ସୁଭଦ୍ରା ହରଣ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଯେଉଂଣ ସମର କଲା ଗୋସିଂହ ଅସୁର
ତ୍ରଇଲୋକ୍ୟ ମଧ୍ୟରେ ସେ ଅଟଇ ଅଗୋଚର ।୨୨ ।
ଅଷ୍ଟ ଅବଧାନେ ଶୁଣନ୍ତି କୃଷ୍ଣ ହଳଧାରୀ
କହଇ ଶତଧନୁ ସାଂଗ୍ରାମ କଥା ସଞ୍ଚପି କରି ।୨୩ ।
ଅନେକ ବୋଇଲେ ଯେ ଦେବ ରାମ ହରି
ଆରେ ଶତଧନୁ ତୁ ବର ମାଗ ପଞ୍ଚୁମନେ ବିଚାରି ।୨୪ ।
ପ୍ରଳମ୍ୱ ହୋଇ ଶତଧନୁ ବୋଲଇ ବଚନ
ଦୋଷ ଉପେକ୍ଷା କରି ସ୍ୱାମୀ ମୋତେ ଦେବା ଜୀବଦାନ ।୨୫ ।
ଗୋବିନ୍ଦ ବୋଇଲା ଯେ ହୋଇଲେ ତୁ ରକ୍ଷା
ଥାଅ ୟେବେ ଦ୍ୱାରକାୟେ ତୋର ପୂରୁ ମନୋବାଞ୍ଛା ।୨୬ ।
ବଳରାମେ କୋଳ କରି ଧଇଲେ ଅର୍ଜୁନକୁ
ଅନେକ ପୁରୁଷାର୍ଥ କଲେ ହରି ବଳରାମେ ପାଥକୁ ।୨୭ ।
ତୁ ହୋ ପାଥ ଆମ୍ଭର ପ୍ରାଣର ହିତକାରୀ
ପ୍ରତେକ୍ଷ ତୁ ଯେ ଆମ୍ଭନ୍ତ ନିରଞ୍ଜନ ଦେବତା ସରି ।୨୮ ।
ତୁହି ସେ ଅନାଦି ବାବୁ ଧାରଣ ମହାତମା
ତୁହି ସେ ପ୍ରତକ୍ଷେ ହାଦେ ଆମ୍ଭନ୍ତ ପିତାମହ ବ୍ରହ୍ମା ।୨୯ ।
ତୁହି ସେ ଅର୍ଜୁନ ମୋର ଦ୍ୱାରିକାପୁର ବନ୍ଧୁ
ଧନି ଧନି ପାର୍ଥିବ ଯେ ଜୀବନ ତୋର ସାଧୁ ।୩୦ ।
ପରହିତକାରୀ ତୁ ଯେ ପର ଦୁଖେ ଦୁଖୀ
କିସ ଦେଇ ତ୍ରିପୁତି କରିବି ଶକ୍ୟ ମୋର କିସ ଅଛି ।୩୧ ।
ଅନେକ ସାନନ୍ଦ ହୋଇ ତହିଂ କୃଷ୍ଣ ବଳଦେବ
ରୌବ୍ରତ ପର୍ବତେ ଯେ କରନ୍ତି ଉତ୍ସବ ।୩୨ ।
ନଳକୁବେର ଚିତ୍ରସେନ ସମୋଦ୍ର ପଡ଼ିଥିଲେ
ବରୁଣ ଦେବତା ତାହାନ୍ତ ସମ୍ଭାଳି ରଖିଲେ ।୩୩ ।
ସେ ତିନିହେଂ ପ୍ରବେଶ ହୋଇଲେ ଆସି ରୈବ୍ରତ ପର୍ବତେ
ଯାଦବେ ଯେ ପର୍ବତେ ରହିଥିଲେ ଗୁପତେ ।୩୪ ।
ରୈବ୍ରତ ପର୍ବତେ ଯେ ଅଟଇ ତିନିପୁର
ଅସୁର ଭୟେ ଲୁଚିଥିଲେ ତଳପୁର ବିମ୍ୱର ।୩୫ ।
ଶ୍ରୀ ବଳରାମଂକର ଦୃଢ ବଚନ ଶୁଣି
ପର୍ବତ ତଳୁଂ ବାହାର ହୋଇଲେ ପୁତ୍ରବଧୂ ଘେନି ।୩୬ ।
ଅର୍ଜୁନକଇଂ କୋଳ କରି ଦେବ ଶିରୀବତ୍ସି
ମଥାରୁ ଜଟା ଦେବ ଆପଣେ ଫେଡ଼ୁଅଛି ।୩୭ ।
ଉଗ୍ରସେନକୁ ରାଇ ଆଗ୍ୟାଂ ଦିଲେ ଶିରୀବତ୍ସ
ପାର୍ଥର ଉତ୍ସବ ଯାତ୍ରା ସମସ୍ତେ ହେ ବାଞ୍ଛ ।୩୮ ।
ଗୋସିଂହ ବଧ ଶୁଣି ସମସ୍ତ ତପୋଧନି
ରଇବ୍ରତ ପର୍ବତେ ବିଜେ ଶିଷ୍ୟମାନନ୍ତ ଘେନି ।୩୯ ।
ଅର୍ଜୁନକୁ କଲ୍ୟାଣ କରନ୍ତି ସର୍ବମୁନି
ଆମ୍ଭର ଆଶୀଷ ଘେନି ବ୍ରତ ଫାଲଗୁନି ।୪୦ ।
ତିନି ପୁରେ ଜିଣନ୍ତା କ୍ଷେତ୍ରୀ ତୋତେ ନୋହୁ
ବାସୁଦେବନ୍ତ ଘେନି ଉଶ୍ୱାସ କର ମେଦିନୀ ଥିରେ ରହୁ ।୪୧ ।
ଆଶୀର୍ବାଦ କରିଣ ଅକ୍ଷତ ଦିଲେ ଶିରେ
ଅର୍ଜୁନ ଲୋଟଇ ସର୍ବ ଋଷିଙ୍କ ପୟରେ ।୪୨ ।
ଅର୍ଜୁନର ଜଟା ଫିଟାଇ ସୁଗନ୍ଧି ଅୟେଂଳା ଲଗାଇ
ଅର୍ଜୁନକଇଂ ସ୍ନାହାନ କରାନ୍ତି ଆପେ ଯଦୁକୁଳ ସାଇଂ ।୪୩ ।
ସତ୍ୟଭାମା ରତ୍ନ ଘଟେ ପାଣି ଦିଅନ୍ତି ତୋଳି
ଆପଣେ ଶ୍ରୀକରେ ଦେବ ଜଗନ୍ନାଥ କେଶ ଯେ ପଖାଳି ।୪୪ ।
ପଦ୍ମନ ଗଦ ଶାମ୍ୱ ସାତୁକୀ ସହିତେ
ରତ୍ନ ଝରୀରେ ପାଣି ତୋଳି ଦିଅନ୍ତି ସମସ୍ତେ ।୪୫ ।
ସୁବର୍ଣ୍ଣ ସିଂଘାସନେ ବସାଇ ଫାଲଗୁନି
ପୋଛନ୍ତି ସ୍ୱାମୀ ଶ୍ରୀକରେ ନେତବସ୍ର ଘେନି ।୪୬ ।
ସାତୁକୀ ଶତଧନୁ ଯେ ଆଲଟ ଘେନି ଢାଳି
ଶ୍ରୀହସ୍ତେ ଜଗନ୍ନାଥେ ଆପଣେ କେଶ ଯେ କୁରୁଳି ।୪୭ ।
କେଶ ଶୁଖାଇ ଦେବ ପୁଷ୍ୟମାନନ୍ତ ଘେନି ହାଥେ
ଦ୍ୱାଦଶ ବର୍ଣ୍ଣେ ଗଭା ମଥାରେ ବାନ୍ଧିଲେ ଜଗନ୍ନାଥେ ।୪୮ ।
ଅନେକ ଅଳଂକାର ଶରୀରେ କଲେକ ଆଭରଣ
ଶିରେ ମଣି ମୁକୁଟ ସୀମନ୍ଥିନୀ ଭୂଷଣ ।୪୯ ।
ଖଞ୍ଜନ୍ତି ଗଜମୁକୁତା ପୁଞ୍ଜି ପୁଞ୍ଜି ଲଲାଟ ପାଟି
ତହିଂ ଆଭରଣ ଦିଲେ କର୍ଣ୍ଣାଞ୍ଚଳ ବେନି ଗୋଟି ।୫୦ ।
କର୍ଣ୍ଣରେ ଝଲକନ୍ତି ଅମୃତ କୁଣ୍ଡଳ
ହୃଦରେ ପଦକ ଭୂଷଣ କଣ୍ଠେ ରତ୍ନମାଳ ।୫୧ ।
ତାଡ଼ତୋଢର ଯେ କଂକଣ ବାହୁଟି
ବିଦ ମୁଦି ଅଷ୍ଟରତ୍ନେ ଜଡ଼ିତ କଚଟି ।୫୨ ।
ପାଦରେ ନୂପୁର କଟିରେ ରତ୍ନ ମେଖଳା ଶୋଭା
ଯେସନେକ ଶୋଭାବନ ଦିଶଇ ଚନ୍ଦ୍ରପ୍ରଭା ।୫୩ ।
ବୀରବେଶ ଅଳଂକାର ଯେ କରିଣ ବନମାଳୀ
ଚନ୍ଦନ ଚତୁସମ ଘେନି ଦେବ ଆପଣେ ଶାମଳି ।୫୪ ।
ଗନ୍ଧରାଜ ଚନ୍ଦନ ମୃଗନାଭି କସ୍ତୁରି
ଅନେକ ବୀରବେଶ କଲେକ ଦେବ ହରି ।୫୫ ।
ଆପଣେ ସ୍ରାହାନ ସାରିଲେ ଅଚ୍ୟୁତ
ଅନେକ ବେଶ ବେଶନ ହୋଇଲେ ଜଗତଭୂତ ।୫୬ ।
ଦିବ୍ୟ ସିଂଘାସନ ବିଜୟେ ଦେବ ହରି
ଅର୍ଜୁନକୁ ଜାନୁରେ ବସାଇଲେ କୋଳ କରି ।୫୭ ।
ଆଗ୍ୟାଂ ଦିଲେ ଦେବ ଯେ ସତ୍ୟଭାମାଂକୁ ରାଇ
ସକଳ କନ୍ୟାମାନନ୍ତ ତୁମ୍ଭେ କହ ବେଗେ ଯାଇଂ ।୫୮ ।
କରେ ଅର୍ଘ୍ୟ ଘେନିଣ ସମସ୍ତେ ଆସନ୍ତୁ
ଅର୍ଜୁନର ଶିରେ ଆଣି ଅର୍ଘ୍ୟ ବନ୍ଦାପନ୍ତୁ ।୫୯ ।
ସତ୍ୟଭାମା କହିଲେ ସମସ୍ତ କନ୍ୟାଂକର ପାଶ
ଶ୍ରୀକୃଷ୍ଣଙ୍କର ଆଦେଶ ଅର୍ଜୁନକୁ ଅର୍ଘ୍ୟ ଦେବା ହୁଅସି ସୁବେଶ ।୬୦ ।
ଶୁଣିଣ ସାନନ୍ଦ ଯେ ସକଳ ଯୁବତୀ
ସର୍ବ ଅଳଂକାର ଭରି ସୁବେଶ ହୁଅନ୍ତି ।୬୧ ।
ନାନାଦି କୁସୁମେ ସେ ଯେ କବରୀ ଭାର ଶାମଳି
ପଦ୍ମକରେ ଘେନିଲେ ଅର୍ଘ୍ୟସ୍ଥାଳୀ ମାଣିକ୍ୟ ଦୀପାବଳୀ ।୬୨ ।
ଚନ୍ଦ୍ରଶାଳା ପୁରେ ବିଜୟେ ଚକ୍ରପାଣି
ଅର୍ଜୁନକୁ କୋଳରେ ବସାଇ ଅଛନ୍ତି ଅଭେଦ ଆତ୍ମା ଜାଣି ।୬୩ ।
ଦ୍ୱାରେ ଉଭାହୋଇ ରହିଲେ କୃଷ୍ଣର ସକଳ ମନୋହରୀ
ହରି ଅର୍ଜୁନକୁ ବନ୍ଦାଇ ଚିହ୍ନିତ ନୁଆରି ।୬୪ ।
କେହୁ ଶ୍ରୀହରି କେହୁ ବା ଅଟଇ ବାର ପାଥ
କାହାର ଶିରରେ ଅର୍ଘ୍ୟ ଦେବା କହ ଗୋ ସଂଘାତ ।୬୫ ।
ଅର୍ଜୁନ ବୋଲି ନ ପୁଣ ସ୍ୱାମୀଂକି ବନ୍ଦାଇ
କୋପ କରିବେ ନା ଗୋ ଯଦୁକୁଳ ସାଇଁ ।୬୬ ।
କେ ମାଧବ କେ ଅଟଇ ବୀର ଫାଲଗୁନି
ନିରେଖି କନ୍ୟାୟେ ଯେ ନୁଆରନ୍ତି ଚିହ୍ନି ।୬୭ ।
ଜମ୍ୱୁବତୀ ବୋଇଲେ ଗୋ ମୁଂ ଜାଣଇ ସଂଘାତ
ଅର୍ଜୁନର କୋଳେ ଗୋ ବସିଛନ୍ତି ଜଗନ୍ନାଥ ।୬୮ ।
ଋକ୍ମିଣୀ ବୋଇଲେ ସଖୀ ୟେ ନୋହଇ ଯୁଗତ
ଆମ୍ଭର ପୁରକୁ ଅର୍ଜୁନ ଅଟଇ ଅଭ୍ୟାଗତ ।୬୯ ।
ଅଭ୍ୟାଗତ କୋଳରେ କି ବସିବେ ଗୃହବାସୀ
ୟେ ମୋହୋର ବିଚାରକୁ ୟେହୁ କଥା ତ ନୁଆସି ।୭୦ ।
ଆବର ବିଶେଷେ ଅର୍ଜୁନ ଅଟଇ କନିଷ୍ଠ
କନିଷ୍ଠର କୋଳେ କାହୁଂ ବସିବାକ ଜ୍ୟେଷ୍ଠ ।୭୧ ।
କାଳନ୍ଦୀ ବୋଇଲେ ଯେ ୟେ କଥା ନ ଯୋଗାଇ ମନକୁ
ଜଗନ୍ନାଥ କେମନ୍ତେ କୋଳେ ବସାଇବେ ଅର୍ଜୁନକୁ ।୭୨ ।
ଅର୍ଜୁନର ଉତପତ୍ତି ଯେ ମନୁଷ୍ୟର ଯୋନି
ଜଗନ୍ନାଥ କୋଳେ କାହିଂ ବସାଇବେ ଫାଲଗୁନି ।୭୩ ।
କନ୍ୟାଂକର ବିଚାରନ୍ତେ ଦେବ ଜାଣିଲେ ମୁରାରି
ଅନ୍ତର୍ଯ୍ୟାମୀ ନାଥ ଜାଣିଲେ ଦଇତାରି ।୭୪ ।
ୟେକଇ ଶରୀର ଆମ୍ଭେ କୃଷ୍ଣ ଫାଲଗୁନି
ନିରେପି କନ୍ୟାମାନେ ଆମ୍ଭନ୍ତ ନୁଆରିଲେ ଚିହ୍ନି ।୭୫ ।
କନ୍ୟାମାନଂକର ମୁଖ ଚାହିଂଣ ଜଗନ୍ନାଥ
ଅର୍ଜୁନର ମସ୍ତକେ ଦେବ ଦିଲେ ହାଥ ।୭୬ ।
ଆରେ ମୋର ପ୍ରାଣର ସଂଘାତ ସର୍ବସାଚୀ
ବନବାସ ଲଗୁତି ତୋ କେତେ ଦିନ ଅଛି ।୭୭ ।
ଜାଣିଲେ ଯୁବତୀମାନେ ଠାରିଲେ ଗୋବିନ୍ଦ
ଅର୍ଘ୍ୟ ଘେନି ଭିତରେ ପଶିଲେ ପରମ ସାନନ୍ଦ ।୭୮ ।
ପ୍ରଥମେ ଅର୍ଘ୍ୟ ଦିଲେ ଅର୍ଜୁନର ଶିରେ
ଦୁଜେ ବନ୍ଦାଇଲେ ନେଇ ଦେବ ଦାମ୍ୱୋଦରେ ।୭୯ ।
ସାଧୁ ସାଧୁ ଅର୍ଜୁନ ହୋ ତୋହୋର ଜୀବନ
ବିଷ୍ଣୁର କୋଳେ ବସିବାକୁ ହୋଇଲୁ ଭାର୍ଜନ ।୮୦ ।
ମାନବ ଜନ୍ମ ହୋଇ ଜୀବନ ତୋର ଧନି
ସାଧୁ ସାଧୁ ପାତ ତୋର ପିଅର ଜନନୀ ।୮୧ ।
ସାଧୁ ସାଧୁ ଧନୁର୍ଜୟେ ୟେ ତୋହୋର କୁଳ ଧର୍ମ
ସାଧୁ ହୋ ଧନୁର୍ଜୟେ ତୋହୋର ପାର୍ଥିବ ନାମ ।୮୨ ।
ୟେ ସଂସାର ସୟଳ ମଧ୍ୟେ ଯାହାକୁ ସର୍ବେ ପୂଜି
ସେ ଅନାଦି ପୁରୁଷ ଜଗନ୍ନାଥ ଆଜି ତୋତେ ଭଜି ।୮୩ ।
ତ୍ରଇଲୋକେ ଅସଂଖ୍ୟ ବାବୁ ତୋହୋର ମହିଂମା
ପରମାନନ୍ଦ ପୁରୁଷ ତୁ ମାନବ ଉତ୍ତମା ।୮୪ ।
ଅନେକ ପ୍ରଶଂସା ଯେ କରନ୍ତି ନନ୍ଦର କୁମାରୀ
ଅର୍ଜୁନ ରୂପ ଦେଖି ମଦନ ଶରେ ତନୁ ଘାରି ।୮୫ ।
ପଞ୍ଚୁଭୂତ ଆତ୍ମା ଯେ ହୋଉଅଛି କଷ୍ଟି
ଅନଙ୍ଗ ଶରଘାତେ ନୁଆରିଲେ ଉଠି ।୮୬ ।
ଋକ୍ମିଣୀଂକି ରାଇ ଆଗ୍ୟାଂ ଦିଲେ ଦାମ୍ୱୋଦର
ଶୀଘ୍ରେ ଯାଇଂ ଅମୃତ ପାଗ ବେଗେ କର ।୮୭ ।
ନାରାୟଣଂକ ବଚନେ ଚଳନ୍ତି ଯୁବତୀ
ସୁଭଦ୍ରା ଲେଉଟି ଯାଇ ନୁଆରିଲେ ବିରହ ଜର ମତି ।୮୮ ।
କନ୍ୟାମାନେ ସମସ୍ତେ ଗଲେ ବାହାର ହୋଇ
ପୁଣ ପୁଣ ସୁଭଦ୍ରା ଯେ ଲେଉଟି ଲେଉଟି ଚାହିଂ ।୮୯ ।
ମୋହୋଣ କାମିନୀ ଯେ ପଡ଼ିଲାକ ଢଳି
କୋଳ କରି ସତ୍ୟଭାମା ଧଇଲେକ ତୋଳି ।୯୦ ।
କୋଳେ ଧରିଣ ସେ ଯେ ବୋଲନ୍ତି ଶକ୍ରାବତୀ
ଅର୍ଜୁନକୁ ଦେଖି ମା ଗୋ କଲୁକି ମନେ ଭ୍ରାନ୍ତି ।୯୧ ।
ସୁଭଦ୍ରାକୁ ଘେନି ତହୁଂ ଯେ ଚଳନ୍ତି ସତ୍ୟଭାମା
ନିଜ ପୁରେ ପ୍ରବେଶ ଯାଇଂ ନାରାୟଣଂକ ବାମା ।୯୨ ।
ୟେକାନ୍ତ ମନ୍ଦିରେ ବସି କରନ୍ତି ଭାଳେଣି
ଶରୀର ତୋହୋର ବିକୃତ କିମ୍ପା କଲୁ ଗୋ ସଂଘାତୁଣୀ ।୯୩ ।
ସୁଭଦ୍ରା ବୋଇଲେ ମୁଂ ମନ୍ଦକୃତ୍ୟ କଲି
ମୁଂ କିମ୍ପାଇ ଅର୍ଘ୍ୟ ଘେନି ଭିତରେ ପଶିଲି ।୯୪ ।
ମଦନ ଶରେ ବିକତି ହୋଇଲା ମୋର କାୟେ
ଶରୀର ଭେଦିଲା ମୋର ଅନଙ୍ଗ ଶର ଘାୟେ ।୯୫ ।
କେବଣ ଉପାୟେ ମୁଂ କରିବି ସଂଘାତୁଣୀ
ଅର୍ଜୁନକୁ ଯେବେ ମୋତେ ଭେଟାଇ ପାରୁ ଆଣି ।୯୬ ।
ସତ୍ୟଭାମାୟେ ବୋଇଲେ ନୋହଇ କିଛି କାର୍ଯ୍ୟ
ତୋହୋର ୟେମନ୍ତ ହୋଇଲେ ଉପୁଜିବ ବହୁତ ଲାଜ ।୯୭ ।
ସୁଭଦ୍ରା ବୋଇଲେ ମୋତେ ଅର୍ଜୁନ ନାଶଗଲା
କିସ ପ୍ରୟୋଜନେ ୟେ ଦ୍ୱାରିକାକୁ ଅଇଲା ।୯୮ ।
ମୁହିଂ ତୋହୋର ଶରଣ ଗୋ ଗଲଇଂ ଶକ୍ରାବତୀ
ଛାଡ଼ିଲି ଲାଜ ଭୟ ମୁଂ ହୋଇଲି ନିଭ୍ରାନ୍ତି ।୯୯ ।
ତୁ ଯେବେ ସତ୍ୟଭାମା ଗୋ ପ୍ରସନ୍ନ ହୋଉ ମୋତେ
ଅର୍ଜୁନକୁ ଭେଟ ନେଇ କରାଇବୁଂ ଗୁପତେ ।୧୦୦ ।
ୟେମନ୍ତେ ଅର୍ଜୁନକୁ ଯେବେ ନୁଆରିବୁ ଭେଟ କରି
ରାତ୍ରକାଳେ ପଶିବି ମୁଂ ଅର୍ଜୁନ ଶୟନ ପୁରୀ ।୧୦୧ ।
ଯେସନେକ ଲାଜ ଭୟ ତେଜଇ ଟସକର
ମୁହିଂ ଆଚରଣ କଲି ସଖୀ ତେସନେକ ବେଭାର ।୧୦୨ ।
ଚଉର୍ଯ କଲା ଲୋକର ଲାଜଂଇ ଯେ ନାହିଂ
ମାଗି ଯେ ବଞ୍ଚନ୍ତି ତାଂକର ସଂକୋଚ ଅବା କାହିଂ ।୧୦୩ ।
ପର ଅନ୍ନ ଭୋଜନକୁ ସଖୀ ଗୋ ଯେ ନିତ୍ୟେ କରଇ ଆଶ
ସେହି ଜନମାନଂକର ଲଜ୍ଜା ଆର କିସ ।୧୦୪ ।
ପରଦାରା ପ୍ରକୃତ ଯେବଣ ଜନେ ଚିନ୍ତନ୍ତି
ତାହାଂକର ଥାଇ କି ଗୋ ଲଜ୍ଜାକଇଂ ଭୀତି ।୧୦୫ ।
ଯେଉଣ ପ୍ରାଣୀ ସଖୀ ଗୋ ହୁଅନ୍ତି ଭିକ୍ଷାଶୀ
ତାହାଂକର ଲଜ୍ଜା ଆବର କିସ ପରକାଶି ।୧୦୬ ।
ଯେଉଂଣ ପ୍ରାଣୀ ସଖୀ ଯାଆନ୍ତି ବରଯାତ୍ରୀପଣେ
ସେ କିମ୍ପେ ଲାଜ କରିବେ ସଖୀ ଅକାରଣେ ।୧୦୭ ।
ସ୍ୱାମୀରେ ଦୁର୍ଭାଗୀ ହୋଅନ୍ତି ଯେଉଣ ନାରୀ
ତାହାଙ୍କର ଲଜ୍ଜା ସଖୀ ଥାଇ କି ଆଚରି ।୧୦୮ ।
ସଖୀ ଧନଖିନ୍ନ ଅଟନ୍ତି ଯେଉଣ ପୁରୁଷ
ସେ ଜନଂକର ଲଜ୍ଜା ଥାଇ ଆର କିସ ।୧୦୯ ।
ଯେଉଣ ଜନେ ପଶନ୍ତି ଅବରଣେ ମଧ୍ୟ ପାତ୍ରେ
ତାହାଂକର ଲଜ୍ଜା ଆର କେବଣ ନିମନ୍ତେ ।୧୧୦ ।
ଯେଉଣ ପ୍ରାଣୀମାନେ ହୋଅନ୍ତି ହାଦେ ରୋଗୀ
ସେ ଜନହିଂ ସଖୀ ଗୋ ଲଜ୍ଜା ପରିତ୍ୟାଗୀ ।୧୧୧ ।
ମୁହିଂ ଯେ ବିରହିତା ହୋଇଲେ ସଂଘାତ
ତେଜିଲି ଲଜ୍ଜା ଯେ ସଂକୋଚ ସହିତ ।୧୧୨ ।
କାମର ଆରେତ ମୁଂ ଯେ ସଖୀ ସମସ୍ତ କଲି ତେଜ୍ୟା
ବାଳୁତ ଜନଂକର ସଖୀ ଆବର କିସ ଲଜ୍ଜା ।୧୧୩ ।
ମୁହିଂ ତୋତେ ଶରଣ ମାଗଇଂ ମନେ ବାଞ୍ଛା
ଭଗତଜନ ମତ୍ସଳୀ ଗୋ କର ମୋତେ ରକ୍ଷା ।୧୧୪ ।
ଅନେକ ଅଳଂକାର ଦେଇ ସତ୍ୟଭାମା ପାଦେ ବନ୍ଦି
ଚରଣେ ଦୟିନୀ କରି ଉଚ୍ଚସ୍ୱରେ କାନ୍ଦି ।୧୧୫ ।
ମୁହିଂ ବାଳୁତ ନାରୀ ତୋତେ କରିବି କିସ ସେବା
କୋଇନ୍ତାଂକର ନନ୍ଦନ ଅର୍ଜୁନକୁ ମୋତେ ଆଣି ଦେବା ।୧୧୬ ।
ସଖୀ ଗୋ ପର ଉପୁଗାର କରନ୍ତି ଯେଉଣ ଜନ
ଜୀବନ୍ତ ସାର୍ଥକୁ ତାର ମଲେ ବସଇ ବଇକୁଣ୍ଠ ଭୁବନ ।୧୧୭ ।
ସୁଭଦ୍ରା ବଇକୁଲ୍ୟ ଦେଖି ବୋଲନ୍ତି ସତ୍ୟଭାମା
ଅନେକ ମତେ ବୁଝାବନ୍ତି ଦେବୀ ନାରାୟଣଂକ ବାମା ।୧୧୮ ।
ଚଳ ଯା ସୁଭଦ୍ରା ଗୋ ତୋହୋର ନିଜ ପୁର
ଅର୍ଜୁନକୁ ଭେଟାଇବି ତୋହୋର ସଙ୍ଗତର ।୧୧୯ ।
ୟେସନେକ ସନ୍ଦେଶ ଯହୁଂ ସତ୍ୟଭାମା କହି
ଶକ୍ରାବତୀ ପାଦ ତଳେ ସୋହୋଦ୍ରା ଦେବୀ ଶୋଇ ।୧୨୦ ।
ଚରଣ ତଳେ ଲୋଟଇ ଯେ ନିର୍ମାକ୍ଷୀ ଜନ ହୋଇ
ତୁ ମୋତେ ରକ୍ଷାକର ଗୋ ଜଗନ୍ନାଥର ମହାଦେଈ ।୧୨୧ ।
ପୁଣ ପୁଣ ଚରଣ ଧରି ସୋହୋଦ୍ରା ଅନେକ ବିନୟେ
ଜଗନ୍ନାଥେ ବିଜେ କଲେ ୟେମନ୍ତର ସମୟେ ।୧୨୨ ।
ପ୍ରତକ୍ଷେ ଦେଖିଲେ ସତ୍ୟଭାମା ପାଦତଳେ ସୋହୋଦ୍ରା ପରିଣାମି
ଦେଖିଣ ଆଶ୍ରିଜ ହୋଇଲେ ଜଗନ୍ନାଥ ଦେବ ସ୍ୱାମୀ ।୧୨୩ ।
ସୋହୋଦ୍ରା ବାହାର ହୋଇ ଗଲେ ସଂକୋଚ ଚିତ୍ତେ
ମେଢରେ ପ୍ରବେଶ ହୋଇଲେ ବିରହ ହୃଦଗତେ ।୧୨୪ ।
ସତ୍ୟଭାମାଂକ ସନ୍ନିଧେ ପ୍ରବେଶ କେଶବ
କିମ୍ପେ ସୁଭଦ୍ରା ତୁମ୍ଭନ୍ତ ହୁଅଇ ବହୁତ ବିନୟଭାବ ।୧୨୫ ।
ସତ୍ୟଭାମାୟେ ବୋଇଲେ ଦେବ ଯାହାର ଯାହାକୁ ପୀରତି
ଉପୁଜଇ ବହୁତ ଭାବ ଯହୁଂ ଅନେକ ଭଗତି ।୧୨୬ ।
ଯେଉଂ ଦେବ ମାୟାରେ ସେ ସକଳ ପ୍ରବୋଧି
ପରମ ଆତ୍ମା ପୁରୁଷ ଜାଣଂଇ ସକଳ ବୁଦ୍ଧି ।୧୨୭ ।
ଗୋବିନ୍ଦେ ବୋଇଲେ କିମ୍ପେ ଆମ୍ଭନ୍ତ ଗୋପ୍ୟ କଲ କଥା
ସ୍ୱାମୀ ଆଗେ ଯୁବତୀଂକର କହି ନୋହେ ମିଥ୍ୟା ।୧୨୮ ।
ସତ୍ୟଭାମାୟେ ବୋଇଲେ ଦେବ ଶୁଣିମା ଶ୍ରୀବତ୍ସି
ଗୁପତ କଥା ୟେ ଦେବ କହିତ ଲୋଡ଼ଇ ସଂକୋଚି ।୧୨୯ ।
ଜାଣିଣ ମାଧବ ଯେ ବହୁତ କଟାଳି
ସରୂପ କହସି ସଖୀ ବଦନ୍ତି ବନମାଳୀ ।୧୩୦ ।
କରପତ୍ର ଯୋଡ଼ିଣ କହଇ ଶକ୍ରାବତୀ
ଅର୍ଜୁନକୁ ଦେଖି ସୁଭଦ୍ରା ମନେ କଲେ ଭ୍ରାନ୍ତି ।୧୩୧ ।
ଅତି ଅସାଷ୍ଟମ ଦେବ ସେ କାମର ଆରତେ
ତେଣୁ କରି ଦେବ ସୁଭଦ୍ରା ବିନୟ କରଇ ମୋତେ ।୧୩୨ ।
ଗୋବିନ୍ଦ ବୋଇଲେ ତୁମ୍ଭେ କହିଲ ୟେଡ଼େ କାଳେ
ଆମ୍ଭେ ଜାଣୁଂ ତାର ମନ ଅର୍ଘ ଦେଇ ଲେଉଟାଣି ବେଳେ ।୧୩୩ ।
ଆସିବାର ବେଳେ ସେ ଲେଉଟି ଚାହଂଇ ପୁଣି ପୁଣି
ତୁମ୍ଭେ ଯେ ତାହାକଇଂ ଗୋ କୋଳ କରି ଆଣି ।୧୩୪ ।
ସତ୍ୟଭାମା ବୋଇଲେ ଦେବ କରିବା କେମନ୍ତେ
ଗୋବିନ୍ଦ ବୋଇଲେ ତୁମ୍ଭେ ମନେ ନ କର କିଛି ଭୀତ ।୧୩୫ ।
ଅର୍ଜୁନେ ସୁଭଦ୍ରାକୁ କରାଅ ନେଇ ଭେଟ
ତୁମ୍ଭନ୍ତ ଯେ ଭଗତି ହୋଇଲା ଫିଟୁ ତାର କଷ୍ଟ ।୧୩୬ ।
ଅର୍ଜୁନ ଦ୍ୱାଦଶ ବରଷ ବନବାସ ସାରି
ଦ୍ୱାରିକା ରକ୍ଷାକଲା ଗୋସିଂହକୁ ମାରି ।୧୩୭ ।
ସମୟେକେ ଅଇଲା ଯେ ପାଥ ଆମ୍ଭର ପୁରକୁ
କିସ ଦେଇ ଭଗତି ଆମ୍ଭେ ହୋଇବା ତାହାକୁ ।୧୩୮ ।
ସୁଭଦ୍ରାକଇଂ ବର ତ ନୋହିଲା ଦ୍ୱାରିକାୟେ
ସୋମବଂଶ ନିକଳଂକ ବାସବ ତନୟେ ।୧୩୯ ।
ଧାର୍ମିକ ବିବେକ ସେ କଇଚ୍ଛ ଜଗଜ୍ଜେଠୀ
ଅସମୟେ ଆମ୍ଭନ୍ତ ରକ୍ଷା କରଇ କିରୀଟୀ ।୧୪୦ ।
ସୋମବଂଶ ଉପୁଜିବ ଯେଉଂଣ ସନ୍ତାନ
ସେହି ସେ କୁଳକୁ ବଂଶିକ ଯେ ହୋଇବ ଚିରନ୍ତନ ।୧୪୧ ।
ୟେ ଜମ୍ୱୁଦ୍ୱୀପ ମଧ୍ୟେ ସପ୍ତଦ୍ୱୀପା ପୃଥିବୀ
ସୋମବଂଶହିଂ ସେ ଠାକୁର ଆବର ଗଉରୋବୀ ।୧୪୨ ।
ଅର୍ଜୁନକୁ ଆମ୍ଭେ କନ୍ୟା ଗୋଟିୟେ ଯେବେ ଦେବା
ୟେହାଉଂ ଆମ୍ଭେ ଭାଗ୍ୟ ଅବା ଆବର କିସ ଅରଜିବା ।୧୪୩ ।
ସତ୍ୟଭାମା ବୋଇଲେ ୟେ କଥା ଦୃଢ କର
ବୁଝାଇ କହ ତୁମ୍ଭେ ଠାକୁରଂକ ଛାମୁର ।୧୪୪ ।
ଆବର କିମ୍ପା ଆମ୍ଭେ ଚଉର୍ଯପଣ କରିବା
ଉଚ୍ଛବ କରାଇ ଅର୍ଜୁନକୁ ସୁଭଦ୍ରା ବିଭା କରାଇବା ।୧୪୫ ।
ଗୋବିନ୍ଦ ବୋଇଲେ ୟେହା ଭାଙ୍ଗିବେ କାମପାଳେ
ପାଣ୍ଡବଂକ ନାମରେ ସେ ଚଳନ୍ତି ସଦାବେଳେ ।୧୪୬ ।
ସତ୍ୟଭାମା ବୋଇଲେ ରହିବ କି କାର୍ଯ୍ୟ
ଦେଖି ଘାନ୍ତିୟେ ଜଣାଂଇ କିନା ପ୍ରଭୁ ଦେବରାଜ ।୧୪୭ ।
ନାରାୟଣ ବୋଇଲେ ଗୋ ଶୁଣ ଶକ୍ରାବତୀ
ଯଶୋଦାଂକ ପୁରକୁ ତୁମ୍ଭେ ଯାଅ ଆଜ ରାତି ।୧୪୮ ।
ସମସ୍ତ ସମ୍ପାଦ ତୁମ୍ଭେ କହ ଯଶୋଦାଂକୁ
ସେ ଯାଇଂ ବାରେ କହନ୍ତୁ ବଳଦେବ ଠାକୁରଂକୁ ।୧୪୯ ।
ୟେମନ୍ତ ବୋଲି ସ୍ୱାମୀ ଜଗନ୍ନାଥେ ଆଗ୍ୟାଂ ଦିଲେ
ଗୁପତେ ଭେଟାଇବା ବଳରାମେ ନାସ୍ତି କଲେ ।୧୫୦ ।
ତହୁଂ ବିଜେ କରିଗଲେ ଦେବ ଶିରୀପତି
ଋକ୍ମିଣୀ ପୁରେ ଅର୍ଜୁନକୁ ଘେନିଣ ବିଜୟେ କରନ୍ତି ।୧୫୧ ।
ସ୍ରାହାନ ତର୍ପଣ ଯେ ଆହାନିକ ସାରି
ମୁଣୋହିଂରେ ବିଜେ କଲେ ଦେବ ଦଇତାରି ।୧୫୨ ।
ସୁବର୍ଣ୍ଣର ପଇଲମ ଅଷ୍ଟରତ୍ନ ଜଡ଼ି
ଆସନ ସମାର୍ଜନା ଦେବ ଶୁକଳବସ୍ର ପାଡ଼ି ।୧୫୩ ।
ସୁବର୍ଣ୍ଣ ରୁଖାରେ ଯେ ଶତେକ ଦୀପାବଳୀ
ଗୁଆଘୃତ ଦେଇ ନେତର ବଳିତାୟେ ସଂଜାଳି ।୧୫୪ ।
ଶ୍ରୀକୃଷ୍ଣ ଅର୍ଜୁନ ଯେ ଶଉଚ କଲେ ପାଦ
ମୁଣୋହି ଆସ୍ତାନେ ବିଜେ ଅର୍ଜୁନ ଗୋବିନ୍ଦ ।୧୫୫ ।
ନୀର ସିଞ୍ଚନ୍ତି ସେ ଯେ ଆସନ ସମାର୍ଜନେ
ଜମ୍ୱୁବତୀ ସତ୍ୟଭାମା ଆଲଟ ଢାଳନ୍ତି ସନ୍ନିଧାନେ ।୧୫୬ ।
ଜମ୍ବୁବତୀ ଢାଳନ୍ତି ଜଗନ୍ନାଥଂକର କତି
ଅର୍ଜୁନଂକୁ ଚାମର ଢାଳନ୍ତି ଶକ୍ରାବତୀ ।୧୫୭ ।
ଭୀଷ୍ମକଂର ନନ୍ଦିନୀ ଯେ ଶ୍ରୀକୃଷ୍ଣଂକର ଜ୍ୟେଷ୍ଠ ପାଟବଂଶୀ
ଋକ୍ମିଣୀ ସୁବର୍ଣ୍ଣ ପଲମେ ଆଣି ଅନ୍ନ ଯେ ପରାଶି ।୧୫୮ ।
ଘୃତ ଲବଣୀ ପରଶନ୍ତି ଦେବୀ ଯେ କମଳିନୀ
ଭୁବି ପିତୃଦେବତାନ୍ତ ପରଶନ୍ତି ଗୋସାମଣୀ ।୧୫୯ ।
ବଳିଅନ୍ନ ଦେଇ ଚଳୁ ଘେନିଲେ ଶ୍ରୀକର
ବୋଇଲେ ମହାଲକ୍ଷ୍ମୀ ଗୋ ଦେବତାଂକ ନାମ ଧର ।୧୬୦ ।
ସ୍ୱାମୀର ଆଗ୍ୟାଂୟେ ସେ ବରୁଣ କୁମାରୀ
ପ୍ରଥମେ ସଦାନନ୍ଦ ବିଶ୍ୱେଶ୍ୱର ନାମ ଧରି ।୧୬୧ ।
ବିଶ୍ୱେଶ୍ୱର ନାମ ଧରନ୍ତେ ବିସରିଲେ ଚକ୍ରପାଣି
ଶ୍ରୀହସ୍ତରୁ ଚଳୁ ଯେ ଛାଡ଼ିଲେ ତତକ୍ଷଣି ।୧୬୨ ।
ମହାଲକ୍ଷ୍ମୀ ବୋଇଲେ ଦେବ ବୋଇଲେ ଛାଡ଼ିଲ ତ ଗଣ୍ଡୂଷ ଚଳୁ
ଗୋବିନ୍ଦେ ବୋଇଲେ ମହାଲକ୍ଷ୍ମୀ ଗୋ ମୁଣୋହି ହୋଇଲାକ ହେଳୁ ।୧୬୩ ।
ଅର୍ଜୁନ ଅଇଲାକୁ ମନେକଲୁ ଭ୍ରାନ୍ତି
ଠାକୁରଂକୁ ଦ୍ରଶନ ନ କରି ବିଜେ କଲୁ ୟେଥି ।୧୬୪ ।
ଗୋବିନ୍ଦେ ବୋଇଲେ ମୁଣୋହି କର ତୁ ସର୍ବସାଚୀ
ବିଶ୍ୱନାଥ ଦେବଂକୁ ଆସଇ ଦେଖି ମୁଂ ବୋଇଲେ ଶ୍ରୀବତ୍ସି ।୧୬୫ ।
ମହାଲକ୍ଷ୍ମୀ ବୋଇଲେ ତୁମ୍ଭେ ପୁରୁଷଂକ ଉତ୍ତମି
କୋଟିୟେ ବ୍ରହ୍ମାଣ୍ଡ ଠାକୁର ଦେବ ଅଟ ସ୍ୱାମୀ ।୧୬୬ ।
ସ୍ୱାମୀ ତୁମ୍ଭର ଉପରେ ଠାକୁର କରିଅଛ କାହାକୁ
ମୁହିଂତ ଆଶ୍ରିଜ ହୋଇଲି ଶୁଣି ୟେ କଥାକୁ ।୧୬୭ ।
ନାରାୟଣ ବୋଇଲେ ମହାଲକ୍ଷ୍ମୀ ଗୋ ସେ ସ୍ୱାମୀ ଜଗତଭୂତ ଜିତା
କୋଟିୟେ ବିଷ୍ଣୁ କ୍ଷୟେ ଗଲେ ଯାହାଂକୁ ୟେକ ଲିତା ।୧୬୮ ।
ଅଣାକାର ପୁରୁଷ ଅପାପୀ ଅଲୋଭୀ ପରମ ଯାଗୀ
ଅଜପା ଯୋଗ ଲୟେ ନାଥ ସୁଖ ଭୋଗ ପରିତ୍ୟାଗୀ ।୧୬୯ ।
ମହାଲକ୍ଷ୍ମୀ ବୋଇଲେ ତାଂକର ଅଛିଟି କି ଘରଣୀ
ସେ ସେ ହୋଇବେ ଟିକି ଦେବ ମୋହୋର ଠାକୁରାଣୀ ।୧୭୦ ।
ଜଗନ୍ନାଥ ବୋଇଲେ ୟେକଥା ଅଟଇ ନିୟତ
ପାର୍ବତୀଂକ ଦ୍ରଶନେ ତୁମ୍ଭେ ହୋଇବ ମୁକତ ।୧୭୧ ।
ପାର୍ବତୀଂକି ବହୁତ ପୁରସରି କହନ୍ତି ଚକ୍ରପାଣି
ମନେ ହେତୁ କଲେ ଯେ ଦେବୀ କମଳିଣୀ ।୧୭୨ ।
ମହାଲକ୍ଷ୍ମୀ ବୋଇଲେ ମୁହିଂ ସେ ସର୍ବ ଦିଅନ୍ତା
ମୁହିଂ ସେ ସଂସାର ଜନଂକୁ ଯେ ଉଦ୍ଧାରନ୍ତା ।୧୭୩ ।
ମୋହୋର ଦିଲେ ସଂସାର ଜୀବ ପାଆନ୍ତି ପୂଜା
ମୋହୋର ପ୍ରସନ୍ନେ ତ୍ରଇଲୋକ୍ୟେ ହୁଅନ୍ତି ରାଜା ।୧୭୪ ।
ମୁହିଂ ସେ କୋପ କଲଇଂ ଇନ୍ଦ୍ରଦେବତାନ୍ତ
କେହି ତ ରକ୍ଷା କରି ନୁଆରିଲେ ତାହାନ୍ତ ।୧୭୫ ।
ମୁହିଂ ଯାହାକୁ ଅଳ୍ପ କରି ଚାହଂଇ ନୟନେ
ଧନ ଧାନ୍ୟ ସନ୍ତାନ ବର୍ଦ୍ଧୁତ ହୋଅଇ ମୋହୋର ପ୍ରସନ୍ନେ ।୧୭୬ ।
ମୁହିଂ ଅବା ଭ୍ରାନ୍ତି କରି ଯାହାକୁ ନ ଦେଖି
ମନୁଷ୍ୟେ ନ ଗଣନ୍ତି ତାହାନ୍ତ ସେ ହୋଅନ୍ତି ବଡ ଦୁଖୀ ।୧୭୭ ।
ପାର୍ବତୀ ବୋଲିଣ ସେ କିସ ମାତ୍ର ଜନମି
ତାହାନ୍ତ ଦ୍ରଶନ କରାଇ ଲୋଡ଼ୁ ମୋତେ ସ୍ୱାମୀ ।୧୭୮ ।
ଜଗନ୍ନାଥେ ବୋଇଲେ ଦେବୀ ନ କର ତୁମ୍ଭେ କୋପ
ତୋହୋର ଦେଖିଲା ନାହିଂ ସେ ଠାକୁରାଣୀଂକ ସରୂପ ।୧୭୯ ।
ସତୀ ସାବିତ୍ରୀ ଅହଲ୍ୟା ରୋହିଣୀ
ସ୍ୱାହା ସଂଗ୍ୟା ହାରାବତୀ ତାରା ୟେ ଅଷ୍ଟ ବହେଣୀ ।୧୮୦ ।
ୟେ ଅଷ୍ଟକନ୍ୟା ଯେ ଅଟନ୍ତି ମହାସ୍ୱତୀ
ଭ୍ରଥାୟେ ନାଶଗଲେ ଥାଆନ୍ତି ୟେ ବ୍ରତୀ ।୧୮୧ ।
ସ୍ୱାମୀର ମୃତ ପିଣ୍ଡ ଘେନିଣ ବସିଥାନ୍ତି
ଆପଣାର ଆୟୁଷ ବାଣ୍ଟିଣ ସେ ସ୍ୱାମୀଂକି ଜୀଆଂନ୍ତି ।୧୮୨ ।
କୋଟିୟେ କଳ୍ପ ଆଷ୍ୟ ଅଟନ୍ତି ସେ ଦେବୀ
ଦିଗପାଳେ ଯେ ନାଶ ଯାଆନ୍ତି ୟେ ଅଟନ୍ତି ତ୍ରିଜୀବୀ ।୧୮୩ ।
ତୁମ୍ଭେମାନେ ସ୍ୱତୀ ସେ ଯେ ଅଟନ୍ତି ମହାସ୍ୱତୀ
ଅହଲ୍ୟା ତାରା ମନ୍ଦୋଦରୀ ଦ୍ରୋପତୀ ଇନ୍ଦୁମତୀ ।୧୮୪ ।
ସ୍ୱତୀରୁ ମହାସ୍ୱତୀ ସେ ଶତେ ଗୁଣ ଶ୍ରେଷ୍ଠ ଅଟଇ
ତେଣୁ କରି ମହାସ୍ୱତୀଂକି ତୁମ୍ଭର ନମସ୍କାର ଯୋଗାଇ ।୧୮୫ ।
ମହାଲକ୍ଷ୍ମୀ ବୋଇଲେ ସେମାନେ ଅଟନ୍ତି ମହସ୍ୱତୀ
ମୋତେ ତ କାହିଂରେ ନ ଲେଖିଲେ ଦେବ ଶିରୀପତି ।୧୮୬ ।
ଜଗନ୍ନାଥେ ବୋଇଲେ ତୁମ୍ଭେ କହିଲେ କରିବନା କୋପ
ସ୍ୱତୀ ମହାସ୍ୱତୀ ଦୁଇକୁଳ ଅନୁରୂପ ।୧୮୭ ।
ପୁଣି ପୁଣି ଝିଂଘାସ ଯେ କରି ବୋଲନ୍ତି ଚକ୍ରପାଣି
ଲକ୍ଷ୍ମୀ ତୋତେ ବାଲନ୍ତି ସମସ୍ତେ ଯେ ବାଇ ଠାକୁରାଣୀ ।୧୮୮ ।
ବାଇ ହୋଇ କାହିଂ ଠାକୁରାଣୀୟେ ଅଛି
ସଂସାର ଜନେ ତୋତେ ବୋଲନ୍ତି ଗୋ ବାଛି ।୧୮୯ ।
ନ ଖାଇ ନ ଦେଇ ଯେ ରଖଇ ଅଲକ୍ଷଣ ଜନ
କୁଜା କଣା ଛୋଟା ଯେ ଅପାରଗ ଲକ୍ଷଣ ।୧୯୦ ।
ଲେଞ୍ଚ ଲୋକକଂର ତହିଂ ଯେ ତୋହୋର ବିଶ୍ରାମ
ତେଣୁ କରି ବାଇ ଠାକୁରାଣୀ ଅଟଇ ତୋହୋ ନାମ ।୧୯୧ ।
ଲକ୍ଷ୍ମୀ ଗୋ ଚଞ୍ଚଳା ବୋଲିଣ ବୋଲନ୍ତି ସମସ୍ତେ
ବେଶ୍ୟାକୁ ହିଂ ଚଞ୍ଚଳା ବୋଲି ବୋଲନ୍ତି ଯୁଗତେ ।୧୯୨ ।
ଚଞ୍ଚଳା ସ୍ତିରୀମାନେ ଗୋ କାହାରି ନୁହଂନ୍ତି
ଦିନେ ଦିନେକେ ହୋଅନ୍ତି ସେ ଆନର ଯୁବତୀ ।୧୯୩ ।
ତୁ ଯହିଂ ଥାଉ ଗୋ ନୋହୁ ଗୋ ନିଚଳ
ପ୍ରାଣୀଂକି ଦୟା ତୁ ନ କରୁ ଚିର କାଳ ।୧୯୪ ।
ନିଚଳ ହୋଇଂ ତୁ କାହିଂ ଯେ ନ ଥାଉ
ତେଣୁ ସେ ଲକ୍ଷ୍ମୀ ଚଞ୍ଚଳା ନାମ ଗୋଟି ବହୁ ।୧୯୫ ।
ତୁହି ସେ ଲକ୍ଷ୍ମୀ ଗୋ ସବୁରି ଠାକୁରାଣୀ
ସମସ୍ତ ଜନ ମାନେ ତୋତେ ବୋଲନ୍ତି ଯେ କାଣୀ ।୧୯୬ ।
ୟେକ ଘର ସହସ୍ରେ ମାଢକୁ ଭାରଜନ
ଆରେକ ଘର ମୂଲ ଲାଗି ବଞ୍ଚଇ ଯେ ଦିନ ।୧୯୭ ।
ୟେକକୁ ନାଶି ଆରକେ ଜନ ଥାପି
ତେଣୁ କରି ମହାଲକ୍ଷ୍ମୀ ତୁ ଅଟୁ ବଡ ପାପୀ ।୧୯୮ ।
ପାର୍ବତୀ ଗୋସାମଣୀଂକି ତୁମ୍ଭେ ଦରଶନ କଲେ
ମହାପାତକ ଖଣ୍ଡଣ ହୋଇବ ଗୋ ଭଲେ ।୧୯୯ ।
ମହାଲକ୍ଷ୍ମୀ ବୋଇଲେ ଚାଲ ଦେବ ଯିବି ମୁହିଂ
ଖଣ୍ଡଇ କିନା ପାତକ ପାର୍ବତୀଂକ ମୁଖ ଚାହିଂ ।୨୦୦ ।
ସତ୍ୟଭାମାଂକୁ କହିଲେ ମୁଣୋହିଂ କରାଅ ଅର୍ଜୁନଂକୁ
ଆମ୍ଭେ ଯାଉଅଛୁଂ ୟେବେ କପିଳାସ କନ୍ଦରକୁ ।୨୦୧ ।
ଲକ୍ଷ୍ମୀଂକି ସଙ୍ଗେ ଘେନିଣ ଦେବ ଦଇତାରି
ଗରୁଡ଼ ପିଠିରେ ବିଜୟେ ଲକ୍ଷ୍ମୀଂକି କୋଳେ ଧରି ।୨୦୨ ।
ଆକାଶେ ଗମଇ ସେ ଯେ ବିନତାର ସୁତ
ବାହାନ ଚଳଇ ତହୁଂ ପବନହୁଂ ଆଗତ ।୨୦୩ ।
ସଦାନନ୍ଦ ଜାଣିଲେ ଲକ୍ଷ୍ମୀ ନାରାୟଣ ଆସି
ବୃଷଭ ଆରୋହି ବିଜେ କଲେ ଦେବ କାଶୀ ।୨୦୪ ।
କୋଳେ ପାର୍ବତୀଂକି ଘେନି ଗଙ୍ଗାକୂଳେ ବିଜେ
ବୃଷଭରୁ ଉତୁରିଲେ ପ୍ରଭୁ ଦେବରାଜେ ।୨୦୫ ।
ଅନ୍ତର ପ୍ରାୟେ ହୋଇ ରହିଲେ ପାର୍ବତୀ
ବୃଷଭ ରହିଲା ସେ ଯେ ହୋଇଣ ଅନ୍ତର୍ଗତି ।୨୦୬ ।
ଯେତେ ଦୂରୁଂ ସ୍ୱାମୀଂକର ଦିଶିଲା ଆସନ
ଗରୁଡ଼ ପିଠିରୁ ଉତୁରିଲେ ଦେବ ଭଗବାନ ।୨୦୭ ।
ମହାଲକ୍ଷ୍ମୀ ବୋଇଲେ କିମ୍ପେ ଉତୁରିଲ ଦେବ ସ୍ୱାମୀ
ସେ ଯେଗୀଆ ଗୋଟାକୁ ନାଥ ହେଉଛ ପରିଣାମି ।୨୦୮ ।
ଦେଖିଲେ ଅଯାତ୍ରା ଛୁଇଂଲେ ପାପ ଲାଗି
ବ୍ରାହ୍ମଣ ଚାଣ୍ଡାଳ ଯାୟେ ସବୁଂକ ଦ୍ୱାରେ ଭିକ୍ଷା ମାଗି ।୨୦୯ ।
ଗୋବିନ୍ଦ ବୋଇଲେ ମହାଲକ୍ଷ୍ମୀ ୟେ ଠାକୁରଂକୁ ନ କର ଘଞ୍ଚାଳ
ଠାକୁରଂକ ନିନ୍ଦାକଲେ କାହାକୁହିଂ ନାହିଂ ଭଲ ।୨୧୦ ।
କୋପାନଳେ ଚାହିଂଲେ ଭସ୍ମଗଲା କାମଦେବ
କୋପେଣ ଚାହିଂଲେ ଆମ୍ଭ କାୟେ ଦହିଜ ହୋଇବ ।୨୧୧ ।
ପାୟେ ଯାଇଂ ଜଗନ୍ନାଥେ କରନ୍ତି ନିଉଛାଳି
ବାଞ୍ଛା ସିଦ୍ଧ ହେଉ ବୋଲି ବୋଲନ୍ତି ତ୍ରିଶୂଳୀ ।୨୧୨ ।
ମହାଲକ୍ଷ୍ମୀ ବିଚାରନ୍ତି ଯୋଗୀର ଭାରିଜା ଯୋଗିଆଣୀ
ୟେ ଛାର ମୋହୋର ହୋଇବ କି ଠାକୁରାଣୀ ।୨୧୩ ।
ଯୋଗୀ ତପୁସୀ ରାଉଳ ତିନି ନାମ ୟେହାର
ଗଉଡ଼ ବାଉଡ଼ ହାଉଡ଼ ଅଟନ୍ତି ଆମ୍ଭର ବର ।୨୧୪ ।
ୟେ ନ୍ୟାୟରୁ ୟେହାଂକର ତାଂକର ହୋଇଲା ବନ୍ଧୁପଣ
ମୁହିଂ କିମ୍ପାଇ ଯୋଗିଆଣୀକି ପ୍ରଳମ୍ୱ ହୋଇବି ଅକାରଣ ।୨୧୫ ।
ମହାସ୍ୱତୀପଣ ୟେହାଂକର ଜାଣିମା କେମନ୍ତେ
ବଚନ ସାରିକ୍ଷୁ ଯେବେ ଜିଣି ପାରଇ ସେ ମୋତେ ।୨୧୬ ।
ୟେଡ଼େ ବିଚାରି ଲକ୍ଷ୍ମୀ ବିଜେ କଲେ ଯାଇଂ ପାର୍ବତୀଂକ କତି
ସନିଧେ ବସିଲେ ସେ ଅଭାବ ପ୍ରକୃତି ।୨୧୭ ।
ମହାଲକ୍ଷ୍ମୀ ବୋଇଲେ ଗୋ ଦେବୀ ଶୁଣ ୟେକ ଚିତ୍ତେ
ଭିକ୍ଷାଶୀ ଗୋଟିୟେ ଯିବାର ଦେଖିଲେ କି ୟେହି ପଥେ ।୨୧୮ ।
ପାର୍ବତୀ ବୋଇଲେ ଲକ୍ଷ୍ମୀଂକ ବୋଲ ଶୁଣି
କଳହ ନିମନ୍ତେ ହରି ୟେହାକୁ ଅଛଇ ଆଣି ।୨୧୯ ।
ମୋହୋର ସ୍ୱାମୀ ହାଦେ ଭିକ୍ଷା ମାଗଇ ବୋଲି
ୟେ ମାଢୀ ସେ ଜାଣଇ ମୁଂ କି ବିଚାର କଲି ।୨୨୦ ।
ପାର୍ବତୀ ବୋଇଲେ ଲକ୍ଷ୍ମୀ ଭିକ୍ଷାଶୀରେ ଯେବେ କାର୍ଯ୍ୟ
ବଳି ଦ୍ୱାରକୁ ଯାଅ ଯା ଦାନ ତହିଂ ମାଗଇ ବାମନ ନାମେ ୟେକ ଦ୍ୱିଜ ।୨୨୧ ।
ବଳିକି ଦାନ ସେ ମାଗୁଅଛି ଯଥା
ଭିକ୍ଷାଶୀ ଜାଣନ୍ତି ସିନା ଯୋଗୀଂକର ବାରତା ।୨୨୨ ।
ମହାଲକ୍ଷ୍ମୀ ବିଚାରିଲେ ୟେ କଥାରେ ଯଶ ତ ନୋହିଲା
ୟେହାର ସ୍ୱାମୀ ଭିକ୍ଷାଶୀ ମୋହୋର ସ୍ୱାମୀ ବଳିଦ୍ୱାରେ ଦାନ ଯେ ମାଗିଲା ।୨୨୩ ।
ଦାନ ଭିକ୍ଷା ସିନା ଦୁଇ ୟେକଇ ଯୁଗତେ
ଲାଜ ପାଇ କମଳା ବସିଲେ ତୋଷ ଚିତ୍ତେ ।୨୨୪ ।
ପୁଣି ଲକ୍ଷ୍ମୀ ବୋଇଲେ ଗୋ କୁଆଳି ୟେକ ଲଟ
ତାଣ୍ଡବ ନୃତ୍ୟ କରିଗଲା ଦେଖିଲୁ ୟେ ବାଟ ।୨୨୫ ।
ପାର୍ବତୀ ବୋଇଲେ ୟେ ମୋଢୀ ବଡ଼ ମନ୍ଦ ଚଞ୍ଚଳୀ
ନିଚୟ ଆମ୍ଭର ତୁଲେ ୟେ ଲଗାଇବ କଳି ।୨୨୬ ।
ସ୍ୱାମୀ ମୋହୋର ଦେବତାଂକ ମନ ରଞ୍ଜନେ ତାଣ୍ଡବ ନୃତ୍ୟ କଲା
ୟେ ମୋଢୀ ତାହା ଆଣି ମୋତେ ଉଘାଇଲା ।୨୨୭ ।
ପାର୍ବତୀ ବୋଇଲେ ତୁ ଗୋ ୟେବେ ଶୁଣ ବାଇ ଦେଈ
ବୃନ୍ଦାବନକୁ ଯାଅ ଯା ନଟ ପୋୟେକ ଅଛି ତହିଂ ।୨୨୮ ।
ତାଳୁରେ ଚୁଳ ତାର ହାଥରେ ବିରହ ବଂଶୀ
ଗୋପାଳୁଣୀମାନଂକୁ ନଚାୟେ କଦମ୍ୱ ମୂଳେ ବସି ।୨୨୯ ।
ତାହାନ୍ତ ପଚାର ଯାଇ ତୁ ନୃତ୍ୟକାରଂକ କଥା
ନଟେ ସିନା ଜାଣନ୍ତି ସେ ନଟଂକର ବାରତା ।୨୩୦ ।
ମହାଲକ୍ଷ୍ମୀ ବିଚାରିଲେ ମୁଂ ତ ହାରିଲି ଯୁଗତେ
ମୋହୋର ସ୍ୱାମୀ ନୃତ୍ୟ କଲେ ଗୋପାଳୁଣୀଂକ
ମନରଞ୍ଜନ ନିମନ୍ତେ ।୨୩୧ ।
ପୁଣି ହିଂ ଉତ୍ତର ଦିଲେ ସିନ୍ଧୁ ରାଜାର କୁମାରୀ
ଯୋଗୀ ଗୋଟି ଦେଖିଲ କି ଗୋ ମୃଗ ଛାଲକେ ଅଛି ଘୋଡ଼ି ।୨୩୨ ।
ପାର୍ବତୀ ବିଚାରିଲେ ଲକ୍ଷ୍ମୀଂକ ବଚନେ
ଅଳପ ଲୋକଂକର ବଚନ ଅଟଇ ୟେସନେ ।୨୩୩ ।
ମୋହୋର ସ୍ୱାମୀ କୃଷ୍ଣାଜିନ ମୃଗଛାଲ ଘୋଡ଼ି
ତାହା ମୋତେ ଉଘାଇଲା କାଣୀ ଦୃଭାରୀ ୟେହୁ ମୋଢୀ ।୨୩୪ ।
ପାର୍ବତୀ ବୋଇଲେ ତୁ ଗୋ ଶୁଣ ବାଇ ଦେଈ
ମୃଗଂକର ବାରତା ଯେ ବରୋହା ଜାଣଇ ।୨୩୫ ।
ଯାହାର ସ୍ୱାମୀୟେ ବରେହା ରୂପ ଧରି
ତାହାନ୍ତ ପଚାର ଯାଇ କେଣେ ଗଲେ ମୃଗାରି ।୨୩୬ ।
ମହାଲକ୍ଷ୍ମୀ ବୋଇଲେ ଭଲ ତ କହିଲା ସନ୍ଦେଶ
ୟେ କଥାୟେ ମୋତେ କିଛି ନୋହିଲାକ ଯଶ ।୨୩୭ ।
ୟେହାର ସ୍ୱାମୀ ଆଭରଣ ମୃଗର ଛଉରୀ
ମୋହୋର ସ୍ୱାମୀ ପ୍ରତକ୍ଷେ ବରେହା ରୂପ ଧରି ।୨୩୮ ।
ୟେତେକ ବିଚାରି ଦେବୀ ତୂଷ୍ଣୀ ଯେ ହୋଇଲେ
ପୁଣିହିଂ ମହାଲକ୍ଷ୍ମୀ ପ୍ରତିଉତ୍ତର ଯେ ଦିଲେ ।୨୩୯ ।
ଲାଂଗଟ ବ୍ରୂକଟ ବୃଦ୍ଧ ଯୋଗୀ ଯେ ଗୋଟାୟେ
ହାଡ଼ମାଳ ଆଭରଣ ଚଢିଛି ବଇଲ ପିଠିୟେ ।୨୪୦ ।
ତାହାକୁ ଦେଖିଲ କି ୟେ ବାଟେ ଯାଉଂ ଯାଉଂ
ପାର୍ବତୀ ବୋଇଲେ ୟେ ମୋଢୀ ଜାଣିଲାକ କାହୁଂ ।୨୪୧ ।
ମୋହୋର ସ୍ୱାମୀ ଯେ ବଳଦ ଚଢଇ
ତାହା ଉଘାଂଇ ମୋତେ ଝିଂଘାସ କରଇ ।୨୪୨ ।
ତୁ ଯାହା ପଚାରିଲୁ ବୋଲନ୍ତି ପାର୍ବତୀ
ଗୋରୁଂକର ବାରତା ହାଦେ ଗଉଡ଼େ ଜାଣନ୍ତି ।୨୪୩ ।
ଗଉଂଡ଼କୁ ପଚାର ଯାଇଂ ୟେସନେକ ବାରତାୟେ
ବୋଲିବ ୟେ ବାଟ ଗଲା କି ବଇଲ ଗୋଟାୟେ ।୨୪୪ ।
ଲକ୍ଷ୍ମୀ ହୋଇଲେ ତୂଷ୍ଣୀ ପାର୍ବତୀଂକ ବଚନେ
ୟେମନ୍ତେ ଯଶ ମୋତେ ନୋହିଲା କେସନେ ।୨୪୫ ।
ୟେହାର ସ୍ୱାମୀ ଯେ ବଳଦ ଗୋଟାୟେ ଚଢଇ
ମୋହୋର ସ୍ୱାମୀ ପ୍ରତକ୍ଷେ ଗୋପେ ଗୋପାଳ ରୂପ ଧରଇ ।୨୪୬ ।
ସମାସ୍ୟାୟେ ଜିଣି ନୁଆରିଲେ ସିନ୍ଧୁ ରାଜା ତନଈ
ପାର୍ବତୀଂକ ଚରଣ ତଲେ ଶୁତିଲେ ଦଣ୍ଡ ପ୍ରଳମ୍ୱିତ ହୋଇ ।୨୪୭ ।
କୋଳରେ ଧଇଲେ ଲକ୍ଷ୍ମୀଂକି ଦକ୍ଷ ପ୍ରଜାପତିର କୁମାରୀ
ମୁଖେଣ ଚୁମ୍ୱନ ଦେଇ ଆଲିଙ୍ଗନ କଲେ ଭୁଜେ ଭୁଜ ଭିଡ଼ି ।୨୪୮ ।
ଈଶ୍ୱରେ ବୋଇଲେ ହରି କେ ହାରିଲା କେ ଜିଣିଲା
ଶ୍ରୀଜଗନ୍ନାଥେ ବୋଇଲେ ଦୁହିଂକର କଥା ସମସରି ହୋଇଲା ।୨୪୯ ।
ଈଶ୍ୱରେ ବୋଇଲେ ହରି ୟେକ ଜିଣି ଯେବେ ଆରକେ ହାରନ୍ତା
ତୁମ୍ଭର ଆମ୍ଭର ବଡ଼ ଅପ୍ରୀତି ଉପୁଜନ୍ତା ।୨୫୦ ।
ତାହାଂକର ହରଷେ ହରିହର ହରଷ
ବୃଷଭ ଗରୁଡ଼ ଦୁହେଂ ହୋଇଲେ ବଡ଼ ତୋଷ ।୨୫୧ ।
ହରିହର ଲକ୍ଷ୍ମୀ ପାର୍ବତୀ ବୃଷଭ ଗରୁଡ଼ ସନ୍ତୋଷ ହୁଅନ୍ତି
ୟେ ସୟଳ ଜନମାନଂକୁ ମଙ୍ଗଳ କରାବନ୍ତି ।୨୫୨ ।
ଗରୁଡ଼ ବୃଷଭ ପାର୍ବତୀ ଲକ୍ଷ୍ମୀ ହରିହରଂକୁ ଭାବ ହୃଦଗତେ
ଦରିଦ୍ର ବାଧା ନ ଲାଗିବ ୟେ ଆଖ୍ୟାନ ଶୁଣନ୍ତେ ।୨୫୩ ।
ମୋହୋର ବେଳେ କି ୟେହା ପାରଇ ତଥ୍ୟ କରି
କେ ସଞ୍ଚପି କହିବଟି ମାନବ ରୂପେ ଅବତରି ।୨୫୪ ।
ଯାହା ସେ କହିଲେ ମହାତମା ଅଗସ୍ତି
ମୁହିଂ ତାହା ବଞ୍ଚାଇ କହିଲି ଶାହସ୍ର ସଙ୍ଗତି ।୨୫୫ ।
ଜୟ ତୁ ହରିହର ପରମ ବ୍ରହ୍ମ ଅବତାର
ନୀଳ କମଳ ତନୁ ଶୁକ୍ଲାମ୍ୱର ଶରୀର ।୨୫୬ ।
ଖଗ ବଇଲ ବାହାନେ ଚକ୍ର ତ୍ରିଶୂଳ କର
ପିନାକ କୋଦଣ୍ଡ ଡମ୍ୱରୁ ଶଂଖଧର ।୨୫୭ ।
କପିଳାସ ବଇକୁଣ୍ଠ ଶମଶାନ ଜଳ ବାସୀ
ଜୟ ତୁ ହରିହର ଯୋଗ ବ୍ରହ୍ମ ରାଶି ।୨୫୮ ।
ଅଷ୍ଟରତ୍ନ ଭୂଷଣ ଦେବ ଅଷ୍ଟକୁଳ ନାଗ
ଭସ୍ମ ବିଲେପନ ନାଥ ଚନ୍ଦନ ଯେ ଭୋଗ ।୨୫୯ ।
ଯୋଗେ ଯୋଗୀନାଥ କଷା ଝୀନବାସ
ଶାସକେ ନାଶକେ ଯେ ପରମ ହଂସ ପୁରୁଷ ।୨୬୦ ।
ୟେକ କାୟେ ନାଥ ଯେ ଅନନ୍ତ ଅବତାର
ଅଲୋଭୀ ପୁରୁଷ ତୁ ନାଶନ ମହୀଭାର ।୨୬୧ ।
ଜାତ ଅନ୍ତା କରତା ଯେ ହରନ୍ତା ଉଦ୍ଧରନ୍ତା
ଜୟ ତୁ ହରିହର ବିହନ୍ତା ବିଧାତା ।୨୬୨ ।
କାଳକୂଟ ଭକ୍ଷି ଯେ କାଳୀର ଦର୍ପ ମର୍ଦ୍ଦି
କାଞ୍ଚୀ କେଳାଞ୍ଚୀ ନାଥ କଂସ କେଶୀ ବଧି ।୨୬୩ ।
ଶ୍ରା ହରିହର ଦେବତା ଚରଣେ ଶରଣ ମୋର ନିତି
ଶୂଦ୍ରମୁନି ସାରୋଳା ଦାସ ବିନୟ ଭଗତି ।୨୬୪ ।
ଶ୍ରୀ ଚଣ୍ଡୀ ସାରୋଳା ଯେ ଜଂଖେରପୁର ବାସୀ
ଯାହାର ପିତାମହ କୃପାଜଳ ମହଋଷି ।୨୬୫ ।
ସେ ଦେବୀଂକି ଲୟେ ଯେ ହୃଦଗତି ଭାବି
ପର ଦୁଖେ କାତର ସିଦ୍ଧ ଯେ ସାଧବୀ ।୨୬୬ ।
ସେ ଦେବୀର ପ୍ରସନ୍ନେ ମୁଂ ଲେଖନ କଲି ଗ୍ରନ୍ଥ
ଶୁଣନ୍ତେ ଧନ ସନ୍ତାନ ହୋଇବ ବର୍ଧୂତ ।୨୬୭ ।
ଶ୍ରୀ ଚଣ୍ଡେ ସାରୋଳା ଯେ ତଲୟେ ୟେକ ଚିତ୍ତେ
ଶୂଦ୍ରମୁନି ସାରୋଳା ଦାସ ମୁକତି ହୋଇବା ନିମନ୍ତେ ।୨୬୮ ।
ବଦୟନ୍ତି ଅଗସ୍ତି ଯେ ଶୁଣ ହୋ ମନୁରାୟେ
ଶ୍ରୀ ମହାଭାରତ ଶୁଣି ପାପ କର କ୍ଷୟେ ।୨୬୯ ।
ଅନେକ ଭଗତି ତାଂକୁ ହୋଇଲେ କମଳିଣୀ
ବହୁତ କଲ୍ୟାଣ ବାଂଛା କଲେ ପାର୍ବତୀ ଗୋସାମଣୀ ।୨୭୦ ।
ଲକ୍ଷ୍ମୀଂକି ଘେନି ଗରୁଡ଼ ପିଠିରେ ବିଜେ ଦେବ ହରି
ଚଳିଲେ ଜଗମୋହନ ବିଶ୍ୱେଶ୍ୱର ସେବା କରି ସାରି ।୨୭୧ ।
ହର ପାର୍ବତୀ ତହୁଂ ବୃଷଭ ଆରୋହି
କପିଳାସ କଂଦରେ ବିଜୟେ କଲେ ଯାଇଂ ।୨୭୨ ।
ହରି ବିଜେ କଲେ ଦ୍ୱାରିକା ଭୁବନେ
ସନ୍ଧ୍ୟା ସାରି ଭୋଜନ କଲେ ଜନାର୍ଦ୍ଦନେ ।୨୭୩ ।
ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଂକି
କିସ ଆଗ୍ୟାଂ ହୋଇଲା ଜଗନ୍ନାଥଂକର ସୁଭଦ୍ରାଂକ କଷ୍ଟ ଦେଖି ।୨୭୪ ।
ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ଗୋ ଶକ୍ରାବତୀ
ଯୋଶୋଦାଂକ ଅଗ୍ରତେ କହ ୟେସନେକ ରୀତି ।୨୭୫ ।
ଆଗ୍ୟାଂ ପାଇଂ ଚଳିଗଲେ ଜଗନ୍ନାଥଂକ ପାଟବଂଶୀ
ଯଶୋଦାଂକ ପୁରେ ପ୍ରବେଶ ହେଲେ ଯାଇଂ ନିଶି ।୨୭୬ ।
ପ୍ରଣପତ୍ୟ ହୋଇଣ ବୋଲନ୍ତି ବଚନ
ମାୟେ ଗୋ କଥାୟେକ କହିବି ହୋଇବା ସାବଧାନ ।୨୭୭ ।
ସୁଭଦ୍ରାଂକୁ ପ୍ରଦାନ କରିବା କି ବୀର ପାଥ
ୟେ କଥା ନିମନ୍ତେ ମୋତେ ପେଷିଲେ ଜଗନ୍ନାଥ ।୨୭୮ ।
ବୋଇଲେ କହ ଯାଇ ମାତାଂକ ଆଗର
ଯଶୋଦା ବୋଇଲେ ୟେ କଥା ଯୋଗାଇଲା ମନକୁ ଆମ୍ଭର ।୨୭୯ ।
ବଂଶେ ନିକଳଂକ ସେ କ୍ଷତ୍ରୀୟ ବୀରଧୂ
ଦ୍ୱାରିକାକୁ ଉପଗାରୀ ଜଗତେ ଯେ ସାଧୁ ।୨୮୦ ।
ସୁଭଦ୍ରାର ପୁଣ୍ୟ ପୂର୍ବେ ଅଟଇ ଯେବେ ଅତି
ତେବେ ସେ ହୋଇବନା ଅର୍ଜୁନର ଯୁବତୀ ।୨୮୧ ।
ଧାର୍ମିକ ବିବେକ ସେ ଅଟଇ ଯେ ଇତି ପୁଣ୍ୟବନ୍ତ
ପୂର୍ବ ଭାଗ୍ୟ ଥିଲେ ୟେମାନ ହୋଅଇ ପ୍ରାପତ ।୨୮୨ ।
ସତ୍ୟଭାମା ବୋଇଲେ ମା ଗୋ ୟେମନ୍ତ କରିବା
ବଳରାମଂକ ଅଗ୍ରତେ ଯାଇଂ ଜଣାଇବା ।୨୮୩ ।
ସେ କିସ ବୋଲିବେ ମା ଗୋ ଶୁଣିବା ତଦନ୍ତ
ଯେବେ ଯୋଗାଇବ ନୀଳାମ୍ୱରଂକର ଚିତ୍ତ ।୨୮୪ ।
ତେବେ ସେ ୟେକଥା କରିବା ନା ମାୟେ
ସେହି ସେ ଅଟନ୍ତି ଯେ ଦେବାଧି ଦେବରାୟେ ।୨୮୫ ।
ୟେହା ଶୁଣି ବେଗେ ଚଳିଗଲେ ଯଶୋବନ୍ତୀ
ବଳରାମଂକ ପୁରେ ପ୍ରବେଶ ହୋଇଲେ ଝାତି ।୨୮୬ ।
ଦେଖିଣ ଆସନ ତେଜି ଉଠିଲେ ଦେବ ହଳୀ
ମାତାଂକ ପାଦେ ଅର୍ଘ୍ୟ ଦିଅନ୍ତି ମୂଷଳୀ ।୨୮୭ ।
ପ୍ରଳମ୍ୱ ହୋଇ କରି ବୋଇଲେ ବଚନ
କେଉଂଣ କାର୍ଯ୍ୟେ ତୁମ୍ଭେ ମାୟେ ଗୋ କରିଛ ଗବନ ।୨୮୮ ।
ଶୁଣ ବାବୁ ସାବଧାନେ ପୁଚ୍ଛଇ ମୁଂ ତୁକୁ
ସୁଭଦ୍ରାକୁ ପ୍ରଦାନ କି କରିବା ଅର୍ଜୁନକୁ ।୨୮୯ ।
ମାତାଂକ ମୁଖରୁ ଶୁଣି ୟେସନେକ ବଚନ
ଭୂଇଂ ଛୁଇଂ କାମପାଳ ଛୁଇଂଲେ ବେନି କର୍ଣ୍ଣ ।୨୯୦ ।
ଅର୍ଜୁନକୁ ଦେଖିଲେ କି ମାତ ସୁନ୍ଦର ମୂରତି
ମାତାର ନାମ ତାର ଅଟଇ ଦେବୀ କୋନ୍ତି ।୨୯୧ ।
ପିତାର ନାମ ତାର ଅଟଇ ପଣ୍ଡୁ ଯେ ରାଜନ
ବ୍ରହ୍ମହତ୍ୟା କଲା ସେ ନାଶି ତପୋଧନ ।୨୯୨ ।
କୋଇନ୍ତାଂକ ଅନୀତିପଣ କହିତେ କି ପାରି
ପୁତ୍ର ଉପୂଜାଇଲେ ସେ ହୋଇଲେ ଦୋଚାରି ।୨୯୩ ।
ବଂଶରେ କଳଂକ ପୁଣ ଅଛଇ ଯାହାରି
ତାହାକୁ ୟେ କନ୍ୟା ଗୋଟି ଦେଇତେ କି ପାରି ।୨୯୪ ।
ଆମ୍ଭେ ବିଚାର କରିଅଛୁଂ ଦେବାକୁ ଯାହାକୁ
ସୁଭଦ୍ରା ପ୍ରଦାନ କରିବା ଯେ ମାନଗୋବିନ୍ଦକୁ ।୨୯୫ ।
ବଂଶେଣ ନିକଳଂକ ପଞ୍ଚୁ କଟକେଣ ରାଜା
ଲକ୍ଷେ ନୃପତି ଯାହାର କରିଥାନ୍ତି ପାଦ ପୂଜା ।୨୯୬ ।
ଶଂଖନିଧି ପଦ୍ମନିଧି ଅଛଇ ଯାର ବେନି କରେ
ପାଣିଦ୍ରବ୍ୟ ହୁଅଇ କର ଲାଗନ୍ତେ ପାଷାଣରେ ।୨୯୭ ।
ଚଳନ୍ତେ ଅବେଣ୍ଟ ସୁବର୍ଣ୍ଣ ପଦ୍ମ ପୁଷ୍ୟ ଫୁଟଇ
ଅତି ମାନେ ସେ ଯେ ମାନଗୋବିନ୍ଦ ଅଟଇ ।୨୯୮ ।
ପାଣ୍ଡବଂକୁ ସେ ରାଜ୍ୟରୁ ଦିଅଇ ବାହାର କରି
କାଳକେ ପାଣ୍ଡବେ ଯେ ଅଟନ୍ତି ଭିଖାରୀ ।୨୯୯ ।
ଗୋଳକୁଣ୍ଡା ଜାରଜାତକା ପାଣ୍ଡବେ ଅଟନ୍ତି ଅଜାତି
ପାଞ୍ଚେହେଂ ପ୍ରଦାନ ହୋଇଲେ ୟେକଇଂ ଯୁବତୀ ।୩୦୦ ।
ମାୟେ ଗୋ ଯଦ୍ୟପି ମୋହୋର ଆଗେ କହିଲ ୟେବେ ୟେହା
ୟେମନ୍ତ କଥାମାନଟି ଯେପରି ନ ଜାଣେ ଜଗୁନାହା ।୩୦୧ ।
ଭଲଦିନେ ରାଜା ଦ୍ରିଯୋଧନକଇ ବରିଆଣି
ତାହାକଇ ପ୍ରଦାନ କରିବା ତୁମ୍ଭର ଦୁଲଣୀ ।୩୦୨ ।
ଗୋଳକୁଣ୍ଡା ଜାରଜାତକା ବ୍ରହ୍ମହତ୍ୟା ପାପେ ଦୋଷୀ
ତେମନ୍ତ ଲୋକକୁ ଗୋ କନ୍ୟା ଦେବାର ବିହିତ ନୁଆସି ।୩୦୩ ।
ଆମ୍ଭକୁ ଅଥବା କହିଲ ଗୋ ମାତା
ଜଗନ୍ନାଥେ ନ ଜାଣିମେଟି ୟେମନ୍ତ ବାରତା ।୩୦୪ ।
ବଳରାମଂକ ମୁଖୁଂ ୟେସନେକ ବାକ୍ୟ ଶୁଣି
ବାହୁଡ଼ି ନିଜ ପୁରେ ପ୍ରବେଶ ନନ୍ଦ ଠାକୁରାଣୀ ।୩୦୫ ।
ଆପଣାର ନିଜ ପୁରେ ପ୍ରବେଶ ହୋଇଲେ
ସତ୍ୟଭାମାଂକ ଆଗେ ଶ୍ରୀ ବଳରାମଂକ ବାରତା କହିଲେ ।୩୦୬ ।
ତହୁଂଣ ଦେବୀ ଯେ ଚଳିଗଲେ ଖରେ
ଯାଇଂଣ ମିଳିଲେ ଜଗନ୍ନାଥଂକ ଛାମୁରେ ।୩୦୭ ।
ସତ୍ୟଭାମାୟେ ବୋଇଲେ ଶୁଣିମା ଦେବ ମଧୁହାରୀ
ଅର୍ଜୁନର ନାୟେଂ କୋପ କଲେ ହଳଧାରୀ ।୩୦୮ ।
ଅନେକ ଦୋଷମାନେ ବାଛିଲେ ପାଣ୍ଡବଂକୁ
ସୋହୋଦ୍ରାଂକୁ ଦେବା କଲେ ଦ୍ରିଯୋଧନ ରାଜାକୁ ।୩୦୯ ।
ୟେମନ୍ତ ବିଚାର ହୋଇଲା ବଳଦେବଂକର ଆଜ
ଦ୍ରିଯୋଧନକୁ ଦେବା ଶୁଣି କୋପ କଲେ ଦେବରାଜ ।୩୧୦ ।
ଗୋବିନ୍ଦେ ରାଇଣ ଆଗ୍ୟା ଦିଲେ ସତ୍ୟଭାମାଂକୁ
ତୁମ୍ଭେ ସୋହୋଦ୍ରାକୁ ଘେନିଯାଅ ଅର୍ଜୁନ ଶୟନ ଠାବକୁ ।୩୧୧ ।
ଅର୍ଜୁନେ ସୋହୋଦ୍ରାଂକୁ ଭେଟାଅ ତୁମ୍ଭେ ନେଇ
ଜାଣିମା କେମନ୍ତ କରିଣ ବିଭା କରିବେ ହଳସାଇଂ ।୩୧୨ ।
ୟେସନେକ ସମୟେ ତହିଂ ରୟଣୀ ପ୍ରଭାତେ
ଉଦ୍ଧବଂକୁ ରାଇ ଆଗ୍ୟାଂ ଦିଲେକ ହଳହସ୍ତେ ।୩୧୩ ।
ପୁଷ୍ୟେକ ଆରୋହି ତୁ ଚଳ ୟେହିକ୍ଷଣି
ବାରତା କର ଯାଇଂ ଦ୍ରିଯୋଧନ ନୃପମଣି ।୩୧୪ ।
ବହନ କରି ବରି ଆଣିମୁଂ ଦ୍ରିଯୋଧନ ରାଜାକୁ
ସୋହୋଦ୍ରାକୁ ପ୍ରଦାନ ଯେ କରିବା ତାହାକୁ ।୩୧୫ ।
ବଳରାମଂକ ଆଗ୍ୟାଂ ପ୍ରମାଣେ ଚଳିଲା ଉଦ୍ଧବ
ବରଣ ଯୋଗାଡ଼ ସମସ୍ତ ଦିଲେ ବଳଦେବ ।୩୧୬ ।
ଆଗ୍ୟାଂ ପାଇମ ବରଣ ଯୋଗାଡ଼ ଘେନି ଉଦ୍ଧବ ବେଗେ ଚଳିଗଲା
ଦ୍ୱାରିକା ଭୁବନୁଂ ଶୁଭବେଳେ ବାହାର ହୋଇଲା ।୩୧୭ ।
ଯାଇଂ ପ୍ରବେଶ ହୋଇଲା ହସ୍ତିନା ଭୁବନେ
ଫୁଲମାଳ ଦେଇ ବରିଲେ ଦ୍ରିଯୋଧନେ ।୩୧୮ ।
ଆହୋ ମାନଗୋବିନ୍ଦ ଫଣୀଧରେ ପେଷିଲେ ଆମ୍ଭଂକୁ
ସୋହୋଦ୍ରା ପ୍ରଦାନ କରିବେ ତୁମ୍ଭଂକୁ ।୩୧୯ ।
ୟେତେକ ବଚନ ଯେ ଉଦ୍ଧବ କହଇ
ବରଣମାଳା ଦେଇ ବରଣ କରଇ ।୩୨୦ ।
ସମଦଣ୍ଡ ଘେନିଣ ଦେବ ହଳପତି
ରଇବ୍ରତ ପର୍ବତେ ବିଜେ କରିଛନ୍ତି ।୩୨୧ ।
ବସନ୍ତ ଉଚ୍ଛବ ସେ ଯେ ଯାତ୍ରାର ବିଧାନେ
ଯାତ୍ରା ସାରି ତହୁଂ ଯେ ବାହୁଡ଼ନ୍ତି ମଧ୍ୟାହ୍ନେ ।୩୨୨ ।
ଦ୍ୱାରିକା ଭୁବନେ ଦେବ ହୋଇଲେ ପ୍ରବେଶ
ସତ୍ୟଭାମାଂକୁ ରାଇ ବୋଇଲେ ହୃଷୀକେଶ ।୩୨୩ ।
ଆଜ ସୋହୋଦ୍ରାକୁ ବେଶ ବେଶନ କରାଇ
ଅର୍ଜୁନ ଶୟନ ମନ୍ଦିରେ ସମର୍ପି ଆସ ଯାଇଂ ।୩୨୪ ।
ଚଳିଲେ ସତ୍ୟଭାମା ସ୍ୱାମୀଂକ ବଚନେ
ପ୍ରବେଶ ହୋଇଲେ ଯାଇଂ ସୋହୋଦ୍ରା ମେଢ ସ୍ଥାନେ ।୩୨୫ ।
ଯୋଗୀ ଯେସନେକ ଥାଇ ଯୋଗ ଲୟେ କରି
ଅର୍ଜୁନ ନିମନ୍ତେ ଦେବୀ କ୍ଷୁଧା ତୃଷା ଅପହରି ।୩୨୬ ।
କାତରେ ଦୁର୍ଗାଂକୁ ତୁସ୍ତି ସେ କରଇ ବନିତା
ଜୟ ତୁ ଜୟ ମା ଗୋ ବିପତ୍ତି ଖଣ୍ଡନ୍ତା ।୩୨୭ ।
ଜୟ ତୁ କାତ୍ୟାୟନୀ ଗୋ ମୋତେ ଉଦ୍ଧର ଯୋଗେଶ୍ୱରୀ
ତବ ଚରଣେ ଶରଣ ମୁଂ ଅର୍ଜୁନେ ଆଶା କରି ।୩୨୮ ।
ଶତେ ସହସ୍ର ଦଣ୍ଡ ପ୍ରଳମ୍ୱ ମା ଗୋ ତୋତେ
କୋଇନ୍ତାଂକ ସୁତ ଅର୍ଜୁନକଇଂ ଦେବାକ ମୋତେ ।୩୨୯ ।
ୟେସନେକ ତୁସ୍ତି କରନ୍ତେ ଯୁବତୀ
ୟେମନ୍ତ ସମୟେ ପ୍ରବେଶ ହୋଇଲେ ଶକ୍ରାବତୀ ।୩୩୦ ।
ସତ୍ୟଭାମାଂକୁ ଦେଖିଣ ନନ୍ଦର ଦୁଲଣୀ
ମୁକତି ଗତି ଲଭିଲା ଅନ୍ଧେ ଚକ୍ଷୁଦାନ ଜାଣି ।୩୩୧ ।
ସତ୍ୟଭାମା ଚରଣ ତଳେ ପ୍ରଳମ୍ୱ କରି ବାଳୀ
ୟେ କାମରୁ ମୋତେ ଉଦ୍ଧର ଶକ୍ରାଜିତର ଦୁଲାଳୀ ।୩୩୨ ।
ସତ୍ୟଭାମାୟେ ବୋଇଲେ ତୁମ୍ଭେ ଉଠ ଗୋ ତୁରିତେ
ମୁହିଂ ଆସିଅଛଇଂ ଗୋ ତୁମ୍ଭର ନିମନ୍ତେ ।୩୩୩ ।
ବିକଳ ଛାଡ଼ି ବେଶ ବେଶନ ହୋଅସି ଗୋ ମାୟେ
ପରମାନନ୍ଦ ଜଗନ୍ନାଥ ସ୍ୱାମୀ କଲେ ତୋତେ ଦୟେ ।୩୩୪ ।
ଉଠ ଉଠ ମାତା ଗୋ ବହନ ହୋଇ ଯିବା
ଅର୍ଜୁନ ଦ୍ରଶନେ ତୋର ଦୋଷକୃତ ହରିବା ।୩୩୫ ।
ଶୁଣିଣ ସାନନ୍ଦ ଯେ ନନ୍ଦର କୁମାରୀ
ବେଶ ବେଶନ ହୋଇଲେ ଅଳଂକାର ଭରି ।୩୩୬ ।
ରାତ୍ର ସାତ ଘଡ଼ିରେ ଚଳି ସୋହୋଦ୍ରା ସତ୍ୟଭାମା
ଅର୍ଜୁନ ଶୟନ ସ୍ଥାନେ ମିଳି ବାସୁଦେବଂକର ବାମା ।୩୩୭ ।
ଅର୍ଜୁନ ଶୋଇଅଛି ବିଚିତ୍ର ମନ୍ଦିରେ
ସୋହୋଦ୍ରା ସତ୍ୟଭାମା ମିଳିଲେ ଯାଇଂ ଦ୍ୱାରେ ।୩୩୮ ।
ପେଲନ୍ତେ କବାଟ ଯେ ନ ଫିଟଇ କିଳିଣୀ
ଅର୍ଜୁନ ଅର୍ଜୁନ ବୋଲି ଡାକନ୍ତି ଶକ୍ରାଜିତର ଦୁଲଣୀ ।୩୩୯ ।
ପଲଂକେ ବସି ଅର୍ଜୁନ ଶହସ୍ର ମନ୍ତ୍ର ଗୁଣନ୍ତି
ଯେସନେକ ଯୋଗୀମାନେ ପବନ ସାଧନ୍ତି ।୩୪୦ ।
ସୁବର୍ଣ୍ଣ ଦୀପାବଳୀ ଜଳନ୍ତି ଚଉକତି
ନିଦ୍ରା ତେଜି ଅର୍ଜୁନ ଶହସ୍ରକୁ ତଲୟେ ମତି ।୩୪୧ ।
ସତ୍ୟଭାମା ଡାକ ଦିଲେ ଶୁଣ ହୋ ଫାଲଗୁନି
ମୁହିଂ ହାଦେ ଆସିଅଛି ଠାକୁରଂକ ଆଗ୍ୟାଂ ଘେନି ।୩୪୨ ।
କବାଟ ଫେଡ଼ ବାବୁ ମୁଂ ଭିତରକୁ ଯିବି
ସନ୍ଦେଶ ବାରତାୟେ ମୁହିଂ ତୋତେ କହିବି ।୩୪୩ ।
ବହନ କବାଟ ଫେଡ଼ ସର୍ବସାଚୀ ଧନୁର୍ଜୟେ
ସନ୍ଦେଶ ବାରତା ଅଛି କହିବି ତୋତେ ଗୋପତ କଥାୟେ ।୩୪୪ ।
ଅର୍ଜୁନ ବୋଇଲେ ତୁମ୍ଭେ ଜଗନ୍ନାଥଂକ ପାଟବଂଶୀ
ୟେ ଦ୍ୱାରିକା ମଣ୍ଡଣୀ ତୁମ୍ଭେ ଅଟ ଗରୁହଂସୀ ।୩୪୫ ।
ଯାଦବ ଶକ୍ରାଜିତର ତୁମ୍ଭେ ଅଟ ଗୋ କୁମାରୀ
ବଂଶିକ ପଣେ ଜଗନ୍ନାଥ ତୁମ୍ଭନ୍ତ ନୁହନ୍ତି ଯେ ସରି ।୩୪୬ ।
ପଞ୍ଚଭୂତ ଆତ୍ମାୟେ ତୁମ୍ଭନ୍ତ ଦେଖନ୍ତି ବାସୁଦେବ
ଅନୁବ୍ରତେ ହୃଦୟରେ ବଲଭୀ ପ୍ରିୟଭାବ ।୩୪୭ ।
ମା ଗୋ ୟେତେ ରାତ୍ରେ କିମ୍ପେ ମୋହୋର ପୁରେ ପଶିବ ତୁମି
କେମନ୍ତେ ଉପେକ୍ଷି ଅଇଲ ଜଗନ୍ନାଥ ଦେବ ସ୍ୱାମୀ ।୩୪୮ ।
ସେ ଅବା ମାୟାଧର ପ୍ରଭୁ ମାୟା ତୁମ୍ଭଂକୁ କଲା
ଚିତ୍ତ ବିଡ଼ିବା ନିମନ୍ତେ ମୋହୋର ତହିଂକି ପେଷିଲା ।୩୪୯ ।
ନାରାୟଣ ମାୟା ତୁମ୍ଭେ ଗୋ ନୁଆରିଲ ଜାଣି
ଚକ୍ରକୂଟ ବୁଦ୍ଧିରେ ଗୋ ପଡ଼ିଲ ଗୋସାମଣୀ ।୩୫୦ ।
ସତ୍ୟଭାମାୟେ ବୋଇଲେ ତୁହୋ ଶୁଣ ସର୍ବସାଚୀ
ଆପଣେ ପେଷିଲେ ମୋତେ ଦେବ ଶିରୀବଚ୍ଛି ।୩୫୧ ।
ମୋହୋର ଶପଥ ତୋତେ ଠାକୁରଂକ ରାଣ
ସନ୍ନିଧେ କହଇ ତୋତେ ସାବଧାନେ ଶୁଣ ।୩୫୨ ।
ଅର୍ଜୁନ ବୋଇଲେ ମା ଗୋ ନୋହଇଟି ୟେମନ୍ତ
ପ୍ରଭାତେ କହ ମୋତେ ଜଗନ୍ନାଥଂକ ବାରତ ।୩୫୩ ।
ୟେବେ ଚଳିଯାଅ ଗୋ ଅପାର ହୋଇଲା ନିଶା ରାତି
ବତିଶସହସ୍ର କନ୍ୟାଂକ ମଧ୍ୟେ ତୁମ୍ଭେଂ ପ୍ରିୟବତୀ ।୩୫୪ ।
ସତ୍ୟଭାମାୟେ ବୋଇଲେ ହୋ ଶୁଣ ଫାଲଗୁନି
ମୁହିଂ ହାଦେ ଆସିଅଛି ସୋହୋଦ୍ରାକଇ ଘେନି ।୩୫୫ ।
ତୋତେ ଦେଖିଣ ୟେ ଯେ ହୋଇଲା ବିରହିଣୀ
ଜାଣିଲେ ମାଧବ ସେ ଦେବ ଚକ୍ରପାଣି ।୩୫୬ ।
ଯତନେହେଂ ଆଗ୍ୟାଂ ମୋତେ ଦିଲେ ଦେବ ରାଇ
ସୁଭଦ୍ରାଂତୁ ଘେନିଯାଅ ଅର୍ଜୁନେ ଆସ ଦେଇ ।୩୫୭ ।
ମୁହିଂ ଯେବେ ୟେକଥା କହୁଅଛିଟି ମିଥ୍ୟା
ଜଗନ୍ନାଥଂକର ଆଶ ମୁଂ ନ ପାଇବି ସର୍ବଥା ।୩୫୮ ।
ବାବୁ ତୋହୋର ଶପଥ ମୁଂ କରତାରେ ଦ୍ରୋହ କରଇ
ଗୁରୁଜନ ନିନ୍ଦା ଦୋଷ ଶରୀରେ ଅପହରଇଂ ।୩୫୯ ।
ଅର୍ଜୁନ ବୋଇଲେ ମା ଗୋ ତୁମ୍ଭେ ପରମ ମାହେଶ୍ୱରୀ
ମୁହିଂ ଯେ ମାନବ ମା ଗୋ କିମ୍ପାଇ ନ ବିଚାରି ।୩୬୦ ।
ୟେହା ଶୁଣି ସୁଭଦ୍ରା ପ୍ରତିଉତ୍ତର ଦିଲେ ଅର୍ଜୁନଂକୁ
କବାଟ ଫେଡ଼ ବାବୁ ମୁଂ ଦେଖଇ ତୁମ୍ଭଂକୁ ।୩୬୧ ।
ଅର୍ଜୁନ ବୋଇଲେ ମାତା କାହିଂକି ମୁଂ ଗଲି
ରଇବ୍ରତ ପର୍ବତେ ମୋତେ ଦେଖୁ ସିନା କାଲି ।୩୬୨ ।
ସୋହୋଦ୍ରା ବୋଇଲେ ବାବୁ ୟେବେ ତୁ ମୋହୋର ସନ୍ନିଧକୁ ଆସସି
ତୋହୋର ମୋହୋର ୟେକ ହୋଇ ସିନା ସମ୍ଭାସି ।୩୬୩ ।
ଅର୍ଜୁନ ବୋଇଲା ଯାହା କହିଲ ନ ଯୋଗାଇ
ମୋହୋର ବିଚାରକୁ ୟେକଥା ଭଲ ତ ନୁଆସଇ ।୩୬୪ ।
ମା ଗୋ ପର ତିରି ମାତା ପରପୁରୁଷ ମୋର ପିତା
ପର କାର୍ଯ୍ୟେ ଶତ୍ରୁକୁ ମୁଂ ନ କରଇ ନାଶଂଗତା ।୩୬୫ ।
ପର ଧନ ନ ହରଇ ମୋହୋର ପରକୁହିଂ ନାହିଂ ହିଂସା
ପର ଦାରା ସ୍ତିରୀକୁ ମୋର ନ ବଳଇ ମନୀଷା ।୩୬୬ ।
ପର ଦୁଖେ କାତର ମୁଂ ପର ଲୋକେ ବନ୍ଧୁ
ପ୍ରସନ୍ନ ପରମାନନ୍ଦ ମୁଂ ଛତ୍ରୀ କୁଳେ ସାଧୁ ।୩୬୭ ।
ସୋହୋଦ୍ରା ବୋଇଲେ ତୁମ୍ଭେ ଯେ କହିଲ ସଭାବେ
ତୁମ୍ଭେ ଶରଣ ମତ୍ସଳ ମୁଂ ଶରଣ ପଶିଲି ୟେବେ ।୩୬୮ ।
ତୁ ଯେ ବୋଲୁଥାଉ ମୁଂ ପର ଦୁଖେ ଦୁଖୀ
ତୁମ୍ଭଠାରେ ଶରଣ ମୁହିଂ ପଶୁଛି ନିର୍ମାଖୀ ।୩୬୯ ।
ଶତଧନୁ ପଳାଇ ତୁମ୍ଭ ତହିଂ ପଶିଲା ଶରଣ
ତାହାକୁ ରକ୍ଷାକଲ ତୁମ୍ଭେ ଜିଣିଲ ନାରାୟଣ ।୩୭୦ ।
ଅଗ୍ନି ଦେବତାୟେ ଶରଣ ତୁମ୍ଭରେ ପଶି
ପିତା ଇନ୍ଦ୍ରକୁ ଜିଣି ଖାଣ୍ଡବେ ବନ ଧଂସି ।୩୭୧ ।
ଅନଙ୍ଗ ଦେବତା ମୋତେ କରେ ଧରି ଚାପ
ଅଦୋଷେ ନାରାଜ ମୋତେ ବିନ୍ଧୁଅଛି ଅନିର୍ଯ୍ୟାପ ।୩୭୨ ।
ବିକଳେ ଶରଣ ପଶୁଛି କାମଦେବର ଭୟେ
ତୁମ୍ଭରେ ଶରଣ ମୋତେ ରଖ ଧନୁର୍ଜୟେ ।୩୭୩ ।
ଅଗ୍ନି ଦେବତାର ତୁମ୍ଭେ ଖଣ୍ଡଣ କଲ ଲୁଦୁବୁଦୁ ବ୍ୟାଧି
ମୋତେ ଉଦ୍ଧରି ଧର ୟେବେ ଦେଇଣ ମଉଷୋଧି ।୩୭୪ ।
ବାବୁ ସର୍ପ ବିଘାତ ଯେ ହୋଇଲା ମୋର କାୟେ
ବିଷ ଝାଡ଼ି ପକାଅ ମୋତେ ପାଣ୍ଡବ ଧନୁର୍ଜୟେ ।୩୭୫ ।
ଅକାରଣ ଜନକୁ ଯେହୁ କାରଣ କରନ୍ତି
ମହତ ଜନ ପ୍ରାଣୀ ସେ ଜଗତ ଉଦ୍ଧରନ୍ତି ।୩୭୬ ।
ମୁହିଂ ଅନାସ୍ତୁଣୀ ମୋତେ ରଖ ଫାଲଗୁନି
ଶତେ ସହସ୍ର ପ୍ରଳମ୍ୱିତ ଘେନ ମୋହୋର ଦଇନୀ ।୩୭୭ ।
କ୍ଷୁଧାର ବେଳେ ଅନ୍ନ ଦିଲେ ହୋଇ ଯେତେ ପୁଣ୍ୟ
ଦରିଦ୍ର ପ୍ରାଣୀଂକି ଯେ ଯତନେ ଦିଅଇ ଦାନ ।୩୭୮ ।
ତୁମ୍ଭେ ଯେ ଫାଲଗୁନି ମହତ କଳ୍ପତରୁ
ବୁଡ଼ିଲି କାମଜଳେ ମୋତେ କିମ୍ପାଇ ଉଦ୍ଧରି ନ ଧରୁ ।୩୭୯ ।
ନିକଳଂକ ଚନ୍ଦ୍ରମା ଜାଣି ତୋହୋର ମୁଖ ଗୋଟି
ଦେଖଇଂ କିନା ମୋହୋର ଅନ୍ଧପଟଳ ଯାଉ ଫିଟି ।୩୮୦ ।
ବିନୟ ଭାବ ହୋଇଣ ବୋଲଇ ଫାଲଗୁନି
ଆଗୋ ସୋହୋଦ୍ରା ତୋତେ ମୋହୋର ଅନେକ ଦୟିନୀ ।୩୮୧ ।
ପରଦାରା ଦୋଷ ଗୋ ନାଶଇ ସର୍ବ ତପ
ମୋହୋର ଛାର ଦେହ ତୋର ତହିଂ ଲାଗିବ ୟେ ମୋହୋର
ପାପ ।୩୮୨ ।
ମା ଗୋ ଠାକୁର ସେବକର ୟେକ ଯୋଗ କାହିଂ
ବ୍ରାହ୍ଣଣ ଚାଣ୍ଡାଳର ୟେକ ଯୋଗ ହେବ ନାହିଂ ।୩୮୩ ।
ତୁ ମୋହୋର ମାତା ଗୋ ଛାଡ଼ି ମେଲ ମୋର ଆଶା
ଦେଖି ତୋହୋର ସମାନେ ବଳା ଯା ମନୀଷା ।୩୮୪ ।
ସୋହୋଦ୍ରା ବୋଇଲେ ତୁମ୍ଭେ ନିକଳଂକ ସୋମବଂଶୀ
ହରି ବଳରାମହୁଂ ତୁମ୍ଭେ ଶତେ ଗୁଣେ ଗରୁହଂସୀ ।୩୮୫ ।
ସୋହୋଦ୍ରା ଅର୍ଜୁନଂକୁ ଅନେକ ତୁସ୍ତି ଭଣି
ମୂର୍ଚ୍ଛାଗତ ହୋଇଣ ସେ ପଡ଼ିଲା ଧରଣୀ ।୩୮୬ ।
କୋଳ କରି ଧଇଲେ ଦେବୀ ଶକ୍ରାବତୀ
ଆହୋ ଅର୍ଜୁନ ତୁ ଲଭିଲୁ ସ୍ତିରୀ ହତ୍ୟା ଗତି ।୩୮୭ ।
ନିଚୟେ ସୁଭଦ୍ରା ଯେ ତୋହୋର ନାଶଗଲା
କବାଟ ଫେଇ ଦେଖ ବାବୁ ପ୍ରାଣତ୍ୟାଜ ହୋଇଲା ।୩୮୮ ।
କାଳବେଳେ ଦ୍ୱାରିକାୟେ ପଶିଲୁ ଧନୁର୍ଜୟେ
ପ୍ରତକ୍ଷେ ଲଭିଲୁ ବାବୁ ସ୍ତିରୀ ହତ୍ୟା ଗୋଟାୟେ ।୩୮୯ ।
ନିଚୟେ ସୋହୋଦ୍ରା ଯେ ହୋଇଲା ମୃତଆତ୍ମା
ୟେବେହେଂ ସନ୍ନିଧକୁ ଆସୁ କିନା ମହାତମା ।୩୯୦ ।
ବୋବି ଦେଇ ନ ମରନି ପାଥ ହୋଇଲାକ ତୁନୀ
ଅଢାଇ ପ୍ରହର ଆସି ହୋଇଲା ରୟଣୀ ।୩୯୧ ।
ଡାକଦେଇ ବିମୁଖ ହୋଇଲେ ସତ୍ୟଭାମା
ନିରାଶେ ତହୁଂ ବାହୁଡ଼ିଲେ ବେନି ବାମା ।୩୯୨ ।
ଗରଳ ଘୋଟନ୍ତେ ଯେସନେକ ହୁଅନ୍ତି ପ୍ରାଣୀ
ସେହି ସାଦୃଶ୍ୟେ ସତ୍ୟଭାମା ସୁଭଦ୍ରାକୁ ଧରିଆଣି ।୩୯୩ ।
ମେଢର ଭିତରେ ନେଇ ଶୁଆଇଲେ ଶଶୀମୁଖୀ
ସୋହୋଦ୍ରା ବୋଇଲେ ମୁଂ କେମନ୍ତ କରିବି ଗୋ ସଖୀ ।୩୯୪ ।
ନ ରହଇ ଆତ୍ମା ମୋର କାମ ଆସକତେ
ଛିଡ଼ିବି ଜୀବ ଆତ୍ମା ବୋଲି କଟାର ଘେନଇ ହାଥେ ।୩୯୫ ।
ପୋଡୁ ପୋଡୁ ସଖୀ ଗୋ ସ୍ତିରୀଜନ୍ମ ଗୋଟା
ଯୁବାକାଳେ ହୋଅଇ କାମରେ ଯେତେକ ଚେରେଷ୍ଟା ।୩୯୬ ।
ଆହୋ ଧାତା ପୁରୁଷ ତୁ ମନ୍ଦ କୃତ୍ୟ କଲୁ
ସ୍ତିରୀ ଜନ୍ମ କରି କିମ୍ପାଇ ସ୍ରିଜିଲୁ ।୩୯୭ ।
ଆପଣାର ଶରୀର ଘେନି ପରକୁ ଖଟଇ ଭୃତ୍ୟକାରୀ
ଅତି ପାତକ କଲେ ସ୍ତିରୀ ଜନ୍ମେ ଅବତରି ।୩୯୮ ।
ସତ୍ୟଭାମାୟେ ବୋଇଲେ ଗୋ ରହିଥାଅସି ସଂଘାତ
ଅବଶ୍ୟ ଅର୍ଜୁନ ତୋହୋର ହୋଇବ ପରାପତ ।୩୯୯ ।
ତୁ କିମ୍ପେ ନିନ୍ଦାକରୁ ସ୍ତିରୀ ଜନମକୁ
ସ୍ତିରୀ ସେ ଉତପତ୍ତି କରଇ ସଂସାରକୁ ।୪୦୦ ।
ସ୍ତିରୀ ନ ଥିଲେ ଗୋ ପୁରୁଷ ହେବ କାହିଂ
ପୁରୁଷ ବିଧାତା ସ୍ତିରୀ ଅଟଇ ଗୋ ବିହି ।୪୦୧ ।
ଆଗେଣ ସଂଘାତ ଗୋ ସ୍ତିରୀଂକ ନାମ ଧରି
ପଛେ ପୁରୁଷଂକ ନାମ ଯେ ଉଚ୍ଚାରି ।୪୦୨ ।
ଆଗେ ବୋଲି ଲକ୍ଷ୍ମୀ ପଛେ ନାରାୟଣ
ଆଗେ ଉମା ପଛେ ମହେଶ୍ୱର ପୁଣ ।୪୦୩ ।
ସକଳ ଜନଂକୁ ସଖୀ ସ୍ତିରୀ ସେ ଅଟଇ ମୂଳ
ସ୍ତିରୀରେ ବଶ ହୋଅନ୍ତି ସଂସାର ଜନ ଯେ ସକଳ ।୪୦୪ ।
ପୁରୁଷମାନେ ସ୍ତିରୀଂକି କରନ୍ତି ଦୟିନୀ
ପୁରୁଷେ ପାଷାଣ ଗୋ ଅଟଇ ଫାଲଗୁନି ।୪୦୫ ।
ଯାଚିଲା ଦ୍ରବ୍ୟ ଗୋ ୟେମନ୍ତଟି ସଖୀ
ଆତୁର ହୋଇଲେ କାର୍ଯ୍ୟ ନୋହଇ ଯେ କିଛି ।୪୦୬ ।
ୟେ କଥାମାନ ଯାଇଂ ଜଣାଇମି ଦେବରାଜେ
ଆଜର ମଧ୍ୟେ ସିଦ୍ଧି କରାଇବି ତୋର କାର୍ଯ୍ୟେ ।୪୦୭ ।
ସତେହେଂ ସେ ଯେବେ ଆମ୍ଭର ବିନତି ନ ଘେନିମ
ଆମ୍ଭନ୍ତ ନିରାଶ କରି ପାଥ କାହିଂକି ସେ ଅବା ଯିବ ।୪୦୮ ।
ଯଦ୍ୟପି ନିରାଶଟି କରିବ ଫାଲଗୁନି
ବଳେହେଂ ଦୁଇ ସଖୀ ଆମ୍ଭେ ଆସିବା ତାକୁ ଘେନି ।୪୦୯ ।
ସୋହୋଦ୍ରା ଦ୍ରହସିତ ଯେ ସତ୍ୟଭାମାର ବଚନେ
ଯାଅ ଯା ପ୍ରାଣସଖୀ କହ ଯା ଜଗନ୍ନାଥଂକ ସନ୍ନିଧାନେ ।୪୧୦ ।
ୟେ ମୋହୋର କଥାକୁ ସଖୀ ନ ପୁଣ କରୁ ହେଳା
ଅଗାଦ ସମୁଦ୍ରେ ବୁଡ଼ୁଅଛି ମୋର ଭେଳା ।୪୧୧ ।
ମୁହିଂ କେବେ କେବେ ଯିବିଟି ତୋହୋର ତହିଂକି ସଖୀ
ନ ପୁଣ ମୋତେ ପାଶୋରୁଗୋ ଜଗନ୍ନାଥଂକ ମୁଖ ଦେଖି ।୪୧୨ ।
ଯଦ୍ୟପି ଦ୍ରିଯୋଧନକୁ ବରିବେ ବଳରାମ
ନିଜ ରୂପ ଧରି ଯେବେ ବିଜୟେ କରିବ କାମ ।୪୧୩ ।
ତାହାକଇ ମନେ ମୋର ନ ବଳଇ ଇଚ୍ଛା
ଅର୍ଜୁନ ବତ୍ରିକେ ମୋର ନାହିଂ ଆନେ ବାଞ୍ଛା ।୪୧୪ ।
ୟେସନେକ ଭାଳନ୍ତେଣ ପ୍ରସର ହୋଇଲା ରାତି
ସ୍ୱାମୀଂକ ଶୟନ ସ୍ତାନେ ମିଳିଲେ ଶକ୍ରାବତୀ ।୪୧୫ ।
ଦେଖିଣ ସାନନ୍ଦେ ଯେ ପଚାରନ୍ତି ଜଗନ୍ନାଥେ
କାର୍ଯ୍ୟ ସୁବିଧାନ ହୋଇଲେ ବିଳମ୍ୱ କରନ୍ତି ଦୂତେ ।୪୧୬ ।
ଦୂତର ବିଳମ୍ୱେ ସକଳ କାର୍ଯ୍ୟ ହୋୟେ ସିଦ୍ଧି
ସୁଭଦ୍ରାଂକୁ ଅନୁଗ୍ରହ କଲାଟି କି ମନଭେଦୀ ।୪୧୭ ।
କହନ୍ତି ଯୋଗେଶ୍ୱରୀ ଶକ୍ରାଜିତର ନନ୍ଦିନୀ
ସ୍ୱାମୀ ପୁରୁଷ ନିଲକ୍ଷଣ ସେ ଅଟଇ ଫାଲଗୁନି ।୪୧୮ ।
ସ୍ୱାମୀ ତିନିପ୍ରହର ପର୍ଯ୍ୟନ୍ତେ ଦ୍ୱାରେ ମଣାଇ କହିଲୁ ବସି
କବାଟ କିଳି ସେ ଆମ୍ଭନ୍ତ ବହୁତ ଝିଂଘାସି ।୪୧୯ ।
ପାଷାଣ ଝଡ଼ଇ ଦେବ ଆମ୍ଭର ବଚନ ଶୁଣି
ତଦ୍ୟାପି ଇଚ୍ଛା ନ କଲା ସେ କ୍ଷତ୍ରିୟ ଚୂଡାମଣି ।୪୨୦ ।
ବିନୟ ହୁଅନ୍ତେ ହେଲା ତିନି ପ୍ରହର ରାତି
ନିରାଶ ହୋଇ ତହୁଂ ବାହୁଡ଼ିଲୁ ବେନି ଯୁବତୀ ।୪୨୧ ।
ସୁଭଦ୍ରାଂକୁ ଛାଡ଼ିଲି ଦେବ ସେ ମେଢର ଭିତରେ
ବିଚାରିଣ ଆଗ୍ୟାଂ ମୋତେ ଦେବା ଚକ୍ରଧରେ ।୪୨୨ ।
ଅଶୁଭ ବାର୍ତ୍ତା ଯହୁଂ କହିଲେ ଶକ୍ରାଜିତର କୁମାରୀ
ଶୁଣିଣ ବିରସ ହୋଇଲେ ଦେବ ମଧୁହାରୀ ।୪୨୩ ।
ସ୍ରାହାନ ନିତ୍ୟକର୍ମ ସାରିଣ ଦେବ ହରି
ରଇବ୍ରତ ପର୍ବତକୁ ବିଜୟେ ଥାଠ ସଜ କରି ।୪୨୪ ।
ବଳରାମ ଉଗ୍ରସେନ ସାତ ବଂଶ ଘେନି
କ୍ରୀଡା ସ୍ତାନେ ପ୍ରବେଶ ସମସ୍ତ ମହାମୁନି ପୁରୁଷ କାମିନୀ ।୪୨୫ ।
ଅର୍ଜୁନକଇ ସଙ୍ଗେ ଘେନି ବିଜେ ଦେବ ଜନାର୍ଦ୍ଦନେ
କରନ୍ତି ଜଳକ୍ରୀଡ଼ା ଦେବ ନାଉକା ବିମାନେ ।୪୨୬ ।
ଶତଧନୁ ଜଣାଇଲା ଦେବ ଶୁଣିମା ଜଗନ୍ନାଥେ
ସ୍ୱାମୀ ବଳରାମେ ପଠିଆଇଛନ୍ତି ହସ୍ତିନାକୁ ଦୂତେ ।୪୨୭ ।
ଉଦ୍ଧବ ଯାଇଅଛି ଦ୍ରିଯୋଧନକଇ ଆଣିମାକୁ
ସୋହୋଦ୍ରା କନ୍ୟା ଦେବ ପ୍ରଦାନ କରିବାକୁ ।୪୨୮ ।
ୟେସନେକ ବାରତା ଶୁଣିଣ ଶ୍ରୀବଚ୍ଛି
ଥମ୍ୱୀଭୂତ ହୋଇ ବସିଲେ ଦେବ ନ ପୁଂରଇ କିଛି ।୪୨୯ ।
ଅର୍ଜୁନ ବଦନ ଚାହିଂଲେ ଦେବରାୟେ
ତୁ କିମ୍ପା ବିଚାର ନ କରୁ ଧନୁର୍ଜୟେ ।୪୩୦ ।
ନାରାୟଣ ବଚନେ ପାଥ ମଉନବ୍ରତ
ଯାତ୍ରା ସାରି ବାହୁଡ଼ିଲେ ଦେବ ଜଗତଭୂତନାଥ ।୪୩୧ ।
ଅର୍ଜୁନ ବୋଇଲେ ଦେବ ହସ୍ତିନାକୁ ଯିବି
ଦ୍ରିଯୋଧନ ଠାକୁରଂକ ତୁଲେଣ ବାହୁଡ଼ି ଆସିବି ।୪୩୨ ।
ଅର୍ଜୁନ ବଚନେ ସ୍ୱାମୀ ହସିଲେ ବନମାଳୀ
ସାଧୁ ସାଧୁ ପାଥ ତୁ କ୍ଷତ୍ରିୟ ଶୁଦ୍ଧଶାଳୀ ।୪୩୩ ।
ଯଦ୍ୟପି ଦ୍ରିଯୋଧନ ଆସିବ ଆମ୍ଭର ଦ୍ୱାରିକାକୁ
ତୁହି କିମ୍ପା ଯିବୁ ଆଉ ହସ୍ତିନା ପୁରକୁ ।୪୩୪ ।
ଯୁଝେଷ୍ଠି ଠାକୁର ସହିତେ ଆସିବେ ବରଜାତି
ଭୀଷ୍ମ ଦ୍ରୋଣ କର୍ଣ୍ଣ ଆଦି କରି ଦେଖିବୁ ସବୁନ୍ତି ।୪୩୫ ।
ୟେତେ ବୋଲି ବିଜେ ଜଗମୋହନ ଦ୍ୱାରିକା ଭୁବନେ
ସମାର୍ଜନା କରି ରୁହାଇଲେ ଫାଲଗୁନେ ।୪୩୬ ।
ସ୍ରାହାନ ଆହାନିକ ସାରି ମୁଣୋହିରେ ବିଜେ
ଯେ ବିଧି ମାନ ସାରିଲେ ଦେବରାଜେ ।୪୩୭ ।
ଅର୍ଜୁନକୁ ଘେନି ଦେବ ବିଜେ କଲେ ସିଂଘାସନେ
ଛାମୁରେ ଭରହରଷ ଅପଛରୀ ବୃନ୍ଦମାନେ ।୪୩୮ ।
ମେଢରେ ଥାଇଣ ଯେ ନନ୍ଦର ଦୁଲାଳୀ
ଗୁଣ୍ଡୁରୀ ଜଳା ବାଟେ ଚାହଂଇ ଚକ୍ଷୁ ଢାଳି ।୪୩୯ ।
ଅର୍ଜୁନ ବଦନ ଚାହଂଇ ନିରେଖି
ଜଗମୋହନ ରୂପ ସରୂପ ତାହା ଦେଖି ।୪୪୦ ।
ବିଚାରନ୍ତି ଜଗନ୍ନାଥେ ଆପଣା ହୃଦଗତେ
ଯାଚିଲାର ଦ୍ରବ୍ୟ ଯେ ଛାଡ଼ୁ ବୀର ପାଥେ ।୪୪୧ ।
ରଙ୍ଗା ଅବତାରେ ଯାର ପ୍ରକୃତି ସବସ୍ଥା
ସେହି ସେ ଜାଣଇ ହାଦେ ପରଦାରାର ବାରତା ।୪୪୨ ।
ମାନିତୀ ଗଉରୋବୀ ମାନ ସମସ୍ତ ଉପେକ୍ଷି
ଇଚ୍ଛାୟେ ଶୃଙ୍ଗାର କଲା ଯେସନେକ ମନ ଇଚ୍ଛି ।୪୪୩ ।
ବଦନ୍ତି ଅଗସ୍ତି ଶୁଣ ହୋ ଦଣ୍ଡଧାରୀ
ପଛିମେ ଅସ୍ତଗଲେ ଗଗନବିହାରୀ ।୪୪୪ ।
ରାତ୍ରେଣ ସାରିଲେ ଦେବ ଶୀତଳ ଅମୃତ ମୁଣୋହି
ଶୟନ ମନ୍ଦିରେ ଅର୍ଜୁନକୁ ଶୟନ କରାଇ ।୪୪୫ ।
ଦିବ୍ୟ ପଲଂକରେ ଶେଜ ଯେ ନେତର ସୁପାତି
ସହସ୍ରେକ ଦୀପାବଳୀ ଜଳଇ ଚଉକତି ।୪୪୬ ।
ଉପରେ ଚନ୍ଦ୍ରାତପ ମୁକୁତା ମାଳି ମାଳି
ମାଣିକ୍ୟ ପୁଞ୍ଜି ପୁଞ୍ଜି ହୀରାମାନ ଝଳି ।୪୪୭ ।
ଅର୍ଜୁନକୁ ଶୟନ ତହିଂ କରାଇଲେ ଶିରୀବଚ୍ଛି
କବାଟ ନ କିଳିବୁ ହୋ ବୀର ସର୍ବସାଚୀ ।୪୪୮ ।
ଆପଣେ ଶୟନ ମନ୍ଦିରେ ପ୍ରବେଶ
ସତ୍ୟଭାମାକଇ ଡାକି କହିଲେ ହୃଷୀକେଶ ।୪୪୯ ।
ଆମ୍ଭେ ତିଆରି ଗୋ ଅଇଲୁ ବୀର ଫାଲଗୁନି
ତୁମ୍ଭେ ୟେବେ ଚଳିଯାଅ ସୋହୋଦ୍ରାକୁ ଘେନି ।୪୫୦ ।
ଅର୍ଜୁନ ଶୟନ ମନ୍ଦିରେ ସମର୍ପି ଆସ ଯାଇଂ
କାର୍ଯ୍ୟ ସୁବିଧାନ କର ଅମୃତ ଯୋଗ ପାଇ ।୪୫୧ ।
ସ୍ୱାମୀଂକର ଆଗ୍ୟାଂ ପାଇ ଦେବୀ ଶକ୍ରାବତୀ
ସୋହୋଦ୍ରା ବେଶ ବେଶନ ହୋଇ ଉଜାଗରି ରାତି ।୪୫୨ ।
ୟେମନ୍ତ ସମୟେ ଆସି ପ୍ରବେଶ ସତ୍ୟଭାମା
ସୋହୋଦ୍ରା ବୋଇଲେ ସଖୀ ରେ ସାଧୁ ସାଧୁ ତୋ ମହିଂମା ।୪୫୩ ।
ପର ଉପୁଗାର କରନ୍ତି ଯେଉଂଣ ଜନ
ଜୀବନ୍ତେ ସାଧୁ ମଲେ ବଇକୁଣ୍ଠେ ସ୍ଥାନ ।୪୫୪ ।
ଅର୍ଜୁନର ମୋହୋର ଯେବେ ହୋଇବ ୟେକ ମେଳ
ମୁହିଂ ତୋତେ ସେବା କରିବି ଚିରକାଳ ।୪୫୫ ।
ସୁଭଦ୍ରାନ୍ତ ଘେନି ତହୁଂ ଚଳିଲେ ଶକ୍ରାବତୀ
ଅର୍ଜୁନ ଶୟନ ମନ୍ଦିରେ ପ୍ରବେଶ ଦେଢ ପ୍ରହର ଯେ ରାତି ।୪୫୬ ।
ତିନି ପୁରେ ତିନି କବାଟ ଯେ ବଜ୍ର କିଳିଣୀ
ନିଶ୍ଚିନ୍ତେ ଯନ୍ତ୍ର ପାତିଅଛି ବୀର ଫାଲଗୁନି ।୪୫୭ ।
ପଲଂକେ ବସି ଶର ଗୁଣଇ ପାଥ
ୟେମନ୍ତ ସମୟେ ସତ୍ୟଭାମା ସୋହୋଦ୍ରାଂକୁ
ଘେନିଣ ଦ୍ୱାରେ ପ୍ରବେଶ ତୁରିତ ।୪୫୮ ।
କବାଟ ପେଲନ୍ତେ ଯେ ନ ଚଳଇ କିଳିଣୀ
ଅର୍ଜୁନ ଅର୍ଜୁନ ବୋଲି ଡାକ ଦିଅନ୍ତି ଶକ୍ରାଜିତର ଦୁଲଣୀ ।୪୫୯ ।
ବାବୁ ଅର୍ଜୁନ କବାଟ ଫେଡ଼ି ମୋର ସନ୍ନିଧକୁ ଆସ
ଜଗନ୍ନାଥେ ଯାହା ତୋତେ କହିଲେ ସମ୍ଭାଷ ।୪୬୦ ।
ସେ ଜଗମୋହନ ନାଥର ଆଗ୍ୟାଂ ମୁହିଂ ପାଇ
ସୋହୋଦ୍ରାନ୍ତ ଘେନିଣ ମୁଂ ଅଇଲି ତୋର ତହିଂ ।୪୬୧ ।
ୟେ ଯେବେ ତୁମ୍ଭନ୍ତ ବଳାଇଲା ମନବାଞ୍ଛା
ତୁ ହୋ ଫାଲଗୁନି ୟେହାକୁ କରିବୁ ନା ରକ୍ଷା ।୪୬୨ ।
ୟେହା ଶୁଣି ଭିତରେ ଥାଇଣ ବୋଲଇ ସର୍ବସାଚୀ
ତୋହୋର ମୁହିଂ ଅନେକ ପାଇବି ଯେ ବାଚି ।୪୬୩ ।
ହୁଡ଼ି କହିଲୁ ମା ଗୋ ନ ଜାଣିଲୁ କିଛୁ
ମାତା ହୋଇ କିମ୍ପା ଗୋ କଟାଳ କରୁଅଛୁ ।୪୬୪ ।
ହରି ବଳରାମେ ମା ଗୋ ଯାହାର ସୋହୋଦ୍ରା ଭ୍ରାଥ
ତାହାଂକୁ ସଂକୋଚ କିମ୍ପେ ନ କଲା ତୋହୋର ଚିତ୍ତ ।୪୬୫ ।
କି ବୋଲି ବୋଲିବେ ମୋତେ ଗୋବିନ୍ଦ ଦେବ ହଳୀ
ୟେଡ଼େ ବଡ଼ ବଂଶରେ ମା ଗୋ ଲଗାଉଛୁ କାଳି ।୪୬୬ ।
ପାପ ପୁଣ୍ୟକୁ ଗ୍ୟାନ ନାହିଂ କିମ୍ପେ ନ ବିଚାରି
ୟେହେନେକ ପାପ କଥାକୁ କିମ୍ପେ କଟାଳ କର ।୪୬୭ ।
ମୁହିଂ ଶୁଣିଲି ୟେବେ ଦ୍ରିଯୋଧନ ଠାକୁର ହୋଇବେ ବିଭା
ତୁ ମୋର ଗୁରୁପତ୍ନୀ କରିବି ଯେ ସେବା ।୪୬୮ ।
ଠାକୁର ଭାରିଯା ହୋଇବୁ ପଞ୍ଚୁ କଟକେ ଠାକୁରାଣୀ
ସେବକେ କିମ୍ପା ଇଚ୍ଛା କରୁ ଗୋ ମହାତ୍ମାଣୀ ।୪୬୯ ।
ଚଳ ଯା ସୋହୋଦ୍ରା ଗୋ ଫିଟିଲା ତୋର କଷ୍ଟ
ପନ୍ନଗାନାରାୟଣଂକୁ ହୋଇବୁ କାଲି ଭେଟ ।୪୭୦ ।
ସୋହୋଦ୍ରା ବୋଇଲେ ତୁ ଅଟୁ ବଡ଼ଇ ନିଲଜ
ତୋହୋ ଛାର ତୁଲେ ଭାବ କିମ୍ପା ବଢାଇଲେ ଦେବରାଜ ।୪୭୧ ।
ଦ୍ରିଯୋଧନ ତୁମ୍ଭର ନିଚେ ଅଟଇ ବଇରି
ତାହା ଛାରକୁ କିମ୍ପେ ୟେଡ଼େ ପୁରସରି ।୪୭୨ ।
ମୁହିଂ ଭାରିଯା ନିହାଇ ହୋଅଇ ବୀର ପାଥ
କଉରୋବଂକ ନାୟେ କମ୍ପଇ ମୋର ଗାତ୍ର ।୪୭୩ ।
ତୁ ତାହାକୁ ବନ୍ଦନା କରୁ ହୋ କେମନ୍ତେ
ବିଧାତା ଘଟସୂତ୍ର କରିଛି ତୋତେ ମୋତେ ।୪୭୪ ।
ଆହୋ ଧନୁର୍ଜୟେ କବାଟ ଫେଡ଼ ବାବୁ କିନା
ମୁହିଂ ତୁମ୍ଭ ପାଦେ କରିବି ଆର୍ଧନା ।୪୭୫ ।
କ୍ଷତ୍ରୀକୁଳ ବାନା ତୋର ପ୍ରତଗ୍ୟାଂ ଯେ ସତ
ନ କର ନିରାଶ ମୋତେ ତୁ ପ୍ରାଣନାଥ ।୪୭୬ ।
ତାହା ଶୁଣ କୋପଭରେ ବୋଲଇ କିରୀଟୀ
ମହତ କୁଳେ ଜାତ ହୋଇ ତୁ ୟେଡ଼େ ନିର୍ଲଜଟି ।୪୭୭ ।
ଧିକ ହେଉ ତୋହୋର ଯଦୁବଂଶ କଥା
ଧିକ ହୋଉ ତୋହୋର ନନ୍ଦ ଯଶୋଦା ପିତା ମାତା ।୪୭୮ ।
କୁଳର ମଧ୍ୟେ ଯେବେ ସୁଲକ୍ଷଣୀ ନନ୍ଦିନୀ
ସୁସ୍ତିରୀ ହୋଇଲେ ବଂଶକୁ ହୋୟେ ଧନି ଧନି ।୪୭୯ ।
ଗଉଡ଼ କୁଳେ ଯେ ଉତପତି ନନ୍ଦ
ଗୋପାଳ ପ୍ରକୃତି ଯେ ଅଟଇ ବଡ଼ ମନ୍ଦ ।୪୮୦ ।
ଜାଣିଣ ବିଧାତା ଦିଲା ଅଭିଶାପ
କୁଲନ୍ତାର ଯୁବତୀଂକର ୟେସନେକ ସରୂପ ।୪୮୧ ।
ୟେ ଯେତେକ ବଚନ ତୁ ବୋଇଲୁ ଗୋ ମାତ
ଅଜାତକ ଜନର ସିନା ୟେସନେକ ଚରିତ ।୪୮୨ ।
ତୁହି ଯେ ବୋଇଲୁ ରାମକୃଷ୍ଣ ମୋର ଭାଇ
ଅଗସ୍ତିଂକ ପୁତ୍ର ହୋଇଲେ କି ପ୍ରତିଗ୍ରହ ହୋଇ ।୪୮୩ ।
ଗୋପାଳ କୁଳେ ଜନ୍ମ ହୋଇ ପ୍ରକୃତି ତୁମ୍ଭର ହୀନ
ତୋହୋର ଦୂଷିତ ହେବେ ବଳଦେବ ଭଗବାନ ।୪୮୪ ।
କୁଦୋହିତା ଉପୁଜିଲେ ବଂଶକୁ ଅସାଧୁ
ସତ୍ୟଭାମା ବୋଇଲେ ତୁ ଆମ୍ଭନ୍ତ କେତେ ନିନ୍ଦୁ ।୪୮୫ ।
ଆପଣେ ଯାହା ଅର୍ଜି ତାହା କର୍ମ ବୋଲି ପାଥ
ଆମ୍ଭେ ଅବା ଅନ୍ତର ଜାତ ହୋଇଲୁଂ ତୁମ୍ଭେ ତ ମହତ ।୪୮୬ ।
ମହତ ଜନ ଦେଖି ଆମ୍ଭେ ତୁମ୍ଭନ୍ତ ଆଶ୍ରେ କଲୁ
ଈଶ୍ୱରେ ସେବା କରି ତ ନିଷ୍ଫଳ ହୋଇଲୁ ।୪୮୭ ।
ଭିତରେ ଥାଇ ବୋଲଇ ବୀର ଫାଲଗୁନି
ଦନ୍ତେ ତିରଣ ଘେନି ସୋହୋଦ୍ରା ତୋତେ ମୁଂ ଦୟିନୀ ।୪୮୮ ।
ମୁହିଂ ଯେ ତୋହୋର ଭୃତ୍ୟର ଦାସର ଯେ ଦାସ
ତୁ ଦେବ ସ୍ତିରୀ ହୋଇ କିମ୍ପା ମାନବେ କରୁ ଆଶ ।୪୮୯ ।
ରାଗେ ମୁହିଂ ତୋତେ ବୋଇଲି ଭ୍ରଚ୍ଛନା
ତୁ ପରମ ସାଧେବୀ ଗୋ ମୋତେ ଠାକୁରାଣୀ ସିନା ।୪୯୦ ।
ପୁଣ ପୁଣ ଭିତରେ ଥାଇଂ ପାଥ କରଇ ପରିଣାମି
ମା ଗୋ ଜାଣିଲେ କୋପ ମୋତେ କରିବେ ବଳରାମ ସ୍ୱାମୀ ।୪୯୧ ।
ଅନେକ କଷ୍ଠୋରେ ଯହୁଂ ବୋଇଲେ ଦୃଢ ବାଣୀ
ଶୁଣି ରାଗେ ପ୍ରତିଉତ୍ତର ଦିଲେ ନନ୍ଦର ନନ୍ଦିନୀ ।୪୯୨ ।
ଆହୋ ଅର୍ଜୁନ ତୁ ଆମ୍ଭନ୍ତ କଲୁ ଝିଂଘାସ
ପୁରୁଷଂକ ମଧ୍ୟେ ତୁ ଅଟୁ କୁପୁରୁଷ ।୪୯୩ ।
ଧିକ ଧିକ ଜୀବନ ତୋର ହୋଉ ଫାଲଗୁନି
ଧିକ ହୋଉ ତୋହୋର କିନା ପିଅର ଜନନୀ ।୪୯୪ ।
ଯେବଣ ମହାତମା ତୋହୋର ବୀଜଦାତା
କୁପୁରୁଷ ପଣେ ତୋହୋର ସ୍ରିଜିଲା ବିଧାତା ।୪୯୫ ।
କ୍ଷତ୍ରୀପଣ ବୋଲାଉ ୟେ ତୋର ସବୁ ମିଛ
କିମ୍ପେ ଆନ ନାମେ ତୋତେ ଦିଲେକ ବିବଚ୍ଛ ।୪୯୬ ।
ବଳଦର୍ପ ମାନ ତୋର ସମସ୍ତ ଧିକ ଯାଉ
ୟେ ତୋହୋର ମାୟେଂସ ପାଥ ଗ୍ରିଧିନୀ ପଛୀ ଖାଉ ।୪୯୭ ।
ଜପାସୁର ମୁଖେ ତୁ ପଡ଼ିଲୁ ଯେତେବେଳେ
ମୋହୋର କଷ୍ଟ ଯାଇଥାନ୍ତା ତୁ ମରିଥିଲେ ସେ କାଳେ ।୪୯୮ ।
ମୋତେ ଧଂସିବାକୁ ବହିଲୁ ନିଜ କାୟେ
ବାବୁ ଦୁଖୀର ସଂଘାତ ମୋତେ ଉଦ୍ଧର ଧନୁର୍ଜୟେ ।୪୯୯ ।
ଅନେକ ଭ୍ରଚ୍ଛନା ମୁଂ ଯେ ବୋଇଲି ତୋତେ ଆଜ
ରାଗେଣ ସ୍ୱାମୀ ଆସି ତୋତେ କରୁ କିନା ଗ୍ରାହିଜ ।୫୦୦ ।
ଯୁଝେଷ୍ଠିଂକ ଶପଥ ତୋତେ କୋଇନ୍ତାନ୍ତ ଦ୍ରୋହ କରୁ
ଜଗନ୍ନାଥଂକର ଆନ ତୋତେ ଯେବେ କବାଟ ନ ଫେଡୁ ।୫୦୧ ।
ଶୁଣି ହସି ଉଠିଲା ଯେ ପାଣ୍ଡବ ଧନୁର୍ଜୟେ
ସାଧୁଂକୁ ଭେଟିଲା ଆସି ତସ୍କର ଗୋଟାୟେ ।୫୦୨ ।
ଆନ ପାଡ଼ି ତାହାର ଘେନିଲା ଜାତି ବୃତ୍ତି
ସେ କଥା ସୋହୋଦ୍ରା ଗୋ ହୋଇଲା ତୋର କତି ।୫୦୩ ।
ବିରହିତା ସ୍ତିରୀ ଆବର ପୁରୁଷ ଯେ ବାଇ
ରାଗୀ ବ୍ରାହ୍ମଣ ଆବର ଧୁନ୍ଦର ଯୋଗୀ ହୋଇ ।୫୦୪ ।
ଅମୁକତି ତୀର୍ଥ ଅସଦ ବାଟି ମଇତ୍ର
ଅମାର୍ଗ ପଥ ଅଭାବ ଜନ ସଂଘାତ ।୫୦୫ ।
ଅନୀତି ସ୍ତାନ ଓହୋକୁଳ ମଧ୍ୟପାତ୍ର ନିର୍ଭୟ କୁଳବଧୂ
ଅତି କଠୋର ଯେ ହୋଅଇ ଅସାଧୁ ।୫୦୬ ।
ଅନାଚାରୀ ବ୍ରାହ୍ମଣ ଯେ ଅଶ୍ରୁତି ଦଇବତ
ଅସାଧନ ଗୁରୁ ଯେ ଅଗ୍ୟାନୀ ପଣ୍ଡିତ ।୫୦୭ ।
ଅଭାଗ୍ୟ ପଣେ ଥିବ ଅଯୋଗ୍ୟ ଘରଣୀ
ଅହର୍ନିଶି କୋପ କରୁଥାଇ ଦୋଚାରୁଣୀ ।୫୦୮ ।
ଅକୁଳା ଅଭାବି ଯେ ଅଠାବ ଥାନ ବାସୀ
ୟେତେ ଲୋକ ସୋହୋଦ୍ରା ଗୋ ଧର୍ମକୁ ନୁଆସି ।୫୦୯ ।
ତୁ ଯେବେ କଟାଳ ମୋତେ କଲୁ ନନ୍ଦର ଦୁଲାଳୀ
ଆର ବେଳେ ନ କଲୁ ମୋତେ ଦ୍ୱାରିକାକୁ ଆସିବା ଭଳି ।୫୧୦ ।
ଅଳପ କଥାରେ ଉପୁଜଇ ବହୁତ ଲାଜ
ଅପଣ୍ଡିତ ଲୋକେ ସିନା ଚଉର୍ଯ ପଣେ କାର୍ଯ୍ୟ ।୫୧୧ ।
ନୋହୋଇ ନୋହୋଇ ମା ଗୋ ୟେମନ୍ତ ଯେ ଧର୍ମ
କୋଟିୟେ ସିଘଂ ପ୍ରାକ୍ରମ ତୋହୋର ଭାଇ ବଳରାମ ।୫୧୨ ।
ତ୍ରଇଲୋକେ କମ୍ପଇ ଆଗୋ ଯାହାର ସାଂଗ୍ରାମେ
ଦକ୍ଷିଣେ ସଉନନ୍ଦ ମୂଷଳ ବଜ୍ରହଳ ବାମେ ।୫୧୩ ।
ପୃଥିବୀ ହେଳ ଘେନଇ କାଦମ୍ୱରୀ ରସ ଭୋଳେ
କପିଳାସ ଉପାଡ଼ିଲା ବାଳୁତ ରସ ଖେଡ଼େ ।୫୧୪ ।
ତାହାର ଭଗ୍ନିକି ହରିବାକୁ କେବଣ ସାହସ
ଦେଖୁଂ ଦେଖୁଂ ମହା ଅନଳେ କେମନ୍ତେ ଦେବି ଝାସ ।୫୧୫ ।
ଚଳ ଚଳ ଗୋସାମଣୀ ଗୋ ଛାଡ଼ିଣ ମୋର ଆଶ
ମୂରୁଛି ମେଲ ପଞ୍ଚୁ ଆତ୍ମା ଗୋ ମୋହୋର ହୁଅ ତୁ ନିରାଶ ।୫୧୬ ।
ଅନେକ ଦୁଖ ତୁ ଗୋ ପାଇଲୁଣି ମାହେଶ୍ୱରୀ
ଶୁକପଛୀ ପ୍ରାୟେ ମା ଗୋ ଆଶା ହୋଇଲା ତୋହୋରି ।୫୧୭ ।
ଶିମୂଳି କୁସୁମର ସୁରଙ୍ଗ ରସ ଦେଖି
ତହିଂ ଆଶେ ନିରାଶ ଗୋ ହୋଇଲା ଶୁକପଛୀ ।୫୧୮ ।
ବଡ ସୁନ୍ଦର ଦିଶଇ ବୃନ୍ଦାରକ ଫଳ
କାକ ତହିଂକି ଆଶା କରି ହୋଇଲା ନିଷ୍ଫଳ ।୫୧୯ ।
ସୁନ୍ଦର ସୁସଞ୍ଚ ଦେଖି ତୁ ବଳାଇଲୁ ଆଶା
କାଳେ ନ ପୂରିଲା ମା ଗୋ ତୋହୋର ମନୀଷା ।୫୨୦ ।
ନ ଜାଣି ହୁଡ଼ି ଯେ ପଡ଼ିଲୁ ଗୋ ମହାତ୍ମାଣୀ
ମୋହୋର ଦଇନୀ ଘେନି ବାହୁଡ଼ ବଳରାମଂକ ଭୟେଣୀ ।୫୨୧ ।
ସୋହୋଦ୍ରା ବୋଇଲେ ଯେ ଅର୍ଜୁନ ବଚନ ଶୁଣି
ବଧିର ଶୁଣଇ କି କମ୍ୱୁ ଶବଦ ବାଣୀ ।୫୨୨ ।
ସୋହୋଦ୍ରାଂକର ତହୁଂ ୟେସନେକ ବାକ୍ୟ ଶୁଣି
ପୁଣି ପ୍ରତିଉତ୍ତର ଦିଅଇ ଫାଲଗୁନି ।୫୨୩ ।
ତୁ ଯେ ନ ଶୁଣିଲୁ ଯେ ଧର୍ମ ଅର୍ଥ ବୋଲ
ସୁବାଣୀ ବୋଲ ଶୁଣି ହୋଇଲୁ ଯେବେ କାଲ ।୫୨୪ ।
ନ ରହନି ୟେଥୁଂ ବେଗେ ଯାଅ ଯା ବାହୁଡ଼ି
ସମାସ୍ୟା ନ ଦେଇ ପାଥ ଶୁତିଲା ବଦନ ମାଡି ।୫୨୫ ।
ଅନେକ ବିନୋୟୀ ହୋଇ ବୋଇଲେ ବେନି ଯେ କାମେନୀ
ତିସିରା ପହର ଯହୁଂ ହୋଇଲା ରୟେଣୀ ।୫୨୬ ।
ସମସ୍ୟା ନ ପାଇଣ ସେ ହୋଇଲେ ନିରାଶ
ବାହୁଡ଼ିଲେ ସତ୍ୟଭାମା ନିଜ ପୁର ବାସ ।୫୨୭ ।
ଭୋ କର୍ମ ପୁରୁଷ ଅନେକ ବିନୋୟୀ ବୋଲି
କାମ ଅସାଷ୍ଟମେ ସୋହୋଦ୍ରା ନୁଆରଇ ଚାଲି ।୫୨୮ ।
ସତ୍ୟଭାମା ବୋଇଲେ ତୁ ନ ଭାଳ ସଂଘାତ
ଅର୍ଜୁନକୁ ଅବଶ୍ୟ ଯେ ବୋଲିବେ ଜଗନ୍ନାଥ ।୫୨୯ ।
ନିଷ୍ଫଳ ହୋଇବ କି ଗୋ ପ୍ରଶୁରାମର ଧାଡ଼ି
ପୁରୁଷ ଆରତ ଛାଡ଼ି ଯେ ଆମ୍ଭେ ତାଙ୍କୁ ଲୋଡ଼ି ।୫୩୦ ।
ସୋହୋଦ୍ରା ଚଳିଲେ ଯେ ମେଢ ଭିତରକୁ
ସତ୍ୟଭାମା ଚଳିଗଲେ ଜଗନ୍ନାଥଂକ ସନ୍ନିଧକୁ ।୫୩୧ ।
ଜଗନ୍ନାଥଂକ ସନ୍ନିଧେ ଦେବୀ ଯାଇ ବିଜେ
କୁଶଳ ବାରତା ପଚାରନ୍ତି ଦେବରାଜେ ।୫୩୨ ।
ସତ୍ୟଭାମା ବୋଇଲେ ଦେବ କାର୍ଯ୍ୟ ନ ହୋଇଲା କିଛି
ଶୁଣି ତହୁଂ ଥମ୍ୱୀଭୂତ ହୋଇଲେ ଶିରୀବଚ୍ଛି ।୫୩୩ ।
ସତ୍ୟଭାମାଂକୁ ବୋଇଲେ ଦେବ ହୃଷିକେଶୀ
ଆମ୍ଭର ବୁଦ୍ଧି ଘେନି ଉପାୟେ କରସି ।୫୩୪ ।
ରାତ୍ର ପ୍ରଭାତେ ତୁମ୍ଭେ ସୋହୋଦ୍ରାକଇ ଘେନି
ପଦ୍ମନ ଭୁବନକୁ ଚଳିଯାଅ ବେନି ଯେ କାମେନୀ ।୫୩୫ ।
ମାୟାବତୀ ଆଗୋ ତୁମ୍ଭେ କହ ୟେହୁ କଥା
ସେ କାମାକ୍ଷୀ କିଛୁ ଜାଣଇଟି ପୁରୁଷ ମୋହନ ବାରତା ।୫୩୬ ।
ମାୟାବତୀ ଭୁବନକୁ ତୁମ୍ଭେ ଚଳ ୟେହିକ୍ଷଣି
ତେଣେଟି ସୋହୋଦ୍ରାକୁ ଅଛଇ କାରେଣୀ ।୫୩୭ ।
ଅନେକ ବୁଦ୍ଧି ତିଆରିଣ କଲେ ଜଗନ୍ନାଥ ସ୍ୱାମୀ
ସୋହୋଦ୍ରା ମନ୍ଦିରେ ବିଜୟେ ପ୍ରତିଗାମୀ ।୫୩୮ ।
ଯାହା ସେ ତିଆରି କହିଲେ ଜଗନ୍ନାଥ
ସୋହୋଦ୍ରାର ଆଗେ ଦେବୀ କହିଲେ ସମସ୍ତ ।୫୩୯ ।
ଅନେକ ହରଷ ହୋଇଲେ ନନ୍ଦର ଦୁଲଣୀ
ମାୟାବତୀ ପୁରକଇ ଗବନ କଲେ ବେନି ।୫୪୦ ।
ଅନେକ ଅଳଂକାର ଘେନି ଝୀନ ଯେ ବସନ
ମାୟାବତୀ ପୁରେ ସେ ବିଜୟେ କଲେକ ବହନ ।୫୪୧ ।
ପଲଂକ ଉପରେ ବିଜେ କରିଥିଲେ ମାୟାବତୀ ମାହେଶ୍ୱରୀ
ଧାତିକାରେ ଆସନ ତେଜି ଅବତାରି ।୫୪୨ ।
ଶ୍ରୀକରେ ରତ୍ନଝରୀ ଘେନି ରତିବାଳୀ
ଗୁରୁପତ୍ନୀ ଦେବୀଂକର ଚରଣ ପଖାଳି ।୫୪୩ ।
ପାଦାର୍ଘ୍ୟ ଦେଇ କନକ ସିଂଘାସନେ ବସାଇ
ପ୍ରଳମ୍ୱ ହୋଇଣ ଯେ ଶୁତିଲେ ଦଣ୍ଡ ଲାଇ ।୫୪୪ ।
ଆଶିଷ ଶୁଭ ବାଞ୍ଛା କରନ୍ତି ସୋହୋଦ୍ରା ଶକ୍ରାବତୀ
ଅହିଓ ସୁଲକ୍ଷଣୀ ତୁମ୍ଭେ ହୋଅ ଗୋ ପୁତ୍ରବନ୍ତୀ ।୫୪୫ ।
ଯେ ତୁମ୍ଭର ମନୋବାଞ୍ଛା ପ୍ରାପତ ହୋଉ ମାୟେ
ବେନି ଭୁଜ ଭିଡ଼ି ଦେବୀ ଆଲିଂଗନ କୟେ ।୫୪୬ ।
ୟେହା ଦେଖି ମାୟାବତୀ ବୋଇଲେ ବଚନ
କି ନିମନ୍ତେ ବିଜେକଲେ ମୋହୋର ଭୁବନ ।୫୪୭ ।
ସତ୍ୟଭାମା ବୋଇଲେ ଶୁଣସି ଗୋ ମାତ
ତୁମ୍ଭର ପୁରକୁ ଗୋ ପେଷିଲେ ଜଗନ୍ନାଥ ।୫୪୮ ।
ମା ଗୋ ସୋମ ବଂଶରେ ଜାତ ପାର୍ଥିବ ଫାଲଗୁନି
ମା ଗୋ ୟେକ ଶରୀର ଅଟନ୍ତି ହରି ଅର୍ଜୁନ ବେନି ।୫୪୯ ।
ଅର୍ଜୁନ ଦ୍ୱାରିକାକୁ ଯେମନ୍ତ ଉପୁଗାରୀ
ତୁହି ତ ଆପଣେ ଜାଣୁ ତାହା ମାହେଶ୍ୱରୀ ।୫୫୦ ।
ଗୋସିଂହ ଦତ୍ୟ ମାରି ସାତବଂଶ ରଖିଅଛି
ସେ ପାଥ ଆମ୍ଭ ଭୁବନକୁ ଆସିଅଛି ।୫୫୧ ।
ମା ଗୋ ସୋମବଂଶ ଠାକୁର ସେ ମଧ୍ୟେ ଭୁବନକୁ
ଆଉର ବଂଶମାନେ ପରିଚର୍ଯ୍ୟା କରନ୍ତି ତାହାକୁ ।୫୫୨ ।
ଗୋବିନ୍ଦେ ବିଚାରିଲେ ସୋହୋଦ୍ରା ଅର୍ଜୁନକଇ ଦେବାକୁ
ୟେ କଥା ନ ଯୋଗାଇଲା ବଡଠାକୁରଂକ ବିଚାରକୁ ।୫୫୩ ।
ସୋମବଂଶେ ଉତପତ୍ତି ହୋଇଲେ ସନ୍ତତି
ସେହି ସେ ଧାରଣା ଯେ ହୋଇବ ୟେ ପୃଥୀ ।୫୫୪ ।
ୟେଡ଼େ ବିଚାରି ମୋତେ ହକାରିଲେ ଶ୍ରୀହରି
ବୋଇଲେ ପାରୁକି ସୋହୋଦ୍ରା ଅର୍ଜୁନ ୟେକ ଯୋଗ କରି ।୫୫୫ ।
ଅର୍ଜୁନ ସୋହୋଦ୍ରା ବଢୁ ଯେ ପୀରତି
ବଳରାମକଂର କୋପ ପଛେ କରାଇବା ଶାନ୍ତି ।୫୫୬ ।
ଜଗନ୍ନାଥଂକ ଆଗ୍ୟାଂୟେ ସୋହୋଦ୍ରାଂକୁ ଘେନିଗଲୁ
ବେନି ରାତ୍ର ପରିଯନ୍ତେ ବହୁତ ଖଟିଣ ମଣାଇଲୁ ।୫୫୭ ।
କପାଟ ପାଡ଼ିଣ ସେ ନିଚିନ୍ତେ କିଳିଣୀ
ଶୋଇଥାଇ ନ ଶୁଣଇ ସେ ବଧୀର ଜନ ଜାଣି ।୫୫୮ ।
ମା ଗୋ ଯେତେକ ମଣାଇଂ ଆମ୍ଭେ କହିଲୁ ତାକୁ ବିନୟ ବାଣୀ
ପାଷାଣ ଝଡ଼ଇ ଗୋ ଆମ୍ଭର ବାକ୍ୟ ଶୁଣି ।୫୫୯ ।
ନିରାଶ ହୋଇଣ ବାହୁଡ଼ି ଅଇଲୁ ବେନି ରାତି
ତୋହୋର ତହିଂକି ମୋତେ ପେଷିଲେ ଶ୍ରୀପତି ।୫୬୦ ।
ମା ଗୋ ସୋହୋଦ୍ରାକୁ ଯେସନେକ ଭଜଇ ଧନୁର୍ଜୟେ
ପଦମନ୍ତ୍ର ଭିଆଣ ଗୋ କରସି ଉପାୟେ ।୫୬୧ ।
ସତ୍ୟଭାମାଂକ ବଚନେ ଯେ ସୋହୋଦ୍ରା ବେଗେ ଉଠି
ମାୟାବତୀଂକର ହାଥ ଧଇଲେ ବେନି ଗୋଟି ।୫୬୨ ।
ବସ ଗୋ ମାତ ବୋଲି ବୋଲନ୍ତି ମାୟାବତୀ
କରିବି କାର୍ଯ୍ୟ ତୋତେ ଅର୍ଜୁନ ହୋଇବ ପ୍ରାପତି ।୫୬୩ ।
ମା ଗୋ କପାଟ କିଳି ଯେବେ ଶୋଇଥାୟେ ଧନୁର୍ଜୟେ
ତହିଂକି ଅଛି ମୋର ପଦମନ୍ତ୍ର ଯେ ଗୋଟିୟେ ।୫୬୪ ।
ପାଟଣ ନାମେ ଯେ କହିଲ ମନ୍ତ୍ର ଗୋଟି
ୟେ ମନ୍ତ୍ର ପଢି ଛୁଇଂଲେ ସାତ କପାଟ ଯିବ ଫିଟି ।୫୬୫ ।
ଉଲୁକ ବିଦ୍ୟା ମା ଗୋ ସାଧ୍ୟ କରାଇବି ତୋତେ
ୟେହା ପଢି ଅର୍ଜୁନ ତହିଂକି ତୁ ଯିବୁ ନିଶାରାତ୍ରେ ।୫୬୬ ।
ସୁ ସବୁନ୍ତି ଦେଖିବୁ ତୋତେ ନ ଦେଖିବେ କେହି
ୟେ ବିଦ୍ୟା ପ୍ରସନ୍ନେ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇ ।୫୬୭ ।
ଆରେକ ମନ୍ତ୍ର ଦେବି ପାଦୁକା ମଉଷଧି
ସହସ୍ର ଯୋଜନେ ଥିଲେ ଭେଟିବ ୟେକ ପାଦି ।୫୬୮ ।
ୟେ ଅଞ୍ଜନ ବିଦ୍ୟା ତୋତେ ଗୋ ଦେଉଅଛି ମାୟେ
ରାତ୍ରେ ଚାହିଂଲେ ଦିଶିବ ତୋତେ ସହସ୍ର ଯୋଜନ ଯାୟେ ।୫୬୯ ।
ପାତାଳ ଭୁବନେ ସେ ପଶିଥିବ ଯଦ୍ୟପି
ୟେ ଅଞ୍ଜନ ଘେନି ଚାହିଂଲେ ଦିଶିବ ଅଦ୍ୟାପି ।୫୭୦ ।
ପୁରୁଷ ବଶ୍ୟ ଯେଣେ ହୋଇବ ଗୋ ମାତ
ୟୋ ମୋହନ ମଉଷଧି ତୋତେ କରୁଛି ପ୍ରାପତ ।୫୭୧ ।
ଶରୀରେ ପକାଅ ତାର ସାଧନ ମନ୍ତ୍ର ଗୁଣ୍ଡି
ଛାଡ଼ିବ ନିରାପକ୍ଷ ହୋଇବ ୟେଣେ ଭଣ୍ଡି ।୫୭୨ ।
ଯଦ୍ୟପି ତପୋଧନ ହୋଇଥିବ ଗଉରୋବୀ
ଛାଡ଼ିବ ବନ୍ଧନ ସେ ହୋଇବ ପରାଭବୀ ।୫୭୩ ।
ୟେ ବିଦ୍ୟାୟେ ତୋତେ ବଶ୍ୟ ହୋଇବ ଫାଲଗୁନି
ତୋ ତହୁଂ ବେତ୍ରକେ କେହି ନୋହିବେ ପ୍ରିୟଭାବିନୀ ।୫୭୪ ।
ଶୁଣ ଗୋ ସାବଧାନେ ରତିଶାସ୍ର ବିଦ୍ୟା
କାମ ଶାସ୍ରେ ଯେଣେ ହୋଇବ ସଂସିଦ୍ଧା ।୫୭୫ ।
ଚନ୍ଦ୍ର ପବନ ଗୋ ଚଲଇ ଯେତେବେଳେ
କାମ ଘଟଣ ଶାହାସ୍ର ଭଜିବୁ ତେତେବେଳେ ।୫୭୬ ।
ସାଧନ ମନ୍ତ୍ର ବିଦ୍ୟା ଯେ କହିଲା ମାୟାବତୀ
ପୁରୁଷ ମାତ୍ରକେ କେ ଧରିବ ଜୀବତି ।୫୭୭ ।
ଦିବ୍ୟ ମଉଷଧି ରସାୟନ ଧାତୁବାଦ ବିଦ୍ୟା
ଥମ୍ୱନ ମୋହନ ଗୁଟିକ ଅଞ୍ଜନ ମନ୍ତ୍ର ସିଦ୍ଧା ।୫୭୮ ।
ସାଧନ ବୋଧନ ଯେ ବଶ ଉଚ୍ଚାଟଣ
ୟେଣେ ମହାଦେବୀ ତୋତେ ହୋଇବ କାରଣ ।୫୭୯ ।
ସକଳ ବିଦ୍ୟାରେ ସେ ନିର୍ଜିତା ତେସନ ନାରୀ
ୟେଣେ ବଶ୍ୟ ତୋତେ ହୋଇବ ଗାଣ୍ଡିମ ଧାରୀ ।୫୮୦ ।
କହିଲା ମାୟାବତୀ ଯେ ସକଳ କାର୍ଯ୍ୟ ସିଦ୍ଧି
ଅନାଦି ଅପର୍ଣ୍ଣା ସେ ତ୍ରଇଲୋକେ ପ୍ରସିଦ୍ଧି ।୫୮୧ ।
ସଂସାର ସୁନ୍ଦରୀ ସେ ମୋହିଲା କାମଦେବ
ଅନ୍ୟ ପୁରୁଷ କେ ତା ତହୁଂ ଉବୁରିବ ।୫୮୨ ।
ଆପଣେ ସାଧଇ ସେ ନାରୀ ଶିରୋମଣୀ
ନ ସାଧି ଗ୍ୟାନବନ୍ତୀ ସେ ଭବାନୀ ମହାତ୍ମାଣୀ ।୫୮୩ ।
ସେ ସମସ୍ତ ବିଦ୍ୟା ଯେ କହିଲା ସୋହୋଦ୍ରାଂକୁ
ମା ଗୋ ଆହୁରି କଥାୟେ ମୁହିଂ କହିବି ତୁମ୍ଭଂକୁ ।୫୮୪ ।
ମା ଗୋ ତୋହୋର ଅର୍ଜୁନରେ ଯେତେବେଳେ ହୋଇବ ପୀରତି
ଅବଶ୍ୟ ଜାଣନ୍ତାଟି ହୋଅଇ ସେ ୟେଥି ।୫୮୫ ।
ମା ଗୋ ଦୃଭାର ମତ୍ତଭୋଳ ଅଟନ୍ତି ବଳରାମ
ଯାଦବ ବଳ ଘେନିଣ ସେ କରିବେ ସାଂଗ୍ରାମ ।୫୮୬ ।
ମା ଗୋ ଯେବଣ କାଳେ ଦହନ ହୋଇଲେ ଅନଙ୍ଗ
ସକଳ ଶାସ୍ରବିଦ୍ୟା କହିଲେ ମୋ ଆଗ ।୫୮୭ ।
ସକଳ ଶାହାସ୍ର ଥୋଇଲେ ମୋର ହାଥେ
ସେ ଶାହାସ୍ରମାନନ୍ତ ମୁଂ ଥୋଇଲି ଗର୍ଭଗତେ ।୫୮୮ ।
ସେ ଅନାଦି ଶାହାସ୍ରମାନନ୍ତ ଗର୍ଭଉଂ ଉଦୁଗାରି
ସୋହୋଦ୍ରା ପ୍ରସନ୍ନେ ସେ ଦିଲେକ ମାହେଶ୍ୱରୀ ।୫୮୯ ।
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ସୂର୍ଯ୍ୟେ
ବଳରାମ ଆଦି କରି ହାରିବେଟି ଅର୍ଜୁନକ ତେଜେ ।୫୯୦ ।
ତୁ ଯେ ମହତ ଗୋ ଅର୍ଜୁନ ତୋତେ ଭେଟି
ପାଇବଟି କାରଣ ପାଣ୍ଡବ କିରୀଟୀ ।୫୯୧ ।
ମା ଗୋ କାମଦେବର ବିବାନ ଅଛଇ ମୋର ତହିଂ
ୟେ ବିବାନ ବେଗେଂ ତୁ ଗୋ ଯାଅ ଯା ଆରୋହୀ ।୫୯୨ ।
ସାଂଗ୍ରାମ କାଳେ ୟେଥେଂ ବିଜେ କରୁ ଧନୁର୍ଜୟେ
ତ୍ରଇଲୋକ୍ୟ ମଧ୍ୟେ ସାଂଗ୍ରାମେ ହୋଇବଟି ନିର୍ଭୟେ ।୫୯୩।
ୟେବେ ଗୋ ମାତା ୟେଥୁଂ ବିଜେ କରି ଯିବା
ମୋତେ ସର୍ବଦା ଅନୁଗ୍ରହ କରିଥିବା ।୫୯୪।
ମାୟାବତୀର ମାୟାମନ୍ତ୍ର ପାଇଣ ତୋଷ ମନେ
ସୋହୋଦ୍ରା ସତ୍ୟଭାମାୟେ ବିଜୟେ ନିଜ ଭୁବନେ ।୫୯୫।
ଯାତ୍ରା କ୍ରୀଡ଼ାରଙ୍ଗେ ବିଜୟେ ଦେବ ଦଇତାରି
ସମଦଣ୍ଡ ଘେନି ବିଜେ ରଇବ୍ରତ ଗିରି ।୫୯୬।
ନାରାୟଣ ପଦ୍ମପାଦେ ଅର୍ଜୁନ ପରିଣାମି
ହସ୍ତିନାପୁରକୁ ଯିବି ଆଗ୍ୟାଂ ମୋତେ ଦେବା ସ୍ୱାମୀ ।୫୯୭।
ଗୋବିନ୍ଦେ ବୋଇଲେ ହୋ ଯାତ୍ରା ଉଚ୍ଛବର କାଳେ
ଯତନେହେଂ ବନ୍ଧୁ ଜନନ୍ତ ଲୋଡ଼ି ଯାତ୍ରାର ଅନକୂଳେ ।୫୯୮।
ତୁ ମୋହୋର ସୋଦର ଅଟୁ ପ୍ରାଣର ସଖା
ମୋତେ ଛାଡ଼ି କେମନ୍ତେ ଯାଇ ଲୋଡ଼ୁ ତୁହି ୟେକା ।୫୯୯।
ଯେଉଂଣ କଥାକୁ ତୁ ମନେ କରୁଅଛୁ ଭ୍ରାନ୍ତି
ତହିଂକି ଆମେ ସପକ୍ଷ ତୋହୋର କିସ ଭୀତି ।୬୦୦।
ନାରାୟଣ ବଚନେ ଅର୍ଜୁନ ସଲଜିତ
ବେନି ଭୁଜେ ଶ୍ରୀହରି ଯେ କଲେ କୋଳାଗ୍ରତ ।୬୦୧।
ଆଗ୍ୟାଂ ପ୍ରମାଣେ ରହିଲା ବୀରବର ପାଥ
ଯାତ୍ରା ଉତ୍ସବ ବିଧାନେ ବିଜୟେ ଜଗନ୍ନାଥ ।୬୦୨।
ଉତ୍ସବ ବିଧାନ ସାରି ଦେବ ଦଇତାରି
ସମଦଣ୍ଡ ଘେନି ବିଜୟେ ଦ୍ୱାରିକା ନାମେ ପୁରୀ ।୬୦୩।
ସ୍ରାହାନ ଭୋଜନ ସାରିଲେ ପାଥ ହରି
କ୍ରୀଡ଼ାରସ ବିନୋଦେ ବିଜୟେ ଦେବ ହରି ।୬୦୪।
ସମଦଣ୍ଡମାନେ ଗଲେ ଯେ ଯାହା ଭୁବନେ
ରାତ୍ରେ ବିଜେ କଲେ ଯେ ଯାହାର ଶୟନ ସ୍ତାନେ ।୬୦୫।
ଦିବ୍ୟ ଭୁବନେ ବିଜୟେ କଲେ ସର୍ବସାଚୀ
ନିଚିନ୍ତେ ଶୟନ କଲେ ଦୁତୀୟ ଶ୍ରୀବତ୍ସି ।୬୦୬।
ଶକ୍ରାବତୀକି ରାଇ ବୋଇଲେ ନାରାୟଣ
ସୋହୋଦ୍ରାକୁ ଘେନି ଯାଅ ଅର୍ଜୁନ ଶୟନର ସ୍ତାନ ।୬୦୭।
ଯେଉଂଣ ଭୁବନେ ଶୋଇଅଛି ବୀର ପାଥ
ଚଉକତି ଆୟତନ ସୁବର୍ଣ୍ଣର କାନ୍ଥ ।୬୦୮।
ସଷ୍ଟିକର ଥମ୍ବ ଚନ୍ଦନ କାଠ ରୁଅ ଶେଣୀ
ତଥିର ଉପରେ ଅଛି ଅଷ୍ଟରତ୍ନର ଖଞ୍ଜଣୀ ।୬୦୯।
ନେତର ଚନ୍ଦ୍ରାତପ ମୁକୁତା ମାଳି ମାଳି
ମାଣିକ୍ୟ ଖଞ୍ଜିଲା ଅଛି ସହସ୍ରେକ ଦୀପାବଳୀ ।୬୧୦।
ଶ୍ରୀକରେ ଧନୁଧରି ବୀର ସର୍ବସାଚୀ
ପଲଂକ ଉପରେ ବସି ସେ ନାରାଜ ଆମଞ୍ଚି ।୬୧୧।
ସାତପୁର ଭିତରେ ସେ ଶୋଇଅଛି ବୀରମଣି
ସାତ କପାଟ କିଳିଅଛି ବଜ୍ର ଯେ କିଳିଣୀ ।୬୧୨।
ନିଚିନ୍ତେ ଯନ୍ତ୍ର ପାତି ଧାରଣାନ୍ତ ଚାପି
ଛତ୍ରୀବୃତ୍ତ ପଣେ ପାଥ ଶର ଗୁଣଇ ଅଦ୍ୟାପି ।୬୧୩।
ଆଗ୍ୟାଂ ପ୍ରମାଣରେ ଶ୍ରୀକୃଷ୍ଣଂକର ବାମା
ସୋହୋଦ୍ରାଂକୁ ଘେନି ଯେ ଚଳିଲେ ସତ୍ୟଭାମା ।୬୧୪।
ଅର୍ଜୁନ ଶୟନ ସ୍ତାନେଣ ତୁରିତେ ଯାଇଂ ପାଇଂ
ଆହୋ ଅର୍ଜୁନ ବୋଲି ଶକ୍ରାବତୀ ରାଇ ।୬୧୫।
ସନ୍ନିଧକୁ ଉଠିଆସ ତୁ ବୀର ଜମ୍ବୋଭେଦୀ
ୟେକାନ୍ତ କଥାୟେ ଅଛି ଜଗନ୍ନାଥଂକର ସମ୍ବାଦି ।୬୧୬।
ଡାକ ଦେଇଣ ଫୁଟିଲେ ସେ ଶକ୍ରାଜିତର କୁମାରୀ
ସମାସ୍ୟା ନ ଦିଅଇ ସେ ଗାଣ୍ଡିମ ଚାପଧାରୀ ।୬୧୭।
ମାୟାବତୀର ମନ୍ତ୍ର ପଢି ସେ ନନ୍ଦର ଦୁଲଣୀ
ଛୁଅନ୍ତେ ଫିଟିଲା ସାତ କପାଟ ନିବିଡ଼ ଯନ୍ତ୍ର ଯେ କିଳିଣୀ ।୬୧୮।
ଧନ୍ୟ ମହିମା ସେ ଧାତାର କୁମାରୀ
ପ୍ରତକ୍ଷେ ଫଳିଲା ଯାହା କହିଲା ନିରାଧାରୀ ।୬୧୯।
ମନ୍ତ୍ର ପଢି ୟେକ କପାଟ ଛୁଅନ୍ତେ ସାତ କପାଟ ଗଲା ଫିଟି
ଅର୍ଜୁନର ସନ୍ନିଧ୍ୟେ ସେ ଯେ ସୋହୋଦ୍ରା ଯାଇ ଭେଟି ।୬୨୦।
ଦେଖିଣ ଧନୁର୍ଜୟେ ବୁଦ୍ଧି ନ ଫୁରଇ
ସପ୍ତପୁର କପାଟ କେମନ୍ତେ ଫିଟଇ ।୬୨୧।
ହାଥରୁ ଧନୁ ପକାଇ ବୀର କୋପାନଳ
ଶୀଘ୍ରେ ବାମ କରେ ଧଇଲା ସେ ସୋହୋଦ୍ରାର ବାଳ ।୬୨୨।
ବିଜେକର୍ଣ୍ଣକଟାର ଧରିଣ ସେ ଦକ୍ଷିଣ ପାଣି
ବୋଇଲା ନାସା ଶ୍ରବଣ ତୋର ପକାଇବି ହାଣି ।୬୨୩।
ତୁ କିଲୋ ରାକ୍ଷାସୁଣୀ ପିସାଚୁଣୀ ଜାତି
ମୋହୋର ଶୟନ ସ୍ତାନେ ଆସି ପଶିଲୁ ନିଶା ରାତି ।୬୨୪।
ସୁମର ଲୋ ତାଂକେଣୀ ତୋହୋର ଦେବତା ଯେ ଇଷ୍ଟ
ସ୍ତ୍ରୀଲିଙ୍ଗ ନୋହିଲେ ଆଜ ହୋଅନ୍ତୁ ମୁଣ୍ଡ କାଟ ।୬୨୫।
ସୋହୋଦ୍ରା ସୁମରଇ ନନ୍ଦ ମହାଖୁଡ଼
ସୁମରଇ ଯଶୋଦା ଯେ ନିଜ ମାତା ତାହାର ।୬୨୬।
ଅର୍ଜୁନ ବୋଇଲେ ତୁ ପାମେରୀ ଦୁଷ୍ଟ ମନ୍ଦ
ତୁ କିମ୍ପେ ସୁମରିଲୁ ଯଶୋଦା ଦେବୀ ନନ୍ଦ ।୬୨୭।
ସୋହୋଦ୍ରା ବୋଇଲା ସେ ମୋର ପିତା ମାତ
ତେଣୁ କରି ମୁହିଂ ଯେ ସୁମରିଲି ତାହାନ୍ତ ।୬୨୮।
ଅର୍ଜୁନ ବୋଇଲେ ହୋ ତାଂକ ଜୀବନହିଂ ଧିକ
ଗୋପାଳ ଜନ୍ମ ସେ ଯେ ଅଟନ୍ତି ଅବିବେକ ।୬୨୯।
ସୋହୋଦ୍ରା ସୁମରଇ ଯେ ଦେବ ବଳରାମ
ସୁମରଇ ଆତଂକେ ସେ ଦେବ ପୁରୁଷୋତ୍ତମ ।୬୩୦।
ଅର୍ଜୁନ ବୋଇଲେ ତୁ କିମ୍ପେ ସୁମରିଲୁ ଯଦୁସାଇଂ
ସୋହୋଦ୍ରା ବୋଇଲେ ସେ ଅଟନ୍ତି ମୋର ସୋହୋଦ୍ର ଭାଇ ।୬୩୧।
ଅର୍ଜୁନ ବୋଇଲେ ବଂଶକୁ ଦୋହିତାୟେ ଉପୁଜିଲେ
କୁଳେ କଳଂକ ଲଗାଇ ଯେ ମନ୍ଦବାଟି ହେଲେ ।୬୩୨।
ରାମକୃଷ୍ଣଂକର ଜୀବନ ଧିକ ହୋଉ
ତୋହୋରେ କରି ତେତେ ସ୍ୱାମୀ ଧିକ ଯାଉ ।୬୩୩।
ସୋମବଂଶେ ଆମ୍ଭେ ଉପିଜିଲୁ ପଞ୍ଚୁଭ୍ରାତ
କିଞ୍ଚିତ ଅଭିମାନ ଆମ୍ଭେ ନ ସହୁ ଜଗତ ।୬୩୪।
ଧର୍ମ ଅଲଂଘିତେ ଯେ ସତ୍ୟଇଂ ନ ଲଘୁଂ
ପାଷାଣରେଖା ଜାଣି ବାଚା ଆମ୍ଭର ପ୍ରଭୁ ।୬୩୫।
ଯୁଝେଷ୍ଠି ଦ୍ରୋପଦୀଂକର ଯେ ଶୃଙ୍ଗାର ଦେଖିଲି
ସୁଖ ଭୋଗ ତେଜ୍ୟା କରି ଦ୍ୱାଦଶ ବରଷ ବନବାସ କଲି ।୬୩୬।
ପ୍ରଥମ ପ୍ରାଗ ତୀର୍ଥେ କଲି ମୁଂ ସ୍ରାହାନ
ତଥାପି ନ ଛାଡ଼ିଲା ମୋତ ଭ୍ରାନ୍ତି ମନ ।୬୩୭।
ଗୟା ତୀର୍ଥେ ପୁଣି ଗଲି ସେ ସ୍ରୋହାନେ
ପିତୃକାର୍ଯ୍ୟ କରି ବଂଶକୁ କାରେଣୀ କଲି
ଗଦାଧର ଦରଶନେ ।୬୩୮।
ବିଶ୍ୱନାଥଂକୁ ଦ୍ରଶନ କଲି ମଣିକର୍ଣ୍ଣିକା ଘାଟେ
ପରଦାରା ହରଣ ଦୋଷ ଲେଛିବାର ସଂକଳ୍ପ
କଲାଇଂ ନିକଟେ ।୬୩୯।
ନ ହରିବି ପର ସ୍ତିରୀ ନ କରିବି ପର ଧନେ ଇଚ୍ଛା
ପର ହିଂସା ଅପବାଦ ନ ସହିବି ୟେସନେକ ମନୀଷା ।୬୪୦।
ବିଶ୍ୱନାଥଂକୁ ତୋଷି ମୁହିଂ ମାଗିଲି ୟେହାନ୍ତ
ସୁପୁତ୍ରପଣେ ଦେବ ଲେଖିଥିବୁ ନା ଆମ୍ଭନ୍ତ ।୬୪୧।
ଦ୍ୱାଦଶ ବରଷେ ଯେ ମକର ସ୍ରାହାନେ
ପ୍ରାଗବେଣୀ ପଛିମେ ଶ୍ରୀ ମାଧବ ଦ୍ରଶନେ ।୬୪୨।
ତହି ବାଞ୍ଛା କଲି ହୋଇବି ଅଣକ୍ରୋଧିୀ
ପରଦାରା ଦୋଷେ ମୋହୋର ଚିତ୍ତ ନୋହୁ ବନ୍ଦୀ ।୬୪୩।
ନର୍ମଦା କାଶୀ ତୀର୍ଥ କଉଶିକ ଭାରୀରଥୀ
ବଇତ୍ରଣୀ କୃଷ୍ଣବେଣୀ କେଦାର ସରସ୍ୱତୀ ।୬୪୪।
ୟେ ତୀର୍ଥମାନଂକରେ ପଶି ମୁଂ ଯେ କଲଇଂ ମନବାଞ୍ଛା
ପରଦାରା ଶୃଙ୍ଗାରେ ମୋତେ ନ କରାଅ ଇଚ୍ଛା ।୬୪୫।
ପରସ୍ତିରୀ ହରଣୁଂ ଯେ ନାହିଂ ଆନ ପାପ
କଉଶିକେ ସ୍ରାହାନ କରି ମାଧବେ କଲି ତପ ।୬୪୬।
ପାତାଳ ଗଙ୍ଗା ଯେ ଗୋପ୍ୟାନ କୃଷ୍ଣବେଣୀ
ସଂକଳ୍ପ କରି ପରଦାରା ଛାଡ଼ିଲି ରେ ତରୁଣୀ ।୬୪୭।
ରୁଦ୍ରବେଣୀ କନକବେଣୀ ଆବର ସୁବର୍ଣ୍ଣରେଖା କୁଶଭଦ୍ରା
ମାଇଲି ପଞ୍ଚୁ ଇନ୍ଦ୍ରି ଥାପିଲି ସର୍ବମୁଦ୍ରା ।୬୪୮।
ସୋହୋଦ୍ରାୟେ ବୋଇଲେ ମୁଂ ନୋହୋଇ ପରଦାରାୟେଣୀ
ତୋତେ ପ୍ରଦାନ ମୋତେ କରିବେ ଚକ୍ରପାଣି ।୬୪୯।
ମାୟାବତୀର ଅଞ୍ଜନ ଘେନି ଚାହିଂଲା ଅପାଙ୍ଗେ
ମୋହୋନା ଶର ଭେଦିଲା ଅର୍ଜୁନର ଅଙ୍ଗେ ।୬୫୦।
ମାୟାବତୀ ଦେଇଥିଲା ଯେବଣ ମନ୍ତ୍ର ଧୂଳି
ବାମ ପାଦ ତଳିପା ଧୂଳି ଅର୍ଜୁନ ଅଙ୍ଗେ ବୋଳି ।୬୫୧।
ସାଧନ ବିଦ୍ୟାରେ ବଶ ହୋଇଲା ଧନୁର୍ଜୟେ
ମଦନର ଆରତେଣ କମ୍ପଇ ତାର କାୟେ ।୬୫୨।
ଅର୍ଜୁନ ଯେ ଧରିଥିଲା ସୋହୋଦ୍ରାର ବାଳ
ଛାଡ଼ିଣ ଅର୍ଜୁନ ଯେ ସୋହୋଦ୍ରାକୁ କଲା କୋଳ ।୬୫୩।
ଦେଖ ହୋ ମହାରାଜା ମନ୍ତ୍ର ସାଧନାର ବିଦ୍ୟା
ବଢିଲା ପୀରତି ଯେ ଲାଗିଲା ଶରଧା ।୬୫୪।
ସୋହୋଦ୍ରାକୁ କୋଳେ ବସାଇ ବୀର ପାଥେ
ଅନେକ ଚାଟୁ ବଚନ ବୋଲେ ପରମାର୍ଥେ ।୬୫୫।
ମା ଗୋ ବୃଷ୍ଟିବଂଶେ ଜମନି ହୋଇଲୁ ମାନହୀନ
ସ୍ତିରୀ କୁଳେ ଜନମ ହୋଇ ତୁ କିମ୍ପା ୟେଡ଼େକ ଅଗ୍ୟାନ ।୬୮୬।
ମା ଗୋ ପ୍ରାଣୀଂକି କିଞ୍ଚିତ ସୁଖ ସିନା ଶୃଙ୍ଗାର ରସ କଳା
ପାପ ଆଚରି ପ୍ରାଣୀ ଅଳପେ ତହିଂ ମଲା ।୬୫୭।
ମା ଗୋ ରହିଲା ପାଣିରେ ଯେ ଭାଜିଗଲା ବନ୍ଧ
ଅଳପ ଆୟୁଷ ହୋଅଇ ତୁଟଇ ଯେ କନ୍ଧ ।୬୫୮।
ପ୍ରାଣୀଂକର ଶତେ ଅଷ୍ଟୋତ୍ତର ବୟସ ଆଯୁଷ
ୟେତେକ ନ ପୂରୁଂ ଯେ ପକାଇ ମହାରସ ।୬୫୯।
ମା ଗୋ କେତେହେଂ ଯତନେ ଯେ ଗଢିଲା କାୟା ଗୋଟି
ଅଚେତ ଅଗ୍ୟାନେ ଯେ ପଡ଼ଇ ମହୀ ଲୋଟି ।୬୬୦।
ତିରିଶି ବରଷ ଯେବେ ହୋଇବ ପୁରୁଷ
ତିରୀଂକି ହୋଇବ ଯେ ଛଡ଼ଦଶ ବରଷ ।୬୬୧।
ୟେସନେକ ଯୋଗ ସେ ଅନକୂଳ ଘଟି
ସ୍ତିରୀ ପୁରୁଷ ଦୁହେଂ ହୋଇବେ ଭେଟାଭେଟି ।୬୬୨।
ପ୍ରଥମେ ଶୃଙ୍ଗାର ଯେବେ କରିବ ଯୁବତୀ
ପୁଣି ବହିଯିବ ତିରିଶି ଦିବସ ତିରିଶି ରାତି ।୬୬୩।
ତିରିଶି ଦିବସେ ହୋଇବ ସ୍ତିରୀ ପାକାସୋତି
ଶୁଦ୍ଧକାୟା ହୋଇବ ପାଞ୍ଚ ଦିବସ ରାତି ।୬୬୪।
ସପତ ଦିବସ ହୋଇବ ଶୁଦ୍ଧ ଅଙ୍ଗ
ସ୍ତିରୀ ପୁରୁଷ ବେନି ହୋଇବେ ସତସଙ୍ଗ ।୬୬୫।
ଧାତା ସ୍ରିଜିଲା ଅଛଇ ଦ୍ୱାଦଶ ମାସକୁ
ଦ୍ୱାଦଶ ବେଳ ଶୃଙ୍ଗାର କଲା ସମ୍ବତ୍ସରକୁ ।୬୬୬।
ମା ଗୋ ୟେତେ ବାଗେ ଥିଲେ ଯେ ଅତୁଟ ହୋଇ କାୟେ
ନିରାକୁଳ ଶରୀର ହୋଇଥିବଟି ନିର୍ଭୟେ ।୬୬୭।
ସାଧିବ ଉଜାଣି ଯେ ଛନ୍ଦିବ ପଞ୍ଚୁ ଇନ୍ଦ୍ରି
ଚମ୍ପଳା ନିରିଝାସି ଶୋଷିବ ଧାତୁ ଛନ୍ଦି ।୬୬୮।
ୟେମନ୍ତ କରି ପାଳି ସେ ହୋଅଇ ନିର୍ମଳ
ଯେସନେକ ସିନ୍ଧୁ ଯେ ନ ଲଂଘଇ କୂଳ ।୬୬୯।
ପର ଦାରାୟେ ଅସତୀ ଗୋ ସ୍ୱଦରାୟେ ଯତି
ୟେତେ ବାଗେ ଥିଲେ ଶ୍ରୀ ଆୟୁଷ ବର୍ଧୁତି ।୬୭୦।
ମା ଗୋ ପରଦାରାୟେ ପିଣ୍ଡ କରି ଧାତା ସ୍ରିଜିଲାକ ମୋତେ
ଗ୍ୟାନ ଥାଉଂ ଥାଉଂ ମୁଂ ତା ଲଘିଂବି କେମନ୍ତେ ।୬୭୧।
ସୋହୋଦ୍ରାୟେ ବୋଇଲେ ତୁମ୍ଭେ କହିଲ ନ ଜାଣି
ଆହୋ ଅର୍ଜୁନ ମୁଂ ନୋହେ ପରଦାରାୟେଣୀ ।୬୭୨।
ତୋହୋର ଗୁଣମାନ ଯେ ବିଚାରିଲେ ଜଗନ୍ନାଥେ
ମୋତେ ପ୍ରଦାନ ସେ କରିବେ ଜାଣ ତୋତେ ।୬୭୩।
କେବଣ ସୁଲଭ ତୋତେ ହୋଇବ ଅକାରଣ
ଘୃତ ଭୋଜନ ପାଇଲେ କି ରୁଷଇ ବ୍ରାହ୍ମଣ ।୬୭୪।
ନିଧି ପାଇଲେ କି ଦରିଦ୍ର ଯାଇ ଘୁଂଚି
ପାଷାଣ ଶରୀର କି ତୋର ଅଟଇ ସର୍ବସାଚୀ ।୬୭୫।
ରକତ ମାୟେଂସ ବହି ଶରୀର ଯୁଗତେ
ୟେଥୁଂ ଉବୁରନ୍ତା କେହି ନାହିଂ କଦାଚିତେ ।୬୭୬।
ଯଦ୍ୟପି ପଞ୍ଚୁଇନ୍ଦ୍ରି ମାରିଥିବ ଯୋଗୀ
ମହାତମା ପୁରୁଷ ହୋଇଲେ ସେହୁ ହୋଇବ
କାମ ଭୋଗୀ ।୬୭୭।
ପୁଣି ମାୟାବତୀର ଅଞ୍ଜନ ଘେନି ଚାହିଂଲା ଅପାଙ୍ଗେ
ମଦନ ଶର ଭେଦିଲା ଯେ ଅର୍ଜୁନର ଅଙ୍ଗେ ।୬୭୮।
ଛାଡ଼ିଲା ନିଷ୍ଠାପର ଭାଜିଲା ତାର ଦମ୍ଭ
ସୋହୋଦ୍ରାଂକୁ ବେନି ଭୁଜେ ଭିଡ଼ି ମୁଖେ ଦିଲା ଚୁମ୍ବ ।୬୭୯।
ମାନିନୀ ସରୂପ ସେ ହୋଇଲା ମାନବତୀ
ସଭାବେ ସଲଜ୍ଜିତେ ସୋହୋଦ୍ରା ବସିଲା
ମଥା ପୋତି ।୬୮୦।
ପ୍ରେମର ନିଷ୍ଠା ଯେ ଅଟଇ ରୁଷଣ
ଛିଦ୍ର ପାଇ ଅର୍ଜୁନକୁ ଭେଦିଲା ମୟାଣ ।୬୮୧।
ସୋହୋଦ୍ରା ରୁଷନ୍ତେ ଅର୍ଜୁନ ମହାସ୍ରାଗୀ
ଆହୋ କାମଦେବ ତୁ ନାଶ କରୁ ପରମ ଯୋଗୀ ।୬୮୨।
ପରମ ନିଷ୍ଠା ଯେବେ ହୋଅଇ ପରମ ଯୋଗୀ
ରୁଷଣ ନିଷ୍ଠା ଯେବେ ଅଟଇ ବଇରାଗୀ ।୬୮୩।
ଭୋଜନ ନିଷ୍ଠା ଯେ କ୍ଷୁଧା ବେଳେ ମିଳଇ
ଶୃଙ୍ଗାର ନିଷ୍ଠା ଯେବେ ଚନ୍ଦ୍ରକଳା ଚାଳଇ ।୬୮୪।
ବଣିଜ ନିଷ୍ଠା ଯେବେ ବିକା ଯାଇ ତୁଲେ
କଉତୁକ ନିଷ୍ଠା ଯେବେ ହାଥ ଚାଳଇ ଭଲେ ।୬୮୫।
ନୃତ୍ୟର ନିଷ୍ଠା ଯେବେ ନାଚଇ ଗୁଣ୍ଡକେରୀ
କଳିର ନିଷ୍ଠା ଯେବେ ହୋଅନ୍ତି ମରାମରି ।୬୮୬।
କ୍ଷତ୍ରୀର ନିଷ୍ଠା ଯେବେ ଆଗଭର ଯୁଝଇ
କହିବାର ନିଷ୍ଠା ଯେବେ ଶୁଣିବାର ଲୋକ ବୁଝଇ ।୬୮୭।
ସୋହୋଦ୍ରା ବୋଇଲେ ତୁ ଛାଡ଼ଛାଡ଼ପାଥ
ଅପ୍ରତିଷ୍ଠା ନାରୀ ମୁଂ ତୁ ଛୁଇମୁଂ କେମନ୍ତେ ।୬୮୮।
ଆମ୍ଭେ ଗଉଡୁଣୀ ତୁହି ଅଟୁ ଭଲ ଜାତି
ନିର୍ଲଜୀ ଦୋଚାରୀ ପୁଣି ଅଟୁ ତ ଅସତୀ ।୬୮୯।
କେମନ୍ତେଣ ଛୁଉଂ ମୋତେ ଛାଡ଼ ଛାଡ଼ ବୀର
ନ ହରିବ ପରା ପରଧନ ପରଦାର ।୬୯୦।
ନିୟମ କରିଛ ତୁମ୍ଭେ ତୀର୍ଥ ତୀର୍ଥ ବୁଲି
ଜଗନ୍ନାଥଂକ ବାରତା କହିବି ମୁଂ ବୋଲି ।୬୯୧।
ଅଇଲି ତୁମ ପାଖକୁ ତୁମ୍ଭେ ବଳେ ଧର
ମୁହିଂ ତ ଅବଳା ତୁମ୍ଭେ ବଲବନ୍ତ ବୀର ।୬୯୨।
ରାମଂକୁ ଭୟେ ତୁମ୍ଭର ଥାୟେ ପରା ଚିତ୍ତେ
ତାର ଭଗିନୀକି ବଳେ ଧରୁଛ କେମନ୍ତେ ।୬୯୩।
ଜାଣିଲି ପାଣ୍ଡବ ତୁମ୍ଭେ ଅଟ ଜାରଜାତ
ତେଣୁ ବଳେ ଧରି ମୋତେ କରୁଛ ୟେମନ୍ତ ।୬୯୪।
ଛାଡ଼ ଛାଡ଼ ଗୁରୁପତ୍ନୀ ଅଟଇ ମୁଂ ତୁମ୍ଭର
ଦ୍ରିଯୋଧନ ଅଟନ୍ତି ତୁମ୍ଭ ଜ୍ୟେଷ୍ଠ ସହୋଦର ।୬୯୫।
ୟେପରି ଅନୀତି ତୁମ୍ଭେ କରୁଛ କେମନ୍ତେ
ତୁମ୍ଭେ ପରା ନ୍ୟାୟ ମାର୍ଗେ ଥାଅ ଅବିରତେ ।୬୯୬।
ତୁହି ସେ ମହାପଣ୍ଡିତ ବିବେକ ଧାର୍ମିକ ମହତ କୁଳଶାଳୀ
ଯତସତ କ୍ରିୟାରେ ତୁ ବଞ୍ଚୁ ଦିନକାଳ ।୬୯୭।
ନନ୍ଦର ନନ୍ଦନୀ ମୁଂ ମୋ ଭାଇ କାମପାଳ
ବଳେ କଟାଳ କରୁଛୁ ତୁ ଦ୍ୱାରାବତୀ ପୁର ।୬୯୮।
କି ରେ ଯୁଝେଷ୍ଠିଂକ ଭ୍ରାତା ତୁ ବୋଲାଉ
ପର ସ୍ତିରୀ ଅଙ୍ଗସଙ୍ଗେ କିମ୍ପା ମନ ଦେଉ ।୬୯୯।
ଛାଡ଼ ଛାଡ଼ ଧନୁର୍ଜୟେ ତୁ କଟାଳ କରୁ କେତେ
ନବତନ ଯୁବତୀ ମୁଂ ମୋତେ ତୁ ଧରୁଛୁ କେମନ୍ତେ ।୭୦୦।
ତୋତେ ଲଜ୍ଜା ହେବ ମୋତେ ମରଣରୁ ଗୁରୁ
ଛାଡ଼ ଛାଡ଼ ଧନୁର୍ଜୟେ ମୋତେ ୟେହା କିମ୍ପା
ବିଚାର ନ କରୁ ।୭୦୧।
ୟେହେନ୍ନେକ ଭ୍ରଚ୍ଛନା କୂଟ ବଚନ ବୋଲି
ଛାଡ଼ ଛାଡ଼ ଧନୁର୍ଜୟେ ବୋଲି ଅର୍ଜୁନକୁ ଦିଲା ପେଲି ।୭୦୨।
ମାୟାବତୀ କହିଲା ଯେବଣ ମନ୍ତ୍ର ଗୁଣ୍ଡି
ଅର୍ଜୁନ ଶରୀରେ ଲଗାନ୍ତେ ସେ ମଦନେ ଅଛି ବୁଡ଼ି ।୭୦୩।
ଗାଢେ ଧରି ପାଥ କରଇ ଆଲିଙ୍ଗନ
ନନ୍ଦର ନନ୍ଦିନୀ ଗୋ ରଖ ମୋ ଜୀବନ ।୭୦୪।
ସୋହୋଦ୍ରା ବୋଇଲେ ତୁମ୍ଭେ ଅଟ ପରମ ଯୋଗୀ
ୟେତେ ବଡ଼ ମୁଦ୍ରା ପାଥ ତୋର ହାଦେ
ପାରିବାକ ଭାଞ୍ଜି ।୭୦୫।
ଅର୍ଜୁନ ବୋଇଲେ ତୁ ବାଳୁତ ଯୁବତୀ
ୟେଡ଼େ ବଡ ନାଗରୀ ତୁ ଅଟୁ ମହାଧୃତୀ ।୭୦୬।
ମୋତେ ଗୋଚର ନୋହିଲା ତୋହୋର ଯେ ମାୟା
ୟେବେ ସେ ଜାଣିଲି ସ୍ତିରୀଂକର ୟେଡ଼େକ ନିର୍ଦ୍ଦୟା ।୭୦୭।
ଯହୁଂ ଅର୍ଜୁନ ମଦନେ ହୋଇଲା ଅସାଷ୍ଟମ
ଧଇଲାକ ଆକ୍ରେଷି ପାଥ ହୋଇଲା ମତିଭ୍ରମ ।୭୦୮।
ସୋହୋଦ୍ରାୟେ ଡାକ ଦ୍ୟନ୍ତି ସତ୍ୟଭାମା, ଅର୍ଜୁନ
ମୋତେ କଟାଳ କରୁଅଛି
ମୁହିଂ ବାଳସ୍ତିରୀ ଗୋ ନ ଜାଣଇ କିଛି ।୭୦୯।
କେବଣ ପଦାର୍ଥ ଗୋ ଅଛି ମୋହୋର ତହିଂ
ମୋତେ ମାଗଇ ଗୋ ମୁହିଂ ପାଇବଇଂ ତାହା କାହିଂ ।୭୧୦।
ଆକ୍ରେଷି ଅବସ୍ତା ଗୋ ଦେଉଅଛି ମୋତେ
ଦେଖୁଂ ଦେଖୁଂ ଧର୍ମ ମୁଂ ଯେ ଲଘିଂବି କେମନ୍ତେ ।୭୧୧।
ସତ୍ୟଭାମା ବୋଇଲେ ଅର୍ଜୁନକୁ ନ କର ଝିଂଘାସ
ସ୍ତିରୀ ସେ ଉପେଖନ୍ତି ନା ପୁରୁଷଂକ ଦୋଷ ।୭୧୨।
ମା ଗୋ ମନବାଞ୍ଛା ସିଦ୍ଧ ହୋଇଲା ତୋହୋରି
ମୁଂହି ଯାଉଅଛି ୟେବେ ଜଗନ୍ନାଥଂକ ପୁରୀ ।୭୧୩।
କବାଟ ପାଡ଼ିଣ ଯେ ଚଳଇ ଶକ୍ରାବତୀ
ଅର୍ଜୁନ ତୁଲେ ସୋହୋଦ୍ରାର ବଢିଲା ପୀରତି ।୭୧୪।
ପ୍ରାଣ ଅପ୍ୟାନ ବ୍ୟାନ ଉଦାନ ସମାନ ପଞ୍ଚୁଆତ୍ମା
ୟେହାନ୍ତ ନିଆସି ଯେ ସାଧିଲା ମହାତମା ।୭୧୫।
ଗାଢେ ଧରି ପାଥ କଲାକ ବିବସନ
ବକ୍ଷସ୍ଥଳେ ଭିଡ଼ି ଅଧରେ ଦିଅଇ ଚୁମ୍ବନ ।୭୧୬।
ବିରହିତା ବାମା ସେ କାମେଣ ଅସମ୍ଭାଳି
ସହିଲା ସୁନ୍ଦରୀ ସେ ଅର୍ଜୁନର ଆର୍ଦୋଳି ।୭୧୭।
ମଦନ ମୋହନ ଶୋଷଣ ତାପନ ସ୍ତମ୍ଭନ
ଅପଲ୍ଲବ ପଞ୍ଚୁଶରେ ସୋହୋଦ୍ରା ଭେଦିଲା ଅର୍ଜୁନ ।୭୧୮।
ସୋହୋଦ୍ରା ବୋଇଲେ ତୁ କ୍ଷତ୍ରିୟ ଅଚାର୍ଗଳ
ୟେ ମୋହୋର ଶରଘାତ ତୁମ୍ଭେ ବେଳେକ ସମ୍ଭାଳ ।୭୧୯।
ମୟାଣ ଶରଘାତେ ସୋହୋଦ୍ରା ଅର୍ଜୁନକୁ ଭେଦୀ
ଲହଦନ୍ତ ଘାତେ ଅର୍ଜୁନ ତାହା ଛେଦି ।୭୨୦।
ନିରାପକ୍ଷ ଶୃଙ୍ଗାର ଯେ କରଇ ରତିରଙ୍ଗେ
ଶରୀର ବିାଦରଣ କଲା ସୋହୋଦ୍ରା ସର୍ବାଙ୍ଗେ ।୭୨୧।
ହାସ୍ୟ ଲାସ୍ୟ ପରିହାସ ସୁରତି ରସ ଖେଡ଼େ
ଭାଞ୍ଜିଲା ଖେଦ ତାର ସୁରତି ରସ ଭୋଳେ ।୭୨୨।
ଭୁଜେ ଭୁଜ ଭିଡ଼ି ପଡ଼ି ତାଳ ବେନି ଜାନୁ
ଗଣ୍ଡସ୍ଥଳେ ଦନ୍ତଘାତ କଲା ବାସବର ତନୁ ।୭୨୩।
କାମ ଚଳାଇଲା ନଖେଣ ଚାଟୁ ରସେ
ବିକୋତିଲା ଶରୀର ତାହାର ମଦନର ହରଷେ ।୭୨୪।
ରସ ଖଳିତ ହୋଇଲା ପାଇଲା ଦେବୀ ସୁଖ
ସୋହୋଦ୍ରା ବୋଇଲେ ଅର୍ଜୁନ ମୋର ପଞ୍ଚୁପ୍ରାଣ ରଖ ।୭୨୫।
ବାସ୍ତରୀ କ୍ରୀଡ଼ାରସ ଯେ ଚଉଷଠି ପରିବନ୍ଧେ
ମାନିନୀ ବୋଧଗଲା ପ୍ରଧମ ଶୃଙ୍ଗାର ସଧେ ।୭୨୬।
ନଖ ଦନ୍ତ ଘାତେ ସେ ସୋହୋଦ୍ରା ଶରୀର ହୋଇଲା ବିକୋତି
ବୁଡ଼ିଲା ଶରୀର ସେ ନ ଚେତଇ ଯୁବତୀ ।୭୨୭।
ଶୃଙ୍ଗାରେ ନିର୍ଜିତା ସେ ଅଟଇ ଫାଲଗୁନି
ରତି ଶାହାସ୍ର ଜାଣଇଂ ନନ୍ଦର ନନ୍ଦିନୀ ।୭୨୮।
ସୋହୋଦ୍ରାନ୍ତ କୋଳେ ଘେନି ବୀର ଫାଲଗୁନି
ରତି ରଙ୍ଗ ରସେ ନ ଅଣ୍ଟଇ ରଜନୀ ।୭୨୯।
ଚନ୍ଦ୍ରକଳା ଭେଦିଲା ପାଣ୍ଡବ ସୁନ୍ଦର
ପରସ୍ତିରୀ ଶୃଙ୍ଗାର ନାହିଂ ତାହାର ଶରୀର ।୭୩୦।
ତ୍ରଇଲୋକ ସାଧିବାକୁ ଯେବଣ ବୀର ଯୋଧୀ
ଉଚ୍ଚାର ମନ୍ତ୍ରେ ତାକୁ ସୋହୋଦ୍ରେ ସାଧି ।୭୩୧।
ଶୃଙ୍ଗାରେ ଅବିଶ୍ରାମ ସୋହୋଦ୍ରା ଫାଲଗୁନି
ଅନେକ ରତି ରଙ୍ଗ ରସେ ନ ଅଣ୍ଟଇ ରଜନୀ ।୭୩୨।
ୟେକେ ଯୁବୀ ଯୁବତୀ ଯେ ଦୁଜେ କାମ ଖେଦ
ଯୁବା ଯୁବତୀ ଚଛୁରେ ଯେ ନ ମାଡ଼ଇ ନିଦ ।୭୩୩।
ଅନଙ୍ଗେ ଅସାଷ୍ଟମ ଯେ ଭାଙ୍ଗିଲା ଯୋଗ ମୁଦ୍ରା
ଅର୍ଜୁନ ବୋଇଲେ ତୁ ଗୋ ଯାଅ ଯା ସୋହୋଦ୍ରା ।୭୩୪।
ସୋହୋଦ୍ରା ବୋଇଲେ ପାଥ ଅପାର ଅଛି ରାତି
ମୋତେ ଦେଖି ବିମୁଖ କିମ୍ପା ହୋଇଲୁ ସୁତ କୋନ୍ତୀ ।୭୩୫।
ଅର୍ଜୁନ ବୋଇଲେ ସତୀ ୟେତ ଚଉର୍ଯ୍ୟ ଶୃଙ୍ଗାର
ଗୁପତ ନୋହିବ ୟେ ଅବଶ୍ୟ ହୋଇବ ପ୍ରଚାର ।୭୩୬।
ପାପରେ ଦୂଷିତ ମୋତେ କଲୁସି ରେ ସହି
ବଳରାମେ ଜାଣିଲେ ଯେ ନ ବ୍ରତିବା କେହି ।୭୩୭।
ତୁମ୍ଭର ଭୁବନକୁ ଚଳ ଗୋ ସୋହୋଦ୍ରେ
ୟେମନ୍ତେ ୟେ କଥା ନ ଜାଣନ୍ତି ବଳଭଦ୍ରେ ।୭୩୮।
ବୋଲନ୍ତି ଫାଲଗୁନି ଶେଷ ହୋଇଲାନି ରାତି
ତେଜ ନିଉନ ହୋଇଲାନି ଜଳନ୍ତାର ବତୀ ।୭୩୯।
ଅର୍ଜୁନ ବଚନରେ ବାହାର ସୁନ୍ଦରୀ
ପ୍ରବେଶ ହୋଇଲା ଯାଇଂ ମେଢର ଶୟନ ପୁରୀ ।୭୪୦।
ଶଯ୍ୟା ଛାଡ଼ି ସ୍ରାହାନ ଦେବାର୍ଚ୍ଚନ ଯେ ସାରିଲା ସର୍ବସାଚୀ
ଦ୍ରଶନ କଲା ଯାଇଂଣ ଦେବ ଶିରୀବଚ୍ଛି ।୭୪୧।
ରଇବ୍ରତ ପର୍ବତେ ଚଳନ୍ତି ଯେ ଯାତ୍ରାର ବିଧାନେ
ସାତ ବଂଶ ଘେନିଣ ସେ ବିଜେ ଦେବ ଜନାର୍ଦ୍ଦନେ ।୭୪୨।
ବାଜନ୍ତି ଦୁନ୍ଦୁଭି ଯେ ଢୋଲ ନିଶାଣ ମହୁରୀ
ଯାତ୍ରା ରଙ୍ଗ ବିନୋଦେ ବିଜେ ସେ ଦ୍ୱାରିକାପୁର ନାରୀ ।୭୪୩।
ରଇବ୍ରତ ପର୍ବତେ ମିଳନ୍ତି ଯାତ୍ରା ରଙ୍ଗ କରି
ଅନେକ ଋଷିମାନେ ଅଛନ୍ତି ତହିଂ ଭରି ।୭୪୪।
ବଶିଷ୍ଠ ବିଶ୍ୱାମିତ୍ର ବ୍ୟାସ ବାମଦେବ
ଜଳକ୍ରୀଡ଼ା ବିନୋଦେ ନାବେ ବିଜୟେ ସମସ୍ତ ଯାଦେବ ।୭୪୫।
କର୍ପୂର ବାସିଲା ଯେ ପନିର ଜଳ ପାଣି
ମାରନ୍ତି ପିଚିକା ଯେ ଶିଶିର ବୃଷ୍ଟି ଜାଣି ।୭୪୬।
ଅନେକ ଗହଳ ଯେ ବୋଳାଉଳ ଘାଟ
ଅନେକ ବିକ୍ରୀ ହୋଅଇ ଚେଳ ରଙ୍ଗପାଟ ।୭୪୭।
ଅନେକ ସମ୍ଭର ଦେବ କହିତ କି ପାରି
ବହୁବିଧ ଭରହରଷେ ଖଟନ୍ତି ବିଦ୍ୟାଧାରୀ ।୭୪୮।
ଅର୍ଜୁନକୁ ଘେନିଣ ସେ କୃଷ୍ଣ ବଳଦେବ
କ୍ରୀଡ଼ାଦି ବିନୋଦେ ସେ କଲେ ବିଜେ ନାବେ ।୭୪୯।
ଯାତ୍ରା ସାରି ଦେବ ବିଜୟେ ନିତ୍ୟକର୍ମେ
ରଇବ୍ରତ ପର୍ବତୁଂ ବିଜେ ଶ୍ରୀ ପୁରୁଷୋତ୍ତମେ ।୭୫୦।
ଅନେକ ଦିହୁଡ଼ି ଲାଗିଲା ଜଗହୁଳା
ରାତ୍ରେଣ ଆଲୁଅମୟେ ଦିଶନ୍ତି ଦିଗମାଳା ।୭୫୧।
ବିଜେ ଜଗମୋହନ ପୁର ଯେ ଦ୍ୱାରିକା
ମଙ୍ଗଳ ଧୁନି କରି ହୁଳହୁଳି ଦିଅନ୍ତି ସକଳ ନାୟେକା ।୭୫୨।
ସ୍ରାହାନ ଭୋଜନ ସାରିଣ ଦେବ ହରି
ଅର୍ଜୁନଂକୁ ଘେନିଣ ବିଜୟେ ନିଜ ପୁରୀ ।୭୫୩।
କର୍ପୂର ତାମ୍ବୋଳ ଭୁଞ୍ଜି ଦେବ ଜଗନ୍ନାଥେ
ଶୟନ ମନ୍ଦିରେ ଯାଇଂ ବିଜୟେ କୃଷ୍ଣପାଥେ ।୭୫୪।
ଶ୍ରୀ ଜଗନ୍ନାଥଂକ ଛାମୁରେ କହିଲେ ଶକ୍ରାବତୀ
ସ୍ୱାମୀ ସୋହୋଦ୍ରା ଅର୍ଜୁନର ଯେ ହୋଇଲା ଅନେକ ପୀରତି ।୭୫୫।
ବଡ଼ ସାଧନ ସେ ମାୟାବତୀର ମନ୍ତ୍ର
ୟେକ କବାଟ ଛୁଇଂଲେ ଫିଟଇ ସାତ କବାଟ ଯନ୍ତ୍ର ।୭୫୬।
ଅନେକ ସାନନ୍ଦେ ଯେ ସତ୍ୟଭାମା କହିଲେ
ଶୁଣି ନାରାୟଣ ପରମ ସାନନ୍ଦ ହୋଇଲେ ।୭୫୭।
ଜୟ ଜୟ ରୁକ୍ମଣୀ ବଲ୍ଲଭ ଜଗନ୍ନାଥ
ଜୟ ଜୟ ଜମ୍ବୋବତୀର ଆତ୍ମା ସୁଆର୍ଥ ।୭୫୮।
ଜୟ ଜୟ ସତ୍ୟଭାମା ଦେବୀଂକ ବଲ୍ଲଭ
ଜୟ ତୁ ଜୟ ଦେବ କାଳିନ୍ଦୀ ବଲ୍ଲଭ ପଦ୍ମନାଭ ।୭୫୯।
ଜୟ ତୁ ଜଗମୋହନ ତୁଳୁସା ପ୍ରାଣପତି
ଜୟ ତୁ ସଂସାର ଧାରଣ ଶ୍ରୀପତି ।୭୬୦।
ଜୟ ତୁ ଜୟ ଲକ୍ଷ୍ମଣା ବଲ୍ଲଭ ବାସୁଦେବ
ଜୟ ତୁ ମିତ୍ରବିନ୍ଦାର ହୃଦୟ ବଲ୍ଲଭ ।୭୬୧।
ଜୟ ଜୟ ଜାନକୀ ବଲ୍ଲଭ କୋଦଣ୍ଡ କାଣ୍ଡ ପାଣି
ଜୟ ଜୟ ସତ୍ୟା ସତୀର ବଲ୍ଲଭ ଚକ୍ରପାଣି ।୭୬୨।
ଜୟ ଜୟ ସରଣ ରକ୍ଷଣ ମଧୁରିପୁ
ଜୟ ଜୟ ପରମାନନ୍ଦ ନୀଳଦଳ ବପୂ ।୭୬୩।
ଜୟ ତୁ ଜୟ ସଂସାର ରକ୍ଷଣ ଦତ୍ୟ ଧଂସନା
ଜୟ ତୁ ଜୟ ଜଗନ୍ନାଥ ଜୟ ବଜ୍ର ସେହ୍ନା ।୭୬୪।
ଜୟ ୟ ଭବାନୀ ମୋହନ ଦର୍ପ ଧଂସା
ଲକ୍ଷେ ଯୁବତୀର ପୂରାଅ ମନୀଷା ।୭୬୫।
ଜୟ ଜୟ ଶବରୀ ବଲ୍ଲଭ ନାରାୟଣ
ଜୟ ଜୟ ଲକ୍ଷ୍ମୀର ବଲ୍ଲଭ ପଞ୍ଚୁପ୍ରାଣ ।୭୬୬।
ଜୟ ଜୟ ଅତୁଳାୟିତ ବଲ୍ଲଭ କମ୍ବୁ ଚକ୍ରପାଣି
ଶୂଦ୍ରମୁନି ସାରୋଳା ଦାସ ଜୟ ମଙ୍ଗଳ ବାଣୀ ।୭୬୭।
ୟେ ସେ ମହାଭାରଥ ମଧ୍ୟପର୍ବ କଥା
ସଞ୍ଚିପି କହିବାକୁ କିସ ମୁହିଂ ଗ୍ୟାଂତା ।୭୬୮।
ଅସଂକ୍ଷେପ ଭାରଥ କେ କହିବ ସଂକ୍ଷେପି
ନିରୋପି କହିବାକୁ କାହାର ସତ କଳ୍ପି ।୭୬୯।
ଶ୍ରୀମହାଭାରଥ ୟେ ଅମିୟ ରସବାଣୀ
ସଂସାର ଜନ ହିତେ ବଞ୍ଚାଇଲି ଆଣି ।୭୭୦।
ସୋହୋଦ୍ରା ଅଭିଳାଷ ଶ୍ରୀ ବାସୁଦେବ ପ୍ରସନ୍ନେ
ଅର୍ଜୁନ ପୁରକୁ ସୋହୋଦ୍ରା ଚଳଇ ପ୍ରତିଦିନେ ।୭୭୧।
ରାତ୍ରେ ବିଳସଇ ସେ ସୋହୋଦ୍ରାକୁ ଘେନି ଫାଲଗୁନି
ବଢିଲା ପୀରତି ଯେ ଅର୍ଜୁନ ସୋହୋଦ୍ରା ବେନି ।୭୭୨।
ଦିବସେ ହରି ମେଳେ ସେ ରାତ୍ରେ ଆତଯାତ
ୟେମନ୍ତେ ପୀରତି ତହିଂ ବଢିଲା ଦିନ ସାତ ।୭୭୩।
ବଇଶାଖ ଶୁକଳ ପକ୍ଷ ଦଶମୀର ଦିନ
ପୂର୍ବ ଫାଲଗୁନି ନକ୍ଷତ୍ର ଅଟଇ ସେଦିନ ।୭୭୪।
ସଉରି ବାର କଉଳବ ନାମେ କରଣ ଗଣ୍ଡ ନାମେ ଯୋଗ
ମେଷ ସଂକରାନ୍ତିକି ଯେ ପନ୍ଦର ଦିନ ଭୋଗ ।୭୭୫।
ସେଦିନ ବିଜୟେ ଦେବ ରଇବ୍ରତ ପର୍ବତେ
ଚଳିଲେ କନ୍ୟାମାନେ ରେବତୀ ସହିତେ ।୭୭୬।
ନଦୀର ଭିତରେ ସେ ଯେ ଉଚ୍ଛବ ନବରେ
କ୍ରୀଡ଼ା କରନ୍ତି କନ୍ୟାମାନେ ତହିଂର ଭିତରେ ।୭୭୭।
ବତିଶ ସହସ୍ର କନ୍ୟା ଅଷ୍ଟ ପାଟବଂଶୀ
ରେବତୀ ସୋହୋଦ୍ରା ଆଦି କ୍ରୀଡ଼ା କରନ୍ତି ଜଳେ ପଶି ।୭୭୮।
ଓଢନ୍ତି କନ୍ୟାମାନେ ଦେବାଙ୍ଗ ଝୀନ ପତନୀ
ପନୀର ଜଳ ପିଚିକା ମାରନ୍ତି କାମେନୀ ।୭୭୯।
ତିଳ ଅୟେଂଳା ଗନ୍ଧ ଚତୁସମ ମଥାୟେଣ ବୋଳି
ୟେକ ଆରେକ କରନ୍ତି ପରିହାସ କ୍ରୀଡ଼ାରସ କେଳି ।୭୮୦।
କେ ଜଳ ଭିତରେ ପଶିଣ ପାଣି ଫିଙ୍ଗି
କେ ବୁଡ଼ି ଆରେକ ଗୋଡ଼ ଧରନ୍ତି ଆସି ବେଗି ।୭୮୧।
କେ ପରିହାସେ ଉଛୁଡ଼ନ୍ତି ଯେ ଗୁପତ ହୋଇ ଜଳେ
ଠାବକେ ବୁଡ଼ନ୍ତି କେ କ୍ରୀଡ଼ା ଅବଲୀଳେ ।୭୮୨।
ବେଢିଣ କ୍ରୀଡ଼ା କରନ୍ତି ଯେ ସକଳ ସ୍ତିରୀ ବୃନ୍ଦ
ସକଳ ଯୁବତୀଂକର ୟେକା ସୋହୋଦ୍ରାୟେ ନଣନ୍ଦ ।୭୮୩।
ପରିହାସେ ବେଢିଲେ ତାହାଂକୁ ସକଳ ଯୁବତୀ
କେ ନେଇ ତାହାରେ ଅୟେଂଳା ଲେପନ୍ତି ।୭୮୪।
କେ ପିଚିକା ମାରି ଫିଙ୍ଗି ଦିଅନ୍ତି ପାଣି
କେ ତାହାର ଶିରେ ବାଲି ନିଉଡ଼ନ୍ତି ଆଣି ।୭୮୫।
କେ ତହିଂ ଅତି ବେଗେ ନିଅନ୍ତି କେଶ ଧରି
ପିନ୍ଧିଲାର ବସ୍ର କେହୁ ନିଅନ୍ତି ଉଛୁଡ଼ି ।୭୮୬।
ବିବସନ ହୋଇଲା ସେ ନନ୍ଦର ନନ୍ଦିନୀ
ଜଳେ ଡେଇଂ ପଡ଼ିଲା ସେ ମାନିନୀ ମାନ ଘେନି ।୭୮୭।
ଗଭୀର ଜଳେ ଡେଇଂ ପଡନ୍ତେଣ ଧାତି
କୋଳ କରି ସୋହୋଦ୍ରାକୁ ଧଇଲେ ରେବତୀ ।୭୮୮।
ଥଳେ ଆଣି କରି ଯେ ରେବତୀ କଲେ ଉଭା
ଦ୍ୱିତୀୟା ଚନ୍ଦ୍ର ଜାଣି ନଖ କ୍ଷତ ଦିଶଇ ଶୋଭା ।୭୮୯।
କ୍ଷିଦ୍ର ନଖ ଦନ୍ତ ଗୋଟି ବିରାଜଇ ହିଆ
ରେବତୀ ଦେଖି ବୋଇଲେ ମା ଗୋ କରିଅଛୁ କାହା ।୭୯୦।
କେବଣ ପୁରୁଷ ତୁଲେ ବଢାଇଲୁ ସେନେହା
ନଖ ଦନ୍ତ ଘାତେ ତୋର ବିଦାରଣ ହିଆ ।୭୯୧।
ୟେଡେ ବଡ଼େ କୁଳେ ଲଗାଇଲୁ କଳଂକ
କେବଣ ପୁରୁଷ ତୋତେ କଲା ୟେସନେକ ।୭୯୨।
ତୁ ଅବା ପୀରତି ବଢାଇଲୁ ସ୍ତିରୀ ମାତ୍ର କର୍ମେ
କେବଣ ପୁରୁଷ ମୋ ଗୋ କଲା ବିଡ଼ମ୍ବନ ୟେଡ଼େ ଉତକର୍ମେ ।୭୯୩।
ଯେବଣ ପୁରକୁ ପଶି ନ ପାରନ୍ତି ରୁଦ୍ର ବ୍ରହ୍ମା
ୟେଥକୁ ପଶିତେ ଭରସା କଲା କେଉଣ ମହାତମା ।୭୯୪।
ସାଧୁ ପୁଣ୍ୟବନ୍ତୀ ଯେ ତାହାକୁ ପ୍ରସବୀ
ରାମ କୃଷ୍ଣର ଭଗ୍ନୀଂକି ସେ କରିଲା ପରାଭବୀ ।୭୯୫।
ସାଧୁ ସାଧୁ ମହିଂମା ଯେ ଗାଢ ଦର୍ପ ପଣ
ସାଧୁ ସାଧୁ ମହିଂମା ସେ ଅଟଇ ବଡ଼ ଜଣ ।୭୯୬।
କେ ତୋତେ ବିଡ଼ମ୍ବନା କଲା ଗୋ ସୋହୋଦ୍ରେ
ବହନ ପଳାଉ ସେ ନ ଜାଣନ୍ତୁ ରାମଚନ୍ଦ୍ରେ ।୭୯୭।
ସୋହୋଦ୍ରା ଶ୍ରବଣ ଲାଗି ଦେବୀ ପୁଚ୍ଛନ୍ତି ବାରତ
ମା ଗୋ ତୋତେ ବିଡ଼ମ୍ବଣ କଲା କି ପାଣ୍ଡବ ବୀର ପାଥ ।୭୯୮।
ଛତ୍ରୀବର ସୁନ୍ଦର ସେ ଅଠଇ ପରମ ଯୋଗୀ
ସେହି ସେ ପାରିବନା ତୋତେ ବଇଭୋଗୀ ।୭୯୯।
ଶୁଣିଣ ସୋହୋଦ୍ରା ରେବତୀଂକ ଚରଣେ ପ୍ରଳମ୍ବିତ
ମୁହିଂ ତୋତେ ଶରଣ ଗଲି ରକ୍ଷା କରସି ଗୋ ମାତ ।୮୦୦।
ମୁହିଂ କାମବତୀ କଷ୍ଠରେ ବଳାଇଲି ଇଚ୍ଛା
ତୁ ପରମ ମାହେଶ୍ୱରୀ ମୋତେ କରିବୁ ନାହିଂ କି ରକ୍ଷା ।୮୦୧।
ମା ଗୋ ସ୍ତିରୀ ସେ ଜାଣନ୍ତି ସିନା ସ୍ତିରୀଂକ ବେଦନା
ତୁହି ମୋତେ ରଖ ଗୋ ହୋଇଣ ବଜ୍ରସେହ୍ନା ।୮୦୨।
ରେବତୀଂକ ପଦ୍ମପାଦେ ପଡ଼ି ପୁଣି ବନ୍ଦି
କେଶ ବାସ ଅସମ୍ଭାଳ ହୋଇଣ ଦେବୀ କାନ୍ଦି ।୮୦୩।
ଦନ୍ତରେ ତିରଣ ଧରି ଦଶନହ ଭରି
ଅନାସ୍ତୁଣୀକି ଅନୁଗ୍ରହ କର ଗୋ ମାହେଶ୍ୱରୀ ।୮୦୪।
ମୁହିଂ ମନ୍ଦବାଟୀ ନୋହୋଇ ଗୋ ମାୟେ
ଅକୁଳେ ଦୂଷିତ ଗୋ ନ କଲି ମୋହୋର କାୟେ ।୮୦୫।
ବଂଶେ ନିକଳଂକ ଯେ ସାର୍ଥୁକ ପରମ ଯୋଗୀ
ମୁହିଂ ଦୋଷକୃତ ହରିଲି ସେ ସାତ୍ତ୍ୱିକ ପୁରୁଷ ଲାଗି ।୮୦୬।
ରେବତୀ ବୋଇଲେ ମୁହିଂ ଅବା କରିବଇଂ ଗୋପ୍ୟ
ହତ୍ୟା ପରଦାରାୟେ ଅଟଇ ମହାପାପ ।୮୦୭।
ୟେ କଥା ଗୋପ୍ୟନ କଲେ ନୋହି କିଛି କାର୍ଯ୍ୟ
ଅବଶ୍ୟ ଉକୁଟ ଗୋ ହୋଇବ ବଡ଼ ଲାଜ ।୮୦୮।
ଯଦ୍ୟପି ହରିଲା ସେ ତୋତେ ଅଟଇ ଅଗ୍ୟାନୀ
ଯାଉ ୟେବେ ଅର୍ଜୁନ ତୋତେ ଦ୍ୱାରିକା ପୁରୁ ଘେନି ।୮୦୯।
ଶ୍ରୀହରି ସାହାପକ୍ଷ ଅଟଇ ଅର୍ଜୁନକୁ
ସମସ୍ତେ ହୋଇଣ ମଣାଇବା ବଳଦେବ ଠାକୁରଂକୁ ।୮୧୦।
ୟେମନ୍ତର ସମୟେ ସତ୍ୟଭାମା ମାୟାବତୀ ଦୁହେଂ
ହୋଇଲେ ପ୍ରବେଶ
ପ୍ରଳମ୍ବିତ ହୋଇଲେ ଯାଇଂ ରେବତୀଂକ ପାଶ ।୮୧୧।
ସୋହୋଦ୍ରା ବିନୟେ କରି କହୁଛନ୍ତି ବାଣୀ
ରେବତୀ ତୁଷ୍ଟ ହୋଇଲେ ତାହାନ୍ତ ଦେଖି ୟେସନେକ
ବଚନ ଶୁଣି ।୮୧୨।
ସତ୍ୟଭାମା ବୋଇଲେ ଶୁଣିମା ଗୋସାମଣୀ
ସୋହୋଦ୍ରା ତୁମ୍ଭର ତ ଗୋପତ ଭାଳେଣି ।୮୧୩।
ଆମ୍ଭକୁ ଦେଖିଣ ତୁମ୍ଭେ ଭଜିଲ ମଉନବ୍ରତ
କେଉଣ କଥା ଗୋଟି ମା ଗୋ କହନ୍ତି ଆମ୍ଭନ୍ତ ।୮୧୪।
ରେବତୀ ବୋଇଲେ ତୁମ୍ଭେ ଆମ୍ଭର ଆତ୍ମନି
ସୋହୋଦ୍ରାଂକୁ ବିଡ଼ମ୍ବିଲା ସେ ପାଣ୍ଡବ ଫାଲଗୁନି ।୮୧୫।
ସତ୍ୟଭାମାୟେ ବୋଇଲେ ସୋହୋଦ୍ରାର କିସ ଦୋଷ
ବିଭା ନ କରି ୟେହାକୁ ତୁ କଲ ନାଶ ।୮୧୬।
ଆପଣ ତ ଜାଣ ସ୍ତିରୀଂକର ଯେବଣ କଥା
ଅନଙ୍ଗ ଶରଘାତ କେ ଅଛଇ ସହନ୍ତା ।୮୧୭।
ଭୋ ଗୋସାମଣୀ ୟେ ଯେବେ କାର୍ଯ୍ୟ କଲାକ ହୁଡ଼ି
ସ୍ତିରୀ କୁଳେ ଜନମି ଗୋ ବିସ୍ତାର ନ କରି ।୮୧୮।
ଯେମନ୍ତେ ଆନ ୟେହା ନ ଜାଣନ୍ତି କେହି
ୟେହାର ଦୋଷନ୍ତ ଉପେକ୍ଷା କରିବା ପ୍ରାଣସହୀ ।୮୧୯।
ୟେହା ବିଚାରନ୍ତେ ପ୍ରବେଶ ହୋଇଲା ନିଶି
ବାହୁଡ଼ି ଶ୍ରୀହରି ଦ୍ୱାରିକାୟେ ପ୍ରବେଶ ଆସି ।୮୨୦।
ଚଳନ୍ତି ସୁନ୍ଦରୀୟେ ଯେ ଯାହା ଭୁବନ
ନିଜ ପୁରେ ବିଜେ କଲେ ଦେବ ଜନାର୍ଦ୍ଦନ ।୮୨୧।
ସନ୍ଧ୍ୟା ଷଟକର୍ମ ସାରିଣ ବାସୁଦେବ
ଅର୍ଜୁନକୁ ଘେନି ମୁଣୋହିରେ ବିଜୟେ ମାଧବ ।୮୨୨।
ମୁଣୋହି ସାରିଣ ବିଜେ ନିଅବକାଶ
ଅର୍ଜୁନକୁ ଶୟନ କରାନ୍ତି ହୃଷିକେଶ ।୮୨୩।
ଦିବ୍ୟ ପଲଂକରେ ହଂସୁଲି ତୁଳି ସୁପାତି
ନିଚିନ୍ତେଣ ଶୁତିଲେ ଯେ ବ୍ୟାସଂକର ନାତି ।୮୨୪।
ବାହୁଡ଼ିଣ ଦେବ ବିଜେକଲେ ନିଜ ସ୍ଥାନେ
କପାଟ ପାତି ନିଚିନ୍ତେ ଶୟନ କଲେ ଫାଲଗୁନେ ।୮୨୫।
କରେ ଅର୍ଘ୍ୟ ଘେନିଣ ଯେ ନନ୍ଦର କୁମାରୀ
ପେଲଇ କପାଟ ସେ ଯନ୍ତ୍ର ଅଛି ପାଡ଼ି ।୮୨୬।
ମାୟାବତୀର ମନ୍ତ୍ର ପଢନ୍ତେଣ ମହାସତୀ
ଯନ୍ତ୍ର କବାଟ କିଳିଣୀ ଫିଟିଲା ତତକ୍ଷଣାନ୍ତି ।୮୨୭।
ତୃତୀୟ ଘଡ଼ି ପ୍ରବେଶ ହୋଇଅଛି ରାତି
ଦେଖିଣ ଧନଞ୍ଜୟ ଅନେକ ତୋଷ ମାତି ।୮୨୮।
ଅର୍ଜୁନ ସୋହୋଦ୍ରା ଅନେକ ମେଳ ଭାବ
ବଢିଲାକ ରତିରଙ୍ଗ ଅନେକ ପ୍ରସ୍ତାବ ।୮୨୯।
ବିଷମ ଅନଳ ଜାଳା ଅଟଇ କାମ ଖେଦ
ଯୁବା ଯୁବତୀର ଭେଟେ ଅଙ୍ଗେ ନୁଆସଇ ନିଦ ।୮୩୦।
ରତି ଶାହାସ୍ରେ ନିର୍ଜିତ ସେ ଅଟଇ ବୀର ଫାଲଗୁନି
ରତି ରସେ ରସାଇଲା ନନ୍ଦର ନନ୍ଦିନୀ ।୮୩୧।
ଚନ୍ଦ୍ରକଳା ଭେଦିଲା ସେ ପାଣ୍ଡବ ସୁନ୍ଦର
ପରସ୍ତିରୀ ପରସଙ୍ଗ ନାହିଂ ଯାହାର ପାଷାଣ ଶରୀର ।୮୩୨।
ତ୍ରଇଲୋକ୍ୟ ସାଧିବାକୁ ସାମର୍ଥ ଯେବଣ ଯୋଧୀ
ଉଚ୍ଚାଟ ମନ୍ତ୍ରେ ତାହାକୁ ଭୁଲାଇ ସୋହୋଦ୍ରା କଲା ସାଧି ।୮୩୩।
ରଜନୀ ପ୍ରସରେ ପ୍ରଭାତ ଯହୁଂ ରାତି
ଉଲୁକ ବିଦ୍ୟା ପଢି ଦେବୀ ଆସଇ ତଡ଼ତି ।୮୩୪।
ବଇଶାଖ ଶୁକଳ ପକ୍ଷ ରାତ୍ରି ତ୍ରୟୋଦଶୀ ଭୋଗ ତିଥି
ଶଉରିବାର ଚିତ୍ରା ନକ୍ଷତ୍ର ଉତ୍ତାରେଣ ସ୍ୱାତୀ ।୮୩୫।
ସେ ରାତ୍ରେ ବଳରାମେ ପଲଂକେ ଅଛନ୍ତି ପହୁଡ଼ି
ରେବତୀ ପୁଚ୍ଛା କରନ୍ତି କରପତ୍ର ଯୋଡ଼ି ।୮୩୬।
ସ୍ୱାମୀ ସଉଭଦ୍ରେ ତୁମ୍ଭର ଯେ ଅଟନ୍ତି ସାନ ଭୟେଣୀ
କାହାକୁ ପ୍ରଦାନ ସେ କରିବା କାମେନୀ ।୮୩୭।
ବଳରାମ ବୋଇେଲ ନିକଳଂକ ସୋମବଂଶୀ
ଦ୍ରିଯୋଧନକୁ ପ୍ରଦାନ କରିବା ଶୁଭ୍ରକେଶୀ ।୮୩୮।
ଅଣାଇବା ନିମନ୍ତେ ପେଷିଅଛି ଦୂତ
କାଲି ସୋହୋଦ୍ରକୁ ପ୍ରଦାନ ହୋଇବ କୁରୁନାଥ ।୮୩୯।
ଭୋ ଦେବୀ ତୁମ୍ଭର ଯେ ତାହାଂକୁ ନାହିଂ ଦେଖିଲା
ପନ୍ନଗାନାରାୟଣ ସେ ପ୍ରତଚ୍ଛେ ଜାତ ହୋଇଲା ।୮୪୦।
ବିଚାରିଣ ସେ କନ୍ୟା ସିନା କରିବା ପ୍ରଦାନ
ଆପଣାର ସମାନେ ସେ ହୋଇବ ବନ୍ଧୁଜନ ।୮୪୧।
ଶୁଣ ହୋ ଯୋଗେଶ୍ୱର ବଦୟନ୍ତି ଅଗସ୍ତି
ଉଦ୍ଧବ ଅନାଦୃଷ୍ଟ ଗଲେ ଯେ ଦ୍ରିଯୋଧନକୁ ନିମନ୍ତ୍ରି ।୮୪୨।
ସଭାରେ ସମ୍ଭର୍ବ ଆସ୍ତାନେ ବିଜୟେ କୁରୁସାଇଂ
ୟେସନେକ ସମୟେ ଦୂତ ପ୍ରବେଶ ହେଲେ ଯାଇଂ ।୮୪୩।
ଛାମୁରେ ଅର୍ଘ୍ୟ ଦିଲେ ନେଇ ଦ୍ରିଯୋଧନ ରାଜାକୁ
ତୁମ୍ଭନ୍ତ ପ୍ରଦାନ ଯେ କରିବେ ସୋହୋଦ୍ରାଂକୁ ।୮୪୪।
କୁଂକୁମ ଲେପନ କଲେ ତାହାଂକ ଶରୀରେ
ପଞ୍ଚୁବର୍ଣ୍ଣ ମୁକୁଟ ସେ ବାନ୍ଧିଲେ ଶିରରେ ।୮୪୫।
ହରଷ ହୋଇଣ ସେ ମାନଚକ୍ରବତୀ
ଗାନ୍ଧାରୀ ଧୃତିରାଷ୍ଟଂକୁ ଜମାଇଲା ତଡ଼ତି ।୮୪୬।
ପୁରୋହିତେ ବରଣ କଲେ ସୀଉକାର ବରଣେ
ସାଜ ସାଜ ସମଦଣ୍ଡ ଦ୍ୱାରିକାକୁ ଯିବା ୟେହିକ୍ଷଣେ ।୮୪୭।
ଯୁଝେଷ୍ଠି ଭୀମସେନ ନକୁଳ ସହଦେବ
ହକରାଇ ତତକ୍ଷଣ ଆଣିଲେ କଉରୋବ ।୮୪୮।
ଭୀଷ୍ମ ଦ୍ରୋଣ ଶଲ୍ୟ କର୍ଣ୍ଣ ଭୂରିସର୍ବା
ଦ୍ରିଯୋଧନ ଆଗ୍ୟାଂ ଦିଲେ ଚାଲ ଦ୍ୱାରିକାକୁ ଯିବା ।୮୪୯।
ରାମକୃଷ୍ଣଂକର ବହେଣୀ ଯେ ସୋହୋଦ୍ରା ଅଟଇ
ଦ୍ରିଯୋଧନକଇ ବରଣ କଲେ ହଳସାଇଂ ।୮୫୦।
ବଡ଼ାଇ ସମ୍ଭର୍ବେ ଯେ କାଲି ହୋଇବାକ ବିହା
ରଥ ଗଜ ସନ୍ୟ ଘେନି ବିଜେ କୁରୁନାହା ।୮୫୧।
ଅଶିଲକ୍ଷ ରଥ ଯେ ବାଉନ ମର୍ଭୁତ ହାଥୀ
ସତୁରି ସର୍ଭୁତ ଚୋଖାର ତୁରଙ୍ଗମ ସାଜନ୍ତି ।୮୫୨।
ଅଷ୍ଟାଦଶ କ୍ଷଉଣୀ ଯେ ସନ୍ୟବଳ ସାଜି
ଅନେକ ବୀରତୂର ଶବଦ ଘନ ଘନ ବାଜି ।୮୫୩।
ପାଟଛତ୍ର ଉଦଣ୍ଡ ଯେ ଆଲମ୍ବ ଅସଂଖଳୀ
ୟେକଲକ୍ଷୀ ପାଞ୍ଚଲକ୍ଷ ଉଭାରି ଲକ୍ଷ ଚାରି ।୮୫୪।
ବେନି କୋଟି ଶୁଭଶଙ୍ଖ ସୁବର୍ଣ୍ଣ ବନ୍ଧାୟେଣ ଫୁରି
ବିହଡ଼ନ୍ତି ରାଉତେ ଯେ ଚୋଖାର ତୁରଙ୍ଗମ ଚଢି ।୮୫୫।
ପାତ୍ର ଅମନାତ୍ୟେ କୁମାର ବଡ଼ଜେନା
ମୁକୁଟ ବାନ୍ଧି ରଥରେ ଆରୋହନ୍ତି ସର୍ବ ସେହ୍ନା ।୮୫୬।
ଅନେକ ସମ୍ଭର୍ବ ଥାଠ କହିତ କି ପାରି
ଚଳଇ ସମଦଣ୍ଡ ଯେ ମାଡ଼ିଣ ଯୂଣ ଚାରି ।୮୫୭।
ଯୁଝେଷ୍ଠି ବିଦୂର ଯେ ସଞ୍ଜୟେ ଶକୁନି
ପଛ ପଟୋୟାରେ ସେ ଚଲନ୍ତି ଥାଠ ଘେନି ।୮୫୮।
ଦ୍ରିଯୋଧନର ବର ବେଶ କହିତ କି ପାରି
ସହଦେବ ହସଇ ଯେ ନାସିକାରେ କର ଭରି ।୮୫୯।
ସହଦେବ ହସନ୍ତେ ଯେ ପୁଚ୍ଛିଲେ ବିଦୁରେ
ବାବୁ କି ନିମନ୍ତେ ତୁ ହସିଲୁ କେଉଂଣ ପ୍ରସ୍ତାପରେ ।୮୬୦।
କହିବୁ ନା ୟେଥିରେ ସନ୍ଦେଶ ବାରତା
ତୁ ମହା ପଣ୍ଡିତ ବାବୁ ଭୂତ ଭବିଷ୍ୟ ଗ୍ୟାଂତା ।୮୬୧।
ସହଦେବ ବୋଇଲେ ତାତ ହୋଇବ ବଡ଼ାଇ ରସ
କାହାର କନ୍ୟାକୁ କେ ହେଉଛି ବରବେଶ ।୮୬୨।
ବିଦୁରେ ବୋଇଲେ ବଳରାମେ ପେଷିଛନ୍ତି ଦୂତ
ସମସ୍ତଂକ ବିଚାରେ ସୋହୋଦ୍ରାଂକୁ ପ୍ରଦାନିବେ କୁରୁନାଥ ।୮୬୩।
ୟେ କଥାରୁ ଆନ କି ହୋଇବ ଅନ୍ତରୋଇ
ତୋହୋର ବଚନ କେ ଭାଙ୍ଗିତ ପାରଇ ।୮୬୪।
ବିଦୁରେ ସଞ୍ଜୟେ ଯୁଝେଷ୍ଠି ୟେକାନ୍ତେ
କହଇ ସହଦେବ ଯେ ଥାଠ ଚଳିଯାନ୍ତେ ।୮୬୫।
ସ୍ୱାମୀ ବନବାସ ଗଲେ ବୀର ଫାଲଗୁନି
ଗୋସିଂହ ବଧ କରି ଦ୍ୱାରିକାକୁ ଗଲେ
ସତ୍ୟଭାମାକୁ ଯେ ଘେନି ।୮୬୬।
ରଇବ୍ରତ ପର୍ବତେ ଦେବ କରନ୍ତି ଉଚ୍ଛବ
ୟେମନ୍ତ ସମୟେ ଯାଇଂ ମିଳିଲେ ପାର୍ଥିବ ।୮୬୭।
ଅନେକ ସାନନ୍ଦ ଦେଖି ହୋଇଲେ ମଧୁରିପୁ
ବହୁତ ବେଶ ବେଶନ କରାଇଲେ ଅର୍ଜୁନକୁ ।୮୬୮।
ବସନ୍ତ ଉଚ୍ଛବ ଯାତ୍ରା ରଇବ୍ରତ ପରବତେ
ଅର୍ଜୁନ ଠାକୁର ଘେନି ବିଜେ ଜଗନ୍ନାଥେ ।୮୬୯।
ୟେକ ଦିନେ ଶ୍ରୀ ଜଗନ୍ନାଥ ପୁଚ୍ଛାକଲେ ବଳରାମଂକୁ
ସ୍ୱାମୀ ଅର୍ଜୁନକୁ ପ୍ରଦାନ କି କରିବା ସୋହୋଦ୍ରାକୁ ।୮୭୦।
ବଳରାମ ବୋଇଲେ ଯେବେ ଦେବାକ କୁମାରୀ
ଆମ୍ଭର ସମାନେ ବନ୍ଧୁ ହୋଇ କି ସମସରି ।୮୭୧।
ପଞ୍ଚୁକଟକେ ଠାକୁର ସେ ମାନଚକ୍ରବତୀ
ଦ୍ରିଯୋଧନ ରାଜାକୁ ଦେବାରେ ଆମ୍ଭର ବହୁତ ପୀରତି ।୮୭୨।
ବଳରାମଂକ ବଚନ ଦେବ ଭାଞ୍ଜି ନୁଆରିଲେ
ଗର୍ଭେଣ ରାଗ ଭରି ହରି ତୂନି ଯେ ହୋଇଲେ ।୮୭୩।
ବଳରାମେ ରାଇଲେ ଅନାଧୃଷ୍ଟ ଉଦ୍ଧବ
ଦ୍ରିଯୋଧନକୁ ଘେନି ତୁମ୍ଭେ ଗହନ ଆସିବ ।୮୭୪।
ବଳରାମଂକ ଆଗ୍ୟାଂୟେ ଅଇଲେ ଦୂତକାରୀ
ଦ୍ରିଯୋଧନ ରାଜାଂକୁ ୟେ ନେଇଛନ୍ତି ବରି ।୮୭୫।
ଜଗନ୍ନଥ ଦେବଂକର ମନେ ନାହିଂ ତ୍ରିପୁତି
ଅର୍ଜୁନକୁ ସୋହୋଦ୍ରା ସଙ୍ଗେ ତେଣୁ କରାଇଲେ
ଚୋରା ପୀରତି ।୮୭୬।
ସତ୍ୟଭାମା ସଙ୍ଗରେ ସୋହୋଦ୍ରା ଦେବୀ ଯାଇଂ
ଅନେକ ବୁଝାନ୍ତେ ଯେ ଅର୍ଜୁନ କଲା ନାହିଂ ।୮୭୭।
ସୋହୋଦ୍ରାର ବଚନ ଯହୁଂ ଅର୍ଜୁନ ନ କଲା
ସୋହୋଦ୍ରାଂକୁ ମାୟାବତୀ ମୋହନ ମନ୍ତ୍ର ଶିଖାଇଲା ।୮୭୮।
ତେଣୁକରି ସେ ମନ୍ତ୍ରେ ବଶ ହୋଇଲେ ସର୍ବସାଚୀ
ଅର୍ଜୁନ ସୋହୋଦ୍ରା ତେଣେ ୟେକ ଯୋଗ ହୋଇଅଛି ।୮୭୯।
ଯଦ୍ୟପି ଦ୍ରିଯୋଧନ ହୋଇ ଯିବ ବର ବେଶେ
ଗଲେଣ ଅନେକ ତହିଂ ଉପୁଜିବ ଉପହାସେ ।୮୮୦।
ଶୁଣି ବିଷାଦ ହୋଇଲେ ଯୁଝେଷ୍ଠି ଠାକୁର
ତବଦ ହୋଇଲେ ଶୁଣି ସଞ୍ଜୟ ବିଦୁର ।୮୮୧।
ଯୁଝେଷ୍ଠି ବୋଇଲେ ବିଦୁର କହ ଦ୍ରିଯୋଧନ ରାଜାକୁ
ୟେଥୁ ବାହୁଡିଲେ ଲାଜ ନାହିଂ ନା କାହାକୁ ।୮୮୨।
ବିଦୁରେ ବୋଇଲେ ୟେହାର ବୟସ ଅଳ୍ପ ବଡ଼ାଇ ଦର୍ପ
ଶୁଣିଲେ ଦ୍ରିଯୋଧନ ଯେ କରିବ ଆମ୍ଭନ୍ତ କୋପ ।୮୮୩।
ଆମ୍ଭେ ରହିବା ଯାଇଂ ଚାଲ ରଇବ୍ରତ ପର୍ବତେ
ଜାଣିଲେ ବାହୁଡ଼ଇ ସିନା କୁରୁବଇ ନାଥେ ।୮୮୪।
ପ୍ରଥମେ ରଜସ୍ତିରୀ ଯେହ୍ନେ କିଛିହିଂ ନ ଜାଣଇ
ପ୍ରଥମେ ସାଜିଲା ଥାଠ ବୋଧେ କି ଫେରଇ ।୮୮୫।
ରାଗୀ ବ୍ରାହ୍ମଣ ଯେ ମତ୍ତ ଗଳିତ ହାଥୀ
ୟେହାନ୍ତ ବାରିଲେ ଯେ ବଚନ ବିଅର୍ଥୀ ।୮୮୬।
ଯୁଝେଷ୍ଠି ବୋଇଲେ ତୁମ୍ଭେ କହିଲ ୟେମନ୍ତ
ୟେ କଥାରେ ଲାଜ ପୁଣି ହେଉଛ ବହୁତ ।୮୮୭।
ଚଳଇ କୁରୁନାଥ ରତ୍ନବେଣୀ ନଦୀକୂଳେ
ମନୋହର ବନେ ରହିଲେ ସନ୍ଧ୍ୟା ଅବକାଶ ବେଳେ ।୮୮୮।
ସନ୍ଧ୍ୟା ସାରିଣ ରାଜା ବିଜୟେ ନିଅବକାଶେ
ଭୀଷ୍ମ ଦ୍ରୋଣ କର୍ଣ୍ଣ ରହିଛନ୍ତି ଯେ ପାରୁଷେ ।୮୮୯।
ବିଦୁର ଯେ ହକାରି ବୋଇଲେ ଶୁଣ ହୋ ଦ୍ୱାରିକାର ଦୂତ
ସୋହୋଦ୍ରାଂକୁ ଦ୍ରିଯୋଧନକୁ ଦେବାର ଅଟଇ ଟିକି ସତ ।୮୯୦।
ତୁମ୍ଭନ୍ତ ପେଷିଲା ଦିନ କେ କେ ଥିଲେ ବସି
କାହା କାହା ଅନୁମତେ ତୁମ୍ଭେ ହେଲ ପେଷି ।୮୯୧।
ରାଜାର ଆଗରେ ଯେ କହଇ ଉଦ୍ଧବ
ରମକୃଷ୍ଣ ଉଗ୍ରସେନ ନନ୍ଦ ଉପନନ୍ଦ ବସୁଦେବ ।୮୯୨।
ସାତ ବଂଶ ଯାଦବେ ସମସ୍ତେ ଆସ୍ତାନେ ଛନ୍ତି ପୂରି
ଆମ୍ଭଂକୁ ଆଗ୍ୟାଂ ଦିଲେ ସମସ୍ତେ ସନମତ କରି ।୮୯୩।
ବିଦୁରେ ବୋଇଲେ ଗୋସିଂହ ବଧ କରି ଅଛଇ
ବୀର ସର୍ବସାଚୀ ।୮୯୪।
ଶୁଣିଣ ରାଜା ଦ୍ରିଯୋଧନ ବଡ଼ ସାନନ୍ଦେ ବୋଇଲା
ଅର୍ଜୁନ ଅଛଇଂ ଯେବେ ଭଲତ ହୋଇଲା ।୮୯୫।
ବନବାସ ସାରି ପାଥ ଅଇଲା ଦ୍ୱାରିକାକୁ
ସୋହୋଦ୍ର ଥିବା ଦୁଲଭ ଉଚ୍ଛବ ଦେଖିବାକୁ ।୮୯୬।
ବିଦୁରେ ଦ୍ରିଯୋଧନକୁ କହିଲେ ୟେକାନ୍ତେ
ସେ କନ୍ୟା ପରେ ବିଡ଼ମ୍ବଣ ହୋଇଲା ଆମ୍ଭେ
ପାଇଂଲୁ ବାରତେ ।୮୯୭।
ଦ୍ରିଯୋଧନ ବୋଇଲେ ସୁଦ୍ରିଶେଣ ଚକ୍ର ଯେଉଣ ପୁର କରଇ ରକ୍ଷା
ମାନବ ଛାର ହୋଇ ପଶିବାର ତହିଂକି ତାହାର ଅପେକ୍ଷା ।୮୯୮।
ୟେହେନକ ଅନିର୍ଯାପ କଥା କହ ତୁମ୍ଭ ଭଳି
ୟେମନ୍ତ ଜାଣିଲେ ତାକୁ ଜୀଆଇଂବେକି ଦେବ ହଳୀ ।୮୯୯।
ରାଜାର ବଚନେ ସମସ୍ତେ ହୋଇଲେକ ତୂନି
ଶୁଭେଣ ପ୍ରସର ହୋଇଲାକ ଯାମିନୀ ।୯୦୦।
ପ୍ରଭାତ କନକଭଦ୍ରା ନଦୀରେ ନିତ୍ୟକର୍ମ କରି
ସ୍ନାହାନ ତର୍ପଣ ଯେ ଦେବ ପିତୃକାର୍ଯ୍ୟ ସାରି ।୯୦୧।
ଦେବାର୍ଚ୍ଚନ ସହିତେ ସାରି ଦଣ୍ଡପତି
ଚଳଇ ଆଗିଆଣି ଥାଠ ଦକ୍ଷିଣକଇ ମୂରତି ।୯୦୨।
ଅନାଧୃଷ୍ଟ ଉଦ୍ଧବ ଯେ ତୁରିତେ ଆଗହୋଇ ଗଲେ
ଦ୍ୱାରିକା ସଭାରେ ଯାଇଂ ବାରତା କହିଲେ ।୯୦୩।
ସ୍ୱାମୀ ବର ବେଶ କରି ଆଣିଲୁ କୁରୁପତି
ବଡ଼ାଇ ସମ୍ଭର୍ବେ ଆସୁଅଛି ମାନଚକ୍ରବ୍ରତୀ ।୯୦୪।
ଭୀଷ୍ମ ଭୁରିସର୍ବା ଦ୍ରୋଣ ଯୁଝେଷ୍ଠି ସହିତେ
କ୍ଷଣେକ ବିଶ୍ରାମ ନାହିଂ ରାଜା ଚଳଇ ଅନୁବ୍ରତେ ।୯୦୫।
ଶୁଣି କାମପାଳ ମହାତୋଷ ମନ
ଚାହିଂଲେ କାମପାଳ ଅର୍ଜୁନର ବଦନ ।୯୦୬।
ଯୋଗାଇଲାଟି କି ଅର୍ଜୁନ ତୋହୋର ବିଚାରକୁ
ସୋହୋଦ୍ରା ପ୍ରଦାନ କରିବା ଦ୍ରିଯୋଧନ ରାଜାକୁ ।୯୦୭।
ଅର୍ଜୁନ ବୋଇଲେ ଯେହେନେକ ବିଚାର ଦେବ ସ୍ୱାମୀ
ରାଜାଧିରାଜେଶ୍ୱର ସେ ରାଜକୁଳେ ଉତ୍ତମି ।୯୦୮।
ବଳଦେବ ବୋଇଲେ ଅର୍ଜୁନ ବିଚାରକୁ ଯୋଗାଇଲା ହେ ମାଧବ
ଦ୍ୱାରିକାରେ କର ବେଗେ ବିଭାର ସମ୍ଭର୍ବ ।୯୦୯।
ଉଗ୍ରସେନକୁ ରାଇ ଆଗ୍ୟାଂ ଦିଲେ ଦେବରାଜ
ବିଭା ଯୋଗାଡ଼ ଘେନି ରଇବ୍ରତକୁ ହୁଅ ସଜ ।୯୧୦।
ଉଗ୍ରସେନ ବୋଇଲେ ଜଗନ୍ନାଥଂକ ଛାମୁରେ ଉଭାହୋଇ
ବିଭାର ଯୋଗାଡ଼ ଘେନି ମୁଂ ଯିବି କି ଆଗ ହୋଇ ।୯୧୧।
ୟେହେନକ ଆଗ୍ୟାଂ ମୋତେ ଦେବାକ ଜନାର୍ଦ୍ଦନ
ନେବି ସଜ କରି ଯେ ଯଉତୁକ ଦ୍ରବ୍ୟମାନ ।୯୧୨।
ଗୋବିନ୍ଦ ବୋଇଲେ ନିଅ ବିଭା ଯୋଗାଡ଼ମାନ
ଦୋହିତା ଥିଲେ ଅବଶ୍ୟ କରିଟି ପ୍ରଦାନ ।୯୧୩।
ସ୍ୱାମୀଂକର ଅନକୂଳ ଭଞ୍ଜିତ କି ପାରି
ଯାହାକୁ ହେଉ ଅବଶ୍ୟ ପ୍ରଦାନ କରିବା କୁମାରୀ ।୯୧୪।
ସମସ୍ତ ସଜ କରନ୍ତେ ଆଦିତ୍ୟ ଗଲେ ଅସ୍ତ
ଶୟନ ମନ୍ଦିରେ ବିଜୟେ ହଳହସ୍ତ ।୯୧୫।
ବଳଦେବ କହିଲେ ରେବତୀ ସନ୍ନିଧାନ
ତୁମ୍ଭର ବଚନେ ସୋହୋଦ୍ରାକୁ କରୁଛୁଂ ପ୍ରଦାନ ।୯୧୬।
ଦ୍ରିଯୋଧନ ରାଜାକୁ ଯେ ଆଣିଲୁ ଦୂତ ପେଷି
ପନ୍ନଗାନାରାୟଣ ସେ ସରୂପେଣ ଦିଶି ।୯୧୭।
ରେବତୀ ବୋଇଲେ ସ୍ୱାମୀ ହୋଇଲା ଅକାରଣ
କେଡେ ଭଳି ରାଜାକୁ କଲ ବିଡ଼ମ୍ବଣ ।୯୧୮।
ସ୍ୱାମୀ ପରରେ ଦୂଷିତ ହୋଇଲେଣି ତୁମ୍ଭର ସଉଭଦ୍ରେ
ତୁମ୍ଭେ ତଦନ୍ତ ୟେହା ନ ଜାଣ ରାମଚନ୍ଦ୍ରେ ।୯୧୯।
ଉଚ୍ଛବ ନବରେ ମୁଂ ଦେଖିଲି ସୋହୋଦ୍ରାକୁ
କେବଣ ପୁରୁଷ ବିଡ଼ମ୍ବଣ କଲାଣି ତାହାକୁ ।୯୨୦।
ଚନ୍ଦ୍ରଭଗ୍ନ ଦେଖିଣ ଯେ ଅପରତେ କଲି ଫେଡ଼ିଲି ବସନ
ଥନ ଯଉବନ ବିଦାରଣ ନଖ ଦନ୍ତ ଚିହ୍ନ ।୯୨୧।
ଶୁଣିଣ କାମପାଳଂକର ଯେ ନ ଫୁରଇ କିଛି
କୋପେ କାଳାନଳ ଯେ ଦିବ୍ୟରୂପ ବିକାଶୁଛି ।୯୨୨।
ୟେକଥା ସରୂପ ଯେବେ ହୋଇବ ନିରୁତାନ୍ତ
ଆଜ ଜୀବନେ କି ଥୋଇବି ଯାଦବନ୍ତ ।୯୨୩।
ରେବତୀ ବୋଇଲେ ଦେବ ଅଟଇ ସରୂପ
ସ୍ୱାମୀ ଛାମୁରେ ମିଥ୍ୟା କହିଲେ ଯେ ଅଟଇ ମହାପାପ ।୯୨୪।
ତୁମ୍ଭେ ଦେବ ଗୁରୁଂକ ପରେ ଯେ ପରମ ଗୁରୁ
ତୁମ୍ଭ ଛାମୁରେ ଯେ ମିଥ୍ୟା କହଇ ନିରଞ୍ଜନେ ଦ୍ରୋହ କରୁ ।୯୨୫।
ସାତୁକୀକି ରାଇ ଆଗ୍ୟାଂ ଦିଲେ ଦେବ ହଳପତି
ଆରେ ଉଗ୍ରସେନକୁ ହକାରି ଆଣନି ମୋହୋର କତି ।୯୨୬।
ଚଳଇ ସାତୁକୀ ଯେ କାମପାଳଂକର ବଚନେ
ରାତ୍ରେ ପ୍ରବେଶ ହୋଇଲା ଉଗ୍ରସେନ ସ୍ତାନେ ।୯୨୭।
ସମ୍ଭାର କରୁଛି ରାୟେ ବିଭାର ଯୋଗାଡ଼ ଯେତେକ ଲାଗି
ରାତ୍ରେଣ ନିଦ୍ରା ନାହିଂ ସମସ୍ତ ନିଯୋଗୀ ।୯୨୮।
ରୋଷୁଅଶାଳେ ରାନ୍ଧଣା ଯେ ଚହଳ ସୂପକାରେ
ଅମୃତ ରସ ପାକ ଯୋଗାଡ଼ମାନ କରନ୍ତି ସମ୍ଭରେ ।୯୨୯।
ସାତୁକୀ ବୋଇଲା ଦେବ ଶୁଣିମା ଉଗ୍ରସେନ
ବଳରାମଂକ ଆଗ୍ୟାଂୟେ ଆସସି ବହନ ।୯୩୦।
ଆସ୍ତାନୁଂ ଓହ୍ଲାଇ ରାୟେ ଚଳଇ ଧାତିକାରେ
ବଳରାମେ ବିଜେ କରି ଅଛନ୍ତି ଯେ ଚନ୍ଦ୍ରଶାଳା ମନ୍ଦିରରେ ।୯୩୧।
ଉଗ୍ରସେନ ପ୍ରଳମ୍ବିତ ହୋଇଲା ପାଦ ତଳେ
ବଳରାମେ ସମସ୍ୟା ନ ଦିଅନ୍ତି ମତ୍ତଭୋଳେ ।୯୩୨।
କୋପେ ବୋଲନ୍ତି ତୁ ଯେ ନୃପତି ୟେ ଭୁବନେ
ସୋହୋଦ୍ରା ବିଡ଼ମ୍ବଣ ହୋଇଲା ତୋତେ
ନ କହନ୍ତି ଚାରଗଣେ ।୯୩୩।
ଉଗ୍ରସେନ ବୋଇଲେ ଦେବ ସରୂପେ ନୋହେ ୟେ କଥା
ୟେ ଭୁବନେ ପଶିତେ ତ୍ରାସ କରଇ ପବନ ଦେବତା ।୯୩୪।
ଯମ ପଶି ନୁଆରଇ ଯେଉଣ ଦ୍ୱାରିକାକୁ
କାହାର ସାହସ ଭରସା ୟେ କର୍ମ କରିବାକୁ ।୯୩୫।
ବଳରାମେ ବୋଇଲେ ଆମ୍ଭନ୍ତ କହିଲେ ରେବତୀ
ଅନାଦି ଅପର୍ଣ୍ଣା ସେ ମିଥ୍ୟା ନ କହନ୍ତି ।୯୩୬।
କୋପେଣ ଆଗ୍ୟାଂ ତାକୁ ଦିଲେ ହଳପାଣି
ନିଶାପତିମାନନ୍ତ ରେ ପକାଅ ବେଗେ ହାଣି ।୯୩୭।
ୟେହା ଶୁଣି ବିଚାର ଯେ କରନ୍ତି ରେବତୀ
ଅଦୋଷୀ ଲୋକନ୍ତ ୟେ କିମ୍ପେ ଦେବ
ୟେଡେ ବଡ ଶାସ୍ତି ।୯୩୮।
ଯେତେକ ଲୋକଂକୁ ସେ ପକାଇବେ ହାଣି
ନିଚୟେ ହତ୍ୟା ଦୋଷେ ମୁଂ ହୋଇବି କାରେଣୀ ।୯୩୯।
ରେବତୀ ବୋଇଲେ ତୁମ୍ଭେ ଆନଂକୁ କୋପ ନ କର
ଅର୍ଜୁନ ହାରିଲା ଦେବ ଭଗ୍ନୀକି ତୁମ୍ଭର ।୯୪୦।
ଜାଣିଣ କେମନ୍ତେ ଦେବ ନ କହିବି ମୁହିଂ
ଅଦୋଷୀ ଲୋକନ୍ତ ନାଶିଲେ ହତ୍ୟା ଲାଗିବ ମୁକୁଇଂ ।୯୪୧।
ଶୁଣିଣ କୋପାନଳ ଯେ ଜଗତ ଅଧିକାରୀ
ସାତୁକୀକି ବୋଇଲେ ଆଣସି କୃଷ୍ଣଂକୁ ହକାରି ।୯୪୨।
ଆଗ୍ୟାଂ ପାଇ ସାତୁକୀ ଯେ ଚଳଇ ବହନେ
ଗୋବିନ୍ଦେ ବିଜେ କରିଅଛନ୍ତି ଜମ୍ବୋବତୀଂକ ଭୁବନେ ।୯୪୩।
ସନ୍ନିଧ୍ୟେ ମାଧବି ଯାଇଂ ହୋଅଇ ପରିଣାମି
ଠାକୁରଂକର ଆଗ୍ୟାଂ ବିଜେ କରିବା ଦେବ ସ୍ୱାମୀ ।୯୪୪।
ଛାମୁରେଣ ଦିହୁଡ଼ି ଯେ ଜଳଇ ୟେକଲକ୍ଷୀ
ବଳରାମଂକ ଛାମୁରେଣ ବିଜୟେ ଶ୍ରୀବତ୍ସି ।୯୪୫।
ପାୟେ ଯାଇଂ ଦେବ ଯେ କରନ୍ତି ନିଉଛାଳି
ସନ୍ନିଧ୍ୟେ ସାଷ୍ଟାଙ୍ଗେ ଶ୍ରୁତିଲେ ବନମାଳୀ ।୯୪୬।
ବଳରାମେ ରାଗେ କଲ୍ୟାଣ ନ କଲେ ବାଞ୍ଛା
ୟେମନ୍ତ କରି ହରି ଦ୍ୱାରିକା କରୁ କିରେ ରକ୍ଷା ।୯୪୭।
ବାବୁ ଆଶ୍ୱାସନା କରି ପୋଷିଲୁ ତୁ ଶ୍ୱାନ
ଅନ୍ତେ ସେ ତୋହୋର ମୁଖେ ଦିଲାକ ଚୁମ୍ବନ ।୯୪୮।
ବାବୁ ଗୋଳକୁଣ୍ଡା ଜାରଜାତକା ସେ ଅଟନ୍ତି ପାଣ୍ଡବେ
ସୋହୋଦ୍ରାକୁ ହରିଲା ପାଥ ନ ଜାଣୁକି ବାସୁଦେବେ ।୯୪୯।
ଶୁଣିଣ ବିଷାଦ ଯେ ହୋଇଲେ ଜଗନ୍ନାଥ ସ୍ୱାମୀ
ଶ୍ରବଣ ଛୁଇଂଣ ଯେ ଛୁଇଂଲେ ଦେବଭୂମି ।୯୫୦।
ସ୍ୱାମୀ କେ ତୁମ୍ଭନ୍ତ କହିଲା ୟେସନେକ ବାରତା
ୟେତେକ ଭରସା କାହିଂ ଅର୍ଜୁନ ସର୍ବସ୍ଥା ।୯୫୧।
ସ୍ୱାମୀ ଅର୍ଜୁନ ଯେ ସେ ଅଟଇ ମହାଯତି
ଯତି ନିନ୍ଦା କଲେ ଆପଣାକୁ ପଡ଼ଇ ଦୁର୍ଗତି ।୯୫୨।
ସ୍ୱାମୀ ସୁଜନ ଲୋକଂକୁ ଯେ ଅନୀତି କରି କହିଲେ
ଧର୍ମ କି ଗନ୍ଥିବ ଗୁରୁ ଗଉରବ ନିନ୍ଦିଲେ ।୯୫୩।
ସ୍ୱାମୀ ତୁମ୍ଭେ କିମ୍ପେ ୟେହା ନ କର ବିଚାର
ୟେଡ଼େ ବଡ଼ ଭରସା କି ଅଛି ପାଣ୍ଡବ ବିବଚ୍ଛର ।୯୫୪।
ବଳରାମେ ବୋଇଲେ ତୁ ଶୁଣ ଗୋ ରେବତୀ
କେଶବର ଆଗେ ତୁମେ କହ ଯେସନେକ ରୀତି ।୯୫୫।
ରେବତୀ ବୋଇଲେ ମୁହିଂ ଦେଖିଲି ପ୍ରତଚ୍ଛେ
ସୋହୋଦ୍ରାକୁ ବିଡ଼ମ୍ବଣ କଲାକ ବିବଚ୍ଛେ ।୯୫୬।
କରପତ୍ର ଯୋଡ଼ିଣ ଯେ କହନ୍ତି ଗୋବିନ୍ଦ
ନାନାଦି କଥା କହି ସ୍ତିରୀହିଂ ସେ କରନ୍ତି ମନ୍ଦ ।୯୫୭।
ନ ଜାଣି ବିଧାତା ସ୍ରିଜିଲା ୟେହାଂକୁ
ଜାଣି କରି ପ୍ରମଦା ନାମ ଦିଲା ସ୍ତିରୀ ଜାତିଂକୁ ।୯୫୮।
ଅନୁବ୍ରତେ ମତ୍ତଭୋଳ ଅଟନ୍ତି ସ୍ତିରୀ ଜାତି
ଅଖାଇଦ ଅଗ୍ୟାନ ସେ ଅନୁବ୍ରତେ ଭୁଲନ୍ତି ।୯୫୯।
ସ୍ତିରୀଂକ ବଚନକୁ ନ ଯିବା ଦେବଭାବ
ଯେତେକ କହନ୍ତି ସେ ସମସ୍ତ ଅପ୍ରସ୍ତାବ ।୯୬୦।
ରେବତୀ ବୋଇଲେ ତୁମ୍ଭେ କହୁଅଛ ଯାହା
ତୁମ୍ଭେ ସେ ଆପଣେ ଭିଆଣ କରିଅଛ ୟେହା ।୯୬୧।
ଚକ୍ରକୂଟ ବୁଦ୍ଧି କି କେ ସାମରଥ ହେବ ବାବୁ
ନିଚୟେ ତୁ ପୁଣି ଅନେକ ୟେଥେ ଦ୍ୱନ୍ଦ ଭିଆଇବୁ ।୯୬୨।
ରେବତୀ ବୋଇଲେ ଶୁଣ ଆହୋ ହଳଧାରୀ
ଦ୍ରିଯୋଧନ ରାଜାଂକୁ ବୋଲ ସେ ଯାଉ ଯେ ବାହୁଡ଼ି ।୯୬୩।
ଶୁଣିଣ କୋପାନଳେ ଯେ ବୋଇଲେ ବଳଭଦ୍ରେ
ଦେଖିବା ଆଜ ଅର୍ଜୁନକୁ କେହ୍ନେ
ରକ୍ଷା କରିବେ ଗୋବିନ୍ଦେ ।୯୬୪।
ୟେମନ୍ତ ଅନୀତି କରାଇଲୁ ଚକ୍ରପାଣି
ଆପଣା କୁଳେ କଳଂକ ଲଗାଇଲୁ ଆଣି ।୯୬୫।
ଉଗ୍ରସେନ ରାଇ ଆଗ୍ୟାଂ ଦିଲେ ହଳଧାରୀ
ରାତ୍ର ପାହିଲେ ଅର୍ଜୁନକୁ ଦେବୁ ଧରି ।୯୬୬।
ତିରଣ ପ୍ରମାଣେ କରି କାଟିବି ତା ମାୟେଂସ
ଆବର ବୁଡ଼ାଇବି ପାଣ୍ଡବଂକର ବଂଶ ।୯୬୭।
ୟେତେ ବୋଲି ଦେବ ହୋଇଲା ବଇରାଗେ
ଉଠିଣ ଗବନ ଯେ କଲେକ ଦେବ ବେଗେ ।୯୬୮।
ନିଜ ଭୁବନରେ ଯେ ବିଜେ ଜଗନ୍ନାଥେ
ସତ୍ୟଭାମାକୁ ବୋଇଲେ ତୁମ୍ଭେ ଯାଅ ଶୀଘ୍ରଗତେ ।୯୬୯।
ବୋଇଲେ ଶ୍ରୀହରି ବଳରାମେ ଜାଣିଲେ
କଥା ହୋଇଲାକ ଫୁଟି
ସୋହୋଦ୍ରାକୁ ଘେନି ଦ୍ୱାରିକାରୁ ଯାଉ ଯେ କିରିଟୀ ।୯୭୦।
ଉଗ୍ରସେନ ରାଇ ଆଗ୍ୟାଂ ଦିଲେ ବଳରାମ
ରାତ୍ର ପାହିଲେ ଅର୍ଜୁନର ତୁଲେ ହୋଇବ ସାଂଗ୍ରାମ ।୯୭୧।
ଶ୍ରୀକୃଷ୍ଣ ଆଗ୍ୟାଂ ଘେନି ତହିଂ ଚଳିଲେ ଶକ୍ରାବତୀ
ଅର୍ଜୁନ ଶୟନ ମନ୍ଦିରେ ଯାଇଂ ମିଳିଲେ ତତକ୍ଷଣାନ୍ତି ।୯୭୨।
ସୋହୋଦ୍ରା ଅର୍ଜୁନ ଯେ କରନ୍ତି ରଙ୍ଗକେଳି
ଦ୍ୱାରେ ଠାରିଲେ ଶକ୍ରାଜିତର ଦୁଲାଳୀ ।୯୭୩।
କବାଟ ଫେଡ଼ ମୋତେ ସଂପାଦ କର ପାଥ
ସନ୍ନିଧ୍ୟେ ପ୍ରବେଶ ଆସି ବାସବର ସୁତ ।୯୭୪।
ସତ୍ୟଭାମାୟେ ବୋଇଲେ ଶୁଣ ଫାଲଗୁନି
ୟେହିକ୍ଷଣି ଦ୍ୱାରିକାରୁ ଯାଅ ସୋହୋଦ୍ରାକୁ ଘେନି ।୯୭୫।
ରେବତୀ ବୋଇଲେ ଯେ ଜାଣିଲେ ବଳରାମ
ରାତ୍ର ପାହିଲେ ୟେଥି ଅନେକ ଦ୍ୱନ୍ଦ ହୋଇବ ସାଂଗ୍ରାମ ।୯୭୬।
ସୋହୋଦ୍ରା ବିକଳ ଯେ ହୋଇଲେ ତାହା ଶୁଣି
ତୁମ୍ଭର ଭୁବନକୁ ସ୍ୱାମୀ ଚାଲ ଯିବା ୟେହିକ୍ଷଣି ।୯୭୭।
କଳି ଦ୍ୱନ୍ଦେ ପିରୋଜନ ନାହିଂ ଦେବ କିଛି
ଆଗ୍ୟାଂ ପାଇ ଉଗ୍ରସେନ ଧାଇଂ ଆସୁଅଛି ।୯୭୮।
କୋଟିୟେ ସିଂଘର ପ୍ରାକର୍ମ ଯେବଣ ବଳରାମ
ତାହାଂକ ତୁଲେ କେହୁ କରିବ ସାଂଗ୍ରାମ ।୯୭୯।
ଶୁଣସି ସଉଭଦ୍ରେ ବୋଲନ୍ତି ଅର୍ଜୁନ
ଆଗହୁଂ ନ ଜାଣୁ କି ବଳରାମଂକ ଦର୍ପମାନ ।୯୮୦।
ନ ଜାଣି ପରଦାରା କରାଇଲୁ ଯେତେବେଳେ
ଆବର କିମ୍ପାଇଂ ଘୁଞ୍ଚାଇ ଲୋଡ଼ୁ କଟାଳର ବେଳେ ।୯୮୧।
ଯଦ୍ୟପି ତୋତେ ୟେଠାରୁ ଘେନିଯିବି ନିଶାରାତି
ଚଉର୍ଯ୍ୟ ପଣେ ନା ମୁଂ ପାଇବି ଅପଛାତି ।୯୮୨।
ୟେମନ୍ତ କଥାମାନ ମୋତେ ନ କହ ସଉଭଦ୍ରେ
ଆସୁ କେତେ ଦଣ୍ଡ ଘେନି ତୁମ୍ଭର ଭାଇ ରାମଚନ୍ଦ୍ରେ ।୯୮୩।
ସେ କାଳେ ଅନେକ ମତେ କଲଇ ମୁହିଂ ନାସ୍ତି
ବଳାତ୍କାରେ ମୋତେ କରାଇଲୁ ୟେତେ ପ୍ରୀତି ।୯୮୪।
ୟେତେବେଳେ ଆଉ କେଣିକି ଯିବି ଘୁଞ୍ଚି
ଅର୍ଜିଲା ସଂହାଥେ ମୋର କର୍ମେ ଯାହା ଅଛି ।୯୮୫।
ୟେସନେକ ନିର୍ମିତ ଘଟସୂତ୍ର ଅଛି ମୋତେ
ମୁହିଂ ନାଶ ଯିବି ଯେବେ ତୋହୋର ନିମନ୍ତେ ।୯୮୬।
ଆପଣାର କଲା କୃତକୁ କର୍ମ ସିନା ବୋଲି
କର୍ମଫଳ ଭୁଞ୍ଜିବିନା ଯାହା ଅରଜିଲି ।୯୮୭।
ସତ୍ୟଭାମାୟେ ବୋଇଲେ ବଳଦେବଂକ କୋପକୁ
ରହମାନ ହୋଇବୁଟି କି ତାହାଂକ ସାଂଗ୍ରାମକୁ ।୯୮୮।
ଅର୍ଜୁନ ବୋଇଲେ ମୁଂ ଜାଣଇଂ ସର୍ବ କଥା
କାହାର ବେଳେ ଅନ୍ୟସ୍ଥା ନୁହଇ କପାଳ ଘଟିତା ।୯୮୯।
ଅର୍ଜୁନ ବୋଲଇ ଚଳ ଗୋ ସତ୍ୟଭାମା କହିବ ଜଗନ୍ନାଥେ
କିଞ୍ଚିତ ଦୟା ମାତ୍ର ସେ କରିଥାନ୍ତୁ ମୋତେ ।୯୯୦।
ନିରାପକ୍ଷ ବଚନ ଶୁଣି ଚଳିଲେ ଶକ୍ରାବତୀ
ନାରାୟଣ ଅଗ୍ରତେ ଯେ କହିଲେ ସକଳ ପ୍ରତି ।୯୯୧।
ନିର୍ଭୟେ ହୋଇ ଦେବ ରହିଛି ଧନୁର୍ଜୟେ
ଅନେକ ଭରସା ଦେବ ଅନେକ ନିର୍ଭୟେ ।୯୯୨।
ବୋଇଲେ ଆସନ୍ତୁ ତୋହୋର ସହସ୍ରେ ବଳରାମ
ସୋହୋଦ୍ରାର ଛଳେ ଅବଶ୍ୟ କରିବି ମୁଂ ଅନେକ ସାଂଗ୍ରାମ ।୯୯୩।
ଅନେକ ପ୍ରତଗ୍ୟାଂ ଦେବ କରଇ ସର୍ବସାଚୀ
ମନ୍ଦର ସମାନେ ଦେବ ନିଷ୍କମ୍ପେ ରହିଅଛି ।୯୯୪।
ବୋଇଲା କହ ଯାଇ ସ୍ୱାମୀଂକ ଅଗ୍ରତେ
କିଞ୍ଚିତ ଦୟା ମାତ୍ର ସେ କରିଥାନ୍ତୁ ମୋତେ ।୯୯୫।
ସତ୍ୟଭାମାଂକ ବଚନେ ଜଗନ୍ନାଥେ ହୋଇଲେକ ତୂନି
ପ୍ରତଗ୍ୟାଂ ବଳବନ୍ତା ସେ ଅଟଇ ଫାଲଗୁନି ।୯୯୬।
ପଦ୍ମନ ଶାମ୍ବ ଗଦ ମୂଳେ କୁମାରନ୍ତ ହକରାଇ
ଲକ୍ଷେ ଛଡ଼ ଅହିବ୍ରତ ପୁତ୍ରନ୍ତ ଯେ ରାଇ ।୯୯୭।
ବୋଲନ୍ତି ଶ୍ରୀକୃଷ୍ଣ ଯେ ସନ୍ନିଧ୍ୟେ ବସାଇ
ଅର୍ଜୁନେଣ ଦ୍ୱନ୍ଦୀ ହେଉଛନ୍ତି ହଳସାଇଂ ।୯୯୮।
ସୋହୋଦ୍ରା ଦେଇ ଲୋଡ଼ୁଅଛନ୍ତି ବଳରାମେ, ଦ୍ରିଯୋଧନକୁ
ସୋହୋଦ୍ରା ୟେଣେ ଯେ ବରିଲା ବୀର ଅର୍ଜୁନକୁ ।୯୯୯।
ଅର୍ଜୁନ ତୁଲେ ଅବଶ୍ୟ କାଲି କରିବେ ହାଦେ ରାମ ଯୁଦ୍ଧ
ଆମ୍ଭେ କେମନ୍ତ କରିବା କହ ବାବୁ ସାଧ୍ୟ ।୧୦୦୦।
ବୋଲନ୍ତି କୁମରେ ଯେ କରପତ୍ର ଯୋଡ଼ି
ଅର୍ଜୁନ ଆମ୍ଭନ୍ତ ଦେବ ବେଳେ ବେଳେ ଉପୁଗାରୀ ।୧।
ଆମ୍ଭେ ତ ଛାଡ଼ି ନୁଆରୁ ଦେବ ବୀର ଧନୁର୍ଜୟେ
ଅର୍ଜୁନ କତିରେ ଆମ୍ଭେ ହୋଇବୁଂ ଦେବରାୟେ ।୨।
ଶୁଣିଣ ପରମ ସାନନ୍ଦଯେ ହୋଇଲେ ଦେବ ଜନାର୍ଦ୍ଦନ
ପୁତ୍ରଂକର ସନମତେ ଜିଣିମ ଅରଜୁନ ।୩।
ୟେସନ ବିଚାର କରନ୍ତେ ତିନି ପ୍ରହର ଯେ ରାତି
ଉଗ୍ରସେନ ତୁଲେ ଘେନି ମର୍ଭୁତେକ ରଥୀ ।୪।
ପଞ୍ଚ ମର୍ଭୁତ ଗଜ ଦଶ ମର୍ଭୁତ ଅଶ୍ୱ ଯୋଧୀ
ଚଉବିଂଶ ବୃନ୍ଦ ତୁଲେ ପାଦାନ୍ତି ବଳ ଖେଦି ।୫।
ରାତ୍ର ପ୍ରହରେ ଥାଉଂ ସେ ଧାଇଂଲେ ଗୁପତେ
ଅର୍ଜୁନ ଶୟନ ମନ୍ଦିରେ ଯାଇଂ ବେଢିଲେ ତୁରିତେ ।୬।
ଗହଳ ଚହଳ ଶୁଣି ବିକଳ ସଉଭଦ୍ରେ
ସ୍ୱାମୀ ସମଦଣ୍ଡ ଘେନି ବିଜେ କଲେଟି ବଳଭଦ୍ରେ ।୭।
ଆଜ ତୁମ୍ଭ ସଙ୍ଗରେ ସେ କରିବେ ମହାଯୁଦ୍ଧ
ଅନାଥର ବାନ୍ଧବ ତୁମ୍ଭେ ଘେନିଯାଅ ମୋତେ ବେଗ ।୮।
କ୍ଷତ୍ରୀବର ନାଥ ସେ କାଦମ୍ବରୀ ପାନେ ଭୋଳା
ସୁକୁମାର ଶରୀର ଗୋଟି ନାଶ ନ କର ବହନ ହୋଇ ପଳା ।୯।
ମୁହିଂ ପ୍ରାଣନାଥ ତୋର ଘେନଇ ଅପାଦ
ଅମୂଲ୍ୟ ସରୀର ଗୋଟିକି ନ ପୁଣ ପଡଇ ପ୍ରମାଦ ।୧୦।
ଅର୍ଜୁନ ବୋଇଲେ କିମ୍ପା କ୍ରୋଧ କରୁ ଗୋ ସୋହୋଦ୍ରେ
ବ୍ରହ୍ମା ଈଶ୍ୱରଂକୁ ଘେନି ଆସନ୍ତୁ ରାମଚନ୍ଦ୍ରେ ।୧୧।
ୟେମନ୍ତ ମାନଂକୁ ଯେବେ ମୁହିଂ କରଇ ଭ୍ରାନ୍ତି
ତୋହୋର ତୁଲେ କିମ୍ପେ ମୁଂ କରନ୍ତି ଚଉର୍ଯ ପୀରତି ।୧୨।
ମାରିବି ସାତ ବଂଶ ଯେ ରୁହାଇବି କଥା
ସୋହୋଦ୍ରଂକ ଦୁଖ ଦେଖି ନ ପୁଣ କରୁ ମନେ ବ୍ୟଥା ।୧୩।
ସୋହୋଦ୍ରା ବୋଇଲେ ତୁ ଜିଣ ଯଦୁବଳ
ତୁମ୍ଭର ଶରୀର ଗୋଟି ହୋଇଥାଉ ଯେ ନିର୍ମଳ ।୧୪।
ମୋତେ ତ ପ୍ରଦାନ ନ କଲେ ମୁଂ ହୋଇଲି ଯେ ଯୁବା
ମୁହିଂ ମୋହୋର ଇଚ୍ଛାୟେ ତୋତେ ବରଣ କଲି ଅବା ।୧୫।
ତାହା ନିରୋଧନ୍ତି ୟେ କେବଣ ଯୁଗତେ
ଧର୍ମ ଦେବତା ୟେହାନ୍ତ ସହିବ କେମନ୍ତେ ।୧୬।
ମୁହିଂତ ନିର୍ମାଖୀ ପୁଣ ଅଟଇ ଅନାସ୍ତୁଣୀ
ତୁହି ସେ ଶରଣ ମୋତେ ରଖ ଫାଲଗୁନି ।୧୭।
ତୁମ୍ଭର ବଳଦର୍ପ ତୁମ୍ଭର ତୁମ୍ଭେ ସେ ଜାଣ ନାହା
ମୁହିଂ ସ୍ତିରୀ ମାତ୍ର ମୋତେ ଧର୍ମହିଂ ସେ ସାହା ।୧୮।
ସ୍ୱାମୀ ଦ୍ୱାରିକାରୁ ବାହାରୁ ତୁ ହୁଅ ମୋତେ ଘେନି
ୟେଥି ଥିଲେ ଅଜୟେଟି ଶୁଣି ଫାଲଗୁନି ।୧୯।
ମାୟାବତୀ ଯେବଣ ପୁଷ୍ୟେକ ରଥ ଦେଇଥିଲା
ଧ୍ୟାୟେ କରି ତାହା ଯେ ସୋହୋଦ୍ରା ସୁମରିଲା ।୨୦।
ମନେ ସୁମରନ୍ତେ ସେ ପବନହୁଂ ବେଗେ ଆସି
ଉଦେଗିରି ପ୍ରଦକ୍ଷିଣ ପ୍ରାୟେ ରଥ ଦିଶି ।୨୧।
ଅନେକ ଶହସ୍ର ତହିଂ ଯେ ଅଛଇ ଅନେକ ଧନୁ
ସେ ରଥ ଜନ୍ମ ହୋଇଲା ଆଦି ସମୋଦ୍ର ମନ୍ଥନୁ ।୨୨।
ତେତିଶ କୋଟି ଦେବତାୟେ ଯେ ଅନ୍ୟୁଅନ୍ୟୋ ହୋଇ
ମଧ୍ୟେ କାମଦେବଂକୁ ସେ ରଥ ଦିଲେ ନେଇ ।୨୩।
ଈଶ୍ୱର କୋପାନଳେ କାମଦେବ ଦହନ ଗଲା
ସେ ରଥ ରତି ଦେବୀ ଯେ ଅତି ଯତ୍ନେ ଥୋଇଥିଲା ।୨୪।
ସୋହୋଦ୍ରାଂକୁ ପ୍ରସନ୍ନ ହୋଇଲେ ସେ ମାହେଶ୍ୱରୀ
ତୋଷେ ସେ ରଥ ଦିଲେ ଅନାଦି ସିଦ୍ଧନାରୀ ।୨୫।
ସେ ରଥେ ବିଜୟେ ଯେ କଲେ ଫାଲଗୁନି
ସେ ରଥେ ଥିଲେ ଯେ ସାଧ୍ୟ ହୁଅଇ ଭୁବନ ତିନି ।୨୬।
ସୋହୋଦ୍ରାକୁ ଘେନି ଅର୍ଜୁନ ବିଜେ ପୁଷ୍ୟେକ ରଥ
ମାୟାବତୀର ବିଦ୍ୟା ସେ ହୋଇଲା ଉପଗତ ।୨୭।
ସୋହୋଦ୍ରାଂକୁ ଅର୍ଜୁନ ବସାଇ ଅଛି ରଥେ
ଦୁତୀୟ ପିନାକ ଧନୁ ଧରିଅଛି ବାମହାଥେ ।୨୮।
ସତ୍ୟଯୁଗେ ତାରକା ଯୁଦ୍ଧେ ଯେହ୍ନେ କୁମାର ବିକାଶି
ସେହିମତି ହୋଇଣ ଯେ ଅର୍ଜୁନର ତେଜ ପରକାଶି ।୨୯।
ହିରଣ୍ୟ ଦେଖି ଯେହ୍ନେ ନୃସିଂଘ ଗଳଗାଜି
ଦେଖିଣ ଯଦୁବୀରେ ପଳାଇଲେ ଭାଞ୍ଜି ।୩୦।
ଅନେକ ରତ୍ନ ବିରାଜିତ ତାହାର ଯେ କାୟେ
ଦିଶଇ ଯେ ଫାଲଗୁନି ପୁରୁରବା ଇନ୍ଦ୍ର ପ୍ରାୟେ ।୩୧।
ହାବୋଡ଼ା ଶର ଯେ ମାଇଲା ଅର୍ଜୁନ ମହାବୀର
ଦ୍ୱାରେ ଥିଲେ ସହସ୍ରେ ରଥୀ ଭାଞ୍ଜି ହୋଇଲେକ ଚୂର ।୩୨।
ସେହ୍ନାନ୍ତ ଭେଦୀ ନାରାଜ ପିଠି କତି ଫୁଟି
ତିନି ଅହିବ୍ରତ ଯୋଦ୍ଧା ପଡ଼ିଲେ ମହୀଲୋଟି ।୩୩।
ବିନ୍ଦୁମତୀ ଘେନି ଯେହ୍ନେ ସତ୍ୟଯୁଗେ ମାନଧାତା
ସେହି ସାଦୃଶେ ଦିଶଇ ଅର୍ଜୁନ ବଳବନ୍ତା ।୩୪।
ଲକ୍ଷ୍ମୀ ନାରାୟଣେ ବିଜେ ସମୋଦ୍ରେ ମନ୍ଥନୁଂ
ସେହି ସରୂପେ ଦିଶଇ ଯେ ବାସବରେ ତନୁ ।୩୫।
ରତିକି ଘେନିଣ ଯେହ୍ନେ ବିଜୟେ ମୟାଣ
ଶ୍ରୀଭୁଜେ ଶୋଭାବନ ଯେ ଅନଙ୍ଗ ଶରବାଣ ।୩୬।
ହେମବନ୍ତରେ ଯେହ୍ନେ ଉମା ମହେଶ୍ୱର
ଶଚୀ ସନ୍ନିଧ୍ୟେ ଯେହ୍ନେ ଦିଶନ୍ତି ପୁରନ୍ଦର ।୩୭।
ଅନଙ୍ଗ ସୁନ୍ଦର ନାଥ ଶ୍ରୀକରେ ବଜ୍ରବାଣ
ସେହି ସାଦୃଶେ ଦିଶେ ପାଣ୍ଡବ ପଞ୍ଚାଣ ।୩୮।
ମନେ ଧରନ୍ତେ ସେ ଯାହାର ଶର ଭେଦୀ
ଖାଣ୍ଡବ ବନ ଦହି ଯେ ଜିଣିଲା ବିବୁଧାଦି ।୩୯।
ଈଶ୍ୱରଂକୁ ଜିଣି ଯେ କିରାତ ରୂପ ଧରି
ଗୋସିଂହ ବଧ କରିଲାକ ସାଂଗ୍ରାମ ଘୋର କରି ।୪୦।
ୟେ ଯଦୁବୀରେ ଯେ ସମସ୍ତେ ଗର୍ବେଶ୍ୱର
ଅର୍ଜୁନର ପ୍ରହାରେ ଯେ ପଡ଼ିଲେ ଅନେକ ବୀର ।୪୧।
ବାହାର ହୋଇ ଆସଇ ପାଥ ଶର ବିନ୍ଧି
ଶତେ ଶତେ ଯୋଦ୍ଧା ପଡୁଅଛନ୍ତି ୟେକା ନାରାଜ ଘାତେ ଭେଦୀ ।୪୨।
ଦ୍ୱାରିକା ଭୁବନରୁ ବାହାର ସର୍ବସାଚୀ
ନାରାୟଣ ସରୂପ ଯେ ପ୍ରତକ୍ଷେ ଦିଶୁଅଛି ।୪୩।
ସୋହୋଦ୍ରାକୁ ଘେନିଣ ଆସଇ ପାଥ ଚଳି
ଦ୍ୱାରିକା ସ୍ତିରୀମାନେ ଯେ ଦିଅନ୍ତି ହୁଳହୁଳି ।୪୪।
ବୋଲନ୍ତି ସାଧୁ ଅର୍ଜୁନ ସୋହୋଦ୍ରା ମୋହିଲା
ୟେବେ ସେ ଦ୍ୱାରିକା ଭୁବନ ଶୋଭାହିଂ ପାଇଲା ।୪୫।
ବଡ଼ ପୁଣ୍ୟବନ୍ତୀ ସେ ଅଟଇ ସଉଭଦ୍ରେ
ଅମର ପୁରେ ଯେସନେ ବିଜୟେ ଶଚୀ ଇନ୍ଦ୍ରେ ।୪୬।
ସମସ୍ତ ଯୁବତୀମାନେ କରନ୍ତି ମଙ୍ଗଳ ଧୁନି
ସାଧୁ ସାଧୁ ସୋହୋଦ୍ରା ଗୋ ତୋହୋର ଜନନୀ ।୪୭।
ସମସ୍ତ ଯୁବତୀମାନେ ଦିଲେ ହୁଳହୁଳି
ସାଧୁ ସାଧୁ ଅର୍ଜୁନ ବୋଲି ମଙ୍ଗଳ ବାକ୍ୟ ତୋଳି ।୪୮।
ଯେବଣ କୁଳେ ଜାତ ହୋଇଲୁ ବଂଶ ତୋର ସାଧୁ
ସେ ସୋମବଂଶେ ସୋହୋଦ୍ରା ଗୋ ହୋଇଲୁ କୁଳବଧୂ ।୪୯।
ସମସ୍ତେ କରନ୍ତି ଯେ ଜୟ ମଙ୍ଗଳ ବାଣୀ
ଶୁଣିଣ ସାନନ୍ଦ ଯେ ଦେବ ଚକ୍ରପାଣି ।୫୦।
ଲକ୍ଷେ ଷାଠିୟେ ସହସ୍ର ଯେ ବାସୁଦେବଂକର ନନ୍ଦନ
ଆରୋହଣ କଲେ ଯେ ଯାହାର ଗଜ ଅଶ୍ୱ ଯାନ ।୫୧।
ସୋହୋଦ୍ରାଂକୁ ଘେନି ତହୁଂ ଚଳଇ ପାଣ୍ଡବ ବିବଚ୍ଛେ
ଜଗନ୍ନାଥଂକର ପୁତ୍ରମାନେ ଅଛନ୍ତି ଅର୍ଜୁନର ପଛେ ।୫୨।
ଶାମ୍ବ ଗଦ ଅଛନ୍ତି ଯେ ଅର୍ଜୁନ ବାମ ପାଖ କତି
ଅଶି ସହସ୍ର କୁମର ଅଛନ୍ତି ପଛ କତି ।୫୩।
ପଦ୍ମନ ମହାବଳୀର ତୁଲେ ଅଶିସହସ୍ର ଭ୍ରାଥେ
ଅର୍ଜୁନର ଦକ୍ଷିଣ ଭାଗେ ଚଢି ରଥେ ରଥେ ।୫୪।
ସାତୁକୀ ଅକ୍ରୁର ତୁଲେ ଦଶପଦ୍ମ ହାଥୀ
ୟେମାନେ ଆବୋରି ଅଛନ୍ତି ଅର୍ଜୁନର ପଛ କତି ।୫୫।
ଶ୍ରୀଜଗନ୍ନାଥଂକ ଭଗତି ଦ୍ୱାରିକାୟେ ଯେତେ ଜନ
ସେମାନେ ସଂପକ୍ଷ ଆସି ହୋଇଲେ ଅର୍ଜୁନ ।୫୬।
ୟେସନେକ ସମୟେ ଯେ ଅନାଧୃଷ୍ଟ ଉଦ୍ଧବ
ଧାତିକାରେ ବାରତା ନେଇ ଦିଲେ ବଳଦେବ ।୫୭।
ସ୍ୱାମୀ ଦ୍ୱାରିକାୟେ ଥିଲା ଯେ ପାଣ୍ଡବ ଫାଲଗୁନି
ରଥେ ବସି ଯାଉଅଛି ଯେ ସୋହୋଦ୍ରାଂକୁ ଘେନି ।୫୮।
ଶୁଣିଣ କାମପାଳ କୋପେ କମ୍ପିତ କାୟେ
ହଳ ମୂଷଳ ଘେନି ଯେ ବାହାର ଦେବରାୟେ ।୫୯।
ଆହୋ ଉଗ୍ରସେନ ଧାଅଂ ଘେନି ତୋହୋର ଥାଠ
ବଳେ ସୋହୋଦ୍ରାକୁ ଘନି ଯାଉଛି ପାଣ୍ଡବ ପାପିଷ୍ଠ ।୬୦।
ବଳରାମଂକ ମୁଖେ ସେ ଉଚ୍ଚବାଚ ରଡ଼ି
ସାତ ବଂଶ ଯୋଦ୍ଧାୟେ ପଡ଼ିଲେ ସର୍ବେ ମାଡ଼ି ।୬୧।
ରଥ ଗଜ ଅଶ୍ୱ ସମସ୍ତ ପାଦାନ୍ତି
ଗର୍ଜନ ନାଦ କରିଣ ଧାମନ୍ତି ସର୍ବ ଛତ୍ରୀ ।୬୨।
ବଳରାମଂକ ସନ୍ନିଧ୍ୟେ ହୋଇଲେ ପ୍ରବେଶ
ସିନ୍ଧୁ ମନ୍ଥନ ପରାୟେ ଶୁଭଇ ମୁଖଘୋଷ ।୬୩।
ବିଜୟେ କାମପାଳ ତାଳଧ୍ୱଜ ରଥେ
ଦକ୍ଷିଣେ ସଉନନ୍ଦ ମୂଷଳ ବଜ୍ର ଲଙ୍ଗଳ ବାମ ହାଥେ ।୬୪।
ମନ୍ଦର ତତ୍ତୁଲ୍ୟ ସପତ ଫେଣା ମଉଳି
ଉଦେଗିରି ପର୍ବତ ପ୍ରାୟେ ପ୍ରତକ୍ଷେ ଦିଶନ୍ତି ଦେବ ହଳି ।୬୫।
ହଳ ମୂଷଳ ବୁଲାଇ କୋପେଣ ପରଚଣ୍ଡ
ରେ ରେ କାର ଶବଦେ କମ୍ପଇ ବ୍ରହ୍ମାଣ୍ଡ ।୬୬।
ବଳରାମକଂର କୋପ ଦେଖିଣ ବନମାଳୀ
ନୀଳାମ୍ବରଂକ ଚରଣେ ଯାଇଂ କରନ୍ତି ନିଉଛାଳି ।୬୭।
ତୁମ୍ଭେ ଦେବ ନୀଳାମ୍ବର ପୁରୁଷ ଉତ୍ତମି
କାହାକୁ ୟେତେ କୋପ କର ଦେବ ସ୍ୱାମୀ ।୬୮।
ବୋଲନ୍ତି ଭୁଜଙ୍ଗଧାରଣ ଶୁଣ ରେ ବାବୁ କୃଷ୍ଣ
ଭଗ୍ନୀକି ହରି ନେଉଅଛି ପାଣ୍ଡବ ପାପିଷ୍ଠ ଅର୍ଜୁନ ।୬୯।
ଆବର ପ୍ରତଗ୍ୟାଂ ଦେଖ ଚଉର୍ଯପଣେ ୟେତେ ଦର୍ପ
ବଳାତ୍କାରେ ହରି ନିଅଇ ଯେ ତାର ୟେଡ଼େକ ପ୍ରତାପ ।୭୦।
ଆଜ ପାଣ୍ଡବାକୁ ମୁଂ ଆଣିମଇଂ ଧରି
ମାୟେଂସ କାଟିବି ତାର ତିଳ ପ୍ରାୟେ କରି ।୭୧।
ମାନେବ ଉତପତ୍ତି ହୋଇ ତାର ୟଡ଼େକ ପ୍ରତଗ୍ୟାଂ
ଗଉରୋବୀପଣେ ସମସ୍ତେ କଲାକ ଅବଗ୍ୟାଂ ।୭୨।
ଗୋବିନ୍ଦେ ବୋଇଲେ ଦେବ କୋପ କର ଶାନ୍ତି
ଅର୍ଜୁନର କିସ ଦୋଷ ଆମ୍ଭର ଭଗ୍ନୀ ମନ୍ଦ ଜାତି ।୭୩।
ୟେଡେ ବଡ଼ ବଂଶେ ଜାତ ହୋଇ ଉପେକ୍ଷା କଲା ଲଜ୍ଜା
ବନ୍ଧୁ କୁଟୁମ୍ବ ସହୋଦ୍ର ସବୁ କଲା ପରିତେଜ୍ୟା ।୭୪।
ଯୁବା କନ୍ୟାକୁ ହେଳାୟେ ଆମ୍ଭେ ନ କଲଇଂ ପ୍ରଦାନ
କାଳେଣ ଉପୁଜିଲା ଆସି ୟେସନେକ ଅପମାନ ।୭୫।
ବଜ୍ରନାଭ ପ୍ରଦାନ ଯେ ନ କଲା ଦୋହିତୀ
ବଳାତ୍କାରେ ତାହାକୁ ହରି ଆଣିଲା ରତିପତି ।୭୬।
ବିଭା ନ କଲା ଯେ ବାଣାସୁର ଉଷା ନାମେ କୁମାରୀ
ଅନିରୁଦ୍ଧ ଯାଇ ତାକୁ ଆଣିଲାକ ହରି ।୭୭।
ଯୁବା କନ୍ୟା ଆହେ ଦେବ ମାତାପିତା ଘରେ ଥିଲେ
ଅବଶ୍ୟ ଲଜ୍ଜା ଉପୁଜଇ ଜଗନ୍ନାଥେ ବୋଇଲେ ।୭୮।
ଆବର କିମ୍ପା କୋପ କର କାମପାଳ
ଲଜ୍ଜା ଅନ୍ୟଥା ନୋହିବ ଦେବ କୋପ ଯେ ସହଂର ।୭୯।
ଯଦ୍ୟପି ସାଂଗ୍ରାମ କରିବା ଦେବରାଜ
ଅର୍ଜୁନକୁ ଜିଣି ନୁଆରିବାଟି ଉପୁଜିବ ବହୁତ ଲାଜ ।୮୦।
ଅବିଚାରେ କୋପ କଲେ ଆପଣେ ହୋୟେ ଧଂସୀ
ଅଗ୍ୟାନେ ଦ୍ୱନ୍ଦ କଲେ ସମ୍ପଦ ହୋୟେ ନିଶି ।୮୧।
ଖାଣ୍ଡବ ବନ ଦହନ କଲା ଅଗ୍ନିର ନିମନ୍ତେ
ତୋଷେ ଅନେକ ଶହସ୍ର ଦିଲେ ବଶ୍ୟାନର ଦଇବତେ ।୮୨।
କିରାତ ରୂପେ ଜିଣିଲା ୟେ ଈଶ୍ୱର ଦେବତାଂକୁ
ତୋଷେ ଅନେକ ଶହସ୍ର ଦିଲେ ସେ ଅର୍ଜୁନକୁ ।୮୩।
ଅକ୍ଷୟେ ତ୍ରୋଣ ବେନି ସେ ଦିଲେକ ପାର୍ବତୀ
ତ୍ରଇଲୋକ୍ୟେ ଜିଣନ୍ତା ସେ ହୋଇଲା ସୁତ କୋନ୍ତୀ ।୮୪।
ଅନେକ ବୁଝାଇ ସେ କହନ୍ତି ଚକ୍ରପାଣି
ଟସ୍କର ଜନ ଯେହ୍ନେ ନ ଶୁଣଇ ଧର୍ମବାଣୀ ।୮୫।
ବଳରାମେ ବୋଇଲେ ତୁମ୍ଭେ ବହନ ହୋଅ ସଜ
ୟେହିକ୍ଷଣି ଧରିଆଣିମା ପାଣ୍ଡବଂକୁ ଦେବରାଜ ।୮୬।
ବଳରାମଂକ ତହୁଂ ୟେସନେକ ନିଷ୍ଠୁର ବଚନ ଶୁଣି
ନନ୍ଦିଘୋଷ ରଥେ ବିଜୟେ କଲେ ଚକ୍ରପାଣି ।୮୭।
ତାଳଧ୍ୱଜ ରଥେ ବିଜେ କଲେ ଦେବ ହଳୀ
ବଳରାମେ ବୋଇଲେ ତୋହୋର କରେ ଚକ୍ର
ନାହିଂତ ବନମାଳୀ ।୮୮।
ଗୋବିନ୍ଦେ ବୋଇଲେ ମୁଂ ନ ଜାଣଇଂ ତଦନ୍ତ
କଉମୋଦକୀ ଗଦା ସୁଦ୍ରିଶେଣ ଚକ୍ର ନାହିଂ ମୋହୋର ହାଥ ।୮୯।
ଶାରଙ୍ଗ ଧନୁ ସହିତେ ନେଇଛି ବୀର ପାଥ
ତେଣୁ କରି ସ୍ୱାମୀ ମୁଂ ହୋଇଛି ଶୂନ୍ୟ ହାଥ ।୯୦।
ତୁନି ହୋଇଲେ ବଳରାମେ ଜଗନ୍ନାଥଂକ ବଚନେ
ତୋହୋର ବିଚାରେ ୟେହି ଅରିଷ୍ଟି କଲାକ ଅର୍ଜୁନେ ।୯୧।
ଅତିହିଂ ଅଭେଦ କଲୁ ଯେ ପାଣ୍ଡବ ହୀନ ଜାତି
ସତ୍ୟବନ୍ତ ଲୋକ ସିନା ସହୋଦ୍ରେ ରକ୍ଷା କରନ୍ତି ।୯୨।
ଗୋଳକୁଣ୍ଡା ଜାରଜାତକା ସେ ଅଟନ୍ତି ଗ୍ୟାନହୀନ
ୟେକା ଭାରିଯା ରମଣେ ପାଞ୍ଚେ ନିଅନ୍ତି ଦିନ ।୯୩।
ଲଘୁ ଜନଂକୁ ହରି କଲୁ ଯେ ବିଶ୍ୱାସ
ଆପଣେ ଧଂସି ହୋଇଲୁ କାର୍ଯ୍ୟ ଯେ ହୋଇଲା ନାଶ ।୯୪।
ସମଦଣ୍ଡ ସାଜିଣ ତହିଂ ଚଳନ୍ତି ଯଦୁବୀରେ
ଅର୍ଜୁନଂକୁ ଭେଟିଲେ ଯାଇଂ ରଇବ୍ରତ ପର୍ବତରେ ।୯୫।
ଅନ୍ଧେକ ବଧ କାଳେ ୟେସନେ ଦିଶନ୍ତି କପାଳୀ
ନିର୍ଧୂମ ଅଗ୍ନି ଜାଣି ଅର୍ଜୁନ ଶରୀର ପରଜଳି ।୯୬।
ସପତ ଶାଖା ମୁକୁଟ ଶୋହଇ ଲଲାଟେ
ଝଲକନ୍ତି ଗଜମୁକୁତା ମାଣିକର କ୍ରୋଟେ ।୯୭।
ଲଲାଟେ କସ୍ତୁରୀ ଚିତା କର୍ଣ୍ଣେ ଅମୃତ କୁଣ୍ଡଳ ବେନି
ଶିରେ ସୀମଛିନୀ ସଞ୍ଚିଲା ଯେ ଅଷ୍ଟରତ୍ନ ଘେନି ।୯୮।
ହୃହରେ ପଦେକ ବାହେଣ ତାଡ଼ ତୋଢର ବାହୁଟି
କନକ ଅଞ୍ଚଳ ଗଣ୍ଡସ୍ଥଳେ ମହାରେଖା ଗୋଟି ।୯୯।
ଭୁଜରେ କଂକଣ ଯେ ପାଦେ ନେପୂର ବେନି
ହେମବନ୍ତ ବିବାଦେ ଯେହ୍ନେ ଦିଶନ୍ତି ସସ୍ରଯୋନି ।୧୦୦।
ତାଳଧ୍ୱଜ ରଥେ ଯାଇଂ ଦେଖିଲେ ସ୍ୱାମୀ ବଳଭଦ୍ରେ
ଅର୍ଜୁନର କୋଳେ ବିଜୟେ ସୁନ୍ଦରୀ ସୋହୋଦ୍ରେ ।୧୦୧।
ବଳରାମେ ବୋଇଲେ ତୁ ଦେଖରେ ଶ୍ରୀବତ୍ସ
ସୋହୋଦ୍ରାକୁ ଘେନି ଅର୍ଜୁନ ଯାଉଅଛି ପ୍ରତକ୍ଷ ।୧୦୨।
ଆମ୍ଭଂକୁ ଭୟେ ଭ୍ରାନ୍ତି ନ ନ କଲା ପଞ୍ଚୁମନେ
ସରୂପ ଦୋଷ ୟେହାର ସଂହରିବା କେସନେ ।୧୦୩।
ଗୋବିନ୍ଦେ ବୋଇଲେ ସ୍ୱାମୀ ଶରୀରେ ଥିଲେ ବଳବୀର୍ଯ୍ୟ
ଶଉର୍ଯ୍ୟବନ୍ତ ଲୋକ ସିନା କରନ୍ତି ଚଉର୍ଯ କାର୍ଯ୍ୟ ।୧୦୪।
ୟେତେକ ବଚନେ ବଳରାମେ କୋପେଣ ପରଜଳି
ସଉନନ୍ଦ ମୂଷଳ ରାମ ବୁଲାଇଲେ ତୋଳି ।୧୦୫।
ଆରେ ଆରେ ପାଣ୍ଡବା ଯିବୁଂ ଆଜ କାହିଂ
ନିଚୟେ ପାଞ୍ଜି ତୋର ପୋଛିଲା ଜନ୍ତୁସାଇଂ ।୧୦୬।
ୟେ ମୋହୋର ଭଗ୍ନୀକି ତୁ ହରିଲୁ କେବଣ ଦର୍ପେ
ଖଗବର ଛାମୁରେ କି ଦର୍ପ କରନ୍ତି କାଳସର୍ପେ ।୧୦୭।
ଜୀବନକୁ ନିଆଶାରେ ମରଣକୁ କଲୁସି ଅପେକ୍ଷା
ତ୍ରଇଲୋକ୍ୟ ମଧ୍ୟରେ ଆଜ କେ ତୋତେ କରୁ ରକ୍ଷା ।୧୦୮।
ନିଚୟ ପାଞ୍ଜି ତୋହୋର ପୋଛିଲା ନାଶକର
ନଶ୍ୟନ୍ତ କାଳକୁ କଲୁ ବିପରୀତ ବିଚାର ।୧୦୯।
ପ୍ରୀତି ବୁଡ଼ାଇଲୁ ତୁହି ସ୍ତିରୀ ମାତ୍ର ଲୋଭେ
ତୋହୋରେ ନାଶ ଗଲେ ଯୁଝେଷ୍ଠି ରାଜ ଦେବେ ।୧୧୦।
କୁଳନାଶନ ହୋଇ ଉପୁଜିଲୁ ରେ ଫାଲଗୁନି
କେଉଂଣ ଦର୍ପେ ଯାଉଛୁରେ ମୋହୋର ଭଗ୍ନୀକି ଘେନି ।୧୧୧।
ସୁମର ରେ ପାଣ୍ଡବା ତୋହୋର ମାତା ପିତା
ସୁମର ରେ ପାଣ୍ଡବା ତୋହୋର ଇଷ୍ଟକୁଳ ଦେବତା ।୧୧୨।
ବଳରାମଂକ ମୁଖୁଂ ଶୁଣି ୟେସନେକ ବାଣୀ
କୋପେଣ ପ୍ରତଗ୍ୟାଂ କରି ବୋଲଇ ଫାଲଗୁନି ।୧୧୩।
ତୁ ସ୍ୱାମୀ ବଳେବର ରେବତୀ ବଲ୍ଲଭ
ମୋହୋର କିଛି ଦୋଷ ନାହିଂ ତୁମ୍ଭେ ବିଚାର ବଳଦେବ ।୧୧୪।
ତୋହୋର ଭଗ୍ନୀକି ଦେବ ନ କଲୁ ତୁ ରକ୍ଷା
ଆପଣେ ସ୍ୱୟମ୍ବରୀ ହୋଇ ସେ ମୋତେ କଲା ଇଚ୍ଛା ।୧୧୫।
ଶୟନ ମନ୍ଦିରେ ମୋର ପଶିଲା ନିଶାକାଳେ
ସ୍ତିରୀ ଲିଙ୍ଗ ହୋଇ ମୋତେ ହରିଲାକ ବଳେ ।୧୧୬।
ତୁ ଦେବ ତ୍ରଇଲୋକ୍ୟ ନାଥ ଅଟୁ ସଂକ୍ରିଷଣ
ନ ବିଚାରି କୋପ ମୋତେ କରୁଛୁ ଅକାରଣ ।୧୧୭।
ଶରଣବଚ୍ଛଳ ନାଥ ଭଗତ ବାରାନିଧି
ତୋହୋରେ ଅବିଚାରେ ମୋତେ ହୋଉଛି ଅବିଧି ।୧୧୮।
ଅନମିତେ ମୋତେ ଅପଛାତି କରୁଅଛ
ମୁହିଂ ସାଂଗ୍ରାମେ ତୁମ୍ଭନ୍ତ ନୋହଇଂନା ଓଛ ।୧୧୯।
ପ୍ରାଣ ଘେନି ୟେଥୁଂ ତୁମ୍ଭେ ଘୁଞ୍ଚି ଯାଅ ଯା ବେନି ଭାଇ
ୟେଡ଼େ ବଡ଼ ସମ୍ପଦ ନ ବୁଡ଼ାଅ ସୋହୋଦ୍ରାର ପାଇଂ ।୧୨୦।
ମିଛେହେଂ ପ୍ରତଗ୍ୟାଂ ମୋତେ ନ କର ଦେବ ସଂକ୍ରିଷଣ
ଫୁଟୁକି ବିଦ୍ୟା କହିଲେ ନୋହଇଟି ବଡ଼ ପଣ ।୧୨୧।
ତୁମ୍ଭର ଭଗ୍ନୀ ଯେ ମୋତେ କଲାକ ଅନୀତି
ଘୁଞ୍ଚି ଯାଅ ସ୍ୱାମୀ ତୁମ୍ଭର ଆମ୍ଭର ଥାଉ ପ୍ରୀତି ।୧୨୨।
ଅର୍ଜୁନର ପ୍ରତଗ୍ୟାଂ ଶୁଣିଲେ ଯାଦବେ
ଆରେ ଆରେ ଅର୍ଜୁନକୁ ଧର ବୋଲି ବୋଲନ୍ତି ବଳଦେବେ ।୧୨୩।
ଧାମନ୍ତି ପ୍ରତଗ୍ୟାଂ କରି ସମସ୍ତ ଯଦୁବୀରେ
ଧନୁରେ ନାରାଜ ପୂରୋଇ କୋପଭରେ ।୧୨୪।
ବିନ୍ଧନ୍ତି ନାରାଜ ଯେ ଅବିଚ୍ଛନ୍ନେ ସମସ୍ତ ଯାଦବ ବୀରେ
ମୁଖରାବ ଶବଦେ ଯେ କମ୍ପନ୍ତି ସୁରେଶ୍ୱରେ ।୧୨୫।
କକଡ଼ା ବୃଷ୍ଟି ଜାଣି ଶରେ ପଡ଼ନ୍ତି ଉପରେ
ପୃଥିବୀ କମ୍ପଇ ଯେ ଧାମନ୍ତେ ପାଦଭରେ ।୧୨୬।
ଝଲକନ୍ତି ନାରାଜେ ବିଜୁଳି ତ୍ରାସ ଜାଣି
ଶର ଗର୍ଜନ ଯେ ଧନୁ ଟଂକାର ବାଣୀ ।୧୨୭।
ଧର ଧର ମାର ମାର ଶୁଭୁଛି ଘୋର ବୋବି
ମୟେଂଷା ବଧ କାଳେ ଯେସନେ ଡାକନ୍ତି ଭଇରୋବୀ ।୧୨୮।
ଛତ୍ରୀଂକ ବଚନ ଶୁଣି ଅର୍ଜୁନ ମହାରାଗ
ଅର୍ଜୁନକୁ ପଛ କରି ପଦ୍ମନ ହୋଇଲାକ ଆଗ ।୧୨୯।
ଶାମ୍ବ ଗଦ ପଦ୍ମନ ଯେ ଅକ୍ରୁର ସାତୁକୀ
ଅର୍ଜୁନ କତିରେ ହୋଇ ଉଠିଲେ ଥାଠ ଦେଖି ।୧୩୦।
ଗଦା ମୁଦୁଗର ଛେଲ ଚକ୍ର କାତି
କୋନ୍ତ ଖଡ଼ଗ ଘେନିଣ କୋପେ ପହୁଡ଼ନ୍ତି ।୧୩୧।
ଗୋବିନ୍ଦର ପୁତ୍ରମାନେ ଯହୁଂ ଗଳଗାଜି
ଦେଖିଣ ଯାଦବ ବଳେ ଯେ ପଳାଇଲେ ଭାଞ୍ଜି ।୧୩୨।
ଶହସ୍ରନ୍ତ ଥୋଇ କହନ୍ତି ନୀଳାମ୍ବରଂକ ଛାମୁରେ
କାହାର ତୁଲେ ସ୍ୱାମୀ ଆମ୍ଭେ କରିବୁଂ ସମରେ ।୧୩୩।
ଲକ୍ଷେ ଷାଠିୟେ ସହସ୍ର ଭ୍ରାଥନ୍ତ ଘେନିଣ ପଦ୍ମନ
ସମସ୍ତେ ଆବୋରିଛନ୍ତି ସେ ପାଣ୍ଡବ ଅରଜୁନ ।୧୩୪।
କେ ସମର କରିବ ସେ ପଦ୍ମନର ତୁଲେ
ବାଳୁତ ବୟସେ ଶୟମ୍ବରକୁ ନାଶ କଲେ ।୧୩୫।
ଶୁଣି କୋପ କଲେ ଦେବ ବଳଦେବ
ଆବର ତୁହି ସେ ଭିଆଇଲୁ ପଦ୍ମନାଭ ।୧୩୬।
ମୁହିଂ ଯେ ଅଣାଇଲି ରାଜା ଦ୍ରିଯୋଧନକୁ
ତେତେବେଳେ ନାସ୍ତି କିମ୍ବା ନ କଲୁ ତୁ ମୁକୁ ।୧୩୭।
ସମଦଣ୍ଡ ଘେନି ବରବେଶେ ଅଇଲା କୁରୁପତି
ୟେଣେ ଲଜ୍ଜା ମୋତେ ଯେ ହୋଇଲା ଅପ୍ରମିତି ।୧୩୮।
ଗୋବିନ୍ଦ ବୋଇଲେ ଦେବ ଶୁଣିମା ସଂକ୍ରିଷଣ
କେ ଆନ କରିବ ପ୍ରଜାପତିର ଲେଖନ ।୧୩୯।
ଆମ୍ଭେ ଅବା ଇଚ୍ଛା କଲାଇଂ ବଡ ଜଣେ ଦେବାକୁ
ଧାତା ସ୍ରିଜିଅଛି ଯେ ସୋହୋଦ୍ରା ଅର୍ଜୁନକୁ ।୧୪୦।
ଯେ ଯାହାର କନ୍ୟା ନେମନାହିଂ କି ସେହି
ଆମ୍ଭର ଦ୍ୱନ୍ଦ କଲେ କାର୍ଯ୍ୟ କାହିଂ ରହି ।୧୪୧।
ବଦନ୍ତି ଅଗସ୍ତି ଶୁଣ ହୋ ବଇବସୁତ ମନୁ
ବରବେଶେ ସମଦଣ୍ଡ ଘେନି ଅଇଲା ଗାନ୍ଧାରୀର ତନୁ ।୧୪୨।
ଅସଂଖ୍ୟ ସେନା ଘେନି ରାଜା କୁରୁନାଥ
ବିଜେ ମାନଗୋବିନ୍ଦ ରଇବ୍ରତ ପର୍ବତ ।୧୪୩।
ୟେସନେକ ସମୟେ ତହିଂ ମିଳିଲେ ମୁନେହିଂ
କଉରୋବା ରାଜା ଆଗେ ବାରତା ଯାଇ କହିଂ ।୧୪୪।
ଶୁଣଇ ଦେବାଧିଦେବ ରାଜେଶ୍ୱର ନୃପତି ଚୂଡାମଣି
ଦୁରାପଦ କଥାୟେ ଦେବ ହୋଇବ ୟେହିକ୍ଷଣି ।୧୪୫।
ସୋହୋଦ୍ରାଂକୁ ହରିଲା ଯେ ପାଣ୍ଡବ ଅରଜୁନେ
ବଳେ ଦ୍ୱାରିକାରୁ ଘେନି ଯାଉଅଛି ଫାଲଗୁନ୍ୟେ ।୧୪୬।
ସାତ ବଂଶ ଯାଦବ ବଳ ଘେନି କୃଷ୍ଣ ବଳରାମ
ଅର୍ଜୁନର ତୁଲେ ଦୁରାପଦ ହେଉଛି ସାଂଗ୍ରାମ ।୧୪୭।
ଶୁଣିଣ ବିରସ ଯେ କଉରେବ ଆଧିପତି
ଯାବତ କାଳେ ପାଣ୍ଡବେ ମୋତେ କରନ୍ତି ଅନୀତି ।୧୪୮।
ଆହୋ ଭୀଷ୍ମ ଦ୍ରୋଣ ବିଦୁର ତୁମ୍ଭେ ବୁଝିଲ କେମନ୍ତ
ତୁମ୍ଭେ ସେ ୟେକ ଯୋଗ କରି ଲୋଡ଼ ପାଣ୍ଡବନ୍ତ ।୧୪୯।
ଉଗ୍ରସେନ ବସୁଦେବ କୃଷ୍ଣ କାମପାଳ ଅନୁମତେ
ବିଚାରି ସୋହୋଦ୍ରାକୁ ଦେବା କଲେ ମୋତେ ।୧୫୦।
ସମସ୍ତଂକ ସନମତେ ଦୂତ ଦିଲେ ପେଷି
ବଳାତ୍କାରେ ଅର୍ଜୁନ ସୋହୋଦ୍ରାଂକୁ ହରିଲା ଦ୍ୱାରିକାୟେ ପଶି ।୧୫୧।
ଭୀଷ୍ମେ ବୋଇଲେ ଆମ୍ଭେ ସହଦେବ ମୁଖରୁ ଶୁଣିଲୁ
କିମ୍ପା ଆମ୍ଭେ କନକଭଦ୍ରା ନଦୀକୂଳରୁ ତୋତେ ବାହୁଡ଼ାଇ ଲୋଡ଼ିଲୁ ।୧୫୨।
ଆମ୍ଭର ବଚନ ତୁ ହୋ ଯେ ନ କଲୁ କୁରୁଦେବା
ୟେବେ ୟେଥୁଂ କେମନ୍ତେ ଆମ୍ଭେ ଲଜ୍ଜାପାଇ ବାହୁଡ଼ିଣ ଯିବା ।୧୫୩।
ଦ୍ରିଯୋଧନ ବୋଇଲା ହୋ ଅଟଇଟି କି ୟେମନ୍ତ
ସଞ୍ଚୟେ ପ୍ରାଣତ୍ୟାଜ ଆଜ ହୋଇବାକ ପାଥ ।୧୫୪।
ଯଦ୍ୟପି ରୁଦ୍ର ବ୍ରହ୍ମା ଇନ୍ଦ୍ର ଆଦିତ୍ୟ ଦେବ ସଂପକ୍ଷ ହୁଅଇ
ତ୍ରଇଲୋକ୍ୟ ମଧ୍ୟେ ଆଜ କେ ଅର୍ଜୁନକୁ ରଖଇ ।୧୫୫।
ଚଳାଅ ରେ ଥାଠ ମୋର ଅର୍ଜୁନ କତିକି
ଭୀମସେନ କୋପକଲା ଦ୍ରିଯୋଧନ କୋପ ଦେଖି ।୧୫୬।
ବାଆନ ବାଆନ ଭାର ଗଦା ବେନି କରେ ଘେନି
ବୀରବର ପ୍ରତଗ୍ୟାଂ ସେ କରଇ ପାବେନି ।୧୫୭।
ଯୁଝେଷ୍ଠି ବୋଇଲେ ବାବୁ ରହ ରହ ଭୀମ
ଅର୍ଜୁନ ତୁଲେ ସାଂଗ୍ରାମ କରନ୍ତି କୃଷ୍ଣ ବଳରାମ ।୧୫୮।
ଯାବତ କାଳେ ହରି ଆମ୍ଭନ୍ତ କରଇ ରକ୍ଷା
ତାହାର କୋପ କଲେ ଆମ୍ଭର କିସ କକ୍ଷା ।୧୫୯।
ଯୁଝେଷ୍ଠି ବୋଇଲେ ବାବୁ ଶୁଣରେ ସହଦେବ
ଶ୍ରୀହରି ଅର୍ଜୁନ ବେନି ଭାବ କି ଅଭାବ ।୧୬୦।
କରପତ୍ର ଯୋଡ଼ି ସହଦେବ ଯେ ବୋଇଲେ
ଜଗନ୍ନାଥଂକ ବୋଲ ଶୁଣି ଅର୍ଜୁନ ସୋହୋଦ୍ରାକୁ ହରିଲେ ।୧୬୧।
ସ୍ୱାମୀ ଦେବଂକୁ ଦୁଲଭ ଯେବଣ ଦ୍ୱାରିକା
ଅର୍ଜୁନଂକ ଦର୍ପେ କାହିଂ ୟେତେକ ନିଶଂକା ।୧୬୨।
ଯଦ୍ୟପି ବଳରାମ କଲେ ଯୁଦ୍ଧ ଅର୍ଜୁନଂକ ତୁଲେ
ଧନୁ ଚକ୍ର ଗଦା ସହିତେ ହରି ଅର୍ଜୁନଂକୁ ଦିଲେ ।୧୬୩।
ଲକ୍ଷେ ଷାଠିୟେ ସହସ୍ର ଅଶି ସୁତ ଜଗନ୍ନାଥଂକର
ଅର୍ଜୁନଂକୁ ଆବୋରି ଯାଦବଂକ ତୁଲେ କରନ୍ତି ସମର ।୧୬୪।
ସହଦେବ ତହୁଂ ୟେସନେକ ବାଣୀ ଶୁଣି
ଅନେକ ସାନନ୍ଦ ହୋଇଲେ ଧର୍ମ ନୃପମଣି ।୧୬୫।
ଭୀମସେନକୁ ବୋଇଲେ ବାଟ କଢାଅ ରେ ଭାଇ
ଅର୍ଜୁନର ତହିଂକି ଚାଲ ଯିବା ବେଗ ହୋଇ ।୧୬୬।
ଭୀମ ବୋଇଲା ଦ୍ରିଯୋଧନ ଦଣ୍ଡ ଘେନି ପଡ଼ୁଅଛି ମାଡ଼ି
କେଉଂଣ କତିକି ସ୍ୱାମୀ ଯିବା ୟେହାକଇଂ ଛାଡ଼ି ।୧୬୭।
ହାଥୀ ୟେକ ଆରୋହୀ ଯେ ରାଜା ମାନଗୋବିନ୍ଦ
ଅତି ବେଗେ ଥାଠ ଚଳାଇଲା କଉରୋବ ନରେନ୍ଦ୍ର ।୧୬୮।
ଧୁଶାସନ ଭୂରିସର୍ବା କର୍ଣ୍ଣ ଶକୁନି କୁରୁପତି
ଅଶି ଲକ୍ଷ ଯୋଦ୍ଧା ଘେନି ମିଳିଲେ ଅର୍ଜୁନର ପଛକତି ।୧୬୯।
ପଦ୍ମନ ପଚାରଇ ସ୍ୱାମୀ ଶୁଣ ଫାଲଗୁନି
ପଛକତି ଦିଶଇ ତୁମ୍ଭର ସେ କେଉଂଣ ରାଜାର ସଇନି ।୧୭୦।
ପଦ୍ମନର ବଚନେ ପଛକୁ ଚାହିଂଲେ ପାର୍ଥିବ
ଦେଖଇ ରଥ ଗଜ ଅଶ୍ୱ ନୃପତି କୁରୁଦେବ ।୧୭୧।
ବହୁତ ସମ୍ଭର ଯେ ଅପ୍ରମିତ ଥାଠ
ବ୍ରହ୍ମାଣ୍ଡ ଉଛୁଳଇ ସଇନି ସମରାଷ୍ଟ ।୧୭୨।
ନବ ଯୋଜନ ମାଡ଼ି ଯେ ରହିଛି ସଇନି
ଆକାଶ ଉଛୁଳଇ ଯେ ମୁଖରାବ ଧୁନି ।୧୭୩।
ଦେଖୁଂ ଦେଖୁଂ ଚମକାଇଲା ନୃପତି କଉରୋବ
ସହସ୍ରେ ପୁର କରି ଅର୍ଜୁନକୁ ବେଢିଲେ ରାଜଦେବ ।୧୭୪।
ଶୁଣ ହୋ ମହାରାଜା ଅର୍ଜୁନର ଚରିତ
କ୍ଷୀରୋଦ୍ର ମନ୍ଥନେ ଯେହ୍ନେ ମନ୍ଦର ପର୍ବତ ।୧୭୫।
କ୍ଷୀରୋଦ୍ର ହୋଇଲା ଯେହ୍ନେ ଦଧିର ନଉତି
ମନ୍ଦର ଖୁଆ କରି ଯେହ୍ନେ ଦେବତାୟେ ମନ୍ଥି ।୧୭୬।
ୟେହେନେକ କଉରୋବ ଯାଦବ ବଳ ହୋଇଲେ ବାରାନିଧି
ଅର୍ଜୁନ ମନ୍ଦର ଯେହ୍ନେ ମନ୍ଥଇ ଯେ ଦଧି ।୧୭୭।
କୁରୁବଳ ଥାଠ ମନ୍ଥନ ଯେ କରଇ ସର୍ବସାଚୀ
ଅସଂଖ୍ୟ ଦେଖି ବିଷାଦ ସେ ହୋଇଲେ ଶ୍ରୀବଚ୍ଛି ।୧୭୮।
ଦ୍ରିଯୋଧନର ଥାଠ ଦେଖି ସେ ବୀର ବିକ୍ରୋଦର
କୋପେଣ ଧାମଇଂ ସେ ପାଣ୍ଡବ ସୁନ୍ଦର ।୧୭୯।
ବାଆନ ବାଆନ ଭାର ଗଦା ବେନି କରେ ଘେନି
ଘୋଟିଲା ବିକ୍ରୋଦର ସେ କଉରୋବ ସଇନି ।୧୮୦।
ଦ୍ରିଯୋଦନର ବରବେଶ ଦେଖି ବଳରାମେ
ହଳ ମୂଷଳ ଘେନି ଆପଣେ ପଶିଲେ ସାଂଗ୍ରାମେ ।୧୮୧।
ମହାଭୀଷ୍ମ ରୂପେ ସେ ଦେବ ହଳଧାରୀ
ପାଦଭରେ ଯେ ହେଳ ଘେନଇ ବସୁନ୍ଧରୀ ।୧୮୨।
ରଡ଼ିର ଶବଦ ଘାତେ ତ୍ରାସିଲେ ଦିଗପାଳେ
ବିଦ୍ୟାଧର ପୁରୁଷେ ନ ରହିଲେ ଗଗନ ମଣ୍ଡଳେ ।୧୮୩।
କୋଟିୟେ ସିଂଘର ଯାହାର ପରାକ୍ରମ
ଛଡ଼ ଲକ୍ଷ ଯୋଜନେ ତ୍ରାସିଲକ ଯମ ।୧୮୪।
ଯହୁଂ ଭୀଷ୍ମରୂପ ପ୍ରକାଶିଲେ ରାମଚନ୍ଦ୍ରେ
ଦେଖିଣ ମୂର୍ଚ୍ଛାଗତ ହୋଇଲେ ସଉଭଦ୍ରେ ।୧୮୫।
ବଳରାମଂକ ଭୀଷ୍ମମୂର୍ତ୍ତି ଦେଖ ହୋ ବୀର ପାଥ
ୟେହିକ୍ଷଣି ରଥ ତୁମ୍ଭର କରିବେ ଭଗନସ୍ତ ।୧୮୬।
କେହି ନ ବ୍ରତିବଟି ବଳରାମଂକର ମୁଖେ
କେସନେକେ ଶରୀର ଧରିବି ମୁଂ ସ୍ୱାମୀ ଦୁଖେ ।୧୮୭।
ଅର୍ଜୁନ ବୋଇଲେ ସଖୀ ମିଛେ ନୋହ ବାଇ
ୟେମନ୍ତ କଥାରେ ଗୋ ଆମ୍ଭନ୍ତ କି ପାଇ ।୧୮୮।
ଦେଖ ଗୋ ସଉଭଦ୍ରେ ମୋହୋର ପରତାପ
ୟେକା ନାରାଜକେ ଭାଙ୍ଗିବି ବଳରାମଂକର ଦର୍ପ ।୧୮୯।
ୟେଥୁ ଅନନ୍ତରେ ବଳରାମଂକର ସନ୍ନିଧ୍ୟେ ପ୍ରବେଶ କୁରୁପତି
ଭୀଷ୍ମ ଦ୍ରୋଣ ଦୁହେଂ ରଥୁଂ ଓହ୍ଲାଇଲେ ତତକ୍ଷଣାନ୍ତି ।୧୯୦।
କର୍ଣ୍ଣ ଶଲ୍ୟ ଭୂରିସର୍ବା ବାହ୍ଲିକ ଶକୁନି
ସମସ୍ତେ ପ୍ରଣପତ୍ୟ ରାମଂକ ପାଦ ବେନି ।୧୯୧।
ବଳରାମେ ବୋଇଲେ ତୁମ୍ଭେ ଶୁଣ ହୋ ଗାଙ୍ଗେବ
ୟେହେନେକ ବିଚାର ଯେ କଲାକ ପାଣ୍ଡବ ।୧୯୨।
ବଳାତ୍କାରେ ଦେଖ ୟେ ହରିଲା ସୋହୋଦ୍ରାକୁ
ଆମ୍ଭେ ବରି ଅଣାଇଲୁଂ ଦ୍ରିଯୋଧନ ରାଜାକୁ ।୧୯୩।
ଭୀଷ୍ମେ ବୋଇଲେ ଦେବ କୋପ ସଂହରିବା
ନ ଜାଣି ଅର୍ଜୁନ ଦୋଷ କଲା ଅବା ।୧୯୪।
କୁରୁ ପାଣ୍ଡବ ଦେବ ନୋହନ୍ତି ଭିନ୍ନ ଭିନ୍ନ
ଯେ ଦ୍ରିଯୋଧନ ପ୍ରତକ୍ଷେ ସେ ଅଟଇ ଅରଜୁନ ।୧୯୫।
ଦ୍ରିଯୋଧନ ବୋଇଲା ଭୀଷ୍ମେ ବୋଇଲେ ଯାହା
ମୋହୋର ତହିଂ ଥାଇ ପାଣ୍ଡବଂକୁ ଅନେକ ସେନେହା ।୧୯୬।
ଆଜ ପାଣ୍ଡବନ୍ତ କେ କରଇ ରକ୍ଷା
ତୁମ୍ଭର ତାହାଂକୁ ହୋ ୟେତେକ ଉପେକ୍ଷା ।୧୯୭।
ତୁମ୍ଭେ ମୋହୋର ସାଂଗ୍ରାମ ଦେଖ ଦେବରାଜ
ଜୀବନ୍ତେ ପାଣ୍ଡବନ୍ତ ନ ଥୋଇବି ମୁହିଂ ଆଜ ।୧୯୮।
ଦ୍ରିଯୋଧନର ବଚନେ ବୋଇଲେ ଜଗନ୍ନାଥ
ପାଣ୍ଡବନ୍ତ ସାଂଗ୍ରାମେ ତୁ କିସ ସାମରଥ ।୧୯୯।
ଖାଣ୍ଡବ ବନ ଦହନ କରି ଜିଣିଲା ଅମରାଧି
ଅଗ୍ନିକି ତୋଷ କଲା ଯେ ଦେଇଣ ମଉଷଧି ।୨୦୦।
ପାଣ୍ଡବାସୁର ତୁମ୍ଭନ୍ତ ଯେ କରୁଥିଲା ଭକ୍ଷ
ସେ ପାଣ୍ଡବାସୁର ମାରି ତୁମ୍ଭକଇଂ କଲା ରକ୍ଷ ।୨୦୧।
ପାଞ୍ଚାଳ ଦେଶେ ଯେ ଦ୍ରୋପଦର ପୁରେ
ଦ୍ରୋପତୀକି ସ୍ୱୟମ୍ବର ସେ କଲାକ ସମ୍ଭରେ ।୨୦୨।
ଲକ୍ଷେ ନୃପତି ଯେ ଥିଲେ ସମଦଣ୍ଡେ
ସମସ୍ତ ଦିଗପାଳେ ଥିଲେ ଦେଖିଲେ ବ୍ରହ୍ମାଣ୍ଡେ ।୨୦୩।
ଆହା ମାନଗେବିନ୍ଦ ତୁ ନୋହସି ଦ୍ୱନ୍ଦକାରୀ
ଅର୍ଜୁନକୁ ସାଂଗ୍ରାମେ ନୋହୁ ଆମ୍ଭେ ସରି ।୨୦୪।
ଅପାର ବଚନ ଯେ ବୋଲନ୍ତି ଜଗନ୍ନାଥେ
ଅନେକ ଧଂସି ହୋଇବ ଅର୍ଜୁନର ହାଥେ ।୨୦୫।
ୟେ ଦ୍ୱାପର ଯୁଗେ ହାଦେ ଅର୍ଜୁନ ଅଟଇ ଭାରୋଇ ମଲ୍ଲ
ପୃଥୀର ଭାରାଭର କରିବ ଉଦ୍ଧାର ।୨୦୬।
ତାରକା ସାଂଗ୍ରାମେ ଯେହ୍ନେ ଦିଶନ୍ତି କୁମାରେ
ଅର୍ଜୁନର ମହିଂମା ଯେ ତେହ୍ନେକ ଆକାରେ ।୨୧୦
ଯେବଣ ଶର ଦିଲେ ବଶ୍ୟାନର ଦେବତା
ତାହା ସୁମରଣା କଲା ଯେ ଅର୍ଜୁନ ବଳବନ୍ତା ।୨୧୧।
ଅବିକ୍ଷଣେ ବାଣ ଆସି ହୋଇଲା ପରାପତ
ପିନାକ ଧନୁ ପ୍ରବେଶ ଯେ ମାୟାବତୀ ରଥ ।୨୧୨।
ଅଗ୍ନି ଦେବତା ଦେଇଥିଲେ ରଥ ନନ୍ଦିଘୋଷ
ବାବୁ ମୀନକେତନ ତୁ ରେ ୟେ ରଥରେ ବସ ।୨୧୩।
ଅର୍ଜୁନର ବଚନ ଶୁଣିଣ ପଦ୍ମନ
ସେ ରଥରେ ବସିଲା ଯେ ରୁକ୍ମିଣୀ ନନ୍ଦନ ।୨୧୪।
ସମର ସମ୍ଭର୍ବ ଯେ ଦେଖାଇ ଅନଙ୍ଗ
କଉରୋବ ଥାଠ ସେ ଯେ ଆବୋରିଲା ବେଗ ।୨୧୫।
ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ
ସମସ୍ତଂକ କରେ ଦିଶଇ ଶଙ୍ଖ ଚକ୍ର ଚିହ୍ନ ।୨୧୬।
ଶ୍ରୀଭୁଜେ ଧନୁ ଧରି ସେ ନାରାୟଣ ବଳା
କୋପେଣ କୁମାରେ ଯେ ପେଷିଲେ ଶରମାଳା ।୨୧୭।
ପଡ଼ନ୍ତି ନାରାଜେ ଯେସନେକ ଆକାଂଶୁ ବଜ୍ରସୂଚି
ବଳରାମକୁ ସାଂଗ୍ରାମେ ଆବୋରିଲେ ସର୍ବସାଚୀ ।୨୧୮।
ଦେଖି ବଳରାମେ ଚାହିଂଲେ ଭୀଷ୍ମଂକର ମୁଖ
ବଳୀୟାର ଚୋରର ହୋ ପ୍ରତଗ୍ୟାଂ ପୁଣ ଦେଖ ।୨୧୯।
ଭଗ୍ନୀକି ମୋହୋର ଯେ ହରିଲା ବଳାତ୍କାରେ
ଆବର ଯୁଦ୍ଧ କରି ଲୋଡ଼ଇ ଆମ୍ଭର ସଙ୍ଗରେ ।୨୨୦।
କୋପେ ହଳ ମୂଷଳ ଯେ ବୁଲାଇ ଦେବ ହଳୀ
ଅର୍ଜୁନର ସନ୍ନିଧ୍ୟେ ବିଜୟେ ମହାବଳୀ ।୨୨୧।
ବଳରାମେ ପ୍ରତିଉତ୍ତର ଦିଲେ ଅର୍ଜୁନକୁ
ତ୍ରଇଲୋକ୍ୟେ ପାଣ୍ଡବା ରେ ଆଜ କେହୁ ତୋତେ ରଖୁ ।୨୨୨।
ଅର୍ଜୁନ ବୋଇଲେ ରାମ ପୀରତି ବଡ଼ ଜଣ
ସାଂଗ୍ରାମ କଲେ କେ କାହାକୁ ଓଚ୍ଛ ପୁଣ ।୨୨୩।
ପୀରତି ଦାସ ମୁହିଂ ଭଗତମତ୍ସଳ
କଇଚ୍ଛା ଜଗଜେଠୀ ମୁଂ ଦୁଖୀ ଜନଂକ ସୋଦର ।୨୨୪।
ଯଦ୍ୟପି ବଳରାମ ତୁମର ଆମର ପୀରତି
ତୁମର ପଦ୍ମପାଦେ ଶତେ ସହସ୍ର ପ୍ରଣତି ।୨୨୫।
ତୁ ଯେବେ ମୋହୋର ତୁଲେ ହୋଇବୁ ଅଭାବ
ୟେକା ଅରଜୁନ ମୁଂ ତୁ ସହସ୍ରେ ବଳଦେବ ।୨୨୬।
ପ୍ରସନ୍ନେ ପରମ ବନ୍ଧୁ ମୁହିଂ ତ୍ରଇଲୋକ୍ୟ ଭୁବନ ଘୋଟି
ଦୁଷ୍ଟ ନିବାରଣ ମୁଂ କଇଚ୍ଛା ଜଗଜେଠୀ ।୨୨୭।
ଅର୍ଜୁନର ପ୍ରତଗ୍ୟାଂ ଦୁସହ ଦୃଭାର ଦେଖି
ବଜ୍ର ମୂଷଳ ବୁଲାଇଲେ ରାମ ଉପ୍ରୋଧ ଉପେକ୍ଷି ।୨୨୮।
ଲୋହଶର ନାରାଜ ଯେ ଲୋହଶର ଧନୁ
କୋଟିୟେ ବଳ ଧନୁ ଧଇଲେ ଯେ ରୋହିଣୀର ତନୁ ।୨୨୯।
ଶତେକ ନାରାଜ ଯେ ପୂରୋଇ ଅବିଚ୍ଛନ୍ନେ
ପେଷିଲେ କାମପାଳ ଯେ ମହାକୋପ ମନେ ।୨୩୦।
ସମରେ ସମ୍ଭର୍ବେ ଯେ ଦେବ ହଳପାଣି
ଆକ୍ରେଷି ନାରାଜ ଯେ ପେଷିଲେ ପୁଣ ପୁଣି ।୨୩୧।
ୟେକା ଶହସ୍ର ଜ୍ୟୋତି ଆଦିତ୍ୟ ତେଜ ପ୍ରାୟେ
ୟେମନ୍ତେ ଲକ୍ଷେ ନାରାଜ ବିନ୍ଧିଲେ ଦେବରାୟେ ।୨୩୨।
କରେ ଧନୁ ଧରିଲେ ବୀର ଫାଲଗୁନି
ପହୁଡ଼ଇ ବାସବି ଯେ ଶ୍ରୀକରେ ନାରାଜ ଘେନି ।୨୩୩।
ଶହସ୍ରକୁ ଶହସ୍ର ଯେ ଅର୍ଜୁନ ସଂପାଦି
ବଳରାମଂକ ଶହସ୍ରମାନ ପକାଇଲା ଛେଦି ।୨୩୪।
ଯାନ ବାହାନ ଚଢି, ସମସ୍ତ ବୃନ୍ଦାଅର୍କେ
ଆକାଶେ ଥାଇ ସମର ଦେଖନ୍ତି କଉତୁକେ ।୨୩୫।
ନାରଦ ବିଜେ କଲେ ଦଣ୍ଡ ବୀଣା ବାଇ
କଳା କୁତୋହଳ ଦେଖିବା ପେଟ ଯେ ପୂରୋଇ ।୨୩୬।
ଲାଗୁ ଲାଗୁ ସାଂଗ୍ରାମେ ଯେ ହୋଉ ରଣରଙ୍ଗ
ସାଧୁରେ ପାଣ୍ଡବା ଜୀବନ ତୋହୋର ଧନ୍ୟ ଧନ୍ୟ ଅଙ୍ଗ ।୨୩୭।
ଅର୍ଜୁନ ବଳରାମ ଶର ବିନ୍ଧାବିନ୍ଧି
ଓହୋବଳ ଥାଠେ ଅର୍ଜୁନ ମହାଯୋଧି ।୨୩୮।
ଲାଘବ ଶରେ ଯହୁଂ ରାମ ନୁଆରିଲେ ଜିଣି
ଦେବ ଶସ୍ରମାନନ୍ତ ଦେବ ବସାଇଲେ ଆଣି ।୨୩୯।
ତ୍ରଇଲୋକ୍ୟ ଘୋଟଇ ଯେବଣ ନିର୍ଘାତ ବାଣ
କୋପେ ପ୍ରହାର କଲେ ସେ ଦେବ ସଂକ୍ରିଷେଣ ।୨୪୦।
ଜ୍ୱାଳାବଳୀ ବାଣ ଯେ ଧନୁର୍ଜୟେ ବିନ୍ଧି
ରାମର ନିର୍ଘାତ ବାଣ ବେଗେ ପକାଇଲା ଛେଦି ।୨୪୧।
ରାଗେଣ ଅନିର୍ଯ୍ୟାପ ବାଣ ବିନ୍ଧିଲେ ସଂକ୍ରିଷଣ
ଧାତିକରେ ମାଇଲେ ଦେବ ସହସ୍ରେକ ବାଣ ।୨୪୨।
କୋପେଣ ଧନୁର୍ଜୟେ ବିନ୍ଧିଲା ବଜ୍ର ସୂଚି
ରାମର ଶହସ୍ର ବାବୁ ଛେଦିଲେ ସର୍ବସାଚୀ ।୨୪୩।
ସହସ୍ରଧାରା ନାରାଜ ଅମୋହ ଶକତି
ଅର୍ଜୁନ ଉପରକୁ ତାହା ପେଷିଲେ ହଳପତି ।୨୪୪।
ମହା ଅନଳ ଜାଣି ଶକତିର ତେଜ
ଆକାଶ ତେଜି ଅନ୍ତର ହୋଇଲେ ଦେବରାଜ ।୨୪୫।
ଅର୍ଜୁନ ରଖ ବୋଲି ଶୁଭିଲା ଘୋର ବାଣୀ
କାଳାନଳ ଶର ଅର୍ଜୁନ ପେଷିଲାକ ପୁଣି ।୨୪୬।
ଅର୍ଜୁନର ଶର ଯେ ତ୍ରିଭୁବନ ଘୋଟି
ରାମର ଶହସ୍ର ଧାରମାନ ସମସ୍ତ ଛେଦିଲା କିରାଟୀ ।୨୪୭।
ଭୁଜ ବାଣ ବୋଲି କରି ଯେ ଅନାଦି ଦେବ ଶର
ସେ ବାଣ ଶ୍ରୀକରେ ଯେ ଘେନିଲେ ନୀଳାମ୍ବର ।୨୪୮।
ଅପାଲଟକ ଶର ସେ ନ ଜିଣିଲେ ନ ବାହୁଡ଼ଇ
ଯାହାକୁ ପେଷିବ ତାହାକୁ ଅବଶ୍ୟ ନାଶ କରଇ ।୨୪୯।
ଅଷ୍ଟାଙ୍ଗେ ଜିଣି ନୁଆରି ତାହା ନୀଳାମ୍ବର ପେଷଇ
ପ୍ରଳୟ କାଳ ପ୍ରାୟେକ ବାଣ ଆସନ୍ତେଣ ଦିଶଇ ।୨୫୦।
ସେ ଭୁଜବାଣ ଦେଖନ୍ତେ ପଳାଇଲେ ସକଳ ସଇନି
ୟେକା ରଥେ ରହିଲା ପାଥ ସୋହୋଦ୍ରାକୁ ଘେନି ।୨୫୧।
ସମସ୍ତ ଭୁବନ ବ୍ୟାପିଲା ଯେ ଭୁଜବାଣର ତେଜ
ପେଷନ୍ତେ ସକଳ ବ୍ରହ୍ମାଣ୍ଡ କି ହୋଇବ ଦହିଜ ।୨୫୨।
ସେ ଭୁଜବାଣ ତେଜ ଦେଖିଣ ଜଗନ୍ନାଥେ
ନୀଳବାଣ ଦିଲେ ହରି ଅର୍ଜୁନର ହାଥେ ।୨୫୩।
କେହୁଣସି ଶହସ୍ରେ କ୍ଷୟେ ନୋହଇଟି ଭୁଜବାଣ
ୟେ ନୀଳବାଣ ପେଷି ଅର୍ଜୁନ ତୁ ଭୁଜବାଣ କର ସଂଘରଣ ।୨୫୪।
ୟେହା ଶୁଣି ନୀଳବାଣ ପେଷିଲେ ବାସବର ବଳା
ବଳରାମଂକ ଭୁଜବାଣ ସେ ଗର୍ଭେ ସଂହରଣ କଲା ।୨୫୫।
ଆକାଶେ ତ୍ରିଦଶ ଦେବ କଲେ ଜୟେ ଜୟେ
ଆଜହୁଂ ବିଜୟ ନାମ ତୋର ହୋଉ ବୋଇଲେ ସୁରରାୟେ ।୨୫୬।
ପୁଷ୍ୟ ବୃଷ୍ଟି କଲେ ଦେବ ଅର୍ଜୁନର ମାଥ
ତହୁଂ ବିଜୟ ନାମ ପାଇଲା ବୀର ପାଥ ।୨୫୭।
ପଦ୍ମନର ତୁଲେ ଯେ ଦ୍ରିଯୋଧନର ଯୁଦ୍ଧ
ବହୁତ ସାଂଗ୍ରାମେ ସେ ଯେ ହୋଇଲା ରଣ ମଧ୍ୟ ।୨୫୮।
ବହୁତ ସମର ଶାମ୍ବରେ ତୁଲେ କରଇ ଧୁଶାସନ
ଗଦ କୁମର ତୁଲେ ଦୁର୍ଜୟର ସମର ଅନୁକ୍ଷଣ ।୨୫୯।
ଭୀମର ତୁଲେ ଯୁଦ୍ଧ କର୍ଣ୍ଣ ମହାରଥୀ
ସହଦେବର ସଂଗେ ସମର କରଇ ଶକୁନି ମହାମନ୍ତ୍ରୀ ।୨୬୦।
ଦ୍ରୋଣଂକର ତୁଲେ ସମର କରଇ ସାତୁକୀ
ଭୀଷ୍ମଂକର ତୁଲେ ଅକ୍ରୂର ଯୁଦ୍ଧ କରଇ ଡାକି ।୨୬୧।
ସତ୍ୟଭାମାଂକର ନନ୍ଦନ ଚିତ୍ର ବୋଲି ନାମ
ଅଶସ୍ତମାର ତୁଲେ ଯେ ବହୁତ ସାଂଗ୍ରାମ ।୨୬୨।
କାଳିନ୍ଦୀର ନନ୍ଦନ କୁମାର ଜୟନ୍ତେକ
ଭୂରିସର୍ବାଂକର ତୁଲେ ସେ ସମର କରଇ ଅନେକ ।୨୬୩।
ସତ୍ୟାର ନନ୍ଦନ କୁମାର ଶମ୍ଭୁରାଣ
ଶଲ୍ୟଂକର ତୁଲେ ସାଂଗ୍ରାମ ଅପ୍ରମାଣ ।୨୬୪।
ନକୁଳ କୃପ ଯେ ହୋଇଲେକ ଭେଟ
ଅନିର୍ଯ୍ୟାପ ସମର ହୋଇଲା ଓହୋବଳ ଥାଠ ।୨୬୫।
ଗଦାବର ବୁଲାଇଣ ଭୀମସେନ ଗର୍ଜି
କର୍ଣ୍ଣର ରଥ ଧରି ସେ ପକାଇଲା ଭାଞ୍ଜି ।୨୬୬।
ଦ୍ରୋଣଂକର ରଥ ସେ ଧରି କୋପଭରେ
ଧାତିକାରେ ପିଟିଲା ନେଇ ଭୀଷ୍ମଂକ ରଥରେ ।୨୬୭।
ଭାଜିଣ ଚୂର ଯେ ହୋଇଲା ରଥ ବେନି
ରାଗେ ଭୀମସେନ କଚାଡ଼ଇ ଅନେକ ସଇନି ।୨୬୮।
ଯେସନେକ ବଳୟା ଗର୍ଜଇ ଗଜ ଦେଖି
ପ୍ରହାରଇ ମାରୁତି ଯେ ଉପ୍ରୋଧ ଉପେକ୍ଷି ।୨୬୯।
ପଦ୍ମନର ସମର କହିବ କେ ପାରି
ଅନେକ ସନ୍ୟ ସମରେ ମାଇଲା ଶୟମ୍ବର ଅଜରି ।୨୭୦।
ଅନଙ୍ଗ ଶର ବାଣେ ପଡ଼ିଲେ କଉରୋବେ
ରଣରଙ୍ଗ ରସେ ଯେ ବିହଡ଼ନ୍ତି ପାଣ୍ଡବେ ।୨୭୧।
ମହିଷା ନାଶ କାଳେ ଯେହ୍ନେ ବିହଡ଼ନ୍ତି କାତ୍ୟାୟନୀ
ବିହଡ଼ନ୍ତି ପାଣ୍ଡବେ ଯେ ମାରନ୍ତି ସଇନି ।୨୭୨।
ଶ୍ୱେତ ହାଥୀ ୟେକ ଚଢି ଦେବ ଧର୍ମ ଯେ ଯୁଝେଷ୍ଠି
ଶ୍ରୀଜଗନ୍ନାଥଂକର ସନ୍ନିଧ୍ୟେ ଯାଇଂ ତାଂକୁ ଭେଟି ।୨୭୩।
ଯୁଝେଷ୍ଠିଂକି ଦେଖିଣ ସେ ଜଗମୋହନ ଯେ ସ୍ୱାମୀ
ରଥ ତେଜି ଯାଇଣ ଠାକୁରଂକ ସନ୍ନିଧ୍ୟେ ପରିଣାମି ।୨୭୪।
କର ପ୍ରସାରି ଧର୍ମେ କଲ୍ୟାଣ ଯେ ବାଞ୍ଛି
ଆଷ୍ୟ ଆରୋଗ୍ୟ ତୋହାର ଅପାଦ
ଖଣ୍ଡଣ ହୋଉ ହୋ ଶ୍ରୀବଚ୍ଛି ।୨୭୫।
ଯୁଝେଷ୍ଠି ଦେବ ବୋଇଲେ ତୁ ଜଗତମୋହନ
ବାବୁ ୟେଡ଼େକ ଅନୀତି କିମ୍ପେ କଲାକ ଅର୍ଜୁନ ।୨୭୬।
ବିଚାରକୁ ଯୋଗାଇଲେ ଦେଇ ନା କୁମାରୀ
ଅବିଚାରେ ପାଥ କିମ୍ପା ବଳାତ୍କାର କରି ହରି ।୨୭୭।
ବାବୁ ତୋହୋର ଥାଉଂ କିମ୍ପେ ୟେଡ଼େକ ପରମାଦ
ତୁମ୍ଭର ତୁଲେ କିମ୍ପା ଆମ୍ଭର ୟେଡ଼େ ଦ୍ୱନ୍ଦ ।୨୭୮।
ଦେଖୁଂ ଦେଖୁଂ ପଡ଼ିଲେନି ଅନେକ ସଇନି
ଆଜ ୟେଥୁଂ କାହୁ ଯିବେକି ଦେହ ଘେନି ।୨୭୯।
ହରି ଚଉବିଂଶ ଯୋଜନ ୟେ ରଇବ୍ରତ ପର୍ବତ
ରକତ ମାଂୟେସ କର୍ଦ୍ଦମ ହୋଇଲାନି ଅପ୍ରମିତ ।୨୮୦।
ଧୃତିରାଷ୍ଟ ପୋୟେ ନ ପୁଣ ହୋଅନ୍ତି ପ୍ରାଣତ୍ୟାଗ
ଅର୍ଜୁନକୁ ସମାଧାନ କି ରୂପେ କରିବା ଦେବରାଜ ।୨୮୧।
ଗୋବିନ୍ଦ ବୋଇଲେ ଅର୍ଜୁନ ବଳରାମଂକ ଶରଘାୟେ
ରାତ୍ର ଦିଶୁଅଛି କିବା ଦିବସ ପରାୟେ ।୨୮୨।
କେ କାହାର ସୋଦର ଯେ କେ କାହାର ପ୍ରୀତି
ବାଣ ଜାଳାବଳୀ ଯାଇତ ନୋହେ କତି ।୨୮୩।
ସ୍ୱାମୀ ୟେହେନକ ସମର କରୁଛି ତୋହୋର ଭାଇ
ରୋମେକେ ଶତେ ନାରାଜ ବିନ୍ଧଇ ବଳରାମକଇ ।୨୮୪।
ୟେହେନେକ ଦେବ କରୁଛି ସମର
ୟେକ ଛିଦ୍ର ପାଇଲେ ମାରିବେ ନୀଳାମ୍ବର ।୨୮୫।
ଅର୍ଜୁନ କତିକି ଯିବା କେଉଣ ବାଗେ
ବ୍ରହ୍ମା ରୁଦ୍ର ଇନ୍ଦ୍ର କେ ମିଳିବ ତାର ଆଗେ ।୨୮୬।
ଯେବଣ ଶସ୍ରମାନ ସେ ବିନ୍ଧୁଛି ସର୍ବସାଚୀ
ମୋତେ ୟେ ଅଗୋଚର ବୋଲି ବୋଲନ୍ତି ଶ୍ରୀବଚ୍ଛି ।୨୮୭।
ଅର୍ଜୁନ କତିକି କେଉଣ ବାଗେ ଯିବା
ଶସ୍ରଂକର ତେଜେ ପଡ଼ିଲେ ଦେବ ଦହିଜ ହୋଇବା ।୨୮୮।
ଶାମ୍ବ କୁମାର ଯେ କରୁଛନ୍ତି ସମର
ନାରାଜ ବସିଲା ଯାଇଂ ଦ୍ରୋଣଂକ ହୃଦୟର ।୨୮୯।
ପିଠି କତିକି ନାରାଜ ଅଛଇ ନିକିଳି
ଆରେକ ବାଣ ଯେ ଛଇଛାଡ଼େ ଗଲା ଗଳି ।୨୯୦।
ଦ୍ରୋଣ ଅସାଷ୍ଟମେ ଯେ ପଡିଲେ ମୋହ ଯାଇଂ
ଅଶସ୍ତମା ବେଗେ ପିତାଂକୁ ଆବୋରିଲେ ଯାଇଂ ।୨୯୧।
ପିତାଂକୁ କୋଳ କରି ଧଇଲେ ଗୁରୁପୁତ୍ର
ଗଦ କୁମର ଗଦା ନେଇ ପିଟିଲା ଅଦ୍ଭୁତ ।୨୯୨।
ଶତେ ଭାର ଗୁରୁ ଯେ ଗଦା ଭାରା ପାଇ
ଦ୍ରୋଣଂକୁ କୋଳ କରି ଅଶସ୍ତମା ପଡ଼ିଲେ ନିବୁଜାଇ ।୨୯୩।
ରଥ ଚଢି ଦ୍ରୋଣଂକୁ ଆବୋରିଲେ ଶଲ୍ୟେ
ଗଦ କୁମାରଂକୁ ପୁଣି ଆବୋରିଲେ ମହାମଲ୍ଲେ ।୨୯୪।
ଧାମନ୍ତି ଶଲ୍ୟେ ଯେ ବୋଲିଣ ଆରେ ଆରେ
ବଜ୍ର ମୁଦୁଗର ପିଟିଲେ ଦେଇ ଗଦ କୁମର ଉପରେ ।୨୯୫।
ଦେଖିଣ ଗଦ କୁମରେ ତାହା ବାମ ଭୁଜେ ଧରି
ଶଲ୍ୟ ମହାରଥୀ ହାତରୁ ଗଦା ଘେନିଲେ ଉଛିଡ଼ି ।୨୯୬।
ସେହି ଗଦା ଘେନିଣ ଯେ ନେଉଟାଇ ପିଟି
ଦ୍ରୋଣଂକ ସଙ୍ଗରେ ଶଲ୍ୟ ପଡିଲେ ମହୀ ଲୋଟି ।୨୯୭।
ଦ୍ରୋଣ ଗୁରୁ ଅଶସ୍ତମା ଆବର ବୀରବର ଶଲ୍ୟ
ଘୁମାଇଂ ଅଚେତ ପଡ଼ିଲେ ତହିଂ ଭରୋଇ କୁଳ ମଲ୍ଲ ।୨୯୮।
ଭୀମସେନ ଗଦା ପ୍ରହାର କଲାକ କର୍ଣ୍ଣକୁ
ଗଦା ପଡ଼ି ତାହାର ଯେ ଭାଞ୍ଜିଲାକ ବୁକୁ ।୨୯୯।
ରଥ ସହିତେ ସମସ୍ତ ହୋଇଲା ମସୀଗୁଣ୍ଡା
ଧାମଇଂ ମାରୁତି ଯେ ତହିଂ ହୋଇଣ ପରଚଣ୍ଡା ।୩୦୦।
ଧାମଇଂ ବ୍ରିକୋଦର ହାଣିମ କର୍ଣ୍ଣକୁ
ସହଦେବ କୋଳ କରି ଧଇଲା ଭୀମକୁ ।୩୦୧।
ନୋହଇ ନୋହଇ ସ୍ୱାମୀ ୟେ କଉତୁକ ଯୁଦ୍ଧ
ସୋଦର ନାଶ କିମ୍ପା କରିବା ରଣ ମଧ୍ୟ ।୩୦୨।
ସହଦେବ ବଚନେ ଛାଡ଼ିଲା କର୍ଣ୍ଣକୁ
ରାଗେଣ ଗୋଡାଇଲା ପୁଣି ସେ ଯୋଦ୍ଧାମାନଙ୍କୁ ।୩୦୩।
ରଥେ ରଥ କଚାଡ଼ଇ ଭୀମସେନ ତୋଳି
ଅନେକ ରଥ ସଇନି ପିଟି କଲା ଧୂଳି ।୩୦୪।
ଶାମ୍ବ କୁମାର ଗଦ କୁମାର ବଳୀୟାର ପଦ୍ମନ
ୟେ ଚାରି କୁମାରେ ଯାଇଂ ଭେଟିଲେ ରାଜା ଦ୍ରିଯୋଧନ ।୩୦୫।
ଯେବଣ ସ୍ଥାନେ ଅଛି କଉରୋବରାଜ ଦେବ
ପଞ୍ଚାଶ କୋଟି ରଥ ଆବର ଗଜ ପାଞ୍ଚ ଖର୍ବ ।୩୦୬।
ୟେତେକ ଯୋଦ୍ଧା ରାଜାଂକୁ ଅଛନ୍ତି ଆବୋରି
ମୁକୁଟ ବନ୍ଧା ଯୋଦ୍ଧାୟେ ଅଛନ୍ତି ଲକ୍ଷ ଚାରି ।୩୦୭।
ଯେବଣେ ସ୍ଥାନେ ବିଜୟେ ଧୃତିରାଷ୍ଟ ସୁତ
ଅଶ୍ୱ ପାଦାନ୍ତି ବଳ ତହିଂ ପଞ୍ଚାଶ କୋଟି ମର୍ଭୁତ ।୩୦୮।
ଭଣ୍ଡାରକର ଧନ ମୂଳ ୟେକା କ୍ଷତ୍ରୀ ଗୋଟିକର
ୟେ ବିଧିରେ ଲକ୍ଷେ ଛତ୍ର ଧରା ଯୋଦ୍ଧା ଅଛନ୍ତି ଦ୍ରିଯୋଧନ ଛାମୁର ।୩୦୯।
ଆମ୍ଭର ଥାଠ ଦେଖି ଧାଇଂଲେ ଚାରି ବୀରେ
ସାଂଗ୍ରାମେ କଲେ ଯାଇଂ ଅତି ରୋଷଭରେ ।୩୧୦।
ବିଷ୍ଣୁଂକର ନନ୍ଦନ ସେ ସାଂଗ୍ରାମେ ନିର୍ଭୟା
ଯୁବା କୁମରମାନେ ସେ ଅଟନ୍ତି ନିର୍ଦ୍ଦୟା ।୩୧୧।
ପଶିଲେ ରଣରଙ୍ଗେ ଯେ ମନ୍ଥନ କଲେ ଥାଠ
ବେଢିଲେ କଉରୋବବଳ ଯାଇତେ ନାହିଂ ବାଟ ।୩୧୨।
ଗହଳ ଥାଠ ଦେଖି ସେ ବିହଡ଼ନ୍ତି କୁମାରେ
ନାରାଜେ ପଡି ଚୂର ହେଉଛନ୍ତି ତାହାଂକ ଉପରେ ।୩୧୩।
ଗୋଳ ଯୁଦ୍ଧ କଲେ ଥାଠ ଯଏ ପଡ଼ିଲା ହାଲହୋଳି
ଗଜଂକର ହାବୁଡ଼ା ଘାତେ ରଥ ହେଲେ ଧୂଳି ।୩୧୪।
ସମରେ ଗୋଳ ଧନ୍ଦୋଳ ଯେ ହୋଇଲା ମହାରୋଜ
ପଳାବନ୍ତି ସଇନି ଯେ ହୋଇଣ ଅସମ୍ଭାଳ ।୩୧୫।
ଗୋଳ ଦେଖି ଧାଇଂଲେ କୋପେଣ ପାବେନି
ଯମ ବିଜେ କଲେ କି କାଳଦଣ୍ଡ ଘେନି ।୩୧୬।
ମହାବାତେ ଯେସନେକେ ପଡ଼ଇ ବୃକ୍ଷମାଳା
କେଶରୀ ଦର୍ପ ପ୍ରାୟେ ହୋଇଛନ୍ତି ବୀରବଳା ।୩୧୭।
ଧୂଂଆନ୍ତି ଗଜ ଯୂଥ ମଥାରେ ଅଂକୁଶନ୍ତି ଖୁନ୍ଦି
ଥୋରହସ୍ତ ଧରି କଚାଡ଼ଇ ଅଚାର୍ଗଳ ଭୀମ ମହାଯୋଧି ।୩୧୮।
ଗଦ କୁମର ମହିଂମା ନ ଯାଇ ଗୋଚର
ଗଦାବର ବିଘାତେ ସମସ୍ତେ ହେଉଛନ୍ତି ଚୂର ।୩୧୯।
ଶାମ୍ବ ଗଦ ପଦ୍ମନ ୟେ ତିନି କୁମାରନ୍ତ
ୟେହାଂକ ରୂପ ଦେଖି ଯୋଧାମାନେ ହୋଇଲେ ଶଂକିତ ।୩୨୦।
ଅନେକ ରତ୍ନ ଅଳଂକାର ଆଭରଣ କାୟେ
ସବୁ କୁମାରେ ଦିଶନ୍ତି ବିଷ୍ଣୁ ତେଜ ପ୍ରାୟେ ।୩୨୧।
ଆପଣେ ବିଷ୍ଣୁ କଳା ଦେଇଛନ୍ତି ଦେବରାଜ
ସାଂଗ୍ରାମେ ସବୁ କୁମାରେ ଦିଶନ୍ତି ଚତୁର୍ଭୁଜ ।୩୨୨।
ଥାଠ ଭଗ୍ନ ଦେଖିଣ ଆପଣେ କୁରୁପତି
କୋପେଣ ଚଳାଇଲା ରାଜା ମୟେମତ୍ତ ହାଥୀ ।୩୨୩।
ଶାମ୍ବ ଗଦ ପଦ୍ମନ ୟେ କୁମାର ତିନି
ଥାଠ ଭଗ୍ନ କଲେ ସେ ସଙ୍ଗେଣ ପାବେନି ।୩୨୪।
ରଣ ଭଗ୍ନ ହୋଇ ଯହୁଂ ପଳାଇଲେ କଉରୋବେ
ରହି ସମର କରଇ ଦ୍ରିଯୋଧନ ରାଜଦେବେ ।୩୨୫।
ଗଦା ବୁଲାଇଣ ସେ ଯେ ଗଦ କୁମର
ଧାଇଂଣ ପିଟିଲା ଦ୍ରିଯୋଧନର ଗଜ ଉପର ।୩୨୬।
ହାଥୀର କୁମ୍ଭ ସ୍ଥଳ ଯେ ଭାଜିଲା ଗଦାବର ବିଘାତେ
ପଡ଼ିଲା ମୟେମତ୍ତ ଗଜ ଯେ ଗର୍ଜିଣ ଭୂମିଗତେ ।୩୨୭।
ବାହାନ ପଡ଼ନ୍ତେ ରାଜା ହୋଇଲା ପାଦଗତି
ପୁଣି ସତୁରି ଭାର ଗଦା ଘେନିଣ ଆରମ୍ଭ କୁରୁପତି ।୩୨୮।
ପଛେଣ ଧାଇଂଲା ପୁଣି ଗଦ ଯେ କୁମାର
ଗଦା ବୁଲାଇ ଉପରେ କଲାକ ପ୍ରହାର ।୩୨୯।
ପର୍ବତ ପ୍ରାୟେ କରି ବୁଲାଇ ବୀର ପିଟି
ନିଚେଷ୍ଟ ମାନଗୋବିନ୍ଦ ପଡ଼ିଲା ଭୂମିରେଣ ଲୋଟି ।୩୩୦।
ଶ୍ରୀ ଜଗନ୍ନାଥଂକ ନନ୍ଦନ କୋପେଣ କାଳାନଳ
ତକ୍ଷଣେ ଧଇଲା ଯାଇଂ ଦ୍ରିଯୋଧନର ବାଳ ।୩୩୧।
ବାବୁ ଛାଡ଼ ଛାଡ଼ କେଶ ବୋଇଲେ ପଦ୍ମନ
ଗଦ କୁମର ବୋଇଲା ସ୍ୱାମୀ ୟେହାରେ ସମସ୍ତ ଦ୍ୱନ୍ଦମାନ ।୩୩୨।
ଆଗ୍ୟାଂ ଦିଅ ଖଡ଼ଗେ ୟେହାର ପକାଇବି ମୁଣ୍ଡ କାଟି
ୟେକା ୟେହାର ନାଶ ଗଲେ ସରଇ ଅରଷ୍ଚି ।୩୩୩।
ପଦ୍ମନ ବୋଇଲା ୟେହାକୁ ନ କର ବଇରାଗ
ଧରିଦେବା ନେଇ ଅର୍ଜୁନ ଠାକୁରଂକ ଆଗ ।୩୩୪।
ବଳରାମଂକ ଆଗେ କହିଲେ ଅନାଧୃଷ୍ଚ
ସ୍ୱାମୀ ଦ୍ରିଯୋଧନ ରାଜାର ତେଣେ ହେଉଛି ଶିରକାଟ ।୩୩୫।
କୁମାରମାନେ ଯେ ଦ୍ରିଯୋଧନକୁ ନେଲେ କେଶ ଧରି
ତାହାଂକୁ ଲୋଡ଼ନ୍ତି ଯେ ପ୍ରାଣେ ନାଶ କରି ।୩୩୬।
ଶୁଣିଣ ବିରସ ଦେବ ରେବତୀ ରମଣ
ଅର୍ଜୁନ ତୁଲେ ସାଂଗ୍ରାମ କରନ୍ତି ସଂକ୍ରିଷେଣ ।୩୩୭।
ଅଷ୍ଟାଙ୍ଗେ ଜିଣି ଯହୁଂ ନୁଆରିଲେ କାମପାଳ
ରାଗେଣ ଘେନିଲେ ଦେବ ସଉନନ୍ଦ ମୂଷଳ ।୩୩୮।
ମହା ଯୋଗବଳେ ବିକାଶିଲେ ଘୋର ରୂପ
ତ୍ରଇଲୋକ୍ୟ କମ୍ପିଲା ଯେ ବଳରାମଂକ କୋପ ।୩୩୯।
ବଳରାମଂକ ଭୀଷ୍ମ ରୂପ ଦେଖିଣ ଅର୍ଜୁନ ମହାକୋପେ
ନାରାୟଣୀ ଶହସ୍ର ଅର୍ଜୁନ ଯୋଚିଲା ଗରୁତାପେ ।୩୪୦।
ନାରାୟଣୀ ଶସ୍ର ଅର୍ଜୁନ ପୂରୋଇଛି ଧନୁର
ବଇଷ୍ଣବୀ ଚକ୍ରକୁ ପାଥ ଧରିଅଛି ଦକ୍ଷିଣ କର ।୩୪୧।
ବାମ କରେ ଧରିଅଛି କଉମୁଦୀ ଗଦା ତେଜ
ବଳରାମେ ଦେଖିଲେ ଅର୍ଜୁନ ଚତୁର୍ଭୁଜ ।୩୪୨।
ୟେମନ୍ତ ସମୟେ ଦ୍ରିଯୋଧନର କେଶ ଧରି
ଅର୍ଜୁନ ଛାମୁକୁ ଧରି ଆଣି ଦିଲେ ଶଅମ୍ବର ଅଇରି ।୩୪୩।
ଦ୍ରିଯୋଧନ କେଶ ଧରି ଗଦକୁମର ବାମ ପାଣି
ଦକ୍ଷିଣ କରେ ଖଡ଼ଗ ବୁଲାଉଛି କୃତାନ୍ତେକ ଜାଣି ।୩୪୪।
ବୋଲନ୍ତି କୁମାରେ ଆଗ୍ୟାଂ ଦିଅସି କିରୀଟୀ
ପାମର ଦ୍ରିଯୋଧନ ଶିର ପକାଇବୁଂ କାଟି ।୩୪୫।
ଦ୍ରିଯୋଧନର ଶାସ୍ତି ଦେଖିଣ ଧର୍ମରାଜ ଯୁଝେଷ୍ଠି
ସୋଦର ନାଶ ଯାଉଅଛି ବୋଲି ସେ ହୋଇଲେ ମହାକଷ୍ଟି ।୩୪୬।
ହାଥୀ ତେଜ୍ୟା କରି ଦ୍ରିଯୋଧନକୁ କଲେ କୋଳେ
ରହ ରହ ଗଦ ବୋଲି ଆଗେ ଓଗାଳିଲେ ବଳେ ।୩୪୭।
ପ୍ରଦ୍ୟୁମ୍ନର ମୁଖ ଚାହିଂ ସେ ବଦନ୍ତି ଯୁଝେଷ୍ଠି
ମୋହୋର ପ୍ରାଣର ବଲ୍ଲଭ ୟେ ସୋଦର ଭାଇ ଗୋଟି ।୩୪୮।
ଅର୍ଜୁନର ମୁଖ ଚାହିଂ ବୋଲନ୍ତି ରତିପତି
ୟେ ମହାତ୍ମା କିୟେ ସ୍ୱାମୀ କିମ୍ପେ ୟେହାକୁ ଆବୋରନ୍ତି ।୩୪୯।
ଜଗନ୍ନାଥେ ବୋଲନ୍ତି ୟେ ଅଟନ୍ତି ଧର୍ମରାୟେ
ୟେହାଂକର କନିଷ୍ଠ ସେ ଯେ ଅଟନ୍ତି ବୀର ଧନୁର୍ଜୟେ ।୩୫୦।
ପ୍ରଦ୍ୟୁମ୍ନ ଶାମ୍ବ ଗଦକୁମାର ତିନି ଭ୍ରାଥେ
ପ୍ରଣପତ୍ୟ କରନ୍ତି ଧର୍ମରାଜାଂକ ପାଦଗତେ ।୩୫୧।
ଧର୍ମରାୟେ ବୋଲନ୍ତି କୁମାରଂକ ହାଥ ଧରି
ଦ୍ରିଯୋଧନ ରାଜାଂକୁ ଦିଲେ କେଶ ବନ୍ଧକୁ ପାରିକରି ।୩୫୨।
ୟେମନ୍ତର ସମୟେ ସେ ଦେବ ଚକ୍ରଧର
ଆପଣାର ତେଜ ଦିଲେ ଅର୍ଜୁନ ଶରୀର ।୩୫୩।
ବଳରାମେ ଦେଖିଲେ ଯେ ଅର୍ଜୁନର ଜ୍ୟୋତି କାନ୍ତି
ପ୍ରତକ୍ଷେ ଦିଶୁଅଛି ସେ ଜଗନ୍ନାଥଂକର ମୂରତି ।୩୫୪।
ମାୟାଧର ମାୟା ସେ ଯେ କଲେକ ହୃଷୀକେଶି
ନରସିଂଘ ମୂର୍ତ୍ତି ଜାଣି ପ୍ରତକ୍ଷେ ପାର୍ଥ ଦିଶି ।୩୫୫।
ଦେଖିଣ ଆଶ୍ରିଯ ସେ ହୋଇଲେ ବଳଦେବ
କରେ ଶହସ୍ର ଧରି ନୁଆରିଲେ ପ୍ରାଭବ ।୩୫୬।
ଯହୁଂ ସେ ଦେଖିଲେ ଅର୍ଜୁନର ଭୀଷ୍ମ ମୂର୍ତ୍ତି
କୋପ ସଂହରି ଦେବ ହୋଇଲେ ଶାନ୍ତି ମୂର୍ତ୍ତି ।୩୫୭।
ପରମ ସାନନ୍ଦ ସ୍ୱାମୀ ଦେବ କାମପାଳ
ଦ୍ରହସିତ ବଦନେ ସ୍ୱାମୀ ହୋଇଲେ ମତ୍ତଭୋଳ ।୩୫୮।
ତୁହି ସେ ଅର୍ଜୁନ ହୋ ପାଣ୍ଡବ ଧନୁର୍ଜୟେ
ତୁହି ସେ ପାର୍ଥିବ ହୋ ସାଧୁ ତୋର କାୟେ ।୩୫୯।
ତୁ ସେ ଭାରାଭାର ନିବାରନ୍ତା ଫାଲଗୁନି
ମିଛେହେଂ ଦ୍ୱନ୍ଦ ଆରୋପିଲି ତୋତେ ମୁଂ ନ ଚିହ୍ନି ।୩୬୦।
ପ୍ରତକ୍ଷେ ଦେଖିଲି ମୁଂ ତୋହୋର ମହିଂମା
ୟେକା ଶରୀର ତୋହୋର ପ୍ରତକ୍ଷେ ଦେଖିଲି ରୁଦ୍ର ବ୍ରହ୍ମା ।୩୬୧।
ଅନେକ ସାନନ୍ଦେ ବିନୋପନ୍ତି ବଳଭଦ୍ରେ
ବହୁତ ପୁରସରି କହନ୍ତି ସାନନ୍ଦେ ।୩୬୨।
ଅର୍ଜୁନରେ ପ୍ରୀତି ସେ ବଳାଇଲେ ପ୍ରିୟଭାବ
ରଣରେ ଦେଖିଲି ତୋତେ ପ୍ରତକ୍ଷେ ବାସୁଦେବ ।୩୬୩।
ଯେ ସେ ହରି ସେ ପ୍ରତକ୍ଷେ ଅରଜୁନ
ଆନ କେ ତୁମ୍ଭନ୍ତ କରିବାକ ଭିନ୍ନାଭିନ୍ନ ।୩୬୪।
ବଳରାମେ ଯହୁଂ କହିଲେ ପୁରସରି
ଶାନ୍ତି ହୋଇ ଅର୍ଜୁନ ରଥରୁ ଅବତାରି ।୩୬୫।
ବଳରାମଂକ ପାଦେ ଶତେ ସହସ୍ର ଦଣ୍ଡ ପରିଣାମି
ଅଲଂଘିତ ଦୋଷ ମୋର କ୍ଷମା କରିବାକ ଦେବ ସ୍ୱାମୀ ।୩୬୬।
ଅମୃତ ଦୃଷ୍ଟିରେ ସେ ଚାହିଂଲେ ବଳରାମ
ନିଚେଷ୍ଟ ବଳ ଶାନ୍ତି ସେ ହୋଇଲେ ସାଷ୍ଟାମ ।୩୬୭।
ଅନେକ ଅଭିମାନେ କୁରୁବଇ ରାୟେ
ଭଗ୍ନବଳ ଘେନି ସେ ବାହୁଡ଼ିଣ ଆୟେ ।୩୬୮।
ବିନୟ ଭାବ ହୋଇ ସେ ପାଣ୍ଡବ ସୁନ୍ଦର
ଅନେକ ତୁସ୍ତି କରଇ ସେ ସ୍ୱାମୀ ନୀଳାମ୍ବର ।୩୬୯।
ନମୋ ମନସ୍ତେ ରେବତୀ ରମଣ କାମପାଳ
ନମସ୍ତେ ବିକଟାଳ ଭୁଜଙ୍ଗ ମଉଳି ଧବଳ ।୩୭୦।
ନମସ୍ତେ ରୁଚିର ଧବଳ ଶରୀର ନୀଳାମ୍ବର
ନମସ୍ତେ ଅନନ୍ତ ରୂପ ଦେବ ହଳଧର ।୩୭୧।
ନମସ୍ତେ କାମପାଳ ଉଡ଼ଙ୍ଗ ମଉଳି
ନମସ୍ତେ ସପତ ଶାଖା ଷୋହଳ ନୟନ କୁଣ୍ଡଳୀ ।୩୭୨।
ନମସ୍ତେ ସୁଢଳା ଶରୀର ଧବଳା
ନମସ୍ତେ କାଦମ୍ବରୀ ପାନେ ମତ୍ତଭୋଳା ।୩୭୩।
ନମସ୍ତେ ନୀଳଗିରି ରୁଚିର ଦେବତା
ନମସ୍ତେ ଅନୁଗ୍ରହ ନାଥ ଅଭୟେ ବରଦାତା ।୩୭୪।
ନମସ୍ତେ କାମପାଳ ସ୍ୱାମୀ ଶିରେ ସପ୍ତଫେଣୀ
ନମସ୍ତେ ବଜ୍ରାଙ୍ଗ ନମସ୍ତେ ନମସ୍ତେ ହଳପାଣି ।୩୭୫।
ନମସ୍ତେ ରୋହିଣୀ ନନ୍ଦନ ପ୍ରଳମ୍ବା ଦର୍ପଗଞ୍ଜା
ନମସ୍ତେ ବଜ୍ର ଲାଙ୍ଗଳୀ ଦାରୁଣ ଦୁଖ ଭଞ୍ଜା ।୩୭୬।
ନମସ୍ତେ କାମପାଳ ଯୁଗାନ୍ତେକ କାଳ ବଞ୍ଛା
ନମସ୍ତେ ବଳଦେବ ଅଭୟେ ବର ସଞ୍ଚା ।୩୭୭।
ନମସ୍ତେ ଧବଳାଙ୍ଗ ସଉନନ୍ଦ ମୂଷଳା
ନମସ୍ତେ ଯମଦର୍ପ ଭଞ୍ଜନ ମତିଭୋଳା ।୩୭୮।
ନମସ୍ତେ ଅବୋଧ ବୋଧନ ତୁହି ଦେବ ବଳରାମ
ମନସ୍ତେ କଉତୁକ ପୁରୁଷ ତୁହି ସର୍ବ କାମ ।୩୭୯।
ନମସ୍ତେ ନମସ୍ତେ ଦେବ ତୁ ଦେବ ପ୍ରାଣପତି
ନମସ୍ତେ ଯୋଗଧାରଣ ଅନାଦି ସିଦ୍ଧମୂର୍ତ୍ତି ।୩୮୦।
ନମସ୍ତେ ସଦାନନ୍ଦ ଦୁଷୁକୃତ ହରନ୍ତା
ନମସ୍ତେ ଅଖିଳ ଜଗତ ରୂପ ଆଦି ନାଥା ।୩୮୧।
ନମସ୍ତେ ଆଦିସିଦ୍ଧ ଅନାଦି ପରମଯୋଗୀ
ନମସ୍ତେ ନିରାକାର ଯୁଗାନ୍ତେକ ଆଦି ଭୋଗୀ ।୩୮୨।
ସ୍ୱାମୀ ଚାରି ଯୁଗ ଯାହାର ନିମିଷେକ କହି
ଅଣାକାର ପୁରୁଷ ତୋତେ ନ ଚିହ୍ନନ୍ତି କେହି ।୩୮୩।
ଶ୍ରୀବଳରାମ ସ୍ତୋତ୍ର ମମ ହୃଦଗତେ
ସୁର ନର ଯୋଗୀଗଣେ ଭାବନ୍ତି ଅନୁବ୍ରତେ ।୩୮୪।
କୁଞ୍ଚିତ ସୁଦୟା ମୋତେ କୃପାଜଳ ନନ୍ଦିନୀ
ତେଣୁ କରି ହୃଦୟରେ ଭାବଇ ସାରୋଳା ଦାସ ମୁନି ।୩୮୫।
ଶୁଣ ହୋ ସୁଗ୍ୟଂ ଜନେ ୟେ ଟି ଶ୍ରୀମହାଭାରଥ
ମଧ୍ୟପର୍ବ ଯାହା ଲେଖନ ସିଦ୍ଧଶ୍ରୀୟା ଗ୍ରନ୍ଥ ।୩୮୬।
ସିଦ୍ଧ କାନ୍ତାୟେନୀ ଗୋ ସାରୋଳା ଚଣ୍ଡୀ ମୂର୍ତ୍ତି
ସିଦ୍ଧ ସାରଦା ସେ ନର୍ମଦା ସରସ୍ୱତୀ ।୩୮୭।
ପିତାମହର ଶାପେ ସେ ସାରୋଳା ଚଣ୍ଡୀ ମୂର୍ତ୍ତି
ଆତ୍ମା ତୋଷିଲୁ ସେ ଯେ ଶୋଣିତେ ତ୍ରିପୁତି ।୩୮୮।
ସେବକ ନିଷ୍ଫଳ ନୋହି ଯାହାର ଦରଶନେ
ଅନୁବରତେ ବର ଯାଚି ଦିଅଇ ତୋଷ ମନେ ।୩୮୯।
କିଞ୍ଚିତ ଭଗତେ ଅଭୟେ ବରଦାତ୍ରୀ
ପ୍ରସନ୍ନେ ସାଧବୀ ଅଭୟେ କାଳରାତ୍ରୀ ।୩୯୦।
ଶ୍ରୀଚଣ୍ଡୀ ସାରୋଳା ପଦ୍ମପାଦେ ପରିଣାମ
ବୁଧ ଜନ ରଂଜନ ଭାବେ ସାରୋଳା ଦାସ ମୋର ନାମ ।୩୯୧।
ୟେ ଟି ଶ୍ରୀମହାଭାରଥ ଅମିୟ ରସ କଥା
ଇହଲୋକ ଗତି ପରଲୋକ ମୁକତି ଦାତା ।୩୯୨।
ଅମର ସରସ୍ୱତୀ ନନ୍ଦିନୀ ଚରଣେ ଅନୁବ୍ରତେ
ବିନେୟୀ ଭଗତି ମାଗଇ ସାରୋଳା ଦାସ ଭାରଥ ଗୀତେ ।୩୯୩। ୧୩୯୩।