କୃଷ୍ଣଙ୍କର ଦୂତବେଶୀ ବ୍ରାହ୍ମଣଠାରୁ ପ୍ରଦତ୍ତ ଚିଟାଉ ଗ୍ରହଣ ଓ କୁଣ୍ଡୀନଗ୍ର ଅଭିମୁଖେ ଯାତ୍ରା — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିତା ପାଇଁ ତା ପିତା ସ୍ୱୟମ୍ଭର କରିଥିଲେ
ଏକାବେଳେ ଲକ୍ଷେ ରାଜା ଆସି ରୁଣ୍ଡ ହେଲେ ।
ଆଠମାସ ପରିଯନ୍ତେ ସର୍ବେ ଥିଲେ ରହି
ରୁକ୍ମିଣୀ ତାହାଙ୍କୁ ନିତ୍ୟ ଦେଖୁଥାଏ ଯାଇ ।
କେହି ଜଣେ ନ ରୁଚିଲା ମନକୁ ତାହାର
ତେଣୁ ଗଳେ ମାଳା ଦେଇ ନ ବରିଲା ବର ।
ଲଜ୍ଜାପାଇ ଫେରିଗଲେ ସକଳ ନୃପତି
ସେ ଦିନ ରୁକ୍ମିଣୀ ମନେ ଲଭିଥିଲା ଶାନ୍ତି ।
ଏବେ ବିଭା ହେବାପାଇଁ ବଳିଲା ତା ମନ
ମାତା ପିତା ଜାଣି କଲେ ବର ଅନ୍ୱେଷଣ ।
ରୁକ୍ମଣ ନାମରେ ତାର ଅଟେ ଜ୍ୟେଷ୍ଠଭାଇ
ଶିଶୁପାଳକୁ ସେ ବରିଅଛି ତାର ପାଇଁ ।
ଏହି ମାଘ ଶୁକ୍ଳପକ୍ଷ ପଞ୍ଚମୀର ଦିନ
ବିଭାପାଇଁ କରିଅଛି ସର୍ବ ଆୟୋଜନ ।
ସର୍ବେ ସ୍ଥିର କରିଛନ୍ତି ଶିଶୁପାଳେ ଦେବେ
ରୁକ୍ମିଣୀ ମନକୁ ତାହା ନ ରୁଚିଲା କେବେ ।
ତୁମ୍ଭେ ଦୟାମୟ ପ୍ରଭୂ ସର୍ବ ଭାବଗ୍ରାହୀ
ଆରତ ଭଞ୍ଜନ ନାମେ ବାନା ଅଛି ବହି ।
ତୁମ୍ଭଠାରେ ନିଜ ଆତ୍ମା ସମର୍ପି ରୁକ୍ମିଣୀ
ଅତି ଆର୍ତ୍ତେ ପଠାଇଛି ମୋତେ ଡାକିଆଣି ।
ଯଦ୍ୟପି ତାଠାରେ ଦୟା ନ କରିବ ତିଳେ
ନିଶ୍ଚେଁ ପ୍ରାଣ ହରାଇବ ପଡ଼ି ସେ ଅନଳେ ।
ତୁମ୍ଭରୂପ ଅନୁରୂପେ କନ୍ୟା ସେହି ଜାଣ
ସମସ୍ତଙ୍କ ମୁଖେ କାଳି ଦେଇ ତାକୁ ଆଣ ।
ଅକର୍ମ କର୍ମ ଦାୟକ ତୁମ୍ଭେ ଦୟାନିଧି
କ୍ଷଣକରେ ସବୁ କାର୍ଯ୍ୟ କରିପାର ସିଦ୍ଧି ।
ଏଥିପାଇଁ ଆସିଅଛି ମୁହିଁ ତୁମ୍ଭ ପାଶ
ରୁକ୍ମିଣୀ ଦେବୀଙ୍କି ପ୍ରଭୁ ନ କର ନିରାଶ ।
ଏତେ କହି ବିପ୍ରବର ବସ୍ତ୍ର ଗଣ୍ଠି ଫେଡ଼ି
ଭାଷାପତ୍ର ସମର୍ପିଲେ ଶିରେ କର ଯୋଡ଼ି ।
ଆନନ୍ଦରେ ଗଦ ଗଦ ହୋଇ ଶିରୀପତି
ଆପଣେ ଘେନିଲେ ତାହା ପଦ୍ମକର ପାତି ।
ନିଜ ହସ୍ତେ ମୁଦ ଭାଙ୍ଗି କମଳଲୋଚନ
ଏକାଗ୍ର ଦୃଷ୍ଟିରେ ଚାହିଁ କରନ୍ତି ପଠନ ।
ପ୍ରଥମେ ପ୍ରଣାମ ଭୂମିଗତ ଶତେବାର
ତହିଁପରେ କରୁଅଛି କୋଟି ନମସ୍କାର ।
ତୁମ୍ଭେ ଦେବ ଜଳ ସ୍ଥଳ ବାୟୁ ଅଗ୍ନି ବ୍ୟୋମ
ବିଶେଷରେ ବୋଲାଉଛ ପୁରୁଷ ଉତ୍ତମ ।
ଜଗତର ସୃଷ୍ଟି ସ୍ଥିତି ସଂହାର କରତା
ଯୋଗ ଜ୍ଞାନ ଆଦି ବେଦ ବେଦାନ୍ତ ବକତା ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ଯେତେ
ମହା ପ୍ରଳୟରେ ରଖୁଅଛ ଗର୍ଭଗତେ ।
ପୁଣି ଇଚ୍ଛା ହେଲେ ସୃଷ୍ଟି ସରଜନା କରି
ଯେଝା ପଦ ଦେଇ ତାକୁ ରଖୁଛ ଆବୋରି ।
ଅଚିନ୍ତ୍ୟ ମହିମା ପ୍ରଭୁ ଅଟଇ ତୁମ୍ଭର
ଅବ୍ୟକ୍ତ ଅନାଦି ଆଦି ତୁମ୍ଭେ ନିରାକାର ।
ଘଟ ପଟ ଆଦିକରି ବସ୍ତୁ ଅଛି ଯେତେ
ଦାରୁ ଶିଳା ତୃଣ ପତ୍ର ମୃତ୍ତିକା ସହିତେ ।
ସବୁଠାରେ ପୂରିଅଛି ତୁମ୍ଭ କଳେବର
ଭାବକୁ ନିକଟ ପୁଣି ଅଭାବକୁ ଦୂର ।
ବିଷମ ସଙ୍କଟ କାଳ ପଡ଼ିଅଛି ମୋତେ
ଏଥିରୁ ଉଦ୍ଧାରି ନିଅ ଦୟାକରି ଚିତ୍ତେ ।
ଜନ୍ମଜନ୍ମାନ୍ତରେ ଦାସୀ ମୁଁ ଅଟେ ତୁମ୍ଭର
ଏ ଜନ୍ମେ କିପାଇଁ ମୋତେ କରୁଅଛ ପର ।
ହୋମଘୃତ ନେଉଅଛି ଶ୍ୱାନ କରି ମାୟା
ତଥାପି ତୁମ୍ଭର ହୃଦେ ନୋହିଲାତ ଦୟା ।
ଦୁରାତ୍ମା ପାପିଷ୍ଠ ମୂଢ଼ ମୋ ଭାଇ ରୁକ୍ମଣ
ତୁମ୍ଭେ କି ନ ଜାଣ ପ୍ରଭୁ ତାର ଦୁଷ୍ଟପଣ ।
ସେ ଏବେ ମୋ ପାଇଁ ଶିଶୁପାଳକୁ ବରିଛି
ଏହି ପଞ୍ଚମୀରେ ବିଭା କରିବ କହୁଛି ।
ବିଭାଘର ଆୟୋଜନ ହେଲାଣି ସମସ୍ତ
ଶିଶୁପାଳଠାରେ ମୋର ନ ବଳଇ ଚିତ୍ତ ।
ତେଣୁ ଏ ଶରୀରେ ମୋର ପ୍ରୟୋଜନ ନାହିଁ
ବ୍ରାହ୍ମଣ ଆସିବାଯାଏ ଅଛି ବାଟ ଚାହିଁ ।
ଯଦ୍ୟପି ମୋଠାରେ ଦୟା ନ କରିବ ନାଥ
ନିଶ୍ଚେ ପ୍ରାଣ ହରାଇବି ଏ ମୋର ନିୟତ ।
ଆତ୍ମଘାତୀ ହେବି ପଛେ ନୋହୁ ମାନଭଙ୍ଗ
ଛାର ଶିଶୁପାଳ ଛୁଇଁ ନ ପାରେ ମୋ ଅଙ୍ଗ ।
ବ୍ରାହ୍ମଣର କନ୍ୟା ମୁହିଁ ଅଟଇ ଯୁକତେ
ଜନମୁଖେ ଅପବାଦ ନୋହୁ କିନା ମୋତେ ।
ଶୋକଜଳେ ବୁଡ଼ିଅଛି ଶିଶୁପାଳ ଭୟେ
ଏଥିରୁ ଉଦ୍ଧାରି ମୋତେ ନିଅ ଦେବରାୟେ ।
ପ୍ରିୟବତୀ ଭାର୍ଯ୍ୟା ଯେବେ ପତି ଅଭିଳାଷୀ
ବିପଦରେ ତାକୁ ରକ୍ଷା କରେ ପତି ଆସି ।
ମୁହିଁ ତୁମ୍ଭ ପାଦପଦ୍ମେ ପଶିଲି ଶରଣ
ଏ ଘୋର ବିପଦୁଁ ରକ୍ଷାକର ନାରାୟଣ ।
ତୁମ୍ଭ ବ୍ୟତିରେକେ ମୋର ନାହିଁ ଆନ ଗତି
ମୁଁ ତୁମ୍ଭର ନିଜ ଦାସୀ ତୁମ୍ଭେ ମୋର ପତି ।
ସିଂହ ଘରଣୀକି ଯେବେ ଛୁଇଁବ ଶୃଗାଳ
କେ ଲଜ୍ଜା ପାଇବ ପ୍ରଭୁ ମନେ ମନେ ଭାଳ ।
ଆକାଶରେ ସଲିଳକୁ ଚାତକ ପରାୟେ
ଆଶା କରିଅଛି ତବ ଆଗମନ ଯାଏ ।
ଏଥିରେ ଯଦ୍ୟପି ମୋତେ କରିବ ନିରାଶ
ନିଶ୍ଚୟେ ପାଇବ ପ୍ରଭୁ ସ୍ତିରୀହତ୍ୟା ଦୋଷ ।
ଏମନ୍ତ ବିନୟ ଭାଷା ସ୍ୱହସ୍ତେ ରୁକ୍ମିଣୀ
ଲେଖିଥିଲେ ଆପେ ତାହା ପଢ଼ି ଚକ୍ରପାଣି ।
ମୁଦ ସହିତରେ ଶିରେ ଲଗାଇ ସତ୍ୱର
ବ୍ରାହ୍ମଣ ମୁଖକୁ ଚାହିଁ କହନ୍ତି ମଧୁର ।
ପର ଉପକାରୀ ତୁମ୍ଭେ ଅଟ ଦ୍ୱିଜଶ୍ରେଷ୍ଠ
ତେଣୁ ସିନା ଆସିଅଛ ଏତେ ଦୂର ବାଟ ।
ସ୍ୱଚକ୍ଷୁରେ ସେ କନ୍ୟାକୁ ଦେଖିନାହୁଁ ଆମ୍ଭେ
ପରତେ ଯାଉଛୁ ଆସି କହିବାରୁ ତୁମ୍ଭେ ।
ସେ ଯେବେ ଆମ୍ଭକୁ ଦୃଢ଼େ କରିଛି ଆକାଙ୍କ୍ଷା
ଭାବ ଅନୁରୂପେ ଆମ୍ଭେ ହେଲୁ ତାର ସଖା ।
ପୁଣି ତ ଆପଣ ଆସି କହୁଛନ୍ତି ଏତେ
ଧର୍ମହାନୀ ହେବ ନିଶ୍ଚେଁ ଆମ୍ଭର ନ ଯାନ୍ତେ ।
ସେ ଆମ୍ଭର ପ୍ରିୟବତୀ ଅଟେ ପାଟବଂଶୀ
ଆମ୍ଭେ ଥାଉଁ ଅନ୍ୟର କି ହୋଇବ ସେ ଦାସୀ ।
ଯିବି ଧାତିକାରେ ତାକୁ ଆଣିବଇଁ ହରି
ସେ ଦେବା ଲେଖା ପଢ଼ିଲି ଆଦି ଅନ୍ତ କରି ।
ସର୍ବେ ଦେଖୁଥିବେ ହରି ଆଣିବି ମୁଁ ବଳେ
ଏ କଥା ଗୋଟିକ ରହିଥାଉ କାଳେ କାଳେ ।
ଆଗଭର ହୋଇଅଛି ତା ଭାଇ ରୁକ୍ମଣ
ଦେଖିବା ତା ଠାରେ ଅଛି କେତେ ବୀରପଣ ।
କିପରି ତା ଭଗିନୀକି ରଖିବ ସେ ରଖୁ
ଲକ୍ଷେ ରାଜା ଘେନି ଏହା ଜରାସନ୍ଧ ଦେଖୁ ।
ସବୁରି ମୁଖରେ କାଳି ଲଗାଇଣ ମୁହିଁ ।
ରୁକ୍ମିଣୀକି ବିଭାହେବି ଦେଖିବ ଗୋସାଇଁ ।
ଆହେ ଦ୍ୱିଜ ସତ୍ୟ ସତ୍ୟ ଆମ୍ଭର ଏ ବାଣୀ
ନନ୍ଦିଘୋଷ ରଥେ ଚଢ଼ି ଯିବୁ ଏହିକ୍ଷଣି ।
ଯଦ୍ୟପି ଇନ୍ଦ୍ର କୁବେର ଭାସ୍କର ବରୁଣ
ଦିଗପାଳମାନେ ଆସି କରିବେଟି ରଣ ।
ନବଖଣ୍ଡ ମେଦିନୀରେ ଛନ୍ତି ଯେତେ ରାଜା
ସେ ଯେବେ ରୁକ୍ମିଣୀ ପାଇଁ କରନ୍ତି ପରିଯା ।
ତଥାପି ତାହାକୁ ଆମ୍ଭେ ଆଣିବୁ ଅବଶ୍ୟ
ଏଥିରେ ସନ୍ଦେହ ତୁମ୍ଭେ ନ ବିଚାର ଲେଶ ।
ଏତେକ ସୁଲଭ ଆମ୍ଭେ ଛାଡ଼ିବୁ କେମନ୍ତେ
ବ୍ରାହ୍ମଣ ତ ଆସିଛନ୍ତି ଏଥିର ନିମନ୍ତେ ।
ଇଦଂ ପ୍ରତିବାକ୍ୟ ବଦୟନ୍ତି ଶୁକଯତି
ଶୁଣ ହୋ ପରୀକ୍ଷ ରାଜା ସୁଭଦ୍ରାର ନାତି ।
ପରମ ଆନନ୍ଦ ହୋଇ ପ୍ରଭୁ ଦେବରାଜ
ସାରଥିକି ଆଜ୍ଞା ଦେଲେ ରଥ ବେଗେ ସାଜ ।
ପ୍ରଭୁଙ୍କ ଆଜ୍ଞାରେ ରଥ ସଜାଇ ଦାରୁକ
ବାଛିଣ ଯୋଚିଲେ ତହିଁ ଉତ୍ତମ ଘୋଟକ ।
ସୁବର୍ଣ୍ଣ କଳଶ ପରେ ଚିତ୍ରଧ୍ୱଜ ଉଡ଼େ
ସମୁଦ୍ର ଲହରୀ କିବା ଶୂନ୍ୟୁ ଖସି ପଡ଼େ ।
ସେ ରଥେ ବସିଲେ କ୍ଷୁଧା ତୃଷା ନ ବାଧଇ
ଯାହା ଇଚ୍ଛା କଲେ ତାହା ତକ୍ଷଣେ ମିଳଇ ।
ସେ ରଥ ସଜାଇ ଆପେ ସାରଥି ଆଣନ୍ତେ
ବିପ୍ର ହସ୍ତ ଧରି ବିଜେ କଲେ ଜଗନ୍ନାଥେ ।
ବ୍ରାହ୍ମଣ ବିଚାର କଲେ ନିସ୍ତରିଲି ମୁହିଁ
ଏ ଭବସଂସାରେ ଆଉ ଜନ୍ମ ମୋର ନାହିଁ ।
ଏମନ୍ତ ସମୟେ ଆଜ୍ଞା ଦ୍ୟନ୍ତେ ପୀତବାସ
ଦାରୁକ ସାରଥି ବାହି ନେଲେ ନନ୍ଦିଘୋଷ ।
ଉଡ଼ିଲେ ଘୋଟକମାନେ ଅନ୍ତରୀକ୍ଷ ମାର୍ଗେ
ମଧ୍ୟ ସ୍ୱର୍ଗେ ଲାଗିଯାନ୍ତି ପବନହୁଁ ବେଗେ ।
ବ୍ରାହ୍ମଣଙ୍କୁ ନିଜପାଶେ ବସାଇ ଶ୍ରୀହରି
ପୂର୍ବମୁଖେ ଚଳିଗଲେ ଶୂନ୍ୟଗତି କରି ।
ଉଦ୍ଧବ ଅକ୍ରୂର ବସୁଦେବ ହଳଧାରୀ
ନ ଜାଣନ୍ତି କେହି ଉଗ୍ରସେନ ଆଦିକରି ।
ରୁକ୍ମିଣୀ ଆରତ ହେବା ଜାଣି ଲକ୍ଷ୍ମୀସାଇଁ
ଉଦବେଗେ ଚଳିଗଲେ କାହାକୁ ନ କହି ।
ଆକାଶ ମାର୍ଗରେ ରଥ କରେ ଦିବ୍ୟ ଗତି
ଇନ୍ଦ୍ରଙ୍କୁ କହିଲେ ତାହା ଦେଖି ବୃହସ୍ପତି ।
ଦେଖ ଦେଖ ଜଗନ୍ନାଥ ରୁକ୍ମିଣୀଙ୍କ ପାଇଁ
ଏକା ଯାଉଛନ୍ତି ନନ୍ଦିଘୋଷରେ ଆରୋହି ।
ନ ଜାଣି ରୁକ୍ମଣ ଶିଶୁପାଳେ ଅଛି ବରି
ଏହିକ୍ଷଣି ନେବେ କୃଷ୍ଣ ରୁକ୍ମିଣୀଙ୍କି ହରି ।
ଏହାଙ୍କ ଉଦରୁ ଜାତ ହୋଇଣ ମଦନ
ପୃଥ୍ୱୀଭାର ନିବାରିବେ ମାରି ଯାତୁଧାନ ।
ଏସନ ବିଚାର କରୁଛନ୍ତି ସ୍ୱର୍ଗବାସୀ
ରଥ ଚଢ଼ି ଗଗନରେ ଗଲେ ବ୍ରହ୍ମରାଶି ।
ଅଚ୍ୟୁତ ବୋଲଇ ଏହା ପରୀକ୍ଷିତ ଆଗେ
ଶୁକ ମହାମୁନି କହୁଛନ୍ତି ଶାସ୍ତ୍ର ଯୋଗେ ।
ରୁକ୍ମିଣୀ ହରଣ ଗାଥା ସୁଧାରସ ବାଣୀ
ପବିତ୍ର ହୋଇବ ଜନେ କର୍ଣ୍ଣପଥେ ଶୁଣି ।
କୁଣ୍ଡୀନଗ୍ରେ ବରବେଶୀ ଶିଶୁପାଳର ପ୍ରବେଶ ଓ ବିଦ୍ୟାଧର ବ୍ରାହ୍ମଣର ପୂର୍ବଶାପ ବିବରଣ
ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟରସନିମନ୍ତ୍ରଣ ପାଇ ତେଣେ ରାଜା ଦମଘୋଷ ।ପୁତ୍ରର ବିବାହ ପାଇଁ କଲେ ଅନୁକୁଳବରବେଶେ ବାହାରିଲା ବୀର ଶିଶୁପାଳ ।ଛୟାଣୋଇ ସସ୍ରରାଜା ଘେନି ସଙ୍ଗତରେଜରାସନ୍ଧ ବିଜେ କଲା ବହୁତ ସମ୍ଭାରେ ।ହାତୀ ରଥୀ ଅଶ୍ୱ ଆଦି ଚତୁରଙ୍ଗ ସେନାଗହଣ ଲଗାଇ ଚାଲିଯାନ୍ତି ଅକଳନା ।ବାଜଇ ବିଜୟ ଶଙ୍ଖ ମଙ୍ଗଳ ମହୁରୀବାଦ୍ୟ ନାଦ ଶବଦରେ କମ୍ପେ ତିନିପୁରୀ ।ସଙ୍ଗୀରାଜାମାନଙ୍କର ଅପ୍ରମିତ ବଳଦିଶନ୍ତି ଯେସନେ ମାଡ଼ିଆସେ ସିନ୍ଧୁଜଳ ।ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତିଛତିଶ ପାଟକ ଲୋକେ ଘେନି ଚାଲିଛନ୍ତି ।ଅସଂଖ୍ୟ ଧବଳ ଛତ୍ର ଅସଂଖ୍ୟ ଚାମରଗଗନେ ପତାକାରାଜି ଉଡ଼େ ଫରଫର ।ଗୁରୁ ବିପ୍ର ପୁରୋହିତ ନଟ ଭାଟ ମୂଳେଯାତ୍ରା ଗହଳରେ ଚାଲିଛନ୍ତି ଦଳେ ଦଳେ ।ଜରାସନ୍ଧ ଆଦିକରି ସକଳ ନୃପତିଶିଶୁପାଳ ସଙ୍ଗେ ହୋଇଛନ୍ତି ବରଯାତ୍ରୀ ।ପଟୁଆର କରି ସର୍ବେ ପଥବାହି ଗଲେକୁଣ୍ଡୀନଗ୍ର ନିକଟରେ ପ୍ରବେଶ ହୋଇଲେ ।ରୁକ୍ମଣ ବାରତା ପାଇ ହୋଇଲା ଆନନ୍ଦ ।ମୁଖ ବିକାଶଇ ଯେହ୍ନେ ପୂର୍ଣ୍ଣିମାର ଚାନ୍ଦ ।ପାତ୍ର ମନ୍ତ୍ରୀ ସଙ୍ଗେ ଘେନି ରାଜପୃଷ୍ଠେ ବସିପାଛୋଟାଇ ଘେନିଗଲା ଅଧବାଟୁ ଆସି ।ଅମନାତ୍ୟଗଣ ଘେନି ଭୀଷ୍ମକ ନୃପତିଜଣ ଜଣ କରି ଖୋଜି ବିଚାର କରନ୍ତି ।ରାଜାଙ୍କ ନଅର ପାତ୍ରମନ୍ତ୍ରିଙ୍କ ଉଆସଯେଝା ଅନୁରୂପେ ଦେଲେ ଭିନ୍ନ ଭିନ୍ନ ବାସ ।ସୈନ୍ୟ ସେନାପତି ଘର ଅଶ୍ୱ ଗଜ ଶାଳପୂର୍ବରୁ ସଜାଡ଼ି ରଖିଥିଲେ ମାଳ ମାଳ ।ସମସ୍ତେ ରହିଲେ ଯାଇଁ ଯେ ଯାହାର ବାସେପାତ୍ର ମନ୍ତ୍ରୀମାନେ ଚର୍ଚ୍ଚା କରନ୍ତି ହରଷେ ।ସୁଗନ୍ଧ ଚନ୍ଦନ ପାନ କସ୍ତୁରୀ କର୍ପୂରଯେ ଯାହା ନିଯୋଗେ ଲାଗି ଦିଅନ୍ତି ଅପାର ।ପାକଶାଳାରେ ବ୍ରାହ୍ମଣେ ରାନ୍ଧି ନାନାଦ୍ରବ୍ୟସୁବର୍ଣ୍ଣ ଥାଳିରେ ନେଇ ପରଷନ୍ତି ସର୍ବ ।ଲକ୍ଷ ଲକ୍ଷ କୋଟି କୋଟି ଭୁଞ୍ଜି ଏକାବେଳେଆଚମନ କରିଯାନ୍ତି ସୁବାସିତ ଜଳେ ।ଅଧାମ ଗୋଟିକା ସର ଦହି ଛେନାପଣାଯେ ଯାହା ଲୋଡ଼ଇ ତାହା ମିଳେ ଅକଳନା ।କର୍ପୂର ଚନ୍ଦନ ମୁଖବାସ ଗୁଆ ପାନଭୁଞ୍ଜି କରି ଆନନ୍ଦିତ ହେଲେ ସର୍ବଜନ ।ରାଜାଗଣ ଆଦିକରି ବାଦ୍ୟକାର ଯାଏଆପଣେ ରୁକ୍ମଣ ଥାଇ ଚରଚା କରାଏ ।ଚାରିଊଣା ଲକ୍ଷେ ରାଜା ହୋଇଛନ୍ତି ରୁଣ୍ଡଦେଖଣାହାରିରେ ପୂରିଅଛି ରାଜଦାଣ୍ଡ ।ପ୍ରତିଦ୍ୱାର ଦାଣ୍ଡ ହାଟ ଦିଶେ ପରିମଳଆନନ୍ଦରେ ଦେଖୁଛନ୍ତି ବୁଲି ଦଳଦଳ ।ବାଜଇ ମହୁରୀ ଶଙ୍ଖ ମର୍ଦ୍ଦଳ କାହାଳୀସୁଲକ୍ଷଣୀ ନାରୀମାନେ ଦ୍ୟନ୍ତି ହୁଳହିଳି ।କେ ବୀଣା ବଜାଏ କେହୁ ଗାଉଅଛି ଗୀତବେଶ୍ୟାଗଣ ବେଶ ହୋଇ କରୁଛନ୍ତି ନୃତ୍ୟ ।ସୁଲଳିତ ହୁଳହୁଳି ପଞ୍ଚସ୍ୱର ନାଦଶୁଣିତ ସକଳ ଲୋକ ହୁଅନ୍ତି ପ୍ରମୋଦ ।ଛାୟାମଣ୍ଡପ ଯେ ବେଦୀ ସୁସଞ୍ଚ ପାତନାରତନ ମଣ୍ଡଣି ଦିଶେ ଏକୁ ଏକ ଜିଣା ।ବରବେଶେ ବସିଅଛି ଶିଶୁପାଳ ବୀରବାହେ ଅସରଳା ସୂତା ଗଳେ ରତ୍ନହାର ।କର୍ଣ୍ଣରେ କୁଣ୍ଡଳ ଶିରେ ଶୋହଇ ମୁକୁଟଅଙ୍ଗେ ରତ୍ନ ଆଭରଣ ଦିଶେ ଝଟ ଝଟ ।ନୟନେ କଜ୍ଜ୍ୱଳ ରେଖା ଶିରେ ପାଗବାନ୍ଧିକଟିଦେଶେ ହଳଦିଆ ପାଞ୍ଚି ଅଛି ପିନ୍ଧି ।କପାଳେ ସିନ୍ଦୂର ଟିକା ପାଦରେ ଅଳତାହସ୍ତରେ ଶ୍ରୀଫଳ କନ୍ଧେ ନୂତନ ପଇତା ।ବେଦୀରେ ପଶ୍ଚିମ ଦିଗ ଅଧିବାସ ଘରେଆନନ୍ଦେ ରହିଲା ବରଯାତ୍ରୀଙ୍କ ସଙ୍ଗରେ ।ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣିଅତିଭାଗ୍ୟେ ଭାଗବତ ପୁରାଣର ବାଣୀ ।ସପତ ସମୁଦ୍ର ପାଣି କେ ଶୋଷି ପାରିବନଦୀବାଲି ଗଣି ସଂଖ୍ୟାକରି କେ କହିବ ।ବିଷ୍ଣୁର ମହିମା ହାଦେ ଆଦି ଅନ୍ତ ନାହିଁକେ ବର୍ଣ୍ଣି ପାରିବ ତାହା ନରଦେହ ବହି ।ଲକ୍ଷ୍ମୀ ନାରାୟଣ ବିଭା ଦୁର୍ଲ୍ଲଭ ଚରିତକହନ୍ତେ ନ ସରେ ଯାର ଲ ମିଳଇ ଅନ୍ତ ।ଚାରିଊଣା ଲକ୍ଷେ ରାଜା ବରଯାତ୍ରୀପଣେଶିଶୁପାଳ ସଙ୍ଗେ ଆସିଅଛନ୍ତି ଗହଣେ ।ଏମନ୍ତ ସମ୍ଭାର ଦେଖି ଦାସୀଗଣ ଖରେଧାଇଁ ଯାଇ ଜଣାଇଲେ ରୁକ୍ମିଣୀ ଛାମୁରେ ।ବର ବରଜାତି ଆସି ରହିଲେଣି ସବୁଏ ରାତି ପାହିଲେ ମାଗୋ କାଲି ବିଭା ହେବୁ ।ଶୁଣିଣ ରୁକ୍ମିଣୀଦେବୀ ହୋଇଲେ ବିକଳକମଳ ନୟନ ଫୁଟି ବହେ ଅଶ୍ରୁଜଳ ।ଆହା କୃଷ୍ଣ ପ୍ରାଣବନ୍ଧୁ ବୋଲିଣ ସୁମରିକେଶବାସ ଅସମ୍ଭାଳ ଲୋଟନ୍ତି ସୁନ୍ଦରୀ ।ଓଷ୍ଠ କଣ୍ଠ ସହିତରେ ତାଳୁ ଗଲା ଶୁଖିଉଚ୍ଚସ୍ୱରେ ଶୋକକରି ବୋଇଲେ ଗୋସଖି ।ଦ୍ୱିଜବର ଗଲାବେଳୁ ଚାହିଁଅଛି ବାଟଚାରିଆଡ଼େ ଦିଶୁଛନ୍ତି ମୋତେ ନନ୍ଦଚାଟ ।ଗଗନର ଚନ୍ଦ୍ରମାକୁ ବଢ଼ାଇଲି ହସ୍ତସ୍ୱପ୍ନଧନ କାହୁଁ ମୋତେ ହେବ ପରାପତ ।ଫାନ୍ଦ ପାତିଲେ କି ବାୟୁ ହୋଇପାରେ ବନ୍ଦୀକୋଇଲି ସୂତାରେ ଗଜ କେ ରଖିବ ବାନ୍ଧି ।ସମୁଦ୍ର ତରିବ କାହୁଁ ବାନ୍ଧି ତୃଣ ଭେଳାଦେବଙ୍କ ସଙ୍ଗରେ କାହିଁ ମାନବଙ୍କ ମେଳା ।ବକ ସଙ୍ଗେ କାକ କାହୁଁ ହୋଇବ ସମାନସିଂହପୁରେ ଶୃଗାଳକୁ ମିଳଇ କି ସ୍ଥାନ ।ଅଶେଷ କୋଟି ବ୍ରହ୍ମାଣ୍ଡେ ଯେ ପ୍ରଭୁ ଠାକୁରସେ ଲୋଡ଼ିଲେ କେଉଁକଥା ଅଭାବ ତାଙ୍କର ।କେତେ ନାରୀରତ୍ନ ଅବା ନ ମିଳିବ ତାଙ୍କୁକିପାଁ ଏତେ ଶ୍ରମ ପାଇ ଆସିବେ ଏଥକୁ ।ବତିଶ ସହସ୍ରନାରୀ ଇନ୍ଦ୍ର ତାଙ୍କୁ ଦେଲେଆପଣେ ପାଦରେ ବନ୍ଦି ପୂଜାକରି ଗଲେ ।ମୃଗତୃଷ୍ଣା ଜଳରେ କି ଦୂର ହୁଏ ତୃଷାମୁହିଁ ନିଲକ୍ଷଣୀ ବୃଥା ବଳାଇଛି ଆଶା ।ମୋର ଏ ବିକଳ ଦେଖି ବୃଦ୍ଧ ଦ୍ୱିଜ ଗଲେଯାଉ ଯାଉ ଟାଟେ ଅବା ଫୁଟିଣ ରହିଲେ ।କିବା ପଥଶ୍ରମ ହେତୁ ସେ ବୃଦ୍ଧ ବ୍ରାହ୍ମଣଅତି କଷ୍ଟେ ଭୋଗକରି ଲଭିଲେ ମରଣ ।ବାଟବଣା ହୋଇ ଅବା ପଶିଲେ ଅବାଟେକିବା ବଧକଲେ ତାଙ୍କୁ ବ୍ୟାଘ୍ର ଚୌର ଖଣ୍ଟେ ।ସିଂହ କି ଶାର୍ଦ୍ଦୁଳ ଅବା ବନହସ୍ତୀ ମିଳିଖାଇଥିବେ ନୋହିଲେ ତ ଦେଇଥିବେ ଦଳି ।କି ଅବା ମୋ ଭାଇ ତାଙ୍କୁ ବାଟରେ ଦେଖିଲାଏଥିର କାରଣ କିଛି ଜଣା ତ ନ ଗଲା ।କିବା କେଉଁ ବ୍ୟାଧି ଜାତ ହେଲା ତାଙ୍କ ଦେହେନ ଯାଇ ରହିଲେ ଅବା ଆପଣାର ଗୃହେ ।ଦ୍ୱାରାବତୀ ପୁରେ ଅବା ନ ପାରିଲେ ପଶିକିବା ଗଉରବେ ରୁହାଇଲେ ହୃଷୀକେଶୀ ।କି ଅବା ମୋ କଥା ପ୍ରଭୁ ନ ଶୁଣିଲେ କାନେତେଣୁ ଦେଖା ନ ଦେଲେ ସେ ବିପ୍ର ଅପମାନେ ।ଏତେ କହୁ କହୁ ଦେବୀ ହତଜ୍ଞାନ ହୋଇଭୂତଳେ ପଡ଼ିଲେ ନିଜ ବିବେକ ହରାଇ ।ଦାସୀ ପରିବାରୀଗଣ ସିଞ୍ଚାବିଞ୍ଚା କଲେପୁଣି କ୍ଷଣକରେ ଦେବୀ ଚେତନା ପାଇଲେ ।ବୋଲନ୍ତି ଭୋ ଧର୍ମ ମୋତେ ନୋହିଲଟି ସାହାଛାର ଶିଶୁପାଳ ପୁଣି ହେବ ମୋର ନାହା ।ଏଡ଼େ ହୀନକଥା ମୁହିଁ ଶୁଣିଲି ମୋ କର୍ଣ୍ଣେନିର୍ଲ୍ଲଜ ଜୀବନ କିପାଁ ଅଛି ଅକାରଣେ ।ଖାଇବି ଗରଳ ପ୍ରାଣେ ଆଶା ନାହିଁ ଆଉକୃଷ୍ଣ ନାମ ଧରି ମୋର ଜୀବ ଚାଲିଯାଉ ।ଏ କଥା ତ୍ରିଜୀବୀ ହୋଇଥିବ କାଳ କାଳଛୁଇଁ ନ ପାରଇ ମୋତେ ପାପୀ ଶିଶୁପାଳ ।ଏମନ୍ତ ବିଳାପ ବସି କରନ୍ତେ ରୁକ୍ମିଣୀକରଯୋଡ଼ି ଜଣାଇଲା ସୁମେଧା ମିତଣୀ ।ପ୍ରତ୍ୟକ୍ଷେ ତୁ ମହାଲକ୍ଷ୍ମୀ ଅଛୁ ଅବତରିଆଦି ଅନ୍ନପୂର୍ଣ୍ଣା ତୁ ଯେ ବିଷ୍ଣୁ ମନୋହାରୀ ।ଯହିଁକି ଭରସା ରଖି କରିଛୁ ନିର୍ବନ୍ଧସେ କାର୍ଯ୍ୟ ନିଶ୍ଚୟ ତୋର ହେବ ଜାଣ ସିଦ୍ଧ ।ନନ୍ଦିଘୋଷ ରଥେ ବସି ପ୍ରଭୁ ଦେବରାୟଏଠାରେ ଏକ୍ଷଣି ତୋତେ ନେବେ ସେ ନିଶ୍ଚୟ ।ମୁଁ ଯାହା କହିଲି ଏହା ଅଟେ ତଥ୍ୟବାଣୀନାରଦ ଋଷିଙ୍କ ମୁଖୁଁ ପୂର୍ବେ ଥିଲି ଶୁଣି ।ଆମ୍ଭେ ସର୍ବେ ଶାପଘେନି ହୋଇଥାଇ ଜାତଅନେକ ଜନ୍ମର କଥା ଜାଣେ ଆଗୋ ମାତ ।ସେ କଥାକୁ ମିଥ୍ୟାବୋଲି ନ ବିଚାର କିଛିସର୍ବଶୁଭ ଆଗମନ ମୋତେ ଦିଶୁଅଛି ।ତୁ କିସ ନ ଜାଣୁ ମାଗୋ ମୁଁ କହିବି ବୋଧିଦୂତ ବିଳମ୍ବରେ ନିଶ୍ଚେଁ କାର୍ଯ୍ୟ ହୁଏ ସିଦ୍ଧି ।ପ୍ରତିଜ୍ଞା କରିଣ ଏଥୁ ଯାଇଛନ୍ତି ଦ୍ୱିଜନିଶ୍ଚୟ ଆସିବେ ସଙ୍ଗେ ଘେନି ଦେବରାଜ ।ବେଳ ନ ବଳିବ ନିଶ୍ଚେଁ ଆସିବେ ମାଧୋଇତେତେବେଳେ ଦେବୁଟିକି ତୁ ମୋତେ ବଧାଇ ।ରୁକ୍ମିଣୀ ବୋଇଲେ ଏହା ପ୍ରତେ ଯାଉ ନାହିଁସତେ କି ଶ୍ରୀକୃଷ୍ଣ ଆଜି ଆସିବେ ମୋ ପାଇଁ ।କାହିଁ କୁଣ୍ଡୀନଗ୍ର କାହିଁ ଦ୍ୱାରାବତୀ ପୁରଅଗମ୍ୟ ବନ କନ୍ଦର ପଥ ବହୁଦୂର ।ଏତେଦୂର ଲଙ୍ଘି କୃଷ୍ଣ ମୋ ପାଇଁ ଆସିବେଲେଉଟି ବାରତା ଘେନି ବ୍ରାହ୍ମଣ ମିଳିବେ ।ବର ବରଜାତିମାନେ ସର୍ବେ ଛନ୍ତି ବସିସାତଘଡ଼ି ବେଳ ଏବେ ହୋଇଲାଣି ଆସି ।ବାଟ ମଙ୍ଗଳନ ସାରି କଲେଣି ବରଣସଭାକରି ବସିଛନ୍ତି ସବୁ ନୃପରାଣ ।ମେଷଲଗ୍ନ ବେଳ ଅଟେ ତେରଘଡ଼ି ସଂଖ୍ୟାହସ୍ତଗ୍ରନ୍ଥି ପଡ଼ିବାକୁ ରହିଅଛି ଏକା ।ଏତେବେଳେ ସଖି ଆଉ ଉପାୟ ତ ନାହିଁକେବଳ ମରିବି ବିଷ ପାନକରି ମୁହିଁ ।ସରିଲା କଥାରେ ଆଉ କି ଅଛି ଭରସାଦରିଦ୍ର ଲୋକର ଯେହ୍ନେ ଧନୀ ହେବା ଆଶା ।ଏମନ୍ତ କହି ରୁକ୍ମିଣୀ ପଡ଼ିଲେକ ଢଳିସୁମେଧା ଅଇଲା ତାଙ୍କୁ କୋଳକରି ତୋଳି ।ଶ୍ରୀଅଙ୍ଗ ମାର୍ଜ୍ଜନା କରି ମୁଖେ ଜଳ ସିଞ୍ଚିକୁସୁମ ବିଞ୍ଚିଣ ଧରି କୋମଳରେ ବିଞ୍ଚି ।ଘଡ଼ିକେ ଚେତନା ପାଇ ଭୀଷ୍ମକ କୁମାରୀଆହା କୃଷ୍ଣ ପ୍ରାଣନାଥ ବୋଲି ଶୋକକରି ।ବିକଳ ହୁଅନ୍ତି ଅଙ୍ଗୁ ବହିପଡ଼େ ଝାଳହୃଦୟ ପୋଡ଼ଇ ଯେହ୍ନେ କ୍ରୋଟର ଅନଳ ।ସୁମେଧା ବୋଇଲେ ମାଗୋ ଦଣ୍ଡକର କଥାବିଧାତାର ଘଟସୂତ୍ର ନୁହଇ ଅନ୍ୟଥା ।ଆଗତ କଥାକୁ କିପାଁ ଶୋଚନା ତୁ କରୁକ୍ଷଣକରେ ଆନ ହେବ ବିଧାତା ବଳରୁ ।ଦେହଧାରୀ ହେଲେ ନିଶ୍ଚେଁ ଦୁଃଖସୁଖ ଅଛିକର୍ମର ଲିଖନ କେହି ନ ଜାଣନ୍ତି କିଛି ।ଯାହାର କର୍ମରେ ଯାହା ଲେଖିଥାଏ ଷଠୀକାହାର ସାଧ୍ୟରେ ତାହା ଆନ ହୋଇବଟି ।ପଣ୍ଡିତେ କହନ୍ତି କ୍ଷଣଭଙ୍ଗୁର ଜଗତଚାହୁଁ ଚାହୁଁ କ୍ଷଣକରେ ହୁଏ ବିପରୀତ ।ଏକ୍ଷଣି ଆସିବେ ଦ୍ୱିଜ ଶୁଭବାର୍ତ୍ତା ଘେନିଛାଡ଼ ଛାଡ଼ ଚିନ୍ତା ମାଗୋ ବିଷ୍ଣୁର କାମିନୀ ।ଦୁର୍ଗତିନାଶିନୀ ଦୁର୍ଗା ପାଦେ କର ଲୟତା ଆଜ୍ଞାରେ ଏହିକ୍ଷଣି ହେବ ତୋର ଜୟ ।ସୁମେଧା ମୁଖରୁ ଶୁଣି ଏମନ୍ତ ବଚନମହାମାୟାଙ୍କୁ ରୁକ୍ମିଣୀ ବସି କଲେ ଧ୍ୟାନ ।ଦୁର୍ଗତି ନାଶିନୀ ମାଗୋ ଜଗତର ମାତାମହାଘୋର ବିପଦରୁ ତୁହି ସେ ରଖନ୍ତା ।ଜ୍ୟୋତିରୂପା ଆଦିଶକ୍ତି ଜୟା ତୁ ବିଜୟାବ୍ରହ୍ମାଣ୍ଡ ଯାକରେ ପୂରି ରହିଛି ତୋ କାୟା ।ସବୁରି ହୃଦରେ ଜ୍ଞାନରୂପେ ଅଛୁ ରହିତୋ ଆଜ୍ଞା ଲଙ୍ଘନ କରି ନ ପାରନ୍ତି କେହି ।ସ୍ତିରୀଏ ଜାଣନ୍ତି ମାଗୋ ସ୍ତିରୀଙ୍କ ବେଦନାଏ ଘୋର ସଂକଟକାଳେ ହୁଅ ବଜ୍ରସେହ୍ନା ।ବସୁଦେବ ସୁତ ବାସୁଦେବ ମୋର ପତିଅଦ୍ଭୁତେ ତାହାଙ୍କୁ ଆଣି ଦିଅ ଭଗବତୀ ।ଦୁଷ୍ଟରାଜାମାନଙ୍କର ବଳ କ୍ଷୟ ହେଉପାପୀ ଶିଶୁପାଳ ଲାଜେ ବାହୁଡ଼ିଣ ଯାଉ ।ସବୁରି ଆଗରୁ ମୋତେ ନିଅନ୍ତୁ ଶ୍ରୀହରିସର୍ବଦା ରହିବି ତାଙ୍କ ପଦସେବା କରି ।ଦୁର୍ଗମାଖ୍ୟ ଦୈତ୍ୟ ମାରି ଦୁର୍ଗା ତୁମ୍ଭ ନାମଦୁର୍ଗା ଦୁର୍ଗା ସୁମରନ୍ତେ ପୂର୍ଣ୍ଣହୁଏ କାମ ।ଏସନେକ ସ୍ତୁତି ଯହୁଁ କଲେକ ରୁକ୍ମିଣୀଅଦ୍ଭୁତେ ଶୁଭିଲା ତାଙ୍କୁ ଆକାଶର ବାଣୀ ।ଭୀଷ୍ମକ ନନ୍ଦିନୀ ତୁଗୋ ନ ହୁଅ ବିମନକୃଷ୍ଣ ଆସୁଛନ୍ତି ଚଢ଼ି ନନ୍ଦିଘୋଷ ଯାନ ।ବ୍ରାହ୍ମଣଙ୍କୁ ନିଜସଙ୍ଗେ ଘେନି ବ୍ରହ୍ମରାଶିନିକଟରେ ପରବେଶ ହୋଇଲେଣି ଆସି ।ମନୋରଥ ପୂର୍ଣ୍ଣ ଏବେ ହୋଇଲା ତୁମ୍ଭରଭେଟିବ କୃଷ୍ଣଙ୍କୁ ଆଉ ସନ୍ଦେହ ନ କର ।ଶୁଣିଣ ପରମ ତୋଷ ହୋଇଲେ ରୁକ୍ମିଣୀଆଦିତ୍ୟ ଉଦୟେ ଯେହ୍ନେ ବିକଶେ ନଳିନୀ ।ଛାଡ଼ିଲେ ମନରୁ ଦେବୀ ଥୋକାଏ ସନ୍ଦେହଆନନ୍ଦରେ ପୁଲକିତ ହେଲା ତାଙ୍କ ଦେହ ।ସୁମେଧା ହରଷ ହୋଇ ବୋଲେ ଗୋ ରୁକ୍ମିଣୀଅନ୍ୟଥା ନୁହଇ କେବେ ଦେବତାଙ୍କ ବାଣୀ ।ମଙ୍ଗଳ ସୂଚନା ଏହି ଆକାଶ ବଚନଏକ୍ଷଣି ଆସିବେ ନିଶ୍ଚେଁ ପ୍ରଭୁ ଭଗବାନ ।ସୁମେଧା ବଚନେ ଦେବୀ ହେଲେ ତୋଷମତିଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃପତି ।ବ୍ରାହ୍ମଣକୁ ସଙ୍ଗତରେ ଘେନି ଜଗନ୍ନାଥଶୂନ୍ୟମାର୍ଗେ ଆସୁଥିଲେ ଚଢ଼ି ନିଜ ରଥ ।ମନବେଗେ ଯାନ ଚଳି ଆସଇ ଗଗନେକୁଣ୍ଡୀନଗ୍ରେ ପ୍ରବେଶିଲେ ସାତଘଡ଼ି ମାନେ ।କୁଣ୍ଡଳି ପର୍ବତ ତଳେ ବେଣୀନଦୀ ତୀରେଆକାଶରୁ ଖସି ଯାନ ରହିଲା ସଧୀରେ ।ତିନିଯୁଣ ଆୟତନ ମନୋହର ତୋଟାଦୁର୍ବାସା ଋଷି ଆଶ୍ରମ ସେହି ସ୍ଥାନ ଗୋଟା ।ନାନାବିଧ ତରୁଲତା ବିରାଜନ୍ତି ତହିଁସେ ତୋଟାରେ ବିଜେ କଲେ ରଥରୁ ଓହ୍ଲାଇ ।ସେ ସ୍ଥାନକୁ କୁଣ୍ଡୀନଗ୍ର ଯୋଜନେକ ଦୂରରମ୍ୟସ୍ଥାନ ଦେଖି ବିଜେ କଲେ ଚକ୍ରଧର ।ଅଶ୍ୱଙ୍କୁ ଫିଟାଇ ରଥ ରୁହାଇଲା ସୁତବ୍ରାହ୍ମଣ ମୁଖକୁ ଚାହିଁ ବୋଲନ୍ତି ଅଚ୍ୟୁତ ।ରୁକ୍ମିଣୀ ଛାମୁରେ ବାର୍ତ୍ତା ଦିଅ ବେଗେ ଯାଇଆକୁଳ ସେ ହେଉଥିବ ତୁମ୍ଭ ବାଟ ଚାହିଁ ।ଆମ୍ଭେ ଆସିବାର କଥା ବେଗେ ଯାଇ କହଶୁଣିଲେ ଫିଟିବ ତାଙ୍କ ମନରୁ ସନ୍ଦେହ ।ଏତେ ବୋଲି ବ୍ରାହ୍ମଣଙ୍କୁ କୋଳାଗ୍ରତ କରିଜୟମଙ୍ଗଳ ନାମରେ ମାଳା କରେ ଧରି ।ବୋଇଲେ ଯେ ଦ୍ୱିଜ ଏହିମାଳା ତୁମ୍ଭେ ନେବଆମ୍ଭ ଦତ୍ତବୋଲି କହି ରୁକ୍ମିଣୀଙ୍କୁ ଦେବ ।ଆଜ୍ଞା ପାଇ ଦ୍ୱିଜବର ଉଠିଲେ ବହନକୃଷ୍ଣଙ୍କୁ ଛାଡ଼ିବା ପାଇଁ ନ ବଳଇ ମନ ।ପୁଣି ଶ୍ରୀମୁଖରୁ ଦୃଢ଼ ବାରତା ସେ ପାଇକାର୍ଯ୍ୟାର୍ଥୀ ହୋଇଣ ଶୀଘ୍ରେ ଗଲେ ପିଠିଦେଇ ।ପାଦୁକା ମନ୍ତ୍ରର ବଳେ ଚଳି ଅତିଖରେପ୍ରବେଶ ହୋଇଲେ ଯାଇ ରୁକ୍ମିଣୀଙ୍କ ପୁରେ ।ରୁକ୍ମିଣୀଙ୍କ ଦାସୀଗଣେ ଥିଲେ ବାଟ ଚାହିଁଅଇଲେ ବ୍ରାହ୍ମଣ ବୋଲି ଜଣାଇଲେ ଯାଇ ।ସ୍ଫୁରିଲା ବାମ ନୟନ କଥା ହେଲା ଜୟେଦଧି ମାଛ ଶଙ୍ଖଚିଲ ଆଗେ ଦେଖାଯାଏ ।ଏମନ୍ତ ସମୟେ ଦେବୀ ଦୂରେ ଦେଲେ ଦୃଷ୍ଟିଦେଖିଲେ ଆସୁଅଛନ୍ତି ସେହି ବିପ୍ରଗୋଟି ।ଚାଲିବା ସମୟେ ଅଙ୍ଗୁ ବହୁଅଛି ଝାଳପ୍ରଖର ନିଶ୍ୱାସ ବହେ ମନର ଚଞ୍ଚଳ ।ଚାହୁଁ ଚାହୁଁ ରୁକ୍ମିଣୀଙ୍କ ଛାମୁରେ ମିଳିଲେମାଳଗୋଟି ଥୋଇ ତାଙ୍କ ଆଗେ ଉଭାହେଲେ ।ସୁମେଧା ନିରେଖି ଚାହିଁ ବ୍ରାହ୍ମଣ ବଦନବିଚାରଇ ନିଶ୍ଚେଁ ହେଲା ଶୁଭ ଆଗମନ ।ଏହାଙ୍କ ମୁଖରେ ହର୍ଷପୂରି ରହିଅଛିଏହି ସଂକେତରୁ କାର୍ଯ୍ୟ ହେଲା ମୁଁ ଜାଣୁଛି ।ରୁକ୍ମିଣୀ ବୋଇଲେ ପଣ୍ଡା ତୁମ୍ଭେ ମୋର ପିତାମୋ ପାଇଁରେ ଗଲ ଯେଣୁ ଏତେଦୂର ପନ୍ଥା ।ଚାତକ ପରାୟେ ଚାହିଁ କରିଛି ମୁଁ ଆଶନିରାଧାର ବାକ୍ୟ କହି ମନ କର ତୋଷ ।ଭୋ ବିପ୍ର ଦ୍ୱାରକା ଗଲ ଏତେ ଦୁଃଖପାଇସେଠାରେ କୃଷ୍ଣଙ୍କ ଭେଟ ପାଇଲ କି ନାହିଁ ।ତୁମ୍ଭ ମୁଖୁ ମୋର ଦୁଃଖ ଶୁଣିଲେ କି ହରିସକଳ ବୃତ୍ତାନ୍ତ ମୋତେ କହ ତଥ୍ୟକରି ।ଏତେ ବୋଲି ମସ୍ତକରେ ଯୋଡ଼ି ବେନିପାଣିବ୍ରାହ୍ମଣର ପାଦତଳେ ପଡ଼ିଲେ ରୁକ୍ମିଣୀ ।ସୁମେଧାକୁ ଆଦି ଯେତେ ସହଚରୀ ଥିଲେନମ୍ର ହୋଇ ବିପ୍ରପାଦେ ସମସ୍ତେ ପଡ଼ିଲେ ।ସମସ୍ତଙ୍କୁ ସୁକଲ୍ୟାଣ କରି ଦ୍ୱିଜବରରୁକ୍ମିଣୀଙ୍କୁ ଚାହିଁ ଧୀରେ କହିଲେ ଏ ଗିର ।ଆଗୋ ମାତ ମୁଁ ଜାଣଇ ଲକ୍ଷ୍ମୀ ତୁମ୍ଭେ ଅଟଅନନ୍ତ ଶଯ୍ୟାରେ ବିଷ୍ଣୁ ପାଦତଳେ ଖଟ ।ମାନବ ଶରୀରେ ଧରି ସେହି ନାରାୟଣକୃଷ୍ଣରୂପେ ଜନ୍ମିଛନ୍ତି ଅନାଦି କାରଣ ।ଶ୍ରୀଭୁଜରେ ଶଙ୍ଖ ଚକ୍ର ଗଦା ପଦ୍ମ ସାଜେଦ୍ୱାରକା ଭୁବନ ମଧ୍ୟେ କରିଥିଲେ ବିଜେ ।ଖଣ୍ଡେଦୂର ମୁଁ ଯିବାର ଦେଖି ବ୍ରହ୍ମରାଶିସିଂହାସନ ଛାଡ଼ି ମୋତେ ପ୍ରଣମିଲେ ଆସି ।ସେହି ସିଂହାସନେ ନେଇ ବସାଇଲେ ମୋତେଆଲଟ ଧରିଣ ପୁଣି ବିଞ୍ଚିଲେ ଶ୍ରୀହସ୍ତେ ।ରତନ ଝରୀରେ ତୀର୍ଥଜଳ ସେ ପୁରାଇଆପଣେ ଶ୍ରୀକରେ ମୋର ପାଦଦେଲେ ଧୋଇ ।ନାନାଦ୍ରବ୍ୟ ଆଣି ମୋତେ କରାଇ ଭୋଜନତଦନ୍ତେ ପୁଚ୍ଛିଲେ ମୋର ଯିବାର କାରଣ ।ମୁଁ ତୁମ୍ଭର ସବୁକଥା କହିଲି ପ୍ରମାଣିଶୁଣିଲା ମାତ୍ରକେ ହୃଷ୍ଟ ହେଲେ ଚକ୍ରପାଣି ।ସେହିକ୍ଷଣି ନନ୍ଦିଘୋଷ ରଥ ଅଣାଇଲେକାହାକୁ ନ କହି ମୋତେ ଘେନି ବିଜେକଲେ ।ସାରଥି ବାହିଲା ଯାନ ପବନହୁଁ ବେଗେତକ୍ଷଣେ ମିଳିଲୁଁ ଆସି ବେଣୁନଦୀ ଲାଗେ ।ଦୁର୍ବାସା ଆଶ୍ରମ ବନେ ଅଛନ୍ତି ମାଧୋଇତୁମ୍ଭ ସମୀପକୁ ମୋତେ ଦେଲେ ପଠିଆଇ ।ଆବର କର୍ଣ୍ଣରେ ମୋର କହିଲେ ବିଶ୍ୱାସରୁକ୍ମିଣୀଙ୍କୁ ଗୁପତରେ ଦେବ ଏ ସନ୍ଦେଶ ।ସୁବର୍ଣ୍ଣ ମନ୍ଦିର ଅଛି ନଗ୍ର ଐଶାନ୍ୟରେକାମାକ୍ଷୀ ନାମରେ ଦେବୀ ବିଜୟ ତହିଁରେ ।କୁଣ୍ଡୀନଗ୍ର ଅଧିଷ୍ଠାତ୍ରୀ ଅଟନ୍ତି ସେ ଦେବୀମନୋରଥ ପାଏ ତାଙ୍କୁ ଯେ ପାରଇ ସେବି ।ଦିଅଁ ମଙ୍ଗୁଳିବା ପାଇଁ ଅହ୍ୟ ନାରୀଚୟରୁକ୍ମିଣୀଙ୍କୁ ଘେନି ତହିଁ ଯିବେ ତ ନିଶ୍ଚୟ ।ଦେବୀଙ୍କୁ ଦର୍ଶନ କରି ବାହୁଡ଼ିବା ବେଳେଦୂରଦେଶୁଁ ହରି ଆମ୍ଭେ ଘେନିଯିବୁଁ ବଳେ ।ଏହି ଆଜ୍ଞାଦେଇ ମୋତେ ପେଷିଛନ୍ତି ହରିଏଥକୁ ଉଚିତ କାର୍ଯ୍ୟ କର ଗୋ ବିଚାରି ।ଶୁଣିଣ ରୁକ୍ମିଣୀ ଦେବୀ ଲଭି ମନେ ଶାନ୍ତିଭାବିଲେ ନିସ୍ତାର ନିଶ୍ଚେଁ ପାଇଲି ଏ ଘାନ୍ତି ।ଦୁଃଖ ଜାଣି ଦୟା ମୋତେ କଲେ ବନମାଳୀଏଣିକି ଫିଟାଇ ମୋର ପାଦରୁ ଶାଙ୍କୋଳି ।ଏତେ ବୋଲି ଦୁର୍ଗା ଦୁର୍ଗା ମନରେ ସୁମରିବ୍ରାହ୍ମଣଙ୍କୁ କହିଲେ ସେ ନମସ୍କାର କରି ।ଆହେ ବିପ୍ରବର ତୁମ୍ଭେ ଅଟ ମୋର ଗୁରୁଜୀବନ୍ତ ରହିଲା ମୋର ତୁମ୍ଭ ପ୍ରସାଦରୁ ।ଆଜୁଁ ଧର୍ମପିତା ତୁମ୍ଭେ ହେଲ ମୋର ଜାଣଶୁଝି ନ ପାରିବି କେବେ ତୁମ୍ଭର ଏ ଋଣ ।କିଛିକାଳ ଥାଅ ଏବେ ସଙ୍ଗତେ ମୋହରକୃଷ୍ଣଙ୍କୁ ଭେଟିଲେ ଋଣ ଶୁଝିବି ତୁମ୍ଭର ।ବ୍ରାହ୍ମଣ ବୋଇଲେ ତୁମ୍ଭେ ଆଦି ଠାକୁରାଣୀସୃଷ୍ଟି ଉତ୍ତପତ୍ତି ସ୍ଥିତି ପ୍ରଳୟ କାରିଣୀ ।ସ୍ଥାବର ଜଙ୍ଗମ କୀଟ ତୁମ୍ଭ ଗର୍ଭୁ ଜାତତୁମ୍ଭ କାର୍ଯ୍ୟ ଆପେ ସିଦ୍ଧ କଲ ତୁମ୍ଭେ ମାତ ।ନିସ୍ତାର ପାଇଲି ମୁହିଁ ତବ ଅନୁରାଗେଲଭିବି ବିପୁଳ ଲକ୍ଷ୍ମୀ ବସିବଇଁ ସ୍ୱର୍ଗେ ।କହୁଁ କହୁଁ ସେ ବ୍ରାହ୍ମଣ ହେଲେ ନବଯୁବାସାକ୍ଷାତେ ଅନଙ୍ଗ ମୂର୍ତ୍ତି ଧଇଲେ କି ଅବା ।ଧନଧାନ୍ୟ ଗୋପଲକ୍ଷ୍ମୀ ବଢ଼ିଲା ବହୁତଚାରିବେଦ ଷଡ଼ଶାସ୍ତ୍ରେ ହେଲେ ସେ ନିର୍ଜିତ ।ଯାହାକୁ ପ୍ରସନ୍ନ ହେଲେ ଲକ୍ଷ୍ମୀନାରାୟଣତାକୁ କି ଅପୂର୍ବ ହେବ ଧନ କର୍ମ ଜ୍ଞାନ ।ଲକ୍ଷ୍ମୀ ନାରାୟଣ ଦୁହେଁ ମର୍ତ୍ତ୍ୟେ ଅବତାରକେ କହି ପାରିବ ବର୍ଣ୍ଣି ମହିମା ତାଙ୍କର ।ଏହା ଶୁଣି ପଚାରିଲେ ପରୀକ୍ଷିତ ରାୟେଭୋ ମୁନି ଏ କଥା ଲାଗେ ଅପୂର୍ବ ପରାୟେ ।ଅତିବୁଦ୍ଧ ହୋଇଥିଲେ ସେ ବ୍ରାହ୍ମଣ ଗୋଟିକ୍ଷଣକରେ ନବଯୁବା ହୋଇଲେ ପାଲଟି ।କେଉଁଠାରେ କି ତପ ସେ କରିଥିଲେ ପୂର୍ବେଲକ୍ଷ୍ମୀନାରାୟଣ ତାଙ୍କ ପୂଜା କଲେ ଏବେ ।ଏଡ଼େ ପୁଣ୍ୟବନ୍ତ ଲୋକ ଯେବେ ସେ ବ୍ରାହ୍ମଣଆଜି ଯାଏ ହୋଇଥିଲେ କିପାଇଁ ନିର୍ଦ୍ଧନ ।ଏତେ ଲୋକ ଥାଉଁ କିପାଁ ରୁକ୍ମିଣୀ ତାହାକୁଦୂତକରି ପଠାଇଲେ ଦ୍ୱାରକା ପୁରକୁ ।ଭୋ ମୁନି ଏ କଥା ମୋତେ ବିସ୍ତାରିଣ କହଶୁଣିଲେ ମନରୁ ମୋର ଫିଟିବ ସନ୍ଦେହ ।ରାଜାର ବଚନ ଶୁଣି କହେ ଶୁକଯତିବୋଇଲେ କହିବା ଶୁଣ ପଣ୍ଡୁ ପଣନାତି ।ବହୁତକାଳର କଥା ପୁରାତନ ବାଣୀଲୋମଶ ମୁନିଙ୍କ ମୁଖୁଁ ଥିଲୁ ଆମ୍ଭେ ଶୁଣି ।ବ୍ରହ୍ମାଣ୍ଡ ପୁରାଣେ ଉକ୍ତ ହୋଇଛି ଏ କଥାସଂକ୍ଷେପି କହିବା ଏବେ ଶୁଣ ମହାରଥା ।ଦଇବରେ ଦିନେ ଆସି ପ୍ରଚେତା ମହର୍ଷିସ୍ୱର୍ଗଙ୍ଗା କୂଳେ ତପ କରୁଥିଲେ ବସି ।ଯୋଗେ ବନ୍ଧଭେଦ ମୁଦ୍ରା ଛନ୍ଦି ତପଶୀଳମହାମନ୍ତ୍ର ଜପୁଥିଲେ ଧରି ଜପାମାଳ ।ଏମନ୍ତବେଳେ ଗୋମାତା ତୃଷାତୁର ହୋଇସେ ମୁନିଙ୍କ ସନ୍ନିଧିରେ ପ୍ରବେଶିଲେ ଯାଇ ।ସମାଧିରେ ଲାଗିଅଛି ମୁନିଙ୍କର ଲୟେଗୋମାତା ଚାହିଁଲେ ତାଙ୍କୁ ପାଞ୍ଚଘଡ଼ି ଯାଏ ।ତଥାପି ଧ୍ୟାନରୁ କ୍ଷାନ୍ତ ନୋହିଲେ ପ୍ରଚେତାବେଳୁଁ ବେଳ ବିକଳ ଯେ ହୁଅନ୍ତି ଗୋମାତା ।କ୍ଷୁଧା ତୃଷା ପୀଡ଼ା ଦେବୀ ସହି ନ ପାରିଲେଜଳ ତୃଣ ଦିଅବୋଲି ମୁନିଙ୍କୁ ଡାକିଲେ ।ତୃଣ ଜଳ ବିହୁନରେ ପୋଡ଼ୁଛି ମୋ ପେଟଧ୍ୟାନ ଛାଡ଼ି ତୃଣ ପାଣି ଦିଅ ମୁନି ଶ୍ରେଷ୍ଠ ।ଶୁଣି ଉପହାସ କରି ବୋଇଲେ ସେ ମୁନିତପସ୍ଥାନେ କାହୁଁ ଆମ୍ଭେ ଦେବୁଁ ତୃଣପାଣି ।ପଶୁ ସ୍ୱଭାବରେ କିଛି ନ ଜାଣୁ ସର୍ବଥାଆଖିରେ ଦେଖିଛୁ କିପାଁ ମାଗୁଅଛୁ ବୃଥା ।ଗୋମାତା ଏ କଥା ଶୁଣି କଲେ ମହାକୋପ ।ବୋଇଲେ ପ୍ରଚେତା ତୋର ଅଟେ ଏଡ଼େଦର୍ପ ।ଜଗତରେ ଗୋ ବ୍ରାହ୍ମଣ ଅତିଥି ଦେବତାଏହାଙ୍କୁ ନ ପୂଜି ବୋଲାଉଛୁ ମହାଜ୍ଞାତା ।ଦରିଦ୍ର ଭିକ୍ଷୁକଠାରୁ ହୀନ ତୋର ବୁଦ୍ଧିନିର୍ବାଣ ମୁକତି କାହୁଁ ପାଇବୁ ତୁ ସାଧି ।ଛାଡ଼ିଲୁ ସାଧୁଙ୍କ ମାର୍ଗ କଲୁ ଅନାଚାରମାନବ ଶରୀରେ ଜାତ ହେବୁ ଶତେବାର ।ଅତ୍ୟନ୍ତ ଦରିଦ୍ର ହୋଇ ରହିବୁ ନିରନ୍ନଦ୍ୱାରେ ଦ୍ୱାରେ ଭିକ୍ଷା ମାଗି ପୋଷିବୁ ଜୀବନ ।ଏସନକ ଶାପ ଶୁଣି ଭୟରେ ପ୍ରଚେତାବୋଲେ ଅପରାଧ କଲି କ୍ଷମା କର ମାତା ।ତୁମ୍ଭେ ମାତ କାମଧେନୁ ଅନାଦି ଶକତିଶାପ ପ୍ରତିକାର କହ ଘେନି ମୋ ବିନତି ।ଏମନ୍ତ କହି ବିନୟେ ନାନାସ୍ତୁତି କଲେଶୁଣିଣ ଗୋମାତା ତାଙ୍କୁ ପ୍ରସନ୍ନ ହୋଇଲେ ।ବୋଇଲେ ମୋ ଶାପ କେବେ ଅନ୍ୟଥା ନୁହଇମର୍ତ୍ତ୍ୟପୁରେ ଜନ୍ମ ହେବୁ ନରଦେହ ବହି ।ବ୍ରାହ୍ମଣ କୁଳରେ ଜନ୍ମି ଦରିଦ୍ର ହୋଇବୁଭିକ୍ଷା ମାଗିଖାଇ ଦୁଃଖେ କାଳ କଟାଇବୁ ।ଊନଶତ ଜନ୍ମ ତୋର ଯିବ ଏ ପ୍ରକାରେଶତେଜନ୍ମ ହେବ ପୁଣି ଦ୍ୱାପର ଶେଷରେ ।ସେ ସମୟେ ପୃଥିବୀର ଭାର ନିବାରଣକରିବା ପାଇଁକି ଜନ୍ମ ହେବେ ନାରାୟଣ ।ମଥୁରାରେ ଜନ୍ମିଥିବେ କୃଷ୍ଣନାମ ବହିକିଛିଦିନ ଦ୍ୱାରକାରେ ରହିବେ ସେ ଯାଇ ।ଭୀଷ୍ମକ ଗୃହରେ ଲକ୍ଷ୍ମୀ ହେବେ ଅବତାରସେ ଜନ୍ମେ ରୁକ୍ମିଣୀ ନାମ ହୋଇବ ତାଙ୍କର ।ଅତିବୃଦ୍ଧ ହୋଇଣ ତୁ ଭିକ୍ଷା ମାଗୁଥିବୁରୁକ୍ମିଣୀ ପେଷିବେ ତୋତେ ଦୂତ ହୋଇଯିବୁ ।ଦ୍ୱାରକାରେ ଶ୍ରୀକୃଷ୍ଣଙ୍କୁ କହିବୁ ବାରତାପ୍ରସନ୍ନ ହୋଇବେ ତୋତେ ଜଗତ କରତା ।ଲକ୍ଷ୍ମୀନାରାୟଣ ଭେଟ ହେବେ ତୋର ଯୋଗେଅନେକ ଯଶ ଅର୍ଜିବୁ ସେ ଦ୍ୱାପର ଯୋଗେ ।ସୁଦୟା କରିବେ ତୋତେ ଲକ୍ଷ୍ମୀ ନାରାୟଣସେ କାଳେ ତୁ ନବଯୁବା ହୋଇବୁ ଯେ ପୁଣ ।ଧନଧାନ୍ୟ ଗୋପଲକ୍ଷ୍ମୀ ବଢ଼ିବ ବହୁତଦ୍ୱାରକାରେ ହେବୁ ଯଦୁବଂଶ ପୁରୋହିତ ।ଅନେକ ସମ୍ପଦ ଭୋଗକରି କୃଷ୍ଣ ସଙ୍ଗେଦ୍ୱାରକା ଭୁବନେ ରହି ବିହରିବୁ ରଙ୍ଗେ ।କିଛିକାଳ ଯଦୁବଂଶ ହୁଅନ୍ତେ ବିନାଶତାଙ୍କ ସଙ୍ଗେ ମରି ସ୍ୱର୍ଗେ ପାଇବୁ ତୁ ବାସ ।ଏତେ କହି କାମଧେନୁ ନିଜ ସ୍ଥାନେ ଗଲେସେ ଦିନୁ ପ୍ରତେତା ଋଷି ନରଜନ୍ମ ହେଲେ ।ପୂର୍ବରୁ ସେ ବଡ଼ ଲୋକ ବୋଲି ଆପେ ଜାଣିଦୂତକରି ପଠାଇଲେ ତାହାଙ୍କୁ ରୁକ୍ମିଣୀ ।ଲକ୍ଷ୍ମୀ ନାରାୟଣଙ୍କୁ ସେ କରାଇଲେ ଭେଟପୂର୍ବଶାପ ଗଲା ତେଣୁ ଫିଟିଲା ସଂକଟ ।ଏତେ କହି ଶୁକମୁନି ବୋଇଲେ ରାଜନହରିବଂଶ ଚରିତ ଏ ଅପୂର୍ବ ଆଖ୍ୟାନ ।ପଢ଼ି ଶୁଣି ସଂସାରରୁ ମୋକ୍ଷ ହେବ ପ୍ରାଣୀଶ୍ରୀହରି ଚିନ୍ତି ଅଚ୍ୟୁତ ଦାସ କବି ଭଣି ।