ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
କବି ସମ୍ରାଟ · ପ୍ରାୟ ୧୬୭୦–୧୭୪୦ · ରୀତି ଯୁଗ
- ପଢ଼ିବା ସମୟ
- ୩୭୬ ମିନିଟ୍
- ଶବ୍ଦ
- ୬୦୧୮୩
- ସ୍ଥିତି
- ସାର୍ବଜନୀନ (Public domain)
ବଳିଲା ରାଘବ ଆଶା ସୀତା ପ୍ରାପତିରେ
ବିଚାରିଲେ ସିନ୍ଧୁପୋତିଯିବା ପର୍ବତରେ ଯେ ।୧।ବୁଡ଼ିଗଲା ପକାଇଲେ କପି ଯେତେଗିରି ।ବୁଦ୍ବୁଦ୍ନ ଦିଶେ ଜଳ ଫିଫିକୃତ କରି ଯେ । ୨ ।ବିସ୍ମୟ ନିଃଶ୍ୱାସ ତେଜି ବରୁଣ ପ୍ରସନ୍ନେ ।ବିନାଶନରେ ଶୟନ ସେ ଦର୍ଭଶୟନେ ଯେ । ୩ ।ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶଶିର ।ବରଗିଲା ସେ ଶୁକ ସାରଣ କରି ଚାର ଯେ । ୪ ।ବିଭୀଷଣେ କହ ଜ୍ୟେଷ୍ଠଭ୍ରାତା ପିତା ସରି ।ବୂଝି ନ ବୁଝି କୋପି ତା ବାଣୀ ପିତା କରି ଯେ । ୫ ।
୧ମ ପଦ :- ବିଭୀଷଣ ଆସି ପଶିବାରୁ ରାମଚନ୍ଦ୍ରଙ୍କର ସୀତା ପାଇବା ଆଶା ବଳବତୀ ହେଲା । ସୁତରାଂ ସେ ପର୍ବତମାନଙ୍କ ଦ୍ୱାରା ସମୁଦ୍ରକୁ ପୋତି ଲଙ୍କାଗଡ଼କୁ ଯିବାକୁ ବିଚାର କଲେ ।
୨ୟ ପଦ :- ଗିରି - ପର୍ବତ । ବୁଦ୍ବୁଦ – ପାଣିଫୋଟକା । ଫିଫିକୁ - ଫିଫିକାର ଶବ୍ଦ କରି ।
୨ୟ ପଦ :- ଋକ୍ଷ କପିମାନେ ଯେତେ ପର୍ବତ ଆଣି ସମୁଦ୍ରରେ ପକାଇଲେ, ସେ ସବୁ ବୁଡ଼ିଗଲା; ପାଣିଫୋଟକା ମଧ୍ୟ ଦିଶିଲା ନାହିଁ । କେବଳ ପାଣି ଫିଫି ଶବ୍ଦ ଶୁଣାଗଲା ଏହାଦ୍ୱାରା ଜଳର ଗଭୀରତା ସୂଚିତ ହେଲା ) ।
୩ୟ ପଦ :- ବିନାଶନରେ - ଅନାହାରରେ । ଦର୍ଭଶୟନେ–କୁଶଶଯ୍ୟାରେ ।
୩ୟ ପଦ :- ପର୍ବତ ସବୁ ବୁଡ଼ିଯିବାରୁ ରାମଚନ୍ଦ୍ର, ବିସ୍ମିତ ହୋଇଦୀର୍ଘନିଶ୍ୱାସଛାଡ଼ିଲେ । (ସମୁଦ୍ରରେ ବନ୍ଧ ପଡ଼ିବା ଅସମ୍ଭବ- ଏହା ଜାଣିପାରିଲେ ) । ତତ୍ପରେ ବରୁଣ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଉପବାସରେ ରହି ସମୁଦ୍ର କୂଳରେ କୁଶଶଯ୍ୟାରେ ଶୟନ କଲେ ।
୪ର୍ଥ ପଦ :- ହେ ପଣ୍ଡିତମାନେ ! ଏହାପରେ ଅନ୍ୟ ପ୍ରସଙ୍ଗକୁ ଶୁଣ । ରାବଣ ଶୁକ ସାରଣ ନାମକ ଦୁଇ ମନ୍ତ୍ରୀକୁ ଦୂତ କରି ପଠାଇଲା ।
୫ମ ପଦ :- ତାଙ୍କୁ କହିଲା, ‘‘ବିଭୀଷଣକୁ କହିବ, ବଡ଼ ଭାଇ ପିତା ସମାନ । ସେ ବୁଝନ୍ତୁବାନବୁଝନ୍ତୁ କ୍ରୁଦ୍ଧ ହୋଇ କଟୁକଥା କହିଥିଲେ । ତାଙ୍କ କଥାକୁ ପିତା ପରି ମନେ କରିବା କଣ ଉଚିତ ? ଗୁରୁଜନଙ୍କ କଥାରେ ମନ କଷ୍ଟ କରିବା ଠିକ୍ନୁହେଁ ।’’
ବିଭୂତିକି ଭୁଞ୍ଜୁଥିଲୁ ବିଭୂତିଭୂଷଣେ ।ବଡ଼ କୁଳେ ଜନମି ଶରଣ କି କାରଣେ ଯେ ?। ୬ ।ବୋଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ ।ବାଦ ରଚଇ ପିତୃବ୍ୟେବାହୁଡ଼ାଅ ସୈନ୍ୟ ଯେ । ୭ ।ବିହାୟସେବିହରି ସାଗର ଜିଣି ଯାଇ ।ବର୍ତ୍ତକ ସ୍ୱରୂପ ଧୃତ କେଁ କେଁଟିହୋ କହି ଯେ । ୮ ।ବିଖ୍ୟାତ କରୁଁ ବିଂଶତି - କର କହିବାର ।ବୋଧ ଉଭୟ ଭୟରେ ପଳାଇ ସତ୍ୱର ଯେ । ୯ ।ବାହୁଡ଼ି ରାବଣେ କହି ଶୁଣ ଦେବ - ରିପୁ ।ବୋଇଲା ଅନୁଜ ଯିବି ସୀତାଙ୍କୁ ସମର୍ପୁ ଯେ । ୧୦ ।୬ଷ୍ଠ ପଦ :- ବିଭୂତି - ଐଶ୍ୱର୍ଯ୍ୟ ।ବିଭୁତିଭୁଷଣ -ଭସ୍ମବିଲିପ୍ତ ।୬ଷ୍ଠ ପଦ :- ଉଚ୍ଚ ବଂଶରେ ଜନ୍ମ ହୋଇ ଐଶ୍ୱର୍ଯ୍ୟ ଭୁଞ୍ଜୁଥିଲୁ । ଏବେ କେଉଁ କାରଣରୁ ବନବାସୀ ତପସ୍ୱୀଜନ ପାଶରେ ଶରଣ ପଶିଲୁ ?’’୭ମ ପଦ :- ବାଦ - କଳହ । ରଚାଇ -ରଚନା କରି, ଆରମ୍ଭ କରି । ପିତୃବ୍ୟ - ଖୁଡ଼ୁତା ।
୭ମ ପଦ :- ‘‘ଅଙ୍ଗଦକୁ କହିବ, ପିତୃ ଶତ୍ରୁଠାରେ ଭକ୍ତି କଲେ କଣ ପୁଣ୍ୟ ହୁଏ ? ତେଣୁ ଖୁଡ଼ୁତା ସୁଗ୍ରୀବ ସହିତ ବିବାଦ କରାଇ ସୈନ୍ୟ ବାହୁଡ଼ାଇ ନିଅ ।’’
୮ମ ପଦ :- ବିହାୟସେ - ଆକାଶରେ । ବିହରି - ଭ୍ରମଣକରି । ବର୍ତ୍ତକ - ତେଣ୍ଟୋଇ ପକ୍ଷୀ । ଧୃତ - ଧାରଣ କରି ।
୮ମ ପଦ :- ରାବଣର ଆଦେଶ ପାଇ ମନ୍ତ୍ରୀଦ୍ୱୟ ଆକାଶରେ ଉଡ଼ି ସମୁଦ୍ର ଜିଣିଯାଇ ତେଣ୍ଟୋଇ ପକ୍ଷୀରୂପ ‘କେଁ କେଁ ଟି ହୋ’ ତୁମ୍ଭେ କିଏ କିଏ ଅଛ ବୋଲି ପଚାରିଲେ ।
୯ମ ପଦ :- ବିଖ୍ୟାତ କରୁଁ - ପ୍ରକାଶ କରିବାରୁ । ବିଂଶତିକର - ରାବଣ ।ବୋଧ - ଜାଣି । ଉଭୟ - ଦୁହେଁ । ସତ୍ୱର - ଶୀଘ୍ର ।
୯ମ ପଦ :- ରାବଣ କହିଥିବା କଥା ପ୍ରକାଶକରି ବିଭୀଷଣ ଓ ଅଙ୍ଗଦକୁ କହିବାରୁ ଅଙ୍ଗଦ ତାଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲା । ତେଣୁ ସେ ଦୁହେଁ ଶୀଘ୍ର ପଳାଇ ଗଲେ ।
୧୦ ମ ପଦ :- ଦେବରିପୁ - ଦେବତାମାନଙ୍କର ଶତ୍ରୁ । ଅନୁଜ - ସାନଭାଇ - ସମର୍ପୁ - ଫେରାଇ ଦେଉ ।
୧୦ମ ପଦ :- ଫେରି ଆସି ମନ୍ତ୍ରୀଦ୍ୱୟ ରାବଣକୁ କହିଲେ, ‘‘ହେ ଦେବରିପୁ ! ଶୁଣ, ତୁମ୍ଭ ସାନଭାଇ କହିଲେ, ସେ ସୀତାଙ୍କୁ ସମର୍ପି ଦେଉ ମୁଁ ଯିବି ।’’
ବଞ୍ଚିଲୁ ଅଙ୍ଗଦେ ଅଙ୍ଗ ଦେବାରୁ କି ଧର୍ମେ ।ବଜ୍ରାଘାତ ସମ ତଳ ପ୍ରହାରିଲାବ୍ୟୋମ ଯେ । ୧୧ ।ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ ।ବିନ୍ଧ୍ୟ ଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ । ୧୨ ।ବଳ କେତେ ବୋଲୁଁବୋଲେ ଯେତେ ଶଙ୍ଖ ସେହି ।ବାରିରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ । ୧୩ ।ବିତରଣେ ସାଗର କି ପାଞ୍ଚ ପଚାରିଲା ।ବିହେ ରାମ କୁଶଶଯ୍ୟା ପ୍ରତ୍ୟୁତ୍ତର ଦେଲା ଯେ । ୧୪ ।ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମେ ।ବୋଲେ କି କରିବ ଏଡ଼େହୀନପରାକ୍ରମେ ଯେ । ୧୫ ।୧୧ଶ ପଦ :- ତଳ - ଚାପୁଡ଼ା ! ବ୍ୟୋମେ - ଆକାଶରେ । ଅଙ୍ଗ ଦେବାରେ - ଶରୀର ପାତ ନ କରି ।
୧୧ଶ ପଦ :- ‘‘ଅଙ୍ଗଦକୁ ତୁମ୍ଭ କହିବାକଥା ବୁଝାଇ କହିବାରୁ, ସେ ଆକାଶରେ ବଜ୍ରାଘାତ ପ୍ରାୟ ଏକ ଚାପୁଡ଼ା ପ୍ରହାର କଲା, ମାତ୍ର କେଉଁ ଧର୍ମବଳରୁ ଆମ୍ଭେ ବଞ୍ଚିଗଲୁଁ ।’’
୧୨ଶ ପଦ :- ବିନ୍ଧ୍ୟ – ବିନ୍ଧ୍ୟପର୍ବତ । ଭାନୁ - ସୂର୍ଯ୍ୟ । ତୋଷି - ଆନନ୍ଦିତ ।
୧୨ଶ ପଦ :- ‘‘ସେ ଚାପୁଡ଼ା ବାଜିଥିଲେ ବିନ୍ଧ୍ୟଗିରି ଚୂର୍ଣ୍ଣ ହୋଇ ଯାଇଥାନ୍ତା ବା ପାତାଳରେ ପଶି ଯାଇଥାନ୍ତା । ଗମନାଗମନର ପ୍ରତିବନ୍ଧକ ଦୂର ହୋଇଥାନ୍ତା ଭାବି ସୂର୍ଯ୍ୟ ସନ୍ତୁଷ୍ଟ ହୋଇଥାନ୍ତା । ଆମ୍ଭଙ୍କୁ ବିଧାତା ସେ ଆଘାତରୁ ବଞ୍ଚାଇ ଦେଲା ।( ଦୈବକ୍ରମେ ଆମ ଦେହରେ ସେ ଚାପୁଡ଼ା ବାଜିଲାନାହିଁ) ।
୧୩ଶ ପଦ :- ବଳ - ସୈନ୍ୟ । ଶଙ୍ଖ - ସାମୁଦ୍ରିକ ଜୀବବିଶେଷ । ବାରିରାଶିରେ - ସମୁଦ୍ରରେ । ଜନିତ – ଜାତ । ଶଙ୍ଖ - ସଂଖ୍ୟାବିଶେଷ ।
୧୩ଶ ପଦ :- ଏହା ଶୁଣି ‘ସୈନ୍ୟସଂଖ୍ୟା କେତେ’ ବୋଲି ରାବଣ ପଚାରନ୍ତେ ସେ ଦୁହେଁ କହିଲେ, ‘‘ତାଙ୍କସୈନ୍ୟ ସଂଖ୍ୟା ଏତେ ଶଙ୍ଖ ଯେ, ସେତେ ଶଙ୍ଖ ସମୁଦ୍ରରେ ଜାତ ହୋଇ ନ ଥିବ । (ବହୁ ଶଙ୍ଖ ପରିମତି ସୈନ୍ୟ) ।’’
୧୪ଶ ପଦ :- ବିଚରଣେ – ପାରହେବା ନିମିତ୍ତ । ସାଗର - ସମୁଦ୍ର । ପାଞ୍ଚ - ଉପାୟ, ଯତ୍ନ । ବିହେ - ବିଧାନ କରେ ।
୧୪ଶ ପଦ :- ରାବଣ ପୁଣି ପଚାରିଲା, ‘‘ସମୁଦ୍ର ତରିବାପାଇଁ ସେ କି କି ବିଚାର କରୁଅଛନ୍ତି ?’’ ମନ୍ତ୍ରୀଦ୍ୱୟ ପ୍ରତ୍ୟୁତ୍ତରଦେଲେ ‘‘ରାମ କୁଶ ଶଯ୍ୟାରେ ଶୋଇ ସମୁଦ୍ରକୁ ପ୍ରାର୍ଥନା କରୁଅଛି ।’’
୧୫ଶ ପଦ :- ବିରାମ - ଦୁଃଖ, ବିମର୍ଷ । ମନ୍ଦ - ଛାଡ଼ି ।ମନ୍ଦହାସ - ଅଳ୍ପହାସ । ହୀନପରାକ୍ରମ - ଦୁର୍ବଳତା ।
୧୫ଶ ପଦ :- ଏହା ଶୁଣି ରାବଣ ବିମର୍ଷ ଭାବ ତ୍ୟାଗ କରି (ରାମ ଆସି ସମୁଦ୍ର କୂଳରେ ସୈନ୍ୟସହ ଅଛନ୍ତି ଏହା ଶୁଣି ବିମର୍ଷ ହୋଇଥିଲା, ତାହା ଛାଡ଼ି) ଈଷତ୍ ହସି କହିଲା, ‘‘ଯେ ପରାକ୍ରମରେ ଏପରି ହୀନ, ସେ ମୋର କଣ କରିବ ?’’
ବୁଧେ ଶୁଣ ଅନ୍ୟ ରସ ରଘୁନାଥ ଉଠି ।ବିରକ୍ତି ହୋଇଣ କରିଛନ୍ତି ରକ୍ତଦୃଷ୍ଟି ଯେ । ୧୬ ।ବିକଶିତ କାଳିନ୍ଦୀରେ କୋକନଦ ମତ ।ବିଚଳିତ ଭ୍ରୁବଲ୍ଲିକା ଶୈବାଳ ଯେମନ୍ତ ଯେ । ୧୭ ।ବିଦୁଳ ଚାପରେ କରି ହେବାରୁ ସଂଯୁତ ।ବୀରି ହସ୍ତ ଉତ୍ତୋଳିତ କାଣ୍ଡ ପୂର୍ଣ୍ଣ ସତ ଯେ । ୧୮ ।ବୋଲନ୍ତିପୃଥ୍ୱୀନାଶନଦୈତଙ୍କୁ ଲୁଚାଉ ।ବିରଚି କବନ୍ଧ ନଟଜନକୁ ଡରାଉ ଯେ । ୧୯ ।ବିଦିତ ଜ୍ୟାଜାମାତା ମୁଁ ଦୈତ୍ୟାରି ବୋଲାଇ ।ବଧ କବନ୍ଧ କରିଛି ଯିବୁ ଆଜ କାହିଁ ଯେ । ୨୦ ।୧୬ଶ ପଦ :- ବୁଧେ - ପଣ୍ଡିତମାନେ । ରଘୁନାଥ - ରାମଚନ୍ଦ୍ର । ବିରକ୍ତ - କୋପାନ୍ୱିତ । ରକ୍ତଦୃଷ୍ଟି - ଆରକ୍ତ ନୟନ ।
୧୬ଶ ପଦ :- ହେ ପଣ୍ଡିତମାନେ ! ଏବେ ଅନ୍ୟ କଥା ଶୁଣ । ବରୁଣ ଦେବତା ପ୍ରସନ୍ନ ନ ହେବାରୁ ରାମ କୁଶଶଯ୍ୟାଛାଡ଼ି ବିରକ୍ତିର ସହିତ ସମୁଦ୍ର ପ୍ରତି ରକ୍ତଦୃଷ୍ଟି କଲେ ।
୧୭ଶ ପଦ :- ବିକଶିତ – ପ୍ରସ୍ଫୁଟିତ । କାଳିନ୍ଦୀରେ - କାଳିନ୍ଦୀନାମ୍ନୀ ନଦୀରେ । କୋକନଦ - ରକ୍ତପଦ୍ମ । ଭ୍ରୁବଲ୍ଲିକା – ଭ୍ରୁଲତା । ଶୈବାଳ - ଶିଉଳୀ ବା ଜଳଜ ଉଦ୍ଭିଦ ବିଶେଷ ।
୧୭ଶ ପଦ :- ସେ ରକ୍ତଦୃଷ୍ଟି ଯମୁନା ନଦୀରେ ଫୁଟିଥିବା ରକ୍ତପଦ୍ମ ସଦୃଶ ଦେଖାଗଲା । ଭ୍ରୁଲତା ବିଚଳିତ ହେବାରୁ ଶିଉଳିପ୍ରାୟ ପ୍ରତୀୟମାନ ହେଲା । ରାମଚନ୍ଦ୍ର ନୀଳବର୍ଣ୍ଣ ହେତୁ ଯମୁନା ନଦୀ ଓ ଚକ୍ଷୁ ରକ୍ତବର୍ଣ୍ଣ ହେତୁ ରକ୍ତପଦ୍ମ ସହିତ ଉପମିତ ।
୧୮ଶ ପଦ :- ବିଦୁକ – ପାଣିବେତ । ଚାପରେ - ଧନୁରେ । ବୀଚି - ଲହରୀ ।
୧୮ଶ ପଦ :- ରାମଚନ୍ଦ୍ର ହସ୍ତରେ ଧନୁ ଧାରଣ କରିବାରୁ ସେ ଧନୁ ନଦୀକୂଳରେ ଥିବା ପାଣିବେତ ସଦୃଶ ଓ ହସ୍ତଦ୍ୱୟ ଲହରୀ ସଦୃଶ ଦୃଶ୍ୟହେଲା । ନଦୀ ଜଳପୂର୍ଣ୍ଣ ହେଲା ପ୍ରାୟ ତାଙ୍କ ଧନୁଶର ପୁର୍ଣ୍ଣହୋଇଅଛି । (ବରୁଣକୁ ବିନ୍ଧିବାପାଇଁ ରାମଚନ୍ଦ୍ର ଧନୁରେ ଶର ସନ୍ଧାନ କଲେ ।
୧୯ଶ ପଦ :- ଦୈତ୍ୟଙ୍କୁ - ରାକ୍ଷସମାନଙ୍କୁ । ବିରଚି - ରଚନା କରି । କବନ୍ଧବାଟ - ମସ୍ତକହୀନ ଶବର ନୃତ୍ୟ ଲହରୀର ନୃତ୍ୟ ।
୧୯ ପଦ :- ସେ ସମୁଦ୍ରକୁ କହିଲେ, ‘‘ତୁ ପୃଥ୍ୱୀବିନାଶକାରୀ ଅଟୁ । କାରଣ, ପୃଥ୍ୱୀର ଅନିଷ୍ଠକାରୀ ରାକ୍ଷସମାନଙ୍କୁ ଲୁଚାଇ ରଖୁ, ପୁଣି ଯୁଦ୍ଧରେ ‘କବନ୍ଧ’ ମସ୍ତକହୀନ ବ୍ୟକ୍ତି ନୃତ୍ୟ କଲାପ୍ରାୟ ‘କବନ୍ଧ’ ଲହରୀର ନୃତ୍ୟକରି ଲୋକମାନଙ୍କୁ ଡରାଉ । (ତୋରଉତ୍ତୁଙ୍ଗ ଲହରୀ ଦେଖି ଲୋକେ ଭୀତ ହୁଅନ୍ତି ) ।’’
୨୦ଶ ପଦ :- ବିଦିତ - ପ୍ରକାଶିତ । ଜ୍ୟା - ପୃଥ୍ୱୀବୀ । ଜାମାତା - ଜ୍ୱାଇଁ । ଦୈତ୍ୟାରି - ରାକ୍ଷସମାନଙ୍କର ଶତ୍ରୁ ।
୨୦ଶ ପଦ :- ‘‘ମୁଁ ପୃଥିବୀରେ ଜାମାତା ବୋଲିଲୋକ ମଧ୍ୟରେ ଖ୍ୟାତ, ପୁଣି ମୋର ନାମ ଦୈତ୍ୟାରି ଅଟେ । ମୁଁ କବନ୍ଧ ରାକ୍ଷସ ବଧ କରିଛି । ତୁ ସବୁପ୍ରକାରେ ମୋର ଶତ୍ରୁ ହେଲୁ, ଆଜି ତୋତେ ବିନାଶ କରିବି, ତୁ କୁଆଡ଼େ ଯିବୁ ?
ବାଟ ଦେଖା ଆଗେ ତୁ ନୋହିଲେ ହେବୁ ଲୋପ ।ବ୍ୟାକରଣ ସାଧନରେ ବର୍ଣ୍ଣର ସ୍ୱରୂପ ଯେ । ୨୧ ।ବେଳୁ ବେଳ କୋପବୃଦ୍ଧି ଚାପ ଚକ୍ରୀକୃତ ।ବିଧବା ଅବସ୍ଥା ଜହ୍ନୁ ତନୟା ସଭୀତ ଯେ । ୨୨ ।ବ୍ୟକ୍ତ ପାରାବାର ବାର ବାରଶରମୁନେ ।ବିନ୍ଦୁ କୁଶର ଅଗ୍ରରେ କୁଶର ଯେସନେ ଯେ । ୨୩ ।ବଡ଼ବାନଳ ଖ-ଦ୍ୟୋତକାରୀ ଯେ ଖଦ୍ୟୋତ ।ବତ ଦିଶେ ସେ ନାରାଚରାଜତ ରାଜତ ଯେ । ୨୪ ।ବ୍ୟାକୁଳ ସଲିଳ - ଚର ସଲିଳ ତେଜିଲେ ।ବାଡ଼ - ଲେଖା ଲେଖା ଚିତ୍ର ଭାବକୁ ଭଜିଲେ ଯେ । ୨୫ ।୨୧ଶ ପଦ :- ଲୋପ - ଲୀନ । ବର୍ଣ୍ଣର - ଅକ୍ଷରର ।୨୧ଶ ପଦ -‘‘ତୁ ଅଗ୍ରସର ହୋଇ ପଥ ଦେଖା, ନ ହେଲେ ବ୍ୟାକରଣ ସାଧନରେ ଅକ୍ଷର ଲୋପହେଲାପରି ତୁ ଲୋପ ଅର୍ଥାତ୍ବିନାଶ ହେବୁ ।୨୨ଶ ପଦ :- ଚାପ - ଧନୁ । ଚକ୍ରୀକୃତ - ଚକ୍ରାକାର । ଜହ୍ନ ତନୟ - ଗଙ୍ଗା ! ସଭୀତ - ଭକ୍ତଯୁକ୍ତ ।
୨୨ଶ ପଦ :- ବେଳକୁ ବେଳ କୋପ ବୃଦ୍ଧି ହେବାରୁ ଧନୁ ମଣ୍ଡଳକାର ଧାରଣ କଲା । (ଜ୍ୟା ଟାଣିବାରୁ ଧନୁ ବେଶି ବକ୍ର ହେବାକୁ ଲାଗିଲା ) ତାହା ଦେଖି ଗଙ୍ଗା ନଦୀ ବିଧବା ହେବେ ବୋଲି ବିଶେଷରେ ଭୟ କଲେ (ସମୁଦ୍ର ନଦୀମାନଙ୍କର ପତି) ।
୨୩ଶ ପଦ :- ବ୍ୟକ୍ତ - ପ୍ରକାଶିତ । ପାରାବାର - ସମୁଦ୍ର । ବାର - ଜଳ । ବାର - ସମୂହ । କୁଶର ବିନ୍ଦୁ - ଜଳ କଣିକା ବା ଜଳବିନ୍ଦୁ ।୨୩ଶ ପଦ :- ରାମଚନ୍ଦ୍ର ଧନୁରେ ସନ୍ଧାନ କରିଥିବା ଶରମୁନରେ ସମୁଦ୍ରର ଜଳସମୂହ କୁଶ ଅଗ୍ରରେ ଲାଗିଥିବା ଜଳ ବିନ୍ଦୁ ପ୍ରାୟ ଦେଖାଗଲା ।
୨୪ଶ ପଦ :- ବଡ଼ବାନଳ - ସମୁଦ୍ରଜାତ ଅଗ୍ନି । ଖ- ଦ୍ୟୋତକାରୀ- ଆକାଶ ଉଜ୍ଜ୍ୱଳକାରୀ ।ଖଦ୍ୟୋତ-ଜୁଳୁଜୁଳାପୋକ । ବତ-ସମ । ନାଚାର-ରାଜତ - ଉତ୍କୃଷ୍ଟ ଶର ।
୨୪ଶ ପଦ :- ସେହି ଶରସବୁଶରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ । ତାହାର ତେଜରେ ସୁମଦ୍ରସ୍ଥବଡ଼ବାନଳ ଓ ସୂର୍ଯ୍ୟଉଭୟେଜୁଳୁଜୁଳାପୋକ ପ୍ରାୟ ଦେଖାଗଲେ ।
୨୫ଶ ପଦ :- ସଳିଳଚର- ଜଳଚର ପ୍ରାଣୀ । ସଲୀଳ-କ୍ରୀଡ଼ା । ବାଡ଼ଲେଖା - କାନ୍ଥଲିଖିତ ଚିତ୍ର ।
୨୫ଶ ପଦ :- ସେ ଶର ତେଜରେ ଜଳଜନ୍ତୁମାନେ ବ୍ୟାକୁଳ ହୋଇକ୍ରୀଡ଼ାଯୁକ୍ତ ଆନନ୍ଦକୁ ତ୍ୟାଗ କଲେ ଏବଂ କାନ୍ଥରେ ଲେଖା ଯାଇଥିବା ଚିତ୍ରର ଭାବକୁ ଭଜିଲେ ଅର୍ଥାତ ଚକ୍ରପ୍ରାୟ ସ୍ତମ୍ଭୀଭୂତ ହୋଇ ରହିଲେ ।
ବେଳାରେ ସ୍ୱର୍ଣ୍ଣସରର ସୁଦର୍ଶନ ପ୍ରାୟେ ।ବିକାଶ ପ୍ରଚେତା ନାମୁ ସୁ-ଦର୍ଶନ ପାଏ ଯେ । ୨୬ ।ବିଲୋକି ଶରର ସୁଦର୍ଶନ ପରି ପ୍ରଭା ।ବିଦୁରେ ସେ ପାଶୀ ହେଲା ପାଶୀ ନୋହି ଉଭା ଯେ । ୨୭।ବସୁଧାଭୃତରେପ୍ରଜାବନ୍ତ ଶାନ୍ତି ପାଇ ।ବେଧିଲା ସେ କରୁ ରତ୍ନ ଅଳଙ୍କାର ଦେଇ ଯେ । ୨୮ ।ବୋଲିସ୍ୱବଂଶକୀର୍ତ୍ତିକିନାଶିବ କି ଏତେ ।ବଧାଇଲା ସେ ବାଣେ ଅସାଧ୍ୟ ଥିଲେ ଯେତେ ଯେ । ୨୯ ।ବୋଲେ ବିଚାର ତିମିରେ ଜଗତ ଗ୍ରାସିତ ।ବିଚିତ୍ର ନିଜ ତିମିରେ ଗ୍ରାସିତ ପର୍ବତ ଯେ । ୩୦ ।
୨୬ଶ ପଦ :- ବେଳାରେ - ତଟରେ । ସ୍ୱର୍ଣ୍ଣସର - ଜମ୍ବୁନଦ (ଜମ୍ବୁଦୀପସ୍ଥ ଗୋଟିଏ ନଦୀ ) । ସୁଦର୍ଶନ - ଜାମୁଗଛ ବିଶେଷ । ବିକଶି - ପ୍ରକାଶିତ କରି । ସୁ-ଦର୍ଶନ - ଉତ୍ତମ ଦର୍ଶନ ।
୨୬ଶ ପଦ :- ପୂର୍ବକାଳରେ ପ୍ରଚେତା ନାମକ ଋଷି ଜମ୍ବୁନଦୀତୀରରେ ଥିବା ସୁଦର୍ଶନ ନାମକ ଜାମୁ ଗଛର ଶୋଭା ପ୍ରଥମେଦର୍ଶନ କଲାପରି, ବରୁଣ ଆସି ସମୁଦ୍ର ତଟରେ ଶୋଭା ପାଉଥିବା କ୍ରୁଦ୍ଧ ରାମଚନ୍ଦ୍ରଙ୍କୁ ପ୍ରଥମେ ଦର୍ଶନ କରିଥିଲେ ।
୨୭ଶ ପଦ :- ବିଲୋକ - ଦେଖି । ସୁଦର୍ଶନ - ବିଷ୍ଣୁଙ୍କର ଚକ୍ରାୟୁଧ । ପ୍ରଭା - ଦିପ୍ତୀ । ବିଦୂର - ବହୁଦୂରରେ । ପାଶୀ ବରୁଣ’ ନିକଟସ୍ଥ ।
୨୭ଶ ପଦ :- ବାଣର ପ୍ରଭା ସୁଦର୍ଶନ ଚକ୍ରପ୍ରାୟ ଭୟଙ୍କର ଦେଖିପାରି ବରୁଣ ଭୟରେ ପାଖକୁ ନ ଆସି ବହୁତ ଦୂରରେ ଉଭା ହେଲେ ।୨୮ଶ ପଦ :- ବସୁଧାଭୁତ – ରାଜା । କର - ରାଜସ୍ୱ ।
୨୮ଶ ପଦ :- ପ୍ରଜାମାନେ ରାଜାଙ୍କୁ ଖଞ୍ଜଣା ଦେଇ ସନ୍ତୁଷ୍ଟ କରାଇଲା ପରି, ବରୁଣ ବହୁତ ରତ୍ନ ଅଳଙ୍କାର ରାମଚନ୍ଦ୍ରଙ୍କୁ ଭେଟି ଦେଇ ବୋଧ କରାଇଲେ ।
୨୯ଶ ପଦ :- ‘‘ଆପଣା ବଂଶରେ କୀର୍ତ୍ତିକି ବିନାଶ କରିବେ କି ?’’ (ସମୁଦ୍ର ରାମଚନ୍ଦ୍ରଙ୍କ ପୂର୍ବପୁରୁଷ ସାଗର ରାମଙ୍କ ପୁତ୍ରମାନଙ୍କଦ୍ୱାରାଖୋଦିତ ଏତିକି ମାତ୍ର କହି ଯେ ରାମଚନ୍ଦ୍ରଙ୍କୁ ତୋଷ କରାଇ ରାମଚନ୍ଦ୍ର ସନ୍ଧାନ କରିଥିବା ଅମୋଘ ଅସ୍ତ୍ରଦ୍ୱାରା ନିଜର ଯେତେ ଅସାଧ୍ୟଶତ୍ରୁ ଥିଲେ, ସୋମନଙ୍କୁ ବିନାଶ କରାଇଲେ ।
୩୦ଶ ପଦ :- ତିମିରେ - ଅନ୍ଧକାରରେ । ବିଚିତ୍ର - ଆଶ୍ଚର୍ଯ୍ୟ । ତିମି - ତିମିନାମକ ମତ୍ସ୍ୟ ।
୩୦ଶ ପଦ :- ବରୁଣ କହିଲେ, ‘‘ହେ ରାମଚନ୍ଦ୍ର ! ବିଚାର କରନ୍ତୁ, ଅନ୍ଧକାର ଦ୍ୱାରା ଯେବେ ସଂସାର ଗ୍ରସ୍ତ ହେଉଅଛି, ତେବେ ତିମି ମାଛ ଦ୍ୱାରା ପର୍ବତ ଗ୍ରାସ ହେବା ବିଚିତ୍ର କଣ ? (ଆପଣ ଯେଉଁ ପର୍ବତସବୁ ପକାଇଲେ ତାକୁ ତିମିମାଛ ଗିଳିଦେଲେ) ।’’
ବାର୍ଦ୍ଧି ଗର୍ଭସ୍ଥିତ ଲକ୍ଷ୍ମୀମନ୍ଦରତାଡ଼ନେ ।ବିରାଟମୂର୍ତ୍ତିମାନେ ସେ ପରାପତ ଘେନେ ଯେ । ୩୧ ।ବାର୍ଦ୍ଧି- ଗର୍ଭସ୍ଥତ ଏବେ କମଳା ଅବଧି ।ବିରାଟମୂର୍ତ୍ତିମାନେ ତୁମ୍ଭର ବଡ଼ସିଦ୍ଧ ହେ । ୩୨ ।ବାନ୍ଧ ସେତୁ ହେତୁ ଅଛି ବିଶ୍ୱକର୍ମାସୁତ ।ବସ୍ତ୍ର ମାଳା ଜଳେ କ୍ଷେପେ ଶିଶୁକାଳେ ନିତ୍ୟ ଯେ । ୩୩ ।ବାଳ ବୋଲି କୋପୀନୋହି କହି ମୁନିସର୍ବ ।ବୁଡ଼ ନା ନୀରରେ ତୁ ଛୁଇଁବୁ ଯେତେ ଦ୍ରବ୍ୟ ଯେ । ୩୪ ।ବୁହାଇଣଗୋତ୍ର - ପକାଅ ଛୁଆଇଁ ।ବାର୍ଦ୍ଧି କଳନାରେ ନଳ ନାମ ଅଛି ପାଇ ଯେ । ୩୫ ।
୩୧ଶ ପଦ :- ‘‘ସମୁଦ୍ର ମନ୍ଦିର ଓ ପର୍ବତ ଦ୍ୱାରାମନ୍ଥିତ ହେଲା ବେଳରେ ଆପଣ ବିରାଟ ମୂର୍ତ୍ତି ଧାରଣ କରିଥିଲେ ଓ ସମୁଦ୍ରଗର୍ଭସ୍ଥିତ ଲକ୍ଷ୍ମୀଙ୍କୁ ପ୍ରାପ୍ତ ହୋଇଥିଲେ । ଏ କଥା ମୁଁ ଜାଣେ ।’’
୩୨ଶ ପଦ :- ବାର୍ଦ୍ଧିଗର୍ଭସ୍ଥିତ- ସମୁଦ୍ର ମଧ୍ୟରେ ଥିବା । ମନ୍ଦର - ପର୍ବତବିଶେଷ । (କୁଳାଚଳ ମଧ୍ୟରୁ ଗୋଟିଏ ) କମଳା – ଲକ୍ଷ୍ମୀ । ତାଡ଼ନେ - ମନ୍ଥନଦ୍ୱାରା ।ଭୀଷଣମୂର୍ତ୍ତି - ଭୟଙ୍କର ରୂପ କ୍ଷତ୍ରୀୟ ମୂର୍ତ୍ତି ।
୩୨ଶ ପଦ :- ଏବେ ଲଙ୍କାପୁରରେ ଲକ୍ଷ୍ମୀରୂପିଣୀ ସୀତାଅବସ୍ଥାନ କରିଅଛିନ୍ତି ।ମନ୍ଦସ୍ୱଭାବବିଶିଷ୍ଟ ରାବଣର ବିନାଶରେ ଆପଣ ତାଙ୍କୁ ପ୍ରାପ୍ତ ହେବେ; ସେଥିପାଇଁ ଧାରଣ କରିଥିବା ଆପଣଙ୍କର ଏ କ୍ଷତ୍ରିୟମୂର୍ତ୍ତି ପ୍ରସିଦ୍ଧି ଲାଭ କରିଅଛି । ’’
୩୩ଶ ପଦ :- ହେତୁ - କାରଣ ।ବିଶ୍ୱକର୍ମାସୁତ - ନଳ ।
୩୩ଶ ପଦ :- ‘‘ଆପଣ ସମୁଦ୍ରରେ ସେତୁବନ୍ଧ ବାନ୍ଧନ୍ତୁ, ତାର କାରଣ ଅଛି ବିଶ୍ୱକର୍ମାପୁତ୍ର ନଳ ବାଳକ ସମୟରେ ମୁନିମାନଙ୍କର ବସ୍ତ୍ର ଓ ମାଳାମାନ ପାଣିରେ ପକାଇ ଦେଉଥିଲେ ।’’
୩୪ଶ ପଦ :- ସେ ମୁନିମାନେ ଶିଶୁସୁଲଭ ଖେଳ ହେତୁ କି ପିତନହୋଇ ତାଙ୍କୁ କହିଲେ, ତୁ ଆଜିଠାରୁ ଯେତେ ଦ୍ରବ୍ୟନେଇ ଜଳରେ ପକାଇବୁ ସେ ସବୁ ବୁଡ଼ିବନାହିଁ ।’’
୩୫ଶ ପଦ :- ଗୋତ୍ରଗୋତ୍ର - ପର୍ବତସମୁହ ।ବାର୍ଦ୍ଧି - ସମୁଦ୍ର । ନଳ - ପଦିକା ।
୩୫ଶ ପଦ :- ବର୍ତ୍ତମାନ ପର୍ବତସମୂହ ବୁହାଇ ଆଣି ନଳ ହାତରେ ଛୁଆଁଇ ସୁମଦ୍ରରେ ପକାନ୍ତୁ । ନଳ (ପଦିକା) ଦ୍ୱାରା ଜମିର ପରିମାଣ କଳନା କଲାପରି, ସମୁଦ୍ରର କଳନା କରିବାକୁ ଏ ନଳ ନାମ ବହି ଅଛନ୍ତି ।’’
ବୋଲି ପ୍ରଦକ୍ଷିଣ କରି ହୋଇଲା ଅନ୍ତର ।ବିଶ୍ୱକର୍ମା ପୁତ୍ରେ କରି ଶ୍ରୀରାମ ଆଦର ଯେ । ୩୬ ।ବ୍ୟାପି କପି ଶିଖରୀ ଉତ୍ପାଟିଲେ ଅଦ୍ଭୁତେ ।ବିଚ୍ଛନ୍ଦସୁତ ସ୍ପରଶେ ଉଦକେ ପକାନ୍ତେ ଯେ । ୩୭ ।ବଳ୍କଳ ତିଳର ଯଥା ଉଶ୍ୱାସେ ରହିଲା ।ବିଶେଷିତ ଅଦ୍ଭୁତ ଏ ସେ ସମାନେ ହେଲା ଯେ । ୩୮ ।ବିହୀନଭୀତେ ରହିଲେ ଏତେ ଗିରବର ।ବିଜେ ରାମ ଭାବେ ମେରୁ ମୁଁ ଦେବନଗର ଯେ । ୩୯ ।ବନ୍ଦନ୍ତି ସେ ଚଣ୍ଡୀ ଶମ୍ବୁଭାବି ହିମାଳୟ ।ବାସବ - ନପ୍ତା ବାତକ ଥିବାରୁ ମଳୟ ଯେ । ୪୦ ।୩୬ଶ ପଦ :- ପ୍ରଦକ୍ଷିଣ - ଭ୍ରମଣ କରି । ବିଶ୍ୱକର୍ମାପୁତ୍ର - ନଳ ।୩୬ଶ ପଦ :- ବରୁଣ ଏହା କହି ରାମଙ୍କୁ ପ୍ରଦକ୍ଷିଣ କରି ଚାଲିଗଲେ । ରାମଚନ୍ଦ୍ର ଏହା ଶୁଣି ବିଶ୍ୱକର୍ମା ପୁତ୍ର ନଳକୁ ଆଦରକଲେ ।୩୭ଶ ପଦ :- ବ୍ୟାପି – ବ୍ୟାପ୍ତହୋଇ । ଶିଖରୀ - ପର୍ବତ । ଉତ୍ପାଟିଲେ - ଉପାଡ଼ିଲେ । ବିଚ୍ଛନ୍ଦସୁତ - ନଳ । ଉଦକେ ପାଣିରେ ।୩୮ଶ ପଦ :- କଳକଳ – ଚେପା । ତିଳ - ରାଶି ।
୩୭ଶ ଓ ୩୮ଶ ପଦ :- ବାନରମାନେ ଚାରିଆଡ଼େ ବ୍ୟାପିଯାଇ ଆଶ୍ଚର୍ଯ୍ୟ ରୂପେ ପର୍ବତମାନଙ୍କୁ ଉପାଡ଼ିଲେ । ସେ ପର୍ବତକୁ ‘ବିଚ୍ଛନ୍ଦ ସୁତ’ ନଳକୁ ଛୁଆଁଇ ସମଗ୍ର ଜଳରେ ପକାନ୍ତେ, ତାହା ତିଳଚୋପାପ୍ରାୟ ଉଶ୍ୱାସ ହୋଇ ଭାସିଲା । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ ।
୩୯ଶ ପଦ :- ବୀହୀନଭୀତେ - ନିର୍ଭୟରେ । ଗିରିବର - ପର୍ବତଶ୍ରେଷ୍ଠ । ମେରୁ – ପର୍ବତବିଶେଷ । ଦେବନଗର - ଦେବତାମାନଙ୍କର ଆବାସଭୂମି ।
୩୯ଶ ପଦ :- ଏଇ ପର୍ବତମାନେ ନିର୍ଭୟରେ ରହିଲେ । ମେରୁଗିରି ଭାବିଲା, ‘‘ମୁଁ ଦେବତାମାନଙ୍କର ରହିବା ସ୍ଥାନ । ଦେବତାଙ୍କ ହିତ ପାଇଁ ଅବତୀର୍ଣ୍ଣ ହୋଇଥିବା ରାମଚନ୍ଦ୍ର ସେଠାରେ ଅଛନ୍ତି । (ସୁତରାଂ ସେ ମୋତେ ନେବାକୁ ଆଦେଶ ଦେବେ ନାହିଁ ।’’
୪୦ଶ ପଦ :- ଚଣ୍ଡୀ – ପାର୍ବତୀ, ଦୁର୍ଗା । ଶମ୍ବୁ – ମହାଦେବ । ବାସବନପ୍ତା - ଇନ୍ଦ୍ରଙ୍କର ନାତି (ଅଙ୍ଗଦ) । ବାତକ - ପବନପୁତ୍ର (ହନୁମାନ) ।
୪୦ଶ ପଦ :- ହିମାଳୟ ଭାବିଲା, ‘ରାମଚନ୍ଦ୍ର ମହାଦେବ ଓ ପାର୍ବତୀଙ୍କୁ ପୂଜା କରନ୍ତି, ମୁଁ ତ ଈଶ୍ୱର ପାର୍ବତୀଙ୍କ ବାସସ୍ଥାନ, ତେଣୁ ମୋତେ ନେବେ ନାହିଁ ।’ ବାସବ ନାତି ଅଙ୍ଗଦ ଓ ପବନପୁତ୍ର ହନୁମାନ ଥିବାରୁ ମଳୟପର୍ବତ ବିଚାର କଲା, ମୁଁ ଇନ୍ଦ୍ର ଓ ପବନର କ୍ରୀଡ଼ାସ୍ଥାନ, ତେଣୁ ମୋତେ ନେବେ ନାହିଁ ।
ବ୍ରହ୍ମାପୁତ୍ର ଅଶ୍ୱନୀକୁମାର ସୁତ ସ୍ଥିତ ।ବିଧୀରକୁ ତେବ ଗନ୍ଧମାର୍ଦନ ଏ ସତ ଯେ ।୪୧।ବିଭୀଷଣ ଭେଟିଅଛି କଇଳାସ ସ୍ଥିର ।ବିଦୃଶ୍ୟତା ଭାବି ଲୋକାଲୋକ ମହୀଧର ଯେ ।୪୨।ବିବେକ ଏ ଚିତ୍ରକୂଟ ମାଲ୍ୟବନ୍ତ କରେ ।ବିଳସି ରାଘବ ଯାଇଛନ୍ତି ଆମ୍ଭପରେ ଯେ ।୪୩।ବିନ୍ଧ୍ୟ ମନ୍ଦର ସଭୟ ଅଛି ରବିସୁତ ।ବିଚାରିଲେ ଏହି ବିଧି ପର୍ବତ ବହୁତ ଯେ ।୪୪।ବାମେ ଛୁଉଁ ବାମ ହେଉଁ ମାରୁତିକି ବୋଧି ।ବନ୍ଧ ପଡ଼ିବାରେ ଶୋଭା ହୋଇଲା ବାରିଧି ଯେ ।୪୫।୪୧ଶ ପଦ :- ବ୍ରହ୍ମାପୁତ୍ର - ଜାମ୍ବବାନ୍ । ଅଶ୍ୱିନୀକୁମାରସୁତ – ସୁଷେଣ । ବିଧୀରକୁ - ଚଞ୍ଚଳତାକୁ ।
୪୧ଶ ପଦ :- ବ୍ରହ୍ମାପୁତ୍ର ଜାମ୍ବବାନ ଓ ଅଶ୍ୱିନୀ କୁମାରସୁତ ସୁଷେଣ ଥିବାରୁ ଗନ୍ଧମାର୍ଦନ ଚଞ୍ଚଳତାକୁ ତ୍ୟାଗ କଲା । (ଗନ୍ଧମାର୍ଦନ ବ୍ରହ୍ମାଙ୍କର କ୍ରୀଡ଼ାସ୍ଥାନ ଓ ଅଶ୍ୱିନୀକୁମାରଙ୍କ ଔଷଧ ବନ, ତେଣୁ ସେ ଭୟ ତ୍ୟାଗ କଲା ।
୪୨ଶ ପଦ :- ବିଦୃଶ୍ୟଣା - ଯାହାକୁ କେହି ଦେଖି ପାରନ୍ତି ନାହିଁ । ମହୀଧର - ପର୍ବତ ।
୪୨ଶ ପଦ :- କୁବେର ଭାଇ ବିଭୀଷଣ ରାମଙ୍କୁ ଭେଟି ଥିବାରୁ କୈଳାସ ପର୍ବତ (କୁବେରଙ୍କର ଆବାସସ୍ଥାନ) ନିଶ୍ଚିତରହିଲା । ଲୋକାଲୋକ ପର୍ବତ ଅଦୃଶ୍ୟ ହୋଇରହିଥିବାରୁ ସ୍ଥିର ହେଲା ( ସେ ଭାବିଲା, ମୋତେ କେହି ଦେଖି ପାରିବେନାହିଁ) ।
୪୩ଶ ପଦ :- ବିବେକ - ଜ୍ଞାନ । ବିଳସି - କ୍ରୀଡ଼ା କରି ।
୪୩ଶ ପଦ :- ଚିତ୍ରକୂଟ ଓ ମାଲ୍ୟବନ୍ତ ପର୍ବତ ବିଚାରକଲେ, ‘ରାମଚନ୍ଦ୍ର ଆମ୍ଭ ଉପରେ ବିହାର କରି ଯାଇ ଅଛନ୍ତି । ତେଣୁ ଆମ୍ଭଙ୍କୁ ଉପାଡ଼ିବେ ନାହିଁ ।’
୪୪ଶ ପଦ :- ରବିସୁତ - ସୁଗ୍ରୀବ । ବିଧି - ନିୟମ ।
୪୪ଶ ପଦ :- ସୂର୍ଯ୍ୟପୁତ୍ର ସୁଗ୍ରୀବ ଥିବାରୁ ବିନ୍ଧ୍ୟ ଓ ମନ୍ଦରପର୍ବତ ଦୁହେଁ ଉପଯୁକ୍ତ ହେଲେ । (ବିନ୍ଧ୍ୟ ଓ ମନ୍ଦର ପର୍ବତ ଦୁହେଁ ପରଷ୍ପରରେ ବିବାଦୀ ହୋଇ ସୂର୍ଯ୍ୟଙ୍କୁ ଗତି ପଥ ବନ୍ଦ କରିବାଇଚ୍ଛାରେ ଶୂନ୍ୟକୁ ବଢୁଥିଲେ । ମାତ୍ର ଅଗସ୍ତ୍ୟଙ୍କ କୌଶଳରୁ ତହିଁରୁ କ୍ଷାନ୍ତ ହୋଇଥିଲେ ।ସୂର୍ଯ୍ୟପୁତ୍ର ସୁଗ୍ରୀବ ଥିବାରୁ ସେ ଭୟ କଲେ, ଏ କାଳେ ପିତ୍ରାଶତ୍ରୁ ଭାବି ଆମ୍ଭଙ୍କୁ ଉପାଡ଼ି ନେବ) ଏହିପରି ଅନ୍ୟାନ୍ୟ ପର୍ବତମାନେ ମଧ୍ୟ ବିଚାର କଲେ ।
୪୫ଶ ପଦ :- ବାମେ – ବାମହସ୍ତରେ । ବାମ - ବିପକ୍ଷ । ମାରୁତି- ହନୁମାନ ।ବୋଧି - ଶାନ୍ତକରାଇ ।ବାରିଧି - ସମୁଦ୍ର ।
୪୫ଶ ପଦ :- ହନୁମାନ ଆଣିବା ପର୍ବତକୁ ନଳ ବାମ ହସ୍ତରେ ଛୁଇଁ ଦେବାରୁ ହନୁମାନ ତାଙ୍କର ଶତ୍ରୁତାଚରଣ କଲେ । ମାତ୍ର ରାମଚନ୍ଦ୍ର ହନୁମାନକୁ ବୋଧ କରାଇଲେ । ଏହିପରି ବନ୍ଧ ପଡ଼ିବାରୁ ସମୁଦ୍ର ସୁନ୍ଦର ଦିଶିଲା ।
ବାଲୁକା ପକାଅ ବନ୍ଧେ ରାମ ଆଜ୍ଞା ହେଲା ।ବହୁତ ନଗର ରୁଚି ଏକ ହୋଇଗଲା ଯେ ।୪୬।ବିଖ୍ୟାତ ହୋଇଲା ସେ ଆଶ୍ଚର୍ଯ୍ୟ ଜଗତରେ ।ବିଭ୍ରାଜେ କୁମ୍ଭୀର ଗତି ସେ ତଳ ଉପରେ ଯେ ।୪୭।ବାଜୀଗତାଗତ ରାଜି ହେଲା ଅତିଶୟ ।ବିଦୂର ହୋଇଲା ଯହିଁ କୁଳଟାର ଭୟ ଯେ ।୪୮।ବିଳସିତ ହୋଇଲାସୁଜାତି ଆଖୁ କରେ ।ବିଭୁ କରେ ଆଶ୍ୱାସିଲେ ପ୍ରକ୍ଷାତ ଶୁଭରେ ଯେ ।୪୯।ବିଜେ ରାମ ପ୍ରାପ୍ତି ଇଚ୍ଛା ସୁବଳୟଶୋଭୀ ।ବଳ ତେଜି କୁ-ବଳୟ ସୁବେଳକୁ ଲଭି ଯେ ।୫୦।୪୬ଶ ପଦ :- ନଗ - ପର୍ବତ । ରୁଚି - ଶୋଭା ।
୪୬ଶ ପଦ :- ବନ୍ଧ ଉପର ଅସମାନ ହୋଇଥିବାରୁ ରାମଚନ୍ଦ୍ର ଆଦେଶ ଦେଲେ, ‘‘ବନ୍ଧ ଉପରେ ବାଲି ପକାଅ’’ ବାଲି ପଡ଼ିବାରୁ ସବୁ ପର୍ବତର ଶୋଭା ଏକ ହୋଇଗଲା (ସବୁ ସମାନ ଦେଖାଗଲା) ।
୪୭ଶ ପଦ :- ବିଖ୍ୟାତ - ପ୍ରସିଦ୍ଧ । ଜଗତୀ - ସଂସାର ।ବିଭ୍ରାକେ - ଶୋଭାପାଏ । କୁମ୍ଭୀର - ହିଂସ୍ର ଜଳଜନ୍ତୁ ବିଶେଷ, ହସ୍ତୀ ।
୪୭ଶ ପଦ :- ପର୍ବତ ଜଳରେ ଭାସିବାରୂପ ଆଶ୍ଚର୍ଯ୍ୟ ଘଟନା ସଂସାରରେ ବିଖ୍ୟାତ ହେଲା । ସେ ବନ୍ଧର ତଳ ବାଟରେ କୁମ୍ଭୀରମାନଙ୍କର ଗତାଗତ ହେଲା ଓ ଉପରେ ହସ୍ତୀମାନଙ୍କର ଗମନାଗମନ ଶୋଭା ପାଇଲା ।
୪୮ଶ ପଦ :- ବାଜୀ -ଘୋଡ଼ା ।ଗତାଗତ - ଗମନାଗମନ । ରାଜି ମନୋହର । କୁଳଟା - ବିଟପୀ ସ୍ତ୍ରୀ ।
୪୮ଶ ପଦ :- ଅସତୀ ସ୍ତ୍ରୀମାନଙ୍କର ଯେପରି କୁଳ ବୁଡ଼ିଯିବାର ଭୟ ନ ଥାଏ, ସେହିପରି ରାମଚନ୍ଦ୍ର ବନ୍ଧଉପରେ ହାତୀ ଘୋଡ଼ାମାନଙ୍କୁ ନେବା ଆଣିବା କରିବାଦ୍ୱାରା ବନ୍ଧ ବୁଡ଼ିଯିବା ଭୟ ମନରୁ ଦୂରକଲେ ।
୪୯ଶ ପଦ :- ବିଳସିତ - ଖେଳିବା । ଆଖୁ - ଗୁଣ୍ଡୁଚିମୂଷା । କରେ - ଜଳରେ । ବିଭୁ - ପ୍ରଭୁ (ରାମଚନ୍ଦ୍ର) । କରେ – ହସ୍ତରେ । ଆଶ୍ୱାସିଲେ - ଆଉଁଷିଲେ । ପ୍ରକ୍ଷତ - ପ୍ରକାଶିତ । ଶୁଭ୍ରରେ - ଶୁକ୍ଳ ବର୍ଣ୍ଣରେ ।
୪୯ଶ ପଦ :- ଉତ୍ତମ ଜାତୀୟ ଗୁଣ୍ଡୁଚିମୂଷା ଜଳରେ ବୁଡ଼ି ବାଲିରେ ଗଡ଼ିଆସି ବନ୍ଧରେ ଝାଡ଼ିଦେବାରୁ (ଜଳରେ ବୁଡ଼ି ଦେହକୁ ଓଦା କରେ । ଓଦାଦେହରେ ବାଲିରେ ଗଡ଼ିଲେ ଦେହରେ ବାଲି ଲାଗିଯାଏ । ସେ ବାଲି ଆଣି ବନ୍ଧରେ ପକାଏ ) ରାମ ସନ୍ତୁଷ୍ଟ ହୋଇ ତା ଦେହ ହାତରେ ଆଉଁଷି ଦେଲେ, ଆଉ ମଧ୍ୟ ଉତ୍ତମ ବର ଦେଇ ‘ସୁବରଦ ଏହି ନାମରେ ପ୍ରସିଦ୍ଧି ଲଭିଲେ ।
୫୦ଶପଦ :- ସୁବଳୟଶୋଭା- ସ୍ୱର୍ଣ୍ଣକଙ୍କଣ ଶୋଭା, ସୀତା । ବଳ - ସୈନ୍ୟ । କୁ - ବଳୟ – ସୁମଦ୍ର । ସୁବେଳ– ପର୍ବତବିଶେଷ ।
୫୦ଶପଦ :- ବନ୍ଧକାମ ଶେଷ ହେବାପରେ ସ୍ୱର୍ଣ୍ଣକଙ୍କଣଶୋଭିନୀ ସୀତାଙ୍କୁ ଲଭିବା ଇଚ୍ଛାରେ ରାମ ବନ୍ଧଉପରେ ବିଜେ କଲେ । ସୈନ୍ୟସବୁ କୁବଳୟ ସମୁଦ୍ର ପାର ହୋଇ ଯାଇ ସୁବେଳ ପର୍ବତରେ ରୁଣ୍ଡ ହେଲେ । (ସୁବଳୟ ପ୍ରାପ୍ତ ହେବା ଲୋକ କୁବଳୟକୁ ତ୍ୟାଗ କରିଥାଏ ) ।
ବିସ୍ତାରେ ସ୍ୱର୍ଗ ସୁସଞ୍ଚ ଅଧିକରେ ସତ ।ବୃନ୍ଦ ବୃନ୍ଦ ରମ୍ଭା ଶତାବରୀ ଐରାବତ ଯେ ।୫୧।ବୋଲିବାରେ ହନୁମାନ ତହିଁ ଦୁର୍ଗ କରି ।ବିଲକ୍ଷିଲେ ଲଙ୍କାଗଡ଼ ପାତାଳର ପରି ଯେ ।୫୨।ଗଳି ରହିଅଛନ୍ତି ଯହିଁରେ କରି ସ୍ଥାନ ।ବିହରିତ ହୋଇଛନ୍ତି ନାଗସାରମାନ ଯେ ।୫୩।ବିଜ୍ଜ୍ୱଳିତହୋଇଅଛି ମଣି କିରଣରେ ।ବେଭାରେ ସେ ରାଜିତ ରାକ୍ଷସ ଶରଣରେ ଯେ ।୫୪।ବାର୍ତ୍ତିକ ଆସର-ଚାର ଖର ଲଙ୍କାରାଜେ ।ବିଜେ ଖରପର ଯୁକ୍ତ ଲକ୍ଷ୍ମଣ ରବିଜେ ଯେ ।୫୫।୫୧ଶପଦ :- ସୁସଞ୍ଚ – ମନୋହର । ରମ୍ଭା - କଦଳୀଗଛ, ସ୍ୱବେଶ୍ୟ । ଶତାବରୀ - ଛତୁଆରୀଗଛ, ଶଚୀ । ଐରାବତ - ସ୍ୱର୍ଗହସ୍ତୀ, ନାରଙ୍ଗଗଛ ।
୫୧ଶପଦ :- ସେ ସୁବେଳ ପର୍ବତ ସ୍ୱର୍ଗଶୋଭାଠାରୁ ଅଧିକ ସୁନ୍ଦର ଅଟେ । ସ୍ୱର୍ଗରେ ଗୋଟିଏ ରମ୍ଭା, ଗୋଟିଏ ‘ଶତାବରୀ’ ଶଚୀଦେବୀଓ ଗୋଟିଏ ଐରାବତ ଗଜ ଅଛି, ମାତ୍ର ଏ ପର୍ବତରେ ଅସଂଖ୍ୟ ‘ରମ୍ଭା କଦଳୀ ଗଛ, ବହୁତ ‘ଶତାବରୀ’ ଛତୁଆରିଗଛ ଓ ଅନେକ ‘ଐରାବତ’ ନାରଙ୍ଗ ବିଦ୍ୟମାନ ।
୫୨ଶ ପଦ :- ଦୁର୍ଗ - ଗଡ଼ । ତିଲକ୍ଷିଲେ - ଦେଖିଲେ ।
୫୨ଶ ପଦ :- ହନୁମାନ କହିବାମୁତାବକ ରାମଚନ୍ଦ୍ର ସେ ପର୍ବତରେ ଗଡ଼ କରି ତା ଉପରେ ଠିଆ ହୋଇ ଦେଖିଲେ ଯେ, ଲଙ୍କାଗଡ଼ ପାତାଳପୁର ପ୍ରାୟ ଦିଶୁଛି ।
୫୩ଶ ପଦ :- ବଳୀ - ଯୋଦ୍ଧା, ବଳିରାଜ । ନାଗସାରମାନ- ସର୍ପବିଶେଷ, ହସ୍ତୀଶ୍ରେଷ୍ଠ ।
୫୩ଶ ପଦ :- ପାତାଳରେ ବଳିରାଜା ଗୃହ କରିରହିଛନ୍ତି ଓ ଶ୍ରେଷ୍ଠ ନାଗସର୍ପମାନେ ବିହାର କରୁଅଛନ୍ତି । ସେହିପରି ଲଙ୍କାଗଡ଼ରେ ବଳିଷ୍ଠ ଲୋକମାନେ ବାସ କରି ଅଛନ୍ତି ଏବଂ ଶ୍ରେଷ୍ଠ ହସ୍ତୀସବୁ କ୍ରୀଡ଼ା କରୁଅଛନ୍ତି ।
୫୪ଶ ପଦ :- ବିଜ୍ୱଳିତ - ଦୀପ୍ତି ମନ୍ତ । ମଣି - ରତ୍ନବିଶେଷ । କିରଣରେ – ତେଜରେ । ବେଭାରେ- ପ୍ରକୃତରେ । ରାଜିତ- ଶୋଭିତ ।
୫୪ଶ ପଦ :- ପାତାଳପୁରସର୍ପଙ୍କମଣି କିରଣରେ ପ୍ରଦୀପ୍ତ ହୋଇଅଛି । ପୁଣି ସେ ପୁର ରାକ୍ଷସମାନଙ୍କ ଶରଣ ରକ୍ଷା କରି ଶୋଭା ପାଇଥାଏ । ସେହିପରି ଏ ଲଙ୍କା ରତ୍ନମାନଙ୍କ କିରଣ ପ୍ରଭାରେ ଉଜ୍ଜ୍ୱଳ ଏବଂ ରାକ୍ଷସମାନଙ୍କ ଗୃହରେ ଶୋଭିତ ହୋଇଅଛି ।
୫୫ଶ ପଦ :- ବାର୍ତ୍ତିବ - ବାର୍ତ୍ତାବହ । ଆସ - ଚୋର - ରାକ୍ଷସହିତ । ଖର –ଶୀଘ୍ର । ଖରପର - ରାମଚନ୍ଦ୍ର । ରବିଜ - ସୁଗ୍ରୀବ, ପୁର୍ବଦିଗ ।
୫୫ଶ ପଦ :- ରାମଚନ୍ଦ୍ର ସୁବେଳ ପର୍ବତରେ ଦୁର୍ଗ କରି ରହିବାର ଦେଖି ରାକ୍ଷସଦୂତ ଶୀଘ୍ର ଯାଇ ରାବଣ ଅଗ୍ରତରେ ବାର୍ତ୍ତା କହିଲା, ଲକ୍ଷ୍ମଣ ଓ ସୁଗ୍ରୀବ ସହିତ ରାମଚନ୍ଦ୍ର ଲଙ୍କାକୁ ବିଜେ କଲେ ।
ବିଧିପୂର୍ବରେ ଦକ୍ଷିଣ ପ୍ରତୀଚୀରେ ଉଜ ।ବିଦିତ ତବ ଭ୍ରାତାର ଉତ୍ତର ସହଜ ଯେ ।୫୬।ବାରତା ଶୁଣୁ ରାବଣ ତ୍ରିଜଟା ଶୁଣିଲା ।ବୈଦେହୀ ପାଶେ ବଲ୍ଲଭ ପ୍ରବେଶ କହିଲା ଯେ ।୫୭।ବ୍ୟର୍ଥଲକ୍ଷ ଦରିଦ୍ର ପ୍ରାପତ ଲକ୍ଷ ଧନ ।ବୋଲିବ ମୃତପିଣ୍ଡରେ ପ୍ରବେଶ ଜୀବନ ଯେ ।୫୮।ବିମଳକମଳନେତ୍ରୁଁ କମଳ ଜନିତବିଗତ ସେ ହେଲା ଯେଣୁ ଋଣା ଉତପାତ ଯେ ।୫୯।ବିଜନ୍ୟ ଗତି ଚଞ୍ଚଳେ କମଳ ହୋଇଲା ।ବୋଲିବାରୁ ତାହିଁ ସୁବେଳେବୋଇଲା ଯେ ।୬୦।ବଚନ ସୁଧା ସେଚନ ପରାୟେ ମଣିଲେ ।ବିମୋଚନଶୋଚନ ସୀତାର ମନୁ କଲେ ଯେ ।୬୧।ବାଞ୍ଛିଲେ ପାବନୀ ହେଉ ଚିରାୟୁଷ ହୃଦେବୀରବର ବାଷଠି ପଦରେ ଛାନ୍ଦ ଛନ୍ଦେ ଯେ ।୬୨।୫୬ଶ ପଦ :- ବିଧିପୂର୍ବରେ- ଯଥା ବିଧି । ଦକ୍ଷିଣ- ପ୍ରବୀଣ । ପ୍ରତୀଚୀ - ଚିରକାଳ, ପଶ୍ଚିମଦିଗ । ଉଜ- ସକ୍ଷମ ।
୫୬ଶ ପଦ :- ‘‘ସେ ରାମଚନ୍ଦ୍ର ନିୟମାନୁଯାୟୀ କାର୍ଯ୍ୟସବୁ ସମ୍ପାଦନ କରିବାର ବଡ଼ ଚତୁର ଏବଂ ପ୍ରତ୍ୟେକ ବିଷୟରେ ଉପଯୁକ୍ତ ବିଚାର ସହିତ ଅଗ୍ରସର ହେବାରେ ସକ୍ଷମ ଅଟନ୍ତି । ତୁମ୍ଭ ଭାଇ ବିଭୀଷଣର କଥାନୁସାରେ ସେ ଅନାୟାସରେ ଏଠାକୁ କ୍ଷମ ହୋଇ ଅଛନ୍ତି ।’’ (୫୫ଶ ଓ ୫୬ଶ ପଦଦ୍ୱୟରେ ବର୍ଣ୍ଣନା ବ୍ୟାଜରେ ଚାରିଦିଗର ବ୍ୟବହାର କରାଯାଇଅଛି ।)
୫୭ଶ ପଦ :- ବୈଦେହୀ ସୀତା ।ବଲ୍ଳଭ - ସ୍ୱାମୀ ।
୫୭ଶ ପଦ :- ରାବଣ ଚାରି ମୁଖରୁ ଏପରି ବାର୍ତ୍ତା ଶୁଣିବା ସମୟରେ ତ୍ରିଜଟା ତାହା ଶୁଣିପାରିଲା । ସେ ଯାଇ ସୀତାଙ୍କ ଆଗରେ କହିଲା, ‘‘ତୁମ୍ଭପତି ପ୍ରବେଶ ହେଲେ ।’’
୫୮ଶ ପଦ :- ତାହା ଶୁଶି ସୀତା ଯେପରି ଆନନ୍ଦିତା ହେଲେ, ତାକୁ ‘ଦରିଦ୍ର ଲୋକ ଧନ ପ୍ରାପ୍ତି ହେଲା’ ଏ ଲକ୍ଷ ବ୍ୟର୍ଥ ହୋଇଯିବ । ମୃତପିଣ୍ଡରେ ଜୀବନ ପ୍ରବେଶ ହେଲା - ଏହା ବରଂ କହିବା ଠିକ୍।
୫୯ଶ ପଦ :- ବିମଳ - ନିର୍ମଳ ।କମଳନେତ୍ରୁଁ - ପଦ୍ମନୟନରୁ । କମଳ - ଜଳ । ବିଗତ - ବିଦୁରିତ ।
୫୯ଶ ପଦ :- ସୀତାଙ୍କର ନିର୍ମଳ ନ ପଦ୍ମନେତ୍ରରୁ ଜାତ ହେଉଥିବା ଲୋତକ ଜଳ ଦୂରହେଲା, ପୁଣି ରାକ୍ଷସୀମାନଙ୍କର ଉପଦ୍ରବ ଶାନ୍ତ ହେଲା । (ଭୟରେ ରାକ୍ଷସୀମାନେ ଆଉ ବେଶି ଉତ୍ପାତ କଲେ ନାହିଁ ) ।
୬୦ତମ ପଦ :- ବିଜନ୍ୟ- ଜାତ । କମଳ - ମୃଗ ।
୬୦ତମ ପଦ :- ରାମଚନ୍ଦ୍ରଙ୍କ ସମ୍ବାଦ ପାଇ ସୀତାଙ୍କ ନେତ୍ର ତାଙ୍କୁ ଦର୍ଶନ କରିବା ପାଇଁ ଅସ୍ଥିର ହୋଇ ମୃଗପରି ଚଞ୍ଚଳ ଗତିକୁ ବିହିଲା (ସେ ଏଣେ ତେଣେ ଘନ ଘନ ଚାହିଁବାକୁ ଲାଗିଲେ) । ଉତ୍କଣ୍ଠାରେ ସେ ପଚାରିଲେ, ‘‘ରାମ କାହାନ୍ତି?’’ ତ୍ରିଜଟା ଉତ୍ତର ଦେଲା, ‘‘ସୁବେଳ ପର୍ବତରେ ବିଜେ କରି ଅଛନ୍ତି ।’’
୬୧ତମ ପଦ :- ସାଧାସେଚନ - ଅମୃତସେଚନ ।ବିମୋଚନ - ତ୍ୟାଗ ।୬୧ତମ ପଦ :- ତ୍ରିଜଟାର ବାକ୍ୟ ସୀତାଙ୍କୁ ଅମୃତ ସେବନ ପ୍ରାୟ ବୋଧ ହେଲା ଏବଂ ତାଙ୍କ ମନରୁ ଶୋକ ଦୂର ହେଲା ।୬୨ତମ ପଦ :- ପାବନୀ - ହନୁମାନ । ଚିରାୟୁଷ - ଦୀର୍ଘାୟୁ ।୬୨ତମ ପଦ :- ‘ହନୁମାନ ଚିରଂଜୀବୀ ହେଉ’ ସୀତା ହୃଦୟରେ ଏହି କଲ୍ୟାଣ ମନାସିଲେ । ବୀରବର ଏ ଛାନ୍ଦକୁ ବାଷଠି ପଦରେ ଛନ୍ଦିଲେ ।ଏକଚତ୍ୱାରିଂଶ ଛାନ୍ଦରାଗ-ବିଚିତ୍ର ଦେଶାକ୍ଷବୋଧତ୍ରବ୍ୟାଦେଶ ଶ୍ରୀରାମ ସନ୍ଦେଶ ପାଇଣସ୍ୱଦେଶ ଜନ ।ବାହାର ବିହାର ନ କରାଇ ସାଜି ଯୁଦ୍ଧ ଉପଚାର ମାନ ସେ ।ବିଭାବରୀ ପ୍ରବେଶରେ । ବଳ କଳା ଆଦେଶରେ ହେ ।୧।ବେନି ମନ୍ତ୍ରୀ ପେଷେ ସେ ମର୍କଟବେଶେ ପ୍ରକଟ ସେ ସୈନ୍ୟ ଯାଇବିଚେତନ ବୀର ମୁକୁଟ-ରତନ ଏଣାଜିନ ଶେଯେ ଶୋଇ ସେ ।ବସି ଲକ୍ଷ୍ମଣ ସମୀପେ ! ବିବିରାଜେ ମାର୍ଗଣ ଚାପେ ହେ ।୨।ବିଚାରେ ସୁଗ୍ରୀବ ଜମ୍ବବସୁଷେଣ ଲଙ୍କା ଜୟ କରିବାରେ ।ବାଜଣା ଦିଆଇ ବୁଲେ ବିଭୀଷଣ ଜଣାଗଲେ ସେହିଠାରେ ସେ ।ବନ୍ଧାଇ ରଖିଲା ସେହି । ବାସର ପ୍ରବେଶ ତହିଁ ହେ ।୩।ବିଜେ ସଭା କରି ଅରି କରୀ ହରୀଶେ ଦେଇଣ ଶିର ।ବାଳିସୁତ ପର କର ହନୁମାନ ମର୍ଦ୍ଦନ କରେ ପୟର ସେ ।ବେଳ ଭଲ ଭିଲ୍ଲମନ୍ତ୍ରୀ । ବ୍ୟବସ୍ଥିତରେ କହନ୍ତି ସେ ।୪।ବିଶିଖ ସଳଖେ ଲକ୍ଷ୍ମଣ ଚରମେ ବନ୍ଦିରେ ଦତ୍ତ ଈକ୍ଷଣ ।ବାଣେ ଦେଖନ୍ତି ରାବଣ ବଧ ଏଣେକର୍ଣ୍ଣେ କହେ ବିଭୀଷଣ ସେ ।ବୈଦେହୀସମୀପେ ମନ । ବିଧାନ ଅଷ୍ଟବିଧାନ ହେ ।୫।୧ମ ପଦ :- କ୍ରବ୍ୟାଦେଶ – ରାକ୍ଷସରାଜ । ସନ୍ଦେଶ - ବାର୍ତ୍ତା । ବିଭାବରୀ - ରାତ୍ରି । ବଳ - ସୈନ୍ୟ ।୨ୟ ପଦ :- ବିଚେତନ - ସଂଜ୍ଞାହୀନ, ଚେତାଶୂନ୍ୟ । ବୀରମୁକୁଟରତନ - ରାମଚନ୍ଦ୍ର ।ଏଣାଜିନ - ମୃଗଚର୍ମ । ମାର୍ଗଣ-ଶର ।
୧ମ ଓ ୨ୟ ପଦ :- ରାକ୍ଷସେନ୍ଦ୍ର ରାବଣ ଶ୍ରୀରାମ ଆସିବା ବାର୍ତ୍ତା ପାଇ ଆପଣା ରାଜ୍ୟ ଲୋକଙ୍କୁ ବାହାରେ ବୁଲା ବୁଲି କରିବା ବନ୍ଦ କରାଇଦେଲା ଓ ଯୁଦ୍ଧର ଉପକରଣମାନ ସଜକଲା । ରାତ୍ର ପ୍ରବେଶ ହେବାରୁ ରାମଙ୍କ ସୈନ୍ୟ କଳନା କରିବା ପାଇଁ ଶୁକ ସାରଣ ନାମକ ମନ୍ତ୍ରୀଦ୍ୱୟଙ୍କୁ ପଠାଇଲା । ସେ ମନ୍ତ୍ରୀଦ୍ୱୟବାନରରୂପରେ ରାମଙ୍କ କପିସୈନ୍ୟ ମଧ୍ୟରେ ଯାଇ ମିଳିଲେ । ଦେଖିଲେ ବୀରଶ୍ରେଷ୍ଠ ରାମ ଅଚେତନ ହୋଇ ମୃଗ ଚର୍ମରେ ଶୋଇଅଛନ୍ତି । ତାଙ୍କ ପାଖରେ ଧନୁଶର ଧରି ଲକ୍ଷ୍ମଣ ବସିଅଛନ୍ତି ।
୩ୟ ପଦ :- ବାସର - ଦିବସ ।
୩ୟ ପଦ :- ସୁଗ୍ରୀବ ଦୁଇ ମନ୍ତ୍ରୀ ଜାମ୍ବବ ଓ ସୁଷେଣଙ୍କୁ ଘେନି ଲଙ୍କା ଜୟ କରିବା କଥା ବିଚାରୁଛନ୍ତି । ବିଭୀଷଣ ବାଦ୍ୟକାରଙ୍କ ହସ୍ତରେ ବାଦ୍ୟ ବଜାଇ ସୈନ୍ୟ ମଧ୍ୟରେ ବୁଲୁ ଅଛନ୍ତି । ସେହିଠାରେ ଶୁକ ସାରଣ ମନ୍ତ୍ରୀଦ୍ୱୟ ଚିହ୍ନା ପଡ଼ିଲେ । ବିଭୀଷଣ ତାଙ୍କୁ ଚିହ୍ନି ବନ୍ଧାଇ ରଖିଲେ । କ୍ରମେ ରାତ୍ରି ଶେଷ ହେବାରୁ ଦିବସ ଉପସ୍ଥିତ ହେଲା ।
୪ର୍ଥ ପଦ :- ଅରି - ଶ୍ରୁ । କରୀ -ହସ୍ତୀ । ହରି - ସିଂହ ।ହରୀଶ- ସୁଗ୍ରୀବ ।ବାଳିସ୍ତୁତ-ଅଙ୍ଗଦ । ପୟର - ପାଦ ।ଭଲ୍ଲମନ୍ତ୍ରୀ - ଜାମ୍ବବାନ୍। ବ୍ୟବସ୍ଥିତ - ନିର୍ଦ୍ଧାରିତା ।
୪ର୍ଥ ପଦ :- ଶକ୍ରରୂପ ହସ୍ତୀ ପଲରେ ସିଂହସମ ରାମଚନ୍ଦ୍ର ସୁଗ୍ରୀବଙ୍କ ଉପରେ ମସ୍ତକ ରଖି ଅଙ୍ଗଦ ଉପରେ ହାତ ଭାରା ଦେଇ ଆଉଜି ବସି ଅଛନ୍ତି । ହନୁମାନ ନିଜ କରରେ ଚରଣଦ୍ୱୟ ମର୍ଦ୍ଦନ କରୁଅଛି । ଭଲ୍ଲୁକ ମନ୍ତ୍ରୀ ଜାମ୍ବବାନ ଉତ୍ତମ ସମୟ ବୁଝି କହୁଅଛନ୍ତି ।
୫ମ ପଦ :- ବିଶିଖ -ଶର । ଚରମେ - ପୃଷ୍ଠ ଦେଶରେ । ବନ୍ଦିରେ-ବନ୍ଧନ ହୋଇଥିବା । ଈକ୍ଷଣ - ଚକ୍ଷୁ ।
୫ମ ପଦ :- ଲକ୍ଷ୍ମଣ ପିଠି ପାଖରେ ବସି ବାଣ ସଳଖୁଅଛନ୍ତି । ରାମଚନ୍ଦ୍ର କଟାକ୍ଷରେ ତାହା ଦେଖି ଓ ବନ୍ଧନରେ ଥିବା ଶୁକ ସାରଣମନ୍ତ୍ରୀଦ୍ୱୟକୁ ଚାହିଁ ବ୍ରହ୍ମାସ୍ତ୍ର ଦେଖାଇ କହୁଅଛନ୍ତି, ‘ଏହି ବାଣରେ ରାବଣ ବିନାଶ ହେବ । ବିଭୀଷଣ କର୍ଣ୍ଣରେ କହୁଥିବା ଗୁପ୍ତ କଥାମାନଙ୍କ ପ୍ରତି କର୍ଣ୍ଣ ଡେରିଅଛନ୍ତି । ସୀତାଙ୍କ ନିକଟରେ ମନ ସର୍ବଦା ଟାଣି ହୋଇ ରହିଅଛି । ବିଧାତା ରାମଚନ୍ଦ୍ରଙ୍କୁ ଏହିପରି ଅଷ୍ଟାବଧନୀ (ଯେ ଏକ ସମୟରେ ଆଠ ପ୍ରକାର କାର୍ଯ୍ୟ କରି ପାରନ୍ତି ) ଲକ୍ଷ୍ମଣ ପ୍ରଦାନ କରିଅଛି ।
ବଧ ନ କରି ବରଦ ହେଲେ ବେଗ ରଚନ ରାମ ବଚନ ।ବିଭୀଷଣ ସଙ୍ଗେ ରଙ୍ଗେ ମନ୍ତ୍ରୀପଣେ ବେନି ଜନେ ହରି ଦିନ ସେ ।ବନ୍ଧନମୁକ୍ତ ଓଳଗେ । ବାହୁଡ଼େ ଲଙ୍କାକୁ ବେଗେ ହେ ।୬।ବୃଥା କଲା ଦଶମଥା ତାଙ୍କ କଥା ଭଲ ସେହି ଭଲ୍ଲ ହେଲା ।ବ୍ୟଥା ହୃଦୟରେ ଉଦୟ ତକ୍ଷଣ ଶାଦ୍ଦୂଳକୁ ବରଗିଲା ସେ ।ବିହି ଅଞ୍ଜନ ଘେନିଲା । ବରଣେ ଉଠି ଚାହିଁଲା ହେ ।୭।ବିଲୋକନ କରି ବାହୁଡ଼ି କହିଲା ଭୁଲୋକ ବ୍ୟାପିତ କପି ।ବୋଇଲା ରାବଣ ଇନ୍ଦ୍ରଜାଲ ମାୟାଶିକ୍ଷା କରିଥିବ ତପୀ ସେ ।ବଚନରେ ଭାଙ୍ଗି ଦୂତ । ବିଭୋ ! ମିଥ୍ୟା ନୁହେ ସତ ହେ ।୮।ବୀରତରୁ ସମ ସାମାନ୍ୟ ବାନର ଗିରୀଷମ ଗିରିସମ ।ବଡ଼ବଡ଼ ଯେହି ଯୁଥପତି ସେହି କୋପ-ଅନଳ ଜନମ ସେ ।ବୋଲେ ଦଶାସ୍ୟ ତୁ କବି । ବକ୍ଷୋରୁହେ ମେରୁ ଭାବି ହେ ।୯।ବଡ଼-ଭୀ ହୃଦେ ଜନିତ ବ୍ୟାଜଦମ୍ଭବଡ଼ଭୀ ଯାଇ ଆରୋହି ।ବିମ୍ବ ଚନ୍ଦ୍ର ବିମ୍ବ କିରଣ ଯହିଁରେ ହେଠବଦନରେ ଚାହିଁ ସେ ।ବାରିଯନ୍ତ୍ର ପରି ଯହିଁ । ବିୟତ ଗଙ୍ଗାହିଁ ବହି ହେ ।୧୦।୬ଷ୍ଠ ପଦ :- ବରଦ - ବରଦାତା । ରଙ୍ଗେ - କୌତୁକରେ । ନମସ୍କାର - କରେ ।
୬ଷ୍ଠ ପଦ :- ରାମଚନ୍ଦ୍ର ବନ୍ଦୀ ହୋଇଥିବା ଶୁକ ସାରଣଦ୍ୱୟଙ୍କୁ ବର ଦେଇ କହିଲେ, ଆନନ୍ଦରେ ଦୁଇଜଣଯାକ ବିଭୀଷଣଙ୍କର ମନ୍ତ୍ରୀରୂପେ ଦିନକାଟ ।’ ସେ ଦୁଇ ମନ୍ତ୍ରୀ ବନ୍ଧନରୁ ମୁକ୍ତ ହୁଅନ୍ତେ ରାମଙ୍କୁ ପ୍ରଣାମ କରି ଶୀଘ୍ର ଲଙ୍କାକୁ ଫେରିଗଲେ । (ରାମଚନ୍ଦ୍ର ମନ୍ତ୍ରୀଦୁହିଁଙ୍କୁ ବନ୍ଧନରୁ ଫିଟାଇ ବର ଦେଲେ ‘ରାବଣ ମଲେ ଲଙ୍କାରେ ବିଭୀଷଣ ରାଜା ହେବେ, ସେତେବେଳେ ତୁମ୍ଭେ ତାଙ୍କର ମନ୍ତ୍ରୀ ହେବ) ।
୭ମ ପଦ :- ଦଶମଥା -ରାବଣ । ଭଲ୍ଲ - ଅସ୍ତ୍ରବିଶେଷ । ଶାର୍ଦ୍ଦୁଳ - ରାବଣର ମନ୍ତ୍ରୀ ବିଶେଷ । ବରଗିଲା - ପଠାଇଲା । ବରଣେ-ପ୍ରାଚୀରରେ ।
୭ମ ପଦ :- ମନ୍ତ୍ରୀଦ୍ୱୟ ରାବଣ ଆଗରେ ଯାଇ ରାମଙ୍କ କଥା କହିବାରୁ ରାବଣ ତାଙ୍କ କଥା ମିଥ୍ୟା ବୋଲି ମନେ କଲା । ସେହି ସତ୍ୟ କଥା ରାବଣ ହୃଦୟକୁ ଭେଲ ଅସ୍ତ୍ରପରି ବିଦ୍ଧ କଲା । ତେଣୁ ସେ ଶାର୍ଦ୍ଦୁଳ ନାମକ ରାକ୍ଷସକୁ ପଠାଇଲା । ସେ ଶାର୍ଦ୍ଦୁଳ ବ୍ରହ୍ମଦତ୍ତ ଅଞ୍ଜନକୁ ନେତ୍ରରେ ଲଗାଇ ପାଚେରୀ ଉପରେ ଉଠି ଚାହିଁଲ । (ସେ ଅଞ୍ଜନ ନେତ୍ରରେ ଘେନିଲେ ଚଉଦଭୁବନ ସ୍ପଷ୍ଟରୂପେ ଦେଖାଯାଏ ।)
୮ମ ପଦ :- ସେ ଶାର୍ଦ୍ଦୁଳ ରାକ୍ଷସ ରାମଙ୍କ ସୈନ୍ୟ ଦେଖି ଫେରିଯାଇ କହିଲା, ‘କପି ସୈନ୍ୟ ମର୍ତ୍ତ୍ୟଲୋକ ବ୍ୟାପି ରହିଅଛନ୍ତି ।’’ ଏହା ଶୁଣି ରାବଣ କହିଲା, ‘‘ରାମଚନ୍ଦ୍ର ସନ୍ନ୍ୟାସୀ, ସେ ଇନ୍ଦ୍ରଜାଲ ମାୟା ଶିକ୍ଷା କରିଥିବ ।’’ ତେଣୁ ତୋତେ ଏତେ କପି ଦେଖାଗଲେ ) । ଉତ୍ତରରେ ଶାର୍ଦ୍ଦୁଳ ସେ କଥା ଭାଙ୍ଗିଦେଇ କହିଲା, ‘‘ନା ପ୍ରଭୁ ! ମୋ କଥା ମିଥ୍ୟା ନୁହେଁ, ସମ୍ପୁର୍ଣ୍ଣ ସତ୍ୟ ।’’
୯ମ ପଦ :- ବୀରତରୁ- ଅର୍ଜ୍ଜୁନ ବୃକ୍ଷ । ଗିରୀଷମ – ଗ୍ରୀଷ୍ମକାଳ । ଗିରିସମ - ପର୍ବତ ସମାନ । ଦଶାସ୍ୟ – ରାବଣ । ବକ୍ଷୋରୁହ - ସ୍ତନ ।
୯ମ ପଦ :- ‘‘ସାମାନ୍ୟ କପିମାନେ ଅର୍ଜ୍ଜୁନ ବୃକ୍ଷ ସମାନ ଦେଖା ଯାଉଅଛନ୍ତି । ତାଙ୍କ ମଧ୍ୟରେ ଯେଉଁ ବଡ଼ କପିମାନେ ଯୁଥପତି ହୋଇଛନ୍ତି, ସୋମନେ ପର୍ବତ ପ୍ରାୟ ଅଟନ୍ତି । ଗ୍ରୀଷ୍ମ ସମୟରେ ପର୍ବତରୁ ଅନଳ ଜାତ ହେଲାପରି, ସେମାନଙ୍କଠାରୁ କ୍ରୋଧାନଳ ଜନ୍ମୁଅଛି ।’’ ଏହା ଶୁଣି ରାବଣ କହିଲା, ‘‘ତୁ ତ ଗୋଟିଏ କବି । କବିମାନେ ସ୍ତନକୁ ମେରୁପର୍ବତ ବୋଲି ବର୍ଣ୍ଣନା କଲାପରି ତୁ ବର୍ଣ୍ଣନା କରୁଅଛୁଁ ।’’
୧୦ମ ପଦ :- ବଡ଼ଭୀ – ଅତିଭୟ । ବ୍ୟାଜଦ୍ୱୟ –କପଟଦମ୍ଭ । ବଡ଼ମ୍ଭୀ- ଚନ୍ଦ୍ରଶାଳାପୁର-। ଆରୋହି – ଚଢ଼ି । ବିମ୍ବ – ଦର୍ପଣ । ହେଠ ବଦନରେ - ଅବନତ ମୁଖରେ । ବିୟତଗଙ୍ଗା - ସ୍ୱର୍ଗଗଙ୍ଗା ।
୧୦ମ ପଦ :- ରାବଣର ମନରେ ବଡ଼ ଭୟ ଜାତ ହେଲା, ମାତ୍ର ପ୍ରକାଶ୍ୟରେ କପଟ ଧୈର୍ଯ୍ୟ ଦେଖାଇ ଚନ୍ଦ୍ରଶାଳା ଗୃହ ଉପରେ ଯାଇ ଆରୋହଣ କଲା । ସେହି ଚନ୍ଦ୍ରଶାଳାପୁର ଏତେ ଉଚ୍ଚ ଯେ, ସେଠାରେ ରହିଲେ ଚନ୍ଦ୍ର ମଣ୍ଡଳକୁ ଦର୍ପଣ ପ୍ରାୟ କରି ଅଧୋମୁଖରେ ଚାହିଁବାକୁ ହୁଏ ଓ ସ୍ୱର୍ଗଗଙ୍ଗାର ପ୍ରବାହ ସେଠାରେ ଜଳଯନ୍ତ୍ର ପ୍ରାୟ ପ୍ରବାହିତ ହୁଏ । (ଚନ୍ଦ୍ରଶାଳାପୁର ଚନ୍ଦ୍ରମଣ୍ଡଳର ଉପରେ ଓ ସ୍ୱର୍ଗଗଙ୍ଗାର ପାର୍ଶ୍ୱରେ ଅବସ୍ଥିତ ) ।
ବିତାନର ମୋତିପନ୍ତି ତାର ତାର ଉଦୟ ଯା ମଧ୍ୟପୁରେ ।ବିଭାବସୁ ଫେର ଗତି କରି ମେରୁପ୍ରଦକ୍ଷିଣ ପରକାରେ ସେ ।ବସି ତହିଁ ଅନାଇଲା । ବେଗେ ଦୃଷ୍ଟି ମନାଇଲା ହେ ।୧୧।ବିଶ୍ମସୃକ ବିଶ୍ୱଯାକ ଏକ ପଟ୍ଟ କରି କି କଲା ଚିତ୍ରିତ ।ବଦନ କଳା ଧଳା ରଙ୍ଗେ ରଞ୍ଜିତବାନରେ ଯେଣୁ ପୂରିତ ସେବିସ୍ମୟେ ନିଶ୍ୱାସସାନ୍ଦ୍ର । ବିଚାରେ ରାକ୍ଷସ ଇନ୍ଦ୍ର ହେ ।୧୨।ବୋଲି ଉତ୍ତର ଦ୍ୱାରମୋର ପଶ୍ଚିମେ ରଖିଲା ଇନ୍ଦ୍ରଜିତକୁ ।ବଜ୍ରଦଂଷ୍ଟ୍ରକୁ ନିବେଶିଲା ପୂର୍ବରେ ଦକ୍ଷିଣରେ ପ୍ରଶସ୍ତକୁ ସେ ।ବାଛି ଯେ ଯାହାର ପ୍ରୀତି । ବାଣ୍ଟିନେଲେ ସୈନ୍ୟପନ୍ତି ହେ ।୧୩।ବାଜୀ ରଥ ଗଜ ସାଜି ଆରୋହିରେ ମନକୁ ହୃଷ୍ଟ କୁମାରେ ।ବାଣ ଶରାସନ ଖଡ଼୍ଗ ଚକ୍ର ଗଦା ତ୍ରିଶୂଳ ପରିଘ କରେ ସେ ।ବଳିଦିଗକୁ ଉପର । ବରିବା କରି ବିଚାର ହେ ।୧୪।ବାହାରି ଧୂନ୍ୟ ହୋଇଣ ଋକ୍ଷ ସୈନ୍ୟ ଯାଇ ପୁଣ୍ୟଜନ ପୁର ।ବେଢ଼ିଏ ସମୟେ ଯଥା ହିମାଳୟେ ଅଧୋଭାଗେ ଜଳଧର ସେ ।ବିରବପ୍ଲବଗ କରେ ବିଦିତ ଘନୋପଳରେ ହେ ।୧୫।୧୧ଶ ପଦ :- ବିତାନ - ଚାନ୍ଦୁଆ । ତାର - ଉଜ୍ଜ୍ୱଳ । ତାର -ନକ୍ଷତ୍ର । ବିଭାବସୁ- ସୂର୍ଯ୍ୟ । ପ୍ରଦିକ୍ଷଣ - ବୁଲିବା ।
୧୧ଶ ପଦ :- ଆକାଶର ଉଜ୍ଜ୍ୱଳ ନକ୍ଷତ୍ରମାଳା ଯେଉଁ ଚନ୍ଦ୍ରଶାଳା ପୁରର ମଧ୍ୟଭାଗରେ ଟଙ୍ଗା ହୋଇଥିବା ଚାନ୍ଦୁଆର ମୋତିମାଳା ପ୍ରାୟ ଦେଖାଯାଏ । ମେରୁ ପ୍ରଦକ୍ଷିଣ କଲାପରି ସୂର୍ଯ୍ୟ ଯେଉଁ ପୁରକୁ ବୁଲି ବକ୍ରଭାବରେ ଗତି କରନ୍ତି, ସେହି ପୁରରେ ବସି ରାବଣ ଶୀଘ୍ର କପିସୈନ୍ୟଙ୍କ ପରେ ଦୃଷ୍ଟି ରଖି ମନକୁ ବୋଧ ଦେଲା ।
୧୨ଶ ପଦ :- ବିଶ୍ୱସୃକ - ବିଧାତା । ବିଶ୍ୱଯାକ - ସଂସାରଯାକ । ପଟ୍ଟା - ଚିତ୍ରପଟ । ରଞ୍ଜିତ - ଚିତ୍ରିତ । ସାନ୍ଦ୍ର - ଘନ । ରାକ୍ଷସଇନ୍ଦ୍ର - ରାବଣ ।
୧୨ଶ ପଦ :- କଳା, ଧଳା; ଲାଲ ବର୍ଣ୍ଣରେ ରଞ୍ଜିତ ମୁଖବିଶିଷ୍ଟ ବାନରଙ୍କ ଦ୍ୱାରା ପୃଥିବୀ ପୂର୍ଣ୍ଣ ହୋଇଥିବାର ଦେଖି ରାବଣ ବିଚାର କଲା, ‘‘ବିଧାତା ସଂସାରଯାକ ଗୋଟିଏ ପ୍ରକାର ଚିତ୍ରପଟ କରି ଚିତ୍ରିତ କଲା କି ? (ସଂସାରଯାକ କେବଳ କଳା, ଧଳା, ଲାଲମୁଖ ବାନର ବ୍ୟତୀତ ଆଉ କିଛି ଦିଶୁ ନାହିଁ) ।’’ ଏହା ଭାବିଲାକ୍ଷଣି ବିସ୍ମୟରେ ତାହାର ନିଃଶ୍ୱାସ ଘନ ଘନ ରହିବାକୁ ଲାଗିଲା !
୧୩ଶ ପଦ :-ସେଠାରୁ ଫେରିଆସି ରାବଣ ‘‘ଉତ୍ତରଦ୍ୱାର ମୋର ହେଲା’’ କହି ପଶ୍ଚିମ ଦ୍ୱାରରେ ଇନ୍ଦ୍ରଜିତକୁ ରଖିଲା । ପୂର୍ବ ଦ୍ୱାରରେ ବଜ୍ରଦଂଷ୍ଟ୍ରକୁ ସ୍ଥାପି ଦକ୍ଷିଣ ଦ୍ୱାରରେ ପ୍ରଶସ୍ତକୁ ଜଗାଇଲା । ଯେ ଯାହାର ପ୍ରିୟ ଲୋକମାନଙ୍କୁ ବାଛି ନେଲେ ଓ ସୈନ୍ୟସମୂହ ଭାଗ କରିନେଲେ ।
୧୪ଶ ପଦ :-ବାଜି-ଅଶ୍ୱ । କୁମାରେ-ପୁତ୍ରମାନେ । ଶରାସନ-ଧନୁ । ବଳିଦିଗକୁ-ପାତାଳପୁରକୁ ।
୧୪ଶ ପଦ :-ରାବଣର ପୁତ୍ରମାନେ ହୃଷ୍ଟହୋଇ ନିଜ ଇଚ୍ଛାନୁସାରେ ଘୋଡ଼ା, ରଥ, ହସ୍ତୀ ସଜ କରି ଆରୋହଣ କଲେ । ପୁଣି ସେମାନେ ଧନୁଶର, ଖଡ଼୍ଗ, ଚକ୍ର, ଗଦା, ତ୍ରିଶୂଳ, ପରିଘ ହସ୍ତରେ ଧରି ‘ପାତାଳକୁ ଉପରକୁ କରିଦେବା ଅର୍ଥାତ୍ ପୃଥ୍ୱୀକୁ ଲେଉଟାଇ ପକାଇବା’, ଏହା ଭାବି ବାହାରିଲେ ।
୧୫ଶ ପଦ :-ଧନ୍ୟ-କମ୍ପମାନ । ଋକ୍ଷସୈନ୍ୟ-ବାନରସୈନ୍ୟ । ପୁଣ୍ୟଜନପୁର-ଲଙ୍କାପୁର । ଜଳଧର-ମେଘ । ବିରବ-ଉଚ୍ଚଶବ୍ଦ । ପ୍ଳବଣ-ମର୍କଟ, ବେଙ୍ଗୀ । ଘନୋପଳ-କୁଆପଥର ।
୧୫ଶ ପଦ :- ଏ ସମୟରେ ପ୍ରଶଂସ୍ୟ ଭଲ୍ଲୁକ ସୈନ୍ୟ ବାହାର ହୋଇ ହିମାଳୟର କଟି ପ୍ରଦେଶରେ ମେଘମାଳାବେଢ଼ି ରହିଲା ପ୍ରାୟ ଲଙ୍କାପୁରର ଚତୁର୍ଦ୍ଦିଗରେ ବେଢ଼ିଗଲେ । ମେଘହେଲେ ‘ପ୍ଳବଗ’ ବେଙ୍ଗମାନେ ବିଶେଷ ଭାବରେ ଧ୍ୱନି କରନ୍ତି ପୁଣି ‘ଘନ ଉପଳ’ କୁଆପଥର ବୃଷ୍ଟିହୋଇଥାଏ, ସେହିପରି ଏଠାରେ ‘ପ୍ଳବଗ’ କପିଥାଟ ଭୟଙ୍କର ଶବ୍ଦ କଲେ ଓ ବଡ଼ବଡ଼ ପଥରମାନ ବୃଷ୍ଟି ହେଲା ।
ବାତଜ ପ୍ରଖର ଅତ୍ୟନ୍ତ ରାଜେନ୍ଦ୍ରକୋଦଣ୍ଡ ଉଦିତ ଯହିଁ ।ବିଭୀଷଣ ଡାକଚଞ୍ଚଳା ଗତିରେ ସୁମନା ପ୍ରଫୁଲ୍ଲ ତହିଁ ସେ ।ବିବେକ କର ବିଦୂଷ । ବିଜନ୍ୟ ରୂପକ ଶ୍ଲେଷ ହେ ।୧୬।ବରଗି ସୁଗ୍ରୀବ ଦକ୍ଷିଣେ, ଅଙ୍ଗଦ ପୂର୍ବେ, ମାରୁତି ପଶ୍ଚିମେ ।ବିଜେ ଉତ୍ତରେ ଆପଣେ,ଯୂଥପତି ବାଣ୍ଟି ହେଲେ ଏହି କ୍ରମେ ସେ ।ବିମାନ ଚଢ଼ି ରାବଣ । ବିହାୟସରେ ଭ୍ରମଣ ହେ ।୧୭।ବିଶେଷରେ ମଲ୍ଲି ସ୍ଫୁଟ ହୋଇଗଲା ମହାସନ୍ତାପ ସଞ୍ଚରି ।ବିଲ୍ୟନ ଜୀବନ କରି ପରା ଏ ତପ-ଆଚରଣ-ଧାରୀ ସେ ।ବକ୍ଷରେ ଯେ ମଣି ସ୍ଥିତ । ବିହ୍ୱଳେ ଏ ପାଞ୍ଚକୃତ୍ୟ ହେ ।୧୮।ବିଚାରେ ଅଶେଷ ସୈନ୍ୟ ସଞ୍ଚୟକୁ ଏହିଠାରେ ବିହିବିହି ।ବୋଲାନ୍ତି ଶାଖାମୃଗ ମୂର୍ଖ ସ୍ୱଭାବେ ଦେବପ୍ରାୟ ହୋଇମୋହି ସେ ।ବାରି ମରୀଚିକା ଦୃଶ୍ୟ । ବିଅର୍ଥ ମନୁଷ୍ୟ ବଶ ହେ ।୧୯।ବେଭାର ବୁଡ଼ା ଅନୁଜ ମୋ ମନୁଜ ଶରଣ ମାରିବି ଆଗ ।ବହନ ବହିବା ଗନ୍ଧବହ ଗଦା ହସ୍ତରୁ କଲା ପ୍ରୟୋଗ ସେ ।ବିପତିତ ଉଲ୍କାପରି । ବାୟୁପୁତ୍ର ନେଲା ଧରି ହେ ।୨୦।
୧୬ଶ ପଦ :- ବାତଜ-ବତାସ, ହନୁମାନ । ପ୍ରଖର-ଚଞ୍ଚଳ । ରାଜେନ୍ଦ୍ର କୋଦଣ୍ଡ -ଇନ୍ଦ୍ରଧନୁ, ରାମଚନ୍ଦ୍ରଙ୍କ ଧନୁ । ଉଦିତ-ପ୍ରକାଶିତ । ଚଞ୍ଚଳା-ବିଜୁଳି । ସୁମନା-ଦେବତାମାନେ, ମାଳତୀ ଫୁଲ । ବିବେକ-ଜ୍ଞାନ । ବିଦୂଷ-ପଣ୍ଡିତ । ବିଜନ୍ୟ-ଜାତ ।
୧୬ଶ ପଦ :- ବର୍ଷାକାଳରେ ଯେପରି ପ୍ରଖର ପବନ ବା ବତାସ ଜାତ ହୁଏ, ଇନ୍ଦ୍ରଧନୁ ଉଦିତ ହୁଏ, ଭୟଙ୍କର ମେଘଗର୍ଜନ ହୁଏ, ବିଜୁଳି ସଞ୍ଚାର କରେ ଓ ମାଳତୀଫୁଲ ଫୁଟେ, ସେହିପରି ସୈନ୍ୟଙ୍କ ମଧ୍ୟରେ ହନୁମାନ ଅତ୍ୟନ୍ତ ପ୍ରଖର ହୋଇଅଛି, ରାମଚନ୍ଦ୍ରଙ୍କର ଧନୁ ଉଦିତ ହୋଇଅଛି, ବିଭୀଷଣର ଡାକ ଓ ଚଞ୍ଚଳ ଚାଲି ପ୍ରକଟିତ ହେଉଅଛି ଓ ଦେବତାମାନେ ଆନନ୍ଦିତ ହେଉଅଛନ୍ତି । ହେ ପଣ୍ଡିତମାନେ । ଏଠାରେ ଜାତ ହୋଇଥିବା ରୂପକ ଓ ଶ୍ଳେଷ ଦୂର ଅର୍ଥକୁ ବିଚାର କରନ୍ତୁ ।
୧୭ଶ ପଦ :- ଶ୍ରୀରାମ ସୁଗ୍ରୀବଙ୍କୁ ଦକ୍ଷିଣାଦ୍ୱାରକୁ ପଠାଇଲେ । ପୂର୍ବଦ୍ୱାରକୁ ଅଙ୍ଗଦକୁ ଓ ପଶ୍ଚିମ ଦ୍ୱାରକୁ ହନୁମାନକୁ ପଠାଇଲେ । ଆପେ ଉତ୍ତର ଦ୍ୱାରରେ ବିଜେ କଲେ । ଏହି ପ୍ରକାର ଯୁଥପତିମାନେ ଚାରି ଦ୍ୱାରକୁ ବାଣ୍ଟି ହୋଇଗଲେ । ରାବଣ ଏହି ସମୟରେ ବିମାନରେ ବସି ଆକାଶରେ ଭ୍ରମଣକଲା ।
୧୮ଶ ପଦ :- ସ୍ଫୁଟ-ପ୍ରସ୍ଫୁଟିତ । ସନ୍ତାପ-ଗ୍ରୀଷ୍ମ ଦୁଖ, ବ୍ୟାକୁଳ । ସଞ୍ଚରି-ଭ୍ରମଣ କରି । ବିଲୀନ-ବିନାଶ, ଶୁଷ୍କ । ଜୀବନ-ପ୍ରାଣ, ଜଳ ।ତପଆଚରଣଧାରୀ-ରାମଚନ୍ଦ୍ର । ପାଞ୍ଚକୃତ-ଇଚ୍ଛାକଲା ।
୧୮ଶ ପଦ :- ରାବଣ ଶୂନ୍ୟରେ ରହି ରାମଚନ୍ଦ୍ରଙ୍କ ସୈନ୍ୟଦେଖି ବିହ୍ୱଳ ଚିତ୍ତରେ ବିଚାର କଲା, ‘ଏ ତପ’ ଆଚରଣକରୀ ରାମ ଗ୍ରୀଷ୍ମକାଳ ଜଳକୁ ଶୁଷ୍କ କଲା ପ୍ରାୟ ମୋ ପ୍ରାଣକୁ ବିନାଶ କରିବ । ବିଶେଷରେ ଗ୍ରୀଷ୍ମ କାଳରେ ମଲ୍ଲୀଫୁଲ ଫୁଟିଲା ସଦୃଶ ‘‘ମଲି’’ ଏହିକଥା ତାହା ମୁହଁରୁ ପ୍ରକାଶ ପାଇଲା । ବକ୍ଷସ୍ଥଳରେ ଥିବା ଅମୋଘ ମଣିକୁ ଦୃଷ୍ଟି ପଡ଼ିବାରୁ ରାବଣ ମୋହିତ ହୋଇ ବିଚାରିଲା ।
୧୯ଶ ପଦ :- ବିହି- ବିଧାତା, ବିଧାନ । ଶାଖାମୃଗ-ମୃଗ, ବାନର । ବାରି-ଜଳ । ମରୀଚିକା-ମୃଗତୃଷ୍ଣା ।
୧୯ଶ ପଦ :- ସେ ବିଚାର କଲା-‘ଅସଂଖ୍ୟ ସୈନ୍ୟ ସଂଗ୍ରହ କରି ବିଧାତା ଏଠାରେ ରଖିଅଛି । କପିମାନେ ତ ଶାଖାମୃଗ ବୋଲାନ୍ତି, ତେଣୁ ସୁଖସ୍ୱଭାବ ଯୋଗୁ ମୃଗପ୍ରାୟ ମୋହିତ ହୋଇଅଛନ୍ତି । ମୃଗ ଯେପରି ମୃଗତୃଷ୍ଣାକୁ ଦେଖି ପାଣି ମନେ କରି ଗୋଡ଼ାଇ ଯାଏ, ସେହିପରି ଏମାନେ ମନୁଷ୍ୟକୁ ଭ୍ରମବଶତଃ ଦେବତା ଜ୍ଞାନ କରି ତାଙ୍କର ବଶ ହୋଇ ପଛରେ ଗୋଡ଼ାଇ ଅଛନ୍ତି ।
୨୦ଶ ପଦ :- ଅନୁଜ-ସାନଭାଇ । ମନୂଜ-ମନୁଷ୍ୟ । ଉଲକା-ଜ୍ୟୋତିଷ୍କ ପଦାର୍ଥ ବିଶେଷ (ସମୟରେ ଆକାଶରୁ ପତିତ ହୁଏ ) ।
୨୦ଶ ପଦ :- ‘ମୋର କୁଳବୁଡ଼ା ସାନଭାଇ ସେହି ମନୁଷ୍ୟ ପଦରେ ଶରଣ ପଶିଛି, ତେଣୁ ତାକୁ ଆଗ ମାରିବି’ । ଏହା ବିଚାରି ଧରିଥିବା ପବନ ପ୍ରଦତ୍ତ ଗଦା ବେଗରେ ହସ୍ତରୁ ଫୋପାଡ଼ିଲା । ସେ ଗଦା ଉଲ୍କା ଖସିଲା ପ୍ରାୟ ତଳକୁ ଖସନ୍ତେ ବାୟୁପୁତ୍ର ହନୁମାନ ଶୂନ୍ୟରୁ ତାହା ଧରିନେଲେ ।
ବୋଲନ୍ତି ଜନାଭିରାମ ରାମଚନ୍ଦ୍ର ଚନ୍ଦ୍ରହାସକୁ ଜନ୍ମାଇ ।ବଳାହକ ବିନା ବିନାଶନପ୍ରଭା ଭାନୁ ଭାନୁ କାହିଁପାଇଁ ସେ ।ବିଚସ୍ମୃତ ବିଭୀଷଣ । ବିଳସେ ନଭେ ରାବଣ ହେ ।୨୧।ବିମଳ ଲକ୍ଷ ଶ୍ୱେତଛତ୍ର ଚାମର ଏହି ପ୍ରମାଣରେ ଜାଣ ।ବିରୋଧୀହୋଇଛି ଆଦିତ୍ୟ ପ୍ରଭାରେଲକ୍ଷ ଶଙ୍ଖଶବ୍ଦ ଶୁଣ ସେ ।ବୀରେନ୍ଦ୍ରପ୍ରହାରି କାଣ୍ଡ । ବିଚ୍ଛେଦିଲେ ଛତ୍ରଦଣ୍ଡ ସେ ।୨୨।ବିହରି ବିହରି ଚକ୍ରାଙ୍ଗକି କରି ଶୂନ୍ୟୁଁ ଖସି ।ବିଦ୍ଧ ହେବା ଶଙ୍କା ଲଙ୍କାପତି ଲଭି ବାହୁଡ଼ି ସଭାରେ ବସି ସେ ।ବେଢ଼ି କଉଣପେ ତହିଁ । ବିବିଧ ପ୍ରତିଜ୍ଞା କହି ହେ ।୨୩।ବିବସ୍ୱାନ ବଂଶୀ ଆଦେଶେ ଏକାଳେ ଆସି ମୁଁ ଅଙ୍ଗଦ ଭଣି ।ବୈଦେହୀ ସମର୍ପ ଜୀବେ ଥିଲେ ଆଶ ମୁଠା-ଆଜ୍ଞା ଅଛି ଆଣି ମୁଁ ।ବୋଲେ ଲଙ୍କେଶ ଏ ପଦ । ବିଳମ୍ବେ ହେବୁ ଅଙ୍ଗଦରେ ।୨୪।ବ୍ୟାଖ୍ୟାନ କଲା ଯୁବରାଜ ନ ଚିହ୍ନୁ ମୋତେ ବିଂଶଚକ୍ଷୁ ଥାଇ ।ବଣା ମୁଁ ଘେନି ତୁ କେଉଁ ରାବଣ ରାବଣ କରନ୍ତି ମୁହିଁ ସେ ।ବିଧା ପ୍ରହାରି ଏକ୍ଷଣି । ବିଭୁ ଆଜ୍ଞା ନାହିଁ ଶୁଣି ରେ ।୨୫।୨୧ଶ ପଦ :- ଜନାଭିରାମ-ଜନମନୋହର । ଚନ୍ଦ୍ରହାସ-ଚନ୍ଦ୍ର କିରଣ ତୁଲ୍ୟ ହାସ । ବଳାହକ-ମେଘ । ଭାନୁଭାନୁ-ସୂର୍ଯ୍ୟକିରଣ ।
୨୧ଶ ପଦ :- ଜନମନୋହର ରାମଚନ୍ଦ୍ର ଚନ୍ଦ୍ର ତୁଲ୍ୟ ସୁନ୍ଦର ହାସ୍ୟ ପ୍ରକାଶ କରି କହିଲେ, ‘‘ବିନାମେଘରେ ସୂର୍ଯ୍ୟ କିରଣ ବିଶେଷଭାବରେ ନଷ୍ଟ ହେଲା କାହିଁକି ?’’ ତାହା ଶୁଣି ବିଭୀଷଣ କହିଲେ, ‘‘ଦେଖ, ରାବଣ ଆକାଶରେ ବିହାର କରୁଅଛି’’ ।
୨୨ଶ ପଦ :- ବିମଳ-ନିର୍ମଳ । ଶ୍ୱେତ ଛତ୍ର-ଧଳାଛତି । ବିରୋଧୀ-ବିପକ୍ଷ । ଆଦିତ୍ୟ-ସୂର୍ଯ୍ୟ । ବୀରେନ୍ଦ୍ର-ବୀରଶ୍ରେଷ୍ଠ ।
୨୨ଶ ପଦ :- ରାବଣର ଲକ୍ଷେ ସଂଖ୍ୟକ ଶ୍ୱେତଛତ୍ର ଓ ସେହି ପରିମାଣରେ ଶ୍ୱେତ ଚାମର ଅଛି । ସେ ଛତ୍ର ଓ ଚାମର ରାବଣ ଶିରରେ ଟେକା ହେବାଦ୍ୱାରା ସୂର୍ଯ୍ୟକିରଣ ପଡ଼ିବାରେ ବାଧା ଦେଉଅଛି । ଲକ୍ଷ ସଂଖ୍ୟକ ଶଙ୍ଖର ଧ୍ୱନି ହେଉଅଛି, ଶୁଣନ୍ତୁ ।’ ତାହା ଶୁଣି ବୀରଶ୍ରେଷ୍ଠ ରାମ ଶର ପ୍ରହାର କରି ଛତ୍ରଦଣ୍ଡକୁ କାଟି ଦେଲେ ।
୨୩ଶ ପଦ :- ବିହରିବିହରି-ଖେଳି ଖେଳି । ଚକ୍ରାଙ୍ଗ-ହଂସ । ଶୂନ୍ୟୁ-ଆକାଶରୁ ! କୌଣପେ-ରାକ୍ଷସମାନେ ।
୨୩ଶ ପଦ :- ସେ ଛିନ୍ନ ହୋଇଥିବା ଛତ୍ର ଓ ଚାମର ସବୁ ଶୂନ୍ୟରୁ ଖସି ତଳେ ପଡ଼ିଲାବେଳେ ହଂସମାନେ ବକ୍ର ଗତି କରି ଶୂନ୍ୟରୁ ଖସିଲାପ୍ରାୟ ଦେଖାଗଲା । ରାବଣ ବିନାଶ ହେବାର ଭୟ କରି ସେଠାରୁ ବାହୁଡ଼ି ଯାଇ ସଭାରେ ବସିଲା । ସେ ସଭାରେ ରାକ୍ଷସମାନେ ଚଉପାଶରେ ବେଢ଼ି ନାନାପ୍ରକାର ପ୍ରତିଜ୍ଞାମାନ କରିବାକୁ ଲାଗିଲେ ।
୨୪ଶ ପଦ :- ବିବସ୍ୱାନବଂଶୀ-ସୂର୍ଯ୍ୟବଂଶୀୟ । ଆଦେଶ-ଆଜ୍ଞାରେ । ଅଙ୍ଗଦ-ବିନାଶ ।
୨୪ଶ ପଦ :- ଏହି ସମୟରେ ଅଙ୍ଗଦ ଆସି କହିଲା, ‘‘ସୂର୍ଯ୍ୟବଂଶୀୟ ରାମଚନ୍ଦ୍ରଙ୍କ ଆଜ୍ଞାରେ ମୁଁ ଆସିଅଛି ।ତୋର ଜୀବନରେ ଆଶା ଥିଲେ ସୀତାଙ୍କୁ ସମର୍ପଣ କର- ମୁଁ ଏହି ଆଜ୍ଞା ପତ୍ରିକା ଆଣିଅଛି ।’’ ଏହା ଶୁଣି ରାବଣ ଏହି କଥା ପଦକ କହିଲା, ‘‘ତୁ ଶୀଘ୍ର ପଳା । ବିଳମ୍ୱ କଲେ ତୋର ଦେହ ଦେଇ ଯିବୁ (ବିନାଶ ହେବୁ) ।’
୨୫ଶ ପଦ :- ବ୍ୟାଖ୍ୟାନ-ବୁଝାଇ କହିବା । ରାବଣ-ଶବ୍ଦଯୁକ୍ତ ।
୨୫ଶ ପଦ :- ତତ୍ପରେ ଅଙ୍ଗଦ ବୁଝାଇ କହିଲା, ‘‘ମୁଁ କିଷ୍କିନ୍ଧ୍ୟା ପୁର ଯୁବରାଜ, ମୋତେ ଚିହ୍ନି ପାରୁନାହୁଁ? କୋଡ଼ିଏଟାନେତ୍ରଥାଇ ମଧ୍ୟ ଅନ୍ଧ ପ୍ରାୟ କହୁଅଛୁ, ସେଥିପାଇଁ ମୁଁ ବଣା ହେଉଅଛି । ତୁ କେଉଁ ରାବଣ ତାହା ଜାଣିଲେ ମୁଁ ଏକ୍ଷଣି (ବିଧା ପ୍ରହାର କରି ତୋତେ ରାବଯୁକ୍ତ ଅର୍ଥାତ୍ କ୍ରନ୍ଦନରତ କରି ଦିଅନ୍ତି । ବିଧା ପ୍ରହାରରେ ତୁ ସର୍ବଦା କାନ୍ଦୁଥାନ୍ତୁ); କିନ୍ତୁ ମୁଁ ରାମଚନ୍ଦ୍ରଙ୍କ ଆଜ୍ଞା ପାଇନାହିଁ ।’’
ବଇଶ୍ରବଣ ବୋଲେ କେତେ ରାବଣଜାଣୁ ଶୁଣିବା ସେ କହି ।ବାଳି ଅର୍ଜ୍ଜୁନ ଭବଗିରି ପୀଡ଼ାରେ ରାବକୁ ଥିଲେ ଯେ ବିହି ସେ ।ବାମାଚୋରେ ଅଛି ମୃତ୍ୟୁ । ବିବେକ କର ତ କେ ତୁ ରେ ।୨୬।ବେଢ଼ାଉଁ ସେ ମଲ୍ଲଜାଳକୁ ଚାଳକୁ ବଧି ଜଗତୀଚାଳକୁ ।ବହି ଗଗନେ ରାମେ ଯାଇ କହିଲାସେ ସନ୍ଦେଶ ସକଳକୁ ଯେ ।ବକ୍ରମାଳୀ ଏ ସମୟେ । ବଞ୍ଜଳବନକୁ ଯାଏ ସେ ।୨୭।ବୁହାଇ ମାୟାଶିର ବେନି ଅସୁର ଛେଦନ ପରା ସେକ୍ଷଣି ।ବହଇ ରୁଧିର ଧାର ବସୁଧାର ସୁତାକୁ ଦେଖାଇ ଭଣି ସେବଧିଲି ଦେବର ବର । ବରାରୋହା ମୋତେ ବର ହେ ।୨୮।ବୋଲୁଁ ଦେଲେ ଚାହିଁ ଫୁଲ୍ଲ ପଦ୍ମ ଦୁଇ ଜାତ ସରସ୍ୱତୀ ନୀର ।ବିକ୍ଷେ ଜର ଜରହୋଇଲା ପରାୟେ ମୁଖ ଗଳ ମନୋହର ସେ ।ବିଦେହଜାଶୋଭା-ବନ । ବହିଲେ ସେହି ବିଧାନ ହେ ।୨୯।ବିରାଜିତ ହୋଇଥିଲା କୁନ୍ଦଦନ୍ତୀ ବହିଲା ହିମନ୍ତ ଆଣି ।ବୁହାଇଲା ଜଳ ମାତୁଳୁଙ୍ଗ ସ୍ଥଳ ଶୋକ ପରିବାର ଆଣି ସେ ।ବୀର ଡାକ କପି ଡାକି । ବିତର୍କି ଜାନକୀ ଏ କି ହେ ।୩୦।୨୬ଶ ପଦ :- ବଇଶ୍ରବଣ-ରାବଣ । ଅର୍ଜ୍ଜୁନ-ସହସ୍ରାର୍ଜ୍ଜୁନ । ଭବଗିରି-କୈଳାସ ପର୍ବତ । ବାମାଚୋର-ସ୍ତ୍ରୀ ଚୋର ।
୨୬ଶ ପଦ :- ଅଙ୍ଗଦ କଥା ଶୁଣି ରାବଣ କହିଲା, ‘‘ତୁ କେତେ ରାବଣ ଜାଣୁ କି ? ତାହା କହିଲୁ, ଶୁଣିମା ।’’ ଅଙ୍ଗଦ ଉତ୍ତର ଦେଲା ‘ବାଳିସହସ୍ରାର୍ଜ୍ଜୁନ ଓ କୈଳାସ ପର୍ବତର ଆଘାତରେ ଯେଉଁ ରାବଣମାନେ ଉଚ୍ଚଶବ୍ଦରେ କାନ୍ଦିଥିଲେ; ପୁଣି ନାରୀ ଚୋର ରାବଣ ଗୋଟିଏ ଅଛି-ଏ ସମସ୍ତଙ୍କୁ ମୁଁ ଜାଣେ । ନାରୀଚୋର ରାବଣର ମୃତ୍ୟୁ ନିକଟରେ ହେବ । ତୁ କେଉଁ ରାବଣ-ତା ବିଚାର କର ।’’
୨୭ଶ ପଦ :- ମଲ୍ଲଜାଳଙ୍କୁ-ବୀରମାନଙ୍କୁ । ଚାଳକୁ-ଚଳାଇବାରୁ । ଜଗତୀଚାଳ-ଅଟ୍ଟାଳିକାର ଛାତ । ଗଗନେ-ଆକାଶରେ । ସନ୍ଦେଶ-ବାର୍ତ୍ତା । ବକ୍ରମାଳୀ-ରାବଣ । ବଞ୍ଜୁଳବନ-ଅଶୋକବନ ।
୨୭ଶ ପଦ :- ଅଙ୍ଗଦ ଏହିପରି ଛଳାଇ କହିବାରୁ ରାବଣ ମଲ୍ଲମାନଙ୍କୁ ଜାଲ ପ୍ରାୟ କରି ତା ଚାରି ପାଶରେ ଘେରାଇ ଦେଲା । ସେ ଅଙ୍ଗଦ ମଲ୍ଲମାନଙ୍କୁ ବଧ କରି ଜଗତୀ ଚାଳକୁ ଘେନି ଗଗନ ମାର୍ଗରେ ଗଲା ଓ ରାମଙ୍କ ଅଗ୍ରତରେ ସକଳ ସନ୍ଦେଶ କହିଲା । ରାବଣ ସେହି ସମୟରେ ଅଶୋକ ବନକୁ ଗଲା ।
୨୮ଶ ପଦ :- ମାୟାଶିର-କପଟ ମସ୍ତକ । ବସୁଧାସୁତା-ସୀତା । ବରାରୋହା-ବରାଙ୍ଗନା ।
୨୮ଶ ପଦ :- ଧାର ଧାର ରକ୍ତ ବହି ପଡ଼ୁଥିବା, ଖଡ଼୍ଗରେ ସଦ୍ୟ ଛେଦନ ଦେଲା ପ୍ରାୟ ଦୁଇଗୋଟି ମାୟା ମୁଣ୍ଡ ଲୋକଙ୍କ ହାତରେ ନେଇ ରାବଣ ସୀତାଙ୍କୁ ତାହା ଦେଖାଇ କହିଲା, ‘‘ତୋର ବର ଓ ଦିଅରକୁ ବଧ କଲିରେ ବରାଙ୍ଗନ ॥ ଏବେ ମୋତେ ତୁ ବରଣ କର ।’’
୨୯ଶ ପଦ :- ଫୁଲ୍ଲ-ପ୍ରସ୍ଫୁଟିତ । ନୀର-ଜଳ । ବିଦେହଜା-ସୀତା । ବିଧାନ-ନିୟମ । ବିଷ-ପଦ୍ମନାଡ଼ ।
୨୯ଶ ପଦ :- ରାବଣର ବଚନ ଶୁଣି ସୀତା ଚାହିଁ ଦେଖିଲେ, ସରସ୍ୱତୀ ନଦୀର ରକ୍ତବର୍ଣ୍ଣ ଜଳରେ ଦୁଇଟି ଫୁଟିଲା ପଦ୍ମଫୁଲ ପରି ଦୁଇଗୋଟି ଛିନ୍ନ ମୁଣ୍ଡ ରକ୍ତରେ ଜର ଜର ହୋଇଅଛି । ପଦ୍ମ ମୃଣାଳରେ ଯୁକ୍ତ ହୋଇଥାଏ, ସେହିପରି ଏ ମୁଣ୍ଡ ଗଳଦେଶଦ୍ୱାରା ଯୁକ୍ତ ହୋଇ ସୁନ୍ଦର ଦିଶୁଅଛି । ତାହା ଦେଖି ସୀତାଙ୍କ ବଦନ ସେହିପରି ରକ୍ତବର୍ଣ୍ଣ ଦେଖାଗଲା ।
୩୦ଶ ପଦ :- ବି-ରାଜିତ-ପକ୍ଷିମଣ୍ଡିତ । କୁନ୍ଦଦନ୍ତୀ-ସୀତା, କୁନ୍ଦ ଓ ଦନ୍ତୀବୃକ୍ଷ । ଆଣି-ଟେକ । ମାତୁଳୁଙ୍ଗ-ଟଭାଫଳ ।
୩୦ଶ ପଦ :- ହେମନ୍ତ କାଳରେ ଯେପରି କୁନ୍ଦ ଓ ଦନ୍ତୀ ବୃକ୍ଷ ଦ୍ୱାରା ଏବଂ ନାନା ଜାତୀୟ ପକ୍ଷୀମାନଙ୍କଦ୍ୱାରା ଅରଣ୍ୟମଣ୍ଡିତ ହୋଇଥାଏ ସେହିପରି ରାମଚନ୍ଦ୍ରଙ୍କ ଆଗମନ ବାର୍ତ୍ତା ଶ୍ରବଣରେ କୁନ୍ଦଦନ୍ତୀ ସୀତା କାନ୍ତିଯୁକ୍ତା ଓ ବିଭୂଷିତା ହୋଇଥିଲେ; ମାତ୍ର ରାବଣର ବାଣୀ ହେମନ୍ତ କାଳରେ ଲୋକ ଟଭା ଗଛକୁ ପାଣି ବୁହାଇଲା ପରି ସେ ବକ୍ଷସ୍ଥିତ ଟଭା ସଦୃଶ ସ୍ତନମଣ୍ଡଳକୁ ଲୋତକ ଜଳ ବୁହାଇଲେ (ସେ କାନ୍ଦିବାରୁ ତାଙ୍କ ଅଶ୍ରୂ ଜଳରେ ବକ୍ଷ ତିନ୍ତିଗଲା) । ଏହି ସମୟରେ କପିମାନେ ବୀରତ୍ୱ ବ୍ୟଞ୍ଜକ ଶବ୍ଦ କଲେ । ତାହା ଶୁଣି ସୀତା ମନରେ ଯୁକ୍ତି କଲେ ‘‘ଏ କି ଶବ୍ଦ ? (ରାମ ଲକ୍ଷ୍ମଣଙ୍କର ମୁଣ୍ଡ କଟା ହୋଇଥିଲେ କପିମାନେ ଏପରି ରଣଶବ୍ଦ କରନ୍ତେ କାହିଁକି ? ଅତଏବ ଏହା ମିଥ୍ୟା) ।
ବାହୁଜବର ଆଦେଶେ ହନୁମାନ ସୁଗ୍ରୀବ ଅଙ୍ଗଦ ଭାଷେ ।ବାଟ ନ ପାଇ କପାଟ ଆଣ୍ଟ ଘେନି ପ୍ରକାରେ ଉଠିଲେ କୀଣେ ସେ ।ବିଂଶବାହୁ ପାଶେ ଚାର । ବାରତା କହୁଁସତ୍ୱର ହେ ।୩୧।ବର୍ତ୍ମେ ପକାଇ ଦିଆଇ ମାୟାମୁଣ୍ଡ ଲଜ୍ଜିତେ ଗଲା ବାହୁଡ଼ି ।ବିଭାବସୁର ପ୍ରକାଶ କେତେବେଳେ ଆଚ୍ଛାଦି ପାଉ କୁହୁଡ଼ି ସେ ।ବସନ୍ତେ ବଦନପଦ୍ମ । ବିକାଶେ ହରଷସଦ୍ମ ହେ ।୩୨।ବିନାଶ ଅଶ୍ରୁ ତୁଷାର ବୃଷ୍ଟି ହେଲା ପ୍ରକଟ କୋକିଳବାଣୀ ।ବୋଇଲେ ତ୍ରିଜଟାକୁ ଏଡ଼େ କପଟ ରାତ୍ରି ମଟହେଲେ ଜାଣି ସେ ।ବିଶ୍ୱଜୟ କେତେ ମାତ୍ର । ବିହ୍ୱଳାଇ ମୋର ଚିତ୍ତ ହେ ।୩୩।ବୀର ମହାବୀର ଏହି ସମୟରେ ସେନା ସେନାପତି ସଙ୍ଗେ ।ବିହରିଲେ ରଣରଙ୍ଗରେ ରାକ୍ଷସ ଋକ୍ଷ କପି ମିଶି ରଙ୍ଗେ ସେ ।ବ୍ୟବସ୍ଥାତେ ଦଶଶିର । ବନ ଜଗାଇ ସୀତାର ହେ ।୩୪।ବିପତନ ଗୁଳି ମୁଦ୍ଗର ପଥର ପଥର ସଙ୍ଗର ବଶେ ।ବିଭୀଷଣ ଶର କରକା ପତନ ନୀରଦ ପରାୟେ ଦିଶେ ସେ ।ବିଶ୍ୱାଏ ଭୟ ଉଭୟ । ବଳେ ନାହିଁ ବଳେ ଲୟ ହେ ।୩୫।୩୧ଶ ପଦ :- ବାହୁଜବର-କ୍ଷତ୍ରିୟଶ୍ରେଷ୍ଠ (ରାମଚନ୍ଦ୍ର) । ପ୍ରାକାରେ-ପ୍ରାଚୀରରେ । କୀଶେ-ବାନରମାନେ ।୩୨ଶ ପଦ :- ବର୍ତ୍ମେ-ବାଟରେ । ବିଭାବସୁ-ସୂର୍ଯ୍ୟ । ହରଷସଦ୍ମ-ଆନନ୍ଦ ଗୃହ ।
୩୧ଶ ଓ ୩୨ଶ ପଦ :- ହନୁମାନ, ସୁଗ୍ରୀବ ଓ ଅଙ୍ଗଦ କହିବାରୁ ରାମଚନ୍ଦ୍ର ଆଦେଶ ଦେଲେ ଯେ ଗଡ଼ ଭିତରେ ସୈନ୍ୟଘେନି ପ୍ରବେଶ କର । ମାତ୍ର ବଡ଼ଦ୍ୱାରର କବାଟ ଖୁବ୍ଗାଢ଼ ଭାବରେ କିଳା ହୋଇଥିବାରୁ ବାଟ ନ ପାଇ କପି ସୈନ୍ୟମାନେ ପାଚେରୀ ଉପରେ ଉଠିଲେ । ଦୂତ ଶୀଘ୍ର ଯାଇ ଏ ବାର୍ତ୍ତା ରାବଣକୁ ଦିଅନ୍ତେ, ରାବଣ ମାୟା ମୁଣ୍ଡ ବାଟରେ ପକାଇ ଦେଇ ଲାଜଭର ହୋଇ ବାହୁଡ଼ିଗଲା । ସୂର୍ଯ୍ୟର କିରଣକୁ କୁହୁଡ଼ି କେତେ ସମୟ ବା ଘୋଡ଼ାଇପାରେ? (ସେହିପରି ସୂର୍ଯ୍ୟବଂଶୀୟ ରାମଚନ୍ଦ୍ରଙ୍କ ଶୌର୍ଯ୍ୟକୁ ରାବଣର କପଟବେଶି ବେଳ ଘୋଡ଼ାଇ ରଖି ପାରିଲାନାହିଁ । ବସନ୍ତ ଋତୁରେ ପଦ୍ମ ଫୁଟି ସୁନ୍ଦର ଦେଖାଗଲା ପରି ସୀତା ସ୍ଥିର ଚିତ୍ତରେ ବସିବାରୁ ତାଙ୍କ ମୁଖପଦ୍ମ ଆନନ୍ଦର ଗୃହ ହେଲା (ମୁଖରେ ଆନନ୍ଦର ଚିହ୍ନ ପ୍ରକାଶିତ ହେଲା) ।
୩୩ଶ ପଦ :- ତୁଷାର-କକାର, ବରଫ । ରାତ୍ରିମଟ-ରାକ୍ଷସ ।ବିଶ୍ୱଜୟ-ସଂସାର ଜୟ ।
୩୩ଶ ପଦ :- ବସନ୍ତ ଋତୁରେ ଶିଶିରପାତ ବିନାଶ ହୁଏ ଓ କୋକିଳର ରାବ ଶୁଣାଯାଏ,ସେହିପରି ସୀତାଙ୍କର ନେତ୍ରରୁ ପଡ଼ୁଥିବା ଲୋତକ ବନ୍ଦ ହେଲା ଏବଂ ତାଙ୍କ ମୁଖରୁ କୋକିଳ ଶବ୍ଦପରି ଶବ୍ଦ ଉଚ୍ଚାରିତ ହେଲା । ସେ ତ୍ରିଜଟାକୁ କହିଲେ, ‘‘ରାକ୍ଷସମାନେ ଏତେ କପଟ ଜାଣନ୍ତି ? ଯେ ମୋର ଅଟଳ ଚିତ୍ତକୁ ସୁଦ୍ଧା ବିଚଳିତ କରିଦେଲା, ତାଙ୍କ ପକ୍ଷରେ ବିଶ୍ୱଜୟ କରିବା କେତେ ଅବା ?’’(ଖୁବ୍ ସାମାନ୍ୟ କଥା) ।
୩୪ଶ ପଦ :- ରଣରଙ୍ଗରେ-ଯୁଦ୍ଧାଡ଼ମ୍ୱରେ । ଋକ୍ଷ-ଭଲ୍ଲୁକ । ବ୍ୟବସ୍ଥାତେ-ନିୟମିତ ରୂପେ ।
୩୪ଶ ପଦ :- ଏହି କାଳରେ ରାକ୍ଷସ ସୈନ୍ୟ ସେନାପତିକମାନଙ୍କ ସଙ୍ଗରେ ଋକ୍ଷକପି ବୀର ମହାବୀରମାନେ ଏବଂ ଅନ୍ୟାନ୍ୟ ରାକ୍ଷସଙ୍କ ସଙ୍ଗରେ ଭଲ୍ଲୁକ କପି ସୈନ୍ୟମାନେ ମିଶି ରଣ କେଳିରେ ବିହାରକଲେ । ସୀତା ରହିଥିବା ଅଶୋକବନକୁ ରାବଣ ନିୟମିତରୂପେ ପ୍ରହରୀ ଜଗାଇଦେଲା । (କାଳେ କପି ସୈନ୍ୟମାନେ ସୀତାଙ୍କୁ ଚୋରାଇ ନେବେ, ଏହି ଭୟ ତାର ହେଲା) ।
୩୫ଶ ପଦ :- ବିପତନ-ବିଶେଷରେ ପଡ଼ିବା । ପଥର-ବାଟର । ସଙ୍ଗର-ଯୁଦ୍ଧ । କରକା-କୁଆପଥର । ନୀରଦ-ମେଘ ।ବିଶ୍ୱାଏ-କଣିକାଏ । ବଳେ-ସୈନ୍ୟମଧ୍ୟରେ । ବଳେ-ପରାକ୍ରମରେ । ଲୟ-ମନଯୋଗ ସହିତ ଦେଖିବା ।
୩୫ଶ ପଦ :- ଯୁଦ୍ଧଯୋଗେ ଗୁଳି ମୁଦ୍ଗର ପଥର ବିଶେଷଭାବରେ ପଡ଼ି ପଥସବୁ ରୋଧ କରିଦେଲା । ଅତି ଭୟଙ୍କର ମେଘପ୍ରାୟ ବିଭୀଷଣ କୁଆ ପଥର ପରି ଶରବୃଷ୍ଟି କଲେ । ଦୁଇ ଦଳଙ୍କୁ ମଧ୍ୟରେ ଲିତାଏ ସୁଦ୍ଧା ଭୟ ନାହିଁ, କେବଳ ନିଜର ସାମର୍ଥ୍ୟ ଉପରେ ଲକ୍ଷ୍ୟ ରହିଅଛି ।
ବିଛେଦିଲେ କେ କରବାଳ ଯୋଗରେ କେହି କଲେ କରବାଳ ।ବିଦାରି ଯୂଥପତିଙ୍କୁ ସେନାପତି ଦୈତ୍ୟେ ଭଲ୍ଲେ ଭୂଷି ଭଲ୍ଲ ସେ ।ବିନ୍ଧାଣି ମଲ୍ଲ ମଲ୍ଲରେ । ବୋଲାବୋଲି ସେ ମଲରେ ହେ ।୩୬।ବାଜୀ ବାଜି ତହିଁ କେତେକ କେତକ ଛବି ସମ୍ଭବି ଯେ ଢଳି ।ବିଧି ବାଜୀ-ରାଜି ରାଜିଲା କେବହି ସତ୍ୱରେ ମହିଷ ଝଳି ସେ ।ବର୍ଷାର କୀଲାଲ ପରି । ବହେ କୀଲାଲ ସଞ୍ଚରି ହେ ।୩୭।ବିଖ୍ୟାତକ ମାର ସମସ୍ତେ ଦର୍ପକଅନଙ୍ଗ ହୋଇଲେ କେତେ ।ବିଘ୍ନତନୋହିଲେ ମକରକେତନ ଲକ୍ଷିତ ସକଳମତେ ସେ ।ବ୍ୟକ୍ତ କାମଭବଜୟେ । ବିରୋଧ ସ୍ମର ପର୍ଯ୍ୟାୟେ ହେ ।୩୮।ବ୍ୟାଘ୍ରପରି ରଣେ ବଜ୍ରଦ୍ରଂଷ୍ଟ ଧନୁ ପ୍ରଶସ୍ତ ପ୍ରଶସ୍ତ ଦିଶି ।ବୃକ ପରି ବେଢ଼ି ସେନାପତିମାନେ ବୃକୋଦରପୁରେ ପେଷି ସେ ।ବିଲୋକେ କୁରଙ୍ଗ ହେଲେ । ବଳୀ ଯେତେ ଋକ୍ଷ ଥିଲେ ହେ ।୩୯।ବୀରଚନ୍ଦ୍ର ଇନ୍ଦ୍ର ଅରାତିକି ଧନୁ ଭଗନେ ଏ କଡ଼ିଅଇଁ ।ବିଚିତ୍ର ନୋହେ କି କୁମ୍ଭସ୍ଥାନେ ରଖିଥାନ୍ତେ ରାହୁଭୂତି ଦେଇ ସେ ।ବିନାଶନ ସୈନ୍ୟ ଯେତେ । ବୁଝିବେ ତା ଚିତ୍ରଗୁପ୍ତେ ହେ । ୪୦ ।
୩୬ଶ ପଦ :- ବିଛେଦିଲେ-ଚ୍ଛେଦନ କଲେ । କରବାଳ-ଖଣ୍ଡା । କରବାଳ-କେଶ ହସ୍ତରେ । ଯୂଥପତି-ସୈନ୍ୟାଧ୍ୟକ୍ଷ ବା ସେନାପତି । ଭଲ୍ଲେ-ଭଲ୍ଲୁକମାନେ ।
୩୬ଶ ପଦ :- କେହି ଶତ୍ରୁକୁ ଖଡ଼୍ଗ ଧରି ହାଣିଲେ, କିଏ ବା ହସ୍ତରେ ଶତ୍ରୁର ବାଳ ଧରି ମାଡ଼ଦେଲେ । ସେନାପତିମାନେ ଯୁଥପତିମାନଙ୍କୁ ବିଦାରି ପକାଇଲେ, ଦୈତ୍ୟମାନେ ଭଲ୍ଲଅସ୍ତ୍ର ଧରି ଭଲ୍ଲୁକମାନଙ୍କୁ ଭୁଷି ଦେଲେ । ମାଲଙ୍କ ସହିତ ମାଲମାନଙ୍କର ବିନ୍ଧାଣ ହେଲା (ମାଲମାନେ ଧରାଧରି ହୋଇ ମୁଣ୍ଡରେ ମୁଣ୍ଡ, ବାହୁରେ ବାହୁ, ଛାତିରେ ଛାତି ମରାମରି ହେଲେ) ସେତେବେଳେ ସେମାନେ ପରସ୍ପର କୁହା କୁହି ହେଲେ, ‘‘ଏଥରକ ମଲ ।’’
୩୭ଶ ପଦ :- ବାଜୀ-ଶର । ବାଜି-ବିଦ୍ଧହୋଇ । କେତେକ ଛବି-କେତକୀପୁଷ୍ପରଶୋଭା । ବାଜିରାଜି-ଅଶ୍ୱସମୂହ । ରାଜିଲା-ପ୍ରକାଶିତ ହେଲା ବା ଶୋଭାପାଇଲା । କୀଲାଲ-ଜଳ, ରକ୍ତ । ସଞ୍ଚରି-ଝରି ।
୩୭ଶ ପଦ :- କେତକୀ ଫୁଲ ଅଧୋମୁଖରେ ଢଳିପଡ଼ିଲା ପରି ଶର ବାଜିବାରୁ କେତେକ ସୈନ୍ୟ ସେ ରଣଭୂମିରେ ଢଳି ପଡ଼ିଲେ । କେହି ଶୀଘ୍ର ଅଶ୍ୱସମୂହ ବଧ କରି ମଇଁଷିର ତେଜ ବହି ଅପୂର୍ବ ଶୋଭା ଦେଖାଗଲେ । (ମଇଁଷି ଘୋଡ଼ାଙ୍କର ପରମ ଶତ୍ରୁ) । ରକ୍ତ ସ୍ରୋତ ବର୍ଷା କାଳରେ ଜଳ ଧାରା ପ୍ରାୟ ବୋହିବାକୁ ଲାଗିଲା ।
୩୮ଶ ପଦ :- ବିଖ୍ୟାତକ ମାର-ମାର ମାର ଶବ୍ଦ । ଦର୍ପକ-ବୀର । ଅନଙ୍ଗ-ଅଙ୍ଗହୀନ । ବିଘ୍ନ-ଅନ୍ତରାୟ । ମକର କେତନ-ସମୁଦ୍ର । କାମଭବ ଜୟେ-ଜୟ ବିଷୟରେ ମନୋରଥ ଜାତ । ସ୍ମର ପର୍ଯ୍ୟାୟେ-କନ୍ଦର୍ପ ନାମ କ୍ରମରେ । ସକଳମତେ-ହସ୍ତୀ ପ୍ରଭୃତିଙ୍କୁ ।
୩୮ଶ ପଦ :- ରଣକ୍ଷେତ୍ରରେ ସମସ୍ତେ ଗର୍ବବନ୍ତ ହୋଇ ମାର ମାରବୋଲି ଶବ୍ଦ କଲେ । କେତେକ ବୀର ଦେହ ଶୂନ୍ୟ ହେଲେ ଅର୍ଥାତ୍ ମଲେ । ହସ୍ତୀ ପ୍ରଭୃତିଙ୍କୁ ସମୁଦ୍ରର ନିଦର୍ଶନ ଅନ୍ତରାୟ ହେଲା ନାହିଁ (ହସ୍ତି ପ୍ରଭୃତି ମରିବାରୁ ସମୁଦ୍ର ପ୍ରାୟ ସେ ସ୍ଥାନ ଦେଖାଗଲା ) । ଜୟକରିବା ଆଶା ସମସ୍ତଙ୍କ ମନରେ ଜାତ ହେଉଅଛି । ଏହି ପଦ ସ୍ମର ପର୍ଯ୍ୟାୟର ବିରୋଧରେ ଉତ୍ପନ୍ନ ହେଲା । କ, ମାର, ଦର୍ପକ, ଅନଙ୍ଗ, ମକର, କେତନ, କାମ ଏବଂ ଭବଜୟ ଏହି ନାମଗୁଡ଼ିକ ସ୍ମର ପର୍ଯ୍ୟାୟ ଅନ୍ତର୍ଗତ)
୩୯ଶ ପଦ :- ବଜ୍ରଦଂଷ୍ଟ୍ର-ରାକ୍ଷସବିଶେଷ । ଧନୁପ୍ରଶସ୍ତ-ଧନୁବିଦ୍ୟାରେ ପାରଗ । ପ୍ରଶସ୍ତ-ରାକ୍ଷସବିଶେଷ । ବୃକ-ଶ୍ୱାନ ଜାତୀୟ ପଶୁବିଶେଷ (ବଳିଆ କୁକୁର) । ବୃକୋଦର-ଯମ । ପେଷି-ପଠାଇ । କୁରଙ୍ଗ-ମୃଗ, କୁତ୍ସିତ ସ୍ୱଭାବ । ବଳୀ-ବଳିଷ୍ଠ ।
୩୯ଶ ପଦ :- ରଣକ୍ଷେତ୍ରରେ ବଜ୍ରଦ୍ରଂଷ୍ଟ ଓ ଧନୁର୍ବିଦ୍ୟା ବିଶାରଦ ପ୍ରଶସ୍ତ ସେନାପତି ଦ୍ୱୟ ବ୍ୟାଘ୍ର ସଦୃଶ ଦେଖାଗଲେ । କପି ସେନାପତିମାନେ ବଳିଆ କୁକୁର ପରି ବେଢ଼ି ତାଙ୍କୁ ଯମପୁରକୁ ପଠାଇ ଦେଲେ । ଆଉ ଯେତେ ବଳିଷ୍ଠ ରାକ୍ଷସମାନେ ଥିଲେ, ସେମାନେ ଏହାଦେଖି ମୃଗପ୍ରାୟ ଚଞ୍ଚଳ ପଳାୟନ କଲେ ଅଥବା କୁତ୍ସିତ ସ୍ୱଭାବକୁ ବହିଲେ (ପୃଷ୍ଠଭଙ୍ଗ ଦେଇ ପଳାୟନ କଲେ ) ।
୪୦ଶ ପଦ :- ବୀରଚନ୍ଦ୍ର-ରାମଚନ୍ଦ୍ର । ଇନ୍ଦ୍ରଅରାତି-ଇନ୍ଦ୍ରଜିତ । କୁମ୍ଭସ୍ଥାନେ-ହସ୍ତି ମସ୍ତକରେ । ରାହୁଭୁତି-ରାହୁସମ୍ପତ୍ତି । ବିନାଶନ-ବିନାଶପ୍ରାପ୍ତ ।
୪୦ଶ ପଦ :- ବୀର ଚୂଡ଼ାମଣି ରାମଚନ୍ଦ୍ର ଇନ୍ଦ୍ରଜିତରଧନୁଭଗ୍ନ କରିବାରୁ ସେ ତତ୍କ୍ଷଣାତ୍ ଡେଇଁ ହସ୍ତୀର ମସ୍ତକ ଉପରେ ବସିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହେଲେ ଏବଂ କହିଲେ, ‘‘ସେ ଯଦିକୁମ୍ଭ ରାକ୍ଷସ ପାଖରେ ବସିଥାନ୍ତା, ସେ ତେବେ ରାମଚନ୍ଦ୍ର ତାକୁ ରାହୁ ସମ୍ପତ୍ତି ଦେଇଥାନ୍ତେ (ରାହୁ ପ୍ରାୟ ଦୁଇଖଣ୍ଡ କରି ଦେଇଥାନ୍ତେ) ।
ଅନ୍ୟାର୍ଥ :- (ଇନ୍ଦ୍ରଜିତ ବ୍ୟଗ୍ରଗାମୀ ଚନ୍ଦ୍ର ସଦୃଶ ଅଟେ । ତାକୁ ଧନୁ ରାଶିରୁ ତାଡ଼ିତ କରି ମକର ରାଶିକୁ ଡିଆଇଁ କୁମ୍ଭରାଶିରେ ରଖିଲେ-ତେଣୁ ବିଚିତ୍ର ହେଲା । କାରଣ ଧନୁକୁ ମକର ଦ୍ୱିତୀୟ, ମକରକୁ ଧନୁ ଦ୍ୱାଦଶହୋଇଥାନ୍ତା ।ତେଣୁ ଯେଉଁ ରାହୁ ଭୂତି ଦେଇଥାନ୍ତେ ତା ହେଲା ନାହିଁ ) । ସେଦିନ ରଣକ୍ଷେତ୍ରରେ ଯେତେ ସୈନ୍ୟବିନାଶ ହେଲେ, ତାହା କେବଳ ଚିତ୍ରଗୁପ୍ତମାନେ ବୁଝି ପାରିବେ ଅନ୍ୟ କେହି କଳନା କରିବା ଅସମ୍ଭବ ) ।
ବାତିପୋତ ତରୁ ସ୍ଫୁଟପ୍ରାୟ ସର୍ବେ ଏକାଳେ ରଘୁନନ୍ଦନ ।ବେଳାସ୍ତ ଅନାଇ ଦ୍ୱିବିଦକୁ ପେଷିବାହୁଡ଼ାଇ ନେଲେ ସୈନ୍ୟ ସେ ।ବାଜୁଅଛି ରାମତାଳି । ବେଗେ ସୁବେଳରେ ମିଳି ହେ । ୪୧ ।ବଢ଼ାଇଲେ ଦେବନଦୀରେ ସମସ୍ତେ ସ୍ନାନ କଲେ ଫଳାଶନ ।ବଇଶ୍ରବଣ ଶ୍ରବଣ କରି ସେନାପତିଙ୍କ ନାଶ ବିମନ ସେ ।ବୋଲେ ଭଞ୍ଜ ଉପଇନ୍ଦ୍ର । ବୟାଳିଶ ପଦେ ଛାନ୍ଦ ହେ । ୪୨ ।୪୧ଶ ପଦ :- ବାତପୋତ ତରୁ-ପ୍ରକାଶ ବୃକ୍ଷ । ସ୍ଫୁଟପ୍ରାୟ-ଫୁଟିଲା ପରି । ବେଳାସ୍ତ-ସନ୍ଧ୍ୟା ।
୪୧ଶ ପଦ :- ରକ୍ତାକ୍ତ କଳେବର ସୈନ୍ୟମାନେ ପ୍ରଷ୍ଫୁଟିତ ପଲାଶ ବୃକ୍ଷ ପ୍ରାୟ ଦେଖାଗଲେ । ଏହି ସମୟରେ ସୂର୍ଯ୍ୟ ଅସ୍ତ ହେବାର ଦେଖି ରାମଚନ୍ଦ୍ର ଦ୍ୱିବେଦି କପିକୁ ପଠାଇ ସୈନ୍ୟ ବାହୁଡ଼ାଇ ନେଲେ । ସୈନ୍ୟମାନେ ହର୍ଷରେ ରାମତାଳି ବାଦ୍ୟ ବଜାଇ ଆସି ସୁବେଳ ପର୍ବତରେ ପହଞ୍ଚିଲେ । (ସେଦିନ ଯୁଦ୍ଧରେ ଜୟଲାଭ କଲେ ବୋଲିହର୍ଷ ହେଲେ ।)
୪୨ଶ ପଦ :- ଦେବନଦୀ-ଲଙ୍କାର ନଦୀ ବିଶେଷ । ଫଳାଶନ-ଫଳାହାର । ବିମନ-ଦୁଃଖମନ ।
୪୨ଶ ପଦ :- ସମସ୍ତେ ଦେବନଦୀରେ ସ୍ନାନ କର୍ମ ବଢ଼ାଇ ଫଳାହାର କଲେ । ରାବଣ ସେନାପତିଙ୍କ ମୃତ୍ୟୁ ଶ୍ରବଣ କରି ବିରସ ହେଲା । ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବୟାଳିଶ ପଦରେ ରଚିଲେ ।
ଦ୍ୱିଚତ୍ୱାରିଂଶ ଛାନ୍ଦରାଗ-କୌଶିକ
ସମ୍ବନ୍ଧିତ ରଚନା
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ
ଲାବଣ୍ୟବତୀ
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ
ସୁବର୍ଣ୍ଣରେଖା
ଉପେନ୍ଦ୍ର ଭଞ୍ଜ