ବାଘସିଂହ ବଂଶ — ଛ’ମାଣ ଆଠଗୁଣ୍ଠ — ଫକୀରମୋହନ ସେନାପତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବାଘସିଂହ ବଂଶ
ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ଫାଜଲ ବୋଲନ୍ତି ‘‘ଓଡ଼ିଶାରେ ପ୍ରକୃତ ଭୂମ୍ୟାଧିକାରୀ ଖଣ୍ଡାଏତମାନେ ଥିଲେ । ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ୍ତ ସମସ୍ତ ରାଜକାର୍ଯ୍ୟ ସେମାନଙ୍କ ହସ୍ତଗତ ଥିଲା । ବେତନ ନିମନ୍ତେ ଗନ୍ତାଘରୁ (୧) ନଗଦ ଟଙ୍କା ପାଉ ନ ଥିଲେ । ଓଡ଼ିଶାର ଅଧିକାଂଶ ଭୂମିଖଣ୍ଡ ଜାୟଗିରି ସ୍ୱରୂପେ ପୁରୁଷାନୁକ୍ରମେ ବାଣ୍ଟି ଖାଉଥିଲେ । ଖଣ୍ଡାଏତମାନଙ୍କ ବାହୁବଳରେ ଓଡ଼ିଶା ବହୁକାଳ ପର୍ଯ୍ୟନ୍ତ ସ୍ୱାଧୀନତା ରକ୍ଷା କରିବାକୁ ସକ୍ଷମ ହୋଇଥିଲା । ପଠାଣମାନେ ତିନି ବର୍ଷରୁ ଅଧିକ କାଳ ବଙ୍ଗଳାଦେଶରୁ ଡୁଙ୍ଗି ଡୁଙ୍ଗି (୨) ମଧ୍ୟ ସୁବର୍ଣ୍ଣରେଖା ପାର ହୋଇପାରି ନ ଥିଲେ । ପାଇକମାନେ ସର୍ବଦା ରାଜଦରବାରରେ ଉପସ୍ଥିତ ନ ଥାନ୍ତି । ଦଳପତିମାନେ ଆପଣା ଆପଣା ଅଧୀନସ୍ଥ ପାଇକମାନଙ୍କୁ ଘେନି ଗୋଟିଏ ଗୋଟିଏ ଚକ୍ରରେ (୩) ବାସ କରୁଥିଲେ । ଦଳପତିମାନଙ୍କ ବୈଠକ ସ୍ଥାନର ନାମ ଚୌପାଢ଼ୀ । ସେ ସ୍ଥାନରେ ମାଲବିନ୍ଧାଣ (୪) ଫରିଖେଳ (୫), କାଣ୍ଡବିନ୍ଧା ଏବଂ ଗୁଳିମାରିବା ଏହି ଚାରିପ୍ରକାର ବିଦ୍ୟାର ଆଲୋଚନା ହେଉଥିବା ଯୋଗୁ ଚୌପାଢ଼ୀ ନାମରେ କଥିତ ହେଉଥିଲା । ଗଜପତିବଂଶର ପତନ ଉତ୍ତାରେ ଟୋଡ଼ରମଲ୍ଲ ବଡ଼ ବଡ଼ ଚୌପାଢ଼ୀକୁ କିଲ୍ଲା ନାମରେ ବନ୍ଦୋବସ୍ତ କରିଅଛନ୍ତି । ଓଡ଼ିଶାର ଅନେକ ସ୍ଥାନରେ ଆଜିପର୍ଯ୍ୟନ୍ତ ନାମମାତ୍ର କ୍ଷୁଦ୍ର କ୍ଷୁଦ୍ର ଚୌପାଢ଼ୀ ବିଦ୍ୟମାନ ଥିବାର ଦେଖାଯାଏ ଏବଂ ପ୍ରାଚୀନ ଦଳପତିମାନଙ୍କର ଅଯୋଗ୍ୟ ବଂଶଧରର ମଧ୍ୟ ଅଭାବ ନାହିଁ ।
ଆମ୍ଭମାନଙ୍କର ବାଘସିଂହ ବଂଶ ପୂର୍ବୋକ୍ତ ଦଳପତିମାନଙ୍କର ଜଣେ ବଂଶଧର ଅଟନ୍ତି । ଏମାନଙ୍କର ସଂଜ୍ଞା ମଲ୍ଲ । ଜ୍ୟେଷ୍ଠପୁତ୍ରର ଉପାଧି ବାଘସିଂହ; ଜ୍ୟେଷ୍ଠପୁତ୍ର ଜାୟଗିରିର ଉତ୍ତରାଧିକାରୀ । ଅନ୍ୟ ପୁତ୍ରମାନେ ଭାତିଆ ପାଆନ୍ତି । ‘ପଦା (୬) ଭୂଇଁରେ ଗବ ଦାରୁ’ (୭) ବାଘସିଂହ ବଂଶ କ୍ଷୁଦ୍ର ଜାୟଗିରିଦାର ଥିଲେ ମଧ୍ୟ ମଫସଲରେ ନାମ-ଡାକ ଥିଲା । ରତନପୁର ମୌଜାରେ ଚୌପାଢ଼ୀ, ସେଟା ନିସ୍କର ଖଣ୍ଡାଏତି ମାହାଲ । ତାକୁ ଛାଡ଼ି ତାଲୁକେ ଫତେପୁର ସରଷଣ୍ଢ ଏବଂ କେତେକ ଖଣ୍ଡ ବାଜେ ରିପୋର୍ଟ ଜମିଦାରୀ ଥିଲା । ନଟବର ଘନଶ୍ୟାମ ବାଘସିଂହ ଜମିଦାରୀ ସବୁ ଉଡ଼ାଇ ଦେଇ ଯାଇଛନ୍ତି । ଲୋକଟା ବଡ଼ ସାହାଖର୍ଚ୍ଚୀ (୮) ଥିଲେ । ଖର୍ଚ୍ଚବେଳେ ଆଗପଛ ବିଚାର ଥାଏ ନାହିଁ । ଆଜି ପାଞ୍ଚ ବୋଇଲେ ନାହିଁ, ସାତ ବୋଇଲେ ନାହିଁ, ହାତରେ ପଡ଼ିଲା ଦେ ଖରଚ । ମୁଁହ ହରାଇ ଜିନିଷଟାଏ ମାଗିଦେଲେ ନା ପଦ ଶୁଣିବ ନାହିଁ । ଭାଟ ଭିକାରୀ ପାଇଁ ଦ୍ୱାର ମେଲା । ଭାତହାଣ୍ଡି ବସାଇ ଟୋକାଇ ଘେନି ତାଙ୍କ ଆଗରେ ଛିଡ଼ାହେବାକୁ ଲୋକମାନଙ୍କର ଭରସା ଖଟୁଥିଲା । ଖାଇବା ଖୁଆଇବାକୁ ଷଣ୍ଢଟାଏ । ଗାଁ ଲୋକେ କହନ୍ତି ବାଘସିଂହ ଆଗରେ ବସି ଯାହାକୁ ଥରେ ସରୁ ଚକୁଳି, ନଡ଼ିଆପୁର ମଣ୍ଡା, ପାଳୁଅ କ୍ଷୀରୀ ଖୁଆଇଛନ୍ତି, ବଞ୍ଚିଥିବାଯାଏ ତାହା ମନରୁ ଯିବ ନାହିଁ ।
ନଟବର ଘନଶ୍ୟାମଙ୍କ ଦେହକରେ ଋଣ ଥିଲା । ତାଙ୍କ ପଛେ ପଛେ ଜମିଦାରୀ ସବୁ ଯାଇଅଛି, ଥିବା ମଧ୍ୟରେ ଖଣ୍ଡାଏତି ମାହାଲ । ନଟବର ଘନଶ୍ୟାମ ବାଘସିଂହଙ୍କର ଚାରିପୁଅ-। ଜ୍ୟେଷ୍ଠ ଭୀମସେନ ବାଘସିଂହ, ଅନ୍ୟ ତିନି ପୁତ୍ର ପ୍ରହ୍ଲାଦ ମଲ୍ଲ, କୁଚୁଳି ମଲ୍ଲ ଓ ବଳରାମ ମଲ୍ଲ । ପୁଅମାନେ ବାପା ପରି ଉଡ଼ାବାଜ ନୁହନ୍ତି, ଚାରିଆଡ଼କୁ ନଜର ରଖି ଚାଲନ୍ତି । ପୂର୍ବ ସମ୍ପତ୍ତି ନାହିଁ, ଏକରକମ ଦୁଃଖେ ରାମ, ସୁଖେ ରାମ ଚଳିଯାଏ । ପାଟ ଚିରିଲେ ପାଟକନା, ପୁରୁଣା ଘର ବୋଲି ଲୋକେ ମାନନ୍ତି, ଭୟ-ଭକ୍ତି କରନ୍ତି । ରତନପୁର ମୌଜାରେ ବାଘସିଂହ ଘର ଛାଡ଼ି ଗଉଡ଼, ଭଣ୍ଡାରୀ, ରାଢ଼ୀ ଗୁଡ଼ିଆ, ପୁଅଭାୟା ଅଠର ଘର । ଏମାନେ ବାଘସିଂହ ପୂର୍ବବଂଶଦିଆକ ଜାୟଗିରି ପୁରୁଷାନୁକ୍ରମେ ଭୋଗ କରି ଆସୁଅଛନ୍ତି । ଦରକାରବେଳେ ବାଘସିଂହ ଘରେ ବେଠି କରନ୍ତି । ପୁରୋହିତ ଘର ମଧ୍ୟ ଏହି ଗ୍ରାମରେ । ଏମାନଙ୍କୁ ଛାଡ଼ି ଡମ ଆଠ ଘର, ପର୍ବପର୍ବାଣୀରେ ବାଜା ବଜାଇବା ସକାଶେ ଏମାନଙ୍କର ଜାୟଗିରି ଅଛି । ବାଘସିଂହ ଘରେ ପହରାଦେବା ଏମାନଙ୍କର ଆଉ ଗୋଟିଏ କାର୍ଯ୍ୟ ।
ଆଜକୁ ତିନି ବରଷ ହେଲା ନାନା କାରଣରୁ ମଙ୍ଗରାଜଙ୍କ ସହିତ ବାଘସିଂହ ବଂଶର ଭାରି କଳି ଲାଗିଅଛି । ମଙ୍ଗରାଜେ ଖୁବ୍ ବୁଦ୍ଧିମାନ, ମାଲି ମାମଲାରେ ଖୁବ୍ ଜାହାଁବାଜ (୯) କିନ୍ତୁ ଠେଙ୍ଗା ନାମ ଶୁଣିଲେ ଘରୁ ବାହାରନ୍ତି ନାହିଁ । ଏଣେ ବାଘସିଂହ ବଂଶ ବୋଲନ୍ତି, ‘‘ଠେଙ୍ଗା ସର୍ବାର୍ଥସାଧିକା’’ । ବିଶେଷରେ ଡମମାନଙ୍କ ଭୟରେ ମଙ୍ଗରାଜଙ୍କ ଲୋକେ ରତନପୁର ପାଖ ପଶିପାରନ୍ତି ନାହିଁ । କିନ୍ତୁ ଡମମାନେ ବାଡ଼ି ମଧ୍ୟରେ ଚୋରା ମାଲ ପୋତି ରଖିଥିବା ଅପରାଧରେ ଜେଲ ଯାଇଅଛନ୍ତି । ଲୋକେ ବୋଲନ୍ତି, ଡମମାନେ କୌଣସି ପୁରୁଷରେ ଚୋରିବିଦ୍ୟା ଜାଣନ୍ତି ନାହିଁ, ମଙ୍ଗରାଜଙ୍କର ଏଥିରେ ଦୁଇ ଥଳୀ ଟଙ୍କା ଖରଚ । ମଙ୍ଗରାଜଙ୍କର ଉଦୁଆଁ (୧୦) ଗୋରୁ ରତନପୁର ମୌଜାରେ ଫନ୍ଦା ଉଜାଡ଼ (୧୧) କରିବାରୁ ସେଦିନ ବଳରାମ ମଲ୍ଲେ ଗୋବିନ୍ଦପୁର ମୌଜା ଦୋକାନ ପିଣ୍ଡାରେ ବସି ମଙ୍ଗରାଜଙ୍କୁ ଦୁଇପଦ ଶୋଧିଦେଲେ । ମଙ୍ଗରାଜେ ପାଟି ଫିଟାଇ ପାରିଲେ ନାହିଁ । ଗୋବିନ୍ଦପୁରଠାରୁ ରତନପୁର ଦୁଇକୋଶ ଛଡ଼ା, ମାତ୍ର ଦୁଇ ମୌଜାର ବିଲ ଲଗାଲଗି । ମଙ୍ଗରାଜଙ୍କ ଗୋରୁ ସର୍ବଦା ରତନପୁର ମୌଜା ଉଜାଡ଼ କରୁଥିବା ଶୁଣାଯାଏ ।
୧) ଗନ୍ତାଘର—ଭଣ୍ଡାରଘର, ୨) ଡୁଙ୍ଗିବା—ଲୁଚିକରି ଚାହିଁବା, ୩) ଚକ୍ର – ଅଞ୍ଚଳ, ଚକଲା ବା କେତେକ ଗ୍ରାମର ସମଷ୍ଟି, ୪) ମାଲବିନ୍ଧାଣ— ମଲ୍ଲଯୁଦ୍ଧ, ୫) ଫରିଖେଳ—ଖଣ୍ଡାଖେଳ, ୬) ପଦା–ପଡ଼ିଆ, ୭) ଦାରୁ—ଦ୍ରୁମ, ୮) ସାହାଖର୍ଚ୍ଚୀ–ଅମିତବ୍ୟୟୀ, ଖର୍ଚ୍ଚ ବିଷୟରେ ବେହୁସିଆର, ୯) ଜାହାଁବାଜ—ଦକ୍ଷ, ପ୍ରବୀଣ, ୧୦) ଉଦୁଆଁ —ଖୋଲା, ମୁକୁଳା, ବନ୍ଧା ହେଉ ନଥିବା, ୧୧) ଫନ୍ଦାଉଜାଡ଼—ଫସଲ ନଷ୍ଟ କରିବା ।
ଟାଙ୍ଗୀ ମାଉସୀ
ଆଜି ସ୍ନାନପୂର୍ଣ୍ଣୀମା, ଜ୍ୟେଷ୍ଠମାସିଆ ଦିନ, ଭାରି ଖରା, ମହାପ୍ରଭୁ ଅଣସରକୁ (୧) ଯାଉଛନ୍ତି, ଭାରି ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖିବାକୁ ନାହିଁ । ପବନ ଗୁମ୍ସୁମ୍ (୨) କରି ରହିଅଛି, ଖୁଣ୍ଟା ଗଛଗୁଡ଼ାକ ଜଗନ୍ନାଥ ମହାପ୍ରଭୁଙ୍କ ଆଗରେ ଗରୁଡ଼ଖମ୍ବ ପରି ଛିଡ଼ା ହୋଇଅଛନ୍ତି । ଆଉ ଗଛ ଥାଉ, ଅଶ୍ୱତ୍ଥ ପତ୍ର ଗୋଟିଏ ମଧ୍ୟ ଖୁସ୍ କରିବାକୁ ନାହିଁ । ଦାଣ୍ଡ ବାଲିଗୁଡ଼ାକରେ ମୁଠାଏ ଧାନ ପକାଇଦେଲେ ଚଡ଼ଚଡ଼ କରି ଖଇ ଫୁଟିଯିବ-।
ଗାଆଁର ବୁଲାକୁତୀ କାଳୀତିଳକୀ କୁତୀଟା (୩) ପୋଖରୀପଙ୍କରେ ପଡ଼ି ଲଟପଟ ହେଉଅଛି, ଆଉ ଡେମ୍ଫେ ଜିଭଟା କାଢ଼ିପକାଇ ଧକାଉଅଛି । ପାଣିକି ଯାଉ ନାହିଁ । ପାଣିଗୁଡ଼ାକ ତାତିଯାଇଛି ନା କ’ଣ ? ପଡ଼ିଆରେ ଗୋଟାଏ ମଧ୍ୟ ଗୋରୁ ବାଛୁରୀ ନାହାନ୍ତି, ଗଛମୂଳରେ ଶୋଇପଡ଼ି ବୈଷ୍ଣବମାନେ ମାଳଝୁଲି ଧରି ହରିନାମ ଭଜିଲା ପରି ଆଖି ବୁଜି ପାକୁଳି (୪) କରୁଅଛନ୍ତି-। ଆକାଶରେ ଗୋଟିଏ କାଉ କୋଇଲି ଉଡ଼ିବାକୁ ନାହିଁ । ପତ୍ର ମଧ୍ୟରେ ଲୁଚି ଆଁ କରି ବସିଛନ୍ତି-। ମୁଣ୍ଡଫଟା ଖରା, ଦିନ ତିନିପ୍ରହର ଗଡ଼ିଲାଣି, ତଥାପି ଆକାଶରୁ ନିଆଁ ଛିଡ଼ୁଛି ।
ରତନପୁର ମୌଜା ଗୋହିରିରେ ଗଉଡ଼ ଡାକ ଶୁଭିଲା । ଆଗରେ ଗୋଟାଏ ଡୋଲି, ପଛଲାଗି ପାଞ୍ଚଟା ଭାର ଚାଲିଅଛି । ଡୋଲିଟା ଦଶିଆ ଲୁଗାରେ ସମ୍ପୂର୍ଣ୍ଣ ଢଙ୍କା । ଗ୍ରାମରେ ପୁରୁଷ ଲୋକ ପ୍ରାୟ କେହି ନାହାନ୍ତି । ବିଲବାଡ଼ି କାମ ନ ଥିବାରୁ ବାଘସିଂହ ଭାଇମାନଙ୍କ ସହିତ କେନ୍ଦ୍ରାପଡ଼ା ବଳଦେବଙ୍କ ସ୍ନାନଯାତ୍ରା ଦେଖିବାକୁ ଯାଇଅଛନ୍ତି । ଗାଁ ଏମୁଣ୍ଡ ସେମୁଣ୍ଡ ଚହଳ ପଡ଼ିଗଲା–ସୁଆରି ଅଇଲା, ସୁଆରି ଅଇଲା । ବୁଢ଼ୀ ଦରବୁଢ଼ୀ, ମାଇକିନିଆମାନେ ଧଡ଼୍କରି କବାଟ ମେଲାଇଦେଇ ଗୋହିରିକୁ ବାହାରିପଡ଼ିଲେ । ବୋହୂଗୁଡ଼ାକ କବାଟ ଦରଆଉଜା କରି ଫାଙ୍କବାଟେ ମୁହଁଗଳାଇ ନାକବସଣି କାଢ଼ିଦେଲେ । ଗାଁ ମାଇକିନିଆଙ୍କ ମଧ୍ୟରେ ଡୋଲ୍ୟାରୋହୀ (୬) ସମ୍ବନ୍ଧରେ ନାନା ତର୍କ ଉପସ୍ଥିତ ହେଲା । ପ୍ରଥମେ ଲିଙ୍ଗ ବିଚାର, ପରେ ବ୍ୟକ୍ତି ବିନିର୍ଣ୍ଣୟ । କେହି କହିଲା, ନୂଆବୋହୂ, କେହି କହିଲା ଜମାଦାର, କେହି କହିଲା ସାହାବ । ଜେମା ମା’ ଅକାଟ୍ୟ ଯୁକ୍ତି ଦେଖାଇ କହିଲା, ‘‘ଆଜି ସ୍ନାନପୂର୍ଣ୍ଣମୀ, ଜମାଦାର ସାହାବ ଘରକୁ ପରିବା ଭାର ନେଇଯାଉଛନ୍ତି-।’’ ଡୋଲି ବାଘସିଂହ ଚଉରା ପାଖରେ ମୁହଁ ବୁଲାଇ ନ ଥିଲେ ଜେମା ମା’ ଅନୁମାନ ସିଦ୍ଧାନ୍ତରେ ପରିଣତ ହେବାର ଖୁବ୍ ସମ୍ଭାବନା ଥିଲା ।
ବେହେରାମାନେ ବାଘସିଂହ ଦୁଆରେ ଡୋଲିଟା ଗୁମ୍ କରି ଥୋଇଦେଇ ଗାମୁଛାରେ ମୁହଁ ବିଞ୍ଚିହେଲେ, ଗମ୍ ଗମ୍ ଦେହରୁ ଝାଳ ବହିଯାଉଛି, ବାଁ ହାତ ପାପୁଲିରେ ମୁହଁରୁ ପୋଷ ପୋଷ ପୋଛି ପକାଉଛନ୍ତି । ଭିତରକୁ ଖବର ଗଲା ନୂଆବୋହୂ-ମାଉସୀ ଆସିଅଛନ୍ତି । ଗଲା ମକର ମାସରେ ବାଘସିଂହ ପୁଅ ଚନ୍ଦ୍ରମଣି ଡାଳିଯୋଡ଼ା ଫତେସିଂହଙ୍କ ଝିଅକୁ ବିଭା ହୋଇଅଛନ୍ତି । ଏହି ଡୋଲି ଯେ ସଳଖେ ସଳଖେ ଡାଳିଯୋଡ଼ାରୁ ଅଇଲା, ବିନା ବ୍ୟାଖ୍ୟାରେ ବୁଝିବାକୁ ଗ୍ରାମର ବୁଦ୍ଧିମତୀ ସ୍ତ୍ରୀମାନଙ୍କ ପକ୍ଷରେ ଅଖଞ୍ଜ ହେଲା ନାହିଁ । ମାଣିକ ଭଣ୍ଡାରୁଣୀ ସାଆନ୍ତାଣୀମାନଙ୍କୁ ଖବର ଦେବା ସକାଶେ ଭିତରକୁ ଧାଇଁଲା ।
ଆମ୍ଭମାନଙ୍କ ମାଣିକର ନାମ ଶୁଣିଥିବେ, ନଚେତ୍ ଶୁଣିବା ଆବଶ୍ୟକ । ଏହାକୁ ତୁଚ୍ଛା ଭଣ୍ଡାରୁଣୀଟିଏ ବୋଲି ଜାଣିବେ ନାହିଁ । ଏ ବୁଦ୍ଧିରେ ମାମଲତରେ, ଗୁଣରେ ଅନେକ ପୁରୁଷଙ୍କ କାନ କାଟି ଛାଡ଼ି ଦେଇପାରେ । ଗ୍ରାମର ସମସ୍ତ ଲୋକେ ଏହାକୁ ଡରିଥାନ୍ତି । ବୁଢ଼ୀ ଦରବୁଢ଼ୀ, ପର୍ଯ୍ୟନ୍ତ ଭାରି ଭାରି କଥାରେ ଏହାଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତି । ଗୁଣି ବିଦ୍ୟାରେ ଏହା ଆଗରେ କେହି ଛିଡ଼ା ହୋଇ ପାରିବ ନାହିଁ । ଗାଁର କଅଁଳା ପିଲାଙ୍କୁ ଦୃଷ୍ଟିହେଲେ ଫୁଙ୍କି ଉଡ଼ାଇ ଦିଏ-। ଧାଈ ପଣରେ ଖୁବ୍ ଟାଣ–ବୋହୂ ଝିଅ ଦେହକୁ ଲାଗିଲେ (୭) ଉଠିଆରି (୮) ପର୍ଯ୍ୟନ୍ତ ପୁଆତି (୯) ପାଖଛଡ଼ା ହୁଏ ନାହିଁ । ମୂଳ ମୂଳିକା ମଧ୍ୟ ଢେର୍ ଜଣା । ପର ଉପକାର କରିବାକୁ ଯେପରି ହୁମ୍ଯୁମ୍ (୧୦) ଉପରେ ପଡ଼ି କଜିଆ କରିବାକୁ ସେହିପରି ମଜବୁତ୍ । କଜିଆରେ ଲାଗିଅଛି ତ ସେଦିନ ଗାଧୁଆ ନ ହେଲା । କାହାରି ଦେହପା’କୁ ଲାଗିଲେ ତାହାକୁ ଯଦି ଦି’ପଦ କଅଁଳେଇ କହି ଦେଇଅଛ, ନ ଖାଇ ନ ଶୋଇ ରାତିସାରା ବସି ଦେହରେ ହାତ ବୁଲାଉଥିବ । ବାହା-ପୁଆଣିରେ ଡାକ ନ ଡାକ ମାଣିକ ଉପସ୍ଥିତ, କହ ନ କହ ସବୁ କାମ କରିପକାଇବ । ମାଣିକ ନ ଜାଣେ, ଏମନ୍ତ କଥା ନାହିଁ । କଟକ କଥା, ସାହେବଘର କଥା, ପୁରୀ ଜଗନ୍ନାଥ ମନ୍ଦିର କଥା ଇତ୍ୟାଦି କଥାମାନ ଗ୍ରାମର ସ୍ତ୍ରୀଲୋକମାନେ ମାଣିକ ମୁହଁରୁ କେବଳ ଶୁଣିବାକୁ ପାଆନ୍ତି । ମାଛ ବିନା ପୋଖରୀ ଥାଇପାରେ, ମାତ୍ର ନିନ୍ଦୁକ ଛଡ଼ା ଗାଁ ନାହିଁ । କେହି କେହି କହନ୍ତି, ମାଣିକଟା ଡବଡବି (୧୧), ମିଛେଈ, ଆଗତ କହି (୧୨), ଏହାର ତିନିପୁରୁଷରେ କେହି ଗାଁ ଡେଇଁନାହାନ୍ତି, କଟକ କଥା, ସାହେବଘର କଥା କାହୁଁ ଜାଣିଲା !
ବାଘସିଂହ ଉଆସରେ ମାଣିକର ଭାରି ଖାତର । ସହସ୍ର ଥର କଥିତ, ଶଏଥର ଶ୍ରୁତ ରଜା ପୁଅ, ମନ୍ତ୍ରୀ ପୁଅ, ସାଧବ ପୁଅ, କଟୁଆଳ ପୁଅ, ଚାରିଜଣ ମିଶି ବିଦେଶ ଯିବା କଥା, କଲରେଈ ଦେଈ କଥା, ନଈ ସେପାରି ମଙ୍ଗଳା କଥା ଇତ୍ୟାଦି କାହାଣୀମାନ ଶୁଣିବା ସକାଶେ ପ୍ରତିଦିନ ସନ୍ଧ୍ୟାବେଳେ ସାଆନ୍ତଣୀମାନଙ୍କର ଡାକରା ଆସେ । ରାମ-ରାବଣ ଯୁଦ୍ଧ କଥା ମାଣିକ ମୁହେଁ ମୁହେଁ କହିଯାଏ । ଯେ କଥା ପଚାର, ସେଥିର ଜବାବ ନିଶ୍ଚୟ ପାଇବ । ମାତ୍ର ଗୋଟିଏ କଥା, ସେ ଯାହା କହିବ, ତୁମ୍ଭେ ସେଥିରେ ହୁଁ ଦେଇ ଯାଉଥିବ । ଯଦି ବୋଲ–ନୁହେଁ ପରା, ଆଉ ଯାଅ କାହିଁ ? ସେ କଥା ଯାଉ, ‘‘ସ୍ୱନାମା ରମଣୀ ଧନ୍ୟା ।’’ ମାଣିକକୁ ଗ୍ରାମରେ ସମସ୍ତେ ଭଲ ଜାଣନ୍ତି, ଆମ୍ଭମାନଙ୍କର ଚିହ୍ନାଇ ଦେବା ଅନାବଶ୍ୟକ ।
ଡୋଲି ମଝି ଦାଣ୍ଡରେ ଯାଉଥିବାବେଳେ ମାଣିକ ପଛରେ ଥିବା ଭଣ୍ଡାରୀ ସାଙ୍ଗରେ କଥାବାର୍ତ୍ତା କରି ହାଲ୍ଟା ବୁଝିଗଲା । ତାହା ବାଦ୍ ବାଘସିଂହଙ୍କ ଦାଣ୍ଡ ଦୁଆରୁ ପାଟି କରି ଉଆସ ଭିତରକୁ ଧାଇଁଲା । ‘‘ବଡ଼ ସାଆନ୍ତାଣୀଏ, ସାନ ସାଆନ୍ତାଣୀଏ, ମଝିଆଁ ସାଆନ୍ତାଣୀଏ, ଧାଇଁ ଆସନ୍ତୁ, କେଉଁଠାରେ ଅଛନ୍ତି ? ଡାଳିଯୋଡ଼ାରୁ ସମୁଦୁଣୀଙ୍କ ସୁଆରି ଆସି ଓଳିଏ ହେଲା ଦାଣ୍ଡ ଦୁଆରେ ବସିଲାଣି । ସମୁଦୁଣୀଙ୍କ ଆସିବା କଥା ମୁଁ ଚାରିଦିନ ହେଲା ଶୁଣିଲିଣି, ଆପଣମାନଙ୍କୁ କହିବାକୁ ଭୁଲିଯାଇଅଛି । ସେ କାଲିଠାରୁ ଡାଳିଯୋଡ଼ାରୁ ବାହାରିଲେଣି.। ମୁଁ କହୁଛି, କହ, ଏତେ ଡେରି କ୍ୟାଁ ହେଲା ? ଡାଳିଯୋଡ଼ାରୁ ଆସିବା ବାଟ ପାଖରେ ଯେ ବଡ଼ ପୋଖରୀଟିଏ ଅଛି, ସେହିଠାରେ ଗାଧୁଆ ପାଧୁଆ କରିବା ବିଳମ୍ବ ହୋଇଗଲା ।’’ ବାଘସିଂହ ଘର ଚାରି ଯାଆ ଏକ ଜାଗା ହୋଇ ପରସ୍ପର ମୁହଁ ଚୁହାଁଚୁହିଁ ହେଲେ । ସେଥିରେ ଅର୍ଥ ଅଭ୍ୟାଗତା (୧୩) ଅନାହୂତା (୧୪) ସମୁଦୁଣୀ ସମ୍ବନ୍ଧରେ କର୍ତ୍ତବ୍ୟ ନିରୂପଣ । ମାତ୍ର ମାଣିକ ଏକାବେଳେ ମୀମାଂସା କରିଦେଲା, ‘‘ଶୀଘ୍ର ଯାଇ ସମୁଦୁଣୀଙ୍କୁ ପାଛୋଟି ଆଣନ୍ତୁ ।’’
ବାଘସିଂହଙ୍କ ଦାଣ୍ଡଦୁଆର କବାଟ ଫାଟରୁ ଫୁଲଗୁଣା ବସଣି ସହିତ ଦୁଇ ତିନିଗୋଟି ନାସିକା ଦୃଷ୍ଟ ହେଲା । ମାଉସୀ ଡୋଲିରୁ ଓହ୍ଲାଇ ପଡ଼ି ଗୁମ୍ ଗୁମ୍ କରି ଭିତରକୁ ପଶିଗଲେ । ‘ସମୁଦୁଣୀ’ କହି ପୂର୍ବୋକ୍ତ ନାସିକାଧାରିଣୀମାନଙ୍କୁ ପରସ୍ତେ କୁଣ୍ଢାଇ ଗଲେ । ଗୃହାଧିଷ୍ଠାତ୍ରୀ ସାଆନ୍ତାଣୀମାନେ ନୀରବରେ ହସି ହସି ସମୁଦୁଣୀ ହାତ ଧରି ଭିତରକୁ ଘେନିଗଲେ । ସମୁଦୁଣୀଙ୍କର ଅଭ୍ୟର୍ଥନା ବିଷୟରେ ମାଣିକର ଉଦ୍ଯୋଗ ଅନୁଷ୍ଠାନ ବେଶି । ସେ ଆଗେ ଆଗେ ଚଞ୍ଚଳ ଧାଇଁଯାଇ ବାଘସିଂହ ପହୁଡ଼ ଘର (୧୫) ଆଗମେଲାରେ ଗୋଟିଏ ଚାରିହାତ ଲମ୍ବା ପୁରୁଣା ଖରଡ଼ (୧୬) ପକାଇ ଦେଲା । ମାଉସୀ ସେଥିରେ ବସିପଡ଼ି ଚାରି ସମୁଦୁଣୀଙ୍କ ହାତ ଧରି ପାଖରେ ବସାଇଲେ । ପାଞ୍ଚଟା ଭାର ମଝି ଅଗଣାରେ ଥୁଆଗଲା । ଭାରର ଡାବ (୧୭) ପାଚିଲା ଆମ୍ବ ଏକ ଭାର, ବଡ଼ ବଡ଼ ଯୋଡ଼ାଏ ଖଜା ପଣସ ଏକ ଭାର, ପାଚିଲା କଞ୍ଚା କଦଳୀ ଦୁଇ କାନ୍ଦି, ଦୁଇ ପୁଞ୍ଜା ସହିତ ଏକ ଭାର, ପିଠୋଉ ପାଣିରେ ଧଳା କଦଳୀ ପତ୍ରରେ ମୁହଁ ବନ୍ଧା ବଡ଼ ବଡ଼ ଚାରିହାଣ୍ଡିକୁ ଦୁଇ ଭାର–ଗାଏ । ଗାଁ ମାଇକିନିଆମାନେ ଦେଖିବାକୁ ଧାଇଁଲେ । ରେବତୀ, ଶୁକୁରୀ, ଶଙ୍କ୍ରୀ, ମାଳିଆ, ଜେମା ମା, ଭୀମା ମାଉସୀ, ହଗୁରା ମା, ସୋଦରୀ, ମେଙ୍କୀ, କନକ, ନେତ ଜେଜୀ, ସାବୀ, କମଳୀ, ପଦିଅପା, ଶାମାବୋହୂ ନଳିତା, ବିଷ୍କା, ସୁମିତ୍ରା, ଗଉଡ଼ ଘର କନିଆ ବୋହୂ, କେହି ପିଲା କାଖେଇ, କେହି ପିଲା ହାତ ଧରି ଚଲାଇ, କେହି ଜଣକ ପଛରେ, କେହି ଏକାକିନୀ ଧାଇଁ ଅଛନ୍ତି । ଶୁକ୍ରା ମା ଘର ଲିପୁଥିଲା, ଛୁଞ୍ଚପାଣି (୧୮) ହାତ ଧୋଇବାକୁ ବେଳ ନାହିଁ, ସାପ ଫଣା ପରି ହାତଟି ଟେକିଅଛି ।
ବାଘସିଂହଙ୍କ ଅଗଣା ପୂରିଗଲା । ଦେବୀ ପ୍ରତିମା ଦେଖିଲା ପରି ମାଇକିନିଆମାନେ ଏକ ଧ୍ୟାନରେ ମାଉସୀଙ୍କ ରୂପମାଧୁରୀ ଅନୁଭବ କରୁଅଛନ୍ତି, କିନ୍ତୁ ବନିଆ, ବାଙ୍କିଆ, କାଳିଆ, ବନମାଳିଆ, ଗୋପାଳିଆ, ରାମିଆ, ଉମେଷିଆ, କାଶୀ, ଦୈତ୍ୟାରି ପ୍ରଭୃତି ଗ୍ରାମର ଦୁଷ୍ଟ ପିଲାଗୁଡ଼ାକ ମାଉସୀଙ୍କ ସୌନ୍ଦର୍ଯ୍ୟ ଦର୍ଶନ ବିଷୟରେ ମନଯୋଗ ନ କରି ବିରାଡ଼ି ଶୁଖୁଆ ଖାଳେଇକୁ ଅନାଇଲା ପରି ବାହାରେ ଥୁଆହୋଇଥିବା ପାଚିଲା କଦଳୀ, ପାଚିଲା ଆମ୍ବକୁ ଅନାଇ ରହିଛନ୍ତି । ଏହା ଯେ ଅସଭ୍ୟତାର ଏବଂ ନୀତିଶାସ୍ତ୍ରବିରୁଦ୍ଧ କାର୍ଯ୍ୟ ସେଥିରେ ସନ୍ଦେହ ନାହିଁ । ଆଉ ସେମାନଙ୍କର ବୃତ୍ତରେଖା କ୍ରମଗତିରେ ଯେପରି ସଙ୍କୋଚଭାବ ଧାରଣ କରି ଆସୁଥିଲା, ବୁଦ୍ଧିମତୀ ମାଣିକ ସେଥିର ପ୍ରଚ୍ଛନ୍ନ ଅସଦାଭିପ୍ରାୟ (୧୯) ହୃଦୟଙ୍ଗମ କରି ଈଷତ୍ ତର୍ଜନପୂର୍ବକ ଡାହାଣ ହାତ ହଲାଇ ସେମାନଙ୍କୁ ଅପସାରିତ (୨୦) କରିଦେଇ ନ ଥିଲେ ଗୋଟାଏ ଲୁଟତରାଜ ମାମଲା ଉକୁ ହେବାର (୨୧) ଖୁବ୍ ସମ୍ଭାବନା ଥିଲା ।
ବୋହୂ-ମାଉସୀ ମୁଣ୍ଡରେ ମା ମଙ୍ଗଳା ପରି ମୁଣ୍ଡାଏ ସିନ୍ଦୂର, ଆଖିରେ କଜ୍ଜ୍ୱଳ, ନାକରେ ଗୁଣା, ତା’ ଉପରେ ନାଟମୟୂର, ବାଁ ପୁଡ଼ାରେ ବସଣି, ଦୁଇ କାନରେ ବଡ଼ ବଡ଼ ଦୁଇଟା କାପ, ବେକରେ ଚାପସରି, ତା’ ତଳେ ପାଟସୂତାରେ ଗୁନ୍ଥା ମାଳେ କୁରୁଜାତକ (୨୨), ବାହୁରେ ବିଦ, ହାତରେ ପଇଞ୍ଚ, ତାହା ଉପରେ କଟା (୨୩) ତାହା ଉପରେ ଚୂଡ଼ି, ହାତ ପାଞ୍ଚଆଙ୍ଗୁଳିରେ ରୂପା ଛାପମୂଦି, ସାତଗୋଟା; ଗୋଡ଼ରେ ଚବିଶପଳ ଓଜନରେ ଦୁଇଟା କଂସାବାଙ୍କ (୨୪), ଗୋଡ଼ ଦଶ ଅଙ୍ଗୁଳିରେ ଝୁଣ୍ଟିଆ, ମୁଣ୍ଡରେ ଦଶ ବାର କେରା ପାଟଥୋପରେ (୨୫) ବିଶାଳ ଜୁଡ଼ା, ତାହା ଉପରେ ତିନିଟା ବେଙ୍ଗପାଟିଆରେ (୨୬) ତିନିକେରା ଶିକୁଳିଲଗା ଗୋଜିକାଠି ଖୋସା । କୁମ୍ଭକର୍ଣ୍ଣି ଧଡ଼ି ଷୋଳହାତି ବରମପୁରୀ ପାଟଶାଢ଼ି ପିନ୍ଧା, ଗାଲରେ ଗାଲେ ପାନ । ଡାଳିଯୋଡ଼ା ଫତେସିଂହ ଘର ବେଶ୍ ଚଳ (୨୭), ପୂର୍ବରୁ କାନରେ ଶୁଣାଥିଲା, ବର୍ତ୍ତମାନ ଆଖିରେ ଅଳଙ୍କାର ବିଭବ ଦେଖି ଗାଁ ମାଇକିନିଆମାନେ ବୁଝିଗଲେ–ହଁ, ଘରପରି ଘରଟାଏ ।
ମାଉସୀ ବସିପଡ଼ି କହିଲେ, ‘‘ମୋ ଝିଆରୀ କାହିଁ ? ମୋ ଝିଆରୀ କାହିଁ ? ମୋ ଝିଆରୀକୁ ଦେଖିବି । ଆହା ! ମା ଛେଉଣ୍ଡିଟି ଶୁଖିଯିବଣି !’’ ସାନ ଖୁଡ଼ିଶାଶୁ ନୂଆବୋହୂଟିକୁ ଘେନିଆସିଲେ । ବୋହୂଟି ଦେଢ଼ହାତ ଓଢ଼ଣା ପକାଇ ଅଳ୍ପ ନଇଁ ନଇଁ ଆସି ମାଉସୀ ଗୋଡ଼ତଳେ ଲଠ୍କରି ମୁଣ୍ଡିଆଟିଏ ମାଇଲା । ମାଉସୀ ଝିଆରୀକୁ କୁଣ୍ଢାଇପକାଇ ବାହୁନି ବସିଲେ । ‘‘ଆରେ ମୋ ଝିଅରେ, ତୋତେ ନ ଦେଖି ଅନ୍ଧ ହୋଇଯାଇଥିଲି । ଆରେ ମୋ ଚନ୍ଦ୍ରଉଦିଆରେ, ମୋ ଘର ଅନ୍ଧାର କରି ଆସିଛୁ, ଆରେ ମୋ କଳା-ମାଣିକରେ ।’’ ମାଉସୀ ବାହୁନି ବାହୁନି ଅଥୟ ହୋଇଗଲେଣି, ଦୁଇ ଆଖିରୁ ଝର ଝର କରି ପାଣି ବୋହିପଡ଼ୁଛି । ବଡ଼ ସମୁଦୁଣୀ କୁଣ୍ଢାଇପକାଇ ଆପଣା ପଣତକାନିରେ ଆଖି ପୋଛିଦେଲେ ଏବଂ ଅନେକ ପ୍ରକାର ବୁଝାଇ ସୁଝାଇ ତୁନି କରାଇଲେ । ମାଉସୀ କହିଲେ, ‘‘କ’ଣ କହୁଛ ସମୁଦୁଣୀ, ଝିଅ ଆସିଲା ଦିନୁ ଅନ୍ନଜଳ ପିତା କରିଦେଲିଣି । ଖାଲି ଦାଣ୍ଡକୁ ଚାହିଁ ବସିଥାଏ, ଏଣୁ ଲୋକଟିଏ ଗଲେ ପଚାରେ, ବାକଟିଏ ଗଲେ ପଚାରେ ।’’
ଝିଆରୀ ତ ନୂଆ ପାଟି ଶୁଣି ଏବଂ ବାହୁନା ଦେଖି ତାଟଙ୍କା ହୋଇଗଲାଣି । ମାଉସୀ ମୁହଁ ଦେଖିବାପାଇଁ ଟିକିଏ ଓଢ଼ଣା ଟେକୁଥିଲା । ଚତୁରୀ ମାଉସୀ ଝିଆରୀର ଅଭିପ୍ରାୟ ସହଜରେ ବୁଝିପାରି ଓଢ଼ଣା ଟାଣିଦେଇ କହିଲେ, ‘‘ଆରେ ମୋ ଲାଜକୁଳୀ ବଦନରେ, ଆରେ ମୋ ଲାଜକୁଳି ଲତାରେ, ତୋତେ କିଏ ଲାଜ ଶିଖାଇବରେ । ସମୁଦୁଣୀ କ’ଣ କହିବି, ଏହା ମାଆର ଏହିପରି ଲାଜ ଥିଲା । ବୁଢ଼ୀ ହୋଇଗଲା, ଶାଶୁମାନଙ୍କ ଆଗରେ ଆଖି ଫିଟାଇ ଚାହିଁନାହିଁ, ଓଢ଼ଣା ଟେକିନାହିଁ । ଶାଶୁ ସାଙ୍ଗରେ ଭଟଭଟ ଲଗାଇବ ପଛକେ, ଖୁଡ଼ିଶାଶୁମାନଙ୍କୁ ଗାଳିଦେବ ପଛକେ ସେହି ଓଢ଼ଣା ଭିତରୁ । ଧାନ ପେଟରୁ କ’ଣ ବାଳୁଙ୍ଗା ବାହାରିବ ? ତୁଳସୀମଞ୍ଜିରୁ କ’ଣ ବିଛୁଆତି ହେବ ? ତିରିଲାଝିଅ ହୋଇ ଯେବେ ଲାଜ ନ ହେଲା, ଧିକ ତା’ ଜୀବନ, ଛାଡ଼ ତା’ କଥା ।’’ ଝିଆରୀ ତ ମାଉସୀ କଥା ଶୁଣି ଆହୁରି ଢାଙ୍କିଢୁଙ୍କି ହୋଇ ବେଙ୍ଗୁଲି ପରି ବସିଲା । ଟାଙ୍ଗୀରେ ତାହାର ଗୋଟିଏ ମାଉସୀଘର ଥିବାର ସେ ଥରେ ଶୁଣିଥିଲା, ସେ ତା’ ମାଆର ଖୁଡ଼ୁତା ଝିଅ ଭଉଣୀ । ମନରେ ବୁଝିଲା, ଏ ସେହି ମାଉସୀ ।
ତାହା ବାଦ୍ ବୋହୂ-ମାଉସୀ ହସି ହସି ସମୁଦୁଣୀମାନଙ୍କ ସହିତ କଥାବାର୍ତ୍ତା କଲେ । ସମୁଦୁଣୀ ସମୁଦୁଣୀ କଥା, ହସକୌତୁକ କଥା, ଟାପରାଟାପୁରି (୨୯) କଥା ଢେର୍ ହେଲା । ଆପଣଙ୍କର ସେ ସମସ୍ତ କଥା ଶୁଣିବାକୁ ଇଚ୍ଛା ଥାଇପାରେ, ମାତ୍ର ଭଲଲୋକ ଘର ବୋହୂ-ଭୁଆସୁଣୀ କଥା ପ୍ରକାଶ କରିବାକୁ ଆମ୍ଭେମାନେ ନିତାନ୍ତ ନାରାଜ । ତେବେ ଆପଣ ଯଦି ଶୁଣିବାକୁ ନିତାନ୍ତ ଇଚ୍ଛା କରନ୍ତି, ଆଉ ଯାହା କହିଲେ କୌଣସି ଦୋଷ ନାହିଁ, ତେତିକି କଥା କହିପାରୁ । ବୋହୂ-ମାଉସୀ କହିଲେ–
‘‘ଏ ବରଷ ଭାରି ଯୋଗ ପଡ଼ିଚି, ସମସ୍ତେ ବଳଦେବ ଯାତ ଦେଖିବାକୁ ଧାଇଁଛନ୍ତି । ଆମ ଗାଁ ତ ଶୂନଶାନ । ମୁଁ କହିଲି, ଆଚ୍ଛା ବେଳ ପଡ଼ିଲା, ଦିଅଁ ଦେଖା ସମୁଦୁଣୀ ଭେଟ ଏକ ସାଙ୍ଗରେ ହୋଇଯିବ । ଝିଆରୀଟି କେମନ୍ତେ ଅଛି ଦେଖିବି । ସମସ୍ତଙ୍କୁ ହେଣ୍ଟରେଇ (୩୦) ହେଣ୍ଟରେଇ ଘରୁ କାଢ଼ିଲି । ଆମର ସେମାନେ, ଆଉ ଭିଣୋଇ ସାଆନ୍ତ ଗୋଟାଏ ଗୋଟାଏ ଘୋଡ଼ାରେ ଚଢ଼ି ଦାଣ୍ଡେ ଦାଣ୍ଡେ ଆଗରେ ଯାଇ ତୋଟାରେ ବସିଛନ୍ତି । ଭଣ୍ଡାରୀ ଗଉଡ଼ ସମସ୍ତେ ସେମାନଙ୍କ ସାଙ୍ଗରେ । ମୁଁ କହିଲି ଝିଅଟିକୁ ନ ଦେଖି ଯିବି ନାହିଁ । ଏକା ବାହାରି ଆସିଲି । କାଲି ଦର୍ଶନ ସାରି ସମସ୍ତେ ଏହି ବାଟେ ବାହୁଡ଼ିବା । ବାଟରେ ଶୁଣିଲି, ସମୁଦିମାନେ ଯାତ ଦେଖି ଯାଇଛନ୍ତି । ଭଲ ହେଲା, ସମସ୍ତେ ସାଙ୍ଗ ହୋଇ ଆସିବା । ଦେଖ ସମୁଦୁଣୀ, ତୁମ୍ଭମାନଙ୍କ ସଙ୍ଗରେ ଦୁଃଖ ସୁଖ କଥା, ହସକୌତୁକ କଥା କିଛି ହୋଇପାରିଲା ନାହିଁ । ଫେରିବାବେଳେ ଏହିଠାରେ ଚାରିଦିନ ରହିଯିବି । ଭିଣୋଇ ସାଆନ୍ତେ କହୁଥିଲେ, କେବଳ ଦିନେ ରହିବେ । ଦେଖିବଟି ଭଲା, କିପରି ଚାରିଦିନ ନ ରହିବେ, ଅଣ୍ଟାରେ ହାତ ପୂରେଇ ଦେବି ପରା ! ଝିଆରୀ ମୁଣ୍ଡରେ ହାତ ବୁଲେଇ କହିଲେ, ‘‘ମା’ରେ, ଝିଅରେ, ଆହା ! ପିଲାଲୋକ, କେଜାଣି ଚିହ୍ନିପାରିବୁ ନାହିଁ, ଢେର୍ ଦିନ ହେଲା ଦେଖିନାହୁଁ । ମୁଁ ଫେରିଆସେ, ନିରୋଳାରେ ବସି ଢେର୍ କଥା କହିବି ।’’ କାନରେ ତୁନି ତୁନି କହିଲେ, ‘‘ତୋ ଲାଗି ଯାତ୍ରାରୁ ଢେର୍ ଜିନିଷ ଆଣିବି ।’’
ବୋହୂ-ମାଉସୀ ବାଡ଼ିଆଡ଼କୁ ଯିବାକୁ ଇଚ୍ଛା କରି ଠିଆ ହୋଇ କହିଲେ, ‘‘ଦେଖ ସମୁଦୁଣୀ ମୁଁ ପଦାଆଡ଼େ ଗଲେ (୩୧) ସ୍ନାନ କରେ, ଚାରିଥର ଯିବି ପଛେ ଚାରିଥର ସ୍ନାନ । ଘର ପଛକୁ ଗଲେ ଲୋଟାଏ ପାଣି ।’’ ‘‘ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ (୩୨) ।’’ ଏହା କହି ଦାଣ୍ଡ ଦୁଆର ଡୋଲି ପାଖକୁ ଗୁମ୍ଗୁମ୍ କରି ବାହାରିଗଲେ । ସାଙ୍ଗ ଭଣ୍ଡାରୀ ପୂର୍ବରୁ ଢାଳଟିଏ ଧରି ଛିଡ଼ା ହୋଇଥିଲା । ବୋହୂ-ମାଉସୀ ପାଣି ପଡ଼ିଯିବା ଭୟରେ ଲୋଟା ମୁହଁରେ ହାତ ଘୋଡ଼ାଇ ବାଡ଼ି ଦୁଆରକୁ ବାହାରିଗଲେ । ବାଘସିଂହ ଘର ପୋଇଲୀ ମୁତୁରୀ ମା ଓଳିତଳ ଦେଖାଇ ଦେଇ ବାଡ଼ିଦୁଆରେ ଛିଡ଼ାହେଲା । ବୋହୂ-ମାଉସୀ ତାକୁ ଅନାଇ କହିଲେ, ‘‘ଦେଖ ସକାଳୁ ମୋତେ ପୀଡ଼ା ହେଲାଣି, କ’ଣ କରିବି, ଚାରିଆଡ଼େ ଲୋକ, ପୁରୁଷ ହେଉ ସ୍ତ୍ରୀ ହେଉ, କେହି ଅନାଇଲେ ମୁଁ ବସିପାରେ ନାହିଁ-।’’ ମୁତୁରୀ ମା କହିଲା, ‘‘ନାହିଁ ନାହିଁ, ଏଠାରେ କେହି ନାହାନ୍ତି, ଆପଣ ଯାଆନ୍ତୁ, ଆପଣ ଯାଆନ୍ତୁ-।’’ ଏହା କହି ଘର ମଧ୍ୟକୁ ଆସି ବାଡ଼ିଦୁଆର ଆଉଜାଇ ଦେଲା ।
ଅନ୍ଧାର ହୋଇ ଆସିଲାଣି । ବୋହୂ-ମାଉସୀ କହିଲେ, ‘ମୁଁ ଆଉ ରହିପାରିବି ନାହିଁ, ସେମାନେ ବାଟ ଚାହିଁ ବସିଥିବେ ।’’ ସମୁଦୁଣୀମାନେ କିଛି ଖାଇବାକୁ କହିଲେ । ବୋହୂ-ମାଉସୀ ଜିଭ କାମୁଡ଼ି ପକାଇ କହିଲେ, ‘‘ରାମ–ରାମ–ରାମ ! କ’ଣ କହିଲ ସମୁଦୁଣୀ, କ’ଣ କହିଲ ? ଏ ଘରେ ଝିଅ ଦେଇଛି, ପାଣି ଛୁଇଁବି ?’’ ବିଦାବେଳେ ବୋହୂ-ମାଉସୀ ସମୁଦୁଣୀମାନଙ୍କୁ କୁଣ୍ଢାଇ ପକାଇ କହିଲେ–
‘‘ଦେଉନ୍ତୁ ମେଲାଣି ଯାଉଛି ସଙ୍ଗାତ,
ଦିନରାତି ସିନା ସରିବ ନାହିଁଟି,
ଡୋଲି ଗାଁରୁ ବାହାରି ବିଲବାଟ ଅନ୍ଧାରରେ ମିଶିଗଲା । ଏଣେ ସାଆନ୍ତମାନଙ୍କୁ ଦେଖିବା ସକାଶେ ଭାର ସବୁ ରଖାଇ ଦିଆଗଲା । ବୋହୂ-ମାଉସୀ ବିଦାୟ ହୋଇଗଲା ବାଦ୍ ତାଙ୍କ ରୂପ ଗୁଣ ବିଷୟରେ ଢେର୍ ସମାଲୋଚନା ହେଲା । ସମସ୍ତେ ପ୍ରଶଂସା କଲେ–କେହି ରୂପର, କେହି ଗୁଣର, କେହି ଅଳଙ୍କାରର, କେହି ପାଚିଲା କଦଳୀର । ମାତ୍ର ମାଣିକ କହିଲା, ‘ହେଲା ହଁ, ବଡ଼ଲୋକ ଘର; ରୂପଟା ଏକା ସେ ରୂପ ନୁହେଁ, ଛାମୁଦାନ୍ତ ଦୁଇଟା ବାହାଡ଼ା, ଗାଲ ଦୁଇଟା ଉଆଉଫଡ଼ା ପରି ।’’ ହଗୁରା ମା କହିଲା, ‘‘କଥାଟାରେ ଏକା ମିଠା ନାହିଁ, ଠୋସ୍ ଠୋସ୍ (୩୩) ।’’ ମୁତୁରୀ ମା କହିଲା, ‘‘ଚାଲିଟା ଧସ୍ ଧସ୍ ।’’ ଶଂକ୍ରୀ କହିଲା, ‘‘ହଁ ହଁ, ହସଟା ଫସ୍ଫସ୍ ।’’ ଶୁକ୍ରୀ କହିଲା, ‘‘ଚାହାଣୀଟା କସ୍ମସ୍ ।’’ ମୁହୂର୍ତ୍ତକ ମଧ୍ୟରେ ‘ଏକୋହି ଗୁଣରେ ଦୋଷସନ୍ନିପାତ’ ହୋଇଗଲା । ନୂଆବୋହୂକୁ ମାଉସୀ ସମ୍ବନ୍ଧରେ ଅନେକ ପ୍ରଶ୍ନ କରାଗଲା, ମାତ୍ର ସେ ଏତିକି କହିଲା– ‘‘ଟାଙ୍ଗୀ ମାଉସୀ ।’’
୧) ଅଣସର—ଅନବସର । ଦେବ ସ୍ନାନ ପୁଣ୍ଡିମା ପରେ ଆଷାଢ଼ କୃଷ୍ଣ-ପ୍ରତିପଦାଠାରୁ ପନ୍ଦର ଦିନ ପର୍ଯ୍ୟନ୍ତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଯାତ୍ରୀମାନେ ଦର୍ଶନ କରିପାରନ୍ତି ନାହି । ଯାତ୍ରୀଙ୍କୁ ଦର୍ଶନ ଦେବାକୁ ଠାକୁରଙ୍କର ଅବସର ନ ଥାଏ ବୋଲି ଏହି ସମୟକୁ ଅଣସର କୁହାଯାଏ, ୨) ଗୁମ୍ସୁମ୍—ଚୁପ୍ ହେବା, ସ୍ତବ୍ଧ, ୩) କାଳୀତିଳକୀ କୁତୀ—ଯେଉଁ ମାଈ କୁକୁର ଦେହରେ କଳା ଛାପା, ଥାଏ, ୪) ପାକୁଳି—ରୋମନ୍ଥନ, ଖାଇଥିବା ଜିନିଷକୁ ପୁନଶ୍ଚ ଚର୍ବଣ, ୫) ଖଡ଼ପା–ଏହି ସାଙ୍କେତିକ ଶବ୍ଦର ଅର୍ଥ—ମୋ ଗୋଡ଼ରେ କଣ୍ଟା ପଶିଛି, ଟିକିଏ ରହିଯାଆ’— ପାଲିଙ୍କି ସବାରି ବାହକମାନେ ଏହା ଏହି ଅର୍ଥରେ ବ୍ୟବହାର କରିଥାନ୍ତି, ୬) ଡୋଲ୍ୟାରୋହୀ—ଡୋଲିରେ ବସିଥିବା, ୭) ଦେହକୁ ଲାଗିଲେ— ପ୍ରସବ କଷ୍ଟ ଅନୁଭୂତ ହେଲେ, ୮) ଉଠିଆରି—ଶିଶୁ ଜନ୍ମ ହେବା ପରେ ୭ମ. . ୮ମ ବା ୯ମ ଦିବସରେ ଅନୁଷ୍ଠିତ ହେବା ବିଧାନ । ଏହି ଦିନ ଏନ୍ତୁଡ଼ି ନିଆଁ ଉଠିଯାଏ ଓ ପ୍ରସୂତି ସ୍ନାନ କରେ, ୯) ପୁଆତି— ପ୍ରସୂତି, ୧୦) ହୁମ୍ଯୁମ୍— ଆଗଭର, ୧୧) ଡବଡବୀ—ଯେ କୌଣସି ବିଷୟ ଗୋପନ ନ ରଖି ଏଣେତେଣେ କହିବୁଲେ, ୧୨) ଆଗତକହୀ–ଯିଏ ନ ଘଟିବା ବିଷୟରେ ମିଛ କଥା ଫନ୍ଦି କରି କହେ, ୧୩) ଅଭ୍ୟାଗତା—ଅତିଥି, ୧୪) ଅନାହୂତା—ଅନିମନ୍ତ୍ରିତା ଡକାହୋଇ ନ ଥିବା, ୧୫) ପହୁଡ଼ଘର–ଶୋଇବା ଘର, ୧୬) ଖରଡ଼— ଗାଲିଚା, ୧୭) ଡାବ–ତାଲିକା, ୧୮) ଛୁଞ୍ଚିପାଣି – ଗୋବରପାଣି, ୧୯) ଅସଦାଭିପ୍ରାୟ– ଖରାପ ଉଦ୍ଦେଶ୍ୟ, ୨୦) ଅପସାରିତ– ଦୂର, ୨୧) ଉକୁ ହେବା—ଘଟିବା, ୨୨) କୁରୁଜାତକ– ସୁନା ମୋହର, ୨୩) କଟା—ଏକପ୍ରକାର ହାତଖଡ଼ୁ, ୨୪) କଂସାବାଙ୍କ—କଂସାରେ ତିଆରି ଏକପ୍ରକାର ବଙ୍କା ଗୋଡ଼ଖଡ଼ୁ ୨୫) ପାଟଥୋପ—ଯେଉଁ ସୂତା ବା ଫିତାର ଦୁଇମୁଣ୍ଡରେ ଦୁଇଗୋଟି ପାଟତିଆରି ଫୁଲ ଲାଗିଥାଏ, ୨୬) ବେଙ୍ଗପାଟିଆ—ବେଙ୍ଗ ପାଟି ଭଲ ଆକାରବିଶିଷ୍ଟ ଘୁଙ୍ଗୁର, ୨୭) ଚଳ— ସ୍ୱଚ୍ଛଳ, ୨୮) ତାଟଙ୍କା—ଆଶ୍ଚର୍ଯ୍ୟ, ୨୯) ଟାପରାଟାପୁରି—ଥଟ୍ଟା ପରିହାସ, ୩୦) ହେଣ୍ଟରେଇବା—ବାରମ୍ବାର ଅନୁରୋଧ କରି, ବଳେଇ କରି, ୩୧) ପଦାଆଡ଼େ ଗଲେ—ଝାଡ଼ାଫେରି ଗଲେ, ୩୨) ଆଚାରେ...ପଣ୍ଡିତ—ସଦାଚାରସମ୍ପନ୍ନ ହେଲେ ଲକ୍ଷ୍ମୀ ଲାଭ ହୁଏ, ଅର୍ଥାତ୍ ବ୍ୟକ୍ତିର ଧନ, ସୌଭାଗ୍ୟ ଓ ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ । ବିଚାର-ଆଲୋଚନା କଲେ ତତ୍ତ୍ୱଦର୍ଶୀ ବା ପଣ୍ଡିତ ହୁଏ । (ଆଚାର—ଶାସ୍ତ୍ରାନୁମୋଦିତ ଆଚରଣ ଓ କାର୍ଯ୍ୟ; ବିଚାର—ଅନୁସନ୍ଧାନପୂର୍ବକ ତତ୍ତ୍ୱଜ୍ଞାନ ଲାଭ ) ୩୩) ଠୋସ୍ ଠୋସ୍—କର୍କଶ, ଶ୍ରୁତିକଟୁ, ଉପ୍ରୋଧ ନ ରଖି କଥା କହିବା ।