ସତ୍ୟଭାମା ପରିଣୟ — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିମୋଠାରୁ ମନ୍ଦ ପାପିଷ୍ଠ ନାହିଁ ନା ଦୋରେହା ।
ମହାଭୟେ ହୁଦେ ଏକା ଶକ୍ରାଜିତ ବୋଲି
ସାଷ୍ଟାଙ୍ଗେ ଶୁତିଲା କୃଷ୍ଣପାଦେ ଗଡ଼ଘାଲି ।
ଅନେକ ପ୍ରକାରେ କଲି ପାଦପଦ୍ମେ ଦୋଷ
ସେ ସବୁ ଉପେକ୍ଷା କର ବସୁଦେବ ଶିଷ୍ୟ ।
ପାୟେ ପଡ଼ି ଶକ୍ରାଜିତ କରି ନିଉଛାଳି
ଶରୀରୁ ତ୍ରିପଣ୍ଡ ଶ୍ରମଝାଳ ପଡ଼େ ଗଳି ।
ଧୂଳି ମାଟିରେ ଅଦୃଶ୍ୟ ଶକ୍ରାଜିତ କାୟେ
ଭୟ ପାଇ ତା ଶରୀର ଗୋଟା ଖିନ୍ନ ହୋଏ ।
ମସ୍ତକରେ ବେନିକର ଦେଇ ଶକ୍ରାଜିତ
ବହଇ ଯାଦବ ହୋଇ ବିନୟ ଭାବିତ ।
ତୁମ୍ଭେ ଅଟ ବିଷ୍ଣୁ ନାଥ ପ୍ରଭୁ ଅବତାର
ତୁମ୍ଭେ ଦେବ ନିବାରିବା ପୃଥ୍ୱୀ ଭାରାଭର ।
ସୌନିଧି ନାମେ ତୁମ୍ଭର ବଇକୁଣ୍ଠ ତେଜି
ଚଉଦ ଭୁବନେ ବାନା ଅଛଇ ଦିରାଜି ।
ଜଗତର ଅଳଙ୍କାର ଯାହା ନାମଗୋଟି
କି ଉପମା ଦେବି ମୁହିଁ ଏ ମାନବ ସୃଷ୍ଟି ।
ସ୍ୱାମୀ ପୃଥ୍ୱୀ ଆପ ତେଜ ଦାୟବ୍ୟ ଆକାଶ
ପଞ୍ଚ ମହାଭୂତ ତହିଁ କରିଛନ୍ତି ବାସ ।
ପ୍ରାଣପାନ ବ୍ୟାନୋଦନ ସମାନ ପଞ୍ଚାତ୍ମା
ସାଧୁପୁରୁଷ ସଦୟ ପୁରୁଷ ମହାତ୍ମା ।
ତୁମ୍ଭେ ଯେ ବଞ୍ଚିଲ ନାଥ କାଳ କାମନିଦ୍ରା
ପରଂବ୍ରହ୍ମ ଯେ ସାଧିଲ ତୁମ୍ଭେ ସର୍ବମୁଦ୍ରା ।
ପାପଆଶା ତେଜି ଟେକି ଅଜପା ମୂରତି
ସତ୍ୟ ଧର୍ମପୁରୁଷ ତୁ ଅକ୍ଷୟ ତୋ ଜ୍ୟୋତି ।
ପାପ ଅହଙ୍କାର ଆଦି ନାହିଁ ତୋର ମିଥ୍ୟା
ତେଣୁ ତ୍ରିଦଶ ଦେବର ଭଗବତ ଦୀକ୍ଷା ।
ସତ୍ତ୍ୱ ରଜ ତମଗୁଣ ତୁମ୍ଭଠାରେ ତିନି
ଶତେ ବ୍ରହ୍ମାଣ୍ଡ ବ୍ୟାପକ ତୁମ୍ଭ ନାମ ଘେନି ।
ତେଣୁ ସଂଖ୍ୟା ନ ପଶଇ ଦେବ ତୁମ୍ଭ ଚିତ୍ତେ
ବ୍ରହ୍ମା ଶଙ୍କର ବିନୟୀ ତୁମ୍ଭ ପାଦଗତେ ।
ବର୍ତ୍ତମାନ କାଳ ଜାଣି ତୁହି ଦିନୁ ବର୍ତ୍ତୁ
ତୋହର ଶରୀର ସିନା ସର୍ବଜୀବ ଜନ୍ତୁ ।
ଯୋଗ ପବିତ୍ର ତାପନ ଧ୍ୟାନ ଅଧ୍ୟାପନ
ଏ ନବପୁରୁଷେ ତୁମ୍ଭଠାରେ ଭିନ୍ନ ଭିନ୍ନ ।
କାଳର ଉଦିତ ସ୍ୱାମି ଦମ୍ଭର ମହାତ୍ମା
ସ୍ୱର୍ଗରେ ପୂଜନ୍ତି ଇନ୍ଦ୍ରଆଦି ବେଦବ୍ରହ୍ମା ।
ସ୍ୱର୍ଗ ମଞ୍ଚ ପାତାଳ ସୁତଳ ରସାତଳ
ଭୁତଳ ତ୍ରିତଳ ତଳାତଳ ମହାତଳ ।
ଏତେକ ମଧ୍ୟଭୁବନ ଅଟେ ସଉନିଧି
ତହିଁ ତୁମ୍ଭ ଯୋଗାସନ ଅଟେ ନାନାବିଧି ।
ତହିଁରେ ଯାଇ ଗୁହାରି କଲେ ପଦ୍ମଯୋନି
ମର୍ତ୍ତ୍ୟମଣ୍ଡଳେ ଉଦିତ ନରଦେହ ଘେନି ।
ଉତ୍ପତ୍ତି ସ୍ଥିତି ପ୍ରଳୟ ତୁମ୍ଭେ ସର୍ବସଞ୍ଚା
ସର୍ବଜ୍ଞ ନାଥ ତୁ ଅଟୁ ଆଦିଅନ୍ତ ବଞ୍ଚା ।
ସ୍ୱାମୀ ଚନ୍ଦ୍ର ଦିବାକର ଦେବଦେବୀ ଆଦି
ଶ୍ରୀବିଷ୍ଣୁ ନାଥ ତୋ ନାମ ଚରାଚର ଭେଦୀ ।
ଦରିଦ୍ର ବ୍ରାହ୍ମଣ ପୂର୍ବେ ଥିଲା ଅନ୍ଧ ହୋଇ
ବେନି ଚକ୍ଷୁଲଭେ ତୁମ୍ଭ ଦରଶନ ପାଇ ।
ମହାକୂପର ମଧ୍ୟରେ ଥିଲା କୃକଲାସ
ତୁମ୍ଭେ ପ୍ରଭୁ ଫେଡ଼ିଲା ତା ପୂର୍ବପାପ ଦୋଷ ।
କାଳୀୟ ନାଗ ଯେ ମୋକ୍ଷ ତୁମ୍ଭ ଆଜ୍ଞାବଳେ
ହିରଣ୍ୟକଶିପୁ ବଧ କଲେ ଭକ୍ତ ଛଳେ ।
ତ୍ରୈଲୋକ୍ୟ ବିଦିତ ନାଥ ତବ ନାମଗୋଟି
ଯାହାର ଆଜ୍ଞା ପ୍ରମାଣେ ଅଛି ନବସୃଷ୍ଟି ।
ତୁହିଁ ଦେବ ବିଷ୍ଣୁନାଥ ଯୋଗୀ ମନରଞ୍ଜୁ
ପାପୀ ଦୁରାଚାର ଅସୁରଙ୍କ ସର୍ବ ଗଞ୍ଜୁ ।
ପରମ ନିରାକାର ତୁ ଅଟୁ ମହାତମା
ସବୁ ଦୋଷ ଅପରାଧ କର ମୋର କ୍ଷମା ।
ଅପାର ମହିମା ଯାର ନ ସରେ କହନ୍ତେ
ତୁ ଗୁଣସାଗର ନାଥ ତ୍ରାହି କର ମୋତେ ।
ନୀଳଗିରି ବିଷ୍ଣୁନାଥ ପାଦପଦ୍ମ ତଳେ
ଅଚ୍ୟୁତ ଦାସ କବି ଯେ ଭୃତ୍ୟ ସବୁକାଳେ ।
ଶକ୍ରାଜିତ ପ୍ରଣିପାତ ବହୁତ ବିନୟେ
ଦରହସିତ ବଦନେ କହି ଦେବରାୟେ ।
ଇଂଦ ପ୍ରତିବାଦ୍ୟ ପୁଣି କହନ୍ତି ପ୍ରସନ୍ନେ
ଉଠ ଶକ୍ରାଜିତ ଭ୍ରାନ୍ତି ନ କର ତୁ ମନେ ।
ଏ ମହୀମଣ୍ଡଳେ ଥିଲା କଂସ ମହାବଳୀ
କେହି ସହି ନ ପାରିଲେ କଂସର ଆର୍ଦ୍ଦୋଳି ।
ତେଣୁ ତ୍ରିଦଶେ ଗୁହାରି କଲେ ମୋତେ ଯାଇ
ଯଦୁ ବଂଶରେ ଜନମି କଂସ ମାରିଲଇଁ ।
ମହିମାରୁ ଉଗ୍ରସେନ ହେଲା ଦଣ୍ଡଧାରୀ
ଲଙ୍କାର ରାଜାର ନାମ ଅଟେ ଦଶଶିରୀ ।
ତା ଦର୍ପ ଧ୍ୱଂସିଲା ଏକା ବୀର ହନୁମନ୍ତ
ଶିଳାପରେ ହସ୍ତ ଦେଲେ ହୁଏ ଦେବ ଦୈତ୍ୟ ।
ଆମ୍ଭ ମହିମାରୁ ଧନ୍ୟ ମଥୁରା ନଗରୀ
କ୍ରୀଡ଼ା ବିନୋଦରୁ ଗୋପେ ନବୀନା ଚାତୁରୀ ।
ପୃଥ୍ୱୀର ଭାର ଉଶ୍ୱାସେ ଜନ୍ମ ଯଦୁକୁଳେ
ଦୁଷ୍ଟ ସଂହାରି ସନ୍ଥଙ୍କୁ ପାଳିବୁ ଯେ ହେଳେ ।
ରାମ ଅବତାରେ ଜାମ୍ବବ ମାଗିଥିଲା ବର
ବୋଲେ ସ୍ୱାମୀ ତୁମ୍ଭ ସଙ୍ଗେ କରିବି ସମର ।
ପୂର୍ବେ ତାର ସଙ୍ଗେ ଆମ୍ଭେ ସତ୍ୟ କରିଥିଲୁ
ଦ୍ୱାପର ଯୁଗରେ ଯୁଦ୍ଧ ହୋଇବ ବୋଇଲୁ ।
ଦଇବ ଆଦେଶ ଆମ୍ଭେ ଗଲୁ ତାର ପୁରେ
ତୁହୋ ଶକ୍ରାଜିତ ରୀତି ନ କର ମନରେ ।
ତୁହୋ ଶକ୍ରାଜିତ ରୀତି ନ କର ମନରେ
ମଣୋହିରେ ବଳଦେବ ସଙ୍ଗେ ବିଜେକରି ।
ଆମ୍ଭେ କହିଛୁ ତୁମ୍ଭର କିଛି ନାହିଁ ଦୋଷ
ଏହିପର ଆଜ୍ଞା ତାକୁ ଦେଲେ ପୀତବାସ ।
ଆସ ଆସ ଶକ୍ରାଜିତ ଘେନି ଆମ୍ଭ ଶାଢ଼ୀ
ଶ୍ରୀହସ୍ତେ ଶାଢ଼ୀ ତାହାଙ୍କୁ ଦେଲେକ ଶ୍ରୀହରୀ ।
ଶକ୍ରାଜିତକୁ ଯେ ଶାଢ଼ୀ ଦେଲେ ଦେବରାୟ
ପ୍ରଣିପାତ କର ଶାଢ଼ୀ ବାନ୍ଧିଲା ମଥାଏ ।
ଶ୍ରୀକୃଷ୍ଣ ବୋଇଲେ ଶକ୍ରାଜିତ ମୁଖ ଚାହିଁ
ବର ମାଗ ଶକ୍ରାଜିତ ସୁପ୍ରସନ୍ନ ମୁହିଁ ।
ଶକ୍ରାଜିତ ବୋଲେ ସ୍ୱାମୀ ଦେବ ଯେବେ ବର
ଆଜିଠାରୁ ମନୁ ମୋର ଭୟ ହେଉ ଦୂର ।
ରୂପବତୀ ସତ୍ୟଭାମା ମୋର ଦୁହିତାକୁ
ପ୍ରଦାନ କରିବି ନାଥ ଏ ସତ୍ୟ ତୁମ୍ଭଙ୍କୁ ।
ପରମଗତି ଲଭିବ ଦୁହିତା ପ୍ରସାଦେ
ମୋଠାରେ ସଦୟ ହେଲେ ବୋଲି ଜାଣି ହୃଦେ ।
ଯେତେବେଳେ ବିଭାହେବେ ସତ୍ୟ ବିମ୍ବଓଷ୍ଠୀ
ତେତେବେଳେ ମୋ ମନରୁ ଭ୍ରାନ୍ତିଯିବ ଫିଟି ।
ଉଗ୍ରସେନ ବୋଲେ ମୋତେ ସ୍ୱରୂପ ତୁ କହ
ତେବେ ଶକ୍ରାଜିତ ମନ ଫିଟିବ ସନ୍ଦେହ ।
ଛାଡ଼ି ଦେବ ସ୍ୱାମି ଶକ୍ରାଜିତ ଜ୍ଞାନ ନାହ
ଏହା ଅପରାଧ କ୍ଷମା କର ଭାବଗ୍ରାହୀ ।
ଉଗ୍ରସେନର ବଚନ ଶୁଣି ନାରାୟଣ
ବେଗେ ଚାହିଁ ସ୍ୱାମୀ ବସୁଦେବଙ୍କ ବଦନ ।
ପୁଣି ବଳଦେବ ମୁଖ ଚାହିଁ ଦେବହରି
ସାବଧାନେ ଶୁଣିମା ହୋ ପ୍ରଭୁ ହଳଧାରୀ ।
ଶକ୍ରାଜିତ ବୋଲେ ମୋତେ ଦେବ ତା ଦୁହିତି
ଏଥକୁ କି ଆଜ୍ଞା ମୋତେ ଦେବା ହଳପତି ।
ବଳରାମ ବୋଇଲେ ତା ହେଉ ଯେ ପ୍ରମାଣ
ଏଥକୁ କିଛି ଚିନ୍ତା ନ କର ନାରାୟଣ ।
ଉଗ୍ରସେନ ମୁଖ୍ୟକରି ସର୍ବ ଯଦୁବୀରେ
ଏକଥା ବିଚାରି କହ ସବୁରି ମନରେ ।
ସଧର୍ମା ସଭାରେ ଯେତେ ଲୋକ ବସିଥିଲେ
ସବୁରି ମନକୁ କଥା ଯୋଗାଇ ବୋଇଲେ ।
ନଗ୍ରଜନେ ବୋଲନ୍ତି ଏ କଥା ହେଉ ହେଉ
ଶୁଣି ସନମତ କଲେ ଜଗନ୍ନାଥ ତହୁଁ ।
ଶୁଣ ପରୀକ୍ଷ ବଦନ୍ତି ଶୁକ ମହାଯତି
ଶ୍ରୀଭାଗବତର ସତ୍ୟଭାମା ବିଭା ରୀତି ।
ସଭା ମଉଳିଲା ତହୁଁ ଛାଡ଼ିଲେ ଆସ୍ଥାନ
ଯେ ଯାହା ମନ୍ଦିରେ ଗଲେ ଯାଦବ ପ୍ରଧାନ ।
ନବରକୁ ବିଜେ କଲେ ଯାଇ ତହୁଁ ହରି
ମଣୋହିରେ ବଳଦେବ ସଙ୍ଗେ ବିଜେକରି ।
ମଣୋହି ସାରିଣ ତହୁଁ କଲେ ଆଚମନ
କର୍ପୂର ତାମ୍ବୁଳ ଭୁଞ୍ଜି ରାମ ଭଗବାନ ।
ଯିବାପାଇଁ ଉଦବେଗ ପ୍ରଭୁ ଗୁଣମଣି
ତତକ୍ଷଣରେ ବାହାର ହୋଇଲେ ସେ ପୁଣି ।
ଶକ୍ରାଜିତ ପୁରେ ଯାଇ ପ୍ରବେଶ ହୋଇଲେ
ଯାନ ବାହନ ତେଜିଣ ପାଦଗତି କଲେ ।
କହେ ମହାତମା ବନ୍ଧୁବର୍ଗଙ୍କୁ ବସାଇ
ବସୁଦେବ ପୁତ୍ରଙ୍କୁ ମୁଁ କରିବି ଜୁଆଇଁ ।
ମୋହର ଦୁହିତା ଅଟେ ସତ୍ୟଭାମା ବାଳୀ
ବିଭା କରିବେ ତାହାକୁ ପ୍ରଭୁ ବନମାଳୀ ।
ତୁମ୍ଭମାନଙ୍କ ମନକୁ ବିଚାର ବେଭାର
ନିଶ୍ଚୟ ମୁଁ ଦେବି ବୋଲି ଶକ୍ରାଜିତ ବୀର ।
ଶକ୍ରାଜିତର ମୁଖରୁ ଏସନକ ଶୁଣି
ସକଳ ଶାନ୍ତି ଭଜିଲେ ସୁଧାପାନ ଜାଣି ।
ବୋଇଲେ କୃଷ୍ଣଚନ୍ଦ୍ରଙ୍କୁ ଶୁଭେ ଯାଇ ଆଣ
ଆମ୍ଭର ଘରେ ବିଜୟେ କମଳିନୀ ଜାଣ ।
ଚାଣ୍ଡାଳ ଘରେ ଯେସନେ ମଣିରତ୍ନ ଥାଇ
କାର୍ଯ୍ୟ କାରଣର ବେଳେ ଶିରରେ ଲାଗଇ ।
ପଙ୍କ ଭିତରେ ଯେସନେ ପଦ୍ମନାଡ଼ ଗୋଟି
କେଶର ପ୍ରକାଶେ ତହୁଁ ସାତତାଳ ଫୁଟି ।
ବାହାର ଭିତରେ ଥାଇ ଆବୋରଇ ସର୍ବ
ଉପରେ ଉଠି ମଧୂପ ଦେଉଥାଉ ଚୁମ୍ବ ।
ପଦ୍ମରାଗ ମାଣିକ୍ୟ କି ଆନେ ପାରେ ଯାଇ
ଦ୍ୱାପର ଲକ୍ଷ୍ମୀ ନୃସିଂହ ଅବତାର ହୋଇ ।
ଯେଝା ପରିଯା ଅବୋରିଛନ୍ତି ତହିଁ ଯାଇ
ଆଗହୁଁ ବିଧାତା ତାହା ଭିଆଇ ଅଛଇ ।
ସତ୍ୟଭାମା ନିରନ୍ତରେ ଲୋଡ଼ୁଥିଲେ ଯାହା
ସୁଭାଗ୍ୟ ବଳେ ବିଧାତା ଭେଟାଇଲା ତାହା ।
ଜଗନ୍ନାଥ ବନ୍ଧୁ ହେବେ ନରଦେହ ବହି
ଏହାହୁଁ ଅଧିକ ଭାଗ୍ୟ ପାଇବାକ କାହିଁ ।
ଶକ୍ରାଜିତର ଦୁହିତା ସତ୍ୟଭାମା ଜାତ
ନିର୍ବାଣ ମୁକତି ଆଣି କରାଇ ପ୍ରାପତ ।
ଏତେକ ବୋଲି ସନ୍ତୋଷ ହୋଇଲେ ସକଳ
ଜାଣିଲୁ ସତ୍ୟଭାମାର ବିଭା ଅନୁକୂଳ ।
ପୁରେ ଘୋଷଣା ଦିଆଇ ସବୁ କଲେ ସ୍ଥିର
ବିଭା ଯୋଗାଡ଼ ଭିଆଣ କଲେ ଧାତିକାର ।
ଏସନକ ଆଜ୍ଞା ଦେଇ ଶକ୍ରାଜିତ ପୁଣି
ଆପେ ଭିଆଇ ଆଣିଲେ ବନ୍ଧୁବର୍ଗ ଘେନି ।
ଷାଠି ସହସ୍ର ବାଜଣା ବାଜେ ଅପ୍ରମିତ
ଢୋଲ ଟମକ ନିଶାଣ ଆଦି ନାନାଯନ୍ତ୍ର ।
ଚାଙ୍ଗୁଦମା ବୀଣା ଶଙ୍ଖ ବଇଁଶୀ ମହୁରୀ
ଉପାଙ୍ଗ ବୀରକାହାଳୀ ତାଳ ଭେରୀ ତୁରୀ ।
ଉଦ୍ଦଣ୍ଡ ଲକ୍ଷେକ ମେଘାଡମ୍ବର ଯେ ଛତ୍ର
ଝଲକନ୍ତି ପରିମଳ ରତ୍ନ ପାନପତ୍ର ।
ଛତ୍ର ଚାମର ଆଢ଼େଣି ଧ୍ୱଜା ପନ୍ତି ପନ୍ତି
ଅଛନ୍ତି ଭାଟ ଜ୍ୟୋତିଷ ଆଦି ନାନା ଜାତି ।
ତୁରଙ୍ଗମ ନିଶାଣାଦି ରଥ ଅଶ୍ୱ ଗଜ
ବିଭା କରାଇବା ପାଇଁ ବରଜାତି ସଜ ।
କେ ବୋଲନ୍ତି ଆଉ ତୁମ୍ଭେ ବିଳମ୍ବ ନ କର
ସଙ୍ଗେ ସଙ୍ଗେ ଗୋଡ଼ାଇଣ ଯିବା ଧାତିକାର ।
ଲକ୍ଷ୍ମୀ ନାରାୟଣ ବିଭା ହେବା ବରଜାତି
ଭୁଞ୍ଜିବା ଶ୍ରୀବିଷ୍ଣୁ ପାକ ପାଇବା ମୁକତି ।
ଏତେ ବୋଲି ଘେନି ସର୍ବେ ବିଭାବିଧିମାନ
ସମାରୋହେ ସଜ ହେଲେ ବରଜାତି ସୈନ୍ୟ ।
ନବକୋଟି ନୂଆ ପାଟ ପତନୀ ସିନ୍ଧୁଆ
ଝୁଲା ଶାହାଲା ବସନ୍ତ ପାଟି କେହି ନୂଆ ।
କର୍ପୂର ଚନ୍ଦନ ଫୁଲ କସ୍ତୁରୀ ସହିତେ
ଶ୍ରୀଫଳ ଗୁଆ ନାନାଦି ଉପହାର ଯେତେ ।
ଯଉତୁକ ଭୋଜନାଦି ଦ୍ରବ୍ୟ ନାନାବିଧ
ଭିଆଇଲେ ଶକ୍ରାଜିତ ଅର୍ବୁଦ ଅର୍ବୁଦ ।
ପାତ୍ରମନ୍ତ୍ରୀ ପୁରୋହିତ ଭଦ୍ର ବନ୍ଧୁଜନ
ସକଳ ସଙ୍ଗତେ ଘେନି ବାହାର ବହନ ।
ସତ୍ୟଭାମାର ବିଚିତ୍ର ବିଭା ହରିବଂଶ
ଶୁଣନ୍ତେ ପାପାଧିପାପ ମହାପାପ ନାଶ ।
ବରଣ ଯୋଗାଡ଼ ଘେନି ଶକ୍ରାଜିତ ବୀର
ତ୍ୱରିତେ ମିଳିଲେ ବସୁଦେବର ମନ୍ଦିର ।
ଦେଖି ସାନନ୍ଦ ହୋଇଲେ ଦେବ ଚକ୍ରଧର
ବିଶ୍ୱକର୍ମା ରାଇ ଆଜ୍ଞା ଦେଲେ ବେଦବର ।
କୁଶସ୍ଥଳୀ ଦ୍ୱାରକାକୁ କର ଯା ମଣ୍ଡନ
ସ୍ୱର୍ଗପୁରଠାରେ ସେହୁ ହେବ ଶୋଭାମାନ ।
ଆଜ୍ଞାପାଇ ବିଶ୍ୱକର୍ମା ଚଳେ ଧାତିକାରେ
ନଗ୍ରପୁର ମଣ୍ଡାଇଲେ ରାତିକ ଭିତରେ ।
ଘୋଷଣା ଦିଅଇ ନଗ୍ରେ ଉତ୍ସବ କରାଇ
ଆନନ୍ଦ ହେଲେ ବନ୍ଦୀଏ ମୁକୁଳିଣ ଯାଇ ।
ଧାତିକାରେ ଶକ୍ରାଜିତ ନବରେ ପ୍ରବେଶ
ପୁର ମଣ୍ଡନ ଦେଖିଣ ହୋଇଲେ ହରସ ।
ଛାମୁଣ୍ଡିଆ ଜଗତୀ ଯେ ବିଚିତ୍ର ମଣ୍ଡଣି
ବରଣ ସାମଗ୍ରୀ ସୁବ ସଜାଡ଼ିଲେ ଆଣି ।
ଅଦୃଷ୍ଟି ଅଶ୍ରୁତି ସବୁ ଅସମ୍ଭବ କଥା
ଲକ୍ଷ୍ମୀ ନାରାୟଣଙ୍କର ବିଭାର ବ୍ୟବସ୍ଥା ।
ବାରତା ପାଇଣ ବହୁଲୋକେ ପଦ୍ମଯୋନି
ହଂସ ବାହନରେ ବିଜେ ବ୍ରହ୍ମା ନବମୁନି ।
ବଶିଷ୍ଠ ବାଲ୍ମୀକି ଭରଦ୍ୱାଜ ବିଶ୍ୱାମିତ୍ର
ବିଭାଣ୍ଡକ ପଉଲସ୍ତ୍ୟ ସନକାଦି ସପ୍ତ ।
ଜଇମିନି ଋଷ୍ୟଶୃଙ୍ଘ ବିଶ୍ୱେଦେବା ଋଷି
ସଙ୍ଗେ ଛନ୍ତି ଅଷ୍ଟବକ୍ର ବିଶ୍ରବା ତପସ୍ୱୀ ।
ସବିତା ଯେ ପରାଶର ଲୋମଶ ଶାନ୍ତନୁ
ଭୃଗୁ ଗାର୍ଗ ଚ୍ୟବନ ଯେ ମହାମୁନି ମନୁ ।
ଅତ୍ରି ଅଙ୍ଗିରସ କଣ୍ୱ ମୁନି ଅପ୍ରଚେତା
କପିଳ ବୈଶମ୍ପାୟନ ସତ୍ୟବ୍ରତ ଜ୍ଞାତା ।
ତକ୍ଷଣେ ସର୍ବେ ଦ୍ୱାରକା ପ୍ରବେଶିଲେ ଆସି
ପାୟେ ପଡ଼ିଣ ଶୋଇଲେ ଦେବକୀର ଶିଷି ।
ସ୍ତୁତି କଲ୍ୟାଣ ବାଞ୍ଛନ୍ତି ସର୍ବେ ଋଷିବୃନ୍ଦ
ବ୍ରହ୍ମାଙ୍କ ପୟରେ ପୂଜା କଲେ ଶ୍ରୀ ଗୋବିନ୍ଦ ।
ସର୍ବଋଷି ଗୃହେ ରଖି ଚର୍ଚ୍ଚାମାନ କରି
ସୁବର୍ଣ୍ଣର ସିଂହାସନେ ମୃଗଛାଲ ପାରି ।
ମାଡ଼ି ବସିଲେ ତହିଁରେ ସର୍ବ ତପଚାରୀ
ବେଦଧ୍ୱନି ବାହରଇ ମୁଖରୁ ସବୁରି ।
ଏକ ଋଷି ଲକ୍ଷ କୋଟି ଶିଷ୍ୟ ଅଗଣିତା
ସମସ୍ତେ ପଢ଼ିଅଛନ୍ତି ଯୋଗ ଶାସ୍ତ୍ରେ ଜିତା ।
ସମସ୍ତେ ଜାଣନ୍ତି ଯୋଗ ବିଦ୍ୟାର ମରମ
ଦେବଋଷି ରାଜଋଷି ମହାଋଷି ବ୍ରହ୍ମ ।
ଏମନ୍ତେ ବିପ୍ରେ ଆଗତ ବେଦବିଦ୍ୟାଜ୍ଞାତା
ନାରଦ ଯେ ମନଦଣ୍ଡ ଚଢ଼ି ଗାଇ ଗାଥା ।
ଲକ୍ଷ୍ମୀ ନାରାୟଣ ବିଭା ଦେଖିବାର ପାଇଁ
ସୁଧର୍ମା ସଭାରେ ସର୍ବ ଋଷି ମିଳି ଯାଇ ।
ଦେବଋଷିଏ ବାରତା ପାଇ ବ୍ରହ୍ମଗୁରୁ
ରାଜଋଷିଏ ଏ ବାରତା ପାଇ ସଙ୍ଖୋଳାରୁ ।
ରାଜଋଷିଏ ଅଇଲେ ଗୋଳ ଶୁଣିବାରୁ
ତେତିଶକୋଟି ଦେବତା ସ୍ୱର୍ଗ ମଣ୍ଡଳରୁ ।
ଜଳାଧିପତି ବରୁଣ ଓଳଗଇ ଦୁରୁ
କୁବେର ଧନ ଭେଟାଏ ନେଇଣ ଭଣ୍ଡାରୁ ।
କୈଳାସ କନ୍ଦରେ ହର ବାରତା ପାଇଲେ
ଚୌଦକୋଟି ଗଣ ଘେନି ତୁରିତେ ମିଳିଲେ ।
ପଚାରଇ ପରୀକ୍ଷିତ କହେ ଶୁକମୁନି
ଶ୍ରୀହରିବଂଶ ପୁରାଣ ପୁଣ୍ୟମୟ ଧ୍ୱନି ।
ବେଗେ ବେଗ ହୋଇ ସର୍ବେ ଚଳାଇ ଅଇଲେ
ପଥ ନ ପାଇଣ କେହି ପଛଭର ହେଲେ ।
ଲକ୍ଷ୍ମୀ ନାରାୟଣ ବିଭା ଦେଖି ଶ୍ରଦ୍ଧାକରି
ବୃଷଭ ବାହନେ ହର ଦ୍ୱାରକା ନଗରୀ ।
ଈଶ୍ୱର ଦେବଙ୍କୁ ଦେଖି ପ୍ରଭୁ ବନମାଳୀ
ଷଡ଼ର୍ଘ୍ୟେ ପୂଜା କରିଣ କହି ପୁରଃସରି ।
ଏଥୁ ଅନନ୍ତରେ ପୁଣି ଶୁଣ ଦିବ୍ୟ ରସ
ବରଣାସ୍ଥାନେ ଆସିଣ ହୋଇଲେ ପ୍ରବେଶ ।
ହସ୍ତରେ ମାଳା ଚନ୍ଦନ ଶକ୍ରାଜିତ ଘେନି
ବରଣ କଲାକ ଆସି ଦେବ ଚକ୍ରପାଣି ।
ବରବେଶରେ ପ୍ରବେଶ ହେଲେ ନାରାୟଣ
ସାତ ସହସ୍ର ବାଜଇ ଯନ୍ତ୍ର ଅନୁକ୍ଷଣ ।
ଢୋଲ ଟମକ ନିଶାଣ ବାଜେ ବାଦ୍ୟମାନ
ଆପେ ବ୍ରହ୍ମା ଥାଇ କଲେ ବରକୁ ବରଣ ।
ଚାଙ୍ଗୁ ତବଲ ବିପଞ୍ଚି ବୀଣା ଯେ ମହୁରୀ
ଉପାଙ୍ଗ ବୀର କାହାଳୀ ଶଙ୍ଖ ଭେରୀ ତୁରୀ ।
ଉଦ୍ଦଣ୍ଡ ମେଘାଡମ୍ବର ଏକଲକ୍ଷ ଛତ୍ର
ଝଲକନ୍ତି ଫିରିଫିରା ଆଦି ପାନପତ୍ର ।
ନାନା ଜାତିରେ ପତାକା ଉଡ଼େ ପନ୍ତି ପନ୍ତି
ନଟ ଭାଟ ଜଉତିଷ ମୂଳେ ସର୍ବ ଜାତି ।
ବ୍ରହ୍ମା ପ୍ରଭୃତି ତେତିଶକୋଟି ଦେବଗଣ
ଦିବ୍ୟ ଶୁକ୍ଳାସନେ ବିଜେ କରିଣ ତକ୍ଷଣ ।
ବୃହସ୍ପତି ଯେ ମଙ୍ଗଳ ଅଷ୍ଟକ ବଖାଣି
ମଙ୍ଗଳ ଗାଆନ୍ତି ମିଳି ସହସ୍ର ତରୁଣୀ ।
ତେତିଶ କୋଟି ଦେବତା ଜୟ ଜୟ କଲେ
ବ୍ରହ୍ମା ଆଦି ମୁନିମାନେ କଲ୍ୟାଣ ବାଞ୍ଛିଲେ ।
ଲୀଳାରେ ଗତି କରିଣ ଗଲେ ଭଗବାନ
ମଣିମା ବୋଲିଣ ଡାକ ଦ୍ୟନ୍ତି ମଘବାନ ।
ଶକ୍ରାଜିତ ପରେ ସର୍ବେ ବିଜେକଲେ ଯାଇ
ଦେଖି ପ୍ରଶଂସିଲେ ଉଗ୍ରସେନ ନରସାଇଁ ।
ଏସନକ ସମାରୋହେ ଉତ୍ସବ ତା ପୁରେ
କୋଟି ବିଶ୍ୱକର୍ମା ମିଳି ଗଢ଼ିଲେ ରାତ୍ରରେ ।
ବଇଡ଼ୁର୍ଯ୍ୟ ମାଣିକ୍ୟାଦି ନୀଳା ପନ୍ତି ପନ୍ତି
ରସାଣିଲା ପାନପତ୍ର ରଙ୍ଗ ଝଲକନ୍ତି ।
ମାଣିକ୍ୟ ମୁକ୍ତା ଲମ୍ବିଛି ସୁବର୍ଣ୍ଣର ଘଣ୍ଟି
ଅତି ବିତପନ ପୁର ଶୋହେ ନବସୃଷ୍ଟି ।
ରଙ୍ଗ କଳା ଶୁକ୍ଳ ଚାମରାଦି ଲୁଳେ ଖମ୍ବେ
ଦେବାଙ୍ଗ ଝୀନ ବସନ ମଣ୍ଡଳ ଆରମ୍ଭେ ।
ଧନ୍ୟ ସେ ପୁରକୁ କିସ ପଟାନ୍ତର ଯେବା
ନିରତେ ପୁର ନିର୍ମାଣ ବିଶ୍ୱକର୍ମା ଦେବା ।
ଅମର ବାରସ୍ୱତୀ ସେ ନୋହେ ତାକୁ ସରି
ଏପରି ପୁର ନିର୍ମାଣ ବିଶ୍ୱକର୍ମା କରି ।
ଶଙ୍ଖ ପଦ୍ମନିଧି ଜାତ ହୋଇଅଛି ଯହିଁ
କହିଲେ ନ ସରେ ଧନ ନେଲେ ନ ସରଇ ।
ଲକ୍ଷେକ ସୁରଭି ଧେନୁ ଘେନିଣ କପିଳା
କୃଷ୍ଣ ଆଜ୍ଞାରେ ସୁରଭି ଖଟି ଏକମେଳା ।
ଅନାଦି ଦେବୀ ସୁରଭି ଅଟେ ସର୍ବମାତ
ଯାହାର ସଞ୍ଚିଲା ଚରାଚର ଏ ଜଗତ ।
ଯେବଣ କାମଧେନୁରେ ଲକ୍ଷ ସୃଷ୍ଟି ଘୋଟି
ଲକ୍ଷ ଲକ୍ଷ କାମଧେନୁ ଦ୍ୱାରେ ଛନ୍ତି ଖଟି ।
ଅଷ୍ଟ ଅଇଶ୍ୱର୍ଯ୍ୟ ତୃପ୍ତ ଭୋଜନ ଯେ ବିଧି
କଳ୍ପନାନୁସାରେ ଧେନୁ କରେ କାର୍ଯ୍ୟ ସିଦ୍ଧି ।
ଷଡ଼ରସର ପ୍ରକାର ନାନାଦି ବ୍ୟଞ୍ଜନ
ଅନ୍ନ ପିଷ୍ଟକ କ୍ଷୀରିସା ସ୍ୱାଦୁ ଦ୍ରବ୍ୟମାନ ।
ଅମୃତ ପାଣି କଦଳୀ ପୁଣି ଗଙ୍ଗବାଣ
ଇକ୍ଷୁ ଗୋରସ କଟୁକ ଆମ୍ବିଳ ଲବଣ ।
ଆମ୍ବ ପଣସ ସହିତ ଦାରକ୍ଷର ଫଳ
ଡାଳିମ୍ବ ପୁଣି ଯେ ତିକ୍ତ ଦ୍ରବ୍ୟ ଏ ସକଳ ।
ଗୋରସ ଭିନ୍ନ ଗୋଟିକା ଦଧି ଛେନା ସର
ଅଧାମ ଆଦି ଘୃତରେ ନାନାଦି ପ୍ରକାର ।
ନବାତ ପଡ଼ିଣ କ୍ଷିରୀ ଖଣ୍ଡ ଖଣ୍ଡ ଫେଣା
ଅମୃତ ପଡ଼ିଣ ପାଣି ନବାତର ପଣା ।
ଦେହେ ଚନ୍ଦନ କର୍ପୂର କସ୍ତୁରୀ ଲେପନ
ଏ ଦ୍ରବ୍ୟ ସମ୍ଭାର ବରଜାତିର ଭୋଜନ ।
ଭୋଜନ ସାରି ତୃପତି ଯେ ଯାହାର ଇଚ୍ଛା
ତକ୍ଷଣେ ମିଳେ ଯାହାର ଯାହା ମନୋବାଞ୍ଛା ।
ଚାଣ୍ଡାଳ ଆଦି କରିଣ ଭଦ୍ରବ୍ୟକ୍ତି ଯେତେ
ସୁବରି ଭୋଜନ ପାଇଁ ସ୍ୱର୍ଣ୍ଣ ପାତ୍ର ତେତେ ।
କାମଧେନୁ ଅନୁଗ୍ରହେ ଭୁଞ୍ଜନ୍ତି ସସସ୍ତେ
ଭୁଞ୍ଜି ସନ୍ତୋଷ ହୋଇଣ ବସିଲେ ସୁଚିତ୍ତେ ।
ଭୋଜନର ଶେଷେ ପରିବାରୀ ବାଟ ଚାହିଁ
ଉଚ୍ଛିଷ୍ଟମାନ ସମୁଦ୍ରେ ମେଲନ୍ତି ସେ ନେଇ ।
ସୁପକ୍ୱ ଅନ୍ନ ବ୍ୟଞ୍ଜନ ଭୁଞ୍ଜି ସର୍ବଜନ
କନ୍ଦମୁଳାଦି ଆହାର କଲେ ଋଷିଗଣ ।
ଅନ୍ନ ବ୍ୟଞ୍ଜନ ଭୋଜନ ସାରି ଶୁଚିମନ୍ତେ
ଜଣେ ଜଣେ ବରଜାତି ସଙ୍ଖୋଳି ସମସ୍ତେ ।
ଦ୍ୱାରକାରେ ବିହରନ୍ତି ହରଷେ ସକଳ
ଦେବ ମାନବ ସମସ୍ତେ ହୋଇ ଏକମେଳ ।
ଏଥୁ ଅନନ୍ତରେ ବିଭା ଲଗ୍ନବେଳ ହୁଏ
ଅଷ୍ଟରତ୍ନ ବେଦୀପରେ ବିଜେ ଦେବରାୟେ ।
ରତ୍ନ କୋମଳ ଆସନେ ପୂର୍ବମୁଖ କରି
ବେଦୀର ପଶ୍ଚିମ ଭାଗେ ବିଜେ ଦେବହରି ।
ବାମ ଡାହାଣେ ବସିଲେ ରାମ ଉଗ୍ରସେନ
ପାରୁଶେ ବେଢ଼ି ଅଛନ୍ତି ଯାଦବ ସଇନ୍ୟ ।
ବଳଦେବ ବିଜେ ବେଦୀ ଅଇଶାନ୍ୟ ଭାଗେ
ସରଥ ଷଡ଼ କୁମର ବସିଲେ ତା ଲାଗେ ।
ସାତ୍ୟକି ଯେ ଅନାଧୃଷ୍ଟ ଅକ୍ରୁର ଉଦ୍ଧବ
ଶତଧନୁ ଆଦିକରି ସକଳ ଯାଦବ ।
କୃପାଚାର୍ଯ୍ୟ ଭୂରିଶ୍ରବା ରାଜା ବୃହତ୍ସେନ
ସମସ୍ତେ ବସିଲେ ବେଦୀ ଈଶାନ କୋଣେଣ ।
ବେଦୀ ପୂର୍ବଭାଗେ ଶକ୍ରାଜିତ ନରପତି
କଟକ ମାଡ଼ି ବସିଲେ ବେଦୀ ପୂର୍ବ କତି ।
ନଇର୍ଋତେ କୋଣେ ବିଜେ କଲେକ ବରୁଣ
ଇନ୍ଦ୍ର କୁବେର ଆବର ବେଦୀର ଈଶାନ ।
ଅଗ୍ନିକୋଣେ ବିଜେ କଲେ ଦେବ ବୈଶ୍ୱାନର
ବାୟବ୍ୟ କୋଣେ ରହିଲେ ବ୍ରହ୍ମାଙ୍କ କୁମର ।
ଊର୍ଦ୍ଧ୍ୱେ ଈଶ୍ୱର ବସିଲେ ଆସନେକ ମାଡ଼ି
ଅଲେଖ ମନ୍ତ୍ର ଜପନ୍ତି ମନଦଣ୍ଡ ଚଢ଼ି ।
ବୁଧ ଶୁକ୍ର ବୃହସ୍ପତି ତିନିକାଳଜ୍ଞାତା
ସୁବର୍ଣ୍ଣ ବେଦୀରେ ବିଜେ ସକଳ ଦେବତା ।
ବେନିତାଳ ଉତ୍ସର୍ଗ ସେ ପ୍ରତି ସସ୍ରତାଳ
ତେଣୁ ସେ ବେଦୀ ଉପରେ ବସଇ ସକଳ ।
ସେ ବେଦୀରେ ବିଜେକଲେ ନାରାୟଣ ରାୟେ
ପାରୁଶେ ବେଢ଼ି ଅଛନ୍ତି ସର୍ବ ଦେବତାଏ ।
ଆପେ ବରବେଶ ହୋଇ ବିଜେ ଚକ୍ରଧର
ପିନ୍ଧିଲେ ବରଣ ଖଦି ହୋଇ ବଟୂକର ।
ଲୋଚନେ କଜ୍ଜ୍ୱଳ ରଞ୍ଜୁ ଦିଶିଲାକ ଶୋଭା
କ୍ଷୀର ସମୁଦ୍ର ଭିତରେ ଯେହ୍ନେ ନାଗପ୍ରଭା ।
କର୍ଣ୍ଣାଞ୍ଚଳ ଯାଏ ଲାଗିଅଛି କଳାରେଖା
ନୀଳ ପର୍ବତରେ ଯେହ୍ନେ ଆର୍ଦ୍ରାବଳି ଲେଖା ।
ହଳଦୀ ତେଲ ଶରୀରେ ଲେପନ କରନ୍ତି
ଉଇଁଲା ମର୍କତ ପ୍ରାୟ ଦିଶଇ ସେ ଜ୍ୟୋତି ।
ହସ୍ତେ ଅସରଳା ସୂତା ପାଦେ ଲାକ୍ଷା ବୋଳି
ଗୀତ ଗାଇ ନାରୀମାନେ ଦ୍ୟନ୍ତି ହୁଳୁହୁଳି ।
ଅହିଅ ସୁଲକ୍ଷଣୀ ସେ ଯାଦବଙ୍କ ନାରୀ
ସେ କାମିନୀଏ ବନ୍ଦାନ୍ତି ଧରି ଅର୍ଘ୍ୟସ୍ଥାଳି ।
କର୍ପୂର ଘୃତ ବଳିତା ଦିବ୍ୟଗନ୍ଧ ଜ୍ୟୋତି
ସମସ୍ତେ ଉତ୍ସୁକ ହ୍ୱନ୍ତି ଯେ ଯାହାର ମତି ।
ସମସ୍ତେ କ୍ରୀଡ଼ା କରନ୍ତି ଯେ ଯାହାର ମତେ
ଅର୍ଘ୍ୟ ବନ୍ଦାନ୍ତି ଆନନ୍ଦେ ନାରୀମାନେ ଯେତେ ।
ଗନ୍ଧର୍ବଗଣ ଯେତେକ ଛାଡ଼ି ସବୁ କ୍ରୀଡ଼ା
ହଳଦୀ ଉତ୍ସବେ ମାତି ତେଜି ମନୁ ବ୍ରୀଡ଼ା ।
ଏକବର୍ଣ୍ଣ ଦିଶନ୍ତି ସ୍ତ୍ରୀ ପୁରୁଷ ସକଳ
ହାଟ ବାଟ ଦାଣ୍ଡ ଘାଟେ ହଳଦୀର ଗୋଳ ।
ବ୍ରହ୍ମାଆଦି ଋଷି ଏକ ଆସନରେ ଥିଲେ
ପ୍ରେମର ଭୋଳେ ହଳଦୀ କ୍ରୀଡ଼ା ଚୌଠି କଲେ ।
ବ୍ରହ୍ମା ପାଚିଲା ଦାଢ଼ିରେ ହଳଦୀର ରସ
ପର୍ବତ ପରେ ସୁବର୍ଣ୍ଣ କୁଢ଼ର ସଦୃଶ ।
ଶୁଣ ପରୀକ୍ଷ ରାଜନ ଭଣି ଶୁକଯତି
ହରିବଂଶେ କୃଷ୍ଣ ସତ୍ୟଭାମା ବିଭା ରୀତି ।
ନବ ବ୍ରହ୍ମାଙ୍କୁ ସଙ୍ଗତେ ଘେନି ବେଦବର
ଆସନ ମାଡ଼ି ବସିଲେ ତହିଁ ଧାତିକାର ।
ବସିଲେ ଆଚାର୍ଯ୍ୟ ବରଣରେ ପଦ୍ମଯୋନି
ଦେବଋଷି ରାଜଋଷି ନାଗଋଷି ଘେନି ।
ବେଦ ପୋଥି କୁଶ ବିଡ଼ି ମନ୍ତ୍ରମାନ ପଢ଼ି
ହସ୍ତ ଦଣ୍ଡ କମଣ୍ଡଳୁ ବଟୁ କୁଶ ମୋଡ଼ି ।
ତୁଳସୀ ରୁଦ୍ରାକ୍ଷମାଳ ଲମ୍ବି କଣ୍ଠତଟେ
କନ୍ଧରେ ଯଜ୍ଞ ପଇତା ଉତ୍ତରୀ ପ୍ରକଟେ ।
ଶ୍ରୀଅଙ୍ଗେ ଶୋଭା କପାଳେ ଦ୍ୱାଦଶ ଯେ ଚିତା
ପୁଷ୍କର ବେଦକରାଣ୍ଡି କାଖେ ବ୍ରହ୍ମବେତ୍ତା ।
ବୃହତସାମ ଗାୟନ କଲେ ବେଦବର
ଆଚାର୍ଯ୍ୟ ବରଣ ପାଇ ବସିଲେ ବେଦୀର ।
ମଙ୍ଗଳ ବାଞ୍ଛା କଲେ ସେ ପଞ୍ଚପୂଜା ସାରି
ନାନ୍ଦୀଶ୍ରାଦ୍ଧ ବାଢ଼ିଲେ ସେ ଶାଖା ଅନୁସରି ।
ତଦନ୍ତେ ସତ୍ୟଭାମାକୁ ବସାଇଲେ ଆଣି
ବ୍ରହ୍ମା ଉଚ୍ଚାରିଲେ ଦେଶ କାଳ ବାକ୍ୟ ପୁଣି ।
ଇଦଂ ପ୍ରତିବାକ୍ୟ ଶୁଣ ଶୁକମୁନି କହି
ପରୀକ୍ଷ ରାଜା ପବିତ୍ର ଅଟୁ ପୁଣ୍ୟଦେହୀ ।
ପବିତ୍ର ଏ ସତ୍ୟଭାମା ବିଭା ପୁଣ୍ୟବିଧି
ପଢ଼ନ୍ତେ ଶୁଣନ୍ତେ ହେବ ସର୍ବକାର୍ଯ୍ୟ ସିଦ୍ଧି ।
ଆପଣେ ବ୍ରହ୍ମା ଯେ କୁଳଗୋତ୍ର ଉଚ୍ଚାରିଲେ
ଲକ୍ଷ୍ମୀ ନାରାୟଣ କରେ କୁଶକୁ ବାନ୍ଧିଲେ ।
ଡାହାଣ ବର୍ତ୍ତକ ଶଙ୍ଖ ଜଳତିଳ ଭରି
ବ୍ରହ୍ମା ଆଜ୍ଞାଦେଲେ ଶକ୍ରାଜିତ କରେ ଧରି ।
ସତ୍ୟଭାମା ବିଭାପାଇଁ ଉତ୍ତମ ଯେ ଦ୍ରବ୍ୟ
ଯାହା ସଞ୍ଚିତ ଥିଲା ଯେ ଯଉତୁକ ସର୍ବ ।
ଶୁଣିଣ ତା ଶକ୍ରାଜିତ ହରଷ ହୋଇଲେ
କୋଟିଏ ସୁବର୍ଣ୍ଣ ଶଙ୍ଖେ ଜଳ ଭରିଦେଲେ ।
ଅଷ୍ଟରତ୍ନ ଆଦିକରି ସ୍ଥାବର ସହିତେ
ଦାସଦାସୀ ସହିତରେ ଉପଦ୍ରବ୍ୟ ଯେତେ ।
ଦଶବତାର ହରିଙ୍କ ସତ୍ୟ ମନାଇଲେ
ଗୁଣକରେ ମାନ୍ୟକରି ସସ୍ରଗୁଣ ଦେଲେ ।
କହନ୍ତେ ଶେଷ ନୋହିବ ସତ୍ୟଭାମା ବିଭା
ଦିଗପାଳ ଦେବତାଏ ବସିଛନ୍ତି ସଭା ।
ଯେ ଯାହାର ଅନୁରୂପେ ସକଳ ଉତ୍ସୁକ
ଲକ୍ଷ୍ମୀ ନାରାୟଣେ ସେହୁ ଦିଅନ୍ତି ଯୌତୁକ ।
ଦେବକୀ ଶ୍ରୀ ଇନ୍ଦୁମତୀ ଯେତେ ନାରୀଗଣ
ବନ୍ଦାପନା କରନ୍ତି ସେ ହୋଇ ତନମନ ।
କିନ୍ନରୀଗଣେ ସ୍ୱର୍ଗରୁ କଲେ ପୁଷ୍ପ ବୃଷ୍ଟି
ଅତିଅନ୍ତ ଶୋଭାବନ ଦିଶେ ନବସୃଷ୍ଟି ।
ଅମର ଦୁନ୍ଦୁଭି ବାଦ୍ୟ ଶୁଭେ ଚଉପାଶେ
ହାହା ହୁହୁ ଗନ୍ଧରବେ ଗାଈ ଗୀତରସ ।
ଢାଳ କଂସାଳ ମୃଦଙ୍ଗ ବାଦ୍ୟ ଅଳାବେଣୀ
ନାନରଙ୍ଗରେ ନାଚନ୍ତି ସର୍ବ ବିଳାସିନୀ ।
ମଙ୍ଗଳ ମହୁରୀ ଭେରୀ ସୁଲଳିତ ଧ୍ୱନି
ଶୋଭାରେ ପରପୂର୍ଣ୍ଣ ଯେ ସକଳ ମେଦିନୀ ।
ଲକ୍ଷ୍ମୀ ନାରାୟଣଙ୍କର ବିବାହ ମଙ୍ଗଳ
କୁଶଗ୍ରନ୍ଥି ଫିଟିଲାକ ଚୌଦ ଦଣ୍ଡ ବେଳ ।
ଚାରିଦିଗରେ ବ୍ରାହ୍ମଣ ଅତି ଯତ୍ନକରି
କୁଶଗ୍ରନ୍ଥି ଫିଟାଇଲେ ନାଡ଼େ ନାଡ଼େ ଧରି ।
ଶକ୍ରାଜିତଙ୍କ ଆଜ୍ଞାରେ ଅଈଲେ କାମିନୀ
ଏକାସନେ ବସାଇଲେ ବର କନ୍ୟା ବେନି ।
ଜୟଶବ୍ଦ ଉଚ୍ଚାରନ୍ତି ସର୍ବ ସ୍ୱର୍ଗବାସୀ
ମଙ୍ଗଳ କାମନା କଲେ ସମସ୍ତ ମହର୍ଷି ।
ତହୁଁ ଶକ୍ରାଜିତ ଉଠି ମହାସନ ଛାଡ଼ି
ବେଦୀରେ ଉଭା ହୋଇଲେ କରପତ୍ର ଯୋଡ଼ି ।
ବୋଇଲେ ଗଣଗନ୍ଧର୍ବ ବସିଛି ଏଠାଇଁ
କୃଷ୍ଣେ ଶରଣ ପଶିଲି କନ୍ୟାଗୋଟି ଦେଇ ।
ମେଦିନୀର ମହାଭରା ନିବାରିବା ଅର୍ଥେ
ଦ୍ୱାପରରେ ନରତନୁ ବହି ଜଗନ୍ନାଥେ ।
ମହାପାତକ ନାଶିଲି କାର୍ଯ୍ୟ ହେଲା ସିଦ୍ଧି
ନିର୍ବାଣ ମୁକ୍ତି ପାଇଲି ହ୍ୱନ୍ତେ ପରଂବୁଦ୍ଧି ।
ମୋର କନ୍ୟା ସତ୍ୟଭାମା ଉଦ୍ଧାରିଲେ ବଂଶ
କୋଟିଏ ଜନମ ପାପ ହେଲା ସବୁ ଧ୍ୱଂସ ।
ମୁହିଁ ଛାର ମର୍ତ୍ତ୍ୟପୁରେ ଜନମ ହୋଇଲି
ନାରାୟଣଙ୍କୁ ମୁଁ ଚର୍ମ ନୟନେ ଦେଖିଲି ।
ଏ ମୋର କରେ ଥୋଇଲି ତାଙ୍କର ଚରଣ
ଅଙ୍ଗରୁ ମହାପାତକ ହୋଇଲା ଖଣ୍ଡନ ।
ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବସିଛନ୍ତି ସଭା
ଏଥିରୁ ବଳି ପୁଣ୍ୟ ମୁଁ ଅରଜିବି କିବା ।
ଏତେ ବୋଲି ଶକ୍ରାଜିତ ବୀର ଚୂଡ଼ାମଣି
ସଭା ଲୋକଙ୍କୁ ପ୍ରଣାମ କରେ ପୁଣି ପୁଣି ।
ଶୁଣିଣ ସାନନ୍ଦ ହେଲେ ଦିକ୍ପାଳ ସକଳ
ଆନନ୍ଦେ ଉସତ ହେଲେ ସର୍ବ ଯଦୁବଳ ।
ଶକ୍ରାଜିତେ ଚାହିଁ କରି ବୋଇଲେ ଶ୍ରୀହରି
ପ୍ରତ୍ୟକ୍ଷେ ଲକ୍ଷ୍ମୀ ତୋହର ଘରେ ବିଜେ କରି ।
ମାନବ ନୋହୁ ତୁ ଦିଗପାଳ ସଙ୍ଗେ ସରି
ଆମ୍ଭ ପ୍ରିୟବତୀ ଅଟେ ତୁମ୍ଭର କୁମାରୀ ।
ଏତେକ ବୋଲି ଉଠିଲେ ଦେବ ନାରାୟଣ
ପ୍ରଣମିଲେ ଯାଇ ଶକ୍ରାଜିତଙ୍କ ଚରଣ ।
ଶକ୍ରାଜିତଙ୍କୁ ଶ୍ରୀକୃଷ୍ଣ କଲେ ନମସ୍କାର
ଭକ୍ତିଭରେ ସାଷ୍ଟାଙ୍ଗରେ ନମି ବାରମ୍ବାର ।
ଶକ୍ରାଜିତ ବୋଇଲେକ କହିବି ମୁଁ କିସ
ସନାତନ ପୁରୁଷ ତୁ ଅଟୁ ଜଗଦୀଶ ।
ମୁହିଁ ହୀନ ପାମର ଯେ ନାହିଁ ମୋର ଜ୍ଞାନ
ଦୁହିତା ଗୋଟି ଦେଇଁଣ ପଶିଲ ଶରଣ ।
ଅନେକ ଯତନ କରି ତାକୁ ପାଳିଥିଲି
ଦୋଷାଦୋଷ ତାହାର ଯେ କ୍ଷମିବ ବୋଇଲି ।
ଜଗବନ୍ଧୁଙ୍କ ସଙ୍ଗରେ କଲି ମୁହିଁ ଭାବ
ନିର୍ବାଣ ମୁକ୍ତି ଲଭିବି ଏ ଜନମେ ଧ୍ରୁବ ।
କେବଳ ଏତିକି ମାଗେ ଆହେ ଦେବସ୍ୱାମୀ
ସତ୍ୟାକୁ ମୁଁ ଦେଇଥିଲି ସ୍ୟମନ୍ତକ ମଣି ।
ମଣି ଦେଇ ସମର୍ପିଲି ମୋହର ଦୁଲଣୀ
ସତ୍ୟଭାମା ଦୋଷକ୍ଷମା କରିବ ଭୋ ସ୍ୱାମୀ ।
ଶୁଣିକରି ଜଗନ୍ନାଥ ହେଲେ ହର୍ହସିତ
ଶକ୍ରାଜିତ ରାଜାଙ୍କୁ ସେ କରି କୋଳାଗ୍ରତ ।
ପ୍ରଫୁଲ୍ଲ ବଦନ ଗୋଟି ଟାଙ୍କେ ରୋମାବଳି
ଶ୍ୱଶୁରଙ୍କୁ ମାନନା ଯେ କରି ବନମାଳୀ ।
ବଳରାମ ଉଗ୍ରସେନ ବସୁଦେବ ସହ
ଶକ୍ରାଜିତେ ମାନ୍ୟ କଲେ ହୋଇ ମାୟାମୋହ ।
ଶୁଣ ଆହୋ ପରୀକ୍ଷିତ ଭଣି ଶୁକମୁନି
ଅତିଭାଗ୍ୟେ ଭାଗବତ ପୁରାଣର ଧ୍ୱନି ।
ସରିଲା ବିବାହ ବିଧି ସର୍ବେ ଛନ୍ତି ବସି
ଶକ୍ରାଜିତ ଆଗେ ମଣି ଥୋଉ ହୃଷୀକେଶୀ ।
ଶକ୍ରାଜିତ କରେ ହରି ମଣି ଦେଲେ ନେଇ
ବୋଇଲେ ଏହି ମଣିଟି ଥାଉ ତୁମ୍ଭେ ତହିଁ ।
ଏସନକ ଆଜ୍ଞା ଦେଲେ ପ୍ରଭୁ ଭାବଗ୍ରାହୀ
ସେହି ମଣିର ପ୍ରସ୍ତାବ ଏମନ୍ତ ଅଟଇ ।
ଦେଖିକରି ସଭାଜନେ ଲଭିଲେ ସନ୍ତୋଷ
ଶୁଣି ତହୁଁ ଶକ୍ରାଜିତ ହୋଇଲେ ହରଷ ।
କହନ୍ତେ ନ ସରେ ସତ୍ୟଭାମା ବିଭା କଥା
ଅଦୃଷ୍ଟ ଅଶ୍ରୁତ ଅଟେ ଅସମ୍ଭବ ବାର୍ତ୍ତା ।
ଋଷିମାନେ ସମସ୍ତେ ହିଁ ହୋମଯଜ୍ଞ ସାରି
ନାରାୟଣ ଉଭା ଛନ୍ତି ମନ ତୁଷ୍ଟି କରି ।
ହସ୍ତ ପ୍ରସାରିଣ ଚରୁଅନ୍ନକୁ ଭୁଞ୍ଜିଲେ
ରତ୍ନାଞ୍ଜଳି ଦେଇ ଅଗ୍ନିଦେବ ସ୍ତୁତି କଲେ ।
ସୂର୍ଯ୍ୟାବଲୋକନ କରି ଅନ୍ତଃପୁରେ ପଶି
ଉଚ୍ଚସ୍ୱରେ ଦେବଗଣେ ଜୟ ଜୟ ଭାଷି ।
ସତ୍ୟଭାମାଙ୍କର କର ଧରି ନାରାୟଣ
ପ୍ରବେଶ ହୋଇଲେ ପ୍ରଭୁ ନବର ଦ୍ୱାରେଣ ।
ତ୍ୱରିତେ ସୁଭଦ୍ରା ଆସି ଓଗାଳିଲେ ବାଟ
ଆଡ଼ ହୁଅ ବୋଲିକରି ଭଣି ନନ୍ଦଚାଟ ।
କୋଳକରି ସତ୍ୟଭାମା ତାଙ୍କୁ ବୋଧ କଲେ
ବିନୟ ବାକ୍ୟରେ ପୁଣି ବ୍ରହ୍ମା ପ୍ରବୋଧିଲେ ।
ରଙ୍ଗପାଟ ପତନୀ ଯେ ସସ୍ରଖଣ୍ଡ ଶାଢ଼ୀ
ରଙ୍ଗ ଶୁକ୍ଳକଳା ଆଦି ଭିନ୍ନେ ଭିନ୍ନେ ଧାଡ଼ି ।
ଆହୁରି ଅନେକ ଦ୍ରବ୍ୟ ଉପହାର ଦେଲେ
ଅନ୍ତଃପୁର ମଧ୍ୟେ ଯାଇ ପ୍ରବେଶ ହୋଇଲେ ।
ଏକ ଆସନେ ବସିଣ କଲେ ପଞ୍ଚଗ୍ରାସ
ଭୋଜନାନ୍ତେ ଅଚାମନ ସାରି ହୃଷୀକେଶ ।
ଆଦିତ୍ୟ ଅସ୍ତ ହୁଅନ୍ତେ ପ୍ରବେଶ ରଜନୀ
ମନ୍ଦିରେ ବିଜୟ କଲେ ପ୍ରଭୁ ଚକ୍ରପାଣି ।
ଟେରା ପଡ଼ନ୍ତେଣ ପରିବାରୀ ହେଲେ ଦୂର
ସତ୍ୟଭାମା ସହ ପହୁଡ଼ିଲେ ଚକ୍ରଧର ।
ଯେ ଯାହାର ଚରାଚର ଲାଗିଲେ ସମସ୍ତେ
ଅନେକ ସାନନ୍ଦ ତହିଁ ହେଲେ ଶକ୍ରାଜିତେ ।
ଚୌଠିକାଦି ଖେଳ ସାତ ମଙ୍ଗଳାଦି ସାରି
ସର୍ବେ ନିଶ୍ଚିନ୍ତେ ରହିଲେଲ ଦ୍ୱାରାବତୀ ପୁରୀ ।
ଦେବତାମାନେ ସମସ୍ତେ ଗଲେ ନିଜ ଦେଶ
ବିବାହ ଶେଷରେ ସର୍ବେ ଲଭିଲେ ସନ୍ତୋଷ ।
ଶ୍ରୋତା ବକତାଙ୍କୁ ଦୟା କରନ୍ତୁ ଶ୍ରୀହରି
ବିପ୍ରଙ୍କୁ ଦକ୍ଷିଣା ଦିଅ ନରେ ଶୁଣିକରି ।
ଯେବଣ ଶାସ୍ତ୍ର ଶୁଣନ୍ତେ ପରମାତ୍ମା ତୋଷ
ତହିଁକି ଉପମା ଅବା ଦେବଇଁ ମୁଁ କିସ ।
ଶୁଣ ପରୀକ୍ଷ ସମ୍ବାଦ ଶ୍ରୀହରି ଚରିତ
ଶଏ ସତୁରୀ ଅଧ୍ୟାୟ ହେଲା ସମାପତ ।
ନମସ୍ତେ ହେ ନାରାୟଣ ଲକ୍ଷ୍ମୀଦେବୀ କାନ୍ତ
ଶ୍ରୀବତ୍ସ କୌସ୍ତୁଭଧାରୀ ଶତଦଳ ନେତ୍ର ।
କର୍ଣ୍ଣରେ କୁଣ୍ଡଳ ଶିରେ କିରୀଟ ଶୋଭନ
ଅନାଥ ପ୍ରାଣୀର ବନ୍ଧୁଜଗତ ଜୀବନ ।
ସାରଦା ବଲ୍ଲଭ ସ୍ୱାମୀ ଲକ୍ଷ୍ମୀ ପ୍ରାଣନାଥ
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚଉହସ୍ତ ।
ଇନ୍ଦ୍ରାଦି ଦେବଙ୍କ ଛଳେ ନରତନୁ ଧରି
ପୃଥ୍ୱୀଭାର ନିବାରିଲେ ଦନୁଜଙ୍କୁ ମାରି ।
ଶାଲ୍ୱ ଦନ୍ତଚକ୍ର ବାଣ ବଜ୍ରନାଭ ମୂଳେ
ଅନେକ ଦୁଷ୍ଟଙ୍କୁ ବଧ କଲେ କୁତୂହଳେ ।
ଅଚିନ୍ତ୍ୟ ମହିମା ପ୍ରଭୁ ଅଟଇ ତୁମ୍ଭର
ମୁଁ କିସ ବର୍ଣ୍ଣିବ ତାହା ମନୁଷ୍ୟ ମାତର ।
ସବୁ ଛାଡ଼ି ତବ ପାଦେ ପଶିଲି ଶରଣ ।
ମୁଁ ଦୀନ ଅଚ୍ୟୁତ ମୋତେ କର ପରିତ୍ରାଣ ।