ଆର ଦାସ କବରରୁ ଉଠିଲା — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଆର ଦାସ କବରରୁ ଉଠିଲା
ବାସୁଦାସକୁ ଯାହା ଅସମ୍ଭବ ଜଣାପଡ଼ିଲା, ପାଣୁ ନାଏକ ଜାଣିଲା ମାତ୍ରେ ବୁଝିନେଲା ଯେ ତାହା ଅତି ସହଜ କଥା । ଯେ କଏଦୀଖାନାରେ ଊଣିଶ ବର୍ଷ ରହିଆସିଛି, ତା’ ପ୍ରତି ସଂସାରର କୌଣସି ଅସାଧ୍ୟ କାର୍ଯ୍ୟ ଅସାଧ୍ୟ ନୁହେଁ । ସୁତରାଂ ସିନ୍ଦୁକରେ ବନ୍ଦହୋଇ ମଡ଼ା ପରି ଯାଇ ମାଟିରେ ପୋତା ହେବା ପରେ ପୁଣି ବଞ୍ଚିବାକୁ ଆଶା କରିବା, ତା’ ପକ୍ଷେ ଗୋଟାଏ ନିତାନ୍ତ ସହଜ କଥା; କିନ୍ତୁ ବାସୁଦାସ ପଚାରିଲେ, ‘‘ତୁମେ ନିଃଶ୍ୱାସ ନବ କିମିତି ?’’
‘‘ସେ ତ ଅତି ସହଜ କଥା । ତୁମେ ଗିରିମିଟ୍ରେ ସିନ୍ଦୁକରେ ଦୁଇ ଚାରିଟା କଣା କରିଦିଅ ନା ମୋର ଭୟ ଏଥିକି ନୁହେଁ । ମୁଁ ଖାଲି ଭାବୁଚି ମାଟିରେ ପୋତିଦେଲା ପରେ ସେଠୁ କିପରି ବାହାରିବି ? ଯେପରି ହେଉ, ମତେ ବର୍ତ୍ତମାନ ଏଠୁ ଏଇ ସିନ୍ଦୁକରେ ଭର୍ତ୍ତିହୋଇ ଯିବାକୁ ହବ । ଆଉ କିଛି ଉପାୟ ନାହିଁ, ବାସୁ ଭାଇ ।’’
‘‘ଦେବାନେ, ତୁମେ ଯା ଭାବୁଚ, ମୁଁ ତା’ ଭାବୁନାହିଁ । ତୁମେ ଯଦି ବଞ୍ଚିଥାଇ, ସିନ୍ଦୁକ ଭିତରେ ରହି, ସମାଧି ସ୍ଥାନ ପର୍ଯ୍ୟନ୍ତ ଯାଇପାରିବ, ତେଣିକି ଉଠେଇଆଣିବା କଥା ମୋ ଦେହାତି । ସମାଧି ଖୋଳିବାବାଲା ଜଗନାଥିଆ ମୋର ଆପଣାର ଲୋକ, ଭାଙ୍ଗ ଚିଲମ ନିଶାରେ ଟୁଳଟୁଳ ହୋଉଥାଏ । ମୁଁ ତ ସାଙ୍ଗେ ସାଙ୍ଗେ ଯିବିନା । ପୁରୋହିତ ତ ମନ୍ତ୍ର ପଢ଼ି ଚାଲିଆସିବେ, ମୁଁ ଜଗନାଥିଆ ସାଙ୍ଗେ ରହିଯିବି । ତାକୁ ଚିଲମ ପୁଳାଏ ଧରେଇଦେଲେ ସେ ନିଶାରେ ଢଳିପଡ଼ିବ । ତୁମେ ସିନ୍ଦୁକରୁ ଉଠି ବାହାରିଆସିଲା ପରେ ମୁଁ ମାଟି ପକେଇ ପୋତିଦେବି । ଜଗନାଥିଆ ଉଠି ଦେଖିବ, ସବୁ ସରିଚି । ହେଲେ, ସିନ୍ଦୁକରେ ତ ମୁଁ କଣ୍ଟା ମାରିଦେବି । ତୁମେ ସେ ଭିତରୁ ବାହାରିବ କିମିତି ?’’
‘‘ଆଃ; ଏଇ କଥା ତ । ଏତେବେଳ ଯାଏଁ ବୁଝିଲ ନାହିଁ, ଦାସେ ? ବେଶି କଣ୍ଟା ପିଟିବ ନାହିଁ, କି ଜୋରରେ ପିଟିବ ନାହିଁ । ଉପର ଘୋଡ଼ଣି ଉଠି ନ ଗଲା ଭଳି ଦି ତିନିଟା କଣ୍ଟା ଖାଲି ଠୁକେଇ ରଖିଦେଇଥିବ । ମୋତେ ଡାକିଦେଲେ, ମୁଁ ତଳୁ ଠେସି, ଘୋଡ଼ଣି ଫିଟେଇ ଉଠି ପଡ଼ିବି-।’’ ଶୁଣି, ବାସୁଦାସ ଜିଭ କାମୁଡ଼ି ପାଣୁ ନାଏକ ହାତ ଧରି ପକାଇଲା । କହିଲା, ‘‘ଓଃ, କି ସାହସ ତୁମର, ଦେବାନେ । ଏ ତ ମରି ପୁଣି ଜନ୍ମ ହବା କଥା ।’’
‘‘ଭୟ କରନାହିଁ ଦାସେ । ସବୁ ଠିକ୍ଠାକ୍ ହେଇଯିବ ।’’
ସେ ଦିନ ଅପରାହ୍ନ ପ୍ରାୟ ପାଞ୍ଚ ଘଣ୍ଟାବେଳେ ସିନ୍ଦୁକଟି ଗୋଟାଏ ପ୍ରକାଣ୍ଡ କୋକେଇ ଉପରେ ରଖି, ଆଠ ଜଣ ବୁହାଳି ଧରି ବାଟରେ ଚାଲିଛନ୍ତି । ସିନ୍ଦୁକ ଉପରେ ଫୁଲଚନ୍ଦନ ଅସୁମାରି ପଡ଼ିଛି; ଧୂପ ଦୀପ ରଖାଯାଇଛି; ପୁରୋହିତ ଆଗେ ଆଗେ ମନ୍ତ୍ର ପଢ଼ି ଚାଲିଛନ୍ତି । ମଠରେ ସାନ ସାନ ବାଳିକାମାନଙ୍କ କୀର୍ତ୍ତନ ଧ୍ୱନିରେ ଆକାଶ ମର୍ତ୍ତ୍ୟ ପୂରି ଉଠୁଛି । ଦେଖି, ସର୍ଦ୍ଦାର ମହାପାତ୍ର କହିଲେ, ‘‘ଏ ମାତା କୃଷ୍ଣପ୍ରିୟା ଯାଉଚନ୍ତି ପରା ।’’ ତହୁଁ ସେ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ, ଆଖି ଛଳ ଛଳ କରି, ଭୂଇଁରେ ମୁଣ୍ଡ ଲଗାଇ ଗୋଟିଏ ମୁଣ୍ଡିଆ ମାଇଲେ ଏବଂ ଉଠି ମୁଣ୍ଡ ଧୂଳି ଝାଡ଼ି କହିଲେ ‘‘ଦୁନିଆଟା ତ ଏଇଆ । କିଏ ଏ ସଂସାରେ ଚିରଞ୍ଜୀବୀ ହେଇ ରହୁଚି ?’’ କହିସାରି, ସେ ନିଜ ସ୍ଥାନରେ ଯାଇ ଠିଆ ହେଲେ । ପାଣୁ ନାଏକକୁ ସେ ରାତିରେ ପୁଣି ଜଗିବାର ବ୍ୟବସ୍ଥା କରିବା ପାଇଁ ସେ ସେଠାକୁ ଆସିଥିଲେ ।
ସିନ୍ଦୁକ ଯେତେବେଳେ ସମାଧି ସ୍ଥାନ ଦ୍ୱାରେ ପହଞ୍ଚିଲା, କୀର୍ତ୍ତନ ବନ୍ଦହେଲା । ସମାଧି ସ୍ଥାନଟି ଗୋଟିଏ ବିଚିତ୍ର ରକମର । ତା’ ଚାରିଆଡ଼େ ଗୋଟାଏ ପ୍ରକାଣ୍ଡ ପାଚେରୀ । ଭିତରକୁ ଯିବା ଆସିବା ପାଇଁ ଗୋଟିଏ ମାତ୍ର ଦ୍ୱାର । ସେ ଦ୍ୱାରରେ ଗୋଟାଏ ଖୁବ୍ ବଡ଼ ଲୁହା କବାଟ ଲାଗିଥିଲା, ସତେ ସବୁ ଯେପରି ମୃତ ମାତାମାନଙ୍କ ପ୍ରେତାତ୍ମା ବାହାରକୁ ଛାଡ଼ି ନ ଦେବାକୁ ତିଆରି କରାଯାଇଥିଲା । କବାଟରେ ମସ୍ତବଡ଼ କୋଲପ । ସେ ଭିତରକୁ ସମସ୍ତେ ଯାଇପାରନ୍ତି ନାହିଁ; କେବଳ ସମାଧି ଦିନ ମଠର ବାଳିକାମାନେ, ପୁରୋହିତ ଓ ମାଳୀ ଯାଆନ୍ତି । ସମାଧି ଖୋଳିବାଲୋକ ମଧ୍ୟ ଯାଏ । ନିଯୁକ୍ତିବେଳେ ତାକୁ ଖଣ୍ଡିଏ ତମ୍ବାପଟା ସନନ୍ଦ ଦିଆଯାଇଥାଏ । ସନନ୍ଦ ହାତରେ ନ ଧରି, ସେ ସମାଧି ପାଚିରି ଭିତରେ ପାଦ ପକାଇଲେ, ତାକୁ ପନ୍ଦର ଟଙ୍କା ତଣ୍ଡ ଦେବାକୁ ହୁଏ । ଯେଉଁ ଜଗୁଆଳ ପାଖେ ଦୁଆର ତାଲାର କୁଞ୍ଚିକାଠି ଥାଏ, ତାକୁ ସୁଦ୍ଧା ଭିତରେ ପାଦ ପକାଇବା ପାଇଁ ମନା । ସମାଧି ସ୍ଥାନ ପୁଣ୍ୟ ସ୍ଥାନ । ସେଥିରେ ସଂସାରୀ ଲୋକଙ୍କ ପାଦରଜ ପଡ଼ିଲେ, ମାତାମାନଙ୍କ ସ୍ୱର୍ଗକୁ ଯିବା ବାଟ ପଙ୍କିଳ ହୋଇଯିବ ବୋଲି ରାଣୀ ମାତାଙ୍କ ବିଶ୍ୱାସ । ସେଥିପାଇଁ ଏତେ କାଣ୍ଡ । କେବଳ ସମାଧି ଖୋଳି ମାଟି ଘୋଡ଼ାଇବାପାଇଁ ଯେ ଗୋଟିଏ ଲୋକ ଦରକାର ହୁଏ, ସେ ନ ଗଲେ ନ ଚଳେ ବୋଲି ତା’ ଯିବାର ବିଧାନ ରଖାଯାଇଥାଏ । ସେ ମଧ୍ୟ ଖାଲି ପାଦରେ ଯାଏ ନାହିଁ । ତାକୁ ରଜ ସମୟରେ କୁମାରୀମାନେ କଲା ପରି, ପାଦରେ ଗୁଆ ଖୋଳପି ବାନ୍ଧିବାକୁ ହୁଏ ।
ସିନ୍ଦୁକ ସମାଧି-ଭୂମି ଦ୍ୱାରେ ପହଞ୍ଚିବାରେ କବାଟ ଯେତେବେଳେ କଣକଣ ଡାକି ଫିଟିଲା, ପାଣୁ ନାଏକ କେଉଁଠାରେ ପହଞ୍ଚିଛି, ବୁଝିପାରିଲା । ବାସୁଦାସ ସଙ୍ଗେ ସଙ୍ଗେ ଛୋଟେଇ ଛୋଟେଇ ଚାଲିଛି । ତା’ ବୁକୁ ଭିତରେ ହୃତ୍ପିଣ୍ଡଟା ଦୁମ୍ଦୁମ୍ ପଡ଼ୁଥାଏ । ତଥାପି ତା’ ମନରେ ଅପୂର୍ବ ଆନନ୍ଦଲହରୀ ଖେଳୁଥିଲା । ସେ ରମାକୁ ବାହାରକୁ ଆଣି ଛାଡ଼ିଦେଇପାରିଛି ଓ ବର୍ତ୍ତମାନ ଦେବାନଙ୍କ ମୁକ୍ତିର ଚାବି ନିଜ ହାତରେ ରଖି ଚାଲିଛି । ସୁତରାଂ ତା’ ମନରେ ତିଳେ ମାତ୍ର ଚିନ୍ତା ନାହିଁ ।
ସମାଧି-ଭୂମିରେ ଆଗରୁ ଗାତ ଖୋଳା ହୋଇ ରଖାଯାଇଥିଲା । ସିନ୍ଦୁକଟି ଯେତେବେଳେ ସେହି ଗାତ ପାଖେ ଭୂଇଁରେ ଥୁଆହେଲା, ପାଣୁ ନାଏକ ସେ କଥା ବୁଝିପାରିଲା । ତା’ପରେ ବାଳିକାମାନେ ସଂକୀର୍ତ୍ତନ କଲେ । ସଂକୀର୍ତ୍ତନ ପରେ ପୁରୋହିତ ମନ୍ତ୍ର ପଢ଼ିଲେ । ସେତେବେଳେ ବାସୁଦାସ ଦେଖିଲା, ଜଣେ ଅପରିଚିତ ଲୋକ ହାତରେ ଗୋଟାଏ ମସ୍ତ କୋଦାଳ ଧରି ଠିଆ ହୋଇଛି । ପଚାରିଲା, ‘‘ତୁ କିଏ ?’’
‘‘ମୁଁ ସମାଧି ଖୋଳିବା ବାଲା ।’’ ସେ ଶବ୍ଦଟା ଗୋଟାଏ ବଜ୍ରନାଦ ପରି ବାସୁଦାସ କାନରେ ଆସି ପଡ଼ିଲା । ସେ କହିଲା, ‘‘ନା, ଜଗନାଥିଆ ତ ଖୋଳିବା ବାଲା, ତୁ କିଏ ?’’
‘‘ସେ ମଲାଣି ।’’ ବାସୁଦାସ ଏପରି ଉତ୍ତର ପଦେ କାନରେ ଶୁଣିବା ଲାଗି ନିଜକୁ ଆଦୌ ପ୍ରସ୍ତୁତ କରି ନ ଥିଲା । ସମାଧି ଖୋଳିବାବାଲାର ପୁଣି ମୃତ୍ୟୁ କ’ଣ ? କିନ୍ତୁ ଜଗତର ନୀତି, ଯେ ଅପର ଲୋକଙ୍କ ପାଇଁ ସମାଧି ଖୋଳେ, ସେ ମଧ୍ୟ ନିଜ ପାଇଁ ଗୋଟିଏ ଗାତ ଖୋଳି ରଖିଥାଏ-। ବାସୁଦାସ ପାଟି ଫିଟାଇ ଆଁ କରି, ନିତାନ୍ତ ଓଲା ଲୋକ ପରି ଠିଆହେଲା । ତା’ପରେ ସେ ଖନେଇ ଖନେଇ କହିଲା, ‘‘ନା ତୋତେ ମୁଁ ଚିହ୍ନେନା । ଜଗନାଥିଆ ଜଣେ ସମାଧି ଖୋଳିବାବାଲା-।’’
‘‘କି ବୋକା ତୁ ଲୋକଟା । ଆରେ ମୁକୁନ୍ଦ ଦେବ ପରେ ରାମଚନ୍ଦ୍ର ଦେବ । ସେହିପରି ଜଗନାଥିଆ ପରେ ନାରାୟଣ । ମୋ ନାଁ ନାରାୟଣ, ମନେ ରଖ ।’’ ବାସୁଦାସର ଅନ୍ତରାତ୍ମା କାନ୍ଦୁଥିଲା । ତଥାପି ସେ ଉପରେ ହସି କହିଲା, ‘‘ଆଚ୍ଛା, ଗଲା, ପାପ ଯାଇଚି । ତୁ ହେଇଚୁ, ଭଲ କଥା ତା’ ସାଙ୍ଗେ ମୋର ଯେପରି ଭାବ ଥିଲା, ତୋ ସାଙ୍ଗେ ଆହୁରି ବେଶି ଭାବ ହବ । ସାଙ୍ଗ ହେଇ ଚିଲମ ଭିଡ଼ିବା । ଦୁନିଆର ସ୍ନେହ ପ୍ରୀତି ତ ସବୁ ଚିଲମ ଉପରେ, ରେ ଭାଇ ।’’
‘‘ଦୁର୍, ମୁଁ ଚିଲମ ଖାଏନା ।’’
ପୁରୋହିତ ତାଙ୍କର ଶେଷ ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ । ସମୟ ହୋଇଆସିଲା-। ବାସୁଦାସ କହିଲା, ନାରାୟଣ ଭାଇ, ମୁଁ ପରା ମଠର ମାଳୀ । ଆମେ ଦିହେଁ ଚିହ୍ନାଚିହ୍ନି ହବାନାହିଁ-?
‘‘ହେଇ ତ ସାରିଲେଣି । ତୁ ମଫସଲର ମରହଟି ଓଲା ଲୋକ, ମୁଁ କଟକ ସହରୀ । ଆଉ ଚିହ୍ନାଚିହ୍ନି କ’ଣ ଫେରେ ?’’
‘‘ଯାଃ, ଏକାଠି ଚିଲମ ନ ଟାଣିଲାଯାଏ କି ଚିହ୍ନା ? ତୁ ଚିଲମ କେବେ ଖାଇ ନ ଥିଲେ, ଆଜି ଖାଇ ଦେଖିବୁ, କି ମଜା ! ନାହିଁ କରନା ।’’
‘‘ନା ଭାଇ, ଆଗେ କାମ ।’’ ଶୁଣି, ବାସୁଦାସ କଳାକାଠ ପଡ଼ିଗଲା । ସେ ମନକୁ ମନ ଭାବିଲା, ‘‘ମୋ କଥା ସରିଲା ତେବେ ।’’
ପୁରୋହିତ ମନ୍ତ୍ର ପଢ଼ିସାରିଲେ, ସିନ୍ଦୁକ ଉପରେ ପୁଣି ଫୁଲଚନ୍ଦନ ବୃଷ୍ଟିହେଲା । ତାକୁ ଧୀରେ ଧୀରେ ଗାତ ଭିତରକୁ ଦଉଡ଼ିରେ ଓହ୍ଲାଇ ଦିଆଗଲା । ଭିତରେ ଥାଇ ପାଣୁ ନାଏକ ଅନୁଭବ କଲା, ସତେ ଅବା ଲୋକେ ଭୁଲରେ ସିନ୍ଦୁକଟାକୁ ଓଲଟାଇ ତଳ ପଟ ଉପରକୁ ଓ ଉପର ପଟ ତଳକୁ କରି ଦୁମ୍କିନି ଗାତ ଭିତରକୁ ଫିଙ୍ଗିଦେଲେ । ମୁହୂର୍ତ୍ତକ ପାଇଁ ତା’ ଚେତା ବୁଡ଼ିଗଲା । ଚେତା ହେଲାରୁ ସେ ଦେଖିଲା, ସିନ୍ଦୁକଟି ଠିକ୍ ଅଛି ଏବଂ ସେ ପୂର୍ବ ପରି ସିଧା ଶୋଇ ରହିଛି । ତଥାପି ତା’ ଦେହ ଥରିଆସିଲା । ଉପରେ ‘ହରିବୋଲ’ ଶବ୍ଦ ଶୁଣାଗଲା । ତୃତୀୟ ଥର ‘ହରିବୋଲ’ ପଡ଼ିଲା ପରେ ଲୋକେ ଚାଲିଯିବାର ପାଦ ଶବ୍ଦ ସେ ଅସ୍ପଷ୍ଟ ଭାବରେ ଶୁଣିପାରିଲା । ସେ ମନେ ମନେ ଭାବିଲା, ‘‘ସମସ୍ତେ ତ ଗଲେ, ଏଠେଇ ରହିଲି ମୁଁ ଏକା, ଆଉ ଉପରେ ରହିଲେ ବାସୁଦାସ ଏବଂ ଜଗନାଥିଆ । ଏଇ ମୁହୂର୍ତ୍ତକ ପରେ ବାସୁଦାସ ମୋତେ ଉଦ୍ଧାର କରିନବ । କ’ଣ ପାରିବ ନାହିଁ ?’’
ହଠାତ୍ ଉପରୁ ଗୋଟାଏ ବଜ୍ରନାଦ ସମାଧି ଭିତରକୁ ଶୁଣାଗଲା । ନାରାୟଣ କୋଡ଼ିଏ ମାଟି ଖୋଳି ଭିତରକୁ ପକାଇଦେଲା । ତା’ ଉପରେ ଆଉ କୋଡ଼ିଏ ପଡ଼ିଲା । ନାରାୟଣ ନଇଁପଡ଼ି ପୁଣି କୋଡ଼ି ଭର୍ତ୍ତି କଲାବେଳେ ବାସୁଦାସ ତାକୁ ହାତ ଯୋଡ଼ି କହିଲା, ‘‘ଭାଇ ରହ ରହ, ପୁଳାଏ ଚିଲମ ଆଗେ ଖାଇନେ । ତା’ପରେ ଦିହେଁ ତ ଧମାଧମ କାମରେ ଲାଗିଯିବା । ତୁ ଖୋଳିବୁ, ମୁଁ ବୋହିବି । ଆଗ ଆ; ଚିଲମ ଧର । କହି, ବାସୁଦାସ ଅଣ୍ଟିରୁ ଚିଲମ ବାହାର କଲା । ସେ ନିଜେ ଚିଲମ ଟାଣେ ବୋଲି ଯେ ଚିଲମଟି ଆଣିଥିଲା, ତା’ ନୁହେଁ । ଆଣିଥିଲା ଜଗନାଥିଆ ପାଇଁ । ଚିଲମର ଆପାତ ଅଭିପ୍ରାୟ ସିଦ୍ଧ କରିବା ନିମନ୍ତେ ନାରାୟଣକୁ ଡାକିଲା, ‘‘ଆ ଭାଇ, ଆ ।’’
‘‘ତୋ ଚିଲମ ଫିଲମ ରଖ, ଭାଇ ମୁଁ ଆଗେ କାମ ସାରେ ।’’ ବାସୁଦାସକୁ ବୁଦ୍ଧି ଦିଶିଲା ନାହିଁ; ମୁହୂର୍ତ୍ତକ ପାଇଁ ସବୁ ଅନ୍ଧାର ହୋଇଗଲା । ନାରାୟଣ ତିନି ଚାରି କୋଡ଼ି ମାଟି ସିନ୍ଦୁକ ଉପରେ ପକାଇଦେଲା । ସିନ୍ଦୁକ ଘୋଡ଼ଣି ଉପର କଣା ବନ୍ଦ ହୋଇଆସିଲା । ନାରାୟଣ ନଇଁପଡ଼ି କୋଦାଳରେ ମାଟି ଖୋଳିଲାବେଳେ ତା’ ତମ୍ବାପଟା ସନନ୍ଦଟି ଦଉଡ଼ିରେ ପିଚା ପାଖେ ଝୁଲୁଥିଲା-। ବାସୁଦାସର ଦୃଷ୍ଟି ତହିଁରେ ପଡ଼ିଲା । ସେ ଧୀରେ ଧୀରେ ଯାଇ ଦଉଡ଼ିଟି କାଟି ପକାଇ, ତମ୍ବାପଟାଖଣ୍ଡି ଲୁଚାଇ ନେଇଗଲା । ନାରାୟଣ କାମରେ ବ୍ୟସ୍ତ ରହି ଟେର ପାଇଲା ନାହିଁ । ତା’ପରେ ବାସୁଦାସ ଖଣ୍ଡେ ଦୂରକୁ ଘୁଞ୍ଚିଯାଇ କହିଲା, ‘‘ନାରାୟଣ ଭାଇ, ସୂର୍ଯ୍ୟ ତ ଆସି ବୁଡ଼ିବା ଉପରେ । ଖୁବ୍ ଫୂର୍ତ୍ତିରେ କାମ କରିବା ଦରକାର । ଚିଲମ ପୁଳାଏ ଟାଣିଥିଲେ ସିନା ସବୁ ଫୂର୍ତ୍ତି । ଆଚ୍ଛା, ତୁ ତୋ ସନନ୍ଦପଟା ଆଣିଚୁଟିକି ?’’
ନାରାୟଣ କୋଦାଳ ଥୋଇଦେଇ, ବାଁ ହାତରେ ପିଚା ପାଖ ଦରାଣ୍ଡି କହିଲା, ‘‘ଆଁ ମୁଁ କ’ଣ ଆଣିନାହିଁ ? ଆଣିଥିଲେ ଯାଆନ୍ତା କୁଆଡ଼େ ? ଘରେ ଛାଡ଼ିଆସିଥିବି ତ ।’’
‘‘ପନ୍ଦର ଟଙ୍କା ଜୋରିମାନା, ଜାଣିଚୁଟିକି ?’’
‘‘ଜାଣିଚି ତ । ଦେବି କୁଆଡୁ ?’’ କହି ନାରାୟଣ ନିତାନ୍ତ ବ୍ୟସ୍ତ ହୋଇପଡ଼ିଲା । ତା’ ହାତରୁ କୋଦାଳଟା ଖସି ତଳେ ପଡ଼ିଗଲା । ଦେଖି ବାସୁଦାସ କହିଲା, ‘‘କିରେ, ଟଙ୍କା ପନ୍ଦରଟା ପାଇଁ ଆତ୍ମହତ୍ୟା କରିବୁ, ନା କ’ଣ ? ଯା, ଦଉଡ଼ିଯା, ଘରୁ ଧରି ଚାଲିଆସିବୁ । ମୁଁ ତୋ କାମ ଏଠି କରିଦେଉଛି । ଆସିଲେ, ସାଥି ହେଇ ଯିବା ।’’ ନାରାୟଣ କହିଲା, ‘‘ମାଳୀ ଭାଇ, ତୋ ୠଣ ମୁଁ ଜୀବନରେ ଶୁଝିପାରିବି ନାହିଁ । ଏଇ ମୋ କୋଦାଳ ରହିଲା । ପୁଞ୍ଜିଏ ପୁଞ୍ଜିଏ ମାଟି ପକୋଉଥିବୁ । ମୁଁ ଏଇ ଦଉଡ଼ିଯାଇ ଦଉଡ଼ି ଚାଲିଆସିବି ।’’ କହି ନାରାୟଣ ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ଚାଲିଗଲା ।
ନାରାୟଣ ଅଦୃଶ୍ୟ ହୋଇଯିବା ପରେ, ବାସୁଦାସ ସମାଧି ଗାତ ଭିତରକୁ ଯାଇ ଧୀର ସ୍ୱରରେ ଡାକିଲା, ‘‘ଦେବାନ ହଜୁର ।’’ କିନ୍ତୁ କିଛି ଉତ୍ତର ମିଳିଲା ନାହିଁ । ବାସୁଦାସର ଆପାଦ ମସ୍ତକ ଥରିଗଲା । ସେ ସିନ୍ଦୁକ ଉପରେ ପଡ଼ିଥିବା ମାଟି ଆଡ଼େଇ ଘୋଡ଼ଣି ଟେକି ବସିଲା; କିନ୍ତୁ ପାରିଲା ନାହିଁ । ତହୁଁ ସେ ନିଜେ ଆଣିଥିବା ନିହାଣ ଓ ନାରାୟଣର କୋଦାଳ ବେଣ୍ଟ ଠେସ ଦେଇ ଘୋଡ଼ଣି ଫିଟାଇପକାଇଲା । ପାଣୁ ନାଏକ ଆଖି ବୁଜି ଶୋଇ ରହିଥିଲା ଓ ଝାଙ୍କିଲେ ମଧ୍ୟ ଉଠିଲା ନାହିଁ । ବାସୁଦାସ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କହିଲା, ‘‘ଚାଲିଗଲେ !’’ ତା’ପରେ କ’ଣ ଘଟିଲା ସେ ଜାଣେ ନାହିଁ । କେତେକ ସମୟ ପରେ ତାକୁ କିଏ ହଲାଇ ଉଠାଇବାରେ ସେ ଉଠି ଚାହିଁଲା; ପାଣୁ ନାଏକ ଆଗରେ ଠିଆ ହୋଇଛି । ସେ ଉଠି ଚମକି ପଡ଼ିଲା ।
ପାଣୁ ନାଏକ ସଂଜ୍ଞାହୀନ ହୋଇ ପଡ଼ିଥିଲା । ଏକେ ସିନ୍ଦୁକର କଣା ସବୁ ମାଟି ପଡ଼ି ବନ୍ଦ ହୋଇଗଲା । ତା’ପରେ ପୁଣି, ଭୟ । ସେଥିରେ କାହାର ସଂଜ୍ଞା ନ ତୁଟିବ ? ପୁଣି ନିର୍ମଳ ବାୟୁ ପାଇ ସେ ସଚେତ ହୋଇଉଠିଲା । ପାଣୁ ନାଏକ ଓ ବାସୁଦାସ, ଦୁହେଁ ଲାଗି ମାଟି ପକାଇ, ଗାତ ମୁହଁ ବୁଜିଦେଲେ । ସଙ୍ଗେ ସଙ୍ଗେ ସେମାନେ ଫେରିବାକୁ ବସିଲେ । ନାରାୟଣର ତମ୍ବାପଟାଖଣ୍ଡି ଦେଖାଇ ପାଣୁ ନାଏକ ଫାଟକ ବାଟେ ଖସିଆସିଲା । ସେ ତା’ କୋଦାଳଟି ମଧ୍ୟ ଧଇଲା । ଦେଖି, ଜଗୁଆଳ ମନେ ମନେ ଭାବିଲା, ‘‘ଏ କ’ଣ ? ସେ ଲୋକଟା ମତେ ନିହାତି ଓଲୁ ବନେଇଦେଇ ଚାଲିଗଲା ତେବେ । କହିଲା, ‘ମୁଁ ନାରାୟଣ, ଖୋଳାଳୀ ।’ ଖୋଳାଳୀ ତ ଏ । ସନନ୍ଦ ତ, ୟା ହାତରେ, ସେ ପଟି ମାରି ଚାଲିଗଲା ।’’ ମାତ୍ର କଥାଟା ଜଣାପଡ଼ିଲେ, କାଳେ ଚାକିରି ଯିବ, ସେଥିପାଇଁ ସେ ମୁହଁ ବୁଜି ରହିଲା । ପାଣୁ ନାଏକ ଓ ବାସୁଦାସ ଅବାଧରେ ବାହାରକୁ ଚାଲିଗଲେ-। ଫାଟକ ଦ୍ୱାର ପୁଣି କଣକଣ ଡାକି ବନ୍ଦ ହେଲା ଏବଂ ତାଲା ପଡ଼ିଲା । ସେତେବେଳକୁ ସନ୍ଧ୍ୟାର ଅନ୍ଧକାର ଘୋଟିଗଲାଣି, ଜହ୍ନ ପଡ଼ିବାକୁ ବିଳମ୍ବ ଅଛି ।
ଆର ଦିନ ସକାଳେ ମଠ ପଞ୍ଜରବାଟେ ମାତାମାନେ ଘର ଭିତରୁ ଚାହିଁ ଦେଖିଲେ, କୃଷ୍ଣପ୍ରିୟାଙ୍କ ସମାଧି ଲାଗି ବାସୁଦାସ ଓ ତା’ ଭାଇ ଅଭୟ ଦାସ ମାଟି ଖୋଳିବାରେ ଲାଗିଛନ୍ତି । ମଠରେ ପାଣୁ ନାଏକକୁ କେହି ‘ଅଭୟ ଦାସ’ ନାମରେ ନ ଡାକି ସୁବିଧାରେ କହିବା ପାଇଁ ‘ଆର ଦାସ’ ବୋଲି ଡାକିଲେ । ରମା ମଠ ବାଳିକାମାନଙ୍କ ସଙ୍ଗେ ରହି ପାଠ ପଢ଼ିବାକୁ ଲାଗିଲା । ତା’ ନିମନ୍ତେ ମଠ ନିୟମ ଟିକିଏ ଶିଥିଳ କରାଯାଇ ଏହି ବ୍ୟବସ୍ଥା ହେଲା ଯେ ସେ ପ୍ରତିଦିନ ଘଣ୍ଟାକପାଇଁ ବିଶ୍ରାମ ସମୟରେ ଅଜା ପାଖକୁ ଯାଇପାରିବ । ସେ ମଠର ଲୁଗାପଟା ପିନ୍ଧି ଏବଂ ଅରୁଆ ପ୍ରସାଦ ଖାଇ, ଖୁସିରେ ରହିବାକୁ ଲାଗିଲା । ପାଣୁ ନାଏକ ତାକୁ ଯେଉଁ ଶାଢ଼ି ପିନ୍ଧାଇ ଦୀନା ସାହୁ ଘରୁ ଆଣିଥିଲା, ସେ ଶାଢ଼ି ଓ ସେ ଦୀନା ସାହୁ ଘରେ ଯେଉଁ ଛିଣ୍ଡା କନା ପିନ୍ଧୁଥିଲା, ସବୁ ଏକାଠି ସେହି ଛୋଟିଆ ସିନ୍ଦୁକ ମଧ୍ୟରେ ରଖି ନିଜ ମୁଣ୍ଡ ପାଖେ ଥୋଇଲା ।
ଆଠ ନଅ ବର୍ଷ ଚାଲିଗଲା । କଟକ ତେଲେଙ୍ଗାବଜାର ଅଞ୍ଚଳରେ ଗୋଟିଏ ଏଗାର ବାର ବର୍ଷ ବୟସର ବାଳକ ଅନେକ ସମୟରେ ଦେଖାଯାଉଥିଲା । ତା’ ପିନ୍ଧା ଲୁଗାଖଣ୍ଡ ଗୋଟାଏ ପ୍ରକାଣ୍ଡ ଶାଢ଼ି । ସେ ଶାଢ଼ି ସେ ତା’ ମା’ଠାରୁ ପାଇ ନ ଥିଲା । ସେ ଯେଉଁ କୁରୁତାଟି ପିନ୍ଧୁଥିଲା, ତାହା ତା’ ପାଦ ପର୍ଯ୍ୟନ୍ତ ପଡ଼ୁଥିଲା । ଅଥଚ ସେ କୁରୁତା ତା’ ବାପର ନୁହେଁ । ଲୋକେ ତାକୁ ଦୟାକରି ଯେ ଯାହା ଲୁଗାପଟା ଦେଉଥିଲେ । ସେ କେତେବେଳେ ଲଜ୍ଜା ନିବାରଣ ପାଇଁ କେତେବେଳେ ବା ଶୀତରୁ ପରିତ୍ରାଣ ପାଇବା ନିମନ୍ତେ ତାହା ଆଗ୍ରହରେ ପନ୍ଧୁଥିଲା । ତା’ ବାପା ମା’ ଯେ ନ ଥିଲେ ତା’ ନୁହେଁ; ସେମାନେ ତାକୁ ପଚାରୁ ନ ଥିଲେ । ବାପା ମା’ ଥାଇ ସୁଦ୍ଧା ସଂସାରରେ ଯେଉଁ କେତେଗୋଟି ଛେଉଣ୍ଡ ପିଲା ଅଛନ୍ତି; ସେମାନଙ୍କ ମଧ୍ୟରେ ପରିଗଣିତ ହେବାପାଇଁ ତା’ର ପୂରା ଦାବି ରହିଥିଲା ।
ସେ ପିଲା ଯେଉଁଠାରେ ଯାହା ପାଉଥିଲା, ଖାଉଥିଲା କେଉଁଦିନ କାହା ପନ୍ଦାଡ଼ରେ ଶୋଉଥିଲା, ଲୋକଙ୍କଠାରୁ ଗାଳି ମାଡ଼ ସହୁଥିଲା । ସେ ସବୁ ବୋଧହୁଏ ତା’ ମା’ର ହୃଦୟ ଅପେକ୍ଷା ତାକୁ ଅଧିକ କୋମଳ ବୋଧ ହେଉଥିଲା । ତଥାପି ସେ ବେଳେ ବେଳେ କହୁଥିଲା; ‘‘ଆଜି ମୁଁ ମା’କୁ ଦେଖିବାକୁ ଯିବି ।’’ କହି, ସେ ତେଲେଙ୍ଗାବଜାର ଅଞ୍ଚଳ ଛାଡ଼ି, ମଙ୍ଗଳାବାଗର ସେହି ‘ଦରଜି କୋଠା’ ତଳ ମହଲା ଘରକୁ ଚାଲିଯାଏ । ସେ ସମୟରେ ଦରଜିକୋଠାର ଭଙ୍ଗା କାନ୍ଥଟି କେତେଗୁଡ଼ିଏ ଖଡ଼ିଚିହ୍ନରେ ସୁସଜ୍ଜିତ ହୋଇ ରହିଥିଲା । ସେ ଚିହ୍ନଗୁଡ଼ିକ ମିଶାଇ ଦେଖିଲେ ପଢ଼ି ହୁଏ, ‘‘ଘର ଭଡ଼ା ଦିଆଯିବ ।’’ ତଥାପି ସେ ଘରେ କେତେଗୁଡ଼ିଏ ଲୋକ ରହୁଥିଲେ । ସେମାନେ ଯେ କିଏ ଏବଂ କାହିଁକି ରହୁଥିଲେ, ତାହା ଜାଣିବା ଦୁଷ୍କର । ସେମାନେ ନିଜେ ମଧ୍ୟ ତାହା ଜାଣିଥିଲେ କି ନାହିଁ ସନ୍ଦେହ । ତେବେ ଏତିକି କୁହାଯାଇପାରେ ଯେ ସେମାନେ ଚାରିଜଣ ଲୋକ ଏକତ୍ର ଗୋଟିଏ ପରିବାର ଗଢ଼ି ରହିଥିଲେ । ସେ ମଧ୍ୟରୁ ଦୁଇ ଜଣ ଚଉଦ ପନ୍ଦର ବର୍ଷର ବାଳିକା ଏବଂ ଆର ଦୁଇ ଜଣ ତାଙ୍କ ବାପ ମା ।
ବାପ ନିଜକୁ ଅଗାଧୁ ବେହେରା ନାମରେ ଚିହ୍ନାଉଥିଲା । ବାଳକଟି ଅଗାଧୁ ବେହେରାର ପୁଅ । ଅଗାଧୁ ବେହେରା ଘରେ ପୁଅ ମୁଠାଏ ଖାଇବାକୁ ପାଏନାହିଁ କି କଅଁଳ କଥା ପଦେ ଶୁଣେନାହିଁ । ସେ ଘରକୁ ଆସିଲେ, ଭଉଣୀମାନେ ପଚାରନ୍ତି, ‘‘ତୁ କୋଉଠୁ ଆସିଲୁ ?’’ ସେ ଉତ୍ତର ଦିଏ, ‘‘ଦାଣ୍ଡରୁ ।’’ ପୁଣି ଯେତେବେଳେ ସେ ଚାଲିଯାଏ, ସେମାନେ ପଚାରନ୍ତି, ‘‘ତୁ କୁଆଡ଼େ ଯାଉଚୁ-?’’ ସେ ଉତ୍ତର ଦେଇ କହେ ‘‘ଦାଣ୍ଡକୁ’’ । ଦାଣ୍ଡ ଲୋକେ ତାକୁ ‘‘ହରିଆ’’ ବୋଲି ଡାକନ୍ତି । ହରିଆ ଦର୍ଜି କୋଠାରେ ପାଦ ପକାଇବା ମାତ୍ରେ ଘରଟାଯାକ ଘଡ଼ଘଡ଼ି ଶବ୍ଦରେ ପୂରିଉଠେ । ସେ ଶବ୍ଦରେ ହରିଆର କାନ ତାବଦା ପଡ଼ିଯାଏ । ସେ ବରାବର ଶୁଣେ, ‘‘ଅଳପେଇସା, ପଳା, ବାହାର୍, ନିକାଲ୍-। ମୋ ପେଟ ଛିଡ଼ିପଡ଼ିଲା ନାହିଁ, ତୁ କାଳିକନା ଜନ୍ମ ହବାକୁ ଥିଲୁ । ମରୁନାହୁଁ ବାଡ଼ିପଡ଼ା, ପଳା ।’’ ଶୁଣି, ହରିଆ ଦର୍ଜିକୋଠାରେ ମୁହୂର୍ତ୍ତେ ରହିପାରେ ନାହିଁ । ଉପର ମହଲାରେ ଘରର ମାଲିକିଆଣୀ ଆଗେ ରହୁଥିଲେ; କିନ୍ତୁ କ୍ରମେ ଲକ୍ଷ୍ମୀଙ୍କ ପରାମର୍ଶ ଅନୁସାରେ ସେ ତାକୁ ଭଡ଼ା ଲଗାଇ ନିକଟରେ ଖଣ୍ଡିଏ ଛୋଟିଆ ଚାଳଘରେ ନିଜର ବାସସ୍ଥାନ ଗଢ଼ିନେଲେ । ଦୋମହଲା ଘରଟି ଭଡ଼ା ନେଇ ବନମାଳୀ ରାଏ ନାମକ ଜଣେ ନିତାନ୍ତ ଦରିଦ୍ର ଯୁବକ ରହୁଥିଲା । ସେ ବନମାଳୀ ରାଏ କିଏ, ଜାଣିବାକୁ ହେଲେ ଟିକିଏ ଅନୁସନ୍ଧାନ କରି ଦେଖିବାକୁ ହେବ ।