ପୁଲିସ ତଦାରଖି — ଛ’ମାଣ ଆଠଗୁଣ୍ଠ — ଫକୀରମୋହନ ସେନାପତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପୁଲିସ ତଦାରଖି
ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି, କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା–‘‘ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆ କୁଣିଆ ନୁହେଁ ।’ ଆକାଶଟା ଟିକିଏ ସଫା ହୋଇଗଲାଣି, ବଛାବଛି କାମ ସରିଛି, କେହି ବିଲବାଡ଼ିକୁ ଯିବାକୁ ନାହିଁ । କେହି ପିଣ୍ଡାରେ ବସି ବାଟଣା ବାଟୁଛି, କେହି ଗୁହାଳକଢ଼ାରେ ଲାଗିଛି, କେହି କେହି ଝାମ୍ପିଟାଏ ମୁଣ୍ଡେଇ ହାତରେ ଦଉଡ଼ି ଖଣ୍ଡେ, ଦା’ଟାଏ ଧରି କାହାଳୀଟାଏ (୧) ଓଟାରି ଓଟାରି ବାହୁଙ୍ଗିଟା (୨) କାନ୍ଧରେ ପକାଇ ଘାସ କାଟିବାକୁ ବାହାରିଅଛି, କେହି ପିଢ଼ାରେ ଚଢ଼ି କଖାରୁଡଙ୍କ ସଳଖି ଦେଉଛି । ଘରେ ଲୁଣ ନ ଥିବା ଶୁଣି ହରି ପୁହାଣ ବିବଧ ଯୁକ୍ତି ପ୍ରଦର୍ଶନପୂର୍ବକ ଆପଣା ଭାର୍ଯ୍ୟାର ଅପରିମିତ (୩) ବ୍ୟୟଶୀଳତା ସାବ୍ୟସ୍ତ କରୁଅଛି । ମାଇକିନିଆମାନେ ବାସିପାଇଟି ସାରି ବାଡ଼ି ପୋଖରୀକୁ ବାହାରିଲେଣି । ତନ୍ତୀସାହିଟା ଝସ୍–ଦୁମ୍, ଝସ୍–ଦୁମ୍ ଶବ୍ଦରେ ଉଛୁଳି ପଡ଼ୁଅଛି । ତନ୍ତିଆଣୀମାନେ ପିଣ୍ଡାରେ ବସି ଖଡ଼ର ଖଡ଼ର କରି ନଟେଇ ବୁଲାଇ ପକାଉଅଛନ୍ତି ।
ବେଳ ଅନ୍ଦାଜ ତିନିଘଡ଼ି କି ଦଣ୍ଡେ ଦୁଇଦଣ୍ଡ ବେଶି, ଶାମ ସାହୁ ଘର ହଳିଆ ଗୋପାଳ ସାମଲ ଝାମ୍ପିଟାଏ ମୁଣ୍ଡରେ ଦେଇ କୋଡ଼ି ଧରି ନଇଁପଡ଼ି ବିଲରେ ହିଡ଼ ବାନ୍ଧୁଥିଲା । ବାଟପାଖିଆ ବିଲ, ସାଆନ୍ତଘର ହଳିଆ ଘୁଷୁରିଆ ଗୋବରା ଜେନା ଘରଆଡ଼କୁ ଚଞ୍ଚଳ ଚାଲିଅଛି । ଗୋପାଳିଆ ଉପରେ ନଜର ପଡ଼ିଯିବାରୁ ତାକୁ ହାତ ଟେକି ଇସାରା କରି ପାଖକୁ ଡାକିଲା । ତାକୁ କହିଲା, ‘‘ମୁଁ ଗୋଟାଏ ଭାରି କାମରେ ଯାଉଛି, ଭାରି ଗୁପ୍ତକଥା, ତୋତେ ବିଶ୍ୱାସ ପାଏ ବୋଲି କହୁଛି ।’’ ତାହା କାନରେ ତୁନି ତୁନି କରି କହିଲା, ‘‘ବୁଝି ଖବରଦାର ! ଏ କଥା ଯେମନ୍ତ ଆଉ କାହା କାନରେ ନ ପଡ଼େ, ସାଆନ୍ତଙ୍କର ମନା ଅଛି ।’’ ଘୁଷୁରିଆ ଯାଉଁ ଯାଉଁ ବାଟରେ ମକର ଜେନା ପାଣକୁ ଭେଟିଲା, ତାହା କାନରେ ଉପଦେଶ ଦେଇ ଚାଲିଗଲା । ତାହା ବାଦ୍ ଦନେଇ ସାହୁ, ବିନୋଦିଆ, ନଟବରିଆ, ଭୀମା ମା’ ଏମାନଙ୍କ ସଙ୍ଗରେ ସାକ୍ଷାତ ହେଲା । ସେମାନଙ୍କୁ ମଧ୍ୟ ସେହିପରି ତୁନି ତୁନି କହି ସେହିପରି ଗୁପ୍ତରେ ରଖିବାକୁ ଉପଦେଶ ଦେଲା ।
ଗୋପାଳିଆ କାମ କରିବ କ’ଣ, ସାଉ ପାଖକୁ ଧାଇଁଲା । ହରି ସାହୁ କହିଲା ଶାମ ସାହୁକୁ, ହଟିଆ କହିଲା ନଟିଆକୁ, ଜେମା-ମା’ କହିଲା ଶାମା-ମା’କୁ, ଶ୍ରୀମତୀ କହିଲା କନ୍ୟା ବୋହୂକୁ, ଗ୍ରାମ ଗୋଟାଯାକ କୁହାକୁହି ହେଲେ । ସମସ୍ତଙ୍କର ତୁନି ତୁନି କଥା, ଗୋପନ ରଖିବାକୁ ସମସ୍ତଙ୍କର ଉପଦେଶ । କେହି କହିଲା, ଉଛୁଣି ଜମାଦାର ପହଞ୍ଚିବ । ଆଉ ଜଣେ ପ୍ରତିବାଦ କରି କହିଲା, ‘‘ନାହିଁ ନାହିଁ, ଖୁଣି ମାମଲା, ଦାରୋଗା ନିଜେ ଘୋଡ଼ାରେ ଚଢ଼ି ଆସିବେ ।’’ ମାତ୍ର ଜାଣିବା ଶୁଣିବା ଲୋକମାନେ କହିଲେ, ‘‘ଏ କି ତମ ଆମ ଘର କଥା ? କଟକରୁ ନିଜେ କୁମ୍ପୁନୀ ପଲଟନ ଘେନି ଆସିବ, ଗାଁ ଲୋକେ ଯେ ବନ୍ଧାଛନ୍ଦା ହେବେ, ଏହା ନିଃସନ୍ଦେହ, ସର୍ବବାଦିତସମ୍ମତ ।’’
ଦଣ୍ଡକ ମଧ୍ୟରେ ଗାଁ ନିସ୍ତବ୍ଧ ହୋଇଗଲା-। ବୋହୂଗୁଡ଼ାକ ପାଣିରେ ବୁଡ଼ିପଡ଼ି ଘରକୁ ଧାଇଁଛନ୍ତି, ଲୁଗା ଚିପୁଡ଼ିବାକୁ ବେଳ ନାହିଁ ! ଲୁଗା ଧଡ଼ର ଧଡ଼ର ବାଜି ଗୋଡ଼ତଳେ ଝରଝର ହୋଇ ପାଣି ବୋହିପଡ଼ୁଛି । ଚଞ୍ଚଳରେ ମାଠିଆ ପୂରାଇ ପାରିନାହିଁ; ଅଧମାଠିଆଏ ପାଣି, ବେଶି ଦେଶହିତୈଷୀମାନେ ସଭାରେ ବକ୍ତୃତା କଲାପରି ଘଟର ଘଟର କରି ଭାରି ଗର୍ଜନ କରୁଅଛି । ବେତ୍ରହସ୍ତ ଅବଧାନେ ସହସା ଅନ୍ତର୍ଦ୍ଧାନ ହେବାରୁ ଚାଟ ଟୋକାଗୁଡ଼ାକ ଗୋହିରିରେ ଭାରି ଗୋଳମାଳ କରି ଧାଁ-ଦଉଡ଼ ଲଗାଇଅଛନ୍ତି । ଖୁଣୀ ଆସାମୀକୁ ପୁଲିସ ବାନ୍ଧି ନେଲା ପରି ଗୋଟାଏ ସାନ ପିଲାକୁ ବଡ଼ଚାଟ ଧରି ଘେନି ଯାଇଥିଲା । ସେହି ପିଲାଟା ସମସ୍ତଙ୍କଠାରୁ ବେଶି ଧାଇଁଛି ।
ଘୁଷୁରିଆ ଫେରିଆସି ସାଆନ୍ତକୁ ଖବର ଦେଲା, ଗୋବରା ଜେନା ଘରେ ନାହିଁ, ସେ କାଲି ରାତିରୁ ଘରକୁ ଯାଇ ନାହିଁ । ସାଆନ୍ତେ ପ୍ରଥମ ହଳିଆ ପଠାଇଲେ, ତାହା ବାଦ୍ ଆପେ ତନ୍ତିସାହୀ ଦୁଆର ଦୁଆର ବୁଲିଲେ, ଜଣକର ସୁଦ୍ଧା ଭେଟ ପାଇଲେ ନାହିଁ । ଆଉ ଯାହା ଦୁଆରକୁ ଯା’ନ୍ତି, ତାହାର କବାଟ କିଳା, ଘରେ କେହି ନାହିଁ । ମଙ୍ଗରାଜେ ନିତାନ୍ତ ବ୍ୟସ୍ତ ହୋଇପଡ଼ି ଘର-ବାହାର ହେଉଛନ୍ତି, କାହାରି ଭେଟ ନ ପାଇ କିଛି ସ୍ଥିର କରିପାରୁ ନାହାନ୍ତି । ଘୁଷୁରିଆ ହଳିଆ ଗୋଟାଏ ଠେଙ୍ଗା ଧରି ବାଡ଼ିପଟରେ କୁକୁର ତଡ଼ୁଅଛି, ଯୋଡ଼ାଏ ବିଲୁଆ କିଆବଣ ଭିତରେ ପଶି ଜଳଜଳ କରି ଓଳିକୁ ଚାହିଁ ତୁନି ହୋଇ ପଡ଼ିଛନ୍ତି ।
ବେଳ ଦୁଇପ୍ରହର ଗଡ଼ିଗଲା । ଗୋବିନ୍ଦପୁର ଗ୍ରାମ ପୂର୍ବ ମୁଣ୍ଡରେ ଗୋଟାଏ ଟାଙ୍ଗଣ (୪) ଘୋଡ଼ା ଉପରେ ଏକ ବିଶାଳମୂର୍ତ୍ତି ସୁଆର (୫) ଦେଖାଗଲେ । ସୁଆରଙ୍କ ବିଶାଳ ଦାଢ଼ି ଛାତି ଘୋଡ଼ାଇ ପକାଇଅଛି, ଦେହରେ ଛ’କଲିଆ (୬) ଢିଲା ହାତ ଚପ୍କନ୍ (୭), ମୁଣ୍ଡରେ ଜାମଦାନି (୮) ଲୁଗାର ବାଙ୍କ ଟୋପି, ଗୋଡ଼ରେ ଢିଲା ପାଇଜାମା । ଘୋଡ଼ା ଠୁକ୍ ଠୁକ୍ କରି ମିଠା କଦମ୍ (୯) ଚାଲିଅଛି । ଆଗରେ ପଛରେ ପାଞ୍ଚଜଣ ଠେଙ୍ଗାସ୍କନ୍ଧ (୧୦) ଚୌକିଦାର ନସର-ପସର ହୋଇ ଧାଇଁଛନ୍ତି । ସମସ୍ତଙ୍କ ଆଗରେ ଗୋବରା ଜେନା ଠେଙ୍ଗା କାନ୍ଧେଇ ଧାଇଁଛି । ମଙ୍ଗରାଜଙ୍କ ଦୁଆର ଆଗରେ ଗୋବରା ପଛମୁହଁ କରି ଛିଡ଼ା ହୋଇଗଲା । ସୁଆର କହିଲେ, ‘‘ଏହି ଘର ?’’ ଗୋବରା ହାତଯୋଡ଼ି କହିଲା, ‘ଖୋଦାବନ୍ଦ୍ ।’ ସୁଆର ଘୋଡ଼ାରୁ ଓହ୍ଲାଇ ପଡ଼ି ‘ବିସ୍ ମିଲ୍ଲା’ କହି ନିଶ୍ୱାସଟାଏ ପକାଇଲେ ।
ଘଡ଼ିକ ଉତ୍ତାରେ ଗୋହିରି ଦାଣ୍ଡରେ ଆହୁରି ଏକ ଘୋଡ଼ାସୁଆର ମୂର୍ତ୍ତି ଦେଖାଗଲା । ଘୋଡ଼ାଟି ଦଳଖିଆ ତଟୁ, ବୟସ-ପ୍ରବୀଣତାର ସାକ୍ଷ୍ୟ ଦେବା ନିମନ୍ତେ ଦେହର ପଞ୍ଜରା ହାଡ଼ଗୁଡ଼ାକ ଉପରକୁ ବାହାରିପଡ଼ିଅଛି । ପଛ ଦୁଇଗୋଡ଼ ଘଷିହୋଇ ଲୋମଶୂନ୍ୟ, ଘା’ଯୁକ୍ତ ହୋଇଗଲାଣି । ଖୋଲ (୧୦) ପଶିଯାଇ ବଡ଼ ବଡ଼ ଆଖି ଦୁଇଟା ବାହାରିପଡ଼ିଛି, ପିଠିରେ ଖୁଗୁରୀ (୧୧), ତାହା ଉପରେ ଲାଲ ବନାତର ଚାରଜମା (୧୨) । ସୁଆରଟି କିନ୍ତୁ ବିଶାଳ ଶରୀର, ପୋଷାକ ମଧ୍ୟ ବଡ଼ଲୋକ ଭଳି–ମାଣିଆବନ୍ଧି ଚାରିଫୁଲିଆ (୧୩) ଧୋତିପିନ୍ଧା, ଦେହରେ ବନ୍ଧଲଗା ଗନ୍ତା (୧୪), ମୁଣ୍ଡରେ ମଝିସିଆ ଛଫୁଲିଆ ରହୁମୀ (୧୫) ବିନ୍ଧା । ଘୋଡ଼ା ପଛରେ ଜଣେ ଚୌକିଦାର ବାଉଁଶ ଠେଙ୍ଗା କାନ୍ଧରେ ପକାଇ ଡାହାଣ ହାତରେ ଖଣ୍ଡେ ବାସଙ୍ଗଛଡ଼ି ଧରି ବାଡ଼ୋଉଅଛି ଏବଂ ପାଟିରେ ଟାକରା ଫୁଟାଉଅଛି । ସଇସ ପାଣଟୋକା ଖଣ୍ଡେ ଝୋଟ ଦଉଡ଼ି ବାଗଡୋର (୧୬) ଲଗାଇ ଆଗରେ ଭିଡ଼ୁଅଛି । ଘୋଡ଼ାଟା ବେକ ଲମ୍ବ କରିଦେଇ ବଡ଼ କଷ୍ଟରେ ଧୀରେ ଧୀରେ ଟଳଟଳ ହୋଇ ଚାଲୁଅଛି ।
ଏହି ସୁଆର ମଧ୍ୟ ପୂର୍ବ ସୁଆରଙ୍କ ପରି ମଙ୍ଗରାଜଙ୍କ ଦୁଆର ଆଗରେ ଜଣେ ଲୋକ କାନ୍ଧରେ ଦୁଇହାତ ଭରାଦେଇ ଓହ୍ଲାଉ ଓହ୍ଲାଉ ହାମୁଡ଼ି ପଡ଼ିଗଲେ । ଉଠିପଡ଼ି ସେହି ଲୋକ ଗାଲରେ ଠୋ କରି ଚାପୁଡ଼ାଟାଏ ମାରିଲେ–ଅର୍ଥାତ୍ ଲୋକମାନେ ଜାଣନ୍ତୁ ସେହି ଲୋକର ଅସାବଧାନତା ଏହି ପତନର କାରଣ ଅଟେ, ନୋହିଲେ ଏପରି ପକ୍କା ସୁଆର ପଡ଼ିବାର ନୁହେଁ । ସୁଆର ଓହ୍ଲାଇଯିବା ମାତ୍ରକେ ସହିସପିଲା ଧରୁଁ ଧରୁଁ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଆଗ ଶରଧାବାଲିରେ ଭକ୍ତ ଗଡ଼ିଗଲା ପରି ଘୋଡ଼ାଟା ତିନି ଚାରି ଥର ଗଡ଼ିଯାଇ ଠିଆହେଲା । ଘୋଡ଼ାଟା ଧୂଳିରେ ଗଡ଼ୁଥିବା ସମୟରେ ସୁଆର ମଧ୍ୟ ଦାନ୍ତ ନିଷିଡ଼ି ଦେହର ସ୍ଥାନ ଅସ୍ଥାନର ଯାଦୁଗୁଡ଼ାକ କୁଣ୍ଡେଇ ପକାଇଲେ ।
ସେଖ୍ ଇନାଏତ୍ ହୋସେନ୍ କଟକ ଜିଲ୍ଲାର ଜଣେ ଅଉଲ୍ନମ୍ବର ପୁଲିସ ଦାରୋଗା, ପାର୍ସି ଇଲମରେ (୧୭) ଭାରି ମଜବୁତ୍ । ଓଡ଼ିଆ ନାଲାଏକ୍ (୧୮) ଇଲମ, ସେଥିସକାଶେ ସେ ଲେଖନ୍ତି ନାହିଁ, ସରକାରୀ କାଗଜରେ ପାର୍ସି ଦସ୍ତଖତ୍ କରନ୍ତି । ଲାଏକତୀ (୧୯) ହେତୁରୁ ବାର ବରଷ ହେଲା ଏକ କଲମରେ କେନ୍ଦ୍ରାପଡ଼ା ଥାନାରେ ଅଛନ୍ତି । ଗଲା ବରଷ କେବଳ ସଦର କଚେରୀ ସେରସ୍ତାଦାର ଆଉ ପେସ୍କାରଙ୍କ ପାର୍ବଣ ଫରମାସ (୨୦) ପହଞ୍ଚିବାରେ ବିଳମ୍ବ ହେବାରୁ ଥରେ ବଦଳିର ଗୋଳମାଳ ଶୁଣାଯାଇଥିଲା । ମୁନ୍ସି ଚକ୍ରଧର ଦାସ ମଧ୍ୟ ଜଣେ ଓଆକ୍ଫକାର (୨୧) ପୁଲିସ ଅମଲା । ଏହାଙ୍କ ରିପୋର୍ଟ ପଢ଼ି ମେଜେଷ୍ଟର ସାହେବ ଭାରି ଖୁସି ଥିବାର ଚୌକିଦାରମାନଙ୍କଠାରୁ ସର୍ବଦା ଶୁଣାଯାଏ ।
ମଙ୍ଗରାଜଙ୍କ କଚେରୀ ମେଲାରେ ପୋଲିସ କଚେରୀ ବସିଅଛି । ଖୋଦ୍ ଦାରୋଗା ସେଖ୍ ଇନାଏତ୍ ହୋସେନ ଖଣ୍ଡେ ସତରଞ୍ଜିରେ ଦାଢ଼ି ମେଲାଇ ଦେଇ ବସିଛନ୍ତି । ଆଗ ଡାହାଣ ପାଖରେ ମୁନ୍ସି ଚକ୍ରଧର ଦାସ ହେଁସ ଉପରେ ବିଛା ଘୋଡ଼ା-ଚାରଜାମାରେ ବସିଛନ୍ତି । ଆଗରେ କୋଡ଼ିଏ ହାତ ଦୂରରେ ବରକନ୍ଦାଜ (୨୨) ଗୋଲାମ୍ କାଦର ଏବଂ ହରି ସିଂହ ଏବଂ ପାଞ୍ଚଜଣ ଚୌକିଦାର ଛିଡ଼ା ହୋଇଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ଗ୍ରେପ୍ତାର ହୋଇ ସେମାନଙ୍କ ନଜରବନ୍ଦୀରେ ମୁଣ୍ଡକୁ ତଳେ ପୋତି ଦେଇ ବସିଛନ୍ତି । ମଙ୍ଗରାଜଙ୍କ ଘର ଚାରିପିଠି ମହାସଭା ବସିଗଲାଣି । ବାହାର ମନୁଷ୍ୟ ଭିତରକୁ ଯିବାକୁ, ଭିତର ମନୁଷ୍ୟ ବାହାରକୁ ଆସିବାକୁ ହୁକୁମ ନାହିଁ । ପ୍ରଥମେ ସ୍ତ୍ରୀ ଲୋକମାନଙ୍କୁ ଏକତରଫ କରି ଦିଆଯାଇ ଘର ଖାନତଲାସ ଆରମ୍ଭ ହେଲା । ଘରର ପ୍ରତ୍ୟେକ ସିନ୍ଦୁକ ପେଟରା ଆଡ଼ଖୁର ତଲାସ ହେଲା, ଧାନ ଅମାରରେ ଲୁହାଗଜ ମାରି ତଦାରଖ ହେଲା, ଭାତହାଣ୍ଡି ଖୋଜାଗଲା, ଦୁଇଚାରି ଜାଗା ଖୋଳାଗଲା, ଦୁଇଚାରି ଜାଗା ଚାଳ ଓଲରାଗଲା, କୌଣସି ସନ୍ଦେହୀ ମାଲ ଠିକଣା ହେଲା ନାହିଁ । କେବଳ ମଙ୍ଗରାଜଙ୍କ ପହଡ଼ଘରୁ ତିନି ଚାରି ହାତ ଲମ୍ବା ରେକେ (୨୨) ମୋଟ ଗୋଟାଏ ବାଉଁଶ ଠେଙ୍ଗା ବରାମଦ (୨୩) ହେଲା । ବାଡ଼ିପଛ ଓଳିତଳେ ଗୋଠାଏ ସ୍ତ୍ରୀଲୋକର ଲାସ୍ ଖଣ୍ଡେ ପୁରୁଣା ହେଁସରେ ଘୋଡ଼ା ହୋଇଥିବାର ବରାମଦ ହୋଇ ଦାଣ୍ଡ ଦୁଆରକୁ ଅଣାଗଲା । ସେହି ଲାସ୍ ତନ୍ତିଆଣୀ ସାରିଆର ଥିବାର ଗୋବରା ଜେନା ସନାକ୍ତ (୨୪) କଲା । ଦାରୋଗା ଦାଢ଼ିରେ ହାତ ବୁଲାଇ କହିଲେ, ‘‘କେଓଁ ରାମଚନ୍ଦର ମଙ୍ଗରାଜ-! ଅବ୍ କ୍ୟା ମତଲବ୍ (୨୫) ହୈ–ରତନପୁର ଡୋମ୍ ଲୋକୋଁକା ମାମଲା ଇଆଦ ହୈ କି ନାହିଁ-?’’ ମୁନ୍ସି କହିଲେ, ‘‘ଏକା ମାଘରେ ଶୀତ ଗଲା ବୋଲି ମଙ୍ଗରାଜେ ମନେ କରିଥିଲେ ପରା-?’’ ଆମ୍ଭେମାନେ ଗୋପନରେ ସନ୍ଧାନ କରି ବୁଝିଲୁ, ରତନପୁର ଡୋମ୍ମାନଙ୍କୁ ଜେଲ କରାଇଦେବା ସକାଶେ ମଙ୍ଗରାଜେ ଦାରୋଗାଙ୍କୁ ହଜାରେ ଟଙ୍କା ଲାଞ୍ଚ ଯାଚିଥିଲେ, ମାତ୍ର ଫାଙ୍କି ଦେବାରୁ ଦାରୋଗା ସେହି କଥାଟା ମନେ କରାଇଦେଲେ ।
ମାମଲା ତଦାରଖ (୨୭) ଆରମ୍ଭ ହେଲା । ମୁନ୍ସି ଚକ୍ରଧର ଦାସ ବିଶାଳ ବସ୍ତାନି ଫିଟାଇ ସେରସ୍ତା ମେଲିଦେଲେ । ବେକରେ ଦଉଡ଼ିବନ୍ଧା, ମୁହଁରେ ସୋଲବିଣ୍ଡା ଦିଆ ଚେନିବାସନର ଦୁଆତ ଆଗରେ ଥୁଆଗଲା । ପାହାଡ଼ି ଗୋଟାଏ ପରକଲମ ଶିଶୁକାଠବେଣ୍ଟିଆ ଛୁରୀରେ କାଟ ଖଣ୍ଡେ ସାନ କାଗଜରେ ପରୀକ୍ଷା କଲେ, ‘‘ଶ୍ରୀଗୁରୁଦେବ ଉଦ୍ଧାର କରିବେ’’ ‘‘ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚରଣେ ଶରଣ’’ ‘‘ଶ୍ରୀବଳଦେବଜୀଉଙ୍କ ଚରଣେ ଶରଣ,’’ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚରଣେ ଶରଣ’’, ‘‘ଶ୍ରୀ ଗ୍ରାମଦେବତୀଙ୍କ ଚରଣେ ଶରଣ’’ ଇତ୍ୟାଦି ଦେବଦେବୀଙ୍କ ନାମ ଲେଖି କଚେରୀ କାମରେ ହାତ ଦେଲେ ।
ସରକାର କୁମ୍ପୁନୀ ବାହାଦୂର. ମୁଦେଇ (୨୮) ।
ରାମଚନ୍ଦ୍ର ମଙ୍ଗରାଜ । ସା– ଗୋବିନ୍ଦପୁର । ଜି– କଟକ, ମୁଦାଲା ।
ସାରିଆ ନାମକ ତନ୍ତିଆଣୀକୁ ବଧ କରି ତାହା ଘରୁ ନେତ ନାମକ ଗାଈ ଏକରାଶ (୨୯) ଏବଂ ଅନ୍ୟାନ୍ୟ ମାଲ ଲୁଟତରାଜ କରି ଆଣିଥିବାର ମୋକଦ୍ଦମା ।
ଗୃହ ତଲାସ ହେଲା–ବରକନ୍ଦାଜ ଚୌକିଦାରମାନେ ଗ୍ରାମଯାକ ବୁଲିଆସି ଖବର ଦେଲେ, ଗ୍ରାମରେ ପୁରୁଷଲୋକ ଜଣେ ନାହିଁ । କବାଟ ଫାଙ୍କରୁ ସ୍ତ୍ରୀଲୋକମାନେ ଯେ ଜବାବ ଦେଲେ, ସେଥିରୁ ଜଣାଗଲା, ଆଠପଣ ଲୋକ ଯାଇଛନ୍ତି କୁଣିଆ ଘରକୁ, ଚାରିପଣ ଗୋରୁ ଖୋଜି, ଦୁଇପଣ ଜଗନ୍ନାଥ ଦର୍ଶନକୁ, ଦୁଇପଣ ପଡ଼ିଛନ୍ତି ବାଧିକି । କେବଳ ଦୁଇପଣ ଭଲ ଲୋକ, ଭିନ୍ନ ଗ୍ରାମବାସୀ ଗୁହା (୩୦) ଆପଣାର କର୍ତ୍ତବ୍ୟ ବୁଝି ଆପେ ହଜାର ହୋଇଗଲେ । ଗ୍ରାମର ଲୋକ ହାଜର ନ ହେବାରୁ ଦାରୋଗା ଖପା ହୋଇ ବରକନ୍ଦାଜମାନଙ୍କୁ ଉଲ୍ଲୁ, ଗଧା, ବେକୁଫ୍, ନାଲାଏକ୍ ଇତ୍ୟାଦି ଇତ୍ୟାଦି ସମ୍ବୋଧନ କରିବାରୁ ଗ୍ରାମଯାକ ହୁରି ହାଲର ପଡ଼ିଗଲା । ଗୁମାଗୁମ୍ ମାଡ଼ ଆଉ କବାଟ ଭଙ୍ଗା । ସନ୍ନିପାତ ରୋଗୀ କତରା ଘୋଡ଼ି ହୋଇପଡ଼ି ଯମକୁ ଫାଙ୍କିଦେଇ ଦୁଇଦିନ ରହିଯାଇପାରେ, ମାତ୍ର ପୁଲିସ୍କୁ ଫାଙ୍କିଦେବ କିଏ ? ପୁରୁଷ ଲୋକଗୁଡ଼ିକ ସଳଖ ସଳଖ ଘରୁ ବାହାରିଆସିଲେ । ଦୁଇଦିନ ପର୍ଯ୍ୟନ୍ତ ବତ୍ରିଶ ଜଣ ଗୁହାଙ୍କ ଜବାନବନ୍ଦୀ (୩୧) ଗ୍ରହଣ କରାଗଲା । ପ୍ରଥମ ଦିନରେ ଦୁଇଜଣ ଚୌକିଦାର ହମରାଏ (୩୨) ଲାସ୍ ମାଇନା ସକାଶେ ଚାଲାଣ ଦିଆଗଲା । ମୁନ୍ସି ସାହେବ ଜେଲଖାନା କଏଦୀଙ୍କ ତୟାରି ଅଢ଼େଇଦିସ୍ତା ହରିତାଳି (୩୩) କାଗଜରେ ଜବାନବନ୍ଦୀ କଲମ ବନ୍ଦ କରିପକାଇଲେ । ଆପଣଙ୍କ ଜାଣିବା ନିମନ୍ତେ ସେଥିରୁ କେତେକ ଜଣ ସାକ୍ଷୀଙ୍କ ଜମାନବନ୍ଦୀ ଏଠାରେ ପ୍ରକାଶ କରୁଅଛୁଁ–
୧ ନମ୍ବର ଗୁହା–ତରଫ ସରକାର କୁମ୍ପୁନୀ ବାହାଦୁର । ‘‘ମୋ ନାମ–ଗୋବରା ଜେନା, ବାପର ନାମ ଗୁଦିଆ ଜେନା, ମୁତୋଫା, (୩୪) ଜାତିରେ ପାଣ, ବୟସ ୪୫ ବର୍ଷ, ପେଶା– ଗ୍ରାମର ଚୌକିଦାରୀ । ସା– ଗୋବିନ୍ଦପୁର । ପ୍ର– ବାଲୁବିଶ । ଜିଲ୍ଲା – କଟକ ।
‘‘ମୁଁ ମୌଜା ମଜକୁର (୩୫) ଚୌକିଆ । ସାରାରାତି ଗ୍ରାମରେ ଠିଆପହରା ଦିଏ । ଗଲା ରାତିରେ ପହରା ଦେବା ସମୟରେ ଅଧରାତି ଅନ୍ଦାଜ ସାରିଆ ତନ୍ତିଆଣୀ ‘‘ମାରି ପକାଇଲା; ମାରି ପକାଇଲା’’ ବୋଲି ମଙ୍ଗରାଜଙ୍କ ବାଡ଼ି ପଛଆଡ଼େ ହୁରି ପକାଉଥାଏ, ମୁଁ ଶୁଣିଅଛି । ତାକୁ କେହି ବାଉଁଶ ବାଡ଼ିରେ ମାଇଲାପରି ଜଣାଯାଉଥାଏ ।’’
ସୁଆଲରେ ଜବାବ ଦେଲା, ‘‘ନା, ମୁଁ ସେ ସମୟରେ ମଙ୍ଗରାଜଙ୍କୁ ଦେଖିନାହିଁ ।’’ ପୁନର୍ବାର କହିଲା, ‘‘ହଁ ହଁ, ତାଙ୍କ ପାଟି ଶୁଣିଅଛି । ଏହି ଗାଈ ସାରିଆର, ଏହାର ନାମ ନେତ । ଆଜକୁ ମାସେ ହେଲା ମଙ୍ଗରାଜଙ୍କ ଅଗଣାରେ ବନ୍ଧାହେବାର ଦେଖୁଅଛି । କିପରି ଏଠାକୁ ଆସିଲା ଜାଣେନାହିଁ ।’’ ପୁନର୍ବାର କହିଲା, ‘‘ମଙ୍ଗରାଜେ ବାନ୍ଧି ଆଣିଛନ୍ତି ।’’
ଏ ବାଡ଼ି ସନ୍ତକ ଗୋବରା ଜେନାର ସହି ।
୨ ନମ୍ବର ଗୁହା–ସନା ରଣା । ପ୍ରଥମେ ହାଜର ହୋଇ କୌଣସି କଥା ଜାଣି ନ ଥିବାର ପ୍ରକାଶ କଲା । ଦାରୋଗା ସାହେବ ଭାରି ଖପ୍ପା ହୋଇ ତାହାକୁ ଚାଟଶାଳୀ ବୁଲାଇ ଆଣିବା ସକାଶେ ହୁକୁମ ଦେବାରେ ସେ ଦୁଇଜଣ ବରକନ୍ଦାଜ ହେପାଜତରେ ଅଧଘଣ୍ଟା ବାଦ୍ ମୁକୁଳା ବାଳ, ଧୂଳିଆ ଦେହ, ପିଠି, ହାତ ଗାଲରେ ମାଡ଼ର ଦାଗ ସହିତ ହାଜର ହୋଇ କହିଲା, ‘‘ହଜୁର, ମୁଁ ସବୁ ସତ କହିବି । ମୋ ନାମ ସନା ରଣା, ବାପର ନାମ ବନା ରଣା, ଜାତି ମାଳୀ, ବୟସ ତିରିଶ, ପେଶା– ଗ୍ରାମଦେବୀଙ୍କ ପୂଜା ଆଉ ଚାଷ । ସା–ଗୋବିନ୍ଦପୁର । ପ୍ର– ବାଲୁବିଶ । ଜି – କଟକ ।
‘‘ମୁଁ ସାରିଆକୁ ଚିହ୍ନେ, କିପରି ମଲା ଜାଣେ ନାହିଁ । ଆଜକୁ ଅନ୍ଦାଜ ବରଷେ କି ଦେଢ଼ ବରଷ ହେବ ସକାଳ ଓଳି ମଙ୍ଗରାଜେ ମୋତେ ଜଣେ ହଳିଆ ହାତରେ ତୋଟା ମଧ୍ୟରେ ନିରୋଳାରେ କହିଲେ, ‘ଦେଖ୍ ସନା, ତୋତେ ମୁଁ କହୁଛି, ତୁ ଗୋଟାଏ କାର୍ଯ୍ୟ କରିବୁ । ମୁଁ ଯାହା କହୁଛି, ସେ କାମଟା କରିଦେଲେ ତୋତେ ଭଲ ଗହୀର ଜମି ଦୁଇମାଣ ଚଷିବାକୁ ଦେବି; ଆଉ ଦୁଇଟଙ୍କା ଖଜା ଖାଇବାକୁ ଦେବି ।’ ମୁଁ ପଚାରିଲି ‘କ’ଣ କରିବି ?’ ସାଆନ୍ତେ କହିଲେ, ‘ଏହି ଯେ ଭଗିଆ ତନ୍ତୀ ଅଛି–ତା’ ମାଇପ ଯେ ସାରିଆ, ସେଟା ବାଞ୍ଝ । ପୁଅ ହେବା ପାଇଁ ପ୍ରତିଦିନ ବୁଢ଼ୀମଙ୍ଗଳାଙ୍କ ପାଖରେ ମୁଣ୍ଡିଆ ମାରେ । ତୁ ଯାଇ ତାକୁ କହିବୁ–ଠାକୁରାଣୀ ସ୍ୱପ୍ନରେ କହିଛନ୍ତି, ତୁ ପୂଜା ଦେ, ଠାକୁରାଣୀ ତୋ ସାଙ୍ଗରେ ଆପେ କଥା କହିବେ, ଆଉ ତୋତେ ପୁଅ ଦେବେ ।’ ମୁଁ ଯାଇ ଦୁଇ ତିନି ଥର ଭଗିଆକୁ ଆଉ ସାରିଆକୁ ସାଆନ୍ତଙ୍କ କହିବା ମାଫକେ କହିଲି-। ସେମାନେ ଭଲ କରି ଶୁଣିଲେ, ମାତ୍ର କିଛି ଜବାବ ଦେଲେ ନାହିଁ ।
‘‘ଦିନେ ଉପରଓଳି ଭଗିଆ ମୋତେ ତା’ ଦୁଆରକୁ ଡାକି ଘେନିଗଲା । କିପରି ପୂଜା ହେବ, କି ଦ୍ରବ୍ୟ ଲୋଡ଼ା, କେତେ ଖରଚ ହେବ, ସବୁକଥା ପଚାରିଲା । ମୁଁ ତାକୁ ସବୁ ବୁଝାଇଦେଲି-। ପୂଜାଦ୍ରବ୍ୟ କିଣିବା ସକାଶେ ତା’ ପାଖରୁ ଦଶଅଣା ଦୁଇପାହି ପଇସା ଆଣିଲି । ଦିନେ ଶନିବାର ସଞ୍ଜବାଦ୍ ମୁଁ, ମଙ୍ଗରାଜେ ଆଉ ଜଗା ଭଣ୍ଡାରୀ, କୋଡ଼ି ଧରି ଜଣେ ହଳିଆ ଚାରିଜଣ ମଙ୍ଗଳାଙ୍କ ନିକଟକୁ ଗଲୁଁ । ମଙ୍ଗରାଜ କହିବା ଅନୁସାରେ ଠାକୁରାଣୀଙ୍କ ଆସ୍ଥାନ ତଳୁ ପଛ ଦିଗକୁ ଗୋଟାଏ ବଡ ଗାଡ଼ ଖୋଳାଗଲା । ଗାଡ଼ ମଧ୍ୟରେ ଜଗା ଭଣ୍ଡାରୀ ଲୁଚି ରହିଲା, ଗାଡ଼ ମୁହଁ ଡାଳପତ୍ରରେ ଲୁଚାଇ ଦିଆଗଲା । ମୁଁ ସକାଳୁ ଖବର ଦେଇ ସାରିଆ ଆଉ ଭଗିଆକୁ ଉପାସ ରଖାଇଥିଲି-। ଅଧରାତିବେଳେ ଗ୍ରାମ ନିସୋର (୩୫) ହେବାରେ ସେମାନଙ୍କୁ ଡାକିଆଣି ପୂଜା କଲି, ଭୋଗ ଲଗାଇ ଠାକୁରାଣୀଙ୍କୁ ଅନେକ ଜଣାଣ କଲି । ମୋ କହିବା ଅନୁସାରେ ସାରିଆ ଏବଂ ଭଗିଆ ବେକରେ ଲୁଗା ପକାଇ ମୁହଁମାଡ଼ି ଠାକୁରାଣୀ ଆଗରେ ଧାରଣା ପଡ଼ିଥାନ୍ତି (୩୬) । ମୁଁ ଆହୁରି ଜଣାଣ କରି କହିଲି, ‘ମା ମଙ୍ଗଳା ! ସାରିଆକୁ ଆପେ ବର ଦିଅ, ସେ ଅନେକ ଦିନ ହେଲା ତୁମର ସେବା କରୁଅଛି । ଅନେକ ଲୋକଙ୍କୁ ବର ଦେଲଣି, ଏମାନଙ୍କୁ ବର ଦିଅ ।’ ଜଗା ଗାଡ଼ ଭିତରୁ ଜବାବ ଦେଲା, ‘‘ଆଲୋ ସାରିଆ, ତୁ ଅନେକ ଦିନ ହେଲା ମୋର ପୂଜା କରୁଛୁ, ପ୍ରତିଦିନ ଗାଧୋଇସାରି ଯିବାବେଳେ ମୋତେ ଜୁହାର ହୋଇଯାଉ, ପାଣି ଚଳାଏ ଦେଉ, ମୁଁ ସେ ପାଣି ପାଏ । ତୋତେ ବର ଦେଉଛି, ତୋର ତିନିଗୋଟି ପୁତ୍ର ହେବ, ଆଉ ତୋହର ଢେର୍ ଟଙ୍କା ସୁନା ହେବ । ତୁ ମୋହର ଦେଉଳ ତୋଳାଇ ଦେ । କାଲି ବଡ଼ିସକାଳେ ଅଧୁଆ ମୁହଁରେ ଦୁଇ ପ୍ରାଣୀ ତନ୍ତୀତୋଠକୁ ଆସିବ । ମୋ ପୂଜା ମନ୍ଦାର ଫୁଲ ଯେଉଁଠାରେ ପଡ଼ିଥିବ, ତା’ ତଳେ ଖୋଳିବୁ, ଯାହା ପାଇବୁ ଘରେ ନେଇ ରଖିବୁ, ପ୍ରତିଦିନ ପୂଜା କରିବୁ, ତୋତେ ସେହିପରି ଥଳି ଥଳି ଦେବି-। ମୋ ଆଜ୍ଞା ନ ମାନିଲେ ଭଗିଆ ବେକ ମୋଡ଼ିଦେବି ।’’
ସାରିଆ, ଭଗିଆ ଦୁଇଜଣ ଶୁଣି ଡରରେ ଥରୁଥାନ୍ତି, କିଛି କଥା କହିପାରିଲେ ନାହିଁ । ମୁଁ ପୂଜା ସାରି ସେମାନଙ୍କୁ କିଛି ଭୋଗ ଦେଇ ଘରେ ଛାଡ଼ିଆସିଲି, ବାକି ଭୋଗକୁ ବାନ୍ଧିଲି । ମୁଁ ସେମାନଙ୍କୁ ଛାଡ଼ି ଆସିବା ବାଦ୍ ଜଗା ହସି ହସି ଗାଡ଼ରୁ ବାହାରି ଆସିଲା ! ଆମେ ଦୁଇଜଣ ସାଆନ୍ତେ ଦେଇଥିବା ଗୋଟିଏ ମୋହର ତୋଠ ପାଖରେ ପୋତି ତାହା ଉପରେ ମନ୍ଦାରଫୁଲ ଥୋଇଦେଇ ଘରକୁ ଗଲୁଁ । ତହିଁ ଆରଦିନ ମୁଁ ଭଗିଆ ଦୁଆରକୁ ଯାଇଥିଲି । ମୋତେ ଦେଖି ସେ ଦୁଇଜଣ କାନ୍ଦଣୁ ମାନ୍ଦୁଣୁ ହୋଇ କହିଲେ, ‘ଆମେମାନେ ଦେଉଳ କିପରି ତୋଳାଇବୁ, ବୁଦ୍ଧି କହିଦିଅ ।’ ମୋ କହିବା ଅନୁସାରେ ତାହାର ଜମି ଛ’ ମାଣ ଆଠଗୁଣ୍ଠ’ ମଙ୍ଗରାଜଙ୍କ ପାଖରେ ବନ୍ଧକ ଦେଇ ଟଙ୍କା ନେଲେ । ସରକାରରୁ ଜମାଦାର ଆସି ଭଗିଆ ଘର ଭାଙ୍ଗିଲେ । ଜମାଦାର ଛିଡ଼ା ହୋଇଥାଏ, ତାହାର ସବୁ ଜିନିଷ ବୋହି ଘେନିଗଲେ । ଘର ଭଙ୍ଗାଗଲା ଦିନଠାରୁ ଭଗିଆ ବାୟା ହୋଇ ଗାଁରେ ବୁଲୁଅଛି, ସାରିଆ ସାତ ଆଠ ଦିନ ହେଲା ମଙ୍ଗରାଜଙ୍କ ବାଡ଼ି ଦୁଆରେ ବସି କାନ୍ଦୁଥିବାର ମୁଁ ଶୁଣିଅଛି ।’’
ସୁଆଲରେ (୩୮) ଜବାବ ଦେଲା– ‘‘ମଙ୍ଗରାଜେ ଭଗିଆକୁ କେତେଟଙ୍କା ଦେଲେ ମୁଁ ଜାଣେ ନାହିଁ, କେବଳ ତମସୁକ ରେଜେଷ୍ଟରୀ କରିବା ସକାଶେ ଖଣ୍ଡେ ଶାଢ଼ି କିଣି ଦେଇଥିଲେ, ମୁଁ ଜାଣେ । ଦେଉଳ ତୋଳିବା ସକାଶେ କଟକକୁ ଘେନିଯାଇଥିବା ସମୟରେ ସାରିଆ କୋଡ଼ିଏ ଶଗଡ଼ ଅନ୍ଦାଜ ପଥର ମଙ୍ଗରାଜେ ମଙ୍ଗଳାଙ୍କ ନିକଟରେ ପକାଇଅଛନ୍ତି । ମଙ୍ଗରାଜେ ସେହିଦିନ ମୋତେ ଚାରିଅଣା ପଇସା ଦେଇଥିଲେ, ଆଉ କିଛି ଦେଇନାହାନ୍ତି । ମୁଁ ଡରରେ ମାଗେ ନାହିଁ । ଆଉ କିଛି ଜାଣେ ନାହିଁ ।’’
୩ ନମ୍ବର ଗୁହା – ‘‘ମୋ ନାମ ମରୁଆ, ବାପର ନାମ ଲକ୍ଷ୍ମଣ ତିହାଡ଼ୀ, ଜାତି ବ୍ରାହ୍ମଣ, ବୟସ ଜଣା ନାହିଁ, ସା: ହାଲ ଗୋବିନ୍ଦପୁର, ଜି– କଟକ ।’’
ସୁଆଲରେ ଜବାବ ଦେଲା–‘‘ସାରିଆ କି ରୋଗରେ ମଲା ମୋତେ ଜଣାନାହିଁ । ଆଜକୁ ଆଠଦିନ ହେଲା ଆମ ବାଡ଼ି ଦୁଆରେ ବସିଥିଲା । ଦିନରାତି ଏକ ଜାଗାରେ ବସିଥାଏ; ଯାହାକୁ ଦେଖେ ଡକାପାଡ଼େ । ‘‘ମୋ ଛ ’ମାଣ ଆଠଗୁଣ୍ଠ, ମୋ ନେତ; ମୋ ନେତ’—ଏତିକି କହି ଡକା ପାଡ଼ୁଥାଏ । ସାଆନ୍ତାଣୀକୁ ହେଖିଲେ ଗୋଡ଼ତଳେ ପଡ଼ି ଗଡ଼େ କାନ୍ଦେ; ସାଆନ୍ତାଣୀ ମଧ୍ୟ କାନ୍ଦନ୍ତି । ଚମ୍ପା ତାକୁ ତିନିଥର ଛାଞ୍ଚୁଣୀ ମାରି ତଡ଼ିଦେଲା । ସେ ଗଲା ନାହିଁ । ସେ ଆଠଦିନ ହେଲା କିଛି ଖାଇନାହିଁ । ସାଆନ୍ତାଣୀ ଆପଣା ଖାଇବା ଭାତ ଖଣ୍ଡେ କଦଳୀପତ୍ରରେ ତା ପାଖରେ ଥୋଇଦିଅନ୍ତି, ସେ ଖାଏ ନାହିଁ । ଭାତ କୁକୁର ନୋହିଲେ ଗାଈ ଖାଇଯାଏ । କେବେ କେବେ ସାଆନ୍ତାଣୀ ବସି କୁହାବୋଲା କଲେ ଦୁଇଗୁଣ୍ଡା ଗୁଣ୍ଡାଏ ଖାଏ । ସାଆନ୍ତାଣୀ ମଧ୍ୟ ସାତଦିନ ହେଲା ଖାଇନାହାନ୍ତି; ଖାଇବାକୁ କହିଲେ ସେ ଅଧିକ କାନ୍ଦନ୍ତି । ସେଥିସକାଶେ ମୁଁ କିଛି କହେ ନାହିଁ । ସପ୍ତମୀ ଦିନ ଏକବାର ରାତି ବୁଢ଼ୀ ମଙ୍ଗଳାଠାକୁ ଯାଉଥିଲେ, ତେତିକିବେଳେ ସାରିଆ ପାଟି କରିବାରୁ ହବିଷ ଭାତ ତା’ ପାଖରେ ବସାଇଦେଲେ । ତେତିକିବେଳୁ ସାଆନ୍ତାଣୀ ଘରକୁ ଆସି ଯେ ପଡ଼ିଛନ୍ତି, ସେ ପଡ଼ିଛନ୍ତି । ଗଲା ଅଷ୍ଟମୀ ଦିନ ତାଙ୍କର କାଳ ହେଲା ।’
ସୁଆଲରେ ଜବାବ ଦେଲା–‘ସାଆନ୍ତାଣୀଙ୍କର କି ବେମାରି ହୋଇଥିଲା, ଜାଣେ ନାହିଁ । ସ୍ନାନପୂର୍ଣ୍ଣମୀ ଆଠ ଦଶ ଦିନ ଆଗରୁ ତାଙ୍କୁ ଅଳ୍ପ ଅଳ୍ପ ବେମାରି ଧରିଥିଲା । ସ୍ନାନପୂର୍ଣ୍ଣମୀ ଦିନ ଚମ୍ପା କୁଆଡ଼େ ସୁଆରି ଚଢ଼ିଯାଇଥିଲା, ହସି ହସି ଆସି କ’ଣ କହିଲା । ସେହିଦିନଠୁ ସାଆନ୍ତାଣୀଙ୍କର ବେମାରି ବଢ଼ିଅଛି । ରାତିରେ କିଛି ଖାଆନ୍ତି ନାହିଁ, ଦିନବେଳେ ଖିଆ ମଧ୍ୟ ସେହିପରି । ସବୁବେଳେ କାନ୍ଦନ୍ତି । ସାରିଆ ଜମି ଛାଡ଼ିଦେବା ସକାଶେ ସାଆନ୍ତଙ୍କ ଗୋଡ଼ତଳେ ପଡ଼ି ଢେର୍ କହିଲେ । ସାଆନ୍ତ ଶୁଣିଲେ ନାହିଁ । ଚମ୍ପା ଖପା ହେବାରୁ ସାଆନ୍ତାଣୀ ଆଉ କହିଲେ ନାହିଁ, ଅନ୍ନ ଛାଡ଼ିଦେଲେ-। ମୁକୁନ୍ଦ ବଇଦ ପାଖରୁ ତାଙ୍କ ବେମାରି ସକାଶେ ଔଷଧ ଆଣି ଦେଇଥିଲା । ସେ ଔଷଧ ଖାଇଲେ ନାହିଁ, ମୁଣ୍ଡରେ ମାରି ଥୋଇଦେଲେ ।’’
ସୁଆଲରେ ଜବାବ ଦେଲା– ‘‘ମୁଁ ଆଜକୁ ଦଶବରଷ ହେଲା ଏହି ଘରେ ଅଛି । ମୋ ବାପଘର ପୁରୀ ବ୍ରାହ୍ମଣ ଶାସନରେ ଥିଲା । ମୋ ସ୍ୱାମୀର ନାମ ଟାଗନାଥ ତିହାଡ଼ୀ । ଶୁଣିଛି, ବିଭାବେଳେ ମୋର ସାତ ବରଷ ବୟସ ହୋଇଥିଲା, ସ୍ୱାମୀର ବୟସ ହୋଇଥିଲା ତିନି କୋଡ଼ି ଚାରି ବରଷ । ମୋ ସ୍ୱାମୀ ତାଙ୍କ ଜମି ବିକି ମୋ ବାପକୁ ଆଠ କୋଡ଼ି ଟଙ୍କା ଦେଇଥିଲେ । ବିଭାବେଳେ ମୋ ସ୍ୱାମୀର ଶ୍ୱାସ ବେମାରି ଥିଲା । ସେହି ବେମାରିରେ ସେ ମଲେ । ମୋ ସ୍ୱାମୀ ଘରେ ଆଉ କେହି ନ ଥିଲେ । ନନା ଯାଇ ତାଙ୍କ ଜମି ବାଡ଼ି ବିକିଦେଇ ମୋତେ ଘରକୁ ଘେନି ଆସିଲେ । ନନାଙ୍କ ଘରେ ପାଞ୍ଚ ସାତ ବରଷ ରହିଥିଲି । ଗ୍ରାମରେ ଲଳିତା ଦାସ ବାବାଜି ଥିଲେ । ମୁଁ ତାଙ୍କ ପାଖକୁ ଚୈତନ୍ୟ ଚରିତାମୃତ ଶୁଣିବାକୁ ଯିବାରୁ ଭାଇମାନେ କଳି ଲଗାଇଲେ । ମୁଁ ବୃନ୍ଦାବନ ଯିବା ସକାଶେ ବାବାଜିଙ୍କ ସାଙ୍ଗରେ ଦିନେ ରାତିରେ ପଳାଇଆସି କଟକ ତେଲଙ୍ଗା ବଜାରରେ ଥିଲି । ସାଆନ୍ତ ମାମଲା କରିବା ସକାଶେ କଟକ ଯାଇଥିଲେ । ତାଙ୍କ ସାଙ୍ଗରେ ଆସି ଏହି ଘରେ ଅଛି ।’’
ଠାଏ ମୁଦି ସନ୍ତକ (୩୯) ମରୁଆ ସହି ।
୪ ନମ୍ବର ଗୁହା– ‘‘ମୋ ନାମ ବାଇଧର ମହାନ୍ତି, ବାପର ନାମ ଡମ୍ବରୁଧର ମହାନ୍ତି; ଜାତି କରଣ, ବୟସ ୫୬ ବରଷ, ସା–କନକପୁର, ପ୍ର–ଝଙ୍କଡ଼, ଜି–କଟକ ।
‘‘ଆଜକୁ କୋଡ଼ିଏ ବରଷ ହେଲା ମୁଁ ଏହି ଫତେପୁର ସରଷଣ୍ଢ ତାଲୁକରେ ଗୁମାସ୍ତା ଅଛି । ପ୍ରଥମେ ମେଦିନୀପୁରର କେରାମତ ଆଲି ଜମିଦାର ଥିଲେ, ବର୍ତ୍ତମାନ ରାମଚନ୍ଦ୍ର ମଙ୍ଗରାଜେ କଣ୍ଟବନ୍ଧକ (୪୦) ସୂତ୍ରେ ଏହି ଜମିଦାରୀ ପାଇଅଛନ୍ତି ।’’
(ଦାରୋଗା ଗୁହାଙ୍କୁ ଢେର୍ ସୁଆଲ କଲେ, ଗୁହା ମଧ୍ୟ ଢେର୍ ଜବାବ ଦେଲେ । ସେ ସମସ୍ତ ଛାଡ଼ିଦେଇ ଆମ୍ଭେମାନେ ଗୁହା ଜବାବର ସାର ସାର କେତୋଟି କଥା ବାଛି ଲେଖୁଅଛୁ ।)
ଗୁହାର ଜବାବ– ‘‘ମଙ୍ଗରାଜେ ଘରୁ କିଛି ଟଙ୍କା ଦେଇ ଜମିଦାରୀ କିଣି ନାହାନ୍ତି, ଜମିଦାରୀ ଅସୁଲୀ ଟଙ୍କାରୁ କିଣିଛନ୍ତି । ମଙ୍ଗରାଜେ ପ୍ରଥମ ବରଷ ଖଜଣା ଟଙ୍କା ଅସୁଲ କରିନେଇ ଜମିଦାର ଦିଲଦାର ମିଆଁକୁ ଦେଲେ । ଦୁସରା କିସ୍ତି ଟଙ୍କା ଅସୁଲ କରିନେଇ ମେଦିନୀପୁର ଗଲେ । ମୁଁ ସାଙ୍ଗରେ ଗଲି । ଜମିଦାରଙ୍କୁ କହିଲେ, ‘‘ପୁରୁଣା ଜମିଦାର ବାଘସିଂହ ବଂଶ ମେଳି ଲଗାଇବାରୁ ଖଜଣା ଅସୁଲ ହେଲାନାହିଁ, କ’ଣ ହେବ, କାଲି ନାଟବନ୍ଦି (୪୧) ।’’ ମଙ୍ଗରାଜେ ତମସୁକ (୪୨) ଲେଖାଇନେଇ ଖଜଣା ଟଙ୍କା କରଜ ଦେଲେ । ଏଣେ ଜମିଦାର କରଜ କରିଅଛନ୍ତି ବୋଲି ପ୍ରଜାମାନଙ୍କଠାରୁ କଳନ୍ତର (୪୩) ନିଅନ୍ତି । ପ୍ରତି କିସ୍ତିରେ ଏହିପରି ହୁଏ । ଶେଷଥର ମଙ୍ଗରାଜେ ମୁସାହେବମାନଙ୍କୁ ଅନେକ ଲାଞ୍ଚ ଦେଇ ଅସଲ ସୁଧ ତିରିଶ ହଜାର ଟଙ୍କାରେ ତମସୁକ ଲେଖାଇନେଲେ । ଦିଲୁମିଆଁ ନିଶାରେ ପଡ଼ିଥିବା ସମୟରେ ତମସୁକ ଦସ୍ତଖତ କରିଦେଲେ । ମଙ୍ଗରାଜେ ଆଉ ମେଦିନୀପୁର ନ ଯାଇ କଟକରେ ମାମଲା କରି ଜମିଦାରୀ ଦଖଲ କରିଗଲେ ।’’
ସୁଆଲରେ ଜବାବ ଦେଲା– ‘‘ହଁ ଭଗିଆ ତନ୍ତୀଠାରୁ ଛ’ ମାଣ ଆଠଗୁଣ୍ଠ ଜମି କଣ୍ଟକବଲା (୪୪) କରି ନେଇଥିଲେ । କବଲାରେ ଦେଢ଼ଶ ଟଙ୍କା ଲେଖାଅଛି । ତମସୁକ ଲେଖାଇ ମାମଲା ଖରଚ ଇତ୍ୟାଦି ସେଥିରେ କେତେ ଟଙ୍କା ଖରଚ ପଡ଼ିଅଛି, ପାଞ୍ଜି ଦେଖିଲେ କହିବି– (ଗୁହା ପାଞ୍ଜି ଦେଖି କହିଲା) ଗାଏ ଟ ୩୪. ଅଣା, ୧୭. ଅଣା ।’’
ଗୁହା କହିଲା– ‘ହଁ, ସାଆନ୍ତେ ଭଗିଆ ନାମରେ କଟକ ଅଦାଲତରେ ନାଲିସ୍ କରିଥିଲେ । ମକଦ୍ଦମାର ଏତଲାନାମା (୪୫) ଡିଗ୍ରୀଧାରୀ (୪୬) ପରୁଆନା (୪୭), ନିଲାମି ଇସ୍ତାହାର (୪୮), ସବୁ ମୋ ପାଖରେ ଅଛି । ଭଗିଆକୁ କିଛି ଦିଆଯାଇନାହିଁ । ଅଦାଲତର ପିଆଦା ଆସି ସାଆନ୍ତଙ୍କଠାରୁ ବକ୍ସିସ ନେଇ ମୋ ପାଖରୁ ରସିଦ ଲେଖାଇ ନେଇ ଚାଲିଯାଏ । ସାରିଆ କିପରି ମଲା, ମୁଁ ଜାଣେ ନାହିଁ । ଏହି ଗାଈଟା ଭଗିଆର ।’’
(ସ୍ୱାକ୍ଷର) ବାଇଧର ମହାନ୍ତି ।
୫ ନମ୍ବର ଗୁହା– ‘‘ମୋ ନାମ ଚମ୍ପା, ବାପର ନାମ ଜଣାନାହିଁ, ଜାତି–ଏହି ଘର ମନୁଷ୍ୟ, ସା– ଗୋବିନ୍ଦପୁର, ଜି– କଟକ ।
‘‘ମୁଁ ସାରିଆକୁ ଚିହ୍ନେ ନାହିଁ । ତା’ ଘର ଏ ଗାଁରେ ନୁହେଁ । ସେ ଆମ ଦୁଆରେ ମରିନାହିଁ, ଆଉ କୁଆଡ଼େ ମରିଯାଇ ଆମ ଦୁଆରେ ପଡ଼ିଥିଲା । ତାକୁ ଜର ହୋଇଥିଲା, ମରିଗଲା-। ଆମ ସାଆନ୍ତ ତାକୁ କିଛି କହିନାହାନ୍ତି । ସାଆନ୍ତ ବଡ଼ ଭଲଲୋକ, ହଲିଲା ପାଣିରେ ଗୋଡ଼ ଦିଅନ୍ତି ନାହିଁ-। ସାଆନ୍ତାଣୀଙ୍କୁ ଜର ହୋଇଥିଲା, ସେ ମରିଗଲେ । ତାଙ୍କପାଇଁ ମୁଁ ଭାତ ଖାଉନାହିଁ-। ଢେର୍ କାନ୍ଦୁଛି । (ଗୁହା କାନ୍ଦି ବସିଲା, ଦାରୋଗା ଧମକ୍ ଦେବାରୁ ତୁନି ହେଲା) ଏହି ଗାଈଟା ଆମର ଘର ବାଛୁରୀ, (ପୁନର୍ବାର କହିଲା) ସାରିଆକୁ ଟଙ୍କା ଦେଇ କିଣିଛୁଁ ।’’
ଠାଏ ମୁଦିସନ୍ତକ ଚମ୍ପାର ସହି ।
ଅଧିକ ରାତି ହେବାରୁ କଚେରୀ ବନ୍ଦ ହେଲା । ଦାରୋଗା, ମୁନ୍ସି, ଚୌକିଦାର, ଗୋବରା ଜେନା ଅନେକ ରାତି ପର୍ଯ୍ୟନ୍ତ ବସି ପରାମର୍ଶ କଲେ । ଉପଯୁକ୍ତ ଗୁହା ଠିକଣା କରାଯାଉ ତହିଁ ପରଦିନ ପୁନର୍ବାର ସାକ୍ଷୀ ଜବାନବନ୍ଦୀ ଆରମ୍ଭ ହେଲା ।
୬ ନମ୍ବର ସାକ୍ଷୀ – ‘‘ମୋ ନାମ ବନା ଜେନା, ବାପର ନାମ ଦନା ଜେନା, ଜାତି– ପାଣ, ବୟସ– ୧୮, ପେଶା ହଳିଆଗିରୀ । ସା– ମକ୍ରାମପୁର । ପ୍ର– ବାଲୁବିଶି, ଜି– କଟକ ।’’
‘‘ମୁଁ ସାରିଆକୁ ଚିହ୍ନେ, ତା’ ଦୁଆରକୁ ଢେର୍ ଥର ଯାଇଛି । ତା’ ଘର ସଉତୁଣିଆ । ମୌଜା ବ୍ରାହ୍ମଣ ସାହିରେ, ନା ନା, ପାଣ ସାଇରେ । (ପୁନର୍ବାର କହିଲା) ନା ନା, ଏହି ଗ୍ରାମରେ । ରାମଚନ୍ଦ୍ର ମଙ୍ଗରାଜ ଆଜକୁ ଆଠଦିନ ହେଲା ତାହାକୁ ଧରିଆଣି ବାଡ଼େଇଥିଲେ । ଏହି ବାଉଁଶ ବାଡ଼ିରେ ବାଡ଼ଉଥିଲେ । (ସାକ୍ଷୀ ବାଡ଼ି ଦେଖେଇଦେଲା) ଗଲା ଦ୍ୱାଦଶୀ ଦିନ ଅଧରାତିବେଳେ ରାମଚନ୍ଦ୍ର ମଙ୍ଗରାଜ ବାଡ଼ଉଥିଲେ, ଦେଖିଅଛି । ସାରିଆ ପିଠିରେ କୋଡ଼ିଏ ପାହାର ବାଡ଼େଇଲେ । ମୁଁ ସାଉଘର ଗୋରୁ ଖୋଜି ଆସିଥିଲି । ମୋ ଘର ଏଠାକୁ ଦୁଇ କୋଶ ବାଟ । ସାଆନ୍ତଙ୍କ ସାଙ୍ଗରେ ମୋର ତକରାର (୪୯) ନାହିଁ । ଗୋବରା ଜେନା ଚୌକିଆ ମୋ ଭିଣୋଇ ନୁହେଁ ।’’
–ଏ ବାଡ଼ିସନ୍ତକ ବନା ଜେନାର ସହି ।
୭ ନମ୍ବର ଗୁହା – ‘‘ମୋ ନାମ ଧକେଇ ଜେନା, ବାପର ନାମ ନାଙ୍ଗୁଡ଼ ଜେନା, ଜାତି–ପାଣ, ବୟସ–ଜଣାନାହିଁ, ପେଶା– ହଳିଆଗିରୀ, ସା– ରାଇପୁର । ପ୍ର– ବାଲୁବିଶି, ଜି–କଟକ ।
‘‘ଗଲା ନବମୀ ଦିନ ଅଧରାତିବେଳେ ମୁଦାଲା ରାମଚନ୍ଦ୍ର ମଙ୍ଗରାଜ ଏହି ବାଉଁଶ ବାଡ଼ିରେ ସାରିଆକୁ ବାଡ଼ୋଉଥିଲେ, ମୁଁ ଦେଖିଅଛି । ମୁଁ ଲୁଣ କିଣିବାକୁ ଦୋକାନକୁ ଆସିଥିଲି । ରାତି ହୋଇଯିବାରୁ ଦୋକାନ ପିଣ୍ଡାରେ ଶୋଇଥିଲି । ଗୁମ୍ ଗୁମ୍ ଶବ୍ଦ ଶୁଭିବାରୁ ମୁଁ ଦୋକାନ ଚାଳ ଉପରେ ଚଢ଼ି ଅନାଇଲି । (ପୂନର୍ବାର କହିଲା) ନାହିଁ, ନାହିଁ ମୁଁ ମଙ୍ଗରାଜଙ୍କ ପିଢ଼ାରେ ଚଢ଼ି ଅନାଇଲି, ଦିଶୁଥିଲା । ମୁଁ ଏହି ଗାଈକୁ ଚିହ୍ନେ, ନିଜେ ଢେର୍ ଥର ଦୁହିଁଛି । ଗାଈର ନାମ ବଉଳା । ଏ ଗାଈ ଭଗିଆ ତନ୍ତୀର । ରାମଚନ୍ଦ୍ର ମଙ୍ଗରାଜ ତା’ ଘରୁ ଚୋରି କରି ଆଣିଅଛି, ସିନ୍ଧି କରି ଚୋରିକରି ଆଣିଛନ୍ତି ।’’
ମୁଦାଲାର ସୁଆଲରେ ଜବାବ ଦେଲା– ‘‘ଗୋବରା ଜେନା ମୋ ମାଉସୀ ପୁଅ ଭାଇ ନୁହେଁ । ସେ ମୋତେ ଡାକିଆଣି ନାହିଁ । ମୁଁ ଗୁହାଇ ଦେବା ସକାଶେ ଆପଣା ଇଚ୍ଛାରେ ଆସିଅଛି । ସେ ମୋତେ ଖାଇବାକୁ ଦିଏ ନାହିଁ । ମୁଁ ଘରୁ ଚୁଡ଼ା ଚାଉଳ ବାନ୍ଧି ଆଣିଅଛି । ନବମୀ ଆଜକୁ କୋଡ଼ିଏ କି ବାଇଶ ଦିନ ହେଲା ଗଲାଣି । ଆଜି ତିଥି କ’ଣ ମୋତେ ଜଣାନାହିଁ ।’’
–ଏହି ବାଡ଼ିସନ୍ତକ ଧକେଇ ଜେନାର ସହି ।
୮ ନମ୍ବର ଗୁହା– ‘‘ମୋ ନାମ ଖତୁ ଚନ୍ଦ, ବାପର ନାମ ନିତା ଚନ୍ଦ । ଜାତି ତନ୍ତୀ, ବୟସ ୨୮, ପେଶା ଲୁଗାବୁଣା । ସା; ଗୋବିନ୍ଦପୁର । ଜି: କଟକ ।’’
‘‘ଏ ଗାଈ ଭଗିଆର, ଜାଣେ । ଭଗିଆ ମୋ ପଡ଼ିଶା । ଯେଉଁଦିନ ସରକାରୀ ଜମାଦାର ଆସି ଭଗିଆ ଘର ଭଙ୍ଗାଇଦେଲେ, ସେହିଦିନ ମଙ୍ଗରାଜେ ଗାଈ ବାନ୍ଧିଆଣି ଉଆସରେ ରଖିଅଛନ୍ତି-। କି ସକାଶେ ଗାଈ ବାନ୍ଧିଆଣିଲେ ମୋତେ ଜଣାନାହିଁ । ମଙ୍ଗରାଜଙ୍କ ହଳିଆମାନେ ଯାଇ ଭଗିଆଘର ଭାଙ୍ଗି ପକାଇଲେ । ଘରର ସବୁ ଜିନିଷ ବୋହି ଆଣିଲେ । ଭଗିଆ, ସାରିଆ ଦୁଇଜଣ ଡକାପାଡ଼ି ଦାଣ୍ଡରେ ଗଡୁଥାନ୍ତି । ସରକାରୀ ଜମାଦାର ଆସିଥିବାରୁ ଆମ୍ଭେମାନେ କବାଟ କିଳିଦେଇ ଘରେ ଲୁଚିଥିଲୁ । ମୁଁ କବାଟ କିଳିଦେଇ ଜଳାରେ ଅନାଇଥାଏ । ଚୌକିଆ ଗୋବରା ଜେନା ମୋତେ ଡାକୁଥାଏ । ମୁଁ ଜବାବ ଦେଲି ନାହିଁ । ମୋ ଭାରିଯା ଜବାବ ଦେଲା, ମୁଁ ଘରେ ନ ଥିବାର କହିଲା ।’’
–ଏ ଡଙ୍ଗିସନ୍ତକ ଖତୁ ଚନ୍ଦର ସହି ।
ଜବାବ ଆସାମୀ ରାମଚନ୍ଦ୍ର ମଙ୍ଗରାଜ– ପିତାର ନାମ ଧନୀ ନାୟକ, ଜାତି ଖଣ୍ଡାୟତ, ବୟସ ୫୨, ପେଶା ଜମିଦାରୀ । ସା– ଗୋବିନ୍ଦପୁର । ଜି– କଟକ ।
ଜବାବ ଦେଲା– ‘‘ମୁଁ ସାରିଆକୁ ମାରିନାହିଁ । ଭଗିଆ ମୋ ପାଖରୁ ଟଙ୍କା କରଜ ନେଇଥିଲା, ନାଲିସ୍ କରି ତା ‘ଛ’ ମାଣ ଆଠଗୁଣ୍ଠ’ ଜମି ବିକ୍ରି କରି ନେଇଅଛି, ମୋକଦ୍ଦମା ଖର୍ଚ୍ଚାକୁ ତାହାର ଗାଈ ନେଇଅଛି ।’’
(ସ୍ୱାକ୍ଷର) ରାମଚନ୍ଦ୍ର ମଙ୍ଗରାଜ ।
ଠିକ୍ ଏହି ସମୟରେ ଗୋଟାଏ ବାୟା ସେଠାରେ ପହଞ୍ଚିଲା । ଅଣ୍ଟାରେ ଖଣ୍ଡେ ଛିଣ୍ଡାକନା ଗୁଡ଼ାଇଅଛି, ମୁଣ୍ଡବାଳ ମୁକୁଳା, ଦେହଯାକ ଧୂଳି କାଦୁଅ ହାତରେ ଗୋଟିଏ ବାଇଜି ହାଣ୍ଡି ଧରିଅଛି । ଖୁବ୍ ନାଚିଲା, ସାରିଆ ସାରିଆ ବୋଲି ଗୀତ ଗାଇଲା । ତାକୁ ଦେଖି ଗାଁ ଲୋକମାନେ ହାହାକାର କରି କହିଲେ, ‘‘ଆରେ ଭଗିଆ, ତୋ କପାଳରେ ଏହା ଥିଲା ।’’ ମଙ୍ଗରାଜଙ୍କ ଉପରେ ନଜର ପଡ଼ିଯିବାରୁ ବାୟା ତାକୁ କାମୁଡ଼ିବାକୁ ଧାଇଁଲା । ଚଉକିଆମାନେ ତାକୁ ଧରି ପକାଇଲେ, ସମ୍ଭାଳି ନ ପାରି ଦାରୋଗାଙ୍କ ଅନୁସାରେ ବାନ୍ଧି ପକାଇଲେ ।
ଦାରୋଗା ମାମଲା ତଦାରଖି ଖତମ (୫୦) କଲେ । ବତ୍ରିଶ ଜଣ ଗୁହାର ଜମାନବନ୍ଦୀ ହୋଇଥିଲା । ସେଥିମଧ୍ୟରୁ ଚାରିଜଣ ଗୁହାଙ୍କୁ ବାହାଲ ରଖି ଆଉ ଆଉ ଲୋକମାନଙ୍କୁ ରୋକ୍ସୋତ୍ (୫୧) ଦେଲେ ।
ଆସାମୀ ଚଲାଣି । ବେଳ ପ୍ରହରକ ସମୟରେ ମଙ୍ଗରାଜ ଚଲାଣ ହେଲେ । ହାତରେ ହାତକଡ଼ି, ଚୌକିଆ ବରକନ୍ଦାଜ ଘେରିଛନ୍ତି, ମଧ୍ୟରେ ମଙ୍ଗରାଜେ ମୁଣ୍ଡରେ ଖଣ୍ଡେ ଗାମୁଛା ପକାଇ ମୁଣ୍ଡପୋତି ଚାଲିଛନ୍ତି-। ଗ୍ରାମ-ଲୋକମାନେ ଯାତ୍ରାକାଳୀ ପରି ଛିଡ଼ାହୋଇ ଚାହିଁଅଛନ୍ତି । ଆଗରେ ଦାରୋଗା, ପଛରେ ମୁନ୍ସି । ମଙ୍ଗରାଜଙ୍କର ଏହି ଦୁର୍ଦ୍ଦଶା ଦେଖି ଗ୍ରାମର କେହି ବ୍ୟାକୁଳ ହୋଇଥିଲା କି ନାହିଁ, ଆମ୍ଭେମାନେ ଠିକ୍ କହିବାକୁ ଅକ୍ଷମ । କେବଳ ଚମ୍ପା ‘‘ମୋ ସାଆନ୍ତ, ମୋ ସାଆନ୍ତକୁ କାହିଁ ଘେନିଯାଉଚ, ମୋ ସାଆନ୍ତେ’’ ଇତ୍ୟାଦି କରୁଣ ରାଗିଣୀରେ ଡକାପାଡ଼ି ଧାଇଁଥିବାବେଳେ ବାଟ ଉଛୁଳି ପଡ଼ୁଥାଏ । ସାଆନ୍ତେ ପଛକୁ ମୁହଁ ବୁଲାଇ ଦୁଇ ତିନି ଥର ଫେରିଯିବାକୁ କହିଲେ । ଦାରୋଗା ମୁନ୍ସି ଦିକ୍ଦାର ହେଲେଣି, ଶୁଣିବାକୁ ନାହିଁ, ମୁଣ୍ଡରେ ଲୁଗା ନାହିଁ, କାନ୍ଦି ଅଥୟ ହୋଇଯାଉଛି । ‘‘ଗନ୍ତାଘର ଜିନିଷଗୁଡ଼ାକ ଉଇ ଧରିଯିବେ, ମୂଷା ଖାଇଯିବେ, କ’ଣ ହେବ ?’’ ମଙ୍ଗରାଜେ ଟିକିଏ ଛିଡ଼ା ହୋଇଯାଇ ଲମ୍ବ ଲମ୍ବ ଦୁଇଟା ନଳୀକଞ୍ଚି ତା’ ହାତରେ ଦେଇ କହିଲେ, ‘ସବୁ ସାବଧାନରେ ରଖିବୁ, କିଛି ଚିନ୍ତା କରିବୁ ନାହିଁ ।’ ଚମ୍ପା କଞ୍ଚି ଦୁଇଟା ଖୁବ୍ ସାବଧାନରେ ଅଣ୍ଟିରେ ଖୋସିଦେଇ କହିଲା, ‘ଆପଣ ଠା’ରେ ବସୁଥିବେ, ଓପାସ ରହିବେ ନାହିଁ ।’ ଗୋବିନ୍ଦା ଭଣ୍ଡାରୀ ସାଙ୍ଗେ ସାଙ୍ଗେ ଥିଲା । ଦୁଇଜଣ ସାଙ୍ଗ ହୋଇ ଘରକୁ ବାହୁଡ଼ିଲେ । ବାହୁଡ଼ିବା ସମୟରେ ଚମ୍ପାର କାନ୍ଦଣା କେହି ଶୁଣିନାହିଁ ।
ଦାରୋଗା ସାହେବ ଥାନାରେ ପହଞ୍ଚି ଗୁହା ଜବାନବନ୍ଦୀ ସମସ୍ତ ପୁନର୍ବାର ଥରେ ଶୁଣି ମୁନ୍ସିଙ୍କ ପରାମର୍ଶ ଅନୁସାରେ କାଟକୁଟ କରି ଗୁହାମାନଙ୍କୁ ସଦୁପଦେଶ ଦେଲେ । ତାହା ବାଦ୍ ରିର୍ପୋଟ ସହିତ ଆସାମୀକୁ କଟକ ମେଜେଷ୍ଟର ସାହେବଙ୍କ ହଜୁରକୁ ଚାଲାଣ ଦେଲେ । ଆମ୍ଭେମାନେ ଦାରୋଗାଙ୍କ ରିପୋର୍ଟର ଏକ ପ୍ରସ୍ତ ସଇ (୫୨) ମୋହର ନକଲ ହାସଲ (୫୩) କରିଅଛୁ । ଆପଣଙ୍କର ଇଚ୍ଛା ହେଲେ ଶୁଣନ୍ତୁ—
ଚଳିତ ଅକ୍ଟୋବର ମାସ ତିନି ତାରିଖ ଭୋର ଆଠବଜେ ପତ୍ରାଧୀନ ଆପଣା ଏଲାକା ମଧ୍ୟରେ ଆପଣା କଚିରି ଜାଗାରେ ବସି ସରକାରୀ କାମ ଅଞ୍ଜାମ (୫୪) କରୁଥିବା ହାଲତ (୫୫) ମୁନ୍ସି ଚକ୍ରଧର ଦାସ ବନ୍ଦା (୫୬) ଡାହାଣ ପାଖରେ ବସି ରୋଜିନା (୫୭) ଡାଏରୀ କଲମବନ୍ଦ କରୁଥିବା ହାଲତ– ବରକନ୍ଦାଜ ଗୋଲାମ ଓ ହରି ସିଂ ଆପଣା ପହରାରେ ମୁତୟନ (୫୮) ଥିବା ହାଲତ– ଅତ୍ର ଥାନା ଏଲାକା ଫତେପୁର ସରଷଣ୍ଢ ମୌଜା ଗୋବିନ୍ଦପୁର ଛାଟିଆ ଗୋବରା ଜେନା ହାଜର ଆସି ଜାହେର (୫୯) କଲା କି–ତାଲୁକା ମଜକୁର ମୌଜା ମଜକୁର ରହିସ ସାରିଆ ନାମକ ତନ୍ତିଆଣୀକୁ ଖୁଣ କରିଥିବା । ବନ୍ଦୀ ଏହି ରିପୋର୍ଟ ପାଇବାମାତ୍ରେ ଲହମାକ (୬୦) ଗୁଦସ୍ତ (୬୧) ନ କରି ହଜୁରକୁ ପ୍ରଥମ ଏତଲାଇ (୬୨) କାଟି–ଆସାମୀ ଜଣେ ଜମିଦାର ଥିବା ଏବଂ ସେ ଜଣେ ମଶୁର (୬୩) ବଦମାଏସ ଏବଂ ଜାଲିମବାଜ (୬୪) ଥିବା ହାଲତ ଏବଂ ମାମଲା ଭାରି ସଙ୍ଗିନ (୬୫) ଥିବା ଲିହାଜ ବନ୍ଦା ତଡ଼େଦମ (୬୭) ଉକ୍ତ ସ୍ଥାନକୁ ରମାନା (୬୮) ହୋଇ ସରଜମିନରେ (୬୯) ପହୁଞ୍ଚି ଦସ୍ତୁର ମୁତାବକ ଆସାମୀ ଘର ମହାସଗ (୭୦) ଖାନତଲାସ ବହୁତ ହୁସିଆରିରେ ଆସାମୀକୁ ଗ୍ରେପ୍ତାର କଲା ବାଦ୍–ମହିଲୁକିଆ (୭୧) ସାରିଆର ଲାସ୍ ଏବଂ ତାହାର ଘରର ମାଲ ଆସବାବ ଏବଂ ମହିଲୁକିଆର ନେତ ନାମକ ଏକରାଶି ସଫେଦ ଗାଈ ଆସାମୀ ଜିମାରୁ ବରାମଦ କରିଅଛି ।
ଆସାମୀ ଯେଉଁ ବାଉଁଶବାଡ଼ିରେ ସାରିଆକୁ ଖୁଣ୍ କରିଅଛି, ସେ ବାଡ଼ି ମଧ୍ୟ ବରାମଦ ହେବା ହାଲତ । ଆସାମୀ ରାମଚନ୍ଦର ମଙ୍ଗରାଜ ଆପେ ଏକଗୋଟା ବାଉଁଶବାଡ଼ିରେ ସାରିଆକୁ ଖୁଣ୍ କରିଥିବା ଚାରିଜଣ ଗୁହାଙ୍କ ଜବାନବନ୍ଦୀରୁ ସାଫ୍ ସାବିତ (୭୨) । ଏମାନେ ରୁଇତ ଗୁହା (୭୩) ଥିବା ସାଫ୍ ସାବିତ । ଆସାମୀ ଯେ ଜଣେ ଜାଲିମବାଜ୍, ଜଣେ ଇମାନଦାର ମୁସଲମାନର ଜମିଦାରୀ ଜୁଆଚୋରୀ କରି ନେଇଅଛି, ତାହା ଚାରି ନମ୍ବର ଗୁହା ଜମାନବନ୍ଦିରୁ ସାଫ୍ ସାବିତ । ଏହିସବୁ ହାଲ-ଲିହାଜରେ ଆସାମୀ ଉପରେ ଖୁଣ୍ ସାବିତ ହେବାରୁ ହଜୁରକୁ ଚାଲଣ ଦେଲି । ହଜୁର ଖୋଦାବନ୍ଦ୍, ମା ବାପ, ଦୁନିଆର ବାଦ୍ସା, ରିପୋର୍ଟ କସୋର (୭୪) ମାଫ୍ ହେବ, ନୌସନାରୀ (୭୫) ତଜ୍ବିଜ୍ ହେବ ।
ପ୍ରକାଶ ଥାଉ କି, ଅଲାହିଦା (୭୭) ଫର୍ଦମୁତାବକ ଆସାମୀ ଘରୁ ବରାମଦ୍ ହୋଇଥିବା ଚୋରାମାଲ ହରି ସିଂ ବରକନ୍ଦାଜ ହେପାଜତରେ ଭେଜାଗଲା । ଏପରି ଆସାମୀ ସାରିଆକୁ ଖୁନ୍ କରିବାରୁ ତାହାର ମାଲିକ ଭଗିଆ ଚନ୍ଦ ଭାରି ବାୟା ହୋଇ ଲୋକମାନଙ୍କ ଉପରେ ଜୁଲମ କରୁଥିବା, ତାହାର ହେପାଜତ୍ ସକାଶେ କେହି ଏଗାନା (୭୮) ଲୋକ ନ ଥିବା ହାଲତ ହଜୁରକୁ ଚାଲାଣ ଦେଲି, ହଜୁର ମାଲିକ୍ ।
୧) କାହାଳୀ—ପତ୍ର ଆବରଣଦେଇ ତିଆରି ହୋଇଥିବା ଧୂଆଁପତ୍ର ପିକା, ୨) ବାହୁଙ୍ଗି —ଭାର ନେବା ଲାଗି ବ୍ୟବହୃତ ବାଡ଼ି, ୩) ଅପରିମିତ— ଅତ୍ୟଧିକ, ୪) ଟାଙ୍ଗଣ—ତଟୁ ଘୋଡ଼ା, ୫ । ସୁଆର— ସବାରି, ଅଶ୍ୱାରୋହୀ, ୬) ଛ କଲିଆ —ଛଅଗୋଟି କଲି ଥିବା, ୭) ଚପକନ୍—ଜାନୁ ପର୍ଯ୍ୟନ୍ତ ଲମ୍ବ କୁର୍ତ୍ତା, ୮) ଜାମଦାନି—ବୁଣା ହେବାବେଳୁ ସୂକ୍ଷ୍ମ ରନ୍ଧ୍ର ଓ କାରୁକାର୍ଯ୍ୟସମ୍ପନ୍ନ ସୂତାଲୁଗା, ୯) କଦମ୍ –ଘୋଡ଼ାର ଚାଲି, ୧୦) ଠେଙ୍ଗାସ୍କନ୍ଧ – କାନ୍ଧରେ ଠେଙ୍ଗା ପକାଇଥବା, ୧୦) ଖୋଲ—ଚକ୍ଷୁ ଗହ୍ୱର, ୧୧) ଖଗୁରୀ—ଘୋଡ଼ା ପିଠି ଉପରେ ପକାଯିବା ମୋଟା ଲୁଗାର ଆସନ, ୧୨) ଚାରଜାମା— ଘୋଡ଼ା ଉପରେ ପକାଇବାପାଇଁ ତୁଳାରେ ପୂର୍ଣ୍ଣ କନାର ଗଦି; ଏହା ଚତୁଷ୍କୋଣାକାର, ୧୩) ଚାରିଫୁଲିଆ—ଧଡ଼ିରେ ଚାରିଧାଡ଼ ଫୁଲ ଥିବା ଲୁଗା, ୧୪) ବନ୍ଧଲଗା ଗନ୍ତା—ବାନ୍ଧିବା ଦଉଡ଼ି ଲାଗିଥବା କୁର୍ତ୍ତା । ଏହାକୁ ପିନ୍ଧିସାରି ଏଥିରେ ଲାଗିଥିବା ଡୋରିକୁ ଦୁଇଆଡ଼ୁ ଆଣି ଗଣ୍ଠି ପକାଯାଏ, ୧୫) ରହୁମୀ—ରେଶମର ଚାଦର, ୧୬) ବାଗଡୋର—ଘୋଡ଼ାର ମୁହଁରେ ବନ୍ଧାହୋଇଥିବା ଦଉଡ଼ି, ୧୭) ଇଲମ —ବିଦ୍ୟା, ପାଠ, ୧୮) ନାଲାଏକ—ଅଯୋଗ୍ୟ, ୧୯) ଲଏକତୀ—ଯୋଗ୍ୟତା, ଦକ୍ଷତା, ୨୦) ଫରମାସ—ବରାଦ, ୨୧) ଓଆକଫକାର—ପ୍ରବୀଣ, ଅଭିଜ୍ଞ, ୨୨) ବରକନ୍ଦାଜ-ସିପାହି, ୨୨) ରେକା—ବୁଢ଼ା ଆଙ୍ଗୁଠି ଓ ମଝି ଆଙ୍ଗୁଠିର ପରିଧି-ପରିମାଣବିଶିଷ୍ଟ, ୨୩) ବରାମଦ—ଖୋଜି ବାହାର କରିବା, ୨୪) ସନାକ୍ତ—ଚିହ୍ନୋଟ କରିବା, ୨୫) ମତଲବ—ଉଦ୍ଦେଶ୍ୟ, ୨୬) ଇୟାଦ—ସ୍ମରଣ, ୨୭) ତଦାରଖି—ଅନୁସନ୍ଧାନ, ୨୮) ମୁଦେଇ—ଅଭିଯୋଗକାରୀଙ୍କ ବିଚାରପାର୍ଥୀ, ୨୯) ଏକରାଶ—ଏକଗୋଟା, ୩୦) ଗୁହା—ସାକ୍ଷୀ, ୩୧) ଜବାନବନ୍ଦି –ଉକ୍ତି ଲିପିବଦ୍ଧ କରିବା, ୩୨) ହମରାଏ– ଦାୟିତ୍ୱରେ; ଜିମାଦାରିରେ, ୩୩) ହରିତାଳୀ—ହରିତାଳର ବର୍ଣ୍ଣପରି ହଳଦିଆ, ୩୪) ମୁତୋଫା—ମୃତ, ୩୫) ମଜକୁର—ପୂର୍ବରୁ କୁହାଯାଇଥିବା, ୩୬) ନିସୋର୍—ନିଃଶବ୍ଦ, ୩୭) ଧାରଣା ପଡ଼ିବା—ଅଧ୍ୟା ପଡ଼ିବା, କୌଣସି ବ୍ୟକ୍ତି ଦେବତାଙ୍କ ନିକଟରେ ଏକାଗ୍ରଭାବରେ ଅନୁସରଣ କରି ପଡ଼ିରହିବା, ୩୮) ସୁଆଲ—ପ୍ରଶ୍ନ, ମୋକଦ୍ଦମାର ଏକ ପକ୍ଷ ଅପର ପକ୍ଷ ସାକ୍ଷୀକୁ ଯେଉଁ କୂଟ ପ୍ରଶ୍ନ ପଚାରେ, ୩୯) ସନ୍ତାନ–ଅଙ୍କିତଚିହ୍ନ, ୪୦) କଟବବନ୍ଧ ନିର୍ଦ୍ଦିଷ୍ଟ ସମୟ ପାଇଁ ଜମି ବନ୍ଧକ ରଖିବା ଓ ଉକ୍ତ ସମୟ ମଧ୍ୟରେ ଉକ୍ତ ଜମିର ଆୟରୁ ଋଣର ସୁଧ ଓ ଅସଲ କ୍ରମେ କ୍ରମେ ପରିଶୋଧ ହେବା, ୪୧) ନାଟବନ୍ଦି—ସରକାରଙ୍କ ଦେୟ ରାଜସ୍ୱ ଖଜଣାଖାନାରେ ଦାଖଲ କରିବା ଲାଗି ନିର୍ଦ୍ଧାରିତ ଦିବସ, ୪୨)ତମସୁକ-ଖାତକର ମହାଜନଙ୍କୁ ଲେଖିଦେବା ଋଣ-ଗ୍ରହଣର ସ୍ୱୀକାରପତ୍ର, ୪୩) କଳନ୍ତର—ସୁଧ, ୪୪) କଟକବାଲା (କଣ୍ଟକବଲା)— ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ ନ କଲେ ବନ୍ଧକ ଥିବା ଭୂମି ମହାଜନଙ୍କୁ କବଳ କରିବା ବିବେଚିତ ହେବ ଏହି ସର୍ତ୍ତରେ ହୋଇଥିବା ରଣପତ୍ର, ୪୫) ଏତଲାନାମା—ଅଦାଲତର ବିଜ୍ଞାନପତ୍ର, ୪୬) ଡିଗ୍ରୀଜାରୀ—ଅଦାଲତର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପଦ୍ଧତି, ୪୭) ପରୁଆନା—ଆଦେଶପତ୍ର, ୪୮) ନିଲାମି ଇସ୍ତାହାର– ନିଲାମି ସମ୍ପର୍କରେ ସର୍ବସାଧାରଣଙ୍କୁ ଜଣାଇବା ଲାଗି ବିଜ୍ଞାପନ, ୪୯) ତକରାର—ବିବାଦ, ୫୦) ଖତମ—ଶେଷ, ୫୧) ରୋକ୍ସୋତ—ବିଦାୟ, ୫୨) ସଇ—ସ୍ୱାକ୍ଷର, ୫୩) ହାସଲ—ଲାଭ, ପାଇବା, ୫୪) ଅଞ୍ଜାମ—କାର୍ଯ୍ୟ ସମ୍ପାଦନ, ୫୫) ହାଲତ– ଅବସ୍ଥାରେ, ୫୬) ବନ୍ଦା—ସେବକ, ଭୃତ୍ୟ, ୫୭) ରୋଜିନା—ପ୍ରତ୍ୟହ, ୫୮) ମୁତୟନ—ନିଯୁକ୍ତି, ୫୯) ଜାହେର– ବ୍ୟକ୍ତ, ପ୍ରକାଶ, ୬୦) ଲହମାକ— ମୁହୂର୍ତ୍ତେମାତ୍ର ୬୧) ଗୁଦସ୍ତ—କାଳଯାପନ, ୬୨) ଏତଲାଇ-ଖବର, ୬୩) ମଶୁର—ବଦମାସ, ୬୪) ଜାଲିମବାଜ—ଅତ୍ୟାଚାରୀ, ୬୫) ସଙ୍ଗିନ—ଗୁରୁତର, ୬୬) ଲିହାଜ—ବିବେଚନା, ୬୭) ତଡ଼େଦମ—ମୂହୂର୍ତ୍ତେମାତ୍ର ବିଳମ୍ବ ନ କରି, ୬୮) ରମାନା—ଯାତ୍ରା, ୬୯) ସରଜମିନ— ମକଦ୍ଦମା ଘଟିଥିବା ସ୍ଥାନ, ୭୦) ମହାସଗ—ଘରର ଯାବତୀୟ ପଦାର୍ଥ ଓ ସ୍ଥାନ, ୭୧) ମହିଲୁକିଆ—ସ୍ତ୍ରୀଲୋକ, ୭୨) ସାବିତ—ପ୍ରମାଣିତ, ୭୩) ରୁଇତ—ପ୍ରତ୍ୟକ୍ଷଦର୍ଶୀ, ୭୪) କସୋର—ଦୋଷ, ୭୫) ନୌସନା—ନିରପେକ୍ଷତା, ୭୬ । ତଜ୍ବିଜ୍—ବିଚାର, ୭୭) ଅଲାହିଦା—ଅଲଗା, ୭୮) ଏଗାନା—ଆତ୍ମୀୟ ।