ଖାଣ୍ଡବ ବନ ଦହନ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଦରିଦ୍ରେ ଦେବା ଦାନ ଅଟଇ ଅନେକ ମହାପୁଣ୍ୟ
ଅପୂଜା ଲିଙ୍ଗ ଯେହୁ କରଇ ପୂଜନ ।୨୨ ।
ରୋଗୀଜନଙ୍କୁ ଉଦ୍ଧାରଇ ଯେଉଂଣ ବଦ୍ୟକାରୀ
ଶିର ଚ୍ଛେଦନ କାଳେ ଯେ ପ୍ରାଣୀଙ୍କି ରକ୍ଷା କରି ।୨୩ ।
ଅପ୍ରତିଷ୍ଠା ଜଳକୁ ଯେ କରଇ ପ୍ରତିଷ୍ଠା
ଅଯୋଗ୍ୟ ଲୋକଙ୍କୁ ଯେ କରଇ ସଙ୍ଗୋଷ୍ଟା ।୨୪ ।
ଅକାରଣ ଲୋକଙ୍କୁ ଯେ କାରଣ କରଇ
ପର ଦୁଖେ କାତର ଯେ ପୁଣ୍ୟ ଆତ୍ମା ଦେହୀ ।୨୫ ।
ଅମୂର୍ତ୍ତ ଦେବତାଙ୍କୁ ଯେ କରଇ ମୂର୍ତ୍ତିବନ୍ତା
ସେହି ସେ ମହାତ୍ମା ଅଟଇ ଧର୍ମ ଯେ ଦେବତା ।୨୬ ।
ତୁମ୍ଭନ୍ତ ବାଭିୟେ ମୁଂ ନ ପାରିଲି ଚିହ୍ନି
ୟେକ ମୂର୍ତ୍ତି ପ୍ରାୟେ ତୁମ୍ଭେ ଦିଶୁଅଛ ବେନି ।୨୭ ।
ମୁହିଂ ଦରିଦ୍ର ବ୍ରାହ୍ମଣ ଅଟଇ ବଡ଼ ରୋଗୀ
ମୋତେ କାରଣ କଲେ ବହୁତ ଧର୍ମ ଭୋଗି ।୨୮ ।
ଅର୍ଜୁନ ବୋଇଲେ ତୁମ୍ଭେ ଅଶକତ ଦ୍ୱିଜବର
ଆମ୍ଭେ ବେନି ଗୋଟି ଭାଇ ଅଟୁଂ ବନଚର ।୨୯ ।
ବ୍ରାହ୍ମଣ ବୋଇଲେ ମୁହିଂ ଦରିଦ୍ର ଅବା ବୋଲି
ତୁମ୍ଭର ତହିଂକି ଧନ ଦ୍ରବ୍ୟ ବସ୍ରମାନ ମାଗି ତ ନ ଅଇଲି ।୩୦ ।
ରୋଗ ପ୍ରବଳେ ଅଶକତ ମୋର କାୟେ
ୟେହାକୁ ଭଲ କଲେ ଅଛିନି ମୋର ଜୀଇଂବା ଉପାୟେ ।୩୧ ।
ବଡ଼ ଲୋକର ପୁତ୍ର ମୁଂ ଅଟଇ ବଡ଼ ଜଣ
ୟେକାଦଶ ବେଦେ ମୁଂ ଅଟଇ ବ୍ରାହ୍ମଣ ।୩୨ ।
ଦାନେଣ ଶୂରବନ୍ତା ମୁଂ ମନ୍ତ୍ରେଣ ଶୁଚିବନ୍ତା
ବଞ୍ଚିତ ନ ଗଲା ମୋର କପାଳର ଘଟିତା ।୩୩ ।
କ୍ରୋଧେଣ ବ୍ରାହ୍ମଣ ବୋଲଇ ଗଦ ଗଦ ବାଣୀ
ବେଦ ଆଧ୍ୟାନ କଲା ବିପ୍ର କୁଳମଣି ।୩୪ ।
ୟେକ ଲୟେ କରି ଶୁଣଇ କ୍ଷତ୍ରୀ ଶିରୋମଣି
ଅର୍ଜୁନ ବୋଇଲେ ମୋହୋର ଶରୀର କମ୍ପଇ ୟେ
ତୋହୋର ବେଦ ଧୁନି ଶୁଣି ।୩୫ ।
କିସ ଦାନ ତୁମ୍ଭେ ମାଗିବ ମାଗନି ପଣ୍ଡାୟେ
କେମନ୍ତେ ନିର୍ମଳ ହୋଇବ ତୁମ୍ଭର ନିଜ କାୟେ ।୩୬ ।
ଶଙ୍ଖ ଗୋଟି କାଢ଼ି କମଣ୍ଡଳୁଂ ପୂରୋଇଲେ ପାଣି
ପାଥର ହସ୍ତରେ ବ୍ରାହ୍ମଣ ବେଗେ ଦିଲେ ଆଣି ।୩୭ ।
ଆହେ ସଂକଳ୍ପ କଲେ ସେ ଦାନ ଦେଇ ପାରି
ଅଣ ସଂକଳ୍ପ ଦାନ ଦିଲେ ସେ କାହିଂକି ନୁହେଂ ସରି ।୩୮ ।
ଡାହାଣ ବ୍ରତେକ ଶଙ୍ଖେ ପୂରୋଇ ଜଳତିଳ
ଦ୍ୱିଜବର ଦିଲା ନେଇ ପାଥର କରସ୍ଥଳ ।୩୯ ।
ଉପର ହାଥେ କରି ଘେନଇଂ ସର୍ବସାଚୀ
ବେଦ ଆଧ୍ୟାନ କରି ବିପ୍ର ତଳ ହସ୍ତ ପାତି ଅଛି ।୪୦ ।
ବାକ୍ୟ ମନ୍ତ୍ର ପଢାଇ ପାତିଲା ତଳେ ହସ୍ତ
ପାଣି ଛଡ଼ାଇଲା ସେ ବ୍ରାହ୍ମଣ କର ପାତ୍ର ।୪୧ ।
ସତ୍ୟ ସତ୍ୟ ବାକ୍ୟ କରାଇ ସତ୍ୟ ଭାବେ
ଛାଡ଼ିଲେ ସତ୍ୟ କରିଣ କ୍ଷତ୍ରିୟ ପାଣ୍ଡବେ ।୪୨ ।
ବ୍ରହ୍ମଣ ସାକ୍ଷୀ କରଇ ଚନ୍ଦ୍ର ସୂର୍ଯ୍ୟଙ୍କୁ
ବ୍ରାହ୍ମଣ ସାକ୍ଷୀ କରଇ ପବନ ଦେବତାଙ୍କୁ ।୪୩ ।
ବ୍ରାହ୍ମଣ ସାକ୍ଷୀ କରଇ ସନକାଦି ଆବର ଦଶ ବିଶ୍ୱେଦେବା
ମୁହିଂ ଯେ ଦାନ ମାଗୁଅଛି ତୁମ୍ଭେ ସାକ୍ଷୀ ହୋଇଥିବା ।୪୪ ।
ଗୋବିନ୍ଦେ ବୋଇଲେ ଆମ୍ଭେ ହୋଇଲୁନି ସାକ୍ଷୀ
ମାଗ ହୋ ପଣ୍ଡାୟେ ସାକ୍ଷୀରେ କିସ ଅଛି ।୪୫ ।
ମହାବାକ୍ୟ ଉଚ୍ଚାରି ବିପ୍ର କରଇ ବେଦଧୁନି
ସ୍ୱର୍ଗ ମଞ୍ଚ ପାତାଳ କମ୍ପିଲା ଭୁବନ ତିନି ।୪୬ ।
ବ୍ରାହ୍ମଣେ ବୋଇଲା ତୁ ଶୁଣ ହୋ ଅରଜୁନ
ମୋତେ ଦାନ ଦେବୁଂ ଖାଣ୍ଡବ ନାମେ ବନ ।୪୭ ।
ମୋତେ ରୋଗ ପ୍ରବଳ ଯେ ଲୁଦୁବୁଦୁ ବ୍ୟାଧି
ଖାଣ୍ଡବ ବନରୁ ମୁହିଂ ଖାଇବି ମଉଷୋଧି ।୪୮ ।
ଅର୍ଜୁନ ବୋଇଲେ ମଉଷୋଧି ଖଣ୍ଡି ଛାର
ୟେତେ ସାକ୍ଷୀ କରାଇଲୁ ବଚନ କଷ୍ଠୋର ।୪୯ ।
ଦରିଦ୍ର ଅବସ୍ତା ଯେତେବେଳେ ହୋଅନ୍ତି ପ୍ରାଣୀ
ଦାତବ୍ୟ ଲୋକଙ୍କୁ ନିଷ୍ଠୁର କରନ୍ତି ସେ ପୁଣି ।୫୦ ।
ବ୍ରାହ୍ମଣର ନିଷ୍ଠୁର ବଚନ ଶୁଣିଲା ବିବଚ୍ଛ
ଅର୍ଜୁନ ଚାହିଂଲା ଯେ ନାରାୟଣଙ୍କ ମୁଖ ।୫୧ ।
ଦେଖିଲ ଟିକି ଭୋ ସ୍ୱାମୀ ଭିକ୍ଷୁକର ଚରିତ
ୟେତେକ ଛାରକୁ ୟେହାର ୟେତେକ ଆସକତ ।୫୨ ।
ଶ୍ରୀଜଗନ୍ନାଥ ବୋଇଲେ ଶୁଣ ହୋ ଫାଲଗୁନି
ତୃତୀୟ ବ୍ରାହ୍ମଣ ଅଟଇ ହାଦେ ବଶ୍ୟାନର ଅଗ୍ନି ।୫୩ ।
ୟେହାଙ୍କର ହେତୁ ତୋତେ ବନବାସ
ତିନି ଯୁଗ ହୋଇଲାନି ୟେ କରିଛନ୍ତି ତୋତେ ଆଶ ।୫୪ ।
ଗୋବିନ୍ଦଙ୍କ ମୁଖରୁ ଶୁଣି ୟେସନ ବଚନ
କରପତ୍ର ଯୋଡ଼ିଣ ପଚାରଇ ଅରଜୁନ ।୫୫ ।
ଅଗ୍ନି ଦଇବତ ବୋଲି କେମନ୍ତେ ଜାଣିଲ ଗୋସାଇଂ
ୟେଥିର ଚରିତ ମୋତେ କହିବା ବୁଝାଇ ।୫୬ ।
ଶ୍ରୀହରି ବୋଇଲେ ସହଦେବ ଯେ କହିଲା
ୟେହି ଅଗ୍ନିଙ୍କର ସକାଶୁଂ ତୋତେ ବନବାସ ହୋଇଲା ।୫୭ ।
ୟେହି ଅଗ୍ନି ଦେବତା ଯେ ମାୟାରୂପ ହୋଇ
ଯୁଝେଷ୍ଠିଙ୍କି ଆଣ ବୋଲି ତୋତେ କଟାଳିଲେ ଯାଇଂ ।୫୮ ।
ମାୟା ନ ଜାଣି ତୁ ଅନ୍ତପୁରେ ପଶନ୍ତେଣ
ୟେଣେ ଅଗ୍ନି ଦେବତା ଅନ୍ତର୍ଦ୍ଧାନ ହୋଇଲେକ ପୁଣ ।୫୯ ।
ସତ୍ୟବାଦୀ ପୁରୁଷ ତୁ ବନକୁ ଅଇଲୁ
କଇଚ୍ଛାବନ୍ତ ପଣେଣ ତୁ ବନରେ ଭ୍ରମିଲୁ ।୬୦ ।
ଗୋବିନ୍ଦଙ୍କ ମୁଖ ଚାହିଂ ଅର୍ଜୁନ ବୋଲଇ
ଅଗ୍ନି ଦେବତାଙ୍କୁ ୟେ ବ୍ୟାଧି ହେଲା କାହିଂ ।୬୧ ।
ୟେହା ସଞ୍ଚପିଣ ମୋତେ କହ ଜନାର୍ଦ୍ଦନ
ତେବେ ସିନା ଭ୍ରାନ୍ତି ମନରୁ ମୋର ଫିଟିବ ବହନ ।୬୨ ।
ଅର୍ଜୁନ ପଚାରନ୍ତେ ଶ୍ରୀହରି କହନ୍ତି
ଶ୍ରୀରଙ୍ଗ ଅଧରେ ମନ୍ଦ ମନ୍ଦ ଯେ ହସନ୍ତି ।୬୩ ।
ଆହୋ ଭାବାନୀ ନାମେଣ ଯେ ୟେକଇ ସତ୍ୟ ଯୁଗେ
ଅପାର ଘୃତ ଖାଇଲେ ଶ୍ୱେତ ରାଜାର ଯଜ୍ଞେ ।୬୪ ।
ଅନେକ ଘୃତ ଖାଇ ତହିଂ ୟେ ହୋଇଲା ମନ୍ଦାଅଗ୍ନି
ଲଦୁବୁଦୁ ବ୍ୟାଧି ହୋଇଲା ବସିଲେ ଯୁଗ ତିନି ।୬୫ ।
ନାରାୟଣଙ୍କ ବଚନେ ପ୍ରଣପତ୍ୟ ବୀର ପାଥ
ଅଟ କି ଗୋସାଇଂ ତୁମ୍ଭେ ଅଗ୍ନି ଦଇବତ ।୬୬ ।
ବୋଲନ୍ତି ଦ୍ୱିଜବର ଆମ୍ଭେ ଦୋହୋରା ଅଗ୍ନି ଅଟୁଂ
ଅପାଦ ଶାନ୍ତି ନିମନ୍ତେ ଆମ୍ଭେ ବିନୟ ଭାବେ ଖଟୁଂ ।୬୭ ।
ଅର୍ଜୁନ ବୋଇଲେ ତୁମ୍ଭେ ଅନାଦି ସିଦ୍ଧ ଯୋଗୀ
କେଉଂଣ ପାତକେ ତୁମ୍ଭେ ହୋଇଲ ୟେଡ଼େ ରୋଗୀ ।୬୮ ।
ଶୁଣ ହୋ ବୀର ପାଥ ବୋଲନ୍ତି ବଶ୍ୟାନର
ସତ୍ୟ ଯୁଗେ ଶ୍ୱେତ ବୋଲି ୟେକଇ ନୃପବର ।୬୯ ।
ଦେବଯଜ୍ଞ କରିବାକୁ କଲାକ ସଂକଳ୍ପ
ମହାଯଜ୍ଞ କଲେ ଖଣ୍ଡଇ ମହାପାପ ।୭୦ ।
ମହାଯଜ୍ଞ ନିମନ୍ତେ ପିତାର ତହିଂକି ଗଲା ରାୟେ ବେଗେ
ବିନୟ ଭାବ ହୋଇ ପ୍ରୋହିତ ଜଣେ ମାଗେ ।୭୧ ।
ଭୋ ଦେବ ବିଧାତା ମୋତେ ପ୍ରସନ୍ନ ହୋଇବା
ଦେବଯଜ୍ଞ କରିବି ମୋତେ ପ୍ରୋହିତ ଜଣେ ଦେବା ।୭୨ ।
ବଶିଷ୍ଠ ଥିଲେ ସେ ଯେ ପିତାମହଙ୍କ ଅଗ୍ରତେ
ଅଇଲେ ପିତାୟେ ବୋଇଲେ ଶ୍ୱେତରାଜାର ଯଜ୍ଞ କର ଯା’ ଉଚିତେ ।୭୩ ।
ବଶିଷ୍ଠ ଅଇଲେ ଶ୍ୱେତ ରାଜାଙ୍କୁ ଘେନି
ଆମ୍ଭନ୍ତ ବରଣ କଲା କାଳାନଳ ଅଗ୍ନି ।୭୪ ।
ଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ପୁଷ୍କର ଶ୍ରୋହା ପ୍ରୋକ୍ଷଣୀ
ଯୋଗ୍ୟଂ କୁଣ୍ଡେ ବରଷନ୍ତି ଶଗଡ଼ ତୁମ୍ୱ ଜାଣି ।୭୫ ।
ଘୃତ ସଞ୍ଚା ସମିଧି ଭିଆଅ ଯାଗ୍ୟଂ ସରି କରି
ଯାଗ୍ୟେଂ ଯାଗନିକ ମୁଂ ହୋଇଲି ତୋହୋରି ।୭୬ ।
ବଶିଷ୍ଠଙ୍କ ବଚନେ ଚଳିଲେ ରାଜଦେବା
ଘୃତ ସମୁଦ୍ରକୁ କରିଲା ଦ୍ୱାଦଶ ବରଷ ସେବା ।୭୭ ।
ପ୍ରସନ୍ନ ହୋଇଣ ବୋଇଲେ ରତ୍ନାକର
ମାଗ ଶ୍ୱେତ ରାଜା ହୋ କିସ ଆଧ୍ୟାନ ତୋହୋର ।୭୮ ।
ଭୋ ଦେବ ରତ୍ନାକର ମୁଂ କରିବି ଦେବଯାଗ୍ୟଂ
ବଶିଷ୍ଠ ପ୍ରୋହିତେ ମୋତେ କଲେ ରାଗ ।୭୯ ।
ମୁହିଂ ଯାଗ କରିବି ଦେବ ଚଉବିଂଶ ବରଷ ପରିଯନ୍ତେ
ବଶିଷ୍ଠଙ୍କ ପ୍ରୋକ୍ଷଣୀ ପୂରୋଇ ଘୃତ ଦେଉଥିବୁ ନିତ୍ୟେ ।୮୦ ।
ଘୃତ ସମୁଦ୍ର ବୋଇଲା ତୋତେ ଯେତେକ ଅଣ୍ଟଇ
ଦେଉଥିବି ତେତେ କାଳ ବଶିଷ୍ଠ ନିଅଇ ।୮୧ ।
ଘୃତ ସମୁଦ୍ରକୁ ରାଜା ସନମତ କରାଇ
ବଶିଷ୍ଠ ପ୍ରୋହିତଙ୍କୁ ବରିଲା ମାଳା ଦେଇ ।୮୨ ।
ଆକାଶ ଗଙ୍ଗା କୂଳେ ଭୂମିକି ଚିରିଲେ ଶୂଳେ
ତହିଂର ଉପରେ ବୁଣିଲେ ମାଘୀ ତିଳେ ।୮୩ ।
କାର୍ତ୍ତିକର ଅନ୍ତେ ସେ ମାର୍ଗଶିର ମାସ
ମାର୍ଗଶିର ଅନ୍ତେ ପୁଷ ପରବେଶ ।୮୪ ।
ପୁଷ ମାସ ଯାଇଂ ଯେ ମାଘ ମାସ ପଶିଲା
ତିଳ ଝଡ଼ିଣ ଯେ ଭୂମିରେ ପଡ଼ିଲା ।୮୫ ।
ଲାଙ୍ଗଳରେ ଭୂମି ଚଷାଇଲାକ ସତ୍ୱର
ଯାଗଶାଳ ତୋଳାଇଲା ଶ୍ୱେତ ନୃପବର ।୮୬ ।
ଜଟୀ ହଟୀ ବଟୀ ଯେ ଆବର ପର୍କଟୀ
ୟେ ଚାରି ବୃକ୍ଷ ହୋଇଲେ ଯେ ଦ୍ୱାର ଅଡ଼ା ଚାରି ଗୋଟି ।୮୭ ।
ବାମଦେବ ଉଦ୍ଦାଳକ ସୁମନ୍ତ ଉତ୍ତଙ୍ଗ
ୟେ ଚାରିହେଂ ବରଣ ହୋଇଲେ ଚାରି ଦିଗ ।୮୮ ।
ବ୍ରହ୍ମା ବରଣ ହୋଇଲେ ସୁଦେବ ବ୍ରାହ୍ମଣ
ଆଚାର୍ଯ୍ୟ ବରଣ ହୋଇଲେ ଭାରଦ୍ୱାଦଶ ସୁମନ୍ତେଣ ।୮୯ ।
ବଶିଷ୍ଠ ପ୍ରୋହିତ ଯାଗନିକ ହୋଇଲେ
ତ୍ରିଦଣ୍ଡ ଘେନି ଯାଗ୍ୟଂ କୁଣ୍ଡ ନିର୍ଭା କଲେ ।୯୦ ।
ମକର ମାସ କୃଷ୍ଣ ପକ୍ଷ ତୃତୀୟା ଯେ ତିଥି
ଅର୍କବାର ଦିନ ମଘା ନକ୍ଷତ୍ର ପାହାନ୍ତି ।୯୧ ।
ବବ ନାମେ କରଣ ପ୍ରୀତି ନାମେ ଯୋଗ
ମକର ସଙ୍କରାନ୍ତିକି ତୃତୀୟ ଦିନ ଭୋଗ ।୯୨ ।
ଶ୍ୱେତ ମହାରାଜାର ଅଶ୍ଳେଷା କକଡ଼ାରାଶି
ଦୁତୀୟେ ଦିବସେ ସମ୍ପଦ ତାର ଯୋଗ ଅଛି ।୯୩ ।
ତାର ବାର ନକ୍ଷତ୍ର ଯୋଗ ଶୁଭ ଅନକୂଳେ
ସେଦିନ ଯାଗଶାଳେ ବସିଲେ ମାହେନ୍ଦ୍ର ଯୋଗ ବଳେ ।୯୪ ।
ପ୍ରାଣ ଅପାନ ଯେ ସ୍ୱାହା ମହାମନ୍ତ୍ରେ
ଅଗ୍ନି ଆରୋପଣ କରାଇଲେକ ପ୍ରୋହିତେ ।୯୫ ।
ମେଘନ୍ତ ସୁମରଣା କଲେ ବଶିଷ୍ଠ ମହାଋଷି
ଘୃତ ସମୁଦ୍ରୁଂ ଆଣି ଯାଗ୍ୟଂ କୁଣ୍ଡେ ବରଷି ।୯୬ ।
ଶଗଡ଼ ତୁମ୍ୱ ଆକାରେ ବରଷନ୍ତି ଚାରି ଧାର
ବିଶ୍ରାମ ନାହିଂ ରାତ୍ର ଦିବସ ଅଷ୍ଟ ଯେ ପ୍ରହର ।୯୭ ।
ଆମ୍ଭେ ବ୍ରାହ୍ମଣ ଅଟୁଂ ଦରିଦ୍ର ମନ୍ଦ ଜାତି
ଘୃତ ପାଇଲେ ହୋଉଂ ଅନେକ ତ୍ରିପୁତି ।୯୮ ।
ବାବୁ ୟେମନ୍ତେ ଚଉବିଂଶ ବରଷ ପରିଯନ୍ତେ ମହାଯାଗ୍ୟଂ କଲା
ଆବର୍ତ୍ତକ ସମ୍ୱର୍ତ୍ତକ ରାତ୍ର ଦିବସ ବରଷିଲା ।୯୯ ।
ଲୋଭେଣ ଖାଇଲୁଂ ଆମ୍ଭେ ଅନେକ ଯେ ଘୃତ
କାଳେ ପାର କରି ନୁଆରିଲୁଂ ହୋଇଲୁ ୟେମନ୍ତେ ।୧୦୦ ।
ମନ୍ଦାଅଗ୍ନି ହୋଇଲୁଂ ଲୁଦୁବୁଦୁ ଯେ ହୋଇଲୁଂ
ଅତିହିଂ ଲୋଭ କରି ଶରୀର ନାଶକଲୁଂ ।୧୦୧ ।
ବାବୁ ବାସବ ଦେବତାଙ୍କୁ ମାଗିଲୁ ମଉଷଧି
ରାଗେଣ ମୁକୁହିଂ ନ ଦିଲା ଜମ୍ଭୋଭେଦୀ ।୧୦୨ ।
ବ୍ରହ୍ମା ଈଶ୍ୱରେ ଯେ ବୋଇଲେ ମୋର ପାଇଂ
କାହାରିହିଂ ବଚନ ନ କଲା ସୁରସାଇଂ ।୧୦୩ ।
ବାବୁ ଦେବ ଦାନବ ଯେ ସବୁରି ଗର୍ଭେ ଥାଉଂ
ଯେ ଯାହା ଆଧାର କରଇ ସମସ୍ତ ଆମ୍ଭେ ଦହୁଂ ।୧୦୪ ।
ଆମ୍ଭେ ଯେତେବେଳୁଂ ହୋଇଲୁଂ ମନ୍ଦାଅଗ୍ନି
ଲୁଦୁବୁଦୁ ହୋଇ ବସିଲେନି ବ୍ରହ୍ମାଣ୍ଡ ଖଣ୍ଡ ତିନି ।୧୦୫ ।
ଆମ୍ଭଙ୍କୁ ତୁ ଯେବେ ଉଦ୍ଧରି ଧରିବୁଂ ଧନୁର୍ଜୟେ
ବାହୁଡ଼ି ସଂସାର ହୋଇବ ତେଜମୟେ ।୧୦୬ ।
ୟେକା ଜଣେ ତାରିଲେ ସଂସାର ହେଇବ ରକ୍ଷା
ଯାବତ ଚନ୍ଦ୍ର ଅର୍କେ ରହୁ ତୋର କଇଚ୍ଛା ।୧୦୭ ।
ସତ୍ୟଯୁଗ ସତର ଲକ୍ଷ ଅଠାଇଶି ସହସ୍ର ବରଷ
ତ୍ରେତା ଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ।୧୦୮ ।
ଦ୍ୱାପର ଯୁଗ ଆଠଲକ୍ଷ ଚଉଷଠୀ ସହସ୍ର ବରଷ ଭୋଗ
ପାର କରି ନ ପାରିଲୁଂ ଆମ୍ଭେ ମନ୍ଦାଅଗ୍ନି ପିଳୋହି ରୋଗ ।୧୦୯ ।
ଉଦ୍ଧର ଅର୍ଜୁନ ମୋତେ ମୁହିଂ ତିନି ଯୁଗର ରୋଗୀ
ଆମ୍ଭର ଆଷ୍ୟ ଘେନି ତୁ ବ୍ରତ ଚାଲିଯିବା ବେଗି ।୧୧୦ ।
ୟେତେ ବୋଲି ଅଗ୍ନି ଦେବତା ଅନେକ କାର୍ପୁଣ୍ୟ
ଉଦ୍ଧରି ଧର ସର୍ବସାଚୀ ତୁ ପଣ୍ଡୁକୁଳ ଧନ୍ୟ ।୧୧୧ ।
ଅର୍ଜୁନ ବୋଇଲେ ଦେବ ଉଠ ଉଠ ବେଗେ ହରି
ଖାଣ୍ଡବ ବନଯାୟେଂ ଯିବାଟି ବିଜେ କରି ।୧୧୨ ।
ଜଗନ୍ନାଥେ ବୋଇଲେ ଆମ୍ଭେ ନ ଥାଉଂ ତୋର ତୁଲେ
ଇନ୍ଦ୍ର ଅପଖ୍ୟାତି ଦେବ ନା ଆମ୍ଭନ୍ତ ଦେଖିଲେ ।୧୧୩ ।
ସେ ବାସବ ଦେବତା ତୋହୋର ତାତ ତୁ ତାହାର ସୁତ
ତୁମ୍ଭକଇଂ ସହିବ ସେ ଦେବ ପୁରୁହୁତ ।୧୧୪ ।
ଆମ୍ଭଙ୍କୁ ଦେଖିଲେ ସେ କୋପ କରିବ ସୁରପତି
ତୋତେ କିଛି ନ ବୋଲି ଆମ୍ଭନ୍ତ ସେ ଦେବ ଅପଖ୍ୟାତି ।୧୧୫ ।
ଭଲା ଆମ୍ଭେ ତୁକୁ ନେମାକୁ ଅଇଲୁ ହସ୍ତିନାକୁ
ଅଗ୍ନି ଦେବତା କଷଣ କଲାକ ତୁକୁ ।୧୧୬ ।
ବେଳକୁ ବେଳ ତୁହି ପ୍ରମାଦେ ପଶିଲୁ
ହର ଉଦ୍ୟାନ ବନେ ହରକୁ ଜିଣିଲୁ ।୧୧୭ ।
ଖାଣ୍ଡବ ବନ ଦହନେ ତୋତେ ନ ସହିବେ ସୁରଦେବା
ଇନ୍ଦ୍ରରେ ବିବାଦୀ ତୁ ହୋଉଛୁଂଟି ରେ ବାବା ।୧୧୮ ।
ୟେତେ କହି ଖଗେଶ୍ୱର ପିଠିରେ କଲେ ବିଜେ
ଦ୍ୱାରିକାପୁରକୁ ସେ ବିଜୟେ ଦେବରାଜେ ।୧୧୯ ।
ଅର୍ଜୁନ ବୋଇଲେ ଦେବ ଶୁଣିମା ବଶ୍ୟାନର
ଖାଣ୍ଡବ ବନ ଦହନେ କୋପ କରିବେ ସୁନାଶୀର ।୧୨୦ ।
ଅଗ୍ନି ଦେବତା ବୋଇଲେ ତାର ଆକାଶର ସମ୍ପ୍ରଧି
ଅନେକ ସଂଗ୍ରାମେ ସେ କରିବେ ଜମ୍ଭୋଭେଦୀ ।୧୨୧ ।
ଅର୍ଜୁନ ବୋଇଲେ କେମନ୍ତ ଯେ କରିବଇଂ ମୁହିଂ
ଅମରାଧିନାଥ ଜିଣିମାକୁ ମୋର ଶହସ୍ର ନାହିଂ ।୧୨୨ ।
ଅଗ୍ନି ଦେବତା ବୋଇଲେ ତୁ ରହିଥାଅ ୟେଥ
ତ୍ରୈଲୋକ୍ୟ ଜିଣିମାକୁ ତୋତେ ଦେବଇଂ ଶହସ୍ରନ୍ତ ।୧୨୩ ।
ଅର୍ଜୁନକୁ ରୁହାଇ ଯେ ଚଳିଲେ ବହନି
ପାତାଳ ବୈକୁଣ୍ଠେ ବିଜେ କଲେ ସେହି ରୂପ ଘେନି ।୧୨୪ ।
ନାରାୟଣ ବୋଇଲେ ତୁ ଶୁଣ ବଶ୍ୟାନର
ଲୁଦୁବୁଦୁ ବ୍ୟାଧି ତୋହୋର ନିହାୟେଂ ହୋଉଂ ପାର ।୧୨୫ ।
ଅଗ୍ନି ଦେବତା ବୋଇଲେ ମୁଂ ତୁମ୍ଭରେ ଖଣ୍ଡିବି ବ୍ୟାଧି
ନାରାୟଣ ଶହସ୍ର ମୋତେ ଦେବୁଂ ମନଭେଦୀ ।୧୨୬ ।
ନନ୍ଦିଘୋଷ ରଥ ଆବର ଗାଣ୍ଡିବ ଯେ ଧନୁ
ୟେତେକ ଦିଲେ ମୁଂ ତରିବି ପାପ କର୍ମୁଂ ।୧୨୭ ।
ଶଙ୍ଖ ଶ୍ୱେତ ଗୋକ୍ଷୀର କାମପାଳ ଅଶ୍ୱଚାରି
ୟେ ଚାରି ଅଶ୍ୱ ରଥ ଦେବ ସଜ କରି ।୧୨୮ ।
ଶୁଣିଣ ସାନନ୍ଦ ଯେ ବୋଇଲେ ଅନାଦି
ଆମ୍ଭେ ୟେମାନ ଦିଲେ ଯେବେ ତୁଟିବ ତୋର ବ୍ୟାଧି ।୧୨୯ ।
ମୁଂ ୟେଣେ ମୁକତ ହୋଇବି ଶୁଣସି ଅନନ୍ତ
ମୋତେ ୟେବେ ଦୟା କରିବୁ ଦାସବତ୍ସଳ ଭଗବନ୍ତ ।୧୩୦ ।
ଯେହା ଶୁଣିଣ ସନ୍ତୋଷ ଯେ ହୋଇଲେ ଯୋଗେଶ୍ୱର
ସେ ଶହସ୍ର ମାନନ୍ତ ଯେ ଦିଲେ ଦାମୋଦର ।୧୩୧ ।
ଘେନିଣ ଅଗ୍ନି ଦେବତାୟେ ବୈକୁଣ୍ଠୁଂ ବାହାର
ପାତାଳକୁ ଚଳନ୍ତି ହୋଇଣ ଉଦବେଗ ମନର ।୧୩୨ ।
ବାସୁକୀ ଭୁବନେ ଯାଇଂ ହୋଇଲେ ପରବେଶ
ଦେଖିଣ ନାଗରାଜା ହୋଇଲେ ଅନେକ ସନ୍ତୋଷ ।୧୩୩ ।
ଆହୋ ଅଗ୍ନି ଦେବତା ତୋତେ ପଡ଼ିଲା ଲୁଦୁବୁଦୁ ବ୍ୟାଧି
ୟେଥୁଂ ତରିବାକୁ ତୁହି ପୁଣ ନ କଲୁ କିମ୍ପେ ବୁଦ୍ଧି ।୧୩୪ ।
ଅଗ୍ନି ବୋଇଲେ ମୁଂ ଯେଣେ ମୁକତ ହୋଇବି ଶୁଣସି ଅନନ୍ତ
ତ ତହୁଂ ମୋତେ ଦେବୁ ନାଗଫାଶ ଶହସ୍ରନ୍ତ ।୧୩୫ ।
ଅମୃତା ଶହସ୍ର ମୋତେ ଦେବୁ ଭାରାଭର
ତୋଷେ ନାଗରାଜା ଯେ ଦିଲେ ବେନି ଶର ।୧୩୬ ।
ସେ ଶହସ୍ର ରଥେ ନେଇ ଥୋଇଲା କାଳାନଳ
ପାତାଳୁଂ ବାହାର ହୋଇଲେ ଭେଟିଲେ ଆଦିତ୍ୟ ମଣ୍ଡଳ ।୧୩୭ ।
ଆଦିତ୍ୟ ଦେବତାଙ୍କୁ ବଚନ ସମ୍ପାଦି
ଆରୋଗ୍ୟ ହୋଇବାକୁ ମୁଂ କରୁଅଛି ବୁଦ୍ଧି ।୧୩୮ ।
ସୂର୍ଯ୍ୟାବ୍ରତେକ ଚକ୍ର ମୋତେ ଦିଅସି ଦିନକର
ପ୍ରସନ୍ନ ହୋଇ ଅଗ୍ନି ଦେବତାଙ୍କୁ ଦିଲେ କରତାର ।୧୩୯ ।
ଚନ୍ଦ୍ର ଦେବତାଙ୍କୁ ମାଗିଲେ ଯେ ହେମଶର ଚନ୍ଦ୍ରାବଳୀ ଗଦା
ତ୍ରୈଲୋକ୍ୟେ ଅଗ୍ନି ଅଟନ୍ତି ବଚନ ସଂସିଦ୍ଧା ।୧୪୦ ।
ତହୁଂ ଯଶୋବନ୍ତୀ ପୁରେ ଯାଇଂ ଅଗ୍ନି ପ୍ରବେଶ ହୋଇଲେ
ବ୍ରହ୍ମ ଶକତି ବ୍ରହ୍ମ ଶର ପିତାଙ୍କୁ ମାଗିଲେ ।୧୪୧ ।
ଅଗ୍ନିଙ୍କର ବଚନ କେ ମେଣ୍ଟିବ ତ୍ରୈଲୋକ୍ୟେ
ଶକତି ବ୍ରହ୍ମ ଶର ଦିଲେ ଅଗ୍ନିଙ୍କର ବାକ୍ୟେ ।୧୪୨ ।
ସେ ଶହସ୍ର ମାନନ୍ତ ଦେବ ନନ୍ଦିଘୋଷ ରଥରେ ପୂରୋଇ
ବାରସ୍ୱତୀ ପୁରେ ଭେଟିଲେ ସୁରସାଇଂ ।୧୪୩ ।
ଇନ୍ଦ୍ର ବୋଇଲେ ଅଗ୍ନି ଅତିହିଂ ଲୋଭ କଲୁ
ତିନି ଯୁଗ ହୋଇଲା ବ୍ୟାଧି ପାରି କରି ନ ପାରିଲୁ ।୧୪୪ ।
ଅଗ୍ନି ଦେବତା ବୋଇଲେ ହୋ ପୁରନ୍ଦର ମୋତେ ତୋହୋର ଦୟା କଲେ
ତୁଟିବ ବ୍ୟାଧି ମୋହୋର ତୋର ବଜ୍ର ଶକତି ଦିଲେ ।୧୪୫ ।
ଇନ୍ଦ୍ରାଶର ଦେବୁ ମୋତେ ଆବର ମେଘାଶର
ପୁଷ୍ୟେକ ବିମାନ ମୋତେ ଦେବୁ ପୁରନ୍ଦର ।୧୪୬ ।
ଅଗ୍ନିଙ୍କ ବଚନେ ସାନନ୍ଦ ଦେବ ସୁରପତି
ଦିଲେ ଇନ୍ଦ୍ରା ଶହସ୍ର ମେଘା ଶହସ୍ର ବଜ୍ର ଯେ ଶକତି ।୧୪୭ ।
ସେ ଶହସ୍ରମାନ ନନ୍ଦିଘୋଷ ରଥରେଣ ଥୋଇ
ପୁଷ୍ୟେକ ବିମାନ ଗୋଟି ଦିଲେକ ସୁରସାଇଂ ।୧୪୮ ।
ବିଶ୍ୱେଦେବାଙ୍କୁ ମାଗିଲେ ଅମୋହ ଶକତି
ସାନନ୍ଦେ ପ୍ରପାତ ସେ କଲେକ ବହତି ।୧୪୯ ।
ବିଦ୍ୟାଧର ପୁରୁଷଙ୍କୁ ମାଗିଲେ ନୀଳବାଣ ଭୁଜବାଣ
ତାହା ନେଇ ଥୋଇଲେ ନନ୍ଦିଘୋଷ ରଥେଣ ।୧୫୦ ।
ଯମ ଦେବତାଙ୍କୁ ମାଗିଲେ କାଳଚକ୍ର ଫାଶି
ମୋହୋର ରୋଗ ଆରୋଗ୍ୟ ହୋଇଲେ ବାହୁଡ଼ାଇ ନିଅସି ।୧୫୧ ।
କାଳଚକ୍ର କାଳ ଫାଶି ଦିଲେ ନାଶ କର
ଘେନି ଅଗ୍ନି ଦେବତା ଥୋଇଲେ ନନ୍ଦିଘୋଷ ରଥର ।୧୫୨ ।
ପବନ ଦେବତାଙ୍କୁ ମାଗିଲେ ପବନା ଶର
ଆବର ମାଗିଲେ ଯେ ଅଭୟେ ମୁଦୁଗର ।୧୫୩ ।
ଶୁଣି ମରୁତ ଦେବତାୟେ ଯେ ଦିଲେ ଶହସ୍ର ବେନି
ତଳ ହସ୍ତ କରି ଅଗ୍ନି ଦେବତା ତାହା ଘେନି ।୧୫୪ ।
ବୃହସ୍ପତିଙ୍କି ମାଗିଲେ ଜୀବନ୍ୟାସ ଶର
ତୋଷେଣ ପଣ୍ଡିତେ ଦିଲେ ଅଗ୍ନି ଦେବତାଙ୍କ କର ।୧୫୫ ।
ହିରଣ୍ୟ ଦେବତାଙ୍କୁ ମାଗିଲେ ନୀଳଚକ୍ର ଗଦା ବଜ୍ରାବଳୀ
ଅଗ୍ନିଙ୍କର ହାଥେ ସେ ଶର ଦିଲେ ସେହୁ ଗଲେ ଚଳି ।୧୫୬ ।
ଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କର
ୟେ ଚାରି ମେଘକୁ ମାଗିଲେ ବଶ୍ୟାନର ।୧୫୭ ।
ବୋଇଲେ ମୋତେ ଦେବ ଦିଅ ନିର୍ଘାତ ବଜ୍ରବାଣ
ବଜ୍ର ଶର ଆବର ଦେବ ଅଗ୍ନି ଶରମାନ ।୧୫୮ ।
ବହନି ଦେବତାଙ୍କୁ ଦିଲେ ମେଘମାନେ
ରଥରେ ଥୋଇଲେ ଯେ ଅଗ୍ନି ତୋଷ ମନେ ।୧୫୯ ।
କୁବେର ଦେବତା ପୁରେ ଯାଇଂ ପ୍ରବେଶ ହୋଇଲେ
ରତ୍ନାବଳୀ ଗଦା ଅଜଙ୍ଗ ଧନୁକୁ ମାଗିଲେ ।୧୬୦ ।
ରତ୍ନ କୁଣ୍ଡଳ ରତ୍ନ ମୁକୁଟ ଶିରକୁ ସୀମନ୍ଥିନୀ
କର୍ଣ୍ଣକୁ କର୍ଣ୍ଣାଞ୍ଚଳ ହୃଦକୁ ରତ୍ନ ପଦକ ମାଗିଲେ ଦେବ ଅଗ୍ନି ।୧୬୧ ।
ବାହୁକୁ ବାହୁଟି ତାଡ଼ତୋଡ଼ର ଜଗଦ୍ଦଳା
ବିଦ ମୁଦି କଙ୍କଣ ଗଳାକୁ ରତ୍ନମାଳା ।୧୬୨ ।
ରତ୍ନ ମେଖଳି ରତ୍ନ ନୂପୁର ରତ୍ନ ଯୋଗାଡ଼ମାନ
ଅଗ୍ନି ଦେବତାଙ୍କୁ କୁବେର ଦିଲେ ତୋଷମନ ।୧୬୩ ।
ଈଶ୍ୱର ଦେବତାଙ୍କୁ ମାଗିଲେ ଯେ ଶୂଳ ଶକ୍ତି ଶର
ପଶୁପତ୍ର ଅନଙ୍ଗ ଶର ଖଟ୍ୱାଙ୍ଗ ପ୍ରଶୁଧର ।୧୬୪ ।
ପିନାକୀ ସାରଙ୍ଗ ଯେ ଦୁତୀୟ ବଳ ଧେନୁ
ମାଗିଲେ ଅଗ୍ନି ଦେବତାୟେ ଦିଲେ ପଞ୍ଚୁମନୁ ।୧୬୫ ।
ଯାଇଂଣ ବରୁଣ ଦେବତା ପୁରେଣ ପଶିଲେ
ଶ୍ୱେତ ଶଙ୍ଖ ଗୋକ୍ଷୀର କାମପାଳ ଚାରି ଅଶ୍ୱନ୍ତ ମାଗିଲେ ।୧୬୬ ।
ଜଳଧର ଚକ୍ର ଯେ ଆବର ଜଳ ଫାଶି
ଆରୋଗ୍ୟ ହୋଇଲେ ବାହୁଡ଼ାଇ ଦିଅସି ।୧୬୭ ।
ଅଗ୍ନି ଦେବତାଙ୍କ ଶରୀର ଆରୋଗ୍ୟ ନିମନ୍ତେ
ଶହସ୍ର ଦେଇ କଳପି ଅଶ୍ୱ ସମର୍ପିଲେ ଜଳନାଥେ ।୧୬୮ ।
ଶହସ୍ର ଭେଦ ନୋହଇ ଯେବଣ ଅଶ୍ୱଙ୍କର କାୟେ
କାମରୂପୀ ଅଟନ୍ତି ଯେ ସେହୁ ଚାରି ହୟେ ।୧୬୯ ।
ନିମିଷେକ ଗମି ପାରନ୍ତି ସମସ୍ତ ଭୁବନ
ପ୍ରଳୟ କାଳେ ସେ ଯେ ନୁହନ୍ତି ନିଧନ ।୧୭୦ ।
ୟେ ପୃଥୀ ଯେତେବେଳେ ପ୍ରଳୟ ହୋଇଯାଇଂ
ତେବେ ସେ ଅଶ୍ୱଙ୍କୁ ରାତ୍ର ଦିବସେକ ହୋଅଇ ।୧୭୧ ।
ବରୁଣଙ୍କୁ ମାଗି ତା ଆଣିଲେ ବଶ୍ୟାନରେ
ଚାରି ଅଶ୍ୱନ୍ତ ନେଇ ଯୋଚିଲେ ନନ୍ଦିଘୋଷ ରଥରେ ।୧୭୨ ।
ରତ୍ନାକର ଭୁବନୁଂ ଯେ ବାହାର ହୋଇଲେ
ହେମବନ୍ତ ରାଜାଙ୍କୁ ଯେ ପର୍ବତା ଶହସ୍ର ମାଗିଲେ ।୧୭୩ ।
ଅଗ୍ନି ଦେବତାଙ୍କର ଶରୀର ଆରୋଗ୍ୟ ନିମନ୍ତେ
ମାଗିଲାକୁ ଦେବତାୟେ ଦିଲେ ତୋଷ ଚିତ୍ତେ ।୧୭୪ ।
ଶ୍ରା ଦୁର୍ଗାଙ୍କୁ ମାଗିଲେ ଯେ ଅଭେଦ ବିଭୂତି
ଯେଉଂଣ ବିଭୂତି ଲାଗିଲେ ଶହସ୍ରମାନ ନ ଭେଦନ୍ତି ।୧୭୫ ।
ଆର୍ଦ୍ରବଳେ ଧନୁ ଯେ କୁଣ୍ଡଳୀ ଚକ୍ର ଶର
ସ୍ତମ୍ଭନ ମୋହନ ବିଦ୍ୟା ଦିଲେ ବାମ କର ।୧୭୬ ।
ନନ୍ଦିଘୋଷ ରଥେ ସମସ୍ତ ଶହସ୍ର ଘେନି
ଶିବ ପର୍ବତର ଉପରେ ଭେଟିଲେ ଫାଲଗୁନି ।୧୭୭ ।
ସମସ୍ତ ଶହସ୍ରମାନ ଆଣିଲୁ ହୋ ପାଥ
ୟେ ସମସ୍ତ ଶହସ୍ରମାନ ତୋତେ ହୋଉ ଯେ ପ୍ରାପତ ।୧୭୮ ।
ହରଷ ବଚନେ ବୋଇଲେ ବୀର ପାଥ
ଅଗ୍ନି ଅରଜୁନ ବେନି ଆରୋହିଲେ ନନ୍ଦିଘୋଷ ରଥ ।୧୭୯ ।
ଅଗ୍ନି ଦେବତା ସାରଥୀ ଅର୍ଜୁନ ହେଲେ ରଥୀ
ଖାଣ୍ଡବ ବନ ସନ୍ନିଧ୍ୟେ ଯାଇଂ ବିଜୟେ ତଡତି ।୧୮୦ ।
ପାଦୁକା ଗଙ୍ଗା ବୋଲି ୟେକ ନଦୀ ଗୋଟି
ଖାଣ୍ଡବ ବନ ବେଢି ସେ ମେଖଳି ଧାର ଫୁଟି ।୧୮୧ ।
ସେ ନଦୀ ଗୋଟି ଯେ ଖଣା ଖାଣ୍ଡବ ବନକୁ
ଅଶୀ ସାଗର କୁମ୍ଭ ବୁଡ଼ଇ ସେ ପାଣି ଦେବାକୁ ।୧୮୨ ।
ସୁବର୍ଣ୍ଣ ପାଚେରୀ ଗୋଟି ଚଉବିଂଶ ଯୋଜନ ଉଚ୍ଛର୍ଗ
କମଳ ଶିଳା ମାନଙ୍କ ଉପରେ ଅଛି ସ୍ୱର୍ଗ ।୧୮୩ ।
ପାଚେରୀ ଚାରି ଦ୍ୱାରେ ଯେ ଚାରୋଟି ଜଗତୀ
ଶତେ ତାଳ ଉଚ୍ଛର୍ଗ ଯେ ଚାରି ଯୋଜନ ପ୍ରତି ।୧୮୪ ।
ସୁବର୍ଣ୍ଣର କଳସ ବସଇ ତହିଂର ଉପର
ଝଲକନ୍ତି ମୁକୁତା ରତ୍ନମାନ ଯେ ତହିଂରେ ।୧୮୫ ।
ସହସ୍ରେକ ନବଶତ ଯୋଜନ ଖାଣ୍ଡବ ବନ ତୋଟା
ଚାରି ଚାରି କାଠି ବିସ୍ତାର ୟେକଇ ବୃକ୍ଷ ଗୋଟା ।୧୮୬ ।
ଅଶୀ ମର୍ଭୁତ ଯେ ତୋଟାଳ ଖଟନ୍ତି
ବୃକ୍ଷକେ ଜଣେ ଜଣେ ପାଣି ଦେଉଛନ୍ତି ।୧୮୭ ।
ଅର୍ଜୁନଙ୍କୁ ଘେନି ବଶ୍ୟାନର ବହତି
ରଥ ରୁହାଇଲେ ଉତ୍ତର ଦ୍ୱାର ଜଗତୀ ।୧୮୮ ।
ଦେଖିଲେ ବୃକ୍ଷଙ୍କର ମୂଳକୁ ଦୃଷ୍ଟି କରି
ଚାରି ଚାରି ଦଣ୍ଡ ବୃକ୍ଷଙ୍କ ଚଉଂରି ।୧୮୯ ।
ସୁବର୍ଣ୍ଣର ବନ୍ଧାଇଲା ଅଛି ଚଉକତି
ପୁଷ୍ୟଙ୍କର ତେଜରେ ତହିଂ ନାହିଂ ଦିବାରାତି ।୧୯୦ ।
ଅନୁବ୍ରତେ ବହଇ ମଳୟ ସମୀର
ମଉଷଧିଙ୍କର ତେଜ ଲାଗି ଶତେ ଯୋଜନ ଜୀବେ ଅମର ।୧୯୧ ।
ପୁଷ୍ୟେ ବିକାଶନ୍ତି କନକ ପୁଷ୍ୟେ ପ୍ରାୟେ
ଜୀବଙ୍କର ଶରୀର ଦିଶଇ ରସାଣିଲା ସୁବର୍ଣ୍ଣ ପରାୟେ ।୧୯୨ ।
ୟେସନେକ ମହିମା ସେ ଖାଣ୍ଡବ ବନ ତୋଟା
ଶତେ ଶତେ ଯୋଜନ ୟେକା ବୃକ୍ଷ ଗୋଟା ।୧୯୩ ।
ବିଚାରଇ ଫାଲଗୁନି ଆପଣା ହୃଦଗତେ
ୟେ ଆକାଶର ସମ୍ପ୍ରଧି ମୁଂ ଧଂସିବି କେମନ୍ତେ ।୧୯୪ ।
କରପତ୍ର ଯୋଡ଼ିଣ ଯେ ବୋଲଇ ଫାଲଗୁନି
କେବଣ ମଉଷଧିରେ ତୁଟିବ ତୁମ୍ଭର ମନ୍ଦାଅଗ୍ନି ।୧୯୫ ।
ଚିହ୍ନଇ ଦିଅ ମୋତେ ଆଣଇଂ ମୁହିଂ ତାହା କାଟି
ଭକ୍ଷିଣ ଆରୋଗ୍ୟ ହୋଉ ତୁମ୍ଭର ଶରୀର ଗୋଟି ।୧୯୬ ।
ଅଗ୍ନି ବୋଇଲେ ତୁ ସଂକଳ୍ପ କଲୁ ଯେତେବେଳେ
ତୋଟାଯାକ ମାଗିଲି ଯେ ତହିଂକି ସାକ୍ଷୀ ଦିଗପାଳେ ।୧୯୭ ।
ବୃକ୍ଷନ୍ତ ଚଢେଇ କୀଟ ପତଙ୍ଗ ଆଦି କରି
ସବୁନ୍ତି ଭକ୍ଷିବି ମୁହିଂ ମୋତେ ଥିବୁ ତୁ ଆବୁରି ।୧୯୮ ।
ତେବେ ସେ ତ୍ରିପୁତି ମୁହିଂ ହୋଇବି ଫାଲଗୁନି
ଉଣେଇଶ-ଶତଯୋଜନ ମୁଂ ଭକ୍ଷିବି ଖାଣ୍ଡବ ବନ ଘେନି ।୧୯୯ ।
ସମସ୍ତ ଭକ୍ଷିବି ମୁହିଂ ହୋଇବୁ ତୁ ସଖା
ତୋହୋର ବଚନ ପାଥ ପାଷାଣର ରେଖା ।୨୦୦ ।
ତୁ ହୋ ଭାରୋଇ ମଲ୍ଲ ମୋତେ ଦିଲୁ ସତ୍ୟ କରି
ମୁହିଂ ତ୍ରିପୁତି ହେଇବି ତୋହୋରେଣ କରି ।୨୦୧ ।
ଅର୍ଜୁନ ବୋଇଲେ ହୋ ଭକ୍ଷ ଯା ବଶ୍ୟାନର
ଅଗ୍ନି ବୋଇଲେ ବସା ମୋତେ ତୋହୋର ଧନୁଶର ।୨୦୨ ।
ନାରାଜ କରି ମୋତେ ପେଷସି ଫାଲଗୁନି
ମୁହିଂ ଦହନ କରିବି ସିନା ତୋହୋର ତେଜ ଘେନି ।୨୦୩ ।
ଅର୍ଜୁନ ନାରାଜ କରି ବସାଇଲେ ଧନୁରେ
ଅଗ୍ନି ଶହସ୍ର ହୋଇ ବସିଲେ ବଶ୍ୟାନରେ ।୨୦୪ ।
ଅଗ୍ନି ବୋଇଲେ ବାବୁରେ ଯାଉଅଛି ମୁହିଂ
ମେଘ ବରଷନ୍ତି କି ବାସବ ଆଗ୍ୟାଂ ପାଇ ।୨୦୫ ।
ଆନକୁ ଭୟ ମୋର ନାହିଂ କଦାଚିତେ
ଜଳହିଂ ସେ ଦର୍ପ ମୋହୋର ଗଞ୍ଜଇ ତୁରିତେ ।୨୦୬ ।
ତାହାତହୁଂ ଦୃଢ଼ କରି ଥିବୁଟି ମୋତେ ରଖି
ସୁଖେ ମଉଷଧି ମାନ ଯେହ୍ନେ ପାରଇ ମୁଂ ଭକ୍ଷି ।୨୦୭ ।
ପଚ୍ଛୀଜନ୍ତୁ ମାନେ ଯେହ୍ନେ ଉଡ଼ି ନ ଯାନ୍ତି ଗଗନ ମାର୍ଗେ
ତାହାଙ୍କୁ ନାରାଜମାନ ବିନ୍ଧୁଥିବୁଟି ବେଗେଂ ବେଗେଂ ।୨୦୮ ।
କୀଟ ପତଙ୍ଗ ଯେ ପିମ୍ପୁଡ଼ି ଆଦି କରି
କେହି ଗୋଟିୟେ ୟେଥୁଂ ନ ଯିବେଟି ଉବୁରି ।୨୦୯ ।
ତେବେ ସେ ଦିଲା ଧର୍ମ ହୋଇବଟି ତୋହୋର
ତିନି ଯୁଗର ବ୍ୟାଧି ତୁଟିବ ମୋହୋର ।୨୧୦ ।
ୟେତେ ଦୃଢ଼ କରାଇ ଅର୍ଜୁନକୁ ଦେବ ବଶ୍ୟାନର
ଜଗତୀରେ ଥାଇ ଅର୍ଜୁନ ବିନ୍ଧଇ ରୋଷଭର ।୨୧୧ ।
ତୋଟାରେଣ ପଡ଼ି ଅଗ୍ନି ଦେବତାୟେ କ୍ଷେପି
ବ୍ୟାପିଲେ କାଳାନଳ ଅଭୟେ କାମରୂପୀ ।୨୧୨ ।
ଅନେକ କାଳରୁ ଶୁଖିଲା ପତ୍ର ଅଛି ତହିଂ ପଡ଼ି
ଲାଗିଲା ଅନଳ ଦେବତା ମହାତେଜ ମୃତ୍ତି ଧରି ।୨୧୩ ।
ମହାକାଳ ଅନଳ ତହିଂରେ ବିକାଶିଲା ତେଜମୃତ୍ତି
ତୋଟାଳମାନେ ମାଡ଼ି ପଡ଼ିଲେକ ଝା଼ଡ଼ି ।୨୧୪ ।
ବାମ୍ଫୀରୁ ପାଣି ଆଣି ପୂରୋଇଲେ ରତ୍ନ ଘଟେ
ଅଗ୍ନିର ଉପରକୁ ଫିଙ୍ଗି ଦିଅନ୍ତି ବଳିଷ୍ଠେ ।୨୧୫ ।
ଅଗ୍ନି ଡାକ ଦିଲେ ମୋତେ ରଖ ରଖ ହୋ ସର୍ବସାଚୀ
ତୋହୋର ଓପ୍ରୋଧ କଲେ ଆନ କେହୁ ପାରଇ ରଖି ।୨୧୬ ।
ଦଶ ମର୍ଭୁତେ ଯେ ଅଛନ୍ତି ତୋଟାଳେ
ଜଣକେ ଦଶ ନାରାଜ ବିନ୍ଧିଲେ ବାସବର ବାଳେ ।୨୧୭ ।
ପଡ଼ିଲା ନାରାଜ ଧାତିକାରେ ମନଭେଦୀ
ତୋଟାଳମାନଙ୍କ ଭୁଜ ପକାଇଲା ଛେଦି ।୨୧୮ ।
ହାର କୁଣ୍ଡଳମାନ ବିରାଜଇ ସର୍ବ କାୟେ
ଦିଶିଲେ ରକ୍ଷପାଳେ ମୁଣ୍ଡା ବୃକ୍ଷ ପ୍ରାୟେ ।୨୧୯ ।
ଅଗ୍ନି ଦେବତାୟେ ପଡ଼ିଲେ ବେଗେ ମାଡ଼ି
ପଳାଇ ନ ପାରିଲେ ସମସ୍ତେ ମଲେ ପୋଡ଼ି ।୨୨୦ ।
ଯେ ଅବା ପଳାଇ ଲୋଡ଼ନ୍ତି ନିସତେ
ଅଗ୍ନିରେ ପଡ଼ଇ ସେ ପାଥର ଶରଘାତେ ।୨୨୧ ।
ଦଶ ମର୍ଭୁତ ତହିଂ ଯେ ଥିଲେ ତୋଟାଳ ମାନ
ଜଣେହେଂ କେହି ନ ଉବୁରି ହୋଇଲେ ଦହନ ।୨୨୨ ।
ତୋଟାର ଧୂମ ଯେ ଉଠିଲା ଗଗନେ
ସୁଗନ୍ଧ ଆମୋଦର ଆକାଶ ଭୁବନେ ।୨୨୩ ।
ନାରଦେ ବିଜେ କଲେ ତୋଟାର ସନ୍ନିଧାନେ
ଦେଖିଲେ ଜଗତୀରେ ବିଜେ ପାଣ୍ଡବ ଅରଜୁନେ ।୨୨୪ ।
ନାରଦଙ୍କୁ ଦେଖି ପାଦ ଆସ୍ତାନ ତେଜି ଉଠି
ପ୍ରଣପତ୍ୟ ହୋଇ ସୁତିଲା ଭୂମିରେଣ ଲୋଟି ।୨୨୫ ।
ନାରଦ ବୋଇଲେ ତୁ ଯେ ବାସବର ବାଳ
ଆକାଶର ସମ୍ପଦ କରୁଛୁ ନାରଖାର ।୨୨୬ ।
ଇନ୍ଦ୍ର ଦେବତାର ଯେ ଅଟଇ ଖାଣ୍ଡବ ନାମେ ବନ
ଅନେକ ମଉଷଧି ଅଛି ୟେ ହୋଉଛି ଦହନ ।୨୨୭ ।
ଅର୍ଜୁନ ବୋଇଲେ ମୁଂ ଅଟଇ କିସ ଦୋଷୀ
ଦିଗପାଳ ହୋଇଂ ଅଗ୍ନି ଦେବତାୟେ ନାଶି ।୨୨୮ ।
ୟେତେକ ବଚନ ଶୁଣି ଚଳିଲେ କଳହ ପ୍ରିୟା
ଅମରେ ଭୁବନେ ଯାଇଂ ଭେଟିଲେ ସୁରନାହା ।୨୨୯ ।
ତ୍ରିଦଶ୍ୟ ଦେବତାୟେ ବସିଣ ଅଛନ୍ତି ଆସ୍ତାନେ
ଅମର ବିଳାସୁଣୀ ଖଟନ୍ତି ଭରହରଷ ମନେ ।୨୩୦ ।
ୟେମନ୍ତର ସମୟେ ଆମୋଦଇ ଗନ୍ଧ
ଆସ୍ତାନେ ଥାଇଂଣ ଯେ ବୋଲଇ ଦେବ ଇନ୍ଦ୍ର ।୨୩୧ ।
ଅପୂର୍ବ ବାସ ତ ଆମୋଦଇ ଆକାଶେ
ଶରୀର ତ ପଲ୍ଲବିତ ହୋଉଛି ଦିବ୍ୟ ବାସେ ।୨୩୨ ।
ନାରଦେ ବୋଇଲେ ହୋ ଶୁଣିମା ସୁନାଶୀର
ଖାଣ୍ଡବ ବନ ଦହନ ଗଲାକ ତୋହୋର ।୨୩୩ ।
ଅଗ୍ନି ଦେବତା ଦହନ କରୁଅଛି ତୋହୋର ଯେ ତୋଟା
ଶୁଣିଣ କୋପାନଳ ହୋଇଲେ ସୁରଶ୍ରେଷ୍ଠା ।୨୩୪ ।
ଆସ୍ତାନୁଂ ଡେଇଂ ଯେ ପଡ଼ିଲେ ସୁରରାଜ
ଧାଅଂରେ ନନ୍ଦନେ ମୋର ଏୌରାବତ ବେଗେ ସାଜ ।୨୩୫ ।
ବିଦ୍ୟାଧର ରାଇ ବୋଇଲେ ସୁରଦେବା
ଧାଅଂରେ ସମସ୍ତେ ବହନ ଅଗ୍ନି ଲିଭା ।୨୩୬ ।
ଆରେ ତୋଟାଳେ ଯେ ଅଛନ୍ତି ଦଶ ମର୍ଭୁତେ
ତାହାଙ୍କର ଥାଆନ୍ତେ କିମ୍ପେ ଅଗ୍ନି ଅପ୍ରମିତେ ।୨୩୭ ।
ବାବୁ ଧାଅଂରେ ଅଙ୍ଗାରପନଙ୍ଗ ଜୟସେନ ଚିତ୍ରସେନ
ସେହି ଅଗ୍ନିରେ ବାନ୍ଧି ପକାଅ ତୋଟାଳମାନ ।୨୩୮ ।
ବାସବ ଦେବତା ଆଗ୍ୟାଂ ପାଇଣ କୁମରେ
ଧାମନ୍ତି ବାହନ ଚଢି ସମସ୍ତ ବିଦ୍ୟାଧରେ ।୨୩୯ ।
ଅନେକ ଶହସ୍ର ଧରିଅଛନ୍ତି କରଗତେ
ଚଉଷଠି କୋଟି ଯେ ବାସବର ସୁତେ ।୨୪୦ ।
ଗର୍ନ୍ଧବ ବିଦ୍ୟାଧରନ୍ତ କି ଅବା ପ୍ରଶଂସି
କାମଦେବର ସାଦୃଶେ ତେଜ ପରକାଶି ।୨୪୧ ।
ଅଷ୍ଟରତ୍ନ ଅଳଙ୍କାର ବିରାଜଇ କାୟେ
ଦିଶନ୍ତି ବିଦ୍ୟାଧର ଅମରାଧିନାଥ ପ୍ରାୟେ ।୨୪୨ ।
ଅଶୀପଦ୍ମ ସେନା ଘେନିଣ କୁମାର ଚିତ୍ରସେନ
ଚାରିଦିଗେ ଧାଇଂଲେ ଦିଗପାଳ ପୁତ୍ରମାନ ।୨୪୩ ।
ମଉଷଧି ଆପ୍ୟାନେ ଅନଳ ତେଜ ରେଖା
ବ୍ରହ୍ମାଣ୍ଡେ ବ୍ୟାପିଲା ବହନିର ତେଜଶିଖା ।୨୪୪ ।
ଗଙ୍ଗାକୂଳ ଦେଇଣ ଯେ ଧାଇଂଲେ କୁମରେ
ଦକ୍ଷିଣ ଭାଗ କତି ପଶିଲେ ତୋଟାରେ ।୨୪୫ ।
ଗଙ୍ଗାରୁ ପାଣି ପୂରୋଇଂ ରତ୍ନ ଘଟେ
ପକାନ୍ତି ଅଗ୍ନିରେ ଯେ ମହା ମହା ବଳିଷ୍ଠେ ।୨୪୬ ।
ରଖ ହୋ ଅର୍ଜୁନ ବୋଲି ଡାକିଲେ ବଶ୍ୟାନରେ
ଅର୍ଜୁନ ଶୁଣିଲା ତା ଥାଇଂ ଜଗତୀ ଉପରେ ।୨୪୭ ।
ପବନା ଶହସ୍ରେକ ପେଷିଲା ଫାଲଗୁନି
ଉଡ଼ିଣ ବିଦ୍ୟାଧରେ ପଡ଼ିଲେ ଯୋଜନ ତିନି ।୨୪୮ ।
ବାସବ ଦେବତାଙ୍କୁ ନାରଦ କହିଲେ
ପୁତ୍ରମାନେ ତୋହୋର ସମସ୍ତ ନାଶ ଗଲେ ।୨୪୯ ।
ସୁଖେଣ ଅଗ୍ନି ଦହନ କରାଇ ଖାଣ୍ଡବ ଯେ ବନ
ଚାରି ମେଘନ୍ତ ରାଇ ଆଗ୍ୟାଂ ଦିଲେକ ମଘବାନ ।୨୫୦ ।
ଆବର୍ତ୍ତେକ ସଂବର୍ତ୍ତେକ ଦ୍ରୋଣ ଯେ ପୁଷ୍କର
ଚାରି ମେଘେ ଯାଇଂ ବରଷିବ ଖାଣ୍ଡବ ବନ ତୋଟାର ।୨୫୧ ।
ଆଗ୍ୟାଂ ପାଇଣ ମେଘ ମାନେ ଉଠିଲେକ ଗଳଗାଜି
ସମୁଦ୍ରୁଂ ପାଣି ତୋଳି ଆଣିଲେ ଦଣ୍ଡ ସାଜି ।୨୫୨ ।
ଜମ୍ୱୁପଟଳ ପ୍ରାୟେକ ଉଠିଲେ ଚଉକତି
ଗର୍ଜନ ନାଦ କରି ମେଘେ ବରଷନ୍ତି ।୨୫୩ ।
ଅଗ୍ନି ଡାକ ଦିଲେ ରଖ ହୋ ସର୍ବସାଚୀ
ମେଘେ ବରଷିଲେ ମୋହୋର କାର୍ଯ୍ୟ ନୋହିଲାକ କିଛି ।୨୫୪ ।
ବଶ୍ୟାନରଙ୍କର ୟେସନେକ ବଚନ ଶୁଣିଣ ବୀର ଫାଲଗୁନି
କୋପଣେ ବୀର ପେଷିଲା ମନଭେଦୀ ନାରାଜ ଘେନି ।୨୫୫ ।
ଅବିଚ୍ଛନେ ନାରାଜ ବିନ୍ଧିଲା ମହାବୀରା
ଖାଣ୍ଡବ ବନଯାକ ସବୁ କଲା ଶର ପୀଡା ।୨୫୬ ।
ଉଣେଇଶ ସହସ୍ର ଯୋଜନ ସେ ଖାଣ୍ଡବ ନାମେ ବନ
ଶରେ ଶରେ ପୀଡ଼ା କରି ଛାଇଲା ଅରଜୁନ ।୨୫୭ ।
ବେନି ତାଳ ବହଳ ଯେ ହୋଇଲା ଶରପୀଡ଼ା
ବରଷନ୍ତି ମେଘମାନେ ନ ଗଳନ୍ତି ଜଳଧାରା ।୨୫୮ ।
ଉଣେଇଶ ସହସ୍ର ଯୋଜନ ଅଟଇ ଯେଉଂଣ ବନ
ବରଷନ୍ତି ମେଘମାନେ କରନ୍ତି ଗରଜନ ।୨୫୯ ।
ୟେକାର୍ଣ୍ଣବ ହୋଇ ତହିଂ ବ୍ୟାପିଲେକ ସ୍ୱର୍ଗ
ପଞ୍ଚାଶତ ଯୋଜନ ଯେ ଶର ପୀଡ଼ାର ଉର୍ଚ୍ଛଗ ।୨୬୦ ।
ଅଗ୍ନିର ତେଜ ଲାଗିଣ ସମସ୍ତ ତେଜ ବିନାଶଇ
ତୋଟାର ପାଚେରୀ ତହିଂକି ହେଇଛି ଗଡ଼ଖାଇ ।୨୬୧ ।
ଯିବାକୁ ଜୀବଜନ୍ତୁ ତହିଂ ନୁହନ୍ତି ବାହାର
ଚଉକତି ବିରୋଧ କଲା ପଣ୍ଡୁର କୁମର ।୨୬୨ ।
ବ୍ୟାଘ୍ର ଭଲ୍ଲୁକ ହାଥୀ ଘୋଡ଼ା ମଇଂଷି ଗଣ୍ଡା ଶାର୍ଦ୍ଦୋଳ
ପଳାଇ ନୁଆରିଲେ ୟେ ଜନ୍ତୁୟେ ଭକ୍ଷିଲା ଅନଳ ।୨୬୩ ।
ମୃଗ ହରିଣ ବାହୁଟିଆ ଆଦି କରି
କୋକି ଭଲ୍ଲୁକ ଶୟେମ୍ୱର ବଳିଆ ତିତିରୀ ।୨୬୪ ।
ବରେହା ଓଟ ଖୁରାଣ୍ଟି ଆବର ଖରିଆ
ଜମ୍ୱୁକୀ ଠେକୁଆ ଯେ କଟାଶ ଶାଳେହା ।୨୬୫ ।
ଅନେକ ଶଶାମାନ ପାତିମର୍କଟ କୁମ୍ଭାଟୁଆ ମାର୍ଜାରୀ
ସୁରୁସୁରିଆ ଗୋଧି ମଜୁର କାକ ବକ ଆଦି କରି ।୨୬୬ ।
ମର୍ପ ମଣ୍ଡୁକୀ ମୂଷିକ ଯେ କାଠପୋକ
ପଚ୍ଛୀଜନ୍ତୁମାନେ ତହିଂ ଅଛନ୍ତି ଅନେକ ।୨୬୭ ।
ଶାରୀ ଶୁଆ କଙ୍କି ନେପାଳୀ ମୂଷା ପାଣିକୁଆ
କୁମ୍ଭାରିଆ ପୁଣ ବଣି କୋଠାର କାଠୋରିଆ ।୨୬୮ ।
ବରକୋଳିଆ ଅନ୍ଧାରୁଆ ଦଳଫିମ୍ପା
ବଶ୍ୟାନର ସମସ୍ତ ଖାଉଛନ୍ତି ୟେକା ।୨୬୯ ।
କାଦୁଆ ଚକୁଆ ଚକୋଇ ଚଢେଇ ଝିଙ୍କ ଯେ ମୟୂର
ବଡ ଝିଙ୍କ କେଶର-ପାଣ୍ଡିଆ ସାତଭାଇଆ କଙ୍କ ।୨୭୦ ।
କୁକୁଟ ହରିହରିଆଳୀ ଆବର ପ୍ରଶୁତୂଳା
କେଶିଲା ଆମ୍ୱଲା ଗୁଞ୍ଜର ବାଦୁରୀ ଅମଳା ।୨୭୧ ।
ଅୟେଂଳା – ଲାଡ଼ି ସମୁଦ୍ର- ନାଭ – ଦିଆ
ତେଜି ଜଳତରଙ୍ଗ ହେମକଣ୍ଠି ହସରାଳି ଗୋବରିୟା ।୨୭୨ ।
କଟ୍ର କଟ୍ରା ସୁତରୁଣା ରାଜଝିଙ୍କ
ଗୁଣ୍ଡୁରି ଆଦି ଓଇଭାର କାଠଗୁମ୍ଫା କରତ ପୋକ ।୨୭୩ ।
ଝଣ୍ଡା ଡାହୁକ ଅଥାରିଆ ଦଦୟିଆ ସୋରଡ଼ପାରିଆ
ବକ ଧୋଇୟା କୋଇୟା କୋଇଲି ଘାସୁରିଆ ।୨୭୪ ।
ପାଂଜୋରୀ ପାରେୟା ହଂସ କରକଟ୍ରୀ ତ୍ରିକୂଟ ପାତି ଶୂଆ
ତାଳଚେରୀ ଶିକୋର ତେରେଣ୍ଠି କୋଳେୟା ।୨୭୫ ।
କପୋତ- କପୋତୀ ଯେ କଳା ବଢିଣା
ଗୁଣ୍ଡୁରି – ଚିତି ତାଳକୋଳିଆ ଅୟେଂଳା ଲେଣ୍ଡି ବାଲୁଆ ।୨୭୬ ।
ସାଙ୍ଗି ସାରଙ୍ଗୀ ଜତିଆ ଗୋଖୁଣ୍ଡିଆ କାମକା
କାମପାଳ ଫଳାନିଶା ପଖିଆ ଘୁରିୟା ।୨୭୮ ।
ତେଣ୍ଟୁଆ – ତେଣ୍ଟେଇ ବାୟା ଚଟକିୟା କାର୍ତ୍ତିକୀ
ପଙ୍କଖାଇ ଚଢେଇ ଗଙ୍ଗାଇ ଡୁବାଇ ଆଦି ଯେତେ ପଶୁପକ୍ଷୀ ।୨୭୯ ।
ଗରୁଡ଼ ପକ୍ଷୀ ଶଶାପକ୍ଷୀ ଗଜ ବିହଙ୍ଗମ ଆଦି କରି
ଖାଣ୍ଡବ ବନ ଦହନେ କେହି ନ ଗଲେ ଉବୁରି ।୨୮୦ ।
ଦ୍ୱାର ବାଟେ ଯାଉଅଛି ପଚ୍ଛୀ ଗୋଟିୟେ
ଅଗ୍ନି ଡାକ ଦିଅନ୍ତି ବାବୁ ଗଲାଟି ଧନୁର୍ଜ୍ଜୟେ ।୨୮୧ ।
ସେ ପଛୀକି ନାରାଜ ବିନ୍ଧଇ ଫାଲଗୁନି
ନେଇ ପକାଇଲେ କାଳାନଳ ଅଗ୍ନି ।୨୮୨ ।
ଅବିକ୍ଷଣେ ନାରାଜ ଯେ ବିନ୍ଧଇ ସର୍ବସାଚୀ
ଅଗ୍ନି ଦେବତାଙ୍କର ଯେ ତ୍ରିପୁତି ମନବାଞ୍ଛି ।୨୮୩ ।
ରାତ୍ର ଦିବସେ ବରଷିଲେ ମେଘମାନେ
ସମୋଦ୍ର ପ୍ରାୟେକ ହୋଇଲା ଜଳ – ଉଦ୍ୟାନେ ।୨୮୪ ।
ନାନା ବୃକ୍ଷେ ହଦନ ହୋଉଛନ୍ତି ସମସ୍ତ
ବାହୁଡ଼ି ଯେ ମେଘମାନ କହିଲେ ଇନ୍ଦ୍ରଙ୍କ ଅଗ୍ରତ ।୨୮୫ ।
ସ୍ୱାମୀ ଅଗ୍ନି ଦେବତାଙ୍କର ଦୋଷ ନାହିଂ କିଛି
ବୀରବର ଗୋଟିୟେ ଖାଣ୍ଡବ ବନ ଦହନ କରୁଅଛି ।୨୮୬ ।
ଆମ୍ଭେ ବୃଷ୍ଟି ଗାଢ଼େଂ କଲୁଂ ଯେତେବେଳେ
ତୋଟାଯାକ ଶରପୀଟା କଲା ସେ ଗଗନ ମଣ୍ଡଳେ ।୨୮୭ ।
ଦେବେ ଦାନବେ ତାହାର ଦେବ ଅସଂଖ୍ୟ ମହିମା
କି ସେ ନାରାୟଣ ସଦାଶିବ ବ୍ରହ୍ମା ।୨୮୮ ।
ଇନ୍ଦ୍ର ଦେବତାୟେ ବୋଇଲେ କାହାର ମୁଂ ନୁହଇ ବଇରି
ୟେହି ଖାଣ୍ଡବ ବନ ତ ସବୁଙ୍କରି ହିତକାରୀ ।୨୮୯ ।
ୟେତେକ ବିଚାରିଣ ଯେ ଦେବ ପୁରୁହୂତେ
ଶ୍ରୀଭୁଜେ ଅଜଙ୍ଗ ଧନୁ ଧରି ବିଜୟେ ଐରାବତେ ।୨୯୦ ।
ଅମରଗଣମାନ ଘେନିଣ ସସ୍ରଯୋନି
ଅବଶ୍ୟ ମାରିବି ଯଦି ହୁଅନ୍ତି ଦିଗପାଳ ତିନି ।୨୯୧ ।
ଅନେକ ମଉଷଧି ଅଗ୍ନି ଦେବତା ଆପ୍ୟାନ ଯେ କରି
ମନ୍ଦାଅଗ୍ନି ଲୁଦୁବୁଦୁ ବ୍ୟାଧି ଭଲ ହୋଇଲା ତାହାରି ।୨୯୨ ।
ଅବିଚ୍ଛନ୍ନେ ରୂପ ଯେ ସହସ୍ରଧାର ରେଖା
ତିନି ଲକ୍ଷ ଯୋଜନ କୁ ବିକାଶଇ ଅଗ୍ନିଙ୍କର ଶିଖା ।୨୯୩ ।
ଶରପୀଡ଼ା ଗୋଟା ଯେ ଆକାଶେ ଲାଗିଥିଲା
ମହାଅନଳ ଜାଳାରେ ଦହିଯ୍ୟ ହୋଇଲା ।୨୯୪ ।
ତିନି ଲକ୍ଷ ଯୋଜନ ପରିଯନ୍ତେ ମହାଅନଳ ତେଜ
ସନ୍ନିଧକୁ ଯାଇ ନୁଆରିଲେ ଦେବରାଜ ।୨୯୫ ।
ଅର୍ଜୁନ ବିଜେ କରି ଅଛନ୍ତି ଦକ୍ଷିଣ ଜଗତୀ
ଆକାଶେ ଥାଇଣ ତାହା ଦେଖିଲେ ସୁରପତି ।୨୯୬ ।
ବାସବର ପୁତ୍ରମାନେ ପବନେ ଉଡୁଥିଲେ
ମଉଷଧି ଗନ୍ଧ ପାଇ ଚେତନା ପାଇଲେ ।୨୯୭ ।
ପିତାର ସନ୍ନିଧେ ଯାଇଂ ହୋଇଲେ ପରବେଶ
ସ୍ୱାମୀ ୟେକା ଅର୍ଜୁନ ତୋର ତୋଟା କଲା ନାଶ ।୨୯୮ ।
ବାସବ ବୋଇଲେ ହୋ ଜାଣି ତ ନୁଆରିଲି
ଅର୍ଜୁନ ଅବା ନ ଜାଣଇଂ ମୋହୋର ତୋଟା ବୋଲି ।୨୯୯ ।
କେତୁ ମହାକେତୁ ପ୍ରଚଣ୍ଡ ବଳୀ ବୃଦ୍ଧାଶ୍ରବା
ୟେ ଚାରିନ୍ତ ରାଇ ଆଗ୍ୟାଂ ଦିଲେ ସୁରଦେବା ।୩୦୦ ।
ଆରେ ଆରେ ତୁମ୍ଭେ ଅର୍ଜୁନର ଆଗରେ କହ ଯାଇଂ
ବୋଲିବ ପିତାର ତୋଟା ତୋର ଦହୁଛୁ କିସ ପାଇଂ ।୩୦୧ ।
ବାସବର ଆଗ୍ୟାଂୟେ ସେ ବିଦ୍ୟାଧର ଚାରି
ଦକ୍ଷିଣ ଭାଗେ ଯାଇଂ ଅର୍ଜୁନକୁ ପୁଚ୍ଛା କରି ।୩୦୨ ।
ବାବୁ ତୁ କିମ୍ପାଇରେ ଦହୁଅଛୁ ୟେ ଖାଣ୍ଡବ ବନ
ଆପଣେ ବିଜୟେ କରିଅଛନ୍ତି ମଘବାନ ।୩୦୩ ।
ଅଗ୍ନି ଦେବତା ଅଟନ୍ତି ଯେ ଅଶାନ୍ତି ଅତ୍ରିପୁତି
ତୁ ଆଡ଼େହୁଅ ଆମ୍ଭେ ନିବାଉଂ ଅଗ୍ନି ଜ୍ୟୋତି ।୩୦୪ ।
ବୋଲଇ ଫାଲଗୁନି ବାହୁଡ଼ନ୍ତୁ ପୁରୁହୂତେ
ମୋତେ ଦାନ ମାଗିଲା ଯେ ଅଗ୍ନି ଦଇବତେ ।୩୦୫ ।
ୟେଥିରେ ପାଇଂ ସେ ମୋତେ ନ ବୋଲନ୍ତି ଦେବରାଜ
ନାସ୍ତି କଲେ ୟେଥି ପାଇବେ ବଡ଼ ଲାଜ ।୩୦୬ ।
ୟେହା ଶୁଣି ବିଦ୍ୟାଧରେ ବୋଇଲେ ତୁ ଇନ୍ଦ୍ରରେ ବିବାଦୀ
ପୁତ୍ର ହୋଇ ନାଶ କରୁଅଛୁଂ ପିତାର ସମ୍ପ୍ରଧି ।୩୦୭ ।
ଯଦ୍ୟପି କୋପ ତୋତେ କରିବେ ଦେବରାଜ
ୟେହିକ୍ଷଣି ଅର୍ଜୁନ ତୁ ଯେ ହୋଇବୁ ପ୍ରାଣତ୍ୟାଜ ।୩୦୮ ।
ଅର୍ଜୁନ ବୋଇଲେ ତୁମ୍ଭେ ବେଳୁଂ ବେଳ କରୁଅଛ ଅଭାବ
ମୋହୋର ଦୋଷ ନାହିଂ ଟି ତୁମ୍ଭେ ଅଗ୍ନିପାନ ହୋଇବ ।୩୦୯ ।
ମୁହିଂ ତୁମ୍ଭନ୍ତୁ ନ ଚିହ୍ନଇ ତୁମ୍ଭେ ପିତାର ହୁଅ କି କି
ଅଗ୍ନି ଦେବତା ମାଗିଲେ ମୁଂ ତୁମ୍ଭନ୍ତୁ ନ ପାରଇ ରଖି ।୩୧୦ ।
ଶୁଣିଣ କୋପ କଲେ ବାସବ କୁମରେ
ମାନବ ଛାର ହୋଇତୁ ୟେଡ଼େ ଗର୍ବ କହୁ ରେ ।୩୧୧ ।
କରେଣ ପରିଘ ଶହସ୍ରନ୍ତ କୋପେଣ ବୁଲାଇ
ଅର୍ଜୁନ ଉପରକୁ ପଡ଼ିଲେ ବେଗେ ଧାଇଂ ।୩୧୨ ।
ଦେଖିଣ ହସନ୍ତି ଯେ ପାଣ୍ଡବ ଫାଲଗୁନି
କୋପେଣ ବିନ୍ଧିଲା ଯେ ଲାଘବ ଶସ୍ର ଘେନି ।୩୧୩ ।
କାଳାନ୍ତକ ଶର ଯେ ଭେଦିଲେ ଦେହେ ଯାଇଂ
ଚାରି କୁମରେ ବାସବଙ୍କର ପଡ଼ିଲେ ନିମଞ୍ଜାଇ ।୩୧୪ ।
ବାସବ ଅଗ୍ରତେ ଯାଇଂ ନାରଦେ କହିଲେ
ଅର୍ଜୁନ କୋପରେ ତୋହୋର ଚାରି ପୁତ୍ର ନାଶ ଗଲେ ।୩୧୫ ।
ଶୁଣିଣ ବିଷାଦ ଯେ ହେଲେ ଦେବ ଆଖଣ୍ଡଳ
ଆଜ ରେ ପାଣ୍ଡବା ତୋହୋର ପୂରୋଇବି କାଳ ।୩୧୬ ।
ଚମ୍ପାଇ ଚଳାଇଲା ଯେ ଅଇରାବ୍ରତ ନାଗ
ଅର୍ଜୁନ କତିରେ ଯାଇଂ ପ୍ରବେଶ ଅତି ବେଗ ।୩୧୭ ।
ନନ୍ଦିଘୋଷ ରଥରୁ ଓହ୍ଲାଇ ଧର୍ନୁଜୟେ
ବାସବଙ୍କର ଚରଣେ ଭଗତି ବିନୟେ ।୩୧୮ ।
ବାଞ୍ଛା ପ୍ରାପତ ହୋଉ ସର୍ବ କାର୍ଯ୍ୟ ହୋଉ ସିଦ୍ଧି
ଯାହା ବାଞ୍ଛା କରୁ ପ୍ରାପତ ବୋଲଇ ଜମ୍ଭୋଭେଦୀ ।୩୧୯ ।
ଇନ୍ଦ୍ର କଲ୍ୟାଣ କଲେ ଅର୍ଜୁନକୁ ବହନ
ବାବୁ କିମ୍ପେ ଦହନ କରୁଛୁଂ ମୋହୋର ଖାଣ୍ଡବ ବନ ।୩୨୦ ।
ବାବୁ ସତ୍ୟ ଯୁଗେ ବିଷ୍ଣୁ ପାଇଲେ ପ୍ରାଭବ
ଶବରୀନାରାୟଣ ହୋଇଲେ ଆଦିଦେବ ।୩୨୧ ।
ଆକାଶଗଙ୍ଗା କୂଳେ ରଞ୍ଚିଲେ ମଧୁବନ
ୟେଥିରେ ରୋପିଲେ ଆଣି ଅପୂର୍ବ ବୃକ୍ଷମାନ ।୩୨୨ ।
ବାବୁ ୟେହାନ୍ତ ଦହନ କରାଉଛୁଂ କେମନ୍ତେ
ତ୍ରିଦଶ ଦେବତାୟେ କୋପ କରିବେଟି ତୋତେ ।୩୨୩ ।
ଆକାଶଗଙ୍ଗା କୂଳେ ଯେ ଖାଣ୍ଡବ ନାମେ ବନ
ଦେବତାଙ୍କ ତୀର୍ଥ ଯାତ୍ରା ଉଚ୍ଛବ ୟେହୁ ସ୍ଥାନ ।୩୨୪ ।
ଅର୍ଜୁନ ବୋଇଲେ ଦେବ ଶୁଣ ସହସ୍ରାକ୍ଷ
ଅଗ୍ନି ଦେବତା ମୋତେ କରାଇଲେ ଦାନ ବାକ୍ୟ ।୩୨୫ ।
କପଟେ ମାଗିଲେ ମୋତେ ବ୍ରାହ୍ମଣ ରୂପ ଧରି
କିସ ମାଗିବ ବୋଲି ମୁଂ ଜାଣି ସତ୍ୟ କଲି ।୩୨୬ ।
ତଳ ହାଥେ ମାଗିଲେ ମୁଂ ଉପର ହାଥେ ଦାନ ଦିଲି
ୟେମନ୍ତ ବୋଲିଣ ଯେ ସତ୍ୟ ମୁହିଂ କଲି ।୩୨୭ ।
ସତ୍ୟ କରାଇ ମୋତେ ମାଗିଲେ ଖାଣ୍ଡବ ବନ
ମୁହିଂ ନ ଜାଣଇ ୟେ ତୁମ୍ଭର ମଧୁବନ ।୩୨୮ ।
କଷ୍ଟି ଦିଜବର ବୋଲି ସତ୍ୟ ମୁହିଂ କଲି
ଅଗ୍ନିଙ୍କର ଚରିତ ମୁହିଂ ଜାଣି ତ ନୁଆରିଲି ।୩୨୯ ।
ବାସବ ବୋଇଲେ ତୁ ଯେବେ ସତ୍ୟ କଲୁ ବାଳ
ଖାଣ୍ଡବ ବନ ତୋତେ ମାଗିଲା ଅନଳ ।୩୩୦ ।
ବାବୁ ବ୍ରାହ୍ମଣେ ହୋଇଲେ ୟେ ଅତୀୟ ବଡ଼ ଲୋଭୀ
ଯେ ୟେହାକୁ ଆହାର ଦିଅଇ ସେ ତାହାକୁ ପରାଭବି ।୩୩୧ ।
ବାବୁ ଖାଇଲେ ଅତ୍ରିପୁତି ଦିଲେଣ ନ ସୁଝି
ପୃଥୀଯାକ ପାଇଲେ ସେ ଶାନ୍ତି ଯେ ନ ଭଜି ।୩୩୨ ।
ବାବୁ ଧର୍ମେ ଅର୍ଥେ ଶ୍ୱେତ ରାଜା ଦେବ ଯାଗ୍ୟଂ କଲା
ଘୃତ ସମୋଦ୍ରଯାକ ଆଣି ଯାଗ୍ୟଂ କୁଣ୍ଡେ ବରଷିଲା ।୩୩୩ ।
ଶତେକ ଯୋଜନ ଦୀର୍ଘ କୁଣ୍ଡର ସାରିକ୍ଷ
ପ୍ରତି ଶତେ ଯୋଜନ ଯେ ଅଟଇ ପ୍ରତକ୍ଷ ।୩୩୪ ।
ଗଭୀର ଶତେ ଯୋଜନ ଯେ ଅଟଇ ପ୍ରମାଣ
ଯାଗ କୁଣ୍ଡ ୟେପରି ଯେ ଅଟଇ ଭିଆଣ ।୩୩୫ ।
ମେଘନ୍ତ ଶ୍ରୋହା ପ୍ରୋକ୍ଷଣୀ କରି ବିଶିଷ୍ଟ ବରଷିଲା
ଲୋଭେଣ ଚାଣ୍ଡାଳ ମୋଢା ସମସ୍ତ ଭକ୍ଷିଲା ।୩୩୬ ।
ଘୃତ ସମୋଦ୍ରଯାକ ଭକ୍ଷିଲା ସେ ଅଟେ ୟେଡ଼େ ଲୋଭୀ
ମନ୍ଦାଅଗ୍ନି ହୋଇଣ ସେ ବସିଲା ପରାଭବି ।୩୩୭ ।
ମୋତେ ଆସିଣ ମାଗିଲା ଯେ ଅଗ୍ନିରାଜ ମଉଷଧି
ରାଗଣେ ବୋଇଲି ତୋର ନ ତୁଟଇ କିନା ବ୍ୟାଧି ।୩୩୮ ।
ବ୍ରହ୍ମାଙ୍କ ବାବୁ ୟେ ସତ୍ୟଯୁଗେ ତୋଳାଇ ସେ ଯେ ଆଣିଲା ମୋର ତହିଂ
ତେବେ ବି ଖଣ୍ଡିୟେ ମଉଷଧି ନ ଦିଲଇଂ ମୁହିଂ ।୩୩୯ ।
ତ୍ରେତୟା ଯୁଗେ ତୋଳାଇ ଆଣିଲା ଈଶ୍ୱରଙ୍କୁ
ତଥାପି ମଉଷଧି ନ ଦିଲଇଂ ତାହାକୁ ।୩୪୦ ।
ଦ୍ୱାପରେ ଆଦିତ୍ୟ ଦେବତାଙ୍କୁ ତୋଳାଇ ଆଣିଲା
ତାହାଙ୍କ ବଚନ ମେଣ୍ଟିଲି ସେ ବାହୁଡ଼ିଣ ଗଲା ।୩୪୧ ।
ଚନ୍ଦ୍ର ବରୁଣ କୁବେର ବୃହସ୍ପତି ଆଦି କରି
ଲାଜ ପାଇ ୟେମାନେ ଗଲେ କ ବାହୁଡ଼ି ।୩୪୨ ।
ବାବୁ ୟେଡ଼େ କାଳେ ଆସି ତୋତେ ପାଇଲା ଭରସା
ପୁଣି ତୋତେ ଦାନ ମାଗି ପୂରୋଇଲା ମନୀଷା ।୩୪୩ ।
ଇନ୍ଦ୍ର ଅର୍ଜୁନର କଥା ହୁଅନ୍ତେଣ ତହିଂ
ପଛୀମାନେ ପଳାବନ୍ତି କୋଳହଳ ହୋଇଂ ।୩୪୪ ।
ଅଗ୍ନି ଡାକ ଦିଲେ ଶୁଣ ହୋ ସର୍ବସାଚୀ
ସତ୍ୟ ଅନ୍ତର ହୋଉଅଛିଟି ପଳାଉଛନ୍ତି ପଛୀ ।୩୪୫ ।
ୟେକ କୀଟ ପତଙ୍ଗ ଗୋଟିୟେ ଯେବେ ଅନ୍ତର ହୋଇଯାଇଂ
ଦିଲାର ଧର୍ମ ତୋତେ ପ୍ରାପତ ନୋହଇ ।୩୪୬ ।
ତୁହି ସେ ପାର୍ଥିବ ଭାରଥେ ଭାରୋଇ ମଲ୍ଲ
ପାଷାଣ ରେଖ ହୋଇବନା ୟେ ତୋହୋର ବୋଲ ।୩୪୭ ।
ଅଗ୍ନିଦେବତାଙ୍କର ବିନୟ ବଚନ ଶୁଣି
ବିନ୍ଧିଲା ନାରାଜ ପାଥ ଗାଣ୍ଡୀମ ଧନୁ ଟାଣି ।୩୪୮ ।
ଅନେକ ପଛୀ ଯେ ପଳାଇ ଯାଉଥିଲେ
ଅର୍ଜୁନର ଶରାଘାତରେ ସମସ୍ତେ ଅଗ୍ନିରେ ପଡ଼ିଲେ ।୩୪୯ ।
ଇନ୍ଦ୍ର ବୋଇଲେ ତୁ ଦିଲୁ ଖାଇଲାତ ଅଗ୍ନି
ସଂକଳ୍ପ ପୂରିଲାତ ୟେବେ ଯାଅ ତୁ ଫାଲଗୁନି ।୩୫୦ ।
ମୁହିଂ ଅଗ୍ନିଙ୍କି ଲିଭାଇବି ଶୁଣ ହୋ ଅରଜୁନ
ବାରଶତ ଯୋଜନ ତୋଟା ହୋଇଲାନି ଦହନ ।୩୫୧ ।
ବୋଲଇ ଫାଲଗୁନି ଶୁଣିଲଟି କି ତାତ
ଚଢେଇ ଛାର ଗୋଟିକି ବୋଲଇ ୟେମନ୍ତ ।୩୫୨ ।
ଭୋ ଅମରାଧିନାଥ ଚରଣେ ତୋର ସେବା
କଥା ନ ରୁହାଅ ସ୍ୱାମୀ ବାହୁଡ଼ି ୟେଥେଂ ଯିବା ।୩୫୩ ।
ଐରାବତ ପିଠିରୁ ଉତୁରିଲେ ସୁନାଶୀର
ଅର୍ଜୁନ ହାତ ଧରି ପଶିଲେ ଖାଣ୍ଡବ ବନ ଭିତର ।୩୫୪ ।
ବାବୁ ଯେବଣ ଯେବଣ ପଦାର୍ଥମାନ ହେଉଛି ଦହିଜ
ତାହା ତୋତେ ଚିହ୍ନାଇ ଦେବା ରେ ଆତ୍ମଜ ।୩୫୫ ।
ଖାଣ୍ଡବ ବନରେ ଯେ ପଶିଲେ ଅମରାଧି
ପ୍ରଥମେ ଅର୍ଜୁନକୁ ଦେଖାଇଲେ ବିଷଲ୍ୟକରଣୀ ମଉଷଧି ।୩୫୬ ।
ବାବୁ ରାମ ରାବଣ ଯୁଦ୍ଧ ହୋଇଲା ତ୍ରେତୟା ଯୁଗରେ
ଲକ୍ଷ୍ମଣକୁ ରାବଣ ମାଇଲା ବ୍ରହ୍ମଶକ୍ତି ଶରେ ।୩୫୭ ।
ପଚିଶ ଯୂଥପତି ପଞ୍ଚଶପଦ୍ମ ସେନା
ଅଷ୍ଟାଦଶ ପଦ୍ମ ବାନର ପଡ଼ିଲେ ସନ୍ୟ ଅକଳନା ।୩୫୮ ।
ବାବୁ ପତ୍ର ଗୋଟିୟେ ଆସି ୟେଥୁଂ ହନୁମନ୍ତ ନେଲେ
ପବନ ଆଡ଼େ ପତ୍ର ଗଳିଲେ ସମସ୍ତେ ଜୀବନ ପାଇଲେ ।୩୫୯ ।
ବାବୁ ଲକ୍ଷେ ଶିର ରାବଣ ଯେ ଉପୁଜିଲା
ଶୂଳ ଶକତି ଘେନି ସେ ଲକ୍ଷ୍ମଣକୁ ମାଇଲା ।୩୬୦ ।
ଅନେକ ରୁକ୍ଷ ହରିବଳ ଘେନି ପଡ଼ିଲା ଲକ୍ଷ୍ମଣ
ହନୁମନ୍ତ ପଶିଲା ଆସି ୟେହି ତୋଟାୟେଣ ।୩୬୧ ।
ବିଷଲ୍ୟକରଣୀ ମଉଷଧି ୟେହି ବୃକ୍ଷ ଗୋଟି
ତାର ମୂଳୁଂ ହନୁ ନେଲା ଶିକଡ଼ ପାଣି ଫୁଟି ।୩୬୨ ।
କୋମଣ୍ଡଳୁଂ ପାଣି ନେଇ ସିଞ୍ଚିଲା ତଡ଼ତି
ପଞ୍ଚାଶ କାଠି ସନ୍ୟ ଘେନି ଲକ୍ଷ୍ମଣ ଉଠି ବ୍ରତି ।୩୬୩ ।
ବାବୁ ପ୍ରଳୟ ଅନ୍ତେ ରାବାୟଣେକ ହୋଇଲା
ଅହିବ୍ରତେକ ଶିର ହୋଇ ରାବଣେକ ଉପୁଜିଲା ।୩୬୪ ।
ଲକ୍ଷ୍ମଣକୁ ମଆଲା ଯେ ଅମୋହ ଶକତି
ସେ ଶର ବାଜି ଲକ୍ଷ୍ମଣ ଯେ ପଡ଼ିଲାକ କ୍ଷିତି ।୩୬୫ ।
ମଉଷଧି ନେମାକୁ ହନୁ ୟେଥକୁ ଅଇଲା
ୟେହୁ ମଉଷଧି ନିଅନ୍ତେ ଲକ୍ଷ୍ମଣ ବ୍ରତିଲା ।୩୬୬ ।
ଆବର ଆସୁ ବାବୁ ଦୋଖାଇ ବାସୁ ବୃକ୍ଷ ଗୋଟିୟେ
ମୃତୁସଞ୍ଜୀବନୀୟେ ବୃକ୍ଷର ନାମ ହୋୟେ ।୩୬୭ ।
ବାବୁ ହନୁମନ୍ତ ୟେଥୁ ପୁଷ୍ୟ ଗୋଟିୟେକ ନେଲା
ସବୁଙ୍କର ନାଶାପୁଟେ ନେଇଣ ସୁଂଘାଇଲା ।୩୬୮ ।
ସେ ରାମର ବଳ ସବୁହିଂ ଜୀଇଂଲେ
ରାମର ଆଗ୍ୟାଂରେ ହନୁମନ୍ତ ପୁଷ୍ୟ ଥୋଇଗଲେ ।୩୬୯ ।
ସେହିମତି ଅଛି ସେ ଯେ ଅମଳାନ ପୁଷ୍ୟ ଗୋଟି
ଗନ୍ଧ ଆମୋଦନ୍ତେ ସମସ୍ତେହେଂ ସନ୍ୟ ବ୍ରତି ଉଠି ।୩୭୦ ।
ବାବୁ ପ୍ରଳୟ ଅନ୍ତରେ ରାବାୟଣେକ ହୋଇଲା
ସହଶ୍ରେ ଶିର ହୋଇ ରାବଣେକ ଉପୁଜିଲା ।୩୭୧ ।
ରାବଣେକ ହୋଇ କରଇ ଅନୀତି
ଶ୍ରୀରାମ ସୀତା ଲକ୍ଷ୍ମଣ ମଞ୍ଚେଣ ଉତପତି ।୩୭୨ ।
ସହଶ୍ରେ ଶିର ରାବଣ ପୁଣ ହରିନେଲା ସୀତା
ରାବଣ ତୁଲେ ଯୁଦ୍ଧ କଲେ ଲକ୍ଷ୍ଣଣ ରଘୁନାଥା ।୩୭୩ ।
ରାବଣ ଲକ୍ଷ୍ଣଣକୁ ମାଇଲା ବ୍ରହ୍ମଶକତି
ବାନର ବଳ ପଡ଼ିଲେ ଯୋଜନେକ ପ୍ରତି ।୩୭୪ ।
ପୁଣି ହନୁମନ୍ତ ମଉଷଧି ନେମାକୁ ଅଇଲା ୟେଥକୁ
ଶ୍ରୀରାମର ଦୂତ ବୋଲି ଚିହ୍ନିଥାଉ ତାଙ୍କୁ ।୩୭୫ ।
ଆବର ଦେଖାଇଲେ ସାମାନ୍ୟ ବୃକ୍ଷ ଗୋଟି
ପ୍ରାଣତାରଣ ବୋଲି ୟେ ବୃକ୍ଷ ନାମ ହେଟି ।୩୭୬ ।
ବାବୁ ହନୁମନ୍ତ ୟେଥୁଂ ଛେଲି ଖଣ୍ଡିୟେ ନେଲା
ବାଟି ଲଗାବନ୍ତେ ଲକ୍ଷ୍ମଣ ଉଠିଣ ବସିଲା ।୩୭୭ ।
ୟେ ମଉଷଧିମାନଙ୍କର ୟେସନ ମହିମା
ଯେତେ ଦୂରେ ପବନ ଲାଗଇ ରୋଗ ବ୍ୟାଧି ନ ପାରଇ ସିନା ।୩୭୮ ।
ବାବୁ ବୃଦ୍ଧନାଶେନୀ ବୋଲି ୟେକ ବୃକ୍ଷ ଗୋଟିୟେ
ପାଚିଲା କେଶ କଞ୍ଚା ହୋଅଇ ୟେଥୁଂ ପିଇଲେ ପାଣି ଫୁଟିୟେ ।୩୭୯ ।
ବାବୁ ରୋଗ ନାଶିନୀ ବୋଲି ୟେ ବୃକ୍ଷ ମଉଷଧି
ୟେଥୁଂ ପାଣି ପିଇଲେ ତୁଟଇ ବାତପିତ ଶଳିସମା ନାନା ବ୍ୟାଧି ।୩୮୦ ।
ବାବୁ ଯୁଗନାଶନ ବୋଲି ୟେହୁ ବୃକ୍ଷ ଗୋଟି
ସ୍ନାହାନ କରି ପାଣି ପିଇବ ପାଣି ଫୁଟି ।୩୮୧ ।
ଶରୀର ନୋହିବ ୟେ ପକ୍ୱ ଗଳିତଇ
ୟେକା ଯୋଗେ ପାନ କଲେ ଚାରିଯୁଗେ ବ୍ରତଇ ।୩୮୨ ।
ବାବୁ ୟେ ବୃକ୍ଷ ଗୋଟି ଯେ ସନ୍ତାନ ଉଦ୍ୟାନ
ୟେଥୁଂ ଫଳ ଗୋଟିୟେ ଭକ୍ଷିବ ତୁଳ ସଂକରାନ୍ତି ଦିନ ।୩୮୩ ।
କାମଦେବ ପ୍ରାୟେ ଉପୁଜିବ ପୁତ୍ର
ଅପୁତ୍ରିକ ଜନ୍ମ ଫିଟଇ ଜନ୍ମ ସାତ ।୩୮୪ ।
ବାବୁ କ୍ଳେଶନାଶନ ୟେକ ବୃକ୍ଷ ଗୋଟି
ଶରୀରେ ଲେପନ କରିବ ୟେଥିରେ ମୂଳ ବାଟି ।୩୮୫ ।
ଜନ୍ମେ ଜନ୍ମେ ନୋହଇ ସେ ଗର୍ଭ କଷ୍ଟି
ୟେଥିର ପାଣି ପିଇଲେ ହୁଅଇ ପୁତ୍ର ଗୋଟି ।୩୮୬ ।
ଗଳିତ କୋଷ୍ଠ ବ୍ୟାଧି ଯାୟେ ୟେହାର ପ୍ରସାଦେ ଫିଟି
ନାନା ରୋଗ ନାଶଇ ୟେଥିରେ ଖାଇଲେ ବକଳ ଗୋଟି ।୩୮୭ ।
କଣୟବିନ୍ଦୁ ବୋଲି ୟେକଇ ବୃକ୍ଷ ଗୋଟି
ଶତେ ଭାର ନିତ୍ୟେ ତହିଂ କନକ ପୁଷ୍ୟ ଫୁଟି ।୩୮୮ ।
ବାବୁ ଅନଳ ଅମୃତ ବୋଲି ବୃକ୍ଷଙ୍କର ନାମ
ଅନେଳ ନ ପୋଡଇ ୟେହା ଶରୀରେ କଲେ ଲେପନ ।୩୮୯ ।
ବାବୁ ବାଳତରୁଣ ବୋଲି କରି ୟେକ ବୃକ୍ଷ ଗୋଟିୟେ
ଅକ୍ଷୟ ତୃତୀୟା ଦିନ ଭକ୍ଷିବ ପତ୍ର ଗୋଟିୟେ ।୩୯୦ ।
ମନୁର ପରିଯନ୍ତେ ଶରୀର ଗୋଟି ଥାଇ
ପଚିଶ ବରଷ ପ୍ରାୟେ ସେ ପୁରୁଷ ଦିଶଇ ।୩୯୧ ।
ବାବୁ ମୋହନ ବୋଲି କରି ୟେକ ଲତା ଗୋଟି
କ୍ଷୀର ଖଣ୍ଡିୟେ ୟେଥୁଂ କପାଳେ ଦେବା ଫୁଟି ।୩୯୨ ।
ଗମନ୍ତେ ଶୁଭଯୋଗ ଚାଲନ୍ତେଣ ସୋହଇ
ଦେବ ଦାନବନ୍ତ ଆଦି କରି ସମସ୍ତ ମୋହି ପାଇ ।୩୯୩ ।
ବାବୁ ବିନ୍ଦୁଧାରଣ ବୋଲି କରି ୟେକ ବୃକ୍ଷ ଗୋଟି
ଶିଖଡ଼ ଖଣ୍ଡିୟେ ୟେଥୁଂ କରିବା ବିଦ ଗୋଟି ।୩୯୪ ।
ସହସ୍ରେ ଯୁବତୀ ବାବୁ ରମଣ କରିବ
ସେ ପୁରୁଷ ତହୁଂ ଅମୋହ ରେତ ନ ଖସିବ ।୩୯୫ ।
ବାବୁ ୟେ ବୃକ୍ଷ ଗୋଟି ଯେ କାମିନୀବସନ୍ତ
ସ୍ତିରୀଜନମାନଙ୍କୁ ୟେ ବଡ଼ାଇ ପଦାର୍ଥ ।୩୯୬ ।
ୟେଥିରୁଂ କ୍ଷୀର ଟୋପିୟେ ନାରୀ ଲଗାଇବେ କପାଳେ
ଯୁବା ପୁରୁଷକୁ ବଶ କରିବ ବୃଦ୍ଧକାଳେ ।୩୯୭ ।
ବାବୁ ଉଦ୍ଦାଳେକ ବୋଲି ଯେ ୟେକ ବୃକ୍ଷ ଗୋଟିୟେ
ରାତ୍ରକାଳେ ଫୁଟଇ ୟେକା ପୁଷ୍ୟ ଗୋଟିୟେ ।୩୯୮ ।
ସେ ପୁଷ୍ୟ ଦିଶଇ ଯେ ବାଳ ଅର୍କ ପ୍ରାୟେ
ରାତ୍ରକାଳେ ଦିଶଇ ଦିବସର ପ୍ରାୟେ ।୩୯୯ ।
ଅର୍ଜୁନର ହାଥ ଧରି ଦେଖାନ୍ତି ଆଖଣ୍ଡଳ
ଦେବତାୟେ ତପ କରନ୍ତି ୟେ ଅମଳାନ ବୃକ୍ଷର ତଳ ।୪୦୦ ।
ବାବୁ ସିଦ୍ଧକଳ୍ପ ବୋଲି ୟେକ ବୃକ୍ଷ ଗୋଟିୟେ
ତୁଳ ସଂକରାନ୍ତି ଦିନ ୟେଥୁଂ ପିଇବା ପାଣି ଫୁଟିୟେ ।୪୦୧ ।
ସମ୍ୱକ୍ଷର ପରିଯନ୍ତେ ନ ଲାଗଇ କ୍ଷୁଧା
ଭୋକ ଶୋକ ମୂତ୍ର ମଳ ବ୍ୟାଧି ନ ଲାଗଇ ବାଧା ।୪୦୨ ।
ଆରେ ବାବୁ ଅର୍ଜୁନ ଦହନ କରାଇଲୁ ୟେହୁ ବନ
ଦେବତାଙ୍କର ଅଶ୍ରଦ୍ଧା ତୋତେ ହୋଇବ ଅର୍ଜୁନ ।୪୦୩ ।
ବାବୁ ଯେତେକ ଦହନ ହୋଇବାର ତ ହୋଇଲା
ଅଗ୍ନି ଦେବତାଙ୍କର ମନ୍ଦାଅଗ୍ନି ପାରଗଲା ।୪୦୪ ।
ତୁ ୟେବେ ୟେଥୁଂ ଅନ୍ତର ହୋଇ ଯାଅ ଫାଲଗୁନି
ମୁହିଂ ଲିଭାଇବି ଆଉ ବନ ନ ଧସୁଂ ବହନି ।୪୦୫ ।
ବାବୁରେ ଅଶୀ ଲକ୍ଷ ବୃକ୍ଷ ୟେଥି ଅଛଇ ଚନ୍ଦନ
ତିନି ମର୍ଭୁତ ଅଛଇ ଅଗର ହାଦେ ପୁଣ ।୪୦୬ ।
ବାବୁ କସ୍ତୁରୀ ଜୁଆଦ ଅନେକ ଛନ୍ତି ଜୀବ
ୟେମାନ ଅଛି ରେ ବାବୁ ଜାଣ ଦଶ ଖର୍ବ ।୪୦୭ ।
ଅର୍ଜୁନ ପ୍ରଣପତ୍ୟ ହୋଇଲା ବାସବର ବୋଲ ଶୁଣି
ସ୍ୱାମୀ ବଧିର ଶୁଣଇ କି କମ୍ୱୁରସ ବାଣୀ ।୪୦୮ ।
ଭୋ ଦେବ ମୋହୋର ବେଳେ ନୁହଇ କିଛି କାର୍ଯ୍ୟ
ଅଗ୍ନି ଦେବତାଙ୍କୁ ଯାଇଂ ତୁସ୍ତି କରିବା ଦେବରାଜ ।୪୦୯ ।
ଅର୍ଜୁନକୁ ଘେନି ଯେ ଚଳନ୍ତି ମଘବା
ଦେଖିଲେ ଅଗ୍ନିର ତେଜ ଦିଶଇ ଦିବ୍ୟ ପ୍ରଭା ।୪୧୦ ।
ଅନେକ ମଉଷଧି ଅନେକ ପଦାର୍ଥ ଖାଇ
କାଳାନଳ ବହନି ଯେ ପଡୁଅଛି ଧାଇଂ ।୪୧୧ ।
ଅଗ୍ନିର ତେଜ ଯହୁଂ ଅନେକ ଦେଖିଲେ
ଇନ୍ଦ୍ର ଦେବତା ପ୍ରଣପତ୍ୟ ହୋଇଣ ସୁତିଲେ ।୪୧୨ ।
ଜୟ ତୁ ଜୟ ତୁ ବଶ୍ୟାନର କାଳାନଳ ଅନଳ
ଜୟ ତୁ ଜୟ ତୁ ଦେବ ମହା ପିଙ୍ଗଳ ଜାଳ ।୪୧୩ ।
ଜୟ ତୁ ଜୟ ତୁ ଦେବ ମହା ଭୀଷ୍ମରୂପୀ
ଜୟ ତୁ ଜୟ ତୁ ଦେବ ମହା ବିଶ୍ୱବ୍ୟାପୀ ।୪୧୪ ।
ଜୟ ତୁ ଜୟ ତୁ ଦେବ ମହା ଜ୍ୟୋତି ଅନଳ
ଜୟ ତୁ ଜୟ ତୁ ଦେବ ଦହନ ସୟଳ ।୪୧୫ ।
ଜୟ ତୁ ଜୟ ତୁ ଦେବ ଅଶାନ୍ତି ଅମୂର୍ତ୍ତି
ଜୟ ତୁ ଜୟ ତୁ ଦେବ ଉପନ ହସ୍ତ ଜ୍ୟୋତି ।୪୧୬ ।
ଜୟ ତୁ ଜୟ ତୁ ବଶ୍ୟାନର ଅଟୁ କାମରୂପୀ
ଜୟ ତୁ ଜୟ ତୁ ନୁହସି ବଡ କୋପୀ ।୪୧୭ ।
ଜୟ ତୁ ଜୟ ତୁ ଦେବ ସକଳ ପୁରେ ପଶୁ
ଥାପିତ ଦ୍ରବ୍ୟନ୍ତ ତୁହି ସେ କରୁ ଧୂଳି ପାଶୁଂ ।୪୧୮ ।
ଦେବ ଦାନବେ ଯେ ମାନବ ଆଦି କରି
ତୋହୋର ଉତିଷ୍ଠ ଦେବ ଆହାର ସବୁଙ୍କରି ।୪୧୯ ।
ଆଦି କର୍ମେଣ ଯେ ଥାପିତ ଦେବ ତୁହି
ଯେ ତୋତେ ଥାପଇ ତାହାକୁ ତୁହି ମୋହି ।୪୨୦ ।
ଦକ୍ଷ ଯାଗ୍ୟଂ କଲା ଦେଖିଲା ତୋହୋର ତେଜ ମୃତ୍ତି
ଡରେଣ ସ୍ୱାହା ସ୍ୱଧା କନ୍ୟା ତୋତେ ଦିଲା ପ୍ରଜାପତି ।୪୨୧ ।
ୟେମନ୍ତେ ପାର ଯେ ନ ଗଲା ଯାଗ୍ୟଂକାଳେ
ଉମାର ଝିଂଘାସେ ଯେ ଧଂସିଲୁ ସୁଢ଼ଳେ ।୪୨୨ ।
କୋପେଣ ପ୍ରଜାପତି ଯେ ଦିଲା ତୋତେ ଶାପ୍ୟ
ଯାଅ ତୁ ଖାର ପାଉଂଶରେ ହୋଇଥାଅ ଗୋପ୍ୟ ।୪୨୩ ।
ଚିତା ଅନଳେ ତୁହି ସେ ପ୍ରାଣ ତେଜ
ଅଖାଇଜ ଖାଇଜ ସବୁ କର ତୁ ଦହିଜ୍ୟ ।୪୨୪ ।
ସ୍ୱାହା ସ୍ୱଧା ବାକ୍ୟମାନ ସମାଧି ଜପମନ୍ତ୍ର
ୟେ କଥାମାନ ତୁହି ବିଚାରୁ ତଦନ୍ତ ।୪୨୫ ।
ବଶ୍ୟାନର ନାଥ ତୁ ଅଭୟେ ଦୋହୋରା
ସମସ୍ତ ଦହନ ନାଥ ତୁହି ସେ ୟେକ ଶୂରା ।୪୨୬ ।
ଶୁଭ ଅଶୁଭେ ଅଭୟ ମଙ୍ଗଳ ତୁହି ନାଥା
ଗ୍ୟାନ ଧ୍ୟାନ ଦେବ ସକଳ ତୁହି ଚିନ୍ତା ।୪୨୭ ।
ଆଦି ଅନାଦି ତୁ ଅକ୍ଷୟାନ୍ତ ପୁରୁଷ
ସକଳ ଦହିଜ କରୁ ସକଳ ଗର୍ଭେ ବାସ ।୪୨୮ ।
ପରମ ବ୍ରହ୍ମ ତୁ ଅଟୁସି ଅନାଦି
ସକଳ ଦର୍ପ ଧଂସିବାକୁ ତୁହି ସେ ଅଟୁ ଆଦି ।୪୨୯ ।
ଅପାର ଆହାରେଣ ଦି’ ଗୁଣ ତୋର ଜ୍ୟୋତି
ଅନୁବ୍ରତେ ଭୋଜନେ ଅଶାନ୍ତି ଅତ୍ରିପୁତି ।୪୩୦ ।
ସ୍ୱାହାର ବଲ୍ଲଭ ତୁ ସ୍ୱଧାର ପ୍ରାଣଗୁରୁ
ବଦନ୍ତି ସାରୋଳ ଦାସ ବଶ୍ୟାନର ଦୟାକରୁ ।୪୩୧ ।
ଅନେକ ତୁସ୍ତି ଯେ କଲେ ଆଖଣ୍ଡଳେ
ପ୍ରଣପତ୍ୟ ହୋଇଲେ ଅଗ୍ନିର ପାଦତଳେ ।୪୩୨ ॥ ୧୦୩୯ ।|