ଶିଷ୍ୟଗଣସହ ଦୁର୍ବାସାଙ୍କର ଦ୍ୱାରକା ଗମନ ଓ ରୁକ୍ମିଣୀଙ୍କର ରଜଃକୋଷ୍ଠୀ ଗଣନା — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିକରପତ୍ର ଯୋଡ଼ି ସ୍ତୁତି କରି ଦେବରାଜା ।
ସନ୍ତୋଷ ହୋଇଣ ମୁନି ଭଣି ଦିବ୍ୟବାଣୀ
ମର୍ତ୍ତ୍ୟେ ଅବତାର ଆସି ହେଲ ଚକ୍ରପାଣି ।
ପୃଥିବୀର ଭାରାଭର ନିବାରିବା ପାଇଁ
କୌତୁକରେ ଜାତ ମର୍ତ୍ତେ ନରତନୁ ବହି ।
ବ୍ରହ୍ମାଙ୍କୁ ଅଗୋଚର ତୋ ବିଷ୍ଣୁକୂଟ ମାୟା
ନିରଞ୍ଜନ ପୁରୁଷ ହେ ନିରାକାର କାୟା ।
ପୁଣ୍ୟ ପୁରୁଷ ପୂରିଛ ଚରାଚର ଯାଏ
କଳ୍ପ କଳ୍ପାନ୍ତେ ବିକାଶ ପାଏ ତବ କାୟେ ।
ଜୀବ ଅଜୀବରେ ତୁମ୍ଭେ ସବୁଠାରେ ପୂରି
ଜଳ ସ୍ଥଳ ଅନଳରେ ସୂକ୍ଷ୍ମ ଦେହ ଧରି ।
ଗୋପ ନଗରରେ ଥିଲ ତୁମ୍ଭେ ନନ୍ଦଘରେ
ଅନେକ ଦୈତ୍ୟ ନାଶିଲ ତହିଁ ଅଖଡ଼ରେ ।
କଂସର ଦୂତ ସଙ୍ଗରେ ଅଇଲ ବାହୁଡ଼ି
ତୁମ୍ଭେ ସିନା କଂସ କେଶୀ ବକା ବେକମୋଡ଼ି ।
ପୁଣି ସୁଖେ ବିହରିଲ ମଥୁରା ନଗରେ
ଇନ୍ଦ୍ରର ସମ୍ପଦ ହେଲା ଯାଦବ ଘରେ ।
ଧନ ବିଦ୍ୟା ତାହାଙ୍କର ବର୍ଦ୍ଧିତ ସକଳ
ପୁରଗୋଟା ଦେଖାଗଲା ଅତ୍ୟନ୍ତ ନିର୍ମଳ ।
ଭୋ ଦେବ ତୁମ୍ଭେ ଆହ୍ଲାଦେ ସର୍ବ ପୁଣ୍ୟମୟେ
ସ୍ୱର୍ଗ ମଞ୍ଚ ପାତାଳରେ କରି ଜୟେ ଜୟେ ।
ତହୁଁ ଆସିଣ ରହିଲ ଏବେ ଦ୍ୱାରାବତୀ
କୋଟିଏ ସ୍ୱର୍ଗ ଏଥକୁ ନୁହଇ ସଙ୍ଗତି ।
କେତେକାଳଯାଏ ଥିଲା ଦ୍ୱାରକା ଗୁପତ
ତୁ ଦେବ ଆସି କରିଲୁ ଏହାକୁ ବିଦିତ ।
ଏବେ ସେହି ଭୂମି ଭାଗ୍ୟ ଆସି ବିକଶିଲା
ଶ୍ରୀ ପରମାନନ୍ଦ ସ୍ୱାମୀ ଯହୁଁ ବିଜେକଲା ।
କହନ୍ତେଣ ନ ସରଇ ଏଥିର ମହିମା
ଏତେକାଳେ ପ୍ରକଟିତ ହୋଇଲା ଗାରିମା ।
ଅନେକ ପୁତ୍ର ଦୁହିତା ହୋଇବେ ତୁମ୍ଭର
ବ୍ରହ୍ମା ଆଦି ଦେବଗଣେ ଯାହାଙ୍କ କିଙ୍କର ।
ପୃଥିବୀର ଭାରାଭର ଉଶ୍ୱାସିବା ପାଇଁ
ଦଶ ଅବତାର ତୁମ୍ଭେ ବହ ହେ ଗୋସାଇଁ ।
ଏତେ ବୋଲି ମହାଋଷି ବସିଲେକ ଧାତି
ମଣିମୟ ସିଂହାସନେ କୃଷ୍ଣାଜିନ ପାତି ।
କନ୍ଦମୂଳ ଆଣି ଯୋଗାଇଲେ ଆଦିମୂଳ
ହରଷେ ତାହା ଭକ୍ଷିଲେ ମହାତପଶୀଳ ।
ଏମନ୍ତ ସମୟେ ମୁଦୁସୁଲୀ ଜଣାଇଲେ
ପାକାସ୍ପରଶ ରୁକ୍ମଣୀ ଦେବୀ ଯେ ହୋଇଲେ ।
ବୈଶାକ ଶୁକ୍ଳ ସପ୍ତମୀ ଅଟେ ଗୁରୁବାର
ପୁଷ୍ୟା ନକ୍ଷତ୍ର ଯେ ପୁଣି ଅଟେ ସେ ଦିନର ।
କୌଳବ ନାମେ କରଣ ଶୁଭ ନାମେ ଯୋଗ
ମେଷେ ରବି କର୍କଟରେ ଚନ୍ଦ୍ରବାର ଭୋଗ ।
ସାନନ୍ଦ ନାମରେ ସମ୍ବତ୍ସର ଶୁଦ୍ଧକାଳେ
ସିଂହଲଗ୍ନ ଭୋଗ ଦ୍ୱାବିଂଶତି ଦଣ୍ଡବେଳେ ।
ଏମନ୍ତ ରୁକ୍ମିଣୀଦେବୀ ହେଲେ ରଜୋବତୀ
ଏତେ କହି ଭେରୀ ଶଙ୍ଖ ଦୁନ୍ଦିଭି ବଜାନ୍ତି ।
ରାମ କୃଷ୍ଣ ଶ୍ରୀଅଙ୍ଗରେ ହଳଦିର ପାଣି
କୁତୁହୋଳେ ଦାସୀଗଣ ନିଉଡ଼ିଲେ ଆଣି ।
ଦୁର୍ବାସାଙ୍କୁ ଆଦି ଯେତେ ଥିଲେ ତପଶୀଳ
ସବୁରି ଉପରେ ନିଉଡ଼ିଲେ ସେହି ଜଳ ।
ସପତ ବଂଶ ଯାଦବେ ଆସ୍ଥାନରେ ମିଳି
କୁଙ୍କୁମ ହଳଦୀ ଘେନି ହେଲେ ବୋଳାବୋଳି ।
ବେଳ ପାଞ୍ଚଘଡ଼ି ଥାଉ ରାତ୍ରି ଦଣ୍ଡେ ଯାଏ
ହଳଦୀ ଜଳରେ ପୂର୍ଣ୍ଣ ଦ୍ୱାରାବତୀ ହୁଏ ।
ନାରାୟଣ ପୁଚ୍ଛାକଲେ ଦୁର୍ବାସାଙ୍କୁ ଚାହିଁ
ବୋଇଲେକ ତୁମ୍ଭଠାରୁ ପଣ୍ଡିତ କେ ନାହିଁ ।
ରୁକ୍ମିଣୀ ଦେବୀଙ୍କ ରଚଚକ୍ର କୁହ ଫେଡ଼ି
ତହୁଁ ଦୁର୍ବାସା ଅଣ୍ଟାରୁ ଖଡ଼ିଗୋଟି କାଢ଼ି ।
ମନ ଦୃଢ଼ କରିଣ ସେ କାଟି ବାରକୋଠି
ମେଷରେ ଆଦିତ୍ୟ ପୁଣି ବୃଷରେ ଶୁକ୍ରଟି ।
କୁମ୍ଭରେ ଶନିଶ୍ଚର ଯେ ରାହୁଗ୍ରହ ବେନି
ଏସନ ଗ୍ରହଚକ୍ରକୁ କାଟି ମହାମୁନି ।
ପ୍ରଥମରେ ବାରଦୋଷ ସଂକ୍ଷେପିଲେ ଆଣି
ବଦୟନ୍ତି ମହାମୁନି ଶୁଣ ଚକ୍ରପାଣି ।
ଶନିବାରେ ଯେଉଁ ନାରୀ ହୁଏ ରଜୋବତୀ
ମାସକ ସମ୍ପୂର୍ଣ୍ଣେ ଜାଣ ମରେ ତାର ପତି ।
ରବିବାରେ ରଜୋବତୀ ହୁଏ ଯେଉଁ ନାରୀ
ବନ୍ଧ୍ୟା ଅପୁତ୍ରକୀ ସେହୁ ହୁଏ ଅବଧାରୀ ।
ସୋମେ ଯଦ୍ୟପି ସଂପୂର୍ଣ୍ଣ ଥିବ ଚନ୍ଦ୍ରବେଳା
ଯେବଣ କନ୍ୟା ଏଥିରେ ହୁଏ ରଜସ୍ୱଳା ।
ଅହ୍ୟ ସୁଲକ୍ଷଣୀ ହୋଇ ଯାଏ ତାର ଦିନ
ହୋଇବ ଭାଗ୍ୟବତୀ ସେ ଅର୍ଜି ଧନଧାନ୍ୟ ।
ତିନିଗୋଟି ପୁତ୍ର ତାର ହୋଇବ ସଂଜାତ
ଭର୍ତ୍ତା ଥାଉ ସେହି ନାରୀ ହୁଏ ମୃତ୍ୟୁ ପ୍ରାପ୍ତ ।
ମଙ୍ଗଳ ବାରରେ ରଜୋବତୀ ଯେହୁ ହୁଏ
ସଂପୂର୍ଣ୍ଣ ଷୋଳ ବରଷେ ବିଧବା ସେ ହୁଏ ।
ନିଜ ଭର୍ତ୍ତା ଥାଉଁ ଥାଉଁ କରେ ପରପୁଂସ
ଯେତେ ପୁତ୍ର ଦୁହିତା ତା ସର୍ବେ ଯାନ୍ତି ନାଶ ।
ଦୁର୍ଭାଗୀ ଦୋଚାରୀ ସେହୁ ହୁଏ ନିଲକ୍ଷଣୀ
କେଶ ନାସା ସ୍ତନ ତାର ହୁଏ ସବୁ ହାନି ।
ବୁଧବାରେ ଯେଉଁ ନାରୀ ହୁଏ ରଜୋବତୀ
ସଂପୂର୍ଣ୍ଣ ବରଷକେ ସେ ହେବ ପୁତ୍ରବତୀ ।
କୁଳବଧୂ ହୋଇକରି ଜୀବନ ତା ସାଧୁ
ନାତି ଅଣନାତି ବହୁ ଅର୍ଜେ ପୁତ୍ରବଧୂ ।
ଗୁରୁବାରେ ଯେଉଁ ନାରୀ ହୁଏ ରଜୋବତୀ
ଗୋଟିଏ ପୁତ୍ର ତାହାର ହୁଅଇ ଉତ୍ପତ୍ତି ।
ନଣନ୍ଦ ସୌତୁଣୀ ଖଟି ତାର ପାଦତଳେ
ଭର୍ତ୍ତାର ତୁଲରେ ସେହୁ ପଶଇ ଅନଳେ ।
ଶୁକ୍ରବାରେ ଯେ ନାରୀର ହୁଏ ରଜଯୋଗ
ସଂସାର ଭିତରେ ତାର ଅତ୍ୟନ୍ତ ସୁଲଭ ।
ଧନ ସମ୍ପତ୍ତି ବହୁତ ମିଳେ ଦିବ୍ୟବାସ
ସ୍ୱାମୀରେ ସୌଭାଗୀ ସେହୁ ହୁଅଇ ଅବଶ୍ୟ ।
ଦୁର୍ବାସା ବୋଇଲେ ତୁମ୍ଭେ ଶୁଣ ଚକ୍ରପାଣି
ଜଉତିଷ ବିଦ୍ୟା ଏହା ବେଦାନ୍ତର ବାଣୀ ।
ସାତବାର ସତାଇଶ ପନ୍ଦର ଯେ ତିଥି
ଏକ ଦିବସେ ଏମାନେ ଭୋଗ କରୁଛନ୍ତି ।
ତିଥିବାର ଯୋଗ ଗଣି ଏହୁ ତଥ୍ୟ କଥା
ପୁଣ ପୁଣ ତିଥି ପାତିଲେକ ମହାଜ୍ଞାତା ।
ପ୍ରତିପଦା ଷଷ୍ଠୀ ଏକାଦଶୀ ତିନିଦିନ
ନନ୍ଦା ନାମରେ ଏ ତିଥି ଅଟେ ବିଦ୍ୟମାନ ।
ଏ ତିଥିରେ ଯେଉଁ ନାରୀ ହୁଏ ରଜୋବତୀ
ଶୁଭଯୋଗେ ନାରୀ ପୁତ୍ର ହୁଏ ଯେ ପ୍ରାପତି ।
ଦ୍ୱିତୀୟା ସପ୍ତମୀ ଦୁଆଦଶୀ ତିଥି ତୁଲେ
ଭଦ୍ରାନାମେ ତିଥି ପୁଣ ଘଟଇ ସେ ଭଲେ ।
ଏ ଯୋଗରେ ରଜୋବତୀ ପାଏ ଯେଉଁ ବାମା
ବେଶ୍ୟାବୃତ୍ତି ଆଚରଇ ତାହାକୁ ଜାଣିମା ।
ତୃତୀୟା ଅଷ୍ଟମୀ ଆଦି ତିଥି ତ୍ରୟୋଦଶୀ
ଏ ତିଥିର ନାମ ଜୟା ବୋଲି ଦେବେ ଭାଷି ।
ଏ ଯୋଗରେ ରଜୋବତୀ ହୁଏ ଯେଉଁ କନ୍ୟା
ସାଧବୀ ତୁଲେ ତାହାକୁ କରିବ ଗଣନା ।
ଦାନଶୀଳା ଦୟାବତୀ ଅତ୍ୟନ୍ତ ସୁଶୀଳା
ତୀର୍ଥଯାତ୍ରା କରିଣ ସେ ହୁଏ ପୁଣ୍ୟବାଳା ।
ପୁତ୍ର ଦୁହିତା ସମ୍ପଦ ବଢ଼ଇ ତାହାରି
ସପତାଙ୍ଗେ ଲକ୍ଷ୍ମୀ ପୁଣି ଅର୍ଜେ ସେହୁ ନାରୀ ।
ଚୌଠୀ ନବମୀ ଆବର ଚତୁର୍ଦ୍ଦଶୀ ଦିନ
ଏ ଯୋଗରେ ଯେଉଁ ନାରୀ କରଇ ସ୍ନାହାନ ।
ଦରିଦ୍ରା ଦୁଃଖିତା ସେହୁ ହୁଏ କାଳେ କାଳେ
ପୁରାଣ ବଚନ ଏହା ମିଥ୍ୟା ନାହିଁ ତିଳେ ।
ନ ମିଳଇ ଧନବସ୍ତ୍ର ଦୁଃଖେ ଦିନ ନେଇ
ଚୋର ତସ୍କର ତା ଗର୍ଭୁ ସମୟେ ଜନ୍ମଇ ।
ପଞ୍ଚମୀ ଦଶମୀ ପଉର୍ଣ୍ଣମୀ ତିଥି ଦିନ
ପୂର୍ଣ୍ଣିମା ଯୋଗ ଯେ ଏଥି ଅଟେ ବିଦ୍ୟମାନ ।
ଏ ଯୋଗରେ ଯେଉଁ କନ୍ୟା ହୁଏ ରଜୋବତୀ
ଭୁଞ୍ଜଇ ବିପୁଳ ଲକ୍ଷ୍ମୀ ଲଭଇ ସନ୍ତତି ।
ଦାନୀପଣରେ ସର୍ବଦା ଯାଏ ତାର ଦିନ
ବୋଲନ୍ତି ଦୁର୍ବାସା ତୁମ୍ଭେ ଶୁଣ ଭଗବାନ ।
ଅମାସ୍ୟା ବିଷ୍ଟି କରଣ ପୁଣି ଚତୁର୍ଦ୍ଦଶୀ
ଯେହୁ ରଜୋବତୀ ହୁଏ ସେହୁ ମହାଦୋଷୀ ।
ଚନ୍ଦ୍ରଗ୍ରହଣ ମାସାନ୍ତ ଆଉ ସଙ୍କରାନ୍ତି
ଏ ଯୋଗେ ରଜ ହୋଇଲେ ବହୁ ଦୁଃଖ ପାନ୍ତି ।
ଯାତ୍ରା ତୀର୍ଥ ଉତ୍ସବ ଯେ ଆଉ ନଦୀଜଳେ
ସନ୍ଧ୍ୟା ମଧ୍ୟାହ୍ନ ଅଥବା ପ୍ରଦୋଷର କାଳେ ।
ଏ ଯୋଗରେ ରଜୋବତୀ ହୁଏ ଯେଉଁ ନାରୀ
ତିନିଗର୍ଭୁ ଅର୍ଜଇ ସେ ପତି ତାର ମରି ।
କୃତ୍ତିକା ନକ୍ଷତ୍ରେ ନାରୀ ହେଲେ ରଜସ୍ୱଳା
ଧନଧାନ୍ୟ ପୁତ୍ରସବୁ ନଷ୍ଟ ହୁଏ ଭଲା ।
ଯେ ରଜୋବତୀ ହୁଅଇ ନକ୍ଷତ୍ର ରୋହିଣୀ
ସର୍ବ ଶୁଭଯୋଗେ ତାର ମଙ୍ଗଳକୁ ଗଣି ।
ମୃଗଶିରା ନକ୍ଷତ୍ରରେ ହେଲେ ରଜସ୍ୱଳା
ଧନଧାନ୍ୟ ପୁତ୍ର ତାର ହୁଏ ଅସଙ୍ଖୋଳା ।
ଆରଦ୍ରା ନକ୍ଷତ୍ରେ ନାରୀ ହେଲେ ରଜୋବତୀ
ପତି ପତ୍ନୀ ବିଚ୍ଛେଦରେ ବହୁ ଦୁଃଖ ପାନ୍ତି ।
ରଜୋବତୀ ହେଲେ ପୁନର୍ବସୁରେ ନାୟିକା
ଶ୍ରୀବିଷ୍ଣୁ ବଲ୍ଲଭୀ ବୋଲି କରି ତାକୁ ଲେଖା ।
ପୁଷ୍ୟାନକ୍ଷତ୍ରରେ ନାରୀ ହେଲେ ରଜସ୍ୱଳା
ସାକ୍ଷାତେ ଜାଣିବ ସେହୁ ଅଟଇ ଚଞ୍ଚଳା ।
ଯେଉଁ ନାରୀ ରଜୋବତୀ ହୁଅଇ ଅଶ୍ଳେଷା
ଭର୍ତ୍ତା ବିଦେଶେ ରହେ ତା ନ ପୂରଇ ଆଶା ।
ମଘା ନକ୍ଷତ୍ରରେ ରଜୋବତୀ ହେଲେ ନାରୀ
ସ୍ୱାମୀର ଦୋରେହା ସେହୁ ହୁଏ ଭଲ କରି ।
ରଜୋବତୀ ହେଲେ ବେନି ଫାଲ୍ଗୁନୀ ନକ୍ଷତ୍ରେ
ପୁତ୍ର ସମ୍ପଦ ବହୁତ ହୁଏ ତାର ଗୋତ୍ରେ ।
ଯେଉଁ ନାରୀ ରଜୋବତୀ ହୁଅଇ ବିଶାଖା
ତାହାକୁ କରିବ ନିଶ୍ଚେଁ ବେଶ୍ୟାସଙ୍ଗେ ଲେଖା ।
ଅନୁରାଧା ନକ୍ଷତ୍ରରେ ହେଲେ ରଜୋବତୀ
ଭର୍ତ୍ତା ସହିତରେ ସେହୁ ଲଭଇ ସଦ୍ଗତି ।
ଜ୍ୟେଷ୍ଠା ନକ୍ଷତ୍ରରେ ଯେବେ ରଜୋବତୀ ହେବ
ବରଷକରେ ଯମଜ ପୁତ୍ର ଉପୁଜିବ ।
ଯେଉଁ ନାରୀ ରଜୋବତୀ ମୂଳାରେ ହୁଅଇ
ଚାରିଗୋଟି ପୁତ୍ର ତାର ନିଶ୍ଚୟ ଜନ୍ମଇ ।
ଜୀବନ୍ତେ ଅନେକ କାଳ ବଞ୍ଚେ ସେହୁ ନାରୀ
ଦୁର୍ବାସା ବୋଇଲେ ତୁମ୍ଭେ ଶୁଣ ହେ ଶ୍ରୀହରି ।
ପୂର୍ବଷାଢ଼ାରେ ଯେ ନାରୀ ହୁଏ ରଜୋବତୀ
ପାଞ୍ଚପୁତ୍ର ନିଶ୍ଚେଁ ତାର ହୁଅଇ ଉତ୍ପତ୍ତି ।
ଉତ୍ତରାଷାଢ଼ାରେ ହେଲେ ରଜୋବତୀ ନାରୀ
ପୁତ୍ର ଉପୁଜିଣ ତାର ଖଡ଼୍ଗେ ଯାଏ ମରି ।
ଯେହୁ ଅବା ରଜୋବତୀ ହୁଅଇ ଶ୍ରବଣା
କୁଳମଣ୍ଡନୀ ସେହୁ ଯେ ହୁଏ ଜଗଜ୍ଜିଣା ।
ଧନିଷ୍ଠାରେ ରଜ ହେଲେ ମାତାରେ ମଙ୍ଗଳ
ଶତଭିଷା ନକ୍ଷତ୍ରରେ ସମସ୍ତ କୁଶଳ ।
ଅଶ୍ୱିନୀ ବୋଲିଣ ପୁଣ ନକ୍ଷତ୍ରେକ ଅଛି
ତହିଁରେ ରଜ ହୋଇଲେ ହୁଅଇ ମଡ଼ିଛି ।
ପୂର୍ବ ଭାଦ୍ରବରେ ନାରୀ ରଜୋବତୀ ହ୍ୱନ୍ତେ
ପତି ପତ୍ନୀ ଦୁଃଖ ପାନ୍ତି ଜାଣ ଅବିରତେ ।
ଉତ୍ତର ଭାଦ୍ରବେ ଯେବେ ଅଷ୍ଟବାଦି ଶାଖା
ପ୍ରତି ଦିବସରେ ଜାଣ ଷାଠିଦଣ୍ଡ ଲେଖା ।
ଏକା ନିଃଶ୍ୱାସକେ ସସ୍ରେଯୁଗ ଭୋଗକରି
ବାୟବ୍ୟ କରଣ ମାହେନ୍ଦ୍ର ଯେ ସମସରି ।
ମୁହୂର୍ତ୍ତେ ମୁହୂର୍ତ୍ତେ ଯୋଗ ଆନ ଆନ ମୂର୍ତ୍ତି
କାଳବେଳେ ଯେତେ ଯୋଗ ହୋଇ ପ୍ରତି ପ୍ରତି ।
ଅକ୍ଷୟ ଅଜ୍ରାମର ହେ ପୁଂସ ଜଗଦୀଶ
ତୁମ୍ଭେ କି ନ ଜାଣ ସ୍ୱାମୀ କହିବି ମୁଁ କିସ ।
ତୁମ୍ଭେ ବେଦଶାସ୍ତ୍ର ସବୁ ଭିଆଇଛ ଅଙ୍ଗେ
ଅଦୃଷ୍ଟ ଯୋଗ ଫଳକୁ କରାଅ ସୁଢ଼ଙ୍ଗେ ।
ଏଣେ ଆତଯାତ ହ୍ୱନ୍ତି ଚନ୍ଦ୍ର ସୂର୍ଯ୍ୟ ବେନି
ଏଣେ ଆତଯାତ ଜାଣ ସକଳ ମେଦିନୀ ।
ଦ୍ୱାଦଶ ରାଶିକୁ ଏହୁ ଅଟନ୍ତି କରତା
ଜ୍ୟୋତିଷ ନକ୍ଷତ୍ରେ ଏ ଯେ ସୁଲଭ ବାରତା ।
ଦୀପିକା ଗ୍ରନ୍ଥେ ମାର୍ତ୍ତଣ୍ଡ ସଂହିତାର ବଳି
ସକଳ ଗ୍ରନ୍ଥରେ ଏହି ରଜଚକ୍ର ବୋଲି ।
ଆଗମ ନିଗମ ଏ ତ ସିଦ୍ଧାର୍ଥ ବଚନ
ବିଚାରି କାର୍ଯ୍ୟ କରିବ ୟାକୁ ସୁଜ୍ଞଜନ ।
ବାରଗ୍ରନ୍ଥ ଆଗମ ଏ ଅଟେ ଫଳଶ୍ରୁତ
ଏମନ୍ତେ ଅନେକ ଶାସ୍ତ୍ର ଘେନି ଆତଯାତ ।
ତାର ବାର ନକ୍ଷତ୍ର ସେ କରଣାଦି ଜାଣ
ନିଷ୍ଠାପର ବିଦ୍ୟା ଏକ ସପ୍ତାଙ୍ଗ ପ୍ରମାଣ ।
ଜାତକ ଯାତ୍ରାରେ ଜାଣ ବିଭାକାର୍ଯ୍ୟ କରି
ଲକ୍ଷେ ଗ୍ରନ୍ଥର ମୂଳରେ ଏହା ସାଧିପାରି ।
ମୟନାମେ ବିଶ୍ୱକର୍ମା ରଚିଲାକ ଆଣି
ନକ୍ଷତ୍ର ସଞ୍ଚାର କାଳେ ଗ୍ରହସ୍ଫୁଟ ଭଣି ।
ସଂସାରରେ ଆତଯାତ ଭବିଷ୍ୟ ବିଧାନ
ଯେ ଯେବଣ ଶାସ୍ତ୍ରମାନ ଅପୂର୍ବ ଘଟଣ ।
ବାରମାସ ସତାଇଶ ନକ୍ଷତ୍ର କରଣ
ଏଥିର ଯେ ଫଳାଫଳ କହିବା ତା ଶୁଣ ।
ମେଷ ସିଂହ ବୃଶ୍ଚିକ ଯେ କୁମ୍ଭଆଦି କରି
ସର୍ବ ଶୁଭବାର୍ତ୍ତା ତବ ରଜୋବତୀ ସ୍ତିରୀ ।
ବୃଷ କନ୍ୟା ଧନୁ ମୀନ ଚନ୍ଦ୍ରର ସହିତେ
ଧନଧାନ୍ୟ ବୃଦ୍ଧି ହୁଏ ଜାଣିବ ଯୁକତେ ।
ମିଥୁନ କକଡ଼ା ତୁଳା ମକର ଯେ ଚାରି
ଅନୁବ୍ରତେ ପୀଡ଼ା ଦିଏ ଅଟେ କ୍ଲେଶକାରୀ ।
ଯୋଗ ଚକ୍ରମାନ ତହୁଁ ପାତିଲେ ପଣ୍ଡିତେ
ବିଚାରିଲେ ସେ ସମସ୍ତ ଗୁଣ ଶୁଭଅର୍ଥେ ।
ବିଷ୍କୁମ୍ଭ ଯେ ଆୟୁଷ୍ମାନ ସୌଭାଗ୍ୟ ଶୋଭନ
ବ୍ୟତୀପାତ ହରଷଣ ପରିଘ ଯେ ବ୍ରହ୍ମ ।
ବହୁଶୁଭ ଏ ଯୋଗରେ ହେଲେ ରଜୋବତୀ
ଧନଜନ ଉପୁଜଇ ହେଲେ ଭାଗ୍ୟବତୀ ।
ପ୍ରୀତି ଧୃତି ଶୁଳ ଇନ୍ଦ୍ରଯୋଗେ ଯେଉଁ ନାରୀ
ପୁଷ୍ପବତୀ ହୁଏ ସେହୁ ଅଟଇ ଦୋଚାରୀ ।
ଶୁକ୍ଳ ବଜ୍ର ବରୀୟାନ ଶିବ ବଇଧୃତି
ସନ୍ତାନ ହାନି ହୁଅଇ ହେଲେ ରଜୋବତୀ ।
ଶୁଭ ବୃଦ୍ଧି ସିଦ୍ଧି ସାଧ୍ୟ ଅସୃକ ଏ ଯୋଗେ
ରଜୋବତୀ ହେଲେ ନାରୀ ରହେ ସୁଖଭୋଗେ ।
ଗଣ୍ଡ ଅତିଗଣ୍ଡ ଧ୍ରୁବ ସୁକର୍ମ ବ୍ୟାଘାତ
ଏତେ ପୁଷ୍ପବତୀ ହେଲେ ସବଂଶେ ନିପାତ ।
ଏଥୁ କରଣ ଚକ୍ରକୁ ପାତିଣ ପଣ୍ଡିତେ
ଯେଉଁ କରଣର ଯେଉଁ ଫଳ ହୁଏ ଯେତେ ।
ବୋଲନ୍ତି ଶୁଣ ହେ ପ୍ରଭୁ ଲକ୍ଷ୍ମୀଦେବୀ ସାଇଁ
ଜଉତିଷ ବଚନ ଏ ନିଶ୍ଚୟ ଘଟଇ ।
ବବ ବାଳକ କୌଳବ ତୈତିଳ ବାଣିଜ୍ୟ
ଏ ଯୋଗରେ ରଜୋବତୀ ହେଲେ ପାଇ ରାଜ୍ୟ ।
ବିଷ୍ଟି ଶକୁନି କିଂସ୍ତୁଘ୍ନେ ଆଉ ଗର ନାଗ
ଚତୁଷ୍ପଦ କରଣରେ ଷଷ୍ଠେ ପାପ ଭୋଗ ।
ଦୁର୍ବାସା ବୋଇଲେ ଶୁଣ ରୁକ୍ମିଣୀର ସାଇଁ
ଜଉତିଷ ବଚନ ଏ ସିଦ୍ଧାନ୍ତ ଅଟଇ ।
ଯେବେ ବାର ତିଥିଆଦି ହୁଅଇ ସଂଯୋଗ
ଫଳାଫଳ ହାନି ହୁଏ ଜାଣିବ ସୁବିଜ୍ଞ ।
ଗ୍ରହଙ୍କର ଉଚ୍ଚ ନୀଚ ସ୍ଥାନ ପରିମାଣି
କାଳବଶେ ରିପୁଭୋଗ କରାଇବ ଆଣି ।
ଏବେ ଯେ ରୁକ୍ମିଣୀ ଦେବୀ ହେଲେ ରଜୋବତୀ
ପ୍ରତ୍ୟକ୍ଷରେ ଲକ୍ଷ୍ମୀଦେବୀ ସେ ପଦ୍ମିନୀ ଜାତି ।
ତୁମ୍ଭେ ଦେବ ଦେବଙ୍କର ଅଟ ଶିରୋମଣି
ଆଦ୍ୟ ପାଟବଂଶୀ ତବ ଅଟନ୍ତି ରୁକ୍ମିଣୀ ।
ଗଣଗନ୍ଧରବଙ୍କର ଅଟନ୍ତି ସେ ମାତା
ଅନାଦି ଅପର୍ଣ୍ଣା ଦେବୀ ସର୍ବ ବୀଜଦାତା ।
ଦ୍ୱାପରରେ ଲକ୍ଷ୍ମୀ ସବୁ ସ୍ଥାନରେ କାରେଣୀ
ଏହି ଶୁଭଯୋଗ କଥା ଅଛଇ ମୁଁ ଜାଣି ।
ବଇଶାଖ ଶୁକ୍ଲପକ୍ଷ ସପତମୀ ତିଥି
ପୁଷ୍ୟା ନାମରେ ନକ୍ଷତ୍ର ଅଟଇ ଯୁକତି ।
ଗର ନାମରେ କରଣ ଶୁଭ ନାମେ ଯୋଗ
ମେଷ ସଂକରାନ୍ତିକି ଯେ ତେରଦିନ ଭୋଗ ।
ଚାରିପାଦେ ଚନ୍ଦ୍ର ପୁଣି କକଡ଼ାରେ ଅଛି
ସର୍ବ ମଙ୍ଗଳ ଯୋଗ ଏ ଦୋଷ ନାହିଁ କିଛି ।
ମେଷରେ ଆଦିତ୍ୟ ପୁଣି ବୃଷେ ବୁଧ ଶୁକ୍ର
କର୍କଟେ ଚନ୍ଦ୍ର ମଙ୍ଗଳ ଧନୁରେ ଯେ ବକ୍ର ।
କୁମ୍ଭରେ ଅଛଇ ରାହୁ ତୁଲେ ବୃହସ୍ପତି
ଏମନ୍ତ ବେଳେ ରୁକ୍ମିଣୀ ହେଲେ ରଜୋବତୀ ।
ସମସ୍ତ ମଙ୍ଗଳ ଏଥେ କିଛି ଦୋଷ ନାହିଁ
ମଙ୍ଗଳ ମାତ୍ର ଗ୍ରହରେ ଅଛି ବକ୍ର ହୋଇ ।
ଏତେ ବୋଲିଣ ଖଡ଼ିକୁ ଥୋଇଲେକ ମୁନି
ବିଷ୍ଟି ଭଦ୍ରାଯୋଗ ପୁଣ ପାଇଲାକ ଗଣି ।
ଦୁର୍ବାସାଙ୍କର ବଚନ ଶୁଣି ଚକ୍ରଧର
ବୋଇଲେ ବକ୍ର ଯୋଗରେ ଶୁଭ ସମାଚାର ।
ମଙ୍ଗଳବାର ତିଥିର ଯେବଣ ହିଁ ଦୋଷ
ସଂକ୍ଷେପିଣ କହ ମୁନି ଯେହ୍ନେ ଯିବ ନାଶ ।
ମୁନି ବୋଇଲେକ ତୁମ୍ଭେ ଶୁଣ ଦେବହରି
ଶୁଭାଶୁଭ କଥା ତୁମ୍ଭେ ପାର ଆନକରି ।
ପ୍ରଥମେ ରୁକ୍ମିଣୀଠାରୁ କନ୍ଦର୍ପ ଜନ୍ମିବ
ତାହା ହାତରେ ଶମ୍ବର ଅସୁର ମରିବ ।
ମୁନିଙ୍କ ବଚନେ ଜଗନ୍ନାଥେ ହେଲେ ତୁଷ୍ଟ
ବିଚାରି ବୋଇଲେ କଥା ନ କର ପ୍ରଘଟ ।
ଏଥୁ ଅନନ୍ତରେ ପୁଣି ଆସ୍ଥାନ ମଉଳି
ସମସ୍ତ ଯାଦବମାନେ ଯେ ଯାହାରେ ଚଳି ।
କୃଷ୍ଣ କାମପାଳ ବସୁଦେବ ଉଗ୍ରସେନ
ଉଦ୍ଧବ ଅକ୍ରୂର ଆଉ ସାତ୍ୟକି ଏ ପୁଣ ।
ଗୋଟି ଗୋଟି ହୋଇ ତହୁଁ ପ୍ରସ୍ଥାନ ସେ କଲେ
ନିଜ ନିଜ ମନ୍ଦିରରେ ଯାଇଣ ମିଳିଲେ ।
ସେ ରୁକ୍ମିଣୀକାନ୍ତଙ୍କର ଚରଣେ ଶରଣ
ମାଗଇ ଅଚ୍ୟୁତ ଦାସ ଅତି ଦୀନହୀନ ।