ରୈବତକ ଯଜ୍ଞ ଓ ଗୋସିଂହ ଦୈତ୍ୟ ବଧ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିବ୍ୟାସନ୍ତ ସୁମରଣା କଲେକ ଜଗନ୍ନାଥେ
ବିଜୟେ କଲେ ବ୍ରହ୍ମବେତ୍ତା ରୈବ୍ରତ ପର୍ବତେ ।୨୨ ।
ବଶିଷ୍ଠେ ବିଜେ କଲେ ଦୁର୍ଭାସା ସହିତେ
ସୁଦେବ ମାରକଣ୍ଡ ମିଳିଲେ ପିତାପୁତ୍ରେ ।୨୩ ।
ବିଭାଣ୍ଡେକ ଭାରଦ୍ୱାଦଶ ସନାତନ ଜୟେମୁନି
କଶ୍ୟପ ଋଷ୍ୟଶୃଂଗ ବିଶ୍ୱାମିତ୍ର ତପୋଧନୀ ।୨୪ ।
ଚ୍ୟବନ ସୁରଥ ଉଦ୍ଦାଳେକ ପ୍ରୋହିତେ
ବାଲମ୍ୱିକ ଗଉତମ ବିଶ୍ରବା ପୌଲସ୍ତ୍ୟେ ।୨୫ ।
ସୁମନ୍ତେକ ସହିତେଣ ସକଳ ମହଋଷି
ବାସୁଦେବ ସୁମରନ୍ତେ ସମସ୍ତେ ପ୍ରବେଶ ଯେ ଆସି ।୨୬ ।
ଚଉଷଠୀ ଶିଷ୍ୟନ୍ତ ଘେନି ଅଇଲେ ଅଙ୍ଗିରା
ୟେତେ ଋଷି ପ୍ରବେଶ ବହୁତ ବାଳଖିଳା ।୨୭ ।
ସମସ୍ତ ଋଷିମାନେ ପ୍ରବେଶ ରଇବ୍ରତ ପର୍ବତେ
ପୂର୍ବରେ ଯଗ୍ୟଂଶାଳ ଅଛଇ ନିର୍ମିତେ ।୨୮ ।
ତହିଂ ଯଗ୍ୟଂ ଆରମ୍ଭ କରନ୍ତି ଋଷିମାନେ
ରାଜାନ୍ତ ନିମନ୍ତ୍ରଣ କରନ୍ତି ଯଗ୍ୟଂ ଅରଚନେ ।୨୯ ।
ଉତ୍ତର ଦକ୍ଷିଣ ପୂର୍ବ ପଛିମ ଦିଗ ଚାରି
ଦୁତ ମାନନ୍ତ ବରଗିଲେ ଦେବ ନିମନ୍ତ୍ରଣ କରି ।୩୦ ।
ଶାମ୍ୱ କୁମରକଇଂ ଆଗ୍ୟାଂ ଦିଲେକ ଶ୍ରୀପତି
ତୁ ବାବୁ ଯାଅରେ ପଛିମ ରାଜାନ୍ତ ନିମନ୍ତ୍ରି ।୩୧ ।
ଗଦକୁମରକଇଂ ବୋଇଲେ ତୁ ଦକ୍ଷିଣ ଦିଗକୁ ଯିବୁ
ରାଜାମାନନ୍ତ ନିମନ୍ତ୍ରଣ କରିଣ ଆଣିମୁଂ ।୩୨ ।
ପଦ୍ମନ କୁମରକୁ ବୋଇଲେ ତୁ ପୂର୍ବ ଦିଗକୁ ଯାଅସି
ରାଜାମାନନ୍ତ ନିମନ୍ତ୍ରଣ କରିଣ ଆଣସି ।୩୩ ।
ସାତୁକୀକି ବୋଇଲେ ତୁ ଉତ୍ତର ଦିଗକଇଂ ଗବନ କର
ରାଜାମାନନ୍ତ ନିମନ୍ତ୍ରି ଘେନି ଆସିବୁ ଧାତିକାର ।୩୪ ।
ରାମକୃଷ୍ଣଙ୍କ ବଚନେ ଚଳିଲେ ଚାରିବୀରେ
ପଶିଲେ ଦିଗମାନଙ୍କରେ ନିମନ୍ତ୍ରିଲେ ନୃପବରେ ।୩୫ ।
ରାମକୃଷ୍ଣଙ୍କ ଯାଗ୍ୟଂ ବୋଲିଣ ଜଣାଇ
ସମସ୍ତ ରାଜାମାନେ ଆସୁଛନ୍ତି ଦଣ୍ଡ ବାହି ।୩୬ ।
ଅନେକ ସନ୍ୟ ସେନା ଘେନିଣ ବହୁତ ନୃପତି
ରଇବ୍ରତ ପର୍ବତେ ଆସି ସମସ୍ତେ ମିଳନ୍ତି ।୩୭ ।
ବସିତେ ଆସନ ଯେ ଦିଅନ୍ତି ଉଗ୍ରସେନ
ଅକ୍ଷତ ତାମ୍ୱୋଳ ଦିଅନ୍ତି ଗନ୍ଧ ଯେ ଚନ୍ଦନ ।୩୮ ।
ପୂଜା ଗଉରୋବ ପାଇ ବସନ୍ତି ରାଜାମାନେ
କେ କହି ପାରିବ ସେ ଯାଗର ବିଧାନେ ।୩୯ ।
ସମସ୍ତ ନୃପତି ଆସନ୍ତି ମହାଯଗ୍ୟଂ ଶୁଣି
ଦେଖିଣ ସାନନ୍ଦ ଯେ ହୋଇଲେ ଚକ୍ରପାଣି ।୪୦ ।
ସହସ୍ରେକ ମର୍ଭୁତ ଯେ ବିଦୁଜନ ସୂପକାର
ରାନ୍ଧଣା ସଞ୍ଚା କରନ୍ତି ଅମୃତ ଯୋଗାଡ଼ର ।୪୧ ।
ଯାଗେ ଯାଗନିକ ଯେ ଦୁର୍ଭାସା ସୁମନ୍ତେକ
ଋଷ୍ୟଶୃଂଗ ମାରକଣ୍ଡ ଆବର ଉଦ୍ଦାଳେକ ।୪୨ ।
ୟେତେ ଋଷି ମେଳେ ମହାଯଗ୍ୟଂ କରି
ବଶ୍ୟାନର ଅଗ୍ନିକି ବରଣ ସିଉକାରୀ ।୪୩ ।
ଇନ୍ଦ୍ର ଦେବତା ଦିଲେ ସୁଧର୍ମା ସଭା ପଠିଆଇ
ଦ୍ୱାଦଶ ଯୋଜନ ଆୟତନ ଅଟଇ ସେହି ।୪୪ ।
ସେ ସଭାରେ ବସିଅଛନ୍ତି ସମସ୍ତ ରାଜାଗଣମାନେ
ହରିଲେ ଦୁଷୁକୃତ ସେ ସଭାର ଦରଶନେ ।୪୫ ।
ବତିଶ ସହସ୍ର କନ୍ୟା ଅଷ୍ଟ ପାଟବଂଶୀ
ରୈବ୍ରତ ପର୍ବତେ ସମସ୍ତେ ବିଜେ କଲେ ଆସି ।୪୬ ।
ଲକ୍ଷେ ଷାଠିୟେ ସହସ୍ର ଅଶୀୟେ ନନ୍ଦନ
ସମସ୍ତ କୁମର ମାନେ ପ୍ରବେଶ ଯଗ୍ୟଂ ଥାନ ।୪୭ ।
ଦ୍ୱାଦଶ ଯୋଜନ ୟେ ଯେ ସୁଧର୍ମା ସ୍ଥଳୀ
ସମସ୍ତ ଯାଦବେ ସଭାୟେଣ ଯାଇଂ ମିଳି ।୪୮ ।
ୟେସନେକ ସମ୍ପଦ ସେହି ରୈବ୍ରତ ପର୍ବତେ
ଦେଖି କରି ପରମ ସାନନ୍ଦ ହୋଇଲେ ଦେବ ଜଗଭୂତେ ।୪୯ ।
ଅନେକ ଉଚ୍ଛବ କଲେ ସେ ରୈବ୍ରତ ଗିରି
ସମସ୍ତ ଦେଶରୁ ଆସି ପ୍ରବେଶ ହୋଇଲେ ଦଣ୍ଡାଧାରୀ ।୫୦ ।
ସାତୁକୀ ପ୍ରବେଶ ହେଲେ ଯାଇଂ ଉତ୍ତର ଦିଗେ
ରାଜାମାନନ୍ତ ନିମନ୍ତ୍ରଣ କରଇ ମଧ୍ୟସ୍ୱର୍ଗେ ।୫୧ ।
ନାରାୟଣଙ୍କ ନିମନ୍ତ୍ରଣ ସେ ମହାଯଗ୍ୟଂ ପୁଣି
ସମସ୍ତ ଦେଶରେ ଯେ ଆସନ୍ତି ନୃପମଣି ।୫୨ ।
ରଥ ଗଜ ଅଶ୍ୱ ଅନେକ ପାଦାନ୍ତି
ସମ୍ଭରେ ମିଳନ୍ତି ଆସି ସମସ୍ତ ନୃପତି ।୫୩ ।
ବ୍ରହ୍ମ କ୍ଷତ୍ରୀ ବଶ୍ୟ ଶୂଦ୍ର ଦଇତ ଦାନବ ପିଶାଚ ରାକ୍ଷସ
ଆନେକ ଦେଶର ରାଜାମାନେ ଆସି ହୋଇଲେ ପ୍ରବେଶ ।୫୪ ।
ଦଶଲକ୍ଷ ବ୍ରାହ୍ମଣ ଯେ ଦିଅନ୍ତି ଆହୂତି
ହବିର୍ଭାଗେ ତୋଷ କରନ୍ତି ଯଗ୍ୟେଂ ଅପାଦ କ୍ଳେଶ ଶାନ୍ତି ।୫୫ ।
ବହୁତ ସମ୍ପଦ ହାଦେ କହିତ କି ପାରି
ୟେ ବିଧି ବିଜେ କରି ଆସନ୍ତି ସକଳ ଦଣ୍ଡଧାରୀ ।୫୬ ।
ସାତୁକୀ ଯେ ରାଜାମାନନ୍ତ ଗଲାକ ନିମନ୍ତ୍ରି
ଅନେକ ଦେଶ ଭ୍ରମି ଅନେକ ନିମନ୍ତ୍ରିଲା ନୃପତି ।୫୭ ।
ଚାଳିଶ ସହସ୍ର ରାଜା ନିମନ୍ତ୍ରଣ କଲା
ଅନେକ ଭ୍ରମିଣ ଜେନାବଳୀ ନଗ୍ରରେ ମିଳିଲା ।୫୮ ।
କୋଇଲା ବତୀ ପାଟଣାରେ ସେ ହୋଇଲା ପ୍ରବେଶ
ସୁବର୍ଣ୍ଣମୟ ଭୁବନ ଦେଖି ମନରେ ହରଷ ।୫୯ ।
କପିଳସିଂହ ରାକ୍ଷସ ତନୟେ ମହୀସିଂହ ରାକ୍ଷସା
ୟେହାର ନନ୍ଦନ ଯେ ହୋଇଲା ମୟେଂଷା ।୬୦ ।
ମୟେଂଷାର ନନ୍ଦନ ଯେ ବୀର ସିଂହ ବୀର
ବଜ୍ର ସିଂହ ବୋଲି ପୁତ୍ରେ ହୋଇଲା ତାହାର ।୬୧ ।
ବଜ୍ରସିଂହର ନନ୍ଦନ ଗୋସିଂହ ବୋଲି ଜାତ
ମନୁଷ୍ୟ ଶରୀରେ ତାର ଗୋମୁଣ୍ଡ ସଂଜାତ ।୬୨ ।
ପ୍ରତାପୀ ଦାନବ ସେ ମୟେଂଷାସୁର ବଂଶ
ଜେନାବଳୀ ନଗ୍ରେ ରାଜ୍ୟ କରଇ ସେ ରାକ୍ଷସ ।୬୩ ।
ତପେଣ ତୋଷିଲା ସେ ଦେବ ଯେ ବିରଞ୍ଚି
ତ୍ରୈଲୋକ୍ୟେ ଅବଧ୍ୟ ହୋଇବ ବୋଲି ବରବାଞ୍ଛି ।୬୪ ।
ଚଉରାଶୀ କ୍ଷଉଣୀବଳ ତାହାକୁ ଖଟଇ
କପିଳସିଂହର ବଂଶ ସେ ପ୍ରତାପୀ ଅଟଇ ।୬୫ ।
କଣୟମୟ ପରିମଳ ଭୁବନ ତାର ଦେଖି
ଅଶ୍ୱେକ ଚଢିଣ ତହିଂ ପ୍ରବେଶ ସାତୁକୀ ।୬୬ ।
ଅସୁର ଭୁବନ ବୋଲି ନ ଜାଣଇଂ ବୀର
ମାଧବି ପ୍ରବେଶ ଯାଇଂ ତାହାର ସିଘଂଦ୍ୱାର ।୬୭ ।
ଲୋହାସୁର ସିଂହନାଦ ବୋଲି ତାର ଦ୍ୱାରପାଳ ବେନି
ଦ୍ୱାର ଜଗିଛନ୍ତି ସହସ୍ରେ ଭାର ଲୋହାର ଗଦା ଘେନି ।୬୮ ।
ମହା ବଳବନ୍ତା ସେ ଦାନବ ବୀର ବେନି
ସାତୁକୀକି ଓଗାଳିଲେ କରେ ଗଦା ଘେନି ।୬୯ ।
କାହିଂର ମାନବ ତୁ ରେ କାହିଂରେ ୟେତେ ଭରସୁ
ୟେଡ଼େକ ସାହସ ତୋର ଅସୁର ପୁରେ ପଶୁ ।୭୦ ।
ସିଂହନାଦ ବୋଇଲା ରେ ଅଇଲୁ ଭଲ କଲୁ
ଯତନେ ଯାହା ଲୋଡୁଂ ଆସି ପ୍ରବେଶ ହୋଇଲୁ ।୭୧ ।
ନର ବାନର ଜନ୍ତୁ ଆମ୍ଭର ଅଟଇଟି ଭକ୍ଷ
ହୋଇବୁ ପାଚଲ ରେ ଆଜ ପାଇବୁ ବଡ ସୁଖ ।୭୨ ।
ଦ୍ରହସିତ ବଚନେ ଅନେକ ହାସ୍ୟବଳୀ
ଗଦାନ୍ତ ଥୋଇ ତଳେ ଘେନିଲେ ତ୍ରିଶୂଳୀ ।୭୩ ।
ଆକ୍ରୋଶି ଲୋହାସୁର ଧଇଲା ତାର ଶିଖା
ଦେଖିଣ ସାତୁକୀ ଯେ ହୋଇଲା ତାଟକା ।୭୪ ।
ଭୟେଣ ସାତୁକୀ ଯେ ନୁଆରଇ କିଛି ବୋଲି
ମୁହିଂ ହୋ ତୁମ୍ଭନ୍ତ ନିମନ୍ତ୍ରଣ କରି ଯେ ଅଇଲି ।୭୫ ।
ରାଜାଙ୍କୁ ଛାମୁରେ ଦ୍ରଶନ କରାଅ ମୋତେ ନେଇଂ
ପଛେଣ ଭକ୍ଷେ ମୋତେ ମୁଂ ଯିବଇଂ ଆର କହିଂ ।୭୬ ।
ମୁହିଂକିଂ ନ ଜାଣଇ ରାକ୍ଷସ ଭୁବନ ବୋଲି
ନିମନ୍ତ୍ରଣେ ନିମନ୍ତେ ମୁଂ ଯତନେ ଅଇଲି ।୭୭ ।
ଦୂତକାର ବୋଲି ଦୟା କଲେ କଉଣୋପେ
ଦ୍ରଶନ କରାଇଲେ ନେଇ ରାଜାର ସମୀପେ ।୭୮ ।
ଜଗତୀ ଉପରେ ବସିଛି ଗୋସିଂହ ଦତ୍ୟପତି
ତଳେ ପଟୋୟାର ଅଛନ୍ତି ଅଶୀ ସହସ୍ର ସେନାପତି ।୭୯ ।
ଆକାଶ ମଣ୍ଡଳେ ମଥା ଲାଗିଅଛି ରାକ୍ଷସର
ଦେଖିଣ ଉଡ଼ିଲେ ଯେ ସାହାସ ସାତୁକୀର ।୮୦ ।
ମୁହିଂ କିମ୍ପେ ୟେଥକଇଂ ଅଇଲି ନ ଜାଣି
ୟେ ସଂକଟୁ ମାତେ ପାରିକର ଦେବ ଚକ୍ରପାଣି ।୮୧ ।
ଲୋହାସୁର ବୋଇଲା ଯେ ଶୁଣିମା ଦେବାନ୍ତକ
ସାବଧାନେ ଦେବ ଶୁଣିମା କଥାୟେକ ।୮୨ ।
ଅସୁର ବୋଇଲା ଆଜ ମୁଣୋହିକି ହୋଇଲା କି ବଳି
ଭଲ ଭୋଜନ ଆଜ ଯେ ହୋଇବ ରସକେଳି ।୮୩ ।
କେ ବୋଲଇ ୟେହାକଇଂ ଭଲକରି ଛଉର
ଚାରିପତ୍ର କରି ୟେହାକୁ ଭିନ୍ନେ ଭିନ୍ନେ ରାନ୍ଧଣା କର ।୮୪ ।
ଗୋସିଂହ ପଚାରଇ କେବଣ ତୋହୋର କାର୍ଯ୍ୟ
କେବଣ କାରଣେ ଅଇଲୁ କହନି ସତ୍ୟ ଆଜ ।୮୫ ।
ସାତୁକୀ ବୋଇଲେ ଦେବ ଶୁଣିମା ସାବଧାନେ
ମଧୁବନ ନୃପତି ସେ ଅଟଇ ଉଗ୍ରସେନେ ।୮୬ ।
ସେ ଦେବ ଯାଗ କରିଅଛି ରୈବ୍ରତ ପର୍ବତେ
ରାଜାଗଣମାନେ ଚଳିଗଲେଣି ସମସ୍ତେ ।୮୭ ।
ଋଷିଗଣ ମିଳି ସମସ୍ତ ଯାଗ କରି
ମୁହିଂ ଅଇଲି ଉତ୍ତର ଦିଗ ରାଜାମାନନ୍ତ ନିମନ୍ତ୍ରଣ କରି ।୮୮ ।
ନିମନ୍ତ୍ରଣ ଯୋଗାଡ଼ ଯେ ଆଗରେ ଥୋଇଲା
ଉଭା ହୋଇଣ ସେ ଯେ ବଚନ ବୋଇଲା ।୮୯ ।
ସକଳ ସନ୍ୟମାନନ୍ତ ଘେନିଣ ତୁମ୍ଭର
ଯାଗଠାକୁ ଯିବ ତୁମ୍ଭେ ନିମନ୍ତ୍ରଣ ବେଭାର ।୯୦ ।
ଗୋସିଂହ ବୋଇଲା ରେ ଛାଡ଼ ଛାଡ଼ ୟେହାକୁ
ୟେ ଯେବେ ଅଇଲା ରେ ନିମନ୍ତ୍ରଣ କରିବାକୁ ।୯୧ ।
ଋଷି ବିପ୍ର ତପୋଧନ ବହୁତ ଅଛନ୍ତି ତହିଂ ମିଳି
ସୁଖେ ଭକ୍ଷିବା ତହିଂ ରେ କରିଣ ପୋଡ଼ା ବଳି ।୯୨ ।
ନରଜନ୍ତୁ ଭୋଜନ ଅନେକ ତହିଂ ଅଛି
ସୁଖେଣ ଭକ୍ଷିବାରେ ତହିଂ ଭଲ ଭଲ ବାଛି ।୯୩ ।
ସାତୁକୀକି ତହିଂ କଲେ ଅନେକ ଗଉରୋବ
ଅନେକ ଅଳଙ୍କାର ଦେଇ କଲେ ପ୍ରିୟଭାବ ।୯୪ ।
ସାତୁକୀ ବୋଇଲା ମୁଂ ଜୀର୍ଣ୍ଣକୂପେ ପଡ଼ିଥିଲି
ଧର୍ମ ଉଦିତ ହୋଇଲା ଉପାୟେ ତରିଲି ।୯୫ ।
ସାତୁକୀକି ଦିଲେ ଯେ ବିବାନ ଗୋଟିୟେ
ସେ ବିବାନ ଦିଶଇ ହେମଝଳି ଆଦିତ୍ୟ ତେଜ ପ୍ରାୟେ ।୯୬ ।
ସେ ବିବାନ ଉପରେ ବସିଲା ମାଧବି
ଦଣ୍ଡ ସାଜ ଦଣ୍ଡ ସାଜ ବୋଲି ଶୁଭିଲା ଘୋର ବୋବି ।୯୭ ।
ଟମକ ନିଶାଣ ଦାଉଣ୍ଡି ବିଜିଘୋଷ
ବୀରତୂର ଶବଦେ କମ୍ପଇ ଆକାଶ ।୯୮ ।
ଓଟ ଗଧ ଗଜ ବାଘ୍ର ଯେ ଶାର୍ଦ୍ଦୋଳ
ଚଳଇ ରାକ୍ଷସ ଘେନି ଅମନାତ୍ୟ ସଇନି ସକଳ ।୯୯ ।
ଗଦା ମୁଦୁଗର କାତି ଛେଲ ଚକ୍ର କୋଠାର ଭୂଷଣ୍ଡି
ସୁବର୍ଣ୍ଣ ପ୍ରବାଳ କରିଣ ସକଳ ରଥ ମଣ୍ଡି ।୧୦୦ ।
ଲକ୍ଷେ ସାଗର ରଥ ସହସ୍ରେକ ପରାୟୁଧ ହୟେ
ବେନିଲକ୍ଷ ଶାର୍ଦ୍ଦୋଳ ପବନୁଂ ବେଗେ ଆୟେ ।୧୦୧ ।
ଅଶୀ ପରାୟୁଧ ଆରୋହିଲେ ବ୍ରାଘ ଯେ ବାହାନ
ଓଟ ପିଠିରେ ଚଢିଲେ ସତୁରିବୃନ୍ଦ ସନ୍ୟ ।୧୦୨ ।
ଗଧ ବାହାନରେ ପଞ୍ଚାଶ ପଦ୍ମ ଚଳି
ବଳେୟା ବାହାନେ ତେର ମେବଚ୍ଛ ମହାବଳୀ ।୧୦୩ ।
ବିରାଡ଼ି ବାହାନେ ଯେ ନବପଦ୍ମ ସେନା
ଶୟମ୍ୱର ବାହାନେ ଯେ ନବଲକ୍ଷ ଜେନା ।୧୦୪ ।
ଘୁଷୁରି ବାହାନେ ଚଳନ୍ତି ବାର ମର୍ଭୁତ ଅସୁର
ଶ୍ରିକାଳ ବାହାନରେ ଚଳନ୍ତି ଅଠର ଲକ୍ଷ ବୀର ।୧୦୫ ।
ଗଦା ମୁଦୁଗର ଯେ କୋନ୍ତ ଖଡ଼ଗ ଯାଠି
ଭୂଷଣ୍ଡି ତ୍ରିଶୂଳ ଶକତି କୋନ୍ତ ଋଷ୍ଟି ।୧୦୬ ।
ଅଜଙ୍ଗ କୋଦଣ୍ଡ ଧନୁ କମାୟେଣ କରେଣ
ଲୁହାର ଲକ୍ଷେ ଲକ୍ଷେ ନାରାଜ ତ୍ରୋଣଙ୍କ ଭିତରେଣ ।୧୦୭ ।
ଧନୁ ମାସ ଶୁକ୍ଳପକ୍ଷ ଚଉଠୀ ତିଥି ଗୁରୁବାର
ଶତଭିଷା ଋକ୍ଷ କୁମ୍ଭେ ଅଛି ଶଶଧର ।୧୦୮ ।
ତୈତଳ ନାମେ କରଣ ଯେ ବିଷ୍ଟିନାମେ ଯୋଗ
ମକର ସଂକରାନ୍ତି ଯେ ଚାରି ଦିନ ଭୋଗ ।୧୦୯ ।
ଗୋସିଂହ ଦଇତର ଅଶ୍ଲେଷା କକଡ଼ା ରାଶି
ଅଶ୍ଲେଷା କକଡ଼ାରେ ଶନିଚର ଅଛନ୍ତି ।୧୧୦ ।
ବୃହସ୍ପତି ଅଷ୍ଟମେ ଚତୁର୍ଥରେ ରାହୁ
ସପତମେ ଆଦିତ୍ୟ ଯେ ପୟାଣ କଲା ସେହୁ ।୧୧୧ ।
ଆଗେଣ ବାଟ ଯେ କଢାଇଲା ମାଧବି
ଧାମନ୍ତି ଅସୁରେ ଯେ ପାଡ଼ନ୍ତି ଘୋର ବୋବି ।୧୧୨ ।
ପ୍ରଳୟ କାଳେ ଯେହ୍ନେ ଆସଇ ସିନ୍ଧୁ ଘୋଟି
ସେହିମତି ଚଳନ୍ତି ଅସରୁ ଥାଠ ଗୋଟି ।୧୧୩ ।
ସାତୁକୀ ବିଚାରଇ ମୁଂ ମନ୍ଦକୃତ୍ୟ କଲି
ୟେ ନିଦାଘ ଭୁବନକୁ ମୁଂ କିମ୍ପାଇ ଅଇଲି ।୧୧୪ ।
ଡରେ ନିମନ୍ତ୍ରିଲି ମୁହିଂ ପ୍ରାଣର ନିମନ୍ତେ
ନ ପୁଣ କୋପ ମୋତେ କରନ୍ତି ହଳହସ୍ତେ ।୧୧୫ ।
ପଛେଣ ଅସୁରବଳ ସାତୁକୀ କଢାଇ ଆଗେ
ଅସୁରବଳ ଛାଡିଯାଇଂ ଲୋଡ଼ଇ ସେ ବେଗେ ।୧୧୬ ।
ଧାମନ୍ତି ଅସୁରବଳ ଅନେକ ଧୂର କ୍ଷେପି
ଯେସନେକ ବନଚରେ ଖେଦନ୍ତି ପାରିଧିକି ।୧୧୭ ।
ଗୋରୁ ମଣିଷ ଶୂକର ମେଷ ଯେ ଛାଗଳ
ଧରିଣ ଅନେକ ଗିଳନ୍ତି ମଦିରା ପାନେ ଭୋଳ ।୧୧୮ ।
ଗୋସିଂହ ପୟାଣ ଦେଖି ପଳାଇଲେ ଅନେକ ଦେଶ
ନଗ୍ରନ୍ତ ଛାଡ଼ି ବନେ ପଶିଲେ ବନବାସ ।୧୧୯ ।
ଅନେକ ଦେଶ ଦତ୍ୟେ ତହିଂ ଭଗନସ୍ତ କରି
ଖାଉଛନ୍ତି ପୋଡ଼ି ବାଳ ପୁଅନ୍ତ ଆଦି କରି ।୧୨୦ ।
ସର୍ବଭକ୍ଷ ଦେଖି ତାଙ୍କୁ ସାତୁକୀ ଆଶ୍ରିଜ
ୟେ ଦୁଷ୍ଟାନ୍ତ ପ୍ରହର ଯେ କରନ୍ତୁ ଦେବରାଜ ।୧୨୧ ।
ୟେ ଦୁରାନ୍ତକ ଭାରା ନିବାରିବା ନିମନ୍ତେ
ଦେବତାମାନେ ଅବା ମୋତେ ପେଷିଲେ ଗୁପତେ ।୧୨୨ ।
ରହିଲେ କଉଣୋପେ ମଧୁବନ ମାଡ଼ି
ରାତ୍ରେ ସାତୁକୀ ଗଲା ନିଦାଘବଳ ଛାଡ଼ି ।୧୨୩ ।
ବେଗେଣ ଗମଇଂ ବୀର ଗଗନ ମଣ୍ଡଳେ
ଅସୁରେ ଲାଗିଛନ୍ତି ମଦିରା ରସ ଭୋଳେ ।୧୨୪ ।
କଡ଼ା ମର୍ଦ୍ଦଳ ସେ ବଜାନ୍ତି ଦାଉଣ୍ଡି ଘୁମୁରା
ମତୁଆଳ ଖେଳେ ଯେ ନାଚନ୍ତି ମହାବୀରା ।୧୨୫ ।
ରାତ୍ର ଯେ ସାତୁକୀ ଗଲା ବେଗ ବେଗ ହୋଇ
ରୈବ୍ରତ ପର୍ବତେ ପ୍ରବେଶ ହେଲା ଯାଇଂ ।୧୨୬ ।
ମହାଯାଗ୍ୟଂ ଠାବେ ବିଜୟେ ଯେ ବାସୁଦେବ
ଆସ୍ତାନ ଉପରେ ବିଜେ କରିଛନ୍ତି ବଳଦେବ ।୧୨୭ ।
ଆସ୍ତାନର ତଳେ ଯେ ପ୍ରବେଶ ସାତୁକୀ
କେଶବ ସାନନ୍ଦ ହୋଇଲେ ଭ୍ରାତାକଇଂ ଦେଖି ।୧୨୮ ।
ସାତୁକୀ ବୋଇଲା ଦେବ ଶୁଣିମା ଶ୍ରୀବତ୍ସି
ମୟେଂଷାସୁର ନାତି ଗୋସିଂହ ଆସୁଅଛି ।୧୨୯ ।
ମାଧବି ବଚନେ ଯେ ଶୁଣି ଦେବ ହଳସାଇଂ
ଆସ୍ତାନୁଂ ଡେଇଂ ପଡିଲେ ହଳ ମୂଷଳ ବୁଲାଇଂ ।୧୩୦ ।
ରେ ରେ କାର ଶବଦ କରିଣ ବଳେବର
ଚାଲନ୍ତି ମହାମତ୍ତ ମଦନ ସୁନ୍ଦର ।୧୩୧ ।
ଗୋବିନ୍ଦେ ବୋଇଲେ ଦେବ ସଂହରଣ କର କୋପ
ପିତା ପ୍ରସନ୍ନ ହୋଇ ବର ଦେଇଛନ୍ତି ଅନିର୍ଯାପ ।୧୩୨ ।
ପୁରୁଷେ ବଧ ଯେ ନୋହଇ ତାର ବଂଶ
ଯୁଗ ଅନ୍ତେ କଳପି ସେ ଅଟଇ ରାକ୍ଷସ ।୧୩୩ ।
ବଳରାମେ ବୋଇଲେ ତୁ କହିଲୁ ୟେମନ୍ତ
ୟେହିକ୍ଷଣି ନାଶ କରିବେ ସେ ରାଜାମାନନ୍ତ ।୧୩୪ ।
ନରଜନ୍ତୁ ସଇନି ୟେହିକ୍ଷଣି ହୋଇବେ ଧଂସି
ବିଚାରନ୍ତେ ଆମ୍ଭେ ତ ହୋଇଲୁ ଅବିଶ୍ୱାସୀ ।୧୩୫ ।
ଆହୋ ଭଲା ଯଗ୍ୟଂ କଲୁଂ ଆମ୍ଭେ ଧର୍ମ କାମ ଅର୍ଥେ
ପାପେ ଦୂଷିତ ହୋଇଲୁଂ ଆମ୍ଭେ ଅନମିତେ ।୧୩୬ ।
କେମନ୍ତେ ଅସୁର ଭୟରୁ ଆମ୍ଭେ କରିବାକ ରକ୍ଷା
ଯେମନ୍ତେ ୟେ ମହାସଭା ନୋହଇ ଉପେକ୍ଷା ।୧୩୭ ।
ସେ ମହା ସଭାରଣେ ଫୁଟି ଯହୁଂ ହୋଇଲା ବାରତା
ଲାଗିଲାକ ତ୍ରାସ ରାଜାନ୍ତ ମହାଭୟେ ଚିନ୍ତା ।୧୩୮ ।
ମହାଗୋଳ ବାଜିଲା ଯେ ସଭାର ଭିତରେ
କମ୍ପିଲେ ରାଜାମାନେ ନ ରହି ସଭାରେ ।୧୩୯ ।
ଉଗ୍ରସେନ ବସୁନନ୍ଦ ନନ୍ଦ ଉପନନ୍ଦ
ବୋଇଲେ ବାବୁ ଗୋସିଂହ ବାହିଲା ୟେଠାକୁ ଘେନି ଅସୁରବୃନ୍ଦ ।୧୪୦ ।
ୟେବେ ୟେଥେଂ ବାବୁ ଆମ୍ଭେ ରକ୍ଷା ହୋଇ ନୁଆରିବା
ପୁତ୍ରବନ୍ଧୁ ଘେନି ଚାଲ ଦ୍ୱାରିକାକୁ ଯିବା ।୧୪୧ ।
ପୁତ୍ରବଧୂ ସ୍ତିରୀ ଜନ ଆବର ଦୋହିତା ଆଦି କରି
ଯାତ୍ରା ନିମନ୍ତ୍ରଣେ ୟେଥେଂ ସମସ୍ତେ ଛନ୍ତି ପୂରି ।୧୪୨ ।
ୟେବେ କି ବୁଧି କରିବା ବିଚାର କର କାମପାଳ
ପଳାଇ ନୁଆରିବଟି ମହା କଟାଳର ବେଳ ।୧୪୩ ।
ପିତାର ବଚନେ ଯେ ବୋଲନ୍ତି ହଳପାଣି
ଚଳିଯାଅ ଦ୍ୱାରିକାକୁ ତୁମ୍ଭେ ବାଳ ବୃଦ୍ଧ ତରୁଣୀ ।୧୪୪ ।
ଗୋବିନ୍ଦେ ବୋଇଲେ ଦେବ ଛାଡ଼ିଲେ ୟେହାନ୍ତ
ସଭାର ମୁରାଟ ଦେବ ଭାଞ୍ଜିଯିବଟି ସମସ୍ତ ।୧୪୫ ।
ଋଷିମାନେ ଶୁଣି ଆଶ୍ରିଜ ହୋଇଲେ
ଯାଗ ଛାଡ଼ି ବଳରାମ ସନ୍ନିଧେ ମିଳିଲେ ।୧୪୬ ।
ଜୟ ତୁ କାମପାଳ ସୟଳ ଜନ ଚିନ୍ତାମଣି
ଗୋସିଂହ ଭୟେ ଆମ୍ଭେ କିସ କରିବୁଟି ପୁଣି ।୧୪୭ ।
ଭୋ ହଳପାଣି ଦୁର୍ଭାର କଉଣୋପେ ଅଟଇ ମନ୍ଦ ମହାପାପୀ
ଋଷି ବିପ୍ର ତପୋଧନ ଧର୍ମ ଯେ ନ ଥାପି ।୧୪୮ ।
ୟେ ମହା ସଭାଟି ଦେବ ହୋଇଲା ନିରଖେ
ଗୋ ବ୍ରାହ୍ମଣ ଆଦି କରି ଅସୁରେ କରିବେ ସବୁ ଭକ୍ଷ ।୧୪୯ ।
ତପୀ ମାଂସ ବୋଇଲେ ଅଧିକେ ହୋନ୍ତି ଖର
କରନ୍ତି ପୋଡ଼ାବଳି ଯେ ମଦିରା ସଙ୍ଗତର ।୧୫୦ ।
ଦେବ ମାନବେ ସେ ଅସୁରେ ନିର୍ଭୟେ
ଶହସ୍ର – ଘାତ ଭେଦ ନୋହଇ ଅସୁରଙ୍କର କାୟେ ।୧୫୧ ।
ପଳାନ୍ତି ସମସ୍ତେ କେହି ନ ରହନ୍ତି ୟେଥ
ୟେ ମହାଯୋଗ ତୋତେ ନୋହିଲା ପରାପତ ।୧୫୨ ।
ନିର୍ଭୟେ ସେ ଆମ୍ଭେ ଯେ ପାରୁ ମନ୍ତ୍ର ପଢି
ମନ୍ତ୍ରହିଂ ଭ୍ରଷ୍ଟ ହୋଇଲାନି ଦାନବନ୍ତ ଭୟେ କରି ।୧୫୩ ।
ବଳରାମେ ବୋଇଲେ ତୁମ୍ଭେ ନ କର କେହି ମନେ ଚିନ୍ତା
ୟେ ଦାନବର ଭୟରୁ ମୁହିଂ ସେ ଉଦ୍ଧାରନ୍ତା ।୧୫୪ ।
ଦାନବ ଭୟରୁ ଯେବେ ନୁଆରିବୁଂ ରକ୍ଷା କରି
କେମନ୍ତେ ନାମ ଆମ୍ଭେ ବହିଂବୁ ଦଇତାରି ।୧୫୫ ।
ବଳରାମ ବୋଇଲେ ଚାଲ ଥୋକାୟେଂ ଦୂର ଯିବା
ୟେ ମହାସଭାକଇଂ ତାହାକୁ ଆସିତେ ନ ଦେବା ।୧୫୬ ।
ଗୋବିନ୍ଦ ବୋଇଲେ ତାହାକଇଂ ନିମନ୍ତ୍ରଣ କଲାକ ସାତୁକୀ
ଆସଇ କିନା ନିଶାଚର କି କରଇ ଦେଖି ।୧୫୭ ।
ରୈବ୍ରତ ପବ୍ରତ ଜିଣି ଚଉବିଂଶ ଯୂଣ ଗଲେ
ଗୋସିଂହ ଆସିବା ବାଟେ କେଶୀ ନାମେ ପର୍ବତେ ରହିଲେ ।୧୫୮ ।
ରୟଣୀ ପ୍ରସର ଯହୁଂ ଉଦିତ ଦିନମଣି
ମନ୍ୟ ସାଜ ବୋଲି ଦାନବ ଥାଠ ଯେ ପଲାଣି ।୧୫୯ ।
ତର୍ଜନ୍ତି ଗର୍ଜନ୍ତି ଧାମନ୍ତି ଅସୁରେ ରୋଷଭରେ
ମେଦ ମେଦା ମାଂସେଣ ତ୍ରିପୁତି ଶରୀରେ ।୧୬୦ ।
ଗୋରୁଚର୍ମ ପରିହରଣ ମଇଂଷି ଚଉଂରୀ
ରକତ ଲେପନ ଅଙ୍ଗେ କର୍ଣ୍ଣେ ମନ୍ଦାର କଢି ।୧୬୧ ।
ବିହଡ଼ ଦାଢ ଘୋର ରୂପ ବିକଟାଳ
ଖାଂକର କେଶେ ଧାମନ୍ତି ଭୟ ଦେଖାଇ ମତୁଆଳ ।୧୬୨ ।
ମଞ୍ଚେଣ ପାଦ ଯେ ଆକାଶେ ଶିର ଲାଗେ
ୟେକକୁ ଆରକେ ଯେ ଧାମନ୍ତି ମହାରାଗେ ।୧୬୩ ।
ଗିରିବର ସାଦୃଶେ ଦିଶଇ ତାହାଂକର ମୁଣ୍ଡ
ତମ୍ୱାଚକ୍ର ପ୍ରାୟେ ନୟନ ବିକଟାଳ ତୁଣ୍ଡ ।୧୬୪ ।
ଡରେଣ ଶୂନ୍ୟ ପୁରୁଷେ ପଳାନ୍ତି ସ୍ୱର୍ଗ ଛାଡ଼ି
ଚଳଇ ଗୋସିଂହ ବଳ ପନ୍ଦର ଯୂଣ ମାଡି ।୧୬୫ ।
ଅସୁରଂକ ପ୍ରତଗ୍ୟାଂ କହିତେ କି ପାରି
ପର୍ବତ ଟଳଇ ଯେ ମୁଖରବ ଶୁଣି କରି ।୧୬୬ ।
କ୍ଷୀରୋଦ୍ର ଯେସନେକ ଆସଇ ମହୀଲୋଟି
ରାମକୃଷ୍ଣେ ଦେଖିଲେ ଯେ ପର୍ବତରେ ଉଠି ।୧୬୭ ।
ଗୋବିନ୍ଦେ ବୋଇଲେ ଦେବ ଦୁର୍ଭାର ବଡ଼ ଥାଠ
ପନ୍ଦର ଯୂଣ ପରିଯନ୍ତେ ନ ଦିଶଇ ବାଟ ।୧୬୮ ।
ଅସୁରବଳ ଦେଖି ସ୍ୱାମୀ ନିଳାମ୍ୱର
ଦକ୍ଷିଣେ ସୁଉନନ୍ଦ ବାମେ ସମର୍ଥକ ହଳ ।୧୬୯ ।
ନିଦାଘ ଆଦିତ୍ୟ ଜାଣି ଶିରେ ଦିଶଇ ସପ୍ତଫେଣି
ଷୋଳହ ନୟନ ବିରାଜଇ ଯେ କାଳଚକ୍ର ଜାଣି ।୧୭୦ ।
ତାଳଧ୍ୱଜ ରଥ ଯେ ତେଜ୍ୟା କରିଣ ଦେବ ସ୍ୱାମୀ
ପର୍ବତରୁ ଓହ୍ଲାଇ ହୋଇଲେ ପାଦଗାମୀ ।୧୭୧ ।
ତ୍ରଇଲୋକ୍ୟେ ବିକାଶିଲା କାମପାଳର ତେଜ
ମହାମତ୍ତ ଭୋଳେ ଯେ ଗର୍ଜନ୍ତି ଦେବରାଜ ।୧୭୨ ।
ହଳ ମୂଷଳ ବୁଲାଇ ଯେ ଧାମନ୍ତି ଦେବ ହଳୀ
ୟେକାୟେ କାମପାଳ ଥାଠ ଯେ ଓଗାଳି ।୧୭୩ ।
ଧ୍ୟାନେଣ ନାରାୟଣ ସୁମରିଲେ ଖଗେଶ୍ୱର
ନିମିଷେକେ ରମ୍ୟକ ଦୀପୁଂ ଅଇଲା ବିନତା କୁମର ।୧୭୪ ।
ନାରାୟଣ ବିଜେ କଲେ ବୈନତେୟ ପିଠି
ଶଙ୍ଖ ଚକ୍ର କୌମୁଦୀ ଶହସ୍ର ମୁଷ୍ଟି ।୧୭୫ ।
ବିଜୟେ ଅଭୟେ ଦେବ ମହା ସାଂଗ୍ରାମେ
ଥାଠ ଯାଇଂ ଓଗାଳିଲେ କୃଷ୍ଣ ବଳରାମେ ।୧୭୬ ।
ଆଗିଆଣି ଥାଠରେ ଆସୁଥିଲେ ମହାବୀରେ
ଲକ୍ଷେ ପୁର କରି ସନ୍ୟ ବେଢିଲେ ନୀଳାମ୍ୱରେ ।୧୭୭ ।
ମହାଯୋଗ ପୁରୁଷ ସଦାନନ୍ଦ ଭୋଳ
ରଣ ଦେଶି ମହା ଆନନ୍ଦ ଦେବ କାମପାଳ ।୧୭୮ ।
ସଉନନ୍ଦ ସମର୍ଥକ ବୁଲାଇଣ ବାମ ଦକ୍ଷିଣେ
ଦୁରାପଦ ସାଂଗ୍ରାମେ କରନ୍ତି ଘୋର ରଣେ ।୧୭୯ ।
ପ୍ରଥମ ଥାଠ ଯେ ବେଢିଲେ ବେଗେ ଆସି
ଆଦିତ୍ୟ ଅସ୍ତେ ଯେହ୍ନେ ଘୋଟଇ ମହାନିଶି ।୧୮୦ ।
ରାତ୍ର ଦିବସେ ବଢିକାଳ ଘୋର ରଣ
ଦର୍ପେଣ ବଳେବର ନିଦାଘ ବଳ କଲେକ ଭଙ୍ଗାଣ ।୧୮୧ ।
ଗର୍ଜିଣ କାମପାଳ ବଜ୍ର ମୂଷଳ ପିଟି
ମହାବଜ୍ର ଘାତେ ପଡିଲେ ଅନେକ ବଳ ଲୋଟି ।୧୮୨ ।
ପୁଣ ପୁଣ ପ୍ରହାର ଯେ କରନ୍ତି ଊର୍ଦ୍ଧବାହୁ
ଯେସନେକ ନିଶାପତି ଦେଖି ଧାମଇଂ ରାହୁ ।୧୮୩ ।
ବ୍ରହ୍ମାଣ୍ଡ ଉଛୁଳଇ ରାମଂକର ଘୋର ରଡ଼ି
ଗିରିବର ମନ୍ଦରକୁ ପଡୁଅଛି ଝଡ଼ି ।୧୮୪ ।
କୋପେଣ ପୁଣ ପୁଣ ପ୍ରହରନ୍ତି ବଳରାମେ
ରଣେ ଅଭୟେ ଦେବ ପଡ଼ନ୍ତି ସାଂଗ୍ରାମେ ।୧୮୫ ।
ପିଟନ୍ତେ ନୀଳାମ୍ୱର ଲୋଟନ୍ତି କଉଣୋପେ
ପୁଣ ପୁଣ ଧାମନ୍ତି ଅସୁରବଳ ମହାକୋପେ ।୧୮୬ ।
କରେଣ ବୁଲାଇ ଯେ ଅନେକ ଆୟୁଧ
ରାମର ଉପରେ ପିଟନ୍ତି କରନ୍ତି ମହାଯୁଦ୍ଧ ।୧୮୭ ।
ଲୋହୋର ପର୍ବତ ଉପରେ ଯେହ୍ନେ ମୁଦୁଗର ପଡ଼ି ହୋଅନ୍ତି ଚୂର
ଲୋହାର ଗଦାପଡି ଚୂର ବଳରାମଙ୍କ ଶରୀର ।୧୮୮ ।
ଅସୁଂରକ ଶହସ୍ରକୁ ଯେବଣ ଦେବର ନାହିଂ ଭୀତି
ଆରେ ଆରେ ଦାନବ ବୋଲି ଉଠିଲେ ହଳପତି ।୧୮୯ ।
ଲକ୍ଷେକ ସେନା ଯେ ମାଇଲେ ନୀଳାମ୍ୱରେ
ପକ୍ଷର ବିଘାତେ ଲକ୍ଷେ ମାଇଲେ ଖଗେଶ୍ୱରେ ।୧୯୦ ।
ଜଗନ୍ନାଥେ ପ୍ରହର କଲେ କୌମୋଦୀ ଗଦା ଧରି
ଲକ୍ଷେକ ସେନା ଦେବ ପକାଇଲେ ମାରି ।୧୯୧ ।
ସାଗରେକ ସନ୍ୟ ଯେ ମାଇଲେ ୟେହିମତେ
ଦଣ୍ଡ ଭଗ୍ନ ହୋଇଲେ ନବ ଯୋଜନ ପରିଯନ୍ତେ ।୧୯୨ ।
ଗୋସିଂହର ମନ୍ତ୍ରୀ ଯେହୁ ଜପାସୁର ବୋଲି
ରାମର ଅଗ୍ରତକୁ ଅଇଲା ସେହୁ ପେଲି ।୧୯୩ ।
ପାଦେଣ ଗମନ ଧନୁ ଶହସ୍ର ନାହିଂ ତାର ହାଥେ
ପ୍ରବେଶ ହୋଇଲା ଯାଇଂ ରାମକୃଷ୍ଣଂକ ଅଗ୍ରତେ ।୧୯୪ ।
ଆହୋ ମହାତମାୟେ ତୁମ୍ଭେ କାହାର ଯେ ତନୁ
ଆମ୍ଭେ ଦାନବ ମତ୍ତଭୋଳ ତୁମ୍ଭନ୍ତ ନ ଚିହ୍ନୁ ।୧୯୫ ।
ଆମ୍ଭନ୍ତ ନିମନ୍ତ୍ରଣ କରି ଆଣିଲ ଯାଗକୁ
ଭୋଜନ ଦେଖାଇ ପ୍ରାଣତେଜ୍ୟା କରୁଛ ଆମ୍ଭଂକୁ ।୧୯୬ ।
ତୁମ୍ଭର ଆମ୍ଭର ତ ବିବାଦ ନାହିଂ ପୂର୍ବେ
ଯାଗ ନିମନ୍ତ୍ରଣେ ଆସିଅଛୁଂ ଆମ୍ଭେ ।୧୯୭ ।
ନିମନ୍ତ୍ରଣ କରି ଯାହା ଆଣି ପ୍ରାଣେ ତାହା ନ ମାରି
ଭୁଞ୍ଜଇ ବସାଇ ଯେ ବିଶ୍ୱାସଘାତକ ନ କରି ।୧୯୮ ।
ପ୍ରୀତି ବଢାଇ ଯେ ମାରନ୍ତି ବିଶୁଆସୀ
ଆଧାର ଦେଇ ପ୍ରାଣୀକିଂ ଯେ ଜନ ବିନାଶି ।୧୯୯ ।
ୟେଡେ ପ୍ରାଣୀକିଂ ଯେ ମାରନ୍ତି ବିଶୁଆସୀ
ନିଚୟେ ଜାଣିମା ସେ ବ୍ରହ୍ମହତ୍ୟା ଦୋଷୀ ।୨୦୦ ।
ଆହୋ ମହାତମା ତୁମ୍ଭେ ଭାଗ୍ୟବନ୍ତ ଯେ ଅଟ ଗ୍ୟାନବନ୍ତ
ଗ୍ୟାନ ଥାଉଂ ଥାଉଂ କିମ୍ପେ କରୁଛ ବିଶ୍ୱାସଘାତ ।୨୦୧ ।
ବଳରାମ ବୋଧ ଗଲେ ଅସୁର ବଚନେ
ଶାନ୍ତି ଭଜିଲେ ଦେବ ରୋହିଣୀ ନନ୍ଦନେ ।୨୦୨ ।
ରହ ରହ ଶ୍ରୀକୃଷ୍ଣ ହୋ ନ ମାର ୟେହାଂକୁ
ଶାନ୍ତି ମୂର୍ତ୍ତି ହୋଇ ସେ ଆସନ୍ତୁ ସଭାକୁ ।୨୦୩ ।
ଆଗେ ରାମକୃଷ୍ଣ ପଛେ ଅସୁର ସଇନ
ରୈବ୍ରତ ପର୍ବତେ ବିଜେ କୃଷ୍ଣ ବଳରାମ ।୨୦୪ ।
ପର୍ବତ ଉତ୍ତର କୋଣେ ଛାଡ଼ିଲେ ଅସୁରଂକୁ
ଅଶିସସ୍ର ସନ୍ୟ ତୁଲେ ଘେନିଣ ଗୋସିଂହ ଆସଇ ସଭାକୁ ।୨୦୫ ।
ଗୋସିଂହକୁ ବସାଇଲେ ନେଇ ଛାୟା ମଣ୍ଡୋପରେ
ସାଧୁ ଜଗବନ୍ଦନ ବୋଲି ପ୍ରଶଂସା କରନ୍ତି ସର୍ବ ନୃପବରେ ।୨୦୬ ।
ଧନ୍ୟ ଜଗୁମୋହନ ଧନ୍ୟ ତୋହୋର ବୁଦ୍ଧି
ୟେଡ଼େ ନିଶାଚର ବଳକୁ କୂଟେ କଲୁ ସାଧି ।୨୦୭ ।
ଉଗ୍ରସେନ ନୃପତି ତାହାକୁ କଲା ପୂଜା
ଗଉରୋବେ ବସିଲା ସେ ଅସୁରେଶ୍ୱର ରାଜା ।୨୦୮ ।
ଯେ ବିଧି ଯୋଗାଡ଼ ସେ ଅସୁରନ୍ତେ ଦେଇ
ଛପନକୋଟି ଯାଦବେ ଅସୁରନ୍ତ ଅନ୍ନ ପରସଇଂ ।୨୦୯ ।
ସୁପକ୍ୱ ଅନ୍ନ ଯେ ଅମିୟ ରସ ଯୋଗାଡ଼
ଭୁଞ୍ଜନ୍ତି ଅସୁରେ ଯେ ଅନେକ ସମ୍ଭର ।୨୧୦ ।
ଗାଢ଼ ଭୋଜନେ ଦାନବେ ଅନେକ ତ୍ରିପୁତି
ସେ ଅମିୟ ରସ ଯୋଗାଡ଼ ପାଇବେ ସେ କାହିଂ ନିତି ।୨୧୧ ।
ଅସୁରଂକ ତୁଲେ ଦେବ ବଢାଇଲେ ଅନେକ ପୀରତି
କାର୍ଯ୍ୟ ଅର୍ଥେ ଭୁଞ୍ଜାବନ୍ତି ଦେବ ଶିରୀପତି ।୨୧୨ ।
ବଳରାମେ ବୋଇଲେ ହରି ହେ ୟେ ପୃଥୀକି ମହାଭାର
ଯାଗ ସାରିଲେ ୟେହାନ୍ତ ମାରିବା ଦାମୋଦର ।୨୧୩ ।
ୟେହାର ଭୟେ ଦେବେ ରହି ନୁଆରନ୍ତି ସ୍ୱର୍ଗପୁରୀ
ଶତେ ବଳେ ଅମର ୟେ ଆଣିଲା ଦୂର କରି ।୨୧୪ ।
ୟେସନେକ ୟେକାନ୍ତେ ଭାଳନ୍ତେ ରାମକୃଷ୍ଣ ଭାଇ ବେନି
ଚିତ୍ରସେନକଇଂ ରାଇ ବୋଇଲେ ଦେବ ସହସ୍ରଯୋନି ।୨୧୫ ।
ଅମର ଅଭିଷେକ ଯୋଗାଡ଼ ଆବର ପାରିଜାତକ ପୁଷ୍ୟମାଳ
ୟେହା ନେଇ ଆଭରଣ କରସି କୃଷ୍ଣ କାମପାଳ ।୨୧୬ ।
ଜଗନ୍ନାଥ ସ୍ୱାମୀଂକି କହିବୁ ୟେକାନ୍ତେ
ଗୋସିଂହ ଦଇତ ନାଶ ଯାଇଟି ଯେମନ୍ତେ ।୨୧୭ ।
କୋଇଲାବତୀ ପାଟଣା ନଗ୍ର ଜେନାବଳୀ
ସେ ଅଭୟ ଭୁବନେ ପଶିଲେ କେହି ତାକୁ ମାରି ତ ନୁଆରି ।୨୧୮ ।
ବିଶ୍ୱାସଘାତକକୁ ହରି ନ କର ତୁମ୍ଭେ ଚିନ୍ତା
ଗୋସିଂହ ବଧ ଗଲେଟି ଆକାଶ ହୋଇବ ସୁସ୍ତା ।୨୧୯ ।
ପିତାର ବଚନ ଶୁଣି ଚଳଇ ସେ ବୀରବର ଚିତ୍ରସେନ
ବିମାନେ ବିଜୟେ କରି ପ୍ରବେଶ ରାମକୃଷ୍ଣ ସନ୍ନିଧାନ ।୨୨୦ ।
ଯେତେକ ଧନରତ୍ନ ଯୋଗାଡ଼ନ୍ତ ଦେଇଥିଲେ ଦେବରାଜା
ଚିତ୍ରସେନ ରାମକୃଷ୍ଣଂକ ଚରଣ ତଳେ ଦେଇ କଲା ପାଦପୂଜା ।୨୨୧ ।
ରାମକୃଷ୍ଣ ଚରଣ ତଳେ ଗନ୍ଧର୍ବ ପରିଣାମି
ଗୋସିଂହ ବଧକୁ ଅବଧାନ କରିବା ଦେବସ୍ୱାମୀ ।୨୨୨ ।
ଅନେକ ବିନୋୟୀ ଯେ କହିଲେ ପୁରୁହୂତ
ତୁମ୍ଭର ପ୍ରସାଦେ ଯେ ଅମର ହୋଇବ ସୁସ୍ତ ।୨୨୩ ।
ଗୋବିନ୍ଦ ବୋଇଲେ ତୂନି ହୋଇଥାଅସି ବାବୁ
ମହା ପ୍ରତାପୀ ଦାନବ ସେ ଆମ୍ଭେ କେମନ୍ତେ ମାରିବୁ ।୨୨୪ ।
ଲକ୍ଷେ ରାଜାଂକର ଅଛି ଯେତେକ ସଇନି
ୟେକା ଗୋସିଂହ ଅଇଲା ତେତେ ବଳ ଘେନି ।୨୨୫ ।
ଚିତ୍ରସେନ ବୋଇଲା ଅନେକ ଯୂଣ ଅଗାଦ ଜଳ ସିନ୍ଧୁ
ଅଗସ୍ତି ଗଣ୍ଡୂଷ କଲା ବାଳକ ବିନୋଦୁଂ ।୨୨୬ ।
ଅଗାଦ ସାଗର ସେ ଅଟଇ ଦ୍ରପିଷ୍ଠ
ୟେହାକୁ ସଂହାରିବାକୁ ତୁମ୍ଭେ ହେବ ଘଟବତ୍ସ ।୨୨୭ ।
ନାରାୟଣ ବୋଇଲେ ତୁମ୍ଭେ ବର ଦେଉଥିବ
ହତ୍ୟା ବିବାଦ କାଳେ ପୁଣ ମୋତେ ଦୋଷ ଦେବଟି ସର୍ବଦେବ ।୨୨୮ ।
ଆହୋ ଚିତ୍ରସେନ ମୁଂ ରାବଣକୁ ମାଇଲି ଯେତେ ଦୁଖେ
ବ୍ରହ୍ମହତ୍ୟା ଦୋଷ ମୋତେ ବାଛିଲେ ଚତୁର୍ମୁଖେ ।୨୨୯ ।
ୟେଡ଼େ ବୋଲି ଦେବ ସମାର୍ଜିଲେ ଚିତ୍ରରଥ
ତୁହି ଥାଉଂ କିନା କରିପାରିବା ଯେମନ୍ତ ।୨୩୦ ।
କୁବେର ଦେବତା ଦିଲେ ରତ୍ନ ଯେ ଯୋଗାଡ଼
ବତିଶ ସହସ୍ର ଅଷ୍ଟ ପାଟବଂଶୀକି ଯେତେକ ଅଳଂକାର ।୨୩୧ ।
ଛପନ କୋଟି ଯାଦବେ ଯେତେକ ଅଛନ୍ତି
ସୁବନ୍ତ ବୀରବେଶ ଅଳଂକାର ଦିଲେ ରତ୍ନପତି ।୨୩୨ ।
ଲକ୍ଷେ ଷାଠିୟେ ସହସ୍ରେ ଅଶିୟେ ନନ୍ଦନ ବାସୁଦେବଙ୍କର
ସମସ୍ତଂକୁ ବୀରବେଶ ଅଳଂକାର ଦିଲେକ କୁବେର ।୨୩୩ ।
ଅବିଷେକ ଯାଗାଡ଼ ଦିଲା ହରି ବଳରାମଂକୁ
ଅବିଷେକ ଯୋଗାଡ଼ ଦିଲେ ନନ୍ଦ ବସୁଦେବ ଉଗ୍ରସେନଂକୁ ।୨୩୪ ।
ରେବତୀ ସହିତେ ଅଷ୍ଟପାଟ ଯେ ବଂଶୀଂକି
ଅଳକାର ପତି ଦିଲେ ଅଳଂକାର ଲେଖି ।୨୩୫ ।
କୁବେରଂକର ପୁତ୍ର ଯେ ନଳକୁବେର
ୟେମାନ ପୂରୋଇଲେ ଖେଚରୀ ବିମାନର ।୨୩୬ ।
କୁବେର ବୋଇଲେ ବାବୁ ୟେ ଅଳଂକାରମାନ ଦେବୁ
ଗୋସିଂହକୁ ବଧ କରି ବୋଲି ରାମକୃଷ୍ଣନ୍ତ ଗୁପତେ କହିବୁ ।୨୩୭ ।
ତେବେ ସେ ରକ୍ଷା ହୋଇବ ଅମର ବାରସ୍ୱତୀ
ଭଣ୍ଡାର ଜୂର କରି ନେଲାନି ପଞ୍ଚବିଂଶ ଘାନ୍ତି ।୨୩୮ ।
ପିତାର ବଚନେ ଚଳଇ ଯେ ନଳକୁବେର
ରୈବ୍ରତ ପର୍ବତେ ପ୍ରବେଶ ରାମକୃଷ୍ଣଂକ ସନ୍ନିଧର ।୨୩୯ ।
ସମସ୍ତ ଅଳଂକାର ଛାମୁରେଣ ଥୋଇ
ନଳକୁବେର ଯେ ଶୁତିଲା ପ୍ରଳମ୍ୱିତ ହୋଇ ।୨୪୦ ।
ସ୍ୱାମୀ କୁବେର ଦେବତା ଦିଲେ ଅମୁଲ୍ୟ ରତ୍ନମଣି
ସବୁଂକଇଂ ୟେହା ଆଭରଣ କରିବା ଚକ୍ରପାଣି ।୨୪୧ ।
ଅଳଂକାର ସବୁଂକଇଂ ଆଭରଣ ଦିଲେ
ୟେକାନ୍ତେ ନଳକୁବେର ଜଗନ୍ନାଥଂକୁ କହିଲେ ।୨୪୨ ।
ସ୍ୱାମୀ ଅନେକ ବିନୋୟୀ ଯେ କହିଲେ ରତ୍ନପତି
ଗୋସିଂହ ବଧ କରିବା ନିମନ୍ତେ ଆହେ ଶିରୀପତି ।୨୪୩ ।
ଶ୍ରୀହରି ବୋଇଲେ ୟେ କଥାମାନ କରସି ଗୁପତ
ଅସୁରବଳ ସନ୍ୟ ଅଛନ୍ତି ଅପ୍ରମିତ ।୨୪୪ ।
ମହା ମହା ଦାନବ ବଳେଣ ଅପ୍ରମିତା
ତାହାନ୍ତ ଦେଖିଲେ ଡରନ୍ତି ତେତିଶ କୋଟି ଦେବତା ।୨୪୫ ।
ସମସ୍ତେ ସାହାପକ୍ଷ ହୋଇଥାଅ ଆମ୍ଭର ତୁଲେ
ଗୋସିଂହ ବଧ କରିବା ସିନା ଯାଗ ସମାପତ ହୋଇଲେ ।୨୪୬ ।
ଅନେକ ରତ୍ନ ଘେନିଣ ଦେବ ଯେ ଅନନ୍ତ
ଗୋସିଂହକୁ କଲେକ ଅନେକ ପୁରୁଷାର୍ଥ ।୨୪୭ ।
ସେନା ସେନାପତି ଯେତେକ ତାହାର ଥିଲେ
ସବୁଂକୁହିଂ ଜଗନ୍ନାଥଙ୍କ ଅଳଂକାର ଦିଲେ ।୨୪୮ ।
ଚନ୍ଦନ ଚତୁସମ ତାମ୍ୱୁଳ ଗନ୍ଧ ପୁଷ୍ୟ
କରନ୍ତି ଆଭରଣ ଯେତେକ ରାକ୍ଷସ ।୨୪୯ ।
ଅସୁରେ ସାନନ୍ଦ ଯେ ଅତି ଅପ୍ରମିତା
ମହା ମହା ଦାନବନ୍ତ କେ କରିବ ଗଣିତା ।୨୫୦ ।
ମହା ଦ୍ରପିଷ୍ଠ ଅସୁରେ ଗୋସିଂହକୁ ସମାର୍ଜନା କରି
ଅନେକ ଦେଶର ତୁମ୍ଭେ ବିଜେକଲେ ଦଣ୍ଡଧାରୀ ।୨୫୧ ।
ଛପନ କୋଟି ଯାଦବେ ତହିଂ ବିଜେ କରିଛନ୍ତି
ଋଷି ବିପ୍ରମାନେ ତହିମ ଅନେକ ଅଛନ୍ତି ।୨୫୨ ।
ଆମ୍ଭେ ବସୁଅଛୁ ଯେ ମହାଯୋଗ ସ୍ତାନେ
ୟେପ ଯାହା ଆସ୍ତାନେ ତୁମ୍ଭେ ଥାଅ ରାଜାମାନେ ।୨୫୩ ।
ୟେତେକ ବଚନେ ରାଜାୟେ ବଦନ୍ତି ସମସ୍ତ
ବିଜେ କରିବା ଦେବ ବାଞ୍ଛା ହୋଉ ପରାପତ ।୨୫୪ ।
ରାଜାନ୍ତ ସମାର୍ଜନା କରି ବାମଦେବ କ୍ଷେତ୍ରପାଳନ୍ତ ରାଇ
ୟେ ଯାଗଶାଳ ରକ୍ଷା କରି ରାତ୍ରକାଳେ ବୁଲୁଥିବୁ ତୁହି ।୨୫୫ ।
ୟେସନେକ ଆଗ୍ୟାଂ ଯହୁଂ ଦିଲେ ନନ୍ଦବାଳ
ରାତ୍ରେଣ ସଭା ନିବର୍ତ୍ତ ତୁ ଯେ କରିବୁ ବାମଦେବ କ୍ଷେତ୍ରପାଳ ।୨୫୬ ।
ଲକ୍ଷେ ରାଜାଂକର ଯେତେକ ସଇନି
ଭୁଞ୍ଜନ୍ତି ହରଷେ ଅନେକ ସୁପକ୍ୱ ଯୋଗାଡ଼ନ୍ତ ଘେନି ।୨୫୭ ।
ଅଶ୍ୱ ଗଜକୁ ଚରଣୀ ପିଉଣୀ ଘାସ ବିରି
ସୁଖେଣ ସମସ୍ତ ରାଜା ଥାଆନ୍ତି ନାନା କ୍ରୀଡ଼ାରଙ୍ଗ କରି ।୨୫୮ ।
ସମସ୍ତଙ୍କୁ ଚରଚା କରି ସେ ଦେବ ଅଚ୍ୟୁତ
ଯଗ୍ୟେଂ ରାମକୃଷ୍ଣ ବିଜୟେ କୁଶହସ୍ତ ।୨୫୯ ।
ଲମ୍ୱିତ ଜୂଡା ସ୍ୱାମୀ ତ୍ରିକଚ୍ଛ ବସନ
ଦ୍ୱାଦଶଚିତା ଦେବ ଶ୍ରୀବତ୍ସ ଲାଞ୍ଛନ ।୨୬୦ ।
ବେଦମନ୍ତ୍ର ଆଧ୍ୟାନେ କରଣେ ମନ୍ତ୍ରପୋଥି
ଋଷିଗଣନ୍ତ ଘେନି ବିଜୟେ କୃଷ୍ଣ ହଳପତି ।୨୬୧ ।
ବିଜୟେ ରାମକୃଷ୍ଣ ମହାଯଗ୍ୟଂ ସ୍ତାନ
ଋଷିଗଣମାନେ ଯେ ବେଦମନ୍ତ୍ରରେ ଆଧ୍ୟାନ ।୨୬୨ ।
ଗୋସିଂହକଇଂ କହଇ ଅସୁରକୁଳ ମନ୍ତିରୀ
ୟେ ହାଦେ କୂଟ କପଟୀ ଦେବ ଦଇତାରି ।୨୬୩ ।
ନ ଜାଣି ଅନମିତେ ଅଇଲେ ୟେ ସଭାକୁ
ଆଉ ବ୍ରତିଯାଇଂ ନୁଆରିବୁଟି ୟେ ଯଗ୍ୟଂ ସରିଲାକୁ ।୨୬୪ ।
ୟେସନେକ କୂଟ ବୁଦ୍ଧି ରାଞ୍ଚିଲେ ସର୍ବଦେବା
ଚିତ୍ରସେନକଇଂ ରାଇଣ ପଠିଆଇ ଦିଲେକ ମଘବା ।୨୬୫ ।
ନଳକୁବେରକଇଂ ପେଶିଲେ କୁବେର
ଶ୍ରା ଜଗନ୍ନାଥକଇଂ ବୋଇଲେ ଗୋସିଂହକୁ ବଧ କର ।୨୬୬ ।
ଆହୋ ରାଜେଶ୍ୱର କରିବା କେଉଣ ଉପାୟେ
ଆମ୍ଭର ଜୀବନ ଥିବଟି ଯାଗ ମସାପତ ଯାୟେ ।୨୬୭ ।
କୂଟକପଟୀ ଯେ ଅଟନ୍ତି ଜଗନ୍ନାଥ
ନିଚୟେ ଆମ୍ଭନ୍ତ ୟେ କଲା ବିଶ୍ୱାସଘାତ ।୨୬୮ ।
ଆହୋ ଗୋସିଂହ ତୁ ୟେବେ ମୋହୋର ବୁଦ୍ଧି କର
ଶହସ୍ର ନାହିଂ ରାମକୃଷ୍ଣଂକ ହାଥର ।୨୬୯ ।
ନିଶହସ୍ର ହୋଇ ବସିଅଛନ୍ତି ଯାଗେ
କୁଶହସ୍ତ ହୋଇ ବସିଅଛନ୍ତି ମନ୍ତ୍ର ଉଦବେଗେ ।୨୭୦ ।
ପାରୁ ଯେବେ ପଶ ଯାଇଂ ଯାଗଶାଳ ଭିତରେ
ରାମକୃଷ୍ଣନ୍ତ ମାରିପକା ନିଶ୍ୱାସକ ମଧ୍ୟରେ ।୨୭୧ ।
ୟେମନ୍ତେ ସମୟେ ଯେବେ ପାରୁ ୟେହାନ୍ତ ଜିଣି
ଶହସ୍ର ଧଇଲେ ୟେହାଂକୁ ସରିନାହିଂଟି କେହି ପୁଣି ।୨୭୨ ।
ଗୋସିଂହ ବୋଇଲା ୟେ ନୋହଇ ୟେମନ୍ତ
ସତେକି ବିଶ୍ୱାସଘାତ କରିବ ଜଗନ୍ନାଥ ।୨୭୩ ।
ମନ୍ତ୍ରୀ ବୋଇଲା ଭୋ ତୁ କିଛିହିଂ ନ ଜାଣି
ତୋତେ ମାରିବାକୁ ପାଞ୍ଚ କରିଛି ଚକ୍ରପାଣି ।୨୭୪ ।
ଗୋସିଂହ କୋପକଲା ଶୁଣି ମନ୍ତ୍ରୀର ବଚନ
ଅଶି ସହସ୍ର ଯୋଦ୍ଧା ଘେନି ସଜ ହୋଇଲା ବହନ ।୨୭୫ ।
ମନ୍ତ୍ରୀ ବୋଇଲା ତୁ ଶୁଣ ଅସୁର କୁଳପତି
ଆଦିତ୍ୟ ଅସ୍ତହୋଇ ପ୍ରବେଶ ହୋଉ ରାତି ।୨୭୬ ।
ତେତେବେଳେ ଯାଇଂ ପଶିବା ଗୁପତେ
ମାରିବା ରାମକୃଷ୍ଣେ ସର୍ବଋଷି ସମେତେ ।୨୭୭ ।
ମନ୍ତ୍ରୀର ବଚନେ ଗୋସିଂହ ହୋୟେ ତୁଷ୍ଟି
ଆଦିତ୍ୟ ଅସ୍ତ ହୋଇଲେ କରିବା ଅରିଷ୍ଟି ।୨୭୮ ।
ୟେସନେକ ବିଚାରନ୍ତେ ପ୍ରବେଶ ହୋଇଲା ନିଶି
ଯାଗଶାଳେ ବିଜୟେ କରିଛନ୍ତି ହୃଷୀକେଶି ।୨୭୯ ।
ଅନ୍ନ ଭୋଜନ ନାହିଂ ତାହାଂକର ଦିବା ରାତି
ପୁଣିହିଂ ଗୋସିଂହକୁ ବୁଝାଇ ତାହାର ମନ୍ତ୍ରୀ ।୨୮୦ ।
ବୋଲଇ ମହାରାଜା କୋପ କର ଶାନ୍ତି ଅନେକ ମାୟାଧର
ଅଟଇ ଶ୍ରୀପତି
ବିଚାରି କାର୍ଯ୍ୟ କରିବାର ମିଳଇ ଯୁଗତି ।୨୮୧ ।
ଯଗ୍ୟଂରେ ବସିଛନ୍ତି ରାମକୃଷ୍ଣ ନିରାଶେ ଉପବାସେ
ଅନ୍ନ ତେଜ୍ୟା କରିଲେନି ପଞ୍ଚଦଶ ଦିବସେ ।୨୮୨ ।
ଦିନା ଦଶେ ଉପବାସେ ହୋଅଇ ବପୁ କ୍ଷୀଣ
ବଳବୀର୍ଯ୍ୟ ନାଶଯାଇ ଅନ୍ନର ବିହୁନ ।୨୮୩ ।
ୟେତେକ ତିଆରି ସେ ଜପାସୁର ମନ୍ତ୍ରୀ
ନବ ଦିବସ ପରିଯନ୍ତେ ବଞ୍ଚିଲେ ଦିବା ରାତି ।୨୮୪ ।
ଶରୀର କ୍ଷୀନ୍ନ ହୋଇଲା ନିରାଶେ ଉପବାସେ
ଅନ୍ନ ତେଜ୍ୟାକଲେ ସ୍ୱାମୀ ପଞ୍ଚଦଶ ଦିବସେ ।୨୮୫ ।
ମକର ମାସ ଶୁକଳ ପକ୍ଷ ପଞ୍ଚମୀ ଦିବସ
ରାତ୍ର ଦିବସେ ଯଗ୍ୟେଂ ବିଜେ ଦୃଷୀକେଶ ।୨୮୬ ।
ଅର୍କବାର ନକ୍ଷତ୍ର ଯେ ପୁଷ୍ୟା ହୋଇଅଛି
ରାମକୃଷ୍ଣ ଉପବାସ କଲେ ଶୁଭ ଇଚ୍ଛି ।୨୮୭ ।
ରାଗେଣ ଦାନବବଳ ଉଠିଲେ ଗୋସିଂହର ତୁଲେ
ଯଗ୍ୟଂଶାଳ ଦ୍ୱାରେ ଯାଇଂ ଅସୁରେ ହାବୋଡ଼ିଲେ ।୨୮୮ ।
ଅସୁରେ ଉଗ୍ରମୂର୍ତ୍ତି ତୋଜ ଯେ ପ୍ରଚଣ୍ଡ
ଆକାଶରେ ଲାଗୁଅଛି ଗୋସିଂହର ମୁଣ୍ଡ ।୨୮୯ ।
ଉଚ୍ଚବାଚ ଦେଖି ଧାଇଂଲେ ବାମଦେବ କ୍ଷେତ୍ରପାଳେ
ଆକ୍ରେଷି ଧଇଲେ ତାଂକୁ ଅସୁର ମହାବଳେ ।୨୯୦ ।
ଲୋହାସୁର ବୋଲି ଗୋସିଂହ ସେନାପତି
ବାମଦେବ କ୍ଷେତ୍ରପାଳକଇଂ ସେ ଧଇଲାକ ଧାତି ।୨୯୧ ।
ଅଶ୍ୱେକ ଆରୋହି ଯେ ବାମଦେବ କ୍ଷେତ୍ରପାଳ ଥିଲା
କୋପେଣ ଗୋସିଂହ ତାହାର ଭୁଜ ଯେ ଧଇଲା ।୨୯୨ ।
କ୍ଷେତ୍ରପାଳ ମାଇଲାକ ରାଗେଣ ତୀକ୍ଷମୂନା ପ୍ରଶୁ
ଗୋସିଂହର ଅଙ୍ଗେ ପଡ଼ିହୋଇଲା ଧୂଳି ପାଶୁଂ ।୨୯୩ ।
ଭୁଜ ଧରି ଅସୁର ବୁଲାଇ କ୍ଷେତ୍ରପାଳକୁ
କୋପେ ଫିଙ୍ଗି ଦିଲା ସେ ଦକ୍ଷିଣ ଦିଗକୁ ।୨୯୪ ।
ଦଶ ସହସ୍ର ଯୋଜନେ ଯାଇଂ ପଡ଼ିଲା ସମୁଦ୍ର ଭିତରେ
ପଡି ବୁଡ଼ିଗଲା ତହିଂ କ୍ଷେତ୍ରପାଳ ବୀରେ ।୨୯୫ ।
ଆକାଶର କ୍ଷେତ୍ରପାଳ ବୋଲି ଚିହ୍ନିଲେ ବରୁଣ
କ୍ଷେତ୍ରପାଳକୁ ସେ ସମ୍ଭାଳିଣ ଧଇଲେ ତତକ୍ଷଣ ।୨୯୬ ।
ଆଦିତ୍ୟର ଅଶ୍ୱେ ଯେ କ୍ଷେତ୍ରପାଳ ବସିଥିଲା
ସେ ଅଶ୍ୱର ଉପରେ ଯାଇଂ ଲୋହାସୁର ଚଢିଲା ।୨୯୭ ।
ଯାଗଶାଳ ଦ୍ୱାରେ ପ୍ରଦ୍ୟୁମ୍ନ ଚିତ୍ରସେନ ନଳକୁବେର
ତିନିକିଂ ଧଇଲେ ଯାଇଂ ତିନି ଯେ ଅସୁର ।୨୯୮ ।
ଲୋହଶିରା ଧଇଲା ଯାଇଂ କୁମର ପ୍ରଦ୍ୟୁମ୍ନକୁ
ସିଂହନାଦ ଧଇଲା ଚିତ୍ରସେନ ଗନ୍ଧର୍ବକୁ ।୨୯୯ ।
ଅମନାତ୍ୟ ଧଇଲା ନଳକୁବେରେ
ତିନିହେଂ ତିନିଂକି ଯେ ଯାକିଲେ କାଖର ଭିତରେ ।୩୦୦ ।
ଧାତିକାରେ ପଶିଲେ ରାତିରେ ଯାଗଶାଳେ
ଶ୍ରା ଜଗନ୍ନାଥଦେବଂକ ପୂର୍ଣ୍ଣାହୁତି ବେଳେ ।୩୦୧ ।
ମଉନବ୍ରତ ବେଳେ ରାମକୃଷ୍ଣ କରେଣ କୁଶପାଣି
ମାରକଣ୍ଡେ ବାକ୍ୟ କରାନ୍ତି ଧର୍ମବାଣୀ ।୩୦୨ ।
ସେମନ୍ତର ସମୟେ ଯେ ଗୋସିଂହ ବାହିଲା
ଅଶି ଯୋଦ୍ଧା ଦାନବନ୍ତ ଘେନି ଭିତରେ ପଶିଲା ।୩୦୩ ।
ଆରେ ଆରେ ବୋଲି ଯେ ପାଦେ ମାଇଲା ମାରକଣ୍ଡଂକୁ
ଧାତିକାରେ ଦରାଣ୍ଡି ଧଇଲା ଯେ ବଳରାମଂକୁ ।୩୦୪ ।
ପ୍ରତଗ୍ୟାଂ କରିଣ ସେ ଅସୁର ବୀର ଡାକେ
ବଳରାମ ସ୍ୱାମୀଂକି ଯାକିଲା ବାମ କାଖେ ।୩୦୫ ।
ଜଗନ୍ନାଥ ସ୍ୱାମୀଂକି ମାଇଲା ସେ ନିର୍ଘାତ ବାଣ
ଅସାଷ୍ଟମ ହୋଇ ପଡ଼ିଲେକ ନାରାୟଣ ।୩୦୬ ।
ଅନୀତି କର୍ମ କଲେକ ଯହୁଂ ଯାତୁଧାନେ
ଅନ୍ତରୀକ୍ଷେ ପଳାଇଲେ ଦେବ ଋଷିଗଣେ ।୩୦୭ ।
ଅନେକ ଋଷିମାନନ୍ତ ତହିଂ ପକାଇଲେ ମାରି
ଯଗ୍ୟଂକୁଣ୍ଡେ ପକାଇ ଖାଉଛନ୍ତି ଦାନବେ ପୋଡ଼ିକରି ।୩୦୮ ।
ବଳରାମ ସ୍ୱାମୀଂକି ଅନ୍ତରୀକ୍ଷେ ବୁଲାଇ
ଜଗନ୍ନାଥ ସ୍ୱାମୀଂକ ଉପରେ କଚାଡ଼ିଲା ନେଇ ।୩୦୯ ।
ଅସୁର ବିଘାତେ ଯେ ସ୍ୱାମୀ ବଳରାମ
ଉପବାସେ ବପୁ କ୍ଷୀଣ ହୋଇଲେ ଅସାଷ୍ଟମ ।୩୧୦ ।
ଆବର ଅସାଷ୍ଟମ ହୋଇ ଯହୁଂ ପଡ଼ିଲେ ରାମକୃଷ୍ଣେ
ମହାଯଗ୍ୟଂ କୁଣ୍ଡେ ନେଇ ପକାଇଲେ ଦ୍ରପିଷ୍ଠେ ।୩୧୧ ।
ୟେହାଂକର ମାଂୟେସ ଖାଇବଇଂ ଯେବେ ପୋଡ଼ି
ତେବେ ସେ କଳପି ହୋଇବ ମୋହୋର ଯେ ଶରୀ ।୩୧୨ ।
ଅଗ୍ନିରେ ପକାଇ ନିଉଡ଼ଇଂ ଘୃତମାନ
ମହା ଅନଳ ଦେବତା ବିଜୟେ ତୋଷମନ ।୩୧୩ ।
ଅଗ୍ନି କୁଣ୍ଡରେ ତେତେବେଳେ ବିଜେ କରିଥିଲେ ବଶ୍ୟାନରେ
ରାମକୃଷ୍ଣଂକୁ ଗୋପ୍ୟାନ କଲେ ଯାଗକୁଣ୍ଡର ଭିତରେ ।୩୧୪ ।
ଅଗ୍ନିରେ ଭୁଜ ଲାଇ ଦରାଣ୍ଡଇ ଗୋସିଂହ
ଲୋଡ଼ି ନ ପାଇଲା ସେ ରାମକୃଷ୍ଣଂକର ଅଙ୍ଗ ।୩୧୫ ।
ମନ୍ତ୍ରୀ ବୋଇଲା ଅନେକ ଘୃତ ତୁ ବରଷୁ
ମାନବ ଶରୀର ସିନା ହୋଇଲା ଧୂଳିପାଂଶୁ ।୩୧୬ ।
ନ ପାଇଣ ଗୋସିଂହ ଯେ ହୋଇଲା ନିରାଶ
ମତ୍ୟଭାମା ବସିଥିଲେ ଯେ ଜଗନ୍ନାଥଂକର ପାଶ ।୩୧୭ ।
ତ୍ରଇଲୋକ୍ୟ ମୋହିନୀ ସେ ଅଟଇ ଯୁବତୀ
କୋଳ କରି ନେଇ ରଥେ ବସାଇଲା ଦତ୍ୟପତି ଧାତି ।୩୧୮ ।
ଅନ୍ଧାରକାଳେ ଗୋଳ କଲେକ ଅସୁରେ
ଅନେକ ସଇନି ସେ ମାଇଲେ ରୋଷଭରେ ।୩୧୯ ।
ଚଉରାଶୀ କ୍ଷଉଣୀ ଯେ ଅମାପତ ସନ୍ୟବଳ
ନର ଜନ୍ତୁ ଅନେକ ଖାଇଲେ ସକଳ ।୩୨୦ ।
ରତ୍ନ ବସ୍ର ଅଳଂକାର ଅନେକ ଜୂର କଲେ
ଯାଗଶାଳମାନନ୍ତ ସବୁ ଭାଞ୍ଜି ପକାଇଲେ ।୩୨୧ ।
ଲୋହାସୁର ଚିତ୍ରସେନକଇଂ କାଖରେ ଯାକିଥିଲା
ମେରୁ ପର୍ବତକୁ ବୋଲିଣ ତାକୁ କୋପେ ଫିଙ୍ଗିଦିଲା ।୩୨୨ ।
ସିଂହନାଦ ଫିଙ୍ଗିଦିଲା ନଳକୁବେରକୁ
ଅମନାତ୍ୟ ଫିଙ୍ଗିଦିଲା ପଦ୍ମନ କୁମରକୁ ।୩୨୩ ।
ତିନିପୁର ଅଟଇ ଯେ ରୈବତ ପର୍ବତ
ତଳପୁରେ କୁମରମାନେ ହୋଇଲେ ଗୁପତ ।୩୨୪ ।
ବତିଶ ସହସ୍ର କନ୍ୟା ଅଷ୍ଟ ପାଟବଂଶୀ
ଅସୁରଙ୍କ ଭୟେଣ ଥିଲେ ଆଗହୁଂ ତଳ ପୁରେ ପଶି ।୩୨୫ ।
ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ
ସେହି ତଳ ପୁରେ ହୋଇଥିଲେ ଯେ ଗୋପ୍ୟାନ ।୩୨୬ ।
ଋଷିମାନନ୍ତ ମାରିବାକୁ ଯେ ଅସୁରେ ଧାଇଂଥିଲେ
ସମସ୍ତ ଋଷିମାନେ ୟେଣେ ତେଣେ ପଳାଇଲେ ।୩୨୭ ।
ଆବର ବିଶେଷେ ଯେ ଅଟଇ ରାତ୍ରକାଳ
ତେଣୁ କରି ଜନଜନ୍ତୁ ବ୍ରତିଲେ ସକଳ ।୩୨୮ ।
ଦେବଦଳନ ମନ୍ତ୍ରୀ ପୁଚ୍ଛା କଲା ରାଜାଂକୁ
ଚାଲ ଯିବା ୟେବେ ଆମ୍ଭେ ଜେନାବଳୀ ନଗ୍ରକୁ ।୩୨୯ ।
ଜୟେ କଲା ନଗ୍ରେ ଦଣ୍ଡେ ରହିତ ନ ଯୋଗାଇ
ଯଶ ଅପଯଶ ହୋଇ ଆପଣେ ନାଶ ଯାଇ ।୩୩୦ ।
ସତ୍ୟଭାମାକୁ ରଥେ ବସାଇ ଗୋସିଂହ
ଆପଣା ରାଜ୍ୟକୁ ସେ ଚଳଇ ଅତି ବେଗ ।୩୩୧ ।
ଚଳଇ ଦାନବ ଯେ ମହାଘୋର ବନେ
ସୁଖେଣ ବିହଡ଼ନ୍ତି ଅମାପତ ଯାତୁଧାନେ ।୩୩୨ ।
ସୂର୍ଯ୍ୟକେତୁ ବିମାନ ଯେ ନଳକୁବେର ଆଣିଥିଲା
ସେ ବିମାନେ ଅସୁର ଅନେକ ରତ୍ନମାନନ୍ତ ପୂରୋଇଲା ।୩୩୩ ।
ଚଉରାଶୀ କ୍ଷଉଣୀ ବଳ ସଂଗତେ ସେହୁ ଘେନି
ସୋ ମାୟା ବିମାନେ ବସାଇଲା ସକଳ ସଇନି ।୩୩୪ ।
ମନ୍ତ୍ରୀ ବୋଇଲା ଭୋ ଦେବ ତୁମ୍ଭେ ମୋହୋର ବୋଲ କର
ୟେ ସ୍ତିରୀ ରତ୍ନକାନ୍ତିକି ଛାଡ଼ ସେ ଯାଉ ନିଜ ପୁର ।୩୩୫ ।
ପୂର୍ବ କାଳେ ହାଦେ ସ୍ତିରୀ ହରଣର ଦୋଷେ
ନାଶଗଲେ ୟେଥି ଭଲ ଭଲ ପୁରୁଷେ ରାକ୍ଷସେ ।୩୩୬ ।
ଲକ୍ଷେ ସିଘଂ ପରାକ୍ରମ ଅଟଇ ଯେଉଂଣ ବାଳୀ
ରୋମାହରଣ ଦୋଷେ ତାର ମଉଳି ଲୋଟିଲା ମହିଆଳୀ ।୩୩୭ ।
ସୀତା ହରଣେ ନାଶ ଗଲାଟି ରାବଣ
ତାରା ହରଣ ଦୋଷେ ଚନ୍ଦ୍ର ହୋଇଲେଟି ଖଣ୍ଡଣ ।୩୩୮ ।
ଅପକ୍ଷରୀ ହରଣେ ନାଶ ଗଲେଟି ନଳକୁବେର
ସର୍ପ ହୋଇ ରହିଲା ସେ କୁବେର କୁମର ।୩୩୯ ।
ଇନ୍ଦ୍ର ଦେବତା ଯେ ହରିଲା ଗଉତମଂକ ପତ୍ନୀ
ଋଷି ଶାପେ ସେ ଯେ ହୋଇଲା ସସ୍ରଯୋନି ।୩୪୦ ।
ଦୁର୍ଗାଂକୁ ଲୋଭ କରି ନାଶଗଲା ମୟେଂଷା ଅସୁର
ରତି ଆଶରେ ନାଶ ହୋଇଲାଟି ଶମ୍ୱର ।୩୪୧ ।
ପାର୍ବତୀ ଲୋଭେ ତ୍ରିପୁର ନିଧନ ହୋଇଲା
ଶଚୀ ଆଶ କରି ନହୁଷ ନାଶଗଲା ।୩୪୨ ।
ଗଉତମର ପତ୍ନୀ ଚନ୍ଦ୍ର ଯେ ହରିଲେ
କୋପେ ଗଉତମ ଚନ୍ଦ୍ରଂକୁ ଶାପ ଦିଲେ ।୩୪୩ ।
ମୋହୋର ପତ୍ନୀକୁ ଯେ ହରିଲୁ କାମବଶୁଂ
ଷଡ଼ଦଶ ମାସରେ ରାହୁ ତୋତେ ଗ୍ରାସୁ ।୩୪୪ ।
ପର ସ୍ତିରୀ ହରନ୍ତେ ଯେ ୟେହେନେକ ପାପ
ଅଳପକେ ନାଶ ଯାଇଟି ଯେତେ ଥିଲେ ଦର୍ପ ।୩୪୫ ।
ଛାଡ଼ିଣ ମେଲ ଲୋଭ ୟେ ଅଟଇ ଅପର୍ଣ୍ଣା
ସ୍ତିରୀ ଲୋଭେ ନାଶ ଯିବୁ ସମସ୍ତ ସନ୍ୟ ସେହ୍ନା ।୩୪୬ ।
ସ୍ତିରୀ ଲୋଭ ମାତ୍ରକେ କେହି ନ ବ୍ରତିବେ
ଆବର କି ଯାଇଂ ଜେନାବଳୀ ନଗ୍ର ଦେଖିବେ ।୩୪୭ ।
ମନ୍ତ୍ରୀର ବଚନେ ବୋଇଲା ଦେବତାଂକ ଅଇରି
ସୁନ୍ଦର କାମିନୀ ୟେହା ଛାଡ଼ିବ ନୁଆରି ।୩୪୮ ।
ମନ୍ତ୍ରୀ ବୋଇଲା ତୋର କର୍ମେ ଅଛି ଯାହା
ଚାଲ ଶୀଘ୍ରେ ଯିବା ୟେଥୁଂ ରଥ ବେଗେ ବାହା ।୩୪୯ ।
ଚାଲ ଚାଲ ଯହୁଂ ଶୁଭିଲା ଶବଦ
ଆକାଶ ଉଛୁଳଇ ଯେ ବୀରତୂର ନାଦ ।୩୫୦ ।
ଚାଲନ୍ତି ସନ୍ୟବଳ ବନ ଗହନ ମାଡ଼ି
ଅନେକ ନଗ୍ର ଲୋକେ ପଳାଉଛନ୍ତି ଛାଡ଼ି ।୩୫୧ ।
ଅନେକ ଗୋରୁ ମନୁଷ୍ୟ ବନଜନ୍ତୁ ଆଦି କରି
ଅଭକ୍ଷ ଭକ୍ଷ ଅସୁରେ ଖାଉଛନ୍ତି ପୋଡ଼ି ।୩୫୨ ।
ପଞ୍ଚବିଂଶ ଯୋଜନ ମାଡ଼ି ଚଳଇ ସଇନି
ବିବାନେ ବସିଅଛି ଅସୁର ସତ୍ୟଭାମାଂକୁ ଘେନି ।୩୫୩ ।
ମଣିଭଦ୍ରା ନାମେ ଅଛଇ ପର୍ବତ ଗୋଟାୟେ
ସେ ପର୍ବତ ଉପରେ ବସିଛି ପାଣ୍ଡବ ଧନୁର୍ଜୟେ ।୩୫୪ ।
ଶତଧନୁ ବୋଇଲା ଶୁଣିମା ଫାଲଗୁନି
ଦକ୍ଷିଣ ବନସ୍ତେଣ ଶୁଭଇ ଘୋର ଧୁନି ।୩୫୫ ।
କେବଣ ରାଜାର ୟେ ବଡ଼ ଥାଠ ଗୋଟାୟେ
ୟେଥୁଂ ଆଡ଼ ହୋଇ ଯିବା କିହୋ ପାଣ୍ଡବ ଧନୁର୍ଜୟେ ।୩୫୬ ।
ଅର୍ଜୁନ ବୋଇଲା ଯିବେ ନାହିଂକି ପଥଶ୍ରାନ୍ତି
ପର ଛାର ଥାଠକୁ ଯେ ମୋହୋର କିସ ଭ୍ରାନ୍ତି ।୩୫୭ ।
ଯେ ଅବା ଶତ୍ରୁ ହୋଇ ଆସିବ ଅଗ୍ୟାନେ
ଯେତେକ ଥାଠ ଥିବେ ମୁଂ ଗୁନ୍ଥିବି ୟେକ ନାରାଜ ମୁନେ ।୩୫୮ ।
ଶତଧନୁ ଅର୍ଜୁନ କଥା ହୁଅନ୍ତେଣ ତହିଂ
ରାକ୍ଷସବଳ ଥାଠ ଭେଟିଲେକ ଯାଇଂ ।୩୫୯ ।
ଯେବଣ ଥାନେ ଅଛନ୍ତି ପାଣ୍ଡବ ଧନୁର୍ଜୟେ
ରାତ୍ର ଦିଶୁଅଛି ତହିଂ ଯେ ଦିବସ ପରାୟେ ।୩୬୦ ।
ଗୋସିଂହ ରଥେ ଥାଇ ଦେଖିଲେ ଶକ୍ରାବତୀ
ଅର୍ଜୁନ ରଖ ବୋଲି ଉଚ୍ଚେଣ ଡାକ ଦ୍ୟନ୍ତି ।୩୬୧ ।
ଶତଧନୁ ବୋଇଲା ତୁମ୍ଭେ ଶୁଣିମା ଫାଲଗୁନି
ସତ୍ୟଭାମା ଠାକୁରାଣୀଂକର ତ ଶୁଭଇ ମୁଖ ଧୁନି ।୩୬୨ ।
ଶକ୍ରାଜିତ ନନ୍ଦିନୀ ଶ୍ରୀକୃଷ୍ଣ ପାଟବଂଶୀ
କେଉଂଣ ଦାନବ ପୁଣ ହରି ନେଉଅଛି ।୩୬୩ ।
ପୁଣି ପୁଣି ରୋଦନ କରି ଯେ ଡାକ ଦିଅନ୍ତି ସତ୍ୟଭମା
ରକ୍ଷାକର ଅର୍ଜୁନ ହୋ ମୁଂ ଶ୍ରୀକୃଷ୍ଣଂକର ବାମା ।୩୬୪ ।
ଅର୍ଜୁନ ରକ୍ଷାକର ରକ୍ଷାକର ବୋଲି ଉଚ୍ଚେ ଦିଲେ ବାଣୀ
ଗୋସିଂହ ଦତ୍ୟ ମୋତେ ବଳେଣ ଧରି ଆଣି ।୩୬୫ ।
ସତ୍ୟଭାମାଂକ ବଚନ ଯହୁଂ ଅର୍ଜୁନ ଶୁଣିଲା
ମନଭେଦୀ ନାରାଜକୁ ବୀର କରେଣ ଧଇଲା ।୩୬୬ ।
ଆହୋ ନାରାଜ କେ କାହାକୁ ଧରିଛି ବଳାତ୍କାର
ବାରିତ ନୁହଇଂ ରାତ୍ର ଘୋର ଅନ୍ଧକାର ।୩୬୭ ।
ପଥ ନିରୋଧ କର ହୋ ତ୍ରଇଲୋକ୍ୟ ଭୁବନେ
କେହି କାହିଂକି ଯାଇ ନୁଆରିବେଟି ସକଳ ସଇନେ ।୩୬୮ ।
ରାତ୍ର ପାହିଲେଟି ଦେଖି ବିଚାର କରିବା
ଦୁଷ୍ଟ ହୋଇଲେ ତାକୁ ପ୍ରାଣେହେଂ ମାରିବା ।୩୬୯ ।
ବାସବୀର ବଚନେ ଚଳିଲା ନାରାଜ ମନଭେଦୀ
ଆକାଶ ପାତାଳ ପୂର୍ବ ପଚ୍ଛିମ ଉତ୍ତର ଦକ୍ଷିଣ ଛଡ଼ପନ୍ଥ ନିରୋଧି ।୩୭୦ ।
ୟେସନେକ ମହିଂମା ଶର ମନଭେଦୀ
ଯାହା ବିଚାରି ପେଷିବ ତାହା କାର୍ଯ୍ୟ କରଇ ସିଦ୍ଧି ।୩୭୧ ।
କେଉଂଣ କତିକି କେହି ନ ପାଇଲେ ବାଟ
ମଧ୍ୟରେ ରହିଲା ସେ ଯେ ଅସୁରବଳ ଥାଠ ।୩୭୨ ।
ଗୋସିଂହ ବୋଇଲା ରଥ ବାହା ହୋ ଦୁର୍ଦ୍ଦଣ୍ଡ ସାରଥି
ବାହୁ କିନା ରଥ ମୋର ଚାଲିଯିବା ଧାତି ।୩୭୩ ।
ସାରଥି ବୋଇଲା ଦେବ ପଶିଲୁ ଆସି କାହିଂ
ନିରୋଧ ପଡ଼ିଲା ହୋ ଯାଇତେ ବାଟ ନାହିଂ ।୩୭୪ ।
ପୂର୍ବ କତିକି ସେ ଚଳାଇଲା ରଥ
ତେଣେ ବାଟ ନାହିଂ ପଡ଼ିଅଛି ଶରପଥ ।୩୭୫ ।
ଚଉରାଶି କ୍ଷୌହିଣୀ ବଳ ପଡ଼ିଛନ୍ତି ନିରୋଧି
ମେରୁ ପର୍ବତ ଯେହ୍ନେ ପଚ୍ଛିମ ଦିଗ ରୁନ୍ଧି ।୩୭୬ ।
ପୂର୍ବକୁ ବାଟ ଯେ ନ ପାଇଲା ସାରଥି
ବାହୁଡ଼ାଇ ରଥ କଲା ଦକ୍ଷିଣ ମୂରତି ।୩୭୭ ।
ଦକ୍ଷିଣ ଦିଗେ ଯେ ଯାଇତେ ନାହିଂ ବାଟ
ପଛିମ ଦିଗକୁ ଧୂଆଂଇଲା ଅସୁର ବଳ ଥାଠ ।୩୭୮ ।
ଯେସନେକ ପାଚେରୀ ବେଢିଥାଇ ଗଡ଼
ବାଟ ନ ପାଇ ଯେସନେ ଅଟଇ ଲଙ୍କାଗଡ଼ ।୩୭୯ ।
ସାରଥିକି ବୋଇଲା ଅସୁରକୁଳ ନାହା
ଆକାଶ ମଣ୍ଡଳକୁ ତୁ ମୋର ରଥ ବେଗେ ବାହା ।୩୮୦ ।
ଗଗନକୁ ରଥ ବାହିଲା ମହାବୀରା
ଆକାଶ ମଣ୍ଡଳଯାକ ହୋଇଅଛି ଶରପୀଡ଼ା ।୩୮୧ ।
ସାରଥି ବୋଇଲା ଦେବ ଆକାଶକୁ ନାହିଂ ବାଟ
ବିକଳେ ଅନ୍ତରାଳ ଅସୁର ବଳ ଥାଠ ।୩୮୨ ।
ଗୋସିଂହକୁ ମନ୍ତ୍ରୀ ଜପାସୁର ବୋଇଲା
ଆମ୍ଭର ବୋଲ ନ କଲୁ ରାଜା ତୋତେ ପ୍ରାମଦ ପଡ଼ିଲା ।୩୮୩ ।
ପିତାର ବଚନ ମେଣ୍ଟଇ ଯେବଣ ସେ ପୁତ୍ର
ଆୟୁଷ କ୍ଷୟ ପାୟେ ହୋଇ ନିରୁତାନ୍ତ ।୩୮୪ ।
ଶାଶୁର ବଚନ ମେଣ୍ଟଣ କରଇଟି ଯେବଣ କୁଳବଧୂ
ସନ୍ତାନ ହାନି ହୋଅଇ ଜନ ମୁଖେ ଅସାଧୁ ।୩୮୫ ।
ସ୍ୱାମୀର ବଚନ ଯେବେ ମେଣ୍ଟଇ ଘରଣୀ
ଗୃହ ବାସ ପ୍ରାପତ ନୋହୋଇ ସେ ଅଟଇ ଦୋଚାରୁଣୀ ।୩୮୬ ।
ଗୁରୁ ବଚନ ଯେବେ ମେଣ୍ଟଣ କରଇ ଶିଷ୍ୟ
ହତମୂର୍ଖ ହୋଅଇ ବିଦ୍ୟା ନୋହୋଇ ଅବଶ୍ୟ ।୩୮୭ ।
ମନ୍ତ୍ରୀର ବଚନ ଯେବେ ମେଣ୍ଟଇ ନୃପତି
ହତରାଜ୍ୟ ହୋଇ ନାଶ ଯାଇ ସକଳ ବିଭୂତି ।୩୮୮ ।
ବଡଂକର ବଚନ ମେଣ୍ଟିଲେ ପଡ଼ଇ ପରମାଦ
ଶାହାସ୍ର ନିନ୍ଦା କଲେଟି ହୋଅଇ ଆପଦ ।୩୮୯ ।
ଯେ ସେ ମନ୍ତ୍ରୀ ସେ ରାଜ୍ୟକୁ ଅଟଇ ଗୁଣନିଧି
ମନ୍ତ୍ରୀର ବଚନେ ରାଜ୍ୟକୁ ସୁବିଧାନେ ସର୍ବ ସିଦ୍ଧି ।୩୯୦ ।
ବତିଶ ଗୁଣରେଟି ହୁଅଇ ନୃପତି
ତେତିଶ ଗୁଣ ଥିଲେ ହୁଅଇ ଜାଣ ମନ୍ତ୍ରୀ ।୩୯୧ ।
ଆହୋ ସତ୍ୟଯୁଗେ ଜଳତରଙ୍ଗ ବୋଲି ରାୟେ ୟେକ ଥିଲା
ମନ୍ତ୍ରୀ ବୁଦ୍ଧିବଳେ ସେ ତିନି ଜଗତ ଜିଣିଲା ।୩୯୨ ।
ଯୁଗାନ୍ତେକ ବଇରି ସେ ବରୁଣ ପୁରକୁ ଥାଠ ପଲାଣିଲା
ନୋହୋଇ ନୋହୋଇ ବୋଲି ତାହାକୁ ମନ୍ତ୍ରୀ ଯେ ବୋଇଲା ।୩୯୩ ।
ମନ୍ତ୍ରୀର ବଚନ ରାଜା କଲାକ ଅବଗ୍ୟାଂ
ବୋଇଲା ତୁ ୟେଥି ଥାଇଂ ଦେଖ ମୋହୋର ପ୍ରତଗ୍ୟାଂ ।୩୯୪ ।
ୟେହିକ୍ଷଣି ସାଂଗ୍ରାମେ ଜିଣିମି ଜଳନିଧି
ସିନ୍ଧୁ ଜିଣି ଆଣିମଇଂ ମୁହିଂ ଅନେକ ରତ୍ନ ନିଧି ।୩୯୫ ।
ମନ୍ତ୍ରୀର ବଚନେ ଯେ ଅବଗ୍ୟାଂ କରିଲା
ଚଉରାଶି କାଠି ତାର ସଇନି ଘେନି ସମୁଦ୍ରକୁ ବାହିଲା ।୩୯୬ ।
ବରୁଣ ଭୁବନକୁ ବୋଲି ପଶି ଯାଉଅଛି
ଅସୁର ପାଣି ପିଅନ୍ତି ସମୁଦ୍ର ଯାଇ ଘୁଞ୍ଚି ।୩୯୭ ।
ଦେଖି କରି ସମାର୍ଜନା କଲାକ ବରୁଣ ଜଳନିଧି
ଜଳତରଙ୍ଗକୁ ଦିଲା ଅମୂଲ୍ୟ ରତ୍ନ ନିଧି ।୩୯୮ ।
ସେତେକ ଘେନି ଯେବେ ବାହୁଡ଼ି ଆସନ୍ତା
ତ୍ରଇଲୋକ୍ୟ ଭୟେ ଥାନ୍ତା ଆପଣା ପ୍ରତଗ୍ୟାଂ ରହିଥାନ୍ତା ।୩୯୯ ।
ଜଳତରଙ୍ଗ ବୋଇଲା ଯେବେ ତୋତେ ନ ନାଶିବୁଂ
ୟେ ବାରାନିଧି ଯାକ ମୋତେ ସନ୍ଧାନ ତୁ ଦବୁ ।୪୦୦ ।
ଶୁଣ ବାବୁ ଗୋସିଂହ ରାଜପଦ ବଡ଼ାଇ ଦୁଲଭ
ରାଜ୍ୟଧର ହୋଇଲେ ଯେ ଧନକୁ ହୋଅଇ ବଡ଼ ଲୋଭ ।୪୦୧ ।
ଅତି ଲୋଭକୁ ଯେତେବେଳେ ବଳାଇ ସେ ବୁଦ୍ଧି
ଲୋଭେଣ ପାପ ଆପଣେ ନାଶ ଯାଇଟି ସମ୍ପ୍ରଦ୍ଧି ।୪୦୨ ।
ଜଳତରଙ୍ଗ ଯେତେବେଳେ ବରୁଣକୁ କଟାଳ କଲା
ଲକ୍ଷେ ଯୋଜନ ପରିଯନ୍ତେ ରତ୍ନାକର ଘୁଞ୍ଚିଗଲା ।୪୦୩ ।
ଲକ୍ଷେ ଯୋଜନ ରାଜା ଯେତେବେଳେ ଯାଇଂ ପଶି
ଅନେକ ଅଗାଦ ଜଳେ ପଶନ୍ତେ ହୋଇଲା ଝାସି ।୪୦୪ ।
ବରୁଣ ଦେବତା ଯେ ସମାଧାନ କରୁଥିଲା
କଟାଳ ଦେଖି ତାକୁ ତିନି ନିଧି ଯାଚିଲା ।୪୦୫ ।
ତିନି ନିଧିରେ ଜଳତରଙ୍ଗ ବୋଧ ଯେ ନ ଗଲା
ବାରାନିଧି ଯାକ ମୁଂ ଘେନିମି ବୋଇଲା ।୪୦୬ ।
ୟେସନେକ ବୋଲନ୍ତେ ଜଳଭୁବନ ତେଜି ଗଲାକ ଜଳାଧି
ପବନ ଦେବତା ଆଗେ କହିଲାକ କାନ୍ଦି ।୪୦୭ ।
ଜଳ ପବନ ଅନଳ ଆମ୍ଭେ ତିନିହେଂ ୟେକ ମୂର୍ତ୍ତି
ସତ୍ୟେଣ ଆଚରି ଆମ୍ଭେ ପାଳିବାନା ପୃଥୀ ।୪୦୮ ।
ଚନ୍ଦ୍ର ସୂର୍ଯ୍ୟ ମେଘ ଆଦି କରି ଆମ୍ଭେ ଛଡ଼ ଦଇବତ
ସଚରାଚର ପାଳିବାକୁ ଆମ୍ଭେ ସିନା ସତ ।୪୦୯ ।
କୋଟିୟେ ବ୍ରହ୍ମାଣ୍ଡ ଆଶ୍ରେ କରି ଆମ୍ଭନ୍ତହିଂ ଗଛି
ପାଳକ ପୁରୁଷ ଆମ୍ଭେ ଆମ୍ଭେ ତହୁଂ କେ ଆନ ଅଛି ।୪୧୦ ।
ସମୁଦ୍ର ପାଣି ଛାଡ଼ିବ ମେଘ ବରଷିବ
ଅଗ୍ନି ପାକ କରିବ ପବନ ବହୁଥିବ ।୪୧୧ ।
ଆଦିତ୍ୟର ତେଜ ଚନ୍ଦ୍ର ଦେବ ସୁଧା ରସ
ୟେମନ୍ତେ କରି ଯେ ଆମ୍ଭେ ପାଳୁଂ ଚତୁର୍ଦ୍ଦଶ ।୪୧୨ ।
ବରୁଣ ବୋଇଲା ଦେବ ଶୁଣିମା ପବନ
ତୋହୋର ପ୍ରାୟେ ସୋଦର ମୋତେ କଳିଲେ ଯାତୁଧାନ ।୪୧୩ ।
ଅନେକ କ୍ରୋଧ ଯହୁଂ ବରୁଣ କହିଲା
ଅଣଚାଶ ମୂର୍ତ୍ତି ଧରି ପବନ ସମୋଦ୍ରେ ବହିଲା ।୪୧୪ ।
ଦକ୍ଷିଣ ମୂର୍ତ୍ତି ହୋଇ ପଶି ଯାଉଥିଲେ ଅସୁରେ
ଉତ୍ତର ମୂର୍ତ୍ତି ହୋଇ ପବନ ବହିଲେ ରୋଷଭରେ ।୪୧୫ ।
ଜଳପବନ ମେଘ ତିନିହେଂ ୟେକତ୍ୱ ହୋଇଲେ
ଜଳତରଙ୍ଗ ଉପରେ ମାଡ଼ିଣ ପଡିଲେ ।୪୧୬ ।
ଲକ୍ଷେ ଯୋଜନ ଅଗାଦ ଗଭୀରେ ଅସୁରେ ଥିଲେ ପଶି
ଚଉରାଶି କାଠି ସନ୍ୟ ସମସ୍ତ ଗଲେ ଭାଷି ।୪୧୭ ।
ମନ୍ତ୍ରୀର ବଚନ ଯହୁଂ ଜଳତରଙ୍ଗ ନ କଲା
ଶୁଣ ହୋ ଦେବ ଗୋସିଂହ କାଳେ ୟେମନ୍ତ ହୋଇଲା ।୪୧୮ ।
ପରକୁ ପରମାଦ ଚିନ୍ତଇ ଯେଉଂଣ ପ୍ରାଣୀ
ବିହନ୍ତା ପୁରୁଷ ତାକୁ ଦଣ୍ଡ ବିହନ୍ତି ଅବଶ୍ୟ ଆଣି ।୪୧୯ ।
କେଉଂଣ ମହାତ୍ମାୟେ ନିରୋଧିଲା ବାଟ
ଅତି ଦୁଷ୍ଟପଣେ ନାଶ ଗଲା ୟେଡେ ବଡ଼ ଥାଠ ।୪୨୦ ।
ମନ୍ତ୍ରୀ ୟେସନେକ କହନ୍ତେ ପ୍ରସର ହେଲା ରାତି
ରାକ୍ଷସ ବଳ ଦେଖିଲେ ପାଥର ମୂରତି ।୪୨୧ ।
କରପତ୍ର ଯୋଡ଼ି ଅର୍ଜୁନକୁ କହଇ ଶତଧନୁ
ସ୍ୱାମୀ ବଡ ଦୁଲଭ ହୋଇଲା କୋଇନ୍ତାଂକର ତନୁ ।୪୨୨ ।
ଗୋସିଂହ ଦଇତ ୟେ ମୟେଂଷାସୁର ପଣନାତି
ତ୍ରଇଲୋକ୍ୟ ଜିଣନ୍ତା ୟେ ପୁରୁଷେ ବଧ୍ୟ ନୁହନ୍ତି ।୪୨୩ ।
ଜପାସୁର ମନ୍ତ୍ରୀ ଘେନିଣ ଅଇଲା ସତ୍ୟଭାମା
ଅର୍ଜୁନକୁ ବୋଇଲା ୟେହାନ୍ତ ସମ୍ଭାଳ ମହାତମା ।୪୨୪ ।
ଦେଖିଣ ଧାତିକାରେ ଉଠିଲେ ଫାଲଗୁନି
ସତ୍ୟଭାମା ପଦ୍ମପାଦେ ଅର୍ଜୁନ କରଇ ଦଇନି ।୪୨୫ ।
କ୍ରୋଧଭରେ କହନ୍ତି ସେ ଶକ୍ରାଜିତର ଦୁଲାଳୀ
ୟେ ସେ ଗୋସିଂହ ବାବୁ ନାଶକଲା ରାମ ବନମାଳୀ ।୪୨୬ ।
ସମସ୍ତ କଥାମାନ ଯହୁଂ କହିଲେ ଶକ୍ରାବତୀ
ଗର୍ଜିଣ ଅର୍ଜୁନ ଯେ ଉଠିଲା କୋପମୂର୍ତ୍ତି ।୪୨୭ ।
ଜପାସୁର ମନ୍ତ୍ରୀ କେଶ ଧଇଲା ବାମ କରେ
ବିଜେକର୍ଣ୍ଣକଟାରେ ପିଟିଲା ଧାତିକାରେ ।୪୨୮ ।
ଅସୁର ଦୁରାନ୍ତେକ ଛାଡ଼ିଲାକ ଘୋର ରଡ଼ି
ପର୍ବତରୁ ସିଘଂ ଯେହ୍ନେ ପଡିଲାକ ଝଡ଼ି ।୪୨୯ ।
ବେନି ପ୍ରହର ଯେ ଛିଡ଼ିଲା ତାର ମୁଣ୍ଡ
ପଡ଼ିଲା ଦାନବ ଯେ ହୋଇଣ ବେନି ଖଣ୍ଡ ।୪୩୦ ।
ମନ୍ତ୍ରୀବର ପଡନ୍ତେ ଧାଇଂଲେ ବେଗେ କଉଣୋପେ
ଅର୍ଜୁନକୁ ନାରାଜ ଅନେକ ବିନ୍ଧିଲେ ବୀର କୋପେ ।୪୩୧ ।
ସୂର୍ଯ୍ୟକେତୁ ବିମାନ ଯେ ଗୋସିଂହ ଚଢିଥିଲା
ଅର୍ଜୁନ ସୁମରନ୍ତେ ଆସି ଛାମୁରେ ମିଳିଲା ।୪୩୨ ।
ସେ ବିମାନ ଉପରେ ଯେ ଶକ୍ରାବତୀଂକି ବସାଇ
ପର୍ବତ ଉପରକୁ ଅର୍ଜୁନ ଘେନି ଯାଇ ।୪୩୩ ।
ଶତେ ଖର୍ବ ସନ୍ୟ ଯେ ଅସୁରର ବଳ
ଅର୍ଜୁନ ଉପରକୁ ନାରାଜ ବିନ୍ଧନ୍ତି ସକଳ ।୪୩୪ ।
ତହିଂର ଉପରେ ବିଜେ କଲା ବୀର ପାଥ
ଅକ୍ଷୟେ ତୂଣ କଷିଣ ଧନୁ ଧରି ହାଥ ।୪୩୫ ।
ଅର୍ଜୁନ ବୋଇଲେ ତୁ ହୋ ଶୁଣ ଶତଧନୁ
ଗୋସାମଣୀଙ୍କ ପାଖେ ଥାଅ ତୁ ପର୍ବତ ସନିଧାନୁଂ ।୪୩୬ ।
ଯେସନେକ ଜଳବୃଷ୍ଟି କରଇ ଗଗନେ
ପରିଘ ନାରାଜ ବିନ୍ଧୁଛନ୍ତି ଅବିଛନ୍ନେ ।୪୩୭ ।
ଶରଣେ ନିର୍ଜିତା ସେ ସାଂଗ୍ରାମେ ନିଶଂକା
ଯୋଦ୍ଧା ଅଚାର୍ଗଳ ଅଟଇ ରଣରଂକା ।୪୩୮ ।
ଯୁଦ୍ଧେ ଅନିବାରଣ କ୍ଷତ୍ରିୟ ବୀରମଣି
ୟେକା ନାରାଜେ ସମସ୍ତ ଶସ୍ର ଦିଲା ହାଣି ।୪୩୯ ।
କୁହୁକ ନାରାଜେକ ମାଇଲେ ଦଇତେ
ଅର୍ଜୁନ ନିବାରିଲା ନାରାଜ ସୂର୍ଯ୍ୟାବ୍ରତେ ।୪୪୦ ।
କୁହୁଡ଼ିର ତେଜ ଯେ ସମସ୍ତ ଗଲା ଫାଟି
ପୁଣି ଦାନବ ଯେ ବିନ୍ଧିଲା ଅନେକ ଶର ଘୋଟି ।୪୪୧ ।
ବହୁତ ନାରାଜ ପୁଣି ବିନ୍ଧିଲେ କଉଣୋପେ
ସମସ୍ତ ଧଂସ ହେଲା ଅର୍ଜୁନର ପରିତାପେ ।୪୪୨ ।
ଅସଂଖ୍ୟ ସାଂଗ୍ରାମେ କଥା କହିତେ କି ପାରି
ବହୁତ ସାଂଗ୍ରାମ ପାତ ୟେକ ଶରେ କରି ।୪୪୩ ।
ଦେଖୁ ଦେଖୁ ବିମୁଖ ଯେ ହୋଇଲା ବୀର ପାଥ
ପାଶୁପତ୍ର ନାରାଜ ଧଇଲା ବୀର ହାଥ ।୪୪୪ ।
ବୋଇଲା ଯେବେ ତ୍ରିପୁତି ମନେ ଦେଇଛନ୍ତି ଦେବ କାଶୀ
ତୁ ମହାଶସ୍ର ଅସୁର ବଳ ପକା ଧଂସି ।୪୪୫ ।
ୟେବେ ଧଂସି ପକା ତୁ ଦାନବ ବଳ ସଇନି
ପାଶୁପତ୍ର ନାରାଜ ଗୋଟି ପେଷିଲା ଫାଲଗୁନି ।୪୪୬ ।
ପଡ଼ିଲା ମହାଶହସ୍ର ରୁଦ୍ର ତେଜ ଘେନି
ଯାନ୍ତେଣ ଦହନ ସେ ହୋଉଛନ୍ତି ସଇନି ।୪୪୭ ।
ନୀଳ ବଣ ଭୁଜ ବାଣ ତୁମ୍ଭେ ହରି ହର ୟେକ ଆତ୍ମା
ତୁସ୍ତି କରି ଶହସ୍ର ବିନ୍ଧଇ ସେ କ୍ଷତ୍ରୀଂକର ଉତ୍ତମା ।୪୪୮ ।
ନୀଳ ବାଣ ଭୁଜ ବାଣ ପାଶୁପତ୍ର ଶର
ତିନି ନାରାଜ ଘୋଟିଲା ଦିଗ ଯେ ଅମ୍ୱର ।୪୪୯ ।
ଶତେ ଶତେ ତାଳ ଉଚ୍ଛର୍ଗ ଯେ ନାରାଜଂକ ଶିଖା
ଧରାଧର ବହନି ଯେ ମନା ଅନଳ ରେଖା ।୪୫୦ ।
ଯେଉଂଣ ଶହସ୍ର ପାରନ୍ତି ଶତେ ବ୍ରହ୍ମାଣ୍ଡ ଘୋଟି
ତିନି ନାରାଜ ଯେ ଧାରା ତିନି ଗୋଟି ।୪୫୧ ।
ଅସୁରେ ଦହିଜ୍ୟ ହୁଅନ୍ତି ଶହସ୍ରଂକ ତେଜ ଚାହିଂ
ଶର ପଛ ନିରୋଧ ପଳାଇତେ ବାଟ ନାହିଂ ।୪୫୨ ।
ଖେଚରୀ ନାରାଜ ଦେଇଛନ୍ତି ଯେ ପାର୍ବତୀ
ସେ ନାରାଜ ଧନୁରେ ବସାଇଲା ମହାଛତ୍ରୀ ।୪୫୩ ।
ସେ ନାରାଜକୁ ତିଆରଇ ବୀରବର ପାଥ
ପୂର୍ବେ ମୟେଂଷାକୁ ବଧ କଲୁ ଭୋ ଜଗତ ମାତ ।୪୫୪ ।
ୟେବେହେଂ ୟେମାନେ ଅଟନ୍ତି ତୋହୋର ଭକ୍ଷ
ଗୋସିଂହ ବଳ ଭକ୍ଷି ତିନି ପୁର ରଖ ।୪୫୫ ।
ଖେଚରୀ ନାରାଜ ଯେ ବିନ୍ଧିଲା ଫାଲଗୁନି
କିଳି କିଳା ନାଦ କରି ଉଠିଲା ବହନି ।୪୫୬ ।
ଭେଦନ୍ତି ନାରାଜ ଅସୁରଂକ ରୋମାବଳୀ
ସୂଚିମୁନା ପ୍ରାୟେକ ହୋଇ ଯାଉଛନ୍ତି ଗଳି ।୪୫୭ ।
ରକତେ କର୍ଦ୍ଦନ ଯେ ହୋଇଲା ଅସୁରଂକର କାୟେ
ଦିଶଇ ଶରୀର ଯେ ମନ୍ଦାର ପୁଷ୍ୟ ପ୍ରାୟେ ।୪୫୮ ।
ୟେକା ଖେଚରୀ ନାରାଜ ଦିଶଇ କୋଟିୟେ କିରଣ ଜ୍ୟୋତି
ଯେତେକ ଦାନବ ଯେ ଧରଇ ତେତେକ ଘୋର ମୂର୍ତ୍ତି ।୪୫୯ ।
ଆହୋ ତୁଷାର ବୃଷ୍ଟି କରଇ ଯେସନେକ ଶିଶିର
ସେହି ସାଦୃଶ୍ୟେ ବିନ୍ଧଇ ପାଥ ଅସୁରଂକ ଶରୀର ।୪୬୦ ।
ପଡ଼ିଲେ ଦାନବ ବଳ ଘାୟେଣ ନିମଜ୍ଜି
ରଣେ ବିମୁଖ ହୋଇଣ ପଳାଇଲା ଭାଜି ।୪୬୧ ।
ଯେବଣ ଆଗ୍ୟାଂ ସେ ଦିଲେ ସର୍ବସାଚୀ
ସେହି ରୂପେ ନାରାଜମାନେ ଯାଉଛନ୍ତି ଭକ୍ଷି ।୪୬୨ ।
ଗୋସିଂହର ସଇନି ଯେ ଚଉରାଶି କାଠି
ୟେକା ଅର୍ଜୁନ ସବୁନ୍ତିହିଂ କଲା ଶର ବୃଷ୍ଟି ।୪୬୩ ।
ଅଗସ୍ତିଂକି ପୁଚ୍ଛାକଲେ ବଇବସୁତ ମନୁ
ଅସୁରେ ନାରାଜ ବିନ୍ଧନ୍ତି ୟେକା ଫାଲଗୁନୁ ।୪୬୪ ।
ସେ ଅସୁର ବୀରମାନେ ଯେ ଅଛନ୍ତି ଅପ୍ରମିତ
ଅର୍ଜୁନକୁ ନାରାଜ ଯେ ବିନ୍ଧନ୍ତି ବହୁତ ।୪୬୫ ।
ସେ ଶହସ୍ରମାନ ହୋଉଅଛନ୍ତି କେମନ୍ତ
ୟେହା ବିଚାରି ମୋତେ କହିବା ତପୋବନ୍ତ ।୪୬୬ ।
ଅଗସ୍ତି ବୋଇଲେ ତୁ ଶୁଣ ହୋ ଯୋଗେଶ୍ୱର
ଚଉରାଶି କାଠି ସନ୍ୟ ଶର ବିନ୍ଧନ୍ତି ପାଥର ଉପର ।୪୬୭ ।
କେ ଶତେ କେ ସହସ୍ରେ କେ ଲକ୍ଷେ କେ ମର୍ଭୁତ କେ କୋଟି କୋଟି
କକଡ଼ା ମାସ ଜଳ ପ୍ରାୟେ କରନ୍ତି ଶର ବୃଷ୍ଟି ।୪୬୮ ।
ସମସ୍ତ ଦାନବ ବଳ ଯେତେକ ଶସ୍ର ମାରି
ୟେକା ଅର୍ଜୁନ ସମସ୍ତ ଶହସ୍ର ନିବାରି ।୪୬୯ ।
ଯେବଣ ଶହସ୍ର ଅବା ଯାଉଅଛି ବଳି
ଅଗ୍ନି ଯେ ଦେଇଛନ୍ତି ବଜ୍ରଛାଲ ତହିଂ ପଡ଼ିହୋଉଛନ୍ତି ଧୂଳି ।୪୭୦ ।
ଶହସ୍ରଂକୁ ଶହସ୍ର ହୁଅନ୍ତି ପରିତାଳ
ଆକାଶ ଉଛୁଳଇ ଶହସ୍ରଂକଇ ଜାଳ ।୪୭୧ ।
ନୀଳ ବାଣ ଭୁଜ ବାଣ ପାଶୁପତ୍ର ଖେଚରୀ
ଦହନପାନ ନାରାଜ ତାହା କେହୁ ଜାଣିତ ନୁଆରି ।୪୭୨ ।
ନୀଳ ବାଣ ଭୁଜ ବାଣ ପାଶୁପତ୍ର ଖେଚରୀ ଅନଳ
ଅଗ୍ନିଂକର ପଞ୍ଚୁ ଆତ୍ମା ଅଟନ୍ତି କାଳାନଳ ।୪୭୩ ।
ଖାଣ୍ଡବ ବନ ଦହନେ ବଶ୍ୟାନର ଦେବତା ତୋଷ ହୋଇ
ପଞ୍ଚୁ ଆତ୍ମା ପଞ୍ଚୁଶର କରି ଅର୍ଜୁନକଇଂ ଦେଇ ।୪୭୪ ।
ଶ୍ରୀଜଗନ୍ନାଥଂକ ରାଗେଣ ବୀର ଫାଲଗୁନି
କୋପେ ପେଷିଲା ପାଥ ଅଗ୍ନି ଶହସ୍ରନ୍ତ ଘେନି ।୪୭୫ ।
ଅନିବାରଣ ସେ ଶର ବିନ୍ଧନ୍ତେ ନୋହଇ ବିଚାରି
ଦହିଲା ଦାନବ ବଳ ଘୃତ ଯୋଗ ପ୍ରାୟେ କରି ।୪୭୬ ।
ପଞ୍ଚବିଂଶ ଯୋଜନ ମାଡ଼ି ଯେ ନିଦାଘ ବଳ ଥିଲେ
ସାତଘଡ଼ିମାନେ ସମସ୍ତ ଦହିଜ ହୋଇଲେ ।୪୭୭ ।
ସଇନି ହତ ଦେଖିଣ ସେ ଦାନବ ଗୋସିଂହ
ଦେବଦଳନ ରଥ ଚଢି ମିଳିଲା ଅର୍ଜୁନର ଆଗ ।୪୭୮ ।
ସାରଥି ବୋଇଲା ଦେବ ସାବଧାନେ ଶୁଣନ୍ତୁ
ୟେହାର ହାଥେ ହାଦେ ଅଛି ତୋହୋର ମୃତୁ ।୪୭୯ ।
ବ୍ରହ୍ମା ବିଷ୍ଣୁ ମହେଶ୍ୱର ବଜ୍ରଧାରୀ ଆଦି କରି
ୟେକେ ୟେକେ ସମର କଲେ କେହି ନୋହେ ଅର୍ଜୁନ ସରି ।୪୮୦ ।
ଚାରି ଦିଗପାଳ ୟେ ଅଟଇ ୟେକଇ ମୂରତି
ମୋତେ ଦୃଶ୍ୟ ହୋଇଲା ୟେହାର ଜ୍ୟୋତି କାନ୍ତି ।୪୮୧ ।
ଆହୋ ବ୍ରହ୍ମା ଶିର ରୁଦ୍ର ଯେ ବସଇ ହୃଦଗତ
କଟି ମେଖଳା ବାସବ ୟେ ସବୁନ୍ତିହି ଗୋପ୍ୟ
ମୋତେ ଦୃଶ୍ୟ ହୋଇଲାଟି ୟେହାର ୟେସନେକ ସରୂପ ।୪୮୩ ।
ଦେଖ ଦେଖ ଦିଶୁଅଛି ୟେହାର ରୂପକାନ୍ତି
ଦେଖିଲା ବେଳୁଂ ଦେବ ଲାଗିଲାକ ବଡ଼ ଭ୍ରାନ୍ତି ।୪୮୪ ।
ସାଂଗ୍ରାମ ଛାଡ଼ି ଅବା ଯେବେ ଯିବାକ ପଳାଇ
ପଳାଇ ଯିବାକୁ ଦେବ ଶରପଛେ ବାଟ ନାହିଂ ।୪୮୫ ।
ରଣ ଯାଗ କରିବାକୁ ତୁ ହୋ ନୁହସି ନିସତ
ନିଚୟେ ମୃତୁ ଆସି ତୋତେ ହୋଇଲା ପ୍ରାପତ ।୪୮୬ ।
ସାରଥି ବଚନେ ସେ ଗୋସିଂହ ଅସୁର
ଜୀବନକୁ ଆଶ ଛାଡ଼ି ମରଣକୁ ଆଗୁଂସାର ।୪୮୭ ।
ଦେବଦଳନ ରଥ ଛାଡ଼ି ପୁଣି ଚଢିଲା ୟେକ ହୟେ
ଅର୍ଜୁନ ଛାମୁରେଣ ମିଳିଲାକ ଆସି ଅସୁରକୁଳ ରାୟେ ।୪୮୮ ।
କୋଟିୟେ ବଳ ଧନୁ ଧରିଣ ଅସୁର
ଦଶ ଲକ୍ଷ ନାରାଜ ବିନ୍ଧିଲା ସେ ପାଥର ଉପର ।୪୮୯ ।
କୃତାନ୍ତେକ ନାରାଜ ଯେ ବିନ୍ଧଇ ଫାଲଗୁନି
ଗୋସିଂହର ଶହସ୍ରନ୍ତ ସବୁ ପକାଇଲା ହାଣି ।୪୯୦ ।
ହସ୍ତର ବ୍ୟଗ୍ରେ ସେ ଶହସ୍ରମାନନ୍ତ ଦେଖିତ ନୁଆରି
ପବନହୁଂ ବେଗେ ସେ ଶହସ୍ରନ୍ତ ପ୍ରହରି ।୪୯୧ ।
ପର୍ବତା ଶହସ୍ର ଯେ ମାଇଲା ଦନୁଜ
ବଜ୍ର ଶରେ ପାଥ ତାହା କରିଲେ ଦହିଜ ।୪୯୨ ।
ବ୍ରହ୍ମ ଶହସ୍ର ଘେନି ମାଇଲା ରାକ୍ଷସ
ନାରାୟଣ ଶହସ୍ରେ ତାହା ପାଥ କଲାକ ବିନାଶ ।୪୯୩ ।
ବାବଲ ଶରେକ ପାଥ ପେଷିଲା ମନଭେଦୀ
ଗୋସିଂହର ଧନୁ ବୀର ପକାଇଲା ଛେଦି ।୪୯୪ ।
ମହା କୋପେଣ ପ୍ରତଗ୍ୟାଂ କରଇ ନିଦାଘ
ଅର୍ଜୁନ ଉପରେ ନେଇ ପିଟିଲା ପରିଘ ।୪୯୫ ।
ଶୂନ୍ୟଗାମୀ ହୋଇଣ ଅର୍ଜୁନ ତାହା ବଂଚି
ବଜ୍ର ଶକତି ଘେନିଣ ପିଟିଲା ସର୍ବସାଚୀ ।୪୯୬ ।
ଦେଖି ଦତ୍ୟ ବୀର ପାଡ଼ିଲା ନେଇ ଶିଂଗ
ଭାଜିଣ ବଜ୍ରଶକ୍ତି ହୋଇଲା ଶତେଭଙ୍ଗ ।୪୯୭ ।
ଆଦିତ୍ୟ ଅଶ୍ୱ ଯେ କ୍ଷେତ୍ରପାଳ ଚଢିଥିଲା
ତାକୁ ମାରି ଲୋହାସୁର ସେ ଅଶ୍ୱ ନେଇଥିଲା ।୪୯୮ ।
ଲୋହାସୁର ଥିଲା ସେ ଅଶ୍ୱ ଆରୋହି
ଗୋସିଂହ ବୋଇଲା ତାକୁ ଓହ୍ଲାଅ ରେ ତୁହି ।୪୯୯ ।
ରାଜାର ବଚନ ସେ ଯେ ଅଶ୍ୱରୁ ଉତୁରିଲା
ଗୋସିଂହ ଯାଇ ସେ ଅଶ୍ୱ ଉପରେ ବିଜେକଲା ।୫୦୦ ।
କୁନ୍ତ ତୀକ୍ଷ ମୁଦୁଗର ଆଦି ଘେନିଣ ଆଯୁଧ
ପୁଣ ସେ ଅର୍ଜୁନ ତୁଲେ ଆବୋରିଥିଲା ଯୁଦ୍ଧ ।୫୦୧ ।
କ୍ଷେତ୍ରପାଳ ଅଶ୍ୱ ଯେ ଗୋସିଂହ ଚଢିଥିଲା
ତାହାକୁ ପକାଇ ସେ ପାଥ ଛାମୁରେ ମିଳିଲା ।୫୦୨ ।
ପ୍ରଳୟ ଉତ୍ତାରଣ ଯେବଣ ବାରାସ
ଦେଖିଣ ଅର୍ଜୁନ ତାର ଚରଣେ ସମ୍ଭାଷ ।୫୦୩ ।
ସେ ଅଶ୍ୱ ଚଢିଣ ଯେ ବୁଲାଇ ଆୟୁଧ
ଅସୁର ତୁଲେ ସେ କଲେ ଘୋର ଯୁଦ୍ଧ ।୫୦୪ ।
ଆନ ଅଶ୍ୱ ଆରୋହଣ ସେ ଦତ୍ୟକୁଳ ବୀର
ଅର୍ଜୁନ ଛାମୁରେ ଯାଇଂ କଲାକ ସମର ।୫୦୫ ।
ବଜ୍ର ମୂଷଳ ଘେନି ମାଇଲା ଦଇତପତି
ଅର୍ଜୁନ ପ୍ରହାର କଲା ଶୂଳ ଯେ ଶକତି ।୫୦୬ ।
ଦେଖିଣ ଦଇତ ପାତିଲା ନେଇ ଶିଂଗ
କପାଳେ ପଡ଼ି ବଜ୍ର ଶକତି ହୋଇଲାକ ଭଙ୍ଗ ।୫୦୭ ।
ପୁଣ ଅର୍ଜୁନ ଯେ ମାଇଲା ବଜ୍ରଶୂଳ
ଶର ଗବନ ଯେ ଅଟଇ ବିଚିତ୍ର ପ୍ରକାର ।୫୦୮ ।
ପଡି ଚୂର ହୋଇଲା ଶୂଳ ଯେ ଶକତି
ଆକାଶେ ଝଲକି ଲାଗିଲା ଅଗ୍ନି ଜ୍ୟୋତି ।୫୦୯ ।
ରାଗେଣ ଅର୍ଜୁନ ମାଇଲା ବ୍ରହ୍ମଅଗ୍ନି ଶର
ଅଗ୍ନି ଦେଖିଣ ତୁଣ୍ଡ ପାତିଲା ଅସୁର ।୫୧୦ ।
ଗୋସିଂହର ଗର୍ଭେ ପଶିଲା ଅଗ୍ନି ବାଣ
ଅଗ୍ନିକି ଗ୍ରାହିଜ୍ୟ କଲାକ ଅସୁର ତତକ୍ଷଣ ।୫୧୧ ।
ଦେଖିଣ ଆଶ୍ରିଜ ହୋଇଲେ ଦେବ ବ୍ରହ୍ମା
ସାଧୁ ସାଧୁ ଗୋସିଂହର ତୋହୋର ୟେଡ଼େକ ମହିମା ।୫୧୨ ।
ଆକାଶେ ଥାଇଣ ଦେବେ ଯେ କରନ୍ତି ସର୍ବେ ଧୁନି
ଗୋସିଂହ ମାରି ଆକାଶ ରକ୍ଷାକର ଫାଲଗୁନି ।୫୧୩ ।
ବୈଷ୍ଣବୀ ଚକ୍ର ଯେ ମହାମାୟା ଦେଇଥିଲେ
ସେ ଚକ୍ର ଘେନିଣ ଅର୍ଜୁନ ଗୋସିଂହକୁ ମାଇଲେ ।୫୧୪ ।
ଯେବଣ ଚକ୍ର ଘେନି ଦୁର୍ଗା ମାଇଲେ ରକ୍ତବୀର୍ଯ୍ୟ
ତହିଂର ତେଜେ ତ୍ରଇଲୋକ୍ୟ ହେଉଛି ଦହିଜ୍ୟ ।୫୧୫ ।
ସେ ଚକ୍ର ପଡ଼ିଲା ଯାଇଂ ଅସୁର ହୃଦଗତ
ହୋଇଲା ଦହିଜ ଯେ ଅସୁର ନିଜ ଗାତ୍ର ।୫୧୬ ।
ଚଉବିଂଶ ଅଗ୍ନିରୁ ଯେଉଣ ଚକ୍ର ଉଗୁଳି
ଗୋସିଂହର ଅଙ୍ଗେ ପଡ଼ି ହୋଇଲାକ ପାଂଶୁ ।୫୧୭ ।
ଦିବୟେକ ରାତ୍ରକେ ଯେ ଘୋର ସମର ହୋଇଲା
ଚଉରାଶି କାଠି ସନ୍ୟ ତୁଲେ ଗୋସିଂହ ନାଶଗଲା ।୫୧୮ ।
ମାଘ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଗୁରୁବାର
ମୂଳା ନାମେ ନକ୍ଷତ୍ର ଯେ ଅଟଇ ସେ ଦିନର ।୫୧୯ ।
ତୈତଳ ନାମେ କରଣ ହର୍ଷଣ ନାମେ ଯୋଗ
ମକର ସଂକରାନ୍ତିକି ତିରିଶ ଦିନ ଭୋଗ ।୫୨୦ ।
ବେଳ ଅଢାଇ ପ୍ରହର ଶନିଶ୍ଚର ବେଳା
ଗୋସିଂହ ଦତ୍ୟ ନାଶଗଲା ସମର ମହାଖଳା ।୫୨୧ ।
ତ୍ରିଦଶ ଦେବେ ସର୍ଗେ କଲେ ଧନି ଧନି
ବୋଇଲେ ତୋର ସର୍ବେ ଅରିଷ୍ଟ ଖଣ୍ଡଣ ହେଉ ହେ ଫାଲଗୁନି ।୫୨୨ ।
ଭାରା ନିବାରଣ କର ବାବୁ ତୋର ହାଥେ
ଦେବେ ଅମୃତ ବୃଷ୍ଟି କଲେ ଅର୍ଜୁନର ମାଥେ ।୫୨୩ ।
ଶ୍ରୀ ମହାଭାରତ ୟେ ମଧ୍ୟପର୍ବ କଥା
ଅଦ୍ୟାପି ବାକ୍ୟେ ପୁଚ୍ଛନ୍ତି ମନୁ ମହାଗ୍ୟାଂତା ।୫୨୪ ।
ମୁହିଂ ୟେହା ବଖାଣିଲି ମହାମାୟା ପ୍ରସନ୍ନେ
କଳିକାଳ ତିମିରରୁ ମୁକତ ହୁଅ ଜନେ ।୫୨୫ ।
ଗୋସିଂହ ବଧ ଯେହୁ ଶୁଣନ୍ତି ୟେକ ମନେ
ଆପାଦ ଖଣ୍ଡଇ ଶୁଣିଲେ ନିର୍ମଳ ଗ୍ୟାଂନେ ।୫୨୬ ।
କୋଟିୟେ ତୀର୍ଥ କଲାର ଯେତେକ ଫଳଶ୍ରୁତି
ଖଣ୍ଡଇ ମହାପାତକ ହରଇ ଦୁର୍ଗତି ।୫୨୭ ।
ସକଳ ସଂସାର ଜନମାନଙ୍କର ହିତେ
ବୁଧଜନମାନଂକୁ ମୁଂ ଦେଖାଇଲି ଶାହାସ୍ର ସଂଗତେ ।୫୨୮ ।
ଅସଂଖ୍ୟ ମହାଭାରତ ୟେ କେହୁ ଅନ୍ତ କରୁ
ତୁଳନ୍ତେ ୟେ ସର୍ବହୁଂ ହୋଇଲା ମହା ଗରୁ ।୫୨୯ ।
ଅନନ୍ତା ଗାୟତିରୀ ୟେ ଅଭୟେ ହିଙ୍ଗୁଳା
ପରମ ସାଧବୀ ଦେବୀ ଶ୍ରୀଚଣ୍ଡୀ ସାରୋଳା ।୫୩୦ ।
ବହଇ ଗୋପ୍ୟାନେ ବୁଧମାତା ନାମେ ନଦୀ
ପାତାଳ ଗଣ୍ଡୁକୀରୁ ୟେ ମହାତୀର୍ଥ ଭେଦି ।୫୩୧ ।
ସେ ନଦୀ ତୀରଣେ ଯାହାର ଆସନ ୟେକ ଲୟେ
ସଦା ସମ୍ପଦ ଯେ ଦିଅଇ ମହାମାୟେ ।୫୩୨ ।
ସେ ପ୍ରସନ୍ନ ହିଙ୍ଗୁଳା ଅଭୟ ପଦ୍ମପାଦେ
ଅଦୃଷ୍ଟିକି ଲେଖିଲି ମୁଂ ତାହାର ପ୍ରସାଦେ ।୫୩୩ ।
ଅଦ୍ୟାପି ଖେଳଇ ସେ ବାଳୁତ ରୂପ ଧରି
ପ୍ରତକ୍ଷେ ବର ଦେଉ ତୁ କଷ୍ଟରୁ କରୁ ପାରି ।୫୩୪ ।
ୟେ ମାୟା ସଂସାର ସାଗରୁ ଉଦ୍ଧର ମହାଦେବୀ
ଅଭୟ ହାଥେ ବର ଦିଅଇ ମୁଂ ନିରନ୍ତରେ ସେବି ।୫୩୫ ।
ନ ପଢି ପଣ୍ଡିତ ମୁଂ କଲାଇଂ ଅଭ୍ୟାସ
ବଦନ୍ତି ଶୂଦ୍ରମୁନି ଗ୍ରନ୍ଥିକ ଶ୍ରୀସାରୋଳା ଦାସ ।୫୩୬ ।୨୬୦୧ ।