ମଙ୍ଗରାଜ ଘରର ହାଲଚାଲ — ଛ’ମାଣ ଆଠଗୁଣ୍ଠ — ଫକୀରମୋହନ ସେନାପତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ମଙ୍ଗରାଜ ଘରର ହାଲଚାଲ
ଛ’ମାଣ ଆଠଗୁଣ୍ଠ କ’ଣ ? କଥିତ ଅଛି, ପୃଥିବୀର ବିଖ୍ୟାତ ମଣି କୋହିନୂର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ । ଆଲ୍ଲାଉଦ୍ଦିନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଜ୍ୱଲ୍ୟମାନ (୧) ପ୍ରମାଣ, ମାତ୍ର ସେହି ମଣି ଆମ୍ଭମାନଙ୍କର ପୂଜନୀୟ ମହାମାନ୍ୟା ପ୍ରତ୍ୟକ୍ଷ କମଳାସ୍ୱରୂପା ଶ୍ୱେତଦ୍ୱୀପବାସିନୀ (୨) ଭାରତେଶ୍ୱରୀଙ୍କ ଶିରୋଭୂଷଣ ହେବା ଦିନଠାରୁ ଇଂଲଣ୍ଡର ମହିମା ଦିନକୁ ଦିନ ପୃଥିବୀ ବ୍ୟାପୁଅଛି । ଅନ୍ୟର ପ୍ରାଣନାଶକାରୀ ବିଷ ଦେବାଧିଦେବ ଉମାପତିଙ୍କ (୩) କଣ୍ଠସ୍ଥ ହୋଇ ତାଙ୍କର ମହାଦେବତ୍ୱ ପ୍ରକାଶ କରୁଅଛି । ସାର କଥା, ଉପଯୁକ୍ତ ଦ୍ରବ୍ୟ ଉପଯୁକ୍ତ ସ୍ଥାନରେ ନ୍ୟସ୍ତ ହେଲେ ଜଞ୍ଜାଳର କାରଣ ହୁଏ ନାହିଁ । ତେଡ଼େବଡ଼ କଥା ଛାଡ଼ି ଦିଅ, ନିହାତି ସାନରୁ ସାନ ଆମ୍ଭମାନଙ୍କ ‘ଛ’ ମାଣ ଆଠଗୁଣ୍ଠ’ କଥା ଦେଖ । ଲୋକମାନେ କହନ୍ତି, ‘‘ଗୋବିନ୍ଦପୁର ଗାଁ ତଳଚକ ଛ’ ମାଣ ଆଠଗୁଣ୍ଠ ଜମି ପରି କଳିନ୍ଦ (୪) ଆଉ ନାହିଁ, ମାତ୍ର ଜମିଟା ଘରବୁଡ଼ା । ବାଘସିଂହ ବଂଶଟା ଲଣ୍ଡଭଣ୍ଡ ହୋଇଗଲା । ସାରିଆ ତ ଧନ-ପ୍ରାଣରେ ଗଲା, ମଙ୍ଗରାଜ ବଂଶକଥା ତ ଦାଣ୍ଡରେ ପଡ଼ିଅଛି । ଜମିଟା ନେବାର ଛ’ ମାସ ଛ’ ପକ୍ଷ ଯାଇନାହିଁ, ଦଶାଟା ଦେଖ ।’’
ମଙ୍ଗରାଜ କଟକ ଯିବାର ଚତୁର୍ଥ ଦିନ ସକାଳେ ଦେଖାଗଲା, ଗନ୍ତାଘର ଚାରିଜାଗା ଆଣ୍ଠୁଏ ଖୋଳା । ସେହିଦିନ ସକାଳୁ ଗୋବିନ୍ଦା ଆଉ ଚମ୍ପା ଉଆସ ମଧ୍ୟରେ ଦିଶୁନାହାନ୍ତି । ସେ ଦୁଇଜଣ ଆଗଲି ପିଛିଲି ହୋଇ କଟକ ଦାଣ୍ଡ ପଦ୍ମପୁର ଗହୀରରେ ଯାଉଥିବାର ଲୋକେ ଦେଖି ଆସି ଗ୍ରାମରେ କହିଲେ । ପୁଅମାନେ ବାପଭୟରେ ଶଙ୍କି ରହିଥିଲେ, ଏତେବେଳେ ପୋ-ବାର (୫) ପଡ଼ିଯାଇଛି । ବଡ଼ପୁଅଙ୍କର ଆଗରୁ କିଛି ବାତୁଲଛିଟା (୬) ଥିଲା, ବର୍ତ୍ତମାନ ଦିନ ରାତି ଗଞ୍ଜେଇ ଭିଡ଼ି ଭିଡ଼ି ସାଫ୍ ବାୟା ହୋଇଗଲେଣି । ମଝିଆଁ ଆଉ ସାନପୁଅଙ୍କର ନାକ ପୋଛିବାକୁ ତର ନାହିଁ । ମକର ସଂକ୍ରାନ୍ତି ମୁଣ୍ଡ ଉପରେ, ଗୋବରା ଚଢ଼େଇ ଧରିବାରେ ଲାଗିଅଛନ୍ତି, ଦିନରାତି ଧାନ ବିକା ଲାଗିଛି ।
ଆଜି ଗାଁରେ ଚହଳ ପଡ଼ିଛି, ମଙ୍ଗରାଜ ଘରଦ୍ୱାର ନିଲାମ ହେବ । ବେଳ ଅନ୍ଦାଜ ଛ’ ଘଡ଼ି, ପୋଲିସ ଜମାଦାର, ବରକନ୍ଦାଜ, ଛାଟିଆ ଏପରି ଆଠ ଦଶ ଜଣ ମଙ୍ଗରାଜଙ୍କ ଉଆସ ଦୁଆରେ ଉପସ୍ଥିତ ହେଲେ । ଜଜ୍ସାହେବ ! ମଙ୍ଗରାଜଙ୍କୁ ହଜାରେ ଟଙ୍କା ଜୋରିମାନା କରିଥିଲେ, ଚଳନ୍ତି ସମ୍ପତ୍ତି ନିଲାମ ହୋଇ ଟଙ୍କା ଅସୁଲ ହେବ । ଜମାଦାର ଘରେ ପଶି ମାଲମତାଗୁଡ଼ାକ ବହିଆଣି ଦାଣ୍ଡରେ ଜମା କରୁଅଛନ୍ତି । ବଣିବସାରେ ଢେମଣା ପଶିଲାପରି ଭୁଆସୁଣୀଗୁଡ଼ାକ ଘରୁ ବାହାରିଯାଇ ଉଆସ ପଛ ତୋଟାରେ କାଉଳି (୭) ହେଉଛନ୍ତି । ପୁଅ କେହି ଘରେ ନାହାନ୍ତି । ଛାମୁକରଣ (୮) କ’ଣ କହିବାକୁ ଯାଉଥିଲା, ଜମାଦାର ଆଖି ଦେଖାଇବାରୁ ତୁନି ହୋଇ ଗାଲରେ ହାତ ଦେଇ ପିଣ୍ଡାରେ ବସିପଡ଼ିଅଛି । ମୁକୁନ୍ଦା ସମସ୍ତଙ୍କ କଥାରେ ‘ହୋଇ ଆଜ୍ଞା, ହୋଇ ଆଜ୍ଞା’ କହି ଲଣ୍ଡଭଣ୍ଡ ହେଉଛି ।
ଦାଣ୍ଡରେ ମାଲମତାଗୁଡ଼ାକ ନିଲାମ ହେଲା । ନିଲାମ ତ ନିଲାମ, ଦି’ପାଣିଆ (୯) ବଳଦ ହଳକର ଦାମ୍ ସାଢ଼େ ଚାରି କି ପାଞ୍ଚଟଙ୍କା କେବେ କିଏ ଶୁଣିଥିଲା ? ଦୁହାଁଳ ଗାଈଗୁଡ଼ାକ ଟଙ୍କାଏ ଟଙ୍କାଏ, ଦି’ବରଷିଆ ଛଡ଼ା ସାଙ୍ଗେ ସାଙ୍ଗେ । ପ୍ରଥମେ ପ୍ରଥମେ ନିଜ ଗାଁ ଲୋକ ନିଲାମ ଡାକୁ ନ ଥିଲେ, ଦାମ୍ ଦେଖି ପଛନ୍ତେ ଗୋଟାକ ଉପରେ ଗୋଟାଏ ପଡ଼ିଲେ । ଜମାଦାର ତ ନିଲାମ କରି ଟଙ୍କା ଘେନିଗଲା, ବାକି ଯେ ଗାଈ ବଳଦଗୁଡ଼ାକ ଥିଲେ, ଏ ବିଲ ସେ ବିଲ, ଏ ଦାଣ୍ଡ ସେ ଦାଣ୍ଡ ଲଣ୍ଡଭଣ୍ଡ ହେଉଛନ୍ତି, ଆୟତିବାକୁ କେହି ନାହିଁ । ବଙ୍ଗଳା ଗୋଆଲା ଗୋଠରେ କେତେ ଗଲେଣି, କେତେ ବଣା ହୋଇ ଆଉ ଆଉ ଗ୍ରାମରେ ଉଠୁଅଛନ୍ତି । ହଳିଆମାନେ ଦୁଇ ଦୁଇ ବରଷର ବରତନ (୧୦) ପାଇ ନ ଥିଲେ । ଶୁଣାଯାଏ ତୋଟା, ନଡ଼ିଆ ବଗିଚା, ଗୋରୁଗାଈରୁ ସେମାନେ ଅସୁଲ କରି ନେଉଛନ୍ତି ।
ତୁଳ ଅଧାଅଧି ହେଲାଣି, ଆଶୁଧାନ (୧୧) ଶୁକ୍ରବାର ହୋଇନାହିଁ (୧୨) । ପାଣ ହଳିଆଗୁଡ଼ାକ ପଳାଇଗଲେଣି, ଖାଲି ପଳେଇବାକୁ ନୁହେଁ, ଗୋରୁ ଲାଙ୍ଗୁଡ଼ ଧରି ପାର ।
ଗାଁର ତିଳ ପରି କଥାଟା ହାଟରେ ତାଳପରି ଫୁଲିଯାଏ, ସେ କଥାଟା ଏକା ସତ । ଚାରିଆଡ଼େ କଥା ବାଜିଛି, ଜଜ୍ସାହେବ ମଙ୍ଗରାଜଙ୍କ ହାତରୁ ତାଲୁକ ଛଡ଼ାଇ ନେଇ ଜଣେ ଓକିଲକୁ ଦେଲେ । ସେ ଓକିଲ ଆସନ୍ତା ମକର ସଂକ୍ରାନ୍ତି ଦିନ ଦୁଇଶ’ ପାଇକ ଘେନି ପାଞ୍ଚଟା ଘୋଡ଼ା, ଦୁଇଟା ସବାରିରେ ଚଢ଼ି ଗାଁ ଦଖଲ କରିବାକୁ ଆସିବ । ପ୍ରଜାମାନେ ଶୁଣି କହିଲେ, ‘‘ଘୋଡ଼ାରେ ତୋତେ ଚୋର ନେବ, ନା ସେଠି ଦାନାପାଣି ଏଠି ଦାନାପାଣି । ଯେ ରାଜା ହେବ, ତା’ର ପ୍ରଜା ହେବୁଁ, ଆପଣା ଗଣ୍ଡାକ କିଏ ଛାଡ଼ିବ ?’’ ମାତ୍ର ଦୁଷ୍ମନପକ୍ଷିଆ ଲୋକମାନେ ଭାରି ଖୁସି । ଆପଣା ଅସୁଲ ତ ଥାଉ, ଡରରେ ଲାଜରେ ମଙ୍ଗରାଜଙ୍କ ପାଇକ ଗାଁରେ ଛିଡ଼ା ହୋଇପାରୁ ନାହାନ୍ତି । ବେଗଡ଼ା (୧୩) ଲୋକେ ପାଇକମାନଙ୍କୁ ଦେଖିଲେ ଗଛପତ୍ରକୁ ଲଗାଇ ଦୁଇପଦ କଥା ଶୁଣାଇଦିଅନ୍ତି ।
୧) ଜାଜ୍ଜ୍ୱଲ୍ୟମାନ—ଅତି ଉଜ୍ଜ୍ୱଳ, ଅତି ସ୍ପଷ୍ଟ, ୨) ଶ୍ୱେତଦ୍ୱୀପ—ଇଂଲଣ୍ଡ, ୩) ଉମାପତି—ଶିବ, ୪) କଳିନ୍ଦ—ଉର୍ବର, ୫) ପୋ-ବାର—ପଶାଖେଳରେ ୧୩ ସଂଖ୍ୟକ ଦାନ, ଯାହା ପଡ଼ିଲେ ଅଧିକ ଆନନ୍ଦ ଲାଭ ହୁଏ, ୬) ଛିଟା—ଦୋଷ, ୭) କାଉଳି—ବ୍ୟାକୁଳ, ୮) ଛାମୁକରଣ—ଜମିଦାର ବା ରାଜାଙ୍କ ହିସାବରକ୍ଷକ; ପେସ୍କାର, ୯) ଦିପାଣିଆ—ଦୁଇବର୍ଷ ହଳ ବା ଶଗଡ଼ରେ ଲଗିଥିବା, ୧୦) ବରତନ—ବେତନ, ଦରମା, ୧୧) ଆଶୁଧାନ—ଶୀଘ୍ର ପାଚିବା ବିଆଳି ଧାନ, ୧୨) ଶୁକ୍ରବାର ହୋଇନାହିଁ—ଧାନକଟା ଆରମ୍ଭ ବା ଅନୁକୂଳ ହୋଇନାହିଁ, ୧୩) ବେଗଡ଼ା—ଦୁଷ୍ଟ ।
ବାବାଜି ଲଳିତା ଦାସ
ଗଲା କାଲିଠାରୁ ଗାଁରେ ଭାରି ଗୋଟାଏ ଚହଳ ପଡ଼ିଛି । ହାଟ,ବାଟ, ଗାଧୁଆତୁଠ, ହାଣ୍ଡିଶାଳ, ଢେଙ୍କିଶାଳ, ଯେଉଁଠାକୁ ଯାଅ, ଶୁଣ ସେହି କଥା । କେଉଁଠାରେ ତୁନି ତୁନି କଥା ଚାଲିଛି, କେହି ପାଟିକରି କହୁଛି । କେହି ଜଣେ କୁହାଳିଆ (୧) ହାତ ହଲାଇ, ମୁଣ୍ଡ ହଲାଇ କଥା ମେଲିଛି, ପାଞ୍ଚଜଣ ବସି ଥିର ମନରେ ଶୁଣୁଛନ୍ତି । କଥାଟା ତ ନାନାରୂପ ଧାରଣ କରି ଚାଲିଛି । ଆମ୍ଭେମାନେ ତାହାର ସାରାଂଶ ଆପଣଙ୍କୁ ଶୁଣାଇବୁ ।
ମଙ୍ଗରାଜେ କଟକ ଯିବା ସାତଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜି ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜିଙ୍କ ନାମ ଲଳିତା ଦାସ, ବୟସ ଅଧୋଡ଼ା (୨), ବର୍ଣ୍ଣ ଶ୍ୟାମଳ, ଦେହଟା ଥାକୁଲ୍ଥୁକୁଲ୍, ମୁଣ୍ଡଟି ଲଣ୍ଡା ମଝିରେ ତରବୁଜ ଡେମ୍ପପରି ଚୂରୁକି (୩), ବେକରେ ମୋଟା ମୋଟା ତୁଳସୀ କଣ୍ଠି ପାଞ୍ଚଫେରା (୪) ବସିଛି । ବାବାଜି ମୁହଁ ଅନ୍ଧାରରୁ ଉଠି ପ୍ରାତଃସ୍ନାନ ସାରି ନାସାର୍ଦ୍ଧରୁ କେଶ ପର୍ଯ୍ୟନ୍ତ ଚିତା ଆଉ ଡେଡ୍ଲେଟର ଅଫିସରୁ ବେରିଂ ଚିଠି ବାହୁଡ଼ିଲା ପରି ସର୍ବାଙ୍ଗରେ ଛାପା ଲଗାଇ ହରିନାମ ଶୁଣାଇବା ସକାଶେ ଗ୍ରାମକୁ ବାହାରନ୍ତି । ପରିଧାନ (୫) କୌପିନ, ତାହା ଉପରେ ବହିର୍ବାସ (୬), ପିଠିରେ ନାମାବଳୀ, ହାତରେ ଝୁଲି । ବାବାଜି ଗ୍ରାମରେ ବୁଲି ଲୋକମାନଙ୍କୁ ହରିନାମ ଶୁଣାନ୍ତି, ସନ୍ଧ୍ୟା ସମୟରେ ଖଞ୍ଜଣୀ ବଜାଇ କୀର୍ତ୍ତନ ଗାନ୍ତି, ତହିଁ ଉତ୍ତାରେ ଚୈତନ୍ୟ ଭାଗବତପାଠ । ସନ୍ଧ୍ୟା ସମୟରେ ଭାଗବତ ଘରେ ଭାରି ବୈଠକ ହୁଏ, ଗ୍ରାମର ବୁଢ଼ାଭଳିଆ ଦଶ ବାର ଜଣ ତନ୍ତୀ ଭେକ ନେବାର କଥା ହେଲାଣି ।
ବାବାଜିଟି ଭାରି ନିର୍ଲୋଭ, କେହି କିଛି ଦେଲେ ‘‘ହରେ କେଷ୍ଟ, ହରେ କେଷ୍ଟ’’ କହନ୍ତି । ଏପରି ସାଧୁ କେବେ କାହିଁ ଦେଖା ନାହିଁ । ଆଜକୁ ଦୁଇଦିନ ହେଲା ବାବାଜି କାହିଁ ଅନ୍ତର୍ଦ୍ଧାନ ହୋଇଗଲାଣି, ସାଙ୍ଗେ ସାଙ୍ଗେ ମଙ୍ଗରାଜଙ୍କ ଉଆସର ମରୁଆକୁ ଖୋଜାପଡ଼ୁଛି । କେହି କେହି କହନ୍ତି, ସେ ବାବାଜି ସାଙ୍ଗରେ ବୃନ୍ଦାବନଧାମକୁ ଚାଲିଗଲା । ବାସ୍ତବରେ ସେ ଯଦି ସାଧୁ ସହବାସରେ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ବାହାରିଯାଇଥାଏ, ତେବେ ଆମ୍ଭେମାନେ ତାହାର ଚରିତ୍ର ବିପକ୍ଷରେ କୌଣସି ମନ୍ତବ୍ୟ ପ୍ରକାଶ କରିବାଦ୍ୱାରା ସାଧୁ ଏବଂ ସାଧ୍ୱୀଙ୍କର (୭) ନିନ୍ଦାଜନିତ ମହାପାତକ ଅର୍ଜନ କରିବାକୁ ଅନିଚ୍ଛୁକ । କେବଳ ଗୋଟାଏ କଥା ଶୁଣିବାବେଳୁ ମନଟା କିପରି ଗୁଡ଼େଇପୁଡ଼େଇ ହେଉଛି । ମରୁଆ ସାନବୋହୂଙ୍କର ଭାରି ବିଶ୍ୱାସୀ ଥିଲା, ସବୁବେଳେ ତାଙ୍କରି ପାଖରେ ଥାଏ । ମରୁଆ ସହିତ ସାନବୋହୂଙ୍କ ବାକ୍ସରେ ଥିବା ଅଳଙ୍କାରଗୁଡ଼ିକ ମଧ୍ୟ ମିଳୁନାହିଁ ।
ବାପଘରୁ ଏବଂ ଶାଶୁଘରୁ ବିଭା ସମୟରେ ମୁହଁଚାହାଣି ନଗଦ ଟଙ୍କା ପାଇଥିଲେ, ତାହା ମଧ୍ୟ ବାକ୍ସରେ ଥିଲା । ବାକ୍ସ ମେଲା ହୋଇ ପଡ଼ିଛି, ପଦାର୍ଥ କିଛି ନାହିଁ । ସମସ୍ତେ ମାଲ ସହିତ ମରୁଆର ସମ୍ପର୍କ ରଖି କଥା କହୁଛନ୍ତି । ସାନବୋହୂ ତ ସାଫ୍ ଡକା ପାଡ଼ୁଛନ୍ତି । ସମସ୍ତେ ଡକାପାଡ଼ି ତୁନି ହେଲେ, ମରୁଆକୁ ଖୋଜିବାକୁ କିଏ ଯାଉଛି ?
ଯେଉଁ ଦୁଆରେ ଦିନ ନାହିଁ, ରାତି ନାହିଁ, ଲୋକ ଯିବା ଆସିବା ଗହଳି ଲାଗିଥିଲା, ସେ ଦୁଆରେ ଦୁବ ମାଡ଼ିଗଲାଣି ।
ସାର କଥା, କେତେଟା ମାସ ମଧ୍ୟରେ ସମ୍ପତ୍ତି, ଗୌରବ, ଆଧିପତ୍ୟ ସବୁ ଛାରଖାର ହୋଇଗଲାଣି ।
ଗଜଭୁକ୍ତକପିତ୍ଥବତ୍ ।’’ (୧)
୧) କୁହାଳିଆ—କଥା କହିବାରେ ପାରଦର୍ଶୀ, ୨) ଅଧୋଡ଼ା— ଦରବୁଢ଼ା, ୩) ଚୁରୁକି—ଚୁଟି, ୪) ଫେରା—ସରି, ୫) ପରିଧାନ—ପିନ୍ଧିବା ୬) ବହିର୍ବାସ—ଦେହ ଉପରେ ପିନ୍ଧିଥିବା ଲୁଗା, ୭) ସାଧ୍ୱୀ —ପତିବ୍ରତା, ୮) ନିର୍ଜଗାମ... କପିତ୍ଥବତ୍—ଲକ୍ଷ୍ମୀ ଛାଡ଼ିଗଲାବେଳେ ଗଜ ନାମକ କୀଟ ଖାଇଥିବା କଇଁଥ ଭଳି ଗୃହସ୍ଥର ଘରକୁ ଶୂନ୍ୟ କରିଦେଇଯାଆନ୍ତି । ଗଜ ଏକପ୍ରକାର କୀଟ । ଏହା କଇଁଥରେ ଛିଦ୍ର କରି ଭିତରକୁ ଯାଇ ସବୁ ଶସ୍ୟ ଖାଇଦେଇଥାଏ, ବାହାରକୁ କଇଁଥ କିନ୍ତୁ, ଅକ୍ଷୁଣ୍ଣ ଦିଶୁଥାଏ ।
ଅପୂର୍ବ ମିଳନ
ମନୁଷ୍ୟ ଆପଣା କର୍ମଫଳ ଭୋଗ କରେ । ତୁମେ ଭଲ ଅବା ମନ୍ଦ ଯେପରି କର୍ମ କରିବ, ତହିଁର ପ୍ରତିଫଳ ଅବଶ୍ୟ ତୁମ୍ଭଙ୍କୁ ଭୋଗ କରିବାକୁ ହେବ । ହେ ବୁଦ୍ଧିମାନ ! ତୁମ୍ଭେ ଅତି ନିର୍ଜନରେ, ଅତି ସାବଧାନରେ କିଛି କର୍ମ କରି ମନେକରୁଛ, ମନୁଷ୍ୟର ଦୃଷ୍ଟିରେଖାର ଅନ୍ତରାଳରେ ରହିଛି । ଭୂମିରେ ଗୋଟିଏ କ୍ଷୁଦ୍ର ବୀଜ ପୋତିବାବେଳେ କେହି ଦେଖେ ନାହିଁ ସତ୍ୟ, ମାତ୍ର ସେଥିରୁ ଜାତ ବୃକ୍ଷର ମନୁଷ୍ୟନେତ୍ର ଅତିକ୍ରମ କରିବାର ଉପାୟ ନାହିଁ । ପୁଣି ତୁମ୍ଭେ ଯେଉଁ ବୃକ୍ଷ ରୋପଣ କଲ, ତାହାର ଫଳ ତୁମ୍ଭଙ୍କୁ–କଦାଚିତ୍ ବଂଶପରମ୍ପରାକୁ ଭୋଗ କରିବାକୁ ହେବ । ହେ ବଳବାନ୍, ଧନବାନ୍, ଗର୍ବିତ ! ତୁମ୍ଭେ ଯାହାକୁ ଅତି ସାମାନ୍ୟ ଲୋକ ବୋଲି ତୁଚ୍ଛ ଜ୍ଞାନ କରୁଛ, ଦିନେ ତାହାରି ଦ୍ୱାରା କି କାର୍ଯ୍ୟ ସାଧିତ ହୋଇପାରେ, ତୁମ୍ଭେ ତାହା ଜାଣ ନାହିଁ । ବଙ୍ଗ, ବିହାର, ଓଡ଼ିଶାର ସୁବାଦାର ଗୋଟିଏ ସାମାନ୍ୟ ଫକୀର ପ୍ରତି ଅତ୍ୟାଚାର କରି ରକ୍ଷା ପାଇପାରି ନାହାନ୍ତି । ଶିକ୍ଷାଗୁରୁ ଗୋବିନ୍ଦ ଜଣେ ସାମାନ୍ୟ ମୁସଲମାନର ଉପକାର କରି ପ୍ରାଣସଙ୍କଟ ଘୋର ବିପଦରୁ ରକ୍ଷା ପାଇଥିଲେ । ସେ ଐତିହାସିକ ବଡ଼ ବଡ଼ କଥା ଛାଡ଼ିଦିଅ । ବାଘସିଂହ ଘରେ ଚୌକିଆ ଥିବା ହେତୁରୁ ରତନପୁରର ଯେଉଁ ଡମମାନଙ୍କୁ ଆମ୍ଭମାନଙ୍କ ମଙ୍ଗରାଜେ ଚକ୍ରାନ୍ତ କରି ଜେଲ ଦିଆଇଥିଲେ, ଘଟନାସୂତ୍ରରେ ଆଜି ସେହିମାନଙ୍କ ହାତରେ ଲାଞ୍ଛନା ଭୋଗ କରିବାକୁ ହେଲା ।
ରତନପୁର ମୌଜାର ଡମମାନେ ପ୍ରଥମ ଦିନ ମଙ୍ଗରାଜଙ୍କୁ ଜେଲଖାନାରେ ଦେଖି–ସଙ୍ଗାତ ତ ଅଇଲେ–ଶଶୁର ଅଇଲେ–ସାଆନ୍ତେ ଅଇଲେ–କହି ହସି ହସି ଟାପରା କରି ତାଙ୍କୁ ଦଣ୍ଡବତ କରିଥିଲେ । କେହି ଜଣେ ଧନବନ୍ତ ବଡ଼ ଲୋକ ଜେଲ୍ ଗଲେ, ପୁରୁଣା ସରଦାର କଏଦୀମାନେ କିଛି ପାଇବା ଆଶାରେ ତାହା ପ୍ରତି ଅତ୍ୟାଚାର କରିଥାନ୍ତି । ମଙ୍ଗରାଜେ ରତନପୁରିଆଙ୍କ ସାଙ୍ଗରେ ଘଣା ପେଲିବା ସମୟରେ ତାଙ୍କ ଉପରେ ଗୋଇଠାଟାଏ, ଖୁନ୍ଦାଟାଏ ବାଜିଯାଉଥାଏ ।
ଆମ୍ଭେମାନେ ଗୋଟିଏ କଥା କହିବାକୁ ଭୁଲିଯାଇଛୁ । ମିଥ୍ୟା ସାକ୍ଷ୍ୟ ଦେବା ଅପରାଧରେ ଗୋବରା ଜେନାର କଠିନ ପରିଶ୍ରମ ସହିତ ଏକ ବର୍ଷ ମିଆଦ ହୋଇଯାଇଛି ।
ଦିନ କାହାରିକୁ ଅନାଇ ବସି ରହେନାହିଁ । ଚିରକାଳ ସମାନ ଭାବରେ ଦିନ ରାତି ବହିଯାଇଛି । ମଙ୍ଗରାଜେ ଘଣା ପେଲୁଛନ୍ତି ବୋଲି ଯେ ଦିନ ଅଟକି ରହିବ, ଏମନ୍ତ କିଛି ନୁହେଁ । ଲୋକେ କହନ୍ତି, ‘ସୁଖର ଦିନ ଘୋଡ଼ାରେ ଧାଏଁ; ଦୁଃଖର ଦିନ ହାତୀରେ ଚଢ଼ିଯାଏ ।’ ତୁମ୍ଭେ ଯାହା କହ, ଦିନ ତାହାର ନିଜର କାର୍ଯ୍ୟ ଭଲ ବୁଝେ । ତାହାର ଆଠ ପହରରୁ ନିମିଷେ ଆଡ଼ବାଙ୍କ (୧) ହେବାର ନାହିଁ । ଏକ–ଦୁଇ–ତିନି–ଚାରିଦିନ କରି ମଙ୍ଗରାଜଙ୍କ ଜେଲ୍ ମିଆଦ ଦୁଇ ମାସ କଟିଗଲାଣି ।
ସେ ଯେଉଁ ବଖରାରେ ଶୋଉଥିଲେ, ସେ ବଖରାଟା ମରାମତ କରାଯିବାର ପ୍ରୟୋଜନ ହେବାରୁ ତାଙ୍କୁ ଅନ୍ୟ ଗୋଟିଏ ବଖରାକୁ ନିଆଗଲା । ଜେଲ୍ଖାନାରେ ଗୋଟିଏ ଗୋଟିଏ ବଖରାରେ ଆଠଟି ଲେଖାଏଁ ମାଟିରେ ପିଣ୍ଡି ବନ୍ଧାଥାଏ । ରାତିରେ କମ୍ବଳ ପାରି ସେଥିରେ ଆଠଜଣ କଏଦୀ ଶୁଅନ୍ତି । ଦୈବାତ୍ ରତନପୁର ମୌଜାର ଛ’ ଜଣ ଡମ, ଗୋବରା ଜେନା ଏବଂ ମଙ୍ଗରାଜେ ଏହି ଆଠ ଜଣ ଗୋଟିଏ ବଖରାରେ ରହିଲେ ।
ଚାରିଦିନ ତଳେ ମଙ୍ଗରାଜଙ୍କ ଉପରେ ଭାରି ଗୋଟାଏ ବିପଦ ଘଟିଯାଇଛି । ଆଜିକାଲି କଟକ ଦରଘାବଜାରରେ ଯେ ଗୋଟିଏ ପାଗଳଖାନା ଅଛି, ଏପରି ପୂର୍ବେ ନ ଥିଲା । ବାୟାମାନଙ୍କୁ ଜେଲ୍ଖାନାରେ ବନ୍ଦି କରି ରଖାଯାଉଥିଲା । ମଙ୍ଗରାଜଙ୍କ ରହିବା କୋଠରୀର କିଛି ଦୂରରେ ପାଗଳା ଗାରଦ । ସେଠାରେ ଗୋଟିଏ ଭୟଙ୍କର ବାୟା ଥିଲା । ସେ ରାତିଯାକ ଶୁଏ ନାହିଁ, ମୋ ସାରିଆ, ମୋ ‘ଛ’ ମାଣ ଆଠଗୁଣ୍ଠ’ କହି ନାଚେ, ଚିଲାମାରେ, ଡକାପାଡ଼େ, ହସେ । ସେ ମଙ୍ଗରାଜଙ୍କୁ ଦେଖିଲେ ସର୍ବଦା କାମୁଡ଼ିବାକୁ ଧାଏଁ । ବରକନ୍ଦାଜମାନେ ଧରାଧରି କରି ରଖନ୍ତି । ସେଦିନ ହଠାତ୍ ଧାଇଁଆସି ମଙ୍ଗରାଜଙ୍କ ନାକ କାମୁଡ଼ିପକାଇ ଛିଣ୍ଡାଇ ଦେଇଅଛି ।
ଆଜିକାଲି ଜେଲ୍ଖାନା ଦୁଆରେ ଭାରି ଗୋଳମାଳ, ଦୁଇଗୋଟି ରୋଗୀ ପଡ଼ିଛନ୍ତି । ଗୋଟିଏ ଶୁକୁ ଶୁକୁ ହେଉଥିଲା, ମରିଗଲା । ଆଉ ଗୋଟାକୁ ଧୁଆଧୋଇ କରି ନେଟିଭ ଡାକ୍ତର ଓ କମ୍ପାଉଣ୍ଡର ପଟି ବାନ୍ଧି ଦେଉଛନ୍ତି ।
ବେଳ ୯ ଘଣ୍ଟା ସମୟରେ ଡାକ୍ତର ସାହେବ ଆସି ଲାସ୍ ମାଇନା କଲେ; ରୋଗୀର ସର୍ବାଙ୍ଗ ପରୀକ୍ଷା କଲେ । ଜେଲ୍ ଦାରୋଗା ରେଜିଷ୍ଟ୍ରରୀ ବହି ଦେଖି କହିଲେ –
ଲାସ୍–୯୭୭ ନମ୍ବର, କଏଦୀ ଗୋବରା ଜେନା ।
ରୋଗୀ–ନଂ ୯୭୫, ନମ୍ବର କଏଦୀ ରାମଚନ୍ଦ୍ର ମଙ୍ଗରାଜ । ରୋଗୀର ସର୍ବାଙ୍ଗ ସ୍ଥାନେ ସ୍ଥାନେ ଫୁଲିଛି, ନାକଦଣ୍ଡା ଫାଟିଯାଇ ରକ୍ତ ବହୁଛି, ସମୟ ସମୟରେ ରକ୍ତବାନ୍ତି ହେଉଛି । ଡାକ୍ତର ସାହେବ ରୋଗର କାରଣ ମାଡ଼ ବୋଲି ସ୍ଥିର କଲେ ।
ଖୁବ୍ ତଦାରଖ ହେଲା, ଧୂମ୍ଧାମ୍ ହେଲା, କିଏ ମାଡ଼ ମାରିଲା ସ୍ଥିର ହେଲା ନାହିଁ । ରୋଗୀର କଥା କହିବାର ଶକ୍ତି ନାହିଁ । କେବଳ ଗତ ରାତ୍ରିରେ ପହରା ବରକନ୍ଦାଜ ଅର୍ଦ୍ଧରାତ୍ର ସମୟରେ ଦୁମ୍ଦାମ୍-ଗୁମ୍ଗାମ୍ ଶବ୍ଦ ଶୁଣିଥିବାର ସାକ୍ଷ୍ୟ ଦେଲା । ଡମ ଛ’ ଜଣ ସାକ୍ଷ୍ୟ ଦେଲେ, କଏଦୀ ଦୁଇଜଣ ପରସ୍ପର ବାଡ଼ିଆବାଡ଼େଇ ହୋଇଅଛନ୍ତି ।
ମକଦ୍ଦମା ତଦାରଖି ଖତମ୍ ହେଲା । ଡାକ୍ତର ସାହେବ ହୁକୁମ ଦେଲେ ରୋଗୀର ବଞ୍ଚିବାର ସମ୍ଭାବନା ବିରଳ, ତାହାର ଜ୍ଞାତି ବନ୍ଧୁ ଇଚ୍ଛା କଲେ ଚିକିତ୍ସା ସକାଶେ ଘରକୁ ଘେନିଯାଇପାରନ୍ତି । ପୋଲିସ୍ ଥାନାଦ୍ୱାରା ଗୋବିନ୍ଦପୁରରେ ସାହେବଙ୍କ ହୁକୁମ ପହଞ୍ଚିଲା ।
ପୁଅମାନେ ଧାନଅମାର ତଳିପୋଛ ପ୍ରାୟ କରିଦେଲେଣି (୨) । ସେମାନେ ବାପକୁ ଚିହ୍ନନ୍ତି-। ଫେରିଅଇଲେ କି ରକ୍ଷା ? କେଉଁ ବୁଦ୍ଧିମାନ ଲୋକ ଜାଣୁ ଜାଣୁ ଆପଣା ବିପଦକୁ ଡାକିଆଣେ ? ‘‘ଆତ୍ମା ନଂ ସତତଂ ରକ୍ଷେତ୍’’ (୩)–ଏହି ନୀତିବାକ୍ୟଟା ସମସ୍ତଙ୍କୁ ଜଣା ।
ବୁଢ଼ା ହଳିଆ ମୁକୁନ୍ଦା ଲଣ୍ଡଭଣ୍ଡ ହୋଇ ଦୁଇଟା ଅଣ୍ଡିରା (୪), ଚାରି ଛ’ଟା ପହ୍ଲଣ ସଜ (୫) ବିକିଦେଇ ଖଣ୍ଡେ ଡୋଲି ଧରି ତରବର ହୋଇ କଟକ ଧାଇଁଲା ।
୧) ଆଡ଼ବାଙ୍କ-ବ୍ୟତିକ୍ରମ, ୨) ତଳିପୋଛ...ଦେଲେଣି—ଅମାରର ନିମ୍ନାଂଶ ଧାନକୁ ମଧ୍ୟ ନିଃଶେଷ କରିଦେଲେଣି, ୩) ଆତ୍ମା ନଂ...ରକ୍ଷେତ୍–ନିଜକୁ ସର୍ବଦା ରକ୍ଷା କରିବ, ୪) ଅଣ୍ଡିରା—ଅଣ୍ଡିରା ବାଛୁରୀ, ୫) ପହ୍ଲଣ—ଥୋରି-ବଳଦ ଉପରେ ପଡ଼ିବା ଅଖାର ଗଦି ।