ଚିତ୍ରାଙ୍ଗଦା ପରିଣୟ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିୟେମନ୍ତେ ଅନେକ ତୁସ୍ତି କଲା ନୃପମଣି
ଶୁଣି ତାହା ପ୍ରସନ୍ନ ଗାଣ୍ଡୀମ ଧନୁପାଣି ।୨୩ ।
ହସିଣ ଅର୍ଜୁନ ବୋଲନ୍ତି ବଚନ
ମାଗ ହୋ ନୃପତି ଯାହା ଇଚ୍ଛା ତୋର ମନ ।୨୪ ।
ଅର୍ଜୁନ ପ୍ରସନ୍ନ ହେବା ଜାଣି ନୃପବର
କପାଳେ କରଯୋଡ଼ି କହଇ ଉତ୍ତର ।୨୫ ।
ସ୍ୱାମୀ ହୋ ମୋହୋର ଯେବେ ଘେନିଲ ସେବା
ମୋହୋର ରାଜ୍ୟକୁ ୟେବେ ବିଜୟେ କରିବା ।୨୬ ।
ଦୋହିତା ମୋହୋର ୟେକ ଅଛି ଅବିଭାଇ
ତାହାକୁ ପ୍ରଦାନ କରିବି ତୁମ୍ଭଙ୍କୁଇଂ ।୨୭ ।
ଆବର ବିଶେଷେ ଯେ ଆମ୍ଭର ପୁରଜନ
ଦ୍ୱିତୀୟ କୃଷ୍ଣ ତୁମ୍ଭଙ୍କୁ ଦେଖିବେ ନୟନ ।୨୮ ।
ତେବେ ସେ ଦିଶିବ ମୋହୋର ପୁଣ୍ୟମାନ
କହନ୍ତି ଅଗସ୍ତି ଶୁଣ ହୋ ରାଜନ ।୨୯ ।
ଶୁଣି ହରଷ ହୋଇଣ ପଣ୍ଡୁର କୁମର
ଆସନ ଛାଡ଼ିଣ ଉଠିଲେ ଧାତିକାର ।୩୦ ।
ଅର୍ଜୁନଙ୍କୁ ସଂଗେ ଘେନି ଚଳଇ ନୃପତି
ଆସନ କଟକେ ଯାଇଂ ହରଷେ ମିଳନ୍ତି ।୩୧ ।
ୟେଥୁ ଅନନ୍ତରେ ଯେ ରାଜାର ଅଙ୍ଗବଳ
ଭୟେଣ ଲୁଚିଥିଲେ ପର୍ବତ ଜମ୍ୱାଳ ।୩୨ ।
ଯେତେବେଳେ ରଣ ଛାଡ଼ି ପଳାଇଲା ମହୀପତି
ତରେଣ ପଳାଇଲେ ସମସ୍ତ ସେନା ରଥୀ ।୩୩ ।
ପର୍ବତ ବନସ୍ତରେ ଲୁଚି ବସିଥିଲେ
ରାଜାର ଆସନ୍ତେଣ ସମସ୍ତେ ଅଇଲେ ।୩୪ ।
ସମ୍ଭର୍ବ ହୋଇଣ ସର୍ବେ କଟକେ ପଶନ୍ତି
ରଥ ଗଛ ଅଶ୍ୱ ପଟୋଆରେ ଯାନ୍ତି ।୩୫ ।
ଯାଇଣ ନୃପତି ଯେ ପଶିଲା ନବର
ଅର୍ଜୁନକୁ ଦିଲା ସେ ସୁବର୍ଣ୍ଣମୟ ପୁର ।୩୬ ।
ଗଜଦନ୍ତ ପଲଙ୍କରେ ସୁପାତିର ଶେଯ
ୟେଥୁ ଅନନ୍ତରେ ଯାହା ଶୁଣ ମନୁରାଜ ।୩୭ ।
ଜଉତିଷଙ୍କୁ ରାଇଣ ପୁଚ୍ଛିଲା ନୃପମଣି
ବିଚାରି କହ ହୋ ବିଭାଲଗ୍ନ ତିଥି ପୁଣି ।୩୮ ।
ଜଉତିଷ ଜଣାୟେ ଦେବ ଆଜ ଚଉଠୀ ଶନିବାର
ଆସନ୍ତା ମଙ୍ଗଳ ବାରେ ବିଭାଘର କର ।୩୯ ।
ସ୍ୱାମୀ ସପତମୀ ଦିନ ଯୋଗାଇଟି ବିଚାରକୁ
କୁମ୍ଭ କୃଷ୍ଣପକ୍ଷ ଯେ ଯୋଗାଇ ବିଭାକୁ ।୪୦ ।
ବିଛାରେ ଚନ୍ଦ୍ର ଯେ ବିଶାଖା ନାମେ ନକ୍ଷତ୍ରର
ଧ୍ରୁବ ନାମେ ଯୋଗ ବବ ନାମେ କରଣ ଯେ ଆର ।୪୧ ।
ତାର ବଳ ଚନ୍ଦ୍ର ବଳ ବୋଲିଣ ବୋଇଲା
ଖଡ଼ି କାଢି ପୁଣ ଗ୍ରହ କୋଷ୍ଠିୟେ ଥାପିଲା ।୪୨ ।
ସପତ ଶଳାକା ନାଗନାଡ଼ିହିଂ ଭେଦିଲା
ସ୍ୱାମୀ ଦୁଇଦିନ ଛାଡ଼ି ବିଭା କରସି ବୋଇଲା ।୪୩ ।
ଶୁଣିଣ ନୃପତି ତାହା ଉଦବେଗ ମନ
ମନ୍ତ୍ରୀକି ଚାହିଂଣ ରାଜା ବୋଲଇ ବଚନ ।୪୪ ।
ନଗ୍ରପୁର ସମସ୍ତ ଯେ ମଣ୍ଡାଅ ବୋଇଲା
ଶୁଣିଣ ମନ୍ତ୍ରୀବର ସମସ୍ତ ଭିଆଇଲା ।୪୫ ।
ମେଢ଼ ମଣ୍ଡପ ଜଗତୀ ଦେଉଳ ମଣ୍ଡନ୍ତି
ସୁବର୍ଣ୍ଣର କଳସ ବସାନ୍ତି ପନ୍ତି ପନ୍ତି ।୪୬ ।
ବିଚିତ୍ର ଚିରାଳ ଯେ ଉଡ଼ଇ ଫରହର
ଚିତ୍ରପଟ ଲେଖମାନ ସମସ୍ତଙ୍କର ଘର ।୪୭ ।
ସ୍ଫଟିକର ପାବଚ୍ଛ ବାନ୍ଧିଛନ୍ତି ଦ୍ୱାରେ ଦ୍ୱାରେ
ସାଧୁତାର ଜନଗଣ ବାଣିଜ ବାଣିଜାରେ ।୪୮ ।
ଦାଣ୍ଡ ପହଂରାଇ ଯେ କର୍ପୂର ଧୂଳି ସିଞ୍ଚି
ଚନ୍ଦନ ଛେରା ସୁବାସ କୁସୁମ ଯେ ବିଞ୍ଚି ।୪୯ ।
ନଗ୍ର ପରିମଳ ଯେ ଦେଖନ୍ତି ସର୍ବଜନ
ସାଧୁ ସାଧୁ ବୋଲିଣ ଯେ ବୋଲନ୍ତି ବଚନ ।୫୦ ।
ୟେଥୁ ଅନନ୍ତର ଯେ ବେନି ଦିନ ଗତ ହେଲା
ସମସ୍ତ ଯୋଗୋଡ଼ମାନ ବୁଝି ସଜାଡିଲା ।୫୧ ।
ମଙ୍ଗଳ ବେଳ ଜାଣିଣ ଯେ ଅହିଅ ଯୁବତୀ
ଗ୍ରାମଦେବତୀଙ୍କି ଶୁଭେ ମଙ୍ଗୁଳିଣ ଯାନ୍ତି ।୫୨ ।
କେହୁ ଦୁର୍ବାକ୍ଷତ କେହୁ ଧୂପ ଦୀପ ଘେନି
ଦାଣ୍ଡରେ ବିଭା ଶୁଭ ଗୀତ ଗାବନ୍ତି କାମିନୀ ।୫୩ ।
ନଗ୍ର ପରିମଳ ଯେ ବୁଲନ୍ତି ରାଜବାଟ
କାମିନୀ ଗମନ୍ତେ ଶୋଭା ପାଇଲାକ ରାଷ୍ଟ୍ର ।୫୪ ।
ଦେବୀଙ୍କୁ ମଙ୍ଗୁଳିଣ ସେ ନିଜ ପୁର ଆସି
ବରକୁ ମଙ୍ଗୁଳନ୍ତି ଚାରୁ ଶୁଭ୍ରକେଶୀ ।୫୫ ।
ସୁବର୍ଣ୍ଣର ଖୋରାରେ କୁଙ୍କୁମ ଆଣନ୍ତି
ଅର୍ଜୁନର ଅଙ୍ଗରେ ନେଇ ତାହାକୁ ଲେପନ୍ତି ।୫୬ ।
ବିବିଧ ଅଳଙ୍କାର କରନ୍ତି ଆଭରଣ
କନ୍ୟାକଇଂ ୟେ ବିଧିରେ କରନ୍ତି ମଙ୍ଗଳଣ ।୫୭ ।
ରଜନୀ ବୋଳନ୍ତି ତହିଂ ଯୁବତୀୟେ ଆସି
ସାତ ଅହିଅ କାମିନୀ କାଖେ ଘେନିଣ କଳସୀ ।୫୮ ।
ଦାଣ୍ଡରେ ସେ ବୁଲନ୍ତି ମଙ୍ଗଳ ଗୀତ ଗାଇ
ଦ୍ୱାରେ ଦ୍ୱାରେ ବୁଲି ପାଣି ମାଗନ୍ତି ସେ ଯାଇଂ ।୫୯ ।
ଘରେ ଥିବା ଲୋକେ ଜାଣିଲେ ଯେ ପରିକଳି
ବୋଇଲେ ଗୋ ଦାସୀ ଅଇଲେଣି ପାଣି ତୋଳି ।୬୦ ।
ଅହିଅ ଯୁବତୀମାନେ ଶୁଚିବନ୍ତ ହୋଇ
ପବିତ୍ର ଜଳ ଆଣି ସେ ଦିଅନ୍ତି ବଢାଇ ।୬୧ ।
ୟେମନ୍ତେ ଅନେକ ଯୁବତୀୟେ ଜଳ ଦିଲେ
ରାଜାର ମୁଦୁସୁଲୀୟେ ନୀର ଘେନିଗଲେ ।୬୨ ।
ସାତ କୁମ୍ଭେ ଯହୁଂ ଶୁଭେ ପୂରିଲାକ ପାଣି
ବାହୁଡ଼ି ଆସନ୍ତି ତହୁଂ ସକଳ ତରୁଣୀ ।୬୩ ।
ସୁବର୍ଣ୍ଣର ପୀଢାରେ ନେଇ କନ୍ୟାକୁ ବସାଇ
ନବଗ୍ରହ ସୁଗନ୍ଧି ଯେ କେଶରେ ଲଗାଇ ।୬୪ ।
ସେ ଜଳ ଘେନିଣ ଯେ ଅଭିଷେକ କଲେ
ତହିଂରେ ଉପରେ ନେଇ ଅୟେଂଳା ବୋଳିଲେ ।୬୫ ।
ସୁବାସ ଜଳରେ ପୁଣ ସ୍ନାହାନ କରାଇ
କେଶକୁ ପୋଛିଲେ ନବତନ ବସ୍ର ଦେଇ ।୬୬ ।
ଅର୍ଜୁନକୁ ସେହିମତି କରାଇ ସ୍ନାହାନ
ଶ୍ରୀଅଙ୍ଗ ପୋଛିଲେ ଘେନି ଦେବାଙ୍ଗ ବସନ ।୬୭ ।
ଦେବାଙ୍ଗ ପତନୀ ବର କନ୍ୟାଙ୍କୁ ପିନ୍ଧାଇ
ଚାରୁ ଝୀନ ବସ୍ରମାନ ଉପୁରାଣ ଦେଇ ।୬୮ ।
ପଞ୍ଚୁଗରାସୀ କରାନ୍ତି ଆଣି ଚୋରି ଭାତ
ୟେମନ୍ତେ ସମୟେଣ ଆସି ଯେ ହୋଇଲା ପ୍ରଭାତ ।୬୯ ।
ଜଉତିଷକୁ ଚାହିଂ ପୁଚ୍ଛଇ ନରସାଇଂ
ଜାଣି କହିଦେବ ଅନକୂଳ ବେଳ ଯେହି ।୭୦ ।
ଜଉତିଷ କର ଯୋଡ଼ି କରି ଜଣାଇଲା
ବିଭାବେଳ ଆସି କରି ପ୍ରବେଶ ହୋଇଲା ।୭୧ ।
ଶୁଣି ଛାୟା ମଣ୍ଡୋପେ ବେଗେ ମଣ୍ଡାଇ ଦଣ୍ଡଧାରୀ
ଖଂଜଇ ହୀରା ନୀଳା ଗଜଦନ୍ତ ପିତୁଳୀ ।୭୨ ।
ବରବେଶ ହୋଇ ବିଜେ ପାଣ୍ଡବ ସୁନ୍ଦର
ଶୁଭେ ବସାଇଲେ ନେଇ ବେଦୀର ଉପର ।୭୩ ।
ୟେମନ୍ତର ସମୟେ ଆସି ରାଜାର ଦୁହିତା
ହୁଳହୁଳି ଦିଅନ୍ତି ସେ ଅନେକ ବନିତା ।୭୪ ।
ବେଦୀରେ ବସିଅଛି ପାଣ୍ଡୁ ରାଜା ଶିଷ୍ୟ
ତାହାର ଉପରେ ଉହାଡ଼ କଲେ ନବବାସ ।୭୫ ।
ହାଥରେ ଲବଣ ତଣ୍ଡୁଳ କନ୍ୟା ଧରିଥିଲା
ଅର୍ଜୁନ ଉପରକୁ ବିଞ୍ଚିଣ ଫିଙ୍ଗିଦିଲା ।୭୬ ।
ହରଷେ ଯୁବତୀୟେ ଗାଇଲେ ମଙ୍ଗଳ
ୟେଥୁ ଅନନ୍ତରେ କଥା ଶୁଣ ମହୀପାଳ ।୭୭ ।
ସୁଜାଣେଶ୍ୱର ନାମେ ରାଜାର ପୁରୋହିତ
ବେଦୀରେ ବସିଲେ ଯାଇଂ ସେ ବିଭାର ନିମନ୍ତ ।୭୮ ।
ବାକ୍ୟ କରାବନ୍ତି ଅର୍ଜୁନ ଆଗର
ପୁଣ ଆରୋପିଲେ କୁଶର ବିଷ୍ଟର ।୭୯ ।
ଅତୁଠରୁ ରାୟେ ଅଣାଇଥିଲା ପାଣି
ବର ପାଦ ଧୋଇଲା ତାର ପୁତ୍ରମଣି ।୮୦ ।
ମନ୍ତ୍ରୀଣ ଶାଢୀ ଖଦୀ ଦିଲେକ ନିର୍ଭାଇ
କନ୍ୟାକଇଂ ଆଣହୋ ୟେ ବସନ ପିନ୍ଧାଇ ।୮୧ ।
ସେ ବସ୍ରକୁ ପିନ୍ଧିଣ ଯେ ରାଜାର ଦୁଲଣୀ
ବେଦୀରେ ବସିଲା ଯାଇଂ ସ୍ତିରୀ ସୁଲକ୍ଷଣୀ ।୮୨ ।
ବରୁଣ ପୂଜାଦି ବାକ୍ୟ କଲେ ପୁରୋହିତ
କୁଶରେ ବାନ୍ଧିଲେ ବର କନ୍ୟାଙ୍କର ହାଥ ।୮୩ ।
ଯୁବତୀଗଣ ମିଳିଣ କରନ୍ତି ମଙ୍ଗଳ
ଶଙ୍ଖେ କୁଶ ପାଣି ଘେନି ବୋଲେ ମହୀପାଳ ।୮୪ ।
ସ୍ୱାମୀ ଆଜୁଂ ସୋମ ବଂଶେ ପଶିଲି ଶରଣ
ଯଉତୁକ ଦେବାକୁ ମୁଂ ନୁହଇ ଭାଜନ ।୮୫ ।
ଅର୍ଜୁନ ମୁଖକୁ ଚାହିଂ ବୋଲଇ ବଚନ
ବନ୍ଧୁତାପଣକୁ ମୁହିଂ ନୁହଇ ଭାଜନ ।୮୬ ।
ଚିତ୍ରପଦା ନାମେ ତାର ଆରେକ ଦୁଲଣୀ
ଯଉତୁକ ଦିଲି ବୋଲି ଶଙ୍ଖେ ଦିଲା ପାଣି ।୮୭ ।
ଶୁଣ ଆହୋ ମନୁରାୟେ ଅଗସ୍ତି କହିଲେ
ସେହି ବେଦୀରେ ଯେ ଚିତ୍ରପଦାକୁ ବିଭା କରାଇଲେ ।୮୮ ।
ଲାଜାହୋମ ସାରିଣ ଯେ କଲେ ଅଗ୍ନି ଶାନ୍ତି
ମୁଣୋହି ସାରିଣ କର୍ପୁର ତାମ୍ୱୁଳ ଭୁଞ୍ଜନ୍ତି ।୮୯ ।
ବରକନ୍ୟା ଚଳିଲେ ଯେ ମଧୁଶଯ୍ୟା ପୁର
ପାତ୍ରମନ୍ତ୍ରୀ ଚଳିଗଲେ ଯେ ଯାହା ଠାବର ।୯୦ ।
ଧାଈ ମୁଦୁସୁଲୀ ଗଲେ ଯେ ଯାହାର ପୁରୀ
ଅନ୍ତପୁରକୁ ବିଜେ କଲେ ଦଣ୍ଡଧାରୀ ।୯୧ ।
ରୟେଣୀ ପ୍ରଭାତେ ନିତ୍ୟକର୍ମ ସାରି
ଆସ୍ତାନ ମଣ୍ଡୋପେଣ ବିଜୟେ ଦଣ୍ଡଧାରୀ ।୯୨ ।
ଦିବସେ ଆସ୍ତାନରେ ବସଇ ଅର୍ଜୁନ
ରୟଣୀରେ ଘରଣୀ ସଂଗେ ବଞ୍ଚେ ଦିନ ।୯୩ ।
ସୁଖେଣ ତହିଂ ରହିଲେ ବୀର ଫାଲଗିନୁ
ୟେମନ୍ତେଣ ବହି ଗଲା ତହିଂ ମାସ ବେନି ।୯୪ ।
ଲମ୍ୱିତା ବୋଲିଣ ସେହୁ ଯେବଣ ଯୁବତୀ
ଅର୍ଜୁନର ବୀର୍ଯ୍ୟେ ସେ ହୋଇଲା ଗର୍ଭବତୀ ।୯୫ ।
ମନେ ବିଚାରିଲା ମୁଂ ଯିବଇଂ ବନବାସ
ୟେତେ ବିଚାରି କହିଲେ ରାଜାଙ୍କର ପାଶ ।୯୬ ।
କୋମଳ କରିଣ ପାଥ କହଇ ବଚନ
ସାବଧାନ ହୋଇ ତୁମ୍ଭେ ଶୁଣ ହୋ ରାଜନ ।୯୭ ।
ସମ୍ଭାଳି ଥାଅ ଦୁହିତା ଦୁହିଙ୍କି ତୁମ୍ଭର
ମୁହିଂ ଯାଉଅଛି ୟେବେ ଅରଣ୍ୟ ଭିତର ।୯୮ ।
ତାହା ଶୁଣନ୍ତେ ବିରସ ହୋଇଲା ନୃପତି
କି କାରଣେ ବନେ ଯିବ ବୋଇଲାକ ଧାତି ।୯୯ ।
ସୋମବଂଶ ଉଦ୍ଧାରଣ ପଞ୍ଚୁ କଟକେ ଆଧିପତି
ହରି ବଳରାମକଇଂ ଯାହାଙ୍କର ପ୍ରୀତି ।୧୦୦ ।
ସେବା କରି ତହିଂ ନୋହିଲି ଭାର୍ଜନ
ଦୋଷ କ୍ଷମା କରି ମୋ ଅପରାଧ ନ ଘେନ ।୧୦୧ ।
ସ୍ୱାମୀ ଦଶ ଦୋଷ କ୍ଷମା କରିବୁନା ମୋର
ମୁହିଂ ଯେ ଶରଣ ସ୍ୱାମୀ ତୋହୋର ପୟର ।୧୦୨ ।
କିବା ଅପରାଧ କଲେ ମୋହୋର କୁମାରୀ
ବନକୁ ଗମନ କରୁଅଛୁଂ ତେଣୁ କରି ।୧୦୩ ।
ତୁ ତାହାଙ୍କ ଦୋଷ ନାଥ କରିବୁନା କ୍ଷମା
ତୁ କ୍ଷତ୍ରୀବର ସେ ଅଲିଅଳ ଜେମା ।୧୦୪ ।
ରାଜାର ବାକ୍ୟ ଶୁଣି ବୋଲଇ ଅର୍ଜୁନ
ଶୁଣ ଆହେ ମହାରାଜ ମୋହୋର ବଚନ ।୧୦୫ ।
ତୁମ୍ଭ ବେନି ଦୁହିତାଙ୍କ ନାହିଂ କିଛି ଦୋଷ
ମୋର ବନବାସ କଥା ବଡ଼ାଇ ଭବିଷ୍ୟ ।୧୦୬ ।
ଯେଉଂଣ ଦିନେ ଲାଖ ବିନ୍ଧି ଆଣିଲୁ ଦ୍ରୋପତୀ
ପାଞ୍ଚେ ବିଭା ହେଲୁ ୟେକା ରାଜାର ଦୁହିତୀ ।୧୦୭ ।
ଭୀମସେନ ଶୟନ ଭୋଜନେ ଅତ୍ରିପୁତି
ନିରନ୍ତରେ ରମିତେ ବିଚାରନ୍ତି ମତି ।୧୦୮ ।
ଭୟେ କରି ଦ୍ରୋପତୀ ଅଗ୍ନିରେ ପଶନ୍ତେ
ସତ୍ୟ ଉଚ୍ଚାରିଲୁ ତହୁଂ ଆମ୍ଭେ ପଞ୍ଚୁ ଭ୍ରାଥେ ।୧୦୯ ।
ପାଞ୍ଚେହେଂ ପାଞ୍ଚରାତ୍ର ବିଜୟ କରିବା
ୟେକର ଶୃଙ୍ଗାର ଯେବେ ଆରେକ ଦେଖିବା ।୧୧୦ ।
କି ଅବା ୟେକ ଦିନକରେ ଯେ ଯିବ ବେନି ବେଳ
ଦ୍ୱାଦଶ ବରଷ ସେହୁ ବୁଲିବ ଗିରିମାଳ ।୧୧୧ ।
ବନରେ ବଞ୍ଚିବ ଯେ କରିବ ତୀର୍ଥମାନ
ବାରହ ବରଷରେ ଫେରି ଆସିବ ସଦନ ।୧୧୨ ।
ସତ୍ୟ ଶୁଣି ଦ୍ରୋପତୀ ହରଷ ହୋଇଲା
ୟେ ବିଧି ପ୍ରମାଣେ କେତେହେଂ ଦିନ ଗଲା ।୧୧୩ ।
ଦିନକେ ବ୍ରାହ୍ମଣେ ୟେକ ମିଳି ଅଦଭୂତେ
ବୋଇଲା ବେଗେ ଯୁଝେଷ୍ଠିଙ୍କି ଭେଟ କରାଅ ମୋତେ ।୧୧୪ ।
ତାହାର ବଚନେ ସତ୍ୟ ଲଘଂନ ମୁହିଂ କଲି
ଯୁଝେଷ୍ଠିଦେବଙ୍କର ୟେକାନ୍ତ ଦେଖିଲି ।୧୧୫ ।
ସେ ଦୋଷ ଗମନ ମୁହିଂ କଲଇଂ ବନକୁ
ନ କର ଶୋଚନା ମୁଂ ଯିବଇଂ ସତ୍ୟ ନିମନ୍ତକୁ ।୧୧୬ ।
ଶୁଣିଣ ସନ୍ତୋଷ ଯେ ହେଲେ ନୃପମଣି
ଲମ୍ୱିତା ଚିତ୍ରପଦାଙ୍କୁ ବୋଧି ବାହାର ବୀରମଣି ।୧୧୭ ।
କେଶବ ସୁମରି ପାଥ ଚରଣକୁ ବଢାଇଲା
ବହନ ଅରଣ୍ୟେ ପଶି ପଥ ବାହିଗଲା ।୧୧୮ ।
ସିଦ୍ଧ ନାମେ ବନେ ଯାଇଂ ମିଳିଲାକ ପାର୍ଥିବ
ଦେଖଇ ବିପିନ ଅତି ଅସମ୍ଭବ ।୧୧୯ ।
ପନ୍ତି ପନ୍ତି ହୋଇଣ ଅଛନ୍ତି ବୃକ୍ଷମାଳ
ଜମ୍ୱୁ ଜମ୍ୱିର ଆଦି ଜେଉଟ ଜମ୍ୱାଳ ।୧୨୦ ।
ଜୟନ୍ତୀ ଜଜାଙ୍ଗୀ ଜାଠିମଧୁ ନାମେ ଗଛ
ପେଣ୍ଡି ଖଜୁରି ମରୀଚ ମାହାଳ ଦାରାକ୍ଷ ।୧୨୧ ।
କଦମ୍ୱ କରମଙ୍ଗା କରଞ୍ଜ କୁରୁବେଲି
କୋଚିଳା କଇଥ କେନ୍ଦୁଗଛ ପଲି ପଲି ।୧୨୨ ।
କଦଳୀ କଞ୍ଚଣ କରନ୍ଦା ଯେ କଣୀଅର
କୁମ୍ଭାଟୁଆ କେତକୀ କୃଷ୍ଣପନ୍ନ ସାର ।୧୨୩ ।
କରୁଣା କୁକୁରଛାଲିଆ କିଆ ଧାଡ଼ି ଧାଡ଼ି
କଣ୍ଟି କଣ୍ଟାହୋଳ କୁସୁମ ବୃକ୍ଷ ବଢି ।୧୨୪ ।
ଶାଳ ବୃକ୍ଷ ସାହାଡା ଶାଳପର୍ଣ୍ଣି ସଜନା
ଶିମୂଳୀ ସଡ଼ିପାଦି ଯେ ଦିଶଇ ବିତପନା ।୧୨୫ ।
ବଇଂଚ ବରକୋଳି ବାହାଡ଼ା ବଉଳ
ବାସଙ୍ଗ ବେଗୁନିଆ ବରାହଦାଢ ଫୁଲ ।୧୨୬ ।
ବରବେଲ ବେହେଣ୍ଟା ବଧୂଲି ବାସ କରି
ବାଇଡ଼ଙ୍କ ବରିପୋଲୁଅ ବଢୁଆଂ ଆଦି କରି ।୧୨୭ ।
କ୍ଷୀର କ୍ଷୀରକୋଳି ଖଇର ଖଜୁରି
ଡୋହଳ ଡାଳିମ୍ୱ ଡଂକାରି ଡାଳସିଙ୍ଗା ଡିମ୍ୱିରୀ ।୧୨୮ ।
ଗମ୍ଭାରି ଗରଗଡ଼ ଗଇଶ ଆଦି ଗୁଆ
ଗୋଠଫଳ ଗଗୁଳ ଯେ ଲଟାଗୁଳୁଚି ଗୁଗୁଚିଆ ।୧୨୯ ।
ଅଶନ ଅରଖ ଓଶସ୍ଥ ଦୁଦୁରା ଅଣଖୁଆ
ଅୟେଂଳା ଉଆଉ ଅଗବଥୁ ପାଳଧୂଆ ।୧୩୦ ।
ଘଣ୍ଟଫଳ ଘିଅକୁଆଂରୀ ଘରପୋଡ଼ିଆ ଭାଣ୍ଡିର
ଭୂଇଂନିମ୍ୱ ଭାଲିଆ ନାରଙ୍ଗ ଆବର ।୧୩୧ ।
ନଡ଼ିଆ ନିମ୍ୱ ଆଉ ନଅର କୋଳି
ଲେମ୍ୱାଉ ନାଗେଶ୍ୱର ପୁଷ୍ପ ଯେ ନିଆଳୀ ।୧୩୨ ।
ପାଣ୍ଡଫାଶି ବୃକ୍ଷ ଆବର ପାଂମ୍ପୁଣିଆଂ
ରାଇବୃକ୍ଷ ରାଇଟ ଆବର ଶୁଣିଆଂ ।୧୩୩ ।
ମହୁଲ ମଞ୍ଜାରୀ ମନୁଷା ମହାକାଳ
ମେଣ୍ଠି ମଥୁରା ମହାନିମ୍ୱ ତମାଳ ।୧୩୪ ।
ମାରୀଚା ମନ୍ଦାର ମଲ୍ଲୀ ମାଧବୀ ମରୁଆଭଳି ଛୁରିଅନା
ଜାଇ ଯୂଇ କୁସୁମ ପାଟେଳୀ ଧାତୁକୀ ଧନିଆଂ ।୧୩୫ ।
ଧନ୍ୱନ୍ତରୀ ପିଆଶାଳ ପିପଳୀ ପାନମହୁରୀ ତେନ୍ତୁଳି
ତରାଟ ଟଗର ହେଙ୍ଗୁ ତାଳ ଚିତା ଚିରାଇତା ତମୁରି ।୧୩୬ ।
ଟୋଲଙ୍କ ହରିତା ହଳଦା ଟଭା ସପୁରୀ ସହିତେ
ନାନା ଜାତି ଗୁଳ୍ମ ଲତା ଯେ ଅପ୍ରମିତେ ।୧୩୭ ।
ମହାଘୋର ଲତା ଅଟଇ ସେ ବନ
ଅଛନ୍ତି ବିବିଧ ବର୍ଣ୍ଣେ ତହିଂ ଜୀବମାନ ।୧୩୮ ।
କୃଷ୍ଣାଜିନ କୁରଙ୍ଗୀ ଯେ ଖରିଆ ଖୁରାଣ୍ଟି
ଗଣ୍ଡା ଗୟଳ ଗଜ ଘୋଡ଼ଙ୍ଗ ଘୋଡ଼ା ଗୋଟି ଗୋଟି ।୧୩୯ ।
ନେଉଳ ନେପାଳୀ ମୂଷା ଓଧ ବଣଭୁଆ
ଝୀଙ୍କ ଝିଙ୍କାରୀ ଝାଙ୍କର ଆବର ଠେକୁଆ ।୧୪୦ ।
ବ୍ୟାଘ୍ର ଭାଲୁକ ବରେହା କେନ୍ଦୁଆ ବଳିଆ
ମୃଗ ମଇଂଷୀ ଯେ ମୂଷା ବାଉଟିଆ ।୧୪୧ ।
ଶଶା ଶାଳେହା ଗୋଧି ମୃଗଲାଭ ସହିତେ
ହରିଣପଲ ବନର ଜୀବମାନ ଯେତେ ।୧୪୨ ।
ପଛୀଜନ୍ତୁମାନେ ତହିଂ ଅଛନ୍ତି ଅପାର
କାକ କୁକୁଟ ପିକ କପୋତ ତାମ୍ରଚୂଡ଼ ।୧୪୩ ।
କଜଳପାତିଆ ଆଉ କେଶରପାଣ୍ଡିଆ
କୋଚିଲାଖାଇ ପଛୀ ଆବର କୁମ୍ଭାଟୁଆ ।୧୪୪ ।
ହଂସ ହଂସରାଳୀ ଯେ ହରଡ଼ ଚଢେଇ ତିନି
ହଳଦୀବସନ୍ତ ହୁଂହୁଇଂଆ ଗୋବରାକୁ ଘେନି ।୧୪୫ ।
ଗେଣ୍ଡାଳିଆ ଚକୁଆ ଗୋଡ଼ିଖାଇ ୟେହି
ଗୁଣ୍ଡୁରୀ ଖାକରଖାଇ ଗଙ୍ଗାଇଡ଼ୁବାଇ ।୧୪୬ ।
ଶାରୀ ଶୁଆ ଶାଗୁଣା ଶାମଳହିଂ ଅଛି
ଶାହାଟ ସୁବର୍ଣ୍ଣଚୂଡ଼ ଶେଣା ନାମେ ପଛୀ ।୧୪୭ ।
ଚିଲ ଚିମୁଣିଆ ପେଚା ଯେ ଚକୋଇ
ଚାମରୀ ଘରଚଟିଆ ଯେ ଚାତକହିଂ ।୧୪୮ ।
ବାଇଆ ବାୟେଂସା ବାଦୁଡ଼ି ବଢିଣା
ବକ ବିହଙ୍ଗମ କାନେତି ଖଞ୍ଜନା ।୧୪୯ ।
ଜଳପିମ୍ପି ଟିପି ଡାଳକୁଆ ଡାହୁକ
ଟେଣ୍ଟୁଆ ତିତିରି ତାମ୍ରଚୂଡ଼ ଅନେକ ।୧୫୦ ।
ତାରାକ୍ଷୀ ଦୟାଳ କାଠକଟା ଶ୍ୱେତକୁଆ
ରାଜବଣି ରାଜହଂସ ରାଜବଲଭ ରାଜ କାଉଚିଆ ।୧୫୧ ।
ଭରଥିଆ ଭଦଭଦଳିଆ ଆବର ଭାଥିଭ୍ରମର
ମଧୁମାଛି ମଧୁକର ମୁନିଆ ଚେମୁଣିଆ ଆର ।୧୫୨ ।
ପାତିଶୁଆ ପେଚା ପାଟବଣି ପାଣିକୁଆ ସହିତେ
କୋଳାହଳ ନାଦ ଶୁଭଇ ଅପ୍ରମିତେ ।୧୫୩ ।
ସରଯୂ ନାମେ ନଦୀ ବହଇ ବିତପନ
ତହିଂ ଯାଇଂ ମିଳିଲା ପାଣ୍ଡବ ଅରଜୁନ ।୧୫୪ ।
ପୁଇଚାନ୍ଦିଆର ମୂଳେ ଧନୁ ତ୍ରୋଣ ଥୋଇ
ନଦୀରେ ପଶି ଯେ ବୀର ସ୍ନାହାନ କରଇ ।୧୫୫ ।
ପିତୃ ତର୍ପଣ ସାରି କୂଳରେ ମିଳିଲା
ଫଳମୂଳ ଭୁଞ୍ଜି ଦେହ ସୁସ୍ତ କରାଇଲା ।୧୫୬ ।
ଧନୁଶର ଘେନି ନିତ୍ୟେ ବନସ୍ତେ ଭ୍ରମଇ
ରାମ ନାମ ସୁମରି ସେ ବନସ୍ତେ ବଞ୍ଚଇ ।୧୫୭ ।
ବଦୟନ୍ତି ଅଗସ୍ତି ଆହେ ଶୁଣ ନୃପବର
ଦଶମାସ ରହି ତହିଂ ପାଣ୍ଡୁର କୁମର ।୧୫୮ ।
ପୁଣ ସେ କାନନ ଉପେକ୍ଷିଣ ତହୁଂ ଗଲା
ଯାଉଂ ଯାଉଂ ପଥେ ୟେକ ପର୍ବତ ଦେଖିଲା ।୧୫୯ ।
ମଣିଭଦ୍ରା ନାମ ଜାଣ ଅଟଇ ତାହାର
ତହିଂ ଯାଇଂ ରହିଲା ପାଣ୍ଡବ ଧନୁର୍ଧର ।୧୬୦ ।
ଶ୍ରୀହରିଙ୍କି ଯୁଦ୍ଧରେ ଜିଣିମ ସେହିଠାରେ