ଅର୍ଜୁନ ବନବାସ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଲିଙ୍ଗ ଭଗ୍ନ ବ୍ରହ୍ମହତ୍ୟା କଲା ସରି ଦୋଷ
ପର ଶୃଙ୍ଗାର ଭାଞ୍ଜିଲେ ହୋଇ ତେତେ ଦୋଷ ।୨୨ ।
ଅର୍ଜୁନ ବୋଇଲେ ଦେବ ଆନ ନ ଧର ମନେ
ୟେକା ମୁହିଂ ଜଣେ ସିନା ଯିବଇଂ ଘୋର ବନେ ।୨୩ ।
ବହନ ହୋଇ ୟେବେ ବିଜେ କରିବା ଦେବ ସ୍ୱାମୀ
ବ୍ରାହ୍ମଣେକ ଆସିଅଛି ହୋଇଣ ବଡ଼ ତମୀ ।୨୪ ।
ମୋତେ ବୋଇଲେ ଯୁଝେଷ୍ଠିଙ୍କି ବେଗେ ନୁଆଣିଲେ
ପୁର ତୋର ଦହନ ହୋଇବ ମୋର ପିଠି ଦେଇ ଗଲେ ।୨୫ ।
ସ୍ୱାମୀ ନିଷ୍ଠୁର ବଚନ ଯହୁଂ ବୋଇଲେ ଦିଜବର
ତେଣୁ କରି ଭୋ ଦେବ ମୁହିଂ ଅଇଲି ଅତି ଖର ।୨୬ ।
ଆବର ବିଶେଷେ ସନ୍ତକ ଯେ ଦ୍ୱାରେ ନାହିଂ
ବିଚାରିଲି ରମଣ ସମୟ ନୋହେ ୟେହି ।୨୭ ।
ଯୁଝେଷ୍ଠି ବୋଇଲେ ମୋଚ ଯୋଡ଼ି ନେଲା ହାଦେ ଶ୍ୱାନ
ରାଗେଣ କୋପିତ ସ୍ୱାମୀ ଧର୍ମର ନନ୍ଦନ ।୨୮ ।
ଆରେ ଆରେ ଶ୍ୱାନ ଚାଣ୍ଡାଳ ପାପିଷ୍ଠ ମନ୍ଦଜାତି
ଆରେ ତୋହୋର ହେତୁ ୟେସନେକ ଫଳଶ୍ରୁତି ।୨୯ ।
ତୋହୋର ନ ନେଇ ଥିଲେ ମୋଚ ଦ୍ୱାରେ ଥାନ୍ତା
ସନ୍ତକ ଦେଖିଲେ ଅର୍ଜୁନ କିମ୍ପା ଭିତରେ ପଶନ୍ତା ।୩୦ ।
ପ୍ରତକ୍ଷେ ଶୃଙ୍ଗାର ମୋର ଦେଖିଲାକ ଭାଇ
ରସଭଗ୍ନ ହୋଇଲା ମୋର ଆକୁଳ ପଞ୍ଚଭୂତ ଦେହୀ ।୩୧ ।
ତେଣୁ କରି ଶାପ ଘେନସି ମୋହୋର
ଅନୀତି ଭାବରୁ ଶୃଙ୍ଗାର ହୋଇବ ତୋହୋର ।୩୨ ।
ଯେ ତୋହୋର ରମଣୀ ତାହାର ତୁଲେ ଶୃଙ୍ଗାର କରନ୍ତେ
ରହିବ ଇନ୍ଦ୍ରି ତୋହୋର ଯୋନିରସ କୋରନ୍ତେ ।୩୩ ।
ତୋହୋର ରମଣ ରେ ଦେଖନ୍ତୁ ଜଗତ
ଦାଣ୍ଡ ହାଟ ମଣ୍ଡୋପ ସବୁଠାରେ କର ରତ ।୩୪ ।
ମାର ମାର ବୋଲି ସମସ୍ତେ ବୋଲିବେ
ପାଣ୍ଡବଙ୍କ ଶାପ ୟେ ସମସ୍ତେ ବିଚାରିବେ ।୩୫ ।
ୟେମନ୍ତେ ରତି ତୋର ଦେଖିବ ସଂସାର
ଭାଇକି ବିଚ୍ଛେଦ ଯେବେ କଲୁ ରେ ମୋହୋର ।୩୬ ।
ୟେତେ ବୋଲି ଭିତରୁ ଯେ ବାହାର ହୋଇଲେ
ମାୟା ବ୍ରାହ୍ମଣଙ୍କୁ ସେ ଦେଖି ନୁଆରିଲେ ।୩୭ ।
ମାୟା ବ୍ରାହ୍ମଣ ସେ ଗଲେ ଅନ୍ତର୍ଦ୍ଧାନେ
ଲୋଡ଼ି ନ ପାଇଲେ ତାକୁ ପଣ୍ଡୁର ନନ୍ଦନେ ।୩୮ ।
ଅର୍ଜୁନ ବୋଇଲେ ସ୍ୱାମୀ ଆମ୍ଭେ କଲାଉଂ ନିୟମ
ତେଣୁ କରି କଷଣ ସେ କଲେ ଦେବଧର୍ମ ।୩୯ ।
ସ୍ୱାମୀ କଷଣରୁ ଯେବେ ଉତ୍ତରନ୍ତି ପ୍ରାଣୀ
ସର୍ବସିଦ୍ଧ ବୋଲି ପ୍ରତକ୍ଷେ ତାହା ଜାଣି ।୪୦ ।
ସ୍ୱାମୀ ମୁହିଂ ଯାଉଅଛି ୟେବେ ଗହନ ଅରଣ୍ୟ ଭ୍ରମି
ସୁଚିତ୍ତେ ବିଜେ କରିଥିବାକ ଦେବ ସ୍ୱାମୀ ।୪୧ ।
ଯୁଝେଷ୍ଠି ଦେବେ ବୋଇଲେ ବାବୁ କିଞ୍ଚିତ ୟେହୁ କଥା
ଅଳପ କଥାକୁ କାହିଂ ବହୁତ ଅବସ୍ଥା ।୪୨ ।
ୟେଥକୁ ଭ୍ରାନ୍ତି ବାବୁ ତୁ କିଛି ନ କର ମନେ
ଅର୍ଜୁନ ବୋଇଲେ ନର୍କ ଗତି ହୋଇବ ନା ଦେବ ସତ୍ୟ
ଯେ ଲଘଂନେ ।୪୩ ।
ଦ୍ରୋପତୀ ବିକଳ ହୋଇଲେ ୟେହା ଶୁଣି
ମୋତେ ଛାଡ଼ି କାହିଂକି ତୁମେ ଯିବ ହେ ପ୍ରାଣ ମଣି ।୪୪ ।
ତୁହି ସ୍ୱାମୀ ସେ ଲାଖ ବିନ୍ଧିଲୁ ଯୁଗତେ
ଆପଣେ ୟେକାୟେଂ ପ୍ରଦାନ ନୋହି ୟେହାନ୍ତ ଦିଲୁ ମୋତେ ।୪୫ ।
ମୁହିଂ ବଲ୍ଲଭୀ ତୁହି ସେ ମୋର ପ୍ରାଣନାଥ
କ୍ଷଣେ ନ ଦେଖିଲେ ମୃଚ୍ଛି ନ ପାରଇ ସଙ୍ଘାତ ।୪୬ ।
ନିରାଶ ହୋଇ ତୁ ବନବାସ କଲେ
ମୋତେହେଂ ଭୋ ସ୍ୱାମୀ ନିଅ ତୋର ତୁଲେ ।୪୭ ।
ତ୍ରେତୟା ଯୁଗରେ ଯେ ଶ୍ରୀରାମ ବନଗାମୀ
ସୀତାକଇଂ ସଙ୍ଗତେ ନେଲେ ରଘୁନାଥ ସ୍ୱାମୀ ।୪୮ ।
ସେ ସେ ପରମ ସାଧବୀ ଯେ ଖଟିଲେ ଶ୍ରୀରାମଙ୍କୁ
ପତ୍ନୀ ଭ୍ରଷ୍ଟ ନୋହିଲେ ସିନା ଯୋଗାଇ ତୀର୍ଥକୁ ।୪୯ ।
ଭାରିଯା ସଙ୍ଗେ ଥିଲେ ସେ ପ୍ରାପତ ହୋଅଇ ଧର୍ମ
ନାନା ତୀର୍ଥେ ପିତୃକାର୍ଯ୍ୟ ଯେତେ ଶ୍ରେଷ୍ଠ କର୍ମ ।୫୦ ।
ମୁହିଂତ ଆନମାନଙ୍କୁ ନ ଜାଣଇଂ ଫାଲଗୁନି
ତୋହୋର ନିମନ୍ତେ ମୋତେ ଜାତ କଲେ ବ୍ୟାସ ମହାମୁନି ।୫୧ ।
ସତ୍ୟ ଯୁଗେ ବନବାସ କଲେ ନଳ ଯେ ନୃପତି
ସେ ପୁଣି ସଙ୍ଗତେ ନେଲେ ଦମୟନ୍ତୀ ।୫୨ ।
ଧର୍ମକଇଂ ଇଚ୍ଛା ଯେବେ ପ୍ରାଣବନ୍ଧୁ
ସ୍ତିରୀ ପୁରୁଷ ୟେକ ଆତ୍ମା ମୋତେ କିମ୍ପା ନିନ୍ଦୁ ।୫୩ ।
ଯୁଝେଷ୍ଠି ବୋଇଲେ ଶୁଣ ଗୋ ଦ୍ରୋପତୀ
ସତେହେଂ ଅର୍ଜୁନ ବନବାସ ଯିବ କି ମନେ କରୁ ଭ୍ରାନ୍ତି ।୫୪ ।
ଅର୍ଜୁନ ବଦନ ଚାହିଂ ବୋଲନ୍ତି ଦେବ ଧର୍ମେ
କେବଣ ମହାତ୍ମା ବଚନେ ପଶିଲୁ ତୁ ମତି ଭ୍ରମେ ।୫୫ ।
କଷଣ କଲାକ ତୋତେ ମାୟା ଦ୍ୱିଜବର
କାମ ଅର୍ଥେ ପଶିଲୁ କି ଦ୍ରୋପତୀର ପୁର ।୫୬ ।
ସ୍ୱାମୀର ବଚନ ଶୁଣି ବୋଲନ୍ତି ବୀର ଫାଲଗୁନି
ଯୁଝେଷ୍ଠିଙ୍କି ବଞ୍ଚାଇ ସେ ଯୋଡ଼ିଲେ ବେନି ପାଣି ।୫୭ ।
ଅର୍ଜୁନ ବୋଲଇ ଶୁଣିମା ଦେବରାୟେ
ସତ୍ୟେଣ ସଂସାର ଯେ ହୋଉଛି ଉଦୟେ ।୫୮ ।
ସତ୍ୟ ଭଗ୍ନ ପ୍ରାଣୀ ନ ବ୍ରତନ୍ତି କଦାଚିତେ
ଆପଣାର କଲା କୃତ ମୁହିଂ ଲଘିଂମି କେମନ୍ତେ ।୫୯ ।
ଦ୍ରୋପତୀଙ୍କି ତିଆରିଣ ବୀର ଫାଲଗୁନି
ତୁମ୍ଭେ ଯେ ସୀତୟା କଥା କହିଲ ଯିଘ୍ନସେନୀ ।୬୦ ।
ସୀତୟା ଗଲେ ଯେ ଶ୍ରୀରାମଙ୍କ ତୁଲେ
କାଳେ ପ୍ରମାଦ ପଡ଼ିଲାଟି ବଞ୍ଚି ତ ନ ପାରିଲେ ।୬୧ ।
ହରି ନେଲା ରାବଣ ଯେ ଜନକ କୁମାରୀ
ଯେତେକ କଷ୍ଟ ପାଇଲେ ସେ କହି ତ କି ପାରି ।୬୨ ।
ନଳ ଦମୟନ୍ତୀଙ୍କର କହିଲ ଯେ ରୀତି
କାଳେ ବେନିଜନଙ୍କର ହୋଇଲା ବିପତ୍ତି ।୬୩ ।
ୟେମାନ ମନେ ଗୋ ନ ଧରିବା ଦ୍ରଉପତୀ
ୟେକା ହୋଇ ବନକୁ ମୁଂ ଯିବଇଂ ରେ ସତୀ ।୬୪ ।
ତୁମ୍ଭେମାନେ କେହି ଯେ ନୋହିବ ବିରସ
ମୁହିଂ କିଞ୍ଚିତ ପରାୟେ ମଣଇଂ ଦ୍ୱାଦଶ ବରଷ ବନବାସ ।୬୫ ।
ଯୁଝେଷ୍ଠି ବୋଇଲେ ବାବୁ ଯଦି ଯିବୁ ବନ
ଦୂରେ ନ ଥିବୁଟି ମହାଘୋର ବନ ଜାଣ ।୬୬ ।
ଭୋ ଦେବ ବହୁତ ଧୂରକୁ କିମ୍ପା ମୁହିଂ ଯିବି
ୟେହି ନିକଟେ ଥାଇ ମୁଂ ସତ୍ୟ ବଞ୍ଚାଇବି ।୬୭ ।
ମୋତେ ପରମାଦ ତ ନାହିଂ ଘୋର ବନେ
ଶୁଭେ ପାର ହୋଇବି ଶ୍ରୀଜଗନ୍ନାଥଙ୍କ ପରସନ୍ନେ ।୬୮ ।
ୟେଥି କଇଂ ମନେ କିଛି ନ କରିବା ଚିନ୍ତା
ଅର୍ଜୁନକୁ କୋଳ କରି ରୁବନ୍ତି କୋଇନ୍ତା ।୬୯ ।
ବାବୁ ତୋହର ମୁହିଂ ଅପାଦ ଘେନି ଯାଇଂ ରେ ପାଥ
ତୋତେ ନ ଦେଖିଲେ ମୋର ଜୀବନ ଅସୁଆର୍ଥ ।୭୦ ।
ତୁହି ସେ କୁଳମଣ୍ଡଣ ହସ୍ତିନା ଭୁବନକୁ
ଶ୍ରୀଜଗନ୍ନାଥ ଦେବଙ୍କର ତୁ ଅଟୁ କଳାବୁକୁ ।୭୧ ।
ବାବୁ ମାସେ ବରଷେ ନୁହେଂ ଦ୍ୱାଦଶ ବରଷ ପରିଯନ୍ତେ
ମୁହିଂ ଏତେ କାଳ ତୋତେ ନ ଦେଖିଲେ ବ୍ରତିବି କେମନ୍ତେ ।୭୨ ।
କହୁଂ କହୁଂ କୋଇନ୍ତାୟେ ପଡ଼ିଲେକ ଢ଼ଳି
କୋଳ କରି ଦ୍ରୋପତୀ ତାଙ୍କୁ ଧଇଲେକ ତୋଳି ।୭୩ ।
ହା ହା ସ୍ୱାମୀ ମୋତେ କେଣେ ଛାଡ଼ି ଗଲ ପଣ୍ଡୁ
ସ୍ୱାମୀର ବିହୁନେ ଯେ ବଞ୍ଚଇ ତାର ଜୀବନ ପୋଡ଼ୁ ପୋଡ଼ୁ ।୭୪ ।
ଭ୍ରଥାର ବିହୁନେ ବ୍ରତଇ ଯେବଣ ନାରୀ
ଅନେକ ପାତକୀ ସେ ଯେ ହୋଅନ୍ତି ଦୋଚାରୀ ।୭୫ ।
ସ୍ୱାମୀ ତୋତେ ଛାଡ଼ି ମୁହିଂ ଯେ ହୋଇଲି ବଡ଼ ଦୁଖୀ
ୟେ ଶରୀର ଧଇଲି ମୁଂ ୟେକା ସହଦେବକଇ ଦେଖି ।୭୬ ।
କରପତ୍ର ଯୋଡ଼ିଣ ସେ ସମାର୍ଜଇ ପାଥ
ତୁମ୍ଭେ କିମ୍ପେ ଅସାଷ୍ଟମ ହୋଉଛ ଗୋ ମାତ ।୭୭ ।
ତୁମ୍ଭେ କିମ୍ପେ ଅନେକ ଗୋ ହୋଉଛ ବିମୁଖ
ମୁହିଂ ତ ବନବାସକୁ ଯେ ମଣଇଂ ବଡ଼ସୁଖ ।୭୮ ।
ମାତାଙ୍କର ଚରଣ ତଳେ ଅର୍ଜୁନ ପରିଣାମି
ମୁହିଂ ବନ ଯିବି ମୋତେ ଆଗ୍ୟାଂ ଦେବା ସ୍ୱାମୀ ।୭୯ ।
ଉଠିଣ କୋଳ କରି ଧଇଲେ ଯୁଝେଷ୍ଠି
ବାବୁ ମୁହିଂ ନିୟମ କରାଇଲି ଅର୍ଣ୍ଣ ମୋହର ଉପରେ ଅରିଷ୍ଟି ।୮୦ ।
ଯଦ୍ୟପି ବନବାସ ଯିବୁ ସର୍ବସାଚୀ
ବରଷକେ ବାହୁଡ଼ିଲେ ନାହିଂ କିଛି ବାଚି ।୮୧ ।
ଅର୍ଜୁନ ବୋଇଲେ ବାବୁ ବୁଝିଲି ନି ୟେହୁ କଥା
ଯାଉଅଛି ବନବାସକୁ ଗୋ ଆଗ୍ୟାଂ ଦେବାକୁ ମୋତେ ମାତା ।୮୨ ।
ଅର୍ଜୁନକଇଂ କୋଳ କରି ଧଇଲେ ବ୍ରିକୋଦର
ଦ୍ୱାଦଶ ବରଷ ପୂରିଲେ ବାବୁ ବନରୁ ବାହୁଡ଼ ।୮୩ ।
ଭଲ ତୀର୍ଥ ଗୋଟିକରେ ସଙ୍କଳ୍ପ ତୁ କରି
ନିୟମ ବଞ୍ଚାଇ ବାବୁ ଆସରେ ବାହୁଡ଼ି ।୮୪ ।
ଭୀଷ୍ମ ଦ୍ରୋଣ ବିଦୁର କର୍ଣ୍ଣ ଆବର ଭୂରିସର୍ବା
ଶଲ୍ୟ ଶକୁନି କୃପ ଅଶ୍ୱସ୍ତମା କୁରୁରାଜ ଦେବା ।୮୫ ।
ଅର୍ଜୁନ ବନବାସ ଯିବାର ବାରତ ଯେ ଶୁଣି ଆସି
ସମସ୍ତେ ସମାର୍ଜନ୍ତି ଅର୍ଜୁନକୁ ନିବେଶି ।୮୬ ।
ଭୀଷ୍ମ ବୋଇଲେ ୟେ କଥା ହୋଇଲା କେମନ୍ତେ
ଅର୍ଜୁନ ବୋଇଲା ବ୍ରାହ୍ମଣେକ ଅଇଲା ଅଦଭୁତ ।୮୭ ।
ବୋଇଲା ବଡ଼ ସନ୍ଦେଶ କଥାୟେ ଯୁଝେଷ୍ଠିଙ୍କି ଆଣ ବେଗେ ରାଇ
ୟେହିକ୍ଷଣି ଯିବି ମୁହିଂ ବାରତା ଜଣାଇଂ ।୮୮ ।
ବୋଇଲା ଯୁଝେଷ୍ଠି ଦେବଙ୍କୁ ତୁ ବହନେ ରାଇ ନୁଆଣିଲେ
ପୁର ତୋ ଦହନ ହୋଇବ ମୋର ପିଠିଆଇ ଗଲେ ।୮୯ ।
ୟେସନେକ ଶୁଣି ମୁହିଂ ଆଶ୍ରିଯ୍ୟ ହୋଇଲି
ଅନ୍ତେଶ୍ୱରପୁରେ ଧାତିକାରେ ପଶିଲି ।୯୦ ।
ଯୁଝେଷ୍ଠି ଅଛନ୍ତି କୃଷ୍ଣା ସଙ୍ଗତେ ୟେକାନ୍ତେ
ଦୁହିଂଙ୍କରି ରମଣ ଦେଖିଲି ବେନି ନେତ୍ରେ ।୯୧ ।
ଯୁଝେଷ୍ଠିଙ୍କ କୋଳେ ଯେବେ ଦ୍ରୋପତୀ ଦେବୀ ଥାଇଂ
ଆମ୍ଭର ପରମ ଗୁରୁ ସେ ଅଟନ୍ତି ମହାମାୟୀ ।୯୨ ।
ଗୁରୁପତ୍ନୀ ରତି ଯୋଗ ମୁଂ ଦେଖିଲି ନୟନେ
ରସ ଭଗ୍ନ ହୋଇଲା ବିକୃତ ପଞ୍ଚୁମନେ ।୯୩ ।
ପର ଶୃଙ୍ଗାର ଯେବଣ ଜନ ଭଗ୍ନ କରି
ଲଭଇ ପାତକ ସେ ଲିଙ୍ଗ ଭଗ୍ନ ଦୋଷ ସରି ।୯୪ ।
ୟେତେକ ପାତକ ଦେବ ଅରଜିଲି ମୁହିଂ
ଖଣ୍ଡିବି ସର୍ବ ପାତକ ନାନା ତୀର୍ଥେ ଯାଇଂ ।୯୫ ।
ବିଦୁରେ ପୁଚ୍ଛା କଲେ ମନ୍ତ୍ରୀ ସହଦେବଙ୍କୁ
ତୁହି ଜାଣୁ ଟିକି ବାବୁ ସେ ଅଦଭୁତ ବ୍ରାହ୍ମଣଙ୍କୁ ।୯୬ ।
ଅର୍ଜୁନେ ପଠିଆଇ ସେ ଅଦଭୁତ କେଣେ ଗଲା
କହ ବାବୁ ସହଦେବ ସେ ବ୍ରାହ୍ଣଣ କେବଣ ହୋଇଲା ।୯୭ ।
କରସ୍ଥଳକୁ ଚାହିଂ କହଇ ମହାମନ୍ତ୍ରୀ
ଅଗ୍ନି ଦେବତା ଅଇଲେ ଧରିଣ ଗୋପ୍ୟାନ ମୂରତି ।୯୮ ।
ବଶ୍ୟାନର ଦେବତାକଇ ହୋଇଲା ଲୁଦୁବୁଦୁ ବ୍ୟାଧି
ଅର୍ଜୁନ ବନ ଗଲେ ସେ ପାଇବ ମଉଷଧି ।୯୯ ।
ତେଣୁ କରି ଗୋପ୍ୟାନ ରୂପେ କଲେକ ଗବନ
ତାହା ଜାଣି ନ ପାରିଲେ ଠାକୁର ଅରଜୁନ ।୧୦୦ ।
ଅଗ୍ନି ଦେବତାଙ୍କର ନିମନ୍ତେ ହୋଇଅଛି ବନବାସ
ତିନିଯୁଗ ହୋଇଲାନି ଅଗ୍ନି କରିଛନ୍ତି ଆଶ ।୧୦୧ ।
ମନ୍ଦ ଅଗ୍ନି ହୋଇଅଛି ସେ ସତ୍ୟ ଯୁଗହୁଂ
କଉରୋବେ ଆଶ୍ରିଯ୍ୟ ହୋଇଲେ ସହଦେବ କହୁଂ କହୁଂ ।୧୦୨ ।
ୟେସନେକ ବିଚାରି ଅଛି ଯେବେ ଅଗ୍ନି ଦେବତାର
ଅର୍ଜୁନକଇ ପ୍ରମାଦ କି ଅଛି ବନସ୍ତର ।୧୦୩ ।
କେହୁ ନ ବାର ତୁମ୍ଭେ ୟେ ଯାଉ ଘୋର ବନ
ଅଗ୍ନିଙ୍କର ଆଷ୍ୟ କାମାର୍ଥ ୟେ ପୂରୋଉ ଫାଲଗୁନ୍ୟ ।୧୦୪ ।
ଦ୍ରିଯୋଧନ କୋଳ କରି ଧଇଲେ ଅର୍ଜୁନକୁ
ବାବୁ ଆରୋଗ୍ୟ ପାଦ ଖଣ୍ଡନ ହୋଉ ତୁକୁ ।୧୦୫ ।
ଅତି ଗହନ ବନକୁ ନ ଯିବୁଟି ପାଥ
ଦେଶାଉରେ ମୁଖେ ଆମ୍ଭେ ପାଉଥିବୁଟି ବାରତ ।୧୦୬ ।
ମୀନମାସ କୃଷ୍ଣପକ୍ଷ ଚଉଠୀ ଗୁରୁବାର
ସ୍ୱାତୀ ନକ୍ଷତ୍ରକୁ ତୁଳା ଭୋଗ୍ୟ ସେ ଦିନର ।୧୦୭ ।
ଚଉବିଂଶ ଦଣ୍ଡ ଚିତ୍ରା ନକ୍ଷତ୍ର ଭୋଗ ଥିଲା
ବୁଧର ବେଳେ ପାଥ ବାହାର ହୋଇଲା ।୧୦୮ ।
ସ୍ୱାତୀ ଗୁରୁବାର ଅମୃତ ଯୋଗ ଅଟଇ
ସପତାଙ୍ଗ ଗଣିତାରେ ଯେ ଅନର୍ଥ ଫିଟଇ ।୧୦୯ ।
ମାତା ଗୁରୁ ସୋଦରଙ୍କୁ ନମସ୍କାର କରି
ଦ୍ରିଯୋଧନ ମୁଖ ଚାହିଂ ଅର୍ଜୁନ ତିଆରି ।୧୧୦ ।
ସ୍ୱାମୀ ତୁହି ପଣ୍ଡିତ କୁଳଶ୍ରେଷ୍ଠ ମହା ଭାଗ୍ୟବନ୍ତା
ଯଦ୍ୟପି ଯୁଝେଷ୍ଠି ଜ୍ୟେଷ୍ଠ ତୁହି ସମସ୍ତ ପାଳନ୍ତା ।୧୧୧ ।
ସ୍ୱାମୀ ମୁହିଂ ଯେ ଯାଉଅଛି ଘୋର ଗହନ ବନକୁ
ଭାଇନ୍ତ କଥା ଦେବ ଲାଗଇଟି ତୁକୁ ।୧୧୨ ।
ସ୍ୱାମୀ ଯଦ୍ୟପି ଦୋଷ ତୁମ୍ଭଙ୍କୁ କରିବେ ଭୀମସେନ
ମୋହୋର ଆସିବା ଯାୟେ ତାହା ନ ଧରିବ ମନ ।୧୧୩ ।
ଯଦ୍ୟପି ଭାଇଙ୍କି ମୋର କୋପ କରିବ ଅନମିତେ
ସମସ୍ତେ ନାଶ ଯିବଟି ମୋହୋର କୋପନ୍ତେ ।୧୧୪ ।
ୟେତେକ ତିଆରି ଯେ ବାହାର ଫାଲଗୁନି
ଦ୍ୱିଜବର ମାନେ କରନ୍ତି ଯେ ବେଦଧୁନି ।୧୧୫ ।
କୋଇନ୍ତାଙ୍କୁ ଦ୍ରୋପତୀଙ୍କି ସମର୍ପି ଧନୁର୍ଜୟେ
ଦ୍ରୋପତୀକି ଦୟା କରିଥିବଟି ଗୋ ମାୟେ ।୧୧୬ ।
ଅନେକ ସାନନ୍ଦ ସେ ଅର୍ଜୁନ ତିଆରି ବୋଲି
ତୀର୍ଥେ ପାତକ ଦହନ କରି ମାଗୋ ମୁଂ ବାହୁଡ଼ିବି କାଲି ।୧୧୭ ।
ସବୁଙ୍କୁଇ ଦଇନି କରଇ ୟେ ବାସବର ସୁତ
ଜଣେ ଜଣେ ସମ୍ୱୋଧି ଚଳଇ ବୀର ପାର୍ଥ ।୧୧୮ ।
ନଗ୍ର ତେଜି ଅର୍ଜୁନ ପଶିଲା ଘୋର ବନେ
ଗଙ୍ଗା କୂଳୁଂ ବାହୁଡ଼ିଲେ ପଣ୍ଡୁଙ୍କର ଚାରି ନାନେ ।୧୧୯ ।
ହସ୍ତିନା ନବରେ ଆସି ହୋଇଲେ ପରବେଶ
ଅର୍ଜୁନକୁ ନ ଦେଖି ସବୁରି ମନରେ ବିରସ ।୧୨୦ ।
ମହାଘୋର ଅରଣ୍ୟେ ପଶିଲା ଫାଲଗୁନି
କରଇ ବନ କ୍ରୀଡ଼ା ସେ କିରାତ ରୂପ ଘେନି ।୧୨୧ ।
ମଥାରେ ମଜୂର ଝାଲି କଣ୍ଠେଣ ଗୁଞ୍ଜାରର ମାଳି
ଗୋପୀ ଚନ୍ଦନ ଚିତା ସର୍ବାଙ୍ଗେଣ ବୋଳି ।୧୨୨ ।
ଧାମଣା କାଠର ଧନୁ କଣ୍ଟା ବାୟେଶଂର ଗୁଣ
ଫିରିକି ନାରାଜ ଯେ ପୂରୋଇ ବେନି ତ୍ରୋଣ ।୧୨୩ ।
ପରଶୁ କୋଠାର ଯେ ପରିହରଣ ଝାଲି
କରେଣ ମୁଦୁଗର ଘେନି ଛଛନ୍ଦେ କରଇ କେଳି ।୧୨୪ ।
କିରାତ ରୂପ ଧରି ବନେ ବିହଡ଼ଇ ସର୍ବସାଚୀ
ମାରଇ ବନଜୀବ ନାରାଜ ଘେନି ପ୍ରାଞ୍ଚି ।୧୨୫ ।
ଭାର୍ଗବୀ ବୋଲିଣ ଯେ ୟେକଇ ନଦୀ ଗୋଟାୟେ
ଭଇରବୀ ଗଙ୍ଗାରୁ ସେ ଯେ ଉତ୍ତର ମୂର୍ତ୍ତି ହୋଇ ବହେ ।୧୨୬ ।
ତୀର୍ଥ ସ୍ଥାନ ବୋଲି ତହିଂ ରହିଲା ଫାଲଗୁନି
ସୁବିଧାନ ଭୂମି ଦେଖି ବଞ୍ଚିଲେ ମାସ ତିନି ।୧୨୭॥।୩୦୬॥