ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ · ଭାଗ ୯ / ୯ · ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେ (୪)
ସମ୍ପୂର୍ଣ୍ଣ ସୂଚୀପତ୍ର
ବଦାଇଥିଲେ ଶୃଙ୍ଗବେରପାଳକି ମେଳି ହୋଇ ରାଗ ଜାଣିଲା ।ବରାଟକ ବିନା ଗିରେ କିଣିଲା ।ବ୍ୟୋମନାସିକା ପରା ହୋଇ ଆକାଶେବିଳାସ ପ୍ରକାଶ କଲା ସେ । ବାତଜ ।ବଲ୍ମୀକରୁ ଯେମନ୍ତ ଇନ୍ଦ୍ରଚାପ । ବ୍ୟାପି ନଭରେ ଧରେ ପ୍ରଭାରୂପ ।ବିଚିତ୍ରତା ଦେଖି ଅଯୋଧ୍ୟାଗମନେ ଉତ୍ସୁକ ଶବରାଧୀପ ସେ । ବିଦୁଷେ । ୨୬ ।ବିଭର୍ତ୍ତି କରିଛି ଭରତ ଭରତଖଣ୍ଡ ଲକ୍ଷନୃପ ସସୈନ୍ୟେ ।ବହେ ନନ୍ଦୀଗ୍ରାମ ଲକ୍ଷ ଏସନେ ।ବହୁତ ତାରକା ନଭ ପ୍ରତିବିମ୍ବେଜଳପାତ୍ରକେ ଯେସନେ ହେ । ବିଦୁଷେ ।ବିତର୍କଇ ତା ଦେଖି ହନୁମନ୍ତ । ବୈମାତକରେ ଲକ୍ଷ୍ମଣ ଭରତ ।ବାସିତ ପୁଷ୍ପ ସେ ଏ କଣ୍ଟକପାତ୍ର ଏକା କେତକୀରୁ ଜାତ ହେ । ବିଧାତ । ୨୭ ।ବୋଲାବୋଲି ହେଉଁ ଲଙ୍କା କଟକାଇ ଲଗ୍ନ କେଉଁଦିନ ଶ୍ରବଣେ ।ବିବେକ ତା ଲାଙ୍ଗଳୀ ସୁଲକ୍ଷଣେ ।ବାହ୍ୟ କର୍କଶ ଦେଖାଇ ରସଗର୍ଭବୋମୁଁ ଖସି ଭରତେ ପ୍ରଣିପତ୍ୟ । ବିଗ୍ରହରେ ଦେଖି ସେହୁ ଜଡିତ ।ବାର୍ତ୍ତାକି ବାର୍ତ୍ତାକି ପୁଚ୍ଛୁଁ ଜୟ କରି ପ୍ରଭୁ ବିଜୟ ଭାଷିତ ସେ । ବାତଜ । ୨୮ ।ବାରବାମାମୁଖୁଁ ଧାତ୍ରୀ ଶୁଣି ଭଣୁ ଜନୟିତ୍ରୀଗଣ ଆସିଲେବାଣୀ ସଲକ୍ଷଣଟିକି ଭାଷିଲେବୋଇଲେ ରାମଚନ୍ଦ୍ର, ଉଦେ ପୂର୍ଣ୍ଣରେକ୍ଷୀଣେ ସିନା ମୁଞ୍ଚିଥିଲେ । ବାତଜବିଧାଇକି ବହୁତ ରୂପେ ଦେଇ । ବିଚାରନ୍ତେ ପାଛୋଟି ଯିବା ତହିଁ ।ବିମାନେ ଗଗନେ ଆସନ୍ତି ସିନାସେ ସ୍ୱନାମ ଲକ୍ଷରେ ବହି ସେ । ବାତଜ । ୨୯ ।ବନୌକା ଆଶ୍ରମେ ପୁଷ୍ପକାଳ ଶେଷ କରି ଅଶେଷ ତୋଷଭର ।ବଇଦେହୀ ଭୋଗରେ ତତପର ।ବିଗତ ଅନଙ୍ଗ- ଜ୍ୱର ସାନ୍ୱିପାତଭୟ ସ୍ୟନ୍ଦନ ବିହାର ସେ । ବୀରେନ୍ଦ୍ର ।ବାଦ୍ୟ ଶୁଭନ୍ତେ ଧରଣୀଉଛୁଳି । ବାହୁ ଉର୍ଦ୍ଧ୍ୱେ ନପତିବୃନ୍ଦ ତୋଳିବହୁତ କାକତଚକୀ ରଜ୍ଜୂଧୃତ କୁତୁକୀ କି ଦୃଷ୍ଟିଶାଳୀ ସେ ବିଦୁଷେ । ୩୦ ।
୨୬ଶ ପଦ :- ବଦାଇଥିଲେ - କହିଥିଲେ । ଶୃଙ୍ଗବେରପାଳକି - ଗୁହକ ଶବର । ରାଗ - ସ୍ନେହ, ଅନୁରାଗ । ବରାଟକ - କଉଡ଼ି । ବ୍ୟୋମନାସିକା - ଭାରତିଆ ପକ୍ଷୀ । ବାଲ୍ମୀକରୁ - ଉଇହୁଙ୍କାରୁ । ଇନ୍ଦ୍ରଚାପ - ଇନ୍ଦ୍ରଧନୁ ।
୨୬ଶ ପଦ :- ରାମଚନ୍ଦ୍ର ହନୁମାନକୁ କହିଥିଲେ ଯେ, ‘‘ତୁମ୍ଭେ ଅଯୋଧ୍ୟାକୁ ଯିବା ବାଟରେ ଶୃଙ୍ଗବେର ପୁରର ଶାସନକର୍ତ୍ତା ଗୁହକ ନାମକ ଶବରକୁ ଆମ୍ଭର ଆଗମନବାର୍ତ୍ତା କହିଦେଇ ଯିବ । ତେଣୁ ହନୁମାନ ବାଟରେ ଗୁହକ ସହିତ ସାକ୍ଷାତ କରି ଉକ୍ତ ବିଷୟ କହିବାବେଳେ ରାମଙ୍କଠାରେ ତାହାର ଯେ ପ୍ରଗାଢ଼ ଅନୁରାଗ ଅଛି, ତାହା ସେ ଭଲରୂପେ ଜାଣିପାରିଲା, କାରଣ ସେ ଶବରରାଜ କଉଡ଼ି ବ୍ୟତୀତ କେବଳ କଥାବାର୍ତ୍ତାରେ ହନୁମାନକୁ କିଣିପକାଇଲା । ସେଠାରୁ ବିଦାୟହୋଇ ହନୁମାନ ଭରତିଆ ପକ୍ଷୀପରି ଆକାର୍ଶମାର୍ଗରେ ଗମନ କରି ଗଲା । ହେ ପଣ୍ଡିତମାନେ । ସାନ୍ଦ୍ରମେଘରୁ ଇନ୍ଦ୍ରଧନୁ ଉତ୍ପନ୍ନ ହୋଇ ଆକାଶରେ ବ୍ୟାପ୍ତ ହେଲେ ଆକାଶ ଯେଉଁ ଶୋଭା ଧାରଣକରେ, ହନୁ ଅଯୋଧ୍ୟାକୁ ଯିବା ସମୟରେ ଠିକ୍ ସେହିପରି ନାନାରଙ୍ଗରେ ରଞ୍ଜିତ ହେବାର ଦେଖି, ଗୁହକ ଶବର ଆନନ୍ଦିତ ହେଲା ।
୨୭ଶ ପଦ :- ହନୁମାନ ନନ୍ଦିଗ୍ରାମକୁ ଆସି ଦେଖିଲା ଯେ, ଭରତ ଭରତଖଣ୍ଡରୁ ଲକ୍ଷ ଲକ୍ଷ ରାଜାମାନଙ୍କୁ ଅଣାଇଁ ସୈନ୍ୟମାନଙ୍କ ସହିତ ରଖି ତେଣୁ ନନ୍ଦିଗ୍ରାମ ଜଳପାତ୍ରରେ ପ୍ରତିବିମ୍ବିତ ହୋଇଥିବା ତାରକା ବିମଣ୍ଡିତ ଆକାଶରେ ଦେଖାଯାଉଅଛି । ହେ ପଣ୍ଡିତମାନେ ! ଏହା ଦେଖି ହନୁମାନ ମନେକଲା, ‘ରାମଚନ୍ଦ୍ରଙ୍କର ସାବତ ଭାଇ ଓ ଲକ୍ଷ୍ମଣ ଦୁହେଁ କେତକୀ ବୃକ୍ଷର ପତ୍ର ଓ ପୁଷ୍ପର ଗୁଣକୁ ଦାରଣ କରିଅଛନ୍ତି । କାରଣ କେତକୀର ବଡ଼ ପୁତ୍ର ଯେପରି କଣ୍ଟକଯୁକ୍ତ ଓ ସାନପୁଅ ପୁଷ୍ପ ଯେପରି ସୁବାସିତ ହୋଇଥାଏ; ସେହିପରି ବଡ଼ ଭରତ ରାମଙ୍କଠାରେ ‘କଣ୍ଟକଭାବ, ଶତ୍ରୁ ଭାବ ବହିଅଛନ୍ତି ଓ କନିଷ୍ଠ ଲକ୍ଷ୍ମଣ ‘ବାସିତ’ ସ୍ନେହଭାବକୁ ବହି ଅଛନ୍ତି ହେ ବିଧାତା ! ତୁ ସମସ୍ତ ଘଟନ ଘଟାଇ ପାରୁ ।
୨୮ଶ ପଦ :- ଲାଙ୍ଗଳୀ - ନାରିକେଳ । ବିଗ୍ରହରେ - ଦେହରେ ।
୨୮ଶ ପଦ :- ଏହି ସମୟରେ ସେହି ନନ୍ଦୀଗ୍ରାମସ୍ଥ ସୈନିକମାନେ ‘ଲଙ୍କାକୁ କେଉଁଦିନ ଯୁଦ୍ଧଯାତ୍ରା କରିବାକୁ ଲଗ୍ନ ସୁଝୁଛି?’ ଏହି କଥା କଥାବାର୍ତ୍ତା ହେଉଥିବାର ଶୁଣି ହନୁମାନ ବିଚାରିଲା, ‘ଭରତ ନାରିକେଳ ଫଳର ଲକ୍ଷଣରେ ବିଭୂଷିତ ଅଟନ୍ତି, ତେଣୁ ଏମାନଙ୍କର ବାହାର କର୍କଶ ଦେଖା ଯାଉଥିଲେ ମଧ୍ୟ ଭିତର ରାମଙ୍କ ପ୍ରତି ଅନୁରାଗରେ ପୂର୍ଣ୍ଣ ହୋଇଅଛି ।’ ଏହିପରି ବିଚାର କରି ହନୁମାନ ସଙ୍ଗେ ସଙ୍ଗେ ଆକାଶରୁ ଅବତରଣ କରି ଭରତଙ୍କୁ ଅଭିନନ୍ଦନ କଲା । ଭରତ ହନୁମାନକୁ ଦେଖି ଆଲିଙ୍ଗନ ପୂର୍ବକ ‘ଖବର କଣ, ଖବର କଣ ବୋଲି ପଚାରିବାରୁ ହନୁମାନ କହିଲା, ‘‘ପ୍ରଭୁ ରାବଣକୁ ଜୟକରି ଅଯୋଧ୍ୟାକୁ ଫେରୁଅଛନ୍ତି ।’’
୨୯ଶ ପଦ –ବାର ବାମମୂଖୁଁ - ବେଶ୍ୟାମାନଙ୍କ ମୁଖରୁ । ଧାତ୍ରି - ଧାଈ । ଜନୟିତ୍ରୀଗଣ - ମାତାମାନେ ।
୨୯ଶ ପଦ :- ‘ରାମ ଆସିଲେଣି’ ଏହି କଥା ବେଶ୍ୟାମାନଙ୍କ ମୁଖରୁ ଧାଈମାନେ ଶୁଣି ରାମଙ୍କର ମା ମାନଙ୍କ ନିକଟରେ କହିବାରୁ, ସେମାନେ ଆସି ହନୁମାନ ନିକଟରେ ଉପସ୍ଥିତ ହୋଇ ପଚାରିଲେ, ‘‘ରାମଚନ୍ଦ୍ର ସର୍ବଶୁଭରେ ଲକ୍ଷ୍ମଣଙ୍କ ସହିତ ଆସୁଛନ୍ତିଟି କି ?’’ ହନୁମାନ କହିଲା, ‘‘ଚନ୍ଦ୍ର ଯେପରି କ୍ଷୀଣ ହେଲେ ‘ସଲକ୍ଷଣ’ ଚିହ୍ନଯୁକ୍ତ ହୁଅନ୍ତି ନାହିଁ ଏବଂ ପୂର୍ଣ୍ଣ ହେଲେ ଚିହ୍ନଯୁକ୍ତ ହୁଅନ୍ତି; ସେହିପରି ରାମଚନ୍ଦ୍ର ସୀତାଙ୍କୁ ହରାଇଥିବା ସମୟରେ ସିନା କ୍ଷୀଣ ହୋଇଥିଲେ ବର୍ତ୍ତମାନ ପୂର୍ଣ୍ଣଭାଗରେ ପ୍ରକାଶିତ ହୋଇ ଅଛନ୍ତି; ସଲକ୍ଷଣ ନ ହେବେ କାହିଁକି? (ଅର୍ଥାତ୍ ରାମ ରାବଣକୁ ମାରି ସୀତାଙ୍କୁ ଉଦ୍ଧାରକରି ଶକ୍ତିବିଦ୍ଧ ଲକ୍ଷ୍ମଣଙ୍କୁ ମୁଁ ନେଇଯାଇଥିବା ଗନ୍ଧମାର୍ଦ୍ଦନସ୍ଥ ଔଷଧଦ୍ୱାରା ଆାରୋଗ୍ୟ କରି ଆନନ୍ଦରେ ଆସୁଅଛନ୍ତି) ।’’ ଏହା ଶୁଣିବା ସଙ୍ଗେ ସଙ୍ଗେ ଭରତ ଜନନୀମାନଙ୍କ ସହିତ ବହୁତ ବଧାଇ (ପୁରଷ୍କାର) ହନୁମାନକୁ ଦେଲେ ଏବଂ ରାମଙ୍କୁ ପାଛୋଟି ଆଣିବାକୁ ଯିବାପାଇଁ ବିଚାର କରନ୍ତେ, ହନୁମାନ କହିଲା’ ‘‘ରାମଚନ୍ଦ୍ର ‘ସ୍ୱନାମ ଲକ୍ଷରେ ରମଣୀୟ ଚନ୍ଦ୍ରଙ୍କ ପରି ବିମାନରେ ବସି ଆକାଶମାର୍ଗରେ ଆଗମନ କରୁଅଛନ୍ତି । ତେଣୁ ପଦବ୍ରଜରେ ତାଙ୍କୁ ପାଛୋଟି ଆଣିବାକୁ ଯିବା ଅସମ୍ଭବ ) ।’’
୩୦ଶ ପଦ :- ବନୌକାଆଶ୍ରମେ - ଭରଦ୍ୱାଜ ଆଶ୍ରମରେ । ପୁଷ୍ପକାଳ - ରାତ୍ରିକାଳ, (ରାତ୍ରିରେ ପୁଷ୍ପମାନେ ବିକାଶିତ ହେବାରୁ ତାକୁ ପୁଷ୍ପକାଳ କହନ୍ତି) । ଅନଙ୍ଗଜ୍ୱର - କାମଜ୍ୱର । ସ୍ୟନ୍ଦନ - ରଥ ।
୩୦ଶ ପଦ :- ରାମଚନ୍ଦ୍ର ବନବାସୀ ଭରଦ୍ୱାଜ ଋଷିଙ୍କ ଆଶ୍ରମରେ ସେ ଦିନକ ରହି ଉତ୍ଫୁଲ୍ଲ ମନରେ ସୀତାଙ୍କ ସହିତ ସମ୍ବୋଗରେ ରତି ହେବାଦ୍ୱାରା କାମଜ୍ୱର ରୂପ ସନ୍ନିପାତରୁ ଆରୋଗ୍ୟ ଲାଭ କରିବା ପରେ ରାତ୍ରିର ଶେଷରେ (ପ୍ରାତଃକାଳରେ) ରଥରେ ଉପବେଶନ କଲେ । ହେ ପଣ୍ଡିତମାନେ । ଏହି ସମୟରେ ବାଦ୍ୟନାଦରେ ପୃଥିବୀ ଉଛୁଳି ଉଠିବାରୁ କୌତୁକୀ ଲୋକ ବାହୁ ଟେକାକିଗଜଚକୀର ଦଉଡ଼ିକୁ କୌତୁକରେ ଧରି ଶୂନ୍ୟକୁ ଚାହିଁଲା ପରି ନନ୍ଦୀଗ୍ରାମରେ ରୁଣ୍ଡ ହୋଇଥିବା ରାଜାମାନେ ଆନନ୍ଦରେ ଶୂନ୍ୟଗ୍ରାମୀ ରଥକୁ ଚାହିଁଲେ ।
ବାଲ୍ୟଅବସ୍ଥା ସୁମରଣା ନିର୍ଜରେ ସାରଣୀ ଫିଙ୍ଗିଲା ପରିରେ ।ବିମାନ ଯେ ଖସି ଆସି ସତ୍ୱରେ ।ବିଳସି ପାରାବତ ବୃକ୍ଷେ ବସିବାପରାୟେ ସ୍ଥିତ ମହୀରେ ସେ । ବିମାନ ।ବ୍ୟୋମକେଶ ବୋଲାନ୍ତି ତ୍ରିଲୋଚନ । ବୁଝିବାରେ ଉପମା ବିଦ୍ୟମାନ ।ବିଭୂଷିଥିଲେ ପାରିଜାତମାଳକୁ ଖସି ସେ ହେଲା ପତନ କି । ବିଦୁଷେ । ୩୧ ।ବନ୍ଧାଇ କି ଚୂଡ଼ା ରସା ରସାଳସା ଆକାଶ ବେଶକାରୀ ବଶେ ।ବିରାଜଇ ଋକ୍ଷପ୍ରଭାଜାଳେ ସେ ।ବନ୍ୟସ୍ତ କର୍ପୂର କାଠିକି ସୁକରେରାମଗର୍ଭ ଦିବ୍ୟବାସେ । ବିଦୁଷେ ।ବାହାରନ୍ତେ ସେ ରଥୁ ରଘୁମଣି । ବିକାଶେ କି ପୂର୍ବାଦ୍ରିରୁ ତରଣି ।ବିପ୍ର ନୃପତି କଳାପ କରାଞ୍ଜଳି ନିଉଁଚ୍ଛାଳି ସ୍ତୁତି ଭଣି ହେ । ବିଦୁଷେ । ୩୨ ।ବଡ଼ଦେଉଳ ଅଗ୍ରତରେ ଗୁଣ୍ଡିଚା ରଥ ଯେ ଦେଖିଛି ତରକ ।ବିଲୋକନେ ବିଳସୀ ସର୍ବଲୋକ ।ବିଦିତ ନରେଶେ ଉତ୍ସବ ସେଠାରେଏ ନବଦିନ ସଂଖ୍ୟକ ହେ । ବିଦୁଷେ ।ବେନି ସୋଦର ନମସ୍କାର ଅନ୍ତେ । ବଧୂ ନେଇ ଆନନ୍ଦେ ମାତୃବ୍ରାତେବିଶେଷତ ଶୁଭରତ ସୁଭରତ ଶ୍ରୀ ରାମ କଟାକ୍ଷପାତେ ହେ । ବିଦୁଷେ । ୩୩ ।ବାନରପତିରେ କେଶରୀ ସରିରେ ନରପତି ବିଧି ଆଦରେ ।ବିପ୍ରବିଧି ସୁଷେଣ ଜାମ୍ବବରେ ।ବଭୀଷଣେ ରାମ ଆଚାର ପ୍ରଚାରପ୍ରଶସିତ ସମସ୍ତରେ ହେ । ବିଦୁସେ ।ବାଚକ ସେ କୃତାର୍ଥ ହେଲୁଁ ସର୍ବ । ବିଜେ ସଭାରେ ସମ୍ଭାରେ ରଘବ ।ବିରଚି ସ୍ଥାନ ଚରଚି ସେ ଅନ୍ତରେ ସୁମତି-ସୁମନ୍ନ ଭାବ ହେ । ବିଦୁଶେ । ୩୪ ।ବର୍ଦ୍ଧକି ବର୍ଦ୍ଧନ ଶୋଭା ଅଯୋଧ୍ୟାରେ ସେ ଦିନୁଁ ଅତି ଯତ୍ନେ କରୁଁ ।ବିଶ୍ୱକର୍ମା ବାଞ୍ଛିତ କୃତେ ଗୁରୁ ।ବିଜ୍ୱଳିତ ସେତ ଅନନ୍ତ ମଣିରେଅନନ୍ତ ମଣିରେ ଚାରୁ ଏ । ବିଦୁଷେ ।ବିଚାରଣା ଏ ଅଳକାଶୋଭିତା । ବଇଧବ୍ୟ ଅବସ୍ଥା ଆଲିଙ୍ଗତା ।ବିଶେଷ ଅଙ୍କାର ମୁଞ୍ଚି ଗଲା କି କେବଳ କରିଣ ଚିନ୍ତା ଏ ବିଦୁଷେ । ୩୫ ।୩୧ଶ ପଦ :- ନିର୍ଜରେ-ଯୁବକମାନେ । ସାରଣୀ-ଖେଳନା ବିଶେଷ । ତ୍ରିଲୋଚନ-ମହାଦେବ ।
୩୧ଶ ପଦ :- ଯୁବକମାନେ ପିଲାଦିନର କଥାକୁ ଭାବି ଯେପରି ମାରଣୀ ଫିଙ୍ଗନ୍ତି, ସେହିପରି ପୁଷ୍ପକ ବିମାନ ଅତିଶୀଘ୍ର ଆକାଶରୁ ଖସି ପାରାମାନ ଉଡ଼ିଆସି ବୃକ୍ଷଉପରେ ବସିଲାପରି ପୃଥିବୀ ଉପରେ ଅବସ୍ଥାନ କଲା ।
ହେ ପଣ୍ଡିତମାନେ ! ମହାଦେବ ବ୍ୟୋମକେଶ ନାମରେ ପରିଚିତ ଅଟନ୍ତି । ପୁଷ୍ପକ ବିମାନର ପତନ ହେବା ଦେଖି କବି ଏହି ଉପମାକୁ ମନରେ ଆଣିଲେ; - ‘ବ୍ୟୋମକେଶ’ ମହାଦେବଙ୍କ କେଶରେ ଥିବା ପାରିଜାତ ମାଳା ଖସି ପଡ଼ିଲା କି ?
୩୨ଶ ପଦ :- ପୁଷ୍ପକଯାନ ଭୂମିରେ ଉପସ୍ଥିତ ହୁଅନ୍ତେ ତାହାକୁ ଦେଖି ମନେହେଲା ପୃଥ୍ୱୀନାରୀ ଆକାଶରୂପୀ ବେଶକାରୀଦ୍ୱାରା ନିଜର ଚୁଡ଼ା (ଖୋଷା)କୁ ବନ୍ଧାଇଅଛି କି ? କାରଣ ଚୂଡ଼ା ଚନ୍ଦ୍ରଝୁମ୍ପା ପ୍ରଭୃତି କେଶାଳଙ୍କାରମାନଙ୍କ ଦ୍ୱାରା ବିଭୁଷିତା ହେଲାପରି ଏହି ଯାନ ଭାଲୁମାନଙ୍କର ଶାରୀରିକ ତେଜରେ ବିଭୂଷିତ ହୋଇଅଛି ଏବଂ ଅନାୟାସରେ ଚୂଡ଼ାର ମଧ୍ୟରେ ସୁନାର ଝରାକାଠି ଖଞ୍ଜି ତାକୁ ମନୋହର ପୁଷ୍ପମାଳଦ୍ୱାରା ସୁବାସିତ କଲାପରି, ଏହି ଯାନରେ ରାମଚନ୍ଦ୍ର ଓ ରାକ୍ଷସମାନେ କିଛିମାତ୍ର କଷ୍ଟ ଅନୁଭବ ନ କରି ବସିଥିବାରୁ ତାହା ମନୋହର ଦେଖାଯାଉଅଛି । ହେ ପଣ୍ଡିତମାନେ ! ସେହି ରଥରୁ ରାମଚନ୍ଦ୍ର ବାହାର ହୁଅନ୍ତେ ତାହାଙ୍କୁ ଦେଖି ମନେହେଲା, ଉଦୟ ପର୍ବତରୁ ସୂର୍ଯ୍ୟ ପ୍ରକାଶିତ ହେଲେ କି ? ସୂର୍ଯ୍ୟୋଦୟ ସମୟରେ ବ୍ରାହ୍ମଣମାନେ ହାତଯୋଡ଼ି ରାମଙ୍କୁ ସ୍ତୁତି କଲେ ।
୩୩ଶ ପଦ :- ମାତୃହାତେ - ମାଆମାନେ ।
୩୩ଶ ପଦ :- ପୁରୁଷୋତ୍ତମ କ୍ଷେତ୍ରସ୍ଥ ଜଗନ୍ନାଥ ଦେବଙ୍କ ଦେଉଳ ଆଗରେ ଯେଉଁମାନେ ଗୁଣ୍ଡିଚା ଏବଂ ବାହୁଡ଼ା ରଥ ଦେଖିଛନ୍ତି, ସେମାନେ ଅନୁମାନ କରନ୍ତୁ । ସେହି ବାହୁଡ଼ାବିଜେ ସମୟରେ ଯେପରି ଲୋକମାନେ ଜଗନ୍ନାଥଙ୍କୁ ଦେଖିବାକୁ ଅଭିଳାଷ ପ୍ରକାଶ କରିଥାନ୍ତି, ରାମଙ୍କର ବାହୁଡ଼ା ଯାତ୍ରା ସମୟରେ ସେହିପରି ଲୋକମାନେ ତାଙ୍କୁ ଦେଖିବାକୁ ଉଚ୍ଛନ୍ନ ହୋଇଥିଲେ । ପୁରୁଷୋତ୍ତମ କ୍ଷେତ୍ରରେ ସ୍ଥାନୀୟ ରାଜାଙ୍କଦ୍ୱାରା ବାହୁଡ଼ାବିଜୟ ପାଇଁ ନଅଦିନ ପର୍ଯ୍ୟନ୍ତ ଉତ୍ସବ ଅନୁଷ୍ଠିତ ହୋଇଥାଏ । ସେହିପରି ନନ୍ଦୀଗ୍ରାମରେ ଏହି ଉତ୍ସବ ରାଜାମାନଙ୍କଦ୍ୱାରା ଗୋଟିଏ ନୂତନ ଦିବସ ବୋଲି ନିର୍ଦ୍ଧାରିତ ହୋଇ ଅନୁଷ୍ଠିତ ହୋଇଥିଲା । ହେ ପଣ୍ଡିତମାନେ । ରଥରୁ ରାମ ଓ ଲକ୍ଷ୍ମଣ ଅବତରଣ କରିବା ସଙ୍ଗେ ଭରତ ଓ ଶତ୍ରୁଘ୍ନ ରାମଙ୍କୁ ନମସ୍କାର କରିସାରିବା ପରେ, ମାମାନେ ବୋହୁକୁ ନେଇ ଆନନ୍ଦରେ ଅନ୍ତଃପୁରକୁ ଗମନ କଲେ । ତତ୍ପରେ ରାମଚନ୍ଦ୍ରଙ୍କ ଦୃଷ୍ଟିପାତରୁ ତାଙ୍କର ମନକଥା ବୁଝିପାରି ସୁଶାସକ ଭରତ ସମସ୍ତଙ୍କୁ ଚର୍ଚ୍ଚା କରିବାକୁ ଲାଗିଲେ ।
୩୪ଶ ପଦ :- ଭରତ ସିଂହତୁଲ୍ୟ ପରାକ୍ରମୀ ସୁଗ୍ରୀବଙ୍କୁ ରାଜବିଧିରେ ସମ୍ମାନିତ କଲେ, ସୁଷେଣ ଓ ଜାମ୍ବବଙ୍କୁ ବ୍ରାହ୍ମଣ ସନ୍ତାନ ହୋଇଥିବାରୁ ବ୍ରାହ୍ମଣ ବିଧିରେ ଅଭିନନ୍ଦନ କଲେ । ତତ୍ପରେ ବିଭୀଷଣଙ୍କଠାରେ ରାମଚନ୍ଦ୍ର ଯେପରି ଆଚରଣ କରିଥିଲେ, ସେହିପରି ବ୍ୟବହାର କଲେ । ଭରତଙ୍କର ବ୍ୟବହାରରେ ସମସ୍ତେ ସନ୍ତୁଷ୍ଟ ହୋଇ ତାହାଙ୍କୁ ପ୍ରଶଂସା କରିବାକୁ ଲାଗିଲେ ଏବଂ କହିଲେ, ‘‘ହେ ଭରତ ! ଆମ୍ଭେ ତୁମ୍ଭର ସତ୍କାରରେ କୃତାର୍ଥ ହେଲୁ ।’’ ଏହି ସମୟରେ ରାମଚନ୍ଦ୍ର ମହାସମାରୋହରେ ସଭାରେ ବିଜେ କଲେ ଏବଂ ସୁବିବେଚକ ସୁମନ୍ତ ମନ୍ତ୍ରୀ ରାମଙ୍କ ସହିତ ଆସିଥିବା ସୈନିକମାନଙ୍କୁ ରହିବା ପାଇଁ ଘର ଦେଇ ଚର୍ଚ୍ଚା କରିବାକୁ ଲାଗିଲେ ।
୩୫ଶ ପଦ :- ସମ୍ଭାରେ - ଆଡ଼ମ୍ବର ସହିତ ।
୩୫ଶ ପଦ :- ରାମଚନ୍ଦ୍ର ଅଯୋଧ୍ୟାରେ ଉପସ୍ଥିତ ହେବା ଦିନଠାରୁ ବଢ଼ାଇମାନେ ଆସି ଅଯୋଧ୍ୟାପୁରର ଶୋଭାକୁ ବଢ଼ାଇବାକୁ ଲାଗିଲେ । ତାହା ଦେଖି ବିଶ୍ୱକର୍ମା ସେହି ବଢ଼ାଇମାନଙ୍କୁ ଗୁରୁ କରିବାକୁ ଇଚ୍ଛାକଲେ । (ଅର୍ଥାତ୍ ବଢ଼ାଇମାନଙ୍କର ଶିଳ୍ପଚାତୁରୀ ବିଶ୍ୱକର୍ମା ଶିଳ୍ପ ଚାତୁରୀଠାରୁ ବଳି ପଡ଼ିଲା) ପୂର୍ବେ ଯେଉଁ ଅଯୋଧ୍ୟା’ ଅନନ୍ତ ଶେଷେବତାରୀ ଲକ୍ଷ୍ମଣଙ୍କ ତେଜରେ ଅତିଶୟ ଉଜ୍ଜ୍ୱଳା ହୋଇଥିଲା, ବର୍ତ୍ତମାନ ସେହି ଅଯୋଧ୍ୟା ବହୁସଂଖ୍ୟକ ମଣିମାନଙ୍କର ତେଜରେ ଭୂଷିତ ହୋଇ ଅତି ମନୋହର ଦେଖାଗଲା । ହେ ପଣ୍ଡିତମାନେ । ଏହି ସମୟରେ ଅଯୋଧ୍ୟାର ଶୋଭା ଦେଖି ମନେ ହେଲା, ନାନାବିଧ ଶୋଭାର ଆଶ୍ରୟସ୍ଥଳୀ ଅଳକାପୁରୀ (ସୁରନଗରୀ) ବୈଧବ୍ୟ ଦଶା ପ୍ରାପ୍ତ ହୋଇ ସମସ୍ତ ଅଳଙ୍କାର ତ୍ୟାଗ ପୂର୍ବକ ଚିନ୍ତାରେ କେଉଁଆଡ଼େ ଚାଲିଗଲା କି ? (ନଚେତ୍ ପୃଥିବୀ ଏ ସ୍ୱର୍ଗୀୟ ଶୋଭାରେ ଭୂଷିତ ହୁଅନ୍ତା କିପରି ?)
ବୋଲଇ ଯେ ଲଙ୍କା ତହିଁ କରୁ ଶଙ୍କା ତା ପୁଷ୍ପ ଲଙ୍କାକେଶୁଁ ଖସି ।ବିମଳିନ ପତନ ହୋଇ ଦିଶି ।ବୟସ୍ଥା ଯହିଁ ଅମରବତୀ କହିବାର୍ଦ୍ଧକୀ ସ୍ୱଭାବ ଦିଶି ହେ । ବିଦୁଷେ ।ବସେ ଭୋଗବତୀ ପଦତଳରେ । ବିଶ୍ୱସିତା ଦାସୀଭାବ ବଳରେ ।ବଇକୁଣ୍ଠ ଯେହି ନାମେ ମର୍ତ୍ତ୍ୟେ ନାହିଁ ତା ତୁଲେ ତୁଳେ ତୁଳରେ ହେ । ବିଦୁଷେ । ୩୬ ।ବିନୟ କୈକେୟ ପାଦୁକାକୁ ଥୋଇ ରଘୁବଂଶଈଶ ଛାମୁରେ ।ବହ ନୃପ ପଦକୁ ତତପରେ ।ବାସୁକୀ ବିନା ଧରା ଭାରା ଧାରଣଆନ ସୋଦରେ କି ଚିରେ ହେ । ବୀରେନ୍ଦ୍ର ।ବୋଲୁ ଶତ୍ରୁଘ୍ନ ଯଥାର୍ଥ ଉଚ୍ଚାରି । ବୋଲେ ସୁମନ୍ତ୍ର ହେଉ ଏ ସେପରି ।ବିଷ୍ଣୁଙ୍କୁ ଅନୁସରି ବ୍ରହ୍ମା ଯେମନ୍ତ ସୃଷ୍ଟିପାଳନାକୁ କରି ହେ । ବୀରେଶ । ୩୭ ।ବିଶିଷ୍ଟ ବିଶିଷ୍ଠ ଗୁରୁପୁଷ୍ୟା ଯୋଗେ ଅଭିଷେକ ହେବ । ଭାଷିତ ।ବାମଦେବ କହି ହେଲେ ଏମନ୍ତ ।ବନେ ଦୂଷଣ ନାଶିଅଛ ଅନୁଜ-ପ୍ରସୂ ଦୂଷଣ ହର ତ ହେ । ବୀରେନ୍ଦ୍ର ।ବିଭୁଅଙ୍ଗୀକୃତେ ଏହା ଶୁଣିଲେ । ବାୟୁପୁତ୍ରକୁ ଜାମ୍ବବ ଭଣିଲେ ।ବାଳଖିଳ୍ୟାସହ ସନକାଦିମୁନି ଗଙ୍ଗାଦି ଜଳ ଆଣିଲେ ହେ । ବିଦୁଷେ । ୩୮ ।ବିଭିନ୍ନ କଲେ ସଟାଯହୁଁ ହରିର ଅରଣ୍ୟବିହାର ଅନ୍ତର ।ବସିବାକୁ ସମ୍ରାଟ ପଦବୀରବିଭୂଷି କୁନ୍ତଳ- ଦେଶ ପୁଷ୍ପପରଅଙ୍ଗଦେଶ ମନୋହର ହେ । ବିଦୁଷେ ।ବହି ଅନନ୍ତ ଶୋଭା ମହୀଧାର୍ଯ୍ୟେ । ବିଧୂନକ୍ଷତ୍ରମାଳାରେ ବିରାଜେ ।ବୋଇଲେ କନ୍ଦର୍ପ କୋଟିଏ ଗୋଟିଏ ଦଶନେ ଜନସମାଜେ ହେ ବିଦୁଷେ । ୩୯ ।ବାଦ୍ୟଶବଦର ଗମକ ଚମକ ଦାନବେନ୍ଦ୍ର ଦାନ କରଣ ।ବିଚାରିଲେ ମାଇଲେଣି ରାବଣ ।ବାଜଣା ସାଜଣା କାହିଁକି ଏଣିକିମାରିବା ଇଛେ ଲବଣ ସେ । ବୀରେନ୍ଦ୍ର ।ବ୍ୟାଳଶ୍ରେଷ୍ଠ ଦେଖିବା ଅଭିଷେକ । ବୋଲାବୋଲି ହୋଇ ଯିବା ଉତ୍ସୁକ ।ବଚନେ ଭାବିତ ଲୋଚନେ ଦେଖିବେ ମହାଭାଗ୍ୟବନ୍ତ ଲୋକ ହେ । ବିଧିରେ । ୪୦ ।୩୬ଶ ପଦ :- ଲଙ୍କା - ରାକ୍ଷସପୁର, ବିଟପୀ-ସ୍ତ୍ରୀ । ବାର୍ଦ୍ଧକୀ - ବୃଦ୍ଧାବସ୍ଥା । ଭୋଗବତୀ - ପାତାଳାପୁର ।
୩୬ଶ ପଦ :- ସେହି ନବନିର୍ମିତ ଅଯୋଧ୍ୟାପୁରୀର ଶୋଭା ଆବିର୍ଭାବ ହେବା ଦିନଠାରୁ ଲଙ୍କା କୁଳଟା ବୋଲାଇଲା । କାରଣ ଲଙ୍କା ରାବଣର ରାଜଧାନୀ ହେବା ପୂର୍ବରୁ କୁବେରଙ୍କ ରାଜଧାନୀ ହୋଇଥିଲା । ବର୍ତ୍ତମାନ ଅଯୋଧ୍ୟାପୁରୀର ଶୋଭାକୁ ଦେଖି ମୁଁ ଏହା ସହ ସମାନ ହେବି ନାହିଁ’ ବୋଲି ଭାବି ତାହାର କେଶରୁ ‘ପୁଷ୍ପଲଙ୍କା’ ଫୁଲ ପେଣ୍ଡା ଖସାଇ ପକାଇଲା ଓ ଫଳରେ ମଳିନ ଦେଖାଗଲା । ଯୁବତୀ (ଶୌନ୍ଦର୍ଯ୍ୟଶାଳିନୀ) ଇନ୍ଦ୍ରପୁରୀ ଅଯୋଧ୍ୟାର ଶୋଭା ଦେଖି ବୃଦ୍ଧାବସ୍ଥା ପ୍ରାପ୍ତ ହେଲାପରି ଦେଖାଗଲା । ହେ ପଣ୍ଡିତମାନେ ! ପାତାଳପୁରୀ ଅତି ବିଶ୍ୱସ୍ତା ଦାସୀ ପରି ପାଦତଳରେ ବସି ରହିଲା । (ପାତାଳପୁରୀ ନିମ୍ନଦେଶରେ ଥିବାରୁ ଦାସୀ ବୋଲି ବର୍ଣ୍ଣନା କରାଗଲା) । କେବଳ ବୈକୁଣ୍ଠପୁରର ନାମ ମର୍ତ୍ତ୍ୟରେ ନ ଥିବାରୁ ତାହା ସହିତ ଏହି ଅଯୋଧ୍ୟାକୁ ତୁଳନା କରିବାକୁ ହେବ । (ଅର୍ଥାତ୍ ଏକମାତ୍ର ବୈକୁଣ୍ଠ ସହିତ ତୁଳନୀୟ ଅଟେ) ।
୩୭ଶ ପଦ :- କିଛିଦିନପରେ ଦିନେ ଭରତ ରଘୁବଂଶଶ୍ରେଷ୍ଠ ରାମଙ୍କ ନିକଟରେ ରାମଙ୍କର ପୂର୍ବ ଦତ୍ତ କଠାଉ ଦୁଇଟି ରଖି ବିନୟାନ୍ୱିତ ହୋଇ କହିଲେ, ‘‘ବର୍ତ୍ତମାନ ରାଜପଦ ବହନ କରନ୍ତୁ । ଯେପରି ବାସୁକିଙ୍କ ବ୍ୟତୀତ ତାଙ୍କର ଅନ୍ୟ ଭାଇମାନେ ପୃଥିବୀର ଭାର ବହନ କରିବାକୁ ସମର୍ଥ ନୁହଁନ୍ତି, ସେହିପରି ବହୁକାଳ ପର୍ଯ୍ୟନ୍ତ ଏହି ରାଜ୍ୟଭାର ଧାରଣ କରିବାକୁ ଆପଣଙ୍କ ଭିନ୍ନ ଆପଣଙ୍କର ଅନ୍ୟ କୌଣସି ଭାଇ ସକ୍ଷମ ହେବେ ନାହିଁ । ଭାତୃ ଭକ୍ତ ଭରତ ଏହା କହିଲା ବେଳେ ଶତ୍ରୃଘ୍ନ ତାହା ଶୁଣି ଯଥାର୍ଥ ବୋଲି କହିଲେ । ସୁମନ୍ତ୍ର କହିଲେ, ‘‘ହେ ବୀରଶ୍ରେଷ୍ଠ ରାମଚନ୍ଦ୍ର । ବ୍ରହ୍ମା ଯେପରି ବିଷ୍ଣୁଙ୍କୁ ଅନୁସରି ସୃଷ୍ଟି ପାଳନ କରନ୍ତି, ସେହିପରି ଏମାନେ ଆପଣଙ୍କୁ ଅନୁସରି ରାଜ୍ୟପାଳନ କରିଅଛନ୍ତି ।
୩୮ଶ ପଦ :- ଅନୁଜପ୍ରସ - ଭରତର ମାତା ( କୈକେୟୀ ) ।
୩୮ଶ ପଦ :- ଏହି ସମୟରେ ଋଷିଶ୍ରେଷ୍ଠ ବଶିଷ୍ଟ କହିଲେ, ‘‘ଗୁରୁବାର ଦିନ ପୁଷ୍ୟା ନକ୍ଷତ୍ର ଅଛି, ଏହାକୁ ଗୁରୁପୁଷ୍ୟା ଯୋଗକହନ୍ତି । ଏହି ଯୋଗରେ ଆପଣ ଅଭିଷିକ୍ତ ହୁଅନ୍ତୁ ।’’ ତତ୍ପରେ ବାମଦେବ ଋଷି କହିଲେ, ‘‘ହେ ବୀର ଶ୍ରେଷ୍ଠ ! ଆପଣ ଦଣ୍ଡକାରଣ୍ୟରେ ଦୁଷଣ ନାମକ ରାକ୍ଷସକୁ ବିନାଶ କରିଅଛନ୍ତି; ବର୍ତ୍ତମାନ ବିମାତା କୈକେୟୀଙ୍କର ଦୋଷହରଣ କରନ୍ତୁ ଅର୍ଥାତ୍ ରାଜ୍ୟରେ ଅଭିଷିକ୍ତ ହେବାଦ୍ୱାରା ତାଙ୍କ ଦୋଷ କ୍ଷମା କରନ୍ତୁ ।’’ ବିଭୁ ରାମଚନ୍ଦ୍ର ବାମ ଦେବଙ୍କଠାରୁ ଏହି କଥା ଶୁଣିବା ପରେ ରାଜା ହେବାକୁ ସ୍ୱୀକାର କଲେ । ହେ ପଣ୍ଡିତମାନେ ! ରାମଚନ୍ଦ୍ରଙ୍କ ସ୍ୱୀକୃତ ପାଇ ଜାମ୍ବବ ମନ୍ତ୍ରୀ ହନୁମାନକୁ କହିବାରୁ ସେ ଯାଇ ବାଳାଖିଲ୍ୟାଋଷିମାନଙ୍କ ସହିତ ସନକାଦିଋଷିମାନଙ୍କୁ ନିମନ୍ତ୍ରଣ ଦେଲେ ଓ ଗଙ୍ଗାଦିତୀର୍ଥମାନଙ୍କର ଜଳ ଆଣିଲେ ।
୩୯ଶ ପଦ :- ସଟା - ସିଂହର କେଶର, କେଶ । ହରି - ସିଂହ । ଅନନ୍ତ - ଶେଷଦେବ, ଅସୀମ, ଆକାଶ ।
୩୯ଶ ପଦ :- ସିଂହ ଅରଣ୍ୟରେ ବିହାର କରି ବାହାର ହେଲେ ଯେପରି ତାହାର କେଶର ସବୁ ଇତସ୍ତତ ହୋଇଥାଏ; ସେହିପରି ରାମଚନ୍ଦ୍ର ବନବହିହାର ଶେଷ କରି ଅଯୋଧ୍ୟାକୁ ଆସି ରାଜପଦରେ ଅଭିଷିକ୍ତ ହେବା ନିମିତ୍ତ ମୁଣ୍ଡରେ ଥିବାଜଟାମାନଙ୍କୁ ବିଭିନ୍ନ କଲେ । ତତ୍ପରେ ସେ କେଶଗୁଚ୍ଛକୁ ପୁଷ୍ପମାନଙ୍କ ଦ୍ୱାରା ଓ ଶରୀରକୁ ଅତି ସୁନ୍ଦର ଭୁଷଣମାନଙ୍କଦ୍ୱାରା ବିଭୁଷିତ କଲେ । ହେ ପଣ୍ଡିତମାନେ ! ରାମଚନ୍ଦ୍ର ଭୁଭାରବହନ କରିବା ନିମିତ୍ତ ଅନୁପମ ଶୋଭାଧାରଣ କରି ନକ୍ଷତ୍ରମାନଙ୍କ ମଧ୍ୟରେ ଚନ୍ଦ୍ରଶୋଭା ପାଇଲା ପ୍ରାୟ ଶୋଭା ପାଇଲେ । ଏହି ସମୟରେ ଲୋକମାନେ ତାହାଙ୍କୁ ଦେଖି, ‘କୋଟିଏ କନ୍ଦର୍ପ ଏକତ୍ରିତ ହୋଇ ଗୋଟିଏ ମୂର୍ତ୍ତି ଧାରଣ କରି ଅଛନ୍ତ କି ?’’
୪୦ଶ ପଦ :- ଗମକ - ଗହଳି । ଦାନ - ଛେଦନ । ବ୍ୟାଜଶ୍ରେଷ୍ଠ - ବାସୁକି ।
୪୦ଶ ପଦ :- ଏହି ସମୟରେ ବାଜୁଥିବା ବାଦ୍ୟମାନଙ୍କର ଗହଳିଶବ୍ଦ ଶୁଣି ଲୋକମାନେ ବିଚାର କଲେ, ‘ରାମଚନ୍ଦ୍ର ପ୍ରଧାନ ପ୍ରଧାନ ରାକ୍ଷସମାନଙ୍କୁ ମାରିବା ନିମିତ୍ତ ଏହି ବାଦ୍ୟ ବଜାଇ ବାହାରୁଅଛନ୍ତି କି ?’ ପୁଣି ଭାବିଲେ ‘ରାବଣକୁ ତ ମାରି ସାରିଲେଣି, ଆଉ କାହିଁକି ଏପରି ବାଦ୍ୟ ବାଜୁଅଛି ? ଆଉ କଣ ଲବଣାସୁରକୁ ମାରିବାପାଇଁ ଇଚ୍ଛା କରୁଛନ୍ତି କି ? କିଛିକ୍ଷଣ ପରେ ଲୋକମାନେ ‘ରାମ ଅଭିଷେକ ହେଉ ଥିବାରୁ ବାଜା ବାଜିଛି - ଏହା ଜାଣିପାରି ଅଭିଷେକ ଦେଖିଯିବା ପାଇଁ ପରଷ୍ପର ମଧ୍ୟରେ ଆନନ୍ଦର ସହିତ କଥାବାର୍ତ୍ତା ହେଲେ । ସେତେବେଳେ ବାସୁକି ଏହି କଥା ଭାବିଲେ, ଏହି ଲୋକମାନେ ଅତ୍ୟନ୍ତ ଭାଗ୍ୟବାନ୍; ତେଣୁ ସ୍ୱୀୟଚକ୍ଷୁରେ ରାମାଭିଷେକ ଦେଖିବେ । ମୋର ତ ଭାଗ୍ୟ ଛୋଟ, ରାମାଭିଷେକ ଦେଖିବି କୁଆଡ଼ୁ ? (ମୁଁ ତ ପୃଥିବୀର ଭାର ଛାଡ଼ି ଯାଇପାରିବି ନାହିଁ ) ।’
ବାଜୀଗଜ ରଥ ପତ୍ତ ଚତୁରଙ୍ଗ ପରମ୍ପରା ହୋଇ ଏ ଥିଲା ।ବିଧି ଏକ ନୂତନ ତହିଁ ହେଲା ।ବାନର ଋକ୍ଷ ରାକ୍ଷସଙ୍କର ମେଳ ।ହିଂସହୀନରାମଲୀଳା ହେ । ବିଦୁଷେ ।ବଇଜୟନ୍ତୀ ଉଡ଼େ ବ୍ରାତ ବ୍ରାତ । ବନ୍ଦିବୃନ୍ଦ ବନ୍ଦନରେ ଉନ୍ମତ୍ତ ।ବିଭୀଷଣ ସୁଗ୍ରୀବାଦି ମହୀପତି ଯାନମାନ ଆରୋହିତ ହେ । ବିବୁଧେ । ୪୧ ।ବିଭ୍ରାଜ ହେଲେ ତ୍ରିଭୁବନକିରୀଟ ମର୍କତମଣି ସତ ରାମ ।ବିଧିରେ ତ ଅଯୋଧ୍ୟା ନିଜଧାମ ।ବପୁଷ୍ମନ୍ତେ ମୁକ୍ତ ବୋଇବେ କିଞ୍ଚିତେଭାବିଲେ ଜନମି ପ୍ରେମ ହେ । ବିଦୁଷେ ।ବୟାଳିଶପଦେ ଛାନ୍ଦ ମଧୁର । ବୋଲେ ଉପେନ୍ଦ୍ର ଭଞ୍ଜ ବୀରବର ।ବୈହାସିକ ହେବେ ନ ବୁଝିଲା ଜନେତହିଁ କି କେଉଁ ବିଚାର ହେ । ବିବୁଧେ । ୪୨ ।୪୧ଶ ପଦ :- ବିଭ୍ରାଜ - ଶୋଭିତ । ବପୁଷ୍ମନ୍ତେ - ଶରୀରଧାରୀମାନେ । ବୈହାସିକ - ଉପହାସିତ ।
୪୧ଶ ପଦ :- ଅଶୁ, ହସ୍ତୀ, ରଥ ଓ ପଦାତିକମାନଙ୍କ ଦ୍ୱାରା ଚତୁରଙ୍ଗବଳ ଗଠିତ ହେବାର ବହୁକାଳରୁ ନିୟମଥିଲା; କିନ୍ତୁ ଅଯୋଧ୍ୟାରେ ରାମାଭିଷେକ ଦିନଠାରୁ ଏକ ନୂତନ ନିୟମ ପ୍ରଣୟନ କରାଗଲା ଭାଲୁ, ବାନର ଓ ରାକ୍ଷସମାନେ ହିଂସାଶୂନ୍ୟ ହୋଇ ଏହି ସମୟରେ ଅସଂଖ୍ୟ ପତାକା ଉଡ଼ିଲା ଭାଟମାନେ ରାମଚନ୍ଦ୍ରଙ୍କ ସ୍ତୁତି ପଠନ କରିବାରେ ଉନ୍ମତ୍ତ ହେଲେ ପାଗଳ ଯେପରି ସର୍ବଦା ପ୍ରଳାପ କରୁଥାଏ, ଭାଟମାନେ ସେହିପରି ଅନବରତ ସ୍ତୁତି ପାଠକରିବାରେ ଲାଗିଲେ) ଏ ବଂ ବିଭୀଷଣ ଓ ସୁଗ୍ରୀବ ପ୍ରଭୃତି ରାଜାମାନେ ନାନାବିଧ ଯାନରେ ବସି ଅଭିଷେକ ସ୍ଥଳକୁ ଅଳଙ୍କୃତ କଲେ ।
୪୨ଶ ପଦ :- ସ୍ୱର୍ଗ, ମର୍ତ୍ତ୍ୟ ପାତାଳ ଏହି ତିନି ଭୁବନର ମୁକୁଟରେ ଖଚିତ ହୋଇଥିବା ଇନ୍ଦ୍ର ନୀଳମଣି ତୁଲ୍ୟ କାନ୍ତିବିଶିଷ୍ଟ ରାମଚନ୍ଦ୍ର ସେହି ଅଭିଷେକ ସମୟରେ ପ୍ରକୃତ ‘ତ୍ରିଭୁବନ ମୁକୁଟ ମରକତମଣି, ବିଶ୍ୱବିଜୟୀ ମହାରାଧିରାଜ ପରି ଦେଖାଗଲେ ଅର୍ଥାତ୍ ବୈଷ୍ଣବ ତେଜଧାରଣ କଲେ) ଏହା ସତ୍ୟ; ଯେହେତୁ ଅଯୋଧ୍ୟା’ ଅନ୍ୟ ଯୋଦ୍ଧମାନଙ୍କର ପ୍ରବେଶ ଶୂନ୍ୟ ସ୍ୱକୀୟ ବାସସ୍ଥାନ ଅର୍ଥାତ ବୈକୁଣ୍ଠପୁରୀ ପ୍ରକୃତରେ ଏହି ଅଯୋଧ୍ୟା ନଗରୀ ଅଟେ । (ଏଣୁ କିଛିମାତ୍ର ସନ୍ଦେହ କରିବା ଉଚିତ ନୁହେଁ ହେ ପଣ୍ଡିତମାନେ ! ସେହି ଅଭିଷେକକାଳୀନ ରାମଚନ୍ଦ୍ରଙ୍କୁ ଭାବି ହୃଦୟରେ ଅଳ୍ପ ମାତ୍ର ବୈଷ୍ଣବ ପ୍ରେମ ଜନ୍ମିଲେ ଶରୀରମାନେ ନିଶ୍ଚୟ ଲାଭ କରିବେ । ଏହି ମନୋହର ଛାନ୍ଦକୁ ଉପେନ୍ଦ୍ରଭଞ୍ଜ ବୟାଳିଶ ପଦରେ ରଚନା କଲେ । ହେ ପଣ୍ଡିତମାନେ । ଏହାକୁ ବୁଝି ନ ପାରିବା ଲୋକମାନେ ଅର୍ଥାତ୍ ମୂର୍ଖମାନେ ଯଦି ମୋତେ ଉପହାସ କରନ୍ତି, ତାହାହେଲେ ମୋର ସେମାନଙ୍କ ପ୍ରତି ଆଉ କିଛି ମାତ୍ର କହିବାକୁ ନାହିଁ ।
ଦ୍ୱିପଞ୍ଚାଶତ ଛାନ୍ଦ(ରାଗ – ମଙ୍ଗଳ)ବର୍ଣ୍ଣନେ କବି ଅଶେଷ ଯେଉଁ ମହୋତ୍ସବ ।ବଂଶଚିତ ଚରିତରେ ବିଞ୍ଜେ ଅର୍ଥ ହେବ ହେ । ୧ ।ବ୍ରହ୍ମପୁତ୍ର କହିବାର ଗୁରୁପୁଷ୍ୟାଯୋଗେ ।ବାରୁଣାଳୟ କୃପାରେ ଯେ ସେ ସୀତାସଙ୍ଗେ ଯେ । ୨ ।ବିଶାରଦ ଗଭୀର ଗୁଣରେ ଅତିଅନ୍ତ ।ବିଳସିତ ରଙ୍ଗେ ବହୁଭୁବନେ ରାଜିତ ହେ । ୩ ।ବକ ବାଜୀ ଶାମଳ କୁମ୍ଭୀରେ ସ୍ଥାନ ପୂର୍ଣ୍ଣ ।ବିଦିତ ଶଙ୍ଖ ମଧୁରୀ ଆନକ ନିସ୍ୱନ ଯେ । ୪ ।ବିଦ୍ୱାନ ଅନନ୍ତ ଯହିଁ ଆନ ଲକ୍ଷ ନାହିଁ ।ବିସ୍ତୃତ ତାରତର ନେତ୍ରରେ ଚାରୁ ମୋହି ହେ । ୫ ।୧ମ ପଦ :- ଅର୍ଥୀହେବ - ବାଞ୍ଛିତ ଫଳ ପ୍ରାପ୍ତ ହେବ ।
୧ମ ପଦ :- ଯେଉଁ ରାମଙ୍କର ଅଭିଷେକ ମହୋତ୍ସବ କବିମାନଙ୍କର ବର୍ଣ୍ଣନାଦ୍ୱାରା ଶେଷହୁଏ ନାହିଁ ସେହି ରାମଚନ୍ଦ୍ରଙ୍କର ଚରିତରେ ଚିତନିବେଶ କର, ସେ ତୁମ୍ଭମାନଙ୍କୁ ନିଶ୍ଚୟ ଅଭିଳଷିତ ଫଳ ପ୍ରଦାନ କରିବେ ।
୨ୟ ପଦ :- ବ୍ରହ୍ମପୁତ୍ର - ବଶିଷ୍ଠ । ବରୁଣାଜୟକୃପାରେ - କୃପ ସମୁଦ୍ରର ।
୨ୟ ପଦ :- କୃପାସିନ୍ଧୁ ରାମଚନ୍ଦ୍ର ବଶିଷ୍ଠଙ୍କ କହିବାନୁସାରେ ଗୁରୁପୁଷ୍ୟାଯୋଗ ଉପସ୍ଥିତ ହୁଅନ୍ତେ ସୀତାଙ୍କୁ ସଙ୍ଗରେ ଘେନି ଅଭିଷେକ ହେବା ନିମିତ୍ତ ରତ୍ନସିଂହାସନରେ ବିଜେ କଲେ ।
୩ୟ ପଦ –ସମୁଦ୍ରଯେପରି ଅତ୍ୟନ୍ତ ଗଭୀର ଗୁଣରେ ବିଶାରଦ ଅର୍ଥାତ୍ ଅତି ଗଭୀର, ତରଙ୍ଗାକୁଳିତ ଓ ଅପରିମିତ ଜଳପୂର୍ଣ୍ଣ ଅଟେ; ଏହି କୁରୁଣାସିନ୍ଧୁ ରାମଚନ୍ଦ୍ର ମଧ୍ୟ ସେହିପରି ସଦ୍ଗୁଣରେ ଅତ୍ୟନ୍ତଗଭୀର ଅର୍ଥାତ୍ ଦୟାଦାକ୍ଷିଣ୍ୟାଦି ବହୁଗୁଣସମ୍ପନ୍ନ ସୁଚତୁର- ବା କାର୍ଯ୍ୟଦକ୍ଷ ଓ ଚଉଦଭୁବନରେ ବିଖ୍ୟାତ ଅଟନ୍ତି ।
୪ର୍ଥ ପଦ :- ସମୁଦ୍ରରେ ଯେପରି କୌଣସି କୌଣସି ସ୍ଥଳ ବକପକ୍ଷୀ, ଶ୍ୟାମପକ୍ଷୀ, ସିନ୍ଧୁ ଘୋଟକ ଓ କୁମ୍ଭୀରମାନଙ୍କ ଦ୍ୱାରାପୂର୍ଣ୍ଣ, ଶଙ୍ଖ ନାନକ ଜଳଜନ୍ତୁର ବାସସ୍ଥାନ ଓ ଅନ୍ୟାନ୍ୟ ଜନଜନ୍ତୁମାନଙ୍କର ମନୋହର ଶବ୍ଦରେ ଝଙ୍କାରିତ ଅଟେ, ସେହିପରି ଏହି କରୁଣାସିନ୍ଧୁ ରାମଙ୍କର ଅଭିଷେକ ସ୍ଥାନ ଶିରୋଦେଶରେ ବକଶ୍ୟାମଳମଣ୍ଡିତ ବୀରମାନଙ୍କଦ୍ୱାରା ପରିବେଷ୍ଟିତ ଘୋଡ଼ା ଓ ହାତୀମାନଙ୍କ ଦ୍ୱାରା ପୂର୍ଣ୍ଣ ଓ ଶଙ୍ଖ, ମହୁରୀ ଢୋଲ ପ୍ରଭୃତି ବାଦ୍ୟମାନଙ୍କଦ୍ୱାରା ଶବ୍ଦିତ ଅଟେ ।
୫ମ ପଦ :- ବିତାନ - ଚାନ୍ଦୁଆ - ଆକାଶ ।
୫ମ ପଦ :- ସେହି ଅଭିଷେକ ସ୍ଥାନ ‘ଅନନ୍ତ’ ବହୁସଂଖ୍ୟକ ଚାନ୍ଦୁଆମାନଙ୍କଦ୍ୱାରା ଆଚ୍ଛାଦିତ, ତେଣୁ ତାହାକୁ ଅନ୍ୟ କୌଣସି ବସ୍ତୁର ସହିତ ତୁଳନା ନ କରି ‘ଅନନ୍ତ’ ଆକାଶ ସହିତ ତୁଳନା କରିବା ଉଚିତ । କାରଣ ଆକାଶ ଯେପରି ଅତିବିସ୍ତୃତ, ଉଜ୍ଜ୍ୱଳ ଓ ମନୋରମ ହୋଇଥିବାରୁ ଦର୍ଶକର ନୟନକୁ ମୋହିତ କରେ; ସେହିପରି ଏହି ଚାନ୍ଦୁଆସବୁ ମନୋହର ବସ୍ତୁମାନଙ୍କଦ୍ୱାରା ନିର୍ମିତ ହୋଇ ଅତି ବିସ୍ତୃତ ହୋଇଥିବାରୁ ଲୋକମାନଙ୍କୁ ମୋହିତ କରୁଅଛି ।
ବିସ୍ତାରକ ସୁମନସପଦ୍ଧତି ଆହୁରି ।ବିଧୃତ ଚନ୍ଦ୍ର ଝଲକାବଳୀ କି ମାଧୁରୀ ଯେ । ୬ ।ବିଳାସବଶରେ ଘନସାର ପ୍ରଚରିତ ।ବିଜ୍ଜଳ ଛାୟାମଣ୍ଡପ କନ୍ୟାସ୍ତମ୍ଭ କୃତ ଯେ । ୭ ।ବାଡ଼ମୋହିନୀ ସ୍ୱଭାବେ ବିବୁଧରଞ୍ଜିତ ।ବିଭାତିରେ ତମଚକ୍ର ହୋଇଛି ଖଣ୍ଡତ ଯେ । ୮ ।ବିମ୍ବ ନିର୍ମଳ ଦେଖାଇ ସେ ବେଦିକାସାରବହନର ଭ୍ରମ ଏତ ଅବଜାତପୁର ଯେ । ୯ ।ବରଷାର ପରା ଭୂଭୃତଶିର ମଣ୍ଡନ ।ବିଜେ ଚଞ୍ଚଳା ଘନରଞ୍ଜନ ଭଦ୍ରାସ(ଶ)ନ ଯେ । ୧୦ ।୬ଷ୍ଠ ପଦ –ସୁମନସପଦ୍ଧତି - ନକ୍ଷତ୍ରଦାଣ୍ଡ, ପୁଷ୍ପମାଳା । ଚନ୍ଦ୍ର ଝଲକାବଳୀ - ଚନ୍ଦ୍ରକିରଣ ସମୂହ, ଅଳଙ୍କାର ବିଶେଷ ।
୬ଷ୍ଠ ପଦ :- ଆହୁରି ମଧ୍ୟ ଆକାଶ ଚତୁର୍ଦ୍ଦିଗ ବ୍ୟାପ୍ତ ଏବଂ ବହୁସଂଖ୍ୟକ ତାରା ଓ ଚନ୍ଦ୍ରଙ୍କ କିରଣ ଦ୍ୱାରା ମଣ୍ଡିତ ହୋଇ ମନୋହର ଦେଖାଯାଉଥାଏ, ଅଭିଷେକ ସ୍ଥାନ ମଧ୍ୟ ଚତୁର୍ଦ୍ଦିଗ ବିସ୍ତୃତ ବହୁସଂଖ୍ୟକ ପୁଷ୍ପମାଳ ଓ ସ୍ୱର୍ଣ୍ଣନିର୍ମିତ ଝରାମାନଙ୍କଦ୍ୱାରା ବିମଣ୍ଡିତହୋଇ ଅପୂର୍ବ ଶୋଭା ଧାରଣ କରିଅଛି ।
୭ମ ପଦ :- ଘନସାର - କର୍ପୂର । ବିଜ୍ୱଳ - ଅତିଶୟ ଦୀପ୍ତିମନ୍ତ ।
୭ମ ପଦ :- ସେହି ଅଭିଷେକ ସ୍ଥାନରେ ଲୋକମାନେ କର୍ପୂର ଗୁଣ୍ଡା ଦ୍ୱାରା ଫଗୁଖେଳ ଖେଳୁ ଥିବାରୁ ଚତୁର୍ଦ୍ଦିଗ କର୍ପୂର ଗୁଣ୍ଡାରେ ପୂର୍ଣ୍ଣ ହୋଇଅଛି ଏବଂ ସେହି ସ୍ଥାନରେ ନିର୍ମିତ ହୋଇଥିବା ଅତି ମନୋହର ଛାମୁଣ୍ଡିଆର ସ୍ତମ୍ଭମାନଙ୍କରେ କୃତ୍ରିମ କନ୍ୟାମାନଙ୍କର ମୂର୍ତ୍ତି ଖଞ୍ଜା ଯାଇଅଛି ।
୮ମ ପଦ :- ବାଡ଼ - କାନ୍ଥ । ଭା - କାନ୍ତି ବା ଦୀପ୍ତି । ତମତନ୍ତ୍ର - ଅନ୍ଧାକାରସମୂହ ।
୮ମ ପଦ :- କାନ୍ଥମାନଙ୍କରେ ମରା ଯାଇଥିବା ଅତି ସୁନ୍ଦରୀ ସ୍ତ୍ରୀ ଛବି ଗୁଡ଼ିକ ଦେବତାମାନଙ୍କୁ ମଧ୍ୟ ମୋହିତ କରୁଅଛି ଏବଂ ସେହି ଛବି ଗୁଡ଼ିକର ତେଜରେ ଅନ୍ଧକାର ବିଦୁରିତ ହେଉଅଛି ।
୯ମ ପଦ :- ଅବ୍ଜାତପୁର - ବ୍ରହ୍ମାଙ୍କର ସ୍ଥାନ ।
୯ମ ପଦ :- ଆଉ ମଧ୍ୟ ସେହି ବେଦୀର ମଧ୍ୟଭାଗ ଏପରି ନିର୍ମଳ ହୋଇଅଛି ଯେ, ସେଥିରେ ନିକଟସ୍ଥ ସମସ୍ତ ଲୋକ, ଜୀବ, ଅନ୍ୟାନ୍ୟ ବସ୍ତୁମାନଙ୍କର ପ୍ରତିବିମ୍ବ (ଛାଇ) ଦେଖା ଯାଉଅଛି, ତେଣୁ ତାହାକୁ ଦେଖିଲେ ‘ଏହା ବ୍ରହ୍ମାଙ୍କ ପୁର କି ?’ ଏହି ଭ୍ରମଜ୍ଞାନ ମନରେ ଉତ୍ପନ୍ନ ହେଉଅଛି ।
୧୦ମ ପଦ :- ଭୁଭୃତା - ପର୍ବତ, ରାଜା । ଭଦ୍ର - ଭଦଭଦଳିଆ ପକ୍ଷୀ । ଅଶନ - ଗ୍ରାସ । ଭଦ୍ରାସନ - ସିଂହାସନ । ଚଞ୍ଚଳା - ବିଦ୍ୟୁତ, ସୀତା ।
୧୦ମ ପଦ :- ସେହି ଅଭିଷେକ ସମୟ ବର୍ଷାକାଳର ଶୋଭାକୁ ଧାରଣକଲା, କାରଣ ବର୍ଷାକାଳରେ ଯେପରି ମେଘସବୁ ପର୍ବତ ଶିଖରଦେଶକୁ ମଣ୍ଡିତ କରନ୍ତି ଅର୍ଥାତ୍ ପର୍ବତ ଉପରେ ଆଶ୍ରୟ ନିଅନ୍ତି, ବିଦ୍ୟୁତ୍ମେଘ ଦେହରେ ରଞ୍ଜିତ ହୋଇଥାଏ ଏବଂ ‘ଭଦ୍ରାଶନ’ ଭଦଭଦଳିଆ ପକ୍ଷୀମାନଙ୍କୁ ପ୍ରଚୁର ଖାଦ୍ୟ ମିଳେ ସେହିପରି ରାଜାମାନଙ୍କର ଶିରୋମଣ୍ଡନ ରାମଚନ୍ଦ୍ର ନିଜ ମେଘ ତୁଲ୍ୟ ଶରୀର କାନ୍ତି ଦ୍ୱାରା ଅଭିଷେକ ମଣ୍ଡପର ଉପରି ଦେଶକୁ ବିମଣ୍ଡିତ କରି, ବିଦ୍ୟୁତଗୌରୀ ସୀତାଙ୍କୁ କୋଳରେ ଧରି ବ୍ରାହ୍ମଣମାନଙ୍କୁ ଉପଯୁକ୍ତ ଭୋଜନ ବା ଭଦ୍ରବ୍ୟକ୍ତିମାନଙ୍କୁ ଉପଯୁକ୍ତ ଆସନ ପ୍ରଦାନ ପୂର୍ବକ ସିଂହାସନରେ ବିଜେ କଲେ ।
ବିରାଜିତ ଶାରଙ୍ଗପତ୍ରିରେ ହୋଇଛନ୍ତି ।ବେଗେ ଅମ୍ବର ପ୍ରକାଶ ଭରତ କରନ୍ତି ଯେ । ୧୧ ।ବିଶଦ ଲକ୍ଷ୍ମଣେ ଛତ୍ର ହୋଇଲା ଉଦୟ ।ବାତଜାତ ପୟରେ ଦୀପିତ ସେ ସମୟ ଯେ । ୧୨ ।ବର୍ହିପ୍ରଭା ଶତ୍ରୁଘ୍ନ ଚାମର ଚଳାଉଛ ।ବିଭୀଷଣ ଯୁକ୍ତ ଚନ୍ଦ୍ରହାସେ ହୋଇଅଛ ଯେ । ୧୩ବିଦ୍ୟ ପ୍ଳବଗ ବରହିପୁଚ୍ଛ ପ୍ରଚାଳନ ।ବିଧିପୂର୍ବେ ସାର ଦିଶେ ସକଳ ଭୂବନେ ଯେ । ୧୪ ।ବିଭ୍ରାଜିତ ବାରିଝରୀ ତାରାଭବ ଯହିଁ ।ବିଶେଷିତ ଜ୍ୟୋତିର୍ବିଦ ଋକ୍ଷପତି ତହିଁ ଯେ । ୧୫ ।୧୧ଶ ପଦ :- ଶାରଙ୍ଗ ପତ୍ରୀରେ - ଧନୁଶର ଦ୍ୱାରା । ଅମ୍ବର - ବସ୍ତ୍ର ।୧୧ଶ ପଦ :- ସେହି ସମୟରେ - ରାମଚନ୍ଦ୍ର ଧନୁ ଓ ଶରଦ୍ୱାରା ସୁଶୋଭିତ ହୋଇଥିଲେ ଓ ଭରତ ତାହାଙ୍କ ନିକଟରେ ବସ୍ତ୍ର ଚାଳନ କରୁଥିଲେ ।୧୨ଶ ପଦ :- ବିଶଦ ଛତ୍ର - ଶୁକ୍ଳ ଛତ୍ର । ବାତଜାତ - ହନୁମାନ ।୧୨ଶ ପଦ :- ବୀର ଲକ୍ଷ୍ମଣ ଶ୍ୱେତଛତ୍ର ଧାରଣ କରିଥିଲେ ଏବଂ ହନୁମାନ ପାଦ ସେବା କରୁଥିଲେ ।୧୩ଶ ପଦ :- ବର୍ହିପ୍ରଭା ଚାମର - ମୟୁରପୁଚ୍ଛ ପଙ୍ଖା । ଚନ୍ଦ୍ରହାସ - ଖଡ଼୍ଗ ।୧୩ଶ ପଦ :- ଶତ୍ରୁଘ୍ନ ମୟୁରପୁଚ୍ଛ ନିର୍ମିତ ପଙ୍ଖା ଚାଳନ କରୁଥିଲେ, ବିଭୀଷଣ ଖଣ୍ଡା ଧରି ସେହି ସ୍ଥାନରେ ଦଣ୍ଡାୟମାନ ହୋଇଥିଲେ ।୧୪ଶ ପଦ :- ପ୍ଲବଗ - ବେଙ୍ଗ । ପ୍ଲବଗବର – ସୁଗ୍ରୀବ, ବରହିମୟୁର ।
୧୪ଶ ପଦ :- ଆଉ ମଧ୍ୟ ସେହି ଅଭିଷେକ ସମୟ ଶରତ୍କାଳର ଶୋଭାଧାରଣ କଲା । କାରଣ ଶରତ୍କାଳରେ ଯେପରି ବେଙ୍ଗମାନେ ପ୍ରକାଶିତ ହୁଅନ୍ତି ଓ ମୟୁରମାନେ ପୁଚ୍ଛ ଉତ୍ତୋଳନ କରି ଜନମାନଙ୍କର ମନକୁ ହରଣ କରନ୍ତି; ସେହିପରି ଏହି ସମୟରେ ରାଜାମାନଙ୍କର ପୂର୍ବ ପ୍ରଚଳିତ ପ୍ରଥାନୁସାରେ ସୁଗ୍ରୀବମନୋହର ମୟୁର ପୁଚ୍ଛଗୁଚ୍ଛ ସଂଚାଳିତ କରିବାରୁ ସେହି ସ୍ଥାନ ସମଗ୍ର ଭୁବନଠାରୁ ଅଧିକ ସୁନ୍ଦର ଦେଖାଗଲା । (ଅର୍ଥାତ୍ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ପ୍ରଭୃତି ଚତୁର୍ଦ୍ଦଶ ଭୁବନର ଶୋଭା ଅପେକ୍ଷା ଅଭିଷେକ ମଣ୍ଡପର ଶୋଭା ଅଧିକ ଦେଖାଗଲା ।)
୧୫ଶ ପଦ :- ପୁଣି ଶରତକାଳରେ ଯେପରି ସର୍ବତ୍ରନିର୍ଝରର ଜଳଧାରା ପ୍ରବାହିତ ହେଉଥାଏ ଏବଂ ‘ତାରାଭାବ’ ବଧୂ ଗ୍ରହ ନାମରେ ପରିଚିତ ତାରା ଓ ଅନ୍ୟାନ୍ୟ ତାରାମାନଙ୍କ ସହିତ ଚନ୍ଦ୍ର ଅତିଶୟ ତେଜ ଧାରଣ କରିଥାନ୍ତି ଅର୍ଥାତ ଆକାଶ ନିର୍ମଳ ହୋଇଥିବାରୁ ପରିଷ୍କୃତ ଦେଖା ଯାଉଥାନ୍ତି; ସେହିପରି ଅଭିଷେକ ସ୍ଥଳରେ ଅତ୍ୟନ୍ତ ତେଜସ୍ୱୀ ମହାବୀର ଜାମ୍ବବ ଓ ଅଙ୍ଗଦ ଜଳପୂର୍ଣ୍ଣ ଝରୀ ଧରି ମନୋହର ଦେଖା ଯାଉଥିଲେ ।
ବିକଶିତ କୁମୁଦାଦି ସୁମନ ରଭସେ ।ବିମଳ ଅଗସ୍ତି ଭରଦ୍ୱାଜ ବାକ୍ୟ ଘୋଷେ ଯେ । ୧୬ ।ବିହିତ ଏ ସରୁପକ ଶ୍ଳେଷରିତି ପୁଣ ।ବେଢ଼ି ସପ୍ତଋଷି ମିଳି କର୍ମର କାରଣ ଯେ । ୧୭ ।ବରଳିଭୂତ ତପସ୍ୱୀଗଣେ କରେ ଦାନ ।ବିଟପୀ ରମ୍ଭା ସୁଷମା ଘଟ ବାରିପୂର୍ଣ୍ଣ ଯେ । ୧୮ ।ବନ୍ଦନୀୟ ଦ୍ୱୀପିନାଥେ ପାଶେ ଅନୁସରି ।ବିଶୁଦ୍ଧ ଲକ୍ଷଣ ଦାନ ହୋଇଛି ମାଧୁରି ଯେ । ୧୯ ।ବାଦ୍ୟନାଦ ବଳି ଶୁଭେ ରସନାର ସ୍ୱନ ।ବାରନାରୀସାର ନୃତ୍ୟଗୀତର ବିଧାନ ଯେ । ୨୦ ।୧୬ଶ ପଦ :- ସୁମନ-ପୁଷ୍ପ । ଭରଦ୍ୱାଜ-ଭଦଭଦଳିଆ ପକ୍ଷୀ ।
୧୬ଶ ପଦ :- ଶରତ କାଳରେ କୁମୁଦଆଦି ପୁଷ୍ପମାନେ ଶୀଘ୍ର ବିକଶିତ ହୁଅନ୍ତି, ନିର୍ମଳ ଅଗସ୍ତି ନକ୍ଷତ୍ର ଦୃଶ୍ୟ ହୁଅନ୍ତି ଏବଂ ଭଦଭଦଳିଆ ପକ୍ଷୀ ସୁମଧୁର ସ୍ୱରରେ ବୋବାନ୍ତି, ସେହିପରି ଏଠାରେ କୁମୁଦାଦି ବୀରମାନେ ଅନ୍ତରର ସହିତ ହରଷିତ ହେଲେ; ଅଗସ୍ତି, ଭରଦ୍ୱାଜ ଆଦି ମୁନିମାନେ ନିର୍ମଳ ଚିତ୍ତରେ ବେଦବାକ୍ୟକୁ ପାଠକଲେ ।
୧୭ଶ ପଦ :- ଏହି ଗୀତ ସ୍ୱରୂପ ରୂପକ ଆଶ୍ଲେଷରେ ରଚିତ ହେଲା । ସପ୍ତଋଷିମାନେ ମିଳି ଅଭିଷେକ କର୍ମ ଆରମ୍ଭ କଲେ ।୧୮ଶ ପଦ :-ବରବିଭୂତି-ଅନେକ ସମ୍ପତ୍ତି । ବିଟପି ରମ୍ଭା-କଦଳୀ ଗଛ ।
୧୮ଶ ପଦ :- ଅଭିଷେକ ଶେଷରେ ରାମଚନ୍ଦ୍ର ତପସ୍ୱୀମାନଙ୍କୁ ବହୁତ ସମ୍ପତ୍ତି ଦାନକଲେ । ନଗର କଦଳୀଗଛ ଏବଂ ଜଳପୂର୍ଣ୍ଣଘଟର ଶୋଭାରେ ପୂରି ରହିଥିଲା ।
୧୯ଶ ପଦ :- ବନ୍ଦନୀୟ-ପୂଜନୀୟ । ଦ୍ୱୀପିନାଥେ-ରାଜାମାନେ ।
୧୯ଶ ପଦ :- ପୂଜନୀୟ ରାଜାମାନେ ସେହି ସମୟରେ ରାମଚନ୍ଦ୍ରଙ୍କୁ ଅନୁସରଣ କରି ପାଶରେ ଉଭାଥିଲେ । ତତ୍ପରରେ ମଦଜଳବାହି ମତହସ୍ତୀମାନଙ୍କ ଉପରେ ବସି ରାମଚନ୍ଦ୍ରଙ୍କର ଅନୁଗାମୀ ହେଲେ, (ରାମଚନ୍ଦ୍ର ଶୋଭାଯାତ୍ରା କରି ନଗର ଭ୍ରମଣ କରିବାରୁ ରାଜାମାନେ ହସ୍ତୀ ଉପରେ ବସି ପଛେ ପଛେ ଗଲେ ) ।
୨୦ଶ ପଦ :- ସେତେବେଳେ ସ୍ତ୍ରୀମାନଙ୍କର ହୁଳହୁଳି ଶବ୍ଦ ନାନାବିଧ ବାଦ୍ୟମାନଙ୍କର ନାଦକୁ ବୁଡ଼ାଇ ଦେଇ ଶୁଣାଗଲା । (ହୁଳହୁଳି ଶବ୍ଦରେ ବାଦ୍ୟନାଦ ଆଉ ଶୁଣାଗଲା ନାହିଁ ) । ଶ୍ରେଷ୍ଠ ବେଶ୍ୟାମାନେ ନୃତ୍ୟ ଗୀତ କରିବାକୁ ଲାଗିଲେ ।
ବ୍ୟୋମ ଆଚ୍ଛାଦିତ ଶୂରପ୍ରଭା ସାଧୁ ଚାହିଁ ।ବୃଦ୍ଧି ସକଳ ଲୋକ ପ୍ରମୋଦ ଯହିଁ ହୋଇ ଯେ । ୨୧ ।ବ୍ୟକ୍ତ ଗନ୍ଧର୍ବଗାୟକ ରସାଳେ ମାଧୁର୍ଯ୍ୟ ।ବସନ୍ତ ମଙ୍ଗଳ ରାଗେ ଏକଭାଗେ ଭଜ ଯେ । ୨୨ ।ବ୍ରହ୍ମା ହର ସ୍ତୁତି ଶ୍ରୁତିରଞ୍ଜନ ସ୍ୱଭାବେ ।ବନ୍ଦିବଚନ ହୋଇଛି ସେକାଳ ଉତ୍ସବ ଯେ । ୨୩ ।ବହୁତ ନେତ୍ର ଆନନ୍ଦ ବିସ୍ତାରି ଦର୍ଶନ ।ବହୁତ ମୁଖରେ କୀର୍ତ୍ତି ଶେଷ ଅଭାଜନ ଯେ । ୨୪ ।ବାଡବଜାତ ପ୍ରଭାବିହୀନରେ ଭାବିତ ।ବିଶ୍ୱେ ସାର ରାମ କାମ ଦାନକରି ସ୍ଥିତ ଯେ । ୨୫ ।୨୧ଶ ପଦ :- ଶୂର - ବୀର । ବ୍ୟୋମ - ଆକାଶ ।
୨୧ଶ ପଦ :- ସେହି ସ୍ଥାନରେ ଥିବା ବୀରମାନେ ସେମାନଙ୍କ ବୀରତ୍ୱ ବଳରେ ଆକାଶକୁ ଆଚ୍ଛାଦିତ କରି ପକାଇଲେ । ତାହା ଦେଖି ଦର୍ଶକମାନେ ଆନନ୍ଦିତ ହେଲେ ।
୨୨ଶ ପଦ :- ସଙ୍ଗୀତ ଗାୟକମାନେ ରସଯୁକ୍ତ ମନୋହର ‘ବସନ୍ତ ମଙ୍ଗଳ’ ରାଗରେ ଏକ ସ୍ୱରରେ ଗାନ କରିବାକୁ ଲାଗିଲେ ।
୨୩ଶ ପଦ :- ସେହି ଅଭିଷେକ ସମୟରେ ବ୍ରହ୍ମା, ମହାଦେବ ଦୁହେଁ ବେଦବିହିତ ମାର୍ଗରେ [କର୍ଣ୍ଣ ରସାୟନ ସ୍ୱରରେ] ସ୍ତୁତି କରିବାକୁ ଲାଗିଲେ । ଉତ୍ସବ କାଳରେ ଭାଟମାନେ ସ୍ତୁତିକଲା ପ୍ରାୟ ତାହା ସେହି ଅଭିଷେକ ଉତ୍ସବ ସମୟରେ ପ୍ରତୀତ ହେଲା ।
୨୪ଶ ପଦ :- ସେହି ଅଭିଷେକ ଉତ୍ସବ ଦର୍ଶନ କରି ବହୁବ୍ୟକ୍ତିଙ୍କ ନେତ୍ର ଆନନ୍ଦିତ ହେଲା । ଆଉ ମଧ୍ୟ ବହୁତ ଲୋକ ମୁଖରେ ସେ ସମୟରେ କୀର୍ତ୍ତି ବର୍ଣ୍ଣନାଦ୍ୱାରା ଶେଷକରି ପାରିଲେ ନାହିଁ ।
ଅନ୍ୟାର୍ଥ - ସେହି ଅଭିଷେକ ଉତ୍ସବ ଦେଖି ‘ବହୁନେତ୍ର’ ମହାଦେବ ଆନନ୍ଦିତ ହେଲେ, ଆଉ ‘ବହୁମୁଖ’ ବ୍ରହ୍ମା ତାହା ବର୍ଣ୍ଣନା କରିବାକୁ ଅକ୍ଷମ ହେଲେ ।
୨୫ଶ ପଦ :- ଅଶ୍ୱିନୀକୁମାର ରାମଚନ୍ଦ୍ରଙ୍କ ଶୋଭା ଦେଖି ପ୍ରଭାହୀନ ହୋଇ ଭାବନା କଲେ, ‘ଦାନବଶତ୍ରୁ ରାମଚନ୍ଦ୍ର ଏ ସଂସାରରେ ନୂତନ କନ୍ଦର୍ପ ଅବତାର ହୋଇଅଛନ୍ତି । (ତେଣୁ ଏହାଙ୍କ ସମାନ ଆଉ କେହି ହୋଇ ନ ପାରେ ) । ’’
ବିସ୍ତାରି ଏ ଭାବେ ମତି ବିଧାତାକୁମର ।ବ୍ରହ୍ମାଣ୍ଡଭାଣ୍ଡରେ ଚକ୍ରବର୍ତ୍ତୀ ଚାପଧର ଯେ । ୨୬ ।ବିଚାରନ୍ତି ପୁଣ୍ୟଜନ ବରଶ୍ରୀ ଆଶ୍ରିତ ।ବିକ୍ଷେପକ ମେଘପୁଷ୍ପ ସଧୀର ମରୁତ ଯେ । ୨୭ ।ବିବେକ ଜନିତ ଯେ ଯୋଗୀରେ ଧର୍ମରାଜେ ।ବସୁଧାରେ ସତ୍ୟ ଅବତାର ଏ ଉପୁଜେ ଯେ । ୨୮ ।ବୈକୁଣ୍ଠ ଶ୍ରୀ କି ଏ ନିଶ୍ଚେଁ ମାର୍କେଣ୍ଡେୟ ଭାଳେ ।ବିହ୍ୱଳ ମୁଁ ପୂର୍ବେ ଅବିଧିରେ ଦେଖି ଡୋଳେ ଯେ । ୨୯ ।ବର୍ତ୍ତମାନ ଧନ୍ୟ ଦେଖି ଅପୁର୍ବ ଉତ୍ସବ ।ବଡ଼ାଇ ଏ ତୋଷସିଦ୍ଧି ଭବିଷ୍ୟେ ନୋହିବ ଯେ । ୩୦ ।
୨୬ଶ ପଦ :- ବିଧାତାକୁମର ବଶିଷ୍ଠ ଏହି ଭାବକୁ ବିସ୍ତାର ପୂର୍ବକ ସ୍ତୁତିକରି କହିଲେ, ‘‘ଏହି ବ୍ରହ୍ମାଣ୍ଡ ମଧ୍ୟରେ ରାମଚନ୍ଦ୍ର ଏକମାତ୍ର ଚକ୍ରବର୍ତ୍ତୀ ଅଟନ୍ତି ।’’
୨୭ଶ ପଦ :- ପୁଣ୍ୟଜନ - ସୁକୃତୀ ଲୋକମାନେ । ଶ୍ରୀ - ଶୋଭା । ମରୁତ - ପବନ । ମେଦପୁଷ୍ପ - ଜଳ ।
୨୭ପଦ :- ପୁଣ୍ୟବନ୍ତ ଲୋକମାନେ ତାହା ଦେଖି ବିଚାର କଲେ, ‘‘ଏହି ସ୍ଥାନ ଆଜି ଉତ୍କୃଷ୍ଟ ଶୋଭାରେ ମଣ୍ଡିତ ହୋଇଅଛି ।’’ ପବନ ଧୀର ଧୀର ବହି ଜଳକଣା ନିକ୍ଷେପ କରୁଅଛି । (ମଙ୍ଗଳ ସୂଚକ ନିକ୍ଷିପ୍ତ କୁଶବିନ୍ଦୁ ଜଳ ବୃଷ୍ଟି ପ୍ରାୟ ପ୍ରତୀତ ହେଉଅଛି ) ।
୨୮ଶ ପଦ :- ଯୋଗୀଜନମାନେ ବିଚାର କଲେ, ‘‘ସ୍ୱୟଂ ଧର୍ମ ରାମ ରୁପରେ ଅବତ୍ତୀର୍ଣ୍ଣହୋଇ ଅଛନ୍ତି । ସତ୍ୟ ନର ଦେହରେ ପୃଥିବୀରେ ଜନ୍ମି ଅଛନ୍ତି । ’’
୨୯ଶ ପଦ :- ମାର୍କଣ୍ଡେୟ ମୁନି ତାହା ଦେଖି ଚିନ୍ତାକଲେ, ‘ଏ ନିଶ୍ଚୟ ବିଷ୍ଣୁ ଓ ଲକ୍ଷ୍ମୀ ଅଟନ୍ତି । ମୁଁ ପୂର୍ବେ (ମାଲ୍ୟବନ୍ତ ପର୍ବତରେ) ବୁଲୁ ଥିବା ଅବସ୍ଥାରେ ଏହାଙ୍କୁ ନେତ୍ରରେ ଦେଖି ମଧ୍ୟ ଭୋଳହୋଇ ଚିହ୍ନିପାରି ନଥିଲି ।’
୩୦ଶ ପଦ :- ‘ବର୍ତ୍ତମାନ ଏହି ଅପୂର୍ବ ଅଭିଷେକୋତ୍ସବ ଦେଖି ଧନ୍ୟ ହେଲି । ଏହା ଦର୍ଶନ କରି ମୁଁ ଯେପରି ସନ୍ତୁଷ୍ଟ ହେଲି, ଏପରି ଆଉ ଭବିଷ୍ୟତରେ ହୋଇ ପାରିବ ନାହିଁ ।’
ବନ୍ଦାପନାବିଧି ଶେଷ ଅଗୋଚର ଦ୍ରବ୍ୟେ ।ବାସବର ପୁରଷ୍କାର ଲଭି ତହିଁ ସର୍ବେ ଯେ । ୩୧ ।ବସତି ଯେ ସୁମନା ନାଗର-ଗତି ହେଲା ।ବିଚିତ୍ର ପ୍ରତିମା ଦୋଇ ଈକ୍ଷଣେ ରହିଲା ଯେ । ୩୨ ।ବଲ୍ମୀକରୁ ଜ୍ୟୋତି ଜାତ ସତ ଏ ପୁରାଣେ ।ବିଳାସକ ହୃଦୟ-ପୁଷ୍କରେ କ୍ଷଣେ କ୍ଷଣେ ଯେ । ୩୩ ।ବାଞ୍ଛାପୂର୍ଣ୍ଣ ଚତୁରବର୍ଗରେ ପ୍ରଭୁ କଲେ ।ବିଧାନ କମଳା ସାରପାକେ ଭୋଜ୍ୟ ଦେଲେ ଯେ । ୩୪ ।ବିଧୁ ସିନ୍ଧୁ ସ୍ୱର୍ଗପ୍ରାୟ ସେ ଅମୃତାକର ।ବାମା ଗଜରାଜ କି ସଂଯୋଗ କଟକର ଯେ । ୩୫ ।
୩୧ଶ ପଦ :- ବହୁମ୍ୟ ଓ ଅଦୃଷ୍ଟପୂର୍ବ ଦ୍ରବ୍ୟସମ୍ଭାରରେ ବନ୍ଦାପନା ବିଧି ଶେଷ ହେଲା । ତତ୍ପରେ ସମସ୍ତେ ଉତ୍ତମ ବୟସକୁ ପୁରଷ୍କାର ସ୍ୱରୂପ ଲାଭ କଲେ ।
୩୨ଶ ପଦ :- ସୁମନା - ସ୍ତ୍ରୀ । ବିଚିତ୍ର ପ୍ରତିମା - ମନୋହର ରୂପ । ଈକ୍ଷଣ - ଚକ୍ଷୁ ।
୩୨ଶ ପଦ :- ଅଯୋଧ୍ୟା ନଗରୀ ସୁରସିକ ପୁରୁଷ ତୁଲ୍ୟ ହୋଇ ସ୍ତ୍ରୀମାନଙ୍କ ଚିତ୍ତକୁ ମୋହିଲା ଏବଂ ସର୍ବଦା ମନୋହର ବେଶ ଧାରଣ ପୂର୍ବକ ସ୍ତ୍ରୀମାନଙ୍କ ନେତ୍ରରେ ଲାଖି ରହିଲା ।
୩୩ଶ ପଦ :- ବାଲ୍ମୀକରୁ-ବାଲିହୁଙ୍କାରୁ । ହୃଦୟପୁଷ୍କରେ-ହୃଦରୂପ ଆକାଶରେ ।
୩୩ଶ ପଦ :- ଯେପରି ଉଇହୁଙ୍କାରୁ ଇନ୍ଦ୍ରଧନୁ ଜାତ ହେବା କଥା ସତ ବୋଲି ପୁରାଣରେ କଥିତ ଅଛି, ସେହିପରି ରାମଚନ୍ଦ୍ରଙ୍କ ଅଙ୍ଗରୁ ଶୋଭା ଜନ୍ମି ସେହି ସ୍ତ୍ରୀମାନଙ୍କ ହୃଦୟ ରୂପ ଆକାଶରେ ପ୍ରତିକ୍ଷଣ ପ୍ରକାଶିତ ହେଲା ।
୩୪ଶ ପଦ :- ରାମଚନ୍ଦ୍ର ସମସ୍ତଙ୍କର ମନକାମନାପୂର୍ଣ୍ଣକଲେ । ଲକ୍ଷ୍ମୀ ରୂପିଣୀ ସୀତା ଉତ୍ତମପାକ ପ୍ରସ୍ତୁତକରି ସମସ୍ତଙ୍କୁ ଭୋଜନ ଦେଲେ ।
୩୫ଶ ପଦ :- ବିଧୁ - ଚନ୍ଦ୍ର । ସିନ୍ଧୁ - ସମୁଦ୍ର । କଟକ –ବଳୟ l ଗଜରାଜ - ହସ୍ତିଶ୍ରେଷ୍ଠ ।
୩୫ଶ ପଦ :- ସେହି ଖାଦ୍ୟ ପଦାର୍ଥସବୁ ଅମୃତର ଆକାର ହୋଇଥିବାରୁ ଚନ୍ଦ୍ର, ସମୁଦ୍ର ଓ ସ୍ୱର୍ଗପ୍ରାୟ ହୋଇଥିଲା । (ଚନ୍ଦ୍ର, ସମୁଦ୍ର ଓ ସ୍ୱର୍ଗ ଅମୃତର ଆବର ଅଟନ୍ତି) । ପୁଣି ‘କଟକ’ ଲବଣରେ ଯୁକ୍ତ ହୋଇଥିବାରୁ ବୋଧ ହେଲା, ସ୍ତ୍ରୀ ଗଜରାଜରେ ଯୁକ୍ତ ହେଲା କି ? (ସ୍ତ୍ରୀ ‘କଟକ’ ବଳୟରେ ଯୁକ୍ତ ହୋଇଥାନ୍ତି ଏବଂ ଶ୍ରେଷ୍ଠ ‘କଟକ’ ବନ୍ତଭୂଷିତ ବଳୟରେ ଯୁକ୍ତ ହୋଇଥାଏ)
ବାଳସୂର୍ଯ୍ୟ ଯୁବାଗୟାକ ନି ରାଗଯୁକ୍ତ ।ବୈଶାଖ ପୁଷ୍ପ କନ୍ଦର୍ପ କି ମଧୁରେ ଯୁକ୍ତ ଯେ । ୩୬ ।ବାଚକ ହୋଇଲା ସୁଧା ଅଶନ ଭାବିବ ।ବୁଶ୍ୱ ଘନ କମଳ ସାରଙ୍ଗ ପ୍ରାୟ ଚିତ୍ତ ଯେ । ୩୭ ।ବହୁରୂପା ନଳିନୀ ତାର ଧାରିରେ ସୀତା ।ବିକାଶିତ ରୁଚିରେ ସେ ସମସ୍ତ ତୋଷିତା ଯେ । ୩୮ ।ବିରସ ରାମ ଆଜ୍ଞାରେ ସେ ଭାବ ସମ୍ମତେ ।ବାହୁଡ଼ି ଯୋଗୀ ହୋଇଲେ ସ୍ୱପୁରେ ସମସ୍ତେ ଯେ । ୩୯ ।ବାସର ନିଶାରେ ମଧୁସୂଦନ ସହଜେ ।ବୁଶ୍ୱଧାତ୍ରୀଜାତ ପଦ୍ମବାସୀ ରସେ ମଜ୍ଜେ ଯେ । ୪୦ ।
୩୬ଶ ପଦ :- ସେହି ଖାଦ୍ୟ ‘ରାଗ’ କଟୁରସରେ ଯୁକ୍ତ ହୋଇଥିବାରୁ ବାଳସୂର୍ଯ୍ୟ, ଯୁବକ ଓ ଗାୟକମାନଙ୍କ ସହିତ ସମାନ ହୋଇଅଛି (ବାଳସୂର୍ଯ୍ୟ, ଯୁବକ ଓ ଗାୟକମାନେ ‘ରାଗ’ ଯଥାକ୍ରମେ ରକ୍ତିମା, ପ୍ରୀତି ଓ ରାଗରାଗଣୀରେ ଯୁକ୍ତ ହୋଇଥାନ୍ତି) । ପୁଣି ସେହି ଖାଦ୍ୟ ମଧୁର ଗୁଣରେ ଯୁକ୍ତ ହୋଇଥିବାରୁ ବୈଶାଖ, ପୁଷ୍ପ ଓ କନ୍ଦର୍ପର ସମାନ ହୋଇଅଛି । ବୈଶାଖ ‘ମଧୁ’ ଚୈତ୍ର, ‘ମଧୁ’ ମକରନ୍ଦ ଓ କନ୍ଦର୍ପ ‘ମଧୁ’ ବସନ୍ତରେ ଯୁକ୍ତ ହୋଇଅଛି ।
୩୭ଶ ପଦ :- ମନୁଷ୍ୟମାନେ ଅମୃତ ଭୋଜନକରି, ଚାତକପକ୍ଷୀ ମେଘଜଳ ପାନକରି ଆନନ୍ଦ ହେଲାପରି ସଂସାରସ୍ଥ ସମସ୍ତଙ୍କ ମନ ଆନନ୍ଦରେ ପୂର୍ଣ୍ଣ ହେଲା ।
୩୮ଶ ପଦ :- ନାନାଳଙ୍କାର ଭୂଷିତା ଲକ୍ଷ୍ମୀସ୍ୱରୂପା ସୀତାଙ୍କ ପାକରେ ସମସ୍ତେ ସନ୍ତୁଷ୍ଟ ହେଲେ ।
୩୯ଶ ପଦ :- ରାମଚନ୍ଦ୍ର ଆଦେଶ ପାଇ ଉତ୍ସବକୁ ଆସିଥିବା ସମସ୍ତ ଲୋକମାନେ ଏବଂ ଯୋଗୀମାନେ ସରସ ଚିତ୍ତରେ ନିଜ ଇଚ୍ଛାମୁତାବକ ସ୍ୱସ୍ୱ ସ୍ଥାନକୁ ବାହୁଡ଼ିଗଲେ ।
୪୦ଶ ପଦ :- ମଧୁସୂଧନ ରାମ ଦିନରାତି ଲକ୍ଷ୍ମୀରୂପୀ ସୀତାଙ୍କ ସଙ୍ଗରେ ପରମାନନ୍ଦରେ ମଜ୍ଜି ରହିଲେ ।ବୈଦେହୀଶ ବିଳାସ ଏ ଗୀତ ମନୋରମ ।ବାନଛାନ୍ଦେ ଶେଷ ଆହ୍ୟ ବକାର ନିୟମ ଯେ । ୪୧ ।ବାଲ୍ମୀକିସଦନେ ଯାଇ ଜାନକୀ ରହୀବା ।ବଧ ଲବଣର କୁଶ ଲବ ଜନ୍ମ ହେବା ଯେ । ୪୨ ।ବିରଚିବ ଯାଗ ରାମସୁତ ଗୀତ ଗାନ ।ବୈଦେହୀ ଆଣିବା ପୁଣି ପାତାଳେ ଗମନ ଯେ । ୪୩ ।ବିଧୁର ହେବା ଲକ୍ଷ୍ମଣ ରାମ ମାତୃଭ୍ରାତ ।ବହ୍ନିରେ ପଶିବା ଘେନି ସ୍ୱାମୀର ସଙ୍କେତ ଯେ । ୪୪ ।ବସୁଧାଭୃତ କରିଣ ଲବକୁଶ ବେନି ।ବୈକୁଣ୍ଠ ଗମିବା ରାମ ସ୍ୱଜନଙ୍କୁ ଘେନି ଯେ । ୪୫ ।ବିଭଙ୍ଗ ରସ ବୋଲିଣ ନ ବର୍ଣ୍ଣିଲି ଏତେ ।ବୁଧେ ବୋଲିଛନ୍ତି ଏହା ଦୋଷ ଛାନ୍ଦଗୀତେ ଯେ । ୪୬ ।୪୧ଶ ପଦ :- ଏହି ବୈଦେହିଶବିଳାସ ମନୋହର ଗୀତ ଅଟେ । ବ ଆଦ୍ୟରେ ରହିବା ନିୟମରେ ରଚିତ ହୋଇ ବାଆନ ଛାନ୍ଦରେ ଏହା ଶେଷ ହେଲା ।
୪୨ଶ ଠାରୁ ୪୬ଶ ପଦ :- ବାଲ୍ମିକୀ ଆଶ୍ରମରେ ସୀତାଙ୍କର ଅବସ୍ଥାନ, ଲବଣ ଦୈତ୍ୟର ବଧ, କୁଶ ଲବଙ୍କର ଜନ୍ମ ରାମଙ୍କର ଅଶ୍ୱମେଧ ଯାଗ କରଣ, ଲବ କୁଶଙ୍କର ରାମାୟଣ ଗାନ’ ସୀତାଙ୍କୁ ପୁନର୍ବାର ଆନୟନ, ପୁଣି ତାଙ୍କର ପାତାଳ ପୁରକୁ ଗମନ, ରାମଙ୍କ ସଙ୍ଗେ ଲକ୍ଷ୍ମଣଙ୍କର ବିଚ୍ଛେଦ ଘଟନ, କୌଶଲ୍ୟାଦି ମାତାଙ୍କର ଅଗ୍ନି ପ୍ରବେଶନ ଏବଂ ଲବ କୁଶଙ୍କ ଅଭିଷେକ କାରଣ ଓ ସ୍ୱଜନ ସହ ରାମଙ୍କର ବୈକୁଣ୍ଠ ଗମନ ଇତ୍ୟାଦି ବିଷୟମାନ ବିଭଙ୍ଗ ରସବୋଲି ଏଥିରେ କଲୁନାହିଁ । ଏ ସବୁ ବିଷୟ ଛାନ୍ଦଗୀତରେ ବର୍ଣ୍ଣନା କରିବା ଦୋଷାବହ ବୋଲି ପଣ୍ଡିତମାନେ କହିଅଛନ୍ତି ।
ବରହିବଂଶେ ଉଭବ ନୃପ-ଧନଞ୍ଜୟ ।ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ । ୪୭ ।ବେନି ଅର୍ଥେ ସେ କବି ଗଣେଶ ବୋଲି ଜାଣ ।ବନ୍ଦନ ତଦ୍ଧତ ତାଙ୍କ ନନ୍ଦନ ପ୍ରମାଣ ଯେ । ୪୮ ।ବସୁଧାପତି ସେ ନୀଳକଣ୍ଠ ନାମେ ଖ୍ୟାତ ।ବିଧାନରେ ମୁଁ ହିଁ ତାହାଙ୍କର ଜ୍ୟେଷ୍ଠସୁତ ଯେ । ୪୯ ।ବୀରବର ପଦ ଉପଇନ୍ଦ୍ର ମୋର ନାମ ।ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ । ୫୦ ।ବିଚିତ୍ର କବିତ୍ୱମାର୍ଗେ ପ୍ରସରିଲା ବୁଦ୍ଧି ।ବିରଚିଲା ରାମାୟଣ ଏ ମୋ ବଡ଼ସିଦ୍ଧି ଯେ । ୫୧ ।ବାନପଦରେ ଆଦର କଲି ଛାନ୍ଦ ପ୍ରାନ୍ତ ।ବୁଧେ ସରସକର୍କଶେ ରସାଳ ଏ ସତ ଯେ । ୫୨ ।
୪୭ଶ-୪୯ଶ ପଦ :- ମୟୁରବଂଶଉଦ୍ଭବ (ଭଞ୍ଜବଂଶ ଜାତ) ବିଶିଷ୍ଟ ଗୁଣଶାଳୀ ରାଜା ଧନଞ୍ଜୟ ଘୁମୁସର ରାଜ୍ୟରେ ରାଜା ହୋଇଥିଲେ । ସେ ରାଜା ଗଣେଶଙ୍କ ପରି କବି ଥିଲେ । ତାର ପୁତ୍ର ମଧ୍ୟ ସେହିପରି ବନ୍ଦନୀୟ ହୋଇଥିଲେ । ତାଙ୍କର ନାମ ନୀଳକଣ୍ଠ; ମୁଁ ତାଙ୍କର ଜ୍ୟେଷ୍ଠପୁତ୍ର ଅଟେ ।
୫୦ ଓ ୫୧ଶ ପଦ :- ମୋର ନାମ ବୀରବର ଉପଇନ୍ଦ୍ର ବୋଲି ଖ୍ୟାତ । ସୀତା ରାମଙ୍କୁ ସେବା କରିବା ହେତୁ ଆଶ୍ଚର୍ଯ୍ୟ କବିତାମାର୍ଗରେ ମୋହର ବୁଦ୍ଧି ପ୍ରସରିଲା, ତେଣୁ ଏ ରାମାୟଣ ରଚନା କଲି ।
୫୨ଶ ପଦ :- ଆଦରର ସହିତ ବାଆନ ପଦରେ ଏ ଛାନ୍ଦକୁ ଶେଷକଲି । ପଣ୍ଡିତମାନେ ଏହାକୁ ‘ରସାଳ’ ଆମ୍ବ ଫଳପରି କଠିନ ଓ ରସପୂର୍ଣ୍ଣ ମନେ କରିବେ । (ଯେପରି କଠିନ, ସେହପରି ସରସ ଏହା ବୁଝି ପାରିବେ ) ।