ରୁକ୍ମିଣୀଙ୍କର ବନ୍ଦାପନା — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିକର୍ପୁର କସ୍ତୁରୀ ଗନ୍ଧ ପୁଷ୍ପ କଲେ ଦୂର
ବେଦଶାସ୍ତ୍ର ପ୍ରମାଣରେ ଯେ ବିଧି ଆଚାର ।
ଦ୍ୱିତୀୟ ଦିବସ ରାତ୍ର ଘଡ଼ିଏକ ଥାଉଁ
ନିତ୍ୟକର୍ମ ବିଧିମାନ ସାରିଲେକ ତହୁଁ ।
ଝୋଲ ଝୀନବସନକୁ ଅଙ୍ଗେ ପରିଧାଇ
ହଂସଗତି ପରାୟେକ ଯାନ୍ତି ପଥବାହି ।
କ୍ଷୀର ସାଗରୁ ଚଞ୍ଚଳା ବାହାରିଲେ କିବା
ତେସନ ପ୍ରକାରେ ତାଙ୍କୁ ଉପମା ଯେ ଦେବା ।
ଦିବାକରଙ୍କୁ ପ୍ରଣମି ଦେଲେ କ୍ଷୀରଦାନ
ଏକା ଗମ୍ଭୀରିରେ ପଶି ବଞ୍ଚିଲେ ସେଦିନ ।
ରଜନୀରେ ଦୀପ ଜାଳି ହେଲେ ଉଜାଗର
କାଳରାତ୍ରି ଉଜାଗରେ ପୋହିଲେ ଆବର ।
ଏମନ୍ତ ସେ ଦୁଇରାତ୍ରେ ବଞ୍ଚି ଯଥାବିଧି
ତୃତୀୟ ଚତୁର୍ଥ ରାତ୍ରେ କରି ସର୍ବ ସିଦ୍ଧି ।
ପଞ୍ଚମ ଦିବସେ ପୁଣି କରିଲେ ସ୍ନାହାନ
ବେଦଶାସ୍ତ୍ର ପ୍ରମାଣରେ ସାରି ନିତ୍ୟକର୍ମ ।
ଗନ୍ଧ ଚନ୍ଦନ କର୍ପୁର ଅଙ୍ଗେ ଦେଲେ ବୋଳି
ପଲ୍ୟଙ୍କେ ଶୟନ କଲେ ଶ୍ରୀକୃଷ୍ଣର ବାଳୀ ।
ପରିବାରୀଏ ଆଲଟ ମାନ ପକାଇଲେ
ଅଷ୍ଟରତନ କଙ୍କଣ ଶୁଭେ ଅତି ରୋଳେ ।
ନଡ଼ପ ଧୂପକାଠକୁ ଧର ପରିଜନେ
ଛାମୁରେ ଅତି ସାଦରେ ଯୋଗାଇ ବହନେ ।
ପଞ୍ଚଭୂତ ଆତ୍ମା ଦେବୀ କଲେ ତହିଁ ପୂଜା
ମନ ପବନ ଛନ୍ଦିଣ କରି ନାରୀରାଜା ।
ସାଷ୍ଟାଙ୍ଗରେ ଦେବୀପାଦେ କରେ ପ୍ରଣିପାତ
ଏପରି ପଞ୍ଚମ ଷଷ୍ଠ ହୋଇଲା ଅତୀତ ।
ସପତମ ରାତ୍ର ପୁଣ ବେନିଘଡ଼ି ଅଛି
ଅଭିଷେକ ମନ୍ଦିରରେ ବିଜୟ ମୃଗାକ୍ଷୀ ।
ଲାଗିଲା ଦିହୁଡ଼ି ହୁଳା ଅତି ତେଜୋମୟେ
ସିଂହାସନର ଉପରେ କରିଲେ ବିଜୟେ ।
ଛାମୁରେ ବେଢ଼ି ଅଛନ୍ତି ସର୍ବ ପରିବାରୀ
ନାନା ବର୍ଣ୍ଣରେ ପାରୁଶେ ଚାମରକୁ ଧରି ।
ନିରନ୍ତରରେ ଉଦିତ ମହା ଜ୍ୟୋତିର୍ମୟେ
ଦିବସରେ ଚନ୍ଦ୍ର କିବା ହୋଇଛି ଉଦୟେ ।
ଭେରୀ ମୃଦଙ୍ଗ ବାଜଇ ଶୁଭେ ଘୋର ଧ୍ୱନି
ଶୋଭା ପାଉଛନ୍ତି ତହିଁ ସକଳ ମେଦିନୀ ।
ପ୍ରଥମରେ ପଞ୍ଚାମୃତ ଦ୍ରବ୍ୟ ମିଶାଇଲେ
ରୁକ୍ମିଣୀଙ୍କ ଶିରେ ନେଇ ତାହା ନିଉଡ଼ିଲେ ।
ଅଷ୍ଟକୁମ୍ଭେ ଅଭିଷେକ କଲେ ବିଧିମତେ
ଡାହାଣାବର୍ତ୍ତ ଶଙ୍ଖରେ ନିଉଡ଼ି ତଦନ୍ତେ ।
ସୁଗନ୍ଧ ଲାଗ କରିଣ ପୋଛିଲେ ଶରୀର
ସୁଝୀନ ବସନ ଆଣି ପିନ୍ଧାଇ ଅଙ୍ଗର ।
କୁଞ୍ଚିତ କେଶରେ ବାନ୍ଧି ଯତନରେ ବେଣୀ
ମଥାରେ ମୁକୁତାବଳୀ ନୀଳଚନ୍ଦ୍ରମଣି ।
ଖଣ୍ଡ କପୋଳରେ ପୁଣି କସ୍ତୁରୀର ଚିତା
ମଦନ ଆର୍ଦ୍ରାବଳୀକି ଥୋଇଅଛି ଧାତା ।
ଉଚ୍ଚ ସଞ୍ଚ ନାସିକାରେ ଶୋଭଇ ବସଣୀ
ବୁଧ ଶୁକ୍ର ତାରା କିବା ଉଦେ ଦିନମଣି ।
ଏକପୁଡ଼ା ନାସାମଧ୍ୟେ ବିରାଜଇ ଗୁଣା
କୋଟିଚନ୍ଦ୍ର ଜ୍ୟୋତି ତାକୁ ଅଟଇ ଯେ ଊଣା ।
ସୁରଙ୍ଗ ଅଧର ଜ୍ୟୋତି ବଧୁଲିର କାନ୍ତି
ସିନ୍ଦୂର ମୁକୁତା ଜିଣି ଦିଶେ ଦନ୍ତପନ୍ତି ।
ଅଣ୍ଡିର କୋକିଳ ଯେହ୍ନେ ମଧୁରରେ କହେ
ଚନ୍ଦ୍ରମଣ୍ଡଳ ମଧ୍ୟେ କି ସୁଧାକର ବହେ ।
ଭ୍ରୂଲତା କି କାମଧେନୁ ଡୋଳା ଅଟେ ଶର
ଭ୍ରୂଲତା ଚାହାଣି ପୁଣି ସୁବିମ୍ୱ ଅଧର ।
କର୍ଣ୍ଣରେ ରତନ କାପ ମଣିହୀରା ଜଡ଼େ
ଶୂନ୍ୟମଣ୍ଡଳୁ ବିଜୁଳି କିବା ଖସିପଡ଼େ ।
ନାଭି ଉପରେ କି ଅବା ଭ୍ରମରର ଖଞ୍ଜା
ଶିରରେ ମଣି ଶୋଭିତ ଶତ୍ରୁ ଦର୍ପଗଞ୍ଜା ।
ଅନ୍ଧାର ରାତିରେ ଅବା ଉଦେ ଚନ୍ଦ୍ରଶିଖା
କର୍ଣ୍ଣମୂଳ ପରିଯନ୍ତେ ଲମ୍ୱିଅଛି ଶାଖା ।
ଶଙ୍ଖ ପଦ୍ମ ଶୋଭାପାଏ ଶ୍ରୀକର ପଲ୍ଲବେ
କଣ୍ଠେ ଆଭରଣ ଚାପସରି ଅତି ଦମ୍ଭେ ।
ହାର ଆଭରଣ ପୁଣ ଦିବ୍ୟ ରତ୍ନମଣି
ପଦ୍ମରାଗ ମାଣିକ୍ୟର ବାହା ଜ୍ୟୋତି ଜାଣି ।
ହସ୍ତୀର ଥୋରକୁ ଜିଣି ବଳି ବାହୁ ବେନି
ଯେହୁ ପାଳୁଅଛି ପୁଣି ସକଳ ମେଦିନୀ ।
ବିଦ ମୁଦ୍ରିକା କଙ୍କଣ ତାଡ଼ର ବାହୁଟି
ଅମୂଲ୍ୟ ଗୁରୁ ରତନ ରାଜେ କୋଟି କୋଟି ।
ଅଙ୍ଗୁଷ୍ଠି ଚମ୍ପକ କଢ଼ୀ ପ୍ରାୟ ଦିଶେ ଝଳି
ଶଙ୍ଖ ଚକ୍ର ପଦ୍ମ ଗଦା ଅଙ୍କା ରେଖାବଳୀ ।
ଜାତୀ ପାଖୁଡ଼ା ପରାୟେ ଶୋହେ ନଖପନ୍ତି
ଦର୍ପଣ ଆହ୍ଲାଦେ ଯେହ୍ନେ ବିରାଜଇ ଜ୍ୟୋତି ।
ବିସ୍ତାରିଣ ବକ୍ଷସ୍ଥଳ ଉଚ୍ଚ କୁଚବେନି
ନାହିଁ ପଟାନ୍ତର ତାକୁ ସମଗ୍ର ମେଦିନୀ ।
ସୁବର୍ଣ୍ଣ ଲିଙ୍ଗ ସ୍ୱରୂପେ ଦେବ କାଶୀବାସୀ
ଗରଳ ଜ୍ୱାଳା ଭୟେ କି ଲୁଚିଛନ୍ତି ଆସି ।
କାଳକୂଟ ବିଷ ଭକ୍ଷି ତେଜୁଥିଲେ ପ୍ରାଣ
ସୁଶୀତଳ ବକ୍ଷରେ କି ପଶିଲେ ଶରଣ ।
ସମୁଦ୍ରମନ୍ଥନୁ ଦେବେ ଅମୃତ ଲଭିଲେ
ଅସୁରଙ୍କ ଡରେ ଆପେ ରଖି ନ ପାରିଲେ ।
ତେଣୁ ଅତି ଯତ୍ନେ ସ୍ୱର୍ଣ୍ଣ କୁମ୍ୱରେ ପୂରାଇ
ଲୁଚାଇ ଥୋଇଲେ ମୃଗନାଭି ମୁଦ ଦେଇ ।
ତେଣୁ ଏହାକୁ ଦେଖିଲେ ବଳଇ ଶରଧା
କମନୀୟ ବାଞ୍ଛାନିଧି କଳ୍ପ କାମବାଧା ।
ହର ଡମ୍ୱରୁ ପ୍ରାୟେକ ଶୋହେ କଟୀମଝା
ଗମନ କରନ୍ତେ ମତ୍ତଗଜ ପାଏ ଲଜ୍ଜା ।
ଅମଳାନ ଝୀନ ବସ୍ତ୍ର ପିନ୍ଧିଛନ୍ତି ଭିଡ଼ି
ମରକତ ମୂର୍ତ୍ତିରେ କି ସ୍ୱର୍ଣ୍ଣ ରତ୍ନ ଜଡ଼ି ।
ପାଦରେ ନୂପୁର ବେନି ଅତିଶୟ ସାଜେ
ଚରଣ ଚାଳନ୍ତେ ସେହୁ ରୁଣୁଝୁଣୁ ବାଜେ ।
ଶୁକମୁନି ବୋଇଲେକ ଶୁଣ ନୃପମଣି
କହନ୍ଣେ ନ ସରିବ ରୁକ୍ମିଣୀ କାହାଣୀ ।
ପ୍ରତ୍ୟକ୍ଷରେ ମହାଲକ୍ଷ୍ମୀ ସଂସାରେ ଜନ୍ମିଛି
ଅପର୍ଣ୍ଣା ଠାକୁରାଣୀ ସେ ଅନ୍ୟ କାହିଁ ଗଚ୍ଛି ।
କେଉଁ ବାମା ପଟାନ୍ତର ହୋଇବ ତାହାକୁ
କୋଟି ବିଶ୍ୱକର୍ମା ଗଢ଼ି ଅଛନ୍ତି ଯାହାକୁ ।
ଜଳସ୍ଥଳ ଅଗ୍ନି ଯାର ଗର୍ଭରୁ ସମ୍ଭୁତ
ରୂପେ ପଟାନ୍ତର ନାହିଁ ଯାହାକୁ ଜଗତ ।
ସେହି ରମଣୀର ପୁଣି ବନ୍ଦାପନା ବିଧି
ଅନ୍ତଃପୁର ମଧ୍ୟେ ଥାନ୍ତି ନାରୀ ରତ୍ନନିଧି ।
ସୁବର୍ଣ୍ଣ ବେଦୀ ଉପରେ ରତ୍ନ ସିଂହାସନ
ତା ଉପରେ ଚନ୍ଦ୍ରାତପ ଅତି ବିତପନ ।
ବେଳ ସାତଘଡ଼ିରେ ଯେ ଦେବ ହୃଷୀକେଶୀ
ରୁକ୍ମିଣୀ ଦେବୀଙ୍କି ଘେନି ବିଜେକଲେ ଆସି ।
ଛାମୁରେ ସୁଧର୍ମା ସଭା ଅତି ବିତପନ
ସମ୍ଭର୍ବେ ବସିଲେ ତହିଁ ସର୍ବ ଯଦୁଗଣ ।
ବଳଦେବ ଉଗ୍ରସେନ ସାତ୍ୟକି ଅକ୍ରୂର
ଉଦ୍ଧବ ଯେ ଅନାଧୃଷ୍ଟ ସସ୍ରାଜିତ ବୀର ।
ବସୁଦେବ ସହିତରେ କୃପବ୍ରହ୍ମା ତୁଲେ
ଦେବକୀର ଷଡ଼ପୁତ୍ର ମହା ମହା ମଲ୍ଲେ ।
ଯଦୁବଂଶ ଭୋଜବଂଶ କୁରୁ ଯେ ଚୁହାଣ
ଅନ୍ଧକାଦି ବିଷ୍ଣୁବଂଶ ଇତ୍ୟାଦି ପ୍ରମାଣ ।
ଏହି ରୂପରେ ଗଣିତା ଚୌଦକୋଟି ବଳ
ସେହିଠାରେ ସର୍ବେ ଆସି କରିଲେକ ମେଳ ।
ଜଗନ୍ନାଥ ଶ୍ରୀମତୀଙ୍କୁ ଘେନିଛନ୍ତି ବସି
ଭାଷ୍ମକ ନୃପତି ମିଳେ ଏ ସମୟେ ଆସି ।
ଶାସ୍ତ୍ର ପ୍ରମାଣରେ ଯାହା ବନ୍ଦାପନା ବିଧି
ଧନବସ୍ତ୍ର ତୁରଙ୍ଗମ ଗୋରୁ ମୈଷୀ ଆଦି ।
ଦେଖିଣ ସନ୍ତୋଷ ହେଲେ ଦେବ ହୃଷୀକେଶୀ
ଭୀଷ୍ମକ ନୃପତିକୁ ସେ ପ୍ରଣମିଲେ ଆସି ।
ଅଗ୍ରତରେ ଯେ ସୁଧର୍ମା ସଭା ବିତପନ
ଯାଦବମାନେ ଉଠିଣ ମାନ୍ୟ କଲେ ପୁଣ ।
ଗୌରବ ପାଇ ଭୀଷ୍ମକ ବସିଲେ ଆସ୍ଥାନ
ସର୍ବ ଯାଦବମାନଙ୍କୁ କରିଲେ ସେ ମାନ୍ୟ ।
ଦେବନ୍ଦ୍ର ଆଜ୍ଞା ବିହିଲେ ବିଦ୍ୟାଧରେ ରାଇ
ଲକ୍ଷ୍ମୀ ନାରାୟଣ ବିଭା କର ତୁମ୍ଭେ ଯାଇ ।
କିନ୍ନରୀ ଅପସରୀଏ ଯେତେ ଦେବକନ୍ୟା
ଦେବତାଙ୍କ କୁଳବଧୁ ସର୍ବ ବରାଙ୍ଗନା ।
ସୁବର୍ଣ୍ଣ ଥାଳୀରେ ପଞ୍ଚରତ୍ନକୁ ପୂରାଇ
ଦ୍ୱାରକାରେ ମିଳିଲେ ସେ ବିମାନ ଆରୋହି ।
ପାତାଳୁ ଅଇଲେ ନାଗ ଦୁହିତା ସକଳ
ରୁଣ୍ଡ ହେଲେ ଆସି ଦ୍ୱାରାବତୀର ମଣ୍ଡଳ ।
ନାଗକନ୍ୟା ଦେବକନ୍ୟା ଯଦୁଙ୍କ କାମିନୀ
ତକ୍ଷଣେ ମିଳିଲେ ଆସି କରେ ଅର୍ଘ୍ୟ ଘେନି ।
ବଜାନ୍ତି ଦୁନ୍ଦୁଭି ଶଙ୍ଖ ମହୁରୀ ଘୁମୁରା
ତାଳ କଂସାଳ ପଟ୍ଟହ ବାଦ୍ୟ ଅତିତ୍ୱରା ।
ବୀରକାହାଳି କଇଁଶୀ ଆଉ ଅଳାବେଣୀ
ଢୋଲ ଦମା ଟମକାଦି ଦାଉଣ୍ଡି ନିଶାଣି ।
ଏହିରୂପେ ବହୁବାଦ୍ୟ ବାଜେ ଘନଘନ
ଉଛୁଳି ପଡ଼ଇ ଶବ୍ଦ ଚଉଦ ଭୁବନ ।
ନଟ ଭାଟ ଜଉତିଷ ବିପ୍ର ବ୍ରହ୍ମଚାରୀ
ପଢ଼ନ୍ତି ମଙ୍ଗଳାଷ୍ଟକ ଆନନ୍ଦେ ଯେଝାରି ।
ଯଦୁବଂଶ ପୁରୋହିତ ଗାର୍ଗ ମହାଜ୍ଞାତା
ଦେଶକାଳ ପାତ୍ରମାନ ଉଚ୍ଚାରି ସର୍ବଥା ।
ପ୍ରଥମରେ ଗଣପତି ଦେବେ କଲେ ପୂଜା
ଦ୍ୱିତୀୟରେ ଦିଗପାଳ ପୂଜି ଦେବରାଜା ।
ଦ୍ୱାରପାଳ ଆଦି ଗ୍ରାମଦେବତୀ ଯେମାନେ
ଦ୍ୱାଦଶ ବିଶ୍ୱେଦେବାଙ୍କୁ ପୂଜି ଜଣେ ଜଣେ ।
ତଦନ୍ତେ ସପ୍ତଆଳତି କଲେ କରେ ଘେନି
ଅର୍ଘ୍ୟ ବନ୍ଦାଇଲେ ଲକ୍ଷ୍ମୀ ନାରାୟଣେ ବେନି ।
ଜୟଶଙ୍ଖ ଶୁଭଇ ଯେ ମଙ୍ଗଳର ଧ୍ୱନି
ପୂରି ଉଠେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏ ତିନି ।
ଅପ୍ସରୀ ବିଦ୍ୟାଧାରୀ ଏ ଅନ୍ତରୀକ୍ଷେ ଥିଲେ
ପୁଷ୍ପବୃଷ୍ଟି କରିଣ ସେ ଅର୍ଘ୍ୟ ବନ୍ଦାଇଲେ ।
ନାଗଙ୍କର କନ୍ୟାମାନେ ଆକାଶରେ ଥାଇ
ରୁକ୍ମିଣୀଙ୍କୁ ବନ୍ଦାଇଲେ ହୁଳହୁଳି ଦେଇ ।
ଦେବକୀ ଯଦୁକାମିନୀ ରହିଥିଲେ ଯେତେ
ଅନ୍ତଃପୁରର ନାୟିକା ଭଦ୍ରାର ସହିତେ ।
ଦୁର୍ବାକ୍ଷତ ତଣ୍ଡୁଳାଦି ଦେଇ ମୋଦଭରେ
ଘୃତ ମଧ ପିଠାମାନ କରି ଯତନରେ ।
ଦେବାଙ୍ଗ ଝୀନବସନ ଉପହାର ଦ୍ୟନ୍ତି
ଶୁଣ ପରୀକ୍ଷିତ ରାୟେ ଶ୍ରୀଶୁକ କହନ୍ତି ।
ରୁକ୍ମିଣୀଙ୍କ ବନ୍ଦାପନା ଶୁଣ ସୁଜ୍ଞଜନେ
ତରିବ ଭବସାଗର ଯିବ ସ୍ୱର୍ଗଧାମେ ।
ଲକ୍ଷ୍ମୀଙ୍କର ବନ୍ଦାପନା ଅପାରୁ ଅପାର
କହନ୍ତେଣ ନ ସରଇ ମହିମା ଏହାର ।
ଗୁଣକରେ ବୋଇଲେ ସେ ସସ୍ରଗୁଣେ ପୂରି
ଏସନ ଘଡ଼ନା ନାହିଁ ଜାଣ ତିନିପୁରୀ ।
ଯେବଣ ଲକ୍ଷ୍ମୀ ବରୁଣ ନୃପତି ଦୁହିତା
ଭାରାଭର ଅର୍ଥେ ହେଲେ ଭବେ ଦେହବନ୍ତା ।
ଯାହାର ପ୍ରସାଦେ ସ୍ୱର୍ଗ ସମ୍ପଦକୁ ପାଇ
ଚରାଚର ମେଦିନୀର ମାତା ଯେ ଅଟଇ ।
ଗୋବିନ୍ଦଙ୍କ କୋଳେ ସେହୁ ହେଲେ ବନ୍ଦାପନା
ଅଶେଷ ଲକ୍ଷ୍ମୀ ଭଣ୍ଡାର ଅଟଇ ସେ ସିନା ।
ଅନ୍ନ ବ୍ୟଞ୍ଜନ ରାନ୍ଧଣା ହୁଏ ଅନୁବ୍ରତେ
ଯେ ଯାହା ଅନୁରୂପରେ ଭୁଞ୍ଜନ୍ତି ସମସ୍ତେ ।
କର୍ପୁର କସ୍ତୁରୀ ଆଦି ସୁଗନ୍ଧ ଚନ୍ଦନ
ରୁକ୍ମିଣୀ ଦେହେ ବୋଲନ୍ତି ଆଣି ଦାସୀଗଣ ।
ଅନେକ ବିପ୍ରେ ଅଛନ୍ତି ବେଦୀପରେ ବସି
ବଶିଷ୍ଠ ବିଶ୍ୱାମିତ୍ରାଦି ସନକ ମହର୍ଷି ।
କପିଳ ଅଙ୍ଗିରା ଭୃଗୁ ଗାର୍ଗ ପରାଶର
ଅଗସ୍ତି ପୌଲସ୍ତି ଆଦି ମହାମୁନିବର ।
ଏକ ଏକ ଲକ୍ଷଶିଷ୍ୟ ଘେନି ସଙ୍ଗତରେ
ଆଶୀର୍ବାଦ ମନ୍ତ୍ରମାନ ପଢ଼ନ୍ତି ଉଚ୍ଚରେ ।
ନରନାରୀ ଦେବଗଣ କରି ଜୟେ ଜୟେ
ବୋଲନ୍ତି ପୃଥିବୀ ଭାର ଯିବ ଏବେ କ୍ଷୟେ ।
ଆଜହୁଁ ଦଶମାସରେ ପ୍ରଦ୍ୟୁମ୍ନ ଜନ୍ମିବ
ତେବେଟି ସିନା ଶମ୍ବର ଦଇତ୍ୟ ମରିବ ।
ବାଣା ବଜ୍ରନାଭ ପୁଣ ଗୋସିଂହ ନାରକା
ଶିଶୁପାଳ ଜରା ଶାଲ୍ୱ ଦନ୍ତବକ୍ର ଲେଖା ।
ଏବେ ସେମାନଙ୍କର ତ ତୁଟିଲା ଆୟୁଷ
କଉତୁକେ ମାୟାଧର କରିବେ ବିନାଶ ।
ରୁକ୍ମିଣୀଙ୍କ ବନ୍ଦାପନା ହୋଇଲା ସମାପ୍ତ
ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତ ।
ବଳଦେବ ଉଗ୍ରସେନ ବସୁଦେବ ତୁଲେ
ସମସ୍ତ ଯାଦବେ ଉଠି ଯେଝାପୁରେ ଗଲେ ।
ଦେବକନ୍ୟା ନାଗକନ୍ୟା ଯାଦବଙ୍କ ନାରୀ
ଯେ ଯାହା ପୁରକୁ ଗଲେ ବନ୍ଦାପନା ସାରି ।
ଲେଉଟି ଚାହାନ୍ତି ଥୋକେ ଖଣ୍ଡେଦୂର ଯାଇ
ଥୋକେ କାମିନୀଙ୍କ ଯିବାପାଇଁ ମନ ନାହିଁ ।
କେ ବୋଲଇ ଯେବେ ଦୟା କରିବେ ଆମ୍ଭଙ୍କୁ
ଦାସୀପଣେ ଖଟି ସେବା କରନ୍ତେ ଗୋ ୟାଙ୍କୁ ।
କେ ବୋଲନ୍ତି ଏ ଶ୍ରୀକୃଷ୍ଣ ପୁରୁଷ ପ୍ରଧାନ
ଏହାଙ୍କୁ ଭାରିଯାପଣେ ରୁକ୍ମିଣୀ ଭାଜନ ।
ଆଗହୁଁ ବିଧାତା ଏହା ଭିଆଇଣ ଥିଲା
ବେଳକାଳ ଯୋଗେ ଆଣି ଭେଟ କରାଇଲା ।
ଏମନ୍ତ ଥୋକାଏ ନାରୀ ବିଚାରିଣ ଚିତ୍ତେ
ଅସାଷ୍ଟମ ହୋଇଗଲେ ମଦନ ଆରତେ ।
ମଣିମା ମଣିମା ଡାକ ଶୁଭେ ଦିବ୍ୟବାଣୀ
ରୁକ୍ମିଣୀଙ୍କ ହସ୍ତ ଧରି ବିଜେ ଚକ୍ରପାଣି ।
ନିଅବିକାଶରେ ବିଜେ ଅନ୍ତଃପୁରେ ଯାଇ
ଧାଈ ମୁଦୁସୁଲୀମାନେ ଗଲେ ଆଡ଼ ହୋଇ ।
ନଗର ପଶ୍ଚିମ ଭାଗେ ବସନ୍ତି ମନ୍ଦିର
ସ୍ୱହସ୍ତରେ ବିଶ୍ୱକର୍ମା ଗଢ଼ିଛି ସେ ପୁର ।
ମଣି ମାଣିଜ୍ୟରେ ପୀଢ଼ ବଇଦୁର୍ଯ୍ୟ ଖମ୍ବ
ଶୁଦ୍ଧବର୍ଣ୍ଣେ ରୁଅ ଶେଣି ଦିଶଇ ଆରମ୍ଭ ।
ରସାଣିଲା ପାନପତ୍ର ନନ୍ଦାବର୍ତ୍ତା କମ
ଦର୍ପଣ ବାଡ଼ର ଜ୍ୟୋତି ଦିଶେ ଅନୁପମ ।
ଧାଡ଼ି ଧାଡ଼ି ଉଭାକ୍ରୋଣା ମେଲାକାଠ ଖମ୍ୱେ
ବିଚିତ୍ର ଚାମରପନ୍ତି ଜରା ଝୁମ୍ପା ଲମ୍ୱେ ।
ବୈଦୁର୍ଯ୍ୟ ମାଣିଜ୍ୟ ନୀଳା ଗଜମୋତି ମାଳ
ସୁବାସ କୁସୁମ ଧଣ୍ଡା ଅତି ପରିମଳ ।
ରତ୍ନରେ ଚର୍ଚ୍ଚିତ ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ
ସୁବର୍ଣ୍ଣ ତାରକାପନ୍ତି ସୂଚିକାମ ନୂଆ ।
ବେଲାଉଡ଼ କାଚବାଡ଼େ ରତନ ଖଞ୍ଜଣି
ମହାନିଶାକାଳେ କିବା ଉଦେ ଦିନମଣି ।
ତଳେ ଶୁଦ୍ଧ ସ୍ୱର୍ଣ୍ଣଭୂମି ପଦ୍ମରାଗ ପୀଢ଼
ଅଷ୍ଟରତନେ ଜଡ଼ିତ ଗବାକ୍ଷ ନିବାଡ଼ ।
ଲକ୍ଷ୍ମୀ ନାରାୟଣ କେଳିମନ୍ଦିର ବିଧାନ
ବଚନେ କହିବା ପାଇଁ କେ ଅଛି ଭାଜନ ।
ବିଚିତ୍ର ସୁପାତି ଖଟଦୋଳି ସେ ମନ୍ଦିରେ
ଅପୂର୍ବ ଅଟଇ ତାହା ମର୍ତ୍ତ୍ୟ ଭୁବନରେ ।
କୁବେର ଭଣ୍ଡାରେ ଯେତେ ରତ୍ନବସ୍ତ୍ର ଥିଲା
ତାହା ଆଣି ବିଶ୍ୱକର୍ମା ସେ ଦୋଳି ଗଢ଼ିଲା ।
ଇନ୍ଦ୍ର ତା ରଖିଲେ ନେଇ ଅମର ଭଣ୍ଡାରେ
ଜଗତ ପ୍ରଳୟ ହେଲା ଥୋକେ ଦିନାନ୍ତରେ ।
ମହାପ୍ରୟଳ ହୁଅନ୍ତେ ସୃଷ୍ଟି ନାଶଗଲା
ସେ ଦୋଳି ବିନାଶ ନୋହି ଜଳେ ଭାସୁଥିଲା ।
ପୁଣି କେତେକାଳେ ଧାତା ସଞ୍ଚିଲେ ଧରଣୀ
ସେ କାଳେ ରଖିଲେ ତାକୁ ନିଜ ପୁରେ ଆଣି ।
ଏକଦିନେ ସଦାଶିବ ବ୍ରହ୍ମଲୋକେ ଗଲେ
ବ୍ରହ୍ମାଙ୍କୁ ମାଗିଣ ତାହା କୈଳାସକୁ ନେଲେ ।
ପାର୍ବତୀ ସହିତେ ଶିବ ସେ ଦୋଳି ଶଯ୍ୟାରେ
ଥୋକେକାଳ ପହୁଡ଼ିଲେ ରଖି ନିଜ ପୁରେ ।
ତ୍ରେତାଯୁଗେ ତପ କଲେ ଜନକ ରାଜନ
ସେ ଦୋଳି ସନ୍ତୋଷେ ତାଙ୍କୁ ଦେଲେ ତ୍ରିଲୋଚନ ।
ସୀତା ସ୍ୱୟମ୍ୱର କାଳେ ରାମଙ୍କୁ ଜନକ
ସେ ଅପୂର୍ବ ଖଟଦୋଳି ଦେଲେ ଯଉତୁକ ।
ରାଜ୍ୟ ଛାଡ଼ି ରାମଚନ୍ଦ୍ର ବନବାସ ଗଲେ
ଭରତ ସେ ଦୋଳିପରେ ପାଦୁକା ପୂଜିଲେ ।
ରାବଣକୁ ବଧକରି ସେ ରଘୁନାୟକ
ସୀତା ଘେନି ଅଯୋଧ୍ୟାରେ ହେଲେ ଅଭିଷେକ ।
ସନ୍ତୋଷେ ଶ୍ରୀରାମ ତାହା ହନୁମନ୍ତେ ଦେଲେ
ଗୌରବ ପାଇଣ ହନୁ ଲାଞ୍ଜେ ବାନ୍ଧି ନେଲେ ।
ପ୍ରଭୁଙ୍କ ଆସନ ବୋଲି ଜାଣି ସେ ମାରୁତି
କଦଳି ବନରେ ଯତ୍ନେ ରଖିଲେ ସାଇତି ।
କୃଷ୍ଣ ଅବତାର ଯହୁଁ ହେଲେ ଭଗବାନ
ସେ ଦୋଳି ତାହାଙ୍କୁ ଆଣି ଦେଲେ ହନୁମାନ ।
ମଣିଗଣ କିରଣରେ ବିରାଜେ ସେ ଦୋଳି
ଚଉପାଶେ ଜଳୁଅଛି ରତ୍ନ ଦୀପାବଳି ।
ପାଖୁଡ଼ା ସେବତୀ ବିଞ୍ଚା ଅମୂଲ୍ୟ ଶଯ୍ୟାରେ
କର୍ପୂର ପନୀର ପାଣି ସିଞ୍ଚା ତହିଁପରେ ।
ବିଚିତ୍ର ସେ ବିପରୀତ ବିଶ୍ୱକର୍ମା କୂଟ
ଆପଣା ମନକୁ ବୁଲେ ବିଞ୍ଚଣି ଆଲଟ ।
ଉପରେ ଯେ ଚନ୍ଦ୍ରାତପ ରତ୍ନଝରା ମୋତି
କୋଟିଏ ଚନ୍ଦ୍ରମା ପ୍ରାୟ ବିରଜାଇ ଜ୍ୟୋତି ।
ମାହେନ୍ଦ୍ର ବେଳାରେ ଯୋଗ ଲଗ୍ନ ପରିମାଣି
ଶଯ୍ୟାରେ ବିଜୟ କଲେ ଶ୍ରୀକୃଷ୍ଣ ରୁକ୍ମିଣୀ ।
ପ୍ରଭୁଙ୍କ ପଦ୍ମଚରଣ ରୁକ୍ମିଣୀ ଚାପନ୍ତେ
ତା ଦେଖିଣ ଉପହାସ କରି ଜଗନ୍ନାଥେ ।
ବୋଇଲେ ତୁ ମହାଲକ୍ଷ୍ମୀ ଭୀଷ୍ମକ ଦୁଲାଳୀ
ଅପ୍ରମାଣ କଥା କେହ୍ନେ କଲୁ ତୋହଭଳି ।
ସାମବେଦୀ ଦ୍ୱିଜବର ଅଟନ୍ତି ତୋ ପିତା
ସୁପବିତ୍ର ପାଟବଂଶୀ ସତ୍ୟବତୀ ମାତା ।
କୁମାରୀ କାଳରୁ କଥା ଜଗତରେ ବାଜି
ଲକ୍ଷେ ରାଜା ଆସିଥିଲେ ସମଦଣ୍ଡ ସାଜି ।
ଆକାଶ ବଚନ ତହୁଁ ଆମ୍ଭେ ତହିଁ କଲୁ
ଅପମାନ ପାଇ ସ୍ୱୟମ୍ବର ଭଗ୍ନ କଲୁ ।
ଆବର କଥାଏ ତୁମ୍ଭେ କରିଲ ଅନୀତି
ପିତାଦତ୍ତ କନ୍ୟା ସିନା ରାଜଦତ୍ତ ପୃଥ୍ୱୀ ।
ସର୍ବେ ସ୍ଥିର କରିଥିଲେ ଶିଶୁପାଳେ ଦେବେ
ଆମ୍ଭେ ବଳାତ୍କାରେ ଯାଇ ଆଣିଲୁଟି ଯେବେ ।
ଜରାସନ୍ଧ ସେଥିଯୋକେ କରି ଗୁରୁକୋପ
ଆମ୍ଭ ଉପରେ ପଲାଣି କଲା ଅନର୍ଯ୍ୟାପ ।
ଆମ୍ଭେ ଯେବେ ସେହିଠାରେ ହୋଇଥାନ୍ତୁ ନାଶ
ଧର୍ମଶାସ୍ତ୍ର ପ୍ରମାଣରେ ଲାଗନ୍ତାଟି ଦୋଷ ।
ବଳରାମ ମାଇଲେଟି ଅନେକ ନୃପତି
ସେହି ହତ୍ୟାଦୋଷ ତୋତେ ଲାଗିଲାରେ ସତୀ ।
ଜାଣୁ ଜାଣୁ ଆମ୍ଭେ ପୁଣି ଅଜ୍ଞାନ ହୋଇଲୁ
ସ୍ତିରୀର କଥାରେ ଯେଣୁ ବିଶ୍ୱାସକୁ ଗଲୁ ।
ଶ୍ରୀରାମ ଭାରିଯାକୁ ରାବଣ ହରିଲା
ସଗୋତ୍ର ସହ ଶ୍ରୀରାମ ତାହାକୁ ମାଇଲା ।
ଆବର ବିଶେଷେ ଆମ୍ଭେ ନୋହୁ ରାଜସୁତ
କେଉଁପରି ଧଇଲୁ ତୁ ଆମ୍ଭର ଗୋ ହାତ ।
ଯଦୁବଂଶେ ଜାତ ସିନା ବଢ଼ିଲୁ ଅକୁଳେ
ପ୍ରତ୍ୟକ୍ଷେ ଜାତି ହୁଡ଼ିଲୁ ଜାଣୁ ଜାଣୁ ଭଲେ ।
ସୁକୁମାରୀ ସୁଲକ୍ଷଣୀ ଅଟୁ ରାଜପୁତ୍ରୀ
ସ୍ୱୟମ୍ବରେ ପୂରିଥିଲେ ମହା ମହା କ୍ଷତ୍ରୀ ।
ତହୁଁ ରାଜା ଏକ ଯେବେ ବରିଥାନ୍ତୁ ତୁହି
ସପତ ଦ୍ୱୀପରେ ରାଣୀ ଥାନ୍ତୁ ସିନା ହୋଇ ।
ଆବର କଥାଏ ତୁ ଗୋ ଶୁଣ କମଳାକ୍ଷି
ଜାଣୁଟିକି ଆମ୍ଭ ଦେହେ ଅନ୍ୟାଚାର ଲେଖି ।
ବସୁଦେବ ପୁତ୍ର ଆମ୍ଭେ ଯୁକତେ ଅଟୁତ
ଅନ୍ତୁଡ଼ିଶାଳେ ପୁତନା କରିଲୁ ନିପାତ ।
ତୃଣାବର୍ତ୍ତ ଯାମଳା ଯେ ଅରଜୁନ ବୃକ୍ଷ
ଅଘା ବକା ଷଣ୍ଢା ଆଦି ନାଶିଲୁ ପ୍ରତ୍ୟକ୍ଷ ।
ଚାଣୁର ମୁଷ୍ଟିକ ଆଉ କୁବଳୟା କେଶୀ
ହଂସ ଡିମ୍ବ ଆଦିକରି ସର୍ବ ଅଛୁ ନାଶି ।
ଜରାସନ୍ଧ ଅଷ୍ଟାଦଶ ବାର ଧାଡ଼ିଦେଲା
ରଥ ଗଜ ପଦାତିକ ବହୁତ ନାଶିଲା ।
ସଂଗ୍ରାମରେ ବଧ କଲୁଁ ଗୋ ବିପ୍ର ସହିତେ
ଅଲଙ୍ଘିତ କର୍ମ ଆମ୍ଭେ କରିଲୁ ସ୍ୱହସ୍ତେ ।
ଜାଣୁ ଜାଣୁ କେଉଁପରି କରିଲୁ ଭରତା
ତୋତେ ଅଧିକରେ ପାପ ଲାଗିଲା ସର୍ବଥା ।
ଆଗୋ ତୁମ୍ଭେ ବିଶେଷରେ ଅଟ କମଳିନୀ
ଜାଣୁ ଜାଣୁ ଅନ୍ୟାୟ ତ କରିଅଛ ପୁଣି ।
ଜାଣଟିକି ଆମ୍ଭେ ସଦା ଗୌଡ଼ ସଙ୍ଗେ ଥାଉଁ
ବନ କନ୍ଦରେ ବୁଲିଣ ଦିନକାଳ ନେଉ ।
ନନ୍ଦ କୋଳରେ ବଢ଼ିଲୁ ଆମ୍ଭେ ବାଳକାଳେ
ଭକ୍ଷ ଭୋଜନ ଶୟନ ସ୍ନାନଆଦି ବେଳେ ।
ଆବର ଯେତେ ଆମ୍ଭର ଅଛି ଅବିଗୁଣ
ତୁ ମହାପଣ୍ଡିତା ତାହା ନ ଜାଣୁ କି ପୁଣ ।
ଏବେ ସଖି କଥା ଏକ ପାରିଲେ ତୁ କର
ଇଚ୍ଛାସୁଖେ ରାଜାଟିଏ ଦେଖି କର ବର ।
କୁଳମୂଳ ଆମ୍ଭର ତ ବାଡ଼ିବୃତ୍ତି ନାହିଁ
ଜରା ଭୟରେ ପଶିଲୁ ସମୁଦ୍ରରେ ଯାଇ ।
ଗୌଡ଼ ବିଟାଳିଆ ହୋଇ ବୃତ୍ତି ନ ପାଇଲୁ
ଜାତି ଗୋତ୍ର ସହିତରେ ସବୁ ନଷ୍ଟ କଲୁ ।
ବଦୟନ୍ତି ଶୁକମୁନି ଶୁଣ ନରପତି
ପବିତ୍ର ହରିବଂଶ ଏ ପୁଣ୍ୟତମ କୀର୍ତ୍ତି ।
ସମ୍ପୁର୍ଣ୍ଣ ଚିନ୍ତା ଲଭିଲେ ଭୀଷ୍ମକ ନନ୍ଦିନୀ
ପୂର୍ଣ୍ଣିମା ମୁଖେ ଲଗାଏ କାଳି କେବା ଆଣି ।
ଓଷ୍ଠ କଣ୍ଠ ତାଳୁକା ଯେ ଶୁଖିଲା ଅଧର
ଶୋକେ ଗଦଗଦ ସେହୁ ହେଲେ ମନଭର ।
ଶରୀର ଭିତରୁ କିବା ଜୀବ ଗଲା ଛାଡ଼ି
ପିମ୍ପୁଡ଼ି ଉପରେ କିବା ପରବତ ମାଡ଼ି ।
ମୂଳ ଛେଦନେ ଯେସନେ ପଡ଼େ ତରୁବର
ଅଚେତ ହୋଇଣ ଢଳି ପଡ଼ିଲେ ଭୂମିର ।
ଏହା ଦେଖିଣ ଶ୍ରୀହରି ଆଶ୍ଚର୍ଯ୍ୟ ହୋଇଲେ
ଭୂମିରୁ ଉଠାଇ କରି କୋଳେ ବସାଇଲେ ।
ଅନେକ ଚାଟୁ ପଟଳ ବିନୟରେ ଭାଷି
ହେ ପ୍ରିୟେ ମୋହର ଦୋଷ ମନେ ନ ଧରସି ।
ତୁ ମୋହର ପଞ୍ଚଭୂତ ଆତ୍ମାର କାରେଣି
ଏପରି ହୋଇଲୁ କିପାଁ ଅବିଗୁଣ ଘେନି ।
ତୋହର ଚିତ୍ତ ସଖି ଗୋ ବିଡ଼ିବାର ପାଇଁ
ପରିହାସ ବଚନକୁ ସିନା କହିଲଇଁ ।
ତୁମ୍ଭେ ତହିଁକି ଖେଦ ଯେ ନ କର ଗୋ କିଛି
ତୁମ୍ଭ ସଙ୍ଗରେ ମୁହିଁ ଯୁଗେ ଯୁଗେ ଅଛି ।
ତୋହର ମୋହର ସିନା ସଂସାର ପାତନା
ଚିତ୍ତ ସ୍ଥିର ନ କରିଣ ଆପେ ହେଉ ବଣା ।
ଏସନରୂପେ ବିନୟୀ ହୋଇ ଭାବଗ୍ରାହୀ
ରୁକ୍ମିଣୀର ମନ ଦୁଃଖ ଛଡ଼ାଇ ମାଧୋଇ ।
ହାସ ପରିହାସେ ତହିଁ ପୁହାଇଲେ ରାତି
ପଲ୍ୟଙ୍କେ ଶୟନ କଲେ ହୋଇ ହୃଷ୍ଟମତି ।
ଲକ୍ଷ୍ମୀଙ୍କୁ କୋଳରେ ଘେନି ନିଦ୍ରିତ ଗୋବିନ୍ଦ
ଏଥୁ ଅନନ୍ତରେ ରାୟେ ଶୁଣ ଦିବ୍ୟପଦ ।
କାମଦେବ ବସେ ଯାଇ ମାତା ପାଦତଳ
କରେ ପୁଷ୍ପଧନୁ ଗୋଟି ଦିଶଇ ଉଜ୍ଜ୍ୱଳ ।
ଲକ୍ଷ୍ମୀଙ୍କ ବଦନ ଚାହିଁ ବୋଲଇ କନ୍ଦର୍ପ
ଉଠ ଉଠ ମାତା ଆଗୋ ଶୁଣ ତୁ ସ୍ୱରୂପ ।
ମୁହିଁ ତୋର ପୁତ୍ର ମାଗୋ ହୋଇବି ଯୁକତେ
ମୋତେ ଠାବ ଦେବୁ ମାତା ତୋର ଗର୍ଭଗତେ ।
ଈଶ୍ୱରଙ୍କ କ୍ରୋଧାନଳେ ହୋଇଥିଲି ଦହି
ବ୍ରହ୍ମଲୋକ ଆଦିକରି ସ୍ଥାନ ହିଁ ନ ପାଇ ।
ଏତେ କହିଣ ମଉନ ହେଲା ରତିପତି
ଶୁକମୁନି ବୋଇଲେକ ଶୁଣ ହୋ ନୃପତି ।
କେତେହେଁକ ବେଳେ ଦେବୀ ଶୟନ ତେଜିଲେ
ଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ଏମନ୍ତ ବୋଇଲେ ।
ସାବଧାନେ ଶୁଣ ଏବେ ପ୍ରଭୁ ଯଦୁନାହା
ଏହିକ୍ଷଣି ସ୍ୱପନେ ମୁଁ ଦେଖିଲଇଁ ଯାହା ।
କରେ ପୁଷ୍ପଧନୁ ଶର ଧରି ଏକ ଜଣେ
ନିଦ୍ରାରେ କହିଲା ଆସି ମୋତେ ସେ ଏସନେ ।
ବିନୟ ହୋଇଣ ମୋତେ ଗର୍ଭେ ଠାବ ମାଗି
କହୁଁ କହୁଁ ଗର୍ଭେ ମୋର ପଶିଗଲା ବେଗି ।
ଶ୍ରୀଜଗନ୍ନାଥ ବୋଇଲେ ଏହୁ ସତ୍ୟବାଣୀ
ଆମ୍ଭେ ଏହିକଥା ଗୋଟି ଦେଖୁଅଛୁ ପୁଣି ।
ପରମ ମାହେଶ୍ୱରୀ ତୁ ଅନାଦି ଦେବତୀ
କାମଦେବ ଗର୍ଭୁ ତୋର ହେବ ଉତପତ୍ତି ।
ଦଗଧ ହୋଇଥିଲା ସେ ହର କୋପାନଳେ
ଏବେ ପୁଣି ଦେହବନ୍ତ ହୋଇବ ଶୟଳେ ।
ଶ୍ରୀକୃଷ୍ଣଙ୍କ ବଦନରୁ ଏ ବଚନ ଶୁଣି
ସାନନ୍ଦିତା ହୋଇଲେକ ଦେବୀ ଶ୍ରୀରୁକ୍ମିଣୀ ।
ଏହି ସମୟେ ସେ ରାତ୍ର ହୋଇଲା ପ୍ରଭାତ
ନିତ୍ୟକର୍ମ ଶେଷ କଲେ ପ୍ରଭୁ ଜଗନ୍ନାଥ ।