଲା ଯେ ସେ ତାହା ଜାଣି ଆସିଛି । ବିପ୍ଳବୀଗଣ ସେତିକିରେ ତାକୁ ଦଳଭୁକ୍ତ କରିନେଲେ ।
ବିପ୍ଳବୀ ଦଳ ମଧ୍ୟରୁ ଯେଉଁମାନଙ୍କର ପ୍ରାଣ ଧରି ଚାଲିଯିବା ଆବଶ୍ୟକ ଥିଲା, ସେମାନେ ଚାଲିଗଲା ପରେ, ବୈଦ୍ୟନାଥ ସର୍ଦ୍ଦାର ଜନାର୍ଦ୍ଦନଙ୍କ ନିକଟରେ ପହଞ୍ଚି ପଚାରିଲା, ‘‘ଆପଣଙ୍କର କିଛି ଦରକାର ଅଛି ?’’ ସେ ଉତ୍ତର ଶୁଣିଲା, ‘‘ଅଛି । ମୁଁ ଜାଣିବାକୁ ଚାହେଁ, ତୁମ୍ଭେମାନେ କେତେବେଳେ ମୋତେ ହତ୍ୟା କରିବ ।’’
‘‘ଆପଣଙ୍କୁ ଅପେକ୍ଷା କରିବାକୁ ହବ । ଆମ ଗୁଳି ସବୁ ବର୍ତ୍ତମାନ ଆହୁରି ଗୁରୁତର କାର୍ଯ୍ୟରେ ଲାଗିବ ।’’
‘‘ତେବେ ମୋତେ ଟିକିଏ ପାଣି ପିଇବାକୁ ଦିଅ ।’’ ଜନାର୍ଦ୍ଦନଙ୍କ ହାତଗୋଡ଼ ସବୁ ବନ୍ଧା ହୋଇଥିବାରୁ ବୈଦ୍ୟନାଥ ତାଙ୍କ ତୁଣ୍ଡରେ ପାଣି ଢାଳିଦେଲା । ତା’ପରେ ପଚାରିଲା, ‘‘ଆଉ କିଛି ଦରକାର ନାହିଁ ?’’
‘‘ଅଛି । ମୁଁ ଏପରି ଠିଆ ହୋଇ ନ ରହି, ଟିକିଏ ଶୋଇଲେ ଆରାମ ହୁଅନ୍ତା ।’’ ଶୁଣି ବୈଦ୍ୟନାଥ ଚାରିଜଣ କର୍ମୀଙ୍କ ସାହାଯ୍ୟରେ ଜନାର୍ଦ୍ଦନଙ୍କୁ ଖଣ୍ଡିଏ ଛୋଟିଆ ଖଟ ଉପରେ ଶୁଆଇ ଦେଇ, ତାଙ୍କ ଗୋଡ଼ହାତ ବାନ୍ଧି ରଖିଲା । ସେତେବେଳେ ଜଣେ ଲୋକ ଦ୍ୱାର ନିକଟରେ ଠିଆ ହୋଇ ତାଙ୍କୁ ଏକ ଦୃଷ୍ଟିରେ ଚାହିଁ ରହିଲା । ଜନାର୍ଦ୍ଦନ ତାକୁ ଚିହ୍ନିପାରି କହିଲେ, ‘‘କି ବେ, ତୁ ଆହୁରି ବଞ୍ଚିଚୁ ? ମୁଁ ଭାବିଥିଲି, ପାଣୁଆ ଭାରରୁ ଧରିତ୍ରୀ ମୁକ୍ତି ପାଇଚି । ଏଠେଇ ଆସି ଯୁଟିଲୁଣି ନା ?’’
ଶୁଣି ବୈଦ୍ୟନାଥ ବିସ୍ମିତ ହେଲା, କିନ୍ତୁ ସେ ବିଷୟ ଭାବିବାକୁ ଆଉ ସମୟ ନ ଥିଲା । ସରକାରୀ ଫୌଜ ଗୁଳି ଚଳାଇବା ଆରମ୍ଭ କଲେ । ଗୁଳି ଯେତେବେଳେ ବୃଷ୍ଟି ହେବାକୁ ଲାଗିଲା, ହରିଆ ବିଦ୍ୟୁତ୍ ବେଗରେ ଧାଇଁ ଆସି ତା’ ମଧ୍ୟରେ ଠିଆ ହୋଇଗଲା । ସମସ୍ତଙ୍କ ଦୃଷ୍ଟି ତାରି ଉପରେ ଯାଇ ପଡ଼ିଲା । କ୍ଷଣକ ମଧ୍ୟରେ ଶୁଣାଗଲା, ‘‘ସମସ୍ତେ ଅଗ୍ରସର ହୁଅ ।’’ ହରିଆ ବିପ୍ଳବୀଦଳ ମଧ୍ୟରେ ଲୁଚି ଯାଉଥିଲା; କିନ୍ତୁ ବନମାଳୀ ତାକୁ ଡାକିନେଇ ପଚାରିଲା, ‘‘ତୁ ପୁଣି ଏଠୁକୁ କାହିଁକି ଆସିଲୁ ?’’
‘‘ଏ କିମିତି ପ୍ରଶ୍ନ ? ଶୁଣେ ଦେଖି, ତୁମେ କାହିଁକି ଆସିଚ ?’’
‘‘ତୋତେ ଫେରିଆସିବାକୁ କିଏ କହିଲା ? ସେ ଚିଠି କ’ଣ କଲୁ ?’’ ଶୁଣି ହରିଆ ଟିକିଏ ବିବ୍ରତ ହୋଇପଡ଼ିଲା । ଚିଠି ଖଣ୍ଡି ସେ ଯେପରି ଭାବରେ ଦେବା ଉଚିତ ଥିଲା, ସେପରି ନ ଦେଇ ଯେ ଦାୟିତ୍ୱହୀନ ଭାବରେ ପକେଇ ଦେଇ ଆସିଲା, ସେ ତାହା ବୁଝିପାରିଥିଲା । ଆପାତ ଅସୁବିଧାରୁ ରକ୍ଷା ପାଇବାର ଗୋଟାଏ ସହଜ ଉପାୟ ଅବଲମ୍ବନ କରି ମିଛ କହିଦେଲା, ‘‘ମୁଁ ଦୁଆରୀକି ଦେଇ ଆସିଲି । ସେ ନିଦରେ ଶୋଇଥିଲେ । ଉଠି ପାଇଥିବେ ଯେ ।’’
ଚିଠି ଖଣ୍ଡି ପଠାଇବାରେ ବନମାଳୀର ଦୁଇଟି ଉଦ୍ଦେଶ୍ୟ ଥିଲା–ରମାଠାରୁ ବିଦାୟ ନେବା ଏବଂ ହରିଆର ପ୍ରାଣ ରକ୍ଷା କରିବା । ହରିଆ ତ ପୁଣି ବିପଦ ଭିତରକୁ ଫେରି ଆସିଲା । ଅପର ଉଦ୍ଦେଶ୍ୟଟି ସାଧିତ ହେଲା କି ନାହିଁ, ତା’ର ଘୋର ସନ୍ଦେହ ମଧ୍ୟ ରହିଲା । ଚିଠିଟା କାହା ହାତେ ଯେ ପଡ଼ିଲା ସେ ଠିକ୍ ବୁଝିପାରିଲା ନାହିଁ । ଚିଠି ସହିତ ଅଭୟ ଦାସଙ୍କର କିଛି ସମ୍ପର୍କ ଥାଇପାରେ ମନେକରି, ସେ ତାଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ, ହରିଆକୁ ପଚାରିଲା, ‘‘ତୁ ସେ ଲୋକକୁ ଚିହ୍ନୁ ?’’ ହରିଆ କହିଲା, ‘‘ନା’’ । ତହୁଁ ବନମାଳୀ ଆହୁରି ସନ୍ଦେହରେ ପଡ଼ିଗଲା । ହରିଆ ବାସ୍ତବରେ ଅନ୍ଧାରରେ ଚିଠି ଖଣ୍ଡି ପାଣୁ ନାଏକ ହାତରେ ଦେଇ ଆସିଥିଲା । ସେ ଫେରି ବିପ୍ଳବ ସ୍ଥାନକୁ ଆସିବାକୁ ବ୍ୟାକୁଳ ହେଉଥିଲା । ସୁତରାଂ ମନରେ ସେ ଅବସ୍ଥାରେ ଓ ରାତିର ସେ ସମୟରେ ପାଣୁ ନାଏକକୁ ଚିହ୍ନି ରଖିବା ତା’ ପକ୍ଷେ ଅସମ୍ଭବ ହୋଇ ପଡ଼ିଥିଲା ।
ମୁଁ ବନ୍ଦୀ ହେଲି
ପ୍ରାଚୀଗଗନରେ ପ୍ରଭାତର ପାଟଳ ବର୍ଣ୍ଣ ଚିତ୍ରିତ ହେବା ସଙ୍ଗେ ସଙ୍ଗେ ଗୋଳମାଳ କ୍ରମେ ଘନୀଭୂତ ହୋଇ ଆସିଲା । ବୈଦ୍ୟନାଥ କହିଲା, ‘‘ଆମ୍ଭର ଯେତେ ଗୁଳି ବାରୁଦ ଅଛି, ସେଥିରେ ଆଉ ପନ୍ଦର ମିନିଟ୍ ଚଳେ କି ନା ସନ୍ଦେହ ।’’ ସେତେବେଳେ ସରକାରୀ ସୈନିକମାନେ ଗୁଳି ଖାଇ ଆହତ ହୋଇ ବା ମରି ପଡ଼ୁଥିଲେ । ହରିଆ ଗୁଳିବୃଷ୍ଟି ଭିତରେ ପଶି ସେହି ସୈନିକମାନଙ୍କ ମୁଣିରେ ଥିବା ଗୁଳିଗୁଡ଼ାକ ସଂଗ୍ରହକରି ଆଣି, ବିପ୍ଳବୀ ଗୁଳି ଭଣ୍ଡାର ଭରିବାରେ ଲାଗିଲା । ସେ ଏପରି ଦକ୍ଷତା ସହିତ କାର୍ଯ୍ୟ କଲା ଯେ ସମସ୍ତେ ତାହାରି ଆଡ଼କୁ ଚାହିଁ ରହିଲେ । ସରକାରୀ ସୈନିକ ଓ ସିପାହୀମାନେ ତାକୁ ଲକ୍ଷ୍ୟକରି ଗୁଳି ଛାଡ଼ିଲେ; କିନ୍ତୁ ହରିଆ ବନ୍ଧୁକର ଗୁଳି ଅପେକ୍ଷା ଅଧିକ କୃତିତ୍ୱ ଦେଖାଇ, ମୃତ୍ୟୁ ଏଡ଼ି, ଭଣ୍ଡାର ପୂର୍ଣ୍ଣ କରିବାରେ ଲାଗିଲା । ସେ ତା’ ମଧ୍ୟରେ ଗୀତ ଗାଇଲା ।
‘‘ତୁମେ ମାରୁଥିବ ଗୁଳିକି ଗୁଳି,
‘‘ମୁଁ ତ ପିନ୍ଧିଛି ଲୁହାର ଚମ,
‘‘ମୋତେ କି କରିପାରିବ ଯମ ?’’
ହରିଆ ଗୀତର ଶେଷ ପଦଟି ଠିକ୍ ଗାଇସାରୁଛି, ହଠାତ୍ ଗୋଟିଏ ଗୁଳି ତା’ ଆଡ଼କୁ ଆସିଲା । ବନମାଳୀ ଏବଂ ବୈଦ୍ୟନାଥ ବ୍ୟସ୍ତ ହୋଇ ତା’ ନିକଟକୁ ଧାଇଁ ଚାଲିଗଲେ; କିନ୍ତୁ ଯାଇ ପହଞ୍ଚିବା ପୂର୍ବରୁ ହରିଆ ମରି ପଡ଼ିଯାଇଥିଲା । ବୈଦ୍ୟନାଥ ତା’ଠାରୁ ଗୁଳିଗୁଡ଼ିକ ଧରି ଆସିଲା । ବନମାଳୀ ହରିଆକୁ ଟେକି ଆଣିଲା । ଦିନେ ହରିଆର ପିତା ତା’ ପିତାଙ୍କ ପ୍ରତି ଯୁଦ୍ଧଭୂମିରେ ଠିକ୍ ସେହି ପ୍ରକାର ବ୍ୟବହାର କରିଥିଲା, ତେବେ ଦୀନା ସାହୁ ଗୋବିନ୍ଦ ସିଂହଙ୍କୁ ପ୍ରାଣରେ ବଞ୍ଚାଇ ଆଣିଥିଲା, ସେ ହରିଆର ଶବ ଆଣିଲା । ତାହା ଭାବି, ତା’ ଦୁଃଖର ସୀମା ରହିଲା ନାହିଁ । ବୈଦ୍ୟନାଥ ଗୁଳିଗୁଡ଼ିକ ବିପ୍ଳବୀମାନଙ୍କ ମଧ୍ୟରେ ବାଣ୍ଟିଦେଲା । ପାଣୁ ନାଏକ ନିଶ୍ଚଳ ହୋଇ ବସି ରହିଥିଲା । ତାକୁ ବୈଦ୍ୟନାଥ ଗୁଳି ଯାଚିବାରୁ ସେ ମୁଣ୍ଡ ହଲାଇ ନାହିଁକଲା । ସେତେବେଳେ ବୈଦ୍ୟନାଥ କହିଲା, ‘‘ଏ ପାଗଳଟାଏ ନା କ’ଣ ? ଯୁଦ୍ଧକୁ ଆସି ଯୁଦ୍ଧ ନ କରି ଚୁପ୍ ହୋଇ ଯେ ବସିବ, ସେ ଆସେ କାହିଁକି ?’’
ଚାହୁଁ ଚାହୁଁ ମଧ୍ୟାହ୍ନ ଉପସ୍ଥିତ ହେଲା । ଦିବସର ଉତ୍ତାପ ଯେତିକି ବେଶି ହେଲା, ଯୁଦ୍ଧର ଭୀଷଣତା ସେତିକି ବଢ଼ିବାକୁ ଲାଗିଲା; ମାତ୍ର କେତେକ ସମୟ ପରେ ଅପରାହ୍ନର ଯୁଦ୍ଧ ନିମନ୍ତେ ନିଜ ନିଜକୁ ପ୍ରସ୍ତୁତ କରିବା ପାଇଁ ଉଭୟ ପକ୍ଷ କିଛି ସମୟ ବିଶ୍ରାମ ନେଲେ । ସେତେବେଳେ ବୈଦ୍ୟନାଥ ଜନାର୍ଦ୍ଦନଙ୍କ ନିକଟକୁ ଯାଇ କହିଲା, ‘‘ମୁଁ ଆପଣଙ୍କ କଥା ଭୁଲିଯାଇ ନାହିଁ ।’’ କହି, ସେ ତାଙ୍କ ନିକଟରେ ଗୁଳି ସହିତ ଗୋଟାଏ ବନ୍ଧୁକ ରଖିଦେଲା ଏବଂ ସଙ୍ଗେ ସଙ୍ଗେ ପୁଣି କହିଲା, ‘‘ଆମ ଭିତରୁ ଯେ ଏଠୋଉ ସବାପଛରେ ଯିବ, ସେ ଏ ଗୋଏନ୍ଦା ମୁଣ୍ଡ ଉଡ଼େଇ ଦେଇ ଚାଲିଯିବ-।’’ ସେତେବେଳେ ପଛରୁ ଗୋଟାଏ ସ୍ୱର ଶୁଣାଗଲା, ‘‘କ’ଣ ଏଇଠେଇ ?’’
‘‘ନା, ଏଠେଇ ନୁହେଁ । ଏ ବନ୍ଧା ହେଇ ପଡ଼ିଚି । ୟାକୁ ଦୂରକୁ ନେଇଯାଇ, ତେଣେ କୁଆଡ଼େ ମାଇଲେ ଭଲ ହବ । ଠିକ୍ ଯୁଦ୍ଧ କ୍ଷେତ୍ରରେ ଏଭଳି ଦେଶଦ୍ରୋହୀର ରକ୍ତ ପଡ଼ିବା ଠିକ୍ ନୁହେଁ ।’’ ଶୁଣି ଜଣେ ଅଗ୍ରସର ହୋଇ କହିଲା, ‘‘ଏ କାର୍ଯ୍ୟର ଭାର ମୋ ଉପରେ ଦେଇ ପାରିବେ-?’’ ଜନାର୍ଦ୍ଦନ ମୁଣ୍ଡ ଟେକି ଚାହିଁ ପାଣୁ ନାଏକକୁ ଦେଖିଲେ ଏବଂ ଧୀରସ୍ଥିର ଭାବରେ କହିଲେ, ‘‘ହଁ, ଏଟା କିଛି ଅସ୍ୱାଭାବିକ ନୁହେଁ ।’’ ବୈଦ୍ୟନାଥ ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିଲା । ସେ ପାଣୁ ନାଏକକୁ ଚାହିଁ କହିଲା, ‘‘ଆଚ୍ଛା, ନିଅନ୍ତୁ ଏ ବନ୍ଦୀକି ।’’
ପାଣୁ ନାଏକ ଜନାର୍ଦ୍ଦନକୁ ଧରି ଚାଲିଗଲା । ସେମାନେ ଗଲାବେଳେ ବନମାଳୀ ଖଣ୍ଡେ ଦୂରରୁ ଦେଖିଲା । ଜନତା ପାର ହୋଇଯାଇ ସେମାନେ ଯେତେବେଳେ ଗୋଟାଏ ନିର୍ଜନ ଗଳି ମଧ୍ୟରେ ପହଞ୍ଚିଲେ, ଚମ୍ପା ଶବଟା ଦେଖି ଜନାର୍ଦ୍ଦନ କହିଲେ, ‘‘ମୁଁ ବୋଧହୁଏ ଏ ବାଳିକାକୁ ଚିହ୍ନି ପାରୁଚି ।’’ ସେହିଠାରେ ଉଭୟେ ଠିଆ ହେଲେ । ଜନାର୍ଦ୍ଦନ ପାଣୁ ନାଏକକୁ କହିଲେ, ‘‘ଏଥର ତୁମ ପ୍ରତିଶୋଧ ନିଅ ।’’ ପାଣୁ ନାଏକ କୁରୁତା ପକେଟରୁ ଗୋଟିଏ ଛୁରି ବାହାରକଲା । ଦେଖି ଜନାର୍ଦ୍ଦନ କହିଲେ, ‘‘ହଁ, ଏଇଟା ଏକା ତୁମକୁ ସାଜେ, ବନ୍ଧୁକ ନୁହେଁ ।’’ ପାଣୁ ନାଏକ ପଦେ କଥା ନ କହି ଜନାର୍ଦ୍ଦନଙ୍କ ବେକରେ ବନ୍ଧା ହୋଇଥିବା ଦଉଡ଼ି ପ୍ରଥମେ କାଟିଲା ଓ ତା’ପରେ ଯେଉଁ ଦଉଡ଼ିରେ ତାଙ୍କର ଦୁଇ ହାତ ଛନ୍ଦା ହୋଇଥିଲା, ତାକୁ କାଟିଦେଲା । ତହୁଁ ସେ କହିଲା, ‘‘ତମେ ତ ଏବେ ଖଲାସ ହେଲ, ଯାଅ ।’’ ଜନାର୍ଦ୍ଦନ ନିଜର ବିସ୍ମୟ ରୁଦ୍ଧ କରି ରଖିପାରିଲେ ନାହିଁ, ଅବାକ୍ ହୋଇ ଚାହିଁ ରହିଲେ । ଶେଷରେ ପାଣୁ ନାଏକ କହିଲା, ‘‘ମୁଁ ଏଠୋଉ ପ୍ରାଣ ଧରି ଫେରିବି ବୋଲି ମନେ କରୁନାହିଁ । ଯଦି ଫେରିଯାଏ, ତୁମେ ମୋତେ ତେଲେଙ୍ଗାବଜାରରେ ଦେଖିପାରିବ । ସେଠେଇ ମୁଁ ଅଭୟ ଦାସ ନାଁରେ ଘରଭଡ଼ା ନେଇ ରହିଚି ।’’ ଶୁଣି ଜନାର୍ଦ୍ଦନ କହିଲେ, ‘‘ସାବଧାନ-।’’
ତୁମେ କ’ଣ କହିଲ, ‘‘ଅଭୟ ଦାସ ?’’
‘‘ହଁ, ଆଉ ଘର ତେଲେଙ୍ଗାବଜାର ।’’ ଶୁଣି ଜନାର୍ଦ୍ଦନ ଧୀର ସ୍ୱରରେ ଆବୃତ୍ତି କଲେ, ‘‘ଅଭୟ ଦାସ, ତେଲେଙ୍ଗାବଜାର ।’’
ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ସେ ଗଳିରେ ପାଣୁ ନାଏକକୁ ଏକାକୀ ଛାଡ଼ି, କିଛି ଦୂର ଅଗ୍ରସର ହୋଇଗଲେ, କିନ୍ତୁ ସେ ବେଶିଦୂର ନ ଯାଇ ଫେରିଆସି କହିଲେ, ‘‘ଦେଖ, ପାଣୁ ନାଏକ, ମୁଁ ଯିବିନାହିଁ; ତୁମେ ମୋତେ ମାରିଦିଅ ।’’
‘‘ନା, ତୁମେ ଚାଲିଯାଅ ।’’ ଏଥି ପୂର୍ବେ ପାଣୁ ନାଏକ ସଙ୍ଗେ ଜନାର୍ଦ୍ଦନଙ୍କର ନାନା କାର୍ଯ୍ୟକ୍ଷେତ୍ରରେ କେତେଥର ସମ୍ପର୍କ ଘଟିଛି; କିନ୍ତୁ କେବେ ସେ ତା’ ଅନୁରୋଧ ରକ୍ଷା କରି ନ ଥିଲେ; ଆଜି ରକ୍ଷା କରି ଚାଲିଗଲେ । ଜନାର୍ଦ୍ଦନ ଅଦୃଶ୍ୟ ହୋଇଯିବା ପରେ ପାଣୁ ନାଏକ ଶୂନ୍ୟକୁ ବନ୍ଧୁକ ଫୁଟାଇ, ଫେରିଆସି, ବିଦ୍ରୋହୀମାନଙ୍କ ମଧ୍ୟରେ କହିଲା, ‘‘ଶେଷ କରି ଆସିଲି । ଆଉ କ’ଣ, କହ ।’’
ବନମାଳୀ ଗୋଏନ୍ଦା ବନ୍ଧା ହୋଇ ରହିଥିବାର ଯେ ଦେଖି ନ ଥିଲା, ତା’ ନୁହେଁ, କିନ୍ତୁ ଚିହ୍ନିପାରି ନ ଥିଲା । ପାଣୁ ନାଏକ ତାଙ୍କୁ ହତ୍ୟା କରିବାକୁ ନେବା ସମୟରେ ତା’ ଦୃଷ୍ଟି ଯେତେବେଳେ ତାଙ୍କ ଉପରେ ଅକସ୍ମାତ୍ ପଡ଼ିଗଲା, ସେ ତାଙ୍କୁ ଚିହ୍ନିପାରିଲା ଓ ସଙ୍ଗେ ସଙ୍ଗେ ତା’ ମନରେ ଗୋଟାଏ ଆଶାର ସଞ୍ଚାର ହେଲା । ଦିନେ ସେ ସର୍ଦ୍ଦାରଙ୍କୁ ଯେ ଫାଣ୍ଡିରେ ଦେଖିଥିଲା ଏବଂ ତାଙ୍କଠାରୁ ଗୋଟିଏ ପିସ୍ତଲ ପାଇଥିଲା, ତାହା ତା’ ମନେ ପଡ଼ିଗଲା । ଆଜି ସେହି ପିସ୍ତଲ ଧରି ସେ ଯୁଦ୍ଧଭୂମିରେ ଠିଆ ହୋଇଅଛି । କେବଳ ସେ ଘଟଣା ଯେ ବନମାଳୀର ମନେପଡ଼ିଲା, ତା’ ନୁହେଁ; ସର୍ଦ୍ଦାରଙ୍କ ନାମ ମଧ୍ୟ ତା’ର ସ୍ମରଣ ହେଲା । ପାଣୁ ନାଏକ ଫେରିଆସି ଯେତେବେଳେ କହିଲା, ‘‘ମୁଁ ଶେଷ କରି ଆସିଲି’’, ଶୁଣି ବନମାଳୀର ମନ କ୍ଷଣକପାଇଁ ଦୁଃଖରେ ଅଭିଭୂତ ହୋଇପଡ଼ିଲା ।
ପର ମୁହୂର୍ତ୍ତରେ ଭୀଷଣ ଯୁଦ୍ଧ ଆରମ୍ଭ ହେଲା । ସେ ଯୁଦ୍ଧରେ ପଦ୍ମନାଭ ଯେ କେବଳ ପ୍ରାଣ ହରାଇଲା, ତା’ ନୁହେଁ; ତା’ ସଙ୍ଗେ ପ୍ରାୟ ଦଶ ଜଣ ବଡ଼ବଡ଼ କର୍ମୀ ନରରକ୍ତ ରଞ୍ଜିତ ମାତୃଭୂମି କୋଳରେ ନେତ୍ର ମୁଦି ଶୋଇଲେ । ଜଗନ୍ନାଥ ଦେହରେ ତିନି ଗୋଟି ଗୁଳି ବହି ଜଣେ ଆହତ ସହକର୍ମୀକୁ ତଳୁ ଟେକି ଉଠାଉଥିଲା, ସେତିକିବେଳେ ତା’ ପ୍ରାଣବାୟୁ ଉଡ଼ିଗଲା । ବନମାଳୀର ମୁଣ୍ଡ କ୍ଷତବିକ୍ଷତ ହୋଇ ପଡ଼ିଥିଲା, ମୁଖ ରକ୍ତରେ ରଞ୍ଚିତ ହୋଇଥିଲା;– ଆହତ ହୋଇ ନ ଥିଲା କେବଳ ବୈଦ୍ୟନାଥ । ସେ ନିଜର ଅସ୍ତ୍ରଶସ୍ତ୍ର ହରାଇ ଖାଲି ହାତରେ ଯାଉଥିଲା ବେଳେ ଗୋଟାଏ ହାତ ବାମ ଆଉ ଗୋଟାଏ ହାତ ଦକ୍ଷିଣ ଦିଗକୁ ପ୍ରସାରିଦେଲା । ସେତେବେଳେ ତା’ ଦୁଇ ହାତରେ ଦୁଇଟା ଅସ୍ତ୍ର କିଏ ଆଣି ଧରାଇଦେଲା ।
ବୈଦ୍ୟନାଥ ନୂତନ ଅସ୍ତ୍ର ଧରି ପୁନରାୟ ଶତ୍ରୁ ସୈନ୍ୟଙ୍କ ମଧ୍ୟରେ ପ୍ରବେଶ କଲାମାତ୍ରେ ଚାରିଆଡ଼ୁ ଚିତ୍କାର ଶୁଣିଲା, ‘‘ଏ ଜଣେ ନେତା । ଏହି ମୁହୂର୍ତ୍ତରେ ୟାକୁ ଗୁଳି କରି ମାର ।’’ ବୈଦ୍ୟନାଥ ଉତ୍ତରରେ କହିଲା, ‘‘ମୋତେ ଗୁଳି କରିବ ? କର ।’’ କହି ସେ ଅସ୍ତ୍ର ଶସ୍ତ୍ର ଫିଙ୍ଗିଦେଇ ଉନ୍ମୁକ୍ତ ବକ୍ଷ ଦେଖାଇଦେଲା । ହଠାତ୍ ଏକ ମୁହୂର୍ତ୍ତରେ ସେ ବକ୍ଷରେ ଆଠ ଗୋଟା ଗୁଳି ଆସି ବାଜିଲା-। ବୈଦ୍ୟନାଥ ପଡ଼ିଗଲା । ତାକୁ ପଡ଼ିବାର ଦେଖି ବିପ୍ଳବୀ ଦଳର ଅବଶେଷ ବନମାଳୀ ଯାଇ ତା’ ସ୍ଥାନ ଅଧିକାର କଲା । ମୁହୂର୍ତ୍ତକ ମଧ୍ୟରେ ଗୋଟିଏ ଗୁଳିରେ ତା’ର ମଧ୍ୟ ହାତର ହାଡ଼ ଭାଜିଗଲା । ଯନ୍ତ୍ରଣା ଏବଂ ନୈରାଶ୍ୟରେ ସେ ଆଖି ବୁଜି ଠିଆ ହୋଇଛି, ପଛରୁ ଗୋଟାଏ ପ୍ରକାଣ୍ଡ ହାତ ତା’ ବେକ ଆସି ଧରିବାର ସେ ବୁଝିପାରିଲା । କ୍ଷଣକ ନିମନ୍ତେ ରମାର କମନୀୟ ମୂର୍ତ୍ତି ସତେ ଅବା ଶେଷଥର ପାଇଁ ଆସି ତା’ ଆଖି ଆଗରେ ନାଚିଗଲା । ସେ କହିଲା, ‘‘ଓଃ, ମୁଁ ବନ୍ଦୀ ହେଲି, ୟା ପରେଇ ମରିବି ।’’