ଚାଷ ତଦାରଖ — ଛ’ମାଣ ଆଠଗୁଣ୍ଠ — ଫକୀରମୋହନ ସେନାପତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚାଷ ତଦାରଖ
‘ଅହଂ ନିଜଃ ପରୋବେତି ଗଣନା ଲଘୁଚେତସାଂ (୧) ।’’
ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି–ଲଘୁଚେତାମାନେ ଆପଣା ଓ ପର ଏହିପରି ବୁଝନ୍ତି । ସାଆନ୍ତଙ୍କ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେହିପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କହିଲେ ଜ୍ଞାନୀ ପାଠକମାନେ ସେଥିରୁ ସବୁ ଜାଣିଯିବେ । ଭାତହାଣ୍ଡିରୁ ଗୋଟିଏ ଚିପିଲେ ସବୁ ଜଣାପଡ଼େ । ସରଦାର ହଳିଆ ଗୋବିନ୍ଦ ପୁହାଣ ସକାଳେ ଜଣାଇଲା, ଆଜ୍ଞା, ଦେଢ଼ମାଣ ବିଲ ଅରୁଆ ରହିଲା, ତଳି ନିଅଣ୍ଟ । ସାଆନ୍ତେ ‘ହୁଁ’ କହି ତୁନି ହେଲେ । ହଳିଆ ହାତଯୋଡ଼ି ଦୁଆରେ ଛିଡ଼ାହେଲା ।
ସାଆନ୍ତେ ବିଲ ବୁଲି ବାହାରିଛନ୍ତି । ପରିଧାନ ଖଣ୍ଡିଏ ତେଲଚିକିଟା ମଠାଲୁଗା, ଅଣ୍ଟାରେ ଗେରୁରଙ୍ଗିଆ ଗାମୁଛା ଭିଡ଼ା, କାନ୍ଧରେ ବିଶାଳ ତାଳପତ୍ର ଛତା । ପଛରେ ଗୋବିନ୍ଦ ପୁହାଣ ବିଲର ହାଲଚାଲ କହି କହି ଚାଲୁଅଛି, ଆଉ ଜଣେ ହଳିଆ କାନ୍ଧରେ ଯୋଡ଼ାଏ ଯୁଆଳି ପକାଇ ଚାଲିଅଛି, ତାହାର ନାମ ପାଣ୍ଡିଆ । ଗାଁର ସବୁ ଲୋକ ଉଠିନାହାନ୍ତି । ଶିବୁ ପଣ୍ଡିତଙ୍କ ସଙ୍ଗରେ ଭେଟ ହେଲା ।
ପଣ୍ଡିତେ ନାଶ ସୁଙ୍ଘି ବାଁ ହାତରେ ଢାଳଟିଏ ଧରି ପୋଖରୀପାଣି ବାହାରିଛନ୍ତି । ସାଆନ୍ତଙ୍କୁ ହଠାତ୍ ପଛରେ ଦେଖି ତରବର ହୋଇ ସାଢ଼େ ସାତହାତ ଆଡ଼ ହୋଇଗଲେ ଏବଂ ଢାଳଟା ତଳେ ଥୋଇଦେଇ ଧନୁକାକାର-ଧାରଣପୂର୍ବକ ‘ଅଞ୍ଜଳିବଦ୍ଧୋ ଭୂତ୍ୱା’ ସାଆନ୍ତଙ୍କର ‘କୀର୍ତ୍ତିମାୟୁ ର୍ଯ୍ୟଶଃଶ୍ରିୟଂ’ କାମନା କଲେ । ସାଆନ୍ତଙ୍କର ତେଣିକି ଦୃଷ୍ଟି ନାହିଁ, ଏକମୁହାଁ ଚାଲିଛନ୍ତି । ସାଆନ୍ତେ ଖଣ୍ଡେ ବାଟ ଚାଲିଗଲା ବାଦ୍ ପଣ୍ଡିତେ ଧୀରେ ଧୀରେ ଢାଳଟି ଉଠାଇ ଶ୍ଳୋକଟିଏ ପଢ଼ିଲେ—‘‘ଅଦ୍ୟ ପ୍ରାତଃରେବାନିଷ୍ଟଦର୍ଶନଂ, ଜାତଂ ନ ଜାନେ କିମନଭିମତଃ- ଦର୍ଶୟିଷ୍ୟତି ।’’ (୨) ପଣ୍ଡିତମାନଙ୍କର ଶ୍ଳୋକ ପଢ଼ିବା ଅଭ୍ୟାସ, ସେଥିରୁ ଆମ୍ଭେମାନେ କ’ଣ ପାଇବୁଁ ?
ଶ୍ୟାମ ଗୋଛାଇତ ଜାତିରେ ବାଉରି । ବିଲ ଗାଁ ତଳେ । ବିଲଗୁଡ଼ିକ ଆଗ ରୁଆ, ଶୁଆପଖିଆ (୩) ବୁଲିଗଲାଣି । ଶ୍ୟାମ ନଇଁପଡ଼ି ହିଡ଼ ବାନ୍ଧୁଅଛି । ସାଆନ୍ତେ ପାଖରେ ଛିଡ଼ାହୋଇ ଯାଇଁ କଅଁଳ ଭାଷାରେ କହିଲେ, ‘କିରେ ବାପ ଶ୍ୟାମ !’’ ଶ୍ୟାମ ହଠାତ୍ ସାଆନ୍ତଙ୍କୁ ଦେଖି ଚମକି ପଡ଼ିଲା-। ପାଞ୍ଚହାତ ଦୂରକୁ କୋଡ଼ିଟା ଫୋପାଡ଼ିଦେଇ ଲଟ୍କରି କାଦୁଅରେ ଶୋଇପଡ଼ି ଓଳଗି ହେଲା । ‘‘ଆରେ ଉଠ୍, ଆରେ ଉଠ, ଆରେ ଉଠ୍’’ ବୋଲି ସ୍ନେହରେ ସାଆନ୍ତେ ସମ୍ବୋଧନ କଲେ-। ତହିଁ ଉତ୍ତାରେ ଶ୍ୟାମ ହାତଯୋଡ଼ି ଦଶହାତ ଦୂରରେ ଛିଡ଼ାହେଲା । ତାହା ବାଦ୍ ଶ୍ୟାମ ଓ ସାଆନ୍ତଙ୍କ ମଧ୍ୟରେ ଢେର୍ ବେଳଯାଏ ଦୁଃଖସୁଖ କଥାବାର୍ତ୍ତା ହେଲା । ସବୁ କଥାଗୁଡ଼ା ଲେଖିଲେ ପାଠକମାନେ ବିରକ୍ତ ହୋଇପାରନ୍ତି, ସେଥିସକାଶେ ସାରାଂଶ ମାତ୍ର ଲେଖିଅଛୁଁ– ଅର୍ଥାତ୍ ଶ୍ୟାମ ବଂଶ ଉପରେ ସାଆନ୍ତଙ୍କ ଭାରି ନଜର । ଶ୍ୟାମ ବାପ ଅପର୍ତ୍ତିଆ ରୋଜ ରୋଜ ସଞ୍ଜବେଳେ ସାଆନ୍ତଙ୍କ ପାଖକୁ ଯାଇ ବିଲବାଡ଼ିର ହାଲ୍ଚାଲ୍ ଜଣାଉଥିଲା ଏବଂ କିପରି ଚାଷ କଲେ ଧାନ ଖୁବ୍ ଫଳିବ, ଏସବୁ କଥା ପଚାରୁଥିଲା, ଇତ୍ୟାଦି ଇତ୍ୟାଦି । ମାତ୍ର ଶ୍ୟାମ ସେପରି କରେ ନାହିଁ । ଇତ୍ୟବସରରେ ବିଲ ଉପରେ ସାଆନ୍ତଙ୍କ ନଜର ଅକସ୍ମାତ ପଡ଼ିଗଲା । ଚମକି ପଡ଼ିଲା ପରି ମୁରବିପଣିଆ କରି କହିଲେ, ‘ଆରେ ଶାମା ତୁ କ’ଣ କରିଛୁ ? ତୁ’ ଟା ତ ନିହାତି ଓଲୁ ! ଚାଷ କରି ଜାଣୁନାହିଁ । ଆରେ, ଏତେ ନିଘଞ୍ଚ କରି ରୋଇଲେ କ’ଣ ଧାନ ଫଳେ ? ଗଛ ନିଃଶ୍ୱାସ ମାରିବାକୁ ତ ବାଟ ରଖିନାହୁଁ । ଉପାଡ଼ ଅଧେ ଉପାଡ଼ିପକା ।’’ ଗୋବିନ୍ଦ ଭଲ କରି ଅନାଇଁ ସାଆନ୍ତଙ୍କର ପୋଷକତା କଲା-। ଶ୍ୟାମ ଥରି ଥରି ହାତ ଯୋଡ଼ି କହିଲା, ‘‘ଆଜ୍ଞା, ମୁଁ ତ ସବୁ ବରଷ ଏହିପରି ରୁଏ, ସମସ୍ତେ ରୁଅନ୍ତି । ସାଆନ୍ତେ ବିରକ୍ତ ହୋଇ କହିଲେ, ‘‘ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ-? ଗୋବିନ୍ଦ ଆଡ଼କୁ ଚାହିଁ କହିଲେ, ‘‘ଆରେ ଗୋବିନ୍ଦ, ଦେଖାଇ ଦେ ତ ।’’ ଏହି କଥା ମୁହଁରୁ ନ ବାହାରୁଣୁ ଗୋବିନ୍ଦା ଏବଂ ପାଣ୍ଡିଆ ଦୁଇ କିଆରି ବିଲ ଅଧା ପଦା କରି ପକାଇଲେ-। ଶ୍ୟାମ ଡକାପାରି ସାଆନ୍ତଙ୍କ ଗୋଡ଼ତଳେ ଗଡ଼ୁଥାଏ । ସାଆନ୍ତେ ରାଗିଯାଇ ସାଆନ୍ତାଣୀଙ୍କ ସହିତ ଶ୍ୟାମର ଭାଇ ଲେଖା ସମ୍ବୋଧନ କରି କହିଲେ, ‘‘ତୁ ବିଲ କରି ଜାଣ ନ ଜାଣ, କରଜ ଧନର ମୂଳ କଳନ୍ତର ବିଶ୍ୱାଏ ରଖିଲେ, ଜାଣିବୁ ।’’ ଶ୍ୟାମ ଭୟରେ କାଠପିତୁଳାଟି ପରି ଛିଡ଼ା ହୋଇଥାଏ-। ସାଆନ୍ତେ– ‘‘ଆରେ ଗୋବିନ୍ଦା, ଥାଉ ଥାଉ, ସେ ଯାହା ଇଚ୍ଛା କରୁଁ—’’ଏହା କହି ଆପଣା ଅରୁଆ ବିଲଆଡ଼କୁ ଦୁଇଭାର ତଳି ଧରି ବାହାରିଲେ ।
୧) ନୀଚମନାମାନେ ନିଜ ପର ମଧ୍ୟରେ ଭେଦ ଚିନ୍ତା କରନ୍ତି, ୨) ଆଜି ସକାଳୁ କ୍ଷତିଜନକ ଦୃଶ୍ୟ ଦେଖିଲିଣି, ପରେ କି ବିପଦ ହେବ କେଜାଣି, ୩) ଶାଗୁଆ ବର୍ଣ୍ଣ ଧରିଲାଣି ।
ମଙ୍ଗରାଜଙ୍କ କୁଟୁମ୍ବ
ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର୍ । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡ଼ି ତିନି ପୁଅ, ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ (୧) କୋଡ଼ିଏ କି ବାଇଶ–ଏହିପରି ତିରିଶ ଲଗାଲଗି । ପ୍ରତି ଜଣର କଥା ଲେଖିବାକୁ ଗଲେ ଢେର୍ ଲେଖିବାକୁ ହେବ । ମାତ୍ର ଆପଣ ତ ଆମ୍ଭମାନଙ୍କ ସ୍ୱଭାବ ଜାଣନ୍ତି, ମିଛ କଥା ଲେଖିବା, କଥା ବଢ଼େଇ ଲେଖିବା, ଅକାରଣ କଥା ଲେଖିବା, ଆମ୍ଭମାନଙ୍କ ଧାତୁରେ ଚଳେ ନାହିଁ । ମଧ୍ୟ ‘‘ମା ଲିଖେତ୍ ସତ୍ୟମପ୍ରିୟଂ’’ ଅର୍ଥାତ ସତ୍ୟ କଥାରୁ ମଧ୍ୟ ଅଧାଅଧି ଛାଡ଼ି ଦେବାକୁ ହୁଏ । ଉଆସ ମଧ୍ୟରେ ସ୍ତ୍ରୀ ସଂଖ୍ୟା ବେଶି–ରାମ ଭଣ୍ଡାରିକୁ ଛାଡ଼ି ପୁରୁଷତୁଣ୍ଡ ପ୍ରାୟ ଶୁଭେ ନାହିଁ । ସାଆନ୍ତେ ତ ଧନ୍ଦାରେ ଲାଗିଥାନ୍ତି । ତିନିପୁଅ ଯୁଆନ । ଚଉପଟ (୨) ଖେଳିବା, ଗୋବରା ଚଢ଼େଇ ଧରିବା, ଲୋକଙ୍କ ସହିତ ଦଙ୍ଗାଫିସାଦ କରିବାରେ ସେମାନଙ୍କୁ ବେଳ ଅଣ୍ଟେ ନାହିଁ । ଗଞ୍ଜେଇ ପତ୍ର ଖାଇବାକୁ ମଧ୍ୟ କିଛି ବେଳ ଲୋଡ଼ା । ଗୋବିନ୍ଦପୁର ହାଟର ଗଞ୍ଜେଇ ଦୋକାନୀ ଜଣେ ଗହକି ଉପରେ ଖପା ହୋଇ କହିଲା, ‘‘ଆରେ ଯା ମ–ମାଲ୍ ନ ନେ ! ଏକା ସାଆନ୍ତଘର ବାବୁମାନଙ୍କ ମାଲ ନିଅଣ୍ଟ ।’’ ବାପ ପୁଅଙ୍କର ପ୍ରାୟ ଭେଟ ହୁଏ ନାହିଁ । ଜଣେ ମୁରବିଭଳିଆ ଲୋକ କହିଥିଲା, ‘‘ଆହେ ମଙ୍ଗରାଜେ, ପୁଅମାନଙ୍କୁ କ୍ୟା ପାଖ ପୂରାଅ ନାହିଁ ?’’ ମଙ୍ଗରାଜେ ଉତ୍ତର ଦେଲେ, ‘‘ଆହା ତୁମ୍ଭେ କି ଶାସ୍ତ୍ର ଶୁଣି ନାହଁ ?’’
‘‘ଲାଳୟେତ୍ ପଞ୍ଚବର୍ଷାଣି ଦଶବର୍ଷାଣି ତାଡ଼ୟେତ୍ ।
ପ୍ରାପ୍ତେ ତୁ ଷୋଡ଼ଶ ବର୍ଷେ ପୁତ୍ରଂ ମିତ୍ରବଦାଚରେତ୍ ।’’ (୩)
ଅର୍ଥାତ୍ ପୁଅମାନଙ୍କ ପାଟିରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଲାଳବହେ, ଦଶବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିବ, ଷୋଳବର୍ଷ ହେଲା ଉତ୍ତାରେ ସେମାନଙ୍କ ସହିତ ଆଉ ମିତ୍ରମାନଙ୍କ ସହିତ ବଦ୍ ଅର୍ଥାତ ଖରାପ ଆଚରଣ କରିବ ।’’
ବାସ୍ତବରେ ଦେଖାଯାଉଅଛି ସାଆନ୍ତେ କାହାରି କାହାରି ସହିତ ସଙ୍ଗାତ ମିତ୍ର ବସି ମାଲିମକଦ୍ଦମା କରି ସେମାନଙ୍କ ଜମିଜମା ଛଡ଼ାଇ ନେଇ ବଦ୍ ଆଚରଣ କରନ୍ତି, ହେଲେ ସାଆନ୍ତେ ପୁତ୍ରମାନଙ୍କ ସମ୍ବନ୍ଧରେ ଯେଉଁ ଶାସ୍ତ୍ରୀୟ ପ୍ରମାଣ ପ୍ରୟୋଗ କଲେ, ତାହା ଠିକ୍ ବୋଲି ବୋଧ ହେଉନାହିଁ । ଶୁଣାଯାଏ, ପୁଅମାନେ ନିଶାପାଣିରେ କିଛି ଉଡ଼ାଇ ଦେବାରୁ ବାପ ପୁଅଙ୍କର ଅପଡ଼ । ଉଆସ ମଧ୍ୟରେ ସାଆନ୍ତାଣୀ ଗୋଟାଏ କୋଠରିରେ ପଡ଼ିଥାନ୍ତି, କାହାରି ସହିତ କଥା ନାହିଁ । କେବଳ ଭାଟ, ଭିଖାରୀ, ଭୋଖା, ଶୋଷ ଆସିଲେ ତାହାଙ୍କୁ ଖୋଜନ୍ତି । ବୋହୂମା’ଙ୍କ କଥା ଲେଖିବା ଅନୁଚିତ । ବଡ଼ଲୋକ ଘରର ବୋହୂ ଭୁଆସୁଣୀ କଥା ଦାଣ୍ଡରେ ପକାଇଲେ ଲୋକେ ଆମ୍ଭମାନଙ୍କୁ କ’ଣ କହିବେ ? ସେମାନେ ଯେପରି ଦିନ ପହରକରେ ବିଛଣାରୁ ଉଠି ଦୁଇ ତିନି ଘଣ୍ଟା ମଧ୍ୟରେ ଦାନ୍ତପତ୍ର ଘଷି, ମର୍ଦ୍ଦନ ସ୍ନାନ ସାରି ଭୋଜନ କରି ଦିନବେଳେ ବେଳ ବୁଡ଼ିଯାଏ ଶୋଇପଡ଼ନ୍ତି, ସେ କଥାଗୁଡ଼ିକ ଲେଖିଲେ କ’ଣ ହେବ ? ବେଳବୁଡ଼ ସରିକି ପୁଣି ଉଠି ପଖାଳ ଦିଶୁ ଦିଶୁ ସାରି ତାହା ବାଦ୍ ଗାଁ କଥା ଶୁଣିବା, ପୋଇଲୀମାନଙ୍କ ମଧ୍ୟରେ କଳି ଲଗାଇଦେବା, କଳି ଭାଙ୍ଗିବା, ହସିବା, ବସିବାରେ ଅଧରାତି ହୋଇଯାଏ । ରୁକୁଣୀ, ମରୁଆ, ଚେମୀ, ନାକଫୋଡ଼ି ଟେରୀ, ବିମଳୀ, ଶୁକୀ, ପାଟ, କୌଶୁଳୀକୁ ଛାଡ଼ି ଆହୁରି କେତେଗୁଡ଼ିଏ ପୋଇଲୀ ଅଛନ୍ତି । ସେମାନଙ୍କ ନାମ ଆମ୍ଭମାନଙ୍କୁ ଅଜଣା । କେହି ବାଳବିଧବା, କେହି ଯୁବତୀ-ବିଧବା, କେହି ଆଜନ୍ମ-ବିଧବା, କେହି ବା ସଧବା–ନାନା ପକ୍ଷୀ ଏକ ବୃକ୍ଷରେ ବାସ କଲା ପରି ମଙ୍ଗରାଜ ଘରେ ଆଶ୍ରୟ ନେଇଅଛନ୍ତି, ମଧ୍ୟ କେତେକ ଆସୁଛନ୍ତି, କେତେକ ଯାଉଛନ୍ତି, ତାହାର ଠିକଣା ନାହିଁ । ଅନେକଗୁଡ଼ିଏ ନିଷ୍କର୍ମା ପୋଇଲୀ ରୁଣ୍ଡ ହେଲେ ପୃଥିବୀର କଳି ଜାତ ହୁଏ । ମଙ୍ଗରାଜ-ଉଆସ ଏହି ସନାତନ ବିଧିକୁ ଲଙ୍ଘି ନ ଥିଲା । ରାତି ଅଧଯାଏ ଉଆସ ମଧ୍ୟରେ ମାଛହାଟ ବସିଲା ପରି ଘୋ ଘୋ ଶବ୍ଦ ଶୁଭୁଥାଏ ।
୧) ପରିବାରୀ —ପରିବାରର ଜଣେ ବ୍ୟକ୍ତି ରୂପେ ପରଗଣିତା ଦାସୀ, ୨) ଏକପ୍ରକାର ପଶାଖେଳ, ୩) ଆକ୍ଷରିକ ଅର୍ଥ : ଜନ୍ମଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଶିଶୁକୁ ଲାଳନ ପାଳନ କରିବ । ପନ୍ଦର ବର୍ଷ ବୟସ୍କ ହେବା ପର୍ଯ୍ୟନ୍ତ ତାହାକୁ ଶାସନ କରିବ । ପୁତ୍ର ଷୋହଳବର୍ଷ ପ୍ରାପ୍ତ ହେଲେ ତାହାକୁ ମିତ୍ରବତ୍ ଆଚରଣ କରିବ ।
ଚମ୍ପା
ଉଆସ ମଧ୍ୟରେ ଯେତେ ଲୋକ ଅଛନ୍ତି, ସେଥିମଧ୍ୟରୁ ଚମ୍ପା, ଓରେଫ୍ ଚମ୍ପା ସାଆନ୍ତାଣୀ, ଓରେଫ୍ ହରକଳା (୧) ସହିତ ମଙ୍ଗରାଜବଂଶର କି ସମ୍ପର୍କ, ଏ କଥା କାହାରିକୁ ଜଣାନାହିଁ । ତାହାର ଜାତି, କୁଳ, ପିତୃବଂଶ ସମ୍ବନ୍ଧରେ ମଧ୍ୟ ସମସ୍ତେ ଅନଭିଜ୍ଞ । ଚମ୍ପା ମଙ୍ଗରାଜ ଘରେ ଦାସୀ କି ସାଆନ୍ତାଣୀ, ବ୍ୟବହାର ଦ୍ୱାରା ବୁଝିବାର କାହାର ଶକ୍ତି ନାହିଁ । କେବଳ ଏତିକିମାତ୍ର କହିପାରୁ ଯେ, ମଙ୍ଗରାଜଙ୍କ ଉଆସ ମଧ୍ୟରେ ଚମ୍ପାର କ୍ଷମତା ସୀମାତୀତ–ଅଧିକ କ’ଣ, ସାଆନ୍ତାଣୀଙ୍କ କ୍ଷମତାଠାରୁ ଢେର୍ ବେଶୀ । ବାହାରର ହଳିଆ, ମୂଲିଆ, କଚେରୀ କରଣଯାଏ ତାହାଠାରେ ହାତ ଯୋଡ଼ିଥାନ୍ତି । ଚମ୍ପାର ଗୋଟିଏ ନାମ ହରକଳା–ସତକଥା କହିବାକୁ ଗଲେ ଏହି ନାମ ଧରି କେହି ତାହାକୁ ଡାକିବାର ଶୁଣିନାହୁଁ । ହରକଳା ଶବ୍ଦର ବ୍ୟୁତ୍ପତ୍ତି କ’ଣ, ଏହି ନାମଟି ନିନ୍ଦ୍ୟ କି ପ୍ରଶଂସନୀୟ, ଏହା ବୋଲିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ । ମାତ୍ର ଚମ୍ପା କାନରେ ଦିନେ କିଏ ପକାଇଲା, ଲୋକମାନେ ତାହାକୁ ‘ହରକଳା’ ବୋଲନ୍ତି । ସେ ପୁଣି ଭାରି ଖପ୍ପା ହେଲା, କାନ୍ଦି କାନ୍ଦି ମଙ୍ଗରାଜଙ୍କଠାରେ ଗୁହାରି କଲା । ଖୁବ୍ ଧରପଗଡ଼ ହେଲା, ଦୁଇଦିନ ପର୍ଯ୍ୟନ୍ତ ଖୋଜ ତଲାସ ହେଲା, ମାତ୍ର ହରକଳା କେଉଁଠାରୁ ଉତ୍ପତ୍ତି, କେତେଦୂର ବିସ୍ତୃତ, କିଛି ଠିକଣା ମିଳିଲା ନାହିଁ-। ଅବଶେଷରେ ସାଆନ୍ତେ କହିଲେ, ‘‘ହେଉ ହେଉ ଦେଖାଯିବ । ଖବରଦାର ! ଚମ୍ପାକୁ କେହି ହରକଳା କହିବ ନାହିଁ ।’’ ସେଦିନ ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଏବଂ ଆଖପାଖ ଦୁଇ ଗ୍ରାମରେ ସମସ୍ତଙ୍କୁ ସମସ୍ତେ ସାବଧାନ କରାଇଦେଲେ–‘‘ଖବରଦାର ! ଚମ୍ପାକୁ କେହି ହରକଳା କହିବ ନାହିଁ ।’’ ମାସେ, ଦୁଇମାସ, ଚାରିମାସ, ଛ’ମାସ–ଟୋକୀଠାରୁ ବୁଢ଼ୀ, ଟୋକାଠାରୁ ବୁଢ଼ାଯାଏ ସାଙ୍ଗ ମନମିଳାପି ଲୋକ ଦେଖିଲେ ଚାରିଆଡ଼କୁ ଅନାଇ ମୁରୁକି ହସି ପରସ୍ପରକୁ ସାବଧାନ କରାଇଦିଅନ୍ତି, ‘ଖବରଦାର ! ଚମ୍ପାକୁ କେହି ହରକଳା କହିବ ନାହିଁ ।’ କ୍ରମଶଃ ସେହି କଥା ସଂକ୍ଷିପ୍ତ ସାରରୂପ ଧାରଣ କଲା, ଯଥା–‘ଖବରଦାର କେହି ଚମ୍ପାକୁ’–‘ଖବରଦାର କେହି’–‘ଖବରଦାର’ ଇତ୍ୟାଦି । ପିଲାଗୁଡ଼ାକ ହାତତାଳି ଦେଇ ଦାଣ୍ଡରେ ନାଚନ୍ତି–
ପିଲାଗୁଡ଼ାକ ସବୁଦିନେ ଜଞ୍ଜାଳିଆ, ସେମାନଙ୍କ କଥା କ’ଣ ଧରିବେ ? ଯାଉ, ସେ ବାଜେ କଥାରୁ କ’ଣ ହେବ ? ହେଲେ ସାଆନ୍ତଙ୍କ ଘର ସହିତ ଚମ୍ପାର ଖୁବ୍ ଘନିଷ୍ଠ ସମ୍ବନ୍ଧ ଥିବାରୁ ପାଠକମାନେ ତାହାର ନାମ ଅନେକ ଥର ଶୁଣିବାକୁ ପାଇବେ । ଏଥର ତାହାର ରୂପ ଗୁଣ ସମ୍ବନ୍ଧରେ ସମସ୍ତ କଥା ଫେଡ଼ି କହିବାର ଆମ୍ଭମାନଙ୍କ ପକ୍ଷରେ ନିତାନ୍ତ କର୍ତ୍ତବ୍ୟ ହେଉଅଛି । ଆଉ ଗ୍ରନ୍ଥସ୍ଥ ନାୟକ ନାୟିକାମାନଙ୍କର ରୂପ ଗୁଣ ବର୍ଣ୍ଣନା କରିବାକୁ ଲେଖକମାନେ ସାହିତ୍ୟ ଆଇନାନୁସାରେ ବାଧ୍ୟ । ସୁତରାଂ, ଏହି ସନାତନ ରୀତି ଲଙ୍ଘନ କରିବାକୁ ଆମ୍ଭମାନଙ୍କର ଆପତ୍ତି ନାହିଁ । ପୁଣି ଗ୍ରନ୍ଥକାରମାନଙ୍କର ଖସଲତ (୨) ଅଛି । ଗୋଟିଏ ନାୟିକାକୁ ପାଇଲେ ଛେନାଗୁଡ଼ ପାଇଲା ପରି ସବୁ କଥା ପାସୋରି ଯାଇ ତାହାର ରୂପ ବର୍ଣ୍ଣନା କରିବାକୁ ତରବର ହୋଇ ବସିଯାନ୍ତି । ଆମ୍ଭେମାନେ ଯେ ରୂପ ବର୍ଣ୍ଣନା କରିବା ବିଷୟରେ ଅକ୍ଷମ, ତାହା ନୁହେଁ । ଏହି ଦେଖ–କଦଳୀ, ପଣସ, ରମ୍ଭା, ଆମ୍ବ, ଡାଳିମ୍ବ, ଟଭା ,ଏହିପରି ଯେ ସବୁ ଗଛ, ପତ୍ର, ଫଳ, ଫୁଲ ଅଛି–ଚମ୍ପାର ବିଶେଷ ଅଙ୍ଗ ସହିତ ବିଶେଷ ବିଶେଷ ପଦାର୍ଥ ମିଳାଇ ଦେଲେ ତ ରୂପ-ବର୍ଣ୍ଣନା ଛିଡ଼ିଲା । ମାତ୍ର, ଆଜିକାଲି ସେପରି ମରହଟ୍ଟୀ ବର୍ଣ୍ଣନା ନାହିଁ । ଇଂରାଜୀ-ପଢ଼ୁଆ ପାଠକମାନଙ୍କ ମନୋରଞ୍ଜନ ସକାଶେ ଇଂରାଜୀ ଧରଣର ରୂପ ବର୍ଣ୍ଣନା ଆବଶ୍ୟକ । ଭାରତର କବିମାନେ ସୁନ୍ଦର ସ୍ତ୍ରୀକୁ କହନ୍ତି ‘ଗଜେନ୍ଦ୍ରଗାମିନୀ’, ଇଂରେଜ କହିବେ, ‘‘ଛି ଛି ! ତାହା ତ ନୁହେଁ, ଘୋଡ଼ା ପରି ଯେ ‘ଗେଲପ୍’ (୩) ଚାଲିପାରେ, ସେହି ସିନା ପରମାସୁନ୍ଦରୀ । ଆମ୍ଭେମାନେ ଦେଖୁଅଛୁଁ, ଆଜିକାଲି ପହିଲି ଆଷାଢ଼ର ମହାନଦୀ ବଢ଼ିପାଣି ପରି ଏ ଦେଶକୁ ଇଂରେଜ ସଭ୍ୟତା ଯେପରି ପେଲି ଆସୁଅଛି, ସେଥିରେ ଖୁବ୍ ସମ୍ଭବ ନବ୍ୟ ସଭ୍ୟ ଶିକ୍ଷିତ ବାବୁମାନେ ଆପଣା ଆପଣା ଅଙ୍କଲକ୍ଷ୍ମୀମାନଙ୍କୁ ‘ଗେଲପ୍’ ଚାଲି ଶିଖାଇବା ନିମନ୍ତେ ଚାବୁକ ସବାର ନିଯୁକ୍ତ କରିବାକୁ ପ୍ରସ୍ତାବ କରି ବସିବେ । ସେ କଥା ଯାହା ହେଉ, ଆମ୍ଭେମାନେ କହୁଁ, ସୁନ୍ଦରୀମାନଙ୍କ ଚାଲିର ଉପମେୟ ବସ୍ତୁ ପୁରୁଣା କୌଣସି କବି ଠିକ୍ କରିପାରିନାହାନ୍ତି । ବିଚାର କରନ୍ତୁ–ଘୋଡ଼ା ଆଉ ହାତୀମାନେ ଚାରିଗୋଡ଼ରେ ଚାଲନ୍ତି, ମାତ୍ର ଆମ୍ଭମାନଙ୍କ ଚମ୍ପାର ଦୁଇଗୋଟି ଗୋଡ଼ରୁ ବେଶି ନାହିଁ । ସୁତରାଂ, ତାହାକୁ ଗଜେନ୍ଦ୍ରଗାମିନୀ ବା ଅଶ୍ୱବରଗାମିନୀ ବୋଲିବା ନିତାନ୍ତ ଅସଙ୍ଗତ ଅଟେ । ତେବେ ଚମ୍ପା ହାମୁଡ଼ି ହାମୁଡ଼ି ଚାଲିଲେ କିପରି ଦିଶନ୍ତା, ସେ କଥା ଅନୁମାନ କରି କହିବାକୁ ଆମ୍ଭେମାନେ ସମ୍ପ୍ରତି ଅକ୍ଷମ । ପୁଣି ପଦସଂଖ୍ୟା ସମ୍ବନ୍ଧରେ ମରାଳ ସହିତ ସାମଞ୍ଜସ୍ୟ ଥିବାରୁ ତାହାକୁ ମରାଳଗାମିନୀ ବୋଲିବା ଅସଙ୍ଗତ ନୁହେଁ । ଅଳଙ୍କାର ଶାସ୍ତ୍ରର ମର୍ଯ୍ୟାଦା ରକ୍ଷା ପାଇଁ ଉପମାନ ଉପମେୟ ଠିକ୍ ରଖି କହିବାକୁ ଗଲେ, ମରାଳ କେତେବେଳେ ଖାଲି ଗୋଡ଼ରେ, କେତେବେଳେ ଡେଣା ମେଲାଇ ଖଣ୍ଡି ଉଡ଼ା ଦେଲା ପରି ଚାଲେ । ଆମ୍ଭମାନଙ୍କ ଚମ୍ପା ଗୋହିରି ମଝିରେ ମାଣିଆବନ୍ଧି ପଣତକାନି ଉଡ଼ାଇ, ଦୁଇଡେଣା ଦୋହଲାଇ ଚାଲିବାବେଳେ ଠିକ୍ ତାହାକୁ ମରାଳଗାମିନୀ ବୋଲାଯାଇପାରେ-। ଚମ୍ପାର ବୟସ ଆମ୍ଭେ ଅନୁମାନ କରୁଁ ତିରିଶ ଲଗାଲଗି । ମାତ୍ର ତାହାର ନିଜ ମୁହଁରୁ ଅନେକ ଥର ଶୁଣାଯାଇଅଛି, ସାଆନ୍ତାଣୀଙ୍କ ମଙ୍ଗଳକୃତ୍ୟ (୪) ଦିନ ତାହାର ଏକୋଇଶା ହୋଇଥିଲା-। ଏହି ହିସାବରେ ଚମ୍ପାର ବୟସ ଢେର୍ କମ । ଏପରି ଯୁବତୀର ରୂପ ବର୍ଣ୍ଣନା କରିବାକୁ ହେଲେ ଖୁବ୍ ସାବଧାନତା, ଖୁବ୍ ବିଜ୍ଞତା, ଖୁବ୍ ବହୁଦର୍ଶିତା ଆବଶ୍ୟକ । ବିଲାତୀ ଜିନିସାତ୍ ସହିତ ରୁଚି ନାମଧେୟ ପଦାର୍ଥବିଶେଷ ଏ ଦେଶକୁ ନୂଆ ଆମଦାନୀ ହୋଇଅଛି । ତାହା ପ୍ରତି ନଜର ରଖି ନ ଚଳିଲେ ତୁମର ପାଠ ସରିଲା–ତୁମେ ମୁର୍ଖ, ଅସଭ୍ୟ ତଳେ ଗଲ । ସେଦିନ ଉପେନ୍ଦ୍ର ଭଞ୍ଜଙ୍କ ଦୁର୍ଦ୍ଦଶା ଦେଖି ଆମ୍ଭେମାନେ ଏହି ଶିକ୍ଷା ପାଇଅଛୁଁ । ବାପ ମା ପୁଣ୍ୟବଳରୁ ସେ ବିଚରା ଖସିଯାଇଅଛି, ନୋହିଲେ ଇସ୍ତକ (୫) ମହାପାତ୍ରଠାରୁ ମହାରାଜା ଯାଏ ଯେପରି ପିଛା ଧରିଥିଲେ, ତାହା କପାଳରେ ଯେ କ’ଣ ଘଟିଥାନ୍ତା, ଠାକୁରଙ୍କୁ ଜଣା । ଏପରି ମହାରଥୀର ତ ଏହି ଦଶା, ଆମ୍ଭେମାନେ ବା କେତେ କଡ଼ାରେ ଗଣ୍ଡାଏ ! ‘ଗୁରୁ ବିପ୍ର ପ୍ରସାଦେନ’ ଆମ୍ଭେମାନେ ସୁରୁଚି କବିତା କଛି କିଛି ରଚନା କରିବାକୁ କ୍ଷମ । ଆପଣ ମନେକରିବେ ଏଇଟା ମିଛୁଆ, କିଛି ଜାଣେ ନାହିଁ-। ଆଚ୍ଛା, ନମୁନା ଦେଖନ୍ତୁ–
‘‘ଅର୍ଦ୍ଧବକ୍ଷ ଉଲ୍ଲଙ୍ଗିନୀ, ମୁରୁକିହାସିନୀ
ବସ୍ତ୍ରଶୂନ୍ୟା, ରିକ୍ତହସ୍ତା, ତୁରଙ୍ଗଗାମିନୀ,
ମାର୍ଜାରନୟନା ତାମ୍ରକେଶା, ଅଣ୍ଟାଭିଡ଼ା,
ସ୍ୱାଧୀନଭର୍ତ୍ତୃକା, ପାଞ୍ଚ ଜଣ ଆଗେ ଛିଡ଼ା,
ପରପୁରୁଷକୁ ଧରି ନର୍ତ୍ତକୀ ସୁନ୍ଦରୀ,
ଆହା ଆହା, ଅପରୂପ ସ୍ୱର୍ଗବିଦ୍ୟାଧାରୀ ।’’
ଆଉ କୁରୁଚିପୂର୍ଣ୍ଣ ଉପେନ୍ଦ୍ର ଭଞ୍ଜ ଶୁଣିବେ ?
ନିତମ୍ବ ଯୁଗଳ ଜିଣି ସାନୁ ।’’
ଆଉ ଲେଖିବାକୁ ସାହାସ ଅଣ୍ଟିଲା ନାହିଁ । କେଜାଣି ବିଜୁଳି ପୁଣି ଚମକି ଉଠିବେ । ଆମ୍ଭେମାନେ ସୁରୁଚି କବିତା ଲେଖିବାକୁ ଜାଣୁ ସତ୍ୟ, ହେଲେ ଦିନ ଦୁଇ ପ୍ରହରେ ତୁଚ୍ଛା ମିଛ ଲେଖିବାକୁ ସାହସ ହେଉନାହିଁ । ଇସ୍ତକ ବାଲିପାଟଣା ବାଳିକା ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଶ୍ରୀମତୀ ଚେମୀ ବେହେରାଠାରୁ ବେଥୁନ୍ ସ୍କୁଲର ଉଚ୍ଚତମ ଶ୍ରେଣୀର ଛାତ୍ରୀ ମିସ୍ ଏସ୍. ଏମ୍. ରେ– ଓରେଫ୍ କୁମାରୀ ଶଶିମୁଖୀ ରାୟ ପର୍ଯ୍ୟନ୍ତ ଦେଖିଲୁଁ । କେହି ସୁରୁଚିସମ୍ପନ୍ନ ସୌନ୍ଦର୍ଯ୍ୟ ବଢ଼ାଇ ବିରାଡ଼ି ଆଖି ପରି କରିପାରିନାହାନ୍ତି । ଏଣେ ସତ ଲେଖିଲେ ଅସଭ୍ୟ ତଳେ ଯିବୁଁ, ମିଛ କଥା ତ କଲମରୁ ବାହାରିବ ନାହିଁ ! ଉପାୟ କ’ଣ ? କାଳିଦାସେ ରଘୁବଂଶ ଲେଖିଲାବେଳେ କଲମ ଅଚଳ ହେବାରୁ କହିବସିଲେ–
‘‘ଅଥବା କୃତବାଗ୍ଦ୍ୱାରେ ବଂଶେଽସ୍ମିନ ପୂର୍ବସୁରିଭିଃ
ମଣୌ ବଜ୍ରସମୁତ୍କୀର୍ଣ୍ଣେ ସୂତ୍ରସ୍ୟେବସ୍ତି ମେ ଗତିଃ ।’’ (୬)
ଏବେ ତ ବାଟ ଦିଶିଗଲା, ନିଜେ କାଳିଦାସେ ଚମ୍ପାର ରୂପ ବର୍ଣ୍ଣନାରେ ନମୁନା ରଖିଯାଇଛନ୍ତି । ଦାସେ ବୋଇଲେ–
‘‘ତନ୍ୱୀ ଶ୍ୟାମା ଶିଖିରଦଶନା ପକ୍ୱବିମ୍ବ ଧରୋଷ୍ଠୀ ।’’
ଅସ୍ୟାର୍ଥ–ତନୁ ବୋଲନ୍ତେ ଶରୀର, ଚମ୍ପାର ତନୁ ଥିବାରୁ ସେ ତନ୍ୱୀ । ଶ୍ୟାମା ବୋଲନ୍ତେ କାଳିଆ ନୁହେଁ, ଗୋରା ନୁହେଁ, ଶ୍ୟାମଳ ବର୍ଣ୍ଣ, ଚମ୍ପା ଶ୍ୟାମଳବର୍ଣ୍ଣା । ଶିଖିରିଦର୍ଶନା–ଶିଖରୀ ବୋଲନ୍ତେ ପାହାଡ଼, ଦର୍ଶନ ବୋଲନ୍ତେ ଦାନ୍ତ । ଚମ୍ପାର ଛାମୁଦାନ୍ତ ଦୁଇଗୋଟି ବାହାଡ଼ା ହୋଇ ଗୋଟାକ ଉପରେ ଗୋଟିଏ ଚଢ଼ିଯାଇ ପର୍ବତଶୃଙ୍ଗ ପରି ଟେକି ରହିଥିବାରୁ ସେ ଶିଖରିଦର୍ଶନା । ଆଉ ପକ୍ୱବିମ୍ବାଧରୋଷ୍ଠୀ–ପକ୍ୱ ବୋଲନ୍ତେ ପାଚିଲା, ବିମ୍ବ ବୋଲନ୍ତେ କୁଆମଇତା, ଅଧରଓଷ୍ଠ ବୋଲନ୍ତେ ତଳଉପର ଓଠ: ଅର୍ଥାତ୍ ପାନବୋଳରେ ଚମ୍ପାର ଦୁଇ ଓଠ ଲାଲ ହୋଇଯିବାରୁ ସେ ପକ୍ୱବିମ୍ବାଧରୋଷ୍ଠୀ ଇତ୍ୟାଦି ।
ପୁଣି ଦାସେ ‘‘ମଧ୍ୟେ କ୍ଷମା (୭) ସ୍ତୋକ (୮) ନମ୍ରା ।’’ ପ୍ରଭୃତି ଢେର୍ କଥା କହିଅଛନ୍ତି । ମାତ୍ର ଚମ୍ପାର ଯେ ସବୁ ଅଙ୍ଗ ବସ୍ତ୍ରାବୃତ, ଅର୍ଥାତ୍ ଆମ୍ଭେମାନେ ଯେ ସବୁ ଅଙ୍ଗ ଦେଖିନାହୁଁ, ସେ ସମସ୍ତ ଅଙ୍ଗ ବର୍ଣ୍ଣନା କରିବାକୁ ନିତାନ୍ତ ନାରାଜ । ଦାସେ ତ ଦାସେ, ‘ଯାହା ନ ଦେଖିଛୁଁ ଦୁଇ ନୟନେ, ତାହା ନ ଲେଖିବୁଁ ଗୁରୁବଚନେ’—ତେବେ ଦେଖା ସ୍ଥାନଗୁଡ଼ିକ ବର୍ଣ୍ଣନା କରିବାକୁ ଛାଡ଼ିବା ପାତ୍ର ଆମ୍ଭେମାନେ ନୋହୁଁ । ଯଥା–
ଗୁଣ୍ଡିମିଶା ଖିଲ୍ଲୀ ଗୁଞ୍ଜିତ ଗାଲେ ।୧।
କୁକ୍କୁରୀବ ଶୀଘ୍ରଂ ଧାବତି ଗେହେ ।୨।
ଷୋଳହାତ ଶାଢ଼ି ବିସ୍ତୃତ କଚ୍ଛେ (୯)
ଥୋପଭିଡ଼ା ଜୁଡ଼ା (୧୦) ଶୋଭିତ ଉଚ୍ଚେ ।୩ ।
ଦୁମୁ ଦୁମୁ ଗୁମୁ ଗୁମୁ ଚଳନଂ ତସ୍ୟା,
ଚଳିତ ବା ଧାବତି ବିଷମ ସମସ୍ୟା ।୪।
ଝମ ଝମ ଝମ ଝୁଣ୍ଟିଆ ବାଜେ ।୫।
ସା ଯଦା ଗଚ୍ଛତି ଗୋହିରି ଦାଣ୍ଡେ
ହସ୍ତ ହଲାଇ ଚାଣ୍ଡେ ଚାଣ୍ଡେ (୧୧) ।୬।
ଦେଖି ଶଙ୍କି ଯାନ୍ତି ଗ୍ରାମ୍ୟ ଲୋକେ
ଡରି ମରି ପଳାଇଯାନ୍ତି ଥୋକେ ।୭।
ଇତି ରୂପ ବର୍ଣ୍ଣନଂ ପଜ୍ଝଟୀ (୧୨) ଛନ୍ଦେ
ଅତଃ ଗୁଣ ବର୍ଣ୍ଣ୍ୟତେ ବିବିଧ ପ୍ରବନ୍ଧେ ।୮।
୧) ହରକଳା—ନାନା ଅସତ୍ ବିଦ୍ୟାରେ ପାରଦର୍ଶୀ, ୨) ଖସଲତ—ମନ୍ଦ ଅଭ୍ୟାସ, ୩) ଗେଲପ୍–ଡେଇଁ ଡେଇଁ ଦୌଡ଼ବା, ୪) ମଙ୍ଗଳବୃତ୍ୟ—ବିବାହ, ୫) ଇସ୍ତକ—କୌଣସି ବିଷୟ (ବା ବ୍ୟକ୍ତି) ଠାରୁ ଆରମ୍ଭ କରି ଲଗାଏତ, ୬) ପୂର୍ବ ପଣ୍ଡିତମାନେ ରଘୁବଂଶର ଯେଉଁ ଇତିହାସ ଲେଖି ଯାଇଛନ୍ତି, ମୁଁ ତାହାରି ସାହାଯ୍ୟ ନେଇ ସେହି ବଂଶର ଇତିହାସ ଲେଖିବି । ମଣିରେ କୌଣସି କଠିନ ଧାତୁଦ୍ୱାରା ଛିଦ୍ର ଖୋଦିତ ହେଲେ ସୁତ୍ର ସେହି ଛିଦ୍ର ମଧ୍ୟଦେଇ ଯେପରି ସହଜରେ ଚାଲିଯାଏ, ମୋର ଲେଖା ମଧ୍ୟ ସେହିପରି ସହଜସାଧ୍ୟ ହେବ, ୭) କ୍ଷାମ–ସରୁ, କ୍ଷୀଣ, ୮) ସ୍ତୋକ–ଅଳ୍ପ, ଈଷତ୍, ୯) କଚ୍ଛେ—କଛାମାରି ପିନ୍ଧିଥିବା, ୧୦) ଥୋପଭିଡ଼ାଜୁଡ଼ା—ଯେଉଁ ଜୁଡ଼ାରେ ଫୁଲହାର ବନ୍ଧା ହୋଇଥାଏ, ୧୧) ଚାଣ୍ଡେ—ଅତି ଶୀଘ୍ର, ୧୨) ପଜ୍ଝଟୀ—ସଂସ୍କୃତ ଛନ୍ଦବିଶେଷ-।