ଚନ୍ଦ୍ରକଳା — ବଳଦେବ ରଥ · ସ୍ୱର୍ଣ୍ଣଲିପିପ୍ରଥମ ଛାନ୍ଦ
ରାଗ – ମଙ୍ଗଳଗୁଜ୍ଜରୀ
(ପୁରୀ ଜଗନ୍ନାଥ ମନ୍ଦିର ବେଢ଼ାର ଦେବାଦେବୀଙ୍କ ସ୍ତୁତି)ଜୟ ଲବଣଜଳଧି ତୀରଅଳଙ୍କାର ।ଜୟ ଜମ୍ବୁଦୀପ ଜମ୍ବୁମଧ୍ୟ କ୍ଷେତ୍ରବର ହେ ।୧।କଷ୍ଟଧ୍ୱଂସୀ ଅଷ୍ଟ ଅଷ୍ଟମୂର୍ତ୍ତି ଜୟ ଜୟ ।ବସୁସଂଖ୍ୟ ଭବାନୀ କର ମୋ ଭୟ କ୍ଷୟ ହେ ।୨।ମାର୍କଣ୍ଡେୟ ସିତଗଙ୍ଗା ଶ୍ରୀ ରୋହିଣୀକୁଣ୍ଡ ।ତୀର୍ଥରାଜ ଇନ୍ଦ୍ରଦ୍ୟୁମ୍ନ କଳିତାପ ଖଣ୍ଡ ହେ ।୩।ଯହିଁ ମହେନ୍ଦ୍ରଚରମେ ବେତ୍ରବଲ୍ଲୀ ଖେଳ ।ଦୀନ ପ୍ରପନ୍ନ ପ୍ରବେଶ ହୋଏ ନିରର୍ଗଳେ ହେ ।୪।ସେ ସିଂହଦ୍ୱାରକୁ ରଚି ଲକ୍ଷେ ନମସ୍କାର ।ଆଶା କରିଅଛି ତରିବାକୁ ଏ ସଂସାର ଯେ ।୫।ପତିତ ଉଦ୍ଧାର ତ ଆମ୍ଭର ଆବଶ୍ୟକ ।ଅବଲମ୍ବ କରିଛନ୍ତି ମୁମୁକ୍ଷୁ ଅନେକ ଯେ ।୬।ଆଗ ପଛ ହେଲେ ହେବ ପ୍ରଭୁପଣ କ୍ଷତି ।ଏହି ଚିନ୍ତାରେ ଯେ ଚିତ୍ର ପରି ଆଭାସନ୍ତି ଯେ ।୭।ସେ ପତିତପାବନଙ୍କ ଚରଣକମଳେ ।ବନ୍ଦେ ନନ୍ଦାବର୍ତ୍ତତଳ ବନ୍ଦାପନା ବେଳେ ଯେ ।୮।ଭବଭୟରାଶିକି ଯେ ନାଶିବାରେ କ୍ଷମ ।କାଶୀଶ୍ୱର ସେହି ପରକାଶିବେ ମୋ କ୍ଷେମ ଯେ ।୯।କାକଚଞ୍ଚୁପୁଟଭ୍ରଷ୍ଟ ଯାହାଙ୍କର ଲବ ।ବିତରନ୍ତି ତ୍ରିଲୋକ ନିର୍ବାଣ ମହୋତ୍ସବ ଯେ ।୧୦।ସେ ଶ୍ରୀ ମହାପ୍ରସାଦ ସୈାରଭ ନିକେତନ ।ମୋ ଶରଣ ଦ୍ୱାବିଂଶତି ସଂଖ୍ୟକ ସୋପାନ ଯେ ।୧୧।ବିରଚିତ ସୂଚିକର୍ମରୁଚି ମନୋହର ।ହରଷ ବରଷ ଭୋଗମଣ୍ଡପ ମୋହର ହେ ।୧୨।ଅଜାଣ ନଗଜାପତି ଜଗତ ଜୀବାତୁ ।ଆତୁରତା ନାଶ ଆନନ୍ଦେ ମୋ ଚିତ୍ତ ମାତୁ ହେ ।୧୩।ସ୍ୱଦିଗକୁ ପତିତବ୍ରଜକୁ ଧରି ବଳେ ।ଶମନଙ୍କର କିଙ୍କରେ ଘେନିଯିବା ବେଳେ ଯେ ।୧୪।କରଜଲଜର ଚକ୍ରେ ତରଜନ କରି ।ଉଦାଚୀକି ଛାଡ଼ ବୋଲି ଦେଲାପରି ଠାରି ଯେ ।୧୫।ସେହି ଦିଗେ କରି ମୁଖଚନ୍ଦ୍ରକୁ ଆପଣ ।ପୃଷ୍ଟେ ପକାଇଛ ରୋଷ ଜୟ ନାରାୟଣ ହେ ।୧୬।ନିମୀଳନା କେଳିକାଳେ ଯା କୁମ୍ଭ ଶଙ୍କାରେ ।ଉମା କୁଚାଚଳନୀଳଦୁକୂଳ ଝିଙ୍କାରେ ଯେ ।୧୭।କୁମାର ହଟ ପ୍ରକଟ କରୁଁ ତାହା ଦେଖି ।ହର ହସୁ ହେଠମୁଖ ହେଲେ ଚନ୍ଦ୍ରମୁଖୀ ଯେ ।୧୮।ସେ ଭକ୍ତଜନସମୂହ ମହାବିଘ୍ନବାର ।ଅଟକିବା ବଟଗଣେଶଙ୍କୁ ନମସ୍କାର ହେ ।୧୯।ନମୋ ନମୋ ନମୋଽସ୍ତୁତେ ଇନ୍ଦ୍ରଦିରେ କରି ।କରିମୁଖଜନନୀ ମଙ୍ଗଳା ବିଶ୍ୱେଶ୍ୱରୀ ଗୋ ।୨୦।ଯାହା ନଟନପାଟବ ପ୍ରକଟନ ଘେନି ।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
୧୩
ଜଟାଟବୀ ଅଗ୍ରବିନିର୍ଗତ ମନ୍ଦାକିନୀ ଗୋ ।୨୧।
ଦିଗଙ୍ଗନାଳୁଚକୁମ୍ଭ ପତ୍ରଭଙ୍ଗ ତୁଲେ ।
ଦଶଗଜଥାନ ସ୍ଥଳୀ ଦାନ ଧୋଇଦେଲେ ଯେ ।୨୨।
ସେ ବଟ ବିଟପୀଶ୍ୱର ଚରଣପଙ୍କଜେ ।
ଶରଣ ପ୍ରପନ୍ନ ହୋଇ ଅହର୍ନିଶ ଭଜେ ଯେ ।୨୩।
ଧରାସ୍ତନ ଭ୍ରମାବହ ନୀଳ ଶିଳୋଜୟ ।
ପତ୍ରାବଳି ଚିତ୍ରାକୃତି ମହାମହୋଚ୍ଛୟ ଯେ ।୨୪।
କଳ୍ପବଟଙ୍କର ସେ ଅନଳ୍ପ ଅନାତପ ।
କରନ୍ତୁ ମୋ ଭବଭ୍ରମ ଭବଶ୍ରମ ଲୋପ ଯେ ।୨୫।
କବଳିତ କଳା କାଦମ୍ବିନୀ କାନ୍ତି କେଳି ।
କରନ୍ତୁ କଲ୍ୟାଣ କୃଷ୍ଣ ମୋ ମାନସେ ଖେଳି ଯେ ।୨୬।
ରାଧାମୁଖାମ୍ବୁଜ ଭ୍ରମେ ସ୍ୱପାଦ ସାରସ ।
ଚୁମ୍ବନେ ଯେ ନିରନ୍ତରେ ବଳାଇ ମାନସ ଯେ ।୨୭।
ପ୍ରଳୟଜଳରେ ଖଟ କରି ବଟଦଳ ।
ପହୁଡ଼ିଲେ ମୋଦେ ନୀଳନବୀନକୁନ୍ତଳ ଯେ ।୨୮।
ଭବଭୟ ପୟୋଧିକି ତରିବା ଆନନ୍ଦେ ।
ବନ୍ଦେ ସେ ବାଳମୁକୁନ୍ଦଚରଣାରବିନ୍ଦେ ଯେ ।୨୯।
ଭୁଜଙ୍ଗପୁଙ୍ଗବତଳ୍ପ ଅର୍ଥିକଳ୍ପତରୁ ।
ଦନୁଜମଣ୍ଡଳୀମୁଣ୍ଡ ଧରାଧର ସ୍ୱରୁ ଯେ ।୩୦।
ରମା ସରସ୍ୱତୀଙ୍କର କରସେବ୍ୟପଦ ।
ଶ୍ରୀ ପୁରୁଷୋତ୍ତମ ହର ମୋହର ବିପଦ ହେ ।୩୧।
ଖଡ଼ଗ ଧରି ଯେ ହରି ଗର୍ଭ ଗଡ଼ଭୟ ।
ନିରତେ ନିବାର କ୍ଷେତ୍ରପାଳ ଜୟ ଜୟ ହେ ।୩୨।
ଉତ୍ତୁଙ୍ଗ ମହୀଧ୍ରବୁଦ୍ଧି ହୋଇଲେ ପ୍ରସାଦେ ।
ଜମ୍ଭାରି ଦମ୍ଭୋଳିକେଳି ହୋଇବ ପ୍ରମାଦେ ଯେ ।୩୩।
ତାହା ନିବାରଣ ପରାକ୍ରମେ ଚିତ୍ତେ ଚିନ୍ତି ।
ଦେଉଳମଉଳି ସ୍ଥଳେ ଯେ ବିରାଜେ ନିତି ହେ ।୩୪।
କ୍ଷମା କରି ନିଖିଳ ପାତକୀ ଜନ୍ତୁମନ୍ତୁ ।
ସେ ନୀଳଚକ୍ର ମୋ ଦୁଃଖଚକ୍ର ନିବାରନ୍ତୁ ଯେ ।୩୫।
ପ୍ରବଳନ୍ତେ ହିରଣ୍ୟଦନୁଜଗବଳେ ।
ସମଗ୍ର କେଶରିବେଶ ପରିଗ୍ରହ ବେଳେ ଯେ ।୩୬।
ବିପତ୍ତି ଅଶକ୍ତ ଭକ୍ତ କରନ୍ତେ ସ୍ମରଣା ।
ହୃଦକଞ୍ଜ ଦ୍ରବମୟ କରନ୍ତେ କରୁଣା ଯେ ।୩୭।
କଣ୍ଠଯାଏ କଣ୍ଠୀରବ ବେଶ ହୋଇଥିଲେ ।
ସ୍ତମ୍ଭରୁ ସମ୍ଭବି ଦନୁଜକୁ ଯେ ମାଇଲେ ଯେ ।୩୮।
ପାପବଶୁଁ ଯିବାବେଳେ ମୁଁ ନରକେ ସରି ।
ଅବଲମ୍ବ ହୋଇବେ କି ସେ ନରକେଶରୀ ଯେ ।୩୯।
ବିଭ୍ରାଜିତ ସୁରାଚାର୍ଯ୍ୟ ଧରାସୁରଙ୍କର ।
ବିଦ୍ୟାକେଳିସ୍ଥଳୀ ଶତ୍ରୁ ଦୁରିତପଙ୍କର ଯେ ।୪୦।
ଯହିଁ ସୁନାସୀର ଶିରେ କରନ୍ତି ବନ୍ଦନ ।
ସେ ମୁକ୍ତିମଣ୍ଡପ ହେବେ ମୋର ଆନନ୍ଦନ ଯେ ।୪୧।
ତୁରୀୟ ସମୟେ ଚୂରି ପ୍ରତ୍ୟୂହ ମୋହର ।
ପୂରିବେ କି ମନୋରଥ ଖୁରିଗଣେଶ୍ୱର ଯେ ।୪୨।
ଯହିଁ ଅବଗାହିବାରୁ ଛାର କାକପାଳ ।
ବନ୍ଦିଲେ ତାହାକୁ ଇନ୍ଦ୍ର ଆଦି ଦେବଜାଳ ଯେ ।୪୩।
କଳୁଷମଣ୍ଡଳଧ୍ୱଂସୀ ସେ ରୋହୀଣୀକୁଣ୍ଡ ।
ଖଣ୍ଡନ କରନ୍ତୁ ଚଣ୍ଡଭାନୁସୁତଦଣ୍ଡ ହେ ।୪୪।
ଯାହା ପ୍ରସାଦବଶରୁ ମହାପ୍ରସାଦରେ ।
ପବିତ୍ର ହୁଅଇ ଜଗତ୍ତ୍ରୟ ପ୍ରମୋଦରେ ଯେ ।୪୫।
ମୃଗେନ୍ଦ୍ରବାହିନୀ କ୍ଷେତ୍ରବର ଅଧୀଶ୍ୱରୀ ।
ନାଗସୁତା ସୁଧରାକୁମ୍ଭଧାରଣୀ ସୁନ୍ଦରୀ ଯେ ।୪୬।
ବିମଳା ବିମଳ ଅମ୍ଭୋରହୁବିଲୋଚନା ।
ହୋଇବେ କି ମୋର ପାପକଳାପମୋଚନ ହେ ।୪୭।
ରଜ ତମ ସତ୍ତ୍ୱ ତିନି ଗୁଣ ମଧ୍ୟ ମୟ ।
ରଜତମହୀଧ୍ରନିକେତନା ଜୟ ଜୟ ହେ ॥୪୮।
ଶିଖଣ୍ଡମଣ୍ଡନ ଭଣ୍ଡପୂର୍ବ ଗଜାନନ ।
ନରହରି ରାଧାଧବ ମଦନମୋହନ ଯେ ।୪୯।
ବରଷେ ହରଷ କୃପାପୀୟୂଷନିର୍ଝର ।
ଏ ପଞ୍ଚ ମୋ ପ୍ରପଞ୍ଚ ବାସନା ଦୂର କର ହେ ।୫୦।
ସରସ୍ୱତୀ ବୋଲି ଖ୍ୟାତି ଏକେ ଯାହାଙ୍କର ।
ସ୍ତୁତି ଉଚ୍ଚାରନ୍ତି ଶ୍ରୁତିମୁଖାଦି ଶଙ୍କର ଯେ ।୫୧।
ତ୍ରିଭୁବନଜନୟିତ୍ରୀ ଶ୍ରୀ ଭୁବନେଶ୍ୱରୀ ।
ପରିପାଳନ୍ତୁ ମୋ ଶିରୀକପଟବଲ୍ଲରୀ ଯେ ।୫୨।
ଇନ୍ଦ୍ରଦ୍ୟୁମ୍ନମୋଦମହୋଦଧିରା-କାଧବ ।
ପ୍ରସନ୍ନ ହଅନ୍ତୁ ମୋରେ ଶ୍ରୀ ନୀଳମାଧବ ଯେ ।୫୩।
ସ୍ଫୁଟ ଅଟ୍ଟହସନ ମାଳିକା ବକାଳିକା ।
କରନ୍ତୁ ଶଂବରବୃଷ୍ଟି ମୋଠାରେ କାଳିକା ଗୋ ।୫୪।
ଶ୍ରୀବତ୍ସଲାଞ୍ଛନ ବତ୍ସଗୁଚ୍ଛସହଚରୀ ।
ଚରାଚରେଶ୍ୱରୀ ନେତ୍ର ଅନ୍ତେ ରଚ ଶିରୀ ଗୋ ।୫୫।
ସମୃଦ୍ଧ ରାକ୍ଷସଯୁଦ୍ଧ ବୁଦ୍ଧିର ପ୍ରଭାବ ।
ସମୀରନନ୍ଦନ ବଢ଼ାଅ ମୋ ନେତ୍ରୋତ୍ସବ ହେ ।୫୬।
ବିଚିତ୍ର ଚିତ୍ରବିନ୍ୟସ୍ତ ଗଣେଷ ନୃହରି ।
ହରନ୍ତୁ ମୋହର ଚିତ୍ତସନ୍ତାପ ଲହରୀ ହେ ।୫୭।
ସୁରଧନୀ ଆଦି ନଦୀମାନଙ୍କର ତୀର୍ଥ ।
ଶ୍ରୀ ଚରଣାମୃତ କୁଣ୍ଡ କରନ୍ତୁ କୃତାର୍ଥ ହେ ।୫୮।
ଅମ୍ବରସ୍ଥଳୀ ମହିଳା ରତନଭୂଷଣ ।
କରନ୍ତୁ ପୂଷଣ କଳିଜମ୍ବାଳ ଶୋଷଣ ଯେ ।୫୯।
ପାତାଳେଶ ନାମ ବ୍ୟୋମକେଶ ଉତ୍ତରାଣୀ ।
ଦୁହେଁ ମୋର ହୁଅନ୍ତୁ ରକ୍ଷକ ଉଦ୍ଧାରିଣୀ ଯେ ।୬୦।
ଅମରୀଗୀତ ଲାବଣ୍ୟବିଭୂତି ସେ ମୋତେ ।
ରଖନ୍ତୁ ଶୀତଳା କୃପା ଅପାଙ୍ଗେ ନିରତେ ।୬୧।
ଧରାଧର ଅଧିରାଜ କନ୍ୟାତୁଲେ ମିଶି ।
କର ଲୋକେଶ୍ୱର ମୋତେ ସ୍ୱପଦନିବାସୀ ହେ ।୬୨।
କାଶୀ ତେଜି ଆସି ଯେଟି କଲେ କ୍ଷେତ୍ରସ୍ଥିତି ।
ବିଶ୍ୱନାଥ ନିଃସ୍ୱ ଚିନ୍ତାମଣି ସେ ମୋ ଗତି ହେ ।୬୩।
ଶ୍ମଶାନନିଳୟ ଦିଗମ୍ବର ହେଲେ ହେଳେ ।
ବୃଷା ନ ଦେଖିବା ଶିରୀ ଦିଅନ୍ତି ଯେ ଭଲେ ହେ ।୬୪।
ଈଶାନ ପ୍ରଭାବ ପ୍ରଭୁ ଈଶାନନାଥର ।
ସମଗ୍ରତା ସେ କରିବେ ମୋ ମନୋରଥର ଯେ ।୬୫।
ସୁନ୍ଦର ମନ୍ଦିର ଜଗନ୍ମୋହନ ଯା ନାମ ।
ଲକ୍ଷବାର ଘେନନ୍ତୁ ସେ ମୋହର ପ୍ରଣାମ ଯେ ।୬୬।
ସଦାଶିବ ଶିବ ସେ ବାରିଜସୁତ ଦୁହେଁ ।
ପ୍ରତିକୂଳକୁଳକୁ ନାଶନ୍ତୁ ଅନୁଗ୍ରହେ ଯେ ।୬୭।
ତକ୍ଷକର ଦଷ୍ଟଜନରକ୍ଷକ ଯା ନାମ ।
ପକ୍ଷପାତ କରନ୍ତୁ ସେ ପକ୍ଷିସାର୍ବଭୈାମ ଯେ ।୬୮।
ଜୟ ବିଜୟଙ୍କୁ ମୋର ଅନେକ ନମସ୍କାର ।
କଳାର ହାଟକୁ ଯିବାବେଳେ ନ ନିବାର ହେ ।୬୯।
ନମସ୍ତେ ଶ୍ରୀ ପରଂବ୍ରହ୍ମ ଚତୁର୍ଦ୍ଧା ବିଗ୍ରହ ।
ଅବଦାତ କୃଷ୍ଣ ହରିଦ୍ରାଭ ମହାମହ ହେ ।୭୦।
ଅବକାଶଠାରୁ ପୁଷ୍ପଞ୍ଜଳିଯାଏ ରହି ।
କରୁଥିବି ଦଣ୍ଡବତ ମୋ ବାଞ୍ଛିତ ଏହି ଯେ ।୭୧।
ବନ୍ଦଇ ହେ ବିଶାରଦ ରସାତଳଦେବେ ।
ଦୟାଳୁ ମୋଠାରେ ହୃଦାୟାଳୁମାନେ ହେବେ ଯେ ।୭୨।
ସରସ ଶ୍ରୀହରଷାଦି ମହାକବିମାନେ ।
ବିହରିଲେ ମହୋନ୍ନତ କବନବିମାନେ ଯେ ।୭୩।
ସେବି ମାନ ତେଜି ସେ ବିମାନ ଅନାତପ ।
କଲି ଚନ୍ଦ୍ରକଳା ଗ୍ରନ୍ଥାରମ୍ଭ ସଙ୍କଳପ ହେ ।୭୪।
ବିଷଦୋଷ କଣ୍ଠେ ରଖି ଗଉଣୀରମଣ ।
ଚନ୍ଦ୍ରକଳାକୁ ଯେମନ୍ତ ଘେନିଲେ ତ ଜାଣ ହେ ।୭୫।
ନିରକ୍ଷର ଖଳ ନୋହେ କଟାକ୍ଷର ଲକ୍ଷ୍ୟ ।
ତାହାକୁ ମାଗୁଣୀ ଏତେ ନୋହୁ ସେ ପକ୍ଷ ହେ ।୭୬।
ଚିରନ୍ତନ ଭିତ୍ତିଚ୍ୟୁତ ଲୋଷ୍ଟ୍ରଜ ଧ୍ୱନିକି ।
ସ୍ତୁତି ନିନ୍ଦା କେଉଁମତେ ପଣ୍ଡିତେ ଘେନି କି ହେ ।୭୭।
ତଥାପି ସେ କର୍ଣ୍ଣବିଳେ ବ୍ୟଥା ନ ଦେବାକୁ ।
ବିରତି ଲଭନ୍ତୁ ବୋଲି କହୁଛି ତାହାଙ୍କୁ ଯେ ।୭୮।
ପଦଲଗ୍ନ ଜମ୍ବାଳକୁ ଜଳେ ଧୁଆଇଲେ ।
ତା ମାର୍ଜନା କଲା ବୋଲି କେହି ତ ନ ବୋଲେ ହେ ।୭୯।
ଦ୍ୱିତୀୟ ଛାନ୍ଦ
ଦ୍ୱିତୀୟ ଛାନ୍ଦରେ ହେବ ଚରିତ ଆରମ୍ଭ ।ନିର୍ବାହରୁ ଅନ୍ତରାୟ ହରିବେ ହେରମ୍ଭ ହେ ।୮୦।ଚିନ୍ତା ରଖି ସୀତାକାନ୍ତ ପଦସରୋରୁହେ ।ଜଳନ୍ତରଧରାମରାବତୀପତି କହେ ହେ ।୮୧।ପ୍ରଥମ ଛାନ୍ଦ
୧ । କମ୍ୱୁମଧ୍ୟକ୍ଷେତ୍ରବର–ପୁରୀ ଶଙ୍ଖକ୍ଷେତ୍ର ନାମରେ ପ୍ରସିଦ୍ଧ । ୨ । ଅଷ୍ଟ ଅଷ୍ଟମୂର୍ତ୍ତି- ଜଳ, ଅଗ୍ନି, ବାୟୁ, ଆକାଶ, ପୃଥିବୀ, ଯଜମାନ, ଚନ୍ଦ୍ର ଓ ସୂର୍ଯ୍ୟ–ଏହି ଅଷ୍ଟରୂପବିଶିଷ୍ଟ ଅଷ୍ଟଶମ୍ବୁ । ବସୁସଂଖ୍ୟ ଭବାନୀ–ଅଷ୍ଟଦୁର୍ଗା । ୩ । ସିତଗଙ୍ଗା– ଶ୍ୱେତଗଙ୍ଗା ନାମକ ତୀର୍ଥ, ତୀର୍ଥରାଜ-ସମୁଦ୍ର । ୪ । ମହେନ୍ଦ୍ର ଚରମେ-ଇନ୍ଦ୍ରଙ୍କ ପିଠିରେ, ଦୀନପ୍ରସନ୍ନ-ଦରିଦ୍ର ଆଶ୍ରିତ ଲୋକ । ନିରର୍ଗଳେ-ବିନା ବାଧାରେ । ୫ । ନନ୍ଦାବର୍ତ୍ତ ନାମକ ଦ୍ୱାରର ନିମ୍ନଭାଗ । କ୍ଷେମ-ମଙ୍ଗଳ । ୬ । କାକଚଞ୍ଚୁପୁଟଭ୍ରଷ୍ଟ ଲବ-କୁଆଥଣ୍ଟରୁ ଖସିପଡ଼ିଥିବା ମହାପ୍ରସାଦ କଣିକା ॥ ନିର୍ବାଣ ମହୋତ୍ସବ–ମୁକ୍ତିରୂପ ଆନନ୍ଦ । ୭ । ସୂଚିକର୍ମରୁଚି-ସୂକ୍ଷ୍ମ କାରିଗିରୀ ଯୋଗୁଁ ସୁନ୍ଦର । ୮ । ଅଜାଣନଗଜାପତି–ଭୋଗମଣ୍ଡପ ପୂର୍ବରେ ଗାତ ଭିତରେ ଥିବା ପାର୍ବତୀ - ପତି ବା ମହାଦେବ । ଜୀବାତୁ–ଜୀବନ ।୯ । ସ୍ୱଦିଗକୁ–ଯମଙ୍କ ଅଧିଷ୍ଠିତ ଦକ୍ଷିଣ ଦିଗକୁ । ପତିତବ୍ରଜ– ପାପିସମୂହ । ଶମନଙ୍କର କିଙ୍କରେ–ଯମଦୂତ । ୧୦ । କରଜଳଜର–ଦସ୍ତପର । ଥିବା, ଉଦୀଚୀ–ଉତ୍ତର ଦିଗ, ସ୍ୱର୍ଗମାର୍ଗ । ୧୧ । ବେଢ଼ାର ଅଗ୍ନିକୋଣରେ ଥିବା ନାରାୟଣମୂର୍ତ୍ତି ଉତ୍ତରମୁଖୀ । ୧୨ । ନିମୀଳନାକେଳି–ଆଖି ବୁଜାବୁଳି ଖେଳ, ଯା କୁମ୍ଭଶଙ୍କାରେ–ଯେଉଁ ଗଣେଶଙ୍କ କୁମ୍ଭଦ୍ୱୟ ବୋଲି ଭ୍ରମ କରି । ୧୩ । କୁମାର–କାର୍ତ୍ତିକେୟ, ହେଠମୁଖ–ନମ୍ରମୁଖ, ଚନ୍ଦ୍ରମୁଖୀ– (ଏଠାରେ ଚନ୍ଦ୍ରାନନା ପାର୍ବତୀ) । ୧୪ । ମହାବିଘ୍ନବାର–ବଡ଼ ବଡ଼ ବାଧାସବୁ, ଅଟକବା–ଅଟକାଇବା, ବନ୍ଦ କରି ରଖିବା ।୧୫ । ଯାହା ନଟନପାଟବ ପ୍ରକଟନ ଘେନି–ଯେଉଁ ଦୁର୍ଗାଙ୍କ ନୃତ୍ୟନିପୁଣତା ପ୍ରକାଶ ପାଇବାରୁ । ଜଟାଟବୀ–ଶିବଙ୍କ ଜଟାରୂପ ଅରଣ୍ୟ । ୧୬ । ଦିଗଙ୍ଗନା କୁଚକୁମ୍ଭପତ୍ରଭଙ୍ଗତୁଲେ–ଦଶଦିଗରୂପ ସ୍ତ୍ରୀମାନଙ୍କ କୁଚରୂପକୁମ୍ଭରେ ଚିତ୍ର ହୋଇଥିବା କସ୍ତୁରୀ ପ୍ରଭୃତିରେ ଅଙ୍କିତ ପତ୍ରର ଚିତ୍ର ଧୋଇଦେବା ସାଙ୍ଗେ ସାଙ୍ଗେ, ଦଶଦିଗ୍ଗଜଙ୍କର ଗଣ୍ଡସ୍ଥଳର ମଦଜଳଧାରାକୁ ଯେ ପ୍ରଳୟରେ ଧୋଇଥିଲେ । ୧୮ । ବଟ ବିଟପୀଶ୍ୱର–କଳ୍ପବଟ ମୂଳରେ ଥିବା ବଟକୃଷ୍ଣ ।୧୯ । ମହାମହୋଚ୍ଛୟ– ଅତି ଉଚ୍ଚ । ୨୦ । ଅନଳ୍ପ ଅନାତପ–ପ୍ରଚୁର ଛାୟା । ୨୧ । କବଳିତ କଳା କାଦମ୍ବିନୀକାନ୍ତି କେଳି–କୃଷ୍ଣବର୍ଣ୍ଣ ମେଘଭଳି ମନୋହର । ୨୨ । ସ୍ୱପାଦସାରସ–ନିଜ ପାଦରୂପ ପଦ୍ମ । ୨୩ । ଭୁଜଙ୍ଗପୁଙ୍ଗବତଳ୍ପ–ଅନନ୍ତ ନାଗ ଉପରେ ଶୋଇଥିବା । ଧରାଧରରୁ–ପର୍ବତର ବଜ୍ର । ୨୪ । ଉତ୍ତୁଙ୍ଗମହୀଧ୍ର ବୃଦ୍ଧି–ଉଚ୍ଚପର୍ବତଜ୍ଞାନ । ପ୍ରାସାଦ–ବଡ଼ ଦେଉଳ । ଜମ୍ଭାରିଦମୋଳି–ବଜ୍ର । ୨୫ । ପାତକୀ ଜନ୍ତୁମନ୍ତୁ–ପାପୀ ଜୀବଙ୍କର ଅପରାଧ । ୨୬ । ହିରଣ୍ୟ -କଶିପୁ ରାକ୍ଷସ ମତ୍ତ ହାତୀ ପରି ପ୍ରବଳ ହେଲା ବେଳେ । ୨୭ । ବିପତ୍ତି ଅଶକ୍ତଭକ୍ତ–ବିପତ୍ତି ସମୟରେ ଅକ୍ଷମ ହୋଇଥିବା ଭକ୍ତ ପ୍ରହ୍ଲାଦ ।୨୮ । କଣ୍ଠୀରବ–ସିଂହ । ୨୯ । ବିଭ୍ରାଜିତ–ଶୋଭିତ, ସୁରାଚାର୍ଯ୍ୟଧରାସୁରଙ୍କ–ବୃହସ୍ପତି ସଦୃଶ ବ୍ରାହ୍ମଣମାନଙ୍କର । ୩୦ । ସୁନାସୀର– ଇନ୍ଦ୍ର । ୩୧ । ତୁରୀୟ ସମୟେ–ଚତୁର୍ଥାବସ୍ଥାରେ, ପ୍ରତ୍ୟୁହ ବାଧା, ଦୁଃଖ । ୩୨। ଚଣ୍ଡଭାନୁସୁତଦଣ୍ଡ–ଯମଦଣ୍ଡ । ୩୩ । ଜଗନ୍ନାଥଙ୍କ ଭୋଗ ବିମଳାଙ୍କୁ ସମର୍ପିତ ହେବା ପରେ । “ମହାପ୍ରସାଦ’ରେ ପରିଣତ ହୁଏ ।୩୪ । ବଳରାମ ରଜୋଗୁଣରୂପୀ; ସୁଭଦ୍ରା ତମୋରୂପିଣୀ ଓ ଜଗନ୍ନାଥ ସତ୍ତ୍ୱରୂପୀ । ରଜତମହୀଧ୍ରନିକେତନ–ରୂପାପର୍ବତତୁଲ୍ୟ ପ୍ରାସାଦ, ବଡ଼ ଦେଉଳ । ୩୫। ଭଣ୍ଡପୂର୍ବଗଜାନନ–ଭଣ୍ଡ ଗଣେଶ । ୩୬ । ପ୍ରପଞ୍ଚବାସନା–ସଂସାରକାମନା । ୩୭ । ଶୃତିମୁଖ । ୩୮ । ଶିରୀକପଟବଲ୍ଲରୀ–ସୌଭାଗ୍ୟ ରୂପ କପଟଲତା । ୩୯ । ଇନ୍ଦ୍ରଦ୍ୟୁମ୍ନ ... ଧବ–ଇନ୍ଦ୍ରଦ୍ୟୁମ୍ନଙ୍କ ଆନନ୍ଦସାଗର ବଢ଼ାଇବାରେ ପୂଷ୍ଠିମା ଚନ୍ଦ୍ରସ୍ୱରୂପ । ୪୦ । ସ୍ଫୁଟଅଟ୍ଟହସନ–ଯାହାଙ୍କର ଅଟ୍ଟହାସ ବକପନ୍ତି ପରି ଓ ଯାହାଙ୍କର ବର୍ଣ୍ଣ କଳାମେଘ ପରି । ଶଂ- ବରବୃଷ୍ଟି–ମଙ୍ଗଳରୂପ ବରଦାନ ଏବଂ ଜଳବୃଷ୍ଟି । ୪୧ । ଶ୍ରୀବତ୍ସ ...ସହଚରୀ–ଶ୍ରୀକୃଷ୍ଣଙ୍କ ବକ୍ଷସ୍ଥଳ ନିବାସିନୀ । ନେତ୍ର ... ଶିରୀ–ନେତ୍ରକୋଣରେ ମୋ ସୌଭାଗ୍ୟର ସଙ୍କେତ କର । ୪୨ । ସମୃଦ୍ଧ ... ପ୍ରଭାବ–ପରାକ୍ରାନ୍ତ ରାକ୍ଷସମାନଙ୍କର ଯୁଦ୍ଧ ବୁଦ୍ଧିର ଶାସକ । ସମୀରନନ୍ଦନ–ହନୁମାନ । ୪୩ । ପୃଷଣ–ସୂର୍ଯ୍ୟ, କଳିଜମ୍ୱାଳ–କଳିକାଳଜନିତ ପାପରୂପ ପଙ୍କ । ୪୪ । ପାତାଳେଶ୍ୱର ଶିବ ଓ ଉତ୍ତରାଣୀ ଠାକୁରାଣୀ–ଯଥାକ୍ରମେ ମୋ ରକ୍ଷକ ଓ ଉଦ୍ଧାରିଣୀ ହୁଅନ୍ତୁ । ୪୫ । ଲୋକେଶ୍ୱର– ଲୋକନାଥ ମହାଦେବ, ସ୍ୱପଦନିବାସୀ ଶିବଲୋକବାସୀ ।୪୬ । ହେଳେ–ଅକ୍ଳେଶରେ, ଦିଗମ୍ବର–ଲଙ୍ଗଳା, ବୃଷା–-ଇନ୍ଦ୍ର । ୪୭ । ଈଶାନ–ସୂର୍ଯ୍ୟଙ୍କପରି ପ୍ରଭାବଶାଳୀ ଈଶାନେଶ୍ୱର । ୪୮ । ସଦାଶିବ-ଶିବ–ମଙ୍ଗଳମୟ ମହାଦେବ, ବାରିଜସୁତ–ବ୍ରହ୍ମା । ୪୯ । ପକ୍ଷିସାର୍ବଭୌମ–ପକ୍ଷିରାଜ, ଗରୁଡ଼ । ୫୦। କଳାରାହାଟ– ଜଗମୋହନ ଓ ରତ୍ନସିଂହାସନ ମଧ୍ୟରେ ଥିବା ପ୍ରଥମ ଦ୍ୱାରକୁ ଜୟ ବିଜୟ ଦ୍ୱାର ଓ ରତ୍ନସିଂହାସନର ନିକଟବର୍ତ୍ତୀ ଦ୍ୱାରକୁ କଳାରାହାଟ ଦ୍ୱାର କୁହାଯାଏ । ୫୧ । ଅବଦାତ–ଶୁକ୍ଲ ମହାମହଃ–ମହତ୍ ତେଜସ୍ୱରୁପ । ୫୨ । ରସାତଳଦେବେ–ବ୍ରାହ୍ମଣମାନେ । ୫୩ । ଶ୍ରୀ ହର୍ଷ–ନୈଷଧଚରିତ ନାମକ ସଂସ୍କୃତ ମହାକାବ୍ୟପ୍ରଣେତା । କବନବିମାନ–କବିତ୍ୱରୁପ ବିମାନ । ମାନ ତେଜି–ଅହଙ୍କାର ଛାଡ଼ି, ସେ ବିମାନଅନାତପ ସେବି–ସେ ବିମାନର ଛାଇକୁ ଆଶ୍ରୟ କରି । ୫୪ । ଚିରନ୍ତନ ଭିତ୍ତିଚ୍ୟୁତ–ପୁରୁଣା କାଛରୁ ଖସୁଥିବା । ଲୋଷ୍ଟ୍ରଜ–ଟେକାରୁ ଜାତ ହେଉଥିବା । ୫୫ । ହେରମ୍ବ–ବିଘ୍ନରାଜ ଗଣେଶ ।
ରାଗ-କେଦାରକାମୋଦୀ
ଶାପାନୁକଂପଶୁଣିମା ହେଉ ବିଶାରଦେ ସାଦରେ ।ବଳଦଳନ ଶେଷ ମହା ମୋଦରେ ଯେ ।ମହେନ୍ଦ୍ର ବସିଥିଲେ ଆରମ୍ବି ସଭା ।କେ ଭାରତୀରେ କହୁ ସଭାର ଶୋଭା ଯେ ।୧।ନବ ଦିଗୀଶ ଏକାଦଶ ଗିରୀଶ ।ଦ୍ୱାଦଶ ବାସରେଶ ନବ ଲୋକେଶ ଯେ ।ସପ୍ତବିଂଶତି ଋକ୍ଷ ଚନ୍ଦ୍ରାଦି ଗ୍ରହ ।ବିରାଜି ଥିଲେ ଧରି ନିଜ ବିଗ୍ରହ ହେ ।୨।ଦ୍ୱିଶତବିଂଶତି ଯେ ମହାରାଜିକ ।ହୋଇ ନ ଥିଲେ ନିକି ସେ ସାମାଜିକ ହେ ।ପ୍ରସିଦ୍ଧ ସିଦ୍ଧ ସାଧ୍ୟ ଧାଟୀରେ ମିଶି ।ହରଷେ ଥିଲେ ଅଷ୍ଟବସୁଏ ବସି ଯେ ।୩।ତ୍ରିଶତ ଷଡ଼ଧିକ ତୁଷିତ ସୁରେ ।ପ୍ରବନ୍ଧସଂଖ୍ୟ ଆଭାସରୁ ନିର୍ଜରେ ହେ ।ବ୍ରାହ୍ମୀ ପ୍ରମୁଖ ମାତା ଥିଲେ ବିରାଜି ।ଶ୍ରୁତିମଣ୍ଡଳୀ ଥିଲେ ମୂର୍ତ୍ତିକି ଭଜି ଯେ ।୪।ଭଣି ମାନବ ଗିରେ କେ କରୁ ଶେଷ ।ଅଣିମା ଆଦି ବଭୂତିଙ୍କ ବିଳାସ ଯେ ।ରାଶି ବାସର ତିଥି ଯୋଗ କାରଣ ।କାଶୀବାସିଭୂଷଣ ଭୂପତିଗଣ ହେ ।୫।ନିମିଷୁଁ ମନ୍ୱନ୍ତର ଯାଏ ଶରୀର-।ମାନଙ୍କୁ ଘେନି କାଳ ଥିଲା ହାଜର ହେ ।ଦୁଇ ଯୁଗଳ ଯୁଗ ଯାଗଙ୍କ ରାଜି ।ଷଡ଼ଋତୁଙ୍କ ପାଶେ ଥିଲେ ବିରାଜି ଯେ ।୬।ଚାରିସଂବର୍ତ୍ତ ବର୍ତ୍ତିଥିଲେ ହରଷେ ।ସପତ ଦ୍ୱୀପ ଚାରି ସମୁଦ୍ର ପାଶେ ଯେ ।ଅଷ୍ଟସଂଖ୍ୟକ କୁଳ ଧରିତ୍ରୀ ଧରେ ।ଅଭ୍ରମୁରମଣାଦି ଆଶାକୁଞ୍ଜରେ ଯେ ।୭।ଅତଳ ଆଦି ବିଶ୍ୱଲୋକ ନିକର ।କରକୁ ଯୋଡ଼ି ହୋଇଥିଲେ କିଙ୍କର ଯେ ।ପ୍ରଭବ ଆଦି ସମ୍ବତ୍ସରଙ୍କ ତୁଲେ ।ଇନ୍ଦ୍ରପ୍ରମୁଖ ଖଣ୍ଡ ମଣ୍ଡଳେ ଥିଲେ ଯେ ।୮।
। ୧ । ବଳଦଳନ ଶେଷ–ବଳାସୁର ବିନାଶ ପରେ । ୨ । ନବଦିଗୀଶ–ଇନ୍ଦ୍ରାଦି ନବଦିପାଳ, ଦ୍ୱାଦଶବାସରେଶ–ବାରସୂର୍ଯ୍ୟ, ଲୋକେଶ–ପ୍ରଜାପତି, ରକ୍ଷ–ନକ୍ଷତ୍ର, ବିଗ୍ରହ–ଶରୀର । ୩ । ଧାଟୀ–ଧାଡ଼ି । ୪ । ତୁଷିତସୁର–ଗଣ ଦେବତାବିଶେଷ, ପ୍ରବନ୍ଧସଂଖ୍ୟ ଆଭାସୁରନିର୍ଜରେ–୬୪ ସଂଖ୍ୟକ କାନ୍ତିଦେବତା, ଶ୍ରତିମଣ୍ଡଳୀ–ବେଦସମୂହ । ୬ । ଦୁଇଯୁଗଳଯୁଗ–ଚାରିଯୁଗ । ୭ । ଚାରିସଂବର୍ତ୍ତୀ –ସଂବର୍ଭ ଆଦି ଚାରି ମେଘ, କୁଳଧରିତ୍ରୀଧରେ–କୁଳପର୍ବତମାନେ, ଅଭ୍ରମୁରମଣ–ଐରାବତହସ୍ତୀ, ଆଶାକୁଞ୍ଚରେ ଦିଗ୍ହସ୍ତୀମାନେ । ୮।
ଊନପଞ୍ଚାଶ ସଂଖ୍ୟ ଜଗତ ପ୍ରାଣ ।ଅଗମ୍ୟାଦି ଅରଣ୍ୟ ଶରୀରଗଣ ହେ ।ଅଯୋଧ୍ୟା ଆଦି ସପ୍ତପୁରୀ ମୂରତି ।ଏକ ପ୍ରଦେଶେ ହୋଇଥିଲେ ଭରତି ଯେ ।୯।ଅଙ୍ଗ ବଙ୍ଗାଦି ଷଟ ପଞ୍ଚାଶ ଦେଶ ।ହଜାର ଥିଲେ ଧରି ନିର୍ଜର ବେଶ ହେ ।ଯକ୍ଷ ଗର୍ନ୍ଧବକୁଳ ଗନ୍ଧର୍ବାନନେ ।ହାହାଦି ମହାଗୁଣଶାଳୀ ଗାୟନେ ହେ ।୧୦।ମରୀଚି ଆଦି ଅତି ଚିରତ୍ନ ଋଷି ।ଧରି ଚିନ୍ମୟରୂପ ଥିଲେ ସେ ବସି ହେ ।ବେଦସଂଖ୍ୟକ ସମ୍ପ୍ରଦାୟ ଆଶ୍ରମ ।ଷଟ ପ୍ରମାଣ ବ୍ରତ ସନ୍ତତି ଶ୍ରମ ହେ ।୧୧।ହ୍ରୀଭାନ୍ତି କାନ୍ତି କୀର୍ତ୍ତୀ କରୁଣା କ୍ଷମା ।ସମୃଦ୍ଧି ଲଜ୍ଜା ଘେନି ନିଧି ଉପମା ହେ ।ରମ୍ଭାଦି ଜମ୍ଭାରାତି ପ୍ରିୟ ସୁକେଶୀ ।ଜୃମ୍ଭାଦି ନିଦ୍ରା ଯାଏ ଥିଲେ ବିଳସି ଯେ ।୧୨।ସଂକଳ୍ପ ମଣି ମହୈାଷଧିଏ ସୁଖେ ।ଥିଲେ ଅଶ୍ୱିନୀତନୁଭବନଙ୍କ ପାଖେ ଯେ ।ନନ୍ଦନବନୀ ହରିଚନ୍ଦନଲତା ।ଏ ସମସ୍ତଙ୍କ ପରିମାଣ ଦେବତା ଯେ ।୧୩।ଯହିଁ ସାକ୍ଷାତ ସୁର ଈଶ୍ୱର ବିଜେ ।କେତେ କହିବା ଯେତେ ଥିଲେ ସମାଜେ ଯେ ।ଏକାଳେ ମେରୁପାଦ କୃତମନ୍ଦିର ।ଲାବଣ୍ୟଧ୍ୱଜ ନାମ ଗର୍ନ୍ଧବ ବର ଯେ ।୧୪।କେଳିମଞ୍ଜୁଳା ନାମ ମହିଳା ସାଥେ ।ଘେନି ମୋହନା ନାମ ବିପଞ୍ଚୀ ହାତେ ଯେ ।ପ୍ରବେଶ ହୋଇ ଦିବ୍ୟ ସଂସଦତଳେ ।ଜମ୍ପତି ଶିରେ କର ଯୋଡ଼ିବା ବେଳେ ଯେ ।୧୫।ଏକାବେଳେକେ ସଭ୍ୟ ନେତ୍ରମଣ୍ଡଳୀ ।କଲା ସେ ଯୁଗଳିର ଉପରେ କେଳି ଯେ ।ଶକ୍ରମାନସେ ଏହି ଚିନ୍ତା ରହିଲା ।ଏ ଶତକୋଟି ଆହା ନେତ୍ର ନୋହିଲା ଯେ ।୧୬।ସଂଯତ ତେଡ଼େ ବଡ଼ ବିବୁଧସଭା ।ମଦନେ କମ୍ପିଗଲା ଚାହିଁ ତା ଶୋଭା ଯେ ।ଗନ୍ଧର୍ବ କଲା ଗୁଣାଙ୍ଗୁଳି ସଂଯୋଗ ।ତା ରାମା କଲା ମନୋରଞ୍ଜନା ରାଗ ଯେ ।୧୭।ନୟନେ ଚାହିଁ ଛବି ଅପରିମିତ ।ଶ୍ରବଣେ ଶୁଣି ସର୍ବୋତ୍ତର ସଙ୍ଗୀତ ହେ ।ସଭା ଦିଶିଲା ହେଲା ପରି ଯା ଲେଖା ।ସେ ଦିନୁ ବୋଲାଇଲେ ଗୀର୍ବାଣେ ଲେଖା ଯେ ।୧୮।
ଇନ୍ଦ୍ରପ୍ରମୁଖଖଣ୍ଡମଣ୍ଡଳ–ଇନ୍ଦ୍ରାଦି ନବଖଣ୍ଡ ମହୀମଣ୍ଡଳ । ୧୦ । ଗନ୍ଧର୍ବାନନେ–ଘୋଡ଼ାଙ୍କ ମୁହଁ ପରି ଯେଉଁ କିନ୍ନରମାନଙ୍କ ମୁହଁ, ଗାୟନେ–ଗାୟକମାନେ । ୧୧ । ଅତି ଚିରତ୍ନ–ଖୁବ୍ ପୁରାତନ, ଚିନ୍ମୟ–ଜ୍ଞାନମୟ, ବେଦସଂଖ୍ୟକ–ଚାରିସଂଖ୍ୟକ, ଷଟ ପ୍ରମାଣବ୍ରତ–ଜନ୍ମାଷ୍ଟମୀ ପ୍ରଭୃତି ଷଡ଼ଜୟନ୍ତୀ, ସନ୍ତତି–ଗୋତ୍ରଦେବତା, ଶମ–ଶାନ୍ତଦେବତା । ମହାପଦ୍ମାଦିନିଧିମାନେ ହ୍ରୀଭ୍ରାନ୍ତି ପ୍ରଭୃତିଙ୍କ ସଙ୍ଗେ ଶୋଭା ପାଉଥିଲେ, ଜମ୍ବାରାତିପ୍ରିୟ–ଇନ୍ଦ୍ରଙ୍କ ପ୍ରଣୟିନୀ, ଜୁମ୍ଭା–ହାଇମାରିବା (ଏକଗୋଟି ଦେବତା) । ୧୩ । ସଂକଳ୍ପମଣି–ଚିନ୍ତାମଣି, ଅଶ୍ୱିନୀତନୁଭବ–ଅଶ୍ୱିନୀକୁମାର, ପରିଣାମ ଦେବତା–ଇଷ୍ଟଦେବତା । ୧୪ । ମେରୁପାଦବୃତ ମନ୍ଦିର-ମେରୁପର୍ବତ ପାଦଦେଶରେ ଯେ ଘରକରି ରହିଥିଲା । ୧୫ । ବିପକ୍ଷୀ-ବୀଣା, ଦିବ୍ୟସଂସଦ–ସ୍ୱର୍ଗୀୟ ସଭା, ଜମ୍ପତି–ଦମ୍ପତି, ପତି ଓ ପତ୍ନୀ । ୧୭ । ଗୁଣାଙ୍ଗୁଳିସଂଯୋଗ–ବୀଣାର ତାରରେ ଆଙ୍ଗୁଠି ଲଗାଇବା । ୧୮ । ସର୍ବୋତ୍ତର-ଉକୃଷ୍ଟ, ଲେଖା–ଚିତ୍ର, ଦେବତା;
ରାକାରସିକ ବିଶ୍ୱମୟୁଖ ରଡ଼ି ।ତାରାଡ଼ମ୍ବର ଯଥା ଛପଇ ସଡ଼ି ଯେ ।ଯହୁଁ ଦୁହିଁଙ୍କ କରକାନ୍ତି ବାଜିଲା ।ନିର୍ଜରଙ୍କର ତେଜଃପୁଞ୍ଜ ଭାଜିଲା ଯେ ।୧୯।ନିର୍ବାଣାଲାତ ପରି ହେବାରୁ ଶିରୀ ।ଗୀର୍ବାଣବଳି ଚିତ୍ତେ ହେଲା ଏପରି ଯେ ।ଭ୍ରମରେ ହେଲେ ଏହା ସମରେ କେହି ।ଅମରେ ଆମ୍ଭେ ଦିଶିଲାଇଁତ ନାହିଁ ଯେ ।୨୦।ଭ୍ରମରୀ ତୁଲ୍ୟ କେଶ ଠାରୁ ନିରେଖି ।ଚମରୀନୟନାକୁ ତାହାର ଦେଖି ଯେ ।ଅମରୀ ବିଚାରିଲେ ନ ମରି ଆମ୍ଭେ ।କାହିଁକି ଧରିଥାଇଁ ଦେହକୁ ଦମ୍ଭେ ଯେ ।୨୧।ତଦନନ୍ତରେ ସୁରେ ଭାଳି ମାନସେ ।ଗନ୍ଧର୍ବ ଦମ୍ପତିକି ବସାଇ ପାଶେ ଯ ।କହିଲେ ତୁମ୍ଭ ରୂପ ଗୁଣ ବିଚାରି ।ପ୍ରସନ ହେଲୁଁ ସର୍ବ ତ୍ରିଦିବଚାରୀ ଯେ ।୨୨।ଏ ଲୋକେ ଆମ୍ଭ ତୁଲେ ହେବ ଦେବତା ।ଯାହା ମାଗିବ ଏବେ ଦେବେ ଦେବତା ଯେ ।ଦୁହେଁ ଦୁହଁଙ୍କ ଦେହ ଲାବଣ୍ୟୁଁ ଲବ ।ଦେବଙ୍କୁ କିଛି କିଛି ଦେବୀଙ୍କି ଦେବ ହେ ।୨୩।ସୁରଙ୍କ ରୂପରଙ୍କ ଭାରତୀ ଶୁଣି ।ସରୂପ ସ୍ୱରୂପାତ ହେଲା କି ମଣି ଯେ ।ବିସ୍ମିତ ହୋଇ କର ଯୋଡ଼ି କହିଲେ ।ଉଚିତ ପ୍ରକାରେ ତ ଆଜ୍ଞା ନୋହିଲେ ।୨୪।ନିର୍ଦ୍ଦୋଷ ରମ୍ୟରୂପ ଗୁଣପଟଳୀ ।ଗନ୍ଧର୍ବମାନଙ୍କର ମୂଳ ସଙ୍ଖାଳି ଯେ ।ହଜାରୁ ଅଛୁଁ ପ୍ରାଣ ସମର୍ପଣକୁ ।କେ ଦେବ ସଉନ୍ଦର୍ଯ୍ୟ ଗୁଣ କଣକୁ ହେ ।୨୫।ପରସଞ୍ଚିତେ ରଖିବାର ଈକ୍ଷଣ ।ନୁହଇ ତୁମ୍ଭ ପରି ପ୍ରଭୁ ଲକ୍ଷଣ ଯେ ।ଦେବ ଯାହାକୁ ନିକି ନେଇ ତାହାର ।ଏ ରୀତି ଚତୁର୍ଦ୍ଦଶ ଲୋକୁଁ ବାହାର ହେ ।୨୬।କରି ଏ କରକଶ ଗିର ଶ୍ରବଣ ।କୁପିତ ହୋଇ ନାକନିବାସିଗଣ ଯେ ।ଗାୟନ ଯୁବା ଯୁବତୀଙ୍କ ଉପରେ ।ପ୍ରହାର କଲେ ତୀବ୍ରଶାପ ରୋଷରେ ଯେ ।୨୭।ନିଶା ରଥାଙ୍ଗ ଯୁବା ଯୁବତୀ ପରି ।ବିଛିନ୍ନ ହୁଅ ନିତ୍ୟେ ଛାଡ଼ି ଏ ଶିରୀ ଯେ ।ତହୁଁ ଉଦିତ ହେଳା ପ୍ରଳୟ ଭୟ ।ଝାମ୍ପିଲା କମ୍ପ ଜମ୍ପତିର ହୃଦୟ ଯେ ।୨୮।ଶୋକବିବଶ ହୋଇ କଲେ ଏ ସ୍ତୁତି ।ନମୋ ନମସ୍ତେ ସୁଧାଶନସନ୍ତତି ହେ ।ନମସ୍ତେ ନାକଲୋକନିବାସିବାର ।ଉଚିତ ନୋହେ ଦୀନ ବିନାଶିବାର ହେ ।୨୯।ପୀୟୂଷ ଅମ୍ଭୋଦର ଦମ୍ଭୋଳି ବୃଷ୍ଟି ।ସମ୍ଭବିଲେ କି ଆଉ ସ୍ତମ୍ଭିବ ସୃଷ୍ଟି ହେ ।ରକ୍ଷକଠାରେ ହେଲେ ତକ୍ଷକରୀତି ।ଶରଣଠାରୁ ହେଲେ ମରଣ ଭୀତି ହେ ।୩୦।
ଗୀର୍ବାଣ–ଦେବତା । ୧୯ । ରାକାରସିକ ପୂର୍ଣ୍ଣିମାଚନ୍ଦ୍ର, ବିଶ୍ୱମୟୁଖ-ସମଗ୍ରକିରଣ, ତାରାଡ଼ମ୍ବର–ନକ୍ଷତ୍ରମାନଙ୍କର ଶୋଭା, ଛପଇଲୁଚିଯାଏ, କରକାନ୍ତି–(ଶରୀରର) ତେଜର ଶୋଭା । ୨୦ । ନିର୍ବାଣାଲାତନିଆଁ ନିଭି ଯାଇଥିବା ଅଙ୍ଗାର ପରି । ୨୪ । ସରପ ସ୍ୱରୂପାତ–ପ୍ରକୃତ ବଜ୍ରପାତ । ୨୫ । ଗୁଣପଟଳୀ–ଗୁଣସମୂହ । ୨୮ । ନିଶାରଥାଙ୍ଗ ଯୁବାଯୁବତୀ ପରି–ରାତିରେ ପରସ୍ପର ବିଚ୍ଛିନ୍ନ ରହୁଥିବା ଚକ୍ରବାକ ଦମ୍ପତି ପରି, ପ୍ରଳୟ-ମରଣ । ୨୯ । ସୁଧାଶନସନ୍ତତି–ଅମୃତଭୋଜନକାରୀ ଦେବବୃନ୍ଦ, ନାକଲୋକନିବାସିବାର– ସ୍ୱର୍ଗଲୋକବାସିଗଣ । ୩୦ । ପୀୟୁଷଅମୋଦରୁ–ଅମୃତପୂର୍ଣ୍ଣ ମେଘରୁ, ଦୟୋଳି–ବଜ୍ର, ସ୍ତମ୍ଭିବ–ସ୍ଥିର ହେବ, ରହିବ; ତକ୍ଷକରୀତି–ସର୍ପପରି ବ୍ୟବହାର । ୩୧ । ଫନ୍ଦା–ବ୍ୟବସାୟ,
ଫନ୍ଦା ହୁଅଇ ନିନ୍ଦା ସର୍ବ ବଦନେ ।ବନ୍ଦାରୁବିନାଶନ ନାହିଁ ଭୁବନେ ହେ ।ହରିଙ୍କି ଭଜି ଯମୁଁ ଡ଼ରି କି ଲବେ ।ତରୀକି ପାଇ ବୁଡ଼ି ମରି କି କେବେ ହେ ।୩୧।ପ୍ରପନ୍ନତ୍ରାଣପରାୟଣ ଲକ୍ଷଣେ ।ରକ୍ଷଣ କର ର’କ୍ଷା ସୁବିଚକ୍ଷଣେ ହେ ।ଘେନି ଇତ୍ୟାଦି ସ୍ତବ ଶ୍ରବଣଫୁଟେ ।ଦେବେ ବିହିଲେ କୃପା ହୃଦସମ୍ପୂଟେ ଯେ ।୩୨।ତପ୍ତ ଅଙ୍କୁରେ ଯଥା ସୁଧା ସେଚନ ।ରଚିଲେ ତଥା ଏହି ମୃଦୁ ବଚନ ଯେ ।ବୃଥା ନୁହଇ କଥା ତ୍ରିଦଶଙ୍କର ।ତଥାପି ହେଉ ବ୍ୟଥାହର ଏ ଗିର ଯେ ।୩୩।ଦେହାନ୍ତେ ଏହି ରୂପ ଗୁଣ ବହିବ ।ଏ ଦେହେ ଆଉ ତୁମ୍ଭ ସଙ୍ଗ ନୋହିବ ଯେ ।ଏହି ନିକଟେ ଲବ୍ଧ ହେବ ପଞ୍ଚତା ।ତୁ ହେବୁ ଦ୍ରୁମ,ଲତା ହେବ ବନିତା ଯେ ।୩୪।ଗୋମତୀତୀରେ ହେବୁ ତୁ ଚୂତତରୁ ।କୈଳାସେ ଦ୍ରାକ୍ଷା ଲତା ହେବ ରମ୍ଭୋରୁ ଯେ ।ଫଳେ ଋଷିଙ୍କି ଶଶିଚୂଳ ଶିବାଙ୍କୁ ।ତୋଷିବ ତରୁଜନ୍ମ ତରିଯିବାକୁ ଯେ ।୩୫।ନୃଲୋକେ ରବିଭବ ବାହୁଜକୁଳେ ।ଜନକଜନୟିତ୍ରୀ ତପସ୍ୟାବଳେ ଯେ ।ବଦାନ୍ୟ ବିଶାରଦ ଶୂର ସୁନ୍ଦର ।ହୋଇ ହୋଇବୁ ମହାରାଜକୁମାର ଯେ ।୩୬।ସରୋଜସମୁଦ୍ଭବ କ୍ଷତ୍ରବଂଶରେ ।ଗିରିସାମନ୍ତତନୁଭବା ଅଂଶରେ ଯେ ।ଏଥୁଁ ଅଧିକ ଶୋଭା ଗୁଣକୁ ଧରି ।ତୋ ରାମା ହେବ ଚକ୍ରବର୍ତ୍ତିକୁମାରୀ ଯେ ।୩୭।ସେହି ଦେହରେ ଫୁଣି ଦମ୍ପତି ଦୁଖ ।ପାଇବ ଯଥା ରତିଫୁଲବିଶିଖ ଯେ ।ଏ ଆଜ୍ଞା ଅନ୍ତେ ଉର୍ଦ୍ଧ୍ୱେ ଦିଅନ୍ତେ ଦୃଷ୍ଟି ।ହୋଇଲା କଳ୍ପତରୁ କୁସୁମବୃଷ୍ଟି ଯେ ।୩୮।ସପକ୍ଷ ଯାନଯୁଗ ହଜାର ହେଲା ।ବହି ଦୁହିଁକି ଦୁଇ ପ୍ରଦେଶେ ନେଲା ଯେ ।ବାତାମ୍ବୁପର୍ଣ୍ଣାଶନ ତପ ଆଚରି ।ମୁନିମଣ୍ଡଳିପାଦେ ସେବନ କରି ଯେ ।୩୯।ଲାବଣ୍ୟଧ୍ୱଜ କଲା ବାସ ସେ ବନେ ।ରହିଲା ରାମା ଉମାପାଶ ସେବନେ ଯେ ।ତାହା ଲାବଣ୍ୟଶିରୀଗୁଣ ବିଚାରି ।ଆହାଲାଦରେ ନିଜ ପୁତ୍ରୀକି ପରି ଯେ ।୪୦।ପରମ ସ୍ନେହେ କଲେ ପରିପାଳନ ।ଦଇବ ସଂକଳ୍ପ ହେବ କି ଆନ ଯେ ।ଦିନେ ନାରଦ ବ୍ରହ୍ମାନନ୍ଦ ଅମଳେ ।ମଜ୍ଜି ଅମ୍ବରୋଦରେ ବିହରୁଥିଲେ ଯେ ।୪୧।
ବନ୍ଦାରୁ–ବନ୍ଦୀ, ଭାଟ (ଗନ୍ଧବମାନେ ଦେବତାଙ୍କର ଭାଟକାର୍ଯ୍ୟ କରନ୍ତି) । ୩୨ । ହୃଦସଂପୁଟେ – ହୃଦୟରୂପ ଫରୁଆରେ । ୩୪ । ପଞ୍ଚତା ଲବ୍ଧ ହେବ–ପଞ୍ଚତ୍ୱ ପ୍ରାପ୍ତ ହେବ ଅର୍ଥାତ୍ ମରିବ । ୩୬ ।-ରବିଭବ ବାହୁଜ–ସୂର୍ଯ୍ୟବଂଶୀୟ କ୍ଷତ୍ରିୟ, ବଦାନ୍ୟ–ଦାତା, ବିଶାରଦ–ପଣ୍ଡିତ । ୩୭ । ସରୋଜସମଦ୍ଭବ କ୍ଷତ୍ରବଂଶରେ–ପଦ୍ମଜାତ କ୍ଷତ୍ରିୟ କୁଳରେ , ଗିରିସାମନ୍ତତନୁଭବା ଅଂଶରେ–ପାର୍ବତୀଙ୍କ ଅଂଶରେ । ୩୮ । ଫୁଲବିଶଖ–କନ୍ଦର୍ପ । ୩୯ । ସପକ୍ଷ ପାନଯୁଗ–ପକ୍ଷ ଲାଗିଥିବା ଦୁଇଟି ବୋମଯାନ, ବାତାମ୍ବୁର୍ଣ୍ଣାଶନତପ–ଯେଉଁ ତପସ୍ୟାରେ କେବଳ ବାୟୁ, ଜଳ, ପତ୍ର ମାତ୍ର ଭକ୍ଷଣ କରାଯାଏ । ୪୦ । ବ୍ରହ୍ମାନନ୍ଦ ଅମଳ–ପରଂବ୍ରହ୍ମ ଚିନ୍ତାରୂପ ଆନନ୍ଦରେ ବା ନିଶାରେ ଉନ୍ନତ୍ତ ହୋଇ, ଅମ୍ବରୋଦରେ-ଆକାଶ ମଧ୍ୟରେ ।
ମହତୀ ଦଣ୍ଡ ଭୂଷା କୁସୁମମାଳ ।ଜବନ ପବନରୁ ହୋଇ ଆନ୍ଦୋଳ ଯେ ।ପୁନ୍ନାଗ ମଲ୍ଲୀ ଦୁଇ କୁସୁମ ଝଡ଼ି ।ଚପଳେ ଗଲେ ଦୁଇ ଦିଗକୁ ଉଡ଼ି ଯେ ।୪୨।ଗନ୍ଧର୍ବେ ପଡ଼ି ସେ ପୁନ୍ନାଗ କୁସୁମ ।କଲା ତାହାକୁ ପିକବଲ୍ଲଭ ଦ୍ରୁ୍ମ ଯେ ।କେଳିମଞ୍ଜୁଳା ଉରେ ବାଜିଲା ମଲ୍ଲୀ ।ହେଲା ସେ କଇଳାସେ ମୃଦ୍ୱିକା ବଲ୍ଲୀ ଯେ ।୪୩।ସମ୍ପୂର୍ଣ୍ଣ ହେଲା ଭାବି ପ୍ରତ୍ୟୁହଦ୍ୱନ୍ଦ୍ୱ ।ଶାପାନୁକମ୍ପ ନାମ ଦ୍ୱିତୀୟ ଛାନ୍ଦ ହେ ।ତୃତୀୟେ ସର୍ବଜନ ଶ୍ରବଣୋତ୍ସବ ।କହିବି ମହାଗଜଘୋଷ ବିଭବ ହେ ।୪୪।ଯେ ବନବାସୀ ହୋଇ ଅବନିପ୍ରିୟ ।ଅସିତାମ୍ବୁଜଦ୍ୟୁତି ସୀତାପ୍ରଣୟ ଯେ ।ସେ ରାମରମଣୀୟ ପଦସାରସ ।ବନ୍ଦଇ ରାମଚନ୍ଦ୍ର ଦେବ ନରେଶ ଯେ ।୪୫।
। ୪୨ । ମହତୀନାରଦଙ୍କ ବୀଣା, ଜବନ ବେଗବାନ୍ । ୪୩ । ପିକବଲ୍ଲଭଦ୍ରୁମ–ଆମ୍ବଗଛ, ମୃଦ୍ୱିକାବଲ୍ଲୀ–ଦ୍ରାକ୍ଷାଲତା । ୪୪ । ପ୍ରତ୍ୟୁହଦ୍ୱନ୍ଦ–ବାଧା ଦୁଇଗୋଟି, ମହାଗଜଘୋଷ ରାଜଧାନୀର ନାମ । ୪୫ । ଅବନିପ୍ରିୟ–ପୃଥିବୀପତି, ଅସିତାମ୍ବୁଜିଦ୍ୟୁତି-ନୀଳପଦ୍ମପରି କାନ୍ତି ଯାହାଙ୍କର (ରାମଚନ୍ଦ୍ରଙ୍କ ବିଶେଷଣ), ସୀତାପ୍ରଣୟ– ସୀତାପତି ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ