ମନ୍ଦପାଳ ଋଷିଙ୍କ ଚରିତ ଓ ତାଙ୍କର ଅଗ୍ନିସ୍ତୁତି — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିମଞ୍ଚେ ଜନମ ତୁମେ ଯେ କିଛିହିଂ ନ ବିଚାରି ।୨୨ ।
ୟେବେ ମହାମୁନି ତୁମ୍ଭେ ସନ୍ତତି ଇଚ୍ଛାକର
ୟେ ନ୍ୟାୟୁଂ ଜନମ ଲଭ ତୁମ୍ଭେ ଯାଇଣ ମଧ୍ୟପୁରେ ।୨୩ ।
ଦେବତାଙ୍କ ମୁଖରୁ ୟେସନେକ ବଚନ ଶୁଣି
ବଡ଼ ଚିନ୍ତା ପାଇଲେ ମନ୍ଦପାଳ ମହାମୁନି ।୨୪ ।
ଋଷିଙ୍କ ଚିନ୍ତା ଦେଖିଣ ଦେବଗଣେ
ବୋଲନ୍ତି ଶୁଣ ହୋ ମନ୍ଦପାଳ ମହାମୁନ୍ୟେ ।୨୫ ।
ୟେବେ ତୁମ୍ଭେ ପୁଣ ଯାଅ ମୃତ୍ୟୁପୁରକୁ ବେଗେ
ସନ୍ତତି ଜାତ କର ମନର ସରାଗେ ।୨୬ ।
ମୃଗ ହରିଣ ପଛୀ ମନୁଷ୍ୟ ଜାତ କର
ସନ୍ତତି ରଖି ବସ ବଇକୁଣ୍ଠ ପୁର ।୨୭ ।
ଦେବଙ୍କର ବଚନ ଶୁଣି ଋଷି ମନ୍ଦପାଳେ
ୟେହା ଶୁଣି ମହାଋଷି ବେଗେ ଚଳିଗଲେ ।୨୮ ।
ମଞ୍ଚ ଭୁବନେ ଯାଇଂ ତୁରିତେ ମିଳିଲେ
ବିସ୍ମୟ ହୋଇଣ ତହିଂ ମନେ ବିଚାରିଲେ ।୨୯ ।
ବିଚାରନ୍ତି ପୁତ୍ର ଜାତ ହୋଇବ କେଉଂଣ ବାଗେ
ୟେମନ୍ତ ବିଚାର ମୁନି କରନ୍ତି ବ୍ରହ୍ମଭାଗେ ।୩୦ ।
ମଞ୍ଚପୁର ମଧ୍ୟେ ଆସି ମିଳିଲେ ବହନ
ଆକାଶ ଗଙ୍ଗା କୂଳେ ଆସି ଦେଖିଲେ ଖାଣ୍ଡବ ବନ ।୩୧ ।
ସେ ବନ ମଧ୍ୟରେ ମୁନି ପଶିଲେ ବେଗେ ଯାଇଂ
ଦେଖିଲେ ସାରଙ୍ଗ ପଛୀ ବସିଣ ଅଛଇ ।୩୨ ।
ତାହାର ଦିବ୍ୟ ରୂପ ଦେଖିଣ ମୁନିବର
ମନୁଷ୍ୟ ଶରୀର ଛାଡି ଧଇଲେ ପଛୀର ଶରୀର ।୩୩ ।
ସାରଙ୍ଗ ପଛୀ ସଙ୍ଗତେଣ ମହାମୁନି
କାମରଙ୍ଗେ କ୍ରୀଡା ସେ ଯେ କରନ୍ତି ତପୋଧନି ।୩୪ ।
କେଳି କୂତୁହୋଳ କଲେକ ସାରଙ୍ଗ ପଛୀର ତୁଲେ
ତାର ତହୁଂ ଚାରି ପୁତ୍ର ଜାତ ହୋଇଲେକ ଭଲେ ।୩୫ ।
ମନୁଷ୍ୟ ଶରୀର ରୂପ ଅଙ୍ଗରେ ପକ୍ଷ ହୋଇ
ପିତା ଗୁଣରେ ମନୁଷ୍ୟ ସରୂପ ଦିଶଇ ।୩୬ ।
ମାତା ଗୁଣ ଘେନି ପଛୀ ହୋଇଛି ତାର ଅଙ୍ଗେ
ଶୁଣ ମନୁରାୟେ କଥା ରସ ବାଗେ ।୩୭ ।
ୟେହା ଶୁଣି ମନୁ ପଚାରନ୍ତି ଋଷିଙ୍କ ମୁଖ ଚାହିଂ
ପଛୀ ଚାରି କୁମରେ କିସ କଲେ ମୋତେ କହିବା ବୁଝାଇ ।୩୮ ।
ରାଜାର ବଚନ ଶୁଣି କହନ୍ତି ମୁନିବର
ୟେକମନେ ଶୁଣ ତୁ ହୋ ମନୁ ଦଣ୍ଡଧର ।୩୯ ।
ସେ ଚାରି କୁମରଙ୍କୁ ମୁନି ମାତା ପାଶେ ଥୋଇ
ନିଜ ଭାରିଯା ପାଶେ ଋଷି ମିଳିଲାକ ଯାଇଂ ।୪୦ ।
ଅଗସ୍ତି ବୋଇଲେ ସେ ଯେ ଖାଣ୍ଡବ ବନ ଦହନ ହୁଅନ୍ତେ
ବଇକୁଲ୍ୟ ହୋଇଲେ ଶାରଙ୍ଗ ପଛୀ ଯେ ପୁତ୍ରଙ୍କର ନିମନ୍ତେ ।୪୧ ।
ବିକଳେ ସେ ପୁତ୍ରଙ୍କର ପାଶେ ରହିଅଛି
କେମନ୍ତେ କରି ମୁରୁଛିବି ମୁଂ ୟେହୁ ବାଳବଚ୍ଛି ।୪୨ ।
ୟେଥୁ ଅନନ୍ତରେ ମନ୍ଦପାଳ ଋଷି ଯେ ଭାଳଇ
ପୁତ୍ରଙ୍କ ମୋର ନିଚୟେ ଦହିବ ଅନଳଇଂ ।୪୩ ।
ଆଶ୍ରମେ ଥାଇଂ ତୁସ୍ତି କରଇ ମନ୍ଦପାଳ
ଭୋ ଅଗ୍ନି ତ୍ରାହି କର ମୁକୁହିଂ ଅନଳ ବୃଶାଳ ।୪୪ ।
ଭୋ ହବି ତୁ ସକଳ ଜନ ମୋକ୍ଷ
ଭୋ ବିହନ୍ତା ପୁରୁଷ ତୁ ମୋହୋର ପୁତ୍ରନ୍ତ ରଖ ।୪୫ ।
ସକଳ ପ୍ରାଣୀଙ୍କର ହୃଦ ଭିତରେ ଥାଉସି
ତୁ ୟେକ ଦେବ ବୋଲି ବିବୁଧଗଣେ ଭାଷି ।୪୬ ।
ଗ୍ୟାନରେ ତୁ ଦେବ ଅଷ୍ଟ ପ୍ରକାର ହୁଅସି
ତୋହୋର ଦହି ମନକଲେ ଜଗତ ହୋଅଇ ଧଂସି ।୪୭ ।
ତୋହୋର କ୍ଷମା କଲେ ଯେ ଉତ୍ତମ ଲୋକ ହୋଇ
ସର୍ଜନ ବିସର୍ଜନ ଜଗତ ତୁହି ସେ କରାଇ ।୪୮ ।
ଧାତା ବିଧାତା ତୁହି ସେ ପୁଣ ପ୍ରଜାପତି
ୟେସନେକ ତୁସ୍ତି ଶୁଣି ଅଗ୍ନି ତୋଷମତି ।୪୯ ।
ବୋଲଇ ପାବକ ମନ୍ଦପାଳ ତୁ ହୋ ବର ମାଗ
ବିନୟ ହୋଇ କହଇ ମନ୍ଦପାଳ ହୁତାଶନ ଆଗ ।୫୦ ।
ମୋହୋର ଚାରି ପୁତ୍ରେ ଭାରିଯା ଅଛନ୍ତି ଖାଣ୍ଡବ ବନେ
ତୁହି ତାହାନ୍ତ ନ ଦହିବୁଟି ଶୁଣ ହୁତାଶନେ ।୫୧ ।
ଶୁଣିଣ ତାହା ବଶ୍ୟାନର କଲେ ସନମତ
ଖାଣ୍ଡବ ବନେ ଦହନେ ନ ଭକ୍ଷିବି ତୋହୋର ଭାରିଯା ପୁତ୍ରନ୍ତ ।୫୨ ।
ଭୋ ରାଜନ ୟେମନ୍ତେ ଖାଣ୍ଡବ ବନ ଦହି ଆସୁଅଛି ଅଗ୍ନି
ପଛୀମାନେ ସକଳେ ରୋବନ୍ତି ଊର୍ଦ୍ଧ ଧୁନି ।୫୩ ।
ଚାରିପୁତ୍ରଙ୍କର ଜନନୀ ଜରିତା
ବିଳାପ କରି ସେ ବୁଲଇ ପାଇ ଗରୁ ଚିନ୍ତା ।୫୪ ।
ବାବୁ ଅଗ୍ନି ଯେ ସକଳ ଦହି ଆସୁଅଛି
ବଡ ଶୋକେଣ ସେ ଯେ ସନ୍ତାପି ହେଉଅଛି ପଛୀ ।୫୫ ।
ପୁତ୍ରଙ୍କର ମଲେ ମୁଂ ଯେ ହୋଇବ ଅସାର
ୟେ ପୋୟେ ମୋହୋର କେସନେକେ ୟେଥୁଂ ହୋଇବେ ପାର ।୫୬ ।
ୟେହାନ୍ତ ଘେନିଣ ଯେବେ ମୁଂ ୟେଥୁଂ ଯିବଇଂ ପଳାଇ
ନେଇତେ ପରାକର୍ମ ଶକତି ମୋର ନାହିଂ ।୫୭ ।
ଛାଡ଼ି ପଳାଇବି ଯେବେ ହୃଦେ ଗରୁ ବ୍ୟଥା
ପୁତ୍ରଙ୍କ ଆଗରେ ମାତା କାନ୍ଦିଣ କହଇ କଥା ।୫୮ ।
ବାବୁରେ ତୁମ୍ଭନ୍ତୁ ଛାଡ଼ିଣ ମୁହିଂ ଯିବଇଂ କେସନେକେ
ତୁମ୍ଭନ୍ତ କିସ କରିବି ମୁଂ ହୃଦୟେ ଗରୁ ଶୋକେ ।୫୯ ।
ନଉଚେତ ତୁମ୍ଭନ୍ତ ରେ କୋଳ କରି ମରିବି
ତୁମ୍ଭନ୍ତ ଅଗ୍ନିରେ ଦେଇ କେମନ୍ତେ ମୁହିଂ ଯିବି ।୬୦ ।
ବାବୁରେ ତୁମ୍ଭର ପିତା ବଡ଼ ନିର୍ଦ୍ଦୟା ଚିତ୍ତ
ଛାଡ଼ିଗଲା ୟେବେ ରେ ନ କଲା ଚିନ୍ତା ତ ।୬୧ ।
ଭୋ ରାଜନ ପୁତ୍ରଙ୍କର ଆକୁଳେ ସେ ମାତା ଜରିତା
ଶିରଶିଖ ସ୍ତମ୍ଭ ମୈତ୍ର ଦ୍ରୋଣ ଚାରି ସୁତା ।୬୨ ।
ୟେସନେକ ଚାରି ପୁତ୍ରଙ୍କର ନାମ ଦେଇ
ତୁମ୍ଭ ପିତା ମନ୍ଦପାଳ ଗଲା ୟେଥେଂ ଥୋଇ ।୬୩ ।
ଚାରି ପୁତ୍ରେ ବୋଇଲେ ଶୁଣ ଗୋ ଜନନୀ
ଛାଡ଼ିଯାସି ଆମ୍ଭନ୍ତୁ ତୁ ମାତି ଆସୁଅଛି ଅଗ୍ନି ।୬୪ ।
ତୋହୋର ଥିଲେ ମାତ ଆମ୍ଭର କୁଳ ନୋହୁ ନାଶ
ଜରିତା ବୋଇଲେ ବାବୁରେ ମୂଷା ବିମ୍ୱରେ ପଶ ।୬୫ ।
ଅଗ୍ନି ଭୟ ନୋହୁଂ ଗାତ ମୁହଂରେ ମୁଂ ଧୂଳି ଦେଇ ଯାଇଂ
ପୁତ୍ରମାନେ ବୋଇଲେ ମାତାର ମୁଖ ଚାହିଂ ।୬୬ ।
ମା ଗୋ ମୂଷା ଭକ୍ଷିବ ଯେ ବିମ୍ୱରେ ପଶନ୍ତେ
ମୁକତ ହୋଇବୁ ସିନା ଅଗ୍ନିରେ ଦହନ ହୋଅନ୍ତେ ।୬୭ ।
ବୋଲଇ ଜନନୀ ଶୁଣରେ ଚାରି ବଚ୍ଛ
ମୂଷାକୁ ଶେଣା ପଛୀ ନେଲା ମୁଂ ଦେଖିଲି ପ୍ରତକ୍ଷ ।୬୮ ।
ମୁଂ ୟେହା ପ୍ରତକ୍ଷେ ଦେଖିଲି ତୁମ୍ଭେ ଭୟ ଯେ ନ କର
କିଛିହିଂ ଭୟେ ନାହିଂ ତୁମ୍ଭେ ପଶ ହେ ବିମ୍ୱର ।୬୯ ।
ପୁତ୍ରମାନେ ବୋଇଲେ ତୁମ୍ଭେ ଶୁଣସି ଗୋ ଆଈ
ୟେକ ମୂଷା ମଲେ କି ଆରକେ ମୂଷା ନାହିଂ ।୭୦ ।
ମା ଗୋ କରମର ଯୋଗେ ହୋଅଇ ଫଳାଫଳ
ୟେଥି ଥିବୁଂ ଆମ୍ଭେ ଦଇବର ବଳାବଳ ।୭୧ ।
ୟେବେ ତୋହୋର ଭ୍ରଥା ତହିଂକିଂ ତୁ ବେଗେ ଯାଆସି
ଆମ୍ଭେ ଚାରିହେଂ ଅଗ୍ନିରେ ହୋଇବୁ ନା ଧଂସି ।୭୨ ।
ୟେ ପାବକ ଯେବେ ଆମ୍ଭର ଭକ୍ଷିବଟି ଗାତ୍ର
ପାଇବୁ ସୁରଲୋକେ ବାସ ସହସ୍ର ଜନ୍ମର ତ ।୭୩ ।
ୟେହା ଶୁଣି ଜରିତା ଯେ ଗଲା ଅଗ୍ନିର ଭୟେ ନାହିଂ
ବିକଳେ ଭାଳଇ ବସି ପୁତ୍ର ମୁଖ ଚାହିଂ ।୭୪ ।
ମନ୍ଦପାଳ ତୁସ୍ତିରେ ଅଗ୍ନି ତା ନ ଦହି
ସେ ଡହରେ ମରନ୍ତି ବୋଲି ଅଗ୍ନି ତାଙ୍କୁ ନ ଚାହିଂ ।୭୫ ।
ଶୁଣ ହୋ ରାଜନ ବନପୋଡ଼ି ଯେ ଦିଶଇ
ଶିରଶିଖ ମୁଖ ଚାହିଂ ସାନ ଭାଇ ଯେ ଭାଷଇ ।୭୬ ।
ଆମ୍ଭେ ୟେତେ ଦୁଖରେ ପଡ଼ିଣ ଅଛୁଂ ୟେଥ
ୟେହା ଜାଣି ସେ କିମ୍ପାଇଂ ନ ଅଇଲେ ଆମ୍ଭ ତାତ ।୭୭ ।
ଆମ୍ଭର ୟେଡ଼େ ଦୁଖ ପିତା ଅବା ନ ଜାଣଇଂ
ଶିରଶିଖ ବଡ଼ ଭାଇ ବଚନ ପ୍ରକାଶଇ ।୭୮ ।
ତୁମ୍ଭେ ଯେ ବଡ଼ ଭାଇ ଆମ୍ଭନ୍ତ ଦୁଖୁଂ ପାରି କର
ସ୍ତମ୍ଭ ମିତ୍ର ତହିଂରେ ଯେ ବୋଲନ୍ତି ଉତ୍ତର ।୭୯ ।
ବାବୁ ଜ୍ୟେଷ୍ଠ ଭାଇ ପିତାସମ ଶ୍ରେଷ୍ଠ ଯେ ଅଟଇ
କନେଷ୍ଠ ଭାଇଙ୍କର କଷ୍ଟ ଯେ ଫେଡ଼ଇ ।୮୦ ।
ଅନିର୍ଯାପ କଥାକୁ ସାନ ବଡ଼କି କରଇ
ଦ୍ରୋଣ ପଛୀ ବୋଇଲା ତୁମ୍ଭର ବଚନ ନିର୍ଣ୍ଣୟ ହୋଇ ।୮୧ ।
କର ଯୋଡ଼ିଣ ଦ୍ରୋଣ ଅଗ୍ନିକି ତୁସ୍ତି କରଇ
ହିରଣ୍ୟ ଦେବତାକୁ ଆମ୍ଭର ଶରୀର ଭୋଗ ହୋଇ ।୮୨ ।
ବଡ଼ଭାଇ ଶିରଶିଖ ଅଗ୍ନିକି ତୁସ୍ତି କଲା
ବାଈବାତ ପ୍ରାୟେ ଶିଖା ତୋହୋର ଲାଗିଲା ।୮୩ ।
ଅଧଉର୍ଯ୍ୟ – ଧଉର୍ଯ୍ୟ ହୋଇ ତୋହୋର ପରକାଶ
ସମସ୍ତ ଦହିଜକର ତୁ ନଆସ ଆମ୍ଭ ପାଶ ।୮୪ ।
ଅବିକ୍ଷଣେ ଭକ୍ଷନ୍ତେ ତୋର ଅଧଉର୍ଯ୍ୟ ପରକାଶ
ସୂର୍ଯ୍ୟ ତେଜ ଜାଣି ତୋହୋର ଶରୀର ଆଭାସ ।୮୫ ।
ଅଗ୍ନିକି ପୁଣ ପୁଣ ତୁସ୍ତି କରଇ ଶିରଶିଖ
ଆମ୍ଭେ ଚାରି ଭାଇ ବାଳୁତ ଆମ୍ଭନ୍ତ ତୁହି ରଖ ।୮୬ ।
ପିତା ମାତା ବେନି ନାହିଂ ଯେ ଆମ୍ଭର
ପଛୀ ନାହିଂ ଉଡ଼ିବାକୁ ସତ୍ୟ କହୁଛୁଂ ତୋହୋର ଆଗର ।୮୭ ।
ଆନ ରଖନ୍ତା ନାହିଂ ଶରଣ ତୋହୋର
ତୋହ ବିନୁ ଆନେ ନାହିଂ ଆମ୍ଭର ପ୍ରତିକାର ।୮୮ ।
ତୋ ବିନୁଂ ଆମ୍ଭର ଯେ ନାହିଂ ଜୀବଦାତା
ତୁ ଅଗ୍ନି ଦେବତା ସକଳ ଭୂତ ଜୟ କରନ୍ତା ।୮୯ ।
ତୋହୋର ଚରଣେ ଆମ୍ଭେ ପଶିଲୁ ଶରଣ
ଆମ୍ଭ ଚାରି ଭାଇନ୍ତି ରଖ ବୋଲି ବୋଲନ୍ତି ବୟାଣ ।୯୦ ।
ଭୋ ଅଗ୍ନି ସକଳ ଜନ୍ତୁନ୍ତ ଅଛୁଂ ତୁ ଉଦ୍ଧରି
ଆମ୍ଭନ୍ତ ବେଳକ ସୁଖେ ନିଅ ତୁ ଉଦ୍ଧରି ।୯୧ ।
ତୁ ହବି ସକଳ କରୁ ହୋ ଆପ୍ୟାନ
ପୁଣି ହୃଷ୍ଟ କରି ପାଳୁ ସକଳ ଜନ ।୯୨ ।
ତୋହୋର ମହିମା କେ ଅନ୍ତ କରି ପାରଇଂ
ସକଳ ଦେବତାମାନେ ତୁସ୍ତି କରନ୍ତି ତୋର ତହିଂ ।୯୩ ।
ଚଛୁ ପିଙ୍ଗଳ ତୋର ଲୋହିତ ବର୍ଣ୍ଣ କଳା
ଗୁରୁନାମ ବହନି ତୋହୋର ପିଙ୍ଗଳା ।୯୪ ।
ୟେସନେକେ ଶରୀରେ ନ ଲାଗଇ ଜ୍ୱାଳ
ତେସନେକ କରି ନାଥ ଆମ୍ଭନ୍ତ ପ୍ରତିପାଳ ।୯୫ ।
ତୋଷ ହୋଇଣ ସେ ବୋଲଇ ହୁତାଶନ
ତୁମ୍ଭର ତୁସ୍ତିରେ ମୁଂ ହୋଇଲି ତୋଷମନ ।୯୬ ।
ଭୟେ ନ କର ତୁମ୍ଭେ ପାଞ୍ଚଜଣେ କଲି ପାର
ପିତା ତୁମ୍ଭର ପୂର୍ବେ ମାଗିଛନ୍ତି ବର ।୯୭ ।
ୟେବେ ସେ ତୁମ୍ଭର ତୁସ୍ତି ଅଧିକ ହୋଇଲା
ୟେତେ କହି ଅଗ୍ନି ତହୁଂ ଆଡ଼େ ହୋଇଗଲା ।୯୮ ।
ଶୁଣ ହୋ ରାଜନ ୟେସନେକ ପରକାରେ
ଚାରିଭାଇନ୍ତ ନ ଭକ୍ଷିଲେ ଋଷିଙ୍କ ଭଗତି ଭାବରେ
ମାତାଙ୍କୁ ରଖିଲେ ସେ ପିତାଙ୍କ ତୁସ୍ତିରେ ।୯୯ ।
ମନ୍ଦପାଳ ଋଷି ପୁତ୍ରଙ୍କର ଶୋକେ
ଲପିତା ଭାରିଯାକୁ ବୋଇଲେ ଦୃଢ଼ ବାକ୍ୟେ ।୧୦୦ ।
ଅଗ୍ନିରୁ କେସନେକେ ଉବୁରିଲେ ପୁତ୍ର ଚାରି
ଜରିତା ପୁତ୍ରଙ୍କର ଶୋକେଣ ପ୍ରାଣହାରି ।୧୦୧ ।
ଲପିତା ବୋଇଲେ ଶୁଣ ହୋ ମନ୍ଦପାଳ
ତୁମ୍ଭେ ପୂର୍ବେ ତୁସ୍ତି କରିଛ ଅନଳ ।୧୦୨ ।
ତୁମ୍ଭ ତୁସ୍ତି ବଗତି ବଶ୍ୟାନର
ୟେଣୁ କରି ତୁମ୍ଭ ପୁତ୍ର ହୋଇଗଲେ ପାର ।୧୦୩ ।
ଶୁଣିଣ ମନ୍ଦପାଳ ଭାଳଇ ହୃଦଗତେ
ଭୋ ଧର୍ମଦେବତା ପୁତ୍ରନ୍ତ ଉଦ୍ଧାର କଥା ଲାଗଇ ଯେ ତୋତେ ।୧୦୪ ।
ମୋହୋର ପ୍ରାୟେ ମନ୍ଦ ନାହିଂ ଆନ ପ୍ରାଣୀ
ବାଳୁତ କୁମରନ୍ତ ଛାଡ଼ି ଅଇଲି ମୁଂ ନ ଜାଣି ।୧୦୫ ।
ଭୋ ରାଜନ ଅଗ୍ନି ଯେତେବେଳେ ତହୁଂ ଜିଣିଗଲା
ଜରିତା ମାତା ଯାଇଂ ପୁତ୍ରନ୍ତ ଦେଖିଲା ।୧୦୬ ।
ପୁତ୍ରଙ୍କର ଅଗ୍ନିରେ ଦହିଜ୍ୟ ନୋହିଲା ତନୁ
ତନୟ ଦେଖି ଦୁଖ ଛାଡ଼ିଲା ପଞ୍ଚୁମନୁ ।୧୦୭ ।
ମନ୍ଦପାଳ ଋଷି ଯେ ଦେଖିଲେକ ଯାଇଂ
ପୁତ୍ର ଭାରିଯାନ୍ତ ଦେଖି ମନରେ ତୋଷ ହୋଇ ।୧୦୮ ।
ଜରିତାକୁ ଦେଖି ଯେ ବୋଇଲେ ମନ୍ଦପାଳ
ବେଗେ ଚାରି ପୁତ୍ର ଆଣି ଦିଅ ମୋହୋର କୋଳ ।୧୦୯ ।
ୟେହାନ୍ତ ଅଗ୍ନିରୁ ମୁହିଂ ରଖିଲି ସାରିକ୍ଷେ
ହୃଦେ ସନ୍ତୋଷ ନିର୍ଣ୍ଣୟ ଦେଖିଲି ପ୍ରତକ୍ଷେ ।୧୧୦ ।
ପୁତ୍ର ନ ଥିଲା ପ୍ରାଣୀ ନିନ୍ଦା ପାୟେ ସ୍ୱର୍ଗେ
ଜରିତା ବୋଇଲେ ତୁମ୍ଭେ ପିତା କେଉଣହିଂ ବାଗେ ।୧୧୧ ।
ତୋହୋରେଣ ୟେ ପୁତ୍ରଙ୍କ ଠାରେ କିସ କାର୍ଯ୍ୟ ଅଛି ନାହା
ୟେହାନ୍ତ ଛାଡ଼ି ତୁମ୍ଭ ଆର ଭାରିଯା ପାଶେ ଯା ଯା ।୧୧୨ ।
ଲପିତା ଭାରିଯା ତୋହୋର ଅଟଇ ଅର୍ଦ୍ଧଅଙ୍ଗ
ତାହାରେ ଭଜି ତୁ ଛାଡ଼ିଲୁ ପୁତ୍ରଙ୍କର ସଙ୍ଗ ।୧୧୩ ।
ମନ୍ଦପାଳ ବୋଲନ୍ତି ଯେ ସ୍ତିରୀଙ୍କି ବିଶ୍ୱାସ ନାହିଂ
ହିଂସାଭାବ କଥା ୟେ କହୁ କାହିଂ ପାଇଂ ।୧୧୪ ।
ଅଗ୍ନିରୁ ମୁକତ ମୁଂ କଲି ପୁତ୍ର ଚାରି
ତୁହିତ ଛାଡ଼ି କରି ଗଲୁ ଆରେ ନାରୀ ।୧୧୫ ।
ଅଗ୍ନିତୋଷ କଲି ମୁଂ ପୁତ୍ରନ୍ତ ରୁହାଇ
ସାବତ ହିସାଂଭାବ ତୁ ବହିଲୁ କାହିଂ ପାଇଂ ।୧୧୬ ।
ପୁତ୍ରନ୍ତ କୋଳେ ଧରିଣ ମନ୍ଦପାଳ ଋଷି
ମୁଖରେ ଚୁମ୍ୱନ ଦେଇ ସେ ବଚନ ପ୍ରକାଶି ।୧୧୭ ।
ଆରେ ପୁତ୍ର ଅଟ ତୁମ୍ଭେ ଗୁଣରେ ବିଶେଷ
ତୁମ୍ଭର ଧର୍ମେ ଯେ ଅଗ୍ନି ନ କଲା ତୁମ୍ଭନ୍ତ ନାଶ ।୧୧୮ ।
ୟେସନେକ ବାଣୀ ବୋଲି ସେ ମନ୍ଦପାଳ ମୁନି
ଗଲା ସ୍ୱର୍ଗପୁରେ ପୁତ୍ର ଭାରିଯାନ୍ତି ଘେନି ।୧୧୯ ।୧୩୦୨ ।