ପଞ୍ଚମ ଛାନ୍ଦ — ଲାବଣ୍ୟବତୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଛାନ୍ଦ
ଲାବଣ୍ୟବତୀର ପୁଷ୍ପବାଟିକା ଭ୍ରମଣ(ରାଗ-ବସନ୍ତ)ଏହି ସମୟରେ ସୁନ୍ଦରୀ ଛାମୁରେ ପ୍ରଭାମଞ୍ଜୁଳା ଜଣାଇଲା ।ଅତି ମଧୁର ମଧୁଋତୁ ପ୍ରବେଶ କିଛିଦିନ ହେଲା ହୋଇଲା ।ଶ୍ରବଣ, କରିନାହୁଁ ନବକାମିନୀ ।ପିକବଚନେ ପୁନଃ ପୁନଃ ପ୍ରକାଶ କଲାଣି ଅନ୍ଧାର ଯାମିନୀ ।୧ ।ମଳୟ ଶିଖରୀ ଶିରୀ ଚୋରିକରି ବହିଲାଣି ମନ୍ଦସମୀର ।ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର ।କେଶର, କେଶରେ ହେଲାଣି ମଞ୍ଜୁଳ ।କେଶରେ ମଣ୍ଡନ କରିବା ଭଳିରେ ଫୁଟିଲେଣି କେତେ ବଞ୍ଜୁଳ ।୨ ।ମଲ୍ଲୀ ମାଧବୀ ମକରନ୍ଦ ସାଧବୀ ହେଲେଣି ବାନ୍ଧବୀ କାନନେ ।ତୁଷାର ନାଶ ଚାହିଁ ହାସ ପ୍ରକାଶ କଲେଣି ପଙ୍କଜ ଆନନେ ।ହେଲାଣି, ଚଚ୍ଚର୍ରୀ ପ୍ରକଟ କଟକେ ।ଅତନୁ ଫୁଲର ବିଶିଖ କାର୍ମୁକ ଘେନି ତର୍କିଲାନି କାମୁକେ ।୩ ।ଦୋଳା ଲୀଳା ସରିଗଲାଣି ହରିର ଶରୀର ହେଲାଣି ସ୍ୱେଦକୁ ।ଚନ୍ଦନ କର୍ପୂର ସୁଧାଲେପ ପୁର ବ୍ୟଜନ ବଢ଼ାଇ ମୁଦକୁ ।ଚତୁରି, ଜାଣି ନଥିବୁ ତୁ କିପାଇଁ ।ଅଭି ଅଭିରାମ ଆରାମ ଦେଖିବା ବିଜେ କରିବାକୁ ଜଣାଇଁ ।୪ ।ସଜନୀ ନିକର ଜାଣି ସୀଉକାର ମାର୍ଗ ପରିଷ୍କାର ରଚିଲେ ।ଅମଳ କମଳ କୋମଳ ଚରଣ ପୀଡ଼ା ନୋହିବାକୁ ପାଞ୍ଚିଲେ ।ପନିରେ, ଗନ୍ଧସାର ଗୋଳି ସିଞ୍ଚିଲେ ।ଯୁବତୀ ସେବତୀ ପାଖୁଡ଼ା ମିଶାଇ ଘନସାର ଚୁରି ବିଞ୍ଚିଲେ ।୫ ।ଝିରି ପରିଖ ବିଞ୍ଚଣା ପାନମୁଣା ସଜନୀ ସଜାଡ଼ିଲେ ତହିଁ ।ମନ୍ତ୍ରୀନନ୍ଦନା ଜଗତବନ୍ଦନାକୁ କରଭର ଦେଇ ଉଠାଇ ।ସୁନ୍ଦରୀ, ସୃଷ୍ଟି ରାଜା ରାଜକୁମାରୀ ।ବିଚାରି ଶ୍ୱେତ ଆତପତ୍ର ଟେକିଲେ ଚାମର ଚାଳନ ପ୍ରଚାରି ।୬ ।କେଉଁ ପ୍ରବୀଣା ବୀଣାକୁ ବଜାଉଛି ଯାଉଛି ପ୍ରତୀତ ହେଉଛି ।ବନ୍ଧନେ ବନ୍ଧୁର ବୀଥିଟି ଏଥିରେ ସାବଧାନ ଥାଇ କହୁଛି ।ଗଗନେ, ଜେମାର ମୁଁ ମନେ କରଇଁ ।ମନମଥର ରଥ ଯାତ୍ରା କି କରୁଛି ପଥ ମନୋରଥ ପରାଇ ।୭ ।ଲଲାଟ ଲପନ ଚାନ୍ଦ ଦରପଣ ଚିକୁର ଚାମର ଯହିଁରେ ।ତରଙ୍ଗ କୁରଙ୍ଗନୟନ ତୁରଙ୍ଗ କି ରଙ୍ଗ କରଇଁ ତହିଁରେ ।କଳଶ, ଚକ୍ର କୁଚଶ୍ରେଣୀ ଚଟୁଳ ।କଟୀମେଖଳା ଘଣ୍ଟି ଯହିଁ ପ୍ରକଟି ଅଞ୍ଚଳ ପତାକା ଚଞ୍ଚଳ ।୮ ।ଶୋଭା ଏ ବିଧିରେପ୍ରବେଶ ସଧୀରେ ପୀନ ସ୍ଥନା ଏ ବିପିନରେ ।ବୁଲିବା ଖେଳିବା କୁସୁମ ତୋଳିବା ଆରମ୍ଭିଲେ ତୋଷମନରେ ।ତହିଁରେ,ଛଳ ଉକ୍ତିମାନ କହିଲେ ।ଶୁଣି ପରଭୃତ ଚକିତ ସ୍ଥକିତ ମୁନିବିଭୁତିକି ବହିଲେ ।୯ ।କହେ ଏକ ନାରୀ ବିଶେଷ ସୁନାରୀ ଏ ଦେଶରେ ବାସ କରିଛି ।ଭୃଙ୍ଗ କିଂପୁରୁଷ ଚଞ୍ଚଳମାନସ ଏଥି ଥଥି ପୁଣି ଯାଉଛି ।
ତହିଁକି, ଝଳି, କହିଲା କେଉଁ ଭୀର ।
ମହା ବିବେକୀ ହୋଇ ତୁହି କିମ୍ପାଇ ମଧୁପ ନାମକୁ ବିସ୍ମରୁ ।୧୦ ।
ଏକକୁ ଚାହିଁ ଆରେକ ସଖୀ କହି ନିକଟେ ନାଗେଶ୍ୱର ମୋର ।
ବୋଇଲା ହୋଇ ଥାଇଟି ନାଗେଶ୍ୱର ସୁଚପର୍ଣ୍ଣରେ କର ଆଦର ।
ସେ ଛଳେ, ଚିହ୍ନିଲା ନାଗେଶ୍ୱର କହ ।
ସୁମନାଭୂଷଣ ଦମ୍ପତି ପାଇବ ତାପରେ ଯାଇଣ ଆରୋହ ।୧୧ ।
କେ କାହାକୁ କହେ ମୋଠାଇଁ ସଖୀ ରଖିଥିବ ଏକା କରୁଣା ।
ଦେବବଲ୍ଲଭକୁ ଲଭିବାରୁ ତୋତେ ବିଧାତା କଲାଣି ଫୁରୁଣା ।
ସେ ଶୁଣି, ବୋଇଲା ଏକଥା ଛାଡ଼ରେ ।
ଖୋଜିଲେ ନ ପାଇ ମୁଁ ବନ୍ଧୁଜୀବକୁ ପଡ଼ିଲି ବରାହ ଦାଢ଼ରେ ।୧୨ ।
କେଡ଼େ ଚାତୁରୀରେ କହେ ସହଚରୀ ମୁଖକୁ ତାହାର ଅନାଇ ।
ବଶ କରବୀରେ ହୋଇଲା ଉତ୍ତାରେ ମଲ୍ଲି ମଲ୍ଲି ହେଉ କିପାଇଁ ।
ସେ ବୋଲେ, ଭଙ୍ଗିରେ ଆଳିକୀ ଚେତାଇ ।
ନିଆଳୀ ହେଲାଣି ଦେଖିଲା ଉତ୍ତାରୁ ପଳାଶ ପାଶେ ଯା ଗମଇଁ ।୧୩ ।
କେ କହେ ଅଶୋକ ଲଭିଲୁ ସୁନ୍ଦରୀ କେତକୀ ହେଲାଟି ମୋହର ।
ସେ କହେ ସୁବର୍ଣ୍ଣ କାନ୍ତିହର ସେହି ଘୋଡ଼ାଇ ଯିବୁଟି ଶରୀର ।
ଏ କାଳେ, ଆଉ ଜଣେ ଛଳ ପ୍ରଚାରି ।
ଦେଖାଇ ତରୁ ଛୁରିଅନା ପାଶକୁ ଯିବି କି ନ ଯିବି ପଚାରି ।୧୪ ।
ଦେଖରେ ରସାଳ ବିଟପୀ ପ୍ରବାଳ ବକୁଳମାଳରେ ଶୋହିଛି ।
ଶେଭା ବନପ୍ରିୟ ଅବଲମ୍ବନ ଥିଲେ ବହୁତ ରୋଲମ୍ବ ମୋହିଛି ।
ଏମନ୍ତ, ଭବି ବନେ କରୁ ବିଳାସ ।
ଘେନିଣ ଚଚ୍ଚର୍ରୀ ବିଧି ସହଚରୀ ପାରିବାରିକାଏ ପ୍ରବେଶ ।୧୫ ।
ଦେଖି ହରଷ ଦୃଷ୍ଟିପାତେ ସାରସଜ୍ଜିତ-ଗତ ରସପଣ୍ଡିତ
କମନୀୟକମ ଚଉତନା ଘେନି କାଞ୍ଚଲାରେ ହେଲା ଶୋଭିତା ।
ବାନ୍ଧିଲା, ଭିଡ଼ି ମଧ୍ୟେ ଶାଢ଼ି ପଣନ୍ତ ।ଫଗୁମୁଣ ।
ଖୋସି ହସିବାର ଚାହିଁ ସଖୀଏ ସାଜିଲେ ତୁରିତ ।୧୬ ।
ଉନ୍ମତ୍ତ ମତ୍ତକାଶିନୀ ସଙ୍ଗେ ସଙ୍ଗେ ତରଙ୍ଗେ ଖେଳିଲେ କାମିନୀ ।
ମହୀ ଆକାଶ ଏକ ବେଳେ ପ୍ରକାଶେ କି ଅବା ଅନେକ ଦାମିନୀ ।
କି ଅବା, ତିଳ ପୁଷ୍ପ ଲତା ହେମର ।
ମହା ଅନୁରାଗ ପରାଗବୃଷ୍ଟିରେ ହୋଇ ଅଛନ୍ତି ତତ୍ପରେ । ୧୭ ।
କଞ୍ଚନ ଖଞ୍ଜନ ଗଞ୍ଜନ- ନେତ୍ରୀକି କେଉଁ ସୁହାଇ ସୁଧାଇଛି ।
ଆଉ ଅସାଧ୍ୟହୋଇ । କେଉଁ ସୃଷ୍ଟିକି ରହିଛି ଧ୍ୟାଇଛି ।
ନାହିଁକି, ଏତକ ବିବେକ ତାହାର ।
କୋଟିଏ ବ୍ରହ୍ମାଣ୍ଡ ଗୋଟିଏ ଭଙ୍ଗୀରେ ଜିଣିବା ଗୁମାନ ଯାହାର ।୧୮ ।
ମୁଠାରୁ ଫିଟି ଯିବାର ଏ ପ୍ରତୀତ ଫଗୁ ଖମେଳିବାରେ ଲଳନା ।
ବସନ୍ତରାଜ ବଶକୁ କି କରନ୍ତି ରଙ୍ଗପାଟ ଚେଳ ଚାଳନା ।
ସେ ରଜ, ଯାଇଁ ଶୂନ୍ୟେ ରୁଣ୍ଡ ହୋଇଲା ।
ଅତ୍ୟନ୍ତ ଗୁତିକ ଦିଗପରିବାର ମାଣିକ୍ୟଛତ୍ର କି ଧଇଲା ।୧୯ ।
କଙ୍କଣ କ୍ୱଣିତ ଧ୍ୱନିରୁ ମଣ୍ଡିତ ଭୁଜ ଡିଣ୍ଡିମ କି ବୋଇଲା ।
ସ୍ୱଭାବେ, କୁଚ ପୂର୍ଣ୍ଣକୁମ୍ଭ ରାଜିଛି ।
ଚାରୁ ରମଣୀୟ କଲେ ଅବିରଗୁଣ୍ଡରେ ସେ ବନସରଣୀ ॥୨୦ ।
ମହୀମହିଳା ଋତୁକାଳ ଲଭିଲା ଏସନ ମାନସକୁ ଆଣି ।
ସେ ଧୂଳି, କାହିଁ ପବନ ଯୋଗେ ଉଡ଼ି ।
ଶୁଭ ସୂଚକ କହି ଜଉତିଷ କି ଯାଉଛି ଶିରେ ବାନ୍ଧି ଶାଢ଼ି ।୨୧ ।
ପନର ନୀରେ ନରନ୍ତର ପିଚିକା ଖେଳନ୍ତେ ନୀରରୁହଦୃଶା ।
ମଞ୍ଜୁ ମଞ୍ଜରୀ ଘନରବ ମଧୁର ବସନ୍ତେ କରେ କି ବରଷା ।
ବିଜୁଳି, ପରି ଝଳି ଭୂଷା ରତନ ।
ଅଙ୍ଗରାଗେ ଅନ୍ଧଭୃଙ୍ଗ ଉଡ଼ିପଡ଼େ ହୋଏକି କରକା ପତନ ।୨୨ ।
କୁଙ୍କୁମ ପିଚିକା ବାଜି ଜର ଜର ସୁନ୍ଦର ଉରଜ କାହାର ।
କନକାଚଳରୁ କିବା ହରିତାଳ ପ୍ରବାହ ହେଉଛି ବାହାର ।
କର୍ପୂର, ଗୁଣ୍ଡି ମଣ୍ଡିତ କାହାସ୍ତନ ।
ସୁବର୍ଣ୍ଣ ସ୍ୱୟମ୍ଭୁ ଶମ୍ଭୁଯୁଗଳ କି ହୋଇଲେ ଭସ୍ମ ବିଲେପନ ।୨୩ ।
କାହା କୁଚ ଫଗୁ ସଙ୍ଗରୁ ସୁସଞ୍ଚ ଏହି ପାଞ୍ଚ ହୋଇ ମାନସେ ।
ହୃଦୟ ସେରାବର ମଧ୍ୟେ ଉଦୟ କୋକନଦ କଢ଼ଯୁଗ ସେ ।
କାହାର ଛିଡ଼ି ହାର ଖସେ ମୁକୁତା ।
ପୟୋଧର ଛଳେ କ୍ଷୀରବିନ୍ଦୁ ବୃଷ୍ଟି କରିବାରେ କି ଶୋଭିତା ।୨୪ ।
କାଶ୍ମୀରରଜ କେ ମାରନ୍ତେ ପାଲଟି ଗ୍ରୀବା ବକ୍ର କରି ଚାହିଁଲା ।
ମନ୍ଦମରୁତେ କି ଉଲଟି ନଳିନ ଅଳି ସଂଯୁକ୍ତରେ ରହିଲା ।
କେ କାହା, ମୁଖେ କସ୍ତୁରୀ ପଙ୍କ ଢାଳି ।
ମୃଗାଙ୍କ କଳଙ୍କ ଛଡ଼ାଇ ହେବାରୁ ବହିଯାଉଛି କିବା କାଳି ।୨୫ ।
କାହା ଲଲାଟ ସିନ୍ଦୂର ବହିପଡ଼େ ସ୍ୱେଦ ହୋଇବାରୁ ଜନିତ ।
କେଶରାହୁ ଦନ୍ତ ଘାତରୁ ବ୍ୟକତ ଇନ୍ଦୁ ଦେହରୁ କି ରକତ ।
ସେକାଳେ, ଅତି ଚଞ୍ଚଳ ନେତ୍ରଗତି ।
ଦିଗଧାରାକୁ କି ଶ୍ୟମାଳ କୋମଳ କମଳେ ମଣ୍ଡନ୍ତି ଯୁବତୀ ।୨୬ ।
ରତ୍ନକିରଣେ ଭାନୁପ୍ରଭା ପ୍ରକାଶି ଶ୍ରବଣେ ତାଟକ ଚଳନ୍ତି ।
ପ୍ରମଦା ପ୍ରମାଦଭରେ କି କରନ୍ତେ ଶ୍ରୀଅଙ୍ଗେ ମଙ୍ଗଳ ଆଳତି ।
ଚଳିତ, ନାସିକା ମୋତି ଉରହାର ।
ବାଦେ ନୂପୁର ନାଦେ କି ନାଚୁଛନ୍ତି ନର୍ତ୍ତକୀଗଣେ ଅହଙ୍କାର ।୨୭ ।
କେଉଁ ଲତାରୁ ଖସିବାରୁ ଏମନ୍ତ ହେଉଛ ପରତେ ।
ଧନ୍ୟ ଧନ୍ୟ ବୋଲି ପ୍ରଶଂସା କରି କି ରତ୍ନ ବିଞ୍ଚୁଛନ୍ତି ।
ନିରନ୍ତେ ।ପରାଗ, ଛଳେ ସିଞ୍ଚଛନ୍ତି କର୍ପୂର ।
ପଲ୍ଲବ ଛଳେ ପଣନ୍ତେ ବିଞ୍ଚୁଛନ୍ତି ଉପକାର ଭୂତେ ତାଙ୍କର ।୨୮ ।
କେଉଁ କେଉଁ ତରୁ କରୁଣୀମାନଙ୍କୁ ପକ୍ଷୀ ନିନାଦରେ କହନ୍ତି ।
ଏପରି ଉତ୍ସବ କେବେ ନୋହିଥିଲା ଦେଖି ନଥିବ ସୁରପତି ।
କେ ତରୁ, ଶାଖା ଲୋଟନ୍ତି ଫଳଭରେ ।
କି ପରିରମ୍ଭ ଆରମ୍ଭ କରୁଛନ୍ତି ରମ୍ଭୋରୁ ପାଦ ଲାଗି ଶିରେ ।୨୯ ।
ଏମନ୍ତ ବେଳେ ଏକ ସଖୀ କହିଲା ତିନି ପ୍ରହର ହେଲା ବେଳ ।
ସ୍ନାନ ମାତ୍ରକୁ ଅବଧାନ ନୋହିଲା ଏତକ ରହୁ କୁତୂହଳ ।
ପୁଣି ସେ, ସେ କଥା କଲା ଅଙ୍ଗୀକାର ।
ଏହି ସମୟେ ଥୋକାଏ ଦାସୀ ଆସି ଘେନିଣ ମାର୍ଜନା ସମ୍ଭାର ।୩୦ ।
ସେରାବରେ ତୀରେ ପ୍ରବେଶ ସୁବେଶ ଲାଗି ସମ୍ପୂର୍ଣ୍ଣ ଏ ଛାନ୍ଦ ।
କବି ଚାତୁରୀ ଅନେକ ଅଛି ପୂରି ଘେନିଲେ ଜନ୍ମିବ ଆନନ୍ଦ ।
ଜାଣିଲା, ଜନମକୁ ଏ ତୋଷିବ ।
ମୂର୍ଖ ସ୍ୱଭାବ ଅଦୃଷ୍ଟରଜାପରି ସେ କାହୁଁ ରତି ପ୍ରକାଶିତ ।୩୧ ।
ଅନନ୍ତଭୂଷଣ ବୃଷଧନୁ ଯୁତ ସହୃଦ ଭବତାପ ନାଶି ।
ଶ୍ରୀନିଳୟ ଦ୍ୱିଜରାଜ ବନ୍ଦନୀୟ ଜନକସୁଖକୁ ପ୍ରକାଶି ।
ସୁମରି, ମନେ ସେ ରାମଚନ୍ଦ୍ର ଶିବ ।
କହେ ଉପଇନ୍ଦ୍ର ଭଞ୍ଜ ବୀରବର ଯୁବଜନ କର୍ଣ୍ଣ ଉତ୍ସବ ।୩୨ ।
ଷଷ୍ଠ ଛାନ୍ଦ
ଲାବଣ୍ୟବତୀର ଉପବନ ବିହାର ସମୟେ ଜଳକେଳି(ରାଗ-ରାମକେରୀ)ମନଦେଇ ଶୁଣ କୋବିଦେ ନୃପସୁତା ସୁକେଶୀ ।କୂଳରେ ବକୁଳ ମୂଳରେ ପୀଠ ଉପରେ ବସି ।୧ ।ସରସୀଶୋଭିତ ଅନାଇଁ ମନ ନେତ୍ର ଲୋଭିତ ।ତଟ ଘଟଣ ବିଦ୍ରୁମରେ ପକ୍ଷିପନ୍ତି ବିମ୍ବିତ ।୨ ।କି ନୀଳଶାଢ଼ି ହଂସାବଳୀ ରଙ୍ଗ ଧଡ଼ି ହୋଇଛି ।ଅବନୀ ବନିତା ବିସ୍ତାରେ କିବା ଜିଣିବା ଇଚ୍ଛି ।୩ ।ପାବଚ୍ଛ ସ୍ୱଚ୍ଛ ସ୍ପଟିକରେ ନୀରତୀର ପ୍ରତୀତ ।ସୁବେଣୀ ପରଶ ଭାବି କି ତହିଁ ତ୍ରିବେଣୀ ଖ୍ୟାତ ।୪ ।ଦୀପଦଣ୍ଡି ଲଭି ମରାଳପନ୍ତି ଦିଏ ଭଉଁରୀ ।ବଡ଼ ବଡ଼ଭୀକି ବେଢ଼ିକି ଶୋଭା ଚୂର୍ଣ୍ଣ ଚଉଁରୀ ।୫ ।ଜଳ ଜମ୍ବାଳ ଆବିଳରେ ଜନମନ ହରୁଛି ।ଜଳ ନିର୍ମଳରେ ଆଦର ଆଦରଶୁଁ ସାରୁଛି ।୬ ।ଗଭୀର ଗୁଣକୁ ପଣ୍ଡିତ ଠାରୁ ଗୃହୀତ କରି ।ନର୍ତ୍ତକୀଠାରୁ ଭଉଁରୀ ଶିକ୍ଷା ପରା ଏହାରି ।୭ ।ଅମୃତ ସଙ୍ଗତେ ହୋଇଛି ମିତ ମଧୁର ଗୁଣେ ।ବିଧୁର ସ୍ନେହକୁ ବିଧୁର କରେ ଶୀତଳ ପଣେ ।୮ ।କାମ ମରାଳୀରେ ପ୍ରକାଶମାନ ସୁଖଦାନରେ ।କୁମୁଦରେ ଯେଣୁ ବିଦିତ ତେଣୁ ହରିପ୍ରକାରେ ।୯ ।ସର ଶୋଭା ଦେଖୁ ଦେଖୁ ସେ ସରେ ମର୍ଦ୍ଦନ ବିଧି ।ବକ୍ଷ ପ୍ରମାଣେ ଜଳେ ଯାଇଁ ବିଜେ ଲାବଣ୍ୟନିଧି ।୧୦ ।କବି ବିଚାରିଲେ ବିଚିତ୍ର ହେଲା ତୁମ୍ବୀ ବୁଡ଼ିଲା ।ନ ବୁଡ଼ି ଶଇଳ ସଲିଳ ଉପରରେ ରହିଲା ।୧୧ ।କିସ ପୁଣି ଦେଖା ନ ଯାଇ ଯେବେ ଥାଇ ଜୀବରେ ।ବିଷମ ସମସ୍ୟା ପୂରଣ ହେଲା ଏହି ଠାବରେ ।୧୨ ।ଅପୂର୍ବ ଅମ୍ବୁଜ ମୁଖକୁ ଚାହିଁ ଭୃଙ୍ଗ ଚକୋର ।ଚୁମ୍ବିବା ଲୋଭରେ ଧାଇଁଲେ ଶ୍ରୁତି ଚାହିଁ କାତର ।୧୩ ।କେଶ ଦରଶନେ ରଥାଙ୍ଗ ଧାଇଁ ଆହାର ବଶେ ।ବିଚ୍ଛେଦ ଭୟରୁ ପଳାଇ ଗଲେ ନ ରହି ପାଶେ ।୧୪ ।ନୟନ ଉଜ୍ୱଳ କଜ୍ଜ୍ୱଳଲାଞ୍ଜି ଅନାଇଁ ଦେଇ ।ଗଭୀର ଜଳରେ ପଶିଲେ ମୀନ ଭୟକୁ ପାଇ ।୧୫ ।ଭୂରୁ ନୟନ ଆନନକୁ ଚାହିଁ ଖଞ୍ଜନମାନେ ।କୁରଙ୍ଗ ହେ ଆମ୍ଭେ ମଲାଇଁ ବୋଲି ଡାକିଲେ ସ୍ୱନେ ।୧୬ ।ଶମ୍ବର ଜନନୀ ଅମ୍ବୁରେ ସେହିକାଳେ ପଶିଲେ ।ହାସପରିହାସ ସରସ-ଉକ୍ତିମାନ ଭାଷିଲେ ।୧୭ ।ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ।ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରରେ ଶୋଭିତ ।୧୮ ।ବି-ରାଜି ବିରାଜି ଅଛନ୍ତି ମୀନ ଭକ୍ଷଣ ପାଇଁ ।ରାଜୀବ ରାଜୀବନୟନା ଏଥି ଖେଳା କରଇ ।୧୯ ।ସଲିଳେ ଉଡୁପେ ଦେଖରେ ହୋଇଅଛି ଶୋଭନ ।ସଲିଳେ ଉଡୁପବଦନୀ ଖେଳିବାକୁ ମୋ ମନ ।୨୦ ।ନବୀନଜୀମୂତ ଜୀମୂତସ୍ତନା କିଏ ଉଦିତ ।ଏ ନୀଳକମଳ କମଳ ବିନ୍ଦୁ ବହି ତେମନ୍ତ ।୨୧ ।ଭୁବନ ଏଥିରେ ପୂରିତ ମୋହେ ସର୍ବ ଭୁବନ ।ଜୀବନବନ୍ଧୁ ଏ ନିଶ୍ଚୟ ପ୍ରାଣୀଙ୍କର ଜୀବନ । ୨୨ ।ଅହିମକର ତାପ ନାଶେ ଶୋଭା ସାରସ ଚକ୍ର ।୨୩ ।ବଶ ପ୍ରକାଶିବ ସୁମନ-ସର ସୁମନସର ।ମହିକୀ ଆଣିଲା ସୁମନ-ସର ସୁମନଶର ।୨୪ ।ମନ୍ତ୍ରିଜା ପୁଚ୍ଛିଲା ଜେମାକୁ ଚାରିବର୍ଣ୍ଣେ ଏସନେ ।ଏକାକ୍ଷରେ ଖ୍ୟାତ ଧରଣୀ କରଭୂଷା ତ୍ରିବର୍ଣ୍ଣେ ।୨୫ ।ବୟସ ନାମ ଖ୍ୟାତ ମୁନି ଯାହା କରେ ସେ ହେବ ।ପ୍ରାକର୍ମ ଦ୍ୱିବର୍ଣ୍ଣେ ବିଲୋମେ ରାମକୁମର ହେବ ।୨୬ ।ବ୍ୟସ୍ତେ ବସନ୍ତାଦି ଫୁଲେକ ତହିଁ ତଟର ନାମ ।ସମସ୍ତ ପଢ଼ିଲେ ହୋଇବ ଜଳେ ଥିଲା କୁସୁମ ।୨୭ ।ଚତୁରୀ ତୁରିତେ ଜାଣିଲା ହସି କହିଲା ତହିଁ ।କଂସ କରୀବର ପରାୟେ ମୋତେ ପରତେ ହୋଇ ।୨୮ ।ଫଳ ବେନିବର୍ଣ୍ଣ ପ୍ରାନ୍ତରେ ଦେଲେ ମୁକୁତା ନାମା ।ଶୁଣି ଧନ୍ୟ ବୋଲି ପ୍ରଶଂସା କେଲ ସକଳ ବାମା ।୨୯ ।ଏ ବିଧିରେ ଭାଷି ଭାରତୀ ଜଳ କ୍ଷେପଣ କରି ।ଦେଖିଲା ନଥିଲା ଚଞ୍ଚଳା ବରଷିବାର ବାରି ।୩୦ ।ଉତ୍ତାନ ପ୍ଲାବନେ ଉରଜମାନେ କି ମନୋହର ।ନଳଦୀକ୍ଷା ପାଇଁ ନାରୀକି ଭେଳା କଲେ ଭୂଧର ।୩୧ ।ଆଜ କି କୁସୁମନାରାଚ ରାଜ ବହିତ୍ର ଲୀଳା ।କରୁଛି ତେମନ୍ତ ଶୋଭାକୁ ପୁଣି ବହିଲେ ବାଳା ।୩୨ ।ବୁଡ଼ି କେ କାହାର ଚରଣ ଧରୁ ସେ ଜାଣି ଭାଷି ।ଗତିରେ ଗଜ ଅଛି ବୋଲି ମୋତେ କୁମ୍ଭୀର ଗ୍ରାସି ।୩୩ ।ନାରୀ ବାରି ବାରି ନୋହିଲେ ତହିଁ ଘଡ଼ିଏ ଯାଏ ।ହାସ କୁମୁଦ ନେତ୍ର ମୀନ ମୁଖ କମଳ ପ୍ରାୟେ ।୩୪ ।ଜଘନ ପୁଳିନ ଉରଜ ଚକ୍ରବାକ ମିଥୁନ ।ରୋମାବଳୀ ଆଳିଆବଳୀ ଗତି ହଂସ ସମାନ ।୩୫ ।ଉଦର କମଳ ପଳାଶ ନାଭି ଜଳଭଉଁରୀ ।କର କୋକନାଦ ସୁବାହୁ ଯହିଁ ମୃଣାଳ ସରି ।୩୬ ।ବାଳୀ ଜଳେ ମିଳି କରନ୍ତି କେଳି ଏ ହୋଏ ଜଣା ।ସଖୀ ସଙ୍ଗେ ମିଶି କ୍ରୀଡ଼ଇ ଯହିଁ ଚଞ୍ଚଳେକ୍ଷଣା ।୩୭ ।କାହିଁକି ଏମନ୍ତ ବୋଇଲେ ବୋଲି କେ ବା ବୋଲିବ ।ସୁଲକ୍ଷଣାକୁ ଏ ଲକ୍ଷଣା କାହୁଁ ସମାନ ହେବ ।୩୮ ।ସ୍ନାନ ଅବଶେଷେ କୂଳକୁ କୁଳପାଳିକା ଆସି ।ଗଉର ଅଙ୍ଗରେ ଜଡ଼ି ସେ ଶାଢ଼ି ଏମନ୍ତେ ଦିଶି ।୩୯ ।ସ୍ପଟିକବାଡ଼ ଫୁଟି ଦିଶେ କି ସେ ହେମପିତୁଳା ।ସ୍ତନସଂପୁଟେ କି ବାରଣଦନ୍ତ ପିଧାନ କଲା ।୪୦ ।ଅତି ଜର ଜର ନୀରରେ ଯହୁଁ ଏମନ୍ତ ଭାବି ।ସେ ଚନ୍ଦ୍ରଶିଳ ଶଇଳ କି ହାସଚନ୍ଦ୍ରରେ ଦ୍ରବି ।୪୧ବିନ୍ଦୁ ବିନ୍ଦୁ ଜଳ ରହିଛି ଚାରୁ କୁଟିଳବାଳେ ।ତୁଷାର ବୃଷ୍ଟି କି ହୋଇଛି ନବତମାଳଦଳେ ।୪୨ ।ନବଘନେ କିବା ଉଇଁଛି ତାର ତାରକାଶ୍ରେଣୀ ।ମୋତି ପତନ କି ହୋଇଛି ନୀଳମଣି ଧରଣୀ ।୪୩ ।ଅଙ୍ଗ ଅଙ୍ଗନାର ପୋଛିଲେ ସଖୀମାନେ ସତ୍ୱରେ ।କେଶ ପୋଛିଦେଇ ଗଣ୍ଠିକି ଦେଲେ ଅଗ୍ରଭାଗରେ ।୪୪ ।ଉଞ୍ଚିଦେଲେ ପୀତମ୍ବରକୁ ଊରୁସନ୍ଧିକି ରୁନ୍ଧି ।ପିନ୍ଧି ନିତମ୍ବିନୀ ନିବିଡ଼େ ନୀବୀବନ୍ଧକୁ ବାନ୍ଧି ।୪୫ ।ତୋରା ହୋଇଲା ଗୋରାଦେହ ଆଲିଙ୍ଗନକୁ ପାଇ ।ଧଡ଼ି ନଥିଲେ ଶାଢ଼ି ଥିଲା ପରା ଦିଶନ୍ତା ନାହିଁ ।୪୬ ।ଜଣାଇଲେ ଏବେ ମନ୍ଦିରରେ ଯିବା ଅସ୍ତ ଦିନେଶ ।ଜଗତମୋହିନୀ ଜଗତୀ ପରେ ହେବୁ ସୁବେଶ ।୪୭ ।ଶୁଣିକରି କରପଇଠ ଦେଇ ବିଜେ ସୁନ୍ଦରୀ ।କାମକଳାକୁ ସେ ଆକ୍ଷେପି ସଜନୀକି ପଚାରି ।୪୮ ।ହରି କରେ କିସ ଶୋଭିତ, ରାତ୍ରେ କେ ହୋଏ ଭିନ୍ନ?କାମେ କାମୁକ କି କରନ୍ତି, ଭୀମ କାହିଁ ଶୋଭନ ।୪୯ ।କେ ବରଜ-ରାଜ, ସଂସାର କରତା କେ ଅଟଇ?ନୃପତ ଆଗରେ କି ବୋଲି ପ୍ରତିହାରୀ ଡାକଇ? ।୫୦ ।କି ଶୋଭା କରେ ଚନ୍ଦ୍ର କରେ, ତାରା କାହିଁ ଉଦିତ?ବିଷ୍ଣୁର ସର୍ବଦା ମଣ୍ଡନ କି କି କହ ତ୍ୱରିତ? ।୫୧ ।ସେ କହେ କମଳ, ରଥାଙ୍ଗ, ଦର, ଗଦା ନନ୍ଦକ ।ମଣିମା, ହରିତ ଅମ୍ବର ବୋଲି ହୋଏ ବିବେକ ।୫୨ ।ଶ୍ରବଣେ ପ୍ରଶଂସା ସଂସାର ସାର-ରମଣୀ କଲା ।ସଦନେ ପ୍ରବେଶ ହୋଇ ସେ ପୁଣି ସୁବେଶ ହେଲା ।୫୩ ।ଏଠାରୁ ଏ ଛାନ୍ଦ ସମ୍ପୂର୍ଣ୍ଣଏତେ ଲକ୍ଷଣଯୁକ୍ତ ।ଶ୍ଲେଷରେ ଅଭଙ୍ଗ ସଭଙ୍ଗ ଭଙ୍ଗାଭଙ୍ଗିହିଁ ବ୍ୟକ୍ତ ।୫୪ ।ଛବିଧି ଯମକ ରୂପକ ଆଶ୍ରୟରେ ଦୀପକ ।ବହିର୍ଲିପି ଅନ୍ତର୍ଲିପିକା ଘେନି କର୍ଣ୍ଣରୋଚକ ।୫୫ ।ବଳି ଛଳି ରାମ ବାମନମୂର୍ତ୍ତି ମନରେ ଧ୍ୟାୟୀ ।ଉପଇନ୍ଦ୍ର ବୀରବର ଯେ ଏହୁ ରସ କହଇ ।୫୬ ।