କାହା ପିଲାର କ’ଣ ହେଲା — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
କାହା ପିଲାର କ’ଣ ହେଲା
ଜଜାରସିଂହ ଗଡ଼ ବରୁଣେଇ ପର୍ବତର ଖୁବ୍ ନିକଟରେ ପୂର୍ବ ଦିଗରେ ଅବସ୍ଥିତ ଥିଲା । ବର୍ତ୍ତମାନ ତାହା ଧ୍ୱଂସ ହୋଇଛି । ତା’ ଶ୍ମଶାନ ଉପରେ ବର୍ତ୍ତମାନ ଖୋରଧା ସହର ଠିଆ ହୋଇଛି-। ସେତେବେଳେ ଜଜାରସିଂହ ବାଟୋଇମାନଙ୍କର ଗୋଟାଏ ପ୍ରଧାନ ଆଶ୍ରୟସ୍ଥଳ ଥିଲା-। ସନ ୧୨୫୬ ସାଲ ମକର ସମୟରେ ହଟକେଶ୍ୱର ଯାତ୍ରୀମାନେ ଜଜାରସିଂହରେ ରୁଣ୍ଡ ହେଲେ-। ଦୀନା ସାହୁ ଚଟିଘରେ ରହିବା ଲୋକଙ୍କ ସଂଖ୍ୟା ଖୁବ୍ ବଢ଼ିବାରେ ଲାଗିଲା ।
ଜଜାରସିଂହ ଟାଙ୍ଗିମାଟିରେ ପାଣି ସହଜରେ ମିଳେ ନାହିଁ । ଆଜିକାଲି ପରି ସେ ସମୟରେ ଏତେ କୂଅ ନ ଥିଲା । ପ୍ରାୟ ପାଏ ଦୂରରେ ଥିବା ଗୋଟାଏ କୁଣ୍ଡରୁ ଚଟିଘରକୁ ପାଣି ବୋହିବାକୁ ପଡ଼େ । ମାଠିଆକୁ ପଇସାଏ ହିସାବରେ ଭାରୁଆମାନେ ପାଣି ଯୋଗାନ୍ତି । ମାତ୍ର ସନ୍ଧ୍ୟାବତୀ ଜଳିବା ପରେ ଭାରୁଆ ଆଉ ଘରୁ ଗୋଡ଼ କାଢ଼ନ୍ତି ନାହିଁ । କାରଣ ସନ୍ଧ୍ୟା ପରେ କୁଣ୍ଡରୁ ପାଣି ଆଣିବା ଗୋଟାଏ ଭାରି କଠିନ ବ୍ୟାପାର । ଏକେ କୁଣ୍ଡଟା ଗ୍ରାମରୁ ଖଣ୍ଡେ ଦୂରରେ, ଜଙ୍ଗଲ ପାଖେ ଶ୍ମଶାନ ମଧ୍ୟରେ ଥିଲା; ତା’ପରେ ରାତିରେ ସେଠାକୁ ବାଘ ପାଣି ପିଇବାକୁ ଗଡ଼ନ୍ତି । ସୁତରାଂ; ସନ୍ଧ୍ୟା ପରେ ଚଟିଘରେ ପାଣିର ଅଭାବ ଘଟିଲେ, ପାଣି ଯୋଗାଇବା ଭାର ବିଚାରୀ ରମା ଉପରେ ପଡ଼େ । ରମା ଯୋଗେ ଦୀନା ସାହୁ ପରିବାରକୁ ଦୁଇଟି ଉପକାର ମିଳୁଥିଲା–ତା’ ମା ଦୀନା ସାହୁ ନିକଟକୁ ଟଙ୍କା ପଠାଉଥିଲା; ଏବଂ ସେ ନିଜେ ଗୋଟାଏ ଚାକରର କାମ ଉଠାଉଥିଲା-। ମା’ଠାରୁ ଟଙ୍କା ଆସିବା ବନ୍ଦ ହେବା ପରେ, ପ୍ରଥମ ଉପକାର ବାବଦ କ୍ଷତିପୂରଣ ନିମନ୍ତେ ରମାକୁ ଦ୍ୱିତୀୟ ଉପକାରଟି ଦୁଇଗୁଣ ବଢ଼ାଇବାକୁ ପଡ଼ିଲା ।
ମକର ସଂକ୍ରାନ୍ତି ପୂର୍ବଦିନ ସନ୍ଧ୍ୟାବେଳେ ରମା ତା’ର ପ୍ରତିଦିନର ପୋଷାକ ତିନି ଖଣ୍ଡି ଭିନ୍ନ ଭିନ୍ନ ଲୁଗାର କନାଗୁଡ଼ିକ ଏକତ୍ର ଗଇଁଠାଇ, ପିନ୍ଧି ନଳା ମୁହଁ ପଥର ଉପରେ ବସିଛି । ଖଣ୍ଡେ ଦୂରରେ, ଘର ଭିତରେ, ପ୍ରାୟ ତାରି ବୟସର ବାଳିକା ହୀରା ଏବଂ ଚମ୍ପା ଦୁହେଁ ପରସ୍ପର ସହିତ ହସ ଖେଳରେ ଲାଗିଛନ୍ତି । ଦୀନା ସାହୁର ଗୋଟିଏ ତିନିବର୍ଷ ବୟସର ପୁଅ ମା କୋଳରେ ବସି ‘‘ଧୋ ରେ ବାୟା ଧୋ’’ ଗୀତ ଶୁଣୁଛି । ସେତେବେଳେ ହଠାତ୍ ଚାରି ଜଣ ନୂଆ ଯାତ୍ରୀ ଆସି ଚଟିଘରେ ପହଞ୍ଚିଲେ । ପହଞ୍ଚି, ଜଣେ କହିଲା, ‘‘ବାପରେ, ଆଜି କି ଅନ୍ଧାର !’’ ଆଉଜଣେ କହିଲା, ‘‘ଭାଇ, ଆମେ ଧାଇଁ ଆସିଲେ ବୋଲି ସିନା, ସେଟା ବାଘ କି ଭାଲୁ କେଜାଣି । କେମିତି ଗଁ ଗଁ ହୋଇ ଗୋଡ଼େଇ ଆସିଲା, ଖାଇ ତ ଯାଇଥାନ୍ତା ।’’ ତୃତୀୟ ବ୍ୟକ୍ତି କହିଲା, ‘‘ଆଉ ସେ ଗଛରୁ ଯେ ଟେକା ପଡ଼ିଲା ସେ ତ ଭୂତ କି ବ୍ରହ୍ମରାକ୍ଷସ କିଏ ହବ ।’’ ଚତୁର୍ଥ ବ୍ୟକ୍ତି ଶେଷରେ କହିଲା, ‘‘ବାପରେ ସେ କୁଣ୍ଡ ପାଖରୁ ଗାଁ ମୁଣ୍ଡଯାଏ ବାଟଟା କି ଭୟାନକ ହେଇଚି । ଦଶ ଜଣ ଲୋକ ଦିହୁଡ଼ି ମଶାଲ ଧରି ଯାଇପାରିବେ କି ନା ସନ୍ଦେହ ।’’
ବାଟୋଇମାନେ ଜିନିଷପତ୍ର ଥୋଇ ଗୋଡ଼ ଧୋଇବାକୁ ପାଣି ମାଗିଲେ । ସେଦିନ ଏତେ ଲୋକ ଚଟିଘରକୁ ଆସିଥିଲେ ଯେ, ଭାରୁଆ ଦେଇଥିବା ପାଣି ଉପରେ ଦାବିର ସୀମା ଟପି ଯାଇଥିଲା । ସାହୁଆଣୀ ନୂଆ ଯାତ୍ରୀଙ୍କ ଗୋଡ଼ ଧୋଇବାକୁ ପାଣି ଦେବା ନିମନ୍ତେ କୁଣ୍ଡ ପାଖକୁ ଯାଇ କହିଲା, ‘‘ମଲା, ଏ ପୋଡ଼ପାଡ଼ ଟୋପାଏ ହେଲେ ପାଣି ରଖିନାହିଁ । ଆଲୋ ଡାଙ୍କିନି, ଯାଇ ବେଗେ ପାଣି ଆଣ୍ ।’’ କହି ସାହୁଆଣୀ ଗୋଟାଏ ମାଠିଆ ଥୋଇଦେଇ, ଦାଣ୍ଡ ଦ୍ୱାର ଫିଟାଇ ଦେଲା ଏବଂ ରମାକୁ କହିଲା, ‘‘ଯା, ପୋଡ଼ାମୁହୀଁ, ବେଗେ; ପାଣି ଧରି ଧାଇଁଆ ।’’
ରମା ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଥରିବାକୁ ଲାଗିଲା; କିନ୍ତୁ ତା’ର ଆଉ ଚାରା କ’ଣ ? ସେ ମାଠିଆଟି ମୁଣ୍ଡରେ ମୁଣ୍ଡାଇ, ଦାଣ୍ଡକୁ ବାହାରି ପଡ଼ିଲା । ସାହୁଆଣୀ ପଛରୁ ଡାକି କହିଲା, ‘‘ଆଲୋ ପୋଡ଼ାମୁହୀଁ, ପଳୋଉଚୁ କୁଆଡ଼େ ? ଏଇ ପଇସା ଦିଟା ନେଇଯା ଆସିଲା ବେଳକୁ ଖଡ଼ା ବାଇଗଣ ସାରୁ ଯାହା ପାଇବୁ, ଦି’ ପଇସାର କିଣି ଆଣିମୁ । ନୋହିଲେ, ଏସବୁ ଖାଇବେ କ’ଣ-?’’ କହି, ସେ ରମା ଆଡ଼କୁ ଦୁଇ ପଇସା ଫିଙ୍ଗି ଦେଲା । ରମା ଗୋଟାଏ ପାଇଲା, କିନ୍ତୁ ଆରଟା ଖୋଜି ପାଇଲା ନାହିଁ । ସାହୁଆଣୀ ପଚାରିଲା, ‘‘କିଲୋ, ପାଇଲୁଟିକି ? ସେ ଭୟରେ ‘ହଁ’ କରିଦେଲା । ସାହୁଆଣୀ ଘର ଭିତରକୁ ଚାଲିଯିବା ପରେ, ରମା ପଇସାଟି ପୁଣି ଖୋଜି ପାଇଲା ଏବଂ ଦୁଇଟିଯାକ ପଇସା ଲୁଗା କାନିରେ ଗଣ୍ଠି ପକାଇ ବାନ୍ଧି ଧଇଲା ।’’
ରମା ମାଠିଆଟି ଧରି ଦାଣ୍ଡେଦାଣ୍ଡେ ଚାଲିଲା । ଭାରୁଆ ଯେ ଦୁଇଟା ମାଠିଆରେ ପାଣି ଆଣେ, ଏ ମାଠିଆଟି ତାରି ଭିତରୁ ଗୋଟିଏ । ସ୍ତ୍ରୀଲୋକମାନେ ହାତରେ ତେଲ ଲଗାଇ କାଚ ପିନ୍ଧିଲା ପରି, ରମା ଦେହରେ ତେଲ ବୋଳି, ତାକୁ ସେ ମାଠିଆ ମୁହଁବାଟେ ଠେଲି ଭିତରକୁ ପୂରାଇଦେଲେ, ସେ ସେବାଟେ ଚାଲିଯିବା ଅସମ୍ଭବ ନୁହେଁ । ସେହିପରି ଗୋଟାଏ ମାଠିଆ ମୁଣ୍ଡରେ ବସାଇ, ରମା ସେହି ଅନ୍ଧାର ରାତିରେ ତା’ ଚାକିରି ବଜାଏ ରଖିବାକୁ ପାଦକ ପରେ ପାଦେ ଗଣି, ଚାଲିବାକୁ ଲାଗିଲା । ଦୁଇ ଘର ଛାଡ଼ି ଗୋଟାଏ କଣ୍ଢେଇ ଦୋକାନ ପଡ଼ିଲା । ଦୋକାନରେ ଗୋଟିଏ ଦୁଇ ହାତ ଉଚ୍ଚ କଣ୍ଢେଇ, ତିନି ବର୍ଷର ବାଳିକାଟିଏ ପରି, ପାଟ ଲୁଗା ଖଣ୍ଡିଏ ପିନ୍ଧି ଠିଆ ହୋଇଥିଲା । ତାକୁ ଦେଖି ରମା ନିଜର କର୍ତ୍ତବ୍ୟ କ୍ଷଣକ ନିମନ୍ତେ ଭୁଲିଗଲା । କହିଲା, ଆହା, ଏ ଛାର କଣ୍ଢେଇ ହେଇ କେଡ଼େ ସୁନ୍ଦର ଲୁଗା ପିନ୍ଧିଛି । ମୋ ସାଆନ୍ତାଣୀଙ୍କ ଝିଅମାନେ ବି ଏମିତି ଲୁଗା ପାଉନାହାନ୍ତି ।’’ କହି ସେ ଦଣ୍ଡେ କାଳ ସେ କଣ୍ଢେଇକି ଚାହିଁରହିଲା । ସେତେବେଳେ ଦୀନା ସାହୁ ଦାଣ୍ଡ ଦୁଆରୁ ଶୁଣାଗଲା, ‘‘ପୋଡ଼ାମୁହୀଁ, ତୁ ଯାଇନୁ । ସେଠି ଠିଆ ହେଇ କୁ’ ବାପକୁ ଚାହିଁଚୁଲୋ ? ରହ, ମାକଡ଼ି ତତେ ଦଉଚି’’, କହି, ସାହୁଆଣୀ ଦୁଇ ପାହୁଣ୍ଡ ଚାଲିଗଲା । ଦେଖି, ରମା ମାଠିଆଟି ମୁଣ୍ଡାଇ ଧାଇଁଲା ।
ଗ୍ରାମ ଭିତରେ ଲୋକଙ୍କ ପାଟିତୁଣ୍ଡ ଶୁଣି ଶୁଣି ଯିବାକୁ ରମାକୁ ସେତେ ଭୟ ଲାଗିଲା ନାହିଁ; କିନ୍ତୁ ଗ୍ରାମ ପାର ହେବା ମାତ୍ରେ ତା’ ଛାତି ପଡ଼ିଲା, ଉଠିଲା । କେତେ ଟେକା ପଥର ପଡ଼ିବାର ତାକୁ ଶୁଣାଗଲା । ଗଛ ବୁଦା ଭିତରୁ ତା’ ଆଡ଼କୁ କିଏ ଧାଇଁଆସିଲା ପରି ତାକୁ ଲାଗିଲା-। ସେ ଭାବିଲା ଯେ ଫେରିଯିବ । କିନ୍ତୁ ସାହୁଆଣୀଙ୍କ ତର୍ଜନ ଗର୍ଜନ ତା’ କାନରେ ଆସି ପଡ଼ିଯାଏ-। ତହୁଁ ସେ ପଛକୁ ଫେରିଥିବା ପାଦ ଜୋର୍ କରି ପୁଣି ଆଗକୁ ପକାଏ । ସେ ଠାଏ ଠାଏ ଠିଆ ହୋଇ ଆଖି ବୁଜି, ନଖରେ ମୁଣ୍ଡ କୁଣ୍ଡାଇବାର ଲାଗେ; କିନ୍ତୁ ପୁଣି ପାଦ ଉଠାଇ ଚାଲେ-। କିଛି ବାଟ ପରେ ତା’ର ଆଗକୁ ସାହାସ ପଟିଲା ନାହିଁ । ସେ ଫେରି ପଛକୁ ଶହେ ହାତ ଚାଲିଗଲା-। ମାତ୍ର କ୍ଷଣକ ମଧ୍ୟରେ ସାହୁଆଣୀର ମୂର୍ତ୍ତି ତା’ ଆଖି ଆଗରେ ଆସି ଠିଆ ହେଲା । ସେ ଭୟରେ ଥରି, ମୁହଁ ବୁଲାଇ, ପୁଣି ଚାଲିବାରେ ଲାଗିଲା । ଚାଲିଲେ ଭୟ ହେବାରୁ ସେ କ୍ରମଶଃ ଧାଇଁଲା ଏବଂ ଧାଇଁଲେ ଚାରିଆଡ଼ ଭୟଙ୍କର ଦେଖାଯିବାରୁ ଆଖି ବୁଜିଦେଲା; ତଥାପି ତା’ ପାଦ ବାଟ ଛାଡ଼ି ଅନ୍ୟ ଆଡ଼େ ପଡ଼ିଲା ନାହିଁ ।
କୁଣ୍ଡ ପାଖେ ପହଞ୍ଚି, ରମା ନିଃଶ୍ୱାସ ମାରିବା ପାଇଁ ସୁଦ୍ଧା ଟିକିଏ ଠିଆହେଲା ନାହିଁ । ସେ ମାଠିଆଟି ପାଣିରେ ବୁଡ଼ାଇ ଟେକି ମୁଣ୍ଡରେ ଥୋଇବାକୁ ବସିଲା । ମାତ୍ର ତା’ର ବଳ ଅଣ୍ଟିଲା ନାହିଁ । ସାହୁଆଣୀ ଦେଇଥିବା ପଇସା ଦିଓଟି ସେ ଯେ କାନିରେ ବାନ୍ଧି ଆଣିଥିଲା, ଗଣ୍ଠି ସେହିପରି ରହିଛି, ଅଥଚ କାନିର କଣାବାଟେ ତାହା; ସେ ମାଠିଆ ଟେକି ମୁଣ୍ଡରେ ଥୋଇବାକୁ ଚେଷ୍ଟା କଲାବେଳେ ତା’ ଅଗୋଚରରେ, ପାଣି ଭିତରେ ଖସି ପଡ଼ିଗଲା । ମାଠିଆଟି ଟେକିବାକୁ ଅନେକ ଚେଷ୍ଟା କରି ସେ ଶେଷକୁ କ୍ଳାନ୍ତ ହୋଇ ଘାସରେ ଶୋଇପଡ଼ିଲା । ଉପରେ ଆକାଶରେ ଗୋଟାଏ ତାରା ଦେଖିଥିଲେ, ହୁଏତ ତା’ ମନରେ ଟିକିଏ ସାହାସ ହୋଇଥାନ୍ତା; କିନ୍ତୁ ସେଦିନ ଚାରିଆଡ଼େ ଭାରି କୁହୁଡ଼ି । ରମାର ଭୟ କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । ଅନନ୍ତ ଅନ୍ଧକାରର ଘୋର ବିଭୀଷିକା ମଧ୍ୟରେ ସେ ଯେପରି ଜୀବନ୍ତ ଆଲୋକର ଗୋଟିଏ କ୍ଷୁଦ୍ର ପରମାଣୁ । ସେ ତତ୍କ୍ଷଣାତ୍ ସେହିଠାରେ ଲିଭି ଯାଉଅଛି ବୋଲି ବୋଧ କରିବାକୁ ଲାଗିଲା । ସେ ଉଠି ପଳାଇଯିବାକୁ ଇଚ୍ଛା କଲା । ମାତ୍ର ପାଣି ମାଠିଆ ନ ନେଇ ଫେରିଲେ, ତା’ର ଯେ କି ଦଶା ଘଟିବ ଭାବି ସେ ଯାଇପାରିଲା ନାହିଁ । ମାଠିଆ ସେ କିପରି ଟେକି ମୁଣ୍ଡରେ ଥୋଇ ଏତେ ବାଟ ଯିବ, ସେହି ଚିନ୍ତାରେ ଭାଜି ପଡ଼ିବାକୁ ଲାଗିଲା ।
ରମା ଥରେ ଶେଷ ଚେଷ୍ଟା କରିବାକୁ ଗଲା । ଆଶ୍ଚର୍ଯ୍ୟର କଥା, ମାଠିଆଟି ଲୋଟାଟିଏ ପରି ତଳୁ ଉଠିଗଲା ଏବଂ ସେ ଦେଖିଲା ବେଳକୁ ତା’ ନିଜ ମୁଣ୍ଡରେ ନ ରହି, ପାଖରେ ଠିଆ ହୋଇଥିବା ଜଣେ ଦୀର୍ଘକାୟ ଲୋକର ହାତରେ ଝୁଲୁଛି । ଦେଖି ତାକୁ ମୂର୍ଚ୍ଛାରେ ପଡ଼ିଗଲା ପରି ଲାଗିଲା । ସେ ବଞ୍ଚିଛି କି ନାହିଁ ବିଡ଼ିବା ନିମନ୍ତେ ପାଟି କରି ଡାକିଲା, ‘‘ମା ବରୁଣେଈ, ମା ଠାକୁରାଣୀ ।’’ ବରୁଣେଈ ଯେପରି ଉତ୍ତର ଦେଲେ, ଶୁଣିଲା, ‘‘ଭୟ କରନାହିଁ, ପିଲା । ମୁଁ ତୋ ମାଠିଆ ଧରିଚି । ତୁ କୁଆଡ଼େ ଯିବୁ, କହ, ମୁଁ ନେଇ ଛାଡ଼ିଦେଇ ଆସିବି ।’’ ରମା ମନରେ ସାହସ ଜନ୍ମିଲା । ସେ ଚାହିଁ ଦେଖିଲା ସତେ ଯେପରି ତା’ ବାପା କିମ୍ବା ଗୋସେଇଁ ବାପା, ଜଣେ କିଏ; ତାକୁ ସେ ବିପଦରୁ ଉଦ୍ଧାର କରିବା ନିମନ୍ତେ ସେଠାରେ ଅକସ୍ମାତ୍ ଆସି ପହଞ୍ଚିଛନ୍ତି ।
ଦୁଃଖୀକୁ ଦଇବ ସାହା
ଧାମରା ବନ୍ଦରର ସେହି ବିଚିତ୍ର ଘଟଣା ପରେ ମହାନଦୀରେ ଗୋଟାଏ ଭଡ଼ା ନାଆରେ ବସି ଜଣେ ଲୋକ ବାଙ୍କିରେ ଆସି ଓହ୍ଲାଇଲା । ତା’ କାନ୍ଧରେ ଗୋଟିଏ ବଡ଼ ଥଳି ଏବଂ ହାତରେ ଗୋଟାଏ ପ୍ରକାଣ୍ଡ ବାଡ଼ି ଥିଲା । ସେ ଯେ ସେଠାର ବାସିନ୍ଦା ନୁହେଁ, ସହଜରେ ବୁଝାଯାଉଥିଲା । କାରଣ, ସେ ନାଆରୁ ଓହ୍ଲାଇ ପଚାରିଲା, ‘‘ଏଠି ଶଗଡ଼ ଭଡ଼ା ମିଳେ ?’’ ଭଡ଼ା ଶଗଡ଼ ଖୋଜିଲେ ବିଳମ୍ୱ ହେବ ଦେଖି, ସେ ଅପେକ୍ଷା କଲାନାହିଁ; ନାଆରୁ ଓହ୍ଲାଇ ସିଧା ଦକ୍ଷିଣକୁ ଚାଲିଲା । ଚାହୁଁ ଚାହୁଁ ସେ ଯେ କେଉଁଆଡ଼େ ଉଭେଇଗଲା, କେହି ଜାଣିପାରିଲେ ନାହିଁ ।
କିନ୍ତୁ ବାସ୍ତବିକ ସେ ଉଭେଇ ଯାଇ ନ ଥିଲା । ସେ କେଉଁଠାରେ ବିଲବାଟେ କେଉଁଠାରେ ବା ଜଙ୍ଗଲ ଭିତରେ ଚାଲି, ବେଗରେ ପଥ ଅତିକ୍ରମ କରିବାକୁ ଲାଗିଲା । ମକରଯାତ୍ରା ଯୋଗେ ବାଟରେ ଦଳ ଦଳ ହୋଇ ଲୋକେ ଯାତାୟାତ କରୁଥିଲେ । ସେମାନଙ୍କୁ ଦେଖା ନ ଦେବା ତା’ର ଅଭିପ୍ରାୟ । ସୁତରାଂ, ସେ ନିକଟରେ କାହାରି ପାଟି ଶୁଣିଲା ମାତ୍ରେ ହିଡ଼ ତଳେ, ବୁଦା ଆଢ଼ୁଆଳରେ ଲୁଚି ରହୁଥିଲା । ସେଥିପାଇଁ ସେ ଯେତେ ଶୀଘ୍ର ଲକ୍ଷ୍ୟ ସ୍ଥାନରେ ପହଞ୍ଚିବ ବୋଲି ଆଶା କରିଥିଲା, ତା’ ଅପେକ୍ଷା ତା’ର ଅନେକ ବିଳମ୍ବ ଘଟିଲା, ଅତଏବ ସେ ବିଚ୍ ରାସ୍ତା ଛାଡ଼ି ଜଙ୍ଗଲ ବାଟ ଧଇଲା । ସେ ବାଟେ ଯାଇ ସେ ଅନେକ ସମୟ ପରେ ଏକ ନିବିଡ଼ ଅରଣ୍ୟାନୀ ମଧ୍ୟରେ ପ୍ରବେଶ କଲା । ସ୍ଥାନଟି ତାକୁ ପରିଚିତ ପରି ବୋଧ ହେଲା । ସେଠାରେ ଗୋଟିଏ ନିର୍ଜନ ନିକୁଞ୍ଜ ଥିଲା । ସନ୍ଧ୍ୟାର ଅନ୍ଧକାରରେ ନିକୁଞ୍ଜ ମଧ୍ୟରେ କିଛି ଦେଖା ଯାଉ ନ ଥିଲା । ତଥାପି ସେ ଗୋଡ଼ ଏବଂ ହାତରେ ଅଣ୍ଡାଳି, ତଳ ମାଟି ଅଳ୍ପଦିନ ମଧ୍ୟରେ ଖୋଳା ହୋଇଛି କି ନାହିଁ ବାରିଲା । ମାଟି ଖୋଳାହୋଇ ନାହିଁ ଜାଣିପାରି, ସେ ଅରଣ୍ୟ ମଧ୍ୟରୁ ବାହାରି ଚାଲିଗଲା ।
ରମାର ମାଠିଆଟି ମୁଣ୍ଡ ପାଖେ ତା’ ହାତରୁ ନେଇ ଯେ ଧରିଲା, ସେ ସେହି ଲୋକ । ତାକୁ ଦେଖି ରମା ମନରେ ସାହସ ଜନ୍ମିଲା । ଆଗନ୍ତୁକ ଧୀର ସ୍ୱରରେ କହିଲା, ‘‘ମା, ତୋ ମାଠିଆଟି ବଡ଼ ଭାରି ହୋଇଚି । ତୁ ଚାଲ, ମୁଁ ଧରି ନେଇଯିବି । ତୋ ବୟସ କେତେ ମା ।’’
ତୋ ଘର କ’ଣ ବେଶି ଦୂର ଏଠୁକୁ?
‘‘ହଁ, ପାଏ ବାଟ ହବ ।’’ ଶୁଣି ଆଗନ୍ତୁକ ଠିଆ ହୋଇଗଲା । ତା’ପରେ ପଚାରିଲା, ‘‘ତେବେ ତୋ ମା ନାହିଁ ଘରେ ?
‘‘ମୁଁ ଜାଣେନା । ଆଉ ଆଉ ପିଲାମାନଙ୍କର ମା’ମାନେ ଅଛନ୍ତି । କାହିଁ, ମୋର ତ କେହି ମାଆ ନାହାନ୍ତି ।’’ ରମା ଟିକିଏ ତୁନି ହୋଇ ରହି ପୁଣି କହିଲା, ‘‘ମୋର ମା’ କେବେ କେହି ନ ଥିଲେ ।’’ ଶୁଣି ଆଗନ୍ତୁକ ମାଠିଆଟି ତଳେ ଥୋଇଦେଇ ଅନ୍ଧାରରେ ବାଳିକାର ମୁହଁ ଦେଖିବାକୁ ଟିକିଏ ଚେଷ୍ଟା କଲା, ମାତ୍ର ଭଲରୂପେ ଦେଖିପାରିଲା ନାହିଁ । ତହୁଁ ସେ ପଚାରିଲା, ‘‘ଆଚ୍ଛା ତୋ ନାଁ କ’ଣ, କହିଲୁ ।’’
ଆଗନ୍ତୁକ ପ୍ରାଣରେ ହଠାତ୍ ଗୋଟାଏ ବିଦ୍ୟୁତ୍ର ପ୍ରବାହ ବହିଗଲା । ସେ ରମା ଆଡ଼କୁ କିଛି ସମୟ ସେହି ଅନ୍ଧକାର ମଧ୍ୟରେ ଏକଦୃଷ୍ଟିରେ ଚାହିଁରହି; ତା’ପରେ ହାତରେ ମାଠିଆଟି ଉଠାଇ କହିଲା, ‘‘ଚାଲ୍ ।’’ ଦୁହେଁ ଆଗ ପଛ ହୋଇ ଚାଲିଲେ । ଆଗନ୍ତୁକ ଧୈର୍ଯ୍ୟ ରଖି ନ ପାରି, ପୁଣି ପଚାରିଲା, ‘‘ମା’ ତୁ କେଉଁଠି ରହିଚୁ ?’’
‘‘କାହିଁକି, ଏଇ ଜଜାରସିଂହରେ ।’’
‘‘ଆମେ ଏବେ ତୋରି ଘରକୁ ଯାଉଚେଇଁ ତ ?’’
ଆଗନ୍ତୁକ କିଛି ସମୟ ନୀରବରେ ଚାଲି ପୁଣି ପଚାରିଲା, ‘‘ଆଚ୍ଛା ମା’, ତୋତେ ଏତେ ରାତିରେ ପାଣି ନବାକୁ କିଏ ପଠେଇଚି ?’’
‘‘କାହିଁକି, ଚଟିଘର ମାଲିକ ଦୀନାସାହୁ ଭାରିଯା ।’’
ଆଗନ୍ତୁକ ଶୁଣି ଧୈର୍ଯ୍ୟ ଧରିବାକୁ ଅନେକ ଚେଷ୍ଟା କଲା । ତଥାପି କଥା କହିଲା ବେଳକୁ ତା’ ସ୍ୱର କମ୍ପି ଉଠିଲା । ସେ କହିଲା, ‘‘ମୁଁ ତ ସେଇ ଚଟିଘରକୁ ଯାଉଚି, ବାୟାଣୀ । ସେଠି ଆଜି ରାତି ରହିବି । ତୋ ସାଙ୍ଗେ ଦେଖା ହେଲା, ଭଲ ହେଲା । ତୁ ମୋତେ ବାଟ କଢ଼େଇ ନେଇଯିବୁ । ଆଚ୍ଛା କହିଲୁ ଦେଖି, ତୋ ସାଆନ୍ତାଣୀ ଚଟିଘରେ କ’ଣ ଚାକର ବାକର କାହାକୁ ରଖି ନାହିଁ ।’’
‘‘ନା, ସାଆନ୍ତାଣୀଙ୍କର ତ ଦି ଝିଅ, ଆଉ ଗୋଟିଏ ପୁଅ । ଆଉ ଚାକର କିଏ ଦେଲା ମ-? ଭୂଇଁମୂଳଙ୍କ ଘରେ ସିନା ଚାକର ।’’
‘‘ଆଚ୍ଛା ସାଆନ୍ତାଣୀର ପିଲାମାନେ କ’ଣ କରନ୍ତି ?’’
‘‘କାହିଁକି, ଖେଳନ୍ତି, ବୁଲନ୍ତି, ହସ କଉତୁକ ହୁଅନ୍ତି । ତାଙ୍କର କେଡ଼େ ସୁନ୍ଦର କଣ୍ଢେଇ ସବୁ ଅଛି ।’’
‘‘କାହିଁକି, ମୁଁ କାମ କରେ ।’’
ବାଳିକା ଟିକିଏ ମୁଣ୍ଡ ଟେକି ଚାହିଁଲା । ତା’ ଦୁଇ ଆଖି ଛଳ ଛଳ ହୋଇଗଲା । ସେ କହିଲା, ‘‘ହଁ ।’’ ତା’ପରେ କିଛି ସମୟ ତୁନି ହୋଇ ରହି, ପୁଣି କହିବାକୁ ଲାଗିଲା, ‘‘କାମ ସରିଲେ ମତେ ମଧ୍ୟ ଖେଳିବାକୁ ସାଆନ୍ତାଣୀ ମନା କରନ୍ତି ନାହିଁ ଯେ । ହେଲେ, ମୋର କଣ୍ଢେଇ ନାହିଁ, ଚମ୍ପା ଆଉ ହୀରା ତାଙ୍କ କଣ୍ଢେଇଟିମାନ ମୋତେ ଛୁଆଁଇ ଦେଉନାହାନ୍ତି ପରା । ମୋର ଖାଲି ଗୋଟିଏ ସାନ ଛୁରି ଅଛି । ହେଇଟି ଚାହଁ, ଏତିକି ଲମ୍ବ ହବ ।’’ ବାଳିକା ତା’ କାଣିଆଙ୍ଗୁଠି ଦେଖାଇଲା ।
ଏହିପରି କଥାବାର୍ତ୍ତା ହୋଇ ଆଗନ୍ତୁକ ଏବଂ ରମା ଚାଲିବାକୁ ଲାଗିଲେ । ସେମାନେ ବାଟରେ ପରିବା ଦୋକାନଟା ପାରି ହୋଇଗଲେ । ବାଇଗଣ କିଣିବା କଥା ରମାର ମନେ ପଡ଼ିଲା ନାହିଁ । ଚଟିଘର ନିକଟ ହୋଇ ଆସିବାରୁ ରମା ଆଗନ୍ତୁକର ହାତ ଟିକିଏ ଭିଡ଼ିଦେଇ କହିଲା, ‘‘ଆମ ଘର ହୋଇଗଲା । ମାଠିଆଟି ଦିଅ, ମୁଁ ଧରେ ।’’
‘‘ତମେ ପରା ବାଟୋଇ । ତୁମକୁ ମୁଁ ଧରେଇଚି ଦେଖିଲେ, ସାଆନ୍ତାଣୀ ମୋତେ ଆଉ ରଖିବେ ନାହିଁ ।’’ ଶୁଣି, ଆଗନ୍ତୁକ ମାଠିଆଟି ରମା କାଖରେ ଧରାଇଦେଲା । ଅଳ୍ପ କେତେ ପାଦ ଗଲା ପରେ ରମା ଗୋଟାଏ କବାଟରେ ଟିପ ମାଇଲା । କବାଟ ମୁହୂର୍ତ୍ତକ ମଧ୍ୟରେ ଫିଟିଗଲା । ରମା ଶୁଣିଲା, ‘‘ପୋଡ଼ାମୁହୀଁ, ତୁ ପାଣିପାଇଁ ଯାଇ ସେଆଡ଼େ ଖେଳି ବସିଲୁ । ମୋ କୁଣିଆମାନେ ଏଠି ପାଣି ଟୋପାଏ ନ ପାଇ ଚାହିଁ ରହିଚନ୍ତି ।’’
‘‘ନା, ସାଆନ୍ତାଣୀ, ମୁଁ ଖେଳୁ ନ ଥିଲି । ଏଇ ଜଣେ ବାଟୋଇଙ୍କି ସାଙ୍ଗରେ ଆଣିଛି ପରା, ସେ ଚଟିଘରେ ରହିବେ ।’’
ସାହୁଆଣୀର ବିକଟ ମୁଖ ହଠାତ୍ ଭିନ୍ନ ଆକାର ଧାରଣ କଲା । ତା’ର ଉଠି ଆସୁଥିବା ଫଣା ତଳକୁ ପଡ଼ିଗଲା । ସେ ଅଳ୍ପ ହସି, ଆଗନ୍ତୁକ ଆଡ଼କୁ ଚାହିଁ କହିଲା, ‘‘ଆସ’’ । ଆଗନ୍ତୁକ ଘର ଭିତରକୁ ପାଦ ପକାଇବାରେ, ସାହୁଆଣୀ ତା’ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଥରେ ଚାହିଁଗଲା । ତା’ପରେ ସେ ସ୍ୱାମୀ ସହିତ କ’ଣ କଥାବାର୍ତ୍ତା ହୋଇ ଆସି କହିଲା, ‘‘ଦେଖ, ଆଜି ଆମ ଚଟିଘରେ ପାଦ ପକେଇବାକୁ ଜାଗା ନାହିଁ ।’’
‘‘ନ ଥାଉ; ମୁଁ ଅଡ଼ଙ୍ଗରେ କି ଗୁହାଳରେ କେଉଁଠି ଶୋଇପଡ଼ିବି । ନ ଖାଇଲେ ମୋର ଚଳିଯିବ । ମୋତେ ନାହିଁ କର ନାହିଁ । ମୁଁ ଏତେ ରାତିରେ ଆଉ କୁଆଡ଼େ ଯିବି ? ଗୋଟାଏ ବଖରା ଘର ପୂରା ଭଡ଼ା ମୋ’ଠୁ ନିଅ ପଛକେ । ମାତ୍ର ମୋତେ ନାହିଁ କର ନାହିଁ ।’’
‘‘ହଁ, ଦେବି ।’’ ପାଖ ଘରେ ଜଣେ ବାଟୋଇ ଆଉ ଜଣକୁ କହିଲା, ‘‘ଦେଖ, ଆଠଣା ଜାଗାରେ ଟଙ୍କେ ମାଗୁଚି ।’’ ଶୁଣି, ସାହୁଆଣୀ ପାଟି କରି କହିଲା, ‘‘ୟା ପରି ବାଟେରଇ ପାଇଁ ଟଙ୍କାଏ । ସେଥିରୁ କମ୍ରେ ମାଗିଖିଆ ଲୋକଙ୍କୁ କିଏ ଘରେ ପୂରେଇବ ମ ?’’ ତେଣୁ ଆଉ ଗୋଟାଏ ଘରୁ ଦୀନା ସାହୁ କହିଲା, ‘‘ଏପରି ଲୋକଗୁଡ଼ାକୁ ଆଣି ରଖିଲେ, ତୁମମାନଙ୍କ ପରି ଭଲ ଲୋକେ ଆଉ ଆସିବେଟି କି ?’’
ଆଗନ୍ତୁକ କାନ୍ଧରୁ ଥଳିଟି ଓହ୍ଲାଇ ଓ ବାଡ଼ି ଖଣ୍ଡି ରଖି, ଘର ଭିତରେ ବସିଯାଇଥିଲା । ସେଦିନ ସକାଳୁ ତା’ ପାଟିରେ ପାଣି ଟୋପାଏ ପଡ଼ି ନାହିଁ; କିନ୍ତୁ ସେ ଖାଇବାକୁ ଲୋଡ଼ିଲା ନାହିଁ; କେବଳ ରମା ଆଡ଼କୁ ଚାହିଁରହିଲା । ରମାର ରୂପ ଅବଶ୍ୟ କଦର୍ଯ୍ୟ ହୋଇପଡ଼ିଛି; କିନ୍ତୁ ସେ ଖାଇପିଇ ସୁଖରେ ଥିଲେ, ଯେ ଭଲ ଦିଶୁଥାନ୍ତା; ସେଥିରେ ସନ୍ଦେହ ନାହିଁ । ଦିନରାତି ଲୁହ ବୋହିବୋହି ତା’ ଆଖି ଦିଓଟି ଶୁଖି ଜ୍ୟୋତିଃହୀନ ହୋଇଯାଇଛି । ତା’ ଗାଲ ପଶିଯାଇଛି । ପିନ୍ଧାକନାର କଣାଗୁଡ଼ାକ ବାଟେ ଦେହର ହାଡ଼ ଉପରକୁ ବାହାରି ପଡ଼ୁଛି । ମାଡ଼ ଚିହ୍ନମାନ ସ୍ଥାନେ ସ୍ଥାନେ ଦେଖାଯାଉଛି । ତା’ ଚାଲିବା; ଚାହିଁବା, ବସିବା ସବୁଥିରେ କେବଳ ଗୋଟିଏ ଭାବର ପରିଚୟ ମିଳୁଛି । ସେ ଭାବଟି ଭୟ । ଭୟ ତା’ର ସାରା ପ୍ରାଣକୁ ଘୋଡ଼ାଇ ରଖିଛି । ସେହି ଭୟ ଯୋଗେ ରମାର ପିନ୍ଧା ଲୁଗା ଓଦା ହୋଇଯାଇଥିଲେ ସୁଦ୍ଧା, ସେ ତାହା ନ ବଦଳାଇ, ଶୀତରେ ଥୁରୁଥୁରୁ ହୋଇ କାମରେ ଲାଗିଲା । ତେଣୁ ସାହୁଆଣୀ ଡାକି ପଚାରିଲା, ‘‘କିଲୋ ନିଆଁଲାଗି, ବାଇଗଣ କାହିଁ ?’’
ରମା ବାଇଗଣ କଥା ଏକାବେଳକେ ଭୁଲିଯାଇଥିଲା । ଭୟ ଯୋଗେ ମିଥ୍ୟାର ଆଶ୍ରୟ ନେଇ କହିଲା, ‘‘ଦୋକାନ ପଡ଼ିଯାଇଥିଲା ।’’
‘‘ମୁଁ ଡାକିଲି ଯେ କେହି ଶୁଣିଲେ ନାହିଁ ।’’
‘‘ଆଚ୍ଛା, ମୁଁ କାଲି ପଚାରି ବୁଝିବି । ଯେବେ ମିଛ ହେଇଥିବ, ଦେଖ୍ ତୋ ପିଠି ଗୁଣ୍ଡା କରିଦେବି । ଦେ, ପଇସା ଦିଟା ଦେଇପକା ।’’ ଗୋଟାଏ ବଡ଼ ସବଳ କୁକୁରକୁ ଦେଖି ଦୁର୍ବଳ କୁକୁର ଗୋଡ଼ ସନ୍ଧିରେ ଲାଙ୍ଗୁଳ ପୂରାଇ, ଦାନ୍ତ ଲେସିଡ଼ି, ଠିଆ ହେଲା ପରି, ରମା ଠିଆ ହୋଇ ରହିଲା । ପଇସା ଖୋଜି ଦେଖିଲା, ନାହିଁ । ସେ ଭୟରେ ବରଡ଼ାପତ୍ର ପରି କେବଳ ଥରିବାକୁ ଲାଗିଲା । ସାହୁଆଣୀ କହିଲା, ‘‘କିଲୋ, ତୁ ହଜେଇ ସାରିଲୁଣି ନା କ’ଣ ?’’ କହି, ସାହୁଆଣୀ ଘର କଣରେ ଡେରା ହୋଇଥିବା ଖଣ୍ଡିଏ ବେତ ହାତରେ ଆଣି ଧଇଲା । ରମା କାନ୍ଦି କାନ୍ଦି କହିଲା, ‘‘ସାଆନ୍ତାଣୀ, ମୁଁ ଏମିତି ଆଉ କେବେ କରିବି ନାହିଁ ।’’
ଆଗନ୍ତୁକ ବ୍ୟକ୍ତି ବସି ସବୁ ଦେଖିଥିଲା । ସାହୁଆଣୀ ହାତ ଟେକି, ବେତ ଉଠାଇଲା ବେଳକୁ ସେ କହିଲା, ‘‘ଏଇ ଯେ କ’ଣ ଦିଟା ସେ ପିଲା ଅଣ୍ଟାରୁ ଖସିପଡ଼ିଲା । ଆଲୁଅ ଆଣି ଦେଖିଲ ଦେଖି ।’’ କହି, ସେ ନଇଁ ତଳେ କ’ଣ ଖୋଜିଲା ପରି ହେଲା । ତା’ପରେ ଦୁଇଟା ଦୋହରି ପଇସା ଧରି କହିଲା, ଏଇ ତ ମିଳିଚି । ଆଉ ତାକୁ କାହିଁକି ମାରିବ ?’’ ସାହୁଆଣୀ ପଇସା ଦୁଇଟା ହାତରେ ଧରି ଦେଖିଲା ଯେ ବ୍ୟବସାୟରେ ତା’ର ମୋଟରେ ଶତକଡ଼ା ଶହେ ଲାଭ ହୋଇଅଛି । ସୁତରାଂ ସେ ମନେ ମନେ ଖୁସି ହେଲା । ତଥାପି କହିଲା, ‘‘ଦେଖ୍, ଆଉ ଦିନେ ଏପରି ମୁଁ ଯେମିତି ନ ଦେଖେ ।’’
ରମା ଧୀରେ ଧୀରେ ପଛେଇ ଖସିଯାଇ, ଗୋଟିଏ କଣରେ ଆଶ୍ରୟ ନେଲା । ସେ ଆଚମ୍ବିତ ହୋଇ ଆଗନ୍ତୁକ ଆଡ଼କୁ ଚାହିଁବାକୁ ଲାଗିଲା । ଚମ୍ପା ଏବଂ ହୀରା ଘର ଭିତରୁ ବାହାରି ଅଗଣାକୁ ଆସିଲେ । ସେମାନେ ଯାତ୍ରା ଦିନର ଭଲ ପେଡ଼ିଲୁଗା ପିନ୍ଧିଚନ୍ତି, ମୁଣ୍ଡ କୁଣ୍ଡାଇ ସୁନ୍ଥା ପାରିଛନ୍ତି । ଦେହରୁ ଚୁଆ ଗନ୍ଧ ଆସୁଛି, କପାଳରେ ସିନ୍ଦୂର ଟୋପି ଦାଉ ଦାଉ ଜଳୁଛି । ସତେ ଅବା ଦୁହେଁ କୌଣସି ରଜାଙ୍କର ଦୁଇ ଜେମା । ସେମାନେ ପଦାକୁ ଆସିବାର ଦେଖି ସାହୁଆଣୀ ଘର ଭିତରୁ କହିଲା, ‘‘କ’ଣ, ସେ ପୋଡ଼ାମୁହୀଁ ପାଖେ ଯାଇ ଦେହକୁ ଦେହ ଲଗେଇ, ବସିବାକୁ ବାହାରିଲ ପରା ?’’ ଚମ୍ପା ଏବଂ ହୀରା ଅବଶ୍ୟ ଅତି ପିଲାଦିନେ ବେଳେ ବେଳେ ରମା ପାଖେ ବସୁଥିଲେ; କିନ୍ତୁ ମା’ଠାରୁ ବାରମ୍ବାର ମନା ଶୁଣି ସେମାନେ ଶେଷରେ ବୁଝିପାରିଲେ ଯେ ରମା ଯେପରି ଏକ ଅସ୍ପୃଶ୍ୟ ଜାତିର ପିଲା ଓ ତା’ ଛାଇ ପଡ଼ିଲେ ସେମାନଙ୍କର ଜାତି ଯିବ । ସେଥିପାଇଁ ସେମାନେ ବରାବର ରମାଠାରୁ ଦୂରରେ ରହୁଥିଲେ । କିନ୍ତୁ ସାହୁଆଣୀ ତାହା ଜାଣି ସୁଦ୍ଧା, ‘‘ଅଧିକନ୍ତୁ ନ ଦୋଷାୟ’’ ନୀତିରେ ଝିଅମାନଙ୍କୁ ପ୍ରତିଦିନ ଦୁଇ ଚାରି ଥର ସତର୍କ କରାଇ ଦେଉଥିଲା । ସେ ଜାଣିଥିଲା ଯେ ଗୋଟାଏ ଭଲ କଥା ପିଲାମାନଙ୍କୁ ଯେତେ ଥର କହିଲେ ମଧ୍ୟ ଆହୁରି କହି ରଖିବା ଉଚିତ ।