ତାରକାସୁର ବଧ — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିତୁମ୍ଭେ ନ ଜାଣ ମୋହର ବଳବନ୍ତପଣ
ବପୁଊଣା ବଚନକୁ କହ ଅକାରଣ ।
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଁ କରିପାରେ ଜୟେ
ଗଣ ଗର୍ନ୍ଧବ ଦେବତା କାକୁ ମୋର ଭୟେ ।
ଭବିଷ୍ୟ ବଚନମାନ କହି ବାରମ୍ବାର
ଅସମ୍ଭବ କଥାଗୋଟା ଭାଷା ମୁନିବର ।
ଆଜ ଜନ୍ମ ହେଲା ପୁତ୍ର କରିବଟି କିସ
ମାଗଣା କଥାକୁ ମୋତେ ଦେଉଅଛ ତ୍ରାସ ।
ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବିଷ୍ଣୁ ଜିଣି ରଣେ
ନବଦ୍ୱୀପ ସହିତରେ ବୁଲିବି ମୁଁ କ୍ଷଣେ ।
ସୁର ସିଦ୍ଧ ଦେବଙ୍କୁ ମୁଁ ଜିଣି ନିମିଷକେ
ସଂସାର ଭାର ବହିବି ନଗରେ ଏକାକେ ।
ଏତେ ବୋଲିକରି ବୀର ଛାଡ଼େ ସିଂହରଡ଼ି
ଶ୍ରାବଣ ମାସରେ ଯେହ୍ନେ ମେଘ ଘଡ଼ଘଡ଼ି ।
ସମୁଦ୍ର ମନ୍ଥନ ଧ୍ୱନି କିବା ବଜ୍ରପାତ
କମ୍ପିଲାକ ବସୁନ୍ଧରା ବ୍ରହ୍ମାଣ୍ଡ ସହିତ ।
ପୁଣି ତାରକା ଡାକଇ କରି ଘୋରଧ୍ୱନି
ଘୁଞ୍ଚିଗଲା ବସୁନ୍ଧରା ସ୍ୱର୍ଗ ମର୍ତ୍ତ୍ୟ ତିନି ।
ସ୍ୱର୍ଗ ଭୁବନକୁ ଶୁଭେ ସେହି ରଡ଼ିଧ୍ୱନି
ଦେଖି ଶଙ୍କା ପାଇଲେକ ସୁରସିଦ୍ଧି ମୁନି ।
ଗର୍ଜି ରେରେକାର କରି ମାରି ବାହାସ୍ଫୋଟ
ବିକଟ ଦନ୍ତକୁ ଚାପି କରେ ରଟମଟ ।
ପ୍ରଖର ନିଃଶ୍ୱାସ ବହେ ଅଣଚାଶ ପ୍ରାୟେ
ଉଡ଼ନ୍ତା ପକ୍ଷୀର ପ୍ରାୟେ ଟଙ୍କାରଇ କାୟେ ।
ପୁଣି ତାରକା ଡାକଇ କରି ଘୋରଧ୍ୱନି
ଘୁଞ୍ଚିଗଲା ବସୁନ୍ଧରା ସ୍ୱର୍ଗ ମର୍ତ୍ତ୍ୟ ତିନି ।
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ପଶେ ରଡ଼ିଧ୍ୱନି
ଚମତ୍କାର ପଡ଼ିଲା ଯେ ଏକଶବ୍ଦେ ପୁଣି ।
ସ୍ଥାବର ଜଙ୍ଗମ କୀଟ ପତାଙ୍ଗାଦି କରି
ସମସ୍ତେ ଜୀବନ ଶଙ୍କା ପାଇଲେ ଯେଝାରି ।
ସବୁରି କର୍ଣ୍ଣେ ସମ୍ଭାଏ ତାର ସିଂହରଡ଼ି
ଆଗହୁଁ ଜାଣିଅଛନ୍ତି ତାରକାର ଧାଡ଼ି ।
ଏସନକ ସିଂହରଡ଼ି ଦ୍ୟନ୍ତେ ପୁଣି ପୁଣି
ଏକାମ୍ର କାନନେ ଥାଇ କାର୍ତ୍ତିକେୟ ଜାଣି ।
କେବଣ ଦୈତ୍ୟର ରଡ଼ି ବିଚାରି ହୃଦ୍ଗତ
ପ୍ରତିଜ୍ଞା କରନ୍ତି ହରସୁତ ଅପ୍ରମିତ ।
ମୋର ଛାମୁରେ ଏଡ଼େକ କାହାର ଭରସା
ଅନଳେ ଝାସ ଦେଇଛି ଜୀବେ ନାହିଁ ଆଶା ।
ଏସନ ମନ ମଧ୍ୟରେ କରନ୍ତି ଭାଳେଣି
ଧାତିକାରେ ବୀରମୂର୍ତ୍ତି ଧରି ସିଂହଠାଣି ।
ନୟନକୁ ଅନ୍ତରାଳେ କରି ବକ୍ରଦୃଷ୍ଟି
ଦେଖିଲେ ଅଗ୍ରେ ପଡ଼ିଛି ବଜ୍ରଫିମ୍ଫି ଗୋଟି ।
ଦକ୍ଷିଣ କରେ ସାଉଁଟି ଘେନିଲେ କୁମର
ବାମହସ୍ତରେ ଯୋଚିଲେ ସେ ପନ୍ନଗାଶର ।
ଶବଦକୁ ଅନୁସରି ମହାମନ୍ତ୍ର ସ୍ମରି
ଛାଡ଼ିଦ୍ୟନ୍ତେ ଫିମ୍ଫିଶାର ଗଲା ବେଗକରି ।
ହସ୍ତରୁ ଶର ଫିଟିଣ ଅତିରୋଷେ ଧାଏଁ
ହୁଂକାର ଧ୍ୱନି କରିଣ ଅଧାସ୍ୱର୍ଗେ ଯାଏ ।
ସତୁରି ଯୋଜନ ମୋଟ ପର୍ବତେକ ଥିଲା
ବାଜିକରି ଫିମ୍ଫିଶର ତହିଁ ଚଳିଗଲା ।
ତିନିଶତ ଯୋଜନକୁ ଫୁଟିଗଲା ଶର
କେତେ ଗୃହ ଅଟ୍ଟାଳିକା ଦେଉଳ ଆବର ।
ବିଜୁଳି ଜ୍ୟୋସ୍ନା ପରାୟେ ଚଳିଲା ତକ୍ଷଣ
ତାରକାସୁର ଲଲାଟେ ପଡ଼େ ଯାଇ ବାଣ ।
ସିଂହାସନେ ବସିଥିଲା ତାରକା ଅସୁର
ପାତ୍ର ଅମନାତ୍ୟଗଣ ଅଛନ୍ତି ପାଶର ।
ନାରଦ ଆଦି କରିଣ ସର୍ବେଛନ୍ତି ବେଢ଼ି
କୋଟିଏକ ବଳ ଧନୁ ଆଗେ ଅଛି ପଡ଼ି ।
କୋଦଣ୍ଡ କାଣ୍ଡ ଖଣ୍ଡା ଯେ ବାଣ ତୀକ୍ଷ୍ଣଯଷ୍ଟି
ଛତିଶ ଲୌହଶର ଯେ ମୁନା କୋଟି କୋଟି ।
ଗଦା ମୁଦୁଗର ଶିଙ୍ଗା ଆଦି ପରିଖଣ୍ଡା
ଅନେକ ଆୟୁଧେ ଜିତା ସେ ଅସୁରଷଣ୍ଢା ।
ଦକ୍ଷିଣ ଖମ୍ବ ମାଡ଼ିଣ ହଂସୁଲିରେ ବିଜେ
କାଖେ ହସ୍ତନାଇ ଠିଆ ଅନେକ ପହିଜେ ।
ଅଶ୍ୱ ଗଜ ରଥ ପଦାତିକ ଅପ୍ରମିତ
ଆସ୍ଥାନ ତଳରେ ଉଭା ହୋଇଣ ସମସ୍ତ ।
ଭ୍ରୂଭଙ୍ଗି ଅବହେଳାରେ କରେ ଯେଣେ ବୃଷ୍ଟି
ଦେବତାଙ୍କର ଓଳଗି ପଡ଼େ କୋଟି କୋଟି ।
ପହିହାରୀମାନେ ଲୋକ କରିଦ୍ୟନ୍ତି ଦୂର
ବେଣୁ ବଇଁଶି ଛାମୁରେ ବାଜେ ନିରନ୍ତର ।
ବୀରଛତ୍ର ଶ୍ୱେତଛତ୍ର ମୁକ୍ତାଛତ୍ର କରି
ଛାମୁରେ ଉଭାରିଛନ୍ତି ଧରି କୋଟି ଚାରି ।
ଇଦଂ ପ୍ରତିବାକ୍ୟ ପୁଣି ଶୁକଦେବ କହି
ଶୁଣ ପରୀକ୍ଷ ରାଜନ ଅତି ପୁଣ୍ୟଦେହୀ ।
ଏସନେ ସିଂହାସନରେ ବିଜୟେ ଅସୁର
କୁମର ପେଷନ୍ତେ ତହୁଁ ଚଳେ ଫିମ୍ଫିଶର ।
ଗର୍ଜିଣ ପଡ଼ିଲା ଯାଇ ତାରକା ଲଲାଟେ
ତକ୍ଷଣେ ଲଲାଟୁ ଚଳିଗଲା ପିଠିବାଟେ ।
ବାଣ ଚଳିଗଲା କେହି ନ ପାରିଲେ ଦେଖି
ଆସ୍ଥାନରେ ଥିବାଲୋକେ ବୁଜିଦେଲେ ଆଖି ।
ସପତ ପାତାଳେ ଭେଦି ବାଣ ଗଲା ଚଳି
ଯାଇ ନିକିଳିଲା ସେହୁ ବ୍ରହ୍ମଲୋକ ସ୍ଥଳୀ ।
ତହିଁ ଫିମ୍ଫିବାଣ ଯାଇ ନିର୍ବଳ ହୋଇଲା
ଜୀର୍ଣ୍ଣ କୂପରେ ପଡ଼ିଣ ତହିଁ ଚଳିଗଲା ।
ଅସୁର ତରାଟି ଚାହିଁଅଛି ବିକରାଳି
ମଲା କି ଜୀଇଁଲା ବୋଲି ସର୍ବେ ତହିଁ ଭାଳି ।
ବିଜୁଳି ମତରେ ହୃଦୁଁ ପିଠକି ନିକିଳି
ଆତ୍ମା ବିସର୍ଜିଲା ରାଜା ପଡ଼ିଲାକ ଢଳି ।
ଯେବଣ ସ୍ଥାନରେ ବସିଥିଲା ଖମ୍ବ ମାଡ଼ି
ତହିଁ ଆଉଜିଣ ଦେହୁଁ ଜୀବ ଗଲା ଛାଡ଼ି ।
ମଥାରୁ ମୁକୁଟ ଖସି ପଡ଼େ ମହୀସ୍ଥଳୀ
କଣ୍ଠ କପାଳରୁ ଶ୍ରମଝାଳ ପଡ଼େ ଗଳି ।
କର ଚରଣମାନ ଯେ ରହି ଯେଝାଠାରେ
ନିଃଶ୍ୱାସ ନ ବହେ ଚକ୍ଷୁ ନ ପଡ଼େ ଅନ୍ତରେ ।
ଆଚମ୍ବିତ ମରଣ ଯେ ହେଲା ତାରକାର
ଦେଖିକରି ଲୋକମାନେ ହେଲେ ଚମତ୍କାର ।
କେ ବୋଲେ ଠାକୁରେ କିପାଁ ହୋଇଲେ ମଉନ
କେ ବୋଲେ ଶରୀର ଅବା ନାହିଁ ତାର ଜ୍ଞାନ ।
କେହୁ ବୋଲନ୍ତି ଅଛନ୍ତି ଅବା ନିଦ୍ରା ଯାଇ
ଥୋକେ ବୋଲନ୍ତି ନିଃଶ୍ୱାସ ମାତ୍ର ନ ବହଇ ।
କେ ବୋଲେ ଫୁଟା ଅଙ୍ଗୁଷ୍ଠି ଜୀବଗୋଟି ପାଉ
ଅଙ୍ଗେ ଜ୍ଞାନ ପଶୁ ବୋଲି ଚିମୁଟିଲେ କେହୁ ।
କେହି ବୋଲନ୍ତି ଆଲଟ ଧରି କରେ ବିଞ୍ଚ
ମୂର୍ଚ୍ଛା ଯାଇଛନ୍ତି ଅବା ମୁଖେ ପାଣି ସିଞ୍ଚ ।
କହୁଁ କହୁଁ ରକ୍ତଧାର ବହେ ଫିମ୍ଫିଦ୍ୱାରେ
ଦେଖିଲେ ଘାଆ ହୋଇଛି ଲଲାଟ ପଟରେ ।
ସମସ୍ତଙ୍କୁ ସନ୍ଦେହ ଯେ ଲାଗେ ସେହିକଥା
ଥୋକାଏ ଲୋକମନକୁ ଲାଗିଲାକ ବ୍ୟଥା ।
ଥୋକେ ବୋଲନ୍ତି ଏ କଥା ବଡ଼ ଅସମ୍ଭବ
ଶ୍ରବଣେ ଶୁଣନ୍ତି ନାହିଁ ଅତ୍ୟନ୍ତ ଦୁର୍ଲ୍ଲଭ ।
ଯେବଣ ତାରକା କ୍ଷତ୍ରି ମଧ୍ୟେ ବୀରମଣି
ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ କ୍ଷଣେ ପାରି ଜିଣି ।
ରାଜାଧିରାଜନ ବୀରବର ଶିରୋମଣି
ନିମିଷକେ ପାରେ ତ୍ରଇଲୋକ୍ୟଯାକ ଜିଣି ।
ଏଡ଼େ ବଡ଼ ରାଜା ଦେଲା ଅଖଡ଼ରେ ପ୍ରାଣ
କେହୁ ବୋଲଇ ଏ କଥା ତଥ୍ୟ କରି ଜାଣ ।
ଆମ୍ଭମାନଙ୍କର ମନ ବିଡ଼ିବାର ପାଇଁ
ମଦ୍ୟପାନେ ନିଶ୍ଚିନ୍ତରେ ଛନ୍ତି ନିଦ୍ରାଯାଇ ।
କେହୁ ବୋଇଲେ ଏ କଥା ଅଟଇ ନିଶ୍ଚୟ
ତାରକାସୁର ତ୍ରୈଲୋକ୍ୟ ମଧ୍ୟରେ ଅଜେୟ ।
ଫିମ୍ଫିର ଦୁଆରୁ ରକ୍ତ ବହେ ବେନି ଆଡ଼
କେହି ବୋଲଇ କପାଳେ ଦେଖ ହେ ଘାଉଡ଼ ।
ପିଛଡ଼ା ନ ଚଳଇ ଯେ ନିଃଶ୍ୱାସ ନ ବହେ
ନିଶ୍ଚୟେ ତାରକାସୁର ଗଲା ଜାଣ କ୍ଷୟେ ।
ଏତେ ବୋଲିଣ ସକଳେ କରନ୍ତି ରୋଦନ
ତହୁଁ ନାରଦ ମହର୍ଷି ହେଲେ ଅନ୍ତର୍ଦ୍ଧାନ ।
ତାରକା ମଲା ଜାଣିଲେ ସ୍ୱର୍ଗେ ପରମେଷ୍ଠୀ
ଅମର ଦୁନ୍ଦୁଭି ବାଇ କଲେ ପୁଷ୍ପବୃଷ୍ଟି ।
ସ୍ୱର୍ଗଭୁବନକୁ ସର୍ବେ ଯାଇଥିଲେ ଛାଡ଼ି
ଦେବତାମାନେ ବସିଲେ ଆସି ସ୍ଥାନ ମାଡ଼ି ।
ମେଘମାନେ ମିଳି କଲେ ଯେ ଯାହାରେ ବୃଷ୍ଟି
ସଂପୂର୍ଣ୍ଣରେ ଶସ୍ୟ ପୂର୍ଣ୍ଣ ହେଲା ନବସୃଷ୍ଟି ।
ବ୍ରାହ୍ମଣେ ଆଚାରେ କଲେ ପଢ଼ି ଚାରିବେଦ
ଅକଣ୍ଟକ ରାଜ୍ୟକଲେ ସ୍ୱର୍ଗରେ ଦେବେନ୍ଦ୍ର ।
ଏସନ ବାରତା ଘେନି ବ୍ରହ୍ମା ବେଗେ ଗଲେ
କପିଳାସ କନ୍ଦରରେ ପ୍ରବେଶ ହୋଇଲେ ।
ଦେଖିଲେ ଉମା ମହେଶ ସୁଖେ ଛନ୍ତି ବସି
ସ୍ତୁତି କରି ଅଗ୍ରତରେ ବ୍ରହ୍ମା ମିଳେ ଆସି ।
ତା ଦେଖି ହର ପାର୍ବତୀ ଆଶ୍ୱାସନା କଲେ
କୁଶଳ ବାରତାମାନେ ତାହାଙ୍କୁ ପୁଚ୍ଛିଲେ ।
ବେଦବର ବୋଇଲେ ହେ ଶୁଣ ବିଶ୍ୱନାଥ
ଷଡ଼ାନନ ପୁତ୍ର ତୋର ମର୍ତ୍ତ୍ୟେ ହେଲା ଜାତ ।
ବାଳୁତ ବୟସେ ଚନ୍ଦ୍ର ସୂର୍ଯ୍ୟଙ୍କୁ ଧଇଲା
ଫିମ୍ଫି ପ୍ରହାର କରିଣ ତାରକା ନାଶିଲା ।
ଏକାମ୍ର କାନନେ ବିନ୍ଦୁ ସାଗରର କୂଳ
ତହିଁ ଜନ୍ମିଅଛି ତୋର ଯେବଣ ହିଁ ବାଳ ।
ଶୁଣିଣ ଉମା ମହେଶ ହୋଇ ତୋଷଚିତ୍ତ
ନନ୍ଦୀ ଭୃକୁଟିକୁ ପାଶେ ହକାରି ତ୍ୱରିତ ।
ବିଳମ୍ବ ନ କରି ତୁମ୍ଭେ ଚଳ ଏହିକ୍ଷଣ
ଏକାମ୍ର କାନନୁ ମୋର କୁମରକୁ ଆଣ ।
ଆଜ୍ଞା ପାଇକରୀ ନନ୍ଦୀ ଭୃକୁଟିଏ ଦୁଇ
ତକ୍ଷଣେ ଏକାମ୍ର ବନେ ମିଳିଲେକ ଯାଇଁ ।
କୁମାରକୁ ଭେଟିଲେ ସେ ବିନ୍ଦୁସର କୂଳ
ଶମ୍ଭୁଙ୍କର ଆଜ୍ଞା ବୋଲି କହନ୍ତି ସକଳ ।
ଶୁଣିଲେ କୁମରମଣି ପିତାଙ୍କ ବଚନ
କପିଳାସ କନ୍ଦରକୁ ଚଳିଲେ ତକ୍ଷଣ ।
ନନ୍ଦୀକି ହକାରି ବୋଇଲେକ ଶିବବାଳ
ଏକାମ୍ରକାନନେ ତୁହି ହୁଅ ରକ୍ଷାପାଳ ।
ସମୟେକ ରହି ତହିଁ ପାଅ ତୁହି ପୂଜା
ବିଳମ୍ବ ନ କରି ଏହିଠାରୁ ବେଗେ ଯା ଯା ।
ଏହା ଶୁଣିଣ ଚଳିଲେ ନନ୍ଦୀ ତତକ୍ଷଣି
ଅଷ୍ଟାଙ୍ଗ ଯୋଗରେ ଜିତା ହୋଇଲେ ସେ ପୁଣି ।
ଚତୁର୍ଦ୍ଦଶ ଭୁବନରେ ନନ୍ଦୀ ଅଧିପତି
ଚଉରାଶୀ ଖଣ୍ଡ ଜ୍ଞାନ ବସିଣ ସାଧନ୍ତି ।
ଭୃକୁଟୀ କାର୍ତ୍ତିକ ଯାଇ କପିଳାସେ ମିଳି
ଉମା ମହେଶ୍ୱର ଅଗ୍ରେ କଲେ ନିଉଛାଳି ।
ଶିବଗଣମାନେ ଦେଖି ସନ୍ତୋଷ ହୋଇଲେ
ଯେ ଯାହାରେ ମିଳି ସର୍ବେ ମାନ୍ୟ ବିଧିକଲେ ।
ରହିଲେ କୁମରମଣି ପିତାଙ୍କର କତି
ଶୁଣ ପରୀକ୍ଷ ରାଜନ ଭଣି ଶୁକଯତି ।
ଏଥୁ ଅନନ୍ତରେ ତହିଁ କେତେଦିନ ଯାଏ
କୁମାର ପୌର୍ଣ୍ଣମୀ ଦିନ ସଂକ୍ରମଣ ହୋଏ ।
ତଦନ୍ତରେ କାର୍ତ୍ତିକର ଶୁକ୍ଳ ଭୃଗୁବାର
ଉତ୍ତରାଷାଢ଼ା ନକ୍ଷତ୍ର ଅଟେ ସେ ଦିନର ।
ମାହେନ୍ଦ୍ର ନାମରେ ଯୋଗ ତୈତିଳକରଣ
କୁମାର ଦୋଳି ଶୁଆଣି ଦିନ ଆରୋପଣ ।
ଇନ୍ଦ୍ରାଦି ଯେତେକ ଦେବ ସ୍ୱର୍ଗପୁରବାସୀ
ସର୍ବେ ଉପହାର ଘେନି ମିଳିଲେକ ଆସି ।
ବ୍ରହ୍ମଋଷି ରାଜଋଷି ଦେବଋଷି ମେଳେ
ଚାରୁମୁଖୁଁ ବାର୍ତ୍ତାପାଇ ଅଇଲେ ସକଳେ ।
ଗନ୍ଧର୍ବ କିନ୍ନର ଆଦି ପିଶାଚାଦି ବଳ
ଦେବତା ଆଦି କରିଣ ମିଳିଲେ ସକଳ ।
ମରାଳ ଯାନେ ମିଳିଲେ ଆସି ବେଦବର
ଚାରମୁଖୁ ବାର୍ତ୍ତା ପାଇ ମିଳି ଯେ ଯାହାର ।
ପାର୍ବତୀ ପିତା ଅଟନ୍ତି ହିମହନ୍ତ ଗିରି
ଉପହାର ଦ୍ରବ୍ୟ ଘେନି ମିଳି ଶୀଘ୍ର କରି ।
ନାଗରାଜା ବାସୁକି ଯେ ବୈକୁଣ୍ଠରେ ଥିଲେ
ନାଗମାନ ଘେନି ସେହୁ ସତ୍ୱରେ ଅଇଲେ ।
ସନକ ସନାତନ ଯେ ବିଶ୍ୱଦେବା ମୁନି
ଅଙ୍ଗିରା ସହିତେ ଉର୍ଦ୍ଧ୍ୱରେତା ତପୋଧନି ।
ଶୁଭ ଅନୁକୂଳେ ଦୋଳି ଶୁଆଣି କରିଲେ
ବେଦଶାସ୍ତ୍ର ପ୍ରମାଣରେ ପୁତ୍ରନାମ ଦେଲେ ।
ଥୋକେ ବୋଇଲେ କାର୍ତ୍ତିକେ ହେଲେ ଯହୁଁ ଜନ୍ମ
ତେଣୁ କରି ହେଲା ଜାଣ କାର୍ତ୍ତିକେୟ ନାମ ।
ବ୍ରହ୍ମାଏ ବୋଇଲେ ଏହି ଅଟେ ନିରଞ୍ଜନ
ପୃଥିବୀର ଭାରାଭର କରିବ ଖଣ୍ଡନ ।
ଈଶ୍ୱର ଯାହାଙ୍କ ପିତା ପାର୍ବତୀ ଯା ମାତା
ବଳବନ୍ତ ଶିରୋମଣି ଭବିଷ୍ୟତ ଜ୍ଞାତା ।
ଏହାର ନାମଗୋଟି ଯେ କରିବ ସ୍ମରଣ
ସବୁକାଳେ ଯୁବାରୂପ ଥିବ ତାର ଜାଣ ।
କୁମାରଙ୍କର ଉପରେ ଅଟେ ଶିରୋମଣି
ଦ୍ୱିତୀ ନିରଞ୍ଜନ ଏହି ବ୍ରହ୍ମାଣ୍ଡ କାରେଣି ।
ଏତେ ବୋଲିଣ ସମସ୍ତେ କଲ୍ୟାଣ କରିଲେ
ଈଶ୍ୱର ଅର୍ଚ୍ଚନା କରି ଯେଝାପୁରେ ଗଲେ ।
ଛୟାଣୋଇ ରୁଦ୍ରଗଣ କଲେ ଶିବସେବା
ସେ କାଳର ଉତ୍ସବକୁ କିଏ କହିବ ବା ।
ଇତିଶିରୀ ହରିବଂଶ ବାଣୀ ପୁଣ୍ୟମୟେ
ଇଦଂ ଏକାଦଶ ଅଧ୍ୟା ସମାପତ ହୋଏ ।
ପବିତ୍ର ଶ୍ରୀହରିବଂଶ ପୁରାଣକୁ ଗୀତେ
ମୁକ୍ତିମାର୍ଗ ଦେଖାଇଲେ ସାଧୁଜନ ହିତେ ।
କଳିକାଳ କଳମଷ ଛେଦନ ଏ ଗ୍ରନ୍ଥ
ପଢ଼ି ଶୁଣି ପ୍ରାଣୀମାନେ ହୋଇଲେ ମୁକତ ।
ଅଶେଷ ବିଷ୍ଣୁପୁରାଣ ଆଦିଅନ୍ତ ନାହିଁ
ମାନବ ହୋଇଣ ଅବା କେ ପାରିବ କହି ।
ଜନ୍ମରୁ ମୁରୁଖ ମୁହିଁ ପଢ଼ିନାହିଁ ପାଠ
କେବଳ ସାରଦା ମୋତେ ଦେଖାଇଲେ ବାଟ ।
ତାଙ୍କ ଭର୍ତ୍ତା ଗୋପୀନାଥ ମୂର୍ତ୍ତିମନ୍ତ ହୋଇ
ପଦ ଉଚ୍ଚାରଣ ମୋତେ ଦେଉଛନ୍ତି କହି ।
ଦୃଢ଼ ବିଶ୍ୱାସରେ ମୁହିଁ ପ୍ରଭୁ ଆଜ୍ଞା ମାନି
ସେ ଯାହା କହନ୍ତି ତାହା ଲେଖେ ପତ୍ର ଘେନି ।
ତହିଁରେ କି ଅର୍ଥ ଅଛି ନ ଜାଣେ ମୁଁ ଲେଶ
ସୁଜ୍ଞାନୀ ଜନ ମୋହର ନ ଘେନିବ ଦୋଷ ।
ହରି ନାମ ବେନି ବର୍ଣ୍ଣ ଅଟେ ମହାମନ୍ତ୍ର
ସେ ମନ୍ତ୍ରରେ ପ୍ରତିଷ୍ଠିତ ହୋଇଛି ଏ ଗ୍ରନ୍ଥ ।
ଗ୍ରହପୀଡ଼ା ରିପୁ ଅଗ୍ନି ଚୌର ରାଜଭୟ
ଅରିଷ୍ଟ ଉତ୍ପାତ ମହାପାପ ଏଥେଁ କ୍ଷୟ ।
ପବିତ୍ର ବିଷ୍ଣୁ ପୁରାଣ ଏ ଯେ ହରିବଂଶ
ପଢ଼ନ୍ତେ ଶୁଣନ୍ତେ ଅଙ୍ଗ ପାଏଯାଏ ନାଶ ।
ସହସ୍ରେ ଜନ୍ମରେ କରୁ ଈଶ୍ୱରଙ୍କୁ ସେବା
ପ୍ରୟୋଗ ବଟରେ ଉଠି ଝାସଦେବା ଅବା ।
ଯଜ୍ଞ ଦାନ ବାରବ୍ରତ ତୀର୍ଥ ଆଦି କରି
ହରିବଂଶ ଶ୍ରବଣକୁ କେହି ନୋହେ ସରି ।
ସବୁ ଛାଡ଼ି ସାଧୁଜନେ ହରିନାମ ଘୋଷ
ଶ୍ରୀହରି ଚରଣ ଭୃତ୍ୟ ମୁଁ ଅଚ୍ୟୁତଦାସ ।
ବ୍ରହ୍ମାଙ୍କର ଉପଦେଶରେ ରତିର ତପସ୍ୟା
ଶୁକମୁନିଙ୍କୁ ପୁଚ୍ଛନ୍ତି ପରୀକ୍ଷ ନୃମଣିତାରକା ବଧ ଅନ୍ତରେ କୁହ ଆନ ବାଣୀ ।କାମଦେବ ଭସ୍ମ ହେଲା ମୁନିଙ୍କ କୋପରେରତିଦେବୀ ରହିଲେକ କେବଣ ପ୍ରକାରେ ।ଏକାମ୍ର କାନନେ କାମଦେବ ଭସ୍ମ ହେଲାରତିଦେବୀ କେଉଁପରି ଜୀବନ ରଖିଲା ।ରାଜାର ବଚନେ ବଦୟନ୍ତି ଶୁକଯତିଇଦଂ ବାକ୍ୟ ଶୁଣ ତୁମ୍ଭେ ଦ୍ରୌପଦୀର ନାତି ।ଯେତେବେଳେ କାମଦେବ ହେଲା ଭସ୍ମାକୃତିଯାଅ ବୋଲି ଆଜ୍ଞା ତାକୁ ଦେଲେକ ପାର୍ବତୀ ।କର୍ଣ୍ଣରେ ତମ୍ବାକୁଣ୍ଡଳ ମଥାରେ ତ୍ରିଜଟାବାହୁରେ ଅନନ୍ତ ଡୋର ମାଥେ ଚିତାଗୋଟା ।ତୁଳସୀ ରୁଦ୍ରାକ୍ଷମାଳ କଟିରେ କାଛଟିବିଭୂତି ଭୂଷଣ ହୋଇ ସର୍ବାଙ୍ଗେ ଯାକଟି ।ଏହିପରି ରତି ତପସ୍ୱିନୀ ବେଶ ହୋଇକୁଶବଟୁ ଭୁବନରେ ମିଳିଲାକ ଯାଇ ।ଖଣ୍ଡେଦୂରୁ ବ୍ରହ୍ମପାଦେ ଶୋଏ ଗଡ଼ଘାଲିଅସମ୍ଭାଳ ହୋଇ ଉଚ୍ଚେ ଛାଡ଼ଇ ବୋବାଳି ।ଭୋ ପିତା ଧର୍ମ ଲଙ୍ଘିଲୁ ତୋର ଭଳି ଲୋକତୁମ୍ଭ ହେତୁରୁ ବିନାଶ ହୋଇଲା କନ୍ଦର୍ପ ।ତୁମ୍ଭେ ସେ ଜଗତଯାକଙ୍କର ପିତାମହକିସ ପ୍ରତିକାର ଅଛି ମୋତେ ଏବେ କହ ।କନ୍ଦର୍ପ ପରାୟେ ଭର୍ତ୍ତା ହୋଇଲା ମୋ ନାଶଜୀବନରେ କିସ କାର୍ଯ୍ୟ ଦେବି ଅଗ୍ନି ଝାସ ।ତୁମ୍ଭପରି ପିତା ଅତି ପୁଣ୍ୟେ ପାଇଥିଲିକାର୍ଯ୍ୟ ନୋହିଲାତ କିଛି ଧ୍ୱଂସି ମୁଁ ହୋଇଲି ।ଯୁକତରେ ସ୍ତିରୀଲିଙ୍ଗ ଅଟେ ନବଯୁବାକେମନ୍ତେ ସହି ରହିବି କନ୍ଦର୍ପର ପ୍ରଭା ।ତୁମ୍ଭେ ତ ସର୍ବଜ୍ଞ କେଉଁ କଥା ବା ନ ଜାଣଭୂତ ଭବିଷ୍ୟତ ତିନିକାଳ କଥାମାନ ।ତୁମ୍ଭର ଦୁହିତା ହୋଇ ହେଲି ହୀନମାନିଇହ ପରଲୋକେ ମୁହିଁ ନୋହିଲି କାରେଣି ।ବ୍ରହ୍ମା ବୋଇଲେ ଗୋ ମାତ ନ କର ତୁ ଶୋକବିପତ୍ତି ପଡ଼ିଲାବେଳେ ଧରି ଧଇର୍ଯ୍ୟେକ ।ଦୁଃଖ ସୁଖ ପାପ ପୁଣ୍ୟ ଶରୀରରେ ହୁଏଜୀବ ଥିବା ପରିଯନ୍ତେ ତାହା ଘଟୁଥାଏ ।ଦଇବରେ ହେଲା ଯେବେ ଏଡ଼େ ମନ୍ଦକର୍ମତହିଁକି ନିସତ ହେଲେ ନାଶଯିବ ଧର୍ମ ।ମାଗୋ ପରକାର୍ଯ୍ୟେ ପ୍ରାଣ ଦେଲା ତୋର ପତିଲଭିଲା ବହୁତ ପୁଣ୍ୟ ଶୁଣ ମହାସତୀ ।ଅକ୍ଷୟ ଅଜରାମର ପୁଂସ କାମଦେବସେହୁ ନ ଥିଲେ ସଂସାର କିପରି ଚଳିବ ।କର୍ମର ଶୁଭାଶୁଭ ଯେ ପାପପୁଣ୍ୟ ଘେନିସମସ୍ତଙ୍କୁ ଲାଗେ ସିନା ମାଗୋ ଲାଭ ହାନି ।ଏବେ ସେହି କାମଦେବ ହୋଇଅଛି ନାଶଥୋକାଏ ଦିନ ଅନ୍ତରେ ପାଇବୁ ଅବଶ୍ୟ ।ତିନିମନୁର ଅନ୍ତରେ ହେବ ସତ୍ୟଯୁଗଏକସ୍ତରୀ ଗଣ୍ଡାଯୁଗ କରିବ ସେ ଭୋଗ ।ଦ୍ୱାରକାରେ ଅବତାର ହେବେ ଜଗନ୍ନାଥରୁକ୍ମିଣୀ ଗର୍ଭରୁ ମୀନକେତନ ସଂଜାତ ।ସେ ମୀନକେତନ ପ୍ରତ୍ୟକ୍ଷରେ କାମଦେବତାହାଙ୍କ ଯୋଗରୁ ତୋର ନିଶ୍ଚେଁ ଦୁଃଖ ଯିବ ।ଏବେ ମାଗୋ ତୁହି ମଞ୍ଚ ଭୁବନକୁ ଯାଅଜମ୍ବୁଦ୍ୱୀପ ଭ୍ରତଖଣ୍ଡ ଦେଶେ ରହିଥାଅ ।ବନଡିଙ୍ଗର ପର୍ବତେ ଯାଇଣ ତୁ ଥିବୁଢାଉରଙ୍ଗ ଗଛତଳେ ତପସ୍ୟା କରିବୁ ।ସାରାବତୀ କଟକର ଶମ୍ବର ନୃପତିଦେବ ଗନ୍ଧର୍ବଙ୍କୁ ତାର ନାହିଁ କିଛି ଭୀତି ।ଅନେକ ପ୍ରକାରେ ସେହୁ ବଳାଇବ ଆଶବହୁ ପ୍ରକାରେ କହିବ ତୋତେ ଚାଟୁଭାଷ ।ତୁହି ତାହା ବଚନକୁ ସଂପ୍ରତେ କରିବୁସାରାବତୀ କଟକକୁ ତାର ସଙ୍ଗେ ଯିବୁ ।କାଳବଳେ ପତି ସଙ୍ଗେ ହେବ ତୋର ଭେଟସେହି ଦିନରୁ ଫିଟିବ ମନର ସଙ୍କଟ ।ଆବର ବଚନ ତୋତେ କହିବା ବିଶ୍ୱାସଶମ୍ବର ଦେଖିଣ ମାଗୋ କାମେ ହେବ ନାଶ ।ମନ୍ତ୍ର ଗୋଟିଏ କହିବା ଯତ୍ନେ ରଖିଥିବୁମଦନ ବାଧା ଜ୍ୱାଳାରୁ ଉଦ୍ଧାର ପାଇବୁ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ଚାରିରକତ ମାଂସ ଶରୀର ଅଟଇ ସବୁରି ।ବିଶେଷରେ ସ୍ତିରୀଜାତି ଅଟୁ ତୁହି ଯେଣୁଆଗରୁ ଚିତ୍ତୋଇ ଏହା କହିଦେଲୁ ତେଣୁ ।ସୁରାସୁର ଦେବ ନର ଦେଖି ହେବେ ଭୋଳବିଡ଼ମ୍ବନା ହେଲେ ଝିଅ ନଷ୍ଟ ଯିବ କୁଳ ।ଆବର କଥାଏ ତୋତେ କହିବା ସୁକେଶିବିଧବା ହୋଇଣ ଥାଅ ମାତା ସଙ୍ଗେ ବସି ।ଦ୍ୱାପରେ ଲକ୍ଷ୍ମୀ ଗର୍ଭରୁ କାମ ହେବ ଜାତଆମ୍ଭେ ଥାଇ ବିଭା ତୋତେ କରିଦେବା ମାତ ।ରତି ବୋଲେ ଆହେ ତାତ ସ୍ତିରୀଦଶା ତିନିପାପ ପୁଣ୍ୟ ଆତଯାତ ହୁଅଇ ମେଦିନୀ ।ବାଲ୍ୟକାଳେ ପିତାମାତା ପ୍ରତିପାଳି ଭଲେଯୁବାକାଳେ ଦିନ ଯେହୁ ବଞ୍ଚେ ଭର୍ତ୍ତା କୋଳେ ।ବୃଦ୍ଧକାଳେ ପାଳନ ଯେ କରଇ କୁମରପୁଣ୍ୟବତୀ ନାରୀଚିହ୍ନ ଏମନ୍ତ ପ୍ରକାର ।ମୁହିଁ ବିଧବା ହୋଇଲି ଏବେ ଯୁବାକାଳେଏ ଜନ୍ମ ଗୋଟିକ ମୋର ଗଲାତ ନିଷ୍ଫଳେ ।କାମନାଶ ଗଲା ପୁତ୍ର ଜାତ ହେବ କାହୁଁସଂସାରେ କାହାର ମୁଖ ଚାହିଁବଇଁ ଆଉ ।କତର୍ଥିଣ ପାପ ଆତ୍ମା କରିବି ମୁଁ ତପଉଜାଣି ମନ ପବନ ଖଣ୍ଡିବଇଁ ପାପ ।ଶୁଣିକରି ପିତାମହ ସନ୍ତୋଷ ହୋଇଲେମନ୍ତ୍ର ଗୋଟିଏକ ରତି କର୍ଣ୍ଣେ କହିଦେଲେ ।କନ୍ୟାକୁ ଆପଣା ମନ୍ତ୍ରପୋଥି ଦେଲେ ଯାଚିବୋଇଲେ ଏ ପୁସ୍ତକର ସବୁବିଦ୍ୟା ଅଛି ।ବେଦ ବେଦନ୍ତାଦି ମୃତ୍ୟୁ ସଞ୍ଜିବନୀ ଯାଏନବ ନାଟକାଦି ବିଦ୍ୟା ଅଛି ଆଗୋ ମାଏ ।ଏତେ ବୋଲି ବ୍ରହ୍ମା ଦେଲେ ସେ ପୁସ୍ତକଗୋଟିତତକ୍ଷଣେ ରତିଦେବୀ ଗୃହେ ତହୁଁ ଉଠି ।ମାତା ବ୍ରହ୍ମାୟଣୀକୁ ସେ ନିକଟେ ଦେଖିଲେଅମଳାନ ବସ୍ତ୍ରଗୋଟା ମାତାଠାରୁ ନେଲେ ।ତହୁଁ ଭେଟିଲେ ଯାଇଣ ଇନ୍ଦ୍ର ଶଚୀ ବେନିବହୁ ପ୍ରକାରେ ବଧୂକୁ କହି ସସ୍ରଯୋନି ।ରତି ବୋଇଲେ ମୁହିଁ ତ କାମଦେବଙ୍କୁ ହିଁକେମନ୍ତେ ଭେଟିବି କହ ପିତାମାତା ଦୁଇ ।କାନ୍ତ ନିଧନେ ଜୀବନ ଅକାରଣ ମୋରସତ୍ୟ କହୁଛି ନିଶ୍ଚୟ ତେଜିବି ଶରୀର ।କର୍ମରେ ଥିଲେ ତ ଭେଟ ନିଶ୍ଚେଁ ପାଇବଇଁକରିବି ଘୋର ତପସ୍ୟା କାନନରେ ଯାଇ ।ଏତେ କହି ରତିଦେବୀ ସେଠାରୁ ଚଳିଲାମେରୁ ଐଶାନ୍ୟ ଭାଗରେ ଯାଇଣ ମିଳିଲା ।ଦାନ ଧ୍ୟାନ କଲା ସେହୁ ନାନାତୀର୍ଥେ ପଶିକୁରୁକ୍ଷେତ୍ର ପୁଣ୍ୟଜଳ ଗଙ୍ଗା ବାରାଣସୀ ।ମହାତୀର୍ଥ କାବେରୀ ଯେ ମାତଙ୍ଗୀ ଗୋମତୀପୁଣ୍ୟତୋୟା ଯମୁନା ଯେ ଆଉ ସରସ୍ୱତୀ ।ସରଯୂ ବ୍ରହ୍ମକୁମାରୀ ନଦୀ ସ୍ୱର୍ଣ୍ଣରେଖାଏପରି ନାନାତୀର୍ଥରେ ଭ୍ରମିଲା ଅଲେଖା ।ତାର ବାର ନକ୍ଷତ୍ରାଦି ହୃଦମଧ୍ୟେ ଗଣିଓଡ୍ରାଷ୍ଟ୍ରେ ମିଳିଲା ଯାଇ କାମର ଘରଣୀ ।ବିରଜା ପୁରୁଷୋତ୍ତମ ବ୍ରହ୍ମନଦୀ ତଟେଗର୍ନ୍ଧବ ବାରୁଣା ଗିରିବରର ନିକଟେ ।ବନ ଡିଙ୍ଗର ପର୍ବତ ତହିଁ ଅତି ସଞ୍ଜଅଧକୋଶ ଓସାର ସେ ତାଳେକ ଯେ ଉଚ୍ଚ ।ପବିତ୍ର ଭୂମି ସେହୁ ତ ଅଟେ ପୁଣ୍ୟତମବାସ କରିଥିଲେ ତହିଁ ପୂର୍ବେ ଦେବ ଧର୍ମ ।ପାରୁଶେ ଅମରାବତୀ କଟକ ଶୋଭଇସେହିଠାରେ ପ୍ରବେଶିଲେ ରତିଦେବୀ ଯାଇ ।ଢାଉରଙ୍ଗ ଗଛଏକ ଅଛଇ ସେଠାରେକଳ୍ପ କଳ୍ପାନ୍ତର ଅଛି ଗୁପତ ଭାବରେ ।ବ୍ରହ୍ମାଆଦି ଦେବଗଣେ ନ ଜାଣନ୍ତି ତାହାଅନେକ ଦୂର ପର୍ଯ୍ୟନ୍ତ ବିକାଶିଛି କାୟା ।ବାଡ଼ବା ଅନଳୁଁ ସେହି ବୃକ୍ଷ ହୋଇ ଜାତଯତ୍ନେ ଆରୋପଣ ତାକୁ କରିଲେ ବିଧାତ ।ଦୁର୍ଗାମାଧବ ସୁମରି ଶୁଚିମନ୍ତ ହୋଇସେ ବୃକ୍ଷତଳେ ବସିଲା ରତିଦେବୀ ଯାଇ ।ଭୂମିଣ ଶୋଧିଣ ଅଙ୍ଗନ୍ୟାସ ବିଧିକରିହସ୍ତେ ଜପାମାଳି ମୂଳମନ୍ତ୍ରକୁ ସୁମରି ।ବନ୍ଧଭେଦ ମୁଦ୍ରାକୁ ସେ ଲଗାଇ ନିଗୂଢ଼େଯୋଗାସନରେ ବସିଲା ଅତିଶୟେ ଦୃଢ଼େ ।ବ୍ୟାଘ୍ର ଚର୍ମକୁ କଟିରେ ଯତନରେ ଭିଡ଼ିଲୋଭ ମୋହ କାମ କ୍ରୋଧ ହିଂସାମାନ ଛାଡ଼ି ।ଛାମୁରେ ମହେଶମୂର୍ତ୍ତି ଏକ ଗୋଟି ସ୍ଥାପିଚକ୍ଷୁ କର୍ଣ୍ଣ ନାସିକାକୁ ରୋଧି ମନ୍ତ୍ର ଜପି ।ପ୍ରାତଃ ଆହ୍ନିକ ସକଳ ନିତ୍ୟକର୍ମ କରିବିଧବା ନାରୀଙ୍କ ବାରବତ୍ରମାନ ଧରି ।ଥୋକାଏ ଦିନ ଭକ୍ଷିଲା କନ୍ଦମୂଳ ଫଳଥୋକେଦିନ ଉପବାସେ ରହି ଭକ୍ଷିଜଳ ।କାମଦେବକୁ ଧ୍ୟାୟିଣ ରହିଲା ସୁନ୍ଦରୀଏକମନେ ବସି ସେହୁ ଦୃଢ଼େ ତପକରି ।ଏସନ ରୂପରେ ବହୁକାଳ ଗତ ହେଲାକେତେକ କାଳେ ଦ୍ୱାପରଯୁଗ ପ୍ରବେଶିଲା ।ଏଥୁଅନନ୍ତରେ ତୁମ୍ଭେ ଶୁଣ ଦଣ୍ଡଧାରିଅତ୍ରିର ଭାରିଯା ଅନୁସୂୟା ନାମେ ନାରୀ ।ଜନ୍ମହୁଁ ପତିଭକତା ଅତି ସୁଲକ୍ଷଣୀଚତୁର୍ଦ୍ଦଶୀ ଭୁବନକୁ ଅଟଇ କାରେଣୀ ।ଅନୁକ୍ଷଣେ ନବଯୁବା ଅଟଇ ସେ ସତୀଯା ଆଜ୍ଞାରେ ବ୍ରହ୍ମା ବିଷ୍ଣୁ ହେଲେ ଉତପତ୍ତି ।ଚନ୍ଦ୍ରମା ଦୁର୍ବାସା ଦତ୍ତାତ୍ରେୟ ପୁତ୍ର ତିନିଯାହାଙ୍କର ଗରଭରୁ ଅଛନ୍ତି ଜନମି ।ପୁଷ୍ପକ ଯାନ ଆରୋହି ସେତୁ ଅତି ବେଗେଅନ୍ତରୀକ୍ଷୁ ପ୍ରବେଶିଲା ରତିଦେବୀ ଆଗେ ।ଅନୁସୂୟା ପାଦେ ରତି ପ୍ରଣିପାତ କଲାକାମକୁ ସୁମରି ବହୁ ରୋଦନ କରିଲା ।ଅନୁସୂୟା ବୋଲେ ମାଗୋ ଶୋକ ତୁ ନ କରଅବଶ୍ୟ ଦୁଃଖ ତୋହର ହୋଇଯିବ ପାର ।ସମ୍ପୂର୍ଣ୍ଣ ଆଠମାସରେ କାମ ହେବ ଭେଟକ୍ଷୟ ହେଲା ଦୁଃଖ ତୋର ଫିଟିଲା ସଙ୍କଟ ।ତହିଁର କାରଣ ତୁହି ସାବଧାନେ ଶୁଣଦ୍ୱାରକାରେ ଅବତୀର୍ଣ୍ଣ ହେଲେ ନାରାୟଣ ।ମନକେତନ ରୂପରେ ରୁକ୍ମିଣୀ ଉଦରେଭେଟ ହୋଇବ ଯାଇଣ ଶମ୍ବର ନଗରେ ।ତିନିମନୁ ପରିଯନ୍ତେ ପାଇବୁ ତୁ କଷ୍ଟନବଯୁବାକାଳେ ତୋର ହେଲା ସ୍ୱାମୀଭ୍ରଷ୍ଟ ।ଆପଣେ ସହିଲୁ ତୁ ଗୋ ବିରହ ଯାତନାଆୟୁଷ ତୁଟିବ ଯେବେ କରିବୁ ଶୋଚନା ।ଏ ମହୀମଣ୍ଡଳେ ତୋର ରହିଲା କୀରତିକଲୁ ବ୍ରତସିଦ୍ଧ ତୁହି ଏବେ ମହାସତୀ ।ଚାରିପାଦେ ଧର୍ମ ତୋତେ କହିବାର ପାଇଁପରିଭକ୍ତାମାନେ ମୋତେ ଦେଲେ ପଠିଆଇ ।ଶୁଣିକରି ରତିଦେବୀ ହେଲେ ମହା ତୋଷବୋଇଲେ ଭେଟ ପାଇଲି ସୁଯୋଗେ ନାରୀଶ ।ଏତେ ବୋଲି ରତି ଅନୁସୂୟାଙ୍କ ଚରଣେଶତେସସ୍ର ପ୍ରଣିପାତ କରିଲେ ତତ୍କ୍ଷଣେ ।ଆସନ ପାଦାସନାଦି ଧୂପ ଦୀପ ଦେଇକରପତ୍ର ଯୋଡ଼ି ବହୁ ସ୍ତବ ସେ ପଢ଼ଇ ।ଶୁଣିଣ ଅନୁସୂୟା ଯେ ହେଲେ ସୁପ୍ରସନ୍ନବୋଇଲେ କର ପ୍ରସାରି ବିଭୂତିକୁ ଘେନ ।ଏ ବିଭୂତି ମୋର ଯେହୁ ଘେନନ୍ତି କପୋଳେଷୋଡ଼ଶା ରୂପ ଧରି ଅନ୍ତୁଡ଼ିର ଶାଳେ ।ବଳ ବୁଦ୍ଧି ହୋଇ ତାର ଶତ୍ରୁ ହୋଏ ହାନିନିଃଶ୍ୱାସେ ଗମେ ସେ ସ୍ୱର୍ଗ ମଞ୍ଚ ଆଦି ତିନି ।ଏ ବିଭୂତି ଚିତା କରି ଚାହିଁ ଦେଲା ମାତ୍ରେଇନ୍ଦ୍ର ସମ୍ପଦ ଏଥିରୁ ହୁଅଇ ସମ୍ଭୁତେ ।ହେଉ କଲ୍ୟାଣ ତୋତେ ଗୋ ଲଭ ନିଜ ଭର୍ତ୍ତାଅପଟାନ୍ତର ସାଧବୀ ସତସତ କର୍ତ୍ତା ।ଏତେ କହି ଅନୁସୂୟା ବିଜେ କରି ଗଲେଅଚ୍ୟୁତ କହଇ ତହିଁ ରତି ଯେ ରହିଲେ ।