ଲାବଣ୍ୟବତୀ
କବି ସମ୍ରାଟ · ପ୍ରାୟ ୧୬୭୦–୧୭୪୦ · ରୀତି ଯୁଗ
- ପଢ଼ିବା ସମୟ
- ୩୧୩ ମିନିଟ୍
- ଶବ୍ଦ
- ୫୦୦୩୩
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ଛାନ୍ଦ
ଲାବଣ୍ୟବତୀ ଓ ଚନ୍ଦ୍ରଭାନୁର ପୂବର୍ଜନ୍ମ ବୃତ୍ତାନ୍ତ(ରାଗ-ନଳିନୀ ଗୌଡ଼ା, ରାମବିଭା ପ୍ରଥମ ବାଣୀରେ)ଜୟ ଜୟ ଜୟ ରାମ ଜନକ ସୁଖଦ ।ଭୀମ ହରଷ ଦାନରେ ସଦା ବିଶାରଦ ହେ ।୧ ।ଚନ୍ଦ୍ରହାସେ ଶୋଭାକର ସମସ୍ତ କାଳର ।ଲକ୍ଷଣବନ୍ତ ଅଲକ୍ଷ୍ୟ ମୁଖ ମନୋହର ଯେ ।୨ ।କବି ଭାରତୀକି ଅଗୋଚର ଛବି ଯାର ।ସୁମନାବୃନ୍ଦ ବନ୍ଦନ ଏଣୁ ନିରନ୍ତରଯେ ।୩ ।ମହାଶୟ ବଳିରିପୁ ପରେ ତାପକର ।ଛତ୍ରଭଙ୍ଗ କୃତରୁ କାତର ଅରିପୁର ହେ ।୪ ।ସସ୍ରକର ଉନ୍ନତହରତେଜୋବାନ ।ହରିପକ୍ଷ ସଦାନନ୍ଦ ତୋଷ ବିବର୍ଦ୍ଧନ ।୫ ।ସେ ପ୍ରଭୁ କଞ୍ଜଚରଣେ କରି ତତପର ।ଭଞ୍ଜ ବୀରବର କପି ମାନସ ଭ୍ରମର ହେ ।୬ ।ମୂର୍ତ୍ତିମନ୍ତ କରି ମୃଦୁଗୀତ ବିଚାରଇ ।ଏଣୁକରି ଥିବ ଅଳଙ୍କାର ଯୁକ୍ତ ହୋଇ ଯେ ।୭ ।ପଦ ସରଳ ଧ୍ୱନିରେ ମାନସ ମୋହିବ ।ଅର୍ଥୀଜନ ପ୍ରବରକୁ ଆନନ୍ଦ କରିବ ହେ ।୮ ।ଡ, ର, ଳ ରେ ସାବର୍ଣ୍ଣ୍ୟ ଯା ବ୍ୟାକରଣେ ଲିହି ।ସୁଚିରେ କରଇ ଏହି ଗୀତ ହିତ ପାଇଁ ଯେ ।୯ ।ବୁଝାଇଲେ ଜଡ଼ଜନ ଭାବକୁ ପାଇବ ।ଖଳ ଖର ଚୂତାଙ୍କୁର ପ୍ରାୟେ ନ ଗ୍ରାସିବ ହେ ।୧୦ ।ମଧୁମକ୍ଷି ଉଚ୍ଛିଷ୍ଟେ ଅମୃତାଦର ସୁରେ ।କରନ୍ତି ଯେମନ୍ତ ସାଧୁଜନେ ସେ ପ୍ରକାରେ ହେ ।୧୧ ।ଦୋଷ ଥିଲେ ରସ ବଶୁଁ କରିବେ ଆଦର ।ଏଣୁ ଅତିଶୟ ସଂଶୟକୁ କରି ଦୂର ହେ ।୧୨ ।ଏ ବିଚିତ୍ର ଚରିତ ରଚିତ ସୁମଧୁର ।ଶ୍ରୁତି ବଦନରେ ପାନ କର ବୁଧ ନର ହେ ।୧୩ ।ଦିନେ କଇଳାସେ ବସି ଏକାନ୍ତେ ଗଉରୀ ।ପଶାରଙ୍ଗେ ରସିବାକୁ ସ୍ୱସଙ୍ଗେ ବିଚାରି ହେ ।୧୪ ।ଏକ କନ୍ୟାଏ ଅଦ୍ଭୁତେ ମନୁ ଜାତ ହେଉ ।ସୁଷମାରେ ସମରେ ତ୍ରିଲୋକରେ ନ ଥାଉ ଯେ ।୧୫ ।ଯେ ଜଗତଜନନୀ ସେ କଲା ମନୋରଥ ।ଜାତ ଦିବ୍ୟ ସୁନ୍ଦରୀ କାହିଁକି ହେବ ବ୍ୟର୍ଥ ହେ ।୧୬ ।ଆଉ କି ପ୍ରଶଂସିବା ଉମାରୁ ଜନ୍ମ ଯାର ।ଶାମୁକୁଁ ମୁକୁତା ଜାତ ହୋଇଲା ପ୍ରକାର ଯେ ।୧୭ ।ବାଞ୍ଚାରୁ ଉତ୍ପତ୍ତି ବାଞ୍ଛାବତୀ ନାମ ଦେଇ ।ଖେଳେ ବଳାଇଲେ ମତି ଦୁହେଁ ବସି ତହିଁ ଯେ ।୧୮ ।ଏ ସମୟେ ଶୁଭିଲା ଡମ୍ବରୁ ଘୋର ନାଦ ।ପାର୍ବତୀ ମତିରେ ଜାତ ଏମନ୍ତ ବିଷାଦ ଯେ ।୧୯ ।ହର ନେତ୍ର ଗତ ଯେବେ ହେବ ଏ ଶୋଭାଙ୍ଗୀ ।ଯିବ ସିନା ମୋହର ସୁଭାଗୀପଣ ଭାଙ୍ଗି ଯେ ।୨୦ ।ବିଷବୃକ୍ଷ ସ୍ଥାପି ନାଶ କରିବାର ଦୋଷ ।ଏ ସଂସାର ଆମ୍ଭ ଖେଳଘରର ସଦୃଶ ଯେ ।୨୧ ।କିଛିକାଳ ଅଗମ୍ୟ ଅରଣ୍ୟେ ଏହି ଥାଉ ।ଜନ୍ମାନ୍ତେ ପୁରୁଷ ସଙ୍ଗ ବିଳାସକୁ ପାଉ ଯେ ।୨୨ ।ବଣଦେବୀ ଜଣକୁ ଏକାନ୍ତ ଆଜ୍ଞାଦେଲେ ।ସେ ନେଇ ଘୋର କାନନେ ପୁରେକ ରଚିଲେ ଯେ ।୨୩ ।ତହିଁ ରଖି କହିଲେ ଲଂଘିବୁ ଯେବେ ଦ୍ୱାର ।କିଛିକାଳେ ପ୍ରାଣ ହତ ହୋଇବ ତୋହର ଯେ ।୨୪ ।ଯେବଣ ପୁରୁଷ କର ଗ୍ରହଣ କରିବ ।ଆନ ତନୁ ପ୍ରାପତିରେ ସେ ପତି ହୋଇବ ଯେ ।୨୫ ।ଏତେ କହି ସେ ଦେବୀ ହୋଇଲା ତିରୋହିତ ।ଗହନରେ ବାଞ୍ଛାବତୀ ଦିବ୍ୟପୁରେ ସ୍ଥିତ ଯେ ।୨୬ ।ଏମନ୍ତରେ ଗଲା ତହିଁ କେତେ ସମ୍ବତ୍ସର ।ପ୍ରଭାକର ନାମେ ଏକ କ୍ଷତ୍ରିୟ କୁମାର ଯେ ।୨୭ ।ତପ ତା ଅକଥନୀୟ ଦିବ୍ୟନାରୀ ଶ୍ରଦ୍ଧେ ।ପଞ୍ଚାଗ୍ନି ସ୍ଥାପନ କରେ ତପଋତୁ ମଧ୍ୟେ ଯେ ।୨୮ ।ପ୍ରାବୃଟ କାଳରେ ଗୃହୋଦରକୁ ନ ଯାଇ ।ଝଞ୍ଜାବାତ ଜଳାଘାତ କରକା ସହଇ ଯେ ।୨୯ ।ଶୀତେ ଜଳଶାୟୀ ଭୂମିଶଯ୍ୟା ବସ୍ତ୍ରହୀନ ।ମୃତ୍ତିକା ଶଙ୍କର ପୂଜା କରେ ପ୍ରତିଦିନ ଯେ ।୩୦ ।ସେ ସୁକୃତରାଶି ଆସି ଠୁଳ ହୋଇ ତାର ।କେଦାରେଶ୍ୱର ଦର୍ଶନେ କଲା ବଳାତ୍କାର ହେ ।୩୧ ।ଯାଉଁ ଯାଉଁ ସେ ଅଗମ୍ୟ ଅରଣ୍ୟେ ମିଳିଲା ।ରତ୍ନମୟ ପୁରୁଚାହିଁ ଚିତ୍ତରେ ଭାଲିଲା ସେ ।୩୨ ।କିନ୍ନର କିନ୍ନରୀ ବା କାହାର ଏଥିସ୍ଥିତି ।ଦେଖିବା ବିଚାରୁଁ ଦେବେ ପ୍ରାଙ୍ଗଣେ ଯୁବତୀ ସେ ।୩୩ ।ଚନ୍ଦ୍ରକୁ ନିନ୍ଦା କରୁଛି ମୁଖହାସ କାନ୍ତି ।ସାରଙ୍ଗକୁ ନିନ୍ଦୁଛି ନୟନ ଭୂରୁପନ୍ତି ଯେ ।୩୪ ।ନାସା ଓଷ୍ଠ ମଧ୍ୟ ନିନ୍ଦେ ତରୁଣ ହରିକି ।ଅପବାଦ ଅପସରି ଲକ୍ଷ୍ୟ ଯେ ନାରୀକି ଯେ ।୩୫ ।ଅମର ସମ୍ପତ୍ତି ଲଭି ବିଲୋଚନ ମାତ୍ରେ ।ନାରୀ ରୂପ ପିତୁଲା ଲେଖନ ହେଲା ନେତ୍ରେ ତା ।୩୬ ।ସେ ପ୍ରେମମଞ୍ଜରୀ ଶୋଭାପଞ୍ଜରୀ ହୋଇଲା ।ପୁଂସ ନେତ୍ରେ ଖଞ୍ଜରୀଟ ତହିଁରେ ରହିଲା ଯେ ।୩୭ ।ରାମ ଶବ୍ଦ ବହୁ ବଚନରେ କଲା ଜପ ।ରମା ବିପରୀତ ସେହିକାଳେ ବହି କୋପ ଯେ ।୩୮ ।ଶରୀର ମଧ୍ୟ ଲୋପକୁ ଶରୀର ମଧ୍ୟକୁ ।ଯୋଖି ପ୍ରହାରିଲା ବିଚାରିଣ ତା ବଧକୁ ଯେ ।୩୯ ।ତାକୁ ସ୍ତୁତି କଲା ତୋ ନାରୀରେ ଇଚ୍ଛା ମୋର ।ଭାବି କି ହେଉଛ ପର ଏ ଆନ ପ୍ରକାର ଯେ ।୪୦ ।ଜାଣ ନାହିଁ ଅଭିମାନ ବିଧାନମାନଙ୍କୁ ।କହନ୍ତି ବିଧୁ ଚନ୍ଦ୍ରମା ବିଷ୍ଣୁ କର୍ପୁରକୁ ଯେ ।୪୧ ।ଏକାଳରେ ପୁଂସଠାରେ ରାମା ଦୃଷ୍ଟିପାତ ।ଜନ୍ମ ଅନ୍ଧ ନୟନକୁ ଲଭିଲେ ଯେମନ୍ତ ଯେ ।୪୨ ।ମନମଥ ମଥନେ ଥରିଲା ହେଲା ଜାନୁ ।କଦମ୍ବକୋରକ ଶୋଭା ଲୁଟିକଲା ତନୁ ଯେ ।୪୩ ।ନେତ୍ର ବଡ଼ଶୀରେ ସେ ଧଡ଼ସି ଅନୁରାଗେ ।ପୁରୁଷ ମନ ମୀନକୁ ଧରି ନେଲା ବେଗେ ଯେ ।୪୪ ।ସେକାଳେ ସୁବେଣୀମଣି ଧୀବର ହୋଇଲା ।ଉରଜ କୁବେଣୀ ସଂପୁଟରେ ପକାଇଲା ଯେ ।୪୫ ।ସେ ସମୟେ ପୁରୁଷ କହିଲା ଯୋଡ଼ି କର ।ହେ ରସ ଉଦୟା ସୃହୃଦୟା ଦୟା କର ହେ ।୪୬ ।ତପତ ତପନୀୟାଙ୍ଗୀ ତପଫଳ ମୋର ।ଦ୍ରହସିତେ ଈଷିତେ ସଫଳ କରିକର ଯେ ।୪୭ ।ଅତି ଦୀନ କ୍ଷୀଣ ହୀନ ମୁ ମଦନ ଶରେ ।ରକ୍ଷା କର କକ୍ଷ କରି କୁଟିଳାକ୍ଷାବକ୍ଷରେ ।୪୮ ।ଏ ବଚନେ ସୀଉକାର କଟାକ୍ଷେ ଆଣିଲା ।ରସିକା ଭଜିଲା ଭାବ ରସିକ ଜାଣିଲା ।୪୯ ।ଏକେ ତ ଏକାନ୍ତ ଦୁଜେ ତରୁଣ ତରୁଣୀ ।ଭେଟ ଯାହା ଲୋଡ଼ୁଥାଇ ଫୁଲ ତ ।୫୧ ।ଏକାନ୍ତ ଦୁଜେ ତରୁଣ ତରୁଣୀ । ଭେଟ ଯାହାଲୋଡ଼ୁଥାଇ ଫୁଲ ଧନୁପାଣି ଯେ ।୫୨ ।ପଞ୍ଚବିଶିଖକୁ କେତେ ଲକ୍ଷ୍ୟ ଅବା କଲା ।ଭଲା ଲକ୍ଷ୍ୟ ନାଗର ନାଗରୀ ହୃଦ ହେଲା ।୫୩ ।ପୁରୁଷ ନିକଟ ଲଭିବାକୁ କୃଶକଟୀ ।ଭାବବତୀ ମନେ କରି ଅଇଲା ପାଛୋଟି ।୫୪ ।ଯୁବା ଦେହ ବହି ଏ ଉତ୍ସକୁ ବଡ଼ କରି ।ଉତ୍ସବ ଭୋଗ କାହିଁଛି କେ କହୁ ବିଚାରି ।୫୫ ।ଦଇବେ ଦେହଲା ବଳି ତ୍ରିବଳୀ ଶୋଭିତା ।ଆଲିଙ୍ଗନ କଲା ପୁଂସ ହୋଇଣ ଲୋଭିତା ।୫୬ ।ଚୁମ୍ବିବାବେଳକୁ ମୁଖରାଜୀବ ତାହାର ।ଜୀବହୀନ ହୋଇ ତାହା ରହିଲା କଳେବର ।୫୭ ।ଚାହିଁ ତରୁଣ ଅରୁଣ ଓଷ୍ଠୀର ଏ ରୀତି ।ବଦନ ପବନ କେତେ ଦତ୍ତ କଲା ଶ୍ରୁତି ଯେ ।୫୮ ।ଲୋତକ ଜଳରେ ଆଗ ଧୋଇ ଦେଲା ମୁଖ ।ବୋଇଲା ମୁଁ ମରି ଦେଖିଲି ଏତେ ଦୁଃଖ ।୫୯ ।ଏ ସମୟେ ଶୁଭିଲା ଅମ୍ବରୁ ଏହି ବାଣୀ ।ଗଙ୍ଗା ସାଗର ସଙ୍ଗମେ ଝାସ ପୁଂସମଣି ।୬୦ ।ଏ ବଲ୍ଲଭୀକୁ ଲଭିବୁ ନୃପସୁତ ହୋଇ ।ଅନଳରେ ନ ଦହି ସେଠାରେ ଯାଅ ଥୋଇ ।୬୧ ।ଏ ବଚନେ ସନ୍ତାପକୁ କିଛି ଶାନ୍ତି କଲା ।ବଙ୍ଗଦେଶେ ଯାଇ ଗଙ୍ଗା ସାଗରେ ଝାସିଲ ।୬୦ ।କର୍ଣ୍ଣାଟ ଦେଶରେ କାଞ୍ଚିନାମେ ନଗ୍ରସର ।ଶଶିଶେଖର ନାମରେ ତହିଁ ନରେଶ୍ୱର ।୬୧ ।ଶଶିରେଖା ନାମେ ତାର ଯେ ପଟ୍ଟମହିଷୀ ।ପୁତ୍ରାର୍ଥେ ଅନେକ ବ୍ରତେ ତୋଷି କାଶୀବାସୀ ।୬୨ ।ତା ଉଦର ଆକାଶରେ ପ୍ରକାଶ ହୋଇଲା ।ଅକଳଙ୍କ କଳାନିଧି ପରାୟେ ଶୋହିଲା ।୬୩ ।ଆହାଲାଦେ ଚନ୍ଦ୍ରଭାନୁ ତେଜ ଭାବିକରି ।ଚନ୍ଦଭାନୁ ନାମ ଦେଲେ ବିଚାରି ବିଚାରି ।୬୪ ।ବେଦ ବେଦାନ୍ତେ ବିଧାତା ବ୍ୟାକରଣେ ହର ।ସଙ୍ଗୀତରେ ନାରଦ ଶୃଙ୍ଗାର ଶାସ୍ତ୍ର ମାର ।୬୫ ।କବିପଣେ ଗଣେଶ ଜ୍ୟୋତିଷ ବୃହସ୍ପତି ।ଅଶ୍ୱାରୋହେ ମିହିର ଭୈରବୀ ପରାଗତି ।୬୬ ।ଧନୁର୍ଦ୍ଧରେ ଅର୍ଜୁନ ଗଦାରେ ବୃକୋଦର ।ଦାନୀରେ କର୍ଣ୍ଣର୍ ମାନୀରେ କୁରୁ ଦଣ୍ଡଧର ।୬୭ ।ବଳିଷ୍ଠରେ ବାଳୀଧାର୍ମିକରେ ଯୁଧିଷ୍ଠିର ।ସୁନ୍ଦର ପଣରେ ତାକୁ ସେହି ପଟାନ୍ତର ।୬୮ ।ମନ୍ତ୍ରୀ ଜ୍ୟୋତିଷ ସାଧୁତ ପୁରଧା କୁମର ।ନାମ ଗୁଣନିଧି ବସନ୍ତକ ପୁରନ୍ଦର ।୬୯ ।ଋତୁଧ୍ୱଜ ସହିତ ଏ ଚାରି ମିତ୍ର ହିତ ।ନିଶି ଦିନ ଭିନ୍ନ ନୋହେ ଏହାଙ୍କ ସଙ୍ଗତ ।୭୦ ।ହେ ରାମକୃଷ୍ଣ ସୁନ୍ଦର କଳାପ ମଦନ ।ରାଧାପତି ରୁଚିହାସ ଅଘ ବିନାଶନ ।୭୧ ।ଉପଇନ୍ଦ୍ର ଭଞ୍ଜ ବୀରବର ମନୋରଥ ।ଏ ଗୀତ ପୂର୍ଣ୍ଣ ହେବାରେ କର ଏହା ସାର୍ଥ ଯେ ।୭୨ ।
ଦ୍ୱିତୀୟ ଛାନ୍ଦ
ଲାବଣ୍ୟବତୀର ଜନ୍ମ ବୃତ୍ତାନ୍ତ(ରାଗ- ପଟ୍ଟହ ମଞ୍ଜରୀ)ଶୁଣ ହେ ସୁଜନେ ରସ କର୍ଣ୍ଣ ମନ ଲୋଭା ।ରତ୍ନାକର ମଧ୍ୟରେ ସିଂହଳ ଦ୍ୱୀପ ଶୋଭା ଯେ ।୧ ।କହିବାର ନୋହେ ସେ କଟକ ଛଟକକୁ ।ରତନ ଝଟକ ହସେ ଆନ କଟକକୁ ।୨ ।ଅଛନ୍ତି ଧନଦ ସମ ଧନବନ୍ତମାନେ ।କର୍ଣ୍ଣେ ଶୁଣାଅଛି ସମାନକୁ ଏକା ଦାନେ ଯେ ।୩ ।ଯେତେ କୋଟି ସୁବର୍ଣ୍ଣ ଯାହାକୁ ମିଳେ ତହିଁ ।ତେତେ ଗୋଟି କଳସ ସେ ମନ୍ଦିରେ ବସାଇ ଯେ ।୪ ।ଗୋରୋଚନା ପ୍ରକାରେ ଯହିଁରେ ମୃଗମଦ ।ନିତି ଜୀର୍ଣ୍ଣବସନକୁ ବିକନ୍ତି ପୁଳିନ୍ଦ ଯେ ।୫ ।କୁଙ୍କୁମ ଉକୁଟାଇ ହୁଅନ୍ତି ନାରୀ ଯହିଁ ।ହରିଦ୍ରାରେ ଆଦର କରିବେ କାହିଁପାଇଁ ଯେ ।୬ ।ମାର୍ଗ ମାର୍ଜନେ ରଜନିକର ଆଣି ଯାଇ ।ରଜନୀକର ଆଣନ୍ତି ଶକଟରେ ବହି ଯେ ।୭ ।ହରିତକୀ ପାଇଁ ତିଆରିଲେ ବୈଦ୍ୟକୁଳ ।ଭାରବାହେ ଭାରରେ ଆଣନ୍ତି ଜାତିଫଳ ଯେ ।୮ ।ଶବରୀ ଶର୍ବରୀ ଶେଷୁଁ ଅରଣ୍ୟକୁ ଯାଇ ।ହରି ବିଦାରିତ-କରି ମୋତି ପଡ଼ିଥାଇ ଯେ ।୯ ।ବଦରୀ ଆଦରି ନେଇ ସରୋବରେ ଧୋଇ ।ବିକା ତା ନଯିବ ବୋଲି ଆସନ୍ତି ପକାଇ ଯେ ।୧୦ ।ଖଣ୍ଡପରଶୁ-ଧାରଣପୁର ପରିଷ୍କାରେ ।ନ ଦହନ୍ତି ଶାମୁକ ମୁକତା ବିହୀନରେ ଯେ ।୧୧ ।ଯେଉଁ ହେମ କମନୀୟ କାମକରେ ହୋଇ ।ସେ ଗ୍ରହଣୁ ବାରବାନେ ଦୃକପାତ ନାହିଁ ଯେ ।୧୨ ।ଶିଶୁକାଳୁ ମୋଧାବିନୀ ମଦନ ଶଳାକା ।ଭକ୍ଷନ୍ତି ଲବଙ୍ଗ ନାଗବଲ୍ଲୀ ଦଳ ଏକା ଯେ ।୧୩ ।ଏଣୁ କଣ୍ଠରୋଧ ବାଧାହୀନ ଦିବ୍ୟ ତାନ ।ଶିଖି ବିଷ୍ଣୁ ଚରିତ କରନ୍ତି ଭ୍ରମିଗାନ ଯେ ।୧୪ ।ଗଜ ହୟ ଉପଜୀବୀ ଭ୍ରମନ୍ତି କେଦାରେ ।ମାରାଗ ଜ୍ୟୋତିକି କରି ଜବସ ମନରେ ଯେ ।୧୫ ।ବାସକରେ ଗ୍ରହଣ କରନ୍ତି ଯହିଁ ମଚ୍ଛ ।ଭାବନ୍ତି ଏହି ପଥରେ ପଥରେକ ସ୍ୱଚ୍ଛ ଯେ ।୧୬ ।ବଜ୍ର ଜାତି ବିନା ଗଜ ନ ଆଣନ୍ତି ବିନୁ ।ଅଶ୍ୱଶାଳେ ବନ୍ଧା ନୋହେ ସିନ୍ଧୁଜାତ ବିନୁ ଯେ ।୧୭ ।ମୂଷିକରେ ନେପାଳୀ ପାଳନା ସୁଆଦରେ ।ଗନ୍ଧମାର୍ଜ୍ଜାର ପୋଷିତ ବିଡ଼ାଳ ପଦରେ ଯେ ।୧୮ ।ମାଳିଆଳି-ଦକ୍ଷିଣାବର୍ତ୍ତକ ବିନା କମ୍ଭୁ ।ନ ଘେନନ୍ତି ଦେବାକୁ ହର ଚରଣେ ଅମ୍ବୁ ଯେ ।୧୯ ।ଏକ ମୁଖୀ ରୁଦ୍ରାକ୍ଷ ଗ୍ରହଣ ଯୋଗୀକରେ ।ବାଳକେ କିଣନ୍ତି ଦ୍ରାକ୍ଷା କେବଳ କୋଳିରେ ଯେ ।୨୦ ।ଖଡ୍ଗ ଚର୍ମ ଆଢ଼େଣୀ ଧାରଣ ନପାଇ ।ଖଡ଼ଗ ଚର୍ମରୁ ଆନ ଚର୍ମ ନ ଯୋଗାଇ ଯେ ।୨୧ ।ଯହିଁ ବ୍ରହ୍ମଜାତି ବଜ୍ର କବଚ ମିଳଇ ।ବଜ୍ର କବଚରେ ଅନୁରାଗ ଥିବ କାହିଁ ଯେ ।୨୨ ।ପଦ୍ମିନୀ ଜନମ ସ୍ଥାନ ପଦ୍ମାକର ପୁରୀ ।ଆନ ଜାତି ନାରୀଏ ଯହିଁରେ ପରିଚାରୀ ଯେ ।୨୩ ।କିନ୍ନରୀ ଗୀତ ଶ୍ରବଣ ଯହିଁ ନିତି ନିତି ।ମହୀ ମଧ୍ୟେ ସ୍ୱର୍ଗ ଯେ ହୋଇଛି ଉତପତ୍ତି ଯେ ।୨୪ ।ସେ ନଗର ନରବର ନାମ ରତ୍ନେଶ୍ୱର ।ବିଦ୍ୟୁଲତା ନାମେ ପଟ୍ଟମହିଷୀ ତାହାର ଯେ ।୨୫ ।ପଞ୍ଚଶର ସମେ ପଞ୍ଚସୁତ କଲାଜାତ ।ଦିବ୍ୟକୁମାରୀ ପ୍ରାପତେ କରେ ନାନା ବ୍ରତ ଯେ ।୨୬ ।ଚୈତ୍ର ମଙ୍ଗଳବାରରେ ଆରମ୍ଭି ପୂଜାକୁ ।ପଞ୍ଚମ ପାଳିରେ ତୋଷ କଲେ ଗିରିଜାଙ୍କୁ ସେ ।୨୭ ।ବାଞ୍ଛାବତୀ ପିଣ୍ଡ ଥିଲା ଅଗମ୍ୟ କାନନ ।ଆପଣେ ଅମ୍ବିକା ଯାଇ କଲେ ସଜୀବନ ଯେ ।୨୮ ।ବୋଇଲେ ସୁନ୍ଦରୀ ହୁଅ ତୁ ରସାଳ ଫଳ ।ଆଜ୍ଞା ଅବଧାରିଲା ସେ ରାମା ତତକାଳ ଯେ ।କରେ ଘେନି ସ୍ୱପ୍ନାଦେଶେ ମହୀଦେବୀ କରେ ।ଦେଇଗଲେ ସେ ଆମ୍ବକୁ ପାର୍ବତୀ ସତ୍ୱରେ ଯେ ।୩୦ ।ଚେତୁ ଯୁବତୀ ଦେଖିତ ହସ୍ତେ ଅଛି ଚୂତ ।ଭକ୍ଷ ମୃଗାକ୍ଷୀ ନାୟକ ସଙ୍ଗେହେଲା ରତ ଯେ ।୩୧ ।ଶୁଭବେଳେ ଗର୍ଭ ଦର୍ଭହାସୀ ଶୁଭ୍ରକେଶୀ ।କେତେ ଦିନେ ଶୋଭାତାର ଆନ ଆନ ଦିଶି ଯେ ।୩୨ ।କାନ୍ତି ସୁବର୍ଣ୍ଣେ ଦୋହଦ ପାରଦ ମିଶିଲା ।ରଜତ ପିତୁଳା ତୁଲ୍ୟ ଅବଳା ଦିଶିଲା ଯେ ।୩୩ ।କ୍ଷୀଣ ପାଇଁ ପୀନ ହେଲା ରେକସଂଖ୍ୟା କଟୀ ।ଖସି ନିତମ୍ବ-ବିମ୍ବକୁ ଆଶ୍ରେ କଲା ଶାଟୀ ଯେ ।୩୪ ।ବେଶରେ ଆବେଶ ହେବା କ୍ରମଶେ ତୁଟିଲା ।ଆହାରେ ବିମନା ହୋଇ ଗମନେ ଫୁଟିଲା ଯେ ।୩୫ ।ବାହାରେ ହୋଇଲା ପତି ବିହାରରୁ ମତି ।ମହିଳା ମହୀ ଶୟନେ ବଳାଇଲା ପ୍ରୀତି ଯେ ।୩୬ ।ଦିବ୍ୟ ରୁଚିକି ରୁଚିଲା ମୃତ୍ତିକା ଭକ୍ଷଣ ।ଚଞ୍ଚଳ ଚଳନମାନ ଛାଡ଼ିଲା ଈକ୍ଷଣ ଯେ ।୩୭ ।ପୃଥୁରୋମା ନୟନୀ ଉଦର ପୃଥୁତର ।ଅତି ଶୋଭା ନାଭି ଲେଉଟିଲା ପରକାର ।୩୮ ।ନିଷ୍ଠୁର ଦିଶିଲା ଓଷ୍ଠ ତୁଟି ଯାଇ ରଙ୍ଗ ।ଘନ ଘନ ଜୃମ୍ଭା ପୁନଃ ପୁନଃ ମୋଡ଼େ ଅଙ୍ଗଯେ ।୩୯ ।ଶ୍ୟାମଳ କୋମଳ ଅଙ୍ଗା ସ୍ତନଅଗ୍ର ବହି ।ହରଧର ଶୃଙ୍ଗେ ଜଳଧର ପରା ଶୋହି ଯେ ।୪୦ ।ଦଶମାସ ଶେଷ ରସବତୀ ଅଶକତ ।ଉତ୍ତମ ଲଗ୍ନ ମଗ୍ନରେ ସୁତା ପ୍ରସବିତ ଯେ । ୪୧ ।କବି ବିଚାରି କି ଚାରିମୁଖ ସଙ୍ଗେ ବାଦ ।ଆଚରି ମଦନମହୀପତି ବହି ମଦ ଯେ ।୪୨ ।ଉଦର ଶୋଭା ଉଦଧି ମନ୍ଥିଲା ଉଦ୍ବେଗ ।ଉରଜ ମନ୍ଦରୁ ବଳି ସର୍ପରଜ୍ଜୁ ଯୋଗେ ଯେ ।୪୩ ।ତହିଁରୁ ଜାତ ଜଗତମୋହିନୀ ସ୍ୱଭାବେ ।ଅବଶ୍ୟ ହୋଇବେ ହର ତପେ ଭଙ୍ଗ ଏବେ ଯେ ।୪୪ ।ଧାତ୍ରୀ ଧରିତ୍ରୀଭୂଷାକୁ ନାଭିଚ୍ଛେଦ କରି ।ଗଣକଗଣେ ବସିଣ ଜାତକ ବିଚାରି ଯେ ।୪୫ ।ସୂତିକା ଗୃହରେ ଯେତେ ବିଧି ଶେଷ କଲେ ।ଏକବିଂଶ ଦିନେ ଦୋଳିଶୟନ ବିହିଲେ ଯେ ।୪୬ ।ଆସିଥିଲେ ବ୍ରହ୍ମଋଷି ଶୋଭାରାଶି ଚାହିଁ ।ବିଚାରିଲେ କେତେ କଳ୍ପଶ୍ରମ କଲା ବିହିଯେ ।୪୬ ।ଆସିଥିଲେ ବ୍ରହ୍ମଋଷି ଶୋଭାରାଶି ଚାହିଁ ।ବିଚାରିଲେ କେତେ କଳ୍ପଶ୍ରମ କଲା ବିହି ଯେ ।୪୭ ।ମୁଖ ହେବ ଏମନ୍ତ ବିଚାରି ପଦ୍ମବିଧୁ ।ହସ୍ତବାଳା କରି ଆଗୁ ବଢ଼ିଗଲା ସାଧୁ ଯେ ।୪୮ ।ତହୁଁ ବାସ ଆହାଲାଦ ଦର୍ପଣରୁ ଝଳି ।ଲହରୀରୁ କୁଟିଳ ଅଞ୍ଜନପୁଞ୍ଜ କାଳୀ ଯେ ।୪୯ ।କୁରଙ୍ଗରୁ ତରଙ୍ଗ ବିଦ୍ରୁମ ରଙ୍ଗ ହରି ।ଲବଣୀ ଶିରୀଷରୁ କୋମଳ ବଳେ ତୁଳି ଯେ ।୫୦ ।ସୁବର୍ଣ୍ଣର ବର୍ଣ୍ଣ ଗତି ହଂସଠାରୁ ଗତି ।ଏ ରୂପେ ଉପମାବର୍ଗ ଯେତେକ ଅଛନ୍ତି ଯେ ।୫୧ ।ବିହି ସବୁଠାରୁ ସାର ସାର ଭାଗ ଆଣି ।ପୁରଟ ପ୍ରତିମା ପରି ରଚିଲା ରମଣୀ ଯେ ।୫୨ ।କବି ଯେତେ ଥିଲେ ସୀଉକାର ତା ନ କଲେ ।ବିଧାତା ବିଧାନୀ କାହୁଁ ଏ ହେବ ବୋଇଲେ ଯେ ।୫୩ ।ଦେଖ ପଦ୍ମ ଲପନ ଶୋଭାକୁ ଯାର ହାରି ।ଚରଣ ତଳେ ଶରଣ ପଶିଅଛି ଡରି ଯେ ।୫୪ ।ପଦ୍ମଜାତ ସିନା ବିଧି ବିହିଲା କେମନ୍ତେ ।ଏମନ୍ତ ସମ୍ମତ ହେଲା ସମସ୍ତଙ୍କ ଚିତ୍ତେ ଯେ ।୫୫ ।ସର୍ବ ମତେ ସର୍ବ ଶୋଭାସ୍ଥାନ ବୋଲି ବାଳୀ ।ଲାବଣ୍ୟବତୀ ନାମକୁ ଦେଲେ ଭାଳି ଭାଳି ଯେ ।୫୬ ।ବଳକ୍ଷ ପକ୍ଷର କଳାକର କଳା ପରି ।ଦିନୁ ଦିନୁ ଶୋଭା ବୃଦ୍ଧି ନରେନ୍ଦ୍ର କୁମାରୀ ଯେ ।୫୭ ।କେତେଦିନ ଉଭା ଭିତ୍ତି ଧରି ବିମ୍ବାଧରୀ ।କରୀ ଗମନରେ ପୁଣି ମହୀ ଶୋଭା କରି ଯେ । ୫୮ ।ରଜନୀକର ବଦନା ରଜନିକରରେ ।କରଇ ଖେଳା ରଚନା ଶିଶୁଙ୍କ ସଙ୍ଗରେ ଯେ ।୫୯ ।ରବି ରଥ ରଖେ ବଶ ହୋଇ ତା ସୁଷମେ ।ଏଣୁ କରି ଦୀର୍ଘଦିନ ଜାଣିଲି ଗ୍ରୀଷମେ ଯେ ।୬୦ ।ବିଶ୍ୱସୃକ ବିଶ୍ୱକର୍ମା ଶିଳ୍ପୀ ହୋଇ ଗୋପ୍ୟେ ।ନିର୍ମାଣ ବାରଣଦନ୍ତ ପିତୁଳା ତା ରୂପେ ଯେ ।୬୧ ।ଉପି ଲେପି କୁଙ୍କମ ଦିଅନ୍ତି ନେଇ କରେ ।ହେବ କି ନୋହିବ ସମ ଏମନ୍ତ ଶଙ୍କାରେ ଯେ ।୬୨ ।ମନକୁ ନ ଆସି ଆରଦିନ ଚିତ୍ରକର ।ହୋଇ ଚିତ୍ତେ ବିଚିତ୍ର ଲେଖନ୍ତେ ଶୋଭା ତାର ଯେ ।୬୩ ।ତଥାପି ସୁଷମା ସମା ପ୍ରତିମା ନୋହିଁ ।ଶୋଭାକୁ ବର୍ଣ୍ଣନ୍ତି କବି ବୃତ୍ତ କରି ତହିଁ ଯେ ।୬୪ ।ଏମନ୍ତ ଯଶ ଜେମାର ଜଗତେ ଶୁଭିଲା ।ଯୋଗୀଜନ ମୋହନାସ୍ତ୍ର ମାର ଭିଆଇଲା ଯେ ।୬୫ ।ଏ ବିଚାରେ ମହେଶ ପାଷାଣ ହେଲେ କିବା ।ଯୁବା ହେବାଯାଏ ଆଉ ଶରୀରେ ନଥିବା ଯେ ।୬୬ ।ପଢ଼ାଶୁକେ ଶିଳା ଧୂପ କୋକିଳେ ବରଷା ।ହୋଇଲା ପାଠ ପଠନ କାଳ ମୃଦୁଭାଷା ଯେ ।୬୭ ।ସରସ୍ୱତୀ ଗୋଚରରେ ବିଦ୍ୟା ଥିଲା ଯେତେ ।ଦେଲେ କହି ସେ ଦ୍ୱନ୍ଦ୍ୱ ତୁ ନ କରିବୁ ମୋତେ ଯେ ।୬୮ ।ଲଜ୍ଜା ପଟ୍ଟମହିଷୀକି ଘେନି ଯଉବନ ।ରାଜା ଆସି ଆକର୍ଷିଲା ଅଙ୍ଗ ଦେଶମାନ ଯେ ।୬୯ ।ପାତ୍ର ମନ୍ତ୍ରୀ ନିତମ୍ବ ଜଘନ ଉରୁସତ୍ୟ ।ଶାଢ଼ି ପାଇ ଏମାନେ ହୋଇଲେ କୃତକୃତ୍ୟ ଯେ ।୭୦ ।କୁଚଅଙ୍କୁରିବାରେ ବସନ ଉଠିଦିଶେ ।ହୃଦୟବେଦୀରେ ଅଭିଷେକ କୁମ୍ଭ କି ସେ ଯେ । ୭୧ ।ଏ ସମୟେ ମାହୁନ୍ତ ସୁନ୍ଦରୀ ମତ୍ତକରୀ ।ଅନ୍ତଃପୁର ଟୋପରେ ରଖିଲା ବେଳେ ଧରି ସେ ।୭୨ ।ନେତ୍ରାଞ୍ଚଳରେ ଚଳ ପରକାଶ ହେଲାଆସି ।ଚତୁରୀ ବଳି ଚାତୁରୀମାନଙ୍କୁ ପ୍ରକାଶି ଯେ ।୭୩ ।ଏ ପ୍ରତୀତ ଯୁବାଜିତ ଇଚ୍ଛାକରୀ ଭାରୁ ।ଶରବିନ୍ଧି ଶିଖେ କି ସଂସାର ଗୁରୁଠାରୁ ଯୋ ।୭୪ ।ସୁନ୍ଦରୀ ସଂସାରେ ସେ ହେବାରୁ ଚକ୍ରବର୍ତ୍ତୀ ।ଦେଲା କି ପତି ଅଙ୍ଗରେ ଭୂପତି ସମ୍ପତ୍ତି ଯେ ।୭୫ ।କୁନ୍ତଳ ଦେଶରେ ଚୂଡ଼ା ଶୋଭା କରାଇଲା ।ବିଦର୍ଭରେ ହାସକୁ ପ୍ରଭୁତ୍ୱ ପଣ ଦେଲା ଯେ ।୭୬ ।ମାଳବରେ କଣ୍ଠକୁ ଭୂଷଣ କଲା ନେଇ ।ଚୋଳରେ ଶୋଭିତ କଲା ଉରଜକୁ ତହିଁ ଯେ ।୭୭ ।କାଞ୍ଚିରେ ରଞ୍ଜନ କଲା ମଧ୍ୟକୁ ନିରତ ।କନକକଟକେ କଲା ପାଦକୁ ପୂଜିତ ଯେ ।୭୮ ।ମଣିରମଣୀ ମଣିକିଶାଣ ଯଉବନ ।ବହୁମୂଲ୍ୟ ପ୍ରଭାକୁ ବଢ଼ାଇ ଦିନୁ ଦିନ ଯେ ।୭୯ ।ଉପମା ଆଣିବା କାହୁଁ ମହାକବି ହେଲେ ।ସୁନ୍ଦରେ ଯାହାର ଅଙ୍ଗେ ସୁନ୍ଦରୀ ହୋଇଲେ ଯେ ।୮୦ ।ଜୟ ଜଗନ୍ନାଥ ରାମ ଶ୍ରେୟର ନିଳୟ ।ମୁନିଗଣ କାମଦାୟ ପଦ୍ମବାସୀ ପ୍ରିୟ ହେ ॥୮୧ ।ଉପଇନ୍ଦ୍ରଭଞ୍ଜ ବୀରବରର ଭାବିତ ।ନିର୍ଦ୍ଦୋଷରେ ଏହୁ ଗୀତ ହେଉ ସମାପତ ହେ ।୮୨ ।
ସମ୍ବନ୍ଧିତ ରଚନା
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ
ସୁବର୍ଣ୍ଣରେଖା
ଉପେନ୍ଦ୍ର ଭଞ୍ଜ