ପାଣ୍ଡବାଦିଙ୍କର ଭିକ୍ଷାଚରଣ — ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଭିକ୍ଷାବାସୀ ଜନଙ୍କର ୟେସନେକ ବେବସ୍ଥା ।୨୨।
କୋପ ଦୂର କରି ଯେବେ ଭଜି
ବହୁତ ସମ୍ପଦ ନୋହଇ କଣ କଳ୍ପ ଅରଜି ।୨୩।
ୟେହା ପରି ପାଳି ଯେବେ ପାରିବୁ ଭୀମସେନ
ଜନ ମୁଖ ଚାହିଂ ସୁଖେ ନେମା ଦିନ ।୨୪।
ଭୀମସେନ ବୋଇଲା ଦେବ ଦଶ ବରଷ ପରିଯନ୍ତେ
ଜନ ମନୁଷ୍ୟ ନ ଦେଖ ପଶିଲୁ ବନସ୍ତେ ।୨୫।
ଅନ୍ନ ନପାଇଣ ଯେ ବନ ଫଳ ଭକ୍ଷି
ଆବର ବଳ ବପୁ ରାଗ ଦେବ କାହାର ଦେହେ ଅଛି ।୨୬।
ଭଜିଲୁ ଶାନ୍ତି ଯେ ହୋଇଲୁ ବୀର୍ଯହୀନ
କଣ କଳପ ଭିକ୍ଷାରେ ବଞ୍ଚିବା ଆମ୍ଭେଦିନ ।୨୭।
ଜନ ମୁଖ ଚାହିଂ ଦେବ ଥିବାକ ସମୟେ
ଶୁଣି ବିଚାରିଲେ କୋଇନ୍ତା ଦେବୀ ମାୟେ ।୨୮।
ବାବୁ ଭିକ୍ଷା ବୋଲିକରି ଯେବଣ ବଣିଜ
କଣ କଳ୍ପ କରି ସେ ଯେ ଦିଅନ୍ତି ଗ୍ରାହିଜ୍ୟ ।୨୯।
ବହୁତ ଦିଅନ୍ତା ନାହିଂ ଅଳପ ନ ଦିଶଇ ନୟନେ
ଯାଓ ତ ବୋଲି ବୋଲନ୍ତି ଅଗ୍ୟାଂନ ସ୍ତିରୀମାନେ
ନପାଇଲା ଘରୁ ତାର କୁଡ଼ିଆ ନ ପୁଣ ଉପାଡୁ
ରାଗ ଧରି ନପୁଣ ସବୁଙ୍କୁ କଚାଡୁ ।୩୨।
ବାବୁ ୟେତିକି ଭ୍ରାନ୍ତିରେ ଭାଳଇ ମୋର ମନେ
ମାତାଙ୍କ ବଚନେ ଯେ ହସିଲା ଭୀମସେନେ ।୩୨।
କେବଣ ଭିକ୍ଷା ମାଗୋ ବାହୁଡାନ୍ତି ନାହିଂ
ସେହି ଭିକ୍ଷା କରେ ମା ଗୋ ଘେନିମଇ ମୁହିଂ ।୩୩।
କୋଇନ୍ତାୟେ ବୋଇଲେ ଚକ୍ର ବୋଲି ୟେକ ଭିକ୍ଷା
ସମସ୍ତେ କରେ ଦିଅନ୍ତି ସେ ନିରଞ୍ଜନ ଦୀକ୍ଷା ।୩୪।
ଧାନ ଚାଉଳ ବିରିମୁଗ ଆବର ପରିବା
ହିରଣ୍ୟ ବସ୍ର ହାଣ୍ଡି ଆଦି କରି ଦେବା ।୩୫।
ସେ ବ୍ରାହ୍ମଣଙ୍କୁ ଦେଖିଲେ ଦିନକର ପାପ ହରି
ୟେହାଙ୍କୁ ନମସ୍କାର କଲେ ଅଷ୍ଟୋତ୍ତର ଶତେ ବିପ୍ର ସରି ।୩୬।
ବେନି ଚକ୍ର ପୂରୋଇ ଯେବେ ଦିଅଇ ଅନ୍ନ
ଜନ୍ମେ ଜନ୍ମେ ଅନ୍ନ କଷ୍ଟ ସେ ନ ପାବନ୍ତି ଜନ ।୩୭।
ଭୀମସେନ ବୋଇଲା ଭଲ ହିଂ କହିଲ ମାତା କୋନ୍ତେ
ସେହି ଚକ୍ର ଭିକ୍ଷା ମା ଗୋ ଯୋଗାଇଲା ମୋତେ ।୩୮।
କୋଇନ୍ତା ବୋଇଲେ ବାବୁ ଚକ୍ରଭିକ୍ଷା ମାଗିଲେ ଅନେକ ଅଛି ଦୋଷ
ଦୋହୋରା ଅଗ୍ନି ଥାଇଂ ତାହାଙ୍କରି ପାଶ ।୩୯।
ଯେଉଂଣ ଭିକ୍ଷା ସେ ମାଗିକରି ନେବ
ଦୁଇ ଭାଗ କରି ଭାଗେ ଦୋହୋରାଙ୍କୁ ଦେବ ।୪୦।
ଯଜମାନ କଲ୍ୟାଣ ଚକ୍ରଭିକ୍ଷାକୁ ଦେବା
ୟେତେକ କହି ସମାସ୍ୟା ଦେବା ଆନ କଥା ନ କହିବା ।୪୧।
ଚକ୍ରଭିକ୍ଷାରେ ବାବୁ ଅନେକ ଅବିଗୁଣ
ମିଥ୍ୟା କହିଲେ ସେ ରଉରୋବ ନର୍କରେ ପଡ଼ଇ ବ୍ରାହ୍ମଣ ।୪୨।
ଭୀମସେନ ବୋଇଲା ଯାହିଂର ଯେମନ୍ତ ଭିକ୍ଷା
ମୁହିଂ କିବା ମାତା ଗୋ କହିବଇଂ ହାଦେ ମିଥ୍ୟା ।୪୩।
ବନସ୍ତୁ କାଟିଲା ଭୀମ ବେତ ଲଟୀ ମାନ
ଚିରି ବେନି ଚକ୍ର ଯେ ବୁଣିଲା ଅରଜୁନ ।୪୪।
ବାଆଂଶେକ କାଟି ଯା କଲେ ଭାରଯଷ୍ଟି
ଲଇରେ ଗୁନ୍ଥି ଭୀମସେନ କନ୍ଧେ ଦିଲେ ଚକ୍ର ଭାର ଗୋଟି ।୪୫।
ଚିତାନ୍ତ ପ୍ରସାରି କୁଶ ବଟୁ ଘେନି କରେ
ଗମନ୍ତି ପାଣ୍ଡବେ ଯେ ଓଡାଦି ଶିବପୁରେ ।୪୬।
ଦେଖନ୍ତି ଓଆସେକ ନଗ୍ରର ବାହିଜେ
ଅନ୍ତଚାରୀ ହୋଇ ତହିଂ ରହିଛି ୟେକ ଦ୍ୱିଜେ ।୪୭।
ଭୀମସେନ ବାଟ କଢାଇଲା ତାହାର ଦ୍ୱାରକୁ
ସେ ଦ୍ୱାରକଇଂ ନ ଯାଇଂ ବୋଲି ବୋଇଲେ କୋଇନ୍ତାୟେ ଭୀମସେନକୁ ।୪୮।
ନିୟତ ନାମ ମାନ ଯେ ଲୁଚାଇଂ ଗୋପ୍ୟ କରି
ଜାଣନ୍ତା ହୋଇବ ନା ନିରୁତାନ୍ତ ନାମ ଧରି ।୪୯।
ଯୁଝେଷ୍ଠି ନାମ ଯେ ବହିଲେ ଜୟନ୍ତ
ଭୀମସେନ ନାମ ଯେ ବହିଲେ ଜୟବନ୍ତ ।୫୦।
ଅର୍ଜୁନ ନାମ ଯେ ବହିଲେ ଅଜୟେ
ଜୟସେନ ନାମ ନକୁଳବୀର ବହେ ।୫୧।
ଜୟେରାଷ୍ଟ ନାମ ବହିଲା ସହଦେବ ମନ୍ତ୍ରୀ
ୟେମନ୍ତେ ଗୁପତମାନ ବହିଲେ ପଞ୍ଚଛତ୍ରୀ ।୫୨।
ଜୟନ୍ତ ବୋଇଲାରେ ରହ ରହ ଭାଇ
ଅଛବ ଲୋକ ସେ ଯେ ନଗ୍ର ବାହାରରେ ଥାଇ ।୫୩।
ଭୀମସେନ ବୋଇଲା ଦେବ ପରିମଳ ଭୁବନ
ବାହ୍ୟ ବଳି କଲା ୟେତ ଅଟଇ ବିପ୍ରଜନ ।୫୪।
ପଥୁକି ଜନ ପଚାରିଲେ ସନ୍ନିଧ୍ୟେଣ ରାଇ
ୟେ କିସ ଘର ବାଭିୟେ ବାହିଜ୍ୟେ ଅଛି ରହି ।୫୫।
ସଜ୍ଜନ ହୋଇଲା ଗୋସାଇଂ ୟେ ଅଟଇ ବିପ୍ରଙ୍କର ଘର
ନଗ୍ରରୁ ବାହାର କରି ଦିଲେ ବାହିଜ୍ୟ ପ୍ରକାର ।୫୬।
ଗୋସାଇଂ ଉଦ୍ଦାଳେକ ନାମେଣ ୟେକଇ ଦ୍ୱିଜବର
ବ୍ରାହ୍ମଣୀ ଶୂଦ୍ରାଣୀ ବେନି ଭାରିଯା ଘେନି କରଇ ସେ ଘର ।୫୭।
ବେନି ଭାରିଯାଙ୍କର ଉପୁଜିଲା ଦଶ ଦଶ ପୁତ୍ର
ଦୁଇ ବାଡ଼ କରି ତାହା ବସାଇଲା ମହତ ।୫୮।
ଶିବପୁର ନଗ୍ର ଯେ ଈଶାନ ଭାଗକତି
ଲକ୍ଷେ ନବ ସହସ୍ର ବ୍ରାହ୍ମଣ ବସନ୍ତି ।୫୯।
ଓଡ଼ାଦି ନଗ୍ର ଯେ ପଶ୍ଚିମ ଭାଗର
ଦୁଇଲକ୍ଷ ପାଞ୍ଚ ସହସ୍ର ବସାଇ ଯେ ଘର ।୬୦।
ୟେ ଶିବପୁର ନଗ୍ରେ ବ୍ରାହ୍ମଣେ ବସନ୍ତି
ଅପୁତ୍ରିକ ହୋଇଲେ ନଗ୍ରୁଂ ବାହର କରିଦ୍ୟନ୍ତି ।୬୧।
ବିଷ୍ଣୁକର ପଣ୍ଡାୟେ ନଗ୍ରର ଗ୍ରାମୀଣ
ଯତ ସତେ ବଂଶ ନୋହିଲା ବର୍ଦ୍ଧମାନ ।୬୨।
ନଗ୍ର ଲୋକେ ପନ୍ତିରୁ ବାହର କରିଦିଲେ
ଅପୁତ୍ରିକ ଲୋକ ବୋଲି କତିରେ ନ ରୁହାଇଲେ ।୬୩।
ବିଷ୍ଣୁକର ପଣ୍ଡାଙ୍କର ୟେ ଅଟଇ ଗୃହବାସ
ସନ୍ତାନ ଅଭାବେ ୟେ ଛାଡ଼ିଲେ ନିଜଦେଶ ।୬୪।
ଯୁଝେଷ୍ଠି ବୋଇଲେ ମା ଗୋ ୟେହି ସେ ଯୋଗାଇ
ଗୁପତ କାଳକୁ ୟେ ବାହିଜ୍ୟ ଚରଭୂଇଂ ।୬୫।
ପ୍ରଥମେ ଭିକ୍ଷା କରିବା ୟେହାଙ୍କର ଘରେ
ବସା ଖଣ୍ଡିୟେ ମାଗିବା ରହିବା ୟେହି ଠାରେ ।୬୬।
ବିଚାରିଣ ବିଜେ କଲେ ପଞ୍ଚୁ ପ୍ରାଣୀ
ତୁଲେଣ ଗୋଡ଼ାବନ୍ତି କୋଇନ୍ତା ମହାତ୍ମାଣୀ ।୬୭।
ଭିକ୍ଷା ପାତ୍ର କଲେ ବିଷ୍ଣୁକର ପଣ୍ଡା ଘରେ
ବ୍ରାହ୍ମଣ ବ୍ରାହ୍ମଣୀ ଭୋଜନ ସାରି ବସିଅଛନ୍ତି ଭିତରେ ।୬୮।
ମହା ବ୍ରହ୍ମବାକ୍ୟ ଯେ ପ୍ରଥମ ଆଧ୍ୟାନ ଖଣ୍ଡି
ପିଣ୍ଡାରେ ବସି ଉଚ୍ଚାରନ୍ତି ବୁଭୁକ୍ଷିତ ଯଜମାନ କାଣ୍ଡି ।୬୯।
ଭିତରେଣ ଥାଇ ଶୁଣିଲେ ବିଷ୍ଣୁକର
ନିର୍ଧୂମ ଅଗ୍ନି ଜାଣି ଦିଶଇ ତାହାଙ୍କର ଶରୀର ।୭୦।
ବ୍ରାହ୍ମଣ ବିଚାରନ୍ତି ୟେତ ନାରାୟଣ ଦୀକ୍ଷା ।
ଦଇବ ପୁରୁଷମାନେ କପଟେ ମାଗନ୍ତି ଭିକ୍ଷା ।୭୧।
ବ୍ରାହ୍ମଣୀକି ବୋଇଲା ସୁଫଳ ଆଜ ଦିନ
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର କୁବେର ପାଞ୍ଚଜଣ ।୭୨।
ତୁଲେଣ ମାତା ୟେହାଙ୍କର ଅନାଦି ଶକତି
ଦ୍ୱାରେଣ ଉଭା ହୋଇଲେ ୟେ ମୋତେ କଷଣ ନିମନ୍ତି ।୭୩।
ତୁ ଦେଖି ଦ୍ରଶନ କରନି ଯାଇ ଆଗେ
ସେ କିସ ଆଗ୍ୟାଂ ଦିଅନ୍ତି ତୋତେ ଅନୁରାଗେ ।୭୪।
ଅନେକ ବେଶ ବେଶନ ହୋଇଣ ବ୍ରହ୍ମଣୀ
ସୁଢଳି ଆଭରଣ ହେଲା ଦେବ ସ୍ତିରୀ ଜାଣି ।୭୫।
ପାଟେକ ପିନ୍ଧି ଝୀନ ବସ୍ରେକ ଉପୁରାଣ
ଅର୍ଘ୍ୟ ଯୋଗାଡ଼ ପୂରୋଇ ଘେନିଲା ସୁବର୍ଣ୍ଣ ଥାଳୀରେଣ ।୭୬।
ଭିତରୁ ବାହାର ହୋଇଲା ବିଷ୍ଣୁକର ବନିତା
ପାଦାର୍ଘ୍ୟ ଦେଇଣ ସେ ହୋଇଲା ପ୍ରଳମ୍ୱିତା ।୭୭।
କୋଇନ୍ତାୟେ ଆଶ୍ୱସନା କଲେ ତାହାଙ୍କର ଗାତ୍ର
ବୋଇଲା ମୋହୋର ତୋହୋର ହୋଉ ପଞ୍ଚ ପୁତ୍ର ।୭୮।
ଭାଗ୍ୟବନ୍ତ ହୋନ୍ତୁ ସେ ସହି ଶ୍ରେଷ୍ଠ ହୋଅନ୍ତୁ
ଶୂରବନ୍ତ ପଣ୍ଡିତ ଦୁଇ ଯେ ହୋଅନ୍ତୁ ।୭୯।
ୟେସନେକ ବଚନ ଶୁଣିଣ ବ୍ରାହ୍ମଣୀ
ଭିତର ମନ୍ଦିରୁ ସେ ବାହାର ହୋଇଲା ତତକ୍ଷଣି ।୮୦।
ପ୍ରଣପତ୍ୟ ହୋଇଲା ସେ କୋଇନ୍ତାଙ୍କ ପଦ୍ମ ପାୟେ
ବୋଇଲେ ପରମ ମାହେଶ୍ୱରୀ ତୁ ଅଟୁ ମହାମାୟେ ।୮୧।
ପର ମନ ଜାଣିଲୁ ତୁ ପର ଦୁଖେ ଚିନ୍ତା
ଅପୁତ୍ରକ ଜାଣି ପ୍ରସନ୍ନ ହୋଇଲୁ ଗୋ ମାତା ।୮୨।
ଯେହ୍ନେ ସାତ୍ତ୍ୱିକ ସାର୍ଥୁକ ମାତା ଗୋ ତୋହୋର ଆଗ୍ୟାଂବ୍ରତୀ
ସଞ୍ଚୟେ ହୋଇବ ମୋର ପଞ୍ଚ ଯେ ସନ୍ତତି ।୮୩।
ଯେବେ ପଣ୍ଡିତ ସେ ଶୂରବନ୍ତ ନୋହିବେ
ସେ ପୁତ୍ର ଛା ରଆଉ କିସ ଯେ କରିବେ ।୮୪।
କୋଇନ୍ତାୟେ ବୋଇଲେ ତୁ ଶୁଣି ହୋ ଦ୍ୱିଜବର
ଶୂରବନ୍ତ ପଣ୍ଡିତ ହାଦେ ପୁତ୍ର ଯେ ମୋହୋର ।୮୫।
ଭିକ୍ଷା ଆଶା କଲେ କରେ ଘେନି ଭିକ୍ଷା ପାତ୍ରେ
ମାଗନ୍ତି କଣ ଭିକ୍ଷା ବ୍ରତନ୍ତି ୟେମନ୍ତେ ।୮୬।
ଅଚ୍ଛରଚ କୃପଣ ଅକ୍ରିୟା ଅଜାତି
ତାହାଙ୍କର ଘରେ ହଦେ ଭିକ୍ଷା ଯେ ମାଗନ୍ତି ।୮୭।
ହେ କର୍ମପୁରୁଷ ହାଦେ ତୋତେ ମୋହୋର ନମସ୍କାର
ତବ ପଦ୍ମପାଦେ ଶତ ସହସ୍ର ଦଣ୍ଡବତ ମୋହୋର ।୮୮।
ତୁ ଯାହାକରୁ ତାହା କର୍ମ ବୋଲି ବୋଲି
ଅନ୍ତେ ବୁଦ୍ଧି ଶିଖି ୟେକା ତୁକୁହିଂ ହାରିଲି ।୮୯।
ସମ୍ପଦ କରିଣ ଯେ ଭିଆଲୁ ପିଣ୍ଡ ଗୋଟି
ଆବର କିମ୍ପାଇ ବିପଦ କରିଦେଲୁ କଷ୍ଟି ।୯୦।
ତୁହି ସେ ଉଶୁଆସ ତୁହି ସେ ମହାଭାରା
ୟେ ମାନବ ଜନକୁ ମୋତେ ବିପତ୍ତି ନକରା ।୯୧।
ସଚଳ ନିଚଳ ଚଞ୍ଚଳ ଦେବ ତୁହି
ଭାବ ଅଭାବ ତୋ ତହୁଂ ଆନ ନାହିଂ ।୯୨।
ହେ ସଂସାର ଜନେ କେହି ନୋହ ବଣା
କର୍ମ ପୁରୁଷ ଗୋଟି ଜୀବକୁ ଧାରଣା ।୯୩।
ହେ କର୍ମ ପୁରୁଷ ତୋହୋର ଚରଣେ ଶରଣ ଭାବେ
ଶୂଦ୍ରମୁନି ସାରୋଳ ଦାସେ ନନ୍ଦୀକେଶ୍ୱର ସେବେ ।୯୪।
ଶିବପୁରେ ଚାଣ୍ଡାଳବଳ ବଧ ଓ ଭୀମଙ୍କର ରାଜ୍ୟାଭିଷେକ
କୋଇନ୍ତାୟେ ବୋଇଲେ ତୁ ଶୁଣ ଦ୍ୱିଜବର
ଭାଗ୍ୟବନ୍ତ ଶ୍ରେଷ୍ଠମତି ଜ୍ୟେଷ୍ଠପୁତ୍ର ହୋଇବ ତୋହୋର ।୧।
କୋଇନ୍ତାଙ୍କ ବଚନେ ସାନନ୍ଦ ବ୍ରାହ୍ମଣ
ବ୍ରହ୍ମଣୀକି ବୋଇଲା ପାଗ ସମ୍ପାଦ ଯେହିକ୍ଷଣ ।୨।
କୋଇନ୍ତାୟେ ବୋଇଲେ ଆମ୍ଭେ ଗୃହବନ୍ତ ଯୋଗେ
ପର ଅନ୍ନଭୋଗୀ ଆମ୍ଭେ ନୋହୁଂ ଜାଣ ୟେବେ ।୩।
ବ୍ରାହ୍ମଣ ବ୍ରାହ୍ମଣୀ ଯେ ନେଲେ କୋଇନ୍ତାଙ୍କୁ
ଈଶାନପୁର ତୁଚ୍ଛା କରି ଦିଲେ ତାଙ୍କୁ ।୪।
ଧାନ ଚାଉଳ ମୁଗ ବିରି ଆଦି କରି
ଯେତେକ ଶଙ୍ଖାଳି ଥିଲା ସେ ପୁରରେ ଭରି ।୫।
ଗୁପତ ଧନ ଆଦି କରି ଯେତେକ ତହିଂ ଥିଲା
ବିପୁଳ ଦାନ କରି ବ୍ରାହ୍ମଣ ଘରଯାକ ଛାଡ଼ିଲା ।୬।
ପୁଅନ୍ତ ଘେନିଣ କୋନ୍ତଭୋଜର କୁମାରୀ
ନିଶ୍ଚିନ୍ତେ ରହିଲେ ଯେ ବିଷ୍ଣୁକର ପୁରୀ ।୭।
ଅନେକ ଭଗତି ହୋଅନ୍ତି ବ୍ରାହ୍ମଣ ବ୍ରାହ୍ମଣୀ
ପଦାର୍ଥ ନଦେବା ନକରନ୍ତି ଇଷ୍ଟ ଦେବତା ଜାଣି ।୮।
କୁତୋହୋଳେ ଭିକ୍ଷାପାତ୍ର ଘେନି ନିଜକରେ
ନଗ୍ରେ ପରିମିଳନ୍ତି ଯେ ଓଡ଼ାଦି ଶିବପୁରେ ।୯।
ଦେଖିଣ ଅନେକ ଭଗତି ହୋଅନ୍ତି ପୁରଜନେ
କେଉଣ ଦେଶୀ ବୋଲି ପଚାରନ୍ତି ସାବଧାନେ ।୧୦।
ପଶ୍ଚିମ ସଉରାଷ୍ଟେ ହସ୍ତିନା ନାମେ ପୁରୀ
ଜନ୍ମିଲା ନିଜ ଦେଶ ଅଟଇ ଆମ୍ଭରି ।୧୧।
ଅନେକ ପୁରୁଷ ଆମ୍ଭେ ଅଟୁ ତୀର୍ଥବାସୀ
ପରିମଳ ନଗ୍ର ବୋଲି ଆମ୍ଭେ ରହିଲୁ ୟେଥେଂ ଆସି ।୧୨।
ବିଷ୍ଣୁକର ପଣ୍ଡା ଘରେ କଲୁ ଆମ୍ଭେ ବାସ
ଗ୍ରାମୀଣେ ବୋଲନ୍ତି ତୁମ୍ଭେ ଭିତରକୁ ଆସ ।୧୩।
ସୋଦର ବଢିବା ନିମନ୍ତେ ଆମ୍ଭେ ଭିକ୍ଷା ବାସୀ
ବିଷ୍ଣୁ ଆଶ୍ରିତେ ଅଛୁଂ ଆମ୍ଭେ ପବିତ୍ର ସୋମବଂଶୀ ।୧୪।
ଯାହାକୁ ଲୟେ କରି ଅଛନ୍ତି ବାସୁଦେବ
କେ ଅବା ତାହାଙ୍କର ବଶ୍ୟ ଯେ ନୋହିବ ।୧୫।
ନେତ୍ର ଗାତ୍ର ଅଧର ବତିଶ ଲକ୍ଷଣ
ଧାର୍ମିକ ବିବେକ ସେ ପଣ୍ଡିତ ଧର୍ମପଣ ।୧୬।
ଲକ୍ଷଣବନ୍ତ ପୁରୁଷକୁ ନଛାଡ଼ଇ ଶିରୀ
ଭାରା ନିବାରଣେ ସେ ପ୍ରତକ୍ଷେ ଅଛନ୍ତି ଅବତରି ।୧୭।
ଅନେକ ଗଉରୋବ ପାଇଲେ ସେହୁ ପୁରେ
ଭିକ୍ଷା ମାଗନ୍ତି ରାତ୍ର ପାହାନ୍ତି ପ୍ରହରେ ।୧୮।
ତେଣେ ରାତ୍ର ପ୍ରହରେ ଥାଇଂ ମାଗି
ନିତ୍ୟକର୍ମ ସାରି ଗୋପ୍ୟାନ ହୋଅନ୍ତି ସେ ବେଗି ।୧୯।
ଦିବସେ ପଶିଥାନ୍ତି ବନସ୍ତ ଭିତରେ
କୋଇନ୍ତାୟେ ମାତ୍ର ଥାଆନ୍ତି ନିଜ ପୁରେ ।୨୦।
କନ୍ଦମୂଳ ପଙ୍କୁଫଳ ବନେଣ ଗଣ୍ଡା ହରିଣ ମାରି
ନିତ୍ୟକର୍ମ ଭୋଜନ ବେଳକ ଆସନ୍ତି ସାରି ।୨୧।
ରାତ୍ରେଣ ଭିକ୍ଷା ସେ ମାଗନ୍ତି ପଞ୍ଚୁଜନ
ଯିସ ତଣ୍ଡୁଳ ଉପୁଜଇ କୋଇନ୍ତାୟେ କରନ୍ତି ରନ୍ଧନ ।୨୨।
ଅଧକଇଂ କୋଇନ୍ତାୟେ ଭୀମକୁ ଦିଅନ୍ତି
ଅଧେକ ମାତାଙ୍କୁ ଘେନି ପାଞ୍ଚେହେଂ ଭୁଞ୍ଜନ୍ତି ।୨୩।
ବଡ଼ାଇ କୁତୋହୋଳେ ବଞ୍ଚୁଛନ୍ତି ଦିନ
ଯୁଝେଷ୍ଠି ବୋଇଲେ ୟେଥକୁ ନଅଣ୍ଟଇ ରାଜ୍ୟର ବିଧାନ ।୨୪।
ତୁଳ ବିଛା ଧନୁ ମକର କୁମ୍ଭ ମୀନ ମେଷ ବୃଷ
ଶିବପୁରେ ପାଣ୍ଡବେ ରହିଲେ ଅଷ୍ଟମାସ ।୨୫।
ସେଘାନ୍ତି ବୃହସ୍ପତି ବସିଲେ ମଘା ସିଂଘେ
ଗଉତମୀ ତୀର୍ଥେ ପଡ଼ିଲା ସ୍ରାହାନ ପ୍ରୀତି ଯୋଗେ ।୨୬।
ସିଂଘ ମାସ ଶୁକଳ ପକ୍ଷ ଦୁତୀୟା ଦିନରେ
ସେ ଦିନ ବୃହସ୍ପତି ରହିଲେ ମଘା ସିଂଘରେ ।୨୭।
ଆକାଶୁଂ ଓହ୍ମାଇଲେ ଯେ ପିତୃ ଲୋକମାନେ
ସମସ୍ତ ଦେବତାୟେ ବିଜୟେ ସେହୁ ସ୍ଥାନେ ।୨୮।
କୋଟିୟେ ତୀର୍ଥ ଘେନି ତୀର୍ଥାଧି ପୁଷ୍କର
ତିନି ଦିବସ ରହିବେ ସେହୁ ସେ ତୀର୍ଥର ।୨୯।
ସେ ତିନି ଦିନର ମଧ୍ୟେ ଯେ ସ୍ନାହାନ କରନ୍ତି
ଜନ୍ମେକର ପାପ କ୍ଷୟେ ଯାଇ ପାଆନ୍ତି ଫଳଶ୍ରୁତି ।୩୦।
ୟେକା ଘାନ୍ତିଯେ ତହିଂ ମଥାକୁ ବୁଡ଼ାଇ
ଜନ୍ମେକର ପାତେକ ସ୍ନାହାନ କଲେ ତହିଂ ନାହିଂ ।୩୧।
ଲେଞ୍ଚ ଲୋକମାନ ଛୁଅଂନ୍ତି ଯେ ଅଗ୍ୟାଂନେ
ମାନିତି ଜନମାନନ୍ତ ଛୁଇଂଥାନ୍ତି ବିଦ୍ୟମାନେ ।୩୨।
ୟେ ପାତକମାନ ଯେ ସମସ୍ତ ରହିଥାଇ
ଅନ୍ୟ ଜଳେ ସ୍ନାନ କଲେ ଖଣ୍ଡଣ ନଯାଇ ।୩୩।
ସ୍ୱଜାତି ଯେବେ ରମନ୍ତି ଅନ୍ୟ ଜାତି ସ୍ତିରୀ
ସେ ପାତେକମାନେ ଯେ ଥାଆନ୍ତି ଆବେରି ।୩୪।
ମହୋଦଧିରେ ସ୍ନାହାନ କରଇ ବୃହଷ୍ପତି ଯୋଗେ ଯେବେ
ୟେ ପାପ ଦୋଷମାନ ଛାଡିଯାଇ ତେବେ ।୩୫।
ମହାକାର୍ତ୍ତିକ ପଡିଲେ ଚନ୍ଦ୍ରଭାଗା ତୀର୍ଥେ ଯେ କରଇ ସ୍ରାହାନ
ତେବେ ସେ ଛାଡ଼ଇ ୟେଥି ମହା ପାତକମାନ ।୩୬।
ସିଂହରେ ବୃହସ୍ପତି ବସନ୍ତି ଯେଉଂଣ ବେଳେ
ମଥା ବୁଡାଇ ଯେ ଗଉତମୀ ତୀର୍ଥ ଜଳେ ।୩୭।
ତହିଂ ଛାଡ଼ଇ ଯେ ସମସ୍ତ ପାପ ଦୋଷମାନ
ତେବେ ସେ ପିତୃଲୋକେ ବସଇ ସ୍ୱର୍ଗେ ପାଆନ୍ତି ଉଦକମାନ ।୩୮।
ସିଂହ ଛାଡି ଗୁରୁ ଯେବେ ବସଇ କନ୍ୟରେ
କନ୍ୟ ବୃହଷ୍ପତି ତୀର୍ଥ ପଡ଼ଇ କୃଷ୍ଣବେଣୀରେ ।୩୯।
କୋଟିୟେ ତୀର୍ଥଘେନି ତହିଂ ବିଜେ କରଇ ପୁଷ୍କର
କୃଷ୍ଣବେଣୀ ସ୍ନାହାନ କଲେ ଦୋଷ ହୁଅଇ ଅପହାର ।୪୦।
ଉତ୍ରାଙ୍କୁରେ ସ୍ନାହାନ ଯେ କରଇ ମକରମାସେ
ତହିଂରେ ଛାଡ଼ଇ ସେ ଛୁଇଂଲା ପାତେକ ଦୋଷେ ।୪୧।
ମଣିକର୍ଣ୍ଣିକାରେ ଯେ ସ୍ନାହାନ କରଇ ବେଳେ
ସମସ୍ତ ମହାପାତେକ ଛାଡ଼ଇ ସେ ଜଳେ ।୪୨।
ପ୍ରୟାଗ ତ୍ରିବେଣୀରେ ବୁଡ଼ାଇବେଳେ ମଥା
ନାଶକର ଦଣ୍ଡେ ସେନ ପାଇବ ଅବସ୍ଥା ।୪୩।
ୟେସନେକ ବାକ୍ୟ ଯେ ଉପୁଜିଲା ପୁରାଣେ
ତୀର୍ଥକୁ ସଜ ହୋଇଲେ ପାଣ୍ଡବ ପଞ୍ଚୁଜଣେ ।୪୪।
ବିଷ୍ଣୁକର ପଣ୍ଡା ଯେ ଅପୁତ୍ରିକ ହୋଇଥିଲା
ପାଣ୍ଡବଙ୍କ ପ୍ରସାଦେ ତାହା ଭାରିଯା ଆଶାବତୀ ହୋଇଲା ।୪୫।
ପାଞ୍ଚମାସ ବ୍ରାହ୍ମଣୀ ଯହୁଂ ହୋଇଲା ଗର୍ଭବାସ
ନଗ୍ରେ ଘୋଷଣା ପଡ଼ିଲା ବିଷ୍ଣୁକର ପଣ୍ଡାର ଗଲା ଅପୁତ୍ରିକ ଦୋଷ ।୪୬।
ପନ୍ତିରୁ ପଣ୍ଡାୟେ ଯେ ହୋଇଥିଲେ ବାହାର
ଗଉରୋବ କରି ତାଙ୍କୁ ବସାଇଲେ ସଭାର ।୪୭।
ଜୟନ୍ତେ ବୋଇଲେ ମାତା ଗୋ ତୁମ୍ଭେ ଥାଅ ୟେଥେ
ଗଉତମ ତୀର୍ଥକୁ ଆମ୍ଭେ ଯିବୁ ପଞ୍ଚୁଭ୍ରାଥେ ।୪୮।
କଇନ୍ତାୟେ ବୋଇଲେ ନ ଯାଉ ଭୀମସେନ
ଦ୍ରିଯୋଧନ ଦେଖିଲେ ତହିଂ କରିବ ସାଂଗ୍ରମ ।୪୯।
ବନସ୍ତେ ଅଛିୟେ ମହା ଦୁଃଖ ପାଇଂ
ସେ ରାଗ ସଂହରଣ କରି ନୁଆରିବ ତହିଂ ।୫୦।
ଯୁଝେଷ୍ଠି ବୋଇଲେ ବିଷ୍ଣୁକର ପଣ୍ଡାକୁ
ଆମ୍ଭେ ଚାରିଭାଇ ଯିବା ଗଉତମ ତୀର୍ଥକୁ ।୫୧।
ଜୟେବନ୍ତ ପଣ୍ଡା ମାୟେ ଦୁହେଂ ୟେଥି ଥିବେଟି
ଆମ୍ଭେ ଆସିବା ଯାୟେ ସମ୍ଭାଳିଥିବାଟି ମାତା ଭାଇ ଦୁଇଗୋଟି ।୫୨।
ଶୁଣିଣ ପଣ୍ଡାୟେ ହୋଇଲେ ଅତିଅ ହରଷ
ଯେତେକ ପନ୍ତି ଯୋଗାଡ଼ ଲାଗଇ ମୁଂ ତୁଲାଇବି ଚାରି ମାସ ।୫୩।
ଭୋଜନେ ତୁଷ୍ଟ ଯେ ହେଉଥିବେ ନିତି
ତୁମ୍ଭର ପରସାଦେ ମୁଂ ଲଭିବି ପରମଗତି ।୫୪।
ଭୀମକୁ ତିଆରିଲେ ଧର୍ମର ତନୟେ
ଚଳନ୍ତି ଚାରି ଭାଇ ଗଉତମୀ ତୀର୍ଥ ଯାୟେ ।୫୫।
ବ୍ରାହ୍ମଣ ରୂପେଣ ସେ କରନ୍ତି ଗମନ
ତାର୍ଥେ ପ୍ରବେଶ ହୋଅନ୍ତି ଅଣତିରିଶ ଦିନ ।୫୬।
କକଡା ଶୁକଳପକ୍ଷ ପୌର୍ଣ୍ଣମୀର ଦିନ
ସେ ବେନି ନଗ୍ରେ ସାଂଗ୍ରାମ କରନ୍ତି ଅନ୍ୟୋଅନ୍ୟ ।୫୭।
ସାଂଗ୍ରାମ ପାଞ୍ଚ ଦିନ ଥାଉଂ ନଗ୍ରେ ପଡ଼ିଲା ଘୋଷଣା
ୟେହି ଭୂମିବାର ଦିନ ଯୁଦ୍ଧଟି ସାଜହୋ ଧନୁତ୍ରୋଣ ।୫୮।
ଘୋଷଣ ଶବଦ ଶୁଣି ଉଚ୍ଚବାଚେ
ରଥ ଗଜ ବାଜି ନାହିଂ ପାଦାନ୍ତି ଯୁଦ୍ଧ ସଞ୍ଚେ ।୫୯।
ସାଜନ୍ତି ସହସ୍ରନ୍ତ ମାଜନ୍ତି ଖଡ଼ଗମାନ
ଗର୍ଜନ୍ତି ତର୍ଜନ୍ତି ଦୁର୍ଜନ ବିଧାନ ।୬୦।
ତ୍ରିକଚ୍ଛ ବସନ ପିନ୍ଧନ୍ତି ମାଲକାଛେ
ଲମ୍ୱିତ ଜୁଡାନ୍ତ ଫେଡ଼ି ପାଡ଼ନ୍ତି ବେଣୀ ସୁସଞ୍ଚେ ।୬୧।
ହସ୍ତରେ ଯଷ୍ଟି ଯେ ଗଳାରେ ମନ୍ଦାରର ମାଳା
କେ ଇଟାର ଧୂଳି ଭୂଷଣ କେ ବିଭୂତି ଭୂଷଣ କଳା ।୬୨।
କର୍ଣ୍ଣରେ ଦୁଦୁରା କୁସୁମ ତାଳୁରେ ରଙ୍ଗ ଝୁମ୍ପା
ଭୀମସେନ ପଚାରଇ ପଣ୍ଡା ହେ ତୁମ୍ଭର ୟେସନେକ ସରୂପ କିମ୍ପା ।୬୩।
ବିଷ୍ଣୁକର ବୋଇଲେ ତୁମ୍ଭେ ଶୁଣିମା ଜୟବନ୍ତେ
ଉପର ବଂଶେ ଆମ୍ଭର ପିତାର ପାଳକ ପ୍ରୋହିତେ ।୬୪।
ଯଶୋବନ୍ତୀ ନାମେଣ ତାହାଙ୍କର ବ୍ରାହ୍ମଣୀ
ଦୁଇ ପୁତ୍ର ଉପୁଜିଲା ମକର କେତନ ଜାଣି ।୬୫।
ଭାଗ୍ୟବର ବସୁବର ଦୁହିଂଙ୍କର ନାମ
ବେଦମନ୍ତ୍ର ବାକ୍ୟେ କେହି ନାହିଂ ତାଙ୍କୁ ସରିସମ ।୬୬।
ମକର ମାସେ ଯେ ଗଲେ ବଇତ୍ରଣୀ ସ୍ନାହାନେ
ୟେକା ମହାତ୍ମା ଉଦ୍ଦାଳେକ ଚଳନ୍ତି ଘୋର ବନେ ।୬୭।
ବିଷ୍ଣୁକୂଟ ବୋଲି ୟେକଇ ପରବତ
ସୁରାନ୍ତକ ନାମେ ତହିଂ ଚଣ୍ଡାଳେକ ଥିତ ।୬୮।
ତାହାର ଦୁହିତା ନାମ ଅଟେ ହାଦେ ଶ୍ରୀୟା
ବନେ ୟେଠାୟେ ପ୍ରୋହିତଙ୍କୁ ଦେଖିଲା ଚାଣ୍ଡାଳୁଣୀ ଶ୍ରୀୟା ।୬୯।
ଉଦ୍ଦାଳେକ ପ୍ରୋହିତଙ୍କୁ ଧଇଲାକ ବଳେ
ଶୃଙ୍ଗାର କରାଇଲା ସେ ପର୍ବତର ତଳେ ।୭୦।
ଚାଣ୍ଡାଳୁଣୀ ଗର୍ଭେ ମୁନି ଛାଡିଲେ ମହାରେତ
ସଇନ୍ଦୁ ପୁତ୍ରେକ ହୋଇଲାକ ଜାତ ।୭୧।
ୟେହି ମତି ସ୍ନାହାନେ ଯାନ୍ତି ନିତି
ବଳେଣ ଶୃଙ୍ଗାର ସେ କରାଇ ଦୁରାପାତି ।୭୨।
ୟେମନ୍ତେ ମାସକେ ଉପୁଜିଲେ ଦଶପୁତ୍ର
ଦୁଷ୍ଟ ଆଚାରେ ସେ ଯେ ହୋଇଲେ ସାମରଥ ।୭୩।
ବ୍ରାହ୍ମଣେ ଉତପତ୍ତି ହୋଇଲା ଦଶ ସନ୍ତତି
ଡରେଣ ବେନି ଭାଗ କଲେ ବ୍ରହ୍ମଯତି ।୭୪।
ଓଡ଼ାଦି ଶିବ ନଗ୍ରେ ୟେ ଚାଣ୍ଡାଳଙ୍କ ବାସ
ବରଷକେ ଦ୍ୱନ୍ଦ ହୋୟେ ୟେହି ଶ୍ରାବଣର ମାସ ।୭୫।
କାଲି ଯେ ସାଂଗ୍ରାମ ହୋଇବ ୟେହି ନଗ୍ରେ
ତୁମ୍ଭେ ହେ ଯିବଟିକି କାଲି ଆମ୍ଭର ସାଙ୍ଗେ ।୭୬।
କୋଇନ୍ତାୟେ ବୋଇଲେ ୟେ ଦୁଷ୍ଟ ପୁତ୍ର ଯେ ବାପୁଡ଼ା
ୟେହାକୁ ତୁମ୍ଭେ ଯେ ଉଦବେଗ ନ କରା ।୭୭।
ଅହି ନୃପ ବଲୁରି ବ୍ୟାଘ୍ର ଭୟଙ୍କର
ଶ୍ୱାନ ମୂର୍ଖ ରକ୍ଷ ସିଂହ ମର୍କଟ ଆବର ।୭୮।
ମହାଖଳା ଦେବତା ଆବର ବୀର ଚଣ୍ଡ
ୟେହାନ୍ତ ଚାଳିଲେ ଉପୁଜଇ ଅବଶ୍ୟ ବିଖଣ୍ଡ ।୭୯।
ବ୍ରାହ୍ମଣ ବୋଇଲେ ଗୋ ଶୁଣିମା ମହାମାୟି
ପୁରୁଷ ହୋଇୟେ ନଗ୍ରେ ତ ରହି ନପାରଇ ।୮୦।
ଭୀମସେନ ବୋଇଲା ମା ଗୋ କିଛିହିଂ ନକହ
ସାଂଗ୍ରାମକୁ ଯିବାବେଳେ ମୋତେ ତୁମ୍ଭେ ରାଅ ।୮୧।
ଡରେଣ କୋଇନ୍ତାୟେ ହୋଇଲେକ ତୁନି
ଆର ବେଳେ ସମାସ୍ୟା ନ ଦିଲେ ଭୋଜର ନନ୍ଦିନୀ ।୮୨।
ଭୀମକୁ ଘେନିଗଲେ ବିଷ୍ଣୁକର ଦ୍ୱିଜବର
ନେଇଣ ଉଭା କଲା ସେ ସଭାର ଉପର ।୮୩।
ବ୍ରାହ୍ମଣେ ଦେଖିଣ ମହାତେଜ ମୂର୍ତ୍ତି
ଚତୁଃସମ ଖୋରାୟେ ଲେପନ କଲେ ଝାତି ।୮୪।
ଶତେ ସରି ରତ୍ନମାଳା ନେଇ ଆଭରଣ କଲେ ହୃଦେ
ବୋଇଲେ ଆମ୍ଭେ ମୁକତି ହୋଇବା ତୁମ୍ଭର ପରସାଦେ ।୮୫।
ଦେବାଙ୍କ ବସନ ଯେ ନେତର ପତନି
ଠାକୁର ସମାନେ ଆଭରଣ କଲେ ଆଣି ।୮୬।
ସେ ଶିବପୁର ନଗ୍ରେ ଓଡ଼ାଦି ନଗ୍ରେ ରାଜା ନାହିଂ
ଘରେ ଘରେ ଠାକୁର ବୋଲାବନ୍ତି ସେହି ।୮୭।
ଭୀମକୁ ପୂଜାକଲେ ଅନେକ ଗଉରୋବେ
ବରଣେ ଉଷତ ସେ ପ୍ରକୃତି ଦୁଷ୍ଟଭାବେ ।୮୮।
ଓଡ଼ାଦି ନଗ୍ରୁଂ ବାହାର ହୋଇଲେ ଚାଣ୍ଡାଳେ
ମାରିଣ ଜିତୁ ଅଛନ୍ତି ସେ ସର୍ବକାଳେ ।୮୯।
ଖାଙ୍କର କେଶ ଯେ ବଦନ ବିକଟ
ପ୍ରଳମ୍ୱଶରୀର ଯେହ୍ନେ ଦିଶଇ ମୟୁରର କଣ୍ଠ ।୯୦।
ଧୂସୁରା ଧୂସୁରା ଯେ କାଛେଟୀ ବାଳ ପୁଞ୍ଜି
ରେ ରେ କାର କରି ବାହାନାଦେ ଗଳଗାଜି ।୯୧।
କୋନ୍ତ ଅସିବର ଛେଲ ଚକ୍ରଯାଠି
ଗଦା ମୁଦୁଗର ଉଭାରନ୍ତି ଡାକନ୍ତି ହାଦେ ଉଠି ।୯୨।
ଧାଇଂଲେ ବ୍ରାହ୍ମଣେ ଯେ ଚାଣ୍ଡାଳ ବଳଦେଖି
ପ୍ରହାରନ୍ତି ଶହସ୍ର ଯେ ଧର୍ମନ୍ତ ଉପେକ୍ଷି ।୯୩।
ବ୍ରାହ୍ମଣଙ୍କୁ ଦେଖି ଧାଇଂଲେ ମତ୍ତାଳ ବଳ
ଶହସ୍ରେ ନିର୍ଜିତା ସେ ମଦିରା ରସେ ଭୋଳ ।୯୪।
କଡ଼ା ମର୍ଦ୍ଦଳ ଯେ ଘୁମୁରା ଦାଉଂଣ୍ଡି
ରେ ରେ କାର ଶବଦ କରିଣ ହୁଅନ୍ତି ପିଟା ପିଟି ।୯୫।
କୁରୁଳି ବୋବି ଦିଅନ୍ତି ଅଣ୍ଟାରେ ଲାଇ ବିଣ୍ଡା
ଯଷ୍ଟିନ୍ତ ବୁଲାଇ ଧାମନ୍ତି ପରଚଣ୍ଡା ।୯୬।
ମାର ମାର ବୋଲି ଉଠନ୍ତି ଗଳଗାଜି
ତ୍ରାସେଣ ବ୍ରାହ୍ମଣେ ପଳାଇଲେ ଭାଞ୍ଜି ।୯୭।
ଗୋଡ଼ାଇ ପିଟନ୍ତି ଯେ କଚାଡ଼ନ୍ତି ଧରି
ରକତେ ନଦୀ କଲେ ବ୍ରାହ୍ମଣଙ୍କୁ ମାରି ।୯୮।
ସିନ୍ଦୁର ବିଲେପନ ଯେହ୍ନେ ଭଇରୋବ ମହାକାଳେ
ସେହି ମତି ଦିଶନ୍ତି ମତ୍ତାଳ ଚାଣ୍ଡାଳେ ।୯୯।
ଅନେକ ଦ୍ୱିଜ ମାଇଲେ ବିକଟାଳ ଘୋର ରୂପେ
ଜୟେବନ୍ତ ତୁନୀ ହୋଇ ବସିଅଛି ଗୋପ୍ୟେ ।୧୦୦।
ବିଷ୍ଣୁକର ଭୁଜ ଧରି ଅଛନ୍ତି ବାମ କରେ
ବିଷ୍ଣୁକର ବୋଇଲେ ପଣ୍ଡା ହେ ପଳାଇଯିବା ଦୂରେ ।୧୦୧।
କଟାଳ ବେଳ ଯାୟେଂ ରହି କିସ ବା କରିବା
ବହୁତର ନିମନ୍ତେ କିମ୍ପା ଆମ୍ଭେ ନାଶ ଯିବା ।୧୦୨।
ଚଣ୍ଡାଳଙ୍କ ହସ୍ତେ କି ପ୍ରାଣ ହରାଇବା ।୧୦୩।
ଜୟେବନ୍ତ ବୋଇଲେ ହୋ ସାଂଗ୍ରାମକୁ ଅଇଲେ
କୃତାନ୍ତକ ଶାସ୍ତି ଦିଅଇ ଭାଜି ପଳାଇଲେ ।୧୦୪।
ଜିଣିଲେ ଉଚ୍ଛବ ଯେ ମଲେ ସ୍ୱର୍ଗଲଭି
କ୍ଷତ୍ରୀଙ୍କର ଧର୍ମ ହୋ ଦୁଲଭ ସୁଲଭି ।୧୦୫।
ଭୀମସେନ ବୋଇଲା ରହିଥାଅ ପଣ୍ଡାୟେ
ଆସନ୍ତୁ ଚଣ୍ଡାଳ ବଳ ଆମ୍ଭର କତି ଯାୟେ ।୧୦୬।
ବିଷ୍ଣୁକର ପଣ୍ଡାୟେ ବୋଇଲେ ଆସେ ପ୍ରତି ବରଷ
ଆମ୍ଭେ ଭାଞ୍ଜି ପଳାଉ ସେ ସମସ୍ତ କରନ୍ତି ଧ୍ୱଂସ ।୧୦୭।
ଥୋକାୟେ ମାରନ୍ତି ସେ ଥୋକାୟେ ନିଅନ୍ତି ଧରି
ଛାଡ଼ି ଦିଅନ୍ତି ସେ ପୁଣ ସାତ ବେଣ୍ଟି କରି ।୧୦୮।
ନଗ୍ର ପୋଡ଼ିଣ ଧନ ବସ୍ର କରନ୍ତି ସେ ଜୂର
ସୁନ୍ଦରୀ ବ୍ରାହ୍ମଣୀ ନେଇ ସେ କରନ୍ତି ଯେ ଘର ।୧୦୯।
ୟେହି ମତି ହୋଇ ଯାଉଛି ସର୍ବ କାଳେ
ତାହାଙ୍କୁ ସମସରି ନୋହୁଂ ଆମ୍ଭେ କେଉଂଣିସି ବେଳେ ।୧୧୦।
ଜୟେବନ୍ତ ବୋଇଲା ପଣ୍ଡାୟେ ଥିରହୋଇ ରହ
ମୋ ଦେହ କମ୍ପୁଅଛି ୟେମନ୍ତ ନ କୁହ ।୧୧୧।
ଯହୁଂ କଟାଳିଲେ ଚାଣ୍ଡାଳ ବଳମାନ
ବିଷ୍ଣୁକର ପଣ୍ଡା ଦୟନି କରଇ ଜୟବନ୍ତେଣ ।୧୧୨।
ଚାଲିକିନା ପଳାଇଯିବା ଗୋସାଈଂ
ତୁହି ଆପଣେ ନାଶ ଯିବୁ କାହାର ପାଇଂ ।୧୧୩।
ଭାଇମାନେ ତୋହୋର ମୋତେ ସମର୍ପିଣ ଗଲେ
ମାତା ମାହାତ୍ମାଣୀ ଆସୁଂ ନିରୋଧ ଯେ କଲେ ।୧୧୪।
ଭୀମସେନ ବୋଇଲା ତୁମ୍ଭେ ଥାଅ ଥିର ହୋଇ
ୟେହିକ୍ଷଣି ମାରିବି ଯିବେ ଆର କାହିଂ ।୧୧୫।
ବିଷ୍ଣୁକର ବିଚାରଇ ଜାଣିଲି ୟେହାର ମନ
ଦୃମୋଟା ଶରୀର ୟେହାର ଯେ ପର୍ବତ ସମାନ ।୧୧୬।
ଡରେ କେହି ନଆସିବେ ୟେହାର କତିକି
ମୋତେ ପେଲି ପକାଇବ କଟାଳ ଯହୁଂ ଦେଖି ।୧୧୭।
ମୋତେ ମାରିବେ ସେ ୟେ ପଳାଇଣ ଯିବ
ମୋହୋର ଗୃହବାସ ୟେ ମାଡ଼ିଣ ବସିବ ।୧୧୮।
ସଞ୍ଚୟେ ବିଚାର ୟେ କଲା ପାପ ମନ
ଜଳ ତୁଣ୍ଡିର ତୁଲେ ମୁଂ ହୋଇଲି ପ୍ରୀତମାନ ।୧୧୯।
ଦନ୍ତେଣ ତିରଣ ଘେନି ସେ କରଇ ଦୟିନି
ଛାଡ଼ୁକିନା ଗୋସାଈଂ ମୋହୋର ଭୁଜ ବେନି ।୧୨୦।
ୟେତେ ବିଚାରନ୍ତେ କଟାଳ କଲେ ଆସି
ଅନେକ ଦାରାଜ ଯେ ସମରେ ବରଷି ।୧୨୧।
ସହସ୍ରେ ବ୍ରାହ୍ମଣ ଯହୁଂ ପଡ଼ିଲେ ନିମଜ୍ଜି
ରାଗେଣ ଭୀମସେନ ଉଠିଲା ଗଳଗାଜି ।୧୨୨।
ଯେସନେକ ବରଷା କାଳେ ଦିଶଇ ବିଂଝଗିରି
ରାଗେ ବ୍ରିକୋଦର ବେନି ବୃକ୍ଷ ଯେ ଉପାଡ଼ି ।୧୨୩।
ତମ୍ୱା ଚକ୍ର ପ୍ରାୟେ ଦିଶଇ ବେନି ଡୋଳ
ଗର୍ଜିଣ ମାରୁତି ଯେ ଉଠିଲା କୋପାଳନ ।୧୨୪।
ବ୍ରହ୍ମାଣ୍ଡ କମ୍ପିଲା ଯେ ଭୀମର ପାଦଘାତେ
ତରସ୍ତ ହୋଇଣ ରହିଲେ ଦୁରାପାତେ ।୧୨୫।
ବୃକ୍ଷ ବୁଲାଇଣ ପିଟିଲା ପାବନି
ଭାଜି ପାଳାଇଲେ ଚାଣ୍ଡାଳ ବଳ ସଇନି ।୧୨୬।
ଗୋଡ଼ାଇ ମାଇଲା ତାଙ୍କୁ ବୀର ଭୀମସେନ
ମାରି ଲୋଟାଇଲା ଯେ ପଞ୍ଚବିଂଶ ଯୋଜନ ।୧୨୭।
ମହାବାତେ ଯେସନେ କମ୍ପଇ କଦଳୀ ବନ
ପାଦଘାତେ ଉଠିଲା ରକ୍ତ ମାଂସ କର୍ଦ୍ଦନ ।୧୨୮।
ପିଟଇ ବ୍ରିକୋଦର ବଜ୍ରର ବିଘାତେ
ନଗ୍ର ଛାଡ଼ି ପଳାଇଲେ ପଞ୍ଚବିଂଶ ଯୋଜନ ପରିଯନ୍ତେ ।୧୨୯।
କାହାକୁ ମୁଥେ କାହାକୁ ଚାପୁଡ଼େ ପ୍ରହାର କରି
କେ ମୁଥଘାତେ ପଡ଼ନ୍ତି ବସୁନ୍ଧରୀ ।୧୩୦।
ଜନ୍ମ କାଳେ ଯାହାର ପଡ଼ନ୍ତେ ଭାଞ୍ଜିଲା ଶତଶିଂଗ ଗିରି
ମାନବ ମାତ୍ରକେ କେହୁ ଅଛି ତାକୁ ସମସରି ।୧୩୧।
ଦଣ୍ଡ ଭଗ୍ନ ଦେଖିଣ ଧାଇଂଲେ ବ୍ରାହ୍ମଣେ
ଗୋଡ଼ାଇ ମାଇଲେ ଯେ ନଥୋଇଲେ ଜଣେ ।୧୩୨।
ସମସ୍ତ ନାଶ କଲେ ସ୍ତିରୀବୃନ୍ଦ ଆଦିକରି
ଅନେକ ଧନ ଦ୍ରବ୍ୟ ଆଣିଲେ ଜୁରକରି ।୧୩୩।
ସାମାନ୍ୟ ପୁଅନ୍ତ କଚାଡ଼ିଲେ ଦ୍ୱିଜବରେ
ନିକଳଙ୍କ କଲେ ସେ ଓଡ଼ାଦି ନଗ୍ର ପୁରେ ।୧୩୪।
ଶିବପୁର ଆସ୍ତାନେ ବସିଲେ ଗନ୍ଧମାର୍ଦ୍ଦନ ନଦୀ କୂଳେ
ମହାମେଳ ହୋଇଲେ ଅନନ୍ତ ବଟର ତଳେ ।୧୩୫।
ଦନ୍ତେ ତିରଣ ଧରି ଶରଣ ପଶନ୍ତି ଦ୍ୱିଜବରେ
ତ୍ରାହି ତ୍ରାହି ବୋଲି ପଡ଼ିଲେ ସମସ୍ତେ ଭୀମସେନ ପୟରେ ।୧୩୬।
ଅନେକ କାଳର ୟେ ଅଟନ୍ତି ମହାମଲ୍ଲ
ବ୍ରାହ୍ମଣନ୍ତ ଉଦ୍ଧରିଲୁ ଧଂସିଲୁ ଚାଣ୍ଡାଳଙ୍କ ବଳ ।୧୩୭।
ବ୍ରାହ୍ମଣ ଚଣ୍ଡାଳେ ହୋଇଥାଉ ୟେକ ଗୋଳ
ପ୍ରତିଦିନ ଗୋଳ ୟେ କରନ୍ତି ମତୁଆଳ ।୧୩୮।
ଆମ୍ଭନ୍ତ ରକ୍ଷାକଲୁ ଦୁଷ୍ଟ ଜନନ୍ତ ବିନାଶି
ୟେ ରାଜ୍ୟେ ସ୍ୱାମୀ ତୁ ଅବିଷେକ ହୁଅସି ।୧୩୯।
ଆମ୍ଭର ରାଜ୍ୟେ ସ୍ୱାମୀ ନିଶ୍ଚୟେ ତୋତେ ପାଟ
ୟେ ବେନି ରାଜ୍ୟ ମାଡ଼ି ତୁ ହୋଇବୁ ମୁରାଟ ।୧୪୦।
ୟେ ଗନ୍ଧମାର୍ଦନ ନଦୀ ଅଟଇ ପରସିଦ୍ଧି
ଯେ ଅନନ୍ତ ବୈକୁଣ୍ଠରୁ ଅଛି ୟେହି ଭେଦି ।୧୪୧।
ସମସ୍ତ ବ୍ରାହ୍ମଣେ ବେଦ ଅଧ୍ୟାନ ଯେ କଲେ
ମୃଦ୍ଧୁନା ଅବିଷେକୀ କରି ମଥାରେ ପାଟ ଯେ ବାନ୍ଧିଲେ ।୧୪୨।
ଓଡ଼ାଦି ଶିବପୁର ନଗ୍ରେ ଅଧିକାରୀ
ଅମନାତ୍ୟ ପଣେ ବିଷ୍ଣୁ ପଣ୍ଡାଙ୍କୁ ଦିଲେ ଶାଢୀ ।୧୪୩।
ଜୟେବନ୍ତ ନାମେ ନୃପତି କାଳେବର
ରାଜ୍ୟ ବିଧି ନିଯୋଗ ମଢଫୁଲି ସୂପକାର ।୧୪୪।
ପାତ୍ର ଅମନାତ୍ୟ ମହାପାତ୍ର ସାମଲ ଯେ ଜେନା
ପଦ ପଦ କରି ଶାଢୀ ଦିଲେ ଭୀମସେନା ।୧୪୫।
ଆବାହନ ବିସର୍ଜନ ବିଷ୍ଣୁକର ପଣ୍ଡା ମହାପାତ୍ରେ
ନଗ୍ରେକ ଭିଆଇଲେ ଲାଗିଣ ସମସ୍ତେ ।୧୪୬।
ନବର ପରୀଚ୍ଛ ବିଷ୍ଣୁକର ପଣ୍ଡାର ଘର
କୋଇନ୍ତାୟେ ରହିଛନ୍ତି ସେହି ଉଆସର ।୧୪୭।
ସହସ୍ରେ ସୂପକାର ରାନ୍ଧନ୍ତି ମଢଫୁଲି
ବିଚାରଇ ଭୀମସେନ ୟେଘାନ୍ତି ସୁସ୍ତ ମୁଂ ପାଇଲି ।୧୪୮।
ବନନର ମାନଙ୍କୁ ସେ ଖେଦଇ ଚଉକତି
ଆଣଇ ଧନଭଣ୍ଡାର ରଥ ହୟେ ହସ୍ତୀ ।୧୪୯।
କକଡା ସିଂଘ କନ୍ୟ ତୁଳା ବିଛା
ସମ୍ଭରେଣ ରାଜ୍ୟ ହୋଇଲା ସୁରକ୍ଷା ।୧୫୦।
ବେଣ୍ଟେ ଯାଇଂ ଆଣଇ ଗଜ ଅଶ୍ୱ ଧରି
ଶାର୍ଦ୍ଦୋଳ ଓଟ ବ୍ୟାଘ୍ର ଗଣ୍ଡା ଗୟଳ ମୃଗାରି ।୧୫୧।
ନିଶାଣ ଟମକ ଯେ ବୀର ତୂର ବାଜି
ପଞ୍ଚ କ୍ଷେଉଣୀ ବଳ ସମ୍ଭର କରିଣ ଯେ ସାଜି ।୧୫୨।
ଅନେକ ସାଧିଲା ବନ ନଗ୍ର ଖଣ୍ଡ
ଅସ୍ତାନେ ଖଟିଲେ ଶତେ ପାରିଦଣ୍ଡ ।୧୫୩।
ଅନେକ ବ୍ରାହ୍ମଣ ଯେ କରନ୍ତି ପାଦପୂଜା
ବନ ନଗ୍ର ଦେଶେ କାଳେବର ମହାରାଜା ।୧୫୪।
ମହା ସମ୍ଭର୍ବ କରି ସେ ସାଜଇ ସଇନୀ
ବୋଇଲା ହସ୍ତୀନାକୁ ବାହିବି ମୋର ନିଜ ବଳ ଘେନି ।୧୫୫।