ଛ’ମାଣ ଆଠଗୁଣ୍ଠ
ଫକୀରମୋହନ ସେନାପତି · ଭାଗ ୧୬ / ୧୬
ସମ୍ପୂର୍ଣ୍ଣ ସୂଚୀପତ୍ର
ଉପସଂହାର
ତିନିମାସ ତଳେ ତୁଳସୀ ଚଉରା ପାଖରେ ସାଆନ୍ତାଣୀ ଯେପରି ପଡ଼ିଥିବାର ଦେଖାଯାଇଥିଲା, ଠିକ୍ ସେହି ସ୍ଥାନରେ, ଠିକ୍ ସେହିପରି ଉତ୍ତରକୁ ମୁଣ୍ଡ କରି ପୁରୁଣା କତରା ଖଣ୍ଡକରେ ମଙ୍ଗରାଜେ ପଡ଼ିଛନ୍ତି । ହାତଗୋଡ଼ ନଡ଼ ନଡ଼ ହେବାକୁ ନାହିଁ, ଆଖିରେ ପଲକ ପଡ଼ୁନାହିଁ, ଏକ ଧ୍ୟାନରେ ଉପରକୁ ଚାହିଁ ରହିଛନ୍ତି । ଶିବା ଚମାର, କାର୍ତ୍ତିକ ନାୟକ ଦୁଇଜଣ ବୈଦ୍ୟ ଲାଗିଥିଲେ, କାଲି ରାତିରୁ ଜବାବ ଦେଇ ଅଲଗା ହୋଇଗଲେଣି । ଗୋପୀଆ ତନ୍ତୀ ଓରଫ ଗୋପୀ କବିରାଜେ ଜଣେ ଡାକଫୁକାର (୧) ଟାଣୁଆ ବୈଦ୍ୟ । ଚାରିଖଣ୍ଡ ଗ୍ରାମର ଲୋକେ ତାହାକୁ ଜାଣନ୍ତି, ଦିନରାତି ତାହାର ନାକ ପୋଛିବାର ତର ଥାଏ ନାହିଁ । ସକାଳୁ ଉଠି ପାଛୁଡ଼ାଟା ଅଣ୍ଟାରେ ଭିଡ଼ିଦେଇ, କାନ୍ଧରେ ନାଲିଆ ଗାମୁଛା ପକାଇ, କାଖତଳେ ଔଷଧ ବଟୁଆ ଝୁଲାଇଦେଇ, ବାଙ୍କମୁଣ୍ଡ ମୂଳିଆ ବାଉଁଶବାଡ଼ି ହାତରେ ଧରି ରୋଗୀ ଖୋଜିବାକୁ ବାହାରେ । ବଟୁଆ ମଧ୍ୟରେ ବାସ୍ତରୀ ନିଦାନ (୨) ରୋଗର ଔଷଧ ବଟିକା ଅଲଗା ତସର ଲୁଗାରେ ସାଇତା ଅଛି । ଗୋପୀର ଦଦେଇ (୩) ଜଣେ ନାମଜାଦା ବୈଦ୍ୟ ଥିଲେ, ତାଙ୍କ ଔଷଧ ରୋଗୀ ଦେହରେ ଚକମକି ପଥରପରି ଲାଗିଯାଏ । ତାଙ୍କ ହାତ ତିଆରି ବଟିକା ଗୋପୀ ଆଜିଯାଏ ସାଇତି ରଖିଛି ।
ଗୋପୀ ମଳୁ ବିଛଣା ଡାହାଣ ପାଖରେ ବସି ଢେର୍ ବେଳଯାଏ ନାଡ଼ି ଚିପିଲେ, ଉପରକୁ ଅନାଇ, ଆଖିବୁଜି, ଦାନ୍ତନିସିଡ଼ି ରୋଗ ଅନୁମାନ କଲେ । ମୁକୁନ୍ଦା ଭକଭକ କରି କବିରାଜଙ୍କ ମୁହଁକୁ ଚାହିଁଥାଏ । ପଚାରିଲା, ‘‘କବିରାଜେ, କ’ଣ ଦେଖିଲ ? ‘‘କବିରାଜେ ଗମ୍ଭୀର ଭାବରେ ସ୍ଥିର ହୋଇ ବସି କହିଲେ, ‘‘ଏଁ, ବୋଇଲା, ‘କଣ୍ଠାଶ୍ଳେଷପ୍ରଣୟିନି ଜନେ କିଂ ପୁନର୍ଦୁରସଂସ୍ଥେ’’ (୪)–ବୋଇଲା, କଣ୍ଠରେ ତ ଶ୍ଳେଷା ଲାଗିଲେ ପ୍ରାଣ ଯାଏ, ସେ ପୁଣି ଦୂରକୁ ଚାଲିଗଲେ କ’ଣ ହେବଟି ? ହେଲେ ମୁଁ କି ଏମାନଙ୍କ ପରି ଅପାଠୁଆ କବିରାଜ ହୋଇଛି ? ଦେଖ, ମୁଁ ରୋଗକୁ କାନିରେ ବାନ୍ଧିନେବି ।’’ କବିରାଜେ ଏହା କହି କାନିରେ ଗଣ୍ଠି ପକାଇଲେ ।
ମୁକୁନ୍ଦା ପଚାରିଲା, ‘‘ମଳୁର ଗୋଟାଏ ଗୋଟାଏ ଜାଗା ଫୁଲିଛି କ୍ୟାଁ ?’’
କବିରାଜେ– ‘‘ଏଁ, ବୋଇଲା, ‘‘ସ୍ୱର୍ଣ୍ଣାଦଷ୍ଟଗୁଣଂ ଶୋଥଂ (୫) ।’ ବୋଇଲେ ଶ୍ଳେଷ୍ମାଦୋଷ ଗୁଣରୁ ଶୋଥ ହୁଏ । ହେଉ, ଭାବନା ନାହିଁ, କସ୍ତୁରୀ ପେଟରେ ପଡ଼ିଲେ ସବୁ ଛାଡ଼ିଯିବ । ‘କସ୍ତୁରୀ ତିଳକଂ’ ପେଟକୁ ଦିଆଯିବ, ଆଉ ତିଳକ କରିଦେବାକୁ ହେବ ।’’ କବିରାଜେ ମୁକୁନ୍ଦା ପାଖରୁ ନଗଦ ଚାରିଅଣା ପଇସା ନେଇ ଦେଢ଼ମାଢ଼ (୬) କସ୍ତୁରୀ ବଟୁଆରୁ କାଢ଼ିଲେ । ଏହାକୁ ଅନୁପାନ ଦରକାର । କବିରାଜେ ବୋଇଲେ, ‘ପାଠ କହିଲା, ‘ମୁସ୍ତକଂ (୭) କଟୁକୀ (୮) ରାତ୍ରି (୯) ଶୁଣ୍ଠି (୧୦) ପିପ୍ପଳି ଏବଚ (୧୧) ।’ ଏଁ ବୋଇଲା, ରାତ୍ରିରେ ଶୁଣ୍ଠି, ପିପ୍ପଳୀ ବଚ (୧୨) ମୁଥା ମାରି କୁଟିବ ।’’ ମୁକୁନ୍ଦା ପଚାରିଲା, ‘‘କେତେ ଲେଖାଏଁ ଏ ସମସ୍ତ ପଦାର୍ଥ ଆସିବ ?’’
କବିରାଜେ–‘‘ଏଁ–ବୋଇଲା, ‘ଅନୁପାନ (୧୩) ବିଶେଷଣ କରୋତି ବିବିଧାନ ଗୁଣାନ୍-।’ ବୋଇଲା, ଅନୁପାନ ବିଶେଷ କରି ଅଧିକ କରିଦେଲେ ବିଧା ମାରିଲାପରି ଗୁଣ ହେବ-।’’
କବିରାଜେ ରୋଗର ବ୍ୟାଖ୍ୟା ଏବଂ ଔଷଧର ବ୍ୟବସ୍ଥା କରୁ କରୁ ରୋଗୀ ଅଥୟ ହୋଇପଡ଼ିଲାଣି, କ୍ରମଶଃ ନିଶ୍ୱାସ ବଳିପଡ଼ୁଛି, ଦୁଇ ଆଖିକୋଣରୁ ଦୁଇଟୋପା ଜଳ ଗଡ଼ିପଡ଼ିଲାଣି-। ମଙ୍ଗରାଜେ ଚାରିଦିନ ହେଲା ପଡ଼ିଛନ୍ତି, ଏକଧ୍ୟାନରେ ଆକାଶକୁ ଚାହିଁ ପଡ଼ିଛନ୍ତି । କେତେବେଳେ ଟିକିଏ ଆଖି ଲାଗିଗଲେ ହାଉଳି ଖାଇଲା ପରି ଚମକିପଡ଼ି କହନ୍ତି ‘‘ଥ–ମା–ଆ–ଗୁଁ ।’’ ସ୍ୱର କ୍ଷୀଣ, କ୍ରମଶଃ କ୍ଷୀଣତର, କିଛି ବୁଝାଯାଉ ନାହିଁ । ତାଙ୍କୁ ଟିକିଏ ଛାଇ ନିଦ ଲାଗିଲେ ଦେଖନ୍ତି ଆକାଶରେ ଏକ ଭୟଙ୍କରୀ ମୂର୍ତ୍ତି, ବିଶାଳ ମୁଣ୍ଡର ବାଳ ମୁକୁଳା, ମୂଳା ପରି ବଡ଼ ବଡ଼ ଧଳା ଧଳା ଦାନ୍ତ, ଦୁଇ ତିନି ହାତ ଲମ୍ବ ଜିଭ ଲହ ଲହ କରି ତାକୁ ଖାଇବାକୁ ଧାଇଁଛି । ମଙ୍ଗରାଜଙ୍କ ମନରେ ହୁଏ, ତନ୍ତୀସାହିରେ ଭଗିଆ ତନ୍ତୀ ପିଣ୍ଡାରେ ଗୋଟିଏ ସ୍ତ୍ରୀ ନଟି (୧୪) ବୁଲାଉଥିବାର ଦେଖିଥିଲେ-। ସେହି ସ୍ତ୍ରୀମୂର୍ତ୍ତି ଭୟଙ୍କର ବିକଟାଳ ରୂପ ଧାରଣ କରି ଏହିପରି ବିକୃତ ଅବସ୍ଥାକୁ ପ୍ରାପ୍ତ ହୋଇଅଛି-। ଏ ସେହି ମୂର୍ତ୍ତି ଯେମନ୍ତ ବଜ୍ରସ୍ୱରରେ କହୁଛି, ‘‘ମୋ ଛ’ ମାଣ ଆଠଗୁଣ୍ଠ ଜମି ଦେ ।’’ ମଙ୍ଗରାଜେ ହାଉଳି ଖାଇ କହନ୍ତି, ‘‘ଥ–ମା–ଆ–ଗୁଁ ।’’
ମଙ୍ଗରାଜଙ୍କର ଆଉ ଥରେ ଆଖି ଲାଗିଗଲା । ଦେଖିଲେ ଗୋଟାଏ ଭୟଙ୍କର ନରକଙ୍କାଳ ଦିଗନ୍ତରାଳରେ ଦେହ ଲୁଚାଇ ମୁଖ ବ୍ୟାଦାନ (୧୫) ପୂର୍ବକ ତାଙ୍କୁ ଗ୍ରାସ କରିବା ନିମନ୍ତେ ଯେମନ୍ତ ଏକଧ୍ୟାନରେ ନୀରବରେ ଚାହିଁରହିଅଛି । ତାଙ୍କୁ ଭଲଭାବରେ ଜଣାଗଲା, ଯାହାର ଜମି ଛଡ଼ାଇନେବାରୁ ଅନାହାରରେ ଶୁଖି ଶୁଖି ପ୍ରାଣତ୍ୟାଗ କରିଥିଲା, ଏଇଟି ସେହି ମୂର୍ତ୍ତି-। ଆଉ ଦେଖିଲେ, ଭଗିଆ ପରି ସହସ୍ର ସହସ୍ର ବାୟା ଆକାଶମାର୍ଗସ୍ଥ ଘୋର କଳା ମେଘ ମଧ୍ୟରୁ ବାହାରୁଅଛନ୍ତି, ସମସ୍ତଙ୍କ ହସ୍ତରେ ଖଡ୍ଗ ଏବଂ ଲୁହାର ମୁଦ୍ଗର । ଏକାବେଳକେ ସମସ୍ତ ମୁଦ୍ଗର ତାଙ୍କ ମୁଣ୍ଡରେ ପଡ଼ିଲାପରି ଜଣାଗଲା । ମଙ୍ଗରାଜେ ରଡ଼ି ଛାଡ଼ି ପଳାଇବାକୁ ବାହାରିଛନ୍ତି, ଦେହରେ ଶକ୍ତି ନାହିଁ, ପାଟି ଫିଟୁନାହିଁ । ମଙ୍ଗରାଜେ ଅନାୟତ୍ତ ହୋଇ ସେହି ଅନାଥଶରଣ ପତିତପାବନ ଭଗବାନଙ୍କ ପବିତ୍ର ନାମ ହୃଦୟ ମଧ୍ୟରେ ଚିନ୍ତା କରିବାକୁ ଲାଗିଲେ ।