ଅଭାଗିନୀ
ଗୋଦାବରୀଶ ମିଶ୍ର · ଭାଗ ୨୮ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
ମିଳନ
ଜଗୁଆଳ ଚାକର ଚାକରିଆଣୀ ବନମାଳୀକୁ ନେଇ ଘର ଭିତରେ ରଖିଲେ । ପାର୍ବତୀ ଯେତେବେଳେ ତା’ ଅବସ୍ଥା ଆସି ସ୍ୱଚକ୍ଷୁରେ ଦେଖିଲେ, ନାକ ଟେକି କହିଲେ, ‘‘ଏ କ’ଣ ? ଏ ତ ଘର ଦୁଆର ସବୁ ରକ୍ତରେ ବୁଡ଼ିଯିବ ।’’ ଚିକିତ୍ସକ ଆସି ବନମାଳୀର ନାଡ଼ି ଦେଖିଲେ ଏବଂ ଅନ୍ୟାନ୍ୟ ଲକ୍ଷଣ ପରୀକ୍ଷା କଲେ । ଜଣାଗଲା, ବନମାଳୀ ମରିନାହିଁ, କେବଳ ମୂର୍ଚ୍ଛିତ ହୋଇ ରହିଛି-। ତା’ ମୁଣ୍ଡର କ୍ଷତଗୁଡ଼ାକ ମୂର୍ଚ୍ଛାର କାରଣ ବୋଲି ସ୍ଥିର କରାଗଲା । ତା’ ଛଡ଼ା, ତା’ ଦେହରେ ନାନା ସ୍ଥାନରେ ଗୁଳିରେ ସାମାନ୍ୟ ସାମାନ୍ୟ ଆଘାତ ମଧ୍ୟ ହୋଇଥିଲା; କିନ୍ତୁ ସବୁଠାରୁ ବଡ଼ ଆଘାତ ବାଜିଥିଲା ହାତରେ ଏବଂ ସେଥିରେ ଗୋଟାଏ ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା । ଅନେକ ରକ୍ତ ବହିଯିବାରୁ ବନମାଳୀ ନିତାନ୍ତ ଦୁର୍ବଳ ହୋଇଯାଇଥିଲା । ତା’ପରେ ପୁଣି ଆଘାତ ପାଇବା ସମୟ ପରେ ଦୁଇ ଦିନରୁ ଅଧିକ କାଳ ବିନା ଚିକିତ୍ସାରେ ରହି ଅତି କଦର୍ଯ୍ୟ ଅସ୍ୱାସ୍ଥ୍ୟକର ରାସ୍ତାରେ କାନ୍ଧରେ ବୁହାହୋଇ ଆସିଥିବା ଯୋଗେ ତା’ ଅବସ୍ଥା ଆହୁରି ଗୁରୁତର ହୋଇ ପଡ଼ିଥିଲା-।
ଚିକିତ୍ସକ ବନମାଳୀର ମୁହଁ ଧୋଇ ପରିଷ୍କାର କରିବା ସମୟରେ ଦ୍ୱାର ଫିଟିଲା ଏବଂ ଗୋଟିଏ ଦୀର୍ଘ ମଳିନ ମୂର୍ତ୍ତି ଦେଖାଗଲା । ଶ୍ରୀନିବାସ ଚମ୍ପତିରାଏ ଗୋଟାଏ ଛାୟା ପରି ଘର ଭିତରେ ପାଦ ପକାଇଲେ । ବିପଦ ସମ୍ବାଦ ପାଇ ସେ ନିତାନ୍ତ ଚିନ୍ତିତ ଓ ଉଦ୍ବିଗ୍ନ ହୋଇ ରହିଥିଲେ । ଗତ ରାତିରେ ତାଙ୍କୁ ନିଦ ହୋଇ ନ ଥିଲା, ସକାଳୁ ସାମାନ୍ୟ ଜ୍ୱର ମଧ୍ୟ ଆକ୍ରମଣ କରିଥିଲା । ରକ୍ତାକ୍ତ ବନମାଳୀକୁ ଦେଖି ସେ ଥରିବାକୁ ଲାଗିଲେ । ତଥାପି ସେ କିଛି ସମୟ ପରେ ଡାକିଲେ, ‘‘ବନମାଳୀ !’’ ବନମାଳୀ ନ ଶୁଣିବାରୁ କହିଲେ, ‘‘ଆଉ କ’ଣ ବନମାଳୀ ଅଛି ? ମୋରି ଯୋଗେ ଯାଇ ସେ ଗୋଳମାଳ ମାରପିଟରେ ପଶି ପ୍ରାଣ ହରେଇଚି । ପାପ ମୋର । ମୋର ଏ ପ୍ରାଣରେ ଆଉ କି କାର୍ଯ୍ୟ ଅଛି ? ମୁଁ ମଧ୍ୟ ମରିବି ।’’ କହି, ମୁମୂର୍ଷୁ ବୃଦ୍ଧ ଶବ ପାଖରେ ଲଥ୍କିନି ବସିପଡ଼ି କାନ୍ଦିବାକୁ ଲାଗିଲେ ।
ବନମାଳୀ ଆଖି ଫିଟାଇ ଶ୍ରୀନିବାସଙ୍କ ମୁହଁକୁ ଚାହିଁଲା । ଦେଖି, ଶ୍ରୀନିବାସ ବିକଳ ସ୍ୱରରେ କହିଲେ, ‘‘ବନମାଳୀ, ବନମାଳୀ ! ତୁ ବଞ୍ଚିଚୁ ? ତୁ ମୋ ଆଡ଼କୁ ଚାହୁଁଚୁ ? ବିଧାତା ମୋ କପାଳେ ଏ ଦୁଃଖ ଲେଖିଥିଲା ?’’ କହି, ସେ ମୂର୍ଚ୍ଛିତ ହୋଇ ପଡ଼ିଗଲେ । ବନମାଳୀ ଅନେକ ଦିନ ରୋଗଶଯ୍ୟାରେ ଶୋଇ ରହିଲା । ଅନେକ ସମୟରେ ସେ ପ୍ରଳାପରେ ରମା ନାମ ଉଚ୍ଚାରଣ କରିବାକୁ ଲାଗିଲା । ଶ୍ରୀନିବାସ ମଧ୍ୟ ତେଣିକି ଜୀବନ୍ମୃତ ଅବସ୍ଥାରେ କାଳ କଟାଇଲେ ।
ପ୍ରତିଦିନ ଏବଂ କେବେ କେବେ ଦିନକେ ଦୁଇଥର, ଜଣେ ବୁଢ଼ା ବନମାଳୀର ଖବର ନେବାକୁ ଜଗୁଆଳ ନିକଟକୁ ଆସୁଥିଲା । ଚାରିମାସ ପରେ ଯାଇ ସେ ଖବର ପାଇଲା ଯେ ରୋଗୀ ବିପଦରୁ ପାରହୋଇଛି । ତା’ପରେ ଆଉ ଦୁଇ ମାସ ରୋଗଶଯ୍ୟାରେ ଶୋଇ ବନମାଳୀ ସୁସ୍ଥ ହେଲା । ଭଙ୍ଗା ହାଡ଼ ମଧ୍ୟ ଯୋଡ଼ି ହୋଇଗଲା ।
ରୋଗ ଶଯ୍ୟାରେ ଶୋଇ ବନମାଳୀ ପ୍ରଳାପରେ ଯେ କେବଳ ରମା ନାମ ଉଚ୍ଚାରଣ କରୁଥିଲା, ତା’ ନୁହେଁ । ରମାର ସ୍ମୃତି ଯେ ମୁହୂର୍ତ୍ତକ ପାଇଁ ସୁଦ୍ଧା ମନରୁ ଦୂର କରି ନ ଥିଲା । ଅନେକ ଦିନ ସେ ତା’ର କୌଣସି ସମ୍ୱାଦ ନ ପାଇ ନିତାନ୍ତ ବ୍ୟସ୍ତ ହୋଇପଡ଼ିଲା । ତା’ ବିପ୍ଳବୀ ସହକର୍ମୀମାନେ ଏବଂ ବିଶେଷରେ ଚମ୍ପା, ହରିଆ ଓ ଗଦାଧର ମରିଯାଇଥିବା କଥା ସ୍ମରଣ କରି, ସେ ରମାକୁ ଦେଖିବା ନିମନ୍ତେ ଅଧିକ ବ୍ୟାକୁଳ ହୋଇପଡ଼ିଲା । ଅଭୟ ଦାସ ମହମଦୀୟାବଜାର ଗୋଳମାଳ ମଧ୍ୟରେ, କିପରି ପାଦ ପକାଇ ପୁଣି ଚାଲିଗଲେ, ଅଥଚ ରମା ଖବର ତାକୁ ପଦେ ସୁଦ୍ଧା କହିଲେ ନାହିଁ, ତାହା ସେ ଭାବିବାକୁ ଲାଗିଲା । ସେ ଯୁଦ୍ଧସ୍ଥଳରୁ କିପରି ରକ୍ଷା ପାଇ ଆସିଲା, ତାହା ତା’ର ଗୋଟାଏ ଅବୋଧ୍ୟ ବିଷୟ ହୋଇ ରହିଲା । ମୋଟ ଉପରେ ଜୀବନ ତାକୁ ଏକ ବିଷମ ଅସମାହିତ ଅନିଶ୍ଚିତ ସମସ୍ୟା ପରି ବୋଧ ହେଲା; କିନ୍ତୁ ତା’ ମଧ୍ୟରେ ଗୋଟିଏ ନିଶ୍ଚିନ୍ତ ଲକ୍ଷ୍ୟ ରହିଲା ରମାକୁ ଦେଖିବା ।
ଦିନେ ଶ୍ରୀନିବାସ ବନମାଳୀର ରୋଗଶଯ୍ୟା ନିକଟରେ ବସି ଶୁଶ୍ରୂଷା କରିବାରେ ଲାଗିଛନ୍ତି, ସେ କହିଲା, ‘‘ଶୁଣିବାକୁ ରାଜି ହେଲେ, ମୁଁ ଗୋଟିଏ କଥା କହିବି ଆପଣଙ୍କୁ ।’’
‘‘କ’ଣ କହିବୁ, କହନା ।’’
‘‘ମୁଁ ବିଭା ହବାକୁ ଇଚ୍ଛା କରୁଚି ।’’ ଶୁଣି ଶ୍ରୀନିବାସ ଠୋ ଠୋ ହସି ଉତ୍ତର ହେଲେ, ‘‘ମୁଁ ଜାଣେ । ହଁ, ତୁ ତାକେଇ ବିଭା ହବୁ । ସେ ତ ଏକ ବୁଢ଼ା ବେଶରେ ନିତି ତୋ କଥା ବୁଝିବାକୁ ଆସୁଚି । ଏବେ ତେଲେଙ୍ଗାବଜାରରେ ରହୁଚି ନା ? ମୁଁ ଭାବୁଥିଲି ଯେ ତୁ ମତେ ସ୍ନେହ କରୁନାହୁଁ-। ତୁ ମୋତେ କିପରି ସ୍ନେହ କରିବୁ, ତା’ ଉପାୟ ମୁଁ ଖୋଜି ପାଉ ନ ଥିଲି, ଏବେ ପାଇଚି । ତୋ ରମାକୁ ତୋ ହାତେ ଆଣି ସମର୍ପିଦେଲେ, ତୁ ମୋତେ ସ୍ନେହ ନ କରି ଯିବୁ କୁଆଡ଼େ ? ତୁ ଭାବିଥିଲୁ, ମୁଁ ଆଜି ନାହିଁ କରିବି, ଗାଳି ଦେବି । ନା, ରମା ବେଶ୍ ଭଲ ପିଲା । ତାଠୋଉ ଆଉ ଭଲ କ’ଣ ମୁଁ ଲୋଡ଼ିପାରେ ? ତା’ ହାତ ଧରି ତୁ ସୁଖରେ ରହ ।’’ କହି, ସେ ବନମାଳୀ ମୁଣ୍ଡଟି ନିଜ ଛାତି ଉପରେ ରଖି କାନ୍ଦିବାକୁ ଲାଗିଲେ । ବନମାଳୀ ମଧ୍ୟ କାନ୍ଦିଲା ।