ଛ’ମାଣ ଆଠଗୁଣ୍ଠ — ଫକୀରମୋହନ ସେନାପତି · ସ୍ୱର୍ଣ୍ଣଲିପି✽✽✽
ଏକ
‘ଛ’ ମାଣ ଆଠଗୁଣ୍ଠ’ ୧୯୦୨ ରେ ପୁସ୍ତକାକାରରେ ପ୍ରକାଶିତ ହୁଏ । ଲେଖାଯାଏ କିନ୍ତୁ ୧୮୯୭ ରୁ ୧୮୯୮ ମଧ୍ୟରେ । ଏହା ଫକୀରମୋହନ ସେନାପତିଙ୍କର ପ୍ରଥମ ଉପନ୍ୟାସ । ରେବତୀ ବି ଥିଲା ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ । ବିସ୍ମୟର କଥା ଯେ, ଉଭୟ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ଫକୀରମୋହନଙ୍କ ଆଦ୍ୟ ରଚନା ହିଁ ତାଙ୍କର ଶ୍ରେଷ୍ଠ ରଚନା । ଏମିତି ଏତେ ଉତ୍ତୀର୍ଣ୍ଣତାରୁ କ୍ୱଚିତ୍ କେହି ସାହିତ୍ୟିକ ସାରସ୍ୱତ ଜୀବନ ଆରମ୍ଭ କରିଥାନ୍ତି । ଆହୁରି ଆନନ୍ଦର କଥା ଯେ, ସମୟକ୍ରମେ ରଚନା ଦୁଇଟିର ମର୍ଯ୍ୟାଦା ବଢ଼ି ଚାଲିଛି ଦିନୁଦିନ; ଯେପରି ଦୀପ୍ତି ଓ ଦ୍ୟୁତି ଅନ୍ତହୀନ । ‘ଛ’ ମାଣ ଆଠଗୁଣ୍ଠ’ ସମ୍ବନ୍ଧରେ ଏ ମଧ୍ୟରେ ବହୁ ବିଦଗ୍ଧ ସମାଲୋଚକ ସୁନ୍ଦର ସୁନ୍ଦର ସମାଲୋଚନା ପ୍ରସ୍ତୁତ କରିଛନ୍ତି ଓ ତଦ୍ଦ୍ୱାରା ତାହାର ନୂଆ ନୂଆ ଦିଗନ୍ତ ଉନ୍ମୋଚିତ ହୋଇଛି । ଏହା ଯେପରି କଞ୍ଚା ରୋମାନ୍ସ ହାତରୁ ଓଡ଼ିଆ ଉପନ୍ୟାସକୁ ଉଦ୍ଧାର କରିଛି, ଅନ୍ୟ ପକ୍ଷରେ ସେପରି ୧୮୦୧ ରୁ ୧୮୪୦ ବର୍ଷର ସାମାଜିକ ଜୀବନର ଜୀବନ୍ତ ଇତିହାସ ଲେଖିଛି । ବ୍ରିଟିଶ ନ୍ୟାୟାଳୟଗୁଡ଼ିକର ବିଚାର ବ୍ୟବସ୍ଥାକୁ ଉପହାସ ବି କରିଛି । ଉପନ୍ୟାସଟିର ସାମାଜିକ, ନୈତିକ ଓ ରାଜନୈତିକ ପ୍ରଯୋଜନା ଅଛି । ଜୀବନ୍ତ ଚରିତ୍ର ଚିତ୍ରଣରେ ତଥା ଚଟୁଳ ହାସ୍ୟରସ ପରିବେଷଣରେ ମଧ୍ୟ ଏହାର ଅସାମାନ୍ୟ କୃତିତ୍ୱ ରହିଛି, ପ୍ରତ୍ୟେକଟି ବିଚାର ଅଭିନନ୍ଦନୀୟ, ଯଦିଓ ସବୁଠାରେ ପୁନର୍ବିଚାରର ଅବକାଶ ଅଛି । କିନ୍ତୁ ଉପରୋକ୍ତ ବିଚାର ବିଶ୍ଳେଷଣ ମଧ୍ୟରୁ କୌଣସିଟି ‘ଛ ମାଣ ଆଠଗୁଣ୍ଠ’ର ଶିଳ୍ପ ସୌଷ୍ଠବ ଉନ୍ମୋଚନରେ ସମର୍ଥ ହୋଇନାହଁ କି ତାହାର ଚିରାୟତ ଆଧୁନିକତା ପ୍ରଦର୍ଶନରେ କୃତିତ୍ୱ ପ୍ରଦର୍ଶନ କରିନାହିଁ । କାଳୋଭରଣରେ ଯେକୌଣସି ଶିଳ୍ପ ସୃଷ୍ଟିର ସାର୍ଥକତା ନିହିତ । ସମୟ ହାତରେ ଗୋଟିଏ ରଚନା କେତେ ଆଘାତ ସହ୍ୟ କରିପାରୁଛି ତାହାରି ଉପରେ ନିର୍ଭର କରେ ତାହାର ଚିରକାଳର ଆଧୁନିକତା । ସମୟ ବଦଳୁଛି । ସାହିତ୍ୟ ସମାଲୋଚନାର ନୂଆ ନୂଆ ପଦ୍ଧତି ପ୍ରବର୍ତ୍ତିତ ହେଉଛି । ସମୟୋତ୍ତରଣତା ଦୃଷ୍ଟିରୁ ଦେଖିଲେ କବି-ନାଟ୍ୟକାର ସେକ୍ସପିଅର ହିଁ ଅସାମାନ୍ୟ ଉଦାହରଣ । ସବୁ ପଦ୍ଧତିର ମାନଦଣ୍ଡରେ ସେ ସମୁତ୍ତୀର୍ଣ୍ଣ । କିନ୍ତୁ ଆମ ଫକୀରମୋହନ ମିଥ୍, ମନସ୍ତତ୍ତ୍ୱ କି ଅସ୍ତିତ୍ୱବାଦୀ ଦର୍ଶନ ଦୃଷ୍ଟିରୁ ଆଲୋଚିତ ହୋଇନାହାନ୍ତି, Stylistics କି Structuralism—ବିଚାର ତାଙ୍କ ଲେଖା ପାଇଁ ପ୍ରଯୁକ୍ତ ହୋଇନାହିଁ, ତୁଳନାତ୍ମକ ଆଲୋଚନା ଯାଇ ଯାଇ ବଙ୍କିମ ଓ ପ୍ରେମଚାନ୍ଦକୁ ଯଥାସାଧ୍ୟ ଛୁଇଁଛି ମାତ୍ର-। ବଙ୍ଗୀୟ ଫକୀରମୋହନ, ଫ୍ରୟେଡ଼ିୟ ଫକୀରମୋହନ କି ଅସ୍ତିତ୍ୱବାଦୀ ଫକୀରମୋହନଙ୍କୁ କ’ଣ ଆମେ ପାଇବା ନାହିଁ ? ଆମେ ତାଙ୍କ ଗଦ୍ୟରୀତିର ବହିଃ ପ୍ରକୃତିର ବିଶ୍ଳେଷଣରେ ଯେତେ ଉତ୍ସାହ ପ୍ରଦର୍ଶନ କରିଛୁ ତାହାର କବିତ୍ୱ ପ୍ରତି ସେତେ ଅବହିତ ହୋଇନାହିଁ । ସବୁ ନବ୍ୟ ସମାଲୋଚନା ପଦ୍ଧତିରେ ଫକୀରମୋହନୀୟ ସାରସ୍ୱତ ବିଭା ଅକ୍ଷୁଣ୍ଣ ରହିବ ନିଶ୍ଚୟ । ଉଦ୍ୟମ ପ୍ରତ୍ୟାଶିତ କର୍ତ୍ତବ୍ୟ-। ଆମେ ଭାବବସ୍ତୁ ଓ ଚରିତ୍ରଚିତ୍ରଣ ବିଶ୍ଳେଷଣ କରିଛୁ । ମାତ୍ର ସ୍ୱୟଂ ସମ୍ପୂର୍ଣ୍ଣ ଶିଳ୍ପ-ସୌଷ୍ଠବ ଦେଖିନାହୁଁ । ଓଡ଼ିଆ ସମାଲୋଚନା ଫକୀରମୋହନଙ୍କ ସାରସ୍ୱତ ମନ୍ଦିରର ବେଢ଼ା ବାହାରେ ବସିଛି, ଭିତରେ ପ୍ରବେଶ କରିବାର ଶକ୍ତି ସାମର୍ଥ୍ୟ କି ଅଧିକାର ଅର୍ଜ୍ଜି ନାହିଁ । ଆସନ୍ତୁ ସେହି ବେଢ଼ା ବାହାରେ ବେଢ଼ିଥିବା ଭକ୍ତ ଭିକାରୀଙ୍କ ଗହଣରେ ପୁଣି ଯୋଗ ଦେବା । ଭବିଷ୍ୟତ ମନ୍ଦିର ପ୍ରବେଶ କରିବ ।
ଦୁଇ
‘ଛ’ ମାଣ ଆଠଗୁଣ୍ଠ’ର ଆଖ୍ୟାନ ଭାଗ ଦୁର୍ବଳ । ଏଥିରେ ଆରିଷ୍ଟଟଲୀୟ ଆଦି-ମଧ୍ୟ-ଅନ୍ତ୍ୟ ବିଭାଜନର ପ୍ରଚଳିତ କାହାଣୀ ବିନ୍ୟାସ ଗୃହୀତ ହୋଇନାହିଁ । ବରଂ ପ୍ରଥମ ୧୦/୧୨ଟି ପରିଚ୍ଛେଦ ପରେ କାହାଣୀକୁ ଗତିବେଗ ମିଳିଛି କିଛି । ସେ ଯେତେଦୂର ସମ୍ଭବ ପୂର୍ବସୂରୀମାନଙ୍କ ଉପନ୍ୟାସ-ଗଠନ-କୌଶଳ-ଅନୁସରଣରେ ନିଜ ରଚନାର ପ୍ରକରଣ ବିନ୍ୟାସ କରିଛନ୍ତି । ଉପନ୍ୟାସଟି ୨୮ଟି ପରିଚ୍ଛେଦରେ ବିଭକ୍ତ । ପରିଚ୍ଛେଦ ବିନ୍ୟାସ-ରୀତିଟି ଘଟନାର ପରିବର୍ତ୍ତନ ପାଇଁ ମୁଖ୍ୟତଃ ବ୍ୟବହୃତ ହୁଏ । ଏହାଦ୍ୱାରା କାହାଣୀର ଅଗ୍ରଗତିରେ ବିରତି ଦେଖାଦିଏ । ଗୋଟିଏ ପର୍ଯ୍ୟାୟର ଘଟନା ପରେ ଅନ୍ୟତର ଘଟନା ଉଦ୍ଦେଶ୍ୟରେ କାହାଣୀର ଅଗ୍ରଗତିର ମଝିରେ ପାଠକକୁ ନିରବଚ୍ଛିନ୍ନ ଆଖ୍ୟାନ ଅନୁସରଣର କ୍ଳାନ୍ତି ଅବସାଦରୁ ଏହି ବିରତି କିଛିକ୍ଷଣ ପାଇଁ ମୁକ୍ତି ଦେଇଥାଏ । କିନ୍ତୁ ଫକୀରମୋହନଙ୍କ ପରିଚ୍ଛେଦ ବିଭାଜନ ରୀତିର ସ୍ୱାତନ୍ତ୍ର୍ୟ ଅଛି, ଅଛି ବି ତାତ୍ପର୍ଯ୍ୟ-। ଅଧିକାଂଶ ପରିଚ୍ଛେଦ ସ୍ୱୟଂ ସମ୍ପୂର୍ଣ୍ଣ । ବଙ୍କିମଚନ୍ଦ୍ରଙ୍କ ‘ବିଷବୃକ୍ଷ’ ଯେଉଁମାନେ ପଢ଼ିଥିବେ ସେମାନେ ଜାଣିଥିବେ ସେଥିରେ କବି କାଳିଦାସ ଓ ମାଳିନୀ ଉପାଖ୍ୟାନ ସଂଯୋଜନା କରି ଔପନ୍ୟାସିକ ପରିଚ୍ଛେଦ-ବିନ୍ୟାସର ବୈଶିଷ୍ଟ୍ୟ ବୁଝାଇଛନ୍ତି । ମେଘଦୂତ କାବ୍ୟ ରସର ସାଗର, କିନ୍ତୁ ପ୍ରଥମ କବିତା କେତୋଟି ନୀରସ । ମାଳିନୀକୁ ତାହା ଭଲ ଲାଗିଲା ନାହିଁ । ସେ ବିରକ୍ତ ହୋଇ ଉଠିଯିବାକୁ ଉଦ୍ୟତ ହୋଇଛି । କାଳିଦାସ କହିଛନ୍ତି, ‘‘ତୁମି କଖନ ସ୍ୱର୍ଗେ ଯାଇତେ ପାରିବେ ନା-।’’ କେନ ? ସ୍ୱର୍ଗର ସିଡ଼ି ଅଛି । ଲକ୍ଷ୍ୟ ଯୋଜନ ସିଡ଼ି ଚଢ଼ି ସ୍ୱର୍ଗକୁ ଉଠିବାକୁ ହୁଏ, ମେଘଦୂତ-ସ୍ୱର୍ଗର ବି ସିଡ଼ି ଅଛି । ଏଇ ନୀରସ କବିତାଗୁଡ଼ିକ ସେହି ସିଡ଼ି । ତୁମେ ଅଳ୍ପ କେତୋଟି ପାହାଚ ଉଠି ପାରିଲ ନାହିଁ । ଲକ୍ଷ୍ୟ ଯୋଜନ-ସିଡ଼ି ଚଢ଼ିବ ପରି ? ମାଳିନୀ ଆଦ୍ୟୋପାନ୍ତ ମେଘଦୂତ ଶୁଣିଲା ଓ ଶ୍ରବଣାନ୍ତେ ପ୍ରୀତ ହୋଇଥିଲା । ବଙ୍କିମଚନ୍ଦ୍ର, ମନ୍ତବ୍ୟ କରିଛନ୍ତି, ‘ଆମାର ଏ ସାମାନ୍ୟ କାବ୍ୟ ସ୍ୱର୍ଗ ଓ ନୟ—ଇହାର ଲକ୍ଷ ଯୋଜନ ସିଡ଼ିଓ ନାଇ । ରସ ଓ ଅଳ୍ପ, ସିଡ଼ିଓ ଛୋଟ । ଏହି ନୀରସ ପରିଚ୍ଛେଦ କୟଟି ସେଇ ସିଡ଼ି I ଯଦି ପାଠକ ଶ୍ରେଣୀ ମଧ୍ୟେ କେଇ ମାଳିନୀ ଚରିତ୍ର ଥାକେନ, ତବେ ତାହାଁକେ ସତର୍କ କରିୟା ଦିଇଯେ, ତିନି ଏ ସିଡ଼ି ନ ଭାଙ୍ଗିଲେ ସେ ରସମଧ୍ୟେ ପ୍ରବେଶ କରିତେ ପାରିବେ ନା ।’’ ଛ ମାଣ ଆଠଗୁଣ୍ଠରେ ଠିକ୍ ସେଇକଥା । ପ୍ରଥମ ଦଶ ବାରୋଟି ଫଳ ନ ଚଢ଼ିଲେ ଗଳ୍ପରସ ରାଜ୍ୟରେ ପ୍ରବେଶ କରି ହେବ ନାହିଁ, ଫକୀରମୋହନ ଚରିତ୍ର ରୂପାୟନ କ୍ଷେତ୍ରରେ ପରିଚ୍ଛେଦ ଗୁଡ଼ିକର ସଦ୍ବ୍ୟବହାର କରିଛନ୍ତି । ପରିଚ୍ଛେଦ ବିଭାଜନର ପ୍ରକୃତି ଉଦ୍ଦେଶ୍ୟରେ କୁହାଯାଇଥାଏ, ''to make characters grow and change…to make them emerge to reveal the pressure of environment (Philip Stevick) ଏହି ଦୃଷ୍ଟିରୁ ଦେଖିଲେ ବୁଝାଯାଏ ରାମଚନ୍ଦ୍ର ମଙ୍ଗରାଜ, ଚମ୍ପା, ଭଗିଆ ଓ ସାରିଆ, ଗୋବରା ଜେନା ଓ ସାଆନ୍ତାଣୀ ଆଦି ଚରିତ୍ର ଗୁଡ଼ିକ ସମ୍ପର୍କରେ ପରିଚ୍ଛେଦ ସୃଷ୍ଟି ବଡ଼ ପ୍ରାସଙ୍ଗିକ । ଜୀବନରେ ମସୃଣ ଧାରାବାହିକତା ନାହିଁ । ତେଣୁ ସେଠାରେ ଯେପରି ଆନନ୍ଦବିଷାଦ ଅଛି ଠିକ୍ ସେପରି ସ୍ୱପ୍ନ ଓ ସ୍ୱପ୍ନ ଭଙ୍ଗର ବନ୍ଧୁର ଅଭିଜ୍ଞତାର ବହୁ ବର୍ଣ୍ଣର ବି ପ୍ରତିଫଳନ ଅଛି-। ଜୀବନ ବ୍ୟକ୍ତି ଚରିତ୍ରର becoming ବା କିଛି ଗୋଟେ ହୋଇ ଉଠିବାର ଲକ୍ଷ୍ୟରେ କ୍ରମିକ ଦୀର୍ଘପଥ ପରିକ୍ରମାର ଆଲେଖ୍ୟ ମାତ୍ର ; ଆଉ ଉପନ୍ୟାସରେ ଥାଏ ସେହି ଆଲେଖ୍ୟର ଏକ ନାନ୍ଦନିକ ପ୍ରତିଛବି । କିନ୍ତୁ ‘ଛ’ ମାଣ ଆଠଗୁଣ୍ଠ’ରେ ଫକୀରମୋହନ କେବଳ ରାମଚନ୍ଦ୍ର ମଙ୍ଗରାଜଙ୍କ ଜୀବନକୁ ଯଥାଯଥ ଭାବରେ ରୂପାୟନ କରି ନାହାନ୍ତି, କେବଳ ତାଙ୍କରି ଅନ୍ତଶ୍ଚେତନାର ରୂପାନ୍ତରକୁ ପରିଚ୍ଛେଦ ଗୁଡ଼ିକର ବିଚିତ୍ର stages, degrees, interior, crisen and small progression ମାଧ୍ୟମରେ ପର୍ଯ୍ୟାୟକ୍ରମେ ଉନ୍ମୋଚନ କରିନାହାନ୍ତି, ଏଥିରେ ଆହୁରି ଅନେକ କଥା ଅଛି; ଅନେକ ଚରିତ୍ର, ଅନେକ ସ୍ଥାନ, ଅବସ୍ଥା ଓ କାର୍ଯ୍ୟାଦି ବର୍ଣ୍ଣିତ ହୋଇଛି । ତେଣୁ ଅନିବାର୍ଯ୍ୟ ଭାବରେ ଗ୍ରନ୍ଥିବଦ୍ଧ ପରିଚ୍ଛେଦ ପରିକଳ୍ପନା ଏଥିରେ ଅନୁପସ୍ଥିତ । ବରଂ ପରିକଳ୍ପନା ଶ୍ଳଥବଦ୍ଧ ଶିଥିଳ । ତେବେ ବର୍ଣ୍ଣନାଂଶ ଜୀବନ୍ତ ଓ ଚରିତ୍ର ବିଶ୍ଳେଷଣ ସୁନିପୁଣ । ପାଠକଙ୍କୁ କାହାଣୀଟିକୁ ଉପଭୋଗ କରିବାକୁ ହେଲେ ପୂରା ବହିଟିକୁ ଆଉଥରେ ମନେ ମନେ ଲେଖିବାକୁ ହୁଏ । ପାଠକ ପ୍ରକୃତରେ ‘ଛ’ ମାଣ ଆଠଗୁଣ୍ଠ’ ର ଲେଖକ । ପାଠକୀୟ text ପ୍ରସ୍ତୁତ କରିବାକୁ ହେବ, ବିଭିନ୍ନ ଅଧ୍ୟାୟରେ ବର୍ଣ୍ଣିତ ବସ୍ତୁ ଓ ବ୍ୟକ୍ତିଙ୍କୁ ସ୍ମୃତି ଶକ୍ତି, କଳ୍ପନା ଓ ରସବୋଧ ବଳରେ କାହାଣୀ ଚୟନରେ ଯଥାସ୍ଥାନରେ ପୁନର୍ବିନ୍ୟସ୍ତ କରିବାକୁ ପଡ଼ିବ । ତେବେ ଯାଇଁ ଆଖ୍ୟାନଭାଗଟିକୁ ଅବଧାରଣ କରି ହେବ । ଅଧ୍ୟାୟ ଗୁଡ଼ିକର ବିଷୟବସ୍ତୁକୁ ପୁନର୍ବିନ୍ୟସ୍ତ ନ କଲେ ଗଳ୍ପରସ ଉପଭୋଗ କରି ହେବ ନାହିଁ । କାହାଣୀଟି ଅବଶ୍ୟ ବ୍ୟଞ୍ଜନାଢ଼୍ୟ । କିନ୍ତୁ ସେହି ବ୍ୟଞ୍ଜନାଶ୍ରୀ ଅର୍ଜ୍ଜିବାକୁ ହୁଏ । ଲକ୍ଷ୍ୟ ଚରିତ୍ର ସୃଷ୍ଟି । ଆଖ୍ୟାନ ଭାଗ ଚରିତ୍ର ସୃଷ୍ଟିର ବାହନ । ଯେତେଦୂର ସମ୍ଭବ ଫକୀରମୋହନ ଆଖ୍ୟାନ ଭାଗ ଠିକ୍ କରି ଚରିତ୍ର ସୃଷ୍ଟି କରନ୍ତି ନାହିଁ, ଚରିତ୍ର ପରିକଳ୍ପନା କରି ତାହାପରେ ଆଖ୍ୟାନ ବିନ୍ୟାସ କରନ୍ତୁ । ତେଣୁ ଘଟନା ତୀବ୍ର ପ୍ରବଳ କି ବର୍ଣ୍ଣବନ୍ତ ହୋଇ ଉଠିନାହିଁ-! ଦୈନନ୍ଦିନ ଜୀବନର ସାଧାରଣ ବିଷୟରେ ତାଙ୍କର ରୁଚି ଓ ବିଶ୍ୱାସ । ତେଣୁ ନାଟ୍ୟରୀତି ତାଙ୍କ ଉପନ୍ୟାସର ନିୟାମକ ନୁହେଁ ସହାୟକ ମାତ୍ର । ସବୁଠିଁ ପାଠକ ସହିତ ଆଳାପଚାରିତା ବର୍ତ୍ତମାନ-। ମନ୍ତବ୍ୟ ବି ଉପସ୍ଥିତ । ନିରପେକ୍ଷ ଦୂରତ୍ୱରୁ ଜୀବନକୁ ପ୍ରତ୍ୟକ୍ଷ କରିବାକୁ ଯେପରି ସେ ଚାହାନ୍ତି ନାହିଁ, ସେଇଥିପାଇଁ ପାଠକ ସହିତ ଆଳାପଚାରୀ ହୋଇ ଉଠନ୍ତି, ଘଟନାବର୍ତ୍ତ ଭିତରକୁ ନିଜେ ପଶି ଆସନ୍ତି । ମମତ୍ୱ ସର୍ବବ୍ୟାପୀ । ସେତେବେଳେ ସର୍ବତ୍ର ଉପନ୍ୟାସ ରୋମାନ୍ସ୍ସ୍ତର ଅତିକ୍ରମ କରୁଥାଏ । ଘଟନାର ବହୁଳତା ଓ ଚମତ୍କାରିତ୍ୱ ରୋମାନ୍ସ୍ର ବୈଶିଷ୍ଟ୍ୟ । ଘଟନା ନାଟ୍ୟ ଚମକିତ ଓ ବର୍ଣ୍ଣନା କାବ୍ୟ ସୁରଭିତ । ସାମାଜିକ ଜୀବନରେ ଅନୁରୂପ ଘଟନା ବିଶ୍ୱାସ୍ୟ ହେବନାହଁ-। ପରିଚିତ ସମାଜ ପରିବେଶ, ଦୈନନ୍ଦିନ ଜୀବନ ଯାତ୍ରା ଓ ସମକାଳୀନ ମଣିଷର କର୍ମରେ ପ୍ରଚଣ୍ଡ ବିକ୍ଷୋଭର ବିସ୍ଫୋରଣ କାହୁଁ ମିଳିବ ? ତେଣୁ ଫକୀରମୋହନ ଯଥାସାଧ୍ୟ ରୋମାନ୍ସ୍କୁ ଉପେକ୍ଷା କରିଛନ୍ତି, କିନ୍ତୁ ଚମ୍ପାର ଛଦ୍ମବେଶ ଧାରଣ, ବାଘସିଂହଙ୍କ ଗୃହଦାହ, ଗୋବିନ୍ଦାର ଚମ୍ପାସଂହାର ଓ ମଙ୍ଗରାଜଙ୍କ ସ୍ୱପ୍ନ ଦର୍ଶନରେ ରୋମାନ୍ସ୍ ତାହାର ପଦାଙ୍କ ଆଙ୍କିଯାଇଛି । ବଙ୍କିମଚନ୍ଦ୍ରଙ୍କ ବିଷବୃକ୍ଷର ଦେବେନ୍ଦ୍ର ବାବୁ ବୈଷ୍ଣବୀ ରୂପ ଧାରଣ କରିଥିଲେ, ଚମ୍ପା ସାଜିଛି ଟାଙ୍ଗୀ ମାଉସୀ ରୂପ-। କୁନ୍ଦ ସ୍ୱପ୍ନରେ ଦେଖିଥଲା ମା’କୁ, ମଙ୍ଗରାଜ ଅର୍ଦ୍ଧଚେତନ ଅବସ୍ଥାରେ ଦେଖିଛନ୍ତି ସ୍ତ୍ରୀଙ୍କୁ । ‘ଛ’ ମାଣ ଆଠଗୁଣ୍ଠ’ରେ କେବଳ ‘ବିଷବୃକ୍ଷ’ ଅଧ୍ୟୟନର ଅଭିଜ୍ଞାନ ନାହିଁ, ରୋମାନ୍ସ୍ର ପଦଚିହ୍ନ ବି ଅଛି । ଉପନ୍ୟାସଟିର ପରିଣତି closed—ସଂବୃତ । ଦୃଷ୍ଟିଭଙ୍ଗୀ ନୀତିପ୍ରବଣ । ଅବଶ୍ୟ ତାଙ୍କ ସବୁ ଉପନ୍ୟାସର ପରିଣତି ସଂବୃତ । ରାମଚନ୍ଦ୍ରଙ୍କର ପତ୍ନୀ ଆଶ୍ରୟରେ ‘ଛ’ ମାଣ ଆଠଗୁଣ୍ଠର ଉପସଂହାର । ଏହି ପତ୍ନୀ ଆଶ୍ରୟ ପଛରେ ଫକୀରମୋହନଙ୍କ ସାମାଜିକ ପ୍ରତିବଦ୍ଧତା ଅଛି; ଦାସୀ ହାତରୁ ମୁକ୍ତ କରି ପୁରୁଷକୁ ପତ୍ନୀ ହାତରେ ସମର୍ପଣ କରିବା ସେହି ଦାୟବଦ୍ଧତାର ଦୃଷ୍ଟାନ୍ତ-। ପରିଣତିରେ ପ୍ରତ୍ୟାବର୍ତ୍ତନ ମୋଟିଫ୍ ସବୁଠାରେ ପ୍ରଯୁକ୍ତ । ସମାଜ ଓ ପରିବାରର ଅଖଣ୍ଡତା ରକ୍ଷା ତଥା ଅସ୍ତିବାଚକ ମୂଲ୍ୟବୋଧରେ ପ୍ରତ୍ୟୟ ପୋଷଣ ସବୁ ଉପନ୍ୟାସର ପରିଣତିରେ ସ୍ପଷ୍ଟ ପ୍ରତିଫଳିତ । ସବୁଠିଁ ମଣିଷ ମନୁଷ୍ୟତ୍ୱ ପାଖକୁ ଫେରିଛି କଠିନ ମୂଲ୍ୟ ବିନିମୟରେ । ‘ଛ’ ମାଣ ଆଠଗୁଣ୍ଠ’ ର ପରିଣତିର ଅନ୍ୟ ଏକ ତାତ୍ପର୍ଯ୍ୟ ଅଛି । ତାହା ବିଚାର କରିବା ପୂର୍ବରୁ ଫକୀରମୋହନଙ୍କ ‘ସମୟ ବିନ୍ୟାସ’ ବୈଶିଷ୍ଟ୍ୟ ବିଚାର କରାଯାଉ ।
ସମ୍ବନ୍ଧିତ ରଚନା
ଫକୀରମୋହନ ସେନାପତି
ଫକୀରମୋହନ ସେନାପତି
‘ଛ’ ମାଣ ଅଠଗୁଣ୍ଠ’ର ଅନ୍ୟତମ ବୈଶିଷ୍ଟ୍ୟ ତାହାର ସମୟ ବିନ୍ୟାସ । ଉପନ୍ୟାସଟିରେ ଅତୀତ ଏକ ବିଶେଷ କାଳର ଇତିହାସ ଅଛି ବୋଲି ସୁଧୀ ସମୀକ୍ଷକ ଡଃ ନଟବର' ସାମନ୍ତରାୟ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି । ସୀମା ୧୮୦୧ରୁ ୧୮୪୦ । ଉପନ୍ୟାସରେ ଅବଶ୍ୟ କେତୋଟି ଶଙ୍କୁ ଅଛି । ଦାରୋଗା ଇନାଏତ ହୋସେନ ସାରିଆର ମୃତ୍ୟୁ ବିଷୟ ଉଦାରଖ କରି ରିପୋର୍ଟ ଲେଖନ୍ତି, ୧୦ ତାରିଖ ଅକ୍ଟୋବର ସନ ୧୮୩୧ ରେ ଆଉ ଏଇଚ, ଆର. ଜେକ୍ସନ୍ ସେସନ ଜଜ୍ ବିଚାରର ରାୟ ଦିଅନ୍ତି ମେ ମାସ ୧୭ ତାରିଖ ସନ ୧୮୩୨ରେ । (ଅବଶ୍ୟ ‘ଉତ୍କଳ ସାହିତ୍ୟ’ରେ ତାରିଖଟି ଥିଲା ୧୭ ।୫। ୧୮୩୮ ବୋଲ ।) ଏହି ଶଙ୍କୁ ଦୁଇଟିକୁ ଆବିଷ୍କାର କରିଛନ୍ତି ସର୍ବପ୍ରଥମେ ଡଃ ସାମନ୍ତରାୟ । (ବ୍ୟାସକବି ଫକୀରମୋହନଙ୍କ ଉପନ୍ୟାସ, ୧୯୫୫) ତାଙ୍କ ପର୍ଯ୍ୟବେକ୍ଷଣ ଶକ୍ତି ଅଭିନନ୍ଦନୀୟ । କିନ୍ତୁ ଉପରୋକ୍ତ କାଳସୀମାକୁ ସ୍ୱୀକାର କରିବାକୁ ହେଲେ କି କି ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ ତାହା ସେ ଲକ୍ଷ୍ୟ କରିଛନ୍ତି ଏପ୍ରିଲ, ୧୯୬୭ରେ ଓ ଅକ୍ଟୋବର ୧୯୭୧ରେ ଯଥାକ୍ରମେ ‘କାଳ ଓ କଳା’ ଓ ଛ’ମାଣ ଆଠଗୁଣ୍ଠର ବିଷୟବସ୍ତୁ : ଏକ ସ୍ପଷ୍ଟୀକରଣ ପ୍ରବନ୍ଧରେ । (ଦ୍ରଷ୍ଟବ୍ୟ: ଫକୀରମୋହନ ସାହିତ୍ୟ ସମୀକ୍ଷା) ପ୍ରଥମତଃ ‘ଛ’ମାଣ ଆଠଗୁଣ୍ଠ’କୁ ପାଠକ କେବଳ ପୁନର୍ଲିଖନ କରିବ ନାହିଁ, ଠାଏ ଠାଏ ସଂଶୋଧନ ବି କରିବ । ସଂଶୋଧନ କରିବା ସମାଲୋଚନା ପଦ୍ଧତି ଏଯାବତ୍ ପ୍ରବର୍ତ୍ତିତ ହୋଇନାହିଁ । ପ୍ରଥମତଃ ପୋଲିସ ରିପୋର୍ଟ କାଳ ୧୦ । ୧୦ । ୧୮୩୧ ଓ ଜଜ୍ଙ୍କ ରାୟ ପ୍ରଦାନ କାଳ ୧୭ ।୫ । ୧୮୩୨ କିମ୍ବା ୧୭ । ୫ । ୧୮୩୮ ସହିତ ୧୮୯୮ ରେ ଲେଖକଙ୍କ ମନ୍ତବ୍ୟ ମଧ୍ୟରେ ସାମଞ୍ଜସ୍ୟ ବିଧାନ କରିବାକୁ ପଡ଼ିବ । ଲେଖକ କହିଛନ୍ତି, ‘ମାମଲଟା ଷାଠିଏ ବର୍ଷ ତଳର’ । ଲେଖକଙ୍କ ଜୀବଦ୍ଦଶାରେ ଏହି ୧୭ । ୫ । ୧୮୩୮ ହୋଇଛି ୧୭ ।୫ । ୧୮୩୨ । ତାହା ମନ୍ତବ୍ୟ ଦୃଷ୍ଟିରୁ ୬୦ ବର୍ଷ ପୂର୍ବର ଘଟଣା ବୋଲି ପ୍ରତିପନ୍ନ ହୋଇ ପାରୁନାହିଁ । ରାୟ ପ୍ରକାଶକାଳକୁ ମନ୍ତବ୍ୟ ଦୃଷ୍ଟିରୁ ୧୭ । ୫ । ୧୮୩୮ ବୋଲି ଗ୍ରହଣ କଲେ ପୋଲିସ୍ ରିପୋର୍ଟ କାଳକୁ ବଦଳାଇବାକୁ ପଡ଼ିବ । ନଚେତ୍ ୧୮୩୧ ରୁ ୧୮୩୮ ପର୍ଯ୍ୟନ୍ତ ରାମଚନ୍ଦ୍ର ମଙ୍ଗରାଜଙ୍କୁ କେଉଁଠି ସମ୍ଭାଳିବାକୁ ପଡ଼ିବ ! ଥଇଥାନ କରିବାକୁ ହେବ ! ତେଣୁ ଡଃ ନଟବର ସାମନ୍ତରାୟଙ୍କୁ ପୋଲିସ୍ ରିପୋର୍ଟକାଳ ଓ ଜଜ୍ଙ୍କ ଆଦେଶ ପ୍ରଦାନ କାଳକୁ ଯଥାକ୍ରମେ ୧୦ । ୧୦ । ୩୮, ୧୭ । ୧୦ । ୩୮ ବୋଲି ସଂଶୋଧନ କରିବାକୁ ପଡ଼ିଛି । ଗ୍ରନ୍ଥଟିର ସଂଶୋଧନ କର୍ତ୍ତୃତ୍ୱ ସମାଲୋଚକଙ୍କର ଅଛି କି ? ଦ୍ୱିତୀୟତଃ ଗୋବିନ୍ଦାର ଗଣ୍ଠିଲିରୁ ଖସିପଡ଼ିଥିବା ଗୁଜାଟି ଲେଖାଯାଇଥିଲା ‘‘ଶ୍ରୀ ଶ୍ରୀ ମୁକୁନ୍ଦଦେବଙ୍କ ସାତଅଙ୍କ କୁମ୍ଭ ମାସ କୃଷ୍ଣପକ୍ଷ ଦ୍ୱିତୀୟା ଦିନବେଳ ଦୁଇଘଡ଼ି ସମୟରେ ।” କେଉଁ ମୁକୁନ୍ଦଦେବ ଏ ? ଦ୍ୱିତୀୟ ମୁକୁନ୍ଦଦେବ (୧୭୯୫-୧୮୧୭) ନା ତୃତୀୟ ମୁକୁନ୍ଦଦେବ (୧୮୭୬-୧୯୨୮) ? କାହାର ସାତଅଙ୍କ ୧୮୦୧ ରୁ୧୮୪୦ ମଧ୍ୟରେ ପଡ଼ୁନାହିଁ । କ’ଣ କରାଯାଏ ? ଡଃ ସାମନ୍ତରାୟ କିନ୍ତୁ ନିଜ ସିଦ୍ଧାନ୍ତ ବଦଳାଇବାକୁ ପ୍ରସ୍ତୁତ ନୁହନ୍ତି । ତେଣୁ ସେ ଆଉ ଏକ ସଂଶୋଧନ ଚାହାନ୍ତି ତେଣୁ ଗୁଜାଟିରେ ଦ୍ୱିତୀୟ ମୁକୁନ୍ଦଦେବଙ୍କ ଅପେକ୍ଷା ତାଙ୍କ ପରବର୍ତ୍ତୀ ରାଜା ରାମଚନ୍ଦ୍ର ଦେବ ୩ୟଙ୍କ ନାମୋଲ୍ଲେଖ ଅଧିକ ସୁସଙ୍ଗତ ହେବ । ତେବେ କିଏ ଏବେ ଜମିଦାର ରାମଚନ୍ଦ୍ର ମଙ୍ଗରାଜ ମହାଜନ ସୁସାକ୍ଷାତକୁ ତେଲିପୁଅ ଶାମସାହୁର ଗୁଜାଟିକୁ ପୁନର୍ଲିଖନ କରିବ ? ସମୟ ବିନ୍ୟାସ କ୍ଷେତ୍ରରେ ଫକୀରମୋହନ କ’ଣ ଏତେ ଅସାବଧାନ ଥିଲେ । ତେବେ ପ୍ରଶ୍ନଟିଏ ମୁଣ୍ଟ ଟେକେ, ଆମେ, ଛ’ମାଣ ଆଠଗୁଣ୍ଠରେ ଏକ ବିଶେଷ କାଳର ଇତିହାସ ଖୋଜି ଭୁଲ୍ କରି ବସିଛୁ ବା ଫକୀରମୋହନ କାଳ ନିର୍ଦ୍ଦେଶ କରିବାରେ ଭୁଲ୍ କରି ବସିଛନ୍ତି । ଏହି ପ୍ରଶ୍ନଟିର ଉତ୍ତର ଖୋଜିବ । ପୂର୍ବରୁ ଅନ୍ୟ ଏକ ଗୁରୁତର ସମସ୍ୟା ପ୍ରତି ସଚେତନ ହେବାକୁ ହେବ । ଯେବେ ଔପନ୍ୟାସିକ ସଚେତନ ଭାବରେ ଏଥିରେ ୧୮୦୧ ରୁ ୧୮୪୦ ପର୍ଯ୍ୟନ୍ତ ଓଡ଼ିଶାର ସାମାଜିକ ଜୀବନର ଇତିହାସ ଲେଖିଥାନ୍ତି, ତେବେ Anachronism ଦୋଷାବଳୀ ଲାଗି ଦାୟୀ ହେବ କିଏ ? ୧୮୦୧ ରୁ ୧୮୪୦ ର ଜୀବନ ଚିତ୍ରଣରେ ୧୮୪୧ ରୁ ୧୮୯୭/୯୮ ମଧ୍ୟରେ ଘଟିଥିବା ବହୁଘଟନାର ଉଲ୍ଲେଖଧର୍ମୀ (allusive) ବ୍ୟବହାର ସାଜିବ କିପରି ? ‘ନୈଷଧ’ର ସତ୍ୟଯୁଗର ନଳ କ୍ରେତାର ରାମ ଓ ଦ୍ୱାପରର କୃଷ୍ଣଙ୍କୁ ସ୍ତୁତି କରିଥିବାରୁ କବି ଦୋଷାଭାସ ଦୋଷରେ ଦୋଷୀ ହୋଇଛନ୍ତି । ଫକୀରମୋହନ ନିର୍ଦ୍ଦୋଷ ହେବେ କିପରି ? ୧୮୪୦ ପୂର୍ବରୁ ଶ୍ୟାମମଲ୍ଲ ପିଆଜମିଶା କୋବି ଖାଇବ କିପରି ? ଇଂରେଜ ପଢ଼ୁଆ ଓଡ଼ିଆଙ୍କ ଅସ୍ତିତ୍ୱ ଆସିବ କାହୁଁ ? ସମ୍ପାଦକଙ୍କ ସମ୍ବାଦ ସଂଗ୍ରହ କଥା ଖାଟିବ କେଉଁଠି ? କବି ଉପେନ୍ଦ୍ରଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିବା ଇନ୍ଦ୍ରଧନୁ-ବିଜୁଳିର ବିବାଦ ସ୍ଫୁରିବ କିପରି ? ବିଲାତୀ ଜିନିଷାତ ସହିତ ରୁଚି ନାମଧେୟ ପଦାର୍ଥ ଓଡ଼ିଶାରେ ମିଳିବ କେଉଁଠୁ ? କେନାଲ କି ଉପାଧି ବ୍ୟବସ୍ଥାର ଉଲ୍ଲେଖଧର୍ମୀ ବ୍ୟବହାର ୧୯୪୦ ପୂର୍ବରୁ ସାଜିବ କିପରି ? ବରଂ ଉପନ୍ୟାସଟିରେ ଏମିତି ଅନେକ କଥାର ଉଲ୍ଲେଖ ଅଛି ଯାହା ଦେଖିଲେ କହିବାକୁ ହେବ ଯେ ଏଥିରେ ଊନବିଂଶ ଶତାବ୍ଦୀର ଶେଷଭାଗରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ଚିତ୍ର ରହିଛି, ଯାହା ସହିତ ୧୮୦୧-୧୮୪୦ ଖ୍ରୀଷ୍ଟାବ୍ଦର ଓଡ଼ିଶାର କୌଣସି ପ୍ରକାର ସମ୍ପର୍କ ଅନୁପସ୍ଥିତ । ଏଥିରୁ ମନେ ହେବା ସ୍ୱାଭାବିକ ଯେ, ‘ଛ’ମାଣ ଅଠଗୁଣ୍ଠ’ର ଏକ ବିଶେଷ କାଳର ଇତିହାସ ଖୋଜି ଆମେ ଭୁଲ୍ କରୁଛେ । ଉପନ୍ୟାସ ମାତ୍ରେ କୌଣସି ନା କୌଣସି ସ୍ତରରେ ଇତିହାସ ହୋଇ ଉଠିବା ସ୍ୱାଭାବିକ । କିନ୍ତୁ ତାହାକୁ ଏକ ନିର୍ଦ୍ଦିଷ୍ଟ କାଳ ସୀମାରେ ଆବଦ୍ଧ କରିବାକୁ ଚାହିଁଲେ ଲେଖକଙ୍କୁ ଅଯଥା ଏମିତି ଟଣାଓଟରା କରିବାକୁ ପଡ଼ିବ । ବିଶୁଦ୍ଧ ଐତିହାସିକ ଉପନ୍ୟାସ କଥା ଅବଶ୍ୟ ଭିନ୍ନ । ଐତିହାସିକ ନାୟକ ନାୟିକାଙ୍କୁ ଏକ ବିଶେଷ ସ୍ଥାନକାଳରୁ ବିଚ୍ୟୁତ କରି ହେବ ନାହିଁ । କିନ୍ତୁ ଫକୀରମୋହନ ସାମାଜିକ ଉପନ୍ୟାସ ଲେଖିଛନ୍ତି, କେବେ ଇତିହାସ ନୁହେଁ । ଘଟଣାର ବାସ୍ତବତା ଓ ବିଶ୍ୱାସନୀୟତା ସୃଷ୍ଟି କରିବାକୁ ସେ ସାଲ୍ ତାରିଖ ସମୟ ନିର୍ଦ୍ଦେଶ କରିଛନ୍ତି, ଯେପରି ପ୍ରାଚୀନ କବିମାନେ ଘଟଣାର କାଳବେଳା ନିର୍ଣ୍ଣୟ କରିବାକୁ ତିଥି ବାର ନକ୍ଷତ୍ର ନିର୍ଦ୍ଦେଶ କରୁଥିଲେ; ଯଦିଓ ଅଧିକାଂଶଙ୍କର ଜ୍ୟୋତିଷଶାସ୍ତ୍ରରେ କୌଣସି ପ୍ରକାର ପ୍ରବେଶ ନ ଥିଲା । ଏପରି ସମୟ ନିର୍ଦ୍ଦେଶ ଅନ୍ୟତମ ସାହିତ୍ୟିକ କରଣ କୌଶଳ—କଳ୍ପନାର ଖେଳ । ପ୍ରକୃତରେ ବିଶେଷ ଦେଶକାଳପାତ୍ର ମଧ୍ୟରେ କେବେ କେଉଁଠି ଯାହାକୁ ଖୋଜିଲେ ଆଦୌ ମିଳିବ ନାହିଁ, ତାହାରି ନାମ ହିଁ ଉପନ୍ୟାସ । ସବୁ ମିଥ୍ୟା । ଛ’ମାଣ ଆଠଗୁଣ୍ଠର ଗୋବିନ୍ଦପୁର ଗାଁର ହାଲଚାଲଠାରୁ ମଙ୍ଗରାଜଙ୍କ ହାଉଳି ଖାଇବା ପର୍ଯ୍ୟନ୍ତ ସବୁ ମିଥ୍ୟା-। ଅବଶ୍ୟ ସୁନ୍ଦର ମିଥ୍ୟା । ଆନନ୍ଦ ତାହାର ଉପଜୀବ୍ୟ, କଳ୍ପନା ଅବଲମ୍ବନ । କଳ୍ପନାରେ ଯାହା ଗୋଚରୀଭୂତ ହୋଇଅଛି, ଫକୀରମୋହନଙ୍କ ଲେଖନୀ ଦ୍ୱାରା ତାହା ନାମଧାମ ଘେନି ସୁସ୍ପଷ୍ଟ ଦେହ ଧାରଣ କରିଛି ମାତ୍ର । ସତ୍ୟ ଥରେ ରସାତ୍ମକ ହୋଇ ଉଠିଲେ ଆଉ ଐତିହାସିକ ସତ୍ୟ ହୋଇ ରହେ ନାହିଁ, ଏହା ତ ମୂଳରୁ ମିଥ୍ୟାକଥା, ରସାତ୍ମକ ହୋଇ ଉଠିଛି ଯାହା-। ସତ୍ୟ ଖୋଜିଲେ କାହୁଁ ମିଳିବ ? ତେଣୁ କାଳ ନିର୍ଦ୍ଦେଶରେ ଭୁଲ ଭ୍ରାନ୍ତି ରହିବା ସ୍ୱାଭାବିକ-। ତାହାକୁ ସଂଶୋଧନ କରିବାର ଦାୟିତ୍ୱ ଓ ଅଧିକାର ସମାଲୋଚକର ନାହିଁ । ସେ କେବଳ ବାଖ୍ୟା କରିପାରିବେ, ବିଶ୍ଳେଷଣ କରିପାରିବେ । ଏପରିକି ଯେଉଁମାନେ ଇତିହାସ କି ମିଥ୍ୟାର ପୁନର୍ବାଖ୍ୟାରେ ଉପନ୍ୟାସ ଲେଖନ୍ତି, ତାଙ୍କରି ବକ୍ତବ୍ୟ ଥାଏ ସମସାମୟିକତା ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ-। ଫକୀରମୋହନ ସମସାମୟିକ ଜୀବନର ଚିତ୍ର ଆଙ୍କିଛନ୍ତି, ଯଦିଓ ଚାହିଁଛନ୍ତି ଷାଠିଏ ବର୍ଷ ତଳର ଘଟଣା କଥା କହିବାକୁ । ଦୂରତ୍ୱ ଘଟନାଟିକୁ ମହାକାବ୍ୟିକ ମହତ୍ତ୍ୱ ଦେବ-। କଥାଟା ଏଇ ପର୍ଯ୍ୟନ୍ତ ସତ୍ୟ । ସୌନ୍ଦର୍ଯ୍ୟ ଦେବ-ଆନନ୍ଦ ବି ଦେବ—“Often retrospect delight the mind.” (Dante)
ତେବେ ଫକୀରମୋହନଙ୍କ ସମୟ ବିନ୍ୟାସର ବୈଶିଷ୍ଟ୍ୟ କ'ଣ ? ସେ ପ୍ରଥମତଃ ଅତୀତାଶ୍ରିତ ଉପନ୍ୟାସଟିରେ ମହାକାବ୍ୟିକ ମହତ୍ତ୍ୱ ଓ ବିଶାଳତାର ଅନୁଭବ ସଞ୍ଚାର କରିବାକୁ ଚାହିଁଛନ୍ତି, ଦୂରପ୍ରସାରୀ କାଳପ୍ରବାହର ସେହି ଅନୁଭବ ଆଣିବାକୁ ସନ ତାରିଖ ନିର୍ଦ୍ଦେଶ କରିଛନ୍ତି, ଯାହାର ଯୁକ୍ତିଯୁକ୍ତତା କି ସଙ୍ଗତି ଅସଙ୍ଗତି ପ୍ରତି ବିଶେଷ ଧ୍ୟାନ ଦେଇ ନାହାନ୍ତି । ଅଧିକନ୍ତୁ ସେହି ଅତୀତ ସମୟକୁ ଠାବେ ଠାବେ ନାଟ୍ୟଦୃଶ୍ୟ ପରି (Fictive Present ବା illusion of immediacy-ର ସମ୍ବେଦନ ସୃଷ୍ଟି ଉଦ୍ଦେଶ୍ୟରେ ପ୍ରୟୋଗ କରିଛନ୍ତି, ସମସାମୟିକ ଚିତ୍ର ଚରିତ୍ର ଓ ଘଟଣାର ଉଲ୍ଲେଖଧର୍ମୀ ବ୍ୟବହାର କରି ସେଥିରେ ତାତ୍କ୍ଷଣିକ ବର୍ତ୍ତମାନତାର ସମ୍ବେଦନ ଫୁଟାଇ ପାରିଛନ୍ତି ମଧ୍ୟ । ତେଣୁ ଅତୀତ କାଳପ୍ରବାହର ଅନୁଭବ ଓ ବିଭନ୍ନ ନାଟ୍ୟଧର୍ମୀ ଦୃଶ୍ୟ ସଂଯୋଜନାର ତାତ୍କ୍ଷଣିକ ବର୍ତ୍ତମାନତାର ସମ୍ବେଦନ ତଥା ସମସାମୟିକ ଚିତ୍ର, ଚରିତ୍ର ଓ ଘଟଣାବଳୀର ଉଲ୍ଲେଖଧର୍ମୀ ବ୍ୟବହାରର ସଦ୍ୟସତେଜ ଆବେଦନ ତାଙ୍କ ସମୟ ବିନ୍ୟାସ ଭାବନାରେ ଯେଉଁ ନୂଆ ମାତ୍ରାଟିଏ ଯୋଡ଼ିଅଛି, ତାହାହିଁ ତାଙ୍କ ସମୟ ବିନ୍ୟାସର ବୈଶିଷ୍ଟ୍ୟ । ତେଣୁ ଛ’ ମାଣ ଆଠଗୁଣ୍ଠ ନିର୍ଦ୍ଦିଷ୍ଟ ଏକ କାଳ ପରିଧିର ସାମାଜିକ ଇତିହାସ ନୁହେଁ । ତାହା ଏକ ସାର୍ଥକ ଉପନ୍ୟାସ । କାଳଗତ ତ୍ରୁଟି ବିଚ୍ୟୁତି ତାର ଦୂଷଣ ନୁହେଁ, ଭୂଷଣ ମାତ୍ର । ଟେକସ୍ଟର ସଂଶୋଧନ ଶୋଭନୀୟ ନୁହେଁ କେବେ । ସେଥିରେ ଇତିହାସକୁ ଖୋଜିଲେ ସାରା ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ଭଗ୍ନାଂଶ ସଂଗ୍ରହ କରିହେବ । ପ୍ରକୃତରେ ଉପନ୍ୟାସରେ ଇତିହାସର ସ୍ଥାନ ଗୌଣ, ଏପରିକି ଐତିହାସିକ ଉପନ୍ୟାସ ବି ବ୍ୟତିକ୍ରମ ନୁହେଁ । ଔପନ୍ୟାସିକ ବଙ୍କିମଚନ୍ଦ୍ର ବୁଝାଇଛନ୍ତି, ଉପନ୍ୟାସରେ ଅନ୍ତର୍ଜଗତର ସ୍ଥାନ ମୁଖ୍ୟ, ‘‘ଉପନ୍ୟାସ ଲେଖକ ଅନ୍ତର୍ବିଷୟ ପ୍ରକଟନେ ଯତ୍ନବାନ ହଇବେନ ।’’ ଏବେ ମିଲାନ କୁନ୍ଦେରା (Milan Kundera) ପ୍ରାୟ ସେହି କଥା କହିଛନ୍ତି, ‘‘The novelist is neither historian nor prophet: he is an explorer of existence.” (The Art of Novel ) ଏହି ପ୍ରସଙ୍ଗରେ “ସେ ହେଡ଼େଗାରଙ୍କୁ ସ୍ମରଣ କରିଛନ୍ତି ଓ କହିଛନ୍ତି existence ଅର୍ଥ ଯେବେ being-in-the world ହୁଏ, ତେବେ ମଣିଷ ଓ ଜଗତ ଯଥାକ୍ରମେ ଦ୍ରଷ୍ଟା ଓ ଦୃଶ୍ୟ ହୋଇ ରହିପାରିବେ ନାହି । ‘man does not to the world as subject to object, as eye to painting, not even as actor to stage set. Man and the world are bound together like the snail to its shell: the world is part of man, it is his dimension, and as the world changes, existence changes as well. ’’ ଔପନ୍ୟାସିକ ଯେଉଁ ଜୀବନର ଚିତ୍ର ଆଙ୍କେ ସେ ମଧ୍ୟ ସେହି ଜୀବନର ଅଂଶବିଶେଷ । ଇତିହାସ ସମାଜର ଇତିହାସ ଲେଖେ । ଉପନ୍ୟାସ ଲେଖେ ମଣିଷର ଇତିହାସ । ତେଣୁ ଇତିହାସର ଯେତିକି ଅଂଶ ଚରିତ୍ରର ରହସ୍ୟଭେଦ ପାଇଁ ଅନୁକୂଳ କେବଳ ସେତିକି ଅଂଶ ଔପନ୍ୟାସିକ ବ୍ୟବହାର କରି ପାରନ୍ତି । ଉପନ୍ୟାସ ଉପନ୍ୟାସ ।
ଏଇଠି ପ୍ରସଙ୍ଗତଃ ଆଚାର୍ଯ୍ୟ ଲାଲ୍ ବିହାରୀ ଦେଙ୍କ Bengal Peasant Life (1874) କଥା ମନେପଡ଼େ । ଫକୀରମୋହନ ଯେଉଁ କେତୋଟି ଇଂରାଜୀ ବହି ପଢ଼ିଥିଲେ ତନ୍ମଧ୍ୟରୁ ଅନ୍ୟତମ ଏହି Govind Samant or The History of a Bengal Peasant (Bengal Peasant Life) I ଏବେ ଡଃ ପୂର୍ଣ୍ଣଚନ୍ଦ୍ର ମିଶ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଆନୁକୂଲ୍ୟରେ ପ୍ରକାଶିତ ‘ସାରସ୍ୱତ ପରିକ୍ରମା’ରେ ‘ଛ ମାଣ ଆଠଗୁଣ୍ଠ ରଚନାର ଅନ୍ତରାଳେ’ ନାମକ ଯେଉଁ ପ୍ରବନ୍ଧ ଲେଖିଛନ୍ତି ସେଥିରେ ସେ ‘ଛ ମାଣ ଆଠଗୁଣ୍ଠ’ ପଛରେ Bengal Peasant Lifeର ପ୍ରେରଣା ଲକ୍ଷ୍ୟ କରିଛନ୍ତି । କିନ୍ତୁ ମନେ ରଖିବାକୁ ହେବ ଯେ, ‘Bengal Peasant Life’ ମୂଳତଃ ଇତିହାସ । ତାହାର ନାମାନ୍ତର The History of a Bengal Peasant । ଆଚାର୍ଯ୍ୟ ଦେ ଘଟଣାହୀନ ବର୍ଣ୍ଣନା ସର୍ବସ୍ୱ ୨୫ଟି ପରିଚ୍ଛେଦ ଲେଖି ସାରିଲା ପରେ ଯାଇଁ ଉପନ୍ୟାସର କାହାଣୀ ଭାଗ ପ୍ରତି ସଚେତନ ହୋଇଛନ୍ତି, “Story ? God bless you. I have none to tell. Sir, I have a story to tell as the reader will see, if he will have only the patience to wait a bit.’' କାହାଣୀ ପ୍ରତି ଆଗ୍ରହ ଓ ଉତ୍ସାହ ନ ଥିଲେ ବହିଟିକୁ ସେ କେହି ପଢ଼ି ମୁଗ୍ଧ ହେବେ । ୧୮୮୧ ଖ୍ରୀଷ୍ଟାବ୍ଦରେ ଜଗତ୍ ବିଖ୍ୟାତ ବୈଜ୍ଞାନକ ଚାର୍ଲସ୍ ଡାରଉଇନ୍ ଅଯାଚିତ ଭାବରେ ବହିଟିର ପ୍ରକାଶକଙ୍କୁ ଲେଖିଥିଲେ, ‘‘ଗ୍ରନ୍ଥକର୍ତ୍ତାକୁ ମୋର ନମସ୍କାର ଜଣେଇ କହିବେ ଯେ, ଗୋବିନ୍ଦ ସାମନ୍ତ ପଢ଼ି ମୁଁ ଯେପରି ଶିକ୍ଷା ପାଇଛି ସେପରି ଆନନ୍ଦ ବି ଲାଭ କରିଛି ।’’ ପ୍ରକୃତରେ ବହିଟି ସୁଖପାଠ୍ୟ ଓ ଶିକ୍ଷାପ୍ରଦ । ‘ଛ’ ମାଣ ଆଠଗୁଣ୍ଡ’ର ବକ୍ତବ୍ୟ ଓ Bengal Peasant Life ର ବକ୍ତବ୍ୟ ମଧ୍ୟ ଅଭିନ୍ନ ନୁହେଁ । Bengal Peasant Life ବାଂଲାର ପଲ୍ଲୀ ସମାଜ ଓ କୃଷକ ଜୀବନର ସର୍ବାଙ୍ଗୀନ ନିଖୁଣ ଚିତ୍ରଶାଳା–ଚାଷୀର ଜୀବନରେ ଏକ ପକ୍ଷରେ ଯେପରି ଅଛି ସୁଖ ଆହ୍ଲାଦ, ସେମିତି ଅନ୍ୟ ପକ୍ଷରେ ଅଛି ଦୁଃଖ ଦୁର୍ଭାଗ୍ୟ, କଷ୍ଟ ଯନ୍ତ୍ରଣା, ଶୋଷଣ କଷଣ । ଅଛି ଏକ ପକ୍ଷରେ ନବାନ୍ନ ଓ ପୌଷପାର୍ବଣାଦିର ଆନନ୍ଦ ଉତ୍ସାହ, ଅନ୍ୟ ପକ୍ଷରେ ବର୍ତ୍ତମାନ ବି ଦେଶୀ ଜମିଦାର ଓ ବିଦେଶୀ କୁଠିୟାଲଙ୍କ ଶୋଷଣ ଓ ଅକଥ୍ୟ ଅତ୍ୟାଚାର । ଆଚାର୍ଯ୍ୟ ଦେ ଅପମାନିତ ଓ ଅତ୍ୟାଚାରିତ କୃଷକଙ୍କ ଅପମାନରେ ଅପମାନିତ ବୋଧ କରିଛନ୍ତି ଓ ତାହାର ପ୍ରତିଷେଧକଳ୍ପେ ବର୍ଦ୍ଧମାନ ଜିଲାର ଉଗ୍ର କ୍ଷତ୍ରିୟ ଚାଷୀ ପରିବାରକୁ ତାଙ୍କ ଗଳ୍ପର ନାୟକ କରିଛନ୍ତି । ତାଙ୍କ ମତରେ ଏହି ଉଗ୍ର କ୍ଷତ୍ରିୟଙ୍କ ପରି ସାହସୀ ସ୍ୱାଧୀନଚେତା ବୀର କୃଷକ ସଂପ୍ରଦାୟ ଅନ୍ୟତ୍ର ବିରଳ । ଶେଷ ପର୍ଯ୍ୟନ୍ତ ଜମିଦାର ଓ କୁଠିୟାଲଙ୍କ ବିରୋଧରେ କୃଷକଙ୍କ ସଂଗ୍ରାମ ଓ ପ୍ରତିରୋଧ ଅନିବାର୍ଯ୍ୟ ହୋଇ ଉଠିଛି । ସଂଗ୍ରାମ ଓ ଅବଧାରିତ କରୁଣ ନିଷ୍ଫଳତାରେ ଉପନ୍ୟାସଟିର ଉପସଂହାର, ଛ’ ମାଣ ଆଠଗୁଣ୍ଠ କିନ୍ତୁ ଭିନ୍ନ ଧାତୁରେ ଗଢ଼ା । ଏହା କୃଷକ ଜୀବନର ଚିତ୍ର ନୁହେଁ । ଏହାର ଜମିଦାରଙ୍କ ଶୋଷଣ ଓ ଅତ୍ୟାଚାରର ପ୍ରକୃତି ମଧ୍ୟ ଅଲଗା । ସଂଗ୍ରାମ କି ସଚେତନ ବିଦ୍ରୋହ ବା ପ୍ରତିବାଦ ଅନୁପସ୍ଥିତ । ପ୍ରତିଶୋଧ ଅଛି, କିନ୍ତୁ ପ୍ରତିବାଦ ନାହିଁ । ପ୍ରତିଶୋଧ ମଧ୍ୟ କର୍ମଫଳ ଖାତାକୁ ଉଠିଛି, ତାହାର ସ୍ୱତନ୍ତ୍ର ଯୋଜନା ନାହିଁ । ତେବେ ସାମ୍ୟ କେଉଁଠି ? ପ୍ରେରଣାର ସ୍ୱାକ୍ଷର କେଉଁଠି ? ଡଃ ପୂର୍ଣ୍ଣଚନ୍ଦ୍ର ମିଶ୍ର ଯେଉଁ ସାମଞ୍ଜସ୍ୟ ଦେଖାଇଛନ୍ତି, ତାହା ଭାସମାନ ଅଂଶ ମାନ, ଆମୂଳାନ୍ତ ତାତ୍ପର୍ଯ୍ୟହୀନ । ଗୃହଦାହ, ମନ୍ତ୍ରଣା, ପୋଲିସ ତଦାରଖି ପ୍ରକ୍ରିୟା ଓ ଗାଁ ହାଲଚାଲ୍ ବର୍ଣ୍ଣନା ଉପରୁ ସମାନ ଦେଖିଲେ ହେଁ ଗଳ୍ପ ନୟନରେ ସେଗୁଡ଼ିକର ଭୂମିକା କରୁ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ କଥା । ଗାଁ ମାଇପଙ୍କ ଗାଧୁଆ ତୁଠ ବର୍ଣ୍ଣନାର ସାମଞ୍ଜସ୍ୟ ପ୍ରେରଣା ସମ୍ଭୂତ ନୁହେଁ, ଗାଧୁଆ ତୁଠର ଗାଁଉଲି ସ୍ତ୍ରୀଲୋକଙ୍କ ଚରିତ୍ର ଭାରତବର୍ଷର ସବୁଠି ସମାନ ! ଡଃ ସି.ଆର. ରେଡ଼ି ତାଙ୍କ Murugan the Tiller (1927) ଉପନ୍ୟାସରେ ଯେଉଁ ଆନ୍ଧ୍ରପ୍ରଦେଶର ସ୍ତ୍ରୀଲୋକଙ୍କ ଗାଧୁଆ ତୁଠ ବର୍ଣ୍ଣନା କରିଛନ୍ତି, ତା ପଛରେ କ'ଣ ଫକୀରମୋହନଙ୍କ ପ୍ରେରଣା ଖୋଜି ହେବ ? ସେ ଲେଖିଛନ୍ତି, ‘‘the Hindu woman in her bathing hour in the freest soul in the world. The pretty lessies and the old dames meet as equals in the sacred river for the victorious hour under water. Then everything under the Alavanti sun and a little beyond, is reviewed with careless freedom, is spice social talk with a gay mixture of pungent wit." ଏତିକି ପଢ଼ି ସମାଲୋଚକମାନେ ମନ୍ତବ୍ୟ କରିଛନ୍ତି, ‘'the heart of the rural village truly and felicitously pictured,” କେବଳ ବାଂଲାର ଗାଧୁଆ ତୁଠ କି ଓଡ଼ିଶାର ଗାଧୁଆ ତୁଠ ନୁହେଁ, ସାରା ଭାରତର ସବୁ ଗାଧୁଆ ତୁଠ ଏମିତି ‘‘Ladies’ Parliament’’ । ଗୋବିନ୍ଦ ନାମଟି ପ୍ରତି ଫକୀରମୋହନଙ୍କ ପ୍ରୀତିକର ଦୁର୍ବଳତାଟି ଆଚାର୍ଯ୍ୟ ଦେଙ୍କ ପ୍ରଭାବର ଫଳ କି ? ଗାଁ ନାମ ଗୋବିନ୍ଦପୁର, ଭଗିଆର ବାପା ନାମ ବି ଗୋବିନ୍ଦ ଚନ୍ଦ୍ର; ଭଣ୍ଡାରୀ ବି ଗୋବିନ୍ଦା । ତେବେ ‘ବିଷବୃକ୍ଷ’ ଉପନ୍ୟାସର ଘଟଣାସ୍ଥଳ ବି ଥିଲା ଗୋବିନ୍ଦପୁର, ଫକୀରମୋହନଙ୍କ ‘ପ୍ରାୟଶ୍ଚିତ୍ତ’ ର ଗୋବିନ୍ଦଚନ୍ଦ୍ରଙ୍କ ପରି ବଙ୍କିମଙ୍କର ମଧ୍ୟ ଜଣେ ଗୋବିନ୍ଦ ଲାଲ ଅଛି । କ’ଣ ସ୍ଥିର କରାଯାଏ ? ଦେଙ୍କ ‘ଗୋବିନ୍ଦ ସାମନ୍ତ’ ଏ ଦୁହିଁଙ୍କ ଗୋବିନ୍ଦଙ୍କ ପଛରେ ଅଛନ୍ତି କି ? ଗୋବିନ୍ଦ ସାମନ୍ତର ଭଉଣୀ ମାଳତୀ । ଆମ ମଙ୍ଗରାଜଙ୍କ ସାନଝିଅ ନାମ ବି ମାଳତୀ । ତେଣୁ ‘ଛ ମାଣ ଆଠଗୁଣ୍ଠ’ରେ ‘ଗୋବିନ୍ଦ ସାମନ୍ତ’ ପଠନର ସ୍ମୃତି ଓ ସ୍ୱାକ୍ଷର ଅଛି ନିଶ୍ଚୟ କିନ୍ତୁ ପ୍ରେରଣା ନାହିଁ । ଦେଙ୍କ ରଚନା ମୂଳତଃ Historiography—ସେଠାରୁ ୪ଟି କଥା ନ ଖୋଜିବାକୁ ସେ ପାଠକଙ୍କୁ ମୂଳରୁ ପ୍ରବର୍ତ୍ତାଇଛନ୍ତି । (୧) you are not to expect anything marvellous or wonderful in this little book. (୨) you are not to expect in this authentic history any thrilling incidents.(୩) you are not to expect aiiy love scenes. (୪) you are not to expect here grandiloquent phraseology and gorgeous metaphors. ଆଉ ସେ ଖୋଜିବେ କ’ଣ ? ପ୍ରତ୍ୟାଶା କରିବେ କ’ଣ ? ଆଚାର୍ଯ୍ୟ ମହୋଦୟ ସ୍ପଷ୍ଟ କରି ଦେଇଛନ୍ତି, ‘‘The reader is to expect here a plain and unvarnished tale of a plain peasant ” ଗୋବିନ୍ଦ ସାମନ୍ତ ବା The History of a Bengal Peasant କୃଷକ ଜୀବନର ଅବିକଳ ଚିତ୍ରଣ ମାତ୍ର, ଯେଉଁଠି କଳ୍ପନା ଓ ଉପନ୍ୟାସ କଳାର ଭୂମିକା ନାହିଁ କହିଲେ ଚଳେ । ଅନ୍ୟ ପକ୍ଷରେ ‘ଛ’ ମାଣ ଆଠଗୁଣ୍ଠ’ ମୂଳତଃ ଚରିତ୍ରରେ ଉପନ୍ୟାସ ; ଯେଉଁଠି କଳ୍ପନା ଓ ସ୍ରଷ୍ଟାର ଅନ୍ତର୍ଦୃଷ୍ଟି ଆମୂଳାନ୍ତ ସକ୍ରିୟ । ତେଣୁ ଏଥିରେ ସମାଜର ଇତିହାସ ନାହଁ, ଅଛି ମଣିଷର ଇତିହାସ,—ଯେଉଁ ମଣିଷ ଦେଶକାଳ ବ୍ୟବଚ୍ଛିନ୍ନ ନୁହେଁ, ଅଥଚ କୌଣସି ନା କୌଣସି ସ୍ତରରେ ଦେଶ-କାଳୋତୀର୍ଣ୍ଣ । ସମାଜ ଉପଲକ୍ଷ ; ମଣିଷ ହଁ ପ୍ରଣିଧେୟ ।
‘Bengal Peasant life' ଇତିହାସ ଅବଶ୍ୟ, କିନ୍ତୁ ସାହିତ୍ୟ ଦୃଷ୍ଟିରୁ ଆଦୌ ଅନସ୍ୱୀକାର୍ଯ୍ୟ ନୁହେଁ । ଇତିହାସକୁ ସୁନିପୁଣ ଭାବରେ ବ୍ୟାଖ୍ୟା କଲେ ତାହା ଉପନ୍ୟାସକୁ ବଳିଯାଏ ବୋଲି କଥା ଅଛି । "History after all is true poetry. Reality if rightly interpreted is grander then fiction, ଟମାସ କାର୍ଲାଇଲଙ୍କ ଏହି ମନ୍ତବ୍ୟଟିକୁ 'Bengal Peasant Life' ସାର୍ଥକ କରୁଛି । ସେଥିପାଇଁ ବଙ୍ଗ ସମାଲୋଚକମାନେ କହିଥାନ୍ତି, ‘‘ନୀଲ ଦର୍ପଣ’ ଯେବେ ବାଂଲା କୃଷକର ମହାନାଟକ ହୁଏ, ତେବେ ଏହି ଗୋବିନ୍ଦ ସାମନ୍ତ ତାଙ୍କର ମହାକାବ୍ୟ ।” ତାହାର ପ୍ରଭାବ ଯେବେ ଫକୀରମୋହନ ଉପନ୍ୟାସ ରଚନାରେ ସ୍ୱୀକାର କରିଥାନ୍ତେ, ତେବେ ତାହାକୁ ପଢ଼ିଛନ୍ତି ବୋଲି କହିଥାନ୍ତେ କି ? ଫକୀରମୋହନଙ୍କର ସ୍ମୃତିର ଚାଲାଖି ଅଛି । ଅବଶ୍ୟ ସବୁ ଆତ୍ମଜୀବନୀକାରଙ୍କର ଥାଏ ଏହି ଦୁଚିକିତ୍ସ୍ୟ ବୁଦ୍ଧିମତ୍ତା । ନିଜର ଦୁର୍ବଳତା କେହି ପୂରା ଖୋଲି କହେ ନାହିଁ । ନଚେତ ଫକୀରମୋହନ ‘ବିଷବୃକ୍ଷ’ କି ନିଦିଧ୍ୟାସନାଦି ପଢ଼ିଛନ୍ତି ବୋଲି ଲିପିବଦ୍ଧ କରିଥାନ୍ତେ ! କରିଛନ୍ତି କି ? ‘ରବିନସନ୍ କ୍ରୁସୋ’ ପଢ଼ିଥିଲେ । ତାହାର ପ୍ରେରଣା କାହିଁ ?
ଭଲ ଉପନ୍ୟାସ ରଚନା ପାଇଁ ଯେଉଁସବୁ ଗୁଣ ଓ ଉପକରଣ ଅବଶ୍ୟ ପ୍ରୟୋଜନୀୟ ତନ୍ମଧ୍ୟରୁ ସାମାଜିକ ଅଭିଜ୍ଞତା, ସହାନୁଭୂତି ଓ କଳ୍ପନାଶକ୍ତି ବା ଅପୂର୍ବ ବସ୍ତୁ ନିର୍ମାଣ କ୍ଷମତା ଫକୀରମୋହନଙ୍କର ଥିଲା । ପ୍ରାଣବନ୍ତ ଚରିତ୍ର ଓ ଘଟଣା ସୃଷ୍ଟି ପାଇଁ ସମାଜ ସମ୍ବନ୍ଧରେ ବହୁଦର୍ଶିତା ଲୋଡ଼ା । ଏହି ବହୁଦର୍ଶିତା ନ ଅର୍ଜିଲେ ଓ ନାନ । ପ୍ରକାର ଚରିତ୍ରର ମଣିଷଙ୍କ ସଂସ୍ପର୍ଶରେ ନ ଆସିଲେ ଔପନ୍ୟାସିକଙ୍କ ସ୍ମୃତିଭଣ୍ଡାର ଓ ଅଭିଜ୍ଞତାର ଜଗତ ପୂର୍ଣ୍ଣ ହୋଇ ଉଠେନାହିଁ ଆଉ ବାସ୍ତବ ଅଭିଜ୍ଞତାର ଭିତ୍ତିଭୂମି ଦୃଢ଼ ନଥିଲେ ଉପନ୍ୟାସ ସତ୍ୟର ଗୌରବ ଅର୍ଜିପାରେ ନାହିଁ । କିନ୍ତୁ ଅଭିଜ୍ଞତା ଯଥେଷ୍ଟ ନୁହେଁ, ଏହି ଅଭିଜ୍ଞତା ସହିତ ସହାନୁଭୂତିର ସମନ୍ୱୟ ଦରକାର । ସହାନୁଭୂତିକୁ କିନ୍ତୁ ଦୟା, କରୁଣା କି ଅନୁକମ୍ପା ଅର୍ଥରେ ବୁଝିଲେ ଭୁଲ ହେବ । ସହାନୁଭୂତି କଳ୍ପନାର ଆଶୀର୍ବାଦ-। ସାହିତ୍ୟିକ କଳ୍ପନାବଳରେ ନିଜକୁ ଅନ୍ୟ ସ୍ଥାନରେ ବସାଇ ପାରନ୍ତି, ତାହା ସହ ସମାନୁଭୂତି ଅର୍ଜନ୍ତି-। ନିଜ ଅହଂ ଭିତରୁ ବାହାରି ଆସି ଅନ୍ୟର ଅସ୍ତିତ୍ୱ ଭିତରେ ପ୍ରବେଶ କରିବାର ଏହି କଳ୍ପନାଶକ୍ତି ହେଉଛି କବି କୀଟସ୍ଙ୍କ ଭାଷାର negative capability—ନାଟ୍ୟକାର ସେକ୍ସପିଅରଙ୍କର ଏହି କଳ୍ପନାଶକ୍ତି ଥିଲା, ଏହାକୁ କୁହାଯାଇପାରିବ ନୈବ୍ୟକ୍ତିକତା ; ଅନ୍ୟ ସତ୍ତାର ଅଭିଗମନ ବା ନିଜ ସତ୍ତାରେ ଅନ୍ୟସତ୍ତାର ଆତ୍ମୀକରଣ । ଫକୀରମୋହନଙ୍କର ଏହି ସାମର୍ଥ୍ୟ ପ୍ରଣିଧେୟ । ଏହି କ୍ଷମତା ବଳରେ ସାହିତ୍ୟିକ ନିଜର ବ୍ୟକ୍ତିଗତ ବିଶ୍ୱାସ ଅବିଶ୍ୱାସ, ସତ୍ୟାସତ୍ୟ-ବୋଧ ଓ ଭଲମନ୍ଦ ବିଚାର ଠାରୁ ଦୂରରେ ରହି ଅନ୍ୟ ଚରିତ୍ର ସହିତ ଏକାତ୍ମତା ସ୍ଥାପନ କରିଥାନ୍ତି । ତାଙ୍କର ଉତ୍ସାହ ସୃଷ୍ଟିଲୀଳାର ବୈଚିତ୍ର ସମ୍ପାଦନରେ ସୀମିତ । କିଏ ସାଧୁ ଆଉ କିଏ ଶୟତାନ ସେସବୁ କଥା ବିଚାର୍ଯ୍ୟ ନୁହେଁ । ତେଣୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟିର ନୀତିଜ୍ଞାନ ଓ ବିଚାରବୁଦ୍ଧି ନିର୍ବାକ୍ ରହିବାକୁ ବାଧ୍ୟ । ସାହିତ୍ୟିକ ଯେଉଁ ଅନ୍ତର୍ଦୃଷ୍ଟି ଘେନି ସାଧୁ, ଓ ପବିତ୍ର ଚରିତ୍ର ସୃଷ୍ଟି କରନ୍ତି, ସେହ ଅନ୍ତର୍ଦୃଷ୍ଟିରେ ଦୁରାତ୍ମା ବି ଜୀବନ୍ତ ହୋଇଉଠେ । ସାରିଆ ତେଣୁ ଯେତିକି ସଜୀବ, ଚମ୍ପା ବି ସେତିକି ଉଜ୍ଜ୍ୱଳନ୍ତ, ଯଦିଓ ଜଣେ ସରଳ ସାଧ୍ୱୀ, ଅନ୍ୟ ଜଣକ ଦୁରନ୍ତ ଅଶୁଭ ଶକ୍ତିର ମାନବିକ ରୂପ । ସାରିଆ ଚରିତ୍ର ସୃଷ୍ଟିରେ ଫକୀରମୋହନ ଯେତିକି ଆନନ୍ଦ ପାଇଛନ୍ତି, ଚମ୍ପାର ଚରିତ୍ର ନିର୍ମାଣରେ ସେତିକି ଆନନ୍ଦ ବି ଲାଭ କରିଛନ୍ତି । ସେଦିନ The Tiger କବିତାରେ କବି ବ୍ଲେକ ପ୍ରଶ୍ନଟିଏ ଉଠାଇଥିଲେ, ଅନ୍ଧାର ରାତ୍ରିରେ ବନଚାରୀ ବ୍ୟାଘ୍ରର ଭୟଙ୍କର ସୁଷମ ଶରୀର ଯିଏ ନିର୍ମାଣ କରିଛନ୍ତି, ସେହି ଶିଳ୍ପୀ କ’ଣ ଅସହାୟ ମେଷ ଶାବକର ନିର୍ମାତା ? ଆମର ବି ସେହି ପ୍ରଶ୍ନ । ଯେଉଁ ଶିଳ୍ପୀ ଧୂର୍ତ୍ତା ନଷ୍ଟ ପ୍ରକୃତି ଶୃଗାଳୀଟିକୁ ସୃଷ୍ଟି କରିଛନ୍ତି, ସେହି ଏକା କାରିଗର କ’ଣ ନିତାନ୍ତ ନିରୀହ ମେଣ୍ଢୀଟିର ସ୍ରଷ୍ଟା-? ଚମ୍ପା ଚରିତ୍ର ଚିତ୍ରଣରେ କ’ଣ ଫକୀରମୋହନ ପରମ ପରିତୃପ୍ତି ପାଇ ନାହାନ୍ତି ? ପାଇଛନ୍ତି ଅବଶ୍ୟ । ପ୍ରକୃତରେ ସହାନୁଭୂତି ବିନା କୌଣସି ସାର୍ଥକ ସୃଷ୍ଟି ସମ୍ଭବ ନୁହେଁ । ଫକୀରମୋହନ ନିଜ ବ୍ୟକ୍ତିସତ୍ତାର ସଂକୀର୍ଣ୍ଣ ପରିସର ଅତିକ୍ରମ କରି ଅନେକତ୍ର ପରକୀୟ ସତ୍ତାରେ ପ୍ରବେଶ କରିଛନ୍ତି । ଦୁରାତ୍ମାର ଧୂର୍ତ୍ତତା ଦୁରାତ୍ମା ପରି ବ୍ୟବହାର କରି ପାରିଛନ୍ତି, ପାପିଷ୍ଠର ଦୁଃଖ ପାପିଷ୍ଠ ପରି ବୁଝି ପାରିଛନ୍ତି । ନିଜକୁ ନିଜେ ଅତିକ୍ରମ କରିଯିବାର ଏହି ସାମର୍ଥ୍ୟ କଳ୍ପନା ଶକ୍ତି ଓ ସହାନୁଭୂତିର ଦାନ ଓ ଜୀବନ୍ତ ଚରିତ୍ର ଚିତ୍ରଣର ରହସ୍ୟ । କିନ୍ତୁ ଫକୀରମୋହନଙ୍କ ଏହି ସହାନୁଭୂତି ନୀତି ନିରପେକ୍ଷ ନୁହେଁ । ଅବଶ୍ୟ ମୂଳ ପ୍ରଶ୍ନଟି ହେଉଛି negative capability କ'ଣ ପୂରା ମତ ନିରପେକ୍ଷ ? ଇଆଗୋ ଚରିତ୍ରଟି ପରି ଆମ ଚମ୍ପାର ଚରିତ୍ର ବିସ୍ମୟକର ଭାବରେ ଜୀବନ୍ତ ନିଶ୍ଚୟ, ସୃଜନ ପ୍ରତିଭାର ଏକ ଏକ ଆଶ୍ଚର୍ଯ୍ୟ ଉଦାହରଣ । କିନ୍ତୁ ସେକ୍ସପିଅର ହୁଅନ୍ତୁ କି ଫକୀରମୋହନ ହୁଅନ୍ତୁ ଏମାନେ କ’ଣ ଡେସିଡ଼ିମୋନା ଓ ସାରିଆକୁ ଯେଉଁ ଦୃଷ୍ଟିରେ ଦେଖିଛନ୍ତି ଯଥାକ୍ରମେ ଇଆଗୋ ଓ ଚମ୍ପାକୁ ସେହି ଦୃଷ୍ଟିରେ ଦେଖିଛନ୍ତି ? ଦୃଷ୍ଟି ଭିନ୍ନ ନିଶ୍ଚୟ-। ଅଧିକନ୍ତୁ ସେକ୍ସପିଅରଙ୍କ ତୁଳନାରେ ଫକୀରମୋହନଙ୍କ ସଂଯମଶକ୍ତି ଅପେକ୍ଷାକୃତ ଦୁର୍ବଳ ମଧ୍ୟ-। ସେ ପାଠକ ସହିତ ସର୍ବତ୍ର ଆଳାପଚାରୀ ହେବାକୁ ଯାଇ ନୈବ୍ୟକ୍ତିକ ଦୂରତ୍ୱର ପ୍ରାନ୍ତରୁ ଘଟନାବର୍ତ୍ତ ଭିତରକୁ ପଶି ଆସନ୍ତି, ଏହାକୁ ଶିଳ୍ପୀଚିତ୍ତର ଅସଂଯମ କହିଲେ ହୁଏତ ଭଲ ଲାଗିବ ନାହିଁ, ତେବେ ଏହା ଶିଳ୍ପୀଚିତ୍ତର କିଞ୍ଚିତ ବ୍ୟାକୁଳତା ନିଶ୍ଚୟ—ଅଧିକନ୍ତୁ ତାଙ୍କ କଲମ ଏଣେତେଣେ ଚାଲିଯାଏ ଯଦିଓ ମୂଳ କଥାଟାକୁ ସେ ହଲଚଲ ହେବାକୁ ଦେବେନାହିଁ ବୋଲି ସଚେତନ ଥାନ୍ତି ସର୍ବତ୍ର-। ଟାଣୁଆ ନାଉରୀ ମଙ୍ଗ ଛାଡ଼େ ନାହିଁ, କିନ୍ତୁ ପାଣି ସୂଅଟା ଯେ ନାଆକୁ ଲକ୍ଷ୍ୟ ସ୍ଥାନରୁ ଦୂରକୁ ଟାଣିନିଏ—ଏକଥା ତ ମିଥ୍ୟା ନୁହେଁ । ତେଣୁ କହିବାକୁ ହୁଏ ଯେ ସେକ୍ସପିଅରଙ୍କ ପରି ଉଚ୍ଚାଙ୍ଗ ନାଟ୍ୟଦୃଷ୍ଟି ତାଙ୍କର ନ ଥିଲା, ନିରପେକ୍ଷ ଦୂରତ୍ୱରୁ ସେ ସାରା ଜୀବନଟାକୁ ପ୍ରତ୍ୟକ୍ଷ କରିବାକୁ ଚାହିଁଛନ୍ତି ଅବଶ୍ୟ, ଉଚ୍ଛ୍ୱସିତ ଆସକ୍ତିରେ ଲିପ୍ତ ନ ହେବାକୁ ଉଦ୍ୟମ କରିଛନ୍ତି ନିଶ୍ଚୟ, କିନ୍ତୁ ଅନେକତ୍ର ସେ ଏହି ଦୃଷ୍ଟିକୋଣରୁ ବିଚ୍ୟୁତ ହୋଇଛନ୍ତି-। ତାଙ୍କର ଦୁର୍ବଳତା ଅଛି । ସେ ଚମ୍ପାର ସୁଖଦୁଃଖ ଓ ରାଗଦ୍ୱେଷ ସହିତ ସହାନୁଭୂତିଶୀଳ ନିଶ୍ଚୟ, ତାହା ଚରିତ୍ରରେ ବିବେକଦଂଶନ ନାହଁ, ଏପରିକି ଅନ୍ତର୍ଗ୍ଳାନିର ପ୍ରକାଶ ପର୍ଯ୍ୟନ୍ତ ନାହିଁ-। ଫକୀରମୋହନ ତାହାର ମନଲୋକରେ ପ୍ରବେଶ କରି ତାହାର ପ୍ରକୃତି ଉଦ୍ଘାଟନ କରିଛନ୍ତି ଚମତ୍କାର ଭାବରେ, କିନ୍ତୁ ଏହି ଚରିତ୍ରଟି ପ୍ରତି ତାଙ୍କର ନୈତିକ ଘୃଣା ଅଛପା ରହେନାହଁ-। ସିଧା ବର୍ଣ୍ଣନା, ବକ୍ରୋକ୍ତି ବା ଚିତ୍ରକଳ୍ପ ମାଧ୍ୟମରେ ସେ ପାଠକ ମନରେ ନିଜ ମନର ଘୃଣା ପହଞ୍ଚାଇ ଦିଅନ୍ତି । ଏଣେ ଗୋବିନ୍ଦାର ଭାବନା, ଚମ୍ପା କଟକ ସହରରେ ପଶିଲେ ତାକୁ ଆୟତ୍ତ ରଖିବା ସହଜ ହେବ ନାହିଁ, ଅଇଁଠାଖାଇ କୁକ୍କୁରୀ ଆଉ ଖଣ୍ଡିଏ ଅଇଁଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବପତ୍ର ଗୋଡ଼ରେ ଦଳି ଦେଇଯାଏ ।” ଏହି ଚିତ୍ରକଳ୍ପଟିରୁ ତାଙ୍କ ନିୟନ୍ତ୍ରିତ ସହାନୁଭୂତିର ରୂପ ଧରାପଡ଼ିଯାଏ । ଆମୂଳାନ୍ତ ସେ ଚମ୍ପା ପ୍ରତି ଘୃଣା ଓ ବିଦ୍ୱେଷ ସୃଷ୍ଟି କରି ଚାଲିଛନ୍ତି-। ତେଣୁ ବୁଝିବାକୁ ହୁଏ ଯେ, ତାଙ୍କ କଳ୍ପନାଶକ୍ତି ଓ ବୁଦ୍ଧିନୀତି ନିରପେକ୍ଷ ନୁହେଁ-। ସେ ହୁଏତ ଭାବିଛନ୍ତି ଅନିୟନ୍ତ୍ରିତ ସହାନୁଭୂତି ରୁଚିର ବିକାର ଘଟାଇପାରେ । ଅଧିକନ୍ତୁ ପୁରୁଷ ଓ ନାରୀ ଶୟତାନ ସୃଷ୍ଟିରେ ତାଙ୍କର ପକ୍ଷପାତିତ୍ୱ ଅଛି । ମଣିଷ ସ୍ୱଭାବତଃ ହିଁ ଭଲ—ତେଣୁ ସେ ପାପୀକୁ ଘୃଣା ନ କରିବାକୁ ପାଠକକୁ ପ୍ରବର୍ତ୍ତାଇଛନ୍ତି; ପାପକୁ ଘୃଣା କରାଯାଇପାରେ-। ପାରିପାର୍ଶ୍ୱିକତାର ଚାପରେ ମଣିଷ କଳୁଷିତ ହୁଏ, ପାପୀ ହୁଏ । ଯେଉଁମାନେ ‘ଗୋଦାନ” ପଢ଼ିଥିବେ ସେମାନେ ଜାଣିଥିବେ ଦୁର୍ବୃତ୍ତ ବ୍ରାହ୍ମଣର ଜାତି ଗଲେ ସେ ମନୁଷ୍ୟତ୍ୱ ଅର୍ଜ୍ଜେ, ଛ’ମାଣ ଆଠଗୁଣ୍ଠରେ କି ‘ମାମୁଁ’ରେ ଦୁର୍ବୃତ୍ତ ମଣିଷ ଶାସ୍ତି ପାଇଲେ ଯାଇଁ ମନୁଷ୍ୟ ପ୍ରତି ସଚେତନ ହୁଏ-। କିନ୍ତୁ ଦୁର୍ବୃତ୍ତ ନାରୀ ? ଚମ୍ପା ଓ ଚିତ୍ରକଳା ମନୁଷ୍ୟତ୍ୱରୁ ବଞ୍ଚିତ କାହିକି ? ବିଶେଷତଃ ଚମ୍ପାର ନା ଅଛି ବିବେକଦଂଶନ, ନା ଅଛି ଆତ୍ମଗ୍ଳାନି । ଅବଶ୍ୟ ଚଉକିଦାର ଗୋବରା ଜେନା, ସେଖ୍ ଇନାଏତ୍ ହୋସେନ୍ ଓ ସେଖ୍ ତୋରାବଲ୍ଲି ଆଦି ପୋଲିସ୍ ଦାରୋଗାଙ୍କର ବିବେକଦଂଶନ କି ଆତ୍ମଗ୍ଳାନି ନାହିଁ, ନାହିଁ ବି ଓକିଲ ରାମ ରାମ ଲଲାଙ୍କର । କିନ୍ତୁ ଏମାନେ ବ୍ରିଟିଶ ଶାସନ ଓ ବ୍ରିଟିଶ ନ୍ୟାୟ ବିଚାର ବ୍ୟବସ୍ଥା ପ୍ରତି ଜୀବନ୍ତ ଉପହାସ ଭାବରେ ଚିତ୍ରିତ ହୋଇଛନ୍ତି । କେବଳ ମଣିଷ ଭାବରେ ଅଙ୍କିତ ନୁହନ୍ତି-। କିନ୍ତୁ ଚମ୍ପା ? ବଙ୍କିମଚନ୍ଦ୍ରଙ୍କ ‘ବିଷବୃକ୍ଷ’ ର ଦାସୀ ତାଲିକାରେ ଚମ୍ପା ନାମଟିଏ ଥିଲା ମାତ୍ର; କିନ୍ତୁ କେତେକ ଏହାକୁ ସେହି ଉପନ୍ୟାସର ‘ହୀରା’ ସହିତ ତୁଳନା କରିଥାନ୍ତି-। ଦୁହେଁ ଅଶିକ୍ଷିତା ଓ ଅମାର୍ଜିତା ଦାସୀ ଶ୍ରେଣୀଭୁକ୍ତ । ସାମଞ୍ଜସ୍ୟ ଏଇ ପର୍ଯ୍ୟନ୍ତ ଯାଇପାରେ ଯଥାସମ୍ଭବ-। ହୀରା ସୁନ୍ଦରୀ, ସ୍ୱାଭିମାନିନୀ ଓ ପ୍ରେମଶୀଳା । ସେ ଆତ୍ମାବମାନନା ସହିପାରି ନାହିଁ । କୁନ୍ଦକୁ ଈର୍ଷା କରିଛି ସେ, ହତ୍ୟା ବି କରିଛି-! ତାର ଈର୍ଷା ଓ ନୃଶଂସତା କିନ୍ତୁ ପ୍ରେମସଂଜାତ ବା ବଙ୍କିମଙ୍କ ଭାଷାରେ କହିଲେ ‘ବେଗବତୀ ଚିତ୍ତବୃତ୍ତି’ର ଅଭିଜ୍ଞାନ । ସେ ଚମ୍ପା ପାଷଙ୍ଗରେ ପଡ଼ିବ ନାହିଁ କେବେ-। ତାହାର ଅନୁତାପ ଓ ଅନୁଶୋଚନା ଅଛି । ପ୍ରାୟଶ୍ଚିତ୍ତ ବି ଅଛି । ଚମ୍ପା କିନ୍ତୁ ନିଦା ନୃଶଂସତାର ପ୍ରତୀକ, ଲୋଭ ଓ ହୃଦୟହୀନତାର କଠିନତାରେ ଗଢ଼ା । ସାମାନ୍ୟତମ ମାନବିକ ମୂଲ୍ୟବୋଧର ସ୍ପର୍ଶରୁ ତାକୁ ବଞ୍ଚିତ କରିଛନ୍ତି । ଫକୀରମୋହନ ନିର୍ମମ ଭାବରେ । କାହିଁକି ? ଚମ୍ପା କ'ଣ ମଣିଷ ନୁହେଁ ? ସେ କ’ଣ କେବଳ ସାନ୍ତାଣୀଙ୍କର ପ୍ରତିସ୍ଥାପନା—Juxtaposition ଅନ୍ତଃସ୍ରୋତା ପୂତସଲିଳା କୂଳପାବିନୀ ଫଲ୍ଗୁର ବୈପାରୀତ୍ୟ ବୁଝାଇବାକୁ ସେ ଅଛି—ଉତ୍ତାଳ ତରଙ୍ଗମୟୀ ସର୍ପକୁମ୍ଭୀର ସଙ୍କୁଳା କୂଳପ୍ଲାବିନୀ ଚର୍ମଣ୍ୱତୀ ଭାବରେ । ଫକୀରମୋହନଙ୍କ ଆଗରେ କିଏ ଏମିତି ସ୍ତ୍ରୀ ଲୋକଟିଏ ଥିଲା କି ? ଏହା ତାଙ୍କ ନାରୀବିଦ୍ୱେଷର ବିଷୋଦ୍ଗାର କି ? ଚମ୍ପା ଚରିତ୍ର ବିସ୍ମୟକର ଭାବରେ ଜୀବନ୍ତ ଯେମିତି, ସେମିତି ବି ବିସ୍ମୟକର ଭାବରେ ଅଭିନବ— ପଟାନ୍ତରହୀନ-। ମନୁଷ୍ୟତ୍ୱହୀନ ଏମିତି ମଣିଷ ଫକୀରମୋହନଙ୍କ ପୂର୍ବରୁ କି ପରେ ଆଉ କିଏ କାହିଁ କେଉଁ ଭାଷାରେ ଆଙ୍କିନାହାନ୍ତି ବୋଧହୁଏ । ଅର୍ଥହୀନ ଜୀବନଟିକୁ ତା'ର ଅର୍ଥହୀନ ମୃତ୍ୟୁରେ ହିଁ ଚରିତାର୍ଥ କରିଛନ୍ତି ଫକୀରମୋହନ । ଅନ୍ୟ ଗତି କାହିଁ ? ଚମ୍ପା ମଣିଷ ଜୀବନ ପ୍ରତି ନିର୍ମମ ଉପହାସ ବୋଧହୁଏ-! ପାଶବିକତା ଭିନ୍ନ ମଣିଷର ଅନ୍ୟ ସତ୍ତା ନାହିଁ ? ନୀତିବୋଧ ଓ ମନୁଷ୍ୟତ୍ୱ ପ୍ରାକୃତିକ ନିୟମର ପରିପନ୍ଥୀ ? ଯେଉଁ ଭୂମିରେ ଋଷିଏ ଉଦାତ୍ତ କଣ୍ଠରେ ମଣିଷକୁ ଅମୃତର ପୁତ୍ର ଭାବରେ ଆହ୍ୱାନ କରିଛନ୍ତି ସେହି ଭୂମିରେ ଏହି ନୂଆ ବିଚାର ଫକୀରମୋହନ ପାଇଲେ କେଉଁଠୁ-? ଆଉ ତାକୁ ପ୍ରୟୋଗ କଲେ କେବଳ ଚମ୍ପା ପାଇଁ କାହିଁକି ? ଆଉ ସବୁଠାରେ ପ୍ରାୟ ସେ ମଣିଷର ଅନ୍ୟ ଏକ ସତ୍ତା ପ୍ରତି ସଚେତନ; ଯେଉଁ ସତ୍ତାର ପ୍ରକାଶ ବିବେକ ଚେତନାରେ, ଚିତ୍ତ ଦହନରେ, ଆତ୍ମଦାନ ପ୍ରେରଣାରେ, ଔଚିତ୍ୟଜ୍ଞାନରେ ସୃଜନଶୀଳତାରେ ଆତ୍ମସମୀକ୍ଷାରେ କଥା ପୂର୍ଣ୍ଣତାର ଆକାଂକ୍ଷାରେ-। ମଣିଷ ଚରିତ୍ରର ବୈଶିଷ୍ଟ୍ୟ ଏହି ଦ୍ୱୈତ ସତ୍ତାରେ । ସେ ହୁଏତ ସୁସଭ୍ୟ ହୋଇ ଜନ୍ମ ହୁଏ ନାହିଁ, କିନ୍ତୁ ସେ ସ୍ୱଭାବତଃ ଭଲ । ତାହାର ନୈତିକ ବିଚ୍ୟୁତି ଘଟେ ଅର୍ଥ-ସାମାଜିକ ପରିବେଶରେ-। ଅଧିକନ୍ତୁ ମଣିଷ ଚରିତ୍ରର ନିୟନ୍ତ୍ରକ କେବଳ ପରିବେଶ ନୁହେଁ, ତାହାର ଊର୍ଦ୍ଧ୍ୱରେ ଅଦୃଷ୍ଟ ଅଛି, କର୍ମଫଳ ଅଛି, ଅଛନ୍ତି ବି ଭାଗ୍ୟ ଓ ଭଗବାନ । ତେଣୁ କେହି କେହି ଯେପରି ତ୍ୟାଗ ପ୍ରତି ସହଜ ପ୍ରବଣତା ଘେନି ଜନ୍ତିଥାନ୍ତି, ସେମିତି କେହି କେହି ବି ଭୂମିଷ୍ଠ ହୋଇଥାନ୍ତି-। ଖରାପ ଦିଗ ପ୍ରତି ସ୍ୱାଭାବିକ ସଂସ୍କାର ଘେନି—ସ୍ୱାର୍ଥ ଯାହାଙ୍କର ସହଜାତ । ଯଥାକ୍ରମେ ସାନ୍ତାଣୀ ଓ ରାମଚନ୍ଦ୍ର ମଙ୍ଗରାଜ ଏହି ଦୁଇ ପ୍ରବଣତାର ଦୀପ୍ୟମାନ ଦୃଷ୍ଟାନ୍ତ । ଫକୀରମୋହନ ମଙ୍ଗରାଜଙ୍କର ଚରିତ୍ର ଚିତ୍ରଣରେ ଦେଖାଇଛନ୍ତି, ଦୁଇଟି ବିରୋଧୀ ସତ୍ତାର ସଂଘାତ ହଁ ମଣିଷ ପ୍ରକୃତିର ମୂଳ ସତ୍ୟ-। ବିବେକବୋଧ ତାହାର ଅଙ୍ଗୀଭୂତ, ଯଦିଓ କାମନାର ସହଜ ସ୍ଫୂର୍ତ୍ତି ମୂଳଗତ ପ୍ରବଣତା-। ତେବେ ଏତେ ସହଜ ସିଦ୍ଧାନ୍ତରେ ଉପନୀତ ହେବା ଠିକ୍ କଥା ନୁହେଁ, ଫକୀରମୋହନଙ୍କ ମଣିଷର ସ୍ୱରୂପ ଜିଜ୍ଞାସା ଆହୁରି କଠିନ ଅନୁଶୀଳନ ଓ ବିଚାର ବିବେଚନାର ଅପେକ୍ଷା ରଖେ ।
‘ଛ’ ମାଣ ଆଠଗୁଣ୍ଠ’ ଯେତେଦୂର ସମ୍ଭବ କେବଳ ଓଡ଼ିଆ ପାଠକର ମନୋରଞ୍ଜନ ଉଦ୍ଦେଶ୍ୟରେ ଲେଖାଯାଇ ନାହିଁ, ଏଥିରେ ତତ୍ତ୍ୱର ଅବତାରଣା ଅଛି । ଔପନ୍ୟାସିକ ଯେଉଁ ନୂଆ ଓଡ଼ିଶାର ସ୍ୱପ୍ନ ଦେଖୁଥିଲେ ସେହି ରାଜ୍ୟ ପ୍ରତିଷ୍ଠା ବିଷୟକୁ କେନ୍ଦ୍ର କରି ଆଖ୍ୟାୟିକା ଗଢ଼ି ଉଠିଛି । ଗଢ଼ି ଉଠିଛି କହିଲେ ଠିକ୍ ହେବ ନାହଁ, ବରଂ ଗଢ଼ାଯାଇଛି । ଚରିତ୍ର ଓ ଘଟନା ସୃଷ୍ଟି ପଛରେ ସ୍ରଷ୍ଟାଙ୍କର ଉଦ୍ଦେଶ୍ୟ ସକ୍ରିୟ; ଯଦିଓ ଉଦ୍ଦେଶ୍ୟଟି ଉପାୟକୁ ଶିଳ୍ପ ସୌଷ୍ଠବରୁ ବଞ୍ଚିତ କରି ନାହିଁ, ଫକୀରମୋହନଙ୍କ ଶିଳ୍ପୀସତ୍ତାଙ୍କୁ ଖର୍ଚ୍ଚ କରି ପାରିନାହିଁ । ଔପନ୍ୟାସିକ ଏଥିରେ ଆମ ସମାଜ ଓ ସଂସ୍କୃତିର ବ୍ୟର୍ଥତା ଓ ସମସ୍ୟା ବିଶ୍ଳେଷଣ କରିଛନ୍ତି, ପୁନର୍ଗଠନର ସୁନ୍ଦର ଯୋଜନା ଉପସ୍ଥାପନ କରିଛନ୍ତି, ଅବଶ୍ୟ ପ୍ରବନ୍ଧ ଆକାରରେ ନୁହେଁ, ଉପନ୍ୟାସ ଆକାରରେ, ସରସ ଶୈଳୀରେ ଓ ବ୍ୟଞ୍ଜନା ଭିତରେ । ଉପନ୍ୟାସ ଶିଳ୍ପ ସାର୍ଥକତା ଲାଭ କରିଛି । ଆଉ ଓଡ଼ିଆଏ ଦିଗ୍ଦର୍ଶନ ଖୋଜିଲେ ପାଉଛନ୍ତି । ଏବେ ଜେ-ଭି. ବୋଲଟନ ଏ ଦିଗରେ ଆଲେକପାତ କରିଛନ୍ତି । ଅବଶ୍ୟ ଡଃ ବୋଲଟନଙ୍କୁ ଓଡ଼ିଆଏ ଅଯଥା ଉଚ୍ଛ୍ୱସିତ ଅନେକ ଗୁରୁତ୍ୱ ଦେଇଛନ୍ତି, ରାଜନୈତିକ ସ୍ୱାଧୀନତା ପାଇଲାପରେ ବି ଓଡ଼ିଆଙ୍କର ନିଜ ବିଦ୍ୟାବୁଦ୍ଧିରେ ପ୍ରତ୍ୟୟ ଆସିନାହିଁ, ତେଣୁ ସ୍ୱାଭାବିକ ଭାବରେ ଶ୍ୱେତାଙ୍ଗଙ୍କ ସମ୍ୱନ୍ଧରେ ଦାସସୁଲଭ ମନୋବୃତ୍ତି ଅକ୍ଷୁଣ୍ଣ ଅଛି । ପ୍ରକୃତରେ ସେ ବିଶେଷ କିଛି ଗଭୀର ଅନ୍ତର୍ଦୃଷ୍ଟିର ପରିଚୟ ଦେଇନାହାନ୍ତି, ଆମୂଳାନ୍ତ ଫକୀରମୋହନଙ୍କ ସମ୍ବନ୍ଧରେ ଡଃ ନଟବର ସାମନ୍ତରାୟଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ତେବେ ଶ୍ୱେତାଙ୍ଗ ଜାତିର ଉଲ୍ଲାସିକତା ଛାଡ଼ି ଓଡ଼ିଆ ସାହିତ୍ୟିକଙ୍କ ପ୍ରତି ସେ ଯେଉଁ ଗଭୀର ଉତ୍ସାହ ଓ ଆଗ୍ରହ ପ୍ରକାଶ କରିଛନ୍ତି ତାହା ଅଭିନନ୍ଦନୀୟ । ଠାଏ ଠାଏ ନୂଆ ଅନ୍ତର୍ଦୃଷ୍ଟିର ପରିଚୟ ବି ଅଛି । ତାଙ୍କ ଗବେଣାତ୍ମକ ନିବନ୍ଧ “Phakirmohan Senapati : His Life and Prose Fiction-ର “The Theme of Justice' ଅଧ୍ୟାୟଟି ପଠନୀୟ । ସେ କହନ୍ତି, “Thus is his prose fiction on this fundamental theme of Justice, we see Phakirmohan grouping back towards an ultimate unity in the agencies of law, religion and finance, such as he believed existed in feudal society, on the basis of a just and happy life for the people of Orissa (ପୃଷ୍ଠା, ୩୯୬) ବୋଲଟନ କେବଳ ନ୍ୟାୟ ବିଚାର, ଧର୍ମବୋଧ ଓ ଅର୍ଥନୀତିର କଥା କହିଛନ୍ତି, ଯାହାର ନଞ୍ଜାର୍ଥନ ଭାବ ଉପନ୍ୟାସର ପ୍ରାୟ ସବୁଠିଁ ବିଦ୍ରୁପାତ୍ମକ ପ୍ରତିଘାତର ରୂପ ପରିଗ୍ରହ କରିଛି । ସେ କିନ୍ତୁ ପାରିବାରିକ ଜୀବନ, ଦାମ୍ପତ୍ୟ ଜୀବନ, ସ୍ୱାସ୍ଥ୍ୟ ଓ ପ୍ରାକୃତିକ ପରିବେଶ ସମ୍ପର୍କରେ ଅବହିତ ହୋଇ ପାରିନାହାନ୍ତି । ଏଗୁଡ଼ିକର ସଦର୍ଥକ ରୂପ ବି ଲୋଡ଼ା । ଆସନ୍ତୁ ଆଉଥରେ ଓଡ଼ିଶାର ସାଂସ୍କୃତିକ ଜୀବନର ଭବିଷ୍ୟତ ସମ୍ବନ୍ଧରେ ଫକୀରମୋହନଙ୍କ ସ୍ୱପ୍ନ ଓ ସଙ୍କଳ୍ପର ସ୍ୱରୂପ କଳନା କରିବା ।
‘ଛ’ମାଣ ଆଠଗୁଣ୍ଠ’ର ପ୍ରଥମ ପରିଚ୍ଛେଦଟି ପଢ଼ାଯାଉ । ମୂଳରୁ ଫକୀରମୋହନଙ୍କର ସ୍ଥିର ଲକ୍ଷ୍ୟ ଅଭମୁଖରେ ଯାତ୍ରାରମ୍ଭ । ତାଙ୍କର ସ୍ୱୀକାରୋକ୍ତି ଆଉଥରେ ସ୍ମରଣୀୟ: ‘‘ଆମ୍ଭେମାନେ କ’ଣ ଲେଖିବାକୁ ଯାଇ କ'ଣ ଲେଖି ପକାଉଛୁ । ଯେତେ ବେଗରେ ଆହୁଲା ଭିଡ଼, ପାଣି ସୁଅଟା ନାଆକୁ ଲକ୍ଷ୍ୟସ୍ଥାନରୁ ଦୂରକୁ ଟାଣି ନିଏ, ମାତ୍ର ଟାଣୁଆ ନାଉରୀ ମଙ୍ଗ ଛାଡ଼େ ନାହିଁ ।” ପ୍ରକୃତରେ ଶେଷ ପର୍ଯ୍ୟନ୍ତ ମୂଳ କଥାଟି ହଲଚଲ୍ ହୋଇନାହିଁ, ଦାନ୍ତେ ଦାଣ୍ଡେ ଚାଲିଛି । ରାମଚନ୍ଦ୍ର ମଙ୍ଗରାଜଙ୍କ ଏକାଦଶୀବ୍ରତ ପାଳନ, ମହାଜନୀ କାରବାର, ଅନ୍ୟର ଭୂସମ୍ପତ୍ତି ଅପହରଣ, ହାକିମଙ୍କ ରାୟ, ମୂଷା ଚୁଚୁନ୍ଦରା ଛାରପୋକ ଅଧ୍ୟୁଷିତ ଶୟନକକ୍ଷ, ବ୍ରାହ୍ମଣଙ୍କ ଦୟନୀୟ ଭୋଜନ ବ୍ୟବସ୍ଥା, ଫୌଜଦାରୀ ମକଦ୍ଦମାରେ ମିଥ୍ୟା ସାକ୍ଷ୍ୟ ନ ଦେବାର ପ୍ରତିଫଳ ବିଧାନ ଆଦି ଏମିତି ଭାଷାରେ ବର୍ଣ୍ଣିତ ହୋଇଛି ଯେ, ସେଥିରୁ ଓଡ଼ିଆଙ୍କ ଧର୍ମବୋଧ, ଅର୍ଥନୀତି ପ୍ରଚଳିତ ନ୍ୟାୟବିଚାର ପଦ୍ଧତି ଓ ସାଂସ୍କୃତିକ ଜୀବନର ବିକଳାଙ୍ଗ ରୂପଟି ଅପ୍ରତ୍ୟକ୍ଷ ରହୁନାହିଁ । ଆଉ ଟିକେ ଆଗକୁ ଆସନ୍ତୁ । ମଙ୍ଗରାଜଙ୍କ ପାରିବାରିକ ଜୀବନ ଓ ଦାମ୍ପତ୍ୟ ଜୀବନର ସୁନ୍ଦର ଚିତ୍ର ଦେଖିବେ ! ପତ୍ନୀ ଉପେକ୍ଷିତା, ଦାସୀ ସାନ୍ତାଣୀ ରୂପେ ବିବେଚତା ଆଉ ବାପପୁଅଙ୍କର ଅପଡ଼ । ଶ୍ଳୋକ କହୁଛି, ମିତ୍ର ଓ ଅପତ୍ୟମାନଙ୍କ ସହିତ ବଦ୍ ଅର୍ଥାତ୍ ଖରାପ ଆଚରଣ କରାଯିବ ! ପ୍ରକୃତରେ ମଙ୍ଗରାଜଙ୍କ ପାରିବାରିକ ସଂପ୍ରୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଅବଶ୍ୟ ମଙ୍ଗରାଜଙ୍କର ସାନ ଝିଅଟିଏ ଥିଲା । ନାମ ମାଳତୀ । ଲେଖକ ତାହା କଥା କହିବାକୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି କାହିଁକି ? ସେ ଉପେକ୍ଷିତା କେଉଁ କାରଣରୁ ? ସେ ହୁଏତ ଏତେ ଭଲ ଥିଲା ଯେ, କାହାଣୀ ବୟାନରେ ତାହାର ଭୂମିକା ବିସଦୃଶ ହୋଇ ଉଠିଥାନ୍ତା । ଚମ୍ପାର ଭୂମିକା କିନ୍ତୁ ବଡ଼ ସାମଞ୍ଜସ୍ୟ ପୂର୍ଣ୍ଣ । ମଙ୍ଗରାଜ ଦିନେ ଅଭୁକ୍ତ ହତଭାଗ୍ୟ ଥିଲେ, ଏବେ ଧନାଢ଼୍ୟ ଓ ପ୍ରତିପତ୍ତିଶାଳୀ—ଏତିକି ପରିବର୍ତ୍ତନ ଘଟିଛି ତାଙ୍କର; କିନ୍ତୁ ରୁଚି କି ସୌନ୍ଦର୍ଯ୍ୟବୋଧର ସେ ଧାର ଧାରନ୍ତି ନାହିଁ । ତାଙ୍କର ରମଣୀ ବିଳାସ ଅବିସମ୍ବାଦିତ, କିନ୍ତୁ ରୁଚି କି ସୌନ୍ଦର୍ଯ୍ୟବିଚାର ଅନୁପସ୍ଥିତ । ସେଇଥିପାଇଁ ସେ ବନ୍ୟ ବାର୍ହା ଭଳି ବିଶାଳକାୟ । ବାହାଡ଼ାଦାନ୍ତି କାଳି ଓ ଦୈହିକ ଶକ୍ତିଶାଳୀ (ତାହାକୁ ଦୁଇଟା ଗୋବିନ୍ଦା ଭଣ୍ଡାରୀ ବଳରେ ପାରିବେ ନାହିଁ । ଚମ୍ପାକୁ ଶଯ୍ୟାସଙ୍ଗିନୀ ଭାବରେ ଗ୍ରହଣ କରିଛନ୍ତି, ଗୃହିଣୀର ସବୁ କର୍ତ୍ତୃତ୍ୱ ଦେଇଛନ୍ତି । କେବଳ ସାନ୍ତାଣୀ ଓ ଅନୁପସ୍ଥିତ ସାନଝିଅଟିକୁ ଛାଡ଼ିଦେଲେ ମଙ୍ଗରାଜଙ୍କ ପରିବ ।ରରେ ଶ୍ରୀ ନାହିଁ କି ସଂପ୍ରୀତି ନାହଁ । ରାମଚନ୍ଦ୍ର ନାମଟି ବଡ଼ ବ୍ୟଞ୍ଜନାଢ଼୍ୟ । ପ୍ରତିସାମ୍ୟରୁ ରାମଚନ୍ଦ୍ରଙ୍କ ଏକପତ୍ନୀ ବ୍ରତ, ପ୍ରଜାବତ୍ସଳତା ଅପତ୍ୟ ସ୍ନେହ, ଚରିତ୍ରବତ୍ତା ଓ ଧର୍ମବୋଧ ମନେ ପଡ଼ିଯାଉ ନାହିଁ କି ? ଫକୀରମୋନ ଚାହାନ୍ତି ରାମରାଜ୍ୟ, କିନ୍ତୁ ଏ ରାମଚନ୍ଦ୍ରଟିର ରାଜ୍ୟରୁ ନିଷ୍କୃତି କାହିଁ ? ରାମଚନ୍ଦ୍ର ନାମଟି ବ୍ୟବହାର କରି ଫକୀରମୋହନ ଦୁଇଟି ନୂଆ କଥା କହିଛନ୍ତି, ବୋଧହୁଏ ଭାରତୀୟ ଉପନ୍ୟାସରେ ଏହାର ପଟାନ୍ତର ନାହିଁ । ପ୍ରଥମତଃ ହିରୋଟି ଆଣ୍ଟିହିରୋ ହୋଇ ଠିଆ ହୋଇଛନ୍ତି, ନାମ ରାମଚନ୍ଦ୍ର, କାମ ରାବଣର । ଶେଷ ପର୍ଯ୍ୟନ୍ତ ସୀତାହରଣ କରି ମିଶିବେ । ଦ୍ୱିତୀୟତଃ ସେ ବାସ୍ତବ ଜଗତର କାହାଣୀର ଅନ୍ତରାଳରେ ରାମାୟଣ ମିଥ୍ଟିକୁ ସୁକୌଶଳରେ ପ୍ରୟୋଗ କରିଛନ୍ତି, ଯାହାର ଅର୍କିଟାଇପାଲ ପ୍ରଭାବ ଅତିକ୍ରମ କରିବା କେବେ ସହଜସାଧ୍ୟ ହେବ ନାହିଁ । ସେଇଥିପାଇଁ ଛ’ମାଣ ଆଠଗୁଣ୍ଠର ଆବେଦନ ଆମ ପାଇଁ ଏତେ ବ୍ୟାପକ ଓ ସୁଗଭୀର ।
କେବଳ ଓଡ଼ିଶାର ଜୀବନ ଓ ସଂସ୍କୃତି କୁତ୍ସିତ କି କଦାକାର ନୁହେଁ, ପ୍ରକୃତି ବି ସମାନ୍ତରାଳ ଭାବରେ ଅସୁନ୍ଦର ଓ ଅପବିତ୍ର, ଆବିଳ ଓ ସର୍ପକୁମ୍ଭୀର ସଙ୍କୁଳ । କବି ରାଧାନାଥ ଦେଖାଇଥିଲେ ‘ଚିଲିକା’ । ଫକୀରମୋହନ ଦେଖାଇଛନ୍ତି ଅସୁରଦୀଘି—ଏହା ଉତ୍କଳ କମଳା ବିଳାସ ଦୀର୍ଘିକା ନୁହେଁ, ଅଲକ୍ଷ୍ମୀଙ୍କ କ୍ରୀଡ଼ାସର । (ଦୀଘି ଶବ୍ଦରେ ଦୀର୍ଘିକା ପ୍ରତି ବ୍ୟଙ୍ଗ ସମୁଦ୍ୟତ ଅଛି କି ?) ପ୍ରକୃତରେ ଅସୁରଦୀଘି ଗୋଟିଏ ପୋଖରୀ ମାତ୍ର ନୁହେଁ । ଏହା ଏକ ପ୍ରତୀକ–ଓଡ଼ିଶାର ଆର୍ଥସାମାଜିକ ତଥା ସାଂସ୍କୃତିକ ଓ ରାଜନୈତିକ ଜୀବନର ଜୀବନ୍ତ ପ୍ରତୀକ । ତାହା ପଛରେ ଯେମିତି କୁସଂସ୍କାରାଚ୍ଛନ୍ନ କିମ୍ବଦନ୍ତୀ ଅଛି, ସେମିତି ସମ୍ମୁଖରେ ଅଛି ବି କଳୁଷିତ ତଥା ଶୋଷଣକଷଣରେ ବିପର୍ଯ୍ୟସ୍ତ ଜୀବନର ଅବିକଳ ପ୍ରତିଫଳନ । ଏଥିରେ ମାଛ ଅଛନ୍ତି; ପ୍ରମାଣ ତିନୋଟି ଥଣ୍ଟିଆ କୁମ୍ଭୀର । ତିନୋଟି କାହିଁକି ? ଗୋଟିଏ ସ୍ୱୟଂ ରାମଚନ୍ଦ୍ର ମଙ୍ଗରାଜ, ଟ୍ରାସିଛି ଅନେକଙ୍କୁ—ସେଖ୍ ଦିଲଦାର ମିଆଁଠାରୁ ଆରମ୍ଭ କରି ଭଗିଆ ସାରିଆଙ୍କ ପର୍ଯ୍ୟନ୍ତ; ଦ୍ୱିତୀୟଟି ରାମରାମ ଲାଲା ଗ୍ରାସିଛି ଅସହାୟ ମୁହୂର୍ତ୍ତର ରାମଚନ୍ଦ୍ର ମଙ୍ଗରାଜଙ୍କୁ । ଆଉ ତୃତୀୟଟି ? ତୃତୀୟଟି ଗୋମୁହାଁ କୁମ୍ଭୀର ଅପେକ୍ଷା କରି ରହିଥିଲା ଗୋବିନ୍ଦା ଭଣ୍ଡାରୀକୁ । ଅସୁରଦୀଘିରେ ଖାଲି ପରିବେକଚିପାର ଆନନ୍ଦ, ତାହା ନିଷ୍ଠୁରତା, ଶୟତାନୀ ଓ ଦୁଷ୍ଟାମୀରେ ଲୀଳାସର । କାଣ୍ଟିଆ ବଗ ସବୁବେଳେ ସୁଯୋଗ ଉଣ୍ଡୁଥାନ୍ତି, ପାଣିକାଉ ଆଉ ଚିଲ ଆସନ୍ତି, ପେଟପୁରାଇ ଚାଲିଯାନ୍ତି । ଇଂରେଜଙ୍କ ଚରାଭୂଇଁ ଓଡ଼ିଶା, ଚୋର ତସ୍କରଙ୍କ ପାଇଁ ଉର୍ବର ଭୂମି ବି । ଅସୁରଦୀଘିରେ ଅବଶ୍ୟ କଇଁ ଓ ପଦ୍ମ ଫୁଟିଥାନ୍ତି । ସୌନ୍ଦର୍ଯ୍ୟ ବୋଇଲେ ଏତିକି । ଗାଁରେ ବି ସାନ୍ତାଣୀ ଓ ସାରିଆ ଭଗିଆଙ୍କ ପରି ଲୋକ ଥାନ୍ତି ।
ଅସୁରଦୀଘିର ଜଳ ଯଥାସମ୍ଭବ ଅପରିଷ୍କାର ଓ ଅପବିତ୍ର । ଅଥଚ ତାହାହିଁ ପାନୀୟ, ସେବ୍ୟ । ଉପାୟାନ୍ତର ନାହିଁ ! ସ୍ୱାସ୍ଥ୍ୟ ବିପନ୍ନ ହେବାକୁ ବାଧ୍ୟ । ଅସୁରଦୀଘିର ନ୍ୟାୟ ବି ରାଷ୍ଟ୍ରର ନ୍ୟାୟ । ଜଳକୁ ଆବିଳ ଓ ଅପରିଷ୍କୃତ କରିବାର କୃତିତ୍ୱ ସମସ୍ତଙ୍କର, କିନ୍ତୁ ଶେଷ ପର୍ଯ୍ୟନ୍ତ ଲେଖକ ଯୁକ୍ତିକରି ଦର୍ଶାଇ ଅଛନ୍ତି ଯେ, “ମାରକଣ୍ଡିଆର ଅପରାଧ ନିତାନ୍ତ ଉତ୍କଟ ଅଟେ ।’’ କ'ଣ କରିଛନ୍ତି ଏ ମାର୍କଣ୍ଡବାବୁ ? ବାବୁ ନାଚିକୁଦି ପାଣି ଗୋଳିଆ କରିଛନ୍ତି । ଅଭିଯୋଗ କରିଛନ୍ତି ଯଶୋଦା ଦେବୀ, ଯିଏ ପାଣି ଉପରେ ପେଟ ଡୁବାଇ ଦାନ୍ତ ଘଷୁଥିଲେ । ଲେଖକ ଓକିଲାତି କରିଛନ୍ତି ଯଶୋଦା ସପକ୍ଷରେ, ‘‘ଦେଖ ତ ପଣେ କି ଛ’ କୋଡ଼ି ମାଇକିନିଆ ଗାଧୋଇବାକୁ ଆସିଲେ । ପ୍ରାୟ ସମସ୍ତେ ପେଟ ଡୁବାଇ ପାଣିରେ ବସି ଦାନ୍ତ ଘଷିଲେ । ନବଫେନ ଖଣ୍ଡବତ୍ ଶୁକ୍ଳବର୍ଣ୍ଣ ଛେପ ଖଙ୍କାର ସେମାନଙ୍କ ମୁଖରୁ ବାହାରି ଚାରିଆଡ଼େ ଭାସୁଅଛି । ଈଷତ୍ ଲୋହିତ ପାଟଳାଭ ଜିଭଛିଞ୍ଚା ମଳି ମେଞ୍ଚା ମେଞ୍ଚା ଭାସୁଅଛି I ସେଥି ସହିତ ଆଉ କ’ଣ ଭାସୁଛି କି ନାହି ବୋଲାଯାଇ ନ ପାରେ, କାରଣ ସମସ୍ତ ସ୍ତ୍ରୀଲେକ ପଡ଼ିଆରୁ ଆସି ଜଳଶୌଚ କରିଅଛନ୍ତି । ...ମାଇକିନିଆମାନେ ପୋଖରୀରୁ ମାଠିଆରେ ଯେତେ ଜଳ ନିଅନ୍ତି ତାହାର ପା’ଭାଗ ଜଳ ଛାଡ଼ ଯାଆନ୍ତି । ଏକଥା ଠିକ ସତ୍ୟ ହେଲେ ମଧ୍ୟ ଆମ୍ଭମାନଙ୍କ ଚକ୍ଷୁର ଅଗୋଚର । ...ସ୍ତ୍ରୀ ଲୋକମାନେ ଘାଟରେ ଏତେ କାର୍ଯ୍ୟ କଲେ ମଧ୍ୟ ମାରକଣ୍ଡିଆ ପରି ନାଚିକୁଦି କେହି କାର୍ଯ୍ୟ କରିନାହିଁ । ନାଚକୁଦ ନ କଲେ କି ପାଣି ଗୋଳିଆ ହୁଏ ?” ଅବଶ୍ୟ ଫକୀରମୋହନ ଯାହା ସପକ୍ଷରେ ଯୁକ୍ତି କରନ୍ତି, ତାହାର ଅବସ୍ଥା ଶୋଚନୀୟ ହେଲା ବୋଲି ବୁଝିବାକୁ ହୁଏ ; ଯୁକ୍ତି ସିଦ୍ଧତାର ଛଳନା କରି ଯୁକ୍ତଗୁଡ଼ିକ ଯେ କିପରି ଯୁକ୍ତିହୀନ ତାହା ସେ ଦର୍ଶାଇପାରନ୍ତି । ପ୍ରଚଳିତ ବିଚାର ପ୍ରଦ୍ଧତିରେ ଓକିଲାତିର ଭୂମିକାଟିକୁ ହାସ୍ୟାସ୍ପଦ କରଇବା ତାଙ୍କର ଉଦ୍ଦେଶ୍ୟ । ଜବାଲ ସୁଆଲର ଭାଷା ଏମିତି ସବୁଠିଁ ବ୍ୟଞ୍ଜନାଢ଼୍ୟ ରହି ଅପରାଧୀ ସପକ୍ଷରେ ଓକିଲଙ୍କ ଯୁକ୍ତିର ସାରହୀନତା ପ୍ରତିପାଦନ କରୁଛି । ଯଶୋଦା ପରି ଚମ୍ପା ପର ଘର ପୋଡ଼ କି କୌଶଳରେ କାହାଘରୁ କବଲା ଚୋରି କରି ଦଣ୍ଡ ପାଏ ନାହିଁ, ଅଥଚ ନିରପରାଧ ଭଗିଆ ସାରିଆ ମାରକଣ୍ଡିଆ ପରି ଶାସ୍ତି ଭୋଗନ୍ତି । ବ୍ରିଟିଶ ନ୍ୟାୟ ବିଚାର ପଦ୍ଧତି ପ୍ରତି ଫକୀରମୋହନଙ୍କର କୌଣସି ପ୍ରକାର ଶ୍ରଦ୍ଧା କି ସମ୍ମାନ ବୋଧ ନଥିଲା । ମଙ୍ଗରାଜ, ଚମ୍ପା, ଗୋବିନ୍ଦା ଓ ଗୋବରା ଜେନାଙ୍କୁ ବିଚାରାଳୟ ଶାସ୍ତି ଦେଇପାରେ ନାହିଁ ! ସେ ତନ୍ତୀସାଇ ପଞ୍ଚଶାସନକୁ ସମ୍ମାନ କରନ୍ତି ବରଂ, କିନ୍ତୁ ନ୍ୟାୟାଳୟରୁ ସବୁ ଏଜେଣ୍ଟଙ୍କୁ–ଗୋବରା ଜେନାଠାରୁ ରାମରାମ ଲଲାଙ୍କ ପର୍ଯ୍ୟନ୍ତ, ଦାରେଗାଙ୍କଠାରୁ ମେଜେଷ୍ଟର ସାହେବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ଘୃଣା କରନ୍ତି । ସୁବିଧା ସୁଯୋଗ ପାଇଲା ମାତ୍ରେ ସେମାନଙ୍କର ହାସ୍ୟକର ଦିଗଟିକୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି, ଯେତେ କଟୁ ମନ୍ତବ୍ୟ କରାଯାଇପାରେ କରନ୍ତି, ଜୀବନ ଓ ଜଗତ ସମ୍ବନ୍ଧରେ ନିଜର ଲଘୁ ମନ୍ତବ୍ୟକୁ ସେହି ନ୍ୟାୟାଳୟର ପାର୍ସି ମିଶା ଓଡ଼ିଆ ଭାଷାରେ ଉପସ୍ଥାପନ କରି ତାହାର ଭାଷାଭଙ୍ଗୀକୁ ମଧ୍ୟ ବ୍ୟଙ୍ଗ କରିବାକୁ ଛାଡ଼ନ୍ତି ନାହିଁ । ପ୍ରକୃତରେ ବ୍ରିଟିଶ ନ୍ୟାୟ ବ୍ୟବସ୍ଥାକୁ କୌଣସି ସ୍ୱଦେଶପ୍ରୀତ ଭଦ୍ରଲୋକ ଶ୍ରଦ୍ଧା କରିପାରିବେ ନାହିଁ । ସେଦିନ ବଙ୍କିମଚନ୍ଦ୍ର ସ୍ୱୟଂ ବିଚାରପତିର ଆସନ ଅଳଙ୍କୃତ କରି ନିଜର କର୍ମଶାଳା ପ୍ରତି କିପରି ବିଦ୍ରୂପ କରିଥିଲେ ତାହା ସ୍ମର୍ତ୍ତବ୍ୟ । –‘ଅଦାଲତ ଓ ବାରଙ୍ଗନାର ମନ୍ଦିର ତୁଲ୍ୟ, ଅର୍ଥ ନଇଲେ ପ୍ରବେଶର ଉପାୟ ନାଇଁ ।”? ଆଉ ପ୍ରଶ୍ନ ପଚାରିଛନ୍ତି, “ଯେ ଆଇନେ କେବଳ ଦୁର୍ବଳଇ ଦଣ୍ଡିତ ହଇଲ, ଯାହା ବଳବାନେର ପକ୍ଷେ ଖାଟିଲ ନା—ସେ ଆଇନ କିସେ ? ଯେ ଅଦାଲତର ବଳ କେବଳ ଦୁର୍ବଳେର ଉପରେ । ବଳବାନେର ଉପର ନହେ, ସେ ଅଦାଲତ କିସେ ? ଫକୀରମୋହନଙ୍କର ବି ସେହି ପ୍ରଶ୍ନ, ସେହି ଜିଜ୍ଞାସା । ତେଣୁ ‘ଛ’ ମାଣ ଆଠଗୁଣ୍ଠ’ ଉପନ୍ୟାସଟି ଶେଷ ପର୍ଯ୍ୟନ୍ତ ବ୍ରିଟିଶ ଅଦାଲତ ପ୍ରତି ଏକ ଜୀବନ୍ତ ଉପହାସ ଭିନ୍ନ ଅନ୍ୟ କିଛି ନୁହେଁ । ଔପନ୍ୟାସିକ କାବ୍ୟିକ ନ୍ୟାୟ ଓ ବିଶ୍ୱବିଧାନ କି କର୍ମଫଳ ଉପରେ ନିର୍ଭର କରନ୍ତି ସିନା ବିଚାରାଳୟରେ ନ୍ୟାୟ ମିଳିବାର ପ୍ରତ୍ୟାଶା ରଖନ୍ତି ନାହିଁ । ବଙ୍କିମ ତ ସ୍ପଷ୍ଟ କହିଛନ୍ତି, ବିଚାରକଙ୍କ ମଧ୍ୟରୁ ଅନେକ ଥିଲେ ‘ମୂର୍ଖ, ସ୍ଥୂଳବୁଦ୍ଧି, ଅଶିକ୍ଷିତ ଅଥବା ଅସତ୍ ।” ଫକୀରମୋହନ ଏତେ ସ୍ପଷ୍ଟ ହୋଇ ପାରି ନାହାନ୍ତି, କିନ୍ତୁ ସେସନ ଜଜ୍ଙ୍କ ଅମନୋଯୋଗିତା ପ୍ରତି ଆମ ଦୃଷ୍ଟି ଆକର୍ଷଣ ନ କରି ରହିପାରି ନାହାନ୍ତି । ଆଗ ତାଙ୍କର ‘‘ମାଇଁ ଡିଅର ଲେଡ଼ି’’ଙ୍କୁ ଚିଠି ଲେଖ କଥା, ପଛେ ବିଚାର । ଅନେକତ୍ର ସେ ସବୁ କାର୍ଯ୍ୟ ବି ପେସ୍କାରଙ୍କ ଉପରେ ଛାଡ଼ି ଦିଅନ୍ତି, ନିଜେ ବିଲାତୀ ଛପା କାଗଜ ପଢ଼ନ୍ତି କି ଚିଠି ଲେଖନ୍ତି । ଖାଲି ଦସ୍ତଖତ ଟାଣି ଦେବା ଓ ରାୟ ଶୁଣାଇବା ତାଙ୍କ ଦାୟିତ୍ୱ । ତେଣୁ ଫକୀରମୋହନ ଅପରାଧୀମାନଙ୍କୁ ଅଦାଲତରୁ ଖଲାସ କରି ଆଣି ଦୈବ ବିଚାର, ଅଜ୍ଞାତ ନିୟତି ଓ କର୍ମଫଳ ହାତରେ ଶାସ୍ତି ଦିଆଇଛନ୍ତି, ତାଙ୍କର ଅନ୍ୟ ଗତି ନଥିଲା ।
ନ୍ୟାୟ ଓ ସୁବିଚାରର ଅବସ୍ଥା ତ ଦେଖିଲେ । ଧର୍ମବୋଧ ଆହୁରି ଦୟନୀୟ । ସମାଜରେ ଜୀବନ୍ତ ଧର୍ମବୋଧ ଓ ଭକ୍ତି ବିଶ୍ୱାସକୁ ବଞ୍ଚାଇ ରଖିବାକୁ ଯେଉଁସବୁ ବ୍ରାହ୍ମଣ ଶାସନ ବ୍ୟବସ୍ଥା ଥିଲା, ତାହା ଅଛି, କିନ୍ତୁ ଅନ୍ତଃସାରଶୂନ୍ୟ ଅବସ୍ଥାରେ ଅଛି । ଜାତିରେ ବ୍ରାହ୍ମଣ ଅଛନ୍ତି, ସଂସ୍କୃତିରେ କି ପ୍ରକୃତିରେ ବ୍ରାହ୍ମଣ ନାହାନ୍ତି । ସମସ୍ତେ “ସନ୍ଧ୍ୟାଗାୟତ୍ରୀହୀନ—ବିଲରୁ ଚିପନ୍ତି ମୀନ-।’’ ଅଶିକ୍ଷା ଓ ଦାରିଦ୍ର୍ୟବଶତଃ ଯଜମାନର ଚାଉଳ ଚୋରି କରିବାକୁ କି ସେମାନେ ବିମୁଖ ନୁହନ୍ତି-। ଫକୀରମୋହନ ସେମାନଙ୍କୁ କୁକୁର ଓ ଶାଗୁଣାଙ୍କ ଠାରୁ ଆହୁରି ହୀନ ଦୃଷ୍ଟିରେ ଦେଖିଛନ୍ତି-। ବୁଢ଼ୀ ମଙ୍ଗଳାଙ୍କ ମହିମା ମଧ୍ୟ ଏଣେ କିଛି କମ୍ ନୁହେଁ । ଅସୁରଦୀଘିର ପଶ୍ଚିମ କୂଳ ବରଗଛ ତଳେ ତାଙ୍କର ଆସ୍ଥାନ—ଗଛଟି ସତ୍ୟଯୁଗରୁ ଅଛି, ‘ଗଲା ସାତ ଅଙ୍କ ତୁଳା ମାସ ଉଆଁସ ଦିନ ଭାରି ଗୋଟାଏ ତୋଫାନ ହୋଇଥିଲା । ଗାଆଁର ସମସ୍ତ ସଜନା ଗଛ ଏବଂ କଦଳୀ ଗଛ ପ୍ରଭୃତି ଉପୁଡ଼ିଗଲା । ଏ ଗଛରୁ ଗୋଟିଏ ପତର ମଧ୍ୟ ଝଡ଼ିଲା ନାହିଁ ।” ଠାକୁରାଣୀ ମହିମା ଭିନ୍ନ ଏହାକୁ ଆଉ କ’ଣ କହିବା ? ଗୋଟାଏ ଜାତିର ଧର୍ମବୋଧ କେତେ ମିଛ ଭକ୍ତିବିଶ୍ୱାସ ଉପରେ ପ୍ରତିଷ୍ଠିତ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଏହି ବୁଢ଼ୀମଙ୍ଗଳା । ଧୂର୍ତ୍ତା ଚମ୍ପା ବୁଝିଥିଲା ଆମର ଦୁର୍ବଳତା । ତେଣୁ କୁସଂସ୍କାରଗ୍ରସ୍ତ ଏହି ଧର୍ମବୋଧକୁ ଅସ୍ତ୍ର ଭାବରେ ବ୍ୟବହାର କରି ସାରିଆଭଗିଆଙ୍କୁ କାବୁ କରିନେଲା ଅବଲୀଳା କ୍ରମେ । ମିଛ ଧର୍ମବିଶ୍ୱାସ ଓ ଅଳୀକ ଈଶ୍ୱର ଅନୁଗ୍ରହ ପଛରେ ଧାଇଁ ସବସ୍ୱାନ୍ତ ହେଲେ ତନ୍ତୀ ଦମ୍ପତି । ଏବେ ବି ଓଡ଼ିଶାରେ କାହିଁକି ଭାରତରେ ବି ତନ୍ତୀ ଅଛନ୍ତି, ମିଛ ଦେବଦେବୀରେ ବିଶ୍ୱାସ କରୁଛନ୍ତି, ଭଣ୍ଡ ସାଧୁସନ୍ଥଙ୍କ ଦ୍ୱାରା ପ୍ରତାରିତ ହେଉଛନ୍ତି । ବୁଢ଼ୀମଙ୍ଗଳାଙ୍କ ସଂଖ୍ୟା ବରଂ ଦିନୁଦିନ ବଢ଼ୁଛି ! ପ୍ରତିକାର କାହିଁ ?
ଅସୁରଦୀଘିର ଜଳ ଓ କୂଳ ଉଭୟ ଅପରିଷ୍କାର ଓ ଅପବିତ୍ର । ବ୍ୟାଧିଗ୍ରସ୍ତ ସାମାଜିକ ଜୀବନର ଜୀବନ୍ତ ମେଟାପର ପ୍ରକୃତି—ଭୟ ଓ ପାପର ପରିବେଶ ସୃଷ୍ଟି କରି ତାହା ଅଦିଗନ୍ତ ବିସ୍ତୃତ ରହିଛି । ସବୁ କର୍ଦ୍ଦମାକ୍ତ । ମନୁଷ୍ୟତ୍ୱ ଅନୁପସ୍ଥିତ । ଭକ୍ତି ବିଶ୍ୱାସ ଭୟ ସଂଜାତ ଓ କୁସଂସ୍କାରଗ୍ରସ୍ତ । ଧର୍ମବୋଧ ବିକାର ପ୍ରବଣ । ଧର୍ମାଚାର ପ୍ରତାରଣାମୟ । ଭଗିଆ ଓ ସାରିଆଙ୍କ ଭିନ୍ନ ଆଉ କାହାର ପାରିବାରିକ ଜୀବନ ପ୍ରୀତିପୂର୍ଣ୍ଣ ନୁହେଁ । ପାରିବାରିକ ସଂପ୍ରୀତି କାହିଁ ନାହିଁ । ଦାରିଦ୍ର୍ୟ ଉତ୍କଟ । ଲୋଭ ଓ ସ୍ୱାର୍ଥ, ମିଥ୍ୟା ଓ ଷଡ଼ଯନ୍ତ୍ର, ଈର୍ଷା ଓ ଆକ୍ରୋଶ ସର୍ବବ୍ୟାପୀ । ଶୋଷଣ ମୁକ୍ତହସ୍ତ । ରାଷ୍ଟ୍ରର ଶାସନ ବ୍ୟବସ୍ଥା ଓ ବିଚାର ବିଭାଗ ହାସ୍ୟକର ଅବସ୍ଥାରେ ଉପନୀତ । ଚିକିତ୍ସା ବ୍ୟବସ୍ଥା ଏତେ ରୁଗ୍ଣ ଓ ରୁଦ୍ଧଶ୍ୱାସ ଯେ, ଗୋପୀ କବିରାଜ ହାତରେ ସ୍ୱାସ୍ଥ୍ୟ ସ୍ୱୟଂ କୋକେଇ ବ୍ୟବସ୍ଥା କରିଥାଏ । ତନ୍ତୀ ତୁଠର ଜଳ ପାନୀୟ ! ଆଉ ବୁଢ଼ୀମଙ୍ଗଳା ଆଶ୍ରୟ ! କେଉଁଠି ନିରାପତ୍ତା ନାହିଁ କି ସାନ୍ତ୍ୱନା ନାହିଁ । ଆଭିଜାତ୍ୟ ଅସ୍ତଗତ । ବାଘସିଂହ ବଂଶର ସମ୍ଭ୍ରାନ୍ତ ଚରିତ୍ରଟିକୁ ଧ୍ୱଂସକରି ଦିଆଯାଇଛି । ସମସ୍ତେ ସମାନ ଭାବରେ ଇତର ଏବେ । ସାହସ ନିସ୍ତେଜ । ବ୍ୟକ୍ତି ମାତ୍ରେ ନିଃସ୍ୱ ଓ ଅବମାନିତ । ସରକାରୀ କର୍ମଚାରୀଙ୍କ ଦୌରାତ୍ମ୍ୟ ନରଙ୍କୁଶ । ଚାନ୍ଦିଆ ନାଉରୀକୁ ସେମାନେ “ଘରଆଡ଼ ଭାବ ଲେଖା କରି ଡାକିଥାନ୍ତି ।” ଚରମ ଅବ୍ୟବସ୍ଥା ଓ ବ୍ୟର୍ଥତା ସବୁଠି । ଏହ ଦୂରବସ୍ଥା କ’ଣ ପ୍ରତିକାର ହୀନ ? ଶେଷ ପର୍ଯ୍ୟନ୍ତ ଫକୀରମୋହନ ଆମକୁ ନୈରାଶ୍ୟ ଭାରାତୁର ଉପସଂହାରରେ ପହଞ୍ଚାଇ ଦେଇ ନାହାନ୍ତି । ମଙ୍ଗରାଜଙ୍କ ମୃତ୍ୟୁ ଅବଧାରିତ ନିଶ୍ଚୟ । କିନ୍ତୁ ମୃତ୍ୟୁ ଉପରେ ଫକୀରମୋହନ ଜୀବନର ସ୍ୱାକ୍ଷର ଆଙ୍କି ରଖିଛନ୍ତି । ଆସନ୍ତୁ ଏଇଠୁ ଆରମ୍ଭ କରିବା । ନଞ୍ଜର୍ଥକ ଭାବର ବିଦ୍ରୁପତାତ୍ମକ ପ୍ରତିଘାତରୁ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିଳ୍ପୀଙ୍କ ସ୍ୱପ୍ନ ଓ ଯୋଜନାଟିକୁ ସୂବିନ୍ୟସ୍ତ କରିନେବାକୁ ହେବ । ଜାତିର ଧର୍ମବୋଧ, ଶିକ୍ଷା ସଂସ୍କୃତି, ପାରିବାରିକ ଜୀବନ, ଅର୍ଥ ସାମାଜିକ ପରିବେଶ, ରାଷ୍ଟ୍ରନୀତି ଓ ବିଚାର ପଦ୍ଧତି ତଥା ସ୍ୱାସ୍ଥ୍ୟ ଓ ପ୍ରକୃତି ସମ୍ପର୍କକୁ ପୁନର୍ଗଠିତ କରିବାକୁ ପଡ଼ିବ । ଧର୍ମକୁ ଫକୀରମୋହନ ଉପେକ୍ଷା କରି ପାରନ୍ତି ନାହିଁ, ସେ ଥିଲେ ଅସ୍ତିକ୍ୟବୋଧ ସଂପନ୍ନ ଶୁଭ ବିଶ୍ୱାସୀ ଶିଳ୍ପୀଟିଏ । ରକ୍ଷଣଶୀଳତା ତାଙ୍କର କିଛି କମ୍ ନୁହେଁ । କିନ୍ତୁ ମୂଢ଼ ରକ୍ଷଣଶୀଳତା ଓ ଶୂନ୍ୟ ନାସ୍ତିକତାରେ ଢାଙ୍କର ବିଶ୍ୱାସ ନଥିଲା । ଧର୍ମକୁ ଛାଡ଼ି ମଣିଷ ରହିପାରିବ ନାହିଁ । ଧର୍ମ ରହିବ । ସଂସ୍କୃତ ହୋଇ ରହିବ । ବ୍ୟକ୍ତିର ସଂସ୍କାରରେ ଧର୍ମର ସଂସ୍କାର ଓ ସମାଜର ସଂସ୍କାର ଓ ପ୍ରକୃତିର ସଂସ୍କାର ସମ୍ଭବ । ବ୍ୟକ୍ତିମାତ୍ରେ ସଂସ୍କାର ସାଧ । (କେବଳ ଚମ୍ପା ଅବଶ୍ୟ କେଜାଣି କାହିଁକି ବ୍ୟତିକ୍ରମ ହୋଇ ରହିଯାଇଛି । ) ଅବିମିଶ୍ର ଖରାପ ଲୋକ କେହି ନାହିଁ । ସାମାଜିକ ଓ ମାନବିକ ମୂଲ୍ୟବୋଧ ହୀନ ଅତି ଦୁର୍ବଳ ମଣିଷ ଭିତରେ ବି ନୈତିକ ଉନ୍ନତି ପାଇଁ ଆନ୍ତରିକ ଆକାଙ୍କ୍ଷା ଅଛି । କବି ରବୀନ୍ଦ୍ରଙ୍କ ଭକ୍ତି ସ୍ମରଣୀୟ । ସେ କହନ୍ତି, ‘ମାନୁଷେର ଜନ୍ମକ୍ଷେତ୍ର ଦୁଜାଗାୟ : ତାହାର ଜୈବିକ ଚେହେରା ପ୍ରକାଶ୍ୟ, ଆର-ଏକ ଜାୟଗାୟ ସେ ଗୁହାହିତ, ସେ ଗଭୀର ।” ମାନବ ଚରିତ୍ର ମାତ୍ରେ ଦ୍ୱିଧାକୃତ । ଆମ ଭିତରେ ଥିବା ସର୍ବୋତ୍ତମ ବ୍ୟକ୍ତିଠାରେ ଯେପରି କିଛି ନା କିଛି ଦୁର୍ବଳତା ଅଛି, ସେମିତି ସବୁଠୁଁ ଅଧମ ଲୋକ ଭିତରେ କେଉଁଠି ନା କିଛି ସଦ୍ଗୁଣ ଅଛୁ । ସର୍ବୋଚ୍ଚ ପାଦପ ଯେପରି ସ୍ୱର୍ଗସ୍ପର୍ଶୀ ନୁହେଁ, ସବୁଠୁଁ ଲମ୍ବା ଚେର ବି ନରକସ୍ପର୍ଶୀ ନୁହେଁ । ରାମଚନ୍ଦ୍ରଙ୍କର ଆଦର୍ଶ ନ ଥିଲା କି, ସାମାଜିକ ମୂଲ୍ୟବୋଧ ନ ଥିଲା । ଭୋଗ ଓ ଲୋଭ ତାଙ୍କର ଜୀବନ ସର୍ବସ୍ୱ । ଟଙ୍କା ଚତୁବର୍ଗ ଫଳପ୍ରଦ । ଭୌତିକ ଧନ ଓ କ୍ଷମତା ବଳରେ ସେ ଆନନ୍ଦର ଜୀବନ ବିତାଇଥିଲେ, ଜୀବନର ଆନନ୍ଦ କ’ଣ ତାହା ଜାଣିବାର ଅବକାଶ ପାଇ ନଥିଲେ-। କିନ୍ତୁ ସାନ୍ତାଣୀଙ୍କ ମୃତ୍ୟୁ ପରଠାରୁ ଫକୀରମୋହନ ଢାଙ୍କ ଭିତରେ ଆଧ୍ୟାତ୍ମିକ ଅଭାବ ଓ ଆନ୍ଦୋଳନ ଲକ୍ଷ୍ୟ କରିଛନ୍ତି । ମନୁଷ୍ୟର ଜୀବନକୁ ନିୟନ୍ତ୍ରଣ କରୁଥିବା ଅଭାବ ଗୁଡ଼ିକୁ ଭୌତିକ, ଅର୍ଥନୈତକ, ସାମାଜିକ ଓ ଆଧ୍ୟାତ୍ମିକ ଏହି ୪ ଶ୍ରେଣୀରେ ବିଭକ୍ତ କରାଯାଇପାରେ-। ଭୌତିକ, ସାମାଜିକ ଓ ଅର୍ଥନୈତିକ ଅଭାବ ପୂରଣ ହେଲେ ପୃଥବୀର ସର୍ବୋତ୍କୃଷ୍ଟ ଜିନିଷ ମିଳିପାରେ କିନ୍ତୁ ହୃଦୟର ସୌଖ୍ୟ, ସନ୍ତୋଷ, ଶ୍ରଦ୍ଧା ଓ ପ୍ରେମ– ଯାହା ପରମ ସ୍ଫୃହଣୀୟ ତାହା ତଦ୍ଦ୍ୱାରା ମିଳିବ ବୋଲି ସମ୍ଭାବନା ନାହିଁ । ଆଜି ମଙ୍ଗରାଜ ଆଧ୍ୟାତ୍ମିକ ଅଭାବ ଅନୁଭବ କରୁଛନ୍ତି, “ନେତ୍ର ଅର୍ଦ୍ଧନିମୀଳିତ, ସ୍ପନ୍ଦନଶୂନ୍ୟ, ଅଶ୍ରୁସିକ୍ତ । ମଙ୍ଗରାଜ କି ସାନ୍ତାଣୀଙ୍କ ସକାଶେ କାନ୍ଦୁଛନ୍ତି-? ପ୍ରିୟ ବସ୍ତୁର ବିୟୋଗ ମନୁଷ୍ୟ ପକ୍ଷରେ ଅସହ୍ୟ । ମଙ୍ଗରାଜେ ବି ଦାମ୍ପତ୍ୟ ପ୍ରେମର ସ୍ୱର୍ଗୀୟ ମାଧୁରୀ ଅନୁଭବ କରୁଥିଲେ ? କାହିଁ ? ସେ ସାନ୍ତାଣୀଙ୍କୁ ପ୍ରେମରେ ଦୁଇଟା କଥା କହିବାର ତ କେହି ଶୁଣି ନାହିଁ ! ତେବେ ଆଜି ଏତେ ବ୍ୟାକୁଳ କାହିଁକି ।” ପ୍ରକୃତରେ ସେ ଏପର୍ଯ୍ୟନ୍ତ ମୋହଗ୍ରସ୍ତ ଥିଲେ, ଚମତ୍କାର ଉପମା ଦେଇ ଶିଳ୍ପୀ କଥାଟିକୁ ସ୍ପଷ୍ଟକରି ଦେଇଛନ୍ତି ଔପନ୍ୟାସିକ । ମଦ୍ୟପର ସମ୍ମୁଖରେ ଗିନାଏ ଜଳ, ଗିନାଏ ମଦିରା ଥୁଆ ହୋଇଥିଲେ ସେ ସୁରା ଗିନାଟିରୁ ଅଧିକ ଆଦର କରେ ଏବଂ ଯତ୍ନରେ ରଖେ, ମାତ୍ର ଜଳ ଗିନାଟିର ଏକାବେଳକେ ଅଭାବ ହେଲେ ସେ ସେତେବେଳେ ବୁଝିପାରେ ସୁରା ଉନ୍ମାଦନକାରିଣୀ ସତ୍ୟ, ମାତ୍ର ଜଳ ତାହାର ଜୀବନ ।”’ ଏହି ବୋଧ ଶକ୍ତିରୁ ମଙ୍ଗରାଜଙ୍କୁ ବଞ୍ଚିତ କରି ନାହାନ୍ତି ଶିଳ୍ପୀ ଫକୀରମୋହନ । ଶେଷକୁ ଫକୀରମୋହନ ଫେରାଇ ଆଣିଛନ୍ତି ମଙ୍ଗରାଜଙ୍କୁ ଘରକୁ—ପତ୍ନୀପଦ-ପ୍ରାନ୍ତକୁ, ପାରିବାରିକ ସଂପ୍ରୀତି ଭିତରକୁ ଓ ମନୁଷ୍ୟତ୍ୱ ପାଖକୁ । ପ୍ରତ୍ୟାବର୍ତ୍ତନ ମୋଟିଫ୍ ତାଙ୍କର ସବୁ ଉପନ୍ୟାସରେ ବର୍ତ୍ତମାନ । ପାରିବାରିକ ସଂପ୍ରୀତି ପରିଶୀଳିତ ନ ଥିଲା, ମିଳିନାହିଁ । କିନ୍ତୁ ପତ୍ନୀପ୍ରେମ ଥିଲା, ମନୁଷ୍ୟତ୍ୱ ଥିଲା । ଭିତରେ ଭିତରେ କେଉଁଠି ମଙ୍ଗରାଜ ଶୂନ୍ୟତା ଅନୁଭବ କରୁଥିଲେ ଅବଚେତନରେ, ଆଜି ଶାସ୍ତି ତାଙ୍କୁ ସୁମତି ପ୍ରଦୀପରେ ଆତ୍ମକୃତ ପାପର ବିକଟ ମୂର୍ତ୍ତି ଦେଖାଇ ଦେଇଛି । ସେ ଭୟ କରିଛନ୍ତି ପାପକୁ, ଟିକିଏ ଆଖି ଲାଗିଗଲେ ହାଉଳି ଖାଇଲାପରି ଚମକି ପଡ଼ି କହନ୍ତି ଥ-ମା-ଆ-ଗୁଁ । ଆଉ ଦେଖନ୍ତି ସାରିଅ ଓ ଭଗିଆଙ୍କ କଙ୍କାଳ ଦିଗନ୍ତରାଳରେ ଦେହ ଲୁଚାଇ ମୁଖ ବ୍ୟାଦାନ ପୂର୍ବକ ତାଙ୍କୁ ଗ୍ରାସିବାକୁ ଆସୁଛନ୍ତି । ଆଶ୍ରୟ କାହିଁ ? ଅବଲମ୍ବନ କାହିଁ ? ଶିଳ୍ପୀ ତାଙ୍କୁ ଆଶ୍ରୟ ଓ ଅବଲମ୍ବନ ଯୋଗାଇ ଦେଇ ସଂବୃତ ଉପସଂହାରଟିଏ ଟାଣି ଦେଇଛନ୍ତି । ‘‘ସେ (ମଙ୍ଗରାଜ) ଦେଖିଲେ, ଅନନ୍ତ ଆକାଶରେ ସୂର୍ଯ୍ୟମଣ୍ଡଳର ଅତି ଊର୍ଦ୍ଧ୍ୱରେ ରତ୍ନସିଂହାସନରେ ଗୋଟିଏ ଜ୍ୟୋତିମୟୀ ଶାନ୍ତିମୟୀ ଆଶା ପ୍ରଦାୟିନୀ ସ୍ତ୍ରୀମୂର୍ତ୍ତି ବିରାଜିତା । ପୂର୍ବ ପୂର୍ବ ପୀଡ଼ା ସମୟରେ ସେ ମୂର୍ତ୍ତି ଶଯ୍ୟା ପାଖରେ ବସି ମଙ୍ଗରାଜଙ୍କ ଦେହରେ କୋମଳ ହସ୍ତ ବୁଲାଉଥିଲେ । ବିମାନବାସିନୀ ଲାବଣ୍ୟମୟୀ ମୂର୍ତ୍ତି ସେହି ମୂର୍ତ୍ତିର ପ୍ରତିଚ୍ଛାୟା ଅଟେ । ସେହି ମୂର୍ତ୍ତି ଅଙ୍ଗୁଳି ସଙ୍କେତ କରି ମଙ୍ଗରାଜଙ୍କୁ ପାଖକୁ ଡାକୁଛନ୍ତି । ମଙ୍ଗରାଜଙ୍କ ଆତ୍ମା ସେହି ମୂର୍ତ୍ତିକୁ ଲକ୍ଷ୍ୟକରି ଧାବିତ ହେଲା । କ’ଣ ଏ ଉପସଂହାରର ତାତ୍ପର୍ଯ୍ୟ ? ଫକୀର କେଉଁଠୁ ପାଇଲେ ସେଦିନ ଏ କବିତ୍ୱ ? ଏ ଅନ୍ତର୍ଦୃଷ୍ଟି ଚମ୍ପା ମଙ୍ଗରାଜଙ୍କୁ ଯୋଗାଇଥିଲା ଆନନ୍ଦର ଜୀବନ, କିନ୍ତୁ ସାନ୍ତାଣୀ ଏବେ ପ୍ରଦାନ କଲେ ଜୀବନର ଆନନ୍ଦ । ନାରୀ ହାତରେ ହଁ ପୁରୁଷର ପରିତ୍ରାଣ । ଫକୀରମୋହନ କବି ଗେଟେଙ୍କୁ ପଢ଼ିଥିଲେ କି ? ଗେଟେ ବିଶ୍ୱାସ କରନ୍ତୁ, “Eternal womanly draws us above.” ଗତ୍ୟନ୍ତର ନାହିଁ । ସାନ୍ତାଣୀ ଅଙ୍ଗୁଳି ସଙ୍କେତ କରି ମଙ୍ଗରାଜଙ୍କୁ ପାଖକୁ ଡାକୁଛନ୍ତି—ସେହି ପରମ ଆହ୍ୱାନରେ ହଁ ଜୀବନର ଚରିତାର୍ଥତା ନିହିତ । ପତ୍ନୀ ପ୍ରେମରେ ଜୀବନ ଅର୍ଥାନ୍ୱିତ ହେବାର ସମ୍ଭାବନା ରଖେ । ଫକୀରମୋହନ ଦାମ୍ପତ୍ୟ ଜୀବନର ଯେଉଁସବୁ ଚିତ୍ର ଆଙ୍କିଛନ୍ତି, ଆଉ ତାହା ସମ୍ୱନ୍ଧରେ ଯେଉଁସବୁ ମନ୍ତବ୍ୟ ପ୍ରଦାନ କରିଛନ୍ତି ସେଥିରେ ସେ ପ୍ରଥମେ ଆମ ପାରିବାରିକ ଜୀବନର ପୁନର୍ଗଠନ ଚାହାନ୍ତି-। ପାରିବାରିକ ଜୀବନ ପୁନର୍ଗଠିତ ହେଲେ ଧର୍ମବୋଧ, ସାମାଜିକ ମୂଲ୍ୟବୋଧ ଓ ଜୀବନର ଆଦର୍ଶ ପ୍ରତିଷ୍ଠା ପାଇବ । ସାନ୍ତାଣୀଙ୍କ ନୀରବ ପ୍ରେମ ଶେଷ ପର୍ଯ୍ୟନ୍ତ ଜୟଯୁକ୍ତ ହୋଇଛି-। ପତ୍ନୀ ଆସିଲେ ସନ୍ତାନମାନେ ଅସିବେ । ଉଚ୍ଚତର ଜୀବନ ପାଇଁ ମଧ୍ୟ ସନ୍ତାନ ସହାୟକ-। କଲ୍ୟାଣ କଲ୍ୟାଣକୁ ଆବାହନ କରି ଆଣିବ; ସମାଜରେ ଓ ରାଷ୍ଟ୍ର ନୀତିରେ ସାଧୁତା, ସଦ୍ବ୍ୟବହାର, ସହାନୁଭୂତି ଓ ସୁବିଚାର ସୁଲଭ ହେବ । ବ୍ୟକ୍ତିଗତ ଓ ସମଷ୍ଟିଗତ ଜୀବନର ମାନବିକ ଓ ଆଧ୍ୟାତ୍ମିକ ଐକ୍ୟର ଅତି ବ୍ୟାପକ ଓ ପ୍ରାଣମୟ ଅନୁଭୂତିରେ ଦେଶ ଓ ଜାତିର କଲ୍ୟାଣ ପର୍ଯ୍ୟବସିତ-। ଏହି ବ୍ୟାପକତା ଭିତରୁ ପ୍ରକୃତି ବାଦ୍ ଯିବ ନାହିଁ । ଅସୁରଦୀଘି ନିର୍ମଳ ହେବ, ହେବ ବ ସୁନ୍ଦର ଓ ପବିତ୍ର-।
ସମସାମୟିକ ଓଡ଼ିଶାର ବ୍ୟର୍ଥତା ଓ ସମସ୍ୟା ଉତ୍ଥାପନ କରି ଶିଳ୍ପୀ ସମ୍ଭାବ୍ୟ ଭବିଷ୍ୟତର ଏକ ସ୍ୱପ୍ନ ଦେଖିଛନ୍ତି । ଆଉ ସେହି ସ୍ୱପ୍ନକୁ ଶିଳ୍ପାୟିତ ରଖିଛନ୍ତି ଉପନ୍ୟାସଟିରେ । ଆଜି ନାରୀମାନଙ୍କୁ ଘେନି ଯେଉଁ ଉତ୍ସାହ ଓ ଆନ୍ଦୋଳନ ଚାଲିଛି, ତାହାର ପ୍ରୀତିପ୍ରଦ ସମାଧାନ ସେଦିନ ବି ସେ କରି ଦେଇଛନ୍ତି । ଉଚ୍ଚତର ଜୀବନ ପାଇଁ କେବଳ ନୁହେଁ, ପରମ ମୁକ୍ତି ପାଇଁ ବ ନାରୀର ପ୍ରେମ ଅମୋଘ । ନାରୀ ପତ୍ନୀ ଓ ଜନନୀ କି ଭଗିନୀ ଭାବରେ ପରମା । ସାନ୍ତାଣୀ ନରାଧମ ମଙ୍ଗରାଜଟିକୁ ବି ସ୍ୱର୍ଗ ଲୋକକୁ ଉତ୍ତୀର୍ଣ୍ଣ କରି ଦେଇଛନ୍ତି । ନାରୀଙ୍କ ସମ୍ପର୍କରେ ଏହାଠାରୁ ବଳି ସୁନ୍ଦର କଥା କିଏ କାହିଁ କେବେ ଆଉ ଲେଖିଲେଣି କି ?
ଷ୍ଟାଇଲ୍ ବ୍ୟକ୍ତିତ୍ୱର ଭାଷାରୂପ ମାତ୍ର ନୁହେଁ କି ବକ୍ତବ୍ୟର ବାହନ ମାତ୍ର ନୁହେଁ, ସ୍ୱୟଂ ଶିଳ୍ପସିଦ୍ଧ । ଉପନ୍ୟାସର ସାଧ୍ୟବସ୍ତୁ । ‘ଛ’ମାଣ ଆଠଗୁଣ୍ଠ’ରେ ଫକୀରମୋହନଙ୍କର ଷ୍ଟାଇଲ୍ ବା ରଚନାଶୈଳୀ ଏପରି ଏକ ଅନନୁକରଣୀୟ ନିଜସ୍ୱତା ଅର୍ଜ୍ଜିଛି ଯେ, ତାହାକୁ ବିଶ୍ଳେଷଣ କରିବାକୁ ଗଲେ ଅନେକ କିଛି ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ହରେଇବାକୁ ପଡ଼ିବ । ବକ୍ତବ୍ୟ ଓ ଶୈଳୀ ଏକ ଓ ଅଭିନ୍ନ–ଗୋଟିଏ ଦେବତା ହରିହର । ତେବେ ଫକୀରମୋହନଙ୍କ ଗଦ୍ୟରୀତିର କେତୋଟି ବୈଶିଷ୍ଟ୍ୟ ଉପସ୍ଥାପନ ନ କଲେ ଆମର ଏ ସିଦ୍ଧାନ୍ତ ପ୍ରତିପାଦିତ ହୋଇ ପାରିବ ନାହିଁ । ଉପନ୍ୟାସ ଶିଳ୍ପ—ସେଥିରେ କେତେ ବିଚିତ୍ର ମନୋଭାବ, ପ୍ରବୃତ୍ତି ତରଙ୍ଗ, ରୂପ ବର୍ଣ୍ଣନା, ପ୍ରକୃତି ବର୍ଣ୍ଣନା, ପରିବେଶ ଚିତ୍ରଣ ଓ ଘଟନାର ଗତ ସୃଷ୍ଟିର ଅବକାଶ ଅଛି; ଭାଷା ତେଣୁ କ୍ରୀତଦାସ ପରି ଲେଖକଙ୍କ ଚିନ୍ତା ଓ ଅନୁଭୂତିକୁ ଆଦେଶ ମାତ୍ରେ ସାକାର ରୂପ ଦେବାକୁ ସମୁଦ୍ୟତ ରହିଛି । ତେଣୁ ଶବ୍ଦ, କ୍ରିୟାପଦ, ବିଶେଷଣ, ଅଳଙ୍କାର ଓ ଅନୁଚ୍ଛେଦ ଆଦି ପ୍ରୟୋଗରେ ଏଥିରେ ଏତେ ବୈଚିତ୍ର୍ୟ ଅଛି ଯେ, ସେଥିରୁ କୌଣସି ନିର୍ଦ୍ଦିଷ୍ଟ ଗଦ୍ୟରୀତିର ଆଦର୍ଶ ସନ୍ଧାନ କରିବା ସମୀଚୀନ ହେବନାହିଁ ଆଦୌ । ସ୍ପଷ୍ଟତା ଓ ସରଳତା ଫକୀରମୋହନଙ୍କ ଗଦ୍ୟରୀତିର ଆଦର୍ଶ ନିଶ୍ଚୟ, କିନ୍ତୁ ବ୍ୟଞ୍ଜନାଢ଼୍ୟ ହୋଇ ଉଠିବା ତାର ପ୍ରକୃତି । ଫକୀରମୋହନଙ୍କ ଚିତ୍ର, ଚରିତ୍ର ଓ ଘଟନାର ବର୍ଣ୍ଣନା ନୈପୁଣ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ପ୍ରଥମେ—କାରଣ ସେ କଳ୍ପନାକୁ ବର୍ଣ୍ଣନାରେ ଦୃଷ୍ଟିଗ୍ରାହ୍ୟ ରୂପ ଦିଅନ୍ତି, ଅନୁଭୂତିକୁ ପ୍ରମୂର୍ତ୍ତ କରିପାରନ୍ତି । ତେଣୁ ଚିତ୍ର ଓ ଚରିତ୍ର ବର୍ଣ୍ଣନାରୁ ସେମାନଙ୍କୁ ଦେଖିହୁଏ, ହାତରେ ବି ଛୁଇଁ ହୁଏ । ବିଶେଷଣ ଓ ଅର୍ଥାଳଙ୍କାର ପ୍ରୟୋଗର ସଚେତନତା ସେଥିରେ ଲକ୍ଷ୍ୟ କରାଯାଇଥାଏ ଓ ତାହା ସହିତ ଶିଳ୍ପୀଙ୍କ ଚିନ୍ତା ଓ ମନନ ମିଶି ଗଦ୍ୟକୁ ଯଥାସମ୍ଭବ ବାହୁଲ୍ୟ ବର୍ଜିତ ସଂହତ ରୂପ ପ୍ରଦାନ କରିଥାଏ । ବିବରଣାତ୍ମକ ବସ୍ତୁନିଷ୍ଠତା, ଇନ୍ଦ୍ରିୟଗ୍ରାହ୍ୟ ଚିତ୍ରାଙ୍କନ ଓ ଶରୀରୀ କଳ୍ପନାର ବର୍ଣ୍ଣାଢ଼୍ୟତା ଫକୀରମୋହନଙ୍କ ଗଦ୍ୟଶୈଳୀର ବିଶେଷତ୍ୱ, ସେତେବେଳେ ଉପନ୍ୟାସରେ ଚରିତ୍ରର ମନୋବିଶ୍ଳେଷଣ ପଦ୍ଧତି ବ୍ୟବହୃତ ହେଉ ନଥିଲା, ତେଣୁ ଶିଳ୍ପୀ ରୂପବର୍ଣ୍ଣନା, ସଂକ୍ଷିପ୍ତ ପ୍ରଶ୍ନୋତ୍ତରାତ୍ମକ ନାଟକୀୟ ସଂଳାପ, ଆକସ୍ମିକତା ଓ ଅନ୍ତରଙ୍ଗ ଭାଷଣରେ ମନୋବିଶ୍ଳେଷଣର ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କ ଶବ୍ଦଚୟନ ଓ ବାକ୍ୟବିନ୍ୟାସ ଭଙ୍ଗୀରେ କେତୋଟି ବୈଶିଷ୍ଟ୍ୟ ଅଛି-। ଶବ୍ଦଚୟନରେ ଉଦାରତା ଅଛି । ପାର୍ସି ଓ ଦେଶଜ ଶବ୍ଦ ସହିତ ତଦ୍ଭବ ଓ ତତ୍ସମ ଶବ୍ଦର ସୁପ୍ରଯୁକ୍ତ ସଂଯୋଜନା ସେ ଘଟାଇ ପାରନ୍ତି, ସାମଞ୍ଜସ୍ୟ ବିଧାନ କରିପାରନ୍ତି । ପ୍ରବାଦ ଓ ପ୍ରବଚନ ବ୍ୟବହାର କରିଛନ୍ତି ମଧ୍ୟ ଯଥେଷ୍ଟ । ବିବୃତ୍ତି, ବର୍ଣ୍ଣନା ଓ ସଂଳାପ ମଧ୍ୟରେ ଭାରସାମ୍ୟ ରଖିଛନ୍ତି-। ସଂଳାପରେ ଲୋକୋକ୍ତିର ଦ୍ରୁତଗତି ଓ ନାଟ୍ୟରୀତି ପ୍ରବଣତା ଅନାୟସ ଲକ୍ଷ୍ୟ । ବର୍ଣ୍ଣନା ବାହୁଲ୍ୟ ଅଛି, କିନ୍ତୁ ତାହା ବସ୍ତୁନିଷ୍ଠ ଓ ବିଶେଷ ଉଦ୍ଦେଶ୍ୟ ପ୍ରଣୋଦିତ । ତେଣୁ ଅବସାଦକର ନୁହେଁ । ପଦ ବିନ୍ୟାସରେ ଓ ବାକ୍ୟ-ଗଠନରେ ଫକୀରମୋହନ ଯଥାସମ୍ଭବ ସଂସ୍କୃତ ରୀତି ପରିହାର କରିଛନ୍ତି-। ବାକ୍ୟଗଠନର ବୈଚିତ୍ର ଓ ପଦବିନ୍ୟାସର ଭଙ୍ଗୀରେ ଭାଷା ତାଙ୍କର କେଉଁଠି ଚଞ୍ଚଳ ଓ ଦ୍ରୁତଗତି ତ କେଉଁଠି ମନ୍ଥର ଓ ବିଶ୍ଳେଷଣଧର୍ମୀ, କେଉଁଠି ବି ବିପରୀତ ଲମ୍ବର ଉତ୍ଥାନ ପତନରେ ଗତିମୟ, ବନ୍ଧୁର । ଛୋଟ ବଡ଼ ନାନାଧରଣର ବାକ୍ୟ ସେ ବ୍ୟବହାର କରପାରନ୍ତି, ସଂକ୍ଷିପ୍ତ କଥାରେ ନିଗୂଢ଼ ବ୍ୟଞ୍ଜନା ଧର୍ମ ସଞ୍ଚାରନ୍ତି । ତାଙ୍କ ଗଦ୍ୟରୀତିର ପ୍ରଧାନ ଲକ୍ଷଣ ନିର୍ଦ୍ଦେଶ କରାଯାଇପାରେ ।
୧) ସେ ଏପରି ବାକ୍ୟ ପ୍ରୟୋଗ କରନ୍ତି ଯେ, ଯୁକ୍ତି ସିଦ୍ଧତାର ଛଳନା ଦ୍ୱାରା ଯୁକ୍ତିଗୁଡ଼ିକ ଯେ କେତେ ଯୁକ୍ତିହୀନ ତାହା ଅଚିରେ ପ୍ରତିପାଦିତ ହୋଇଥାଏ । କୌତୁକ ଓ କଟାକ୍ଷ କ୍ଷେତ୍ରରେ ଏପରି ବାକ୍ୟ ବଡ଼ ପ୍ରୀତିକର । ଅଦାଲତର ଭାଷା ପ୍ରତି ଏଥିରେ ବିଦ୍ରୂପ ବର୍ତ୍ତମାନ I
୨) ସେ ନିଶ୍ଚୟାତ୍ମକ ବାକ୍ୟ ପରିବର୍ତ୍ତେ ଅନେକତ୍ର ପ୍ରଶ୍ନାତ୍ମକ ବାକ୍ୟ ବ୍ୟବହାର କରନ୍ତି, ଫଳରେ ପାଠକର ଔତ୍ସୁକ୍ୟ ଓ ସଂଶୟ ଜାଗ୍ରତ ରହେ ।
୩) ସେ ସଂଯୋଜକ ଅସମାପିକା କ୍ରିୟାପଦ ବେଶି ବ୍ୟବହାର କରନ୍ତି ନାହଁ, ଫଳରେ ସମାପିକା କ୍ରିୟାର ଅଧିକ ବ୍ୟବହାର ଓ ଯତି ଚିହ୍ନର ପର୍ଯ୍ୟାପ୍ତ ବ୍ୟବହାର ବାକ୍ୟରେ ଦ୍ରୁତତା ସଞ୍ଚାର କରେ । ଘଟନା ଗତିବେଗ ପାଏ ।
୪) ଅନ୍ତରଙ୍ଗ ପାଠକ ସମ୍ଭାଷଣ ବା ଆଳାପଚାରିତା ଦ୍ୱାରା ସେ ପାଠକ ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିଥାନ୍ତି ।
୫) ସ୍ଥାନେ ସ୍ଥାନେ ନାଟକୀୟ ସଂଳାପ ମାଧ୍ୟମରେ ପାଠକ ମନକୁ ସଚକିତ ରଖିବାକୁ ଚାହାନ୍ତି ଶିଳ୍ପୀ । ସଂଳାପରେ ଲେକୋକ୍ତି ଖଞ୍ଜି ଘଟନାଟିକୁ ସ୍ୱାଦ୍ୟ ଓ ବିଶ୍ୱାସଯୋଗ୍ୟ କରିପାରନ୍ତି, ଯେପରି ଅନ୍ୟ ପକ୍ଷରେ ସେପରି ଘଟନାରେ ଗତିବେଗ ଓ ବର୍ଣ୍ଣାଢ଼୍ୟତା ସୃଜିଥାନ୍ତି । ଗୋପୀ ସାହୁ ଦୋକାନ ଘରେ ଚମ୍ପା ଓ ଗୋବିନ୍ଦାଙ୍କ ସଂଳାପରେ ଯେଉଁ ନାଟ୍ୟଧର୍ମିତା ଓ ଚଳମାନତା ଅଛି ତାହା କ’ଣ କାହାକୁ ବୁଝାଇ କହିବାକୁ ହେବ ?
୬) କୌତୁକ, ସାବଲୀଳତା, ଲଘୁତା, ଦ୍ରୁତଗତି ନାଟ୍ୟଧର୍ମିତା ଓ ଚଳମାନତା ସହିତ ତାଙ୍କ ଗଦ୍ୟର ଅନ୍ୟ ଏକ ବିଶ୍ଳେଷତ୍ୱ ହେଉଛି କବିତ୍ୱ । ଦୃଷ୍ଟାନ୍ତ ଅପ୍ରତୁଳ ନୁହେଁ । ଗୋଟିଏ ଦେଖନ୍ତୁ । ସାନ୍ତାଣୀଙ୍କ ମୃତ୍ୟୁରେ । ଶିଳ୍ପୀ ମଙ୍ଗରାଜଙ୍କ ମନୋବିଶ୍ଳେଷଣ କରିବାକୁ ଯାଉଛନ୍ତି । ପରିବେଶ ଗମ୍ଭୀର । ଭାଷା ଆବେଗ—ବ୍ୟାକୁଳ ସାଧୁ ନ ହୋଇ ରହି ପାରିବ ନାହିଁ । “‘ମଙ୍ଗରାଜେ ମୁଣ୍ଡ ପାଖରେ ବସି ଏକ ଧ୍ୟାନରେ ସାନ୍ତାଣୀଙ୍କ ମୁହଁକୁ ଅନାଇଛନ୍ତି । ନିଶ୍ଚଳ ନିସ୍ତବ୍ଧ ଦୁଇ ଆଖିରୁ ଲୋତକ ବହିଯାଉଅଛି ଯେ ସ୍ତ୍ରୀ ଧର୍ମ କାର୍ଯ୍ୟର ସହଧର୍ମିଣୀ—ପ୍ରାଣାଧିକ ସନ୍ତାନ ସନ୍ତତିଙ୍କ ଜନନୀ, ଯେ ସୁଖ ଦୁଃଖର ସମଭାଗିନୀ, ଯେ ସ୍ତ୍ରୀ ରୋଗର ଶୁଶ୍ରୂଷା କାରିଣୀ, ବିପଦରେ ମନ୍ତ୍ରୀ, ଶରୀର ରକ୍ଷାରେ ଧାତ୍ରୀ, ତୁମେ ଯଦି ନିତାନ୍ତ ପାଷଣ୍ଡ ହୁଅ, ତାହାର ଗୁଣଗାରିମା ଅନୁଭବ କରିବାର ଶକ୍ତି ତୁମ୍ଭର ନଥାଏ—ଜୀବନ କାଳରେ ତାକୁ ପ୍ରେମ କର ଅବା ନ କର, କିନ୍ତୁ ତାହାର ବିଚ୍ଛେଦ ଯନ୍ତ୍ରଣା ଅବଶ୍ୟ ଭୋଗିବାକୁ ହେବ—ଆଉ ସ୍ୱାଧୀ, ସଚ୍ଚରିତ୍ର ପତିପରାୟଣା ଧାର୍ମିକା ସ୍ତ୍ରୀର ଗୁଣଗାରିମା ଯେଉଁ ଲୋକ ଥରେ ମାତ୍ର ଅନୁଭବ କରିଅଛି, ତାହାର ବିଚ୍ଛେଦ ଯନ୍ତ୍ରଣା ଯେ କି ରୂପେ ଅସହ୍ୟ, ତାହା ବର୍ଣ୍ଣନା କରିବାକୁ ଭାଷାର ସୃଷ୍ଟି ହୋଇନାହଁ । –ସେହି ବ୍ୟକ୍ତି ବୋଧକରେ ଜଗତର ସମସ୍ତ ସୁନ୍ଦର ପଦାର୍ଥର ସୌନ୍ଦର୍ଯ୍ୟ, ସମସ୍ତ ମାଧୁର୍ଯ୍ୟର ମାଧୁରିମା, ସମସ୍ତ ପୁଷ୍ପର ସୁଗନ୍ଧ, ସମସ୍ତ ସଂଗୀତ ତାନ ଲହରୀ, ସମସ୍ତ ପବିତ୍ରତା ଚିତାଗ୍ନିରେ ଦଗ୍ଧୀଭୁକ୍ତ ହୋଇ ଯାଇଛି । ସଂକ୍ଷେପରେ କହିବାକୁ ଗଲେ, ସେ ଆପଣାକୁ ମୃତଲୋକ ମଧ୍ୟରେ ଜୀବିତ, ଜୀବିତ ମଧ୍ୟରେ ଅପଣାକୁ ମୃତ ବୋଲି ମନେ କରେ ।” ଏମିତି ଲେଖୁ, ଲେଖୁ ଫକୀରମୋହନଙ୍କର ଚମ୍ପା କଥା ମନେ ପଡ଼ିଯାଇଛି ଓ ତାଙ୍କ ଅବଦମିତ କବି ପ୍ରତିଭା ଜାଗି ଉଠିଛି, ସେ ଅନ୍ୟ ଏକ ଅନୁଚ୍ଛେଦକୁ ଡେଇଁ ପଡ଼ିଛନ୍ତି ଧ୍ୱନିଗାମ୍ଭୀର୍ଯ୍ୟ ଓ ଶବ୍ଦାଡ଼ମ୍ବର ସହିତ, ‘‘ମଙ୍ଗରାଜଙ୍କ ଜୀବନ କ୍ଷେତ୍ରରେ ଦୁଇଗୋଟି ନଦୀ ପ୍ରବାହିତ ହେଉଥିଲା । ଗୋଟିଏ ଉତ୍ତାଳ ତରଙ୍ଗମୟୀ ସର୍ପକୁମ୍ଭୀର ସଙ୍କୁଳା କୂଳପ୍ଳାବିନୀ ଚର୍ମଣ୍ୱତୀ ଆଉ ଗୋଟିଏ ଅନ୍ତଃସ୍ରୋତା ପୂତସଲିଲା କୂଳପାବିନୀ ଫଲ୍ଗୁ । ହୁଏତ ମଙ୍ଗରାଜେ ବୁଝିଛନ୍ତି, ଫଲ୍ଗୁ ଚିରକାଳ ନିମନ୍ତେ ବିଦାୟ ଗ୍ରହଣ କଲା ।” ଏଠାରେ ଫକୀରମାହନଙ୍କ ଗଦ୍ୟରୀତି ଆମ ପ୍ରଚଳିତ ଧାରଣାକୁ ବିପର୍ଯ୍ୟସ୍ତ କରି ଅସାଧାରଣ ଶିଳ୍ପ ସେ ସୌଷ୍ଠବରେ ପ୍ରତିଷ୍ଠିତ ହୋଇଛି ।
ଫକୀରମୋହନଙ୍କ ଗଦ୍ୟଶୈଳୀ ତାଙ୍କ ବକ୍ତବ୍ୟର ଅବିଚ୍ଛେଦ୍ୟ ଅଙ୍ଗ । ବିଶେଷଣ, ବିଶ୍ଳେଷଣ, କୌତୁକ, କଟାକ୍ଷ, ତାରଲ୍ୟ ଓ ଗାମ୍ଭୀର୍ଯ୍ୟରେ ଉଚ୍ଛ୍ୱସିତ ହୋଇ ତାହା ଅମୂଳାନ୍ତ ଜୀବନ୍ତ ରହିଛି, ସ୍ଥାନେ ସ୍ଥାନେ ତାହା କବିତ୍ୱରେ ବି ସ୍ୱପ୍ରକାଶ । ତାଙ୍କ ଶୈଳୀରେ ଅଛି କାବ୍ୟଗୁଣ, ବେଗ ଓ ଗାମ୍ଭୀର୍ଯ୍ୟ, ଧ୍ୱନିରୋଳ, ସଂଯତ ଅର୍ଥାଳଙ୍କାର ଓ ଅନୁଭୂତି ତଥା ବ୍ୟଞ୍ଜନା । ଏହା ତାଙ୍କ ବ୍ୟକ୍ତିତ୍ୱକୁ ବି ସୁଚାଉଛି ।
ଉଭୟ ‘ବିଷବୃକ୍ଷ’ ଓ ‘ଛ’ ମାଣ ଆଠଗୁଣ୍ଠ’ରେ ‘କୋହିନୂର ପ୍ରତୀକଟି ବ୍ୟବହୃତ । ପ୍ରତ୍ୟାଶିତ ବସ୍ତୁର ପ୍ରାପ୍ତି ଯେ ପରିଣାମରେ କିପରି ଭୟଙ୍କର ଓ ସର୍ବନାଶୀ-ତାହା କୋହିନୂର ପ୍ରାପ୍ତିରେ ଉଦାହୃତ । ବିଷବୃକ୍ଷର ‘କୁଳନନ୍ଦିନୀ” ଓ ଛ’ ମାଣ ଅଠଗୁଣ୍ଠ ଜମିର ପ୍ରଲୋଭନ ଅସଂବରଣୀୟ । କିନ୍ତୁ ପ୍ରାପ୍ତି ଭୟାବହ ଓ ଶୋଚନୀୟ । କ’ଣ ହୋଇପାରେ ଏପର ପରିଣତିର କାରଣ । ନାୟକର ଅଯୋଗ୍ୟତା ନା ବସ୍ତୁର ମାରାତ୍ମକତା ? ଫକୀରମୋହନ-ମଣିଷର ଅଯୋଗ୍ୟତା ପ୍ରତି ଇଙ୍ଗିତ କରିଛନ୍ତି, କୋହିନୂର ପୁଣି ବ୍ରଟିଶ ରାଣୀଙ୍କ ମୁକୁଟ ମଣ୍ଡିଛି, ତାଙ୍କ ସୌଭାଗ୍ୟର ଦୀପ୍ତି ସଞ୍ଚାରିଛି । ଏଠି ଅନ୍ତରାଳରେ ମଧ୍ୟ ରାମାୟଣ ମିଥ୍ଟି ସକ୍ରିୟ ରହିଛି, ଶ୍ରୀରାମଙ୍କ ପାଇଁ ସୀତା ପରମା ଓ କଲ୍ୟାଣମୟୀ, କିନ୍ତୁ ରାବଣ ପାଇଁ ମାରାତ୍ମିକା । ଛ’ମାଣ ଆଠଗୁଣ୍ଠର "ଗଭୀର-ସ୍ତରରେ ରାମାୟଣର ଆଖ୍ୟାନ-ପାଟର୍ନଟି ବ୍ୟବହୃତ ହୋଇଛି, ଯେମିତି ‘ମାମୁଁ’ ରେ ଅଛି ଭାଗବତ-ପାଟର୍ନ । ମାମୁଁ କଂସଟିର ପ୍ରତିଭୂ । ରାମଚନ୍ଦ୍ର ମଙ୍ଗରାଜ ରାବଣର ପ୍ରତିଭୂ । ‘ପରଜା’ ଉପନ୍ୟାସର ଗତି ନିୟାମକ ଥିଲା ଏହି ଛ’ ମାଣ ଆଠଗୁଣ୍ଠ, ତାହାର ଦୁବୃତ୍ତଟିର ନାମ ବି ରାମ । ଉଭୟ ଉପନ୍ୟାସ ବି ପ୍ରାପ୍ତିର ଅର୍ଥହୀନତା ଓ ଧ୍ୱଂସବହତାର ଇଙ୍ଗିତ କରିଥାନ୍ତି । ମଣିଷ ଜୀବନର ଅର୍ଥହୀନତା ‘ଛ’ ମାଣ ଆଠଗୁଣ୍ଠ’ ସୁଚାଏ କି ? ନା ଲୋଭର ପରିଣାମ ଦେଖାଏ ମାତ୍ର ? ପାଇବା ପୁଣି ଏଡ଼େ ନିର୍ମମ ଓ ଶୋକାବହ ? ନ ପାଇବା କ'ଣ ତେବେ ଶୁଭଙ୍କର ? ଏହି ସବୁ ପ୍ରଶ୍ନରେ ବିଚାରର ଉପସଂହାର ହେଉ ।
ଅଗ୍ରଦୂତ ‘ଛ’ ମାଣ ଆଠଗୁଣ୍ଠ’ର ଶୁଦ୍ଧ ସଂସ୍କରଣଟିଏ ପ୍ରକାଶ କରିବାକୁ ଚାହିଁଛନ୍ତି । ଆନନ୍ଦର କଥା । କିନ୍ତୁ ପୋଥିସଂପାଦନାଠାରୁ ବହୁ ସଂସ୍କରଣ ଭିତର ଦେଇ ଆମ ନିକଟରେ ପହଞ୍ଚିଥିବା ମାତ୍ର ଶହେବର୍ଷ ତଳର ଛାପା ବହିର ସଂପାଦନା ଯେ କେଡ଼େ ବଳି କଷ୍ଟକର ବ୍ୟାପାର ତାହା ଏହି କାର୍ଯ୍ୟରେ ହାତ ଦେଇ ନଥିଲେ ଲେଖକ ଜାଣିପାରି ନ ଥାନ୍ତା । ପୋଥିର ଅନୁଲେଖକ କ୍ୱଚିତ୍ ଯାନ୍ତ୍ରିକ ଭାବରେ ପୋଥି ଉତ୍ତାରନ୍ତି, ତାଙ୍କର ଅଜ୍ଞତା ଥାଏ ସିନା ଅବହେଳା କି ଅବଜ୍ଞା ନଥାଏ । କିନ୍ତୁ କଂପୋଜିଟରର ? ପୋଥିର ଅନୁଲେଖକ ଜାଣିଥାନ୍ତି ସେ ପବିତ୍ର କାର୍ଯ୍ୟ କରୁଛନ୍ତି, ତଦ୍ଦ୍ୱାରା ଜାତୀୟ କଲ୍ୟାଣ ସମ୍ପନ୍ନ ହେବ । ଶେଷକୁ କ୍ଷମାଭିକ୍ଷା କରିଥାନ୍ତି ମଧ୍ୟ ସମ୍ଭାବ୍ୟ ଦୋଷତ୍ରୁଟି ପ୍ରତି ସଚେତନ ହୋଇ । ତାଙ୍କର ଅର୍ଥବୋଧ ଥାଏ, କେହି କେହି ମଧ୍ୟ କଳ୍ପନା ଓ କବିତ୍ୱର ଅଧିକାରୀ ହୋଇଥାନ୍ତି ; ଯୋଡ଼ି ଦିଅନ୍ତୁ କିଛି ଧାଡ଼ି କି ଆଖ୍ୟାନ—ପାଠକର ଅର୍ଥବୋଧ ଓ ରସବୋଧରେ ସହାୟକ ହେବାରେ ଯାହାର ସାମର୍ଥ୍ୟ ଓ ସମ୍ଭାବନା ଥାଏ । କିନ୍ତୁ କଂପୋଜିଟର ବଡ଼ ଯାନ୍ତ୍ରିକ ଭାବରେ କାର୍ଯ୍ୟଟି କରନ୍ତି, ଅର୍ଥବୋଧ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିଥାନ୍ତି, ତେଣୁ ଶବ୍ଦ ବଦଳିଗଲେ କି କେତୋଟି ଧାଡ଼ି ବାଦ୍ ପଡ଼ିଲେ ତାଙ୍କର କିଛି ଯାଏଆସେ ନାହିଁ । ‘ଛ’ ମାଣ ଆଠଗୁଣ୍ଠ’ ତାଙ୍କରି ହାତରେ ପଡ଼ି ବିକୃତ ହୋଇଛି । ଲେଖକ ତାହାକୁ ଯଥାସାଧ୍ୟ ମୂଳପାଠ ସହିତ ମିଳାଇବାକୁ ଚାହିଁଛି । ଏ କ୍ଷେତ୍ରରେ ‘ଉତ୍କଳ ସାହିତ୍ୟ’ ସହାୟକ ହେବା କଥା । କିନ୍ତୁ ଲେଖକମାତ୍ରେ ସାହିତ୍ୟ ପତ୍ରିକାର ନିଜଲେଖା ସଂଗ୍ରହ କରି ପୁସ୍ତକ ଆକାରରେ ଛାପିଲାବେଳେ କିଛି ପରିମାର୍ଜନ ଓ ପରିବର୍ଦ୍ଧନ କରିଥାନ୍ତି । ଫକୀରମୋହନ ୧୯୦୨ରେ ‘ଛ’ ମାଣ ଆଠଗୁଣ୍ଠର ପ୍ରଥମ ସଂସ୍କରଣରେ କିଛି ହସ୍ତକ୍ଷେପ କରିଛନ୍ତି ନିଶ୍ଚୟ । ତେଣୁ ବଜାରରେ ମିଳୁଥିବା ବହିର ପାଠ ସହିତ ଉତ୍କଳ ସାହିତ୍ୟର ପାଠ ଅବକଳ ମିଶୁନାହିଁ ! ଲେଖକ ବିନୟର ସହିତ ସ୍ୱୀକାର କରୁଛି ଯେ, ସେ ପ୍ରଥମ ସଂସ୍କରଣଟି ପାଇ ନାହିଁ । ବଜାରରେ ମିଳୁଥିବା ବହିଟିର ଶୂନ୍ୟତାକୁ ଅର୍ଥାତ୍ ବାଦ୍ ପଡ଼ିଯାଇଥିବା ଅଂଶଗୁଡ଼ିକୁ ଉତ୍କଳ ସାହିତ୍ୟର ପାଠ ସହାୟତାରେ ଭରଣା କରିଛି ମାତ୍ର । ଏ କ୍ଷେତ୍ରରେ ତାହାକୁ ସାହାଯ୍ୟ କରିଛନ୍ତି ଅନୁଜ ପ୍ରତିମ ସହକର୍ମୀ-ବନ୍ଧୁ, ଡଃ କଇଳାଶ ପଟ୍ଟନାୟକ ଡଃ ପୂର୍ଣ୍ଣଚନ୍ଦ୍ର ମିଶ୍ର । ସେ ତାଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛି । ଆଉ ‘ଅଗ୍ରଦୂତ’ ଆମକୁ ଉତ୍ସାହିତ କରିଥିବାରୁ ତାହାର ସ୍ୱତାଧିକାରୀଙ୍କୁ ସାଧୁବାଦ ଜ୍ଞାପନ କରୁଛୁ ।
ଶନିସପ୍ତାଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି