ବିଷ୍ଣୁଙ୍କର ନବଗୁଞ୍ଜର ରୂପ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଅନ୍ତର ହେଇଲେ ମନ୍ତ୍ରୀ ସହଦେବ ଘେନି ।୨୨ ।
ଗୋବିନ୍ଦେ ପୁଚ୍ଛାକଲେ ଯେ ସହଦେବଙ୍କୁ
କେବଣ ଠାବରେ ହୋ ଭେଟିବା ଅର୍ଜୁନକୁ ।୨୩ ।
କି ହୋ ମନ୍ତ୍ରୀବର ୟେ ଅଟଇ କିସ ଅର୍ଥ
ସଭାରେ ତ ନ ଦେଖିଲୁଂ ବୀରବର ପାଥ ।୨୪ ।
ଠାକୁରଙ୍କୁ ପଚାରିଲୁଂ ଯେ ସେ ନ କହିଲେ ମୋତେ
ତେଣୁ ହେ ସହଦେବ ମୁଂ ପଚାରଇଂ ତୋତେ ।୨୫ ।
ଶ୍ରୀକୃଷ୍ଣଙ୍କ ଅବଧାନ ଶୁଣିଣ ମନ୍ତ୍ରୀବର
କରପତ୍ର ଯୋଡ଼ିଣ ଯେ କହଇ ଉତ୍ତର ।୨୬ ।
ଗୁପତ କରିଣ ଯେ କହଇ ମନ୍ତ୍ରୀମଣି
ସାବଧାନେ ଶୁଣିମା ଦେବ ଶଙ୍ଖଚକ୍ରପାଣି ।୨୭ ।
ପାଞ୍ଚଭାଇ ଆମ୍ଭେ ନିୟମ କରିଥିଲୁ
ଅଗ୍ନିକି ସାକ୍ଷ କରି ଯେ ୟେମନ୍ତେ କହିଲୁ ।୨୮ ।
ୟେକର ଶୃଙ୍ଗାର ଯେବେ ଆରକେ ଦେଖିବ
ଦ୍ୱାଦଶ ବରଷ ସେ ବନବାସ ଯିବ ।୨୯ ।
ଦଇବର ଯୋଗେ ଠାକୁରଙ୍କ ସଙ୍ଗେ
ଦ୍ରୋପଦ ଦୋହିତାୟେ ବିଜୟେ ରତି ରଙ୍ଗେ ।୩୦ ।
ୟେମନ୍ତର ସମୟେ ଅଗ୍ନି ଦେବତାୟେ
ବ୍ରାହ୍ମଣ ସରୂପ ଧରି ଦ୍ୱାରେ ଆସି ହୋୟେ ।୩୧ ।
ଅର୍ଜୁନକୁ ବୋଇଲେ ତୁ ଯୁଝେଷ୍ଠି ଦେବଙ୍କୁ କହସି ଯାଇଂ
ଦ୍ୱାରେଣ ବିଦୁଜନ ୟେକ ଅଛନ୍ତି ଉଭା ହୋଇ ।୩୨ ।
ୟେମନ୍ତ ବୋଲିଣ ଯେ ଘେନିଣ ତାଙ୍କୁ ଆସ
ଗୁପତ କଥାୟେ ଆମ୍ଭେ କହିବୁ ବିଶ୍ୱାସ ।୩୩ ।
ଯେବେ ବିଳମ୍ୱ ତୁ କରିବୁ ହୋ ପାଥ
ଭସ୍ମ ହୋଇବ ନଗ୍ର ହୋଇବ ଧୂମାନ୍ତ ।୩୪ ।
ମାୟା ନ ଜାଣି ପାଥ ଭିତରକୁ ଗଲେ
ଯୁଝେଷ୍ଠି ଦ୍ରୋପତୀଙ୍କର ଶୃଙ୍ଗାର ଦେଖିଲେ ।୩୫ ।
ଅଗ୍ନି ଦେବତାୟେ ତହୁଂ ହୋଇଲେ ଅନ୍ତର୍ଦ୍ଧାନ
ସତ୍ୟ ପାଳି ବନକୁ ଗଲେକ ଅରଜୁନ ।୩୬ ।
ଅନେକ ବନସ୍ତ ବୁଲି ଅନେକ ଦତ୍ୟ ମାରି
ହର ଉଦ୍ୟାନ ବନେ ଜିଣିଲେ ତ୍ରିପୁରାରି ।୩୭ ।
ଅର୍ଜୁନ ଈଶ୍ୱରଙ୍କୁ ଜିଣିଲେ ହର ଉଦ୍ୟାନ ବନେ
ପଶୁପତ୍ର ଅକ୍ଷୟେ ତ୍ରୋଣ ଦିଲେ ଶସ୍ରମାନେ ।୩୮ ।
ଈଶ୍ୱର ଦେବତାୟେ ଦିଲେ ବୀର ଫାଲଗୁନି
ପ୍ରସନ୍ନ ହୋଇ ବର ଦିଲେ ହର ପାର୍ବତୀ ବେନି ।୩୯ ।
ବର ଦେଇଣ ହର ଯେ ଗଲେ କପିଳାସ
ଅର୍ଜୁନ ରହିଲେ କାଶୀନଦୀ ପଛିମର ଦେଶ ।୪୦ ।
ବିପ୍ର ପ୍ରସାଦ ବୋଲି ୟେକା ନଦୀ ଗୋଟିୟେ
ତହିଂ ରହିଲେ ଯେ ବୀର ଧନୁର୍ଜୟେ ।୪୧ ।
ଘୋର ବନ ବୁଲିଣ ପାଳି ସତ୍ୟବ୍ରତ
ୟେବେ ବିଜେ କରିଅଛନ୍ତି ମଣିଭଦ୍ରା ପର୍ବତ ।୪୨ ।
ଚଉବିଂଶ ନଳ ତହିଂ ଅଛନ୍ତି ଅଗ୍ର ବୃକ୍ଷ
ମର୍କତ- ଶୀଳା ଉପରେ ବିଜୟେ ବିବତ୍ସ ।୪୩ ।
ୟେବେ ବୀରବର ମହାଗୁଣ କରି
ଆଡ଼େକ ଅଗ୍ର ବୃକ୍ଷେ ବାନ୍ଧି ଆର ଆଡ଼ ଧରି ।୪୪ ।
ଆଡ଼କେ ଲଗାଇଣ ଅଛି ବେଣୁ ବୃକ୍ଷେ
ଗୁଣ ମାଜୁଛନ୍ତି ତହିଂ ପାଣ୍ଡବ ବିବତ୍ସେ ।୪୫ ।
ନିମଗ୍ନ ହୋଇଣ ତହିଂ ବୀର ଅଛି
ସାବଧାନ ହୋଇଂ ଶୁଣିମା ଶ୍ରୀବତ୍ସି ।୪୬ ।
ଚାରି ବରଷ ଛଡ଼ ମାସ ହୋଇଲା ତେର ଦିନ
ଆଜକୁ ବନବାସ କଲେକ ଅରଜୁନ ।୪୭ ।
ହସିଣ ଶ୍ରୀହରି ଯେ ମନେ ବିଚାରିଲେ
ଦ୍ରହସିତ ହୋଇ ସେ ଆନନ୍ଦ ହୋଇଲେ ।୪୮ ।
ଶ୍ରୀହରି ବୋଲନ୍ତି ଶୁଣ ହେ ମନ୍ତ୍ରୀବର
କି କାର୍ଯ୍ୟେ କପଟ କଲେ ଦେବ ବଶ୍ୟାନର ।୪୯ ।
ମନ୍ତ୍ରୀ ବୋଇଲେ ସେ ଶ୍ୱେତ ରାଜା ଯାଗ୍ୟଂକାଳେ
ଶତ ବରଷ ସେ ଅଗ୍ନିରେ ହୋମ କଲେ ।୫୦ ।
ଲୋଭେ ବଶ୍ୟାନର ଖାଇଲେ ଅନେକ ଘୃତ
ଲୁଦୁବୁଦୁ ବ୍ୟାଧି ହୋଇଲା ପଦ୍ମଲୋହିତ ନେତ୍ର ।୫୧ ।
ଦେବଙ୍କୁ ତୋଳାଇଲେ ସ୍ୱାହାଦେବୀର ପତି
ଖାଣ୍ଡବ ବନୁ ମଉଷଧି ମାଗିଲେ ନ ଦିଲେ ସୁରପତି ।୫୨ ।
ବନବାସ ଯହୁଂ କଲେକ ଅରଜୁନ
ବ୍ରାହ୍ମଣ ରୂପ ଧରି ମାଗିବେ ସେହୁ ଦାନ ।୫୩ ।
ତେଣୁ କରି ପିତା ସଙ୍ଗେ ବିବାଦ ଆଚରିବେ
ଅଗ୍ନି ଦେବତାଙ୍କୁ ଅର୍ଜୁନ ମଉଷୋଧି ଦେବେ ।୫୪ ।
ତେବେ ସେ ବହନିଙ୍କର ନିବ୍ୟାଧି ହୋଇବ
ସାବଧାନ ହୋଇଣ ଶୁଣ ଲକ୍ଷ୍ମୀଙ୍କ ବଲ୍ଲଭ ।୫୫ ।
ଶୁଣିଣ ଆସ୍ତାନ ତେଜିଣ ଦେବରାୟେ
ଯୁଝେଷ୍ଠି ଠାକୁରଙ୍କର ଚରଣେ ବିନୟେ ।୫୬ ।
ଆଗ୍ୟାଂ ହେଉ ଦେବ ମୁହିଂ ଯିବି ଦ୍ୱାରାବତୀ
ଯେବେ ମୋହୋର ସଖା ଅର୍ଜୁନ ନାହିଂ ୟେଥି ।୫୭ ।
ଯୁଝେଷ୍ଠି ବୋଇଲେ ମୁଣୋହିଂ ସାରି କରି
ତଦ ଅନ୍ତେ ବିଜୟେ କର ଚକ୍ରଧାରୀ ।୫୮ ।
ଗୋବିନ୍ଦ ବୋଇଲେ ଦେବ ଆକଟ କଥା ଅଛି
ରହି ନ ପାରିବି ବଦୟନ୍ତି ଶ୍ରୀବଚ୍ଛି ।୫୯ ।
ଯୁଝେଷ୍ଠି ବୋଇଲେ ତୁ ଣୁଣିମା ଚକ୍ରଧାରୀ
ଅର୍ଜୁନକୁ ସମାର୍ଜନା କରି ଆଣିମା ଦେବ ହରି ।୬୦ ।
ତୁ ଦେବ ସୟଳ ଜନ ସଂସାର ହିତକାରୀ
ମୁହିଂ ତୋତେ କିସ କହିବି ତିଆରି ।୬୧ ।
ଗତ ପଥ ମୁହିଂ ତୋର ଥିବି ଉପଲେସି
ଶୁଭ ଯୋଗେ ମୋତେ ଭେଟ ଅର୍ଜୁନକୁ ଘେନିଆସି ।୬୨ ।
ବିନୟ ଭାବ ହୋଇ ବଦୟନ୍ତି ଅଚ୍ୟୁତ
ଆସିବାର ପାଇଂ ମୁଂ ଯେ ବୋଲିବି ବହୁତ ।୬୩ ।
ପ୍ରତଗ୍ୟାଂ ସାଚ୍ଚା ସେ କଇଚ୍ଛା ଜଗଜ୍ଜେଠୀ
ନ ପୁଣ ନୁଆସଇ ମୁଂ ନ ପାରଇ ଭେଟି ହେଟି ।୬୪ ।
ଧର୍ମସୁତ ବୋଇଲେ ବିଜୟେ କର ହରି
ମୁହିଂ ଯେ ଅରଷିତ ମୋତେ ଥିବ ଦୟା କରି ।୬୫ ।
ଗୋବିନ୍ଦେ ବୋଇଲେ ମୁଂ ଅଟଇ ତୁମ୍ଭ ଭୃତ୍ୟ
ଯହିଂକି ଅବଧାନ ମୁଂ ଯେ ତହିଂକି ଆଗତ ।୬୬ ।
ୟେତେ ବୋଲି ଦେବ ଯେ ପ୍ରଳମ୍ୱିତ କଲେ
ଭୀମ ନକୁଳଙ୍କୁ କୋଳାଗ୍ରତ ହେଲେ ।୬୭ ।
ପହଣ୍ଡେ ପାଣ୍ଡବଙ୍କୁ ନ ଦିଲେ ଗୋଡ଼ାଇ
ଗରୁଡ଼ ପିଠିରେ ବିଜୟେ କମଳାର ସାଇଂ ।୬୮ ।
ଆଗ୍ୟାଂ ଦିଲେ ତୁ ଶୁଣ ହୋ ବିନତାକୁମର
ମଣିଭଦ୍ରା ପର୍ବତକୁ ବେଗେ ବିଜେ କର ।୬୯ ।
ସେଠାକୁ ସତୁରି ଯୋଜନ ସେ ମଣିଭଦ୍ରା ପର୍ବତ ଅଟଇ ଦୂର
ଦୃଷ୍ଟିରେ ଦେଖିଲା ପ୍ରାୟେକ ତିନି ନିଶ୍ୱାସରେ ତହିଂ ଯାଇଂ ହୋଇଲା ପଛୀବର ।୭୦ ।
ଯେତେ ରୂପେ କହିଥିଲେ ମନ୍ତ୍ରୀ ଚୂଡ଼ାମଣି
ପ୍ରତକ୍ଷେ କରି ତାହା ଦେଖିଲେ ଚକ୍ରପାଣି ।୭୧ ।
ଧନ୍ୟ ତୁହି ସହଦେବ ବୋଲନ୍ତି ଚକ୍ରଧର
ଦୃଷ୍ଟିରେ ଦେଖିଲା ପ୍ରାୟେ କରି କହିଲୁ ମନ୍ତ୍ରୀବର ।୭୨ ।
ମନେ ମନେ ବିଚାରି କରନ୍ତି ପଦ୍ମନେତ୍ର
କଷଣ କରିବା ଆଜ ବୀରବର ପାଥ ।୭୩ ।
ଗରୁଡ଼କୁ ଦେବରାଜ ଶୂନ୍ୟରେ ରୁହାଇ
ଅର୍ଜୁନର ନିକଟେ ବିଜେ କଲେ ଦେବ ଯାଇଂ ।୭୪ ।
ବିଚିତ୍ର ମୂରତିୟେ ଧରିଲେ ଚକ୍ରଧର
କି ଅବା କହିବା ସେହି ରୂପ ପଟାନ୍ତର ।୭୫ ।
ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ୟେକଇ ଶରୀରେ ଦେବ ଧିଇଲେ ଯେ ନବମୃତ୍ତି ।୭୬ ।
କୁକୁଡ଼ାର ମୁଣ୍ଡଗୋଟି ଅତୀଅ ସୁନ୍ଦର ଦିଶଇ
ବୃଷଭର ଚୂଳ ଯେ ମଜୁରର କଣ୍ଠ ବିରାଜଇ ।୭୭ ।
ଅହିବର ପୁଚ୍ଛା ମଝା ସିଙ୍ଘକଟି ପ୍ରାୟେ
ବ୍ୟାଘ୍ରର ଚରଣ ଗୋଟି ଅତୀୟ ଶୋଭା ପାୟେ ।୭୮ ।
ତୁରଙ୍ଗ ଚରଣେ ଯେ ଦିଶଇ ସୁନ୍ଦର
ଆବର ପାଦ ଗୋଟି ଅଟଇ କରିବର ।୭୯ ।
ଆଗ ପାଦ ଗୋଟିକ ମନୁଷ୍ୟର କର ଯେ ଅଟଇ
ସେ କରେ ପଦ୍ମପୁଷ୍ୟ ଗୋଟିୟେକ ଘେନିଲେ ଭାବଗ୍ରାହୀ ।୮୦ ।
ଗୁଣ ଯେ ମାଜୁଅଛି ପାଣ୍ଡବ ଅରଜୁନ
ଛାମୁରେ ନୃତ୍ୟ କରି ଡିଅଂନ୍ତି ନାରାୟଣ ।୮୧ ।
ଶୁଖିଲା ପତ୍ରଙ୍କର ଉପରେ ନାଚନ୍ତି କୁଦନ୍ତି
ଖର ଖର ଶବଦେ ସେ ପତ୍ରେ ପତ୍ରେ ବାଜନ୍ତି ।୮୨ ।
ତହିଂକି ତଲୟେ ପୁଣ ଯେ ନ କରଇ ପାଥ
ଯେସନେକ ବ୍ରହ୍ମଗ୍ୟାନୀ ବ୍ରହ୍ମରେ ଯୁଗତ ।୮୩ ।
ସେ ଯେହ୍ନେ ନ ଜାଣଇଂ ନୃପତି ବିଜେ କଲେ
ଦୃଷ୍ଟି ନ କରଇ ଘୋର ଶବଦ ଶୁଭିଲେ ।୮୪ ।
ସେହି ମତି ଦୃଷ୍ଟି ପାଥର ଗୁଣରେ ଅଛି ମନ
ମାୟା ସରୂପକୁ ସେହୁ ନ ଚାହେଂ ନୟନ ।୮୫ ।
ଯତନେ ଡିଅଂନ୍ତି କମଳାର ସାଇଂ
ଶୁଖିଲା ଲତା ଭିତରେ ପଶନ୍ତି ଦେବ ଯାଇଂ ।୮୬ ।
ପୁଣ ନୃତ୍ୟ କରନ୍ତି ମାରନ୍ତି ଆଡ଼ଚିରା
ହଲାବନ୍ତି ଶ୍ରୀମୁଖ ଝଲକନ୍ତି ଚନ୍ଦ୍ରତାରା ।୮୭ ।
ଡିଅଂନ୍ତି ଉକୁସନ୍ତି ଭୂମିରଣେ ଲୋଟନ୍ତି
ଚଉଷଠି ତାଳ ଯେହ୍ନେ ନୃତ୍ୟ ରଙ୍ଗେ ଦିଅନ୍ତି ।୮୮ ।
ୟେହେନେକ ନୃତ୍ୟ ଯେ କରନ୍ତି ବାସୁଦେବ
ଗୁଣ ଛାଡ଼ି ଦୃଷ୍ଟି ତହୁଂ ଦିଲୋକ ପାଣ୍ଡବ ।୮୯ ।
ଦେଖଇ ଧନୁର୍ଜୟେ ଅପୂର୍ବ ଦିବ୍ୟ ମୂରତି
ୟେକା ଦେହେ ନବ ସରୂପ ୟେକଇ ମୂରତି ।୯୦ ।
ଦେଖିଣ ପାଣ୍ଡବ ଯେ ଚକିତ ହୋଇ ଚାହିଂ
ମନେ ବିଚାରଇ ୟେତ ଅପୂର୍ବ ଅଟଇ ।୯୧ ।
ୟେକ ଦେହରେ ତ ନବ ଗୋଟି ରୂପ
ମୁହିଂ ତ ପୃଥିବୀରେ ଦେଖିଲା ନାହିଂ ୟେସନେକ ସରୂପ ।୯୨ ।
ମୋହୋର ନ ଦେଖିଲା ହୋଇ ୟେମନ୍ତେ କାହିଂ ନାହିଂ ବନ
ବୁଲିଅଛି ମୁହିଂ ଯେ ଅନେକ ଅରଣ୍ୟ ।୯୩ ।
ଶତଶିଂଗ ପରବତ ବାରୁଣାବନ୍ତ ଗିରି
ବଡ଼ତୁମ୍ୱର ପର୍ବତ ହେମ ସାରସିଧ୍ୟ ଗିରି ।୯୪ ।
କାମ୍ୟକ ନାମେ ପର୍ବତ ଶରଣ ଚାରଲତା
ମନ୍ଦର ହର ଅରଣ୍ୟ ଯେ ପାରେଶି ସରିତା ।୯୫ ।
କପାଳି ନାମେ ଅରଣ୍ୟ ତୁରଙ୍ଗ ପର୍ବତ
ଶଙ୍ଖ ନାମେ ବନ କାଳଞ୍ଚି ଗିରିଶେତ ।୯୬ ।
ବଉଦ ନାମେ ଲତା ଯେ ମହୀନ୍ଦ୍ର ନାମେ ଗିରି
କୋଟିୟେ ଲିଙ୍ଗ ଘେନି ତହିଂ ବିଜୟେ ତ୍ରିପୁରାରି ।୯୭ ।
ମନ୍ଦରଗିରି ବିଂଝଗିରି ଶ୍ୱେତଗିରି ଜିଣି
ମେରୁ ପଶ୍ଚିମ ଭାଗ ହୟାନ୍ତ ବନ ଘେନି ।୯୮ ।
ସର୍ବାଲକ୍ଷ ପର୍ବତ ଯେ କପିଳାସ ଗିରି
ହର ଉଦ୍ୟାନ ବନ ଯେ ଅରଣ୍ୟ ନାଗାନ୍ତରୀ ।୯୯ ।
ସୁକ ସୁଧବି ପର୍ବତ ଯେ କାଳ କୁନ୍ଦବନ
ବାରଙ୍ଗି ପର୍ବତ ଯେ କୁଣ୍ଡଳୀ ଅରଣ୍ୟ ।୧୦୦ ।
କୋଳହଳ ଲତା ସୁରମେଳ ବନ
ଭାରବୀ ନାମେ ପର୍ବତ ମନୋହର ଅରଣ୍ୟ ।୧୦୧ ।
ଚନ୍ଦ୍ରଗିରି ନିକଟେ ମଳୟ ନାମେ ଗିରି
ଯହିଂରେ ଅହିମାନେ ଅଛନ୍ତି ବାସ କରି ।୧୦୨ ।
ଗନ୍ଧମାର୍ଦ୍ଦନ ଗିରି ପୁଞ୍ଜ ହୟ ମୁଖ
ବଙ୍କାଳ ପର୍ବତ ଆବର ଶୋଲ ଗିରି ଶିଖ ।୧୦୩ ।
ୟେହି ରୂପେ ଅଛି ଯେ ଅଠର ଲକ୍ଷ ଗିରି
ୟେତେ ୟେତେ ପର୍ବତ ମୁଂ ଆସିଛି ବୁଲି କରି ।୧୦୪ ।
ୟେ ପର୍ବତ ଲତାରେ ଜୀବ ଜନ୍ତୁ ଦେଖିଅଛି ଯେତେ
ସକଳ ଜୀବ ଜନ୍ତୁ ଦେଖିଅଛି ଦୃଷ୍ଟି ପଥେ ।୧୦୫ ।
ୟେମନ୍ତେ ସରୂପ ଜୀବ ମୋର ଦେଖିଲା ତ ନାହିଂ
ମାୟା ସରୂପ ପ୍ରାୟେ ଦିଶୁଅଛି ମୋତେ ୟେହି ।୧୦୬ ।
ମାୟା ରୂପ ଅବା କମଳାର କାନ୍ତ
ମୋତେ କଷଣ କରିବାକୁ ଅବା ଅଇଲେ ପଦ୍ମନେତ୍ର ।୧୦୭ ।
ୟେହାର ପାଦ ତଳେ ଶୋଇବି ଗଡ଼ଘାଲି
ଆନ ଜୀବ ହୋଇଲେ ୟେ ନିଶ୍ଚେ ଯିବ ଜଳି ।୧୦୮ ।
ୟେତେକ ବିଚାରି ମନେ ପାଣ୍ଡବ ଅର୍ଜୁନ
ଗଡ଼ଘାଲି ସୁତିଲା ସେ ଶ୍ରୀହରି ଚରଣ ।୧୦୯ ।
ପାଦ ତଳେ ପଡ଼ି ତୁସ୍ତି କରଇ ବୀର
ଜୟ ତୁ ଅନାଦି ଯେ ଅବ୍ୟୟ ନିରାକର ।୧୧୦ ।
ତୁ ଦେବ ଦିବ୍ୟ ମୂରତି ରୂପ ଧରି ପାରୁ
ଅନାଦି ଅବତାର ତୁ ବାଞ୍ଛା କଳ୍ପତରୁ ।୧୧୧ ।
ତୋହୋର ଆଗ୍ୟାଂରେ ଚତୁର୍ଦ୍ଦଶ ପୁର
ବ୍ରହ୍ମା ରୁଦ୍ର ଇନ୍ଦ୍ର ଯେ ତୋହୋର ପରିଚାର ।୧୧୨ ।
ସଚରାଚର ଜନେ ସର୍ବେ ତୋର ଭୃତ୍ୟ
ଜୀବ ଅଜୀବରେ ପୂରି ତୁ ସମ୍ଭୂତ ।୧୧୩ ।
ତୋହୋର ବିହୁନେ ୟେ ସଚରାଚର ନାସ୍ତି
ଅନାହତ ପୁରୁଷ ତୁ ଅଣାକାର ଜ୍ୟୋତି ।୧୧୪ ।
ଯାହାର ମାୟାରେଟି ଭୁଲିଲେ ତ୍ରିଲୋଚନ
ମୋ ଛାର ମାନବ ମୋତେ କିଂକେ ତୋ କଷଣ ।୧୧୫ ।
ତୁସ୍ତି ସାରି କର ଯୋଡ଼ି ଉଭା ହୋଇଲେ ଅରଜୁନ
ନବୀନ ମୂରତି ଯେ ହୋଇଲା ଭଗବାନ ।୧୧୬ ।
ନବଘନ ରୂପ କଟିରେ ପୀତାମ୍ୱର
ପଦ୍ମଦଳ ଲୋଚନ ଯେ ଅରୁଣ ଅଧର ।୧୧୭ ।
ଶ୍ରୀବଚ୍ଛ ଲକ୍ଷଣ କଣ୍ଠେ କଉସ୍ତୁଭ ମଣି
ବଇଜୟନ୍ତୀ ମାଳା ଯେ ମୁକୁତାର ଶ୍ରେଣୀ ।୧୧୮ ।
ମର୍କତରେ କୁଣ୍ଡଳ ସୂର୍ଯ୍ୟର ସିତ କର
ନବରତ୍ନ ପାଦକେ ଯେ ବିବିଧ ମଣିହାର ।୧୧୯ ।
ସପତ ଶିଖା ମୁକୁଟ ଶିରରେ ଶୋଭାବନ
ଶଙ୍ଖ ଚକ୍ର କରେ ଶୋଭା ଜଗତମୋହନ ।୧୨୦ ।
ଦେଖିଣ ଧନୁର୍ଜୟେ ପୁଣିହିଂ ଗଡ଼ଘାଲି
କୋଳେ ଧରି ଦେବ ଦିବ୍ୟ ବାକ୍ୟ ବୋଲି ।୧୨୧ ।
ଅର୍ଜୁନକୁ ଘେନିଣ ମର୍କତ ଶିଳା ପରେ
ବସିଣ ପଚାରନ୍ତି ତହିଂ ଠାକୁର ଚକ୍ରଧରେ ।୧୨୨ ।
ଧନ୍ୟ ଧନ୍ୟ ଧନୁର୍ଜୟେ ଚିହ୍ନିଲୁ ତୁ ମୋତେ
ତୁ ମୋହୋର ପ୍ରାଣ ଯେ ଅଟୁ ପଞ୍ଚୁ ଭୂତେ ।୧୨୩ ।
ତେଣୁ କରି ୟେ ରୂପ ତୁ ଚିହ୍ନିଲୁ ମୋହୋର
ୟେତେକ ବୋଲି ଦେବ ପୁଣିହିଂ କଲେ କୋଳ ।୧୨୪ ।
ଅର୍ଜୁନକୁ ଚାହିଂ ପୁଚ୍ଛନ୍ତି ପୀତବାସ
କି କାର୍ଯ୍ୟେ ଧନୁର୍ଜୟେ କଲୁ ରେ ବନବାସ ।୧୨୫ ।
ଶ୍ରୀହରି ପଚାରନ୍ତେ ହସିଲେ ଅରଜୁନ
ସାବଧାନ ହୋଇ ତୁମ୍ଭେ ଶୁଣିମା ଭଗବାନ ।୧୨୬ ।
ଦ୍ରୋପତୀ ଦେବୀଙ୍କର ରମଣ ରସ ବିଧି
ଯାହା ସେ ପାଞ୍ଚ ଭାଇ ଆମ୍ଭେ ଅଛୁଂଟି ସମ୍ପାଦି ।୧୨୭ ।
ୟେକର ରମଣ ଯେବେ ଆରକେ ଦେଖଇ
ଦ୍ୱାଦଶ ବରଷ ଯେ ବନବାସ ଯାଇଂ ।୧୨୮ ।
ୟେମନ୍ତେ ସମୟେ ବ୍ରାହ୍ମଣେକ ଆସି
ଦ୍ୱାରେଣ ବହୁତ କହିଲେ ନିବେଶି ।୧୨୯ ।
ମୋତେ ବୋଇଲେ ବେଗେ ଯୁଝେଷ୍ଠିଙ୍କି ଆଣ
ନୋହିଲେ ସମସ୍ତ ଭସ୍ମ ଯିବ ମୋହୋର କ୍ରୋଧେଣ ।୧୩୦ ।
ଗୁପତ କଥାୟେ ମୁଂ ତାହାଙ୍କୁ କହିବି
ବେଗେଣ ଘେନି ଆସ ପାଣ୍ଡବ ବାସବି ।୧୩୧ ।
ତାହାଙ୍କ ଆଗ୍ୟାଂରେ ମୁଂ ଭିତରକୁ ଗଲି
ଯୁଝେଷ୍ଠି ପାଞ୍ଚାଳୀଙ୍କର ୟେକାନ୍ତ ଦେଖିଲି ।୧୩୨ ।
ଲେଉଟି ଦ୍ୱାରେ ମୁଂ ହୋଅନ୍ତି ଚକ୍ରଧର
ସେଠାରୁ ବ୍ରାହ୍ମଣ ଯେ କେଣେ ହୋଇଲେ ଅନ୍ତର ।୧୩୩ ।
ସେ ନ୍ୟାୟୁଂ ବନବାସ ହୋଇଅଛି ମୋହୋର
ବନରେ କଷଣ ବହୁତ ହୋଇଲା ଦୋମୋଦର ।୧୩୪ ।
ଅର୍ଜୁନଠାରୁ ଶୁଣି ସନ୍ତୋଷ ଭଗବାନ
ସହଦେବ ମନ୍ତ୍ରୀ କହିଥିଲେ ତାହାଙ୍କୁ ଯେତେକ ବିଧାନ ।୧୩୫ ।
ଆଗ୍ୟାଂ ଦିଲେ ତାହାଙ୍କୁ କମଳାର ପତି
ଚାଲ ବାବୁ ୟେବେ ଯିବା ଦ୍ୱାରାବତୀ ।୧୩୬ ।
ଶୁଣି ଅର୍ଜୁନ ବୋଇଲେ ଯୋଡ଼ି ବେନି କରପତ୍ର
ସତ୍ୟ କରି ଅରଣ୍ୟକୁ ଅଇଲି ପଦ୍ମନେତ୍ର ।୧୩୭ ।
ଚାରି ବରଷ ଛଡ଼ମାସ ହୋଇଲାନି ତେର ଦିନ
ୟେତେ ଦିନ ସେ ବିହରିଲି ଯେ ଅରଣ୍ୟ ।୧୩୮ ।
ଆଉ ସାତ ବରଷ ପାଞ୍ଚମାସ ସତର ଦିନ ଗଲେ
କରିବଇଂ ଦରଶନ ଦ୍ୱାରବତୀ ପୁରେ ।୧୩୯ ।
ଶ୍ରୀହରି ଅର୍ଜୁନ ଦୋହେଂ ତହିଂ କରନ୍ତେ ବିଚାର
ମନ୍ଦ ମନ୍ଦ ହସି ଯେ କହନ୍ତି ଚକ୍ରଧର ।୧୪୦ ।
ଆଜ ଯେ ଚଇତ୍ର ଶୁକଳ ପକ୍ଷ ତ୍ରୟୋଦଶୀ
ମହା ମହା ବାରୁଣୀ ଯୋଗ ଯେ ଗଙ୍ଗାରେ ପଡ଼ିଅଛି ।୧୪୧ ।
ଯେବେ ଥାଆନ୍ତାଇଂ ଆମ୍ଭେ ପୁର ଦ୍ୱାରାବତୀ
ଗଙ୍ଗାରେ ସ୍ନାହାନ କରନ୍ତାଇଂ ହୋ ପଣ୍ଡୁର ସନ୍ତତି ।୧୪୨ ।
ଅର୍ଜୁନ ବୋଇଲେ ହରି ଆସନ୍ତୁ ସୁରେଶ୍ୱରୀ
ୟେଠାରେ ସ୍ନାହାନ କର ତୁମ୍ଭେ ଚକ୍ରଧାରୀ ।୧୪୩ ।
ହସି ପଚାରନ୍ତେ ଯେ କମଳାର ପତି
କି ରୂପେ ଆସିବି ୟେଥେଂ ଧବଳ ମୂରତି ।୧୪୪ ।
ଅର୍ଜୁନ ବୋଇଲେ ଯାହାର ପାଦରୁ ସମ୍ଭୁତ
ତାହଙ୍କୁ ୟେ କଥା କି ଅଟଇ ବିଚିତ୍ର ।୧୪୫ ।
ଶ୍ରୀହରି ବୋଇଲେ ସେ ଅଟନ୍ତି ଅନେକ ଦୂରେ
ଭଗୀରଥ ଆଣିଥିଲେ ସେ ଅଇଲେ ପୃଥୀରେ ।୧୪୬ ।
ଆନ କେ ତାହାଙ୍କୁ ହୋ ଆଣିମ ଅରଜୁନ
ୟେହା ଶୁଣି ବୋଇଲେ ସେ ପାଣ୍ଡୁର ନନ୍ଦନ ।୧୪୭ ।
ଭୋ ଦେବ ତୁମ୍ଭର ଆଗ୍ୟାଂ ପରମାଣେ
ଆସିବେ ଗଙ୍ଗାଦେବୀ କର ଅବଧାନେ ।୧୪୮ ।
ଶୁଣିଣ ହସିଲେ ଯେ କମଳାର ବର
ଭଗୀରଥ ପ୍ରାୟେ ଭାଗ୍ୟଥିବ ଯେ ଯାହାର ।୧୪୯ ।
ତପସ୍ୟା ବଳେ ଆଣିଲେ ଭଗୀରଥ ରାୟେ
ତୁମ୍ଭେ ଅବା ଆଣି ପାରିବ ହେ ଧନୁର୍ଜୟେ ।୧୫୦ ।
ଶୁଣିଣ ବୀବବର ଆଗ୍ୟାଂ ଘେନି
ଧନୁ ଧରି ନାରାଜ ବସାଇଲେ ଆଣି ।୧୫୧ ।
ଅରକ୍ଷ ବୋଲି ପିଚାଶ ୟେକ ଜନ
ଧନୁର୍ବେଦ ତାହାଠାରୁ ପଢ଼ିଲେ ଅର୍ଜୁନ ।୧୫୨ ।
ସେ କାଳେ ସୁରତ ରଙ୍ଗ ବୋଲି ୟେକ ଶର
ଅର୍ଜୁନକୁ ଅନୁଗ୍ରହେ ଦେଇଥିଲା ବର ।୧୫୩ ।
ମନ୍ତ୍ର ସୁମରିଣ ବିନ୍ଧିଲାକ ବୀରମଣି
ବୋଇଲା ଘେନି ଆସିବୁ ବରୁଣ ପାଟରାଣୀ ।୧୫୪ ।
ସେ ଅଘନାଶୀନି ୟେଥେଂ ଆସି କରନ୍ତୁ ବିଜୟେ
ତୁମ୍ଭେ ଆଗେ ଥିବ ପଛେ ଥିବ ମାୟେ ।୧୫୫ ।
ଆଗ୍ୟାଂରେ ନାରାଜ ଯେ ଚଳିଲା ତତକ୍ଷଣ
ନିଶ୍ୱାସକେ ଚଳିଲା ସେ ତିନି ସହସ୍ର ଯୁଣ ।୧୫୬ ।
ଦେବୀଙ୍କର ଛାମୁରେ ଯାଇଂ କର ଯୋଡ଼ିଣ କହି
ହରି ଅରଜୁନ ମୋତେ ପେଷିଲେ ମହାମାୟି ।୧୫୭ ।
ତୁମ୍ଭଙ୍କୁ ନେମାକୁ ଶ୍ରୀହରିଙ୍କ ଅବଧାନ
ମଣିଭଦ୍ରା ପର୍ବତେ ଅଛନ୍ତି ଶ୍ରୀହରି ଅରଜୁନ ।୧୫୮ ।
ଶୁଣିଣ ଶର ବାଣୀ ମାତା ହୃଦରେ କଲେ ଲୟ
ଜାଣିଲେ ଶରଧା କରିଅଛନ୍ତି ଦେବରାୟେ ।୧୫୯ ।
ହରି ଅର୍ଜୁନ ଯେ ଅଛନ୍ତି ୟେକ ସ୍ଥାନ
ନ ଗଲେ ହାଦେ ବଳ ମୋତେ ଘେନି ଯିବ ବାଣ ।୧୬୦ ।
ୟେତେ ବିଚାରିଣ ତହୁଂ ଧବଳାଙ୍ଗୀ ମୂରତି
ମନେ ମନେ ଗୁଣି ସେ ହୋଇଲେ ତ୍ରିପୁତି ।୧୬୧ ।
ତୁମ୍ଭେ ଆଗ ହୋଇ ବାଟ କଢାଅ ହୋ ବାଣ
ତୁମ୍ଭର ପଛେ ପଛେ ଆମ୍ଭର ପୟାଣ ।୧୬୨ ।
ଆଗ୍ୟାଂୟେ ତୁରିତେ ଆଗ ହୋଇଲାକ ଶର
ଯେସନେ ବିଚିତ୍ର କି ଶୋଭା ଅହିବର ।୧୬୩ ।
ସଙ୍ଗେ ପରିବାରୀ ଘନଲତା ହେମଲତା
ଶର ପଛେ ବିଜେ କଲେ ଜଗତର ମାତା ।୧୬୪ ।
ପାତାଳ ଭେଦ ହୋଇ ବିଜୟେ କଲେ ଯହୁଂ
ମଣିଭଦ୍ରା ପର୍ବତେ ପ୍ରବେଶ ହୋଇଲେ ତହୁଂ ।୧୬୫ ।
ଶ୍ୱେତ କଳ୍ପ ନାମେ ତହିଂ ଅଛଇ ବୃକ୍ଷବର
ସେ ବୃକ୍ଷ କ୍ରୋଟ ମଧ୍ୟୁଂ ଦେବୀ ହୋଇଲେ ବାହାର ।୧୬୬ ।
ହରି ଅର୍ଜୁନ ତାହା ଦେଖନ୍ତି ଉଭାରି
ଶର ପଛେ ବିଜେ କରିଅଛନ୍ତି ମାହେଶ୍ୱରୀ ।୧୬୭ ।
ଗୋବିନ୍ଦଙ୍କ ପାଦେ ଦେବୀ ହୋଇଲେ ଭଗତି
ଅନ୍ତର୍ଗତେ ତାହା ଜାଣିଲେ ଶିରୀପତି ।୧୬୮ ।
ଶର ତତକ୍ଷଣେ ନିଜ ରୂପ ହୋଇ
ରଖିଲେ ତ୍ରୋଣରେ ତାହା ବାସବ ତନୟି ।୧୬୯ ।
ଗଙ୍ଗାକର ଚରଣେ ପଡିଲେ ବୀର ପାଥ
ପାଦେ ପଡ଼ିଣ କଲେ କୋଟିଏ ଦଣ୍ଡବତ ।୧୭୦ ।
ସାନନ୍ଦ ହୋଇଣ ତହିଂ ଶଙ୍ଖଚକ୍ରଧର
ପାଥକୁ ଘେନିଣ ସ୍ନାହାନ କରିଲେ ତତପର ।୧୭୧ ।
ଗରୁଡ଼ ଯେ ସ୍ନାହାନ ସାରିଲେ ତାହାଙ୍କର ତୁଲେ
ସନ୍ଧ୍ୟା ତର୍ପଣେ ଯେ ଦେବ ପିତୃଙ୍କୁ ଜଳ ଦିଲେ ।୧୭୨ ।
ନଦୀର ନାମ ବୀର ତୁରଙ୍ଗ ସେ ଦିଅନ୍ତି
ଦେବାଙ୍ଗ ପାଟେକ ଯେ ବାନ୍ଧିଲେ ଶିରୀପତି ।୧୭୩ ।
ବୋଇଲେ ସୁରଭି ତୁମ୍ଭେ ଆମ୍ଭ ଆଗ୍ୟାଂ ଶୁଣ
ମହା ମହା ବାରୁଣୀ ଯେ ପଡ଼ିବ ଯେବଣ ଦିନ ।୧୭୪ ।
ସତ୍ୟ ତ୍ରେତୟା ଦ୍ୱାପର କଳି ଯୁଗ ଚାରି
ୟେ ଶର ଆଗେ ଥିବ ଅହିରୂପ ଧରି ।୧୭୫ ।
ମେଳେଚ୍ଛଙ୍କୁ ମୁକତି ହୋଇବାର ନିମନ୍ତେ
ଅବଶ୍ୟ ବିଜେ ଦେବୀ କରିବୁଂ ଶର ପଥେ ।୧୭୬ ।
ଶୁଣି ମାହେଶ୍ୱରୀ ଯେ ଅବଧାନ ପୁଣି
ପାଦରେ ପ୍ରଳମ୍ୱିତ କଲେକ ସୁଲକ୍ଷଣୀ ।୧୭୭ ।
ଭୋ ପ୍ରଭୁ ତୁମ୍ଭର ଆଗ୍ୟାଂ ଯେଉଂରୂପେ
ପାଳିବଇଂ ତୁମ୍ଭ ଆଗ୍ୟାଂ କଳପ କଳପେ ।୧୭୮ ।
ପଦ୍ମ ପାଦେ ପଡ଼ି ଦେବୀ କଲେକ ବିଜୟେ
ଆପଣା ନିଜ ଗୃହେ ପ୍ରବେଶ ଯାଇ ହୋୟେ ।୧୭୯ ।