ନବମ ଛାନ୍ଦ — ଲାବଣ୍ୟବତୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଛାନ୍ଦ
ଚନ୍ଦ୍ରଭାନୁ ପାଖରେ ଲାବଣ୍ୟବତୀରଚିତ୍ରପଟ ନେଇ ସନ୍ନ୍ୟାସୀ ପ୍ରବେଶ(ରାଗ-ସାମଗୁଜ୍ଜରୀ)ହୋଇଲା ପ୍ରବେଶ ଗ୍ରୀଷମ ସମୟ ସୁଷମା ପ୍ରୌଢ଼ା ଯୁବତୀକି ।ରଜନୀ ମନୋହର କରି ବହିଲା ପକ୍ୱତରୁଫଳ କାନ୍ତିକି ।ପ୍ରଫୁଲ୍ଲ, ମଲ୍ଲିକା ହାସ ବିକାଶି ।ରସିକ ଭ୍ରମଣ ଚାଟୂକୁ ନିରତ ପାଟଳି ଶ୍ରବଣ ନିବେଶି ।୧ ।ଝିଙ୍କାରୀ ଝଙ୍କାର ଝୁଣ୍ଟିଆ ଝମକେ ଚମକ ପକାଇ ଯୁବାରେ ।ରଖିଲା ମନକୁ ଘନରସେ ନେଇ ଚନ୍ଦ୍ର କିରଣେ ଶୋଇବାରେ ।ଶାଳ୍ମଳୀ, ରଙ୍ଗେ ଅନୁରାଗ ଦେଖାଇ ।ନବ ବିଟପକୁ ବିରହ ଦାବାଗ୍ନି ସଂଯୋଗରେ ଦହି ପକାଇ ।୨ ।କେତେ ରଞ୍ଜନ ବ୍ୟଜନ ପ୍ରଭଞ୍ଜନ ପରଶେ ଶାନ୍ତିକି ବିହିଲା ।ଜଳଯନ୍ତ୍ରପୁର କର୍ପୂର ଚନ୍ଦନ ମଣ୍ଡନରେ ଚିତ୍ତ ରହିଲା ।ଜାଣିଲି, ଶୁଚି ମୁର୍ତ୍ତିମନ୍ତ ହୋଇଲା ।ବିଦେଶ ନ ଯାଅ ବୋଲି ଜନଙ୍କୁ କି ରଜେ ତୁଷାନଳ ଥୋଇଲା ।୩ ।ଏମନ୍ତ କାଳେ କାନନେ ନୃପସୁତ ପୁଷ୍କରିଣୀ ମଧ୍ୟ ମଣ୍ଡପେ ।ହୋଇ ମିତ୍ରସଙ୍ଗ ବାଳାର ପ୍ରସଙ୍ଗ ପକାଇ ତାହା ନାମ ଜପେ ।ପ୍ରକାଶେ, ବେଳୁଁ ବେଳ ଏହି ଭାଷାକୁ ।ସାଧୁ କହିଲା ପରା ବିଧୁବଦନା ଆସୁଛି ମାନସକୁ ।୪ ।କହିଲ ମିତେ ନ ଘେନ ଏତେ ଚିତ୍ତେ ନ ଥିଲାକୁ ନିକି ଜଗତ ।ଘଟଣ ଘଟସ୍ତନା ସମେ ଘଟଣା ପିତୁଳା ହୋଇଛି ଆଗତ ।ଏକାଳେ, ମାଳିକ କହେ ସନ୍ନିଧାନେ ।ମହ୍ଲାରୁ ଆସିଛି ନାମ ମଦନିକା ଗଣିକା ତବ ଦରଶନେ ।୫ ।ପଚାରେ କୁମାର ପ୍ରଶଂସା ଯାହାର ଶୁଣୁଥିଲାଇଁ ଏ ସେ ନାରୀ ।ଯାହା ଜନମକାଳୁ ମର୍ତ୍ତ୍ୟମଣ୍ଡଳେ ଆସିଲେ ନାହିଁ ଅପସରୀ ।ତହିଁକି, ହୋଇ କଲା ମନ୍ତ୍ରୀ ନନ୍ଦନ ।ଜାଣି ସୀଉକାର ଆଣି କାଳାକାର ଭେଟାଇଲା ରାମାରତନ ।୬ ।ନବଯଉବନ ଶଣରେ ଶାଣିତ କାହା ମନ ବଶ ନୋହିବ ।ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ମୂର୍ତ୍ତିମନ୍ତ କଲା ଦଇବ ।ଦେଖିଲା, ମାତ୍ରେ ଗାତ୍ରେ ଆଖି ଲାଖିଲା ।ଚାପରେ ରୋପ ବସାଇ କୋପଭରେ ମାର ମରମରେ ଯୋଖିଲା ।୭ ।ସୁବର୍ଣ୍ଣ ସୁବର୍ଣ୍ଣବଳୟ ଯାହାର ଏ ସଂଶୟକୁ କରାଉଛି ।କାହାକୁ କେ ବଡ଼ ତାରତମ୍ୟ ଆଉ କାରଣ ହିଁ ଯହିଁ ନୋହୁଛି ।ଚିକୁର, ଲୋଟଣୀ ଜୁଡ଼ାରେ ଶୋଭନ ।ଏ ଭାବେ ବାନ୍ଧବୀ ପୁରୁଷଙ୍କ ମନ ବୋଲି କେ କରିଛି ବନ୍ଧନ ।୮ ।ମୋତିଜାଲି ଝଳି ତାରତାରକା କି ଉଦୟ ହେଲେ ନବଘନେ ।କିବା ଇନ୍ଦ୍ରକୁ ଗ୍ରାସୁ ସୁଧାବିନ୍ଦୁକୁ ରହିଛି ରାହୁ ଅପଘନେ ।ତଳକୁ, ଦିବ୍ୟ ଚନ୍ଦ୍ରଝୁମ୍ପା ଲମ୍ବିତ ।ଅର୍ଦ୍ଧେନ୍ଦୁ ଅଧୋଭାଗେ ଲଭି ଉଦୟ ସପ୍ତଋଷି କିବା ଜଡ଼ିତ ।୯ ।ଚାରୁ ଅଳକା ଝିଲିମିଲି ମାଳିକା ଅଗ୍ରେ ଲମ୍ବିତ କ୍ଷୁଦ୍ର ମୋତି ।
ହେମଲତା ଶିଖେ ମଧୁକରପନ୍ତି ମଧୁ କିବା ସଞ୍ଚୁଅଛନ୍ତି ।
କସ୍ତୁରୀ, ଉର୍ଦ୍ଧ୍ୱତିଳକ ଭାଲଦେଶେ ।
ବିକାଶ ସାରଣ ମଧୁ ଅଳିବଂଶ ଗମନ କି ତମାଳ ପାଶେ ।୧୦ ।
ତାଟଙ୍କ ହୀରାରେ ହସୁଛି ଶ୍ରବଣ ପାଶାଦି ଉପମାମାନଙ୍କୁ ।
ଆହୁରି ବଜ୍ର ମଲ୍ଲୀକଢ଼ ଧରିଛି ଧଇର୍ଯ୍ୟ-ଧର ଧ୍ୱଂସନକୁ ।
ବଦନ, ବିକାରେ କମ୍ପକୁ ବହିଛି ।
ହା ହା ବାଳୀ ପୁର ଝଲକାଝଲକ ପଲକ ଘଉଡ଼ି ଦେଉଛି ।୧୧ ।
ଲଳିତ ଜ୍ୟୋତି ଜ୍ୱଳିତ ମୋତିବର ଜ୍ଞାନ ନାଶେ ନାସେ ତାହାର ।
ନିର୍ମଳ ଭାବରେ ବିମ୍ବ ଓଷ୍ଠ ଧର ଅର୍ଦ୍ଧ ଅରୁଣତର ।
ଆରଦ୍ରା, ରୋହିଣୀକି ଘେନି କୋଳରେ ।
କଳଙ୍କ ହୀନ ପର୍ବଶର୍ବରୀଶ କି ଉଦିତ ଶରଦ କାଳରେ ।୧୨ ।
ବଶୀକରଣ ତ୍ରିବିଧ ମଣି ଔଷଧ ଯେଉଁ ନେତ୍ରେ ଅଛି ।
ଶୂଳି ଭଳି ଯତି ଢାଳି ଅନାଇଲେ ଢଳିବେ ମନକୁ ପାଉଛି ।
ଯହିଁର, ଅଞ୍ଜନ ଦମ୍ଭକୁ ତରାସେ ।
ଭାଲ ଗଣ୍ଡ ଖଣ୍ଡଚନ୍ଦ୍ରମା ସୁଷମା ସୀମାବାରବାର ପରା ସେ ।୧୩ ।
ରୋମାବଳୀ ଝଳି ମର୍କତ ପ୍ରବାଳ କଟୀ ଘଣ୍ଟିରେ ସଂଯୁତ ।
ଉରଜଯୁଗ ତୁମ୍ବି ସାର ତ୍ରିବଳୀ ଚିତ୍ର ବଲକୀ କଲା ଜାତ ।
ବିଧିରେ, ବିଧିର ବୁଦ୍ଧି ଭ୍ରମ ହେଲା
ମନ୍ଦ ମଧୁର ଘନସାର ହାସଟି ଜାଣିଲି ଏତେ, ଦୂର କଲା ।୧୪ ।
ଜରି କାଞ୍ଚଲା ପାଟଡୋର ଚରମେ ଭିଡ଼ି ଆଚ୍ଛାଦିଛି ଯତନେ ।
ହିରଣ୍ୟଗର୍ଭ ହୁଡ଼ ବ୍ୟକ୍ତ ନୋହିବ ଏହି କାମନା କରି ମନେ ।
ତାହାର, ଖୋଳ ପରାୟେ ସେ ଦିଶଇ
ଉଚ୍ଚ ପୃଥୁଳ ଗୋପିତ ନୋହେ କଦା ନେତ୍ରେ ଅବନୀ ନ ଦେଖାଇ ।୧୫ ।
ଏମନ୍ତ ମଣୁଛି ଅଙ୍ଗରାଜ ପଦ ଅଙ୍ଗନାଠାରେ ସମ୍ଭାବିତ ।
ମହାଉତପାତ ମନ୍ଦ ବୋଲି ତାକୁ କରୁଅଛି ଯେଣୁ ଗୋପିତ ।
ସେ କଥା, ଯୁକ୍ତ ନୁହଇ ଦେଖିବାର
ଚୀର ଆଚ୍ଛାଦିତ ଏଥକୁ କରିଛି ଫଳ ଚମ୍ବୁଛି ମଧୁକର ।୧୬ ।
କରସନାଳ କୋକନଦ ବାହାର କି ତନୁ ଶୋଭା ସରସୀରୁ ।
ଅତୁଲ୍ୟ ପଛେ ଆନ ଭୂଷା ଧରିଛି ରୂପଗର୍ବିତା ଲକ୍ଷଣାରୁ ।
ରଣିତ, କିଙ୍କିଣୀ କଟୀରେ ଖଞ୍ଜିଛି ।
କାମିନୀକି କାମରଥ ବୋଲିବାର ଶତ ଘଣ୍ଟିଚୟ ସାଜିଛି ।୧୭ ।
ନାହିଁ ତୁଳା କୋଟି ଜଗତରେ ବୋଲି ଘେନିଛି ପାଦରେ ଆଦରେ ।
କ୍ଷୁରୀ ନାରୀ ଧନ୍ୟ ବୋଲାଇ ଅଲକ୍ତ ପଦରାଗ ବ୍ୟକ୍ତ ହେବାରେ ।
ଦିଶୁଛି, ଏପରିରେ ତନୁ ଗଉର ।
ଚମ୍ପକ ଗଭା ପତନୀ ଶାଢ଼ି ଥିବା ଚିକୁର ଧଡ଼ିରୁ ଗୋଚର ।୧୮ ।
କାର୍ଯ୍ୟକୁ କାରଣ କରି କହିଲଇଁ ମଦନିକାର ଶୋଭା କିଛି ।
ବିଚାରି କହି ବସିଲେ ଏହି ଶଙ୍କା ବହୁତ ଛାନ୍ଦ ହେବା ଅଛି ।
ଶୋଭାକୁ, ଚାହିଁ ସ୍ଥଗିତ ନେତ୍ରପୁଂସ ।
ଜଣେ ଜଣାଉ ସିଂହଳପତି ଜେମା ସ୍ୱରୂପ ହୋଇଲା ପ୍ରବେଶ ।୧୯ ।
ସମ୍ଭ୍ରମେ ଉଠି ପାଛୋଟି ଯିବା ମନଜାଣି ନିଷେଧ କଲେ ମିତ ।
ଆସ ଆସ ବୋଲି ସନ୍ନ୍ୟାସୀ ପାଶକୁ ଦୂତ ଉପରେ ଗଲେ ଦୂତ ।
ପ୍ରବେଶ, ଆସନ ଦେଇ ବସାଇଲେ ।
ଚତୁର ମିତ୍ରେଚତୁର ବାରବଧୂ ପ୍ରଶଂସାଦିରେ କଥା ହେଲେ ।୨୦ ।
କେ ବୋଲେ ଚାହିଁ ଚଞ୍ଚଳ ଚକ୍ଷୁପକ୍ଷ୍ମ ପତନ ବୁଦ୍ଧି କରେ ବଣା ।
ଚନ୍ଦ୍ରେ ଚକୋର ବସି ସୁଧା ପିଇବା ମର୍ତ୍ତ୍ୟେ କି କମ୍ପାଉଛି ଡେଣା ।
କେ ବୋଲେ, ଚାହିଁ ନାସାଫୁଲା ପଣକୁ ।
ଏ ଚାତୁରୀର ଚାତୁରୀ କରିଛିଟି ବିଜୟ ଏ ଫୁଲବାଣକୁ ।୨୧ ।
କେ ବୋଲେ ଚାହିଁ ଚାହିଁ ଦେଇ ନୟନ ଉରଜପରେ ଯା ନିଅଇ ।
ଏହି ଶିବସେବା କାମ ପରାଭବ ନ କରିବ ଏହା କହଇ ।
କେ ବୋଲେ, ଚାହିଁ ତା ମଧୁର ହାସକୁ ।
ଅଧର ଦେଖାଇ ଦେଉଛି ତରୁଣ ଅରୁଣ ଜିଣିଲା ଯଶକୁ ।୨୨ ।
ସନ୍ନ୍ୟାସୀ ଭାସି ଯାହା ପ୍ରତି ପ୍ରତିମା ଆରିଛି ଦର୍ଶନ ଦେବାକୁ
ଏ ଯୋଷା ଯୋଗ୍ୟ ନୋହେ ତା ପଦଘଷା-ଉପଳ ଉପମା ହେବାକୁ ।
ଭୋ ଯତି, କି କହ ମନ୍ତ୍ରୀଜ ବୋଇଲେ
ପ୍ରତ୍ୟକ୍ଷ କଥାରେ କେଉଁ ଅନୁମାନ ବୋଲି ସେ ପେଡ଼ାକୁ ଫେଇଲେ ।୨୩ ।
ଏ ବାମାକୁ ବାସ ଉପହାର ଦିଅ ଅଧିକାରୀକି ଆଜ୍ଞା ଦେଇ ।
ତନ୍ମନା ହେଲା ରାମା ରୂପ ଲୋକେନ ବିଷୟ ପଛକୁ ପକାଇ ।
ସମ୍ପୂର୍ଣ୍ଣ, ଏ ଛାନ୍ଦ ଚତୁର୍ବିଂଶ ପଦ ।
ଅଯୋଧ୍ୟାଇନ୍ଦ୍ର ଧ୍ୟାନରେ ଉପଇନ୍ଦ୍ର ନାଶିବ ଅର୍ଜିତ ଆପଦ ।୨୪ ।
ଦଶମ ଛାନ୍ଦ
ଚନ୍ଦ୍ରଭାନୁ ଲାବଣ୍ୟବତୀର ଚିତ୍ରପଟ ଦର୍ଶନ(ରାଗ-ଦେଶାକ୍ଷ)ଏଥୁ ଅନନ୍ତରେ ରସିକସାର ।କର୍ଣ୍ଣମୁଖରେ ସୁଧାପାନ କର ।ନୃପସୁତ ଆଗେ ପେଡ଼ି ଫେଡ଼ିଲା ।ସେ ରୂପ ଉପରେ ନେତ୍ର ପଡ଼ିଲା ।କି ପଡ଼ିଲା ନାହିଁ ଜଡ଼ିଲା ଘେନ ।ଜଡ଼ିଲା ନାହିଁଟି ବୁଡ଼ିଲା ଜ୍ଞାନ ।୧ ।ମୂର୍ତ୍ତିମନ୍ତ କଲା ମଦନ କଳା ।କନକନିଭ ମଦନ ପିତୁଳା ।କାଚବାଡ଼ପୁରେ ବସିଲା ପରି ।ମୁକୁରେ ଫିଟି ଦିଶୁଛି ମାଧୁରୀ ।କି ସୁନ୍ଦର ସମେ ଆଉ କାହିଁକି ।ସଚିତ୍ର ହୋଇ ବିଚିତ୍ର ହୋଇଛି ।୨ ।ସରସିଜେ ଶିଶୁ ଆଳିଆବଳୀ ।ବସିଥିଲା ପରା ଅଳକା ଝଳି ।ଅଧରେତ ଅଛି ହାସ ଝଲକ ।କର୍ପୂରେ ମାଜିଲା ପରା ମାଣିକ୍ୟ ।କି ସୁନ୍ଦର । ପୁଣି ପକ୍ଷ୍ମ ଚାତୁରୀ ।ଚାଳିଦେବ ପରା ଧୈର୍ଯ୍ୟକତୁରୀ ।୩ ।ଆଗ ଅନୁରାଗ ଭ୍ରମ ଉପୁଜି ।ରାମା କି ପ୍ରତିମା ପାରେ ହେଜି ।ଚକିତ ସ୍ଥକିତ ଦଣ୍ଡେ ହୋଇଲା ।ମନେ ମନେ ଲକ୍ଷେ ଚୁମ୍ବନଦେଲା ।କି ସୁନ୍ଦର ମନ ନୟନ ପ୍ରାଣ ।ସେହି ଶୋଭାରେ କଲା ସମର୍ପଣ ।୪ ।ଏଣୁ ସେ ସୁତନୁ ତନୁତନୁକୁ ।ଆସେ ଅନୁମାନ ଅନୁମାନକୁ ।ଆଲୋକିତ ହେଲା ଲୋକିତ କରି ।କରଇ ଉପମା ନୁହଇ ସରି ।କି ସୁନ୍ଦର । କବି ବଚନ ପଥ ।କୃତାର୍ଥ କରଣେ ହେଲା ସମର୍ଥ ।୫ ।ବେଣୀ ଶୋଭା ଅବା ସାଧିବା ପାଇଁ ।ରତୀଶ ପଟ୍ଟୀଶ ଅଛି ଭିଆଇ ।କନକ ପିଆଣିଆକୁ ଅସମ ।ମୁକୁତାଜାଲି ମୁଠାଜାଲି କମ ।କି ସୁନ୍ଦର । ପୁଣି ଦିଶେ କୁସୁମ ।ପୂଜା କରେ କି ଜଗଜ୍ଜୟକାମେ ।୬ ।ଦ୍ୱିତୀୟାତିଥି ଭ୍ରମ ସେହିଠାରେ ।ଅବତଂସ ଚନ୍ଦ୍ର ଝୁମ୍ପି ଥିବାରେ ।ଜାଜ୍ଜ୍ୱଲ୍ୟ ତାରକା ଚାନ୍ଦ ଦୀଧିତି ।ସୁଧାବିନ୍ଦୁ ସ୍ରବ ପରାୟ ମୋତି ।କି ସୁନ୍ଦର । କାମ ରତ୍ନତୋରଣା ।ଝିଲିମିଲି ମାଳୀ ସେହି ଲକ୍ଷଣା ।୭ ।କର୍ଣ୍ଣ ହୋଇଅଛି ବନ୍ଦି ଆବାସ ।ଏଥିକି ଉପମା କରିବା କିସ ।ଭାଳୁ ଭାଳୁ ଦୃଷ୍ଟି ପତନ ହେଲା ।ବାଳି ବୋଲି ମନେ ଯତନେ କଲା ।କି ସୁନ୍ଦର । ଫୁଲ ସୁମଲ୍ଲୀ କଢ଼ି ।ଝଲକ ଉପମାକୁ ଗଲା ହୁଡ଼ି ।୮ ।ଭାଲ ଚାହିଁ କଲା ଭାଲ ବିଚାର ।ଏ ହେମ କାପ ତରାସ ଧାତାର ।ଲେଖିଛି ଚିତ୍ର କବିତ୍ୱ ଏଥିରେ ।ଏ ବାଳା ସମାନ ନାହିଁ ପୃଥ୍ୱୀରେ ।କି ସୁନ୍ଦର । ଗୁଣେ ନାଗଭୁବନେ ।ସ୍ୱର୍ଗପୁରେ ଆଉ ନାହିଁ ସମାନେ ।୯ ।ବଡ଼ କି ଚତୁର ପାଞ୍ଚିବା ଏହା ।ବଡ଼ କରି ଜଡ଼ ଘେନିମେ ଯାହା ।ରଙ୍ଗ ଶୁକଳ କଳା ତିନିଜାତି ।ଟୋପିଛଳେ ଅଛି ଅକ୍ଷରପନ୍ତି ।କି ସୁନ୍ଦର । ଦୃଷ୍ଟି ଚଳିବ ନାହିଁ ।ଦେଉଥିଲେ ତାର ଚିତାକୁ ଚାହିଁ ।୧୦ ।ଅତି ବିଚିତ୍ର ଛୁରିକା ନୟନ ।ଅଞ୍ଜନଲାଞ୍ଜି ବ୍ୟାଜେ ମହାମୁନ ।ଶିବ ଶିର କଳାକର କଳାଏ ।କଳା ହୋଇ ବିଷଜ୍ୱଳାର ଭୟେ ।ଭୂରୁ ଠାରେ ଭୀରୁ ପକାଇ ଆସି ।ଲକ୍ଷ୍ୟ ପ୍ରକାରେ ଏହି ଲକ୍ଷ୍ୟ ଦିଶି ।କି ସୁନ୍ଦର । ପର୍ଶୁରାମ ପରଶୁ ।ବାମା କହେ ରାମା ଶବଦବଶୁ ।୧୧ ।ନ ମାରୁ ଚାହାଣି ଛଟକ କରି ।ମରମକୁ ଭେଦି ଯାଏ ବାହାରି ।କି ସୁନ୍ଦର । ଦୃଷ୍ଟି କରାଇ ସତ ।ଅନ୍ତେ ରକତ ହେବାରୁ ବ୍ୟକତ ।୧୨ ।ଏ ପାଞ୍ଚେ ଚାହିଁଲା ଅନେକ ବାର ।ଆପଣା ଗାତ୍ରକୁ ନେତ୍ରକୁ ତାର ।କ୍ଷତ ନ ଦେଖି ଲଭିଲା ତତ୍ପର ।ଚମତକାରରେ ଚମକତାର ।କି ସୁନ୍ଦର । ସମେ ଆନ ଦିଶି ।ଏହି ପଦକ ସେ ହୋଇଲା ଘୋଷି ।୧୩ ।ଯେଉଁ ନୟନରେ ଏଡ଼େ ବଡ଼ାଇ ।ମୃଗକୁ ଦେଲା ନଗର ଛଡ଼ାଇ ।ବୁଡ଼ା କରିଦେଲା ମୀନକମଳ ।ମୋ ସଙ୍ଗେ ହେଉଥାଅ ବୋଲି ତୁଳ ।କି ସୁନ୍ଦର । ପଦ୍ମ ଥିଲାକୁ ଦୋଷେ ।ଦଣ୍ଡ ଦିଆଇଲା ତୁହିନ ବଶେ ।୧୪ ।ଗଣ୍ଡେ ଚିତ୍ରିତା ପ୍ରକାର ମକରୀ ।ଏ ଅନୁମାନରୁ ଆନ ନ କରି ।ନାରୀରଥ ସଜ ହେବା ହେତୁରେ ।ମଣ୍ଡିଲା କନ୍ଦର୍ପ ନିଜ କେତୁରେ ।କି ସୁନ୍ଦର । ନାସାପୁଟ ଭେସର ।ତୂଣୀର ସ୍ଥିତି ରତ୍ନପୁଙ୍ଖଶର ।୧୫ ।ଏମନ୍ତ ସାଜେଣି ଚାହିଁ କି ଡରି ।ସ୍ୱୟମ୍ଭୁ ଶମ୍ଭୁ କୁଚ ରୂପ ଧରି ।ଆଚ୍ଛାଦିତ ହୋଇ ଚେଳ-କବଚେ ।ବାଳାରେ ଶରଣ ଉତ୍ତମ ପାଞ୍ଚେ ।କି ସୁନ୍ଦର । ହାର ଜାହ୍ନବୀ ଦିଶେ ।ରୋମାବଳୀକାଳ ଭୁଜଙ୍ଗପାଶେ ।୧୬ ।ସଂପଟୁ ଉପମା ଉରଜେ ମଞ୍ଜୁ ।ମୁକୁତାମାଳା କୁନ୍ଦ କାଳରଜ୍ଜୁ ।ଯଉବନ ରାଜା ସର୍ବସ୍ୱ ତହିଁ ।ପ୍ରେମାଳଙ୍କାର ସହିତ ପୂରାଇ ।କି ସୁନ୍ଦର । କରି ଘୋଡ଼ାଇଛି ।ଜାଗ୍ରତପଣ ଲଜ୍ଜାକୁ ଦେଇଛି ।୧୭ ।ନୀଳ ଜଳଦ ବିଜୁଳିକି ଭିଡ଼ି ।ଥିଲା ପରା କରେ ମର୍କତ ଚୁଡ଼ି ।ଭୁଜେ ବାଜବନ୍ଧ ରତ୍ନ ମାଧୁରୀ ।ନଦୀ ଲହରୀରେ କହ୍ଲାର ପରି ।କି ସୁନ୍ଦର । ଜିଣି ଅଶୋକ କଳି ।ମାଣିକ୍ୟ ମୁଦିରେ ଝଳି ଅଙ୍ଗୁଳି ।୧୮ ।ଚିବୁକ ଚତୁର୍ଥୀଚନ୍ଦ୍ର ଭ୍ରମରୀ ।କଳଙ୍କ ଆସିଲା ପରି ଅଙ୍କୁରି ।ଚାପସରିରେ ମନୋରମ ଗଳା ।ବ୍ୟାଧି ବୁଦ୍ଧି କି ବ୍ୟାଧି ଏବେ କଲା ।କି ସୁନ୍ଦର । ମତ୍ତକପୋତ ପାଶେ ।ବାନ୍ଧି ଥୋଇଛି ଗିରିପରେ କିସେ ।୧୯ ।ସୁନ୍ଦରୀ ଅବଳା ପଦକୁ ଛଳି ।ତ୍ରିବିଧେ ବନ୍ଧନ ହୋଇଚି ବଳୀ ।ଆସିନାହିଁ ଏ ସଂଶୟ ମଧ୍ୟେ ।ଭାଙ୍ଗିପଡ଼ିବାକୁ ସେ ଗୁଣେ ବାନ୍ଧେ ।କି ସୁନ୍ଦର । ତହିଁ ଖଞ୍ଜି କିଙ୍କିଣୀ ।ଏଣୁ କଟୀ ଥିବା ହେଉଛି ଜାଣି ।୨୦ ।ପିନ୍ଧାଇ ଅଛି ବାସ କୁଞ୍ଚା ଦେଇ ।ଗଢ଼ିଛି ପୁଣି ପିତୁଳା ବସାଇ ।ନାଭି ଆଦି ତନୁମାନେ ତାହାର ।ଗୁଲଫ ପର୍ଯ୍ୟନ୍ତ ନୋହିଲା ଗୋଚର ।କି ସୁନ୍ଦର । ତହିଁ ଦିଶୁଛି ପାଦେ ।ସ୍ଥଳ ସରସିଜ ଶୋଭାରେ ନିନ୍ଦେ ।୨୧ ।ତୋଡ଼ର ଚୂଳୀ ମୃଗମଦଚିତା ।ପଶ୍ଚିମାଣୀ ଝୁଣ୍ଟିଆରେ ରଞ୍ଜିତା ।ହୋଇଛି ବ୍ୟକ୍ତ ଅଲକ୍ତ ରଙ୍ଗରେ ।ଶରଣ ରକ୍ଷଣ ଅନୁରାଗରେ ।କି ସୁନ୍ଦର । ଚରଣକୁ ବାଳାର ।ଶରଣ ଅର୍ଥରେ ପ୍ରସାରୁ କର ।୨୨ ।ମିତ୍ରକହେ ନୋହେ ଲାବଣ୍ୟଧାମା ।ଆସିଅଛି ସିନା ପ୍ରତିପ୍ରତିମା ।ସନ୍ୟାସୀ ଭାଷିଲା ସେହି କାଳକୁ ।ଜେମା ସୁନ୍ଦରୀମା ତୁଲ ତିଳକୁ ।ହେ ସୁନ୍ଦର । ଅଙ୍ଗେ ଅଙ୍ଗେ ଏହାର ।ନିର୍ମାଣ ସିନା ଅଛି ରୂପକାର ।୨୩ ।କୁମାର ଦମ୍ଭକୁ ଉଣା ଦିଶିଲାବିଚାରି ସଚିବ ସୁତ ଭାଷିଲା ।ସୁବର୍ଣ୍ଣ ସୀତାରେ ବଶ ଶ୍ରୀରାମ ।ଯାହାର ଯହିଁରେ ବଳଇ ପ୍ରେମ ।କି ଗୋସାଇଁ । ଏଥୁ ଅଧିକ ବୋଲ ।ଆମ୍ଭ ବିଚାରେ ନାହିଁ ଏହା ତୁଲ୍ୟ ।୨୪ ।ନୃପଜ ବୋଲେ କିମ୍ପା ନୋହିଥିବ ।ଅଜୀବେ କଲା ଯେ କଲା ସଜୀବ ।ସଜୀବ ବିଶେଷ ଚାତୁରୀ ଘେନି ।ଶୋଭା ହୋଇଥିବ ନବଯୌବନୀ ।କି ସଙ୍ଗୀତ । ନୟନର କି ତପ ।ଦେଖିଲା ଟିକି ସେ ବାଳୀ ସ୍ୱରୂପ ।୨୫ ।ଏରୂପେ ବୋଲି କରିବାକୁ ଧ୍ୟାନ ।ଦ୍ୱାର ହେଲା ଗତି ଦେବାକୁ ଘେନ ।ପ୍ରାଣେତ ଆଉ ନ ରଖିବ ମାର ।ଏହି କଥା ହେଲା ଏଥିର ସାର ।କି ସଙ୍ଗାତ । ଆମ୍ଭ ସୁକୃତରାଶି ।ପିତୁଳା ଆଣିଲା ହୋଇ ତପସ୍ୱୀ ।୨୬ ।ବୀର ଉଚ୍ଚାଟ କରି ସନ୍ୟାସୀ ।ଚକ୍ଷୁ ବନ୍ଧନ ମାୟାକୁ ପ୍ରକାଶି ।ଶିଷ୍ୟ ସଙ୍ଗେ ସେହିକ୍ଷଣି ଅନ୍ତର ।ପ୍ରତେ ଅନ୍ତର୍ଦ୍ଧାନ ହେଲା ପ୍ରକାର ।କି ସୁନ୍ଦର । ମନେ ହେଲା ଏ ଧାତା ।ନୋହିଲେ ଗଢ଼ନ୍ତା କିଏ ବନିତା ।୨୭ ।ଚିତ୍ତୁ ନ ଛାଡ଼ିଲା ଏହି କାତର ।ମାଗନ୍ତି ସୁଗତି ସଙ୍ଗତି ବର ।ଦମ୍ଭକୁ ହେଲା ତାହାର କାରଣ ।ସ୍ୱରୁପକୁ ଛାଡ଼ିଯିବାରୁ ଜାଣ ।ସେ ସୁନ୍ଦର । କଲା ଏହି ଭରସା ।ପ୍ରାପତ ମୋତେ ହୋଇବ ସୁଦୃଶା ।୨୮ ।ଚାହୁଁ ପ୍ରତିମା ଚକ୍ଷୁ ନ ପିଛାଡ଼ି ।ତାତ ହକରା ପ୍ରତିବନ୍ଧ ପଡ଼ି ।ପ୍ରତିବନ୍ଧ ପଡ଼ି ହୋଇବ କିସ ।ଲେଖା ହେଲା ସେ ରୂପ ପ୍ରତିଦିଶ ।କି ସୁନ୍ଦର । ଚିତ୍ରପଟ ତା କଲା ।ସଭାରେ ବସିବା କାଳ ହରିଲା ।୨୯ ।ଯୋଗୀନ୍ଦ୍ର ପ୍ରବେଶ ସିଂହଳ ଦ୍ୱୀପେ ।ଏକାନ୍ତେ କହିଲେ ମନ୍ତ୍ରୀ ସମୀପେ ।କର୍ଣ୍ଣାଟଦେଶେ ମହୀପତି ସୁତ ।କନ୍ୟାର ଅନୁରୂପେ ବର ସତ ।କି ସୁନ୍ଦର । ଗୁଣ ମନ୍ଦିର ସେହି ।ବୀର ତୁଲ୍ୟ ହୋଇ ଜଗତେ ନାହିଁ ।୩୦ ।ତାକୁ ଯେ ଦେଲା ଯୁବରାଜ ପଦ ।ଜାଣିଲା ବିଧାତା ଅତି କୋବିଦ ।ଆନ ରାଜପୁତ୍ରେ କୁଳ ବେଭାର ।ଯୁବତୀ ରତନ ଚିତ୍ତ ତତ୍ପର ।କି ସୁନ୍ଦର । ଜାତ କାମ ମହୀରେ ।କୁମାର ଏଣୁ କହେ ବିଜ୍ଞ ନରେ ।୩୧ ।ତାତ ବିବେକ ପଣେ ରାଜପଣ ।ଜାଣି କରନ୍ତି ତାକୁ ସମର୍ପଣ ।ଉଚ୍ଚାଟ ହୋଇ ସ୍ୱରୂପ ଦେଖି ।ତାକୁ ପ୍ରଦାନ କରିବା ସୁମୁଖୀ ।କି ସୁନ୍ଦର । କଥା ସଚିବ ଶୁଣି ।ନୃପତି ଆଗେ ଜଣାଇଲା ପୁଣି ।୩୨ ।କାହିଁକି ସଦୃଶ ରାଜା ବୋଇଲା ।ମନ୍ତ୍ରୀ କହେ କେବେ ଦେଖା ନଗଲା ।ଭୂପତି କହେ ତାକୁ କି ପ୍ରକାରେ ।ଦୂତ ନ ପେଷି ଆଣିବା ଏ ପୁରେ ।କି ସୁନ୍ଦର । ପାଞ୍ଚ ମନ୍ତ୍ରୀ କଥନ ।କରିବା ଅପୂର୍ବ ଯାତ୍ରା ରଚନ ।୩୩ ।ବଶ ହୋଇଛି ଘୋଷ ଶୁଣି ଆସୁ ।ଆମ୍ଭର କନ୍ୟା ଯାଚିବା ନ ଦିଶୁ ।ସର୍ବ ସମ୍ମତେ ଏ ବିଚାର ମୂଳ ।ଦୀର୍ଘ ଦିନରେ କଲେ ଯାତ୍ରା ଗୋଳ ।କି ସୁନ୍ଦର । ଛାନ୍ଦ ହୋଇଲା ଶେଷ ।ରାମ ରାମ ପ୍ରତି ଅଭଙ୍ଗ ଶ୍ଲେଷ ।୩୪ ।ତାତବତ୍ସଳ ମୁନି ବେଶଧାରୀ ।ଅଧିକଭୁଜ ଦର୍ପହତକାରୀ ।ଉପଇନ୍ଦ୍ର ବୀରବର ଭାବଇ ।ଏ ଗୀତ ଶୁଭେ ଶେଷ ହେବା ପାଇଁହେ ସୁମନ । ଶୁଣି ହୁଅ ସନ୍ତୋଷ ।ଖଳ କର୍ଣ୍ଣବିଳେ ନୋହୁ ପ୍ରବେଶ ।୩୫ ।