ପାରିଜାତ ହରଣ — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିବାଦ୍ୟ ବଜାଇ ସେମାନେ ଲୋକ ଘଉଡ଼ାନ୍ତି ।
ଏସନକ ଯହୁଁ ସତ୍ୟଭାମା ଯେ ଦେଖିଲେ
ରମ୍ଭାଙ୍କୁ ଚାହିଁଣ ଦେବୀ ବଚନ ଭାଷିଲେ ।
ଦାଣ୍ଡରେ କି ଗୋଳମାଳ ଶୁଭୁଅଛି ସଖୀ
ରମ୍ଭା କହୁଅଛି ସତ୍ୟଭାମା ମୁଖ ଦେଖି ।
ଶ୍ରୀକୃଷ୍ଣ ସାଧବୀ ତୁମ୍ଭେ ଅଟ ମହାମାୟୀ
ପାରିଜାତର କଥା କି କେବେ ଶୁଣାନାହିଁ ।
ଅପୂର୍ବ ପୁଷ୍ପ ଅଟଇ ସବୁର୍ଣ୍ଣର ଜ୍ୟୋତି
ପାଞ୍ଚଯୂଣ ଯାଏ ତାର ସୁବାସ ଚହଟି ।
ସମ୍ପୂର୍ଣ୍ଣ ବରଷକରେ ଫୁଟେ ଏହି କଢ଼ି
ବେନି ବର୍ଗ ଅନ୍ତିରରେ ପାଖୁଡ଼ାଏ ଝଡ଼ି ।
ଆଙ୍କୁଡ଼ି ବଢ଼ାଇ ପୁଷ୍ପ ତୋଳନ୍ତି ତୋଟାରେ
ଇନ୍ଦ୍ରଦେବଙ୍କୁ ଯୋଗାନ୍ତି ନିତି ମାଳେ ମାଳେ ।
ଆବର ଯେତେକ ପୁଷ୍ପ ଅଧିକା ହୁଅଇ
ଅଗ୍ନିରେ ପୋଡ଼ି ପାଉଁଶ ସମୁଦ୍ରେ ମେଲଇ ।
ଇନ୍ଦ୍ର ଇନ୍ଦ୍ରାଣୀ ସେ ପୁଷ୍ପ ଘେନନ୍ତି ହେ ଏକା
ସମୁଦ୍ର ମନ୍ଥନୁ ଉପୁଜିଲା କଳ୍ପଶାଖା ।
ସ୍ୱର୍ଗ ମଞ୍ଚ ପାତାଳରେ ଦିବ୍ୟ ତରୁବର
ଜଗଜ୍ଜନ ମୋହନ ସେ ଅତି ଶୋଭାକର ।
ପାଚିଲା ପତ୍ର ବୃକ୍ଷରୁ ଯେ ପଡ଼ଇ ଝଡ଼ି
ପବନ ଆଘାତେ ଅନ୍ତରୀକ୍ଷେ ଯାଏ ଉଡ଼ି ।
ଏସନକ ରମ୍ଭା କହିଲାକ ଦିବ୍ୟ ବାଣୀ
ସାନନ୍ଦ ହୋଇଲେ ସତ୍ୟଭାମା ତାହା ଶୁଣି ।
ମନେ ମନେ ବିଚାରନ୍ତି ତହୁଁ ମହାଦେବୀ
ଶ୍ରୀକୃଷ୍ଣଙ୍କୁ କହି ପୁଷ୍ପ ଦ୍ୱାରକାକୁ ନେବି ।
ଏମନ୍ତ ବିଚାରି ଦେବୀ ଭିତରକୁ ଗଲେ
ରମ୍ଭା ଉର୍ବଶୀ ମେନକା ତହୁଁ ଚଳିଗଲେ ।
ଶୁଣ ଆହେ ପରୀକ୍ଷିତ ଭଣି ଶୁକମୁନି
ଇତିଶିରୀ ହରିବଂଶ ପୁରାଣର ଧ୍ୱନି ।
ଏଥୁଅନ୍ତରେ ପୁଣି ସଭାହିଁ ମଉଳି
ସମସ୍ତ ଦେବତାମାନେ ଯେଝା ପୁରେ ଚଳି ।
ଇନ୍ଦ୍ରଙ୍କ ପୁରକୁ ବିଜେ କଲେ ଦେବ ହରି
ନିତ୍ୟକର୍ମ ସାରି ମଣୋହିରେ ବିଜେ କରି ।
ସତ୍ୟଭାମାକୁ ଘେନିଣ ପ୍ରଭୁ ପୀତବାସ
ଗୌରବ ପାଇ ରହିଲେ ତହିଁ ଦିନ ଦଶ ।
ଅଭେଦ ଆତ୍ମା ହୋଇଣ ଥାଆନ୍ତି ମଘବା
ଶଚୀ ଆଦିକରି ସର୍ବେ କରିଥାନ୍ତି ସେବା ।
ଏହିପରି କିଛିଦିନ ଗତ ହୋଇଯାନ୍ତେ
ଶ୍ରୀକୃଷ୍ଣଙ୍କୁ ସତ୍ୟଭାମା କହିଲେ ଏକାନ୍ତେ ।
ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ
ପାରିଜାତ ପୁଷ୍ପ ନେବି ଦ୍ୱାରକାକୁ ମୁହିଁ ।
ଜଗନ୍ନାଥ ବୋଇଲେ ସେ ଇନ୍ଦ୍ରଙ୍କର ପାଟ
ସେ ତରୁକୁ ଇନ୍ଦ୍ର ଦେବ କରିଛି ଆକଟ ।
ସେହି ପୁଷ୍ପ ଦେଖାଇବା ତୁମ୍ଭଙ୍କୁ ଏକାନ୍ତେ
କଉତୁକେ ଗଲେ ସତ୍ୟଭାମା ଜଗନ୍ନାଥେ ।
ଥୋକାଏ ବିଶ୍ୱାସୀ ଲୋକ ଗୋଡ଼ାବନ୍ତି ପଛେ
ସତ୍ୟଭାମା ସହିତରେ ବୁଲି ନନ୍ଦବତ୍ସେ ।
ଆକାଶ ଗଙ୍ଗାର ତୀର୍ଥ ଗୌରୀ ତୀର୍ଥେ ଜିଣି
ଆନନ୍ଦବନେ ଭ୍ରମନ୍ତି ଆନନ୍ଦରେ ପୁଣି ।
ବନମଧ୍ୟେ ପ୍ରବେଶିଲେ ଦେବ ତହୁଁ ଯାଇ
ଗରୁଡ଼ରେ ବିଜେ ସତ୍ୟଭାମା ଭାବଗ୍ରାହୀ ।
ଅବସନ୍ତରେ ବସନ୍ତ ବହେ ଘନ ଘନ
ଫଳପୁଷ୍ପରେ ଶୋଭଇ ସବୁ ବୃକ୍ଷମାନ ।
ସେ ବନକୁ କିସ ଅବା ପଟାନ୍ତର ଦେବା
ବୃଦ୍ଧ ତହିଁରେ ପଶିଲେ ହୁଏ ନବଯୁବା ।
କେତେ ଯେ ବୃକ୍ଷ ଅଛଇ ତାର ସୀମା ନାହିଁ
ଇନ୍ଦ୍ରଦେବତା ସେ ବନ ଅଛନ୍ତି ସଜାଇ ।
ସତ୍ୟଭାମାଙ୍କୁ ଘେନିଣ ଜଗନ୍ନାଥ ସଙ୍ଗେ
ନନ୍ଦନବନେ ଭ୍ରମନ୍ତି ହର୍ଷେ ନାନାରଙ୍ଗେ ।
ଭ୍ରମନ୍ତେ ମିଳିଲେ ପାରିଜାତ ତରୁ ତଳେ
ବିସ୍ତର ଅମର ବୃକ୍ଷ ଅଛଇ ପାର୍ଶ୍ୱରେ ।
ଯୋଜନ ଉତ୍ସର୍ଗ ବାର ବେନି ଯୂଣପ୍ରତି
ପ୍ରହରକୁ ପ୍ରହର ସେ ଧରେ ନାନା ମୂର୍ତ୍ତି ।
କୋଶକ ଓସାର ମୁଳ ଅଷ୍ଟରତ୍ନ ଚୌରା
ମଧ୍ୟାହ୍ନ ଆଦିତ୍ୟ ଜିଣି ଶୋହେ ମଣି ହୀରା ।
ପାଞ୍ଚଯୁଣ ଆୟତନ ହୋଇଛି ପାଚେରୀ
ଲୌହମୟ କବାଟ ଯେ ତହିଁ ଅଛି ପଡ଼ି ।
ଲକ୍ଷେକ ପାହାରୀଗଣ ଖଟନ୍ତି ବାହାରେ
ଚନ୍ଦ୍ର ସୂର୍ଯ୍ୟ ରଖୁଆଳ ଅଛନ୍ତି ତହିଁରେ ।
ଅପୂର୍ବ ପୁଷ୍ପ ଫୁଟଇ ସ୍ୱର୍ଣ୍ଣ ଜିଣି ଜ୍ୟୋତି
ପୁଷ୍ପ ଦେଖିଣ ଶରଧା ବଳିଲା ତା ପ୍ରତି ।
ସତ୍ୟଭାମା ବୋଲେ ତୁମ୍ଭେ ତ୍ରିଦଶର ସାଇଁ
ଏସନ ପୁଷ୍ପ ଆମ୍ଭର ଦେଖିଲା ତ ନାହିଁ ।
ଏହି ପୁଷ୍ପଗୋଟି ଆମ୍ଭେ ଦ୍ୱାରକାକୁ ନେବୁ
ମୋହର ପୁରକୁ ନେଇ ଏହାକୁ ରୋପିବୁ ।
ସତ୍ୟଭାମାଙ୍କର ଯହୁଁ ଶରଧା ଦେଖିଲେ
ନେବା ବୋଲି ପାରିଜାତ ବୃକ୍ଷ ଉପାଡ଼ିଲେ ।
ହୁଙ୍କାର ନାଦ କରିଣ ଉପାଡ଼ିଲେ ବୃକ୍ଷ
ଗରୁଡ଼ ପୃଷ୍ଠରେ ନେଇ ରୁହାଇଲେ ଗଛ ।
ଗରୁଡ଼ ମୁଖକୁ ଚାହିଁ ପ୍ରଭୁ ଆଜ୍ଞା ଦେଲେ
ଦ୍ୱାରକାକୁ ଯିବାପାଇଁ ତାହାକୁ ବୋଇଲେ ।
ଯେବଣ ଗନ୍ଧର୍ବମାନେ ତୋଟା ରଖିଥିଲେ
ଇନ୍ଦ୍ର ଦେବତାଙ୍କ ଆଗେ ଯାଇ ଜଣାଇଲେ ।
ସାବଧାନେ ଶୁଣ ଦେବ ଶଚୀଦେବୀ ସାଇଁ
ପାରିଜାତ ବୃକ୍ଷ ଉପାଡ଼ିଲେ ଭାବଗ୍ରାହୀ ।
ଗନ୍ଧର୍ବ ମୁଖରୁ ଯହୁଁ ବାରତା ପାଇଲେ
ବେଗେ ଆସି କୃଷ୍ଣଙ୍କୁ ସେ ପଥ ଓଗାଳିଲେ ।
ଐରାବତ ପୃଷ୍ଠେ ଚଢ଼ି ଦେବ ମଘବାନ
ଗରୁଡ଼ ପୃଷ୍ଠେ ବିଜୟ ପ୍ରଭୁ ଜନାର୍ଦ୍ଦନ ।
ଶତେପୁର କରି ସର୍ବେ ଯାଇ ଓଗାଳିଲେ
ବୀରବେଶ ଧରିଛନ୍ତି ଶସ୍ତ୍ର ଧରି କରେ ।
ରହ ରହ ବୋଲି ବେଗେ ଓଗାଳିଲେ ଯାଇ
ଗନ୍ଧର୍ବମାନେ ବେଢ଼ିଲେ ଶ୍ରୀକୃଷ୍ଣଙ୍କୁ ତହିଁ ।
ରାଗେ ଇନ୍ଦ୍ରଦେବ ଗନ୍ଧର୍ବଙ୍କୁ ଡାକ ଦେଲା
ବେଢ଼ିକରି ମାର ବୋଲି ବେଗେଣ ବୋଇଲା ।
ଧର ଧର ମାର ମାର ଲାଗିଲାକ ଗୋଳ
ନିଶ୍ଚିନ୍ତେ ରଥେ ଚଳନ୍ତି ମଦନ ଗୋପାଳ ।
କୋପେଣ ଡାକ ଦିଅନ୍ତି ଶଚୀଦେବୀ ସାଇଁ
ରହ ରହ ଗଉଡ଼ରେ ପଳାଉଛୁ କାହିଁ ।
ଗଉଡ଼ ହାଉଡ଼ ତୁମ୍ଭେ ଅଟ ମନ୍ଦ ଜାତି
ତେଣୁ କରି ତୋହର ତ ଏସନ ପ୍ରକୃତି ।
ଗୋରୁହତ୍ୟା ସ୍ତିରୀହତ୍ୟା ବ୍ରହ୍ମହତ୍ୟା କଲୁ
ରଖୁଆଳଙ୍କ ସଙ୍ଗତେ ବାଛୁରୀ ରଖିଲୁ ।
ମାଉସୀ ପିଉସୀ ଖୁଡ଼ୀ ଜେଠାଈ ମୌଳାଣୀ
ସବୁଙ୍କୁ ହିଁ ଅନାଚାର କଲୁ ବନେ ଆଣି ।
ଆବର ପର ଯୁବତୀ ସଙ୍ଗେ କଲୁ ପ୍ରୀତି
ନାନା ଯୋନିରେ ପଡ଼ିଲୁ ତୋର କିସ ଜାତି ।
ସୋଦର ମଉଳାଦି ତୁ ସ୍ୱହସ୍ତେ ମାଇଲୁ
ପିତୃଦ୍ରୋହୀ ରାଜଦ୍ରୋହୀ ପାପ ଅରଜିଲୁ ।
ଗଉଡ଼ଙ୍କ ସଙ୍ଗେ ଅନ୍ନ ତୁହି ଅଛୁ ଖାଇ
ଅଷ୍ଟବର୍ଷ ପରିଯନ୍ତେ ଗୋପେ ଥିଲୁ ରହି ।
ଆବର ପାତକମାନ କରିଅଛୁ ଯେତେ
ଏକ ଏକ କରି ମୁହିଁ କହିବଇଁ କେତେ ।
ସ୍ତ୍ରୀ ହତ୍ୟା ପାତକ କଲୁ ମୁହିଁ ଅଛି ଜାଣି
ମିଛେ ନାରାୟଣ ପଣେ ହେଉଅଛୁ ଟାଣି ।
ନଟମାନେ କହନ୍ତି ଯେ ବଡ଼ ବଡ଼ ବାଣୀ
ଆଜିର ଜାଣିବା ତୁହି କେଣେ ଯିବୁ ପୁଣି ।
ସାଧୁମାନଙ୍କର ଅଟେ ସତ୍କର୍ମ ଜୀବିକା
ସଂସାର ମଧ୍ୟେ ହୁଅନ୍ତି ଶ୍ରେଷ୍ଠ ମଧ୍ୟେ ଲେଖା ।
ଜଗନ୍ନାଥ କୋପ କଲେ ଇନ୍ଦ୍ର ବାକ୍ୟ ଶୁଣି
କାଳସର୍ପ ଜାଣି କୋପେ ଗଜ ଚକ୍ରପାଣି ।
ନୟନ ତରାଟିଣ ଯେ ଓଷ୍ଠେ ଦନ୍ତ ଚାପି
ବୋଇଲେ ଆମ୍ଭଙ୍କୁ ନିନ୍ଦା କଲୁ ମହାପାପୀ ।
ଅଜ୍ଞାନର ପାମର ତୁହି ଅଟୁ ମନ୍ଦବୁଦ୍ଧି
କିବା ଆବୋରିଲା ତୋତେ ଭୁତ ପ୍ରେତ ବ୍ୟାଧି ।
ଆମ୍ଭେ ବିଶ୍ୱନାଥ ଆମ୍ଭଙ୍କୁ ତ ବୋଲୁ ମନ୍ଦ
ଆୟୁ ତୋର କ୍ଷୟ ହେଲା ତୁଟିଲା ସମ୍ପଦ ।
ଏମନ୍ତ ବଚନ ଶୁଣି ଇନ୍ଦ୍ର ଦେବ ବୋଲେ
ସାନ ବଡ଼ ନ ଜାଣି ତୁ ଉବୁରିଲେ ଭଲେ ।
ପୁଣି ହିଁ ଦେବତା ହୋଇଲେ କରାଳ
ଆକ୍ରୋଶ କରିଣ ଧନୁ ଧଇଲେ ହସ୍ତର ।
ଗୁଣ ଟଙ୍କାର କରିଣ ନୁ ଆମଞ୍ଚିଲେ
ବାବଲ ଦଶବାଣକୁ ଗୁଣେ ବସାଇଲେ ।
ଭୂମିକୁ ଦୃଷ୍ଟି ଦେଇଣ ବିନ୍ଧି ଦୃଢ଼କରି
ଗରୁଡ଼ ଡେଣାରେ ବାଜି ପଡ଼ିଲା ଉପୁଡ଼ି ।
ଗନ୍ଧର୍ବ ଯେ ବେଢ଼ିଥିଲେ ଶତେପୁର କରି
କରେ ଧନୁଶର ଧରି ମାରି ଯେ ଯାହାରି ।
ଦଶତ୍ରିଂଶ ବାଣ ସର୍ବେ ଏକାବେଳେ ମାରି
ଏକ ବୈନତେୟ ତାହା ସମସ୍ତ ନିବାରି ।
ଶ୍ରାବଣ ମାସରେ ଯେହ୍ନେ ଜଳବୃଷ୍ଟି ହୁଏ
ଗନ୍ଧର୍ବମାନେ ନାରାଚ ବିନ୍ଧି ସେହି ପ୍ରାୟେ ।
ଗଦା ମୁଦ୍ଗର ମାରନ୍ତି ଚିତ୍ତେ ଦୟା ନାହିଁ
ଗରୁଡ଼ ପକ୍ଷରେ ବାଜି ସବୁ ଚୁନା ହୋଇ ।
ଗର୍ଜିଣ ଉଠିଲା ସେହି ବନିତାର ସୁତ
ଦେଖି ସର୍ବେ ପଳାଇଲେ ହୋଇ ଛିନ୍ନଛତ୍ର ।
ଦେବଙ୍କର ପଳାଇବା ଦେଖି ସୁନାସୀର
ଧାତିକାରେ ଟେକେ ଐରାବତ କରୀବର ।
ଶ୍ରୀଜଗନ୍ନାଥ ଦେଖିଲେ କିଛି ଦୂରେ ଧାଇ
କଠିନ ନାରାଚମାନ ବିନ୍ଧିଲେ ତୁହାଇ ।
ହସ୍ତୀ କୁମ୍ଭସ୍ଥଳରେ ସେ ବାଜି ବାଣ ଗୋଟି
ଛଇ ଛାଡ଼େ ବାଣଗୋଟି ଦେହେ ଗଲା ଫୁଟି ।
ପୁଣି ତୀକ୍ଷ୍ଣ ଶର କୃଷ୍ଣ ଘେନିଲେକ ବେଗେ
ମାହୁନ୍ତକୁ ମାଇଲେ ସେ ଅତିହିଁ ବିରାଗେ ।
ପାଞ୍ଚଟି କତୁରୀ ବାଣ ଯୋଚି ଧାତିକାରେ
ବିନ୍ଧନ୍ତେ ବାଜିଲା ଯାଇ ଐରାବତ ପରେ ।
ଫୁଟନ୍ତେ ଐରାବତ ନ ପାରଇ ଚଳି
ପଛଅଡ଼େ ଗରୁଡ଼ ଯେ ଧାଏଁ ମହାବଳୀ ।
ଗନ୍ଧର୍ବ ସଇନ୍ୟ ଆବୋରିଣ ରହିଥିଲେ
ଗରୁଡ଼ ଦେଖି ସେମାନେ ସର୍ବେ ପଳାଇଲେ ।
ମହା ବିଶ୍ୱରୂପ ଧରି ଧାଇଁ ଅତିବେଗେ
ଦିବସରେ ଅନ୍ଧକାର ହେଲା ଦଶଦିଗେ ।
ଆକାଶ ମାର୍ଗେ ଗରୁଡ଼ ଆସୁଅଛି ଉଡ଼ି
ପକ୍ଷ ଘାତ କରି ଦେଇ ମହାଘୋର ରଡ଼ି ।
ଦେଖିକରି ଜମ୍ଭଭେଦୀ କୋପେ ପରଜ୍ୱଳି
ବାବଲ ଦଶ ସହସ୍ର ବିନ୍ଧି ମହାବଳୀ ।
ଆକାଶ ମାର୍ଗରେ ବାଣ ଅଇଲେକ ଭିଡ଼ି
ଗରୁଡ଼ ପକ୍ଷରେ ବାଜି ପଡ଼ନ୍ତି ଉପୁଡ଼ି ।
କଥାର ବ୍ୟଗ୍ରେ ଶ୍ରୀହରି ମାରି ସସ୍ରେ ବାଣ
ବିନ୍ଧିବାରୁ ଅନ୍ଧକାର ହୋଇଲା ଗଗନ ।
ଜ୍ୱାଳାରେ ଇନ୍ଦ୍ର ଦେବତା ଅତି ବ୍ୟସ୍ତ ହେଲେ
ଗରୁଡ଼ ଦେଖି ଗନ୍ଧର୍ବେ ଭୟେ ପଳାଇଲେ ।
ମହାଘୋର ସଂଗ୍ରାମ ଯେ ଲାଗେ ବେଳୁଁ ବେଳେ
ବ୍ରହ୍ମାଙ୍କ ଅଗ୍ରତେ ଯାଇ ନାରଦ କହିଲେ ।
ଭୋ ପିତା ଇନ୍ଦ୍ର ଭୁବନେ କୃଷ୍ଣ ଯାଇଥିଲେ
ଆକାଶ ଗଙ୍ଗା କୂଳରେ ପାରିଜାତ ଛଳେ ।
ମହାଘୋର ସଂଗ୍ରାମ ଯେ ଲାଗିଅଛି ତହିଁ
ନାରଦହୁଁ ଶୁଣି ବ୍ରହ୍ମା ବେଗେ ଚଳିଯାଇ ।
ଯୁଦ୍ଧକ୍ଷେତ୍ରେ ଆସିଣ ସେ ମିଳି ବେଦବର
ମଧ୍ୟେ ଉଭା ହୋଇ ସ୍ତୁତି କଲେକ ଅପାର ।
ଜୟ ତୁହି ଜଗନ୍ନାଥ ଜୟ ପୀତବାସ
ଜୟ ତୁହି ଜଗନ୍ନାଥ ପରମ ପୁରୁଷ ।
ଜୟ ତୁହି ଜଗନ୍ନାଥ ଜଗଜ୍ଜନ ବନ୍ଧୁ
ଜୟ ତୁହି ଜଗନ୍ନାଥ କୃପାଜଳ ସିନ୍ଧୁ ।
ଜୟ ତୁହି ଜଗନ୍ନାଥ ସଂସାର କାରଣ
ଜୟ ତୁହି ଜଗନ୍ନାଥ ଲକ୍ଷ୍ମୀ ପ୍ରାଣଧାନ ।
ଜୟ ତୁହି ଜଗନ୍ନାଥ ବିପ୍ର ହିତକାରୀ
ଜୟ ତୁହି ଜଗନ୍ନାଥ ଶଙ୍ଖ ଚକ୍ରଧାରୀ ।
ଜୟ ତୁହି ଜଗନ୍ନାଥ ସର୍ବ ବିଶ୍ୱବାସ
ଜୟ ତୁହି ଜଗନ୍ନାଥ କରୁଣା ପ୍ରକାଶ ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି
ଜଳସ୍ଥଳ ଅନଳରେ ଅଛୁ ତୁହି ପୁରି ।
ପୃଥିବୀର ମହାଭାରା ନିବାରିବା ପାଇଁ
ଦ୍ୱାପରେ ଜନମିଅଛୁ ନରଦେହ ବହି ।
ମୋହର ଜନ୍ମ ସଫଳ ହୋଇଲାକ ଆଜ
ବିଷ୍ଣୁ ରୂପ ଦେଖିଲଇଁ ଆହେ ଦେବରାଜ ।
ତୋହର ହିଁ ସଞ୍ଚିଲା ତ ଅଟେ ସୁରପତି
ଏସନ ପ୍ରକାରେ ସ୍ତୁତି କରି ବେଦପତି ।
ବ୍ରହ୍ମାଙ୍କର ବଚନରେ ହେଲେ ଦେବ ତୋଷ
ବିଷ୍ଣୁଙ୍କୁ ପ୍ରବୋଧି ଇନ୍ଦ୍ର ଆଗରେ ପ୍ରବେଶ ।
ପିତାମହ ଆଗମନ ଦେଖି ସୁନାସୀର
ଐରାବତ ପୃଷ୍ଠୁ ଓହ୍ଲାଇଲେ ଧାତିକାର ।
ଅଷ୍ଟରତ୍ନ ଶୁଦ୍ଧପାତ୍ରେ ଗଙ୍ଗାଜଳ ଥୋଇ
ବ୍ରହ୍ମାଙ୍କ ଚରଣେ ଅଭିଷେକ କଲେ ନେଇ ।
ଗନ୍ଧ ପୁଷ୍ପ ଧୂପ ଦୀପ ନଇବେଦ୍ୟ ଦେଲା
ପୁଣ ପୁଣ ଶତେବାର ପ୍ରଣିପାତ କଲା ।
କରପତ୍ର ଯୋଡ଼ି ଶିରେ କଲା ବହୁ ସ୍ତୁତି
ବୋଇଲା ପିତା ତୁମ୍ଭର ପ୍ରସାଦେ ମୋ ସ୍ଥିତି ।
ତୁହି ସିନା ସଞ୍ଚି ମୋତେ କରୁଛୁ ଏସନ
ତୋହର ପ୍ରସାଦେ ସିନା ମୋର ବଡ଼ପଣ ।
ସ୍ୱର୍ଗ ମଞ୍ଚ ପାତାଳ ମୁଁ କରିପାରେ ସାଧ୍ୟ
ସଂଗ୍ରାମେ ଜିଣନ୍ତା ନାହିଁ ତିନିପୁର ମଧ୍ୟ ।
ଏବେ ଦ୍ୱାରକା ପୁରକୁ ଦେଇଣ ମୁଁ ଧାଡ଼ି
ଯାଦବେ ମାରି ଦ୍ୱାରକା ଆଣିବି ଉଜାଡ଼ି ।
ଶୁଣିକରି ପିତାମହ ପାଇଲେ ବିରାଗ
ବୋଇଲେ ଏହା କଲେ ତୁ ଯିବ ତୋର ସ୍ୱର୍ଗ ।
କନ୍ଦ୍ର ହୋଇ କରିବୁଟି ଯିବେ ଅବିଚାର
ସଂସାର ନାଶଯିବ ତ ହେବ ନାରଖାର ।
ଛାଡ଼ ତୁହି ମନୁ ତାପ ଛାଡ଼ ଦୁଷ୍ଟମତି
ଚିରସ୍ଥାୟୀ ହେବ ତୋର ସକଳ ସମ୍ପତ୍ତି ।
ଛାଡ଼ ତୁହି ଦୁଷ୍ଟପଣ କର ଆମ୍ଭ ବୋଲ
ଆମ୍ଭ ବଚନ ଲଙ୍ଘିଲେ ନାହିଁ ତୋର ଭଲ ।
ଶୁଣି ଇନ୍ଦ୍ର ଦେବତା ଯେ ଲଭି ମନେ ଶାନ୍ତି
ତୁମ୍ଭେ ଯାହା ବୋଲିବ ତା କରିବି ଏ ଘାନ୍ତି ।
ପିତାମହ ବୋଲେ ଯୁଦ୍ଧ ନ କର ତୁ ହୁଡ଼ି
ନିଅନ୍ତୁ ପାରିଜାତକ ଯାଅ ଯୁଦ୍ଧ ଛାଡ଼ି ।
ଆମ୍ଭେ ଏଥିପାଇଁ ତାଙ୍କୁ ବୋଇଲୁ ବହୁତ
ଶ୍ରୀକୃଷ୍ଣଙ୍କ ସଙ୍ଗେ ତୁ ନ ଲାଗ କଦାଚିତ ।
ତୋ ରକ୍ଷା ନିମନ୍ତେ ବୋଲୁଅଛୁ ପରିଘାଇ
ସଂଗ୍ରାମ କଲେ କେବେହେଁ ନ ବର୍ତ୍ତିବୁ ତୁହି ।
କୂଟ କପଟରେ ପର୍ଣ୍ଣ ଦେବ ନାରାୟଣ
ତୋତେ ମାରି ସ୍ୱର୍ଗ କରିବେଟି ରଣଭଣ ।
ଇନ୍ଦ୍ର ଗୋବିନ୍ଦଙ୍କ ମେଳ କରିବା ଏ ଠାବେ
ନୋହିଲେ ଏ ସ୍ୱର୍ଗପୁର ନ ବର୍ତ୍ତିବ କେବେ ।
ଅନେକ ପ୍ରକାରେ ମୁହିଁ କହିଛି ତୋ ପାଇଁ
ଆମ୍ଭେ ଆସିଅଛୁ ସିନା ସମାଧାନ ପାଇଁ ।
ଶୁଣି ଇନ୍ଦ୍ର ଦେବତା ଯେ ପାଇ ମନେ ଭୀତି
ବୋଇଲା ନ ଲଙ୍ଘିବି ତୋ ଆଜ୍ଞା ବେଦପତି ।
ଅଙ୍ଗାର ପନ୍ନଗେ ବୋଲେ ବାହୁଡ଼ାଅ ଥାଟ
ବ୍ରହ୍ମା ବଚନ ଲଙ୍ଘିଲେ ହେବ ବଡ଼ କଷ୍ଟ ।
ଶୁଣି ଅଙ୍ଗାରପନ୍ନଗ ଆଣେ ଲେଉଟାଇ
ସମଦଣ୍ଡ ଗଲେ ନଇର୍ଋତ ଦିଗ ଦେଇ ।
ଅମରାବତୀ କଟକେ ଇନ୍ଦ୍ର ପ୍ରବେଶିଲେ
ଗୋବିନ୍ଦଙ୍କ ସନ୍ନିଧକୁ ବ୍ରହ୍ମା ଚଳିଗଲେ ।
ମନ୍ଦାକିନୀ କୂଳେ ଥିଲେ ପାରିଜାତ ଘେନି
ଏସନକ ସମୟରେ ମିଳି ପଦ୍ମଯୋନି ।
ଦୁରହୁଁ ଗୋବିନ୍ଦ ଦେଖି କଲେ ନମସ୍କାର
ଗୋବିନ୍ଦ ବୋଇଲେ ବ୍ରହ୍ମା କଲ କି ବିଚାର ।
ନିଶ୍ଚିନ୍ତେ ଏ ପୁଷ୍ପ ଭୋଗ କର ଚକ୍ରପାଣି
ଉପହାର ସ୍ୱରୂପରେ କୃଷ୍ଣେ ଦେଲେ ଆଣି ।
ଯେ ଯାହାର ଅନୁରପେ ସର୍ବ ଦେବବୃନ୍ଦେ
ନାରାୟଣଙ୍କୁ ଅକ୍ଷତ ଦିଅନ୍ତି ସାନନ୍ଦେ ।
ତାହାଙ୍କର ପାଦପଦ୍ମେ ସର୍ବେ କଲେ ପୂଜା
ଗରୁଡ଼ରେ ବିଜେ କଲେ ସେ ଦେବାଧିରାଜା ।
ସମସ୍ତ ଦେବଗଣଙ୍କୁ ଦେଇଣ ମେଲାଣି
ଆକାଶ ମାର୍ଗେ ଚଳିଲେ ପ୍ରଭୁ ଚକ୍ରପାଣି ।
ଅନନ୍ତ ଶ୍ରୀମାୟାଧର ଦେବ ବିଶ୍ୱବାସ
କୁଶସ୍ଥଳୀ ଦ୍ୱାରକାରେ ହୋଇଲେ ପ୍ରବେଶ ।
ଖଣ୍ଡେ ଦୁରରୁ ଥାଇଣ ଦେଖିଲେ ଶ୍ରୀହରି
ସୁନ୍ଦର ଶୋଭାବନ ସେ ଦ୍ୱାରକା ନଗରୀ ।
ମଧ୍ୟାହ୍ନର ଆଦିତ୍ୟ କି ହୋଇଛି ଉଦୟ
ତେସନ ହୋଇ ଖସିଲା ବିନତା ତନୟ ।
ସେ ଖଗେଶ୍ୱର ପିଠିରେ ଦିବ୍ୟରୂପ ଧରି
ଚତୁର୍ଭୁଜେ ବିଜେ କରିଛନ୍ତି ଦେବହରି ।
ଶଙ୍ଖ ଚକ୍ର ଗଦା ପଦ୍ମ ଶାର୍ଙ୍ଗ ଧନୁ ଶୋଭା
ପୀତାମ୍ବର ଜ୍ୟେତିର୍ମୟ ନାନା ରତ୍ନ ଆଭା ।
ବିନତାନନ୍ଦନ ପୃଷ୍ଠେ କୃଷ୍ଣ ଛନ୍ତି ବସି
ବାହାନାଦ କରି ଖକ ପଡ଼ିଲାକ ଖସି ।
ପକ୍ଷୀବର ପକ୍ଷ ଶବ୍ଦ ଯେହ୍ନେ ଘଡ଼ଘଡ଼ି
ଶ୍ରାବଣ ମାସର ମେଘ ପଡ଼ଇ କି ଝଡ଼ି ।
ଅଣଚାପ ବାୟୁ ପରାୟେକ ବହି ବାତ
ଦଲଦଲ ବସୁନ୍ଧରା ପୃଥ୍ୱୀ ଖଣ୍ଡ ସାତ ।
ଶବ୍ଦାନୁସରି ଚାହିଁଲେ ଯେ ଯାଦବବୃନ୍ଦ
ଦେଖିଲେକ ଦିବ୍ୟରୂପ ଗରୁଡ଼ ଗୋବିନ୍ଦ ।
ନବରର ସିଂହଦ୍ୱାରେ ବିଜେ ଦେବ ହରି
ଦେଖିକରି ଅଇଲେକ ସର୍ବେ ଯେ ଯାହାରି ।
ଇନ୍ଦୁମତି ମନ୍ଦିରରେ ସୁରଥ ଯେ ଥିଲେ
ନବରେ ପ୍ରବେଶ ହ୍ୱନ୍ତେ ଦରଶନ କଲେ ।
ସୁରଥର ହସ୍ତ ଧରି ଦେବ ଦଇତ୍ୟାରି
ନବରକୁ ବିଜେ କଲେ ଗରୁଡ଼ୁ ଉତୁରି ।
ଉଗ୍ରସେନେ ନମସ୍କାର କଲେ ନାରାୟଣ
ନମସ୍କାର କଲେ ବସୁଦେବଙ୍କ ଚରଣ ।
ତହୁଁ ବଳଦେବଙ୍କର କଲେ ପାଦପୂଜା
ଇନ୍ଦୁମତୀଙ୍କୁ ନମିଲେ ପ୍ରଭୁ ଦେବରାଜା ।
ଆବର ଯାଦବଗଣେ ଯେଝା ମାନ୍ୟ କରି
ଜଣେ ଜଣେ ମାନ୍ୟଧର୍ମ କରି ଦେବ ହରି ।
ସନାତନ ପୁରୁଷ ଯା ଆଦିଅନ୍ତ ନାହିଁ
ସମସ୍ତ କରନ୍ତି ସଂସାରର ହିତପାଇଁ ।
ସେହୁ ଯେବେ ନ କରନ୍ତେ ଧର୍ମର ପାଳନା
ସମସ୍ତ ପ୍ରାଣୀମାନେ ତ ହ୍ୱନ୍ତେ ପଥବଣା ।
ଶୁଣ ଆହେ ପରୀକ୍ଷିତ ଭଣି ଶୁକଯତି
ଇତି ଶିରୀ ଭାଗବତ ପୁରାଣର କୀର୍ତ୍ତି ।
ଏଥୁ ଅନନ୍ତରେ ପୁଣି ଯାଦବ ସକଳ
ଯେ ଯାହା ପୁରକୁ ଗଲେ ହୋଇଣ ଚଞ୍ଚଳ ।
ସ୍ନାନ ନିତ୍ୟକର୍ମମାନ ସାରି ଦେବ ହରି
ଆନନ୍ଦ ମନେ ମଣୋହିଠାରେ ବିଜେ କରି ।
ଆପଣେ ଦେବକୀମାତା ପରଷନ୍ତି ଅନ୍ନ
ସୁବର୍ଣ୍ଣ ଥାଳିମାନ ଯେ ଦିଶେ ଶୋଭାବନ ।
ସୁପକ୍ୱ ଅନ୍ନ ବ୍ୟଞ୍ଜନ କରନ୍ତେ ଭୋଜନ
ପରମ ତୁପ୍ତି ଲଭିଲେ ପ୍ରଭୁ ଭଗବାନ ।
ସତ୍ୟଭାମା ପୁରେ ବୃକ୍ଷ ରୋପିଲେକ ନେଇ
ତାଙ୍କୁ ଘେନି ଅବକାଶେ ବିଜେ କଲେ ଯାଇ ।
ଏଥୁ ଅନନ୍ତରେ ଶୁଣ ଉଦେ ଦିନମଣି
ସୁଧର୍ମା ସଭାରେ ବିଜେ କଲେ ଚକ୍ରପାଣି ।
ଶୁକ ବୋଇଲେ ତୁ ଶୁଣ ପରିକ୍ଷିତ ରାୟେ
ଏ ପାରିଜାତ ହରଣ ସମାପତ ହୁଏ ।
ଜୟ ତୁ ଜଗତନାଥ ଲକ୍ଷ୍ମୀ ପ୍ରାଣବନ୍ଧୁ
ଅଶେଷ ମହିମା ଦେବ କୃପାଜଳ ସିନ୍ଧୁ ।
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜ
ଦେବାଧିଦେବ ରାଜା ତୋ ଅଟେ ଦିବ୍ୟତେଜ ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି ପୁଣି
ଚୌରାଶିକୋଟି ଯାଦବ ପରେ ଶିରୋମଣି ।
କଳ୍ପନା କାମନିଧି ତୁ ସର୍ବ ଗୁଣଗ୍ରାହୀ
ତୋ ବିନା ଦୀନଜନର ପରିତ୍ରାଣ ନାହିଁ ।
ବ୍ରହ୍ମା ଇନ୍ଦ୍ର ଶିବ ତୋତେ କରୁଥାନ୍ତି ଲୟ
ଅକ୍ଷୟ ଅଜରାମର ନିରାକାର ମୟ ।
ତୁହି ତ ଅନାଦି ଅଟୁ ତୁହି ପରଂବ୍ରହ୍ମ
କ୍ଷୟ ବିବର୍ଜିତ ଅଣାକ୍ଷର ତୋର ନାମ ।
ସ୍ମୃତି ଶ୍ରୁତି ପ୍ରଭୃତି ତୁ ସରଜିଲୁ ଏକା
ଅନେକ ରୂପ ତୋହର କେ କରିବ ଲେଖା ।
ସତ୍ତ୍ୱ ରଜ ତମ ଗୁଣ ଅଛି ତୋ ଉଦର
ସନାତନ ଅଟୁ ତୋତେ ନାହିଁ ପଟାନ୍ତର ।
ପୃଥ୍ୱୀ ଆପ ତେଣ ପୁଣି ବାୟବ୍ୟ ଆକାଶ
ଏହି ପଞ୍ଚଗୁଣ ତୋର ଦେହର ପ୍ରକାଶ ।
କଳ୍ପନା କାମନିଧି ତୁ ବେଦାନ୍ତ ପୁରୁଷ
ମହୀଭାରା ପାଇଁ ଧରୁ ସ୍ୱରୂପ ବିଶେଷ ।
ବିଶ୍ୱ ସଂସାର ତୋହର ଖେଳଘର ଲୀଳା
କୌତୁକେ ମାନବରୂପ ଧରୁ ନନ୍ଦବଳା ।
ଦକ୍ଷିଣ ସିନ୍ଧୁ ତଟରେ ଶୋହେ ନୀଳଗିରି
ବିଜୟ ଶ୍ରୀରଘୁନାଥ ବିଶ୍ୱରୂପ ଧରି ।
ସୁବର୍ଣ୍ଣ ସିଂହାସନରେ ବିଜେ ଆଦିମୂଳ
ବରାନିଧି ତଳେ ମହାବଟ ତରୁତଳ ।
ଲକ୍ଷ୍ମୀର ବଲ୍ଲଭ ପାଦେ ଲୁଳୁ ମୋର ମାଥ
ଅଚ୍ୟୁତ ଦାସ ରଚିଲା ସୁଜନ ନିମିତ୍ତ ।
ପଣ୍ଡିତ ଜନମାନଙ୍କ ଦାସର ମୁଁ ଦାସ
ବିନୟେ ବୋଲଇ ମୁହିଁ କ୍ଷମାକର ଦୋଷ ।
ଜନ୍ମେ ଜନ୍ମେ ମୁର୍ଖ ମୁହିଁ ନ ଜାଣଇ ପାଠ
ପଣ୍ଡିତ ଜନଙ୍କ ସଙ୍ଗେ ମୋର ନାହିଁ ଭେଟ ।
ଶୁଦ୍ର ଜାତି ପ୍ରଧାନ ମୁଁ ମହାଗ୍ରାମେ ବସା
ଜନ୍ମେ ଜନ୍ମେ ତୁ କୃଷକାରୀ ଭୁମି ମୋର ଆଶା ।
ନବ ପଟ ଜୀବିକା ମୋ କୁଟୁମ୍ବ ପୋଷଣେ
ହରି ନାମ ଧରିଣ ମୁଁ ବର୍ତ୍ତେ ଭଣ୍ଡପଣେ ।
ହେ ସୁଜନମାନେ ତୁମ୍ଭ ଦାସର ମୁଁ ଦାସ
ବାଳୁତ ମତି ମୋହର ନ ଘେନିବ ଦୋଷ ।
ମଦ ମତ୍ସ୍ୟ ଅହଙ୍କାର ମାୟାମୋହେ ଜଡ଼ି
ଅଗାଧ ଭବ ସମୁଦ୍ରେ ଅଛଇ ମୁଁ ପଡ଼ି ।
ହରିନାମ ନୌକା ପାଇଲଇଁ ପୁଣ୍ୟବଳେ
ପରମ ଗତି ପାଇବି ଏହାର ହିଁ ଫଳେ ।
ଅଗାଧ ସମୁଦ୍ର ଏହି ହରିବଂଶ ଗ୍ରନ୍ଥ
କୋଟି ବ୍ରହ୍ମା ନ ଜାଣନ୍ତି ଏଥିର ତଦନ୍ତ ।
ମୁହିଁ ଅବା ସଂକ୍ଷେପିଣ କହିବଇଁ କାହିଁ
ଯାହା ମୁଁ କହଇ ମୋତେ ଅଗୋଚର ସେହି ।
ବେଦବରର ନନ୍ଦିନୀ ସଦା ମୋତେ ସାହା
ସେ ଯାହା କହଇ ମୁହିଁ ପତ୍ରେ ଲେଖେ ତାହା ।
ଅତି ଭାଗ୍ୟେ ଭାଗବତ ପୁରାଣର ପଦ
ଯତ୍ନେ ବେଦବ୍ୟାସ ଋଷି ରଚିଲେ ଏ ପଦ ।
ବିଷ୍ଣୁ ପଞ୍ଚର ସଂହିତା କଣ୍ଠେ ଭୂଷାମଣି
ପଦେ ପଦେ ସୁଧା ଏଥେଁ ପୁରାଇଛି ଆଣି ।
ଏହାକୁ ପଢ଼ିଲେ ହେବ ମହାପାପ କ୍ଷୟ
ଯଶ ଶ୍ରୀ ସମ୍ପଦ ଧର୍ମ ବାଞ୍ଛା ହେବ ଜୟ ।
ଅପୁତ୍ରିକ ପୁତ୍ରଲାଭ କରିବେ ଶୁଣନ୍ତେ
ବଇକୁଣ୍ଠେ ଯାଇ ବସିବେକ ଦେହ ଅନ୍ତେ ।
ସଂସାର ଜଳଧି ମାୟା ତୋହର ପାତନା
ଜାଣୁ ଜାଣୁ ପ୍ରାଣୀମାନେ ହେଉଛନ୍ତି ବଣା ।
ରକ୍ତ ମାଂସେ ଗଢ଼ା ହୋଇଅଛି କାୟାଗୋଟି
ଜଳବିମ୍ବ ଆକାର ଏ ପ୍ରାଣ ଯିବ ଫୁଟି ।
କହୁଁ କହୁଁ ଶରୀରୁ ଛାଡ଼ିଯିବ ପ୍ରାଣ
ପୁତ୍ର ଭ୍ରାତା ଭାରିଯା ଯେ ସବୁ ଅକାରଣ ।
କାହାର ଭାରିଯା କିଏ ଅବା ସଖା ଅଙ୍ଗ
କେଉଁ ପାପ ପୁଣ୍ୟେ ହେଉଅଛି ଅଙ୍ଗସଙ୍ଗ ।
ଏ ମର୍ତ୍ତ୍ୟ ମଣ୍ଡଳେ ଅଜ୍ରାମର ନୁହେଁ କେହି
କୀର୍ତ୍ତି ଅପକୀର୍ତ୍ତି ମାନ ଶୁଭାଶୁଭ ହୋଇ ।
ଇହଲୋକେ ପୁଣ୍ୟ କଲେ ପରେ ତା ଭୁଞ୍ଜନ୍ତି
ଇହଲୋକେ ପାପ କଲେ ପରେ ନର୍କଗତି ।
ଦୟା କ୍ରିୟା ଆଦି ସର୍ବଧର୍ମ ମୋକ୍ଷଦାନ
ଆୟୂ ଶିରୀ ଧର୍ମମାନ ହୁଅଇ ବର୍ଦ୍ଧନ ।
ଶ୍ରୀକୃଷ୍ଣଙ୍କର ଚରଣେ ନିତ୍ୟ ମୋର ସେବା
ହରିବଂଶ ଶୁଣି ମୁକ୍ତି ମାର୍ଗେ ପ୍ରାପ୍ତ ହେବା ।
ଶ୍ରୀକୃଷ୍ଣଙ୍କର ଷୋଳସହସ୍ର କନ୍ୟା ବିବାହ ଏବଂ ପଶାଖେଳରେ ବଳରାମଙ୍କ ଦ୍ୱାରା ରୁକ୍ମଣ ବଧ
ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା
ଶୁକମୁନି ପାଦତଳେ କଲେ ଦିବ୍ୟପୂଜା ।
ଭୋ ମୁନି ତୋ ହେତୁ ଶୁଣିଲଇଁ ହରିବଂଶ
କୋଟି ଜନ୍ମର ପାତକ ହେଲା ମୋର ଧ୍ୱଂସ ।
ନାରକାକୁ ମାରି ପାରିଜାତକ ଆଣିଲେ
ଷୋଳସସ୍ର କନ୍ୟା ଆଣି କିସ ଅବା କଲେ ।
ସେମାନଙ୍କୁ ଆଣି କୃଷ୍ଣ କଲେ ଯେଉଁକଥା
ଏହା ମୋତେ ସଂକ୍ଷେପିଣ କହ ବ୍ରହ୍ମବେତ୍ତା ।
ଶୁକ ବୋଇଲେକ ଶୁଣ ପରୀକ୍ଷିତ ରାୟେ
ଷୋଳସସ୍ର କନ୍ୟା ଆଣି ବିଭାର ଉପାୟେ ।
ଏକାବେଳେ ସମସ୍ତଙ୍କୁ ବିଭା ହେଲେ ହରି
ଜଣେ ଜଣେ ମୂର୍ତ୍ତି ମୂର୍ତ୍ତି ପ୍ରକାଶିତ କରି ।
ଶ୍ରୀକୃଷ୍ଣର ମାୟା ଦେଖି ପରୀକ୍ଷିତ ରାୟେ
ମହିମାର କୃଷ୍ଣ ଷୋଳସସ୍ର ରୂପ ବହେ ।
ଶ୍ରୀ ଗାର୍ଗ୍ୟ ମହାମୁନି ଯେ ପୁରୋହିତ ହେଲେ
ଷୋଳ ସହସ୍ର ବେଦୀରେ ବିଭା କରାଇଲେ ।
ଏ ଜଗତ ହୋଇଅଛି ଯାହାଠାରୁ ଜାତ
ଏହି କଥା ଅଟଇକି ତାକୁ ବିପରୀତ ।
ଏମନ୍ତେ ଅଟନ୍ତି ପାଟବଂଶୀ ଆଠନାରୀ
ପୁଣି ବିଭାହେଲେ ଷୋଳସହସ୍ର କୁମାରୀ ।
ଏତେକ ମୂର୍ତ୍ତି ହୋଇଲେ ପ୍ରଭୁ ଭାବଗ୍ରାହୀ
ସମସ୍ତଙ୍କ ପୁରେ ରହି ଏକ ଏକ ହୋଇ ।
ସେ ସମସ୍ତ ସ୍ତରୀମାନେ ଏମନ୍ତ ମଣନ୍ତି
ପ୍ରଭୁଙ୍କର ସଉଭାଗୀ ଆମ୍ଭେ ପ୍ରିୟବତୀ ।
ଶୁକମୁନି ବୋଇଲେକ ଶୁଣ ପରୀକ୍ଷିତ
ଶୁଣ ତୁମ୍ଭେ ହରିବଂଶ କର୍ଣ୍ଣକୁ ଅମୃତ ।
ଶ୍ରୀକୃଷ୍ଣଙ୍କ ପୁରେ ଯେତେ ସ୍ତିରୀମାନେ ଥିଲେ
ଜଣେ ଜଣେ ଦଶଗୋଟି ପୁତ୍ର ଜନ୍ମାଇଲେ ।
ଜଣେ ଜଣେ ଏକ ଏକ କନ୍ୟା ଜାତ କଲେ
ଏ ରୂପରେ ଏକଲକ୍ଷ ଷାଠି ପୁତ୍ର ହେଲେ ।
ଏହି ଅନୁରୂପେ ପୁତ୍ର ହୋଇଲେକ ଜାତ
ଆବର ଅଶୀ ସନ୍ତାନ ହୋଇଲେକ ସମ୍ଭୁତ ।
ସାବଧାନେ ଶୁଣ ତୁମ୍ଭେ ପରୀକ୍ଷ ରାଜନ
ସବୁଠାରୁ ସୁକୁମାର ଅଟଇ ପଦ୍ମନ ।
ରୁକ୍ମବତୀ ନାମେ ଥିଲା ରୁକ୍ମଣ କୁମାରୀ
ସର୍ବଗୁଣେ ସୁଲକ୍ଷଣୀ ପରମା ସୁନ୍ଦରୀ ।
ସ୍ୱୟମ୍ବର କଲେ ତାକୁ ବିଭା ହେବାପାଇଁ
ଚାରିଊଣା ଲକ୍ଷେ ରାଜା ରୁଣ୍ଡ ହେଲେ ଯାଇ ।
ବେଶଭୁଷା ହୋଇ କନ୍ୟା ପୁରୁଁ ବାହାରିଲେ
ଝିଅର ହାତରେ ମାତା ମାଳଗୋଟି ଦେଲେ ।
ଯାହାକୁ ଇଚ୍ଛା ତୋହର ବର ଆଗୋ ମାୟେ
ଲକ୍ଷେ ରାଜା ରୁଣ୍ଡ ହୋଇ ଅଛନ୍ତି ସଭାୟେ ।
ମୁଖ ତୋଳି ଚାହିଁଲା ସେ ପ୍ରଦ୍ୟୁମ୍ନ ମୁଖକୁ
ସଭାରେ ମାଳା ଦେଇଣ ବରିଲା ତାହାକୁ ।
ଦେଖିକରି ସନ୍ତୋଷ ଯେ ହେଲେ ଭଗବାନ
ତତକ୍ଷଣେ ଆଜ୍ଞା ଦେଲେ ବିଭାର ବିଧାନ ।
ଗାର୍ଗ୍ୟ ପୁରୋହିତ ତହିଁ କରାଇଲେ ବିଭା
ଚୌଠୀ ଅଷ୍ଟମଙ୍ଗଳାକୁ ସାରି ଦେବ ଦେବା ।
ଏଥୁ ଅନନ୍ତରେ ପୁଣ ଶୁଣ ନୃପସାଇଁ
ପ୍ରଦ୍ୟୁମ୍ନ ପୁତ୍ରେ ରୁକ୍ମଣୀ ନାତୁଣୀକୁ ଦେଇ ।
ଏ କଥା ଶୁଣିଲେ ଯହୁଁ ରାଜା ପରୀକ୍ଷିତ
ମୁନିବରଙ୍କୁ ପୁଚ୍ଛିଲେ ଯୋଡ଼ି କରପତ୍ର ।
ପରୀକ୍ଷ ପୁଚ୍ଛଇ ତୁମ୍ଭେ ଶୁଣିମା ଗୋସାଇଁ
ଏ କଥା ବିଚାରି ମୋତେ କହିବା ବୁଝାଇ ।
ପୂର୍ବେ କୃଷ୍ଣ ସଙ୍ଗେ ଥିଲା ବଇରତା ପଣ
ତାର ଅପରାଧ କ୍ଷମା କଲେ ନାରାୟଣ ।
ପୁଣି ଶ୍ରୀକୃଷ୍ଣ ପୁଅକୁ ତାର ଝିଅ ଦେଲା
ଏହି କଥାରେ ମୁନି ହେ ସନ୍ଦେହ ଜନ୍ମିଲା ।
ତାର ନାତୁଣୀକୁ ଦେଲା ପ୍ରଦ୍ୟୁମ୍ନ କୁମରେ
କି ନିମନ୍ତେ ବିଭା ହେଲା କହ ମୋ ଆଗରେ ।
ଶୁକମୁନି ବୋଇଲେକ ପରୀକ୍ଷ ହୋ ଶୁଣ
ପୂର୍ବେ ଯାହା କରିଅଛି ଦଇବ ଘଟଣ ।
ଅତିପ୍ରିୟ ସଙ୍ଗେ ପ୍ରୀତି ଯେ ଲୋକ କରଇ
ଅବଶ୍ୟହିଁ ବିରୋଧି ତ ପଡ଼େ ଜାଣ ତହିଁ ।
ପ୍ରଦ୍ୟୁମ୍ନର ଜ୍ୟୋଷ୍ଠପୁତ୍ର ଅଟେ ଅନିରୁଦ୍ଧ
ତାହାର ବିଭାବେଳରେ ପଡ଼େ ବଡ଼ ମନ୍ଦ ।
ପ୍ରଦ୍ୟୁମ୍ନ ଗଦ ପ୍ରଭୃତି ଯେତେ ଥିଲେ ପୋଏ
ଶ୍ରୀକୃଷ୍ଣ ଆଦି କରିଣ ଯଦୁବଳ ଯାଏ ।
ଅନିରୁଦ୍ଧ କୁମରକୁ ଶଙ୍ଗେ ଘେନି ଗଲେ
ଭୋଜରାଜ ନିକଟକୁ ବେଗେ ଚଳିଗଲେ ।
ବିଭାର ବିଧାନମାନ ସରିଲା ଉତ୍ତାରେ
ସମସ୍ତ ନୃପତିମାନେ ବସି ବିଚାରିଲେ ।
ଦନ୍ତଚକ୍ର ମୁଖ୍ୟକରି ଯେତେ ରାଜା ଥିଲେ
ସମସ୍ତେ ହେଁ ରୁକ୍ମଣର ସଙ୍ଗେ ବିଚାରିଲେ ।
ବୋଲନ୍ତି ବଳରାମଙ୍କ ସଙ୍ଗତେ ଖେଳିବା
ପଶାରେ ବଳରାମଙ୍କୁ ସଭାରେ ଜିଣିବା ।
ଏସନ ପ୍ରକାରେ ବୁଦ୍ଧି ପାଞ୍ଚିଲା ରୁକ୍ମଣ
ପଶା ଖେଳିବାକୁ ତାଙ୍କୁ ଡକାଇ ଆପଣ ।
ରୁକ୍ମଣ ବଚନେ ବଳରାମ ତୋଷ ହେଲେ
ଦନ୍ତବକ୍ର ଆଦିକରି ଦୁଷ୍ଟ ରାଜା ଥିଲେ ।
ସମସ୍ତେ ମେଳ ହୋଇଣ ବସିଲେ ଆସ୍ଥାନେ
ରାମଙ୍କ ସଙ୍ଗେ ଖେଳଇ କୁମର ରୁକ୍ମଣେ ।
ପଶାଖେଳ ଖେଳଇ ସେ ଭୀଷ୍ମକ ନନ୍ଦନ
ଖେଳିବାକୁ ବସିଲେ ଯେ ଆପେ ବଳରାମ ।
ଏକଲକ୍ଷ ସ୍ୱର୍ଣ୍ଣ ଆଣି ତହିଁ ପୀଢ଼ କଲେ
ପ୍ରଥମ ପୀଢ଼ରେ ବଳରାମ ହାରିଗଲେ ।
ତଦନ୍ତେ କୋଟିଏ ମାଢ଼ ସ୍ୱର୍ଣ୍ଣପୀଢ଼ କଲେ
ସେ ପୀଢ଼ରେ ମଧ୍ୟ ବଳରାମ ହାରିଗଲେ ।
ପଶାରେ ବଳରାମଙ୍କୁ ହାରିବା ଦେଖିଣ
ଦୁଷ୍ଟ ରାଜାମାନେ ତହିଁ ହସିଲେକ ପୁଣ ।
ହସିବା ଦେଖିଣ ବଳରାମ ଯେ ଚଳିଲେ
ବେନିକୋଟି ମାଢ଼ ସ୍ୱର୍ଣ୍ଣ ରାମ ପୀଢ଼ କଲେ ।
ସେହି ପୀଢ଼ ସୁବର୍ଣ୍ଣକୁ ଜିଣି ବଳରାମ
ବେଳୁଁବେଳ ବଳରାମ ହ୍ୱନ୍ତେ ତମେ ପୂର୍ଣ୍ଣ ।
ନିଷିତ ହୋଇ ରୁକ୍ମଣ ଗୋଳିଆଇ ଦେଲା
ମୋହର ପଡ଼ିଲା ବୋଲି ସଭାରେ କହିଲା ।
ତାହା ଦେଖିଣ ବୋଲଇ ଦନ୍ତବକ୍ର ରାୟେ
ବଳରାମ ହାରିଗଲେ ନିଶ୍ଚୟ ସଭାୟେ ।
ଏମନ୍ତ ବୋଲିଣ ଦନ୍ତବକ୍ର ଯେ ହସଇ
ତମେ ବହୁକ୍ରୋଧ ପାଇଲେକ ରାମ ତହିଁ ।
ପୁଣି ତିନିକୋଟି ମାଢ଼ ସ୍ୱର୍ଣ୍ଣ ପୀଢ଼ କଲେ
ସେ ବେଳକ ବଳରାମ ପଶାରେ ଜିଣିଲେ ।
ପୁନର୍ବାର ରୁକ୍ମଣ ଯେ ବୋଲେ ନାହିଁ ନାହିଁ
ଏ ବେଳକ ପଶାରେ ହେ ଜିଣିଅଛି ମୁହିଁ ।
ତାହା ଶୁଣି ଦନ୍ତବକ୍ର ପୁଣି ହିଁ ବୋଇଲା
ଏମନ୍ତବେଳେ ସ୍ୱର୍ଗରୁ ବାଣୀଏ ଶୁଭିଲା ।
ଆହେ ତୁମ୍ଭେମାନେ ସର୍ବ ରାଜଗଣ ଶୁଣ
ସେ ରାମ ଜ୍ୟେଷ୍ଠ ଅଟନ୍ତି କୃଷ୍ଣଙ୍କର ପୁଣ ।
ତାହାଙ୍କର ସଙ୍ଗତେ ନ କର ବିଡ଼ମ୍ବନ
ସ୍ୱର୍ଗରେ କି ବୋଲି ଡାକୁଛନ୍ତି ଦେବଗଣ ।
ରୁକ୍ମଣ ବୋଇଲା ଅଛି ରାମବାଣୀ ଶୁଣି
ପୃଥିବୀରେ ରାମ ରାଜା ନୁହନ୍ତି ଯେ ପୁଣି ।
ପରମ୍ପରା ଅଛି ଯେହୁ ରାଜପୁତ୍ର ହୋଇ
ସେ ସିନା ପଶାର ଗୁଣ ସଂଗ୍ରାମ ଜାଣଇ ।
ଗୋଗୋଷ୍ଠରେ ଥାଇ ଗୋପାଳଙ୍କ କଥା ଜାଣ
ଗୋରୁ ଗାଈଙ୍କ କଥାରେ ତୁମ୍ଭ ନିଷ୍ଠାପଣ ।
ରୁକ୍ମଣ କଥାରେ ରାମ କୁପିତ ହୋଇଲେ
ମହାକ୍ରୋଧ ଜାତ ହ୍ୱନ୍ତେ କମ୍ପମାନ ହେଲେ ।
କୋପେ ବଳରାମ ତହୁଁ ପରିଘ ଧଇଲେ
ବାଳ ଧରିଣ ତାହାକୁ ଖୁନ୍ଦାଏ ମାଇଲେ ।
ଦନ୍ତବକ୍ର ବଦନରେ ରାମ ଖୁନ୍ଦା ବାଜି
ଯେତେକ ଦଶନ ଥିଲା ସବୁ ଗଲା ଭାଜି ।
ଆବର ଯେତେକ ଦୁଷ୍ଟ ରାଜା ତହିଁ ଥିଲେ
ଯେ ଯାହାର ଭବନକୁ ସର୍ବେ ପଳାଇଲେ ।
ବଳରାମଙ୍କର କୋପ କ୍ରମେ ବୃଦ୍ଧି ହେଲା
ତାହା ଦେଖିଣ ରୁକ୍ମଣ ପଳାଉଣ ଥିଲା ।
ବଳରାମଙ୍କ କୋପରେ ସେ ଯହୁଁ ପଡ଼ିଲା
ଲେଉଟି ପ୍ରହାର ପାଇ ତହିଁ ପଡ଼ି ମଲା ।
ଏମନ୍ତ ବାରତାମାନ ରୁକ୍ମିଣୀ ଶୁଣିଲେ
ବାର୍ତ୍ତା ଶୁଣି କାହାକୁ ହିଁ କିଛି ନ ବୋଇଲେ ।
ଶ୍ରୀକୃଷ୍ଣ ଯହୁଁ ଶୁଣିଲେ ଏସନକ କଥା
ସ୍ତମ୍ଭୀଭୂତ ହୋଇଣ ସେ ପୋତିଲେକ ମଥା ।
କାହାକୁ ଏହି ସମସ୍ୟା ଗୋଟା ନ କହିଲେ
ଦମ୍ଭେଣ ଦ୍ୱାରକାପୁରେ ବିଜେକରି ଗଲେ ।
ସାବଧାନ ହୋଇ ଶୁଣ ପରୀକ୍ଷ ରାଜନ
ରୁକ୍ମଣର ମରଣ ଯେ ଏମନ୍ତ ବିଧାନ ।
ଶ୍ରୀବଳରାମଙ୍କ ପଦ୍ମପାଦର ଯୁଗଳେ
ଅଚ୍ୟୁତ ଦାସ ଶରଣ ପଶଇ ନିରୋଳେ ।