ଗୋବରା ଜେନା — ଛ’ମାଣ ଆଠଗୁଣ୍ଠ — ଫକୀରମୋହନ ସେନାପତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଗୋବରା ଜେନା
ତନ୍ତୀସାହିକୁ ଚାରିଶ ପାଞ୍ଚଶ କଦମ ଦୂର ବିଲ ମଝିରେ ଡମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦପୁର ସାମିଲ । ସେଠାରେ ଦଶଘର ଡମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର । ତା’ର ଦେଢ଼ମାଣ ଚୌକିଆ ଜାୟଗିରି ଅଛି, ଏ ସିବାଏ (୧) ଫି ଘରୁ ଧାନକଟା ସମୟରେ ଗୋଟାଏ ଲେଖାଏଁ ହଳା ପାଏ । ଜେନା ମଜକୁର (୨) ଆପଣା କାମରେ ଖୁବ୍ ହୁସିଆର । ତାହା ଯୋଗେ ଗ୍ରାମରେ ଚୋରି-ଚପାଟି ହୁଏ ନାହିଁ । ଫି ବରଷ ଗ୍ରାମ ମଧ୍ୟରେ ଚାରି ପାଞ୍ଚ ନମ୍ବର ସିନ୍ଧି ହୁଏ ସତ୍ୟ, କିନ୍ତୁ ଜେନା ମଜକୁରର କିଛି ଦୋଷ ନାହିଁ । କାରଣ ସେହି ସବୁ ଚୋରି ରାତିରେ ଜେନାପୁଅ ଜାତିଆଣ କାମରେ ଚାରି ପାଞ୍ଚକୋଶ ଦୂରବର୍ତ୍ତୀ ଗ୍ରାମକୁ ଯାଇଥାଏ ।
ଚୌକିଦାର ସାରା ରାତି ଗ୍ରାମରେ ପହରା ଦିଏ, ମାତ୍ର ସେ ଏପରି ହୁସିଆରରେ ପହରା ଦିଏ ଯେ, ସେ କଥା କେହି କେତେବେଳେ ଜାଣିପାରନ୍ତି ନାହିଁ । ପାଟିକରି ପହରା ଦେଲେ ତୁଣ୍ଡ ଶୁଣି ଚୋର ଯେ ପଳାଇ ଯିବେ ! ପୁରୁଣା ପୋଲିସ ଭାରି ଲାଞ୍ଚଖିଆ ଥିଲେ, ଏପରି ଗୋଟାଏ ପ୍ରବାଦ ଅଛି । ସତ ମିଛ ଜଗନ୍ନାଥେ ଜାଣନ୍ତି । ଲୋକମାନଙ୍କ ପାଟିରେ କିଏ ହାତ ଦେବ ? ବାଘ ମଣିଷ ଖାନ୍ତି–ସବୁ ବାଘଗୁଡ଼ାକ ମଣିଷଖିଆ ? ସାଧୁ ସଚ୍ଚରିତ୍ର ବାଘ କି ଦୁନିଆରେ ନାହାନ୍ତି ? ଆମ୍ଭମାନଙ୍କ ଜେନାପୁଅ ସେହିପରି ଜଣେ ସାଧୁ ସଚ୍ଚରିତ୍ର ଲୋକ । ଆପଣାର ହକ୍ ଅର୍ଥାତ୍ ବାର୍ଷିକ ହଳା, ବାହା ପୁଆଣିରେ ଖଦି ମୂର୍ତ୍ତିଏ, ଉପରି ବରଠାରୁ ଚୌକିଆ ରୋସମ (୩) ଟଙ୍କାଟିଏ, ଆଉ ମଲା ମରୁଡ଼ିରେ ଭାତିଆ (୪) ବାବଦକୁ କିଛି ଖର୍ଚ୍ଚା ଏବଂ ପିଢ଼ାରୁ ଲାଉ କଖାରୁଟା ଛଡ଼ା କାହାରିଠାରୁ କିଛି ଲାଞ୍ଚ ରିସପତ୍ (୫) ଛୁଏଁ ନାହିଁ । ଆଉ ଚୋରି, ସାପକାମୁଡ଼ା, ଜଳଡ଼ୁବି ମାମଲା ପଡ଼ିଲେ ପୋଲିସରେ ଏତଲା ଖର୍ଚ୍ଚା ଟଙ୍କାଟିଏ, ସେ ତ ଆଇନରେ ଅଛି, ସେଥିରେ ଚୌକିଆର କ’ଣ ଇଲାକା ?
ବରଞ୍ଚ ଗୋବର୍ଦ୍ଧନ ଭାରି ଦୟାଳୁ ଲୋକ । କେହି ଗରିବ ଉପରେ ମାମଲା ପଡ଼ିଲେ କଂସାଖଣ୍ଡି ଢାଳଟି ନେଇ କାମ ତୁଲାଇଦିଏ । ମାସକୁ ଥରେ ପୋଲିସରେ ରିପୋର୍ଟ ଦେବାକୁ ଯିବାବେଳେ ଗ୍ରାମରୁ କଦଳୀ କାନ୍ଦିଟା, ଲାଉ, କଖାରୁ ପୁଞ୍ଜାଏ ମୁନ୍ସି, ଜମାଦାର, ବରକନ୍ଦାଜ ସକାଶେ ନେବାର ତ ସୁବାମତି (୬) କଥା । କାମ ଝଞ୍ଜଟ ହେତୁରୁ ଜେନାପୁଅ ରାତିଓଳିଟା ଘରୁ ଭାତ ଖାଇପାରେ ନାହିଁ; ପାଳି କରି ଗାଁ ଲୋକଙ୍କ ଘରୁ ଖାଏ । ଯାହା ଘରୁ ଯେଉଁଦିନ ଖାଇବାର କଥା, ବେଳ ଥାଉଁ ଥାଉଁ ମୁଠାଏ ଚାଉଳ ପକାଇବା ସକାଶେ କହିଯାଏ-। ଖଞ୍ଜ-ଅଖଞ୍ଜରେ ଭାତ ହୋଇ ନ ପାରିଲେ ଜେନାପୁଅ ସେଦିନ ରାତିରେ ତାହା ଘର ପହଁରା କାମରେ ଢିଲା କରିଦିଏ । ଚୋରମାନେ ତକ୍ଷଣେ ଏ କଥା ଜାଣିପାରି ସେହିଦିନ ରାତିରେ ତାହା ପିଢ଼ା ଓ ବାଡ଼ିରୁ ଫଳ କଦଳୀଟା କିମ୍ବା ବିଲରୁ ଧାନ ଚୋରି କରି ଘେନିଯାନ୍ତି କିମ୍ବା କିଛି ନ ପାଇଲେ ତାହା ଦାଣ୍ଡଦୁଆର ଖୁମ୍ବଟା ଭାଙ୍ଗି ଦେଇଯାନ୍ତି । ଗୋବର୍ଦ୍ଧନ ଗାଁରେ ଭାତ ଖାଇସାରି ଆପଣା ଘର ପର୍ଯ୍ୟନ୍ତ, ‘‘ଗାଁ ଲୋକେ ହୁସିଆର, ଘରବାଲେ ଖବରଦାର,’’ ପାଟିକରି ଡାକ ଦିଏ । ଚେଇଁଥିବା ପିଲାମାନେ ସେ ଡାକ ଶୁଣି ଶୋଇପଡ଼ନ୍ତି । ତାହା ବାଦ୍ ସେ ଗାଁରେ ସାରା ରାତି ପହରା ଦିଏ, ଏ କଥା କାହାକୁ ଜଣାପଡ଼େ ନାହିଁ ।
ଗୋବରା ଜେନାକୁ ଗୋଟାଏ ପାଣ ମଧ୍ୟରେ ଗଣିବ ନାହିଁ । ହଜାରେ ପାଞ୍ଚଶ ଗଣିଦେବାର ଲୋକ । ଧାନ ପାଞ୍ଚ ସାତ ଭରଣ ମଧ୍ୟ ଘରେ ସାଇତା ଅଛି-। ଯେ ଯେଡ଼େ ହୁସିଆର ହେବ, ଆପଦ ବିପଦ କାହାରିକୁ ଛାଡ଼ ନାହିଁ । ଥରେ ଗୋଟାଏ ଚୋରି ମାମଲା ତାହା ଉପରେ ଝୁଙ୍କିଥିଲା । ଶୁଣିବାରେ ଅଢ଼େଇଶ ଟଙ୍କା ମୁନିସ୍କୁ ପେଲିଦେଇ ଖଲାସ ପାଇଲା । ସେ ମାମଲାର ହାଲ ଏହି କି, ମାଖଲପୁର ମୌଜାର ଭୁବନି ସାହୁ ତେଲି ମହାଜନ ଘର ଡକାଇତି ମକଦ୍ଦମାରେ ଆଠଜଣ ଡକାଇତ ଗ୍ରେପ୍ତାର ହୋଇଥିଲେ । ଗୋବରା ଜେନା ସହ୍ଲାରେ ଏହି ଡକାଇତି ହୋଇଥିବାର ଏବଂ ଆହୁରି ଦଶ ପନ୍ଦର ନମ୍ବର ଚୋରିରେ ତାହାର ସଲା ଥିବାର ଏବଂ ଚୋରାମାଲ ସବୁ ତାହାଦ୍ୱାରା ବିକ୍ରି ହେଉଥିବାର ଆସାମୀମାନଙ୍କ ମଧ୍ୟରୁ ଦିକଡ଼ିଆ ପାଣ ପ୍ରକାଶ କଲା । ମାତ୍ର ଆଉ ଆଉ ଆସାମୀମାନେ ଏ କଥା ଅସ୍ୱୀକାର କରିବାରୁ ଗୋବରା ଦେହକୁ ଆଞ୍ଚ ଲାଗିଲା ନାହିଁ ।
ଗୋବରା ଜେନାଙ୍କ ଯୋଗ୍ୟତାରେ ମଙ୍ଗରାଜେ ତାହା ଉପରେ ଭାରି ଖୁସି । ସେ ସକାଳ ସଞ୍ଜବେଳେ ମଙ୍ଗରାଜଙ୍କ କଚେରିରେ ହାଜର ଥାଏ । ଅଧରାତିବେଳେ ଗୋବରା ଓ ମଙ୍ଗରାଜ ନିରୋଳାରେ ବସିଥିବାର ଲୋକେ ଦେଖିଛନ୍ତି । ଫତେପୁର ସରଷଣ୍ଡ ତାଲୁକାରେ ଅନେକ ପାଣଙ୍କ ଘର ଅଛି । ସେମାନେ ଚୋରି, ଡକାୟତି, ରାହାଜାନୀ (୭) ବ୍ୟବସାୟୀ ଥିବାର ଲୋକେ ସନ୍ଦେହ କରନ୍ତି । ପୁଲିସ ଏବଂ ଜେଲଖାନା ସହିତ ଘନିଷ୍ଠ ସମ୍ବନ୍ଧ ଏହି ସନ୍ଦେହର କାରଣ ଅଟେ । ଗୋବର୍ଦ୍ଧନର ଗୋଟିଏ ମହତ୍ ଗୁଣ, କୌଣସି ପାଣ ଜେଲ ଗଲେ ତାହାର ଅସହାୟ ପିଲା ବାଳକଙ୍କୁ ଚଳାଏ ଏବଂ ମଙ୍ଗରାଜଙ୍କ ଖମାରରୁ ଧାନ ଦିଆଇଦିଏ । ମାତ୍ର ନିନ୍ଦୁକ ଲୋକର ନିନ୍ଦାକଥା କାହିଁ ଛାଡ଼ ନାହିଁ । ଲୋକମାନେ ଗୋବର୍ଦ୍ଧନର ଏହି ସଦ୍ଗୁଣର ଅନ୍ୟପ୍ରକାର ଅର୍ଥ କରନ୍ତି-। ସେଥି ସଙ୍ଗେ ସଙ୍ଗେ ମଙ୍ଗରାଜଙ୍କ ଦାତବ୍ୟତା ଉଲ୍ଲେଖ କରିବା ମଧ୍ୟ ଗୋଟିଏ ଭାରି ଖରାପ କଥା ଅଟେ ।
୧) ସିବାଏ–ବ୍ୟତୀତ, ଛଡ଼ା, ୨) ମଜଦୁର–ପୂର୍ବକଥିତ, ୩) ରୋସମ— ରାଜା ବା ଜମିଦାରଙ୍କୁ ଦିଆଯିବା ମାହାସୁଲ, ୪ । ଭାତିଆ—ଖୋରାକି, ବେତନ, ୫) ରିସପତ୍—ଉତ୍କୋଚ, ୬) ସୁବାମତି~ସାଧାରଣ, ୭) ରାହାଜାନୀ—ରସ୍ତାରେ ଡକାୟତି ।
ଅସୁରଦୀଘି
ଗୋବିନ୍ଦପୁର ମୌଜାରେ ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତ ଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳିଦେଲେ (୧) ଦଶବାର ବାଟିରୁ ଊଣା ପଡ଼ିବ ନାହିଁ । ନାମ ଅସୁରଦୀଘି । ଏଥିରେ ପୂର୍ବେ ଷୋଳଟା ଦୀପଦଣ୍ଡି (୨) ଥିଲା । ଦେବତା ବଳିଆରରୁ (୩) ସବୁ ଡୁବିଯାଇଅଛି । ଚାରିପାଖ ଆଡ଼ି (୪) ବଗଚରାଠାରୁ ଦଶ ବାର ହାତ ଉଚ୍ଚ । ଏ ପୋଖରୀଟି କେତେ କାଳର, କିଏ ଖୋଳାଇଛି, ଏଥିର ସଠିକ୍ ବୃତ୍ତାନ୍ତ ଆମ୍ଭେମାନେ କହିବାକୁ ଅକ୍ଷମ । ଶୁଣିବାରେ ଅସୁରମାନେ ଖୋଳିଛନ୍ତି । ଅସମ୍ଭବ ନୁହେଁ । ଏଡ଼େ ବଡ଼ ଜଳକୀର୍ତ୍ତି ଯେ କରିପାରେ, ସେ କି ଆମ୍ଭମାନଙ୍କ ପରି ମନୁଷ୍ୟ ?
ଗ୍ରାମର ପଞ୍ଚାନବେ ବର୍ଷର ବୁଢ଼ା ଏକାଦୁଶିଆ ତନ୍ତୀ ମୁହଁରୁ ପୁଷ୍କରିଣୀ ସମ୍ବନ୍ଧରେ ଯେଉଁ ଇତିହାସ ସାର ସଂଗ୍ରହ କରିଅଛୁଁ, ତାହାର ସଂକ୍ଷିପ୍ତ ବୃତ୍ତାନ୍ତ ଏହି–ବାଣାସୁର ଏହି ପୋଖରୀ ଖୋଳାଇଅଛି । ସେ ଆପଣା ହାତରେ କୋଡ଼ି, ଗାଣ୍ଡୁଆ ଧରି ଖୋଳି ନାହିଁ । ତାହା ହୁକୁମରେ ଅସୁରମାନେ ଆସି ରାତି ମଧ୍ୟରେ ଖୋଳି ପକାଇଲେ । ଖୋଳୁ ଖୋଳୁ ରାତି ପାହିଗଲା । ଦକ୍ଷିଣ ଆଡ଼ିଆ କୋଣରେ ବାର ଚଉଦ ହାତ ଓସାର ଗୋଟାଏ ମୁହାଣ ଅଛି, ସେଠାରେ ମାଟି ପଡ଼ିପାରିଲା ନାହିଁ । ଦାଣ୍ଡରେ ଲୋକ ଚାଲବୁଲ ହେଲାଣି, ଅସୁରମାନେ ଏବେ ଯାଆନ୍ତି କୁଆଡ଼େ-? ପୋଖରୀ ମଧ୍ୟରେ ବିଳ ଖୋଳି ଗଙ୍ଗାକୂଳରେ ବାହାରି ପଡ଼ିଲେ । ସେଠାରେ ଗଙ୍ଗାସ୍ନାନ କରି ପଳାଇଗଲେ । ଆଗେ ଗଙ୍ଗାସାଗରରେ ବାରୁଣୀ ପଡ଼ିଲେ ଅସୁରଦୀଘିକୁ ପାଣି ତେଣ୍ଡା ଆସୁଥିଲା; ଗ୍ରାମରେ ବହୁତ ଅନାଚାର ହେବାରୁ ଏଣିକି ଆଉ ପାଣି ଆସୁନାହିଁ । ଇଂରେଜୀ ପଢ଼ୁଆ ବାବୁମାନେ ସାବଧାନ ! ଆମମାନଙ୍କର ଏକାଦଶୀଚନ୍ଦଙ୍କ ଇତିହାସ ଶୁଣି ହସିବେ ନାହିଁ, ତାହାହେଲେ ମାର୍ଶମାନ୍ ଆଉ ଟଡ୍ଙ୍କ ଲେଖାରୁ ଆଠପଣି କାହିଁ ଉଡ଼ିଯିବ ।
ଦୀଘିରେ ମାଛ ଅଛନ୍ତି । ଆପଣ କହିବେ, ଯହିଁ ପାଣି ତହିଁ ମାଛ, ଏ କଥା ଲେଖିବାର ଦରକାର କ’ଣ ? ମାତ୍ର ଆପଣଙ୍କ କଥାଟା ଯୁକ୍ତିସଙ୍ଗତ ହେଲାନାହିଁ । ଆଖୁ ସହିତ ଗୁଡ଼ର, ଦେହ ସହିତ ହାଡ଼ର ଯେମନ୍ତ ନିତ୍ୟ ସମ୍ବନ୍ଧ, ପାଣି ସହିତ ମାଛର ସେପରି କିଛି ନୁହେଁ । ତାହାହେଲେ ଆପଣଙ୍କ ଘର ପାଣିମାଠିଆରୁ ତ ମାଛ ବାହାରୁ ଥା’ନ୍ତେ ? ଅନୁମାନ ବା ଅଯୌକ୍ତିକ କଥା ଲେଖିବା ଆମ୍ଭମାନଙ୍କର ଅଭ୍ୟାସ ନୁହେଁ । ଅସୁରଦୀଘିରେ ଯେ ମାଛ ଅଛନ୍ତି, ଆମ୍ଭେମାନେ ସେଥିରେ ଅକାଟ୍ୟ ପ୍ରମାଣ ଦେବୁଁ । ଏହି ଦେଖନ୍ତୁ, ଦକ୍ଷିଣ ଆଡ଼ିଆରେ ପାଣିକୁ ପାଞ୍ଚ ହାତ ଛାଡ଼ି ଆଁ କରି ସାନ ବଡ଼ ତିନିଗୋଟା ଥଣ୍ଟିଆକୁମ୍ଭୀର ପଡ଼ିଅଛନ୍ତି । ସବୁଦିନେ ପଡ଼ନ୍ତି । ଏମାନେ କି ସକାଶେ ଦୀଘିରେ ଅଛନ୍ତି ? କ’ଣ ଖାଇ ବଞ୍ଚନ୍ତି ? ସେମାନେ କି ଗୋରୁଗାଈ ପରି ପଡ଼ିଆରେ ଘାସ ଚରିବାର କେହି ଦେଖି ଅଛନ୍ତି, ନା, ଜୈନମାନଙ୍କ ପରି ଅହିଂସା ପରମ ଧର୍ମ ଜାଣନ୍ତି ? ଅବଶ୍ୟ ଦୀଘିରୁ କୌଣସି ପଦାର୍ଥ ଖାଇ ବଞ୍ଚିଛନ୍ତି ? ସେ କି ପଦାର୍ଥ ? ଥଣ୍ଟିଆ କୁମ୍ଭୀରମାନଙ୍କର ଆଉ ଗୋଟିଏ ନାମ ମାଛୁଆ କୁମ୍ଭୀର, ଅର୍ଥାତ୍ ଏମାନେ ମାଛ ଖାଆନ୍ତି । କେହି କହିବେ ଏମାନେ ମାଛ ଖାଆନ୍ତି ସତ୍ୟ, ଆଉ ସ୍ଥାନରୁ ମାଛ ଆଣି ଖାଆନ୍ତି । ହାଟରେ ମାଛ ଶୁଖୁଆ ମିଳେ ସତ୍ୟ, ମାତ୍ର ଏମାନେ ପଇସା ନେଇ ହାଟକୁ ମାଛ କିଣିବାକୁ ଯିବାର ତ କେଭେ ଦେଖାନାହିଁ । ଆଉ ଗାଁଆକୁ କେଉଟୁଣୀମାନେ ମାଛ ବିକିବାକୁ ଆସିଲେ ଗାଁ ମାଇକିନିଆମାନେ ଧାନ ଚାଉଳ ଦେଇ ମାଛ ବଦଳାନ୍ତି । ଆମ୍ଭେମାନେ ଶପଥ କରି କହିପାରୁଁ, କୁମ୍ଭୀରମାନେ ତ ସେପରି ଧାନ ଚାଉଳ ଦେଇ ମାଛ କିଣିବାର କେଭେଁ ଦେଖିନାହୁଁ । ସୁତରାଂ ପ୍ରମାଣ ହେଲା, ଦୀଘିରେ ମାଛ ଅଛନ୍ତି ।
ଏତିକି ଯେ ଯଥେଷ୍ଟ ପ୍ରମାଣ ତାହା ନୁହେଁ, ଆହୁରି ମଧ୍ୟ ଅନେକ ଅକାଟ୍ୟ ପ୍ରମାଣ ଅଛି-। ଏହି ଦେଖନ୍ତୁ. ଚାରିଟା କାଦୁଅଖୁମ୍ପି ଗୋଟିପୁଅ ପିଲାଙ୍କ ପରି ନାଚି କୁଦି ବୁଲୁଛନ୍ତି-। ତୋଡ଼ି ପିଲାଟିର, ଦଣ୍ଡେଇ ପଲାଟିର ବେକ ଚିପୁଛନ୍ତି ବୋଲି ସିନା ଏତେ ନାଚକୁଦ ! କେହି କହିବେ, କାଦୁଅଖୁମ୍ପ ଗୁଡ଼ାକ କି ନିଷ୍ଠୁର, କି ଦୁଷ୍ଟ, ପରର ବେକ ଚିପି ଏତେ ଆନନ୍ଦ ? ଭାଇ, କ’ଣ କହିବୁଁ, ବିଚାରୀ କାଦୁଅଖୁମ୍ପିକୁ ନିଷ୍ଠୁର ବୋଲ, ଦୁଷ୍ଟ ବୋଲ, ସଇତାନ ବୋଲ, ଯାହା ବୋଲ, ସେ କିଛି ତୁମ ନାମରେ ହୁରମତ (୫) ବାହାରର ନାଲିସ୍ ରୁଜୁ କରିବ (୬) ନାହିଁ । କିନ୍ତୁ ଜାଣିବ, ତୁମ ମନୁଷ୍ୟ ଜାତିଭାଇ ମଧ୍ୟରେ ଯେ ଯେତେ ବେକ ଚିପିପାରେ, ସେ ଯେ ତେଡ଼େ ବାହାଦୂର । ସେହି ମାନ୍ୟ, ସେହି ଗଣ୍ୟ, ‘ସ ଚ ଦର୍ଶନୀୟ’ ଏ କଥା କି ଜାଣନ୍ତି ନାହିଁ ?
ଚାରି ପାଞ୍ଚ ଗଣ୍ଡା ଧଳା ବଗ, ଚାରି ପାଞ୍ଚ ଗୋଟି କାଣ୍ଟିଆବଗ ନୀଚ ଲୋକ ମୂଲିଆଙ୍କ ପରି ସକାଳୁ ସନ୍ଧ୍ୟାବେଳ ଯାଏଁ କାଦୁଅ ଚକଟୁଛନ୍ତି । ଦୀଘିରେ ମାଛ ଥିବାର ଏହା ତୃତୀୟ ପ୍ରମାଣ-। ଯୋଡ଼ାଏ ପାଣିକାଉ କେଉଁ ଦେଶରୁ ଉଡ଼ିଆସି ଦୀଘି ମଧ୍ୟରେ ଦୁଇ ଚାରି ଡୁବ ମାରି ପେଟ ପୁରାଇ ଫର୍ କରି ଉଡ଼ିଗଲେ । ଗୋଟାଏ ପାଣିକାଉ ମେମ୍ସାହେବଙ୍କ ଗାଉନ୍ ପରି କୂଳରେ ବସି ଡେଣା ସୁଖାଉଅଛି । ସେ ହିନ୍ଦୁଧର୍ମୀ ବଗମାନେ ! ଇଂରେଜ ପାଣିକାଉଙ୍କୁ ଦେଖ । କେଉଁ ଦେଶରୁ ଖାଲି ପକେଟରେ ଉଡ଼ିଆସି ଚେଙ୍ଗ ବେଙ୍ଗ ଗଡ଼ିଶାରେ ପେଟ ପୂରାଇ ଚାଲିଗଲେ । ଦୀଘିକୂଳର ବରଗଛରେ ତୁମ୍ଭମାନଙ୍କର ବସା, ଦିନଯାକ ପାଣି ଚକଟି ଚକଟି ଦଣ୍ଡେଇପିଲା, କେରାଣ୍ଡିପିଲାରୁ ଅଧିକ କିଛି ପାଉନାହିଁ । ଜୀବନସଂଗ୍ରାମ କାଳ ଉପସ୍ଥିତ, ଏଣିକି ଆହୁରି ପଲ ପଲ ପାଣିକାଉ ଆସି ଚେଙ୍ଗ ବେଙ୍ଗ ସବୁ ବହି ନେଇଯିବେ । ତୁମ୍ଭେମାନେ ବିଦେଶକୁ ଯାଇ ସମୁଦ୍ର ପହଁରି ନ ଶିଖିଲେ ଆଉ ରକ୍ଷା ନାହିଁ ।
ଚିଲ ଖୁବ୍ ସିଆଣା, ଭାରି ହୁସିଆର, ଗୁରୁଗୋସାଇଁଙ୍କ ପରି ଡାଳରେ ତୁନି ହୋଇ ବସିଅଛି । ଥରେ ପାଣିକି ଝାମ୍ପିପଡ଼ି ଯାହା ଉଠାଇନିଏ, ସେଥିରେ ତାହାର ଦିନକ କଟିଯାଏ । ଗୋସାଇଁମାନେ ବରଷକ ଯାକ ପିଣ୍ଡାରୁ ଓହ୍ଲାନ୍ତି ନାହିଁ, ବରଷକୁ ଥରେ ଶିଷ୍ୟ ଦୁଆରକୁ ଝାମ୍ପ ମାରନ୍ତି ।
ବଗଚରାଠରୁ (୭) ଚାଳିଶ ପଞ୍ଚାଶ ହାତ ଦୂର ପାଣିଯାଏ ବଉଳମାଳା ଦଳ ଶିଙ୍ଗଡ଼ାପୂର୍ଣ୍ଣ । ସେହି ଦଳ ମଧ୍ୟରୁ ହିନ୍ଦୁ ଘର ଭୁଆସୁଣୀଙ୍କ ପରି କଇଁଗୁଡ଼ିକ ରାତିରେ ତୁନି ତୁନି ଫୁଟନ୍ତି, ଦିନବେଳେ ଢାଙ୍କି ଢୁଙ୍କି ରହନ୍ତି । ସେଥିମଧ୍ୟରେ ପାଣିଶିମୂଳି ଫୁଲଗୁଡ଼ିକ ଅଭିଆଡ଼ୀ ଝିଅଙ୍କ ପରି ଲାଜ ନାହିଁ, ସରମ ନାହିଁ, ଦିନ ରାତି ପବନରେ ଫକ୍ ଫକ୍ ଡେଉଁଛନ୍ତି । ପାଣି ଭିତରକୁ ରତାକଇଁ । ଏମାନେ ଶିକ୍ଷିତା ଖ୍ରୀଷ୍ଟାନ୍ ଲେଡ଼ି । କଇଁଦଳରୁ ବାହାରିଗଲେଣି ପଦ୍ମଦଳରେ ମିଶିପାରି ନାହାନ୍ତି । ଦୀଘି ମଝିରେ ଦଳ ନାହିଁ । ରାତିରେ ବୁଢ଼ୀମଙ୍ଗଳା ଠାକୁରାଣୀ ବୁଲନ୍ତି । ସେଥିସକାଶେ ଦଳ ହୋଇପାରେ ନାହିଁ–ଭାରତ-କବିଙ୍କର ସର୍ବସ୍ୱଧନ ଲକ୍ଷ୍ମୀଙ୍କର ନିବାସ, ସରସ୍ୱତୀଙ୍କର ଆସନ, ବ୍ରହ୍ମାଙ୍କର ଜନ୍ମସ୍ଥାନ ପଦ୍ମବନରେ ପୂର୍ଣ୍ଣ । ଫୁଲଗୁଡ଼ିକରେ ଠାକୁରାଣୀଙ୍କର ଷୋଳପଣି ଅଧିକାର । ଜଣେ ଲୋକ ଥରେ ଗୋଟାଏ ଫୁଲ ଆଣିବାକୁ ପହଁରି ଯାଇଥିଲା । ଠାକୁରାଣୀ ତାହା ଗୋଡ଼ରେ ଶିକୁଳି ଲଗାଇ ପାଣି ଭିତରକୁ ଭିଡ଼ିନେଲେ । ସେହିଦିନଠାରୁ ଆଉ କେହି ଫୁଲକୁ ଅନାଏ ନାହିଁ ।
ଅସୁରଦୀଘିରେ ଚାରିଟା ତୁଠ, ଧରିବାକୁ ଗଲେ ତିନିଟା । ଦକ୍ଷିଣ ତୁଠଟାକୁ କେହି ଯାନ୍ତି ନାହିଁ । ଗ୍ରାମରେ କେହି ମରିଗଲେ ସେହି ତୁଠରେ ଦଶାହକ୍ରିୟା ହୁଏ । ଏହି ତୁଠଟା ବଡ଼ ଭୟଙ୍କର ସ୍ଥାନ, ରାତି ତ ରାତି, ଦିନବେଳେ ମଧ୍ୟ ସେଠାକୁ କେହି ଯିବାର ଦେଖିନାହିଁ । ଏହି ତୁଠ ଉପରକୁ ଭାରି ବଡ଼ ଗୋଟାଏ ଅଶ୍ୱତ୍ଥ ଗଛ ଅଛି । ସେଥିରେ ସର୍ବଦା ଯୋଡ଼ିଏ ବ୍ରହ୍ମଦୈତ୍ୟ ଥିବାର ସମସ୍ତଙ୍କୁ ଜଣା । ଅଧରାତିରେ ଦୈତ୍ୟମାନେ ଗଛ ଅଗରେ ବସି ଦୀଘି ମଝିକୁ ଗୋଡ଼ ଲମ୍ବାଇ ଦେଇଥିବାର ଅନେକ ଲୋକ ଦେଖିଛନ୍ତି । କିଏ କିଏ ଦେଖିଛନ୍ତି ନାମ ଜଣାନାହିଁ; କିନ୍ତୁ ଦେଖିବାର ସତ । ଆହୁରି ମଧ୍ୟ ଏହି ଆଡ଼ିଆରେ ଅନେକ ପିତାଶୁଣୀ (୮) ଡାଙ୍କୁଣୀ (୯) ସବୁଦିନେ ଘର କରି ରହି ଅନ୍ଧାର ରାତିରେ ଆଲୁଅ ଜାଳି ମାଛ ଧରୁଥିବାର, ବିଶେଷରେ ବର୍ଷାର ଅନ୍ଧାର ରାତିରେ ପଲପଲ ହୋଇ ବୁଲୁଥିବାର ପ୍ରତ୍ୟକ୍ଷ ପ୍ରମାଣ ଯଥେଷ୍ଟ ଅଛି ।
ପୂର୍ବ ତରଫରେ ଧୋବାତୁଠ । ଦୁଇଜଣ ଧୋବା ଇଶ୍ ଇଶ୍, ରାମ ରାମ କହି ପଥର ଉପରେ ଲୁଗା ବାଡ଼ଉଛନ୍ତି । ‘ଗାଁ ପରିଗୁଣ ଧୋବାତୁଠରୁ ଜଣା ।’ ଅଖାପାଲ ପରି ମୋଟା ମୋଟା ଶଗଡ଼େ ମଇଳା ଲୁଗା ଗଦାହୋଇଛି । ଲୁଗା ସିଝାଇବା, ଶୁଖାଇବା କାମରେ ଚାରି ଜଣ ଧୋବଣୀ ଲାଗିଛନ୍ତି । ଉତ୍ତର-ପଶ୍ଚିମ କୋଣରେ ତନ୍ତୀତୁଠ । ଗାଁ ମଝାଲ (୧୦) ରେ ଥିବାରୁ ସେଠାରେ ସକାଳେ ମାଇକିନିଆମାନଙ୍କର ହାଟ ବସେ । ହାଟ ନାମ ଶୁଣି ଆପଣ ମନେକରିବେ ନାହିଁ ଯେ, ଏଠାରେ ମାଇକିନିଆ କିଣାବିକା ହୁଅନ୍ତି । ପାଟି ଆଉ ଜନତା ସଙ୍ଗରେ ସମାନ ଥିବାରୁ ହାଟ କହିଲୁଁ । ରାନ୍ଧୁଣୀ-ଗାଧୁଆବେଳେ ଭାରି ଭିଡ଼ ହୁଏ । ଗ୍ରାମରେ ଡେଲିନିଉଜ୍ ଖବରକାଗଜ ଛାପା ହେଉଥିଲେ, ସମ୍ପାଦକଙ୍କ ସମ୍ବାଦ ସଂଗ୍ରହ ନିମନ୍ତେ ଅଧିକ ପରିଶ୍ରମ କରିବାକୁ ହୁଅନ୍ତା ନାହିଁ, ଖଣ୍ଡେ ପେନ୍ସିଲ୍ କାଗଜ ଘେନି ଏହିଠାରେ ବସିଲେ ସମସ୍ତ ସଂଗ୍ରହ କରିପାରନ୍ତେ । ଗଲା ରାତିରେ କାହା ଘରେ କ’ଣ ରନ୍ଧା ହୋଇଥିଲା, ଆଜି ରାନ୍ଧଣାର କି ବ୍ୟବସ୍ଥା, କିଏ କେତେବେଳେ ଶୋଇଲା, କାହାକୁ କେତେ ମଶା କାମୁଡ଼ିଲା, କାହା ଘରେ ଲୁଣ ନ ଥିଲା, କିଏ ତେଲ ଟିକିଏ କାଳି ଆଣିଛି । ରାମା-ମା ଘର ନୂଆବୋହୂଟା ବଡ଼ କଳିହୁଡ଼ା । କାଲି ଆସିଲା, ଆଜି ଶାଶୁକୁ ଜବାବ ଦେଲାଣି । କମଳୀ କେବେ ଶାଶୁଘରକୁ ଯିବ । ସରସ୍ୱତୀ ଝିଅ ବଡ଼ ଭଲ, ରାନ୍ଧେ ଯେପରି ଲାଜସରମ ସେହିପରି ।
ପଦୀ ପାଣିରେ ବସି ଦାନ୍ତ ଘଷୁ ଘଷୁ ଗୋଟିଏ କ୍ଷୁଦ୍ର ବକ୍ତୃତା ଆରମ୍ଭ କରିଅଛି । ସାରମର୍ମ–ତା’ ପରି ରାନ୍ଧୁଣୀ ଗ୍ରାମରେ ନାହାନ୍ତି, ଇତ୍ୟାଦି ଇତ୍ୟାଦି ଦରକାରୀ ବେଦରକାରୀ କଥାମାନ ଅବିଶ୍ରାନ୍ତ ଚଳୁଅଛି । କେତେଜଣ ସୁନ୍ଦରୀ ମୁଖର ସୌନ୍ଦର୍ଯ୍ୟ ଆହୁରି ବଢ଼ାଇବା ନିମନ୍ତେ ପଣତକାନିରେ ମୁହଁ ରଗଡ଼ୁଛନ୍ତି । ଲକ୍ଷ୍ମୀ ରଗଡ଼ି ରଗଡ଼ି ବସଣୀର (୧୧) ଉପର ନାକ ଦୁଇପୁଡ଼ା ରଙ୍ଗା କରି ପକାଇଲାଣି । ବିମଳୀ ପାଣି ପାଖରେ ବସି ଆପଣା ହାତର ବାଇଶିପଳିଆ ପିତ୍ତଳ ବାହିବଳା (୧୨) ଅଧବୋଝେ ବାଲି ପକାଇ ସବଳେ ମର୍ଦ୍ଦନ (୧୩) କରୁ କରୁ କୌଣସି ଅଜ୍ଞାତନାମା (୧୪) ଲୋକ ଉଦ୍ଦେଶ୍ୟରେ ଅଭିଧାନ ବହିର୍ଭୁତ ଶବ୍ଦମାନ ପ୍ରୟୋଗପୂର୍ବକ ଏକ ଦୀର୍ଘ ବକ୍ତୃତା ଆରମ୍ଭ କରିଅଛି । ଗଲା ରାତିରେ ତାହାର କଖାରୁଗଛ କାହାର ଗୋରୁ ଖାଇଯାଇଥିବା ବକ୍ତୃତାର ବିଷୟ ଅଟେ । ବିମଳୀ କ୍ରମଶଃ ଗୋ-ସ୍ୱାମୀର ଊର୍ଦ୍ଧ୍ୱତନ (୧୫) ତିନିପୁରୁଷ ପ୍ରତି କୁତ୍ସିତ-ପଦାର୍ଥ ବିଶେଷରେ ଖାଦ୍ୟର ବ୍ୟବସ୍ଥା କରି ଗୋରୁର ଅତ୍ୟାଚାରିତା, ଆପଣା ବାଡ଼ିର ଉର୍ବରତ୍ୱ ଏବଂ କୁଷ୍ମାଣ୍ଡ (୧୬) ବୃକ୍ଷର ତେଜସ୍ୱୀତା ଏବଂ ଭବିଷ୍ୟତ୍ ଫଳବତ୍ତା (୧୭) ଏବଂ ଅତିଶୀଘ୍ର ଗୋ-ସ୍ୱାମୀ ଉପରେ ଭାରି ବିପଦ ପଡ଼ିଲେ ଗୋରୁଟିକୁ ଯେ ବ୍ରାହ୍ମଣକୁ ଦାନସ୍ୱରୂପ ଦିଆଯିବ, ସେ ସମ୍ବନ୍ଧରେ ବିବିଧ ପ୍ରମାଣମାନ ପ୍ରୟୋଗ କରୁଅଛି । ଆମ୍ଭେମାନେ ଘାଟରୁ ଆହୁରି ମଧ୍ୟ ଅନେକ ସମ୍ଭାଦ ସଂଗ୍ରହ କରିଥାନ୍ତୁ, ମାତ୍ର ହଠାତ୍ ମାରକଣ୍ଡିଆ ମା’ ଆଉ ଯଶୋଦା ମଧ୍ୟରେ ଭୟଙ୍କର କଳି ଉପସ୍ଥିତ ହେବାରୁ ସମସ୍ତ କଥା ବନ୍ଦ ହୋଇଗଲା ।
ଯଶୋଦା ପାଣି ମଧ୍ୟରେ ପେଟ ଡୁବାଇ ଦାନ୍ତ ଘଷୁଥିଲା । ପାଞ୍ଚ ବରଷିଆ ପିଲା ମାରକଣ୍ଡିଆ କୁଦିନାଚି ପାଣି ଗୋଳିଆ କଲା ଏବଂ ଉପରେ ପାଣିଛିଟା ପକାଇବାରୁ ଯଶୋଦା ପାଣିରୁ ଉଠିପଡ଼ି ଚିତ୍କାର କରି କୁତ୍ସିତ ଭାଷାରେ ପିଲାଟିକୁ ଗାଳି ଦେବାକୁ ଲାଗିଲା ଏବଂ ତାହାର ପରମାୟୁର ଅଳ୍ପତା କାମନା କରିବାରୁ ମାରକଣ୍ଡିଆ-ମା ଧାଇଁଆସି ସମାନ ସ୍ୱରରେ ଉପଯୁକ୍ତ ଉତ୍ତର ଦେବାକୁ ଲାଗିଲା । ଅବଶେଷରେ ମାରକଣ୍ଡିଆ-ମା’ ପରାସ୍ତ ହୋଇ ପିଲାକୁ ଚାପୁଡ଼ାଏ ମାରି, ପାଣିକଳସୀ କାଖରେ ତରବର ହୋଇ ମାରକଣ୍ଡିଆର ହସ୍ତଧାରଣପୂର୍ବକ ଗୃହାଭିମୁଖେ (୧୮) ଗମନ, ଭେଁ ଭେଁ କରି ଦାନ୍ତ ନିସିଡ଼ି ମାରକଣ୍ଡିଆ କ୍ରନ୍ଦନ, ଇତି ଯୁଦ୍ଧକାଣ୍ଡ ।
ବଜ୍ର ପଡ଼ିଯାଏ, କିନ୍ତୁ ଘଡ଼ଘଡ଼ି ଶବ୍ଦଟା ଆକାଶରେ ଢେର୍ ବେଳଯାଏ ରହେ । କଳି ଭାଙ୍ଗିଲାଣି, କିନ୍ତୁ ସମାଲୋଚନା ଅନେକ ବେଳଯାଏ ଚଳିଲା । ଦରବୁଢ଼ୀ ଓ ବୁଢ଼ୀ ମାଇକିନିଆମାନେ ଦୁଇ ଦଳ ହୋଇ କେହି ମାରକଣ୍ଡିଆର, କେହି ଯଶୋଦାର ପକ୍ଷ ସମର୍ଥନ କରିବାକୁ ଲାଗିଲେ । ଆମ୍ଭେମାନେ କିନ୍ତୁ ସମ୍ପୂର୍ଣ୍ଣରୂପେ ଯଶୋଦାର ପକ୍ଷପାତୀ । ବିଶେଷ ବିବେଚନା ଏବଂ ସୂକ୍ଷ୍ମ ବିଚାର ଦ୍ୱାରା ବୁଝିଅଛୁଁ, ଉପସ୍ଥିତ ଉତ୍ପାତର ମୂଳ କାରଣ ମାରକଣ୍ଡିଆ । ସେ ସମ୍ପୂର୍ଣ୍ଣରୂପେ ଦୋଷୀ, ତାହାର ଅପରାଧ ଅମାର୍ଜନୀୟ (୧୯) ତାହାକୁ ଆହୁରି ଗାଳିଦିଅ, ମାର କି ଯାହା କର, ଆମ୍ଭେମାନେ ସେଥିସକାଶେ ଜବାବଦେହୀ କରିବାକୁ ପ୍ରସ୍ତୁତ ଅଛୁଁ । ଦେଖନ୍ତୁ, ଜଳ ଲୋକମାନଙ୍କର ଜୀବନ, ପୁଣି ତନ୍ତୀତୁଠ ଜଳ ସମସ୍ତେ ପିଅନ୍ତି । ସେ ଜଳକୁ ଗୋଳିଆ କରିବା କି ସାମାନ୍ୟ ଅପରାଧ ? ଦେଖ ତ, ପଣେ କି ଛକୋଡ଼ି ମାଇକିନିଆ ଗାଧୋଇବାକୁ ଆସିଲେ । ପ୍ରାୟ ସମସ୍ତେ ପେଟ ଡୁବାଇ ପାଣିରେ ବସି ଦାନ୍ତ ଘଷିଲେ । ନବଫେନ (୨୦) ଖଣ୍ଡବତ୍ ଶୁକ୍ଳବର୍ଣ୍ଣ ଛେପ ଖଙ୍କାର ସେମାନଙ୍କ ମୁଖରୁ ବାହାରି ଚାରିଆଡ଼େ ଭାସୁଅଛି । ଈଷତ୍ ଲୋହିତ ପାଟଳାଭ (୨୧) ଜିଭଚଞ୍ଚା ମଳି ମଧ୍ୟ ମେଞ୍ଚା ମେଞ୍ଚା ଭାସୁଅଛି । ସେଥି ସହିତ ଆଉ କ’ଣ ଭାସୁଛି କି ନାହିଁ ବୋଲାଯାଇ ନ ପାରେ, କାରଣ ସମସ୍ତ ସ୍ତ୍ରୀଲୋକ ପଡ଼ିଆରୁ ଆସି ଜଳଶୌଚ କରିଅଛନ୍ତି । ଆଉ ଲୋକ କଥା ଛାଡ଼, ନିଜେ ଯଶୋଦା ସେହିପରି କରୁଥିବାର ତାକୁ ପଚାରିଲେ ସେ ଅସ୍ୱୀକାର କରିବ ନାହିଁ । ଏହା ତ ସନାତନ ପ୍ରଚଳିତ ପ୍ରଥା, ଅପରାଧର କଥା ଯେ ଲୁଚାଇବୁ ? ଜଣେ ମସ୍କରା (୨୨) ଲୋକ କହୁଥିଲା, ମାଇକିନିଆମାନେ ପୋଖରୀରୁ ମାଠିଆରେ ଯେତେ ଜଳ ନିଅନ୍ତି, ତାହାର ପା’ ଭାଗ ଜଳ ଛାଡ଼ିଯାଆନ୍ତି । ଏ କଥା ଠିକ୍ ସତ୍ୟ ହେଲେ ମଧ୍ୟ ଆମ୍ଭମାନଙ୍କ ଚକ୍ଷୁର ଅଗୋଚର । କେତେଜଣ ଶୋଇବା ହେଁସ କାଚି ନେଇଗଲେ । ସାନ ସାନ ପିଲାଙ୍କର ଶେଯ କନ୍ଥା, ଆହୁରି ନାନାପ୍ରକାର କନାକତରା କଚା ହେବାର ଦେଖାଗଲା । ସେ ଯାହାହେଉ, ସ୍ତ୍ରୀଲୋକମାନେ ଘାଟରେ ଏତେ କାର୍ଯ୍ୟ କଲେ ହେଁ ମାରକଣ୍ଡିଆ ପରି ନାଚିକୁଦି କେହି କିଛି କାର୍ଯ୍ୟ କରିନାହିଁ । ନାଚକୁଦ ନ କଲେ କି ପାଣି ଗୋଳିଆ ହୁଏ ? ଏଥିସକାଶେ ଆମ୍ଭେମାନେ ବୋଲୁଅଛୁଁ, ମାରକଣ୍ଡିଆର ଅପରାଧ ନିତାନ୍ତ ଉତ୍କଟ (୨୩) ଅଟେ ।
ତନ୍ତୀତୁଠକୁ ତିନିଶ କଦମ ଛାଡ଼ି ସାଆନ୍ତତୁଠ । ସକାଳଓଳି ଏ ତୁଠକୁ କେହି ସ୍ତ୍ରୀଲୋକ ଯାଆନ୍ତି ନାହିଁ, ସମ୍ପୂର୍ଣ୍ଣରୂପେ ପୁରୁଷମାନଙ୍କର ଦଖଲ । ବୈଶାଖମାସିଆ ଦିନ, ବେଳ ଛ’ଘଡ଼ି ନୋହୁଣୁ ଆକାଶରୁ ନିଆଁ ଛିଣ୍ଡି ତାତି ପବନଟା ଦେହରେ ଝାଁ ଝାଁ ବାଜୁଅଛି । ଚାଷ ବିଲରୁ ଧୂଳି ଉଡ଼ି ମାଟିରେ ନିଆଁ ଲାଗି ଧୂଆଁ ଉଡ଼ିଲା ପରି ଜଣାଯାଉଛି । ଘାଟରେ ଲୋକ ପୂରିଗଲେଣି-। ଅନ୍ଧାର ପକ୍ଷ ପିଛିଲା ଜହ୍ନରାତି ତିନି ପହରବେଳେ ଚଷାମାନେ ହଳ ଯୋଚି ଦେଇଥିଲେ, ସମସ୍ତଙ୍କର ହଳ ଫିଟିଲାଣି । କେହି ଘରକାନ୍ଥରେ ଲଙ୍ଗଳ ଆଉଜାଇ ଦେଇ ତେଲ ଟିକିଏ ମୁଣ୍ଡରେ ପାଞ୍ଚଆଙ୍ଗୁଳିଆ କରି ଦେହରେ ବୋଳିହୋଇ ଆସିଅଛି, କାହା କାନ୍ଧରେ ଅର୍ଦ୍ଧଅଙ୍ଗୁଳ ମୋଟା ତୋରାଣିପକା ଗାମୁଛା, କେହି ନିର୍ଗାମୁଛା, କେତେଜଣ ବାହାରେ ବାହାରେ ବିଲରୁ ଆସି ଘାଟରେ ବଳଦ କାନ୍ଧରୁ ଯୁଆଳି ବାହାର କରି ରଖି ପାଣିରେ ପଶିଗଲେ ।
କେତେ ହଳ ବଳଦ ପେଟେ ପେଟେ ପାଣି ପିଇ କୂଳରେ ଚରୁଛନ୍ତି । କେତେଜଣ ଶୁଖିଲା ଦାନ୍ତକାଠି ଚୋବାଇ ଚୋବାଇ ଆସି ପାଣିରେ ପଶି ଜିଭ ଛେଲି କୂଳକୁ ଦାନ୍ତକାଠି ଫୋପାଡ଼ିଦେଲେ । ତୁଠ ଦୁଇ ପାଖରେ ଅଧଶଗଡ଼େ ଶୁଖିଲା ଦାନ୍ତକାଠି ଜମା ହୋଇଅଛି । ପୁରୁଷ ଲୋକମାନେ ଯେ ତୁନି ତୁନି ଗାଧୁଆନ୍ତି ତାହା ନୁହେଁ, ମାଇକିନିଆମାନଙ୍କ ପରି ଢେର୍ କଥା କହନ୍ତି, ମାତ୍ର ସେହି ଏକରକମ କଥା, ସେହି ପୁରୁଣା କଥା; ସେଗୁଡ଼ାକ ଲେଖିଲେ କ’ଣ ହେବ ? କିଆ ଗହୀରରେ କେତେ ପାଣି (୨୪) ବୁଣା ସରିଲାଣି, ବରଚକ ଆଜି ଦୋହଡ଼ା (୨୫) ସରିଲା, ରାମା ବଡ଼ ଗହୀରରେ ଅକ୍ଷିମୁଠି (୨୬) ପକାଇଲା, ଭୀମା ବଳଦ ଚଞ୍ଚଳିଆ, ସାଆନ୍ତଘର ଧଳା ବଳଦ ଯୋଡ଼ାକ ବଳଦ ନୁହନ୍ତି ତ, ଯୋଡ଼ାଏ ହାତୀ ପିଲା; ମୁଁ କସରା ବଳଦଟା କିଣି ମୁଠାଏ ଟଙ୍କା ପାଣିରେ ପକାଇ ଦେଇଛି, ସାଆନ୍ତଘର କରଜ ଅମାର ଏହି ମାସରେ ଫିଟିବ; ଏହି ମାସ ପନ୍ଦର ଦିନରେ ଶ୍ରାବଣା ପଶିବ, ନାହାକ କହିଛି ଲଗାଣ (୨୭) ହବ । ଏ ସବୁ କଥା ସମସ୍ତଙ୍କୁ ଜଣା, ଅଧିକ କରି କ’ଣ ଲେଖିବୁଁ ?
୧) ନଳିଦେଲେ—ନଳଦ୍ୱାରା ମାପିଲେ । ପୂର୍ବେ ଜମି ମାପିବାଲାଗି ବିଭିନ୍ନ ଲମ୍ବର ନଳ ବା ପଦିକା ବ୍ୟବହୃତ ହେଉଥିଲା, ୨) ଦୀପଦଣ୍ଡି —ପୋଖରୀର ମଧ୍ୟଭାଗରେ ପୋତାହେବା ଖୁଣ୍ଟ ବା ସ୍ତମ୍ଭ, ୩) ବଳିଆର—ମାହାତ୍ମ୍ୟ, ୪) ଆଡ଼ି ପୋଖରୀର ହୁଡ଼ା ବା କନ୍ଧ, ୫) ହୁରମତ—ମାନ, ମହତ, ସମ୍ଭ୍ରମ, ୬) ରୁଜୁ କରିବା—ଉପସ୍ଥାପିତ କରିବା, ୭) ବଗତରା—ପାଣିକୂଳ, ୮) ପିତାଶୁଣୀ–ସ୍ତ୍ରୀ-ଭୂତ, ୯) ଡାଙ୍କୁଣୀ—ଡାଆଣୀ, ୧୦) ମଝାଲ–ମଝି, ମଧ୍ୟସ୍ଥଳ, ୧୧) ବସଣି —ନାସିକାର ଅଳଙ୍କାରବିଶେଷ, ୧୨) ବାହିବଳା—ବାହୁରେ ବାନ୍ଧିଥିବା କଂସା ବା ପିତ୍ତଳର ଚୂଡ଼ି, ୧୩) ସବଳେ ମର୍ଦ୍ଦନ—ଖୁବ୍ ଜୋରରେ ଘଷିବା, ୧୪) ଅଜ୍ଞାତନାମା–ନାମ ଜଣାନାହିଁ ଯାହାର, ୧୫) ଊର୍ଦ୍ଧ୍ୱତନ—ଉପରିସ୍ଥ, ୧୬) କୃଷ୍ମାଣ୍ଡ—ପାଣିକଖାରୁ, ୧୭) ଫଳବତ୍ତା—ଫଳବାନ ହେବାର ଗୁଣ, ୧୮) ଗୃହାଭିମୁଖେ—ଗୃହଆଡ଼କୁ, ୧୯) ଅମାର୍ଜନୀୟ—ଅକ୍ଷମଣୀୟ, ୨୦) ଫେନ—ଫେନ, ୨୧) ପାଟଳାଭ—ଈଷତ୍ ରକ୍ତବର୍ଣ୍ଣ, ୨୨) ମସ୍କରା—ରହସ୍ୟକାରୀ ୨୩) ଉତ୍କଟ–ଭୀଷଣ, ଭୟଙ୍କର, ୨୪) ପଣି—ଅଂଶ, ୨୫) ଦୋହଡ଼ା–ଦ୍ୱିତୀୟଥର ହଳ କରିବା, ୨୬) ଅକ୍ଷିମୁଠି—ଅକ୍ଷୟ ତୃତୀୟା ଦିନ ଧାନ ବୁଣିବାର ଅନୁକୂଳ କରି ହାତମୁଠାରେ ଧରିବା ବିହନ, ୨୭) ଲଗାଣ– ବହୁଦିବସବ୍ୟାପୀ ବର୍ଷା ଓ ଝଡ଼ି ।