ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ · ଭାଗ ୬ / ୯
ସମ୍ପୂର୍ଣ୍ଣ ସୂଚୀପତ୍ର
ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେ
ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେସଂବେଶ ଆବେଶ ଶ୍ରୀରାମ ।ବସୁଧା ସୁଧାମୟୀ ବିଶୁଦ୍ଧା ସୁଧା ପାଇ ସୁଧାଂଶୁନିଭ ଛତ୍ରେ ରମ୍ୟ ସେ ।ବଶି ଶୁଭ । ବଜ, ସିଂହାସନରେ ତହି ।ବସି ଶୁଭ୍ର । ବସନେ ବିରାଜିତ ହୋଇ ।ବରବର୍ଣ୍ଣନା ସୀତା ବରବର୍ଣ୍ଣନା ଯୁକ୍ତା କୋଳରେ ଅଛନ୍ତି ବସାଇ ସେ । ୧ ।ବିହାର ବିହାୟସେ ଅର୍ଜ୍ଜୁନ ପାରାବଂଶେ ବଂଶେ ରାଜିତ ସେ ଚିରାଳ ।ବଶିଷ୍ଠ କୁମ୍ଭଜହିଁ ବିଶିଷ୍ଠ କୁମ୍ଭ ଯହିଁ ସାତକୁମ୍ଭରେ ଢାଳେ ଜଳ ସେ ।ବାର ବାର । ବାରସ୍ତ୍ରୀମାନେ ଗୀତ ସ୍ମରି ।ବାରବାର । ବିହନ୍ତି ନୃତ୍ୟ ଅପସରୀ ।ବରଷନ୍ତି ଶୁକଳ ସୁମନା ଯେ ସକଳ-ସୁମନା ଶୂନ୍ୟରେସଞ୍ଚରି ସେ । ୨ ।ବାଜି ଶଙ୍ଖାଦି ବାଦ୍ୟରାଜି ଦ୍ୱିରବ ବାଜୀ ସ୍ୱରୂପା ରୂପାଗିରି ।ବିଜୟ ପୂର୍ବମୁଖେ ବିଜୟୀ ବୀର ସୁଖେଜୟ ଜୟ ଶବଦ ସ୍ଫୁରି ସେ ।ବିଧୁର ଯେ । ବିରସ ଜନ ସବୁଙ୍କରି ।ବିଧୂରଜେ । ବିଧାନ ହୋଇଛିଚାଲ୍ୟରୀ ।ବସନ୍ତେ ଯେ ବସନ୍ତ ବସନ ଚେତିକୃତ କଥନ ସାନୁଜେ ବିଚାରି ସେ । ୩ ।ବିଚକ୍ଷଣ ଲକ୍ଷ୍ମଣ ବୋଲେ ସେ କ୍ଷଣ କ୍ଷଣଦାରେ ଆଜ ସ୍ୱପ୍ନ ବୀକ୍ଷଣ ।ବ୍ୟସ୍ତକେଶ ଲଙ୍କେଶସୁତ ଚଢ଼ି ମହିଷ ମହିମ ଇଚ୍ଛିଣ ଦକ୍ଷିଣ ସେ ।ବଳୀ ସ୍ନେହ । ବିଲେପନରେ ଜର ଜର ।ବଳି ସ୍ନେହ । ବିଷ ଭକ୍ଷେ ଲୋହପାତ୍ରର ।ବିଭୁଷା ରଙ୍ଗବାଣେ ଭୁଷାଯିବ ମୋ ବାଣେ ଏରଣେଶରଣକେ ତାର ସେ । ୪ ।ବିଭୀଷଣକୁ ଚାହିଁ ଦୂଷଣଜିତ କହି ଭୀଷଣ ଯୁଦ୍ଧ ଶତ୍ରାରିର ।ବଳ ପ୍ରବଳ ମୋର ଧବଳକର ପ୍ରାୟେ ତମ ପ୍ରାୟ କବଳତର ସେ ।ବିଶେଷର । ବାହୁଡ଼ିବି ମୁଁ ଭୟ କରି ।ବିଶେଷର । ବିଷାଇ ଥାଇ ଯେ ତାହାରି ।ବିସ୍ତାରେ କେଡ଼େ ଶକ୍ତି ଗଦା ମୁଦ୍ଗର ଶକ୍ତି ଶୂଳ ଚକ୍ର ଚକ୍ରପ୍ରହାରି ସେ । ୫ ।
୧ମ ପଦ :- ସୁମନେ - ପଣ୍ଡିତମାନେ । ସୁମନେ - ଉତ୍ତମ ମନରେ ।ସଂବେଶ - ସ୍ୱପ୍ନ । ଆବେଶ - ଆବିର୍ଭୁତ । ବସୁଧା - ପୃଥିବୀ ।ସୁଧାମୟୀ–ଚୁର୍ଣ୍ଣଲିପ୍ତା । ବିଶୁଦ୍ଧା - ପବିତ୍ରା ।ସୁଧା - ଅମୃତ ।ସୁଧାଂଶୁନିଭାଛତ୍ରେ - ଚନ୍ଦ୍ରକିରଣ ତୁଲ୍ୟ ଛତ୍ରରେ । ରମ୍ୟ - ମନୋହର ।ବଜ ସିଂହାସନ - ହୀରାଜଡ଼ିତ ସିଂହାସନ ।ବରବର୍ଣ୍ଣନା– ବରାଙ୍ଗନା ।ବରବର୍ଣ୍ଣନାଯୁକ୍ତା - ହଳଦୀ ବୋଳାହୋଇ । ଶୁଭ୍ର-ଉଜ୍ଜ୍ୱଳ । ଶୁଭ୍ର - ଶୁକ୍ଳ । ବସି - କାନ୍ତିଯୁକ୍ତ ।
୧ମ ପଦ :- ହେ ପଣ୍ଡିତମାନେ । ଧୀର ଚିତ୍ତରେ ବୁଝିବା ହୁଅନ୍ତୁ । ନିଦ୍ରାଭିଭୂତ ରାମଚନ୍ଦ୍ର ସ୍ୱପ୍ନ ଦେଖିଲେ ଯେ, ଭୂମି ଚୂର୍ଣ୍ଣରେ ଲିପାହୋଇଅଛି, ସେ ନିଜେ ବିଶୁଦ୍ଧ ଅମୃତ ପାନ କରୁଅଛନ୍ତି, ମନୋହର ଚନ୍ଦ୍ରକିରଣ ତୁଲ୍ୟ ଅତି ଶୁଭ୍ର ଛତ୍ର ତାଙ୍କର ମସ୍ତକ ଉପରେ ଟେକା ହେଉଅଛି; ସେ ଅତି ଉଜ୍ଜ୍ୱଳ ଶୁକ୍ଳ ହୀରକମଣ୍ଡିତ ମନୋରମ ସିଂହାସନରେ ଉପବେଶନ କରିଅଛନ୍ତି ଏବଂ ଶୁକ୍ଳବସ୍ତ୍ର ପରିଧାନ କରି ହରିଦ୍ରାରଞ୍ଜିତ କଳେବର । ପରମସୁନ୍ଦରୀ ସୀତାଙ୍କୁ କୋଳରେ ଧାରଣ କରିଅଛନ୍ତି । (ଅର୍ଥାତ୍ ସେ ରାଜପଦରେ ଅଭିଷିକ୍ତ ହେଉଅଛନ୍ତି )
୨ୟ ପଦ :- ବିହାୟସେ - ଆକାଶରେ । ଅର୍ଜ୍ଜୁନପାରାବଂଶେ-ଶୁକ୍ଳପାରାମାନଙ୍କୁ । ବଂଶେ - ବାଉଁଶରେ । ଚିରାଳ –ପତକା ।କୁମ୍ଭଜ - ଅଗସ୍ତି । ବଶିଷ୍ଠ - ବସିକରି ବା ସ୍ଥିତ ହୋଇ । କୁମ୍ଭ - ହସ୍ତୀ । କୁମ୍ଭସାତକୁମ୍ଭ-ସ୍ୱର୍ଣ୍ଣକଳସ । ବାରସ୍ତ୍ରୀମାନେ - ବେଶ୍ୟାମାନେ । ସୁମନା - ଶୁକ୍ଳପୁଷ୍ପ । ସୁମନା-ଦେବତାମାନେ ।ଅପସରୀ - ଅପ୍ସରାମାନେ ।
୨ୟ ପଦ :- ଏହି ସମୟରେ ଶୁକ୍ଲପାରାବତମାନେ ଆକାଶରେ ଉଡ଼ୁଅଛନ୍ତି ଏବଂ ବାଉଁଶରେ ଶୁକ୍ଳ ପତାକା ସବୁ ବନ୍ଧା ହୋଇଛି । ବଶିଷ୍ଟ ଓ ଅଗସ୍ତ୍ୟ ଋଷି ଦୁହେଁ ବଡ଼ବଡ଼ ସୁବର୍ଣ୍ଣ କଳଶରେ ଜଳଆଣି ତାଙ୍କ ମସ୍ତକ ଉପରେ ଢାଳୁ ଅଛନ୍ତି (ଅର୍ଥାତ୍ ଅଭିଷେକ କରୁଅଛନ୍ତି) । ଦଳଦଳ ବେଶ୍ୟା ଆସି ତାଙ୍କ ନିକଟରେ ଗାନ କରୁଅଛନ୍ତି, ଅପ୍ସରାମାନେ ବାରମ୍ବାର ନୃତ୍ୟ କରୁଅଛନ୍ତି ଓ ଦେବତାମାନେ ଆକାଶରୁ ଶୁକ୍ଳପୁଷ୍ପ ବୃଷ୍ଟି କରୁଅଛନ୍ତି ।
୩ୟ ପଦ :- ବାଦ୍ୟରାଜ - ବାଦ୍ୟସମୂହ ।ଦ୍ୱିରଦ - ହସ୍ତୀ । ବାଜୀ-ଅଶ୍ୱ । ରୁପାଗିରି-କୈଳାସ ପର୍ବତ । ସ୍ଫୁରି - ଉଚ୍ଚାରଣ କରି । ବିଧୁର-ତ୍ୟାଗ । ବିଧୁରଜ – କର୍ପୂରରେଣୁ । ଚର୍ଚ୍ଚରୀ - ଚାଚେରୀ, ଦୋଳପୂର୍ଣ୍ଣିମା ଯାତ୍ରା । ସାନ୍ତୁଜ - ସାନଭାଇ, ଲକ୍ଷ୍ମଣ ।
୩ୟ ପଦ :- ଶଙ୍ଖ ପ୍ରଭୃତି ବାଦ୍ୟମାନ ବାଜୁଅଛି, କୌଳାସ ପର୍ବତ ତୁଲ୍ୟ ଶୁକ୍ଳବର୍ଣ୍ଣ ହସ୍ତୀ ଓ ଘୋଟକମାନେ ବିରାଜିତ ହୋଇଅଛନ୍ତି । ବିଜୟୀ ବୀର ରାମଚନ୍ଦ୍ର ପୂର୍ବାଭିମୁଖ ହୋଇ ବିଜେ କରିଅଛନ୍ତି । ସେହିସ୍ଥାନରେ ସର୍ବଦା ଜୟନାଦ ପ୍ରକାଶିତ ହେଉଅଛି । କର୍ପୂର ଗୁଣ୍ଡରେ ଅବିରଖେଳ (ଫଗୁଖେଳ) ହେଉଅଛି ଏବଂ ସମସ୍ତେ ଆନନ୍ଦରେ ମଗ୍ନ ହୋଇଅଛନ୍ତି । ପୀତବସନ ପରିଧାନକାରୀ ରାମଚନ୍ଦ୍ର ନିଦ୍ରା ତେଜି ବସନ୍ତେ, ଲକ୍ଷ୍ମଣଙ୍କୁ ଏହି ସ୍ୱପ୍ନ ବୃତ୍ତାନ୍ତ କହିଲେ ।
୪ର୍ଥ ପଦ :- ବିଚକ୍ଷଣ - ବୁଦ୍ଧିମାନ । କ୍ଷଣଦା - ରାତ୍ରି । ବିକ୍ଷଣ - ଦେଖିବା । ବ୍ୟସ୍ତକେଶ – ମୁକୁଳିତକେଶ । ଲଙ୍କେଶସୁତ – ଇନ୍ଦ୍ରଜିତ । ମହିମା - ମହାତ୍ମ୍ୟ ଅର୍ଥାତ୍ ଗର୍ବ । ବିଭୂଷା – ସୁଶୋଭିତ । ରଙ୍ଗବାଣୀ – ପୁଷ୍ପବିଶେଷ । ଭୁଷାଯିବ - ବିନ୍ଧାଯିବ ।
୪ର୍ଥ ପଦ :- ଚତୁର ଲକ୍ଷ୍ମଣ ସଙ୍ଗେ ସଙ୍ଗେ କହିଲେ, ‘‘ମୁଁ ମଧ୍ୟ ଆଜି ରାତିରେ ଗୋଟିଏ ସ୍ୱପ୍ନ ଦେଖିଅଛି । ତାହା ଏହି ଯେ ଇନ୍ଦ୍ରଜିତ ସ୍ୱୀୟ ପରାକ୍ରମ ଦେଖାଇବା ନିମିତ୍ତ କେଶ ମୁକୁଳାକରି ମହିଷା ରୋହଣ ପୂର୍ବକ ଦକ୍ଷିଣ ଦିଗକୁ ଗମନ କରୁଅଛି ଏବଂ ତୈଳ ଜର୍ଜରିତ କାୟ ସେହି ଇନ୍ଦ୍ରଜିତ ରଙ୍ଗବାଣ ପୁଷ୍ପରେ ବିମଣ୍ଡିତ ହୋଇ ଲୌହପାତ୍ରରେ ବିଷ ଭକ୍ଷଣ କରୁଅଛି । ଏଣୁ ମୁଁ ଅନୁମାନ କରୁଛି, ସେ ଯୁଦ୍ଧରେ ନିଃସହାୟ ହୋଇ ମୋ ବାଣରେ ମରିବ ।
୫ମ ପଦ :- ଦୂଷଣଜିତ – ରମାଚନ୍ଦ୍ର । ଶତ୍ରାଦିର – ଇନ୍ଦ୍ରଜିତର । ବଳ - ସୈନ୍ୟ । ଧବଳକର - ଚନ୍ଦ୍ର । ତମ - ରାହୁ । କବଳକର – ଗ୍ରାସକର । ବିଷେ - ବିଷଦ୍ୱାରା । ବିଷାଇ - ବିଷଯୁକ୍ତ କରି ।
୫ମ ପାଦ - ରାମଚନ୍ଦ୍ର ବିଭୀଷଣକୁ ଚାହିଁ କହିଲେ, ‘ହେ ଲଙ୍କାରାଜ, ଇନ୍ଦ୍ରଜିତର ଯୁଦ୍ଧ ଅତିଶୟ ଭୟଙ୍କର ଅଟେ । ରାହୁ ଚନ୍ଦ୍ରଙ୍କୁ ଗ୍ରାସ କଲାପରି ସେ ମୋର ମହାବଳଶାଳୀ ସୈନ୍ୟମାନଙ୍କୁ ଗ୍ରାସ କରୁଅଛି, ଏଣୁ ମୁଁ ମଧ୍ୟ ଅତିଶୟ ଭୟକରି ପଶ୍ଚାପଦ ହେଉଅଛି । ସେ ତାର ଶରମାନଙ୍କୁ ବିଷ ଲିପ୍ତ କରିଥାଏ । ସେ ଏକ ସମୟରେ, ମୁଦ୍ଗର, ଶକ୍ତି, ଶୂଳ ଓ ଚକ୍ର ପ୍ରଭୃତି ଅସ୍ତ୍ର ପ୍ରହାର କରି କି ଅଲୌକିକ ଶକ୍ତି ପ୍ରକାଶ ନ କରେ ?’’
ବୈଶ୍ରବଣ ଶ୍ରବଣ କରାଇ ଯାହା ଆନ ଆନ ନ କରେ ଶତମନ୍ୟୁ ।ବିନାଶ ଏହା କରେ କୀନାଶ ଚିନ୍ତା କରେ କି ଭାଗ୍ୟେ ପାଶୋରିଛି ମନୁ ସେ ।ବିରଚିତ । ବଡ଼ ପ୍ରତିଜ୍ଞା ତାହା ହତେ ।ବୀରଚିତ୍ତ । ବିଳସି ହରଷେ ମହତ୍ତ୍ୱେ ।ବ୍ରହ୍ମାର ଗର୍ବହର ସ୍ମର ତ ସ୍ମରହର ତାକୁ ଜାଳିଲେ ନେତ୍ରପାତେ ସେ । ୬ ।ବାଟେ ଲଙ୍କାଭୂସ୍ଥଳେ ଅବଟେ ଲଙ୍କା ତଳେ ଜାତ ଜାତବେଦରେ ହୋମ ।ବିହି ଅଜରୁ ଧିରେ ଧୀରେ ମନୋରଥରେ ରଥ ଦେବଦଳନ ନାମ ସେ ।ବାଜୀବାର । ବାଣାସନ ତୂଣ ବିଦିତି ।ବାଜିବାର । ବଜ୍ରରୁ ବଳି କରେ ଘାତ ।ବଜ୍ରୀ-ଅରାତି ଗତି ଥାଇ ଯାଉଁ ନିପାତି ପାରି ସୁପାତି ତେଜୁଁ ସତ ସେ । ୭ ।ବେଳଦ୍ୱୟ ସେ ପାଶେ ବନ୍ଧନ ନାଗପାଶେ ବ୍ରହ୍ମାସ୍ତ୍ରେ ନାଶ କରି ଗଲା ।ବିପତି ଋକ୍ଷପତି ପତିତ ସେ ବିପର୍ତ୍ତ ହରିଲେ ମାରୁତିହିଁ ଥିଲା ସେ ।ବାହାରେ ସେ । ବହି ବିବିଧ ଅୟୁଧକୁ ।ବାହାରେ ସେ । ବିଚାରି ବଇରୀ ବଧକୁ ।ବଚସ୍କର ନୋହିଣ ତିସ୍କର ଆଚରଣ ଲଭେ ବରଣ ସନ୍ନିଧିକୁ ସେ । ୮ ।ବାଟ ପାଇ କବାଟ ଫଟୁଁ ଭଲ୍ଲୁ ମର୍କଟ ପ୍ରକଟ ପ୍ରଭାତୁ କଟକେ ।ବିରଚୁଁ ବିରସାତ କଙ୍କାଦି ବୀର ସାତ ରାମଙ୍କୁ ଅଟକେ ଛଟକେ ସେ ।ବାସ୍ପବାରି । କେଷ୍ଟିତ ଲକ୍ଷ୍ମଣ ସବଳ ।ବାସ ବାରି । ବେଗେ ଆସି ଆରମ୍ଭି ରୋଳ ।ବୋଲେ ଉଚ୍ଚେ ଏପଦ ମୃତ୍ୟୁସ୍ଥାନକୁ ପଦ ଜାଣେ ଦୁର୍ଗମ ଦୁର୍ଗମେଳ ସେ । ୯ ।ବଞ୍ଚିଲ ଥର ଦୁଇ ଘୁଞ୍ଚିଲ ଥର ବହି ପ୍ରାଣ ସଞ୍ଚିଲକି ଉପାୟେ ।ବିଚ୍ଛେଦ ପିଣ୍ଡ ମୁଣ୍ଡ ଚ୍ଛେଦନ ହେବ ଚାଣ୍ଡ ବିଷାଦ ସଦରେ ନିଶ୍ଚୟ ସେବଇରୀକି । ବାଦେ କପୋତ ନିକି ସରି ।ବଇରୀକି । ବିପାକ କର୍ମ ଅଚ୍ଛି କରି ।ବିଧିରେ ଶଶପଞ୍ଚା ପଞ୍ଚାସ୍ୟକୁ ଅବଞ୍ଚା ଘଟେ ଘଟକର୍ଣ୍ଣର ପରି ସେ । ୧୦ ।
୬ଷ୍ଠ ପଦ :- ବୈଶ୍ରବଣ - ବିଭୀଷଣ । ଶତମନ୍ୟୁ - ଇନ୍ଦ୍ର । କୀନାଶ - ଯମ । ଗର୍ବହର – ଗର୍ବଚୂର୍ଣ୍ଣକାରୀ । ସୁର - କନ୍ଦର୍ପ । ସ୍ମରହର - ଶିବ । ଜାଳିଲେ – ଭସ୍ମକଲେ ।
୬ଷ୍ଠ ପଦ :- ଏହା ଶୁଣି ବିଭୀଷଣ କହିଲେ, ‘‘ଯେଉଁ ଇନ୍ଦ୍ରଜିତର ବାଣକୁ ଇନ୍ଦ୍ର ନିବାରିତ କରିପାରନ୍ତି ନାହିଁ ଓ ଯମ ଯାହାକୁ ଭୟ କରି କହେ ଯେ, ମୋର ଭାଗ୍ୟବଶରୁ ଇନ୍ଦ୍ରଜିତ ମୋତେ ପାଶୋରି ଦେଇଛି ନଚେତ୍ ମାରିଦେଇ ସାରନ୍ତାଣି, ସେହି ଇନ୍ଦ୍ରଜିତକୁ ମାରିବା ନିମିତ୍ତ ଲକ୍ଷ୍ମଣ ଗୁରୁତର ପ୍ରତିଜ୍ଞା କରିଅଛନ୍ତି ।‘‘ (ଏହା ବିଭୀଷଣର ବୀର ପ୍ରୋତ୍ସାହନ ବାଣୀ) ଏହା ଶୁଣି ଲକ୍ଷ୍ମଣ ପୁନର୍ବାର ଇନ୍ଦ୍ରଜିତର ବଧନିମିତ୍ତ ବହୁତ ପ୍ରତିଜ୍ଞା କଲେ ଏବଂ ସେହି ବୀର ଲକ୍ଷ୍ମଣଙ୍କର ମନ ମହାନନ୍ଦରେ ପ୍ରଫୁଲ୍ଲିତ ହେଲା । ସେ ଦେଖାଇ କହିଲେ, ‘‘ଯେପରି କନ୍ଦର୍ପ ବ୍ରହ୍ମାଙ୍କର ଗର୍ବ ହରଣ କରିଥିଲା ମଧ୍ୟ ମହାଦେବଙ୍କ ନେତ୍ରପାତଦ୍ୱାରା ଭସ୍ମୀଭୂତ ହୋଇଥିଲା, ସେହିପରି ଇନ୍ଦ୍ରଜିତ ଦେବତାମାନଙ୍କୁ ପରାସ୍ତ କରିଥିଲେ ସୁଦ୍ଧା ମୁଁ ତାକୁ ପଲକ ପାତ ମାତ୍ରକେ ବିନାଶ କରିବି । (ଆକ୍ଷି ପିଞ୍ଛୁଳାକେ ମାରିବି) ।’’
୭ମ ପଦ :- ଜାତବେଦରେ - ଅଗ୍ନିରେ । ଅଜରୁଧିରେ – ଛେଳିରକ୍ତରେ । ବାଜୀବର - ଅଶ୍ୱସମୁହ, ଶରସମୁହ । ବାଣାସନ - ଧନୁ । ବଜ୍ରୀଅରାତି – ଇନ୍ଦ୍ରଜିତ । ନିପାତି - ବିନାଶ କରି । ସୁପାତି - ଶଯ୍ୟା । ଅବଟ – ଗର୍ତ୍ତ ।
୭ମ ପଦ :- ବିଭୀଷଣ କହିଲେ, ଲଙ୍କାପୁରରେ ଏକ ବରଗଛ ଅଛି । ସେହି ଗଛର ତଳ ପ୍ରଦେଶରେ ଗୋଟିଏ ଗାତଅଛି, ସେହି ଗାତରେ ଥିବା ଅଗ୍ନିକୁ ମନଃକାମନା ପୂର୍ବକ ଛେଳିରକ୍ତରେ ହୋମ କଲେ ସେହି ଅଗ୍ନି ମଧ୍ୟରୁ ଦେବଦଳନ ନାମକ ଏକ ରଥ, ବହୁସଂଖ୍ୟକ ଘୋଡ଼ା, ଧନୁ, ତୂଣୀର ଏବଂ ବଜ୍ରଠାରୁ ଅଧିକ ଟାଣ ଶରପୁଞ୍ଜ ଉତ୍ପନ୍ନ ହୁଏ । ଯଦି ଏହାସବୁ ଇନ୍ଦ୍ରଜିତ ଲାଭ କରେ ତାହାହେଲେ କଦାପି ତୁମ୍ଭେ ତାକୁ ମାରିପାରିବ ନାହିଁ, ଏଣୁ ଯଦି ରାତି ଥାଉଁ ଯାଇ ଶଯ୍ୟାରୁ ଉଠିବା ସମୟରେ ତାକୁ ମାରିବା ତାହେଲେ ସେ ନିଶ୍ଚୟ ମରିବ, ଏ କଥା ସତ୍ୟ ଅଟେ ।’’
୮ମ ପଦ :- ବେଳଦ୍ୱୟ - ଦୁଇଥର । ପାଶେ - ପାଶଦ୍ୱାରା ।ବିପତି – ଗରୁଡ଼ । ରକ୍ଷପତି – ଜାମ୍ବବାନ । ମାରୁତି - ହନୁମାନ । ବଇରୀବଧ – ଶତ୍ରୁନାଶ । ବଚସ୍କର ନୋହିଣ – ତୁନିହୋଇ । ତସ୍କର – ଚୋର । ବରଣ - ପ୍ରାଚୀର ।
୮ମ ପଦ :- ‘‘ହେ ବୀର । ଇନ୍ଦ୍ରଜିତ ଯୁଦ୍ଧକ୍ଷେତ୍ରରେ ‘ଉଦୟ’ ପ୍ରକାଶିତ ହୋଇ ଆମ୍ଭମାନଙ୍କୁ ନାଗପାଶ ଓ ବ୍ରହ୍ମାସ୍ତ୍ରଦ୍ୱାରା ଦୁଇଥର ନାଶ କରିଗଲା କିନ୍ତୁ ପ୍ରଥମଥର ଆମ୍ଭମାନଙ୍କୁ ଉପରେ ପଡ଼ିଥିବା ବିପତ୍ତିକୁ ଗରୁଡ଼ ଓ ଦ୍ୱିତୀୟଥର ବିପତ୍ତିକୁ ହନୁମାନ ଥିବାରୁ ଜାମ୍ବବାନ ନାଶ କଲେ (ଅର୍ଥାତ୍ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଆଣିବାରୁ ବ୍ରହ୍ମାସ୍ତ୍ର ହତ ଆମ୍ଭମାନଙ୍କୁ ଜାମ୍ବବାନ୍ଔଷଧଦେଇ ବଞ୍ଚାଇଲେ) ଏହା ଶୁଣି ଲକ୍ଷ୍ମଣ ଶତ୍ରୁ ବଧ କରିବା ନିମିତ୍ତ ନାନାବିଧ ଆୟୁଧମାନଙ୍କୁ ବହନ କରି ନିଃଶବ୍ଦଭାବରେଚୋର ପରି ଯାଇ ଲଙ୍କାଗଡ଼ର ନିକଟରେ ଉପସ୍ଥିତ ହେଲେ!
୯ମ ପଦ :- କଟକେ - ଗଡ଼ରେ । ଅଟକେ - ଆଗୋଳି ବା ଅଟକାଇ । ଛଟକେ - କୌଶଳରେ ।ବାସବାରି - ଇନ୍ଦ୍ରଜିତ ଘର ଖୋଜି । ସବଳ - ସୈନ୍ୟ ସହିତ ।ରୋଳ - ଶବ୍ଦ ।
୯ମ ପଦ :- ସକାଳ ହେବାରୁ ଲଙ୍କା ଗଡ଼ର କବାଟ ଖୋଲିଲା ।ତହୁ ରାମଚନ୍ଦ୍ର ଭାଲୁ ଓ ମାଙ୍କଡ଼ମାନଙ୍କ ସହ ଗଡ଼ ଭିତରେ ପ୍ରବେଶ କଲେ । ଏହି ସମୟରେ କଙ୍କ ପ୍ରଭୃତି ବିଖ୍ୟାତ ସପ୍ତବୀର ଏକତ୍ରିତ ହୋଇ ହଠାତ୍ଆସି ରାମଚନ୍ଦ୍ରଙ୍କୁ ଅଟକାଇବାକୁ ଲାଗିଲେ । ଲକ୍ଷ୍ମଣ ଇନ୍ଦ୍ରଜିତର ଗୃହକୁ ଚିହ୍ନି ସୈନ୍ୟମାନଙ୍କସହ ତାହାକୁ ଘେରାଉ କଲେ । ଏହା ଦେଖି ଇନ୍ଦ୍ରଜିତ ଅତିଶୀଘ୍ର ଆସି ଯୁଦ୍ଧଆରମ୍ଭ କଲା ଏବଂ ଏହି କଥାପଦକ ଉଚ୍ଚ ସ୍ୱରରେ କହିଲା, - ‘‘ଏହି ଦୁର୍ଗମ ଦୁର୍ଗରେ ପ୍ରବେଶ କରିବା ଦ୍ୱାରା ତୁମ୍ଭେମାନେ ଯମପୁରରେ ଉପସ୍ଥିତ ହେଲ ।’’ (ଅର୍ଥାତ୍ତୁମ୍ଭେମାନେ ଏଠାରେ ନିଶ୍ଚୟ ମରିବ ) ।
୧୦ମ ପଦ :- ଚାଣ୍ଡ - ଶୀଘ୍ର । ବଇରୀ - ସଞ୍ଚାଣ ପକ୍ଷୀ । ବିପାକ କର୍ମ - ଦୁର୍ଭାଗ୍ୟ ବା ମନ୍ଦଭାଗ୍ୟ ।ଶଶପଞ୍ଚା - ଠେକୁଆର କପଟ । ପଞ୍ଚାସ୍ୟ - ସିଂହ ।ଘଟକର୍ଣ୍ଣ - କୁମ୍ଭକର୍ଣ୍ଣ । ଅବଞ୍ଚା - ବଞ୍ଚାଇଲା ନାହିଁ ।
୧୦ମ ପଦ :- ପୁର୍ନବାର କହିଲା, ‘‘ତୁମ୍ଭେମାନେ ଥର ଥରହୋଇ ଦୁଇ ଥର ଯୁଦ୍ଧଭୂମିରୁ ପଛଘୁଞ୍ଚାଦେଇ ଯେ କୌଣସି ଉପାୟରେ ପ୍ରାଣରକ୍ଷା କଲ; କିନ୍ତୁ ଏହି ଥର ତୁମ୍ଭର ସେହି ଛେଦିତ ନ ହୋଇଥିବା ପିଣ୍ଡରୁ ଶୀଘ୍ର ମୁଣ୍ଡ ଛିନ୍ନ ହେବ । ନିଶ୍ଚୟ ଦୁଃଖ ତୁମ୍ଭମାନଙ୍କୁ ଆକ୍ରମଣ କରିବ ।ସଞ୍ଚାଣ ସହିତ କାକ ବିବାହ କରିବାକୁ ସକ୍ଷମ କି ? ତୁମ୍ଭମାନଙ୍କର କର୍ମର ଦୁର୍ବଳତା ହେତୁରୁ ଆମ୍ଭମାନଙ୍କୁ ଶତ୍ରୁ କରିଅଛ । ଠେକୁଆକପଟରେ ସିଂହକୁ ନାଶ କଲାପରି ତୁମ୍ଭେମାନେ କୁମ୍ଭକର୍ଣ୍ଣକୁ ବିନାଶ କରିଅଛ ମାତ୍ର ମତେ ମାରି ପାରିବ ନାହିଁ ) ।’’
ବୋଲେରାମସୋଦରବଡ଼ାଇ ନ ଆଦର ନିଦରନୁହ ତୁ ତ୍ରବ୍ୟଦବିଶ୍ୱବିଧ୍ୱଂସୀକାଳପୁରେ ତତ୍କାଳ କାଳ କାଳକଣ୍ଠରେ ରଚିବାଦ ସେ ।ବିନାଶନ ।ବ୍ରତଫଳତୋ ହେଲା ଶେଷ ।ବିନାଶନ । ବିବାଦେ ଆଜମୁଁ ଅବଶ୍ୟ ।ବିନ୍ଧାବିନ୍ଧ ମାର୍ଗଣ ଗଣନା ନାହିଁ ପୁଣବୋଲେ ଏଭାଷପ୍ରତିଭାଷସେ । ୧୧ ।ବେନି ବକ ସମରେ ବନ୍ଦୀ ହେଲେ ସମରେ ଋକ୍ଷ ରକ୍ଷମାତ୍ରକେ ଭେଦ ।ବରାଜନ୍ତିଯେଶି (ଶୀ)ଳେ ଜନ୍ତାଜନ୍ତି ସକଳେ ଯୁଦ୍ଧେ ଶୂରେଶୂରେ ସମ୍ପାଦ ହେ ।ବିହରିତ । ବିଶେଷ ହରି ହୋଇଛନ୍ତି ।ବିହରିତ । ବିବାଦେ ପ୍ରାଣ ସେ କରନ୍ତି ।ବୀରେନ୍ଦ୍ର ଶର ଭଳି ବଳୀ ବଳି ପ୍ରଜ୍ୱଳିଅତିରଣକୀରତିରତି ସେ । ୧୨ ।ବିଚିତ୍ର ଚିତ୍ରଭାନୁ ଭାନୁପତ୍ରୀ ସନ୍ଧାନୁ ଦନୁଜରାମାନୁଜ ଧୀର ।ବିନ୍ଧ ବାଣାପବନେଭୁବଜ ଜବନେ ହେଲେସେ ପକାଇ ଅବ୍ଧିର ସେ ।ବିତପଦ । ବିଧାନ ହେଲା କେତେ ଶର ।ବିତପନ । ବିଭବ ଦେଖି ସୌମିତ୍ରାର ।ବଡ଼କ୍ରୋଧରେ ଧରେ ଧରଶର ପ୍ରହାରେ ହରେ ତା ପବିଆୟୁଧର ସେ । ୧୩ ।ବିଧୃତ ଲକ୍ଷ ଲକ୍ଷ ଯେ ଶିଳୀମୁଖ ମୁଖ ତୀକ୍ଷ୍ଣ ଲକ୍ଷ୍ୟ ଦୁହିଁକି ଦୁହେଁ ।ବିରକ୍ତହୀନ ରକ୍ତ ଜରଜର ଜରତ ବିମ୍ବ ଆକୃତି ବହେଦେହେ ସେ ।ବିଦାରଣ । ବେନି ସମାନଭାବ ତହିଁ ।ବିଦାରଣ । ବୁଦ୍ଧି କେବଳ ଅଛି ରହି ।ବାଣ ସେବନେ ଈଶ ଈଷଦ୍ଧାସ ପ୍ରକାଶ ଶଳ୍ପ କି ଶଳ୍ପଭାବବହି ସେ । ୧୪ ।ବାତୁସୁତଶଇଳେ ପକାଇଲେ ତଇଳେ ସୂତମକ୍ଷିକା ପ୍ରାୟେ ତହି ।ବିଭଞ୍ଜନ ସେ ଜନରଞ୍ଜନ ରଥ ପୁନ ରାଜନ ସୂତଉଭା ମହୀ ସେ ।ବଧା ତାରେ ।ବାଳିସୂତପହାରୁଁ ପିଠି ।ବିଧାତା ରେ ।ବିଜୟି-ଗର୍ବ ଗଲା ତୁଟି ।ବିଶିଖେ ତୁଳା ତୁଳାତନୁଭିଣାବାତୁଳା ସେ କପଟୀ ବୋଧଲମ୍ପଟୀ ଯେ । ୧୫ ।
୧୧ଶ ପଦ :- ରାମସୋଦର - ଲକ୍ଷ୍ମଣ । ନିଦର - ନିର୍ଭୟ ।କ୍ରବ୍ୟାଦ୍-ରାକ୍ଷସ ।ବିଶ୍ୱବିଧ୍ୱଂସୀ - ସଂସାରବିନାଶୀ । କାଳ - ଯମ । ପରେ - ଶେଷହୁଏ । କାଳକଣ୍ଠରେ - ଶିବଙ୍କ ସହିତ ।ବିନାଶନ - ନିରାହାରରେ ।
୧୧ଶ ପଦ :- ଲକ୍ଷ୍ମଣ କହିଲେ, ‘‘ରେ ରାକ୍ଷସ,ଭୟଶୂନ୍ୟହୋଇ ଆଦର ପୂର୍ବକ ବଡ଼ାଇ କରନା ।ବିଶ୍ୱବିଧ୍ୱଂସକାରୀ ଯମ ମଧ୍ୟ ମହାଦେବଙ୍କ ସହିତ ବିବାଦ କଲେ ମୃତ୍ୟୁ ମୁଖରେ ପତିତ ହୁଅନ୍ତି ! ତୁ କରିଥିବା ଅନଶନ ବ୍ରତର ଫଳ ଶେଷ, ହେଲା ତୋର ନିଶ୍ଚୟ ମରଣ ହେବ’ ଯେ ହେତୁ ଆଜି ମୁଁ ତୋର ବିବାଦୀ ହୋଇ ଉପସ୍ଥିତ ହୋଇଅଛି ।’’ ଏହି କଥାର ଶେଷରେ ସେ ଦୁହେଁ ପୂନର୍ବାରଗାଳିଗୁଜବ ନ କରି ଅନବରତ ଅସଂଖ୍ୟ ବାଣ ବିନ୍ଧାବିନ୍ଧି କରିବାକୁ ଲାଗିଲେ ।
୧୨ଶ ପଦ :- ଶିଳ - ପଥର । ଶୀଳ - ନିଜ ନିଜର ଅସ୍ତ୍ର ।ଶୁରେ-ଯୋଦ୍ଧାମାନେ । ସମ୍ପାଦ - ଆରମ୍ଭ କଲେ । ହରି - ବାନର ।ଅତିରଣକିରତି– ରତି, ଅତିଶୟ ସମରନିପୁଣ; ବିଶିଷ୍ଟ ଯୋଦ୍ଧା ।
୧୨ଶ ପଦ :- ଏହି ଯୁଦ୍ଧରେ ଉଭୟପକ୍ଷରୁ ସମାନ ସଂଖ୍ୟକ ସେନା ବନ୍ଦୀ ହେଲେ କିନ୍ତୁ ସେହି ସେନାମାନଙ୍କ ମଧ୍ୟରେ ରୁକ୍ଷ ଓ ରକ୍ଷ ଏତିକି ମାତ୍ର ଭେଦ ଥିଲା (ଅର୍ଥାତ୍ବନ୍ଦୀ ହୋଇଥିବାଲୋକମାନେ ସେନା ଏହିନାମରେ ଏକ ଥିଲେ ମଧ୍ୟ ପ୍ରକୃତ ଜାତିନାମରେ ଲକ୍ଷ୍ମଣଙ୍କ ସେନାମାନଙ୍କଠାରେ ‘ଉ’କାରରେ ପ୍ରଭେଦ ଦେଖାଯାଉଥିଲା) ଉଭୟସେନା ‘ଶୈଳ’ ଅର୍ଥାତ୍ବାନର ସେନା ପଥର ଓ ଅସୁର ସେନା ‘ଶୀଳ’ ନିଜ ନିଜର ଅସ୍ତ୍ର ଧରି ପ୍ରଗାଢ଼ ଯୁଦ୍ଧ କରୁଥିଲେ ଓ ସମୟରେ ଯୋଦ୍ଧାମାନଙ୍କ ମଧ୍ୟରେ ବାଗଯୁଦ୍ଧ ମଧ୍ୟ ହେଉଥିଲା । ମର୍କଟମାନେ ଯୁଦ୍ଧ କ୍ଷେତ୍ରରେ ଇତସ୍ତତ ଧାବମାନ ହୋଇ ପ୍ରବଳ ବେଗରେ ଅସୁରମାନଙ୍କ ବିନାଶ କରୁଥିଲେ । ଏହା ଦେଖି ବଳବାନ୍ଇନ୍ଦ୍ରଜିତକ୍ରୋଧରେପ୍ରଜ୍ୱଳିତହୋଇ ଲକ୍ଷ୍ମଣଙ୍କଠାରୁ ବଳି ଅତ୍ୟଧିକ ରଣକୌଶଳ ପ୍ରକାଶ କରିଥିଲା ।
୧୩ଶ ପଦ :- ଚିତ୍ରଭାନୁ - ଭାନୁପତ୍ରୀ – ଅଗ୍ନିରଶ୍ମିଶର । ଦନୁଜ - ରାକ୍ଷସ । ରାମାନୁଜ - ଲକ୍ଷ୍ମଣ । ଧୀର - ଧୈର୍ଯ୍ୟଶୀଳ ବା ଶାନ୍ତ ।ଭୁବବଜ - ଅଗ୍ନିଶର । ଜବନେ - ବେଗରେ । ଅବଧିରେ - ସମୁଦ୍ରରେ । ବିତପନ - ପ୍ରଚଣ୍ଡ ତେଜ ପ୍ରକାଶକାରୀ ବା ମର୍ମବିଘାତୀ । ବିତପନ ବିଭବ - ପଟୁତା । ସୌମିତ୍ରିର - ଲକ୍ଷ୍ମଣଙ୍କର ।ଧରଶର - ପର୍ବତାସ୍ତ୍ର । ପବି - ବଜ୍ର ।
୧୩ଶ ପଦ :- ଇନ୍ଦ୍ରଜିତ ଚିତ୍ତବିଭ୍ରମ ପ୍ରଦାୟକ ଆଗ୍ନେୟାସ୍ତ୍ର ଧନୁରେ ସନ୍ଧାନ କରିବାରୁ ଚତୁର ଲକ୍ଷ୍ମଣ ପବନାସ୍ତ୍ରପ୍ରୟୋଗ କରି ଅତିଶୀଘ୍ର ବଳପୂର୍ବକ ସେହି ଆଗ୍ନେୟାସ୍ତ୍ରକୁ ନେଇ ସମୁଦ୍ରରେ ପକାଇ ଦେଲେ । ତତ୍ପରେ ପ୍ରଚଣ୍ଡ ତେଜ ପ୍ରକାଶକାରୀ କେତେକ ଶର ତାହା ପ୍ରତି ନିକ୍ଷେପ କଲେ ।ଇନ୍ଦ୍ରଜିତଳକ୍ଷ୍ମଣଙ୍କର ଏହି ଶର ପ୍ରୟୋଗପଟୁତା ପରିଦର୍ଶନ କରି କ୍ରୋଧଜର୍ଜରିତ ହୃଦୟରେ ତାଙ୍କପ୍ରତିପର୍ବତାସ୍ତ୍ର ପ୍ରହାର କଲା । ଲକ୍ଷ୍ମଣ ସେହି ଅସ୍ତ୍ରକୁ ବଜ୍ରାସ୍ତ୍ରରେ ନିବାରଣ କଲେ ।
୧୪ଶ ପଦ :- ଶିଳୀମୁଖ - ଶର ।ଜରତବିମ୍ବ - ପାଚିଲା କଇଁଚ କାକୁଡ଼ି ।ଇଷଦ୍ଧାସ୍ୟ - ମନ୍ଦହାସ୍ୟ । ଶଲ୍ୟ - କାଣ୍ଡ । ଶଲ୍ୟ - ଝିଙ୍କପକ୍ଷୀ । ଈଶ - ଈଶ୍ୱର । ବିଦାରଣ - ଯୁଦ୍ଧ, ଭେଦ ।
୧୪ଶ ପଦ :- ଦୁହିଁଙ୍କୁ ଦୁହେଁ ଲକ୍ଷ ଲକ୍ଷତୀକ୍ଷ୍ଣଶରଧରିମାରିବାରେ ସମାନ ଅଟନ୍ତି; ଏଣୁ ଭୟଙ୍କର ଦେହ ରକ୍ତରେ ଜର୍ଜରିତ ହୋଇ ପାଚିଲା କଇଞ୍ଚିକାକୁଡ଼ିରଶୋଭାକୁ ଧାରଣ କଲେ ସୁଦ୍ଧା ଦୁହେଁ ଯୁଦ୍ଧ ପ୍ରତି ବିରକ୍ତ ହେଉ ନ ଥିଲେ ଓ ଦୁହେଁ ସମାନ ଭାବରେ ଯୁଦ୍ଧରେ ଅଗ୍ରସର ହେଉଥିଲେ । କାର୍ଯ୍ୟରେ ଦୁହେଁ ସମାନ ଥିଲେ ସୁଦ୍ଧା ପରଷ୍ପର ମଧ୍ୟରେ ଏକମାତ୍ର ଭେଦ ବୁଦ୍ଧି ରହିଥିଲା, ତାହା ଏହି - ମହାଦେବ ବାଣାସୁରର ସେବାରେ ସନ୍ତୁଷ୍ଟ ହୋଇମନ୍ଦହାସ ପ୍ରକାଶ କଲାପରି ଲକ୍ଷ୍ମଣ ଇନ୍ଦ୍ରଜିତର ଶର ଦ୍ୱାରାଆଘାତପ୍ରାପ୍ତହୋଇ ମନ୍ଦହାସ୍ୟ ପ୍ରକାଶ କରୁଥିଲେ ଓ ଇିନ୍ଦ୍ରଜିତ ଲକ୍ଷ୍ମଣଙ୍କ ଶରଦ୍ୱାରା ବିଦ୍ଧ ହୋଇଝିଙ୍କପକ୍ଷୀ ତୁଲ୍ୟ ଶୋଭା ଓ ବ୍ୟବହାର ପ୍ରକାଶ କରୁଥିଲା ।
୧୫ଶ ପଦ :- ବାତସୁତ - ହନୁମାନ ।ଶଇଳ - ପର୍ବତ । ବିଭଞ୍ଜନ - ଭାଗ ।ଜନରଞ୍ଜନ - ଲୋକଭିରାମ ।ରାଜନସୁତ - ଇନ୍ଦ୍ରଜିତ ।ବାଳିସୁତ - ଅଙ୍ଗଦ । ବିଶିଖେ - ଶରଦ୍ୱାରା ।ତନୁଭିଶା - ଦେହ ବିଦୀର୍ଣ୍ଣ । ତୁଳା - ସମାନ । ସୂତ - ସାରଥି ।
୧୫ଶ ପଦ :- ଏହି ସମୟରେ ହନୁମାନ ଗୋଟାଏ ପର୍ବତ ଫିଙ୍ଗିବାରୁ ତେଲରେ ମାଛି ପଡ଼ି ଛଟପଟ ହୋଇ ମଲା ପରି ସେହି ପର୍ବତଘାତରେଇନ୍ଦ୍ରଜିତର ସାରଥି ଛଟପଟ ହୋଇ ମଲା ଏବଂ ଇନ୍ଦ୍ରଜିତରମନୋହର ରଥଟି ଭାଙ୍ଗିଯିବାରୁ ସେ ରାଜାର ପୁତ୍ର ହୋଇ ସୁଦ୍ଧା ତଳରେ ଠିଆ ହେବାକୁ ବାଧ୍ୟ ହୋଇଥିଲା । ଏହି ସମୟରେ ଅଙ୍ଗଦ ତାର ପିଠିରେ ଗୋଟାଏ ବିଧା ମାରିବାରୁ ତାହାର ବିଧାତାଦତ୍ତବୀରତ୍ୱ ଗର୍ବ ଚୁର୍ଣ୍ଣହୋଇଗଲା । ଲକ୍ଷ୍ମଣଙ୍କ ଶରରେ ଇନ୍ଦ୍ରଜିତର ଶରୀର ତୁଳା ପରି ଭିଣି ହୋଇ ଯିବାରୁ (କ୍ଷତ ବିକ୍ଷତ ହେବାରୁ) ସେ ପାଗଳ ପରି ହୋଇ ଶେଷରେ କପଟ ଯୁଦ୍ଧ ପ୍ରତି ଆଦର ପ୍ରକାଶ କରି ସେହି ଯୁଦ୍ଧରେ ଜୟୀ ହେବ ବୋଲି ମନେ ମନେ ଭାବି ନିଶ୍ଚୟ କଲା ।
ବିରଥୀ ମୁଁ ଯେ ବୀର ପଦେ ଗପଦବୀର ରଙ୍ଗେ ବିରଙ୍ଗେଯଶ ହାନି ।ବହୁବଳ ସଙ୍ଗରେ ରସିଥାଅ ସଙ୍ଗରେ ଆସଇ ଅସ୍ତ୍ର ଶସ୍ତ୍ରଘେନି ସେ ।ବଟେ ଯିବ ।ବ୍ୟର୍ଥ ଦେବ ବିବାଦେ ମଜ୍ଜି ।ବଟେ ଯିବ ।ବିମାନ ଆଣିବ ସେ ପୂଜି ।ବିଭୀଷଣ ଭଣନ୍ତେ ଜାଣନ୍ତେ ପରିଣତେ ଧିକାର କରିକେତେ ଗଞ୍ଜିସେ । ୧୬।ବସ ହିରଣ୍ୟମୟହୀରକରଥେମୟନପ୍ତାହିରଣ୍ୟ ପ୍ରାୟେ ଦିଶି ।ବହେ ସାୟକ ଶର ପ୍ରସରି ବହନର ନରସିଂହଉପରେ ମିଶି ସେ ।ବିଘ୍ନରାଜ ।ବଳି ମୁଖଙ୍କୁ ଚେତା କରି ।ବିଘ୍ନରାଜ ।ବିଭୁତି କରକୁ ବିସ୍ତାରି ।ବସେ ଚେତନା ପାଇ ଥିଲେ ପତନ ହୋଇତ୍ରିପତ୍ରୀ ମନ୍ତ୍ରପୁନଃମାରି ସେ । ୧୭ ।ବଳେ ସେ ଐରାବତ ବତ ମେରୁ ପର୍ବତ ଦନ୍ତରେପ୍ରହାର କି ଦନ୍ତ ।ବିଘତରେ ତାତରେ ରକ୍ତଧାରାସତ୍ୱରେଗେରୁଯୁକ୍ତଜାହ୍ନବୀ ମତ ସେ ।ବୀର ଶରେ । ବ୍ୟଥିତ ପ୍ରସୂ ସେ ଲପନ ।ବିରସରେ । ବିହେଫୂକୃତ ପୁନଃ ପୁନଃ ।ବତାଇ ବିଭୀଷଣ ଚେତାର ସେହିକ୍ଷଣ ତାଇଲାପ୍ରାୟେ ଲୋହାନଳେ । ୧୮ ।ବହତବ୍ୟଥିତକୁ ପ୍ରତିଜ୍ଞା କଥିତକୁ ସ୍ଥିତ ନକରି ଚିତ୍ତେ ବେଳେ ସେ ।ବିଭାବସୁ । ବଂଶଭୂଷଣକୁ ନିପୁଣ ।ବିଭାବସୁ । ବିଭାତି ଦେବରିପୁ ତୃଣ ।ବିଧ୍ୱଂସ ସତ୍ୟବାଦୀ ବୋଲାଇ ସତ୍ୟବାଦୀ ହବାର ହାର କିକାରଣ ସେ । ୧୯ ।ବାଣୀ କୁଟିଳ ପାଇ ଭ୍ରୁକୁଟିକି କମ୍ପାଇ କୁଟୀ ହେଲେମାରଣେ ତାର ।ବାଦଲ ବାଣୋତ୍ତମପ୍ରୟୋଗେକେତୁ ତମ ତାରତମକଲେ ତତ୍ପର ସେ ।ବିଗ୍ରହ ଯେ । ବିଶୁଦ୍ଧ ସେହିକାଳେ ହେଲା ।ବିଗ୍ରହ ସେ । ବସୁଧା ଉପରେ ପଡ଼ିଲା ।ଦିହରୁତମରୁତସୁତ ନୃତ୍ୟ କରୁତ ଶବେ ନୈର୍ଋତ ଛବି ହେଲା ସେ । ୨୦ ।
୧୬ଶ ପଦ – ବିରଥୀ-ରଥୀଶୂନ୍ୟ । ଷଦଗେ - ପଦଗାମୀ । ପଦବୀର - ଉପାଧିର । ରଙ୍ଗେ - ଯୁଦ୍ଧରେ । ବିରଙ୍ଗେ - ପରାସ୍ତ ହେଲେ । ବଟେ - ଠକିଦେଇ । ବ୍ୟର୍ଥ - ନିରର୍ଥକ ବା ବୃଥା । ବଟେ - ବଟମୂଳରେ । ପରିଣତ - ଶେଷରେ ।
୧୬ଶ ପଦ :- ତହୁଁ ସେ ଲକ୍ଷ୍ମଣ କହିଲା, ‘‘ହେ ବୀର । ବର୍ତ୍ତମାନ ମୁଁ ରଥହୀନହୋଇପାଦଗତିରେ ପଥ ଅତିକ୍ରମ କରୁ କରୁ, ଯଦି ଯୁଦ୍ଧରେ ପରାସ୍ତ ହୁଏଁ, ତାହା ହେଲେ ନିଶ୍ଚୟ ତୁମ୍ଭର ନିନ୍ଦା ହେବ । ଏଣୁ ତୁମ୍ଭେ ମୋର ଅସଂଖ୍ୟ ସେନାମାନଙ୍କରସହ ଯୁଦ୍ଧରେ ବ୍ୟାପୃତ ହୋଇଥାଅ । ମୁଁ ଅସ୍ତ୍ର ଶସ୍ତ୍ର ନେଇ ଆସୁଛି । ’’ ଇନ୍ଦ୍ରଜିତର ଏହିପରି କଥା ଶୁଣି ବିଭୀଷଣ ଲକ୍ଷ୍ମଣଙ୍କୁ କହିଲେ, ‘ଏହି ଇନ୍ଦ୍ରଜିତ ତୁମ୍ଭଙ୍କୁ ଏପରି କହି ଠକିଦେଇଯିବସେ ଏଠାରୁ ଯାଇ ନିକୁମ୍ଭିଲା ବଟକୁ ପୂଜା କରି ବିମାନ ଆଣିଲେ ଆମ୍ଭମାନଙ୍କର ଯୁଦ୍ଧ ବିଫଳ ହେବ । ବିଭୀଷଣ ଏହା କହିବାର ଜାଣିପାରି ଇନ୍ଦ୍ରଜିତ ଶେଷରେ ତାହାଙ୍କୁ ନାନାପ୍ରକାର ଗାଳି ଦେଲା ।
୧୭ ପଦ :- ମୟନପ୍ତା –ମୟରାକ୍ଷସର ନାତି ଇନ୍ଦ୍ରଜିତ । ହିରଣ୍ୟ-ରାକ୍ଷସବିଶେଷ (ହୀରଣ୍ୟକଶିପୁ) । ସାୟକ - ଧନୁ । ନରସିଂହ – ନରଶ୍ରେଷ୍ଠ ।
୧୭ଶ ପଦ :- ତତ୍ପରେ ଇନ୍ଦ୍ରଜିତ ହୀରକ ଖଚିକସ୍ୱର୍ଣ୍ଣନିର୍ମିତ ରଥରେ ଆରୋହଣ କରି ହିରଣ୍ୟକଶିପୁ ରାକ୍ଷସ ପରି ଦେଖାଗଲା ଏବଂ ହିରଣ୍ୟକଶିପୁ ଯେପରି ଖଡ଼୍ଗ ଧାରଣ କରି ନରସିଂହ ମୂର୍ତ୍ତିଙ୍କୁ ଆକ୍ରମଣ କରିଥିଲା, ଇନ୍ଦ୍ରଜିତ ସେହିପରି ଶୀଘ୍ର ଶର ନିକ୍ଷେପ କରି ଲକ୍ଷ୍ମଣଙ୍କୁ ଆକ୍ରମଣ କଲା । ଗଣେଷ ଯୁଦ୍ଧ କ୍ଷେତ୍ରରେ ବଳିମୁଖ ପ୍ରଭୃତି ସ୍ୱୀୟଅନୁରଚରବର୍ଗଙ୍କୁ ଉତ୍ସାହିତ କରି ଶତ୍ରୁ ପ୍ରତି ଶର ନିକ୍ଷେପ କଲା ପରି ବଳଶାଳୀ ଲକ୍ଷ୍ମଣ ମଧ୍ୟ ମର୍କଟମାନଙ୍କୁ ଉତ୍ସାହିତ କରି ଇନ୍ଦ୍ରଜିତ ଉପରକୁ ଶର ନିକ୍ଷେପ କରିବାକୁ ଲାଗିଲେ । ଏହି ଲକ୍ଷ୍ମଣ ନିକ୍ଷିପ୍ତ ଶରମାନଙ୍କଦ୍ୱାରାଇନ୍ଦ୍ରଜିତବୀରତ୍ୱ ନଷ୍ଟ ହେବାରୁ ସେ କ୍ଷତ୍ରିୟ ସୁଲଭଧୈର୍ଯ୍ୟ, ବୀର୍ଯ୍ୟ, ପରାକ୍ରମ ହରାଇ ହସ୍ତ ବିସ୍ତାର ପୂର୍ବକ ଭୂତଳରେ ପତିତ ହୋଇ ମୂର୍ଚ୍ଛିତ ହେଲା । ପୁଣି କିଛିକ୍ଷଣ ପରେ ଚେତନା ପାଇ ଅଭିମନ୍ତ୍ରିତ କରି ତିନିଗୋଟି ଶର ଲକ୍ଷ୍ମଣଙ୍କ ପ୍ରତି ନିକ୍ଷେପ କଲା ।
୧୮ଶ ପଦ :- ଐରାବତ - ଇନ୍ଦ୍ରଙ୍କର ହସ୍ତୀ । ବିଘାତ - ଆଘାତ । ଜାହ୍ନବୀ - ଗଙ୍ଗା । ବ୍ୟଥିତପ୍ରସୂ - ବ୍ୟଥା ଜାତ କରିବା । ଲପନ - ମୁଖ ।
୧୮ଶ ପଦ :- ସେହି ତିନିଗୋଟିଶର ଲକ୍ଷ୍ମଣଙ୍କ କପୋଳ ଦେଶରେ ବିଦ୍ଧ ହେବାରୁ ରକ୍ତଧାରା ପ୍ରବାହିତ ହେଲା । ତାହା ଦେଖି ମନେ ହେଲା ଇନ୍ଦ୍ରଜିତ ରୂପୀ ଐରାବତ ନିଜର ସମୁଦାୟ ବଳ ପ୍ରୟୋଗ କରି ଲକ୍ଷ୍ମଣଙ୍କର କପୋଳ ରୂପ ମେରୁ ପର୍ବତକୁ ଶର ରୂପୀ ଦନ୍ତଦ୍ୱାରା ଆଘାତ କଲାକି? ଯେହେତୁ ସେହି ଘାତ ଜନିତ ଚଞ୍ଚଳ ରକ୍ତଧାରା ପ୍ରବାହିତ ହୋଇଗୋରିକ ରଞ୍ଜିତ ଗଙ୍ଗା ପ୍ରବାହ ପରି ଦେଖା ଯାଉଥିଲା । ଏହି ସମୟରେ ତାଙ୍କର ମୁଖରେ ତୀବ୍ର ଯନ୍ତ୍ରଣା ଉତ୍ପନ୍ନ ହେବାରୁ ସେ ଦୁଃଖିତ ବା ବିଷର୍ଣ୍ଣ ହୋଇଫୁତ୍କାର କରିବାକୁ ଲାଗିଲେ ଅର୍ଥାତ୍ଶରଦ୍ୱାରା ଛିନ୍ନ ହୋଇଥିବାକପୋଳରେଜ୍ୱାଳା ଯନ୍ତ୍ରଣା ଆରମ୍ଭ ହେବାରୁ ଲକ୍ଷ୍ମଣ ନିଜେ ନିଜର ମୁଖକୁ ଫୁଙ୍କିବାକୁ ଲାଗିଲେ । ତତ୍ପରେ କହିଲେ, ‘‘ବୋଧହୁଏ ପୂର୍ବକାଳରେ ଏପରି ପ୍ରଶଂସନୀୟ ଯୋଦ୍ଧା ଆଉ ଜଗତରେ ନ ଥିଲେ ।
୧୯ଶ ପଦ :- ବିଭାବସୁବଂଶ - ସୂର୍ଯ୍ୟବଂଶ । ଦେବରିପୁ- ଇନ୍ଦ୍ରଜିତ । ବିଭାବସୁ - ଅଗ୍ନି ।
୧୯ଶ ପଦ :- ବିଭୀଷଣ ଲୁହାକୁ ଅଗ୍ନିରେ ତାଇ ଉତ୍ତପ୍ତ କଲା ପରି ସେହିକ୍ଷଣି ଲକ୍ଷ୍ମଣଙ୍କୁ ପୂର୍ବକଥା ସ୍ମରଣ ପୂର୍ବକ ଉତ୍ତେଜିତ କରି କହିଲେ, ‘‘ତୁମ୍ଭେ ଯନ୍ତ୍ରଣା ଭୋଗ କରୁଅଛ କିନ୍ତୁ ଯେଉଁ ପ୍ରତିଜ୍ଞା ପ୍ରକାଶ କରିଥିଲା ତାକୁ ଥରେ ମାତ୍ର ଚିତ୍ତରେ ସ୍ଥାନ ଦେଉନାହଁ । ହେ ସୂର୍ଯ୍ୟବଂଶ ମଣ୍ଡନ । ହେ ଚତୁର ! ତୁମ୍ଭେ ଅଗ୍ନି ତୁଲ୍ୟ ତେଜ ପ୍ରକାଶ କରି ତୃଣ ସଦୃଶ ଇନ୍ଦ୍ରଜିତକୁ ଭସ୍ମକର ।ତୁମ୍ଭେ ସତ୍ୟବାଦୀ ହୋଇ ବର୍ତ୍ତମାନ ସେ ସତ୍ୟର ଅପଳାପ କରୁଅଛ, ଏହାର କାରଣ କଣ ମୁଁ ଜାଣିପାରୁ ନାହିଁ । ’’
୨୦ଶ ପଦ :- କୁଟିଳ - ଛନ୍ଦ । ବିଗ୍ରହ - ଯୁଦ୍ଧ । ମରୁତସୁତ - ହନୁମାନ । କୁଟୀ–ମାୟାବୀ ।
୨୦ଶ ପଦ :- ଲକ୍ଷ୍ମଣ ବିଭୀଷଣଠାରୁ ଏହି ଛଳପୂର୍ଣ୍ଣ କଥା ଶ୍ରବଣ କରି ଇନ୍ଦ୍ରଜିତକୁ ବିନାଶ କରିବା ନିମିତ୍ତ ଭ୍ରୁଲତା କୁଞ୍ଚିତ ପୂର୍ବକ କପଟ ରଚନା କରିବାକୁ ଲାଗିଲେ ଏବଂ ସଙ୍ଗେ ସଙ୍ଗେ ଅତି ଉତ୍ତମବାଦଲଶରକୁପ୍ରୟୋଗ କରି ଇନ୍ଦ୍ରଜିତକୁ ରାହୁ ଓ କେତୁତୁଲ୍ୟଦୁଇଖଣ୍ଡ କରି ପକାଇଲେ । ଇନ୍ଦ୍ରଜିତଦ୍ୱିଖଣ୍ଡିତ ହେବାରୁ ଯୁଦ୍ଧଭୂମି ପରିଷ୍କୃତ ଦେଖାଗଲା । ଇନ୍ଦ୍ରଜିତର ଶବ ପୃଥିବୀ ଉପରେ ପଡ଼ିବାର ଦେଖି ହନୁମାନ ଆନନ୍ଦ ଧ୍ୱନି ପ୍ରକାଶ କରି ସେହି ଶବ ଉପରେ ନୃତ୍ୟ କରିବାକୁ ଲାଗିଲା । ସେତେବେଳେ ହନୁମାନ ଶବାରୁଢ଼ ନୈଋତ ଦେବତାଙ୍କପରି ଦେଖାଯାଉଥିଲା ।
ବିଘାତୀ ରାମ ରାମବିଶ୍ୱାଏଅତିଶ୍ରାମ କଙ୍କକୁତୁଳପତ୍ରି ବଶେ ।ବଧକ ଯେ ଧଙ୍କରେ କି ଶିବ ଅନ୍ଧକରେ ସିଂହକୁଶରଭରେ ନାଶେ ସେ ।ବିଧିରେ ଯେ । ବର୍ଣ୍ଣଭେଦରେ ସେ ମହୀଶ ।ବିଧିରେ ଯେ । ବିଳାସ ତୁରଙ୍ଗର ଶେଷ ।ବାଭାରେ ଯେ ଅଲୋପୀ ସେ ବର୍ଣ୍ଣ ଗୁପ୍ତରୂପୀଅଲୋପୀସଲୋପୀ ସଦୃଶ ସେ । ୨୧ ।ବିକର୍ତ୍ତନକର୍ତ୍ତନଶରେନାକମାର୍ଗଣ ନାକରେଦେବଦତ୍ତ ଥୋଇ ।ବିଚ୍ଛିନ୍ନତାହୁଦରଦରଶନେସୋଦର ଯୁଦ୍ଧରୀତିର କଥାହୋଇସେ ।ବିହରିଲେ । ବ୍ରଣ ଶସ୍ତ୍ରର ମନ୍ତ୍ରେ ଶଲ୍ୟ ।ବିହରିଲେ । ବାରିରେ ରକ୍ତବାନ ଫଳ ।ବସିଲେ ସ୍ୱର୍ଗେସଭାସମ୍ଭାରେ ଦେବେ ରମ୍ଭା ଆରମ୍ଭ ନୃତ୍ୟବର୍ଗଫଳସେ । ୨୨ ।ବାର୍ତ୍ତାବହରେବାର୍ତ୍ତାପାଇ ରାବଣ ଚିନ୍ତା ବ୍ୟଥିତସ୍ଥିତ ରଣସ୍ଥାନେ ।ବିଳାପ କରି କରି ରାବଣ ଚଢ଼ି କରୀ ବାହୁଡ଼ୂଁ କହେଆନ ଜନେ ସେ ।ବୀରସାତ । ବିଭୋ ଦେଖି ଇନ୍ଦ୍ରାରି ହତି ।ବୀରସାତ । ବଧି କଙ୍କାଦିବଡ଼ ଯତି ।ବକ୍ଷସ୍ଥମଣି ଆଣି ଆଣି କିଛି ନ ମଣିଗଲା ରାମରମଣୀ କତି ସେ । ୨୩ ।ବୋଲେ ଏହା ଦେବର ଦେବରାଜନପର ପରମକ୍ଷତ୍ରିୟ ନିବାରି ।ବିକୋଷିଲା କୃପାଣ ସତ କୃପା ବିହୀନ ମାରିବିଜନକକୁମାରୀ ସେ ।ବୋଧଇ ସେ । ବାକ୍ୟ ତ୍ରିଜଟା ରୋଷ ତେଜ ।ବୋଧ ଈଶେ । ବେଭରେ ଚତୁର୍ଦ୍ଦଶୀ ଆଜି ।ବିନା ଦୋଷୀସଂହାରିଅଯଶେ ହେବୁ ଘାରି ସର୍ପ ପ୍ରାୟ ଅସ୍ରପରାଜ ସେ । ୨୪ ।ବିବେକ ତା ପ୍ରସରି ତାମସଭାବ ସାରି ତାମସୀ-ପ୍ରାନ୍ତଯାଏ ସୁରି ।ବିଧିରେ ମନାସିବା ରାମଚନ୍ଦ୍ର ନାଶିବା ଶିବାଳୟରେ ପୂଜାସାରି ସେ ।ବାହୁ କରେ । ବୋଲାଇ ରଥ ନେଇକରି ।ବାହୁକରେ । ବନା ଉଡ଼ିଲାଶସ୍ତ୍ରଧରି ।ବହିଣ ପ୍ରସାଦକୁ ଛାଡ଼ିଲା ପ୍ରାସାଦକୁ ସାଦରେ ଲକ୍ଷ ଶଙ୍ଖସ୍ପୁରି ସେ । ୨୫ ।
୨୧ଶ ପଦ :- ବିଘାତ -ମାଇଲେ । ରାମ - ମନୋହର । ରାମ - ରାମଚନ୍ଦ୍ର । ପତ୍ରିବଶେ - ସଞ୍ଚାଣପକ୍ଷୀ ପରି, ଶରଯୋଗୁଁ । ଅନ୍ଧକ - ରାକ୍ଷସ - ବିଶେଷ (ଶିବ ଯାହାକୁ ବିନାଶ କରିଥିଲେ) । ଶରଭ - ମୃଗବିଶେଷ । ତୁରଙ୍ଗ - ଅଶ୍ନ । କଙ୍କ - କଙ୍କପକ୍ଷୀ, କଙ୍କନାମକ ରାବଣର ପୁତ୍ର ।
୨୧ଶ ପଦ :- ନୟନାଭିରାମ (ସୁନ୍ଦର) ରାମଚନ୍ଦ୍ର କ୍ଷଣେମାତ୍ର ବିଶ୍ରାମ ନ କରି ଶର ନିକ୍ଷେପ କରିବାଦ୍ୱାରା ସଞ୍ଚାଣକଙ୍କନାମକ ପକ୍ଷୀକୁ ବିନାଶ କଲା ପରି କଙ୍କନାମକ ରାକ୍ଷସକୁ ବିନାଶ କଲେ । ଶିବ ଅନ୍ଧକାସୁରକୁ ବିନାଶ କଲାପରି ପୁଣି ରାମ ଧଙ୍କାସୁରକୁ ବଧ କଲେ । ତତ୍ପରେ ଅସଂଖ୍ୟ ଶର ନିକ୍ଷେପକରି ସିଂହ ନାମକ ଅସୁରକୁ ବଧ କଲେ । ରାମଚନ୍ଦ୍ର ପ୍ରକୃତରେ ମହୀଶ (ରାଜା) ଅଟନ୍ତି; କିନ୍ତୁ ମହୀଶ ଶବ୍ଦର ତାଲବ୍ୟଶକାର ସ୍ଥାନରେ ମୂର୍ଦ୍ଧନ୍ୟ ଷ କାର ହେଲେ ଯେଉଁ ଅର୍ଥ ପ୍ରକାଶିତ ହେବ ସେହିପରି ଅର୍ଥାତ୍ମଇଁଷିପରି ପରାକ୍ରମ ପ୍ରକାଶକରି ଅଶ୍ୱନାମକ ଅସୁରକୁ ବଧ କଲେ (ମଇଁଷି ଘୋଡ଼ାର ଶତ୍ରୁ ଅଟେ ) । ତତ୍ପରେ ରାମଚନ୍ଦ୍ର ଅଲୋପୀ ଓ ସଲୋପୀ ଦୁଇ ରାକ୍ଷସଙ୍କ ନାମରୁ ଅକାରକୁ ଗୁପ୍ତ ଓ ସକାରକୁଲୋପକରି ଦେଲେ ଅର୍ଥାତ୍ଦୁହିଙ୍କୁ ମଧ୍ୟ ବିନାଶ କଲେ ।
୨୨ଶ ପଦ :- ବିକର୍ତ୍ତନ - କାଟିପକାଇଲା । କର୍ତ୍ତନରେ - କର୍ତ୍ତରୀ ରୂପ ଶରଦ୍ୱାରା । ନାକମାର୍ଗଣ - ସ୍ୱର୍ଗପ୍ରାର୍ଥୀ । ନାକରେ - ସ୍ୱର୍ଗରେ । ରକ୍ତବାନ - ରକ୍ତାକ୍ତ । ରମ୍ଭା - ସ୍ୱର୍ଗରଅପ୍ସରା ବିଶେଷ । ଶଲ୍ୟ - ଶର ।
୨୨ଶ ପଦ :- ତତ୍ପରେ ରାମଚନ୍ଦ୍ର ସ୍ୱର୍ଗପ୍ରାର୍ଥୀ (ଇନ୍ଦ୍ର ପଦାଭିଳାଷୀ) ଦେବଦତ୍ତ ନାମକ ଅସୁରକୁ କତୁରୀବାଣରେ କାଟି ସ୍ୱର୍ଗରେ ରଖିଦେଲେ ଅର୍ଥାତ୍ତାକୁ ନାଶ କଲେ ।ଏହିପରି ରାବଣର ସପ୍ତପୁତ୍ରକୁ ମାରି ରାମଚନ୍ଦ୍ର ଆବେଗପୂର୍ଣ୍ଣ ହୃଦୟରେ ଲକ୍ଷ୍ମଣଙ୍କୁ ଦେଖି ଯୁଦ୍ଧବିଷୟ କଥାବାର୍ତ୍ତା ହେଲେ ଏବଂ ନିଜ ନିଜର ଦେହରେ ଲାଗି ରହିଥିବା ଶରମାନଙ୍କୁବାହାରକରିକ୍ଷତଗୁଡ଼ିକମନ୍ତ୍ରଦ୍ୱାରାଆରୋଗ୍ୟ କଲେ ଓ ଜଳଦ୍ୱାରା ଦେହରେ ଓ ଶର ଅଗ୍ରରେ ଲାଗି ଥିବା ରକ୍ତ ଧୋଇଦେଲେ । ଦେବତାମାନେ ଇନ୍ଦ୍ରଜିତପ୍ରଭୃତିଙ୍କର ମରଣ ସମ୍ବାଦପାଇ ସ୍ୱର୍ଗରେ ସଭାର ଆୟୋଜନ ପୂର୍ବକ ରମ୍ଭା- ପ୍ରଭୃତି ଅପ୍ସରାମାନଙ୍କୁ ନୃତ୍ୟ କରାଇ ଆନନ୍ଦ ପ୍ରକାଶ କଲେ ।
୨୩ଶ ପଦ :- ବାର୍ତ୍ତାବହରେ - ଦୂତଠାରୁ । ବାର୍ତ୍ତା - ସମ୍ବାଦ । ରଣସ୍ଥାନେ - ଯୁଦ୍ଧଭୂମିରେ । କରୀ- ହସ୍ତୀ । ଇନ୍ଦ୍ରାରି - ଇନ୍ଦ୍ରଜିତ । ରାମରମଣୀ - ସୀତା ।
୨୩ଶ ପଦ :- ଦୂତଠାରୁ ଲକ୍ଷ୍ମଣ ଇନ୍ଦ୍ରଜିତକୁ ବଧ କରିବାର ବାର୍ତ୍ତା ପାଇ ରାବଣ ଚିନ୍ତାକୁଳିତ ହୃଦୟରେ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେଲା ଏବଂ ସେଠାରେ କିଛିକ୍ଷଣକ୍ରନ୍ଦନକରିହସ୍ତୀଉପରେ ବସି ଫେରିଯିବା ସମୟରେ ଜଣେ କେହି କହିଲା, ‘‘ହେ ବୀରବର ମହାରାଜା ।ଇନ୍ଦ୍ରଜିତ ବଧ ହେବାରୁ ବଡ଼ ଯତି କଙ୍କାଦିସମସ୍ତବୀରଙ୍କୁ ଦୁର୍ବଳ ଦେଖି ମାରିପକାଇଲା ।’’ ଏହା ଶୁଣି ରାବଣ ବକ୍ଷସ୍ଥଳରେ ଥିବା ଅମୋହ ମଣିକୁ ଚାହିଁ ଦେବାରୁ ମୋହପ୍ରାପ୍ତହୋଇକିଛିମାତ୍ର ଚିନ୍ତା ନ କରି ସୀତାଙ୍କ ନିକଟକୁ ଗମନ କଲା ।
୨୪ଶ ପଦ :- ଦେବର - ଦିଅର । ଦେବରାଜନପର - ଇନ୍ଦ୍ରଙ୍କର ଶତ୍ରୁ (ଇନ୍ଦ୍ରଜିତ) । ନିବାରି - ବିନାଶକରି । ବିକୋଷିଲା - ଖାପମୁକ୍ତି କଲା ।
୨୪ଶ ପଦ :- ରାବଣ ସୀତାଙ୍କ ନିକଟରେ ଉପସ୍ଥିତ ହୋଇ କହିଲା, ‘ରେ ଜନକକୁମାରୀତୋର ଦିଅର ମୋରବଡ଼ପୁଅ ମହାବୀର ଇନ୍ଦ୍ରଜିତକୁ ବଧ କଲା, ତେଣୁ ବୀର ପ୍ରତିଶୋଧ ନେବା ନିମିତ୍ତ ମୁଁ ତୋତେ ବିନାଶ କରିବି । ’’ ଏହା କହି ସେ ନିର୍ଦ୍ଦୟ ହୃଦୟ ହୋଇ ଖାପରୁ ଖଣ୍ଡା ବାହାରକଲା ।ଏହି ସମୟରେ ତ୍ରିଜଟା ତାକୁ ଆଶ୍ୱାସନା ଦେଇ କହିଲା, ‘‘ହେ ମହାରାଜ ! ହୃଦୟରୁ କ୍ରୋଧ ଦୂର କରନ୍ତୁ । ଆଜି ଚତୁର୍ଦ୍ଦଶୀ ତିଥି ଅଟେ, ଶିବଙ୍କୁ ସନ୍ତୁଷ୍ଟ କରାନ୍ତୁ । ହେ ରାକ୍ଷସରାଜ ! ଏହି ନିର୍ଦୋଷ ରମଣୀକୁ ବଧ କରିବା ଦ୍ୱାରାସାପପରିଦୁର୍ଯଶଅର୍ଜନକରି ପଶ୍ଚାତ୍ତପ ଭୋଗ କରନ୍ତୁ ନାହିଁ ।
୨୫ଶ ପଦ :- ବିବେକ - ଜ୍ଞାନ । ପ୍ରସରି – ଉଦିତହୋଇ । ତାମସ-ଗର୍ବ । ତମସୀପ୍ରାନ୍ତ - ରାତ୍ରିଶେଷ । ପ୍ରସାଦ – ନିର୍ମାଲ୍ୟ । ପ୍ରାସାଦ - ଅଟ୍ଟାଳିକା ।
୨୫ଶ ପଦ :- ତ୍ରିଜଟାର କଥାଶୁଣି ରାବଣର ସଦଜ୍ଞାନଜାତ ହେବାରୁ ସେ ତତ୍କ୍ଷଣାତ୍କ୍ରୋଧପରିହାର କରି ରାତ୍ରି ଶେଷହେବା ପର୍ଯ୍ୟନ୍ତ ମହାଦେବଙ୍କୁ ବା (ତ୍ରିଜଟା କହିଥିବା କଥା ସବୁ) ସ୍ମରଣ କରିବାକୁ ଲାଗିଲା । ମୁଁ ରାମଚନ୍ଦ୍ରକୁ ବିନାଶ କରିବି ତତ୍ପରେ ଏହି କାମନାକରି ଶିବାଳୟକୁ ଯାଇ ଯଥା ବିଧିରେ ଶିବଙ୍କର ପୂଜା ଶେଷକଲା । ପୂଜା ଶେଷକରି ସାରଥିକୁ ଆଦେଶ ଦେଇ ରଥ ଅଣାଇଲା ଏବଂ ଭୂଜରେ ପ୍ରସାଦ ଗ୍ରହଣ ପୂର୍ବକ ରାଜପୁରରୁ ବାହାର ହୋଇ ସେହି ରଥରେ ବସି ଯୁଦ୍ଧଯାତ୍ରା କଲା । ସେ ଏହି ଯାତ୍ରା କରିବା ସମୟରେ ଲକ୍ଷେ ଶଙ୍ଖ ବାଜୁଥିଲା !
ବିମଳ ଆତପତ୍ର ଚାମର ଧ୍ୱାନ୍ତଜାତେଆଚ୍ଛାଦିତ ଆଦିତ୍ୟକର ।ବିଦିତ କରେ ଧିକିଧିକି ସେ କ୍ଷୀରଧିକି ଲହରୀବିହରିବା ତାର ସେ ।କି ମାନେ ଯେ । ବିଲକ୍ଷିତ ହୋଇବେ ତାଙ୍କୁ ।କିମାନେ ଯେ । ବାନ୍ଧିଛି ଏମନ୍ତ ଦ୍ୱୟଙ୍କୁ ।ବଳକ୍ଷ ସର୍ବେ ସିନା ଲକ୍ଷ ଲକ୍ଷ ଗଣନା ଅଲକ୍ଷ କରିବର୍ଣ୍ଣିବାକୁ ସେ । ୨୬ ।ବାହିନୀ ଆଗେ ଗଢଣବନ୍ତପହଞ୍ଚିଗୁଣ ଗୁଣବନ୍ତକରି କମାଣ ।ବିନ୍ଧେ ମହୀରାବଣ ଆଦି ଯଥା ଶ୍ରାବଣ ଘନ କିଘନଘନ ବାଣ ସେ ।ବଳୀକ୍ଷତ । କିହନ୍ତେକପିସୈନ୍ୟନାଶି ।ବଳିକ୍ଷତ । ବଶକ ଜଗଜ୍ଜେଠରାଶି ।ବିଜୟ ଦାଶରଥି ବିଜୟୀ ଦଶରଥ ଛେଦିଲେ ସୁପକ୍ଷଣପେଷି ସେ ।୨୭ ।ବଣା ଯେ ସୁମନସେସୁମରିସୁମନସେଛିଡ଼ିଲା ନଛିଡ଼ିଲା ମୁଣ୍ଡ ।ବାହ ସେହି ପ୍ରଣତି ବାହକେ ନ ଜାଣନ୍ତି ଭୂମଣ୍ଡଳେ ମସ୍ତକ ରୁଣ୍ଡ ସେ ।ବାତକୀ ସେ । ବେପଥୁ ତନ୍ତୁକୁ ବୁହାଇ ।ବାତକିସେ । କିପତିତ ତାଳ କରାଇ ।ବୋଇଲେ ସୁରେ ସୂତ୍ରେ ଭାଣ୍ଡ କୁରାଳସୁତ୍ରେଦୀପର୍ଘସୁତ୍ରେହନନ ହୋଇ ସେ । ୨୮।ବିଂଶାକ୍ଷସାକ୍ଷ ପରା ସାକ୍ଷାତରେ ଦେଖିଲାଶାଖାମୃଗପତି ସଙ୍ଗତେ ।ବିରୁପାକ୍ଷ ବୀର ତୁ ବଂରୁତ କରି ଋତ ଯୁଦ୍ଧରେଅସ୍ଥେକ କରନ୍ତେ ସେ ।ବାରଣେ ସେ । ବିସର୍ଜି ଗର୍ଜନ ଆସିଲା ।ବାରଣ ସେ । ବିକ୍ରମି କର ଆକର୍ଷିଲା ।ବିଧାନେ କଳପାଟି ଦଶନକୁ ଊତ୍ପାଟି ଦୈତ୍ୟ ପରିପାଟିନାଶିଲା ସେ । ୨୯ ।ବୃକ୍ଷରାଜବୃକ୍ଷକୁ ପ୍ରହାର ସେ ରକ୍ଷକୁ ନୀରକ୍ଷପ୍ରାୟ କଲା ହତ ।ବଡ଼ାଇଣ ଉନ୍ନତ ଚାହିଁ ଧାମେ ଉନ୍ମତ୍ତ ଭାନୁଦ୍ୟୋତ୍ତଖଦ୍ୟୋତ୍ତଖଦ୍ୟୋତମତ ସେ ।ବାମପଦେ । ବିଳ ତା ହୃଦରେ ଥୋଇଲା ।ବାମପଦେ । ବଡ଼ ଏ ତୋ ଭ୍ରାତା ମାଇଲ ।ବଳା ମମତା ମତ୍ତ ବୋଲୁଁ ରାବଣ ମତ୍ତଗଜ ରଥେତା ସୋଚିଥିଲା ସେ । ୩୦ ।
୨୬ଶ ପଦ :- ବିମଳ - ନିର୍ମଳ । ଆତପତ୍ର - ଛତ୍ର । ଚାମର - ଚଅଁର । ଧ୍ୱାନ୍ତଜାତେ - ଅନ୍ଧକାର ହୁଅନ୍ତେ । ଧିକିଧିକି- ଧିକାର । କ୍ଷୀରଧି- କ୍ଷୀର ସମୁଦ୍ର । ହୟଙ୍କୁ-ଅଶ୍ୱମାନଙ୍କୁ । ବଳକ୍ଷ - ଶୁକ୍ଳ ।
୨୬ଶ ପଦ :- ରାବଣ ଯୁଦ୍ଧଯାତ୍ରା କରିବା ସମୟରେ ତାର ମସ୍ତକ ଉପରେ ଶୁକ୍ଳ ଛତ୍ର ଓ ଶୁକ୍ଳ ଚାମରସବୁ ଟେକା ଯାଇଥିବାରୁ ସେମାନଙ୍କ ଆଢ଼ୁଆଳରେ ସୂର୍ଯ୍ୟ ଆଦୌ ଦେଖାଗଲେ ନାହିଁ, ସୁତରାଂ ଜଗତ ଅନ୍ଧକାରଛନ୍ନହୋଇଗଲା । ସେହି ଶୁକ୍ଳ ଛତ୍ର ଓ ଚାମରମାନେ ତେଜରେ କ୍ଷୀରସମୁଦ୍ର ଓ ତାର ଲହରୀର ସଞ୍ଚାଳନକୁ ଧିକାର କରୁଥିଲେ । (ଏଠାରେ କ୍ଷୀରସମୁଦ୍ରସହ ଶୁକଛତ୍ର ଓ ଲହରୀସହଚାମରମାନଙ୍କ ତୁଳନା କରାଯାଇ ନ୍ୟୁନତା ପ୍ରକାଶ କରାଗଲା) ରାବଣର ରଥରେ ଯୋଗହୋଇଥିବାଘୋଟକମାନଙ୍କସହ ଗତିରେ ପକ୍ଷୀମାନେ ସମାନ ହେବେ ନାହିଁ । ସେହି ସବୁ ଘୋଟକ ଶୁକ୍ଳବର୍ଣ୍ଣ ଓ ବହୁସଂଖ୍ୟକ ହୋଇଥିବାରୁ ସେମାନଙ୍କୁ ବର୍ଣ୍ଣନା କରିବାକୁ ଉପମା ଦେଖାଯାଉ ନାହିଁ ।
୨୭ଶ ପଦ :- ଗୁଣବନ୍ତ – ଶୈର୍ଯ୍ୟଗୁଣଯୁକ୍ତ । ପଞ୍ଚଦ୍ୱିଗୁଣ - ଦଶ ସଂଖ୍ୟକ । ସୁପକ୍ଷିଣ - ଉତ୍ତମ ଶର ।
୨୭ଶ ପଦ :- ଗୁଣାବଳୀ ଦଶଜଣ ସୈନିକ ଓ ମହୀରାବଣ ପ୍ରଭୃତି ଯୋଦ୍ଧାମାନେ ଧନୁରେ ଗୁଣଦେଇଶ୍ରାବଣମାସର ମେଘ ଘନ ଘନବୃଷ୍ଟିକଲାପରି ଘନ ଘନ ଶର ନିକ୍ଷେପ କରିବାକୁ ଲାଗିଲେ ।ସେହି ବୀରମାନଙ୍କ ଶରରେ କ୍ଷତ ବିକ୍ଷତ ହୋଇ ବାନର ସୈନ୍ୟମାନେ ମଲେ ଏବଂ ପ୍ରଧାନ ପ୍ରଧାନ ବାନର ସେନାପତିମାନେ ଗୁରୁତର ଆଘାତ ପ୍ରାପ୍ତ ହେଲେ । ଏହା ଦେଖି ବିଜୟୀ ରାମଚନ୍ଦ୍ର ସେହି ଦୁଇଜଣ ରଥୀଙ୍କୁ ଉତ୍ତମ ଶର ପ୍ରୟୋଗକରି ଛେଦନ କଲେ ।
୨୮ଶ ପଦ :- ସୁମନସେ - ଦେବତାମାନେ । ସୁମନସେ - ଉତ୍ତମ ମାନସରେ । ବାହକେ - ସାରଥିମାନେ । ବେପଥୁ - କମ୍ପନ । ସୁତ୍ରେ - କୌଶଳରେ । ଭାଣ୍ଡକୁରାଳସୁତ୍ରେ - ଯେଉଁ ସୁତାରେ କୁମ୍ଭାର ହାଣ୍ଡିକାଟେ ।
୨୮ଶ ପଦ :- ‘ଉକ୍ତ ଦଶ ରଥିଙ୍କର ମୁଣ୍ଡ ରାମଙ୍କ ଶରାଘାତରେ ଛିନ୍ନ ହେଲା କି ନାହିଁ’ ଦେବତାମାନେ ଏହିପରି ମନରେ ବିଚାରି ସନ୍ଦେହରେ ପଡ଼ିଲେ । ସେହିପରି ସାରଥିମାନେ ମଧ୍ୟ ଘୋଡ଼ାମାନଙ୍କର ମୁଣ୍ଡ ଛିଣ୍ଡିଛି କି ନାହିଁ ଜାଣିପାରି ନ ଥିଲେ, କିନ୍ତୁ ଭୂତଳକୁ ଦୃଷ୍ଟି ନିକ୍ଷେପ କରିବାରେ ଦେଖାଗଲା ଯେ, ସମସ୍ତଙ୍କ ମୁଣ୍ଡ ପଡ଼ିଅଛି ଏବଂ ଶରୀରଗୁଡ଼ିକ କମ୍ପିତ ହେଉଅଛି । ଏହା ଦେଖି ଦେବତାମାନେ ମନେ କଲେ, ବାତରୋଗ ରାମଚନ୍ଦ୍ରଙ୍କର ଶର ରୂପକୁ ଧାରଣ କରିଅଛି କି ? (ନଚେତ୍ଏସବୁ ଥରନ୍ତେ କାହିଁକି ?) କିମ୍ବା ପବନ ରାମଙ୍କର ଶର ହୋଇ ପାରିଥାନ୍ତି; ଯେହେତୁ ମୁଣ୍ଡରୂପୀ ତାଳ ସବୁ ତାହାର ଆଘାତରେ ନିପତିତ ହେଉ ଅଛନ୍ତି । ଶେଷରେ ଦେବତାମାନେ କଥାବାର୍ତ୍ତା ହେଲେ - ‘ରାମ କୌଶଳ କରି ଯେତେ ଶୀଘ୍ର ରାକ୍ଷସମାନଙ୍କର ମୁଣ୍ଡ କାଟିଲେ, କୁମ୍ଭାରମାନେ ଯତ୍ନ କରି ସୁଦ୍ଧା ଏତେ ଶୀଘ୍ର ଚକ ଉପରୁ ସୁତାଦ୍ୱାରାଗଢ଼ୁଥିବା ହାଣ୍ଡି, ମାଠିଆ କାଟି ପାରିବେ ନାହିଁ ।
୨୯ଶ ପଦ :- ଶାଖାମୃଗପତି - ବାନରମାନଙ୍କର ରାଜା ସୁଗ୍ରୀବ । ବିରୁତ - ବିଶେଷରେ ଉଚ୍ଚ । ଋତ - ଶବ୍ଦ; ସତ୍ୟ । ବାରଣେ - ହସ୍ତିରେ । ପରିପାଟୀ - ଶୃଙ୍ଖଳା ।
୨୯ଶ ପଦ :- ରାବଣ ଯୁଦ୍ଧ ଭୂମିରେ ସାକ୍ଷୀ ପ୍ରାୟ ଦଣ୍ଡାୟମାନ ହୋଇଆକ୍ଷିରେ ଦେଖିଲା ଯେ, ବିରୁପାକ୍ଷବୀରଘୋରରଡ଼ି ଦେଇ ସୁଗ୍ରୀବ ସହିତ ଯୁଦ୍ଧ କରୁକରୁ ତାର ଉପରକୁ ଏକ ଶସ୍ତ୍ର ନିକ୍ଷେପ କଲା । ଆଉ ମଧ୍ୟ ବିରୁପାକ୍ଷର ହସ୍ତୀ ସୁଗ୍ରୀବ ଆଡ଼କୁଗର୍ଜନକରିପଲାଇ ଆସିଲା । ଏହି ସମୟରେ ସୁଗ୍ରୀବ ତାକୁ ବାରଣ କରିବାକୁ ଉପାୟନ୍ତର ନ ଦେଖି ସେହି ହସ୍ତୀର ଶୁଣ୍ଢକୁ ଟାଣି ପକାଇଲା ଏବଂ ଗୋଟାଏବିଧାମାରି ତାର କପାଳଟି ଫଟାଇ ଦେଲା l ପରିଶେଷରେ ଦନ୍ତ ଦୁଇଟିକୁ ଉପାଡ଼ି ମାରି ପକାଇଲା । ସୁଗ୍ରୀବ ଏହିପରି ବିରୁପାକ୍ଷର ଯୁଦ୍ଧ କୌଶଳକୁ ପଣ୍ଡକରି ଦେଲା ।
୩୦ଶ ପଦ – ବୃକ୍ଷରାଜବୃକ୍ଷ - ଅଶ୍ୱଥ୍ବୃକ୍ଷ । ନୀରକ୍ଷ - ଅସହାୟ । ଦ୍ୟୋତଖଦ୍ୟୋତ - ଜୁଳୁଜୁଳାପୋକର ତେଜ । ବିଳ- ଗର୍ତ୍ତ ।
୩୦ଶ ପଦ :- ତତ୍ପରେ ଏକ ସୁଗ୍ରୀବ ଅଶ୍ୱତ୍ଥବୃକ୍ଷ ପ୍ରହାରକରି ବିରୁପାକ୍ଷକୁ ନିଃସହାୟ ଲୋତପରିନାଶକଲା । ଏହା ଦେଖି ଉନ୍ମତ୍ତ ନାମକ ରାକ୍ଷସ ପାଗଳପରିଦୌଡ଼ିଯାଇ ସୁଗ୍ରୀବ ନିକଟରେ ଉପସ୍ଥିତ ହେଲା, କିନ୍ତୁ ସୂର୍ଯ୍ୟ କିରଣରେ ଜୁଳୁଜୁଳିଆପୋକ ଦେଖାଗଲା ପରି ସୁଗ୍ରୀବ ଆଗରେ ଦେଖାଗଲା । ସୁଗ୍ରୀବ ତାକୁ ତଳେ ପକାଇ ବାମ ପାଦରେ ପ୍ରହାର କରିବା ଦ୍ୱାରା ତାର ଛାତିରେ ଗୋଟାଏଗାତହୋଇଗଲା ।ଏହା ଦେଖି ରାବଣ ମତ୍ତହସ୍ତୀଯୁକ୍ତ ରଥରେ ଥାଇ ନିଜ ପୁତ୍ର ମତ୍ତବୀରକୁ ଆଦେଶ ଦେଲା, ‘‘ରେ ପୁତ୍ର ସୁଗ୍ରୀବ ତୋରବଡ଼ ଭାଇକୁ ମାଇଲା, ସୁତରାଂ ତୁ ତାକୁ ମାରିବାପାଇଁ ଯତ୍ନବାନ୍ହୁଅ ।
ବ୍ୟଗ୍ରବନ୍ତ ରୈବତ ପର୍ବତ ବତସେତ ସୁଗ୍ରୀବଧରୁଁଉଲଟାଇ ।ବେତାଳ ଭଇରବ ପରାୟେ ଭଇରବ କିରବ ଖଡ୍ଗପରୀ ବହି ସେ ।ବାଦିତ୍ରକ । ବିଚାରି ହାଣିବାର ପାଇଁ ।ବାଦିତ୍ରକ । ବେନିପାଶେ ବାଦ୍ୟ ବଜାଇ ।ବୋଲାବୋଲି ସମ୍ଭାଳ ସମ୍ଭାଳରେ ନଭାଳ ଆଉ ଆୟୁଷ ତୋର ନାହିଁ ସେ । ୩୧ ।ବସୁଧାରେ ଚରଣ କପିରାଜମାରିଣ ଘଣ୍ଟରଣରଣରେ ଭଲେ ।ବଳି ଆଡ଼ଣୀଆଡ଼ିଆଡ଼ମ୍ବରେନିବାଡ଼ି ଘାତରାକ୍ଷସ ଗଲେ ଗଲେ ସେ ।ବିକର୍ତ୍ତନ । ବିଭବ ବାଳିସମ ରୁଚି ।ବିକର୍ତ୍ତନ । ବିପକ୍ଷରେ ରାବଣ ପାଞ୍ଚି ।ବତିଶ ପଦେ ଛାନ୍ଦ କୋବିଦଙ୍କ ସମ୍ପଦଉପଇନ୍ଦ୍ର ଭଞ୍ଜ ବିରଚି ସେ । ୩୨ ।୩୧ଶ ପଦ :- ଭଇରବ - ଭୟଙ୍କର । ବିରବ - ଭୀଷଣଶବ୍ଦ । ବାଦିତ୍ରକ - ଉଚ୍ଚଧ୍ୱନି !
୩୧ଶ ପଦ :- ରୈବତକ ପର୍ବତ ତୁଲ୍ୟ ବିଶାଳକାୟ ମତ୍ତବୀର, ସୁଗ୍ରୀବ ନିକଟକୁ ଧାଇଁ ଯିବାରୁ ସୁଗ୍ରୀବ ତାକୁ ଧରି ପକାଇଲା । ତହୁଁ ସେ ସୁଗ୍ରୀବକୁ ଓଲଟାଇ ମାଡ଼ି ବସିଲା । ସେହି ସମୟରେ ଦୁହେଁ ବେତାଳ ଓ ଭୈରବପରି ଭୟଙ୍କର ରଡ଼ି କରିବାକୁ ଲାଗିଲେ । ଉଭୟେ ଖଣ୍ଡାଧରିଅଳ୍ପକ୍ଷଣ ମଧ୍ୟରେ ଉଭୟଙ୍କୁ ହାଣିବାକୁ ଚେଷ୍ଟା କଲେ । ବାଦ୍ୟ ବାଦକମାନେ ଏହି ଦୁଇବୀରଙ୍କ ନିକଟରେ ବାଦ୍ୟ ବଜାଇବାକୁ ଲାଗିଲେ । ‘ଆଉ ତୋର ପରମାୟୁ ନାହିଁ ଭାବିଛୁଁ କଣ, ଏହି ମୋର ଅସ୍ତ୍ରକୁ ସମ୍ଭାଳ, - ଏହିପରି ସେ ଦୁହେବୋଲାବୋଲି ହେଲେ ।
୩୨ଶ ପଦ – ବସୁଧାରେ-ଭୂମି ଉପରେ । ବିବର୍ତ୍ତନ - ସୂର୍ଯ୍ୟ । ବିଭାଗ - ଜାତ । କୋବିଦଙ୍କ - ପଣ୍ଡିତଙ୍କ ।
୩୨ଶ ପଦ :- ସୁଗ୍ରୀବ ଭୂମି ଉପରେ ପାଦ ପ୍ରହାର କରିବାରୁ ତାହାର ଅଣ୍ଟାରେ ଥିବା ଘଣ୍ଟିସବୁ ରଣ ଝଣ ଶବ୍ଦ ପ୍ରକାଶ କଲା । ତାହା ଶୁଣି ରାକ୍ଷସ ଶଙ୍କିତ ହେଲ । ତତ୍ପରେ ସୁଗ୍ରୀବ ଉତ୍ତମରାକ୍ଷସରଆଡ଼ମ୍ବରକୁ ବଳି ଆଡ଼ମ୍ବର ପ୍ରକାଶ କରି ଉତ୍କୃଷ୍ଟ ଶର ପ୍ରହାର କରିବାରୁ ତାହା ରାକ୍ଷସର ଗଳଦେଶରେଗଳିଗଲା । ଏହା ଦେଖି ରାବଣ ବିଚାରିଲା’ ‘ଶତ୍ରୁମାନଙ୍କ ନାଶ କରିବାପାଇଁ ସୁଗ୍ରୀବ ବାଳିତୁଲ୍ୟ ପରାକ୍ରମୀ ଅଟେ । ’ ତତ୍ପରେ ସେ ସୁଗ୍ରୀବ ସହିତ ଯୁଦ୍ଧ କରିବାକୁ ଉଦ୍ୟତ ହେଲା । ପଣ୍ଡିତମାନଙ୍କର ଆନନ୍ଦଦାୟକ ଏହି ଛାନ୍ଦକୁ ଉପେନ୍ଦ୍ର ଭଞ୍ଜ ବତ୍ରିଶ ପଦରେ ରଚନା କଲେ ।
ସପ୍ତଚତ୍ୱାରିଂଶ ଛାନ୍ଦରାଗ-ପଞ୍ଚମ ବରାଡ଼ୀ( ଗୋପୀଜୀବନ ଚଉତିଶା ବାଣୀରେ )ବିଳାସ ଅଚ୍ଛରେ ସେହି ଚତୁର ପାଲିରେ ଶୋହି କଟସାର ସାରରେ ମାରଣ ।ବିତିପାତ ଯୋଗ ପୁନ ଦଶପ୍ରମୁଖରେ ଦାନକାଠି ପତନହିଁ ଅନୁକ୍ଷଣ ଯେ ।ବିଶାରଦ । ବେଢ଼ିଲୋକେ ମାର ମାର ସ୍ୱନେ ।ବଳି ନାହିଁ ବଡ଼ ରଙ୍ଗେ ଖେଳ ସଭଙ୍ଗ ଅଭଙ୍ଗେଦତ୍ତ ଚ୍ୟୁତାକ୍ଷରେ ଅତିଘନେ ସେ । ୧ ।ବିଦ୍ୟ ସିନ୍ଧୁ ପରମ୍ପରା ଲବଣ ଯେ ଇକ୍ଷୁ ସୁରା ଘୃତ ଦଧି ଦୁଗ୍ଧ ପୟ ସାତ ।ବଳିଷ୍ଠ ନିଧିରେ ଉଦେ ଅଧିକ ରକ୍ତସମୁଦ୍ରେ ତହିଁ ଏଥିମଧ୍ୟେ ଦ୍ୱୀପସ୍ଥିତ ଯେ ।ବିଶାରଦ । ବିଦିତ ରାମ ଲକ୍ଷ୍ମଣ ତଥା ।ବିଲକ୍ଷିତ ମାର୍ଗତୀରେ ନିବିଢ଼ ହୋଇ ତିମିରେତରଣି ବୁଡ଼ିବାନୋହେ ବୃଥା ସେ । ୨ ।ବେଷ୍ଟନେ ଘୋଟିଲେ ଯୁଥପତି ସେନା ଦଶରଥ ସୁତ ଘନାଘନ ଶୋଭାଧରେ ।ବରଷି ଘନ ପ୍ରସ୍ତର ଧରଣୀ କଲେ ପ୍ରସ୍ତାର ବଜ ଶରପାତ ନିରନ୍ତରେ ଯେ ।ବଂଶବାହା । ବହି ସ୍ତମ୍ବୀଭୁତକୁ ଶରୀରେ ।ବିହୀନପକ୍ଷ ହୋଇଲା ଅଚଳପଦବୀ ନେଲାଶଙ୍କା ଜାତ ତା ଚୂଳ ଚୂର୍ଣ୍ଣରେ ସେ । ୩ ।ବିଭୀଷଣ ଯେ ପ୍ରବେଶ କର୍ମ କରିବାରେ ଶେଷ ଇଷ୍ଟିକାମେ ସେ ମାନ୍ତ୍ରିକ ଦ୍ୱିଜ ।ବନୌକାବର ଲକ୍ଷ୍ମଣଶାଖାକୃତ ଘୋଷେ ଗୁଣ ଶ୍ରୁତିରସେ ଦୀପ୍ତ ଅଗ୍ନିତେଜ ଯେ ।ବିରାଜିତ । ବାଣ ଶରାସନ ଶ୍ରୁବ ଶ୍ରୁଚ ।ବିଗ୍ରହମଣ୍ଡଳ କୁଣ୍ଡ ସ୍ୟନ୍ଦନ ସମିଧ ରୁଣ୍ଡଦଶାନନ ପଶୁ ପାଞ୍ଚ ଯେ । ୪ ।ବିଭୀଷଣ ଦୂରଦର୍ଶୀ ଅଦ୍ଭୁତ ଖଗ ଗରାସି ସଜୀବେ ପଳ ଖଣ୍ଡନ ଯହୁଁ ।ବିଭେଦିତ କଉଶିକ ମନ୍ତ୍ରିତ ପନ୍ତ୍ରୀ ଅନେକ ମହା ଆକୁଳିତ ବିଂଶବାହୁ ସେ ।ବିଚାରିଲେ । ବଂଶଖନିନ୍ତ୍ର ଘନ ସମୂଳେ ।ବଲ୍ଲୀବେନି ପୁଣ ତାଡ଼ି ଏବେ ମହାତରୁ ଲୋଡ଼ିଦାଢ଼ ଭାଙ୍ଗିବି ମୁଁ ଶକ୍ତିଶିଳେ ଯେ । ୫ ।
୧ମ ପଦ :- ଅଚ୍ଛରେ-ଭାଲୁମାନଙ୍କଦ୍ୱାରା । ଏହାର ମଧ୍ୟବର୍ଣ୍ଣ ଚ୍ଛ ଚ୍ୟୁତ ହୋଇ କ୍ଷ ଦତ୍ତହେଲେ ଅଣକ୍ଷରେ ହେଲା । ଅକ୍ଷରେ-ପଶାଖେଳରେ । ବିଳାସ-କ୍ରୀଡ଼ା କରିବା । ଏହାର ସ ଧ୍ୟ ବର୍ଣ୍ଣଳାଚ୍ୟୁତ ହୋଇ କା ଦତ୍ତଦେଲେ ବିକାଶ ହେଲା । ବିକାଶ-ପ୍ରକାଶ । କଟ-ହସ୍ତୀର ଗଣ୍ଡସ୍ଥଳ । ଏହାର ପ୍ରଥମ ବର୍ଣ୍ଣ କ ଚ୍ୟୁତ ହୋଇ ପ ଦତ୍ତ ହେଲେ ପଟ ହେଲା ପଟ-ଦାନ । ପୁନଶ୍ଚ ସେହି ପ୍ରଥମ ବର୍ଣ୍ଣ କ ଚ୍ୟୁତହୋଇ ଅ ଦତ୍ତ ହେଲେ ଅଟ ହେଲା । ଅଟ-ଅତି । ବିତ ପାତ-ବିତ ନାମକ ଦାନ ପଡ଼ିଲେ । ଏହାର ଦ୍ୱିତୀୟବର୍ଣ୍ଣ ତି ଚ୍ୟୁତ ହୋଇନି । ଦତ୍ତ ହେଲେ ବିନିପାତ ହେଲା । ବିନିପାତ –ନିର୍ମୁଳ । ଦଶପ୍ରମୁଖରେ ଦାନ – ପଶାର ଦଶଦାନକୁ ଆଦି କରି । ଏହାର ତୃତୀୟବର୍ଣ୍ଣ ପ୍ର ଚ୍ୟୁତ ହେଲେ ଦଶମୁଖରେ ଦାନ ହେଲା । ଦଶମୁଖରେ ଦାନ-ରାବଣଦ୍ୱାରା ଛେଦନ । ଅତିଘନେ-ଅତି ସୁନ୍ଦର । ଚତୁରପାଲିରେ- ଚାରିଗୋଟି ପାଲିରେ । ଏଥିରେ ତୃତୀୟବର୍ଣ୍ଣ ପରେ ଙ୍ଗ ଦତ୍ତ ହେଲେ ଚତୁରଙ୍ଗ ପାଲିରେ ହେଲା । ଚତୁରଙ୍ଗ ପାଲିରେ- ଚତୁରଙ୍ଗ ବଳରେ ।
୧ମ ପଦ :- ହେ ଚତୁର ପାଠକମାନେ । ଏହି ଛାନ୍ଦର, ଏହି ପଦଟିରେ ରାମ ଓ ରାବଣର ଯୁଦ୍ଧ ସହିତ ଦୃଷ୍ଟାନ୍ତ ଭାବରେ ପଶାଖେଳ ବର୍ଣ୍ଣିତ ହୋଇଅଛି; ଏଣୁ ଏହି ପଦ ମଧ୍ୟରେ ଥିବା ବିଳାସ, ଅଚ୍ଛ ପ୍ରଭୃତି କେତେ ବ୍ୟାକରଣ ପଦରେ ଦତ୍ତାକ୍ଷର ଓ ଚ୍ୟୁତାକ୍ଷର ନାମକ ଶବ୍ଦ ବୈଚିତ୍ର୍ୟତା ପ୍ରଦର୍ଶନ କରି ବ୍ୟାପାର ଶବ୍ଦାଳଙ୍କାର ଗୂଢ଼ଭାବରେ ରହିଅଛି; ତାହା କୌତୁକର ସହିତ ଆଲୋଚନା କରନ୍ତୁ, ସେହି ପଶାଖେଳ ପରି ଗୋଟି ପାଲିରେ ଶୋଭିତ ହୋଇଥାଏ । ଏହି ଯୁଦ୍ଧକ୍ଷେତ୍ର ମଧ୍ୟ ସେହିପରି ଉଭୟ ପକ୍ଷୀୟ ଚତୁରଙ୍ଗ ସୈନ୍ୟମାନଙ୍କର ରହିବା ପାଇଁ ଦୁଇ ଗୋଟି ପାଲି ଭାଗରେ ବିଭକ୍ତ ହୋଇ ମନୋହର ଦେଖାଯାଉଅଛି । ଖେଳିବା ସମୟରେ ପଶାକାଠିଗୁଡ଼ିକ କ୍ରୀଡ଼ା କରୁଥାନ୍ତି (ଅର୍ଥାତ୍ ଗଡ଼ା ଯାଉଥାନ୍ତି) ମାତ୍ର ଏହି ରଣଭୂମିରେ ଭାଲୁମାନେ ପ୍ରଚଳିତ ହେଉଅଛନ୍ତି ( ସମସ୍ତଙ୍କଠାରୁ ପୃଥକ୍ ହୋଇ ଦେଖା ଯାଉଥାନ୍ତି ) । ଖେଳରେ କାଠି ଗଡ଼ାଇ ଦାନ ପଡ଼ିଲେ ଗୋଟିଦ୍ୱାରା ଗୋଟିକୁ ମରାଯାଏ, ଯୁଦ୍ଧଭୂମିରେ ମଧ୍ୟ ‘ସାର’ ଉକ୍ତଷ୍ଟ ଯୋଦ୍ଧାମାନେ ଅନ୍ୟ ପକ୍ଷୀୟ ଉତ୍କୃଷ୍ଟ ଯୋଦ୍ଧାମାନଙ୍କୁ ଓ ହସ୍ତୀମାନଙ୍କର ଗଣ୍ଡସ୍ଥଳକୁ ଅସ୍ତ୍ର ନିକ୍ଷେପ କରି ଚ୍ଛେଦନ କରୁଅଛନ୍ତି । ଖେଳରେ ‘ବିତିପାତ’ ରବନତି ଅର୍ଥାତ୍ ଅନ୍ୟ ପକ୍ଷୀୟ ଖେଳର ସାରଗୁଡିକ ସମସ୍ତ ଗୃହ ଅତିକ୍ରମ କରି ନିରାପଦରେ ଚାଲିବାର ଦେଖାଗଲେ ଯୁଗ ବାନ୍ଧିବାକୁ ହୁଏ । ପଶାକାଠି ଅନବରତ ସଞ୍ଚାଳିତ ହେଉଥାଏ ଓ ଦଶ ପ୍ରଭୃତି ଦାନମାନେ ପଡ଼ନ୍ତି । ଏହି ଯୁଦ୍ଧରେ ସେହିପରି ବିନିପାତ ଯୋଗ ପଡ଼ିଲା ଅର୍ଥାତ୍ ବହୁ ସୈନ୍ୟ ମରିବାର ସମୟ ଉପସ୍ଥିତ ହେଲା । କାରଣ ରାବଣ ଅନବରତ ଶର ବୃଷ୍ଟି କରି ଶ୍ରୀରାମଙ୍କର ବହୁତ ସୈନ୍ୟ ଚ୍ଛେଦନ କରିବାକୁ ଲାଗିଲା । ଖେଳ ସମୟରେ ବେଢ଼ି ରହିଥିବା ବଡ଼ବଡ଼ ଖେଳାଳୀମାନେ ଯେପରି ମାର ମାର ଶବ୍ଦ କରନ୍ତି, ଏହି ସମୟରେ ମଧ୍ୟ ସେହିପରି ମହାବୀରମାନେ ବେଢ଼ି ରହି ମାର ମାର ଶବ୍ଦ ପ୍ରକାଶ କରୁଥିଲେ । ପଶାଖେଳଠାରୁ ଅଧିକ କୌତୁକଦାୟ ଖେଳ ସେପରି ଦେଖାଯାଏ ନାହିଁ, ଏହି ଦିନର ରାମ ରାବଣଙ୍କ ଯୁଦ୍ଧ ପରଠାରୁ ଆଉ ବଳିଷ୍ଠ ଯୋଦ୍ଧା ଦେଖାଗଲେନାହିଁ ।
୨ୟ ପଦ :- ସିଦ୍ଧୁ-ସମୁଦ୍ର । ବଳିଷ୍ଠ-ବଳବାନ୍ ( ରାବଣ ) । ଦ୍ୱୀପ-ଜଳମଧ୍ୟସ୍ଥ ସ୍ଥଳଭାଗ, ହସ୍ତୀ । ବିଶାରଦ-ଚତୁର । ତୀର-ତଟପ୍ରଦେଶ, ଶର । ତିମିର-ଅନ୍ଧକାର, ମତ୍ସ୍ୟବିଶେଷ । ତରଣି-ନୌକା, ସୂର୍ଯ୍ୟ ।
୨ୟ ପଦ :- ପୂର୍ବକାଳରୁ ଲବଣ, ଇକ୍ଷୁ, ସୁରା, ଘୃତ, ଦଧି ଦୁଗ୍ଧ ଓ ଜଳ ଏହି ସାତଗୋଟି ସମୁଦ୍ର ପରମ୍ପରାକ୍ରମେ ରହିଥିଲା । ବର୍ତ୍ତମାନ ବୀରଶ୍ରେଷ୍ଠ ରାବଣ ଦ୍ୱାରା ଆଉ ଗୋଟିଏ ଅଧିକା ରକ୍ତ ସମୁଦ୍ର ପ୍ରକାଶିତ ହେଲା ଅର୍ଥାତ୍ ଏହି ରକ୍ତ ସମୁଦ୍ରକୁ ମିଶାଇ ସମୁଦ୍ର ସଂଖ୍ୟା ଆଠ ହେଲା । ସେହି ପ୍ରାଚୀନ ସମୁଦ୍ରମାନଙ୍କ ମଧ୍ୟରେ ଜମ୍ବୁ, ପ୍ଳକ୍ଷ ପ୍ରଭୃତି ଦ୍ୱୀପମାନେ ଥିଲାପରି ଏହି ରକ୍ତ ସମୁଦ୍ର ମଧ୍ୟରେ ବହୁସଂଖ୍ୟକ ‘ଦ୍ୱୀପ’ ହସ୍ତୀ ରହିଅଛନ୍ତି । ସେହି ସମୁଦ୍ରମାନେ ଯେପରି ‘ରାମ ଲକ୍ଷ୍ମଣ’ ଚନ୍ଦ୍ରଙ୍କ ଦ୍ୱାରା ବୃଦ୍ଧି ପ୍ରାୟ ହୁଅନ୍ତି ଏହି ରକ୍ତ ସମୁଦ୍ର ମଧ୍ୟ ସେହିପରି ରାମଲକ୍ଷ୍ମଣଙ୍କଦ୍ୱାରା ବୃଦ୍ଧି ପ୍ରାପ୍ତ ହେଉଅଛି । ସେହି ସମୁଦ୍ରମାନଙ୍କ ତଟପ୍ରଦେଶରେ ବାଟ ଦେଖା ନ ଗଲାପରି ଏହାର ନିକଟରେ ମଧ୍ୟ ଶରମାନଙ୍କର ନିବିଡ଼ତା ହେତୁ ବାଟ ଦେଖାଯାଉ ନାହିଁ । ସେହି ସବୁ ସମୁଦ୍ର ଯେପରି ତିମିମାଛଦ୍ୱାରା ବ୍ୟାପ୍ତ ହୋଇଥାନ୍ତି, ସେହିପରି ଏଠାରେ ମଧ୍ୟ ଶରମାନଙ୍କର ଗତି ଯୋଗୁଁ ଗାଢ଼ାନ୍ଧକାର ବ୍ୟାପ୍ତ ହୋଇଅଛି । ସମୁଦ୍ରମାନଙ୍କରେ ନୌକା ବୁଡ଼ିଗଲା ପରି ଏହି ରକ୍ତମାନଙ୍କର ନିବିଡ଼ତା ହେତୁ ସୂର୍ଯ୍ୟ ଦେଖାଯାଉ ନାହାଁନ୍ତି ।
୩ୟ ପଦ :- ଯୁଥପତି-ସେନାପତି । ଦଶରଥ ପୁତ୍ର-ରାମଚନ୍ଦ୍ର ଓ ଲକ୍ଷ୍ମଣ । ଘନାଘନଶୋଭା-ମେଘର ଶୋଭା । ଘନପ୍ରସ୍ତର-ବୃହତ୍ ପଥର, କରକା । ବିହୀନପକ୍ଷ-ପକ୍ଷଶୂନ୍ୟ । ଅଚଳପଦବୀ-ପର୍ବତ ଉପାଧି ।
୩ୟ ପଦ :- ଯୁଦ୍ଧକ୍ଷେତ୍ରକୁ ରକ୍ତସମୁଦ୍ରରେ ପରିଣତ କରିଥିବା ସମୟରେ ରାମ ଲକ୍ଷ୍ମଣ କପି ସେନା ଓ ସେନାପତିମାନଙ୍କଦ୍ୱାରା ବେଷ୍ଟିତ ହୋଇ ସେହି ଯୁଦ୍ଧକ୍ଷେତ୍ରରେ ବର୍ଷୁକ ମେଘର ଶୋଭାଧାରଣ ପୂର୍ବକ ସେହି ରାବଣକୁ ଚତୁର୍ଦ୍ଦିଗରୁ ଘେରାଉ କଲେ । ବର୍ଷୁକ ମେଘରୁ କୁଆପଥର ବୃଷ୍ଟି ହେଲା ପରି ରାମଚନ୍ଦ୍ରଙ୍କର କପି ସୈନ୍ୟମାନେ ପଥର ବୃଷ୍ଟି କଲେ ଏବଂ ରାମ ଓ ଲକ୍ଷ୍ମଣ ଚକ୍ଷୂକ ମେଘରୁ ବଜ୍ରପାତ ହେଲାପରି ବଜ୍ରତୁଲ୍ୟ ଅମୋଘଶରମାନଙ୍କୁ ନିକ୍ଷେପ କରି ପୃଥିବୀକୁ ଆଚ୍ଛାଦିତ କରିଦେଲେ । ଏହା ଦେଖି ରାବଣ ଶରୀର କାଠ ଖୁଣ୍ଟପରି ହୋଇଗଲା ଅର୍ଥାତ୍ ସେ କର୍ତ୍ତବ୍ୟବିମୂଢ଼ ହୋଇ ରହିଲା । ପୂର୍ବକାଳରେ ଇନ୍ଦ୍ରଙ୍କ ଦ୍ୱାରା ପର୍ବତମାନେ ପକ୍ଷହୀନ ହୋଇ ଯେପରି ଗମନ ଶକ୍ତିଶୂନ୍ୟ ହେବାରୁ ଅଚଳ ନାମକୁ ପାରିଥିଲେ, ଏହି ସମୟରେ ରାବଣ ସେହିପରି ‘ବିହୀନପକ୍ଷ’ ସାହାଯ୍ୟଶୂନ୍ୟ ହେବାରୁ ‘ଅଚଳପଦବୀ’ ନେଲା ଅର୍ଥାତ୍ ପର୍ବତ ମାନଙ୍କପରି ଏକସ୍ଥାନରେ ରହିବାକୁ ବାଧ୍ୟ ହେଲା । ଏହି ସମୟରେ ସେ ମନରେ ଭାବିଲା, ‘ବର୍ତ୍ତମାନ ମୋର ମୁଣ୍ଡ ଚୂର୍ଣ୍ଣ ହୋଇଯିବ କି ?’
୪ର୍ଥ ପଦ :- ଇଷ୍ଟିକାମେ-ଇଚ୍ଛାନୂ ରୂପକାର୍ଯ୍ୟ, ଯଜ୍ଞକାର୍ଯ୍ୟ । ଦ୍ୱିଜ-ବ୍ରାହ୍ମଣ । ବନୌକାବର-ତପୀଶ୍ରେଷ୍ଠ । ବିଗ୍ରହମଣ୍ଡଳ-ରଣକ୍ଷେତ୍ର । ସ୍ୟନ୍ଦନ-ରଥ ।
୪ର୍ଥ ପଦ :- ଏହି ସମୟରେ ବିଭୀଷଣ ରାମଚନ୍ଦ୍ରଙ୍କର ‘ଇଷ୍ଟିକାମେ’ ଅଭିଳଷିତ ରାବଣ ବଧରୂପ ଯଜ୍ଞ କାର୍ଯ୍ୟରେ ନିଜର ‘କର୍ମ’ କର୍ତ୍ତବ୍ୟ ଶେଷ କରିବା ପାଇଁ ଉପସ୍ଥିତ ହେଲେ । କାରଣ ଯଜ୍ଞ ବେଦମନ୍ତ୍ରାଭିଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ଶେଷ ହୁଏ, ବିଭୀଷଣ ଏହି ଯଜ୍ଞରେ ସେହିପରି ‘ମାନ୍ନିକ’ ଗୁପ୍ତ ପରାମର୍ଶଦାତା ବ୍ରାହ୍ମଣ ( ବିଶ୍ରବାନନ୍ଦନ ହେତୁ ଅଟନ୍ତି) । ବେଦର ନାନାବିଧ ଶାଖାମାନଙ୍କୁ ଅଧ୍ୟୟନ କରିଥିବା ଋଷିଶ୍ରେଷ୍ଠମାନେ ଯଜ୍ଞ ସ୍ଥଳରେ ଉପସ୍ଥିତ ହୋଇ ଉପଯୁକ୍ତ ସ୍ୱରରେ ସେହି ଶାଖୋକ୍ତ ମନ୍ତ୍ରମାନଙ୍କୁ ଉଚ୍ଚାରଣ କରି ବୈଦିକ ମନ୍ତ୍ରର ସୁଶ୍ରାବ୍ୟତ୍ତ୍ୱ ଗୁଣରେ ଅଗ୍ନିଙ୍କର ତେଜକୁ ଉଦ୍ଦୀପ୍ତ କଲା ପରି ଏହି ଯଜ୍ଞରେ ପ୍ରଧାନ ବନବାସୀ ଲକ୍ଷ୍ମଣ ବିଭୀଷଣଙ୍କର ସହାୟ ହୋଇ ବୀରନାଦ ପ୍ରକାଶପୂର୍ବକ ଧନୁର ଗୁଣକୁ କର୍ଣ୍ଣ ପର୍ଯ୍ୟନ୍ତ ଆକର୍ଷଣ କରି ଯୁଦ୍ଧାଗ୍ନିର ତେଜକୁ ଉଦ୍ଦୀପ୍ତ କଲେ । ଯଜ୍ଞରେ ଶ୍ରୁବ ଓ ଶ୍ରୁଚ ବ୍ୟବହୃତ ହେଲାପରି ଏହି ବଧଯଜ୍ଞରେ ମଧ୍ୟ ବାଣ ଓ ଧନୁ ବ୍ୟବହୃତ ହେଉଥିଲା ଏବଂ ଯଜ୍ଞସ୍ଥଳରେ ଦେବ ବିଗ୍ରହ, ମଣ୍ଡଳ, କୁଣ୍ଡ, ରଥ, କାଷ୍ଠ ପ୍ରଭୃତି ଏକତ୍ରିତ କରି ରଖାଯାଇଥିଲା । ଏହି ସମୟରେ ଅର୍ଥାତ୍ ବିଭୀଷଣ ଆସିବାର ଦେଖି, ରାବଣ ମନେକଲା ଯଜ୍ଞରେ ପଶୁର ମୁଣ୍ଡ ଚ୍ଛେଦ ହେଲାପରି ଏଠାରେ ମୋର ନିଶ୍ଚୟ ମୁଣ୍ଡଚ୍ଛେଦ ହେବ ।
୫ମ ପଦ :- ଦୂରଦର୍ଶୀ-ଶାଗୁଣା । ଖରା-ପକ୍ଷୀ । ପଳ-ମାଂସ । କଉଶିକ-ବିଶ୍ୱାମିତ୍ର । ପନ୍ତ୍ରୀ-ଶର । ବଂଶଖନିତ୍ର-ବଂଶଖଣତା । ବଲ୍ଲୀ-ଲତା । ଶକ୍ତିଶିଳେ-ଶକ୍ତିରୂପ ପ୍ରସ୍ତରଦ୍ୱାରା ।
୫ମ ପଦ :- ଶାଗୁଣା ମୃତ ପ୍ରାଣୀ ଦେହରୁ ମାଂସ ଛିଣ୍ଡାଇ ଖାଏ; କିନ୍ତୁ ବିଭୀଷଣ ରୂପୀ ଅଦ୍ଭୁତ ଶାଗୁଣା ପକ୍ଷୀ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୋଇ ସଜୀବ ବ୍ୟକ୍ତିମାନଙ୍କ ଦେହରୁ ମାଂସ ଛିଣ୍ଡାଇ ଗ୍ରାସ କରିବାକୁ ଲାଗିଲା । ଏହି ସମୟରେ ଲକ୍ଷ୍ମଣ ବିଶ୍ୱାମିତ୍ର ପ୍ରଦତ୍ତ ମନ୍ତ୍ରରେ ଅଭିମନ୍ତ୍ରିତ କରି ଅନେକ ଶର ରାବଣ ଦେହରେ ବିଦ୍ଧ କଲେ । ଏହି ଶରାଘାତରେ ରାବଣ ଅତିଶୟ ଦୁଃଖିତ ହୋଇ ବିଚାରିଲା, ‘ବିଭୀଷଣ ମୋର ଦୃଢ଼ମୂଳ ବଂଶରୂପ ବାଉଁଶ ବୁଦାକୁ ‘ତାଡ଼ିବା ପାଇଁ ଖଣତା ପରି କାର୍ଯ୍ୟ କରୁଅଛି ( ଅର୍ଥାତ୍ ଏ ମୋର ଗୋତ୍ର ଖଣତା ) । ସେ ପ୍ରଥମରୁ ସୁକୁମାର ଲତା ତୁଲ୍ୟ ଦୁଇଜଣଙ୍କୁ ( କୁମ୍ଭକର୍ଣ୍ଣ, ଇନ୍ଦ୍ରମତକୁ ) ‘ତାଡ଼ି’ ବିନାଶ କରାଇ ଏବେ ମହାତରୁ ରୂପୀ ମୋତେ ବିନାଶ କରିବା ନିମିତ୍ତ ଇଚ୍ଛା କରୁଅଛି । ଏଣୁ ଖଣତା ପଥରରେ ବାଜିଲେ ତାର ଦାଢ଼ ବା ଆଣ୍ଟ ଭାଙ୍ଗିଲା ପରି ମୁଁ ମୋର ଶକ୍ତି ରୂପ ପଥର ଦ୍ୱାରା ତାର ଗର୍ବ ଭାଙ୍ଗି ଦେବି ।
ବକ୍ତ୍ରଦଶ କଥା କିସ ଦିଗପାଳେ କି ପ୍ରକାଶ ଏକତ୍ରେ ଆଶ୍ରିତ ସୁନାସୀର ।ବ୍ରହ୍ମାସ୍ତ୍ର କୁଶାନୁଭାବ କାଳବିଭୂତି ପ୍ରଭବ ଶବଦେ ଶର ଅତ୍ୟନ୍ତ ଘୋର ଯେ ।ବାରୁଣୀରେ । ବଶ ସ୍ପର୍ଶନତ ପୁଣ୍ୟଜନ ।ବୀରଈଶ ପିତାମହ ପୁରୁଷତ ନାଗବ୍ୟୁହମଧ୍ୟରେ ପ୍ରଧାନ ହୋଇ କାୟ ଧନ୍ୟ ସେ । ୬ ।ବୁଲାଇ ଏହି ସମୟ ଏକଘନି ଘେନି କାୟ ବଢ଼ାଇ ବିନ୍ଧ୍ୟଶିରିଶିଖେ ।ବହ୍ନି ଜଳିଲା ପରିରେ ବୋଲେ ବିଭୀଷଣେ ମାରେ ଶୁଣି ଲକ୍ଷ୍ମଣ ନରହ ମୁଖରେ ।ବତ୍ସଳ ସେ । ବେଭାରେ ଦାସର ହେଲେ ଆଗ ।ବିଳେ କର୍ଣ୍ଣ ନାସିକର କାକୋଦର ପରକାର ।ଶର ପୂର୍ଣ୍ଣ କଲେ ବେଗ ବେଗ ସେ । ୭ ।ବୈରାଗ୍ୟ ହୋଇଲା ଘାତୀ ଆଗପଛେ ଗତାଗତିଶକ୍ତି ଜ୍ୟୋତିଷ୍ମନ୍ତେ ଆସେ ଘୋଟି ।ବନ ପୋଡ଼ି ହୁତାଶନେ ବିନାଶନେ ଯଥା ଜନେବୃକ୍ଷ ତଥା ସୁଗ୍ରୀବାଦି ପିଟି ଯେ ।ବାରିବାହ । ବାଣେ ରାମ ଜଳ ବରଷନ୍ତି ।ବିନ୍ଧିଲେ ଲକ୍ଷ୍ମଣ ଯେତେ ଭାନୁ ଉଦିତେ ଖଦ୍ୟୋତେଝଲକହୀନ ସେ ସେହିମତି ଯେ । ୮ ।ବେଳୁଁ ବେଳୁଁ ପ୍ରଭାକର ଶକ୍ତିକି ପକ୍ଷିନିକର ନିଦ୍ରିତ ପ୍ରାୟ ମୁଦ୍ରିତ ଆକ୍ଷି ।ବଳିମୁଖସାରେ ତହିଁ ଚରମେ ବଦନ ଥୋଇ ଦିବାନ୍ଧ ଖଗରେ ହେଲେ ଲକ୍ଷସେ ।ବିଚେତନ । ବଳୀ ଲକ୍ଷ୍ମଣ ହେଲେ ପତନ ।ବଜ୍ରେ ଗିରି ଭେଦମତେ ବାସବ ପୃଥ୍ୱୀ ସହିତେଫୁଟି ପାତାଳକୁ ଦେଲା ପୁନ ସେ । ୯ ।ବେନିବଳ ଲୋକାଲୋକ ତୁଳ ପାଶେ ନିର୍ମୂଳକ ପାଶେ ହୋଇ ଅନ୍ଧକାର ଯୁକ୍ତ ।ବିବେକ ଦଶକନ୍ଧର ଅନନ୍ତକୁ ଅନ୍ତକର କାଲି ଅଚ୍ୟୁତ କରିବି ଚ୍ୟୁତ ଯେ ।ବାହୁଡ଼ଇ । ବିମାନକୁ ରାଘବ ସଲୀଳେ ।ବିକ୍ରମିଲେ ଅବଧିରେ ଜୀବଗ୍ରାସେ ତତପରେରହେ ଦେଖି ଗଡ଼ହାର ସ୍ଥଳେ ଯେ । ୧୦ ।
୬ଷ୍ଠ ପଦ :- ପିତାମହ ପୁରୁଷତ-ବ୍ରହ୍ମାଙ୍କର ଅଣନାତି । ବକ୍ରଦଶ-ରାବଣ । ଦିଗପାଳେ-ଇନ୍ଦ୍ରାଦି ଦଶଦିକପାଳମାନେ । ସୁନାସୀର-ଇନ୍ଦ୍ର । କୃଶାନୁ-ଅଗ୍ନି । କାଳବିଭୂତି-ଯମ । ବାରୁଣୀ-ମଦ୍ୟ । ବରୁଣ-ଦେବତା । କାଳବିଭୂତି ପ୍ରଭବ-ସଂହାର ମୂର୍ତ୍ତି । ସ୍ପର୍ଶନ-ବାୟୁ । ପୁଣ୍ୟଜନ-ରାକ୍ଷସ । ପୁଣ୍ୟଜନବର-ରାକ୍ଷସଶ୍ରେଷ୍ଠ, କୁବେର ।
୬ଷ୍ଠ ପଦ :- ଏହି ସମୟରେ ରାବଣ ଯେପରି ଦେଖାଯାଉଥିଲା ତାହା କଣ କହିବା ? ତାକୁ ଦେଖିଲେ ମନେ ହେଉଥିଲା, ଦଶଦିଗପାଳ ଏକତ୍ରିତ ହୋଇ ରାବଣ ରୂପରେ ପ୍ରକାଶିତ ହୋଇଅଛନ୍ତି କି ?କାରଣ ରାବଣ ‘ସୁନାସୀର’ ଉତ୍ତମ ସୈନିକମାନଙ୍କଦ୍ୱାରା ବେଷ୍ଟିତ ହୋଇଥିବାରୁ ତାକୁ ଦେଖିଲାକ୍ଷଣି ‘ସୁନାସୀର, ଇନ୍ଦ୍ରବୋଲି ଜ୍ଞାନ ହେଉଥିଲା ଏବଂ ସେ ବ୍ରହ୍ମାସ୍ତ୍ର ନିକ୍ଷେପ କଲାବେଳେ ଅଗ୍ନି, ତାର କୃଷ୍ଣବର୍ଣ୍ଣ କାନ୍ତିକୁ ଦେଖି ଯମ, ସେ ଶର ନିକ୍ଷେପ କରୁଥିବା ସମୟରେ ପ୍ରକାଶ ପାଉଥିବା ଶବ୍ଦକୁ ଶୁଣି ଶବାଧିରୂଢ଼ ନୈଋତ ଦେବତା, ଅନବରତ, ବାରୁଣୀରେ ବସି ମଦ୍ୟପାନ କରୁଥିବାରୁ ବରୁଣ ଓ ରାକ୍ଷସମାନଙ୍କ ‘ସ୍ପର୍ଶନ, ସଙ୍ଗରେଥିବାରୁ କୁବେର, ବୀରମାନଙ୍କର ପ୍ରଭୁ ହୋଇଥିବାରୁ ମହାଦେବ, ବ୍ରହ୍ମାଙ୍କ ବଂଶରେଜନ୍ମହୋଇବାରୁ ବ୍ରହ୍ମା ରାକ୍ଷସମାନଙ୍କ ମଧ୍ୟରେ ରହି ଧନ୍ୟବାଦ ଓ ପ୍ରାଧାନ୍ୟ ଲାଭ କରିଥିବା ଶେଷଶାୟୀ ବିଷ୍ଣୁ ମଧ୍ୟ ତାହାର ଦେହରେ ଆଶ୍ରୟ ଗ୍ରହଣ କରିଥିବାର ଅନୁମିତ ହେଉଥିଲା ।
୭ମ ପଦ :- ବିନ୍ଧ୍ୟଶିଖରିଶିଖେ-ବିନ୍ଧ୍ୟପର୍ବତର ଶୃଙ୍ଗରେ । ବହ୍ନି-ଅଗ୍ନି । ଏକଘନି-ଏକଘ୍ନୀନାମକ ଶକ୍ତି । ବତ୍ସଳ-ସ୍ନେହ । ଦାସର-ଭୃତ୍ୟର । ବିଳ-ଗର୍ତ୍ତ । କାକୋଦର-ସର୍ପ ।
୭ମ ପଦ :- ଏହି ସମୟରେ ରାବଣ ତାର ଶରୀରକୁ ବିନ୍ଧ୍ୟପର୍ବତର ଶୃଙ୍ଗର ଶିଖର ଦେଶ ପର୍ଯ୍ୟନ୍ତ ବଢ଼ାଇ ( ଅର୍ଥାତ୍ ଉନ୍ନତ କଳେବର ଧାରଣକରି ) ହସ୍ତରେ ପ୍ରଜ୍ୱଳିତ ଶିଖା ତୁଲ୍ୟ ତେଜସ୍କର ଏକଘ୍ନି ନାମକ ଶକ୍ତି ଧରି ବୁଲାଇ କହିଲା, ‘‘ରେ ଲକ୍ଷ୍ମଣ! ମୁଁ ଏହି ଅସ୍ତ୍ରକୁ ବିଭୀଷଣ ପ୍ରତି ନିକ୍ଷେପ କରୁଛି । ତୁ ତାର ସମ୍ମୁଖରୁ ଆଡ଼ ହୋଇ ଯା ।’’ କିନ୍ତୁ ସେହି ଦାସବତ୍ସଳ ଲକ୍ଷ୍ମଣ ଏହା ଶୁଣି ମଧ୍ୟ ବିଭୀଷଣର ଆଗରେ ଠିଆ ହେଲେ ଏବଂ ରାବଣର ନାସା ରୂପୀ ଗର୍ତ୍ତରେସର୍ପ ରୂପୀ ସ୍ୱୟୀ ଶରମାନଙ୍କୁ ଅତିଶୀଘ୍ର ପୂର୍ଣ୍ଣ କରି ଦେଲେ ।
୮ମ ପଦ :- ବୈରାଗ୍ୟ-ବିରାଗଭାବ, ବିରକ୍ତ । ଘାତୀ-ଆଘାତ ପ୍ରାପ୍ତ । ଜ୍ୟୋତିଷନ୍ତେ-ତେଜୋବନ୍ତକୁ । ହୁତେଶନ-ଅଗ୍ନି । ବାରିବାହ-ମେଘ । ଭାନୁଉଦିତ-ସୂର୍ଯ୍ୟୋଦୟ ହେଲେ । ଖଦ୍ୟୋତେ-ଜୁଳୁଜୁଳାପୋକ ସମୂହ । ଝଲକହୀନ- ନିସ୍ତେଜ ।
୮ମ ପଦ :- ତହୁଁ ରାବଣ ଅତ୍ୟନ୍ତ ବିରକ୍ତ ହୋଇ ଆଗକୁ ପଛକୁ କୁଦି କ୍ରୋଧରେ ଏକ ଶକ୍ତି ନିକ୍ଷେପ କରିବାରୁ ତାହା ଅଗ୍ନିତୁଲ୍ୟ ତେଜ ପ୍ରକାଶ କରି ଲକ୍ଷ୍ମଣଙ୍କୁ ଘୋଟିଗଲା । ଲୋକମାନେ ଦାବାନଳକୁ ଡାଳରେ ପିଟି ପାଣି ସିଞ୍ଚି ଲିଭାଇଲପରି ସୁଗ୍ରୀବ ପ୍ରଭୃତି ବୀରମାନେ ସେହି ଶକ୍ତିର ପ୍ରଚଣ୍ଡତେଜକୁ ବୃକ୍ଷରେ ପିଟିବାକୁ ଲାଗିଲେ ଓ ରାମଚନ୍ଦ୍ର ମେଘାସ୍ତ୍ର ପ୍ରୟୋଗ କରି ତା ଉପରେ ଜଳ ସେଚନ କରିବାକୁ ଲାଗିଲେ । ମାତ୍ର ସମସ୍ତ ବ୍ୟର୍ଥ ହେଲା । ପୁଣି ଲକ୍ଷ୍ମଣ ଯେତେ ଅସ୍ତ୍ର ନିକ୍ଷେପ କଲେ, ତାହାସବୁ ସୂର୍ଯ୍ୟ କିରଣରେ ଜୁଳୁଜୁଳିଆ ପୋକପରି ହୀନପ୍ରଭା ହୋଇଗଲା ।
୯ମ ପଦ :- ପ୍ରଭାକର-ତେଜୋବନ୍ତ । ବଳିମୁଖସାର-ସୁଗ୍ରୀବ । ଚରମେ-ପୃଷ୍ଠଭାଗରେ । ଦିବାନ୍ଧଖଗ-ପେଚା ।
୯ମ ପଦ :- ସେହି ଶକ୍ତି ବେଳୁଁ ବେଳ ତେଜ ବୃଦ୍ଧିକରି ଆସିବାରୁ ରାମଙ୍କ ସୈନିକମାନେ ନିଦ୍ରିତ ପକ୍ଷୀମାନଙ୍କ ପରି ଚକ୍ଷୁମୁଦ୍ରିତ କଲେ । କପିରାଜ ସୁଗ୍ରୀବ ସେହି ତେଜକୁ ଅନାଇ ନ ପାରି ପଛ ଆଡ଼କୁ ମୁଖ କରିବାରୁ ପେଚାପରି ଦେଖାଗଲେ । ବଳିଷ୍ଠ ଲକ୍ଷ୍ମଣ ସେହି ଶକ୍ତିର ଆଘାତରେ ଅଚେତନ ହୋଇପଡ଼ିଲେ । ଇନ୍ଦ୍ର ବଜ୍ରଦ୍ୱାରା ପର୍ବତମାନଙ୍କୁ ଭେଦ କଲାପରି ସେହି ଶକ୍ତି ଲକ୍ଷ୍ମଣଙ୍କର ହୃଦୟକୁ ଫୁଟାଇ ପାତାଳରେ ପ୍ରବେଶକଲା ।
୧୦ମ ପଦ :- ଅନନ୍ତକୁ-ଲକ୍ଷ୍ମଣଙ୍କୁ । ଅନ୍ତକର-ନାଶ କଲି । ଅଚ୍ୟୁତ-ଚ୍ୟୁତ ଅର୍ଥାତ୍ ବିନାଶ ନ ହୋଇଥିବା ବ୍ୟକ୍ତି, ରାମଚନ୍ଦ୍ର । ଚ୍ୟୁତ-ବିନାଶ । ରାଘବ-ମତ୍ସ୍ୟବିଶେଷ । ସଲ୍ୟଳେ-କୌତୁକରେ । ଅବଧିରେ-ସମୁଦ୍ରରେ ।
୧୦ମ ପଦ :- ଏହି ସମୟରେ ରାମଚନ୍ଦ୍ର ଓ ରାବଣ ଏ ଦୁହିଁଙ୍କର ସୈନ୍ୟବଳ ଲୋକାଲୋକ ପର୍ବତପରି ଦେଖାଗଲେ । ଲୋକାଲୋକ ପର୍ବତର ଏକ ପାଖରେ ଆଲୋକ ଓ ଅପର ପାଖରେ ଅନ୍ଧକାର ଆଚ୍ଛାଦିତ ହୋଇଥାଏ; ସେହିପରି ଲକ୍ଷ୍ମଣଙ୍କ ବକ୍ଷରେ ଶକ୍ତିଭେଦ ହେବାରୁ ରାବଣର ସୈନ୍ୟମାନଙ୍କ ମଧ୍ୟରେ ଶତ୍ରୁ ବିଜୟ ରୂପ ଆଲୋକ ଓ ରାମଚନ୍ଦ୍ରଙ୍କ ସୈନ୍ୟ ମଧ୍ୟରେ ଶୋକାନ୍ଧକାର ଆଚ୍ଛାଦିତ ହେଲା । ଏହା ଦେଖି ରାବଣ ଭାବିଲା, ‘ଆଜି ଲକ୍ଷ୍ମଣରୂପୀ ଶେଷଦେବଙ୍କୁ ନାଶ କଲି; କାଲି ରାମରୂପୀ ବିଷ୍ଣୁଙ୍କୁ ବିନାଶ କରିବି ।’ ଏହା ପରେ ରଥ ଫେରାଇ ଘେନି ଯିବାରୁ ରାଘବମତ୍ସ୍ୟ ଜଳରେ ବିହାର କଲାପରି ରାମ ଯୁଦ୍ଧକ୍ଷେତ୍ରରେ କୌତୁକର ସହିତ ବିହାର କରିବାକୁ ଲାଗିଲେ ଏବଂ ରାଘବ ମାଛ ସମୁଦ୍ରସ୍ଥ ଜଳଜନ୍ତୁମାନଙ୍କୁ ଭକ୍ଷଣ କଲାପରି ରାମଚନ୍ଦ୍ର ‘ଜୀବ’ ରାବଣକୁ ଗ୍ରାସ କରିବାକୁ ଅର୍ଥାତ୍ ମାରିବାକୁ ଯୋଗାଡ଼ କଲେ; କିନ୍ତୁ ‘ଅବଧିରେ’ ଏହି ଶବ୍ଦର ‘ର’ ସ୍ଥାନରେ ‘ଲ’ କଲେ ଅର୍ଥାତ୍ ଅବଧିଲେ ମାରି ପାରିଲେ ନାହିଁ । ଏଣୁ ରାଘବମତ୍ସ୍ୟ ସ୍ଥଳଭାଗକୁ ଦେଖି ରହିଲେ ଅର୍ଥାତ୍ ଯୁଦ୍ଧ ବନ୍ଦ କରି ଫେରିଲେ ।
ବିକଳ ସକଳରୂପେ ମିଳିଲେ ଭ୍ରାତୃ ସମୀପେ ଛତ୍ର ଉତ୍ତାନେ ଯେମନ୍ତ ଦଣ୍ଡ ।ବିଲୋକି ଶକ୍ତି ଉତ୍ପାଟ ବୋଲୁଁ ଚାଳେ କପିଭଟ୍ଟ ସମସ୍ତ ଚଳେ ଅବନୀଖଣ୍ଡ ସେ ।ବିସ୍ମିତରେ । ବାମକରେ ଧରି ଉତ୍ପାଟିଲେ ।ବାରଣ ସନାଳକଞ୍ଜ ପରି ସେ କରି ବିଭଞ୍ଜମାରୁତି ଅଙ୍ଗଦ ମାଡ଼ିଥିଲେ ଯେ । ୧୧ ।ବୁଦ୍ବୁଦ୍ ଜମ୍ବାଳେ ଜାତ କ୍ଷତକଜାତ ତେମନ୍ତ ପଦ୍ମାକର ଛବି ସେ ସୁନ୍ଦର ।ବନଜବଦନେ ନୀଳଉତ୍ପଳ ନେତ୍ର ଶୈବାଳ ବାଳକୋକନଦ ପଦ - କର ଯେ ।ବୀଚି ବାହୁ । ବିନା ଚଳିତ କୁମୁଦହ ।ବିକାଶ ଲେଶହିଁ ନାହିଁ ଦୀ (ଦି) ନଭାବ ଭଜି ତହିଁପ୍ରକଟ ଯହିଁ ସ୍ୱହୃଦବଶ ଯେ । ୧୨ ।ବକ୍ଷସ୍ଥଳେ ଦେଖି ଗର୍ତ୍ତ ରଥାଙ୍ଗ ଲକ୍ଷଭାଷିତ ରଥାଙ୍ଗରଜନୀ ହୋଇଥିଲା ।ବ୍ୟାଧକ୍ତବ୍ୟାଦଜୀବନ ହରଣେ କେହି ଚେତନ ରହିଛି ଏହି ବିଚିତ୍ର ହେଲା ଖେ ।ବିନିର୍ବାର । ବିକଳ ଅଧିକ ହୋଇଭୋଗ ।ବିଦୁଷଆଦ୍ୟ ଗନ୍ଧର୍ବ ନାମାଦିରେ କଲେ ରବବଡ଼ ମୁଁ ନାଶ ନୋହିଲି ଆଗ ସେ । ୧୩ ।ବସାଉଁ ଜାନୁ ଶୟନ ମର୍କତଶଇଳୁଁସ୍ୱର୍ଣ୍ଣଗଣ୍ଡଶଇଳ କି ଖସିପଡ଼ି ।ବହିତନେତ୍ରଗହ୍ୱରୁନିର୍ଝର ନୀର କି ଚାରୁ ହୃଦୟ ପ୍ରପାତେ ଗଲା ଜଡ଼ି ସେ ।ବାଣୀ ନ୍ୟାସୁଁ । ବୈଦ୍ୟଚନ୍ଦ୍ର ସୁଶେଣ ତ୍ୱରିତ ।ନାଶ ନୋହିବା ପଦ ବିକାଶ ହୃଦକୁମୁଦଚକ୍ଷୁଚକୋର ସ୍ରବିବା ସ୍ଥିତ ସେ । ୧୪ ।ବୋଲୁଁ ଆଣ ଅଉଷଧି ଗନ୍ଧମାର୍ଦନେ ପ୍ରସିଦ୍ଧି ଉତ୍ତରଭାଗେ ସେ ସେନାଡ଼ାକି ।ବ୍ରହ୍ମାକେଳିନଗେ ଅଛି ନିଶା ଥାଉଁ ଜଣେ ବାଛି ଆଣୁଭଣୁଦୂର ଲେଖିଶଙ୍କି ଯେ ।ବୋଲନ୍ତି ଯେ । ବିକୁକ୍ଷିବଂଶୀ ଜିଇଁବାରୀତି ।ବୋଇଲା ସେ ସଦାଗତି ତନୟ ତ ସଦା ଗତିଶୁଣି ଓଳଗି ଗମି ମାରୁତି ଯେ । ୧୫ ।
୧୧ଶ ପଦ :- ଉତ୍ତାନ-ବିପରୀତ । ଦଣ୍ଡ-ବେଣ୍ଟ । ଉତ୍ପାଟି-ଉପାଡ଼ିବା । ଅବନିଖଣ୍ଡ-ଭୂଖଣ୍ଡ । ବାରଣ-ହସ୍ତୀ । ସନାଳକଞ୍ଜ-ନାଡ଼ସହିତ ପଦ୍ମ । ବିଭଞ୍ଜ-ବିଭଗ୍ନ । ମାରୁତି-ହନୁମାନ । କପିଭଟ୍ଟ-କପିସମୂହ ।
୧୧ଶ ପଦ :- ରାମଚନ୍ଦ୍ର ଅତିଶୟ ଦୁଃଖିତ ହୋଇ ଲକ୍ଷ୍ମଣଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ଦେଖିଲେ ଯେ ବେଣ୍ଟ ଉପରକୁ ହୋଇ ଛତା ପଡ଼ିଥିଲେ ଯେପରି ଦେଖାଯାଏ, ଶକ୍ତିବିଦ୍ଧ ଲକ୍ଷ୍ମଣ ଚିତ୍ ହୋଇ ପଡ଼ିଥିବାରୁ ସେହିପରି ଦେଖା ଯାଉଅଛନ୍ତି ( ଏଠାରେ ଶକ୍ତିର ବେଣ୍ଟସହ ଛତାର ବେଣ୍ଟ ଓ ଛତା ସହିତ ଲକ୍ଷ୍ମଣଙ୍କର ବକ୍ଷସ୍ଥଳ ତୁଳନା କରାଗଲା ) । ତହୁଁ ରାମ ସେ ଶକ୍ତିକୁ ଉପାଡ଼ି ବାହାର କରି ଦେବାପାଇଁ ଆଦେଶ ଦେବାରୁ ସମସ୍ତ ବାନର ଯୋଦ୍ଧାମାନେ ତାହାକୁ ଉପାଡ଼ିବାକୁ ଲାଗିଲେ, କିନ୍ତୁ ଶକ୍ତି ହଲଚଲ ନ ହୋଇ ପୃଥିବୀ ହଲିବାକୁ ଲାଗିଲା । ରାମ ପଦ୍ମଫୁଲକୁ ନାଡ଼ ସହିତ ଉପାଡ଼ି ଆଣିଲା ପରି ଉପାଡ଼ି ଆଣି ଦୁଇଖଣ୍ଡ କରି ଦେଲେ । ଏହି ସମୟରେ ହନୁମାନ ଓ ଅଙ୍ଗଦ ଲକ୍ଷ୍ମଣଙ୍କୁ ମାଡ଼ି ବସିଥିଲେ ।
୧୨ଶ ପଦ :- ଜମ୍ବାଳ-ପଙ୍କ । ପଦ୍ମାକର-ପୁଷ୍କରିଣୀ । କୋଳନଦ-ରକ୍ତକଇଁ । ସୁହୃଦବଶ-ସୁଗ୍ରୀବାଦି ମିତ୍ରମାନଙ୍କର ବଶୀଭୂତ, ଉତ୍ତମ ହୃଦୟବାନ୍ ଜନ ବଶରୂପେ । ବନଜ-ପଦ୍ମ । ପଦକର-ପାଦ ଓ ହସ୍ତ । ବୀଚି-ଲହରୀ । କୁମୁଦହାସ-ପ୍ରଷ୍ଫୁଟିତ କଇଁ, ଆନନ୍ଦହାସ୍ୟ । କ୍ଷତଜ-ରକ୍ତ । ବିନାଚଳିତ-ଅଚଳ । ନୀଳୋୟନ-ନୀଳକଇଁ । ବାଳଶୈବାଳ-ଶିଉଳୀ । ଦୀନଭାବ-ଦୁଃଖଭାବ । ଦିନରାତି-ଦିବସଭାବ ।
୧୨ଶ ପଦ :- ପଙ୍କରୁ ବୁଦ୍ବଦ୍ ବାହାରିଲା ପରି ଏହି ସମୟରେ ଲକ୍ଷ୍ମଣଙ୍କ କ୍ଷତସ୍ଥାନରୁ ରକ୍ତ ବାହାରିବାରୁ ସେ ଗୋଟାଏ ମନୋହର ପଦ୍ମପୁଷ୍କରିଣୀର ଶୋଭାକୁ ଧାରଣ କଲେ । କାରଣ ପୁଷ୍କରିଣୀରେ ଯେପରି ପଦ୍ମ, ନୀଳକଇଁ, ଶିଆଳି, ଲାଲକଇଁ ଓ ଲହରୀ ପ୍ରଭୃତି ଦେଖାଯାଉଥାନ୍ତି, ସେହିପରି ତାଙ୍କର ମୁଖ, ଚକ୍ଷୁ, କେଶ, ହସ୍ତ, ପାଦ ଓ ନିଶ୍ଚଳ ବାହୁଦ୍ୱୟ ଦେଖାଯାଉଥିଲା କିନ୍ତୁ ଦିବସରେ କଇଁଫୁଲର ବିକାଶ ନ ହେଲାପରି, ତାହାଙ୍କ ନିକଟରେ ଥିବା ମିତ୍ରମାନଙ୍କ ମନରେ ଦୁଃଖ ଜାତ ହୋଇଥିବାରୁ ଉତ୍ଫୁଲତା ଦେଖାଯାଉନଥିଲେ ।
୧୩ଶ ପଦ :- ରଥାଙ୍ଗ-ରଥଚକ୍ର, ଚକ୍ରବାକ ପକ୍ଷୀ । ରଜନୀ-ରାତ୍ରୀ । କ୍ରବାଦ୍ୟ-ରାକ୍ଷସ । ବିନିର୍ବାର- ବିଶେଷରେ ନିବୃତ୍ତ । ବିଦୁଷଆଦ୍ୟ-ପଣ୍ଡିତଶ୍ରେଷ୍ଠ । ରବ-ଧ୍ୱନି ।
୧୩ଶ ପଦ :- ଲକ୍ଷ୍ମଣଙ୍କ ବକ୍ଷସ୍ଥଳରେ ରଥ ଚକ ଆକୃତିରେ ହୋଇଥିବା କ୍ଷତକୁ ଦେଖି ରାମଚନ୍ଦ୍ର କହିଲେ, ‘ଆଜି ଆମ୍ଭ ଦୁଇଭାଇଙ୍କ ପକ୍ଷରେ ଚକ୍ରବାକ ରଜନୀ ହୋଇଥିଲା । (ଅର୍ଥାତ୍ ରାତିରେ ଚକ୍ରବାକ ପକ୍ଷୀ ଓ ତାର ସ୍ତ୍ରୀ ଅଲଗା ଅଲଗା ହୋଇ ରହିଳା ପରି ଆମ୍ଭେ ଦୁହେଁ ଯୁଦ୍ଧ କ୍ଷେତ୍ରରେ ପୃଥକ୍ ପଥକ୍ ସ୍ତାନରେ ରହିଥିଲୁଁ) । ବ୍ୟାଧ ଚକ୍ରବାକ ପ୍ରାଣ ହରଣ କଲାପରି ଏହି ଅସୁରରୂପୀ ବ୍ୟାଧ (ରାବଣ) ମୋର ପ୍ରାଣ ଲକ୍ଷ୍ମଣଙ୍କର ପ୍ରାଣ ହରଣ କଲା । ମାତ୍ର ମୁଁ ଚକ୍ରବାକୀ ପରି ଜୀବିତ ରହିଅଛି, ଏହାହିଁ ଆଶ୍ଚର୍ଯ୍ୟ ! ଏହି କଥା କହୁ କହୁ ତାଙ୍କ ମନରେ ଅତିଶୟ ଦୁଃଖ ହୋଇଥିଲା । ତହୁଁ ସେ ଗନ୍ଧର୍ବ ପର୍ଯ୍ୟାୟର ଆଦି ନାମ ଅର୍ଥାତ୍ ‘ହା’ ହା ପଣ୍ଡିତ ଲକ୍ଷ୍ମଣ ! ମୁଁ ବଡ଼ ହୋଇ ଆଗ ନମରି ତୁ ଆଗ ମଲୁ’ ଏହି କଥା କହି ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ ।
୧୪ଶ ପଦ :- ମର୍କତଶଇଳୁ-ମରକତ ପର୍ବତରୁ । ଗଣ୍ଡଶଇଳ-ଶିଳାଖଣ୍ଡ । ନିର୍ଝରନୀର-ଝରଣାଜଳ । ବୈଦ୍ୟଚନ୍ଦ୍ର- କବିରାଜ ଶ୍ରେଷ୍ଠ । ହୃଦକୁମଦ- ହୃଦୟ ରୂପ କଇଁ । ସବିବା-ଝରିବ ।
୧୫ଶ ପଦ :- ବ୍ରହ୍ମାକେଳିନଗେ-ଗନ୍ଧମାର୍ଦ୍ଦନ ପର୍ବତରେ । ନିଶା-ରାତ୍ର । ସଦାଗତି-ତନୟ-ବାୟୁପୁତ୍ର (ହନୁମାନ) ।
୧୫ଶ ପଦ :- ସୁଷେଣ ଏହା କହିବାରୁ ରାମ କହିଲେ, ‘‘ଔଷଧ ଆଣ ।’’ ଏହା ଶୁଣି ବୈଦ୍ୟ ସୁଷେଣ ସୈନ୍ୟମାନଙ୍କୁ ଡାକି କହିଲେ ‘‘ଉତ୍ତର ଦିଗସ୍ଥ ଗନ୍ଧମାର୍ଦ୍ଦନ ନାମକ ବ୍ରହ୍ମାଙ୍କ କ୍ରୀଡ଼ା ପର୍ବତରେ ଔଷଧ ଅଛି । ରାତ୍ରି ଥାଉଁ ଥାଉଁ ଯାଇ ସେହି ଔଷଧକୁ ବାଛିକରି ଆଣ । ’’ ସୁଷେଣ ଏହିପରି କହିବାରୁ ରାମଚନ୍ଦ୍ର, ସେହି ପର୍ବତ ଏଠାରୁ ବୟାଳିଶ ଯୋଜନ ଦୂରରେ ଅଛି ବୋଲି ହିସାବ କରି ଶଙ୍କା କରିବାକୁ ଲାଗିଲା । (ଅର୍ଥାତ୍ କେହି ଏତେ ଦୂରଯାଇ ଏହି ରାତ୍ରି ମଧ୍ୟରେ ଆଣି ପାରିବେ ନାହିଁ ବୋଲି ଭାବିଲେ) । ତହୁଁ ସୁଷେଣ କହିଲେ, ‘‘ଆମ୍ଭମାନଙ୍କର ସର୍ବଦା ସହାୟକାରୀ ହନୁମାନ ଯାଇ ଆଣି ପାରିବ ।’’ ଏହା ଶୁଣି ହନୁମାନ ରାମଚନ୍ଦ୍ରଙ୍କୁ ପ୍ରଣାମ କରି ସେହି ପର୍ବତକୁ ଆଣିବା ପାଇଁ ବାହାରିଲା ।
ବାର୍ତ୍ତାପାଇ ଲଙ୍କାକାଳ କାଳନେମିକି ତତ୍କାଳ ମଣାଇଣ ସକଳ ପ୍ରେକ୍ଷଣ ।ବେଗେ ଗନ୍ଧନଦୀ କଳେ ନିର୍ମାଣ ଶମ୍ବୁ ଦେଉଳେ ତପୀରୂପେ ବସିଛି ଆପଣ ସେ ।ବତାସ କି । ବହଇ ଯାଇଁ ପବନସୁତ ।ବିଘ୍ନ ଯିବାକାର୍ଯ୍ୟ ହେବ ଏ ସରେ ନିମଚ୍ଛି ଶିବନ ଦେଖି ଗଲେ ଏ ଗିରକୃତ ସେ । ୧୬ ।ବିଶୋଉଁ ଏ କଥା ଶ୍ରୋତ ଦେଉଁ ସରସୀ ରସିତ ନକ୍ରରୂପୀ ଧରନ୍ତେ ପୟର ।ବୁଡ଼ି ପୟରେ ଚପଳେ ଚିରନ୍ତେ ପକାଇ କୂଳେ ରୁଚିରବତି ଯୁବତୀବର ସେବୋଇଲା ଯେ । ବ୍ରହ୍ମାଙ୍କ ଏ ମୋ ଦେହ ଡରାଉଁ ।ବିଷ୍ଣୁର ପରିଚାରକ ତୁମ୍ଭେ ହେଲ ମୋ ତାରକମାର ରାବଣ ସେବକ ଏହୁ ଯେ । ୧୭ ।ବିଧୀରେ ତା ବୁଧଶାଳୀ ବିଧି- କେଳିଗୋତ୍ରେ ମିଳି ଭାତିବ୍ରହ୍ମପଦ ବିପିନରେ ।ବିଶକ୍ୟ ଖୋଜୁଁ ସେ ଶଲ୍ୟପଶୁ ସ୍ୱଭାବରେ ଶଲ୍ୟଶରମାରି ରଳ ସାବର୍ଣ୍ଣରେ ସେ ।ବିଦ୍ୟାଧରେ । ବୁଧେ ଏ ଲକ୍ଷଣ ଏଣୁ କରି ।ବିଧାରେ ସେ ସାନ୍ତୁମାନ ଶତଯୋଜନ ଭଗନମୃଷ୍ଟି ପ୍ରହାରେ ତାହାଙ୍କୁ ମାରି ସେ । ୧୮ ।ବାସୁକି ଶିର ସେ ଯଥା ଧରିଛି ଧରିତ୍ରୀ ତଥା ଗିରି ସେ କହି ଆକାଶେ ଆସେ ।ବିଷ୍ଣୁରଥ ସୁଧା ହରି ସ୍ୱର୍ଗୁରୁ ଆସିଲାପରି ଦୂତେ ଶ୍ରବଣ ରାବଣ ଶେଷ ଯେ ।ବଳବନ୍ତ । ବଳ ଦଶସହସ୍ର ସଂଖ୍ୟାରେ ।ବିହାୟସରେ ଭେଟିଲେ ରବି କି ପ୍ରାତେ ଘୋଟିଲେକାକକେୟଗଣ ପରକାରେ ସେ । ୧୯ ।ବିପ୍ର ତର୍ପଣ ମୀରଣ କରାଦ୍ରିପାତ ଧାରଣ ପଦ ପ୍ରଚାରଣ ପ୍ରକାଶିଲା ।ବିଶେଷତୋଷ ଦେତବାପିତାମହର ମମତା ମୋ ସୃଷ୍ଟିରେ ଏଦେଖା ନଥିଲା ଯେବିମର୍ଦ୍ଦନ । କପୁ ଉପରୁ ତଳକୁ ଆସି ।ବ୍ୟୋମକେଶ ଆକାଶର ମଳିନ ପୁଷ୍ପନିକରବର୍ଣ୍ଣନ ଭାନୁ ହୋଇଣ ପ୍ରଭାରେ ଦକ୍ଷଣାୟନ ତେଜି ଉତ୍ତରାୟଣ ବିଚାରେ । ୨୦।
୧୬ଶ ପଦ :- ଲଙ୍କପାଳ-ରାବଣ । ମଣାଇ-ବୁଝାଇ । ପ୍ରେକ୍ଷଣ-ପଠାଇ । ଶମ୍ଭୁ ଦେଉଳେ-ଶିବ ମନ୍ଦିରରେ । ପବନସୁତ-ହନୁମାନ । ସରେ- ପୁଷ୍କରିଣୀରେ । ନିମଜ୍ଜି-ସ୍ନାନକରି ।
୧୬ଶ ପଦ :- ‘ହନୁମାନ ଔଷଧ ଆଣିବାପାଇଁ ଗନ୍ଧମାର୍ଦନକୁ ଯାଉଅଛି’-ଏହି ବାର୍ତ୍ତାପାଇ ରାବଣ ହଠାତ୍କାଳନେମି ଅସୁରକୁ ଡକାଇଲା ଓ ତାକୁ ସମସ୍ତ ବିଷୟ କହି ହନୁମାନର ଏହି କାର୍ଯ୍ୟରେ ବାଧା ଘଟାଇବା ପାଇ ପଠାଇଲା । କାଳନେମି ଶୀଘ୍ର ଯାଇ ହନୁମାନ ଯିବା ବାଟରେ ଥିବା ଗନ୍ଧନଦୀ କୂଳରେ ଶିବମନ୍ଦିରନିର୍ମାଣକରି, ସେହି ଶିବ ମନ୍ଦିର ନିକଟରେ ନିଜେ ତପସ୍ୱୀବେଶଧରି ବସିଲା । ହନୁମାନ ସେହି ବାଟ ଦେଇ ଯିବା ବେଳେ ହଠାତ୍ବତାସହେଲାପରି ପ୍ରବଳ ପବନ ବହିବାରୁ ସେହି ମାୟା ତପସ୍ୱୀ ହନୁମାନ ଯାଉଥିବାର ଜାଣିପାରି ତାକୁ ଡାକି କହିଲା, ‘‘ହେ ବୀର ! ଯଦି ତୁମ୍ଭେ ଏହି ପୁଷ୍କରିଣୀରେ ସ୍ନାନକରି ଶିବଙ୍କ ଦର୍ଶନ କରି ନ ଯିବ, ତାହା ହେଲେ ଯେଉଁ କାର୍ଯ କରିବାକୁ ଯାଉଅଛ, ସେଥିରେ ନିଶ୍ଚୟ ବିଘ୍ନ ଘଟିବ । ’’
୧୭ଶ ପଦ :- ବିଶୋଉ-ବିଶ୍ରାମ କରିବାରୁ । ସରସୀ-ପୁଷ୍କରିଣୀ । ନକ୍ରରୂପୀ-କୁମ୍ଭୀରରୂପୀ । ପୟର- ଜଳରେ । ରୁଚିରବତୀ-ପରମାସୁନ୍ଦରୀ । ପରିଚାରକ-ଭୃତ୍ୟ । ତାରକ-ତ୍ରାଣକର୍ତ୍ତା ।
୧୭ଶ ପଦ :- ଏହା ଶୁଣି ହନୁମାନ ସେହି ପୁଷ୍କରିଣୀର ଜଳରେ ପ୍ରବେଶ କରନ୍ତେ, ସେହି ଜଳ ମଧ୍ୟରେ ବାସ କରୁଥବା କୁମ୍ଭୀରରୂପିଣୀ ଅପ୍ସରା ତାହାର ପାଦକୁ ଧଇଲା । ତହୁଁ ହନୁ ସଙ୍ଗେ ସଙ୍ଗେ ପାଣିରେ ବୁଡ଼ି ତାହାକୁ ଧରି ଦୁଇଫାଳ କରି ଚିରି କୂଳରେ ଆଣି ପକାଇ ଦେଲା । ମାତ୍ର ସେହି ମୃତ କୁମ୍ଭୀରର ଦେହରୁ ଗୋଟିଏ ପରମାସୁନ୍ଦରୀ ଯୁବତୀ ବାହାରି ହନୁମାନକୁ କହିଲା, ‘‘ହେ ବୀର ! ତୁମ୍ଭେ ମୋର ଏହି ଯେଉଁ ଦେହକୁ ଚିରି ଦେଲ, ମୁଁ ସେହି ଦେହରେ ବ୍ରହ୍ମାଙ୍କୁ ଡରାଇବାରୁ ତାଙ୍କର ଶାପରେ କୁମ୍ଭୀର ହୋଇଥିଲି । ତୁମ୍ଭେ ବିଷ୍ଣୁଙ୍କର ଦୂତହୋଇଥିବାରୁ ମୋତେ ଉଦ୍ଧାର କଲ ! ଏହି ତପସ୍ୱୀ ରାବଣର ଚାକର ଅଟେ, ଏହାକୁ ନାଶ କର ।’’
୧୮ଶ ପଦ :- ବଧିକେଳି ଗୋତ୍ରେ-ବ୍ରହ୍ମାଙ୍କ କେଳି ପର୍ବତରେ । ବିପିନରେ-ବନରେ । ବିଶଲ୍ୟ-ଔଷଧ । ଶଳ୍ପପଶୁ ସ୍ୱଭାବରେ-ଝିଙ୍କପଶୁ ସଦୃଶ । ଶଲ୍ୟ-ଝିଙ୍କକାଠି । ବିଦ୍ୟାଧରେ-ଗନ୍ଧର୍ବମାନେ । ବୁଧେ-ପଣ୍ଡିତମାନେ । ସାନୁମାନ-ପର୍ବତ ।
୧୮ଶ ପଦ :- ତହୁଁ ହନୁମାନ ହଠାତ୍ ସେହି ତପସ୍ୱୀ ରୂପଧାରୀ ଅସୁରକୁ ବଧକରି ବିଧାତାର କ୍ରୀଡ଼ା ପର୍ବତ ଗନ୍ଧମାର୍ଦନରେ ଉପସ୍ଥିତ ହେଲା । ହନୁମାନ ସେହି ପର୍ବତସ୍ଥ ଅରଣ୍ୟରେ ପ୍ରବେଶକରି ବ୍ରହ୍ମାଙ୍କର ନାମ ସ୍ମରଣ ପୂର୍ବକ ଔଷଧ ଖୋଜିବା ସମୟରେ ବନରକ୍ଷକ ବିଦ୍ୟାଧରମାନେ ତାକୁ ଦେଖିଲେ । ସେହି ବନରକ୍ଷକ ବିଦ୍ୟାଧରମାନେ ତାକୁ ଝିଙ୍କପଶୁବୋଲି ଭାବି ଝିଙ୍କକାଠି ତୁଲ୍ୟ ଶରମାରି ଅର୍ଥାତ୍ ମୁନିଆଁ ଶର ବାନ୍ଧି ତାର ଦେହକୁ ‘ଶର’ ଏହି ଶବ୍ଦର ‘ରୁ’ ସ୍ଥାନରେ ସୁବର୍ଣ୍ଣତା ଯୋଗୁଁ ଳ ଲେଖିଲେ ଯାହା ହେବ ‘ଶଳ’ ଅର୍ଥାତ୍ ବାଣରୂପ ଝିଙ୍କଠାରେ ପୂର୍ଣ୍ଣ କରିଦେଲେ । ହେ ପଣ୍ଡିତମାନେ ! ସେହି ହେତୁରୁ ଏଠାରେ ଝିଙ୍କର ଲକ୍ଷଣା କରାଗଲା । ତତ୍ପରେ ହନୁମାନ ବିଧାମାରି ଗନ୍ଧମାର୍ଦନ ପର୍ବତର ଶଏଯୋଜନ ବିସ୍ତୀର୍ଣ୍ଣ ଶୃଙ୍ଗକୁ ଭାଙ୍ଗି ପକାଇଲା ଓ ସେହି ବାନରକ୍ଷକମାନଙ୍କୁ ବିଧାଦ୍ୱାରା ମାରି ପକାଇଲା ।
୧୯ଶ ପଦ :- ଶିରସେ-ମସ୍ତକରେ । ଧରିତ୍ରୀ-ପୃଥିବୀ । ବିଷ୍ଣୁରଥ-ଗରୁଢ଼ । ହର-ହରଣକରି । ବିହାୟଶରେ-ଆକାଶରେ । କାଳକେୟ-ରାକ୍ଷସ ।
୧୯ଶ ପଦ :- ବାସୁକି ମୁଣ୍ଡରେ ପୃଥିବୀ ଧାରଣ କଲାପରି ହନୁମାନ ପର୍ବତକୁ ମୁଣ୍ଡରେ ବହି ମାର୍ଗରେ ଆସିଲା । ଗରୁଡ଼ ସ୍ୱର୍ଗରୁ ଅମୃତ ହରଣ କରି ଆଣିଲାପରି ହନୁମାନ ପର୍ବତ ହରଣକରି ଆଣୁଥିବାର ବାର୍ତ୍ତା ଦୂତଠାରୁ ଶୁଣି ରାବଣ ଦଶହଜାର ବଳିଷ୍ଠ ସୈନ୍ୟ ପଠାଇଲା । ସେହି ସୈନ୍ୟମାନେ ଆକାଶମାର୍ଗରେ ଯାଇ ପ୍ରଭାତ କାଳରେ କାଳକେୟ ରାକ୍ଷସମାନେ ସୁର୍ଯ୍ୟଙ୍କୁ ଘେରିଲାପରି ହନୁମାନକୁ ଘେରିଗଲେ ।
୨୦ଶ ପଦ :- କରାଦ୍ରି ପର୍ବତ-ରୂପହସ୍ତ । ବ୍ୟୋମକେଶ-ଶିବ । ପିତାମହ-ବ୍ରହ୍ମା ।
୨୦ଶ ପଦ :- ପ୍ରାତଃକାଳରେ ସୂର୍ଯ୍ୟଙ୍କୁ କାଳକେୟ ରାକ୍ଷସମାନେ ଆକ୍ରମଣ କରିବା ସମୟରେ ବ୍ରାହ୍ମଣମାନେ ପାତ୍ରୀରେ ଜଳଧରି ମନ୍ତ୍ରୋଚ୍ଚାରଣ ପୂର୍ବକ ତର୍ପଣ କଲେ ଯେପରି ସେହି ରାକ୍ଷସମାନେ ନିବୃତ ହୁଅନ୍ତି, ସେହିପରି ହନୁମାନ ପର୍ବତରୂପ ପାତ୍ରୀ ହସ୍ତରେ ଧାରଣକରି ପଦପ୍ରକ୍ଷେପ ଜନିତଶବ୍ଦରୂପ ମନ୍ତ୍ର ଉଚ୍ଚାରଣ ପୂର୍ବକ ରାକ୍ଷସମାନଙ୍କୁ ବିନାଶକଲେ । ଏହା ଦେଖି ଦେବତାମାନେ ବ୍ରାହ୍ମଣମାନଙ୍କ ତର୍ପଣରେ ସନ୍ତୁଷ୍ଟ ହେଲାପରି ଅତିଶୟ ସନ୍ତୁଷ୍ଟ ହେଲେ ଏବଂ ମହାଦେଙ୍କ ମୁଣ୍ଡରୁ ବାସି ଫୁଲ ସବୁ ଖସି ପଡ଼ିଲାପରି ରାକ୍ଷସମାନଙ୍କର ଶବ ଆକାଶରୁ ଭୂତଳକୁ ଖସି ପଡ଼ିବାର ଦେଖି, ବ୍ରହ୍ମା ବିଚାରିଲେ, ‘ଏପର୍ଯ୍ୟନ୍ତ ମୋର ସୃଷ୍ଟିରେ କେହି ଏପରି ବୀରତ୍ୱ ଦେଖାଇ ନ ଥିଲେ । ’’
ବଡ଼ଯୋଦ୍ଧା ଅଯୋଧ୍ୟାର ଉପରେ ଗମନକର ଭ୍ରମେ ଭରତ ଭ୍ରମେ ନିଶାରେ ସେବାଟୁଳିଏ । ବିଘାତକୁ ଖସି ଅଳ୍ପ ମୁର୍ଚ୍ଛାବସୁଧାଭୁତେ ମୂର୍ଦ୍ଧାରେ ଧାରଣ ଉଠି ସତ୍ୱରେରାତ୍ରି କେତେ ଅଛି କଲା ପୁଚ୍ଛା ସେ । ୨୧ ।ବିଷୟ କି ତରତର ନିଶିଥିନି ତ ପଚାର ଭକତ ଭାଷୁଁ ମାରୁତି ଉକ୍ତି ।ବିଷମ ଲଙ୍କା ପୁରରେ ବାଦକୃତ ରାବଣରେ ରାମ ଲକ୍ଷ୍ମଣେ ଭେଦିତ ଶକ୍ତି ସେ ।ବୀର ଚାହିଁ । କୈକେୟୀ ସୁତ ଭାଷେ ରଭସେ ।ବିଗ୍ରହ ଡାକିନୀ ସ୍ଥାନେ କିମର୍ଥେ ଭାଷ ଏମାନେଶୋଭା ଅର୍ଜ୍ଜୁନାରି ମୃଗ କେ ସେ ଯେ । ୨୨ ।ବାୟୁଜ କଲା ଉତ୍ତର ରକ୍ଷଃସ୍ଥାନ ଲଙ୍କାପୁର ରାମ ଯାହା ଶରୀରେ ଆଶ୍ରିତା ।ବିଭାନ୍ତେ ଯେ ଜିଣି ରାମ ବନେ ବିନ୍ଧିଯାଉଁ ରାମ ରାବଣନେଲା ଚୋରଇ ସୀତା ଯେବ୍ରହ୍ମାଣ୍ଡରେ । ବିଦିତ ସେ ଦାଶରଥି ରାମ ।ବାଳି ବଧି ସୁଗ୍ରୀବର ମିତ୍ରତାକୃତ ବାନରସିନ୍ଧୁ ତରି ଶୈଳ ପରେ ବାମ ଯେ । ୨୩ ।ବାଚକ ତାଙ୍କ ଅନୁଜ ଭରତ ମୁଁ କି ଆଶ୍ଚର୍ଯ୍ୟ ଶୁଣିଲି ହରିବଲ୍ଲଭୀ ନେଇ ।ବଞ୍ଚକ ଅଛି ଲୁଚାଇ ତୃଣଙ୍କୁରେ ଭେଦ ହୋଇ ଗଣ୍ଡକର ଦେହ ତଥା ଏହି ଯେବାତସୁତ । ବୋଲେ ଏମନ୍ତ ନୋହେ ଏମନ୍ତ ।ବାରିଧିରେ ଲକ୍ଷ୍ମୀଗୁପ୍ତ ମନ୍ଦର ମନ୍ଥନେ ଖ୍ୟାତମେରୁ ଭେଦେ ଐରାବତ ଦନ୍ତ ଯେ । ୨୪ ।ବିଷାଦ ସାଦରେ ବେନି ପରାକ୍ରମ ହାନି ଘେନି ବଡ଼ାଇ ରଖି ନିୟମ କଲେ ।ବିକ୍ରମି ନଭେ ପାବନି ପ୍ରବେଶ ଯୁଦ୍ଧ ଅବନୀ ବେନି ମନ୍ତ୍ରୀ ଗିରି ଉତ୍ତାରିଲେ ଯେ ।ବୃକ୍ଷ ଚିହ୍ନି । ବିମର୍ଦ୍ଧିତୋଳି ତହିଁର ପତ୍ର ।ବିହନ୍ତେ ନାସ ଅଜ୍ଞାନ ନାଶ ଲୀନ କ୍ଷତଚିହ୍ନଉଠିଲେ ଶୀଘ୍ର ସୁମିତ୍ରାସୁତ ସେ । ୨୫ ।୨୧ଶ ପଦ :- ବସୁଧ ଭୃତେ-ପର୍ବତକୁ । ମୂର୍ଦ୍ଧାରେ-ମସ୍ତକରେ । କୁ-ପୃଥିବୀ ।
୨୧ଶ ପଦ :- ସେହି ଉପମିତ ସୂର୍ଯ୍ୟ ହନୁମାନ ପ୍ରକୃତ ସୂର୍ଯ୍ୟଙ୍କ ପରି ତେଜପୁଞ୍ଜକୁ ବିସ୍ତାରକଲା ଓ ସୂର୍ଯ୍ୟ ଦକ୍ଷିଣାୟନ ତ୍ୟାଗପୂର୍ବକ ଉତ୍ତରାୟଣ ଗତି କଲାପରି ଦକ୍ଷିଣ ଦିଗକୁ ପରିତ୍ୟାଗ କରି ଉତ୍ତର ଦିଗକୁ ଯିବାକୁ ବିଚାର କଲା । ବୀରଶ୍ରେଷ୍ଠ ହନୁମାନ ଭ୍ରମବଶତଃ ଅଯୋଧ୍ୟା ନଗରୀର ଉପରି ଭାଗରେ ଗମନ କରୁଥିବା ସମୟରେ ବୀର ଭରତ ପୁର ମଧ୍ୟରେ ନୈଶ୍ୟ ଭ୍ରମଣ କରୁଥିଲେ । ସେ ହନୁମାନର ଗମନ ଶବ୍ଦ ଶୁଣି ଗୋଟାଏ ବାଟୁଳି ମାରିବାରୁ ସେହି ବାଟୁଳିର ଆଘାତରେ ହନୁମାନ ଭୂତଳରେ ପତିତ ହୋଇ ଅଳ୍ପ ମୂର୍ଚ୍ଛିତ ହେଲା ଏବଂ ସଙ୍ଗେ ସଙ୍ଗେ ଚେତା ପାଇ ଉଠି ପର୍ବତକୁ ମୁଣ୍ଡରେ ଧରି ଦଣ୍ଡାୟମାନ ହୋଇ ଭରତଙ୍କୁ ପଚାରିଲେ, ‘‘ଆଉ ରାତ୍ରି କେତେ ଅଛି ?’’
୨୨ଶ ପଦ :- ନିଶିଥିନୀ-ରାତ୍ରି । ବିଧୁ-ଚନ୍ଦ୍ର । ରଭସେ-ଶୀଘ୍ର । ବିଗ୍ରହ-ଯୁଦ୍ଧ । ଡାକିନୀସ୍ଥାନ-ଶ୍ମଶାନ ।
୨୨ଶ ପଦ :- ଭରତ କହିଲେ, ‘‘ବିଷୟ କଣ ? ତୁମ୍ଭେ କାହିଁକି ତର ତର ହେଉଅଛ ଏବଂ ରାତ୍ରି କେତେ ଅଛି ବୋଲି କାହିଁକି ପଚାରୁଅଛ ? ହନୁମାନ କହିଲା, ‘‘ରାମ ଲକ୍ଷ୍ମଣ ଦୁଇଭାଇ ଦୁର୍ଭେଦ୍ୟ ଲଙ୍କା ପୁରକୁ ଯାଇ ରାବଣ ସହିତ ଯୁଦ୍ଧ କରୁଥିଲେ । ସେହି ଯୁଦ୍ଧରେ ଲକ୍ଷ୍ମଣ ରାବଣର ଶକ୍ତି ଦ୍ୱାରା ବିଦୀର୍ଣ୍ଣ ହୋଇ ଅଛନ୍ତି ।’’ ଏହା ଶୁଣି କୈକେୟୀ ପୁତ୍ର ଭରତ ହଠାତ୍ ଚନ୍ଦ୍ରଙ୍କୁ ଚାହିଁ ହନୁମାନକୁ କହିଲେ, ‘ରାମ ଲକ୍ଷ୍ମଣ’’ ଚନ୍ଦ୍ରଙ୍କର ତ କିଛି କ୍ଷତି ହୋଇ ନାହିଁ ? ଡାକୀନୀମାନଙ୍କର ବାସଭୂମିକୁ ଲଙ୍କା କୁହାଯାଏ; ସେଠାରେ ବା ଯୁଦ୍ଧ କାହିଁକି ଲାଗିଲା ଏବଂ ମନୋରମ, ମୃଗ ଏମାନେ ରାମ ନାମରେ ପରିଚିତ; ତୁମ୍ଭ କଥିତ ସେହିରାମ ଏମାନଙ୍କ ମଧ୍ୟରୁ କିଏ ?’’
୨୩ଶ ପଦ :- ରାମ-ମନୋହର । ବିଭାନ୍ତେ-ବିବାହ ଶେଷରେ । ରାମ-ମାୟା ମୃଗ । ବାମ-ପ୍ରତିକୂଳ ।
୨୩ଶ ପଦ :- ହନୁମାନ ଉତ୍ତର ଦେଲା, ‘‘ଲଙ୍କାପୁର ଅସୁରଙ୍କ ବାସସ୍ଥାନ ଅଟେ । ଶୋଭା ଯାହାର ଦେହକୁ ଆଶ୍ରୟ କରିଅଛି, ଯେ ବିଭା ଶେଷରେ ପର୍ଶୁରାମଙ୍କୁ ଜୟ କରିଥିଲେ, ସେହି ରାମ ବନବାସ ସମୟରେ ମାୟା ମୃଗକୁ ବାନ୍ଧିବା ନିମିତ୍ତ ଦୂରକୁ ଯିବାରୁ ଲଙ୍କାର ରାଜା ରାବଣ ସୀତା ଦେବୀଙ୍କି ଚୋରାଇ ନେଇଗଲା । ସେ ରାମ ଦଶରଥଙ୍କର ପୁତ୍ର ବୋଲି ବ୍ରହ୍ମାଣ୍ଡରେ ଖ୍ୟାତ ଅଟନ୍ତି । ପୁଣି ସେହି ରାମ କିସ୍କିନ୍ଧ୍ୟାରାଜ ବାଳୀକୁ ମାରି ତାର ଭାଇ ସୁଗ୍ରୀବ ସହିତ ମିତ୍ର ହୋଇ ବାନର ବଳ ସଙ୍ଗରେ ଧରି ପଥରରେ ସମୁଦ୍ର ବାନ୍ଧି ଅଛନ୍ତି ଏବଂ ସାଗର ପାର ହୋଇ ଯାଇ ରାବଣର ଶତ୍ରୁତାଚରଣ କରିଛନ୍ତି ।’’
୨୪ଶ ପଦ :- ବାଚକ-କହିଲେ । ଅନୁଜ-ସାନଭାଇ । ହରି-ବଲ୍ଲଭୀ, ସିଂହୀ । ବଞ୍ଚକ-ବିଲୁଆ । ତୃଣାଙ୍କୁରେ-ବାଳୁଙ୍ଗାଧାନର ଶୁଙ୍ଗଦ୍ୱାରା । ଗଣ୍ଡକ-ଗଣ୍ଡା ।
୨୪ଶ ପଦ :- ହନୁମାନର ବାକ୍ୟ ଶୁଣି ଭରତ କହିଲେ, ‘ମୁଁ ସେହି ରାମଙ୍କର ସାନଭାଇ ଅଟେ । ମୋ ନାମ ଭରତ । କି ଆଶ୍ଚର୍ଯ୍ୟ କଥା ଶୁଣିବାକୁ ହେଲା ! ସିଂହ ଭାର୍ଯ୍ୟାକୁ ଶୃଗାଳ ନେଇଯାଇ ଲୁଚାଇ ଅଛି । ବାଳୁଙ୍ଗା ଧାନ ଶିଙ୍ଗରେ ଗଣ୍ଡା ଜୀବର ଦେହ ଭେଦ ହେଲା ପ୍ରାୟ ରାବଣର ଶକ୍ତିରେ ଲକ୍ଷ୍ମଣଙ୍କ ଦେହ ଭେଦ ହେଲା !’’ ଏହା ଶୁଣି ହନୁମାନ କହିଲା, ‘‘ସେ କଥା ନୁହେଁ । ପୂର୍ବେ ଯେପରି ସମୁଦ୍ରରେ ଲକ୍ଷ୍ମୀ ଗୁପ୍ତ ହୋଇ ରହିଥିଲେ, ମନ୍ଦର ପର୍ବତ ଦ୍ୱାରାମନ୍ଥିତ ହେବାରୁ ସେହି ଲକ୍ଷ୍ମୀ ପୁଣି ସଂସାରରେ ପ୍ରକାଶିତ ହେଲେ, ସେହିପରି ଲକ୍ଷ୍ମୀ ରୂପିଣୀ ସୀତା ସମୁଦ୍ରରେ ଗୁପ୍ତ ହୋଇଅଛନ୍ତି । ମନ୍ଦ ରାବଣର ବିନାଶରେ ସେ ପୁଣି ପ୍ରକଟ ହେବ । ଐରାବତ ହସ୍ତୀର ଦନ୍ତ ମେରୁ ପର୍ବତରେ ଭେଦିଲା ପ୍ରାୟ ରାବଣର ଶକ୍ତି ଲକ୍ଷ୍ମଣଙ୍କ ଦେହରେ ଭେଦ କରିଅଛି ।’’
୨୫ଶ ପଦ :- ସାଦର-ଆଦର ବା ଗୌରବର ସହିତ । ନିୟମ-ସପଥ । ପାବନି-ହନୁମାନ । ଅବନୀ-ପୃଥିବୀ । ସୁମିତ୍ରାସୁତ-ଲକ୍ଷ୍ମଣ ।
୨୫ଶ ପଦ :- ଭରତ ଓ ହନୁମାନ ଦୁହେଁ ନିଜ ନିଜ ପରାକ୍ରମ ନାଶଯିବା ହେତୁ ଦୁଃଖିତ ମନରେ ଆଦରର ସହିତ ପରସ୍ପରର ବଡ଼ିମା ରଖିବାକୁ ଶପଥ କଲେ । (ଯେଉଁ ଭରତଙ୍କ ବାଟୁଳିରେ ସମଗ୍ର ବ୍ରହ୍ମାଣ୍ଡରେ ଅସାଧ୍ୟ କିଛି ନାହିଁ, ସେହି ବାଟୁଳି ବାଜି ସୁଦ୍ଧା ହନୁମାନର କ୍ଷତି ହେଲା ନାହିଁ- ଏହାଦ୍ୱାରା ଭରତଙ୍କ ବଡ଼ିମା ହାନି ହେଲା । ପୁଣି ଯେଉଁ ହନୁମାନ ଜନ୍ମବେଳେ ସୂର୍ଯ୍ୟଙ୍କୁ ଗିଳିବାକୁ ଅଗ୍ରସର ହୋଇଥିଲା, ସାମାନ୍ୟ ବାଟୁଳିରେ ସେ ମୂର୍ଚ୍ଛାଗତ ହେଲା- ଏହାଦ୍ୱାରା ହନୁମାନର ବଡ଼ିମା ହାନି ହେଲା । ଏ କଥା କେହି ପ୍ରକାଶ କରିବେ ନାହିଁ-ଏହିପରି ଶପଥ କଲେ) ଅନନ୍ତର ହନୁମାନ ଆକାଶରେ ବି ଗମିଯାଇ ଯୁଦ୍ଧ ଭୂମିରେ ପ୍ରବେଶ ହେଲା । ଜାମ୍ୱବ ଓ ସୁଷେଣମନ୍ତ୍ରୀଦ୍ୱୟ ହନୁମାନର ମସ୍ତକରୁ ଗିରି ଓହ୍ଲାଇ ରଖିଲେ । ଔଷଧ ବୃକ୍ଷ ଚିହ୍ନି ତହିଁରୁ ପତ୍ର ନେଇ ମର୍ଦ୍ଦନ କରି ନାସ ଦେବାରୁ ଲକ୍ଷ୍ମଣଙ୍କର ମୂର୍ଚ୍ଛା ନାଶ ଗଲା ଏବଂ ଘାଆର ଚିହ୍ନ ସୁଦ୍ଧା ଲୁଚିଗଲା । ବୀର ଲକ୍ଷ୍ମଣ ଚେତା ପାଇ ଶୀଘ୍ରଉଠିଲେ ।
ବସନ୍ତେ ସେ ଜଡ଼ିଶକ୍ତିଘାତ ତୁଟି ବିକାଶନ୍ତି ରାମ ନଳିନ ମଳିନ ଆସ୍ୟ ।ବିରସ ତେଜି କୁମୁଦ ପ୍ରଭୃତି ଲଭିଲେ ମାଦ ଲକ୍ଷଣଯୁକ୍ତ ଜ୍ୟୋତି ପ୍ରକାଶ ସେବାର୍ତ୍ତା ଶୁଣି । ବିଶ୍ରବାସୁତ ଖର ନିଃଶ୍ୱାସୀ ।ବିଧାତାଦ୍ରି ଶଙ୍ଗ ସ୍ଥାନେ ଥୋଇ ଯାଉଁ ହନୁମାନେସୈନ୍ୟ ପେଷୁ ଲାଙ୍ଗୁଳେ ସେ ଧ୍ୱଂସି ଯେ । ୨୬ ।ବିଭାବରୀ ଶେଷକାଳେ ସ୍ଫୁରିତ ଶଙ୍ଖ ମଙ୍ଗଳେ ସ୍ଥୁଳଜଙ୍ଘ କୁତାମ୍ବୁଳେ ତୋଷି ।ବରଗିଲା ଗଲା କ୍ଷଣେ ଚମୁସଙ୍ଗେ ତୀକ୍ଷ୍ଣବାଣେ ମର୍କଟ ପ୍ରକଟ ହେବା ଗ୍ରାସି ସେ ।ବଷଗ୍ରାବ । କହ ଓଗାଳିଲା ଆସି ନୀଳ ।ବିଶ୍ୱକର୍ମାସୁତ ହନୁ ମନ୍ତ କପିପତିସୁନୁସମ୍ଭରବେ ଆରମ୍ଭେ ତୁମୁଳ ଯେ । ୨୭ ।ବିଧୁନ୍ତୁଦ ବାଳିପୁତ୍ର ଜ୍ୟୋତିହୀନ ଚନ୍ଦ୍ର ନେତୃମୋଚକର୍ଣ୍ଣେ ପାବନି ଶାର୍ଦ୍ଦୁଳ ।ବଳିପୁଷ୍ଟ ନଳ ତହିଁ ଉଲ୍ଲୁକ ବିଘାତ ବିହି ଧରି ଏହି ବେନିସ୍ୱନ ଶିଳ ଯେ ।ବିଲୋକରେ । ବୀର ସ୍ଥୁଳଜଙ୍ଘ ଘୋରତର ।ବର୍ଷାଘନ ଘନ ଶର ଦରେ ଖର ନୀଳ ଦୂରକୁନ୍ଦ ଫୁଟିଲା ତୁ ହୀନ ଗିର ଯେ । ୨୮ ।ବ୍ୟାଖ୍ୟାନ ଶିଶିରେ ଶୀର୍ଣ୍ଣ ସାରସ ପ୍ରଭୃତି ସ୍ୱନ ମଧୁମତ୍ତ ସେହି ତପବଳେ ।ବିଭାବସବଂଶ ଯୋଗେ ପ୍ରକାଶମାନରୁନଗେ କାଳରୀତିଶେଷ ତତକାଳେ ସେ ।ବୈଦେହୀଶ । ବିଭୀଷଣେ ପୁଚ୍ଛା କଲେ ଏକେ ?ବଳିଲା କୁମ୍ଭକର୍ଣ୍ଣରୁ ଏତ ଇନ୍ଦ୍ରଜିତଠାରୁରଥ ଆଣି ପର୍ବତରେ ଟେକେ ଯେ । ୨୯ ।ବଳ କ୍ଷୟାତିଥି ଯୋଗୁ ଘୁଞ୍ଚାଇ ସେନାନୀଉର୍ଗ ଉପୁଜାଇଲା ଇତର କୀର୍ତ୍ତି ।ବିଖ୍ୟାତ ଉତ୍ତର ଇନ୍ଦୁମତୀନନ୍ଦନ ଏ ଇନ୍ଦୁ ମତି ତପ ପରି ଗତି ନୀତି ଯେ ।ବିଧ୍ୱଂସନ । ବିଭୁଦରଶନ ଦରଶରେ ।ବୋଲାଇ ଏ ସ୍ଥୁଳଜଙ୍ଘ ଠୁଳ ସକଳ ପ୍ଲବଙ୍ଗବଳେ ଆଣି କଲା ଏକଠାରେ ସେ । ୩୦ ।
୨୬ଶ ପଦ :- ବସନ୍ତ-ଋତୁବିଶେଷ । ଜଡ଼-ଅଚେତନ, ଶୀତଋତୁ । ନଳିନ-ପଦ୍ମ । ଆସ୍ୟ-ମୁଖ । ବିଶ୍ରବାସୁତ-ରାବଣ । ବିଧାତାଦ୍ରି-ଶୃଙ୍ଗ-ଗନ୍ଧମାର୍ଦ୍ଦନ ପର୍ବତର ଶୃଙ୍ଗ ।
୨୬ଶ ପଦ :- ଲକ୍ଷ୍ମଣ ଉଠି ବସନ୍ତେ ବସନ୍ତକାଳର ଉପମା ହେଲା । ବସନ୍ତରେ ଶିଶିର ବିନାଶ ହେତୁ ପଦ୍ମ ବିକଶିତ ହେଲା ପ୍ରାୟ ଲକ୍ଷ୍ମଣଙ୍କର ଅଜ୍ଞାନତା ନାଶ ହେବାରୁ ରାମଚନ୍ଦ୍ରଙ୍କର ଶୁଷ୍କ ମୁଖପଦ୍ମପ୍ରଫୁଲିତ ହେଲା । ବସନ୍ତରେ କୁମୁଦଆଦିଫୁଲସବୁପ୍ରସ୍ଫୁଟିତହେଲାପରି, ଲକ୍ଷ୍ମଣ ଉଠିବାରୁ କୁମୁଦ ଆଦି ବାନର ସେନାଗଣ ଆନନ୍ଦିତ ହେଲେ । ବସନ୍ତରେ ଚନ୍ଦ୍ର ଜ୍ୟୋତିଉଜ୍ଜ୍ୱଳ ହେଲା ପ୍ରାୟ ଲକ୍ଷ୍ମଣଙ୍କୁ ଦେଖି ରାମଙ୍କର ଜ୍ୟୋତି ପ୍ରକାଶିତ ହେଲା । ଚାରି ମୁଖରୁ ଏହିସବୁ ବର୍ତ୍ତା ଶୁଣି ରାବଣ ଦୀର୍ଘ ନିଶ୍ୱାସ ପକାଇଲା । ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଗକୁ ଯଥାସ୍ଥାନରେ ରଖିବା ପାଇଁ ଯାଆନ୍ତେ, ରାବଣ ତାକୁ ମାରି ପର୍ବ ଛଡ଼ାଇ ଆଣିବା ପାଇଁ ସୈନ୍ୟ ପଠାଇଲା । ହନୁମାନ ସେ ସୈନ୍ୟମାନଙ୍କୁ ଲାଙ୍ଗୁଳରେ ଗୁଡ଼ାଇ ମାରି ପକାଇଲା ।
୨୭ଶ ପଦ :- ବିଭାବରୀ-ରାତ୍ରୀ । ସ୍ଫୁରିତ-ଉଚ୍ଚାରିତ । ତାମ୍ୱୁଳ-ପାନ । ଚମୁସଙ୍ଗେ-ସୈନ୍ୟମାନଙ୍କ ସହିତ । ଗ୍ରୀବ-ପଥର । ବିଶ୍ୱକର୍ମାସୁତ-ନଳ । କପିପତିସୁନୁ-ଅଙ୍ଗଦ । ସମ୍ଭରବେ-ସମାରୋହରେ, ଆଡ଼ମ୍ୱର ସହକାରେ । ତୁମୁଳ-ଘୋରଯୁଦ୍ଧ ।
୨୭ଶ ପଦ :- ରାତ୍ର ଶେଷ ହେବାରୁ ପ୍ରଭାତ କାଳର ମଙ୍ଗଳ ଶଙ୍ଖ ବାଜିଲା । ରାବଣ ସ୍ଥଳଜଙ୍ଘ ନାମକ ରାକ୍ଷସକୁ ପାନ ଗୁଆ ଦେଇ ବରଣ କରିବା ଦ୍ୱାରା ତାର ତୋଶ ବିଧାନ କରି ଯୁଦ୍ଧ ପଠାଇଲା । ସେ ସୈନ୍ୟମାନଙ୍କୁ ସଙ୍ଗରେ ଧରି ଯିବାମାତ୍ରକେ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରୁଥିବା କପିସେନାମାନଙ୍କୁ ସୁତୀକ୍ଷ୍ଣ ବାଣ ମାରି ପରାଜିତ କରି ପକାଇଲା ।
୨୮ଶ ପଦ :- ବିଧୁନ୍ତୁଦ-ରାହୁ । ଜ୍ୟୋତିହୀନ-ନିସ୍ତେଜ । ଇନ୍ଦ୍ରନେତ୍ର-ରାକ୍ଷସ ବିଶେଷ । ମୋଚକର୍ଣ୍ଣ-ରାକ୍ଷସବିଶେଷ, ଛେଳି । ପାବନି-ହନୁମାନ । ଶାର୍ଦ୍ଦୁଳ-ବ୍ୟାଘ୍ର । ବଳିପୁଷ୍ଟ-କୁଆ । ଉଲ୍ଲୁକ-ପେଚା । ବର୍ଷାଘନ-ବର୍ଷୁକ-ମେଘ । ଖର-ଶୀଘ୍ର, ଗଧ । କୁନ୍ଦ-ପୁଷ୍ପବିଶେଷ । ତୁହିନ-ଶୀତଋତୁ; ତୁ ହୀନ । ଘନଶରଦରେ-ନିବିଡ଼ଜଳ ଦେଲା ପ୍ରାୟ, ନିବିଡ଼ ଶରଦ୍ୱାରା ଖଣ୍ଡ ଖଣ୍ଡ କରିବାରୁ, ବିସ୍ତାର ଶରତ ଋତୁରେ ।
୨୮ଶ ପଦ :- ଅଙ୍ଗଦ ରାହୁପ୍ରାୟ ଯାଇ ଚନ୍ଦ୍ର ସଦୃଶ ଚନ୍ଦ୍ର ନେତ୍ର ରାକ୍ଷସକୁ ଗ୍ରାସ କରିବାରୁ ସେ ନିସ୍ତେଜ ହୋଇଗଲା । ହନୁମାନ ବ୍ୟାଘ୍ର ପ୍ରାୟ ଗାଈ ଛାଗସମ ମୋଚକର୍ଣ୍ଣ ରାକ୍ଷସକୁ ବିନାଶକଲା । ସେହି କାଳରେ ନଳ କାକପ୍ରାୟ ଉଡ଼ିଯାଇ ପେଚାତୁଲ୍ୟ ଉଲୁକ ରାକ୍ଷସକୁ ଧରି ବଧ କଲା । ଏହି ଦୁଇ ରାକ୍ଷସ ଗର୍ଜନ କରି ପ୍ରାଣ ଛାଡ଼ିଲେ । ଏହା ଦେଖି ମହାଭୟଙ୍କର ବର୍ଷୁକ ମେଘ ନିବିଡ଼ ଜଳ ବର୍ଷା କଲାପ୍ରାୟ ବୀର ସ୍ଥୂଳଜଙ୍ଘ ନିବିଡ଼ ଶରଦ୍ୱାରା ରଣକ୍ଷେତ୍ର ଆଚ୍ଛନ୍ନ କରି ପକାଇଲା । ନିବିଡ଼ ଶରତ୍ ଋତୁରେ ମେଘର ନୀଳିମାଦୂର ହେଲା ପ୍ରାୟ ନୀଳ ସେନାପତି ଶୀଘ୍ର ଗଧ ପ୍ରାୟ ହୋଇ ପଳାୟନ କଲା । ସୈନ୍ୟମାନେ ପରସ୍ପରକୁ କୁହା କୋହି ହେଲେ ‘ତୁହୀନ’ । ଏହି ‘ତୁ ହୀନ’ ଶବ୍ଦ ତୁହିନି ହିମଋତୁ ପ୍ରାୟ ପ୍ରତୀତ ହେଲା । ହିମ ଋତୁରେ କୁନ୍ଦପୁଷ୍ପ ଫୁଟିଲାପ୍ରାୟ କୁନ୍ଦ ସେନାପତି ରଣ କରି କରି କ୍ଳାନ୍ତ ହୋଇପଡ଼ିଲା । ଅଙ୍ଗଦ ଚନ୍ଦ୍ରନେତ୍ରକୁ ହନୁମାନ ମୋଚକର୍ଣ୍ଣକୁ ଓ ନଳ ଉଲୁକକୁ ବଧ କରିବାରୁ ସ୍ଥୂଳଜଙ୍ଘ ଅନବରତ ଶର ନିକ୍ଷେପ କଲା । ଫଳରେ ନୀଳ ଭୟ ପାଇ ପଳାଇଲା, କୁନ୍ଦ ସେନାପତି କ୍ଳାନ୍ତ ହୋଇ ପଡ଼ିଲା । ଏହିପଦରେ ବର୍ଷା ଶରତ୍ ହେମନ୍ତର ବର୍ଣ୍ଣନା କରାଯାଇଅଛି )
୨୯ଶ ପଦ :- କାଳରୀତି-ମୃତ୍ୟୁ ରୀତି , ବର୍ଷାଦି ଛଅ ଋତୁର ରୀତିପରି । ଶିଶିରେ-ଶିଶିରନାମକ ବାଣଦ୍ୱାରା । ସାରସ-ପଦ୍ମ, ଅସୁର ବିଶେଷ । ପ୍ରଭୃତ-କୋକିଳ, ପରାକ୍ରମ । ମଧୂମତ୍ତ-ମଦ୍ୟପାନରେ ମତ୍ତ । ମଧୁମତ-ବସନ୍ତ ଋତୁପରି । ବଂଶ-ବାଉଁଶ । ନଗ-ପର୍ବତ । ବୈଦେହିଶ-ରାମଚନ୍ଦ୍ର । ବିଭାବସୁ-ଅଗ୍ନି, ଅଗ୍ନିଶର । ତପଦଳେ-ଗ୍ରୀଷ୍ମଋତୁର ଗ୍ରୀଷ୍ମ ପ୍ରାଚୁର୍ଯ୍ୟ ହେତୁ, ତପସ୍ୟାବଳରେ, ପ୍ରତାପବଳରେ ।
୨୯ଶ ପଦ :- ‘ସାରସ’ ପଦ୍ମଶିଶିର ଋତୁରେ ଶୀର୍ଣ୍ଣ ହେଲାପ୍ରାୟ ସାରସ ନାମକ କପି ସ୍ଥୂଳଜଙ୍ଘର ଶିଶିର ନାମକ ଶରରେ ଶୀର୍ଣ୍ଣ ହୋଇ ପଡ଼ିଲା । ମଦ୍ୟପାନରେ ମତ୍ତ ହୋଇଥିବା ସ୍ଥୂଳଜଙ୍ଘ ବସନ୍ତ ଋତୁ ସଦୃଶ ହେଲା । ବସନ୍ତ ଋତୁରେ ପିକ ସ୍ୱନ କଲାପ୍ରାୟ ଶତ୍ରୁମାନେ ତାହା ଦ୍ୱାରା ଧୃତ ହୋଇ ଶବ୍ଦ କରିବାକୁ ଲାଗିଲେ । ତତ୍ପରେ ଗ୍ରୀଷ୍ମ ଋତୁର ପ୍ରବଳ ଗ୍ରୀଷ୍ମ ଯୋଗେ ପର୍ବତରେ ଅଗ୍ନିଲାଗି ବାଉଁଶ ଆଦି ବୃକ୍ଷସବୁ ଜଳିଲା ପ୍ରାୟ ସୂର୍ଯ୍ୟବଂଶୀ ରାମ ତପସ୍ୟା ପ୍ରଭାବରେ ବାଉଁଶଧନୁରେ ଅଗ୍ନିଶର ପ୍ରୟୋଗ କରି ସୁବେଳ ପର୍ବତ ଉପରେ ବିରାଜିତ ହେଲେ । ତାଙ୍କ ଶର ପ୍ରୟୋଗଦ୍ୱାରା ବର୍ଷା ଆଦି ଛଅ ଋତୁର ରୀତି ପରି ସ୍ଥୂଳଜଙ୍ଘର ମୃତ୍ୟୁ ରୀତି ସମାପ୍ତ ହେଲା । (ଏ ଦୁଇ ପଦରେ ଯେପରି ଛଅ ଋତୁର ବର୍ଣ୍ଣନା ଶେଷ କରାଗଲା, ସେହିପରି ରାମଚନ୍ଦ୍ରଙ୍କ ଅଗ୍ନିଶରରେ ସ୍ଥୂଳଜଙ୍ଘର ପ୍ରାଣ ଶେଷ ହେଲା ।) ତତ୍ପରେ ରାମଚନ୍ଦ୍ର ବିଭୀଷଣକୁ ପୁଚ୍ଛା କଲେ, ‘‘ଏ ରାକ୍ଷସ କିଏ ? ଏ ତ କୁମ୍ଭକର୍ଣ୍ଣଠାରୁ ଓ ଇନ୍ଦ୍ରଜିତଠାରୁ ବୀରପଣରେ ବଳିଗଲା । କାରଣ ସେମାନେ ସୁବେଳ ପର୍ବତ ପର୍ଯ୍ୟନ୍ତ ଆସିପାରି ନ ଥିଲେ, ଏ ଆମ ସୈନ୍ୟଙ୍କୁ ହଟାଇ ଏ ପର୍ଯ୍ୟନ୍ତ ତା ରଥ ଚଳାଇ ଆଣିଲା । ’’
୩୦ଶ ପଦ :- ଇନ୍ଦୁମତି-ଚନ୍ଦ୍ରସଦୃଶ କୀର୍ତ୍ତିମନ୍ତ । ପ୍ଳବଗ-ବାନର ।
୩୦ଶ ପଦ :- ‘‘ପୁଣି ଏହିବୀର କ୍ଷୟାତିଥି ପ୍ରାୟ ମୋର ସୈନ୍ୟମାନଙ୍କୁ କ୍ଷୟ କରିବାରୁ ସେନାପତିମାନେ ଘୁଞ୍ଚି ପଳାଇଗଲେ । ତାହା କଣ ସାମାନ୍ୟ ଲୋକପକ୍ଷରେ ସମ୍ଭବ ?’’ ରାମଚନ୍ଦ୍ରଙ୍କର ଏ ପ୍ରଶ୍ନ ଶୁଣି ବିଭୀଷଣ ଉତ୍ତରଦେଲେ ‘‘ଏ ରାବଣ ଭାର୍ଯ୍ୟା ଇନ୍ଦୁମତୀର ପୁତ୍ର । ଏ ଚନ୍ଦ୍ରପ୍ରାୟ କୀର୍ତ୍ତିମନ୍ତ ଓ ସୂର୍ଯ୍ୟପ୍ରାୟ ଗତିଶୀଳ ଅଟେ । ହେ ବିଭୁ ! ଚନ୍ଦ୍ର ଅମାବାସ୍ୟା ଦିନ ବିନାଶ ହେଲାପରି ସେ ଆପଣଙ୍କ ଦର୍ଶନରେ ବିନାଶ ହେଲା । ତାହାର ନାମ ସ୍ଥୂଳଜଙ୍ଘ ଅଟେ । ତାର ଏତେ ବଳ ଯେ, ସେ ଅକ୍ଳେଶରେ ମର୍କଟ ସୈନ୍ୟସମୂହକୁ ବଳରେ ହଟାଇ ଆଣି ଏକତ୍ରିତ କରି ଦେଲା ।’’
ବିଦାରି ହୋଇବା ଗାତ୍ର କରାଇ କଣ୍ଡୁରାପତ୍ରଜ ପାତ ତଥା ରାବଣି ଏ ।ବୋଲୁଁ ରାମ ପ୍ରତ୍ୟୁତ୍ତର ରହିଲା ବୃକ୍ଷ ମାତର ହେଲାପଲାଶି ହତ ସମୟେ ସେ ।ବାର୍ତ୍ତା ପାଇ ! ବିସ୍ଥିରତା ନିକଷା ତନୟେ ।ବିଷ୍ଣୁ ପଦକୁ ବିସ୍ମୟେ ଚାହୁାଁ ଶଙ୍କି ଦେବତାଏନ ପୁଣସ୍ୱର୍ଗ କରେ ବିଜୟେ ଯେ । ୩୧ ।ବଦନ କରୁଁ ମହୀକି ସେ ଭାଳେ ତର୍ଜେ ଅହିକି ଏକ୍ଷଣି ମୋତେ କେ ଆଉଧରୁ ।ବିବେକ ଉଦୟଚିତ୍ତେ ଦଇବେ ହୋଇ ଉଚିତେ ଆଗ ରଘୁନାଥ ଶରତରୁ ଯେ ।ବିପକ୍ଷରେ । ବିଜେ ସୁବେଳଗିରି ଉପରେ ।ବତିଶ ପଦେ ରଞ୍ଜନ ଛାନ୍ଦ ବୁଝିବ ସୁଜନକୃତ ଉପଇନ୍ଦ୍ର ବୀରବରେ ଯେ । ୩୨ ।୩୧ଶ ପଦ :- କଣ୍ଡୁରାପତ୍ରରଜ-ବାଇଡ଼ଙ୍କ ପତ୍ରର ଅଂଶୁ । ରାବଣିଏ-ରାବଣର ପୁତ୍ରମାନେ । ନିକଷାତନୟ-ରାବଣ । ବିଷ୍ଣୁପଦ :- ଆକାଶ ।
୩୧ଶ ପଦ :- ‘‘ହେ ବୀର ! ବାଇଡ଼ଙ୍କ ପତ୍ରର ଅଂଶୁଲାଗିଲେ ଯେପରି ଦେହ କୁଣ୍ଡାଇ ହୁଏ, ସେହିପରି ରାବଣର ପୁତ୍ରମାନେ ଯାହା ସହିତ ଲାଗନ୍ତି, ତାହାକୁ ଯନ୍ତ୍ରଣା ପ୍ରଦାନ କରନ୍ତି ।’’ ବିଭୀଷଣ ଏହା କହିବାରୁ ରାମ ପ୍ରତ୍ୟୁତ୍ତର ଦେଲେ, ‘ଗ୍ରୀଷ୍ମ କାଳରେ ପଲାଶପତ୍ର ସବୁ ନଷ୍ଟ ହୋଇ କେବଳ ବୃକ୍ଷ ରହିବା ପ୍ରାୟ ବୃକ୍ଷ ପ୍ରାୟ ରହିଅଛି ।’’ ଯୁଦ୍ଧର ବାର୍ତ୍ତା ପାଇ ରାବଣ ଅସ୍ଥିର ହୋଇ ପଡ଼ିଲା । ବିସ୍ମୟରେ ଆକାଶକୁ ଚାହିଁବାରୁ ଦେବତାମାନେ ଭୟପ୍ରାପ୍ତ ହୋଇ ଭାବିଲେ, ପୁତ୍ର ଶୋକରେ ଅଧୀର ହୋଇ ରାବଣ ସ୍ୱର୍ଗପୁରକୁ ବିଜେ କରି ଆସି ଆମକୁ ଆକ୍ରମଣ କରିବ କି ?’’