ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ · ଭାଗ ୭ / ୯ · ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେ (୨)
ସମ୍ପୂର୍ଣ୍ଣ ସୂଚୀପତ୍ର
୩୨ଶ ପଦ :- ଶୋକ ହେତୁ ପୁଣି ରାବଣ ତଳକୁ ମୁହଁ କରି ଚାହିଁବାରୁ ପୃଥିବୀ ବିଚାର କଲା, ‘‘ନାଗରାଜ ବାସୁକି ରାବଣର ଏ ଦୃଷ୍ଟିକୁ ଦେଖି ଭୟ କରି ମୋତେ ଛାଡ଼ି ଦେଲେ ଆଉ କିଏ ମୋତେ ଧରିବ ?’ ଦୈବ ଯୋଗରେ ତା ମନରେ ପୁଣି ଏହି ବିଚାର ସ୍ଥାନ ପାଇଲା, ‘ରାବଣ ଆଗ ରାମଚନ୍ଦ୍ରଙ୍କ ବାଣରୁ ଉଦ୍ଧାର ପାଉ ।’’ ଅନନ୍ତର ରାମଚନ୍ଦ୍ର ନିଜର ସହାୟକ ସୁଗ୍ରୀବାଦିମାନଙ୍କୁ ନେଇ ସୁବେଳ ଗିରିକୁ ବିଜେ କଲେ । ହେ ସାଧୁଜନେ ! ବୀରବର ଉପେନ୍ଦ୍ର ଭଞ୍ଜ କୃତ ଏଛାନ୍ଦ ବତିଶ ପଦରେ ମନୋହର ହୋଇଅଛି ।
ଅଷ୍ଟଚତ୍ୱାରିଂଶ ଛାନ୍ଦରାଗ-ବଳଘଣ୍ଟ କେଦବୋଇଲା । ବସି ପୁରେ ବଶୀଭୂତ ବାମାରେ ଲଙ୍କେଶ ଯେ ।ବିପତ୍ତି ଉତ୍ପତ୍ତି ଏ ସମ୍ପତ୍ତି ଗଲା ନାଶ ଯେ । ୧ ।ବୋଇଲା । ବଂଶତରୁ ପରା ବଂଶ ପଲ୍ଲବେ ତରୁଣ ଯେ ।ବସନ୍ତ ରାମବଶରେ ହତ ପୁଣପୁଣ ଯେ । ୨ ।ବୋଇଲା । ବ୍ୟାଧିଭାବ ସୀତାଭାବ ହୃଦୟେ ଉଦୟେ ଯେ ।ବିଶେଷ ଶେଷ ହେବାର ଉପାୟ ନ ପାଏଁ ଯେ । ୩ ।ବୋଇଲା । ବଲ୍ଲଭୀଶ୍ରେଷ୍ଠ ତା ଲଭି ଭରସା ରସଇ ଯେ ।ବିହି ତହି ତ ଭେଷଜ ସଜ୍ଜନିତ ଏହି ଯେ । ୪ ।ବୋଇଲା । ବ୍ୟାସବୃଦ୍ଧି ସୀତା ମଧୁରତା ରତା ମୁଞ୍ଚ ଯେ ।ବିଭୋ ବିଭୂତିଭୂଷା କନ୍ୟାଦାନ ରଚ ଯେ । ୫ ।
୧ମ ପଦ :- ସ୍ଥୂଳଜଙ୍ଘର ବିନାଶ ପରେ ରାବଣ ମନ୍ଦୋଦରୀ ପ୍ରଭୃତି ସ୍ତ୍ରୀମାନଙ୍କଠାରେ ବଶୀଭୂତ ହୋଇ ଅନ୍ତଃପୁର ମଧ୍ୟରେ ବସି କହିଲା, ‘‘ସୀତା ହରଣ ହେତୁ ବିପଦ ଜାତ ହୋଇମୋର ଏ ସମ୍ପତ୍ତିସବୁ ବିନାଶ କଲା ।’’
୨ୟ ପଦ :- ବଂଶତରୁ-ବାଉଁଶ ଗଛ । ପଲ୍ଲବ-ପତ୍ର ।
୨ୟ ପଦ :- ମୋହର ବଂଶ ବାଉଁଶ ଗଛ ପ୍ରାୟ ପତ୍ରବିମଣ୍ଡିତ ହୋଇଥିଲା । ମାତ୍ର ବସନ୍ତଋତୁରେ ବାଉଁଶ ଗଛ ପତ୍ରହୀନ ହେଲାପ୍ରାୟ, ରାମ ଯୋଗୁଁ ମୋର ବିସ୍ତାର ପାଇଥିବା ତରୁଣ ପୁତ୍ରମାନେ ବିନାଶ ପାଇଲେ (ମୁଁ ଖୁଣ୍ଟା ଗଛ ପ୍ରାୟ ଏକା ରହିଅଛି ) ।
୩ୟ ପଦ :- ସୀତା ମୋତେ ନ ଭଜି ମୋର ବ୍ୟାଧିରୂପରେ ଅନ୍ତଃକରଣରେ ଉଦୟ ହୋଇ ରହିଅଛି । ସୀତା କି ଉପାୟରେ ମୋତେ ଭଜିବ ଏବଂ ମୋର ଅନ୍ତର୍ଗତ ଜନିତ ବ୍ୟାଧି ନାଶ ହେବ ସେକଥା ମୁଁ ଜାଣି ପାରୁନାହିଁ । ( ଅଥବା ସୀତାର ଭାବନା କିପରି ମୋ ଅନ୍ତରରୁ ଲୋପ ପାଇବ ତାର ଉପାୟ ମୁଁ ପାଉନାହିଁ ।)
୪ର୍ଥ ପଦା :- ବଲ୍ଲଭୀ ଶ୍ରେଷ୍ଠ-ବଡ଼ ପାଟରାଣୀ । ବିହି-ଉପଯୁକ୍ତ । ଭେଷଜ-ଔଷଧ ।
୪ର୍ଥ ପଦ :- ରାବଣ ଏହି କଥା ଶୁଣି ତାର ପାଟରାଣୀ ମନ୍ଦୋଦରୀ ଭରସା ପାଇ ମନ ରଞ୍ଜାଇ କହିଲା, ‘‘ଯେପରି ଉତ୍ତମ ଔଷଧ ରୋଗୀର ହିତ କରେ, ସେହିପରି ସାଧୁ ବ୍ୟବହାର ତୁମ୍ଭର ଅନ୍ତର୍ଗତ କାମବ୍ୟାଧିକୁ ବିନାଶ କରି ତୁମ୍ଭପ୍ରତି ହିତକର ହେବ । ’’
୫ମ ପଦ :- ମୁଞ୍ଚ-ତ୍ୟାଗକର । ବିଭୂତି-ବିଭୂଷା-ରାମଚନ୍ଦ୍ର ।
୫ମ ପଦ :- ‘‘ରୋଗୀ ‘ସୀତା, ଶର୍କରାର ମଧୁରତାରେ ଅନୁରକ୍ତ ହୋଇ ଯେପରି ତାର ବ୍ୟାଧି ବୃଦ୍ଧି ପ୍ରାୟ ହୁଏ ଏବଂ ତାହା ତ୍ୟାଗ କଲେ ରୋଗ ଛାଡ଼ିଯାଏ, ସେହିପରି ସୀତାଙ୍କର ମାଧୁରୀରେ ଅନୁରକ୍ତ ହେଲେ ତୁମ୍ଭର କାମବ୍ୟାଧି ବୃଦ୍ଧି ପାଇବ, ଅତଏବ ତାଙ୍କୁ ତ୍ୟାଗ କରିବା ବିଧେୟ । ହେ ନାଥ ଭସ୍ମ ବିଲେପିତ ଜଟାଧାରୀକୁ ତାର ନାରୀ ପ୍ରଦାନ କର ।’’
ବୋଇଲା । ବନବାସୀ - ରସିକା ରସିକା ନୋହିଥିବ ଯେ ।‘ବନ୍ଧୁ ଜୀବ, ବୋଲିବାକୁ ବନ୍ଧୁଜୀବ ଭାବ ଯେ । ୬ ।ବୋଇଲା । ବାସ ବାସକିରଙ୍ଗରୁ ରଙ୍ଗ ଇଛେ ଅଳି ଯେ ।ବିଧିରେ ବିଧିରେ ଶୋଭାରୂପେ ଅଛ ଭୁଲି ଯେ । ୭ ।ବୋଇଲା । ବିହିଛି ଶୋଭା ଆରମ୍ଭା ରମ୍ଭା ତୁଲେ କେଳି ଯେ ।ବିଭୋ ଯେତେ ସୁନ୍ଦରୀ ସେ ପୁରନ୍ଦରି ଭଳି ଯେ । ୮ ।ବୋଇଲା । ବାଳକ ନୁହ ଜମ୍ବାଳ ମଧ୍ୟରେ ନ ମଜ୍ଜ ଯେ ।ବିମଳ ଉଜ୍ଜ୍ୱଳ ଜଳ ଛାଡ଼ି ମହାରାଜ ଯେ । ୯ ।ବୋଇଲା । ବାଣୀ ବାଣୀ କେ ତହିଁରେ ପ୍ରମାଣ ପ୍ରମାଣ ଯେ ।ବନିତାଗଣ ଜନିତା କରେ ପୁଣପୁଣ ଯେ । ୧୦ ।
୬ଷ୍ଠ ପଦ :- ‘‘ହେ ନାଥ ! ତୁମ୍ଭେ ଭାବୁଛ ଯେ, ସେ ସୀତା ରସିକା ହୋଇଥିବ । ମାତ୍ର ତାହା ନୁହେଁ, ରସିକା ହୋଇଥିଲେ, ତୁମ୍ଭପରି ରାଜାଙ୍କ ଅନୁରାଗିଣୀ ନ ହୋଇ ବନରେ ବାସ କରୁଥିବା ଲୋକଙ୍କଠାରେ ଅନୁରାଗବତୀ ହୋଇଥାନ୍ତା କି ? (ଅଥବା ବନବାସୀ ସ୍ତ୍ରୀମାନେ କଦାପି ରସିକା ନୁହଁନ୍ତି) । ସେପରି ଅରସିକା ସ୍ତ୍ରୀକୁ ‘ହେ ବନ୍ଧୁ ହେ ଜୀବ, ଏପରି ସମ୍ବୋଧନ ନ କରି ‘ବନ୍ଧୁଜୀବ’ ବଧୁଲ୍ୟ ପୁଷ୍ପ ପ୍ରାୟ ତ୍ୟାଗ କରିବା ଉଚିତ ।
୭ମ ପଦ :- ରଙ୍ଗ-କୌତୁକ । ଅଳି-ଭ୍ରମର । ବିଧୀରେ-ନିର୍ବୁଦ୍ଧି ପଣରେ, ଅଜ୍ଞତାରେ ।
୭ମ ପଦ :- ମନ୍ଦୋଦରୀ ପୁଣି କହିଲା, ‘‘ସେହି ବଧୁଲ୍ୟଫୁଲ ସୁଗନ୍ଧର ସ୍ଥାନ କି ? କେବଳ ରଙ୍ଗ ଦେଖି ଭ୍ରମର ତାହା ସଙ୍ଗତ କେଳି ଇଚ୍ଛା କରେ । ଦୈବ୍ୟଯୋଗରେ ବୁଦ୍ଧିହୀନ ହୋଇଥିବାରୁ ସେ ବଧୁଲ୍ୟଫୁଲର ଶୋଭାରେ ଭୁଲିଥାଏ, ସେହିପରି ସେ ଅରସିକା ସୀତାଠାରେ ଭ୍ରମ ହେତୁ ମଜ୍ଜି ଅଛି ।’’
୮ମ ପଦ :- ‘‘ହେ ନାଥ ! ତୁମ୍ଭେ ଅତି ସୁନ୍ଦରୀ ରମ୍ଭା ଅପ୍ସରା ସହିତ କେଳି କରିଅଛ । ସେ ରମ୍ଭା ସଂସାରର ସବୁ ସୁନ୍ଦରୀଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ । (ମାତ୍ର ସୀତା ତ ତାହାଠାରୁ ବଳି ସୁନ୍ଦରୀ ନୁହେଁ, ତେବେ ତା ପ୍ରତି ଅନୁରକ୍ତ ହେଉଛ କାହିଁକି?)’’
୯ମ ପଦ :- ପୁଣି ମନ୍ଦୋଦରୀ କହିଲା, ‘‘ହେ ମହାରାଜା ! ତୁମ୍ଭେ ତ ପିଲା ନୁହେଁ, ନିର୍ମଳ ଉଜ୍ଜ୍ୱଳ ଜଳ ଛାଡ଼ି ପଙ୍କ ମଧ୍ୟରେ ବୁଡ଼ନାହିଁ । (ତୁମ୍ଭେ ବାଳକ ପ୍ରାୟ ଅଜ୍ଞାନ ନ ହୋଇ ମୋର ନିର୍ମଳ ଜଳରୂପ କଥାରେ ମଜ୍ଜି ପଙ୍କ ସଦୃଶ ସୀତା ଲୋଭରେ ବୁଡ଼ନାହିଁ) ।’’
୧୦ମ ପଦ :- ଜମ୍ୱାଳ ମଧ୍ୟରେ-ପଙ୍କରେ । ନ ମଜ୍ଜ-ମଗ୍ନ ହୁଅ ନାହିଁ ।
୧୦ମ ପଦ :- ସେଠାରେ ଥିବା ଅନ୍ୟ ସ୍ତ୍ରୀମାନେ ମନ୍ଦୋଦରୀର କଥାମାନ ଶୁଣି ବାରମ୍ବାର କହିବାକୁ ଲାଗିଲେ, ‘ଏହା ସତ୍ୟ ଅଟେ । ’ (ମନ୍ଦୋଦରୀ ଯାହା କହିଲେ, ତୁମ୍ଭେ ତାହା କର ) ।
ବୋଇଲା । ବଚନେ ବିଂଶବାହୁ ଯେ ବାହୁଜେ ହସିବେ ଯେ ।ବୀରପଣେ ସମର୍ପଣେ ଊଣା ସର୍ବଭାବେ ଯେ । ୧୧ ।ବୋଇଲା । ବଇରୀ ଦେହେ ଈରିଷା ବହି ନ ମାନିବେ ଯେ ।ବିନାଶନ ବନ୍ଧୁଜନ କି ଜୀବେ ରାଜିବେ ଯେ । ୧୨ ।ବୋଇଲା । ବିଦେହ ରାଜନସୁତା ବିଦେହ ଯୋଷାରେ !ବପୁଶୋଭା ଅଧିକାରେ ଧିକ୍କାରେ ସଂସାରେ ଯେ । ୧୩ ।ବୋଇଲା । ବାହ୍ୟରେ ସେ ରସାଳସା ରସାଳ ସଦୃଶ ଯେ ।ବରନାରୀ ନାରିକେଳ ଅନ୍ତରେ ସରସ ଯେ । ୧୪ ।ବୋଇଲା । ବିନୀତା ମୁଁ କଠିନତା ପ୍ରକାଶ ମୋହରେ ଯେ ।ବହେ କୋମଳତା ପ୍ରେମଲତା ରାମଠାରେ ଯେ । ୧୫ ।୧୧ଶ ପଦ :- ବାହୁଜେ-କ୍ଷତ୍ରିୟମାନେ ।
୧୧ଶ ପଦ :- ରାଣୀମାନଙ୍କ କଥା ଶୁଣି ରାବଣ ସେମାନଙ୍କୁ କହିଲା, ‘‘ମୁଁ ସୀତାଙ୍କୁ ଫେରାଇ ଦେଲେ, କ୍ଷତ୍ରିୟମାନେ ମୋତେ ହସିବେ । (କ୍ଷତ୍ରିୟମାନେ ମୋତେ ଭୀରୁ ମନେକରି ଉପହାସ କରିବେ ) । ମୋର ବୀରତ୍ୱ ସବୁ ରୂପରେ ଊଣା ପଡ଼ିଯିବ(ମୋତେ ଆଉ କେହି ମାନିବେ ନାହିଁ ) ।’’
୧୨ଶ ପଦ :- ବଇରୀ-ଶତ୍ରୁ । ଇରଷା(ଈର୍ଷା)-ଅହଂକାର । ଜୀବେ-ବଞ୍ଚିବେ ।
୧୨ଶ ପଦ :- ପୂନର୍ବାର କହିଲା, ‘‘ଶତ୍ରୁମାନେ ମୋ ପ୍ରତି ଈର୍ଷାଯୁକ୍ତ ହୋଇ ମୋତେ ଆଉ ଖାତିର କରିବେ ନାହିଁ l ସେ ଯାହା ହେଉ, ସୀତା ଫେରାଇ ଦେଲେ, ମୋର ଯେଉଁ ପୁଅ ନାତି, ଭାଇ ବନ୍ଧୁ, ସୈନ୍ୟ, ସୈନ୍ୟ ସେନାପତିଆଦି ମଲେ, ସେମାନେ କ’ଣ ପ୍ରାଣ ପାଇ ପୁଣି ଉଠିବେ କି ? (ସୀତା ସକାଶେ ତାଙ୍କୁ ମରାଇ ପରେ ସୀତା ଅର୍ପଣକରି ଏକାକୀ ବଞ୍ଚି ରହିବା ମୋ ପକ୍ଷରେ ଉଚିତ କି )?’’
୧୩ଶ ପଦ :- ବିଦେହ ରାଜନ ସୁତା-ସୀତା । ବିଦେହ-କନ୍ଦର୍ପ ଯୋଷା-ସ୍ତ୍ରୀ ।
୧୩ଶ ପଦ :- ‘ରମ୍ଭଠାରୁ ସୀତା ସୁନ୍ଦରୀ ନୁହେଁ’ ମନ୍ଦୋଦରୀର ଏହି କଥାକୁ ଲକ୍ଷ୍ୟକରି ରାବଣ ପୁଣି କହିଲା; ‘ସୀତାର ଦେହରେ ଶୋଭା ଅଧିକ ହେବାରୁ ‘ବିଦେହଯୋଷା’ କାମଦେବର ପତ୍ନୀ ରତିଦେବୀଙ୍କୁ ସଂସାରର ଲୋକମାନେ ଧିକ୍କାର କରୁଅଛନ୍ତି । (ସୀତାଙ୍କ ସୌନ୍ଦର୍ଯ୍ୟକୁ ରତି ମଧ୍ୟ ସମାନ ନୁହଁନ୍ତି, ରମ୍ଭା କଥା ତ ଛାର ) ।’’
୧୪ଶ ପଦ :- ରସାଳ-ପାଚିଲା ଆମ୍ୱ । ନାରିକେଳ-ନଡ଼ିଆ । ଅନ୍ତର-ଭିତର । ସରସ-ରସଯୁକ୍ତ ।
୧୪ଶ ପଦ :- ‘‘ସେ ରସାଳସା ସୀତା ବାହାରେ ଦେଖିବାକୁ ଆମ୍ବପ୍ରାୟ । (ଆମ୍ୱ ସୁନ୍ଦର ଓ ସୁଗନ୍ଧଯୁକ୍ତ, ମାତ୍ର ତାହାର ହୃଦୟରେ କଠିନ ଟାକୁଆ ରହିଥାଏ, ସେହିପରି ସୀତା ଲୋଚନ ଲୋଭନୀୟା ସୁନ୍ଦରୀ ଓ ପରିମଳ ମନୋହର ଗନ୍ଧରେ ସୁବାସିତ ହେତୁ ଯୋଜନଗନ୍ଧା ନାମ ପାଇଅଛି; ମାତ୍ର ତାହାର ହୃଦୟ ଅତ୍ୟନ୍ତ କଠିନ । ମୋର ଏତେ ଅନୁନୟ ବିନୟ ଓ ଏପରି ଦଶା ଦେଖି ମଧ୍ୟ ସେ ଅନୁକମ୍ପା କରୁନାହିଁ) । ପୁଣି ସେ ନାରୀକେଳ ପ୍ରାୟ ରସଯୁକ୍ତ ଅନ୍ତର ହୋଇ ହୃଦୟରେ ରାମଙ୍କ ପ୍ରତି ଅନୁରାଗବତୀ ହୋଇଅଛି । (ନାରୀକେଳର ଉପର କଠିନ ହେଲା ପ୍ରାୟ ସେ ଅନ୍ୟ ପୁରୁଷ ପ୍ରତି ବଡ଼ କଠିନ ଅଟେ ) ।’’
୧୫ଶ ପଦ :- ‘‘ସେହି ସୀତା ପାଖରେ ଏ ଯେଉଁ କଠିନତା ଓ କୋମଳତା ଦୁଇଗୁଣ ପ୍ରକାଶ ପାଇଲା, ତନ୍ମଧ୍ୟରୁ ମୁଁ ଯେତେ ବିନୟୀ ହେଲେ ସୁଦ୍ଧା ମୋ ପ୍ରତି କଠିନତା ଗୁଣ ପ୍ରୟୋଗ କରୁଅଛି ଏବଂ ତାର ପ୍ରେମାସ୍ପଦ ରାମଚନ୍ଦ୍ରଠାରେ କୋମଳତା ପ୍ରକାଶ କରୁଅଛି ।’’
ବୋଇଲା । ବିତର୍କି କେତକୀ ପରି ଘାତକୀ ଭ୍ରମରେ ଯେ ।ବସିବ ଶିବଶିରସି ରସି ନିଶାକରେ ଯେ । ୧୬ ।ବୋଇଲା । ବାଣୀ ଏ ଅନୁ ରକ୍ତରେ ରକ୍ତବୀର୍ଯ୍ୟ ଜେମା ଯେ ।ବୃହସ୍ପତି ରାମାପରିମନାଇଁ ଚନ୍ଦ୍ରମା ଯେ । ୧୭ ।ବୋଇଲା । ବିପକ୍ଷରେ ସୁରରେ ଅସୁରପକ୍ଷ ଘେନି ଯେ ।ବଳକ୍ଷକର ବିପକ୍ଷ କର୍ମବଳ ମାନି ଯେ । ୧୮ ।ବୋଇଲା । ବାହୁଡ଼ାଇ ନ ଜଡ଼ାଇ ତ୍ରପାରେ ମାନସ ଯେ ।ବିହିତ ଅଙ୍କରେ ଅଙ୍କ ପ୍ରକାଶରେ ଦୃଶ୍ୟ ଯେ । ୧୯ ।ବୋଇଲା । ବିନାଶ ବହୁତ କଳା ରହି ସେ କଳକେ ଯେ ।ବୁଦ୍ଧି ବନ୍ଦନୀୟ ବନ୍ଦାପନା କାଳେ ଲୋକେ ଯେ । ୨୦ ।
୧୬ଶ ପଦ :- ‘‘ପୁଣି ସେହି ସୀତା କେତକୀ ଫୁଲ ପ୍ରାୟ ହୋଇଅଛି । କେତକୀ ଯେପରି ଗନ୍ଧବତୀ, ସ୍ୱର୍ଣ୍ଣବର୍ଣ୍ଣ ହୋଇ ସୁଦ୍ଧା ଭୃଙ୍ଗର ଘାତକୀ ହୁଏ, ମାତ୍ର ଶିବରାତ୍ରି ଦିନ ରସି ଶିବଙ୍କ ମସ୍ତକରେ ବସେ, ସେହିପରି ଏ ସୀତା ଗନ୍ଧବତୀ, ସ୍ୱର୍ଣ୍ଣବର୍ଣ୍ଣା ହୋଇ ମଧ୍ୟ ମୋପରି କାମୁକର ବିନାଶକାରୀ ହୋଇଅଛି, ମାତ୍ର ସମୟରେ ରାମଚନ୍ଦ୍ରଠାରେ ରସି ତା ପାଖରେ ବସିବ ।’’
୧୭ଶ ପଦ :- ଜେମା-କନ୍ୟା । ବୃହସ୍ପତିରାମା-ବୃହସ୍ପତିଙ୍କର ପତ୍ନୀ ତାରା ।
୧୭ଶ ପଦ :- ରାବଣ ବଚନ ଶୁଣି ରକ୍ତବୀର୍ଯ୍ୟ ଅସୁରର କନ୍ୟା ଇନ୍ଦୁମତୀ କହିଲା, ‘‘ଚନ୍ଦ୍ରମା ବୃହସ୍ପତିଙ୍କ ସ୍ତ୍ରୀ ତାରାକୁ ଅନୁରାଗର ସହିତ ମନାଇ ଆଣିଲାପରି, ତୁମ୍ଭେ ସୀତାକୁ ମନାଇ ଆଣିଲ ନାହିଁ ? (ବଳାତ୍କାରରେ ଆଣିଲ କାହିଁକି ?)’’
୧୮ଶ ପଦ :- ବଳକ୍ଷକର-ଧବଳ କିରଣଯୁକ୍ତ ଅର୍ଥାତ୍ ଚନ୍ଦ୍ର ।
୧୮ଶ ପଦ :- ‘‘ବୃହସ୍ପତିଙ୍କ ସ୍ତ୍ରୀ ତାରାକୁ ଚନ୍ଦ୍ର ନେଲାବେଳେ ଦେବତାମାନେ ବୃହସ୍ପତିଙ୍କ ପକ୍ଷରେ ରହିଲେ । ତାହା ଦେଖି ଚନ୍ଦ୍ର ଅସୁରଙ୍କ ପକ୍ଷନେଇ ଯୁଦ୍ଧ କଲେ । ଯୁଦ୍ଧରେ ଅସୁରମାନେ ହାରିଯିବାରୁ ଚନ୍ଦ୍ର ଆପଣାର କର୍ମବଳ ମାନି ଚୁପ୍ ହୋଇ ରହିଲେ । ’’
୧୯ଶ ପଦ :- ତ୍ରପାରେ-ଲଜ୍ଜାରେ । ଅଙ୍କ-ଚିହ୍ନ ।
୧୯ଶ ପଦ :- ‘ଚନ୍ଦ୍ର ଏହାଦ୍ୱାରା ମନରେ ଲାଜ ନ ପାଇ ତାରାଙ୍କୁ ବୃହସ୍ପତିଙ୍କି ଫେରାଇ ଦେଲେ । ତଥାପି ପରନାରୀ ହରଣ ରୂପ କଳଙ୍କକୁ ଦେହରେ ବହି ଅଛନ୍ତି- ତା ତ ପ୍ରତକ୍ଷ୍ୟରେ ଦେଖାଯାଉଛି ।’’
୨୦ଶ ପଦ :- ସୀତା ଫେରାଇ ଦେଲେ ବନ୍ଧୁ ବର୍ଗ ପୁଣି ବଞ୍ଚିବେ କି ?’ ରାବଣର ଏହି ବାକ୍ୟକୁ ଲକ୍ଷ୍ୟ କରି ପୁଣି ସେ କହିଲେ, ‘ଚନ୍ଦ୍ରର ବହୁତ କଳା ବିନାଶ ହୁଏ । ସେ କଳାଏ ମାତ୍ର ରହିପୁଣି ବୃଦ୍ଧି ପାଇ ପୂର୍ଣ୍ଣକଳା ଲାଭ କରେ । ସେ ଦିନ ଲୋକମାନେ ତାକୁ ପୂଜା କରନ୍ତି ।’’ (ସେହିପରି ତୁମ୍ଭର ବଂଶ କ୍ଷୟ ଯାଇଥିଲେ ସୁଦ୍ଧା, ତୁମ୍ଭେ ଯେତେବେଳେ ଅଛ, ପୁଣି ପୁଅ ନାତି ସୈନ୍ୟ ସେନାପତି ବୃଦ୍ଧି ପ୍ରାପ୍ତ ହେବେ ଓ ତୁମ୍ଭେ ପୁଣି ପ୍ରଶଂସନୀୟ ହେବ ) ।’’
ବୋଇଲା । ବୋଲିବ ଅବା ସେ ସାନ ଈଶାନ୍ତମଣ୍ଡନ ଯେ ।ବର୍ଷୁସୁଧାସୁଉଜ୍ଜ୍ୱଳଜଳଧିନନ୍ଦନ ଯେ । ୨୧ ।ବୋଇଲା । ବିରସିତାଯୋଷିତା ସିନା ସେ ସୀତାଦିଅ ଯେ ।ବିଳସିତେଉଲ୍ଲସିତେ ଏ ଦମ୍ପତେ ଥାଅ ଯେ । ୨୨ ।ବୋଇଲା । ବର୍ଦ୍ଧନ ମୁଳଧନରୁକଳନ୍ତବରତ ଯେ ।ବିନୟ ଘେନିବ ହେବ ତନୟ ବହୁତ ଯେ । ୨୩ ।ବୋଇଲା । ବୈଶ୍ରବଣ ଶ୍ରବଣରେ କି କହୁ ରମଣି ଯେ ।ବିପଣୀ ଏ ସଂସାର ତହିଁର ସାରମଣି ଯେ । ୨୪ ।ବୋଇଲା । ବଡ଼ କୃପଣ ଚଉରପଣ କରି ଆଣି ଯେ ।ବିସର୍ଜ୍ଜିବ ଜୀବ ସତେ ଯିବ କେବେ ପୁଣି ଯେ । ୨୫ ।୨୧ଶ ପଦ :- ଈଶାନମଣ୍ଡନ-ଶିବଙ୍କର ଶିରଭୂଷଣ । ବର୍ଷସୁଧା-ଅମୃତମୟ ଶରୀର । ଜଳଧିନନ୍ଦନ-ସମୁଦ୍ରପୁତ୍ର ।
୨୧ଶ ପଦ :- ପୁଣି କହିଲା, ‘‘ତୁମ୍ଭେ ଅବା କହିବ, ସେ ବଡ଼ଲୋକ ନୁହେଁ, (ଛୋଟ ଲୋକ ହୋଇଥିବାରୁ ଡରି ତାରାକୁ ଫେରାଇ ଦେଲା, ମାତ୍ର ମନେକର, ତାଠାରୁ ବଡ଼ଲୋକ ଆଉ କେହିନାହିଁ) ସେ ମହାଦେବଙ୍କ ମସ୍ତକଭୂଷଣ ହୋଇଅଛି, ତାହାର ଶରୀର ଅମୃତମୟ ଅଟେ, ସେ ଉତ୍ତମ ଉଜ୍ଜ୍ୱଳକାନ୍ତି ବିଶିଷ୍ଟ ଓ ସମୁଦ୍ରର ପୁତ୍ର (ସମୁଦ୍ରର ପୁତ୍ର ହେତୁ ଉଚ୍ଚବଂଶୀୟ ଅଟେ) ।’’
୨୨ଶ ପଦ :- ବିରସିତା-ବିମର୍ଷ । ଯୋଷିତା-ସ୍ତ୍ରୀ । ବିଳସିତା-କ୍ରୀଡ଼ାଯୁକ୍ତ । ଉଲ୍ଲସିତ-ଆନନ୍ଦିତ ।
୨୨ଶ ପଦ :- ‘ତୁମ୍ଭଠାରେ ରସୁ ନ ଥିବା ସ୍ତ୍ରୀ ସୀତାକୁ ଫେରାଇ ଦିଅ । ପୁଣି ସମ୍ପତ୍ତି ଭୋଗ କରି ଉଲ୍ଲାସ ଭାବରେ ବିଳାସ କରି ନିଶ୍ଚନ୍ତରେ ରହ । ତାରା ଚନ୍ଦ୍ରକୁ ରସିଥିଲେ ସୁଦ୍ଧା ଚନ୍ଦ୍ର ତାରାକୁ ଫେରାଇ ଦେଇଥିଲା, ଏତ ରସୁ ନାହିଁ; ଏହାକୁ ଫେରାଇ ଦେବାରେ ଆପତ୍ତି କାହିଁକି ?)’’
୨୩ଶ ପଦ :- ‘‘ମୂଳଧନରୁ କଳନ୍ତର ବର୍ଦ୍ଧିତ ହେଲା ପ୍ରାୟ ତୁମ୍ଭେ ଥିଲେ ବହୁତ ପୁତ୍ର ନାତି ବର୍ଦ୍ଧିତ ହେବେ । ହେ ନାଥ ! ଏବେ ମୋର ବିନୟବାଣୀ ଘେନାକରି ସୀତାକୁ ଫେରାଇ ଦିଅ ।
୨୪ଶ ପଦ :- ବୈଶ୍ରବଣ-ରାବଣ । ବିପଣୀ-ହାଟ, ବଜାର । ସାରମଣି-ମୂଲ୍ୟବାନ୍ରତ୍ନ ।
୨୪ଶ ପଦ :- ରାବଣ ଇନ୍ଦୁମତିର ବଚନ ଣୁଣି କହିଲା, ‘‘ଗୋ ପ୍ରିୟେ ! ତୁ କିପରି ଏ କୁତ୍ସିତ କଥା କହୁଅଛୁ ? ଏ ସଂସାର ରୂପ ବଜାରରେ ସେ ସୀତା ଶ୍ରେଷ୍ଠରତ୍ନ ପ୍ରାୟ ଅଟେ ।’’
୨୫ଶ ପଦ :- ‘‘ଅତି ଦରିଦ୍ର କୃପଣ ଲୋକ ଶ୍ରେଷ୍ଠରତ୍ନକୁ ଚୋରିକରି ଆଣିଥିଲେ ସେ ତାକୁ ଫେରାଇ ଦିଏ କି ? ସେହିପରି ମୁଁ ଚୋରିକରି ଆଣିଥିବା ଶ୍ରେଷ୍ଠ ସ୍ତ୍ରୀକୁ ଜୀବନ ଥାଉଁଥାଉଁ ତ୍ୟାଗ କରିବି କିପରି ? ଜୀବନ ଯିବ ପଛକେ, ମୁଁ ସେ ସ୍ତ୍ରୀ ରତ୍ନକୁ ଛାଡ଼ିବି ନାହିଁ) । ’’
ବୋଇଲା । ବୁଧ ବିବୁଧରଣରେ ଅମୂଲ୍ୟତ ସତ ଯେ ।ବୋଲିବା ରମଣୀମଣି ଏବେ ସମ୍ଭାବିତ ଯେ । ୨୬ ।୨୬ଶ ପଦ :- ବୁଧ-ପଣ୍ଡିତ । ବିବୁଧରଣରେ-ଦେବତାମାନଙ୍କ ମଧ୍ୟରେ ।
୨୬ଶ ପଦ :- ‘‘ସେହି ରମଣୀମଣି ସୀତା ପଣ୍ଡିତ ଓ ଦେବତାମାନଙ୍କ ମତରେ ଅମୂଲ୍ୟ ରତ୍ନ-ଏ କଥା ମିଛ ନୁହେଁ । ତା ପରି ସ୍ତ୍ରୀରତ୍ନ ବର୍ତ୍ତମାନ ସିନା ସମ୍ଭବ ହୋଇଅଛି । (ଅତୀତରେ ନଥିଲା କି ଭବିଷ୍ୟତରେ ହେବ)
ବୋଇଲା । ବିଦ୍ୟୁଜିହ୍ୱ କି ବିଦୁଷ ବିଦ୍ୟୁକାନ୍ତି ଯୁବା ଯେ ।ବିଧାନି ଶୋକନିଧାନୀସାବଧାନି ହେବା ଯେ । ୩୧ ।ବୋଇଲା । ବାହୁଡ଼ାଅ ମହୀଜାମହିଳା ନେଉ ଯତି ଯେ ।ବୋଲିବା ତାକୁ ଭିଆଉ ଆଉ ଏକ ମୂର୍ତ୍ତି ଯେ । ୩୨ ।ବୋଇଲା । ବିଂଶଲୋଚନ ବଚନ ଦେହୁଁ ଜାତ ଛାଇ ଯେ ।ବର୍ଣ୍ଣ ସୁବର୍ଣ୍ଣ ହୋଇଲେ ବଳା କାନ୍ତି ହୋଇ ଯେ । ୩୩ ।ବୋଇଲା । ବାରି ସେ ନିବାରି ତୃଷାର୍ତ୍ତିର ତୃଷା ପାରେ ଯେ ।ବଶ ଦେବି କି ମୁଁ ମୃଗ ମୃଗତୃଷାଠାରେ ଯେ । ୩୪ ।ବୋଇଲା । ବିଜ୍ଞାନ ନାଶେ ସୁଜ୍ଞାନ ଉଦୟ ଏମନ୍ତ ଯେ ।ବନିତାଏ ଶୁଣ ଏବେ ନିତାନ୍ତ ଚରିତ ଯେ । ୩୫ ।ବୋଇଲା । ବୈକୁଣ୍ଠ ନ ମାନୁ ଆମ୍ଭେ ବୈକୁଣ୍ଠପାଳିତ ଯେ ।ବୈକୁଣ୍ଠଦ୍ୱାରସ୍ଥ ବିଜୟ ଜୟ ବେନି ଭ୍ରାତ ଯେ । ୩୬ ।ବୋଇଲା । ବିଷ୍ଣୁ ମନୋରମା ରମା ଏକାନ୍ତରେ ସ୍ଥିତି ଯେ ।ବେଦବାଦୀ ସନକାଦି ଦରଶନଅର୍ଥୀ ଯେ । ୩୭ ।ବୋଇଲା । ବିରୋଧୁ ବିରୋଧୁ ଦ୍ୱାର ନ ମାନି ସେ ମାନୀ ଯେ ।ବଳେ ପ୍ରଭାବ ଉଦ୍ଭବ କଲୁଁ ଆମ୍ଭେ ବେନି ଯେ । ୩୮ ।ବୋଇଲା । ବୋଇଲେ ବହ ଶୂର ଅସୁରରୂପ ସତ ଯେ ।ବୋଲାଇବ ବିଷ୍ଣୁ ଦ୍ୱେଷୀ ଏ ଦଇବ-କୃତ୍ୟ ଯେ । ୩୯ ।ବୋଇଲା । ବାସରେ ବାସରେ ଋଷିସଙ୍ଗ ମଧୁଦ୍ୱାରୀ ଯେ ।ବାସରେ ଅଙ୍କବାସରେ ବେଶରେ ମାଧୁରୀ ଯେ । ୪୦ ।ବୋଇଲା । ବିଜେ କମଳା କମଳା କମଳାକ୍ଷୀ କରୁଁ ଯେ ।ବିଧୁରପାଶ ବିଧୁର ଉଦୟ ଆଚରୁଁ ଯେ । ୪୧ ।
୩୧ଶ ପଦ :- ‘‘ତୁମ୍ଭେ ବିଦ୍ୟୁଜ୍ଜିହ୍ୱ ରାକ୍ଷସକୁ କହିଲେ, ସେ ତାର ପାଣ୍ଡିତ୍ୟ ଓ ମାୟା ପ୍ରଭାବରେ ସୀତାଠାରୁ ଅଧିକା ସୁନ୍ଦରୀ ଯୁବତୀ ସ୍ତ୍ରୀ ନିର୍ମାଣ କରିବାକୁ ସମର୍ଥ ହେବ । (କାରଣ ସେ ମାୟା ସୀତା ନିର୍ମାଣକରି ଦେଇଥିଲା ) । ତୁମ୍ଭେ ଏହି ବିଷୟରେ ମନଯୋଗୀ ହୁଅ । (ସୀତାକୁ ଫେରାଇ ଦେଇ ମାୟାସୀତା ନିର୍ମାଣ କରାଇ ଉପଭୋଗ କର ) ।’’
୩୨ଶ ପଦ :- ମହୀଜାମହିଳା-ପୃଥିବୀରୁ ଜାତ ହୋଇଥିବା ରମଣୀ ଅର୍ଥାତ ସୀତା । ଯତି-ତପସ୍ୱୀ, ଏଠାରେ ରାମଚନ୍ଦ୍ର ।
୩୨ଶ ପଦ :- ପୁଣି କହିବାକୁ ଲାଗିଲା, ପୃଥିବୀରୁ ଜନ୍ମିଥିବା ସ୍ତ୍ରୀ ସୀତାକୁ ଆଗ ଫେରାଇ ଦିଅ; ତାକୁ ଜଟାଧାରୀ ନେଉ । ବିଦ୍ୟୁଜ୍ଜିହ୍ୱକୁ କହିବ, ସେ ଆଉ ଗୋଟିଏ ମାୟା ସୀତା ନିର୍ମାଣକରୁ ।’’
୩୩ଶ ପଦ :- ନାରକାସୁର କନ୍ୟାର କଥା ଶୁଣି ରାବଣ ଉତ୍ତର ଦେଲା, ‘‘ଦେହରୁ ଛାୟା ଜାତ ହୋଇଥାଏ । ମାତ୍ର ଦେହର ବର୍ଣ୍ଣ ସୁବର୍ଣ୍ଣ ପରି ହୋଇଥିଲେ ସୁଦ୍ଧା ତାର ଛାୟା ଦେହର ବର୍ଣ୍ଣ ସଙ୍ଗେ ସମାନ ନ ହୋଇ କଳା ଦେଖାଯାଏ । (ମାୟାମୂର୍ତ୍ତି ଯେତେ ସୁନ୍ଦର ହେଲେ ମଧ୍ୟ ପ୍ରକୃତ ମୂର୍ତ୍ତି ସହିତ ସମାନ ହୋଇପାରିବ ନାହିଁ ।’’
୩୪ଶ ପଦ :- ବାରି-ଜଳ । ନିବାରି-ନିବାରଣ କରି ବା ବିନାଶ କରି । ମୃଗତୃଷ୍ଣା-ମରୀଚିକା ।
୩୪ଶ ପଦ :- ରାବଣ ପୁଣି କହିଲା, ‘‘ଜଳ ସିନା ବୃକ୍ଷ ତୃଷାତୁର ଜନର ତୃଷା ନିବାରଣ କରିପାରେ । ମୁଁ ତ ମୃଗ ନୁହେଁ ଯେ ମରିଚିକାଠାରେ ଜଳଜ୍ଞାନ କରି ବଶ ହେବି । ମୁଁ କଣ ପଶୁ ଯେ ସୀତାଙ୍କୁ ଛାଡ଼ି ମାୟାସୀତାଠାରେ ଅନୁରାଗ କରିବି ?’’
୩୫ଶ ପଦ :- ରାବଣ ଅଜ୍ଞାନତା ନାଶ ହୋଇ ଚୈତନ୍ୟ ଉଦୟ ହୁଅନ୍ତେ, ସେ ପୁଣି କହିବାକୁ ଲାଗିଲା, ‘‘ବନିତାମାନେ । ଏବେ ପୂର୍ବର ବୃତ୍ତାନ୍ତମାନ ଶୁଣ ।’’
୩୬ଶ ପଦ :- ବୈକୁଣ୍ଠ-ଇନ୍ଦ୍ର । ବୈକୁଣ୍ଠପାଳିତ-ବିଷ୍ଣୁଙ୍କଦ୍ୱାରେ ଲାଳିତ ପାଳିତ । ବୈକୁଣ୍ଠାଦ୍ୱାଃସ୍ଥ-ବୈକୁଣ୍ଠପୁରର ଦ୍ୱାରୀ ।
୩୬ଶ ପଦ :- ‘‘ଆମ୍ଭେ ଜୟ ବିଜୟ ଦୁଇ ଭାଇ ନାରାୟଣଙ୍କଦ୍ୱାରା ପ୍ରତିପାଳିତ ହୋଇ ବୈକୁଣ୍ଠ ପୁରର ଦ୍ୱାରୀରୂପେ ରହିଥୁଲୁଁ, ତେଣୁ ଇନ୍ଦ୍ରଙ୍କୁ ସୁଦ୍ଧା ମାନୁନଥିଲୁଁ ।’’
୩୭ଶ ପଦ :- ମନୋରମା-ମନୋହାରିଣୀ ଲକ୍ଷ୍ମୀ । ବେଦବାଦୀ-ବେଦବିଶାରଦ ।
୩୭ଶ ପଦ :- ବିଷ୍ଣୁ ଓ ତାଙ୍କ ମନୋରମ ଲକ୍ଷ୍ମୀ ଏକାନ୍ତରେ ଅବସ୍ଥାନ କରିଥିଲେ । ସେହି ସମୟରେ ବେଦ ବିଶାରଦ ସନିକାଦି ମୁନିମାନେ ବିଷ୍ଣୁଙ୍କ ଦର୍ଶନ ପ୍ରାର୍ଥୀ ହୋଇ ଆସିଲେ ।’’
୩୮ଶ ପଦ :- ଆମ୍ଭେ ଦୁଇ ଭାଇ ତାଙ୍କୁ ଦ୍ୱାର ନିରୋଧ କରୁଁ କରୁଁ ସେ ଆମ୍ଭ କଥା ନ ମାନି ଅଭିମାନରେ ବଳପୂର୍ବକ ପୁରମଧ୍ୟକୁ ପ୍ରବେଶ କରନ୍ତେ ଆମ୍ଭେ ଦୁଇଭାଇ ତାଙ୍କୁ ପ୍ରାଭାବ ଦେଲୁଁ (ତାକୁ ଅପମାନିତ କଲୁଁ ) ।
୩୯ଶ ପଦ :- ଅପମାନ ପାଇ ସନକାଦି ମୁନିମାନେ କ୍ରୋଧଭାର ହୋଇ କହିଲେ, ହେ ବୀର ! ତୁମ୍ଭେ ଅସୁର ରୂପ ଧାରଣକରି ବିଷ୍ଣୁଦ୍ରୋହୀ ବୋଲାଇବ । ଏ ବିଧାତା ବିଧାନ ଅନ୍ୟଥା ହେବ ନାହିଁ ।’’
୪୦ଶ ପଦ :- ବାସରେ-ସମୟରେ । ବାସରେ-ଗୃହରେ ଅର୍ଥାତ୍ ବୈକୁଣ୍ଠପୁରରେ । ମଧୁହାରୀ-ବିଷ୍ଣୁ । ବାସରେ-ସୁବାସରେ ।୪୧ଶ ପଦ :- କମଳା-ପଦ୍ମିନୀ । ଜାତୀୟା –ଶ୍ରେଷ୍ଠା ନାରୀ । କମଳା-ଲକ୍ଷ୍ମୀ । ବିଧୂରପାଶ-ବିଷ୍ଣୁନିକଟ । ବିଧୂର-ବିଦୁରିତ ।
୪୦ଶ ଓ ୪୧ଶ ପଦ :- ‘ପୁଣି ଦିନେ ବିଷ୍ଣୁପୁର ମଧ୍ୟରେ ଋଷିମାନଙ୍କ ସଙ୍ଗରେ ଥିଲେ । ସେ ସମୟରେ ପଦ୍ମିନୀ ଜାତୀୟା ପଦ୍ମିନେତ୍ରୀ ଶ୍ରେଷ୍ଠନାରୀ ଲକ୍ଷ୍ମୀଦେବୀ ଉତ୍ତମ ବସନ ଓ ସୁଗନ୍ଧ ଦ୍ରବ୍ୟରେ ବିଭୂଷିତାହୋଇ ବିଷ୍ଣୁଙ୍କ ସମୀପକୁ ବିଜେ କରନ୍ତେ ଆମ୍ଭେମାନେ ବାଧା ଦେଲୁଁ । ’’
ବୋଇଲା । ବୋଇଲେ କର୍ବୁରକାନ୍ତୀ କର୍ବୁର ନିଧିଜା ଯେ ।ବହନ ବହ କର୍ବୁର ରୂପ ଏଥୁ ଯା ଯା ଯେ । ୪୨ ।ବୋଇଲା । ବନଜମୁଖରେ କରୁଁ ମୁଁ ଖରେ ଗୁହାରି ଯେ ।ବୋଇଲେ ଯେ ଲେଶେ ଦୋଷ ନାହିଁତ ତୁମ୍ଭରି ଯେ । ୪୩ ।ବୋଇଲା । ବନ୍ଦିବ ତ ନାହିଁ ବନ୍ଦୀବତ ରଖ ଭାଷି ଯେ ।ବହୁ ମର୍ତ୍ତ୍ୟରୂପ ବହୁମୂଲ୍ୟ ରତ୍ନବେଶୀ ଯେ । ୪୪ ।ବୋଇଲା । ବଇଦେହୀ ସେହି ରମା କ୍ଷମା ଜାତ କଲା ଯେ ।ବେଦମତୀ ବିମତି ଧର୍ଷଣେ ମୋର ଥିଲା ଯେ । ୪୫ ।ବୋଇଲା । ବୋଲିଥିଲା ମୋ ହେତୁ ଅମରଶତ୍ରୁ ମର ଯେ ।ବିଳେ ବିଳେଶୟ ପରା ଗୁପ୍ତ ଶ୍ରୀ ଶରୀର ଯେ । ୪୬ ।
୪୨ଶ ପଦ :- କର୍ବୁରକାନ୍ତୀ-ସ୍ୱର୍ଣ୍ଣକାନ୍ତି । କର୍ବୁରନିଧିଜ-ସମୁଦ୍ର ଦୁହିତା, ଲକ୍ଷ୍ମୀ । କର୍ବୁର-ରାକ୍ଷସ । କମଳାକ୍ଷୀ-ପଦ୍ମନେତ୍ରୀ ।
୪୨ଶ ପଦ :- ‘ଆମଦ୍ୱାରା ବାଧା ପ୍ରାପ୍ତ ହୋଇ ସ୍ୱର୍ଣ୍ଣକାନ୍ତି ଜଳଧି ତନୟା ଲକ୍ଷ୍ମୀ କହିଲେ, ‘‘ଏଠାରୁ ଶୀଘ୍ର ଯାଇ ରାକ୍ଷସରୂପ ଧାରଣ କର ।’’
୪୩ଶ ପଦ :- ବନଜମୁଖରେ-ପଦ୍ମମୁଖ ଅର୍ଥାତ୍ ବିଷ୍ଣୁଙ୍କ ସମୀପରେ ।
୪୩ଶ ପଦ :- ‘ମୁଁ ତତ୍କ୍ଷଣାତ୍ ଯାଇ ଏହି କଥା ବିଷ୍ଣୁଙ୍କ ଛାମୁରେ ଗୁହାରି କଲି । ବିଷ୍ଣୁ କହିଲେ, ଏଥିରେ ତୁମ୍ଭ ଦୁହିଙ୍କର ତ ତିଳେ ମାତ୍ର ଦୋଷ ନାହିଁ ।’’
୪୪ଶ ପଦ :- ବନ୍ଦିବ-ସ୍ତୁତିକରିବ । ବନ୍ଦୀବତ-ବନ୍ଦୀପ୍ରାୟ ।
୪୪ଶ ପଦ :- ‘‘ପୁଣି ବିଷ୍ଣୁ କହିଲେ, ବିନା ଦୋଷରେ ଲକ୍ଷ୍ମୀ ତୁମ୍ଭଙ୍କୁ ଶାପ ଦେଲେ, ତେଣୁ ତାଙ୍କୁ ତୁମ୍ଭେ ବନ୍ଦନା କରିବ ନାହିଁ, ବରଂ ବନ୍ଦୀ ଲୋକ ପ୍ରାୟ ବନ୍ଦୀକରି ରଖ । ସେହି ବହୁମୂଲ୍ୟ ରତ୍ନଭୂଷିତା କମଳା ମର୍ତ୍ତ୍ୟପୁରରେ ମାନବୀରୂପ ଧାରଣ କରନ୍ତୁ ।’’
୪୫ଶ ପଦ :- ବଇଦେହୀ-ସୀତା । ରମା-ଲକ୍ଷ୍ମୀ । କ୍ଷମା-ପୃଥିବୀ ।୪୬ଶ ପଦ :- ଅମରଶତ୍ରୁ-ଦେବତାମାନଙ୍କର ବୈରୀ । ବିଳେ-ଗର୍ତ୍ତରେ । ବିଳେଶୟ ପରା-ସର୍ପ ସଦୃଶ ।
୪୫ଶ ଓ ୪୬ଶ ପଦ :- ‘‘ପୃଥ୍ୱୀ ସେହି ଲକ୍ଷ୍ମୀଙ୍କୁ ସୀତାରୂପେ ଜାତ କରିଅଛି । ପୂର୍ବେ ସେହି ଲକ୍ଷ୍ମୀ ରୁପିଣୀ ବେଦବତୀ କନ୍ୟାଙ୍କୁ ମୁଁ ବଳପୂର୍ବକ ଧର୍ଷଣ କଲା ସମୟରେ ସେ କହିଥିଲେ, ରେ ଦେବଶତ୍ରୁ । ମୋଯୋଗୁ ତୁ ବିନାଶ ହେବୁ । ଏହା କହି ଗର୍ତ୍ତମଧ୍ୟରେ ସର୍ପ ଲୁଚିଲା ପ୍ରାୟ ସେ ଅଗ୍ନି ମଧ୍ୟ୍ୟରେ ନିଜ ଲକ୍ଷ୍ମୀ ମୂର୍ତ୍ତିକୁ ଗୁପ୍ତ କରିଥିଲେ । (ପରେ ସେହି ଲକ୍ଷ୍ମୀ ସୀତା ରୂପରେ ପୃଥିବାରୁ ଜାତ ହୋଇ ଅଛନ୍ତି ।’’
ବୋଇଲେ । ବିଷ୍ଣୁ ମୋ ମାରଣେ ଅଭିରାମ ରାମମୂର୍ତ୍ତି ଯେ ।ବୈକୁଣ୍ଠ ସମ୍ପତ୍ତିକି ଏ ସମ୍ପତ୍ତି ବିପତ୍ତି ଯେ । ୪୭ ।ବୋଇଲା । ବିଷୟରେ ଚତୁର ଚତୁରଭୁଜେ ଚାରୁ ଯେ ।ବହି କରେ ଶଙ୍ଖାରି ଶଙ୍ଖାରି ରୂପ ଧରୁଁ ଯେ । ୪୮ ।ବୋଇଲା । ବର୍ଷରେ କନ୍ଦର୍ପଦର୍ପ କରୁଥିଲୁଁ ଲୋପ ଯେ ।ବହିଲୁଁ ସେହି ଉଭୟ ଉଭୟଙ୍କର ରୂପ ଯେ । ୪୯ ।ବୋଇଲା ! ବୋଲାଉଁ ହିରଣ୍ୟାସୁର ହିରଣ୍ୟାକ୍ଷ ପୂର୍ବେ ଯେ ।ବରାହ ନୃହରି ହରି ହରି ପ୍ରାଣ ତେବେ ଯେ । ୫୦ ।୪୭ଶ ପଦ :- ଅଭିରାମ-ମନୋହର ।
୪୭ଶ ପଦ :- ‘‘ବିଷ୍ଣୁ ମୋତେ ମାରିବା ପାଇଁ ମନୋରମ ରାମମୂର୍ତ୍ତି ଧାରଣ କରିଅଛନ୍ତି । ମୁଁ ମୋର ଏ ସକଳ ସମ୍ପତ୍ତିକୁ ବିପତ୍ତି ପ୍ରାୟ ମନେକରି ପୁଣି ସେହି ବୈକୁଣ୍ଠ ସୁଖକୁ ମନ ବଳାଇଅଛି ।’’
୪୮ଶ ପଦ :- ଚାରୁ-ମନୋହର । ଶଙ୍ଖାର-ଶଙ୍ଖଚକ୍ର । ଶଙ୍ଖାରିରୂପ-ବିଷ୍ଣୁଙ୍କରୂପ ।
୪୮ଶ ପଦ :- ‘‘ଆମ୍ଭେ ଦୁହେ ଦ୍ୱାର ରକ୍ଷା କରିବା ବିଷୟରେ ବଡ଼ ଚତୁର ଅଟୁଁ । ପୁଣି ଚତୁର୍ଭୁଜରେ ଶୋଭିତ ହୋଇ ବିଷ୍ଣୁଙ୍କ ପ୍ରାୟ ଶଙ୍ଖ ଚକ୍ର ଧାରଣ କରିଥାଉ ।’’
୪୯ଶ ପଦ :- ବର୍ଷୁ-ଶରୀର, ଦେହ ।
୪୯ଶ ପଦ :- ‘‘ଆମ୍ଭେ ବୈକୁଣ୍ଠର ଦ୍ୱାରୀ ଥିଲାବେଳେ ସୌନ୍ଦର୍ଯ୍ୟରେ କାମଦେବ ଗର୍ବକୁ ଖର୍ବ କରୁଥିଲୁଁ । ଏବେ ସେହି ଦୁଇ ଭାଇ ରାକ୍ଷସରୂପ ଧରି ଏପରି କୁତ୍ସିତ ହୋଇଅଛୁଁ ।’’
୫୦ଶ ପଦ :- ନୃହରି-ନରସିଂହ । ହରି-ନାରାୟଣ, ବିଷ୍ଣୁ । ହରି-ହରଣ କରି ।
୫୦ଶ ପଦ :- ‘‘ପୂର୍ବ ଜନ୍ମରେ ଆମେ ହିରଣ୍ୟ ଓ ହିରଣ୍ୟାକ୍ଷ ବୋଲାଇଥିଲୁଁ । ସମୟରେ ବିଷ୍ଣୁ ବିରାହ ଓ ନୃସିଂହ ରୂପ ଧରି, ଆମର ପ୍ରାଣ ବିନାଶ କରିଥିଲେ । ’’
ବୋଇଲା । ବହ୍ନିରେ ପକାଇ ନବ ଶିର ନବନବ ଯେ ।ବିଖନ ଲେଖନ-ଭାବ ପଠନ ସ୍ୱଭାବ ଯେ । ୫୧ ।ବୋଇଲା । ବର-ମରକତ ଜାତରୂପ ରୂପ ଦୁଇ ଯେ ।ବିଚିତ୍ର ଚିତ୍ରପଟକୁ ଲେଖାଇ ଦେଖାଇ ଯେ । ୫୨ ।ବୋଇଲା । ବିଧାନ ନାୟକ ଏକ ପ୍ରଧାନ ପଦକ ଯେ ।ବିଚ୍ଛେଦକ ମୁଁ ସୁନାରୀ ଲୋଭୀ ଦକ ଦକ ଯେ । ୫୩ ।ବୋଇଲା । ବୋଲିଥିଲା ବହି ବହି ଏ ସ୍ୱର୍ଣ୍ଣଚୋରୀକି ଯେ ।ବଂଶଯାକ ଦଣ୍ଡଧର ଦଣ୍ଡ ପାଅ ତର୍କି ଯେ । ୫୪ ।ବୋଇଲା । ବିଭୀଷଣ ପଳାଇଛି ଇଚ୍ଛ ଗତ କଥା ଯେ ।ବଲ୍ଲଭ ବୋଲି ନ ଲଭ ମୋରେ ମନୋବ୍ୟଥା ଯେ । ୫୫ ।୫୧ଶ ପଦ :- ବହ୍ନିରେ-ଅଗ୍ନିରେ । ବିଖନ-ବିଧାତା ।
୫୧ଶ ପଦ :- ‘‘ମୁଁ ଏହି ଜନ୍ମରେ ତପସ୍ୟା କଲାବେଳେ ମୋହର ନୁଆ ନୂଆ ଉଠୁଥିବା ନଅଗୋଟି ଶରକୁ ବାରମ୍ୱାର ଅଗ୍ନି ମଧ୍ୟରେ ପକାଇ ବିଧାତା ଲେଖିଥିବା କଥାକୁ ପଢ଼ିବାକୁ ସକ୍ଷମ ହୋଇଥିଲି ।’’ (ମୁଁ ଯେତେ ଥର ମୁଣ୍ଡ ଛିଡ଼ାଇ ଅଗ୍ନିରେ ପକାଉଥାଏ, ସେତେ ଥର ପୁଣି ନୂଆମୁଣ୍ଡ ଜାତ ହେଉଥାଏ । ତେଣୁ ନୂଆ ନୂଆ ଓ ବାରମ୍ୱାରପ୍ରୟୋଗ କରାଯାଇଛି) ।
୫୨ଶ ପଦ :- ମରକତ-ଶାଗୁଆବର୍ଣ୍ଣର ମଣି ବିଶେଷ । ଜାତରୂପ-ସୁବର୍ଣ୍ଣ ।
୫୨ଶ ପଦ :- ପୁନର୍ବାର ରାବଣ କହିଲା, ‘‘ସେତେବେଳେ ଶ୍ରେଷ୍ଠ ମରକତ ମଣି ଓ ସୁବର୍ଣ୍ଣ ପ୍ରାୟ ଦୁଇଟି ଆଶ୍ଚର୍ଯ୍ୟ ଚିତ୍ରପଟ ଭାଲପଟରେ ବିଧାତା ଲେଖିଥିବାର ମୁଁ ଦେଖିଲି ।’’
୫୩ଶ ପଦ :- ନାୟକ-ପୁରୁଷ । ସୁନାରୀ-ସୁନାରୀବଣିଆ, ଉତ୍ତମାନାରୀ ।
୫୩ଶ ପଦ :- ‘‘ସେ ଦୁଇ ଚିତ୍ରପଟ ମଧ୍ୟରେ ଯେ ନାୟକ ରାମ ସେ ମରକତମଣି ସଦୃଶ ଓ ଯେ ନାୟିକା ସୀତା ସେ ନାୟକର ଶ୍ରେଷ୍ଠ ସ୍ୱର୍ଣ୍ଣ ପଦକ ପ୍ରାୟ ରହି ଶୋଭା ପାଉଥିଲେ । ସୁନାରୀ ବଣିଆ ଯେପରି ଲୋଭ କରି ସୁନା ଚୋରୀ କରେ ଓ ସେଥିପାଇଁ ସର୍ବଦା ଭୟରେ ଦକଦକ ହେଉଥାଏ, ମୁଁ ସେହିପରି ଲୋଭ ପରବଶ ହୋଇ ରାମଙ୍କର ଶ୍ରେଷ୍ଠ ସ୍ୱର୍ଣ୍ଣପଦକ ପ୍ରାୟ ସ୍ୱର୍ଣ୍ଣବର୍ଣ୍ଣା ସୀତାଙ୍କୁ ରାମଙ୍କଠାରୁ ବିଚ୍ଛେଦ ପୂର୍ବକ ଚୋରାଇ ଆଣି ବର୍ତ୍ତମାନ ଦକଦକ ହେଉଅଛି ।’’
୫୪ଶ ପଦ :- ବିହି-ବିଧାତା । ବିହି-ବିଧାନ କରି । ଦଣ୍ଡ-ଧର-ଯମ ।
୫୪ଶ ପଦ :- ‘‘ସେତେବେଳେ ବିଧାତା କହିଥିଲା, ଏ ସୁବର୍ଣ୍ଣ ପଦକ ପ୍ରାୟ ସୀତାଙ୍କୁ ଚୋରୀ କଲେ, ସୁବର୍ଣ୍ଣ ଚୋରର ବଂଶଯାକକୁ ରାଜା ଦଣ୍ଡ ଦେଲା ପ୍ରାୟ ବଂଶଯାକ ସହିତ ତୁ ଯମଦ୍ୱାରା ଦଣ୍ଡିତ ହେବୁ । ମୁଁ ସେହି କଥା ବର୍ତ୍ତମାନ ବିଚାର କରୁଅଛି ।’’
୫୫ଶ ପଦ :- ‘‘ମୋ ସାନ ଭାଇ ବିଭୀଷଣ ଗତ କଥା ସମସ୍ତ ବୁଝିପାରି ମୋ ପାଖରୁ ପଳାଇ ଯାଇଅଛି । (ମୋ ପାଖରେ ଥିଲେ ନିଶ୍ଚୟ ମରିଥାନ୍ତା, ତା ଜାଣିପାରି ପଳାଇଯାଇଛି ) । ମୁଁ ତୁମ୍ଭମାନଙ୍କର ସ୍ୱାମୀବୋଲି ତୁମ୍ଭେ ମୋର ଏହି ସବୁ କଥା ଶୁଣି ମନକଷ୍ଟ କରନାହିଁ । ’’
ବୋଇଲା । ବିଳାସବତୀ ଯୁବତୀ ବିଷ୍ଣୁପୁରେ ମୋର ଯେ ।ବିଜ୍ଞା ଉପପତି ପରି ଉପପତି କର ଯେ । ୫୬ ।ବୋଇଲା । ବିନାଶନେ ହୁତାଶନେ ଯେବେ ଦେବ ଝାସ ଯେ ।ବ୍ୟର୍ଥପ୍ରସଙ୍ଗ ମୋ ସଙ୍ଗ ପାଇବାର ଆଶ ଯେ । ୫୭ ।ବୋଇଲା । ବାରିଦ ବାରି ଦାନରେ ପ୍ରମତ୍ତ ଚାତକୀ ଯେ ।ବିହରଇ ସୁରନଦୀ ସୁରସେ ଆଉ କି ଯେ । ୫୮ ।ବୋଇଲା । ବିପ୍ରରାଜ ପୂଜନ ନାରାଜ ମୋକ୍ଷଦାତା ଯେ ।ବିଭ୍ରମୁ ଜଗତେ ଗତେ ପାତାଳେ ମୁଁ ସ୍ଥିତା ଯେ । ୫୯ ।ବୋଇଲା । ବିଲୋକିତଆଲୋକିତ ପୁର ମୁହଁ ଡୋଳେ ଯେ ।ବାମା ପୁଂସ ମଣ୍ଡପେ ମଣ୍ଡନ ପଶାଖେଳେ ଯେ । ୬୦ ।
୫୬ଶ ପଦ :- ‘‘ମୋର ବିଳାସବତୀ ଯୁବତୀ ସ୍ତ୍ରୀମାନେ ବୈକୁଣ୍ଠରେ ଅଛନ୍ତି । ଗୋ ପଣ୍ଡିତମାନେ । ମୁଁ ଏଠାରେ ତୁମ୍ଭର ଉପପତିପରି ହୋଇରହିଛି । ତୁମ୍ଭେ ମୋର ମରଣରେ ଚିନ୍ତା ନ କରି ତୁମ୍ଭର ମନଇଚ୍ଛା ଉପପତି କର ।’’
୫୭ଶ ପଦ :- ହୁତାଶନ-ଅଗ୍ନିରେ । ବ୍ୟର୍ଥ ପ୍ରସଙ୍ଗ-ବୃଥା ଆଲୋଚନା ।
୫୭ଶ ପଦ :- ‘‘ମୁ ମଲେ ତୁମ୍ଭେମାନେ ଯେବେ ଅଗ୍ନି ମଧ୍ୟରେ ଝାସ ଦେବ, ତେବେ ତୁମ୍ଭର ମୋ ସଙ୍ଗ ପାଇବା ଆଶା ବିଫଳ ହେବ । (ଶାସ୍ତ୍ରରେ କଥିତ ଅଛି, ସ୍ତ୍ରୀ ସ୍ୱାମୀ ସହ ମୃତା ହେଲେ ସ୍ୱାମୀ ସଙ୍ଗେ ସଙ୍ଗେ ରହେ, ମାତ୍ର ତୁମ୍ଭେ ମୋ ସଙ୍ଗରେ ରହିପାରିବ ନାହିଁ । କାରଣ ମୁଁ ମଲେ ବୈକୁଣ୍ଠକୁ ଯିବି, ତୁମେ ତୁମ ସତୀତ୍ୱ ପ୍ରଭାବରେ ସ୍ୱର୍ଗପୁରକୁ ଯାଇପାର, ମାତ୍ର ବୈକୁଣ୍ଠକୁ କଦାପି ଯାଇପାରିବ ନାହିଁ ।’’
୫୮ଶ ପଦ :- ବାରିଦ-ମେଘ । ବାରି-ଜଳ । ସୁରନଦୀ-ଆକାଶଗଙ୍ଗା । ସୁରସେ-ସୁନିର୍ମଳ ଜଳରେ ।
୫୮ଶ ପଦ :- ପୁଣି କହିଲା, ‘‘ଚାତକପକ୍ଷୀ ମେଘର ଜଳ ପାଇ ପ୍ରମତ୍ତ ହୋଇଥାଏ, କିନ୍ତୁ ଗଙ୍ଗାର ଉତ୍ତମ ଜଳରେ ସେ ଆଉ ମନବଳାଏ କି ? (ସେହିପରି ମୁଁ ବୈକୁଣ୍ଠ ପୁରସ୍ଥ କୋର ବିଳାସନୀମାନଙ୍କୁ ଛାଡ଼ି ତୁମ୍ଭପ୍ରତି ଆଉ ଆକୃଷ୍ଟ ହେବି ନାହିଁ ।’’)
୫୯ଶ ପଦ :- ବିପ୍ର-ଦ୍ୱିଜ ଅର୍ଥାତ୍ ପକ୍ଷୀ, ସେମାନଙ୍କର ରାଜା ଗରୁଡ଼ । ସେହି ଗରୁଡ଼ ଦ୍ୱାରା ପୂଜିତ ହୋଇ ନାରାୟଣ, ତାଙ୍କୁ ବିପ୍ରରାଜ ପୂଜନ କହନ୍ତି । ବିପ୍ରରାଜପୂଜନ-ନାରାଜ ବିଷ୍ଣୁଙ୍କର(ରାମଚନ୍ଦ୍ରଙ୍କର) ଶରବାଣ ।
୫୯ଶ ପଦ :- ବ୍ରାହ୍ମଣମାନଙ୍କ ପୂଜିତ ନାରାୟଣ (ଅଥବା ଗରୁଡ଼ ପୂଜିତ ନାରାୟଣ) ରାମଚନ୍ଦ୍ରଙ୍କ ନାରାଜ ମୋହର ମୋକ୍ଷ ପ୍ରଦ ଅଟେ । (ରାମଙ୍କ ଶରରେ ମଲେ ମୁଁ ବୈକୁଣ୍ଠକୁ ଯିବି) ପୂର୍ବକାଳରେ ଜଗତ ମଧ୍ୟରେ ଭ୍ରମଣ କଲା ସମୟରେ ମୁଁ ପାତାଳପୁରକୁ ଯାଇଥିଲି ।’’
୬୦ଶ ପଦ :- ବିଲୋକିତ-ଦେଖିଲି । ଆଲୋକିତ-ଆଲୋକମୟ ।
୬୦ଶ ପଦ :- ‘‘ସେହି ପାତାଳ ପୁରରେ ମୁଁ ଗୋଟିଏ ଅପରୂପପୁର ଦେଖିଲି । ଆଉ ମଧ୍ୟ ଦେଖିଲି ସେହିପୁର ମଧ୍ୟରେ ଗୋଟିଏ ମଣ୍ଡପରେ ବସି ସ୍ତ୍ରୀ ପୁରୁଷ ଦୁଇଜଣ ଖେଳୁଅଛନ୍ତି ।’’
ବୋଇଲା । ବିଭାତି କି ଚନ୍ଦ୍ରମାର ରତି ମାର ମୂର୍ତ୍ତି ଯେ ।ବାଣୀ ନ୍ୟାସେ କେ ଅନ୍ୟାସେ ଭାରତୀ ରତି ଯେ । ୬୧ ।ବୋଇଲା । ବିଷ୍ଣୁ ମହିମା ଏ ମହୀବିନ୍ଧାଶର ବଶ ଯେ ।ବେନି ଖଣ୍ଡ ମହୀଲତା ମହିଳା ପୁରୁଷ ଯେ । ୬୨ ।ବୋଇଲା । ବିଦୃଷ୍ଟି ଅଶ୍ରୁତିକଥା ଶ୍ରୁତିକଥା ପରି ଯେ ।ବିନୋଦୀ ସାରଙ୍ଗରେ ଶାରଙ୍ଗଶରଧାରୀ ଯେ । ୬୩ ।ବୋଇଲା । ବିଭେଦନେ ମାର୍ଗଣ ସେ ଗଣେ ଦିବ୍ୟ ଦେହୀ ଯେ ।ବିହାୟସେ ବିହାରି ସେ ବିମାନ ଆରୋହି ଯେ । ୬୪ ।ବୋଇଲା । ବନେ ଈକ୍ଷଣପତନେ ତତ୍କ୍ଷଣ ବାଞ୍ଛି ଯେ ।ବଡ଼ି ପାତକୀ ଆତଙ୍କୀ ମୁଁ ସୀତା ମଣିଛି ହେ । ୬୫ ।୬୧ତମ ପଦ :- ବିଭାତି-ଜ୍ୟୋତି । ମାର-କନ୍ଦର୍ପ । ନ୍ୟାସେ-ଉଚ୍ଚାରଣ କରେ । ଭାରତୀ-ବଚନ ।
୬୧ଶ ପଦ :- ‘‘ସେ ପୁର ଚନ୍ଦ୍ରପ୍ରଭା ପ୍ରାୟ ଝଟକୁ ଥିଲା ଓ ସେ ସ୍ତ୍ରୀ ପୁରୁଷ ଦ୍ୱୟ ରତି କାମଦେବର ଶୋଭାକୁ ଧାରଣ କରିଥିଲେ । ‘ତୁମ୍ଭେ କିଏ ?’ ମୁଁ ଏହି କଥା ପଚାରନ୍ତେ, ସେ ଦୁହେଁ ତତ୍କ୍ଷଣାତ୍ ଉତ୍ତର ଦେଲେ;-’’
୬୨ଶ ପଦ :- ମହୀଲତା-ଜିଆନାଡ଼ ।
୬୨ଶ ପଦ :- ‘‘ସେ ଦୁହେଁ-କହିଲେ,ବିଷ୍ଣୁଙ୍କ ମହିମା ବଳରେ ଆମ୍ଭେଜାତହୋଇଛୁ । ବିଷ୍ଣୁ ଗୋଟିଏ ଜୀଆକୁ ଶର ପ୍ରୟୋଗ କରି ଦୁଇଖଣ୍ଡ କରିଦେବାରୁ ସେଥିରୁ ଖଣ୍ଡେ ପୁରୁଷ ଓ ଅନ୍ୟଖଣ୍ଡକ ସ୍ତ୍ରୀ ହେଲୁଁ ।’’
୬୩ଶ ପଦ :- ବିଦୃଷ୍ଟି-ଅଦୃଷ୍ଟ । ଅଶ୍ରୁତିକଥା-ଯେଉଁକଥା କେବେ ଶୁଣା ଯାଇନାହିଁ । ଶ୍ରୁତିକଥା-ବେଦବାଣୀ । ବିନୋଦୀ-ବିପକ୍ଷ । ସାରଙ୍ଗରେ-ମୃଗଠାରେ । ଶାରଙ୍ଗଧାରୀ-ନାରାୟଣ ।
୬୩ଶ ପଦ :- ରାବଣ ପୁଣି କହିଲା, ‘‘ସେହି ସ୍ତ୍ରୀ ଓ ପୁରୁଷ ଯାହା କହିଲେ ତାହା ଅଦୃଷ୍ଟପୂର୍ବ ଓ ଅଶ୍ରୁତପୂର୍ବ ବେଦବାଣୀ ପ୍ରାୟ କେବଳ ଶ୍ରବଣୀୟ (ବେଦର କଥା ସବୁ ଯେପରି ସ୍ୱତଃସୁଦ୍ଧ, ତାଙ୍କ କଥା ସେହିପରି ସ୍ୱତଃସିଦ୍ଧ) । ସେହି ସାରଙ୍ଗଶରଧାରୀ ବିଷ୍ଣୁ ଧରଣୀରେ ଦେହ ଧାରଣକରି କେଳି କରିବେ-ଏ କଥା ସେ କହିଲେ ।’’
୬୪ଶ ପଦ :- ବିଭେଦନ-ଭେଦକରି ପାରେ । ମାର୍ଗଣ-ଶର । ବିହାୟସେ-ଆକାଶରେ । ବିହାରି-ଭ୍ରମଣକରି । ଆରୋହ-ଆରୋହଣ କରି ବା ଚଢ଼ି ।
୬୪ଶ ପଦ :- ‘‘ପୁଣି ସେ କହିଥିଲେ, ତୁ ବିଷ୍ଣୁଙ୍କ ଶରରେ ବିଦୀର୍ଣ୍ଣ ହେଲେ ବିଷ୍ଣୁଗଣଙ୍କ ସହିତ ଦିବ୍ୟ ଦେହ ଧାରଣ କରି ପୁଷ୍ପକଯାନ ଆରୋହି ଆକାଶରେ ବିହାର ପୂର୍ବକ ବୈକୁଣ୍ଠପୁରକୁ ଯିବୁ ।’’
୬୫ଶ ପଦ :- ରାବଣ ପୁଣି କହିବାକୁ ଲାଗିଲା, ‘‘ଦଣ୍ଡକାରଣ୍ୟରେ ରାମଙ୍କ ଶରରେ ମରି ମାୟାମୃଗ ବୈକୁଣ୍ଠକୁ ଯିବାର ମୁଁ ଯେତେବେଳେ ସ୍ୱଚକ୍ଷୁରେ ଦେଖିଲି, ସେତେବେଳେ ମୁଁ ପାତାଳପୁରର ସେ ଦେବ ଦେବୀଙ୍କ କଥା ବିଚାର କଲି ଏବଂ ମୁଁ ବଡ଼ ପାତକୀ ଥିବାରୁ ସନ୍ତପ୍ତହୋଇ ସୀତାକୁ ଚୋରାଇ ଆଣିଲି ।’’
ବୋଇଲା । ବିଶ୍ୱ ଚତୁରଲପନ କଳପନା ଜାଣ ଯେ ।ବ୍ରହ୍ମପ୍ରଳୟରେ ତାର କ୍ଷୟ ହୁଏ ପୁଣ ଯେ । ୬୬ ।ବୋଇଲା । ବ୍ୟୁତପନ ଆୟୁଷ ଛପନଗଣ୍ଡା ଯୁଗ ଯେ ।ବାହୁଡ଼ାଇ ହୁଡ଼ିବି କି ଏଡ଼େ ଭଯୋଗ । ୬୭ ।ବୋଇଲା । ବଲ୍ଲଭୀବ୍ରାତଙ୍କ ଅଶ୍ରୁଜାତକୁ ଅନାଇଁ ଯେ ।ବହନ ଆତଙ୍କ ପରନିପାତକ ମୁହିଁ ଯେ । ୬୮ ।ବୋଇଲା । ବିହି ଚନ୍ଦ୍ର ହାସ ଚନ୍ଦ୍ର ହାସ ଝମକାଇ ଯେ ।ବିଚ୍ଛେଦିବି ଶତ୍ରୁ ରଣେ ଶରଣ କେ ନାହିଁ ଯେ । ୬୯ ।ବୋଇଲା । ବାର୍ଦ୍ଧିଦତ୍ତା ବାଳୀ ବାଳିକି ସେ ଅଛି ବଧି ଯେ ।ବାଳିଶା ପ୍ରିୟା ତୁ କୂଟ କରି କୁଟୀ ବାନ୍ଧି ଯେ । ୭୦ ।୬୬ଶ ପଦ :- ବିଶ୍ୱ-ସଂସାର । ଚତୁରଲପନ-ବ୍ରହ୍ମା ।
୬୬ଶ ପଦ :- ରାବଣ ପୁନର୍ବାର କହିଲା; ହେ ସଖି ! ଏ ସଂସାର ବ୍ରହ୍ମାଙ୍କର କଳ୍ପନାପ୍ରସୂତ ଅଟେ । ବ୍ରହ୍ମପ୍ରଳୟ ସମୟରେ ସେହି ବ୍ରହ୍ମାଙ୍କର ମଧ୍ୟ ବିନାଶ ହୁଏ-ଏହା ଜାଣ । (ବିଶ୍ୱସ୍ରଷ୍ଟା ବ୍ରହ୍ମା ମଧ୍ୟ ଚିରାୟୁ ନୁହଁନ୍ତି, ମୁଁ ସାମାନ୍ୟ ଜଣେ ହୋଇ ଚିରାୟୁ ହେବାକୁ କାହିଁକି ବା ଆଶା କରିବି ?)’’
୬୭ଶ ପଦ :- ବ୍ୟୁତପନ୍ନ-ବିଧାତା ।
୬୭ଶ ପଦ :- ‘‘ବ୍ରହ୍ମା ବରରେ ମୋର ଛପନଗଣ୍ଡା ଯୁଗକୁ ଆୟୁଷ ନିଶ୍ଚିନ୍ତ ହୋଇଅଛି (ତାହା ଅପେକ୍ଷା ଆଉ ବେଶୀ ହୋଇନପାରେ । ମୁଁ ସେହି ସମୟ ପରେ ନିଶ୍ଚୟ ମରିବି ଓ ମଲେ ନର୍କକୁ ଯିବି ) । ବର୍ତ୍ତମାନ ସୀତା ଫେରାଇ ଦେଇ ଏତେ ବଡ଼ ସୁଯୋଗକୁ ଛାଡ଼ିବି କିଆଁ ? (ସୀତା ଫେରାଇ ନ ଦେଲେ ରାମ ନିଜ ହସ୍ତରେ ମାରି ମୋତେ ବୈକୁଣ୍ଠରେ ସ୍ଥାନ ଦେବେ । ତେଣୁ ସୀତା ଫେରାଇ ନ ଦେବାହିଁ ମୋ ପକ୍ଷରେ ଶୁଭଯୋଗ ) ।’’
୬୮ଶ ପଦ :- ବଲ୍ଲଭୀବ୍ରାତଙ୍କ-ସ୍ତ୍ରୀମାନଙ୍କ । ପରନିପାତକ-ଶତ୍ରୁ ବିନାଶକ ।
୬୮ଶ ପଦ :- ରାବଣର ଏହି କଥାମାନ ଶୁଣି ରାଣୀମାନଙ୍କ ଚକ୍ଷୁରୁ ଲୋତକ ବହିବାକୁ ଲାଗିଲା । ତାହାଦେଖି ରାବଣ ପୁଣି ବୁଝାଇଲା; ତୁମ୍ଭେମାନେ ମନ ଦୁଃଖ କରନାହିଁ-କାରଣ ମୁଁ ଶତ୍ରୁ ସଂହାରକ ଅଟେ ।’’
୬୯ଶ ପଦ :- ଚନ୍ଦ୍ରହାସ-ଖଡ଼ଗ ।
୬୯ଶ ପଦ :- ରାଣୀମାନଙ୍କୁ ଏହିପରି ବୋଧ ଦେଇ ରାବଣ ଚନ୍ଦ୍ରତୁଲ୍ୟ ହାସ ପ୍ରକାଶ କରି ‘ଚନ୍ଦ୍ରହାସ’ ଖଡ଼୍ଗ ଝମକାଇ କହିଲା, ‘ଯୁଦ୍ଧ ରେ ମୋର ଶତ୍ରୁ ନର ବାନରକୁ ବିନାଶ କରିବି, ତାଙ୍କୁ ରକ୍ଷା କରିବାକୁ ଆଉ କେହି ନାହିଁ ।’’
୭୦ଶ ପଦ :- ବାର୍ଦ୍ଧିଦତ୍ତ ବାଳୀ-ସୁଦ୍ରଦତ୍ତ କନ୍ୟା । ବାଳି-ମର୍କଟ । ବାଳିଶା-ବାତୁଳ, ବଳିକା ବୁଦ୍ଧି । କୁଟ-କପଟ । କୂଟ-ଲୁଚି । ବ୍ୟାଘ୍ରବର-ମହାବଳ ବାଘ । ବିହନ୍ତି-ବିନାଶ କରନ୍ତି । ଦନ୍ତୀକି-ହସ୍ତୀକୁ । ବିବାଦ-ଯୁଦ୍ଧ ।
୭୦ତମ ପଦ :- ରାବଣର ପ୍ରତିଜ୍ଞା ଶୁଣି ସମୁଦ୍ର ପ୍ରଦତ୍ତା ଲଜ୍ୟାକାନ୍ତିମତୀ କହିଲା, ‘‘ରାମ ମହାବଳୀ ବାଳିକୁ ବଧ କରିଅଛନ୍ତି ।’’ ରାବଣ ଉତ୍ତର ଦେଲା, ‘‘ରେ ପ୍ରିୟା । ତୁ ପିଲା ବୁଦ୍ଧି ଛାଡ଼ି ନାହିୁଁ (ବାଳୀଶ ମୂର୍ଖ ବୃଦ୍ଧି ମଧ୍ୟ) । ସେ ରାମ କୂଟ କରି କପଟରେ ସିନା ଲୁଚି ଲୁଚି ଆସି ବାଳିକୁ ମାରିଛି । (ସେ ତ ସମ୍ମୁଖ ଯୁଦ୍ଧରେ ତାକୁ ମାରି ପାରି ନାହିଁ) । ’’
ବୋଇଲା । ବ୍ୟାଘ୍ର ବର ଶବର ମାରନ୍ତି ଗୁଳିଯୋଗେ ଯେ ।ବହନ୍ତି କି ଦନ୍ତୀକି ବିବାଦ ରଚି । ଆଗେ ଯେ । ୭୧ ।ବୋଇଲା । ବାସ୍ତରୀ ପଦରେ ଛାନ୍ଦ ଭଞ୍ଜ ଉପଇନ୍ଦ୍ର ଯେ ।ବିଚାର ଅନୁସରଣ ଅନୁପ୍ରାସେ ସାନ୍ଦ ଯେ । ୭୨ ।
୭୧ତମ ପଦ :- ପୁଣି ରାବଣ କହିଲା, ‘‘ଶବର ଲୁଚିରହି ଗୁଳିମାରି ମହାବଳ ବାଘକୁ ବଧ କରେ; ମାତ୍ର ହାତୀର ସମ୍ମୁଖରେ ରହି ତା ସହିତ ଯୁଦ୍ଧ କରି ତାକୁ ମାରିପାରେ କି ? (ସେହିପରି ରାମ ଲୁଚିକରି ସିନା ବାଳିକୁ ମାଇଲା, ମାତ୍ର ସମ୍ମୁଖରେ ଯୁଦ୍ଧ କରି ମୋତେ ମାରି ପାରିବ ନାହିଁ ।’’
୭୨ତମ ପଦ :- ଅନୁଗତ ଅନୁପ୍ରାସ ଅଳଙ୍କାରରେ ସୁନ୍ଦର ହୋଇଥିବା ଏହି ଛାନ୍ଦକୁ ଉପେନ୍ଦ୍ର ଭଞ୍ଜ ବାସ୍ତରି ପଦରେ କହିଲେ ।ଊନପଞ୍ଚାଶତ୍ଛାନ୍ଦରାଗ-ବଙ୍ଗଳାଶ୍ରୀବର ବିଭାବରୀ ଥାଉଁ ଯେ ବେଭାରେ ସମ୍ଭାରେ ସୈନ୍ୟ ଅଣାଇ ।ବକ୍ତ୍ରମାଳୀ । ବକଏମାଳୀ ଅସ୍ତ୍ର ଅଳଙ୍କାର ଦେଇ । ୧ ।ବେଗେ ତିନିଦିଗେ ଭିନ୍ନ ଭିନ୍ନ କରି କରୀ ହରି ରଥ ପେଷି ।ବହୁତ ମାହୁନ୍ତ ରାଉତ ସାରଥି ରଥୀ ବସି ଅସି କଷି । ୨ ।ବାହିନୀ ହୋଇ ବାହିତ ସନମାନ ମାନବଶେ ପୁତ୍ରମାନେ ।ବୁଦ୍ଧି ଶାଖାମୃଗ ମୃଗକରି ଜଗି ମାରିବା ବ୍ୟାଧ ସମାନେ । ୩ ।ବଳ ପରବଳ ଚାହିଁ ପରବଳ ମାର ମାରଆଜ ଭଣେ ।ବାନର ନର ସିନା କେତେ ମାତର ମନ୍ଥିବି ଥିବି ମୁଁ ରଣେ । ୪ ।ବାଦ୍ୟବାଜଣା ଅର୍ଥେ ନ କରି ପରସ୍ପରେ କଥା ନୋହି ।ବିପିନ ପୀନଶିଳାପଛେ ସେ ଦ୍ୱିପୀପ୍ରାୟ ଅବିଦିତ ହୋଇ । ୫ ।
୧ମ ପଦ :- ବରି-ବରଣ କରି । ବିଭାବରୀ-ରାତ୍ରି । ସମ୍ଭାରେ-ସମାରୋହରେ, ଆଡ଼ମ୍ୱରରେ । ବକ୍ଏମାଳୀ-ରାବଣ । ବକ୍ଏ-ସାଞ୍ଜ । ମାଳା-ରତ୍ନମାଳ ।
୧ମ ପଦ :- ରାତ୍ର ଥାଉଁ ଥାଉଁ ଉଠି ରାବଣ ସୈନ୍ୟମାନଙ୍କୁ ଯୁଦ୍ଧ ପାଇଁ ସମ୍ଭର୍ବରେ ବରଣ କରି ଆଣିଲି ଏବଂ ସାଞ୍ଜୁ, ରତ୍ନମାଳା; ଅସ୍ତ୍ର; ଶସ୍ତ୍ର ଓ ବସ୍ତ୍ରାଦି ଅଳଙ୍କାର ସେମାନଙ୍କୁ ଉପହାର ହେଲା ।
୨ୟ ପଦ :- କରୀ-ହସ୍ତୀ । ହରି-ଘୋଡ଼ା । ଅସି-ଖଡ଼୍ଗ ।
୨ୟ ପଦ :- ତତ୍ପରେ ସୈନ୍ୟମାନଙ୍କୁ ଭିନ୍ନ ଭିନ୍ନ କରି ତିନିଦିଗକୁ ବାଣ୍ଟି ହାତୀ ଘୋଡ଼ା ଓ ରଥ ଦେଇ ପଠାଇଦେଲା । ହସ୍ତୀଙ୍କ ଉପରେ ମାହୁନ୍ତ, ଅଶ୍ୱଙ୍କ ଉପରେ ରାଉତ ଓ ରଥରେ ରଥୀ ସାରଥୀ ବସି ଖଣ୍ଡା ଝମକାଇ ଯୁଦ୍ଧ କ୍ଷେତ୍ରକୁ ଗଲେ ।
୩ୟ ପଦ :- ବାହିନୀ-ସେନା । ଶାଖାମୃଗ-ବାନର । ବ୍ୟାଧ-ଶବର ।
୩ୟ ପଦ :- ରାବଣର ପୁତ୍ରମାନେ ଅଭିମାନ ଯୋଗେ ନିଜେ ନିଜେ ବାହକ ହୋଇ ରଥସବୁ ବାହିଲେ ଏବଂ ପାଞ୍ଚିଲେ, ‘‘ଯେପରି ବ୍ୟାଧମାନେ ଲୁଚିରହି ମୃଗମାନଙ୍କୁ ବଧ କରନ୍ତି, ଆମେ ସେହିପରି ଗୁପ୍ତ ଭାବରେ ରହି ‘ଶାଖାମୃଗ’ କପିମାନଙ୍କୁ ଜଗି ମାରିବା ।’’
୪ର୍ଥ ପଦ :- ବଳ-ସୈନ୍ୟ । ପରବଳ-ପ୍ରବଳ । ପରବଳ-ଶତ୍ରୁ ସୈନ୍ୟ ।
୪ର୍ଥ ପଦ :- ରାବଣ ଆପଣାର ପ୍ରବଳ ସୈନ୍ୟଙ୍କୁ ଚାହିଁ କହିଲା, ଆଜି ଶତ୍ରୁ ସୈନ୍ୟମାନଙ୍କୁ ମନଇଚ୍ଛା ବଧ କର । ସେମାନେ ତ ଛାର ନରବାନର । ମୁଁ ଯୁଦ୍ଧକ୍ଷେତ୍ରରେ ରହି ସେମାନଙ୍କୁ ମନ୍ଥି ପକାଇବି । (ତୁମ୍ଭର ଭୟ କରିବାର କିଛି କାରଣ ନାହିଁ ।)
୫ମ ପଦ :- ବିପିନ-ବନ । ପୀନଶିଳା ପଛେ-କଠିନ ପ୍ରସ୍ତର ପଛରେ । ଦ୍ୱୀପୀପ୍ରାୟ-ବାଘପରି । ଅବିଦିତ-ଅଜଣା ।
୫ମ ପଦ :- ରାମଙ୍କ ସୈନ୍ୟମାନେ କାଳେ ଜାଣିପାରିବେ, ସେଥିପାଇଁ ସେମାନେ ବାଦ୍ୟ ନ ବଜାଇ ପରସ୍ପରରେ କଥାବାର୍ତ୍ତ ନ ହୋଇ ଅରଣ୍ୟର ବଡ଼ ବଡ଼ ପଥରଖଣ୍ଡ ପଛରେ ବ୍ୟାଘ୍ର ପ୍ରାୟ ଗୁପ୍ତ ଭାବରେ ରହିଲେ ।
ବାହାରେ ବାହାରେ ବିଂଶବାହା ବାନ୍ଧି ବଇରୀ ବିଭ୍ରାଟ ବାନା ।ବସି ପୁଷ୍ପକରେ କରବାଳ କରେ କରଇ ସୁରେ ତର୍ଜ୍ଜନା । ୬ ।ବିଗ୍ରହ ରଙ୍ଗ ଚତୁର ଚତୁରଙ୍ଗ ସଙ୍ଗର ବହି ସଙ୍ଗର ।ବଳିଲା ଅନିଳଗତି କରି ନୀଳ ଦୁର୍ଗମ ଦୁର୍ଗ ସତ୍ୱର । ୭ ।ବିରାଧାରି ଧନୁର୍ଦ୍ଧାରି ଜାମ୍ୱବାନ ମଙ୍ଗଳାରୋପଣ ବିହି ।ବଇରୀ ମାରି ଗଉରୀ ଲଭ ବୋଲି ଗଉରୀଚିତ୍ରକ ଦେଇ । ୮ ।ବିଜେ କରୁ କରୁ କରୁଣାସିନ୍ଧୁର ବେନିପାଶେ ଦୃଷ୍ଟିପାତ ।ବର୍ଣ୍ଣ ଜୀଳଶ୍ୱେତ କଳିତ ସିନ୍ଧୁର ଘୋଟଳଘୋଟକ ଏ ତ । ୯ ।ବିରୋଧ ସାଗର ରୋଧେ ଦିଶେ ପଛେ ରଥମୟ ଏ ସମୟେ ।ବିଭିଷଣ କହି ଭୀଷଣ ରାବଣ କୁପଟ ଆଜି ଭିଆଏ । ୧୦ ।
୬ଷ୍ଠ ପଦ :- ବାହାରେ-ବାହୁରେ । ବିଂଶବାହା-ରାବଣ । ବଇରୀ-ବିଭ୍ରାଟବାନା-ଶତ୍ରୁ ବିଜୟ ପତାକା । କରବାଳ କରେ-ଖଡ଼୍ଗ ହସ୍ତରେ । ସୁରେ-ଦେବତାମାନଙ୍କୁ ।
୬ଷ୍ଠ ପଦ :- ରାବଣ ଶତ୍ରୁଜୟ ପତାକା ବାହୁରେ ବାନ୍ଧି ବାହାରିଲା । ପୁଷ୍ପକ ବିମାନରେ ବସି ହସ୍ତରେ ଖଡ଼୍ଗ ଝମକାଇ ଦେବତାଙ୍କୁ ଚାହିଁ ତର୍ଜନା କରିବାକୁ ଲାଗିଲା । (ତୁମ୍ଭପାଇଁ ମୋର ଆଜି ଏଦଶା,-ରାମ ଲକ୍ଷ୍ମଣଙ୍କୁ ଜିଣି ଆସିଲେ ତୁମ୍ଭକଥା ବୁଝିବି) ।
୭ମ ପଦ :- ବିଗ୍ରହ-ଯୁଦ୍ଧ । ରଙ୍ଗ-ବିଷୟ । ସଙ୍ଗର-ସହିତର । ସଙ୍ଗର-ଯୁଦ୍ଧର । ଅନିଳଗତି-ପବନଗତି । ଦୁର୍ଗମ-ଅଜେୟ,ଦୁର୍ଭେଦ୍ୟ ।
୭ମ ପଦ :- ରାବଣ ଯୁଦ୍ଧକୌଶଳୀ ଚତୁରଙ୍ଗ ବଳକୁ ସଙ୍ଗରେ ନେଇ ଯୁଦ୍ଧଭୂମିରେ ପ୍ରବେଶ କଲା ଓ ପବନଗତିରେ ନୀଳ ସେନାପତିର ଗଡ଼କୁ ଜିଣି ଶୀଘ୍ର ଅଗ୍ରସର ହେଲା ।
୮ମ ପଦ :- ବିରାଧାରୀ-ବିରୋଧ ରାକ୍ଷସର ବିନାଶକାରୀ(ରାମଚନ୍ଦ୍ର) । ଧନୁର୍ଦ୍ଧାରୀ-ଧନୁଧାରଣ କରିଥିବା । ବିହି-ବିଧାନ କରି । ବଇରି-ଶତ୍ରୁ । ଗଉରୀ-ସୀତା । ଗଉରୀଚିତ୍ରକ-ଗୋରଚନା ଚିତା ।
୮ମ ପଦ :- ରାବଣ ସସୈନ୍ୟେ ଆସିବାର ଦେଖି ଧନୁର୍ଦ୍ଧାରୀ ରାମ ଯୁଦ୍ଧକୁ ବାହାରନ୍ତେ ମନ୍ତ୍ରୀ ଜାମ୍ୱବାନ ମଙ୍ଗଳାରୋପଣ ବିଧାନକଲେ । ଶତ୍ରୁ ସଂହାରକରି ଗୌରବର୍ଣ୍ଣା ଭାର୍ଯ୍ୟାଲାଭକର ବୋଲି କହି ଗୋରଚନା ଚିତା ରାମଙ୍କ ମସ୍ତକରେ ଦେଲେ ।
୯ମ ପଦ :- କରୁଣାସିନ୍ଧୁ-ଦୟାସାଗର । ଶ୍ୱେତ-ଶୁକ୍ଳ । କଳିତ-କୃଷ୍ଣ, କାଳିଆ । ସିନ୍ଧୁର-ହସ୍ତୀ । ଘୋଟକ-ଘୋଡ଼ା । ଘୋଟକ- ଆଚ୍ଛନ୍ନ ।
୯ମ ପଦ :- ଯୁଦ୍ଧପାଇଁ ଯାଉ ଯାଉ ଦୟାସାଗର ରାମ ତାଙ୍କ ଉଭୟ ପାର୍ଶ୍ୱକୁ ଦୃଷ୍ଟି ପକାଇ ଦେଖିଲେ ଯେ, ନୀଳବର୍ଣ୍ଣ ଓ ଶ୍ୱେତବର୍ଣ୍ଣରେ ଶୋଭିତ ଅଶ୍ୱ ହସ୍ତୀମାନଙ୍କଦ୍ୱାରା ଯୁଦ୍ଧକ୍ଷେତ୍ରପୂର୍ଣ୍ଣ ହୋଇଅଛି ।
୧୦ମ ପଦ :- ବିରୋଧ-ବିପକ୍ଷରେ । ସାଗର ରୋଧେ-ସମୁଦ୍ରକୁଳରେ ।
୧୦ମ ପଦ :- ହସ୍ତୀ ଓ ଅଶ୍ୱସବୁ ଦେଖିଲାବେଳେ ପୁନର୍ବାର ଦେଖିଲେ ଯେ, ପୃଷ୍ଠଭାଗରେ ସମୁଦ୍ରତୀରରେ ଯୁଦ୍ଧ କରିବାପାଇଁ ସଜ୍ଜିତ ହୋଇଥିବା ବହୁତ ରଥ ରୁଣ୍ଡ ହୋଇଅଛି । ତାହା ଦେଖି ବିଭୀଷଣ କହିଲା, ‘‘ରାବଣ ଆଜି ଭୟଙ୍କର କପଟ ଭିଆଣ କରିଅଛି । ’’
ବିଳାସରେ ନେତ୍ର ମାରୀଚମାରିର ଜାଣି ଉଲ୍ଲାସରେ ଧାଇଁ ।ବନ୍ଦନ ବାଳିନନ୍ଦନ ହନୁମାନ ନଳ ଅଭିନାନ ଧ୍ୟାୟି । ୧୧ ।ବିଚାରି ଚାରି ଯୂଥପତି ସେ ଯୂଥ ଯୂଥ କରି ସୈନ୍ୟ ନେଲେ ।ବେଗେ ମିଶି ଗୋମୂତ୍ର ସର୍ବଯମକ ଶୃଙ୍ଖଳାଛନ୍ଦମଞ୍ଜୁଳେ । ୧୨ ।ଗୋମୂତ୍ର ଛନ୍ଦ:-ବାଜି ବାଣ ହୃଦଘାତ କୁନ୍ତପାତଗର୍ତ୍ତ ଶବ ବାଦୀ ରହି ।ବାଜିଗଣ ପାଦଧୃତ ହତଚେତ ଆର୍ତ୍ତରବ ସାଦୀ ବିହି । ୧୩ ।ସର୍ବଯମକ :-ବିଦାରଣ ହେଲେ ବାଳୀ କୁଞ୍ଜରେ ପ୍ରହାରଣେ କରଦନ୍ତୀ ।ବିଦାରଣ ହେଲେ ସେ ବଳିକୁଞ୍ଜରେ ପ୍ରହାରଣେ କର-ଦନ୍ତୀ । ୧୪ ।ଶୃଙ୍ଖଳା:-ବିରଥୀ ରଥିର ମନ ମନ କପି କପୀଶ ଶ-ବଶ-ବର ।ବରଷକ ବର ଶକତି କତିର ତିରସ୍କର କର ବୀର । ୧୫ ।ବିଲୋମଲୋମ:-ବିଲୋ ଲୋମ ମେଷଯୁଦ୍ଧ ପ୍ରକାରେ ସଂଗ୍ରାମ ପ୍ରାଧାନ କର ।ବୃକ୍ଷ ଗଦା ଶର ସଦା ଋକ୍ଷ ରକ୍ଷ ଅବିଶ୍ରାମରେ ପ୍ରହାର । ୧୬ ।
୧୧ଶ ପଦ :- ମାରୀଚମାରି-ମାରିଚ ହନ୍ତା (ରାମଚନ୍ଦ୍ର) । ଉଲ୍ଲାସରେ-ଆନନ୍ଦରେ । ବନ୍ଦନ-ପୂଜ୍ୟ । ବାଳିନନ୍ଦନ-ଅଙ୍ଗଦ । ଧ୍ୟାୟି-ଚିନ୍ତାକରି । ନେତ୍ରବିଳାସରେ-ଆଖିଠାରରୁ । ବାଳିନନ୍ଦନ-ବନ୍ଦନ-ସୁଗ୍ରୀବ ।
୧୧ଶ ପଦ :- ବିଭୀଷଣଠାରୁ ଏହିପରି ଶୁଣି ରାମଚନ୍ଦ୍ର ଆଖିଠାରି ଦିଅନ୍ତେ ଯୁଦ୍ଧକୁ ଅଗ୍ରସର ହେବା କଥା ଜାଣିପାରି ସୁଗ୍ରୀବ, ଅଙ୍ଗଦ, ହନୁମାନ ଓ ନଳ ଏ ଚାରିଜଣ ବୀରତ୍ୱ ପ୍ରକାଶ ପୂର୍ବକ ଉଲ୍ଲାସରେ ଧାଇଁଲେ ।
୧୨ଶ ପଦ :- ଯୂଥପତି-ସେନାପତି । ଯୂଥ-ସମଷ୍ଟି । ମଞ୍ଜୁଳେ-ମନୋହର ଭାବରେ ।
୧୨ଶ ପଦ :- ଏହି ଚାରି ସେନାପତି ବିଚାର କରି ବୃନ୍ଦ ବୃନ୍ଦ କପି ସୈନ୍ୟଙ୍କୁ ବାଣ୍ଟି ନେଲେ । ଅତିଶିଘ୍ର ମନୋହର ଗୋମୁତ୍ର ଛନ୍ଦ, ସର୍ବଯମକ ଛନ୍ଦ’ ଶୃଙ୍ଖଳା ଛନ୍ଦରେ ମିଶି ଯୁଦ୍ଧ କରିବାକୁ ଲାଗିଲେ ।
୧୩ଶ ପଦ :- ବାଦୀ-ବିପକ୍ଷ । ବାଜିଗଣ-ଘୋଡ଼ାସବୁ । ହତଚେତନ-ଚେତନାଶୂନ୍ୟ । ସାହି-ସିପାହି ।
୧୩ଶ ପଦ :- ଶତ୍ରୁ ରାକ୍ଷସମାନଙ୍କ ବାଣ ବାନରମାନଙ୍କ ହୃଦୟରେ ବାଜି ଆଘାତ କଲା ଏବଂ କୁନ୍ତହାରା ବାନରମାନଙ୍କ ଦେହରେ ଗର୍ତ୍ତହୋଇଯାନ୍ତେ ସେମାନେ ଶବପ୍ରାୟ ନିଚେଷ୍ଟ ହୋଇ ରହିଲେ । ତାହା ଦେଖି ପ୍ରଧାନ ବୀରକପିମାନେ ଅଶ୍ୱାରୋହୀ ରାକ୍ଷସ ସୈନ୍ୟ ଓ ଅଶ୍ୱଙ୍କର ପାଦଧରି ଓଟାରିବାରୁ ସେମାନେ ଆର୍ତ୍ତଧ୍ୱନି କରି ଅଜ୍ଞାନ ହୋଇ ପଡ଼ିଲେ ।
୧୪ଶ ପଦ :- ବଳୀକୁଞ୍ଜର-ବଳିଷ୍ଠ ହସ୍ତୀ, ବଳିଷ୍ଠ ସୈନ୍ୟମାନେ । କରଦନ୍ତୀ-ଶୁଣ୍ଢ ଓ ଦନ୍ତ । କର-ହସ୍ତ । ଦନ୍ତୀ-ପର୍ବତମାନଙ୍କୁ । ବିଦାରଣ-ବିଦାରଣ, ବିନାଶ କରିବା ।
୧୪ଶ ପଦ :- ହସ୍ତୀମାନେ ସେମାନଙ୍କ ଶୁଣ୍ଢ ଓ ଦନ୍ତ ପ୍ରହାର କରିବାରୁ ବଳିଷ୍ଠ କପିମାନେ ବିଦିର୍ଣ୍ଣ ହେଲେ । ତାହା ଦେଖି ରାମଙ୍କ ସୈନ୍ୟ ମଧ୍ୟରେ ଥିବା ବଳିଷ୍ଠ ଯୁଥପତିମାନେ ହସ୍ତରେ ପର୍ବତ ଶୃଙ୍ଗମାନ ଧରି ପ୍ରହାର କରି ରାକ୍ଷସ ବୀରମାନଙ୍କୁ ବିନାଶ କଲେ ।
୧୫ଶ ପଦ :- କପୀଶ-ସୁଗ୍ରୀବ । ଶ-ବଶ-ମଙ୍ଗଳର ବଶବର୍ତ୍ତୀ । ବର-ଶ୍ରେଷ୍ଠ । ବରଷକ-ବର୍ଷଣକାରୀ ।
୧୫ଶ ପଦ :- କପିମାନଙ୍କର ପ୍ରଭୁ ସୁଗ୍ରୀବଙ୍କ ମଙ୍ଗଳାକାଙ୍କ୍ଷୀ ପ୍ରଧାନ କପି ହନୁମାନ ମନେ ମନେ ବିଚାର କରି ରଥିମାନଙ୍କୁ ବିରଥୀ କରି ପକାଇଲା [ ରଥୀମାନଙ୍କ ରଥ ଭାଙ୍ଗି ପକାଇଲା ] ଏବଂ ନିକଟରେ ପ୍ରଧାନ ପ୍ରଧାନ ଶକ୍ତି ବର୍ଷଣ କରୁଥିବା ରାକ୍ଷସ ବୀରଙ୍କୁ ନାନା ପ୍ରକାର ତିରସ୍କାର କରିବାକୁ ଲାଗିଲା ।
୧୬ଶ ପଦ :- ବିଲୋମ-ବିପରୀତ । ମେଷଯୁଦ୍ଧ-ମେଣ୍ଢା ଲଢ଼େଇ ।
୧୬ଶ ପଦ :- ବିଲୋମ ଅନୁଲୋମରେ ମେଷ ଯୁଦ୍ଧ କଲାପରି ( ଦୁଇ ମେଣ୍ଢା ଯୁଦ୍ଧ କଲାବେଳେ ସେମାନେ ଆଗକୁ ଯାଇ ପୁଣି ପଛକୁ ବାରମ୍ବାର ଫେରି ଆସୁଥାନ୍ତି ) ଦୁଇ ସୈନ୍ୟ ଯୁଦ୍ଧ କରିବାକୁ ଲାଗିଲେ । ଭଲ୍ଲୁକ ଓ ରାକ୍ଷସ ସୈନ୍ୟମାନେ ବୃକ୍ଷ, ଗଦା ଓ ଶର ଅବିଶ୍ରାନ୍ତ ପ୍ରହାର କରିବାକୁ ଲାଗିଲେ ।
ବିଲୋମଅନୁଲୋମ:-ବୀର ଯେତେ ସେନା ବାର ରସା ସାର ରବା ନାଶେ ତେଜେ ରବି ।ବିହେ ତଜି ପୁରିତର ତମ ମତ ରତ ରିପୁଜିତ ହେବି । ୧୭ ।ବୃକ୍ଷବନ୍ଧ:-ବିଶାଳ ଶାଳ ତାଳଜାଳ ଟେକ ଯେ କଣ୍ଟକ ଜୀବଧବ ସେ ।ବହି କେତେ କପି କକ୍ଷାବନ୍ତ ବଡ଼ ବରଷେ ରୋଷେ ଶେଷେ ସେ । ୧୮ ।ଗଦାବନ୍ଧ:-ବିଦା ସଦା ମୋଦା ଗଦା ଗରଧର ବର ତାର ତାହି ବିହି ।ବିହି ମହୀ ମନ୍ଦ ଦ୍ୱନ୍ଦଛନ୍ଦ କନ୍ଦ କହି ନୋହେ ତାହି ବିହି । ୧୯ ।ବୃକ୍ଷବନ୍ଧ:-ବିଶାଳ ଶାଳ ତାଳଜାଳ ଟେକ ଯେ କଣ୍ଟକ ଜୀବଧବ ସେ ।ବହି କରେ କପି କକ୍ଷାବନ୍ତ ବଡ଼ ବରଷେ ରୋଷେ ଶେଷେ ସେ ।\ଗଦାବନ୍ଧ:-ବିଦା ସଦା ମୋଦା ଗଦା ଗରଧର ବର ତାର ତାହି ବିହି ।ବିହି ମହୀ ମନ୍ଦ ଦ୍ୱନ୍ଦଛନ୍ଦ କନ୍ଦ କିଛି ନୋହେ ତାହି ବିହି ।
୧୭ଶ ପଦ :- ବାର-ସମୂହ । ରସା-ପୃଥିବୀ । ସାର-ପ୍ରଧାନ । ରବା-ଧ୍ୱନି । ରବି-ସୂର୍ଯ୍ୟ । ତମ-ଅହଂକାର, ଅନ୍ଧକାର । ରିପୁ-ଶତ୍ରୁ । ଜିତ-ଜୟ ।
୧୭ଶ ବଦ:- ପୃଥିବୀରେ ଥିବା ପ୍ରଧାନ ପ୍ରଧାନ ବୀରମାନେ ସେ ଯୁଦ୍ଧରେ ସୂର୍ଯ୍ୟସମ ତେଜ ଦେଖାଇ ଓ ଉଚ୍ଚରେ ବୀରଡ଼ାକ ଦେଇ କ୍ରୋଧଭରେ ତର୍ଜନ କରିବାକୁ ଲାଗିଲେ ଏବଂ ଶତ୍ରୁକୁ ଜିଣି ଯଶସ୍ୱୀ ହେବି,- ଏହାଭାବି ପରସ୍ପରରେ ଯୁଦ୍ଧ କଲେ । ( ବିଲୋମ ଅନୁଲୋମ ମେଷ ଯୁଦ୍ଧ-ଏ ପଦର ଏ ପାଖରୁ ପଢ଼ିଲେ ଯାହା ଶେଷରୁ ପଢ଼ି ଆସିଲେ ମଧ୍ୟ ତାହା, ଯଥା-ବୀର ଯେତେ ସେନାବାର......ରବା ନାଶେ ତେଜେ ରବି ) ।
୧୮ଶ ପଦ :- ବିଶାଳ-ପ୍ରକାଣ୍ଡ । ଶାଳ-ବୃକ୍ଷ ବିଶେଷ । ତାଳ ଜାଳ-ତାଳବୃକ୍ଷ ସମୂହ । ଟେକ-ଉକୃଷ୍ଟ । କଣ୍ଟକ-ଶତ୍ରୁ । ଜୀବଧବ-ଯମ । କକ୍ଷବନ୍ତ-ପ୍ରତିଜ୍ଞାବଦ୍ଧ ।
୧୮ଶ ପଦ :- ଶ୍ରେଷ୍ଠ ବଳଶାଳୀ, ଶତ୍ରୁମାନଙ୍କର ଯମତୁଲ୍ୟ ପ୍ରାଣହନ୍ତା ବଡ଼ ସମର୍ଥ କପି ସେନାମାନେ ରାକ୍ଷସମାନଙ୍କୁ ନିଃଶେଷ କରିବା ପାଇଁ ବୃହତ୍ ଶାଳ ଗଛ ଓ ତାଳଗଛ ହସ୍ତରେ ଧରି କ୍ରୋଧରେ ପ୍ରହାର କଲେ ।
୧୯ଶ ପଦ :- ବିଦା-ବିଦାୟ, ପ୍ରହାର । ମୋଦା-ଆମୋଦ, ଆନନ୍ଦା । ଗରଧର-ବିଷଧର ସର୍ପ । ବର-ପ୍ରଧାନ । ବିହି-ବିଧାନ କରି । ମହୀ-ପୃଥିବୀ । ଦ୍ୱନ୍ଦ ଛନ୍ଦ-କପଟ ଯୁଦ୍ଧ । କନ୍ଦ-ରୋଗ; ଦୁଃଖ ।
୧୯ଶ ପଦ :- ପୃଥିବୀର ସୁଖ ଖଣ୍ଡନକାରୀ ଦୁଷ୍ଟ ରାକ୍ଷସମାନେ କପଟ ଯୁଦ୍ଧ ବିଧାନ କରି ଅଜଗର ସର୍ପ ପ୍ରାୟ ଦୀପ୍ତିମନ୍ତ ହୋଇ ଆନନ୍ଦରେ ଗଦା ପ୍ରହାର କରିବାକୁ ଲାଗିଲେ । ତେଣୁ ବାନର ସେନାମାନେ ତ୍ରାହି ତ୍ରାହି ଡାକ ଦେଇ ଭୟରେ ଆର୍ତ୍ତନାଦ କଲେ ।
ଶରବନ୍ଧ:-ବୀର ଶରଭର ଖରଖଣ୍ଡି ଖର ଖରକର ତାର ତାର ।ବାର ବାର ବାଜିବାର ତର ତର ହଟି ହଟି ହର ହର । ୨୦ ।ନିଘାତି ଦୈତ୍ୟାଶିରେ ହୋଇଥିଲେ ଶଉରୀ ପ୍ରମୁଖ ଗ୍ରହେ ।ବଡ଼ ଦାନବଳେ ପ୍ରଧାନଙ୍କ ମେଳେ ଘୁଞ୍ଚିବା ଗତିକି ବିହେ । ୨୧ ।ବିକ୍ରମି ନୋହିଲା ପ୍ରଥମମଥନେ ମହାପାରୁଶ ପାରୁଶେ ।ବସୁଧା ସୁଦ୍ଧା ପୂରିତ ହୋଇଗଲା ଯମଘଣ୍ଟ ବୀର ଘୋଷେ । ୨୨ ।ବିକୁକ୍ଷିବଂଶୀ ଦେଖି ଭାଷି ଅଦ୍ଭୁତ ସମ୍ଭୁତ ହେଲା ତ ଏହି ।ବୁଡ଼ଣୀ କୁଶଅଗ୍ର କୁଶବିନ୍ଦୁରେ ସିନ୍ଧୁରେ ଯାହାକୁ ନୋହି । ୨୩ ।ବିଭୀଷଣ ଶୁଣି ଭାଷଣ ମର୍କଟ ଜାଳରେ ମର୍କଟଜାଳ ।ବନ୍ଧନ କରି ନିଧନ ବିଚାରିବା ରହିବ ଏ କେତେକାଳ? ୨୪ ।ବିପକ୍ଷ ମାରୁଁ ମାରୁତି ଘେନି-କପି ବାମେ ସେ ସାହା ମୋହରି ।ବିଜୟୀ ଲକ୍ଷଣ ଅଙ୍ଗଦ ସ୍କନ୍ଧେଣ ଆଗେ ଆଗେ ବିଜେ କରି । ୨୫ ।
୨୦ଶ ପଦ :- ଶରଭର-ବାଣାତିଶଯ୍ୟ । ଖରଖଣ୍ଡି-ଖରହନ୍ତା । ଖର-ତୀକ୍ଷଣ । ଖରକର-ସୂର୍ଯ୍ୟ । ତାର-ତେଜୀୟାନ । ତାର-ଉବାରକର, ଶୀଘ୍ର । ହର-ଶିବ । ହର-ହରଣକର ।
୨୦ଶ ପଦ :- ତତ୍ପରେ କପି ସୈନ୍ୟମାନେ କହିବାକୁ ଲାଗିଲେ, ‘ହେ ଖରହନ୍ତା ରାମଚନ୍ଦ୍ର ! ସୂର୍ଯ୍ୟପ୍ରାୟ ଦୀପ୍ତିମନ୍ତ ରାକ୍ଷସମାନଙ୍କ ଶର ଘାତରୁ ଆମ୍ଭଙ୍କୁ ଉଦ୍ଧାର କର । ସେ ଶରସବୁ ସଂହାର ମୂର୍ତ୍ତିଧରି ପୁନଃପୁନଃ ବାଜିବାରୁ ଆମ୍ଭେମାନେ ଶୀଘ୍ର ପଛକୁ ହଟି ଆସୁଅଛୁଁ । ସେହି ଶରତେଜକୁ ତୁମ୍ଭେ ହରଣ କର’ ।
୨୧ଶ ପଦ :- ବିଘାତି-ବିନାଶକାରୀ । ଦୈତ୍ୟରାଶିରେ-ରାକ୍ଷସ ସମୂହରେ । ଶଉରୀ-ବୀର ବିଶେଷ, ଶନି- ମହାଗ୍ରହ ।
୨୧ଶ ପଦ :- ଶଉରି ପ୍ରମୁଖ ସେନାପତିମାନେ ଶନିଗ୍ରହ ଆଦି ନବଗ୍ରହ ପ୍ରାୟ ହେଲେ । ଗ୍ରହମାନେ ବଡ଼ ବଡ଼ ଦାନ ବଳରେ ଘୁଞ୍ଚିଗଲା ପ୍ରାୟ ( ଦାନ ଦେଲେ ଗ୍ରହଦୋଷ କଟିଯାଏ ) ବାନର ସେନାପତିମାନେ ବୈଦ୍ୟମାନଙ୍କ ଦ୍ୱାରା ବିଶେଷ ଭାବରେ ଘାତବନ୍ତ ହୋଇ ଘୁଞ୍ଚିଗଲେ ( ପୃଷ୍ଠଭଙ୍ଗ ଦେଲେ ) ।
୨୨ଶ ପଦ :- ବସୁଧା-ପୃଥିବୀ । ବୀର ଘୋଷେ-ବୀର ନାଦରେ ।
୨୨ଶ ପଦ :- ମହାପାର୍ଶ୍ୱରେ ପାଖରେ ଥିବା ପ୍ରଥମ ଦୈତ୍ୟ ସୈନ୍ୟମାନଙ୍କୁ ଏପରି ମନ୍ଥି ପକାଇଲା ଯେ, ତା ଆଗରେ କୌଣସି କପିସୈନ୍ୟ ରହି ନ ପାରି ପଛଘୁଞ୍ଚା ଦେଲେ । ଯମଘଣ୍ଟ ଦୈତ୍ୟର ବୀରଡାକରେ ପୃଥିବୀ ପୂର୍ଣ୍ଣ ହୋଇଗଲା ।
୨୩ଶ ପଦ :- ବିକୁକ୍ଷବଂଶୀ-ରାମଚନ୍ଦ୍ର । ସିନ୍ଧୂରେ-ସମୁଦ୍ରରେ ।
୨୩ଶ ପଦ :- କପିସୈନ୍ୟ ପୃଷ୍ଠଭଙ୍ଗ ଦେବାର ଦେଖି ରାମଚନ୍ଦ୍ର କହିଲେ, ‘‘ଏହା ତ ଅତି ଆଶ୍ଚର୍ଯ୍ୟଜନକ କଥା । ଯାହାକୁ ସମୁଦ୍ରରେ ବୁଡ଼ାଇ ଦିଆଯାଇ ନ ପାରେ, ସେ ଜଳବିନ୍ଦୁରେ ବୁଡ଼ିଗଲା କିପରି ? ( ତ୍ରିପୁର ବିଜୟୀ ମୋର ସୈନ୍ୟଙ୍କୁ ଏ ସାମାନ୍ୟ ଅସୁରେ ରଣଭଣ କରି ଦେଲେ କିପରି ?)’’ ।
୨୪ଶ ପଦ :- ମର୍କଟଜାଲରେ-ବୁଢ଼ୀଆଣୀ ଜାଲରେ । ମର୍କଟଜାଳ-ବାନରସମୂହ ।
୨୪ଶ ପଦ :- ରାମଙ୍କର ଏପରି ହତାଶ ବଚନ ଶୁଣି ବିଭୀଷଣ କହିଲେ, ‘‘ବାନରମାନଙ୍କ ବୁଢ଼ୀଆଣି ସୂତା ଜାଲରେ ବାନ୍ଧି ନିଧନ କରିବା ବିଚାର କେତେବେଳେ ଅବା ରହିବ ? ( ଅର୍ଥାତ୍ ଅସୁରଙ୍କ ମାୟାବଳରେ କପିମାନେ ପୃଷ୍ଠଭଙ୍ଗ ଦେଉ ଅଛନ୍ତି, ମାତ୍ର ସେ ମାୟା ଅତିଶୀଘ୍ର ଲୋପ ପାଇବ ଓ କପିମାନେ ଜୟୀ ହେବେ ) ।’’
୨୫ଶ ପଦ :- ମାରୁଁ-ବିନାଶ କରିବାରୁ । ମାରୁତି-ହନୁମାନ । ବାମେ-ଶତ୍ରୁ ଆକ୍ରମଣ ସମୟରେ ।
୨୫ଶ ପଦ :- ତାହା ଶୁଣି ରାମଚନ୍ଦ୍ର କହିଲେ, ‘‘ହନୁମାନ ବାନର ସୈନ୍ୟଙ୍କୁ ସଙ୍ଗରେ ନେଇ ଶତ୍ରୁ ସୈନ୍ୟଙ୍କୁ ମାରୁ । ଏ ଭୀଷଣ ରଣ କ୍ଷେତ୍ରରେ ସେ ଏକା ମୋତେ ସାହାଯ୍ୟ କରିବାରେ ଦକ୍ଷ ଅଟେ ।’’ ଏହା ଶୁଣି ବିଜୟୀ ଲକ୍ଷ୍ମଣ ଅଙ୍ଗଦ କନ୍ଧରେ ବିଜେକରି ଆଗେ ଆଗେ ଯୁଦ୍ଧ ସ୍ଥଳକୁ ଗଲେ ।
ବିଛନ୍ଦ ଛନ୍ଦେ ଏହି ବଚକବଚେ ସ୍ୱନାମେ ଆପଣା ଦେହୀ ।ବଜ୍ରପଞ୍ଜର କବଚ ସ୍ୱଗାତ୍ରରେ ପ୍ରଥମେ ଓଁ କାର ଦେଇ । ୨୬ ।ବିଶ୍ୱାମିତ୍ର ଋଷି ଅନଷ୍ଟୁପଛନ୍ଦ ଶ୍ରୀରାମଚନ୍ଦ୍ର ଦେବତା ।ବୀଜ ରାମ ଶକ୍ତି ତଦନ୍ତରେ ସତ୍ୱରେ କରି ବିଦିତ । ୨୭ ।ବିହି ଧ୍ୟାନ ଧ୍ୟାୟେ ନୀଳୋତ୍ପଳଶ୍ୟାମ ରାମ ରାଜୀବଲୋଚନ ।ବୈଦେହୀ ଲକ୍ଷ୍ମଣ ସଙ୍ଗଭଙ୍ଗକାରୀ ଜଟାମୁକୁଟମଣ୍ଡନ । ୨୮ ।ବାଣକମାଣତୂଣଅସି ପାଣିକ ପାପଘ୍ନୀ ସର୍ବକାମଦା ।ତିନ୍ୟସ୍ତ ହସ୍ତ ରଖ ଶିର ରାଘବ ଭାଲ ଦାଶରଥି ସଦା । ୨୯ ।ବିମଳନୟନ କୌଶଲ୍ୟେୟ ବିଶ୍ୱାମିତ୍ରପ୍ରିୟ ରଖ ଶ୍ରୁତି ।ବିପୁଳ-ମଖରକ୍ଷଣ ଘ୍ରାଣ ତ୍ରାଣ ସୌମୁତ୍ରି ସୁମତି । ୩୦ ।୨୬ଶ ପଦ :- ବିଛନ୍ଦ-ବିଷମ । କବଚବଚେ-କବଚ ପାଠ କରି । ବଜ୍ରପଞ୍ଜର-ସ୍ତୋତ୍ରବିଶେଷ ।
୨୬ଶ ପଦ :- ରାମଚନ୍ଦ୍ର ଦେହ ଧାରଣ କରିଥିବା ସ୍ୱୟଂ ବିଷ୍ଣୁ ନିଜର ବଜ୍ରପଞ୍ଜର କବଚର ଆଦ୍ୟରେ ଓଁକାର ଦେଇ ଋଷି ଛନ୍ଦରେ ଆପଣା ନାମରେ ନିଜ ଦେହକୁ ଏହି ବାକ୍ୟମାନଙ୍କରେ କିଳିଲେ ।
୨୭ଶ ପଦ :- ସେହି କବଚରେ ରାମ ପାଠକଲେ, ବିଶ୍ୱାମିତ୍ରଋଷି, ଅନୁଷ୍ଟୁପ୍ଛନ୍ଦ, ଶ୍ରୀ ରାମଚନ୍ଦ୍ର ଦେବତା, ରାମ ବୀଜ, ସୀତା ଶକ୍ତି । ତତ୍ପରେ ଯାହା ପଢ଼ିଲେ ତାହା ଶୀଘ୍ର ପ୍ରକାଶ କରିବା ।
୨୮ଶ ପଦ :- ତତ୍ପରେ ଧ୍ୟାନ କଲେ,- ନୀଳୋତ୍ପଳ ପ୍ରାୟ ଶ୍ୟାମ ବର୍ଣ୍ଣ, ପଦ୍ମ ନେତ୍ର, ବୈଦେହୀ ଓ ଲକ୍ଷ୍ମଣ ସହିତ କ୍ରୀଡ଼ାପ୍ରିୟ, ଜଟା ମୁକୁଟ ଭୂଷଣ ରାମଙ୍କୁ ଧ୍ୟାନ କରୁଅଛି ।
୨୯ଶ ପଦ :- ଆସିପାଣିକ-ଖଡ଼୍ଗଧାରୀ । ପାପଘ୍ନୀ-ପାପହାରୀ ।
୨୯ଶ ପଦ :- ଯାହାର ହସ୍ତରେ ଶର, ଧନୁ, ତୁଣୀର ଓ ଖଡ଼୍ଗ ସର୍ବଦା ବିଦ୍ୟାମାନ, ଯେ ପାପ ନାଶକ, ଯେ ସକଳ କାମନାଦାୟକ - ଏପରି ଯେ ଦାଶରଥି, ସେ ମୋର ମସ୍ତକ ରଖନ୍ତୁ । ଏହା କହି ମସ୍ତକରେ ହସ୍ତ ବିନ୍ୟାସ କଲେ ।
୩୦ଶ ପଦ :- କୌଶଲ୍ୟେୟ-କୌଶଲ୍ୟାସୁତ ରାମଚନ୍ଦ୍ର । ଶ୍ରୂତି-ବର୍ଣ୍ଣ । ମଖରକ୍ଷଣ-ଯଜ୍ଞ ରକ୍ଷାକାରୀ । ଘ୍ରାଣ-ନାସିକା ।
୩୦ଶ ପଦ :- କୌଶଲ୍ୟାପୁତ୍ର ମୋହର ନିର୍ମଳ ଚକ୍ଷୁଦ୍ୱୟ ରଖନ୍ତୁ, ବିଶ୍ୱାମିତ୍ର ଋଷିଙ୍କ ପ୍ରିୟ ଶିକ୍ଷ୍ୟ ମୋର ଦୁଇ ଶ୍ରବଣକୁ ରଖନ୍ତୁ, ମହାଯଜ୍ଞ ରକ୍ଷାକାରୀ ରାମ ମୋର ନାସିକାକୁ ରକ୍ଷା କରନ୍ତୁ, ଲକ୍ଷ୍ମଣଙ୍କଠାରେ ଉତ୍ତମରୂପେ ଅନୁରାଗୀ ହୋଇଥିବା ରାମ ମୋହର ମୁଖକୁ ରକ୍ଷା କରନ୍ତୁ ।
ବିଦ୍ୟାନିଧି ଜିହ୍ୱା ଭରତବନ୍ଦିତ କଣ୍ଠ ଦିବ୍ୟାୟୁଧ ସ୍କନ୍ଧ ।ବାହୁ ଈଶ୍ୱଧନୁଭଞ୍ଜ ସୀତାଈଶ କର ରକ୍ଷା କରୁ ସିଦ୍ଧ । ୩୧ ।ବକ୍ଷ କବନ୍ଧାରି ହୃଦ ଜାମଦଗ୍ନ୍ୟଜିତ ଗୀର୍ବାଣ ପୂଜିତ ।ବେନି ସ୍ତନ ରଘୁପତି ପାର୍ଶ୍ୱ କୁକ୍ଷି ଇକ୍ଷ୍ୱାକୁବଂଶ ରକ୍ଷିତ । ୩୨ ।ବାଦୀ ଖରଧ୍ୱଂସୀ ମଧ୍ୟ ଜାମ୍ୱବାଦିଶ୍ରୟ ସେ ନାଭି ଉଦ୍ଧରୁ ।ବିଦ୍ୟ ମିତ୍ର-ପୁତ୍ର-ମିତ୍ର କଟି ହନୁମନ୍ତ ପ୍ରଭୁ ସକଥି ତାରୁ । ୩୩ ।ବିଶାଳଜାନୁ ସେତୁକୃତ ଦଶାସ୍ୟଜଘାନ ଜଂଘା ପ୍ରତାରୁ ।ବିଭୀଷଣଶ୍ରୀଦ ପଦ ରଖୁ ରାମ ସର୍ବବପୁ ରକ୍ଷା କରୁ । ୩୪ ।ବିଗ୍ରହ ଏମନ୍ତ କବଚିବ ଯେହି ଯନ୍ତ୍ରେ ଭୁର୍ଝପତ୍ରେ ଲିହି ।ବିହିଲେ ଶତ୍ରୁ ଅସ୍ତ୍ରତ୍ରାସ ବିନାଶ ଯଶ ପରକାଶ ତହିଁ । ୩୫ ।୩୧ଶ ପଦ :- ବିଦ୍ୟାନିଧି-ସମସ୍ତ ବିଦ୍ୟାର ଆଧାର । ଈଶଧନୁରଞ୍ଜ-ଶିବଧନୁଭଗ୍ନକାରୀ ।
୩୧ଶ ପଦ :- ସକଳ ବିଦ୍ୟାର ସ୍ଥାନ ରାମଚନ୍ଦ୍ର ମୋହର ଜିହ୍ୱାକୁ ରଖନ୍ତୁ, ଭରତ ମୁଜିତ ରାମ ମୋର କଣ୍ଠତଟକୁ ରକ୍ଷା କରନ୍ତୁ, ବିଦ୍ୟା ଆୟୁଧଧାରୀ ରାମ ଦୁଇ କାନ୍ଧକୁ ରକ୍ଷା କରନ୍ତୁ, ହର ଧନୁ ଭଗ୍ନକାରୀ ରାମ ମୋର ଦୁଇ ବାହାକୁ ରକ୍ଷା କରନ୍ତୁ, ସୀତାପତି ରାମ ମୋର ଦୁଇ ହସ୍ତକୁ ରଖନ୍ତୁ ।
୩୨ଶ ପଦ :- ଜମଦଗ୍ନ୍ୟଜିତ-ପଶୁରାମ ବିଜୟା । ଗୀର୍ବାଣପୂଜିତ-ଦେବତା ମାନଙ୍କର ପୂଜ୍ୟ ।
୩୨ଶ ପଦ :- କବନ୍ଧ ଦୈତ୍ୟହନ୍ତା ରାମ ମୋର ବକ୍ଷ ରକ୍ଷା କରନ୍ତୁ, ପର୍ଶୁରାମ ବିଜେତା ରାମ ମୋର ହୃଦୟକୁ ରକ୍ଷା କରନ୍ତୁ, ଦେବପୂଜ୍ୟ ରାମ ମୋର ସ୍ତନଦ୍ୱୟକୁ ରଖନ୍ତୁ, ରଘୁବଂଶ ଶ୍ରେଷ୍ଠ ରାମ ମୋର ପାର୍ଶ୍ୱଦ୍ୱୟକୁ ରକ୍ଷା କରନ୍ତୁ, ଈକ୍ଷ୍ୱାକୁବଂଶୋଭବ ରାମ ମୋହର ଉଦର ରକ୍ଷା କରନ୍ତୁ ।
୩୩ଶ ପଦ :- ମିତ୍ର ପୁତ୍ର-ମିତ୍ର-ସୁଗ୍ରୀବର ବନ୍ଧୁ ( ରାମଚନ୍ଦ୍ର ) । ସକଥି-ଉରୁସନ୍ଧି ।
୩୩ଶ ପଦ :- ବିବାଦୀ ଖର ରାକ୍ଷସର ବିନାଶକ ରାମ ମୋର କଟିଭାଗକୁ ରଖନ୍ତୁ, ଜାମ୍ବବର ଆଶ୍ରୟ ରାମଚନ୍ଦ୍ର ମୋର ନାଭିକୁ ରକ୍ଷା କରନ୍ତୁ, ସୂର୍ଯ୍ୟପୁତ୍ର ନାମରେ ପ୍ରସିଦ୍ଧ ଲଭିଥିବା ସୁଗ୍ରୀବର ମିତ୍ର ରାମ ମୋର ଅଣ୍ଟାକୁ ରକ୍ଷା କରନ୍ତୁ, ହନୁମାନ ପ୍ରଭୁ ରାମଚନ୍ଦ୍ର ମୋର ଉରୁସନ୍ଧିକି ରଖନ୍ତୁ ।
୩୪ଶ ପଦ :- ଦଶାସ୍ୟଜଘାନ-ରାବଣହନ୍ତା । ବିର୍ଭାଷଣଶ୍ରାଦ-ବିଭୀଷଣର ସମ୍ପଦଦାତା ।
୩୪ଶ ପଦ :- ସେତୁବନ୍ଧ ବନ୍ଧାଇଥିବା ରାମଚନ୍ଦ୍ର ମୋହର ବୃହତ୍ ଜାନୁଦ୍ୱୟକୁ ରକ୍ଷା କରନ୍ତୁ, ରାବଣ ହନ୍ତା ରାମ ମୋହର ଜଙ୍ଘଦ୍ୱୟକୁ ରକ୍ଷା କରନ୍ତୁ, ବିଭୀଷଣର ସମ୍ପଦଦାତା ରାମଚନ୍ଦ୍ର ମୋହର ପାଦଦ୍ୱୟ ରଖନ୍ତୁ, ରାମ ମୋହର ସମସ୍ତ ଶରୀର ରକ୍ଷା କରନ୍ତୁ ।
୩୫ଶ ପଦ :- ଭୁର୍ଜପତ୍ର-ପତ୍ରବିଶେଷ । ଲିହି-ଲେଖି । ଶତ୍ରୁ ଅସ୍ତ୍ରତ୍ରାସ-ଶତ୍ରୁର ଅସ୍ତ୍ରାଘାତ ଭୟ ।
୩୫ଶ ପଦ :- ଯେଉଁଲୋକ ଯନ୍ତ୍ର କାଟି ଭୁର୍ଜପତ୍ରରେ ଲେଖି ନିଜ ଦେହକୁ ଏହିଭଳି କିଳିବ, ଶତ୍ରୁ ଯେତେ ଅସ୍ତ୍ର ପ୍ରହାର କଲେ ମଧ୍ୟ ସେ ବିନାଶ ହେବ ନାହିଁ, ବରଂ ତାହାର ଉତ୍ତରୋତ୍ତର ବୃଦ୍ଧି ହେବେ ।
ବଜାଇଲେ ଜୟକମ୍ୱୁ ଏ ସମୟେ ତେଜୋମୟ ନିଜ ସୈନ୍ୟ ।ବଳବାନର ବାନରେ ପାଲଟିଲେ ଶଙ୍ଖ ଶଙ୍ଖ ଶଙ୍ଖସ୍ୱନେ । ୩୬ ।ବାସରାନ୍ତ ନଭ ଦୁର୍ଲ୍ଲଭ ସମାନ ଲଭ୍ୟକ ସେ ରଣସ୍ଥଳ ।ବିଲକ୍ଷ ଲକ୍ଷ ଋକ୍ଷଜ୍ୟୋତି ପ୍ରଚାର ନିଶାଚର ଖଗକୁଳ । ୩୭ ।ବଳକର ରାମଲକ୍ଷ୍ମଣକରଜ ପ୍ରଭା ଆସଇ ପ୍ରକଟି ।ବିରୁପାକ୍ଷସ୍ଥାନେ ଦରଶବଦ ଯେ ଦ୍ୱିବିଧ ଅର୍ଥରେ ଘୋଟି । ୩୮ ।ବିବେକ ଶଉରି ଅଚଳ ଅଚଳ ପ୍ରଚଳ କରି ବିହିତ ।ବିମାନ ଦଶକନ୍ଧରର ମନ୍ଦର ଚାଳନେ ମନ୍ଦମରୁତ । ୩୯ ।ବିଲୋମଲୋମଗତିରେ ମେଷଯୁଦ୍ଧବଶେ ଅଙ୍ଗଦ ପ୍ରଭବ ।ବର ରଥ କର ଭାବେ ରଚି ଚିର ବେଭାରକ ଥରରବ । ୪୦ ।୩୬ଶ ପଦ :- ଜୟଶମ୍ବୁ-ବିଜୟ ଶଙ୍ଖ । ପାଲଟିଲେ-ଲେଉଟିଲେ ।
ଶ୍ରୀରାମ କବଚ :- ଓଁ ଶ୍ରୀରାମ କବଚସ୍ୟ, ବୃଦ୍ଧ ବିଶ୍ୱାମିତ୍ର ଋଷିଃ ଅନ୍ତୁଷ୍ଟୁପ୍ଛନ୍ଦଃ ଶ୍ରୀରାମଚନ୍ଦ୍ରୋ ଦେବତା, ଶ୍ରୀରାମଚନ୍ଦ୍ରୋ ବୀଇଂ,-ସୀତା ଶକ୍ତିଃ ଶତ୍ରୁ ପରାଜୟାର୍ଥେ ବିନିଯୋଗଃ ।
ଧ୍ୟାନଂ- ଧ୍ୟାୟେ ନୀଳୋତ୍ପଳଂ ଶ୍ୟାମଂ ରାମଂ-ରାଜୀବଲୋଚନଂ ।ଜାନକୀ ଲକ୍ଷ୍ମଣୋପେତଂ ଜଟାମୁକୁଟମଣ୍ଡନଂ ॥
ସାସିତୂଣ ଧନୁର୍ବାଣ ପାଣିଂ ନକ୍ତଂ ଚିରାନ୍ତକଂ ।ସ୍ୱଲିଳୟା ଜଗଦଭ୍ରାତୁମାବିଭ୍ୱ ମଦଂ ବିଭୁଂ ॥
ରାମରକ୍ଷା ପଠେତ୍ ପ୍ରାଜ୍ଞଃ ପାପଘ୍ନୀ ସର୍ବ କାମଦା ।ଶିରୋମେ ରାଘବଃ ପାତୁ ଭାଲଂ ଦଶରଥ ତ୍ମଜଃ ॥
କୌଶଲ୍ୟେୟୋ ଦୃଶୌପାତୁ ବିଶ୍ୱାମିତ୍ରପ୍ରିୟଃ ଶ୍ରୁତିଂ ।ଘାଣଂ ପାତୁ ମଖତ୍ରାଣୋ ମୁଖଂ ସୌମିତ୍ରବତ୍ସଳଃ ॥
ଜିହ୍ନାଂ ବିଦ୍ୟାନିଧି ପାତୁ କଣ୍ଠଂ ଭରତବନ୍ଦିତଃ ।ସ୍ୱନ୍ଧୌଦିବ୍ୟାୟଧଃ ପତୁଃ ଭ୍ୱଜୌ ଭଗ୍ନେଶ କାମୁକଃ ॥
କିରୌସୀତାପତିଃ ପାତୁ ହୃଦୟଂ ଜାମଦଗ୍ନ୍ୟଜିତ୍ ।ସ୍ତନଦ୍ୱୟଂ ସର୍ବଦା ସେ ପାତୁ କୁକ୍ଷିମିକ୍ଷ୍ୱାକୁ ରକ୍ଷକ ॥
ପଶ୍ଚାତ୍ପାତୁ ଚ କାକୁସ୍ଥୋଽହଲ୍ୟା ଦୁଃଖ ବିନାଶକୃତ୍ ।ମଧ୍ୟଂ ପାତୁ ଖରଧ୍ୱଂସୀ ନାଭିଂ ଜାମ୍ବବାଦଶ୍ରୟଃ ॥
ସୁଗ୍ରୀବେଶଃ କଟିଂ ପାତୁ ସକ୍ଥିନୀ ହନୁମତ୍ ପ୍ରଭୁଃ ।ଊରୁ ରଘୁତ୍ତମଃ ପାତୁ ଗୁହ୍ୟଂ ପାତୁ ଗୁହାନ୍ତକଃ ॥
ଜାନୁମୀ ସେତୁକୃତ୍ୱ ପାତୁ ଜଙ୍ଘେ ଦଶମୁଖାନ୍ତକଃ ।ଆଦୌ ବିଭୀଷଣ ଶ୍ରାଦଃ ପାତୁ ରାମୋଃଖିଳଂ ବପୁଃ ॥
ଭୁଜପତ୍ରେ ତ୍ୱିମାଂ ବିଦ୍ୟା ଗନ୍ଧ ଚନ୍ଦନ ଚର୍ଚ୍ଚିତାଂ ।କୃତ୍ୱା ବୈଧାରୟଦ୍ଯସ୍ତୁ ସୋଽଭୀଷ୍ଟଫଳମାପ୍ଲ ୟାତ୍ ॥
୩୬ଶ ପଦ :- ଏହି ସମୟରେ ନିଜ ସୈନ୍ୟ ମଧ୍ୟରେ ତେଜୋମୟ ରାମ ଜୟଶଙ୍ଖ ବଜାଇଲେ । ଶଙ୍ଖ ଶବ୍ଦ ଶୁଣି ବଳବନ୍ତ କପିମାନେ ଶଙ୍ଖ-ସଂଖ୍ୟକ ପରିମାଣରେ ଆସିରୁଣ୍ଡ ହେଲେ ।
୩୭ଶ ପଦ :- ବାସରାନ୍ତନଭ-ସନ୍ଧ୍ୟାକଳୀନ ଆକାଶ । ଲଭ୍ୟକ-ପ୍ରାପ୍ତ । ବିଲକ୍ଷ-ଅଲକ୍ଷ, ଅସଂଖ୍ୟ । ଋକ୍ଷଜ୍ୟୋତି-ଭଲ୍ଲୂକପ୍ରଭା, ନକ୍ଷତ୍ର ଜ୍ୟୋତି । ନିଶାଚର-ରାକ୍ଷସ, ପେଚକପ୍ରଭୃତି ରାତ୍ରିଚର ପକ୍ଷୀ । ଖଗକୁଳ-ଶରସମୁଦ୍ର, ପକ୍ଷୀସମୁହ ।
୩୭ଶ ପଦ :- ସେ ରଣସ୍ଥଳ ଉତ୍ତମ ସନ୍ଧ୍ୟା ସମୟରେ ଆକାଶର ଶୋଭାକୁ ଲାଭ କଲା । ଯେପରି ସାୟଂ କାଳରେ ଆକାଶରେ ଲକ୍ଷ ଲକ୍ଷ ନକ୍ଷତ୍ରଙ୍କ ଜ୍ୟୋତି ପ୍ରକାଶିତ ହୁଏ ଓ ରାତ୍ରିଚର ପକ୍ଷୀସମୂହ ସଂଚରଣ କରନ୍ତି, ସେହିପରି ରଣଭୂମିରେ ଲକ୍ଷ ଲକ୍ଷ ଭଲ୍ଲୁକଙ୍କର ତେଜ ପ୍ରକାଶିତ ହେଲା ଓ ରାକ୍ଷସଙ୍କର ବାଣସମୂହ ସଂଚରଣ କଲା ।
୩୮ଶ ପଦ :- ବଳକର-ପରାକ୍ରମଶାଳୀ, ତେଜୋମୟ ରାମଲକ୍ଷ୍ମଣ-ଚନ୍ଦ୍ର । କରକ-ହସ୍ତଜାତ, କିରଣଜାତ । ବିରୁପାକ୍ଷସ୍ଥାନେ-ରାକ୍ଷସବିଶେଷଠାରେ, ଶିବାଳୟରେ । ଦରଶବଦ-ଶଙ୍ଖଶବ୍ଦ, ଭୟଙ୍କର ଧ୍ୱନି ।
୩୮ଶ ପଦ :- ସାୟଂକାଳର ଆକାଶରେ ତେଜସ୍କର ଚନ୍ଦ୍ରଙ୍କର କିରଣ ପ୍ରକଟିତ ହୋଇ ଆସିଲା ପ୍ରାୟ ରଣଭୂମିରେ ବଳବାନ ରାମ ଲକ୍ଷ୍ମଣ ଦୁଇ ଭାଇଙ୍କ ହସ୍ତ ଜାତ ଶରପ୍ରଭା ପ୍ରକଟିତ ହେଲା । ରାମଙ୍କ ତେଜ ଦେଖି ବିରୁପାକ୍ଷ ( ରାକ୍ଷସ ବା କି ଛାର ) ।
୩୯ଶ ପଦ :- ଅଚଳ-ପର୍ବତ । ଅଚଳ-ନିଶ୍ଚଳ ବା ଅଟଳ । ମନ୍ଦମରୁତ-ଧୀର ପବନ । ପ୍ରଚଳ-ରଞ୍ଚଳ ।
୩୯ଶ ପଦ :- ‘ରାବଣର ପର୍ବତ ପ୍ରାୟ ନିଶ୍ଚଳ ବିମାନକୁ ଚଞ୍ଚଳ କିପରି ଭାଙ୍ଗିବି’ - ଏହା ବିଚାର କରି ଶଉରି ସେନାପତି ମନ୍ଦର ପର୍ବତ ଧରିଗଲା । ଧୀର ମାତ୍ର ପବନ ମନ୍ଦର ପର୍ବତକୁ ଟାଳି ନ ପାରିଲା ପ୍ରାୟ ସେ ରାବଣର ରଥ ହଲାଇ ପାରିଲା ନାହିଁ ।
୪୦ଶ ପଦ :- ତଦନନ୍ତର ଅଙ୍ଗଦ ଲୋମବିଲୋମ ଗତିରେ ମେଷ ଯୁଦ୍ଧର ବଶୀଭୂତ ହୋଇ ପରାକ୍ରମ ପ୍ରକାଶପୂର୍ବକ ରାବଣର ପୁଷ୍ପକ ବିମାନକୁ ବହୁ ଦୂରକୁ ଠେଲି ଦେଇ ବହୁତ ସମୟ ପର୍ଯ୍ୟନ୍ତ ଶବ୍ଦଯୁକ୍ତ କରିଦେଲା । ( ଅଙ୍ଗଦ ଖୁବ୍ ଯୋରରେ ଠେଲି ଦେବାରୁ ରଥ ବହୁତ ଦୂର ପଛକୁ ଘୁଞ୍ଚିଗଲା ଓ ବହୁତ ସମୟ ପର୍ଯ୍ୟନ୍ତ ଘର ଘର ଧ୍ୱନି ଶୁଣାଗଲା ) ।
ବୋଲେ ବୋଲାଇ ଏ ପୁଷ୍ପକ ପୁଷ୍ପକ ତୋଳି ଫିଙ୍ଗିବି ସାଗରେ ।ବୁଝାଇଁ ଶିଖରୀ ତିଳକ ତିଳକ ସମ କରି ଟେକିପାରେ । ୪୧ ।ବୋଲେ ଦଶଶର ଧରି ବ୍ରହ୍ମଶର ବ୍ରହ୍ମସ୍ୱୀ ପ୍ରାଣଧନ ଦେ ।ବିନ୍ଧ ରଭସରେ ଶରେ ସଦୃଶରେ ଦୃଶରେ ଲକ୍ଷ୍ମଣ ଛେଦେ । ୪୨ ।ବିହିରେ ଯୂଥପତିଗଣେ ତକ୍ଷ୍ଣେ ରଣାଙ୍ଗଣେ ସୁରଙ୍ଗରେ ।ବିପ୍ରବିଧିରେ ବିଧିରେ ବେଢ଼ିଗଲେ ରଥ ପ୍ରାସାଦ ସାଦରେ । ୪୩ ।ବିଭୀଷଣ ସଙ୍ଗେ ଧାମେ ରାମ ରଙ୍ଗେ ରାମସଙ୍ଗେ ବ୍ୟାଧରୀତି ।ବିସ୍ମୟ ମୟତନୟ ସେ ସମୟ ଗଲା ଧରା ଧରାପତି । ୪୪ ।ବେନି ବେନି ହୋଇ ଦ୍ୱିଦିଗ ପ୍ରଧାନ ବୀର ବିରଚିଲେ ଯୁଦ୍ଧ ।ବଜ୍ରରୁ ବଜ୍ର ବୃକ୍ଷ ଶିଳା ବର୍ଷଣ ମାର୍ଗଣଗଣ ଆୟୁଧ । ୪୫ ।୪୧ଶ ପଦ :- ପୁଷ୍ପକ-ପୁଷ୍ପକବିମାନ । ପୁଷ୍ପକ-ଫୁଲ । ତୋଳି-ଟେକି । ଶିଖରୀତିଳକ-ପର୍ବତଶ୍ରେଷ୍ଠ, କୈଳାସ । ତିଳକ-ରାଶି ।
୪୧ଶ ପଦ :- ବିମାନକୁ ପେଲିଦେଇ ଅଙ୍ଗଦ କହିଲା, ଏ ରଥ ପୁଷ୍ପକ ରଥ ବୋଲାଏ, ମୁଁ ଫୁଲପ୍ରାୟ ତୋଳି ଏହାକୁ ସମୂଦ୍ରରେ ଫିଙ୍ଗିଦେବି-ଏହା ଭାବୁଅଛି । କାରଣ ମୁଁ କୈଳାସ ପର୍ବତକୁ ତିଳସମାନ ଟେକି ଦେଇ ପାରେ (ଏ ବା କି ଛାର !) । ’’
୪୨ଶ ପଦ :- ଦଶଶିର-ରାବଣ । ବ୍ରହ୍ମସ୍ୱୀ-ବ୍ରାହ୍ମଣପକ୍ଷଧାରୀ । ରଭାସରେ-ଅତିଶୀଘ୍ର, ଅତିବେଗରେ । ଦୃଶରେ-ସମକ୍ଷରେ ।
୪୨ଶ ପଦ :- ଏହା ଶୁଣି ରାବଣ ବ୍ରହ୍ମଶର ହସ୍ତରେ ଧରି କହିଲା, ‘‘ତୁ ପିତା ଶତ୍ରୁକୁ ନ ମାରି ତାହାର ସାହାଯ୍ୟକାରୀ ହୋଇଅଛୁ । ତେଣୁ ତୁ ପିତୃଋଣ ପରିଶୋଧ କରିନାହୁଁ, ଋଣୀ ଲୋକ ଧନଦେଇ ଋଣରୁ ମୁକ୍ତ ହେଲା ପ୍ରାୟ, ତୁ ତୋର ପ୍ରାଣ ରୂପ ଧନକୁ ଦେ, ତେବେ ଋଣରୁ ମୁକ୍ତ ହେବୁ ।’’ ଏହା କହି ରାବଣ ବ୍ରହ୍ମଶରସଦୃଶ ଏକ ଶର ବେଗରେ ବିନ୍ଧିଲା । ସେ ଶର ଦୃଶ୍ୟ ହେବା ମାତ୍ରକେ ଲକ୍ଷ୍ମଣ ତାହା କାଟି ପକାଇଲେ ।
୪୩ଶ ପଦ :- ରଣାଙ୍ଗଣେ-ଯୁଦ୍ଧକ୍ଷେତ୍ରରେ । ସୁରଙ୍ଗରେ-କୌତୁକରେ । ପ୍ରାସାଦ-ମନ୍ଦିର ।
୪୩ଶ ପଦ :- ସେ ସମୟରେ ଯୂଥପତିମାନେ ରଣଭୂମିରେ ପ୍ରବଳ କ୍ରୀଡ଼ା ଛଳରେ ବିହରିଲେ । ବ୍ରାହ୍ମଣଙ୍କ ପ୍ରାୟ-ଚଞ୍ଚଳ ହୋଇ ଦେଉଳ ପ୍ରାୟ ରଥକୁ ଆଦରର ସହିତ ବେଢ଼ିଗଲେ ।
୪୪ଶ ପଦ :- ରଙ୍ଗେ-ଯୁଦ୍ଧକ୍ଷେତ୍ରରେ । ରାମ ସଙ୍ଗେ-ମୃଗ ସହିତ । ବ୍ୟାଧରୀତି-ଶବରସଦୃଶ । ମୟତନୟ-ମୟ ରାକ୍ଷସର ପୁତ୍ର, ରାବଣର ଶଳା । ଧରାପତି-ରାଜା, ଏଠାରେ ରାବଣ ।
୪୪ଶ ପଦ :- ଏହି ସମୟରେ ରାମଚନ୍ଦ୍ର ବିଭୀଷଣକୁ ସଙ୍ଗତରେ ନେଇ ବ୍ୟାଧ ମୃଗ ଧାଇଁଲା ପ୍ରାୟ ଯୁଦ୍ଧ ପାଇଁ ରାବଣ ନିକଟକୁ ଧାଇଁଲେ । ସେହି କାଳରେ ମୟଦାନବ ପୁତ୍ର ( ରାବଣର ଶଳା ) ଆଶ୍ଚର୍ଯ୍ୟ ହୋଇ ବିଚାରିଲା, ‘‘ ରାବଣ ଶତ୍ରୁ ହସ୍ତରେ ବନ୍ଦୀ ହେଲା କି ?
୪୫ଶ ପଦ :- ଦ୍ୱିଦିଗ-ଉଭୟ ପକ୍ଷ । ବଜ୍ର-କଠିନ । ଶିଳା-ପଥର । ମାର୍ଗଣଗଣ-ଶରସମୂହ ।
୪୫ଶ ପଦ :- ଦୁଇପକ୍ଷରେ ପ୍ରଧାନ ପ୍ରଧାନ ବୀରମାନେ ଦୁଇ ଦୁଇ ଜଣ ହୋଇ ଯୁଦ୍ଧ କଲେ । ରାମଙ୍କ ସେନାମାନେ ବଜ୍ରଠାରୁ ଆଣ୍ଟ ବୃକ୍ଷ ଶିଳାମାନ ଧରି ପ୍ରହାର କଲେ ଏବଂ ରାବଣର ସେନାମାନେ ଶରସମୂହ ବର୍ଷଣ କରିବାକୁ ଲାଗିଲେ ।
ବ୍ୟକତ ରକତନଦ କୋକନଦ ମଣ୍ଡିହେଲା ପ୍ରାୟ ପୃଥ୍ୱୀ ।ବଳ ପ୍ରବଳ ତଳପଙ୍କ କଲେ ସେ ପନ୍ତି ପନ୍ତି ପିଣ୍ଡ ସ୍ୱଚ୍ଛ । ୪୬ ।ବ୍ରହ୍ମାଣ୍ଡ ଦର ଦରସ୍ଫୁଟ ନାଦର ଉଦର ଫାଟିବ ପରା ।ବାସୁକି ଶଙ୍କି ଟେକି ଧରି ଧରିତ୍ରୀ ନୋହିବହୋଇ କି ଭାରା ? । ୪୭ ।ବିଚକ୍ଷଣ ରଣେ ଲକ୍ଷ୍ମଣ ତୀକ୍ଷ୍ଣ ବାଣ କଠୋର କୁଠାର ।ବିଚ୍ଛେଦ କଲା ଚ୍ଛେଦି ମହାପାରୁଶ ମହାଦ୍ରୁମ ପିଣ୍ଡ ଶିର । ୪୮ ।ବିକଟ ସୁଗ୍ରୀବ ସୁଗ୍ରୀବ ମୋଡ଼ିଲା ଯାଗପଶୁ ପରା ଧରି ।ବାତସୁତ ମୃଷ୍ଟି ମହାଶନି ମହାଶନି ହନୁ ସାନୁ ଚୂରି । ୪୯ ।ବଳିଷ୍ଠ ପ୍ରଶସ୍ତ ପ୍ରଶସ୍ତ ଅଙ୍ଗଦ ଅଙ୍ଗଦ ତଳରେ ହେଲା ।ବିଚିତ୍ରକର୍ମା ଅପୂର୍ବ ନଳ ନଳଜରାସୁର ଭସ୍ମ କଲା । ୫୦ ।୪୬ଶ ପଦ :- ବ୍ୟକତ-ପ୍ରକାଶିତ । ରକତନଦ-ରକ୍ତନଦୀ । କୋକନଦ-ରଙ୍ଗକଇଁ । ମଣ୍ଡିହେଲାପ୍ରାୟ-ବିଭୁଷିତହେଲାପରି ।
୪୬ଶ ପଦ :- ସେ ସମୟରେ ରଣକ୍ଷେତ୍ରରେ ରକ୍ତନଦୀ ପ୍ରବାହିତ ହେବାରୁ ପୃଥ୍ୱୀ ରକ୍ତୋତ୍ପଳ ମଣ୍ଡି ହେଲା ପ୍ରାୟ ଦେଖାଗଲା । ସେହି ବଳବନ୍ତ ବୀରମାନେ ସୈନ୍ୟମାନଙ୍କ ରୁଣ୍ଡି ଭୂତ ମୃତପିଣ୍ଡକୁ ମନ୍ଥି ପକାଇ ରଣଭୂମିକୁ କାଦୁଅ କରି ପକାଇଲେ ।
୪୭ଶ ପଦ :- ଦର-ଭୟ । ଦରସ୍ଫୁଟ-ଅର୍ଦ୍ଧୋଚ୍ଚାରିତ ବଚନ । ଉଦର-ପେଟ । ଧରିତ୍ରୀ-ପୃଥିବୀ ।
୪୭ଶ ପଦ :- ସେହି ବୀରମାନଙ୍କର ଅର୍ଦ୍ଧୋଚ୍ଚାରିତ ବୀରତ୍ୱ ବ୍ୟଞ୍ଜକ ଡାକରେ ପୃଥିବୀ ଭୀତ ହୋଇ ବିଚାର କଲା, ‘ମୋର ଉଦର ଫାଟି ଯିବ କି ? ବୀରଙ୍କ ପାଦଭରା ଅସହନୀୟ ହେବାରୁ ନାଗରାଜ ବାସୁକି ଶଙ୍କା କଲା, ‘ଧରଣୀକୁ ଆଉ ଟେକି ଧରି ପାରିବି ନାହିଁ କି ?’
୪୮ଶ ପଦ :- ବିଚକ୍ଷଣ-ବୁଦ୍ଧିମାନ୍, ପଣ୍ଡିତ । କୁଠାର-କୁରାଢ଼ୀ ।
୪୮ଶ ପଦ :- ଋଣକ୍ଷେତ୍ରରେ ରଣପଣ୍ଡିତ ଲକ୍ଷ୍ମଣ ତୀକ୍ଷ୍ଣ ଶନି ରୂପ କଠୋର କୁଠାର ଦ୍ୱାରା ମହାପାର୍ଶ୍ୱ ରୂପ ଅତି ନୀଚ୍ଚ ମହାଦ୍ରୁମକୁ ଦୁଇଖଣ୍ଡ କରି ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଲେ ।
୪୯ଶ ପଦ :- ବିକଟ-ରାକ୍ଷସ ବିଶେଷ । ସୁଗ୍ରୀବ-ଉତ୍ତମଗ୍ରୀବ । ବାତସୁତ-ହନୁମାନ । ମହାଶନି-ଦୈତ୍ୟ ବିଶେଷ । ମହାଶନି-ବଜ୍ର । ହନୁ-ଗାଲ । ସାନୁ-ପର୍ବତ ଶୃଙ୍ଗ ।
୪୯ଶ ପଦ :- କପିରାଜ ସୁଗ୍ରୀବ ବିକଟ ନାମକ ଦୈତ୍ୟର ଶୋଭାମାନ ଗଳାକୁ ଧରି ଯାଗପଶୁର ମୁଣ୍ଡ ମୋଡ଼ିଲା ପ୍ରାୟ ମୋଡ଼ି ଦେଲା । ହନୁମାନ ବଜ୍ରସମ ବିଧା ପ୍ରହାରକରି ମହାଶନି ଦୈତ୍ୟର ପର୍ବତ ଶୃଙ୍ଗ ରୂପ ଗାଲକୁ ଚୂର୍ଣ୍ଣକରି ଦେଲା ।
୫୦ଶ ପଦ :- ପ୍ରଶସ୍ତ-ପ୍ରଧାନ । ପ୍ରଶସ୍ତ-ରାକ୍ଷସ ବିଶେଷ । ଅଙ୍ଗଦ-ଭେଦ ନାଦ କଲା ।
୫୦ଶ ପଦ :- ବଳିଷ୍ଠ ପ୍ରଶସ୍ତ ସେନାପତି ଅଙ୍ଗଦର ଚାପୁଡ଼ାରେ ଦେହପାତ କଲା । ବିଚିତ୍ରକର୍ମା ନଳ ଅନଳ ସଦୃଶ ହୋଇ ଜରା ଅସୁରକୁ ଭସ୍ମକରି ଦେଲା ।
ବିରୁପା ବିରୁପାକ୍ଷକୁ କଲା ନୀଳ ପ୍ରକଟି କଟିକିଭାଙ୍ଗି ।ବୈଶାଖ ଋକ୍ଷପତି ଦଧି ପ୍ରଥମ ପ୍ରମଥନ ବଶେ ରଙ୍ଗୀ । ୫୧ ।ବିଧା ବିଧାନେ ସୁଷେଣ କାଳକାଳ କାଳଘଣ୍ଟ ଧ୍ୱନି ଲୀନ ।ବିଦାରେ କରି କରିକୁମ୍ଭ କୁମ୍ଭଜ କେଶରୀ କେଶରୀ ଘେନ । ୫୨ ।ବାଟିର ସମହିଁ ମହୀରେ ଗଡ଼ଇ ମହେନ୍ଦ୍ର ମହୀସୁରକୁ ।ବିଶିଷ୍ଟ ଗବୟ ଗବୟ ପରିଚେ ଚିର କାଳକେତୁ ବୁକୁ । ୫୩ ।ବଇରୀ ବଇରିଭାବରେ ଶଉରି ହେଲା ବକାସୁର ବକେ ।ବର୍ଦ୍ଧକୀ ଗବାକ୍ଷ ଗବାକ୍ଷ କଲେ ଯେ ବୃକାସୁରକୁ ଉତ୍ସକେ । ୫୪ ।ବଜ୍ର କପଚ ରାକ୍ଷସକୁ ତାରାକ୍ଷ କର କରତରେ ଚିରି ।ବିଦ୍ୟା ପନସ ପନସକୀଳପରି ବ୍ୟାଘ୍ରାକ୍ଷ ଅନ୍ତ ଓଟାରି । ୫୫ ।
୫୧ଶ ପଦ :- ବିରୂପା-ବିକୃତ ବା ବିକଳାଙ୍ଗ । କଟି-ଅଣ୍ଟା । ବୈଶାଖ-ମନ୍ଥନଦଣ୍ଡ । ଋକ୍ଷପତି-ଜାମ୍ବବାନ୍ । ପ୍ରଥମ-ଦୈତ୍ୟବିଶେଷ, ମନ୍ଥନ କରିବା ।
୫୧ଶ ପଦ :- ନୀଳ କପି ପ୍ରବେଶ କରି ବିରୁପାକ୍ଷ ଅସୁରକୁ କଟିଠାରୁ ଭାଙ୍ଗିଦେଇ ତାକୁ ବିରୂପ କରି ପକାଇଲା । ଋକ୍ଷପତି ଜାମ୍ବବ ଖୁଆଦଣ୍ଡ ସଦୃଶ ହୋଇ ପ୍ରଥମ ଦୈତ୍ୟରୂପ ଦଧିକୁ ମନ୍ଥନ କରି ପକାଇ ହର୍ଷଯୁକ୍ତ ହେଲା ।
୫୨ଶ ପଦ :- କାଳ କ୍ଷମ-ମୃତ୍ୟୁ । ଲୀନ-ବିନାଶ । କରିକୁମ୍ଭ-ହସ୍ତିଶୁଣ୍ଢ । କୁମ୍ଭକ-ରାକ୍ଷସ ବିଶେଷ । କେଶରୀ-ସିଂହ ।
୫୨ଶ ପଦ :- ଯମ ତୁଲ୍ୟ ସୁଷେଣ ବିଧା ମାରି ମାରି କାଳଘଣ୍ଟ ଅସୁରର ମୃତ୍ୟୁ ବିଧାନ କରିବାରୁ ରଣକ୍ଷେତ୍ର ନିଃଶବ୍ଦ ହେଲା । କେଶରୀ କପି ସିଂହ ପ୍ରାୟ ହୋଇ କୁମ୍ଭକ ରାକ୍ଷସ ରୂପ ଗଜର କୁମ୍ଭକୁ ବିଦାରି ପକାଇଲା ।
୫୩ଶ ପଦ :- ମହୀସୁର-ମହୀରାବଣ । ଗବୟ-ବାନର ବିଶେଷ । ଗବୟପରି-ଗୟଳ ପଶୁତୁଲ୍ୟ ।
୫୩ଶ ପଦ :- ମହେନ୍ଦ୍ର କପି ମହୀଶୁର ଦୈତ୍ୟକୁ ପିଲାର ଖଳନା ନଟୁ ତୁଲ୍ୟ ମହୀରେ ଗଡ଼ାଇ ମାରି ଦେଲା । ପ୍ରଧାନ ବୀର ଗବୟ ଗୟଳ ପ୍ରାୟ ଯାଇ କଳାକେତୁ ଅସୁରର ଛାତିକୁ ଚିରି ପକାଇଲା ।
୫୪ଶ ପଦ :- ବଇରୀ-ଶ୍ୟେନପକ୍ଷୀ । ବଇରୀଭାବରେ-ଶତ୍ରୁ ଭାବରେ । ବର୍ଦ୍ଧକୀ-ବଢ଼େଇ । ଗବକ୍ଷ-ଝରକା ।
୫୪ଶ ପଦ :- ( ଶଉରି କପି ଛଞ୍ଚାଣ ପକ୍ଷୀ ପ୍ରାପ୍ତ ହୋଇ ବକରୂପୀ ବକାସୁରଠାରେ ଶତ୍ରୁତା କଲା । ଛଞ୍ଚାଣ ବକକୁ ମାରି ପକାଇଲା ପ୍ରାୟ ଶଉରି ବକାସୁରକୁ ମାରି ପକାଇଲା ।) ଗବାକ୍ଷ ପକ୍ଷୀ ବଢ଼େଇ ପ୍ରାୟ ଉତ୍ସୁକ ହୋଇ ବୃକାସୁରକୁ ଝରକା ସଦୃଶ କରିଦେଲେ ( ତା ଦେହଯାକ କଣା କରିଦେଲା ) ।
୫୫ଶ ପଦ :- ପନସକୀକ ପରି-ପଣସ ଭଣ୍ଡି ପରି ।
୫୫ଶ ପଦ :- ତରାକ୍ଷ କପି ବଜ୍ରକପଚ ରାକ୍ଷସକୁ ହସ୍ତ ରୂପ କରରେ ଚିରି ପକାଇଲା । ବିଦ୍ୟାମାନ ପନସ କପି ବ୍ୟାଘ୍ରାକ୍ଷ ଦୈତ୍ୟର ଅନ୍ତବୁଜୁଳାକୁ ପଣସର ଭଣ୍ଡି ଓଟାରିଲା ପ୍ରାୟ ଓଟାରି ଆଣିଲା ।
ବିରୁଳାକ୍ଷ ବକ୍ଷ ଡାଳିମ୍ୱ ଡାଳିମ୍ୱଫଳ ପରି ଫଟାଇଲା ।ବନ୍ଦ୍ୟ ଚନ୍ଦନ ଚନ୍ଦନତରୁ ମାରି ଯମଘଣ୍ଟେ ଲୋଟାଇଲା । ୫୬ ।ବସନ୍ତ ବସନ୍ତବତ ବ୍ରଣ ଜାତ କଲା ପଞ୍ଚଶିର ଦେହେଁ ।ବିକଶି କଞ୍ଚଣ କଞ୍ଚଣପାଟଳୀପାଟଳୀ ଫୁଟାଇ ଦିଏ । ୫୭ ।ବିଦ୍ୟୁଜ୍ଜିହ୍ୱଜିହ୍ୱା ଉପାଡ଼ି କୁମୁଦ କୁମୁଦ ଦେଲା ବିସ୍ତାରି ।ବନ୍ଧାଇ ରକ୍ତନଦେ ଶବ ପ୍ରବାହ ସରସେତୁ ସେତୁ କରି । ୫୮ ।ବିଭଞ୍ଜେ ଇକ୍ଷୁଦଣ୍ଡ ପରି ପୂଜଙ୍ଘଜଙ୍ଘକୁ ଗନ୍ଧମାଦନ ।ବିବିଧ ବିବିଧ ମାଡ଼ ମାରି ମାରିପକାଇ ସୁମିତ୍ରଘନ । ୫୯ ।ବଂଶ ପ୍ରାୟ କଲା ଦ୍ୱିବିଦ ଦ୍ୱିବିଧ ସିଂହନାଦ ମୃତ୍ୟୁ ପାଞ୍ଚି ।ବୃଷ୍ଟି କରୁଁ ପନଶୀଳ ଶିକ ଲୁଚି ଉଲ୍ଲୁକ ନ ପାରି ବଞ୍ଚି । ୬୦ ।
୫୬ଶ ପଦ :- ଡାଳିମ୍ବ କପି ବିରଳାକ୍ଷ ଦୈତ୍ୟର ଛାତିକୁ ଡାଳିମ୍ବ ଫଳ ପ୍ରାୟ ଫଟାଇ ଦେଲା । ବୀରଙ୍କ ମଧ୍ୟରେ ବନ୍ଦନୀୟ ଚନ୍ଦନ କପି ଚନ୍ଦନ ବୃକ୍ଷରେ ଯମଘଣ୍ଟ ରାକ୍ଷସକୁ ମାରି ଭୂମିରେ ଲୋଟାଇ ଦେଲା ।
୫୭ଶ ପଦ :- ବସନ୍ତ ବାନର-ସେନାପତି ବିଶେଷ । ବସନ୍ତବତ-ବସନ୍ତନାମକ ସଂକ୍ରାମକ ରୋଗରେ । ବ୍ରଣ-ଘା, କ୍ଷତ । ବିକଶି-ପ୍ରସ୍ଫୁଟିତ ହୋଇ । କଞ୍ଚଣ-ପୁଷ୍ପବିଶେଷ । ପାଟଳି-ପୁଷ୍ପବିଶେଷ ।
୫୭ଶ ପଦ :- ବସନ୍ତରୋଗରେ ବ୍ରଣ ଜାତ ହେଲା ପ୍ରାୟ ବସନ୍ତ କପି ପଞ୍ଚଶିର ଦାନବର ଦେହଯାକ ବ୍ରଣମୟ କରି ଦେଲା । କଞ୍ଚନ କପି କଞ୍ଚନ ପୁଷ୍ପ ପ୍ରାୟ ବିକଶିତ ହୋଇ ପାଟକୀ ଦୈତ୍ୟକୁ ଫୁଟାଇ ପଟଳୀ ପୁଷ୍ପ ପରି ରକ୍ତବର୍ଣ୍ଣ କରି ଦେଲା ।
୫୮ଶ ପଦ :- କୁମୁଦ କପି ବିଦ୍ୟୁଜିହ୍ୱ ଦୈତ୍ୟର ଜିଭ ଉପାଡ଼ି ପୃଥିବୀରେ ଆନନ୍ଦ ବିସ୍ତାର କରିଦେଲା, ସରସେତୁ କପି ପ୍ରବାହ ଦାନବର ଶବକୁ ରକ୍ତ ନଦୀରେ ସେତୁବନ୍ଧ କରି ବନ୍ଧାଇ ଦେଲା ।
୫୯ଶ ପଦ :- ଗନ୍ଧମାଦନ କପି ପ୍ରଜଙ୍ଘ ଦୈତ୍ୟର ଜଙ୍ଘକୁ ଇକ୍ଷୁଦଣ୍ଡ ଭାଙ୍ଗିଲାପରି ଭାଙ୍ଗିଦେଲା । ବିବିଧ କପି ସୁମିତ୍ରଘ୍ନ ଦୈତ୍ୟକୁ ନାନାପ୍ରକାର ମାଡ଼ ମାରି ତଳେ ପକାଇ ଦେଲା ।
୬୦ଶ ପଦ :- ବଂଶ-ବାଉଁଶ ।
୬୦ଶ ପଦ :- ଦ୍ୱିବିଦ କପି ସିଂହନାଦ ରାକ୍ଷସର ମୃତ୍ୟୁର ଉପାୟ ପାଞ୍ଚି ବାଉଁଶକୁ ଦୁଇଫାଳ କଲା ପ୍ରାୟ ତାକୁ ଚିରି ଦୁଇଫାଳ କରି ଦେଲା । ପନଶୀଳ କପି ଗୁପ୍ତ ଭାବରେ ରହି ପଥରସବୁ ବୃଷ୍ଟି କରିବାରୁ ଉଲୁକ ଦୈତ୍ୟ ବଞ୍ଚି ନ ପାରି ପ୍ରାଣତ୍ୟାଗ କଲା
ବନଧବ ଶତବଳ ଶତବଳ ହସ୍ତ କର୍ଣ୍ଣକୁ ମାଇଲା ।ବମନ ଦୁର୍ମୁଖ ମୁଖରୁ ରୁଧିର ଋଷଭ ତଳରେ ହେଲା । ୬୧ ।ବିଭୀଷଣ ବିଭୀଷଣ କରବାଳେ କରବାଳେ ଯୁକ୍ତ କର ।ବିଭିନ୍ନ ଅମିତ୍ର ମିତ୍ରଘନଶିର ଯଜ୍ଞେପବୀତ ଛନ୍ଦର । ୬୨ ।ବର୍ଣ୍ଣନୀୟ ନିୟମରେ କି କରିବା ପୁତ୍ର ନାତି ସର୍ବ ହତ ।ବିଂଶବାହାର ବାହାର ଚିତ୍ତୁଁ ଗର୍ବ ଲୋକିତ ଏ ଅଲୋକିତ । ୬୩ ।ବିଧାତା ଛାଡ଼ିଲା ଏଥର ଏଥରଉ ପୁଜିଗଲା ତା ଅଙ୍ଗେ ।ବିଚାରେ ଚଉଦପୁର ପୁରସ୍କାର ଉଦୟେ କେ ଥିଲା ସଙ୍ଗେ ? ୬୪ ।ବୃତ୍ର ନମୁଚି ସମର ତୁଚ୍ଛ କରି ତ୍ରିପୁରେ କାହିଁ ସହଜ ।ବଡ଼ ଅନ୍ଧକରେ ସମସ୍ତ ଲୋକରେ ବିନ୍ଧା ଯା କଲା ନାରାଜ । ୬୫ ।୬୧ଶ ପଦ :- ବନଧବ-ସିଂହ । ଶତବଳ-ଅସଂଖ୍ୟ ସୈନ୍ୟ । ଋଷଭର ଚାପୁଡ଼ାରେ ।
୬୧ଶ ପଦ :- ସିଂହ ହସ୍ତୀକୁ ବିନାଶ କଲା ପ୍ରାୟ ଶତସିଂହ ପରାକ୍ରମୀ ଶତବଳ ହସ୍ତୀ କର୍ଣ୍ଣ ରାକ୍ଷସକୁ ବିନାଶ କଲା । ଋଷଭ କପିର ଚାପୁଡ଼ାରେ ଦୁର୍ମୁଖ ଦୈତ୍ୟର ମୁଖରୁ ରକ୍ତ ବାନ୍ତି ହୋଇଗଲା ।
୬୨ଶ ପଦ :- ବିଭୀଷଣ-ଭୟଙ୍କର । କରବାଳେ-କେଶ ହସ୍ତରେ । କରବାଳେ-ଖଡ଼୍ଗରେ । ଅମିତ୍ର-ଶତ୍ରୁ । ଯଜ୍ଞୋପବୀତ-ପଇତା ।
୬୨ଶ ପଦ :- ବିଭୀଷଣ ଅତି ଭୟଙ୍କର ଖଡ଼୍ଗକୁ ଏକ ହସ୍ତରେ ଓ ମିତ୍ରଘ୍ନ ଅସୁରର କେଶକୁ ଅନ୍ୟ ହସ୍ତରେ ଧରି ତାକୁ ଶତ୍ରୁ ମନେକରି କାନ୍ଧରେ ପଇତା ପଡ଼ିଥିବା ନ୍ୟାୟ କାଟି ପକାଇଲା ।
୬୩ଶ ପଦ :- ରାବଣର ପୁତ୍ର ନାତି ଯେତେ ଥିଲେ ସମସ୍ତେ ମଲେ; ତାହା ଗଣନା ପୂର୍ବକ ବର୍ଣ୍ଣନା କରି ହେବ ନାହିଁ । ରାବଣ ଏହି ଅଲୋକିତ ଘଟଣା ଦେଖିବାରୁ ତାହାର ମନରେ ଥିବା ଗର୍ବ ଦୁର ହେଲା ।
୬୪ଶ ପଦ :- ସେତେବେଳେ ରାବଣ ମନ ମଧ୍ୟରେ ବିଚାରକଲା, ‘‘ଏଥର ମୋତେ ବିଧାତା ଛାଡ଼ିଲା । ’’ ଏହା ଭାବିଲାକ୍ଷଣି ତାହାର ଦେହ ଥରି ଉଠିଲା । ତତ୍ପରେ ତାହା ମନରେ ପରିବର୍ତ୍ତନ ଆସି ଯିବାରୁ ପୁଣି ଭାବିଲା, ‘‘ଚଉଦ ପୁରରେ ମୋର ଯଶ ବିଖ୍ୟାତ ହେବାବେଳେ ମୁଁ ଚତୁର୍ଦ୍ଦଶପୁର ଜୟ କଲାବେଳେ ପୁତ୍ର ନାତି କିଏ ମୋ ସଙ୍ଗତରେ ଥିଲା କି ? ମୁଁ ସେତେବେଳେ ଏକାକୀ ଏତେ ପୁର ଜୟ କରିଥିଲି, ବର୍ତ୍ତମାନ ନରବାନରଙ୍କୁ କଣ ପାରିବି ନାହିଁ ? )’’
୬୫ଶ ପଦ :- ବୃତ-ରାକ୍ଷସବିଶେଷ । ନମୁଚି-ରାକ୍ଷସବିଶେଷ । ଅନ୍ଧକରେ-ଅନ୍ଧାରରେ । ନାରଜ-ଶର । ତ୍ରିପୁର-ତିନିପୁର ( ସ୍ୱର୍ଗ,ମର୍ତ୍ତ୍ୟ ପାତାଳ, ରାକ୍ଷସବିଶେଷ ।)
୬୫ଶ ବଦ:- ରାବଣ ଏହା ଭାବି ଏକାବେଳକେ ସମସ୍ତଙ୍କୁ ଲୌହମୟଶର ବିନ୍ଧିଲା; ତଦ୍ୱାରା ଚତୁର୍ଦ୍ଦିଗ ଅନ୍ଧକାରମୟ ହୋଇଗଲା । ବୃତ୍ରାସୁର; ନମୁଚି, ତ୍ରିପୁର ଓ ଅନ୍ଧକ ଅସୁର ଯୁଦ୍ଧ କଲାବେଳେ ଯେ ତେଜ ଦେଖାଯାଇଥିଲେ, ରାବଣର ଏ ଯୁଦ୍ଧ ସମୟରେ ତେଜ ତାକୁ ତୁଚ୍ଛ କରି ଦେଲା । ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ସେ ସମାନ ଆଉ କିଏ ଅଛି ? ( ବୃତ୍ର ଓ ନିମୃଚି ଇନ୍ଦ୍ର ସହିତ ଏବଂ ତ୍ରିପୁରସୁର ଓ ଅନ୍ଧକ ମହାଦେବଙ୍କ ସହିତ ଯୁଦ୍ଧ କରିଥିଲେ ) ।
ବିଅର୍ଥ ନୋହେ ଏ ଦ୍ୱିଅର୍ଥ ଭାବନା ଶତ୍ରୁ ହର ଅନୁସାରେ ।ବିଭୀଷଣ ରାମ ଲକ୍ଷ୍ମଣ ସୁଗ୍ରୀବ ସେନାଙ୍କୁ ଯୁଝେ ଏକାରେ । ୬୬ ।ବର୍ତ୍ତି ଶରଙ୍ଗ ମହୋଜ୍ଜ୍ୱଳ ଛବିରେ ସ୍ଥିର ବିମାନ ଧରରେ ।ବିଟପୀ ସ୍ପର୍ଶନ ଶରାବଲମ୍ୱନ ସଦା ବିଳସେ ନଭରେ । ୬୭ ।ବନ୍ଦନ ଦଶ ଭିନ୍ନ ଭିନ୍ନ ଏକାଙ୍ଗ ଦଶଦିଗପାଳ କି ସେ ।ବଜ୍ର ମୁଦ୍ଗର ଦଣ୍ଡ ଖଡ଼୍ଗ ପାଶ ଯେ ଗଦା ଚକ୍ର ଶୂଳ ପେଷେ । ୬୮ ।ବର ଦାନରେ କୁଶଳ ଫୁଫୁକାର ସ୍ୱନ କରଇ ନିରତ ।ବହୁନେତ୍ର ତେଜ ସ୍ୱୟଂକାଳମୟ ପୁଣ୍ୟଜନ ସାରସ୍ୱତ । ୬୯ ।ବାର୍ଦ୍ଧିମଧ୍ୟସ୍ଥ ସଦାଗତି ପୁଷ୍ପକଆରୋହୀ ଭୀମଶକତ ।ବିଭାତି ଯାର ବ୍ରହ୍ମଲୋକେ ପ୍ରଜ୍ଜ୍ୱଳ ଅଧୋଭୁବନେ ଉଦିତ । ୭୦ ।୬୬ଶ ପଦ :- ବିଅର୍ଥ-ନିରର୍ଥକ । ଶତ୍ର-ଇନ୍ଦ୍ର । ହର-ମହାଦେବ ।
୬୬ଶ ପଦ :- ଏ ଯେଉଁ ଦୁଇ ଅର୍ଥର ଭାବନା କରାଗଲା; ଅର୍ଥାତ୍ ଇନ୍ଦ୍ର ଓ ଶିବଙ୍କର ଅସୁରମାନଙ୍କ ସହିତ ଯୁଦ୍ଧର ତୁଳନା କରାଗଲା, ତାହା ବ୍ୟର୍ଥ ନୁହେଁ । କାରଣ ଏକାକୀ ରାବଣ ବିଭୀଷଣ, ରାମ, ଲକ୍ଷ୍ମଣ, ସୁଗ୍ରୀବ ପ୍ରଭୃତି ବୀରମାନଙ୍କ ସହିତ ଯୁଝୁ ଅଛି । ( ବୃତ୍ର ଓ ନିମୁଚିଙ୍କ ସଙ୍ଗେ ଇନ୍ଦ୍ର ଏକାକୀ ଏବଂ ତ୍ରିପୁର ଓ ଅନ୍ଧକ ସଙ୍ଗେ ମହାଦେବ ଏକାକୀ ଯୁଦ୍ଧ କଲା ପରି ରାବଣ ଏକାକୀ ରାମଙ୍କ ସୈନ୍ୟସହ ଯୁଦ୍ଧକଲା ) ।
୬୭ଶ ପଦ :- ଯେପରି ମେଘ ଉଜ୍ଜ୍ୱଳ ଛବି ଧରି ପର୍ବତ ଉପରେ ସ୍ଥିର ଭାବରେ ରହିଥାଏ ( ବର୍ଷାଦିନେ ପର୍ବତ ଉପରେ ମେଘମାନେ ବିଚରଣ କରୁଥାନ୍ତି ); ବୃକ୍ଷମାନଙ୍କୁ ସ୍ୱର୍ଶ କରି ଜଳର ଆଶ୍ରୟରେ ରହି ପ୍ରକାଶ କରି ପୁଷ୍ପକ ବିମାନରେ ସ୍ଥିର ଭାବରେ ରହି ସ୍ୱର୍ଗରେ ରମ୍ଭାଆଦି ଅପ୍ସରାଙ୍କୁ ସ୍ପର୍ଶକରି ହସ୍ତରେ ଧନୁଶର ଧାରଣ ପୂର୍ବକ ସର୍ବତୋଭାବରେ ଆକାଶରେ ବିହାର କରୁଅଛି । (ବେଞ୍ଜ୍ୟୋର୍ଥ- ଶାରଙ୍ଗ’ ଚାତକ ପକ୍ଷୀ ‘କନ୍ଦର୍ପ ରସର ଛବିରେ ପ୍ରବତ୍ତ’ କାମାତୁର ହୋଇ-ଘନ ଜଳ ବିନା ଅନ୍ୟ ଜଳକୁ ପାନ କରିବି ନାହିଁ; ଏହି ଅଭିମାନକୁ ବହି ବୃକ୍ଷମାନଙ୍କ ଆଶ୍ରୟରେ ରହିଥାଏ । )
୬୮ଶ ପଦ :- ଶାରଙ୍ଗ-ମେଘ, ଚାତକପକ୍ଷୀ । ଧରରେ-ପର୍ବତରେ । ବିଟପୀ-ବୃକ୍ଷ, ବେଶ୍ୟା । ଶରାବଲମ୍ବନ-ଜଳାଶ୍ରୟ, ଶରାଶ୍ରୟ । ନଭରେ-ଆକାଶରେ ।
୬୮ଶ ପଦ :- ରାବଣର ଦଶଟା ମୁଖ ଏକ ଅଙ୍ଗରେ ଥିବାରୁ ସେ ଦଶଦିଗପାଳ ସଦୃଶ ହୋଇଅଛି, ପୁଣି ବିଂଶ ହସ୍ତ ଥିବାରୁ ବଜ୍ର, ମୁଦ୍ଗର, ଦଣ୍ଡ, ଖଡ଼୍ଗ, ପାଶ, ଗଦା, ଶୂଳ ଇତ୍ୟାଦି ଅସ୍ତ୍ର ଶତ୍ରୁମାନଙ୍କୁ ଏକାବେଳକେ ମାରୁଅଛି । (ଦଶଦିଗପାଳ ଏକତ୍ରିତ ହୋଇ ରାବଣ ରୂପ ଧରି ଅଛନ୍ତି କି ?)
୬୯ଶ ପଦ :- ଦାନ-ଚ୍ଛେଦନ । ନିରତ-ସର୍ବଦା । ବହୁନେତ୍ର-ଇନ୍ଦ୍ର । କାଳମୟ-ଯମସଦୃଷ । ପୁଣ୍ୟଜନ-ରାକ୍ଷସ, ନୈର୍ଋତ ।
୬୯ଶ ପଦ :- ରାବଣ ‘ବରଦାନରେ’ ସମୂହ ପରିମାଣରେ ଛେଦନ କରିବା ପାଇଁ ସମର୍ଥ ଥିବାରୁ ‘ବର ଦାନରେ’ ଇପ୍ସିତ ବସ୍ତୁ ପ୍ରଦାନ କରିବାରେ କୁଶଳ ବ୍ରହ୍ମାଙ୍କ ସଦୃଶ, ସର୍ବଦା ଫୁଫୁକାର ଧ୍ୱନି କରୁଥିବାରୁ ଫୁଫୁକାର ଶବ୍ଦ କରୁଥିବା ଅନନ୍ତଙ୍କ ତୁଲ୍ୟ, ବହୁନେତ୍ର ବହି ଥିବାରୁ ବହୁନେତ୍ର ଯୁକ୍ତ ଇନ୍ଦ୍ରସମ, ପ୍ରଖର ଭାବରେ ତେଜୀୟାନ୍ ହୋଇଥିବାରୁ ତେଜୋବନ୍ତ ଅଗ୍ନି ତୁଲ୍ୟ, କୃଷ୍ଣକାୟ ହୋଇଥିବାରୁ ଯମ ସମାନ ଏବଂ ରାକ୍ଷସଶ୍ରେଷ୍ଠ ଥିବାରୁ ନୈର୍ଋତ ତୁଲ୍ୟ ହୋଇଅଛି ।
୭୦ଶ ପଦ :- ସଦାଗତ-ବାୟୁ । ପୁଷ୍ପକଆରୋହୀ-କୁବେର । ଭୀମଶକତ-ଅତିଶୟ ପରାକ୍ରମଶାଳୀ । ବିଭାତି-ତେଜ । ଅଧୋଭୁବନ-ପାତାଳ ।
୭୦ଶ ପଦ :- ପୁଣି ସମୁଦ୍ର ମଧ୍ୟରେ ଥିବାରୁ ବରୁଣ ସମ, ସତତ ଗତି କରୁଥିବାରୁ ବାୟୁତୁଲ୍ୟ, ପୁଷ୍ପକ ବିମାନ ଆରୋହଣ କରିଥିବାରୁ କୁବେର ତୁଲ୍ୟ, ଭୟଙ୍କର ପରାକ୍ରମୀ ଥିବାରୁ ଈଶାନ ତୁଲ୍ୟ ପ୍ରତୀୟମାନ ହେଉଅଛି । ବ୍ରହ୍ମଲୋକରେ ଉଜ୍ଜ୍ୱଳ ତେଜ ପ୍ରକାଶିତ ହୋଇଥିବା ଯୋଗୁଁ ବ୍ରହ୍ମା ସଦୃଶ, ପାତାଳ ବିଜୟ ବରିଥିବା ହେତୁ ଅନନ୍ତ ସଦୃଶ ଅଟେ । ( ଏହିପରି ଦଶଦିଗପାଳ ଏକ ଅଙ୍ଗରେ ବିରାଜମାନ କରିଅଛନ୍ତି ) ।
ବାଳି ଅନୁଜ ତନୁଜରେ ଦନୁଜ ବାଳବୁଦ୍ଧି ଉପୁଯାଇ ।ବିଚାରେ ଘୋଟକ ସେ ବେନି ମାନସ ଷ ଭେଦେ ମହୀଶ ମୁହିଁ । ୭୧ ।ବିଦିତ କରାଇ ଶରଭର ପ୍ରଭା କେଶରୀ ତନୟ ତହିଁ ।ବିରାବ କରେ ଆଷାଢ଼ ମେଘୁଁ ଟାଣେ ଘୋଟି ନିରନ୍ତରେ ସେହି । ୭୨ ।ବିଂଶାକ୍ଷ କରେ ସର୍ବ ସେନାପତିରେ ହୀରାବୁଦ୍ଧି ଘରଷଣେ ।ବଜ୍ରଦୁର୍ଗ ପ୍ରାୟ ସେନାମାନେ ବେଷ୍ଟିତ ହୋଇଛନ୍ତି ଅନୁକ୍ଷଣେ । ୭୩ ।ବାରି ନୋହିଲା ପ୍ରଚୁର ନିଶାମୟ ମନୀଶା ସେ ନିଶାଚର ।ବିଶୀର୍ଣ୍ଣ ସରଧି ଶରଧି ଅତୁଟ କାଣ୍ଡ କାଣ୍ଡ ଉଲ୍ଲୋଳର । ୭୪ ।ବିଶେଷ ଜ୍ୟାଘୋଷେ ଜ୍ୟା ପୂର୍ଣ୍ଣସଙ୍କେତ ନିକେତନ କରି ରହି ।ବିମାନତଳେ ବିଭୀଷଣ ଭୀଷଣ ଦସ୍ୟୁସ୍ୱଭାବକୁ ବହି । ୭୫ ।ବିଚେତ ହେଲା ଲଙ୍କରାଜେ ନ ରାଜେ ବାହୁ ଛେଦିବାକୁ ତାର ।ବାହୁଁ ବାହୁଡ଼ାଇଁ ବନ୍ଦନ ସ୍ୟନ୍ଦନ କୀରନାମା ମନ୍ତ୍ରୀବର । ୭୬ ।୭୧ଶ ପଦ :- ବାଳି ତନୁଜ-ସୁଗ୍ରୀବ । ବାଳି ତନୂଜ-ଅଙ୍ଗଦ । ଦନୁଜ-ରାକ୍ଷସ ( ରାବଣ ) । ବାଳବୃଦ୍ଧି-ଘୋଡ଼ାଛୁଆ ଭାବ । ମହୀଶ-ରାଜା ।
୭୧ଶ ପଦ :- ରାବଣ ବାଳିଅନୁଜ ସୁଗ୍ରୀବ ଓ ବାଳିତନୂଜ ଅଙ୍ଗଦଠାରେ ଘୋଡ଼ାଛୁଆ ଭାବ ଉପୁଜାଇ ମନରେ ବିଚାର କଲା ‘‘ଏ ଦୁହେଁ ଘୋଡ଼ାଛୁଆ ପ୍ରାୟ ଅଟନ୍ତି । ମୁଁ ‘ମହୀଶ, ରାଜା ଷ କାର ଭେଦରେ-ମଇଁଷି ହେଲି ( ମଇଁଷି ଘୋଡ଼ାକୁ ବିନାଶ କଲା ପରି ମୁଁ ଏମାନଙ୍କୁ ବିନାଶ କରିବି ।’’
୭୨ଶ ପଦ :- ଶରଭର-ଶରାତିଶଯ୍ୟ, ଅଷ୍ଟପାଦବିଶିଷ୍ଟ ମୃଗର । କେଶରୀତନୟା-ହନୁମାନ, ସିଂହଛୁଆ । ବିରାବ-ଭୟଙ୍କର ଧ୍ୱନି ।
୭୨ଶ ପଦ :- ସେ ରାବଣ ଚତୁର୍ଦ୍ଦିଗରେ ବ୍ୟାପି ରହି ଆଷାଢ଼ ମାସର ମେଘ ଗର୍ଜନଠାରୁ ବଳି ଅନବରତ ଗର୍ଜନ କରି ସିଂହ ଶାବକକୁ ଅଷ୍ଟଦ ମୃଗ ଯେପରି ଭୟ ପ୍ରଦାନ କରିଥାଏ; ସେହିପରି ହନୁମାନକୁ ଶରଘାତରେ ଭୀତ କରାଇ ଦେଲା ।
୭୩ଶ ପଦ :- ହୀରାବୁଦ୍ଧି-ପିମ୍ପୁଡ଼ି ପରି ଭାବ । ଘରଷଣେ-ଦଳିପକାଏ । ବଜ୍ରଦୁର୍ଗ-ଦୁର୍ଜୟଗଡ଼ । ଅନୁକ୍ଷଣେ-ସର୍ବଦା ।
୭୩ଶ ପଦ :- ‘ମୁଁ ଦୁର୍ଜୟ ବଜ୍ରଦୁର୍ଗ ପ୍ରାୟ ଅଜେୟ ଅଟେ’-ଏହା ଭାବି ରାବଣ ତାର ଚତୁଃପାର୍ଶ୍ୱରେ ବେଢ଼ି ରହିଥିବା ଶତ୍ରୁ ସେନାପତିମାନେ ପିମ୍ପୁଡ଼ି ଧାର ବୋଲି ମନେ କରି ଦଳି ପକାଇଲା । ( ପିମ୍ପୁଡ଼ିଧାର ଦଳିବାକୁ ଯେପରି ଆୟାସ ଲାଗେ ନାହିଁ, ସେହିପରି ଶତ୍ରୁସୈନ୍ୟଙ୍କୁ ଅନାୟାସରେ ମାରି ପକାଇଲା ) ।
୭୪ଶ ପଦ :- ବାରି-ଜଳ । ମନୀଶା-ବିଚାର । ସରଧି-ସମୁଦ୍ର ଶରଧି-ତୂଣିର । ଅତୁଟ-ପୂର୍ଣ୍ଣ । କାଣ୍ଡ-ଜଳ । କାଣ୍ଡ-ଶର । ଉଲ୍ଲୋକ-ତରଙ୍ଗ ।
୭୪ଶ ପଦ :- ସେହି ନିଶାଚର ରାବଣମାୟା ବଳରେ ଯୁଦ୍ଧକ୍ଷେତ୍ରକୁ ରାତ୍ରି ପ୍ରାୟ କରିପକାଇଲା । ତେଣୁ ରାମଲକ୍ଷ୍ମଣଙ୍କୁ ଚିହ୍ନି ହେଲା ନାହିଁ । ଅସରନ୍ତି ଜଳ ପୂର୍ଣ୍ଣ ସମୁଦ୍ରରେ ଲହରୀ ଉଠିଲା ପ୍ରାୟ ରାବଣର ପ୍ରଚୁର କାଣ୍ଡପୂର୍ଣ୍ଣ ତୁଣୀରରୁ ଅନବରତ ଶର ନିକ୍ଷିପ୍ତହେବାରୁ ତାହା ଶୂନ୍ୟ ହୋଇଗଲା । ( ରାବଣ ଅନବରତ ଶର ମାରି ମାରି ତୂଣୀର ଖାଲି କରି ଦେଲା) ।
୭୫ତମ ପଦ :- ଜ୍ୟା-ଧନୁର୍ଗୁଣ । ଜ୍ୟା-ପୃଥିବୀ । ନିକେତନ-ଗୃହ । ଦସ୍ୟୁସ୍ୱଭାବ-ଚୋରପ୍ରକୃତି ।
୭୫,୭୬ତମ ପଦ :- ରାବଣ ବାରମ୍ବାର ଧନୁ ଟଙ୍କାର କରି ପୃଥିବୀକୁ ଧନୁ ଶବ୍ଦରେ ପୂର୍ଣ୍ଣକରି ଦେଲା । ବିଭୀଷଣ ସେହି କାଳରେ ରାତ୍ରୀ ପ୍ରାୟ ଦେଖି ତାର ‘ସଙ୍କେତ, ଧନୁଟଙ୍କାର ଶବ୍ଦକୁ ଲକ୍ଷ୍ୟ କରି ସେହି ଦିଗକୁ ଗଲା ଏବଂ ରାବଣର ରଥ ତଳକୁ ଗୃହ ମନେକରି ଭୟଙ୍କର ଦସ୍ୟୁପ୍ରାୟ ହୋଇ ସେଠାରେ ଗୁପ୍ତ ଭାବରେ ରହିଲା । ସୁଯୋଗ ଦେଖି ଗୋଟିଏ ଲୌହମୟ ଶରରେ ରାବଣକୁ ନିଚେଷ୍ଟ କରି ପକାଇଲା । ତତ୍ପରେ ତାହାର ବାହୁମାନଙ୍କୁ ଛେଦନ କରିବାକୁ ଅଗ୍ରସର ହୁଅନ୍ତେ ଶୁକ୍ଳ ନାମକ ଶ୍ରେଷ୍ଠ ମନ୍ତ୍ରି ପୁଷ୍ପକରଥକୁ ଫେରାଇ ଘେନି ଗଲା । ପଥରେ ରାବଣ ଚେତା ପାଇ ଉଠି ମନ୍ତ୍ରୀକୁ କହିଲା, ‘‘ମୁଁ ଇନ୍ଦ୍ରଠାରେ ଅଜେୟ (ଇନ୍ଦ୍ର ମୋତେ ଯୁଦ୍ଧରେ ପାରେନାହିଁ, ଛାର ରାମଚନ୍ଦ୍ରକୁ ଡରି ତୁ ରଥ ଫେରାଇ ଆଣିଲୁ ? ) ଏବେ ରାମ ନିକଟକୁ ଶୀଘ୍ର ଏହି କୁବେର ବିମାନ ( ପୁଷ୍ପକ ଯାନ ) କୁ ନିଅ । ’’
ବସେ ଜ୍ଞାନବଶେ ଭାଷେ ସଚିବରେ ଶଚୀବରେ ମୁଁ ଅଜେୟ ।ବେଗେ ଦାଶରଥି ସନ୍ନିଧିକି ନିଧିପତି-ବିମାନକୁ ନିଅ । ୭୭ ।ବୋଲେ ମୂର୍ଚ୍ଛତ କୁତ୍ସିତଶରେ କ୍ଷିତିକ୍ଷିତହେ ବିଭୀଷଣର ।ବଡ଼ ତମମୟ ରାତି ଅରାତିରେ ଏ ଦର କରାଇ ଦୂର । ୭୮ ।ବିହ ଯୁଦ୍ଧ ଯେତେ ମନୋରଥ ରଥ ଟେକିଲା ଏମନ୍ତ କହି ।ବିନ୍ଧେ କୋଟି କୋଟି ଶାୟକ ଶାୟକ ମସ୍ତକପରେ ବୁଲାଇ । ୭୯ ।ବିଶିଷ୍ଟ ସୈନ୍ୟଗଣର ଗଣନା କି ଏକ ମାର୍ଗଣରେ ଛେଦି ।ବିରାବ ରାବଣ କରଇ ନିଷ୍କପି କରିବି ଆଜ ସମ୍ପାଦି । ୮୦ ।୭୭ଶ ପଦ :- ନିଧିପତିବିମାନଙ୍କୁ-କୁବେରଙ୍କ ଯାନକୁ ।୭୮ଶ ପଦ :- କ୍ଷିତିକ୍ଷିତ-ରାଜା । ତମମୟ-ଅନ୍ଧକାରମୟ । ଅରାତି-ଶତ୍ରୁ । ଦର-ଭୟ ।
୭୮ଶ ପଦ :- ରାବଣର ଏହି କ୍ରୋଧଯୁକ୍ତ ବଚନଶୁଣି ମନ୍ତ୍ରି କହିଲା ‘‘ହେଁ ପୃଥିବୀପ୍ରତି ! ତୁମ୍ଭେ ବିଭୀଷଣର କୁତ୍ସିତ ଶରରେ ମୂର୍ଚ୍ଚିତ ହୋଇଥିଲ । ରାତ୍ର ବଡ଼ ଅନ୍ଧକାରମୟ ହୋଇଥିବାରୁ ଶତ୍ରୁଠାରେ ମୋର ଭୟ ଜାତ ହେଲା, ତେଣୁ ତୁମ୍ଭଙ୍କୁ ଦୂରକୁ ଘେନି ଆସିଲି ।
୭୯ଶ ପଦ :- ‘‘ହେ ପ୍ରଭୋ ! ଏବେ ଯେତେ ମନ ଇଚ୍ଛା ତେତେ ଯୁଦ୍ଧ କର ।’’ ଏହା କହି ମନ୍ତ୍ରୀ ରାମଙ୍କ ନିକଟକୁ ରଥ ବାହି ନେଲା । ଯୁଦ୍ଧକ୍ଷେତ୍ରରେ ରାବଣ ମସ୍ତକ ଉପରେ ଖଡ଼୍ଗ ଘୁରାଇ କୋଟି କୋଟି ଶର ବିନ୍ଧିବାକୁ ଲାଗିଲା ।
୮୦ଶ ପଦ :- ମାର୍ଗଣ-ଶର ! ବିରାଗ-ଉଚ୍ଚଧ୍ୱନି । ନିଷ୍କପି-ମର୍କଟଶୂନ୍ୟ ।
୮୦ଶ ପଦ :- ରାବଣ ଅଗଣିତ ପ୍ରଧାନ କପି ସେନାମାନଙ୍କୁ ଗୋଟିଏ ଶରରେ ଛେଦି ପକାଇଲା ଏବଂ ଭୟଙ୍କର ଗର୍ଜନ କରି କହିଲା, ‘‘ଆଜି ସମସ୍ତ କପିଙ୍କୁ ଖୋଜିଖୋଜି ବିନାଶ କରିବି, ଗୋଟିଏ ସୁଦ୍ଧା ରଖିବି ନାହିଁ ।’’
ବୋଇଲେ କୋଦଣ୍ଡଧର ଦଣ୍ଡଧରପୁରକୁ ଯିବା ନିକଟ ।ବାନରେ ସାଦର ପାଦରେ ମର୍ଦ୍ଧିବେ ତୋ ଶିର ରତ୍ନମୁକୁଟ । ୮୧ ।ବିଧୁ ବିବୁଧପତି ବୁଧ ବୁଦ୍ଧିରେ ବିଧିରେ ବିଧିରେ କଥା ।ବିନ୍ଧି ମତ୍ସ୍ୟ ଯଥା ଧୀବର ନାବରେ ରଥେ ଲଙ୍କପତି ତଥା । ୮୨ ।ବାଟୁଳି ପ୍ରଚାର ବ୍ୟୋମଚାରୀ ଖଗେ ପତ୍ରି ଗତିକର କଥା ।ବିହରେ ମାରୀଚମାରୀ ଚରଣରେ ଆମ୍ଭପାଇଁ ପାଇ ବ୍ୟଥା । ୮୩ ।ବିନୟେ ଅନାଇଁ ସେ ଲୟେ ମଣାଇ କହି ନନ୍ଦୀ ସନ୍ନିଧିକୁ ।ବସାଇ ଚକ୍ରରେ ରସାଇ ବନ୍ଦିଲେ ସେ ସର୍ଜ୍ଜନ ଗର୍ଜନକୁ । ୮୪ ।ବାହ-ତୃଣାଦି-ବାସ ଦେଇ ବାସବ ସ୍ୱସତେ କହେ ଭାରତୀ ।ବସି ବଶୀଭୂତ ଅର୍ତ୍ତ୍ୟପାଶରୁ କରାଇଲା ମର୍ତ୍ତ୍ୟଗତି । ୮୫ ।ବିଦୃଶ ପାଶଜନ ତମ ରଞ୍ଜନ ରଜନୀର ଜାତ ଜ୍ୟୋତି ।ବର୍ଣ୍ଣନ ପଞ୍ଚଭାଷାରେ ବୁଝ ଜନେ ଯୁକ୍ତ ରଥବନ୍ଧ ରୀତି । ୮୬ ।୮୧ଶ ପଦ :- ଦଣ୍ଡଧର ପୁରୁକୁ-ଯମଭୂବନକୁ ।
୮୧ଶ ପଦ :- ରାବଣ ପ୍ରଜ୍ଞା ଶୁଣି ଧନୁର୍ଦ୍ଧାରୀ ରାମଚନ୍ଦ୍ର କହିଲେ, ‘‘ରେ ରାବଣ ! ତୋହର ଯମପୁରକୁ ଯିବା ନିକଟ ହେଲା । କପିମାନେ ଆଦରର ସହିତ ତୋର ଶିର ଓ ଶିରରେ ଥିବା ରତ୍ନମୁକୁଟକୁ ଏବେ ପାଦରେ ମନ୍ଥିବେ ।’’