ପଞ୍ଚଦଶ ଛାନ୍ଦ — ଲାବଣ୍ୟବତୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚଦଶ ଛାନ୍ଦ
ସିଂହଳରେ ଇନ୍ଦ୍ରଜାଲ ପ୍ରଦର୍ଶନୀ(ରାଗ-ବସନ୍ତ ଭୈରବ)ଶୁଣ ସୁଜନେ ଏଣୁ ବିଧାତାକୁ ବଡ଼ ବୋଲିବ୍ୟାଜେ ଧନ ଅର୍ଜ୍ଜନେ ଅନେକ ଦେଶ ବୁଲି ସେ ।ସିଂହଳଦ୍ୱୀପେ ପ୍ରବେଶ ହେଲା ନଟବରଲୋକବଶକାରୀ ସେ ବିନୋଦ ନାମ ତାର ଯେ ।ହସ୍ତେ ବାଙ୍କି କାଖେ ଯାକି ଅଛି ସର୍ପପେଟୀଦେହେ ଘଷି ହୋଇଛି ଚନ୍ଦନ ପରା ମାଟି ଯେ ।୧ ।ମଲ୍ଲ ବିଦ୍ୟା ପଣ୍ଡିତ ଫଳିଛି ବାହୁ ବେନିତହିଁତ ଶାଭିତ ଯେ ମୟୂରଚୂଳ ଘେନି ଯେ ।ବକ୍ରଜୁଡ଼ାକୁ ବେଢ଼ିଛି ଅଏଁଳାର ଫୁଲଉଦ୍ଧାରି ଧରିଛି ଭଲା କଳା ଓରମାଳ ଯେ ।ସୁନାମୋଡ଼ିଆ ପନସକଢ଼ିଆ କୁଣ୍ଡଳଦୋହଲି ଶୋଭା କରୁଛି ତା ଗଣ୍ଡମଣ୍ଡଳ ଯେ ।୨ ।ହସୁଁ ଦିଶେ ସୁନାଖିଲ ଝଲ ଝଲ ଦନ୍ତେପାନେ ପାଚି ଯାଇଛି ସେ ଜମ୍ବୁଫଳମତେ ଯେ ।ସିନ୍ଦୂର ଚିତାହିଁ ତା ହଟେକେଶ୍ୱର ପଣେ ।ବିଭୂତି ଘଷିହୋଇଛି ଯୁବକ ଈକ୍ଷଣେ ଯେ ।ବକ ଶ୍ୟାମଳ ବାନା ତା ଭୁଜଙ୍ଗ ପଇତାମହା ମହା ଗୁରୁମାନଙ୍କର ଦର୍ପହନ୍ତା ଯେ ।୩ ।ରୁଣ୍ଡ ଶିକଳୀ ଚରଣେ କର କଙ୍କଣରେବିରାଜିଛି ହେମବାଳୀ ବାମ ଶ୍ରବଣରେ ଯେ ।ପିନ୍ଧିଛି ପତନୀ ଫେଟା ପରି ନୀବୀ କରିରଙ୍ଗପାଟ ଖଣ୍ଡୁଆଏ କଟୀରେ ମାଧୁରୀ ଯେ ।ବେଢ଼ିଛନ୍ତି ଶିଷ୍ୟ ଉପଶିଷ୍ୟ ବେଶ ହୋଇକେ ଚଉତନା କେ ପାଗ ମୁଣ୍ଡେ ମଣ୍ଡିଆଇ ଯେ ।୪ ।ପିନ୍ଧି ଚଳନାକାଛକୁ ବାନ୍ଧିଛନ୍ତି ତାହିଭାଲେ କାଳୀ ଚିତା କେ ବିଭୂତିଭୂଷା ଦେହୀ ଯେ ।କହିଛନ୍ତି ସେ ଦୀର୍ଘ ଶଳାକା ଆଦି ଢୋଲଘଟ ନାଟ ଅରଟା ରଣପା ଯେ ମଞ୍ଜୁଳ ଯେ ।ମଧ୍ୟବର୍ତ୍ତୀ ପ୍ରେମରୂପା ନାମେ ନଟୀସାରବୟସରେ ଷୋଡ଼ଶୀ ବେଶରେ ମନୋହର ଯେ ।୫ ।ସେ ବିଟପୀ ବିଟପୀଧଇର୍ଯ୍ୟା ବିଟପୀକିଛେଦନେ କୁଠାର ପରା ମନରେ ତରକି ଯେ ।ଚିତ୍ତେ କରି ଧରିବାକୁ ଦର୍ପଣ ଝଟକମୁଖ ମାଠି ତଇଳେ କରିଛି ଜକ ଜକ ଯେ ।ଅଙ୍ଗେ ଅଙ୍ଗେ କରିଅଛି ସେ ବନହଳଦୀକାନ୍ତି ହୋଇଛି ପାଚିଲା ଆମ୍ଭ ପ୍ରତିଦ୍ୱନ୍ଦୀ ଯେ ।୬ ।କତୁରୀରେ ଅଳକାକୁ ନୂତନେ ଖଞ୍ଜିଛିଫୁଲଗୁଡ଼ାଏ ଜୁଡ଼ାରେ ଯତନେ ମଣ୍ଡିଛି ଯେ ।ଦଣ୍ଡିଛି ସେ ଜଳଦ ବକାଳୀ ମହୋଜ୍ଜ୍ୱଳବହଳ କରି ଘେନିଛି ନୟନେ କଜ୍ଜଳ ଯେ ।୭ ।ମୃଗହୋଇଲାକୁଅଛି ଚଞ୍ଚଳ ଚାତୁରୀଖେଳା ଭୂମିଯାକବିଞ୍ଚି ହୋଇଛି କସ୍ତୁରୀଅଭ୍ର ଚିତା ଶୁଭ୍ର ହୋଇଅଛି ଭାଲପଟ
ଭାନୁକର ଲାଗି ଛଟକଇ ଝଟଝଟ ଯେ ।
ଜଳେକି ତହିଁ ଜ୍ୱଳନ କାମଡ଼ାଳୀ ବହି
ଆସୁଥିଲା ଉପମାକୁ ସେ ବାମା ଲଭଇ ଯେ ।
ଶରଲକ୍ଷ କଟାକ୍ଷ ତା ପାଇଁ ଯୋଗୀରାଜି ।
ବିନ୍ଧିବା ଭୟେ ଥରିଲେ ମୃଗଚର୍ମ ତେଜି ଯେ ।୮ ।
ବେନିପୁଟରେ ତା ଗୁଣା ନାକଚଣା ଅଛି ।
ନାସାଦଣ୍ଡି ଫୋଡ଼ାଇ ଗୁଣାଏ ଲଗାଇଛି ଯେ ।
ତିନି ପୁରେ ମୋତେ ରତି ବିଚକ୍ଷଣା ଗୁଣେ
ନାରୀ ନାହିଁ ବୋଲି ଚିହ୍ନି ବହିଛି ଆପଣେ ଯେ ।
ସୁନା ମଲ୍ଲୀକଢ଼ୀ ଫୁଲ ଜାଲିପଟି କାମ ।
ବାଳାର କରିଛି ଶ୍ରବଣକୁ ମନୋହର ଯେ ।୯ ।
ତହିଁରେ ହଲାଇ ସେ ଝଲକ ଝଲକାକୁ
ଆସ ବୋଲି ପାଶକୁ ଡାକଇ ପୁରୁଷଙ୍କୁ ଯେ ।
ଅଧରେ ଯେ କରିଅଛି ପାନରଙ୍ଗ ସଙ୍ଗ
ପ୍ରବାଳ ଉପିଲା ଥୋପି ପଡ଼ଇ କି ରଙ୍ଗ ଯେ ।
କୁଟାଇଛି ଚିବୁକେ ମକ୍ଷିକା ଚାରୁଚିତ୍ର
ଓଷ୍ଠେ ମଧୁ ସଞ୍ଚିବାକୁ ସେ ଉପସ୍ଥିତ ଯେ ।୧୦ ।
ଲାକ୍ଷା ଚିଞ୍ଚ ରସେ ପଚାଇଛି ଦନ୍ତରାଜି
ଦେଉଛି ସେ ପରଚିଲା ଡାଳିମ୍ବମଞ୍ଜି ଗଞ୍ଜି ଯେ ।
କାଚମାଳୀ ମୋତିମାଳୀ କଣ୍ଠମାଳୀ ମଞ୍ଜୁ
କମ୍ବୁକଣ୍ଠେ ଲଗାଇ ଅଛି କି କୁନ୍ଦାରଜ୍ଜୁ ଯେ ।
ନବଘନ ହେଲା ପ୍ରାୟ ଗିରିଶୃଙ୍ଗ ଗିଳି
ଉଚ୍ଚକୁଚେ ରାଜିତ ହୋଇଛି ନୀଳଚେଳୀ ଯେ ।୧୧ ।
କକ୍ଷଭୁଜ ଅର୍ଦ୍ଧକୁ ବୋଲି ସେ ଅଛି ଗ୍ରାସି
କାଳିନ୍ଦୀରୁ ମୃଣାଳ ବାହାର ପରା ଦିଶି ଯେ ।
ସେ ଭୁଜେ ବାନ୍ଧିଛି ରୂପାସୁତା ବିଦମାଳୀ
ପାଣିରେ ତା ପାଣିକାଚ ମହ୍ନା କଡ଼ିଆଳୀ ଯେ ।
ଅଞ୍ଜନ ଚିତ୍ରେ ରଞ୍ଜନ କରଜ ପାପୁଲି
ଦର୍ପଣବସା ମୁଦିରେ ଦୀପିତ ଅଙ୍ଗୁଳି ଯେ ।୧୨ ।
ଅଛି ଜଙ୍ଘିତଳେ ଭିଡ଼ି ଦେଇ କଟୀ ଡୋରେ
ପିନ୍ଧିଛି ସେ ଅତଲସ ଲହଙ୍ଗା ଉପରେ ଯେ ।
ବାନ୍ଧିଅଛି କ୍ଷୁଦ୍ର ଘଣ୍ଟି ବାଜେ ଝମଝମ
କନ୍ଧେ ଉପରାଣ ଜରୀ ଜଡ଼ିତ ସୁଷମ ଯେ
ରଣଝଣ ହୋଇ ଖଞ୍ଜାପାହୁଡ଼େ ଚରଣେ
ଡାକେ ରସିକେ ସଞ୍ଚିତ ଧନ ବିତରଣେ ଯେ ।୧୩ ।
ରୋମାବଳୀ ଚାହିଁ ଜନେ ଭ୍ରମ ଉପୁଜଇ
ସ୍ତନପେଟୀରୁ କି କାଳବ୍ୟାଳ ବାହାରଇ ଯେ ।
ମୁଦି ଲଗାଇଛି ତିନି ତିନି ପ୍ରପଦରେ
ଧରିଛି ଅମୃତ ଘଷାଧନ ବେନି କରେ ଯେ ।
ଏମନ୍ତରେ ନଟନଟୀ ରାଜଦ୍ୱାରେ ଯାଇ
ଦେଖିବାକୁ ଲୋକେ ଛନ୍ତି ସଙ୍ଗତେ ଗୋଡ଼ାଇ ଯେ ।୧୪ ।
ସିଂହଦ୍ୱାରେ ବସି ବଜାଇଲେ ଢୋଲ ତୁରୀ
ନୃପତି ଛାମୁରେ ଯାଇଁ ଜଣାଇଲେ ଦ୍ୱାରୀ ଯେ ।
ହେବ ବିଭୋ ବନ୍ଧୁ କୁମଦ ବିଧୁ ମହାରାଜ
ଆସିଛି ଇନ୍ଦ୍ରଜାଲିକ କର୍ଣ୍ଣାଟ ତା ରାଜ୍ୟ ଯେ ।
ଶୁଣି ତୁମ୍ଭ ଦାତୃଗୁଣ କରିବାକୁ ହଟ
ଆସୁ ବୋଲିବାକୁ ତହିଁ ନୃପତି ମୁକୁଟ ଯେ ।୧୫ ।
ଚାହିଁ ଦେଲେ ପ୍ରତିହାରୀ ଦଶ ବିଂଶ ଧାଇଁ
ଛାମୁରେ ସେ ଭେଟାଇଲେ ନଟ ନଟୀ ନେଇ ଯେ ।
ରାଜା ପଚାରିଲେ ଅହୋ କି କି ବିଦ୍ୟା ଜାଣ
ସେ କହିଲା ଦ୍ୱୀପେଶ୍ୱର ସାବଧାନେ ଶୁଣ ହେ ।
କୁହୁକ ଗୋଟିକାଞ୍ଚନ ସ୍ତମ୍ଭନ ମୋହନ
ବଶ୍ୟ ଉଚ୍ଚାଟନ ଜାଣେ ମୁଁ ଭୋଜ ରାଜନ ଯେ ।୧୬ ।
ଗଦ ପଦେ ବିଷ ଝାଡ଼ଣେ ମୁଁ ଧନ୍ୱନ୍ତରୀ
ଗୁରୁଏ ଘେନନ୍ତି ମୋତେ ମହାଗୁରୁ କରି ଯେ ।
ମାୟା ରଚନରେ ମୟ ପରି ମୋତେ ଘେନ
ପୁଣ ଏ ଅଙ୍ଗନାସାରେ ଗୁଣ ଅକଥନ ଯେ ।
ନୃତ୍ୟ ଦେଖିଲେ ବାସୋବା ରମ୍ଭା ପାସୋରିବେ
ଗାନ ଶୁଣିଲେ ବୀଣାକୁ କିମ୍ପା ପ୍ରଶଂସିବେ ହେ ।୧୭ ।
ଆମ୍ଭ କୁଳଧର୍ମ ବିଦ୍ୟାରେତ ନାହିଁ ସରି
ତୁମ୍ଭେ କି ଜ୍ଞାନ କରୁଛ କହ ଦଣ୍ଡଧାରୀ ହେ ।
ନୃପତି ବୋଇଲେ ରହ କରିସାରୁ ସନ୍ଧ୍ୟା
ରାମୟଣ ଦେଖାଅ ଜାଣିବା ତୁମ୍ଭ ବିଦ୍ୟା ହେ ।
କେତେବେଳେ ହେଲା ତହିଁ ସନ୍ଧ୍ୟା ଅବଶେଷ
ରାଜା ଅବରାଧନାରୀ ଜଗତୀ ପ୍ରବେଶ ଯେ ।୧୮ ।
ବଡ଼ ବଡ଼ଭୀ ମସ୍ତକ ମଣ୍ଡିଲା କୁମାରୀ
କେବଳ ଅଛନ୍ତି ସଙ୍ଗେ ପ୍ରିୟ ସହଚରୀ ଯେ ।
କରିଛି କରୀନ୍ଦ୍ର ଗତି ଏ ପାଞ୍ଚ ସ୍ୱଭାବ
ରାମ ଚରିତ ଦେଖିଲେ କାମ ପୂର୍ଣ୍ଣ ହେବ ଯେ ।
ଏହି କାଳେ ଜାଲିକ ବୋଇଲା ନେତ୍ର ବୁଜ
ନେତ୍ର ବୁଜନ୍ତେ ରଚିଲା ଏ ମାୟାସମାଜ ଯେ ।୧୯ ।
ଚାହିଁ ଲୋମଦଗ୍ଧ ଜନେ ଲୋମପଦେ ବୋଲେ
ଜରତା ରତାର ଋଷ୍ୟଶୃଙ୍ଗ ଆସି ହେଲେ ଯେ ।
ସେ ଦେଶରେ ବୃଷ୍ଟି କଲେ ତୁଷ୍ଟି ହେଲେ ରାଜା
ଶାନ୍ତା କାନ୍ତା ଦେଇକରି କଲେ ଦିବ୍ୟପୂଜା ଯେ ।
ଦଶରଥ ମନୋରଥ ସାର୍ଥ ହେବା ପାଇଁ
ସେ ମୁନିକି ଘେନିଗଲେ ରଥରେ ବସାଇ ଯେ ।୨୦ ।
ଚାରୁ ଚରୁ ସ୍ୱରୂପେ ହୋଇଲେ ପଦ୍ମନାଭ
କଉଶଲ୍ୟା କୈକେୟୀ ସୁମିତ୍ରା ଭକ୍ଷ ଗର୍ଭ ଯେ ।
ଅଭିରାମ ଶ୍ରୀରାମ ଭରତ ଶୁଭରତ
ସୁଲକ୍ଷଣା ଲକ୍ଷ୍ମଣା ଶତ୍ରୁଘ୍ନ ହେଲେ ଜାତ ଯେ ।
କ୍ରତୁ ରକ୍ଷା ହେତୁ ବିଶ୍ୱାମିତ୍ର ଆସି ନେଲେ
ବନେ ତାଡ଼କୀ ଶମନ ଭୁବନେ ପେଷିଲେ ହେ ।୨୧ ।
ସୁବାହୁ ସୁବାହୁ ବଳେ ମାରି ମାରୀଚିକୁ
ଆକାଶରେ ଶରେ ଉଡ଼ାଇଲେ ଯେ ଯଶକୁ ଯେ ।
ପଥରେ ପଥରେ ନାରୀ କରି କଲେ ମୋଦ
ଦାସ ବତ୍ସଳ ଦାସରେ ଧୁଆଇଲେ ପଦ ଯେ ।
ଖଣ୍ଡପରଶୁ କୋଦଣ୍ଡ ବେନି ଖଣ୍ଡ କରି
ସୀତା ବିବାହ ନିର୍ବାହ ନୃପଦର୍ପ ହରି ଯେ ।୨୨ ।
ବଜ୍ରପରି ଭୃଗୁପତି ଭୃଗୁକୁ ଭେଦିଲେ
ଅଭିଷେକ କରିବା ମମତା ପିତା କଲେ ଯେ ।
ମନ୍ଥରା ମନ୍ଥନେ କାନ୍ତାନୁଜ ଘେନି ସଙ୍ଗେ
ବିଚିତ୍ର ଚିତ୍ର କୂଟରେ ବିହରିଲେ ରଙ୍ଗ ଯେ ।
ବକ୍ର କଲେ ଶକ୍ରସୁତ ଚକ୍ର ନେତ୍ରରାଜି
ଭରତ ପ୍ରବୋଧି ସୁବୁଦ୍ଧିରେ ଗିରି ତେଜି ଯେ ।୨୩ ।
ବିରାୟୁଧେ ବୀରୟୁଧେ ବଧ ବିଚାରିଲେ
ଅମଳାନ ବସ୍ତ୍ର ବ୍ରହ୍ମଶସ୍ତ୍ରକୁ ପାଇଲେ ଯେ ।
ଦଣ୍ଡକାରଣ୍ୟକୁ ମଣ୍ଡି ସୂର୍ପଣଖା ଦଣ୍ଡି
ଖର ଖର ଦୂଷଣ ତ୍ରିଶିର ଶିର ଖଣ୍ଡି ଯେ ।
ହେମ ସାରଙ୍ଗ ରଙ୍ଗରେ ଲଙ୍କା ଦଣ୍ଡୀଧାରୀ
ସୀମା ସିତାଂଶୁମୁଖୁକୀ ଉଟଜରୁ ହରି ଯେ ।୨୪ ।
ମାର୍ଗରେ ବିନାଶ ଖଗ ଖନଗ ପ୍ରହାରେ
ରହେ ଷାକବତୀ ସୀତା ଅଶୋକ ବନରେ ।
ବାସେ ନ ଦେଖି ସୁମୁଖୀ ମହାଦୁଃଖୀ ରାମ
ବିଳାପ କଳାପ ମାପ କରଣେ କେ କ୍ଷମ ।
ରକ୍ଷଦେଶ ଗମନ ସନ୍ଦେହ ପକ୍ଷୀ କହି
କବନ୍ଧ ବନ୍ଧନେ ପଡ଼ି ତାହା ନାଶ ବିହି ଯେ ।୨୫ ।
ଫଳ ଦାନେ ମୋକ୍ଷଫଳ ଲଭିଲା ଶବରୀ
କ୍ଷୀରପାନେ ବର-ବରଜରେ ବାଞ୍ଛା ପୂରି ଯେ ।
କାମ କାମନାକୁ ମୁନି ଚିତ୍ତେ ଜନ୍ମାଇଲେ
ପମ୍ପାସରେ କୋକଶୋକକାରକ ହୋଇଲେ ଯେ ।
ମିତ୍ରବଂଶୀ ମିତ୍ର ବସି ମିତ୍ରପୁତ୍ର ସଙ୍ଗେ
ଭେଦି ଶାଳ ଦୁନ୍ଦୁଭି ଅସ୍ଥିକି ଚାଳେ ରଙ୍ଗେ ଯେ ।୨୬ ।
ଶାଖାମୃଗରାଜ ମଗରାଜ କୋଟିବଳ
ଶର ଶରଭରେ କଲେ ବିନାଶ ଚପଳ ଯେ ।
ମାଲ୍ୟବନ୍ତ ଧରଣୀଧରରେ ପୁର ରଚି
ରଘୁବୀର ବିରହେ ବରଷାକାଳ ବଞ୍ଚି ଯେ ।
କୁକ୍କୁଟକୁ ମୁକୁଟ ସେ ଗିରିକୂଟେ ଦେଇ
ଲଭି ବଲ୍ଲଭୀ ଉଦନ୍ତ ଦୂତ ପଠିଆଇ ଯେ ।୨୭ ।
ଜଳ ସେତୁ କଳେ ଶିଳେନଳେ ଦେଇ ଯଶ
ଳଙ୍କା ବେଢ଼ି ଶଙ୍କା କରାଇଲେ ଦୈତ ବଂଶ ଯେ ।
ବିଷଧରପାଶ ତ୍ରାସ ନାଶ କଲା ବୀଶ
ଅନୀକିନୀ ଅନେକ ହୋଇଲେ ରଣେ ନାଶ ଯେ ।
ଘଟକର୍ଣ୍ଣ ଘଟତ୍ୟାଗ ଅତିକାୟ କ୍ଷୟ
ପୁରୁହୁତଜିତ ହତ ବ୍ରହ୍ମାସ୍ତ୍ର ଉଦୟ ଯେ ।୨୮ ।
ହନୁମାନ ଗନ୍ଧମାର୍ଦନ ଗମନ ଲୀଳା
ଭରତ ଉଦନ୍ତ ପ୍ରାପ୍ତ ଲକ୍ଷ୍ମଣ ଜୀଇଁଲା ଯେ ।
ଶ୍ରୀରାମଚନ୍ଦ୍ର ନରେନ୍ଦ୍ର ଶର ସର୍ପ ନେଇ
ଲଙ୍କପତି ଅଙ୍କପେଟୀ ଭିତରୁ ପୁରାଇ ଯେ ।
ଅଭୀଷଣ ବିଭୀଷଣେ ଅଭିଷେକ କରି ।
ବଇଦେହୀ ଦହି ଅନଳରେ ହେମ ପରି ଯେ ।୨୯ ।
ପୁଷ୍ପକରେ ପୁଷ୍କର ସକଳ ଗଲେ ଗତି
ଯୋଦ୍ଧାବର ଅଯୋଧ୍ୟାରେ ହୋଇଲେ ନୃପତି ଯେ ।
ଦେଖାଉଁ ଦେଖାଉଁ ରାମାୟଣ ମହୋତ୍ସବ
ଚନ୍ଦ୍ରବଦନୀକି ଦେଖାଇଲା ଅନ୍ୟଭାବ ଯେ ।
କର୍ଣ୍ଣାଟ ରାଜନନ୍ଦନ ରାମ ଆଗେ ଉଭା
ବିଶ୍ୱମ୍ବର ଆଗେ ବିଶ୍ୱକେତୁ ଯଥା ଶୋଭା ଯେ ।୩୦ ।
କୁମାରିକି ଶୁଭୁଛି ଏମନ୍ତ ଜଣାଉଛି
ଆନ ବରେ ମୋର ପ୍ରୟୋଜନ ନାହିଁ କିଛି ଯେ ।
ହେ ରାମ ଶ୍ୟାମସୁନ୍ଦର ଅଛ ଦତ୍ତ କରି
ସୁଗ୍ରୀବକୁ ତାରା ବିଭିଷଣେ ମନ୍ଦୋଦରୀ ଯେ ।
ଲାବଣ୍ୟବତୀ ଯୁବତୀ ଶିରୋମଣି ମୋର
ମନୋହାରୀ ହୋଇବ ଏମନ୍ତ କୃପା କର ହେ ।୩୧ ।
ସେ ନବୀନା ବିନା ଆନେ ନ ରସେ ମୋ ମନ
ଦହନ କରୁଛି ମୋତେ ମଦନଦହନ ହେ ।
ପ୍ରଭୁ ତୁମ୍ଭେ ବିରହ ବେଦନା ଅନୁଭବୀ
ନ ଘେନିଲେ ଆଉ କାହା ଆଗେ ଜଣାଇବି ।
କରୁଣା ଲୋକନେ ରାମ ଅସ୍ତୁବାଣୀ ଭାଷି
ଦେଖି ଶୁଣି ଏମନ୍ତ ଯେ କସ୍ତୁରୀସୁବାସୀ ଯେ ।୩୨ ।
ଆଳୀକି ଦେଖାଇ ଦେଲା ଅଙ୍ଗୁଳି ଦେଖାଇ
ସ୍ୱପନ ସମ୍ପତ୍ତି ପତି ପୁରୁଷ ମୋ ଏହି ଯେ ।
ସଖୀ ବୋଇଲା ସୁନ୍ଦର ସୃଷ୍ଟି ପୁରନ୍ଦର
ଏଥର ଅଇଲେ ପାଶେ ଏ ଉପାୟ କର ଯେ ।
ଉଦ୍ଧତକୁ ବିଚାର ନ କରି କମ୍ବୁକଣ୍ଠୀ
ଭେଟୁଁ ଦେବୁ ଅଞ୍ଚଳେ ଅଞ୍ଚଳେ ଦୃଢ଼ଗଣ୍ଠି ଯେ ।୩୩ ।
ବାହୁ ବନ୍ଧନେ ବାନ୍ଧିବୁ ଅତି ଯତ୍ନ କରି
ନ ଯାଇ ପାରିବ ଶେଷ ହୋଇଲେ ଶର୍ବରୀ ଗୋ ।
ରତିଭୋଗ ଯାଏ ଯେବେ ସହିବ ଦଇବ
ସେ ପ୍ରେମ ରଜ୍ଜୁରେ ବାନ୍ଧି ହୋଇଣ ରହିବ ଗୋ ।
ଯେଉଁ ରତିରସ ବଶ କରଇ ବ୍ରହ୍ମାକୁ
ଅଧିକ କି କରିବା ପୁରୁଷ ଭ୍ରମରକୁ ଗୋ ।୩୪ ।
ସଜନୀଏ ମଧୁର ବଚନ କହୁ କହୁଁ
ଜଗତୀ ପ୍ରବେଶ ସେ କୁମାର ଚାହୁଁ ଚାହୁଁ ଯେ ।
କୁମାରୀ ବିଚାରେ ସ୍ୱପ୍ନ ସଙ୍ଗ ଦିନ ନିଶି
ସେହି ଶୁଭଲଗ୍ନ ଘେନି ବାହୁଡ଼ି କି ଆସି ଯେ ।
ଏମନ୍ତେ ସେ ରସିକ ପ୍ରକାଶେ ବଚନକୁ
କିଣିଲୁ ଧନ ଜୀବନ ମନ ଲୋଚନକୁ ଗୋ ।୩୫ ।
ମଧୁ ବିନା ମଧୁପର ଆନ ଗତି ନାହିଁ
ମଧୁବିନା ଆନେ କି କୁମୁଦ ପ୍ରକାଶଇ ଗୋ ।
ବନ୍ଧୁବିନା ଆନ ଗତି ନାହିଁ ମୋ ଜଗତେ
ଆନକୁ ନ ବରି ଏକା ବରିବୁ ତୁ ମୋତେ ଗୋ ।
ଏତିକି ମାଗୁଣି ମୋ କେତକୀ ବରନାକୁ
ସେ କୁମର କରୁଁ ଏ ବିନୟ ରଚନାକୁ ଯେ ।୩୬ ।
ସଖୀ ବୋଲି ଆମ୍ଭ ସଖୀ ସତ୍ୟର ଜନନୀ
ବରଣ ଯେ କରିଛି ମୁକୁତାମାଳା ଘେନି ଯେ ।
କୋଟି କଳ୍ପେ ଏ କଥା ହୋଇଛି ନିକି ଆନ
ଘନ ତେଜି ଗଙ୍ଗାଜଳେ ଚାତକର ମନ ଯେ ।
ତୁମ୍ଭ ପୁରୁଷେ ସହଜେ ଚନ୍ଦ୍ରମା ପ୍ରକାର
ତାରାପତି ହୋଇଲେ କୁମୁଦେ ଭୋଗ କର ଯେ ।୩୭ ।
ଚନ୍ଦ୍ରମୁଖୀ କି ରଖିଛି ସଖୀ ଥିଲା ଲାଜ
ମନେ କରେ ଗଳାରେ ବେଢ଼ାଇ ଦେବି ଭୁଜ ଯେ ।
ଜାଣି ତାହା ସହଚରୀ ଅନ୍ତର ହେବାକୁ
କୁହୁକ କୁଶଳୀ ହରି ନେଲା ସେ ମାୟାକୁ ଯେ ।
କୁମାର କୁମାରୀ ରୀତି ଆନକୁ ନ ଦିଶି
ରାମାୟଣ ଚରିତେ ସମସ୍ତେ ହେଲେ ତୋଷୀ ଯେ ।୩୮ ।
ପଟ ହାଟକ କଟକ ଘୋଟକ ରତନ
ହାଟ ବାଟ ଜୁର ଶାଢ଼ି ବାସ କଲେ ଦାନ ଯେ ।
ଯେତେଲୋକ ଦେଖୁଥିଲେ ଦେଲେ ସଭା ଜୁର
ସବୁ ରୂପେ ପୂର୍ଣ୍ଣ ହେଲା ମନୋରଥ ତାର ଯେ ।
ବ୍ୟାକୁଳ ଅନଳେ ଦଗ୍ଧ କୁଟିଳ କଟାକ୍ଷା
ଶତ୍ରୁ ମିତ୍ର ହେଲା ପ୍ରାୟ ମୋହ କଲା ରକ୍ଷା ହେ ।୩୯ ।
କେତେବେଳେ ଏ ରୂପ ଭଜିଲା ଭାବମୟୀ
ଜନନୀ ହକରା କେତେ ଦଣ୍ଡକୁ ବଞ୍ଚାଇ ଯେ ।
ଏ ଉତ୍ତାରୁ ଶଙ୍କା ଉପୁଜାଇ ଦେଲେ ଆଳୀ
ଗୁପତ କଥା ପ୍ରକଟ ହେଲା ନବବାଳି ଗୋ ।
ତୁ ରାଜକୁମାରୀ ତୋତେ ହେବ ବଡ଼ ଲାଜ
ସରିବ ଆମ୍ଭ ମହତ୍ୱ ନ ପାଇବୁ କାର୍ଯ୍ୟ ଗୋ ।୪୦ ।
ହଳାହଳ ପାନେ ପ୍ରାଣ ରକ୍ଷା ବାଞ୍ଛା କରୁ
ସନ୍ନିପାତକୁ ସେ ହିତ ହୁଏ ସିନା ଭୀରୁ ଗୋ ।
ତେଜ ରୋଗ ଜନମିଲେ ଆଉ ରକ୍ଷା କାହିଁ
ଚତୁରୀର ଏତେକ ବିବେଦ ହେଉ ନାହିଁ ଗୋ ।
ଏହି ବଡ଼ ଭୟ ତା ନିଗୂଢ଼ ହୋଇ କରି
ପଳାଇଲା ପ୍ରାଣକୁ ରଖିଲା ବେଳେ ଧରି ସେ ।୪୧ ।
ନଟ ଯାଇ କେତେ ଦିନେ କର୍ଣ୍ଣାଟେ ପ୍ରବେଶ
କୁମାରକୁ କହିଲା ଦୁର୍ଲଭ୍ୟ କନ୍ୟା ବଶ ଯେ ।
ନାମ ଦେଶ ପଚାରିଲେ ତାହିଁ ପ୍ରକାଶିଲା
କୁମାର ବିଚାରେ ମୋର ସୁକୃତ ଦିଶିଲା ଯେ ।
ଅଘକରୀନ୍ଦ୍ର ପାରିନ୍ଦ୍ର ଅଯୋଧ୍ୟା ନରେନ୍ଦ୍ର
ଭାବ ଛାନ୍ଦ ଶେଷ କଲା ଭଞ୍ଜ ଉପଇନ୍ଦ୍ର ଯେ ।୪୨ ।
ଷୋଡ଼ଶ ଛାନ୍ଦ
ଚନ୍ଦ୍ରଭାନୁ ମିତ୍ରକୁ ଲାବଣ୍ୟବତୀ ଶୋଭା କହିବା(ରାଗ-ଗୁଜ୍ଜରୀ)ଇନ୍ଦ୍ରଜାଲିକ ମୁଖୁଁ ଶୁଣି ।ବଶ ହେବାରୁ ପୃଥୁଶ୍ରୋଣୀ ।ଚିତ୍ତୋଇ ଶୋଭା ଅନୁରାଗ ।କିଛି ପ୍ରକାଶେ ମିତ୍ର ଆଗ ।୧ ।ହା ହା ସେ ନରେନ୍ଦ୍ର କୁମାରୀ ।ଅବନୀ ଶିରୀ ସୁକୁମାରୀ ।ପଲ୍ୟଙ୍କ ଅଙ୍କେ ଶୋଇଥିଲା ।ସ୍ୱକୃତି ଦୂତୀ ଭେଟାଇଲା ।୨ ।ସଂସାରେ ଯେତେ ଦୃଷ୍ଟି ଅଛି ।ତାଠାରେ ପୁଷ୍ଟି ସେ ହୋଇଛି ।ଏଣୁ ଜଗତ ଜୟରୂପ ।ପୁଣି କନ୍ଦର୍ପ ରସକୂପ ।୩ ।ତହିଁ ନୟନ ମୀନ ପଡ଼ି ।କି ଚିତ୍ର ରହିବାର ବୁଡ଼ି ।ଆଗ ପଛକୁ ସମ ଶୋଭା ।ଶୋଭାବୃନ୍ଦରେ ହେମପ୍ରଭା ।୪ ।ପ୍ରଭାମାନଙ୍କ ନିଜ ଧାମ ।ଅନ୍ୟୋଽଅନ୍ୟେ ନାମରୂପ ସମ ।ସମ ନୋହିଲେ ଆଉ କାହିଁ ।ମୁକୁର ଦେଖାବେଳେ ଦୁଇ ।୫ ।ଅଳଙ୍କାରକୁ ଅଳଙ୍କାର ।ନିଶ୍ଚୟ ସେହି ରାମାବର ।ଭାବାଦି ଯେତେ ଅଳଙ୍କାର ।ସେମାନେ ଅଳଙ୍କାର ସାର ।୬ ।ଅନୁରାଗର ବିଷ ସେହି ।ଅନୁରାଗକୁ ଜନମାଇଁ ।ଯୌବନ ଶୋଭା ସେ କାମିନୀ ।ଯୌବନ ଶୋଭା ତାହା ଘେନି ।୭ ।ମୁଖ ପ୍ରଶଂସା କଳାକାର ।ତାହା ପ୍ରଶଂସା ମୁଖ ତାରତା ରୂପ ଅସ୍ତ୍ର କରି ଘେନ ।ରୂପାସ୍ତ୍ର ବୋଲାଇ ମଦନ ।୮ ।ଯୁବାସଂସାର ସଂହାରିଣୀ ।ଯୋଷାରେ ସଂସାର କାରେଣୀ ।କୁଙ୍କୁମକାନ୍ତି ଅସମରେ ।ସଂକୋଚ ବହିଛି ନାମରେ ।୯ ।ସୁନ୍ଦରୀ ପୁରନ୍ଦର ମୋହି ।ସୁନ୍ଦରୀ ପୁରନ୍ଦର ଏହି ।ଦେଖି ତା ସର୍ବାଙ୍ଗ ସୁନ୍ଦର ।ଚିତ୍ତେ ଚିନ୍ତଇ ପୁରନ୍ଦର ।୧୦ ।କି ତପ କରି ପିନ୍ଧା ଶାଢ଼ି ।ସେ ବାଳା ପ୍ରତିଅଙ୍ଗେ ଜଡ଼ି ।ଜାଣିଲେ ସେ ତପ ସାଧନ୍ତି ।ତେତିକିବେଳୁ ହୁଏ ମତି ।୧୧ ।ନିଦ୍ରା ଭଗ୍ନ ସଂଲଗ୍ନ ବେଳେ ।ଭୃଙ୍ଗୀଏ ଅନୁକୂଳକଲେ ।ଲୁଟି ଯେ ଗଲେ ଧୈର୍ଯ୍ୟଧନ ।ପ୍ରଥମେ ଧରି ନେଲେ ମନ ।୧୨ ।ଅଙ୍ଗ ଦେଶରେ ଲାଜ ପ୍ରୀତି ।ହୋଇଥିବ ଯେ ବେନି ମନ୍ତ୍ରୀ ।ସେ କେତେବେଳେ ବଳିଆର ।ହୋଇଲେ ଅନୁଗ୍ରହ ତାର ।୧୩ ।ଉରଜ ପୁର ଚକ୍ରବର୍ତ୍ତୀ ।ଦେଖାଇ ବିଶେଷ ଉନ୍ନତି ।ଦେଖାଇ ନେଲା ହାତେ ପତ୍ର ।ହେଲିବୋଲି ମୁଁ ତୋର ଭୃତ୍ୟ ।୧୪ ।କନକ ମହୀଧର ଠାରୁ ।ଉଦରେ ରଖିଛି ତା ଭୀରୂ ।କସ୍ତୁରୀପଙ୍କୁ ବର୍ଣ୍ଣପନ୍ତି ।ରୋମାଳୀ ବୋଲାଉ ଅଛନ୍ତି ।୧୫ ।ଯହିଁ ଏମନ୍ତ ଧୈର୍ଯ୍ୟବନ୍ତ ।ଦେଖି ନ ପାରିଲା ଗୁରୁତ୍ୱ ।ଆଉ କାହାର ତାକୁ ଚାହିଁ ।ବାଞ୍ଛା ନୋହିବ ଦାସ ହୋଇ ।୧୬ ।ବାଳୀ ଢାଳିଲା ବେଳେ ନେତ୍ର ।ଜୀବନ ହୋଇଲା ଆରତ ।ଖେଳି ଆସୁଛି କାଳ ଅହି ।ଏ ମୋତେ ଦଂଶିବାର ପାଇଁ ।୧୭ ।ପିଛଡ଼ା ପେଡ଼ାମଧ୍ୟେ ଥିଲା ।କି ରୂପେ ଫିଟି ଏ ଅଇଲା ।ନ ମାନିବାରୁ ଗଦ ପଦ ।ନିଶସ୍ତ୍ର ହେଲା ବିଷବୈଦ୍ୟ ।୧୮ ।ଏ କାଳେ ନେତ୍ରବୋଧ ତାକୁ ।ଢାଳି ଏ ଦେବ ଅମୃତକୁ ।ଆଜୁଁ ତୁ ହୋଇଲୁ ଅମର ।ଦେଖି ଏ ଶିରୀ ପ୍ରାପ୍ତ ମୋର ।୧୯ ।ଅନୁରାଗ ଚାହାଁଣୀ ସେହି ।ଅପାଙ୍ଗ ଥିଲା ସାକ୍ଷୀ ହୋଇ ।ଶୋଭା ସେ ଦିଶିଲା ଏମନ୍ତ ।ଫୁଲ୍ଲାରବିନ୍ଦେ ଅଳିଯୁକ୍ତ ।୨୦ ।ଅନଙ୍ଗ ପବନ ବିକାରେ ।ଝଟତି ଢଳିବା ପ୍ରକାରେ ।ଘେନି ଶୁକଳ ରଙ୍ଗ କଳା ।ପଲକ କିବା ଚିତ୍ର କଲା ।୨୧ ।ମୋହର କି ଇତର ପୁଣ୍ୟ ।ତ୍ରିବେଣୀ ଘାଟେ କଲି ସ୍ନାନ ।କଟାକ୍ଷ ଅଙ୍କୁଶ ସଦୃଶୀ ।ମନ ମାତଙ୍ଗକୁ ଆକର୍ଷି ।୨୨ ।ଉଚ୍ଛନ୍ନ ମାହୁନ୍ତ ଆରୋହି ।ତାର ଆୟତ୍ତ କରି ନେଇ ।ଜାନୁ ଅର୍ଗଳିର ନିକଟେ ।ଥିଲା ଶିକୁଳୀ ନୀବୀକୂଟେ ।୨୩ ।ନିବିଡ଼େ ପକାଇଲା ବାନ୍ଧି ।ଭ୍ରମ ମଦିରା ପାନେ ବୋଧି ।ଭାବିଲି ସ୍ୱର୍ଗଦ୍ୱାର ଏହି ।ମୋକ୍ଷ ଏଥିରେ ଅଛି ରହି ।୨୪ ।ସନ୍ନିଧେ ମଧ୍ୟେ ସିଂହସ୍ଥିତ ।ନୋହିଲେ ହୁଅଇ ଏମନ୍ତ ।ନିତମ୍ବ ଚନ୍ଦ୍ର ବିମ୍ବ ସତ ।ସେ ସ୍ଥାନେ ହୁଅନ୍ତା ଉଦିତ ।୨୫ ।ଲଭିଲି ଯେତେ ପୁଣ୍ୟ ତେତେ ।ଲଂଘିତ ପାରନ୍ତି କେମନ୍ତେ ।ଜଘନ ଭଦ୍ରାସନ ଗୋପ୍ୟେ ।ବିଶ୍ରାମେ ଇନ୍ଦ୍ରପଦ ସ୍ଥାପେ ।୨୬ ।ଏହି ଅଭୀଷ୍ଟ କରୁଅଛି ।ନ ଜାଣି ଧାତା କି ଲେଖିଛି ।ମନ ବୁଦ୍ଧି ନୟନ ପ୍ରାଣ ।ତାହାର କିଣା ହେଲେ ଜାଣ ।୨୭ ।ଏଣୁ ମୋ ଭଲ ମନ୍ଦ କର୍ତ୍ତା ।ନୋହିଲ ନବୀନ ବନିତା ।ମୋର ଦେହରେ ମୋ ଆୟତ୍ତ ।କେହି ରହିଲା ଘେନି ଚିତ୍ତ ।୨୮ ।ଦାହ କନକ ବରନୀକି ।ସୁଭାଗ୍ୟ ଗଲା ମୋର ବିକି ।ଓଷ୍ଠ ପ୍ରବାଳପାତ୍ରେ ଥିଲା ।ହାସ ମୁକୁତାରେ କିଣିଲା ।୨୯ ।ସେ ତାହା କିଣି ଗଲା ସିନା ।ଏବେ ମୁଁ ପାଉଛି ବେଦନା ।ରତି ରତନ ବରତନ ।ଦେଇ କରିବାକୁ ଯତନ ।୩୦ ।କେ ଯାଇ ଜଣାନ୍ତା ମୋ ପାଇଁ ।କରୁଣା କଳ୍ପତରୁ ସେହି ।ଆହା କରନ୍ତା ଏହା ଶୁଣି ।ଛାମୁରେ ନିଅଇ ସେକ୍ଷଣି ।୩୧ଦିଅନ୍ତା ଅଶେଷ ସମ୍ପତ୍ତି ।ଦହନ୍ତା ପାଇବା ବିପତ୍ତି ।ମନକୁ-ମନାଇ ସେବାରେ ।ମଜ୍ଜନ୍ତି ମୁଁ ନିଶି ଦିବାରେ ।୩୨ ।ଯାହାର ନାସାଫୁଲା ପଣ ।ଫୁଲାଇ ଦେଇ ଫୁଲବାଣ ।ବିଚାରେ ଏ ତୂଣୀ ସମରେ ।ଅସ୍ତ୍ରେ ତ କମ୍ପାଇବି ଦ୍ୱାରେ ।୩୩ ।ସବୁ ସୁବେଶ ମାନେ ତାକୁ ।ସେ ପୁଣି ସୁବେଶ ବେଶକୁ ।ମଳିନ ହୋଇଥିଲି ବେଶେ ।ଜଗତ ମୋହି ପାରଇ ସେ ।୩୪ ।ପଙ୍କ ମଧ୍ୟରେ ପଦ୍ମ ଥାଇ ।ଯଥା ରସିକ ଭୃଙ୍ଗ ମୋହି ।ଘେନନ୍ତି ଦେବାତଏ ଶିରେ ।ବହନ୍ତି ବିଧୁ ସୂର୍ଯ୍ୟ କରେ ।୩୫ ।ଶର କରିଛି ଶମ୍ବରାରି ।ରାମା ସୁଷମା ସେହିପରି ।ସ୍ୱଭାବେ ମୋର ବେନି ଆଖି ।ଯହିଁ ପଡ଼ଇ ରହେ ଲାଖି ।୩୬ ।ସେ କୋଟି କୋଟି ହୋଇଥିଲେ ।ସେ ଶୋଭା ଦେଖିଥାନ୍ତି ଭଲେ ।ଅଙ୍ଗକେ ଶତ ଶତ ରଖି ।ସୁଖୀ ହୁଅନ୍ତି ଦେଖି ଦେଖି ।୩୭ ।ଯେ ବାଳ ଚରିତ ଅଶେଷ ।ଏମନ୍ତ କହୁଁକହୁଁ ପୁଂସ ।ଚାରୁ ପୁରୁଷ କଲା ଆନ ।ଏ ଛାନ୍ଦ ହୋଇଲା ସମ୍ପୂର୍ଣ୍ଣ ।୩୮ ।ଯେ ବଂଶ ଇଷ୍ଟ ଦୁର୍ଗାଦେବୀ ।ବରହି କୋଷରୁ ସମ୍ଭବି ।ମନୁଷ୍ୟ ଏହି ଅଦଭୁତ ।ଭଞ୍ଜାନୁଭଞ୍ଜ ନାମ ସତ ।୩୯ ।ବିଶିଷ୍ଟ ବଶିଷ୍ଠ ପାଳକା ।ଶ୍ରୀରାମେ ଦତ୍ତ ରାଜଟୀକା ।ସେ କୁଳେ ରାଜା ଧନଞ୍ଜୟ ।ସମସ୍ତ ଗୁଣର ନିଳୟ ।୪୦ ।ଘୁମୁସର ଅଧିପ ପଣେ ।ଲୋକ ବିଖ୍ୟାତ କବି ଗୁଣେ ।ତଦ୍ଗତ ତାହାଙ୍କ ତନୁଜ ।ନରେଶ ନୀଳକଣ୍ଠ ଭଞ୍ଜ ।୪୧ ।ତାହାଙ୍କ ଜ୍ୟେଷ୍ଠ ସୁତ ମୁହିଁ ।ଉପେନ୍ଦ୍ର ଭଞ୍ଜ ନାମ ବହି ।ତାରକ ମନ୍ତ୍ର ପରସାଦେ ।ମୋହର କବିପଣ ଉଦେ ।୪୨ ।କଳଙ୍କ ବିହୀନ ମୋ ଗୀତ ।ଖଳ ରାହୁରେ ଅଦୂଷିତ ।ବିଚିତ୍ର ସୁଧାକର ଏହି ।ସୁମନାବୃନ୍ଦ ସୁଖଦାୟୀ ।୪୩ ।ନାରିକେଳ ଯେ ରସପୂର ।ଭକ୍ଷି ନ ପାରଇ ବାନର ।ତାର କି ସ୍ୱାଦୁ ଯଶ ନୋହି ।ପ୍ରସଙ୍ଗୁ ଗଲି ମଧ୍ୟ କହି ।୪୪ ।