ଅଭାଗିନୀ
ଗୋଦାବରୀଶ ମିଶ୍ର · ଭାଗ ୨ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
ମଠର ଅତିଥି
ସେଦିନ ସନ୍ଧ୍ୟାରେ ସୁନ୍ଦରପୁର ମଠ ମହନ୍ତ ମହାରାଜା କୌଣସି ପଲ୍ଲୀଗ୍ରାମରୁ ଟିକିଏ ବିଳମ୍ୱରେ ଫେରି, କେତେକ କାମ ବାକି ଥିବାରୁ ତାହା କରିବାକୁ ବସିଥିଲେ । ରାତି କେତେ ହେଲାଣି, ତାଙ୍କୁ ମାଲୁମ ନ ଥିଲା । ସେ ଏକ ଧ୍ୟାନରେ କାର୍ଯ୍ୟରେ ଲାଗିଥିଲେ । ମାତା ବିଷ୍ଣୁପ୍ରିୟା ଆସି ଖାଇବା ଘର ସିନ୍ଦୁକ ମଧ୍ୟରୁ ଥାଳି କାଢ଼ି ନେବାରୁ ମହନ୍ତ ମହାରାଜା ବୁଝିଲେ ଯେ ପଙ୍ଗତ ବେଳ ହେଲାଣି । ବିଷ୍ଣୁପ୍ରିୟା ଥାଳି ନେଇ ଚାଲିଗଲା ପରେ ମଠରେ ଯେ ଘଟଣା ଘଟିଲା, ତାହା ଅନେକଙ୍କୁ ବହୁ କାଳ ମନେ ରଖିବାକୁ ପଡ଼ିଲା । ଆଖପାଖ ସମୁଦାୟ ରାଜ୍ୟ ଖଣ୍ଡରେ ଅନେକ ଦିନ ସେ ବିଷୟ ନେଇ ତୁମୂଳ ଆଲୋଚନା ଚାଲିଲା ।
ମାତା ହରିପ୍ରିୟା ସେଦିନ ଅପରାହ୍ନରେ ଭକ୍ତମାନଙ୍କ ଘରକୁ ଭିକ୍ଷା କରିବାକୁ ଯାଇ, ସୂର୍ଯ୍ୟାସ୍ତ ପରେ ମଠକୁ ଫେରିଥିଲେ । ସେ ଶୁଣି ଆସିଥିଲେ ଯେ କେହି ଜଣେ ଆଗନ୍ତୁକ ଆସିବା ଯୋଗେ ସୁନ୍ଦରପୁର ଗ୍ରାମଯାକ ସେଦିନ ଘୋର ଚହଳ ପଡ଼ିଛି । ସେ କଥା ସେ ବିଷ୍ଣୁପ୍ରିୟାଙ୍କୁ ଆସି କହିଥିଲେ । ଭୋଗ ତିଆରି ହେବାର ଜାଣି ମହନ୍ତ ମହାରାଜ ଯେତେବେଳେ ଭୋଜନଶାଳାକୁ ଆସିଲେ, ସେଠାରେ ଦେଖିଲେ ଯେ ହରିପ୍ରିୟା ଓ ବିଷ୍ଣୁପ୍ରିୟା ଦୁହେଁ ଠିଆହୋଇ ଗଳ୍ପ କରୁଛନ୍ତି । ଦାଣ୍ଡପାଖ ଦୁଆରେ ଭିତରୁ କିଳିଣୀ ନ ଥିବା ସେମାନଙ୍କର ଗଳ୍ପର ବିଷୟ । ମହନ୍ତ ମହାରାଜା ଅନ୍ୟମନସ୍କ ହୋଇ ସେଠାକୁ ଆସିଥିଲେ । ସିନ୍ଦୁକରୁ ଥାଳି କଢ଼ା ହେବାର ଜାଣିପାରିଲେ ସେ ଭୋଜନାଳୟରେ ଆସି ଉପସ୍ଥିତ ହୁଅନ୍ତି । ମାତାମାନେ ଅନ୍ନ ବାଢ଼ି କାଳେ ଅପେକ୍ଷା କରି ରହିଥିବେ, ସେଥିଲାଗି ସେ କାଳ ବିଳମ୍ବ ନ କରି ଅନ୍ୟାନ୍ୟ କାମ ଛାଡ଼ି, ଠା ପାଖେ ଆସି ଠିଆ ହୁଅନ୍ତି । ଆଜି ମଧ୍ୟ ସେହିପରି ଆସିଛନ୍ତି । ତାଙ୍କୁ ଦେଖି ମାତା ବିଷ୍ଣୁପ୍ରିୟା କହିଲା, ‘‘ମହାତ୍ମା, ଶୁଣନ୍ତୁ, ନାନୀ କ’ଣ କହୁଚନ୍ତି ।’’
‘‘କ’ଣ ?’’
‘‘ଆଜି ଏ ଗାଁକୁ କିଏ ଗୋଟାଏ ଆସିଚି । ତାକୁ କିଏ ଅସୁର ବୋଲି କହୁଚି, କିଏ ବ୍ରହ୍ମରାକ୍ଷସ ବୋଲି ନାଁ ଦେଉଚି । ସେ ଏଠି ଦିନ ଥାଉ ଥାଉ ପହଞ୍ଚି ରାତି ଦୁଇ ଘଡ଼ି ପର୍ଯ୍ୟନ୍ତ ଗଳି ଗଳି ହୋଇ ବୁଲିଲା । କେହି ତାକୁ ଟିକିଏ ମୁଣ୍ଡ ଗୁଞ୍ଜିବାକୁ ଥାନ ଦେଲେ ନାହିଁ । ତାକୁ ଦେଖିଲେ ପ୍ରକୃତରେ ଡର ମାଡ଼ିବା କଥା ।’’
ମହନ୍ତ ମହାରାଜ କହିଲେ, ‘‘ସତ ନା କ’ଣ ?’’
ମହନ୍ତ ମହାରାଜାଙ୍କର ଏ କଥା ଶୁଣି ବିଷ୍ଣୁପ୍ରିୟା ମନେକଲେ ଯେ ତାଙ୍କର ମଧ୍ୟ ମନରେ ଟିକିଏ ଭୟର ସଞ୍ଚାର ହୋଇଛି । ସୁତରାଂ ତାଙ୍କ ସାହସ ଟିକିଏ ବଢ଼ିଗଲା । ସେ କହିଲେ, ‘‘ଗାଁରେ ଏଭଳି ବିପଦର ଆଶଙ୍କା ଥାଉ ଥାଉ ରାତିରେ ଦୁଆରଟା ମେଲା କରି ରହିବା କ’ଣ ଠିକ୍ ହବ ? ମୁଁ କହୁଚି ଆଉ ନାନୀ ମଧ୍ୟ କହୁଚନ୍ତି–’’
ବିଷ୍ଣୁପ୍ରିୟାଙ୍କ କଥା ଶେଷ ନ ହେଉଣୁ, ହରପ୍ରିୟା କହି ଉଠିଲେ, ‘‘ମୁଁ କିଛି କହୁ ନାହିଁ । ମହନ୍ତ ମହାରାଜ ଯାହା ଯାହା କରୁଛନ୍ତି ସବୁ ଠିକ୍ ବୋଲି ମୁଁ ଭାବୁଚି ।’’
ହରପ୍ରିୟାଙ୍କର ଏ କଥା ଶୁଣି ନ ଶୁଣିଲା ପରି ହୋଇ, ବିଷ୍ଣୁପ୍ରିୟା ପୁଣି କହିବାକୁ ଲାଗିଲେ, ‘‘ମହାତ୍ମା, ଆପଣ ଯେବେ ଅନୁମତି ଦେବେ, ମୁଁ ଏହିକ୍ଷଣି ଏ ଦୁଆରରେ ପଛଆଡ଼ୁ ଗୋଟିଏ କିଳିଣୀ ଲଗେଇ ନେବି । କିଳିଣୀର ସରଞ୍ଜାମ ସବୁ ମୋ ପାଖରେ ପରା ଅଛି । ଖାଲି ବଢ଼େଇକି ଡାକି ଆଣିଲେ ହେଲା । ମୁଁ ଏଇ ଯାଇ ଡାକିଆଣୁଚି । ଦଣ୍ଡକ ଭିତରେ ସବୁ ହୋଇଯିବ-। ଦ୍ୱାରଟା ଏପରି ମେଲା ରଖିବା ଠିକ୍ ନୁହେଁ । କେଜାଣି ରାତି ଦିପହରେ କିଏ ଆସି ପଶି ଯାଇପାରେ ।’’
ଭୋଜନାଳୟର ଦାଣ୍ଡପାଖ ଦୁଆର ସବୁଦିନ ପରି ପେଲା ହୋଇଥିଲା । ହଠାତ୍ ତାହା ଫିଟିବାର ଦେଖି ମହନ୍ତ ମହାରାଜା ସର୍ବଦା ଯେପରି କହନ୍ତି, ଆଜି ମଧ୍ୟ ସେହିପରି କହିଲେ, ‘‘ଆସ ବାବା ।’’
ଦ୍ୱାରଟା ହଠାତ୍ ପୂରା ମେଲା ହୋଇଗଲା । ଜଣେ ଅପରିଚିତ ଲୋକ ଘର ମଧ୍ୟରେ ପ୍ରବେଶ କଲା । ତା’ କାନ୍ଧରେ ଗୋଟିଏ ଯାଉଁଳି ଓ ହାତରେ ଗୋଟାଏ ମୋଟା ବାଉଁଶ ଠେଙ୍ଗା । ଦୀପ ଆଲୋକ ତା’ ମୁହଁରେ ପଡ଼ି, ରୂପର ବିକଟତା ପ୍ରକାଶ କରିବାକୁ ଲାଗିଲା । ଦେଖି ବିଷ୍ଣୁପ୍ରିୟା ଆବାକ୍ ହୋଇ ରହିଲେ । ତାଙ୍କ ଗୋଡ଼ହାତ ଥରିବାକୁ ଲାଗିଲା । ହରପ୍ରିୟା ତାଙ୍କଠାରୁ ଅଧିକ ସାହସୀ ହୋଇ ସୁଦ୍ଧା ଭୟରେ ଅସ୍ଥିର ହୋଇପଡ଼ିଲେ । ମହନ୍ତ ମହାରାଜ ଆଦୌ ବିଚଳିତ ନ ହୋଇ ସେ ଲୋକର କ’ଣ ଦରକାର, ପଚାରିବା ନିମନ୍ତେ ମୁହଁ ଫିଟାଇଲେ; କିନ୍ତୁ ସେ କିଛି ପଚାରିବା ପୂର୍ବରୁ ଆଗନ୍ତୁକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ‘‘ମୋ ନାଁ ପାଣୁ ନାଏକ । ମୁଁ ଜେଲ୍ଖାନାରୁ ଏବେ ଖଲାସ ହୋଇ ଆସିଚି । ମୁଁ ଊଣିଶ ବର୍ଷ କାଳ କଏଦୀ ଘରେ ଥିଲି । ଚାରିଦିନ ହେଲା ଖଲାସ ହେଇଛି । ଗତ ଚାରିଦିନ କାଳ ମୁଁ ଖାଲି ବାଟଇ ଚାଲୁଚି । ଆଜି ସକାଳୁ ବାର କୋଶ ଚାଲିଚି । ଏ ଗାଁକୁ ଆସି ଗୋଟାଏ ଚଟିଘରକୁ ଗଲି । ଚଟିଘର ମାଲିକ ମତେ ରଖିଲା ନାହିଁ-। ମୁଁ ସି କ୍ଲାସ ଦାଗୀ କି ନା ! ମୋତେ ହୁକୁମ ହେଇଚି ଯେ ମୁଁ ଯେଉଁଠାକୁ ଯିବି ଫାଣ୍ଡିରେ ଆସି ହାଜିରା ଦେବି । ଏ ଗାଁ ଫାଣ୍ଡିରେ ଆସି ହାଜିରା ଦେଲି । ମୋ କଥା ଫିଟିଯିବାରୁ ମୋତେ କେହି ଥାନ ଦେଲେ ନାହିଁ । ତାଡ଼ି ଦୋକାନ ପରି ନିକୁତ୍ସା ଜାଗାରେ ମଧ୍ୟ ମୋତେ ପାଣି ଟୋପାଏ ମିଳିଲା ନାହିଁ । ଈଶ୍ୱର ମୋ ପ୍ରତି ବଡ଼ ନିର୍ଦ୍ଦୟ ହେଇଚନ୍ତି । ଆକାଶରେ ଜହ୍ନ ପଡ଼ିଚି । ମାତ୍ର ମୋତେ ସବୁ ଅନ୍ଧାର ଦିଶୁଚି । ଭୋକରେ ମୋ ପେଟ ଜଳୁଚି । ଶୋଷରେ ହଂସା ଉଡ଼ୁଛି । ମୁଁ ଦାଣ୍ଡରେ ଶୋଇପଡ଼ିବାକୁ ଯାଉଥିଲି । ଜଣେ ବୁଢ଼ୀ ଆସି ମୋତେ କହିଲା, ‘‘ପୁଅ, ସେ ଘରକୁ ଯା-।’’ ସେଇଥିପାଇଁ ମୁଁ ଆସିଲି । ଏଟା କି ଘର ? ମୋ ପାଖରେ ପଚାଶ ଟଙ୍କା ସାତ ଅଣା ଅଛି । କଏଦୀଖାନାରେ କାମ କରି ମୁଁ ଏ ଟଙ୍କା ରୋଜଗାର କରିଚି । ତୁମେ ମୋତେ ଖାଇବାକୁ ଦିଅ । ପେଟ ପୂରେଇ ମୁଠାଏ ଭଲ କରି ଦେଲେ, ମୁଁ ପଚାଶ ଟଙ୍କା ରଖି, ବକ୍ତକ ପାଇଁ ବାକି ସାତ ଅଣାଯାକ ତୁମକୁ ଦେଇପକେଇବି । ଭୋକରେ ମୁଁ ମଲି ।’’
ବିଷ୍ଣୁପ୍ରିୟା ସେତେବେଳକୁ ମହନ୍ତଙ୍କ ଭୋଜନାଳୟ ଭିତରୁ ବାହାରି ଚାଲିଯାଇଥିଲେ । ସୁତରାଂ ମହନ୍ତ ତାଙ୍କୁ ପାଟି କରି ଡାକି କହିଲେ, ‘‘ସାନ ମାତା, ଦୁଇ ଥାଳି ପ୍ରସାଦ ଆଣିମ ।’’
ମହନ୍ତ ମହାରାଜଙ୍କ କଥା ଶୁଣି ପାଣୁ ନାଏକ ମନରେ ସାହାସ ବାନ୍ଧିଲା । ସୁତରାଂ ସେ ତାଙ୍କ ଆଡ଼କୁ ଅଗ୍ରସର ହୋଇ ପୁଣି କହିବାକୁ ଲାଗିଲା, ‘‘ଖାଇବାକୁ ତ ଦବ । ମୁଁ କହିଲି, ଶୁଣିଲଟିକି ଯେ ମୁଁ ଜେଲ୍ଖାନାରେ ଥିଲି, ମୁଁ ଜଣେ କଏଦୀ । ଆଉ, ଚାରି ଦିନ ହେଲା କଏଦୀଖାନାରୁ ଫିଟିଆସିଚି ।’’ ଏହା କହି ସେ ନିଜ ଯାଉଁଳି ଭିତରୁ ଖଣ୍ଡିଏ ଛୋଟିଆ କାଠର ପଟା ବାହାର କଲା । ସେଥିରେ ପାର୍ସୀ ଅକ୍ଷରରେ କ’ଣ ଗୁଡ଼ାଏ ଲେଖାଥିଲା । ସେ ସମୟରେ ଦେଶର ସରକାରୀ ଖାତାପତ୍ରରେ ପାର୍ସୀ ଅକ୍ଷର ଚଳୁଥିଲା । କିନ୍ତୁ ଧର୍ମ ଅନୁଷ୍ଠାନ ହିନ୍ଦୁ ଦେବାଳୟମାନଙ୍କରେ ପାର୍ସୀର ପ୍ରଚଳନ ସ୍ଥାନ ପାଇପାରି ନ ଥିଲା । ସୁତରାଂ ମହନ୍ତ ମହାରାଜ ପ୍ରସିଦ୍ଧ ପଣ୍ଡିତ ହୋଇ ସୁଦ୍ଧା, ପାର୍ସୀ ପଢ଼ିପାରୁ ନଥିଲେ । ପାଣୁ ନାଏକ ନିଜେ ସେ ପଟା ପଢ଼ିବାକୁ ଯାଇ ପ୍ରଥମେ କହିଲା, ‘‘ମୁଁ କଏଦୀଖାନାରେ ଅକ୍ଷର ଲେଖି ପଢ଼ି ଶିଖିଛି ।’’ ତା’ପରେ ସେ ପଟା ଧରି ପଢ଼ିଲା, ‘‘ପାଣୁ ନାଏକ, ଘର ଦାଣ୍ଡିମାଳ, ଜିଲା ମେଣ୍ଢାଶାଳ । କଏଦୀଖାନାରୁ ଖଲାସ ହେଇଚି-। ସେ ଊଣିଶ ବର୍ଷ କାଳ କଏଦୀରେ ଥିଲା; ପାଞ୍ଚ ବର୍ଷ ଘରେ ପଶି ଚୋରି କରିବା ଅପରାଧରେ, ବାକି ଚଉଦ ବର୍ଷ କଏଦୀଖାନାରୁ ବାରମ୍ୱାର ଲୁଚି ପଳାଇବାକୁ ଚେଷ୍ଟା କରିବା ନିମନ୍ତେ । ଲୋକଟା ବଡ଼ ମାରାତ୍ମକ ।’’ ପଟା ପଢ଼ିସାରି, ପାଣୁ ନାଏକ ଟିକିଏ ରହି, ତା’ପରେ କହିଲା, ଶୁଣିଲ ତ ମୁଁ କିପରି ଲୋକ ? ଦୁନିଆଯାକ ମତେ ଘରେ ଥାନ ଦେଇ ନାହାନ୍ତି । ଏଟା କ’ଣ ଚଟିଘର ? ତୁମେ ମତେ ମୁଠାଏ ଭାତ ଆଉ ଶୋଇବାକୁ ଟିକିଏ ଜାଗା ଦେଇପାରିବ ? ତୁମର ଗୁହାଳ କି ମେଲା ପନ୍ଦାଡ଼ ଅଛି ?’’
ଏସବୁ ପ୍ରଶ୍ନର କୌଣସି ଉତ୍ତର ନ ଦେଇ, ମହନ୍ତ ମହାରାଜ ବିଷ୍ଣୁପ୍ରିୟାଙ୍କୁ ଡାକି କହିଲେ, ‘‘ଦେଖ ମାତା ! ଠାକୁର ଘର ଖଟରେ ଖଣ୍ଡିଏ ସଫା ଚାଦର ପକେଇବ ।’’
‘‘ବସ । ଏଇ ପ୍ରସାଦ ଆସିଲେଇ ଆମେ ଖାଇବସିବା । ଖାଇସାରିଲେ ତ ଆପଣ ଶୋଇପଡ଼ିବେ । ଭାରି ହାଲିଆ ହେଇଛନ୍ତି, ନା ?’’
ଏପର୍ଯ୍ୟନ୍ତ ପାଣୁ ନାଏକ ନିଜର ଆହାର ଓ ଶୟନ ବିଷୟରେ ବଡ଼ ସନ୍ଦିହାନ ହୋଇ ରହିଥିଲା । ମହନ୍ତଙ୍କଠାରୁ ଏ କଥା ଶୁଣି ସେ ବୁଝିପାରିଲା ଯେ ତାକୁ ସେଠାରେ ସେ ରାତ୍ରିରେ ଆଶ୍ରୟ ମିଳିବା ପ୍ରାୟ ସୁନିଶ୍ଚିତ । ତହୁଁ ସେ ଖୁସି ହେଲା । ଆନନ୍ଦରେ ସେ ପାଗଳଙ୍କ ପରି ଏଣୁ ତେଣୁ ପ୍ରଳାପ କରି କହିଲା, ‘‘ଏ କ’ଣ ସତ ? ମୋତେ ଏଠାରେ ରହିବାକୁ ଜାଗା ମିଳିବ ? ହଁ, ଈଶ୍ୱର ତୁମକୁ ବଡ଼ଲୋକ କରିଚନ୍ତି । ତୁମେ ମତେ ‘‘ତୁ ତା’ କରୁ ନାହଁ, ଆପଣ ବୋଲି ଡାକୁଚ ।’’ ‘‘ଯାଆନ୍ତୁ, ଆସନ୍ତୁ’’ ବୋଲି କହୁଚ । ଆପଣ ନିଶ୍ଚୟ ଜଣେ ମହତ୍ ଲୋକ । ମୁଁ କଏଦୀଖାନାରେ ରହି ପଦପଦକେ ଶଳା, ବଦମାସ, ପାଜି, ସଏତାନ୍ ଶୁଣିଚି । ମାଡ଼ରେ ମୋ ପିଠିର ମେରୁ ହାଡ଼ ଭାଜିଯାଇଛି । ମୁଁ କିପରି ବିଶ୍ୱାସ କରିବି ଯେ ଆପଣ ମୋତେ ଏଠି ଜାଗା ଦେବେ ? ତେଣୁ ମୁଁ ମୋର ସବୁ କଥା ଫେଡ଼ି କହିଲି । ଆହା ! ଧନ୍ୟ ସେ ବୁଢୀ ଯେ ମୋତେ ଏଠୁକୁ ଆସିବାକୁ ବତେଇଦେଲା । ମୁଁ ଏଠି ଥାଳିରେ ଖାଇବି, ଖଟରେ ଚାଦର ପକାଇ ଶୋଇବି; ଊଣିଶ ବର୍ଷ କାଳ ଯାହାକି ଦିନେ ଭାଗ୍ୟରେ ଘଟି ନାହିଁ । ମୋ ପାଖେ ଟଙ୍କା ଅଛି, ଯାହା କହିବ, ଦେବି । ଆଚ୍ଛା, ଆପଣଙ୍କ ନାମ କ’ଣ କହିଲ ! ଏଟା ଆପଣଙ୍କ ଚଟିଘର ନା କ’ଣ ?
‘‘ନା, ଗୋଟାଏ ମଠ । ମୁଁ ଜଣେ ବାବାଜି । ‘‘
‘‘ଓଃ, ବାବାଜି ! ତେବେ ତ ଆପଣ ଖୁବ୍ ଭଲ ଲୋକ ହବ । ମତେ ତେବେ ଖାଇବାକୁ ପଇସା ଦବାକୁ ପଡ଼ିବ ନାହିଁ ।’’ କହି, ପାଣୁ ନାଏକ ବୁଜୁଳାଟି ଥୋଇ ବସି ପଡ଼ିଲା । ସେ ପୁଣି କହିଲା, ‘‘ଆପଣ ବାବାଜି ଲୋକ । ଦୁନିଆ ଛାଡ଼ି ଧର୍ମ କରୁଚ । ମୋଠୁ ପଇସା ନବ ନାହିଁ ? ଠିକ୍ କହ ଦେଖି ।’’
‘‘ନା, ଆପଣଙ୍କ ପଇସା ଆପଣ ରଖନ୍ତୁ । କେତେ ଦିନରେ ଏତକ ରୋଜଗାର କରିଥିଲେ ?’’
‘‘ଊଣିଶ ବର୍ଷରେ ।’’
‘‘ଊଣିଶ ବର୍ଷ !’’ ମହନ୍ତ ଏକ ଦୀର୍ଘନିଃଶ୍ୱାସ ପକାଇଲେ ।
ପାଣୁ ନାଏକ ପୁଣି କହିଲାଗିଲା, ‘‘ପଇସା ଅର୍ଜିବା କ’ଣ ସହଜ କଥା ? ସକାଳୁ ସଞ୍ଜ ଯାଏ ହାଡ଼ଭଙ୍ଗା ମେହନତ କରିଥିଲି ବୋଲି ଏତକ ସାଙ୍ଗରେ ଆଣିଚି । ଆପଣ ବାବାଜି ଲୋକ, ତୁମର କି ପରବାୟ । ଆମ କଏଦୀଖାନାକୁ ଥରେ ଜଣେ ବାବାଜି ଯାଇଥିଲେ । କଏଦୀମାନେ ସମସ୍ତେ ତାଙ୍କ ପାଖେ ଯାଇଁ ରୁଣ୍ଡ ହେଲୁଁ । ସେ କ’ଣ ଭଲ କଥା ସବୁ କହିଲେ । ମୁଁ ପଛରେ ପଡ଼ିଗଲି, କିଛି ଶୁଣିପାରିଲି ନାହିଁ ।’’
ବିଷ୍ଣୁପ୍ରିୟା ଦୁଇଗୋଟି ଥାଳିରେ ପ୍ରସାଦ ନେଇ ଆସି ପହଞ୍ଚିଲେ । ମହନ୍ତ ମହାରାଜ ପ୍ରଥମେ ପାଣୁ ନାଏକକୁ ଠା’ରେ ବସିବାକୁ କହି, ପରେ ନିଜେ ବସିଲେ । ଖାଇବା ସ୍ଥାନରେ ଭଲ ଆଲୁଅ ନୋହିବାରୁ ମହନ୍ତ ମହାରାଜ ତାଙ୍କ ରୂପା ରୁଖାଟି ଆଣି ଦୀପ ଜାଳିବାକୁ ବରାଦ କଲେ । ରୁଖାଟି ଗୋଟିଏ ଛୋଟିଆ ସିନ୍ଦୁକ ମଧ୍ୟରେ ମହନ୍ତଙ୍କ ଶୟନକକ୍ଷ ପିଣ୍ଡିପାଖେ ଥୁଆ ହୋଇଥିଲା । ବିଷ୍ଣୁପ୍ରିୟା ସିନ୍ଦୁକ ଫିଟାଇ, ରୁଖା ଆଣି ପାଣୁ ନାଏକ ପାଖେ ଖାଇବା ସ୍ଥାନରେ ରଖି ଦୀପ ଜାଳିଲେ– । ପାଣୁ ନାଏକ ଖାଉ ଖାଉ ଖୁବ୍ ଖୁସି ହୋଇ କହିଲେ, ‘‘ବାବାଜି ଆପଣେ, ତୁମେ ମୋ ପାଇଁ କେତେ ଯତ୍ନ କରୁଚ । ତୁମେ କ’ଣ ମୋତେ ଚିହ୍ନିଚ; ନା ମୁଁ ତୁମର ଆପଣାର କେହି ?’’
ମହନ୍ତ ଉତ୍ତରରେ କହିଲେ, ‘‘ଏଠାକୁ ଯେ; ଆସନ୍ତି, ମୁଁ ତାଙ୍କୁ ନାମ ଧାମ ଖୋଜି ଏଠି ରଖେ ନାହିଁ । ଯାହାର କିଛି ଦୁଃଖ କଷ୍ଟ ଥାଏ, ସେ ଏ ଦ୍ୱାର ଫିଟାଇ ଭିତରକୁ ଆସେ । ଆପଣ ଆଜି ଅଭାବରେ ପଡ଼ିଚନ୍ତି । ତହୁଁ ଏଠାକୁ ଆସିଛନ୍ତି । ଏସବୁ ଆପଣଙ୍କର । ଆପଣଙ୍କ ନାମ ଧାମ ଜାଣି ମୋର କି ଲାଭ ? ତା’ପରେ ପୁଣି ଆପଣ ତ ନିଜ ପରିଚୟ ମତେ କହିଲେ । ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ।’’
‘‘ବାବାଜି ଆପଣେ ! ଆପଣ ବଡ଼ ଦୟାବନ୍ତ ଲୋକ । ମୋତେ ବଡ଼ କଷ୍ଟ ହେଉଥିଲା-। ଭୋକରେ ପେଟ ଜଳିଯାଉଥିଲା । ଶୋଷରେ ଜିଭ ପେଟ ଭିତରକୁ ଚାଲିଯାଉଥିଲା । ମୋତେ ବଞ୍ଚାଇ ଦେଲ, ମୋ ପ୍ରାଣ ରଖିଲ । ମୁଁ ଆପଣଙ୍କ ପୁଅ ହେଲି । ଆପଣ ମୋ ବାପ ।
ମହନ୍ତ ମହାରାଜ ତାଙ୍କର ସେ ସନ୍ଧ୍ୟାର ଅତିଥି ଆଡ଼କୁ ଚାହିଁଲେ, ଗୋଟାଏ ଦୀର୍ଘନିଃଶ୍ୱାସ ପକାଇଲେ । ଏବଂ ପରେ କୋମଳ ବଚନରେ କହିଲେ, ‘‘ଦେଖୁଛି ଆଜି ଆପଣ ବଡ଼ କଷ୍ଟ ପାଇଚନ୍ତି ।’’
✽✽✽
୪
ଢିଙ୍କି ସ୍ୱର୍ଗକୁ ଯାଇ ଧାନ କୁଟିଲା
ମହନ୍ତ ମହାରାଜ ଓ ପାଣୁ ନାଏକ ଏକାଠି ଖାଇଲାବେଳେ ପାଣୁ ନାଏକ ପାଟିରୁ ବିଶେଷ କିଛି କଥା ବାହାରିଲା ନାହିଁ । ସେ ଏକ ଧ୍ୟାନରେ ଗୁଣ୍ଡାକ ପରେ ଗୁଣ୍ଡାଏ ଗିଳିବାରେ ଲାଗିଲା । ଖାଇସାରି ସେ ଗୋଟାଏ ପ୍ରକାଣ୍ଡ ହାକୁଟି ମାରି କହିଲା, ‘‘ମୁଁ କାଲି ବଡ଼ି ସକାଳୁ ସୂର୍ଯ୍ୟ ଉଦୟ ନ ହେଉଣୁ ଉଠି ଚାଲିଯିବି ।’’
‘‘ଆଚ୍ଛା, ବର୍ତ୍ତମାନ ଶୁଅନ୍ତୁ ତ । କାଲି କଥା ଫେରେ ବୁଝା ଅଛି’’–କହି, ମହନ୍ତ ମହାରାଜା ପାଣୁ ନାଏକକୁ ତା’ର ଶୋଇବା ସ୍ଥାନକୁ ଘେନିଗଲେ । ମହନ୍ତ ମହାରାଜଙ୍କ ଶୟନକକ୍ଷ ବାଟେ ଗଲାବେଳେ ସେ ଦେଖିଲେ ଯେ ସେଠାରେ ବିଷ୍ଣୁପ୍ରିୟା ସିନ୍ଦୁକ ଭିତରେ ରୂପା ରୁଖାଟି ରଖୁଛନ୍ତି । ସେଥିରେ ଆଖି ପକାଇ ପାଣୁ ନାଏକ ଚାଲିଗଲା । ମହନ୍ତ ମହାରାଜ ତାକୁ ଶୋଇବାକୁ ଅନୁରୋଧ କରି କହିଲେ, ‘‘ନିଶ୍ଚିନ୍ତରେ ଶୁଅନ୍ତୁ ଆପଣ । କାଲି ସକାଳେ ଉଠି, ମୁହଁ ହାତ ଧୋଇ କିଛି ପ୍ରସାଦ ପାଇ ଚାଲିଯିବେ ।’’
କହି, ମହନ୍ତ ମହାରାଜ ଫେରିବାକୁ ମୁହଁ ବୁଲାଇଲେ । ମାତ୍ର ସେତେବେଳେ ହଠାତ୍ ଯେ ଗୋଟାଏ ଘଟଣା ଘଟିଲା, ତହିଁରେ ଖୁବ୍ ଧୈର୍ଯ୍ୟଶାଳୀ ଲୋକର ମଧ୍ୟ ଧୈର୍ଯ୍ୟଚ୍ୟୁତ ହେବାର କଥା । ମାତା ବିଷ୍ଣୁପ୍ରିୟା ସେଠାରେ ଥିଲେ, ହୁଏତ ତାଙ୍କର ଚେତା ବୁଡ଼ି ଯାଇଥାନ୍ତା । ପାଣୁ ନାଏକ ମହନ୍ତ ମହାରାଜାଙ୍କୁ ଡାକି କହିଲେ, ‘‘ବାବାଜି, ତୁମେ ଏ ପାଖ ଘରେ ଶୋଇବ ନା ? ଆଚ୍ଛା; ମୁଁ ରାତିରେ ଖୁଣ କରିବି ନାହିଁ ବୋଲି କେମିତି ଜାଣିଲ ଯେ ମୋତେ ତୁମେ ପାଖରେ ଶୋଇବାକୁ ଦେଉଛ ?’’
‘‘ସେଥିରେ ମୋର କ’ଣ ଅଛି ? କହି, ମହନ୍ତ ମହାରାଜ ପାଣୁ ନାଏକକୁ ଆଶୀର୍ବାଦ କଲେ । ତହୁଁ ସେ ସେ କୋଠରୀ ଛାଡ଼ି, ବଗିଚା ଭିତରେ ବୁଲିବାକୁ ଗଲେ । ପାଣୁ ନାଏକ ଶୋଇପଡ଼ିଲା । ମହନ୍ତ ମହାରାଜ ଅନ୍ୟାନ୍ୟ ଦିନ ଅପେକ୍ଷା ସେଦିନ ରାତିରେ ବେଶି ସମୟ ବଗିଚାରେ ବୁଲି ହରିନାମ ସ୍ମରଣ କଲେ । ସେ ଫେରିବାବେଳେ ଦେଖିଲେ ପାଣୁ ନାଏକ ଗାଢ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଛି । ସେ କ୍ଳାନ୍ତ ହୋଇଥିଲେ; ଆଉ ବିଳମ୍ୱ ନ କରି ଶୋଇପଡ଼ିଲେ ।
ରାତି ଅଧରେ ଚାରିଆଡ଼ ଯେତେବେଳେ ନିଃଶବ୍ଦ ହେଲା ଏବଂ ନିଶା ଗର୍ଜୁଥିଲା, ସେତେବେଳେ ପାଣୁ ନାଏକ ନିଦରୁ ଉଠିଲା । ସେ ଜାତିରେ ଶୁଦ୍ଧ । ଅର୍ଥାଭାବରୁ ତା’ ପୂର୍ବପୁରୁଷମାନେ ବହୁ କାଳରୁ କରଣ ହେବାର ପ୍ରୟାସ ଏକାବେଳକେ ଛାଡ଼ି, ସେହି ଶୁଦ୍ଧ ହୋଇ ପଡ଼ି ରହିଥିଲେ । ତା’ର ବୁଦ୍ଧିବୃତ୍ତି ସେପରି ପ୍ରଖର ନ ଥିଲା । ତା’ ପିଲାଦିନୁଁ ବାପ ମା ଦୁହେଁ ମରି ଯାଇଥିଲେ । ସୁତରାଂ ପାଣୁ ନାଏକକୁ ତା’ ବଡ଼ ଭେଣୋଇ ଘରେ କାଳ କାଟିବାକୁ ହୋଇଥିଲା– । ଭେଣୋଇ ରୋଜଗାର କରି ନିଜର ସାତଗୋଟି ପୁଅ ଝିଅଙ୍କୁ ଯେପରି ପୋଷୁଥିଲେ, ସେମାନଙ୍କ ସହିତ ପାଣୁକୁ ମଧ୍ୟ ଖୁଆଇ ପିଆଇ ରଖୁଥିଲେ । ପାଣୁର ପଚିଶ ବର୍ଷ ବୟସରେ ଭେଣୋଇଙ୍କର ମୃତ୍ୟୁ ହେଲା । ସେତେବେଳେ ତାଙ୍କ ବଡ଼ ପୁଅର ବୟସ ଆଠ ବର୍ଷ ଏବଂ ସବୁଠାରୁ ସାନପୁଅର ବୟସ ବର୍ଷେ ମାତ୍ର । ଭଉଣୀ ଏବଂ ତା’ର ସାତଗୋଟି ପିଲାଙ୍କ ଭରଣପୋଷଣ ଭାର ପାଣୁ ଉପରେ ପଡ଼ିଲା । ପାଣୁ ଦିନଯାକ କଠିନ ପରିଶ୍ରମ କରି ଯାହା ରୋଜଗାର କରେ, ସେଥିରେ ସମସ୍ତଙ୍କର ଖାଇବା ପିନ୍ଧିବା ଖର୍ଚ୍ଚ କୌଣସି ପ୍ରକାରେ ଚଳିଯାଏ । ମାତ୍ର, ପିଲାମାନେ ଦୁଃଖ କଷ୍ଟ ପାଇଲେ, ସେଥିରେ ପାଣୁର ମନରେ ଦୁଃଖ ହୁଏ ନାହିଁ । ତା’ ହୃଦୟରେ ପ୍ରକୃତି ମାୟା ମମତା ପାଇଁ ସ୍ଥାନ ଛାଡ଼ି ନ ଥିଲା, କହିଲେ ଚଳେ ।
ସେ ସମୟରେ ଆନନ୍ଦ ସାହୁ ଗୁଡ଼ିଆର ମିଠାଇ ଦୋକାନ ପ୍ରସିଦ୍ଧ ହୋଇପଡ଼ିଥିଲା । ଦିନେ ରାତିରେ ଦୋକାନ ଦ୍ୱାର ବନ୍ଦ ଥିବାବେଳେ ହଠାତ୍ ପଞ୍ଜର ବାଟେ ଭିତରକୁ ଗୋଟାଏ ହାତ ପଶିଲା ଦେଖି ଆନନ୍ଦ ସାହୁର ଭୟ ହେଲା । ସେ ‘‘କିଏ କିଏ’’ ବୋଲି ପାଟି କଲା । ସେତେବେଳେ ହାତଟା ଗୋଟାଏ ମିଠାଇ ଧରି ପଞ୍ଜରବାଟେ ପୁଣି ବାହାରି ପଡ଼ିଲା; କିନ୍ତୁ ହାତ ପଞ୍ଜର କାଠିରେ ବାଜି ଚମ ଛିଡ଼ିଗଲା । ସେଥିରୁ ରକ୍ତ ବୋହିଲା । ଆନନ୍ଦ ସାହୁ ଦ୍ୱାର ଫିଟାଇ ଦେଖିଲା ଯେ ଗୋଟାଏ ଲୋକ ହାତରେ ମିଠାଇ ଧରି ପଳାଉଛି । ସେ ଗୋଡ଼ାଇବାରୁ ଲୋକଟା ମିଠାଇ ପକାଇ ଦେଇ ଧାଇଁବାରେ ଲାଗିଲା । ମାତ୍ର ସେ ଧାଇଁ ପଳାଇ ପାରିଲା ନାହିଁ, ଧରା ହେଲା । ବିଚାରରେ ତା’ର ପାଞ୍ଚବର୍ଷ ଜେଲ ଦଣ୍ଡ ହେଲା । ସେହି ଅପରାଧୀ, ପାଣୁ ନାଏକ ।
ପାଣୁ ନାଏକ କଟକ ଜେଲଖାନାରେ ରହିଲା । ଜେଲଖାନାରେ ତା’ର ନାମର ଚିହ୍ନ ରହିଲା ନାହିଁ । ସେ ତା’ର ସଂଖ୍ୟା ଦ୍ୱାରା ପରିଚିତ ହେଲା । ତା’ର ସଂଖ୍ୟା ଥିଲା– ୨୧୭ । ଚାରି ବର୍ଷ ଜେଲଖାନାରେ ରହିବା ପରେ ସେ ଦିନେ ଲୁଚି ପଳାଇଯାଇ, ଦୁଇ ଦିନ ନିମନ୍ତେ ବାହରେ ସ୍ୱାଧୀନ ଭାବରେ ବୁଲିବାକୁ ଲାଗିଲା । ଦ୍ୱିତୀୟ ଦିନ ସନ୍ଧ୍ୟାବେଳେ ଜେଲଖାନାର କର୍ମଚାରୀମାନେ ତାକୁ ଧରିଲେ । ସେଥିରେ ତା’ର ପୁଣି ତିନିବର୍ଷ ଜେଲଦଣ୍ଡ ହେଲା । ଷଷ୍ଠ ବର୍ଷରେ ସେ ଆଉଥରେ ପଳାଇବାକୁ ଚେଷ୍ଟା କଲା । ସେ ଚେଷ୍ଟା ଫଳରେ ସେ ଯାଇ ତ ପାରିଲା ନାହିଁ, ବରଂ ଆହୁରି ପାଞ୍ଚବର୍ଷ ଜେଲଦଣ୍ଡ ପାଇଲା । ଜେଲରେ ରହିବାର ଦଶମ ବର୍ଷରେ ସେ ସ୍ୱାଧୀନତା ପାଇବାକୁ ଆଉ ଥରେ ଚେଷ୍ଟା କଲା । ସେଥିପାଇଁ ତା’ର ଆଉ ତିନିବର୍ଷ ଜେଲଦଣ୍ଡ ହେଲା । ତେର ବର୍ଷ କାଳ ଜେଲଖାନାରେ କଟାଇ ସେ ଆଉ ସେଠାରେ ରହିପାରିଲା ନାହିଁ; ବାହାରି ପଳାଇବାକୁ ବସିଲା । ମାତ୍ର ଧରାପଡ଼ି ପୁଣି ତିନି ବର୍ଷ ଜେଲଦଣ୍ଡରେ ଭାଗୀ ହେଲା । ଏହିପରି ଦଣ୍ଡ ପରେ ଦଣ୍ଡ ମିଶି ତା’ର ଊଣିଶ ବର୍ଷ କାଳ ଜେଲଖାନାରେ କଟିଲା । ଊଣିଶ ବର୍ଷ ପରେ ସେ ମୁକ୍ତି ଲାଭ କଲା । ସେ ପ୍ରଥମେ ଜେଲଖାନାକୁ ଗଲାବେଳେ କାନ୍ଦି କାନ୍ଦି ନିତାନ୍ତ ଅନିଚ୍ଛାସତ୍ତ୍ୱେ ଯାଇଥିଲା । କିନ୍ତୁ ଜେଲଖାନାରୁ ବାହାରିଲାବେଳେ ତା’ର ଇଚ୍ଛା ଅନିଚ୍ଛା ନାହିଁ; ତା’ ନିକଟରେ ହସ କାନ୍ଦର ପ୍ରଭେଦ ଅତି ଅଳ୍ପ ।
ପାଣୁ ନାଏକ ଦେହରେ ଭାରି ବଳ ଥିଲା । ସେ ଏକାରେ ଚାରିଜଣଙ୍କର କାମ କରିପାରେ । ଯେଉଁ ତେଲଘଣା ତିନି ଜଣ କଏଦୀ ଏକାଠି ମିଶି ବୁଲାଇପାରନ୍ତି ନାହିଁ, ପାଣୁ ନାଏକ ଏକାରେ ତାହା ଚଳାଏ । ସେଥିପାଇଁ ତାକୁ ଜେଲଖାନାର କଏଦୀମାନେ ‘‘ଭୀମ’’ ନାମ ଦେଇଥିଲେ-। ଜେଲଖାନା ଭିତରେ ଦଶ ପାଞ୍ଚ ଜଣ ମିଶି ଯେ କାମ କରିପାରନ୍ତି ନାହିଁ, ସେ କାମ ଉଠାଇବା ନିମନ୍ତେ ସମସ୍ତେ କହନ୍ତି, ‘‘ଭୀମ ଭାଇକି ଡାକ ।’’ ଦେହରେ ବଳ ଛଡ଼ା ତା’ର ହାତ କୌଶଳ ମଧ୍ୟ ଥିଲା । ବିଶେଷରେ, ପାଚିରିର କଣମାନଙ୍କରେ ଗୋଡ଼ ଓ ହାତର ଟିପ ଉପରେ ଭରା ଦେଇ ଉପରକୁ ଉଠିବା କୌଶଳଟା ତାକୁ ଖୁବ୍ ଜଣାଥିଲା । ସେ ବେଶି କଥା କହେ ନାହିଁ । ଜେଲଖାନାରେ ଥିବାବେଳେ ଊଣିଶ ବର୍ଷ ମଧ୍ୟରେ ସେ କେବେ ହସିବାର କେହି ଦେଖି ନାହାନ୍ତି । ସେ ବସି ବସି ବରାବର କ’ଣ ଭାବୁଥାଏ । ତାକୁ ଏକା ଦେଖିଲେ ଅନ୍ୟାନ୍ୟ କଏଦୀମାନଙ୍କୁ ଭୟ ଲାଗେ । ଥରେ ଗୋଟାଏ କଏଦୀ ଟୋକା ଏକା ତା’ ହାବୁଡ଼ରେ ପଡ଼ି ଭୟରେ ଝାଡ଼ା ଫେରି ପକାଇଥିଲା ।
ଊଣିଶ ବର୍ଷ କାଳ ଜେଲଖାନାରେ ରହି ସେ ସରକାରୀ ଆଇନ ଓ ଅଦାଲତକୁ ଖୁବ୍ ଘୃଣା କରିବାକୁ ଶିଖିଥିଲା । କେବଳ ସେତିକି ନୁହେଁ; ମନୁଷ୍ୟ ଜାତି ପ୍ରତି ମଧ୍ୟ ତା’ ମନରେ ଘୃଣା ଜନ୍ମିଥିଲା । ଜେଲଖାନାର କର୍ତ୍ତୃପକ୍ଷମାନେ ତା’ର ଏ ଆନ୍ତରିକ ଭାବର ପରିଚୟ ହୁଏତ ପାଇଥିଲେ-। ସେଥିପାଇଁ ସେମାନେ ତାକୁ ଜେଲଖାନାରୁ ମୁକ୍ତି ଦେଲାବେଳେ ତା’ ‘‘ପରିଚୟ ପଟ୍ଟା’’ ଖଣ୍ଡିକ ଉପରେ ଲେଖି ଦେଇଥିଲେ ଯେ ସେ ଜଣେ ‘‘ମାରାତ୍ମକ ଲୋକ ।’’ ଜେଲଖାନାରେ ଊଣିଶ ବର୍ଷ ରହିବା ମଧ୍ୟରେ ତା’ ଆଖିରୁ ଦିନେ ଟୋପାଏ ଲୁହ ବୋହି ନ ଥିଲା ।
ଜେଲଖାନାରୁ ବାହାରିଲା ଦିନ ତା’ କାନରେ ଯେତେବେଳେ କୁହାଗଲା, ‘‘ତୁ ଆଜି ଖଲାସ ହେଲୁ’’ ସେ ପ୍ରଥମେ ତା’ ଅର୍ଥ ବୁଝିପାରିଲା ନାହିଁ; ପୁଣି ଯେତେବେଳେ ବୁଝିଲା, ବିଶ୍ୱାସ କରିପାରିଲା ନାହିଁ । ଏବଂ ଶେଷରେ ଯେତେବେଳେ ବିଶ୍ୱାସ କଲା, ତା’ ମନରେ ଗୋଟାଏ ବିକଟ ଆନନ୍ଦ ଜନ୍ମିଲା । ଜେଲଖାନାରେ କାମ କରିବା ନିମନ୍ତେ ମଜୁରି ସ୍ୱରୂପ ସେ ଯେତେ ଟଙ୍କା ପାଇବ ବୋଲି ମନେ ମନେ ହିସାବ ଯୋଡ଼ିଥିଲା, ତା’ଠାରୁ ବହୁତ କମ୍ ପାଇଲା । ସେଥିପାଇଁ ତା’ ମନରେ ଦୁଃଖ ହେଲା । ସେ ବୁଝିପାରିଲା ଯେ କର୍ମଚାରୀମାନେ ତାକୁ ଠକିଦେଲେ । ଜେଲଖାନାରୁ ଯାଇ ସେ ବାହାରେ ଗୋଟାଏ ଜାଗାରେ ପ୍ରଥମ ଦିନ କାମ କଲା । ମାତ୍ର ଅନ୍ୟମାନେ ଯେ ମଜୁରି ପାଇଲେ ପାଣୁ ନାଏକ ତା’ର ଅଧେ ପାଇଲା । ସେ ବେଶି ମାଗିବାରୁ ମଜୁରି ଦେବାବାଲା କହିଲା, ‘‘ଦେଖ୍, ପାଟି ଫାଟି କରନା । କଲେ ମାମୁଘର ଯିବୁ ।’’ ମାମୁଘର ନାମ ଶୁଣି ପାଣୁ ନାଏକ ଆଉ ମଜୁରି ନ ମାଗି ଚାଲିଗଲା । ସେହିଠାରୁ ଆସି, ଦିନଯାକ ବାଟ ଚାଲି ସୁନ୍ଦରପୁର ଗ୍ରାମରେ କୌଣସିଠାରେ ଆଶ୍ରୟ ନ ପାଇ; ସେ ପରିଶେଷରେ ଯାଇ ମଠରେ ରହିଥିଲା ।
ମଠରେ ପ୍ରାୟ ଚାରି ଘଣ୍ଟାକାଳ ସେ ନିଶ୍ଚିନ୍ତରେ ଏକ ନିଦରେ ଶୋଇ; ଅଧରାତିରେ ଯେତେବେଳେ ହଠାତ୍ ନିଦରୁ ଉଠିଲା; ଦେଖିଲା ଯେ ଚାରିଆଡ଼ ଭାରି ଅନ୍ଧାର ହୋଇଛି । ତହୁଁ ସେ ଆଉଥରେ ନିଦରେ ଶୋଇବାକୁ ଚେଷ୍ଟା କଲା; କିନ୍ତୁ ତାକୁ ନିଦ ଲାଗିଲା ନାହିଁ । ମନରେ କୌଣସି ଗୋଟାଏ ଭାବ ଖେଳୁଥିବା ବେଳେ ମନୁଷ୍ୟ ପ୍ରଥମରୁ ଥରେ ଶୋଇ ପଡ଼ିପାରେ; ମାତ୍ର ପ୍ରଥମ ନିଦ ଭାଜିଗଲେ, ତା’ପରେ ଆଉଥରେ ନିଦ ଲାଗିବା ଏକ ବଡ଼ କଠିନ ବ୍ୟାପାର । ସେ ରାତିରେ ପାଣୁ ନାଏକର ତାହାହିଁ ଘଟିଲା । ନିଦ, ନ ଲାଗିବାରୁ ତା’ ମନରେ ନାନା ଚିନ୍ତା ଜାତ ହେଲା । କେତେ ଚିନ୍ତା ଥରେ ଆସି ଯେ ଚାଲିଗଲା, ତାହା ପୁନରାୟ, ନଦୀର ସ୍ରୋତ ପରି ଆଉ ଫେରିଲାନାହିଁ । କିନ୍ତୁ ଗୋଟାଏ ଚିନ୍ତା ଶଗଡ଼ ଚକ ସମାନ ବାରମ୍ବାର ଆସି ଦେଖାଦେଲା । ବିଷ୍ଣୁପ୍ରିୟା ଖାଇବାଘରେ ଯେ ରୁଖାଟିରେ ଦୀପ ଜାଳିଥିଲେ ଏବଂ ଖାଇବାପରେ ନେଇ ସିନ୍ଦୁକରେ ବନ୍ଦ କଲେ, ସେ ମୂଲ୍ୟବାନ ଚକଚକିଆ ଜିନିଷଟିର ଭାବନା ସେ ମନରୁ ଦୂର କରିପାରିଲା ନାହିଁ । ସେହିଟି ପାଖ ଘରେ ସାମାନ୍ୟ କେତେହାତ ଅନ୍ତରରେ ରଖା ହୋଇଛି । ତା’ର ମୂଲ୍ୟ କ’ଣ ଶହେଟଙ୍କାରୁ ଊଣା ହେବ ? ସେ ଜେଲଖାନାରେ ଊଣିଶ ବର୍ଷ କାଳ କଠିନ ପରିଶ୍ରମ କରି ପଚାଶ ଟଙ୍କା ମାତ୍ର ରୋଜଗାର କରିଛି । ଏବେ ମୁହୂର୍ତ୍ତେ ଟିକିଏ ସାମାନ୍ୟ ମେହନତ କଲେ, ଶହେ ଟଙ୍କା ଉପାର୍ଜନ ହେବ । ଏପରି କଥା କ’ଣ ଭାଗ୍ୟରେ ଘଟେ ? ତା’ ମନରେ ଏ ଚିନ୍ତା ବାରମ୍ବାର ଆସି ଉପସ୍ଥିତ ହେଲା ।
ଫାଣ୍ଡିରେ ଘଣ୍ଟା ଠଣଠଣ ହୋଇ ତିନିଟା ବାଜିଲା । ଶୀଘ୍ର ସକାଳ ହୋଇଯିବ । ତାହାହେଲେ ତ ଆଉ ସେ ମୁହୂର୍ତ୍ତକର ଉପାର୍ଜନ ସମ୍ଭବପର ହେବ ନାହିଁ । ସୁତରାଂ ପାଣୁ ନାଏକ ହଠାତ୍ ଶେଯରୁ ଉଠି ବସିଲା । ସେ କ’ଣ ଭାବି ପୁଣି ଶୋଇଲା ଏବଂ ଆଉ ଏକ ମୁହୂର୍ତ୍ତ ଚିନ୍ତା କରି ପୁନରାୟ ଉଠି ବସିଲା । ବସିବାଠାରୁ ସେ ଉଠି ଠିଆ ହେଲା, ତା’ପରେ ହଠାତ୍ ତା’ର ମୁହଁରୁ ସ୍ୱର ଶୁଣାଗଲା, ‘‘ନା’’ । ତହୁଁ ସେ ଶେଯରେ ଶୋଇପଡ଼ିଲା । ମାତ୍ର ପୁଣି ସେ ବସିଲା ଏବଂ ବସିବାଠାରୁ ଉଠି ଠିଆ ହେଲା । ବାରମ୍ୱାର ଶୋଇବା ବସିବା ଏବଂ ଠିଆ ହେବାରେ ଯେ କେତେ ସମୟ ଅତୀତ ହେଲା, ସେ ସମୟର ମନର ଅବସ୍ଥାରେ ତା’ର ବୁଝିପାରିବା ଅସମ୍ଭବ । ମାତ୍ର ତା’ର ଏ ପ୍ରକାର ଆନ୍ଦୋଳନ ହଠାତ୍ ବନ୍ଦ ହୋଇଗଲା । ସେ ଶେଷରେ ଥରେ ଠିଆ ହୋଇଥିବା ବେଳେ ଫାଣ୍ଡିର ଘଣ୍ଟାରେ ଚାରି ବାଜିଲା । ଶୁଣି, ସେ ମନେକଲା, ‘‘ଏ ତ ଘଣ୍ଟା ବାଜୁ ନାହିଁ । ମୋତେ କହୁଚି, କାମ ଶୀଘ୍ର ସାର୍ ।’’
ପାଣୁ ନାଏକ ପାଦେ ଦୁଇପାଦ ଅଗ୍ରସର ହେଲା । ସେ ଦେଖିଲା, ସବୁଆଡ଼ ଅନ୍ଧାର; ସେ ଶୁଣିଲା, ଚତୁର୍ଦ୍ଦିଗ ନିଃଶବ୍ଦ ନବମୀର ଚନ୍ଦ୍ର କେତେବେଳୁ ଅସ୍ତ ହୋଇ ଯାଇଥିଲା । ମଠର ସମସ୍ତେ ଗାଢ଼ ନିଦରେ ଶୋଇ ପଡ଼ିଥିଲେ । ସେ ଅଣ୍ଡାଳି ଅଣ୍ଡାଳି ମହନ୍ତଙ୍କ ଶୟନାଗାରରେ ଯାଇ ଉପସ୍ଥିତ ହେଲା । ତାଙ୍କ ନିଦ ଭାଜିଲା ନାହିଁ । ତାହା ଦେଖି ତା’ ସାହସ ବଢ଼ିଗଲା । ଧୀରେ ଧୀରେ ସିନ୍ଦୁକଟି ଫିଟାଇ ରୁଖାଟି କାଢ଼ି ତଳେ ରଖିଲା । ତା’ର ଛାତି ଦୁକ୍ଦୁକ୍ କମ୍ପିବାକୁ ଲାଗିଲା । ସେ ମନେକଲା, ଯେପରିକି ମହନ୍ତ ଉଠି ପଡ଼ୁଛନ୍ତି ଏବଂ କହୁଛନ୍ତି, ‘‘କାଢ଼ନା, ସିନ୍ଦୁକରେ ରଖିଦେ ।’’ ସେ ରୁଖାଟି ପୁଣି ସିନ୍ଦୁକରେ ରଖିଲା ଏବଂ କିଛି ସମୟ ପରେ ପୁନରାୟ କାଢ଼ି ତଳେ ଥୋଇଲା । ସେତେବେଳେ ଖୁଡ଼୍କିନା ଶବ୍ଦ ହେଲା । ସେଥିରେ ସେ ଚମକି ପଡ଼ିଲା । ତା’ ନିଃଶ୍ୱାସ ବନ୍ଦ ହୋଇ ଆସିଲା । ମାତ୍ର ସେ ପର ମୁହୂର୍ତ୍ତରେ ସାହସ ବାନ୍ଧି ଦେଖିଲା ଯେ କେହି କାହିଁ ନାହିଁ; କେବଳ ମହନ୍ତ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । ତହୁଁ ରୁଖାଟି ହାତରେ ଧରି ସେ ଯେଉଁ ଖାଇବା ଘରବାଟେ ଦାଣ୍ଡରୁ ଆସିଥିଲା ସେହି ଘରବାଟେ ପୁଣି ଦାଣ୍ଡକୁ ଚାଲିଗଲା ।
✽✽✽
୫