ବୁଢ଼ୀ ମଙ୍ଗଳା — ଛ’ମାଣ ଆଠଗୁଣ୍ଠ — ଫକୀରମୋହନ ସେନାପତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବୁଢ଼ୀ ମଙ୍ଗଳା
‘‘ଯା ଦେବୀ ବୃକ୍ଷମୂଳେଷୁ ଶିଳାରୂପେଣ ସଂସ୍ଥିତା
ନମସ୍ତସ୍ୟୈ, ନମସ୍ତସ୍ୟୈ, ନମସ୍ତସ୍ୟୈ ନମୋନମଃ ।
ମୃତ୍ତିକାଶ୍ୱଗଜାରୂଢ଼ା ବନ୍ଧ୍ୟାୟୋଃ ପୁତ୍ରଦାୟିନୀ
ବାଡ଼ିସଂହାରିଣୀ ଦେବୀ, ନାରାୟଣୀ ନମୋସ୍ତୁତେ ।’’
ଅସୁରଦୀଘିର ପଶ୍ଚିମ କୋଣ । ଗାଆଁ ଭିତର ଦୀଘିକୁ ଯିବା ବାଟର ଡାହାଣ ହାତ ପାଖରେ ଗୋଟିଏ ଭାରି ବରଗଛ ଅଛି । ଗଛମୂଳର ଚିହ୍ନ ନାହିଁ, କୋଡ଼ିଏ ପଚିଶ ଗୋଟା ଓର ପଡ଼ି ଡାଳଗୁଡ଼ିକ ପରସ୍ପର ଛନ୍ଦାଛନ୍ଦି ହୋଇ ଗଛଟି ପ୍ରାୟ ବାର ତେର ଗୁଣ୍ଠ ଜମି ମାଡ଼ିବସିଅଛି । ସାନ ସାନ ଡାଳ ଓ ପତ୍ରଗୁଡ଼ିକ ଏପରି ନିଘଞ୍ଚ ହୋଇଛି ଯେ, ଖରା ତେଜ ମୂଳକୁ ବାଜେ ନାହିଁ । ଗଛଟି ବହୁକାଳର । ପୁରୁଖା ଲୋକମାନେ କହନ୍ତି, ଏଇଟି ସତ୍ୟଯୁଗର ଠାକୁରାଣୀ-ଗଛ–ସେମାନେ ପିଲାକାଳରୁ ଦେଖି ଆସୁଛନ୍ତି, ଏହା ବଢ଼ିବାକୁ ବା ଛିଡ଼ିବାକୁ ନାହିଁ । ଗଲା ସାତଅଙ୍କ ତୁଳାମାସ ଉଆଁସ ଦିନ ଭାରି ଗୋଟାଏ ତୋଫାନ ହୋଇଥିଲା । ଗାଆଁର ସମସ୍ତ ସଜନାଗଛ ଓ କଦଳୀଗଛ ପ୍ରଭୃତି ଉପୁଡ଼ିଗଲା; ଏ ଗଛରୁ ଗୋଟିଏ ପତର ମଧ୍ୟ ଝଡ଼ିଲା ନାହିଁ । ଠାକୁରାଣୀ ମହିମା !
ମଝିରେ ଚାରିଗୋଟି ଓର ଗଛ ପରି ଛିଡ଼ାହୋଇଛି । ତାହା ମୂଳରେ ଗ୍ରାମଦେବତୀଙ୍କ ଆସ୍ଥାନ (୧) । ଠାକୁରାଣୀଙ୍କ ନାମ ବୁଢ଼ୀ ମଙ୍ଗଳା । ମଙ୍ଗଳାଙ୍କର ଅଢ଼େଇମାଣ ଦେବୋତ୍ତର ଜମି ଅଛି । ବାରଗୁଣ୍ଠ ଆଠବିଶ୍ୱା ବିଜେ ଆସ୍ଥାନ ତଳି, ବାକି ଦୁଇମାଣ ଜଳଜମି ଦେଉରୀ (୨) ଭୋଗ କରେ ଓ ଠାକୁରାଣୀଙ୍କ ପୂଜା କରେ । ଗ୍ରାମରେ, ବିଶେଷରେ ମାଇକିନିଆମାନଙ୍କ ମଧ୍ୟରେ ଦେଉରୀର ଭାରି ମହିମା । ଠାକୁରାଣୀ ସ୍ୱପ୍ନରେ ଦେଉରୀକୁ ଦେଖା ଦିଅନ୍ତି, ସବୁ କଥା କହନ୍ତି । କାହାରି ବାଡ଼ିରେ କଦଳୀଟାଏ, ବାଇଗଣଟାଏ, କଖାରୁଟାଏ ଫଳିଲେ ଆଗ ଫଳଟା ଠାକୁରାଣୀଙ୍କୁ ନ ଦେଲେ ସେ ଖାଏ ନାହିଁ ।
ମଣ୍ଡପଟି ପକ୍କାରେ ତୟାରି । ମଝିରେ ଠାକୁରାଣୀଙ୍କର ନିଜ ମୂର୍ତ୍ତି । ମୂର୍ତ୍ତିଟି ଖୁବ୍ ବଡ଼, ଓଜନରେ ଦଶ ପସୁରିରୁ ଊଣା ହେବ ନାହିଁ, ଦୁଇ ଚାରିଟା ହଳଦିବଟା ମିଶିଲେ ଯେତେ ବଡ଼, ତହିଁରୁ ବଳିପଡ଼ିବ । ଗୋଟାକଯାକ ଚାରିଆଙ୍ଗୁଳ ବହଳ ସିନ୍ଦୂରବୋଳା । ବଡ଼ ଠାକୁରାଣୀଙ୍କୁ ଛାଡ଼ି ଆଉ ଚାରିଗୋଟି ସାନ ମୂର୍ତ୍ତି ଅଛନ୍ତି । ମଣ୍ଡପ ଡାହାଣ ଭାଗରେ କିଛି ଦୂରରେ ଭଙ୍ଗା ଦଦରା ମାଟିର ହାତୀ, ଘୋଡ଼ା ପଣେ କି ଦୁଇପଣ ଜମା ହୋଇଅଛି । ଠାକୁରାଣୀଙ୍କୁ ମାଟିର ହାତୀ ବା ଘୋଡା ଚଢ଼ିବାକୁ ଦେଲେ ପିଲାମାନଙ୍କର ପୀଡ଼ା ଛାଡ଼ିଯାଏ—ବଡ଼ ବଡ଼ ଲୋକଙ୍କର ପୀଡ଼ା ଛାଡ଼ିବାର–ମଧ୍ୟ ଦେଖା ଓ ଶୁଣା ଅଛି । ସେଥିସକାଶେ ଠାକୁରାଣୀଙ୍କ ପାଗା (୩) କେଭେ ଖାଲି ଥାଏ ନାହିଁ । ଦେବୀଙ୍କର ପୂଜା ପ୍ରତିଦିନ ହୁଏ ନାହିଁ । ଶୁଖିଲାପତ୍ର ଆଉ ଅଳିଆରେ ଢାଙ୍କି ହୋଇଥାନ୍ତି । ବିଭା, ପୁଆଣିଘର କାହାରି ପୁଅ-ଝିଅର ବେରାମ ଆରାମ ହେଲେ କିମ୍ବା କାହାରି ମାନସିକ ଥିଲେ ପୂଜା ହୁଏ । ଗାଆଁରେ ବାଡ଼ି ପଡ଼ିଲେ ପୂଜାର ଧୂମ୍ ଲାଗୁଥାଏ । କିରାଣିମାନଙ୍କ ପରି ମାସକୁ ମାସ ଠାକୁରାଣୀଙ୍କର ଆୟ ନାହିଁ । ବିପଦ ପଡ଼ିଲେ ଡାକ୍ତର ଆଉ ଓକିଲଙ୍କ ଦୁଆର ପରି ଠାକୁରାଣୀଙ୍କ ଆସ୍ଥାନ ଚମକିଉଠେ । ଗ୍ରାମର ଲୋକଙ୍କ ଭେଦା ପଇସାରେ ପୂଜାଖର୍ଚ୍ଚ ଚଳେ । ଠାକୁରାଣୀ ଭାରି ପ୍ରତ୍ୟକ୍ଷ ଦେବତା, ଏହାଙ୍କ ଅନୁଗ୍ରହରୁ ଗ୍ରାମରେ ଆପଦ ବିପଦ ଘଟେ ନାହିଁ । କେବେ କେବେ ମାଉସୀ ବୁଢ଼ୀ ପ୍ରବଳ ହୋଇ ଗ୍ରାମରେ ପଶିଯାଏ । ମାତ୍ର ଭଲ କରି ପୂଜା ଦେଲେ ଶଏ ପଞ୍ଚାଶ ଜଣରୁ ବେଶି ନେଇପାରେ ନାହିଁ, ଛାଡ଼ି ପଳାଏ ।
ଆପଣ ସଭ୍ୟ ପାଠକ, ଏ କଥା ଶୁଣି ହସିବେ । ବିଜ୍ଞାନଶାସ୍ତ୍ର ଯୋଖି ଦେଇ କହିବେ, ରୋଗ ହେଲେ ଔଷଧ ଖାଅ, ଠାକୁରାଣୀଙ୍କର ପୂଜା କ’ଣ ? ଆଚ୍ଛା, ଆମ୍ଭେମାନେ ପଚାରୁଁ, ବଙ୍ଗଳା ଏପିଡେମିକ୍ ଫିଭର୍ ଓ ବୋମ୍ବେ ପ୍ଲେଗରେ କେଡ଼େ କେଡ଼େ ଡାକ୍ତର ଝୁଙ୍କିଥିଲେ କ’ଣ କଲେ ? ଆପଣ କି ସେହି ଡାକ୍ତରମାନଙ୍କର ଅର୍ଦ୍ଧଚନ୍ଦ୍ର ବ୍ୟବସ୍ଥା କରିବେ ? ଠାକୁରାଣୀଙ୍କର ବିଶେଷ ମହିମା; ବନ୍ଧ୍ୟାକୁ ପୁତ୍ରବତୀ କରନ୍ତି । ମାଇକିନିଆ ମାନଙ୍କଠାରୁ ବିଶେଷ ପୂଜା ପାଇବାର ଏହା ଗୋଟିଏ ବିଶେଷ କାରଣ ଅଟେ । କେଉଁ କେଉଁ ବା କେତେଜଣ ବନ୍ଧ୍ୟା ଦେବୀଙ୍କ ବରରୁ ପୁତ୍ର ଲାଭ କରିଅଛନ୍ତି, ସେଥିରେ ବିଶେଷ ଡାବ ଦେଇପାରିବୁଁ ନାହିଁ । ମାତ୍ର ଆମ୍ଭେମାନେ ନିର୍ମାଲ୍ୟ (୪) ଛୁଇଁ କହିପାରୁ, ଗ୍ରାମରେ ଯେଉଁ ସ୍ତ୍ରୀମାନେ ସନ୍ତାନବତୀ ହୋଇଅଛନ୍ତି, ପ୍ରଥମେ ବିବାହ ସମୟରେ ସେମାନେ ବନ୍ଧ୍ୟା ଥିଲେ । ପୂର୍ବେ ବୋଲିଅଛୁଁ, ଦୀଘିକୁ ଯିବାପାଇଁ ଠାକୁରାଣୀଙ୍କ ଆଗରେ ଗୋଟିଏ ବାଟ ଅଛି । ଗ୍ରାମର ମାଇକିନିଆମାନେ ସେହିବାଟେ ଯିବା ଆସିବା କରନ୍ତି । ଗୋଟିଏ ସ୍ତ୍ରୀ ବୟସ ଅନ୍ଦାଜ ତିରିଶ ହେବ, ପ୍ରତିଦିନ ସ୍ନାନ କରି ଆସି କାଖରୁ ମାଠିଆଟି ଓହ୍ଲାଇ ଠାକୁରାଣୀଙ୍କ ଆଗରେ ଥୋଇଦିଏ, ପହଁରାରେ ଦେବୀଙ୍କ ଆଗଟି ପହଁରିଦେଇ ମାଠିଆରୁ ପୋଷେ ପାଣି ନେଇ ଠାକୁରାଣୀ ଗଛମୂଳରେ ଦିଏ ଓ ଭୂଇଁରେ ମୁଣ୍ଡିଆ ମାରି ତୁନି ତୁନି କ’ଣ ଜଣାଏ ଏବଂ ପ୍ରତିଦିନ ସଞ୍ଜବେଳେ ଗୋଟିଏ ବଳିତା ଜାଳି ଆଣି ଠାକୁରାଣୀ ସ୍ଥାନରେ ସଞ୍ଜ ଦିଏ ଏବଂ କ’ଣ ପ୍ରାର୍ଥନା କରେ । ଏହିପରି କରୁଥିବାର ଛ’ମାସ ହେଲା ଲୋକମାନେ ଦେଖି ଆସୁଛନ୍ତି । ତାହା ମନର କଥା କେହି ଜାଣେ ନାହିଁ, କାରଣ ସେ ସ୍ତ୍ରୀଟି ବଡ଼ ଲାଜକୁଳୀ, ସବୁବେଳେ ଓଢ଼ଣା ପକାଇଥାଏ, କାହାରି ସହିତ ମିଶେ ନାହିଁ, କାହାରି ସହିତ କଥା କହେ ନାହିଁ ।
ଗ୍ରାମର ଗୋରୁଜଗା ପିଲାମାନେ ଖରାବେଳେ ପଡ଼ିଆରେ ଗୋରୁ ଛାଡ଼ିଦେଇ ଠାକୁରାଣୀଙ୍କ ନିକଟ ଗଛମୂଳରେ ଖେଳନ୍ତି । ହଠାତ୍ ଖେଳ ଛାଡ଼ି ପାଞ୍ଚଣ ଧରି ସମସ୍ତେ ଘେରି ଛିଡ଼ା ହୋଇଗଲେ । ସେମାନଙ୍କ ଦେଖା ଦେଖି ଗ୍ରାମର ୧୦।୧୫ ଜଣ ଲୋକ ରୁଣ୍ଡ ହୋଇଗଲେଣି । କାଲି ତ ପୂଜା ହୋଇନାହିଁ, ଠାକୁରାଣୀଙ୍କଠାରେ ପୂଜା ସରଞ୍ଜାମ କାହୁଁ ପଡ଼ିଲା ? ମନ୍ଦାର ଫୁଲ, ଶତବର୍ଗ ଫୁଲର ମାଳ, ଖଇ, ଉଖୁଡ଼ା ଚାରିଆଡ଼େ ବୁଣି ପଡ଼ିଅଛି, ଠାକୁରାଣୀ ଦେହରେ ତଟକା ହଳଦୀ ଲାଗିଅଛି । ଠାକୁରାଣୀ ପୂଜା ଗ୍ରାମ ମଧ୍ୟରେ ଗୋଟିଏ ବିଶେଷ ଘଟଣା । ଭେଦାହୁଏ, ବାଇଦ ବାଜେ, ଗ୍ରାମର ସମସ୍ତେ ଦେଖିବାକୁ ଆସନ୍ତି । ପୂଜା ସନ୍ଧ୍ୟା ସମୟରେ ହୁଏ । ମାନସିକ ପୂଜା ମଧ୍ୟ ସେହିପରି ହୁଏ । କାହିଁ, କାଲି ତ ବାଇଦ ବାଜିନାହିଁ, ସଞ୍ଜବେଳେ ପୂଜା ହୋଇନାହିଁ, ଏସବୁ କାହୁଁ ଅଇଲା ? ଗୋଟାଏ ପିଲା ଡକାପାଡ଼ି କହିଲା, ‘‘ଏଟା କ’ଣ ଏଟା କ’ଣ-? ସମସ୍ତେ ଧାଇଁଯାଇ ଦେଖିଲେ, ଠାକୁରାଣୀ ପଛରେ ଭାରି ଗୋଟିଏ ବିଳ । ବିଳମୁହଁ ଠାକୁରାଣୀ ମଣ୍ଡପଠାରୁ ତିନିହାତ ଦୂରରେ, ବାହାର ମୁହଁଟା ଖୁବ୍ ବଡ଼, ଜଣେ ମନୁଷ୍ୟ ଯାଇ ବସିପାରେ-। ଗାଁ ଯାକ ଏ କଥା ମେଲିଗଲା । ଲୋକମାନେ ଦେଖିବାକୁ ଧାଇଁଲେ । ମଙ୍ଗରାଜେ ମଧ୍ୟ ଶୁଣିପାରି ଧାଇଁ ଅଇଲେ । ନାନା କଥା ହୋଇ ଶେଷରେ ସ୍ଥିର ହେଲା, କୌଣସି ଭକ୍ତର କଷ୍ଟ ଫେଡ଼ିବା ନିମନ୍ତେ ଠାକୁରାଣୀ କାଲି ନିଶାଭାଗ ରାତିରେ ବିଜେ ହୋଇଥିଲେ । ବିଳଟା ତାଙ୍କ ବାଘ ଖୋଳି ପକାଇଅଛି । ମଙ୍ଗରାଜେ କହିଲେ ‘‘ଏହି ବିଳ ମଧ୍ୟରେ ବର୍ତ୍ତମାନ ବାଘ ଥିବାର ଜଣାଯାଉଅଛି-।’’ ବାଘ ନାମ ଶୁଣି ସମସ୍ତେ ପଳାଇଲେ । ଶେଷରେ ମଙ୍ଗରାଜେ ରାମା ମୁହକୁ ଚାହିଁ ଚାହିଁ ଚାଲିଗଲେ-। ବୋଧକରୁ, ଏହା କିଛି କାର୍ଯ୍ୟର ସାଙ୍କେତିକ ଚିହ୍ନ । ତହିଁ ଆରଦିନ ଆଉ କେହି ବିଳ ଦେଖିଲେ ନାହିଁ-। ଏହି କଥାଟା ଗ୍ରାମରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା । ଭୀମା ମା’ ଭଣ୍ଡାରୁଣୀ କହିଲା, ‘‘ମୋର ବୟସ ସାତଗଣ୍ଡା କି ଦେଢ଼ପଣ କି ଚାରିପଣ ହେଲାଣି, ଗ୍ରାମରେ ଯେତେ ବୁଢ଼ା ଦେଖୁଛ, ମୁଁ ସମସ୍ତଙ୍କୁ ବିଭା କରାଇଅଛି । ସମସ୍ତେ ମୋ ଆଗରେ ପିଲା । ମୁଁ ନିଜ ଆଖିରେ ଠାକୁରାଣୀଙ୍କୁ ଏଥରକୁ ଲଗାଇ ଚାରିଥର ଦେଖିଲିଣି । କାଲି ନିଶାଭାଗ ରାତିରେ ବାହାରକୁ ଉଠିଥିଲି । ଗୋହିରି ମଝିରୁ ଝୁଣାଗନ୍ଧ ଆସିଲା । ଝମର ଝମର ଶୁଭିଲା । ଅନାଇଲି, ବାଘ ଉପରେ ବସି ଠାକୁରାଣୀ ବିଜେ ହେଉଛନ୍ତି । ବାପରେ ! ସେ ବାଘଟା କେଡ଼େ ! ମୁଁ କେତେ ବାଘ ଦେଖିଛି, ଏଡ଼େ ବଡ଼ ବାଘ କାହିଁ ଦେଖିବାର ନାହିଁ । ତା’ର ଲମ୍ବଟା ସାତ କି ଆଠ ହାତ ହେବ-। ମୁଣ୍ଡଟା ବଡ଼ ପଣ୍ଡା (୫) ମୁଣ୍ଡ ପରି ତ୍ରିପଣ୍ଡ କଳା । ବାଘଟା ମୋ ଆଡ଼କୁ ତରାଟି ଚାହିଁଲା । ମୁଁ ତ ଡରରେ ତାଟି କିଳି ପକାଇଲି ।’’ ଅଧରାତିବେଳେ ଦାଣ୍ଡରେ ବାଘ ଚାଲିବା ଶବ୍ଦ ଶୁଣିଥିବାର ଆହୁରି ମଧ୍ୟ ଚାରି ପାଞ୍ଚଜଣ ବୁଢ଼ା ମନୁଷ୍ୟ ସାକ୍ଷ୍ୟ ଦେଲେ । ସକାଳେ ବାଘ ଖୋଜ ରାମା ତନ୍ତୀ ଦେଖିଥିବାର ଦୃଢ଼ ରୂପେ କହିଲା । ଠାକୁରାଣୀ ଆସିଥିବାର ନିଃସନ୍ଦେହରେ ସ୍ଥିର ହେଲା ।
୧) ଆସ୍ଥାନ—ପ୍ରତିମା ଆଦି ବସିବାର ସ୍ଥାନ, ୨) ଦେଉରୀ—ଗ୍ରାମ ଦେବତୀଙ୍କ ପୂଜକ, ୩) ପାଗା–ପଶୁ ରହିବାର ମେଲା, ଭକ୍ତମାନେ ଗ୍ରାମଦେବୀଙ୍କୁ ଦେଇଥିବା ମାଟିଘୋଡ଼ା ରହିବା ସ୍ଥାନ, ୪) ନିର୍ମାଲ୍ୟ—ପୁରୀର ଜଗନ୍ନାଥ ବା ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କ ମହାପ୍ରସାଦ ଅନ୍ନକୁ ଶୁଖାଇ କରି ରଖାଯିବା ପ୍ରସାଦ, ୫) ପଣ୍ଡା—ଅଣ୍ଡିରା ମଇଁଷି ।
ଶେଖ୍ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ଶେଖ୍ କେରାମତ୍ ଅଲିଙ୍କୁ ସମସ୍ତେ ଆଲିମିଆଁ ବୋଲି ଡାକନ୍ତି, ଆମ୍ଭେମାନେ ସେହି ନାମ ଲେଖିବୁଁ । ଆଲିମିଆଁ ପ୍ରଥମେ ଘୋଡ଼ାର ସୌଦାଗର ଥିଲେ । ପଶ୍ଚିମ ହରିହର ଛତର ମେଳାରୁ ଘୋଡ଼ା କିଣି ଆଣି ବଙ୍ଗଳା, ଓଡ଼ିଶାରେ ବିକ୍ରି କରିବା ତାଙ୍କର ବ୍ୟବସାୟ ଥିଲା । ମେଦିନୀପୁର ଜିଲ୍ଲାର ବଡ଼ ସାହେବକୁ ଗୋଟିଏ ଘୋଡ଼ା ବିକିଥିଲେ । ସେ ଘୋଡ଼ାଟି ଭଲ ପଡ଼ିବାରୁ ସାହେବ ମଉସୁଫ୍ ଭାରି ଖୁସି ହୋଇ ମିଆଁଙ୍କୁ ବ୍ୟବସାୟ ଓ ରୋଜଗାର ବିଷୟରେ ଅନେକ କଥା ମେହରବାନ୍ (୧) କରି ପଚାରିଲେ ଏବଂ ସୌଦାଗରିରୁ ବିଶେଷ ଲାଭ ନ ଥିବାର ଶୁଣି ତାକୁ ଗୋଟିଏ ଚାକିରି ଦେବାକୁ ଇଚ୍ଛା କରି ସେ (ଆଲିମିଆଁ) ଲେଖାପଢ଼ି ଜାଣନ୍ତି କି ନାହିଁ ପଚାରିଲେ । ମିଆଁ କହିଲେ, ‘‘ହଜୁର, ମୁଁ ପାରସି ଜାଣେ । କାଗଜ କଲମ ଦେଉନ୍ତୁ, ମୋ ନାମ ପୂରା ଲେଖିଦେବି ।’’ ପୂର୍ବେ ପାର୍ସିବିଦ୍ୟାର ଭାରି ଆଦର ଥିଲା । ଅଦାଲତର ଚଳିତ ବିଦ୍ୟା ଥିଲା ପାର୍ସି । ଭାରତ ଭାଗ୍ୟରେ ବିଧାତା ଏହିପରି ଲେଖନ ମୁନ ମାରିଛନ୍ତି, କାଲି ଥିଲା ପାର୍ସି, ଆଜି ହେଲା ଇଂରାଜୀ, ଏ ଉତ୍ତାରେ କ’ଣ ତାଙ୍କୁ ଜଣା । ମାତ୍ର ଏ କଥା ନିଶ୍ଚିତ, ଦେବନାଗରୀ-କପାଳ ପଥରତଳେ । ଇଂରାଜୀ ପଣ୍ଡିତମାନେ କହନ୍ତି, ‘ସଂସ୍କୃତ ମୃତଭାଷା ।’ ଆମ୍ଭେମାନେ ସେ କଥା ଆଉ ଟିକିଏ ସଫାକରି ବୋଲୁଅଛୁଁ–ଏହା ଦରମଲା ଲୋକମାନଙ୍କ ଭାଷା । ସେ କଥା ଥାଉ, ସାହେବ ମଉସୁଫ୍ଙ୍କ ମେହରବାନିରୁ ମିଆଁସାହେବ ଗୋଟିଏ ଚାକିରି ପାଇଲେ । ସେ ଚାକିରର ନାମ ଥାନା ଦାରୋଗାଇ-। ମିଆଁସାହେବ ନାନା ବିଘ୍ନରେ ଏବଂ ନିର୍ବିଘ୍ନରେ ତିରିଶ ବର୍ଷ ପର୍ଯ୍ୟନ୍ତ ଚାକିରି କରି ଅନେକ ବିଷୟ ସମ୍ପତ୍ତି ଅର୍ଜନ କରିଯାଇଥିଲେ । ଘର, ବାଗ୍ବଗିଚା, ଘର-ଆସବାବମାନ ଛାଡ଼ି ଜମିଦାରୀ ତାଲୁକ ଚାରିଗୋଟା । ପୂର୍ବେ ଓଡ଼ିଶା ଜମିଦାରୀ ସବୁ କଲିକତାରେ ନିଲାମ ହେଉଥିଲା-। ମିଆଁ ଥରେ କଲିକତାକୁ ଗୋଟିଏ ଖୁଣି ମାମଲା ଚଲାଣ ଘେନି ଯାଇ ତାଲୁକେ ଫତେପୁର ସରଷଣ୍ଡ ନିଲାମରେ କିଣିଥିଲେ । ଆପଣଙ୍କ ମନରେ ଆମ୍ଭମାନଙ୍କର କଥା ପ୍ରତି ସନ୍ଦେହ ହୋଇପାରେ । ଥାନା ଦାରୋଗା ବର୍ତ୍ତମାନ ବେଙ୍ଗଲ ପୋଲିସରେ ଇନ୍ସପେକ୍ଟର ତ ? ଏତେ ଟଙ୍କା କାହୁଁ ଅର୍ଜିଲା ? ମାତ୍ର ଆପଣ ଆଖିବୁଜି ପଢ଼ିଯାଆନ୍ତୁ, ଆମ୍ଭମାନଙ୍କ କଥାରେ ପଦେ ମିଛ ନାହିଁ, ନିର୍ମଳ ସତ । ଏ କଥା ସମସ୍ତେ ଜାଣନ୍ତି, ଜଣେ ଦିପୋଟି ଗୋବିନ୍ଦ ପଣ୍ଡା ବ୍ରାହ୍ମଣର ଗୋଟିଏ ମକଦ୍ଦମା ଡିଗ୍ରୀ କରିଦେବାରୁ ପଣ୍ଡେ କଲ୍ୟାଣ କରି କହିଲେ, ‘‘ଦିପୋଟିବାବୁ, ତୁମେ ଦାରୋଗା ହୁଅ ।’’ ଆପଣା କଥାଟାର ହାଲ ବୁଝିଲେ ତ? ବୁଦ୍ଧିମାନ ଲୋକେ ଠାରରୁ ସବୁ ବୁଝିଯା’ନ୍ତି । କଲିକତାର ପ୍ରସିଦ୍ଧ ଧନୀ ମୋତିଶୀଳ ପ୍ରଥମେ ଖାଲି ବୋତଲ ବିକୁଥିଲେ । ଜଣେ ଶୁଣ୍ଢୀ ବିଳାପ କରି କହିଥିଲା, ‘ମୋତିଶୀଳ ତୁଚ୍ଛା ବୋତଲ ବିକି କ୍ରୋଡ଼ପତି, ମୁଁ ପୂରାବୋତଲ ବିକି କାଙ୍ଗାଳୀ ।’’ ଆମ୍ଭମାନଙ୍କର ଭୟ, କୌଣସି ବି.ଏ.,ଏମ୍.ଏ. ପାସିଆବାବୁ ଆଲିମିଆଁଙ୍କ କଥା ଶୁଣି ଶୁଣ୍ଢୀ ପରି ବିଳାପ କରିବେ, ‘‘ହାୟ, ହାୟ, ମିଆଁ ଓଲଟା କଲମରେ ତୁଚ୍ଛା ନାମଟା ଲେଖି ଜମିଦାର, ଆମ୍ଭେ ସଳଖ କଲମରେ ଲମ୍ବା ଲମ୍ବା ଏତେ ଲେଖି ଖାଇବାକୁ ପାଉନାହୁଁ । କଥାଟା କ’ଣ ବାବୁ ଜାଣନ୍ତି, ‘‘ଭାଗ୍ୟଂ ଫଳତି ସର୍ବତ୍ର, ନ ବିଦ୍ୟା ନ ଚ ପୌରୁଷଂ ।’’
ଆଲିମିଆଁଙ୍କ ଗୋଟିଏ ମାତ୍ର ପୁତ୍ର, ନାମ ଶେଖ୍ ଦିଲ୍ଦାର ମିଆଁ ଓରଫ (୨) ଛୋଟାମିଆଁ । ପୁଅକୁ ଲାଏକ୍ ଏବଂ ଇଲାମ୍ଦାର କରିବା ସକାଶେ ଦାରୋଗା ସାହେବଙ୍କର କିଛିମାତ୍ର ଗଫ୍ଲିୟତି (୩) ନ ଥିଲା । ପାରସି ପଢ଼ାଇବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଘରେ ଆଖୁନ୍ (୪) ନିଯୁକ୍ତ ଥିଲେ । ଛୋଟାମିଆଁ ପନ୍ଦର ବର୍ଷ ମଧ୍ୟରେ ପାରସ୍ୟ ଭାଷାର ବିଲ୍କୁଲ୍ ବର୍ଣ୍ଣମାଳା ଓ ବନାନ ଶିଖି ପକାଇଥିଲେ । ଛୋଟାମିଆଁଙ୍କର ବାଇଶ ବରଷ ପୂରିଗଲାଣି, ଏତେବେଳେ ଆଖୁନ୍ଜୀ ଆଗରେ ବସି ଝୁଲି ଝୁଲି କିତାବ ପଢ଼ିଲେ ଲୋକେ କଣ ବୋଲିବେ ? ପୁଣି ଦୋସ୍ତମାନେ ଆସି ଅକାରଣ ବସିରହନ୍ତି, ସେମାନଙ୍କର କଷ୍ଟ ଦେଖିବା ମିଆଁଙ୍କର ବରଦାସ୍ତ ହେଉ ନ ଥିଲା । ବିଶେଷରେ ଆଖୁନ୍ଜୀ କେବେ କେବେ ବୋଲନ୍ତି ‘‘ନିଶା ଖାନେସେ ଆଦିମ୍ ଜାନୁଆର ହୋ ଯାତା ହୈ ।’’ ଏ କଥା ନିହାଏତ୍ ବେବରଦାସ୍ତ ।
ଦିନେ ଓପରଓଳି ଆଖୁନ୍ଜୀ ସାହେବ ଖାନା ଖାଇ ଚିତ୍ ହୋଇ ଶୋଇଥିଲେ । କେଉଟମାନେ ଯେପରି ତାଗ (୫) କାଟିବା ସକାଶେ ଛଣପଟ ବିଡ଼ା ମେଲାଇ ଦେଇଥାନ୍ତି, ସେହିପରି ବିଡ଼ାଏ ପାଚିଲା ଦାଢ଼ି ମିଆଁଙ୍କ ବେକ ଏବଂ ଛାତିକୁ ଘୋଡ଼ାଇ ପକାଇଥିଲା । ଗୋଟିଏ ଜଳନ୍ତା ଟିକିଆ ଦାଢ଼ି ମଝିରେ ପଡ଼ି ପଡ଼ ପଡ଼ କରି ପୋଡ଼ି ଛାତିରେ ଲାଗିବାରୁ ଆଖୁନ୍ଜୀ ଧଡ଼ପଡ଼ ହୋଇ ଉଠିପଡ଼ି ‘‘ତୋବା, ତୋବା’’ (୬) କହି ଦାଢ଼ି ଝାଡ଼ିବାକୁ ଲାଗିଲେ । ଟିକିଆ ଖଣ୍ଡ ଭାଙ୍ଗି ନିଆଁ ଝୁଲ ସବୁ ଲୁଗାପଟାଯାକ ବୁଣିପଡ଼ିଲା । ପାଚିଲା ଦାଢ଼ିଗୁଡ଼ାକ ଝରିବାଣ ପରି ଚାରିଆଡ଼େ ପଡ଼ୁଥାଏ । ‘‘ଆ ମେରି ତୋବାରେ, ଆ ମେରି ତୋବାରେ’’ କହି ମିଆଁ ଘରଯାକ ଡିଆଁ ମାରି ନିଆଁ ଲିଭାଉଥାନ୍ତି । ଲଙ୍କା ପୋଡ଼ିବାବେଳେ ହନୁମାନ ମୁହଁରେ ନିଆଁ ଲାଗିବାରୁ କିପରି ଦିଶୁଥିଲା, ମହର୍ଷି ବାଲ୍ମିକୀ ସେ କଥା ଖୋଲାସା କରି ଲେଖିଯାଇନାହାନ୍ତି, ତେଣୁ ଆମ୍ଭେମାନେ ଉପମା ଛଳରେ ସେ କଥାଟା ଉଲ୍ଲେଖ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ବିବେଚନା କରୁଅଛୁଁ । ‘‘ସର୍ବନାଶ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜତି ପଣ୍ଡିତଃ ।’’ ଆଖୁନ୍ଜୀ ସାହେବ ଏହି ନୀତିଶାସ୍ତ୍ର ଅନୁସାରେ ଅଧାଅଧି ଦାଢ଼ି ଆୟତ୍ତପୂର୍ବକ ‘‘ବିସ୍ମିଲ୍ଲା ବିସ୍ମିଲ୍ଲା’’ (୭) କହି ସେଦିନ ରାତିରେ କବାଟ କିଳି ରହିଲେ । ତହିଁ ଆରଦିନ ସକାଳଠାରୁ ତାଙ୍କୁ କେହି ମେଦିନୀପୁର ମଧ୍ୟରେ ଦେଖିନାହିଁ । ଆଲିମିଆଁଙ୍କ କାନରେ ଏ କଥା ପଡ଼ିବାରୁ ସେ କହିଲେ ‘‘କୁଛ୍ ପରବାୟ ନେହିଁ ! ମେରି ଦିଲ୍ ତ ଇଲମ୍ ହାସଲ କରିନେଇଛି ! ମୁଁ କେବଳ ମୋ ନାମ ଲେଖିଜାଣେ, ଏତେ ଦୌଲତ କମାଇଲି, ମେରି ଦିଲ୍ ତ ବହୁତ ଶିଖିଲାଣି । ସେଦିନ ମୋ ଆଗରେ ଇମତାନ୍ (୮) ଦେଲା; ଆପଣା ନାମ ଲେଖିଲା, କଲିକତା, ମେଦିନୀପୁର, ହାତୀ, ଘୋଡ଼ା, ବାଗବଗିଚା କେତେ କଥା ଲେଖିଗଲା । ବଡ଼ସାହେବ ଖବର ପାଇଲେ ଏଇଲାଗେ ତାକୁ ଦାରୋଗାଗିରି ଦେବେ, ମାତ୍ର ମୁଁ ଏକଥା ଲୁଚାଇଛି । ମୁଁ ଦିଲୁକୁ ଚାକିରି କରିବାକୁ ଦେବିନାହିଁ । ସେ ପିଲାଲୋକ, ଏତେ ମେହେନତ୍ ଉଠାଇ ପାରିବ ନାହିଁ । ‘‘ତାହା ବାଦ୍ ଆଲିମିଆଁ ଲଡ଼୍କାକୁ ପାଖରେ ବସାଇ କର୍ମ ଚଳାଇବା ବିଷୟରେ ଅନେକ ଉପଦେଶ ଦେଲେ । ବିଶେଷରେ ଓଡ଼ିଶା ଜମିଦାରୀ ବିଷୟରେ ବହୁତ ହୁସିଆର ସକାଶେ ଉପଦେଶ ଦେଇ କହିଲେ, ‘‘ଦେଖ୍, ସେ ଦେଶରେ ଯେଉଁ ମହାନ୍ତିମାନେ ଅଛନ୍ତି ସେମାନେ ବଡ଼ ଚୋର । ମୁଁ ହିସାବ–କିତାବରେ ଖୁବ୍ ମଜବୁତ୍ ବୋଲି ମୋତେ ଠକାଇ ପାରନ୍ତି ନାହିଁ । ସେମାନଙ୍କ ଠକପଣିଆ ଶୁଣିବ ? ଏକ, ଦୁଇ, ତିନି ଆଉ ଚାରି–ଏଇ ଦୁନିଆର ହିସାବ । ମାତ୍ର ସେମାନଙ୍କ ହିସାବ କ’ଣ ଜାଣ –ଏକକେ ଏକ, ଦୁଇକେ ଦୁଇ, ଦୁଇଦୁଣେ ଚାରି । ଦେଖ ଏକ, ଦୁଇ ଚାରି ହେଲା, ବିଚ୍ ମେ (୯) ତିନ୍ କାହାଁ ଗୟା ? ଏହି ତିନ୍ ରୂପେୟା ଚୋରି’’.... ଇତ୍ୟାଦି ଇତ୍ୟାଦି ।’’
ଜମିଦାରବଂଶର ପରିଚୟ ନିମନ୍ତେ ଏତେଗୁଡ଼ାଏ କଥା ଲେଖିବାକୁ ହେଲା, ମାତ୍ର ଏହା ସବୁ ପୁରୁଣା କଥା । ଆଜକୁ ପାଞ୍ଚ ବରଷ ହେଲା ଶେଖ୍ କେରାମତ ଅଲି ଫୌତ (୧୦) ହୋଇଗଲାଣି-। ଛୋଟାମିଆଁ ଓରେଫ୍ ଶେଖ୍ ଦିଲ୍ଦାର ବର୍ତ୍ତମାନ ଖୋଦ୍ ମାଲିକ । ରାତି ଅନ୍ଦାଜ ଘଡ଼ିକ ଭିତରେ ଜମିଦାର ଶେଖ୍ ଦିଲ୍ଦାର ମିଆଁ କଚେରୀ ଘରେ ବସିଅଛନ୍ତି । ଘରଟା କୋଠା, ସେପରି ଛୋଟିଆ ମୋଟିଆ କୋଠରୀ ନୁହେଁ ଖୁବ୍ ଲମ୍ବା ଚଉଡ଼ା କୋଠା । ଘର ତଳେ ଗୋଟାଏ ବଡ଼ ଶତରଞ୍ଜି ବିଛା ହୋଇଛି । ସେଟା ବୋଧହୁଏ ବଡ଼ ପୁରୁଣା, ଦଶ କି ବାର ଜାଗାରେ ତେଲଢଳା ଦାଗ, ଟିକିଆପୋଡ଼ା ଜାଗା ପନ୍ଦର କି କୋଡ଼ିଏ, ଧଡ଼ି ଚିରା । ସେହି ଶତରଞ୍ଜି ମଝିରେ କାନ୍ଥକୁ ଲଗାଇ ଏକ ବନାରସୀ ବିଛଣା, କାନ୍ଥକୁ ଭିଡ଼ି ବଡ଼ ଗୋଟାଏ ବନାରସୀ ତକିଆ, ଦୁଇ ପାଖରେ ଚକା ବୋଇତିକଖାରୁ ପରି ଦୁଇଗୋଟି ସାନ ବନାରସୀ ତକିଆ । ସେହି ବିଛଣାରେ ଖୋଦ୍ ଜମିଦାର ଶେଖ୍ ଦିଲ୍ଦାର ମିଆଁ ବସିଅଛନ୍ତି । ପୋଷାକ କିନ୍ଖାପ (୧୧) ଢିଲା, ପାଜାମା, ସାଟିନ୍ (୧୨) ଚପ୍କନ୍, ମୁଣ୍ଡରେ ବନାରସୀ ଟୋପି, କାନରେ ଅତର ତୁଳାକାଠି, ଆଗରେ ରୂପାର ଅତରଦାନ, ଗୋଲାପଦାନ୍ । ତାହା ପାଖରେ ବଡ଼ ଏକ ସାତହାତ ନଳଯୁକ୍ତ ଗୁଡ଼ଗୁଡ଼ି ହୁକା, ହୁକା ଉପରେ ସାନ ଆଟିକା ପରି ଚିଲମ, ତହିଁ ଉପରେ ସାରପୋଷ (୧୩) । ସେଥିରୁ ଚାରିକେରା ରୂପା ଶିକୁଳି ଝୁଲି ଆସି ମାଟି ସ୍ପର୍ଶ କରିଅଛି । ମହାଦେବଙ୍କଠାରେ ରୋଗୀ ଧାରଣା ଦେଲା ପରି ନଳଟା ମିଆଁଙ୍କ ପାଦ ସ୍ପର୍ଶକରି ପଡ଼ିଅଛି । ଆଜି ତାହାର ଆଦର ନାହିଁ । ଚକ୍ରନେମିକ୍ରମେଣ ମନୁଷ୍ୟମାନଙ୍କ ପରି ଅଚେତନ ପଦାର୍ଥମାନଙ୍କର ମଧ୍ୟ ଭାଗ୍ୟର ପରିବର୍ତ୍ତନ ଦେଖାଯାଏ । ଘରକୋଣ ଓ ଏଣେତେଣେ ଛିଣ୍ଡା ଛାଞ୍ଚୁଣି, ଜଳପୂର୍ଣ୍ଣ ବନ୍ଦନା (୧୪) ଦୁଇ ଚାରିଟା ମଦତି ହୁକା, ଗୁଡ଼ାଖୁ ଗୁଲ, ମଦତ ଓ ଗଞ୍ଜେଇ ପାଉଁଶ, ପିଆଜ ଚୋପା, ଛେଳି ଲଣ୍ଡି, ଅନାବଶ୍ୟକ ଓ ବର୍ଜିତ ପଦାର୍ଥମାନ ପଡ଼ିଅଛି । ସବୁଠାରୁ ବେଶି ଭାଗ ପାନପିକ, ପାନସିଠା । ଆମ୍ଭେମାନେ ସ୍ୱକୀୟ ବୁଦ୍ଧିର ପ୍ରାଚୁର୍ଯ୍ୟରେ ବୁଝିଅଛୁଁ, ଏ ଘର ମଧ୍ୟରେ କେବେ କେବେ ଛାଞ୍ଚୁଣୀ ବୁଲେ, ନୋହିଲେ କୋଣରେ ଏତେ ଅଳିଆ କାହୁଁ ଠୁଳ ହେଲା ? ଘର ଉପର ଭଙ୍ଗା । କାର୍ଣ୍ଣିସମାନଙ୍କରେ ଓକିଲମାନେ ଯେପରି ଦର୍ପଣ ଆଲମାରିରେ ଆଇନ୍ ପୋଥି ସଜାଡ଼ି ଦେଇ ତକିଆରେ ଆଉଜି ଓ ମକେଲ୍କୁ ଚାହିଁ ବସିଥାନ୍ତି, ବୁଢ଼ିଆଣୀମାନେ ସେହିପରି ଜାଲ ଟାଙ୍ଗି ମଶାଟିକୁ, ମାଛିଟିକୁ ଚାହିଁ ବସିଅଛନ୍ତି । କଡ଼ି ଫାଙ୍କମାନଙ୍କରେ ଘରଚଟିଆମାନଙ୍କର ମଜଲିସ୍-। ସେହି ମଜଲିସ୍ରୁ ବେଳେବେଳେ ଯାହା କୁଟା କେରାଏ, ଖଡ଼ିକା ଖଣ୍ଡେ ଖସୁଅଛି । ତଳେ ମଜଲିସ୍ ଆଜି ନିସ୍ତବ୍ଧ । ମିଆଁ ସାହେବ ଗାଲରେ ହାତଦେଇ ଗୁମ୍ ଖାଇ ବସିଛନ୍ତି । ଓୟାଟର୍ଲୁ ଯୁଦ୍ଧରେ ହାରି ନେପୋଲିଅନ ଏପରି ଭାବନାରେ ବସି ପାରି ନ ଥିଲେ; କାରଣ ସେଣ୍ଟ ହେଲେନା ପଠାଇବା ପାଇଁ ଇଂରେଜମାନେ ତାହାଙ୍କୁ ଧରପଗଡ଼ କରୁଥିଲେ । ଆଗରେ ସାତ ଜଣ ମୋସାହେବା ଭାବନାରେ ବସି ଢୋଳାଉଛନ୍ତି । ଓସ୍ତାଦ୍ଜୀ ବକା ଉଲା ଖାଁ ଦୁଇଗୋଡ଼ କୁଣ୍ଢାଇ ଦାଢ଼ିଟିକୁ ଆଣ୍ଠୁ ଉପରେ ଲଦିଦେଇ ବସିଅଛନ୍ତି । ପଠାଣଘର ତଲାକ୍ଦିଆ ମାଇକିନିଆଙ୍କ ପରି ତାନପୁରାଟା ଏବଂ ପଡ଼ିଆରେ ବାଇଜିହାଣ୍ଡି (୧୫) ପରି ତବଲା ଦୁଇଟା ଗଡ଼ୁଅଛି । ଘରର ଗୋଟାଏ କୋଣରେ ଖିଜ୍ମତ୍ଦାର (୧୬) ଫତୁଆ ବାଁ ହାତରେ କ’ଣ ଗୋଟାଏ ପଦାର୍ଥ ରଖି ଡାହାଣ ହାତ ବୁଢ଼ା ଆଙ୍ଗୁଳିରେ ଚିପୁଛି, ବେଳେ ବେଳେ ମଝିଆଙ୍ଗୁଳିରେ ବୁନ୍ଦା ବୁନ୍ଦା ପାଣି ପକାଉଛି । ମୁନ୍ସି ଜାହେର୍ ବକ୍ସ ଏକ ଖଣ୍ଡ କାଗଜରେ ଲେଖା ଡାବ ଧରି ଦିପୋଟି ଆଗରେ ଚୋର ଆସାମୀ ପରି ଛିଡ଼ା ହୋଇଛନ୍ତି । ମିଆଁସାହେବ ଆଖି ବୁଜି ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ କହିଲେ, ‘‘ଏବେ ଉପାୟ କ’ଣ କରାଯିବ’’ ?
ମୁନ୍ସି ସାହେବ କହିଲେ –‘‘ବନ୍ଦେ ନୱାଜ (୧୭) ମୁଁ ଦିନଯାକ ବୁଲିଲିଣି, କାହିଁ କିଛି ପଟିଲା ନାହିଁ । ମହାଜନ ରାମଦାସ କହିଲା, ତାହାର ତମସୁକ (୧୮) ବାବତ କୋଡ଼ିଏ ହଜାର ଓ ହାତ ଉଧାରି ବାବତ ଚାରି ହଜାର ଟଙ୍କା ବାକି ହେଲାଣି । ଆଉ କରଜ ଦେବାକୁ ସେ ନାରାଜ ହେଲା । ବଜାରର ମୁଦି ଦୋକାନମାନଙ୍କର ପାଉଣା ଚାରି ହଜାର, ସେମାନେ ସଉଦା କାଳି ଦେଲେ ନାହିଁ ।’’
ମିଆଁ କହିଲେ, ‘‘ବେକୁବ୍, କମ୍ବକ୍ତ (୧୯) ନାଲାଏକ୍ (୨୦)—ବାପାଙ୍କ ଅମଳରୁ ରାମ ସରକାର କୋଡ଼ିଏ ବର୍ଷ ଚାକର ଥିଲା । ତାକୁ ବାହାର କରି ତୁମେ ଦୋସ୍ତ ଓ ଲାଏକ୍ ମନୁଷ୍ୟ ବୋଲି ବେବର୍ତ୍ତା କାମ ଦେଲି, ଗରଜ ଚଳାଇପାରୁ ନାହଁ ?’’
ମୁନସୀ ଜାହେର ବକ୍ସ କହିଲେ, ‘‘ହଜୁର୍, ମୁଁ କିପରି ନାଲାଏକ୍ ହେଲି ? ରାମ ସରକାର କିଛି କରଜ କରି ପାରୁ ନ ଥିଲା, ମୁଁ ପାଞ୍ଚ ବରଷ ମଧ୍ୟରେ ପଚିଶ ହଜାର ଆଣିଦେଲି !’’
ମିଆଁ କହିଲେ, ‘‘ସେ କଥା ଯାଉ, ଏବେ ଇଜ୍ଜତ୍ କିପରି ରହେ ? ସମ୍ପତ୍ତି ଯାଉ, ମହତ୍ ଥାଉ । ମହତ୍ ଗଲେ ନ ମିଳେ ଆଉ ।’’
ମୋସାହେବମାନେ (୨୧) ଢୋଳାଉଥିଲେ । ଏକଥା ଶୁଣି ପାଟିକରି ଏକାବେଳକେ କହିଲେ–‘‘ଅଲବତ୍, ଅଲବତ୍, ଉଆଜିବ୍ ଉଆଜିବ୍ ।’’ ମିଆଁ କହିଲେ,‘‘ଯାଓ, ଘର, ଆସବାବ (୨୨) ହେଉ ବା ଜମିଦାରୀ ହେଉ, ବନ୍ଧକ ଦେଇ ଆଜିକା ମଜଲିସ୍ ବନ୍ଦୋବସ୍ତ କର । ଦେଖ, ଜଲ୍ଦି, ରାତି ହୋଇଗଲା । ବେଶି ଟଙ୍କା ଦରକାର ନାହିଁ । ବାଈଜୀ ରୋକଶତି (୨୩) ଶଏ ଟଙ୍କା ଓ ବାଈଜୀ ସାଙ୍ଗଲୋକ ଓ ଦୋସ୍ତମାନଙ୍କ ଖାନା ପଲାଓ ସକାଶେ ଏକଶ’ ଟଙ୍କା ବହୁତ ହେବ ।’’
ଦୋସ୍ତମାନେ କହିଲେ ‘‘ଉଆଜିବ୍, ଉଆଜିବ୍, ବହୁତ ରୂପେୟାର ଦରକାର କ’ଣ ?’’ ଦୋସ୍ତ ହନୁମିଆଁ କହିଲେ, ‘‘ହଜୁର, ଏହି ଯେ ଖେମଟାବାଲୀ (୨୪) ଖାତୁମ୍ ଉନ୍ମିସା ଆସିଅଛନ୍ତି ଏ ବହୁତ ଇଲମ୍ଦାର (୨୫) । କାଶ୍ମୀରର ଅଉଲ୍ ନମ୍ବର (୨୬) ବାଈ, ଏହାଙ୍କର ଇଲମ୍ ଓ ରାଗରାଗିଣୀରେ କସରତ୍ (୨୭) ହଦ୍ରେ ହଦ୍ (୨୮) । ସେ କି ଏ ଦେଶକୁ ପସନ୍ଦ କରନ୍ତି ? କେବଳ ମୁସାଫେରି (୨୯) ସକାଶେ ଆସିଅଛନ୍ତି । ମୁର୍ଶିଦାବାଦ ନବାବ, ଲକ୍ଷ୍ନୌ ନବାବ, ରୋମକା ବାଦ୍ଶା, ସୋମକା ବାଦ୍ଶାମାନେ ଏହାଙ୍କ ଗୀତ ଶୁଣିବାକୁ ଡାକିପଠାନ୍ତି, ମାତ୍ର ବିବିଙ୍କର ଖାତର ରଦାରଦ୍ (୩୦) ହଜୁରଙ୍କ କେରାମତି (୩୧) ନେକନାମି (୩୨) ଦୁନିଆରେ ଜାହେର (୩୩) ସେଥିସକାଶେ ଆପେ ଆସି ଏଠାରେ ମଜଲିସ୍ କହିବାକୁ କହିଅଛି ।’’ ମଜଲିସ୍ ସାରା ଲୋକ ଏକାବେଳକେ କହିଲେ, ‘‘ହଜୁରଙ୍କୁ ଦୁନିଆଁରେ କିଏ ନ ଜାଣେ ? ହଜୁରଙ୍କ ଖାନା ପଲାଓ ଯେ ଦିନେ ଖାଇଛି, ଜିନ୍ ଦିଗ୍ (୩୪) ଭରି ସେ ଇୟାଦ୍ (୩୫) କରୁଥିବ ।’’
ପିଆଦା ଶେଖ୍ ଫଜୁ ସଲାମ୍ କରି ଜଣାଇଲା, ‘‘ହଜୁର ଓଡ଼ିଶା ଜମିଦାରିରୁ ଜଣେ ମହାଜନ ମୁଲାକାତ୍ (୩୬) ସକାଶେ ଆସିଅଛି ।’’ ହୁକୁମ ହେଲା–‘‘ତାହାକୁ ହାଜର କରାଅ । ଆଗନ୍ତୁକ ଉପସ୍ଥିତ ହୋଇ ଆଗରେ ନଗଦ ପାଞ୍ଚଟଙ୍କା ନଜରାନା ଥୋଇ ଭୂମିରେ ହାତ ଲଗାଇ ତିନି ଥର ସଲାମ୍ କଲେ । ମଜଲିସ୍ ମଧ୍ୟରେ ଯେତେଜଣ ସଭ୍ୟ ବସିଥିଲେ, ସମସ୍ତଙ୍କୁ ଏକ ଏକ ସଲାମ୍ କଲେ–ଖିଜମଦ୍ଦାର ମଧ୍ୟ ଛାଡ଼ ଗଲା ନାହିଁ । ମିଆଁ ହୁକୁମ କଲେ, ‘‘ବହୁତ କଦରଦାନ୍ (୩୭) ଆଦିମ୍ ।’’ ପାଲାବାଲା ପାଳିଆମାନେ ଏକସ୍ୱରରେ ଗୀତ ଧରିଲା ପରି ସମସ୍ତେ ପାଳି ଦେଲେ, ‘‘ବହୁତ କଦରଦାନ୍, ବହୁତ ହୁସିଆର ଆଦିମ୍ ।’’
ମିଆଁ ପଚାରିଲେ, ‘‘ତୁମର ନାମ କ’ଣ ?’’
‘‘କ୍ୟା ? ରାମଚନ୍ଦର ମାମଲାବାଜ୍ ?’’
‘‘ଆଚ୍ଛା, ଓଇ ହୁଆ–ରାମଚନ୍ଦର୍ ମଙ୍ଗୋରାଜ ।’’
ମଙ୍ଗରାଜ ଜଣାଇଲେ, ‘‘ମୁଁ ନିହାତି ଅଳ୍ପ କିଛି ଜିନିଷ ନଜର ଆଣିଅଛି ।’’ ହୁକୁମ ଦେଲେ ହାଜର କରିବି ।’’
ଭେଟିର ଡାବ ତାଳପତ୍ର ଖଣ୍ଡକରେ ଲେଖା ଥିଲା, ପଢ଼ାଗଲା–ପାଞ୍ଚଟା ଓଳିଆରେ ସରୁ ଅରୁଆ ଚାଉଳ ଭରଣେ ଆଠ ନଉତି, ମୁଗଜାଇ ଦୁଇ ଓଳିଆରେ ବତ୍ରିଶ ନଉତି, ହରଡ଼ଜାଇ ଏକ ଓଳିଆକୁ ଅଠର ନଉତି, ଘିଅ ଏକ ମାଠିଆକୁ ପଚିଶ ସେର, ବନ୍ତଳ କାଠିଆ କଦଳୀ ପାଞ୍ଚ କାନ୍ଦି, ପାଚିଲା କଦଳୀ ଦୁଇ କାନ୍ଦି, ଆଳୁ ଆଠ ବିଶା ।
ମିଆଁ ହୁକୁମ କଲେ, ‘‘ବହୁତ ଆଚ୍ଛା ଚାଉଳ, ପଲାଉର ଲାଏକ୍, ଘିଅ ମଧ୍ୟ ବହୁତ ଭଲ-।’’ ମଙ୍ଗରାଜେ କହିଲେ, ‘‘ହଜୁର ଆମ ଦୁନିଆର ମାଲିକ । ହଜୁରଙ୍କ ଦାନା ପନ୍ଦର ପୁରୁଷ ହେଲା ଖାଇ ଆସୁଅଛୁ । ଏ ତ ସାମାନ୍ୟ ଜିନିଷ, ମେହେରବାନି ହେଲେ ପଲାଉ ଚାଉଳ, ଘିଅ, ଡାଲି ବରାବର ହାଜର କରିବି ।’’
ମିଆଁ ଓ ମି–ଆଁ ଓ–ମିଆଁ ଓ ଉସ୍ତାଦ୍ଜୀ ଭାରି ଖୁସିଟା ହୋଇ ତାନପୁରା କାନ ବାଁ ହାତରେ ମୋଡ଼ି ସୁର ଦେଇ ବସିଲେ । ଗୁମ୍–ଗୁମ୍–ଗୁମ୍–ତାକ୍–ଧିନ୍–ଧିନ୍–ଧିନ୍–ତାକ୍–ଧିନ୍–ଗୁମ୍–ତାବଲା ବାଜିଉଠିଲା । ମିଆଁ ହୁକୁମ ଦେଲେ, ‘‘ଜଲଦି ପଲାଉର ବନ୍ଦୋବସ୍ତ କର ।’’
ଖ୍ରୀଷ୍ଟିୟାନମାନେ କହନ୍ତି ପୃଥିବୀର ଶେଷଦିନରେ ସ୍ୱର୍ଗର ଦୂତ ବଂଶୀ ବଜାଇଲେ ସମସ୍ତ ମୃତଲୋକ କବରରୁ ଉଠି ବସିବେ । ମଜଲିସ୍ ଅବଶୋଷରେ ମରିପଡ଼ିଥିଲା, ମଙ୍ଗରାଜଙ୍କ ଟଙ୍କାର ଝଣ୍ ଝଣ୍ ଶବ୍ଦରେ ବଞ୍ଚି ଉଠିଲା । ମିଆଁସାହେବ ନଳ ମୁହଁରେ ଦେଇ ଦୁଇ ଚାରି ଥର ଭଲ କରି ଟାଣିଲେ । କଳା ପର୍ବତରେ କୁହୁଡ଼ି ବୁଲିଲା ପରି ଦାଢ଼ି ସାରା ଧୂଆଁ ଖେଳିଗଲା-। ସରକାର କେନାଲ ଦ୍ୱାରା ଯେପରି ପରଗନା ପରଗନା କରି ମହାନଦୀର ଜଳ ବାଣ୍ଟି ଅଛନ୍ତି, ନଳ ଯୋଗରେ ହୁକା ଭିତରେ ଜମା ଥିବା ଧୂଆଁ ସମସ୍ତଙ୍କ ମୁହଁକୁ ବାଣ୍ଟିଗଲା । ମେଁ ଏଁ ଏଁ ମେଁଏଁ ଏଁ—ପଲାଉ ସମକାଶେ ଗୋଟାଏ ଖାସି ଅଣାଗଲା । ମଜଲିସ୍ ଆଗରେ ଦର ଛିଣ୍ଡିଲା–ଅଢ଼େଇ ଟଙ୍କା । ମଙ୍ଗରାଜେ ଚମକିପଡ଼ି କହିଲେ, ‘‘କ’ଣ ଏହି ଛେଳିଟାର ଦାମ ଅଢ଼େଇ ଟଙ୍କା ! ବାପ୍ରେ ! କେତେ ଦାମ !’’
ମିଆଁ ପଚାରିଲେ, ‘‘ତୁମ ଗ୍ରାମରେ ଦାମ୍ କେତେ ?’’ ଡାକ୍ତର ମଳୁ ପରୀକ୍ଷା କଲା ପରି ଛେଳିର ଅଗ୍ର, ପଶ୍ଚାତ୍, ବାମ, ଦକ୍ଷିଣ ଉତ୍ତମରୂପେ ନିରୀକ୍ଷଣପୂର୍ବକ ମଙ୍ଗରାଜେ କହିଲେ, ‘‘ଛେଳିଟାର ଦାମ କ’ଣ ? ଚାରି ପଇସା କି ଛ’ ପଇସା ହେବ । ହୁକୁମ ହେଲେ ପଲାଉ ସକାଶେ ଦଶ ଗଣ୍ଡା କି ପନ୍ଦର ଗଣ୍ଡା ପଠାଇ ଦେଇପାରେ । ହଜୁର, ଲୋକ ଚିହ୍ନି ଜମିଦାରିରେ ଚାକର ରଖିନାହାନ୍ତି, ସେଥିସକାଶେ ଏତେ ଟଙ୍କା ବରବାଦ୍ । ଅଢ଼େଇ ଟଙ୍କା ଛେଳି ? ବାପରେ !’’
ଏ କଥାଟା ଶୁଣି ମଜଲିସ୍ ରେ ଯେ କିପରି ଆନନ୍ଦ କୋଳାହଳ ଉଠିଲା, ତାହା ବର୍ଣ୍ଣନାତୀତ । କ୍ଳାଇବ ସାହେବଙ୍କ ପଲାସୀ ଯୁଦ୍ଧ ଜୟ ସମ୍ବାଦ ଶୁଣି ବିଲାତରେ ଡାଇରେକ୍ଟର ସଭା ନିଶ୍ଚୟ ଏତେଦୂର ଆନନ୍ଦିତ ହୋଇ ନ ଥିଲେ । କାରଣ ସେତେବେଳେ ଦିଲ୍ଲୀ ଦରବାରର ଡର ସେମାନଙ୍କୁ ମନରୁ ଛାଡ଼ି ନ ଥିଲା । ଓସ୍ତାଦ୍ଜୀ ପୁରିଆ ରାଗିଣୀର ଆଳାପ କରିବାକୁ ଲାଗିଲେ । ସମସ୍ତେ ଆନନ୍ଦରେ ଉନ୍ମତ୍ତ । ସମସ୍ତଙ୍କ ମୁହଁରୁ ହସ ଉଚ୍ଛୁଳି ପଡ଼ୁଅଛି, କେବଳ ମଙ୍ଗରାଜେ ହାତ ଯୋଡ଼ି ମୁହଁ ଶୁଖାଇ ବସିଛନ୍ତି । ଜାଲ ମଧ୍ୟରେ ବୁଣା ଚାଉଳ ଖାଇଲାବେଳେ ପକ୍ଷୀମାନଙ୍କ ଆନନ୍ଦ ବ୍ୟାଧ ତୁନି ହୋଇ ଦେଖୁଥାଏ । ଆମ୍ଭେମାନେ ମଙ୍ଗରାଜଙ୍କ ମନର କଥା ଭଲ ରୂପେ ବୁଝିପାରୁଁ । ସେ ସମୟରେ ବୋଧହୂଏ ଭାଳୁଥିଲେ, ‘‘ଆ ବାପା ଚଢ଼େଇ ଆ, କାଣ୍ଡିଆ (୩୮) ପାଖକୁ ଆ ।’’
ଜଣେ ଚାକର ଧାଇଁଆସି ବାଈଜୀଙ୍କ ଶୁଭାଗମନର ସମ୍ବାଦ ହେଲା । ଯାଃ–ସର୍ବନାଶ ! ଏ କଥାଟା କାହାରି ମନରେ ନାହିଁ । ଓସ୍ତାଦ୍ଜୀ ପୁରୁଣା ହୁସିଆର ଲୋକ, ସେହି କେବଳ ଏ କଥାଟା ମନେ କରାଇଦେଲେ । ବାଈଜୀଙ୍କୁ ଶଏ ଟଙ୍କା ନଜରାନା ଦେବାକୁ ହେବ । ପୁନର୍ବାର ଭାବନା, ପୁନର୍ବାର ଆନ୍ଦୋଳନ । ଭାରତବର୍ଷର ବ୍ୟୟ ସଙ୍କଳନ ନିମନ୍ତେ ପାର୍ଲିଆମେଣ୍ଟରେ ବୋଧହୁଏ ଏହାଠାରୁ ଅଧିକ ଆନ୍ଦୋଳନ ହୋଇ ନ ଥାଏ, କିଛି ସ୍ଥିର ହୋଇପାରିଲା ନାହିଁ । ବେଳ ନାହିଁ । ବେଳ ଉଣ୍ଡି ମଙ୍ଗରାଜେ ହାତ ଯୋଡ଼ି କହିଲେ, ‘‘ହଜୁର ! ଗୋଲାମ ହାଜର ଥାଉଁ ଥାଉଁ ଏତେ ଚିନ୍ତା କି ସକାଶେ ?’’ ପୁନର୍ବାର ପ୍ରଶଂସା, ଧନ୍ୟବାଦ ସମସ୍ତଙ୍କ ମୁହଁରୁ ବାହାରି ମଙ୍ଗରାଜଙ୍କ କାନରେ ଢାଳିପଡ଼ିଲା । ମିଆଁ ହୁକୁମ୍ ଦେଲେ, ‘‘ଆଚ୍ଛା ମଙ୍ଗରାଜେ, ତୁମେ ବର୍ତ୍ତମାନ ଯେ ଉପକାର କଲ, ସେଥିର ଇନାମ (୩୯) ଆଲାହିଦା ପାଇବ, ଏ ସିବାଏ ଟଙ୍କାକୁ ସୁଧ ଚାରିଅଣା ହିସାବରେ ପାଇବ ।’’ ମଙ୍ଗରାଜ କହିଲେ, ‘‘ରାମ, ରାମ, ରାମ ! ହଜୁର, ମୁଁ ପିଆଜ ଆଉ ବିଆଜ (୪୦) ଖାଏ ନାହିଁ ।’’ ଓସ୍ତାଦଜୀ କହିଲେ, କ’ଣ ବିଆଜ ଖାଅ ନାହିଁ ? ବହୁତ ଇମାନ୍ଦାର ଲୋକ । କୋରାନରେ ଯେ ପଚିଶ ହାରାମ୍ (୪୧) ବୟାନ ଅଛି, ବିଆଜ ସେଥିରୁ ଗୋଟାଏ ।’’
ଇତିହାସ ଲେଖକ ବୋଲନ୍ତି, କ୍ଳାଇବ୍ ଦିଲ୍ଲୀ ବାଦ୍ଶାହାଙ୍କ ପାଖରୁ ବଙ୍ଗଳାର ସୁବାଦାରି ନେବାବେଳେ ଏତେ ଅଳ୍ପ ସମୟ ଲାଗିଥିଲା ଯେ ଗୋଟାଏ ଗଧ ବିକା କିଣାରେ ତାହାଠାରୁ ଅଧିକ ସମୟ ଦରକାର । ତେବେ, ଫତେପୁର ସରଷଣ୍ଡର ସରବରାକାରୀ ଓ ସମସ୍ତ କ୍ଷମତା ପାଇବା ମଙ୍ଗରାଜଙ୍କ ପକ୍ଷରେ ବିଳମ୍ବ କ’ଣ ?
୧) ମେହରବାନି—ଦୟା, ଅନୁଗ୍ରହ, ୨) ଓରଫ—ଅନ୍ୟ ନାମ, ୩) ଗଫଲିଯୁତି—ଅବହେଳା, ୪) ଆଖୁନ୍—ପାରସୀ ଓ ଆରବୀ ଭାଷାର ଶିକ୍ଷକ, ୫) ଭାଗ—ସରୁ ସୂତାଡ଼ୋର, ୬) ତୋବା ତୋବା–ହାୟ, ଛି ଛି ! ମୁସଲମାନମାନେ ଘୃଣା ବା ଅନୁତାପରେ ଏହି ଶବ୍ଦ ଉଚ୍ଚାରଣ କରିଥାନ୍ତି, ୭) ବିସ୍ମିଲ୍ଲା—ଆଲ୍ଲା ବା ଈଶ୍ୱରଙ୍କ ନାମ ସ୍ମରଣ, ୮) ଇମତାନ୍—ପରୀକ୍ଷା, ୯) ବିଚ୍ ମେ—ମଧ୍ୟରେ, ୧୦) ଫୌତ– ମୃତ, ୧୧) କିନ୍ଖାପ—ଜରି ବା ସୂତା ଦ୍ୱାରା ଖଚିତ ପାଟ ଲୁଗା, ୧୨) ସାଟିନ୍–ରେଶମ ପ୍ରସ୍ତୁତ ମୋଟା ଓ ଚିକ୍କଣ ଲୁଗା, ୧୩) ସାରପୋଷ—ଢାଙ୍କୁଣୀ, ୧୪) ବଦନା—ମୁସଲମାନମାନେ ବ୍ୟବହାର କରିବା ଗଡ଼ୁ, ବା ନଳଯୁକ୍ତ ପାନପାତ୍ର, ୧୫) ବାଇଜିହାଣ୍ଡି– (ବାହ୍ୟଶବ୍ଦକ) ଅଶୌଚାଦିରେ ଯେଉଁ ପାନପାତ୍ରମାନ ବର୍ଜିତ ହୋଇ ଫୋପଡ଼ାଯାଏ, ୧୬) ଖିଜ୍ମତ୍ଦାର—ଭୃତ୍ୟ, ସେବକ, ୧୭) ବନ୍ଦେ ନୱାଜ୍—ଏ ଦାସର ଶରଣଦାତା ବା ରକ୍ଷକ, ୧୮) ତମସୁକ—ଖାତକ ମହାଜନକୁ ଲେଖିଦେବା, ଋଣଗ୍ରହଣ ପତ୍ର, ୧୯) କମ୍ବକ୍ତ – ହତଭାଗା, ୨୦) ନାଲାଏକ୍–ଅଯୋଗ୍ୟ, ୨୧) ମୋସାହେବ—ଆମୋଦପ୍ରିୟ ସଙ୍ଗୀ ବା ସହଚର; ଉଆଜିବ୍—ନ୍ୟାୟସଙ୍ଗତ, ଉଚିତ୍, ୨୨) ଆସବାବ– ଚଳନ୍ତି ଜିନିଷପତ୍ର, ୨୩) ରୋକଶତି–ବିଦାକି, ୨୪) ଖେମଟାବାଲୀ—ଖେମଟା ଗାଇବା ଓ ନାଚିବା ନର୍ତ୍ତକୀ, ଖେମଟା ସଙ୍ଗୀତର ତାଳବିଶେଷ, ୨୫) ଇଲମଦାର୍—ବିଦ୍ୱାନ୍, ପଣ୍ଡିତ, ୨୬) ଅଉଲ୍ ନମ୍ବର—ପ୍ରଥମ ଶ୍ରେଣୀର, ସର୍ବୋତ୍କୃଷ୍ଟ, ୨୭) କସରତ୍—କୌଣସି ବିଦ୍ୟାର ପରତଚାଳନା, ୨୮) ହଦ୍—ଚୂଡ଼ାନ୍ତ, ୨୯) ମୁସାଫେରି—ଭ୍ରମଣ, ୩୦) ରଦାରଦ—ଅଗ୍ରାହ୍ୟ କରିବା, ୩୧) କେରାମତ—ଶକ୍ତି, ସାମର୍ଥ୍ୟ, ୩୨) ନେକନାମି—ସୁନାମ, ୩୩) ଜାହେର—ପ୍ରଚାରିତ, ୩୪) ଜିନ୍ଦିଗ୍— ଜୀବନକାଳ, ୩୫) ଇୟାଦ—ସ୍ମରଣ, ୩୬) ମଲାକାତ—ଦେଖାସାକ୍ଷାତ୍, ୩୭) କଦରଦାନ—ଗୁଣଗ୍ରାହୀ, ୩୮) କାଣ୍ଡିଆ—ପକ୍ଷୀଙ୍କୁ ନଳଦ୍ୱାରା ଧରିବା ପାଇଁ ବ୍ୟବହୃତ ଅଠାଯୁକ୍ତ କାଠି, ୩୯) ଇମାନ—ପୁରସ୍କାର, ୪୦) ବିଆଜ—ଋଣ ଶଙ୍କାର ସୁଧ, ୪୧) ହାରାମ—କୋରାନ୍ ନିଷିଦ୍ଧ ଖାଦ୍ୟ ବା କର୍ମ-!