✽✽✽ — ଅଭାଗିନୀ — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
✽✽✽
୬୫
ଦୀନା ସାହୁ ଗୁପ୍ତକଥା ଫିଟାଇଲା
ସେହି ଦିନ ସନ୍ଧ୍ୟାରେ ବନମାଳୀ ହାତରେ ଚାକର ଖଣ୍ଡିଏ ଚିଠି ଦେଇ କହିଲା, ‘‘ଚିଠି ଦବା ଲୋକ ପାଖ ଘରେ ବସିଚନ୍ତି ।’’ ଚିଠିରୁ ଧୂଆଁପତ୍ର ଗନ୍ଧ ଆସୁଥିଲା । ଗନ୍ଧ ସଙ୍ଗେ ସ୍ମୃତିର ଗୋଟାଏ ଅଦୃଶ୍ୟ ସମ୍ପର୍କ ରହିଛି । ବନମାଳୀ ସେ ଧୂଆଁପତ୍ର ଗନ୍ଧ ଚିହ୍ନିପାରିଲା । ଚିଠିରେ ଠିକଣା ଲେଖାଥିଲା–
ଜମିଦାର ବନମାଳୀ ଚମ୍ପତିରାଏ ।
ତାଙ୍କ ନିଜ ଘର ।
ଧୂଆଁପତ୍ର ଗନ୍ଧରୁ ସେ ହସ୍ତାକ୍ଷର ମଧ୍ୟ ଚିହ୍ନିଲା । ଅଗାଧୁ ବେହେରା ଘରଦୃଶ୍ୟ ଆଖିରେ ଆସି ନାଚିଗଲା । ସେ ଯେଉଁ ଦୁଇଜଣ ଲୋକଙ୍କୁ ଏତେକାଳ ଧରି ଖୋଜୁଥିଲା, ତା’ ମଧ୍ୟରୁ ଜଣକୁ ଅକସ୍ମାତ୍, ବିନା ଚେଷ୍ଟାରେ ପାଇଗଲା । ଚିଠି ଫିଟାଇ ପଢ଼ିଲା ।
‘‘ଜମିଦାର ମହାରାଜ !
ଭଗବାନ ମୋ ପ୍ରତି ଅନୁଗ୍ରହ କରିଥିଲେ, ମୁଁ ଆଜି ଜମିଦାର ଦୀନବନ୍ଧୁ ସାହୁ ହୋଇ ବସିଥାନ୍ତି; କିନ୍ତୁ ଦୁର୍ଭାଗ୍ୟକୁ ହୋଇନାହିଁ । ସେଥିପାଇଁ ଆପଣଙ୍କ ପାଖେ ଆସି ପ୍ରାର୍ଥୀ ହେଉଅଛି । ଆପଣ ମୋର ଟିକିଏ ଉପକାର କଲେ, ମୁଁ ମଧ୍ୟ ଆପଣଙ୍କର କିଛି ଉପକାର କରିବି । ଆପଣଙ୍କର ଖୁବ୍ ନିକଟ ସମ୍ପର୍କୀୟ ଜଣେ ଲୋକ ବିଷୟରେ ମୁଁ ଗୋଟାଏ ବିଶେଷ ସମ୍ବାଦ ଜାଣେ । ମୁଁ ସେ ସମ୍ବାଦ ଆପଣଙ୍କୁ ଦେବାକୁ ପ୍ରସ୍ତୁତ ଅଛି । ଆପଣ ସମ୍ବାଦ ପାଇଲେ, ସେ ଲୋକକୁ ଆପଣଙ୍କର ଏ ଭଦ୍ର ପରିବାରରୁ ନିଶ୍ଚୟ ଦୂର କରିଦେବେ । ବର୍ତ୍ତମାନ ଗୋଟାଏ ପବିତ୍ର ମନ୍ଦିର ମଧ୍ୟରେ ଜଣେ ନିତାନ୍ତ ପାପୀ ବସି ପୂଜା ପାଉଅଛି ।
ଆପଣଙ୍କର
ଦୀନବନ୍ଧୁ ସାହୁ
ବନମାଳୀ ଦସ୍ତଖତ୍ ଦେଖି, ବିସ୍ମିତ ହୋଇପଡ଼ିଲା; କିନ୍ତୁ ପର ମୁହୂର୍ତ୍ତରେ ସେ ଯେତେବେଳେ ଦେଖିଲା ଯେ ଜୀବନର ବହୁକାଳ ଖୋଜିଥିବା ଲୋକକୁ ନିଜ ଘରେ ଅକସ୍ମାତ୍ ପାଇଛି, ତା’ ହୃଦୟ ଆନନ୍ଦରେ ପୂରିଗଲା । କେବଳ ତା’ ନିଜ ରକ୍ଷାକର୍ତ୍ତାକୁ ଦେଖିପାରିଲେ, ତା’ ଜୀବନରେ ଯେ କିଛି ଅଭାବ ରହିବ ନାହିଁ, ସଙ୍ଗେ ସଙ୍ଗେ ସେ ଭାବ ମଧ୍ୟ ମନରେ ଜାତ ହେଲା । ସେ କେତେଗୁଡ଼ିଏ ଶହେଟଙ୍କିଆ ନୋଟ ପାଖରେ ରଖି ପତ୍ର ଲେଖକକୁ ଡକାଇଲା ।
ଜଣେ ଲୋକ ଘର ମଧ୍ୟରେ ପ୍ରବେଶ କଲା । ଦେଖି ବନମାଳୀ ମନେ ମନେ ବିସ୍ମିତ ହେବାକୁ ଲାଗିଲା । ଲୋକଟି ତା’ ନିକଟରେ ସମ୍ପୂର୍ଣ୍ଣ ଅପରିଚିତ । ବେଶଭୂଷା ଦେଖିବାକୁ କେବଳ ସୁନ୍ଦର ନୁହେଁ; ମୂଲ୍ୟବାନ୍ ମଧ୍ୟ । ତେବେ ସେ ଯେଉଁ କୁରୁତାଟି ପିନ୍ଧିଥିଲା, ତା’ ଦେହକୁ ତାହା ଖାପ ଖାଉ ନ ଥିଲା । ଦେଖିଲେ ମନେ ହେଉଥିଲା ସେ ଆଉ କାହା କୁରୁତା । ବନମାଳୀ ଯେତେବେଳେ ଦେଖିଲା ଯେ ସେ ଯାହାକୁ ଦେଖିବ ବୋଲି ଆଶା କରି ବସିଥିଲା, ଲୋକଟି ତା’ଠାରୁ ପୃଥକ୍; ତା’ର ବିରକ୍ତି ଜନ୍ମିଲା । ସେ ପଚାରିଲା, ‘‘ଆପଣଙ୍କର କ’ଣ ଦରକାର ?’’
‘‘ଜମିଦାର ମହାରାଜ, ଲଙ୍କାରେ ଗୋଟାଏ ଛୋଟିଆ ଗ୍ରାମ ଅଛି । ସେ ଗ୍ରାମଟି ଗୋଟିଏ ନଦୀ କୂଳରେ । ଗ୍ରାମର ଦୃଶ୍ୟ ଖୁବ୍ ଚମତ୍କାର । ତା’ ସମ୍ମୁଖରେ ଗୋଟିଏ ପାହାଡ଼ ଅଛି । ସେହି ଗ୍ରାମକୁ ଯିବାକୁ ଇଚ୍ଛା କଲେ; କେହି ସହଜରେ ପଶିପାରିବ ନାହିଁ ।’’
‘‘ଆପଣ କ’ଣ କରିବାକୁ ଚାହୁଁଛନ୍ତି ?’’
‘‘ମୋଟ ଉପରେ ଗ୍ରାମଟି ଏତେ ମନୋରମ ଯେ–’’
‘‘ତା’ପରେ କ’ଣ ହେଲା ? କଥା ଶେଷ କରନ୍ତୁ । ମୋର ଏତେ ଶୁଣିବାକୁ ଫୁର୍ସତ୍ ନାହିଁ । ଯାହା ଦରକାର ସିଧାସଳଖ କହନ୍ତୁ ।’’
‘‘ମୁଁ ସେଠାକୁ ଯିବାକୁ ଇଚ୍ଛା କରୁଚି । ସେଇଠେଇ ଯାଇ ରହିବି । ମୋ ସାଙ୍ଗେ ମୋ ଭାର୍ଯ୍ୟା ଆଉ ଝିଅ । କିଛି ଟଙ୍କା ହେଲେ ଯିବି ।’’
‘‘ଯାଆନ୍ତୁ, ମୋ ସାଙ୍ଗେ ସମ୍ପର୍କ କ’ଣ ?’’
‘‘ଆପଣ ତେବେ ମୋ ଚିଠି ପଢ଼ିନାହାନ୍ତି ?’’ ସେ କଥା ଠିକ୍ । ବନମାଳୀ ଚିଠିର ଲେଖାଟା ଅବଶ୍ୟ ଥରେ ଦେଖିଯାଇଥିଲା; କିନ୍ତୁ ଲିଖିତ ବିଷୟ ପ୍ରତି ଦୃଷ୍ଟି ଦେଇ ନ ଥିଲା । କଥାବାର୍ତ୍ତାରେ ସେ ଶୁଣିଲା, ‘‘ମୋ ଭାର୍ଯ୍ୟା ଆଉ ଝିଅ ।’’ ଲୋକଟା ଆଡ଼କୁ ବନମାଳୀ ଖୁବ୍ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁବାକୁ ଲାଗିଲା ଓ କହିଲା, ‘‘କ’ଣ କହିବେ, ସ୍ତୋକରେ କହିଯାନ୍ତୁ ।’’
‘‘ମୁଁ ଖୁବ୍ ସ୍ତୋକରେ କହିବି । ମୋର ଏକ ଗୁପ୍ତକଥା ଅଛି ।’’
‘‘ମୋ ସାଙ୍ଗେ ସେ କଥାର କି ସମ୍ପର୍କ ?’’
‘‘ଆପଣ ଉଆସରେ ଗୋଟାଏ ଚୋର ଆଉ ନରହନ୍ତାକୁ ରଖିଚନ୍ତି ।’’ ବନମାଳୀ ଚମକିପଡ଼ି କହିଲା, ‘‘ନା, ଆଦୌ ନୁହେଁ ।’’
‘‘ହଁ, ନରହନ୍ତା ଆଉ ଚୋର । ଆପଣ ଶୁଣନ୍ତୁ, ମୁଁ କିଛି ବେଶି ଦିନର, ପାସୋରି ଯାଇଥିବା, ପୁରୁଣା କଥା କହୁନାହିଁ । ଅଳ୍ପଦିନ ତଳ କଥା କହିବି । ଲୋକଟା ନାଁ ବଦଳେଇ ଆପଣଙ୍କ ଘରେ ଆପଣଙ୍କ ପରିବାର ଭିତରେ ଜଣେ ହେଇ ରହିଚି । ମୁଁ ତା’ ନାଁ ଆପଣଙ୍କୁ କହିବି; ମାତ୍ର ମାଗଣା କହିବି ନାହିଁ । ତା ନାଁ ପାଣୁ ନାଏକ ।’’
‘‘ଆହୁରି ଶୁଣନ୍ତୁ, ସେ ଜଣେ ପୁରୁଣା କଏଦୀ ଦାଗୀ ।’’
‘‘ମୁଁ ଜାଣିଚି ।’’ ବନମାଳୀ ସେପରି ଉତ୍ତର ଦେବାରୁ ବିଶେଷତଃ ସବୁ ବିଷୟ ପୂର୍ବରୁ ଜାଣିଛି ବୋଲି କହିବାରୁ, ଲୋକଟା ଟିକିଏ ବିରକ୍ତ ହୋଇଉଠିଲା । ବନମାଳୀ ତାହା ବୁଝିପାରିଲା । ତହୁଁ ସେ ଲୋକ ପୁଣି ହସି ହସି କହିଲା, ‘‘ଆପଣ ଯାହା କହୁଚନ୍ତି, ମୁଁ ନାହିଁ କରୁ ନାହିଁ । ମୁଁ ଯାହା କହିଗଲି, ଆପଣ ଜାଣିଥିବେ; ମାତ୍ର ଆଉ ଯାହା କହିବି, ମୋ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ଆପଣଙ୍କ ରାଣୀଙ୍କ ସମ୍ପତ୍ତି ସହିତ ସେ କଥାର ସମ୍ପର୍କ ଅଛି । ସେ ଗୁପ୍ତ କଥା ଆଗ ମୁଁ ଆପଣଙ୍କୁ କହୁଚି । ଆପଣ ମୋତେ ଉଚିତ ମୂଲ୍ୟ କୋଡ଼ିଏ ହଜାର ଟଙ୍କାଟି ଦେବେ ।’’
ମୁଁ ସେ ଗୁପ୍ତ କଥା ମଧ୍ୟ ଜାଣେ । ଆପଣଙ୍କର ମୋତେ କିଛି ନୂଆ କଥା କହିବାର ନାହିଁ-।
‘‘ଯାହାହେଉ, ମୁଁ ତ ଆଜି ମୁଠେ ଖାଇବି । ଶୁଣନ୍ତୁ, ମୁଁ କ’ଣ କହୁଚି ! ମୋତେ ନିକୁଚ୍ଛରେ କୋଡ଼ିଏଟା ଟଙ୍କା ଦିଅନ୍ତୁ ।’’ ବନମାଳୀ ବିରକ୍ତ ହୋଇ ସେ ଲୋକ ମୁହଁକୁ ଏକଦୃଷ୍ଟିରେ ଚାହିଁରହିଲା । କହିଲା; ‘‘ମୁଁ ତୁମ ଗୁପ୍ତକଥା ଜାଣେ । ପାଣୁ ନାଏକ ନାଁ ଯେପରି ଜାଣେ; ତୁମ ନାଁ ମଧ୍ୟ ସେଇପରି ଜାଣେ ।’’
‘‘ସେଥିରେ ନୂଆ କଥା କ’ଣ ଅଛି ? ମୋ ନାଁ ତ ମୁଁ ଲେଖିଚି ।’’
‘‘ତୁମେ ଭିନ୍ନ ଧରଣରେ ଲେଖିଚ, ଠିକ୍ ଲେଖିନାହଁ । ତୁମେ ଲେଖିଚ ‘ଦୀନବନ୍ଧୁ ସାହୁ’; ମାତ୍ର ତୁମ ନାଁ ହେଉଚି, ‘ଦୀନା ସାହୁ ।’
ବିପଦବେଳେ ଝିଙ୍କ ରୋମ ଟାଙ୍କୁରାଇ ଠିଆ ହୁଏ, ତେଲୁଣିପୋକ ମଲାପରି ପଡ଼ିରହେ; କିନ୍ତୁ ଦୀନା ସାହୁ ହସିବାକୁ ଲାଗିଲା । ବନମାଳୀ ପୁଣି କହିଲା, ‘‘କେବଳ ସେତିକି ନୁହେଁ, ତୁମେ ଅଗାଧୁ ବେହେରା, ତୁମେ ମଧ୍ୟ ଜଗବନ୍ଧୁ ପାଣି, ମଦନ ମୋହନ ମହାନ୍ତି, ସୁକୁମାରୀ ଦେଈ, ମୁକୁନ୍ଦ ଜେନା । କ’ଣ, ନୁହଁ ତୁମେ ? ତୁମର ସବୁ ଗୁଣ ମୁଁ ଜାଣେ । ମୋତେ ତୁମେ ଲୁଚେଇବ କ’ଣ ? ଜଜାରସିଂହରେ ତୁମର ଗୋଟାଏ ଚଟିଘର ନ ଥିଲା ?’’
‘‘ଆହୁରି ଶୁଣ । ତୁମେ ଗୋଟାଏ ମହା ସଇତାନ୍ ।’’ କହି ବନମାଳୀ କେତେ ଖଣ୍ଡ ନୋଟ ଧରି ତା’ ମୁହଁକୁ ଫିଙ୍ଗିଦେଲା । ସେ ନୋଟତକ ଗୋଟାଇ ଗଣି କହିଲା, ‘‘ପାଞ୍ଚଶ ଟଙ୍କା !’’
ଦୀନା ସାହୁ ବନମାଳୀକୁ ଚମକାଇବା ନିମନ୍ତେ ଆସିଥିଲା; କିନ୍ତୁ ତାକୁ ନିଜେ ଚମକିବାକୁ ହେଲା । ଧରାପଡ଼ି, ଗାଳି ଖାଇ, ସେ ଯେ ପାଞ୍ଚଶହ ଟଙ୍କା ପୁରସ୍କାର ପାଇଲା, ତହିଁରେ ସେ କୃତକୃତ୍ୟ ହୋଇଗଲା । ସେ ବନମାଳୀକୁ ସେଦିନ ଜୀବନରେ ପ୍ରଥମ ଥର ଦେଖିଲା । ଦର୍ଜିକୋଠାରେ ଥିବାବେଳେ ସେ ଦିନେ ସୁଦ୍ଧା ବନମାଳୀର ଛାଇ ଦେଖିବାକୁ ପାଇ ନ ଥିଲା । ସେଦିନ ସେହି ବନମାଳୀ ତାକୁ ଦେଖୁ ଦେଖୁ ଚିହ୍ନିପକାଇଲା । ଝିଅଠାରୁ ଦୀନା ସାହୁ ଶୁଣିଥିଲା ଯେ ବନମାଳୀ ଜଣେ ନିତାନ୍ତ ଦରିଦ୍ର ଲୋକ; ସୁତରାଂ ସେହି ବନମାଳୀ ସଙ୍ଗେ ଜମିଦାର ବନମାଳୀ ଚମ୍ପତିରାଏଙ୍କର ସେ କୌଣସି ପ୍ରକାର ସାମଞ୍ଜସ୍ୟ ଖୋଜି ପାଇଲା ନାହିଁ ।
ଦୀନା ସାହୁ ବନମାଳୀ ବିବାହ ଦିନ ତା’ ଝିଅ ହୀରା ସାହାଯ୍ୟରେ ବନମାଳୀ ବିଷୟରେ କେତେକ ଖବର ସଂଗ୍ରହ କରିଥିଲା । ସେ ନିଜେ ମଧ୍ୟ ନାନା ଚେଷ୍ଟାକରି ଆଉ କେତେକ ଖବର ଯୋଗାଡ଼ କଲା । ଜଗନ୍ନାଥବଲ୍ଲଭର ଭଙ୍ଗା ଉଆସ ମଧ୍ୟରେ କୂଅ ମୁହଁରେ ସେ ଯେ କାହାକୁ ଦିନେ ସନ୍ଧ୍ୟାରେ ଭେଟିଥିଲା, ତାହା ଅନୁମାନ କରିନେଲା । ବନମାଳୀ ଚମ୍ପତିରାଏଙ୍କ ଭାର୍ଯ୍ୟା ଯେ ରମା ତା’ ମଧ୍ୟ ସେ ବୁଝିପାରିଲା; କିନ୍ତୁ ରମା ବିଷୟରେ ସେ ନୀରବ ରହିବା ଉଚିତ ବୋଧକଲା; କାରଣ, ହଠାତ୍ ଯାଇ ରମାର ଜନ୍ମବୃତ୍ତାନ୍ତ ବିଷୟରେ କିଛି କହିବାକୁ ଆରମ୍ଭ କରିଥିଲେ, ତାକୁ ହୁଏତ ଧକ୍କା ଖାଇ ଆସିବାକୁ ହୋଇଥାନ୍ତା ।
ଦୀନା ସାହୁ ଅନେକ ସମୟ ନୀରବ ହୋଇ ରହିଲା । ଫଳରେ ବନମାଳୀକୁ ତା’ ଆଡ଼ୁ ନୀରବତା ଭାଙ୍ଗିବାକୁ ହେଲା । ସେ କହିଲା, ‘‘ଦୀନା ସାହୁ, ମୁଁ ତୁମ ନାଁ କହିଲି । ଆଉ କ’ଣ ତୁମେ ଇଚ୍ଛା କରୁଚ ଯେ ତୁମେ ଯେଉଁ ଗୁପ୍ତକଥା ମୋତେ କହିବାକୁ ଆସିଚ, ମୁଁ ତା’ ମଧ୍ୟ ତୁମକୁ କହିବି ? ପାଣୁ ନାଏକ ନରହନ୍ତା, ଡକେଇତ ବୋଲି ତୁମେ ଯେ କହିଲ, ସେ କଥା ଠିକ୍ । ଡକେଇତ କାହିଁକି ନା, ସେ ଧନଞ୍ଜୟ ରାଏଙ୍କ ସମ୍ପତ୍ତି ଚୋରିକରି ନେଇଥିଲା । ଆଉ ନରହନ୍ତା କାହିଁକି ନା ସେ ପୋଲିସ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କୁ ହତ୍ୟା କରିଚି ।’’
‘‘ଆପଣ କ’ଣ କହୁଛନ୍ତି ମୁଁ କିଛି ବୁଝିପାରୁ ନାହିଁ ।’’
‘‘ଶୁଣ ତେବେ ମୁଁ ବୁଝେଇ ଦଉଚି । ଧନଞ୍ଜୟ ରାଏ ବୋଲି ସାରଙ୍ଗଗଡ଼ରେ ଜଣେ ଧନୀ ମହାଜନ ଥିଲେ । ଗେରୁ ତିଆରି କରି ଅନେକ ପଇସା ଉପାର୍ଜନ କରିଥିଲେ । ଦରିଦ୍ର ଲୋକଙ୍କୁ ଯଥେଷ୍ଟ ସାହାଯ୍ୟ କରୁଥିଲେ । ଶେଷରେ ସେ ରାଜାଙ୍କ ଦେବାନ୍ ହେଲେ । ସେ ଆଗରୁ କେବେ କ’ଣ ଦୋଷ କରି ଦଣ୍ଡ ପାଇଥିଲେ । ଜଣେ ପୁରୁଣା ଦାଗୀ କଏଦୀ ସେ କଥା ଜାଣିପାରି ତାଙ୍କୁ ଧରେଇଦେଲା, ଆଉ ତାଙ୍କ ନାଁରେ ଜମାଥିବା ଟଙ୍କା ଅପହରଣ କରିନେଲା । ମୁଁ ଏ ଭିତରେ ଖୋଦ୍ ଖାଜେଞ୍ଚିଠୋଉ ଖବର ପାଇଛି । ଟଙ୍କା କିଛି କମ୍ ନୁହେଁ, ପାଞ୍ଚ ଲକ୍ଷରୁ ବେଶି । ସେ ଟଙ୍କା ଯେ କଏଦୀ ନେଲା ତା’ ନାଁ ପାଣୁ ନାଏକ । ଆଉ ମଣିଷ ମାରିବା କଥା ଯେ ତୁମେ କହିଲ, ସେଟା ମୁଁ ନିଜେ ଆଖିରେ ଦେଖିଚି । ପାଣୁ ନାଏକ ପୋଲିସ ସର୍ଦ୍ଦାରଙ୍କୁ ଗୁଳି କରି ମାରିଚି ।’’
ଦୀନା ସାହୁ ପରାସ୍ତ ହୋଇ ସୁଦ୍ଧା, ଛାଡ଼ିଲା ନାହିଁ; କହିଲା, ‘‘ଜମିଦାର ବାହାଦୁର, ଆପଣ ବଡ଼ ଭୁଲ ଖବର ପାଇଛନ୍ତି ।’’
‘‘କୋଉଟାକୁ ତୁମେ ଭୁଲ ବୋଲି କହୁଚ ? ସବୁ ଠିକ୍ ସତ୍ୟ ।’’
‘‘ମୁଁ ମାନିବି ନାହିଁ । ମୁଁ ଅନ୍ୟାୟରେ କାହାକୁ ବୁଡ଼େଇଦେବା ଲୋକ ନୁହେଁ । ପାଣୁ ନାଏକ ଧନଞ୍ଜୟ ରାଏ ଟଙ୍କା ଚୋରି କରିନାହିଁ, କି ଜନାର୍ଦ୍ଦନ ମହାପାତ୍ରାଙ୍କୁ ମାରି ନାହିଁ । ତା’ର ଦୁଇଟା ପ୍ରମାଣ ଅଛି ।’’
‘‘ସେ ଧନଞ୍ଜୟ ରାଏଙ୍କ ଟଙ୍କା ଚୋରି କରିନାହିଁ । କାରଣ, ପାଣୁ ନାଏକ ଆଉ ଧନଞ୍ଜୟ ରାଏ ଜଣେ ଲୋକ ।’’
‘‘ତୁମେ କ’ଣ ଗୁଡ଼ାଏ କହୁଚ ?’’
‘‘ଆଉ ସେ ମଣିଷ ମଧ୍ୟ ମାରିନାହିଁ । କାରଣ; ସର୍ଦ୍ଦାର ମହାପାତ୍ର ନିଜେ ଆତ୍ମହତ୍ୟା କଲେ ।’’
‘‘ଆଚ୍ଛା, ୟାର ପ୍ରମାଣ କ’ଣ ?’’
ଦୀନା ସାହୁ ନିଜ କୁରୁତା ପକେଟରୁ ଖଣ୍ଡିଏ ଅତି ପୁରୁଣା ତେଲଚିକିଟା କାଗଜ ବାହାରକଲା । ତହିଁରେ ସରକାରୀ ମୋହର ବସିଥିଲା । ସେ କାଗଜଖଣ୍ଡି ଦୀନା ସାହୁ କୌଣସି ଫାଣ୍ଡିରୁ ଚିରିଆଣିଥିବା ସମ୍ଭବପର । ଯାହାହେଉ, ସେ କାଗଜ ଲେଖାଟା ଅବିଶ୍ୱାସ କରିବାର କୌଣସି କାରଣ ନ ଥିଲା । ସେଥିରେ ଯାହା ଲେଖାଥିଲା, ଏକ ସରକାରୀ ଇସ୍ତାହାରରେ ତାହା ପ୍ରଚାର କରାଯାଇଥିବା କଥା ପୂର୍ବରୁ କୁହାଯାଇଛି ।
ବନମାଳୀ ତାହା ନିଜେ ପଢ଼ି ଦେଖିଲା; ସୁତରାଂ ତା’ର ଆଉ ସନ୍ଦେହ କରିବାର କାରଣ ରହିଲା ନାହିଁ । ପାଣୁ ନାଏକ ବନମାଳୀ ଦୃଷ୍ଟିରେ ଯେତେ ତଳକୁ ପଡ଼ିଯାଇଥିଲା, ଅଧେ ବାଟ ପୁଣି ଉପରକୁ ଉଠିଗଲା । ସେ ପ୍ରାଣରେ ଗୋଟିଏ ଅପୂର୍ବ ଆନନ୍ଦ ଅନୁଭବ କରିବାକୁ ଲାଗିଲା ଏବଂ କହିଲା, ‘‘ତାହାହେଲେ ତ ଏ ସମସ୍ତ ସମ୍ପତ୍ତି ତାଙ୍କ ନିଜର । ଯିଏ ଧନଞ୍ଜୟ ରାଏ, ସେଇ ପାଣୁ ନାଏକ । ଆଉ ମଣିଷ ମାରିବା କଥା ତା’ ବିରୋଧରେ ତୁମ ପ୍ରମାଣ ?’’ ଦୀନା ସାହୁ ପକେଟରୁ ଆଉ ଖଣ୍ଡିଏ କାଗଜ କାଢ଼ି ଦେଖାଇଲା । ସେଥିରେ ମଧ୍ୟ ସରକାରୀ ମୋହର ବସିଥିଲା । ବନମାଳୀ ପଢ଼ିଲା– ମହମଦୀୟାବଜାର ବିଦ୍ରୋହ ସ୍ଥଳରେ ସର୍ଦ୍ଦାର ଜନାର୍ଦ୍ଦାନ ମହାପାତ୍ର ବନ୍ଦୀ ହୋଇ ରହିଥିଲେ । ଜଣେ ବିଦ୍ରୋହୀ ତାଙ୍କୁ ମାରିବାକୁ ନେଇ, ପ୍ରକୃତରେ ନ ମାରି, ଉପରକୁ ଗୁଳି ଫୁଟାଇଦେଲା ଏବଂ ତାଙ୍କୁ ମୁକ୍ତ କରିଦେଲା; କିନ୍ତୁ ସେ ସେ ଘଟଣାର ତିନି ଦିନ ପରେ ନିଜେ କାଠଯୋଡ଼ିକି ଡେଇଁପଡ଼ି ଆତ୍ମହତ୍ୟା କଲେ । ସେ କହିଲେ ଯେ ପର ଅନୁଗ୍ରହରେ ପ୍ରାଣ ପାଇ ତାଙ୍କ ପରି ଲୋକର ବଞ୍ଚିବା ଠିକ୍ ନୁହେଁ ।’’
ପଢ଼ିସାରି ବନମାଳୀ କହିଲା, ‘‘ପାଣୁ ନାଏକ ଜନାର୍ଦ୍ଦନ ମହାପାତ୍ରଙ୍କ ଜୀବନଦାତା, ଜଣେ ବୀରପୁରୁଷ ଜଣେ ସ୍ୱର୍ଗର ଦେବତା ।’’
‘‘ସେଟା ବୀର ନୁହେଁ କି ଦେବତା ନୁହେଁ; ସେ ଡକେଇତ ଆଉ ନରହନ୍ତା ।’’
‘‘ତୁମେ କ’ଣ ଚାଳିଶ ବର୍ଷ ତଳ କଥା କହୁଚ ? ପାଣୁ ନାଏକ ଜୀବନରେ ତା’ପାଇଁ ଯଥେଷ୍ଟ ପ୍ରାୟଶ୍ଚିତ କରିଚନ୍ତି ।’’
‘‘ନା, ମୁଁ ଅତି ଅଳ୍ପଦିନ ତଳ କଥା କହୁଚି । ସେ କଥା କେହି ଜାଣନ୍ତି ନାହିଁ । ଆପଣଙ୍କ ରାଣୀ ଯେ ବିସ୍ତର ଯୌତୁକ ପାଇଚନ୍ତି, ଟଙ୍କାଟା ଆସିଚି ସେଇଆଡ଼ୁ । ସେଇ ଟଙ୍କା ବଳରେ ପାଣୁ ନାଏକ ରଜାଘରେ ଆସି ଗାଦିମାଡ଼ି ବସିଛି । ରଜା ଘର ନା, ଆଉ କ’ଣ ? ଜମିଦାର ହଜୁର, ଆପଣ ମୋତେ ଯାହା ଖୁସି ପୁରସ୍କାର ଦେବେ । ଶୁଣନ୍ତୁ, ପ୍ରାୟ ବର୍ଷକ ତଳେ ଏ ସହରରେ ଯୋଉ ମେଳି ହେଇଥିଲା, ସେଇ ସମୟରେ ଗୋଟାଏ ଭଙ୍ଗା ଘର କୂଅ ଭିତରେ ଜଣେ ଲୋକ ଘର କରି ରହୁଥିଲା ।’’
ଶୁଣି, ବନମାଳୀ ତା’ ଚଉକି ଦୀନା ସାହୁ ଆଡ଼କୁ ଆହୁରି ଭିଡ଼ିନେଲା ଏବଂ ଉଦ୍ଗ୍ରୀବ ହୋଇ କାନପାତି ଶୁଣିବାକୁ ଲାଗିଲା, ‘‘ସେ ଲୋକ ସେଇ କୂଅ ମୁହଁରେ ତାଲା ପକେଇ କୂଅ ଭିତରେ ରହୁଥିଲା । ସେତେବେଳେ ଅନ୍ଧାରରେ ଆଉଜଣେ ଲୋକ ପିଠିରେ ଗୋଟାଏ ମୁର୍ଦ୍ଦାର ଲଦି ସେ କୂଅ ଭିତରେ ଅକସ୍ମାତ୍ ଆସି ପହଞ୍ଚିଲା । ଡକେଇତ କଥା ଏଇଥିରୁ ସହଜରେ ଅନୁମାନ ହବ । ଲାଭ ନ ଥଲେ କ’ଣ କିଏ କାହାକୁ ମାରେ ? ସେ ଡକେଇତ ମୁର୍ଦ୍ଦାରଟାକୁ ସେଇଠେଇ ପକେଇଦେଇ ପଳେଇବାକୁ ବସିଥିଲା । ତା’ପରେ କିଏ କାଳେ ଦେଖିବ ଭାବି, ଆଉ କୋଉଆଡ଼େ ନେଇ ପଳେଇବାକୁ ବସିଲା ।’’
ବନମାଳୀ ଆହୁରି ଏକଧ୍ୟାନରେ ବସିରହିଲା । ଦୀନ ସାହୁ ପୁଣି କହିଲା, ‘‘କୂଅ ଭିତରେ ଘର କରି ରହିବା ଲୋକ ତ ଥିଲା, ଡକେଇତଟା ଆସି କହିଲା, ‘ମୋ ପିଠିରେ କ’ଣ ଅଛି, ଦେଖୁଚୁ-? ମୁଁ ୟା ଭିତରୁ ବାହାରିବା ଦରକାର । ତୋ ଚାବି ଅଛି ତ ଫିଟେଇ ଦେ ।’ ଡକେଇତର ବଳ ଖୁବ୍ ବେଶି । କୂଅ ଭିତରେ ରହୁଥିବା ଲୋକ ତାକୁ ପାରନ୍ତା ନାହିଁ; ହେଲେ ସମୟ ଗଡ଼େଇବାକୁ ଅନେକ ଯୁକ୍ତିତର୍କ କଲା । ସେ ମୁର୍ଦ୍ଦାରଟାକୁ ତନ୍ନତନ୍ନ ପରୀକ୍ଷା କରି ଦେଖିଲା; ତା’ ଦେହରେ ଖାଲି ରକ୍ତ ଚିହ୍ନ ଛଡ଼ା ଆଉ କିଛି ଦେଖିପାରିଲା ନାହିଁ । ସେତେବେଳେ ମୁର୍ଦ୍ଦାର କୁରୁତାରୁ ଛିଣ୍ଡେଇ ଲୁଚେଇ ସେ ଖଣ୍ଡେ କନା ନେଇଯାଇଥିଲା । ତା’ପରେ ସେ ଚାବି ଖୋଲିଦେଲା । ଡକେଇତ ମୁର୍ଦ୍ଦରଟାକୁ ନେଇ ବାହାରିଗଲା; ଆଉ ଆର ଜଣକ ଚାବି ପକେଇ ଦେଇ ଭୟରେ ସେଠଉ ପଳେଇଲା । ଯୋଉ ଡକେଇତ ମୁର୍ଦ୍ଦାର ନେଇ ଯାଉଥିଲା ସେ ପାଣୁ ନାଏକ । ଯା ହାତରେ ଚାବି ଥିଲା ସେ ବର୍ତ୍ତମାନ ହଜୁରଙ୍କ ସହିତ କଥାବାର୍ତ୍ତା ହଉଛି । ଆଉ କନା ଖଣ୍ଡକ–’’
ଦୀନା ସାହୁ ନିଜ କୁରୁତା ପକେଟରୁ ଖଣ୍ଡେ ରକ୍ତବୋଳା ପୁରୁଣା କନା ବାହାର କରିଆଣିଲା । ବନମାଳୀ ଦେଖି ଭୟରେ କଳାପଡ଼ିଗଲା; ନିଃଶ୍ୱାସ ନେଇପାରିଲା ନାହିଁ । କିଛିକ୍ଷଣ ପରେ ସେ ଉଠିଯାଇ, ପେଡ଼ି ଭିତରୁ ଗୋଟାଏ ରକ୍ତାକ୍ତ ପୁରୁଣା କୁରୁତା ବାହାର କରିବସିଲା । ତା’ ମଧ୍ୟରେ ଦୀନା ସାହୁ ପୁନରାୟ କହିଲା, ‘‘ମୋର ଖୁବ୍ ବିଶ୍ୱାସ, ଖୁଣ ହୋଇଥିବା ଲୋକ ବିଦେଶୀ ମହାଜନ କି ଜମିଦାର; ଆଉ ସେ ଅନେକ ଟଙ୍କା ଧରି ଯାଉଥିଲା ।’’
ବନମାଳୀ କୁରୁତାଟି ବାହାର କରିଆଣି କହିଲା, ‘‘ଏଇ ସେ କୁରୁତା, ଆଉ ସେ ମହାଜନ ମୁଁ ।’’ ବନମାଳୀ କୁରୁତାଟା ତଳେ ବିଛାଇ ପକାଇ ଦେଇ, ଦୀନା ସାହୁର କନା ଖଣ୍ଡକ ତା’ ଛିଣ୍ଡା ସ୍ଥାନରେ ନେଇ ଖଞ୍ଜିରଖିଲା । କନାଖଣ୍ଡ ସେ କୁରୁତା ଭିତରେ ଠିକ୍ ଖାପ ଖାଇଗଲା । ଦୀନା ସାହୁ ଭୟରେ ଚମକିପଡ଼ି ମନେ ମନେ ଭାବିଲା, ‘‘ମୋର ଆଉ ରକ୍ଷା ନାହିଁ ।’’ ବନମାଳୀ ନୈରାଶ୍ୟ, ଭୟ ଏବଂ ଆନନ୍ଦ ପ୍ରାଣରେ ଯୁଗପତ୍ ଅନୁଭବ କରି ଉଠି ଠିଆ ହେଲା ଏବଂ ଦୀନା ସାହୁ ମୁହଁକୁ ପୁଣି ହଜାର ଟଙ୍କାର ନୋଟ ଫିଙ୍ଗି କହିଲା, ‘‘ତୁ ଗୋଟାଏ ମହାପାପୀ । ତୁ ଗୋଟାଏ ଲୋକ ନାଁରେ ମିଛ କହି ବୁଡ଼େଇଦବାକୁ ଆସିଥିଲୁ; ମାତ୍ର ଟେକି ତାକୁ ସ୍ୱର୍ଗରେ ବସେଇଦେଇ ଗଲୁ-। ତୁ ଡକେଇତ ତୁ ନରହନ୍ତା । ମୁଁ ଏହିକ୍ଷଣି ତୋତେ ପୋଲିସରେ ଦେଇପାରନ୍ତି । ଏକହଜାର ଟଙ୍କା ନେ । ତୁ ଯା’ । ମୁଁ ତୋତେ ଛାଡ଼ିଦେଲି । ବାଙ୍କି ଯୁଦ୍ଧଭୂମି କଥା ତୋତେ ବଞ୍ଚେଇଦେଲା-।’’
ଦୀନା ସାହୁ ଟଙ୍କାତକ ପକେଟରେ ପୂରାଇ ବିସ୍ମିତ ହୋଇ କହିଲା, ‘‘ବାଙ୍କି ଯୁଦ୍ଧଭୂମି ! ସେ ପୁଣି କ’ଣ, ମତେ କିଛି ଜଣା ନାହିଁ ।’’
‘‘ନରହନ୍ତା, ତୁ ସେଠେଇ ସେନାପତିଙ୍କି ବଞ୍ଚେଇଥିଲୁ ।’’
‘‘ସେନାପତି ! ସେ ପୁଣି କିଏ ?’’
‘‘ହଁ, ସେନାପତି ଗୋବିନ୍ଦ ସିଂହ । ଆଉ କଥା କହନା । ତାଙ୍କରି ଆଦେଶରେ ମୁଁ ତୋତେ ଟଙ୍କା ଦେଇଚି । ଦେଢ଼ହଜାର ଦେଇଚି ଆଉ ଅଠରହଜାର ପାଞ୍ଚଶହ ନେଇ, ମୋଟରେ କୋଡ଼ିଏ ହଜାର ଧରି ତୁ ଚାଲିଯା । ଏ ମୋର ପିତାଙ୍କ ଆଦେଶ । ନୋହିଲେ କି ତୋ ଭଳି ଚଣ୍ଡାଳକୁ ଟଙ୍କା ଦେଇ କରିଚି ? ତୁ ଲଙ୍କାକୁ ଯିବୁ ବୋଲି କହୁଚୁ; ଯା ରାକ୍ଷସ । ତୋର ପାଇଁ ଠିକ୍ ଥାନ ସେଇ ଲଙ୍କା । ସେଠେଇ ସୂର୍ପଣଖା ସଙ୍ଗେ ଘର କରି ରହିବୁ ।’’
ଦୀନା ସାହୁ ଉଠି ଠିଆ ହୋଇ କହିଲା, ‘‘ମୁଁ ଉଠୁଚି ତେବେ; ନମସ୍କାର ଜମିଦାର ବାହାଦୁର ।’’ ସେ ସଙ୍ଗେ ସଙ୍ଗେ ନମସ୍କାର କଲା ଏବଂ ଧୀରେ ଧୀରେ ଗୋଟାଏ ଧଣ୍ଡସାପ ପରି ଘରୁ ବାହାରି ଖସି ଚାଲିଗଲା ।
ଦିନା ସାହୁ ଗୋଟାଏ ପ୍ରକାଣ୍ଡ ସୁନା ଗଦା ଓଜନ ତଳେ ଚିପିହେଲା ପରି ବିସ୍ମୟ ଏବଂ ଆନନ୍ଦରେ ବନମାଳୀ ନିକଟରୁ ଚାଲିଗଲା । ଏଣେ ବନମାଳୀ ରମାକୁ ଡାକି କହିଲା, ‘‘ଶୀଘ୍ର ଆସ, ଏଇ ମୁହୂର୍ତ୍ତ ପରେ ଆମକୁ ଯିବା ପାଇଁ ହବ ।’’ ଦୁଆରେ ଭଡ଼ାଗାଡ଼ି ଆସି ଠିଆ ହେଲା । ବନମାଳୀ କହିଲା, ‘‘ରମା, ଆଉ ବିଳମ୍ବ କରନା । ଓଃ, ଭଗବାନ ସେଇ ମୋ ଜୀବନ ରକ୍ଷା କରିଛନ୍ତି । ଆଉ ମୁହୂର୍ତ୍ତେ ଡେରି କର ନାହିଁ ।’’
ରମା ବନମାଳୀକୁ ପାଗଳ ମନେକଲା; ତଥାପି କଥା ମାନି ବଗିରେ ବସିଲା । ବଗି ଚାଲିବା ପୂର୍ବରୁ ସେ ବନମାଳୀର ହୃତ୍କମ୍ପ ହେଉଥିବାର ଶବ୍ଦ ଶୁଣିପାରିଲା । ବନମାଳୀ ରମାକୁ କହିଲା, ‘‘ମୁଁ ପାପିଷ୍ଠ ଗୋଟାଏ ରାକ୍ଷସ । କି ଘୋର ଅନ୍ୟାୟ କରିଚି ।’’ ବନମାଳୀ ଦେବତା ପ୍ରତିମା ଦେହରେ ପଦାଘାତ କରିଥିଲା ପରି ଅନୁତାପ, ଦୁଃଖ ଏବଂ ଭୟରେ ବିହ୍ୱଳ ହୋଇପଡ଼ିଲା-। ସେ ଗାଡ଼ିବାଲାକୁ କହିଲା, ‘‘ଚଲା ତେଲଙ୍ଗାବଜାର ।’’ ଅନେକ ଦିନ ପରେ ତେଲଙ୍ଗାବଜାର ନାମ ଶୁଣି ରମା ମୁହଁରେ ଆନନ୍ଦ ଫୁଟିଉଠିଲା । ସେ କହିଲା, ‘‘ଆମେ ପାଣୁ ପାଖକୁ ଯାଉଚେନା ଏତେ ଦିନ ପରେ । ମୋତେ ବଡ଼ ଖୁସି ଲାଗୁଚି ।’’
‘‘ନା, ରମା, ପାଣୁ ନୁହେଁ, ତୁମ ବାପା; ମୋ ବାପାଙ୍କଠାରୁ ବଳି ବାପା । ରମା, ତୁମେ ହରିଆଠୋଉ ଚିଠି ପାଇ ନ ଥିଲ ବୋଲି ମୋତେ କହିଲ । ସେ ଚିଠି ତାଙ୍କରି ହାତେ ଯାଇ ପଡ଼ିଥିଲା । ଚିଠି ପାଇ ସେ ମୋ ପ୍ରାଣରକ୍ଷା କରିବା ନିମନ୍ତେ ଯୁଦ୍ଧସ୍ଥଳକୁ ଧାଇଁଗଲେ; ଆଉ ଯମପୁରୀରୁ ମୋତେ ତୁମ ପାଖକୁ ଟାଣିଆଣିଲେ । କେବଳ ମୋରି ପ୍ରାଣ ରକ୍ଷା କରିବାପାଇଁ କେତେ କଷ୍ଟ ନ ପାଇଲେ ସେ ? ବାଟରେ ଯେ ଦୁଇ ଦିନ କାହିଁକି ବିଳମ୍ବ ହେଲା, ମୁଁ ବୁଝିସାରିଲିଣି-। ଚାଲ, ଆମେ ତାଙ୍କୁ ନେଇଆସିବା । ଖାଲି ସେ ଘରେ ଥିଲେ, ହେଲା । ମୁଁ ତାଙ୍କରି ପାଦତଳେ ବସି ମୋ ଜୀବନଟା କଟେଇବି । ସେ ଠିକ୍ କଥା ରମା; ହରିଆ ତାଙ୍କୁ ଚିଠି ଖଣ୍ଡ ଦେଇଗଲା ଆଉ ମୋତେ ମିଛ କହିଲା । ଏତିକିରେ ସବୁ ବୁଝା ପଡ଼ିଯାଉଚି ।’’
ଗାଡ଼ି ତେଲଙ୍ଗାବଜାରରେ ପହଞ୍ଚିବା ସଙ୍ଗେ ସଙ୍ଗେ ପାଣୁ ନାଏକ ଦ୍ୱାରରେ ଠକ୍ ଠକ୍ ଶବ୍ଦ ଶୁଣି, ମୁହଁ ବୁଲାଇ ଚାହିଁ କ୍ଷୀଣକଣ୍ଠରେ କହିଲା, ‘‘ଆସ ।’’
ଦ୍ୱାର ଫିଟିଲା ଏବଂ ରମା ସହିତ ବନମାଳୀ ଘରେ ପାଦ ପକାଇଲା । ବନମାଳୀ ଦୁଆର ପାଖେ ଠିଆ ହେଲା; ରମା ଭିତରକୁ ଧାଇଁଗଲା । ଦେଖି, ପାଣୁ ନାଏକ ଶେଯରୁ ଉଠି ବସିପଡ଼ିଲା । କହିଲା, ‘‘ରମା ।’’ ରମାର କଣ୍ଠ ରୁଦ୍ଧ ହୋଇଗଲା । ସେ ପାଣୁ ନାଏକ ପଟିରେ ପଡ଼ିଯାଇ ଡାକିଲା, ‘‘ବାପା ।’’ ପାଣୁ ନାଏକ ବିହ୍ୱଳ ହୋଇ କହିଲା, ‘‘ରମା, ଓଃ ସାଆନ୍ତାଣୀ, ତୁମେ ଆସିଚ । ଓଃ ପ୍ରଭୁ, କି ଦୟା ।’’
ବନମାଳୀ ଆଖିରୁ ଅଶ୍ରୁଧାରା ବହି ଯାଉଥିଲା । ସେ ତାହା ପୋଛିପକାଇ, ଅଗ୍ରସର ହୋଇ କହିଲା, ‘‘ବାପା ।’’
‘‘ଓଃ ଆପଣ ମଧ୍ୟ ଆସିଛନ୍ତି ? ମୋତେ କ୍ଷମା କରିବେ, ବନମାଳୀ ବାବୁ ।’’ ବନମାଳୀ କ’ଣ କହିବ, ଖୋଜି କଥା ପାଇଲା ନାହିଁ । ରମା ନିଜ ଦେହରୁ ଶାଲ ଖଣ୍ଡିକ କାଢ଼ି ପାଣୁ ନାଏକ ଦେହରେ ଘୋଡ଼ାଇ ଦେଲା ଏବଂ ତା’ କପାଳରେ ଗୋଟିଏ ଚୁମ୍ବନ ଦେଲା ।
‘‘ମଣିଷ କେତେ ଓଲା ନୁହେଁ ? ମୁଁ ବିଚାରିଲି ଆଉ ଦେଖାହେବ ନାହିଁ । ବନମାଳୀ ବାବୁ; ଆପଣମାନେ ଠିକ୍ ଆସିବାବେଳେ ମୁଁ ଭାବୁଥିଲି ଯେ ମୁଁ ଚାଲିଯିବି, ଆଉ ରମା ସାଆନ୍ତାଣୀଙ୍କ ସହିତ ମୋର ଦେଖା ହବନାହିଁ । ଏଇ ତାଙ୍କ ପିଲାଦିନର ଶାଢ଼ି ଖଣ୍ଡିକ । ୟାକୁ ଦେଖି ମୁଁ କହୁଥିଲି ଯେ ଆଉ ସେ ମୋ ପାଖକୁ ଆସିବେ ନାହିଁ । କି ମୂର୍ଖ ମୁଁ ? ମୁଁ କହୁ କହୁ, ଆପଣ ତାଙ୍କୁ ଧରି ଅଇଲେ । ଏ ଖାଲି ଭଗବାନଙ୍କ ବରାଦ । ବନମାଳୀ ବାବୁ, ମୁଁ ୟାଙ୍କୁ ଥରେ ରମା ବୋଲି ଡାକିବି ?’’
ରମା ଅଧୀର ହୋଇ କହିଲା, ତୁମେ କି ନିଷ୍ଠୁର ବାପା ? ଆମକୁ ଯେ ଛାଡ଼ିଆସିଲ, ଆଉଥରେ ଯାଇ ଦେଖା ଦେଲ ନାହିଁ ? ମୁଁ ଚାକରକୁ କେତେଥର ପଠେଇଲି ? ସେ ଯାଇ କହିଲା, ‘ଫେରି ନାହାନ୍ତି ।’ ବାପା ଏଠେଇ ରୋଗରେ ପଡ଼ିଛନ୍ତି, ଆଉ ଆମେ ସେ କଥା ଟିକିଏ ଜାଣିପାରିଲେ ନାହିଁ ।
‘‘ଯାହାହେଉ, ଆସି ପହଞ୍ଚିଗଲେ ଠିକ୍ ବେଳରେ । ମୋତେ ତେବେ, ବନମାଳୀ ବାବୁ କ୍ଷମା ଦେଇଛନ୍ତି ।’’ ଶୁଣି, ବନମାଳୀର ମନର ଭାବ ହୃଦୟ ଭେଦ କରି ହଠାତ୍ ବାହାରିପଡ଼ିଲା । ସେ କହିଲା, ‘‘ରମା, ତୁମେ ଜାଣ ସେ ମୋ ପାଇଁ କ’ଣ କରିଚନ୍ତି ? ମୋତେ ବଞ୍ଚେଇଚନ୍ତି, ତମକୁ ଆଣି ମୋ ହାତରେ ଦେଇଚନ୍ତି, ତା’ପରେ ସର୍ବସ୍ୱ ଛାଡ଼ି ବସିଚନ୍ତି । ମୁଁ ଏଡ଼େ କୃତଘ୍ନ, ଏଡ଼େ ପାପୀ-! ଆଉ ତୁମ ବାପା ସ୍ୱର୍ଗର ଦେବତା, ପବିତ୍ର ଋଷି, ମୋର ପୂଜ୍ୟ ।’’
କ୍ଷୀଣକଣ୍ଠରେ ପ୍ରତିବାଦ କରି ପାଣୁ ନାଏକ କହିଲା, ‘‘ନା ଏମିତି କାହିଁକି କହୁଚନ୍ତି ? ଛି, ମୁଁ ପରା ଗୋଟାଏ ହୀନ ଲୋକ ।’’
‘‘ଆପଣ କାହିଁକି ମୋତେ ସବୁ ଲୁଚେଇଲେ ? ମୋ ପ୍ରାଣ ବଞ୍ଚେଇ, ମୋତେ କହିଲେ ନାହିଁ, ଆଉ ଖାଲି ନିଜ ନିନ୍ଦା ରଟନା କଲେ ?’’
‘‘ମୁଁ ଯାହା ସତ ସେଇ କଥା କହିଚି । ପଦେ ମିଛ ନାହିଁ ।’’
‘‘ନା, ଯାହା ଅଧେ ସତ ସେ ସତ ନୁହେଁ । ଆପଣ ମୋତେ ପୂରା ସତ କହିନାହାନ୍ତି । ଆପଣ ଧନଞ୍ଜୟ ରାଏ, ସେ କଥା କାହିଁକି ମୋତେ କହିଲେ ନାହିଁ ? ଆପଣ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ପ୍ରାଣ ରକ୍ଷା କରିଛନ୍ତି, ସେ କଥା କାହିଁକି ଲୁଚେଇଲେ ? ଆପଣ ମୋତେ ବଞ୍ଚେଇଛନ୍ତି, ସେ କଥା କାହିଁକି ଗୋପନ ରଖିଲେ ?
‘‘ମୁଁ ଆପଣଙ୍କୁ ଛାଡ଼ି ଆସିବାକୁ ସ୍ଥିର କରିଥିଲି କି ନା ! ଆପଣ ଏସବୁ କଥା ଜାଣିଲେ, ମୋତେ କ’ଣ ଛାଡ଼ନ୍ତେ ?
ଆଉ ‘ଆପଣ’ କହନ୍ତୁ ନାହିଁ, କି ‘ବନମାଳୀ ବାବୁ’ ବୋଲି ଡାକନ୍ତୁ ନାହିଁ । କହନ୍ତୁ, ‘ବନମାଳୀ, ‘ପୁଅ’, ‘ତୁ’, ‘ରମା’, ‘ଝିଅ’, ‘ତୁ’ । ବାପା, ଆଜି ଆମେ ଆପଣଙ୍କୁ ଘରକୁ ନେଇଯିବାକୁ ଆସିଚୁ, କାଲିଯାଏ ଆପଣଙ୍କୁ ଏଠେଇ ଆଉ ରହିବାକୁ ହବ ନାହିଁ ।
‘‘ଠିକ୍ କହିଚ, ବନମାଳୀ ବାବୁ, ନା ବନମାଳୀ । ମୁଁ କାଲିକି ଆଉ ଏଠେଇ ନ ଥିବି; ତେବେ, ତୁମ ଘରେ ବି ନ ଥିବି ।’’ ଶୁଣି, ବନମାଳୀ କହିଲା, ‘‘ଆମେ ଆପଣଙ୍କୁ ଆଉ ଏ ବୟସରେ ସଂସାରଯାକ ବୁଲିବାକୁ ଛାଡ଼ିଦେବୁ ନାହିଁ । ଗାଡ଼ି ଦୁଆରେ ଠିଆ ହେଇଚି, ଆପଣଙ୍କୁ ବର୍ତ୍ତମାନ ଯିବାକୁ ହବ ।’’ ରମା କହିଲା, ‘‘ବାପା, ଉଠ, ଚାଲ; ଗାଡ଼ିରେ ବସିବା ।’’ ଶୁଣି ପାଣୁ ନାଏକ ଉତ୍ତର ଦେଲା, ‘‘ମୋର ଆଉ ଗୋଟାଏ ଗାଡ଼ି ଆସିଚି ପରା । ତୁମେ, ବନମାଳୀ, ରମା, କେହି ଦେଖିପାରୁ ନାହଁ, ମୁଁ ପାରୁଛି । ସେ ଗାଡ଼ିର ତଲବ ଏଡ଼ି ହବ ?’’
ରମାର ଦୁଇ ଆଖିରେ ଦୁଇ ଟୋପା ନୁହେଁ ଦୁଇଟି ମୁକ୍ତା ବିନ୍ଦୁ ପରି ଢଳିବାକୁ ଲାଗିଲା । ପାଣୁ ନାଏକ କ୍ଷୀଣସ୍ୱରରେ କହିଲା, ‘‘ଭଗବାନ ଯେ ଅଛନ୍ତି, ତା’ର ଗୋଟାଏ ପ୍ରମାଣ ମୁଁ ପାଇଲି । ନୋହିଲେ କି ରମା ଆସି ଆଜି ଏଠେଇ ପାଦ ପକେଇଥାନ୍ତା ? ମୁଁ ବଞ୍ଚିପାରିଲେ ବଡ଼ ଭଲ ହୁଅନ୍ତା; ରମା ସହିତ ପୁଣି ବୁଲିବାକୁ ଯାଆନ୍ତି ।’’ କହି, ପାଣୁ ନାଏକ କେତେକ ସମୟ ନୀରବ ରହିଲା ଓ ପୁଣି କହିଲା, ‘‘ଆଉ ସେ ଆଶା ନାହିଁ ।’’ ରମା ପାଣୁ ନାଏକର ଦୁଇ ହାତ ଧରିପକାଇ ଚମକି ପଡ଼ିଲା । କହିଲା, ‘‘ବାପା, ଓଃ, କି କାକର ! ବାପା ତୁମ ଦେହ କ’ଣ ହେଉଚି, କହ ।’’
‘‘କିଛି ନାହିଁ । ମୁଁ ବେଶ୍ ଭଲ ଅଛି । ଖାଲି–’’ ।
‘‘ମୁଁ ମରିବାକୁ ଯାଉଚି ପରା ।’’ ବନମାଳୀ ଏବଂ ରମା ଭୟରେ ଥରିବାକୁ ଲାଗିଲେ । ତ୍ରସ୍ତ ବନମାଳୀ ପଚାରିଲା, ‘‘ମରିବାକୁ ?’’
‘‘ହଁ ସେଥିରେ କ’ଣ ଅଛି ? ରମା ! ତୁ ମୋତେ କଥା କହୁଥିଲୁ । କହନା, ମୁଁ ଟିକିଏ ଶୁଣେ । ମୁଁ ଜୀବନରେ ଅତି କମ୍ ଗୀତ ଶୁଣିଚି । ଗୀତ ଗାଇବୁ ? ନା, କଥା କହ । କଥା ଇ ସ୍ୱାଭାବିକ ଗୀତ । ସେଥିରେ କିଛି କୃତ୍ରିମ ନାହିଁ । ତୋ କଥାଠୋଉ କ’ଣ ଗୀତ ବଡ଼ ?’’
ବନମାଳୀ ଏବଂ ରମା ଭୟରେ ବିବ୍ରତ ହୋଇ ଏକସ୍ୱରରେ କହିଲେ, ‘‘ବାପା, ବାପା, ଆପଣ ବଞ୍ଚିବେ ।’’
‘‘ମୁଁ କ’ଣ ମରିବାକୁ ଇଚ୍ଛା କରୁଚି ? କେଜାଣି ବଞ୍ଚିପାରେ । ତୁମେ ଆସି ପହଞ୍ଚିଲା ବେଳେ ମୁଁ ସେ ପୁର ବାଟରେ ଗୋଡ଼ ଦେଇଥିଲି, ଏବେ ତ ଫେରିଆସିଚି । ଦେହ ବି ଟିକିଏ ଭଲ ଲାଗୁଚି ।’’
‘‘ନା, ଆପଣଙ୍କ ଦେହରେ ବେଶ୍ ବଳ ଅଛି । ଆପଣ ଅନେକ ଦିନ ବଞ୍ଚିବେ; ଦୁଃଖ କଷ୍ଟ ଯାହା ଭୋଗିବାର ଭୋଗିସାରିଲିଣି । ମୁଁ ଆପଣଙ୍କ ପାଦରେ ମୁଣ୍ଡିଆ ମାରୁଚି, କ୍ଷମା ମାଗୁଚି-। ଆପଣ ଆମ ଘରକୁ ଚାଲନ୍ତୁ ।’’ ପାଣୁ ନାଏକ ଟିକିଏ ହସି କହିଲା, ‘‘ବନମାଳୀ ବାବୁ’’, ମୁଁ ଆପଣଙ୍କ ଘରେ ରହିଲେ, କ’ଣ ଆପଣମାନଙ୍କ ଭଳି ହୋଇପାରିବି ? ମୋର ମରିବାଟା ଭଲ । ଆଉ ବର୍ତ୍ତମାନ କିଛି ସମ୍ଭବ ନୁହେଁ । ମୋ ଦିନ ସରି ଆସିଲାଣି । ରମା, ତୋର ଆଉ ଦୁଃଖ କ’ଣ ଅଛି ? ମୋ ସାଥିରେ ରହି କେତେ କ୍ଳେଶ ପାଇଚୁ ? ଏଣିକି ସୁଖରେ ରହିବୁ ।’’
ହଠାତ୍ ଦ୍ୱାର ଫିଟିଲା ଏବଂ ଜଣେ ବ୍ରାହ୍ମଣ ଘରେ ପାଦ ପକାଇଲେ । ବନମାଳୀ ଏବଂ ରମା ବିସ୍ମିତ ହୋଇ ତାଙ୍କ ଆଡ଼କୁ ଚାହିଁଲେ । ପାଣୁ ନାଏକ କହିଲା, ‘‘ଗୋସେଇଁ ମହାପ୍ରଭୁ ! ଏ ମୋର ଝିଅ ରମା, ଆଉ ଏ ଜୋଇଁ ବନମାଳୀ ବାବୁ । ଆପଣ ଆସି ପହଞ୍ଚିଲେ । ଖୁବ୍ ବିଳମ୍ବରେ ଅଇଲେ । ମୁଁ ତ ଚାଲିଯାଉଥିଲି । କେବଳ ଏଇମାନେ ଆସି ଅଟକେଇ ରଖିଛନ୍ତି । ଆପଣ ଗଙ୍ଗାଜଳ ଆଣିଚନ୍ତି ନା ? ତୁଳସୀ ବି ଆଣିଚନ୍ତି ? ନା, ମୋର ଆଉ କିଛି ଦରକାର ନାହିଁ । ମୁଁ ଯାହା, ଭଗବାନ କୃପା ନ କଲେ, ଗଙ୍ଗାଜଳ ପିଇ ସ୍ୱର୍ଗକୁ ଯାଇପାରିବି ନାହିଁ । ନର୍କରେ ମୋ ଥାନ । ଆହା; ଏ ପବିତ୍ର ଗଙ୍ଗାଜଳ ଆଉ ତୁଳସୀ ନେଇ ନର୍କରେ କାହିଁକି ପକେଇବି ? ଏ ଦେଖନ୍ତୁ, ଗୋସେଇଁ ମହାପ୍ରଭୁ, ମୋ ମୁଣ୍ଡ ଉପରେ ଶହେଟି ଟଙ୍କା ରହିଚି; ଆପଣ ନେଇଯାଆନ୍ତୁ । ଗଙ୍ଗାଜଳ ତୁଳସୀ ଫେରେଇ ନିଅନ୍ତୁ । ଆଉ, ମା, ମୋ ଛାତିକିୁ ଆଉଜି ଟିକିଏ ବସ୍ । ତୁଇ ତୁଳସୀ, ତୁଇ ଗଙ୍ଗାଜଳ ।’’
ରମା ପାଣୁ ନାଏକ ଛାତିରେ ଆଉଜି ମୁହଁକୁ ମୁହଁ ଲଗାଇ ବସିଲା । ପାଣୁ ନାଏକ ତା’ କପାଳରେ ନିଜର ଶୀତଳ ଅଧରରେ ଗୋଟିଏ କ୍ଷୀଣ ଚୁମ୍ବନ ଦେଇ କହିଲା, ‘‘ବନମାଳୀ ବାବୁ, ମୋର ଗୋଟାଏ ଦୁଃଖ ରହିଯାଉଚି । ତୁମେ କୁଆଡ଼େ ସେ ଟଙ୍କା ନେଉନାହଁ । ତା’ ପ୍ରକୃତରେ ତୁମ ଭାର୍ଯ୍ୟାର ଟଙ୍କା । ଗେରୁ ବ୍ୟବସାୟରେ କି ଲାଭ ତୁମେ ବିଚାରିଲେ ବୁଝିପାରିବ । ଏଠେଇ କୋଉଠି ମୁଁ ଲେଖି ରଖିଚି; ଖୋଜିଲେ ପାଇବ । ସେ ଟଙ୍କାଟା ସେଇ ବ୍ୟବସାୟର ଲାଭ । ତାକୁ ନବାରେ ଆପତ୍ତି କରିବ ନାହିଁ ।’’
ବନମାଳୀ ଏବଂ ରମା ପାଣୁ ନାଏକକୁ ଜଗି ନିରାଶ ଭାବରେ ଦୁଃଖ ଯନ୍ତ୍ରଣା ଓ ଭୟରେ ବସିରହିଲେ । ପ୍ରତି ମୁହୂର୍ତ୍ତରେ ପାଣୁ ନାଏକ ମୃତ୍ୟୁର ଦ୍ୱାର ଆଡ଼କୁ ପାଦେ ପାଦେ ଅଗ୍ରସର ହେବାକୁ ଲାଗିଲା । ତା’ ନିଃଶ୍ୱାସ ନିୟମିତରୂପେ ଚାଲିଲା ନାହିଁ, ବେଳେ ବେଳେ ତଣ୍ଟି କଫରେ ରୁଦ୍ଧ ହେବାକୁ ଲାଗିଲା । ପାଣୁ ନାଏକ, ରମା ଏବଂ ବନମାଳୀ ଦୁହିଙ୍କୁ ଆହୁରି ନିକଟକୁ ଆସିବାକୁ ଡାକିଲା । ସେ ସ୍ୱର ଯେପରିକି ବହୁଦୂରରୁ ଆସୁଛି, ବନମାଳୀ ଓ ରମାକୁ ଅବିକଳ ସେହିପରି ଶୁଣାଗଲା । ସେହି ସ୍ୱରରେ ପାଣୁ ନାଏକ କହିଲା, ‘‘ଆସ ମୋ ବାପା ମା ! ମୁଁ ମରିଗଲା ପରେ ମୋ ପାଇଁ ଟିକିଏ କାନ୍ଦିବ ନା ? ମାତ୍ର ବେଶି କାନ୍ଦିବନାହିଁଟି; ତେବେ ମୁଁ ଯୋଉଠି ଥିବି, ମୋତେ ଦୁଃଖ ଲାଗିବ । ଏବେ ଯେମିତି କଷିକାଷି ଚଳୁଚ, ସେପରି ଚଳିବ ନାହିଁ । ଗାଡ଼ି ଖଣ୍ଡିଏ କିଣିମ, ଚାକରବାକର ରଖିବ । ଆଉ ଏଠେଇ ଗୋଟିଏ ରୁପା ରୁଖା ଅଛି । ସେଇଟି ନେଇ ଘରେ ରଖିଥିବ । ତାହା ଜଣେ ମହାପୁରୁଷଙ୍କ ଦାନ । କାହିଁକି ଶୁଣିମ ଆଉ ସେ କଥା ? ସବୁ ପୋଡ଼ିପାଡ଼ି ଯାଉ ।’’
ପାଣୁ ନାଏକ କଣ୍ଠ ରୁଦ୍ଧ ହୋଇଗଲା । ସେ କେତେକ ସମୟ ନିରବ ନିଶ୍ଚଳ ଭାବରେ ପଡ଼ିରହି, ପୁଣି କହିଲା, ‘‘ବନମାଳୀ ବାବୁ, ମୋର ତୁମକୁ ଆଉ ଗୋଟିଏ କଥା କହିବାର ଅଛି । ବେଳ ଥିଲା, ଯେତେବେଳେ ମୁଁ ତୁମକୁ ସ୍ନେହ କରୁ ନ ଥିଲି; ବରଂ ତୁମ ଉପରେ ବିରକ୍ତ ହେଉଥିଲି-। ବର୍ତ୍ତମାନ ରମା ଆଉ ତୁମେ ଏକ । ରମାକୁ ତୁମେ ସୁଖ ଦେଇଚ । ସେଥିପାଇଁ ମୁଁ ତୁମ ନିକଟରେ ଋଣୀ । ମୋ ମୁଣ୍ଡ ତଳେ ପାଞ୍ଚଶ ଟଙ୍କା ଅଛି । ସେ ଟଙ୍କା ରମାର । ଆଉ ଏଇଟି ରମାର ପିଲାଦିନ ଶାଢ଼ିଖଣ୍ଡିକ । ରମା, ତୁ ଦେଖିପାରୁଚୁ ? ମୋତେ ଚିହ୍ନିପାରୁଚୁ ? ଦଶ ବର୍ଷ ତଳ କଥା । ସମୟ କେତେ ବେଗେ କଟିଯାଉଚି । ଆମେ କେଡ଼େ ସୁଖରେ କେତେ କାଳ କଟେଇଲେ-। ସୁଖ ସରିଗଲା । ରମା, ତୋର ସେ ଜଜାରସିଂହ କଥା ମନେ ଅଛି ? ଓଃ ବଣ ଭିତରେ ତୁ କି ଭୟରେ ଠିଆ ହୋଇଥିଲୁ ? ମୁଁ ତୋ ପାଣିମାଠିଆଟି ଆସି ଧରିଲି । ସେହିଦିନ ପ୍ରଥମେ ମୁଁ ତୋ ଛୋଟିଆ ପିଲା ହାତଟି ମୋର ଏଇ ହାତରେ ଧରିଥିଲି । କେଡ଼େ କାକର ଲାଗୁଥିଲା । ଆଉ ସେ ବଡ଼ କୁଣ୍ଢେଇଟା କଥା ମନେ ଅଛି ? ତୋ ରାଣୀ ? ତୁ ଏବେ ନିଜେ ରାଣୀ ହେଇଚୁ । ତୁ ପ୍ରଜାପତି ଧରି ବୁଲୁ, କୁଣ୍ଢେଇ ଧରି ଖେଳୁ, ବଣର ଫୁଲ ଆଣି ମୁଣ୍ଡରେ ଘେନୁ । ଓଃ; କେତେ ଦିନର କଥା ସେ–’’
ପାଣୁ ନାଏକ ପୁଣି କିଛି ସମୟ ତୁନି ହୋଇ ଆଖି ବୁଜି ପଡ଼ିରହିଲା । କେତେ ସମୟ ପରେ ସେ ଆଖି ଫିଟାଇ ଚାହିଁ କହିଲା, ‘‘ଆଉ ସେ ଦୀନା ସାହୁ, ତା’ ସାଉଆଣୀ ମଧ୍ୟ; ଓଃ କି ଖଳଲୋକ ସେମାନେ । ତାଙ୍କୁ ଆମେ କ୍ଷମା କରିବା । ରମା, ତୋ ମା ନାଁ ତତେ ମୁଁ କହିବି । ତା’ ନାଁ ‘ରାଧା’ । ରାଧା ନାଁ ପୃଥିବୀରେ କୋଟି କୋଟି ଲୋକ ଯେପରି ଜପୁଚନ୍ତି, ତୁ ମଧ୍ୟ ସେଇପରି ଜପିବୁ । ତୋତେ ବଡ଼ ସ୍ନେହ କରୁଥିଲା ସେ । ତୋ ପାଇଁ କେତେ ଦୁଃଖ କଷ୍ଟ ନ ସହିଚି । ତାରି ପୁଣ୍ୟବଳରେ ତୁ ଏ ସୁଖ ପାଇଲୁ । ଅଭାଗିନୀ ରୋଗରେ ପଡ଼ି ଶେଯରେ ଶୋଇ ମରିଗଲା, କେବଳ ତୋରି ଚିନ୍ତାରେ । ଭଗବାନଙ୍କର ଏ ଗୋଟାଏ ବିଚିତ୍ର ଲୀଳା । ଜଣକୁ କଷ୍ଟ ଦେବେ, ଆଉ ସେ କଷ୍ଟର କ୍ଷତିପୂରଣ କରି ଆଉ ଜଣକୁ ସୁଖ ଦେବେ । ସେ ନ୍ୟାୟବାନ୍, ସ୍ୱର୍ଗରେ ବସିଚନ୍ତି । ମୁଁ ଯାଉଛି, ପିଲାମାନେ । ମୋତେ ଡାକ ଶୁଭିଲାଣି । ତୁମେ ଜଣକୁ ଜଣେ ସ୍ନେହ କରୁଥିବ ।
ରମା, ମୁଁ ତୋତେ ଅନେକ ଦିନ ହେଲା ଦେଖି ନ ଥିଲି । କ’ଣ କରିବି ? ଘର ପର୍ଯ୍ୟନ୍ତ ଯାଏ, ସେଠୁ ଫେରିଆସେ । ମୋର ଆଉ ଅନେକ କଥା କହିବାର ଥିଲା, କହିପାରୁ ନାହିଁ । ମୋ ପାଇଁ ଦୁଃଖ କରିବ ନାହିଁ । ମୋତେ ଟିକିଏ ଯାକିଧର ତ । ଏଇ ମୋର ଶେଷ ବିଦାୟ । ତୁମ ମୁଣ୍ଡରେ ମୁଁ ହାତ ଦିଏଁ, ଆଶୀର୍ବାଦ କରେଁ ? ହଁ, ସରିଲାଣି, ଯାଉଚି । ରହ ମୋର ପିଲାଏ । ହଁ, ବିଦାୟ ନେଇ ସାରିଲିଣି, ଯାଉଚି ଗଲି ।’’
ପାଣୁ ନାଏକର ଦୁଇହାତ ଯେ ବନମାଳୀ ଏବଂ ରମା ମୁଣ୍ଡରେ ରହିଥିଲା, ତାହା ଦୁଇଟା କାଠଗଡ଼ ପରି ସେହିଠାରେ ପଡ଼ିରହିଲା । ତା’ ନାକରୁ ଆଉ ନିଃଶ୍ୱାସ ବୋହିଲା ନାହିଁ । ରମା ଏବଂ ବନମାଳୀ ଭୋଭୋ କାନ୍ଦି ଉଠିଲେ । ସେ ରାତି ଅତି ଭୀଷଣ । ଆକାଶରେ ଗୋଟିଏ ମାତ୍ର ତାରା ନ ଥିଲା । ଆକାଶରୁ ଟୁପୁଟୁପୁ ବର୍ଷା ପଡ଼ୁଥିଲା । ସେହି ରାତି ମହା ସମାରୋହରେ ପାଣୁ ନାଏକର ଦାହକ୍ରିୟା ଶେଷ କରାଗଲା । ଯେଉଁ ଧୂଳି ମାଟିରୁ ବାହାରି, ପାଣୁ ନାଏକ ଜଗତରେ କେତେକାଳ ଗୋଟାଏ ବିଚିତ୍ର ଲୀଳା ଲାଗାଇଦେଇଗଲା, ତା’ ପାର୍ଥିବ ଦେହ ପୁଣି ସେହି ଧୂଳିମାଟିରେ ବିଲୀନ ହୋଇଗଲା ।