ଶତଧନୁ ଶରଣ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିବବ୍ରୁବାହନ ନାମ ଗୋଟି ୟେହାକୁ ଶୋହିଲା ।୧୮୩ ।୧୭୫୩ ।
ଶତଧନୁ ଶରଣ
ଅଗସ୍ତି ପୁଚ୍ଛା କଲେ ବଇବସୁତ ମନୁ
ବନବାସହିଂ ତ କଲେକ ଫାଲଗୁନ୍ୟୁଂ ।୧ ।
ସଦାନନ୍ଦକୁଂ ଜିଣିଲା ସେ କିରାତ ରୂପ ଧରି
ଅନେକ ଶସ୍ରବିଦ୍ୟା ଦିଲେ ତ୍ରିପୁରାରି ।୨ ।
ପାର୍ବତୀ ଦିଲେ ଯେ ଅକ୍ଷୟେ ତ୍ରୋଣ ବେନି
ଅଣତପେ ପାଇଲା ପାଣ୍ଡବ ଫାଲଗୁନି ।୩ ।
ଖାଣ୍ଡବ ବନ ଦହିଲେ ସେ ଅଗ୍ନିଙ୍କ ନିମନ୍ତେ
ଅନେକ ଶସ୍ର ଦିଲେ ତ୍ରିପୁତି ହୋଇ ଅଗ୍ନି ଦଇବତେ ।୪ ।
ଆବର କେବଣ କୀରତି କଲେ ସର୍ବସାଚୀ
ୟେହା ବିଚାରି ମୋତେ ସଞ୍ଚପି କହିବା ମୁନି ପ୍ରାଚୀ ।୫ ।
ବଦୟନ୍ତି ଅଗସ୍ତି ପଣ୍ଡିତ ମହାତମା
ଯୁଗ ଅନ୍ତକାଳକଇଂ ପ୍ରତକ୍ଷେ ଅଟୁ ବ୍ରହ୍ମା ।୬ ।
ଆବର କୁତୂହୋଳ ଶୁଣ ମହାରାୟେ
ଶ୍ରୀକୃଷ୍ଣରେ ବିବାଦି ଯେ ହୋଇଲେ ଧର୍ନୁଜୟେ ।୭ ।
ବଇବସୁତ ମନୁ ବୋଇଲେ ଯେ ବଡ଼ାଇ ଦୁଲଭ କଥା
କହିବାକ ସଞ୍ଚପି ମୋତେ ହରି ଅର୍ଜୁନ ଯୁଦ୍ଧର ବାରତା ।୮ ।
ଶୁଣ ହୋ ମହାରାଜା ପୁଚ୍ଛାକଲେ ଯାହା
ଶୁଣ ସାବଧାନେ କହଇ ମୁହିଂ ତୋତେ ତାହା ।୯ ।
ଦ୍ରିଯୋଧନ ରାଜା ପଞ୍ଚତିରିଶ ଅଙ୍କ ଶ୍ରାହୀ
ଯମ ସମ୍ଭର୍ବ ନାମେଣ ସଂବଚ୍ଛର ଅଟଇ ।୧୦ ।
କକଡ଼ା ମାସ କୃଷ୍ଣପକ୍ଷ ଭୌମବାର ଚଉଠୀ
ଉତ୍ତର ଭୋଦୁଅ ନାମେ ନକ୍ଷତ୍ର କରଣ ନାମେ ବିଷ୍ଟି ।୧୧ ।
ଶୋଭନ ନାମେଣ ଅଟଇ ପୁଣ ଯୋଗ
ସିଂହ ସଙ୍କରାନ୍ତିକି ଯେ ସାତଦିନ ଭୋଗ ।୧୨ ।
ସେଦିନ ଦ୍ୱାରକା ସଭାୟେ ଜଗନ୍ନାଥେ ବିଜୟେ
ବଳରାମ ଉଗ୍ରସେନ ବସୁଦେବ ରାୟେ ।୧୩ ।
ସାତବଂଶ ଯୋଦ୍ଧାୟେ ଅଛନ୍ତି ଆସ୍ତାନେ
ତଳେ ପଟୋଆରେ ଅଛନ୍ତି ପାତ୍ର ଅମନାତ୍ୟଗଣେ ।୧୪ ।
ବିମ୍ୱାଧର ନାମେ ୟେକଇ ଗୁପତ ଡଗର
ସେ ଯାଇଂ ଜଣାଇଲା ସାତୁକୀ ଆଗର ।୧୫ ।
ସ୍ୱାମୀ ଶକ୍ରାଜିତ ରାଜାଙ୍କୁ ଯେ ମାଇଲା ଗୁପତେ
ମୁହିଂ ଠାବ କରି ତାହା ଅଇଲଇଂ ୟେଥେ ।୧୬ ।
ବାମଦେବ ଯାଦବର ସୁତ ଶତଧନୁ
ସେହୁ ନାଶ କଲା ଅନାଧୃଷ୍ଟଙ୍କର ଗ୍ୟାନୁ ।୧୭ ।
ସାତୁକୀ ବୋଇଲା ହୋ ପାଶୋରଗଲା କଥା
ଅନେକ ଗୋଳ ହୋଇବଟି ନ କର ବାରତା ।୧୮ ।
ସାତୁକୀ ବଚନେ ମୁନେହିଂ ହୋଇଲାକ ତୃଷ୍ଟି
ଅଦଭୂତେ ଦ୍ୱାରକାରେ ୟେକଥା ହୋଇଲାକ ଫୁଟି ।୧୯ ।
ଅନାଧୃଷ୍ଟି ବୋଇଲା ହୋ ଶୁଣ ଜନିତାର ବଳା
ଆହୋ ଶତଧନୁ ତୁ ଦ୍ୱାରୀକାଉଂ ବହନ ହୋଇ ପଳା ।୨୦ ।
ସେହିଦିନ ରାତ୍ରେ ଯେ ପଳାଇଲା ଶତଧନୁ
ଜାଣିଲେ ମାଧବ ତାହା ଦେବକୀର ତନୁ ।୨୧ ।
ଶତଧନୁ ପଳାଇଗଲା ଯେ ନିଶାରାତ୍ରେ
ଗୋବିନ୍ଦେ ଗୋଡ଼ାଇଲେ ରୟଣୀ ପ୍ରଭାତେ ।୨୨ ।
ପଳାଇ ଶତଧନୁ ଅନେକ ଦୂର ଗଲା
ମହାଘୋର ଅରଣ୍ୟେ ସେ ପଳାଇ ପଶିଲା ।୨୩ ।
ସୁରସେନ ନାମେଣ ଯେ ୟେକଇ କିରାତ
ତାହାର ତହିଂ ଶତଧନୁ ହୋଇଲା ଶରଣାଗତ ।୨୪ ।
ଆହୋ କିରାତ ଶରଣ ମାଗଇଂ ମୁହିଂ ତୋତେ
ଗୁପତ କରି ଲୁଚାଇ ପାରିବୁକି ମୋତେ ।୨୫ ।
କିରାତ ବୋଇଲା ତୁହୋ କାହାର ବଇରି
ଶତଧନୁ ବୋଇଲା ମୁହିଂ ହାଦେ ପଳାଉଅଛି ଜଗନ୍ନାଥଙ୍କୁ
ଭୟେ କରି ।୨୬ ।
ସୁରସେନ ବୋଇଲା ସେ ତ୍ରଇଲୋକ୍ୟ ଚିନ୍ତାମଣି
ଚାହିଂଲେ ସକଳ ବ୍ରହ୍ମାଣ୍ଡେ ବାରତା ପାରଇ ଜାଣି ।୨୭ ।
ତୁ ୟେଥୁଂ ବହନ ହୋଇ ପଳା ହୋ ଶତଧନୁ
ପଚାରିଲେ ନ କହିବି ୟେ ମୋହୋର ଗ୍ୟାନୁ ।୨୮ ।
ପଲାଇ ଶତଧନୁ ମହାଘୋର ନିଶି
ଗୋକ୍ଷୀର ସାଗର ବନରେ ଯାଇଂ ପଶି ।୨୯ ।
ଗୋବିନ୍ଦ ଭେଟିଲେ ଯାଇଂ ସୁରସେନ କିରାତକୁ
ଆରେ ଶତଧନୁ କେଣେ ଗଲା ଦେଖିଲୁ କିରେ ତାକୁ ।୩୦ ।
କିରାତ ବୋଇଲା କେ ଜାଣଇଂ ତୁମ୍ଭର କୁହା
ଲୋଡ଼ସି ହୋ ମହାତମା ବନେ ପଶି ତାହା ।୩୧ ।
ଶୁଣିଣ ଜଗନ୍ନାଥ କୋପେଣ ପରଜଳି
ବିଜେକର୍ଣ୍ଣକଟାରୀକି ମାଇଲେ ବନମାଳୀ ।୩୨ ।
ସୁରସେନ କିରାତକୁ ପକାଇଲେ ହାଣି
ଧାମନ୍ତି ଅରଣ୍ୟେ ଯେ ଦେବ ଚକ୍ରପାଣି ।୩୩ ।
ପଳାଇ ଶତଧନୁ ଶରଣଭଦ୍ରା ନଦୀ କୂଳେ
ଯମନିକ ନୃପତିକି ଶରଣ ମାଗଇ ରାତ୍ର କାଳେ ।୩୪ ।
ଯମନିକ ବୋଇଲା ତୁ କାହାର ବଇରି
ଆହୋ ଅଦୋଷେଣ କେଶବ ମୋତେ ଗୋଡ଼ାଇଅଛି ମାରି ।୩୫ ।
ଯମନିକ ବୋଇଲା ତୁ ନ କରସି ଅପେକ୍ଷା
ସଞ୍ଚୟେ ନାଶଗଲୁ ନାହିଂ ଆନେ ରକ୍ଷା ।୩୬ ।
ବହନ ହୋଇ ପଳାଅ ନ ରହନି ୟେଥ
ନାରାୟଣ କୋପକୁ କେ ହୋଇବ ସାମରଥ ।୩୭ ।
ପଳାଇ ଶତଧନୁ ନିରାଶ ବଚନ ଶୁଣି
ଗମଇଂ ବନସ୍ତେ ସେ ଦିବସ ରୟଣୀ ।୩୮ ।
ଯମନିକ ନୃପତିକି ଦେଖିଲେ ଜଗନ୍ନାଥେ
ଆହୋ ଶତଧନୁ କେଣିକି ଗଲା ପୁଚ୍ଛନ୍ତି ବାରତେ ।୩୯ ।
ଯମନିକ ବୋଇଲା ଦେବ ନ ଚିହ୍ନଇ ମୁହିଂ
ବୀରକେ ପଳାଇଛି ମହାଶ୍ରମ ପାଇ ।୪୦ ।
ଗୋବିନ୍ଦେ ବୋଇଲେ ତୁ ମୋଢା ଅଟୁ ହୀନ ଜାତି
ମୋହୋର ଶତ୍ରୁକୁ ନ ଧରିଲୁ ରାଗେଣ ବୋଲନ୍ତି ।୪୧ ।
ବିଜେକର୍ଣ୍ଣକଟାରୀ ଘେନିଣ ଚକ୍ରପାଣି
ଯମନିକ ନୃପତିକି ପକାଇଲେ ହାଣି ।୪୨ ।
ତହୁଂଣ କୋପ କରି ଯେ ଭ୍ରମନ୍ତି ଦେବ ସ୍ୱାମୀ
ରାଗେଣ ଶତଧନୁ ଲୋଡ଼ନ୍ତି ଅନ୍ତର୍ଯ୍ୟାମୀ ।୪୩ ।
ଶତଧନୁ ନିମନ୍ତେ ସ୍ୱାମୀ ବନେ ହେରି
କପଟ କୂଟ ହୋଇଣ କିରାତ ରୂପ ଧରି ।୪୪ ।
ମଥାରେ ମୟୂର ଝାଲି ପରିହରଣ କଣ୍ଠେ ଗୁଞ୍ଜମାଳି
ଲୋହିତ ବର୍ଣ୍ଣ ନେତ ଶରୀରେ ରକତଚନ୍ଦନ ହୃଦେ ମାଳି ।୪୫ ।
ଶ୍ରୀଭୁଜେ ଶୋଭାବନ ଧାମଣା କାଠର ଧନୁ
ଶ୍ରମେଣ ଖେଦନ୍ତି ସ୍ୱାମୀ ଲୋଡ଼ନ୍ତି ଶତଧନୁ ।୪୬ ।
ପଳାଇଂ ଶତଧନୁ ପବନୁଂ ବେଗ ଉଡ଼ା
ବେନିଶତ ଯୋଜନ ମଧ୍ୟେ ଅଛି ଛାଡ଼ଛଡ଼ା ।୪୭ ।
ନିଦାଘ ନୃପତି ଅଟଇ କୃତକେଶୀ
ପାଞ୍ଚଲକ୍ଷ ଯୋଧା ଘେନିଣ ବନକ୍ରୀଡ଼ାୟେ ଆସି ।୪୮ ।
ପଳାଇ ଶତଧନୁ ତାହାକଇଂ ଯାଇଂ ଭେଟି
ଆହୋ ଶରଣ ଋକ୍ଷା କରି ପାରିବୁକି ରାଜଶ୍ରେଷ୍ଠୀ ।୪୯ ।
ବୋଲଇ ଶତଧନୁ ଶୁଣ ହୋ କୃତକେଶୀ
ମୁହିଂ ତୋରେ ଶରଣ ପାରିବୁ ଟିକି ରଖି ।୫୦ ।
ବୋଲଇ କୃତକେଶୀ ମୁଂ ଶରଣପଞ୍ଜର ବୀରଧୂ
ଶୁଣିଲା ନାହିଂ କିରେ ମୁହିଂ ଦୁଖୀ ଲୋକଙ୍କର ବନ୍ଧୁ ।୫୧ ।
ସୁଖେଣ ରହିଥାଅସି ମୁଂ ଶରଣ ରଖିଲି ତୋତେ
ସୁର ନର ପୁରନ୍ଦର ଜିଣି କେ ଆସୁ ମୋତେ ।୫୨ ।
ବହୁତ ପ୍ରତଗ୍ୟାଂ କଲାକ କୃତକେଶୀ
ରହିଲା ଶତଧନୁ ଶରୀର ନିବେଶି ।୫୩ ।
ଭୂୟେକ ଭିଆଇଲା ଶକଟ ଆକାର
ବେନି ଲକ୍ଷ ଯୋଦ୍ଧା ରହିଲେ ଓସାର ଓଧିର ।୫୪ ।
ଝୁରାଡ଼ିଅଠାରେ ରହିଲେ ଯୋଦ୍ଧା ତିନି ଅହିବ୍ରତ
ବେନି ଚକ୍ରରେ ରହିଲେ ଯେ ବେନି ମର୍ଭୁତ ।୫୫ ।
ଅଖ ମଧ୍ୟରେ ରହିଲେ ଚାରିଲକ୍ଷ ଯୋଧି
ଦଶସସ୍ର ଯୋଧି ଯେ କିଳଣୀ ନିରୋଧି ।୫୬ ।
ଲକ୍ଷେକ ଯୋଦ୍ଧା ଯେ ବାଛିଣ ମହାବଳୀ
ସେ ବୀରମାନେ ରହିଲେ ଦ୍ୱାଦଶ ଯେ ଫଳି ।୫୭ ।
ୟେ ବିଧି କରିଣ ଭୂଅ ଭିଆଣ ତହିଂ କଲା
ମଧ୍ୟେଣ ପଦ୍ମଭୂଅ ଗୋଟିୟେ ସଞ୍ଚିଲା ।୫୮ ।
ପଦ୍ମ ପାଖୁଡ଼ାକେ ସହସ୍ରେ ସହସ୍ରେ ରଥେ
ମଧ୍ୟ କେଶରେ ରହିଲେ ସହସ୍ରେ ସେନାପତି ।୫୯ ।
ତହିଂରେ ଭିତରେ ନାଡ଼େକ ଭେଦକଲେ
ସେ ନାଡ଼ ଭିତରେ ନେଇ ଶତଧନୁକୁ ଲୁଚାଇଲା ।୬୦ ।
ପୁଣ ଭୂଅ ବାହାରେ ଭିଆଇଲାକ ଗଡ଼
ଗଡ଼ ପାଚେରୀ ହୋଇ ରହିଲେ ସନ୍ୟ ତିନି ଯେ ସାଗର ।୬୧ ।
ଦ୍ୱାରକୁ କବାଟ କଲା ଲକ୍ଷେ ମାଲ ବୀର ।୬୨ ।
ୟେସନେକ ଯତନେ ରଖିଲା ଶତଧନୁ
ଆପଣେ ଗଡ଼ ରକ୍ଷା କଲା ସୌଦାସର ତନୁ ।୬୩ ।
ଶତଧନୁକୁ ଆବୋରି ରହିଲା କୃତକେଶୀ
ୟେମନ୍ତେ ସମୟେ ଜଗନ୍ନାଥେ ବିଜେ କଲେ ଆସି ।୬୪ ।
କିରାତ ରୂପ ଦେବ ଶରୀର ବିକାଶି
ନୀଳ ଉତ୍ପଳ ରୂପ ବିରାଜନ୍ତି ହୃଷୀକେଶି ।୬୫ ।
ରକତ ଚନ୍ଦନ ଲେପନ ନିଜ କାୟେ
ଦିଶନ୍ତି ନାରାୟଣ ଯେ ବନଚର ଲୋକ ପ୍ରାୟେ ।୬୬ ।
ଚିହ୍ନି ନ ପାରିଲା ସେ ଅସୁର ରାଜା କୃତକେଶୀ
କିରାତ କେ ତୁରେ ବୋଲି ବୀରେ ଓଗାଳିଲେ ଆସି ।୬୭ ।
ସଧୀରେ ପୁଚ୍ଛା କରୁଛନ୍ତି ଦେବକୀର ତନୁ
ଆହୋ ବୀରମାନେ ଦେଖିଛ କି କେଣେ ଗଲା ଶତଧନୁ ।୬୮ ।
ତାହା ଶୁଣି ଉପହାସ ବଚନ ବୋଲନ୍ତି ଦୁଷ୍ଟ ବୀରେ
କାହିଂ ଅଛି ତୋର ଶତଧନୁ କେ ସେ ଜାଣଇଂ ରେ ।୬୯ ।
କରନ୍ତି ଉପହାସ ସେ କ୍ଷେତ୍ରୀୟ ଅନର୍ଗଳା
କିଳିକିଳା ନାଦରେ ମଦିରା ରସେ ଭୋଳା ।୭୦ ।
ରାଗଣେ ଗୋବିନ୍ଦ ବୋଇଲେ ରେ ତୁମ୍ଭେ ଯଦ୍ୟପି ନ କହିବ
ଆମ୍ଭର ଦୋଷ ନାହିଂଟି ସମସ୍ତେ ନାଶ ଯିବ ।୭୧ ।
ଶୁଣିଣ କୋପାନଳ ରାକ୍ଷସ ମହାବଳୀ
କରେଣ ଶହସ୍ର ଧରି କୋପେଣ ପରଜଳି ।୭୨ ।
ଧନୁ ଶହସ୍ରନ୍ତ ଧରିଣ ସେ ଧାମନ୍ତି କଉଣୋପେ
ସହସ୍ରେକ ଯୋଦ୍ଧା ସ୍ୱାମୀଙ୍କି ବେଢିଲେ ଅତି କୋପେ ।୭୩ ।
ବିନ୍ଧନ୍ତି ନାରାଜ ଯେ ନାରାୟଣଙ୍କ ଉପରେ
ଶହସ୍ର ନ ଭେଦନ୍ତି ଯେ ନାରାୟଣଙ୍କ ଶ୍ରୀଅଙ୍ଗରେ ।୭୪ ।
ଅଭେଦ ବଜ୍ରକପଚ ଯେହ୍ନେ ନ ଭେଦଇ ଶକତି
ଜଗନ୍ନାଥଂକ ଶରୀରେ ପଡ଼ି ଶହସ୍ରେ ଚୂର ଯାନ୍ତି ।୭୫ ।
ରାଗଣେ ବିନ୍ଧନ୍ତି ହରି ତୀକ୍ଷ ଯେ ନାରାଜେ
ଯୋଜନେକ ଭୂମି ମାଡ଼ିଣ ପଡ଼ିଲେ ଦୁଷ୍ଟ ଯେ ଦନୁଜେ ।୭୬ ।
ଅଶୀ ସହସ୍ର ଯୋଦ୍ଧା ଦେବ ପକାଇଲେ ଛେଦି
ପ୍ରତଗ୍ୟାଂ ଆରମ୍ଭେଣ ପଶିଲେ ଭୂଅ ଭେଦି ।୭୭ ।
କୋପେଣ ନାରାଜ ଯେ ବିନ୍ଧିଲେ କଉଣୋପେ
ପଡ଼ିଣ ନ ଘୁଞ୍ଚନ୍ତି କାଦମ୍ୱରୀ ପାନ ଦର୍ପେ ।୭୮ ।
ୟେକ ପଡିଲେ ଯେ ଆରକେ ଧାମନ୍ତି
ଅନେକ ଶହସ୍ର ସ୍ୱାମୀଙ୍କ ଉପରେ ପ୍ରହରନ୍ତି ।୭୯ ।
ପର୍ବତେ ପଡ଼ି ଯେହ୍ନେ ଚୂର ହୁଅନ୍ତି ମୁଦୁଗରେ
ଗଦା ପଡ଼ି ଚୂର ହୁଅନ୍ତି ନାରାୟଣଙ୍କ ଉପରେ ।୮୦ ।
ବହୁତ ସମ୍ଭବ ଯେ ହୋଇଲା ରଣରଙ୍ଗ
ରୋଧିରେ କର୍ଦନ ହୋଇଲା ସ୍ୱାମୀଙ୍କର ଶିରୀଅଙ୍ଗ ।୮୧ ।
ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ ଫିରିକି ନାରାଜ ଶରେ
ବିନ୍ଧିଲେ ବାସୁଦେବ ଅସୁରଙ୍କ ଉପରେ ।୮୨ ।
କାମାକ୍ଷୀ ନାରାଜ ଯେ ବିନ୍ଧିଲେ ଚକ୍ରଧର
ବହୁତ ସଇନୀ ପଡ଼ିଲେ ନିଶାଚର ।୮୩ ।
ମହାବାତ ଘାତେ ଯେହ୍ନେ ପଡ଼ନ୍ତି ପଂକୁ ଫଳ
ନାଚନ୍ତି କୋବନ୍ଧ ଯୋ ଲାଟନ୍ତି ଭୂମିତଳ ।୮୪ ।
ସମର ସମ୍ଭର୍ବ କହିତ କି ପାରି
କରେ ଗଦା ଧରି ଦେବ ଅନେକ ସନ୍ୟ ମାରି ।୮୫ ।
କୋପାନଳେ ଚାହାନ୍ତେ ହୋଅନ୍ତି ଦହିଜ
ତେଣେ ଭସ୍ମ ହୋଇଲେ ଅନେକ ଦହିଜ ।୮୬ ।
ସମର ସମ୍ଭରେ ବହୁତ ସନ୍ୟ ପଡ଼ି
ଆକାଶେ ଉଛୁଳୁଅଛି ଅସୁରଙ୍କର ଘୋର ରଡ଼ି ।୮୭ ।
ପ୍ରଥମ ଭୂଅ ଦ୍ୱାର ଭେଦିଲେ ଦେବ ଅଚ୍ୟୁତ
ଦୁଜ ଦ୍ୱାରେ ଯାଇଂ ବିଜେ କଲେ ଜଗଭୂତ ।୮୮ ।
ଦାନବନ୍ତ ମାରି ଦେବ ଛଡ଼ଫଳା ଜିଣି
ଅଖ ଚକ ସନିଧେ ଯାଇଂ ବିଜୟେ ଚକ୍ରପାଣି ।୮୯ ।
ଗହଳ ଧନ୍ଦୋଳ ସମର କହିତେ କି ପାରି
ପ୍ରଳୟ କାଳେ ଗର୍ଜଇ ଯେହ୍ନେ ସାହେର ଲହରୀ ।୯୦ ।
ଧନୁଶର ସଂହରିଣ ଦେବ ବନମାଳୀ
କୋପେଣ ନାରାୟଣ ଯେ ଗଦା ପରିତାଳି ।୯୧ ।
ୟେକା ପ୍ରହରାଜେ ଯେ ଦଶ ବିଂଶ ତିରିଶ
ତିଳ ମଞ୍ଜିହୁଂ ଗହଳ ଜାଣି ପଡ଼ିଲେ ରାକ୍ଷସ ।୯୨ ।
ଭାଞ୍ଜିଣ ସଇନୀ ଯାଇଂ କହିଲେ କୃତକେଶୀ ଆଗେ
ବହୁତ ସଇନୀ ତୋହୋର ପଡ଼ିଲେ ରଣରଙ୍ଗେ ।୯୩ ।
ସ୍ୱାମୀ ୟେକା ଜଣଂକର ମହିଂମା ନ ଯାଇ କହିଣ
କିରାତ ନୁହଇ ସେ ଅଟଇ ବଡ଼ଜଣ ।୯୪ ।
ଯେତେକ ଶହସ୍ର ଦେବ ପ୍ରହାର କଲୁଂ ତାର କାୟେ
ଶହସ୍ର ନ ଭେଦନ୍ତି ସେ ସାଂଗ୍ରାମେ ନିର୍ଭୟେ ।୯୫ ।
ତୀକ୍ଷ ପ୍ରଶୁ ଗଦା ଯେ ଅମୋହ ଶକତି
ଶରୀରେ ପଡ଼ି ଚୂର ହୋଇଯାନ୍ତି ତାର ରଣେ ନାହିଂ ଭୀତି ।୯୬ ।
ତୁ ହୋ ପରମ ପଣ୍ଡିତ ବିଚାର କର ୟେହା
ସାଂଗ୍ରାମେ ମହାଶୂର ସେ ଅଟଇ ସହସ୍ରବାହା ।୯୭ ।
ଚାରଗଣ ମୁଖରୁ ରାଜା ୟେସନେକ ବଚନ ଶୁଣି
ଆପଣେ ବିଜେ କଲା ଅସୁର କୁଳମଣି ।୯୮ ।
ସଉଦାସର ନନ୍ଦନ ଯେ ଅଟଇ କୃତକେଶୀ
ଅକ୍ଷୟ ବର ପାଇଲା ସେ ନିରଞ୍ଜନ ତୋଷି ।୯୯ ।
ୟେକ ଗୋଟି କାୟା ତାର ସହସ୍ରେକ ଭୁଜ
ପାଞ୍ଚଶତ ଭୁଜେ ଧନୁ ପାଞ୍ଚଶତ ଭୁଜେ ନାରାଜ ।୧୦୦ ।
ମହାମେରୁ ପର୍ବତ ଜାଣି ଦିଶଇ ତାର କାୟେ
କୁନ୍ଦ କ୍ରପୂର ଶରୀର ଧବଳ ସଷ୍ଟିକର ପ୍ରାୟେ ।୧୦୧ ।
ବଇତୁର୍ଯ୍ୟ ପର୍ବତ କି ଆସୁଅଛି ଉଠି
ତୁଲେଣ ମୁକୁଟବନ୍ଧା ଯୋଦ୍ଧା ଅଛନ୍ତି ପାଞ୍ଚକୋଟି ।୧୦୨ ।
ଗିରିମଣ୍ଡଳ ରଥେ ବିଜୟେ କଉଣୋପେ
ନାରାୟଣଂକୁ ଓଗାଳିଲା ସେ ନିଜ ଭୁଜ ଦର୍ପେ ।୧୦୩ ।
ଅସୁର ପ୍ରତାପ ଦେଖିଣ ଜଗନ୍ନାଥେ
ସୁଦ୍ରିଶେଣ ଚକ୍ରକଇଂ ସୁମରିଲେ ତୁରିତେ ।୧୦୪ ।
ସହସ୍ରଧାରା ଶକତି ପ୍ରବେଶ ହୋଇଲା ଶ୍ରୀହାଥେ
ଦେଖିଣ ପଳାଇଲେ ଦୁଷ୍ଟ ଯେ ଦଇତେ ।୧୦୫ ।
ତ୍ରୈଲୋକ୍ୟେ ବିରାଜନ୍ତି ଦେବ ଶ୍ରୀ ପୁରୁଷୋତ୍ତମ
ଅସୁରବଳ ଦେଖି ଉଠିଲେ ସାଂଗ୍ରାମ ।୧୦୬ ।
ଫଣୀବଳ ଦେଖି ଯେହ୍ନେ ଧାମଇଂ ଖଗୟା
ଅନେକ ସାନନ୍ଦ ଦେବ ଉଲସିତ କାୟା ।୧୦୭ ।
କ୍ଷୁଧାର୍ତ୍ତ ପ୍ରାଣୀ ଯେହ୍ନେ ଆହାରେ ତ୍ରିପୁତି
ଅମୃତ ଆପ୍ୟାନେ ଯେସନେ ଶରୀର ହୋୟେ ଶାନ୍ତି ।୧୦୮ ।
ଅସୁରବଳ ଦେଖି ତେସନେ ବାସୁଦେବ
ବିନ୍ଧିଲେ ନାରାଜ ଦେବ ଦ୍ରହଷିତ ଭାବ ।୧୦୯ ।
ସିନ୍ଧୁ ମନ୍ଥନ ଯେହ୍ନେ କରନ୍ତି ୟେକା ବଳୀ
ନିଦାଘବଳ ତେସନେକେ ମନ୍ଥିଲେ ବନମାଳୀ ।୧୧୦ ।
ବେଢିଲେ କଉଣୋପେ ଶତେ ପୁର କରି
ବିନ୍ଧନ୍ତି ଅବିଚ୍ଛନ୍ନେ ନାରାଜ କରେ ଧରି ।୧୧୧ ।
କକଡ଼ା ମାସେ ଯେହ୍ନେ ବରଷନ୍ତି ମହାମେଘ
ନିରନ୍ତରେ ନାରାଜ ବିନ୍ଧନ୍ତି ଦଇତ ନିଦାଘ ।୧୧୨ ।
ଝଲକଇ ନାରାଜ ଯେ ସହସ୍ରକର ଜ୍ୟୋତି
ଆକାଶେଣ ଅଦୃଶ୍ୟ ହୋଇଲେ ଛାୟାପତି ।୧୧୩ ।
ସାଂଗ୍ରାମେ ସ୍ୱାମୀଙ୍କର ବିକାଶୁଅଛି ତେଜ
ଶରୀରେ ପଡ଼ି ସମସ୍ତ ନାରାଜମାନ ହୋଉଛନ୍ତି ଦହିଜ ।୧୧୪ ।
ଲକ୍ଷେକ ନାରାଜ ଯେ ବିନ୍ଧିଲେ ଚକ୍ରପାଣି
ଲକ୍ଷେକ ଦଇତ ଦେବ ପକାଇଲେ ହାଣି ।୧୧୫ ।
ପୁଣିହିଂ ବିନ୍ଧିଲେ ଦେବ କୋଟିୟେକ ଶର
କୋଟିୟେ ଯୋଦ୍ଧା ଯେ ପଡ଼ିଲେ ଅସୁର ।୧୧୬ ।
ମର୍ଭୁତେକ ନାରାଜ ଯେ ବିନ୍ଧିଲେ ଚକ୍ରପାଣି
ମର୍ଭୁତେକ ଯୋଦ୍ଧା ଦେବ ପକାଇଲେ ହାଣି ।୧୧୭ ।
ପଡିଲେ ରାକ୍ଷସବଳ ବେନି ଯୋଜନ ମାଡ଼ି
ପଳାଇଲେ ଦାନବେ ଯେ ଶକଟ ଭୂଅ ଛାଡ଼ି ।୧୧୮ ।
ବେନି ଯୋଜନ ପରିଯନ୍ତେ ରାକ୍ଷସବଳ ଛେଦି
ଶକଟ ଭୂଅ ଭେଦି ପଦ୍ମ ଭୂଅ ଭେଦି ।୧୧୯ ।
ପଞ୍ଚଶତ ଭୁଜେ ଧନୁ ସେ ଯେ ଧରି କୃତକେଶୀ
ଜଗନ୍ନାଥ ସ୍ୱାମୀଙ୍କର ଉପରେ ଶହସ୍ରନ୍ତ ବରଷି ।୧୨୦ ।
ରୋମକେ ନାରାଜେ ମାଇଲେ କଉଣୋପେ
ସମସ୍ତ ଦହିଜ ହୋଇଲା ନାରାୟଣଙ୍କ ଦର୍ପେ ।୧୨୧ ।
ପୁଣିହିଂ ନାରାଜ ପେଷିଲା କୃତକେଶୀ
ଆଦିତ୍ୟ ଅସ୍ତକାଳେ ଯେହ୍ନେ ଜଳଧାରା ବରଷି ।୧୨୨ ।
ଆବର ତୁଲେ ତାର ପଞ୍ଚବିଂଶ ରଥୀ
ଯାବତେ ନାରାଜ ସମସ୍ତେ ବରଷିଲେ ୟେଥି ।୧୨୩ ।
ରଣେ ଅଶାନ୍ତି ଯେବଣ ପୁରୁଷ
ରାକ୍ଷସବଳ ଦେଖି ଦେବ ଅନେକ ହରଷ ।୧୨୪ ।
ମାରନ୍ତେ ନ ସରଇ ସେ ଦୁଷ୍ଟ ଦାନବବଳ
ଭାରାନାଶନ ପୁରୁଷ ସେହି ସେ ନାଶଇ ସକଳ ।୧୨୫ ।
ୟେସନେକ ଯୁଦ୍ଧ ହୁଅନ୍ତେ ଆଦିତ୍ୟ ଅସ୍ତଗଲା
କୁହୁକ ନାରାଜ ଯେ କୃତକେଶୀ ମାଇଲା ।୧୨୬ ।
ଶହସ୍ରହୁଂ ଅନ୍ଧାର ଯେ ରାତ୍ରହିଂ ଅନ୍ଧାର
କୁହୁକ ନାରାଜ ଘାତେ ହୋଇଲା ଅନ୍ଧାର ମହାଘୋର ।୧୨୭ ।
ଅନ୍ଧକାର ଘୋର ଦେଖି ଯେ ଅସୁରେ ଘୋଟିଲେ
ସୁଦ୍ରିଶେଣ ଚକ୍ର ହରି ହାଥରେ ଧଇଲେ ।୧୨୮ ।
ୟେସନେକ ଉଦୟ ହୋଅଇ କମଳବନ୍ଧୁ
ରାକ୍ଷସବଳ ଦିଶଇ ତେସନେକ ଘୋର ସିନ୍ଧୁ ।୧୨୯ ।
କଉମୋଦୀ ଗଦା ଯେ ବୁଲାଇ ବନମାଳୀ
କୃତକେଶୀ ରଥରେ ପ୍ରହାର କଲେ ତୋଳି ।୧୩୦ ।
ବିଶାଶୟେ ହାଥ ଯେବଣ ରଥର ଆୟତନ
ଗଦାର ଘାତେ ଧୃମଖେତ ହୋଇଲା ରଥ ଭଗ୍ନ ।୧୩୧ ।
ଅସୁର ପାଦଗତେ ଧାମଇଂ ଅତି ବେଗେ
ଗଦାବର ପିଟିଲା ନେଇ ଶ୍ରୀ ଜଗନ୍ନାଥଂକର ଅଙ୍ଗେ ।୧୩୨ ।
ଗଦା ପଡ଼ିଲା ଜଗନ୍ନାଥଙ୍କ ହୃଦୟରେ
ପାଞ୍ଚଶତ ଭାର ଗଦା ବାଜି ଚୂର ହୋଇଲା ଶରୀରେ ।୧୩୩ ।
ଦେଖିଣ ଥମ୍ଭୀଭୂତ ଅସୁର କୃତକେଶୀ
କିଛିହିଂ ନ ସ୍ଫୁରଇ ଆତ୍ମାକୁ ନିରାଶି ।୧୩୪ ।
କୋପେଣ କଉମୋଦୀ ଗଦା ନେଇ ପିଟି
ବଜ୍ରଘାତ ଜାଣିଣ ବ୍ରହ୍ମାଣ୍ଡ କମ୍ପିଉଠି ।୧୩୫ ।
ଘାୟେ ଘୁମାଇଲା ସେ ଅସୁର କୃତକେଶୀ ମହାବଳୀ
ପୁଣିହିଂ ଗଦା ପ୍ରହର କଲେ ବନମାଳୀ ।୧୩୬ ।
ଦୁତୀୟ ପ୍ରହାରେ ଅସୁର ଶିର ଭାଞ୍ଜି
ପଡ଼ିଲା ଦୁରାନ୍ତେକ ମେଦିନୀରେ ଗଳଗାଜି ।୧୩୭ ।
ତ୍ରୈଲୋକ୍ୟ କମ୍ପିଲା ସେ ଅସୁର ରଡ଼ିଘାତେ
ଆପଣେ ବଧ କଲେ ସ୍ୱାମୀ ଯେ ଶ୍ରୀହାଥେ ।୧୩୮ ।
କୃତକେଶୀ ପଡ଼ନ୍ତେ ଶବଦେକ ଶୁଭିଲା
ପଦ୍ମନାଳ ଭିତରୁ ବାହାର ହୋଇ ଶତଧନୁ ପଳାଇଲା ।୧୩୯ ।
ରାତ୍ରେଣ ପଳାଇଲା ସେ ନ ଦେଖିଲେ କେହି
ଅସୁର ଯୁଦ୍ଧରେ ଠାବ କରି ନୁଆରିଲେ ସେହି ।୧୪୦ ।
ଭୂଅ ଭେଦି ଅସୁରନ୍ତ ମାଇଲେ ବିକୋତି
ପଡ଼ିଲେ ରଥ ଗଜ ଅଶ୍ୱ ଅସଂଖ୍ୟ ସଇନି ପାଦାନ୍ତି ।୧୪୧ ।
ଗୋଡ଼ାଇଂ ମାରନ୍ତି ଦେବ ଅସୁରବଳ ଖେଦି
ପଳାନ୍ତି ଦାନବେ ଗୋଡ଼ାନ୍ତି ଜଗତ ଅନାଦି ।୧୪୨ ।
ମହାଘୋର ଅନ୍ଧାରେ ଖେଦି ମାରନ୍ତି ଦଇତେ
ନିଶୋଧନ କରି ମାଇଲେ ହରି ପଞ୍ଚ ଯୋଜନ ପରିଯନ୍ତେ ।୧୪୩ ।
ୟେକାଛତ୍ରୀ ଜଣେ ନ ଛାଡ଼ନ୍ତି ପୁଣି
ରୋଧିରେ କର୍ଦନ ହୋଇଲେନି ଦେବ ଚକ୍ର ପାଣି ।୧୪୪ ।
କେଶବାସ ଅସମ୍ଭାଳ ଗଳଇ ତ୍ରିପଣ୍ଡ
ନିଜ ରୂପ ଛାଡ଼ି ହୋଇଲେ କିରାତ ରୂପ ପ୍ରଚଣ୍ଡ ।୧୪୫ ।
ଅସୁର ଧଂସିଣ ଯେ ଦେବକୀର ତନୁ
କର୍ଣ୍ଣାଟ ବନେ ଦେଖିଲେ ପଳାଉଛି ଶତଧନୁ ।୧୪୬ ।
ପଳାଇ ଯାଉଅଛି ସେ ପବନୁଂ ବେଗ ହୋଇ
ଦେଖିଲେ ଜଗନ୍ନାଥେ ଶତେକ ଯୋଜନେ ଥାଇଂ ।୧୪୭ ।
ମଣିଭଦ୍ରା ବୋଲିଣ ୟେକ ନଦୀ ଗୋଟିୟେ
ସେ ନଦୀର ତୀରେ କିରାତ ରୂପ ଧରିଅଛି ଧନୁର୍ଜ୍ଜୟେ ।୧୪୮ ।
ଅତି ଶ୍ରମ ପାଇଣ ପଳାଇ ଶତଧନୁ
ଶରଣ ପଶିଲା ଯାଇଂ ପାଣ୍ଡବ ଅରଜୁନୁ ।୧୪୯ ।
ଭୋ କିରାତ ମୁହିଂ ତୋହୋର ଶରଣ
ଦଶଲକ୍ଷ ମୁଖେ ଭରି ଦନ୍ତରେ ତିରଣ ।୧୫୦ ।
ଶରଣମଚ୍ଛଳ ସେ ପାଣ୍ଡବ କିରୀଟୀ
ମାନ ଉଦ୍ଧାରଣ ସେ କଇଚ୍ଛ ଜଗଜ୍ଜେଠୀ ।୧୫୧ ।
ରହ ରହ ମହାତ୍ମା ତୁ ହୋ ନୁହସି ବିକଳ
ଥାଅ ତୁ ନିଶ୍ଚିନ୍ତ ମନେ କିଛିହିଂ ନ ଭାଳ ।୧୫୨ ।
ଅର୍ଜୁନର ଶରଣ ପଶିଲା ଶତଧନୁ
ଧାତିକାରେ ମିଳିଲେ ଯାଇଂ ଦେବକୀର ତନୁ ।୧୫୩ ।
ଅର୍ଜୁନ ଅଛଇ ଯେ କିରାତ ରୂପ ଧରି
କନ୍ଧ ମହ୍ଲାର ରୂପେ ମିଳିଲେ ଦଇତାରି ।୧୫୪ ।
ବିଶେଷ ବନ ଗହନ ଘୋର ଅନ୍ଧକାର
ମହା ବରଷେଣ ଯେହ୍ମେ ମେଘେ ଦିଶନ୍ତି ଭୟାଙ୍କାର ।୧୫୫ ।
ଆଦିତ୍ୟ ଦେବତା ଯେ ପଚ୍ଛିମ ମେରୁ ଅସ୍ତ
ମଣିଭଦ୍ରା ନାମେ ଯେ ୟେକଇ ପର୍ବତ ।୧୫୬ ।
ସେ ପର୍ବତ ଉପରେ ବିଜୟ ଫାଲଗୁନି
ଉଭା ହୋଇଅଛି ସାଥେ ଶତଧନୁକଇଂ ଘେନି ।୧୫୭ ।
ଶ୍ରୀହରି ବୋଇଲେ ତୁ ଶୁଣସି କିରାତ
ମୋହୋର ବଇରି ୟେ ଅଟଇ ନିରୁତାନ୍ତ ।୧୫୮ ।
ଯୁଗତେ ଅଟଇ ୟେ ମୋ ପିତୃର ବଇରି
ତୁ କିରାତ ମାତ୍ରକ କି ପାରୁ ତାହାକୁ ରକ୍ଷା କରି ।୧୫୯ ।
ମହା ଶ୍ରମେଣ ମୁଂ ହୋଇଅଛି ବଡ଼ ରୋଗୀ
ଜୀବନେ କାର୍ଯ୍ୟ ଥିଲେ ତୁ ୟେହାକୁ ଛାଡ଼ ବେଗି ।୧୬୦ ।
ଅର୍ଜୁନ ବୋଇଲା ରେ ଅଗ୍ୟାନ ଦୁଷ୍ଟ ବାଇ
ସଞ୍ଚୟେ ନାଶ ଯିବୁଟି ମରିବୁ କିସ ପାଇଂ ।୧୬୧ ।
ରାଗ ସଂହର ହୋ ପ୍ରସର ହେଉ ନିଶି
ରୟଣୀ ପ୍ରଭାତେ ହୋ ୟେହା ବିଚାରି କରସି ।୧୬୨ ।
ୟେହୁ ତୋତେ କିସ ଦୋଷୀ ତୁ କିମ୍ପେ ୟେହାକୁ ରାଗି
କାହିଂରେ ନିମନ୍ତେ ୟେହାକୁ ଥାନୁ ପରିତ୍ୟାଗି ।୧୬୩ ।
ନାଶ କରିବି ୟେହାକୁ ଛାଡ଼ ବୋଲନ୍ତି ଦେବ ହରି
ୟେହାର ଯୋଗୁଂ ଅନେକ ହୋଇଲା କ୍ଷୟକାରୀ ।୧୬୪ ।
ଅପାର ଧନ୍ଦି ହୋଇଲେନି ଶତଧନୁର ନିମନ୍ତେ
କୋପଣେ ଅର୍ଜୁନକୁ ପ୍ରହାର କଲେ ଶସ୍ରେ ।୧୬୫ ।
ଅର୍ଜୁନର ଗ୍ୟାନ ନାହିଂ ସେ ଶହସ୍ର ବିନ୍ଧିବେ ବୋଲି
ଧାତିକାର ନାରାଜ ଯେ ଅଇଲା ତହୁଂ ପେଲି ।୧୬୬ ।
ଦିହୁଡ଼ି ତ୍ରାସ ଜାଣି କ୍ଷେପିଲା ଅତି ବେଗେ
ଧାତିକାରେ ପଡ଼ିଲା ଯାଇଂ ପାଥର ବାମ ଅଙ୍ଗେ ।୧୬୭ ।
ରାଗେଣ କେଶବ ଯେ ବିନ୍ଧିଲେ ଅଦ୍ୟାପି
ନାରାଜ ସମ୍ଭାଳି ସେ ରହିଲା ନିକମ୍ପି ।୧୬୮ ।
ଅର୍ଜୁନ ଶରୀରେ ପଡ଼ି ନାରାଜ ହୋଇଲା ବିଘାତ
ବଜ୍ର ଜାଣି ପଡ଼ିଲାକ ପାଥର ହୃଦଗତ ।୧୬୯ ।
ଘାୟେଣ କୋପତେ ହୋଇଲା ସର୍ବସାଚୀ
ଆରେ ଶବରା ଆଜ ନାଶକର ଦିଲା ତୋର ପାଞ୍ଜି ପୋଛି ।୧୭୦ ।
ପୁଣିହିଂ ନାରାଜ ଯେ ପେଷିଲେ ଦଇତାରି
ମେଣ୍ଟିଲା ଫାଲଗୁନି ଗଲାକ ଅପସରି ।୧୭୧ ।
ପୁଣି ନାରାଜେକ ପେଷିଲେ ଅନନ୍ତ
ବଞ୍ଚାଇଲା ଧନୁର୍ଜୟେ ଶର ପଡିଲା ଭୂମିଗତ ।୧୭୨ ।
ବେଳୁଂବେଳ କୋପ ଯେ ବଢିଲା ଫାଲଗୁନି
ବିନ୍ଧିଲା ନାରାଜ ଯେ ତୀକ୍ଷ ମୁନା ଶର ଘେନି ।୧୭୩ ।
ଅର୍ଜୁନ ନାରାଜ ଅଇଲା ଅତି ଖର
ଗର୍ଜିଣ ପଡିଲା ସେ ଜଗନ୍ନାଥଙ୍କ ଉପର ।୧୭୪ ।
ହୃଦରେ ପଡ଼ି ନାରାଜ ଧାତିକାରେ ଫୁଟି
ସାଷ୍ଟାମ ଶରୀର ଶ୍ରୋଣିତ ହୋୟେ ବୃଷ୍ଟି ।୧୭୫ ।
ଘାୟେଣ ଘୁମାଇଲା ଦେବ ଯେ ଅଚ୍ୟୁତ
ବୈଷ୍ଣବ ରୂପେ ଯେ ଦେବ ହୋଇଲେ ସଚେତ ।୧୭୬ ।
ଶାରଙ୍ଗ ଧନୁ ଯେ ସୁମରିଲେ ଗଦାଧାରୀ
ଶ୍ରୀକରେ ପରାପତ ହୋଇଲା ଦେବ ହରି ।୧୭୭ ।
କୋପେଣ ନାରାଜ ପୂରୋଇଲା ଦେବରାଜେ
ଅର୍ଜୁନ ଉପରକୁ ବିନ୍ଧିଲେ ଅତି ତେଜେ ।୧୭୮ ।
ମହାଅନଳ ତେଜ ବିକାଶିଲା ବ୍ରହ୍ମଶର
ପେଷନ୍ତେ ଉଦ୍ଦାନମୟେ ହୋଇଲା ବନସ୍ତର ।୧୭୯ ।
ଯେସନେକ ନିର୍ଘାତ ଖସଇ ଆକାଂଶୁ
ବନ ଭୁବନ କମ୍ପୁଅଛି ମହା ଶହସ୍ର ଆସୁ ଆସୁ ।୧୮୦ ।
ଦେଖିଣ ବିଚାରଇ ବୀର ଫାଲଗୁନି
ସୁରବୋଧନ ଶର ଯେ ମାଇଲା ବୀର ଘେନି ।୧୮୧ ।
କେଶବର ନାରାଜ ଯେ ନିବାରି ପାର୍ଥିବ
ପୁଣ ନିର୍ଘାତ ବାଣେକ ମାଇଲେ ମାଧବ ।୧୮୨ ।
ନାରାଜ ଆସନ୍ତେ ଦେଖିଲେ ସର୍ବସାଚୀ
କୋପେଣ ନାରାଜ ଯେ ବିନ୍ଧିଲା ବଜ୍ରସୂଚୀ ।୧୮୩ ।
ଶରେ ଶରେ ସମ୍ଭାଷଣ ହୁଅନ୍ତି ହରି ଅର୍ଜୁନ ବେନି
ମହାଘୋର ଅନ୍ଧାରେ କେହି କାହାକୁ ନୁଆରନ୍ତି ଚିହ୍ନି ।୧୮୪ ।
ବେନି ଶସ୍ର ବାଜି ହୋଇଲା ପଡ଼ିତାଳ
ରୟଣୀ ଭେଦି ଅରୁଣ ଉଦୟେ ହୋଇଲା ବନମଣ୍ଡଳ ।୧୮୫ ।
ଶହସ୍ରକୁ ଶହସ୍ର ପ୍ରହର କରନ୍ତେ
ପ୍ରଳୟ ମେଘ ଜାଣି ଦିଶିଲେ ଦୁରାପାତେ ।୧୮୬ ।
ପାତାଳ ସର୍ଗେ ଯେ କମ୍ପିଲେ ନାଗଲୋକେ
ଆକାଶେ କମ୍ପିଲେ ସକଳ ବୃନ୍ଦାଅର୍କେ ।୧୮୭ ।
ବଢିଲା ସାଂଗ୍ରାମ ଯେ କୃଷ୍ଣ ଫାଲଗୁନି
ସର୍ଗ ମଞ୍ଚ ପାତାଳ କମ୍ପିଲା ଭୁବନ ତିନି ।୧୮୮ ।
ଶବଦେ ସାଗରେ ହୋଇଲେ କମ୍ପମାନ
ଶୂନ୍ୟ ପୁରୁଷମାନେ ଛାଡ଼ିଲେ ନିଜ ସ୍ତାନ ।୧୮୯ ।
ପର୍ବତାଶରେ ଦେବ ମାଇଲେ କୋପଭରେ
ଶେଣା ପଛୀ ପ୍ରାୟେ ହୋଇ ଗର୍ଜନ୍ତି ପଥରେ ।୧୯୦ ।
ଅର୍ଜୁନ ନିବାରିଲେ ତାହା ବଜ୍ରଶରେ
ଦେଖିଣ ତ୍ରାସ କଲେ ଦେବ ଦାମୋଦରେ ।୧୯୧ ।
ଅଗ୍ନିଶର ଯେ ପେଷନ୍ତି ଦେବ ଘେନି
ସପତ ଲକ୍ଷ ଯୋଜନେ କମ୍ପିଲେ ପଦ୍ମଯୋନି ।୧୯୨ ।
ଦିଗପାଳମାନେ ଛାଡ଼ିଲେ ନିଜ ବାସ
ହରି ଅର୍ଜୁନ ସାଂଗ୍ରାମେ ଦେଖନ୍ତି ରହିଣ ଆକାଶ ।୧୯୩ ।
ଗୋବିନ୍ଦେ ବିନ୍ଧିଲେ ନାରାୟଣା ଶହସ୍ର ଘେନି
ସପତ ବ୍ରହ୍ମାଣ୍ଡ କମ୍ପିଲା ବିଷ୍ଣୁ ତେଜ ଲାଗି ପୁଣି ।୧୯୪ ।
ଅର୍ଜୁନ ସୁମରିଲା ଯେ ଅଗ୍ନିଙ୍କର ମନ୍ତ୍ରେ
ନାରାୟଣ ଶହସ୍ର ପ୍ରାପତ ହୋଇଲା ଆସି ଅର୍ଜୁନର ହାଥେ ।୧୯୫ ।
ଦେଖିଣ ଆଶ୍ରିଜ ହୋଇଲେ ଦେବ ନାରାୟଣ
ରାଗେଣ ଘେନିଲେ ଦେବ ପଶୁପତ୍ର ବାଣ ।୧୯୬ ।
କୋପେଣ ପେଷିଲେ ଦେବ ଯେ ଅନନ୍ତ
ନାରାଜ ଦେଖି ତ୍ରାସିଲେ ତିନି ଯେ ଜଗତ ।୧୯୭ ।
ବଶ୍ୟାନର ମନ୍ତ୍ର ସୁମରିଲେ ବୀର ପାଥ
ଅର୍ଜୁନକୁ ପ୍ରାପତ ହୋଇଲା ରୁଦ୍ର ଶହସ୍ରନ୍ତ ।୧୯୮ ।
କୋପେଣ ପ୍ରଜ୍ଜଳିତ ହୋଇଲେ ସେ ଦେବ ଗୋବିନ୍ଦି
ଧାତିକାରେ ଶ୍ରୀହାଥେ ଘେନିଲେ ନାରାଜ ମନଭେଦୀ ।୧୯୯ ।
ଆଗ୍ୟାଂ ଦିଅନ୍ତି ଦେବ ମନଭେଦୀ ନାରାଜକୁ
ତୁ ହୋ ଯାଇଂ ଶିର ଚ୍ଛେଦନ କର ୟେହି ଶବରାକୁ ।୨୦୦ ।
ଶ୍ରୀଜଗନ୍ନାଥଙ୍କର ଆଗ୍ୟାଂରେ ମନଭେଦୀ ଶର
ଅବିକ୍ଷଣେ ନାରାଜ ଘୋଟିଲା ବନସ୍ତର ।୨୦୧ ।
ସୁମରନ୍ତି ଫାଲଗୁନି ଅଗ୍ନି ଦଇବତ
ମନଭେଦୀ ନାରାଜ ଅର୍ଜୁନକୁ ହୋଇଲା ପରାପତ ।୨୦୨ ।
ନାରାୟଣେ ଦେଖିଣ ଯେ ବିରସଭାବ ମତି
କୋପେଣ ମାଇଲେ ଦେବ ଅମୋହ ଶକତି ।୨୦୩ ।
ବଜ୍ର ଶକତି ଘେନି ମାଇଲେ ଫାଲଗୁନି
ଅମୋହ ଶକତି ଯେ ପକାଇଲା ଛିନି ।୨୦୪ ।
ବ୍ରହ୍ମ ଶକତି ଘେନି ପେଷିଲେ ଅନନ୍ତ
ସୁମରନ୍ତେ ପ୍ରାପତ ହୋୟେ ସେ ଅର୍ଜୁନର ହାଥ ।୨୦୫ ।
ପୁଣି ଗୋବିନ୍ଦ ପେଷିଲେ ଯେ ତ୍ରିଶୂଳ ଶକତି
ସୁମରନ୍ତେ ଅର୍ଜୁନକୁ ହୋଇଲା ପରାପତି ।୨୦୬ ।
ଅର୍ଜୁନ ଡାକ ଦିଲା ପର୍ବତେଣ ଥାଇଂ
ଆରେ କିରାତ ୟେ ଜନ୍ମେ ୟେତେ ବିଦ୍ୟା ପାଇଲୁ ତୁ କାହିଂ ।୨୦୭ ।
ରାଗେଣ ବଦନ୍ତି ଦେବ ଚକ୍ରଧାରୀ
ଆରେ କେବଣ ପାତକେ ତୁ ବନେ ଅଛୁଂ ଅବତରି ।୨୦୮ ।
ଅର୍ଜୁନ ବୋଇଲା ତୁ ମାଇଲୁଂ ଯେତେ ଶହସ୍ର ଘେନି
ସାଧୁ ସାଧୁ ଶବରାରେ ତୋହୋର ପିଅର ଜନନୀ ।୨୦୯ ।
ମୁହିଂ ଛତ୍ରୀ ବୋଲି ତୋହୋର ଶସ୍ର ଦିଲି ମେଣ୍ଟି
ଚିହ୍ନି ନୁଆରଇଂ ନ ଜାଣଇଂ ତୋହୋର ନାମ ଗୋଟି ।୨୧୦ ।
ଅନେକ ଶହସ୍ର ମୋତେ ବିନ୍ଧିଲୁ ରେ ନିନା
ୟେ ମୋହୋର ନାରାଜ ଗୋଟି ତୁ ସମ୍ଭାଳି କିନା ।୨୧୧ ।
ମୋହନାଶର ପାଥ କଲା ସୁମରଣ
ବଶ୍ୟାନର ମନ୍ତ୍ରେଣ ପ୍ରାପତ ହୋଇଲା ତତକ୍ଷଣ ।୨୧୨ ।
ମନବେଦୀ ଶରକୁ ତିଆରଇ ସର୍ବସାଚୀ
ଯେବେ ଅଗ୍ନି ଦେବତା ମୋତେ ଶୁଦ୍ଧମନେ ଦେଇଅଛି ।୨୧୩ ।
ବହୁତ କଟାଳ ମୋତେ କଲାନି ୟେ କିରାତ
ୟେହାକୁ ସାଂଗ୍ରାମେ ଯାଇଂ କର ତୁ ନିବର୍ତ୍ତ ।୨୧୪ ।
ରୋମେ ରୋମେକେ ଭେଦିବୁ ଶତେ ଶର ହୋଇଂ
ପ୍ରାଣେ ନ ମାରିବୁଟି ସେ ପଡ଼ିଥିବ ମୋହ ଯାଇଂ ।୨୧୫ ।
ସାମାନ୍ୟ ଜଣ ସେଟି ନୋହଇ କିରାତ
ରାତ୍ର ପାହିଲେ ଚିହ୍ନିବା କାହାର କୋଳେ ଜାତ ।୨୧୬ ।
ବିଚାରି ପଛେ ଛେଦିବା ତାହାର ଶିର
ମୋହେଣ ପଡ଼ିବ ଯେ ପ୍ରାଣେଣ ନ ମାର ।୨୧୭ ।
ୟେସନେକ ଆଗ୍ୟାଂ ଯହୁଂ ଦିଲେକ ଧନୁର୍ଜୟେ
ଖେପିଲା ନାରାଜ ଯେ ବିଜୁଳି ତେଜ ପ୍ରାୟେ ।୨୧୮ ।
ତ୍ରିପୁତି ମନରେ ଯାହା ଦେଇଛି ବହନି
ଆଗ୍ୟାଂ ଅମେଣ୍ଟିଣ ଯାହା ବୋଲଇ ଫାଲଗୁନି ।୨୧୯ ।
ଯଦ୍ୟପି ସାଂଗ୍ରାମେ ହୋଇବ ହରି ହର ବ୍ରହ୍ମା
ଆପଣେ ଜଗନ୍ନାଥେ ସ୍ରିଜିଛନ୍ତି ଅର୍ଜୁନର ମହିଂମା ।୨୨୦ ।
ଚଳଇ ନାରାଜ ଯେ ବନ ଗହନ ଖେଦି
ଜଗନ୍ନାଥଙ୍କର ଶରୀରେ ଭେଦିଲା ମନଭେଦୀ ।୨୨୧ ।
ଜଗନ୍ନାଥଙ୍କ କରେ ନାହିଂ ଦେବଶର
ଦେଖିଣ ଥମ୍ଭୀଭୂତ ହୋଇଲେ ଦେବ ଚକ୍ରଧର ।୨୨୨ ।
ନାରାଜେ ଯନ୍ତ୍ରିତ ହୋଇଲା ଶ୍ରୀହରିର କାୟେ
ଶରୀରେ ଲମ୍ୱିଲେ ନାରାଜ ଝୀଙ୍କ ପଛୀ ପ୍ରାୟେ ।୨୨୩ ।
ଯେସନେକ ସର୍ପେ ଯେ ପଶନ୍ତି ବିମ୍ୱରେ
ଶୋଣିତ ବୃଷ୍ଟି ଦେବ ହୋଇଲେ ଶରୀରେ ।୨୨୪ ।
ଯେଉଂ ଦେବ ଜଗଭୂତ ପୁରୁଷ ଉତ୍ତମ
ମୋହନାଶରେ ଘାୟେ ହୋଇଲେ ପ୍ରଭୁ ଅସାଷ୍ଟମ ।୨୨୫ ।
ଭୂମିରେ ଲୋଟିଲେ ଦେବ ଜାଣିଣ ଶରଶେଯ୍ୟା
ଅଚେତ ଆତ୍ମା ହୋଇ ପଡ଼ିଲେ ଦେବରାଜା ।୨୨୬ ।
ପର୍ବତ ଉପରୁ ଓହ୍ଲାଇ ଧାମଂଇ ଧନୁର୍ଜୟେ
କେଶବଙ୍କୁ ଆକ୍ରଷିଲା ରାହୁ ତେଜ ପ୍ରାୟେ ।୨୨୭ ।
ନଇଂଣ ବଦନକୁ ଚାହଇଂ ସୁତ କୋନ୍ତୀ
ନିକଳଙ୍କ ବଦନକୁ ପ୍ରାୟେ ଦିଶଇ ବଦନ ଜ୍ୟୋତି ।୨୨୮ ।
ଦେଖିଣ ବିଚାରି ତହିଂ କରଇ ବାସବୀ
କେବଣ ମହାତ୍ମା ତୁ ହୋ ହୋଇଲୁ ପରାଭବି ।୨୨୯ ।
କୋପେଣ ଉଞ୍ଚାଇଂ ଅଛି ବିଜେକର୍ଣ୍ଣକଟାରୀ
ଶ୍ରୀମୁଖ ଦେଖିଣ ଯେ ଅର୍ଜୁନ ପଚାରି ।୨୩୦ ।
କେଉଂଣ ପୁଣ୍ୟବନ୍ତୀ କଲାକ ତୋତେ ଜାତ
ତୋତେ ମାରିବାକୁ ମୋର ନ ବଳଇଂ ସତ ।୨୩୧ ।
କେମନ୍ତେ ମାରିବି ତୋତେ ବିନା ଅପରାଧେ
ନୋହୁନା ବଇରି ମୋହୋର ଅକାରଣେ କଲୁ ଯୁଦ୍ଧେ ।୨୩୨ ।
ଶତଧନୁକୁ ପଚାରଇ ତୁ କାହାର କତି
ୟେହାର ତୋହୋର କିଂପେ ୟେଡ଼େକ ଅପ୍ରୀତି ।୨୩୩ ।
ଶତଧନୁ ବୋଇଲା ତୁ ଶୁଣ ହୋ କିରାତେଶ୍ୱର ରାୟେ
ଶୁଣିମା ସାବଧାନେ ମୋହୋର କଥାୟେ ।୨୩୪ ।
ଦ୍ୱାରକା ଭୁବନେ ଆମ୍ଭେ କଲୁଂ ରତ୍ନ ଚୋରୀ
ସୁମନ୍ତକ ମଣି ନେଲୁଂ ସକ୍ରାଜିତକୁ ମାରି ।୨୩୫ ।
କୃପବ୍ରହ୍ମା ଅନାଦୃଷ୍ଟ ମୁହିଂ ସେ ଶତଧନୁ
ଶକ୍ରାଜିତ ନାଶ ଗୟେ ତିନିଙ୍କର ଗ୍ୟାନୁଂ ।୨୩୬ ।
ଗୋବିନ୍ଦେ ନାଶ କଲେ ତହିଂ ଯେ ଅନାଦୃଷ୍ଟକୁ
ଅକ୍ରୂର ମନ୍ତ୍ରୀ ସମ୍ଭାଳଣା କଲା ମୁକୁ ।୨୩୭ ।
ସମୟେକେ ଉଦିତ ହୋଇଲି ଯହୁଂ ମୁହିଂ
ଚୋର ବାରତା ଡଗରେ କହିଲେ ଯଦୁକୁଳ ସାଇଂ ।୨୩୮ ।
କେହି ରକ୍ଷା କରି ଦେବ ନୁଆରିଲେ ମୋତେ
ତେଣୁ କରି ପଳାଇଲି ଜୀବନ ଆରତେ ।୨୩୯ ।
ମହାକୋପେ ଶ୍ରୀହରି ଗୋଡ଼ାଇଲେ ମୋତେ ମାରି
ମୁହିଂ ପାପିଷ୍ଠ ଯେ ହୋଇଲି ଜଗନ୍ନାଥଙ୍କର ବଇରି ।୨୪୦ ।
ଅପାର ଲୋକଙ୍କ ତହିଂ ମୁହିଂ ପଶିଲି ଶରଣ
ମୋହୋର ରାଗେ ସମସ୍ତ ନାଶିଲେ ନାରାୟଣ ।୨୪୧ ।
ମୁହିଂ ଶରଣ ପଶିଲି କୃତକେଶୀର ତହିଂ
ମୋହୋର ରାଗେ ସମ୍ପଦ ତାହାର ହରିଲେ ଯଦୁସାଇଂ ।୨୪୨ ।
କେହି ଶରଣ ରଖନ୍ତା ନୋହିଲା ଦେବ ମୋତେ
ସୁଫଳ ଜୀବନ ମୋର ଭେଟିଲଇଂ ଦେବ ତୋତେ ।୨୪୩ ।
ୟେ ପୁରୁଷ ଅଟନ୍ତି ପ୍ରତେକ୍ଷ ଜଗନ୍ନାଥ
ସାଧୁ ପୁରୁଷ ତୁହିରେ ଜନ୍ମେଣ କିରାତ ।୨୪୪ ।
ମୁହିଂ କିସ କହିବି ହାଦେ ତୋହୋର ମହିଂମା
କଇଚ୍ଛା ଜଗଜ୍ଜେଠୀ ତୁ ଶରଣ ପଞ୍ଜର ମହାତମା ।୨୪୫ ।
ଶତଧନୁର ବଚନ ଶୁଣିଣ ଫାଲଗୁନି
ଧନି ଶହସ୍ର ପକାଇଂ କେଶବଙ୍କୁ କୋଳେ ଘେନି ।୨୪୬ ।
ମନଭେଦୀ ନାରାଜ କାଢିଲେ ନିଜ ମନ୍ତ୍ରେ
ଚେତନା ବସିଲା ତକ୍ଷଣେ ଜଗନ୍ନାଥେ ।୨୪୭ ।
ଜୀବନ୍ୟାସ ପବନ ପାଇଣ ଯୋଗେଶ୍ୱର
ସାଷ୍ଟାମ ହୋଇ ବିସଲେ ଦେବ ଦାମୋଦର ।୨୪୮ ।
ବେନି ଭୁଜେ ଦାମୋଦରର ଧରିଛନ୍ତି ହାଥ
ଅନେକ ବିନୋୟୀ ହୋଇ ବୋଇଲେ ବୀର ପାଥ ।୨୪୯ ।
ସାଷ୍ଟାମ ହୋଇଣ ବସିଲେ ଦେବରାୟେ
ଶତ ସହସ୍ର ପ୍ରଣପତ୍ୟ ହୋଇଲେ ଧନୁର୍ଜୟେ ।୨୫୦ ।
ଭୋ ସ୍ୱାମୀ ପରମ ସାନନ୍ଦ ପରମ ଯୋଗେଶ୍ୱର
ମୁହିଂ ତୋରେ ଶରଣ ଦେବ ଦୋଷ କ୍ଷମାକର ।୨୫୧ ।
ମୁହିଂ ଯେ ଅଗ୍ୟାନ ଦେବ ମୋହୋର ଗ୍ୟାନ ନାହିଂ
ମହା ନିଶାକାଳେ ଚିହ୍ନି ନୁଆରିଲି ମୁହିଂ ।୨୫୨ ।
ତୁ ଦେବ ସୟଳ ସଂସାର ହିତକାରୀ
ଦାସ ଦୋଷ ଅପ୍ରାଧ କ୍ଷମା କରିବା ଦେବ ହରି ।୨୫୩ ।
ବିଶେଷେ ମାନବ ମୁଂ ମୋହୋର କିସ ବୁଦ୍ଧି
ଭଗତବତ୍ସଳ ଦେବ କରୁଣାବାରିଧି ।୨୫୪ ।
ଧୂଳି ପକାଇଲେ କି ସମୋଦ୍ର ହୋୟେ ପୋତି
ଟେଳା ମାଇଲେ କି ପର୍ବତ କାହିଂ ରାସାଂଗତି ।୨୫୫ ।
ଜଗତ ପ୍ରଭୁ ତୁମେ ଅଟ ପିଣ୍ଡଦାନୀ
ପ୍ରସନ୍ନେ ସଦାନନ୍ଦ ଅଭୟେ ବ୍ରହ୍ମଗ୍ୟାନୀ ।୨୫୬ ।
ପରମ ନିରାକୁଳ ପୁରୁଷ ତୁହି ସେ ଜୀବଦାତା
ସୟଳଧାରଣ ନାଥ ତୁହି ସେ ପିତାମାତା ।୨୫୭ ।
ମାତାପିତା ବନ୍ଧନ ତୁ ଫେରିଲୁ କୁତୂହୋଳେ
ଭାଗ୍ୟବନ୍ତ ପୁରୁଷ ତୁ ସାଧନ ସର୍ବକାଳେ ।୨୫୮ ।
ଅପାର ପର ପୁରୁଷ ତୁହି ସେ ବୁଦ୍ଧି ଦ୍ୟନ୍ତା
ଅଗତି ସଂସାରକୁ ତୁହି ସେ ଗତି ଦାତା ।୨୫୯ ।
ବୁଡ଼ନ୍ତେ ସଚରାଚର ତୁହି ସେ ଉଦ୍ଧରୁ
ମୁକତି ଗତି ନାଥ ତୁହି ସେ କଳ୍ପତରୁ ।୨୬୦ ।
ମୁହିଂ ତୋର ଦାସର ଯେ ଦାସ ଜନ୍ମେ ଜନ୍ମେ
ଶୂଦ୍ରମୁନି ସାରୋଳା ଦାସ ଭଗତି ଶ୍ରୀ ପୁରୁଷୋତ୍ତମେ ।୨୬୧ ।
ଅନେକ ବିନୋୟୀ ହୋଇଣ କିରୀଟୀ
ଶ୍ରୀ ଜଗନ୍ନାଥଙ୍କର ଚରଣ ତଳେ ଲୋଟି ।୨୬୨ ।
ଅର୍ଜୁନ ଅନେକ ହୋଇଲେ ବିନୟେ
ଚେତନା ପାଇଣ ତହିଂ ଉଠି ବସିଲେ ଦେବରାୟେ ।୨୬୩ ।
କେବଣ ମହାତ୍ମା ତୁ କିରାତ ରୂପ ଧରି
ଜଗତ ଉତ୍ତମ ପୁରୁଷ ମୁଂ ତୋତେ ନୋହିଲି ସରି ।୨୬୪ ।
ୟେ ମଞ୍ଚପୁରେ ତୋର ଅସଂଖ୍ୟ ମହିଂମା
ମୋତେ ଜିଣି କରି ରୁହାଇଲୁ ସୀମା ।୨୬୫ ।
ଅର୍ଜୁନ ପୁଚ୍ଛା କଲା ଦ୍ରହଷିତ ଭାବେ
ସ୍ୱାମୀ ମୋତେ ଚିହ୍ନି ନୁଆରିଲ କି ଶ୍ରୀ ବାସୁଦେବେ ।୨୬୬ ।
ମୁହିଂ ତୋହୋର ଦାସର ଦାସ ଭୃତ୍ୟର ଯେ ଭୃତ୍ୟ
ପାଣ୍ଡବ ଅର୍ଜୁନ ମୁହିଂ ତୋହୋର ସଞ୍ଚିତ ।୨୬୭ ।
ବଦନ୍ତି କେଶବ ତୁହି ସେ ଅଟୁ ଫାଲଗୁନି
ମୁହିଂ ସାଂଗ୍ରାମ କୋପେ ତୋତେ ନିଆରିଲି ଚିହ୍ନି ।୨୬୮ ।
ଧନୁ ଶହସ୍ର ପକାଇ ଉଠିଲେ ଦେବ ହରି
ଶ୍ରୀଭୁଜେ ଅର୍ଜୁନକୁ କୋଳାଗ୍ରତ କରି ।୨୬୯ ।
ବାବୁ ପାଥ ସାଧୁରେ ମହିଂମା ତୋର ଧନି
ଆନରେ ପ୍ରାଭବି ମୁଂ ନୋହିଲି ଫାଲଗୁନି ।୨୭୦ ।
ବାବୁ ଈଶ୍ୱର ଦେବତାନ୍ତ ତୁ ଜିଣିଲୁ କିରାତ ରୂପେ
ଇନ୍ଦ୍ର ଦେବତାନ୍ତ ଜିଣିଲୁ ଅଗ୍ନିଙ୍କର ପ୍ରସ୍ତାପେ ।୨୭୧ ।
ମୁହିଂ ୟେକା ତୋର ତହୁଂ ଥିଲଇଂ ଉବୁରି ୪୮୧
ଲାଘବ ଶରେ ଜିଣିଲୁ ପାଥ ମୋତେ ଧରି ।୨୭୨ ।
ବାବୁ ୟେବେ ସେ ଜାଣିଲି ତୋହୋର ଛତ୍ରୀବୃତ୍ତ
ତ୍ରଇଲୋକ୍ୟ ଜିଣିମାକୁ ତୁହି ସେ ସାମରଥ ।୨୭୩ ।
ତୋହୋର ତୁଲେଣ ଥିଲେ ଉପୁଜିବ ବହୁତ ଯଶ
ତୁହି ସେ ଭାରାଭାର କରିବୁ ଉଶ୍ୱାସ ।୨୭୪ ।
ଆନର ବେଳେ କି ମୋତେ ହୋୟେ ଧଂସି
ୟେ ମୋହୋର ପୁଣ୍ୟ ବୋଲି ବୋଲନ୍ତି ହୃଷୀକେଶି ।୨୭୫ ।
ଆନର ହାଥେ ଯେବେ ଝିଂଘାସି ହୋଅନ୍ତି
ୟେ ମଧ୍ୟସ୍ୱର୍ଗରେ ମୁଂ କିମ୍ପାଇ ରହିଥାନ୍ତି ।୨୭୬ ।
ତୁ ମୋତେ ଜିଣିଲୁ ମୋହୋର କିସ ହାନି
ପ୍ରାଣର ପଞ୍ଚଭୂତ ଆତ୍ମା ଅଟୁ ତୁ ଫାଲଗୁନି ।୨୭୭ ।
ୟେହା କହି ନାରାୟଣ ହରଷ ହୋଇଲେ
ହୃଦପଦ୍ମ ମଧ୍ୟେ ବର ଦେବାକୁ ବିଚାରିଲେ ।୨୭୮ ।
ନାରାୟଣ ବୋଇଲେ ହୋ ଶୁଣ ଧନୁର୍ଜୟେ
ବର ମାଗ ତୁହି ମୋତେ ବାସବର ତନୟେ ।୨୭୯ ।
କରପତ୍ର ଯୋଡ଼ି ବୋଲଇଂ ବାସବର ତନୁ
ସ୍ୱାମୀ ଦୋଷ ଉପେଖିଣ ରଖ ଶତଧନୁଂ ।୨୮୦ ।
ୟେ ମୋହୋର ଶରଣ ପଶିଲା ଜୀବନର ନିମନ୍ତେ
ଶରଣ ରକ୍ଷଣ କର ଆହେ ଜଗନ୍ନାଥେ ।୨୮୧ ।
ଛାଡ଼ିଲେ କୋପ ଦେବ ଅର୍ଜୁନର ବଚନେ
ଅର୍ଜୁନକୁ କୋଳେ ଯେ ଧଇଲେ ଦେବ ଜନାର୍ଦ୍ଦନେ ।୨୮୨ ।
ତୁ ବାବୁ ବନସ୍ତରେ ନ ଥାଅ ରେ ୟେକା
ଆସ ମୋହୋର ସଙ୍ଗେ ଯିବା ହୋ ଦ୍ୱାରିକା ।୨୮୩ ।
ଅର୍ଜୁନ ବୋଇଲା ଦେବ ଶୁଣିମା ଶ୍ରୀବତ୍ସି
ଆବର ବନବାସ ମୋର ୟେକ ବରଷେକ ଅଛି ।୨୮୪ ।
ନିୟମ ଲଘଂନ ମୁଂ କରିବି କେମନ୍ତେ
ତୁମ୍ଭର ପ୍ରସାଦେ ଯେ ବନେ ବିପଦ ନାହିଂ ମୋତେ ।୨୮୫ ।
ଭୋ ସ୍ୱାମୀ କିଞ୍ଚିତ ମାତ୍ରେଣ ମୋତେ ଦୟା କରିଥିବା
ତୁମ୍ଭର ପଦ୍ମପାଦେ ମୋହୋର ଜନ୍ମେ ଜନ୍ମେ ସେବା ।୨୮୬ ।
ଶ୍ରୀ ଜଗନ୍ନାଥେ ବୋଇଲେ ମୋହୋର ଶପଥ
ବନବାସ ସାରି ଦ୍ୱାରିକାକୁ ଯିବୁଟି ମୋର ପ୍ରାଣର ସଂଘାତ ।୨୮୭ ।
ଅର୍ଜୁନ ବୋଇଲେ ସ୍ୱାମୀ ୟେ ମୋହୋର ସତ୍ୟ
ବନବାସ ସାରି ଦ୍ୱାରିକା ଯିବଇଂ ମୁଂ ନିୟତ ।୨୮୮ ।
ଅବଶ୍ୟ ଦ୍ୱାରିକାକୁ ଯିବି ମୁଂ ଶ୍ରୀ ଜଗନ୍ନାଥେ
ଶତଧନୁ ଥାଉ ଦେବ ମୋହୋର ସଂଗତେ ।୨୮୯ ।
ଅର୍ଜୁନକୁ ତିଆରିଣ ଦେବ ଯେ ଅଚ୍ୟୁତ
ଧ୍ୟାୟେଣ ସୁମରିଲେ ନାରାୟଣ ବଇନେତ୍ର ।୨୯୦ ।
ରମ୍ୟକ ଦୀପୁଂ ଆସି ପ୍ରବେଶ ଖଗେଶ୍ୱର
ବିଜୟେ ଶ୍ରୀ ଜଗନ୍ନାଥ ଗରୁଡ଼ ପିଠିର ।୨୯୧ ।
ଶ୍ରୀ ହରି ବୋଇଲେ ତୋର ପୂରୁ ମନୋବାଞ୍ଛା
ଆରୋଗ୍ୟ ବନବାସ ସାର ପୂରୁ ତୋ ମନୀଷା ।୨୯୨ ।
ୟେତେକ ତିଆରି ଚଳିଗଲେ ଜଗବନ୍ଧୁ
ଦ୍ୱାରିକା ବିଜେ କଲେ ସେ ପରମ ସାନନ୍ଦୁଂ ।୨୯୩ ।
ବଳରାମେ ବିଜେ କରିଛନ୍ତି ରୈବତ ପର୍ବତେ
ବସୁଦେବ ନନ୍ଦ ଉପନନ୍ଦ ଉଗ୍ରସେନ ସହିତେ ।୨୯୪ ।
ଗୋବିନ୍ଦେ ବିଜେ କଲେ ବଳରାମଙ୍କ ସନ୍ନିଧାନେ
ପ୍ରଣପତ୍ୟ ହୋଇ ଶୁତିଲେ ପାଦ ତଳେ ଜନାର୍ଦ୍ଦନେ ।୨୯୫ ।
ବଳରାମେ ବୋଇଲେ ତୁ ଅଗ୍ୟାନ ବନମାଳୀ
ପଳାଇଲା ଲୋକକୁ ବହୁତ ନ କଟାଳି ।୨୯୬ ।
ସଞ୍ଚୟେ ପ୍ରମାଦ ଯେବେ ସେ କଲା ଶକ୍ରାଜିତକୁ
କେତେ କାଳ ଧର୍ମ ଦେବତା ସହିବ ତାହାକୁ ।୨୯୭ ।
ଆମ୍ଭର ଶତ୍ରୁନ୍ତ ଦେବ କେ କରି ପାରେ ରକ୍ଷା
ଯାହାର ନିମନ୍ତେ ଆମ୍ଭେ କରିବାକ ରକ୍ଷା ।୨୯୮ ।
ଗୋବିନ୍ଦେ ବୋଇଲେ ସେ ଅନେକ ଦୂର ପଳାଇଲା
ତାହାର ପ୍ରମାଦେ ଅନେକ ଲୋକ ମଲା ।୨୯୯ ।
ତ୍ରେତୟା ଯୁଗର ଦେବ ରାଜା କୃତକେଶୀ
ସଉଦାସ ରାକ୍ଷସର ଅଟଇ ସେ ଶିଷି ।୩୦୦ ।
ତାହାର ତହିଂ ସେ ଶତଧନୁ ଶରଣ ପଶିଲା
ସାତକ୍ଷୌଣୀ ତୁଲେ କୃତକେଶୀ ନାଶଗଲା ।୩୦୧ ।
ପୁଣହିଂ ଅନେକ ଧୂର ପଳାଇଲା ଶତଧନୁ
ଶରଣ ପଶିଲା ଯାଇଂ କୋଇନ୍ତାର ତନୁ ।୩୦୨ ।
ତାହାର ମୋହୋର ହୋଇଲା ଅପାର ସମର
ସେ କିରାତ ରୂପ ମୁଂ ସଭାବେ ବନଚର ।୩୦୩ ।
କେହି କାହାକଇଂ ଯେ ନୁଆରିଲୁ ଚିହ୍ନି
ତାହାର ମୋହୋର ହୋଇଲା ସମର ଅନ୍ୟୋଅନ୍ୟି ।୩୦୪ ।
ଦୁଇ ବନଚରେ କଲୁଂ ଅନେକ ସମର
ସାଂଗ୍ରାମେ ଜିଣିଲା ମୋତେ ପାଣ୍ଡବ ଧନୁର୍ଦ୍ଧର ।୩୦୫ ।
ଅନେକ ପରାଭବ ଦିଲା ଧନୁର୍ଜୟେ
ବୋଲିଣ ହରଷ ହୋଇଲେ ପ୍ରଭୁ ଦେବରାୟେ ।୩୦୬ ।
ବଳରାମେ ବୋଇଲେ ଅନେକ ସାନନ୍ଦ ୟେବେ ହୋଇଲୁ ଆମ୍ଭେ ଶୁଣି
ତୋତେ ଜିଣିମାକୁ ସାମରଥ ପାଣ୍ଡବ ଫାଲଗୁନି ।୩୦୭ ।
ଗୋବିନ୍ଦେ ବୋଇଲେ ସେ କିରାତ ରୂପ ଧରି
ବନେ ଜିଣିଲା ସେ ଯେ ଦେବ ତ୍ରିପୁରାରି ।୩୦୮ ।
ଅକ୍ଷୟ ତ୍ରୋଣ ପାଶୁପତ୍ର ନାରାଜ ବେନି ଶର
ପିନାକୀ ଧନୁ ସହିତେ ତାକୁ ଦିଲେ ଉମା ହର ।୩୦୯ ।
ଅମରେ ଜିଣିଲା ସେ ଦେବ ଆଖଣ୍ଡଳେ
ଅଗ୍ନି ଦେବତାଙ୍କୁ ଦିଲା ଖାଣ୍ଡବ ବନ ବାହୁବଳେ ।୩୧୦ ।
ତ୍ରିପୁତି ହୋଇଲେ ବଶ୍ୟାନର ଦେବତାୟେ
ଅନେକ ଶହସ୍ରମାନ ପ୍ରତିଗ୍ରହେ ଦିୟେ ।୩୧୧ ।
ବଳରାମେ ସାନନ୍ଦ ହୋଇଲେ ଜଗନ୍ନାଥଂକ ବଚନ ଶୁଣି
ଅନେକ ପ୍ରଶଂସା ଅର୍ଜୁନକୁ କରନ୍ତି ହଳପାଣି ।୩୧୨ ।୨୦୬୫ ।